Satya Prakash
Uncategorised

ସହଯାତ୍ରୀ

ଭୁବନେଶ୍ବର ସହର। ମାଷ୍ଟର କ୍ୟାଣ୍ଟିନ୍ ଛକ, ଯେଉଁଠି ଅଛି ଭୁବନେଶ୍ବର ରେଲୱେ ଷ୍ଟେସନ। ଆଗପରି ଏହା ଆଉ ଏତେ ଅପରିଷ୍କାର ନାହିଁ। ସବୁଠିଁ ସଫା ସୁତର, ଭାରି ପରିଷ୍କାର ପରିମଳ। ଯାତ୍ରୀଙ୍କ ପାଇଁ ମଧ୍ୟ ବସିବା ପାଇଁ ସ୍ଥାନେ ସ୍ଥାନେ ବେଞ୍ଚର ବ୍ୟବସ୍ଥା, ତେଣୁ ଅନେକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ। ତେବେ ଆଜି ନାହିଁ ନ ଥିବା ଯାତ୍ରୀଙ୍କ ଭିଡ଼ ଯୋଗୁ ବସିବା ପାଇଁ ସ୍ଥାନର ଟିକେ ଘୋର ଅଭାବବୋଧ ପରିଲକ୍ଷିତ ହେଉଥାଏ।
ଦିନେଶ ସୁନ୍ଦର ସୁଠାମ ଚେହେରାର ଯୁବକଟିଏ। ପରିଷ୍କାର ପରିଚ୍ଛନ୍ନ ପୋଷାକ ପରିଚ୍ଛେଦ ସହିତ ଆଖିରେ କଳା ଚଷମା ପରିଧାନ ଚେହେରାକୁ ବଳିଷ୍ଠ କରିଥାଏ। ପ୍ଲାଟଫର୍ମରେ ଶୋରିଷ ପକାଇବାକୁ ଜାଗା ନ ଥାଏ, ଯୁଆଡେ ଦେଖିବ କେବଳ ଲୋକଙ୍କର ସମାଗମ। ତେବେ ଦିନେଶଙ୍କ ପାଖରେ ଅଳ୍ପ ସ୍ଥାନ ଖାଲିଥାଏ। ଏହି ସମୟରେ ସୁନ୍ଦର ତନୁକାନ୍ତି ରୂପଶ୍ରୀ ଝିଅଟିଏ ଆସିଲା। କହିଲା – “ଏକ୍ସକ୍ଯୁଜ୍ ମି! ଦୟାକରି ଟିକିଏ ଘୁଞ୍ଚି ଯିବେ କି” ? ଦିନେଶ ଟିକିଏ ସରେଇ ଗଲେ ଆଉ ରୂପଶ୍ରୀ ଝିଅଟି ଜାକିଜୁକି ହୋଇ ତାଙ୍କ ପାଖରେ ବସି ପଡ଼ିଲେ। ଦିନେଶ ସ୍ପଷ୍ଟ ଅନୁଭବ କରି ପାରୁଥାନ୍ତି ରୂପଶ୍ରୀ ଝିଅଟିର ସୌନ୍ଦର୍ଯ୍ୟ ଓ କେଶ ଗୁଚ୍ଛର ସାନ୍ଦ୍ରତାକୁ ଯହିଁରୁ ମଲ୍ଲୀ ଫୁଲିଆ ବାସ୍ନା ଆସି ତାଙ୍କ ନାସିକାଗ୍ରକୁ ଚୁମ୍ବୁଥାଏ। ତାଙ୍କ ଶରୀରର ବାସନାକୁ ମଧ୍ଯ ସେ ଆଗ୍ରହାଣ କରୁଥାନ୍ତି ଓ ମନେମନେ ତାରିଫ ମଧ୍ୟ। ଝିଅଟିର କୋମଳାଙ୍ଗଦେଶମାନ ଯେତେବେଳେ ଦିନେଶଙ୍କ ଶରୀରକୁ କିଛିଟା ସ୍ପର୍ଶ କରୁଥିଲା ସେତେବେଳେ ଏକ ଭିନ୍ନ ଅନୁଭବ ତାଙ୍କ ଦେହରେ ବିଦ୍ୟୁତ୍ ଖେଳାଇ ଦେଉଥିଲା। ଏ ସବୁ ତାଙ୍କ ସ୍ଵପ୍ନର ନାୟିକା ପରି ତାଙ୍କୁ ପ୍ରତୀତ ହେଉଥାଏ। ଇତି ମଧ୍ୟରେ ଉଭୟ ଉଭୟଙ୍କର ନିକଟତର ହେଉଥିଲେ ଓ କିଛିଟା ବାର୍ତ୍ତାଳାପ ଉପରାନ୍ତେ ପରସ୍ପର ନିକଟତର ହେଉଥିଲେ। ଦିଲ୍ଲୀ ପାଇଁ ଦୂରନ୍ତ ଟ୍ରେନ ଆସିବାରୁ ଝିଅଟି ବିଦାୟ ନେଇ ଚାଲି ଯାଇଥିଲେ। ହେଲେ ଆହୁରି ଅଧ ଘଣ୍ଟା ଦିନେଶଙ୍କୁ ଅପେକ୍ଷା କରିବାକୁ ପଡ଼ିବ ହାଇଦ୍ରାବାଦ ପାଇଁ ମୀନାର ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରିବା ପାଇଁ। ତେଣୁ ସେ ଅପେକ୍ଷାରତ। ହେଲେ ଦୂରରୁ ଏ ସବୁକୁ କେତେବେଳଠାରୁ ନିରିକ୍ଷଣ କରୁଥିବା ସୁର ବାବୁ ଝିଅଟି ଛାଡ଼ି ଯାଇଥିବା ଖାଲି ସ୍ଥାନରେ ଆସି ତୁରନ୍ତ ଜାଗା ପୂରଣ କଲେ। ଦିନେଶଙ୍କୁ କହିଲେ – “ଯାହା ହେଉ ଆପଣ ଅତ୍ୟନ୍ତ ଭାଗ୍ୟବାନ ଯେ ଆଜି ଏ ଯୁବା ଅବସ୍ଥାରେ ଆପଣ ଜଣେ ସୁନ୍ଦରୀ ରୂପଶ୍ରୀର ସାହଚର୍ଯ୍ୟ ପାଇଲେ ଯାହାଙ୍କର ଅତୁଳନୀୟା ରୂପ ଯୌବନର ବର୍ଣ୍ଣନା ନାହିଁ। ସବୁ କିଛି ସତରେ ଅବର୍ଣ୍ଣନୀୟ, ବର୍ଣ୍ଣନାତୀତ। ଦିନେଶ ଏ କଥା ଶୁଣି ଅଧିକ ଉତ୍ସାହିତ ହୋଇ ପଡୁଥିଲେ। ଉତ୍ସୁକତା ଭରି ପଚାରିଲେ-” ଆଛା ବାସ୍ତବରେ ସେ କ’ଣ ଖୁବ୍ ସୁନ୍ଦରୀ, ତେବେ ତାଙ୍କ ଦେହର ରଙ୍ଗ ହଳଦିଆ ନା ଧବଳ ଗୋରା ଆଉ ତାଙ୍କ କେଶଗୁଚ୍ଛ କ’ଣ ସତରେ ସାନ୍ଦ୍ର ଓ ଲମ୍ବ “? ସୁର ବାବୁ ଟିକିଏ ବିରକ୍ତ ହୋଇ କହି ଉଠିଲେ – “ଆଛା ଏତେ ସମୟ ଧରି ତୁମେ ଦୁଇଜଣ ପାଖାପାଖି ଜାକିଜୁକି ହୋଇ ବାସିଲ, ତଥାପି ତୁମେ ତାଙ୍କ ଦେହର ରଙ୍ଗ ଓ କେଶକୁ ଠଉରେଇ ପାରିଲ ନାହିଁ ନା ଜାଣି ସିଆଣିଆ ହେଉଛ ବା “? ଦିନେଶ କହିଲେ -” ନା ସେ କଥା ନୂହେଁ ଯେ ତଥାପି ମୁଁ ଆପଣଙ୍କ ମୁହଁରୁ ତାଙ୍କ ସମ୍ପର୍କରେ ସବିଶେଷ ତଥ୍ଯ ନେବାକୁ ଚାହୁଁଛି ଯେ ମୁଁ ଯାହା ଯେପରି ଅନୁଭବ କରିଛି ଆପଣ ତାହା ଠିକ୍ ସେପରି ଦେଖିଛନ୍ତି କି ନାହିଁ”। ସୁର ବାବୁ ଟିକିଏ ଗୁମ୍ ହୋଇ ଗଲେ। ଦିନେଶ କହିଲେ-” ରାଗି ଗଲେ କି ଭାଇ!ସତ କଥା ହେଲା ମୁଁ ଟିକିଏ ଲାଜକୁଳା, ଆଉ ଝିଅ ମାନଙ୍କ ମୁହଁକୁ ସିଧା ସଳଖ ଦେଖି ପାରେ ନାହିଁ। ସୁର ଭାଇ ଏଥର ଆହୁରି ବିରକ୍ତ ହୋଇ କହିଲେ – “ହୋଉ ରସିକଲାଲ ଏଥର ବିଷଦ ଧାରାବିବରଣୀ ଶୁଣାଉଛି, ଶୁଣନ୍ତୁ! ଝିଅଟା ତନୁ ପାତେଳୀ, ଡେଙ୍ଗୀ, କଟି ସରୁ, ସୁନା ନାକୀ, ଧବଳ ଗୌରୀ, ମୃଗ ନୟନା, ଲମ୍ବ କେଶୀ ।ଏବେ ଖୁସୀ ତ” ?
