Satya Prakash
  • Home
  • Book
  • ସାଉଁଟା କାହାଣୀ
Book

ସାଉଁଟା କାହାଣୀ

1.Book title – ସାଉଁଟା କାହାଣୀ Saunta Kahani

2.about author – ସତ୍ୟ ପ୍ରକାଶ ସେଠୀ, ଏମ୍. ଏ. (ଇଉ. ଜି. ସି.ନେଟ୍), ସା :ରାଣୀପଡା, ପୋ :ତରାଗୋ, ଜି :ଭଦ୍ରକ
Satya Prakash Sethy, M . A( UGC NET)
At :Ranipada, pi:Tarago, via :Bonth, Dist :Bhadrak, Odisha, pin 756 114 ,ମୋ – 9937181846
Website – www.satyaprakashsethy.com
Mail – Sethy.satyaprakash1968@gmail.com
4 cover image :blue sky, Mountain Hill Village
କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।ଓଡିଶା କଳା ଓ ଗବେଷଣା ପରିଷଦ ତାଙ୍କୁ ସାହିତ୍ୟ ସାରଥି ଉପାଧିରେ ଭୂଷିତ କରିଥିବା ବେଳେ ସମ୍ପ୍ରତି ଷ୍ଟୋରୀ ମିରରର ତାଙ୍କୁ ବ୍ରିଗେଡ଼ିଅର ଉପାଧି ପ୍ରଦାନ କରିଛି। ”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ଫୁସିଆ ମାଆ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।
ଏହି “ସାଉଁଟା କାହାଣୀ “ଉପନ୍ୟାସଟି ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ। ତା’ର ବାଲ୍ଯ ଧୂଳି ଘର ଓ ଚପଳାମୀ ଠାରୁ ଆରମ୍ଭ କରି ସ୍କୁଲ ଜୀବନର ସମସ୍ତ ସ୍ମୃତି ଓ ଅନୁଭୂତିକୁ ନେଇ ଉକ୍ତ ଉପନ୍ୟାସଟି ପରିପୃଷ୍ଠ ହୋଇପାରିଥିବାରୁ ଏକ ନିଆରା ଭାବାଭିବ୍ୟକ୍ତ କରିଥାଏ, ଯାହା ପାଠକ ମହଲରେ ବେଶ୍ ଆଦୃତ ହେବ ବୋଲି ଆଶା କରାଯାଇ ପାରେ। ଏଥିରେ ପାଠକୀୟ ଆବେଦନ ମଧ୍ୟ ରକ୍ଷା ହୋଇପାରିଛି ।ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରନ୍ତୁ, ଏହାହିଁ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ

ଉତ୍ସର୍ଗ
——–
ଏଇ “ସାଉଁଟା କାହାଣୀ”କୁ ମୁଁ ମୋର ସାନ ଦେଇ ବାୟା ଦେଇକୁ ଉତ୍ସର୍ଗ କରି ବେଶ୍ ଆନନ୍ଦିତ ହେବାକୁ ଚାହେଁ, କାରଣ ତାହା ସହ ମୋର ଏଇ ପିଲା ବେଳ, ଧୂଳି ଘର ଓ ସ୍କୁଲ ଜୀବନର ବେଶ୍ କିଛି ଆତ୍ମିକ ତଥା ନିବିଡ଼ ମୁହୂର୍ତ୍ତ ସଂଗୁପ୍ତ ହୋଇ ରହିଛି । ତା’ର ମୋର ବୟସର ତାରତମ୍ୟ୍ ଏତେ କମ୍ ଯେ, ଆମେ ଦୁଇ ଜଣ ସାଙ୍ଗ ହୋଇ ଏକା ଶ୍ରେଣୀ ଓ ଏକା ସ୍କୁଲରେ ପାଠ ପଢୁ। ତେଣୁ ସ୍କୁଲ ଜୀବନରୁ କଲେଜ ଜୀବନ ଯାଏଁ ଆମେ ଦୁହେଁ ଭାଇଭଉଣୀ ସାଙ୍ଗ ହୋଇ ପାଠ ପଢୁ ଓ ଖେଳୁ ମଧ୍ୟ।ତାରି ଭିତରେ କେତେ ଯେ ମାଡଗୋଳ ଓ କଳି ତକରାଳ ଯାଇଛି ତା’ର କିଛି ନିର୍ଦ୍ଧିଷ୍ଟ ହିସାବ ନାହିଁ। ତଥାପି ଝଗଡ଼ାଟି ନିଶ୍ଚୟ ହୁଏ, ସେଇଟା ହିଁ ମୁଖ୍ୟ। ସେଇ ବେଳର ସେଇ ସ୍ମୃତି କିନ୍ତୁ ଖୁବ୍ ନିବିଡ଼। ତେଣୁ ତାକୁ ଏଇ “ସାଉଁଟା କାହାଣୀ” ପୁସ୍ତକଟିକୁ ସମର୍ପଣ କରି ମୁଁ ମୋ ସ୍ମୃତିକୁ ଉଜ୍ଜୀବିତ କରି ରଖିବାକୁ ଚାହେଁ। ଦେଇ ଲୋ! ଈଶ୍ଵର ତୋତେ ଶକ୍ତି ଦିଅନ୍ତୁ, ବେଶ୍ ସହଜ ଓ ସରଳ ଭାବେ ତୋ ଜୀବନ ଆଗକୁ ବଢ଼ୁ। ।(ଇତି)
ଭାରି ଅମାନିଆ ବାବୁଲା ବାରବୁଲା
ଯାହାର ନାହିଁ କିଛି ସଠିକ୍ ଠିକଣା…

ସଂକ୍ଷେପରେ ଯାହା….
ମଣିଷ ଜୀବନରେ ଅହରହ ଅନେକ ଘଟଣା ଘଟେ।ସବୁ ଘଟଣାକୁ ମଣିଷ ସାଉଁଟି ପାରେ ନାହିଁ, କି ମୁଁ ସାଉଁଟି ପାରି ନାହିଁ। ତଥାପି ଯେଉଁ ଘଟଣା ବେଶ୍ କିଛି ମୋତେ ଆକୃଷ୍ଟ କରିଛି, ମୁଁ ତାକୁ ସାଉଁଟିଛି। ପୁଣି ପିଲା ବେଳ ଓ ଧୂଳିଘର ବିଚିତ୍ର ବର୍ଣ୍ଣରେ ବର୍ଣ୍ଣାରୂଢ଼। ତେଣୁ ଏହି ଉପନ୍ୟାସ ଭିତରେ ଦେଖିବାକୁ ମିଳିବ ସେଇ ସବୁ ବର୍ଣ୍ଣିବିଭବ।ବାଲ୍ଯ ଜୀବନ ପରି ବିଦ୍ୟାଳୟ ଜୀବନ ମଧ୍ୟ ବେଶ୍ ଆମୋଦ ପ୍ରମୋଦମୟ। ତେଣୁ ସମସ୍ତେ ଇଚ୍ଛା କରନ୍ତି ଖୁବ୍ ଉପଭୋଗ କରିବାକୁ ଏହି କାଳକୁ। ତେଣୁ ତ ପରିଣତ ବୟସରେ ସମସ୍ତେ ଚାହାଁନ୍ତି ପୁଣି ଥରେ ଫେରିବାକୁ ସେଇ ପିଛିଲା ଦିନକୁ, ଯାହାକୁ ସେମାନେ ଛାଡିଛନ୍ତି କେଉଁକାଳୁ, କେଉଁଦିନୁ। ମନରେ ବଡ଼ ଭାବାନ୍ତର- ଜୀଇବାକୁ, ଜିଇଁ ହୁଅନ୍ତା କି ସେଇ ପିଛିଲା ଦିନକୁ। କିନ୍ତୁ ତାହାକି ସମ୍ଭବ? ତଥାପି ସେଇ ମଧୁର ସ୍ମୃତି ଗୁଡାକ ମନେ ପକାଇ ମନ ବେଶ୍ ଅହ୍ଲାଦିତ ହୋଇଯାଏ। ହୃଦୟରେ ପୂରିଉଠେ ଅସରନ୍ତି ଭାବନାର ଗୁଚ୍ଛ। ତେଣୁ ସୁଯୋଗ ପାଇଲେ, ସେ ଅନର୍ଗଳ ସେଇ କଥା ଗୁଡାକ ସବୁ ବଖାଣି ବସିବାକୁ ଉଦଗ୍ରୀବ ହୋଇଉଠେ। ଅତୀତକୁ ରୋମନ୍ଥନ କରି ଭାରି ଗୋଟେ ଆନନ୍ଦିତ ହୁଏ।
ଏଥିରେ ସେମିତି କିଛି କାହାଣୀ ଓ ଘଟଣାକ୍ରମ ରହିଛି, ଯାହା ପ୍ରତ୍ୟେକ ବ୍ୟକ୍ତି ଚରିତ୍ର ଓ ଜୀବନୀ ସହିତ ସମ୍ପୃକ୍ତି ଯୋଡ଼ି ବସେ। ତେଣୁ ପାଠକ ଭାବିବ – ଏହା ହେଉଛି ତା’ର ନିଜସ୍ଵ କାହାଣୀ। ଏଥିରେ କେତେବେଳେ ସେ ନିଜକୁ ଯୋଡ଼ିବ ପୁଣି କେତେବେଳେ ଲେଖକଙ୍କୁ ଯୋଡି ଅନେକ କିଛି ଭାବି ପକେଇବ। କିନ୍ତୁ ମନେମନେ ଆହ୍ଲାଦିତ ତ ନିଶ୍ଚୟ ହେବ। କାହାଣୀର ବାସ୍ତବତାକୁ ନେଇ କେତେବେଳେ ତା ମନରେ ଶଙ୍କା ଉପୁଜିବ ନାହିଁ, ବରଂ କାହାଣୀ ଭିତରେ ସେ ନିଜକୁ ଦେଖି ବିସ୍ମୟ ପ୍ରକାଶ କରିବ। କେତେବେଳେ ପାଠକ ନିଜେ ଏହାର ଚରିତ୍ର ହୋଇଯିବ ତ ପୁଣି କେତେବେଳେ ଘଟଣା ଗୁଡିକ ଏକାନ୍ତ ବ୍ୟକ୍ତିଗତ ହୋଇ ଉଠି ନୈବ୍ୟକ୍ତିକତାର ମୂର୍ଚ୍ଛନା ତୋଳିବ ।
ଏଥିରେ ଶୈଶବର ଶିଶୁ ଖେଳ ଓ କୈଶୋରର ଚପଳାମୀଠାରୁ ଆରମ୍ଭ କରି ବିଦ୍ୟାଳୟର ମାଟ୍ରିକ୍ ଯାଏଁ ଯେତେ ସବୁ ନଟଖଟି ଅଛି, ସବୁର ସୁସଂଘତ ଓ ସୁ ସଜ୍ଜିକରଣ ପରିପ୍ରକାଶ ଘଟିଛି, ଯାହା ପଢିବା ଲୋକକୁ ଏକ ବିଶେଷ ଆନନ୍ଦରେ ଅଭିଭୂତ କରି ଦେଇପାରେ।
ପାଠକ ଏକଦମ୍ ନିଶ୍ଚୁପ ହୋଇ ବସି ନରହି ବିଭୋର ହୋଇ ଉଠିବ ଓ ମନେମନେ ପୁରୁଣା ସ୍ମୃତି ସବୁ ମନେ ପକାଇ ହୋ ହୋ ହୋଇ ହସି ଉଠିବ। ତା’ର ପିଲାବେଳ ଓ ଧୂଳି ଘର ସଜୀବ ହୋଇ ତା ଆଖି ସାମ୍ନାରେ ଆସି ଥେଇଥେଇ ନାଚି ଉଠିବ । ତେଣୁ ତ ଲେଖକ ଦାବୀ କରି ପାରନ୍ତି ଯେ, ଲେଖାଟି ବେଶ୍ ରୁଚିବନ୍ତ ଓ ରୁଦ୍ଧିମନ୍ତ ହୋଇ ଜୀବନ୍ତ ହୋଇ ପାରିଛି ବୋଲି। ଏହା ପାଠକୀୟ ଆଦୃତି ନିଶ୍ଚିତ ଭାବରେ ପାଇବାକୁ ହକଦାର ବୋଲି ଲେଖକ ଅତିଶୟ ଆଶାବାଦୀ ହୋଇ ପଡ଼ି ଥିବାରୁ, ପାଠକ ନିଶ୍ଚିତ ପକ୍ଷେ ଅଧିକ ଉତ୍ସାହିତ ହୋଇ ପଢିବେ ବୋଲି ଆଶା କରାଯାଇ ପାରେ। ତେଣିକି ପାଠକ କହିବେ ଲେଖାଟିର ସଫଳତା କେତେଦୂର ସ୍ୱୀକୃତିର ଆଲେଖ୍ୟ ବହନ କରିବାକୁ କ୍ଷମତା ରଖିଛି।
ଏଥିରେ ଶୈଳୀଗତ ଭିନ୍ନତା, ତଥା କଥନଭଙ୍ଗୀରେ ସ୍ଵତନ୍ତ୍ରତା ଓ ବାସ୍ତବତା ପ୍ରଖ୍ଯାପିତ ହୋଇଛି।
ତେଣୁ ସେଇ ଏକା ସ୍ମୃତି
ଯାହା ସୁନ୍ଦର ସ୍ମୃତି।
-ଔପନ୍ୟାସିକ

(ସତ୍ୟ ପ୍ରକାଶ ସେଠୀ)

ସୂଚୀପତ୍ର

————
କ୍ର. ସଂ. ବିଷୟ. ପାବଚ୍ଛ ପୃଷ୍ଠା
1.ସରସ୍ୱତୀ pujat– ପାବଚ୍ଛ 1
2 .ତ୍ରିରଙ୍ଗାର ଗୁଣ – ପାବଚ୍ଛ2
3. ମୋ ସ୍କୁଲ୍ ଅଭିଯାନ ପୂର୍ବର – ପାବଚ୍ଛ3
4 ବିଦ୍ୟାରମ୍ଭର ଲମ୍ବା ଇତିହାସ – ପାବଚ୍ଛ4
5. ସରି ନାହିଁ ମୋ ପ୍ରିସ୍କୁଲ – ପାବଚ୍ଛ5
6. ଡ୍ରାମା –ପାବଚ୍ଛ 6
7. ବାକି କଥା – ପାବଚ୍ଛ7
8.ଯାତ୍ରା ଦେଖା – ପାବଚ୍ଛ8
9.ସିଗାରେଟ୍ – ପାବଚ୍ଛ9
10.ଡିଆଁ ଖୋଳା – ପାବଚ୍ଛ10
11.କଲି ଟଣା ମାଷ୍ଟର –ପାବଚ୍ଛ 11
12 ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା – ପାବଚ୍ଛ 12
13.ମାଇଲି ଖୁଣ୍ଟ – ପାବଚ୍ଛ13
14.ଅସରନ୍ତି ସେ ଡ୍ରାମା ର ସଂଳାପ – ପାବଚ୍ଛ14
15.ନୋଭେଲ ପଢ଼ା – ପାବଚ୍ଛ15
16 ମନରେ କୁତୁକୁତି ଭାବ – ପାବଚ୍ଛ 16
17.ଯେତେ କହିଲେ ସରିବନି – ପାବଚ୍ଛ17
18 କ୍ରୀଡ଼ା ପ୍ରତିଯୋଗୀତା – ପାବଚ୍ଛ18
19.ଭୋଜି – ପାବଚ୍ଛ19
20.ହାଇସ୍କୁଲ ଡ୍ରାମା – ପାବଚ୍ଛ 20
21 ସ୍କୁଲ ଜୀବନର ଶେଷ ପରୀକ୍ଷା – ପାବଚ୍ଛ21
22 ବାଇଶି ପାବଚ୍ଛ-ପାବଚ୍ଛ22

