Satya Prakash
ଗଳ୍ପ

ମାଇକେଲ୍ ଜାକସନ

କଣ ଅର୍ଥ ହିଁ ସର୍ବସ୍ୱ
By ସତ୍ୟ ପ୍ରକାଶ ସେଠୀ
ସେଦିନ ଗୌତ୍ତମ ବାବୁ କାହିଁକି କେଜାଣି ଭାରି ଗମ୍ଭିର ଜଣାପଡୁଥାନ୍ତି ।ଜଣାପଡୁଥାନ୍ତି ଯେମିତି ସେ କୌଣସି ମୂଲ୍ୟବାନ୍ ବସ୍ତୁର ହେତୁ ନିର୍ଦ୍ଧାରଣ କଲା ପରି। ବସି ପଡିଥାନ୍ତି ନିଜ ଘର ସାମ୍ନାରେ ଥିବା ତାଙ୍କ ବଗିଚାରେ ଏକୁଟିଆଟା ବୋକା ପରି । ଦୁନିଆ ଯାକର ଯେତକ ଚିନ୍ତା ମୁଣ୍ଡକୁ ସବୁ ବୋଧେ ଘାରୁଥାଏ।ଭାରି ଚିନ୍ତିତ ତ ଜଣା ପଡୁଥାନ୍ତି। ଭାବନାର ଉତ୍ତୁଙ୍ଗ ଲହରୀକୁ ସଦର୍ପରେ ଠେଲି ଠେଲି ଦୋଳାୟମାନ ସ୍ଥିତିରେ ସେ ଯେ କେଉଁ ଏକ ବିଶେଷ ରାଇଜକୁ ଗମନ କରୁଥାନ୍ତି, ତାହାର କିଛି ଆଦି ଅନ୍ତ ମିଳୁ ନଥାଏ ।ସହଜେ ତ ସନ୍ଧ୍ୟା ସମୟ, ତେଣୁ ଚାରିଆଡ଼େ ଅନ୍ଧକାରର ରାଜୁତି, ସ୍ତବ୍ଧ ପରିବେଶ ।ହେଲେ ନିଜ ଭାବନାରେ ତିଳେମାତ୍ର କାହିଁ ଅନ୍ତ ଘଟୁନଥାଏ। ମୁଁ ତେଣୁ ପ୍ରକୃତିସ୍ଥ କରିବା ପାଇଁ ତାଙ୍କୁ ଟିକିଏ ହଲେଇ ଦେଇ ପଚାରିଲି -ହୋ! ହୋ!! କାହିଁକି ଏ ଚିନ୍ତା ନାୟକ ଦାର୍ଶନିକର ଭାବମୂର୍ତ୍ତି? ଏମିତି କେଉଁ ଏକ ଅଜ୍ଞାତ ଜ୍ଞାନର ହେତୁ ନିରୂପଣରେ, ବାବୁ ଯେ ବ୍ରତୀ?
ସେ ବେଶ୍ ଶାନ୍ତ ଅଥଚ ଗୁରୁ ଗମ୍ଭିର ସ୍ଵରରେ କହିଲେ – ନାହିଁମ ସୋନୁ ବାବୁ! ସେମିତି କିଛି ନୂହେଁ ଯେ , ହେଲେ ଏମିତି କିଛି ଗୋଟେ କାହିଁ ମୋତେ ସେତେ ଭଲ ଲାଗୁ ନାହିଁ, ଏଇ ଆଜିକାଲି ଦୁନିଆର ଗତି ବିଧି ଦେଖିକି ।
ଆଜି ସଙ୍ଗୀତ ଦୁନିଆର ବାଦଶାହା ମାଇକେଲ ଜାକସନଙ୍କ ଉପରେ ଗୋଟେ ଭିଡିଓ ଦେଖୁଥିଲି, ତେଣୁ ମନଟା ସ୍ୱତଃ ବିଷର୍ଣ୍ଣ ହୋଇଗଲା। ଦେଖୁନାହାନ୍ତି! କେତେ ବଡ଼ ଲୋକ ସେ , ଯିଏ ଦେଢ ଶହ ବର୍ଷ ଧରି ଜିଇଁ ରହିବାକୁ ମସୁଧା କରିଥିଲେ।ହେଲେ ହେଲା କ’ଣ? ଧନଦୌଲତ ଓ ପ୍ରାଚୁର୍ଯ୍ୟ କେଉଁଥିରେ ତାଙ୍କର କମ୍ ନଥିଲା ତ । ସେ ପରା ମାତ୍ର ପାଞ୍ଚ ବର୍ଷ ବୟସରୁ ନୃତ୍ୟ ଓ ସଙ୍ଗୀତ ଦୁନିଆର ବାଦଶାହା, ଜଣେ ବିଶିଷ୍ଟ କଳାକାର। ଯାହାଙ୍କର କଳାର ଯାଦୁକାରୀ ସ୍ପର୍ଶରେ ଆବାଳବୃଦ୍ଧବନିତା ଉନ୍ମାଦଗ୍ରସ୍ତ। ତେଣୁ ତାହାଙ୍କ ସାମାଜିକ ପ୍ରତିଷ୍ଠା ଓ ପ୍ରଭାବ କହିଲେ ନସରେ। ଏଥିସହିତ ତ ତାଙ୍କ ହାତମୁଠାକୁ ଆସି ଯାଉଥିଲା, ଦୁନିଆ ଯାକର ଅସୁମାରି ସୁଖ ଓ ସମ୍ଭୋଗ। ସେ ଦିନେ ବାପାଙ୍କର ନବମତମ ଶିଶୁ ସନ୍ତାନ ଭାବେ 29th ଅଗଷ୍ଟ 1959 ମସିହାରେ ପିତୃମାତୃ କୋଳ ମଣ୍ଡନ କରି ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ରର ଲସ ଏଙ୍ଗେଲ୍ସ ଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଜଣେ ସାଧାରଣ କ୍ରେନ୍ ଡ୍ରାଇଭର୍ ହୋଇଥିଲେ ହେଁ ଭଲ ତବଲିଷ୍ଟ। ତେଣୁ ତ ସେଇ କଳା ଓ କଳାର ପ୍ରଭାବ ନିଶ୍ଚୟ ତାଙ୍କ ଉପରେ କିଛିଟା ପଡ଼ିଥିଲା ।
ଯଦ୍ୱାରା ତାଙ୍କୁ ମାତ୍ର ପାଞ୍ଚ ବର୍ଷ ହୋଇଥିଲା ବେଳେ ସେ ନିଜ କଳାର ଉତ୍କର୍ଷତା ପ୍ରତିପାଦନ କରିପାରିଥିଲେ। ତାଙ୍କ ଅନ୍ତର୍ନିହିତ ଗୁଣାବଳୀର ଭୂୟୋବିକାଶ ସାଧିତ ହୋଇଥିଲା। ସେ ଜଣେ ଷ୍ଟେଜ୍ ପରଫରମର ଭାବେ ବେଶ୍ କିଛି ନାଁ କମାଇ ସାରିଥିଲେ। ଏଥିରୁ ତାଙ୍କର ଲୋକପ୍ରିୟତା ଓ ଉଜ୍ଜ୍ଵଳ ଭବିଷ୍ୟତ ସମ୍ପର୍କରେ ସହଜେ ତ ଅନୁମେୟ ।ବାଲ୍ୟାବସ୍ଥାରୁ ତାଙ୍କର ଏହି ପ୍ରସିଦ୍ଧି ଓ ପ୍ରଶସ୍ତିଗାନ ତାଙ୍କୁ ଏମିତି ନାମଜାଦା ଶୀଳ୍ପିରେ ପରିଣତ କରିଥିଲା ଯେ, ତା ନକହିଲେ ମଧ୍ଯ ସର୍ବ ବିଦିତ । କ୍ରମଶଃ ତାହାଙ୍କର ପ୍ରଶିଦ୍ଧି ଏମିତି ଶିଖର ଦେଶରେ ପହଂଚିଥିଲା ଯେ, ତାହାର ଆକଳନ କରିବା ଏତେଟା ସହଜ ନୁହେଁ । ଲୋକେ ପରା ପାଗଳ ହୋଇ ଉଠୁଥିଲେ, ତାଙ୍କୁ ଥରୁଟେ ଦେଖିବା ପାଇଁ ବା ଟିକେ ଶୁଣିବା ପାଇଁ । ସେ ଏକାଧାରରେ ଜଣେ ଗାୟକ, ଗୀତିକାର, ନୃତ୍ୟଶୀଳ୍ପି। କଳା, ସଂସ୍କୃତି, ନୃତ୍ୟଶିଳ୍ପ ଓ ସଙ୍ଗୀତ ଦୁନିଆରେ ସେ ଅପରାଜୟ ଓ ଜଣେ ବହୁଚର୍ଚ୍ଚିତ ଚେହେରା। ଯାହାଙ୍କ ପ୍ରସଂଶା ଓ ପ୍ରଶସ୍ତି ଗାନରେ ଜନତା ଶତତଃ ଶତମୁଖ। ସେ ପରା ଥିଲେ “King of pop “. ତାଙ୍କ ସ୍ୱୀକୃତିର ସ୍ଵାକ୍ଷର ବହନ କରି ପ୍ରକାଶିତ ହୋଇଥିଲା ଆଲବମ୍ ସୋଲୋ , ଥ୍ରିଲର୍, ବ୍ୟାଡ୍, ଡେଞ୍ଜରିୟସ୍, ଇନ୍ଭିନ୍ସିବଲ, ମାଇକେଲ୍ ଓ ଆହୁରି ଅନେକ। ଖାଲି ଏତିକି ନୂହେଁ, ଅନେକ ମହାନତା ଓ ମହତର ଭିତରେ ବି ସେ ମଧ୍ଯ କିଛିଟା ବିବାଦ ଘେରକୁ ଆସ ଯାଇଥିଲେ, ଯେମିତିକି ଚାଇଲ୍ଡ ମୋଲୁଷ୍ଟେସନ୍ ର ଅଭିଯୋଗ ଓ ଆଉ ଏମିତି କିଛି । ଅଶ୍ଳୀଳତା ଓ ହିଂସା ପାଇଁ ମଧ୍ୟ କିଛିଦିନ ସେ ବିବାଦିତ ହୋଇ ପଡିଥିଲେ। ତେବେ ବି ତାଙ୍କ ଲୋକପ୍ରିୟତା କମି ନଥିଲା।
