Satya Prakash
  • Home
  • Book
  • ପରିତ୍ୟକ୍ତ କୋଠି
Book

ପରିତ୍ୟକ୍ତ କୋଠି

ମୁଖବନ୍ଧ
———
କବି ହେଉ ବା ଲେଖକ, ସେ ହେଉଛି ସମାଜର ଚିତ୍ରକର। ସମାଜରେ ଅହରହ ଘଟୁଥିବା ଘଟଣା ପ୍ରତି ସେ ଏତେଟା ଉଦାସୀନ ରହିପାରେ ନା।ତେଣୁ ପ୍ରତିଟି ଘଟଣା ଉପରେ ତା’ର ତୀକ୍ଷଣ ନଜର ଥାଏ । ଯେତେବେଳେ ଯେଉଁ ଘଟଣା ତାକୁ ଖୁବ୍ ବେଶୀ ଆକୃଷ୍ଠ କରେ, ସେତେବେଳେ ସେ ତୂଳୀରେ ରଙ୍ଗବୋଳି ଚିତ୍ର ଆଙ୍କି ବସେ । ତେଣୁ ସମାଜରେ ଘଟୁଥିବା କିଛି ବିଶେଷ ଘଟଣାବଳୀ ନିଶ୍ଚିତ ପକ୍ଷେ ତା ଲେଖନୀ ମୁନରେ ପରିପ୍ରକାଶ ଲଭେ। ତେଣିକି ତାହା ଗଳ୍ପ ଓ ଉପନ୍ୟାସ ମାଧ୍ୟମର ହେଉ ବା କବିତା ଓ ନାଟକ ମାଧ୍ୟମରେ ହେଉ ଅଥବା ସାହିତ୍ୟରେ ଅନ୍ୟ କୌଣସି ବିଭବ ବା ବିଭାଗ ମାଧ୍ୟମରେ ହେଉ, କିନ୍ତୁ ତହିଁର ସଚିତ୍ର ରୂପ ତ ପରିପ୍ରକାଶିତ ହୁଏ। ଆଜି ଗଳ୍ପ, ଉପନ୍ୟାସ, କବିତା ପ୍ରବନ୍ଧ, ରମ୍ୟ ରଚନା, ଜୀବନୀ, ଆତ୍ମ ଜୀବନୀ ଓ ବ୍ୟାକରଣ ଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଓ ବହୁ ଦିଗରେ ମୁଁ ମୋର ଲେଖନୀକୁ କାଗଜ କଲମର ସ୍ପର୍ଶରେ ତୋଳି ଧରିବା ପାଇଁ ଚେଷ୍ଟା କରି ଆସିଛି। ତାହା ପୁଣି ଇଂରାଜୀ ଓ ଓଡିଆ ଉଭୟ ସାହିତ୍ୟରେ। ଏଥିରୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ବା ପୁରସ୍କୃତ ହେବା ଫଳରେ ନିଶ୍ଚିତ ଭାବେ ମୁଁ ଟିକେ ଅଧିକ ଉତ୍ସାହିତ ହୋଇ ପଡ଼ିଛି । ତେଣୁ ତ ଅବିରାମ ଗତିରେ ମୁଁ ମୋ ଲେଖନୀକୁ ଚଳାଇ ରଖି ପାରିଛି। ଏବେ ମୋ ପାଖରେ ପ୍ରାୟତଃ 30 ରୁ ଉର୍ଦ୍ଧ୍ଵ ପୁସ୍ତକ ପାଇଁ ପାଣ୍ଡୁଲିପି ମହଜୁଦ ରହିଛି। କିନ୍ତୁ ଯୋଗାଯୋଗର ଅଭାବ ଫଳରେ ସେଗୁଡ଼ିକର ପୁସ୍ତକ ରୂପ ପରିଗ୍ରହ ହୋଇ ପାରିନାହିଁ। ତେବେ ଆଗାମୀ ଦିନରେ ନିଶ୍ଚିତ ଭାବେ ପ୍ରକାଶ ପାଇ ସାହିତ୍ୟ ଜଗତକୁ ମୋର ଯତ୍ କିଞ୍ଚିତ୍ ଯୋଗଦାନ ରଖିବ। କିଛି ପ୍ରକାଶକ ଏ ଦିଗରେ ଆଗ୍ରହ ପ୍ରକାଶ କରିଥିବାରୁ ଏ ବର୍ଷ ମଧ୍ୟ କେତେଗୁଡିଏ ପୁସ୍ତକ ବଜାରରେ ଉପଲବ୍ଧ ହେବ। ତେବେ ଏହି “ପରିତ୍ୟକ୍ତ କୋଠି” ଉପନ୍ୟାସର ପ୍ରକାଶନ ଦାୟିତ୍ଵ ବଣ ମଲ୍ଲି ଇ – ପତ୍ରିକା ବିଶେଷ ଆଗ୍ରହ ପ୍ରକାଶ କରିଥିବାରୁ ମୁଁ ତାଙ୍କ ଠାରେ କୃତଜ୍ଞତା ପ୍ରକାଶ କରୁଛି। ଏତଦ୍ ବ୍ୟତୀତ ଏଫ୍. ବି. ବନ୍ଧୁ ସୁମିତ ପଣ୍ଡା (କେଉଁଝର), ମୋର ପଢ଼ା ସାଥୀ ପ୍ରଭାତୀ ମହାପାତ୍ର (ଭୁବନେଶ୍ବର) ଓ କିଶୋର , ଗୌତ୍ତମ ଭଟ୍ଟାଚାର୍ଯ୍ୟ (ଖଡ଼ଗପୁର), ଶିକ୍ଷକ ଶିଶିର କୁମାର ପଣ୍ଡା (କଟକ), ପ୍ରଣତି ପଣ୍ଡା (ଭଦ୍ରକ) ପ୍ରମୂଖ ଆନ୍ତରିକତା ପ୍ରଦର୍ଶନ କରିଥିବାରୁ ସେମାନଙ୍କ ଠାରେ ମଧ୍ଯ ମୁଁ ଚିର ରୁଣି।

“ପରିତ୍ୟକ୍ତ କୋଠି “ଉପନ୍ୟାସ ସମ୍ପର୍କରେ ପଦେ ଅଧେ କହିବାକୁ ଚାହିଁବି। “ଚନ୍ଦକାରେ ଗୋଟେ ରାତି”, “ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ “, ସାହିତ୍ୟିକା ଭୂତୁଣୀ, “ଶୂନ୍ଶାନ୍ ରାତି “ଆଦି ଉପନ୍ୟାସ
ବିଭିନ୍ନ୍ ଇ – ପୋଟାଲ୍ ଓ ସାମାଜିକ ମାଧ୍ୟମ ଗୁଡିକରେ ପ୍ରକାଶ ଲାଭ କରି ଆଦୃତି ପାଇଲା ପରେ ଉପନ୍ୟାସ “ପରିତ୍ୟକ୍ତ କୋଠି “ର ପରିକଳ୍ପନା କରାଯାଇଥିଲା, ଯାହାକୁ ନେଇ ପାଠକ ମହଲରେ ମଧ୍ଯ ବେଶ୍ ଆଗ୍ରହ ପ୍ରକାଶ ପାଇଥିଲା ଓ “next episode please “ର ପାଠକୀୟ ଉତ୍କଣ୍ଠା ଓ ଆଗ୍ରହକୁ ନେଇ ପରକୁ ପର ଭାଗ ଗୁଡିକ ପ୍ରକାଶ ପାଇଥିଲା। ତଥାପି ଏବେ ବି ଏହା ପାଠକୀୟ ସ୍ୱୀକୃତିକୁ ଅପେକ୍ଷା ରଖିଥାଏ, ଯେଉଁମାନେ ପ୍ରକୃତରେ ଏହାର ବିଚାରକ।। ଏଥିରେ ପ୍ରଥମରୁ କିଛି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ନୂତନ ବସ୍ତୁର ସ୍ରୁଷ୍ଟି ରହସ୍ୟ ଗୁମ୍ପିତ ହୋଇଛି। ଭୂତ ଓ ପ୍ରେତର ସ୍ଥିତି ଓ ସଂସ୍ଥିତିକୁ ନେଇ ଭିନ୍ନ ଏକ ଦୃଷ୍ଟିଭଙ୍ଗୀର ଆକଳନ ମଧ୍ଯ ଅଙ୍କା ଯାଇଛି। ରେପ୍ ଏଣ୍ଡ୍ ମର୍ଡର ମିଷ୍ଟ୍ରିଠୁଁ ଆରମ୍ଭ କରି ଭୟାନକ ଭୂତର ପୃଷ୍ଠଭୂମି ଦେଇ କାହାଣୀ ଭାଗ ବେଶ୍ ଗତିଶୀଳ ହୋଇଛି। ଯେଉଁଥିରେ କି କଳାହାଣ୍ଡି ପରି ଏକ ସମ୍ବେଦନଶୀଳା ଇଲାକାର ଅଭାବୀ, ଛୁଆ ବିକ୍ରି, ଦରିଦ୍ରତା, ବୁଭୁକ୍ଷା, ତିତିକ୍ଷା,, ଅନ୍ଧ ବିଶ୍ବାସ, ଅଶିକ୍ଷା ଅନ୍ଧକାର, ତଥା ଦାଦନ ଓ ଗୋତି ଶ୍ରମିକର ସମସ୍ୟାକୁ ମଧ୍ଯ ପ୍ରଧାନ୍ୟ ଦିଆ ଯାଇଛି। ନେତା ଓ ଠିକାଦାରଙ୍କ କାରନାମା ସହିତ ଛାତ୍ର ଓ ଜନ ଆନ୍ଦୋଳନ ଜରିଆରେ ସାମାଜିକ ପରିବର୍ତ୍ତନ ଓ ସମସ୍ୟାର ନିରାକରଣ ପାଇଁ ମାର୍ଗଟିଏ ମଧ୍ଯ ପ୍ରଦର୍ଶିତ ହୋଇଛି। ଆଶା ଏହା ସମାଜର ସବୁ ବର୍ଗର ପାଠକ /ପାଠିକା ମାନଙ୍କୁ ନିଶ୍ଚିତ ପକ୍ଷେ ପ୍ରାଭାବିତ ଓ ଆକୃଷ୍ଟ କରି ପାରିବ ମୁଁ ତ କେବଳ ପ୍ରୟାସଟିଏ ମାତ୍ର କରିଛି । ତେବେ ଆପଣମାନଙ୍କର ମତାମତ ପ୍ରକୃତ ପକ୍ଷେ ଲେଖାଟିକୁ ପରିପୃଷ୍ଟ କରି ପାରିବ, ତେଣୁ ସମସ୍ତଙ୍କୁ ଅନୁରୋଧ କରି ରହୁଛି।
(ଇତି)
ଔପନ୍ୟାସିକ
(ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ)

ଉତ୍ସର୍ଗ
——–
ଆମେ ଦୁଇ ଭାଇ ଓ ତିନି ଭଉଣୀ ବାପାମାଆଙ୍କର କ୍ରୋଡମଣ୍ଡନ କରି ଜନ୍ମ୍ ହୋଇଥିଲେ ହେଁ ମୋର ସବୁଠାରୁ ପ୍ରିୟ, ମୋର ପ୍ରିୟ ଭଉଣୀ- ମୋ ମଝିଆ ଭଉଣୀ, ମାନେ- ବିମଳା ଦେଇ, ଯିଏ ମୋର ସମସ୍ତ ଅଳି ଅର୍ଦ୍ଦଳି ସହିଛି ଓ କୋଡ଼େଇ କାଖେଇ ମୋତେ ଏଡେଟେରୁ ଏଡୁଟେ କରିଛି। ସତ କହିବାକୁ ଗଲେ ମୋ ପିଲା ଦିନର ଅଧିକଂଶ ସ୍ମୃତି ତାହାରି ପାଖରେ ଜମାଟ ବାନ୍ଧିଛି। ମୁଁ ପାଠ ପଢିଲି କି ନପଢିଲି, ଖାଇଲି କି ନଖାଇଲି, ଶୋଇଲି କି ନ ଶୋଇଲି ଓ ସାଙ୍ଗମାନଙ୍କ ସହ କେତେ ଦୃଷ୍ଟ ହେଲି – ସବୁ ହିସାବ କିତାବ ତା ‘ପାଖରେ। ସେ ହିଁ ମୋର ଦୈନନ୍ଦିନ ପଞ୍ଜିକା ଲେଖେ ଓ ବାପା ବୋଉଙ୍କୁ ତା’ର ଧାରା ବିବରଣୀ ଶୁଣାଏ। ପୁଣି ପ୍ରତ୍ୟେହ କାର୍ଯ୍ୟକ୍ରମ ସ୍ଥିର କରେ ଓ ଭବିଷ୍ୟତ କର୍ମପନ୍ଥା ନିରୂପଣ କରେ। ଏବେ ତା’ ପିଲାମାନେ ବଡ଼ ହୋଇଗଲେଣି ସତ- ତଥାପି ଏ ଯାଏଁ ସେ ମୋତେ ପାଶୋରି ପାରିନାହିଁ। ମୋତେ ଦଣ୍ଡେ ନଦେଖିଲେ ତା ‘ମନ ଡହଳ ବିକଳ ହୋଇଯାଏ। ସେ ସମସ୍ତଙ୍କୁ ରୋକଠୋକ୍ ଶୁଣେଇଦିଏ –” ମୋ ବାବୁଲା କଥା ଉଠିଲେ କୌଣସି କଥା ମୁଁ ସାଲିସ୍ କରିପାରିବି ନାହିଁ” ।
ସେହି ଆଦରଣୀୟା ଭଉଣୀକୁ ଏ ପୁସ୍ତକ – “ପରିତ୍ୟକ୍ତ କୋଠି ” – ଉତ୍ସର୍ଗ କରି ତା’ ରୁଣ ଶୁଝିବାକୁ ମୁଁ ପ୍ରୟାସୀ ମାତ୍ର। ଦେଇଲୋ! ତୁ ଯେଉଁଠି ଥା’ ଓ ଯେମିତି ଥା’ ହେଲେ ଭଲରେ ଥା’। ତୋ କଥା ମାନି ଏବେ ଲେଖନୀ ଧରିଛି ଯେ ଧରିଛି, ତୋହରି ଆଶିର୍ବାଦରୁ ସେ ଲେଖନୀ ଅବାରିତ ରହୁ।
(ଇତି)
ମୁଁ ପରା ତୋହରି ସେଇ ସାନଭାଇ
-ବାବୁଲା
(ସତ୍ୟ ପ୍ରକାଶ ସେଠୀ)
ଅଭିମତ

କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ,ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ।”ବେକାରୀ ନଂ-ୱାନ୍ ” ତାଙ୍କ ଗଳ୍ପର ପୃଷ୍ଠ ଭୁମି ଉପରେ ନିର୍ମିତ ଚଳଚ୍ଚିତ୍ର। ଏତଦ୍ ବ୍ୟତୀତ ଅନେକ ଟି. ଭି. ଧାରାବାହିକର କାହାଣୀ ଓ ସ୍କ୍ରିପ୍ଟ ରାଇଟର ହେଉଛନ୍ତି ଔପନ୍ୟାସିକ ସତ୍ୟ ପ୍ରକାଶ ସେଠୀ। ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟରେ ତାଙ୍କର ଲେଖନୀ ଚଳଚଞ୍ଚଳ। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।ଓଡ଼ିଶା କଳା ଓ ଗବେଷଣା ପ୍ରତିଷ୍ଠାନ ତାଙ୍କୁ ସାହିତ୍ୟ ସାରଥି ଉପାଧିରେ ଭୂଷିତ କରିଥିବା ବେଳେ ସେ ସମ୍ପ୍ରତି ଷ୍ଟୋରି ମିରର Literary Colonel ଅଛନ୍ତି। ”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ “, “ଫୁସିଆ ମାଆ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।
“ପରିତ୍ୟକ୍ତ କୋଠି ” ତାଙ୍କ କୃତ ଏକ ନିଆରା ସୃଷ୍ଟି, ଯହିଁରେ ଏକ ଭୂତର କାହାଣୀ ଓ ଆତ୍ମ କଥନକୁ ନେଇ କାହାଣୀ ଭାଗ ବେଶ୍ ଗତିଶୀଳ ହୋଇଥିଲେ ହେଁ ଏଥିରେ ସାମାଜିକ ସମସ୍ୟା, ନେତା ଓ ଠିକାଦାର ମାନଙ୍କର ଦୌରାତ୍ମ୍ୟ ତଥା କଳା କାରନାମାର ପର୍ଦ୍ଦା ଫାସ୍ ହୋଇଛି। କଳାହାଣ୍ଡି ପରି ଏକ ବୁଭୁକ୍ଷ ପ୍ରପୀଡିତ ଇଲାକାର ଦରିଦ୍ର୍ଯତା ଓ ତଜ୍ଜନିତ ସମସ୍ୟା ସଠିକ୍ ରୂପ ପରିଗ୍ରହ କରି ପାରିଛି। ଏଥିରେ ବିଭିନ୍ନ ଚରିତ୍ର ଓ ଘଟଣାବଳୀର ମହାନୀୟତା ଓ ଗୁଣାବଳୀର ବ୍ୟାଖ୍ୟାନ ସଙ୍ଗେ ସଙ୍ଗେ ବିଭିନ୍ନ୍ ସାମାଜିକ ତତ୍ତ୍ଵ ଗୁଡିକର ଗୁରୁତ୍ଵ ଓ ମହତ୍ତ୍ୱ ସମ୍ପର୍କରେ ମଧ୍ଯ ବର୍ଣ୍ଣନ ଦେଖିବାକୁ ମିଳେ । ଏଗୁଡ଼ିକ ବ୍ୟାବହାରିକ ଜୀବନରେ ଯେତିକି ଆବଶ୍ୟକ ସେତିକି ମଧ୍ୟ ଉପାଦେୟ। ଏଥିରେ ପାଠକୀୟ ଆବେଦନ ମଧ୍ୟ ରକ୍ଷା ହୋଇପରିଛି।ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରନ୍ତୁ, ଏହାହିଁ ପୁସ୍ତକ ପ୍ରକାଶନ ଅବସରରେ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ

ସୂଚୀପତ୍ର

————
1.ସମୁଦ୍ର ମନ୍ଥନରୁ ଅମୃତର ସନ୍ଧାନ – ଭାଗ 1
2 ପରିତ୍ୟକ୍ତ କୋଠି – ଭାଗ 2
3.ଭୂତ୍ ର ଆତ୍ମ କଥନିକ – ଭାଗ 3
4.କଥା ଲମ୍ବିଲା ରାତି ପାହିଲା ଯାଏଁ – ଭାଗ4
5ପୋଥି ସହ ପ୍ରତ୍ୟାବର୍ତ୍ତନ – ଭାଗ5
6.ଭୂତର ସ୍ଥିତି ଓ ସଂସ୍ଥିତି – ଭାଗ 6
7 ପୁଣି ଥରେ ପରିତ୍ୟକ୍ତ କୋଠିରେ -ଭାଗ 7
8.ଅପ୍ରାପ୍ତ ବୟସ୍କାକୁ ବଳତ୍କାର – ଭାଗ 8
9.ଲୁଟିଗଲା ପତ୍ନୀର ଇଜ୍ଜତ୍ – ଭାଗ 9
10.କଲେଜ କୁଇନକୁ ଉଠେଇ ନେଲା – ଭାଗ 10
11.ଝିଲିରେ ଝିଲି ଦେବତା – ଭାଗ 11
12 ଦାଦନ ମୁକ୍ତି ଲଢେଇ – ଭାଗ 12
13.ଶେଷ ସ୍ପର୍ଶ – ଭାଗ 13

ଭାଗ 1

ପରିତ୍ୟକ୍ତ କୋଠି 1st episode
—by ସତ୍ୟ ପ୍ରକାଶ ସେଠୀ
ମୁଁ ପିଲାଟିଦିନୁ ଭାରି କୌତୂହଳୀ ଓ ଅନୁସନ୍ଧିତ୍ସୁପ୍ରିୟ। ସତ୍ୟାନୁସରଣ ଓ ସତ୍ୟବାଦୀତ ମୋ ଧର୍ମ । ରହସ୍ୟ ଉନ୍ମୋଚନ ମୋର ନିଶା ଓ ହବି।
କୌଣସି ଗୋଟେ ରହସ୍ୟମୟ କଥା କାହା ପାଖରୁ ଥରେ ଶୁଣିଦେଲେ, ସେଇଟା ମୋ ମନରେ ଦୃଢ଼ମୂଳ ହୋଇଯାଏ। ତହିଁରୁ ମୁଁ ସହଜରେ ନିସ୍କୃତି ପାଇ ପାରେନା, ପରନ୍ତୁ ଅହରହ ଘାଣ୍ଟି ଚକଟି ହୋଇ ସେଇଥିରେ ପଶି ରହେ। ଭାବିହୁଏ, ଭାବନାର ଖିଅ ଧରି ଗୁନ୍ଥି ବସେ ।ତା’ର ମୂଳ ପର୍ଯ୍ୟନ୍ତ ଯିବାକୁ ମନ କହେ। ତେଣୁ ତା’ର ହେତୁ ନିରୂପଣ ଓ ତଦନୁସାରେ ପନ୍ଥା ଗ୍ରହଣ ମୋ କାମ ହୋଇଯାଏ। ଏଇଥିପାଇଁ ତ ଏକୁଟିଆ ରହିବାକୁ ମୋତେ ଭାରି ଭଲ ଲାଗେ। ତେଣୁ ମୁଁ ଭାରି ଏକୁଟିଆପ୍ରିୟ। ବେଶୀ କଥା କହେ ନାହିଁ କି କାହା ସହ ବେଶୀ ମିଶେ ନାହିଁ। ମୋ ଭାବନା ରାଜ୍ୟରେ ମୁଁ ଏକା ଥାଏ। ଇଛା ହେଲେ ଯାହା ପଦେ ଅଧେ ହୁଁ – ହାଁ ମାରି ଉତ୍ତର ଦିଏ, ନହେଲେ ନାହିଁ। ବେଶୀ କିଛି କହେ ନାହିଁ। ତେଣୁ ଲୋକେ ଭାବନ୍ତି ମୋତେ – ବୋକାଟା। ମୋର କିଛି ପ୍ରତିକ୍ରିୟା ନଥାଏ, ହେଲେ କେବେକେବେ ମନକୁମନ ଅଳ୍ପକିଛି ଯାହା ହସି ନିଏ। କାହିଁକି କେଜାଣି ମୋର ଗୋଟେ ଧାରଣା – ଆଧିକାଂଶ ଲୋକ ଯେତେ କିଛି କହନ୍ତି, ସେମାନେ ପ୍ରକୃତରେ ସେତେ କିଛି ବୁଝି ନାହାଁନ୍ତି ବା ବୁଝିବାର ଗୋଟେ ଢୋଙ୍ଗ କରୁଥିଲେ ବି ଏତେ କିଛି ସଠିକ୍ ଭାବେ ବୁଝେଇ ପାରନ୍ତି ନାହିଁ । କିନ୍ତୁ ନିଜକୁ ଜ୍ଞାନୀ ବୋଲି ପ୍ରମାଣିତ କରିବା ପାଇଁ ବେଶି କିଛି ଯାହା ବକବକ ହୁଅନ୍ତି ବା
ଖାଲି ଗୋଟେ କିଛି କହିବା ପାଇଁ ଏମିତି କିଛି କହି ପକାନ୍ତି। ତେଣୁ ସେଥିରୁ ଆମକୁ କ’ଣ ମିଳିବ? ବେଶୀ କିଛି ଲାଭ ତ ନିଶ୍ଚୟ ହେବ ନାହିଁ। ବରଂ ସେଥିରୁ ମନ ଅଧିକ ଗୋଳମାଳିଆ ଧରିବ, କିନ୍ତୁ ଗୋଟେ କିଛି ସ୍ପଷ୍ଟ ଅବଧାରଣା ତ କରି ହେବ ନାହିଁ। ସେଥିପାଇଁ ମୋତେ ଏକୁଟିଆ ଭାରି ଭଲ ଲାଗେ। ଏକୁଟିଆପଣ ମୋର ଅତି ପ୍ରିୟ। ଯୁଆଡେ ଯାଅ ଏକୁଟିଆ। ଯାହା ବି କର, ଏକୁଟିଆ ।ଆଜି କାଲି ତ ସବୁଠିଁ ଗହଳିଚହଳି, ନିଜକୁ ଏକୁଟିଆ ପାଇବା ବି ଭାରି କଷ୍ଟ। ତଥାପି ମୁଁ ଯେତେବେଳେ ନିଜକୁ ନିଜେ ଘଡିଏ ଖଣ୍ଡ ଏକୁଟିଆ ପାଏ, ସେତେବେଳେ ଦୁନିଆ ଯାକର ଚିନ୍ତା ମୋତେ ଘାରେ। କ୍ଷୁଦ୍ରାଦିକ୍ଷୁଦ୍ର ଘଟଣାଠାରୁ ବୃହତ୍ତର ଘଟଣା ଯାଏଁ ସବୁ ମୋ ମନକୁ ଆଚ୍ଛାଦିତ କରେ, ମୁଁ ତା’ର ହେତୁ ନିରୂପଣ କରିବା ପାଇଁ ବ୍ୟସ୍ତ ହୋଇ ଉଠେ ଓ ପ୍ରୟାସ ଆରମ୍ଭ କରିଦିଏ, ଯାହା ମୋ ଆଖି ସାମ୍ନିରେ ଆସି ଥେଇଥେଇ କରେ । ଉପାୟଟା ମଧ୍ଯ ମନେମନେ ପାଞ୍ଚେ।
ସେଦିନ ଗୋଟେ ଟି. ଭି. ସିରିଏଲରେ ଏକ ପୌରାଣିକ କଥାବସ୍ତୁ ସମ୍ବଳିତ ବିଷୟଟିଏ ଦେଖୁଥିଲି। ଦେଖିଲି – ଦେବତା ଓ ଅସୁରମାନେ ମିଶି ବଡ଼ ଜୋହରରେ ମନ୍ଦର ପର୍ବତକୁ ଖୁଆ ଦଣ୍ଡ କରି ଓ ବାସୁକୀ ସର୍ପକୁ ତହିଁରେ ଖୁଆ ଦୌଡ଼ି ରୂପେ ବ୍ୟବହାର କରି ଲହୁଣୀ ରୂପକ କିଛି ସାର ବାହାର କରୁଥାନ୍ତି। ଖୁବ୍ ଜୋହରରେ ଘାଣ୍ଟିବା ଫଳରେ ବହୁ ଜିନିଷ ବିଣ୍ଡି ବିଣ୍ଡି ହୋଇ ଉପରକୁ ଉଠି ଆସିଥିଲା, ସେଗୁଡାକ ସବୁ ଛାଡନ୍ତୁ ।କିନ୍ତୁ ଖୁଆ ଦଣ୍ଡ ତଳ ପର୍ଯ୍ୟନ୍ତ ପାଇ ଯାଉଥିବାରୁ ସମୁଦ୍ରର ତଳସ୍ତରରୁ ଉପର ଓ ମଧ୍ୟ ସ୍ଥର ଯାଏଁ ଥିବା ବିଭିନ୍ନ ଧାତବ ପଦାର୍ଥ ବା ମିନେରାଲସ୍, ସ୍ଵର୍ଣ୍ଣ ଓ ଧାତବଜ ପରି କିଛି ଖଣିଜ ପଦାର୍ଥ ମଧ୍ୟ ମିଳିଥିଲା। ସର୍ପକୁ କଷ୍ଟ ହେଉଥିବାରୁ ସେ ମଧ୍ଯ କିଛି ହଳାହଳ ବିଷ ବାନ୍ତି କରିଦେଇଥିଲା। ଏ ସବୁର ଗୋଟେ ନିର୍ଦ୍ଧିଷ୍ଟ proportion ବା ଅନୁପାତ ମିଶି, ଅମୃତ ରୂପକ ମହୌଷଧି ପ୍ରସ୍ତୁତ ହୋଇଥିଲା। ଆଉ ବଳକା ସ୍ଵର୍ଣ୍ଣାଦି ରତ୍ନ ଲକ୍ଷ୍ମୀଙ୍କୁ ଓ ବିଷାଦି ବର୍ଜ୍ୟ ପଦାର୍ଥ ଶିବଙ୍କୁ ଦେଇ ଦେଇଥିଲେ।ଏହି ଅମୃତ ପାନ କରି ଦେବତାମାନେ ବୟସ, ଶରୀର ଓ ମସ୍ତିସ୍କ ଉପରେ ପୂର୍ଣ୍ଣଃତ କାବୁ ବା କଣ୍ଟ୍ରୋଲ ପାଇଲେ ।ସେମାନେ ଏକ ନିରୋଗ ଓ ନିରାମୟ ତଥା ଅପରାଜୟ ଜୀବନ ଲାଭ କଲେ। ତାହା ଏତେ ଶକ୍ତିଶାଳୀ ଓ ଗୁଣକାରକ ଥିଲା ଯେ, ତା’ର କିଛି ମାତ୍ର ତଳେ ପଡିଯାଇଥିବା ଅସାରଯୁକ୍ତ ବର୍ଜ୍ୟପଦାର୍ଥକୁ ମଧ୍ୟ ପାନ କରି ଅସୁରମାନେ ବେଶ୍ ବଳଶାଳୀ ହୋଇ ଉଠିଥିଲେ। ଏହି ଯେତେଗୁଡ଼ିଏ ପଦାର୍ଥ କଥା ଏଠାରେ ଉଲ୍ଲେଖ ହେଲା, ଏ ସବୁ ଗୁଡିକର ଏକ ସୁସଂଘତ ସମାବେଶ ଓ ମିଶ୍ରଣରେ ଏହି ଅମୃତ ରୂପକ ମହୌଷଧି ନିଶ୍ଚିତ ଭାବେ ତିଆରି ହୋଇ ପାରିବ – ଏହା ସେଦିନ ମୋ ମନରେ ଦୃଢ଼ ପରିକର ହୋଇଥିଲା ଓ ମାନବ ଶରୀରରେ ଉତ୍ପନ୍ନ ଅନେକ ରୋଗ କୀଟଣୁକୁ ମଧ୍ଯ ରୋକି ହୋଇପାରନ୍ତା ବୋଲି ଧାରଣା ହୋଇଥିଲା । ଏପରିକି ଲୁଣ, ସ୍ଵର୍ଣ୍ଣାଦି ଖଣିଜ ଓ ଧାତବ ପଦାର୍ଥ, ସମୁଦ୍ରର ଅନ୍ୟ କିଛି ଉପାଦେୟ ସହିତ ବିଷର ଏକ କିୟଦଂଶ ମଧ୍ୟ ଏହି ଅମୃତ ତିଆରିରେ ହୁଏତ ଆବଶ୍ୟକୀୟ ସମାଗ୍ରୀ ରୂପେ ବ୍ୟବହୃତ ହୋଇଥାଇ ପାରେ। ଏମିତି କିଛି ସିଦ୍ଧାନ୍ତ ସେଦିନ ତ ମୋ ମନକୁ ଆସିଥିଲା।
ସେହିଦିନଠାରୁ ସମୁଦ୍ରଟା ମୋର ଭାରି ପ୍ରିୟ ହୋଇ ଉଠିଲା। ମୁଁ ଯେତେବେଳେ ବି ସମୟ ସୁଯୋଗ ଟିକେ ପାଏ, ଏକୁଟିଆ ଆସି ବସିପଡ଼େ – ଏଇ ସମୁଦ୍ରଟା କୂଳରେ, ଆଉ ଭାବିବାକୁ ମଜବୁର୍ ହୋଇଯାଏ ମହୌଷଧିର ଉତ୍ପନ୍ନ ରହସ୍ୟକୁ ନେଇ। ଏକୁଟିଆ ଆସି ବସେ, ଆଉ ଭାବେ – ଅନେକ ମହାପୁରୁଷ ଓ ତତ୍ତ୍ଵ ଅନୁସନ୍ଧାନୀ ତ ଏହିଭଲି କିଛି ପାଗଳାମୀ ଓ ତତ୍ତ୍ଵ ଅନୁସନ୍ଧାନ କରି କେତେ କେତେ ବସ୍ତୁର ଉଦ୍ଭାବନ ଓ ହେତୁ ନିରୂପଣ କରିପାରିଛନ୍ତି। ତେବେ ମୋର ଏ ଥିଓରିକୁ ନେଇ ମୁଁ କ’ଣ ଅମୃତ ପରି ଉପାଦାନର ସନ୍ଧାନ ପାଇ ପାରିବି ନାହିଁ? ନିଶ୍ଚୟ ପାଇବି ବୋଲି ମନକୁ ଏକରକମର ସ୍ଥିର ଓ ନିଶ୍ଚେତ କଲି।କାରଣ ମୁଁ ବି ତ ବିଜ୍ଞାନର ଜଣେ ଛାତ୍ର । ବାଣୀବିହାର ପରି ଶିକ୍ଷାନୁଷ୍ଠାନ ମୋ ସାଧାନାର ପୀଠ, ଯେଉଁଠି ମୁଁ ହଷ୍ଟେଲରେ ରହି ପାଠ ପଢ଼େ।
ତେଣୁ ମୁଁ ଯେତେବେଳେ ନାହିଁ ସେତେବେଳେ,ପୁଣି ସମୟ ଅସମୟ ନାହିଁ, ପୁରୀ ପଳେଇ ଆସି ସମୁଦ୍ର କୂଳରେ ଏକୁଟିଆ ବସି ପଡେ। ଆଉ କେତେ କ’ଣ ଭାବିଯାଏ ଓ ପୁଣି ମନେମନେ ସବୁକିଛି ଅନୁଧ୍ୟାନ କରେ। ସମାଧାନ ରାହା ଖୋଜେ।
ଏ କଥାଟା ଆହୁରି ମୋର ଦୃଢ ପରିକର ହୋଇଥିଲା, ଯେଉଁଦିନ ସମ୍ବାଦପତ୍ରରେ ଗୋଟେ କୋର୍ଟ ରାୟ ପ୍ରକାଶ ପାଇଥିଲା। ସେ ଘଟଣାଟି ଠିକ୍ ଏୟା ଥିଲା –
ଏକଦା ମାନିକଦା ବୋଲି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଥିଲେ। ସେ ଅତ୍ୟାଧିକ ମଦ୍ୟ ପାନ କରୁଥିବାରୁ ତାଙ୍କର ଫୁସଫୁସ୍ ରେ କଣା ହୋଇଯାଇଥିଲା। ମୃତ୍ୟୁଭୟ ତାଙ୍କୁ ଭାରି ଗ୍ରାସୁଥିଲା। ଅନେକ ଡାକ୍ତର ବୈଦ୍ୟଙ୍କ ପାଖକୁ ଯାଇ ମଧ୍ୟ ସେଥିରୁ ସେ ନିସ୍କୃତି ନପାଇବାରୁ, ଶେଷରେ ସେ ଡାକ୍ତର ମୋହନଦେବଙ୍କ ପାଖରେ ପହଞ୍ଚିଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରି ଦେଖିଲେ ଯେ, ତାଙ୍କର ଫୁସଫୁସ୍ ରେ ଛିଦ୍ର ହୋଇଯାଇଛି। ତେଣୁ ସେ ଆଉ ଅଧିକ ଦିନ ବଞ୍ଚି ପାରିବେ ନାହିଁ। ଏଣୁ ଅଳ୍ପ କିଛି ମେଡିସିନ ଲେଖି ଦେଇ କହିଲେ – “ଏହି ଔଷଧ ଖାଆନ୍ତୁ! ଭଲ ହୋଇଯିବ “।
ହେଲେ ଭଲ ହେଉନଥାଏ। ସେ ପୁଣି ବାରମ୍ବାର ଆସୁଥାନ୍ତି। ସବୁଥର ସେ ଏମିତି କିଛି ଔଷଧ ଲେଖନ୍ତି। କିନ୍ତୁ ମାନିକଦାର ବଞ୍ଚିବାର ମୋହ ଏତେ ବେଶୀ ଯେ, ସେ ଆସିବାର ଅଭ୍ୟାସ ଛାଡୁ ନଥାନ୍ତି। ଏଥର ପୁଣି ସେଇ ଏକା କଥା କହିଲେ – “ମୁଁ ଏତେ ଥର ଆସି ପ୍ରେସକ୍ରିପସନ କରେଇ ନେଇ ପାରିବିନାହିଁ। ମୋତେ ଏକା ଥରକେ କ’ଣ ଗୋଟେ ଉପାୟ କୁହନ୍ତୁ! ଯେମିତି ଏଇ ଥରକ ଔଷଧ ଖାଇ ମୋର ଏକାଥରକେ ଭଲ ହୋଇଯିବ” ।
ଡାକ୍ତର ମୋହନ ଦେବ ବଡ଼ ବିରକ୍ତ ହୋଇଯାଇ, ମନଇଚ୍ଛା ଯାହା ମନକୁ ଆସିଲା ଲେଖିଦେଲେ। ପ୍ରେସକ୍ରିପସନରେ ଲେଖିଲେ – “ଛଅ ମାସ ସ୍ଵିଜରଲାଣ୍ଡ ଚାଲିଯାଅ। ସେଠି ସମୁଦ୍ର କୂଳରେ ବସି ସମୁଦ୍ର ପାଣି ପ୍ରତ୍ୟେହ ପିଇବ ଓ ସମୁଦ୍ର କୂଳରେ ସନ୍ ବାଥ୍ ନେବ। ତୁମ ରୋଗ ପୂରା ଭଲ ହୋଇଯିବ “।
ଲୋକଟି ପ୍ରାୟତଃ ସେୟା କଲା। ପୁଣି ଛଅ ମାସ ପରେ ଫେରି ଆସି ଡାକ୍ତରଙ୍କୁ କହିଲା – “ଦେଖନ୍ତୁ ତ! ମୁଁ ସୁସ୍ଥ ନା ଆଉ କିଛି ଔଷଧ ଦେବେ” ? ଏତେବେଳକୁ ଡାକ୍ତର ତାକୁ ଓ ତା କଥାଟାକୁ ସମ୍ପୂର୍ଣ୍ଣ ବିସ୍ମରି ଯାଇଥାନ୍ତି। କିନ୍ତୁ ଦେଖିଲେ ଲୋକଟି ବେଶ୍ ହୃଷ୍ଟପୃଷ୍ଟ ଦେଖାଯାଉଥାନ୍ତି ଆଉ ମଧ୍ଯ ପୂରା ସୁସ୍ଥ ହୋଇ ଯାଇଛନ୍ତି। କହିଲେ – “କ’ଣ ଔଷଧ ଖାଉଥିଲେ, ସେ ପ୍ରେସକ୍ରିପସନ ଦେଖି” ? ଲୋକଟି ପ୍ରେସ୍କ୍ରିପସନ ଦେଖାଇ କହିଲା -” ଏଇ ଆପଣ ଯେଉଁ ଲେଖିଛନ୍ତି, ତାହାକୁ ପାଳନ କରିଛି ଓ ସମୁଦ୍ର ପାଣି ପିଇଛି” । ଡାକ୍ତରଙ୍କ କୌତୁହଳର ଆଉ ସୀମା ରହିଲା ନାହିଁ। ସେ ପାଗଳ ପରାଏ ହୋଇ ଉଠିଲେ। ତେଣୁ ତୁରନ୍ତ ତା’ ଶାରିରୀକ ପରୀକ୍ଷା ନିରୀକ୍ଷା କରି ଦେଖିଲେ। ଆଶ୍ଚର୍ଯ୍ୟ! ତା’ର ଯେ ଆଉ କୌଣସି ରୋଗ ନାହିଁ। ଫୁସଫୁସ୍ ମଧ୍ଯ ଏକଦମ୍ ଠିକ୍ ହୋଇଯାଇଛି। କିନ୍ତୁ ଏହା କିପରି ସମ୍ଭବ? ତାଙ୍କର ମନର ଗତି ଘନଘନ ବଦଳିବାକୁ ଲାଗିଲା। ଏକ ଉଦ୍ୱେଳନ ସେ ଅନୁଭବ କଲେ। ଏକ ନୂତନ ବସ୍ତୁର ଉଦ୍ଭାବନ ନିଶାରେ ସେ ମସଗୁଲ ହୋଇଗଲେ। ଏତେବେଳେ ସେ ହିତାହିତ ଜ୍ଞାନ ହରାଇ ବସିବା ସ୍ୱାଭାବିକ। ନିଜ ପକେଟରୁ ରିଭଲଭର ଖୋଲିଲେ। ଲୋକଟା ସେଇଠି ଟଳି ପଡିଲା। ଆରମ୍ଭ ହେଲା ଲାବୋରେଟୋରୀରେ ନୂତନ ଉଦ୍ଭାବନ ପ୍ରକ୍ରିୟା। ସେ ତାଙ୍କ ଛାତି ଚିରି ଫୁସଫୁସ୍ ଟାକୁ ଟାଣି ଆଣି ପରୀକ୍ଷା କଲେ । କିନ୍ତୁ ଏତେବେଳକୁ ସେଇପଟ ଦେଇ ପେଟ୍ରୋଲିଂରେ ଯାଉଥିବା ପୋଲିସ୍, ଗୁଳି ଶବ୍ଦ ଶୁଣି ଧାଇଁ ଆସିଲା। ସବୁ ଘଟଣା ବୁଝିପାରି ତାଙ୍କୁ ଆରେଷ୍ଟ କଲା। ପରେ ତାଙ୍କୁ ଆଜୀବନ ସଜା ହୋଇଗଲା। ରହିଗଲା ନୂତନ ଉଦ୍ଭାବନ ଅଧା ହୋଇ।
ଏକଥାଟି ମୁଁ କିନ୍ତୁ ପଢିଲା ପରେ, ସମୁଦ୍ର ପାଣି ଓ ଅମୃତକୁ ନେଇ ଆହୁରି ଅଧିକ କୌତୂହଳୀ ହୋଇ ଉଠୁଥିଲି। ତେଣୁ ସମୁଦ୍ରକୁ ଖୁବ୍ ଭଲପାଇ, ସମୁଦ୍ର କୂଳକୁ ବାରମ୍ବାର ଆସି ଯାଉଥିଲି-ନୂତନ ବସ୍ତୁର ଉଦ୍ଭାବନ ସକାଶେ।

