Satya Prakash
  • Home
  • Book
  • ଫୁସିଆ ଗଳ୍ପ ଗୁଚ୍ଛ
Book

ଫୁସିଆ ଗଳ୍ପ ଗୁଚ୍ଛ

ଅଭିମତ

କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ,ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ।”ବେକାରୀ ନଂ-ୱାନ୍ ” ତାଙ୍କ ଗଳ୍ପର ପୃଷ୍ଠଭୂମି ଉପରେ ନିର୍ମିତ ଚଳଚ୍ଚିତ୍ର। ଏତଦ୍ ବ୍ୟତୀତ ଅନେକ ଟି. ଭି. ଧାରାବାହିକର କାହାଣୀ ଓ ସ୍କ୍ରିପ୍ଟ ରାଇଟର ହେଉଛନ୍ତି ଗାଳ୍ପିକ ସତ୍ୟ ପ୍ରକାଶ ସେଠୀ। ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟରେ ତାଙ୍କର ଲେଖନୀ ଚଳଚଞ୍ଚଳ। www.satyaprakashsethy.com ରେ ହଜାର ସଂଖ୍ୟାରେ ତାଙ୍କ କୃତି ପାଠକ ମାନଙ୍କୁ ବେଶ୍ ଆକୃଷ୍ଠ କରିଥାଏ। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।ଓଡ଼ିଶା କଳା ଓ ଗବେଷଣା ପ୍ରତିଷ୍ଠାନ ତାଙ୍କୁ ସାହିତ୍ୟ ସାରଥି ଉପାଧିରେ ଭୂଷିତ କରିଥିବା ବେଳେ ସେ ସମ୍ପ୍ରତି ଷ୍ଟୋରି ମିରର Literary Brigadier ଅଛନ୍ତି। ”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଥିବା ବେଳେ ତିରିଶରୁ ଅଧିକ ପାଣ୍ଡୁଲିପି ଏବେ ବି ପ୍ରକାଶନୀ ଅପେକ୍ଷାରେ ।
“ଫୁସିଆ ମାଆ ” ତାଙ୍କ କୃତ ଏକ ନିଆରା ସୃଷ୍ଟି, ଯହିଁରେ ଅନେକ କ୍ଷୁଦ୍ର ଗଳ୍ପ ସ୍ଥାନିତ ହୋଇଛି। ସମାଜର ଅପେକ୍ଷାକୃତ ନିମ୍ନ୍ ବର୍ଗର ଚରିତ୍ର ଓ ଆତ୍ମ କଥନକୁ ନେଇ କାହାଣୀ ଭାଗ ବେଶ୍ ଗତିଶୀଳ ହୋଇଥିଲେ ହେଁ ଏଥିରେ ସାମାଜିକ ସମସ୍ୟା ଓ ପରିବର୍ତ୍ତନର ଝଲକ ବେଶ୍ ଦୃଷ୍ଟିକୁ ଆସିଥାଏ। ଏଥିରେ ସରଳ ଶିଶୁର ତରଳ ଭାବ ସହିତ ହୃଦୟକୁ ଦୋହଲାଇ ଦେଲା ପରି କେତୋଟି ଘଟଣାର ଅବତାରଣା କରାଯାଇଛି, ଯାହା ବେଶ୍ ହୃଦୟସ୍ପର୍ଶୀ ଓ ମନଲୋଭା କରି କାହାଣୀକୁ ଗଢି ତୋଳିଛି। ଅପର ବର୍ଗର ଦୌରାତ୍ମ୍ୟ ତଥା କଳା କାରନାମାର ପର୍ଦ୍ଦା ଫାସ୍ ହୋଇଛି। ମଣିଷର ମନ ଇଲାକାରେ ଅହରହ ସଂଘଟିତ ହେଉଥିବା ଭାବନାତ୍ମକ ବିଚାରଧାରା, ବୁଭୂକ୍ଷା ପ୍ରପୀଡିତ ମଣିଷର ମନସ୍କତା, ଦରିଦ୍ରତା ଓ ତଜ୍ଜନିତ ସମସ୍ୟା ସଠିକ୍ ରୂପ ପରିଗ୍ରହ କରି ପାରିଛି। ଏଥିରେ ବିଭିନ୍ନ ଚରିତ୍ର ଓ ଘଟଣାବଳୀର ମହାନୀୟତା ଓ ଗୁଣାବଳୀର ବ୍ୟାଖ୍ୟାନ ସଙ୍ଗେ ସଙ୍ଗେ ବିଭିନ୍ନ୍ ସାମାଜିକ ତତ୍ତ୍ଵ ଗୁଡିକର ଗୁରୁତ୍ଵ ଓ ମହତ୍ତ୍ୱ ସମ୍ପର୍କରେ ମଧ୍ଯ ବର୍ଣ୍ଣନ ଦେଖିବାକୁ ମିଳେ ।ମଣିଷର ବିଶେଷ ଭାବ ପ୍ରେମ ଭାବ, ତେଣୁ ପ୍ରେମ ଓ ପ୍ରଣୟକୁ ନେଇ କେତୋଟି ରସାଳପୂର୍ଣ୍ଣ ବର୍ଣ୍ଣନା ବି ରହିଛି। ଏଗୁଡ଼ିକ ବ୍ୟାବହାରିକ ଜୀବନରେ ଯେତିକି ଆବଶ୍ୟକ ସେତିକି ମଧ୍ୟ ଉପାଦେୟ। ଏଥିରେ ପାଠକୀୟ ଆବେଦନ ରକ୍ଷା ହୋଇପରିଛି।ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରନ୍ତୁ, ଏହାହିଁ ପୁସ୍ତକ ପ୍ରକାଶନ ଅବସରରେ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ

ଉତ୍ସର୍ଗ
——–
ବନ୍ଧୁ କିଶୋର ଚନ୍ଦ୍ର ରାଉତ ମୋ ପିଲା ବେଳର ବନ୍ଧୁ ନୂହେଁ, କି ମୋ ପଢିଲା ବେଳର, ସେ କିନ୍ତୁ ମୋ ବନ୍ଧୁ। ଏମିତି ଗୋଟେ ଘଟଣାକ୍ରମେ ଆମେ ସେଦିନ ଦୁଇ ବନ୍ଧୁ ଯୋଡି ହୋଇ ଯାଇଥିଲୁ ଯେ, ଏବେ କିନ୍ତୁ ସେଇ ବନ୍ଧୁତ୍ୱର ରଜ୍ଜୁଟା ଖୁବ୍ ବେଶୀ ଯୋହରରେ ବାନ୍ଧି ହୋଇ ଯାଇଛି। ଠିକ୍ କେଉଁ ଦିନ ଗଢା ହେଲା ‘ଆମ – ତାଙ୍କ’ ବନ୍ଧୁତ୍ୱର ଏଡ଼େ ବଡ଼ ନିଅଁ – ତାହା ତ ମୁଁ ଠିକ୍ କରି କହି ପାରିବି ନାହିଁ, ଏବେ କିନ୍ତୁ ଦେଖେ – ଏକ ସମ୍ପର୍କର ବିରାଟ ସୁଦୀର୍ଘ ଅଟ୍ଟାଳିକା। ତେଣୁ ଭୟରେ ସ୍ୱତଃ ମନ୍ଥିତ ହୃଦୟ – କାଳେ କେବେ ଭୁଶୁଡି ପଡିବ କି? ମୋର କିନ୍ତୁ ଶେଷ ଇଚ୍ଛା – ଏ ସମ୍ପର୍କଟା ରହିଥାଉ ସେଇମିତି ଅତୁଟ ହୋଇ ଯୁଗ ଯୁଗ ଧରି। କେହି କାହା ସମ୍ପର୍କରେ ଆଜି ଦଣ୍ଡେ ବେଉରା ନନେଲେ କି ଫୋନ୍ ଟିକେ ନକଲେ ଶାନ୍ତିରେ ରହି ହୁଏନା-ମାନଟା ବିଷର୍ଣ୍ଣ ହୋଇ ଯାଏ।ଅବଶ୍ୟ ସେ କଟକରେ ଆଉ ମୁଁ ଭଦ୍ରକରେ, କିନ୍ତୁ ଆମର ସମ୍ପର୍କଟା ଖୁବ୍ ନିବିଡ଼। ଏହାର ଅନ୍ୟ ଏକ କାରଣ ହୁଏତ ହୋଇପାରେ ସାହିତ୍ୟନୁରାଗ। କାରଣ ଆମେ ଉଭୟ ଗୋଟିଏ ପଥରେ ପଥିକ। ସାହିତ୍ୟ ହେଉଛି ଆମର ପ୍ରାଣକେନ୍ଦ୍ର ଓ ଭାବର ଉତ୍ସ୍ବାସ। ସେହି ପ୍ରାଣପ୍ରିୟ ବନ୍ଧୁ ଓ ବନ୍ଧୁପ୍ରିୟ ସଖା ବନ୍ଧୁ କିଶୋରଙ୍କୁ ଏହି” ଫୁସିଆ ମାଆ “ଗଳ୍ପ ସମ୍ଭାର ଉତ୍ସର୍ଗ କରି ଯଥାର୍ଥରେ ମୁଁ ମୋ ଖୁସି ଯାହିର୍ କରୁଛି। ପୁସ୍ତକ ପ୍ରକାଶନ ଅବସରରେ ପ୍ରାର୍ଥନା – ଈଶ୍ଵର ତାଙ୍କର ସାହିତ୍ୟିକ ଜୀବନକୁ ଆହୁରି ପ୍ରଶସ୍ତି ଓ ଯଶସ୍ବୀ କରି ଗଢି ତୋଳନ୍ତୁ।
(ଇତି)
ତୁମର ବନ୍ଧୁ – ସଖା – ସହୋଦର
ଗାଳ୍ପିକ ବନ୍ଧୁ
(ସତ୍ୟ ପ୍ରକାଶ ସେଠୀ)

