Satya Prakash
  • Home
  • Book
  • ମୁଁ ରାନୁ କହୁଛି
Book

ମୁଁ ରାନୁ କହୁଛି

ଭାଗ – 1 

ରାନୁଟା ମୋର ଭାରି ସାଙ୍ଗ। ସେ ମୋ ପିଲା ବେଳର ସାଙ୍ଗ ନୂହେଁ, ପଢିଲା ବେଳର ।ପଢିଲା ବେଳେ ଆମର କିନ୍ତୁ ଚିହ୍ନା ପରିଚିତି ଏତେଟା ନଥିଲା। କାହିଁକିନା ତା’ର ଅଲଗା ଡିପାର୍ଟମେଣ୍ଟ ଓ ମୋର ଅଲଗା। ହେଲେ ଏଇ ଅଳ୍ପ କେଇଦିନ ହେବ ଏଇ ପରିଣତ ବୟସରେ ଯେବେ ଆମର ଥରେ ଅଧେ ଘଟଣାକ୍ରମେ ଦେଖା ହୋଇଗଲା, ଆମେ ଯେମିତି ଯୁଗ ଯୁଗର ଘଟଣା ସବୁ ବଖାଣି ବସିଛୁ। ପୁଣି ଆମ ସମ୍ପର୍କଟା ଦୋହରାଇ ହୋଇଯାଇଥିଲା ଆମର ଗେଟ୍ ଟୁଗେଦର୍ ପାର୍ଟିରେ। ସେ ଜଣେ ଭଲ ପାଠିକା ଓ ମୋ ସାହିତ୍ୟର ପୂଜାରିଣୀ। ମୋତେ ଦିନେ କହିଲା – “ସତ୍ୟ! ତୁମ ସାହିତ୍ୟରେ ପୁରୁଷ ମନସ୍ତତ୍ତ୍ୱର ଖୁବ୍ ସୁନ୍ଦର ବ୍ୟାଖ୍ୟାନ ରହିଛି, ହେଲେ ନାରୀ ମନସ୍ତତ୍ତ୍ଵର ସେତେ ବ୍ୟାପକ ଆଲୋଚନା ହୋଇ ପାରୁନାହିଁ। ଏମିତି କିପରି? ସମୁଦାୟ ଜନ ସମୁଦାୟର ନାରୀ ହେଉଛନ୍ତି ଅର୍ଦ୍ଧେକ, ତେଣୁ ଏତେବଡ଼ ବର୍ଗ ପ୍ରତି ତୁମେ ପରୋକ୍ଷରେ ଅବହେଳା କରୁ ନାହଁ କି” ?
ମୁଁ କହିଲି ସତ କଥା। କିନ୍ତୁ ଲେଖକ ଯେତେବେଳେ” ମୁଁ” ଚରିତ୍ରଟିଏ ହୋଇ ଲେଖିବସେ ଓ କିଛି ସାମାଜିକ ବାର୍ତ୍ତା ଦେବାକୁ ଚେଷ୍ଟା କରେ, ସେତେବେଳେ ସେ ପୁରୁଷ ହୋଇଥିଲେ ପୁରୁଷ ଓ ନାରୀ ହୋଇଥିଲେ ନାରୀ ବିଚାର ଧାରାର ଅଧିକ ପରିପ୍ରକାଶ ଘଟେ। କାରଣ ଭିନ୍ନ୍ ମନସ୍ତତ୍ତ୍ୱକୁ ଆଙ୍କିବାରେ ବା ବୁଝିବାରେ ସେ ହୁଏତ ବିଶେଷ କିଛି ସଫଳ ହୋଇ ପାରି ନଥାଏ। ତେଣୁ ତ ଏପରି ବୈଲକ୍ଷଣ ଲକ୍ଷ୍ୟଣୀୟ।
ଏ କଥା ଶୁଣି ସେଦିନ ରାନୁ କହିଲା – “ମୁଁ ତୁମକୁ ନାରୀମାନଙ୍କ ମନର ଲୀଳାଖେଳା କହିବି, ତୁମେ ଖାଲି ଆଙ୍କି ପାରିଲେ ହେଲା, ମୋର କିନ୍ତୁ ପ୍ରକାଶ କରିବାକୁ ଭାରି ଇଚ୍ଛା ଥିଲେ ହେଁ ମୋ ପାଖରେ ଭାଷା ଓ ଶବ୍ଦ ସଂଯୋଜନା ସେତେଟା ନ ଥିବାରୁ ମୁଁ ଆଙ୍କି ପାରୁ ନାହିଁ” । ମୁଁ କହିଲି – “ମୋତେ କୁହ! ମୁଁ ଆଙ୍କିବି। ଶବ୍ଦର ରଙ୍ଗରେ ଓ ଲେଖନୀର ତୂଳୀ ସ୍ପର୍ଶରେ ସୁନ୍ଦର ସାହିତ୍ୟିକ ଚିତ୍ର ତୋଳିବି। ଏଥର ତାହେଲେ ଆସନ୍ତୁ ଶୁଣିବା, କ’ଣ କହୁଛନ୍ତି ମନସ୍ତତ୍ତ୍ୱବିତିକା  ରାନୁ ମହାପାତ୍ର।

