Satya Prakash
Uncategorised

ପୋଲିଂ ପାର୍ଟି

ପୋଲିଂ ପାର୍ଟୀ
By ସତ୍ୟ ପ୍ରକାଶ
ଏଥର ନିର୍ବାଚନ ବେଳାଟା ପାଖେଇ ଆସିଲାଣି। ସରକାର ଭାରି ତତ୍ପର। ନିର୍ବାଚନ କମିସନ୍ ଙ୍କ ହୁଇପ୍। ସରକାରୀ କର୍ମଚାରୀ ସବୁ ନିର୍ବାଚନ ଡ୍ୟୁଟିରେ ରହିବେ। ତେଣୁ ଛୁଟି ବାତିଲ। ବାହାନାବାଜି ଓ ପେଖନା ଏଠି ଚଳିବନି। ଦେହ ଖରାପ କହି ମେଡିକାଲ ସାର୍ଟିଫିକେଟ ଗ୍ରହଣ କରାଯିବ ନାହିଁ। ସମସ୍ତେ ନିର୍ବାଚନ ପ୍ରକ୍ରିୟା ଓ ପରିଚାଳନାରେ ଭାଗ ନେବାକୁ ବାଧ୍ୟ। ହୋ – ହଲ୍ଲା କଲେ ଫରକ ପଡ଼ିବନି। ଓଲଟା କୀଳା। ସରକାରୀ ଚାକିରି ହାତରୁ ଖସିବ। ଗୋଡ ହାତ ଧୋଇ ଘରେ ବସିବ। ଭାଗ୍ୟକୁ ଆଦରି ଘରେ ବସିବ। “କି ହୋ! କୋଭିଡ୍ କୋଭିଡ୍ ବୋଲି ଦୁଇ ବର୍ଷ କାଳ ଘରେ ବସିଲ। ଏବେ ନିର୍ବାଚନ ଡ୍ୟୁଟି ନ କରିବା ପାଇଁ ପେରମ ହେଉଛ “- ଏମିତି କିଛି ତାଚ୍ଛଲ୍ୟ ଓ କଟୁକ୍ତି ଶୁଣିବାକୁ ମିଳିଥିଲା ସେଦିନ ଅମରେନ୍ଦ୍ର ବାବୁଙ୍କୁ, ଯେଉଁଦିନ ବିଚରା ଅଧ୍ୟାପକ ଜଣଙ୍କ ନିଜ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଗୁହାରି କରିଥିଲେ ହାକିମଙ୍କ ପାଖରେ। ତାଙ୍କ କହିବା କଥା -” ଆଜ୍ଞା ରିଟାର୍ଡମେଣ୍ଟ ମୋର ଆଉ ବର୍ଷେ ଛଅ ମାସ ବାକି ଅଛି। ଉର୍ଦ୍ଧ୍ଵ ରକ୍ତଚାପ ସାଙ୍ଗକୁ ପ୍ରବଳ ଡାଇବେଟିସ ରେ ମୁଁ ଆକ୍ରାନ୍ତ। ମୁଣ୍ଡ ଘୂରେଇ ହେଉଛି, ସ୍ଵସ୍ଥ୍ଯ ଅବସ୍ଥା ଭଲ ରହୁ ନାହିଁ। ତେଣୁ ମୋତେ ନିର୍ବାଚନ ଦାୟିତ୍ୱରୁ ମୁକ୍ତି ଦିଆଯାଉ। ଦରଖାସ୍ତ ସହିତ ମେଡିକାଲ ରିପୋର୍ଟ ଦାଖଲ କରୁଛି, ଟିକିଏ ଦୟାପୂର୍ବକ ବିଚାରକୁ ନିଅନ୍ତୁ “। ଏ କଥା ଶୁଣି ଅଫିସର ଜଣଙ୍କ ରାଗ ଗରଗରରେ ଦରଖାସ୍ତଟିକୁ ଚିରି ତଳେ ଫିଙ୍ଗି ଦେଇଥିଲେ। କହିଲେ -” ଡି. ଡି. ଓ. ମାନଙ୍କ ପାଖରୁ କର୍ମଚାରୀ ମାନଙ୍କ ତାଲିକା ଆସିଲା