ପାବଚ୍ଛ-1 ସରସ୍ବତୀ ପୂଜା 

ସାଉଁଟା କାହାଣୀ (ପିଲା ବେଳକୁ ଯିବାକି ଫେରି)…..
ଗୋଟେ ସତ ଘଟଣା ଶୁଣିବେକି? ନ ଶୁଣିଲେ କ’ଣ କହିହେବ? ସତରେ ଯଦି ଶୁଣିବେ ତେବେ ନିଶ୍ଚୟ କହନ୍ତି ।ଆଗ ଅଳ୍ପ ଭଲ ଲାଗିଲେ ଆଗକୁ ବଢିବା।
ଦିନକର କଥା। ଆମ ଗାଁ ସ୍କୁଲରେ ନୁହଁ ନା! ସରସ୍ଵତୀ ପୂଜା ହେଉଥାଏ। ଭଲ ଦୁଇ ପଇସା ମଧ୍ଯ ଚାନ୍ଦା ଆଦାୟ ହୋଇଥାଏ। ଇଏ ଅବଶ୍ୟ ଏବେକାର କଥା ନୂହେଁ, ସେବେକାର କଥା । ସତରେ ଏମିତି ଦିନେ ଘଟିଥିଲା ବୋଲି କହୁଛି। ଏବେକାର ମାଷ୍ଟ୍ରିଆମାନେ ହୁଏତ ଶୁଣିଲେ ଚିଡିବେ କି କ’ଣ ।କ’ଣ କରିବା ଯେତେବେଳେ ପୁଣି ଯୋଉ କଥା। ! ହଁ ମୂଳ କଥାଟାକୁ ଛାଡି ଗଲି ବୋଧେ? କୋଉଠୁ ଛାଡ଼ିଥିଲି ଟିକେ ମନେ ପକେଇ ଦେବେ ତ ।ହଁ – ହଁ ଏଥର ମନେ ପଡିଗଲା, ନୂହେଁ ନା! ସେଦିନ ଆମ ଗାଁ ସ୍କୁଲରେ ଗୋଟେ ଫିଷ୍ଟ ହେଉଥିଲା। ଦିନରେ ବଡ଼ ଧୂମ୍ ଧାମ୍ ରେ ସରସ୍ଵତୀ ପୂଜାଟା ହେଲା। ଗୋଟେ ବଡ଼ ମୂର୍ତ୍ତି ଆସିଥିଲା। ସେଇଟା ପୁଣି ତା ଆଗ ଦିନରୁ ଖଣ୍ଡେ ଦୂରରେ ଥିବା ମାର୍କେଟରୁ କିଣା ହୋଇ ଆସିଥିଲା।ଆମେ ସବୁ ଛୁଆ ଗଣେଶ ମାଷ୍ଟର ସାଙ୍ଗରେ ଯାଇ କାନ୍ଧକୁ କାନ୍ଧ ବଦଳିଆ କାନ୍ଧ କରି ବହୁ କଷ୍ଟରେ ବୋହି ବୋହି ସ୍କୁଲ ଯାଏଁ ଆଣିଥିଲୁ। ସ୍କୁଲରେ ପହଞ୍ଚିଲା ବେଳକୁ ରଫାଦଫା ହୋଇଯାଇ ଥିଲୁ। ସେଇ ଗଣେଶ ମାଷ୍ଟରଟା ଭାରି ଲୋଭୀ। ନିଜେ ଚା ଜଳଖିଆ ଖାଇଲା। ପାନ ଆଠ ଦଶ ଖଣ୍ଡ ବି ଭାଙ୍ଗି ଅଣ୍ଟିରେ ପୁରେଇଲା। ହେଲେ ଆମେ ଛୁଆ ବୋଲି ଆମକୁ ଖାଲି ଦୁଇ ଦୁଇଟା ଗୁଲୁଗୁଲା ଓ ଚମଚେ ଲେଖା ଘୁଗୁନି ଦେଲା। ସ୍କୁଲରେ ପହଞ୍ଚିଲା ବେଳକୁ ପରା ଆମେ ବେଲେବେଲେ ପାଣି ପିଇଯାଇଥିଲୁ ।କ’ଣ ବା ଆଉ ଅଧିକା କରି ପାରିଥାନ୍ତେ ସେ? ଦିନବେଳା ଆମେ ସିନା ଘରୁ ଖାଇ ସ୍କୁଲ ଆସି ଯାଇଥିଲୁ ମାର୍କେଟ ଯିବା ପାଇଁ, ହେଲେ ଗଣେଶ ମାଷ୍ଟରଟା ତ କିଛି ଖାଇ ନଥାଏ। ସୁଦ ଉପବାସ ଥାଏ। କାମ ନିଶାରେ ରୋଷେଇ ବାସ ବୋଧହୁଏ କରି ପାରି ନଥାଏ। ନା ଦିନରେ ବୋଧେ ତା ପାଖରେ ଖାଇବା ଜିନିଷ କିଛି ନଥାଏ ବା ପଇସା ନଥାଏ ।ଯାହା ହେଉ ମାଷ୍ଟ୍ରିଆ ଲୋକ ତା’ର ଅଧିକା ଖାଇଲେ ଖାଉ।
ଆମେ ତ ପ୍ରତି ବର୍ଷ ପରି ସେ ବର୍ଷ ମଧ୍ଯ କିଛି ପିଲା ରାତ୍ରି ଉଜାଗର ରହିଥିଲୁ। ସାର୍ କହିଲେ – “ଜଣକା ଗୋଟେ ଗୋଟେ ଅଣ୍ଡା ଦୁଇ ଦୁଇଟା ଆଳୁ ଅଢେଇ ଶହ ଚାଉଳ ଓ ପଚାଶ ପଇସା ଧରି ଆସିବ, ଯିଏ ରାତିରେ ରହିବା କଥା ।ଏଇଠି ଆମେ ଫିଷ୍ଟ କରି ଖାଇବା। କାରଣ ରାତାରାତି କାମ ନସାରିଲେ ଦିନ ବେଳାକୁ ଆଉ ତର ହେବ ନାହିଁ, ବେଳ ଉଚ୍ଛର ହୋଇଯାଇଥିବ ।ତୁମେ ଠାକୁର ସଜାସଜି କରିବ, ମୁଁ ରାନ୍ଧି ଦେବି ସାଙ୍ଗ ହୋଇ ଖାଇବା, ତେଣିକି ଯେତେ ରାତି ହେଉନା କାହିଁକି, ନହେଲେ କାମ ସରିବ ନାହିଁ। ଏଇଠି ସାଙ୍ଗ ହୋଇ ଶୋଇପଡ଼ିବା। ଆସିଲା ବେଳକୁ ହାତରେ ଖଣ୍ଡେ ମସିଣା ନହେଲେ ହେଁସ ନେଇ ଆସିଥିବ”।
ସେୟା ହେଲା । ଆମେ ଚାରି ଛଅ ଜଣ ଭାରି ଆଗୁଆ। ସବୁ କଥାକୁ ଧୂରନ୍ଧର। ତେଣିକି ସ୍କୁଲ ଘର ଲିପାପୋଛା ପାଇଁ ଗୋବର ଆଦାୟ କଥା ହେଉ ବା ଛପର ଛାଏଣି ପାଇଁ ଛଅଣ କଥା ହେଉ ଆମେ ପରା ଆଗେ ଆଗେଇ ଆସୁ । ସେଇଥି ପାଇଁ ଆମର ପାଠ ନହେଉ ପଛକେ ଶ୍ରେଣୀ ଗୃହରେ ସାର୍ ଆମକୁ ଆଦୌ ବାଡାନ୍ତି ନାହିଁ, ଡରୁ ବି ଥାଇ ପାରନ୍ତି ସାର୍ । କାରଣ ଆମକୁ ନଧରିଲେ ତାଙ୍କର କୌଣସି କାମ ହୋଇପାରିବ ନାହିଁ। ତା ଛଡା ପ୍ରତି କ୍ଲାସରେ ଫେଲ୍ ହୋଇ ହୋଇକା ଆମେ ପରା ବୁଢ଼ା ହେଲୁଣି। ହେଲେ ଏମ୍. ଇ. ସ୍କୁଲ ଡେଇଁ ପାରୁ ନାହୁଁ। ଯାଇ ସାରଙ୍କୁ କୁହାବୋଲା କରି ପାସ୍ କରିଯାଇଥାନ୍ତୁ, ଇଏ ସରକାର ବା ସପ୍ତମ ଶ୍ରେଣୀରେ ବୋର୍ଡ ପରୀକ୍ଷା ଲଗେଇ ଦେଇଛନ୍ତି ।
ଯାହା ବି ହେଉ ସ୍କୁଲରେ ସରସ୍ଵତୀ ପୂଜା ଓ ଗଣେଶ ପୂଜା ହେଲେ ଭାରି ମଜା। ଭାରି ବାହାଘରିଆ ଲାଗେ ।ଡାଲି ଭାତ ଆଉ ବୋଇତାଳୁ ଘାଣ୍ଟ ଇସ୍ କି ମଜା! ଭାରି ସ୍ୱାଦିଷ୍ଠ ତିଅଣ। ଏଥର ଆମେ ଆଉ ଗୋଟେ ଜିନିଷ ଯୋଡ଼ିଛୁ। ଗୋଟେ କଦଳୀ କାନ୍ଦି ନେଇ ଆସିଛୁ, କଦଳୀ ଭଜା ହେବ। ପୁଣି ସୁଜି ପାଇସ ଡଙ୍କିଏ ଡଙ୍କିଏ ଦିଆ ଯିବ ବୋଲି ସାର୍ ପରା କହୁଥିଲେ। ଚାନ୍ଦା କୋଉ କମ୍ କି? ହକ୍ ଦୁଇ ଟଙ୍କା ଯାଗାରେ ଚାରି ଟଙ୍କା ପରା ଦେଇଛୁ। ଅବଶ୍ଯ ଛୋଟ ପିଲାମାନଙ୍କର ମାନେ ପ୍ରଥମରୁ ପଞ୍ଚମ ସେଇ ଦୁଇ ଟଙ୍କା ରଖାଯାଇଛି। ଏ ଛୁଆ ଯାହା ଖାଇବେ ଖାଇବେ ପୁଣି ତାଙ୍କ ଅଭିଭାବକମାନେ ପରା ଆସି ଖାଇବେ। ନହେଲେ ଆଇଲା ସନକୁ ଘର ଛିଆଣ ବେଳକୁ ଛଅଣ ବାଉଁଶ ଆଦେଇ କରିବାକୁ ଗଲା ବେଳେ କେତେ ଖୁଣ୍ଟା ପରା ଦେବେ। କହିବେ – “ଆମେ ଦେବୁ ନାହିଁ, ତୁମ ସ୍କୁଲରେ ଫିଷ୍ଟ ହେଲା ଆମକୁ ଡାକିଥିଲ କି” ? ତୁମ ସ୍କୁଲ ଭାଙ୍ଗି ଯାଉ, ଆମର କ’ଣ ଗଲା”? ଏହିପରି ସ୍କୁଲରେ ଥରେ ଭୋଜି ହେଲେ ଭାରି ଅଡୁଆ, କେତେ ରାଗରୁଷା କିଏ ସମ୍ଭାଳିବ କହୁ ନାହାଁନ୍ତି? ଖାଲି ଗଣେଶ ମାଷ୍ଟର ମୁହଁଟାକୁ ଚାହିଁ ଲୋକେ କିଛି କହନ୍ତି ନାହିଁ।
ହଉ ଛାଡନ୍ତୁ ଏ ସବୁ କଥା, ହଁ ଆଗ କେଉଁ କଥାଟା କହୁଥିଲି କହିଲେ! ହଁ ଏଥର ମନେ ପଡିଲା। ଗଣେଶ ସାର୍ ଯାହା କହିଥିଲେ ଆମେ ସବୁ ଧରି ଡକାହକା ହୋଇ ସ୍କୁଲରେ ସନ୍ଧ୍ୟା ବେଳକୁ ପହଂଚି ଗଲୁ। ଏଇ ଗଣେଶ ମାଷ୍ଟରଟା ଭାରି ମାହାଳିଆ ଖାଇବାବାଲା ।ସେ ତ କାହିଁ କିଛି ଚାନ୍ଦା ଦେଲେ ନାହିଁ। ଓଲଟି ଆମେ ଦେଇଥିବା ପଚାଶ ପଇସାର ଚାନ୍ଦାରେ ତା ପାଇଁ ଗୋଟେ ଯୋଡ଼େ ଅଣ୍ଡା ଓ ଅନ୍ୟାନ୍ୟ ସୌଦାପାତି ସବୁ ଆମ ଗାଁ ଶୂନୁ ଘୋଷ ଦୋକାନରୁ ଯାଇ କିଣି ଆଣିଲେ।
ହୋଉ ଖାଆନ୍ତୁ। ମାଷ୍ଟ୍ରିଆ ଲୋକ ତ, ଆମକୁ ପୁଣି ପାଠ ଦି ଅକ୍ଷର ବା ପଢ଼ଉଛନ୍ତି। ଏଇ ଗଣେଶ ମାଷ୍ଟ୍ରଟା କୁଆଡ଼େ ଭାରି ଗରୀବ ।ଧାର ଉଦ୍ଧାରି ତା’ର ଦୁନିଆ ।ସେଇଥିପାଇଁ ପରା ଖାଇ ଖୋରାକି ନେଇ ସେ ଆମକୁ ରାତିରେ ପଢାଏ ଓ ଏଇ ସ୍କୁଲ ଘରେ ରହେ। ଅନ୍ୟ (ପଦୁ ସାର୍, ସୁବାସ ସାର୍, ସୁରେନ୍ଦ୍ର ସାର୍ ) ସାର୍ ମାନଙ୍କ ଘର ତ ସବୁ ପାଖରେ, ସେମାନେ ଘରକୁ ପଳାନ୍ତି। ଇଏ ସାର୍ ଙ୍କ ଘର କିନ୍ତୁ ବହୁ ଦୂରରେ। ବୁଢ଼ା ସାଇକେଲ ଚଢି ବି ଶିଖି ନାହିଁ। ଆଉ କ’ ଣ ଚାଲି ଚାଲି ନିଇତି ପାଞ୍ଚ ମାଇଲି ବାଟ ଯାଆନ୍ତା ନା କ’ଣ? ପୁଣି ପଇସା ବିନା ମାଷ୍ଟର ଚାକିରୀ। ଗୋତି ଶ୍ରମିକଠାରୁ ହୀନ- ଏମାନଙ୍କ ଜୀବନ। ସ୍କୁଲ ପରା ସରକାରୀ ହୋଇ ନାହିଁ, ଦରମା କିଏ ଦେବ? ଗାଁ ଗହଳିଆ ସ୍କୁଲ, ଗାଁ ଲୋକ ଆଦାୟ କରି କେତେ ଦେବେ ଯେ! ପୁଣି କିଏ ଆଉ ଏ ଗାଁର ଧନୀ ଲୋକ ଅଛି କି? ଖାଲି ଯାହା ଗଙ୍ଗା ମହାରଣାର ଦି ଖଣ୍ଡ ଜମି ଅଧିକା ଆଉ ଶୂନୁ ଘୋଷର ଦୋକାନ ଖଣ୍ଡେ। ଆଉ ସବୁ ପରା ମୂଲ ଲାଗିଲେ ଭାତ ଖାଆନ୍ତି। ସାର୍ କିନ୍ତୁ ଭାରି ବଢିଆ ରାନ୍ଧନ୍ତି। ସେଇଥିପାଇଁ ପରା ଆମେ ଆଧିକାଂଶ ବେଳେ ରାତିରେ ଭୋଜି କରୁ ଓ ଖାଇ ପିଇ ସେଦିନ ସାର୍ ଙ୍କ ପାଖରେ ଶୋଇ ପଡ଼ୁ। ଗଣେଷ ସାର୍ ଙ୍କ କଥା ଶୁଣିଲେ ଘରେ କିଛି କହନ୍ତି ନାହିଁ। ବାପା ମାଆଙ୍କର ଗଣେଶ ମାଷ୍ଟର ଉପରେ ଭାରି ଭରସା। ସେ ତେଣୁ କିଛି କହନ୍ତି ନାହିଁ। ବରଂ କହନ୍ତି-“ଆଉ ଦିଟା ଚାଉଳ ନେଇଯାଆରେ ବାପା! ଗଣେଶ ମାଷ୍ଟରର ଦି ଦିନର ଖୋରାକି ହୋଇଯିବ, ବିଚରା ବଡ଼ କଷ୍ଟ ପାଉଛି “। ଟ୍ୟୁସନ ପଇସା ଟଙ୍କେ ଆଠଅଣା କେହି ଦିଅନ୍ତୁ କି ନଦିଅନ୍ତୁ, କିନ୍ତୁ ବାଡ଼ି ଘରରୁ ପନିପରିବା ଆଣି ତାଙ୍କୁ ସମସ୍ତେ ଦିଅନ୍ତି।
ଯାହା ବି ହେଉ ସାର୍ ଏପଟେ ରୋଷେଇ ଆରମ୍ଭ କଲେ ଆଉ ଆମେ ସେପଟେ ସଜାସଜି। ଆଗ ଆମ୍ବ ଡାଳୁଆ ଓ ଆମ୍ଭ ପତ୍ର ରସି ବାନ୍ଧି ଚାରିଆଡ଼େ ଗୁନ୍ଥି ଦେଲୁ। ତା’ପରେ ସେୟାକୁ ହାର କରି ଟାଙ୍ଗି ଦେଲୁ। ଦେବଦାରୁ ଓ ଝାଉଁ ଗଛ ଡାଳ ଆଣି ଗେଟ୍ ତିଆରି କଲୁ। ସୁନ୍ଦର ଭାବେ ତୋରଣ ସବୁ ସଜା ଗଲା। କୁଞ୍ଜ କାଟି ଝୁଲେଇ ଦେଲୁ। ଚିକ୍ଚିକିଆ ଯମ୍ଭରା କାଗଜ ବି ଆସିଥିଲା। ସବୁ ଟିକି ଟିକି କରି କାଟି ରୁଞ୍ଜ କରି ଚାରିଆଡ଼େ ଫୁଲ କାଟି ସଜେଇ ଦେଲୁ। ଆମ ଗାଁର ଏକମାତ୍ର ଖବର କାଗଜ ପଢାଳି କପିଳ ଘୋଷଠାରୁ ଚାରି କେଜି ଖବର କାଗଜ କିଣି ଆଣିଥିଲୁ। ସେୟାକୁ ସବୁ ଅଠା ମାରି ସୁନ୍ଦର ଭାବେ ଠାକୁର ଆସ୍ଥାନ ତିଆରି କଲୁ। ପୂର୍ବରୁ ଟେବୁଲ୍ ଉପରେ ଠାକୁର ରଖି ବତା ଫାଳିରେ ରଥ ପରିକା ଥାକ ଥାକ କରି ଘର କାଟି ଦେଇଥିଲୁ। ତା ଉପରେ ଏବେ ରଙ୍ଗିନ କାଗଜ ସବୁ ମଡେଇ ଦେଲୁ। କି ଖୁସି ଲାଗୁଥାଏ! ଏଥର ଆମ ମେଢ଼ ପାଖାଆଖି ସ୍କୁଲଠାରୁ ନିଶ୍ଚୟ ସୁନ୍ଦର ହେବ। ସେଇଥିପାଇଁ ତ ଏତେ ପରିଶ୍ରମ। ଲୋକେ ଖାଲି ଟିକେ ପ୍ରସଂଶା କରିଦେଲେ ହେଲା। ରାତାରାତି ସବୁ କାମ ସାରିଦେଲୁ। ଖାଲି ବାକି ରହିଗଲା ସକାଳ ହେଲେ ଝିଅ ପିଲାମାନେ ଆସି ମୁରୁଜ ଓ ଚିତା ପକେଇବେ। ତାଙ୍କୁ ସେତକ ଦାୟିତ୍ଵ ଦେଇ ଦେଇ ଆମେ ଘରକୁ ଯିବୁ। ପୁଣି ନୂଆ ଲୁଗା ଓ ନଡ଼ିଆ ଧରି ଡେଇଁ ଡେଇଁ ମନ ଖୁସିରେ ସ୍କୁଲ ହତା ଭିତରକୁ ପଶିବୁ।
ସେତେବେଳକୁ ରାତି କେଯାଏଁ ହୋଇଗଲାଣି। ସାର୍ କହିଲେ – “ସେତିକି ଥାଉରେ ପିଲାଏ! ଆଉ ଯାହା ରହିଲା କାଲିକି କରିବ। ଆଉ ବେଶି ସଜାଅ ନାହିଁ, ଢେର୍ ହେଲା। ଭାତ ତେଣେ ଶୁଖି ଚଣା ହେଲାଣି। ତେଣୁ ଚାଲ! ସମସ୍ତେ ସାଙ୍ଗ ହୋଇ ଖାଇବା। ଆମେ ହାତ ଗୋଡ଼ ଧୂଆଧୋଇ ହୋଇ ସିଧା ଯାଇ ଭାତ ପାଖରେ ବସି ପଡ଼ିଲୁ।ଗଣେଶ ମାଷ୍ଟର ଅଣ୍ଡା, ଆଳୁ ଓ ଝୋଳ କି ତାଟିଏ ତାଟିଏ ଜଣକା ବାଢି ଦେଲେ। ତରକାରୀ ତ ଭାରି ବଢିଆ ହୋଇଥିଲା। ଗୋଟେ ଗୋଟେ ସଟକାରେ ଭାତ ଉଠିଯାଉଥାଏ। ମୁଁ ଝୋଳ ହାପୁଡ଼ି ହାପୁଡ଼ି ଥାଳିଏ ଭାତ ଖାଇଦେଲି। ସାର୍ କହୁଥାନ୍ତି – “ଦେଖିକି! ତଣ୍ଟିରେ ଲାଖିବ “। କିଏ ତାଙ୍କ କଥା ଶୁଣୁଛି। ଭୋକ ତ ପ୍ରବଳ। ଦିନ ସାରାର ଥକାନ ଯୋଗୁଁ ନିଦଟା ବି ବଡ଼ ଘୋଟି ଆସୁଥାଏ ।ଏଥର ଯିଏ ଯୁଆଡେ ପାରିଲୁ ବିଛଣା ପାରି ଶୋଇ ପଡ଼ିଲୁ।
ହେଲେ ରାତି ନ ପାହୁଣୁ ସାର୍ ଡାକିଦେଲେ। କହିଲେ – “ଝଅଟ ଉଠ! ନହେଲେ କିଏ କୁଆଡ଼େ ଫୁଲ ସବୁ ନେଇଯିବେ। ଅତି କମରେ ଦୁଇ ଟୋକେଇ ଫୁଲ ନହେଲେ ହେବ ନାହିଁ। ଆଗ ଠାକୁରଙ୍କ ଉପରେ ଚଢା ଯିବ, ପୁଣି ପୁଷ୍ପାଞ୍ଜଳୀ ଓ ଅନ୍ୟନ୍ୟ କାମ ବି ଅଛି” । ଆମେ ଧଡପଡ ହୋଇ ଉଠି ପଡ଼ି କାମରେ ଲାଗି ପଡ଼ିଲୁ। କାହାରି ବାଡ଼ି ବଗିଚା ବାଦ୍ ଦେଲୁ ନାହିଁ, ତେଣିକି କିଏ ଗାଳି ଦେଉ ପଛେ। ହରିଆ ବୁଢ଼ାଟା ଭାରି ଛିଣ୍ଡାଟେ। ଆମକୁ ବାଡ଼ି ଧରି ଗୋଡାଇଲା। ଆମେ କିରି କିରି ହୋଇ ହସି ଖତେଇ ହେଲୁ। ସେ ଆମ ପାଖକୁ ଆସିଲା ବେଳକୁ, ଆମେ ବାଡ଼ ଡେଇଁ ପାର। ଏଥି ସହିତ ଦୁବ, ବରକୋଳି ପତ୍ର ଓ କଦଳୀ ପତ୍ର ମଧ୍ୟ ସଂଗ୍ରହ କଲୁ। ଆଉ କିଛି ପଦ୍ମ ପତ୍ର ଖାଇବା ପାଇଁ ଆଣି ଦେବାକୁ ମଧ୍ଯ ମିତ୍ର ମୁଣ୍ଡାକୁ କହି ଆସିଲୁ।
ଆଉ ମଧ୍ଯ ଜେନା ସାହି ଯାଇ କହି ଆସିଲୁ, ଗୋଟେ ନୂଆ ଝାଙ୍କି ଓ ଦୁଇଟା ସିଇଡ଼ା ଦେବା ପାଇଁ, ସେଇଥିରେ ଭାତ ଛଣା ହୋଇ ରହିବ।
ଆଉ କିଛି କାମ ବାକି ନଥାଏ। ଗୋଟାପୁଣି ସବୁ ରେଡି। ଏହା ପରେ ଆମେ ଝଅଟ ଘରକୁ ଯାଇ ନୂଆ ଲୁଗା ପିନ୍ଧି ଡେଇଁ ଡେଇଁକା ସ୍କୁଲରେ ଆସି ହାଜର। ହାତରେ ଗୋଟେ ଗୋଟେ ନଡ଼ିଆ ଓ ବହି ବସ୍ତାନିର ଗୋଟେ ବିଡ଼ା, ଠାକୁର ପାଖରେ ରଖି ପୂଜା କରିବା ପାଇଁ। ଏଇ ସରସ୍ଵତୀ ଦେବୀଟା ଭାରି ପାଠୁଆ। ଇଏ ପରା ମୂର୍ଖ କାଳିଦାସ ଓ ହଳିଆ ସାରଳା ଦାସଙ୍କୁ ଏକାବେଳେକେ ଜ୍ଞାନୀ କରିଦେଲେ। ଆମର ଏତେ ଜ୍ଞାନ ଦରକାର ନାହିଁ ଯେ ପରୀକ୍ଷାଟା ଖାଲି ପାସ୍ କରେଇ ଦିଅନ୍ତେ କି? ଅବଶ୍ଯ ଏଥର କରେଇ ଦେଇ ପାରନ୍ତି, କାହିଁକିନା ସାର୍ ପରା କହୁଥିଲେ ପରିଶ୍ରମର ଫଳ ମିଠା। ଆମେ ତ ଏଥର ଢେର୍ ପରିଶ୍ରମ କଲୁଣି, ଆଉ କିଏ ବା ଏମିତି ଅଧିକା ପରିଶ୍ରମ ସରସ୍ଵତୀଙ୍କ ପାଇଁ କରି ପକେଇବ? ନନା ଆସିବାକୁ ଡେରି ଥାଏ। ତେଣୁ ଆମେ ଦୁଇ ବାଜି ବାଟି ଖେଳରେ ମାତି ଗଲୁ। ଡିଆଁଡେଇଁ ନଚାକୁଦା , ହସାହସି, ଗୋଡାଗୋଡ଼ି, ଲୁଚକାଳି ଖେଳ ଯେତକ କରିବା କଥା ସବୁ କଲୁ।
ଗଡୁଆ ନନା ଟିକେ ଡେରିରେ ଆସିଲେ। ଆମେ “ଏ ଚିଡ଼ୁଆ ନନା ଟିକେ ପଛକୁ ଅନା “କହିଲାରୁ ସେ ଟିକେ ରାଗି ଗଲେ। କହିଲେ – “ରହିଥାରେ ପୁଅ ଠାକୁରାଣୀଙ୍କୁ କହିଦେବି” । ଆମେ ଟିକେ ଡରିଗଲୁ, ଯାଇ ଗୋଡ ହାତ ଧରି ନେଲୁ। କହିଲୁ – “ନାଇଁଲୋ ନନା! ଆମେ ଟିକେ ଗେହ୍ଲରେ କହିଦେଲୁ।ହେଲେ ତୁମେ କୋପ କରି ଠାକୁରାଣୀଙ୍କୁ କିଛି କହିବ ନାହିଁ। ଆମେ ବରଂ ତୁମ ପାଇଁ ପାଞ୍ଚ ପଇସାର ଦୋକ୍ତା ଆଣି ଶୂନୁ ଘୋଷ ଦୋକାନରୁ ଲାଂଚ ଦେବୁ” । ନନା ଆମ କଥାରେ ରାଜି ହୋଇ ଗଲେ। କହିଲେ -” ହଉ ଦେଖିବା! ଏଥର ତୁମ କଥା ଟିକେ ସରସ୍ଵତୀଙ୍କ କାନରେ ଫୋଡିବା”।
ନନା ଆସିଲା ପରେ ପାକୁଆ ପାଟିରେ ମନ୍ତ୍ର ଗୁଡାକ ବଡ଼ ପାଟିରେ ଉଚ୍ଚାରଣ କଲେ। କିଛି ବୁଝି ହେଉନଥିଲେ ବି ଭାରି ଯୋହରସେ ଶୁଭୁଥିଲା। ପିଲା ସବୁ ସଜବାଜ ହେଲେଣି ଏଥର ନଡ଼ିଆ ବାଡ଼ା ହେବ। ସମସ୍ତେ ଖୁଡୁର ଖୁଡୁର କରି ନଡ଼ିଆ ଗୁଡାକ ଚୋବାଇ ଯିବେ। ପୁଣି ସାର୍ ମାନେ ଚୂଡ଼ା କଦଳୀ, ଗୁଡ଼, ବସାଦହି, କଷି କାକୁଡି , ଫଳମୂଳ ପ୍ରଭୃତି ପକାଇ ଚକଟା ପ୍ରସ୍ତୁତ କଲେଣି, ସେଇଥିରୁ ଏଇଲାଗେ ଟେଳାଏଟେଳାଏ ଧରେଇ ଦେବେ। ପିଲାଏ କାଳେ ଦେବା ନେବା ବେଳେ ହାପୁଲା ମାରି ଦେବେ, ତେଣୁ ସବୁ ସାର୍ ମାନେ ସଜାଗ ହୋଇଗଲେଣି। ଦଳଦଳ ହୋଇ ବୁଲୁଥାନ୍ତି ଓ ପିଲାଙ୍କ ଉପରେ ନଜର ରଖୁଥାନ୍ତି। ସେଇଥିରେ ଅଠର ଗଣ୍ଡଗୋଳ, କାହାକୁ ସମ୍ଭାଳିବେ କହୁ ନାହାଁନ୍ତି? ଯିଏ ଦୁଷ୍ଟ ହେଲା ନାଲି ଆଖି ଦେଖାଇ କାନ ମୋଡ଼ା ବି ଦେଉଥାନ୍ତି। ମୋର କିନ୍ତୁ ମନ ଥାଏ ଭୋଜି ଖାଇବାଠେଇଁ। ତେଣୁ ମଝିରେ ମଝିରେ ରୋଷେଇ ପାଖକୁ ଯାଇ ଦେଖି ଆସୁଥାଏ ତରକାରୀ କେତେବାଟ ଯାଏଁ ହେଲାଣି। ନାକରେ ସେ ବାସନାଟା ବାଜିଲାଠୁଁ ଖାଇବାକୁ ଭାରି ଆଘ୍ରାଣ ହେଉଥାଏ। ଏହାର ହୁଏତ ପ୍ରମୂଖ କାରଣ ହୋଇପାରେ ସେତେବେଳେ ଏବର ଭଳିଆ ଭଲ ଜିନିଷଟେ କି ସ୍ୱାଦିଷ୍ଠ ତରକାରୀ ଟିକେ ଖାଇବା ପାଇଁ ଲୋକଙ୍କ ପାଖରେ ସେତେଟା ସ୍ଵଚ୍ଛଳତା ନଥିଲା। ତେଣୁ ନଅ ଅଙ୍କ ଦୁର୍ଭିକ୍ଷିଆ ଭଳିଆ ଖାଇବା ଜିନିଷକୁ ସମସ୍ତଙ୍କର ଭାରି ଲୋଭ।
ଏପଟେ ପୂଜା ସରିଗଲା। ପୁଷ୍ପାଞ୍ଜଳୀ ଦେବା ପାଇଁ ଠେଲାପେଲା। ତା’ପରେ ଭୋଗ ବଣ୍ଟାବଣ୍ଟିକୁ ନେଇ କଳି ତକରାଳ-“କାହିଁ ମୋ ଭାଗରେ ନଡ଼ିଆ ପଡିଲା ନାହିଁ, ମୋତେ ଟିକେ ବାଛି ବାଛି”, ସାର୍ ଭୂରୁଡିଏ ଲେଖାଏ କାଢୁଥାନ୍ତି । ଦଣ୍ଡେ କିଏ କେଣେ ଛିନ୍ ଛତର ହୋଇ ପଳାଉଥାନ୍ତି, ପୁଣି ଯୋଉ କଥାକୁ ସେଇ କଥା। ସାର୍ ଦିଗ୍ଦାର ହୋଇ ଯାଉଥାନ୍ତି।
ଏଥର ଚୂଡାନ୍ତ ପର୍ବ – ଭୋଜିଭାତ। ଗଡ଼ୁଆ ରୋଷେଇଆ ଖାଲି ଡେରି ଡେରି କରୁଥାଏ। ଆଉ ଧୈର୍ଯ୍ୟ ନାହିଁ। ଛୁଆ କିନ୍ତୁ ପତର ପକେଇ ନିଜେ ନିଜେ ଆଗୁଆ ବସି ସାରିଲେଣି। ଭୋଜି ଭାତ ପେଟେ ଖାଇ ସମସ୍ତେ ଶାନ୍ତିରେ ଘରକୁ ଫେରିଲୁ। ଆଃ କି ଶାନ୍ତି!
ସେଇ ମୋ ଅଭୂଲା ସ୍ମୃତି ଯାହା ମୋ ପିଲା ବେଳର ସାଉଁଟା କାହାଣୀ।
ଆଜି ଗଣେଶ ସାର୍ ନାହାନ୍ତି ସତ ହେଲେ ତାଙ୍କ ସହିତ ବ୍ୟୟିତ ପ୍ରତିଟି ମୁହୂର୍ତ୍ତ ଅତି ସ୍ମୃତି ବିଜଡିତ, ସୁନ୍ଦର ସେ ମୁହୂର୍ତ୍ତ। ଏ ଘଟଣାର ନାହିଁ କିଛି ଆଦି ଅନ୍ତ, ତଥାପି ଭାରି ଭଲ ଲାଗେ ରୋମନ୍ଥନ କରିବା ପାଇଁ ସେ ପ୍ରତିଟି ମୁହୂର୍ତ୍ତ। ସେତେବେଳ ବିନା ବେତନର ଶିକ୍ଷକ ସେ। କି ଦୁର୍ବିଶହ ଥିଲା ଶିକ୍ଷକର ଜୀବନ, ଯେମିତି ମାଗିଖିଆ ଭିକାରୀ ମଣିଷଟେ । ଅତି ଦୟନୀୟ ସ୍ଥିତି।ଆଉ ପାଠ ପଢା କଥା ନକହିଲେ ଭଲ। ପେଟ ପୋଡ଼ି ଯାଉଥିବା ଶିକ୍ଷକମାନେ ଯେତକ ବି ପାଠ ପଢାନ୍ତି ଯଥେଷ୍ଟ। ସେଦିନୁ ଏଦିନ ନାହିଁ ନଥିବା ଫରକ।

ପାବଚ୍ଛ – 2ତ୍ରିରଙ୍ଗାର ଗୁଣ

ମୁଁ ଦିନେ ଟିକି ପିଲା ହୋଇ ଆମ ଗାଁ ମଝି ଦାଣ୍ଡେ ଖେଳୁ ଥିଲି, ଯେବେ ମୁଁ ସ୍କୁଲ ଯିବା ଯିବା ହେଉଥିଲି । ସେଦିନ ଆମ ଗାଁ ମାଷ୍ଟର ସବୁ ଟିକି ପିଲାଙ୍କୁ ଧରି ଗାଁରେ ପ୍ରଭାତ ଫେରି କରୁଥାନ୍ତି। ଏ କଥା ତ ମୋର ସ୍ପଷ୍ଟ ମନେ ଅଛି, ବୋଧେ ସ୍ଵାଧୀନତା ଦିବସ ସେଦିନ ହୋଇଥିଲା। କ’ଣ ତ ଦଳେ ଧାଡ଼ି ବାନ୍ଧି ଯାଉଥାନ୍ତି। ସୁବାଷ୍ ଗାନ୍ଧୀ ଜୟ ହୋ! କହୁଥାନ୍ତି ।ମୁଁ କିଛି ସଠିକ୍ ବୁଝି ପାରୁ ନଥିଲେ ହେଁ, ରଙ୍ଗୀନ ତ୍ରିରଙ୍ଗା ଧଣ୍ଡାଟା ମୋତେ କିନ୍ତୁ ଭଲକି ଦିଶୁଥିଲା। ତେଣୁ ମୁଁ ସେଇ ଦାଣ୍ଡରୁ କାନ୍ଦି କାନ୍ଦି ଘରକୁ ଦୌଡିଲି। ମାଆକୁ କୁଣ୍ଢେଇ ଧରି କାନ୍ଦିଲି। ମାଆ କହିଲେ – “ନାଇଁ ଲୋ! ମୋ ଧନ ନାଇଁ। ଏମିତି କାନ୍ଦନ୍ତି ନା.. ଇଁ। ମୋ ବାଇ ଧନରେ! ତୁ ତୁନି ହଅ। ମୋ ସୁନା ପୁଅ! କାହିଁକି କାନ୍ଦୁଛୁ ମୋତେ କହ। ଭାଙ୍ଗି ଥିଲେ ଗଢି ଦେବି, ହଜି ଥିଲେ ଖୋଜି ଆଣି ଦେବି, ତୁ କହିଲେ ନୂଆ କିଣି ଆଣି ଦେବି। ମୁଁ କିଛି କହିଲି ନାହିଁ। ସେଇମିତି କାନ୍ଦୁଥାଏ, ପ୍ରଭାତ ଫେରି କରି ଛୁଆ ଆମ ଦାଣ୍ଡ ଦେଇ ପୁଣି ଫେରିଲା ଯାଏଁ। ସେମାନେ ଫେରି ଆସୁଥିବାରୁ ହାତଟାକୁ ସିଧା କରି ଆଙ୍ଗୁଳି ଦେଖାଇଲି। ଆଖି ବୁଜି କାନ୍ଦି – “ମୋତେ “।ଜଡା ମାଆ ବୁଝିପାରେ ଜଡାର ଠାର। ମାଆ ଠାରରେ ପଚାରିଲେ – “ତ୍ରିରଙ୍ଗା ପତାକା? ତୋତେ ଗୋଟେ” ?? ମୁଁ ଆଖି ମଳିମଳି କହିଲି -” ହଁ.. ମୋତେ ଗୁତେ (ଗୋଟେ)” ।ଆମ ଗାଁ ଗଣେଶ ମାଷ୍ଟର ଏ କଥା ଶୁଣି, ମୋତେ ଆସି ମାଆ କୋଳରୁ ଟେକି ନେଲା। କାଖେଇ ଧରି ବୁଲିଲା, ହାତରେ ଗୋଟେ ଏଡ଼େ.. ବଡ଼ ତ୍ରିରଙ୍ଗା ପତାକା ଧରାଇ ଦେଲା। ଆଃ.. ମୋର କି ଖୁସି! ସାର୍ କହିଲେ – “ତୁ ସ୍କୁଲ୍ ଯିବୁ? ପାଠ ପଢିବୁ?? ମୁଁ କହିଲି ତା ନିଶରେ ହାତ ମାରି ମାରିକା-” ହଁ.. ହଁଡେ (ହଁରେ) ମୋ ବୁଢ଼ା ସାର୍! ମୁଁ ଯିମି (ଯିବି) ।ସେ କହିଲେ – “ସ୍କୁଲ ଗଲେ କିନ୍ତୁ ପାଠ ପଢିବୁ” । ମୁଁ କହିଲି – ହଁ ଯେ! ମୋତେ କିନ୍ତୁ ପତାକା ଦେବୁ ନା କହନି? ସାର୍ କହିଲେ ବୁଢ଼ା ହଁଟେ (ବଡ଼ ହଁଟେ) – “ହଁ” । ସେଇଦିନୁ ମୁଁ ସ୍କୁଲ ଗଲି। ପ୍ରତିଦିନ ସାର୍ ମୋତେ ବହି ଖୋଲି ତ୍ରିରଙ୍ଗା ପତାକା ଦେଖାନ୍ତି। ଆଉ ଗାନ୍ଧୀ, ଗୋପବନ୍ଧୁ କାହାଣୀ ଶୁଣାନ୍ତି। ତା’ପର ଦିନ, ସାର୍ ବୌଦ୍ଧିକ ପରୀକ୍ଷା ନିଅନ୍ତି। ମୁଁ ଗୋଟି ଗୋଟି କରି ସବୁ କହି ଦିଏ। ସାର୍ କୋଳକୁ ନେଇ ଚୁମାଟେ ଦିଅନ୍ତି। ଏଇ ମୋ ବିଦ୍ୟାରମ୍ଭ ସେଇ ମୋ ବିଦ୍ୟାଳୟ, ଯାହା ମୋର ପୁରୁଣା କଥା, ମୋ ପିଲା ବେଳାର ଅଭୁଲା ସ୍ମୃତି ।

ପାବଚ୍ଛ – 3ମୋ ସ୍କୁଲ୍ ଅଭିଯାନ ପୂର୍ବର

ମୋ ସ୍କୁଲ୍ ଅଭିଯାନ ପୂର୍ବର ବେଳାଟା ଏକ ବିଚିତ୍ର ଅନୁଭବ ଓ ଅନୁଭୂତି ମୋତେ ଦେଇଥାଏ। ଯାହାକୁ କୁହନ୍ତି ବାଳୁଙ୍ଗା, ସତରେ ମୁଁ ଗୋଟେ ବାଳୁଙ୍ଗା ଥିଲି। ଖରା ତରା କିଛି ମାନେ ନାହିଁ। ଅହରହ ମୋତେ ଖେଳ ସାଙ୍ଗ ଆଉ ଖେଳ ଦରକାର। କେବଳ ଭୋକ ଲାଗିଲେ, ମାଆ ପାଖକୁ ଦୌଡ଼ି ଯାଏଁ। ଏଁ ଏଁ ହୋଇ ଅଝଟ କରେ। କ’ଣ ଦିଟା ଦେଇଦେଲେ, ଖାଇ ଦେଇ ପୁଣି ଦୌଡ଼ି ଆସେ ଖେଳ ପାଖକୁ। କିନ୍ତୁ ମୋ ପସନ୍ଦର ଖାଇବା ଜିନିଷ ନହେଲେ, କାନ୍ଦି କି କମ୍ପାଏ, ବୋଉ ଚୁଟି ଟାଣି ସଫା କରେ। ବୋଉ ବ୍ୟସ୍ତ ହୋଇ ମୁଡ଼ି, କ୍ଷୀର ଓ ଦୁଧ ସର ପକାଇ ଆଣି ଦିଏ, ମୋ ରାଗ ଶାନ୍ତ ହୋଇ ଯାଏ। ଏହି ମୁଡ଼ି କ୍ଷୀରଟା ମୋର ସବୁଠୁଁ ପ୍ରିୟ, ସବୁ ଖାଦ୍ୟ ଉପରେ। ପୁଣି ମୁଁ ଏକୁଟିଆ ହୋଇ ଗଲେ ଭାରି ବୋର୍ ହୋଇଯାଏ। ସବୁ ଜିନିଷ ଗଦେଇ ଖେଳେ, ଭଙ୍ଗାରୁଜା କରିବା ମୋର ଆୟୁଧ ହୁଏ। କେଉଁ ସନ୍ଦିରେ ଥିବା ଜିନିଷ ସବୁ ଅଣ୍ଡାଳି ଖୋଲି ଆଣି ଖେଳେ। ତାକୁ ଏପଟ ସେପଟ କରି ପରୀକ୍ଷା ନିରୀକ୍ଷା କରୁକରୁ ସେଥିରୁ କେତେଟା ତୁଟି ଯାଏ।ବୋଉ କହେ – “ଏ ଟୋକାଟା ପରା ବାସ କରେଇ ଦେବ ନାହିଁ, କୋଉଠି କୋଉ ଜିନିଷ ଠିକ୍ ସେ ରଖେଇ ଦେବ ନାହିଁ” । କେତେ କେତେ ନୂଆ ଦାମୀ ଜିନିଷ ପରା ସବୁ ଭାଙ୍ଗି ଯାଇଛି। ଘରେ ସମସ୍ତେ ମୋର ଏ ନଟଖଟି ଦେଖି ବ୍ୟସ୍ତ ହୁଅନ୍ତି ଓ ବଡ଼ ବିରକ୍ତି ହୁଅନ୍ତି। ମାରିବାକୁ ବି ହୁମୁହୁମୁ ହୁଅନ୍ତି, କିନ୍ତୁ ବାଡାନ୍ତି ନାହିଁ, ବୋଧେ ମୋତେ ଡରନ୍ତି ।କାରଣ ମୋତେ ବାଡେଇଲେ ମୁଁ ଅଧିକ ଭଙ୍ଗାରୁଜା କରେ। ନହେଲେ କାନ୍ଦର ସ୍ଵରଟା ଲମ୍ବି କି ବହୁ ବାଟ ଯାଏଁ ଧାଏଁ ଓ ବଡ଼ ଉତ୍କଟ ଥାଏ ସେଇ ଏଁ ଏଁଇଆ ସ୍ଵରଟା। ବଡ଼ ଜିଦିଆ ସେ ବେଳାର ମୋ ପ୍ରକୃତିଟା। ସବୁତକ ତ ମନେ ପଡୁ ନାହିଁ, ଯେତିକି ମନେ ପଡୁଛି ବଡ଼ ବିସ୍ମିତ ଲାଗୁଛି ବାଲ୍ଯ ଜୀବନର ନିଆରା ସ୍ଵପ୍ନ ଓ ଭାବାଭିବ୍ୟକ୍ତି ପାଇଁ । ପୁଣି ବଡ଼ ଅଜବ ଭୂତଟାଏ ବୋଧେ ଥିଲି ମୁଁ। ଖରାବେଳେ କାହିଁ ବିଶେଷ ଶୋଇଲା ପରି ମନେ ପଡୁ ନାହିଁ, ଶୋଇଲେ ବି ସମସ୍ତେ ଶୋଇ ପଡିଲା ବେଳେ ଖସି ଓ ଲୁଚି ଚାଲିଯାଏ ପଡ଼ିଶା ଘରକୁ- ଖେଳିବା ପାଇଁ। ରାତିରେ ତ ଗପ ନିଶାର ଅଫିମ ଟେଳାଟେ କାନରେ ନପଡ଼ିଲେ ମୋତେ ନିଦ ଆସେ ନାହିଁ। ତେଣିକି ଠାକୁବାପା କୁହନ୍ତୁ ବା ଦେଇ, ନତୁବା ବୋଉ ଓ ବାପା ଯେକୌଣସି ଲୋକ ହୁଅନ୍ତୁ। ନହେଲେ କେତେ କଚଡ଼ା ନଚଡା କରିବି, ଏ କଥା ସମସ୍ତେ ଜାଣିଥିଲେ। ବାସ୍ତବରେ ମୁଁ ଗୋଟାଏ ଜନ୍ତୁ ଥିଲି କି କ’ଣ। ମୋତେ ସମ୍ଭାଳିବା ଭାରି କଷ୍ଟ। ମୁଁ କିନ୍ତୁ ଏଇ ପିଲାର ମାନେ ଯାହା କଥା କହୁଛି ତା ବାବା କି ଅଭିଭାବକ ହୋଇଥିଲେ ସିଧା ତାକୁ ବାନ୍ଧି ପକାଇ ବହେ ପିଟିଥାନ୍ତି। ଓଃ! ଏଡିକି ଦୁଷ୍ଟ ମୁଁ କାହିଁ ଦୁନିଆରେ ଆଉ କାହାକୁ କେଉଁଠି ଦେଖି ନାହିଁ। ଇଏ କୃଷ୍ଣ ନଟିଆକୁ ତ ବଳିଗଲା। ଏହିଭଳି ସମସ୍ତଙ୍କ ଅତୀତ ବେଶ୍ ସୁଖପ୍ରଦ ଓ ଅନେକ ଅକୁହା କଥା ହୁଏତ ବ୍ୟକ୍ତ କରିବାକୁ ଅସମର୍ଥ।
ସେଇ ପିଲା ବେଳ ଶୈଶବର ଧୂଳିଘର, ଯାହା ମନେ ପଡେ,ମନେ ପଡେ ନା, ମନେ ପଡ଼ିବା ଯେଣୁ କଷ୍ଟ ।ତଥାପି ଯାହା ଯେତିକି ଅସ୍ପଷ୍ଟ ମନେ ପଡେ, ମନକୁ ନିଶ୍ଚିତ ଉଲ୍ଲସିତ କରେ ଓ ପ୍ରାଣକୁ ନୂତନ ଭାବନାରେ ଅଭିଷିକ୍ତ କରେ। ଭାରି ଶାନ୍ତିପ୍ରଦ ସେ ପିଲା ବେଳର ସେ ନିରିମାଖି ଚେହେରାଟି।ଯେଉଁଠିକୁ କିଛି କ୍ଷଣ ପାଇଁ ହେଉ ପଛେ ମୁଁ ଟିକିଏ ପହଁରି ଗଲେ ଚଳନ୍ତା ନାହିଁ ମୋ ଚେତନାର ସୀମା ସରହଦ ଡେଇଁ?

