Satya Prakash
ଗଳ୍ପ

ଦୀପୁ ବି କହୁଥିଲା

ଦୀପୁ ବି କହୁଥିଲା
By ସତ୍ୟ ପ୍ରକାଶ ସେଠୀ
ଦୀପୁ ବି କହୁଥିଲା – ତା ପ୍ରେମ କୁଆଡ଼େ ନିରର୍ଥକ ହୋଇଥିଲା ବୋଲି । ସିଏ ବି କାଳେ ଖୁବ୍ ଭଲ ପାଉଥିଲା ତା ପ୍ରେମିକାକୁ । ମୁଁ ତୁମକୁ ଭଲ ପାଏ ବୋଲି-ଶୁଣିଥିଲା ତ କେତେ ପ୍ରତିଶ୍ରୁତି। ଖୁବ୍ ଭଲ ପାଉଥିଲା ବୋଧେ ଦିନେ ପ୍ରିୟା ତାକୁ।
ଏହି ପ୍ରିୟା ଖୁବ୍ ରୂପବତୀ ଗୁଣବତୀ। ତନୁ ପାତଳୀ ଝିଅଟା। ଗୌର ବର୍ଣ୍ଣ ସାଙ୍ଗକୁ ପୁଣି ଲମ୍ବକେଶୀ। ଯାହା ଖଣ୍ଡେ ଦେହକୁ ବେଢି ପକାଏ ନା ତାକୁ ଖୁବ୍ ମାନେ।ସେଇଥି ପାଇଁ ତ ଅନେକ ତା ରୂପରେ ବାୟା। ତା ଚାରିପଟେ ଲଣ୍ଡଭଣ୍ଡ ହୁଅନ୍ତି।ବାୟା ବାତୁଳ ପରାଏ ଧାଁଆନ୍ତି।ଏଇ ଦୀପୁଟା ତା ଭିତରୁ ଗୋଟେ।
ସେଦିନ ଏଇ ପ୍ରେମ କାହାଣୀଟା ପରା ପ୍ରଥମ କରି ଲେଖି ହୋଇ ଯାଇଥିଲା ଯେଉଁଦିନ ଉଭୟ ବାଣୀ ବିହାର ପରି ଶିକ୍ଷାୟତନରେ ପ୍ରଥମ କରି ପାଦ ଥାପି ଥିଲେ। ତହିଁ ପର ଠାରୁ ଅନେକ ପ୍ରେମାଳପ ଓ ସ୍ନେହ ସମ୍ଭାଷଣ। ତହିଁକି ତେଣେ ଲାଗିଯାଇଥିଲା ପ୍ରେମର ଅନେକ ଅଫୁରନ୍ତ ଉତ୍ସବ। ଜଣେ ଅନ୍ୟ ଜଣଙ୍କୁ ଦଣ୍ଡେ ଛାଡି ରହି ନ ପରିବାର ଗୋଟାଏ ବିରାଟ ଉଦ୍ୱେଳନ। ସମୟ ଅତିକ୍ରାନ୍ତ ହେଉଥାଏ। ପରସ୍ପର ପରସ୍ପରକୁ ଖୁବ୍ ନିକଟରେ ପାଇବା ପାଇଁ ଉଦଗ୍ରୀବ ହୋଇ ଉଠୁଥାନ୍ତି। କେତେ ନିବିଡ଼ ଓ ଅନ୍ତରଙ୍ଗ ମୁହୂର୍ତ୍ତ ଯାଇଛି। ଏପରି ବି ହୋଇଛି ସେମାନେ ସୁଦୂର ଭବିଷ୍ୟତର ବେଳେବେଳେ ଭାଷ୍ଯକାର ପାଲଟି ଯାଇ ଦେଖିଛନ୍ତି ଅନାଗତ ଭବିଷ୍ୟତର ସୁନେଲି ସ୍ବପ୍ନ-କେମିତି ସେମାନେ ହାତ ଛନ୍ଦାଛନ୍ଦି ହୋଇ ରହିଛନ୍ତି । ଚାରି ଦିଗୁ ଶୁଭୁଛି ବିବାହର ମାଙ୍ଗଳିକ ଶଙ୍ଖ ହୁଳହୁଳି ଧ୍ୱନି। କିନ୍ତୁ ଏ ସ୍ଵପ୍ନ ସେମାନଙ୍କର ବେଶୀ ଦିନ ତିଷ୍ଟି ରହି ପାରି ନଥିଲା। ଭାଙ୍ଗି ଯାଇଥିଲା ଯେତେବେଳେ ସାମାନ୍ୟ ଅବିଶ୍ୱସ ସେମାନଙ୍କ ସମ୍ପର୍କକୁ ପୋଡି ଧୂମ କୁଣ୍ଡଳୀରେ ପରିଣତ କରି ଦେଇ ଥିଲା। ବିଶ୍ବାସ ତୁଟି ଗଲା ସ୍ଵପ୍ନ ଭାଙ୍ଗି ଗଲା। ମନରେ ବୋହିଲା ଅସହଣିର ଝଞ୍ଜା। ପ୍ରେମର ଆକାଶେ ଦେଖାଦେଲା ଅଦିନିଆ ବୌଦ ପ୍ରତିଶୋଧର ଧୂମ କୁଣ୍ଡଳୀ।ଭୟଙ୍କର ପରିସ୍ଥିତି, ବିଷମୟ ପରିଣତି।
