Satya Prakash
ପ୍ରବନ୍ଧ

ଜୀବନ ଏକ ସଂଘାତ ଓ ସଂଘର୍ଷ

ସବୁଠାରୁ ଅବୁଝା ବେଦ ହେଉଛି ଏ ଜୀବନ, ଯାହା ନାନା ସଂଘାତ ଓ ସଂଘର୍ଷରେ ପରିପୂର୍ଣ୍ଣ। ବେଶ୍ ସରଳ ତରଳ ଥିଲା ମୋ ଶିଶୁ ମନ ଓ ଶୈଶବର ଚପଳାମି।ସଦା ସର୍ବଦା ଖେଳ କୁଦରେ ମାତିଥାଏ। ସେହି ଥିଲା ମୋର ହର୍ଷ ବିଶାଦ ଭରା ଆନନ୍ଦିତ ମୁହୂର୍ତ୍ତ। ଗୋଟିଏ ଚିନ୍ତା ମୁଣ୍ଡରେ ମୁଁ କେଉଁ ଦିନ ମରଦ ହେବି। ମରଦ। ମୋର ବି ବପୁ ବିଶାଳ ହୁଅନ୍ତା। ନିଶ ଦାଢି ଉଠନ୍ତା ।ବଡ଼ ମଣିଷର ସାମର୍ଥ୍ୟ ମୋ ଭିତରେ ଆସନ୍ତା। ମୁଁ ବି ଭରସି କଥା ଜାହିର୍ କରି କହନ୍ତି। ମୋ କଥାକୁ ସମସ୍ତେ ଗୁରୁତ୍ଵ ଦିଅନ୍ତେ। କେହି ମନା କରି ପାରୁ ନଥାନ୍ତେ, ସମସ୍ତେ ମାନି ଯାଉଥାନ୍ତେ। ଭାରି ଭଲ ଲାଗୁଥାନ୍ତା, ଗର୍ବରେ ଛାତି ଫାଟି ପଡ଼ୁଥାନ୍ତା। ମୁଁ ମରଦ। ବଡ଼ ମଣିଷ। ମୋ କଥାର ଓଜନ ସମସ୍ତେ ମାପନ୍ତେ। ସମାଜରେ ମୋର ପ୍ରତିପତ୍ତି ଓ ମର୍ଯ୍ୟାଦା ବୃଦ୍ଧି ଘଟନ୍ତା।

ହେଲେ ମୁଁ ତ ଏବେ ଛୋଟ ପିଲା। ମୋ କଥା କେହି ଗ୍ରହଣ କରୁ ନାହାଁନ୍ତି। ଯାହା କହିଲେ ହେଟ୍ ହାଟ୍ କରି ସମସ୍ତେ ମୋତେ ଚାପି ଦିଅନ୍ତି। ମୋ କଥାର କିଛି ଗୁରୁତ୍ଵ ରହେ ନାହିଁ। ଯାହା କଲେ ଏଟା କରନା ସେଟା କରନା’ର ବାଣୀ। ଧୀର ଚାଲ, ଏମିତି ଚାଲ, ସେମିତି ଚାଲ, ରହ ପଡ଼ି ଯିବୁ, ଝୁଣ୍ଟି ପଡ଼ିବୁ, ଧରନା ଭାଙ୍ଗିଯିବ, ଚୁପ୍ କରି ବସ, ପାଠ ପଢ ।ଦୁଷ୍ଟ ହଅନା, ତଣ୍ଟିରେ ଲାଖିବ, ପାଣି ପିଇ, ଏବେ ଶୋଇ ପଡ଼, ସେବେ ଖେଳିବୁ ଏବେ ନୁହଁ, ଇତ୍ୟାଦି କେତେ କ’ଣ ଭାଷଣ, କେତେ ଉପଦେଶ ଓ ପରାମର୍ଶ। ମୋ ଶିଶୁ ମନ ବିଦ୍ରୋହ କରି ଉଠେ, ହେଲେ କିଛି କହି ପାରେ ନାହିଁ। ଖାଲି ଭାବେ କେଉଁଦିନ ବଡ଼ ହେବି, ଏମାନଙ୍କ ଠାରୁ ମୁଁ ମୁକ୍ତି ପାଇଯିବି। ଟିକିଏ ସ୍ଵତନ୍ତ୍ର ହୋଇ ଆଚରଣ ଓ ବିଚରଣ କରିବି। ଅଙ୍କୁଶର ଲଗାମ ଗୁଡ଼ାକ ସହି ହେଉ ନାହିଁ।  ମୁଁ ଏକଦମ୍ ଅଣନିଶ୍ଵାସୀ ହୋଇ ଗଲାଣି।