ଭାଗ 2

ରାମ ଚନ୍ଦ୍ର ବାବୁ। ଶିକ୍ଷକ ଚାକିରୀ। ଘରେ ପତ୍ନୀ। ତିନୋଟି ପୁଅ ଓ ଦୁଇଟି ଝିଅଙ୍କୁ ନେଇ ତାଙ୍କ ପରିବାର। ପୁଣି ଘରେ ଥାନ୍ତି ଜଣେ ପାକଲା ବାଳିଆ ଠୋକର ବୁଢୀ। ରାମ ଚନ୍ଦ୍ର ବାବୁଙ୍କର ସେ ମାଆ ଓ ପିଲାମାନଙ୍କର ପାକିଲି ବୁଢୀ, ବୁଢୀ ମାଆ। ଘରେ ଦୁଇ ପୁଅ ଓ ଗୋଟିଏ ଝିଅ ଥାନ୍ତୁ ଥାନ୍ତୁ ପୁଣି ଗୋଟେ ଝିଅ ପାଇଁ ପାକିଲି ବୁଢୀ ଜିଦ୍ କଲା। କହିଲା ଗୋଟେ ଝିଅ କୁଆଡ଼େ ଶୁଭ ନୂହେଁ। ଦୁଇ ଝିଅର ଘର କାଳେ ସୁଖୀ ପରିବାର ହୋଇଥାନ୍ତି । ତେଣୁ ପରିବାର ଲୋକେ ଆଉ ଗୋଟେ କାମନା କଲେ। ଜନ୍ମ ନେଲା ଅଲିଅଳି ରାଜଜେମା ରାନୁ। ବେଶ୍ ଅଣ୍ଡିରାଚାଣ୍ଡି ।ନବାବ ମୁହଁରେ ଜବାବ ଦିଏ। କାହାରି କଥା ମାନେ ନାହିଁ। ଭାରି ଅମାନିଆ ବାଇ ଚଢେଇ। ଏ ପତ୍ରରୁ ସେ ପତ୍ର ଡେଇଁ ବୁଲେ। ଘରଠୁଁ ବାହାର ଚାରିଆଡ଼େ ବୁଲିଲାଗେ। କାହାରି କଥା ଶୁଣେ ନାହିଁ। ବେଶୀ କହିଲେ ରା ଛାଡ଼ି କାନ୍ଦିବ। ଖାଲି ସ୍ଵର ଫଟାଇବ ।ମାଲୋ! କିଏ ଶୁଣିବ ତା ବେସୁରା ରାଗିଣୀ। ବରଂ କିଛି ନ କହି କିଛି ସମୟ ଚୁପ୍ ରହିଗଲେ ଭଲ। ବଳେ ମନ ବୁଝିଗଲେ ତୁନି ପଡିଯିବ, କିନ୍ତୁ ଆହାଃ ପଦେ କହି ପାଖକୁ ଗଲେ ମାରି ଗୋଡେଇବ। ତା ଭଳି ଚଣ୍ଡି କୋଉ ସଂସାରରେ ନାହାଁନ୍ତି। ବେଳେବେଳେ ବୁଢୀ ମା ଯାହା ଟିକେ ଆକଟ କରେ, ହେଲେ ସେ ଶୁଣନ୍ତା ଭଲା। ବୁଢୀ ମା କହେ – “ଆଲୋ ଅଣ୍ଡିରାଚାଣ୍ଡି! କେଉଁଦିନ ଆଉ ଏ ଖେଳ ବୁଦ୍ଧି ଛାଡିବୁ, ବୁଦ୍ଧି ଅକଲ ଶିଖିବୁ। ବୁଲୁଥା, କେଉଁଦିନ ସୁଦୂରରୁ ରାଜ କୁମାର ଆସି ତା ମନ ପବନ ଘୋଡାରେ ତୋତେ ବସେଇ ଏକାବେଳକେ ନେଇ ଯିବ ଯେ, ଉଡି ଯିବୁ କେଉଁ ଅଗନା ଅଗିନି ବନସ୍ତକୁ। ଆଉ ଯେତେ ଚେଷ୍ଟା କଲେ ବି ଜମାରୁ ସେଠୁ ଫେରି ପାରିବୁନି। ରାଜକୁମାର ସେଠି ତୋତେ କାଠ ପୁତୁଳା କରି ନଚେଇବ। ତୁ ଖାଲି ଘର କଥା ମନେ ପକାଇ ଘୂରି ସାରି ହୋଇ ସନ୍ତାପିତ ହେଉଥିବୁ ସିନା ହେଲେ ତା କଥାରେ ନାଚୁ ଥିବୁ। “ରାନୁ କହେ -” ହଁ ଲୋ ପାକିଲି ବୁଢୀ! ମୁଁ କାହିଁକି ଯିବି ଉଡି, ତୁ ଯାଉନୁ ବନସ୍ତରେ ହଜି “।
ଏହି ରାନୁର ବାପା ସିନା ଜଣେ ସାଧାରଣ ସ୍କୁଲ ଟିଚର, କିନ୍ତୁ ଜେଜେ, ଜେଜେ ପରା ଜମିଦାର ଆଭିଜାତ୍ୟର। ଖାନଦାନି ବଂଶର। ବଂଶ ଆଭିଜାତ୍ୟ ବହୁ ଉପରେ। ମହାପାତ୍ର ପରିବାର କହିଲେ ସମସ୍ତେ ଡରନ୍ତି। ସମସ୍ତେ ସମ୍ମାନ ଦିଅନ୍ତି। ସେଇ ଜେଜେ ଓ ଜେଜେ ମାଆର ଜିଦ୍ ଯୋଗୁଁ ଏ ରାନୁଟା କୋଡ ପୋଛାପୋଛି ଝିଅ ହୋଇ ଶେଷକୁ ପରିବାରରେ ଜନ୍ମ ହୋଇଥିଲା। ହେଲେ ରାନୁର ସୁଖ, ମୁହଁରେ ହସ ବୁଢ଼ା ବେଶୀ ଦିନ ଦେଖି ପାରି ନଥିଲା। ଅଳ୍ପ ଦିନରେ ଟିକଟ କାଟି ଥିଲେ ଆର ପାରିକୁ। ଛୁଆଟି ବର୍ଷକର ହେବା ପୂର୍ବରୁ ଜେଜେ ଅକାଳରେ ଚାଲିଗଲେ ,,କଟକ ବଡ ମେଡ଼ିକାଲର ଛାତ ଉପରୁ ଖସି ପଡ଼ିକି। ହଉ ବିଧିର ବିଧାନ ଯାହା ଥିଲା। ବାପା ସ୍କୁଲରେ ହେଡ଼ ମାଷ୍ଟର। ସବୁବେଳେ ଘରକୁ ଫେରିଲା ବେଳକୁ କିଛି ନା କିଛି ଜିନିଷ ଆଣନ୍ତି ଛୁଆଙ୍କ ପାଇଁ। କିନ୍ତୁ ଅଲିଅଳି ଝିଅର ବରାଦ ଆହୁରି ଅଧିକା ଥାଏ। ଭାଇମାନଙ୍କର ତଅପୋଇ ସେ।
ଯାହା କହେ ସଙ୍ଗେ ସଙ୍ଗେ ସବୁ ଆଣିକି ଦିଅନ୍ତି। ହସ ଖୁସିରେ ଦିନ କଟୁ ଥାଏ। ସ୍କୁଲ ଯିବା ସମୟ ଆସିଲାରୁ ଜେଜେମା ବୁଝେଇକି ନେଇକି ଛାଡ଼ନ୍ତି। ଜେଜେମା ଥିଲେ ପ୍ରଥମ ଗୁରୁ। ଭଲ ପଢାନ୍ତି ସେ। ସେ ବି ଜମିଦାର ଘର ଝିଅ। ସେ ସେତେବେଳେ ବି ବହୁତ ଶିକ୍ଷିତା ଥିଲେ। ନାତୁଣୀକୁ ରୁନୁ ବୋଲି ନା ଦେଇଥିଲେ ତ ସେଇ ବୁଢୀ ମା ।
ରାନୁ ସ୍କୁଲରୁ ଖେଳ ଛୁଟି ବେଳେ ଆସିକି ବାଡ଼ି ପୋଖରୀରେ ସାଙ୍ଗ ସହ ବୁଡି ବୁଡି କି ମାଛ ଧରେ,କୋଳି ଖାଇବା,ପିଜୁଳି ଖାଇବା ,କମଳା ଚୋରି କରିବା ଏଇସବୁ କାମ ପ୍ରତିଦିନ ମନ ଦେଇକି ତୁଲାଏ। ଏମିତି ସପ୍ତମ ଶ୍ରେଣୀ ଯାଏ କେତେବେଳେ ଦିନ ଯେ ଗଡିଗଲା ରୁନୁ ଜାଣି ପାରିଲାନି।

