Satya Prakash
ଗଳ୍ପ

ଶତାୟୁ

ଶତାୟୁ
———-by ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ
ଉଦାର ଚରିତ୍ର ମହାନ ପୁରୁଷ
ଯାହାଙ୍କ ବିୟୋଗେ କାହିଁ
ସବୁ ତୁଛ ପ୍ରାୟ ମନେ ହୁଏ ଆଜି
ମନରେ ସରାଗ ନାହିଁ ।।
ଓଡିଶା ଏକ ପଲ୍ଲୀ ବହୁଳ ରାଜ୍ୟ ଯେଉଁଠି ଜନ ସଂଖ୍ୟାର ପ୍ରାୟତଃ ଅଶୀ ଶତାଂଶ ଗାଁ ଗହଳିରେ ବସବାସ କରନ୍ତି। ସେହିପରି ଓଡିଶାର ଅଖ୍ୟାତ ପଲ୍ଲୀ ବିଖ୍ୟାତ ଗ୍ରାମ ହେଉଛି କାଙ୍କରା ଗ୍ରାମ। କିଏ, କେବେ ଓ କାହିଁକି ଏହି ପଡ଼ା ବସାଇ ଥିଲେ ତାହାର କୌଣସି ନିର୍ଦ୍ଧିଷ୍ଟ ସାକ୍ଷ୍ୟ ପ୍ରମାଣ ବା ଐତିହାସିକ ତଥ୍ୟ ନଥିଲେ ହେଁ ଗାଁଟିର ମୂକ ସାକ୍ଷୀ ଏଇ ବରଗଛ, ଯାହାକି ବର୍ଷ ବର୍ଷ ଧରି କେଉଁ ଅନାଦି କାଳରୁ ପଥର ମୁଣ୍ଡିଆଟା ପରି ଏଇଠି ଏଇମିତି ଦଣ୍ଡାୟମାନ।ପୁଣି ସେଇଠି ଅଛନ୍ତି ଗ୍ରାମର ଗ୍ରାମ ଦେବତୀ ମାଆ ଭୁଆସୁଣୀ ଠାକୁରାଣୀ, ଭଲରେ ମନ୍ଦରେ ସବୁ କଥାରେ ଯିଏ ହୋଇଥାନ୍ତି ଶାହା । ଗାଁର ସରଳ ନିଷ୍କପଟ ମଣିଷମାନେ ନିଜର ହାନିଲାଭ, ହାରି ଗୁହାରୀ ସବୁକିଛି ଜାଣଇଥାନ୍ତି ଏଇ ମାଆଙ୍କ ମଣ୍ଡପ ନିକଟରେ। କାହାର ପିଲା ସପନ ଦେଖି ବାଉଳି ହେଲା, କାହାର ଗଛ ଫଳିଲା ବା ଫଳିଲା ନାହିଁ – ସେ ସବୁ ପାଇଁ ଏମାନେ ଫେରାଦ ହୋଇଥାନ୍ତି ନିଜର ଆରାଧ୍ୟା ଦେବୀଙ୍କ ପାଖରେ। ମାଆ କୁଆଡ଼େ ଅଚିରେ ସମସ୍ତଙ୍କର ମନୋସ୍କାମନା ପୂରଣ କରିଥାନ୍ତି ବୋଲି ଗୋଟେ ବିଶ୍ବାସବୋଧ ଅଛି।
ପବିତ୍ର ଉତ୍କଳର ମହୋଦଧି ମଧୁ ହିଲ୍ଲୋଳ ସେବିତ ଜଗତର ନାଥ ବଡ଼ ଦେଉଳିଆ ପ୍ରଭୂ ଜଗନ୍ନାଥଙ୍କ ଦେଶ ଓଡିଶା ରାଜ୍ୟର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ ଅଧୀନସ୍ଥ ଜୟି ନଗର ପଞ୍ଚାୟତରେ ଏହି କାଙ୍କରା ଗ୍ରାମଟି ଅବସ୍ଥିତ। ଏହାର ପ୍ରାକୃତିକ ଶୋଭା ସୁଷମା ଅତ୍ୟନ୍ତ ଚିତ୍ତାକର୍ଷକ।