ପାବଚ୍ଛ – 4 ବିଦ୍ୟାରମ୍ଭର ଲମ୍ବା ଇତିହାସ 

ସମସ୍ତଙ୍କ ପରି ମୋର ବିଦ୍ୟାରମ୍ଭ ଏମିତି ସହଜ ଓ ସରଳ ମାର୍ଗରେ ଯାଇ ନଥିଲା, ବରଂ ଅନେକ କଙ୍କର ଓ ବର୍ତ୍ତୁଳ ରାସ୍ତା ଦେଇ ଘୁମେଇ ଫେରେଇ ଯାଇଥିଲା। ମୁଁ ତ ଖେଳ ବ୍ୟତୀତ କିଛି ଜାଣି ନଥିଲି, ପାଠ ପାଇଁ ନିହାତି ଅନାସକ୍ତ। ସ୍କୁଲ କିଏ ଯିବ ସେଠି ପୁଣି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ- ଟିକିଏ ଖେଳିବା ପାଇଁ ବା ଘରକୁ ଫେରି ମୁକ୍ତ ବିହଙ୍ଗ ପରି ଘୂରି ବୁଲିବାକୁ। ତେଣୁ ମୋର ଆଦୌ ମାନସିକ ପ୍ରସ୍ତୁତି ହେଉ ନଥାଏ। ଥରେ ଦୁଇଥର ମୋତେ ନେବାକୁ ଚେଷ୍ଟା କରିଛନ୍ତି ମୁଁ କିନ୍ତୁ ଟାଣି ଓଟାରି ହୋଇ ପଛକୁ ଗୋଡ ଘୋଷାରୁ ଥାଏ, ପୁଣି ଚିତ୍କାର ଛାଡେ ସିଂହ ଗର୍ଜିଲା ପରି ସଁ ସଁ ହୋଇ। ଏତେବେଳେ କିଏ ଲୋ ମାଆ ସାହସ କରିବ ମୋତେ ସ୍କୁଲ ନେବା ପାଇଁ। ଏ କଥା ବି ମନେ ଅଛି, ଥରେ ଦୁଇଥର ମୋତେ ଜବରଦସ୍ତ ସ୍କୁଲ ନେବାକୁ ଚେଷ୍ଟା କରାଯାଇଛି, ମୁଁ କିନ୍ତୁ ଘୁସୁରି ପଛକୁ ରହେ। ମୋତେ କାଖେଇ କୋଳେଇ କୋଳକୁ ନେଲେ ମୁଁ ଛାଟିପିଟି ହୋଇ ତଳକୁ ଖସିଯାଏ। ତେଣୁ ମୋତେ ଦିନେ ବାପା ଭାଇ ଭଉଣୀ ସମସ୍ତେ ମିଶି ଏକାବେଳେକେ ତିନି ଚାରି ଜଣ ମିଶି ହାତ ଗୋଡ଼କୁ ଟେକି ଟେକି ନେଲେ, ମୁଁ କିନ୍ତୁ ମୋଡ଼ିମାଡ଼ି ହୋଇ ତଳକୁ ଝୁଲି ରହୁଥାଏ ଓ ବିକଟାଳ ସ୍ଵରଟା ଛାଡୁଥାଏ, ଯେମିତି ଗାଁଲୋକ ସବୁ ଜମି ଯିବେ। ଆଉ ନପାରି ଯେଉଁଠି ଛାଡି ଦେଲେ ସେଇଠି ହଗି ପକାଇ କାଠିରେ ଉଠାଇ ସମସ୍ତଙ୍କୁ ଛାଟିଲି। ମୋ ସ୍କୁଲ୍ ଯିବାରେ ସେଇଠି ଥୁକୁଲ ପଡିଲା। କିନ୍ତୁ ଏମିତି କାହିଁକି? ମୋର ଯାହା ମନେ ପଡୁଛି ସେଦିନର ସ୍କୁଲରେ ଗୁରୁଜୀଙ୍କ ନିର୍ମମ ମାଡ ହୁଏତ ପ୍ରତିବାଦର ସ୍ଵର ହାଣୁଥିଲା ବା ସ୍କୁଲ କାରାଗାର ମୋତେ ବନ୍ଦୀମୟ ଲାଗୁଥିଲା।
ମୋ ପାଠ ପାଇଁ ମାଆ, ବାପା, ଭାଇ ଓ ଭଉଣୀ ସବୁ ବ୍ୟସ୍ତ ହୋଇ ଉଠୁଥିଲେ। ଏଥର ବାପା ଅନନ୍ୟୋପାୟ ହୋଇ ବୁଦ୍ଧୁରାମ ସାର୍ ବୋଲି ଜଣେ ସାରଙ୍କୁ ଆମେ ଘରେ ଆଣି ରଖି ଘରୋଇ ଭାବେ ମୋତେ ପଢାଇଲେ।ସେ ବୁଦ୍ଧିରାମ ସାରଙ୍କୁ ମୋର କୋଟି କୋଟି ପ୍ରଣାମ।
ସେ ଦିନରେ ଆମ ଜମିରେ ମୂଲ ଲାଗନ୍ତି, ସମୟ ପାଇଲେ ମୁଣ୍ଡୁଳି ଜାଲ ଓ କରାସି ଜାଲ ବୁଣନ୍ତି।ନଦୀରେ ଗୋଟେ ଛୋଟ ଅଂଶରେ ମାଟି ବନ୍ଧ ଦେଇ ତିଆରି କରିଥିବା ଚୌକାରୁ ବା ନଦୀ ଓ ପୋଖରୀରୁ ନିଇତି ମାଛ ଧରି ଖୁଆନ୍ତି। ରାତିରେ ପାଖରେ ଶୁଆଇ ପକାଇ ଗପ କହନ୍ତି। ସକାଳେ ଓ ସଞ୍ଜେ ଆମକୁ ପାଠ ପଢାନ୍ତି। ତାଙ୍କ ପାଠ ପଢାଟା ଅବଧାନେ ଶୈଳୀରେ ଥିଲା। ତାଙ୍କରି ପାଖରୁ ଫଳା, ବର୍ଣ୍ଣବୋଧ, ଶ୍ରୁତ ଲିଖନ, କଡା ଗଣ୍ଡା,ପଣକିଆ, ପଣ, କାହାଣ, ହରଣ ଗୁଣନ, ମିଶାଣ, ଫେଡାଣ, ଲସାଗୁ ଗସାଗୁ – ସବୁ ମୁଁ ଶିଖିଥିଲି। ପୁଣି କିଛି ଲିଳାବତୀ ସୂତ୍ର, ଖନାବଚନ ଓ ଚାଣକ୍ୟର ଶ୍ଲୋକ ମଧ୍ୟ ସେ ଶିଖାଇଥିଲେ। ସହଜ ଇଂରାଜୀ ଶିକ୍ଷା ଓ ୱାର୍ଡ ବୁକ୍ ଘୋଷା ତାଙ୍କ ଯୋଗୁ ମଧ୍ୟ ସମ୍ଭବ ହୋଇଥିଲା। ସେ ବେଶ୍ କିଛିଦିନ ମୋ ପାଠ ପଢାକୁ ଆଗକୁ ନେଇ ଯାଇଥିଲେ। ଏଣିକି ପାଠ ପ୍ରତି ମୋର ଟିକେ ଆଗ୍ରହ ଯମିଲାଣି ଓ ସ୍କୁଲ ପ୍ରତି ମୁଁ ମଧ୍ୟ ଆକୃଷ୍ଠ ହେଲିଣି। ସ୍କୁଲଟା ନିୟମିତ ଭାବେ ମୁଁ ଯିବା ଆସିବା କରିବା ବେଳକୁ ମୋତେ ତୃତୀୟ କି ଚତୁର୍ଥ ହୋଇଯାଇଥାଏ। ଆଉ ମୋ ନାଁଟା ଜଗନ୍ନାଥରୁ ସତ୍ୟ ପ୍ରକାଶ ହୋଇ ଯାଇଥାଏ। ସ୍କୁଲ ଘରଟା ବି ସଫା ସୁତର ହୋଇ ଟିକେ ଭଲ ହୋଇଯାଇଥାଏ। ଆଗେ ତ ଆମେ ଗୋଟେ ଟାଇଲ୍ ଘର ଛପର ତଳେ ବସୁଥିଲୁ। ସେଇଟା ଭଙ୍ଗା ଘରଟାଏ। ଦିନରେ ଗଳାକବାଟି ଭଳିଆ ଛାତରୁ ସୂର୍ଯ୍ୟ କିରଣ ଗୁଡାକ ମୁହଁରେ ଫୋକସ ଲାଇଟ୍ ପକାଇ ଥାଏ ଓ ତହିଁରେ ଧୂଳିୟ ରଶ୍ମି ଗୁଡାକ ଗଳି ଯାଇ ପାଉଡର ଭଳିଆ ଘିରିଘିରି ଘୁରି ବୁଲୁଥାଏ। ମନରେ ବଡ଼ କୌତୁହଳ ସ୍ରୁଷ୍ଟି କରୁଥାଏ। ମୁଁ ଖଣ୍ଡେ ଭଙ୍ଗା ଆଇନା କାଚ ପାକୁଟିରେ ପୂରାଇ ରଖିଥାଏ। ସେଇଟାକୁ ସେଇ ଲାଇଟ୍ ଉପରେ ଉତ୍ତୋଳିତ କରି ତୋଳି ଧରିଲେ ଅନ୍ୟ ମୁହଁ ଉପରେ ତେରଛା ପଡେ। ମୁଁ କିରିକିରି ହୋଇ ହସେ, ମୋତେ ଚାହିଁ ଦେଲେ ମୁଁ କିଛି ନ ଜାଣିଲା ପରି ଚାପି ଯାଏଁ। ଆଉ ଗୋଟେ ସୁନ୍ଦର ବସ୍ତୁଟେ ମନେ ପଡିଯାଉଛି, ସେଇଟା ହେଉଛି ଗୁଡ଼ିଆଣି ପୋକ। ଅନେକ ହୁଏତ ତାକୁ ଜାଣି ପାରିବେ ନାହିଁ, କାହିଁକିନା ଆଜି କାଲି ମୁଁ କାହିଁ ଆଉ କେଉଁଠି ତାକୁ ଦେଖୁ ନାହିଁ। ସେ ପୋକଟା ଆମ ସ୍କୁଲ ଭଙ୍ଗା ପିଣ୍ଡାର ଧୂଳିଆ ଯାଗାରେ ଥାଏ, ଯେଉଁଠି ଧୂଳିର ଏକ ମସୃଣ ଅଂଶ ରହିଥାଏ। ସେଇଠି ସେ ଟିକି ଗାତ କରି ଅଳ୍ପ ଧୂଳି ଭିତରେ ଲୁଚିକି
ଥାଏ। “ବାଲିକିରି ମାଆ ଲୋ ବାଲିକିରି ମାଆ, କୁଆଡ଼େ ଯାଇଛୁ କେଉଁ କୁଣିଆ ଘରକୁ ମୋ ହାତ ମୁଠାକୁ ଝଅଟ ଆ “-କହି, ଆଙ୍ଗୁଠିରେ ବା ଛୋଟ କାଠିରେ ଘୁରୁର୍ ଘୁରୁର୍ କରି ଘୂରେଇ ଆଣିଲେ ସେ ବାହାରି ଆସେ। ପୁଣି କେତେବେଳେ ପାଖ ସୁନାରି ଗଛକୁ ଚଢିଯାଉ ସାଧବ ବୋହୂ ଧରି ଆଣି ସୁତା ବାନ୍ଧି ଉଡାଉ, ସେ ଘଁ ଘଁ ଡାକି ଉଡେ ଭାରି ମଜା ଲାଗେ। ସରୁ ପତ୍ରରେ କିଙ୍କ ଧରିବା ମଧ୍ଯ ଭାରି କୌତୁହଳପ୍ରଦ। ବେଳେ ବେଳେ ଆମ ସ୍କୁଲ ଏରୁଣ୍ଡି ବନ୍ଧରେ ଓ… ରେ ହୋଇଥିବା ଭଅଁର ଗାତରେ ବିଣ୍ଡା ଦେଇ ଦେଇଥାଉ।ସାର୍ ପାଠ ପଢେଇଲା ବେଳକୁ ସେ ଏମିତି ଗୁଣୁଗୁଣୁ ତାନେ ରଡି ଦେବ ଯେ, ସାର୍ ଙ୍କ କାନ ଫାଟି ପଡ଼ିବ। ସାର୍ ପାଠ ପଢା ସାରି ତା ଉଦ୍ଧାର କାର୍ଯ୍ୟରେ ଲାଗି ଯାଆନ୍ତି, ଆମେ ପଛରେ ହସାହସି ହୋଇ ମଜା ଦେଖୁ। ସେଦିନ ପାଠ ଆଦାୟ କରିବା ପାଇଁ ଯେଉଁ ବୁଢ଼ା ମାଷ୍ଟର କଳମ ଡାଙ୍ଗ ଧରି ଆସିଥାଏ, ତା ନିଶାଟା ଏକଦମ୍ ସେଇଠି ଉତୁରି ଯାଏ। ପ୍ରଜାପତି ଧରିବା ଓ ତା ପରକୁ ଅଧା ଛିଡ଼େଇଲା ପରି ନିଷ୍କରୁଣ କାମ ମଧ୍ଯ ଆମ ଚେଙ୍ଗଡା ଦଳଙ୍କର ଥିଲା। ଗୋଟେ ଜାତୀୟ ଘାସ ଗଛର ମଞ୍ଜିରୁ ମଧ୍ଯ ଆମେ ଗୋଟେ ପ୍ରକାର କ୍ଷୁଦ୍ର ଜୀବ ଜନ୍ତୁ ପରିକା କିଛି ବସ୍ତୁ ସଂଗ୍ରହ କରି ଖେଳୁ। ସେଗୁଡିକୁ ଆମେ ଖଜୁରୀ ପତ୍ର ମଝିରେ ଥୋଇ ହଲେଇ ହଲେଇ ଖେଳୁ, ସେଗୁଡିକ ରଙ୍ଗ ବେରଙ୍ଗର ହୋଇ ଥିବାରୁ ଚାଲିଲା ଚାଲିଲା ଲାଗେ ଓ ପରସ୍ପର ସହ ଲଢେଇ କଲା ପରି ପ୍ରତୀୟମାନ ହୁଏ। ଆମେ ତାକୁ ଗାଈ ବାଛୁରି ଖେଳ କହୁଁ।
ଖେଳ ଛୁଟିରେ ସେତେବେଳେ ସାର୍ ବଲଗର ଗହମ କ୍ଷୀରି ରାନ୍ଧି କି ଦିଅନ୍ତି। ଯାହା ବାସ୍ତବ ପକ୍ଷେ ଗହମ ନହୋଇ ଗହମର ସାରାଂଶ ଲୁଟି ନେଇ ତା ଚୋପାରୁ ତିଆରି ହୋଇଥିବା ଏକ ରକମର ଚୋକଡ ବା ଗୋରୁ ଖାଦ୍ୟ।ଯାହା ବି ସେଦିନ ଆମେରିକାବାଲେ ଆମର ଖାଦ୍ୟାଭାବ ଦୂର କରିବା ପାଇଁ ଏଗୁଡାକ ଆମ ପାଇଁ ପଠାଉଥିଲେ। ସେଇଥିରୁ ଗିରାସେ ଖାଇଦେଇ ଓ ପାଣି ମୁନ୍ଦେ ପିଇ ଦେଇ ଆମେ ଖେଳିବାକୁ ଧାଉଁ। ଟିକିଏ ଖେଳର ମୌସୁମୀଟା ଠିକ୍ ଆସିଗଲା ବେକକୁ ବେଲ ବାଜେ ଟଙ୍ଗ୍। ଖେଳଟା ଅଧା ରହିଯାଏ ଭାରି ଚିଡ଼ା ଲାଗେ। ଉପର ଓଳା କ’ଣ ଗୋଟେ ଦୁଇଟା କ୍ଲାସ୍ ହୁଏ, ହେଲେ ଯେହେତୁ ମନଟା ଖେଳୁଆଡ ଧରି ସାରିଥାଏ, ପାଠରେ ଆଉ ମନ ଲାଗେ ନାହିଁ। ସ୍କୁଲ ଛୁଟି ହୋଇଗଲା ବେଳକୁ ସାର୍ ଆମକୁ ମକା ଗୁଣ୍ଡ ଓ ବସ୍ତା କ୍ଷୀର ଡବେ ଡବେ ଧରାଇ ଦିଅନ୍ତି, ଆମେ ଖାଇ ଖାଇକା ପ୍ୟାଣ୍ଟରେ ହାତ ପୋଛି ପୋଛିକା ଘରକୁ ଫେରୁ। ବହି ପତ୍ର ତରବରରେ ବ୍ୟାଗରେ ପୂରାଇ ଖୁସିରେ ଡେଇଁ ଡେଇଁକା ବାହାରକୁ ବାହାରି ଆସୁ। ବାଟରେ ଖୁମ୍ପୁରା ଖୁମ୍ଫୁରି ଓ ମାଡ଼ଗୋଳ ଦମେ ବି ଯାଏ।

ପାବଚ୍ଛ – 5 ସରି ନାହିଁ ମୋ ପ୍ରିସ୍କୁଲ 

ସ୍କୁଲରୁ ଫେରି ଘରେ ବ୍ୟାଗଟା ଏକରକମର ଫିଙ୍ଗି ଦେଇ, “ବୋଉଲୋ! ଭାତ ଦେ “ଚିରାଡି ଛାଡେ। ଦିନରେ ରନ୍ଧା ହୋଇଥିବା ତରକାରୀ ସହିତ ବାଇଗଣ, ଭେଣ୍ଡି, ଜହ୍ନି ଓ ସୁଖୁଆ
ପୋଡ଼ା ତିଅଣ କିଛି ନିଶ୍ଚୟ ବୋଉ ରଖିଥିବ। ପୁଣି ମଝିରେ ମଝିରେ ବଢି ଚୁରା, ବେଶର ଦିଆ ପତ୍ର ପୋଡ଼ା ଛତୁ ନହେଲେ ଗଡିଶା ଓ କେରାଣ୍ଡି ମାଛ ପୋଡ଼ା ବୋଉ ରଖିଥିବ। ତାସାଙ୍ଗକୁ ତେନ୍ତୁଳି ବା ଆମ୍ବୁଲ ଅବା ଆମ୍ବଡା ଝୋଳଟା କଞ୍ଚା ଲଙ୍କା ସହିତ ଦଳା ଯାଇ ଟାକରା ମାରି ଖିଆ ଯିବ। ତା’ପରେ ବାଟି ଖେଳ, ବାଗୁଡ଼ି ଖେଳ ଦୁଇ ବାଜି ତ ହେବ। ସନ୍ଧ୍ୟା ହେଲେ ଡିବିରି ଆଲୁଅ ଜାଳି ପାଠ ଦୁଇ ଅକ୍ଷର ପଢ଼ା ହୁଏ । ବାସ୍ ଦିନକର କାମ ଶେଷ। ରାତିକୁ ଗପଟେ ଶୁଣି ଶୋଇ ପଡ଼ିଲେ ପୁଣି ତା’ ପର ଦିନର ଆରମ୍ଭ ହୁଏ ଜୀବନ ଚର୍ଯ୍ୟା।
ସକାଳୁ ସକାଳୁ ବାକି ପାଠ ଦୁଇ ଅକ୍ଷର ପଢ଼ା ହୁଏ। ସ୍କୁଲ ଟାଇମ୍ ହେଲେ ସମସ୍ତେ ଡକାଡକି ହୋଇ ଦଳ ହୋଇ ସାଙ୍ଗ ହୋଇ ବାହାରି ପଡୁ। ପ୍ରାର୍ଥନା ପୂର୍ବରୁ କିଛି ସମୟ ଖେଳ ହୁଏ। କାଗଜ ଓ କଲମରେ ଛକି ଶୂନ୍ ଖେଳ ଏବଂ ଗୋଡ଼ି ଥୋଇ ବାଘ ଛେଳି ଖେଳଟା ବି ହୁଏ। ଆମ ସାର୍ ଗୁଡ଼ାକ ଭାରି ରାଗି ସିନା ଟିକିଏ କଥାରେ ପିଟି ପକାନ୍ତି, ହେଲେ ହାଣ୍ଡିଆ ପାଟି କରି ପାଠ ଗୁଡ଼ାକ ଭଲ ପଢାନ୍ତି। ସେତେବେଲର ସାହିତ୍ୟରେ ଥିବା ତୁମ ପରି ଟିକି ପିଲାଟି, ନିଧି ବୁଢ଼ା ବାଡ଼ି ପଟେ ପଡ଼ିଛି ବିଚାର, ଠିକ୍ ପଢ଼ ଠିକ୍ ଲେଖ, ମହା ପୁରୁଷଙ୍କ କାହାଣୀ ଆଦି ମନ ଉପରେ ଗଭୀର ରେଖାପାତ କରେ। ଖେଳ ଛୁଟି ହେଲେ ଅନନ୍ତ ହାଜିରା ଘୁଗୁନିବାଲା ଆସି “ଗରମ୍ ଗରମ୍ ଆଳୁଦମ ଓ ମସଲା ଦିଆ ଘୁଗୁନି ଯିଏ ଖାଇବ ପାଟିରୁ ଖାଲି ନାଳ ଗଡିବ” ବୋଲି ପାଟି କରି ଉଠେ। ବମ୍ବେଇ ଲଡୁ ଓ ଶୂନ୍ ପିମ୍ପୁଡ଼ିବାଲା ବି ଆସେ। ବେଶ୍ ବିକ୍ରି ହୁଏ, ଆମେ ସବୁ ଛୁଆ ଖରିଦ କରି ଖାଉ। ମଧୁବନ ଆଚାରବାଲା ବଡ଼ ରସିକିଆ କଥା କୁହେ-“କିଏ ଖାଇବ! ଟକ ଟକିଆ ଆଚାର, ଖାଇଲେ ଖାଲି ପାଟିରୁ ଲାଳ ଗଡିବ। ଏଇ ଆଚାର ଖାଇ ପରା ସେଦିନ ରାମ ଯେ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ଯିଏ ଖାଇବ ସେ ବାଜି ମାତ୍ କରିବା। କ୍ଲାସ୍ ପରେ କ୍ଲାସ୍ ଖାଲି ହୁମ୍ପା ମାରି ଡେଇଁକି ପଳେଇବ” ଇତ୍ୟାଦି । ଝିଅ ମାନଙ୍କର ତା ପାଖରେ ଲମ୍ବା ଲାଇନ୍, ଆଚାରଠିଁ ତାଙ୍କ ମନ । ନଡ଼ିଆ କୋରା ରସ ମଲେଇ ଆଇସ୍ କ୍ରିମ ପେଟି ମୁଣ୍ଡରେ ମୁଣ୍ଡେଇ ମଧ୍ଯ ବୁଢ଼ା ପୁଅ ହାଜର ହୋଇ ଯାଉଥାଏ। ତା ମୁହଁରୁ ଝାଳ ଗୁଡାକ ବୋହି ଯାଉଥିବା ବେଳେ ପେଟିରୁ ମଧ୍ୟ ଆଇସ୍ କ୍ରିମଗୁଡାକ ତରଳି ଟପ ଟପ ହୋଇ ଖସୁଥାଏ।
ସ୍କୁଲକୁ ବେଳେ ବେଳେ ପରିଦର୍ଶକ ଆସନ୍ତି। ଆମକୁ ବୌଦ୍ଧିକ ପ୍ରଶ୍ନ ପଚାରନ୍ତି ଓ ସାବାସି ମଧ୍ୟ ଦିଅନ୍ତି। ଆମେ ସାରଙ୍କ ତାଗିଦ୍ ମାନି ସେଦିନ ନୂଆ ଡ୍ରେସ୍ ପିନ୍ଧି ଓ ପରିଷ୍କାର ପରିଚ୍ଛନ୍ନ ହୋଇ ସ୍କୁଲ ଆସିଥାଉ। ସେଦିନ ଚୁପି ଚୁପି କଥା ହେଉ ଓ ଗଣ୍ଡଗୋଳ ଟିକେ କମ୍ ଲାଗୁ।
ଆମ ସ୍କୁଲରେ ମନିଟର ଗୋଟେ ଥାଏ। ସେ ଟିକେ ସାରଙ୍କ ଆଡିଆ, ସାର୍ ତାକୁ ଶିଖେଇ ଦେଇଥାନ୍ତି। ତେଣୁ ଯିଏ ବଦମାସୀ କରେ ସେ ତା ନାଁଟା ସିଲଟରେ ଲେଖି ସାରଙ୍କୁ ଧରେଇ ଦିଏ। ସାର୍ ଆମକୁ ନିସ୍ତୁକ ବାଡାନ୍ତି।ଆମେ କୋଉ ଛାଡୁ କି ସେଇ ବଦଳାଟା ଖେଳ ବେଳେ ମନିଟର ଉପରେ ଶୁଝେଇ ଦେଉ। ଖେଳ ବାହାନାରେ ଗୁମ୍ ଗୁମ୍ ଦିଟା ଥୋଇ ଦେଉ। ସେ ମା’ଲୋ ମରିଗଲି କହି ଆଉ ଆମ ସହିତ ବେଶୀ ଲାଗେନା। ତା ବୁଦ୍ଧିଟା ଠାରୁ ଆମ ବୁଦ୍ଧିଟା ବଳେଇ ଗଲାଠୁଁ ସେ ଚୁପ୍କିନା ଝାଇଁ ମାରିକି ବସି ପଡେ। ଡରେ ଆଉ ଆମ ସହିତ ଦୁଷ୍ମନୀ ମୋଡ଼ଟା ନିଏ ନାହିଁ।
ଆମର ପାଠଟା ଯେତିକି ବଦମାସୀଟା ଟିକେ ଅଧିକା। ଖେଳ ଛୁଟି ହେଲେ ଚିନ୍ତା କାହା ବାଡିରୁ ଆମ୍ବ, ଆମ୍ବଡା, ତେନ୍ତୁଳି, ଜାମୁକୋଳି,ପିଜୁଳି ଅଁଳା କୋଳି ପ୍ରଭୂତି ସଂଗ୍ରହ କରିବୁ। ନହେଲେ ବଣ ବୁଦା ଅଣ୍ଡାଳି ଖିରି କୋଳି, ବଇଁଚ କୋଳି, ଚାଉଳ ଧୂଆ କୋଳି, କାନ କୋଳି ଆଦି ତୋଳି ଆଣି ଖାଉ। ଏଇଟା ଆମର ପ୍ରତ୍ୟେହ ବେଉସା। ସେବେଳ ପୁଣି ଥରେ ଫେରନ୍ତିନି? ଆମେ ପୁଣି ଏଇମିତି ନାଟ ତାମସା କରନ୍ତୁ।