ମାଇକେଲ୍ ଜାକସନଙ୍କ ସମ୍ପର୍କରେ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଲା – ସେ ଦେଢ ଶହ ବର୍ଷ ବଞ୍ଚି ରହିବାକୁ ଚାହୁଁଥିଲେ। ତେଣୁ ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ସେ ନିଜେ କରେଇ ନେଇଥିଲେ। ଏପରିକି ରୋଗ ଦାଉରୁ ଓ ବାହ୍ୟ ପ୍ରଭାବରୁ ରକ୍ଷା ପାଇବା ପାଇଁ ସେ କାହା ସହ ହାତ ମିଳେଇବା ପୂର୍ବରୁ ହାତରେ ଗୋଟେ ଆସ୍ତରଣ ପିନ୍ଧି ନେଉଥିଲେ। ଜନତାଙ୍କ ଭିତରକୁ ଗଲା ବେଳେ ମଧ୍ଯ ମୁହଁରେ ମାସ୍କ ବ୍ୟବହାର କରୁଥିଲେ। ନିଜର ସ୍ୱାସ୍ଥ୍ୟର ସୁରକ୍ଷା କାରଣରୁ ସେ ନିଜ ଘରେ ବାର ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ଓ ସ୍ଵୟଂକୁ ପ୍ରତ୍ୟେହ ବ୍ୟାୟମ କରିବା ପାଇଁ ପନ୍ଦର ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ, ଯେପରିକି ସେ ସବୁଦିନେ ସୁସ୍ଥ ରହିବେ। ମୁଣ୍ଡର ଚୂଟିଠାରୁ ଆରମ୍ଭ କରି ତଳି ପାଦ ଓ ଗୋଡର ନଖଶ୍ରୀ ପର୍ଯ୍ୟନ୍ତ ପ୍ରତିଦିନ ସେ ଯାଂଚ ବା ପରୀକ୍ଷା କରାଇଥାନ୍ତି। ଖାଦ୍ୟ ଖାଇବା ପୂର୍ବରୁ ତ ତାଙ୍କ ଖାଦ୍ୟ ଲାବୋରଟୋରୀରେ ପ୍ରତ୍ୟେହ ପରୀକ୍ଷା ନିରୀକ୍ଷା ହେଉଥିଲା। ତା’ପରେ ଯାଇ ସେ ଖାଦ୍ୟ ଗ୍ରହଣ କରୁଥିଲେ।
ବାସ୍ତବରେ ତାଙ୍କ ଜୀବନରେ ବଡ଼ ମୋଡ଼ ଓ ଏହି ଉଦ୍ଭଟ ପରିକଳ୍ପନାମାନ ଆସିଥିଲା ଗୋଟେ ବିଶେଷ ଘଟଣା ପରଠାରୁ। ତାହା ହେଉଛି, ଥରେ ସେ PepsiCo କମ୍ପାନୀ ପାଇଁ ଗୋଟିଏ ବ୍ୟାବସାୟିକ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ, ଯେଉଁଥିରେ କି ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କର ମୁଖ ମଣ୍ଡଳ ପୋଡିଯାଇ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ କରେଇବାକୁ ପଡିଥିଲା, ଯେଉଁଥିରେ କି ସେ ଅଧିକ ସୁନ୍ଦର ଓ ଗୋରା ଦିଶିଥିଲେ। ସେଇଦିନୁ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ ପ୍ରତି ଗୋଟେ ଦୁର୍ବଳତା ବଢି ଯାଇଥିଲା, ଫଳରେ ସେ ବାରମ୍ବାର ପ୍ଲାଷ୍ଟିକ୍ ସର୍ଜରୀ କରି ଅଧିକ ଗୋରା ଓ ସୁନ୍ଦର ଦେଖାଯିବା ପାଇଁ ପ୍ରଯତ୍ନ କରି ଆସୁଥିଲେ। ପୂର୍ବରୁ ସେ ତ ନିପଟ କାଳିଆ ଥିଲେ। ଏହା ପରଠାରୁ ଏମିତି ତାଙ୍କୁ ଗୋରା ମାନିଆ ହେଲା ଯେ, ସେ ଏପରିକି ନିଜର ଜନ୍ମିତ କାଳିଆ ପିତା ମାତାଙ୍କୁ ପରିତ୍ୟାଗ କରିଦେଇଥିବା ଶୁଣାଯାଏ । ତା ବଦଳରେ ଅନ୍ୟ ଦୁଇ ଜଣଙ୍କୁ ଗୋରା ପିତା ମାତା ରୂପେ ଗ୍ରହଣ (adopt) କରିଥିଲେ। ଶୁଣାଯାଏ ନିଜର ସମସ୍ତ କଳା ବନ୍ଧୁମାନଙ୍କୁ ମଧ୍ୟ ସେ ପରିତ୍ୟାଗ କରି ଦେଇଥିଲେ ଓ ଗୋରା ଲୋକମାନଙ୍କ ସହିତ କେବଳ ସେ ବନ୍ଧୁତା ସ୍ଥାପନ କରୁଥିଲେ। କେବଳ ସେତିକି ନୂହେଁ ନିଜର ଗୋରୀ ସେବିକା (Nurse) ଡେଭୀ ରୋଜ୍ କୁ ମଧ୍ଯ ସେ ବିବାହ କରିଥିଲେ। କ୍ରମଶଃ କଳା ଲୋକ ତାଙ୍କ ଜୀବନରୁ ବାଏ ବାଏ ନେଇ, କେବଳ ଗୋରା ଲୋକଙ୍କର ପ୍ରବେଶ ହୋଇଥିଲା।
ତାଙ୍କ ଜୀବନର କେବଳ ଏକମାତ୍ର ଲକ୍ଷ୍ୟ ଥିଲା ଯେ, ସେ କିପରି ଦେଢ ଶହ ବର୍ଷ ଧରି ଜୀବିତ ରହିବେ। ତେଣୁ ଅମ୍ଳଜାନବାଲା ବିଛଣା ଉପରେ ସେ ଶୟନ କରୁଥିଲେ ଓ ନିଜ ପାଇଁ ଅମ୍ଳଜାନ ଭରା ତଥା ରୋଗ ନିରୋଧକ ଏକ ବିଶେଷ ଚ୍ୟାମ୍ବର ସେ ପ୍ରସ୍ତୁତ କରି ତହିଁରେ ରହୁଥିଲେ । କୌଣସି କାରଣରୁ ରୋଗାଗ୍ରସ୍ଥ ହୋଇ ଯଦି ନିଜର କୌଣସି ଅଙ୍ଗ ପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଲା, ତେବେ ତାହାର ସହଜ ନିରାକରଣ ଓ ଭରଣା ପାଇଁ ସେ ଆବଶ୍ୟକତା ଠାରୁ ଢେର ବେଶୀ ଡୋନର ଆଗୁଆ ପ୍ରସ୍ତୁତ କରି ରଖିଥିଲେ। ଯେମିତି ସେମାନେ ଜରୁରୀ ସମୟରେ ସେମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଵନ୍ଦରେ ଦାନ କରି ପାରିବେ। ସେଥିପାଇଁ ସେ ସେମାନଙ୍କୁ ମାସିକ ବେତନ ଦେଇ ନିଯୁକ୍ତି ଭିତ୍ତିରେ ରଖିଥିଲେ। ତେଣିକି ତାହା ଆଖି ଓ କିଡ଼ନୀ ହେଉ ବା ହାର୍ଟ ଓ ଲିଭର ପରି ଶରୀରର ଅନ୍ୟ କୌଣସି ଅଙ୍ଗ ପ୍ରତ୍ୟଙ୍ଗ ହେଉ। ଏହିପରି ନିଜର ଦୀର୍ଘ ଜୀବନ ଓ ସୁସ୍ଥ ଶରୀରର କାମନା କରି ସେ କେତେ ବଡ଼ ପ୍ରସ୍ତୁତି ପର୍ବ ଚଳେଇ ନ ରଖିଥିଲେ କହିଲେ ସତେ?