ବଡ଼ ମନୋଲୋଭା କାନ୍ତି ଓ ଦେଦୀପ୍ୟମାନ ତାହାର ଚେହେରା । ସାହାଡ଼ା, ବାଉଁଶ, ନଡ଼ିଆ, କଇଁନ୍ଥ, କିଆ, କେତକୀ, ମଲ୍ଲି, ମାଳତୀ ଘେରା ଗାଁଟିର ଦୃଶ୍ୟରାଜି ଅତୀବ ମନୋରମ ଓ ଅପରୂପ ଲାବଣ୍ୟରେ ଭରପୂର। ଗ୍ରାମ୍ୟ ପ୍ରାନ୍ତର ପିଲା ମାନଙ୍କ ପାଇଁ କ୍ରୀଡା ଭୂଇଁ। ପୁଣି ଗାଁକୁ ପରିବେଷ୍ଟିତ ହୋଇ ରହିଛି ଚାରି ନମ୍ବର କେନାଲ ଓ କେତୋଟି ବଡ଼ ବଡ଼ ପୁଷ୍କରଣୀ ଯେଉଁଠି ପହଁରିବାର ଓ ବନସୀ ଛଡ଼ ପକାଇ ବାଳିଆ, ଶେଉଳ ଆଦି ମାଛ ଧରିବାର ଆନନ୍ଦ ଟିକେ ନିଆରା । ଆହୁରି ମଧ୍ୟ ସେଇ କେନାଲ କୂଳରେ ଗାଁକୁ ଅନିଶା କରି ରହିଥିବା ଜାମୁ କୋଳି ଗଛରୁ ଜାମୁ କୋଳି ତୋଳି ଖାଇବାର ମଜ୍ଜା ମଧ୍ଯ ଭିନ୍ନ୍ ଥାଏ। ବଇଁଞ୍ଚ, କ୍ଷୀରି କୋଳି ଓ କାନ କୋଳି ଗଛରୁ ସଦ୍ୟ ତୋଳି ଆଣି କୋଳି ଖାଇବା ମଧ୍ୟ ବେଶ୍ ଉପଭୋଗ୍ୟ ହୋଇଥାଏ।
ସେଇଠି ସେଦିନ ପିତା କୁରୁ ପାତ୍ର ଓ ମାତା କୁଞ୍ଜ ଦେଇଙ୍କ କ୍ରୋଡ଼ ମଣ୍ଡନ କରି ଗତ ତା 6.3.1915. ରିଖ __ତିଥି ଓ __ବେଳାରେ ପିତା ମାତାଙ୍କର ___ତମ ସନ୍ତାନ ରୂପେ ଜନ୍ମ ନିଅନ୍ତି ବିବେକୀ ମଣିଷ କୁସୁନ ପାତ୍ର। ସ୍ଵାଧୀନତାର ଯଥେଷ୍ଠ ପୂର୍ବର ମଣିଷ ସିଏ, ଯେତେବେଳେ କି ଶିକ୍ଷା ଓ ସଭ୍ଯତାର ସେତେଟା ପ୍ରସାର ଓ ପ୍ରଭାବ ନଥିଲା। କିଛିଟା ଥିଲେ ବି ଗାଁ ଗହଳିର ମଣିଷର ଭାଗ୍ୟରେ କାହିଁ ବା ଯୁଟନ୍ତା? ତଥାପି କୁସୁନ ପାତ୍ର ହାର ମାନି ନାହାଁନ୍ତି। ସେ ଉଚ୍ଚ ଇଂରାଜୀ ଶିକ୍ଷା ଅର୍ଜନ କରି ନପାରିଲେ କ’ଣ ହେବ, କିନ୍ତୁ ଗାଁ ଚାଟଶାଳୀକୁ ଯାଇ ଅବଧାନଙ୍କ ପାଖରୁ ବେତ୍ରାଘାତ କଷ୍ଟ ସହି ବେଶ୍ ଦୁଇ ଅକ୍ଷର ପାଠ ପଢ଼ିଥିଲେ। ସେଇଥିପାଇଁ ତ ସେ ହିସାବ ପାତି ଠିକରେ କରି ପାରୁଥିଲେ ଓ ଗାଉଁଲି ମଣିଷଙ୍କ ପାଇଁ ସେ ଥିଲେ ପାଠୁଆ ମଣିଷ। ବୁଦ୍ଧିର ଅକଲରେ ଭଲମନ୍ଦ ପରମର୍ଶ ଗଣ୍ଡାକ ଦରକାର ପଡିଲେ ପରା ଗ୍ରାମବାସୀ ତାଙ୍କରି ପାଖକୁ ଧାଇଁ ଆସନ୍ତି। ସେମାନଙ୍କୁ ସେ ଉଚିତ୍ ପରମର୍ଶ ଓ ଜ୍ଞାନର ଆଲୋକ ଦେଇଥାନ୍ତି। ଯାହା ପାଇଁ ଗାଁ ଗୋଟାକର ତାଙ୍କରି ଚର୍ଚ୍ଚାଟି ସର୍ବାଗ୍ରେ ବନ୍ଦୀତ ହୁଏ। କେତେ କେତେ ଲୋକଙ୍କର ଘରୋଇ କଳି ଓ ହିଂସାକୁ ସେ ସ୍ନେହବୋଳା ମିଠା ଦୁଇ ପଦ କହି ପ୍ରଶମିତ କରିଛନ୍ତି। ତେଣୁ ସବୁଠିଁ ତାଙ୍କର ଆଦର ବେଶୀ। ଜଣେ ଶାନ୍ତ, ଉଦାର, ସ୍ପଷ୍ଟବାଦୀ ଓ ଭଲ ମଣିଷ ଭାବେ ତାଙ୍କର ଲୋକ ପ୍ରିୟତା ଆଖପାଖ ଅଞ୍ଚଳରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲା। ତେଣୁ ତ ସ୍ଥାନୀୟ ଅଞ୍ଚଳରେ କୌଣସି ସମସ୍ୟା ପଡ଼ିଲେ ବା ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଲେ, ଲୋକେ ଖୋଜନ୍ତି କୁସୁନ ଠାକୁ ବା’ କୁ, ଯିଏ ଏକ ନିର୍ଣ୍ଣାୟକ ଭୂମିକା ତୁଲାଇ ସମସ୍ୟାର ଆସୁ ସମାଧାନ ବା ନିରାକରଣ କରିଥାନ୍ତି। ଗାଁର ମୁଖିଆ ବା ମୁରବୀ ଭାବରେ ଲୋକେ ତାଙ୍କୁ ହିଁ ମାନନ୍ତି ଓ ସମ୍ମାନ ମଧ୍ୟ କରନ୍ତି।ତାଙ୍କର ଲୋକ ପ୍ରିୟତା ଓ ପ୍ରତିପତ୍ତି ଦେଖି ସେବରର ମାନ୍ୟବର ସ୍ୱର୍ଗତଃ ହୃଦାନନ୍ଦ ମଲ୍ଲିକ, ବିଧାୟକ ତାଙ୍କୁ କହନ୍ତି କାଙ୍କରା ରାଜା। ସେହିପରି ଶ୍ରୀଯୁକ୍ତ ଜଗନ୍ନାଥ ରାଉତ, ମନ୍ତ୍ରୀଙ୍କ ସହିତ ମଧ୍ୟ ତାଙ୍କର ବେଶ ଘନିଷ୍ଠତା ଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ସେ ଜଣେ ବେଶ ଲୋକପ୍ରିୟ ସୁପରିଚିତ ଚେହେରା।