ଭାଗ 3

ତାଳ ତମାଳ ଘେରା ଆମ ଗାଁ ଉଦ୍ୟାନ। ଅପରୂପା ପ୍ରାକୃତିକ ଶୋଭା ସୁଷମାରେ ସୁଶୋଭିତ। ସୁଶୋଭନ ଶୋଭନପୁର । ରାନୁର ଗାଁ। ଏହାରି ପାଣି, ପବନ ଓ ମାଟିର ମହକରେ ଦିନେ ଉଧେଇ ଥିଲା ରାନୁ। ସମାଜରେ ଅନ୍ୟ ଜଣେ ପରି ଜଣେ ହୋଇ ଛିଡ଼ା ହେବାକୁ ତାକୁ ଲାଗି ଯାଇଥିଲା କେତେ ବର୍ଷ। ସେଇଠି କୁଳୁକୁଳୁ ନାଦରେ ବୋହି ଯାଉଛି ଅମ୍ବା ନଦୀ। ନିକଟସ୍ଥ ବେଲମଣ୍ଡା ପାହାଡ଼ରୁ ବୋହି ଆସୁଥିବା ଝରଣା ପାଣିରେ ନଦୀ ପାଣି ବେଶ୍ ସ୍ଵଚ୍ଛ ଓ ପରିସ୍କାର ହୋଇ ଦିଶିଯାଏ । ଦିଶି ଯାଉଥାନ୍ତି ତା ଗର୍ଭରେ ଖେଳୁଥିବା ଛୋଟ ଛୋଟ କେରାଣ୍ଡି, ଦଣ୍ଡିକିରି, ଜହଲା ମାଛ ପ୍ରଭୃତି। ଟିକିଏ ପାହୁଲେ ଗୋଡ଼ରେ ପାଦ ବୁଡାଇ ଦେଲେ ଘେରି ଯିବେ ପାଦକୁ। ସତେ ଯେମିତି ପାଦରୁ ଧୂଳି ମଳି ସବୁ ଚାଟି କି ସଫା କରିବା ଦାୟିତ୍ଵ ନେଇଛନ୍ତି ଏଇମାନେ। ପୁଣି ଆଡି ଉପରେ ବନସୀ ଛଡ ପକାଇ ଟିକିଏ ଦୂରରେ ବୁଦା ମୂଳର ଉହାଡ ତଳୁ ଛପିକି ବସି ପଡିଥିବେ ଆମ ଗାଁ ମକରା ଭାଇ, ବାଲୁରୀ ମାଆ ଓ ଚଢେଇ ନାନୀ ହରିକେ। ସେଇଟା ଗଣ୍ଡ ଯାଗା,ସବୁ ବଡ ବଡ ମାଛଙ୍କ ଘର। ସେଇଠି ସବୁ ତା ଦେହରେ ଥାନ୍ତି ବାଲିଆ ଫଳି, ଚିତାଳୋ, କଣ୍ଟିଆ, ଶେରଣା ପ୍ରଭୃତି ।ସେ ଛଡରେ ଖାଲି ଘୋଷାଡ଼ି ପକାଉଥିବେ। ଅଳ୍ପ କେତେଟା ପଇସା ଦେଲେ ଦଣ୍ଡୁରୀକଯାକ ମାଛ ଧରେଇ ଦେବେ। ରୁନୁଟା ଦେଖି ତାଳି ମାରି ନାଚି ଉଠେ।
ଦୂରୁ ଦେଖେ ସେଇ ଟାଙ୍ଗରା ପାହାଡ଼ କୋଳରେ ଉଦୀୟମାନ ଅଳ୍ପ କେତେଟା ଗଛପତ୍ର, କିନ୍ତୁ ଭାରି ଝଙ୍କାଳିଆ ଲାଗେ। ରାନୁର ଇଛା ସମସ୍ତଙ୍କର ଅଲକ୍ଷ୍ୟରେ ସେ ସେଇଠିକି ଲୁଚି ଚାଲି ଯାଆନ୍ତା କି। ମନ ଭାରି ଦୌଡନ୍ତା। ନାଚିକୁଦି ମୁହଁ ଅନ୍ଧାରକୁ ଘରକୁ ଫେରନ୍ତା। କିନ୍ତୁ ପାକିଲି ବୁଢୀଟା ଡରେଇ ଡରେଇ ମାରେ। କୁହେ – “ସେଟା ବାଘ ଭାଲୁଙ୍କର ରାଇଜ। ପୁଣି ମଣ୍ଡା ଖିଆ ଅସୁର ଓ ବୁଢୀ ଅସୁରୁଣୀ ସବୁ ସେଇଠି ଅଛନ୍ତି। ଛୋଟ ଛୁଆକୁ ଏକୁଟିଆ ଦେଖିଲେ ଧରି ନେଇ ଯିବ। ତେଣୁ ଜମାରୁ ସେଠିକୁ ଯିବୁ ନାହିଁ” ।
ଖୁବ୍ ପାଖରେ ପାହାଡ଼ ହେଲେ ହେଁ ପାହାଡ଼ ଚଢିବାର ଇଛାଟା ଫଳବତୀ ହେବାକୁ ଲାଗି ଯାଇଥିଲା ବାଉନ ଯୁଗ। ଟିକିଏ ବଡ ହେଲା ପରେ ସେ ଜିଦ୍ କଲା। ତେଣୁ ଭାଇମାନେ ବାପାଙ୍କୁ କହି ଯୋଜନା ପ୍ରସ୍ତୁତ କଲେ। ପୂରା ପରିବାର ଓ ପାଖର କେଇଟା ପଡ଼ିଶା ଘର ମିଶି ସେଦିନ ସେଇଠି ପିକନିକ୍ ପାର୍ଟିର ଆୟୋଜନ କଲେ। ପାହାଡା ଉପରେ ଜଙ୍ଗଲର ମଧ୍ୟ ଭାଗରେ ଝରଣା କୂଳରେ ରୋଷେଇ ବାସ ହେଲା। ରାନୁ ମନ ଖାଲି ଛନଛନ ହେଉଥାଏ। ପାହାଡ ଚଢିବାକୁ ମନ। ଭାଇମାନଙ୍କ ହାତ ଧରି ପାହାଡ଼ର ଆହୁରି କେତେ ଉପରକୁ ଉଠିଲା। ହେଲେ ଅଧା ବାଟରୁ ଥକି ପଡି ବସି ପଡ଼ିଲା। ଭାଇ ମାନେ ଗେହ୍ଲେଇକୁ ପଚା ଲାହୁ କରି ପୁଣି କେତେବେଳେ କାନ୍ଧରେ ଚାନ୍ଦୁ କରି ବୋହି ତଳକୁ ଆଣିଲେ। ଚଗଲିଟା ଜମାରୁ କୋଳରେ କାଖରେ ରହିବ ନାହିଁ। ହେଇ ତିତି, ଚଢେଇ କହି କ୍ରୋଡ଼ରୁ ଓହ୍ଲାଇ ପଡି ଆସି ତାଙ୍କ ପଛରେ ଧାଇଁବ।
ଧମକାଇଲେ ଭେଁ ଭେଁ ରଡି ଛାଡିବ, ଯେମିତି କେହି ମାରି ପକାଉଛି। ତଳୁ ବାପା ବୋଉ ପାଟି କରି ଉଠୁଥିବେ – “କିରେ! କ’ଣ ହେଲା କିରେ ଗେହ୍ଲିର?” ଗେହ୍ଲି ହେଇଛି ହେଇଛି କହି ତାଳି ମାରି ନାଚିବ। ଯେମିତି ବାପା ବୋଉ ଭାଇମାନଙ୍କୁ ଗେହ୍ଲି ପାଇଁ ଡାଣ୍ଟିଲେ, ଗେହ୍ଲି ଫୁଲେଇ ହୋଇ ଫାଟି ପଡେ।
ରାନୁ ଛୋଟ ପିଲା ହୋଇ ସବୁ ଦେଖିଛି। ସେ ଦେଖିଛି ସକାଳୁ ଖରା ଲାଗି ହେଲା ପରେ ଗାଈ ପଲ ଧରି ଗାୟାଳ ଟୋକା ଓ ଛେଳି ପଲ ଧରି ଛେଳି ଜଗୁଆଳି କେମିତି ଜଙ୍ଗଲ ମଧ୍ୟକୁ ଯାଏ। ପାଟିରେ ଗୋଟେ ରକମର ଟାକରା ଫୁଟାଇ ଗୋରୁ ପଲ ଙ୍କୁ ଅରଡଉ ଥିବ। ମୁଣ୍ଡ ଉପରେ ବରଡା ପତରରେ ତିଆରି ପଖିଆଟେ ଘୋଡେଇ ହୋଇଥିବ, ହାତରେ ଗୋଟେ ହଳୁଆ ପାଞ୍ଚଣ ଓ ମୁଣ୍ଡ ଉପରେ ଗାମୁଛାରେ ଟାୟାଟେ ଭିଡ଼ି ଥିବ। ପାଟିରେ ଥିବ ନାନା ବାୟା ଗୀତ ନହେଲେ ଗୋରୁ ଙ୍କୁ ଆଡ଼େଇ ବା ପାଇଁ ଗୋଟେ ବଡ଼ କୁହାଟ। ଗୋରୁ ଗୁଡାକ ରାସ୍ତାରେ ହଲି ହଲି ଚାଲିଥିବେ ନହେଲେ ଲାଞ୍ଜ ବିଞ୍ଚି ମଶା ମାଛି ଘଉଡ଼ାଉଥିବେ। ମାଆ ମାନେ ଗୁହାଳରୁ ଗୋଟେ ଗୋଟେ ଗାଈ ପଘାରୁ ଫିଟାଉଥିବେ । ପୁଣି ଗୋଧୂଳି ବେଳାରେ ଲେଉଟାଣି ଦୃଶ୍ୟ ଗାଁ ଦାଣ୍ଡରୁ ଗୋଟେ ଗୋଟେ କରି ଗୋରୁ ମାଲିକ ର ଗୁହାଳ କୁ ପଶୁଥିବ, ଗୟଳ ପିଲା “ଗୋରୁ ଆସିଲେ ହୋ “ଡାକ ଦେଇ ଦେଇ ଚାଲିଥିବ। ରାନୁ ଦାଣ୍ଡ ପିଣ୍ଡାରେ ବସି ବେଶ୍ କିଛି ଏହି ଦୃଶ୍ୟ ଉପଭୋଗ କରେ।

 

ଭାଗ 4

ରାନୁ ବଡ଼ ଖେଳୁଆଡ ମନୋବୃତ୍ତିର ଝିଅଟାଏ। ଯେତେବେଳେ ଦେଖିବ ଖାଲି ଖେଳଣାକୁ ଧରି ଏଠି ସେଠି ନସର ପସର ହେଉଥିବ। ସାଥୀ ଖେଳାଳିକୁ ମନେମନେ ଖୋଜୁଥିବ। ଆଙ୍ଗୁଠିଟା ପାଟିରେ ଜାକି ନହେଲେ କାମିଜିଟାକୁ ଫାଳେ ପାଟିରେ ପୂରାଇ ବେଳେବେଳେ ଚିନ୍ତା ନାୟିକା ଦାର୍ଶନିକା ଭଳିଆ ଏକୁଟିଆ ବସିଥିବ, କ’ଣ ଗୁଡ଼ାଏ ଭାବୁଥିବ।
ସେଇ ଘର ପାଖକୁ ଘର ଲାଗି କେତୋଟି ଘର ଅଛି। ତାରି ବୟସର ଝିଅ ଛୁଆଟିଏ ଟୁନି ଓ ମାଧବ ବୋଲି ପୁଅଟିଏ ରାନୁର ଭାରି ସାଙ୍ଗ। ସେମାନେ ତା’ର ଖେଳ ସାଥି। ସେଇ ମାନଙ୍କୁ ନେଇ ସେ ତା’ର ସ୍ଵପ୍ନର ବାଲି ଘର ସବୁ ସଜାଡି ଖେଳେ। ମିଛି ମିଛିକା କଣ୍ଢେଇ ବାହାଘର କରନ୍ତି। ଛିଣ୍ଡା କପଡାରେ ଶାଢୀ ଧୋତି ତିଆରି କରି ପିନ୍ଧାନ୍ତି। ଖେଳଣା ଶବାରୀ ଓ ପାଲିଙ୍କିରେ ବସାଇ ବାପ ଘରୁ ଶ୍ୱଶୁର ଘରକୁ ଯାଏ କଣ୍ଢେଇ ବଧୂ। ଯାହା ଯେମିତି ସେମାନେ ସେଦିନ ସୀତା ଦିଦି ବାହାଘରରେ ଦେଖିଥିଲେ। ସେଇଠୁ ଶିଖିଥିବା କାନ୍ଦଣା ଗୀତରୁ ମଧ୍ୟ ସ୍ଵର ଓ ଲହର ଧରି ପଦେ ଅଧେ ଗାଆନ୍ତି। ପୁଣି ଗଛର ଫଳମୂଳପତ୍ର ପକାଇ ଓ ଧୂଳି ମାଟି ପାଣିରେ ଗୋଳେଇ ଭାତ ତରକାରୀ ଓ ଡାଲି ସବୁ ସେଇ ଛୋଟ ମାଟି ହାଣ୍ଡିରେ ରାନ୍ଧି ନିଜ ଭିତରେ ପରସି ଦିଅନ୍ତି। ପୁଣି କେତେବେଳେ ମାଧବ ନାୟକ ଓ ରାନୁ ନାୟିକା ହୋଇ ରାଜା ରାଣୀ ଖେଳ ସେମାନେ ଖେଳନ୍ତି। ବୁଢୀ କୁହେ-” ଝିଟି ମରିବୁ କି? ଏଗୁଡାକ ଏତେବେଳୁ ଏମିତି ହେଲେଣି, ପୁଣି ବେଳ କାଳ ଅଛି। ପୁଣି ବଡ଼ ହେଲେ ଆହୁରି କେତେ ନବରଙ୍ଗ ହେବେ ନା ” । ମାଆକୁ ହୁରି ପକାଇ ଡାକେ। କହେ – “ରାନୁ ମା! ଛୁଆ ଦୁଇଟାକୁ ଟିକେ ଆକଟ କର ବା! ଯାହା ହେଲେ ବି ପୁଅ ଛୁଆ ସହିତ ଏତେଟା ମିଳାମିଶା ଭଲ ନୂହେଁ।ଏଇଁନ୍ତିଆ ସମ୍ପର୍କ ରହିଲେ ବଡ଼ ହେଲେ ପୁଣି ସମସ୍ୟା ହେବ। ଆମେ ପରା ବାଲ୍ଯ ବିବାହ କରି ତା’ରି ବୟସ ହେଲା ବେଳକୁ ବାହା ହୋଇ ସାରିଥିଲୁ “। ରାନୁ କୁହେ -” ମରୁ ନାହୁଁ ନା ବୁଢୀ! ”
ଏମାନଙ୍କ ଏହି ଖେଳରେ କିଛି ସେମିତି ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ ନଥାଏ। ଯେତେବେଳେ ସମୟ ମିଳେ ଏମାନେ ତାଙ୍କର ଖେଳ ପସରା ଖୋଲି ମେଲେଇ ବସନ୍ତି। କ’ଣ ଗପନ୍ତି, କ’ଣ ଖେଳନ୍ତି କେଜାଣି କେହି କିଛି ଜାଣି ପାରନ୍ତି ନାହିଁ। ଏପରିକି ସେମାନେ ନିଜେ ବି ବୁଝି ନଥାନ୍ତି ତା’ର ମର୍ମ। କିନ୍ତୁ ବୁଢୀ ମାଆର ଡିମା ଡ଼ିମା ଆଖି ଦିଟା ସଦାବେଳେ ଏମାନଙ୍କ ଉପରେ ଘୂରୁଥାଏ। ବେଳେବେଳେ ଏଣୁତେଣୁ କ’ ଣ ସବୁ କହି ଆକଟ ମଧ୍ଯ କରୁଥାଏ। ତେଣୁ ତା ଦୃଷ୍ଟି ଆଢୁଆଳରୁ ଖସି ଯିବା ପାଇଁ ଏମାନଙ୍କର ଭାରି ପ୍ରଯତ୍ନ ଥାଏ। ସେମାନେ ବୁଢୀକୁ ଦେଖିଲେ କହନ୍ତି-“ହେଇ ଠୋକରୀ ବୁଢୀ ଆସିଲାଣି, ଏକ୍ଷଣି ବାରୁବାରୁ ହେବ। ଗେଜେରେ ଗେଜେରେ ହୋଇ କେତେ କଥା ଗପିବ। ଚାଲ ବେ! ତା ଆଖି ସାମ୍ନାରୁ ଲୁଚି ଯିବା।ସେଇଠୁ ମନେ ପଡିଯିବାରୁ ଆରମ୍ଭ ହୋଇଯାଏ ଲୁଚାଛୁପି ଖେଳ।
ମାଧବର ବୁଢୀ ମାଆଟା ମଧ୍ୟ ଆମ ଖେଳରେ ବାଧକ ହୁଏ। ମୋତେ ଦେଖି ଭାରି ଚିଡ଼େ। କହେ -” ଏ ଛୋଟ ସାପର କମ୍ ବିଷ ନୂହେଁ। ଆମ ମାଧବଟାକୁ ପୂରା ବିଗାଡି ରଖିଦେଲାଣି। ସେଟା ଆଉ ପଦ ଗଦ ମାନୁ ନାହଁ କି ପାଠରେ ମନ ଦେଉ ନାହିଁ। ଏଇ ଟୋକଳୀଟା କଥାରେ ଖାଲି ଉଠବସ୍ ହେଉଛି “।ଆମେ ତାକୁ ଲୁଚି କି ଖତେଇ ହେଉ । ତା ପାଖ ମାଡୁ ନାହିଁ। ସେ ମାଧବଟା ବି ଭାରି ବୁଡ଼ବୋକ ।ମୁଁ ଯାହା କହିବି ତା’ର ହଁ। ଏଇ ଅଭ୍ୟାସଟା ତା’ର କେତେ ବଡ଼ ହେଲା ଯାଏଁ ଥିଲା। ବଡ଼ ହେଲା ପରେ ସେ ମୋର ଅଙ୍ଗ ରକ୍ଷକ ହୋଇ ଗଲା। ମୋ ସୁରକ୍ଷା ଅନୁଚିନ୍ତା ତାକୁ ଭାରି ଘାରେ । କୋଉ ପୁଅ ଛୁଆ ଯଦି ମୋତେ କିଛି କହିଦେଲା ସେ କାହା କଥା ଶୁଣିବ ନାହିଁ, ତା ସଙ୍ଗେ ଲଢ଼ିଯିବ।
ସେଇ ମୋର ଗାଁ । ଛୋଟ ମୋର ଗାଁ। ସେଇଠି ପିଲାବେଳେ କଟିଲା କିଛି ବର୍ଷ। ସାଙ୍ଗସାଥି ମେଳରେ ସ୍କୁଲ ଯିବା,ବୁଲିବା, କାହା ବାଡ଼ିରେ ପିଜୁଳି କାହାର କମଳା,କୋଳି ଇତ୍ୟାଦି ଲୁଚି ଲୁଚି ଚୋରି କରି ଖାଇବା ,ଆମ ବାଡ଼ି ପୋଖରୀରେ ଛୁଟି ଦିନ ମାନଙ୍କରେ ବୁଡି ବୁଡି ଗାଧେଇବା, ଗାମୁଛାରେ ମାଛ ଧରିବା। ଏଇମିତି ବହୁତ ମସ୍ତି ଚାଲୁଥିଲା ବେଳେ କେମିତି ଯେ, ସମୟ ଚାଲି ଗଲା ଆଉ ମୋର ସପ୍ତମ ଶ୍ରେଣୀ ସରିଗଲା ଜାଣି ପାରିଲିନି।
ସ୍ମୃତି ଅନୁଭୁତି ତ ଅନେକ ଅଛି ଜୀବନରେ। ବଖାଣିଲେ ପୋଥି ହବ। ସମୟ ଟିକେ ଦରକାର ନିଜର ଆଉ ଶୁଣିବା ଲୋକର।
ଏଇମିତି ଜୀବନ ଗତିଶୀଳ ହେଉଥାଏ, ଆଗକୁ ଧାଉଁଥାଏ।