ବେଳେ ରିମାର୍କ କଲମରେ ଲେଖିଲ ନାହିଁ, ତୁମର କଣ ଅସୁବିଧା ରହିଛି। ସେତେବଳେ ଚୁପ୍ଚାପ୍ ଶୋଇପଡ଼ିଲ, ଆଉ ଏବେ ଯେତେବେଳେ ସବୁ କଥା ଅନଲାଇନ୍ ହେଉଛି ଓ ଏଣ୍ଟ୍ରି ଦିଆ ସରିଲାଣି ଆଉ କିଛି ହେବ ନାହିଁ, ବରଂ ଟ୍ରେନିଂ ନିଅ, ତେଣିକି ଦେଖିବା” । ଟ୍ରେନିଂ ନେଲେ, ପୁଣି ଆପତ୍ତି କଲେ କେହି ଶୁଣିଲେନି। ଯାଥା ପୂର୍ବଂ ତଥା ପର ରହିଲା। ଭାଗ୍ୟର ବିଡ଼ମ୍ବନା। ମୁଣ୍ଡକାନ ଆଉଁଷି ହୋଇ ରହିଲେ। ନିର୍ବାଚନ ବେଳ ପାଖେଇ ଆସିଲା ରୁ ବେଡିଂ ପତ୍ର ବାନ୍ଧି ବାବୁ ଡରି ଡରି ଚାଲିଲେ ନିର୍ବାଚନ ରଣ କ୍ଷେତ୍ରକୁ, ଯେଉଁଠି ସିଏ ପ୍ରାଜାଡିଂ ଅଫିସର। ଇଚ୍ଛା ଅନିଚ୍ଛା କଥା ପଛରେ, ଏଥର ଗୁରୁ ଦାୟିତ୍ଵ ମୁଣ୍ଡାଇବାକୁ ସେ ବାଧ୍ୟ। ବୋଝ ମୁଣ୍ଡାଇଲେ।
ପୋଲିଂ ପାର୍ଟି କୁ ଖୋଜି ଏକାଠି କରି ପାଇଲା ବେଳକୁ ଦିନ ଦୁଇଟା। ବାର କାଉଣ୍ଟର ବୁଲି ଜିନିଷ ପତ୍ର ଓ ବୁଥର ପୋଲିଂ ମାଟେରିଆଲସ ସବୁ ରିସିଭ୍ କରି ସାରିଲା ବେଳକୁ ପାଟିରୁ ଫେଣ ଖସି ଯାଇଥିଲା। ଆଉ ଖାଇବେ କଣ ନା ପିଇବେ। ଅଗତ୍ୟା ବିସ୍କୁଟ ଦୁଇଟା ଚୋବାଇ ଦେଇ ପାଣି ଢୋକେ ପିଇ ହୋସ୍ ନେଲେ। ଗାଡି ଆସି ପହଂଚିବାରୁ ବୁଥ୍ କୁ ଯିବା ଅଭିଯାନ ଆରମ୍ଭ କଲେ। ହେଲେ ସିକ୍ୟୁରିଟି ପାଇଁ ଗାର୍ଡ ଆସିବାକୁ ବିଳମ୍ବ। ଶେଷରେ ମାଇକ୍ ରେ ତିନି ଥର ଡାକିଲା ପରେ କୁନିଆ ଚୌକିଦାର ବୁଢ଼ାଟିଏ ହାତରେ ବେତ ବାଡ଼ି ଖଣ୍ଡେ ଧରି ପହଞ୍ଚିଲା। ପୋଲିଂ ପାର୍ଟି କମ୍ପ୍ଲିଟ୍ ହୋଇଯିବାରୁ ବୁଥ୍ ଅଭିମୁଖେ ଯାତ୍ରା ଆରମ୍ଭ ହେଲା। ହେଲେ ସେଠାରେ ପହଞ୍ଚିଲା ବେଳକୁ ରାତି 10 ଟା। ଭାରି ବେତାଳିଆ ଜାଗା। ସେ ଗାଁକୁ ପୋଲିଂ ପାର୍ଟି କଣ ଜମ ବି ଦର୍ଶନ କରିବ ନାହିଁ। ରାସ୍ତା ଘାଟ କଥା ନ କହିଲେ ଭଲ। ଗୋଟେ ପାଖ ନାଳ ଅନ୍ୟ ପଟେ ନାଳିଆ ନଦୀ। ପ୍ରାକୃତିକ ପ୍ରତିବନ୍ଧକ। ବିଛିନ୍ନାଞ୍ଚଳ ପରି ପ୍ରତୀତି ହେଉଥାଏ। ଏତେ ରାତିରେ ଆଉ ରୋଷେଇ କିଏ କରୁଛି, ଚୂଡ଼ା କଦଳୀ ଚକଟି ପେଟେ ଖାଇ ଦେଲେ ବରଂ ଭଲ। ଆଗ ବୁଥ୍ compartment ବନେଇବାକୁ ହେବ। ପୁଣି ହଜାରେ ପନ୍ଦର ଶହ ଦସ୍ତଖତ। କାରଣ ଏକାବେଳେକେ ୱାର୍ଡ ମେମ୍ବର, ନୋମିନି, ସରପଞ୍ଚ ଓ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ। ତେଣୁ ballot ପେପର ବହୁତ ।ଅନ୍ୟନ୍ୟ ଲେଖା ପଢ଼ା କାମ ବି ଅନେକ। ଏଥର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଏକାବେଳକେ ହେଉଥିବାରୁ ଓ ଫେଜ୍ ୱ୍ଇଜ୍ ମେନରରେ ବହୁ ଫେଜ୍ ରେ ନିର୍ବାଚନ ହେଉଥିବାରୁ ଜଣକା ତିନି ତିନିଟା ଫେଜ୍ ରେ ଡ୍ୟୁଟି କରିବେ। ତେଣୁ ମଝିରେ ଆଉ ବିଶ୍ରାମ ନ ନେଇ ଯେଉଁ ଦିନ ବୁଥ୍ ରେ ପୋଲିଂ ଟିମ୍ ପହଁଞ୍ଚିବ ତା ପର ଦିନ ଭୋଟ୍ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥଏ। ତେଣୁ ବିଶ୍ରାମ ରହିତ ହୋଇ ସବୁ କାମ କରିବାକୁ ପଡ଼ିଲା। ରାତିକ କାମ ସରିଲା ବେଳକୁ ପାଟି ଶୁଖି ଅଠା ଅଠା। ପାଣି ମୁନ୍ଦେ ପିଇ ଯିଏ ଯୁଆଡେ ଶୋଇ ପଡ଼ିଲେ।
କାର୍ଯ୍ୟ ବିଳମ୍ବିତ ହେବାର ଅନ୍ୟ କାରଣଟି ହେଲା କାମ ମଝିରେ ମଝିରେ ପ୍ରାଥୀ ଓ ତାଙ୍କ ଚେଲା ଚାମୁଣ୍ଡା ମାନେ ତୁହାକୁ ତୁହା ସେଠି ପହଂଚି ଯାଉଥାନ୍ତି ଓ ନିର୍ବାଚନ ସମ୍ପର୍କରେ ବେଉରା ନେଉଥାନ୍ତି। ତାଙ୍କୁ ବୁଝାଉ ବୁଝାଉ ମଧ୍ଯ ଅମରେନ୍ଦ୍ର ବାବୁ ଥକିଲେଣି। ପୁଣି ତାଙ୍କ ଭିତରେ ଜଗାରଖା ଖୁବ୍। କାଳେ କିଏ ପୋଲିଂ ପାର୍ଟି କୁ ପଇସା ପତ୍ର ଦେଇ କରାୟତ କରି ନେବେ ସେଥିପାଇଁ ଗୋଟେ ଦଳ ଆସିଲେ ଆର ଦଳକ ତାଙ୍କ ଉପରେ ନଜର ରଖିଥାନ୍ତି। ତେଣୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ହେଉଥାଏ। ମାପି ଚୁପି