ପରିବାରର ଦ୍ଵିତୀୟତମ ସନ୍ତାନ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ପାତ୍ର – ମୋର ସହକର୍ମୀ। ଏକା ଅଫିସରେ ଆମେ କାମ କରୁ। ଘରର ବଡ଼ ପୁଅ ପିତାମ୍ବର ଭାଇଙ୍କ ସହିତ ମଧ୍ଯ ବିଭିନ୍ନ୍ କାରଣରୁ ମୋର ବ୍ୟକ୍ତିଗତ ସମ୍ପର୍କ ଖୁବ୍ ଘନିଷ୍ଠ। ତେଣୁ ସେହି ସକାରଣରୁ ଏହି ପରିବାରର ବିବାହ ବ୍ରତ ଠାରୁ ଆରମ୍ଭ କରି ଅନେକ କର୍ମ କର୍ମାଣିରେ ଯୋଗଦେବାର ସୁଯୋଗ ହୁଏତ ଅନେକ ବାର ମୋ ଭାଗ୍ୟରେ ଯୁଟିଥିବ। ତେଣୁ କାଙ୍କରା ଗ୍ରାମକୁ ବହୁ ବାର ମୁଁ ଆସିଛି। କିନ୍ତୁ ସବୁଠାରୁ ବଡ କଥା ହେଉଛି, ଦାଣ୍ଡ ପିଣ୍ଡାରେ ଯେଉଁ ଠୁକୁର ବୁଢ଼ା ଜଣଙ୍କ ବସିଥାନ୍ତି, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କୁସନ ପାତ୍ର। ଯିଏ କି ସହାସ୍ଯ ବଦନରେ ଆଗ ମିଠା ପଦୁଟିଏ କହନ୍ତି – “ଘର ଭିତରକୁ ଯାଅ”। ତାଙ୍କର ବ୍ୟକ୍ତିତ୍ୱ ଓ ବୟସ ନିକଟରେ ସ୍ୱତଃ ମୁଣ୍ଡ ନଇଁ ଯାଏ। ଦୀର୍ଘ 104 ବର୍ଷ ଧରି ସୁସ୍ଥ ଓ ନିରୋଗ ହୋଇ ବଞ୍ଚି ରହିବା କ’ଣ ସହଜ କଥା ହୋଇଛି କି? ତେବେ ନିଜର କର୍ମ ଫଳ ଓ ନୀତିନିଷ୍ଠ ଜୀବନ ଚର୍ଯ୍ୟା ପାଇଁ ହୁଏତ ଏହା ସମ୍ଭବପର ହୋଇ ଥାଇପାରେ।ସେ ଶତାୟୁ ହେବା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ। କୁସୁନଙ୍କ ପରିବାର କହିଲେ ଚାରୋଟି ପୁତ୍ର ଓ ଏକମାତ୍ର କନ୍ୟା ସନ୍ତାନଙ୍କୁ ହିଁ ବୁଝାଏ। ପୁଣି ନାତି ନାତୁଣୀକୁ ମିଶାଇ ମୋଟ 30 ଜଣ କୁଟୁମ୍ବ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ଯାବତ୍ ଏତେବଡ଼ ପରିବାରକୁ ଗୋଟିଏ ସୂତା ଖିଅରେ ବାନ୍ଧି ରଖିବା। ବାସ୍ତବରେ ଏକାନ୍ନବର୍ତ୍ତି ପରିବାରର କଥା ଉଠିଲେ ଆଜି ବି ଲୋକେ କୁସୁନ ପାତ୍ରଙ୍କ ପରିବାର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି। ଧନ୍ୟ ତୁମ ଐକ୍ଯର ମନ୍ତ୍ର, ଶିକ୍ଷା ଓ ସଂସ୍କାର।