ପାବଚ୍ଛ – 6 ଡ୍ରାମା 

ସେଦିନ ଆମ ଗାଁ ସ୍କୁଲର ଡ୍ରାମା ହେଉଥିଲା। ଗଣେଶ ରୋଲ୍ ଯିଏ କରୁଥିଲା ସେ ପେଟରେ ଗୋଟେ ପାଛିଆ ପୁରାଇ ବଡ଼ ଥନ୍ତଲା ପେଟିଆ ଦିଶୁଥିଲା। ପୁଣି ଶିବଟା ଦେହରେ ପାଉଁଶ ମାଖି ହୋଇ ପାଉଁଶିଆଟା ଦିଶୁଥାଏ। ବେକରେ ଖେଳଣା ପ୍ଲାଷ୍ଟିକ୍ ସାପଟେ ପକେଇ ଫଁ କରି ଛିଡା ହୋଇଥାଏ। ନନ୍ଦୀ ଭୃଙ୍ଗି ଦିଟା ପୂରା କମେଡିଆନ ହିରୋ, ଭାରି ମଜାଳିଆ କଥା କହୁଥାନ୍ତି। ଦିନ ଥାଉଁ ଥାଉଁ ସେମାନେ ପେଣ୍ଟିଂ ହୋଇ ବୁଲିଲେଣି। ସାର୍ ପାଟି କଲାଠୁଁ ଲୁଚିକି ଯାଇ ରୁମରେ ବସିଥାନ୍ତି। ଆମେ କିନ୍ତୁ ଚାଲାକିଆ ତ ଆଗ ଦେଖି ଦେଇଥାଉ।
ଛୋଟିଆ ପେଣ୍ଡଲଟେ ଖଟ ପଡି ବନା ହୋଇଥାଏ। ଆମେ ଛୁଆ ସବୁ ଖଟ ତଳେ ବାଉଁଶ ପୂରାଇ ରଶିରେ ଗୁଡେଇ କାନ୍ଧରେ ବୋହି ବୋହିକା ଆଣି ଦେଇଥାଉ। ବିଭିନ୍ନ୍ ପ୍ରକାର କପଡ଼ା ସବୁ ଲାଗିଥାଏ। ସେଇ କପଡା ଗୁଡାକ ଗୋଟେ ପରେ ଗୋଟେ ଟାଣି ଦେଲେ ଆଉ ଗୋଟେ ଦୃଶ୍ୟ ହୋଇଯାଉଥାଏ। ତା ଉପରେ ଲାଇଟ୍ ପଡ଼ିଲେ ଭାରି ଚିକି ମିକିଆ ଲାଗେ। ଆମ ପିଲାଙ୍କ ଭିତରେ ଭାରି ଆଗ୍ରହ ତାକୁ ଦେଖିବା ପାଇଁ। କିଏ କେତେ ପ୍ରକାର ଠେଲାପେଲା ହେଉଥାନ୍ତି। ଦିନରୁ ସାଜସଜା ହେଲାଣି ଯେ, ରାତି ଯାଏଁ ସରି ନଥାଏ ।
ଆମେ କିନ୍ତୁ ମଶିଣାଟେ ପକାଇ ଆଗ ଯାଇ ଯାଗା ମାଡ଼ି ବସିଥିଲୁ। ଆମ ଯାଗା କାଳେ କିଏ ମାଡ଼ି ବସିବ ବୋଲି ବନା ଯାଇ ସେଠି ଯଗିକି ବସିଥାଏ। ତଥାପି କେତେ ଗଣ୍ଡଗୋଳ ସେଇଥିରେ ଗଲାଣି। ଇଏ ପରା ବାଇଜା ଛୁଆ ଗୁଡ଼ାକ, ଟିକେ ସୁଯୋଗ ପାଇଲେ ମଶିଣାଟାକୁ ଖାଲି ଟାଣି ପକାଇ ସେଠୁ ହଟାଇ ଆଉ ଯାଗେ ପକାଇ ଦେଇଥିବେ, ସେଠୁ ତ ତୁମ ବୁଦ୍ଧି ଗୁଡୁମ ଆଉ କରିବ କ’ଣ? ଆମେ ତଥାପି ସାଫ ସାଫ ୱାର୍ନିଙ୍ଗ ଦେଇଥାଉ-“ଆମ ସହିତ ଯିଏ ଲାଗିବ ମାରିକି ତା ମୁଣ୍ଡ ଫଟେଇ ଦେବୁ “। ଯାହାହେଉ, ବହୁ ସମୟର ପ୍ରତୀକ୍ଷା ପରେ ଶେଷରେ ରାତି ଏଗାରଟାରେ ଡ୍ରାମା ହେଲା। ଆହୁରି ଡେରି ହୋଇଥାନ୍ତା କି କ’ ଣ ଆମେ ଖାଲି ଚିଲାଚିଲି କଲୁ ବୋଲି ଝଅଟ ଆରମ୍ଭ କରି ଦେଲେ କି କ’ଣ ହେବ। ଆମ ପାଟିଟା ବଡ଼ ତ , ଆମେ ଛାଡୁ ନଥାଉ ।ଆଗେ ଯେତେବେଳେ ବାଜା ବାଜି ଉଠିଲା (concert), ଆମେ ତ ଦମେ ନାଚି ଉଠିଲୁ। ତା’ପରେ ନୃତ୍ୟ ନାଟିକା ହେଲା। ଟିକିଏ ପରିବେଶ ଶାନ୍ତ ପଡିଗଲା। ମଝିରେ ମଝିରେ ଚଣା ମୋଟର ଖିଆ ହେଉଥାଏ ଯାତ୍ରା ଦେଖା ବି ଚାଲିଥାଏ। ଏଥର ଅସଲ ଡ୍ରାମା ଆରମ୍ଭ ହେଲା। ବେଳେବେଳେ ସିନ୍ ପଡିଗଲା କ୍ଷଣି ଆମେ ହୋ ହୋ ହୋଇ ପାଟି କରି ଉଠୁଥାଉ। ବଡ଼ମାନେ ଭୂରୁଡିଏ ଲେଖା ଦେଲା ବେଳକୁ ଆମେ ଛାପି କି ବସି ପଡୁ। ସେ-” କିଏ ପାଟି କଲା ବେ, କିଏ ପାଟି କଲା” ହେଉଥାନ୍ତି।ଠିକ୍ ଏଇ ସମୟରେ ନୀର କହିଲା – “ହେଇ ବେ ଅନାନି! ସୁରେଶ ମାଷ୍ଟର୍ ପେଣ୍ଡଲ ପାଖରେ ଏମିତି କଣ ଗଳିକି ବସି ପଡ଼ିଛି। ଅନ୍ୟମାନେ କହିଲେ ହେ! ପାଟି କରନା, ସେ ବା prompting ମାଷ୍ଟର୍। ସେ କାଳେ ଯାହାକୁ dialogue ଆସିବ ନାହିଁ ତାକୁ ଥିରିକିନା କହି ଦେଉଥାଏ। ଓଃ ହୋ ସେଇଥି ପାଇଁ ତାହେଲେ ସେ ସେଠି ଛାପିକି ବସିଛି।
ଛୁଆ ଗୁଡ଼ାକ ପରା dialogue ଗୁଡାକ ନଘୋଷି ଭୂଲ କରିଦେବେ,ତେଣୁ ସେ ଗୁଣୁଗୁଣୁ ହୋଇ ସେଇଠୁ ରହି dailogue ଗୁଡାକ ମନେ ପକାଇ ଦେଉଥାଏ। ତଥାପି ପାର୍ବତୀଟା ଏଡ଼େ ଓଲି ହୁଣ୍ଡିଟା dailogue ଟା ଠିକ୍ ସେ ଶୁଣି ପାରିଲା ନାହିଁ ଯେ, ପ୍ଯାଣ୍ଡେଲରେ ଥାଇ କି କହୁଛି କଣ ନା – “ସାର୍ ଶୁଭୁ ନାହିଁ ବଡ଼ ପାଟିରେ”। ଲୋକ ଗୁଡାକ ଠୋ ଠୋ ହୋଇ ହସି ଦେଲେ। ଆମେ କିନ୍ତୁ ସଙ୍ଗେ ସଙ୍ଗେ କିଛି ବୁଝି ପାରି ନଥିଲୁ, ଯେତେବେଳେ ତା ପର ଦିନ ଶ୍ରେଣୀ ଗୃହରେ ଆଲୋଚନା ହେଲା, ହସାହସି ହୋଇ ଗଡି ଗଲୁ। ସେଇଦିନ ଠାରୁ ପେଚିକୁ ଯିଏ ପାର୍ବତୀ ରୋଲ କରିଥିଲା ତାକୁ ଆମେ ଖାଲି କହିଦେଲେ – “ସାର୍! ଶୁଭୁ ନାହିଁ, ଟିକିଏ ବଡ଼ ପାଟିରେ “ସେ ତ ରାଗିକି ଖାଲି ହୁତାଶନ ହେବ, ଆମକୁ ମାରି ଗୋଡେଇବ । ଆମେ ବାଙ୍କ ଶିଆଳି ଦେଇ କିରିକିରି ହୋଇ ତା ଚାରିପଟେ ଘୂରି ବୁଲୁ, ସେ ଦୌଡ଼ି ଦୌଡ଼ି ଥକି ପଡ଼ିଲେ ମୁହଁ ଫଟାଇ ବସି କାନ୍ଦେ, ଆମେ ଡରି ଯାଇ ସମସ୍ତେ ଚୁପ୍ ହୋଇଯାଉ। ଦିନେ ସେ ସାର୍ ଙ୍କ ପାଖରେ କହିଦେଲା ଯେ, ସାର୍ ମାରିକି ଆମ ପିଠିରେ ନୋଳା ବସେଇ ଦେଲେ ସେଇଦିନ ପାଖରୁ ଚିଡାଚିଡି ବନ୍ଦ।
ଶିବ dailogue ଷଟା କିନ୍ତୁ ଭାରି ମଜାଦାର ଥିଲା, ଏବେ ବି ମନେ ପଡିଲେ ହସ ଲାଗେ – “ଆରେ! ଆରେ! ନିର୍ବୋଧ ବାଳକ, ଜାଣୁନା ତୁ ମୁଁ କିଏ ବୋଲି, କୋପାନଳ ହେଲେ ମୁହିଁ, ତ୍ରିପୁରେ ରଖାଇ ଦେବିନି। ମେଦିନୀ କମ୍ପିବ, ଧରିତ୍ରୀ ଫାଟିବ…ଏଡିକି ପାମର, କାହାର କୁମର.. ।” ଏହି ଶିବ ଭୂମିକାରେ ଅଭିନୟ କରୁଥିବା ଦୁଃଶାଟା ଭାରି ହୃଷ୍ଟପୃଷ୍ଟ, ରାକ୍ଷସ ଭଳିଆ ତା ଚେହେରାଟା। ଗଣେଶଟା କିନ୍ତୁ ପେଟିଆ ହେଲା ନାହିଁ ବୋଲି ପେଟରେ ଗୋଟେ ପାଛିଆ ପୂରାଇ ଦେଇଥିଲା। ହେଲେ ତା ଶୁଣ୍ଢ ମୁଖାଟା ଭାରି ବଢିଆ ହୋଇଥିଲା। ସେତେବେଳେ ତ ଇଲେକ୍ଟ୍ରି କରେଣ୍ଟ ନଥିଲା, ତେଣୁ ଡେ ଲାଇଟ୍ ଓ କେଇଟା ପେଟ୍ରୋମାକ୍ସ ଲାଇଟ୍ ରେ ଷ୍ଟେଜଟା ପୂରା ଆଲୁଅ ଦିଶୁଥିଲା । ପୁଣି ଟର୍ଚ୍ଚ ଜାଳି ଯେଉଁ ପେଣ୍ଟିଂ ରୁମ୍ ଆଡ଼ୁ ଫୋକସ ଲାଇଟଟା ପକାଉ ଥାନ୍ତି, ବଢିଆ ନେଳିଆ ନାଲିଆ ରଙ୍ଗିନ୍ ଦିଶୁଥିଲା। ଆମେ ତ ଖାଲି ନାଚି ଯାଉଥାଉ। ମୁଁ ତ ଖୁସିରେ ନୀର ଆଉ ବନାକୁ କୁଣ୍ଢାଇ ପକାଇ ନତୁବା ତାଙ୍କ ଉପରକୁ ଡେଇଁ ପଡି ବେକରେ ଝୁଲି ରହି କୁରୁଳି ଉଠୁଥାଏ।
ଗଣେଶ ପୂଜା ପାଇଁ ଆମ ସ୍କୁଲରେ ଏଇ ଡ୍ରାମାଟା ଶିକ୍ଷା ଯାଉଥିଲା। ବେଶ୍ କିଛି ଦିନ ଧରି ରେଲସେଲ୍ ଚାଲିଥିଲା। ରେଲସେଲ୍ ବେଳେ ସାର୍ କବାଟ କିଳି ଦିଅନ୍ତି। ଆମେ ଯେଉଁମାନେ ରୋଲ୍ କରି ନଥାଉ, କବାଟ କଣରେ ଯାଇ ଗଳିକୁ ଦେଖୁ ।ସାର୍ ଭୂରିଡିଏ ଖଣ୍ଡ ଦେଲେ, ଆମେ ଖଣ୍ଡେ ବାଟ ହେଁ ହେଁ ହୋଇ ଦୌଡ଼ି ପଳାଉ। କିନ୍ତୁ ମ୍ୟୁଜିକ୍ ଓ dialogue ଗୁଡାକ ସବୁ କାନରେ ଟିକିଏ ଟିକିଏ ବାଜୁଥାଏ। ଏହି ପ୍ରହସନଟା ବେଶ୍ କିଛି ଦିନ ଧରି ଚାଲିଲା ପରେ ଅସଲ ବେଳାଟା ଆସିଲା। ଗଣେଶ ପୂଜା ଦିନ ମଞ୍ଚସ୍ଥ ହେଲା ନାଟକ-ଗଣେଶ ଜନ୍ମ। ମନରେ ଭାରି ଉତ୍ସାହ ଓ ଥୋକେ କୌତୁହଳ। ନଟିଆ ମାନଙ୍କ ନାଟ ଦେଖିବାକୁ ମନ।
ଗାଁ ମାଇପ ଓ ମର୍ଦ୍ଦ କି ବହୁ ଲୋକଙ୍କ ସମାଗମ।
ପାଖ ଗାଁ ଶରତଟା ଗୋଟେ ବିଜି ଖେଚଡ଼ାଟେ। ଝିଅଙ୍କୁ ଦେଖି କ’ଣ ଗୋଟେ ଅବାଗିଆ କହିଦେଲା ଯେ, ତାକୁ ଆମ ଗାଁ ତଉଲା ଭାଇ ଗୋଟେ ସ୍କୁଲ ଘର ଭିତରେ ପୂରାଇ ତାଲା ପକାଇ ଦେଲା। ସକାଳ ହେବାରୁ ପୁଣି ସାତ ଖଣ୍ଡି ଗାଁରୁ ଭଦ୍ରଲୋକ ଆସିଲେ। ନ୍ୟାୟ ଦସ୍ତୁର ହେଲା। ତାକୁ କାଇଲି ମାଇଲି କରି ଯାଇଁ ଛାଡିଲେ। ସେ ବିଚରା କାନ୍ଦୁଣୁ ମାନ୍ଦୁଣୁ ହୋଇ ତା ଦଫା ନିକିଲି ଯାଇଥିଲା।
ଯାହା ବି କୁହନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ସେଇ ଆଲୋଚନାଟା ଆମ ସ୍କୁଲକୁ ହୁଲୁସ୍ତୁଲୁ କରି ରଖିଥିଲା।

ପାବଚ୍ଛ -7 ବାକି କଥା 

ମୁଁ କଣ ସବୁ କଥା କହି ସାରିଛି ନା ଆହୁରି ବହୁତ କଥା ଛାଡ଼ି ଯାଇଛି? ହଁ କିଛି କଥା ତ ନିଶ୍ଚୟ ଛାଡ଼ି ଥିବି । ଆମ ସ୍କୁଲରେ ଶିଶୁ ଦିବସ ଓ ଗୁରୁ ଦିବସଟା ବଡ଼ ଧୂମ୍ ଧାମ୍ ରେ ହୁଏ। ଭାରି ଭଲ ଲାଗେ। ଶିଶୁ ଦିବସରେ ସାର୍ ଆମକୁ ବୁନ୍ଦିଆ ଲଡୁ ଓ ଚକୋଲେଟ୍ ଦିଅନ୍ତି। ସେ କୋଉ ମାହାଳିଆରେ ଦିଅନ୍ତି ଯେ! ପୁଣି ଗୁରୁ ଦିବସ ହେଲେ ପରା ଆମେ ତାଙ୍କ ପାଇଁ ନୂଆ ପ୍ୟାଣ୍ଟ ସାର୍ଟ ନହେଲେ ଧୋତି ପଞ୍ଜାବୀ, ଚାଦର, କଲମ, ଡାଇରୀ ପୁଣି କେତେ କଥା ଦେଉନା! ସେଦିନ ଆମେ ସବୁ ଗୁରୁମାନଙ୍କୁ ଏକାବେଳେକେ
ବଗିଚାରେ ଧାଡ଼ି କରି ବସେଇ ଦେଉ। ଆମ ସମୂହ ଚାନ୍ଦାରୁ ଯାହା କିଛି ଉପହାରଟା ଆଗ ତାଙ୍କୁ ଦେଇ ଦେଉ। ତା’ପରେ ବ୍ୟକ୍ତିଗତ ମାନେ ସ୍ଵତନ୍ତ୍ର ଭାବେ ଯିଏ କିଛି ଦେଇ ପାରିଲା ସାରଙ୍କୁ ଗିଫ୍ଟ ଦେଇଥାଉ। ଅରୁଆ ଚାଉଳ, ଦୁବ, ଫୁଲ, ଚନ୍ଦନ, ସିନ୍ଦୁର ସବୁ ଲଗେଇ ଠାକୁର ଲାଗି ହେଲା ପରି ପୂଜା କରୁ। ତେବେ ଏଇ ସାର୍ ଗୁଡାକ କ’ ଣ ଆର ଜନ୍ମରେ ଦେବତା ଥିଲେ କି?ନା ଯେ! ହେଲେ ଦେବତା ଭଳିଆ-ଦେବୋପମ।କାରଣ ସେମାନେ ଯେଉଁ ବର୍ଷ ସାରା ଆମକୁ କଷ୍ଟ କରି ଏତେ ପାଠ ପଢ଼ାଉଛନ୍ତି। ଏଇ ବିଦ୍ୟା କେରାକ ପରା ଭଗବାନ। ବିଦ୍ୟା ବୁଦ୍ଧି ନଥିଲେ ସବୁ ଅସାର, ମଣିଷ କୁଆଡ଼େ ପଶୁତୁଲ୍ୟ ।ଆମେ ତାହେଲେ ପଶୁ ଆଉ ସେ ଦେବତା ? ହଁ ହେଇଥିବ। ତେଣୁ ତ ଆମ ପଶୁ ଗୁଡାଙ୍କୁ ପଢ଼େଇ ସେ ମଣିଷ କରି ଦିଅନ୍ତି। ଆଗ ତ ଆମେ ପଶୁ ପରିକା କେତେ ଅବାଣୀଆ ଓ ଅମଣିଆ ଥିଲୁ, ଏବେ କିନ୍ତୁ ସାର୍ ଆମକୁ କେତେ ବାଣୀଆ କରି ଦେଲେଣି। ହଁ.. ହଁ.. କଥାଟା ଠିକ୍, ଏ କଥାଟା ଟିକେ ମନକୁ ପାଇଲା। ସେଇଥି ପାଇଁ ପରା ଗୁରୁ ଦିବସରେ ଆମେ ଜଣଙ୍କ ପରେ ଜଣେ ମୁଣ୍ଡିଆ ମାରି କମ୍ ସେ କମ୍ ଶହେ ମୁଣ୍ଡିଆ ମାରୁ ଓ ଆଶିର୍ବାଦ ଟିକକ ହାତଉ।

ହେଲେ ଗୁରୁ ମାତା କାହିଁ ସେତେବେଳେ କେହି ଦେଖା ନଥିଲେ, ଏବେ ତ ଭାରି ହଳୀ ହୋଇ ଏ କ୍ଲାସ୍ ରୁମ୍ ସେ କ୍ଲାସ୍ ରୁମ୍ ହେଉଛନ୍ତି। ଓଃ.. ହୋ.. ସେତେବେଳେ ପରା ସମାଜ ଟିକେ ରକ୍ଷଣଶୀଳା ଥିଲା। ତେଣୁ ସେମାନେ ଅଳ୍ପ କେଉଁଠି କାଁ ଭାଁ ଥିଲେ। ଯାହା କୁହନ୍ତୁ ଏଇଟା ଭାରି ଅନ୍ୟାୟ। ମାନବ ସମ୍ବଳର ଅର୍ଦ୍ଧେକ ନାରୀ, ସେମାନେ କାହିଁକି ପଛରେ ରହିବେ ଯେ! ଯାହା ବି ହେଉ ଆମ ସମୟକୁ ଝିଅ ମାନେ କିନ୍ତୁ ପାଠ ପଢିଲେଣି। ରେଣୁକା, ପାର୍ବତୀ, ସୀତା ପ୍ରଭୃତି କେତେ ଝିଅ ପରା ଆମ ସାଙ୍ଗରେ ପଢୁଥିଲେ।ଛାଡ଼ ଏତେ କଥାରୁ ଆମେ କ’ଣ ପାଇବା, ଆମେ ଏଥର ଫେରିବା ଶିଶୁ ଦିବସ ପାଖକୁ।
ଗୁରୁ ଦିବସ ପରି ଶିଶୁ ଦିବସଟା ମଧ୍ଯ ଭାରି ଗୁରୁତ୍ୱପୂର୍ଣ୍ଣ ଥିଲା। ଏଇଦିନ ସାର୍ ମାନେ ମିଠେଇ ବାଣ୍ଟନ୍ତି। ଛୁଆମାନେ ଯେଣୁ ବାପା ମାଆଙ୍କୁ ଛାଡି ବହୁ ସମୟ ତାଙ୍କ ପାଖରେ ରହନ୍ତି, ସେ ବି ସେ ଦିନଟା ଟିକେ ବାପାମାଆ ରୋଲ୍ ଟା କରନ୍ତି। ଭାରି ଶ୍ରଦ୍ଧା କରନ୍ତି। ବଳେଇ ବଳେଇ ଖୁଆନ୍ତି ।ଗେହ୍ଲିଆ କଥା ବି କୁହନ୍ତି – “ଆରେ! ତୁ ଆଉ ଗୋଟେ ଖାଇବୁ କି, ତାକୁ ଆଉ ଗୋଟେ ଦିଅ”। ହେଲେ ବର୍ଷ ସାରା ସାର୍ ଯେଉଁ ଆମକୁ ବାଡ଼େଇ ଥାନ୍ତି, ସେ କ’ଣ ଏତିକିରେ ଶୁଝି ଗଲା କି? ମୁଁ ତେଣୁ କହେ – “ସାର୍! ମୁଁ ବର୍ଷ ସାରା ବହୁତ ମାଡ଼ ଖାଇଛି, ମୋର ତେଣୁ ଟିକେ ଅଧିକା ମିଠା”। ସାର୍ ହସି ପକାନ୍ତି। କହନ୍ତି – “ଚଗଲାଟା, ତୋର ଦୁଷ୍ଟାମୀ କେଉଁ ଦିନ ଯିବରେ! ହୋଉ ତୁ ଏକାବେଳେକେ ଚାରିଟା ମିଠା ଧର! ହେଲେ ଏ ବର୍ଷ ମନ ଦେଇ ପାଠ ପଢିବୁ”।
ଏଇ ଦିଟା ଉତ୍ସବରେ ଆମ ସ୍କୁଲରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ହୁଏ। କିନ୍ତୁ ତା ଭିତରେ ବକ୍ତୃତା ପ୍ରତିଯୋଗୀତାଟା ମେନ୍। ଏହି ବକ୍ତୃତା ପ୍ରତିଯୋଗୀତାଟା ସାଧାରଣତଃ ଗୁରୁ, ଶିଷ୍ୟ ଓ ବିଦ୍ୟାଳୟ ସମ୍ଵନ୍ଧୀୟ କିଛି ଟପିକ୍ ହୋଇଥାଏ। ଏଇ ଯେମିତି ଉତ୍ତମ ଛାତ୍ର ଓ ଉତ୍ତମ ଗୁରୁ, କାହିଁକି ଆମେ ପଢିବା ଉଚିତ୍, ଛାତ୍ର ଜୀବନର ଲକ୍ଷ୍ୟ କ’ଣ, ଦେଶ ଗଠନରେ ଛାତ୍ରର ଭୂମିକା, ଆଜିର ଛାତ୍ର କାଲିର ଭବିଷ୍ୟତ, ଗୁରୁ ଓ ଛାତ୍ରର ସମ୍ପର୍କ, ଇତ୍ୟାଦି। ଏଇ କଥା ଗୁଡାକ ଶୁଣିବାକୁ ଭାରି ଭଲ ଲାଗେ। ଏଥିପାଇଁ ପରା ଆମେ ଆଗତୁରା ଗାଁର ବଡ଼ ଅପା ଓ ଭାଇଙ୍କଠାରୁ ଲେଖେଇ ଆଣି ଘୋଷି ରଖିଥାଉ। କେହି କେହି ଯାହା ଘୋଷି ଥାନ୍ତି, ତାହା କମା ଓ ଫୁଲଷ୍ଟପ୍ ପାଖରେ ନଅଟକି ଅନର୍ଗଳ କହି ପକାନ୍ତି।ଆଉ କେହିକେହି କହୁକହୁ ପାଟି ଖନି ମାରି ନେଇ ଯାଏ, ତେଣୁ ଖାଲି ପାଟି ପାକୁ ପାକୁ କରନ୍ତି ।
ସେ କହନ୍ତି-” ହେଟ୍! ବସ, next ” । ମୁଁ କିନ୍ତୁ ଫଡଫଡ ହୋଇ ଯାହା ସେଦିନ ମନକୁ ଆସିଲା ଉଗାଳି ପକାଇଲି। ସେଇଥିରେ କେମିତି ଫାଷ୍ଟ ହେଲି କେଜାଣି? ମୁଁ କିନ୍ତୁ ମୋଟେ ଡରିଲି ନାହିଁ, ଯାହା ଆମ ସ୍କୁଲରେ ପ୍ରତ୍ୟେହ ଘଟେ ସେଇଗୁଡ଼ାକ ସବୁ କହିଦେଲି । ଏହି ବାସ୍ତବବାଦୀ ଦୃଷ୍ଟିକୋଣ ଓ ସ୍ମାର୍ଟନେସ୍ ଯୋଗୁଁ ବୋଧେ ମୋତେ ପୁରସ୍କାର ଦେଲେ।ହଁ.. ଏଇଟା ବକ୍ତୃତା ପାଇଁ ଗୋଟେ ଭଲ ଗୁଣ ନୂହେଁ କି? ଯାହା ବି ହେଉ ସେଦିନ ଇସ୍ କି ଖୁସି! ମଣିଷ ପିଲାକୁ ଏଇ ସାବାସୀଟା ବୋଧେ ବହୁତ ଦରକାର। କାହିଁକିନା ତା’ପର ଠାରୁ ମୁଁ ଲକ୍ଷ୍ୟ କରିଛି, ମୁଁ ଯେମିତି ଡଗଡଗ ହୋଇ ଖାଲି ଆଗକୁ ମାଡ଼ି ଚାଲିଲି ।ଯେକୌଣସି ଜିନିଷରେ ମଣିଷ ଟିକେ ଫାଷ୍ଟ ହୋଇଗଲେ ତା ଭିତରେ ଗୋଟେ ଆତ୍ମ ପ୍ରତ୍ୟୟ ନିଶ୍ଚିତ ଭାବେ ବଢିଯାଏ। ତେଣୁ ତ ସେ ସବୁଥିରେ ଉତ୍ତମ ପ୍ରଦର୍ଶନ ପାଇଁ ସେଇଠୁ ପ୍ରେରଣା ଟିକକ ପାଇଯାଏ। ମୁଁ ପରା ମୋ କେସ୍ ରୁ ଏ କଥାଟା ଦେଖିଛି। ତେବେ ଇଂରାଜୀ ମିଡ଼ିଅମ଼ ସ୍କୁଲରେ ମାଷ୍ଟରମାନେ ଯେମିତି Very good, thank you, well done, go head କହନ୍ତି ଆମ ଓଡ଼ିଆ ମିଡିୟମରେ – “ହେଟ୍, ତୁ ପାରିବୁ ନାହିଁ, ବୋକାଟା, ତୋ ଦ୍ଵାରା ପାଠ ହେବ ନାହିଁ”, ଏମିତି ସବୁ କାହିଁକି କୁହନ୍ତି କୁହନି? ଏଗୁଡାକ ସବୁ ଭଲ କଥା ନୂହେଁ। ଏମିତି ସବୁ କହିଲେ ପରା ପିଲାଟା ମନରୁ ଆତ୍ମ ବିଶ୍ବାସ ତୁଟି ଯିବ, ସେ ଆଗକୁ ନବଢ଼ି ପଛକୁ ହଟିବ। ଆମର ସତରେ କର୍ତ୍ତବ୍ଯ ହେବା ଉଚିତ୍ ଆମେ ତାକୁ ବଢାବା ଦେବା, ତେଣିକି ସେ ତା’ର ଯେଉଁଠି ପହଞ୍ଚୁଛି ପହଞ୍ଚୁ।
ସେ ଯାହା ହେଉ, ସେଦିନ ଆଉ ପାଠ ପଢାଟା ନଥିବାରୁ ମନଟା ଭାରି ହାଲକା ଥାଏ। ତେଣୁ ଡିଆଁକୁଦା ଓ ଥଟ୍ଟାମଜ୍ଜା ଯେତିକି ହେବା କଥା ସବୁ ହେଲା, ସମୟଟା କେଉଁ ବାଟେ ଚାଲିଗଲା ଆଦୌ ଜାଣି ହେଲା ନାହିଁ।
ଆମ ସ୍କୁଲରେ ସଫେଇ କାମଟା ଓ ବଗିଚା କାମଟା ବି ହୁଏ। ସେଇଟାର ଆନନ୍ଦ ଟିକିଏ ନିଆରା। ଆମେ ସବୁ ଛୁଆ ଏକାଠି ହୋଇ ବଗିଚା କାମ ଓ ସଫେଇ କାମ ସବୁ କରୁ। ଏଇଟା କରିବା ଦ୍ୱାରା ଆମ ମନ ଭିତରେ ଏମିତି ଗୋଟେ ପ୍ରଭାବ ପଡିଥିଲା ଯେ, ଆମେ ବି ଆମ ବାଡ଼ି ବଗିଚାରେ ଫୁଲ ଗଛ ଲଗେଇବା ଓ ସଫା ସୁତର କରିବା ଶିଖି ଯାଇଥିଲୁ। ବହି ପତର ଏଣିକି ସଜାଡି ରଖିବା ଶିଖି ଗଲୁଣି। ପ୍ରତ୍ୟେହ ନଖ କାଟିବା ଓ ସଫା ଲୁଗା ପିନ୍ଧିବା ଉପରେ ବି ସାର୍ ଗୁରୁତ୍ଵ ଦେଇଥାନ୍ତି। ଏହିପରି ସ୍କୁଲରେ ନିଆ ଯାଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମର ଯେମିତି ଗୋଟେ ସୁଦୂର ପ୍ରସାରୀ ପ୍ରଭାବ ଥିଲା, ସେ କଥାଟା ଆମେ ସେତେବେଳେ ଭଲ କି ହୃଦୟଙ୍ଗମ କରି ନପାରିଥିଲେ ହେଁ, ଏବେ ସବୁ ବୁଝି ପାରୁଛୁ। ତେଣୁ ଜୟ ମୋ ସ୍କୁଲ୍, ଜୟ ମୋ ବିଦ୍ୟାରମ୍ଭର ପ୍ରଥମ ପର୍ଯ୍ୟାୟ। ଜୟ ହୋ!