ଭାଗ2

2nd episode…
ପରିତ୍ୟକ୍ତ କୋଠି
By ସତ୍ୟ ପ୍ରକାଶ ସେଠୀ
ଏକଥାଟି, ମୁଁ କିନ୍ତୁ ପଢିଲା ପରେ ସମୁଦ୍ର ପାଣି ଓ ଅମୃତକୁ ନେଇ, ଆହୁରି ଉତ୍ସାହିତ ହୋଇ ଉଠୁଥାଏ ଓ ସମୁଦ୍ର କୂଳକୁ ବାରମ୍ବାର ଆସି ଯାଉଥାଏ, ସମୟ ଅତିବାହିତ କରି ନୂତନ ବସ୍ତୁର ଉଦ୍ଭାବନ ସକାଶେ ।
ସେଦିନ ଏମିତି ଏଇ ସମୁଦ୍ର କୂଳରେ ବସିଥିଲି। ପୁରୀ ତଟ ସମୁଦ୍ରର ଘୋ ଘୋ ଉଦ୍ଘୋଷଣ ମନ ଭିତରେ ଏକ ନିଆରା ଭାବର ଅଭିବ୍ୟକ୍ତି ତୋଳୁଥାଏ। ବେଶ୍ ଉପଭୋଗ୍ଯମୟ ଥିଲା- ପରିବେଶ। ସମସ୍ତେ ମନ ଭରି ଉପଭୋଗ କରୁଥାନ୍ତି । ମୁଁ କିନ୍ତୁ ଖୋଜୁଥାଏ ନିରୋଳା। ଲୋକବାକ୍ ସବୁ ଶୀଘ୍ର ଶୂନ୍ ଶାନ୍ ହୋଇ ଯାଆନ୍ତେ କି, ଅଧିକ କିଛି ମୋ ତତ୍ତ୍ୱକୁ ନେଇ ମୁଁ ମୋ ନିଜ ସଙ୍ଗେ ତର୍କ କରନ୍ତି? ହେଲେ ଏତେବେଳକୁ ରାତି ଯେ କେଯାଏଁ ହୋଇଗଲାଣି, ତାହା ମୋ ଚେତନାର ବାହାରେ। ଚେତା ପଶିଲା ବେଳକୁ ପୂରା ନିଛାଟିଆ। ହେଲେ କେମିତି ଫେରିବି ବାଣୀବିହାର? ମନ ମଧ୍ୟରେ ଅସରନ୍ତି ପ୍ରଶ୍ନଗୁଛ। ଭୋକରେ ପେଟରେ ଚୂହା ଦୌଡିବାକୁ ଆରମ୍ଭ କରୁଥିଲା। ବସିଲା ଜାଗାରୁ ଟିକିଏ ଅଣ୍ଟାକୁ ସରେଇ ନେଲି। ଚାରି ଆଡକୁ ଚାହିଁଲି। ବୁଦ୍ଧି ବାଟ କିଛି ଦିଶିଲାନି। ଭାବିଲି – ଯାହା ହେଲେ ବି ତ ରାତି ଗୋଟାକ କେଉଁଠି ନା କେଉଁଠି ମୁଣ୍ଡ ଗୁଞ୍ଜିବାକୁ ହେବ। ତେବେ କେଉଁଠି ? କାହା ଘର ପାଖକୁ ବା ଯିବି? କାହାକୁ କହିବି ମୋତେ ଟିକେ ରାତିକ ଶରଣ ଦିଅ! ମୁଁ ଟିକେ ଖାଲି ଶୋଇ ପଡି ସକାଳୁ ଉଠି ଚାଲିଯିବି? ହେଲେ କିଏ କାହିଁକି ବା ବଦାନ୍ୟତା ଦେଖେଇବ? ପୁଣି ସମୟଟା ତ ଏକଦମ୍ ବେଟାଇମ୍ ହୋଇ ଗଲାଣି। ଏବେ ବାଣୀବିହାର ଫେରିବା ସମ୍ଭବ ନୂହେଁ କି ମୋ ପାଖରେ ଏତେ ପଇସା ନାହିଁ ଯେ, ମୁଁ ଯାଇ କୋଉ ଲଜରେ ରହିବି। ମୁଁ ତ ଗୋଟେ ପାଗଳ ଭଳିଆ,ମୋ ପାଖରେ ପଇସା କୁଆଡୁ ଆସିବ? ମୋର ଏବେ ଫୁଟପାଥିଆ ଜୀବନ ଚାଲିଥାଏ।
ଏତିକି ବେଳକୁ ମନେ ପଡିଗଲା, ସେଦିନ ଗୁପଚୁପ ଖାଉଥିଲା ବେଳେ ଗୋଟେ ଗୁପଚୁପବାଲାକୁ ପଚାରିଥିଲି – “ଏ ସମୁଦ୍ର କୂଳରେ ସେଇ ଯେଉଁ ପରିତ୍ୟକ୍ତ କୋଠାଟି ଦିଶୁଛି, ସେଠି କ’ଣ କେହି ରହୁ ନାହାଁନ୍ତି? କାହିଁକି ଏମିତି ପଡ଼ିଛି” ? ସେ କହିଲା – “ଏଇଟା ଗୋଟେ ଭୂତ କୋଠି। ଏଠି କେହି ରହନ୍ତି ନାହିଁ। ଯିଏ ବି ରାତିକ ରହେ, ସେ ରାତି ପାହିଲା ବେଳକୁ ଆଉ ନଥାଏ। ମରି ପଡିଥାଏ, ତା ଶବ ମୁନିସିପାଲିଟି ଗାଡ଼ି ଆସି ବୁହେ।
ତେଣୁ ସେଠାକୁ କେହି ଏମିତି ଯାଆନ୍ତି ନାହିଁ କି ରହନ୍ତି ନାହିଁ। ଘରଟିର ତାଲା ବି ଆଉ ପଡୁ ନାହିଁ, ସବୁବେଳେ ଖୋଲା। ଲତା କୁଞ୍ଜ ସବୁ ତା’ ଉପରେ ମାଡ଼ି ଗଲାଣି”।
ଏ କଥାଟା ମନେ ପଡିଯିବାରୁ ଭାବିଲି- ରାତିକ ସେଇଠି କାଟି ଦେଲେ ଚଳି ଯାଆନ୍ତା ନାହିଁ? ପୁଣି ଭାବିଲି – ଗୁପଚୁପବାଲାଟା କେଉଁ ଏକ ମନଗଢ଼ଣ କାହାଣୀ ନିଶ୍ଚେ କହିଥିବ। ଏମାନେ ବିଦେଶୀ ପର୍ଯ୍ୟଟକ ବା କେହି ଜଣେ ଅଜଣା ଆଗନ୍ତୁକକୁ ଦେଖିଲେ ସେମାନଙ୍କୁ ଆକୃଷ୍ଠ କରିବା ପାଇଁ ଏଇମିତି ଗାଲୁଆମି କରନ୍ତି। ତେବେ ଯାହା ହେଉ ଆଜି ରାତିକ କେମିତି ମୁଣ୍ଡ ଗୁଞ୍ଜି ନେଲେ ଯାଏ। ସକାଳ ହୋଇଗଲେ ବରଂ ହଷ୍ଟେଲ ଫେରି ଯାଇ ଯାହା କରିବି। ତାହା ଛଡା ଗୁପଚୁପବାଲା କଥା ଯଦି ସତ ହୋଇଥିବ ତେବେ ଏକ ନୂତନ ରହସ୍ୟର ଉନ୍ମୋଚନ ହୋଇଯିବ ଆଉ ମୋତେ ph. D ପାଇଁ ଗୋଟେ Topic ମିଳିଯିବ – “ଭୂତ ପ୍ରେତର ସ୍ଥିତି ଓ ଅବସ୍ଥିତି”। ଏହି ବିଷୟକ ଥେସିସଟା ଲେଖି ଦାଖଲ କରିଦେଲେ ଯାଏ। ତାଛଡା ଡର ଗୋଟେ କ’ଣ କି ହୋ? ଏହିଭଳି କୌତୂହଳୀ ହୋଇ ପରା ମଣିଷ କେତେ କେତେ ନୂତନ ଜିନିଷର ସବୁ ଉଦ୍ଭାବନ କରିପାରିଛି, ନହେଲେ ଉଦ୍ଭାବନ କରୁ କରୁ ବିପର୍ଯ୍ୟୟର ଶୀକାର ହୋଇ ମରିଛି। ତେବେ ରିସ୍କ୍ ନ ଉଠେଇଲେ କ’ଣ କେବେ କୌଣସି କାମ ହେଲାଣି, ନା ହେବ ? ତେଣିକି ଦେଖାଯିବ ଯାହା ହେବ – ମରିଗଲେ ମରିଯିବି, ବଞ୍ଚିଗଲେ – ନୂତନ ଉଦ୍ଭାବନ ଓ ମାନବ ସମାଜକୁ ନୂଆ ତଥ୍ଯ ମିଳିଯିବ।
ସେଦିନ ପରା ବିଶିଷ୍ଟ ବୈଜ୍ଞାନିକ ଆଲେକ୍ଜାଣ୍ଡର୍ ଫ୍ଲେମିଙ୍ଗ ପାଗଳା କୁକୁରର କାମୁଡା ଜନିତ ରୋଗର ନିଦାନ ପାଇଁ ନିଜ ପୁଅକୁ କାମୁଡା କୁକୁରକୁ ଧରାଇ ଆଣି କାମୁଡାଇ ଦେଇଥିଲେ। ସେ ଯେତେବେଳେ ଜଳାନ୍ତକ ରୋଗ ଦାଉରୁ ମାନବ ସମାଜକୁ ବଞ୍ଚାଇବାକୁ ଚାହିଁଲେ, ସେତେବେଳେ ଏକ ନୂତନ ଇଞ୍ଜେକସନ୍ ଉଦ୍ଭାବନରେ ଲାଗି ପଡିଲେ। ପରୀକ୍ଷାଗାରରେ ନାନା ପରୀକ୍ଷା ନିରୀକ୍ଷା ଶେଷେ ଯେତେବେଳେ ସେ କୃତକାର୍ଯ୍ୟ ହେବା ପାଇଁ ଅନ୍ତିମ ଚରଣରେ ପହଁଞ୍ଚିଲେ,ସେତେବେଳକୁ ବାକି ରହିଗଲା କେବଳ ପ୍ରୟୋଗାତ୍ମକ କ୍ରିୟାଟି, ଯାହା ସବୁଠାରୁ ବିପଦଜ୍ଜନକ ଚରଣ ଓ ରିସ୍କବାଲା ଫ୍ୟାକ୍ଟର। କାହାକୁ ସିନା ଏହାକୁ ପ୍ରୟୋଗ କରି ପାରିଲେ ତା ପରେ ହୁଏତ ସେ କହି ପାରିବେ ଯେ, ସେ କେତେଦୂର ସଫଳ ବା ଅସଫଳ। କିନ୍ତୁ କାହାଠେଇଁ ସେ ଯେ ପ୍ରୟୋଗ କରିବେ। ଯେତେ ଯେତେ ଲୋକଙ୍କୁ ଏହାର ନିମିତ୍ତ ମାତ୍ର ହେବା ପାଇଁ ସେ ଅନୁରୋଧ କଲେ, କେହି ରାଜି ହେଲେ ନାହିଁ। କେତେ କେତେ ଲୋକଙ୍କୁ ନେହୁରା ହୋଇଛନ୍ତି ଏହାକୁ ତାଙ୍କଠାରେ ପ୍ରୟୋଗ କରି ପରୀକ୍ଷା କରିବା ପାଇଁ ଯାହାର ଶେଷେ ହୁଏତ ସେ ଉଦ୍ଘୋଷଣ କରି ପାରିଥାନ୍ତେ କେତେ ସଫଳ ଓ ଅସଫଳ, ମାତ୍ର ସବୁଥର ପରି ଏଥର ମଧ୍ୟ ହାରର ମୁହଁ ଦେଖିବାକୁ ପଡିଥିଲା ତାଙ୍କୁ। ଏବେ ସେ ଅନନ୍ୟୋପାୟ ହୋଇ ନିଜ ସ୍ତ୍ରୀକୁ କହିଲେ-” ଆମରି ପୁଅଟିକୁ ଦିଅ! ମୁଁ ତାକୁ ନେଇ ଏହି ଔଷଧଟି ପ୍ରୟୋଗ କରିବି”। କୋଉ ମାଆ କାହିଁକି ଏଥିରେ ରାଜି ହେବ। ତେଣୁ ସ୍ତ୍ରୀ ସହିତ ତୁମୁଳ ଝଗଡ଼ା ଝାଣ୍ଟି ହେଲା। ପତ୍ନୀ କହିଲେ – “ତୁମେ ପାଗଳ ହୋଇଗଲଣି ନା କ’ଣ” ?ସ୍ଵାମୀ ସ୍ତ୍ରୀ ଭିତରେ ଗଣ୍ଡଗୋଳ ବଢ଼ିବାରୁ ସେ ଘର ଛାଡି ବାପ ଘରକୁ ଚାଲିଗଲେ – ରାଗି କରି। ବିରକ୍ତି ଘୃଣା ଓ କ୍ରୋଧାଗ୍ନି ସବୁ ଥିଲା ପତ୍ନୀଙ୍କ ଆଖିରେ। ଏହାର ସୁଯୋଗ ନେଇ ଓ ଈଶ୍ୱରଙ୍କୁ ଶତବାର କ୍ଷମା ଭିକ୍ଷା କରି ନେଇ ଗୋଟେ କାମୁଡା କୁକୁର ଧରି ଆଣି ନିଜ ଶିଶୁ ପୁତ୍ରକୁ କାମୁଡାଇ ଦେଲେ ଓ ପରକ୍ଷଣରେ ନିଜ ଦ୍ୱାରା ଉଦ୍ଭାବିତ ଇଞ୍ଜେକସନ୍ଟି ତା ଦେହରେ ଇଞ୍ଜେକଟ କରିଦେଲେ।। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ଜନକ କଥା ତତ୍କ୍ଷଣାତ୍ ତାଙ୍କ ପୁଅ ଭଲ ହୋଇଗଲା। ପରୀକ୍ଷା କରି ଦେଖିଲେ ତା ଭିତରେ ଆଉ କୌଣସି କୁକୁରର ବିଷ ନାହିଁ କି ରୋଗର ଅବଶେଷ। ତେଣୁ ସେ ପୁଅକୁ ଖୁସିରେ ଧରି ନାଚିବାକୁ ଲାଗିଲେ ଆଉ ସମଗ୍ର ବିଶ୍ଵ ପାଇଲା ଏକ ନୂତନ ବସ୍ତୁର ଉଦ୍ଭାବନ। ଏ ହେଉଛି ଗୋଟେ ବୈଜ୍ଞାନିକର ପାଗଳାମୀ ଓ ନୂତନ ବସ୍ତୁର ଉଦ୍ଭାବନରେ ନିଆଯାଇଥିବା ରିସ୍କ। ଏହିଭଳି ଆହୁରି ଅନେକ ଉଦାହରଣ ଥାଇପାରେ। ତେବେ ମଣିଷ ଅନେକ ସମୟରେ ନିଜକୁ ନିଜେ କେତକ ବିପର୍ଯ୍ୟୟ ଭିତରକୁ ଠେଲି ତହିଁରୁ ପରିତ୍ରାଣର ମାର୍ଗ ବା ନିସ୍କୃତିର ବାଟ ଖୋଜିଛି। ତେଣୁ ଏକଥାଟାରୁ କିଛିଟା ଶକ୍ତି ସଂଗ୍ରହ କରି ମୁଁ ରିସ୍କ ନେବାକୁ ମନେ ମନେ ପ୍ରସ୍ତୁତ ହେଲି।
ତେଣୁ ଏକଲାକୁ ଭଲ ପାଉଥିବା ମୋ ଭଳିଆ ଗୋଟେ ନିର୍ଭୟ ମଣିଷ ଚାଲିଲା ସେଇ ପରିତ୍ୟକ୍ତ କୋଠିକୁ। ହାତରେ ଟର୍ଚ୍ଚଟାଏ ଥାଏ। ଘର ଖୋଲି ଲତା ପତ୍ରରେ ଗୋଟେ ଝାଟିଆ କରି ଘରର ଏକ ମୁଖ୍ୟ ଭାଗ ଓଳେଇ ନେଇ, ଗାମୁଛାଟା ପାରି ଗୋଟେ କୋଣରେ ଶୋଇ ପଡ଼ିଲି। ଭାରି ଭୟଙ୍କର ଓ ଅପରିଷ୍କାର ଥିଲା ପରିବେଶ। କିଏ ପଚାରୁଛି, କୌତୂହଳୀ ତ ମନପ୍ରାଣ। ଶୋଇ ପଡ଼ିଲି।
କିନ୍ତୁ ବଡ଼ ଆଶ୍ଚର୍ଯ୍ୟ କଥା, ବିନା ବର୍ଷା ପବନରେ ଘର ଭିତରେ ଗୋଟେ ଅଣଚାଶ ପବନ ବୋହିଲା।କବାଟ ଝରକା ଗୁଡ଼ାକ ସବୁ ଅଚାନକ ଖଡଖାଡ ଓ ଧଡଧାଡ ହୋଇ ଖୋଲି ଗଲା। କିଏ ଗୋଟେ ଛୁଚୁନ୍ଦ୍ରା ବୋବେଇଲା ଭଳି ଖାଲି ଚୁଁଚୁଁ ଓ କୁଁକୁଁ ହେଉଥିଲା। ପୁଣି ଉଁ ଉଁ ମଧ୍ଯ କାନ୍ଦୁଥିଲା। ଘରେ କ’ଣ ଜୀବଜନ୍ତୁ ଥିଲେ କେଜାଣି, ଖାଲି ଦୌଡା ଧାମ୍ଫଡା କରି ଇଏ ତା ଉପରେ ଓ ନହେଲେ ସେ ଇଆ ଉପରେ ଚଢି ଯାଉଥିଲା ପରି ଅନ୍ଧାରରେ ତ ପ୍ରତୀତ ହେଉଥିଲା। ଏଥର ଲାଗିଲା- ଦଳେ ଲୋକ ବସି ଯେମିତି କୋଡ଼ିଛେଚି ହୋଇ କାନ୍ଦୁଛନ୍ତି, ସତେ ଯେମିତିକି ତାଙ୍କ ଘରୁ ସଦ୍ୟ ଗୋଟେ ମଢା ଉଠିଛି ବା ଗୋଟେ ଶବ ଚାରିପଟେ କେଇଜଣ କୁଢେଇ ହୋଇପଡ଼ି ନିଜ ଦୁଃଖକୁ ଜାହିର୍ କରୁଥାନ୍ତି – ସେହି ଭାଳି ପ୍ରତୀୟମାନ ହେଲା। ପୁଣି କ୍ରନ୍ଦନ ରୋଳର ଧାରାବାହିକ ବିକଶିତ ରୂପ, କୋହ, ରଡି- ସବୁ ଶୁଭିଲା। ବେଳେବେଳେ ଏହା ବିକଟାଳ ରୂପ ଧାରଣ କରି ମୋର ଶିରା ତନ୍ତ୍ରିକୁ ମଧ୍ଯ ଦୋହଲାଇ ଦେଉଥାଏ। ନ ଦୋହଲୁ ଥାଏ ବୋଲି ତ କହି ପାରିବି ନାହିଁ। ହେଲେ ତଥାପି ମୁଁ ଡରୁ ନଥାଏ ।କାରଣ କିଏ ଏତେ ଜୀବନକୁ ବେଶୀ ଭଲ ପାଉଛି ଯେ! ମରିଗଲି ଯଦି ମରିଗଲି, ନୋହିଲେ ନୂତନ ଉଦ୍ଭାବନ ଯହିଁରୁ ହୁଏତ ଧନ୍ୟ ହୋଇପାରେ ଭଗବାନଙ୍କ ଦେୟ ଏ ମାନବ ଜୀବନ। ଏଇ ଏତକ ଯାହା ମୋତେ ସାହସ ଯୋଗାଉଥାଏ ଆଉ ଶରୀରକୁ ଶକ୍ତି ମଧ୍ଯ । କିନ୍ତୁ ଗୁପଚୁପବାଲା କଥାକୁ ବିଶ୍ବାସ କଲେ ମନଟା ଟିକେ ପୁଣି ଧଶ୍କି ଯାଉଥାଏ।
ମୁଁ କିନ୍ତୁ ମୋ ବ୍ୟାଗରେ ବିଜ୍ଞାନ ସମ୍ବନ୍ଧୀୟ କିଛି ବହି ଥାଉ କି ନଥାଉ, ବାକି ପୁରାଣ ଶାସ୍ତ୍ର ଖଣ୍ଡେ ଦି ଖଣ୍ଡ ନିଶ୍ଚୟ ରଖିଥାଏ-ପଢିବା ପାଇଁ । କାରଣ ପୁରାଣ ଶାସ୍ତ୍ର ହିଁ ସବୁ ବିଜ୍ଞାନ ତତ୍ତ୍ୱର ମୂଳ ବୋଲି ତ କେତେବାର ପ୍ରମାଣସିଦ୍ଧ ହୋଇଛି। ଯେମିତିକି ତ୍ରିଶଙ୍କୁକୁ ସ୍ଵର୍ଗକୁ ପ୍ରେରଣ ବେଳେ ଅଧା ବାଟେ ଅଟକି ଗଲା। ତାହାହିଁ ଜାଗତିକ ବସ୍ତୁ ବା ମାଧ୍ୟାକର୍ଷଣ ଓ ମହାକର୍ଷଣ ଶକ୍ତିର ମଧ୍ୟବର୍ତ୍ତୀ ସ୍ଥାନ ଓ ରକେଟ ଯାନ ଉଦ୍ଭାବନର ଜ୍ଞାନ। ସେହିପରି ରାବଣଙ୍କ ପୁଷ୍ପକ ବିମାନ ତ ହିଁ ଏରୋପ୍ଲେନ ଉଦ୍ଭାବନର ମୂଳମନ୍ତ୍ର । ତେଣୁ ବ୍ୟାଗ୍ ରୁ ଅଣ୍ଡାଳି ବାହାର କରି ଟର୍ଚ୍ଚଟିକୁ ପ୍ରଥମେ ଜଳାଇ ରଖିଲି। ତା’ ପରେ କିଛି ନପାଇ ବୋତଲରେ ଆଣିଥିବା ସମୁଦ୍ର ପାଣି ଟିକକ ଚଳାଏ ଖଣ୍ଡ ପିଇନେଲି।ପାଟି ସିନା ଲୁଣିଆ ଲାଗୁଥାଏ ହେଲେ ବେଶ୍ କିଛି ଶକ୍ତି ଓ ସାମର୍ଥ୍ୟ ମିଳିଗଲା। ଏବେ ଚଣ୍ଡି ପୁରାଣଟିଏ ଖୋଲି ପଢିବାକୁ ଆରମ୍ଭ କଲି ।
କାରଣ ଶୁଣିଥିଲି ଏହି ଚଣ୍ଡି ପୁରାଣ କୁଆଡ଼େ ଭୂତ ପ୍ରେତଙ୍କ ପାଇଁ ମହୌଷଧି – ବଶୀକରଣ ମନ୍ତ୍ର।
ଦେଖାଯାଉ! ଏହି ପ୍ରୟୋଗଶାଳାରେ ଏହାର ନହେଲେ ଗୋଟେ ପ୍ରୟୋଗ ହୋଇଯାଉ। ସେହି ପ୍ରକ୍ରିୟାର ଗୋଟେ ପ୍ରୟୋଗାତ୍ମକ କଳା ହେଉଛି ପରା ଚଣ୍ଡି ସ୍ତୋତ୍ର ଅଧ୍ୟୟନ। ଆଉ ଏହା ହିଁ ସମ୍ଭବତଃ ଗୋଟେ ନୂତନ ବସ୍ତୁର ଉଦ୍ଭାବନ ଆଣି ଦେଇପାରେ-ମାନବ ସମାଜକୁ । ଏଥର ପଢିଲି। ଦେଖିଲି – କିଛି ସମୟର ଉପରାନ୍ତେ କେହି ହେଲେ ବସିଛନ୍ତି। ପଚାରିଲି – “ତୁମେ କିଏ ହୋ, କି ହୋ! ସେମାନେ କିଛି କହିଲେ ନାହିଁ। କିନ୍ତୁ ବଡ଼ ଅସ୍ୱାଭାବିକ ଥିଲା ସେମାନଙ୍କର ବେଶ ପରିପାଟି ଓ ରୂପକାନ୍ତି। ମଣିଷର ସ୍ୱାଭାବିକ ଡର ଯାହା ତା’ର ଅସ୍ଥିମଜ୍ଜାଗତ ହୋଇଯାଇଛି ପିଲାଟି ଦିନରୁ ବୁଢୀ ମା ଓ ବୁଢ଼ା ବାପାଠାରୁ ଭୂତ ପ୍ରେତ କାହାଣୀ ଶୁଣି ଶୁଣି, ତାହା ମଧ୍ୟ ମୋ ଭିତରେ ବେଳେବେଳେ ପଶୁଥିଲା। ମୁଁ କିନ୍ତୁ ଠିକ୍ ତା’ ପରମୁହୂର୍ତ୍ତରେ ମନରୁ କାଢି ସେଗୁଡାକ ସବୁ ଫିଙ୍ଗି ଦେଉଥିଲି। ତଥାପି ଛାତି ଭିତରର ଡର ଗୁଡ଼ାକ ପାଇଁ ମୁଁ ଆହୁରି ଜୋହର୍ ଜୋହର୍ ମନ୍ତ୍ର ଗୁଡ଼ାକ ପଢି ଯାଉଥିଲି।ସବୁ ଗୁଡ଼ାକ ମୁଁ ଏକା, ଏକାବେଳକେ ତ ଆଉ ଫାଙ୍କି ଦେଇ ପାରି ନ ଥାନ୍ତି ? ଏବେ ଦେଖିଲି ଜଣେ ଅଧେ ନୂହେଁ, ବାପଛୁଆମା ଓ ଭାଇଭଉଣୀ ମିଶିକି ପୁରା ବଉଁଶଟା ସାରା କାହାର ଗୋଟେ ମୋ ଚାରିପଟେ ବସିଛନ୍ତି। ସେମାନେ ପୁଣି ଭିନ୍ନ ଭିନ୍ନ ବୟସର। କିନ୍ତୁ ସମସ୍ତେ ନୀରବରେ ସ୍ତୋତ୍ର ଶୁଣୁଥାନ୍ତି। କାହାରି ଯେମିତି ଏଥିରେ କୌଣସି ଆପତ୍ତି ବା ଅଭିଯୋଗ କିଛି ନଥାଏ। ସବୁ ଏକଲୟ ଓ ଧ୍ୟାନରେ ମନ୍ତ୍ର ଗୁଡ଼ାକ ଗିଳି ଯାଉଥାନ୍ତି। ସେମାନେ ତ ମଣିଷ ଭଳି ଲାଗୁଛନ୍ତି, କିନ୍ତୁ ମଣିଷ ନିଶ୍ଚିତ ଭାବରେ ନୁହଁନ୍ତି। ତା ନହୋଇଥିଲେ ମୁଁ ଏତେ କରି ପଚାରିଲି ସେମାନେ କାହିଁକି କିଛି କହିଲେ ନାହିଁ? ଯାହା ବି ହେଉ, ମୁଁ ତ ସାହସୀ ବଡ଼ ବେଧଡ଼କ ବାଦଶାହା। ତେଣୁ ମୃତ୍ୟୁକୁ କେବେ ଡରେ ନାହିଁ। ଜୀବନର ବାସ୍ତବତାକୁ ବୁଝିଥିବା ମୁଁ ଗୋଟେ ଅସ୍ୱାଭାବିକ ମଣିଷ, ବଡ଼ ଅଦ୍ଭୁତ ମୋ ଚିନ୍ତାଧାରା ଓ ଉଦ୍ଭଟ ମୋ ପରିକଳ୍ପନା। ମୃତ୍ୟୁକୁ ଯିଏ ଡରେ ନା, ତା’ର ପୁଣି ଡର କାହାକୁ ନା ଭୟ କାହାକୁ ନା କେଉଁଠୁ ଆସିବ ପରିଣତି ଚିନ୍ତା? ପଚାରିଲି – ତୁମେ କିଏ? କେଉଁଠୁ ଆସିଲ?? ପଚାରିଲେ କାହିଁକି କିଛି କହୁ ନାହିଁ???କେଉଁ ଜଗତର ଲୋକ ତୁମେ???? ତୁମେ କ’ଣ ଏଲେନ ପରି କେଉଁ ଅନ୍ୟ ଜଗତରୁ ଆସିଛ????? ତଥାପି ନିରୁତ୍ତର। ତା ପରେ ନିଜ ଭିତରେ ନିଜେ କ’ଣ କଥା ହୋଇ, ଏଥର ସେମାନେ ଠୋ ଠୋ ହୋଇ ସମସ୍ତେ ହସି ଉଠିଲେ। ଯେମିତିକି ମୋ କଥା ସେମାନେ ବୁଝି ପାରୁ ନାହାଁନ୍ତି ଆଉ ମୁଁ ବି ତାଙ୍କ କଥା। ହେଲେ ହସିଲେ କାହିଁକି?ମୁଁ କିଛି ତାଙ୍କୁ ଠିକ୍ସେ ଜାଣି ପାରୁନାହିଁ ବୋଲି ସେମାନେ ମୋତେ ବୋକା ଭାବିଲେ ନା ତାଚ୍ଛଲ୍ୟ କଲେ? କିନ୍ତୁ ବଡ଼ କଦର୍ଯ୍ୟ ଓ ବିକଟାଳ ଥିଲା ସେ ହସ। ଇସ୍ କି କଦର୍ଯ୍ୟ ଲୋକ ଗୁଡାକ। ଏଗୁଡାକ ସତରେ ହସ ନା ଢୋ ଢୋଇଆ ବାଣ? କାନ ଫାଟି ପଡୁଥାଏ। କହିଲି – “ଓଃ.. ବନ୍ଦ କର-ସେ ସବୁ, ମୁଁ ପଚାରୁଛି ପରା ତୁମେ କିଏ? “ଏଥର ସେମାନେ ଦଣ୍ଡେ ନୀରବ ରହିଲେ ପୁଣି ନିଜ ଭିତରେ କ’ଣ କଥା ହୋଇ ଏକାବେଳେକେ ସମସ୍ତେ କାନ୍ଦିବାକୁ ଲାଗିଲେ। ତାଙ୍କ କାନ୍ଦରେ ମୋର ଡର ପରିବର୍ତ୍ତେ ହୃଦୟ ବିଗଳିତ ହେଉଥାଏ। ମୁଁ ଟିକିଏ ସମ୍ବେଦନଶୀଳ ହୋଇଉଠି କହିଲି – “ଆରେ କହୁନ! ତୁମେ କିଏ?” ପୁଣି କହିଲି -” ଏଠି ତ ଆଉ କେହି ନାହାଁନ୍ତି, ଖାଲି ତୁମେ ଆଉ ମୁଁ। ତୁମେ କ’ ଣ ମୋ ଭଳିଆ ନା ମୁଁ ତୁମ ଭଳିଆ-ସମସ୍ତେ ଆଜି ଦିନକ ପାଇଁ ପରିସ୍ତିତିର ଦାସ? ଦେଖ! ମୋ ପାଖରେ ତ ସେମିତି ମୂଲ୍ୟବାନ୍ କିଛି ନାହିଁ। ନା ଅର୍ଥ ନା ଖାଦ୍ୟ ପଦାର୍ଥ କିଛି, ମୁଁ ଦେଇ ତୁମକୁ ଯେ ସନ୍ତୁଷ୍ଟ କରି ପାରିବି। ନା ତୁମେ ଲୁଟିବା ଭଳି ମୋ ପାଖରେ କିଛି, ନା ମୁଁ ତୁମକୁ କିଛି ଦେଇ ପାରିବି।ତେବେ ଯଦି ତୁମେ ଭୂତ୍ ପ୍ରେତ ହୋଇଥିବ ତାହେଲେ ସେକଥା ଅଲଗା, କାରଣ ଯାହା ମୁଁ କେବେ ଦେଖି ନାହିଁ କି ସେ ସମ୍ପର୍କରେ ମୋର ବିଶେଷ କିଛି ବିଶ୍ବାସବୋଧ ନଥିଲା। ଯଦି ମୋତେ ମାରିକି ଖାଇବ ଖାଅ! ମୋର କିଛି ଆପତ୍ତି ନାହିଁ। କାରଣ ଜୀବନକୁ ବୁଝିବା ଓ ସ୍ରୁଷ୍ଟି ରହସ୍ୟକୁ ଜାଣିବା କେବଳ ମୋର ଲକ୍ଷ୍ୟ। ଯଦି ସେସବୁ ବୁଝି ନପାରି ମରିଗଲି, ତାହେଲେ “ମୋର ଢୋ” । ଆଉ ଯଦି ସବୁ ବୁଝିଗଲି ତାହେଲେ ମୁଁ ଧନ୍ଯ ହେବି ଆଉ ମୋ ମାନବ ଜୀବନ ସାର୍ଥକ ହେବ।
ଏଥର ସେମାନେ ସମ୍ପୂର୍ଣ୍ଣ ଚୁପ୍ ହୋଇଗଲେ। କେବଳ ତାଙ୍କର ଯିଏ ମୁରବୀ ସିଏ କହିଲେ – “ପୁଅ! ଆମେ ମଣିଷ ନୋହୁଁ ଭୂତ। ହେଲେ ତୁମେ ଅଜବ ମଣିଷ, ଯାହା ଆମେ କୋଉଠି କେବେ ଭେଟି ନାହୁଁ। ତେବେ ତୁମେ ହିଁ ପ୍ରକୃତ ଉପଯୁକ୍ତ ଲୋକ ଯାହା ପାଖରେ ଆମେ ଆମର ଦୁଃଖ କହି ପାରିବୁ। ତୁମେ ଶୁଣିବା ହୁଅ “। ଏତେବେଳକରେ ମୁଁ ଡରିଲି। ଏଡ଼େ ବଡ଼ ସାହସୀ ଦେଖେଇ ହେଉଥିବା ମୋର ଘମଣ୍ଡ ଗୁଡ଼ାକ ଧୀରେ ଘଟିବାକୁ ଲାଗିଲା। ତାହେଲେ ଯେଉଁ ଭୂତ କଥା କହନ୍ତି ସେ ସବୁ ସତ। ତେବେ ଏଥୁଁ ଆଉ ନିସ୍ତାର ନାହିଁ? ” ବୋଉଲୋ! ମଲି” – ପାଟିରୁ ବାହାରିଲା। ତାଙ୍କ ମୁରବୀ କହିଲେ -” ତୁମେ ମୋଟେ ବ୍ୟସ୍ତ ହୁଅ ନାହିଁ। ଆମେ ତୁମର କିଛି ବି କ୍ଷତି କରିବୁ ନାହିଁ। ବରଂ ତୁମ ସମୁଦ୍ରମନ୍ଥନ ରହସ୍ୟରୁ ଅମୃତର ସନ୍ଧାନ ଆମେ ଦେଇ ନପାରିଲେ ବି କିଛିଟା ସହାୟକ ନିଶ୍ଚୟ ହେବୁ” । ବଡ଼ ଆଶ୍ଚର୍ଯ୍ୟ ମୋ ସମୁଦ୍ର ମନ୍ଥନ ରହସ୍ୟ ଏମାନେ ଜାଣିଲେ କିପରି? ଏମାନେ କ’ଣ ତେବେ ଜାସୁସ଼ି କରୁଥିଲେ। ନା ନା ଭୂତ ପ୍ରେତ ପରା ଅନ୍ୟ ମାନଙ୍କ ମନର କଥା ସବୁ ଜାଣି ପାରନ୍ତି। ଛାଡ଼ ଆଉ ବେଶି କିଛି ନ ଚିନ୍ତି ଆଗ ତାଙ୍କ କଥା ଶୁଣିବା କ’ଣ କହୁଛନ୍ତି। ସେ କହିଲେ –

ଭାଗ3. .. 

