Satya Prakash
Research Work

ବାବା ସାହେବ

ଭୀମ ରାଓ ଆମ୍ବେଦକର
By ସତ୍ୟ ପ୍ରକାଶ ସେଠୀ
—-
ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକର ଥିଲେ ଜଣେ ପ୍ରଚଣ୍ଡ ଓ ପ୍ରଗାଢ ପାଣ୍ଡିତ୍ୟପୂର୍ଣ୍ଣ ବ୍ୟକ୍ତିତ୍ଵର ଅଧିକାରୀ। ସେ ଏକା ଧାରରେ ଜଣେ ଆଇନ୍ ବିଶାରଦ, ଉଚ୍ଚକୋଟୀର ଶିକ୍ଷାବିତ୍, ସଚ୍ଚୋଟ ଓ କର୍ମଠ ରାଜନୀତିଜ୍ଞ, ମାନବାଧିକାରର ରକ୍ଷକ, ମାନବବାଦୀ ଓ ଜାତୀୟବାଦୀ ନେତା, ଜଣେ ସୁବକ୍ତା ଓ ସୁଲେଖକ ଧର୍ମତତ୍ତ୍ଵବିତ୍, ଦାର୍ଶନିକ, ଅର୍ଥନୀତିଜ୍ଞ, ସମାଜତତ୍ତ୍ବବିତ୍, ସର୍ବୋପରି ବିପ୍ଳବୀ ଭାବାପନ୍ନ ଜଣେ ସମାଜ ସୁଧାରକ!। ଯାହାଙ୍କ ଜୀବନରେ ପ୍ରେରଣାର ଉତ୍ସ ଥିଲେ – କବୀର, ଜ୍ୟୋତିବା ଫୁଲେ ଓ ଗୌତ୍ତମ ବୁଦ୍ଧ। ସେ କବୀରଙ୍କ ଠାରୁ ଭକ୍ତି ଭାବନା, ଜ୍ୟୋତିବା ଫୁଲେଙ୍କଠାରୁ ସାମୂହିକ ପଶ୍ଚାତ୍ ତାପର ଭାବନା, ଶିକ୍ଷା ଓ ଆର୍ଥିକ ଉତ୍ଥାନର ସନ୍ଦେଶ – ଶିକ୍ଷା ଲାଭ କରିଥିଲେ। ସେହିପରି ବୁଦ୍ଧଙ୍କ ମହାନ ବାଣୀ – ତାଙ୍କର ମାନସିକ ଓ ଦାର୍ଶନିକ ପିପାସାର ନିବୃତ୍ତିରେ ସହାୟକ ହୋଇଥିଲା। ସେ ବିଶ୍ବାସ କରୁଥିଲେ ସାମ୍ବିଧାନିକ ବ୍ୟବସ୍ଥା ଦ୍ଵାରା ସାଧାରଣ ଜନତାର ଅଧିକାର ଓ ସ୍ୱାର୍ଥର ସୁରକ୍ଷା ବିଧାନ କରାଯାଇପାରିବ। ସାମାଜିକ, ଆର୍ଥିକ ବା ଧାର୍ମିକ ଯେକୌଣସି ପ୍ରକାରର ସାମ୍ରାଜ୍ୟବାଦର ସେ ବିରୋଧୀ ଥିଲେ। ତାଙ୍କ ମତରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଆଇନ୍ ଯଥେଷ୍ଟ ନୁହେଁ, ଏଥିପାଇଁ ସାମାଜିକ ସଚେତନତାର ଆବଶ୍ୟକତା ଯଥେଷ୍ଟ ରହିଛି। ନାଗରିକକୁ ଅଭାବ ଓ ଭୟରୁ ମୁକ୍ତ ରଖିବା ସରକାରଙ୍କର କର୍ତ୍ତବ୍ୟ। ବ୍ୟକ୍ତିଗତ ସ୍ଵତନ୍ତ୍ରତା – ଗଣତନ୍ତ୍ରର ମୂଳଭିତ୍ତି। ଉପେକ୍ଷିତ ବର୍ଗର ସ୍ୱାର୍ଥରକ୍ଷା ଓ ତା’ର ସାମାଜିକ ଓ ସାଂସ୍କୃତିକ ନିରାପତ୍ତା ସରକାରଙ୍କର ଦାୟିତ୍ଵ।। ସେ ଥିଲେ ଜଣେ ପ୍ରଭାବଶାଳୀ ଇଂରାଜୀ ଗଦ୍ୟ ଲେଖକ, ତାଙ୍କର ଅର୍ଥନୀତି, ମୁଦ୍ରାନୀତି, ସମ୍ବିଧାନ ତତ୍ତ୍ଵ, ଇତିହାସ ଧର୍ମ ଓ ଦର୍ଶନ ତତ୍ତ୍ଵ ସମ୍ବଳିତ ଲେଖା ଗୁଡ଼ିକ ତାଙ୍କର ବହୁ ଶାସ୍ତ୍ର ଦର୍ଶିତା, ଗଭୀର ପାଣ୍ଡିତ୍ୟ ଓ ଦର୍ଶନ ସୁଲଭ ଅନ୍ତର୍ଦୃଷ୍ଟିର ପରିଚାୟକ। ଏହି ଲେଖକମାନଙ୍କ ମଧ୍ୟରେ 1-ପ୍ରାଚୀନ ଭାରତର ବାଣିଜ୍ୟ 2-ଭାରତର ଜାତି ପ୍ରଥାର ଉଦ୍ଭବ ଓ ବିକାଶ ପ୍ରଭୂତି ତାଙ୍କର ଅମର କୃତିର ସ୍ଵାକ୍ଷର