ଦିନେ ସତ ହେଲା। ମୁଁ ବଡ଼ ହୋଇଗଲି। ଶୈଶବର ସରସତା ଓ ବାଲ୍ଯ ଚପଳାମି ଦେଇ ଏବେ କିଶୋରରେ ପଦାର୍ପଣ କରୁ କରୁ ଗ୍ରାମ୍ୟ ସାଥୀମାନଙ୍କ ସହ ଓ ପୌଗଣ୍ଡେ ସହପାଠୀ ସହପାଠିନୀଙ୍କ ସହ ଦେଖାଦେଲା ମୋ ଜୀବନରେ ସଂଘାତ। ଟିକିଏ କଥାରେ ମତାନୈକ୍ୟ ମତାନ୍ତର। ଖେଳ କୁଦକୁ ନେଇ ସଂଘର୍ଷ। ପୁଣି ପାଠ ପଢାକୁ ନେଇ ଇର୍ଷା, ଦ୍ଵନ୍ଦ ନାନା ଚୁଗୁଲାମି ।ପ୍ରତିଟି କଥାରେ ବଡ଼ ପଣ ଜାହିର୍ କରିବାର ତଥା ସର୍ବଜ୍ଞାତା ସାଜିବାର ସଂଘର୍ଷ। କେହି କାହା ଠାରୁ ନ୍ୟୁନ ନୁହଁ ବୋଲି ଯେମିତି ଗୋଟେ ପ୍ରତିଯୋଗୀତା, ପ୍ରତିଦ୍ୱନ୍ଦିତା ଲାଗିଥାଏ। ସୁନ୍ଦର ସେ କଳି ତକରାଳ ।

କ୍ରମଶଃ ମୁଁ ହେଲି ଯୁବକ। ମୋ ଭିତରେ ଦେଖାଦେଲା ଯୁବ ସୁଲଭ ଉଦ୍ଦାମତା। ସମସ୍ତ ପାରିବାର ପଣିଆ ମୋ ଭିତରେ ଏକୀଭୁତ, ରୁଣ୍ଡିଭୂତ। ଠୁଳ ।ମୋର ଏବେ ଗିରି ଲଂଘିବାର ଧୃଷ୍ଟତା। ଅନତିକ୍ରମଣୀୟ ସମୁଦ୍ର ଅତିକ୍ରମ କରିଯିବାର ଦୁଃସାହସ। ଏ ସମସ୍ତ ଦୁର୍ଦ୍ଦମନୀୟ ଶକ୍ତି ସାମର୍ଥ୍ୟ ନେଇ ଆଗକୁ ବଢିଲି। କୌଣସି କଥାକୁ ନା କହିଲି ନାହିଁ, ସବୁ ଖାଲି ହଁ। ସବୁ କରି ପକେଇବାର ତ ଟାଣପଣ। ଅନେକ ମୋର ସ୍ଵପ୍ନ, ସବୁ ସାକାର ହେବାର ସ୍ଵପ୍ନରେ କିଛିଟା ଉଲ୍ଲସିତ। ଗାନ୍ଧୀ ଗୋପବନ୍ଧୁ ହେବାର ପ୍ରୟାସ। କ୍ଲବ ଗଢିବା, ସାମାଜିକ ଅନୁଷ୍ଠାନକୁ କ୍ରିୟାଶୀଳ କରିବା, ସାମୂହିକ କାର୍ଯ୍ୟରେ ହାତ ଦେବା। ବିକାଶର ନାରା ଦେଇ ବିକାଶୋନ୍ମୁଖୀ ଚିନ୍ତାଧାରାରେ ଅବଗାହନ କରୁ କରୁ, ଦେଖାଦେଲା ସଂଘାତ। ତା’ପରେ ବିବାଦ, କଳି ତକରାଳ, ଗ୍ରାମ୍ୟ ଅନୁଷ୍ଠାନ ଭାଙ୍ଗି ଯାଉଥିବାର ଭୟ, ମାଡ଼ଗୋଳ, ବାଡ଼ି ଠେଙ୍ଗା, ପୁଲିସ କେସ୍, କୋର୍ଟ କଚେରୀ, ସବୁ ପରେ ସ୍ଵପ୍ନ ଭୁଶୁଡ଼ି ପଡ଼ିବାରୁ ମନ ବିଷର୍ଣ୍ଣ। ହତାଶାର କାଳିମା, ପୁଣି ସେଇ ହାର୍। ହାର୍ ଓ ପରାଜୟ। ପରାଭାବର ଗ୍ଲାନି।ବ୍ଯର୍ଥତାର ହୁତାଶନ। ବେଶ୍ ଅଥୟ କରି ପକାଉଥାଏ ପ୍ରତିଟି ଅଙ୍ଗର ଶିରା ପ୍ରଶିରାକୁ ।ଆଜି କାଲି ସଫଳତାର ହାର ଠାରୁ ବିଫଳତାର ଜୟଗାନ ଅଧିକା। ତେଣୁ ମୋ ବ୍ୟସ୍ତତାର କାରଣ ସ୍ୱାଭାବିକ,ସେଇ ଏକ ହେତୁର ନିର୍ଦ୍ଦେଶ।