ତେବେ ହେଲା କ’ଣ? ନିୟତିକୁ କିଏ ବା ନିଜ ଇଛା ମତେ ନେବ ? ଏତେ ସବୁ ସତ୍ତ୍ୱେ ସେଦିନ 25th ଜାନୁଆରୀ 2009 ମସିହାରେ ତାଙ୍କର ହୃଦ୍ ଗତି ହଠାତ୍ ବଢ଼ିବାକୁ ଲାଗିଲା। ବାର ଜଣ ଡାକ୍ତର ଘରେ ଥାଉ ଥାଉ ବି କିଛି କରି ପାରିଲେ ନାହିଁ। ଏପରିକି ସହରରେ ଯେତେ ଡାକ୍ତର ଥିଲେ ସବୁ ତାଙ୍କ ଘରଠାରେ ଏକଠା ହୋଇ ଗଲେ। ଚାଲିଲା ଚିକିତ୍ସାର ପର୍ବ। ହେଲେ ସମସ୍ତ ଚେଷ୍ଟା ସତ୍ତ୍ୱେ ବଞ୍ଚେଇ ପାରିଲେ ନାହିଁ ଗୋଟିଏ ମାତ୍ର ଜୀବନ। ହଠାତ୍ ତାଙ୍କର ହୃଦ ସ୍ପନ୍ଦନ ନୀରବ ହୋଇ ଯାଇଥିଲା। ନୀରବ ହୋଇଯାଇଥିଲେ ଘର ବାହାରେ ଏକତ୍ରିତ ହୋଇରହିଥିବା ଲକ୍ଷ୍ୟ ଲକ୍ଷ୍ୟ ଫ୍ୟାନ୍। କାହିଁ କେହି ତ ବଞ୍ଚେଇ ପାରିଲେ ନାହିଁ। ତେବେ ନାହିଁ ନଥିବା ଲୋକ ତାଙ୍କୁ ଭଲ ପାଉଥିଲେ। କେତେ ଲୋକ ତାଙ୍କୁ ଭଲ ପାଉଥିଲେ ତାହାର ସ୍ପଷ୍ଟ ନମୁନା ମିଳିବ ଟିକିଏ ମାତ୍ର ତର୍ଜ୍ଜମା କଲେ।
ତାଙ୍କର ମୃତ୍ୟୁର ସିଧା ପ୍ରସାରଣ ପ୍ରାୟ ଅଢେଇ ଅରବ ଲୋକ live ବା ସିଧା ପ୍ରସାରଣ ଦେଖିଥିଲେ। ପ୍ରାୟ ଦିନ 3. 30 ବେଳକୁ ଟୁଇଟର, ମେସେଞରଠାରୁ ଆରମ୍ଭ କରି ସବୁ ସାମାଜିକ ମାଧ୍ୟମ ଗୁଡିକର ପ୍ରାୟତଃ ଟ୍ରାଫିକ୍ ଜାମ୍ ହୋଇ କ୍ରାସ୍ ହୋଇଯାଇଥିଲା। ସେତିକି ବେଳକୁ ପ୍ରାୟତଃ 8 ଲକ୍ଷ୍ୟ ଲୋକ ତାଙ୍କୁ ଖାଲି Google ରେ search କରିଥିଲେ। ଫଳରେ ଗୁଗୁଲ ମଧ୍ୟ ଅଢେଇ ଘଣ୍ଟା ଧରି କାମ କରି ନଥିଲା। ଏହା ଆଜି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସବୁଠାରୁ ବଡ଼ ଟ୍ରାଫିକ୍ ଜାମ୍।