ଉତ୍ସର୍ଗ
——-
ମଣିଷ ସମାଜରେ ବଢେ ଓ ସମାଜରେ ଗଢି ହୁଏ। ଏଇଠି ସେ ଜନ୍ମ ନେଇ ଧିରେଧିରେ ବୟଃପ୍ରାପ୍ତ ହୁଏ। ପୁଣି କର୍ମମୟ ଜୀବନ ଭିତରେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସେ। ତହୁଁ ତ ଅନେକ ଲୋକଙ୍କ ସହ ତା’ର ଛାଏଁ ସମ୍ପର୍କ ଯୋଡି ହୋଇଯାଏ। କିନ୍ତୁ ସବୁ ସମ୍ପର୍କକୁ ସେ ମନେ ରଖି ପାରେ ନାହିଁ କି ବହୁ ସମୟ ଧରି ରଖି ପାରେ ନାହିଁ। ତଥାପି ସମ୍ପର୍କରେ ଏଇ ଆମଦାନୀ ରପ୍ତାନୀ ଭିତରେ ବହୁ ସମ୍ପର୍କ ତ ଅତୁଟ ହୋଇ ରହିଥାଏ। ସେହିଭଲି ଏକ ଘଟଣାକ୍ରମରେ ମୋର ସମ୍ପର୍କଟିଏ ଯୋଡି ହୋଇ ଯାଇଥିଲା ବନ୍ଧୁ ଗୌତ୍ତମ ଭଟ୍ଟାଚାର୍ଯ୍ୟଙ୍କ ସହ। ଯିଏ କି ସୁଦୂର ଖଡଗପୁରରେ ରହନ୍ତି। ସେ ଜଣେ ବଙ୍ଗୀୟ ଲୋକ ହୋଇଥିଲେ ହେଁ ଓଡିଶା ଓ ଓଡ଼ିଆ ପ୍ରୀତି ତାଙ୍କର ଅତୁଳନୀୟ। ମୋ ସାହିତ୍ୟର ସେ ଜଣେ ଉପାସକ ଓ ପଢି ପ୍ରଥମେ ମନ୍ତବ୍ୟ ଦେବା ଲୋକ। ଅର୍ଥାତ୍ ମୋ ସାହିତ୍ୟ ପାଇଁ ତାଙ୍କ ଓ ମୋ ସମ୍ପର୍କର ଅୟମାରମ୍ଭ, ଯେଉଁ ସମ୍ପର୍କଟା କି ଏବେ ଖୁବ୍ ନିବିଡ ଓ ଅଧିକ ନିକଟତ୍ତର। ମୋ ସାହିତ୍ୟିକ ପ୍ରତିଭାର କେମିତି ବିକାଶ ହେବ ଓ ମୋ କୃତିରାଜିର କେମିତି ଅଧିକ ପ୍ରଚାର ଓ ପ୍ରସାର ହେବ, ସେଥିପାଇଁ ସେ ବେଶ୍ ତତ୍ପର । ସେ କଥା ଯାହା ହେଉନା କାହିଁକି , ଆମର ବନ୍ଧୁତ୍ୱ କିନ୍ତୁ ଖୁବ୍ ସଶକ୍ତ। ତେଣୁ ତ…….. ପୁସ୍ତକ ତାଙ୍କୁ ଉତ୍ସର୍ଗ କରି ମୁଁ ମୋ ବନ୍ଧୁତ୍ୱର ନିଦର୍ଶନ ଦେବାକୁ ଚାହେଁ । ଶେଷରେ ମୋର କେବଳ ଏତିକି ପ୍ରାର୍ଥନା – ହେ ଜଗତରନାଥ ପ୍ରଭୂ ଜଗନ୍ନାଥ! ଆମର ବନ୍ଧୁତ୍ଵକୁ ରଖିଥାଅ ଏଇମିତି ଅକ୍ଷୂର୍ଣ୍ଣ।
(ଇତି)
ତୁମର ବନ୍ଧୁଟିଏ
କେବଳ ବନ୍ଧୁଟିଏ
ଗାଳ୍ପିକ ବନ୍ଧୁଟିଏ
(ସତ୍ୟ ପ୍ରକାଶ ସେଠୀ)