ପାବଚ୍ଛ – 8 ଯାତ୍ରା ଦେଖା 

ଧିରେ ଧିରେ ଟିକେ ବୋଧେ ଆମର ବିଦ୍ୟା, ବୁଦ୍ଧି oyଅକଲ ସବୁ ଆସି ଯାଇଥିଲା। ତେଣୁ ଆମେ ବଡ଼ ହେବାକୁ ଲାଗିଲୁ। କ୍ରମଶଃ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାଡି ଆମେ ଦଳକ ଚାଲି ଆସିଥିଲୁ ମଧ୍ୟ ଇଂରାଜୀ ସ୍କୁଲକୁ। ଅବଶ୍ୟ ସେଇ ଏକା ସ୍କୁଲର ହତା ଭିତରେ ଏଇ ସ୍କୁଲଟାଯାକ ଚାଲିଥିଲା ଓ ଆମର ସମସ୍ତ କାର୍ଯ୍ଯକ୍ରମ ମଧ୍ଯ ପ୍ରାୟତଃ ମିଶିକି ହେଉଥାଏ ।
ହେଲେ ପ୍ରାଥମିକ ବିଦ୍ୟାଳୟ ସାରି ଆମେ ଯେତେବେଳେ ଏମ୍. ଇ. ସ୍କୁଲରେ ପାଠ ପଢିବା ଆରମ୍ଭ କଲୁ, ସେତେବେଳେ ମନରେ ଟିକିଏ ବଡ଼ପଣ ଆସି ଯାଇଥିଲା ଯେ, ଆମେ ଏବେ ବଡ଼ କ୍ଲାସର । ତେଣୁ ଛୋଟ ପିଲାଙ୍କ ଉପରେ ଟିକିଏ ଆଧିପତ୍ୟ ବିସ୍ତାର କରିବା ଓ ଭଲ ମନ୍ଦରେ ଆକଟ କରି ବଡ଼ ପଣଟା ଜାହିର୍ କରିବା ଆରମ୍ଭ ହୋଇ ଯାଇଥିଲା। ଏଣିକି ବିଦ୍ୟାଳୟର ସମସ୍ତ କାର୍ଯ୍ୟର ନେତୃତ୍ୱ ଆମ ପାଖକୁ ଆସି ଯାଇଥିଲା। ଆମ ଗାଁ ଛାଡ଼ି ବହୁ ବାହାର ଗାଁ ଛୁଆ ବି ମଧ୍ୟ ଏଠିକୁ ଏଣିକି ପାଠ ପଢିବାକୁ ଆସିଲେଣି। ତେଣୁ ବିବିଧ ସଂସ୍କୃତି ଓ ସଭ୍ୟତାର ସଂସର୍ଗ କାରଣରୁ ଆମର ଆଚାରଗତ ବ୍ୟବହାରରେ ବିବିଧତା ପରିଲକ୍ଷିତ ହେଲା। ହେଲେ ଆମେ ପୁରୁଣା ଛୁଆ ହୋଇଥିବାରୁ ଆମ ଖାତିରିଟା ଆମ ସ୍କୁଲରେ ଟିକିଏ ବେଶୀ। ଏଣୁ ସବୁ କଥାରେ ଆମେ ଆଗ ଡାକରା।
ଏଇ ଏମ୍. ଇ. ସ୍କୁଲରେ ହଷ୍ଟେଲଟା ବି ଚାଲେ। କିଛି ବାହାର ଗାଁ ଛୁଆ ଏଠି ରହନ୍ତି। ଗଣେଶ ସାର୍ ଏଠାକାର ସୁପରିଣ୍ଟେଣ୍ଡେଣ୍ଟ। ଆମେ ସବୁ ରାତିରେ ପଢି ଘରକୁ ଫେରିଯାଉ। ଦିନେ ଦିନେ ଘରେ କହି ସ୍କୁଲରେ ଭୋଜି କରୁ ଆଉ ରହି ବି ଯାଉ।
ଦିନକର କାହାଣୀ ।ସେଦିନ ଶୁକ୍ରବାର ହୋଇଥାଏ।
ଏକା ବେଲକେ ପାଖ ଗାଁ ତରାଗୋର ତିନି ସାହିରେ ତିନି ବରୋଦା ଗଣେଶ ମେଢ଼ ଆଗରେ ବାଦୀ (competition) ଯାତ୍ରା ହେଉଥିଲା। ଆମେ ସବୁ ପାଠ ପଢି ଭୋଜି କରି ଖାଇଲୁ ଓ ସ୍କୁଲ ହଷ୍ଟେଲ୍ ରେ ସେଦିନ ଶୋଇଲୁ। ଉଦ୍ଦେଶ୍ୟ କିନ୍ତୁ ଆମର ଭିନ୍ନ୍ ପ୍ରକାରର। କାରଣ ବାପାମାଆ ରାତିରେ ଯାତ୍ରା ଦେଖିବାକୁ ଛାଡିବେ ନାହିଁ। ତେଣୁ ବାହାନା କରି ସ୍କୁଲରେ ରହିଲୁ।ଏଠି ବି ଗଣେଶ ମାଷ୍ଟରର ତାଗିଦ୍। ତେଣୁ ସେ ଜାଣିବେ କାହିଁକି, ସାର୍ ଶୋଇ ପଡିଲା ପରେ ଜଣଙ୍କ ପରେ ଜଣେ ଲୁଚି ଖସି ପଳେଇଲେ କାମ ଶେଷ। ସେୟା ହେଲା। ସାର୍ ଙ୍କୁ ଯେତେବେଳେ ନିଦଟା ଘୋଟି ଆସିଲା, ସେ ଘୁଙ୍ଗୁଡ଼ି ମାରିଲେ। ଆମେ ଶୁଙ୍ଗୁରା ମାରି ପାଖ ରୁମ୍ ରୁ ଉଠି ଆସିଲୁ। ରୁମଟାର କବାଟ ଥିରିକିନା ଆଉଜେଇ ଦେଇ ସମସ୍ତେ ତରାଗୋ ଧିରେ ଖସିଗଲୁ।ହେଲେ କୋଉଠି ସ୍ଥିର ହୋଇ ଯାତ୍ରା ଦେଖିବୁ କିଛି ସ୍ଥିର କରି ପାରିଲୁ ନାହିଁ। କେତେବେଳେ ମାଲଡିହ ସାହି ତ କେତେବେଳେ ହାଟ ଉପରେ ପୁଣି କେତେବେଳେ ବରଜି ସାହିରେ। ଏଇମିତି ତିନି ନଅଟ ହୋଇ ତିନି ଯାଗାଯାକ ଏକାବେଳେକେ ଦୌଡାଦୌଡ଼ି ହୋଇ ଯାତ୍ରା ଦେଖୁଥିଲୁ। ଯେଉଁଠି ଟିକେ ଫାଇଟିଂ ସିନ୍ ର ବାଜାଟା ବାଜୁଥାଏ ଆମେ ଆଗ ସେଇଠିକୁ ଦୌଡ଼ି ପଳାଉଥାଉ ମେଞ୍ଚେ ଛୁଆ ।କେହି କାହା ଜଣଙ୍କ ନିଷ୍ପତ୍ତି ମାନିଲେ ସିନା ହୁଅନ୍ତା? ମୁନି ଗୋଟାକୁ ମତ ଗୋଟେ। ତେଣୁ ରାତି ସାରା ମୁଗୁରା ମୁହଁ ମେଲା, ତେଣିକି ମାଛ ନା ଫାଛ। ସେହିପରି ଆମେ ରାତି ସାରା ଅନିଦ୍ର ହେଲୁ ସତ, ହେଲେ କେଉଁଠି ଗୋଟେ ଯାଗା ଶାନ୍ତିରେ ଯାତ୍ରା ଦେଖି ପାରିଲୁ ନାହିଁ, ଯଦିଓ ଆମେ ସମସ୍ତେ ଭାରି ଫାଇଟିଂ ପ୍ରିୟ ।କାରଣ ସେଠି ଯାଇ ପହଞ୍ଚିଲା ବେଳକୁ ଫାଇଟିଂଟା ସେଠୁ ସରି ଯାଇଥାଏ, ତେଣୁ ପୁଣି ଅନ୍ୟତ୍ର ଚାଲି ଯାଉଥାଉ। ହେଲେ ସବୁ ନିଷ୍ଫଳ ଯାଉଥାଏ ।ଶେଷରେ ରାତି ପାହି ଗଲାରୁ ମନ ଫେଣ୍ଡ୍ରା କରି ସମସ୍ତେ ସ୍କୁଲ ଫେରିଲୁ।। ଏପଟେ ସେଦିନ ଶନିବାର ଥିବାରୁ ସକାଳିଆ କ୍ଲାସ୍। ତେଣୁ ସାର୍ ଜଲଦି ଉଠି ଖୋଜାଖୋଜି କଲା ବେଳକୁ ଆମେ ନାହୁଁ । ସାର୍ ଙ୍କ ହାବଭାବ ଦେଖି ଆମେ ଆଉ ସମସ୍ତେ ସ୍କୁଲ ନଯାଇ ଜଣକୁ ପଠାଇଲୁ କହି – “ଯାଆ! ଚୁପକିନା ଗାମୁଛା କେଇ ଖଣ୍ଡ ନେଇ ଆସିବୁ। ସାର୍ ପଚାରିଲେ କହିବୁ -” ଆଜି ସମସ୍ତେ ରେବ ନଈରେ ଗାଧୋଇବାକୁ ମନ କଲେ ତ, ସେଇଥିପାଇଁ ନଈକୁ ଗାଧୋଇ ଯାଇଛନ୍ତି। ମୁଁ ଗାମୁଛାଟା ଛାଡ଼ି ଯାଇଥିଲି ନେବାକୁ ଆସିଛି “। ସାର୍ କହିଲେ -” କହ! ସମସ୍ତେ ଝଅଟ ଫେରିବେ, କ୍ଲାସ୍ ଟାଇମ୍ ହୋଇ ଗଲାଣି, ନହେଲେ ହେଡ୍ ମାଷ୍ଟର ଆସିଲେ ପାଟି କରିବେ “। ଆମେ ତେଣୁ କିଏ ଗାମୁଛା ପାଲଟି ହୋଇ ନତୁବା କେହି ଲଙ୍ଗଳା ହୋଇ ଚଟାପଟ ଗାଧୋଇ ବା ଧୋଇଧୁଆ ହୋଇ ସଅଳ ଫେରି ଆସିଲୁ। ହେଲେ ହେଡ୍ ମାଷ୍ଟର ସୁବାସ ସାର୍ ଙ୍କ ହାବୁଡରେ ପଡିଗଲାଠୁଁ ସେ କବଲେଇକି ପଚାରିଲେ। କହିଲେ -” ଶୀତ ଦିନରେ ପୁଣି ଭୋର୍ ସମୟରୁ ନଈକୁ ଗାଧୋଇ ଯିବାକୁ ତୁମର କେମିତି ମନ ହେଲା, ତୁମେ ଆଉ ମିଛ କହୁ ନାହଁ ତ ? କିଛି ଗୋଟେ ତୁମେ ନିଶ୍ଚୟ ଛୁପାଊଛ ।ସତକଥାଟା ତୁମ ଭିତରେ କିଏ ଜାଣିଛି, କହି ଦିଅ, ନହେଲେ କରବୀର ଛଡିରେ ଏଇଲାଗେ ପିଟି ପକାଇବି।

ଯେମିତି କରବୀର ଛଡି କଥା ଶୁଣିଛି, ଟେରୁଆଟା ଛେରୁଆଟେ।ପାହାରେ ଖଣ୍ଡ ଖାଇଛି କି ନାହିଁ, କହିଲା – “ନାଇଁ ସାର୍ ନାଇଁ ସାର୍ ମାରନ୍ତୁ ନାହିଁ ସାର୍ ମୁଁ ସତ କଥା କହିମି। ସତ କଥା ହେଉଛି, କହିମିନା ସାର୍! ଆମେ ତରାଗୋ ଯାତ୍ରା ଦେଖି ଯାଇଥିଲୁ। ମୋର କିଛି ଦୋଷ ନାହିଁ, ସମସ୍ତେ ଡାକିଲେ”। ସାର୍ କହିଲେ – “ହୁଁ, ମୁଁ ଜାଣିଛି ପରା! ଦଳଟାଯାକ ଯାଇଛ ମାନେ କିଛିନା କିଛି ଗୋଟେ ରହସ୍ୟ ନିଶ୍ଚୟ ଥିବ। ସମସ୍ତେ ଆଣ୍ଠାଅ, ନହେଲେ ଏଇ ଲାଗେ ମାଡ ବର୍ଷିବ। ଆଉ କି କେହି ବିଳମ୍ବ କରେ, ସମସ୍ତେ ଧଡଧାଡ ଆଣ୍ଠେଇ ପଡ଼ିଲେ। ସାର୍ କହିଲେ – “ତୁମେ ତ ପାଠ ପଢିବାକୁ ଆସିଛ, ତୁମର ଏତେ ରଙ୍ଗବାଜି କ’ଣ ପାଇଁକି ବେ ? କ’ଣ ସ୍କୁଲକୁ ବଦନାମ୍ କରିବ? ଆଉ ଥରେ ଏମିତିକା ଯଦି କରିଛ, ତୁମ ପିଠିରୁ ଛାଲ ଖୋଲିଦେବି”। ସେତିକିରେ ସେଦିନର ଯାତ୍ରା ଦେଖା ନିଶା ଭାଙ୍ଗି ଗଲା।

ଭାଗ 9 ସିଗାରେଟ୍ 

ନଖିଆଟା ଆମ ଭିତରେ ଭାରି ବଦମାସ୍। ସେଦିନ ସେଇ ଯାତ୍ରା ଦେଖିଲା ବେଳେ ଗୋଟେ ସିଗାରେଟ୍ ପ୍ୟାକେଟ୍, ସେ ଅଣ୍ଟିରେ ପୂରେଇ ଲୁଚେଇ ଆଣିଥିଲା। କହିଲା – “ଦେଖିଛି, ମୋ ବୁଢ଼ାବାଆ passing show, No10 ଓ North Pull ସିଗାରେଟ୍ ଟାଣେ ।ଆମେ ଦେଖିବା ଏଇଟା କେମିତି ଲାଗେ, ତେଣୁ ସବୁ ଥରେ ଥରେ ଟାଣି ସ୍ୱାଦ ଚାଖିବା। ମଣିଷ ମନ ତ ସ୍ୱତଃ ଅନୁସନ୍ଧିତ୍ସୁ। ତେଣୁ ସବୁ ଜିନିଷକୁ ଜାଣିବାର ଇଛା ତା ଭିତରେ ବଳବତ୍ତର। ତାକୁ ପରଖି ନିରେଖି ଦେଖିବାର ତା ଭିତରେ କୌତୁହଳବୋଧ । ଆମେ ବି ତ ବଡ଼ ଜିଜ୍ଞାସୁ। ଭଲମନ୍ଦର ବିଚାର ନକରି ସବୁ ଗୁଡ଼ାକୁ ଏକାବେଳେକେ ଜାଣିଯିବାକୁ ଆମର ପ୍ରବଳ ଇଚ୍ଛା, ତେଣୁ ତା କଥାରେ ହଁ ଭରିଲୁ। ହେଲେ ଏଠି ଟାଣିଲେ କିଏ ଯଦି ଦେଖି ଦେଇ ଘରେ କହିଦେଲା? ତେବେ ଘରେ ମାରିବେ ତ ମାରିବେ ସାର୍ ପୁଣି ଦିଟା ଚଢ଼େଇବେ। ତେଣୁ ନିଷ୍ପତ୍ତି ହେଲା ଯେ, ଏଇଟା ଏବେ ଥାଉ, କେତେବେଳେ ସୁଯୋଗ ଦେଖି ସମସ୍ତେ ଟାଣିବା। କିନ୍ତୁ ଥରେ ନିଶ୍ଚୟ ଟେଷ୍ଟ୍ କରିବା , ଏଇଟା କେମିତି ଲାଗୁଛି ।
ଯାହା ବି ହେଉ ସାର୍ ଙ୍କ ମାଡ ଓ ସକାଳ ଓଳି ଆଣ୍ଠେଇବା କଥା ଦେଖି ଆମେ ଏ କଥାଟା ପାଶୋରି ଯାଇଥିଲୁ। କିନ୍ତୁ ଉପର ଓଳା ଚାରିଟା ବାଜିଲା କ୍ଷଣି ସେ ଆମକୁ ଡାକି ନେଲା। ଗୋଟେ ବିଲବଣ ଆଡକୁ ଆମେ ଚାଲିଲୁ। ସେଠାକାର ପରିବେଶ ଏକାନ୍ତ ନିରୋଳା। କେଇଟା କାଙ୍କଡ ଗଛ, କ୍ଷୀରି କୋଳି ଓ କାଇଁଚ କାକୁଡିର ଲତା କୁଞ୍ଜ। ଗୋଟେ ଯୋଡ଼େ ବଡ଼ ପଳାଶ ଓ ଟୋଲ ଗଛ। ତାରି ଭିତରେ ଯାଇ ଛପିକି ବସି ପଡ଼ିଲୁ। ମୋଟ ଚାରି ଜଣ ଥିଲୁ। ଆଗ ଟିକେ ଚାରିଆଡକୁ ନଜର ବୁଲେଇ ଆଣିଲୁ। ଦେଖିଲୁ କେହି ପାଖଆଖରେ ନାହିଁ, ତେଣୁ ସିଗାରେଟ୍ ଖୋଲିଲୁ ।ସମସ୍ତେ ସଟକେ ସଟକେ ଟାଣିଲୁ ।ଗୋଟେ ଯାତ୍ରା ଷ୍ଟାଇଲରେ ସିଗାରେଟ୍ ଟାଣି କିଛି ନାକ ବାଟେ ଓ କିଛି ପାଟି ବାଟେ ଟାଣିଲୁ।ହାଉସା ଖୋଲି ଗଲା ପରି ଧୂଆଁ ଗୁଡ଼ାକ ବଡ ଜୋହରରେ ବାହାରୁଥାଏ। ନିଜକୁ ଲାଗୁଥାଏ ପୂରା stylistic ହିରୋ ।ମନରେ ଟିକିଏ ବଡପଣ ଭରି ଆସିଲା ବେଳକୁ ଅଜଣା ଭୟ ଓ ଆଶଙ୍କା ମନକୁ ମଧ୍ଯ ଆଚ୍ଛାଦିତ କରୁଥିଲା। ଖାଲି ଲାଗୁଥିଲା କେହି ଦେଖି ପକାଇଲେ କି? ପୁଣି ଏଇ ସିଗାରେଟଟା ଟାଣି ଘୁଲର ମୁଣ୍ଡ ଘୂରାଇ ଦେଲା ଯେ, ସେ ଅଛାଟ ହୋଇ ତଳେ ପଡିଗଲା। ଆମେ ଆହୁରି ଡରି ଗଲୁ। ପାଖରେ ତ ପାଣି ନାହିଁ, ତେଣୁ ନୀର ଦୌଡ଼ି ଯାଇ ତା ଗାମୁଛା ବୁଡାଇ ଗୋଟେ ଖାଲରୁ ପାଣି ଆଣିଲା , ସେଇଟା ତା ମୁହଁରେ ଚିପୁଡ଼ି ଦେବାରୁ ସେ ଟିକେ ହୋସ୍ ନେଲା। ସେଇଠୁ ବଳକା ସିଗାରେଟ ଫିଗାରେଟ ସେଇଠି ଫିଙ୍ଗି ଦେଇ ଆମେ ଫେରି ଆସିଲୁ।
ହେଲେ ଏ କଥା ଆଉ ଯୋଉ ଦିଟା ଜାଣିଥିଲେ ସେ ଆଇଲା ବେଳକୁ ଆମେ ସବୁ ଫିଙ୍ଗା ଫିଙ୍ଗି କରି ପଳେଇ ଆସିଲୁଣି। ତେଣୁ ତାଙ୍କର ଆମ ଉପରେ ଭାରି ରାଗ ହେଲା। ସେମାନେ ସୁଯୋଗ ଦେଖି ନଖିଆ ବୁଢ଼ାବାଆକୁ କହିଦେଲେ। କହିଲେ – ” ଆଲୋ ବିଡି କଣ ଟାଣୁଛୁ କି ଲୋ ବୁଢ଼ା ବାଆ! ଯାଉନୁ ନଖିଆକୁ ମାଗିବୁ, ସେ ତୋତେ passing show ସିଗାରେଟ୍ ଦେବ। କାଲି ଯାତ୍ରାରୁ କିଣି ଆଣି ଅଣ୍ଟିରେ ଧରି ବୁଲୁଛି” । ଏକଥା ଶୁଣୁ ସେ ମନେମନେ ଥିଲା। ସୋମ ବାର ଯେତେବେଳେ ହେଲା ଓ ହେଡ୍ ମାଷ୍ଟର ତାଙ୍କ ଦାଣ୍ଡ ଦେଇ ଗଲେ ସେ ଯଗିକି ଥିଲା। ଏ କଥାଟା କହିଦେଲା। କହିଲା -” ଆମ ନଖିଆଟା କିଛି ଖରାପ ଛୁଆଙ୍କ ବୁଦ୍ଧିରେ ପଡି ଶୁଣୁଛି କ’ଣ ସିଗାରେଟ୍ ଖାଉଛି। ଟିକିଏ ଦେଖିବେଟି! ନହେଲେ ଛୁଆ ଗୁଡ଼ାକ ସବୁ ବିଗିଡି ଯିବେ”।ସାର୍ କହିଲେ – “ହଉ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ସେମାନଙ୍କ କଥା ବୁଝୁଛି”।
ଏଥର ସାର୍ ରାଗି କି ସ୍କୁଲ ଆସିଲେ। ଖାଲି ତୁମ୍ଭି ତୋଫାନ୍ ହେଲେ। କହିଲେ ଏ ଛୁଆ ଗୁଡାକ ଆଉ ପଦଗଦ ମାନୁ ନାହାଁନ୍ତି, ପୂରା ବେମୁରିଆ ହୋଇ ଗଲେଣି। ଆଜି ତୁମର ଦିନେକୁ ମୋର ପାଳିଏ। ଦେଖିବି ତୁମେ କେତେ ବଦମାସୀ ହୋଇ ଶିଖିଛ” । କପିଳ ମଉସା ପିଅନକୁ କହିଲେ-” ମୋଟା ମୋଟା କିଛି ଡଙ୍ଗୀ ଛଡି କାଟିକି ଆଣ” । ଆମେ ଦେଖି ସବୁ ଠାରଠୁର ହେଉଥିଲୁ ସିନା ହେଲେ ଘଟଣାଟା କିଛି ବୁଝି ପାରୁ ନଥିଲୁ। ମନେମନେ ଭାବୁଥିଲୁ-” ତୁଚ୍ଛାଟାରେ ଏ ସୁବାସ ମାଷ୍ଟରଟା
ଏମିତି ରାଗୁଛି କାହିଁକି।ଯାହା ବି ହେଉ ଆଜି ଗୋଟେ ମାଡ ତଳେ ପଡ଼ିବ ନାହିଁ, ସବୁ ବୋଧେ ଆମ କପାଳରେ ଲେଖା ହୋଇଛି “।
ଏଥର ସାର୍ ବୀର ଦର୍ପରେ କ୍ଲାସ୍ ରୁମ୍ ଭିତରକୁ ପଶି ଗୋଟି ଗୋଟି କରି ସମସ୍ତଙ୍କୁ ପଚାରିଲେ – “କିଏ ସିଗାରେଟ୍ ଖାଇଛକିରେ ସତ କଥା ମାନି ଯାଅ”। କେହି ମାନିଲେ ନାହିଁ। ସମସ୍ତଙ୍କ ମୁହଁ ତଳକୁ। ଏଥରକ ସାର୍ କହିଲେ -” ପ୍ରତିଟି ଛୁଆ ଅନ୍ୟର ମୁହଁ ଶୁଂଘି କୁହ କାହା କାହା ମୁହଁ ଧୂଆଁଳିଆ ବାସୁଛି, ଯିଏ କହିବ କାହାରି ମୁହଁ ଧୂଆଁଳିଆ ବାସୁ ନାହିଁ, ତାହେଲେ ତା ନିଜ ମୁହଁ ଧୂଆଁଳିଆ ବାସୁଛି ବୋଲି ଆମେ ଧରି ନେବା” ।
ଅନ୍ୟ ସମସ୍ତ କାମକୁ ଆମେ ସିନା ଧୂରନ୍ଧର ହେଲେ ଏଇ ବୌଦ୍ଧିକ ପରୀକ୍ଷା ବେଳକୁ ଆମେ ଏକଦମ୍ ଫେଲ୍। ଆମେ ଭାବିଲୁ ଯଦି ଆମେ ଅନ୍ୟ କାହାର ମୁହଁ ଧୂଆଁଳିଆ ବାସୁଛି ବୋଲି ନକହିଲୁ ତାହେଲେ ନିଜ ଉପରେ ମାଡ ପଡ଼ିବ। ତେଣୁ ଗୋଟେ ଉପାୟ ପାଞ୍ଚିଲୁ। ମୋ ପାଳି ଯେତେବେଳେ ପଡିଲା, ମୁଁ ଅନ୍ୟ ସମସ୍ତଙ୍କ ମୁହଁ ଶୁଙ୍ଘି କହିଲି – “ସାର୍! ଇଆ ମୁହଁ ଧୂଆଁଳିଆ ବାସୁଛି, ସାର୍ ଇଆ ମୁହଁ ବି” । ସେଇଠୁ ସମସ୍ତେ ସମସ୍ତଙ୍କ ମୁହଁ ଧୂଆଁଳିଆ ବାସୁଛି ବୋଲି ନାରା ଲାଗିଲା। ଏବେ ସାର୍ ଭୀଷଣ ରାଗି ଗଲେ। କହିଲେ – କ’ଣ ହେଲା! ସମସ୍ତଙ୍କ ମୁହଁ ଧୂଆଁଳିଆ ବାସୁଛି? ମୋତେ କଣ ଓଲା ଭାବିଲ କିରେ! ହଉ ଦେଖିବା! ସତ କଥା କେମିତି ବାହାରିବ ନାହିଁ”। ସମସ୍ତଙ୍କୁ ଗୋରୁଗାଈ ପିଟିଲା ପରି ବାଡ଼େଇ ପକେଇଲେ।କୁଣ୍ଡା ମାଡ ଦେଖି କୋଳଥ ଚୋପା ହେଲା ପରି ଏଥର ସତ କଥାଟା ଆପେ ଆପେ ପାଟିରୁ ବାହାରି ପଡିଲା। ସାର୍ ବି ଆମ ସହିତ ମିଶି ସେଦିନ ବହେ କାନ୍ଦିଲେ। କହିଲେ ମୁଁ ଆଉ ତୁମକୁ ଶାସନ କରିବି ନାହିଁ, ତେଣିକି ତୁମେ ଯାହା କରୁଛ କର। ବଡ଼ ପିଲା ହେଲଣି, ଯଦି ତୁମର ଏ ଯାଏଁ ବୁଦ୍ଧି ଉଦୟ ହେଲା ନାହିଁ, ମୁଁ ଆଉ କ’ଣ କରିବି? ତେଣିକି ତୁମେ ତୁମର ଇଚ୍ଛାରେ ଚାଲ । କାରଣ ଅତି କହିବାଟା କହିବା ନୂହେଁ।”। ସେଦିନ ସାର୍ ଙ୍କ ଭାବାବେଗ ସହ ଆମେ ସମସ୍ତେ ଅଧିର ହୋଇ ସାରଙ୍କ ପାଦ ଛୁଇଁ ନିୟମ କଲୁ ଯେ, ଆଉ ଏମିତି କିଛି କରିବୁ ନାହିଁ, ଯେମିତିକି ସାରଙ୍କୁ କେହି ଅଭିଯୋଗ କରିବେ ଓ ସ୍କୁଲ ବଦନାମୀ ହେବ”। ସମସ୍ତେ ହୋ ହୋ ହୋଇ କହିଲେ – “ହଁ.. ହଁ ଆମେ ଏଣିକି ସ୍କୁଲର ଟେକ ରଖିବା ଆଉ ମନ ଦେଇ ପାଠ ପଢିବା”।