ଏ ସବୁ କଥା ସତ ଯେ! ହେଲେ ଅନ୍ତିମ ଫୈସଲା କ’ଣ? ତାଙ୍କର ଧାରଣା ଥିଲା ତାଙ୍କର ପ୍ରତିଷ୍ଠା, ପ୍ରତିପତ୍ତି, ଲୋକପ୍ରିୟତା ଓ ଅର୍ଥବଳ ତାଙ୍କୁ ଅଧିକ ଦିନ ଜୀବିତ କରି ରଖି ପାରିବ। ମାତ୍ର୍ ଭାଗ୍ୟର ବିଡ଼ମ୍ବନା ସବୁ କିଛି ଓଲଟ ପାଲଟ କରି ରଖି ଦେଲା। ଏହା ହିଁ ବାସ୍ତବରେ ବିଧିର ବିଧାନ। ମଣିଷ ସିନା ଗର୍ବୋନ୍ମତ୍ତ ହୋଇ ଅନ୍ଧ ଭାବେ କେତେ କଥା ସବୁ ବିଚାରି ବସେ, ହେଲେ ନିୟତିର ଚକ୍ର ଉହାଡରେ ସବୁ କିଛି ଭିନ୍ନ୍ ମୋଡ଼ ନେଇଯାଏ।
ଦେଖିଲେ ତ ଅଚିରେ ଧୂଳିସାତ୍ ହୋଇ ଗଲା ନା କେଡେ ବଡ଼ ସୁନ୍ଦର ସୁନେଲି ସ୍ଵପ୍ନ ଓ ସୁଦୂର ଭବିଷ୍ୟତର ପରିକଳ୍ପନା । ତେବେ ଏ ଦିଗରେ ସେ ଖାଲି ଏକା ନୁହଁନ୍ତି। ଏମିତି ସ୍ଵପ୍ନ ତ ଦିନେ ନେପୋଲିଅନ୍ ବୋନାପାର୍ଟ ଦେଖିଥିବେ ସମଗ୍ର ବିଶ୍ଵ ଉପରେ ନିଜର ପ୍ରଭୁତ୍ଵ ବିସ୍ତାର କରିବା ପାଇଁ। ହିଟଲର଼ ବି ନିଜକୁ ଅଧିକ ଶକ୍ତିଶାଳୀ ମନେକରି ସମଗ୍ର ମାନବ ଜାତିକୁ ନିଜର ବଶ୍ୟତା ସ୍ୱୀକାର କରିବା ପାଇଁ ବାଧ୍ୟ କରିଥିବେ। ଆଲେକ୍ ଜାଣ୍ଡର୍ ମଧ୍ଯ ବହୁ ଦିନ ପୂର୍ବରୁ ସେଇ ପ୍ରୟାସ କରି ଅକୃତ କାର୍ଯ୍ୟ ହୋଇଛନ୍ତି। କଂଶ, ହିରଣ୍ୟ କାଶ୍ୟପ, ରାବଣ ମଧ୍ୟ ନିଜକୁ ଅପରାଜେୟ ମନେ କରି ତ୍ରିଭୁବନର ଅଧିପତି ଘୋଷାଣା କରିଛନ୍ତି ବା ନିଜ ମୃତ୍ୟୁକୁ ନିୟନ୍ତ୍ରଣାଧିନ କରିବାକୁ ଚାହିଁଛନ୍ତି । ହେଲେ କାହିଁ ତ ଏତେ ବେଶୀ କିଛି କେହି ସଫଳ ହୋଇ ପାରି ନାହାନ୍ତି। ତେବେ କ’ଣ ଏମିତି ସବୁକିଛି ଅସାର ଓ ବେକାର ଯିବ? ନିଷ୍ପ୍ରଭ ହୋଇ ଯିବ ସେମାନଙ୍କର ଏଡ଼େ ବଡ଼ ପ୍ରଭାବ? ପ୍ରତିହତ ହୋଇ ଯିବ ମଣିଷର ଦୁର୍ବାର ଲାଳସା?