ଅଳ୍ପରେ…
————–
ସାହିତ୍ୟିକ ହେଉଛି ସମାଜର ବାର୍ତ୍ତାବହ। ସେ ସମାଜରେ ଅହରହ ଘଟୁଥିବା ଘଟଣାବଳୀ ଉପରେ ସଦାସର୍ବଦା ତିକ୍ଷ୍ଣ ନଜର ରଖିଥାଏ, ଯାହା ତା ସାହିତ୍ୟିକ କୃତିରାଜିରେ ପରିପ୍ରକାଶ ଲଭେ। ଆଜିଯାଏଁ ସମାଜ କେତେବାର ବଦଳିଛି ଓ କେତେକେତେ ନୂଆ ରୂପ ପରିଗ୍ରହ କରିଛି – ତାହା କହିହେବ ନାହିଁ। ତଥାପି ଯେତେବେଳେ ବା ସମାଜ ବଦଳିଛି ସେତେବେଳେ ଏହି ସାହିତ୍ୟିକର ଭାବଧାରା ବା ବିଚାରଧାରା ତାହାରି ମୂଳରେ ମୂଳପିଣ୍ଡ ବା ମୂଳତତ୍ତ୍ଵ ହୋଇ ଛିଡ଼ା ହୋଇଥାଏ। ସମାଜକୁ ନୂଆ ନୂଆ ଚିନ୍ତା ଓ ଚେତନା ଗୁଡ଼ିକ ଏହି ସାହିତ୍ୟିକ ହିଁ ଆଣି ଦେଇଥାଏ।ତେଣୁ ସାହିତ୍ୟିକ ହେଉଛି ସମାଜର ସୁଧାରକ ।ତା’ର ଲକ୍ଷ୍ୟ ସମାଜରୁ ସମସ୍ତ ପ୍ରକାର କଳୁଷ ବିନାଶ କରି ଏକ ନୂତନ ଆଲୋକରେ ଉଦ୍ଭାସିତ କରିବା। ତେଣୁ ଅହରହ ତା’ର ପ୍ରଚେଷ୍ଟା ଜାରି ରହିଥାଏ। ସମାଜରେ ଦେଖାଦେଉଥିବା ଦୋଷ ଦୁର୍ବଳତାକୁ ଅକ୍ଳେଶରେ ଅଙ୍ଗୁଳି ନିର୍ଦ୍ଦେଶ କରି ଏକ ଉଚ୍ଚକିତ ସ୍ଵପ୍ନରେ ସେ ସୁଦୂର ଭବିଷ୍ୟତର ପରିକଳ୍ପନା କରେ। ଯାହା ଫଳରେ କି ସମାଜରେ ପରିବର୍ତ୍ତନର ଝଲକ ସ୍ୱତଃ ଅନୁଭୂତ ହୁଏ।
ସାହିତ୍ୟିକ ଯେତେବେଳେ ସେ ତା’ର ସାହିତ୍ୟ ସାଧନା କରେ ସେତେବେଳ ସେ ବାର୍ତ୍ତାଟିଏ ଦେବାକୁ ପ୍ରଯତ୍ନଶୀଳ ହୋଇଥାଏ। ଯାହା ଲେଖକୀୟ ଅଭିବ୍ୟକ୍ତି ଭାବେ ପାଠକର ହୃଦୟକୁ ବେଶ୍ ଆନ୍ଦୋଳିତ କରେ। ପାଠକ ମସ୍ତିଷ୍କରେ ଯୋହର୍ ଲଗେଇ ତା’ ଉପରେ ଭାବିବାକୁ ଏକ ରକମର ବାଧ୍ୟ ହୁଏ। ତେଣୁ ତାହାର ପ୍ରଭାବ ସୁଦୂର ପ୍ରସାରୀ ହୋଇଥାଏ। ଏହି ଦୃଷ୍ଟିକୋଣରେ ବିଚାର କଲେ, ଏଥିରେ ସ୍ଥାନିତ କେତେଗୁଡିଏ ଗଳ୍ପ ରହିଛି, ଯେଉଁଥିରେ କି ସାମାଜିକ ପରିବର୍ତ୍ତନର ସ୍ଵର ଅତ୍ୟନ୍ତ ଭାସ୍ଵର। ସାଧାରଣ ମଣିଷର କଥିତ ଭାଷାକୁ ନେଇ ଗଳ୍ପଗୁଡିକର ସ୍ରୁଷ୍ଟି ପରିକଳ୍ପନା କରାଯାଇଥିଲେ ହେଁ ଘଟଣାକ୍ରମର ଖୁବ୍ ପ୍ରବାହ ପରିଲକ୍ଷିତ ହୁଏ। ବର୍ଣ୍ଣନାଶୈଳୀରେ ନିଛକ ଓ ବାସ୍ତବତା ଫୁଟାଇବାକୁ ପ୍ରୟାସ କରାଯାଇଛି। ଆଶା ଗଳ୍ପ ଗୁଡ଼ିକ ପାଠକ ମାନଙ୍କର ଆଦର ଓ ଆଦୃତି ଲାଭ କରିବ-ମୁଁ ତ ପ୍ରୟାସ କରିଛି ମାତ୍ର ।’ଫୁସିଆ ମାଆ’, ‘ମାମାଲା ଫିଟ୍’ଆଦି ଗଳ୍ପ ଗୁଡିକ ଷ୍ଟୋରି ମିରର ପରି କେତକ ସଂସ୍ଥା ପ୍ରତିଯୋଗୀତାରେ ଭାଗ କୃତିତ୍ଵର ସହିତ ଖୁବ୍ ସଫଳତା ପାଇଥିଲେ ବେଳେ ଏଥିରେ ସ୍ଥାନିତ ‘ବୋଉଲୋ ମୁଁ କାଗଜ’ ଖାଉଛି ‘ଅମୃତାୟନ ‘ପ୍ରକାଶ ପାଇ ଖୁବ୍ ଲୋକ ପ୍ରିୟତା ଅର୍ଜନ କରିଛି। ଲେଖାଗୁଡ଼ିକ ବିଭିନ୍ନ୍ ୱେବ୍ ପୋର୍ଟାଲ, ଇ – ପତ୍ରିକା ଓ ନାମୀଦାମୀ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ଵୀକୃତି ପାଇଥିଲା ବେଳେ ଲେଖକ ତ ଖୁବ୍ ଆଶାବାଦୀ, ହେଲେ ଆପଣମାନେ ଯଥାର୍ଥରେ ପ୍ରକୃତ ବିଚାରକ ଯେଉଁମାନଙ୍କର ମତାମତ ଓ ସହୃଦୟତା ଉପରେ ଲେଖା ଗୁଡ଼ିକର ସଫଳତା ନିର୍ଭର କରୁଛି।
ଏହି ପୁସ୍ତକ ପ୍ରକାଶନ ଅବସରରେ ପ୍ରକାଶକ ଶ୍ରୀଯୁକ୍ତ – – – – –ଓ ମୁଦ୍ରଣକାରୀ ସଂସ୍ଥା……………ଙ୍କୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜଣାଇବି, ଯିଏକି ପୁସ୍ତକଟିକୁ ପ୍ରକାଶ କରିବା ପାଇଁ ଯଥେଷ୍ଟ ଆନ୍ତରିକତା ପ୍ରକାଶ କରିଛନ୍ତି।