ବହନ କରେ। ବ୍ରିଟିଶ୍ ଶାସିତ ଭାରତର ପ୍ରାଦେଶିକ ଅର୍ଥ ନୀତି ତାଙ୍କର ଅନ୍ୟତମ ଶ୍ରେଷ୍ଠ କୃତି, ଯାହା ବଜେଟ ଉପସ୍ଥାପନ ଓ ଆଲୋଚନା ବେଳେ ପ୍ରାୟତଃ ରେଫର୍ କରାଯାଇଥାଏ। ମୂକ ନାୟକ ତାଙ୍କର ଏକ ପ୍ରଭାବଶାଳୀ ପତ୍ରିକା। ଜଟିଳ ସମସ୍ୟାର ସରଳ ଅଭିବ୍ୟକ୍ତି, ଉକ୍ତିର ଦୃଢତା ଓ ସ୍ପଷ୍ଟତା, ଗୁରୁ ଗମ୍ଭୀର ଉଦ୍ଘୋଷଣ- ତାଙ୍କ ବକ୍ତବ୍ୟର ବିଶେଷତ୍ଵ। ନାରୀ ସୁରକ୍ଷା ପାଇଁ ସେ ଆଣିଥିଲେ ହିନ୍ଦୁ କୋଡ଼ ବିଲ୍, ଯେଉଁଥିରେ କି ବ୍ୟବସ୍ଥା ଥିଲା – ଜନ୍ମଗତ ସିଦ୍ଧାନ୍ତର ଲୋପ, ମହିଳାମାନଙ୍କର ସମ୍ପତ୍ତି ଅଧିକାର, ପିତା ସମ୍ପତ୍ତି ଉପରେ କନ୍ୟାର ଅଧିକାର ଓ ଛାଡ଼ ପତ୍ର ପରି ବିଧି ବ୍ୟବସ୍ଥା। ଶ୍ରମିକ ମାନଙ୍କ ପାଇଁ ଔଦିକ ବିଲ ମଧ୍ୟ ତାଙ୍କ ସଫଳତାର ଅନ୍ୟ ଏକ ଗାଥା ଗାହେ। ସେ କହୁଥିଲେ ହରତାଳ ହେଉଛି, ଶ୍ରମିକମାନଙ୍କର ସ୍ଵତନ୍ତ୍ରତା ରୂପକ ଅଧିକାର। ସେ କହନ୍ତି – ମାଲିକ ଓ ଶ୍ରମିକ ମାନଙ୍କର ସଂଘର୍ଶରେ ସେ ଶ୍ରମିକମାନଙ୍କର ପକ୍ଷ ନେବା ପାଇଁ ଅଧିକ ଉଚିତ୍ ମନେ କରିବେ। ଶ୍ରମିକ ମାନଙ୍କ ପାଇଁ ସବୈତନିକ ଛୁଟି ମଞ୍ଜୁରୀ ଉକ୍ତ ବିଲର ଅନ୍ୟତମ ସଫଳତମ ଅଂଶ ବିଶେଷ। ଏଥି ପୂର୍ବରୁ ସି. ଏଲ. ବା ଇ. ଏଲ ନେଲେ ତା’ର ଦରମା ପୁରାପୁରି କଟି ଯାଉଥିଲା। ଛାତ୍ର ବୃତ୍ତି ଓ ଛାତ୍ରାବାସର ସଂଖ୍ଯା ବୃଦ୍ଧି ମଧ୍ଯ ତାଙ୍କର ସଫଳତମ ଯୋଜନାର ଅଂଶ ବିଶେଷ। ସେ କହୁଥିଲେ ପ୍ରଜ୍ଞା ଓ କରୁଣା ତଥା ସମତା ହେଉଛି ଲୋକତାନ୍ତ୍ରିକ ବ୍ୟବସ୍ଥାର ମୂଳପିଣ୍ଡି। ଯାହାର ଧର୍ମ ହେଉଛି ସାମାଜିକ ବ୍ୟବସ୍ଥାର ସୁଧାର ଓ ପରିବର୍ତ୍ତନ ଆଣିବା। ସେ ବିଶ୍ବାସ କରୁଥିଲେ – ସାମ୍ବିଧାନିକ ବ୍ୟବସ୍ଥା ଦ୍ଵାରା ସାଧାରଣ ଜନତାର ଅଧିକାର ଓ ସ୍ୱାର୍ଥର ସୁରକ୍ଷା କରାଯାଇପାରିବ। ତାଙ୍କ ମତରେ ସଂସାରରେ କୌଣଷି ଧର୍ମ ସନାତନ ବା ଶାଶ୍ୱତ ନୁହେଁ, ପରିବର୍ତ୍ତନ ମଣିଷର ଧର୍ମ। ପରିବର୍ତ୍ତନ ବିନା ସାମାଜିକ ସ୍ଥାୟିତ୍ଵ ସମ୍ଭବପର ନୁହେଁ। ସମାଜର ପ୍ରଗତି – ସମାନତା, ସହାନୁଭୂତି ଓ ଭାତୃଭାବ ଉପରେ ନିର୍ଭରଶୀଳ। ସେ କହୁଥିଲେ – ମଣିଷର ଜାତି ନୁହଁ, ତା’ର ମୂଲ୍ୟ ମନୁଷ୍ୟତାର ନିର୍ଦ୍ଧାରକ। ମଣିଷ ଜୀବନର ନିୟାମକ – କର୍ମ, ଜନ୍ମ ନୁହେଁ। କିଏ କେଉଁ ଜାତିରେ ଜନ୍ମ୍ ନେଇଛି, ତା ଉପରେ ତା’ ର ଶ୍ରେଷ୍ଠତା ନିର୍ଭର କରେ ନାହିଁ। କିଏ କିପରି ଭାବେ କାର୍ଯ୍ୟ କରୁଛି, ତାହା ହିଁ ବିଚାର୍ଯ୍ୟ।