କଥା ନ କହିଲେ ଅନର୍ଥ ହେବଟା ଥୟ। ତେଣୁ ଟେନସନ୍ ବଢି ଯାଉଥାଏ। ମୁଣ୍ଡ ଟା ଦିକ୍ ଦିକ୍ ହୋଇ ବିନ୍ଧୁଥାଏ। ସେଇଥିରେ ସେ କାମ କରୁଥାନ୍ତି। ଜିନିଷ ପତ୍ରକୁ ଆୟତ୍ତରେ ରଖି କବାଟ କିଳି ଶୋଇଲେ। ରାତି ସାରା ରାଜନୀତିବାଲା ହୋ ହୋ ହୋଇ ଖାଲି ଏଣେତେଣେ ଦୌଡ଼ ଧାମ୍ଫୁଡା କରୁଥାନ୍ତି। ଶାନ୍ତିରେ ନିଶ୍ୱାସ ମରେଇ ଦେଲେ ନାହିଁ। ଯାହା ବି ହେଉ ଭୋର୍ ଭୋର୍ ରେ ନିଦ ଟା ପାକଳ ହୋଇ ଆସୁଥିଲା କର ବାବୁ ଡାକି ଦେଲେ ଯେ ଅତରସିଆ ଚମକିପଡି ବିଛଣାରୁ ଧଡପଡ ହୋଇ ଉଠିଲେ। ଗାଧୁଆ ପାଧୁଆ ସାରି ବୁଥ୍ ଆୟୋଜନ ରେ ଲଗି ପଡ଼ିଲେ, agent ଆଗତୁରା ଆସି ହାଜର ।ଆଉ ଖିଆ ପିଆ ବି ଗଣ୍ଡେ ହୋଇ ପାରିଲା ନାହିଁ। ଭୋଟ୍ ପ୍ରକ୍ରିୟା ଚାଲିଲା।
ବେଶ୍ ସୁରୁଖୁରୁରେ ଭୋଟ୍ ଚାଲିଥାଏ। ଜଣଙ୍କ ପରେ ଜଣେ ଆସି ଭୋଟ୍ ଦେଉଥାନ୍ତି। Agent ମାନେ ବି ବଡ଼ ସହଯୋଗ କରିଥାନ୍ତି। ଷ୍ଟାଫ୍ ମାନେ ନିଷ୍ଠାର ସହ କାମ କରୁଥାନ୍ତି। ସେତେବେଳକୁ ଘଣ୍ଟାରେ 12.45 ବାଜି ସାରିଥାଏ।ସବୁ ସହଜ ସରଳ ଭାବେ ଚାଲିଥାଏ। ମନରେ ଗୋଟେ ଶୁକୁନ, ଯାହା ହେଉ ନିର୍ବାଚନ ଟା ଭଲରେଭଲରେ ସରିଯିବ। ହେଲେ ଅଚାନକ ଏମିତି କଣ ହେଲେ କେଜାଣି ହୋ ହଲ୍ଲା କରି ମାଡ଼ି ଆସିଲେ। କହିଲେ ଆର ଗାଁ ବୁଥରେ ବିରୋଧୀବାଲା ragging କରି ଭୋଟ୍ କରୁଛନ୍ତି ।ସେମାନେ ଆମ agent କୁ ସେଠି ମରିଛନ୍ତି ମାନେ ଆମେ ତାଙ୍କ agent କୁ ଏଠୁ ଉଠାଇ ଦେବୁ। ତାପରେ ଚାଲିଲା ଧସ୍ତାଧସ୍ତି। ଘୋଷରା ଟଣା। ସମସ୍ତଙ୍କ ହାତରେ ବାଡ଼ି ଠେଙ୍ଗା, ଭୁଜାଲି କଟାରୀ। ମାରଣାସ୍ତ୍ର ଧରି ଗୋଡାଗୋଡି ହେଉଥାନ୍ତି। ଠିକ୍ ଏଇ ସମୟରେ କିଏ ଗୋଟେ ପାହାର ପକାଇଲା ଯେ ବିରୋଧୀ Agent ର ମୁଣ୍ଡ ଫାଟି ଝିରି ଝିରି ହୋଇ ଖାଲି ରକ୍ତ ବୋହି ଗଲା। ସେ ମା’ଲୋ ମରିଗଲି, ମରିଗଲି ବୋଲି