 

ଭାଗ 5

ଏଇମିତି ଏଇମିତି ରାନୁର ପାଠ ପଢା ଧିରେ ଧିରେ ଆଗକୁ ବଢ଼ୁଥାଏ। ରାନୁ ବି ବଡ଼ ହେଉଥାଏ।ଏବେ ଆସିଗଲା ସପ୍ତମ ଶ୍ରେଣୀର ବୋର୍ଡ ପରୀକ୍ଷା । ଗାଁ ପାଖକୁ ଲାଗି ଆଉ ଗୋଟେ ଗାଁରେ ସେଣ୍ଟର ପଡିଥାଏ। ରାନୁର ପିଉସୀ ଝିଅର ଶାଶୁ ଘର ସେଇଠି। ପିଲାଦିନେ ସେଇ ଗାଁରେ ଯାତ୍ରା  ,କଣ୍ଢେଇ ନାଚ ,ପାଲା, ଦାସକାଠିଆ ହୁଏ। ତା ଭିଣୋଇ ଆସିକି ନେଇ ଯାନ୍ତି ତାକୁ ତାଙ୍କ ଘରକୁ। ବହୁତ ମଜା ହୁଏ ନାନୀ ସହ,ଆଉ ନାନୀ ର ଝିଅରୀ ବି ରାନୁର ସାଙ୍ଗ ତ,ତେଣୁ ମସ୍ତିଟା ସୀମା ପାର ହେଇଯାଏ। ନାନୀର ତିନି ଜଣ ଦିଅର,ସବା ସାନ ଦିଅର ଏକାଦଶ ଶ୍ରେଣୀରେ ପଢେ। ସେତେବେଳେ ଏକାଦଶରେ ମେଟ୍ରିକ ପରୀକ୍ଷା ଥିଲା ନା! କିନ୍ତୁ ରାନୁ ବେଳକୁ ଉଠି ଯାଇକି ଦଶମ ହୋଇଗଲା। ତାଙ୍କ ନାଁ ଜିତୁ ଥିଲା। ରାନୁ ବୁଝି ପାରେନି ସେ ତା ନାନୀ ଘରକୁ ଯେବେ ବି ଯାଏ, ସବୁଠୁ ଖୁସି ଜିତୁନନା କାହିଁକି ହୁଅନ୍ତି, ସେ ବହୁତ ଲାଜକୁଳିଆ ଥିଲେ,କିଛି କଥା ହୁଅନ୍ତିନି। କିନ୍ତୁ ସବୁବେଳେ ଟିକେ ହସି ଦିଅନ୍ତି,ପରୀକ୍ଷା ହଲକୁ ଯାନ୍ତି। ଚକଲେଟ ନେଇକି ଦିଅନ୍ତି-ସ୍କୁଲ ପାଖ ଦୋକାନରୁ। ଖାଇବା ଛୁଟିରେ ଆଲୁଚୋପ୍ ,ଖୁଡ଼ୁମା ନେଇକି ଦେଇକି କହନ୍ତି – “ଭାଉଜ କହିଥିଲେ ତୁମକୁ ଦେବା ପାଇଁ” । ମୁଁ ଯାଇକି ନାନୀକୁ ପଚାରିଲେ, ନାନୀ କହେ – “କାଇଁ ନା ତ,,ମୁଁ କହିନି କିଛି”। ରାନୁ ବୁଝି ପାରେନି ଜିତୁନନା ମିଛ କାହିଁକି କହିଲେ। କେବେ କେବେ ସେ ରାନୁ ଘରକୁ ରବିବାରରେ ସାଇକେଲ ଚଳେଇ ଆସନ୍ତି। ବାପା ମା ସହ ଗପ କରି ଖାଇ ପିଇକି ସନ୍ଧ୍ୟାରେ ଫେରି ଯାଆନ୍ତି। ରାନୁ ସହ ମୁହାଁ ମୁହିଁ ହେଲେ ଖାଲି ହସି ଦିଅନ୍ତି। କିନ୍ତୁ ରାନୁର କିଛି ବୁଝିବା ବୟସ ବୋଧେ ସେତେବେଳକୁ ହେଇନଥିଲା। ଆଜିକାଲି ପିଲେ ଜନ୍ମରୁ ସିଆଣିଆ। ସବୁଥିରେ ଆଗୁଆ। ସେତେ ବେଳେ ରକ୍ଷଣଶୀଳ ପରିବାରର ଝିଅ ମାନଙ୍କୁ ପୁଅ ପିଲା ସହ କଥା ହେବାକୁ ମନା ଥିଲା।