ଏଥର ପୁଣି ପରିବାର, ପରିବାର ଆଡ଼କୁ ଦୃଷ୍ଟି ନିବଦ୍ଧ। ପାଠ। ପାଠ ପରେ ଚାକିରୀ ପାଇଁ ତୀବ୍ର ସଙ୍ଘର୍ଷ, ବେଶ୍ କିଛି ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ। ଚାକିରୀ ପରେ ପରିବାରର ଆକ୍ରମଣ, ଆତ୍ମୀୟଙ୍କ କଟାକ୍ଷ। ବିବାହ। ବିବାହ ବନ୍ଧନରେ ଆବଦ୍ଧ। ପୁଣି ସେହି ଫାଶ, ନିଗୂଢ ଫାଶରେ ବାନ୍ଧି ହେବାର ଯନ୍ତ୍ରଣା। ପୁଣି ଦେଖାଦେଲା ସଂଘାତ- ପତ୍ନୀର ଇଚ୍ଛା ବିରୁଦ୍ଧରେ ଲଢ଼ିବା ବା ତା’ର ସମସ୍ତ ଇଚ୍ଛା ପରିପୂର୍ଣ୍ଣ ନ କରି ପରିବାର ଅସମର୍ଥତା ଯୋଗୁଁ ହେଉ। ଜୀବନ ପାଲଟେ ସଂଘାତପୂର୍ଣ୍ଣ ଓ ଯନ୍ତ୍ରଣା ଜର୍ଜରିତ। ଆଉ କେତେବେଳେ ପୁଣି ପତ୍ନୀର ସ୍ୱାର୍ଥ ପାଇଁ ପରିବାର ଲୋକଙ୍କ ସହିତ ଲଢ଼ିବା – ହେଲେ ଲଢିବାଟା ଖାଲି ଲଢ଼ିବାରେ ଯାଏ କ’ଣଟେ ଯେ ସୁଫଳ ମିଳେ ମୁଁ ଜାଣେନା। ଜାଣିଲେ ବି ସେମିତି କିଛି କହିବାକୁ ମୋ ପାଖରେ ଏତେ ବେଶି କିଛି ନାହିଁ।