ସେ ବୁଝାଉଥିଲେ – ଧର୍ମ ନିରପେକ୍ଷତା ଧର୍ମ ହୀନତା ନୁହଁ, ବରଂ ଧର୍ମ ସହିଷ୍ଟୁତା।ଶିକ୍ଷାର  ପ୍ରସାର ଓ ପ୍ରଚାର ଏସବୁ ଦିଗରେ ବ୍ୟାପକ  ପରିବର୍ତ୍ତନ ଅନାୟାସରେ ଆଣି ପାରେ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ।

ଏପରି ଏକ ମହାନାୟକ ଲୋକପ୍ରିୟ, ଜାତୀୟବାଦୀ ନେତାଙ୍କର ମହାନିର୍ବାଣ ଦିବସରେ ମୋର ଆନ୍ତରିକ ଭକ୍ତିପ୍ଲୁତ ଗଭୀର ଶ୍ରଦ୍ଧାଞ୍ଜଳି ତଥା ପ୍ରାର୍ଥନା ତାଙ୍କରି ପ୍ରେରଣାରେ ସମସ୍ତେ ଉଦବୁଦ୍ଧ ହୁଅନ୍ତେ କି…

ସେ ବିଶ୍ବାସ କରୁଥିଲେ ହିନ୍ଦୁ ସମାଜର ସ୍ଥାୟିତ୍ୱ ଦୁଇଗୋଟି ନୀତି ଉପରେ ନିର୍ଭରଶୀଳ, ତାହା ହେଉଛି ସମାନତା ଓ ଜାତିବିହୀନତା। ତାଙ୍କ ମତରେ ଅନ୍ତ୍ଯଯା ବର୍ଣ୍ଣ ବ୍ୟବସ୍ଥା ସକଳ ପ୍ରକାର ଅସମାନତାର ମୂଳ କାରଣ। ସେ କହୁଥିଲେ ମନ୍ଦିର ପ୍ରବେଶକ ବିଧେୟକ ହେଉଛି ଅସ୍ପୃଶ୍ୟତାର ମୂଳୋତ୍ପାଟକ। ଅଛୁଆଁ ଜାତିମାନଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ସତ୍ୟାଗ୍ରହ ମାର୍ଗ ଏକମାତ୍ର ରାସ୍ତା ନୁହେଁ, ବରଂ ଉଚ୍ଚ ବର୍ଗ ହିନ୍ଦୁ ମାନଙ୍କର ହୃଦୟର ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ।

Related posts

What is Marriage age

satya

Society polity and culture of Odisha through age

satya

Leave a Comment

Login

X

Register