କୁମାର ପୂର୍ଣ୍ଣିମାରେ ବହୁତ ମଜା ହୁଏ ଗାଁ ମାନଙ୍କରେ। ରାନୁର ବେଷ୍ଟ ଫ୍ରେଣ୍ଡ ଥିଲା କବିତା। ତା ସହ ମିଶି ଦୁନିଆ ଆୟୋଜନ କରନ୍ତି ଆଠ ଦିନ ପୂର୍ବରୁ। ଭାଇମାନେ ଆସନ୍ତି ଛୁଟିରେ। ସବୁ ବାହାରେ ପଢ଼ନ୍ତି ତ ।ମିଶି କି ସଜାସାଜି କରନ୍ତି। ସକାଳୁ ରାତି ଯାଏ ଉପାସ। କିନ୍ତୁ କଷ୍ଟ ଲାଗେନି ।ଦଶ ଜଣ ଝିଅ ଏକାଠି ହେଲେ ଆଉ ଉପାସ କଷ୍ଟ ହବ କି।ଜିତୁନନା ସକାଳୁ କଳାପୋଖରୀରେ ବେକେ ପାଣିରେ ପଶି କଇଁ ଫୁଲ ମେଞ୍ଚେ ତୋଳି ଆଣି ଦିଅନ୍ତି। ସାଙ୍ଗ ହେଇକି କୋଠି ସଜେଇ ଦିଅନ୍ତି। ନଖପାଲିସ ଲଗେଇ ଦିଅନ୍ତି, ରାନୁ ହାତରେ। ଚାନ୍ଦ ବଂଦେଇ ସାରି ମିଶିକି ସବୁ ପୁରୀ ସୁଜି, ଆଳୁ ଝୋଳ ଖାଇ ଦେଇ ସବୁ ବସିକି ଭିଡିଓରେ ସିନେମା ଦେଖନ୍ତି। ଜିତୁନନା ଗାଁରୁ ଭିଡିଓ ଵାଲାକୁ ନେଇକି ଆସି ଥାନ୍ତି। ଓଡ଼ିଆ ,ହିନ୍ଦୀ ସବୁ ସିନେମା ମିଶେଇକି ଦେଖାହୁଏ, ସକାଳ ଯାଏ।
ଗାଁର ମଉଜ ମସ୍ତି ସବୁକୁ ପଛରେ ପକେଇ ରାନୁକୁ ଯିବାକୁ ହୁଏ ସହରକୁ ଅଷ୍ଟମ ଶ୍ରେଣୀରେ ପଢିବାକୁ।ସେଦିନ କବିତା  ସହ କୁଣ୍ଢା କୁଣ୍ଢି ହେଇକି ଯୋଉ କାନ୍ଦ , ଯିଏ ବି ଦେଖିବ ସେ ବି କାନ୍ଦି ପକେଇବ।
ଏମିତି ସେଠି ହଷ୍ଟେଲରେ ଦୁଇ ବର୍ଷ କଟିଲା ପରେ ରାନୁ ଭାଉଜର ସେଇ ସହରରେ ଚାକିରୀ ହେଇଗଲା। ରାନୁ ହଷ୍ଟେଲରୁ ଆସି ଭାଇ ଭାଉଜଙ୍କ ସହ ଘରେ ରହିଲା, ସେଇଠି ବହୁ ପୂର୍ବରୁ ଭାଉଜର ଜେଜେମା ଘରଟେ ବନେଇକି ଭଡା ଦେଇଥିଲେ। ସେଇଥିରୁ ଗୋଟେ ଘରେ ଏମାନେ ରହିଲେ।
ଭାଇ। ,ଭାଉଜ,ପୁତୁରା ,ରାନୁ ଆଉ ସାନ ଭାଇ ।
ସାଙ୍ଗମାନେ ସହରରେ ବି ବହୁତ ଭଲ। ସବୁ ସାଙ୍ଗ ହେଇକି ସ୍କୁଲ ଯାଆନ୍ତି। ରାସ୍ତାରେ ବହୁତ ଛତରା ଟୋକା କମେଣ୍ଟ ମାରନ୍ତି। ରାନୁ ଟିକେ ଦାଦି ଟାଇପର ଥିଲା,,ଦିନେ ଗୋଟେ ପିଲା ମାମି ବୋଲି ସାଙ୍ଗକୁ କମେଣ୍ଟ ମାରି ସାଇକେଲଟା ଆଣିକି ବଜେଇ ଦେଲା ତା ହାତରେ,ବହି ସବୁ ଛିଟିକି ଗଲା।
ରାନୁଟା ସାଇକେଲକୁ ଟାଣିକି ତାକୁ ତଳେ ପକେଇ ଚଟକଣି ଦୁଇ ଚାରିଟି ନାଦି ଦେଲା। ସେଇଦିନୁ ସବୁ ରାନୁକୁ ଡରିଲେ।NCC ର କ୍ୟାପ୍ଟେନ ଥିଲା ସେ ।ଯେବେ ସିକିମ ଯିବାକୁ ସିଲେକ୍ଟ ହେଲା ଘରେ ସମସ୍ତେ ନାହିଁ କଲେ। ମଝିଆଁ ଭାଇ ରାଜି ଥିଲେ। କିନ୍ତୁ ବାପା ଆଉ ବଡ ଭାଇ ଛାଡ଼ିଲେ ନାହିଁ। ମନ ଦୁଃଖରେ ରହିଲା ।ଯୁକ୍ତ ଦୁଇ ପରେ ବାହାଘର ପାଇଁ ବ୍ୟସ୍ତ ହେଇ ଗଲେ ଘରେ । ସେ ସମୟରେ ଗାଁ ମାନଙ୍କରେ ଅଠର ବର୍ଷ ହେଇଗଲେ ଝିଅ ବୁଢ଼ୀ ହେଇଯାଏ।
ଜଣେ ଭଡ଼ାଟିଆ ଗୋଟେ ପ୍ରସ୍ତାବ ଦେଲେ,ଘର ଲୋକେ ରାଜି।ସେତେବେଳେ ଝିଅକୁ କିଛି ପଚାରିବା ଜରୁରୀ ବୋଲି ଲୋକେ ଭାବୁ ନଥିଲେ । ଯୋଉଠି ଇଛା ସେଇଠି ବାହା କରୁଥିଲେ।
କିନ୍ତୁ ରାନୁ ମନ ଭିତରେ ଆଉ ଜଣଙ୍କ ପ୍ରତି ଦୁର୍ବଳତା ଆସୁଥିଲା,ତା ପିଉସୀ ପୁଅଙ୍କ ଶଳାକୁ ଦେଖିଲେ। କାହିଁକି କେଜାଣି ରାନୁ ମନରେ କିଛି ଗୋଟେ ଅଲଗା ଅନୁଭବ ଆସୁଥିଲା। ଆଉ ସେ ବି ସେମିତି କିଛି କମେଣ୍ଟ ଥଟ୍ଟା ମଜାର ସମ୍ପର୍କ ବୋଲି କହି ଦିଅନ୍ତି। ତାଙ୍କ ଚାହାଣୀରେ ବି କିଛି ଅକୁହା କଥା ଥିଲା। ସାମ୍ନାରେ ପଡିଲେ ଦୁହେଁ ଦୁହିଁଙ୍କୁ ଚାହିଁ ରହନ୍ତି। ଆଖିରେ ଆଖିରେ ବହୁତ କିଛି କଥା ହୁଏ।କିନ୍ରୁ ପାଟି ଖୋଲିବାକୁ ଏତେ ଡର ଲାଗୁଥିଲା କାହିଁକି କେଜାଣି ଏଇ ଦୁହିଁଙ୍କୁ।
ସେ ସମୟରେ କେହି କାହାକୁ କିଛି କହି ପାରୁ ନଥିଲେ।ଏବେ ଯେମିତି ପ୍ରେମ ହଉ ହଉ ପ୍ରୋପଜ୍ କରୁଛନ୍ତି,,ସେତେବେଳେ ମନ ଭିତରେ ସବୁ ଦବିକି ରହି ଯାଉଥିଲା। ରାନୁ ଆଉ ଦିପୁର ପ୍ରେମ ବି ସେମିତି ମନରେ ସମାଧି ନେଇଗଲା।

ଭାଗ 6

ହଠାତ୍ ଯେଉଁଦିନ ବାପା ଭାଇ କହିଲେ ଅଷ୍ଟମରୁ ସହରରେ ପାଇବେ, ହଉ.. ବୋଲି କହି ମୁଁ ମାନିନେଲି ସିନା ହେଲେ ଗାଁର ସାଙ୍ଗମାନଙ୍କୁ ଛାଡ଼ିକି ଯିବାକୁ ସତରେ ମନ ନଥାଏ। କିନ୍ତୁ ଯିବାକୁ ତ ହବ। ହଷ୍ଟେଲ ଜୀବନ ବହୁତ ଅଡୁଆ ଲାଗୁଥାଏ। ବାହାରକୁ ଯିବା ମନା। ଧିରେ ଧିରେ ସବୁ ଠିକ ହେଇ ଗଲା। ଆଉ ମାନେପଡୁଥାଏ,ପାଞ୍ଚ ବର୍ଷ ବୟସରେ ମାଆ ସହ ଆସିଥିଲି ରଥଯାତ୍ରା ଦେଖିବାକୁ। ଆଉ ଏଇ ସହରରେ ହଜି ଯାଇଥିଲି। କେହି ଜଣେ ବ୍ୟକ୍ତି ନେଇକି ମାଆ ପାଖରେ ଛାଡି ଥିଲେ। ଆଠ ବର୍ଷର ଉପରାନ୍ତେ ପୁଣି ସେଇ ସହର, ମୋ ପରିଚିତ ସହର, ଯେଉଁଠି ମୋତେ ଅନେକ ଅଚିହ୍ନା ଭିତରେ ପାଠ ପଢିବାକୁ ହେବ। ଯେତେବେଳେ ସେଇ ସହରରେ ପ୍ରଥମ କରି ମୋର ନାଁ ଲେଖା ଗଲା ମନ ଅନେକ ଆଶଙ୍କାରେ ଆତଙ୍କିତ ହୋଇ ପଡୁଥିଲା। କାରଣ ରାସ୍ତା ଘାଟ କିଛି ଜାଣି ପାରୁ ନଥିଲି। କ’ଣ କରିବି,କ’ ଣ କରିବି ବୋଲି ମୁଣ୍ଡକୁ ବିଛା କାମୁଡୁ ଥିଲା। ମାଆ କହିଥିଲେ। କହିଲେ-” କିଛି ଦିନ ପରେ ତୁ ବି ସମସ୍ତଙ୍କୁ ରାସ୍ତାଘାଟ ବତେଇବୁ। ସତରେ ପ୍ରଥମେ ଅଜଣା ଅଚିହ୍ନ ଲାଗୁଥିବା ଯାଗା ହେଉ କି ମଣିଷ ହେଉ ,କିଛି ଦିନ ପରେ ଏତେ ନିଜର ହେଇଯାଆନ୍ତି କେମିତି କେଜାଣି ଯେମିତିକି ପୂର୍ବରୁ କିଛି ସମ୍ପର୍କ ଥିଲା ଭଳି।