ଏଥକୁ ଉପାୟଶୂନ୍ୟ ହୋଇ ଭଗବାନଙ୍କୁ ଡାକେ। ମୁଁ ଜୀବନର ଗୋଟାଏ ପରେ ଗୋଟାଏ ପାହାଚ ଅତିକ୍ରମ କରିବାର ଠିକ୍ ସନ୍ଧିକ୍ଷଣରେ ଅନନ୍ୟୋପାୟ ହୋଇ ତ୍ରାହି ମାଂ ତ୍ରାହି ମାଂ ଡାକ ଛାଡ଼େ। ସେଥିରୁ ଟିକିଏ ବିରତି ନେଇ ନୂତନ ଆଶା ଓ ସମ୍ଭାବନାର ଜୀବନ ଜୀଇବାକୁ ମୁଁ ଆଗକୁ ବଢେ।କହିଲି – ଏଥର ଆଉ ସାଙ୍ଗ ସାଥି, ବାହାରବାଲା ଓ ନିଜ ପତ୍ନୀ ଠାରୁ ହାରି ପାରିବିନି। କହିଲେ – ତଥାସ୍ତୁ। ଜୀବନ ଧାଇଁଲା ଆଗକୁ। ହେଲେ କର୍ମ କ୍ଷେତ୍ରରେ ସଂଘାତ। ହାକିମଙ୍କ ହାକିମଗିରି, ସାଥି ସହକର୍ମୀଙ୍କ ପ୍ରତିଯୋଗୀତାମୟ ଭାବ ପୋଷଣ। ପ୍ରତିଟି କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ହାତେଇବାର କଳକୌଶଳ, ତହୁଁ କୋଣଠେସା ଦେଇ ଆଗକୁ ଯିବାର ପ୍ରତିଯୋଗୀତା।ଯେଣୁ ନେଣ ଦେଣ କାରବାରକୁ ଆମେ କୁଶଳୀ କାରିଗର ନୋହୁଁ, ତେଣୁ ଆମେ କିଛି ଲୋକ ପଛରେ ପଡୁ। ପ୍ରତିବାଦ କଲେ କେହି ଶୁଣନ୍ତି ନି।
ଦୁନିଆଟା ଭାରି ସୁବିଧାବାଦୀ, ତେଣୁ ନିସ୍ୱାର୍ଥପରଙ୍କର ଦୁର୍ଦ୍ଦଶା। ହତାଶା କେବଳ ପୁଞ୍ଜି। ଅଶ୍ରୁ ସାଥି। ମାନସିକ ଅଶାନ୍ତି ଓ ଅସନ୍ତୋଷରେ ହୃଦୟ ହୁଏ ଶିକ୍ତ।

ଏଥର ଏଥିରୁ ଚାହିଁବାରୁ ମୁକ୍ତି ଭଗବାନ କହିଲେ ତଥାସ୍ତୁ। ହେଲେ ଏକ ରକମର ପୁଣି ନୂଆ ସମସ୍ୟା, ନୂଆ ଯନ୍ତ୍ରଣା।ମୁଁ ଏବେ ପ୍ରୌଢ଼ରେ ପଦାର୍ପଣ କଲିଣି। ପରିବାର ଲୋକଙ୍କ ଭିତରେ ଦେଖାଦେଲାଣି ଲମ୍ବ ଲମ୍ବ ବ୍ୟବଚ୍ଛେଦ, ବ୍ୟବଧାନ ବଢିବାକୁ ଲାଗିଲାଣି। ମୋତେ ଆଉ ଆଗ ଭଳି କେହି ଏତେ ଭଲ ପାଉ ନାହାଁନ୍ତି। ମୁଁ ବି ଆଉ କାହାରି କାମରେ ସେତେ ଆସୁ ନାହିଁ। କିଛିଟା ଅଲୋଡ଼ା ଅଦରକାରୀ ମନେ ହେଲିଣି। ସମସ୍ତଙ୍କର ପିଲା ଝିଲା ବଢି ଗଲେଣି।ଚାକିରୀ ବାକିରି କରି କେତେକ ବି ଘର ସଂସାର ବସେଇ ସାରିଲେଣି। ସେମାନେ ଏବେ ବେଶ୍ କିଛି ଆତ୍ମ ନିର୍ଭରଶୀଳ। ଆମେ ଆଉ ଖୋଜା ପଡ଼ୁନା ବା ଆମ ପାଇଁ କାହା ପାଖରେ ସମୟ ନାହିଁ। ସାହାଯ୍ଯ ସହଯୋଗ କଥା ତ ଛାଡ, ହେଲେ କଥା କଥାକେ ତାନା ମାରିବାକୁ ସେମାନେ ଭୂଲନ୍ତି ନାହିଁ – ତାହା ସେମାନଙ୍କର ଅସ୍ଥି ମଜ୍ଜାଗତ ଅଭ୍ୟାସରେ ପରିଣତ ହୋଇ ଗଲାଣି। ପୈତୃକ ସମ୍ପତ୍ତିରୁ ଅଧିକ ଲାଭ ଉଠେଇବା ପାଇଁ ସମସ୍ତେ ବ୍ୟସ୍ତ। ଫାଇଦା ନେବା ଚକରରେ ନିତି ଏଠି ନାନା ଚକ୍ର ବ୍ୟୁହ ରଚନା ହୁଏ। ନିଜ ନିଜ ଭିତରେ ଦଳ ଗଢି ସାରିଲେଣି। ଜଣେ ଅନ୍ୟ ଜଣଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରତିଯୋଗୀତା।
ଅଶାନ୍ତି ଅସନ୍ତୋଷ କୁହେଳି କୁହେଳି ବିରାଟ ରୂପ ନେବାକୁ ବସିଲାଣି, ପାରିବାରିକ ସମ୍ପର୍କ ହେଲାଣି ବିଭାଜିତ। ସଂଘାତ ଓ ସଂଘର୍ଷ ଗୋଟାଏ ବଡ଼ କାଣ୍ଡ ସୃଷ୍ଟି କରିବା ଅପେକ୍ଷାରେ। ଏଇମିତି ମଣିଷ ଶାନ୍ତିକୁ ଖୋଜୁଥାଏ, ଗୋଟାଏ ପରେ ଗୋଟାଏ ସମସ୍ୟାରୁ ନିସ୍କୃତି କାମନା କରିଥାଏ। ତହିଁରୁ ମୁକୁଳି ଆସିଲା ପରେ ପୁଣି ନିତ୍ୟ ନୈମିତ୍ତିକ ନୂତନ ସମସ୍ୟା ମୁଣ୍ଡ ଟେକେ। ସେ ସମସ୍ତ ସମସ୍ୟାକୁ ସମାଧାନ କରୁ କରୁ ବଳ ବୟସ ହଟି ଯାଇଥାଏ। ସେ ମୃତ୍ୟୁର ନିକଟବର୍ତ୍ତୀ ହେବାକୁ ଲାଗେ। ହେଲେ ମୃତ୍ୟୁର ନିକଟବର୍ତ୍ତୀ ହେଉ ହେଉ ସେ କ’ଣ ଏମିତି ସାଉଁଟି ପାରିଥାଏ କି ଯାହାକୁ ବା କାହାକୁ ଭେଟି ଦେବ ଅବା ଜୀବନର ଶେଷେ ବୋହିନେବ ଆରପାରିକୁ ପର ଜନ୍ମର ପୁଞ୍ଜି କରି?