ପାବଚ୍ଛ – 10 ଡିଆଁ ଖୋଳା

ଏଇମିତି ଏଇମିତି ଆସି ଆମର ସପ୍ତମ ଶ୍ରେଣୀ ଧରିଲା। ସେଇ ବର୍ଷ ପ୍ରଥମ କରି ସରକାର ବୋର୍ଡ ପରୀକ୍ଷା ଲଗାଇଥାନ୍ତି। ତେଣୁ ବୋର୍ଡ ପରୀକ୍ଷା ଗୋଟେ କ’ଣ ଆମେ ଭଲ କି ଜାଣି ନଥିଲେ ମଧ୍ୟ ମନ ଅନେକ ରକମର ଭୟ ପାଉଥିଲା।ଏଥର କୁଆଡ଼େ ଆମ ସ୍କୁଲରେ ସପ୍ତମ ଶ୍ରେଣୀ ବାର୍ଷିକ ପରିକ୍ଷାଟା ନହୋଇ ଛଅ କିଲୋ ମିଟର ଦୂରରେ ଥିବା ମଞ୍ଜୁରୀ ରୋଡ଼ ହାଇ ସ୍କୁଲରେ ପରୀକ୍ଷାଟା ହେବ। ତେଣୁ ଅଭିଭାବକଠାରୁ ଗୁରୁଜୀ ଯାଏଁ ସମସ୍ତେ ତତ୍ପରତା ପ୍ରକାଶ କରୁଥାନ୍ତି। କେମିତି ସବୁ ଛୁଆ ଏକାଥରକେ ପାସ୍ କରିଯିବେ, ସେଇ ଚିନ୍ତାଟା ସମସ୍ତଙ୍କୁ ଘାରିଥାଏ। ସ୍ଥିର ହେଲା, ନଭେମ୍ବର ମାସରୁ ପରୀକ୍ଷା ଯାଏଁ ସପ୍ତମ ଶ୍ରେଣୀ ଛୁଆ ସ୍କୁଲ ରେ ରହିବେ । ରହିଲେ କ’ଣ ହେବ କି, ରାତିରେ ସାର୍ ମାନେ ପାଳି କରି ଅଧିକା କିଛି ରାତି 9/10 ଯାଏଁ ପଢେଇବ ।ଭୋରଭୋର ସମୟରେ ଗଣେଶ ସାର୍ ବିଛଣାରୁ ଡାକି ଦେବେ, ସେମାନେ ଘଣ୍ଟାଏ /ଦୁଇ ଘଣ୍ଟା ନିଜେ ପଢିବେ। ଝିଅ ଛୁଆମାନଙ୍କୁ ପଢି ସାରିଲା ପରେ ସେମାନଙ୍କ ଅଭିଭାବକମାନେ ଆସି ରାତିରେ ଘରକୁ ନେଇ ଯିବେ।
ସେୟା ହେଲା। ରାତିରେ ଆମେ ସ୍କୁଲରେ ମସିଣା ବିଛେଇ ଦେଇ, ସବୁ ଯୋଡିଯାଡି ସାଙ୍ଗ ହୋଇ ଶୋଉ ଓ ସାଙ୍ଗ ସୁଙ୍ଗାରେ ସବୁ କଥା କରୁ। ହେଲେ ହଗୁରାଟା ସବୁଦିନେ ବିଛଣାରେ ମୂତି ଦିଏ। ତେଣୁ ସେଇଟା ବଡ଼ ସମସ୍ୟା ହେଲା। ତାକୁ ଅଲଗା ଗୋଟେ କୋଣରେ ଶୁଆଇ ଦିଆଯାଏ ଓ କେତେ ତାଗିଦ୍ ମଧ୍ୟ କରାଯାଏ- “ଆଜି ଯେମିତି ନ ମୁତୁ” । କିନ୍ତୁ ଯେଉଁ କଥାକୁ ସେଇ କଥା।ଏଣିକି ପ୍ରତିଦିନ ସାର୍ ତାକୁ ଉଠାଇ ତା ନିଜ ହାତରେ ତା କପଡା ଓ ମସିଣା ଧୂଆ କରାଇ ଶୁଖାନ୍ତି। ତା ଶୋଇବା ଯାଗାଟା ମଧ୍ଯ ସେ ଗୋବର ପକାଇ ନିଜେ ଲିପେ। ଏଇମିତି କିଛି ଦିନ କଲା ପରେ ତା ମୁତିବା ଅଭ୍ୟାସଟା ଧିରେ ଛାଡି ଯାଇଥିଲା। କିନ୍ତୁ କ୍ଲାସ୍ ରୁମ୍ ରେ ଝିଅ ଛୁଆ ଗୁଡାକ ତାକୁ ବେଶୀ ଚିଡାନ୍ତି, କହି – “ହଗୁରା ମୁତୁରା, ମୁତୁରା ହଗୁରା, ଭାରି ସୁଧାର ପିଲା “। ସେ ଚିଡି କି ମାରେ କି ନମାରେ ହୁଏ।
ଏଇ ସମୟରେ କିନ୍ତୁ ସବୁଠାରୁ ମଜାଦାର ବିଷୟ ଥିଲା, ଡିଆଁ ବସେଇ ମାଛ ଧରିବା। ଆମ ସ୍କୁଲକୁ ଲାଗି ଗୋଟେ ବଡ଼ ପୋଖରୀ ଥାଏ। ତା ନାଁ ତାଳ ପୋଖରୀ। କେହି କେହି ବି ଏହାକୁ ରାଣୀ ପୋଖରୀ କହନ୍ତି। ଭାରି ବଡ଼ ପୋଖରୀଟା। ମାଛ ଯେ ମାଛ ଅସୁମାରି ମାଛ ତାଠେଇଁ ଥାନ୍ତି। ସେ ପୋଖରୀକୁ ଗୋଟେ ପଟେ ବିଲପାଣି ପଶେ ଓ ଅନ୍ୟ ପଟେ ପାଣି ବାହାରେ। ସେଇ ନାଳଟା ଆମ ସ୍କୁଲ ହତା ଦେଇ ଯାଇଥାଏ। ସେଥିରେ ଅହରହ ବିଭିନ୍ନ୍ ପ୍ରକାର ମାଛ ଚାଲିଥାନ୍ତି। ଆମେ ବେଳେବେଳେ ସେଇଟାକୁ ଉପର ମୁଣ୍ଡରୁ ବନ୍ଧେଇ ଦେଇ ରାତିରେ ମାଛ ଧରି ଆଣି ସ୍କୁଲ ପିଅନକୁ ଦେଉ। ସେ ରାନ୍ଧି ଦେଲେ ସମସ୍ତେ ଖୁସିରେ ଖାଉ। ଭାରି ମଜା ହୁଏ, କିନ୍ତୁ କାଦୁଅ ପାଣିରେ ସରସର୍ ହୋଇ ଯାଉଥିବାରୁ ଦେହ ଖରାପ ହେବ ଭାବି ସାର୍ ବଡ଼ ବିରକ୍ତ ହୁଅନ୍ତି। ଆଉ ଦିନେ ଆମେ ସାରଙ୍କୁ ନକହି କଳମ କାଠିରେ ରଶି ବାନ୍ଧି ଦୁଇଟା ପାତିଆ ତିଆରି କରି, ଦୁଇ ପାଖରେ ଦୁଇଟା ଥୋଇ ମଝିରେ ହାଣ୍ଡିଟେ ପୋତିଦେଲୁ। ଏଥର ଡିଆଁ ପ୍ରସ୍ତୁତ ହୋଇଗଲା। ପ୍ରତିଦିନ ସେଇ ହାଣ୍ଡିରେ ଡେଇଁ କିଲେ ଦୁଇ କିଲୋ ମାଛ ପଡ଼ନ୍ତି। ଆମେ ଖୁସିରେ ଧରି ଆଣି ଖାଉ। ସାର୍ ଆଗ ପାଟି କରୁଥିଲେ, ହେଲେ ଏବେ ମାଛ ଦେଖି ଆଉ ବିଶେଷ ପାଟି କରନ୍ତି ନାହିଁ। ଯାହା ହେଲେ ବି ଆମର ଟିକେ ବାତରାମି ରହେ, କାରଣ ଆମେ ସବୁ ପରା ଚଗଲା ପିଲା।

ପାବଚ୍ଛ 11 କଲି ଟଣା ମାଷ୍ଟର 

ଆମେ ଯେଉଁ ସମୟରେ ହଷ୍ଟେଲରେ ରହୁଥିଲୁ ସେଇ ସମୟରେ ଅନ୍ୟ ଦୂର ଦୂରାନ୍ତ ସାର୍ ମଧ୍ୟ ବେଳେବେଳେ ରହିଯାଆନ୍ତି, ଯେଉଁ ମାନଙ୍କର ରାତିକୁ ଆମର କୋଚିଂ କ୍ଲାସ୍ ଥାଏ । ସେଦିନ ପଦୁ ସାର୍ ଓ କଲି ଟଣା ନିରଞ୍ଜନ ସାର୍ ମଧ୍ଯ ରାତିରେ ରହିଲେ।
ସେହି ରାତିରେ କୁକୁଡା ମାଂସ ରନ୍ଧା ହୋଇଥିଲା। ଆମେ ଗାଁରେ ଯାଇ ବୁଲିବୁଲିକା ଦେଶୀ କୁକୁଡା ସଂଗ୍ରହ କରି ଆଣିଥିଲୁ। ଭାରି ବଢିଆ ଟେଷ୍ଟ୍ ହୋଇଥିଲା। ସମସ୍ତେ ମହାଆନନ୍ଦରେ ପେଟେ ପେଟେ ଖାଇ ନିଘୋଡ଼ ନିଦରେ ଶୋଇ ଯାଇଥିଲୁ। ଗୋଟେ ରୁମ୍ ରେ ସେ ପଦୁ ମାଷ୍ଟର ଓ ନିରଞ୍ଜନ ମାଷ୍ଟର ସାଙ୍ଗ ହୋଇ ଶୋଇଲେ। ରାତିରେ ତାଙ୍କର କ’ଣ ହେଲା କେଜାଣି, କାଳେ ଜଣେ ଆଉ ଜଣଙ୍କ ଗାଲକୁ ଠୋ କିନା ଚାପୁଡ଼ାଏ କଷି ଦେଲା ।ତା’ ପରେ ଇଏ ବି ତା ଗାଲକୁ ଠୋ କିନା ଗୋଟେ ଦେଲା ।ସେଇଠୁ ସେମାନେ ପରସ୍ପର ଛାଇ ପତାପତି ହେଲେ। ଧସ୍ତାଧସ୍ତି ହୋଇ ଉଭୟ ବାହାରକୁ ଚାଲି ଆସିଲେ। ଇଏ ତା ବାହୁ ଦୁଇଟାକୁ ଓ ସେ ଇଆ ବହୁ ଦୁଇଟାକୁ ଜୋହର୍ କରି ଭିଡ଼ି କି ଧରି ନେଇଥାନ୍ତି। ଯେମିତି କେହି ହଲିଚଳି ପାରିବେ ନାହିଁ କି କବଜାରୁ ଫିଟି ଜଣେ ଅନ୍ୟ ଜଣଙ୍କୁ ସହଜରେ ଆକ୍ରମଣ କରି ପାରିବେ ନାହିଁ । ଇଏ ତାକୁ ଓ ସେ ୟାକୁ ନାକରେ ଗୁଣୁଗୁଣୁ ହୋଇ କଥା କହୁଥାନ୍ତି – “ମୋତେ ମାରିବୁ ମାର ଦେଖି!”
ଏହିପରି ଠେଲାପେଲା ହୋଇ ସେମାନେ ଗାଁ ମଝି ଯାଏଁ କେଯାଏଁ ବାଟ ଆସି ଗଲେଣି ଯେ, ନିଜକୁ ନିଜେ କିଛି ଜାଣି ପାରୁ ନଥାନ୍ତି । ଶୀତ ଦିନ ରାତିଟାରେ ବି ସେମାନଙ୍କ ଦେହରୁ ପରା ଗମଗମ ହୋଇ ଝାଳ ବୋହୁଥାଏ ଓ ଆଞ୍ଚୁଡା କାଞ୍ଚୁଡା ହୋଇ କେତେ ଲହୁଲୁହାଣ ହେଲେଣି।
ରାତିରେ ପାଗଳା ବାଆ ବାହାରକୁ ପରିଶ୍ରା ଉଠିଥିଲା। ସେ କୁଆଡେ ୟାଙ୍କୁ ଦେଖି ଜାଣି ଦେଲା ଯେ ଏମାନଙ୍କୁ ଖପୀଶ ମାଡ଼ି ବସିଛି । କାରଣ ପ୍ରଥମେ ପ୍ରଥମେ ସେ ଯେତେବେଳେ ଏମାନଙ୍କୁ ଦାଲକିଲା” କିଏ କିଏ” ବୋଲି ଏ ଦୁଇ ଜଣଯାକ କିଛି କହିଲେ ନାହିଁ। ପାଖକୁ ଆସି ଚିହ୍ନି ପକାଇଲାକୁ ପରିସ୍ରା କରି ତାଙ୍କ ଉପରକୁ ଛାଟିଦେଲା। ସେଇଠି ସେମାନେ ବେହୋସ୍ ହୋଇ ତଳେ ପଡିଗଲେ। ଗାଁ ଲୋକମାନେ ସବୁ ପାଟି ଶୁଣି ରୁଣ୍ଡ ହୋଇଗଲା ପରେ ପାଣି ଛାଟି ହୋସ୍ କୁ ଆଣିଲେ ।ଚେତା ପଶିଲା ପରେ କହିଲେ – “ଆମର କ’ଣ ହେଲା ଆମେ କିଛି ଜାଣି ପାରି ନାହୁଁ । କେବଳ ଲାଗିଲା ସେ ମୋତେ ମାରି ଦେବାକୁ ଚାହୁଁଛନ୍ତି ଓ ମୁଁ ତେଣୁ ତାକୁ, ହେଲେ ଏମିତି କେମିତି ହେଲା ବୋଲି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥାନ୍ତି। କାରଣ ଉଭୟ ଖୁବ୍ ଭଲ ସାଙ୍ଗ। ସେମାନଙ୍କ ଭିତରେ ଏଭଳି ଦୁର୍ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଉଥିଲା। ସେହିଦିନ ଠାରୁ ଆମେ ଛୁଆ କେହି ଆଉ ରାତିରେ ଏକୁଟିଆ କେବେ ଉଠୁ ନାହୁଁ। ଉଠିଲେ ବି ସମସ୍ତେ ଡକାଡକି ହୋଇ ପଞ୍ଝାକଯାକ ଏକାଥରକେ ଉଠୁ। ପାଗଳା ବାଆ କହୁଥିଲା ଏଇଟା କୁଆଡ଼େ ଖପୀଶ ମାନଙ୍କର କାଣ୍ଡ ଓ କାରନାମା।
ହେଲେ ଏ ଗଣେଶ ମାଷ୍ଟରଟା ନିଜେ ଭୂତଟା କି? ସେ ଆଗରୁ ଏକୁଟିଆଟା କେମିତି ରହେ କେଜାଣି? ସେ ତ ବାରମାସି ଆଠ କାହାଳୀ ଏଇଠି ଏମିତି ଏକୁଟିଆ ପଡିରହେ ।
ଏହି ପଦୁ ମାଷ୍ଟରଟା ସମସ୍ତଙ୍କ ଭିତରେ ଭାରି ଶାନ୍ତ ଶିଷ୍ଠ। ସେ ଜମାରୁ ମାରେ ନାହିଁ, ସମସ୍ତଙ୍କୁ ଭାରି ଗେହ୍ଲ କରେ। ସାହିତ୍ୟ ପଢାଏ ଓ ଚିତ୍ରାଙ୍କନ ମଧ୍ଯ ଶିଖାଏ।କିରିକିରି ହୋଇ ହସି କଥା କୁହେ। ପିଲାମାନେ ତେଣୁ ତାଙ୍କୁ ମୋଟେ ମାନନ୍ତିନି, ସେ ସମସ୍ତଙ୍କ ସହ ସାଙ୍ଗ ଭଳିଆ ମିଶି ଯାଆନ୍ତି।
କିନ୍ତୁ ନିରଞ୍ଜନ ସାର୍ ଙ୍କୁ ଦେଖିଲେ ଲୁଗାରେ ମୂତ ପଡିଯାଏ। ସେଇ ସାର୍ ଟା ଜମାରୁ ଡାଙ୍ଗରେ ପିଟିବ ନାହିଁ।ଖାଲି ସଦାବେଳେ କହିବ-” ଡାଙ୍ଗରେ ପିଟିଲେ ଦେହରେ ଦାଗ ବସିଯିବ। ଘରେ ଦେଖିଲେ ବାପାମାଆମାନେ ତାନତୋଡ଼ ଦେଖାଇବେ। ତେଣୁ ନା ରହିବ ଚିହ୍ନବର୍ଣ୍ଣ କିଛି ନା ଲାଗିବ ପାଲା। ହେଲେ ଧନମଣିରେ! ଟିକିଏ ପାଖକୁ ଆସିଲୁ ।କ’ଣ ପଢିବାକୁ ଇଚ୍ଛା ହେଉ ନଥିଲା ନା ଖେଳିବାକୁ ସମୟ ନିଅଣ୍ଟ ହେଲା?ନା ସାର୍ ପଢ଼େଇ ପାରିଲେ ନାହିଁ?ନା କାଲି ରାତିରେ ସମୁଦ୍ରକୁ ନିଆଁ ଲିଭାଇବାକୁ ଯାଇଥିଲୁ? ହଁ ଯାଇଥିବ ତୁ ସାହସୀ ପିଲାଟା ତ! ” ଏଇମିତି ଗେହ୍ଲିଆ କଥା କହୁଥିବେ, ସୁଲେଇ ସୁଲେଇ କଲି ଟଣୁଥିବେ, ଧିରେଧିରେ ପଚାରୁଥିବେ -” କ’ ଣ ପାଠ ଗୁଡ଼ାକ ମନେ ପଡୁଛିନା, ନା ଆଉ ଟିକିଏ କାନରେ ଗିୟର ଦେବି” । ଆମେ ଆଃ.. ଆଃ.. ହେଉଥିବୁ, ସେ କହୁଥିବେ -” ହଁ.. ହଁ.. ଆଉ ଟିକେ ମନେ ପକାଅ, ମୁଁ ଜାଣିଛି ପରା ଏଥର ପାଠଗୁଡାକ ସବୁ ମନେ ପଡିଯିବ” । ମଝିରେ ମଝିରେ ଯେତେବେଳେ ଜୋହର୍ କରି କଲିଟା ଟାଣି ଦେଉଥିବେ ଆମ ଦେହରୁ ସେତେବେଳେ ପରା ପ୍ରାଣବାୟୁଟା ଉଡି ଯାଉଥାଏ। ତେଣୁ ତାଙ୍କ ପାଠ ଗୁଡାକ ଆମେ ଅନର୍ଗଳ ମୁଖସ୍ଥ କରି ପକାଉ, ନହେଲେ ସେଦିନ ଦଶା ବୋଉଳିଲା ବୋଲି ଜାଣ!
ସେଇ ସାରଟାକୁ ତେଣୁ ‘କଲି ଟେକା ଇଂରାଜୀ ମାଷ୍ଟର’ ଆମେ କହୁ। ତାଙ୍କୁ ଦେଖିଲେ ସମସ୍ତେ ଚୁପ୍। ସେ ଭାରି ଶୃଙ୍ଖଳା ଖୋଜନ୍ତି। ତାଙ୍କ ପାଇଁ ସବୁ ଜିନିଷ ଟିପଟପ ଥିବା ଦରକାର, ନହେଲେ ସେ ପୂରା ସାଇଜ୍ କରି ଦିଅନ୍ତି। ନିଜେ ତ କଂଶାବେଲାରେ ଗରମ ପାଣି ଥୋଇ ଆଇରନ୍ ଦିଆ ପୂରା ପିନ୍ ପିନ୍ ଡ୍ରେସ୍ ପିନ୍ଧିକି ଆସନ୍ତି, ଆମକୁ ବି କହିବେ-” ଡ୍ରେସ୍ ପରିଷ୍କାର ପରିଛନ୍ନ କରି ପିନ୍ଧିବ, କେଉଁଠି ଯେମିତି ଭାଙ୍ଗ କି କୁଞ୍ଚ ଟିକେ ପଡି ନଥିବ। ସଫା ସୁତର ହୋଇ ଗାଧୋଇବ, ନଖ କାଟିବ। ଠିକ୍ ସେ ଦାନ୍ତ ଘସିବ।ବହି ପତ୍ର ସଜାଡି ରଖିବ” । ସେ କହନ୍ତି – “ମନ ଓ ଶରୀର ପରିଷ୍କାର ନହେଲେ ପାଠ ବି ପରିଷ୍କାର ହୁଏ ନାହିଁ “। ଆଧିକାଂଶ ସମୟରେ ସେ କିଛି ମହାପୁରୁଷ ବା ଭଲ ଉପାଖ୍ୟାନଟିଏ ନିଶ୍ଚୟ କହିବେ ଯହିଁରୁ ଅନେକ କିଛି ଶିଖି ହେବ ବା ଜୀବନ ଉପରେ ତା’ର ଗୋଟେ ସୁଦୂର ପ୍ରସାରୀ ପ୍ରଭାବ ଅନୁଭୂତ ହେବ। ସେ ସାର୍ ଟା ସତରେ ଗୋଟେ ପାଠୁଆ ମାଷ୍ଟର ଓ ଜ୍ଞାନୀ ସୁଜ୍ଞାନୀ ପୁରୁଷ। ତା କଥା ଗୁଡ଼ାକର ଉପାଦେୟତା ଏବେବି ଅନୁଭବ କରିହୁଏ। ତେଣୁ ତାଙ୍କ ପାଠଟା ଆଗୁଆ ସମସ୍ତେ କରି ରଖିଥାନ୍ତି, ନହେଲେ କଲି ମୋଡ଼ା ତ ନିଶ୍ଚୟ ହେବ।
ସେହି ସାର୍ ଙ୍କ କଥା ଓ କାର୍ଯ୍ୟ କରିବାର ଶୈଳୀ ଏତେ ପ୍ରଭାବଶାଳୀ ଥିଲା ଯେ, ଯେମିତି ହେଲେ ଆମେ ତାଙ୍କ ପଢାଉଥିବା ବିଷୟରେ ହାଇଏଷ୍ଟ ମାର୍କ ରଖିଥିବୁ। କାରଣ ସେ ଭଲ ମାନେ ବହୁତ ଭଲ ପଢାନ୍ତି ଓ କାହାର କୋଉଠି ଅସୁବିଧା ରହିଲା ସବୁ ଟିକି ନିଖି ବୁଝନ୍ତି। ଗାଁ ଲୋକ ମାନଙ୍କୁ ମଧ୍ଯ ଭଲମନ୍ଦରେ ଉତ୍ତମ ପରମର୍ଶ ଦେଇଥାନ୍ତି। ଯାହା କୁହନ୍ତୁ ସେ ଜଣେ ଆଦର୍ଶ ଶିକ୍ଷକ। ହେଲେ ଆମେ ସବୁ ଛୁଆ ଅହରହ ଠାକୁରଙ୍କୁ ଡାକୁ-“ସେ କେମିତି ଝଅଟ ବଦଳି ହୋଇ ଏ ସ୍କୁଲ ଛାଡ଼ି ପଳାନ୍ତେ କି” । ଏତେ ନୀତି ନିୟମରେ କଷଟି ଭିତରେ କିଏ ସେ ରହିବ କହୁ ନାହାନ୍ତି?
ସତକୁ ସତ, କିଛି ଦିନ ପରେ ସେ ଗୋଟେ ବଡ଼ ଚାକିରୀ ପାଇବାରୁ ଆମ ସ୍କୁଲ ଛାଡ଼ି ଦେଲେ। ସେଦିନ ତାଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହେଲା। ସଭାରେ ସମସ୍ତେ ବେଶ୍ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଲେ। ପରିବେଶ ବେଶ୍ ବିଷାଦିତ ଥିଲା। ସେଦିନ ମୁଁ ଜାଣିଗଲି ସମସ୍ତେ ଆମେ ତାଙ୍କୁ ଖୁବ୍ ଭଲ ପାଉଥିଲୁ ବୋଲି। ସମସ୍ତେ ତାଙ୍କୁ ଝୁରି ହେଉଥିଲୁ, ଆଖି ଆପଣା ଛାଏଁ ଛଳଛଳ ହୋଇ ଯାଉଥାଏ। ମନରେ ସିନା ଟିକେ ଭୟ ଥିଲା, ହେଲେ ତାଙ୍କ ଆଦର୍ଶ, ନୀତି ନିୟମ ଓ ପାଠ ପଢା – ସବୁ କଥା ଭଲ ଥିଲା। ତେଣୁ ତାଙ୍କ ପ୍ରତି ହୃଦୟରେ ଭଲ ପାଇବା ନିଶ୍ଚିତ ଭାବେ ଲୁକାୟିତ ହୋଇ ରହିଥାଏ। ସିଏ ବି ପିଲାମାନଙ୍କୁ ଧରି କେତେ ସେଦିନ କାନ୍ଦିଲେ। ଗଲାବେଳେ କାହାକୁ ଚୁମାଟିଏ ଦେଲେ ତ କାହାକୁ କାଖେଇ ପକାଇଲେ। ପୁଣି କୋଳକୁ ଟାଣି ନେଇ କେତେ କଥା କହିଲେ। କହିଲେ – “ଯାହା ବି ହେଉ ସମସ୍ତେ ମନ ଦେଇ ପାଠ ପଢିବ। ମୁଁ ଯେମିତି ଶୁଣିବି ମୋ ଛାତ୍ରଛାତ୍ରୀମାନେ ଖୁବ୍ ଭଲ ମଣିଷ ହୋଇଛନ୍ତି” । ସେଦିନ ଏକ ଶୋକାକୁଳ ପରିବେଶ ଭିତରେ ସାର୍ ଆମ ଗହଣରୁ ବିଦାୟ ନେଇଥିଲେ। ହେଲେ ଆମ ଚେତନାର ମାନସ ପଟରେ ଏବେ ବି ତାଙ୍କ କଥାଟା ଯେମିତି ଚିହିଙ୍କି ଉଠି ଉଙ୍କି ମାରେ।

ପାବଚ୍ଛ 12ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା

ପାଠ ଆଉ ପରୀକ୍ଷା ଏ ଦୁଇଟା ଯାଆଁଳା ଭାଇ, ତେଣୁ ଦୁଇ ଜଣଙ୍କ ଭିତରେ ଭାରି ନିବିଡ଼ ସମ୍ପର୍କ। ଫଳରେ ଜଣଙ୍କୁ ଛାଡ଼ି ଆନ ଜଣକ ଦଣ୍ଡେ ବଞ୍ଚି ପାରେ ନାହିଁ। ସେଇଥିପାଇଁ ପରା ଆମେ ଯେତେଯେତେ ପଢୁଥାଉ ସେତେସେତେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥାଉ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଯେଣୁ ନିହାତି ଜରୁରୀ,ଅଧ୍ୟୟନଟା ତହୁଁ ବଳି ଶ୍ରେୟସ୍କର ।ଏହା ହିଁ ତ ଛାତ୍ର ଜୀବନର ମୁଖ୍ୟ ଆୟୁଧ।
ଆମେ ଜୀବନରେ ଆଦୌ ପରୀକ୍ଷା ଯେ ଦେଇ ନଥାଉ ତାହା ନୂହେଁ,ବରଂ ମାସିକ ଷାଡେମାସିକ ଓ ବାର୍ଷିକ ଏହିପରି ପରା କେତେ ପରୀକ୍ଷା ଦେଇଛୁ। ହେଲେ ଏଇ ବୋର୍ଡ ପରୀକ୍ଷାଟା ଟିକେ ଶୁଣିବାକୁ କାହିଁ ନୂଆ ନୂଆ ଲାଗୁଥାଏ । ତେଣୁ ତ ମନରେ ଅଜଣା ଡରଟା ପଶି ପେଟ ଆଡୁ ହାବୁକା ଉଠାଉଥାଏ। ଯାହା ବି ହେଉ ଏଇ ମାଇନର ଗୁଳ ଖଣ୍ଡକ ଡେଇଁ ପଡ଼ିଲେ ସିନା ଆମର ମ୍ୟାଟ୍ରିକ ହୋଇଯିବ, ଯେଉଁ ସ୍ଵପ୍ନ ଗଣ୍ଡାକ ଆମ ବୁଢୀ ମାଆ ଦେଖିଥିଲା। ତେଣୁ ଶୁଆବସା ଆଉ ନାହିଁ, ପରୀକ୍ଷାଟା ନ ସରିଲା ଯାଏଁ ମୁଣ୍ଡଟା ପୂରା ଭାରୀ ଭାରୀ ଲାଗୁଥାଏ।
ବୋର୍ଡ ପରୀକ୍ଷା ପାଇଁ ଏଣିକି ଡିଟେଲ୍ ସିଡୁଲ ଓ ଟାଇମ୍ ଟେବୁଲ୍ ତଥା ସେଣ୍ଟର ଘୋଷଣା ହୋଇଗଲା। ସାର୍ ଆଗତୁରା ଯାଇ ମଞ୍ଜୁରୀ ରୋଡ଼ ଷ୍ଟେସନକୁ ଲାଗିଥିବା ଗୋଲକ ସା ଘର ଖଣ୍ଡକ ଭଡାରେ ନେଲେ। ସେଇଠି ଆମେ ପରୀକ୍ଷା ସରିଲା ଯାଏଁ ସପ୍ତାହେ କାଳ ରହିବୁ। ଆମର ସେଠି ମେସିଙ୍ଗ ହେବ। ଆମେ ଖାଇ ପିଇ ରହି ପରୀକ୍ଷା ଦେବୁ।
ମେସିଙ୍ଗ ବାବଦକୁ ଖାଇ ଖୋରାକି ଖର୍ଚ୍ଚ ବି ସାର୍ ନେଲେ। କେଇଟା ଟଙ୍କା ଓ ଚାଉଳ କେଇ ସେରକ ଚାନ୍ଦା। ସେତକ ବି କିଛି ଅଭିଭାବକଙ୍କୁ ବୋଝ, ଯେଣୁ ସେବର ଘର ପରିସ୍ଥିତି ଲୋକଙ୍କର ଏତେ ସ୍ଵଚ୍ଛଳ ନଥିଲା। ଆମକୁ କିନ୍ତୁ ବଡ଼ ବାହା ଘରିଆ ମନେ ହେଉଥାଏ , କାରଣ କିଛି ନହେଲେ ତ ନୂଆ ଯାଗାରେ ଗୋଟେ ନୂଆ ଅନୁଭୂତି ମିଳିବ। ଅବଶ୍ୟ ପରୀକ୍ଷା ଚିନ୍ତାଟା ତ ରହିବା କଥା ତା ମଧ୍ୟ ରହୁଥିଲା।
ଆମେ ସେଦିନ ସବୁ ଛୁଆ ଗାଁରେ ଯେତେ ଠାକୁର ଓ ଠାକୁରାଣୀ ମନ୍ଦିର ଅଛି ସବୁଠି ଗେଣ୍ଡୁ ନନାକୁ ଡାକି ଭୋଗରାଗ କରି, ମୁଣ୍ଡରେ ସିନ୍ଦୁର ଗାରେ ଲେଖା ଲଗେଇଲୁ। ପୁଣି କଲମରୁ ସ୍ଯାହି ଖୋଲି ଟିକେ ଟିକେ ଢାଳି – “ମାଆଲୋ! ପରୀକ୍ଷାରେ ନିର୍ଦ୍ଵନ୍ଦରେ ପାସ୍ କରେଇ ଦେବୁ” ବୋଲି କହି ଦେଇ ଆସିଲୁ। ଆମ ଗାଁ ବୁଡି ଯାଗୁଳେଇ, ହିଙ୍ଗୁଳା, ମଙ୍ଗଳା ଓ କୀର୍ତ୍ତନ ଗୋସାଇଁଙ୍କର ଭାରି ପ୍ରତାପ। ଯାହା କହିଥିବ ସେୟା ହେବ – ଏ କଥା ଆମ ସ୍କୁଲ ଚେୟାରମ୍ଯାନ ଭାବ ଦାସ କହିଥିଲେ ପରା। ସାର୍ ବି ଏ କଥାଟାକୁ କେତେକାଂଶରେ ସମର୍ଥନ କରିଥିଲେ। ତେଣୁ ସେଦିନ ଆମେ ଠାକୁର ଠାକୁରାଣୀ ସହିତ ବାପାମାଆ, ଗୁରୁଜନ, ସାର୍ ଓ ଗାଁର ପ୍ରାୟ ଅଧେ ଲୋକଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲୁ।
ସିନ୍ଦୂର, ଚନ୍ଦନ, ଧୂପଦୀପ, ଗୁଗ୍ଗୁଳ, ଝୁଣା ଆଦି ଲାଗି କରାଗଲା ଓ ନଡ଼ିଆ, କଦଳୀ, କାକୁଡି,ଫଳମୂଳ ପ୍ରଭୁତିର ଭୋଗରାଗ ସବୁ ସଜଡା ଗଲା। ବସାଦହି, ମହୁ, ମିଶ୍ରି ପଡି ପଣା ବି ଦେଇ ଠାକୁରାଣୀ ଓ ଠାକୁରଙ୍କୁ ସନ୍ତୁଷ୍ଟ କରାଗଲା । ଏଥର ନନାଙ୍କୁ ପଚାରିଲୁ – “ଠାକୁରାଣୀ ଆମ ଉପରେ ସନ୍ତୁଷ୍ଟ ତ” ? ନନା କହିଲେ – “ହଁ ଯେ! ହେଲେ ଆଗ ଦକ୍ଷୀଣା ଦିଅ, ତା’ପରେ ଯାଇକି ସବୁ ଗୋଟି ଗୋଟି କରି କହିବି “। ନନାଙ୍କୁ ସବୁ ଛୁଆ ପାଞ୍ଚ ପଇସା ଦଶ ପଇସା କରି ଧରେଇ ଦେଲେ। ସେ ଜଣିଜଣିକା କରି ସମସ୍ତଙ୍କୁ କିଛିନା କିଛି ଭବିଷ୍ୟ ବାଣୀ ଶୁଣାଇଲେ। ଶେଷରେ କହିଲେ – “ହେଇ ଠାକୁରାଣୀ ତାଙ୍କ ମୁଣ୍ଡରୁ ମନ୍ଦାର ଫୁଲ ଖସାଇ ପକାଇଲେଣି। ତେଣୁ ତୁମେ ସବୁ ନିଶ୍ଚିତ ପାସ୍ କରି ଯିବ। ଆଉ ଚିନ୍ତା କର ନାହିଁ। କେବଳ ଯାହା ମନେ ପଡିଯିବ ଲେଖିଯିବ। କଲମ ଥୋଇ କି ବେଶୀ ସମୟ ଭାବି ହେବ ନାହିଁ।”
ଆମେ ସବୁ ସେୟା କଲୁ। ସମସ୍ତେ ପାସ୍ କରି ଗଲୁ, କେହି ବି ଫେଲ ହେଇ ନାହୁଁ ।ଇଏ ପରା ଠାକୁରାଣୀଙ୍କ କୃପା, କ’ଣ ଆଉ କିଛି ହୋଇଛି କି?
ଏବେ ଚୁଡାନ୍ତ ପର୍ବ। ଆମେ ଯେତେବେଳେ ମେସକୁ ଯିବା କଥା ଫାଇନାଲ ହେଲା, ଆମ ସାଙ୍ଗରେ ଜଣେ ଲେଖାଏଁ ଅଭିଭାବକ ଗୋଟେ ଟ୍ରଙ୍କରେ ବହିପତ୍ର ଓ ଲୁଗାପଟା କିଛି ତଥା ଲଣ୍ଠନ ଓ ବାସନ କୁସନ ଖଣ୍ଡେ ଦୁଇ ଖଣ୍ଡ ପୂରାଇ ଚାଲିଲେ। ଚୂଡ଼ା ଓ ମୁଡ଼ି ଛତୁଆ ଗୁଣ୍ଡ ବି ସାଙ୍ଗରେ ଧରିଥିଲେ। ସେଇ ମେସରେ ସେମାନେ ଆମକୁ ଛାଡି ହାତରେ ଟଙ୍କେ ଦୁଇ ଟଙ୍କା ହାତ ଖର୍ଚ୍ଚ ଦେଇ ଘରକୁ ଫେରି ଯାଇଥିଲେ।
ଆମର ଏବେ ମେସ ରହଣି। ଲଣ୍ଠନ ଲଗାଇ ପାଠ ପଢିଲୁ। ସାଙ୍ଗରେ ଦୁଇ ଜଣ ରୋଷେଇଆ ଯାଇଥାନ୍ତି। ଦୈନିକ ବଢିଆ ସୁସ୍ୱାଦିଷ୍ଟ ତିଅଣ ସବୁ ପ୍ରସ୍ତୁତ ହେଉଥାଏ । ପଢୁପଢୁ ଆମ ନାକରେ ବାସନା ବାଜିଲେ, ଆମେ କହୁ – “ସାର୍! ଭୋକ, ଆଉ ପଢି ହେବ ନାହିଁ, ପେଟ କାମୁଡି ଧରିଲାଣି”। ସାର୍ କହନ୍ତି – “ହଉ ବହିପତର ରଖ! ନନା ଏଥର ବାଢ଼!”
ତା’ପରେ ବହିପତ୍ର ସବୁ ଗୋଛେଇ ଥୋଇଦେଇ ଆମେ ଗୋଟିଏ ପଙ୍ଗଚରେ ବସିପଡି ଭୂରି ଭୋଜନ କରୁ। ମନରେ ଆନନ୍ଦ ଭରି ଉଠେ। ସକାଳ ହେଲେ ଗାଧୋଇ ପାଧୋଇ ଦିଅଁ ମନାସୀ ପରୀକ୍ଷା ହଲ୍ କୁ ବାହାରି ଯାଉ। ସମସ୍ତେ ସାଙ୍ଗସାଥି ଏକାଠି ହୋଇ ରହିବାର ବାହାର ଯାଗାରେ ଏ ଯେଉଁ ସୁବର୍ଣ୍ଣ ସୁଯୋଗ ଜୀବନରେ ପ୍ରଥମେ ମିଳିଥିଲା, ସେଥିସକାଶେ ମନ ଭାରି ଉଚ୍ଚାଟିତ ହୋଇ ଯାଉଥିଲା।
ଏହି ସମୟରେ ବଜାରଘାଟ ଓ ଲୋକବାକ ଦେଖି ଆମ ଆଖି ଟିକିଏ ଫେରି ଆସୁଥିଲା। ଆମେ ଆଖି ଫାଡ଼ି ଫାଡ଼ି ସବୁ କଥା ଦେଖୁଥାଉ। କେତେ ନୂଆନୂଆ ଅନୁଭବ ଓ ଅନୁଭୂତି ସବୁ ମିଳୁଥାଏ। ଷ୍ଟେସନଟା ଏକଦମ୍ ପାଖରେ ଥିବାରୁ ବହୁ ଲୋକ ଯାତାୟାତ କରୁଥାନ୍ତି। ଆମେ ବେଳେବେଳେ ଲୁଚି ଷ୍ଟେସନକୁ ପଳାଇ ଯାଇ ରେଳ ଗାଡିକୁ ପାଖରୁ ହାତ ମାରି ଦେଖିଥାଉ । ସାର୍ ଖୋଜିଲା ବେଳକୁ ଆମେ ନାହୁଁ। ତେଣୁ ଫେରିଲା ବେଳକୁ ଚଟ ଚଟକଣିଏ ମଧ୍ୟ ହୁଏ। ତା’ରି ଭିତରେ ଲୁଚିକି ବଜାରରୁ ବରାଟେ କି ପିଆଜିଟେ ଆଣି ଖାଉ। ସାର୍ କିନ୍ତୁ କହିଥାନ୍ତି – “ଯାହାର ଯାହା ଦରକାର ଉପର ଓଳା ଆମ ସାଙ୍ଗରେ ଥରେ ଯିବ। ଘୋଡାଘୋଡି ଭଳିଆ ସବୁ ବେଳେ ଦୌଡିବ ନାହିଁ, ବସିକି ପାଠ ପଢ଼” । ଆମେ କେଇ ଜଣ ସେ କଥା ମାନୁ ନଥାଉ। ଆମେ ଟିକିଏ extra ordinary ନହେଲେ, ଆମକୁ ଭଲ ଲାଗେ ନାହିଁ।
ଶ୍ରୀହରିଟା ଭାରି ଚଗଲା।ତା’ର ଖାଲି ଝିଅ ପିଲାଙ୍କୁ ହଇରାଣ କରିବା ମସୁଧା। କେତେବେଳେ ତାଙ୍କ ବହି ଲୁଚେଇ ଦେଇଥିବ ତ ପୁଣି କେତେବେଳେ ତାଙ୍କ ବିଛଣାକୁ ସବୁ ଓଲଟ ପାଲଟ କରି ଅସଜଡା କରି ଏଣେତେଣେ ଫିଙ୍ଗି ଦେଇଥିବ। ସେ ଖାଲି ଧମକାଉ ଥିବେ – “ଏ କିଏ କଲା ବେ! ସାର୍ ଙ୍କୁ ଏ କ୍ଷଣି କହିବୁ ନା, ଦେବେ ଯେ ଦିଟା ଗୁମୁକୁଟା ଏକାବେଳକେ ଠିକ୍ ହୋଇଯିବ। ତୁମ ପୁଅ ଛୁଆଙ୍କର ଆମ ଝିଅ ଛୁଆଙ୍କଠିଁ କି କାମ? “ଏ କଥା ଶୁଣି ପୁଅ ଛୁଆ ଗୁଡାକ ଖାଲି ହିଁ ହିଁ ହୋଇ ହସୁଥିବେ, ପୁଣି କିରେଇ କି କଥା ହେଉଥିବେ । ଏଇମିତି କେତେ ନାଟ ତାମସା ଯାଇଛି। ଥଟ୍ଟା ମଜ୍ଜା ଭାରି ହୁଏ।
ପରୀକ୍ଷା ଯେଉଁଦିନ ସରିଲା ସମସ୍ତେ ବେଡିଂ ମୁଣ୍ଡରେ ମୁଣ୍ଡେଇ ନାଚି ନାଚିକା ଘରକୁ ଫେରିଲୁ।ତେଣିକି ଖେଳକୁଦ ଓ ନାନାବାୟା ଗୀତ – ରେଜଲ୍ଟ ବାହାରିଲା ଯାଏଁ।