କହିଲେ – ଆମେ ସମସ୍ତେ ଗୋଟେ ବଡ଼ ପରିବାରର ଲୋକ ଥିଲୁ। ବାପାମା ଓ ଛୁଆପିଲା କି ମିଶି 8/9 ପ୍ରାଣୀ କୁଟୁମ୍ବ। ଆମର ବି ଦିନେ ଘର ଦ୍ଵାର ଓ ବଂଶ ବୁନିଆଦି ସବୁ ଥିଲା, ହେଲେ ଦାରିଦ୍ର୍ୟତାର କଷାଘାତରେ ସେସବୁ ଧୀରେ ଲୁଟି ହୋଇଯାଇଥିଲା। ଆମେ ବି ମଣିଷ। ଆମର ବି ପାଞ୍ଚ ମନ ଓ ପଚିଶି ପ୍ରକୃତି ଥିଲା। ସ୍ନେହ, ଶ୍ରଦ୍ଧା ଆନ୍ତରିକତା ଓ ଭଲପାଇବାକୁ ପ୍ରକାଶ କରିବା ପାଇଁ ଆମ ଭିତରେ ବି ବିଭିନ୍ନ ପ୍ରକାର ରଚନାତ୍ମକ କ୍ରିୟା ଓ ବିକ୍ରିୟା ପ୍ରକାଶ ପାଉଥିଲା। ହେଲେ ଏବେ ଆମେ ଖାଲି ଭୂତ। ଆମ ଭିତରେ ସମସ୍ତ ଭଲ ପାଇବା ମରିଯାଇ, ଅଛି ଖାଲି ଘୃଣା ଓ ପ୍ରତିଶୋଧର ସ୍ପର୍ଦ୍ଧା। ସେଥିପାଇଁ ଆମକୁ ଏବର ଲୋକ ଦେଖିଲେ ଡରନ୍ତି, ଭୟରେ ଆମ ନାଁ ଶୁଣିଲେ ମଣିଷ ପିଲା ରାତିରେ ଆତ୍ମଗୋପନ କରେ। ଅବଶ୍ଯ ଆମ ଭିତରେ ଅନେକ ଭଲ ଆତ୍ମା ଅଛନ୍ତି। କାରଣ ସମସ୍ତଙ୍କର ଦୁଃଖଭାଗ ସମାନ ନୁହେଁ। ଯାହାର ଯେମିତି ଅବଶୋଷ ରହିଯାଇଥାଏ ସେ ସେମିତି ଆଚରଣ କରନ୍ତି। ତାଙ୍କ ଶୋଷଭୋକ, ଯାହାକୁ କହନ୍ତି ଅଧୁରା କାମ ବା ଅବଶୋଷ ମେଣ୍ଟିଗଲା ପରେ ସେମାନେ ଏ ଭୂତଲୋକରୁ ସବୁଦିନ ପାଇଁ ଛୁଟି ନେଇ ପରଲୋକକୁ ଚାଲିଯାଆନ୍ତି। ସେଇଠି ସେମାନେ ସମସ୍ତେ ଗୋଟେ କଠିନ ପରୀକ୍ଷା ବା ବଡ ବିଚାରର ସମୂଖୀନ ହୁଅନ୍ତୁ ଓ ସେହି ବିଚାରର ଫଳ ଅନୁରୂପ ଭିନ୍ନ୍ ଏକ ଜୀବଶରୀର ଗ୍ରହଣ କରି ନୂତନ ଜୀବନ ଲାଭ କରନ୍ତି। ଆଉ ତାଙ୍କର ପୂର୍ବ ଜୀବନ ସହିତ କୌଣସି ସମ୍ପର୍କ ରହେ ନାହିଁ କି ସେ ସମସ୍ତ ସାଂସାରିକ ମୋହମାୟା।
ଆମେ ସେହିପରି ମଣିଷ ଜନ୍ମ ପାଇ ବଡ଼ ଖୁସିରେ ସଂସାର ଧର୍ମ ପାଳୁଥିଲୁ। ହଠାତ୍ ଗୋଟେ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଲା। ସେଦିନ ପ୍ରଳଙ୍କରୀ ବାତ୍ୟାରେ ଆମ ଘର ଦ୍ଵାର ସବୁ ଭୁଶୁଡ଼ି ପଡ଼ି ଭାଙ୍ଗିଗଲା। ଫସଲ ମଧ୍ୟ ସବୁ ନଷ୍ଟ ହୋଇଗଲା।ବଡ଼ ଝିଅଟା ସେଇ ରାତିରେ ଗୁଇଁନ୍ତିଆ ଘରକୁ ନରିଆଣୀ କାମ କରିବାକୁ ଯାଇଥିଲା ଯେ, ସେ ବି ଆଉ ଫେରିଲାନି। ବର୍ଷା ପବନ ରାତିରେ ବାଘ ଭାଲୁ କିଏ ତାକୁ ଖାଇଦେଲା କି କ’ଣ କିଛି ଜାଣି ପାରିଲୁ ନାହିଁ। ଝିଅଟା ମୋର ବଡ଼ ସୁନ୍ଦରୀଟା। ଏଇ ବରଷ ତା ଲାଗି ବିହା ଘର ଠିକ୍ କରିଥାନ୍ତୁ। ହେଲେ ବୁଢୀ ଠାକୁରାଣୀ ସହିଲା ନାହିଁ। ଆଉ କ’ଣ କରିଥାନ୍ତୁ ଯେ! ବହୁତ ଖୋଜାଖୋଜି କରି ମନ ମାରି ରହିଲୁ। ଶେଷରେ ଉପାୟ ନପାଇ ଗୋଟେ ଦଲାଲ ହାବୁଡରେ ପଡି ଦାଦନ ଖଟିବାକୁ ଏଠିକୁ ଚାଲି ଆସିଲୁ। ଆମ ଘର କେ. ବି. କେ. ଜିଲ୍ଲା କଳାହାଣ୍ଡି ଅନ୍ତର୍ଗତ ଗୋଲାମୁଣ୍ଡ ବ୍ଲକରେ। ସେଠିକୁ ଏପଟରୁ ଜଣେ କଟକୀ ବାବୁ ଯାଇଥିଲେ। କହିଲେ – “ମୋ ସାଙ୍ଗରେ ଚାଲ! ଖାଇବା ପିଇବା ଓ ରହିବାରେ ତୁମର କିଛି ଅସୁବିଧା ହେବ ନାହିଁ। ପୁରୀରେ ଗୋଟେ ନୂଆ ସରକାରୀ କୋଠା ତିଆରି ହେଉଛି। ସେଠାକାର ଜଣେ ବଡବାବୁ କଣ୍ଟ୍ରାକ୍ଟି ଧରିଛନ୍ତି। ଭାରି ଭଲ ଲୋକ। ସେ ତୁମକୁ ଖାଇ ଖୋରାକି ଓ ଭଲମନ୍ଦ ସବୁ ଦେବେ। ଫେରିଲା ବେଳକୁ ତୁମକୁ ମୁଠାମୁଠା ଟଙ୍କା ଦେବେ, ତୁମେ ମାଲାମାଲ ହୋଇଯିବ “।ଲୋଭରେ ପଡ଼ି ଆମେ ବଉଁଶଟା ଯାକ ସାଥୀ ହୋଇ ଚାଲି ଆସିଲୁ।
ସେଇ ଲୋକଟା ନାଁ ଅଇଁଠୁ ସାହାଣୀ ଥିଲା। ସେଇଟା ଗୋଟେ ଖଣ୍ଟ। ଆଣିଲା ବେଳେ ମିଠା ମିଠା କଥା କହିଲା, ବୋକଚାଏ ବୋକଚାଏ ଚୂଡ଼ା ଚାଉଳ ସବୁ ଗାଣ୍ଠିଲିରେ ବାନ୍ଧିଦେଲା। ଆମେ ଭାବିଲୁ – ଭାରି ଭଲ ଲୋକଟା। ଦରିଦ୍ରଙ୍କ ମାଆ ବାପା। ଆସିଲା ବେଳେ ବାଟରେ କହିଥିଲା -” ତୁମେ ଆଦୌ ବ୍ୟସ୍ତ ହେବ ନାହିଁ, କଣ୍ଟ୍ରାକ୍ଟର ଯଦି କିଛି ହଇରାଣ କଲା ମୁଁ ତୁମ ପାଖେ ପାଖେ ଥିବି, ସେଠୁ ତୁମକୁ ଉଦ୍ଧାର କରି ଆଣି ଘରେ ଛାଡ଼ିବି। ଏ ଗ୍ୟାରେଣ୍ଟି ମୁଁ ତୁମକୁ ଦେଉଛି”। ଏଠି ଆସି ଦେଖିଲା ବେଳକୁ ଗ୍ୟାରେଣ୍ଟି ନା ଫେରେଣ୍ଟି। ଆଇଲା ଦିନଠାରୁ ଲୋକଟାର ଦିନେକାଳେ ଆଉ ଦେଖାନାହିଁ। କାହିଁକି ଆସିବ? ସେ ତ କଣ୍ଟ୍ରାକ୍ଟରଠାରୁ ମୋଟା ରକମର ତା କମିଶନ ନେଇକି ପାର। ଏଠି କଣ୍ଟ୍ରାକ୍ଟର ଆମ କଥା ଆଦୌ ଶୁଣେ ନାହିଁ। ଖାଲି ହେଟ୍ ହାଟ୍ କରି ସବୁ କଥାକୁ ଘଉଡେଇ ଦିଏ। ପଇସା ମାଗିଲେ କୁହେ -” ତୁମ ସହିତ ପରା କଥା ହୋଇଥିଲା, କେବଳ ଖାଇ ଖୋରାକି ନେଇ ରହିବ, କାମ ସରିଲା ପରେ ଯାହା ସବୁ ପାରିଶ୍ରମିକ ଏକାବେଳେକେ ଧରି ଗାଁକୁ ଯିବ। ସେଠି ତୁମେ ଘର ତୋଳ, କି କୋଠା। ପୁଣି କ’ଣ ହେଲା କି ଏଇଲାଗେ ମାଗୁଛ”? ମୁଁ କହିଲି-” ତା ବୋଲି ଆମର ଦେହ ପା’ ଭଲ ମନ୍ଦ କ’ଣ କିଛି ନାହିଁ ନା! ଆମେ ତ ତୁମକୁ ବାବୁ ସବୁ ମାଗୁ ନାହୁଁ, ଖାଲି ଲୁଗା ପଟା ଭଲ ମନ୍ଦ ପାଇଁ ଯାହାକିଛି। ସେତକ ନଦେଲେ ଆମେ କେମିତି ଚଳିବୁ କହୁ ନାହାଁନ୍ତି” ? ସେ କିଛି ଶୁଣେ ନାହିଁ, ଓଲଟି କହେ-” କିଛି ମିଳିବ ନାହିଁ, ସେମିତି ଯଦି କହୁଛ, ଛାଡ଼ିକି ଏଠୁ ପଳା। ଏତେ ଲୋକଙ୍କର ଖାଲି ଖାଇବା ପିଇବା ଓ ରହିବା କ’ଣ କମତି ଖର୍ଚ୍ଚ ହେଉଛି କି”? ଅଧିକ ଜିଦ୍ କଲେ ଗୋରୁ ଗାଈ ଭଳିଆ ପିଟି ପକେଇବ।ତା ଜଗୁଆଳି ଓ ନାଲିଆଖି ଡରେ ଆମେ କିଛି କହି ପାରୁନା। ଡରିମରି ସେଇମିତି ପଡି ରହୁ। ଦୁଃଖ କଷ୍ଟେ ଗଣ୍ଡେ ଖାଇ ଦଣ୍ଡେ ଜୀଉ। ହେଲେ ବାବୁ ଏଇ ସମୁଦ୍ର ପାଣି ମୁନ୍ଦାକ ଆମର ଶାହା ଭରସା। ଇଆ ପାଣି ଟୋପାକ ଆଜ୍ଞା ଅମୃତ। ସେଇଥିରୁ ଦେହ ଖରାପ ବେଳେ ଟୋପାଏ ପିଇ ଦେଲେ ପରା ଆମ ଶରୀରକୁ ବଳ ଆସିଯାଏ। ଏ କଥାଟା ଆମେ ଜାଣିଥିଲୁ କି କ’ଣ ବାବୁ! ଆଇଲା ବେଳେ ଆମ ଗାଁ ବଇଦ ପରା ଏ କଥାଟା ଆମକୁ କହିଥିଲା। ସେ ଯାହା ହେଉ ଆମର ଆଉ କିଛି ଉପାୟ ନଥିଲା, ସେଇ କଣ୍ଟ୍ରାକ୍ଟର ପାଖରେ ବାଧ୍ୟ ହୋଇ ରହି କାମ କଲୁ। ଦିନରେ ସିମେଣ୍ଟ, ଇଟା, ରଡ଼ ସବୁ ବୋହିବୁ। ମିସ୍ତ୍ରୀ ଆସିଲେ ପୁଣି ତାକୁ ଘୋଳା ପାଣି ଓ ବାଲି ସିମେଣ୍ଟ ମସଲା ଫେଣ୍ଟି ସବୁ ଦେବୁ। ରିସ୍କବାଲା କାମ ପଡ଼ିଲେ ସବୁ ସରେଇ ଯିବେ। କେହି ହାତ ମାରିବେ ନାହିଁ। ମୋରି ଛୁଆପିଲା ଭାରା ଚଢିବେ ଓ ଫିଟେଇବେ। ଉପରକୁ ଚଢି ପଟା ସେଣ୍ଟ୍ରିଂ କରିବେ। ଯେତେ ଯେତେ କାମ ଆମେ ଶିଖିଲୁ, ସେତେ ସେତେ ଆମ ଉପରେ ବୋଝ ଥୋଇ ବୋଝ ଉପରେ ନଳିତା ବିଡା ରଖିଲା। ଆମେ ପ୍ରତିବାଦ କରିପାରୁନା, ଭାଗ୍ୟକୁ ଆଦରି ସବୁ ପାଇଟିକୁ ଗୋଟେଇ ଆଣୁ। ତଥାପି ସେତିକିରେ ସନ୍ତୁଷ୍ଟ ନୁହଁ ଯେ କହିବ – “ରାତି ସାରା ଚାହିଁ ରଡ଼ ସିମେଣ୍ଟ ସବୁ ଜଗିବ, ଯେମିତି ଏଠୁ ଖଣ୍ଡେ ଚୋରି ନହୁଏ। ନହେଲେ ତୁମକୁ ପୋଲିସରେ ଦେବି ବୋଲି କହି ଡରାଏ। ଆମେ ତ ମୂରୁଖ ଲୋକ, କ’ଣ କରିଥାନ୍ତୁ? ତା କଥାରେ ଡରି ଯାଉ। ଏଇମିତି ଦାଦନ ଶ୍ରମିକ ଜୀବନ ବଡ଼ ଦୁର୍ବିଶହ ପାଲଟୁ ଥାଏ। ଗୋତି ଖଟିବା ଛଡା ଆଉ କ’ ଣ ଥାଏ ଆମର, ସୁଖ ଓ ଶାନ୍ତି ବୋଲି?
ଶେଷକୁ ଘର ତୋଳା ସରିଲା। ଘର କେବଳ ହ୍ୟାଣ୍ଡ ଓଭର୍ ହେବାକୁ ବାକି ଥାଏ। ପଇସା ମାଗିଲୁ, କହିଲୁ- “ଦିଅ! ଆମେ ଗାଁକୁ ଚାଲି ଯିବୁ। ଏଠି ଢେର୍ ହେଲା ଖଟଣି। ଏଥର ଗାଁକୁ ଗଲେ ଟିକେ ଶାନ୍ତି” । କହିଲା – “ରହିଥ! ଟିକିଏ ବିଲପତ୍ର ହୋଇଯାଉ, ମୁଁ ତୁମର ସବୁ ପଇସା ଦେଇଦେବି, ଗାଁକୁ ଧରି ସବୁ ବାନ୍ଧି ବୁନ୍ଧା କି ପଳେଇବ” । ପଇସାଟା କଥା ଶୁଣି ମନକୁ ଟିକେ ସୁକୁନ ମିଳିଥିଲା। ଉଚ୍ଚକିତ ସ୍ଵପ୍ନରେ ମନ ଉଦ୍ଭାସିତ ହୋଇ ଉଠୁଥିଲା। ଏଥର ମନରେ ଅସୁମାରି ସ୍ଵପ୍ନ। ଗାଁକୁ ଗଲେ ଆମକୁ କେହି ପ୍ରଥମେ ଚିହ୍ନି ପାରିବେ ନାହିଁ। ସମସ୍ତେ ବୋକାଙ୍କ ଭଳି ଚାହିଁ ରହିବେ। କାରଣ ଆମର ବେଶ ପରିପାଟି ସବୁ ବଦଳି ଯାଇଥିବ। ବଦଳି ଯାଇଥିବ ମଧ୍ୟ ଭାଷା। ଲୋକେ କହିବେ ବାବୁ, ପୁଣି ସହରୀ ବାବୁ। ସହରୀ ଚାକଚକ୍ୟର ତ ଖଣ୍ଡେ ଅଧେ ପୋଷାକ ନିଶ୍ଚୟ ଖରିଦ୍ କରି ଆଗ ଛୁଆପିଲାଙ୍କୁ ଦେବାକୁ ହେବ। କାରଣ ପିଲାମାନେ ମୋର ବହୁତ ଖଟିଛନ୍ତି। ନାହିଁ ନଥିବା ପରିଶ୍ରମ କରିଛନ୍ତି। ପୁଣି ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷେ ଦେଢ ବର୍ଷ ହେବ ସବୁ ସହିଛନ୍ତି। ନିଜ ସୁଖ ଶାନ୍ତିକୁ କେତେ ଜଳାଞ୍ଜଳୀ ଦେଇଛନ୍ତି। ତାଙ୍କରି ବୟସର ପିଲା ପରା ଗାଁ ମଝି ଦାଣ୍ଡରେ ଲଙ୍ଗଳା ହୋଇ, ବୁଲି ଖପରା ଡିଆଁ ଓ ତିତି ଖେଳ ଖେଳୁଛନ୍ତି। ଏମାନେ ଆଉ କେତେବଡ ପିଲାକି? ଖାଲି ସିନା ଯୁଗ ନଗଲାଠୁଁ ଯେଉଁ ବୟସରେ ଏମାନେ ହସି ଖେଳି ଡେଇଁବା କଥା ସେହି ବୟସରେ ପରର ମୂଲ ଲାଗୁଛନ୍ତି। ସବୁ ସେଇ ଦଇବର ଖେଳ, ଆମେ ଛାର ପ୍ରାଣୀ ଭାବି ଲାଭ କ’ଣ? ଏମିତି ନିଜ କପାଳରେ ହାତ ବୁଲାଉ ବୁଲାଉ ନିଜକୁ ବୋଧେ ଶାନ୍ତ୍ୱନା ଦେଉଥାନ୍ତି ଭୂତଙ୍କ ମୁରବୀ।

ଭାଗ4

ପୂର୍ବ ଉତ୍ତାରୁ… ଭାଗ 4
ପରିତ୍ୟକ୍ତ କୋଠି
—by ସତ୍ୟ ପ୍ରକାଶ ସେଠୀ
ଦିନକର କଥା ମୋ ଛୋଟ ଛୁଆଟା ଟାଇଲ୍ ଦି ଖଣ୍ଡ ଖସେଇ ପକାଇ ଭାଙ୍ଗି ପକାଇଲା ବୋଲି ନିସ୍ତୁକ ମାଇଲା। ମାଡଗାଳି ଯେତକ ଦେବା କଥା ଦେଲା। ମୁଁ ଯେତେ କହିଲି – “ବାଳୁତ ଛୁଆଟା ତାକୁ ଏମିତି କହିଲେ ବାବୁ ହେବ କି”? ସେ ଜମାରୁ ବୁଝିଲା ନାହିଁ। ମୁଁ ତେଣୁ ପ୍ରତିବାଦ କଲାରୁ ମୋ ଉପରେ ତେରିମେରି ଦେଖାଇଲା। ଏଥର ମନକୁ ପ୍ରଶ୍ନ ଆସିଲା – “ସବୁ ତ ଏଇ ଛୁଆ ପିଲାଙ୍କ ପାଇଁ ଆମେ ଖଟୁଛେ, ସେମାନେ ଯଦି ଶାନ୍ତିରେ ନରହିଲେ, ତେବେ ଆମର ଏତେ ଖଟିକି ଲାଭ କ’ଣ”? ତେଣୁ ସିଦ୍ଧାନ୍ତ ଆସିଲା -” ଯାଉଛି, ଛୁଆପିଲାଙ୍କୁ ଧରି ରାତିରେ ଗାଁକୁ ପଳେଇବି, ପଇସା ଗଣ୍ଡାକ ବରଂ ବୁଡ଼ିଲେ ବୁଡୁ “। ସେୟା କଲି, ଦିନେ ରାତିରେ ସମସ୍ତେ ଷ୍ଟେସନ ପଳେଇଲୁ ଲୁଚିକି। ଉଦ୍ଦେଶ୍ଯ ଟ୍ରେନ୍ ଚଢି ପଳେଇବୁ। କାରଣ ଦିନରେ କଣ୍ଟ୍ରାକ୍ଟର ଦେଖିଲେ ଜମାରୁ ଛାଡିବ ନାହିଁ। ହେଲେ ଆମର ତ ଫଟା କପାଳ, ଯାହା କଲେ ବି ସବୁ ଯୋଜନା ପଣ୍ଡ ହୋଇଯାଉଥାଏ।ତା’ର ଲୋକମାନେ କେଉଁଠୁ ଖବର ପାଇଲେ କେଜାଣି, ଆମକୁ ପିଟି ପିଟି ସେଇଠୁ ଧରି ଆସିଲେ। କହିଲେ – “ଆଉ ଥରେ ଚୋରଙ୍କ ଭଳିଆ ଏଇମିତି ଭାଗିଲେ ଏଥର ଏଫ୍. ଆଇ. ଆର୍. ଦେଇଦେବୁ, ଏକାଥରକେ ମାମୁଁ ଘରେ ଯାଇ ଡାଲି ଭାତ ଖାଉଥିବ। ସେଇଥି ପାଇଁ ତୁମକୁ ପଇସା ଦିଏ ନାହିଁ, କାଳେ ତୁମ ପାଖରେ ଗାଡି ଖର୍ଚ୍ଚ ରହିଲେ କାମ pressure (ଚାପ) କୁ ଡରି ତୁମେ ଲୁଚିକି ପଳେଇବ।ତଥାପି କେମିତି ଲୁଚିକି ଗଲ ତୁମ ପାଖରେ ଗାଡି ଖର୍ଚ୍ଚ କୁଆଡୁ ଆସିଲା, ତୁମେ ନିଶ୍ଚୟ କିଛି ଜିନିଷ ଚୋରେଇ ବିକି ପଇସା ସଂଗ୍ରହ କରିଛ”।ଏହିପରି କେତେ କ’ଣ ଦୁର୍ନାମ ଦେଇ ଅତ୍ୟାଚାର କଲା। ତଥାପି ସବୁ ସହି ମୁହଁମାଡି ପଡିରହିଲୁ। ଆମର ବା ଆଉ କ’ଣ ଉପାୟ ଥିଲା ଯେ, ଆମେ କରି ପାରିଥାନ୍ତୁ? ଏହି କଥାଟା କହି ମୁରବୀଟା ପାଟି ଚିଲେଇ କାନ୍ଦି ପକାଇଲା। କହିଲା – ଗରୀବ ବାପୁଡାର ଦୁଃଖ ଅସୁମାରି, ତା’ର ଦୁଃଖ ସହଜରେ ଲାଘବ ହୁଏ ନାହିଁ। ଯୋଉ ଡାଳ ସେ ଧରିବ ସେ ଡାଳ ତ ଭାଙ୍ଗିବ,ଆଉ କେଉଁ ଡାଳ ଧରି ପାରି ହେବ? ଏ କି ବିଧିର ବିଧାନ ନା ଭାଗ୍ୟର ବିଡ଼ମ୍ବନା ? ତେଣୁ ଯାହା ବି ହେଉ ଭାଗ୍ୟକୁ ଆଦରି ପୁଣି ସେଇଠି ଆମେ ତା’ରି ପାଖରେ ରହିଲୁ।
ଏଇ ଲୋକଟା ଆଜ୍ଞା! ସାଢେ ବଦମାସ୍। ଭାରି ମତଲବୀବାଜ। ଆପଣା ସ୍ୱାର୍ଥ କଥା ବ୍ୟତୀତ ସେ ଆଉ କିଛି କାହାରି ହାନିଲାଭ ବୁଝେ ନାହିଁ। ସବୁ କାମ କରିବୁ, ହେଲେ ପଦେ ଆହାଃ ପଦେ ମଧ୍ଯ କହିବ ନାହିଁ। ଖଟେଇ ଖଟେଇ ଆମକୁ ଖାଲି ମାରିବ, ହେଲେ ଖଟଣି ମୂଲ ଦେବ ନାହିଁ । ଆମେ ବଞ୍ଚିଥିଲା ବେଳେ ସିନା ତା’ର କିଛି କରି ପାରିନାହିଁ, ହେଲେ ମରିଗଲା ପରେ ତା’ର ପ୍ରଭୁତ୍ଵ କ୍ଷତି କରିଛୁ। ଏବେ ଆଣ୍ଠୁକୁଡ଼ା ହୋଇ ବଇଛି। ଖାଲି ସିନା ପଇସା ଗଣ୍ଡାକ ରଖିଛି ହେଲେ ତା ବଉଁଶଟାଯାକୁ ଖଣ୍ଡିଆ ଖାବରା କରି ରଖିଛୁ। ଦୁନିଆ ଯାକର ଯେତକ ରୋଗ ତାକୁ। ଦିନେ କାର ନେଇ କୁଆଡ଼େ ବୁଲି ଯାଉଥିଲା। ଫେରିଲା ବେଳକୁ ରାତି ହୋଇଯାଇଥାଏ। ରାସ୍ତାରେ ଅଦୃଶ୍ୟ ଛାୟାଚିତ୍ର ହୋଇ ଛିଡ଼ା ହୋଇଗଲୁ ଯେ ଖଣ୍ଡିଆ ଖାବରା ହୋଇ ସବୁ ମେଡିକାଲ ଧାଇଁଲେ। ଆମକୁ ହଇରାଣ କରି ଭାବିଥିଲା ଶାନ୍ତିରେ ରହିବ ବୋଲି, ହେଲେ ଜାଣି ନଥିଲା ଯେ, ଯିଏ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ।
ଆମ ଆତ୍ମା ଶାନ୍ତି ନପାଇଲା ପର୍ଯ୍ୟନ୍ତ ଆମେ ତାକୁ ସହଜରେ ଛାଡିବୁନି। ଖାଲି ତଡପେଇ ତଡପେଇ ଛାଡିବୁ ।ଛାଡନ୍ତୁ ଏ ସବୁ କଥା ଆମେ ଏ ପର୍ଯ୍ୟନ୍ତ ଅସଲ କଥାକୁ ଆସି ନାହୁଁ।
ଆମର କଥା ଥିଲା – ପରିବାର ସାରା ରାତିରେ ଜଗି ରହିବୁ। ଦିନରେ କାମ କରିବୁ। ମଝିରେ ମଝିରେ ଚଳିବା ପାଇଁ ଅଳ୍ପ କିଛି ପାରିଶ୍ରମିକ ନେବୁ। ଘର ତୋଳା ସରିଲେ ଆମକୁ ମୋଟା ମାଲ୍ ଧରେଇବ। ଆମେ ଧରି ଗାଁକୁ ଫେରିବୁ। ଏଠୁ ଗଲା ବେଳେ ସେ ବରଷେ ଦେଢ ବରଷର ଢେର୍ ପଇସା ଦେବ, ଆମେ ନେଇ ଗାଁରେ ଖଣ୍ଡେ ଘର ତୋଳି ଓ ବେପାର ବଣିଜ କରି ଶାନ୍ତିରେ ଚଳିବୁ। କିନ୍ତୁ ସେ କଥା ହେଲା ନାହିଁ। ଏବେ କହିଲାଣି ଆଗ ବିଲ୍ ପତ୍ର ହେଉ ଓ ସରକାରଙ୍କୁ ହସ୍ତାନ୍ତର ହେଲା ପରେ ଯାଇ ସେ ଆମକୁ ଛାଡିବ। ତାଇ ବି ହେଲା। ଆମେ ଅପେକ୍ଷା କରି କରି ହାତରୁ ଖାଇ ଦିନାକେତେ ଅପେକ୍ଷା କଲୁ। ଶେଷରେ ବିଲ୍ କରି ନେଇ ସେ କେଉଁଆଡ଼େ ଚାଲିଗଲା। ଗଲା ବେଳେ ଆମେ ପଇସା ମାଗିବାରୁ ଆମକୁ ଛୋଟ ବଡ଼ କରି କହିଲା। କେତେ ଅପନିନ୍ଦା ଓ ଅପଯଶ ସବୁଦେଲା। ସେ ତ ପଇସା ଫାଙ୍କିବ ବୋଲି ଖାଲି ଏତକ ବାହାନା ଖୋଜୁଥିଲା। ଶେଷରେ ପଇସାକୁ ନେଇ ପାଟିତୁଣ୍ଡ ହେବାରୁ ବାହାର ପଟୁ ଆମକୁ ତାଲା ପକାଇ କେଉଁଆଡ଼େ ଚାଲିଗଲା। ଆମେ ଡାକି ଡାକି ଥକିଗଲୁ। କେହି ଖୋଲିଲେ ନାହିଁ।
ପୁଣି ଏହା ଏକ ସରକାରୀ କ୍ୱାଟର ହୋଇଥିବାରୁ ଓ ନିଛାଟିଆ ଜାଗାରେ ଗୋଟେ ଆଢୁଆଳରେ ସେତେବେଳେ ଥିବାରୁ, ଆମେ ଯେତେ ଚିତ୍କାର ଛାଡିଲେ ବି କେହି ଶୁଣି ପାରିଲେ ନାହିଁ। ଆମେ ଭୋକ ଉପବାସରେ ଡହଳ ବିକଳ ହୋଇ ରହିଲୁ। କେତେ ସତେ ଉଃ.. ଆଃ.. ଚିତ୍କାର ନ କରିଛୁ। ଚିତ୍କାର କରି କରି ତଣ୍ଟି ଫାଟି ଯାଇଛି। ବଡ଼ ଭୟଙ୍କର ଓ ଦର୍ଦନାୟକ ସେ କାହାଣୀ। ଏବେ ବି ମନେ ପଡିଲେ ରୁମ ମୂଳି ଟାଙ୍କୁରି ଉଠେ। ଇଛା ହୁଏ ସେ ପାପିଷ୍ଠିଟାକୁ ପାଇଲେ ତା ବେକକୁ ମୋଡ଼ିମାଡ଼ି ତା କଞ୍ଚା ରକ୍ତଗୁଡାକ ପିଇ ଯାଆନ୍ତୁ। ହେଲେ ଆଉ ଥରଟିଏ ବି ସେ ଏଠାକୁ ଆସି ନାହିଁ।
ଏ କଥା କହିଲା ବେଳକୁ ସେମାନଙ୍କର ଆଖିର ସ୍ଫୁଲିଙ୍ଗ ସବୁ ଜଳିବାକୁ ଲାଗିଲା। ମୋତେ ଲାଗୁଥାଏ ତା ରାଗର ସ୍ଫୁଲିଙ୍ଗରେ ଯେମିତି ସତେକି ଶତ ଦୁର୍ଦକ୍ଷ ବିନଷ୍ଟ ଯିବେ ବା ସେମାନେ ମୋତେ କଞ୍ଚା ସଦ୍ୟ ଚୋବାଇ ଯିବେ। ସେମାନଙ୍କ ଦାନ୍ତ କଡ଼ମଡ ହେଉଥିଲା। ହାତ ଆପଣା ଛାଏଁ ମୁଠାମୁଠା ହୋଇଯାଉଥାଏ। ସଁସାଁ ଶବ୍ଦ ମଧ୍ଯ ଗୁଞ୍ଜରିତ ହେଉଥାଏ। ମୁଁ ଭୟ ପାଇ ଯାଉଥିବା ଲକ୍ଷ୍ୟ କରି ମୁରବୀ ସେମାନଙ୍କୁ ଆକଟ କରୁଥାନ୍ତି।
ପୁଣି ସେ କହିବାକୁ ଲାଗିଲେ – ଖାଦ୍ୟ ପଦାର୍ଥ ଯାହା ଥିଲା ସବୁ ତ ଚାଟିକି ସଫା କରି ଦିଆ ଯାଇଥିଲା। ପାଣି ମୁନ୍ଦେ ବି ନଥିଲା। ଖାଲି ଗୋଟେ ଢମାରେ ଧୂଆ ପଖାଳ ପାଇଁ ସମୁଦ୍ର ପାଣି କିଛି ଥିଲା। ସେୟାକୁ ପିଇ ଶରୀରରେ ଯାହା ଟିକେ ଶକ୍ତି ଆସି ଯାଉଥିଲା। ସେଇଟା ପରା କୁଆଡ଼େ ସାଲାଇନ୍ ପାଣି, ଯେତେବେଳେ ମଣିଷ ନିସ୍ତେଜ ହୋଇଯାଏ ସେତେବେଳେ ସେଇଟାକୁ ଡାକ୍ତରମାନେ ଡାକ୍ତରୀ ପଦ୍ଧତିରେ ଦିଅନ୍ତି, ଫଳରେ ରୋଗୀ ସତେଜ ହୋଇଉଠେ। ସେତକ ବି ସରିଗଲାଠୁଁ ବୁଦ୍ଧି ହଜିଲା। ଶୋଷ ମେଣ୍ଟାଇବା ପାଇଁ ମଣିଷ ନିଜ ରକ୍ତ ନିଜେ କାମୁଡି ଖାଇ ଗଲା। ଛୁଆ ପିଲା ଗୁଡ଼ାକ ଆଗ ଆଖି ସାମ୍ନାରେ ଛଟଛଟ ହୋଇ ଶୁଖୁଆ ପୋଡିଲା ପରି ପଡିକି ମରିଗଲେ। ତା’ପରେ ଜଣକ ପରେ ଜଣେ ପୂରା ବଂଶଟା ସାରା ଟଳି ପଡ଼ିଲେ। ଆମେ ଚାହିଁକି ବି କିଛି କରି ପାରିଲୁ ନାହିଁ। ଆଖିରେ ଲୁହ ନଥିଲା କି ଓଠରେ ଭାଷା। ଖାଲି ସ୍ଵାମୀ ସ୍ତ୍ରୀ ଦିଟା ପରସ୍ପରକୁ କେଇଟା ମାତ୍ର ଥର ଯାହା ନୀରବରେ ଅନେଇଛୁ। ସେ ବେଦନାରେ ଛାତି ପଞ୍ଜରା ଥରି ଉଠୁଥିଲା ଓ ମୂର୍ଦ୍ଧା ଫାଟି ଯାଉଥିଲା। ଶେଷରେ ଉଭୟ ଉଭୟଙ୍କ କୋଳକୁ ଟଳି ପଡ଼ିଲୁ। ସବୁ ଶେଷ। ଆଉ ଜୀବନ ବଞ୍ଚେଇ ରଖି ପାରିଲୁ ନାହିଁ। ସବୁ ହୋଇଗଲୁ ଭୂତଲୋକର ପିଶାଚ। ପ୍ରତ୍ୟେହ ଅପେକ୍ଷା- କଣ୍ଟ୍ରାକ୍ଟର ଆସିଲେ ବଦଲା ନେବୁ ସେ କିନ୍ତୁ ଆସେ ନାହିଁ। ପ୍ରତୀକ୍ଷାରେ ପ୍ରତିଶୋଧର ବହ୍ନି ଆହୁରି ପ୍ରଜ୍ଜ୍ଵଳିତ ହେବାକୁ ଲାଗିଲା। ତେଣୁ ତା ପରିବର୍ତ୍ତେ ଯିଏ ବି ଆସେ ସିଏ କିନ୍ତୁ ସେଇ ସମଦଶା ଭୋଗ କରେ। ଏବେ କିନ୍ତୁ ସେ କଣ୍ଟ୍ରାକ୍ଟର ତା ସଜା ଭୋଗିଲାଣି। ଆମର ଆଉ ପ୍ରତିଶୋଧ ଦରକାର ନାହିଁ, କାରଣ ଏ ପ୍ରତିଶୋଧ ଢେର୍ ହେଲା ।ଏଥର ଆମେ ଚାହୁଁ ମୁକ୍ତି। ତୁମେ କ’ଣ ପୁଅ ଆମକୁ ସେତିକି ଦେଇ ପାରିବ ନାହିଁ?
ଏତେବେଳକୁ ମୋର ଉତ୍ସୁକତା ବଢି ଯାଇଥାଏ। ପାଟିରୁ ବାହାରିଲା – “ହଁ କୁହ, ମୁଁ ପାରିବି। କିନ୍ତୁ କେମିତି” ?
-“ଆମର ଟିକେ ଶୁଦ୍ଧି କ୍ରିୟା କରିବ। ମନ୍ତ୍ର ଉଚ୍ଚାରଣ କରି ଆମ ଆତ୍ମାର ସଦ୍ଗତିଃ ନିମନ୍ତେ ପ୍ରାର୍ଥନା କରିବ। ଆମେ ଜାଗା ଛାଡି ଚାଲିଯିବୁ। ଆଉ ଏ ଭୂତ ଲୋକରେ ରହିବାକୁ ଇଛା ନାହିଁ। ଆମର ଖାଲି କ୍ରିୟାକ୍ରମ ଟିକେ କରିଦେବ। ହେଲେ ଗଲାବେଳେ ଆମେ ତୁମକୁ ଗୋଟେ ପୋଥି ଦେଇ ଯାଉଛୁ, ତୁମେ ଯେଉଁ ବିଷୟ ନେଇ ଏତେ ଚିନ୍ତିତ ଓ ଅହରହ ବ୍ୟଗ୍ର ତାହାର ସମାଧାନ ତ ଆମେ କରି ପାରିବୁ ନାହିଁ। ତେବେ ଏହା ତୁମକୁ ନିଶ୍ଚୟ ସାହାଯ୍ଯ କରିବ ।ହୁଏତ ସମୁଦ୍ର ଜଳରୁ କିଛି ନୂତନ ତତ୍ତ୍ଵ ତୁମେ ସମାଜକୁ ଦେଇ ପାର। ଏ କଥା କହି ସାରିଲା ବେଳକୁ ମୋତେ ନିଦ ଆସି ଯାଇଥିଲା। ମୁଁ ଶୋଇପଡ଼ିଲି। ଉଠିଲା ବେଳକୁ ହାତରେ ପୋଥି ବିଡ଼ାଟିଏ ଥାଏ ଓ ଟର୍ଚ୍ଚଟା ଉପର ମୁହାଁ ହୋଇ ସେଇମିତି ଜଳୁଥାଏ।
ଭାଗ5