ଆହୁରି ବାକି ରହିଯାଏ ଜୀବନର ଅନ୍ତିମ ସୋପାନ – ବାର୍ଦ୍ଧକ୍ୟ ଓ ଜରା ସେଠି ବିପର୍ଯ୍ୟୟ ନିଶ୍ଚୟତା ସମ୍ଭାବନା ତୋଳେ। ଆଜିର ବିଜ୍ଞାନୀ ମଣିଷ ଯେତେ ଯେତେ ସଭ୍ୟ ଶିକ୍ଷିତ ହେଉଛି, ସେ ସେତେ ସେତେ ଆଧ୍ୟାତ୍ମିକ ଓ ଆଧିଭୌତିକ ଚେତନାଠାରୁ ଦୁରେଇ ଯାଉଛି । କ୍ରମଶଃ ସେ ଯନ୍ତ୍ରବତ୍ ମଣିଷର ମନୀଷା ବହନ କରୁଛି। ପ୍ରତିଯୋଗିତାମୂଳକ ମନୋବୃତ୍ତିର ଦିନକୁ ଦିନ ଘୋର ବିକାଶ ଘଟୁଛି। ଆଗକୁ ବଢ଼ିବାର ପ୍ରୟାସରେ ସେ ଅତୀତକୁ ଭୂଲୁଛି। ତେଣୁ ଅତୀତ ଅବହେଳିତ ହେବା ସ୍ୱାଭାବିକ। ଭବିଷ୍ୟତ ଠାରୁ କିଛି ଆଶା କରିବା ନିରର୍ଥକ। ଅବାଞ୍ଛିତ, ଅବହେଳିତ ହୋଇ ପଡ଼ିବା ନିହାତି ଅସ୍ୱାଭାବିକ ନୁହଁ। ନିଜର ଏକଲା ପଣକୁ ନେଇ ଜୀଇବାଟା ସତ୍ୟ।
ତେଣୁ ମୁଁ ଭାବେ ସମ୍ପର୍କଟା ଅଧିକତର କାର୍ଯ୍ୟ କାରଣଗତ। ଯାହାର ଯେତିକି ଦିନ ଆବଶ୍ୟକତା ଥାଏ ସେ ସମ୍ପର୍କ ଯୋଡ଼ି ରଖିଥାଏ। ସ୍ୱାର୍ଥ ହାସଲ ହୋଇଗଲା ପରେ ଆପଣା ଛାଏଁ ସମ୍ପର୍କଟା ଭାଙ୍ଗିଯାଏ। ଏମିତି କେତେ ଯେ ସମ୍ପର୍କ ମୋ ସହ ତୁଟାଇ ଚାଲିଯାଇଛନ୍ତି ମୁଁ ସେ ସବୁର ହିସାବ ରଖି ପାରିନାହିଁ। ମତଲବିବାଜ୍ ଦୁନିଆରେ ଆମେ ସମସ୍ତେ ଖାଲି ମତଲବୀ ହେଉଛନ୍ତି। କେଉଁଠୁ ଗୋଟେ ନିସ୍ୱାର୍ଥପର ସମ୍ପର୍କଟାଏ ମିଳି ଗଲେ ଆମେ କୃତ୍ୟ କୃତ୍ୟ ହୋଇଥାଏ। ବେଶ୍ କିଛି ଦିନ ଆତ୍ମୀୟତା ବାଣ୍ଟିଲା ପରେ ତାହା ବି ତୁଟିଯାଏ, ଯଦିଚ କାରଣଟା ନିହାତି ଅସ୍ପଷ୍ଟ। ତେବେ ଏପରି କାହିଁକି ହୋଇଥାଏ? ତେବେ ଏହି କ’ଣ ଜୀବନ? ଯେଉଁଠି ନାନା ଘାତ ପ୍ରତିଘାତ ସତ୍ତ୍ୱେ ବିଭିନ୍ନ ବିଭିଧତା ଭିତରେ ଜୀବନ ବୈଚିତ୍ରମୟ ହୋଇଥାଏ, ଅଥଚ ବେଶ୍ ଆଗକୁ ଧାଉଁଥାଏ।
ତେଣୁ ବେଳେବେଳେ ମୁଁ ସ୍ୱତଃ ନିଜକୁ ପ୍ରଶ୍ନ ପଚାରେ – ମୁଁ କାହିଁକି ଭଲ ଲୋକି ଦେଖେଇ ହୁଏ ବା ଭଲ ଲୋକ ହେବାକୁ ପ୍ରୟାସ କରେ? ସମସ୍ତ ଭଲ ଲୋକ କି କେବଳ ପୂରା ଜୀବନ ଜୀଅନ୍ତି? ସେମାନଙ୍କ ଭିତରୁ ତ ଆହୁରି ଏମିତି ଥୋକେ ଅଛନ୍ତି, ଯେଉଁମାନେ କି ସମସ୍ତ କୁକର୍ମ ଓ ଅପକର୍ମରେ ଲିପ୍ତ ରହି, ଭଲ ଲୋକକୁ ଅସୁବିଧାରେ ପକାଇ, ତାଙ୍କ ମୁଣ୍ଡ ଉପରେ ଗୋଡ ଥୋଇ ଉପରକୁ ଉଠିଛନ୍ତି। ସେମାନଙ୍କର କାହିଁ କିଛି ଅସୁବିଧା ହୋଇନାହିଁ, ଶାନ୍ତିରେ ଜୀବନଟା ଜୀଇ ପାରିଛନ୍ତି। ତେବେ ଆମ ଭଲ ଲୋକ ଓ ଭଲ ଲୋକି ପଣିଆର ମହତ୍ତ୍ୱ କ’ଣ? କେହି ଭଲା ବୁଝନ୍ତା ଅବା ଭଲ ସାଟିର୍ଫିକେଟ ଖଣ୍ଡେ ଦିଅନ୍ତା? କିନ୍ତୁ ଏପରି ହୁଏ ନାହିଁ, ଦୁର୍ଦ୍ଦଶା ବରଂ ବଢିଯାଏ। ତଥାପି ବି ପ୍ରବୃତ୍ତି। ସମସ୍ତ କ୍ଲେଶ ସତ୍ତ୍ୱେ ଗୁଡ଼ାଏ ଅବାସ୍ତବ ଭଲର ପରିକଳ୍ପନା ଭିତରେ ଜୀଇଁବା। ସେଇଥିରେ ଜୀବନ, ସେହି ହିଁ ଶାନ୍ତି। ଦୁଃଖ ସୁଖକୁ ସବୁଟାକୁ ଆପଣାର କରି ବଞ୍ଚିବାର ଅଭିଳାଷା। ଜୀବନକୁ ବୁଝିବାର ଅପଚେଷ୍ଟା। ସବୁ ପୁଣି ବ୍ୟର୍ଥ, ଅପୂରଣୀୟ ମନୋବାଞ୍ଛା।