ବାସ୍ତବରେ ଏହି ପ୍ରସଙ୍ଗକୁ ଜାଣିଲା ପରେ କିଛି ଗମ୍ଭିର ପ୍ରଶ୍ନ ସ୍ୱତଃ ଉଠେ – ମନ ଇଲାକାରେ। ସବୁ କିଛି ତେବେ କ’ ଣ ମଣିଷର ନିୟନ୍ତ୍ରଣରେ? ଉତ୍ତର ଯଦି “ନା”, ତେବେ କାହିଁକି ଭଲା ଏତେ ସବୁ ଆୟୋଜନ, ଏତେ ନାଟ, ଏତେ ବାହାସ୍ପୋଟ? ଦେଖିବାକୁ ଗଲେ ଜନ୍ମରୁ ବେଶ୍ କିଛି ବର୍ଷ ମଣିଷ ତ ପଶୁତୁଲ୍ୟ କାର୍ଯ୍ୟରେ ବ୍ୟସ୍ତ ଥିଲା ବା ଅନ୍ୟର ନିର୍ଦ୍ଦେଶରେ କାମ କରି ଜିଇଁ ଆସୁଥିଲା। ତା’ର ବୟଃ ବୃଦ୍ଧି ସଙ୍ଗେ ସଙ୍ଗେ ତା’ ର କାର୍ଯ୍ୟର ପରିସର ମଧ୍ଯ ବୃଦ୍ଧି ଘଟିଲା, ମାତ୍ର୍ ସୁଖ ପରିବର୍ତ୍ତେ ସେ ଅଧିକ ଲୋଭଗ୍ରସ୍ତ ହୋଇପଡ଼ି ଅଧିକ ଦୁଃଖଭାଗ ଭୋଗ କଲା। ସେ ଜାଣିଛି ତା’ର ଆବଶ୍ୟକତା କେତେ, ଆଉ ବୁଝିଛି ତାକୁ କେତେ ରୋଜଗାରର ପ୍ରକୃତରେ ଆବଶ୍ୟକତା ଅଛି। ଆଜିକାଲି ଅଧିକତମ ଲୋକଙ୍କର ତ ଗୋଟିଏ କିମ୍ବା ଦୁଇଟି ମାତ୍ର ସନ୍ତାନ। ତେଣୁ ସେମାନଙ୍କୁ ମଣିଷ କରିବା ପାଇଁ କ’ଣ କେତେ ବେଶୀ ଆବଶ୍ୟକତା ରହିଛି କି? ପୁଣି ସେଇ ସନ୍ତାନ ସନ୍ତତିମାନେ କ’ ଣ ସକ୍ଷମ ନୁହଁନ୍ତି କି ନିଜ ପାଇଁ ନିଜେ ରୋଜଗାର କରିବା ପାଇଁ ଯେ! ଆମେ ତାଙ୍କ ପାଇଁ ସଞ୍ଚୟ କରିବା ତ କରିବା ପୁଣି ଆଗାମୀ ଚଉଦ ପିଢି ପାଇଁ ଧନ ସଞ୍ଚୟ ପାଇଁ କାହିଁ ଏତେ କଥା ଭାବେ? ତେବେ କ’ଣ ଆମର ଆଗାମୀ ପୀଢିକୁ ଆମେ ଅପାହିସ ବା ପଙ୍ଗୁ କରି ରଖିବା ପାଇଁ ଆମର ଏ ନିର୍ଲଜ୍ଜ ପ୍ରୟାସ? ଆମେ ଗାଡି, ଘୋଡା, ମୋଟର, ଘର ଆସବାବ ପତ୍ର ଆବଶ୍ୟକତା ମୁତାବକ ଖରିଦ କରି ସାରିଲା ପରେ ପୁଣି କାହିଁକି ଏତେ ଲୋଭ – ଆହୁରି ଆହୁରି ଗଚ୍ଛିତ କରିବା ପାଇଁ ବା ଦାମିକା କିଣିବା ପାଇଁ? ତେବେ କେଉଁଦିନ ସେ ଲୋଭର ପରି ସମାପ୍ତି ଘଟିବ, କ’ଣ ଯେଉଁଦିନ ମୃତ୍ୟୁ ଶଯ୍ୟାରେ ଶୋଇ ରହି ଦିନ ଗଣୁଥିବ? ଯେତେବେଳେ ଆଉ ମାତ୍ର କେଇଟା ମୁହୂର୍ତ୍ତ ବାକି ଥିବ ଶେଷ ନିଶ୍ଵାସ ତ୍ୟାଗ କରିବା ପାଇଁ? ମୋର ଶେଷ ପ୍ରଶ୍ନ ଏତେସବୁ ହାସଲ କରି ସାରିବା ପରେ ମଧ୍ୟ କାହିଁ ଆମର ମାନସିକ ଶାନ୍ତି ଆଜି ଦୁଷ୍ପ୍ରାପ୍ୟ ପ୍ରାୟ? ଯାହା ବି ଯେତିକି ପାଇଛେ ସେତିକି ନେଇ କ’ ଣ ଆମେ ଆନନ୍ଦରେ ରହିଲେ ହୁଅନ୍ତା ନି?
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା କ’ଣ ଜାଣନ୍ତି?