ବହୁତ ଖୁସିର ଆଉ ମଜାଦାର ଦିନ ଥିଲା ଏଇ ହାଇସ୍କୁଲ ବେଳର ଦିନଗୁଡିକ। ଅଷ୍ଟମ ଆଉ ନବମ ହଷ୍ଟେଲରେ କଟିଲା ରାନୁର। ବିଭିନ୍ନ ପ୍ରକାର ଗୁଣର ଅଧିକାରିଣୀ ଝିଅମାନଙ୍କ ଗହଣରେ ରାନୁ ଏବେ ହଷ୍ଟେଲ୍ ଅନ୍ତେବାସୀ । କିଏ ଶାନ୍ତ ତ କିଏ ରାଗି, ,କିଏ ଭଲ ତ କିଏ ହିଂସୁକୁଟି। ଏମିତି ପାଠ,ଖେଳ,ଏନ ସି ସି ପରେଡ଼ରେ ଦିନ କଟୁଥାଏ।
ହଷ୍ଟେଲରେ ନିୟମ ଥିଲା କି, ଯିଏ ପୁରା ଶାରୀରିକ ସକ୍ଷମ ସେ ଏନ. ସି. ସି. ନେବାକୁ ବାଧ୍ୟ। ଆଉ ଆମେ ବି ଖୁସିରେ ନେଲୁ।କାହିଁକି ନା ମୁଖ୍ୟ ଆକର୍ଷଣ ଥିଲା ପରେଡ଼ ସରିବା ପରେ,,ଟଙ୍କାକର ଜଳଖିଆ।ଗୋଟେ ଆଲୁଚୋପ୍,ଗୋଟେ ବରା,ଜିଲାପିଟେ,ସିଙ୍ଗଡାଟେ, ବାସ। ସେତେବେଳେ ଟଙ୍କାଟିଏରେ ଚାରିଟା ମିଳୁଥିଲା।
ଖାଇଦେଇ ହଷ୍ଟେଲକୁ ଯାଇ ଜାମାପଟା ପାଲଟି ଗୋଡ଼ହାତ ଧୋଇ ପ୍ରାର୍ଥନା କରିକି ପଢି ବସନ୍ତି ସବୁ ଝିଅ।
ଅଷ୍ଟମରୁ ଏକାଦଶ ଯାଏ ପିଲା ରୁହନ୍ତି ଗୋଟିଏ ହଷ୍ଟେଲରେ।
ରାନୁର ବହୁତ ସୁନ୍ଦର ଆଉ ଦାମିକିଆ ଡ୍ରେସ ସବୁ ଦେଖି ଝିଅମାନେ ଟିକେ ହିଂସା କରନ୍ତି।କେହି କେହି ନେଇକି ପିନ୍ଧି ପକାନ୍ତି ବେଳେବେଳେ।
ରାନୁକୁ ରାଗ ଲାଗିଲେ ବି କିଛି କହି ପାରେନି।
ରାନୁ ଘରେ ସବୁବେଳେ ଆଇଁସ ହୁଏ। କିନ୍ରୁ ହଷ୍ଟେଲରେ ରବିବାର ଦିନ ଖାଲି ମାଂସ ତରକାରୀ ହୁଏ। ଖାଲି ଝୋଳ ଆଉ ଆଳୁରେ ତିନି ପିସ୍ ମାଂସ ଥାଏ।ଘର କଥା ମନେ ପକେଇ ସେ ବହୁତ କାନ୍ଦେ।
ହଷ୍ଟେଲ ଖାଇବା ତାକୁ ଜମାରୁ ରୁଚେ ନାହିଁ।
ଭାଇମାନେ ବେଳେବେଳେ ଆସନ୍ତି। ମା ଗାଁରୁ ପଠାଇ ଥାଏ ,ମଣ୍ଡା,କାକରା ,ଆରିସା,ବାଦାମ ଆଉ ଖସାର ଲଡୁ ଇତ୍ୟାଦି। କିନ୍ତୁ ସାଙ୍ଗମାନେ ଛଡେଇ କି ଖାଇ ଯାଆନ୍ତି।
ସ୍କୁଲକୁ ଗୋଟେ ଦୋଷା ଵାଲା ଆସେ ସବୁଦିନ ସକାଳ ନଅଟାରେ। ଟଙ୍କାରେ ଗୋଟେ।ବହୁତ ବଢ଼ିଆ ଲାଗେ।ଭାଇଙ୍କଠୁ ଟଙ୍କା ରଖିଥାଏ ରାନୁ।ସବୁଦିନ ଗୋଟେ ଦୋଷା ଖାଏ।

ହଷ୍ଟେଲରେ ମାସକୁ ଥରେ ଓଡ଼ିଆ ସିନେମା ଦେଖେଇବାକୁ ନିଅଁନ୍ତି, ଝିଅଙ୍କୁ ଜଗୁଥିବା ମଞ୍ଜୁ ଦିଦି।ସେଦିନ ପିଲାଙ୍କର ଭାରି ଖୁସି।
ଗଣେଶ ପୂଜା ଆଉ ସରସ୍ୱତୀ ପୂଜାରେ ଡ୍ରାମା ହୁଏ। ହୀରୋଇନ ରୋଲଟା ରୁନୁର।ସେ ଟିକେ ସମସ୍ତଙ୍କଠୁଁ ସୁନ୍ଦର ବୋଲି ମଞ୍ଜୁ ଦିଦି କହନ୍ତି।
ଯାହା ପୂଜାପର୍ବ ପଡେ ଦିଦିମାନେ ରାନୁକୁ ଡାକି ପୂଜା କରିବାକୁ କହନ୍ତି।କାରଣ ସେ ଏକୁଟିଆ ବେଶୀ ଶ୍ରଦ୍ଧେୟ ଥିଲା ବୋଧେ ସେଇଠି।କିନ୍ତୁ ତାକୁ ତ ସେତେବେଳେ ପୂଜାର ପ ଅକ୍ଷର ବି ଆସୁନଥିଲା।ଖାଲି ପାଣି ଛିଞ୍ଚି ଫୁଲ ଚନ୍ଦନ ଧୂପ ଦେଇ ନଡିଆଟେ ଭାଙ୍ଗି ଦେଇ ସ୍ଵାହା ସ୍ଵାହା କରି ଦିଏ।
ପଚାଶ ପଇସା ଲେଖାଏଁ ଦିଦି ମାନେ ଦକ୍ଷିଣା ଦିଅନ୍ତି,,ଦୋଷା ଖାଇବାର ପଇସାଟା ଉଠିଯାଏ।
ଜଣେ ଦିଦି ସେଇ ହଷ୍ଟେଲ ପାଖ ରୁମରେ ରହନ୍ତି।ବିଜ୍ଞାନ ପଢାନ୍ତି।ତାଙ୍କର ଜଣେ ଭାଇ(ଭାଇ ବୋଲି ସେ ପିଲାଙ୍କୁ କହନ୍ତି)ରାଖୀରେ କହନ୍ତି ତାଙ୍କୁ ରାଖୀ ବାନ୍ଧିବାକୁ।ସେ ବହୁତ ଚକଲେଟ ଆଣିଥାନ୍ତି।ସେଇ ଲୋଭରେ ପିଲେ ସବୁ ତାଙ୍କୁ ରାଖୀ ବାନ୍ଧନ୍ତି।
କିଛିଦିନ ପରେ ପିଲେ ଲକ୍ଷ୍ୟ କଲେ ଦିଦି ଖରା ଦିନେ ବି ଚାଦର ଘୋଡେଇ ହେଉଛନ୍ତି।କିଛି ବୁଝା ପଡ଼ିଲା ନାହିଁ।ଧିରେ ଧିରେ ଦିଦିଙ୍କ ସ୍ପିଲ୍ଟ ଉଦରକୁ ଆଉ ଲୁଚେଇ ପାରିଲେନି। ଲୁଚିକି ସେଇ ଭାଇଙ୍କ ସହ କୁଆଡେ ପଳେଇ ଗଲେ।
ହଷ୍ଟେଲରେ ଗୋଟେ ଝିଅ ଥାଏ ପୁଷ୍ପ,ତା’ର କ’ଣ ହୁଏ କେଜାଣି , ବେଳେବେଳେ ରାତିରେ ଉତ୍ପାତ କରେ। “ହେଇ ଲୋ ଆଇଲା,ମୋତେ ଖାଇଯିବ ଲୋ! ମୋତେ ବାକ୍ସରେ ପୁରେଇଦିଅ! ମୋ ହାତ କୁଆଡେ ଗଲା? “ଏମିତି ବହୁତ ବକେ।