ପାବଚ୍ଛ 13 ମାଇଲ ଖୁଣ୍ଟ

ମାଇଲ ଖୁଣ୍ଟ ପରେ ମାଇଲ ଖୁଣ୍ଟ। ଜୀବନରେ ପରା କେତେ ମାଇଲ ଖୁଣ୍ଟ। ଏଥର ଜୀବନରେ କେତୋଟି ମାଇଲ ଖୁଣ୍ଟ ଅତିକ୍ରମ କରି ଆମେ ଆସି ମ୍ୟାଟ୍ରିକ ମାଇଲ ଖୁଣ୍ଟ ପାଖରେ ପହଞ୍ଚିଗଲୁଣି। ଏବେ ବି ଆମେ ଛୁଆ ଯେ, ହେଲେ ଟିକିଏ ବଡ଼ ଛୁଆ ବୋଲି ଲୋକେ କହିଲେଣି । ଇଂରାଜୀ ପଦେ ଅଧେ ତ ଶିଖିଲୁଣି ।ହିସାବ କିତାବ କ’ଣ ଜାଣି ଗଲୁଣି। ବଜାରଘାଟ ବି ଦିନେ ଅଧେ କଲୁଣି। ବାପା ପରା କହୁଥିଲେ ସେ ଆମ ବୟସର ହେଲା ବେଳକୁ ରାଜା ଓ ଜମିଦାର ସହିତ ଲଢିଲେଣି। ତେଣୁ ନିଶ୍ଚିତ ପକ୍ଷେ ପାରିବାର ପଣିଆଟା ଆମ ଭିତରେ ଉଙ୍କି ମାରି ଆସୁଥିଲା। ଆଉ ଛୋଟ ଛୁଆ ହୋଇ ବାପା ମାଆ ଉପରେ ଏତେଟା ନିର୍ଭର ନକରି, ଆମେ ନିଜ ନିଜ କାମ ଟିକିଏ କଲୁଣି। ବୁଦ୍ଧି ଅକଲ ବି କିଛି କମ୍ ନଥିଲା। ଭଲମନ୍ଦ ଭିତରେ ଫରକଟା କ’ଣ ଆମେ ଜାଣି ଦେଉଥାଉ। ସେଇଥି ପାଇଁ ପରା ଠାକୁବାଆ ଆମର ତା ବୁଢ଼ା ସାଙ୍ଗମାନଙ୍କୁ ଫୁଲେଇ ହୋଇ କହୁଥାଏ – “ନାତିଆ ମୋର ମ୍ୟାଟ୍ରିକ ପଢିଲାଣି”।
ଆମ ଗାଁରେ ସେତେବେଳେ ତ ହାଇ ସ୍କୁଲ ନଥାଏ। ଯାହା ଥାଏ ସବୁ ଦୂରରେ। ପାଖରେ ଯେଉଁ ଗୋଟେ ଅଧେ ଥାଏ, ସେଗୁଡାକ ସବୁ ନୂଆ। ତେଣୁ ସେଠାକାର ପାଠ ପଢା ନେଇ ମନ ବଡ଼ ସନ୍ଦିହାନ। ତଥାପି ପାଖରେ ଗୋଟେ କେହି ସ୍କୁଲ ହେଲେ ଚଳିବ। ନହେଲେ ଦୂରକୁ ଗଲେ ନା ପାଠ ପଢିବା ପାଇଁ ସମୟ ବଞ୍ଚିବ ନା ଖେଳ ପାଇଁ। ଖାଲି ଯିବା ଆସିବାଟା ଯାହା ସାର ହେବ । ଏଥିପାଇଁ ପରା ଘରେ ସବୁ ବୁଝାବୁଝି କରୁଥାନ୍ତି। ଆମେ ବି କାହାକୁ କେମିତି ପଚରା ଉଚୁରା କରି ଖବର ନେଉଥାଉ। ପୁଣି ଆମେ ଯେଉଁଠିକି ପଢିବା ପାଇଁ ଯିବୁ , ସେଠାକୁ ଯିବା ପାଇଁ କିଛି ସାଙ୍ଗ ଯୋଗାଡ଼ କରା ଯାଉଥାଏ। ସାଙ୍ଗ ହୋଇ ଦଳେ ମେଳି ବାନ୍ଧି ନଗଲେ ଆଉ ଚଳିବ କି ହେ! ତେଣୁ କରି ସାଙ୍ଗମାନଙ୍କୁ ପଟାପଟି ଚାଲିଥାଏ। ଏବେ ଆମେ ସ୍ଥିର କଲୁ ବେଶୀ ଦୂରକୁ ଯାଇ ଆଉ ଲାଭ ନାହିଁ। ବରଂ ପାଖ ତରାଗୋ ସ୍କୁଲ ଭଲ। ଅଳ୍ପ ବାଟ। ଚାଲିକି ଯାଇ ହେବ। ଯାହା ବର୍ଷା ଦିନେ ଟିକେ କଷ୍ଟ। ହଉ, ପୁଣି ଏପାଖରୁ ଶିଅଳ ମାଷ୍ଟର ଆଉ କୃଷ୍ଣ ମାଷ୍ଟର ତ ଯାଉଛନ୍ତି? ଖାଲି ବାଉଁଶ ଚାର ଟିକେ ତିଆରି ହୋଇଗଲେ ଚଢିକି ଚାଲି ଯାଇ ହେବ। ଦେଖାଯାଉ, ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ? ପରିସ୍ଥିତି ଆସିଲେ ବଳେ ବ୍ୟବସ୍ଥା ହେବ ନି! ତେଣୁ ଏହି ନିଷ୍ପତ୍ତିଟା ଠିକ୍ ଲାଗିବାରୁ ତରାଗୋ ସ୍କୁଲରେ ଏଡମିସନ୍ ନେଇଗଲୁ।
ହାଇସ୍କୁଲରେ ପ୍ରଥମ ଦିନରେ ଭାରି ଡରଡର ଲାଗୁଥିଲା। ଏକୁଟିଆ ଏକୁଟିଆ ବି ଲାଗୁଥିଲା। କାହିଁକି ନା ସମସ୍ତେ ଚିହ୍ନାଜଣା ହୋଇନଥିଲେ। ଅବଶ୍ଯ ଧିରେ ଧିରେ କିଏ ତୁ, କୋଉ ସ୍କୁଲରୁ ଆସିଲୁ, ତୋ ଘର କୋଉଠି ଏମିତି ପଚରା ପଚିରି ହୋଇ ଜଣାଶୁଣା ହୋଇଗଲୁ। ନାଁ ବି କିଛି ମନେ ରଖିଦେଲୁ। ହେଲେ ଯାହା ସହିତ ନାହିଁ ତା ସହିତ ପ୍ରଥମରୁ ପରିଚିତି ଯୋଡି ହୋଇ ପାରିଲା ନାହିଁ, ସେମାନଙ୍କ ସହ ଟିକିଏ ସମୟ ଲାଗିଲା – ସମ୍ପର୍କ ଯୋଡି ହେବା ପାଇଁ। ଆଉ ତ କିଛି ଘମଣ୍ଡି ଛୁଆ ଥାନ୍ତି, ସେ ଭାରି ଗ୍ରେଭ୍। ଇଚ୍ଛା ହେଉଥାଏ ଗାଉଁକିନା ପିଠିରେ ଗୋଟେ ବିଧା କଷିବାକୁ। ପରେ ଯେତେବେଳେ ସେମାନେ ସାଙ୍ଗ ହେଲେ ପଚାରିଲୁ – “ତୁ ଏତେ ଗ୍ରେଭ୍ କାହିଁକି କହନିବେ” ? କହିଲେ – “ଆମେ ଟିକିଏ ଗ୍ରାଭିଟି ମାରୁଥିଲୁ। ହେଲେ ସେ କଥା ପଚାରି ଆଉ ଲଜ୍ଜା ଦିଅ ନାହିଁ ବନ୍ଧୁ! ଏବେ ତୁମ ବନ୍ଧୁତ୍ୱର ଆଶ୍ରା ଆମକୁ ଟିକେ ଦିଅ” । ମୁଁ କହେ – “ହେଲା ବତ୍ସ! ତୁମକୁ ଆମେ ଶିଷ୍ୟ ରୂପେ ଏବର ପାଛୋଟି ନେଲୁ, ହେଲେ ଆଉ କେତେବେଳେ ଛଇ ଦେଖାଇଲେ ହେବ ମାଡ, ଫାଟିବ ତୁମର ଗାଲ”। ଏହିପରି କେତେ ଫେଚକାନିଆ କଥା ସବୁ ହୁଏ।ଝିଅ ଛୁଆଗୁଡାକ କିନ୍ତୁ ଭାରି ଲାଜେଇ। ଖାଲି କଣେଁଇ କଣେଁଇ ଚାହୁଁଥିବେ, ହେଲେ ଆଗ କିଛି କଥା ହେବେ ନାହିଁ। କିନ୍ତୁ ପଚାରି ବସିଲେ ଭାରି ଭାଷଣ ଝାଡ଼ିବେ, ନହେଲେ ହେଟ୍ ହାଟ୍ ମନ୍ତ୍ର ଯେତକ ସବୁ ପଢ଼ାଇବେ।ଉଁ.. ଇନ୍ଦିରା ଗାନ୍ଧୀ ତ! ସେଗୁଡାକ ଭାରି ଫୁଲେଇ। ମୋର ସେଇଥିପାଇଁ ତାଙ୍କ ସହିତ ମୋଟେ ପଟେ ନାହିଁ। ଚୈତନଟା କିନ୍ତୁ ଭାରି ମାଇଚିଆ। ଯେତେବେଳେ ଦେଖିବ ସେଇ ଝିଅ ପିଲାଙ୍କ ପହ୍ଲରେ ପଶିଥିବ।
ସେଇଠି କେତେ ସବୁ ନୂଆ ସାର୍ ଥାନ୍ତି। କିଏ ଟିକିଏ ନିଶୁଆ ତ କିଏ ପୁଣି ମୋଟା। ଆଉ କିଏ ପତଳା ହେଲେ ବି ଟିକିଏ ଗାରେଡେଇକି ଚାହୁଁଥାନ୍ତି। ମନରେ ଟିକିଏ ଶଙ୍କା ଉପୁଜୁଥାଏ ।ଏମାନେ ସାଧାରଣିଆ ସାର୍ ନା ଅରଣା ମଇଁଷି ଭଳିଆ ରାଗି -ମନେମନେ ଅଙ୍କ କଷାକଷି ହେଉଥାଉ। ସାଙ୍ଗମାନଙ୍କ ଭିତରେ ବି କଥା କଟାକଟି ଓ ଆକଳନ ଚାଲିଥାଏ।ହଉ, ପାଠ ପଢେଇଲା ପରେ ବଳେ ଜଣାପଡ଼ି ଯିବ ନାହିଁ କି? ତେଣୁ ଆଗରୁ ଛାନିଆଁ କିଆଁ?
ଆସ୍ତେଆସ୍ତେ ସ୍କୁଲର ନୂଆ ଅବହାୱା ଓ ପରିବେଶ ସହ ଆମେ କେମିତି ଖାପ୍ ଖୁଆଇ ନେଇ ଆସିଲୁଣି। ଆମେ ସାରଙ୍କୁ ଓ ସାର୍ ଆମକୁ ବି ଜାଣି ଗଲେଣି। ଚିହ୍ନାଚିହ୍ନିର ପର୍ବ ସରିଲା ପରେ ପାଠ ପଢା ରୀତିମତ ଆରମ୍ଭ ହେଲା। ଆମ ଚଗଲାମି ପଣିଆର କିନ୍ତୁ ଜୟ ଜୟକାର ତଥାପି ଶୁଭୁଥିଲା।
ପାବଚ୍ଛ 14 ଅସରନ୍ତି କିନ୍ତୁ ସେ ଡ୍ରାମାର ସଂଳାପ 

ପ୍ରଥମ କିଛିଦିନ ଆମେ ଖୁବ ସୁନାପିଲା ଥିଲୁ। ବେଶୀ ଗଣ୍ଡଗୋଳ ଲାଗୁ ନଥିଲୁ। ହେଲେ ସ୍କୁଲଟା ଯେବେଠାରୁ ମୋର ବୋଲି ଲାଗିଲାଣି ଆଉ ଆମେ ପୁରୁଣା ହୋଇ ଗଲୁଣି ସେତେବେଳେ ଖୁବ୍ ବଦମାସୀ ଆରମ୍ଭ ହେଲା। ଏତେବେଳକୁ କିନ୍ତୁ ପାଠ ପଢାର ବୋଝଟା ବେଶୀ ମାଡ଼ି ବସୁଥିଲା।ହେଡ୍ ମାଷ୍ଟର ଲେଙ୍କା ସାର୍ କହୁଥିଲେ-” ଛୁଆ ଗୁଡାଙ୍କୁ ଜମା ହୁରୁଡାଅ ନାହିଁ। ସେମାନେ ନୂଆ ଆସିଛନ୍ତି, ଦିନ କେଇଟା ଗଲେ ବଳେ ମଣ ହୋଇଯିବେ “। ତେଣୁ ସାର୍ ମାନେ ପ୍ରଥମେ ପ୍ରଥମେ ଆମକୁ କିଛି କହୁ ନଥିଲେ, ଯେତେବେଳେ ଦେଖିଲେ ଏ ବାଳୁଙ୍ଗା ଟୋକା ଗୁଡ଼ାଙ୍କୁ ପାରି ହେବ ନାହିଁ, ସେତେବେଳେ ଲମ୍ବା ଲମ୍ବା ଝାଉଁ ଡାଳ ସବୁ କଟା ହେଲା।ଆମ ସାର୍ ଗୁଡାକ କେତେ ଭଲ। ଭାରି ମନ ରଞ୍ଜେଇ ପାଠ ପଢାନ୍ତି। ହେଲେ ପାଠଟା ଆଦାୟ ନହେଲେ ସେ କାହାରି ନୁହଁନ୍ତି। ସିଧା ତ ପିଟି ପକାଇବେ। ତେଣିକି ସେ ହାତରେ ବାଜୁ ବା ଗୋଡ଼ରେ। ଏଇମିତି ପାଠ ପଢାଟା ଆଗକୁ ବଢ଼ୁଥାଏ ଓ ଧିରେ ଆମ ବୁଦ୍ଧିଟା ପାକଳ ହେଉଥାଏ । କିନ୍ତୁ ସମତାଳରେ ଦୁଷ୍ଟାମି ବି ବଢ଼ୁଥାଏ।
ଆମ ସାଙ୍ଗଗୁଡାକ ପରା ସୁଦ ମାଡୁଆ। ପ୍ରତିଦିନ ମାଡ ନଖାଇଲେ ୟାଙ୍କ ଭାତ ହଜମ ହୁଏ ନାହିଁ। ନିଇତି କିଛିନା କିଛି ଗୋଟେ ପାଲା ନିଶ୍ଚୟ ଘଟିବ। କିଏ କାହାକୁ ଚିମୁଡି ପକାଇବ ତ କିଏ କାହା ବହି ଟାଣି ଫାଡ଼ି ଦେଇଥିବ। “ହେଇ ମୋତେ ମାଇଲା” , “ହେଇ ମୋତେ ଏମିତି କହିଲା” – ଏମିତି କେତେ ଅଭିଯୋଗ ସାର୍ ଶୁଣିବେ ଯେ! ଯଦି ଗୋଟେ କ୍ଲାସ୍ ନହୋଇ କୌଣସି କାରଣରୁ ପଡିଆ ପଡିଲା, ତାହେଲେ ବା ଖାଲି କିରିକିରି ହୋଇ ଉଠିବେ। ହୋ ହୋ ହୋଇ କମ୍ପାଇବେ। ଟିକିଏ ଭଲା ଥିରିଥାର ହୋଇ ବସନ୍ତେ। କୁହାଟ ପରେ କୁହାଟ ଛାଡି ଖାଲି ସ୍ଵର ମଚାଇବେ। କିଏ କୁକୁଡା ରାବ ରାବିବ ତ କିଏ ହେନ୍ତାଳ ବାଘ ଗର୍ଜନ ଛାଡିବ। ଆଉ କିଏ ହୁକେ ହୁ ବିଲୁଆ ହେବ ପୁଣି କିଏ ପଛ ଆଡୁ କୁକୁର ଭୁକା ଭୋ ଭୋ ହେବ। ଝିଅ ଗୁଡାଙ୍କର ଆଉ କିଛି ଘନପଣ ନାହିଁ ତ, ସେ ପୁଅ ଭଳି ଯେଣୁ ବଡ଼ ପାଟି କରି ପାରିବେ ନାହିଁ ଖାଲି ବୋଝେ ଦାନ୍ତ ଖୋଲି ପକାଇ ହାତେ ଜିଭ ପଦାକୁ ବାହାର କରି ଖତେଇ ହେଉଥିବେ। ବେଳେବେଳେ ଏମିତି ହାଣ୍ଡିଆ ପାଟି ସମସ୍ତେ କରିବେ ଯେ, ଯେମିତି ମାଛ ହାଟ ବସିଛି। ସାର୍ ଙ୍କ ନଜରରେ କିନ୍ତୁ କଥାଟା ପଡ଼ିଲେ ଖୁବ୍ ଧୂଲାଇ କରନ୍ତି। ଏକ ଗୋଡ଼ିକିଆ ଛିଡା କରି ଦେବେ, ନହେଲେ କାନ ଧରି ବେଞ୍ଚ୍ ଉପରେ ଛିଡ଼ା କରେଇ ଦେଇଥିବେ। ତେବେ ଯାଇଁ ଟିକେ ସାଇଜ ହୋଇ ଯାଆନ୍ତି। କିନ୍ତୁ ତା ‘ପର ଦିନକୁ ପୁଣି ସେୟା। “ମୁଁ ପରା ଦର ପୋଡ଼ା କାଠେ, ମୋତେ ଯେତେ ମାଠିବୁ ମାଠେ”। ଏମାନେ ପରା ଅଜରା କ’ଣ ସହଜରେ ଜରିବେ କି?
ହେଲେ ପାଠ ପଢିବା କଥା ହେଲେ ବାବୁ ପୂରା ସୁନା ଛୁଆ। ପାଟିରେ ତ ବେଙ୍ଗ ପଶିଥିବ, ତେଣିକି ସାର୍ ତାଙ୍କର ପଚାରି ପଚାରି ଥକନ୍ତୁ। ପିଠିରେ କିନ୍ତୁ ଢ଼ୋ ଢୋ ଦିଟା ବାଜି ଗଲେ ପାଟିରୁ ବାହାରେ – “ନା ଲୋ! ମାଆଲୋ! ମରିଗଲିଲୋ! ସାର୍! ସାର୍!! ଆଜି ଦିନକ ଛାଡି ଦିଅନ୍ତୁ, କାଲି ଠାରୁ ପାଠ କରିକି ଆସିବି, ମୋର ଭୁଲ ହୋଇଛି, ଘରେ କିରୋସିନ୍ ନଥିବାରୁ ରାତିରେ ଡିବିରି ଆଲୁଅ ଜଳିଲା ନାହିଁ, ମୋ ନୋଟ୍ ଟା ରାଜୁ ମାଗିକି ନେଇ ଯାଇଥିଲା ତ ତେଣୁ ପଢି ପାରିଲି ନାହିଁ ଇତ୍ୟାଦି ସବୁ ବାହାନା କରିବେ। ଅନ୍ୟ ଛୁଆ ତାଙ୍କ ରକମ ଦେଖିକି ଖାଲି ଦାନ୍ତ ନିକାଲି ହସିବେ। ସାର୍ କହିଲେ – “କିଏ ହସିଲାବେ!” ସମସ୍ତେ ପାଟି ଚୁପ କରି ଛାପି ଯିବେ।
ଝିଅ ଛୁଆଗୁଡାକ ସତରେ ସାଢେ ବଦମାସ୍। ଝିଅ ଛୁଆ ବୋଲି ସାର୍ ତାଙ୍କୁ ବିଶେଷ କିଛି ମାରନ୍ତି ନାହିଁ, ଖାଲି ଯାହା ଚଟ ଚଟକଣିଏ। ସେଇଥିରେ ତ ଭେମା ରଡି ଛାଡିବେ ସତେ ଯେମିତି ବାପ ଘର ଛାଡି ଶ୍ୱଶୁର ଘରକୁ ବାହା ହୋଇଯିବା ବେଳର କାନ୍ଦଣା ଗୀତ ଗାଉଛନ୍ତି। ପୁଣି ସାର୍ ବେଶୀ ଯଦି କହିଲେ, ତାହେଲେ ଧକେଇ ହୋଇ କାନ୍ଦୁଥିବେ ଯେ, ସ୍କୁଲ ଛୁଟି ହେଲା ଯାଏଁ। ସେଇଥିରେ କିଏ କାହିଁକି ତାଙ୍କୁ କହିବ କହିଲେ ! କିନ୍ତୁ ଆମେ ପୁଅ ଛୁଆ ଗୁଡାକ ମାଡ ଖାଇଲା ବେଳେ ଭାରି ମଜ୍ଜା ନିଅନ୍ତି। ଆମେ ତେଣୁ ରାଗିକି ଥାଉ ।ସାର୍ ଯାଇ ସାରିଲା ପରେ ଗୋଡ଼ି ଅଣ୍ଡାଳିକି ତାଙ୍କ ଉପରକୁ ଛାଟୁ। ସେ ତ ଆଗ “ମାଆଲୋ ମରି ଗଲି” ବୋଲି ନିଶ୍ଚୟ ଚିଲେଇବେ, ତା’ପରେ କିନ୍ତୁ ଯେତେବେଳେ ବୁଲି ପଡି ପଛକୁ ଚାହିଁ ପଚାରିବେ – “କିଏ ସେ କହନି ସେ ଭେଗା ଟେକା ମାଇଲା”? ଆମେ ମୋଟେ ମାନୁନା।ଓଲଟା ପାଟି ଚୁପ କରି ବସି ପଡିଥିବୁ ଯେମିତି ଟୋକା କିଛି ଜାଣିନି। ତାଙ୍କ ଦେହରେ ଗୋଡ଼ି ବାଜିଛି ଠିକ୍ ହୋଇଛି। ସେ କାହିଁକି ଆମେ ମାଡ ଖାଇଲା ବେଳେ ଏତେ ହିଁ ହିଁ ହୋଇ ଘୋଡି ଭଳିଆ ହସୁଥିଲେ?
ଆମ ଭିତରେ ଚିଡାଚିଡି ଓ ଦେଖା ସେକାଟା ପ୍ରବଳ। କେହି ଯଦି କାହାକୁ କିଛି କହିଦେଲା, ଆଉ ଜଣେ ଦି’ଜଣ ଥିବେ ସେଇ କଥାଟାର ନଥା ବାହାର କରି ଗଣ୍ଠି ପକାଇ ଦେବେ। ସେୟାକୁ ନେଇ କେତେ କେରୀକେଚର କରି କହିବେ। ଏଇ ସାଙ୍ଗ ମାନଙ୍କ ହାବୁଡରେ ପଡ଼ିଲେ ସରିଲା। କୌଣସି କଥାରେ ପ୍ରତ୍ୟୁଉତ୍ତର ଗୋଟେ ନଦେଲେ ଏମାନେ ପରା ଦଣ୍ଡେ ଚୁପ୍ ହୋଇ ବସି ପାରିବେ ନାହିଁ। ସବ୍ ସେ ଭଲା ଚୁପ୍ ରହେନା। ନହେଲେ ୟାଙ୍କ ନାଟ ତାମସା କିଏ ସମ୍ଭାଳିବ କହୁ ନାହାଁନ୍ତି? ଏହି “କୁହାକୁହି” ଟା ଶ୍ରେଣୀଗୃହ ଭିତରେ ଆମର ଯେମିତି ଗୋଟେ ଖେଳ କସରତ ଥିଲା। ପୁଣି ମଝିରେ ମଝିରେ ଏମିତି ଗୋଡାଗାଡି ହୋଇ ହୁମ୍ଫା ମରାମରି ହେବେ ଯେ, ତା’ର ସୀମା ନାହିଁ। ସାର୍ ଙ୍କୁ ଦେଖିଦେଲେ ଧପକିନା ଅଟକି ଯିବେ, ନହେଲେ କୋଉ ବାଟେ ଗଳି ଛପିକି ଆସି ନିଜ ସିଟ୍ ରେ ଭଦ୍ରଲୋକ ପରିକା ଆସି ବସି ପଡିଥିବେ। ଦିନେ କିଶୋର ସାରଙ୍କ ନଜରରେ ଆମେ ଦିଟା ପଡ଼ିଗଲୁ ଯେ, କହିଲେ – “ଏ ତୁମେ ଦିଟା ଇଆଡେ ଆସିଲ! ପାଠ ପଢିଲା ବେଳକୁ ଜ୍ଵର ଆସି ଯାଉଛି, ଏଇ ଲାଗେ ତ ଭଲ ଧାଉଁଛ।ସ୍କୁଲ ଛୁଟି ହେବା ଯାଏଁ ତୁମେ ଦିଟା ପରସ୍ପରର କାନ ଧରିକି ଛିଡାହୁଅ” । ପୁଣି ଟିକିଏ ଲାଗୁ ସମୟ ଯାଇଛି କି ନାହିଁ, ସାର୍ କହିଲେ – “ଯାଅବେ! ଭଦ୍ରଲୋକ ଭଳିଆ ଛିଡା ହୋଇଗଲେ। ଆଉ ଦିନେ ଏମିତି ଦୌଡା ଧାମ୍ଫଡା କରିବ ନାହିଁ” । ଆମେ ଓଠ ଚାପି ଚାପି ହସି ଦୌଡ଼ି ପଳାଇ ଆସିଲୁ ଯେ, ସାର୍ ଆମ ମିଛି ମିଛିକା ନାଟକ ଓ ମୁହଁ କୁସୁଣ୍ଡା ଦେଖି ଛାଡିଦେଲେ ସିନା ହେଲେ ଆମ ଅଭିନୟଟା ସାର୍ ବୁଝି ପାରିଲେ ନାହିଁ। ଆମେ ସାରଙ୍କୁ ଠକି ଦେଲୁ ବୋଲି ବିଜୟ ସୂଚକ ଚିହ୍ନ ଆମ ମୁହଁରେ ଉଙ୍କି ମାରୁଥିଲା।
ହେଲେ ଆମକୁ ଦଣ୍ଡ ମିଳିଲା ବେଳେ ଯେଉଁମାନେ ଆମକୁ ଦେଖି ହସୁଥିଲେ ତାଙ୍କୁ ଆସି ଧମକାଉ – “ରହ! କାଲି ମିଛରେ ତୋ ନାଁରେ ସାରଙ୍କ ପାଖରେ କହି କେମିତି ମାଡ ଖୁଆଉଛୁ, ଦେଖିବୁ! ସେ ନୀରିହ ହୋଇଥିଲେ ଡରିଯାଏ। ଟାଣୁଆ ହୋଇଥିଲେ ମାଡଗୋଳ, ଛାଇ ପତାପତି ଓ ଧସ୍ତାଧସ୍ତି ଟିକିଏ ହୁଏ। ପୁଣି ଖେଳ ସମୟ ହୋଇଗଲେ ସଙ୍ଗେ ସଙ୍ଗେ ମାଡଗୋଳ କଥା ଭୁଲି ଯାଇ ଖେଳରେ ସାଥୀ ଖେଳାଳି ହୋଇ ଯାଉ। ଏହିଭଳି ପ୍ରତ୍ୟେହ ନୂଆ ନାଟକବାଜି ଚାଲେ, ହେଲେ ଆମ ଡ୍ରାମା କେବେ ବି ଖତମ ହୁଏ ନାହିଁ, ଅସରନ୍ତି ସେ ଡ୍ରାମାର ସଂଳାପ।