ମାଇକେଲ୍ ଜାକସନ ଯିଏ କି ଡାକ୍ତରଙ୍କ ପରାମର୍ଶ ବ୍ୟତିରେକେ ବା ବିପରୀତ କେବେ ବି କିଛି ମୃତ୍ୟୁର ଦୀର୍ଘ ପଚିଶ ବର୍ଷ ପୂର୍ବରୁ ଖାଆନ୍ତି ନାହିଁ। ଖୁବ୍ ରୋଗ ପ୍ରତିରୋଧକ ଓ ପ୍ରତିଷେଧକ ଉପାୟମାନ ଅବଲମ୍ବନ କରି ହେପାଜତ ସହକାରେ ସେ ଜୀବନ ଅତିବାହିତ କରି ଆସୁଥିଲେ।କିନ୍ତୁ ତାଙ୍କର ଦେହାନ୍ତ ପରେ ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରି ରଖିଦେଇ ଥିଲା। ତାଙ୍କ ଶରୀରର ଅନ୍ଧରୁଣି ହିସା ବା ଶରୀରସ୍ଥ ଅନ୍ତଃ ଅଙ୍ଗ ସମୂହ ବହୁ ଦୁର୍ବଳ ହୋଇ ଯାଇଥିଲା। ତାଙ୍କ ହାଡ ସବୁ ରସି ଯାଇଥିଲା। ମାଂସପେଶୀ ଗୁଡିକ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ କ୍ଷମତା ହରାଇ ସାରିଥିଲା। ବାରମ୍ବାର ପ୍ଲାଷ୍ଟିକ୍ ସର୍ଜରୀ ଓ ଅଧିକ ଗୋରା ତଥା ଉଜ୍ଜ୍ଵଳତର ହେବାର ପରିକଳ୍ପନା ଭିତରେ ତାଙ୍କ ଶରୀରରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହେଉଥିଲା।ତେଣୁ ସେଇ ୟନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସେ ପ୍ରାୟତଃ ପ୍ରତ୍ୟହ ପନ୍ଦରଟି antibiotic ଓ antianalgesic ଇଞ୍ଜେକସନ୍ ନେଉଥିଲେ। ଯାହାକି ବେଶୀ ଘାତକ ସାବ୍ୟସ୍ତ ହୋଇଥାଇ ପାରେ। ତେଣୁ ତାଙ୍କ ଶାରୀରରେ ତ ଅନେକ କ୍ଷତ ଓ ଛୁଞ୍ଚି ଦାଗ ଥିଲା। ଏଥିରୁ ଆମେ କ’ଣ ଅନୁମାନ କରିବା କହୁ ନାହାଁନ୍ତି? ପ୍ରକୃତି ନିୟମର ବିରୁଦ୍ଧାଚରଣ କରି ନିଜ ଭାଗ୍ୟକୁ ନିଜ ଇଚ୍ଛାମତେ ନେବା କ’ଣ ଏଡ଼େ ସହଜ କଥା?ଅର୍ଥ, ସମ୍ପଦ ଓ ପ୍ରତିପତ୍ତି କ’ଣ ସବୁ କିଛି? ତେବେ ଏ ସବୁ ଏତେ ଭୁଲ ପ୍ରତିପାଦିତ କାହିଁକି ହେଲା? ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡ଼ା କାଠେ।ମଣିଷ ସବୁ ବୁଝି ମଧ୍ୟ ନବୁଝିବାର ଢୋଙ୍ଗ ତ କରୁଛି, ତେଣୁ ତାକୁ କିଏ ଏତେ ବୁଝେଇ ପାରିବ କହୁ ନାହାନ୍ତି?
ଗୌତ୍ତମ ବାବୁଙ୍କ ମୁହଁରୁ ଏ କଥା ଗୁଡାକ ସରି ଆସିଲା ବେଳକୁ ବଡ଼ ଜୋହରରେ ହୁଁ ହାଁ ମାରି ଆସୁଥିବା “ମୁଁ “ଲୋକଟି ହଠାତ୍ ନିର୍ବାକ୍ ନିସ୍ପନ୍ଦ ଜଡ ମଣିଷରେ ରୂପାନ୍ତରିତ ହୋଇ ଯାଉଥିଲା। ମୋ ମୁଖରେ ଭାଷା ନଥିଲା କି ଉତ୍ତର। ମୁଁ ତେଣୁ ଖାଲି ଏବେ ନିରୁତ୍ତରିତ ମଣିଷଟିଏ ।
ରଚନା କାଳ :9.12. 2019
By ସତ୍ୟ ପ୍ରକାଶ ସେଠୀ

Related posts

ନୀଳିମା

satya

କୁନା ବାପା ତୁମେ କିଛି ଜାଣିନ

satya

ଏକମାତ୍ର ସନ୍ତାନ

satya

Leave a Comment

Login

X

Register