ଚିତ୍କାର ଛାଡୁ ଥାଏ। ତା କଥା ବା କିଏ ଶୁଣୁଛି। ବାହାରେ ବମ୍ବ ଫୁଟିଲା – ଢୋ। ସେତେବେଳକୁ 478 ରୁ pooling ରୁ 410 voting ସରି ଯାଇଥାଏ। ତଥାପି ସେମାନେ ଜିଦ୍ କଲେ ଆମେ ସମସ୍ତ ଭୋଟ୍ ପିଟି ବାକ୍ସରେ ପକାଇବୁ। ସେୟା ବି କଲେ। କାହାରି କଥା ଶୁଣିଲେ ନାହିଁ କି ମନା ମାନିଲେ ନାହିଁ। ଏତେବେଳକୁ ପୋଲିଂ ପାର୍ଟି ର ସମସ୍ତ ସଦସ୍ୟ ବରଡା ପତ୍ର ଭଳିଆ ଖାଲି ଥରୁଥାନ୍ତି। ଅମରେନ୍ଦ୍ର ବାବୁ ଉପାୟ ନ ପାଇ ଚାରିଆଡ଼କୁ ଫୋନ୍ ଲଗାଇଲେ। ସେକ୍ଟର ଅଫିସର ଡରରେ ସେ ସ୍ଥାନ ମାଡ଼ିଲେ ନାହିଁ। ପୁଲିସ କେମିତି ଆହୁରି ଖବର ପାଇ ଘଣ୍ଟାଏ ଦୁଇ ଘଣ୍ଟା ପରେ ହେଲେ ସୁଦ୍ଧା ସେଠି ଯାଇ ପହଂଚି ଏମାନଙ୍କୁ ଉଦ୍ଧାର କଲେ। ଆଉ ଖିଆ ପିଆ ନାହିଁ। ଜୀବନ ବିକଳରେ ସେଠୁ ଆଗ ଖସିଲେ।
ଭୋଟ୍ ବାକ୍ସ ସଂଗ୍ରହ କାଉଣ୍ଟର ରେ ବକ୍ସ ଦାଖଲ କଲା ବେଳକୁ କେହି ଗ୍ରହଣ କଲେ ନାହିଁ, ଯେହେତୁ ଗଣ୍ଡଗୋଳ ଯୋଗୁ ବାକ୍ସ ଜଉମୁଦ ହୋଇ ପାରି ନାହିଁ। ସମସ୍ତେ ଏ କାଉଣ୍ଟର ରୁ ସେ କାଉଣ୍ଟର କୁ ଯିବାକୁ କହି ଫେରାଇ ଦେଉଥାନ୍ତି। ବିଚରା ଅମରେନ୍ଦ୍ର ବାବୁ ଏପଟ ସେପଟ ହୋଇ ନାକେଦମ୍ ହେଲେଣି। ଶେଷରେ ସମସ୍ତ କଥା ଦର୍ଶାଇ returning ଅଫିସରକୁ ରିପୋର୍ଟ ଖଣ୍ଡେ ଧରାଇଛନ୍ତି କି ନାହିଁ ମୁଣ୍ଡ ଘୂରାଇ ଦେଲା ତଳେ କଚାଡ଼ି ହୋଇ ପଡ଼ିଲେ। ଦେଖିଲା ବେଳକୁ ହୋସ୍ ନାହିଁ। ମେଡିକାଲ୍ ବୁହା ହେଲେ। ତାଙ୍କ ଦେଖାଦେଖି ତାଙ୍କ ପୋଲିଂ ପାର୍ଟି ର ଅନ୍ୟଜଣେ ସଦସ୍ୟ ମୁକ୍ତିକାନ୍ତ ବାବୁ ବି ବେହୋସ୍। ଉଭୟ ଡାକ୍ତରଖାନାରେ। ଘରକୁ ଖବର ଆସିଲା ପେସେଣ୍ଟ ଅବସ୍ଥା serious ଶୀଘ୍ର ଘର ଲୋକ ଆସି ପହଞ୍ଚନ୍ତୁ। ଅମରେନ୍ଦ୍ର ବାବୁଙ୍କ ଛୁଆପିଲା ଖାଲି କାନ୍ଦି କାଟି ଗଡି ଯାଉଥାନ୍ତି। ଯୋଗକୁ ସେଠି ବାବୁ ଓ ଗୌରହରି ବାବୁ ସେଇପଟେ ଯାଉଥିଲେ। ଖବର ପାଇ ପିଲା ଛୁଆଙ୍କୁ ବୋଧ ଦେଇ ସାଙ୍ଗରେ ଧରି ଗୋଟେ ଗାଡ଼ି କରି ମେଡିକାଲ୍ ଧାଇଁଲେ। ସେଠି ପରିସ୍ଥିତି ଦେଖି ଶଙ୍କିଗଲେ। ଡାକ୍ତରଙ୍କୁ ନେହୁରା ହୋଇ ଚିକିସ୍ଥା କଲେ। ଅନ୍ୟପଟେ ଗୌର ହରି ବାବୁ ଆଗ ଯାଇ ବି. ଡି. ଓ. ଙ୍କୁ କହି ନିର୍ବାଚନ ଡ୍ୟୁଟି ରୁ ରିଲିଭ କରେଇଲେ। କାରଣ ପୁଣି ଆହୁରି ଦୁଇଟା ଫେଜରେ ତାଙ୍କୁ ନିର୍ବାଚନ ଡ୍ୟୁଟି କରିବାକୁ ଥାଏ। ହେଲେ କେହି ସେ ଗୋହଳ ଚହଳରେ କାହା କଥା ଶୁଣୁ ନ ଥାନ୍ତି। ଜଣେ ଚିହ୍ନା କ୍ଲାର୍କ ପରିସ୍ଥିତି ବୁଝି ସାହାଯ୍ଯ କଲେ। ଅମରେନ୍ଦ୍ର ବାବୁଙ୍କ ସ୍ଥାନରେ ଆଉ ଜଣେ substitute ଦେଇ ତାଙ୍କୁ ଡ୍ୟୁଟି ରୁ ଅବ୍ୟାହତି ଦେଲେ। ନିର୍ବାଚନ ଡ୍ୟୁଟି ଝାମେଲା ଖତମ ହେବାରୁ ମେଡିକାଲରେ ଚିକିତ୍ସା ଚାଲିଲା। ରାତିଟା ସେଇମିତି ସେଇମିତି ପାହିଲା ।ସାଲାଇନ ଓ ଇଞ୍ଜେକସନ୍ ପରେ ସେ ଟିକିଏ ହୋସ୍ କୁ ଫେରିଲେ। ଧୀରେ ଧୀରେ ଉର୍ଦ୍ଧ୍ୱ ରକ୍ତ ଚାପ ଓ hyper ଏସିଡ ସମସ୍ୟ ସାଧାରଣ ସ୍ଥିତିକୁ ଆସିଲା। ସେ ସୁସ୍ଥ ଅନୁଭବ କଲେ। ସକାଳୁ ସକାଳୁ ଘର ବାହୁଡ଼ା ପର୍ବ ଆରମ୍ଭ ହେଲା। ହେଲେ ଅମରେନ୍ଦ୍ର ବାବୁ କହୁଥାନ୍ତି – “ଅଳ୍ପକେ ଜୀବନ ସିନା ବଞ୍ଚିଗଲା, ହେଲେ ଏବର ଅର୍ଥ ଓ ବହୁ ବଳ ରାଜନୀତିରେ ନିର୍ବାଚନ ପରିଚାଳନା କରିବା କଷ୍ଟ। ସବୁଆଡ଼େ ତ ମଦର ପ୍ଳାବନ। ଏତେବେଳେ କିଏ ହୋସ୍ ରେ ରହୁଛି ଯେ ଭଲମନ୍ଦ ବିଚାର କରି ନିର୍ବାଚନରେ ଶୃଙ୍ଖଳାର ସହ ମତଦାନ ହେବ। ଧନ୍ୟ ଆମ ନିର୍ବାଚନ, ଧନ୍ୟ ଆମ ସଚେତନ ନାଗରିକ ଯେଉଁଠି ଅସୁରକ୍ଷିତ ଭୋଟର ଆଉ ବୁଥ ଅଧିକାରୀ ଜୀବନ”।

Related posts

ଦେନ୍ଯ

satya

ଭୁଲ କି ଭୁଲ

satya

ସମ୍ପାଦକୀୟ ବସନ୍ତ ବାହୁଡ଼ା ପତ୍ରିକା

satya

Leave a Comment

Login

X

Register