Satya Prakash
ପ୍ରବନ୍ଧ

ନିର୍ଘାତ ନିର୍ଘୋସ

ନିଶା ଓ ପେଶା :-

ମଣିଷ ଜୀବନରେ ଅନେକ ସଂଘାତ ଓ ସଂଘର୍ଷ। ମୋ ଜୀବନ ମଧ୍ୟ ସଂଘର୍ଷପୂର୍ଣ୍ଣ। ମୋ ଗାଁ ପାଠ ପଢ଼ା ପର୍ଯ୍ୟନ୍ତ ମୁଁ ବେଶ୍ ଖୁସି ଥିଲି। ହସି ଖେଳି ଜୀବନ ବିତାଉଥିରି। ଜୀବନ କ’ଣ ବୁଝୁ ନଥିଲି ବା ବୁଝିବା ଦରକାର ନଥିଲା। ଏକ ନମ୍ବର ବାଳୁଙ୍ଗା। ଖରା ତରା ମାନେ ନାହିଁ। ଖେଳ କୁଦରେ ମାତିଥାଏ, ଚବିଶ ଘଣ୍ଟା ମୋତେ କିଛି କରିବାକୁ ଥାଏ। ନହେଲେ ମୁଁ ବୋର ହୋଇ ଯାଉଥାଏ। ତେଣୁ ଯେତେ ଖେଳ କୁଦ, ଗପ ଶୁଣିବା, ପିଲାଙ୍କ ସହିତ ବୁଲିବା, ଆମ୍ବ ଗଛକୁ ଖାପଡ଼ ମାରିବା,  ମୋଉଛୁକ କରିବା ଲୁଚିକି ଖରାବେଳେ ନଈ ପହଁରିବା ଆଦି କାମରେ ମାତି ଯାଏଁ। କାରଣ ମୋତେ କିଛି କାମ ଦରକାର। ଓଃ! ଏଡ଼ୁଟେ ସେ ଚଗଲା ବାବୁଲା, ମୁଁ କାହିଁ ଆଉ କୋଉଠି କାହାକୁ ଦେଖି ନାହିଁ। ଭାରି ନିଶାଡ଼ି ।ଯେଉଁଥିରେ ମାତିଥିବ, ସେଇଥିରେ ଲାଗିଥିବ।

ହେଲେ ପାଠ ପଢିବା ପାଇଁ ସହର ଗଲାଠୁଁ ଖେଳ ନିଶାଟା ସିନା କଟି ଗଲା, କିନ୍ତୁ ପାଠ ପଢା ନିଶାଟା ଭାରି ଝାଙ୍କିଲା। କ, ଣ କମତି ପଢିଛି,ପାଠ୍ଯ ପୁସ୍ତକ ବ୍ୟତୀତ ହିନ୍ଦୀ, ଇଂରାଜୀ ଓ ଓଡିଆ ମ୍ୟାଗାଜିନ୍ ଠାରୁ ଆରମ୍ଭ କରି ଶସ୍ତା ଉପନ୍ୟାସ ଓ ପୁଣି ନାମୀ ଦାମୀ ବଛା ବଚ୍ଛା ଲେଖକଙ୍କର କୃତି ଓ ମହା ପୁରୁଷଙ୍କ କାହାଣୀ। ଏସବୁ ଭିତରେ ମଧ୍ୟ ସେଇ ନିଶା, ନିଶାର ପ୍ରଭାବ। କାମ ଦରକାର କାମ, ନହେଲେ ବୋର ହୋଇ ଯିବି- ଭୟ ? ପୁଣି ପାଠ ପଢା ସରିଲା – “କ’ଣ କରିବା”ର ଭୂତ। ସେ ଭୂତ କବଳରୁ ନିସ୍ତାର ନାହିଁ। ଗାଁରେ ପଶି ଆଧୁନିକ ପ୍ରଣାଳୀରେ ଚାଷରେ ମାତିଗଲି।ବାଡ଼ିରେ ସରକାରୀ ପ୍ରୋତ୍ସାହନରେ ବୋର ୱେଲ ଖୋଳିଲି। ଟ54000 ଙ୍କା   ଲୋନ୍ ଆଣି, ପୋଖରୀ ଖୋଳି, ମାଛ ଚାଷରେ ମାତିଗଲି। ପହଣା ଚାଷ ହେଲା। ସେଥିରୁ ବେଶ୍ ଦି ପଇସା ଲାଭ ହେଲା, କଦଳୀ ଚାଷ ହେଲା, ଆଡ଼ିରେ ଯେତେ ପ୍ରକାର ଫଳ ଅଛି ଲାଗିଲା, ଘର ପାଖରେ ଫୁଲ ଲାଗିଲା, ଅପନ୍ତରା ଓ ଅବ୍ୟବହୃତ ଜମିରେ ୱେଷ୍ଟଲ୍ୟାଣ୍ଡ ଡେଭେଲପମେଣ୍ଟ ଯୋଜନାରେ ବାଉଁଶ ଓ ଶାଗୁଆନ୍ ଗଚ୍ଛ ଲାଗିଲା, ଯାହା ଏବେ ବିରାଟ ଦ୍ରୁମ। ନିଜ ଅଣ୍ଟିରେ ଗାମୁଛା ଗୁଡ଼ାଇ ମୁଁ କାମରେ ମାତି ଯାଏଁ। ସହସ୍ର ଗଛ ମୁଁ ଲାଗି କରା କରିଛି, ହେଲେ ମୋ ହାତ ଗଛ ଲଗାଇବାରେ ଓ ଜତ୍ନ ନେବାରେ ନ ଲାଗିଲେ, ମନ ମୋ ବୁଝେ ନା।

ମଝିରେ ମଝିରେ ପାଠ ପଢୁଥାଏ, ଚାକିରୀ ପାଇଗଲି 1996 ଅଗଷ୍ଟ 6 ତାରିଖରେ। ଚାଷ ନିଶା ଛାଡ଼ିଗଲା। ଖାଲି ଧାଇଁଲି। ଏବେ ଚାକିରୀ ନିଶା। ବେଶ୍ କର୍ମ ତତ୍ପର ଚାକିରିଆଙ୍କ- ଜୀବନ ଶୈଳୀ। ଏହାପରେ ନାଇଁ ନାଇଁ ହେଉଥିଲି, ପରିବାର ଲୋକେ ବେକରେ ଗୋଟେ ଛନ୍ଦି ଦେଲେ। ବିବାହ ସମ୍ପନ୍ନ ହୋଇଗଲା। ଏବେ ଗୋଟିଏ ଯୋଡ଼ିଏ ପିଲା ଛୁଆର ଜନକ। ସନ୍ତାନ ସୁଖରେ ମାତିଗଲି। ଜୀବନରେ ଟିକିଏ ଶୀଥିଳତା ଆସିଗଲା, ଅନ୍ୟ ନିଶା ସବୁ କମି ଗଲା। ସମସ୍ତଙ୍କ ପରି ମୁଁ ବି ସଂସାର ନିଶାରେ ବେଶ୍ ମଜଗୁଲ । ପୁଣି ଚେତନାଟା ଚିହିଁଙ୍କି ଉଠିଲା, ଭାବିଲି ବଡ଼ ଚାକିରୀଟେ କରିବି। ବେଶ୍ ପଢ଼ିଲି। ସଭିଲ ସର୍ଭିସ୍ ପାଇଁ ଲାଗିଲି। ହେଲା ନାହିଁ। ଏଥର ହାତରେ ନୂଆ କିଛି କାମ ନାହିଁ। ମୋତେ ତ କିନ୍ତୁ କାମ ଦରକାର, ନ ହେଲେ ବୋର ହୋଇ ଯିବି ନାହିଁ? ଲେଖା ଲେଖିରେ ମାତିଗଲି। ଏକା ବେଲକେ ଦି ତିନିଟା ବହି ଛାପି ଦେଲି(2009-10)। ତା ‘ପରେ କାହିଁକି କେଜାଣି ହତୋତ୍ସାହିତ ହୋଇପଡ଼ିଲି। ସେପଟେ ଚାକିରୀ ସମସ୍ୟା, ଘରୋଇ ଜଞାଳ, ବିଭିନ୍ନ୍ ବିବାଦୀୟ ପରିସ୍ଥିତି ଓ ପିଲାମାନଙ୍କର ପାଠ ପଢାର ଗୁରୁଦାୟିତ୍ଵ ଯୋଗୁଁ କି କ’ ଣ। ପୁଣି ଏବେ ସୋସିଆଲ୍ ମିଡିଆ ନିଶାଟା ଘାରିଲାଠୁଁ ବେଶ୍ ତତ୍ପର ଥିଲା ପରି ମନେ ହେଉଛି। ତେଣୁ ପୁନଃରାୟ ଲେଖାଲେଖି ଯାହା। କିନ୍ତୁ ସେଇ ପୁଣି ନିଶା। ପ୍ରତ୍ୟେହ ଗୋଟେ ଯୋଡ଼େ ନ ଲେଖିଲେ ନିଦ ଆସେନା। ଘରେ ସ୍ତ୍ରୀ ପିଲା ଛୁଆ ସମସ୍ତେ  ବ୍ୟସ୍ତ ସମସ୍ତେ କେଟେକେଟେ, ଘରର କୋଉ କାମଟା କାହିଁ ଆଉ ହେଉନି ସିଧା। ମୁଁ କିନ୍ତୁ ମୋ କାମରେ ବ୍ୟସ୍ତ,। ସୁଯୋଗ ଉଣ୍ଡି, ଚୋର ଭଳି ସମସ୍ତେ ଶୋଇ ପଡ଼ିଲା ପରେ, ପଢ଼ା ଟେବୁଲ୍ ପାଖକୁ ଖସିଯାଏ। ବେଶ୍ କିଛି ଲେଖା ଲେଖି ହୋଇଯାଏ, ସକାଳୁ ଉଠି ଅଫିସ୍ କାମରେ ଚାଲିଯାଏ। ଜୀବନଟା ବେଶ୍ ଧାଏଁ।

ଏବେ ବ୍ୟକ୍ତିଗତ ସମସ୍ୟା ଅନେକ। ସେ ସବୁକୁ କହି ପକେଇବାକୁ ପାଟି ଖଲଖଲ ହେଉଛି। କିନ୍ତୁ କହି ପାରୁ ନାହିଁ। ଯଦିଚ ମୁଁ ସତ୍ୟବାଦୀ, ମୋ ପାଠକକୁ ମୋ ଜୀବନର କୌଣସି ରହସ୍ୟ ମୁଁ ଲୁଚେଇବାକୁ ଚାହେଁ ନାହିଁ, ତଥାପି ପରିସ୍ଥିତି ଏବର ଭିନ୍ନ୍, ଥାଉ ଆର ବେଳାକୁ। ସୁବିଧା ହେଲେ ଦୁଃଖ ସୁଖ ବାଣ୍ଟିବା।

ଅସଲ ନିଶା – :

ଛାଡ଼  ଏସବୁ କଥା, ଆମେ ଏପର୍ଯ୍ୟନ୍ତ ଅସଲ ନିଶାଟାକୁ ଆସି ନାହୁଁ, ଅସଲ ନିଶାଟା ହେଉଛି,” ଜୀବନକୁ ଖୋଜିବା”। ବୟସର ଅପରାହ୍ନରେ ମୋର ଏହି ନିଶାଟା ବୋଧହୁଏ ଖୋଜିବାରେ ଯାଇପାରେ । ମୁଁ କିନ୍ତୁ ଏକକାନ ।ନିଶାଟା ମୋହର ଜୋହର। ଯେଉଁଥିରେ ଲାଗିଥିବି ସେଇଥିରେ। ଦେଖାଯାଉ ଜୀବନର ଗତି କେଉଁଆଡ଼େ ଯାଉଛି। ପରିସ୍ଥିତିର ଆହ୍ଵାନରେ ଆମେ ସଦା କ୍ରିୟାଶୀ ଳ।

ମୋ ଜାଣିବାରେ ଭୁଲ କରୁଥିବା ଲୋକ ଖାଲି ଲୁଚେ। ସମସ୍ତଙ୍କ ପାଖରୁ ଦୂରତ୍ୱ ଅବଲମ୍ବନ କରେ। ମୋର ଅନେକ ଭୁଲ, ଅନେକ ଦୋଷ ତ୍ରୁଟି, ଯେତକ ସବୁ ବଦଗୁଣ – ଯାହା ଲୋକେ କହନ୍ତି। ମୋ ଜାଣିବାକୁ କାହିଁ ସେମିତି କିଛି ନାହିଁ, ମୁଁ ତେଣୁ ନିର୍ଭୀକ। ଟିକିଏ ଅପରିଣାମଦର୍ଶୀ। ପରିଣତି ପ୍ରତି ଖାତର ନଥାଏ। ଯାହା କୁହେ ମୁହେଁ କୁହେ, କିନ୍ତୁ ସତ କହେ। ସେଥିପାଇଁ ହୁଏତ ମୁଁ ବେଳେବେଳେ ପୀଡିତ। ବ୍ୟକ୍ତି ଜୀବନରେ କ’ଣ ପାଇଁ କି ଏମିତି ଭୁଲ କରିବ, ସମସ୍ତଙ୍କ ପାଖରୁ ଖାଲି ଲୁଚିବାକୁ ମନ କହିବ ?  ଯିଏ ଲୁଚୁଛି – ଲୁଚୁ। ମୋର ଲୁଚିବାର ନାହିଁ। ଛୋଟ ବଡ଼ ଟିକିଏ ଅଧେ ଛାଡିଦେଲେ ସେମିତି କିଛି ବଡ଼ ଭୁଲ ମୋର କାହିଁ ମନେ ପଡ଼ୁ ନାହିଁ ତ । ମୁଁ ତେଣୁ ସତ କହିବି। ନିଜକୁ ପ୍ରକାଶ୍ୟ କରିବି, ତେଣିକି ଯାହା…. ।

ସତ କହିବି ବୋଲି କ’ଣଟେ କହିବି ଯେ? ମୋ ଜୀବନଟା ଏମିତି କି ଇତିହାସ ନା କେଉଁ ବୈଭବଶାଳୀର ବୈଭବ ଯେ, କାହାର କେଉଁ କାମରେ ଆସିବ? ଖାଲି ଅଙ୍ଗେ ଲିଭେଇବାଟା ଯାହା – ସେଥିରୁ  କାହାକୁ ବା ହୁଏତ ଅନୁଭୂତିଟିଏ ଅଥବା ଅଭିଜ୍ଞତାଟିଏ ମିଳିଲେ- ମିଳିପାରେ। ସେୟା ହେଉ –

ନିର୍ଘାତ ନିର୍ଘୋଷ – :

ଦିନେ ମୁଁ ଅତି ଛୋଟ ହୋଇଥିଲି, ଯେତେବେଳେ ସ୍କୁଲ ଯିବା ଯିବା ହେଉଥିଲି। ଗପ ଶୁଣି ଶୁଣି ଭଗବାନଙ୍କୁ ଖୋଜିବାକୁ ଭାରି ଇଚ୍ଛା ହେଉଥାଏ । ବୋଉକୁ ପଚାରିଲି, ବୋଉ କହୁଥିଲା – “ଭଗବାନ ଗାଁ ମୁଣ୍ଡରେ ପଳାଶ ବଣରେ ଅଛନ୍ତି। ସମସ୍ତଙ୍କୁ ଦେଖା ଦିଅନ୍ତି ନାହିଁ, କେବଳ ଭଲ ମଣିଷ ଓ ସତ୍ୟନିଷ୍ଠ ମଣିଷକୁ ଦେଖା ଦିଅନ୍ତି। ପୁଣି ଏକୁଟିଆ, ଏକାନ୍ତରେ ବା ନିରୋଳାରେ” । ମୁଁ ତେଣୁ ରାତି ଅଧାରୁ ଉଠି ଚାଲି ଯାଉଥିଲି ଗାଁ ମୁଣ୍ଡ ବଣ ଭିତରକୁ। ଇଚ୍ଛା ହେଉଥିଲା – ଠାକୁରଙ୍କୁ ଭେଟିବି। ମନ ଡାକୁଥିଲା – ଭେଟ ହୁଅନ୍ତା କି। ପରିବାରର ଲୋକ କିଛି ବୁଝି ପାରନ୍ତି ନାହିଁ-” ବାୟାଟା ଏମିତି କାହିଁକି ହେଉଛୁ, ରାତିରେ କେଉଁଆଡ଼େ ଯାଉଛୁ “- କହି ପଛେ ପଛେ ଧାଆଁନ୍ତି। କାନ୍ଦି କାଟି ପ୍ରତିବାଦ କରେ, ହେଲେ କାହାକୁ କହେ ନାହିଁ, କିଛି ସୁବିଧା ନଦେଖ ଫେରି ଆସେ। ଦିଅଁ ଖୋଜା ଅଧା ରହିଯାଏ। ଆଉ ଫୁରୁସତ୍ ପାଇନି ଖୋଜିବାକୁ। ସେଇ କାମ, କାମର ପ୍ରଭାବ, ପାଠ ପଢାର ବୋଝ।

ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଏମ୍. ଏ. ପରୀକ୍ଷା ପରେ ଛୁଟି ଓ ଟିକେ ଅବସର ମିଳୁ ଥିବାରୁ – ପୁଣି ଠାକୁର ଖୋଜା ବେପାର। କାହିଁ କିଛି ଲାଭ ନାହିଁ। ସାଧୁ ସନ୍ଥଙ୍କୁ ପଚାରେ – ସେମିତି କେହି କିଛି ସନ୍ତୋଷଜନକ ଉତ୍ତର ଦେଇ ପାରନ୍ତି ନାହିଁ। ଦିନେ ଭାବିବାକୁ ଲାଗିଲି, “ଯଦି ଠାକୁର ଅଛିନ୍ତି, ତେବେ ନିଶ୍ଚୟ ଆତ୍ମା ଅଛି’ ଭୂତ ପ୍ରେତ ଅଛନ୍ତି” । ତେଣୁ ଗୋଟେ କେହି ମିଳିଗଲେ, ମୁଁ ସ୍ଥିର ନିଶ୍ଚୟ ହୋଇଯା’ନ୍ତି, ଅନ୍ୟର ସ୍ଥିତି ଗ୍ରହଣ କରିନିଅନ୍ତି। ତେଣୁ ମନରେ କୌତୁହଳ ଜାଗିଲା। ଦିନେ ନିଶାର୍ଦ୍ଧରେ ଶୁଖୁଆ ନେଇ (କାଳେ ଆଇଁଷ ବାସନାରେ ଭୂତ ଆସନ୍ତି ବୋଲି) ଶ୍ମଶାନ ଗଲି, ଗୋଟେ ସମାଧୀ ଉପରେ ବସି ପଡ଼ିଲି – ବେଶ୍ କିଛି ସମୟ ଅତିବାହିତ ହୋଇଗଲା। କାହିଁ କିଛି ମିଳିଲା ନାହିଁ। ନିରାଶ ହୋଇ ଫେରି ଆସିଲି। ଦିଅଁ ଖୋଜା ବେପାର ସେଇଟି ରହିଗଲା, ସେ ବେପାର ଛାଡ଼ିଦେଲି , ଆଉ ଏପର୍ଯ୍ୟନ୍ତ ବିଶେଷ ଖୋଜି ନାହିଁ।

ହେଲେ ମନ ଭିତରେ ବାରମ୍ବାର ସେଇ ଏକ ପ୍ରଶ୍ନ-” ସତରେ କ’ଣ  ଦେବତା ଅଛନ୍ତି”? ମୁଁ ଏତେ ପରୀକ୍ଷା ନିରୀକ୍ଷା ପରେ ଅସ୍ୱୀକାର କରି ଦେଇ ପାରନ୍ତି, କିନ୍ତୁ ପାରୁନାହିଁ। କାହିଁକିନା ବାସ୍ତବ ଜୀବନରେ ଦେଖୁଛି, ମଣିଷ ଯେତେ ପାରିବାରପଣ ଜାହିର୍ କରୁ ନା କାହିଁକି-ସେ ବେଳେବେଳେ ଆଣ୍ଠେଇ ପଡ଼ୁଛି। ସବୁ କିଛି ତା’ ହାତ ମୁଠାରେ ନାହିଁ। ଚାହିଁଲେ ବି ସେ ସବୁ କିଛି ଆୟତ୍ତ କରି ପାରେନା, ଖାଲି ଆୟତ୍ତ କରିବାର ମିଛ ନାଟକ କରୁଛି। ଆଜିର ସଭ୍ଯ ଶିକ୍ଷିତ ନବ୍ଯ ସମାଜ ବେଶ୍ ଡରକୂଳା, ଭିତରେ ଡରୁଥାଉ ପଛେ , ଉପରେ “ଠାକୁର ନାହାଁନ୍ତି “ବୋଲି କହି ବେଶ୍ ଫୁଟାଣି ମାରି କଥା କୁହେ। କାରଣ ସେ ଭାବୁଛି, ଠାକୁର ଅଛନ୍ତି ବୋଲି କହିଦେଲେ – ଆର ଦଳକ ତାକୁ ଅପାଠୁଆ କହି ତଡ଼ି ଗୋଡ଼ାଇବେ। ପୁଣି ଠାକୁର ନାହାଁନ୍ତି ବୋଲି କହିଦେଲେ – ସେ ଅଧିକ ବିଜ୍ଞାନୀ ଓ ପଣ୍ଡିତ ବୋଲି ଲୋକେ ତାଙ୍କୁ କାଳେ ମଣିବେ। ତେଣୁ ସେ ଗର୍ବର ସହ କୁହେ-” I’m practical, no God is there”. ମୁଁ କିଛି ଉତ୍ତର ନରଖି ସବୁ ବୁଝେ, ସବୁ ଶୁଣେ । ହେଲେ ଏଗୁଡାକ ମୋତେ ସବୁ ବାଚାଳାମୀ ଲାଗେ। ଭାବେ – ଠାକୁରଙ୍କୁ ତ କେହି ଦେଖି ନାହିଁ, ଆଉ କେହି ଦେଖିବାର ଦାବୀ କରୁଥିଲେ ହେଁ ସେ ପରେ ଭଣ୍ଡ ସିଦ୍ଧ ହୋଇଛି । ଆଉ ଯିଏ ମୋଟେ ଦାବୀ କରି ନାହିଁ ଆମେ ତାକୁ କେବେ ପଚାରି ବୁଝି ନାହିଁ। ‘ଏହି ଥିବା ନଥିବା’ – ବଡ଼   ଦ୍ଵନ୍ଦାତ୍ମକ ବସ୍ତୁ। ତେବେ ମୋ ଭିତରେ ସ୍ୱତଃ ପ୍ରଶ୍ନ ଉଠେ – ଠାକୁର ଥିବା ନଥିବା ସବୁ ଠିକ୍। ଭିନ୍ନ୍ ଭିନ୍ନ୍ ଦୃଷ୍ଟିକୋଣରୁ ବିଚାର କଲେ – ସବୁ ଠିକ୍, ସବୁ ପୁଣି ଭୁଲ ପ୍ରତୀୟମାନ ହୁଏ। ତେବେ ଆଧୁନିକ ମଣିଷ ଯେତେ ସହଜ ଭାବରେ, ଏହାର ଉତ୍ତର ରଖେ – ସେଇଟା ମୁଁ ଆଦୌ ବୁଝି ପାରେ ନାହିଁ, ମୋତେ ଆଶ୍ଚର୍ଯ୍ୟ ଲାଗେ । ଟିକେ ବେଶୀ ଉତ୍ସୁକତା ହୋଇ ଏ ସମ୍ବନ୍ଧରେ ପଚାରିଲେ – ସେ ଆହୁରି ଜ୍ଞାନୀ ପଣ୍ଡିତ ବୋଲି ନିଜକୁ ମନେ କରି, ଖାଲି ଭାଷଣ ଝାଡେ। ନିଜେ ପଣ୍ଡିତରେ ଗଣା ହେବ ବୋଲି, ସେ ଅନ୍ୟକୁ ସହଜରେ ଅଗ୍ରାହ୍ୟ କରେ। ସବୁ ମତକୁ ବିନା ଯୁକ୍ତିରେ ଖଣ୍ଡନ କରେ।