ସର୍ବ ଶେଷରେ ଏଥିରେ ପ୍ରକାଶିତ କାହାଣୀ ଖଣ୍ଡଗୁଡ଼ିକ ଗଳ୍ପ ଆକାରରେ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକା ଓ ସମ୍ବାଦ ପତ୍ରରେ ତଥା ବଣମଲ୍ଲୀ, ଷ୍ଟୋରୀ ମିରର, ଆହ୍ଵାନ ପ୍ରଭୃତି ଇ – ପତ୍ରିକା ଓ ୱେବ୍ ପୋର୍ଟାଲରେ ପ୍ରକାଶ ପାଇ ପାଠକୀୟ ଆଦୃତି ପାଇଥିବା ବେଳେ ପୁସ୍ତକଟି ପାଠକୀୟ ସ୍ଵୀକୃତି ଲାଭ କରି ଓଡ଼ିଶାର ପୁରପଲ୍ଲୀରେ ସମସ୍ତ ପାଠକ /ପାଠିକା ନିକଟରେ ପହଞ୍ଚୁ – ଏହାହିଁ କାମନା।
ପରିଶେଷରେ କହୁ କହୁ କହିବାକୁ ଆଦୌ ଭୁଲିବି ନାହିଁ – ବାନ୍ଧବୀ ପ୍ରଭାତୀ ମହାପାତ୍ର (ଭୁବନେଶ୍ବର) ତଥା ଏଫ୍. ବି. ଫ୍ରେଣ୍ଡ୍ ଶିଶିର ପଣ୍ଡା (କଟକ), ସୁମିତ ପଣ୍ଡା (ବଲାଣୀ) , କେଉଁଝର) ଓ ସୁମିତି ରାଉଳ (ନୀଳଗିରି), ପ୍ରଣତି ପଣ୍ଡା, ନିବେଦିତା (ବରହମପୁର) , ଗୌତମ ଭଟ୍ଟାଚାର୍ଜ୍ୟ (ଖଡଗପୁର) ଆଦି ସାଙ୍ଗମାନଙ୍କୁ ସାଧୁବାଦ । ସମସ୍ତଙ୍କୁ କୃତଜ୍ଞତା ପୁଟେ ଅନେକ ନମସ୍କାର।
(ଇତି)
ଗାଳ୍ପିକ
(ସତ୍ୟ ପ୍ରକାଶ ସେଠୀ)

Related posts

ଗାଁରୁ ସିନେଟ୍ ଯାଏଁ ପୁସ୍ତକ

satya

ଶତ ପତ୍ନୀକ ଗଳ୍ପଗୁଚ୍ଛ

satya

ଜ୍ଞାନେଶ୍ୱରୀ ଟ୍ରେନ୍ ଦୁର୍ଘଟଣା

satya

Leave a Comment

Login

X

Register