ପୂର୍ବ ଉତ୍ତାରୁ…full horror
ପରିତ୍ୟକ୍ତ କୋଠି.. ଭାଗ 5
ସକାଳୁ ସକାଳୁ ଉଠି ଆଗ ଅଗତ୍ୟା ଧାଇଁଲି ଷ୍ଟେସନ୍ ମୁହାଁ ।ପୂରା ସିନ୍ଦୂରା ସେଯାଏଁ ଫାଟି ନଥାଏ। ଦୁଇ ହାତରେ ଯାହା ପାରିଲି ଝୁଲା ମୁଣିରେ ପୂରେଇ ଦେଲି। ଟ୍ରେନରେ ଆସି ବସି ପଡି ହୋସ୍ ମାରିଲି । ଚା ବାଲା ଆସିଲାଠୁଁ ଆଗ କପେ ପିଇ ନେଲି। ହେ ରାମ! କି ଭୟଙ୍କର ପରିସ୍ଥିତିରୁ ମଣିଷ ମୁକୁଳି ଆଇଲା ହୋ!
ହେଲେ ବାଟ ସାରା ଏମାନଙ୍କ କଥା ହୃଦୟକୁ ବେଶ୍ ଆନ୍ଦୋଳିତ କରୁଥିଲା। ଏମାନଙ୍କ କଥା ରାତି ସାରା ଶୁଣି ଶୁଣି ମନକୁ ଆସୁଥିଲା – “ତେବେ କ’ଣ ସତରେ ମନ୍ତ୍ରପାଠ ଓ ପୂର୍ବ ନିର୍ଦ୍ଦେଶିତ କ୍ରିୟାକ୍ରମାଦି ଦ୍ଵାରା ଏମାନଙ୍କ ଆତ୍ମାର ସଦ୍ଗତି ବାସ୍ତବରେ ହୋଇ ପାରିବ” ? ମୁଁ କାହିଁ ଶତ ପ୍ରତିଶତ ଏଥିରେ ଏକମତ ହୋଇପାରୁ ନଥିଲି। ଯଦି ମନ୍ତ୍ରପାଠ ଓ ଅନ୍ତେଷ୍ଟି କ୍ରିୟାକ୍ରମ ଦ୍ଵାରା ଆତ୍ମାର ସଦ୍ ଗତି ହେଉଥାଏ, ତେବେ ସମସ୍ତଙ୍କ ପାଇଁ ଏକ ରକମର ବିଧି ବ୍ୟବସ୍ଥା କାହିଁକି ନହେଲା ? କାହାକୁ କାଠ ବାକ୍ସରେ ରଖି କଫନ ଭିତରେ ରଖି ଦଫନ ଦିଆଯାଉଥିଲା ବେଳେ ଆଉ କାହାକୁ ହୁଏତ ସେଇମିତି ଖୋଲା ଶରୀରଟାକୁ ଖାଲି କପଡା ଗୋଟେ ଢାଙ୍କି ସୁଗଭୀର ମାଟି ତଳେ ଢଙ୍କେଇ ଦିଆଯାଏ। ପୁଣି କାହାକୁ ମଧ୍ଯ ପୋଡ଼ି ଦାହ କରାଯାଏ। ପୁଣି ଶୋକ ପାଳନ, ମନ୍ତ୍ରପାଠ, ନୀତି ଓ ନିୟମ ତଥା ପାଳନ ବିଧି ମଧ୍ଯ ସବୁ ଭିନ୍ନ୍ ଭିନ୍ନ୍ ପ୍ରକାରର ଅଲଗା ଅଲଗା ।ଶୋକ ପାଳନର ସମୟ ସୀମାଟା ମଧ୍ୟ ଭିନ୍ନ୍ ଭିନ୍ନ୍ ପ୍ରକାରର ନିର୍ଘଣ୍ଟ କରାଯାଇଛି। ଏଇ ଯେମିତି କିଏ ଏଗାର ଦିନ ଦୁଃଖ ମନାଉଥିବା ବେଳେ ଆଉ କେହି ମାସେ ବା ତଦୂର୍ଦ୍ଧ୍ବ କିଛି।ଗୋଟେ ସମ୍ପ୍ରଦାୟ 45 ଦିନରେ ମଧ୍ଯ ଏହାକୁ ପାଳନ କରିଥାନ୍ତି।
ତେବେ ସେ ଯାହା ହେଉ ନା କାହିଁକି , ଏହା ହୁଏତ ମଣିଷର ଏକ mindset ବା ମନର ଏକ ଦୃଢ ଧାରଣା ହୋଇଥିବ, ଯାହା ଭୂତର ମରିବା ପୂର୍ବରୁ ତା ମନରେ ଦୃଢ଼ମୂଳ ହୋଇଥାଇପାରେ । ସେତକ ନହେଲେ ବୋଧେ ତା ମନରେ ଅବଶୋଷ ବା ଅଶାନ୍ତି ରହି ଯାଇଥାଇପାରେ। ସତ କଥା, ଦେଖୁନାହାନ୍ତି ମଣିଷ ବଞ୍ଚିଥିଲା ବେଳେ ସେ ଯେମିତି ଭାବଭଙ୍ଗି ଓ ଢଙ୍ଗଢାଙ୍ଗ ପ୍ରକାଶ କରେ ମଲା ପରେ ବି ସେମିତି। ଏଇଟା ବୋଧେ ତାଙ୍କର ଅଭ୍ୟାସଗତ ତ୍ରୁଟି ହୋଇପାରେ। ଫଳରେ ସେମାନେ ସେଇ ଏକାପ୍ରକାର ବ୍ୟବହାର କରନ୍ତି। ଯେଉଁ କେତୋଟି ଭୂତପ୍ରେତର କାହାଣୀ ଆମେ ଶୁଣିଛେ ବା ଗାଁ ଗଣ୍ଡାରେ କାହାକୁ କେମିତି ଶବାର ହେବାର ଦେଖିଛେ, ସେଇ ପ୍ରେତାତ୍ମା ଗୁଡିକ ତ ପୂର୍ବର ସେହି ମଣିଷ ପରି ଠିକ୍ ବ୍ୟବହାର କରିଥାନ୍ତି ଓ ନିଜର ଅଭିଳାଷା ଓ ଅଶାନ୍ତିକୁ ଅନ୍ୟ ଶରୀର ଭିତରେ ପ୍ରବେଶ କରି କୁହାଇ ଥାନ୍ତି। ଏହା ସେମାନଙ୍କର (ଯାହାକୁ ଭୂତ ଶବାର ହୋଇଥାଏ ) ମନଗଢଣ କାହାଣୀ ନା ମନ ଭିତରେ ଅହରହ ଉଦ୍ରେକ ହେଉଥିବା ଭାବରାଜି ଅଥବା ତାଙ୍କର ସେ ବ୍ୟକ୍ତି ପ୍ରତି ଭଲ ପାଇବାର କିୟଦଂଶ ପରିପ୍ରକାଶ? ଯାହା ବି ହେଉ ଏହି ଘଟଣା ଗୁଡାକ ଠିକ୍ ସେ ବୁଝି ହୁଏ ନାହିଁ। କାରଣ ଭିନ୍ନ୍ ଭିନ୍ନ୍ ବ୍ୟକ୍ତି ଏ ସମ୍ପର୍କରେ ଭିନ୍ନ୍ ଭିନ୍ନ୍ ଅତି ଭିନ୍ନ୍ ମନ୍ତବ୍ୟ ବା ଟିପ୍ପଣୀ ରଖିଥାନ୍ତି। ଜଣେ ଜଣେ ତ ଯେମିତିକି ଭୂତଙ୍କ ବଡ଼ ବାପା, ସେମିତି କଥାଟାକୁ ରୋଇ କି ଥୋଇ ଦିଅନ୍ତି ଯେ, ଅମକେଇ ଯାଗାରେ ସମକେଇ ଭୂତ ଦେଖିଲୁ । ପୁଣି ତାଙ୍କର ସାହସ ଓ ବୁଦ୍ଧି ଥିଲା ବୋଲି ସେ ଅଳ୍ପକେ ବର୍ତ୍ତି ଗଲେ, ଭୁତ ସହିତ ତାଙ୍କର ଆତ୍ମିକ ସମ୍ପର୍କ ଅଛି ଓ ସେ ଡାକି ଦେଲେ ଏଇଲାଗେ ଭୂତ ଅବିଳମ୍ବେ ଆସିଯିବ – ଏହିଭଳି ଅନେକ କଥା ଶୁଣି ମନ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ଭାବ ଜନ୍ମି ପାରେନାହିଁ। ବରଂ ମନ ଅତ୍ୟନ୍ତ ଗୋଳମାଳିଆ ହୋଇଉଠେ। କାରଣ କିଏ କେତେ ରକମର କୁହନ୍ତି, ତା’ର ଗୋଟେ coherence ବା ତାଳମେଳ ରହେ ନାହିଁ। ମନ ସଦା ଦ୍ଵନ୍ଦ ଓ ଦେହେଳୀ ମଧ୍ୟରେ ଗତି କରି ବଡ଼ ସନ୍ଦିହାନ ହୋଇପଡେ। ତେଣୁ କଥାଟା ସଦା ରହସ୍ୟ ଘେରରେ ହିଁ ରହିଯାଏ। ଏଇମିତି ତ ଅନେକ କଥା ଆଜି ରହସ୍ୟ ଘେରରେ ଅଛି, ଯେମିତିକି 1946 ମସିହାରେ ଜନ୍ମିତ କ୍ୟାପଟେନ୍ ବାବା ହରଭଜନ ସିଂହ 1968 ମସିହାରେ ମରି ମଧ୍ଯ ଅମର। ଆଜି ମଧ୍ୟ ତାଙ୍କର ଅଶରୀରୀ ଆତ୍ମା ଭାରତ ସୈନ୍ୟ ବାହିନୀ ପାଇଁ ନାନା ଅସମ୍ଭବ କାର୍ଯ୍ୟ କିପରି ସାଧିତ କରୁଛି? ଚୀନ୍ ଭାରତର ବର୍ଡର ନାଥୁଲା ପୋଷ୍ଟରେ କାର୍ଯ୍ୟରତ ଥିଲା ବେଳେ ସେ ମାତ୍ର 22 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ଏପରିକି 4500 ଫୁଟ୍ ତଳର ଏକ ଘାଇକୁ ଖସିପଡିଥିଲା ବେଳେ ସେ ନିଜ ଶରୀରକୁ ନିଜେ ହିଁ ଚିହ୍ନଟ କରିବା ପାଇଁ ଭାରତୀୟ ସୈନ୍ୟ ବାହିନୀକୁ କୁଆଡ଼େ ସହାୟତା କରିଥିଲେ। ଆଜି ମଧ୍ଯ ଯିଏ ପରିଷ୍କାର ପରିଚ୍ଛନ୍ନ ହୋଇନଥାଏ ଓ ଠିକ୍ ସେ ଅର୍ଥାତ ସହି ଢଙ୍ଗରେ ମିଲିଟାରୀ ପୋଷାକ ପିନ୍ଧି ନଥାଏ ତାକୁ ସେ ଗୋଟେ ଶକ୍ତ ଚଟକଣିଟିଏ ଦେଇଥାନ୍ତି। ଏପରିକି ସେଠାରେ ଏଯାଏଁ ସୁରକ୍ଷିତ କରି ରଖାଯାଇଥିବା ତାଙ୍କର ପୋଷାକକୁ ଆଉ କେହି ନୁହେଁ, ପରନ୍ତୁ ସେ ନିଜେ ସଫା କରି ରଖନ୍ତି। ସେଥିରୁ ଧୂଳି ମଇଳା ସବୁ ଝାଡ଼ିଝୁଡ଼ି ସେ ନିଜେ ରଖନ୍ତି। ଏହା କିପରି ବା କଥା? ଖାଲି ସେତିକି ନୂହେଁ, ତାଙ୍କ ସ୍ମୃତିରେ ଏକ ସ୍ମୃତି ମନ୍ଦିର ସେଠାରେ ସ୍ଥାପନ କରାଯାଇଛି ଓ ଭାରତ ଉପରେ ଚୀନ୍ ର ଆକ୍ରମଣର ସମ୍ଭାବନା ଥିଲେ, ସେ ତା’ର ଯଥେଷ୍ଟ ଆଗରୁ ଅର୍ଥାତ୍ ଅତି କମରେ ତିନି ଦିନ ଆଗରୁ ସୂଚନା ଦେଇଥାନ୍ତି। ବଡ଼ ଆଶ୍ଚର୍ଯ୍ୟ ଘଟଣା। ସେ ହେଉଛନ୍ତି hero of Nathula. ଏବେବି Sept 11 ରେ ତାଙ୍କର ସାମାନପତ୍ର ଧରି ସେଠାକାର ମିଲିଟାରୀ କ୍ୟାମ୍ପରୁ ଗୋଟେ ଜିପ୍ ବାହାରି ନ୍ୟୁ ଜଳପାଇଗୁଡ଼ି ଅଭିମୁଖେ ଯାତ୍ରା କରେ ଓ ସେଠାରୁ ତିନି ଜଣ ସିପାହୀ ତାଙ୍କ ଆତ୍ମା ସହ ସହଯାତ୍ରୀ ହୋଇ ଗୋଟେ ଟ୍ରେନ ଯୋଗେ ପଞ୍ଜାବର kupathila ଜିଲ୍ଲା ଅନ୍ତର୍ଗତ କୂପ ଗ୍ରାମରେ ପହଁଚେ – ସେ ଛୁଟି କାଟିବା ପାଇଁ ଓ ତାଙ୍କ ମାଆଙ୍କୁ ସୈନ୍ୟମାନେ ଦେଇଥିବା କିଛି ଧନରାଶି ତାଙ୍କ ମାଆଙ୍କ ହାତରେ ଧରାଇ ଦେଇ ପୁଣି ଫେରି ଆସନ୍ତି। ଏପରିକି ଟ୍ରେନ୍ ରେ ତାଙ୍କ ପାଇଁ ମଧ୍ଯ ଗୋଟେ ବର୍ଥ reservation କରି ସେଦିନ ପାଇଁ ଖୋଲା ଛଡା ଯାଇଥାଏ। ଏହା ଆଶ୍ଚର୍ଯ୍ୟ ହେଲେ ବି ଏପରି ତ ଘଟୁଛି।ତେଣିକି ଏହା ବିଶ୍ବାସବୋଧ ହେଉକି ଭୌତିକ କାଣ୍ଡ।
ସେହିପରି ଭୌଗୋଳିକ ମାନଚିତ୍ରରେ ବରମୁଣ୍ଡା triangle ଏକ ବିସ୍ମୟକର ସ୍ଥାନ, ଯାହାର ଆଦି ଅନ୍ତ ଏପର୍ଯ୍ୟନ୍ତ ମଧ୍ଯ ବୈଜ୍ଞାନିକମାନଙ୍କର ଚିନ୍ତାର ବାହାରେ। ଯେଉଁଠିକି ଥରେ ଯାଇ ପ୍ରାୟତଃ ଉଦ୍ଧୁରିବା କଷ୍ଟ। ସେ ରହସ୍ୟ ଆଜି ଯାଏଁ ଉନ୍ନୋଚିତ ହୋଇପାରି ନାହିଁ, ଯେପରିକି ଏଲେନର ପୃଥିବୀ ପୃଷ୍ଠରେ ଆଗମନ ଓ ଅନ୍ତର୍ଦ୍ଧାନ ବେଶ୍ କୌତୁହଳ ସ୍ରୁଷ୍ଟି କରି ପାରିଛି।

ଏହିପରି ମନ ମଧ୍ୟରେ ସ୍ରୁଷ୍ଟି ହେଉଥିଲା ସେଦିନ ନାନା ଭାବ ଓ ଭାବାନ୍ତର ଅଥଚ କୌଣସି ନିର୍ଦ୍ଧିଷ୍ଟ ଚିତ୍ର ମନ ମଧ୍ୟରେ ଉତ୍ତୋଳିତ ହୋଇପାରୁ ନଥାଏ-ଭୂତ ମାନଙ୍କର ସ୍ଥିତି ଓ ଅବସ୍ଥିତିକୁ ନେଇ। ତେଣୁ ମନ ଶଙ୍କା ଓ ଆଶଙ୍କାରେ ଆଚମ୍ବିତ ହେଉଥାଏ। ହେଲେ କିଛି ସ୍ପଷ୍ଟ ଅବଧାରଣା ତ କରି ହେଉ ନଥାଏ। ମୁଁ ପୂର୍ବରୁ ଭାବୁଥିଲି ଯେମିତି ମଣିଷ ଓ ପଶୁପକ୍ଷୀ ଅଛନ୍ତି ସେହିପରି ଦେବତା ଓ ଦାନବ ଅବା ଭୂତ ପିଶାଚ ଏକ ଏକ ସ୍ଵତନ୍ତ୍ର species ବା ପ୍ରାଣୀ ହୋଇଥିବେ ଓ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ସବୁ ଅଲଗା ଅଲଗା ପ୍ରକାରର ହୋଇଥିବ। ତେବେ ଏ ଭୂତ ପିଶାଚ ଯେ ମାନବ ଆତ୍ମାର ଅଶରୀରୀ ଆତ୍ମା ଓ ମଲା ପରେ ହିଁ ତାହା କେବଳ ସମ୍ଭବ ତାହା ମୁଁ ଏବେ ଏବେ ଜାଣିଲି। ହେଲେ ମନକୁ ପ୍ରଶ୍ନ ଆସିଲା – ହେଲେ ବାଘ ଭାଲୁ ଆଦି ପଶୁ ବା ପକ୍ଷୀ ପ୍ରେତାତ୍ମା ପାଲଟିବା କାହିଁକି କେଉଁଠି କେବେ ଦେଖାଯାଉ ନାହିଁ? ଏହା ମଧ୍ଯ ଏକ ବିରାଟ ଅସମାହିତ ପ୍ରଶ୍ନ। ତେବେ କ’ଣ ଦେବତା ଏକ କ୍ରମବର୍ଦ୍ଧିଷ୍ଣୁ ଓ ପରିବର୍ଦ୍ଧିତ ମାନବ ସତ୍ତା ଓ ଅସୁର ହେଉଛି କ୍ରମ କ୍ଷୟିଷ୍ଣୁ ଓ ବିବର୍ତ୍ତିତ ଅଶରୀରୀ ମାନବାତ୍ମା? ଏହିପରି ଭାବନାର ଖିଅ ବଡ଼ ଗୋଳମାଳିଆ ଧରୁଥାଏ। ଏଠାରେ ଦେବତା କଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି – ମୋର ଗୋଟେ ଧାରଣା, ଯଦି ଦେବତା ଅଛନ୍ତି ତାହେଲେ ପ୍ରେତ ଭୂତ ଅଛନ୍ତି, ତଦୃପ ଯଦି ଭୂତ ପ୍ରେତ ନାହାଁନ୍ତି ତାହେଲେ ଦେବତା ବି ନାହାଁନ୍ତି, ଯାହା ସହିତ ମୋର କେବେ ଆଗରୁ ଭେଟଘାଟ ହୋଇନାହିଁ। ତେଣୁ ବାରବାର ମନକୁ ପ୍ରଶ୍ନ ଆସୁଥାଏ – ଏ ଦୁଇଟାର ସ୍ଥିତି ସ୍ୱୀକାର୍ଯ୍ୟ ନା ସ୍ୱୀକାର୍ଯ୍ୟ ନୂହେଁ?
ସେଦିନ ସେହିପରି ଦୋସ୍ତ ମହମ୍ମଦ ବୋଲି ଜଣେ ଆମ କଲେଜର demonstratorଙ୍କ ସଂସ୍ପର୍ଷରେ ଆସିଥିଲି। ସେଠାକାର ଜଣେ ନାମଜାଦା ଡାକ୍ତର ପାଖକୁ ଯାଇଥିଲି, ମୋର ସ୍ଵସ୍ଥ୍ଯ ପରୀକ୍ଷା କରିବା ପାଇଁ। ସେ ମୋତେ ପଚାରିଲେ ତୁମ କଲେଜରେ ସେ ଭୂତ ଡାକ୍ତର ଅଛିନା? ମୁଁ କହିଲି – “କାହିଁକି କଣ ହେଲା କି” ? ସେ କହିଲେ – “ନା ସେ ଦୋସ୍ତ ମହମ୍ମଦଟା ଗୋଟେ ଏକ ନମ୍ବର ଠକଟା। ଭୂତ ଛଡ଼େଇ ଦେବ ବୋଲି କହି ଲୋକଙ୍କୁ ବହୁତ ଲୁଟୁଛି। ସେଟା ଭୂତ ଡାକ୍ତର ନା ଠକ ଡାକ୍ତର” ? ମୋ ମନରେ ଜିଜ୍ଞାସା ଆସିଲା। ଦୋସ୍ତ ମହମ୍ମଦ ଆଜ୍ଞାଙ୍କୁ ସେଦିନ ଖୋଜି ଆମ ଲାବୋରେଟରୀରେ ପାଇଲା ପରେ ଟିକେ ଚଟୂଳ କରି କହିଲି – “ଆଜ୍ଞା! ସେ ଡାକ୍ତର ବାବୁ ଆପଣଙ୍କ ବିଷୟରେ କ’ଣ ଏମିତି ସେମିତି କହୁଥିଲେ”? ସେ କହିଲେ ଟିକେ ରାଗିଯାଇ – କ’ଣ କହିଲା ସେ ପାଜି ଡାକ୍ତର” ? ମୁଁ କହିଲି – “ଏୟା ଏୟା ସେ ସବୁ କହିଲେ। ଆପଣ କ’ଣ ଭୂତ ନାଁରେ ସତରେ ଲୋକଙ୍କୁ ଠକୁଛନ୍ତି”? ସେ ଆହୁରି ରାଗିଗଲେ। ପାଖରେ ଥିବା ଆମ ପିଅନ୍ ମାହାଲି ମଧ୍ଯ ହିଁ ହିଁ ହୋଇ ହସୁଥାଏ, ଆଉ ମୋ କଥାରେ ପାଳି ଦେଇ ଚିଡ଼ାଉଥାଏ। ସେ କହିଲେ-” ମୋତେ ତାହେଲେ ତୁମେମାନେ ସବୁ ମିଶି ଥଟ୍ଟା କରୁଛ? ହୋଉ ଭୂତ ଦେଖିବ ପରା, ଭୂତ ଦେଖ! “ଏୟା କହି ସେ ପରୀକ୍ଷାଗାରରେ ଥିବା ଗୋଟେ ଖାଲି ଆଲକୋହଲ ବୋତଲ ଟାଣି ଆଣି କ’ଣ ଆରୁଡୁ ବାରୁଡୁ ମନ୍ତ୍ର ଫୁଙ୍କି ଦେଲେ କେଜାଣି, ଏଥର ମୋତେ କହିଲେ ଏଇଟାକୁ ପେଲ!
ମୁଁ କହିଲି – “କି ମୁଁ କାହିଁକି ପେଲିବି” ? ସେ କହିଲେ – “ଏଇଲାଗେ ପରା ଭୂତ ଦେଖିବ ବୋଲି ମୋତେ challenge ଦେଉଥିଲ, କ’ଣ ହେଲା କି ବିଲେଇ ଭଳିଆ ଲାଙ୍ଗୁଡ଼ ଯାକୁଛ”? ଏହି ସମୟରେ ମାହାଲି ମୋତେ ଉତ୍ସାହିତ କରି କହିଲା -” ହଁ’ମ ପେଲ! ପେଲ!! କ’ଣ ହୋଇଯିବ ସେଠୁ, ଭୁତ ନା ଫୁତ, ସେ ସେମିତି ମିଛଟାରେ ଫୁତ୍କାର ମାରୁଛି” । ଏଥର ମୁଁ ପେଲି ପେଲି ଥକିଲି ଶେଷକୁ ହୃଷ୍ଟପୃଷ୍ଟକାୟ ମାହାଲି ମଧ୍ୟ। ଆମେ ଯେତେ ଜୋହର୍ ଲଗାଇଲେ ମଧ୍ୟ ଖାଲି ବୋତଲଟାକୁ ଟେବୁଲ୍ ଉପରୁ ଇଞ୍ଚେ ବି ହଟେଇ ପାରିଲୁ ନାହିଁ। ଶେଷରେ ତାକୁ ନେହୁରା ହେଲୁ, ଏ ନାଟକ ଜଲଦି ଖତମ କର! ଆମକୁ ଡର ଲାଗିଲାଣି ।ସେ କହିଲେ – “ଜିନ୍ କ’ଣ ସେଇମିତି ଚାଲି ଯିବ? ସେ ଗୋଟେ କାହା ଦେହ ଦେଇ ତା power discharge ନହେଲା ଯାଏଁ, ସେ ଯିବ ନାହିଁ” ।ମୋର ରାଗ ଥିଲା ମାହାଲି ଉପରେ ତା ନଟଖଟି ପାଇଁ। କହିଲି -” ସେଇ ମାହାଲି ଦେହରେ ଛାଡିଦିଅ, ସେ କାହିଁକି ଫୁଟାଣି ମାରି ଜିନ୍କୁ ଆହ୍ଵାନ କଲା” ? ମାହାଲି ମଧ୍ଯ ଡରିବାର ଲୋକ ନୂହେଁ। କହିଲା -” ହଁ ହଁ ମୋ ଦେହରେ ଛାଡ଼, ମୋର ଦେଖି କଣଟେ ଏମିତି ହୋଇଯିବ”? ସତକୁ ସତ ସେ କ’ଣ ଟିକେ ଗୁଣୁଗୁଣୁ ହୋଇ ଫୁଙ୍କି ଦେଲା, ଜିନ୍ଟା ମାହାଲି ଉପରେ ଶବାର ହେଲା କ୍ଷଣି ମାହାଲି ଗପିବା ଆରମ୍ଭ କରିଦେଲା -” ମୁଝେ ଶାଲା କୌନ୍ ବୁଲାୟା ବେ! ମେଁ ତ ରାସ୍ତେ ମେଁ ଯା’ ରାହା ଥା”। ସେତେବେଳକୁ ମାହାଲି ନିଜ ସ୍ଥିତି ହରାଇ ଫୁଲ୍ action modeକୁ ଆସିଯାଇଥିଲା। ପୁଣି ଗୋଟେ ଛୋଟ ଶିଶିରୁ ପାଣି କାଢି ଦୋସ୍ତ ମହମ୍ମଦ ତା ଉପରେ ପକେଇ ଦେବାରୁ ସେ ଆଗ କଚାଡି ହୋଇ ତଳେ ପଡି ପୁଣି ହୋସ୍ କୁ ଆସି ପ୍ରକୃତିସ୍ଥ ହୋଇଥିଲା।
ଏହିଭଳି ନାନା ବୈଚିତ୍ର୍ୟ। ସ୍ରୁଷ୍ଟି ରହସ୍ୟ ବାସ୍ତବରେ ବୁଝିବା ବଡ଼ ଦୁରୂହ ବେପାର। ହେଲେ ଭାବନା ରାଜ୍ୟରେ ଖୋଲୁଥିଲା ଭାବନାର ନବ ଦିଗନ୍ତ। ଗାଡି ଆସି ଭୁବନେଶ୍ବର ରେଲ ଷ୍ଟେସନ ପହଂଚିବାରୁ ଓହ୍ଲାଇ ସିଧା ଚାଲିଲି ହଷ୍ଟେଲ।
ଭାଗ6

ପୂର୍ବ ଉତ୍ତାରୁ…
ପରିତ୍ୟକ୍ତ କୋଠି.. ଭାଗ 6
By ସତ୍ୟ ପ୍ରକାଶ ସେଠୀ
ଏବେ ହଷ୍ଟେଲକୁ ଫେରି ଆସିଲି। ହଷ୍ଟେଲରେ ଜ୍ଞାନ, ବିଦ୍ୟା ଓ କିଶୋର ମୋର ବଡ଼ ସାଙ୍ଗ। ସେମାନଙ୍କୁ ଗୋଟି ଗୋଟି କରି ସମସ୍ତ କଥା କହିଲାରୁ ସେମାନେ ପ୍ରଥମେ ବିଶ୍ବାସ କଲେ ନାହିଁ। ଆଗ କିଛି ହସି ନେଲେ। ତା ପରେ କହିଲେ ତୁଟା ପାଗଳଟେ। ତୋର ଏ ପାଗଳାମୀ କେବେ ଯିବ ନାହିଁ। ସେଦିନ ଭୂତ ଦେଖେଇବୁ କଥା କହି, ରାତି ସାରା ଅନିଦ୍ର କଲୁ। ସମସ୍ତେ ସହିଦ୍ ନଗର ମଶାଣି ଭୂଇଁରେ ଶ୍ମଶାନ ଦିଵାଲ ଉପରେ ବସି ବସି କେତେ କଠା ବିଡି ସାରିଲେ। ହେଲେ ଭୂତ କାହିଁ ନା ପ୍ରେତ। ପୁଣି ନୂଆ କାହାଣୀ – ପୁରୀରେ ଦେଖିଲି ଭୂତ। ଯା ଯା! ପଳା ଆଉ କାହାକୁ ଶୁଣେଇବୁ। ହେଲେ ମୁଁ ଟିକିଏ ସିରିଅସ୍ ହେଲାଠୁଁ ସେମାନଙ୍କର ବିଶ୍ବାସ ଜନ୍ମିଲା। କହିଲେ – ଦୁଇ ତିନି ଦିନ ତୁ ଆଗ ହୋସ୍ ନେ’, ତା ପରେ ଆମେ ସମସ୍ତେ ପୁରୀ ଯିବା। ଏଇ ସାଥୀ ତିନି ଜଣ ମୋର ବଳ। ସବୁ କାମକୁ ଆଗ ଡକରା ହୋଇଥାନ୍ତି। ତାଙ୍କୁ ନ ପଚାରି ମୁଁ ପ୍ରାୟତଃ କିଛି କାମ କରେ ନାହିଁ। ସେମାନେ ମୋର ସହଯୋଗୀ ଓ ସହକର୍ମୀ। ସେଇ ମାନଙ୍କର ସାହାଯ୍ଯ ଓ ସହଯୋଗ ମୋ ପାଇଁ ସବୁବେଳେ ଉପଯୋଗୀ ହୋଇଥାଏ।

ସେୟା ହେଲା ଦୁଇ ତିନି ଦିନ ପରେ ଚାରି ବନ୍ଧୁ ସାଥୀ ହୋଇ ପୁରୀ ଯାଇ ସବିଶେଷ ତଥ୍ଯ ନେବା ପାଇଁ ସ୍ଥିର ହେଲା। ଏତେବେଳକୁ ମୋ ମନ କିନ୍ତୁ ଭାରି ଅଶାନ୍ତ ହୋଇ ଉଠୁଥାଏ। ଅହରହ ଇଶ୍ୱର ଓ ଭୂତପ୍ରେତକୁ ନେଇ ମନ ଭିତରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥାଏ। ଆଉ ଚେଷ୍ଟା କରି ମଧ୍ୟ ସେଇ କଳ୍ପନା ଓ ଜଳ୍ପନାର ଆଦୌ ଅନ୍ତ ଘଟୁ ନଥାଏ। ମନେ ମନେ ତା’ର ହେତୁ ନିରୂପଣ କରୁଥାଏ ଓ ସମାଧାନର ପନ୍ଥାଟା ନିରୂପଣ କରୁଥାଏ। ଏକା ଏକା କେଯାଏଁ ଏହି ଅଙ୍କଟା କଷିଲିଣି। କାହିଁ ଗୋଟେ ବୋଲି ସମାଧାନର ରାସ୍ତା ଖୋଜି ପାଉ ନଥାଏ। ଏମାନଙ୍କର ସ୍ଥିତି ଓ ଅବସ୍ଥିତିକୁ ନେଇ ଖାଲି ମୋ ଭିତରେ ପ୍ରଶ୍ନ ତ ନୂହେଁ, ଅନେକ ଭିତରେ ମଧ୍ଯ ବେଳେବେଳେ କାହିଁକି ସବୁବେଳେ ତ ଉଙ୍କେ –

ଭଗବାନଙ୍କର ସ୍ଥିତିକୁ ତ ନେଇ

ଅହରହ ହଁ ନା ସ୍ଥିତି

ମନରେ ଆଶଙ୍କା ଶଙ୍କା ଉପୁଜଇ

ହୁଏ ନାହିଁ ସ୍ଥିର ମତି।। 1

ମୁଁ ବି ସେଇ ପଥେ ପଥିକଟେ ସାଜି

ଖୋଜିଛି କେଯାଏଁ କେତେ

ଖୋଜି ଖୋଜି ପୁଣି ପଡ଼ିଛି ଘୁମେଇ

କାହିଁ ସେ ମିଳିନି ମୋତେ।।2

ଏଡିକି ଭାଗ୍ୟଟି ମୋର ସେ କି ହେବ

ପାଇବି ତା’କୁ ମୁଁ ଖୋଜି

ମୋର କାହିଁ ମନେ ପରତେ ଯାଉନି

ପାଇନି ଯେଣୁ ସେ ମୁନି।। 3

ସତେ ତୁମେ ଅଛ ଅବା ପୁଣି ନାହଁ

ପଚାରି ବୁଝିନି କାହେ

କିଏ ସେହୁ ଅବା ଏଡ଼େ ପୁଣ୍ୟ ଜନ

ସଂଶୟ ଫେଡ଼ିଟି କହେ।। 4

କେମିତି ପାଇବି ଉପାୟଟା ବାରେ

କହି ଦିଅନ୍ତ କି ଭଲେ

ନୋହିଲେ କି ଲାଭ ସାଧାନାର ସିଦ୍ଧି

ଖାଲି ଅସଫଳ ହେଲେ? 5

ତେଣୁ ଏ ମାନଙ୍କର ସ୍ଥିତି, ସଂସ୍ଥିତି ଓ ଅବସ୍ଥିତିକୁ ନେଇ ମନରେ ଟାଣିହେଇ ଯାଉଥିଲା ଅନେକ ଅସମାଧିତ ପ୍ରଶ୍ନର ରେଖାଙ୍କିତ ଜ୍ୟାମିତିକ ଚିତ୍ର । ବ୍ୟସ୍ତ ହୋଇ ଉଠିଲାରୁ ସିଧା ଯାଇ ଶୋଇ ଗଲି।
ପିଛିଲା ଦିନର କଥା ଗୁଡ଼ାକ ଭାରି ମନେ ପଡ଼ି ଯାଉଥାଏ।
ଦିନେ ମୁଁ ଅତି ଛୋଟ ହୋଇଥିଲି, ଯେତେବେଳେ ସ୍କୁଲ ଯିବା ଯିବା ହେଉଥିଲି। ଗପ ଶୁଣି ଶୁଣି ଭଗବାନଙ୍କୁ ଖୋଜିବାକୁ ଭାରି ଇଚ୍ଛା ହେଉଥାଏ । ବୋଉକୁ ପଚାରିଲି, ବୋଉ କହୁଥିଲା – “ଭଗବାନ ଗାଁ ମୁଣ୍ଡରେ ପଳାଶ ବଣରେ ଅଛନ୍ତି। ସମସ୍ତଙ୍କୁ ଦେଖା ଦିଅନ୍ତି ନାହିଁ, କେବଳ ଭଲ ମଣିଷ ଓ ସତ୍ୟନିଷ୍ଠ ମଣିଷକୁ ଦେଖା ଦିଅନ୍ତି। ପୁଣି ଏକୁଟିଆ, ଏକାନ୍ତରେ ବା ନିରୋଳାରେ” । ମୁଁ ତେଣୁ ରାତି ଅଧାରୁ ଉଠି ଚାଲି ଯାଉଥିଲି ଗାଁ ମୁଣ୍ଡ ବଣ ଭିତରକୁ। ଇଚ୍ଛା ହେଉଥିଲା – ଠାକୁରଙ୍କୁ ଭେଟିବି। ମନ ଡାକୁଥିଲା – ଭେଟ ହୁଅନ୍ତା କି? ପରିବାର ଲୋକ କିଛି ବୁଝି ପାରନ୍ତି ନାହିଁ। ଚାରିଆଡ଼େ ଯଗି ଯାଆନ୍ତି, କହନ୍ତି -” ବାୟାଟା ଏମିତି କାହିଁକି ହେଉଛୁ, ରାତିରେ କେଉଁଆଡ଼େ ଯାଉଛୁ “- କହି ପଛେ ପଛେ ଧାଆଁନ୍ତି। କାନ୍ଦି କାଟି ପ୍ରତିବାଦ କରେ, ହେଲେ କାହାକୁ କହେ ନାହିଁ, କିଛି ସୁବିଧା ନଦେଖି ଫେରି ଆସେ। ଦିଅଁ ଖୋଜା ଅଧା ରହିଯାଏ। ଆଉ ଫୁରୁସତ୍ ପାଇନି ଖୋଜିବାକୁ। ସେଇ କାମ, କାମର ପ୍ରଭାବ, ପାଠ ପଢାର ବୋଝ।

ମ୍ୟାଟ୍ରିକ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷା ପରେ ଛୁଟି ଓ ଟିକେ ଅବସର ମିଳୁ ଥିବାରୁ – ପୁଣି ଠାକୁର ଖୋଜା ବେପାର। କାହିଁ କିଛି ଲାଭ ନାହିଁ। ସାଧୁ ସନ୍ଥଙ୍କୁ ପଚାରେ – ସେମିତି କେହି କିଛି ସନ୍ତୋଷଜନକ ଉତ୍ତର ଦେଇ ପାରନ୍ତି ନାହିଁ। ଦିନେ ଭାବିବାକୁ ଲାଗିଲି, “ଯଦି ଠାକୁର ଅଛିନ୍ତି, ତେବେ ନିଶ୍ଚୟ ଆତ୍ମା ଅଛି’ ଭୂତ ପ୍ରେତ ଅଛନ୍ତି” । ତେଣୁ ଗୋଟେ କେହି ମିଳିଗଲେ, ମୁଁ ସ୍ଥିର ନିଶ୍ଚୟ ହୋଇଯା’ନ୍ତି, ଅନ୍ୟର ସ୍ଥିତି ଗ୍ରହଣ କରିନିଅନ୍ତି। ତେଣୁ ମନରେ କୌତୁହଳ ଜାଗିଲା। ଦିନେ ନିଶାର୍ଦ୍ଧରେ ଶୁଖୁଆ ନେଇ (କାଳେ ଆଇଁଷ ବାସନରେ ଭୂତ ଆସନ୍ତି ବୋଲି) ଶ୍ମଶାନ ଗଲି। ଯାହା ଦିନେ ଠାକୁ ବାପାଙ୍କୁ ପଚାରିଥିଲି – ” ଈଶ୍ୱର ବା ଭୂତପ୍ରେତଙ୍କୁ କେଉଁଠି ପାଇବି? ଏମାନେ ସତରେ ଅଛନ୍ତି ନା ନାହାଁନ୍ତି”?? ଠାକୁ ବାପା କହିଥିଲେ – “କହି ପାରିବି ନାହିଁ। ଏଇ ମଣିଷ ହିଁ ନିଜେ ନିଜର ତାହାର ସମାଧାନ। ସେ ଯେମିତି ବୁଝିଲା ସେମିତି ବୟାନ କଲା ଓ ସମାଜ ଆଗେ ତା’ର ତତ୍ତ୍ଵ ତ ବ୍ୟାଖ୍ୟାନ କଲା। ତେବେ ଈଶ୍ଵର ଏତେଟା ସହଜ ଲଭ୍ଯ ନୁହଁନ୍ତି, ମାତ୍ର୍ ତୁ ଚେଷ୍ଟା କଲେ, ଆମ ଗାଁ ମଶାଣି ପଦରରେ ତୋତେ ତୋ ଜିଜ୍ଞାସାର ସମାଧାନ ପାଇଁ ଭୂତପ୍ରେତ ଗୋଟେ ହୁଏତ କେହି ମିଳି ଯାଇ ପାରନ୍ତି, ଯାହା ତୋର ଗବେଷଣା ଲବ୍ଧ ଜ୍ଞାନ ହେବ” । ମୁଁ ତେଣୁ ଯାଇ ଗୋଟେ ସମାଧୀ ଉପରେ ବସି ପଡ଼ିଲି – ବେଶ୍ କିଛି ସମୟ ଅତିବାହିତ ହୋଇଗଲା। କାହିଁ କିଛି ମିଳିଲା ନାହିଁ। ନିରାଶ ହୋଇ ଫେରି ଆସିଲି। ଦିଅଁ ଖୋଜା ବେପାର ସେତିକିରେ ଅଟକି ଗଲା, ସେ ବେପାର ଛାଡ଼ିଦେଲି , ଆଉ ଏପର୍ଯ୍ୟନ୍ତ ବିଶେଷ ଖୋଜି ନାହିଁ।