ସେଇ ସ୍କୁଲ ହତାରେ ଅନୁସୟା ଦିଦି, କଲ୍ୟାଣୀ ଦିଦି ଓ ଦକ୍ଷୀଣା ଦିଦି ମଧ୍ୟ ରହନ୍ତି। ରବିବାର ଦିନ ସକାଳୁ ସକାଳୁ ପ୍ୟାଣ୍ଟସାର୍ଟ ପିନ୍ଧା ବାବୁ ଜଣେ ଆସନ୍ତି। ଭାରି ସୁନ୍ଦର ଚେହେରା । ପରି ରାଇଜର ରାଜ କୁମାର ପରି ଲାଗନ୍ତି। ଦକ୍ଷୀଣା ଦିଦି ଓ ସେ ସ୍କୁଲ ଗେଟ୍ ପାଖ ବାଡ଼ ମୂଳେ ଘଣ୍ଟା ଘଣ୍ଟା ଧରି ଗପନ୍ତି। ବେଳେବେଳେ ଆମକୁ ସେ ଆଣିଥିବା ମିଠା ଦେଇ ଭଣ୍ଡାନ୍ତି। କହନ୍ତି – “ଘରୁ ଆସିଥିଲା”। ଅନ୍ୟ ଦିଦି ମାନଙ୍କର ଠାରଠୁରରୁ ଆମେ ବୁଝୁ, ସେ ତାଙ୍କ ପ୍ରେମିକ। କଲେଜ ଜୀବନରୁ କୁଆଡ଼େ ତାଙ୍କ ପ୍ରେମ ସମ୍ପର୍କ ଓ ଆଉ ଅଳ୍ପ ଦିନ ପରେ ସେମାନଙ୍କର ବାହାଘର ହେବ। ହେଲେ ଆମେ କେବେ କେହି ସାହସ କରି କିଛି ପଚାରି ପାରୁନା।
ପ୍ରତିଦିନ ସକାଳୁ ଉଠି ପଡ଼ି ଏଇ ଦିଦିମାନେ ଖରାରେ ବାହାରେ ବସି ପଡ଼ନ୍ତି। ତାଙ୍କର ଆରମ୍ଭ ହୁଏ ସ୍ଵପ୍ନ ପୁରୀର ସ୍ଵପ୍ନ କାହାଣୀ ।ଗତ ରାତିରେ କିଏ କେଉଁ ସ୍ଵପ୍ନ ଦେଖିଥିଲେ ଓ ତଦନୁସାରେ ସ୍ଵପ୍ନ ଫଳ କ’ଣ କହୁଛି, ତାହା ଭଲ କି ଖରାପ – ଏଇ ପ୍ରକାର ଆଲୋଚନା ଯୋହର ଧରେ। ପଣ୍ଡିତ ସାର୍ ହାତରେ ଗୋଟେ ସ୍ଵପ୍ନ ଫଳ ବହି ଧରି ଆସନ୍ତି। ସ୍ଵପ୍ନ ଫଳ ରହସ୍ୟ ଶୁଣାନ୍ତି। ଏହି ସ୍ଵପ୍ନ, ମାନେ ତାହାର ଫଳ ଏୟା ଓ ନିକଟରେ ମନୋସ୍କାମନା ପୂରଣ ହେବାର ଯୋଗ ଅଛି ଇତ୍ୟାଦି ଗପନ୍ତି। ସମସ୍ତେ ହୋ ହୋ ହୋଇ ହସି ଉଠନ୍ତି। ଆମ ଦିଦିମାନେ ପ୍ରାୟତଃ ସବୁ ଅବିବାହିତ ଥାନ୍ତି। ତେଣୁ ସେମାନଙ୍କର ବାର୍ତ୍ତଳାପ ବେଶ୍ ଭାବୋଦ୍ଦୀପକ ଓ ରସ ଶିକ୍ତ ।ପ୍ରେମମୟ ସେମାନଙ୍କର ଆଳାପ ଓ ଏଇ ମାଇଚିଆ ପଣ୍ଡିତ ମାଷ୍ଟର ସହିତ ଖାଲି କେଟେ କେଟେ ହୋଇ ଲାଗନ୍ତି।
ଏଇ ପଣ୍ଡିତ ସାର୍ ଟା ଭାରି ରସିକିଆ ।ପିଲାମାନଙ୍କୁ ସିନା କିଛି କହନ୍ତି ନାହିଁ, ହେଲେ ଦିଦି ମାନଙ୍କ ଗହଣରେ ବେଶ୍ ରସ ଶିକ୍ତ କୌଉତିକିଆ କଥା ସବୁ ପରିବେଷଣ କରିଥାନ୍ତି। ଆମେ ସିନା ସବୁ ପଢୁଥାଉ, ହେଲେ ତାଙ୍କ କଥାବାର୍ତ୍ତାକୁ କାନେଇ ଶୁଣୁଥାଉ। ଭାରି ମଜା ଲାଗେ।
ଆଉ ଗୋଟେ ମଜା କଥା, ସାବୁନ୍ ଲଗା ଉପାଖ୍ୟାନଟି, ଯାହା ଅଧିକାଂଶ ବେଳେ ଆଲୋଚନାର ବିଷୟବସ୍ତୁ ରହେ । କଲ୍ୟାଣୀ ଦିଦି କହନ୍ତି – “ସାବୁନ୍ ଲଗେଇ ଦେଲେ ଖାଲି ହେବ ନାହିଁ, ବରଂ ସପ୍ତାହରେ ଥରେ ହେଉ, କିନ୍ତୁ ଘସି ମାଜି କରି ପରିସ୍କାର କଲେ ଦେହ ଚିକ୍ଚିକ୍ ହୁଏ। କିନ୍ତୁ ଲିରିଲି ସାବୁନ୍ ଟା ସବୁଠାରୁ ବଢିଆ, ଭାରି ବାସ୍ନା” ।ଦକ୍ଷୀଣା ଦିଦି କହନ୍ତି – “ମୋତେ ଘସି ମାଜି ହେବାକୁ ସମୟ ନାହିଁ, ହେଲେ ପ୍ରତ୍ୟେହ ମୁଁ ସାବୁନ୍ ଲଗାଏ, ତେଣୁ ଆପେ ମଇଳା ଛାଡି ଯାଏ”। ରୂପ ଚର୍ଚ୍ଚା ଓ ପ୍ରସାଧାନ ସମାଗ୍ରୀ ନେଇ ତାଙ୍କ ଆଲୋଚନାରୁ ବହୁ ତଥ୍ୟ ମିଳେ। ସେଇଠୁ ତ କେତେ ନୂଆ ଜିନିଷର ନାଁ ଶୁଣି ମୁଁ ବାପାଙ୍କୁ ଜିଦ୍ କରେ ଆଣି ଦେବାକୁ।
ପୁଣି ବେଳେବେଳେ ସେମାନେ ସେମାନଙ୍କ ପ୍ରେମ ଓ ପ୍ରେମ ସମ୍ପର୍କକୁ ନେଇ ପରସ୍ପର ମଧ୍ୟରେ କେତେ କଥା ସବୁ ଚୁପିଚୁପି ଗପନ୍ତି। ସେଇ ସମୟରେ ପିଲା କେହି ଚାହିଁ ଦେଲେ, କହିବେ – “ଏ! ପାଠରେ ମନ ଦିଅ, ଏଣେତେଣେ କଣ ଚାହୁଁଛ” ? ଚାକିରୀ ନିଶାରେ ଏମାନଙ୍କର ଯୁବା କାଳ ସବୁ ଅତିବାହିତ ହୋଇ ଯାଉଥାଏ ଓ ଯୌବନ ଲୁଚି ଯାଉଥାଏ। ତେଣୁ ଭାରି ଚିନ୍ତିତ ଥିଲା ପରି ଲାଗୁଥାନ୍ତି ।

ବହୁତ କିଛି ସ୍ମୃତି ଆଉ ଅନୁଭୂତି ଥିଲା ସ୍କୁଲ ଜୀବନରେ ରାନୁର, ବହୁତ ତିକ୍ତ ଆଉ ପୁଣି ମଧୁର ଅନୁଭୂତି।

ଭାଗ 7 

Related posts

ଗାଁରୁ ସିନେଟ୍ ଯାଏଁ ପୁସ୍ତକ

satya

ପରିତ୍ୟକ୍ତ କୋଠି

satya

ପଣ୍ଡିତ ଦୈତାରୀ ମହାପାତ୍ର- ଜୀବନୀ ଆଲେଖ୍ୟ

satya

Leave a Comment

Login

X

Register