ପୁଣି କଥାରେ ଟିକିଏ ବିରାମ ଟାଣି କହିଲେ – “ହେଲା ନା ଆହୁରି କିଛି ପଚାରିବେ”। ଦିନେଶ କହିଲେ – “ସବୁ କହିଲେ ଯେ! ତେବେ ସେ କେଉଁ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ ସେ କଥା କହିଲେ ନାହିଁ ଯେ” ! ସୁର ବାବୁ ଏଥର ରାଗି ନିଆଁ ବାଣ ହୋଇଗଲେ। କହିଲେ -” ସେ କେଉଁ ରଙ୍ଗର ଲୁଗା ପିନ୍ଧିଥିଲେ ତାହା ବି ତୁମକୁ ଦେଖାଗଲା ନାହିଁ ଯେ, ମୁଁ ବର୍ଣ୍ଣନା କରିବି। ତୁମେ ଅନ୍ଧ ନା ରସିକ ନାଗର” ? ଏ କଥା ସରିଲା ବେଳକୁ ମିନାର ଏକ୍ସପ୍ରେସ ଟ୍ରେନ ଆସିଯାଇଥିଲା। ଘୋଷଣା (announcement) ଶୁଣି ଯାତ୍ରୀମାନେ ଦୌଡ଼ାଦୌଡ଼ି ହେଲେ ଟ୍ରେନ ଚଢିବା ପାଇଁ। ଦିନେଶ ବି ଉଠିଲେ, ଅଣ୍ଡାଳା ଉଣ୍ଡୁଳି ହୋଇ ଟ୍ରେନ ମୁହାଁ ଚଳିଲେ। ବାଟରେ ହାବୁଡିପଡିଲେ ଯେ ପଡ଼ିଗଲେ, ତାଙ୍କ କଳା ଚଷମାଟା ତଳେ ପଡ଼ି ଯାଇଥିଲା। ସାଉଁଟି ଆଣି ସୁର ବାବୁ ତାଙ୍କୁ ପିନ୍ଧାଇ ଦେଉ ଦେଉ ଦେଖିଲେ ଯେ ଦିନେଶଙ୍କ ଦୁଇଟିଯାକ ଆଖି କଣା। କାରୁଣ୍ୟରେ ତାଙ୍କ ଅନ୍ତରାତ୍ମା ଶିକ୍ତ ହୋଇ ଉଠିଲା। ନୀରବରେ ଦିନେଶଙ୍କୁ ଟ୍ରେନ ପର୍ଯ୍ୟନ୍ତ ସହାୟତା ଦେଇ ସେ ଫେରି ଆସିଥିଲେ ନିଜ ବସିଥିବା ସ୍ଥାନକୁ। ସେଇଠି ସେ କେଯାଏ ସମୟ ସ୍ତବ୍ଧ ହୋଇ ରହି ଯାଇଥାନ୍ତି। ଦିନେଶଙ୍କୁ କରିଥିବା ତାଚ୍ଛଲ୍ୟ ପାଇଁ ମନେମନେ ଭଗବାନଙ୍କଠାରେ କ୍ଷମା ଯାଚନା କରୁଥାନ୍ତି। କହୁଥାନ୍ତି – “ଭଗବାନ ସମସ୍ତଙ୍କୁ ମନ ଦେଇଛନ୍ତି ହେଲେ ଆଖି ଦେଇ ନାହାନ୍ତି ସବୁକିଛି ଦେଖିବା ପାଇଁ”।
By ସତ୍ୟ ପ୍ରକାଶ ସେଠୀ

Related posts

Watch “Happy Diwali” on YouTube

satya

ନାହିଁ ନାହିଁରେ ନାହିଁ କାର

satya

ଟୀକାକରଣ

satya

Leave a Comment

Login

X

Register