ହେଲେ ମନ ଭିତରେ ବାରମ୍ବାର ସେଇ ଏକ ପ୍ରଶ୍ନ-” ସତରେ କ’ଣ ଦେବତା ଅଛନ୍ତି”? ମୁଁ ଏତେ ପରୀକ୍ଷା ନିରୀକ୍ଷା ପରେ ଅସ୍ୱୀକାର କରି ଦେଇ ପାରନ୍ତି, କିନ୍ତୁ ପାରୁନାହିଁ। କାହିଁକିନା ବାସ୍ତବ ଜୀବନରେ ଦେଖୁଛି, ମଣିଷ ଯେତେ ପାରିବାରପଣିଆ ଜାହିର୍ କରୁ ନା କାହିଁକି-ସେ ବେଳେବେଳେ ଆଣ୍ଠେଇ ପଡ଼ୁଛି। ସବୁ କିଛି ତା’ ହାତ ମୁଠାରେ ନାହିଁ। ଚାହିଁଲେ ବି ସେ ସବୁ କିଛି ଆୟତ୍ତ କରି ପାରେନା, ଖାଲି ଆୟତ୍ତ କରିବାର ମିଛ ନାଟକ କରୁଛି। ଆଜିର ସଭ୍ଯ ଶିକ୍ଷିତ ନବ୍ଯ ସମାଜ ବେଶ୍ ଡରକୂଳା, ଭିତରେ ଡରୁଥାଉ ପଛେ , ଉପରେ “ଠାକୁର ନାହାଁନ୍ତି “ବୋଲି କହି ବେଶ୍ ଫୁଟାଣି ମାରି କଥା କୁହେ। କାରଣ ସେ ଭାବୁଚି ଠାକୁର ଅଛନ୍ତି ବୋଲି କହିଦେଲେ – ଆର ଦଳକ ତାକୁ ଅପାଠୁଆ କହି ତଡ଼ି ଗୋଡ଼ାଇବେ। ପୁଣି ଠାକୁର ନାହାଁନ୍ତି ବୋଲି କହିଦେଲେ – ସେ ଅଧିକ ବିଜ୍ଞାନୀ ଓ ପଣ୍ଡିତ ବୋଲି ଲୋକେ ତାଙ୍କୁ କାଳେ ମଣିବେ। ତେଣୁ ସେ ଗର୍ବର ସହ କୁହେ-” I’m practical, no God is there”. ମୁଁ କିଛି ଉତ୍ତର ନରଖି ସବୁ ବୁଝେ, ସବୁ ଶୁଣେ । ହେଲେ ଏଗୁଡାକ ମୋତେ ସବୁ ବାଚାଳାମୀ ଲାଗେ। ଭାବେ – ଠାକୁରଙ୍କୁ ତ କେହି ଦେଖି ନାହିଁ, ଆଉ କେହି ଦେଖିବାର ଦାବୀ କରୁଥିଲେ ହେଁ ସେ ପରେ ଭଣ୍ଡ ସିଦ୍ଧ ହୋଇଛି । ଆଉ ଯିଏ ମୋଟେ ଦାବୀ କରି ନାହିଁ ଆମେ ତାକୁ କେବେ ପଚାରି ବୁଝିନାହିଁ। ‘ଏହା ଥିବା ନଥିବା’ – ବଡ଼ ଦ୍ଵନ୍ଦାତ୍ମକ ବସ୍ତୁ। ତେବେ ମୋ ଭିତରେ ସ୍ୱତଃ ପ୍ରଶ୍ନ ଉଠେ – ଠାକୁର ଥିବା ନଥିବା ସବୁ ଠିକ୍। ଭିନ୍ନ୍ ଭିନ୍ନ୍ ଦୃଷ୍ଟିକୋଣରୁ ବିଚାର କଲେ – ସବୁ ଠିକ୍, ସବୁ ପୁଣି ଭୁଲ ପ୍ରତୀୟମାନ ହୁଏ। ତେବେ ଆଧୁନିକ ମଣିଷ ଯେତେ ସହଜ ଭାବରେ, ଏହାର ଉତ୍ତର ରଖେ – ସେଇଟା ମୁଁ ଆଦୌ ବୁଝି ପାରେ ନାହିଁ, ମୋତେ ଆଶ୍ଚର୍ଯ୍ୟ ଲାଗେ । ଟିକେ ବେଶୀ ଉତ୍ସୁକତା ହୋଇ ଏ ସମ୍ବନ୍ଧରେ ପଚାରିଲେ – ସେ ଆହୁରି ଜ୍ଞାନୀ ପଣ୍ଡିତ ବୋଲି ନିଜକୁ ମନେ କରି, ଖାଲି ଭାଷଣ ଝାଡେ। ନିଜେ ପଣ୍ଡିତରେ ଗଣା ହେବ ବୋଲି, ସେ ଅନ୍ୟକୁ ସହଜରେ ଅଗ୍ରାହ୍ୟ କରେ। ସବୁ ମତକୁ ବିନା ଯୁକ୍ତିରେ ଖଣ୍ଡନ କରେ।

ଠିକ୍ ଅଛି ଯେ, “ଠାକୁର ନାହାଁନ୍ତି “। ହେଲେ ମୋତେ ଆଶ୍ଚର୍ଯ୍ୟ କରେ ଏ ବିରାଟ ବିଶ୍ଵ, ତହିଁରେ ଏ ପୃଥିବୀ, ତା’ର ପୁଣି ଜୀବ ଜଗତ ଓ ଏ ସ୍ରୁଷ୍ଟି ସମୂହ। ମୋଟାମୋଟି କହିବାକୁ ଗଲେ ଏସବୁ ସମ୍ଭବ ହେଲା କିପରି? ଯଦି ବା ମଣିଷ ଏଥିରୁ କିଛିଟା ସମ୍ଭବ କରି ପାରେ, ତେବେ ସେ ନିଜ ମୃତ୍ୟୁ ଓ କର୍ମକୁ ଆୟତ୍ତ କରି ପାରୁ ନାହିଁ କାହିଁକି? ତେଣୁ ନିଶ୍ଚୟ ଏହା ଭିତରେ କିଛି ନା କିଛି ରହସ୍ୟ ଲୁଚି ରହିଛି – ଯାହା ଏବେବି ଅନାବିଷ୍କୃତ ଓ ଅନାବରଣ। ଏହି ଚିନ୍ତାଟା ମୋ ମୁଣ୍ଡରୁ କାଲି ଛାଡ଼ି ନଥିଲା, ଆଜି ବି ଛାଡ଼ି ନାହିଁ, ଆଗକୁ ବି ମୋ ମୁଣ୍ଡରୁ ଯାଇ ନପାରେ। ହେଲେ ତୁମେ ତା ‘ ସିଦ୍ଧାନ୍ତଟା ପାଇଲେ -‘ ମୋତେ ଟିକିଏ ଦେବନା’? ମୋର କିନ୍ତୁ ଭାରି ଅନିଷା, ଭାରି ଗୋଟେ ଜିଜ୍ଞାସା। ଜାଣିବାର ଇଚ୍ଛା – ପିଲାଦିନୁ ଜାଗିଛି ଯେ ଏପର୍ଯ୍ୟନ୍ତ ଥମୁ ନାହିଁ। ନିଦଟା ଘୋଟି ଆସିବାରୁ ପୂର୍ଣ୍ଣାଙ୍ଗ ନିଦରେ ଶୋଇ ଗଲି।ଦେଖାଯାଉ ଗବେଷଣା କେଯାଏଁ ନେଉଛି……

ପୂର୍ବ ଉତ୍ତାରୁ .  ..ଭାଗ7

ସେୟା ହେଲା ଦୁଇ ତିନି ଦିନ ପରେ ଚାରି ବନ୍ଧୁ ଏକାଠି ହେଲୁ। ଆରମ୍ଭ ହେଲା ପୁରୀ ଅଭିମୁଖେ ଯାତ୍ରା। ଆମେ ତ ସମସ୍ତେ ବିଜ୍ଞାନର ଛାତ୍ର ତେଣୁ ବଡ଼ ଅନୁସନ୍ଧିତ୍ସୁ ଆମ ମନ। ସବୁ ଘଟଣାର ସବିଶେଷ ବେଉରା ନେଲୁ। ସ୍ଥାନୀୟ ଲୋକ ମାନଙ୍କୁ ମଧ୍ୟ ପଚାରିଲୁ। କେହି କିଛି ସଠିକ୍ କହି ନପାରିଲେ ମଧ୍ୟ ଅନେକ ତଥ୍ଯ ପ୍ରଦାନ କଲେ। ସମସ୍ତ ତଥ୍ଯ ଯୋଡି ଦେଖିଲା ପରେ ପୂର୍ଣ୍ଣାଙ୍ଗ ତଥ୍ୟ ମିଳି ଯାଉଥାଏ। ସାମୁଏଲ ସାହେବ ବାହାରର ଲୋକ। ପୁରୀ ସହରରେ ସେ ରହନ୍ତି ନାହିଁ। ଭୁବନେଶ୍ବର ରାଜଧାନୀ ତା ବାସଭବନ। କଣ୍ଟ୍ରାକ୍ଟି ତା ପେଶା। ଅଳ୍ପ ଇନଭେଷ୍ଟମେଣ୍ଟରେ ଅଧିକ ଲାଭ ଉଠେଇବା ତା’ର ପ୍ରବୃତ୍ତି। ଲାଭଖୋର ମଣିଷଟେ। ଆପଣା ହିତ ବ୍ୟତୀତ ପରର ମଙ୍ଗଳ କାମନା ସେ କେବେ କରେ ନାହିଁ। ତେଣୁ କେ. ବି. କେ. ଜିଲ୍ଲାରୁ ଦାଦନ ଶ୍ରମିକ ଆଣି ଖଟେଇ ପଇସା ନଦେଲେ ଗଲା ।ଲାଭ କିନ୍ତୁ ଜୋହର ହୁଏ। ସେଇଥିପାଇଁ ତା’ର ଦୋତାଲା ଉପରେ ଦୋତାଲା, ଚାରି ମହଲା ତା ଘର। ବିରାଟ ଡାକବଙ୍ଗଳା କିନ୍ତୁ ଲୋକ ତା ପିଣ୍ଡା ଉପରକୁ ନ ଉଠି ପାରିଲେ ଗଲା। ଭାରି ଧନୀକ, ତେଣୁ ପ୍ରଭାବଶାଳୀ ବ୍ୟକ୍ତି। ଏବେ କିନ୍ତୁ ସବୁ ଶ୍ରୀହୀନ ହୋଇଗଲାଣି। ଗୋଟେ ରୋଡ଼ ଆକ୍ସିଡେଣ୍ଟରେ ଗୁରୁତର ଆହାତ ହୋଇ ଶରୀରର ମୁଖ୍ୟ ଅଙ୍ଗ ସବୁ ତା’ର ନଷ୍ଟ ହୋଇଯାଇଛି। ତେଣୁ ଅପାହିସ ହୋଇ ଘରେ ବସିଛି। ବ୍ୟାକ୍ ବୋନ ତା’ର ଭାଙ୍ଗି ଯାଇଥିବାରୁ ଠିକ୍ ସେ ସିଧା ହୋଇ ଟିକେ ମଧ୍ୟ ଖାଡା ହୋଇ ଛିଡ଼ା ହୋଇ ପାରୁ ନାହିଁ। ଘରେ ସ୍ତ୍ରୀ ପାଗଳୀ ଓ ପିଲାମାନେ ଜଡା ହୁଣ୍ଡା ହୋଇ ବୁଲୁଛନ୍ତି। ଏହାକୁ ଯଥାର୍ଥରେ କହନ୍ତି ଧର୍ମଦଣ୍ଡ। “ଯାହାକୁ ଧର୍ମ ଦଣ୍ଡ ହେବ ତାକୁ ଭଗବାନ ବି ଅଟକେଇ ପାରିବେ ନାହିଁ “-ଲୋକ କହନ୍ତିନି, ଯାହା ସେ ଏବେ ଭୋଗୁଛନ୍ତି। ଆଃ କି ଯମ ଜନ୍ତ୍ରଣା? ଏହାଠାରୁ ବରଂ ଭଲ ମରିଯିବା।
ଲୋକମାନେ କେତେକ କହିଲେଣି – “ଜୀବନରେ ଅନେକ ପାପ କରିଛି ତ, ସେଇଥିପାଇଁ ଏ ଧରମ କଷଣ ସହୁଛି। ଲୋକଟାର ସବୁଥିଲା, ଏଇଲାଗେ ଆଉ କିଛି ନାହିଁ। ହବ ନାହିଁ! ଲୋକଙ୍କର ତଣ୍ଟି ଯେ ଚିପିଛି” । ସତକଥା, ଯିଏ ଲୋକଙ୍କୁ ଖଟେଇ ତା ମୂଲ ଦେଇ ନାହିଁ, ତା’ ଠାରୁ ବଡ଼ ପାପୀ କଣ କେହି ଏ ଦୁନିଆରେ ଅଛନ୍ତି? ଅନ୍ୟର ରକ୍ତରେ ଯିଏ ହୁରି ଖେଳି ଆନନ୍ଦ ଉପଭୋଗ କରେ, ତାହାର ପୁଣି ତ ଦିନକାଳ ଅଛି? ତାହାର ଏପରି ଦଶା ହେବ ନାହିଁ ତ ଆଉ କାହାର ହେବ ଯେ! ଦିନେ ଅନ୍ୟ ଆଖିରେ ଲୁହ ଦେଖି ସେ ନିଷ୍କରୁଣ ଦୃଷ୍ଟିରେ ଚାହୁଁଥିଲା, ଆଜି ତା ଦୁଃଖ ପ୍ରତି ଲୋକେ ଉଦାସୀନ ରହିବା ସ୍ୱାଭାବିକ। ଯିଏ ଅନ୍ୟର ଦୁଃଖ ଦେଖି ହସି ପାରେ ତା ଠାରୁ ଅମଣିଷ ଏ ଦୁନିଆରେ ନାହାନ୍ତି। ମଣିଷ ସିନା ଅନ୍ୟର ଦୁଃଖରେ ଆଃ ପଦୁଟିଏ କହିଲେ, ତା ଦୁଃସମୟରେ କେହି ତା ପାଖରେ ଛିଡ଼ା ହେବେ, ନହେଲେ କିଏ କାହିଁକି ତାକୁ ପଚାରିବେ? ଏହିଭଳି ବଡ଼ ଦୁର୍ବିଶହ ଜୀବନ ଜୀଉଥାନ୍ତି ସାମୁଏଲ ସାହେବ। ଏ କଥାଟା ସମୁଦାୟ ଶୁଣି ସାରିଲା ପରେ ବଡ଼ ଦୟା ଆସୁଥିଲା ଲୋକଟା ପ୍ରତି- ଆମର। ହେଲେ ତା ମନ୍ଦ କର୍ମର ଚିଠା ପ୍ରସ୍ତୁତ କରି କରି ମଣିଷ ଥକି ଯାଉଥିଲା।
ଏଥର ସେ କୋଠିଟାକୁ ଭଲ ଭାବେ ଅଣ୍ଡାଳି ଦେଖିଲୁ। ସେଦିନ ରାତିରେ ମୁଁ ଏତେଟା ଜାଣି ପାରିନଥିଲି। ହେଲେ ଦିନ ବେଳା ସବୁ ଅନୁଧ୍ଯାନ କଲାଠୁଁ ଜଣା ପଡିଲା ବଡ଼ ଭୟଙ୍କର ସେ ପରିବେଷ। ଘରଟାରୁ ରଙ୍ଗ ଫଙ୍ଗ ଉଡ଼ିଯାଇ ବଡ଼ ବେରୂପା ହୋଇ ପଡ଼ି ରହିଥାଏ। କାନ୍ଥରେ ମଳାମଳିକା ରଙ୍ଗ ଛାଡି ଯାଇ ବଡ଼ ଚିତ୍ର ବିଚିତ୍ର ଦିଶୁଥାଏ ।ମୋ ବର୍ଣ୍ଣନା ମୁତାବକ ବନ୍ଧୁମାନେ ଦେଖିଲେ କାନ୍ଥରେ ଦଳେ ମଣିଷଙ୍କ ଚିତ୍ର ଅସ୍ପଷ୍ଟ ନଜର ଆସୁଥିଲା। ସେମାନେ 8/10 ଜଣ ହେବେ ଓ ଛୁଆ ଠାରୁ ବଡ଼ଯାଏ ବିଭିନ୍ନ ବୟସ ବର୍ଗର ଜଣାପଡୁଛନ୍ତି। ଠିକ୍ ଯେମିତି ମୋ ବୟାନର ଅନୁରୂପ। ଏ କଥା ଦେଖିଲା ପରେ ବନ୍ଧୁ ମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। କହିଲେ – ଆରେ! ତୁ କେମିତି ଏଠି ରାତିଟା କାଟିଥିଲୁ? ଏଠି ତ ଚାରିଆଡ଼େ ବୁଢିଆଣୀ ବସା ତାର ଛନ୍ଦି ହେଲା ପରି ଚାରିଆଡ଼େ ଛନ୍ଦି ହୋଇ ଯାଇଛି । ଅଳନ୍ଧି ଲାଗି ଘରଟା ବଡ଼ ଅଶ୍ଵସ୍ତିକର ହୋଇ ଉଠିଛି। ପୁଣି ମୂଷା ଛୁଚୁନ୍ଦ୍ରାଙ୍କ ଲଣ୍ଡିରେ ଘରଟା ପୂରିଛି। ଚାରିଆଡ଼େ ବହଳ ବହଳ ମସିଆ ଓ ଧୂଳାଧୂଳିରେ ଭର୍ତ୍ତି। ଆଳନ୍ଧୁମୟ ଅବାହାୱା। ପାହୁଲେ ପାହୁଲେ ଅଳିଆ ଆବର୍ଜନାରେ ପୂର୍ଣ୍ଣ। ସାପ ବେଙ୍ଗ କର ଘରଟା ଉପରେ ବର ଓଷ୍ତ ସବୁ ଉଠିଯାଇ ବିରାଟ ଦ୍ରୁମ ପାଲଟିଲାଣି।
ଗଛର ସିଅଳ ଓ ଚେର ଗୁଡ଼ାକ ଛତରେଇ ହୋଇ ଚାରିପଟକୁ ମେଲି ଯାଇଛି। ତା ଉପରେ ବିଭିନ୍ନ ପ୍ରକାର ନଟି ମାଡ଼ି ଯାଇ କେଉଁଠି କେମିତି ଏଡ଼େ ଏଡ଼େ ବିଷାଣି ଫଳ ସବୁ ଓହଳିଛି। ସେଇଠି ଅଛି ପୁଣି ଇଟା, ପଥର ଓ ବାଲିର କେଇଟା ଗଦା, ଯାହା ହୁଏତ କାମ ବେଳେ କିଛିଟା ବଳକା ରହିଯାଇ ଥାଇପାରେ । ବିଛୁଆତି ଗଛ କେଇଟା ମଧ୍ୟ ତାରି ପାଖକୁ ଝୁଲି ରହିଛି।ଘରଟା ଭିତରେ କେଇଟା ଯାଗାରେ ଠାଏ ଠାଏ କଣ୍ଟା ଓ ହାଡ଼ ଗୁଡାକ କିଛି ମଧ୍ଯ ଖେଳେଇ ହୋଇ ପଡ଼ିଥାଏ, ତାକୁ ହୁଏତ କେଉଁ ବିଲୁଆ କି ଶିଆଳ କାହାର ମଢ ଟାଣି ପକାଇ ଥାଇ ପାରେ। ପୁଣି ଛାତରୁ ପାଣି ଗଳି ଓ ଛାତରୁ କେଯାଏଁ ସ୍ଥାନରୁ ଛେଦରା ଛେଦରା ଖସି କିମ୍ଭୁତ କିମ୍ଭକାର ଦିଶୁଥାଏ।ଦିନରେ ତ ଡର ମାଡ଼ିବ ରାତି କଥା ଛାଡ଼। ଏଇଟା ଘର ନୂହେଁ ତ ଗୋଟେ ରହସ୍ୟମୟୀ କୋଠି, ଯେଉଁଠିକି ମଣିଷ ଥରେ ଯାଇ ଫେରିବାଟା ସତରେ କଷ୍ଟ ।ୟା ମାଆ ଦ୍ଵିତୀୟା ପୋତିଥିଲା ବୋଲି ଖାଲି ଏଠୁ ଉଦ୍ଧୁରିକି ଯାଇଛି। ଏମିତି କିଛି ସେଦିନ ବନ୍ଧୁ ମାନେ କହୁଥିଲେ। ଯାହାହେଉ ଘଟଣାଟି ସେଦିନ କିଛି କିଛି ସତ ସତ ନଜରକୁ ଆସୁଥିଲା ହେଲେ ଲୋକ ଗୁଡ଼ାକଙ୍କର ଦୁର୍ଦ୍ଦଶା ପ୍ରତି ବ୍ୟଥିତ ହେଉଥିଲା ମନ ପ୍ରାଣ – ଏ କି ଅନ୍ୟାୟ? ଦାଦନ ଶ୍ରମିକ ପ୍ରତି ହୃଦୟରୁ ବିଗଳିତ ହେଉଥିଲା ଅନୁକମ୍ପା ରାଶି। କାନ୍ଥରେ ଛାପି ହୋଇଥିବା ସେଇ ଅସ୍ପଷ୍ଟ ଚିତ୍ରଟାକୁ ବନ୍ଧୁ ମୋର ତୂଳୀରେ ଆଙ୍କି ଏକ ଫଟୋ ଚିତ୍ର ଧରି ଫେରିଲୁ ସମସ୍ତେ ହଷ୍ଟେଲ୍।

ପୂର୍ବ ଉତ୍ତାରୁ.. ..କ୍ରମଶଃ 8

ପୂର୍ବ ଉତ୍ତାରୁ.. ..
କ୍ରମଶଃ…. ଭାଗ 8
ପରିତ୍ୟକ୍ତ କୋଠି.. ସାମୁଏଲଙ୍କ ନେତାପ୍ରୀତି..
ଲୋକଟା ପ୍ରତି ମନରେ କୌତୁହଳ ଜାଗ୍ରତ ହେଲାରୁ ଚାରି ବନ୍ଧୁ ମିଶି ତା ଘର ଦ୍ୱାରାର ପତା ନେଲୁ। ବଡ଼ ଅଜବ ଲୋକଟା ।ଗୋଟେ ରୀତିମତ କସରତ କରି ତା ବିଷୟରେ ତଥ୍ଯ ସଂଗ୍ରହ କଲୁ। ପୂର୍ଣ୍ଣାଙ୍ଗ ରିପୋର୍ଟ ହସ୍ତଗତ ହେଲା ବେଳକୁ ଆମ ଦଫା ରଫା ବାହାରି ଯାଇଥିଲା। ବାପରେ ବାପ! ଏତେ କଳାକାରନାମା, ପୁଣି ଗୋଟେ ଲୋକଠିଁ? ଗୋଟେ ପରେ ଗୋଟେ ଫର୍ଦ୍ଦ ଉନ୍ନୋଚିତ ହେଉଥାଏ, ଆଉ ଆମେ ସବୁ ନୋଟ୍ କରୁଥାଉ। ହୁଏତ ଏହା ବିଶେଷ କାହାର କାମରେ ଆସି ନପାରେ, ହେଲେ ଗୋଟେ ଘଟଣାର ମୂଳ ପର୍ଯ୍ୟନ୍ତ ନଯାଇ ଅଧା ବାଟରେ ଛାଡି ଦେଲେ, ମନଟା କେବେ ବୁଝିବ କି? କିଛି ନହେଲେ ରିସର୍ଚ୍ଚ ପେପରରେ ତ କାମରେ ଆସିବ।ତେଣୁ ସମସ୍ତେ ଟିକେ ଆଗ୍ରହ ଦେଖାଇଲେ। ତହୁଁ ତ କାମରେ ଲାଗିଗଲୁ। ଆରମ୍ଭ ହେଲା ଦୌଡ଼।
ସାମୁଏଲ ସାହେବ ଗୋଟେ ସାଧାରଣ ଲୋକ ନଥିଲା, ଅସାଧାରଣ ତା’ର ପ୍ରତିଭା। ଆଉ ତା’ର ଏଇ ଅସାଧାରଣ ପ୍ରତିଭାର ବିକାଶ ଘଟିଥିଲା, ସେ ଯେଉଁଦିନ ପ୍ରଥମ କରି ଏହି ସହରରେ ପାଦ ଥାପିଥିଲା। ପ୍ରଥମେ ପ୍ରଥମେ ତ ସେ ଗୋଟେ ବେକାରୀ ଯୁବକ ହୋଇ ନିଜ ପାଇଁ ଅନ୍ନ ସଂସ୍ଥାନଟିଏ ଯୋଗାଡ଼ କରିବା ଲକ୍ଷ୍ୟରେ କେତେ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିଲା। ଯେତେବେଳେ କିଛି କୁଆଡୁ ନ ପାଇଲା ସେତେବେଳେ ନେତାଙ୍କର ଚାପୁଲିଶ କଲା। କେମିତି କ’ଣ ସୁଯୋଗ ଦେଖି ଆଗ ନେତାଙ୍କର ନିଜ ଲୋକ ହେଲା ଓ ତା’ପରେ ତାଙ୍କ ଇସାରାରେ ଧାଇଁଲା। ଯେଉଁଠି ଦେଖିବ ନେତାଙ୍କ ପାଖ ଲାଗିରହିଥିବ। ଆଦୌ କର ଛଡା ହୁଏ ନାହିଁ। ତେଣୁ ସେ ନେତାଙ୍କର ଭାରି ପ୍ରିୟ। ସବୁ କାମରେ ଆଗ ଡାକରା। ନେତାଙ୍କର ଭଲମନ୍ଦ ପାଇଁ ସେ ଦାୟିଦାର। ସିକ୍ୟୁରିଟି ବିଭାଗଟା ତା ହାତରେ ନ୍ୟସ୍ତ । ସେ ଗ୍ରୀନ୍ ସିଗନାଲ୍ ନ ଦେଲା ଯାଏଁ ନେତା ଘରୁ ବାହାରନ୍ତି ନାହିଁ। ପୁଣି ନେତା କେଉଁଠିକୁ ଯିବେ ଓ କେଉଁଠି ରହିବେ, ସେସବୁ ତାଲିକା ଆଗ ତା ହାତକୁ ଧରେଇ ଦିଆଯାଏ। ତେଣୁ ସେହି ଅନୁସାରେ ସେ ସବୁ ଯୋଗାଡ ଯନ୍ତ୍ର କରିରଖିଥାଏ। ନେତାଙ୍କର ଯାହା ଦରକାର ସେ କଥାଟା ତ ସେ ଆଗୁଆ ତା କାନରେ ଫୁସଫୁସ୍ କରି କହି ଦେଇଥାନ୍ତି, ତେଣୁ ଖାଲି ବନ୍ଦୋବସ୍ତ କରି ରଖିବା ତା କାମ। ତେଣିକି ସେ ନାରୀ ହେଉ ବା ମଦ ଅବା ମାଉଁସ ଠିକ୍ଠାକ୍ କରି ରଖିବା ତା ଦାୟିତ୍ଵ, ଯାହାକୁ ସେ ଗୁରୁ ଜ୍ଞାନ କରିଥାଏ। ସେଥିପାଇଁ ତ ନେତା ତାକୁ ମୁଠା ମୁଠା ଟଙ୍କା ଦେଉଛନ୍ତି। ସରକାରୀ କାମ ହେଉ ବା ଅଣସରକାରୀ କଣ୍ଟ୍ରାକ୍ଟି କାମ, ଆଗ ତା ନାଁ ସୁପାରିଶ ହୋଇଥାଏ, ତେଣିକି ଟେଣ୍ଡର ଫ୍ଲକ୍ସିଂ ବରଂ ହେଉ।। ଏଥିପାଇଁ ତ ସେ ନାହିଁ କରି ପାରେ ନାହିଁ, ସବୁ କଥାକୁ ହଁ, ବରଂ ଯୋଗାଡ଼ କରିବାଟା କାଠିକର ପାଠ ହେଉ।
ସେଦିନ ନେତା କଳାହାଣ୍ଡି ଗସ୍ତରେ ଯାଇଥିଲେ। ରାତିକ ଆଇ. ବି. ରେ ରହିଲେ। ଉଦ୍ଦେଶ୍ଯ- ହରିଣ ମାଂସ ଖାଇବେ ଓ ଆଉ ଗୋଟେ ଦେଶୀ ମାଲ୍ ଚାଖିବେ। ତଦନୁସାରେ ସେଠାକାର ଗୋଟେ ଦଲାଲକୁ ଧରିଲେ। ସେ ଆୟୋଜନରେ ଲାଗିଗଲେ। ସାମୁଏଲ ସାହେବ କହିଲେ – “ଯେତେ ପଇସା ଲାଗୁ ଡରିବାର ନାହିଁ। ହେଲେ ମୋ ନେତାଙ୍କର ମନୋସ୍କାମନା ଯେମିତି ପୂରଣ ହୁଏ। ଦେଶୀ ମାଲ୍ ଛରଡା ହୋଇଥିଲେ ଭଲ। ନହେଲେ ଅଇଁଠା ଲଗା ସେ ଖାଇବେ ନାହିଁ”। ଦଲାଲ ସୁନାରାମ କହିଲେ – “ବାବୁ! ଆମେ ସବୁ ଜାଣି ପାରିଛେ, ତୁମାର କଟକୀ ଭାଷା ଆମେ କି ନାଇଁ ବୁଝିଛେ, ବାବୁ! ହେନତା ନାଇ ଭାବ। ଆମି କଥାଟା ଠିକ୍ ଧରିଛେ, ତୁମେ ବ୍ୟସ୍ତ ନାଇଁ ହଅ।ଆମର ଘରେ ନା! ଏକ ନରିଆଣୀ ଅଛି। ମୁଇଁ କାମ ଅଛି କହି ଆଜିର ଦିନଟା ରଖି ଦେଉଛି। ମୁହଁ ହାତ ବାନ୍ଧକେ ଗାଡିରେ ମୁଁ ରାଖି ଦେବି। ସେଠୁ ତୁ ତାକୁ ଉଠାଇ ନେବୁ। ବାସ୍ କାମ ଖତମ। ଧରେଇ ଦୁଉଛେ ଧର, ଆଶ କରି ନାଇନାର (ନା ଶବ୍ଦ) କି ବାବୁ? ତୁ ଏଇରି ଲାଗି tension ନାଇଁ ଲେ ବାବୁ!”
ସେୟା ହେଲା ନେତା କାମ ଧନ୍ଦା ସାରି ଆଇ. ବି. ଫେରିଲେ, ଆଉ ଯାହା ବଳକା ଲୋକ ବାକ ଥିଲେ ତାଙ୍କୁ ମଧ୍ୟ ସଅଳ ବିଦା କରିଦେଲେ। ହରିଣ ମାଂସ ପ୍ରସ୍ତୁତ। ଭୋଜନ ପେଟେ ଖାଇ କାହାକୁ ଗୋଟେ ବାରମ୍ବାର ଅନିସା କରି ରହୁଥାନ୍ତି। ରାତି ଗୋଟେ ହେଲାଣି ।ଚାରିଆଡ଼େ ନିସ୍ତବ୍ଧତା ଛାଇ ଯାଇଥିଲା। ସାମୁଏଲ ଫେରିଲା। ଡିଙ୍କି ଭିତରୁ ହାତ ଗୋଡ ବନ୍ଧା ହୋଇଥିବା ସୁନ୍ଦରୀ ତରୁଣୀଟେ ବାହାରିଲା। ଛୋଟ ପିଲାଟା। ବୟସ ପନ୍ଦର କି ଷୋହଳ, ଯେତେବେଳେ ଦୁନିଆର ଭଲମନ୍ଦ ସବୁ ସେ ବୁଝିବାକୁ ଅକ୍ଷମ। ସାମୁଏଲ ଟାଣିଟାଣି ଆଣି ନେତାଙ୍କ ରୁମ୍ ରେ ଛାଡିଦେଲା। କହିଲା – “ବାବୁଙ୍କ କଥା ମାନି ତାଙ୍କ ପାଖେ ରାତିଟା ରହିବୁ, ସକାଳ ହେଲେ ମୁଠା ମୁଠା ଟଙ୍କା ଦେବେ। ସୁନାରୂପା ଗହଣା ଯାହା ଚାହିଁବୁ ଦେବେ। ହେଲେ ବେଶୀ ବଦମାସି କରିବୁ ନାହିଁ, ନୋହିଲେ ବାବୁ ରାଗିବେ ଆଉ ବାବୁ ରାଗିଲେ, ମୁଁ ରାଗିଯିବି। ମୁଁ ରାଗି ଗଲେ ତୋ କଲିଜାକୁ ଝୁଣି ଖାଇଦେବି। ଏକାବେଳକେ ମରିବୁ। ଅରକଲ (ଅସହାୟ ) ନନୀଟା ବ୍ୟସ୍ତ ହେଉଥାଏ, କହୁଥାଏ – “ନାଇଁ ବାବୁ ତୁ ହେନତା ନାଇ କର! ମାୟୀ ବାପୁ ରିଘା ହେବେ। ମୋତେ ଏଠୁ ଝଅଟ ନେଇ ଯା ବାବୁ! ମୁଁ ତୋର ଗଡା ଧରେ। ମୋ ମାୟୀ ଖୋଜି ଖୋଜି ନାଇ ଖାଇଥିବ” । ସେ ବା କାହିଁକି ଶୁଣିବ ଓଲଟା ତୋଡ଼ ଦେଖାଇ କବାଟ କିଳି ଦେଲା।. ଗଲା ବେଳେ କହିଗଲା – “ସାର୍! ମୁଁ ଟୋକୀଟାକୁ ଆଚ୍ଛା କରି ବୁଝେଇ ଦେଇଛି, ଏଣିକି ଆପଣଙ୍କ କାମ, ଆପଣ ସମ୍ଭାଳନ୍ତୁ”। ନେତା ମଦ ନିଶାରେ ଝୁମୁ ଥାନ୍ତି। ମଦ ପିଉ ପିଉ ସେ ଠୋ ଠୋ ହସି ଉଠିଲେ, ସେଇ ବିଭତ୍ସତାପୂର୍ଣ୍ଣ ହସରୁ ମୁଠାଏ। ସାମୁଏଲ କବାଟ ଦେଇ ଫେରି ଆସୁଥାନ୍ତି, ସେ ମଦ ପିଆଲାଟା ନେଇ ସେଇ ଅପ୍ରାପ୍ତ ବୟସ୍କା ଝିଅଟିର ପାଟିରେ ଜବରଦସ୍ତ ପୁରାଉଥାନ୍ତି। ସେ ନାଇଁ ନାଇଁ ହୋଇ ଥୁ ଥୁ କରି ସବୁ ଫିଙ୍ଗି ଦେଉଥାଏ ।ହାତ ଦେଖାଇ ଅଟକେଇବାକୁ ଚେଷ୍ଟା କରୁଥାଏ। ନେତା ତା ଶାଢ଼ି କାନିଟାକୁ ଗୋଟେ ହାତରେ ଟାଣି ଧରି ଉନ୍ମୁକ୍ତ କରିବାକୁ ଚାହୁଁଥାନ୍ତି, କହି କହି – “ଖେଦରେ ପିଲେ ଲୁଠିକେ ଜାଲି, ହୁଣାର(ହେଟାବାଘ) ରେମିନ୍ଥେ ଆମର ଭେଲି” । ଝିଅଟା ଘିରିଘିରି ହୋଇ ଘୁରୁଥାଏ। ଆତ୍ମ ରକ୍ଷା ପାଇଁ ଶେଷ ଚେଷ୍ଟା, ତନୁ ଦେବତାଙ୍କୁ ଖାଲି ଗୋଟେ ଜୁହାର।ତା’ର ଟଁଟା (ଗଳା) ଦେଇ ଗହଦ (ଘର୍ମ ଜଳ) ବୋହି ଆସୁଥାଏ। ସେ ତାଳି ମାରି ମଜା ଦେଖୁଥାନ୍ତି ଓ ଥେଇଥେଇ କରି ତାକୁ ଆହୁରି ନଚାଉଥାନ୍ତି। ନନୀଟା ଟିକେ ରିଝା (ରାଗ) ହୋଇ ହିଂସିଲିଆ ହେଲାରୁ ନେତା କହିଲେ-” କାହେ ମାହାଲିଆ ହାକ୍ ଦଉଛୁ, ଦେଖି ତ ଡରି ମରୁଛୁ “। ସେ ଆତ୍ମରକ୍ଷା ପାଇଁ ଲୁଚକୁଚ ହୋଇ ନାଚୁଥାଏ। ଇଏ ଅତି ନିର୍ଲଜ୍ଜ ଭାବେ ତା ଅଙ୍ଗ ଦେଶମାନ ଛୁଇଁ ଛୁଇଁ ଯାଇ ତାକୁ କହଦହ କରି ଖାଉଥାନ୍ତି, ଯେପରି ସେ ଗୋଟେ ନିରୀହା ହରିଣୀ ଅକଲିଆରେ ପଡିଛି ଆଉ ତା’ର ଅଲନ (ଦୁର୍ଯୋଗ) ମହାବଳ ବାଘ ତାକୁ ଝୁଣି ଝୁଣି ତା ଉତ୍ତପ୍ତ କଞ୍ଚା ମାଂସଗୁଡାକ ଚୋବାଇ ଚୋବାଇ ଚାକୁଚାକୁ କରି ଖାଉଛି। ଆଉ ନିରୀହା ହରିଣ ଶିଶୁ ଶାବକଟି ବିକଳରେ ଭୂଇଁରେ ଏପଟ ସେପଟ କରି ମୁହଁଟାକୁ ଘସୁଛି ଓ ହାତ ଗୋଡ଼ ଦୁଇଟାକୁ ଛାଟିପିଟି ଆତ୍ମ ରକ୍ଷା ପାଇଁ ଅବିରତ ଚେଷ୍ଟା କରୁଥାଏ। ହେଲେ ବାଘର ଶକ୍ତି ନିକଟରେ ହାର ମାନି ଯାଉଥିଲା କୋମଲାଂଗୀ। ଶେଷରେ ଶିକାରୀ ହାତରେ ଧରା ଦେଉ ଦେଉ ନିସ୍ତେଜ ପାଲଟି ଯାଉଥିଲା ଶରୀର । ବାଘ ଶରୀରଟା ସାରା ତା ନଖ ଓ ପାଟିରେ କ୍ଷତାକ୍ତ କରି ସାରିଲା ପରେ ଶରୀରଟାରୁ ଝିରିଝିରି ହୋଇ ବୋହିଆସୁଥିଲା ରକ୍ତ। ବହୁ ସମୟର ସଂଘର୍ଷ ଫଳରେ ଦେହଟାରୁ ପ୍ରାଣ ବାୟୁ ବୋଧେ ଅଲଗା ହୋଇଯାଉଥାଏ। ନେତା କିନ୍ତୁ ହର୍ଷୋତ଼୍ଫୁଲ୍ଲିତ, ପ୍ରସନ୍ନ ତାଙ୍କ ଚିତ୍ତ । ଡାକିଲେ – “ସାମୁଏଲ! ଏଟାକୁ ଏଠୁ ନେଇଯାଅ। ରାତି ପାହିଲା ପୂର୍ବରୁ ନେଇ ଛାଡ଼ି ଆସ”। ସାମୁଏଲ ହାତରେ ଉଠାଇ ନେଇ ଚାଲିଗଲେ, ଦେଖିଲା ବେଳକୁ ଦେହରେ ଜୀବନ ନାହିଁ। ବଡ଼ ଅଡୁଆରେ ପଡିଗଲେ, ଘଞ୍ଛ ଜଙ୍ଗଲରେ ନେଇ ଛାଡି ଆସିଲେ, ହୁଏତ ବିଲୁଆ ଶିଆଳ ରାତି ପାହିଲା ବେଳକୁ ଟାଣି ପକେଇ କିଏ କେତେ ରକମର ଖାଇ ପକେଇ ଥିବେ।

ଭାଗ9.. .. .. .. ପୂର୍ବ ଉତ୍ତାରୁ..

ଏହି ଏତିକିରେ କାହାଣୀ ସରୁ ନଥିଲା। ଆହୁରି କେତେ ଫର୍ଦ୍ଦ ତା ସମ୍ପର୍କରେ ଯୋଡି ହେଇ ଯାଉଥିଲା। କଲେଜରୁ ଅଠର ଥରକେ ସେ ବି. ଏ. ପାସ କରିଛି। ଶେଷ ଥର ଯେବେ ସେ ବି. ଏ ପାସ କରିଥିଲା ଟେବୁଲ୍ ଉପରେ ଗୋଟେ ଛୁରୀ ପୋତି ଦେଇଥିଲା। କହିଲା – “ଯିଏ ମୋଠାରୁ କପି ଛଡାଇବାକୁ ଆସିବ ସିଧା ତା ପେଟରେ ପୁରାଇ ଦେବି”। କେହି ଡରେ ଗଲେ ନାହିଁ। ଯାହା ହେଉ ଟେବୁଲ୍ ଉପରେ ବହି ପକାଇ ଉତ୍ତାରିଲା। ଏଥର ସେ ବି. ଏ. ଖଣ୍ଡକ ଜେନେତେନେ ପ୍ରକାରର ପାସ୍ କରିଗଲା। ହେଲେ ଚାକିରୀ ବାକିରି ଖଣ୍ଡେ ନାସ୍ତି। ବାର ଦୁଆର ବୁଲି ନିରାଶ ହେବା ଫଳରେ ଆହୁରି ଗୁଣ୍ଡାଗିରି କଲା। କଲେଜ କ୍ୟାରିଅରରେ ମଧ୍ୟ ସେ ଏଇ ବେଉସା ତ ଆପଣେଇ ଥିଲା। ସେଦିନ ପରା ତା ସମର୍ଥିତ ପ୍ରାର୍ଥୀ କଲେଜ ଇଲେକ୍ସନରେ ହାରିଗଲା ବୋଲି ପ୍ରତିପକ୍ଷର ନିର୍ବାଚିତ ସଭାପତିକୁ ଗୋଡାଇ ଗୋଡାଇ ହାଣିଥିଲା। ଏଇଟା ନାଁରେ କେତେ କ’ଣ କ୍ରିମିନାଲ୍ ରେକର୍ଡ ଅଛି। ଏବେ ସେ ସେଇ ବେପାରଟାକୁ ବଢାଇ ଦେଲା। ନିଜ ଜୀବନ ଓ ଜୀବିକାର ମାନଦଣ୍ଡ ନିର୍ଦ୍ଧାରଣ କଲା ତା ଗୁଣ୍ଡାଗିରି ବେଉସା।
ସେ ନେତାଙ୍କ ପାଇଁ କାମ କରେ। ନିର୍ବାଚନ ଆସିଲେ ତାକୁ ଖୋଜା ପଡେ। ବୁଥ୍ କ୍ୟାପ୍ଚରୀଂ ପାଖରୁ ଆରମ୍ଭ କରି ପ୍ରତିପକ୍ଷ ଲୋକଙ୍କୁ ଡରେଇବା ପର୍ଯ୍ୟନ୍ତ ସବୁ କାମ ସେ କରେ। ଭୋଟରଙ୍କୁ ରାତିରେ ବୁଲିବୁଲି ନେତାଙ୍କ ପାଇଁ ପଇସା ବାଣ୍ଟେ। ଫଟୋ ଛୁଆଁଇ ନିୟମ କରାଇ କୁହେ – ଦେଖ! ପଇସା ନେଉଛ, ହାଡେ ହାଡେ ଗଣିଦେଉଛି, କିନ୍ତୁ ଫଟୋ ଛୁଇଁ ନିୟମ କରି କୁହ ଯେମିତି ଏହି ଚିହ୍ନରେ ଭୋଟ ପଡେ, ନହେଲେ ଭୁଜାଲି ପେଲି ଦେବି, ଚିହ୍ନିବ ମୁଁ କେମିତିକା ଲୋକ। ଯିଏ ପଇସା ନଧରିଲା ସେ ଅଧିକ ମଲା, କୁହେ – “ଏଇଟା ଆର ଦଳୀୟା, ତେଣୁ ପଇସା ନେଲା ନାହିଁ, ରହ! ନିର୍ବାଚନ ପରେ ତୋ କଥା ବୁଝୁଛି”। ଲୋକେ ଡରେ ବାପ ରାଣେ ଢିଙ୍କି ଗିଳି, ତେଣୁ ପଇସା ଧରନ୍ତି।କେହି କେହି ଲୋଭରେ ପଡ଼ି ମଧ୍ୟ ପଇସା ଧରନ୍ତି ଓ ଭୟ ପାଇ ଏଇ ବାବୁ ଭୟା କଥାରେ ଭୋଟ ଦିଅନ୍ତି। ଏହି ତ ଅର୍ଥ ଓ ବାହୁବଳ-ଆଜିର ରାଜନୀତି। ଯେଉଁଠି ବିଚାର ସର୍ବସ୍ଵ ଅର୍ଥ ଦେଇ ମତ କିଣା ଯାଇ ପାରୁଛି। ତେଣୁ ଭଲ ଲୋକ ରାଜନୈତିକ ମଇଦାନକୁ ଆସି ପାରୁ ନାହାଁନ୍ତି।
ସେଥର ନିର୍ବାଚନରେ ତା ଦଳିଆ ନେତା ଜିତାପଟ ନେଲାଠୂଁ ସେ କୃତଜ୍ଞତା ପ୍ରକଟ କରି ସବୁ ବଡ଼ ବଡ଼ କଣ୍ଟ୍ରାକ୍ଟି କାମ ତାକୁ ଦେଲେ। କାମ ହେଉ କି ନହେଉ ତା ବିଲ୍ଟା କିନ୍ତୁ ଆଗ ପାସ୍ ହୋଇଯାଏ। ଉପରୁ ପରା ନିର୍ଦ୍ଦେଶ ଥାଏ, ତେଣିକି କାମର ମାନଦଣ୍ଡ କିଏ ମାପୁଛି। ଏଣୁ ଭଲ ଦି ପଇସା ସେ ଜିନ୍ଦେଗୀରେ ରୋଜଗାର କରି ପାରିଥିଲା। ମଣିଷଙ୍କୁ କିନ୍ତୁ ମଣିଷ ପରି ଦେଖେ ନାହିଁ, କୁକୁର ମାଙ୍କଡ଼ଠୁଁ ହୀନ ବ୍ୟବହାର କରେ। ଲୋକେ ତା ଭୟରେ ତା’ର କେହି ସାମ୍ନା ହୁଅନ୍ତି ନାହିଁ।
ତା’ର ପୂର୍ବ ଜୀବନର କେଇ ପୃଷ୍ଠା କିନ୍ତୁ ବଡ଼ ଦୁର୍ବିଶହ ଥିଲା। ଝୁମ୍ପୁଡି ବସ୍ତିରେ ଜୀବନ ବିତିଛି। ଖାଇବାକୁ ମୁଠେ ଶାନ୍ତିରେ ପାଇ ନାହିଁ। ପର ଓଳି ତଳେ ବାପ ଗୋସବାପାଙ୍କର ଜୀବନ କଟିଛି। ଠେଲା ଖଣ୍ଡକରେ ବାପ ପିଲାମାନଙ୍କର ଜୀବନ ପୋଷିଛି। ଦାରିଦ୍ର୍ୟକୁ ଏତେ ନିକଟରୁ ଦେଖିଥିବା ଲୋକଟାର କେମିତି କେଜାଣି ଏମିତି ଆତ୍ମିକ ପରିବର୍ତ୍ତନ ହୋଇଗଲା। ଜଣେ ନିଜେ ଗୋଟେ ଦରିଦ୍ର ପୃଷ୍ଟଭୂମିରୁ ଆସି ଓ ଦରିଦ୍ର ଲୋକ ହୋଇ ମଧ୍ଯ ଯଦି ଅନ୍ୟ ଦରିଦ୍ର ଜନର ଦୁଃଖ ବୁଝି ପାରିଲା ନାହିଁ, ତେବେ ଭଗବାନଙ୍କର ଏହା ଦୋଷ ନଦେଇ ଆଉ କାହାକୁ ଦେବା କହୁ ନାହାଁନ୍ତି? ସତରେ ଦୁନିଆଟାର ଅବକ୍ଷୟ ଧାରା ଆଜି କେଉଁଆଡ଼େ? ସହଜରେ ବୁଝିଲା ଭଳି କ୍ଷମତା ହୁଏତ ଆମର ନାହିଁ। କିନ୍ତୁ ଏହି ସାମୁଏଲ ଭଳି ଗଣ୍ଡେ ଛଅଟା ଲୋକ ଯଦି ଏହି ସମାଜରେ ରହିବେ ତେବେ ସମାଜରେ ବିପର୍ଯ୍ୟୟ ଆଣିବାକୁ ହେଲେ ଅସୁରମାନଙ୍କୁ ଆଉ ଉଦଣ୍ଡ କରିବାକୁ ପଡ଼ିବ ନାହିଁ।
ଖାଲି ଖାଲି ସମାଜରେ ହଟ ଚମଟ ସ୍ୱତଃ ସୃଷ୍ଟି ହେବା ପାଇଁ ପ୍ରକୃଷ୍ଟ ପୃଷ୍ଠଭୂମି ତିଆରି ହୋଇଯିବ। ହେ ରାମ! ଏମାନଙ୍କୁ ଟିକେ ପାରି କର। ବାସ୍ତବରେ ରାମ ଓ ରାବଣ – ଏଇ ଦୁଇଟିଯାକ ଚରିତ୍ର କ’ଣ ଷ୍ଟାଟିକ୍ ଇନ୍ ନେଚର ଅର୍ଥାତ୍ ସ୍ଥିର ଓ ଅପରିବର୍ତ୍ତନୀୟ ଚରିତ୍ର। କାରଣ ଆମେ ସାଧାରଣତଃ ଦେଖିଥାଉ ରାମ ଭିତରେ ସଦ୍ଗୁଣାବଳୀ ସଦା ପରିଲକ୍ଷିତ ହେଉଥିଲା ବେଳେ ରାବଣ ଭିତରେ ନାନା କୁଗୁଣାବଳୀ ଭର୍ତ୍ତି ହୋଇ ରହିଥିଲା। ଏମାନେ ପ୍ରକୃତରେ ଦୃଢ଼ ଓ ଶକ୍ତିଶାଳୀ ଚରିତ୍ର। ଏମାନଙ୍କ ଭିତରେ ପରିବର୍ତ୍ତନ ଅନାୟାସରେ ଆସେ ନାହିଁ। ଏମାନେ ବାହ୍ୟ ପ୍ରଭାବରହିତ। ସହଜରେ ପରିବର୍ତ୍ତିତ ହୁଅନ୍ତି ନାହିଁ ଏମାନଙ୍କ ଗୁଣକର୍ମ ସଦା ଅପରିବର୍ତ୍ତିତ ରହିଥାଏ। କହନ୍ତି ନାହିଁ ଘୁସୁରି ପ୍ରକୃତି ପଙ୍କେ ଲୋଟେ ଓ ମଣିଷ ପ୍ରକୃତି ମଲେ ତୁଟେ। ବାସ୍ତବ କଥା ସାମୁଏଲଟା ମୂଳରୁ ଏୟା। କିନ୍ତୁ ସମାଜରେ ତ ଆହୁରି ଥୋକେ ରାଉଣ୍ଡ କ୍ୟାରେକ୍ଟର ଅଛନ୍ତି, ଯେଉଁମାନେ କି ପରିସ୍ଥିତି ଓ ପରିବେଶରେ ଅଧିକତର ବଦଳନ୍ତି। ଭଲ ପରିବେଶ ସେମାନଙ୍କୁ ମିଳିଲେ କେତେ ଭଲ ହୋଇଯାଆନ୍ତି। ଯେମିତିକି ଦସ୍ୟୁ ରତ୍ନାକର ବାଲ୍ମିକୀ ପାଲଟି ଗଲେ।ହେଲେ ସାମୁଏଲ ପରି ଚରିତ୍ର କେମିତି ଏତେଟା ବାହ୍ୟ ପ୍ରଭାବ ମୁକ୍ତ ହୋଇଯାନ୍ତି କେଜାଣି? ଏମାନଙ୍କର ଭିଲିଏନିଟି କେବେ ମରି ପାରେନା।ବରଂ ପାଉଁଶ ତଳର ନିଆଁ ଗଦା ପରି ଜୁକୁଜୁକୁ ହୋଇ ସଦା ଜଳୁଥାଏ, ଆଗାମୀ ଦିନରେ ସମାଜକୁ ଭସ୍ମୀଭୂତ କରିବା ପାଇଁ। ସେମାନଙ୍କ ଦନ୍ତୁରା ପାଟିରେ ଓ ଧାରୁଆ ନଖରେ ପୁଣି ଦୁନିଆଟାକୁ କ୍ଷତବିକ୍ଷତ କରିବା ପାଇଁ। ତେଣୁ ସମାଜରୁ ଏମାନଙ୍କୁ ସମୂଳେ ବିନାଶ କରାଯିବା ଉଚିତ୍।

ମଦ ଓ ନାରୀ ସାମୁଏଲର ମୁଖ୍ୟ ଆୟୁଧ, ଯଦ୍ୱାରା ସେ କେତେ କେତେ ଅସମ୍ଭବ କାର୍ଯ୍ୟ ପରା ସବୁ ସାଧିତ କରି ପାରିଛି। ସ୍ୱାର୍ଥ ପାଇଁ ସେ ସବୁକିଛି ଜଳାଞ୍ଜଳି ଦେଇପାରେ। ସେଦିନ ସ୍ୱାର୍ଥାନ୍ଧ ହୋଇ କେଇଟା ମାତ୍ର୍ ପଇସା ରୋଜଗାରର ଲାଳସାରେ ନିଜ ସ୍ତ୍ରୀଟାକୁ ମଧ୍ଯ ବନ୍ଧା ପକାଇଦେଲା।
ଥରେ ନେତା ସାମୁଏଲର ଆତିଥ୍ଯ ଗ୍ରହଣ କରି ତାଙ୍କ ଘରକୁ ଭୋଜି ଭାତ ଖାଇବାକୁ ଆସିଥିଲେ। ସେଠି ତାଙ୍କର ଆଖି ପଡ଼ିଥିଲା ସାମୁଏଲଙ୍କ ସ୍ତ୍ରୀ ଉପରେ। ସାମୁଏଲଙ୍କ ସ୍ତ୍ରୀଟା ବି ଅପୂର୍ବ ରୂପବତୀ ଲାବଣ୍ୟମୟୀ ସ୍ତ୍ରୀ ଲୋକଟିଏ। ସେ ପରା କଲେଜ କ୍ଯୁଇନ ଥିଲେ। ଏହି ସାମୁଏଲଟା ଗୁଣ୍ଡାଗିରି କରି ତାକୁ ଜୋହର ଜବରଦସ୍ତି କରି ଘରୁ ଉଠେଇ ଆଣି ବାହା ହୋଇ ପଡିଥିଲା। ତେଣୁ ତାଙ୍କ ରୂପ ଯୌବନର ତୁଳନା କରିହେବ ନାହିଁ। ବାସ୍ତବରେ ସେ ଅନିନ୍ଦ୍ୟା ସୁନ୍ଦରୀ। ମନ୍ତ୍ରୀଙ୍କ ନଜର ତାଙ୍କ ଉପରେ ପଡ଼ିବାରୁ ସେ ଲାଳାୟିତ ହୋଇ ଉଠିଲେ। ତେଣୁ ଏ କଥାଟାକୁ ସେ ବୁଲେଇ ବଙ୍କେଇ ବଡ଼ ଆଦବ କାଇଦାରେ ସାମୁଏଲଙ୍କୁ କହିଲେ।ବଡ଼ ରକମର ଡିଲ୍ ମଧ୍ୟ ଗୋଟେ କଲେ। କହିଲେ – ଦେଖ! ସାମୁଏଲ ତୁମେ ଏବେ କଣ୍ଟ୍ରାକ୍ଟି ଛାଡି ଦିଅ। ଏଣିକି ତୁମକୁ ମୁଁ ନେତା କରିଦେବି। ଏଥର ତୁମେ ଏମ. ଏ. ଏଲ୍. ପ୍ରାଥୀ ଭାବେ ଲଢ଼, ଲୋକଙ୍କ ଠାରୁ କେତେ ସମ୍ମାନ ପାଇବ ଆଉ ତୁମର ପ୍ରତିପତ୍ତି ଓ ପ୍ରଭାବ ବହୁତ ବଢିଯିବ। ହେଲେ ମୋର ଗୋଟେ ଛୋଟ ଅଭିଳାଷା ପୂରଣ କରିବାକୁ ହେବ। କ’ଣ ତୁମେ ରାଜି ତ? “ଏ କଥା ଶୁଣି ସାମୁଏଲ ବଡ଼ ଲାଳାୟିତ ହୋଇ ପଡୁଥିଲେ। ତେଣୁ ତାକୁ ଆଉ ଆଖିକୁ ଭଲମନ୍ଦ ଓ ହାନିଲାଭ କିଛି ଦେଖାଯାଉ ନଥିଲା। କେବଳ ଏମ୍. ଏ. ଏଲ୍ ହେବାର ନିଶା ବ୍ୟତୀତ। ଏପଟେ ତ ମଦ ନିଶାଟା ତାକୁ ଜୋହର୍ ଚଢି ଯାଇଥାଏ। ତେଣୁ ନିଶା ଭୋଳରେ କହି ପକାଇଲା-” ହୋଉ କୋୟୀ ପରବାଏ ନାହିଁ, କିନ୍ତୁ ଖାଲି ଆଜି ରାତିଟା.. ତା ପରେ ଆଉ ମୋଟେ ନାହିଁ। ତୁମେ ମୋନାଲିସା ପାଖକୁ ଯାଅ, ମୁଁ କବାଟ ଦେଇ ଏଇଠି ଯଗିଲି”। ଏତିକି କହି ସେ ସେଇଠି ନିଶାରେ ଟଳି ପଡ଼ିଲା। ନେତା ତା’ର ଶୋଇଲା ଘରେ ପଶି କାମ ବଢେଇ ଦେଲା। ସେଦିନ ମୋନାଲିସା କେତେ ବିକଳରେ ସାମୁଏଲକୁ ଡାକିଥିଲା, ହେଲେ ସେ ଗାଢ ନିଦ୍ରାରେ ଶୋଇ ଖାଲି ହୁଁ ଢୁଁ ମାରୁଥିଲା। ସେପଟେ ମୋନାଲିସାର ଇଜ୍ଜତ ଅକ୍ଲେଶରେ ଲୁଟି ହୋଇଯାଉଥିଲା। ରାତି ପାହିବା ପୂର୍ବରୁ ନେତା ଫେରି ଯାଇଥିଲେ। ମୋନାଲିସା ଜଡ ନିର୍ବେଦ ପାଲଟି ଯାଇଥିଲେ। ସେଇଦିନୁ ସେ ପାଗଳୀ, ପାଗଳୀ ମୋନାଲିସା। ନିଶା ଉତୁରି ଗଲା ପରେ ମନସ୍ତାପ ହେଲା। ନେତାକୁ ଫୋନ୍ କରି ଗାଳି ଗୁଲଜ କଲା। କହିଲା – “କେଉଁଠି ଅଛୁ ତୁ ରହ! ମୁଁ ଯାଇ ତୋ କଲିଜାକୁ ଝୁଣି ଖାଇବି”। ଏତକ କହି ଗାଡି ବାହାର କଲା। ହେଲେ ନେତାଙ୍କ ଲୋକ ତାକୁ ବାଟରେ ଜଗି ଗାଡି ଆକ୍ସିଡେଣ୍ଟ କରିଦେଲେ। ସେଇଦିନୁ ଘରେ ପଡ଼ିଛି, ସ୍ତ୍ରୀ ସେପଟେ ପାଗଳୀ। ପିଲାଗୁଡାକ ଆଉ ହେପାଦସ୍ଥ ନ ପାଇବାରୁ ସବୁ ଅବହେଳାର ଶିକାର ହୋଇ ରୋଗଗ୍ରସ୍ତ ହୋଇ ପଡ଼ିଛନ୍ତି। ଧନ ସମ୍ପତ୍ତି ସବୁ ଧୀରେ ଧୀରେ କ୍ଷୟ ହେବାକୁ ବସିଲାଣି।। ଆଉ କଣ୍ଟ୍ରାକ୍ଟି ନାହିଁ କି ଟାଣପଣ। ସମୟର ପ୍ରଭାବରେ ସବୁ କୁଆଡ଼େ ଲୀନ ହୋଇଯାଇଛି। ମଣିଷକୁ ପୁଣି ଏମିତି ଦଶା ଭୋଗ କରିବାକୁ ପଡ଼ିପାରେ।

ଭାଗ10.. … 

ପରିତ୍ୟକ୍ତ କୋଠି.. ଭାଗ 10
By ସତ୍ୟ ପ୍ରକାଶ ସେଠୀ
କିଶୋରଟା ଭାରି ଚିଡ଼ୁଆଟେ ।କହିଲା – “ତୋ ଭୂତ ଲେଖା ଥେସିସଟା ସେତିକିରେ ଥାଉ। ଆମର ଗୋଟେ ପରୀକ୍ଷା ଅଛି। ଆମେ ଆଗ ପଢ଼ାପଢ଼ି କରିବୁ, ତେଣିକି ଯୋଉ କଥା। ପରୀକ୍ଷା ପରେ ପୁଣି ତୋ କଥା ବୁଝିବା”। ଜ୍ଞାନ କହିଲା – “ହଁ ରେ ଭାଇ ଯାହା କହିଲୁ! ଏ ପାଗଳ ସାଙ୍ଗରେ ପଡି ଆମେ ବି ବାୟା ହୋଇଯିବା”। ହେଲେ ବିଦ୍ୟା ପ୍ରସ୍ତାବ ଦେଲା – “ଏଥର ଦୁର୍ଗା ପୂଜା ଛୁଟିରେ ଆମ ଘରକୁ ଯିବା। କାରଣ ସେଇଠି ଭୂତମାନଙ୍କର ଘର-ସେ ଖବର ବୁଝିଛି “। ସମସ୍ତେ ତା ପ୍ରସ୍ତାବରେ ହଁ ମୋହର ମାରି ସମ୍ମତି ଜଣାଇଲେ।
ପୁନଶ୍ଚ ଏକ ବିରାଟ ବ୍ୟବଧାନ ଉପରାନ୍ତେ ଚାରି ବନ୍ଧୁ ଏକାଠି ହେଲୁ। ଦୀର୍ଘ ଦିନ ଛୁଟି ହେବା କଥା ଜାଣି ମନଟା ସମସ୍ତଙ୍କର ଟିକେ ହାଲକା ହୋଇଯାଇଥିଲା। ହେଲେ ଭୂତ ରହସ୍ୟ କାହାରି ମନରୁ ଏଯାଏଁ ଓହ୍ଲାଇ ନଥାଏ। ତେଣୁ ଚର୍ଚ୍ଚା ପୁଣି ଜୋହର୍ ଧରିଲା।
ବନ୍ଧୁ ବିଦ୍ୟାଧରର ଘର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକରେ। ଫରଙ୍ଗ ତା ଘର। ସେଇ ପାଖକୁ ଲାଗି ଡୁମୁରିପଦା ଗାଁ, ଯେଉଁଠି ସେମାନଙ୍କର ଘର, ଯେଉଁମାନେ କି ଭୂତ ହୋଇ ସେଦିନ ରାତିରେ ମୋତେ କହୁଥିଲେ ସେମାନଙ୍କର ଦୁର୍ଦ୍ଦଶାର କାହାଣୀ।
ଦୂର୍ଗା ପୂଜା ଛୁଟି ବେଳ। ଦୀର୍ଘ ଦିନ ଛୁଟି ହେବା କଥା ଜାଣି ସମସ୍ତେ ମନରେ ଉତ୍ସୁକତା ଭରି ବାହାରିଥାନ୍ତି ନିଜନିଜ ଘର ବା କିଛି ଦର୍ଶନୀୟ ସ୍ଥାନ ବୁଲି। ଦିନଠୁଁ ସାଙ୍ଗ ସାଥୀ ଯିଏ ଯୁଆଡେ ବାହାରି ଚାଲିଗଲେଣି। ଆମ ଭଳିଆ ଅଳ୍ପ କେତେକଙ୍କର ଅପେକ୍ଷା ରାତିକୁ, ଯେଉଁମାନେ କି ଦୂର ଦୂରାନ୍ତକୁ ଯିବା ପାଇଁ ଯୋଜନା ତିଆରି କରି ବସିଥାନ୍ତି। ଆମର ଆଗୁଆ ଟିକଟ କିଣା ସରିଯାଇଥାଏ। ବିଦ୍ୟାଧର ସହିତ ଆମେ ଯିବୁ କଳାହାଣ୍ଡି। ରାତିକୁ ବାହାରିବ ବସ୍। ଗମେଣ୍ଟ ବସ୍ ଭଲ ସେଠିକୁ ଚଳାଚଳ କରେ। ପ୍ରାଇଭେଟ ବସ୍ ସେତେବେଳେ ସେତେ କିଛି ନଥିଲା। ଯାହା ହେଉ ସେଇ ଧରଡା ବସ୍ ରେ ଯାଇ ବସି ପଡ଼ିଲୁ।
400 କି. ମି. ରାସ୍ତା- କ’ଣ କମ୍ ତି ହୋଇଛି, କଲିକତାଠାରୁ ବି ଅଧିକ ହେବ। ଯାହା ବି ହେଉ ରାତି ହେଲାଠୁଁ ବସ୍ ଟାଇମ଼ ହୋଇଗଲା। ଗାଡିରେ ଯାଇ ବସି ପଡ଼ିଲୁ। ଆଉ ବାଟରେ ଖାଇବା ଚିନ୍ତା ନଥାଏ, ତେଣୁ ନିଜନିଜ ସିଟରେ ମୁଣ୍ଡ ଗୁଞ୍ଜି ଢୁଳେଇ ପଡ଼ିଲୁ। ସକାଳୁ ସକାଳୁ ବସ୍ ଯାଇ ଲାଗିଲା ଧରମଗଡ଼ରେ।ତା ପୂର୍ବରୁ ଗୋଟେ ପୋଲ ନିକଟରେ ବୋହି ଯାଉଥିବା ଏକ ଜଳଧାର ପାଖରେ ବସ୍ ଅଧ ଘଣ୍ଟା ଅଟକି ଥିଲ। କଣ୍ଡକ୍ଟର ଓ କ୍ଲିନର କହିଲେ – “ଝାଡ଼ା ପରିସ୍ରା ଯିଏ ଯିବା କଥା ଝପଟ ସାରି ଆସିଯାଅ! ଆଉ ବାଟରେ କେଉଁଠି କହିଲେ ବି ଅଟକିବ ନାହିଁ”। ଆମେ ପ୍ୟାଣ୍ଟ ସାର୍ଟ ଖୋଲି ପକାଇ ଖଣ୍ଡେ ହାଫ୍ ପ୍ୟାଣ୍ଟ ଓ ଗାମୁଛା ଧରି ବୀର ଦର୍ପରେ ଓହ୍ଲାଇ ପଡି ସେଇଠି ନିତ୍ୟ କର୍ମ ସାରି ଦେଇଥିଲୁ। ଭାରି ଆରାମ ଲାଗୁଥିଲା ଶରୀର। ସେଇ ଧରମଗଡରୁ ପୁଣି ଆଉ ଗୋଟେ ବସ୍ ଗୋଲାମୁଣ୍ଡା ଆଡ଼କୁ ଯାଏ। ସେଇଥିରେ କିଛି ସମୟର ଅପେକ୍ଷା ପରେ ବସିଲୁ। ପୁଣି ଗୋଟେ ଛକ ପଡିଲା, ସେଠି ଓହ୍ଲାଇ ପଡି ବେଶ୍ କିଛି ବାଟ ଚାଲିବା ପରେ ଆସିଲା ଫରଙ୍ଗ ଗାଁ, ଯେଉଁଟାକି ଆମର ପ୍ରକୃତ ଗନ୍ତବ୍ୟସ୍ଥାଳ। ବାଟରେ ଭଲ ଅନୁଭୂତି କିଛି ହେଉଥାଏ। ପାହାଡ଼ ପର୍ବତ ଘେରା ଅଞ୍ଚଳ, ମନ ମଧ୍ୟରେ ଭିନ୍ନ୍ ପ୍ରକାରର ଆନନ୍ଦ ଅନୁଭୂତ ହେଉଥାଏ। ବାଟସାରା ବିଦ୍ୟା ସବୁ ଧାରା ବିବରଣୀ ଶୁଣାଉଥାଏ। ଏଇଟା ଅମକ ସେଇଟା ସମକ ।ଏଠାକାର ଲୋକ ଭାରି ସରଳ, ନିରଳ ନିରଳସ ତାଙ୍କର ଜୀବନଯାପନ ଶୈଳୀ । ଅମାୟିକ ମଣିଷ ସେମାନେ , ସରଳ ତାଙ୍କର ବିଚାରଧାରା। କଟକୀ ବାବୁ ପ୍ରତି ଟିକେ ସନ୍ଦିହାନ ଦୃଷ୍ଟି କିନ୍ତୁ ଭାରି ଭଲ ବ୍ୟବହାର। ସେଇ ଗଲାବାଟରେ ପଡେ ଗୋଟେ ପଥୁରିଆ ନାଳ। ଆସିଲା ବେଳେ ସେଥିରେ ପାଣି ନଥିଲା। ଡେଇଁ ଡେଇଁକା ଚାଲି ଆସିଲୁ। ସେଇଟାର କାଳେ କିଛି ଠିକ୍ଠିକଣା ନଥାଏ। ସେଠି କେତେବେଳେ ବେକେ ପାଣି ତ ଆଉ କେତେ ବେଳେ ଉପରମୁଣ୍ଡ ମୁଣ୍ଡିଆ ପାହାଡ଼ରେ ବର୍ଷା ହୋଇଗଲେ, ଏକୂଳ ସେକୂଳ ଖାଏ। ଅକାତ କାତ ପାଣି। ପୁଣି ଆଉ ବେକକୁ ପେଟଟା ଅନ୍ତ ଖାଲୁଆ ହୋଇଯାଇ ଶୁଖିକି ଚୋପା ପଡିଥାଏ। କେତେ ଲୋକ ପରା ସୌଦାପାତି ପାଇଁ ସେପାରିକୁ ଯାଇ ଫେରିଲା ବେଳକୁ ଏଇଠି ଭାସି ଯାଇ ଆର ଗାଁ ମୁଣ୍ଡରେ ଲାଗିଛନ୍ତି ।ଏଠି ଘଡିକେ ଘୋଡା ଛୁଟେ। ଭାରି ବିପଦଜ୍ଜନକ ତଥା ଭୟାନକ ସ୍ଥିତି, ଯାହା ଗାଁ ପାଇଁ ମୁଖ୍ୟ ପ୍ରତିବନ୍ଧକ ଓ ବିକାଶର ଅନ୍ତରାୟ। ଚୀନକୁ ‘ହୋ ୟାଙ୍ଗ ହୋ’ର ଦୁଃଖ ପରି – ଏ। ଗପସପରେ ଭାସିଭାସି ବିଦ୍ୟା ଘରଠିଁ କେତେବେଳେ ଆସି ପହଞ୍ଚିଗଲୁଣି ଜାଣି ହେଉନଥାଏ।
ବିଦ୍ୟାର ବାପାମାଆ ଓ ପରିବାର ଲୋକ ଆମକୁ ଦେଖି ସେଦିନ ନାହିଁ ନଥିବା ଖୁସି ହେଉଥିଲେ। ବଡ଼ ଆଗ୍ରହରେ ଆତିଥ୍ୟ, ଅତିଥି ଅଭ୍ୟର୍ଥନା ଓ ଖିଆପିଆ ହେଲା। ଗାଁର ଘର ଗୁଡିକ ପ୍ରାୟତଃ ନୁଆଁଣିଆ ଛାଏନ୍(ଛାଣ) ଛପର ଘର। ପୁଣି ସେଇଠି ଅଛି ନଦୁ କାନ୍ଥରେ ତିଆରି ହୋଇଥିବା କେଇଟା ଦୋତାଲା ଘର ଓ ଖପର ସିଆଁ ଛପର। ଉଚ୍ଚା ପିଣ୍ଡା, ପୁଣି ପଟା ଉପରେ ମାଟି ପଡି ମାଣ୍ଟୁ ତିଆରି ହୋଇଛି, ସେଇଟା ଦୋତାଲାର ଚଟାଣ। ଘରଗୁଡିକ ବେଶ୍ ପରିଷ୍କାର। ପାଉଁଶ ଓ ନାଲି ମାଟି ରଙ୍ଗରେ ଘର ଗୁଡିକ ଲିପା ପୋଛା ହୋଇ ବେଶ୍ ସୁନ୍ଦର ଚିତ୍ର ବିଚିତ୍ର ଲାଗୁଥାଏ, ଯେମିତି କାନ୍ଥରେ କ୍ୟାନଭାସ ଉପରେ କିଏ ସବୁ ଚିତ୍ର ଆଙ୍କିଛି। ସେଠି ସେରନ୍ତା ଘର ବୋଇଲେ, ଗୁଇଁନ୍ତିଆ ଓ କୁମୁଟିଆ ସମ୍ପ୍ରଦାୟ। ସେମାନଙ୍କର ଚଳାଚଳ ଟିକେ ଫର୍ଚ୍ଚା। ଏମାନେ ପଇସା ପତ୍ର ଧାର ଉଦ୍ଧାର ଲୋକଙ୍କୁ ଦିଅନ୍ତି ଓ ସୁନାରୂପା ସବୁ ବନ୍ଧକୀ ମଧ୍ଯ ରଖନ୍ତି। ଏଇ ମାନଙ୍କର ବି ବଜାର ଘାଟରେ ଦୋକାନ ଅଛି, ତେଣୁ ଭାରି ଚଳିବାର ଲୋକ ଏମାନେ। ଅନ୍ୟ ଯେତକ ଲୋକ ରହିଲେ ସେମାନଙ୍କର ଦୁଃଖଭାଗ ଅଧିକ। ପରର ମୂଲ ବା ଫସଲ କେରାକ ଉପରେ ନିର୍ଭର କରନ୍ତି। କେହି କେହି ଜଙ୍ଗଲଜାତ ପଦାର୍ଥ ଆଣି ହାଟରେ ବିକି ମଧ୍ଯ ଦୁଇ ପଇସା ରୋଜଗାର କରନ୍ତି। ହେଲେ ପାଣି କଷ୍ଟିଆ ଯାଗାଟା ହୋଇଥିବାରୁ ଲୋକେ ନାନା ହଇରାଣ ହରକତ ହୁଅନ୍ତି। ନଳକୂଆଟେ କେଉଁଠି ଗୋଟେ ଅଧେ, ସେ ପୁଣି ଅନେକ ଦୂରରେ।ୱାଟର ଲେବଲ ଏଠାକାର ବହୁତ ତଳେ ଥିବାରୁ ଝିରିଝିରି ହୋଇ ଘଣ୍ଟାଏ ଟ୍ୟୁବୱେଲ ମାଡ଼ିଲେ ମୁନ୍ଦେ ପାଣି ବାହାରେ। ପିଇବା ପାଣି ମୁନ୍ଦାକ ପାଇଁ ମଧ୍ଯ ଭାରି କଷ୍ଟ। ଅନ୍ୟାନ୍ୟ ଧୂଆ ପଖାଳ ପାଇଁ ଝରରୁ ପାଣି ମୁଣ୍ଡାଇ ସ୍ତ୍ରୀଲୋକମାନେ ନ ହେଲେ ଭାରେଇ ପୁରୁଷ ଲୋକମାନେ ଆଣିଦେଇଥାନ୍ତି।
ମୁଣ୍ଡ ଉପରେ ବଡ଼ରୁ ସାନ କ୍ରମେ ମାଠିଆର ତୋରଣ ହେଲା ଭଳି ସୁଉଚ୍ଚ ପାଚେରୀ ଓ ପୁଣି ଲମ୍ବା ଧାଡ଼ି ହୋଇ ସ୍ତ୍ରୀଲୋକମାନଙ୍କର ଏ ପଦଯାତ୍ରା ଦେଖିଲାବାଲାକୁ ବେଶ୍ ଆମୋଦପ୍ରଦ, କିନ୍ତୁ ବୋହିଲାବାଲାର ଶାରୀରରୁ ପ୍ରାଣ ଅଲଗା ହୋଇ ଯାଉଥାଏ। ଖଣ୍ଡେ ଦୂରରୁ ତେଣ୍ଡାକୁ ତେଣ୍ଡା ତିନି ଚାରି ତେଣ୍ଡାକେ ଗଛପଟା ନାଳୁଆରେ, ଯାହାକୁ ସେମାନେ ଯୋତ ବା ଯନ୍ତା କୁହନ୍ତି ସେଥିରେ ପାଣି ମଡାଇ କେହି କେମିତି ଫଳ ଫଇସଲି ମୁଠେ କରିଥାନ୍ତି। ନହେଲେ ଟେକା ପାଣିରେ ଚାଳ ଉପରକୁ ଗଛ ପତ୍ରଟେ ଟେକି ଦେଇ ଯାହା କିଛି ଫସଲ ଉଗୁଳାନ୍ତି। ଭାରି କଷ୍ଟକର ଜୀବନ ଏମାନଙ୍କର । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚଳି ଯାଆନ୍ତି।
ଝାଡ଼ା ଯିବାକୁ ହେଲେ ପାଣି ନୋଟିଆ ଧରି କୋଶେ ବାଟକୁ ଯିବାକୁ ପଡ଼େ। ସେଇଠି ପାହାଡ଼ ପରିକା ଖୁବ୍ ଉଚ୍ଚା ହୋଇଥିବା ଜମିର ହିଡ ତଳେ ଲୁଚିକି ବସି ଯିବାକୁ ହୁଏ। ସେଠାକାର ଲୋକମାନେ ଦେଖିଲି ଲୁଗାଟାକୁ ସମ୍ପୂର୍ଣ୍ଣ ହିଡ ଉପରେ ଥୋଇ ଦେଇ ମଳ ତ୍ୟାଗ ପାଇଁ ଚାଲିଯାଆନ୍ତି। ଭାରି ଅଡୁଆ ଲାଗୁଥିଲା ନୂଆ ଯାଗାରେ ନୂଆ ଅନୁଭୂତି।
ସେଇଠି ଅବଶ୍ଯ ଚାରି ପାଞ୍ଚ ଖଣ୍ଡ ଗାଁ କେ ଗୋଟେ ଅଧେ ସମୁଦ୍ର ପରିକା ବଡ଼ ପୋଖରୀ ଆମେ ଦେଖିଲୁ, ଯାହାକୁ ପଥର ଠୋଲିଆ ପାଣିଝର ବୋଲି ଲୋକେ କହୁଥିଲେ। ସେଠି ବି ବଡ଼ ବଡ଼ ମାଛ ଚାଷ ହୋଇଛି। ବିଦ୍ୟା ଆମ ପାଇଁ ଗୋଟେ ସାତ କିଲିଆ ଭାକୁରର ମାଛ କିଣି ଆଣିଥିଲା। ସେତେବେଳକୁ ଆମେ ବଜାର ଘାଟ କରି ଓ ଚାରିଆଡ଼େ ବୁଲାବୁଲି କରି ବେଶ୍ କିଛି ଲୋକ ପରିଚିତି ଓ କିଛି ଲୋକଙ୍କ ସହିତ ଆତ୍ମୀୟତା ବଢାଇ ସାରିଥିଲୁ।

ସେଠାକାର ଲୋକ ଭାରି ଗହଣାଗାଣ୍ଠି ପ୍ରିୟ। ଆଉ କୋଉଠି ସୁନା ଥାଉକି ନଥାଉ ନାକରେ ଗୋଟେ ବଡ଼ ନୋଥ ଓ କାନରେ ନୋଳି କିନ୍ତୁ ନିଶ୍ଚିତ ଥିବ। ଦୁଇ ବାହୁ ଆଉ ଗୋଡ଼ରେ କଙ୍କଣ ବି ଥାଏ। ସେଇଠି ବି କୁଆଡ଼େ ହୀରା ମିଳେ। କାଳେ ପଥର ଶିଙ୍କଡ ଭିତରେ ଗୋଟେ ସରୁ ଜନ୍ଦା ଗାତ ଭଳିଆ ଝିରି ଗାତଥାଏ। ସେଟାକୁ ଖୋଳି ସେମାନେ ହୀରା ଓ ଗୋମେଦ ତଥା ଶୈବାଳ ପରି କିଛି କିଛି ମୂଲ୍ୟବାନ୍ ପଥର ପାଇଥାନ୍ତି। କିନ୍ତୁ ଏହି ଖୋଜିବା ପ୍ରକ୍ରିୟାଟା ଭାରି ଲମ୍ବା। କେଉଁଠି କେମିତି ବା ସନ୍ଧାନ ଗୋଟେ ଅଧେ ମିଳେ। ପୁଣି ସେ ସନ୍ଧାନଟା ପାଇଲା ପରେ ବଡ଼ ପଥର ବ୍ୟବସାୟୀ ଅଛନ୍ତି, ସେ ତା ଉପରେ କବ୍ଜା କରି ନେଇ ଭଲ ଚାଲାଣ ବ୍ୟାପାର କରନ୍ତି।ମଧ୍ଯପ୍ରଦେଶ ଦେଇ ଚୋରା ବେପାରଟା ଭଲ ଜମେ। ତାଙ୍କୁ ନେତା ଏ ଦିଗରେ ସାହାଯ୍ଯ କରିଥାନ୍ତି। ସାଧାରଣ ଲୋକର କିଛି ବିଶେଷ ଲାଭ ହୁଏ ନାହିଁ। ସେ ଖାଲି ଦୌଡ଼ିଦୌଡ଼ି ଖୋଜିବା ଯାଏଁ ଲୋଭରେ ପଡ଼ି ଥୋକେ ପରିଶ୍ରମ କରେ।

ସେଠାକାର ପୁନେଇଁ ପର୍ବ, ସଂସ୍କୃତି ଓ ପରମ୍ପରା ମଧ୍ୟ ଭିନ୍ନ ପ୍ରକାରର। ତନୁ ଦେବତା ତାଙ୍କର ଭାରି ପ୍ରିୟ। ନୂଆଖାଇରେ ପ୍ରଥମ ଧାନ କେରାକ କାଟି ତାଙ୍କୁ ହିଁ ଆଗ ସମର୍ପି ଦିଆଯାଏ। କେହି ଜଣେ ମରିଗଲେ ତାକୁ ମାଟି ଢାଙ୍କି ଦେଇ ତା ଉପରେ ଗୋଟେ ଗଛର ଡାଳ ଭାଙ୍ଗି ପୋତି ଦିଆ ଯାଏ। ତାଙ୍କର ବିଶ୍ବାସ ଏହି ଡାଳ ଥିଲା ଯାଏ ସେ ଆତ୍ମା ପାଖରେ ଘୁରିବୁଲେ ଓ ତା’ପରେ ପୁନର୍ଜନ୍ମ ନେଇଯାଏ। ସେହି ସେମାନଙ୍କର ବିହାଘର ଓ ଭୋଜିଭାତ ଟିକେ ଅଲଗା। ବିହାଘର ଠିକ୍ ହେଲା ପରେ ଅଣ୍ଡିରା ପିଲା ଆଗ ଥରେ ଦୁଇ ଥର ଟୋକୀ ଘରେ ରାତ୍ରି ଯାପନ କରେ। ତା’ପରେ ସେ ହଁ ଭରିଲା ପରେ ବିହାଘର ଚୂଡାନ୍ତ ହୁଏ। ସେହିପରି ବିହାଘର ଭୋଜି ଦିନ କନିଆପିଲା ଓ ବରପିଲା ଏକାଠି ଡାଳପତ୍ର ଉପରେ ବିଛଣା ପାରି ଶୁଅନ୍ତି। ଏପଟେ ଶାଳପତ୍ର ଉପରେ ଭାତ ତରକାରୀ ବଢା ହୋଇରହେ। ଦୁଆର ମୁହଁରେ ବୁଢୀ ଗୋଟେ ଆଇ କିମ୍ବା ବୁଢୀ ମା ବୟସରେ ଜଗିକି ରହେ। ସେ କାନେଇ ଶୁଣୁଥାଏ ଓ ଯେତେବେଳେ କହିବ – “ହେଁସ ଖଡଖଡ ହେଲାରେ ଭାଇ ଏଥର ପଙ୍ଗତ ପକାଅ” , ତା’ପରେ ଯାଇ ଖିଆପିଆ ହୁଏ। ଏହି ପରି ସବୁଠି ସବୁ କଥା ଟିକେ ଭିନ୍ନ ପ୍ରଥା।

ସେଠିକାର ରୋଗ ବଇରାଗ ପରିସ୍ଥିତି ଅତି ଭିନ୍ନ୍ ଓ କିଛିଟା ଉତ୍କଟ ମଧ୍ଯ। ରୋଗର ଲକ୍ଷଣ ଗୁଡାକ ଭାରି complicated ବା ଜଟିଳ ।ଜଣେ ଡାକ୍ତର ବନ୍ଧୁ ପରା କହୁଥିଲେ – “ଏହି ପେରିଫେରିରେ ଯିଏ2/3 ବର୍ଷ ପ୍ରାକ୍ଟିସ୍ କରିନେବ ସେ ଜଣେ ଭଲ ଡାକ୍ତର ହୋଇ ବାହାରିବ”। କାରଣ ଲୋକେ ସହଜେ ଏଠି ଡାକ୍ତର ମୁହଁ ମାଡନ୍ତି ନାହିଁ, ରୋଗ ପରିସ୍ଥିତି ବଢି ବଢି ମରଣ ଯନ୍ତାରେ ନ ପହଞ୍ଚିଲା ଯାଏଁ । ଏମାନେ କଟକୀ ବାବୁ ମାନଙ୍କର ବ୍ୟବହାର ଓ ବଡ଼ପଣକୁ ଭାରି ଡରନ୍ତି କି କ’ଣ । ଆଉ ମଧ୍ୟ ସୁଇ (ଛୁଞ୍ଚି), ଧାଗା (ସୁତା), ଶୁଜା(ଇଞ୍ଜେକସନ୍) ଓ ତାକତ୍ ଶୁଜା (ସାଲାଇନ୍)କୁ ସେମାନଙ୍କର ଭାରି ଡର। ବରଂ ସେପଟେ ଏପଟରୁ ଯେଉଁ ଅଳ୍ପ କେତେକ ମାଷ୍ଟ୍ରିଆ ବା ଅର୍ଦ୍ଧ ଶିକ୍ଷିତ କେହି ଅଛନ୍ତି, ସେମାନେ ଯେଉଁ କାନ୍ଧରେ ବ୍ୟାଗଟେ ପକାଇ କ୍ୟୁନାଇନ୍, ଷ୍ଟୋପାଚ ପ୍ରଭୃତି ଯେଉଁ ମେଡିସିନ ଧରି ବୁଲନ୍ତି, ସେମାନଙ୍କୁ ହିଁ ଏମାନେ ବଡ଼ ବୈଦ୍ଯ ମାନିକି ଚାଲନ୍ତି । ନହେଲେ ଗାଁରେ ଦେହୁରିକୁ ଡାକି ଭୋଗରାଗ କରି ବେତମାଡ଼ ଖାଇ ଆସନ୍ତି। ସେତିକିରେ ମାମାଲା ନତୁଟିଲେ ରୋଗ ଦାଉରୁ ମୁକ୍ତି ପାଇବା ପାଇଁ ଗୁଣିଆକୁ ଡାକି ଝଡ଼ାଫୁଙ୍କା କରନ୍ତି। ତା’ର ବଡ଼ କାରଣ ହେଉଛି ସେଠିକାର ପାଣି ପବନରେ ମ୍ୟାଲେରିଆ ଜୀବାଣୁଟା ଅଧିକ। ସିଝାସିଝି କରି ପାଣି ନପିଇଲେ ଓ ଜଗାରଖା କରି ନଚଳିଲେ ଅଚାନକ ବେମାରିରେ ପଡିଯିବାଟା ସାର। ପୁଣି ଏହି ରୋଗଟାର ଲକ୍ଷଣ ହେଉଛି ଭୟଙ୍କର ଜ୍ଵର ସାଙ୍ଗକୁ ଗୋଡହାତ ଘୋଳା ବିନ୍ଧା ହୋଇ ଛେଚାକୁଟା। ପୁଣି ମୁଣ୍ଡବିନ୍ଧା ଓ କମ୍ଫ ଆସି ଦୁଲୁକ, ଯାହାକି ଭୂତ ପ୍ରେତ ଶବାର ହେଲା ପରିକା ଦେହରେ ଚମକ ଟମକ ଜଣାପଡେ। ଏଣୁ ଲୋକେ ଭ୍ରମରେ ପଡି ଅନ୍ଧବିଶ୍ବାସ ଓ ଝଡ଼ାଫୁଙ୍କା ଆଦି ଟୁଟୁକା ଚିକିତ୍ସା ଉପରେ ବିଶ୍ବାସ କରନ୍ତି। ଡାକ୍ତରଙ୍କ ଅଭାବ ମଧ୍ଯ ଏହାର ଗୋଟେ ବଡ଼ କାରଣ ହୋଇପାରେ। ଆଧିକାଂଶ ଲୋକଙ୍କ ମୁଣ୍ଡରେ ଚେଙ୍କ ଦାଗ ଥାଏ। କାରଣ ମୁଣ୍ଡ ବିନ୍ଧିଲେ ଲୁହା ଡଂଡା(ରଡ଼) ନିଆଁରେ ପଚେଇ ଚେଙ୍କ ଦେଲେ ଭଲ ହୋଇଯିବା ଏମାନଙ୍କର ବିଶ୍ବାସ ଅଛି। ଅନେକ ସୁନ୍ଦରୀ ଝିଅମାନଙ୍କ ମୁହଁ ମଧ୍ଯ ଏହି କାରଣରୁ ବିକୃତ ରୂପ ଧାରଣ କରିଥାଏ ଓ କାହାରି କାହାରି ମଧ୍ଯ septic କରିଯାଇ ମେଡିକାଲକୁ ଖଟିଆରେ ବୁହା ହୁଅନ୍ତି। ଯେତେବେଳେ ରୋଗୀ ଆଉ ହଲିଚଳି ପାରିବ ନାହିଁ, ସେତେବେଳେ ହିଁ ଏମାନେ ଡାକ୍ତରଖାନା ଆସନ୍ତି। ଡାକ୍ତର ଓ ଡାକ୍ତରଖାନାର ଘୋର ଅଭାବବୋଧ ମଧ୍ଯ ସେଠି ମନକୁ ବଡ଼ ବ୍ୟଥିତ କରିଥାଏ। ସେ ପାଖ ହସ୍ପିଟାଲରେ ପରା ଜଣେ ନର୍ସ କେବଳ ଡାକ୍ତର ଓ କମ୍ପାଉଣ୍ଡର ସବୁ କାମ ତୁଲାଉଥାନ୍ତି। ଆମେ ଯାହା ସବୁ ଦେଖିଲୁ ଏମାନଙ୍କ ରୋଜଗାରର ପରା ମୁଖ୍ୟ ଭାଗ ସେଇ ରୋଗ ବାବଦକୁ ଖର୍ଚ୍ଚ ହୋଇଯାଏ ଓ କଟକୀ ବାବୁମାନେ ସେମାନଙ୍କଠାରୁ ବେଶ୍ ଦୁଇ ପଇସା ସହଜରେ ଲୁଟି ନେଇ ଯାଇପାରନ୍ତି, ସେମାନଙ୍କର ସରଳତା ଓ ଭୋଲାପଣ ପାଇଁ । କେବଳ ବର୍ଷାପାଣି ଉପରେ ନିର୍ଭର କରି ଅଧିକଂଶ ଜାଗାରେ ଲୋକେ ବଞ୍ଚିବା ବଡ଼ କଷ୍ଟକର ହୋଇ ପଡ଼ିଥାଏ। ତେଣୁ ଏମାନଙ୍କ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇ ପଡିବା ସ୍ଵାଭାବିକ। ସେଥିସକାଶେ ଆଧିକାଂଶ ଲୋକ ଘରଦ୍ଵାର ଛାଡି ବିଦେଶକୁ ଦାଦନ ଓ ଗୋତି ଖଟିବାକୁ ଚାଲିଯାଆନ୍ତି। ଛୁଆ ବିକ୍ରି କଥା ମଧ୍ଯ ମିଛ ନୂହେଁ। ପେଟ ବିକଳରେ ଖାଇବାକୁ ନପାଇ କେଇଟା ମାତ୍ର୍ ପଇସାରେ ନିଜ ଜନ୍ମିତ ପିଲାକୁ ମଧ୍ଯ ଏମାନେ ଦଲାଲଙ୍କ ହାବୁଡରେ ପଡି ପ୍ରଲୋଭନାରେ ବିକ୍ରି କରିଦିଅନ୍ତି। ଭାରି କଷ୍ଟ ଲାଗୁଥିଲା ସେମାନଙ୍କ ଦୁଃଖ ଦୟିନୀ ଦେଖି। ଭଗବାନ ଏ ମାନବ ସମାଜକୁ କେତେକେତେ ଦୁଃଖ ନଦେଇଛନ୍ତି ସତେ?
କ୍ରମଶଃ.. ଭାଗ 11

ପୂର୍ବ ଉତ୍ତାରୁ.. ଭାଗ 11
ପରିତ୍ୟକ୍ତ କୋଠି… ଝିଲିର ପାଶ
ଦିନେ ଦୁଇଦିନର ରହଣି ପରେ ସେଦିନ ଆମେ ବାହାରିଲୁ ଗୋଟେ ଝରଣାର ଉତ୍ପତ୍ତି ସ୍ଥଳ ଝିଲି ପଠାକୁ। ସେଇଟା ଗୋଟେ ସୁନ୍ଦର ପିକନିକ୍ ସ୍ପଟ୍। ଯଦିଓ ଟୁରିଷ୍ଟ ମାନଚିତ୍ରରେ ତା ନାଁଟା ନାହିଁ। ତଥାପି ଭାରି ମନୋରମ ଯାଗାଟି, ତା’ର ପ୍ରାକୃତିକ ଶୋଭାରାଜି ବେଶ୍ ଉପଭୋଗ୍ୟମୟ । ଗଲା ବେଳେ ଦୁଇ କେଜି ଖାସି ମାଂସ ସାଙ୍ଗରେ ଧରି ଯାଇଥାଉ। ଉଦ୍ଦେଶ୍ଯ- ଦିନଟା ସେଇଠି କାଟିବୁ, ଭୋଜିଭାତ ଖାଇ ଘରକୁ ଫେରିବୁ। ସେଠାକାର ମାଂସ ଟିକେ ଅଲଗା। ଖେର କରା ଖୁରରେ ସେମାନେ ପ୍ରଥମେ ଛେଳି ଲୋମ ଗୁଡାକ ଖେର କରି ଦିଅନ୍ତି ବା ଖାରି ସଫା କରିଦିଅନ୍ତି, ତା’ପରେ ନିଆଁରେ ଟିକେ ଶେକି ଦିଅନ୍ତି। ହେଲେ ଚମଡାଟି ସେଇମିତି ଲାଗିଥାଏ ଛାଲି ନଥାନ୍ତି, ତେଣୁ ଭାରି ଟେଷ୍ଟ ଲାଗେ, ପୂରା ଗୁଆ ଘିଅ ପରିକା। ହେଲେ ଯାଗେ ଯାଗେ ଚୂଟି ଗୁଡାକ ଉଇଁଥାଏ, ତେଣୁ ଟିକେ ଘୃଣା ଲାଗେ। ଯାହାବି ହେଉ ସେଇ ଝିଲି ମୂଳରେ ରୋଷେଇବାସ ହେଲା। ଝରଣା ପାଣିରେ ଗାଧୋଇବାଟା ଭାରି ଆମୋଦପ୍ରଦ ଥିଲା। କୁଳୁକୁଳୁ ହୋଇ ଝରଣା ପାଣିଟା ବୋହି ଯାଉଥାଏ। ଭାରି ଜଙ୍ଗଲିଆ, ଗଛର ଘଞ୍ଚତା ପାଇଁ ଛାଇ ସ୍ଥାନମାନଙ୍କରେ ଭାରି ଅନ୍ଧାରିଆ ଦିଶୁଥାଏ। ରୋଷେଇ ସାରି ଖାଇସାରିବା ବେଳକୁ ଚାରିଟା /ସାଢେ ଚାରିଟା ବାଜିଲାଣି। ସେଠିକୁ ଅନ୍ଧାର ଜଲଦି ମାଡ଼ି ଆସେ, କାରଣ ବଡ଼ ବଡ଼ ଗଛ ପତ୍ର ସବୁ ସୂର୍ଯ୍ୟକୁ ଜଲଦି ଲୁଚେଇ ଦିଏ।
କାଠୁରିଆ ଭାଇମାନେ ଜଙ୍ଗଲ ଭିତରୁ ଭଳଭଳ ହୋଇ ସେଇ ବାଟ ଦେଇ ବାହାରି ଆସୁଥାନ୍ତି। ଗଲାବେଳେ କହି ଯାଉଥାନ୍ତି – “ସୁରୁଜା ଦେବତା ଉସରି (ଅପସରି) ଯିବାଗୋ ମୁଇଁ ଯାଛେଁ, କିଏ ଗଲା ନାଇଁ ଦେଖ! ରାତି ଯିବୁ ପିଚ୍ଛାର୍ ନିକେ” ।ଜଲଦି ବାବୁ ପଳେଇ ଚାଲରେ! ଅନ୍ଧାର ମାଡିଅଇଲାଣି, ବାଘ ଭାଲୁ ସବୁ ମୁଣ୍ଡିଆରୁ ଗଡବେ। ପୁଣି ଅନ୍ଧାର ହେଲାନ ଝୁମୁରି ବାହାରି ହଇରାଣ କରିବ। ଆମେ ସବୁ ନବ୍ଯ ସମାଜର ଆଧୁନିକ ଶିକ୍ଷିତ ପିଲା, ତେଣୁ ଏ କଥା ଗୁଡାକ ଏତେ ଗୁରୁତ୍ୱ ଦେଇ ନଥିଲୁ, ଯାହା ବାଘ ଭାଲୁକୁ ଟିକେ ଡରଥାଏ । ଚାହୁଁଚାହୁଁ ସତକୁ ସତ ଘନ ଘୋର ଅନ୍ଧକାର ଛାଇଗଲା। ଲୋକବାକ ସବୁ ସେତେବେଳକୁ ଶୂନ୍ଶାନ୍ ହୋଇଗଲେଣି। ଆମେ ତରବର ହୋଇ ଜିନିଷ ପତ୍ର ସବୁ ରୁଣ୍ଡେଇ ଧରି ଫେରନ୍ତା ଯାତ୍ରା ଆରମ୍ଭ କଲୁ।
ପଛ ପଟରୁ ଛମକଛମା ଗୀତର ତାଳେତାଳେ ଝୁମୁରୁଝୁମା ପାଉଁଜି ଶବ୍ଦ ସହ କିଏ ଗୋଟେ ନାଚିଲା ଚାଲି ଚାଲୁଥାଏ ।କେହି ଯେମିତି ସ୍ତ୍ରୀ ଲୋକଟେ ଫସିକି ଜଙ୍ଗଲରେ ରହିଯାଇଛି ବାଟ ନପାଇ । ସେମିତି ଆମ କଳ୍ପନା ଭିତରକୁ ଆସୁଥିଲା। ତେଣୁ ତାକୁ ଉଦ୍ଧାର କରିବା ପାଇଁ – “କିଏ, କେଉଁଠି ଅଛ, ବାଟ ପାଉନ କି ବୋଲି ଆମ ଭିତରେ ସମସ୍ତେ ପଚାରି ହୋଇ ତାକୁ ଟିକେ ଖୋଜାଖୋଜି କଲୁ । କିଛି ନ ପାଇବାରୁ ଏଭଳି ଅସ୍ୱାଭାବିକ ଘଟଣାରେ ମନ ଟିକେ ଶଙ୍କା ପାଉଥିଲା। ତେଣୁ ଦ୍ରୁତ ପଦପାତରେ ଆଗକୁ ଧାବିତ ହେଉଥିଲୁ।
ସେ କିନ୍ତୁ ଆମକୁ ଅନୁସରଣ କରୁଥିବାର ସ୍ପଷ୍ଟ ଅନୁମେୟ ହେଉଥିଲା। କେତେବେଳେ କେମିତି ଆଗକୁ ଆସି ଯାଇ ଆମକୁ ରାସ୍ତାଟା ବୋଧେ ଚିହ୍ନଟ କରିଦେଉଥାଏ ବା କଡରେ କଡରେ ଚାଲି ତା’ର ଉପସ୍ଥିତିଟାକୁ ଜାହିର୍ କରୁଥାଏ। ପୁଣି ପଛକୁ ଆସିଯାଇ “ମାୟୀ…. ବାପୁ..”ଲମ୍ବିଲା ଡାକଟା ବିକଳେ ଡାକୁଥିଲା। ପାହାଡ଼ ଉପରୁ ତଳକୁ ଖସଲା ଲାଗେ। ଗୋଟେ ପାଦ ଚଲା ସରୁ ଅଣଓସାରିଆ ରାସ୍ତାଟେ ଏକ ମାତ୍ର୍ ଅବଲମ୍ବନ। ସାହାରା ଦେଉଥାଏ ହାତରେ ଧରିଥିବା ଗୋଟେ ଗୋଟେ କାଠ ଡଂଡା(ଦଣ୍ଡା) ।
ଆମେ ଯେତେ ଯେତେ ଦ୍ରୁତ ପଦପାତରେ ଆଗକୁ ଧାବିତ ହେଉଥିଲୁ, ସେତେ ସେତେ ସେଠୁ ଯେମିତି “ମାୟୀ.. ବାପୁ.. “ଶବ୍ଦ ଦୁଇଟା ସ୍ରୁଷ୍ଟି ହୋଇ ପାହାଡ଼ ଶିଗ୍ ବା ଶିଖର ଦେଶରେ ବାଡ଼େଇ ହୋଇ ପୁଣି ଫେରିଆସି ତା’ର ପ୍ରତିଧ୍ଵନି ପ୍ରତିଧ୍ଵନିତ ହେଉଥିଲା ଆମ କର୍ଣ୍ଣ ଗୁହା ଭିତରେ ଯୋହରକିନା।ଟିକେ ପଛକୁ ଫେରି ଚାହିଁଲୁ – କାହିଁ କେହି ନାହିଁ। ହେଲେ ଅନ୍ଧକାର ଭୂତଟା ଖେଦି ଖେଦି ଆସୁଥାଏ, ଆହୁରି ଭୟଙ୍କର ହୋଇ। କିନ୍ତୁ ପାଖରେ କେହି ଦୃଶ୍ୟମାନା ତ ଦୃଶ୍ୟମାନ ହେଉ ନଥାନ୍ତି। ତଥାପି ଶବ୍ଦ ଦୁଇଟା ବାରମ୍ବାର ଆମକୁ ଅନୁଧାବିତ ଓ ଅନୁସରଣ କରୁଥାଏ। ଆମେ ଧଇଁସଇଁ ହୋଇ ପାହାଡ଼ ତଳକୁ ଖସୁଥାଉ। ପାହାଡ ତଳ ବସ୍ତିରେ କେଇଟା ମାତ୍ର ଛାଏନ୍ ଛପର ଘର। ସେଇଠି ପାଣି ଟିକେ ମାଗି ପିଇ ପଚାରିଲୁ – “ଏମିତି କାହିଁକି, ରହସ୍ୟ କଅଣ? ସେମାନେ ବୁଝେଇଦେଲେ ଏଇଟା ଝିଲି ଦେବତାର କାଣ୍ଡ ଅଛି। 2/3 ବରଷ୍ ତଳେ ଏଇଠି ଝୁମୁରୀର ଗଳିତ ଶବ ଉଦ୍ଧାର ହୋଇଥିଲା। କାଠୁରିଆ ଭାଇମାନେ ଖବର ଦେଲାକେ ପୋଲିସ୍ ଆସି ତାକୁ ନେଇଯାଇଥିଲା। ସେ ପୋଷ୍ଟମର୍ଟମ ପାଇଁ ପଠେଇ ଦେଇ କଥାଟାକୁ କୁଆଡ଼େ ଚାପିଦେଲା। ସେ ସୁନାରାମ ଘରେ ନରିଆଣି କାମ କରୁଥିଲା। ରାତିକୁ ଘରକୁ ନାଇଁ ଫେରିଲା। ଶବଟା କିନ୍ତୁ ଯାଇ ଝିଲିର ପାଶେ ମିଳିଲା। ହେଲେ ଏନ୍ତା କେନ୍ତା? ଏଇଟା ସେଇ ସୁନାରାମର କାମ ହୋଇଥିବା ନିଶ୍ଚେ। ସେଇଦିନୁ ଏଇ ଝୁମୁରିଟା ଝିଲି ଦେବତା ହୋଇ ଡରଉଛୁ ଓ ମାୟୀ.. ବାପୁ.. ବିକଳେ ଚିତ୍କାର କରୁଛି। ହେଲେ ତା’ର ମାୟୀ ବାପୁକୁ ମଧ୍ଯ ଏଇ ସୁନାରାମ ଗୋଟେ କେରପାଗଡା (କେମ୍ଫା ଗୋଡ଼ିଆ) ସହିତ ଦାଦନ ଖଟିବାକୁ ବିଦେଶ ପଠେଇ ଦେଇଛି। ସେମାନେ ଗଲେଣି ଯେ ଗଲେଣି ଆଉ କାଁ ମୋଟେ ଫେରି ନାହାଁନ୍ତି। ସେଥିରଲାଗେ ଝିଲି ଦେବତା ସୁନାରାମ ଉପରେ ବଡ଼ ଖିସା (ରାଗ) ହେଉଛି। ସେ ତାକୁ ଶାନ୍ତିରେ ରଖେଇ ଦେଉନାହିଁ। କେଉଁଦିନ ତା ଘରେ ଟେକା ପଥର ବୃଷ୍ଟି କରଛେ ତ ପୁଣି କେଉଁଦିନ ବିଷ୍ଠା ଘରକୁ ଛାଟଛେ। ବେଲେବେଲେ ଭାତ ହାଣ୍ଡିରେ ରକ୍ତ ମୁଣ୍ଡା ମୁଣ୍ଡା ଭାସଛେ ତ ଆର୍ଏକଦିନ ଅଡୁଆ ବାଲ। ହାଡ଼ ମାଲମାଲ ବି ଯାଇ ତା ଘରେ ପଡସି। କେତେ ଗୁନିଆ ଡାକଲାନି, ହେଲେରେ ଝିଲି ଦେବତା ସେମାନଙ୍କୁ ଏଇଁନ୍ତି ହଲାପଟା କରଛେ ଯେ, ସବୁ ଡରେ ପଲାଉଛି। ସୁନାରାମଟା ଏବେ କାଙ୍ଗାଲ ହୋଇଗଲାନି। ତା ଦୁକାନକେ ବି କେହି ଆଉ ସିମିତି ଯାଉନି। ତେଣୁ ତା ବେପାର ମାନ୍ଦା। ସେ ମୁଣ୍ଡ ଉପରେ ହାତ ଦେଇ ବସିଛି। ତା ଘରେ ନିଇତି ମାଡ଼ଗୋଲ। ବାପ ପୁଅ ଭିତରେ ପିଟାପିଟି ଓ ଶାଶୁ ବୋହୂର ଦଣ୍ଡେ ପଡୁନାହିଁ। କଳିଗୋଳ ଝିଲି ଦେବତା ଲଗେଇ ରଖିଛି। ଭାରି ଅଶାନ୍ତିରେ ସେ ଏବେ ଦିନ କାଟୁଛୁ। ବିଦ୍ୟା ପକେଟରୁ ପୁରୀରୁ ଆଣିଥିବା ଫଟୋଚିତ୍ରଟା ଦେଖେଇ କହିଲା – “ୟାଙ୍କୁ ଚିହ୍ନି, ବୁଆ ? ସେ ଆଶ୍ଚର୍ଯ୍ୟ ହୋଇ କହିଲେ – ହଁ ଏଇ ତ ଝୁମୁରିର ମାୟୀ ବାପୁ। ଏମାନଙ୍କୁ ସହରରେ ତୁ ଭେଟିଥିଲୁ କିରେ ବିଦ୍ଯା? ହଁ.. ନାଁ.. ହୋଇ -” ହେଲେ ସେମାନେ ଆଉ ବଞ୍ଚି ନାହାଁନ୍ତି, ସେ କଥା ମୁଁ ତୋତେ ପରେ ସବୁ କହିବି ବୁଆ “। ସେମାନେ ତ ବିଦ୍ୟାକୁ ଚିହ୍ନିଥିଲେ। ତା ପାଖରୁ ଏ କଥା ଶୁଣି ହାଇପସାଇପ ହେଲେ। କହିଲେ ବିଚାରୀ ଝୁମୁରିଟା ଦୈନିକ ତା ମାୟୀ ବାପୁକୁ ଏଇ ଝିଲିର ନିକେ( ପାଖରେ) ଖୋଜୁଛି। ସେ ଜାଣିଲେ ଆହୁରି ରିଘା ହୋଇ ହିଂସିଲିଆ ହେବ। ସତକୁ ସତ ଏ କଥାଟା ଯେମିତି ପାଖରେ ରହି ଝିଲି ଦେବତା ଶୁଣି ପାରିଥିଲା। ଆମେ କଥା ହେଉଥିଲା ବେଳେ ବୁଦାମୂଳେ ଅହରହ କଅଣ ଗୋଟେ ଖସଖସ ହେଉଥିଲା। ଏଥର ମାୟୀ.. ବାପୁ ଆହୁରି କୋହରେ ଡାକି କେହି ଯେମିତି ବିକଳେ ରଡି ଦେଲା, ଭାରି ଭୟଙ୍କର ଶୁଭୁଥିଲା। ବସ୍ତି ମୁଖିଆ କହିଲା – “ବାବୁ ପିଲା ତୁମେ ସବୁ ଝଅଟ ଘରକୁ ପଲା, ଝିଲି ଦେବତା ରିଘା ହେଲାଣି ଏଥର ନାହିଁ ନଥିବା କାଣ୍ଡ ଭିଆଇବ।
ବାସ୍ତବରେ କିଏ ଯେମିତି ଗୋଟେ ଚିରରଚିରି ଶବ୍ଦ କରି ଖୁବ୍ ଜୋହର ଡେଣା ମେଲେଇ ଉଡି ଚାଲିଗଲା। ଆମେମାନେ ଏତକ ଶୁଣି ଝପଟ ଫେରି ଆସୁଥିଲୁ। ବାଟରେ ଗୋଟେ କୋଳାହଳ ଶୁଣି ଅଟକି ଗଲୁ। ସେଇଟା ସୁନାରାମର ଘର ଥିଲା, ଯେଉଁଠି ଅନେକ ଲୋକ ଏକାଠି ରୁଣ୍ଡ ହୋଇଥିଲେ।
ଲୋକଙ୍କୁ ବିଦ୍ୟା ପଚାରିଲା- “କ’ଣ ହୋଇଛି, ଏଠି ଏତେ ଲୋକ କାହିଁ ଜମା ହୋଇଛନ୍ତି” ? ସେମାନେ କହିଲେ – “ସୁନାରାମ ଘରେ ସବୁଦିନେ ଖାଲି ଖାଲିଟାରେ ଝଗଡା ହେଉଛି। ଏଠି କେହି କାହା କଥା ଠିକ୍ସେ ବୁଝି ପାରୁନାହାଁନ୍ତି। ତାଙ୍କର କୋକୁଆଗୋଳ ଚାଲିଛି। ସବୁଦିନେ ଶୁଣୁ ଇଏ ତାକୁ ସେ ୟାକୁ ଦୋଷ ଦେଇ ଝଗଡ଼ା ଆରମ୍ଭ କରନ୍ତି। ସେଇ ଝଗଡାଟା ପୁଣି ବାଡ଼ି ଠେଙ୍ଗା ପର୍ଯ୍ୟନ୍ତ ଯାଏ, ଯାହାର କି କିଛି ସମାଧାନ ନଥାଏ। ଇଏ ତାଙ୍କର ଅଛିଣ୍ଡା ପାଠ, ଯେଉଁଥିରୁ କି ନିଇତି ଅଧ୍ୟାୟେ ଖଣ୍ଡ ମହାଭାରତ ହୁଏ। ଆଜି କିଛି କୁଆଡୁ ନଥିଲା ଅଚାନକ଼ ହାଣ୍ଡିରୁ ଅଡୁଆ ବାଳ ବାହାରିବାକୁ କେନ୍ଦ୍ର କରି ସୁନାରାମ ସ୍ତ୍ରୀ ତା ସାନ ବୋହୂକୁ ଡାଆଣୀ, କୁଲକ୍ଷଣି କହି ଗାଳି ଗୁଲଜ କଲା। ଫଳରେ ବାପ ପୁଅ ଭିତରେ ଗଡ଼ାପଡ଼ା ଲାଗିଲେ। ସୁନାରାମ ଓ ତା ବଡ଼ ପୁଅ ବାବୁରାମ ମିଶି ସାନ ପୁଅ ଚିଲିକାର ମୁଣ୍ଡଟାକୁ ପିଟି ଦୁଇ ଫାଳ କରିଦେଇଛନ୍ତି। ତା ହାତଟା ବି ଛେଞ୍ଚଡା ହୋଇ ଚାରିକି କିତା ହୋଇ ଫାଟି ଯାଇଛି। ସେ ଲହୁଲୁହାଣ ହୋଇ ପିଣ୍ଡାଟାରେ ପଡ଼ି ହାଉଳି ମାଉଳି ଖାଉଛି। କେହି ତାଙ୍କ କଥାରେ ମୁଣ୍ଡ ପୁରାଉ ନାହାଁନ୍ତି କି ଡାକ୍ତରଖାନା ନେଉନାହାନ୍ତି।
ଏ କଥା ଶୁଣି ଚାରି ବନ୍ଧୁ ତାକୁ ଆଣି ଡାକ୍ତରଖାନାରେ ପକାଇ ମଇନା କଲେ। ଡାକ୍ତର ମୁଣ୍ଡଟାକୁ ସିଲେଇ କଲେ ଓ ହାତଟାକୁ ମଧ୍ୟ ପ୍ଳାଷ୍ଟର କଲେ। କହିଲେ – “ଏତେ ରକ୍ତ ଯାଇଛି, ତେଣୁ ରାତିସାରା ତାକୁ ଇଞ୍ଜେକସନ୍ ଓ ସାଲାଇନ୍ ଦେଇ ଟ୍ରିଟମେଣ୍ଟରେ ରଖିବାକୁ ହେବ, ନହେଲେ ତା ଜୀବନ ପ୍ରତି ବିପଦ ରହିଛି। ଚାରି ବନ୍ଧୁ ତାକୁ ଆଡମିସନ କରେଇ ଦେଇ ଘରକୁ ଆସିଲେ ଖାଇବା ପାଇଁ। ପାଖରେ ତ ଘର, ଆଉ ଚିନ୍ତା କ’ଣ। ଖାଇ ସାରି ଚିଲିକା ପାଇଁ ମଧ୍ଯ କିଛି ତରଳ ଖାଦ୍ୟ ପଦାର୍ଥ ଧରିକି ଆସିଲେ। ଘରେ କହି ଆସିଲେ ଆଜି ସେମାନେ ଡାକ୍ତରଖାନାରେ ରହିବେ।
ଡାକ୍ତର ସାଲାଇନ୍ ଦେଲେ। ସେ ଯନ୍ତ୍ରଣାରେ ଛଟପଟ ହୋଇ କହୁଥାଏ – “କଲେ କଲେ ସୁଜା (ଧୀରେ ଧୀରେ ଇଞ୍ଜେକସନ) ଦିଆ ଗୋ ମାଏ” । ଏମାନେ ତା ପିଠି ଥାପୁଡେଇ ଆଶ୍ଵାଶନା ଦେଉଥାନ୍ତି। ରାତି ବେଶୀ ହେଲାଠୁଁ କିଛି ସମୟର ଉପରାନ୍ତେ ତାକୁ ଟିକେ ଉପଶମ ଲାଗୁଥିଲା। ଏମାନେ ଏଥର ତାକୁ ପଚାରିଲେ – “ଦେଖ! ତୁମ ଅବସ୍ଥା ତ ଏୟା। ଆମେ ଯାହା ଶୁଣିଛୁ – ଝିଲି ଦେବତା ତୁମକୁ ହଇରାଣ କରୁଛି।

ପରିତ୍ୟକ୍ତ କୋଠି.. ଭାଗ 12
By ସତ୍ୟ ପ୍ରକାଶ ସେଠୀ
ତା’ର ଆତ୍ମା ଶାନ୍ତି ନପାଇଲା ଯାଏଁ ସେ ତୁମମାନଙ୍କୁ ଶାନ୍ତିରେ ରଖେଇଦେବ ନାହିଁ। ଏ କଥାଟା ପରା ଏକା ଏହି ଗାଁ କାହିଁକି ପାଞ୍ଚ ଖଣ୍ଡି ମୌଜାରେ ଲୋକେ କଥା ହେଉଛନ୍ତି। ଆହୁରି ମଧ୍ୟ ଦେଖିଲ ନାହିଁକି, ସେଦିନ କୁଆଡ଼େ ତୁମ ସ୍ତ୍ରୀର ପିଲାପିଲି ହେବାର ଥିଲା, ସେ କାଳେ ଅଚାନକ଼ ମଝି ବାହାରେ ନାଳୁଆ ପାଖରେ କଚାଡି ହୋଇ ପଡି ତାଙ୍କର ଗର୍ଭ ନଷ୍ଟ ହୋଇଗଲା। ଏ କଥା ତ ତୁମରି ଗାଁ ଲୋକ ସେଇଠି କଥା ହେଉଥିଲେ। ତେଣୁ କିଛି ନା କିଛି ଗୋଟେ ଉପାୟ ନିଶ୍ଚୟ କରାଯିବା ଉଚିତ୍ ଆଉ ଝୁମୁରିର ଆତ୍ମାକୁ ବି ଶାନ୍ତି। ଦେଖ! ଆମେ ହେଲୁ ତୁମର ବନ୍ଧୁ। ତେଣୁ ଘଟଣାଟା କ’ଣ ଖୋଲି କରି ଆମକୁ କୁହ, ଆମେ ତୁମକୁ ନିଶ୍ଚୟ ସାହାଯ୍ୟ କରିବୁ। ହେଲେ ଓକିଲ ଓ ଡାକ୍ତରଙ୍କୁ ଯେମିତି ସବୁ କଥା ସତ କୁହଯାଏ, ସେହିପରି ବନ୍ଧୁମାନଙ୍କ ନିକଟରେ କୌଣସି କଥା ଲୁଚେଇବା ଅନୁଚିତ। ଆମେ ତୁମର ଏତେ କଲା ପରେ ବି କ’ଣ ତୁମେ ତୁମର ବନ୍ଧୁ ଭାବେ ଆମକୁ ଗ୍ରହଣ କରିପାରୁନାହଁ? ଆମ କଥାରେ ସେ ଟିକେ ଅପ୍ରତିଭ ହୋଇ ପଡୁଥିଲେ ସିନା ହେଲେ ଆମ ଅନୁନୟ ଓ ବିନୟରେ ଏକାନ୍ତ ଭରସା ପ୍ରକଟ କରି ସେ ଏଥର କହିବାକୁ ଆରମ୍ଭ କଲେ। କହିଲେ-” ନା କଥାଟା ସେୟା ନୁହେଁ ଯେ, ହେଲେ ଅତ୍ୟନ୍ତ ସଙ୍ଗୀନ ଓ ସମ୍ବେଦନଶୀଳ। ତେବେବି କଥା କାଟି ପାରୁନାହିଁ କହୁଛି ଶୁଣ!
-ସେ ଝୁମୁରି ଆମ ଘରେ ନରିଆଣି କାମ କରୁଥିଲା। ସନ୍ଧ୍ୟା ପୂର୍ବରୁ ପ୍ରତିଦିନ ସେ ତା ଘରକୁ ଫେରିଯାଏ। ବେଳେବେଳେ ଅସୁବିଧା ସୁବିଧା ହେଲେ ଯାହା ରହିଯାଏ। ସେଦିନ ବର୍ଷା ପବନର ରାତି। ଭାରି ଜୋହର ବାଆ ବତାସ ପିଟୁ ଥିଲା। ନାଳିଆରେ ବି ପାଣିଟା ଉପର ମୁଣ୍ଡକୁ ଉଠି ଆସିଥାଏ। ସେ ତେଣୁ ଘରକୁ ନଫେରି ଆମ ଘରେ ରହିଗଲା। ବାପୁ କିନ୍ତୁ ଅଧ ରାତିରେ ତାକୁ କେଉଁଆଡ଼େ ଗୋଟେ ବିଦେଶୀ ଗାଡିରେ ଜୋହର୍ ଜବରଦସ୍ତି ପଠେଇ ଦେଇଥିଲା, ଗୋଟେ କଟକୀ ବାବୁ ହାତରେ । ଆମେ ପଚାରିଲାଠୁଁ କଥାଟାକୁ ଏପଟ ସେପଟ କରି ବାଆଁରେଇ ଦେଲା। ଦିନେ ଦୁଇଦିନ ପରେ ତା ଶବଟା ଝିଲି ପଠାରେ ମିଳିଲା। ପୋଲିସ୍ ତନାଘନା କଲା। କିନ୍ତୁ ଉପରୁ ଫୋନ୍ ଆସିଲା,ପଇସା ପତ୍ର ଦେଇ ବି ବାପୁ କଥାଟାକୁ ଚାପିଦେଲା ।
ସେ ଦିନେ କହୁଥିଲା – କୁଆଡ଼େ ମନ୍ତ୍ରୀ ମର୍ଦ୍ଦରାଜ ତାକୁ ରେଫ୍ କରି ମାରିଦେଇଛି। ତା ଲୋକମାନେ ରାତିରେ ଆଣି ଏଇଠି ପକେଇ ଦେଇଛନ୍ତି। କଥାଟାକୁ ଦବେଇ ରଖିବା ପାଇଁ ମଧ୍ଯ ତା ମାଏବାପୁ ଓ ଭାଇଭଉଣୀକୁ ବାପୁ ଅର୍ଥ ପ୍ରଲୋଭନା ଦେଖାଇ ସେଇ ବାବୁମାନଙ୍କ ହାତରେ ସହର ପଠେଇ ଦେଇଛି। ସେଇଠି ସେମାନେ ଦାଦନ ଖଟୁଛନ୍ତି। ହେଲେ ସେମାନେ ଫେରିଲେ କାଳେ କେସ୍ ଟା ପୁଣି ଉଠିବ, ତେଣୁ ସହରୀ ବାବୁମାନେ ମନ୍ତ୍ରୀଙ୍କ କଥାରେ ସେମାନଙ୍କୁ ସେଇଠି ମାରି ଦେଇଛନ୍ତି। ଏ କଥାଟା ବାପୁ ସେଇ କେରପାଗଡା ଭଦ୍ର ଲୋକଟା ସହ କଥା ହେଉଥିଲା ବେଳେ ମୁଁ ଦୋକାନରେ ସୌଦାପାତି ଦେବାନେବା ବେଳେ ନିଜେ ଶୁଣିଛି। ଏଗୁଡାକ ସତରେ ବଡ଼ ପାପୀ। ନନୀ ଛୁଆଟାକୁ ବଡ଼ ନିର୍ଦ୍ଦୟ ଭାବେ ମାରିଦେଲେ। ଟିକିଏ ବି ଦୟା ଧର୍ମ ଏମାନଙ୍କ ନିକଟରେ ନାହିଁ। ହେଲେ ଝିଲି ଦେବତା କେମିତି ଶାନ୍ତ ହେବ ମୋତେ ସେଇ ଉପାୟଟା ବତାନ୍ତୁ”।
ମୁଁ କହିଲି ସବୁ ହେବା। ହେଲେ ତୁମେ ଡରିବାର ନାହିଁ। ଆମେ ଯାହା କହିବୁ ତୁମେ ସେୟା କାରିଚାଲ। ଝିଲି ଦେବତା ଖୋଜୁଛି ପ୍ରତିଶୋଧ। ଆଉ ଏହାର ମୂଳମଞ୍ଜି ହେଉଛି ସେଇ ମନ୍ତ୍ରୀଟା। ସେଇ ମନ୍ତ୍ରୀ ମର୍ଦ୍ଦରାଜଟା ସଜା ପାଇଗଲେ ଝିଲି ଦେବତା ଶାନ୍ତ ହୋଇଯିବ। ହେଲେ ତୁମେ ଆମ ସାଥ ଦେବ ତ? ଚିଲିକା କହିଲା – “ମୁଇଁ ଝିଲି ଦେବତାକେ ରାଣ ନିଅମ ଖାଏକେ କହିମା, ସବୁ ସତ ସତ କହିବାଏଁ, କିସ୍ କେ ନାଇଁ ଡରେ” ।
ସକାଳୁ ସକାଳୁ ବିଦ୍ୟା କ୍ଲବପିଲା ସମସ୍ତଙ୍କୁ ଡାକି ଗୋଟେ ଆଲୋଚନା କଲା। ତଦନୁସାରେ ଉପର ଓଳା ସମସ୍ତେ ଏକାଠି ହେଲେ। ଏତଦ୍ ବ୍ୟତୀତ ସ୍ଥାନୀୟ ଆଖପାଖର ବିଶିଷ୍ଠ ଲୋକଙ୍କୁ କିଛି ମଧ୍ଯ ଡାକିଲେ। ସାମ୍ବାଦିକମାନେ ମଧ୍ୟ ଡକରା ପାଇଆସିଲେ। ଗୋଟେ ବଡ଼ ସଭାର ଆୟୋଜନ ହେଲା। ଏକ ବଡ଼ ଘଟଣାର ଖୁଲାସା ହେବାକୁ କେବଳ ବାକି ଥାଏ।
ଗାଁର ଜଣେ ପୁରୁଖା ସେହି ସଭାରେ ସଭାପତିତ୍ଵ କଲେ। କ୍ଲବର ସଦସ୍ୟମାନେ ସବୁ ସକ୍ରିୟ ରହିଲେ। ଚିଲିକା ଘଟଣାର ଖୁଲାସା କଲା। ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକତି କରୁଥିଲା। କେହି କେହି ମଧ୍ୟ ଏହାକୁ ଗୋଟେ ରାଜନୈତିକ ଅଭିସନ୍ଧି ଭାବି ନିଜ ନିଜ ଭିତରେ ଫୁସୁର ଫୁସୁର ହେଉଥିଲେ ।ଘଟଣାଟାକୁ ଆଉ ଟିକେ ତୀର୍ଯ୍ୟକ୍ ଓ ସିଧାସଳଖ କରିବା ପାଇଁ ବାକ୍ ଚାତୁରୀରେ ଭରପୂର କିଶୋର ଗୋଟେ ଉଦବୋଧନ ଦେଇ ବୁଝାଇ କହିଲା -“ମାନନୀୟ! ଆଜିକାର ସଭାର ସଭାପତି ମହୋଦୟ, ମଞ୍ଚାସୀନ ଅନ୍ୟାନ୍ୟ ସମସ୍ତ ଭଦ୍ର ବ୍ୟକ୍ତିଗଣ, ନିମନ୍ତ୍ରିତ ହୋଇ ଆସିଥିବା ସମସ୍ତ ମାନ୍ଯଗଣ୍ଯ ବ୍ୟକ୍ତିଗଣ, ସାମ୍ବାଦିକ ବନ୍ଧୁଗଣ, ଗ୍ରାମବାସୀବୃନ୍ଦ, କ୍ଲବର ସଦସ୍ୟ ସଦସ୍ୟା ଓ କର୍ମକର୍ତ୍ତ ବନ୍ଧୁଗଣ, ମୋର ପ୍ରିୟ ଭାଇ ଓ ଭଉଣୀମାନେ, କୁନାକୁନି ପିଲାମାନେ ଓ ଆଉ ଆପଣମାନେ ସମସ୍ତେ ଯେଉଁମାନେ କି ଏଠାରେ ଉପସ୍ଥିତ ରହି ଆଜିକାର ସଭାର ଗୌରବ ଓ ଶ୍ରୀବୃଦ୍ଧି କରିଛନ୍ତି ସେ ସମସ୍ତଙ୍କୁ ମୋର ସମ୍ବୋଧନ ଛଳରେ ସ୍ଵାଗତ ସୁଭାଷଣ – ଜୟ କଳାହାଣ୍ଡି କି ଜୟ, ଆର୍ ଗୁରୁଜନ କେ ଜୁହାର୍ । ଆପଣମାନେ ସମସ୍ତେ ଜାଣିଛନ୍ତି, କଳାହାଣ୍ଡି ହେଉଛି ରାଜ୍ୟର ସବୁଠାରୁ ଦରିଦ୍ରତମ ଜିଲ୍ଲା। ଏଠାକାର ଅଧିବାସୀମାନେ ଦୁଃଖ ଓ ଦଇନୀ ଭିତରେ ସମଗ୍ର ଜୀବନ କାଳାତିପାତ କରୁଛନ୍ତି। କଳାହାଣ୍ଡିର ଦରିଦ୍ରତା, ଛୁଆ ବିକ୍ରି, ଅନାହାର ମୃତ୍ୟୁ, ଦାଦନ ଶ୍ରମିକ ଓ ଗୋତି ଖଟିବା ଆଦିକୁ ନେଇ ଆଜି ସାରା ବିଶ୍ୱରେ ଆଲୋଡନ ସ୍ରୁଷ୍ଟି ହୋଇଛି। ହେଲେ ଏହାର ପ୍ରାକୃତିକ ଶୋଭାରାଜି ବେଶ୍ ମନୋରମ ଯାହାକି ଅନେକଙ୍କୁ ଆକୃଷ୍ଟ କରିଥାଏ। ଏହାର ଲୋକମାନେ ଅତ୍ୟନ୍ତ ସରଳ ଓ ମାଟି ଉର୍ବର। ଖଣିଜ ସମ୍ପଦ ଓ ଜଙ୍ଗଲଜାତ ଦ୍ରବ୍ୟର ଏଠି ଅଭାବ ନାହିଁ, ହେଲେ ଲୋକେ ଆର୍ଥିକ ଅନଗ୍ରସର ଦେଇ ଗତି କରୁଛନ୍ତି। ଶିକ୍ଷା ଓ ଜ୍ଞାନ ବିଜ୍ଞାନର ଆଜି ଭୂୟସୀ ବିକାଶ ସାଧିତ ହୋଇଥିଲେ ହେଁ ଏଠି ତା’ର ବିଶେଷ କିଛି ପ୍ରଭାବ ପରିଲକ୍ଷିତ ହୁଏ ନାହିଁ। ତାହାର ମୁଖ୍ୟ କାରଣ ହେଉଛି ବିକାଶର ସୁଫଳକୁ ଲାଭଖୋର ପୁଞ୍ଜିପତି ଦଲାଲ ଓ ମାଫିଆଗୋଷ୍ଠୀ ତଥା କଣ୍ଟ୍ରାକ୍ଟରମାନେ ଖାଇଯାଉଛନ୍ତି। ଫଳରେ ବିକାଶର ଯେତେ ବଡ଼ ବଡ଼ ନାରା ଦେଲେ ମଧ୍ଯ ବାସ୍ତବ କ୍ଷେତ୍ରରେ ତା’ର କାର୍ଯ୍ୟକାରିତା ଅନୁଭବ କରି ହେଉନାହିଁ। ଏଥିପାଇଁ ବି ଶିକ୍ଷା ଓ ଗମନାଗମନର ଅଭାବବୋଧ ପ୍ରମୂଖ କାରଣ ହୋଇ ମୁଣ୍ଡ ଟେକିଛି। ଏତେବେଳେ ଆମେ ନିଜକୁ ନିଜେ ସଚେତନତ ନହେଲେ ଓ ଆପଣା ଦାବୀ ନେଇ ନ ଲଢିଲେ କେହି ବାହାରବାଲେ ତାହାର ଆସୁ ନିରାକରଣ କରି ପାରିବେ ନାହିଁ। ଆମେ ଆଜି ଯେଉଁ ଅଶିକ୍ଷାଜନିତ ତିତିକ୍ଷାରେ ସଢ଼ୁଛନ୍ତି, ସେଇ ଅଶିକ୍ଷା ଓ ଅନ୍ଧବିଶ୍ୱାସ ରୂପକ କଳୁଷକୁ ପ୍ରଥମେ ସଚେତନତା ରୂପକ ଅସ୍ତ୍ରରେ ବିନାଶ କରି, ଆମକୁ ଆଗକୁ ବଢିବାକୁ ହେବ ଓ ନିଜ ପାଇଁ ନିଜେ ସଂଗ୍ରାମ କରିବାକୁ ହେବ। ନିଜ ଅଧିକାର ଓ ଦାବୀକୁ ନେଇ ଆମେ ନିଜେ ନ ଲଢିଲା ଯାଏଁ ଆମକୁ କେହି ନ୍ୟାୟ ଦେବେ ନାହିଁ। ଆପଣମାନେ ଆଜି ଦାଦନ ଶ୍ରମିକ, ଗୋତି ଖଟିବା, ଛୁଆ ବିକ୍ରି ଓ ଅନାହାର ମୃତ୍ୟୁ ବିରୁଦ୍ଧରେ ସ୍ଲୋଗାନ୍ ଦିଅନ୍ତୁ। ସରକାରୀ ସହାୟତା ଓ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦେଇ ସରକାର ଏହାର ନିରାକରଣ ପାଇଁ ଉଚିତ୍ ପଦକ୍ଷେପ ନିଅନ୍ତୁ। ସେହିପରି କଞ୍ଚା ମାଂସଲୋଭୀ ଭ୍ରଷ୍ଟାଚାରୀ ନେତା ମର୍ଦ୍ଦରାଜର ଇସ୍ଥଫା ଆମର ଦାବୀ ରହୁ ଓ ଅପ୍ରାପ୍ତବୟସ୍କା ଝୁମୁରିର ଯୌନଶୋଷଣ ଓ ରହସ୍ୟଜନକ ମୃତ୍ୟୁ ପାଇଁ ଦୋଷୀକୁ କଠୋର ସଜା ଆମମାନଙ୍କର ପ୍ରାଥମିକତା ହେଉ। ଆପଣମାନେ ସ୍ଥାନୀୟ ଅଞ୍ଚଳରେ ବିଦ୍ରୋହର ସ୍ଵରକୁ ଭାଷ୍ବର କରନ୍ତୁ, ଆମ୍ଭେମାନେ ମଧ୍ୟ ଦାୟିତ୍ଵ ନେଲୁ ବାଣୀବିହାର ପରି ବୃହତ ଶିକ୍ଷାନୁଷ୍ଠାନରୁ ଏ ଆନ୍ଦୋଳନକୁ ଆରମ୍ଭ କରି ସମଗ୍ର ଓଡିଶାରେ ଏକ ଗଣ ଆନ୍ଦୋଳନ କାରି ଛିଡା କରେଇବୁ, ଯେ ଯାଏଁ କଳାହାଣ୍ଡିକୁ ତାହାର ହକ୍ ମିଳି ନାହିଁ ଓ ଝୁମୁରିକୁ ନ୍ୟାୟ। ମୁଁ ଆଉ ବିଶେଷ କିଛି ନକହି ଏତିକିରେ ମୋ ବକ୍ତବ୍ୟକୁ ସାଙ୍ଗ କରୁଛି।ତେଣିକି ପ୍ରସ୍ଥାବ ଉପରେ ମୋହର ମାରିବା ଆପଣମାନଙ୍କ ଦାୟିତ୍ଵ, ଆମେ କେବଳ ନିମିତ୍ତ ମାତ୍ର୍। ଧନ୍ୟବାଦ”।
କିଛି ଲୋକ ଉକ୍ତ ଘଟଣା ଓ କାର୍ଯ୍ୟକ୍ରମକୁ ରାଜନୈତିକ ଅଭିସନ୍ଧି ମନେ କରି ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ଯେପରିକି ଗୋଟେ ସ୍ଥିର ଓ ନିଷ୍ପକ୍ଷ ନିଷ୍ପତ୍ତି ସେମାନେ ନେଇ ପାରୁ ନ ଥିଲେ।ସେମାନଙ୍କ ଭିତରେ ବୋଧହୁଏ ଗୋଟେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବା କଟକୀ ବାବୁମାନଙ୍କର ଭାଷାଟାକୁ ସମସ୍ତେ ହୁଏତ ଠିକ୍ ସେ ହୃଦୟଙ୍ଗମ କରି ପାରୁନଥାନ୍ତି । ମୁଁ ବିସ୍ମୟ ପ୍ରକାଶ କରୁଥାଏ। ତେଣୁ ମୂଖ ଭଙ୍ଗୀରେ ଅସ୍ପଷ୍ଟ ଚିତ୍ର ଆଙ୍କି ବିଦ୍ୟାକୁ କିଛି ଇଶାରା କରିବାକୁ ଚେଷ୍ଟା କରୁଥାଏ। ବିଦ୍ୟା ମୋ ମୁହଁଟାକୁ ଚାହିଁ ଦେଇ ମାଇକ୍ରୋ ଫୋନଟାକୁ ହାତକୁ ନେଲା। ଓଠରେ ତା’ର ଓଜସ୍ଵିନୀ ବକ୍ତବ୍ୟ ନଥିଲା ସତ, ହେଲେ ତାଙ୍କରି ଭାଷାରେ ଖୁବ୍ ନମ୍ର ଗଳାରେ ଓ କମନୀୟ ଠାଣିରେ ସେ ବଖାଣି ଥିଲା ମାତ୍ର୍ କେଇପଦ। ଯାହାର ପ୍ରଭାବ ଖୁବ୍ ସୁଦୂର ପ୍ରସାରୀ ଓ ପ୍ରଭାବଶାଳୀ ଥିଲା।
ବିଦ୍ୟା ଆରମ୍ଭ କଲା – “ଆମର ଭିତ୍ ର ଏକତା ନାଇଁନ। ନାଇଁ ପଟୁଥାଏ ବାଗର ଲାଗୁଛେ। ଆଜ ଦିନର ଯା’ ହେଲାନ, ସାମ୍ବାଦିକ ଆଜ୍ଞାକେ ମଞ୍ଚ ଉପରକୁ କେହି ନାଇଁ ଡାକ୍ ଲେ। ସେ ଟିକେ ମନ ଭାରି କରିଥିଲେ। ତାହାକେ ନେଇକରି ବଡ଼ ହୋ – ହାଲ୍ଲା ହେଲା। ଗୁଟେ ଜନେ ସାମ୍ବାଦିକ ବାବୁକେ ଖରାପ ବ୍ୟବହାର ଦେଖାଲେ। ଇଟାକୁ ନେଇ କରି ଲୁକେ ଦୁଇଦଲ ହେଇଛନ୍ ବଲିକରି ଲୁକେ କୁହାବଲା ହେଲେ ।ମୋ କାନକେ କଥା ପହୁଁଚିଲା। ହେଲେ ଝିଲି ପଠା ଘଟନାର ସମାଧାନ ନାହିଁ ହେଇପାର୍ ଲା। ମାଟିର ପିଲାକୁ କେହି ନାଇଁ ପଚାରିବାର୍। ଏବେ ଶେଷ କଥା କହୁଛୁଁ ଆଜ୍ଞା! ଏଇ କିଶୋର ଆଜ୍ଞା କୋଇ ରାଜନେତା ନାଇନ। ଇଟା ଆମାର୍ ଦୋସ୍ତ ଆର୍ ଛାତ୍ର ନେତା ଅଛି। ଇଟା ଆମାର୍ ନନୀ ଝିଲିରୀ ଲାଗେ କାନ୍ଦଛେ ଆର୍ କଳାହାଣ୍ଡିକେ ଦାଦନ ସମସ୍ୟାଟାକେ ମରଛେ। କିଛି ଲୋଇ ଇଟା ଗୁଟେ ରାଜନୀତି ଦଲ୍ ର ବାହାନାନେ ପ୍ରଚାର କରୁଛେ ବଏଲା। ହେଲେ ଇଟା ସବୁ ଦଲ୍ ମାନକ୍ ର କାମକାଜ୍ ଅଛି। ଆମେ ଏକଜୁଟ୍ ହବା ଆର୍ ଝୁମୁରିର ଲାଗେ ଲଢବା। ଆପନମାନେ ଇଟା ରାଜି ତ”?
ସମସ୍ତେ ଏଥର ହୋ ହୋ ହୋଇ ଉଠିଲେ। ଝୁମୁରି ପାଇଁ ଲଢିବାକୁ ବଚନବଦ୍ଧ ହେଲେ। ଆଉ ମଧ୍ଯ ଏ କଥା କହିଲେ ଯେ- କଳାହାଣ୍ଡିରୁ ଦାଦନ ସମସ୍ୟାର ନିରାକରଣ, ଶିକ୍ଷା ସଭ୍ୟତାର ପୁଞ୍ଜିକରଣ, ଅଭାବୀ ଶିଶୁ ବିକ୍ରି ସମସ୍ୟାର ନିରାକରଣ, କଳାହାଣ୍ଡିକୁ ସ୍ପେଶାଲ ପ୍ୟାକେଜ ପ୍ରଦାନ ଇତ୍ୟାଦି ଦାବୀ ନେଇ ସେମାନେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ମଧ୍ଯ ପ୍ରସ୍ତୁତ ବୋଲି ବିଭିନ୍ନ ଲୋକ ମତ ଓ ମନ୍ତବ୍ୟ ପ୍ରକାଶ କଲେ। ସେତେବେଳକୁ ଏକ ବିରାଟ ଆନ୍ଦୋଳନ ପାଇଁ ଉପକ୍ରମଣିକା ପ୍ରସ୍ତୁତ ହୋଇ ସାରିଥିଲା। ଜନ ସମର୍ଥନ ଧୀରେ ଧୀରେ ବଢିବାକୁ ଲାଗୁଥିଲା। ଲୋକେ କଥାଟାକୁ ଗୁରୁତ୍ୱର ସହିତ ନେଇ ପରସ୍ପର ମଧ୍ୟରେ ବ୍ୟାପକ ଆଲୋଚନା କରିବାକୁ ଲାଗୁଥାନ୍ତି। ସାମ୍ବାଦିକମାନେ ମଧ୍ଯ ପ୍ରାରମ୍ଭିକ ରାଗଅଭିମାନକୁ ପରିତ୍ୟାଗ କରି ବେଶ୍ ଉତ୍ସାହିତ ହୋଇ ଘଟଣାଟିକୁ ସଆଗ୍ରହ ଛାପିବା ପାଇଁ ତତ୍ପରତା ପ୍ରକାଶ କଲେ। ସେମାନେ ବିଭିନ୍ନ ଲୋକଙ୍କର ବାଇଟ୍ ସହିତ ଚିଲିକାର ବୟାନ ମଧ୍ଯ ରେକର୍ଡ କରି ସମ୍ବାଦଟିକୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଲାଗି ପଡ଼ିଲେ।
ମୋ ମନରେ ପ୍ରସନ୍ନତା ଘଟଣାଟା ସଠିକ୍ ମୋଡ ନେଉଛି।
ପୂରା ଘଟଣାକ୍ରମର ପ୍ରଚ୍ଛଦପଟ୍ଟ ଶୀଳ୍ପି , ମୋ ମନର ପ୍ରସନ୍ନତା – ଯାହା ହେଉ ଘଟଣାଟା ସଠିକ୍ ମୋଡ଼ ନେଉଛି। ଜ୍ଞାନ ମୋତେ କୁଣ୍ଢାଇ ପକେଇ କହୁଥାଏ – “ଯାହାହେଉ ଗୁରୁଦେବ! ତୁମ mastermindକୁ ମାନିବାକୁ ପଡ଼ିବ।
ମୋ ମୁହଁରେ ବୋଧହୁଏ ଥାଏ ଚେନାଏ ଖଣ୍ଡ ଅନିଚ୍ଛାକୃତ ହସ, କାହିଁକିନା ମନକୁ ଚିନ୍ତା ଘାରୁଥାଏ ଆଗାମୀ ଦିନରେ ଏହାର ସଫଳ ରୂପାୟନକୁ ନେଇ।
କ୍ରମଶଃ… ଭାଗ 13..

ପରିତ୍ୟକ୍ତ କୋଠି… ଭାଗ 13
By ସତ୍ୟ ପ୍ରକାଶ ସେଠୀ
“ଅପ୍ରାପ୍ତ ବୟସ୍କା ଝିଅର ଯୌନଶୋଷଣ ଓ ରହସ୍ୟଜନକ ଭାବେ ମୃତ୍ୟୁ – ଘଟଣାର ପର୍ଦ୍ଦା ଫାସ “ଶୀର୍ଷକ ନ୍ୟୁଜଟା ସମ୍ବାଦ ପତ୍ରରେ ପ୍ରକାଶ ପାଇଯିବା ଫଳରେ ଚର୍ଚ୍ଚାଟା ଜୋହର ଧରିଲା। ପାନ ଦୋକାନଠୁଁ ସରକାରୀ ଦପ୍ତର ଯାଏଁ ପୁଣି ରାଜଧାନୀଠୁଁ ଗାଁ ଗହଳି ଯାଏଁ ସର୍ବତ୍ର ଏହି ଆଲୋଚନା। କଥାଟା ଯେପରି ବିଦ୍ୟୁତ୍ ବେଗରେ ଚାରିଆଡ଼େ ଖେଳିଗଲା ସବୁରି ମୁହଁରେ ଗୋଟିଏ କଥା ମନ୍ତ୍ରୀ ମର୍ଦ୍ଦରାଜକୁ କଡି ସେ କଡି ସଜା ହେବା ଦରକାର।
ଘଟଣାଟି ପ୍ରତି ଚତୁପାର୍ଶ୍ୱରୁ ସମର୍ଥନ ଧୀରେ ଧୀରେ ଏକଠା ହେବାକୁ ଲାଗୁଥାଏ। ସ୍ଥାନୀୟଲୋକ ଓ ବିରୋଧୀବାଲା ମଧ୍ଯ ଆଗକୁ ମାଡି ଆସିଲେ। ଏହାର ପ୍ରତିବାଦରେ ଦିନକ ପରେ ମଧ୍ୟ କଳାହାଣ୍ଡି ବନ୍ଦ ଡାକରା ଦିଆଗଲା। ଘଟଣାଟାର ଏବେ ମୌସୁମୀ ଆସି ଯାଇଥିଲା। ତେଣୁ ଆମେ ଆଉ କାଳ ବିଳମ୍ବ ନକରି ଫେରି ଆସିଥିଲୁ ବାଣୀବିହାର, ଘଟଣାଟିକୁ ଆଉ ଟିକେ momentum ଦେବା ପାଇଁ ।ହେଲେ ବିଦ୍ୟାକୁ ସେଇଠି ଛାଡି ଆସିଥିଲୁ, ସେ ସେଠାକାର ନେତୃତ୍ୱ ନେବା ପାଇଁ ଓ ଆମକୁ upto date ଖବର ଦେବା ପାଇଁ। ସେ ବି ମଧ୍ଯ ଅହରହ ଯୋଗାଯୋଗ କରି ଆମକୁ ସବିଶେଷ ତଥ୍ଯ ଯୋଗାଉଥାଏ ଓ ପରିସ୍ଥିତି ଉପରେ ତିକ୍ଷ୍ଣ ନଜର ରଖିଥାଏ।ଚାହୁଁ ଚାହୁଁ ବିରାଟ ଜନ ଆନ୍ଦୋଳନ ଓ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଲା। ବିଦେଶୀ ସମ୍ବାଦ ପତ୍ର ଓ ଇଲେକ୍ଟ୍ରୋନିକ୍ସ ମିଡିଆ ମଧ୍ୟ ଏହାପରେ ନଜର ରଖିଥାନ୍ତି।ଏ ସବୁ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ହେଉଛି ଅନବଦ୍ଯ। ସେଥିପାଇଁ ପରା କୁହଯାଏ ଗଣତନ୍ତ୍ରରେ ମିଡିଆ ହେଉଛି ଜାଗ୍ରତ ପ୍ରହରୀ, ତୃତୀୟ ନେତ୍ର ଓ ଚତୁର୍ଥ ସ୍ତମ୍ଭ। ତେଣୁ ଗଣମାଧ୍ୟମ ଯାଗି ଉଠିଲେ, ସମସ୍ତେ ଯାଗି ଉଠନ୍ତି ।ସରକାରଙ୍କ ଉପରେ ବିଭିନ୍ନ ମହଲରେ ଚାପ ପଡିଲା। ଆଉ କେହି ଘଟଣାଟିକୁ ଦବାଇ ରଖି ପାରିଲେ ନାହିଁ। କଳାହାଣ୍ଡିର ଅନୁରୂପ ଏଠି ମଧ୍ଯ ଆମେ କିଶୋର ନେତୃତ୍ଵରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ନେଲୁ। ବାଣୀବିହାର ଫେରିଆସି କିଶୋର ଷ୍ଟୁଡେଣ୍ଟ ଇଉନିୟନର ଏକ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ କାଳୀନ ବୈଠକ ଡାକିଲା। ସେଇଠି ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ନିଷ୍ପତ୍ତି ନିଆଗଲା। ଆମେ ଆଖିରେ ଦେଖିଥିବା କଳାହାଣ୍ଡିର ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇଲୁ ଓ ସାମ୍ପ୍ରତିକ ପରିସ୍ଥିତିର ଅନୁଧ୍ୟାନ ପୂର୍ବକ ସବିଶେଷ ଆଲୋଚନା କରାଗଲା। ନିଷ୍କର୍ଷ ସ୍ଵରୂପ ଫଳ ବାହାରିଲା ଛାତ୍ର ଆନ୍ଦୋଳନ ଓ ବନ୍ଦ ଡାକରା। ସମସ୍ତେ ବ୍ୟଥିତ ହେଉଥିଲେ। ମନ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ ଆକ୍ରୋଶ ଦେଖା ଦେଉଥିଲା। କଳାହାଣ୍ଡିର ଅନୁରୂପ ବାଣୀବିହାର ଓ ରାଜ୍ୟର ସମସ୍ତ କଲେଜରେ ହରତାଳ ନିଷ୍ପତ୍ତି ନିଆଗଲା।। ଏତିକିରେ ସରକାରଙ୍କର ଚେତା ନ ପଶିବାରୁ ରାଜ୍ୟ ଛାତ୍ର ସଂସଦ ତରଫରୁ ଓଡିଶା ବନ୍ଦ ଡାକରା ଦିଆଗଲା ଓ ଏକ କର୍ମକର୍ତ୍ତା ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକୀ ପତ୍ର ଓ ଦାବୀପତ୍ର ପ୍ରଦାନ କଲେ।ଘଟଣାଟି ଶେଷ ବେଳକୁ ଏମିତି ହେଲା ଯେ ଚାରିଆଡ଼େ ବିଦ୍ରୋହର ବହ୍ନୀ ଖାଲି ହୁତହୁତ୍ ହୋଇ ଜଳିବାକୁ ଲାଗିଲା। ସବୁସ୍ତରରେ ମଧ୍ଯ ସମର୍ଥନ ମିଳୁଥିଲା। ମିଡିଆ ବନ୍ଧୁମାନେ ଏ କ୍ଷେତ୍ରରେ ଅଧିକ ସକ୍ରିୟତା ପ୍ରକାଶ କରୁଥିଲେ। ଶେଷରେ ମୁଖ୍ୟ ମନ୍ତ୍ରୀଙ୍କୁ ବାଧ୍ୟ ହୋଇ ନିର୍ଦ୍ଦେଶ ଦେବାକୁ ପଡିଥିଲା – ମନ୍ତ୍ରୀ ମର୍ଦରାଜଙ୍କୁ ଇସ୍ତଫା ଦେବା ପାଇଁ। ଘଟଣାଟାର ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଲେ। ବିଭିନ୍ନ ବିଭାଗକୁ ଡାକି କଳାହାଣ୍ଡି ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଓ ଦାଦନ ଶ୍ରମିକମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ଠୋସ୍ କଦମ୍ ଉଠେଇବା ପାଇଁ ମଧ୍ଯ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ। ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସଠିକ୍ ତଥ୍ଯ ଦେବା ପାଇଁ ମଧ୍ଯ କହିଲେ।କଳାହାଣ୍ଡି ପରିସ୍ଥିତି ଉପରେ ଘନ ଘନ ସମୀକ୍ଷା ବୈଠକ ବସିଲା।
ବାଧ୍ୟ ହୋଇ ମର୍ଦ୍ଦରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ତାଙ୍କୁ ପୋଲିସ୍ ଜେରା କଲାପରେ ଆରେଷ୍ଟ କରି ବିଚାର ବିଭାଗୀୟ ହାଜତକୁ ପଠେଇଦେଲେ।କାରଣ ସାକ୍ଷ୍ୟ ପ୍ରମାଣ ତ ସବୁ ମିଳି ସାରିଥିଲା। ତଥାପି ଅଧିକ ତଦନ୍ତ ପାଇଁ ସମୟ ସାପେକ୍ଷ। ତେଣୁ ଆନ୍ଦୋଳନକୁ ଏଇଠି ସ୍ଥଗିତ ରଖିବାକୁ ପଡିଲା।
କଳାହାଣ୍ଡିଆଙ୍କ ଦାବୀ ସହିତ ସମୁଦ୍ରରୁ ଅମୃତ ତିଆରି ହେବା ବା ବିଭିନ୍ନ ରୋଗର ନିରାକରଣ ପାଇଁ ଔଷଧ ପ୍ରସ୍ତୁତି ସମ୍ପର୍କରେ ଦିଆଯାଇଥିବା ଥିଓରି ଉପରେ ଅଧିକ ରିସର୍ଚର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଅତ୍ୟାଧୁନିକ ଲାବୋରେଟୋରୀ ଓ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ଯ ଦାବୀ ପତ୍ରରେ ଉଲ୍ଲେଖ ରହିଥିଲା। ତାହାକୁ ମଧ୍ଯ ସରକାର ମଞ୍ଜୁରୀ ପ୍ରଦାନ କଲେ। ସମସ୍ତ ଦାବୀ ପ୍ରାୟତଃ ପୂରଣ ହୋଇଆସୁଥିବାରୁ ଆମେ ସମସ୍ତେ ଖୁସିରେ ନାଚି ଉଠୁଥିଲୁ।
ବାକି ରହିଗଲା ପ୍ରେତାତ୍ମା ମାନଙ୍କର ଶୁଦ୍ଧି ଓ କ୍ରିୟାକ୍ରମ।ସେଇ ସେତକ ବି ପୂରଣ କରିବାକୁ ହେବ। ତେବେ ଯାଇ ସିନା ଘଟଣାର ପୂର୍ଣ୍ଣଛେଦ ପଡ଼ିବ। ପରିଶେଷରେ ଝୁମୁରି ଓ ତା ପରିବାର ଲୋକଙ୍କର କ୍ରିୟାକ୍ରମ ପାଇଁ ସ୍ଥାନୀୟ ଲୋକେ ଓ କ୍ଲବପିଲାମାନେ ଦାୟିତ୍ଵ ନେଇ ଏକ ବଡ ପର୍ବ ପାଳିଲେ । ଆମ୍ଭେମାନେ ମଧ୍ଯ ନିମନ୍ତ୍ରଣ ରକ୍ଷା କରି ସମସ୍ତେ ସେଇଠାକୁ ଗଲୁ। ବଡ଼ ଧୂମ୍ ଧାମ୍ ରେ ସେ ଉତ୍ସବ ପାଳନ ହେଲା। ସେମାନଙ୍କ ଆତ୍ମାର ସଦ୍ଗତିଃ ପାଇଁ ସମସ୍ତେ ନୀରବ ପାର୍ଥନା କଲେ। ଆଦିବାସୀ ଗୀତର ତାଳେ ତାଳେ ଝୁମି ଉଠିଲା ପରିବେଶ। ହେଲେ ଝୁମୁରି ପାଇଁ ଦାଦନ ଶ୍ରମିକ ସମସ୍ୟାଟାର ହାଲ୍ ହୋଇପାରିଥିବାରୁ ଖୁସି ଜାହିର୍ କରି ସମସ୍ତେ ଝିଲି ଦେବତା କେ ଜୁହାର୍ ଜଣାଇଲେନ ଓ ଆମକୁ ବି କୃତଜ୍ଞତା ଦେଲେନ। ଲୁକେ ଆମାକେ ଉପରେ ଧରେନ୍ ନାଚଲେ। ଭାରି ଭଲ ଲାଗଲା।
ଭୋଜି ଭାତ ଖୁବ୍ ଖିଆ ହେଲା। କେଡେ ସରଳ ଏଇ ଲୋକମାନେ, ହେଲେ ସେମାନଙ୍କର ବନ୍ଧୁପ୍ରୀତି ଅତି ନିଆରା।ସେମାନଙ୍କର ସରଳ ବିଶ୍ବାସ ପାଇଁ ସେମାନେ ଭଲ ଆତ୍ମାକୁ ବି ଦେବତା ମାନନ୍ତି। ଯେମିତି ଝିଲି ପଠାର ଝୁମୁରିକୁ ସେମାନେ ଦେବତା କରିଦେଲେ। ସେମାନଙ୍କର ଏବେ ବି ବିଶ୍ବାସ – ଆଜି ବି ଝିଲି ଦେବତା କୁଆଡ଼େ ଅନ୍ଧାରରେ ପଥ ହୁଡ଼ି ଥିବା ବାଟୋଇକୁ ବାଘ ଭାଲୁ ଓ ଭୂତ କବଳରୁ ଆକଟ କରି ଆଣି ପାହାଡ଼ ତଳେ ସୁରକ୍ଷିତ ଛାଡୁଛି। ତେଣୁ ସେ ତାଙ୍କର ଝିଲି ଦେବତା।
ଦୋଷୀ ସଜା ପାଇଗଲା ପରେ ଝିଲି ଦେବତା ଏକଦମ୍ ଶାନ୍ତ ପଡିଯାଇଥିଲା। ତାହାର ବି ଆଉ ଉତ୍ପାତ ନ ଥିଲା।ସେ ଏବେ ଝିଲି ଦେବତା, ଲୋକଙ୍କର ବିପଦ ଆପଦର ସାହା ଭରସା। ସେଇଠି ଜଣେ ପାନ ଦୋକାନୀ ପାନ ଦୋକାନରେ ବସି କହୁଥିଲା – “କଞ୍ଚା ମାଂସଲୋଭୀ ମନ୍ତ୍ରୀ ବିକିଦେଲା ରାଜଗାଦୀ।
The big end
ପୁଣି ଦେଖାହେବା ଗୋଟେ ବଡ଼ ବ୍ୟବଧାନ ପରେ… ସମସ୍ତଙ୍କୁ କୃତଜ୍ଞତା ଓ ଅଶେଷ ଧନ୍ୟବାଦ…

 

Related posts

ମନ ପାରା ପୁସ୍ତକ ସଂକଳନ

satya

ଭୂତୁଣୀ ସାହିତ୍ୟିକା

satya

ଶୂନ୍ଶାନ୍ ରାତି book

satya

Leave a Comment

Login

X

Register