ଭାରତୀୟ ପରମ୍ପରା ଓ ଉତ୍କଳୀୟ ସଂକୃତିରେ ଏଇ ଯୌଥ ପରିବାର ଆଜିର ସମାଜରେ ତାଙ୍କର ଶ୍ରେଷ୍ଠ ଆଦର୍ଶ ଓ ଅତୁଳନୀୟ ଦାନ। କେବଳ ଏତିକି ନୂହେଁ, ତାଙ୍କରି ଉଦ୍ୟମ ଓ ସତ୍ ଚିନ୍ତନ ପାଇଁ ଆଜି ଗାଁରେ ଗଢି ଉଠିଛି କାଙ୍କରା ଉ. ପ୍ରା. ବିଦ୍ୟାଳୟ ଓ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନମାନ। ବାସ୍ତବରେ ସେ ଧର୍ମବନ୍ତ ଓ ନ୍ୟାୟବାନ ଲୋକ ଥିଲେ। ତେଣୁ ଗ୍ରାମ୍ୟ ମଣିଷର ଧର୍ମୀୟ ଭାବନା ଓ ଚିନ୍ତା ଚେତନାର ପରିପୃଷ୍ଠି ପାଇଁ ସେ ଗାଁରେ ପ୍ରତିଷ୍ଠା କରିଛନ୍ତି – ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଓ ବ୍ରହ୍ମ ଗାଦି ପରି ଧର୍ମାନିଷ୍ଠାନ। ପୁଣି ସେଇ ଗାଁରେ ଗଢି ଉଠିଛି ଯୁବକମାନଙ୍କ ପାଇଁ ଜଗନ୍ନାଥ ଯୁବକ ସଂଘ। ଆଜି ରାସ୍ତା ଘାଟର ନବୀ କରଣ ହୋଇଛି। ଜ୍ଞାନ ବିଜ୍ଞାନର ଭୂୟସୀ ପ୍ରସାର ଓ ପ୍ରଚାର ଫଳରେ କିଛିଟା ଶିକ୍ଷା ଓ ସଭ୍ୟତାର ପ୍ରଭାବ ମଧ୍ୟ ଗାଁ ଗହଳିରେ ଅନୁଭୂତ ହୋଇଛି। ରାସ୍ତା ଘାଟ ପକ୍କା ହୋଇଛି। ଅନେକ ଝାଟିମାଟିର ଝୁମ୍ପୁଡି ଘର ମଧ୍ୟ ପକ୍କା ଘରରେ ପରିଣତ ହୋଇଛି। ବିଦ୍ୟୁତ୍ ଖୁଣ୍ଟ ଓ ବିଦ୍ୟୁତ୍ ଆଲୁଅ ମଧ୍ୟ ଆସିଛି, କିନ୍ତୁ କୁସୁନ ପାତ୍ରଙ୍କର ଅବଦାନ ଓ ଅଗ୍ରଣୀ ଭୂମିକାଟି ନିଶ୍ଚିତ ପକ୍ଷେ ଚିର ଅବିସ୍ମରଣୀୟ ହୋଇ ରହିବ।
ଧନ୍ଯ ପାତ୍ର ପୁଅ ଧନ୍ୟ କରିଗଲ
ଜନମି କାଙ୍କରା ଗ୍ରାମ
ତୁମକୁ ଝୁରୁଛି ଏ ପାଣି ପବନ
ମନେ ହେଜି ତୁମ କାମ।।
By ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ
ସା :ରାଣୀପଡା, ପୋ :ତରାଗୋ
ଜିଲ୍ଲା :ଭଦ୍ରକ