ପାବଚ୍ଛ 15ନୋଭେଲ୍ ପଢା 

ଆମ ବଡ଼ିରେ ଟ୍ରାନ୍ସଫରମେସନ (ଶରୀରରେ ପରିବର୍ତ୍ତନ) ଠିକ୍ ଏହି ସମୟକୁ ସଂଘଟିତ ହେଉଥାଏ । ଦେହରେ ଖୁଜିଳି ହେବା ଓ କୁଣ୍ଡିଆଣି ବାହାରିବା ସହିତ ମଧ୍ୟ ନାକ ତଳେ ନିଶ ଉଠିବା ପରିଳକ୍ଷିତ ହୁଏ। ଆମ ସମୟରେ ପାଠ ପଢିବାର ବୟସ ସୀମାଟା କିଛି ଗୋଟେ ଧରାବନ୍ଧା ନଥିଲା। ବରଂ ଯେଉଁ ବୁଢୀମା’ ଓ ବୁଢ଼ାବାପା ଥିଲେ, ସେମାନେ କୁହନ୍ତି – “ବାଳୁତ ଛୁଆଟା, କ’ ଣ ଜାଣିଛି କହନି! ତାକୁ ଏବେ ସ୍କୁଲ ପଠାଉଛୁ” ? ତେଣୁ ଅଧିକାଂଶ ପିଲାଙ୍କର ସ୍କୁଲ ଯିବା ବୟସଟା ଗଡ଼ିଯାଇ 8/9 ବର୍ଷ ହୋଇ ଯାଇଥାଏ। ଆମ ଅଳ୍ପ କେତେକଙ୍କ କଥା ଅବଶ୍ୟ ଅଲଗା। ତେଣୁ ଅନେକଙ୍କର ପୂର୍ଣ୍ଣତଃ ଯୌବନ ଆସି ଯାଇଥାଏ ଓ ଯୁବ ସୁଲଭ ଚପଳାମୀ ପରିଦୃଶ୍ୟମାନ ହେବାକୁ ଲାଗେ। ପ୍ରଦୀପ, ସରୋଜ, ଗୌରାଙ୍ଗ ଭଳି ଆଉ କେତେକ ମଧ୍ୟ 5/7 ଥର ମାଟ୍ରିକରେ ଫେଲ୍ ହୋଇ ଆମ ସାଙ୍ଗରେ ରେଗୁଲାର୍ ହୋଇ ପଢୁଥିଲେ। ତେଣୁ ସେମାନଙ୍କଠାରୁ ମେଚରଡ ଟୋକାର ଭାବଧାରା ମଧ୍ଯ ଆମ ଭିତରକୁ ଧସେଇ ପଶିଆସୁ ଥାଇପାରେ । ସେଇଥିପାଇଁ କି କ’ଣ ମାଟ୍ରିକ୍ ପଢୁପଢୁ ପରା କେତକଙ୍କର ବାହାଘର ଠିକ୍ ହୋଇ ସାରିଥାଏ। ଖାଲି ସିଆଡୁ ପରୀକ୍ଷା ଦେଇ କି ଆସିବେ ଇଆଡେ ବାହା ହୋଇଯିବେ।ଆମ ଉପର କ୍ଲାସ୍ ଭଗବାନ ଭାଇ ତ ପଢୁ ପଢୁ ବାହା ହୋଇଗଲା, କୁଆଡ଼େ ତାଙ୍କ ବୁଢ଼ାବାଆ ଗୋଟାକିଆ ପକାଉଥିଲା, ତେଣୁ ନାତୁଣୀ ବୋହୂକୁ ଦେଖିବାକୁ ମଲା ବିଛଣାରେ ଜିଦ୍ କଲା।କନକ ପରିକା ଝିଅ ତ କେତେ ଅଧାରୁ ପାଠ ପଢା ବନ୍ଦ ରଖି ବାହା ହେଇ ଯାଉଥିଲେ। ତେଣୁ ସେତେବେଳକୁ ବି ପ୍ରେମ ଭାବ କେତେ ଜଣଙ୍କ ମନରେ ଉଦ୍ୱେଳନ ସ୍ରୁଷ୍ଟି କରୁଥିଲା। ଝିଅ ପୁଅ ବି ପ୍ରେମ ଭାବ ରଖି ଟିକେ ସଟ୍ଟାଳିଆ କଥାବାର୍ତ୍ତା ହୁଅନ୍ତି।
ଏହି ସମୟରେ ନୋଭେଲ୍ ଓ ଡିଟେକ୍ଟିଭ୍ ପଢିବାର ଖୁବ୍ ଗୋଟେ ପ୍ରଭାବ ଥିଲା। ଲୁଚିଲୁଚି ନଭେଲ ଓ ଶସ୍ତା ଡିଟେକ୍ଟିଭ୍ ପଢିବା ବହୁ ଜଣଙ୍କର ଅଭ୍ୟାସରେ ପରିଣତ ହୋଇସାରିଥିଲା। ଆମ ଯଶୋବନ୍ତ, ପ୍ରଦୀପ ଓ ଗୌରାଙ୍ଗ ଭଳି କେତକ ଥାନ୍ତି ଏ ଦିଗରେ ଓସ୍ତାଦ। ସେ ବହି supply ମାଷ୍ଟର । ସେମାନେ ଲୁଚେଇ ଆଣି ଆମକୁ ଦିଅନ୍ତି, ଆମେ ସ୍କୁଲ ବ୍ୟାଗରେ ପୂରାଇ ଘରେ ଓ ସାର୍ ଙ୍କୁ ଡରି ବାଟଘାଟେ ନହେଲେ ବଣବୁଦା ମୂଳେ ଲୁଚିକି ପଢୁ।ଆମ ଗାଁ ନୀର ହରିକେ ଫୁଲପାଳ ବଣ ଭିତରେ ନିରୋଳାରେ ଓ ଏକାଞ୍ଚନରେ ଛାପିକି ବସିପଡି ପଢନ୍ତି। ଝିଅ ପିଲାଗୁଡାକ ବି ମୁଣ୍ଡକୁ ମୁଣ୍ଡ ଯୋଡି ଦେଇ ଲଙ୍ଗ୍ ବେଂଚ ତଳେ କ୍ରୋଡ ଉପରେ ନୋଟ୍ ବୁକ୍ ଭିତରେ ଲୁଚାଇ ରଖି ମିଳିତ ଭାବେ ପଢୁଥିବାର ମୁଁ ଦେଖିଛି। ପଚାରିଲେ – “କ’ଣ କରୁଛଲୋ ଫୁଲେଇ”? କହିବେ – “ଭାକ୍, ତୁ ପାଟି କରନା! ଏଠୁ ଯାଆ” । କହି ଲୁଚେଇ ପକେଇବେ। ମୁଁ କହି ଦେଇଥିଲେ ସାରଙ୍କ ପାଖରୁ ମାଡ ଖାଇଥାନ୍ତେ ଯେ! ମୁଁ କହେ ନାହିଁ।
ଏବେ ତ ନେଟ୍ ଓ ଇଣ୍ଟର୍ ନେଟ୍ ର ଯୁଗ। ଛୁଆ କେତେ କ’ଣ ଜାଣୁଛନ୍ତି। ତେଣୁ ସେ ନଭେଲ ପଢିବା ଆଉ କାହିଁ ଦେଖା ଯାଉନାହିଁ।

ପାବଚ୍ଛ 16ମନରେ କୁତୁକୁତି ଭାବ

ଏଇ ସମୟରେ ପ୍ରେମ ଭାବଟା ମଣିଷ ମନରେ ଗୋଟେ ନିଆରା ଭାବ ତୋଳୁଥାଏ। ଯଦିଓ ପ୍ରେମ ଓ ବିପରୀତ ଲିଙ୍ଗ (opposite sex) ବା ଲିଙ୍ଗ ଭେଦର ଫରକଟା କ’ଣ ମଣିଷ ପିଲା ଠିକ୍ ସେ ବୁଝି ପାରି ନ ଥାଏ, ତଥାପି ତା ମନ କେମିତି ଗୋଟେ କୁତୁକୁତିଆ ଧରି ଯାଇଥାଏ।ଆମେ ପ୍ରଥମରୁ ପଞ୍ଚମ ପଢିଲା ଯାଏଁ ଝିଅ ପୁଅ ଭିତରେ କୌଣସିଟା ତଫାତ୍ ବା ଫରକ ଜାଣି ପାରି ନଥାଉ। ସମସ୍ତେ ତ ସାଙ୍ଗ ହୋଇ ଖେଳୁ। ତେଣିକି ସେ ମିଛି ମିଛିକା କଣ୍ଢେଇ ବାହାଘର ହେଉ ବା ବୋହୂ ବୋହୂକା ବାଗୁଡ଼ି ଖେଳ ହେଉ। କିଛି ତ ଆମ ପାଇଁ ବାସ୍ତବତା ନଥିଲା, ସବୁ କିଛି ଖେଳ ହିଁ ଖେଳ ଥିଲା। କେବଳ ଖେଳୁଆଡ ମନୋବୃତ୍ତିର ପରିଚାୟକ ହୋଇ ସେଗୁଡିକ ସବୁ ମନରେ ଭାବାନ୍ତର ଯାହା ଖେଳାଉଥାଏ। ସ୍କୁଲରେ କିତିକିତି ଖପରା ଡିଆଠାରୁ ଆରମ୍ଭ କରି ଗୋଡାଗୋଡି ଲୁଚକାଳି-ସବୁ ତ ଆମେ ସାଥି ହୋଇ ଖେଳୁ। ଏମ୍. ଇ. ସ୍କୁଲ୍ ବେକକୁ ଏଇ ଭାବଟାର ସାମନ୍ୟ ପରିବର୍ତ୍ତିତ ହେଇ ଆସୁଥିଲା। ଯେମିତି ଛାଏଁ ଝିଅ ପୁଅ ଭିତରେ ଭିନ୍ନତା କାଣିଚାଏ ଅନୁଭୂତ ହେଉଥାଏ। ଝିଅମାନେ ବି ଟିକିଏ ଲାଜକୂଳା ଢଙ୍ଗଢାଙ୍ଗ ପରିପ୍ରକାଶ କରୁଥାନ୍ତି ।ଦାନ୍ତ ଚାପି ଆଭରଣ ଦେଇ କଥା କହିବା ମଧ୍ୟ ଆରମ୍ଭ କଲେଣି । ତେବେ ବି ସେତେଟା ନୂହେଁ ।କିନ୍ତୁ ହାଇସ୍କୁଲ ବେଳକୁ ଏହି ଫରକଟା ବେଶ୍ କିଛି ଅନୁଭୂତ ହେଉଥାଏ। ଏଣିକି ସବୁ କଥା ପୁଅ ଝିଅ ଭିତରେ ଆଉ ଖୁଲମ୍ ଖୋଲା ନହୋଇ ଟିକିଏ ଆଢୁଆଳ ଦେଇ ଜଗିରଖି କହିବାକୁ ହୁଏ। ମନ ଭିତରେ ଟିକେ ସଙ୍କୋଚ ଭାବ ବି ଦେଖାଦେଲାଣି । ଝିଅ ପୁଅ ଆଉ ସାଙ୍ଗ ହୋଇ ବସୁନା। ସେମାନେ ଗୋଟେ ପଟେ, ଆମେ ଅନ୍ୟ ପଟେ। କିନ୍ତୁ ଝିଅମାନଙ୍କ ସହିତ କଥା ହେବା ପାଇଁ ମନଟା ଭିତରେ ଭିତରେ ଟିକିଏ ଛନଛନ ହେଉଥାଏ। ଛୁଇଁ ଦେଲେ ବି ଶରୀରରେ କ୍ରିୟା ବିକ୍ରିୟା ପ୍ରତିପାଦିତ ହେଉଥିଲା।
ଏବେ ସାଙ୍ଗ ବି ବଦଳି ଗଲେଣି।ଝିଅ ମାନଙ୍କର ଝିଅ ସାଙ୍ଗ ଓ ପୁଅମାନଙ୍କର ପୁଅ ସାଙ୍ଗ। ଏବେ ପୁଅ ଯଦି ଝିଅ ସାଙ୍ଗ ବା ଝିଅ ଯଦି ପୁଅ ସାଙ୍ଗ ହେଲା ଅନ୍ୟ ମାନେ “ଇରେ ମାଇଚିଆରେ” କହି ଚିଡ଼େଇବେ ।ସେଇ ପରି ଝିଅମାନେ ଝିଅକୁ “ଅଣ୍ଡିରାଚଣ୍ଡି”କହି ତାଚ୍ଛଲ୍ୟ କରିବେ। “ହେଇ ଦେଖବେ! ତାଙ୍କ ଭିତରେ କି ପ୍ରେମ ଉଛୁଳୁଛି” କହି ଠାରଠୁର ହୋଇ ହସାହସି ହୋଇ ନାନା ମନ୍ତବ୍ୟ ଦେବେ। ତେଣୁ ସମସ୍ତେ ପରସ୍ପରଠାରୁ ହଟିଯାଇ ଦୁଇ ଦଳ ହୋଇଗଲୁଣି। ଏଣିକି ତାଙ୍କ କଥା ଅଲଗା ଓ ଆମ ପୁଅମାନଙ୍କ କଥା ମଧ୍ଯ ଅଲଗା। ଆମେ ଆମ ସାଙ୍ଗ ଓ ସେ ତାଙ୍କ ସାଙ୍ଗକୁ ନେଇ ଫୁସୁଫୁସୁ।
ଆମର ଶାରୀରିକ ବୈଲକ୍ଷଣ ସହିତ ଆମର ଚିନ୍ତନ ଓ ଭାବନାତ୍ମକ ବିଚାରଧାରାର ମଧ୍ଯ ପରିବର୍ତ୍ତନ ହୋଇ ହୋଇକା ଆସୁଥିଲା। ଏବେ ଆମ ସାଙ୍ଗ ମାନେ ଏକାଠି ହେଲେ ଆମର ଟିକିଏ ଟିକିଏ ଝିଅ ମାନଙ୍କ କଥା ବି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜେ। ହେଇ ଯେମିତି – ଅମୁକ ଝିଅ ସମୁକ କହିଲା, ପୁଣି ସେ ଏମିତି ଚାଲିଲା ଓ ସେମିତି ହସିଲା ଇତ୍ୟାଦି। ପୁନଶ୍ଚ ତା’ର ମଖମଲି ଚାଲି, ଛଇଛଟକି ଚାହାଣୀ, ଘୋଡ଼ି ଭଳି ହସ। ତୋତେ କଣେଁଇ ଦେଖୁଥିଲା, ମନେମନେ ଫସୁଥିଲା, ତୋରି ସାଙ୍ଗ ହେବା ପାଇଁ ହାଇଁପାଇଁ ହେଉଥିଲା – ଆହୁରି କେତେ କ’ଣ- ସାଙ୍ଗ ମାନଙ୍କ ମୁହଁରୁ ଅବିରାମ ଗତିରେ ଧାରା ବିବରଣୀ ଛୁଟି ଚାଲେ । ଶୁଣିଶୁଣି ମଣିଷ ବୋର୍ ହୋଇଯାଏ। ମୁଁ କହେ – “ଆବେ ଆଉ କୌଣସି Topic ପକାଅବେ! ସେ ବେକାରିଆ କଥା ଗୁଡାକ ଏତେ କ’ଣ ଗପୁଛ” ? ସେଇଠୁ ପୁଣି ଖେଳ ବେଳର କିଛି episode, ନହେଲେ କିଛି ଯାତ୍ରା dialogue ନତୁବା ପାଠ ପଢା ବେଳର କିଛି ଅନୁଭୂତି ଆଲୋଚନା ହୁଏ। ଏଇମିତି ଆମ ସମୟ ବିତୁଥାଏ। ହସଖୁସିର ଆମ ଦୁନିଆ ଆଗକୁ ଧାଉଁଥାଏ।

ପାବଚ୍ଛ 17ଯେତେ କହିଲେ ସରିବନି

ଚିତ୍ତଲୋକରେ ନାନା ଉଦ୍ଦୀପନା ଓ ଭାବୋଦ୍ଦୀପକ ମନନଶୀଳତା ପରିପ୍ରକାଶ ପାଏ।ଶରୀରରେ ବିଭିନ୍ନ୍ ବିକୃତି ମଧ୍ଯ ପରିଲକ୍ଷିତ ହୁଏ । ଝିଅମାନେ ବି ମାତୃତ୍ୱର ପ୍ରଥମ ସୋପାନରେ ପଦାର୍ପଣ କରିଥାଆନ୍ତି। ତେଣୁ ନକହିଲେ ମଧ୍ୟ କିଛିଟା ତ ପ୍ରତିକ୍ରିୟା ନିଶ୍ଚିତ ସ୍ରୁଷ୍ଟି ହେଉଥିବ । ଏହା Indian contextରେ ଏତେଟା ଖୋଲିକି କହିବା ହୁଏତ ଦୋଷାବହ ହୋଇପାରେ, ତଥାପି ଏହା ହିଁ ବାସ୍ତବତା। ବେଳେ ବେଳେ ନିଜେ ନିଜର ଆୟତ୍ତାଧୀନ ନହୋଇ ଅଣାୟତ୍ତ ହୋଇ ପଡିବା ମଧ୍ୟ ଦେଖାଯାଏ। ନାନା ଅଘଟଣ ଓ ଦୁର୍ଘଟଣା ତ ଗୋଟେ ଅଧେ ଘଟୁଥାଏ। ସେଇଥିରୁ ଆମେ କିଛି କିଛି ଶିଖୁଥାଉ ଓ ନୀତି ନୈତିକତାର ପାଠ ମଧ୍ଯ ପଢିଥାଉ। ଭଲଖରାପର ବେଦପାଠ ମଧ୍ୟ ପରିବାରର ଲୋକଙ୍କଠାରୁ ଗୁରୁଜନମାନେ ଶୁଣାଇଥାନ୍ତି। କାହାକୁ ମଧ୍ଯ ଏହି ବ୍ୟତିକ୍ରମ ପାଇଁ ନିସ୍ତୁକ ମାଡଗାଳି ଦେଇ ଶାସନ କରାଯାଏ। ଆଉ କାହା ମନର ଅବଦମନ ଇଚ୍ଛାକୁ ସମାଜରେ ଚାରିଆଡୁ ଷଣ୍ଢୁଆସୀ ଆକ୍ରମଣ କରି ଦବାଇ ଦିଆଯାଏ।କାରଣ କେତେକ ଉଶୃଙ୍ଖଳ ହୋଇ ପଡିବା ଦେଖାଯାଏ। ତେଣୁ ନୀତି ନିୟମର ବହୁତ ପାଠ ପଢିବାକୁ ହୁଏ। ଏତେବେଳେ ପରିବେଶ ଓ ପରିସ୍ତିତିର ତାଡନାରେ ସାମନ୍ୟ ଚହଲି ଯାଉଥିବା ପିଲା ମନର ଭାବକୁ ଲଗାମ୍ ଦେଇ ଠିକ୍ ଦିଶା ଦେଖାଇବାର କର୍ତ୍ତବ୍ୟ ନିଶ୍ଚିତ ପକ୍ଷେ ସମସ୍ତଙ୍କର ଅଛି। ତେଣୁ ସାର୍ ମାନଙ୍କର ଭୂମିକାଟା ଟିକିଏ ବେଶୀ ଥାଏ। ପ୍ରତ୍ୟେକ ପିଲା ଉପରେ ସେ ଦୃଷ୍ଟିଟାକୁ ଟିକେ ଜମେଇ ରଖିଥାନ୍ତି। କେଉଁଠି କ’ଣ ଘଟିଲା ଓ ନ ଘଟିଲା ତା ଉପରେ ନଜର ରଖିଥାନ୍ତି। ଆମ ସାର୍ ଆମକୁ ଠିକ୍ ଅନୁଶାସନ ଭିତରେ ରଖୁଥିବାରୁ ଆମେ ସୁଧୁରି ଯାଇଥାଉ। ସବୁବେଳେ ସେ ଆକଟ କରିଥାନ୍ତି। ତଥାପି ତାଙ୍କ ଦୃଷ୍ଟି ଆଢୁଆଳରେ ନିମିଷକେ ନାନା କଥା ଘଟିଯାଏ। ସେଇଥିରେ କେତେ ଅଭିଯୋଗ ଆସେ – “ସାର୍ ଦେଖିଲେ! ସେ ମୋତେ କେମିତି ଚିଡାଉଛି। ମୋ ସାଙ୍ଗରେ ପରା ସେ ଖୁମ୍ଫୁରେଇ ହେଉଛି। ସେ ମୋତେ ଅବାଗିଆ କହିଲା, କ’ଣ କହିଲା ମୁଁ ସେ କଥା କହି ପାରିବି ନାହିଁ। ଏମିତି କିନ୍ତୁ ଅଭିଯୋଗ ଓ ଅଭିଯୋଗର ଶୁଣାଣୀ ଅହରହ ଚାଲିଥାଏ। ଇଏ ଆମ ନିତି ଦିନିଆ ଦେହସୁହା ହୋଇ ଯାଇଥିଲା।
ଆମ ଶ୍ରେଣୀରେ ଦୁଃଖୀ ଓ ସୁଖୀ ଦୁଇ ଭଉଣୀ ସାଙ୍ଗ ହୋଇ ପଢୁଥାନ୍ତୁ। ସୁଖୀଟା ଟିକେ ହସକୁରୀଟା ଆଉ ଦୁଃଖୀଟା ସବୁବେଳେ ମନ ଉଣା କରି ରହେ। ଏଇଟା ତା’ର ବୋଧେ ସ୍ଵଭାବସିଦ୍ଧ ଗୁଣ ।କିନ୍ତୁ ସେଦିନ ରମାଟା ତାକୁ ଟିକିଏ ଗେହ୍ଲେଇ ଓ ଟିକିଏ ଅନ୍ୟଭାବ ରଖି ଆଖି ଟେକି ଦାନ୍ତ ନଚେଇ କହିଦେଲା – “ଏ ଦୁଃଖୀଲୋ! ତୁ କାହିଁକି ଦୁଃଖୀ ଲୋ”? ସେ ଯାଇ ସାରଙ୍କୁ କହିଦେଲା। ସାର୍ ରଟାସିଆକି ଦିଟା ତା କର୍ଣ୍ଣମୂଳିକି ଝାଡ଼ିଦେଲେ।
ଯାହା ବି କୁହନ୍ତି ସେତେବେଳେ କୋଉ ଝିଅ ଟିକେ ଛୁଇଁ ଦେଲେ କି ତା ଶରୀରର କୌଣସି ଅଂଶ ଯଦି ଅସଂଯତ ହୋଇ କେତେବେଳେ ଦିଶିଗଲା ଏ ବାତରା ଟୋକା ଗୁଡ଼ାଙ୍କର କି ଦାନ୍ତ ନେଫଡା ଦେଖିବ! ସେଇ କଥାକୁ ନେଇ ଏତେ ଜୋହର୍ ହସାହସି ହେବେ ଯେ, ସାର୍ କ୍ଲାସ୍ କୁ ଆସିବା ଯାଏଁ। ଏତିକି ବେକକୁ ଭଗବାନ ସାର୍ କ୍ଲାସ୍ ରୁମ୍ କୁ ପଶି ଆସି ଥରେ କହିଲେ – “କିଏବେ! ମାଙ୍କଡ଼ ଭଳିଆ ଦାନ୍ତ ନିକୁଟି ହସିଲା? ପାଠ ପଢିବାକୁ ଆସି ଏମିତି ଗାଈ ଜଗାଳି ପିଲା ଭଳି ସବୁ ବେଳେ ଗୋଟେ ହୋ ହୋ କ’ଣ ହେଉଛ କିରେ!” ଶୁଣ! ଗୋଟେ ଗପ କହୁଛି ।ନୀତି ଓ ଆଦର୍ଶ ନଥିଲେ କେହି କେବେ ଜୀବନରେ ବଡ଼ ହୋଇ ପାରିବ ନାହିଁ। ଶୃଙ୍ଖଳା ହିଁ ଜୀବନର ପରମ ଧର୍ମ ଓ ସବୁଠାରୁ ବଡ ତପ…. ଯାହା ବି ହେଉ ସେଦିନ ତାଙ୍କ ଗପ ଓ ନୈତିକ ଶିକ୍ଷା ଜୀବନରେ ଅନେକ କାମରେ ଆସି ପାରିଥିଲା।

ପାବଚ୍ଛ 18 କ୍ରୀଡା ଉପଯୋଗୀତା 

ସ୍କୁଲ କ୍ରୀଡା, ଆନୁଆଲ ସ୍ପୋର୍ଟ୍ସ ଓ ଇଣ୍ଟର୍ ସ୍କୁଲ ପ୍ରତିଯୋଗୀତା ମଧ୍ଯ ଗୋଟେ ଅଦ୍ଭୁତପୂର୍ବ ପ୍ରଭାବ ପକାଇ ଥାଏ ଆମ ଛାତ୍ର ଜୀବନ ଉପରେ। ତେଣୁ ସେ ସ୍ମୃତିକୁ ଦୋହରାଇ  ମଣିଷ ଖୁସିଟାଏ ହୁଏ, ଯାହାକୁ ଆଦୌ ଭୁଲିବାର ନୂହେଁ। ଏମିତି ତ ଆମେ ଅନେକ ଅଣସଂଗଠିତ ଖେଳ ଖେଳୁ, ଯେମିତିକି ମକା ଡିଆଁ, ଗୋଟି ଖେଳ, ବାଳି ଓ ବାଟି ଖେଳ, ରୁମାଲ୍ ଚୋରି, ବାଗୁଡି, ଫୁଟ୍ ବଲ୍, ବାସ୍କେଟବଲ୍ ଇତ୍ୟାଦି । ମାତ୍ର୍ ବିଦ୍ୟାଳୟ ସ୍ତରରେ କିଛି ସଙ୍ଗଠିତ ଖେଳ ମଧ୍ଯ ଅଛି, ଯାହା ଖୁବ୍ ବ୍ୟବସ୍ଥିତ ଓ ଶୃଙ୍ଗଳିତ ଢାଞ୍ଚାରେ ଅନୁଷ୍ଠିତ ହୁଏ। ଯେଉଁଥିରେ ଗୋଟେ ଗୋଟେ ଦଳରେ ଖେଳାଳିଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଓ ଖେଳର ସମୟ ସୀମା ମଧ୍ୟ ନିର୍ଦ୍ଧାରିତ ହୋଇଥାଏ। ଏଥିରେ ଜଣେ ପି. ଟି. ସାର୍ ବା କ୍ରୀଡା ପରିଚାଳକ (umpire)  ଥାନ୍ତି।ଏଇ ଯେମିତି ଆମର ପି. ଟି. ସାର୍ ଭଗବାନ ଶିଅଳ ସାର୍ ଥାନ୍ତି। ସମସ୍ତେ ଗୋଟେ ନିର୍ଦ୍ଦିଷ୍ଟ ନୀତି ନିୟମରେ ଏଠି କ୍ରୀଡା ପ୍ରଦର୍ଶନ କରିଥାନ୍ତି। ତେଣୁ ଆଉ ଗୋଳାଗୋଳି ବା “ଜୋହର୍ ଯାହାର ମୂଲକ ତାହାର” ନୀତିଟା ଅନୁସୃତ ହୁଏ ନାହିଁ। ସବୁ ଜିନିଷ କେମିତି ଗୋଟେ ସୁସଙ୍ଗଠିତ ରୂପେ ସଂଘଟିତ ହୁଏ।
ଏ ