Satya Prakash
Uncategorised

ନୀରନା

ନୀରନା
By ସତ୍ୟ ପ୍ରକାଶ ସେଠୀ
ନିରଞ୍ଜନ ପତି। ବୟସ ପଚାଶରୁ ଷାଠିଏ ଭିତରେ ହେବ। ଲୋକେ ତାଙ୍କୁ ନୀରନା ବୋଲି ଡାକନ୍ତି। ଭାରି ମିଷ୍ଟଭାଷୀ। ଅତି ଭଦ୍ରଲୋକ ଆଉ ମେଳାପି ବି । ଚାଲିଗଲା ଲୋକକୁ ଡାକି ସେ କଥା ହୁଅନ୍ତି। ତେଣୁ ତାଙ୍କର ଲୋକପ୍ରିୟତା ଅଧିକ। ଭଦ୍ରକ ସହରରେ ତୃପ୍ତି ପ୍ଲାଜା ପାଖରେ ଗୋଟେ ତେଜରାତି ଦୋକାନ ଖୋଲି ସେ ବସିଛନ୍ତି। ଦୋକାନଟି ଗୋଟେ ବାହାଘର ମଣ୍ଡପ ପାଖରେ ହୋଇଥିବାରୁ ଭଲ ଚାଲେ। ପୁଣି ପଛପଟେ ପୁରୁଷୋତ୍ତମ ବିହାର କଲୋନୀର ଅବସ୍ଥିତି, ଯାହାକି ଏକ ବିରାଟ କଲୋନୀ ଓ ଜନବସତି ଟିକିଏ ଅଧିକ। ସେହି ହେତୁ ଦୋକାନଟିରେ ନାହିଁ ନ ଥିବା ବିକ୍ରି। ବାପପୁଅ ଦୁଇ ଜଣଯାକ ସେଇଥିରେ ମାତନ୍ତି, କମାସ୍ତୁକ ଭଲ ଦୁଇ ପଇସା ହୁଏ। ଖୁସିରେ ସଂସାର ଚଳିଯାଏ। କାହା ଉପରେ ସେ ଆଦୃଜା ହୁଅନ୍ତିନି ବା ନିର୍ଭରଶୀଳତା ପ୍ରକାଶ କରନ୍ତି ନାହିଁ।
ଏହି ନୀରନା ଭଦ୍ରକ ସହରର ନୂହେଁ, କିନ୍ତୁ ଭଦ୍ରକ ଜିଲ୍ଲାରେ। ଭଦ୍ରକର ଉପାନ୍ତ ଅଞ୍ଚଳ ତିହିଡ଼ି ବ୍ଲକ୍ ର ସୁଦୂର ଅଣ୍ଡ୍ରେଇ ତାଙ୍କ ଘର। ସେଇଠି ଅଛି ତାଙ୍କର ନୁଆଁଣିଆ ଛଣ ଛପର ଓ ନଦୁ କାନ୍ଥରେ ତିଆରି ଗୋଟେ ଚାଳଘର। ଏହି ଘର ଆଗେ କେତେ କୋଳାହଳମୟ ଥିଲା। ବାପା, ବୋଉ ଓ ଜେଜେ ସବୁ ରହୁଥିଲେ। ସମୟର ସୁଅରେ କେତେ କ’ଣ ବଦଳିଯାଏ। ସବୁକିଛି ସମ୍ଭବତଃ ଏବେ ଓଲଟପାଲଟ ହୋଇଗଲାଣି। ଜେଜେ ଓ ବାପା ସବୁ ମରିହଜି ଗଲାପରେ ଏବେ ଘରଟା କେବଳ ମୂକସାକ୍ଷୀ ହୋଇ ଯାହା ଛିଡ଼ାହୋଇଛି। ଆଉ କେହି ସେ ଘରେ ରହୁ ନାହାନ୍ତି। ଦିନଥିଲା ଏଇଠି ଗୋହଳଚହଳ ସବୁବେଳେ ଲାଗି ରହୁଥିଲା।ଗାଁଟାଯାକ ଛୁଆ ତ ନୀରନାର ସାଙ୍ଗ। ସବୁ ଆସି ତାଙ୍କ ପିଣ୍ଡାରେ ରୁଣ୍ଡ ହେଉଥିଲେ, ଖେଳଟା ବି ଭାରି ଜମୁଥିଲା। ହେଲେ ପିତାମାତାଙ୍କ ଅନ୍ତେ ନୀରନା ଗାଁ ଛାଡ଼ି ସହର ଗଲାଠୁଁ ଏ ଘରକୁ ଆଉ କେହି ଆସନ୍ତିନି। ଘରଟା ଭୂତକୋଠି ହୋଇ ପଡ଼ିରହିଛି। ମରାମତି ଓ ଛିଆଣ ଅଭାବରୁ ମଧ୍ୟ ଅଧା ଭାଙ୍ଗିରୁଜି ଗଲାଣି।
ନୀରନା ବାପା ମାଆଙ୍କର ଗୋଟିଏ ବୋଲି ପିଲା। ତେଣୁ ଭାରି ଗେହ୍ଲବସରରେ ବଢ଼ିଥାଏ ।ବାପାମାଆ ତା’ର ସବୁ ଅଳି ଅର୍ଦ୍ଦଳିକୁ ଅକ୍ଳେଶରେ ସହି ନିଅନ୍ତି। ଇଚ୍ଛା – ପିଲାଟି ତାଙ୍କର ପାଠପଢି ବଡ଼ ମଣିଷ ହେଉ। ହେଲେ ନୀରଟା ଭଲ ପାଠ ପଢିଲା ନାହିଁ। ଅଠର ଥରକେ ମ୍ୟାଟ୍ରିକ ଖଣ୍ଡଟା ଆହୁରି କେମିତି ପାସ୍ କଲା। ତା ପରଠୁଁ କଲେଜ ଯିବାକୁ କିନ୍ତୁ ଭାରି ମନ। ଯାହା ବି ହେଉ ବାପାମାଆ ତାକୁ କଲେଜ ପଠାଇଲେ। ଘୁଷିରି ଘୁଷିରି ସେ କୌଣସି ପ୍ରକାରେ ବି. ଏ. ଖଣ୍ଡକ ପାସ୍ କରିଗଲା। ବାପା ଚାହୁଁଥିଲେ ପିଲାଟା ଚାକିରି କରୁ। ହେଲେ ସେ ଶୁଣିଲାନି। ଏଣେତେଣେ ବୁଲି ସମୟ ବରବାଦ କରିଦେଲା। ଚାକିରି ବୟସ ଗଲାଠୁଁ ପୁଅ ମୁଣ୍ଡରେ ବୁଦ୍ଧି ପସିଲା। ସାଙ୍ଗ ସାଥୀଙ୍କୁ ଭଲରେ ଥିବା ଦେଖି ପୁଅ ମୁଣ୍ଡରେ ଚେତା ପଶିଲା। ସେ ଦେଖିଲା ତାରି ସାଙ୍ଗରେ ପାଠପଢି ତାଙ୍କରି ଗାଁରେ କେତେ କେତେ ପିଲା ଭଲ ଚାକିରି ବାକିରି ଖଣ୍ଡେ କରି ଶାନ୍ତିରେ ରହିଛନ୍ତି। ତା’ର ଲଫଙ୍ଗାପଣ ପାଇଁ ସବୁ ଗଲା।
ଏଥର ନିଜକୁ ନିଜେ ସେ ପ୍ରଯତ୍ନଶୀଳ ହେଲା। ଏତେବେଳକୁ ସେ ବାହାଶାହା ହୋଇ ଗୋଟିଏ ଯୋଡ଼ିଏ ପିଲାର ମଧ୍ଯ ବାପା ହୋଇ ସାରିଲାଣି। ବାପାମାଆ ଚାଲିଗଲା ପରେ ଅୟସ ଆରାମ ଜୀବନ ଉପରେ ମଧ୍ୟ ଅସର୍ ପଡ଼ିଲାଣି। ଏଣିକି ଅଭାବଟା ଅନୁଭୂତ ହେଲାଣି। ଆଉ ମନଇଚ୍ଛା ଖର୍ଚ୍ଚ କରି ହେଉ ନାହିଁ। ଆର୍ଥିକ ସ୍ଥିତି ଦୋହଲି ଗଲାଣି। ଏଣୁ ଭାବିଲା ଜୀବନଟାର ଅର୍ଦ୍ଧେକ ସମୟ ତ ଅୟସ ଆରାମରେ ବରବାଦ ହେଲାଣି। ଏଣିକି ସେ ରୋଜଗାର କରିବ। ପିଲାଛୁଆଙ୍କ ଭବିଷ୍ୟତ ପାଇଁ ପୁଣି କିଛି ଚିନ୍ତା କରିବାକୁ ହେବ ନା! ତେଣୁ ସେ ସହର ଆସିଗଲା। ଗୋଟେ ଭଡ଼ାଘର ନେଇ ଦୋକାନ ଖୋଲିଲା। ଧୀରେ ଧୀରେ ଦୋକାନ ବଢିବାକୁ ଲାଗିଲା। ଏବେ ହାତକୁ ଦୁଇ ପଇସା ଆସିବାରୁ ସେ ପୂରା ପରିବାରଟାକୁ ଭଦ୍ରକ ନେଇ ଆସିଲା ଏଇଠି ଏବେ ରହୁଛି, ବେପାର ଭଲ ଚାଲିଛି।
ନୀରନା ସ୍ତ୍ରୀଟା ଟିକିଏ ବୁଦ୍ଧିମତୀ। ତାଙ୍କରି ଯୋଗୁ ତ ତାଙ୍କର ଘର କରଣା। ଆଗେ ନୀରନା ବଡ଼ ଅଳସୁଆ ଥିଲା । ବୁଲିବସି ସମୟ ବିତାଉଥିଲା। ହେଲେ ନିଶାମଣି ଆସିଲା ଦିନଠୁଁ ନୀରନା ବହୁତ ସୁଧୁରିଗଲାଣି। ଏହି ନିଶାମଣି କଥାରେ ତ ସେ ଭଦ୍ରକ ଆସି ବେପାର ବଣିଜ କରୁଛନ୍ତି। ଛୁଆପିଲା ମଧ୍ୟ ପାଠସାଠ ଦି’ଅକ୍ଷର ପଢ଼ି ମଣିଷ ହେଲେଣି। ଆପାତତଃ ନୀରନାର ବର୍ତ୍ତମାନ ସବୁ ଭଲ। ସୁଖଶାନ୍ତି ତା ପାଖେ ବିରାଜମାନ।

କିନ୍ତୁ ମଣିଷର ସବୁ ସମୟ ଏକାପରି ଯାଏ ନାହିଁ । ତେଣୁ ତ ତା ଜୀବନରେ ଦେଖାଦିଏ ନାନା ଉତ୍ଥାନ ଓ ପତ୍ତନ । ସେଇଥିରେ ତଥାପି ସେ ଧନ୍ଦିଧୁନ୍ଦି ହୋଇ ଆଗକୁ ଧାଏଁ। ନୀରନା ବା ସେଥିରୁ ବାଦ୍ ପଡ଼ନ୍ତା କେମିତି ? ଏହିଭଳି ଏକ ବ୍ୟତିକ୍ରମ ମଧ୍ଯ ତାଙ୍କ ଜୀବନର ଗତିପଥ ବଦଳେଇ ଦେଲା।
ସେଦିନ ଦଳେଲୋକ ଗାଁରୁ ଆସିଥିଲେ। ନୀରନା ଦୋକାନରେ ବସି ପାନ ପୁଡ଼ିଆ ଖାଇଲେ। କହିଲେ – “ଗତରାତିରେ ଆମ ଗାଁ ସାରା ଲୋକ ବସିଥିଲେ। ମିଟିଙ୍ଗ ହେଲା। ସମସ୍ତେ ତୁମ ନାମ ପ୍ରସ୍ତାବ ଦେଲେ। କହିଲେ ଏଥର ଆମ ଗାଁରୁ ସରପଞ୍ଚ ପ୍ରାଥୀ ଦିଆଯିବ ଆଉ ନୀରନା ଆମର ପ୍ରାଥୀ ହେବ। ସେଇଥିପାଇଁ ଗାଁ ଲୋକେ ଆମକୁ ତୁମ ପାଖକୁ ପଠାଇଛନ୍ତି।ତୁମେ ହଁ କହିଲେ ଆମର ପ୍ରାଥୀ ତାଲିକା ଚୂଡ଼ାନ୍ତ ହେବ। ତୁମ ଉପରେ ସମସ୍ତଙ୍କର ଭରସା। ତୁମେ ନାଇଁ କର ନାହିଁ “। ନୀରନା ଏ କଥା ଶୁଣି ଯେତିକି ଉତ଼୍ଫୁଲ୍ଲିତ ହେଉଥାଏ ସେତିକି ପୁଣି ଶଙ୍କି ଯାଉଥାଏ। କାରଣ ରାଜନୀତି କଥା, କିଏ ଜାଣେ କେତେବେଳେ କେଉଁ କଥା। ରାଜନୀତିର ପଶା ପାଲିରେ ଆଚ୍ଛା ଆଚ୍ଛା ଲୋକ ପରା ଟଳି ପଡିବାର ନଜିର ଅଛି। ସେ ତ ଛାର ଜଣେ ଦୋକାନଦାର। ଯାହା ବି ହେଉ ତାଙ୍କ କଥାରେ ନୀରନା ଟିକିଏ ଢ଼ଳି ଯାଉଥିବା ପରି ମନେ ହେଉଥିଲେ, ଯଦିଚ କୌଣସି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ସେ ନେଇ ପାରୁ ନ ଥିଲେ।
ଗାଁ ଲୋକ ଗାଁକୁ ଫେରିଗଲେ। ରାତିବେଳକୁ ଏକାଠି ହେଲେ । ପୁରୁଖା କହିଲେ ଭଲ ଛବି ଥିବା ଲୋକ ବାଛି ଛିଡା କରିବା, ତେଣିକି ସେ ଯେଉଁ ଦଳର ହେଉ ନ ହେଲେ ଆମ ଗାଁରେ କିଛି କାମ ହେବ ନାହିଁ। ଟୋକାଏ କହିଲେ – “ଭଲମନ୍ଦ ବିଚାର ପଛରେ ରଖ ହୋ! କିଏ କେତେ ମାଲ୍ ଖର୍ଚ୍ଚ କରି ପାରିବ ଆଗ ସେଇ କଥା ବିଚାର କର। ନ ହେଲେ ସ୍ଵାଧୀନ ପ୍ରାଥୀ ଦେଇ ଜିତିବା କଷ୍ଟ। କାରଣ ଦଳିଆ ପ୍ରାଥୀ ଖାଲି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଉଡାଇବେ। ସେତେବେଳେ ଆଗ ଭୋଟ୍ ରଖିପାରିଲେ ତ ହୁଏ”। ସତକଥା ଆଜିକାଲି ନିର୍ବାଚନ ଖର୍ଚ୍ଚ ବହୁଳ। ଏତେବେଳେ ପଇସା ଖର୍ଚ୍ଚ କରି ନ ପାରିଲେ ଅମାନତ ରକ୍ଷା କରିବା କଷ୍ଟ। ଆଜିର ଭୋଟ୍ ସର୍ବସ୍ୱ ରାଜନୀତିରେ ପିଇବାକୁ ମଦ, ଖାଇବାକୁ ମାଉଁସ ଓ ହାତଗୁଞ୍ଜା ପକେଟରେ ପଇସା ଗୁଞ୍ଜି ନ ପାରିଲେ, ଭୋଟର ସଙ୍ଗେସଙ୍ଗେ ମୁହଁ ମୋଡି ଦେବେ। ତେଣୁ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ନୀରନାକୁ ପ୍ରାଥୀ କରିବାକୁ ସ୍ଥିର କରାଗଲା। କାରଣ ସେ ପଇସାବାଲା ଓ ଶିକ୍ଷିତ ତଥା ମଧ୍ୟମ ବୟସ୍କ। ତେଣୁ ସେ ଠିକ୍ ସେ ଭୋଟ ହାତେଇ ପାରିବେ ବୋଲି ବିଚାର ବିମର୍ଶ ହେଲା। କେବଳ ତାକୁ ମନେଇବା ଦରକାର। ତେଣୁ ରାଜନୈତିକ ପଶା ପାଲିରେ ଧୃତ କୁହାଯାଉଥିବା ଜଣେ ଦୁଇଜଣ ପ୍ରବିଣଙ୍କୁ ନୀରନାଙ୍କ ପାଖକୁ ପଠାଇବାକୁ ସ୍ଥିର କରାଗଲା। ସେମାନେ ବି ସକାଳୁ ସକାଳୁ ଆସି ନୀରନାଙ୍କ ଘରେ ଭଦ୍ରକଠାରେ ହାଜର। ନାନା ପ୍ରଲୋଭନ ଦେଖାଇ ପଟାପଟି କଲେ।
ନୀରନାଙ୍କ ସ୍ତ୍ରୀ ଏ ପ୍ରସ୍ତାବରେ ନାଇଁ ନାଇଁ ହେଉଥିଲେ। ତାଙ୍କର ମତ ହେଲା – “ଦଳୀୟ ପ୍ରାର୍ଥୀ ହୋଇଥିଲେ ଭିନ୍ନ କଥା, କିନ୍ତୁ ସ୍ଵାଧୀନ ପ୍ରାଥୀ ଭାବେ ଲଢ଼ିବା ସମ୍ଭବ ନୂହେଁ। ଯେଉଁମାନେ ଆଜି ଉପରକୁ ଟେକି ଦେଉଛନ୍ତି ସେଇମାନେ ଶେଷଯାଏ ସାଙ୍ଗରେ ଥିବେ କି ନାହିଁ ସନ୍ଦେହ। କାରଣ ଏହା ପିଲାଖେଳ ଧୂଳିଘର ନୁହଁ, ଏହା ହେଉଛି ରାଜନୀତି ପେଞ୍ଚ। ତେଣୁ କ୍ଷମତା ଲୋଭରେ ନିର୍ବାଚନ ମଇଦାନକୁ ଯିବା ଠିକ୍ ନୂହେଁ। ଯାହା ଯେତିକି ପୁଞ୍ଜି ଅଛି ସେତକ ଗଲେ ସେମାନେ ପୁଣି ଚଳିବେ କେମିତି”?
କିନ୍ତୁ ଏତେବେଳକୁ ସେମାନେ ନୀରନାଙ୍କୁ କ୍ଷମତାର ଲଡୁ ଚଖାଇ ସାରିଥିଲେ। ନେତା ହେବା ନିଶାରେ ସେ ଏକଦମ୍ ମଜଗୁଲ ।ଆଉ ଭଲମନ୍ଦ କଥା ବିଚାର କିଏ କରୁଛି। କ୍ଷମତାର ଅନ୍ଧପୁଟୁଳି ତାଙ୍କ ଆଖିରେ ବନ୍ଧା ସରିଥାଏ। ତେଣୁ ପତ୍ନୀର ବାରଣ ଓ ମନା ତାଙ୍କ ଉପରେ କିଛି ଅସର୍ ପକାଇଲା ନାହିଁ। ସେ ହୋ ହୋ ହୋଇ ମାଡ଼ିଗଲେ। ତେଲୁଆ ଚାମଚାଙ୍କ କଥାରେ ଗାଁକୁ ଆସି ମନୋନୟନ ପତ୍ରରେ ସ୍ଵାକ୍ଷର କରି ନିର୍ବାଚନ ରଣାଙ୍ଗନେ ଉତ୍ତୀର୍ଣ୍ଣ ହେଲେ। ତେଣିକି ଚାଲିଲା ନିର୍ବାଚନର ରଣ ହୁଙ୍କାର। ପ୍ରଥମ ପ୍ରଥମେ ନୀରନାଙ୍କ ପ୍ରଚାର ପ୍ରସାର ବେଶ୍ ଜମିଲା। ଆଶା ଓ ସମ୍ଭାବନା ଉଜ୍ଜ୍ଵଳତର ହୋଇ ଦିଶିଲା।
କିଛିଦିନ ଗଲା ପରେ ଟୋକା ଆଉ ବୋଲ ମାନିଲେ ନାହିଁ। କହିଲେ – ବିରୋଧୀବାଲା ମଦ ମାଉଁସ ରେ ଭାସୁଛନ୍ତି। ଆମେ ଟିକିଏ ଉପର ପାଣି ନ ପକେଇଲେ ଖଟି ପାରିବୁ ନାହିଁ, ଦେହ ହାତ ବଥା ଛାଡ଼ିନି। ତଣ୍ଟି ଗୁଡ଼ାକ ଖସ୍ ଖସ୍ ହେଲାଣି। ତଣ୍ଟି ଫଟାଇ ସ୍ଲୋଗାନ୍ ଦେବାକୁ ହେଲେ ପିଇବା ନିହାତି ଦରକାର “। ଖୋସାମତିଆ ଦଳ ବୁଝେଇଦେଲେ -” ପିଲାଏ ଯାହା କହୁଛନ୍ତି ତାଙ୍କ କଥା ଟିକିଏ ବୁଝ, ନ ହେଲେ ସେ ଅବୁଝା ଦଳ ପ୍ରଚାର ଦଳରେ ଯିବେ ନାହିଁ, ସେମାନେ ନ ଗଲେ ବିରୋଧୀଙ୍କୁ ଆମେ ସାମନା କରି ପାରିବା ନାହିଁ, ନାନା ଗଣ୍ଡଗୋଳ ହେବ କିଏ ସମ୍ଭାଳିବ କହୁ ନାହାନ୍ତି”? ନୀରନା କଥାଟାର ଗୁରୁତ୍ଵ ବୁଝି ଅଣ୍ଟିରୁ ପଇସା ଖୋଲିଲେ। ପିଲାଏ ସନ୍ତୁଷ୍ଟ ନ ହେବାରୁ ପେଟି ପେଟି ନମ୍ବର ୱାନ୍ ଭଦ୍ରକରୁ ମଗେଇ ପିଲାଙ୍କୁ ନିଇତି ଧରାଇଲେ। ପୁଣି ମଝିରେ ମଝିରେ ଭୋଜି ମହୋତ୍ସବ ଚାଲିଲା। ବୟସ୍କ ପ୍ରଚାରକଙ୍କୁ ମଧ୍ୟ ଅଣ୍ଟିରେ ପାଞ୍ଚ ଶହ ତିନି ଶହ ଧରେଇବାକୁ ହୁଏ। ନ ହେଲେ ସେମାଙ୍କ ମନ ଖରାପ।। ଏହିପରି ଯହୁଁ ଯହୁଁ ନିର୍ବାଚନ ଟା ପାଖେଇ ଆସୁଥାଏ ତହୁଁ ତହୁଁ ଖର୍ଚ୍ଚର ବୋଝ ଟା ନୀରନାଙ୍କୁ ମାଡ଼ି ବସୁଥାଏ। ତଥାପି ସମର୍ଥକଙ୍କ ମନ ବୁଝୁ ନ ଥାଏ। ସେମାନେ ଖୋଜୁଥାନ୍ତି ମୋଟା ଅଙ୍କରେ ଆଉ କିଛି। ଏଇମିତି ଏଇମିତି ଭୋଟ ଦାନ ଦିବସ ଉପଗତ ହେବାକୁ ଲାଗିଲା।
ବିଭିନ୍ନ କ୍ଲବ, କ୍ରୀଡା ଗୋଷ୍ଠୀ, କୀର୍ତ୍ତନ ଅନୁଷ୍ଠାନ, ସାହି ଠାକୁରାଣୀ ଆଦିକୁ କିଛି ମୋଟା ଅଙ୍କରେ ମଧ୍ଯ ଦେବାକୁ ହେଲା ନ ହେଲେ ଭୋଟର ବିଗିଡ଼ି ଯିବେ ଯେ। ଏ ପରା ନିର୍ବାଚନ ବେଳ ଆଉ କଣ କିଛି ହୋଇଛ। ଏତିକି ବେଳକୁ ଲୋକ ମାନଙ୍କ ର ସମସ୍ୟା ବଳେଇ ପଡ଼େ। ସେମାନଙ୍କ ର ପରା ନାହିଁ ନ ଥିବା ସମସ୍ୟା। କାହାର ଟ୍ୟୁବୱେଲ ଦରକାର ତ କାହାର ପୁଣି ମେଡିକାଲ୍ ଖର୍ଚ୍ଚ। ସବୁ ଖର୍ଚ୍ଚ ନେତାଏ ତୁଲାଇବେ ଯେଣୁ ସେମାନେ ସମାଜ ସେବକ। ତେଣିକି ନିର୍ବାଚନ ପରେ ଯେତେ ଲୁଟ ମୂର୍ଖ ପ୍ରଜା ସବୁ ସହିବେ। ଏଇଥିପାଇଁ ତ ସ୍ୱାଧୀନତାର 74 ବର୍ଷ ପରେ ମଧ୍ୟ ଦେଶର ଅଗ୍ରଗତି ସେତେଟା ସନ୍ତୋଷଜନକ ହୋଇପାରୁ ନାହିଁ। ଆମେ ଅର୍ଥନୀତି କ୍ଷେତ୍ରରେ ଅନଗ୍ରସର ହୋଇ ଏବେ ବି ରହିଛନ୍ତି।
କିନ୍ତୁ ଦଳିଆ ନେତାମାନେ ଭାରି ଚତୁର। ସେମାନେ ଗୋଟି ଚଳାଇବାରେ ଭାରି ଚତୁର। ସେମାନେ ଚାପି କି ଥିଲେ। ନିର୍ବାଚନ ପାଖେଇ ଆସିଲା ବେଳକୁ ପଇସା ମୁଣି ପୂରା ଖୋଲି ଦେଲେ। ତେଣୁ ଟୋକାଏ ନୀରନାଙ୍କୁ ଛାଡ଼ି ଠିକଣା ବେଳେ ସେପଟକୁ ଆଉଜି ଗଲେ। ଧୀରେ ଧୀରେ ନୀର ନା ଏକଲା ପଡ଼ି ଯାଉଥାନ୍ତି। ଯେଉଁ ମାନେ ବୋଲକରା ଆଗ ଡାକରା ଥିଲେ ସେମାନେ ଅର୍ଥ ଲୋଭରେ ବାଟ ଭାଙ୍ଗି ଚମ୍ପଟ ମାରୁଥାନ୍ତି। ଆଉ ଯେତିକି ସୈନ୍ୟ ସାମନ୍ତ ରହିଲେ ସେତିକିକୁ ନେଇ ନିର୍ବାଚନ ମଇଦାନ ପାରି ହେବାକୁ ଶେଷ ଚେଷ୍ଟା କଲେ। ବେଳେବେଳେ ବିଫଳ ମନୋରଥ ହୋଇ ଦଣ୍ଡେ ଅଟକି ଯାଉଥାନ୍ତି। ପୁଣି ସଜବାଜ ହୋଇ ଆଗକୁ ବାଢୁଥାନ୍ତି। ଏତେବେଳକୁ ଟଙ୍କା କୋଡ଼ିଏ ଲକ୍ଷ୍ୟ ଯାଇ ସାରିଥାଏ। ଆଉ ଅଣ୍ଟିରେ ବଳ ଥାଏ ନା ମନର ହିମ୍ମତ। ତଥାପି ମଇଦାନ ଛାଡ଼ି ଭୀରୁ ଭଳି ସେ ତ ଆଉ ଆତ୍ମଗୋପନ କରି ପାରିବେ ନାହିଁ। ତେଣୁ ଶେଷ ସାମର୍ଥ୍ୟ ଲଗାଇ ଦେଲେ। ନିଜ ଭୋଟ୍ କୁ ବାନ୍ଧି ରଖିବା ପାଇଁ ଘରେ ସୁନାରୂପା ଯାହାଥିଲା ବିକି ଭାଙ୍ଗି ସବୁ ଲଗାଇ ଦେଲେ। ହେଲେ ବୁଥ୍ ଖର୍ଚ୍ଚ ବାବଦକୁ ସେ ଯାହା ଦେଲେ ବିରୋଧୀଏ ତା’ର କେହି ଗୁଣା ଅଧିକ ଦେଲେ। ତେଣୁ ପ୍ରଥମେ ପ୍ରଥମେ ଯେଉଁ ବିଜୟର ଉଦ୍ ଘୋଷଣ ଜୟ ଜୟକାର ପ୍ରକମ୍ପିତ ହେଉଥିଲା ତାହା କେଉଁ ଆଡ଼େ ଫିକା ପଡ଼ିଗଲା। ଶେଷରେ ଅଳ୍ପ କେତେଖଣ୍ଡ ଭୋଟର ବ୍ୟବଧାନରେ ତାଙ୍କୁ ପରାସ୍ତର ମୁହଁ ଦେଖିବାକୁ ପଡ଼ିଲା। ଲଜ୍ଜା, ଅପମାନ ଓ ଭୟରେ ଗାଁ ଛାଡ଼ି ଖାଲି ହାତରେ ଭଦ୍ରକ ବାହୁଡିବାକୁ ହେଲା।
ନୀରନାଟା ଭାତ ପାଣି ଛାଡ଼ି ଦେଲାଣି। ବିଛଣାଟା ଆଉ ଛାଡୁ ନାହିଁ। ସେଇମିତି ଶୋଇ କି ରହୁଛି। ଛୁଆ ପିଲା ଡାକି ଡାକି ଥକୁଛନ୍ତି। ସେ କିନ୍ତୁ ନିଜ ଭାବନା ରାଇଜରୁ ଆଉ ଫେରି ନିଜକୁ ପ୍ରକୃତିସ୍ଥ କରି ପାରୁ ନାହାନ୍ତି। ଖାଲି ହାଇପ ସାଇପ ହେଉଥାନ୍ତି-“କାହିଁକି ଗାଁ ଲୋକଙ୍କ କଥାରେ ପଡ଼ି ସେ ଏତେବଡ଼ ଭୁଲ କଲେ” । ଏବେ ଖାଉନ୍ଦ ଆସି ନିଇତି ଦାଣ୍ଡ ପିଣ୍ଡାରେ ବସୁଛି। ଦୋକାନରୁ ମାଲ୍ ସରି ଗଲାଣି। ସାହୁକାର ଆଉ ବାକି ଦେଉ ନାହିଁ। ଓଲଟା ତାଗିଦା ପଠାଇ ତାଗିଦ୍ କରୁଛି ବାକିଆ ମାଲ୍ ପଇସା ପୈଠ କରିବା ପାଇଁ। ଦେନା ଧାରି ଢେର୍ ହେଲା। କେମିତି ଶୁଝିବେ ମୁଣ୍ଡରେ ଚିନ୍ତା। ଘରେ ଏଣେ ବଢିଲା ଝିଅ। ତା ବାହାଘର ଏଇ ସନ୍ ହୋଇଥାନ୍ତା। କେମିତି କୋଉ କଥା ସେ କରିବେ। ମନ ମିଞ୍ଜାସ ତ ପୂରା ଖରାପ।
ପତିଙ୍କର ଏ ଅବସ୍ତା ଦେଖି ନିଶାମଣି ବଡ଼ ବ୍ୟସ୍ତ ହୋଇ ପଡିଥାନ୍ତି। କହିଲେ – “ସାହସ ହରାଅ ନାହିଁ। ପୁଣି ବେପାରରେ ମନ ଦିଅ, ସବୁ ଠିକ୍ ହୋଇଯିବ ।ହେଲେ ସେ ଦଶା ଦିଆ ନିର୍ବାଚନ କଥା ଆଉ କେଉଁ ବେଳେ ମୁହଁରେ ଧରିବ ନାହିଁ” ।

Related posts

ଦାନ ପୁଣ୍ଯ

satya

କ୍ଷୁଦ୍ର ଶିଳ୍ପ ଦିବସ

satya

ସହଯାତ୍ରୀ

satya

Leave a Comment

Login

X

Register