ଏକଧାରେ ଲୁହ, ଅନ୍ୟ ଧାରେ ହର୍ଷିତା ଭାବ। ଏକ ପଟେ ଅଭିଶାପ, ଅନ୍ୟପଟୁ ଆଶୀର୍ବାଦର କ୍ଷୀଣପ୍ରଭା ଆଲୋକରେଖା ।ଜୀବନ ଏହି ପରି ଅବିରତ ଚାଲେ, ମୁଁ ତେଣୁ ଗାଏ-
ମୁଁ କେବେ ଡରି ନାହିଁ ମୃତ୍ୟୁ ଭୟେ
ମୃତ୍ୟୁ ଯେଣୁ ଶ୍ରେୟସ୍କର
ସେ ଯେ ଚିର ଶାନ୍ତି
ସେ ଯେ ଶେଷ ଆଶ୍ରୟ ସ୍ଥଳ
ଆଶ୍ରୟ ମୁଁ ଲୋଡ଼ିବି କାହିଁରେ?
ସେଦିନ ସିନା ଦୁଷ୍ମନ୍ତ ସମ
ଭୂଲି ଥିଲି ଶକୁନ୍ତଳେ
ଆଜ କିନ୍ତୁ ହେଜେ ଦେଖି
ତୁମ ସ୍ମୃତିର ଅଭିଜ୍ଞାନ
ସୃଷ୍ଟିର ଚିର ରହସ୍ୟରେ
ପାରୁନି ଯେ ଆଉ
ଯନ୍ତ୍ରଣା ହେଲାଣି ଢେର
ପ୍ରାଣ ପ୍ରିୟା ସଖୀ ମୋର
ଆଉ ଦଣ୍ଡେ ରହ
ମୁଁ ଟିକିଏ ସଜବଜ ହୋଇପଡେ
ଜାଣୁଛି ବେଳ ଯେ ହେଲାଣି ଉଛୁର
ମୋର ବି ବିଶ୍ରାମ ଦରକାର।।
ମଣିଷ ଖାଲି ହାରେ,କେତେବେଳେ ସାମାଜଠାରୁ ବା କର୍ମ କ୍ଷେତ୍ରରେ। ନିଜ ପତ୍ନୀ /ସ୍ଵାମୀଠାରୁ ତ ପୁଣି ପରିବାରର ଲୋକଙ୍କଠାରୁ ନତୁବା ନିଜ ପିଲାମାନଙ୍କଠାରୁ। କିଛି ନହେଲେ ନିଜେ ନିଜଠାରେ ଖାଲି ହାରିବା ସାର ହୁଏ, କିନ୍ତୁ ଜିତିବାର ବାହାସ୍ପୋଟ ଥାଏ। ହାରି ହାରି ଶେଷରେ ନିଜ ଜୀବନକୁ ତୁଚ୍ଛ ମଣେ। ପ୍ରକୃତିର କୋଳରେ ଆତ୍ମଗୋପନ କରିବାକୁ ଇଚ୍ଛା ହୁଏ। ଯମର ଡାକରା ଆସେ,ଲେଉଟାଣି ପର୍ବ ପାଳେ। ମାଟି ମା ‘କୋଳରେ ଶେଷ ଆଶ୍ରୟ ଖୋଜେ । ସେଇ କି ଶେଷ ଆଶ୍ରୟ ସ୍ଥଳୀ? ଜୀବନର ଇତି ହୁଏ। ଏଇତ ଜୀବନ, ଯାହାକୁ ବୃଥା ଅହମିକାରେ ଆମେ ଜୀଇ ଥାଉ । ପଡ଼ି ଉଠି ଉଠି ପଡ଼ି ଖାଲି ଧାଇଁଥାଏ। କ’ଣ ତା’ର ମାନେ ହୁଏ, ତଥାପି ସମସ୍ତେ ଜୀଉଛନ୍ତି ଦେଖି ମୁଁ ବି ଜୀଏ। ଏଷଣା ଗଣିତାଦି ପ୍ରୟୋଗ କରି ମୁଁ ଜୀବନକୁ ଅନ୍ୱେଷଣ କରେ। ହେଲେ ଗବେଷଣା ଲବ୍ଧ ଜ୍ଞାନକୁ ବଖାଣିବା ପାଇଁ ମୋ ପାଖରେ ବିଶେଷ କିଛି ଉତ୍ତର ନଥାଏ। କାରଣ ଉତ୍ତରଟି ମୋତେ ବୋଧ କରି ପାରେ ନାହିଁ କି କାହାକୁ ବୁଝେଇଲେ ଏଥିରୁ ତାହାର ଅର୍ଥ ଠିକ୍ ରେ ବୋଧ୍ୟ ହୋଇ ପାରେ ନାହିଁ। ଏଇତ ଜୀବନ, ଯାହା ଅନ୍ୟ ଭାବରେ ସଂଘାତ ଓ ସଂଘର୍ଷପୂର୍ଣ୍ଣ।