ସେଦିନ ଘଟଣାକ୍ରମେ ଡିପାର୍ଟମେଣ୍ଟର ପିକନିକ୍ ଥିଲା ସପ୍ତଶଯ୍ୟାରେ। ସବୁ ସାଙ୍ଗ ସାଥିମାନେ ମନ ଖୁସିରେ ଏଣେତେଣେ ଡିଆଁଡେଇଁ କରୁଥିଲେ।କେତେକ ଭଲ ମନ୍ଦ ଜାଗା ସବୁ ବୁଲି ଦେଖୁଥିଲେ ତ ଆଉ କିଏ ଫଟୋ ଉଠାଇ ମଜା ନେଉଥିଲା ।ପୁଣି କିଏ ହସାହସି ହୋଇ ବନ ଭୂମିକୁ କମ୍ପାଉଥିଲେ। ମିଞ୍ଜନ ଝରଣାଟା ଡେଇଁ ଯିବାକୁ ଚେଷ୍ଟା କରୁଥିଲା ଯେ ଓର୍ନିଟା ତା’ର ଉଡିଗଲା, ଦୀପୁ ପଛରେ ଥିବାରୁ ଧରି ପକାଇଲା। ସୁଯୋଗ ପାଇ ମଙ୍ଗୁ ତା କ୍ୟାମେରାରେ ଫଟୋଟାକୁ କଏଦ କଲା। ସେଇ ସେତକ ଥିଲା ସମସ୍ତ ବ୍ୟତିକ୍ରମର ହେତୁ, ସମସ୍ୟାର ମୂଳପିଣ୍ଡ। କେତେ କଥା ଚାହୁଁ ଚାହୁଁ ସାଙ୍ଗ ସାଥି ଭିତରେ ବ୍ୟାପିଗଲା। ପ୍ରିୟା କାନରୁ ବା କଥାଟା କେମିତି ବାଦ ପଡିଥାନ୍ତା? ତା କାନରେ ବି କଥାଟା ପଡ଼ିଲା।ମନ ଫଟାଫଟି ହେଲା ରାଗ, କ୍ରୋଧ, ଅଭିମାନ ସବୁ ଫେଣ୍ଟାଫେଣ୍ଟି ହୋଇ ବିରାଟ ରୂପ ପରିଗ୍ରହଣ କଲା। କିଏ କହିବ ଯେ ଘଟଣାର ପରିଣତି କେଉଁ ଆଡକୁ ଯିବ? ଶେଷରେ ଇଆ ମୁହଁ ସିଆଡ଼କୁ, ତା ମୁହଁ ଇଆଡକୁ।
ଦୀପୁ ଶତ ଚେଷ୍ଟା କରି ମଧ୍ଯ ନିଜ ନିର୍ଦ୍ଦୋଷତାର ପ୍ରମାଣ ତ ଦେଇ ପାରିଲାନି ବା ଦେବାକୁ ଚେଷ୍ଟା କରି ମଧ୍ଯ ସୁଯୋଗଟେ ପାଇଲା ନାହିଁ।ନୁଥକିନା ସେଇଠି ବସି ପଡ଼ିଲା। ଭଗ୍ନ ମନୋରଥ ହୋଇ ଦଣ୍ଡେ ଅଟକି ଗଲା। ତେଣେ ମଙ୍ଗୁ ତ ସୁଯୋଗ ଉଣ୍ଡୁ ଥିଲା। ଗୋଳିଆ ପାଣି ତାକୁ ଖୁବ୍ ସୁହାଇଲା। ଦୁଇ ଜଣଙ୍କ ଭିତରେ ଦୁରିଆ ବୃଦ୍ଧି କରି ନିଜ ଅଭିଳଷିତ କାମନା ବାସନାକୁ ଚରିତାର୍ଥ କରିବା ପାଇଁ ସେ ଲାଗି ପଡିଲା। ତା ଜାଲରେ ବି ଚିଡ଼ିଆ ଛନ୍ଦି ହୋଇ ଯାଉଥାଏ। ଦୀପୁକୁ ଚିଡ଼େଇବା ପାଇଁ ସେ ମଙ୍ଗୁ ଆଡକୁ ଢ଼ଳି ଯାଉଥିବାର ନାଟକ କରୁ କରୁ ଶେଷରେ ନିଜର ସର୍ବସ୍ଵ ହରାଇ ବସିଥାଏ। ଭାବିଲା ବେଳକୁ ଆଉ କିଛି ନଥାଏ। ସମୟ ଅତିକ୍ରାନ୍ତ ହୋଇ ସାରିଥାଏ। ଅଦିନିଆ ବର୍ଷାଟା ଏଇ ବର୍ଷି ଯିବକି ବୋଲି ମନରେ ଦୃଢ଼ ଆଶଙ୍କା ତୋଳୁଥାଏ।

Related posts

ନୂତନ ପିଢିର ଉତ୍ତର ଦାୟିତ୍ୱ

satya

ଗାଁରୁ ସିନେଟ ଯାଏଁ – ଏକ ଅବଲୋକନ

satya

ଗୋଟିଏ ଭୂଲ କୋଟିଏ କ୍ଷତି

satya

Leave a Comment

Login

X

Register