ବାବା
———
ଆଜି ହାତରେ ଶକ୍ତି ନାହିଁ କି ଲେଖନୀରେ ବଳ, ତଥାପି ପିଛିଲା ଦିନର ସ୍ମୃତି ଗୁଡ଼ାକୁ ମନେ ପକାଇବାକୁ ଉଦଗ୍ରୀବ ହୋଇ ଉଠୁଛି ମନ ପ୍ରାଣ । ଯାହାଙ୍କ ଲାଳନପାଳନେ ମୁଁ ଦିନେ ହୃଷ୍ଟ ପୃଷ୍ଠ ଆଉ ଲବ୍ଧ ପ୍ରତିଷ୍ଠିତ, ସେ ତ ଆଜି ଆଉ ନାହାନ୍ତି। ସେ ଏହି ଇହଧାମର ସମସ୍ତ ଲୀଳା ସମ୍ବରଣ କରି ଆର ପାରିକୁ ଗତି ମୁକ୍ତି ପାଇବାକୁ ଧାଇଁ ଯାଇଛନ୍ତି। ଦିନେ ତାଙ୍କରି କୋଳରେ ମୁଣ୍ଡ ରଖି ମୁଁ ଶାନ୍ତିରେ ନିଘୋଡ ନିଦରେ ଶୋଇ ଯାଉଥିଲି,ସେ ପୂରାଣ ଶାସ୍ତ୍ରରୁ କେତେ କ’ଣ ଉପାଖ୍ୟାନ କହି ଶୁଆଇ ଦେଉଥିଲେ, ଆଜି ନିଜେ ଏମିତି ନିଘୋଡ଼ ନିଦରେ ଶୋଇ ଯାଇଛନ୍ତି ଯେ ଯେତେ ଡାକିଲେ ଆଉ ଉଠୁ ନାହାନ୍ତି। ସେଦିନ ମୋର ସ୍ପଷ୍ଟ ମନେ ଅଛି, ମୁଁ ରାତିରେ ପ୍ରତ୍ୟେହ ନଖାଇ ପିଇ ଶୀଘ୍ର ଶୋଇ ପଡେ। ତେଣୁ ବାପା ମୋ ପାଇଁ ପ୍ରତିଦିନ କନ୍ଦ ମୂଳଟିଏ ପୋଡି ବିଛଣା ପାଖରେ ରଖିଥାନ୍ତି। ମୁଁ ଉଠି ଭୋକରେ କାନ୍ଦିଲେ ସେ ସେଇଟିକୁ ମୋତେ ଧରାଇ ଦିଅନ୍ତି। ମୁଁ ମହା ଆନନ୍ଦରେ ଖାଇ ପୁଣି ନିଘୋଡ ନିଦରେ ଶୋଇ ଯାଏ, ଉଠିଲା ବେଳକୁ ରାତି ପାହି ଯାଇଥାଏ। ପିଲାଟି ବେଳୁ ମୁଁ ଟିକିଏ ଦୁଷ୍ଟ ଥିଲି, ତେଣୁ ପଢ଼ା ପ୍ରତି ଆଦୌ ଧ୍ୟାନ ଦେଉ ନଥିଲି। କେତେ ମା ଗାଳି ଦେଇ ସେ ପରା ମୋ ପଢାରେ ଯତ୍ନ ନେଉଥିଲେ। ତାଙ୍କରି କୃପାରୁ ତ ଯାହା ଦି ଅକ୍ଷର ମୁଁ ପଢିଥିଲି।ପୁଣି ସରକାରୀ ଘରେ ଚାକିରୀ ଖଣ୍ଡେ ମଧ୍ଯ ପାଇଛି। ଭଲରେ ମନ୍ଦରେ ପରା କେତେ ବୁଦ୍ଧି ଅକଲ ସେ ଶିଖାଇଛନ୍ତି। ସେ ଥିଲେ ମୋର ଦୀକ୍ଷା ଗୁରୁ, ପୁଣି ଶାସ୍ତ୍ର ଗୁରୁ। ସେ କହନ୍ତି – “ଅଧିକ କେବେ ଦେଖେଇ ହେବ ନାହିଁ କି ଧନର ବଡ଼ିମା କାହା ଆଗରେ କରିବା ନାହିଁ, କାହିଁକି ନା ଈଶ୍ଵର ଅସନ୍ତୋଷ ହେବେ”। ପୁଣି ସେ କହନ୍ତି – “ଯେତେ ଯିଏ ପ୍ରିୟ ପାତ୍ର ହେଉନା କାହିଁକି ଘରର ଶୋଇଲା ଘରକୁ କେବେ କାହାକୁ ନେବ ନାହିଁ”। କାହିଁକି ନା ସେ ଘରର ଗୁମର ଓ ମର୍ଯ୍ୟାଦାକୁ ସବୁବେଳେ ଅଧିକ ଧ୍ୟାନ ଦେଇଥାନ୍ତି। ବାସ୍ତବରେ ତାଙ୍କ ଭଳି ଉଚ୍ଚ ଚିନ୍ତା ଓ ଚେତନା ପ୍ରସୂନ ମଣିଷଟିଏ ପାଇବା ବହୁତ କଷ୍ଟ। ମୋ ବାପାଙ୍କର ଅଧା ବୟସ ବେଳକୁ ମୋ ମାଆ ସ୍ଵର୍ଗାରୋହଣ କରିଥିଲେ। ସେଇଦିନୁ ଅନେକ ଦୁଃଖ କଷ୍ଟ ସହି ମୋ ବାପା ଆମକୁ ମଣିଷ କରିଛନ୍ତି, ହେଲେ ମାଆର ଅବବୋଧ ଅନୁଭବ କରିବାକୁ ସେ ଆମକୁ ଦେଇ ନାହାନ୍ତି । ତାଙ୍କର ପ୍ରତିଟି କଥା ଆମ ମାନଙ୍କ ହୃଦୟରେ ଅଲିଭା ଗାର ହୋଇ ରହିଛି। ତାଙ୍କରି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଆଜି ଭାଇ, ପୁତୁରା, ଝିଆରୀ ସମସ୍ତେ ଏକ ପ୍ରାଣ ଓ ଏକ ମନ ହୋଇ ଗୋଟିଏ ଛାତ ତଳେ ରହି ଆସିଛୁ। ଯେହେତୁ ଆମର ଏତେ ବଡ଼ ପରିବାର, ତେଣୁ ପ୍ରତିଦିନ କେହି ନା କେହି ବିଭିନ୍ନ୍ କାମରେ ବାହାରକୁ ଯାଇଥାନ୍ତି ଏବଂ ଫେରିବାରେ କାହାରି କେମିତି ବିଳମ୍ବ ହେବା ସ୍ୱାଭାବିକ। କିନ୍ତୁ ପରିବାରର ସମସ୍ତ ସଦସ୍ୟ ଘରକୁ ଫେରି ଆହର ନକଲା ଯାଏଁ ବାପା ଶୋଇ ପାରନ୍ତି ନାହିଁ। ସମସ୍ତଙ୍କ ଖବର ଠିକ୍ ସେ ନେଲା ପରେ ଶେଷରେ ସେ ଯାଇ ବିଛଣାକୁ ଯାଆନ୍ତି। ଏହା ତାଙ୍କର ନିତି ଦିନିଆ କାମ କାର୍ଯ୍ୟ। ଏଥିରୁ ସହଜେ ଅନୁମେୟ ଯେ ପରିବାର ପ୍ରତି ତାଙ୍କର ଯୋଗଦାନ ଓ ମୁରବୀ ପଣିଆ କେତେ। ସତ କହୁଛି ଏ ଭଳି ପିତା ସବୁଦିନେ ସମସ୍ତଙ୍କୁ ମିଳୁଥାନ୍ତୁ। ମୁଁ ତ ନିଶ୍ଚୟ ନିଜକୁ ଧନ୍ଯ କହିବି ତାଙ୍କ ଭଳି ପିତାଙ୍କୁ ପାଇ। ତାଙ୍କ ସହ ମୋର ଶେଷ ସ୍ମୃତି – ତାଙ୍କ ପାଦ ଆଉଁଷି ଦେଉ ଦେଉ ଦେଖେ ସେ ଆଉ ନାହାନ୍ତି। ଶେଷରେ ଶେଷ ଇଚ୍ଛା – ଈଶ୍ଵର କରନ୍ତୁ ତାଙ୍କର ଆତ୍ମା ପରମାତ୍ମା ସହ ବିଲୀନ ହୋଇଯାଉ।
ଜୟ ଜଗନ୍ନାଥ।

 

Related posts

ଶିବ ଚରଣ – ଏକ ଅମ୍ଲାନ ପ୍ରତିଭା

satya

ଦିନନାଥ ବିଦ୍ୟାନିକେତନ

satya

ଆମ କଲୋନୀର ହାଲଚାଲ

satya

1 comment

SEO Reseller Program 23rd January 2020 at 11:36 am

Awesome post! Keep up the great work! 🙂

Reply

Leave a Comment

Login

X

Register