 

 

Related posts

ଦୁଃଖ ଓ ସୁଖ

satya

ସମ୍ପର୍କର ଇସ୍ତାହାର

satya

ଅଧ୍ୟୟନ ଓ ଅଧ୍ୟବସାୟ

satya

5 comments

oprolevorter 27th July 2019 at 5:23 am

After I originally commented I clicked the -Notify me when new comments are added- checkbox and now every time a comment is added I get four emails with the same comment. Is there any means you may remove me from that service? Thanks!

Reply
Leslie Cmiel 22nd November 2019 at 11:45 am

Keep up the great piece of work, I read few articles on this internet site and I think that your site is really interesting and holds lots of excellent info .

Reply
web site 21st January 2020 at 1:51 am

Good post. I be taught one thing more challenging on completely different blogs everyday. It is going to always be stimulating to read content from other writers and observe slightly one thing from their store. I’d prefer to use some with the content material on my weblog whether or not you don’t mind. Natually I’ll offer you a hyperlink on your web blog. Thanks for sharing.

Reply
alcoholism 9th February 2020 at 7:11 pm

You made some decent points there. I looked on the internet for the issue and found most individuals will approve with your website.

Reply
helpful resources 21st February 2020 at 12:20 pm

Good write-up, I am regular visitor of one’s site, maintain up the excellent operate, and It’s going to be a regular visitor for a lengthy time.

Reply

Leave a Comment

Login

X

Register