ଠିକ୍ ଅଛି ଯେ, “ଠାକୁର ନାହାଁନ୍ତି “। ହେଲେ ମୋତେ ଆଶ୍ଚର୍ଯ୍ୟ କରେ ଏ ବିରାଟ ବିଶ୍ଵ, ତହିଁରେ ଏ ପୃଥିବୀ, ତା’ର ପୁଣି ଜୀବ ଜଗତ ଓ ଏ ସ୍ରୁଷ୍ଟି ସମୂହ। ମୋଟାମୋଟି କହିବାକୁ ଗଲେ ଏସବୁ ସମ୍ଭବ ହେଲା କିପରି? ଯଦି ବା ମଣିଷ ଏଥିରୁ କିଛିଟା ସମ୍ଭବ କରି ପାରେ, ତେବେ ସେ ନିଜ ମୃତ୍ୟୁ ଓ କର୍ମକୁ ଆୟତ୍ତ କରି ପାରୁ ନାହିଁ କାହିଁକି? ତେଣୁ ନିଶ୍ଚୟ ଏହା ଭିତରେ କିଛି ନା କିଛି ରହସ୍ୟ ଅଛି – ଯାହା ଏବେବି ଅନାବିଷ୍କୃତ, ଅନାବରଣ। ଏହି ଚିନ୍ତାଟା ମୋ ମୁଣ୍ଡରୁ କାଲି ଛାଡ଼ି ନଥିଲା, ଆଜି ବି ଛାଡ଼ି ନାହିଁ, ଆଗକୁ ବି ମୋ ମୁଣ୍ଡରୁ ଯାଇ ନପାରେ। ହେଲେ ତୁମେ ତା ‘ ସିଦ୍ଧାନ୍ତଟା ପାଇଲେ -‘ ମୋତେ ଟିକିଏ ଦେବନା’? ମୋର କିନ୍ତୁ ଭାରି ଅନିଷା, ଭାରି ଗୋଟେ ଜିଜ୍ଞାସା। ଜାଣିବାର ଇଚ୍ଛା, ପିଲାଦିନୁ ଜାଗିଛି ଯେ ଏପର୍ଯ୍ୟନ୍ତ ଥମୁ ନାହିଁ।

Related posts

ଦୁଃଖ ଓ ସୁଖ

satya

ଆତ୍ମ ପ୍ରତ୍ୟୟ ନା ଆତ୍ମଶ୍ଲାଘା

satya

ସାଇ – ଜୀବନ ଗଣିତ

satya

Leave a Comment

Login

X

Register