Satya Prakash
Uncategorised

ମୁଖବନ୍ଧ… ଅବଧୂତ

ମୁଖବନ୍ଧ

  • ଗାଳ୍ପିକ ସତ୍ୟ ପ୍ରକାଶ ସେଠୀ
    ସାହିତ୍ୟ ଗୋଟେ ନିଶା। ଏହି ନିଶାରେ ବଶବର୍ତ୍ତୀ ହୋଇ କିଏ କେତେବେଳେ ସାହିତ୍ୟିକରେ ପରିଣତ ହୋଇଯାଆନ୍ତି ତାହାର କିଛି ଇୟତା ନାହିଁ। ସେହିପରି ସାହିତ୍ୟ ପ୍ରତି ବେଶ୍ ଆସକ୍ତ ହୋଇ ପଡ଼ନ୍ତି ଗାଳ୍ପିକ ଅବଧୂତ ବାବୁ। ଏବେ ସେ ପରିଣତ ବୟସରେ। ବେଶ୍ କିଛିଦିନ ହେବ ଓଡିଶା ଗ୍ରାମ୍ୟ ବ୍ଯାଙ୍କରୁ ଅବସର ନେଇଛନ୍ତି। କର୍ମମୟ ଜୀବନର ଜଞ୍ଜାଳ ଆଉ ନାହିଁ। ତେବେ ସାହିତ୍ୟ ଜଂଜାଳ ବଢି ଯାଇଛି। ଏବେ ସେ ପ୍ରତ୍ୟେହ ଗୋଟେ ଯୋଡ଼ିଏ ଲେଖା ଲେଖନ୍ତି, ନ ହେଲେ କୁଆଡେ ତାଙ୍କ ସମୟଟା ଠିକ୍ ସେ ଅତିବାହିତ ହୁଏ ନାହିଁ। ବାସ୍ତବରେ ଏହା ଏକ ନିଶା। ଥରେ ସାହିତ୍ୟ ପ୍ରେମରେ ପଡ଼ିଲେ ଆଉ କିଛିରେ ମନ ଥୟ ଧରେ ନାହିଁ। ଖାଲି ମନରେ ଗୋଟିଏ ଭାବନା – “ମୁଁ କିଛି ଲେଖନ୍ତି କି “। ଏଭଲି କିଛି ଉଦ୍ୱେଳନ ହୁଏତ ଲେଖକ ମହାଶୟ ଅନୁଭବ କରୁଥିବେ ବା ସେଇ ଉଦ୍ୱେଳନରେ ଅବଗାହନ କରୁକରୁ ଲେଖି ପକାଉଥିବେ। ହଁ ତ ବିଭିନ୍ନ୍ ସାମାଜିକ ମାଧ୍ୟମରେ ତାଙ୍କର ଲେଖାଗୁଡ଼ିକ ଅନେକ ସମୟରେ ପ୍ରକାଶିତ ହେଉଥିବା ମୋ ନଜରରେ ପଡିଛି। ତେବେ କ’ଣ ନିଜର ଅବସରକାଳୀନ ସମୟକୁ ଉଚିତ୍ ବିନିଯୋଗ କରିବା ପାଇଁ ସେ ସାହିତ୍ୟକୁ ଉତ୍କୃଷ୍ଟ ମାର୍ଗ ଭାବେ ଗ୍ରହଣ କରି ନେଇଛନ୍ତି? ହଁ – ଏହା ହିଁ ହୋଇପାରେ। ତେବେ ସାହିତ୍ୟ ସର୍ଜ୍ଜନା ତାଙ୍କ ପାଇଁ ନୂଆ ନୂହେଁ। ସେ ପୂର୍ବରୁ ମଧ୍ୟ ଲେଖୁଥିଲେ, ତେବେ ଏତେଟା ବ୍ୟାପକ ନୂହେଁ। ଏବେ କିନ୍ତୁ ଅନେକ ତାଙ୍କର କୃତି ଓ ସ୍ରୁଷ୍ଟି ।ତେଣୁ ତାଙ୍କର ସାହିତ୍ୟାକାଶ ବେଶ୍ ପ୍ରଶସ୍ତ ହୋଇଛି। ଏବେ ସେ ଖାଲି ଓଡ଼ିଆରେ ଲେଖୁ ନାହାନ୍ତି, ଲେଖୁଛନ୍ତି ମଧ୍ଯ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ- ଅନେକ ଗଳ୍ପ ଓ କବିତା। ଏହିପରି ସେ ଲେଖୁଥା’ନ୍ତି ଓ ଭାଷା ସାହିତ୍ୟକୁ ତାଙ୍କର ଦାନ ଅତୁଳନୀୟ ରହୁ ।
    ଏହି ପରିପ୍ରେକ୍ଷୀରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ “ଆଦ୍ୟାଶା” ବିଚାର୍ଯ୍ୟ। ଏଥିରେ ଲେଖକ ପ୍ରାୟତଃ ୨୨ ଟି ଗଳ୍ପ ଲେଖିଛନ୍ତି। ଗଳ୍ପଗୁଡିକର କାୟା ବେଶ୍ ବୃହତ ନ ହେଲେ ହେଁ ଲେଖାଗୁଡ଼ିକ ଅତ୍ୟନ୍ତ ସମୃଦ୍ଧ ।ଅନେକ ଛୋଟଛୋଟ ସହଜ ସରଳ ଘଟଣା ଓ କ୍ଷୁଦ୍ରାତିକ୍ଷୁଦ୍ର ଭାବନାକୁ ସେ ବୃହତ କରି ଗଢି ତୋଳିବାର ଆପ୍ରାଣ ପ୍ରୟାସ କରିଛନ୍ତି। ଅନେକ କ୍ଷେତ୍ରରେ ଏହି ପ୍ରୟାସରେ ସେ ମଧ୍ଯ ସଫଳ ହୋଇଛନ୍ତି, ତେଣୁ ଗଳ୍ପଗୁଡିକ ବେଶ୍ ସାର୍ଥକ ଓ ଭାବୋଦ୍ଦୀପକ। ମୁଁ ସମସ୍ତ ଗଳ୍ପ ପଢିପାରି ନ ଥିଲେ ହେଁ କେତୋଟି ତ ପଢିଛି। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପୁଡ଼ି ଯେପରି ହାଣ୍ଡିକଯାକ ଭାତକୁ କଳି ହୁଏ ସେହିପରି ମୁଁ ତାଙ୍କ ଗଳ୍ପଗୁଡିକୁ କଳିଛି ଓ ଆନନ୍ଦିତ ହୋଇଛି ମଧ୍ୟ। ସେ ଅଧିକଂଶ ଗଳ୍ପର ପୃଷ୍ଠଭୂମି ଖୋଜିଛନ୍ତି ନିଜ ଗାଁରେ ବା ନିଜ ଗାଁରେ ଲେଖକ ବ୍ୟୟିତ କରିଥିବା ପ୍ରତିଟି ମୁହୂର୍ତ୍ତକୁ ବେଶ୍ ଅଣ୍ଡାଳି ପାରିଛନ୍ତି। ନିଜ ଚେତନାର ସୀମା ସରହଦ ଡେଇଁ ସେ ଅତୀତକୁ ଫେରି ଯାଇଛନ୍ତି ଓ ଅତୀତରୁ ସାଉଁଟି ଆଣିଛନ୍ତି କେତେ ହୀରା, ମୋତି ଓ ମାଣିକ ଯାହାକୁ ସେ ପାଠକମାନଙ୍କୁ ପରସି ଦେବାକୁ ତରତର ହେବା ଉତ୍ତାରୁ ଲେଖି ବସିଛନ୍ତି ଅନେକ ଗଳ୍ପ ସମ୍ଭାର। ସେଇ ଗଳ୍ପ ସମ୍ଭାରକୁ ନେଇ ଗଳ୍ପ ସଂକଳନ “ଆଦ୍ୟାଶା” ର ସ୍ରୁଷ୍ଟି ପରିକଳ୍ପନା କରାଯାଇ ଥାଇପାରେ ଯାହାକି ସୃଷ୍ଟିର ନବୀନ ଆଲୋକ ସନ୍ଦର୍ଶନ ଅପେକ୍ଷାରେ ଏବେ ବି ଅପେକ୍ଷମାଣ।
    ଲେଖାଗୁଡିକରେ କାହାଣୀଧର୍ମିତା ବଜାୟ ରହିବା ସଙ୍ଗେସଙ୍ଗେ ଶିଶୁ ମନ ଗହନର ଲିଳାଖେଳା ବେଶ୍ ସୁନ୍ଦର ଭାବେ ରୂପାୟିତ। ‘ଅଜଣା ସମାଜ ସେବୀ ‘ଗଳ୍ପରେ ଫ୍ୟାଣ୍ଟମ ମହାଶୟ ଚରିତ୍ର ମାଧ୍ୟମରେ ଲେଖକ ସଚ୍ଚୋଟ ଓ ସାଧୁତା ଅବଲମ୍ବନ କରିବା ପାଇଁ ସମାଜକୁ ପ୍ରେରଣା ଦେବା ସହିତ ମିତା ଚରିତ୍ର ମାଧ୍ୟମରେ ନାରୀମାନଙ୍କୁ ସାହସୀ ଓ ସଶକ୍ତ ହେବା ପାଇଁ ପରୋକ୍ଷରେ ଉତ୍ସାହିତ କରିଛନ୍ତି। ଏହିଭଳି ଗଳ୍ପଗୁଡିକ ଅତି ମର୍ମସ୍ପର୍ଶୀ ଓ ପ୍ରେରଣାଦାୟକ। ‘ବାଉଁଶ ପୋଖରୀ ପ୍ରେତିନୀ’ ଗଳ୍ପରେ ସେ ଏକ ସାମାଜିକ ବିଶ୍ବାସ ବା ଅନ୍ଧ ବିଶ୍ବାସକୁ ସ୍ଥାନ ଦେଇଛନ୍ତି। ଏହା ହୋଇପାରେ ଏକ ଅନ୍ଧବିଶ୍ଵାସ ମାତ୍ର ମଣିଷର ବିଶ୍ବାସବୋଧ ଓ ଭାବନାତ୍ମକ କ୍ରିୟାକ୍ରମ ଏଥିରେ ନିହିତ । ସାଧାରଣରେ ବିଶ୍ବାସ ଅଛି ଯେ, ଆଇଁଷାଦି ଦ୍ରବ୍ୟ ରାତିରେ ଘରକୁ ଆଣିଲେ ସେଥିରେ ଖଣ୍ଡେ ଦୁଇଖଣ୍ଡ ଦାଣ୍ଡ ଆଡକୁ ଫିଙ୍ଗି ଦିଆଯାଏ, କାରଣ ଭୂତପ୍ରେତଙ୍କର କାଳେ ତା ଉପରେ ନଜର ପଡିଥିବ। ଏହି କଥାବସ୍ତୁ ହିଁ ଗଳ୍ପର ମୂଳପିଣ୍ଡ ଯାହାକୁ ବେଶ ଚମତକାର୍ ଭାବେ ଗାଳ୍ପିକ ବଖାଣି ବସିଛନ୍ତି। ସେହିପରି “ଯାଦୁକରଙ୍କ ଘର” ଗଳ୍ପରେ ଗୀତାର ମାଆ ପାଇଁ ଭାବାବେଗ ଶେଷରେ ବାପାଙ୍କୁ ଦ୍ଵିତୀୟ ବିବାହ ପାଇଁ ବାଧ୍ଯ କରିବା ପ୍ରସଙ୍ଗ ଅତ୍ୟନ୍ତ ତାତ୍ତ୍ବିକ। ତାଙ୍କର ଗଲ୍ପଗୁଡିକ ପ୍ରାୟତଃ ଶିଶୁ ମନସ୍ତତ୍ତ୍ୱକୁ ନେଇ ସମୃଦ୍ଧ ଯେଉଁଥିରେ କି ଶିଶୁ ହିଁ ମୁଖ୍ୟ ଚରିତ୍ର ଆଉ ସବୁ ପାର୍ଶ୍ଵ ସହଚର ବା ପାର୍ଶ୍ଵ ଚରିତ୍ର।ତେଣୁ ଶିଶୁମାନଙ୍କୁ ବେଶ୍ ପ୍ରଲୁବ୍ଧ କରିବ।ଲେଖକ ଆହୁରି ଅନେକ ସାହିତ୍ୟ ସର୍ଜ୍ଜନା କରନ୍ତୁ। ଓଡ଼ିଆ ଭାଷା ସାହିତ୍ୟକୁ ସେ ସମୃଦ୍ଧ କରନ୍ତୁ – ଏହା ହିଁ ମଙ୍ଗଳମୟ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

Related posts

କନ୍ୟା ରତ୍ନ

satya

ବର୍ଷା ଆହ୍ଵାନ

satya

ଫଟୋଗ୍ରାଫି ଦିବସ

satya

Leave a Comment

Login

X

Register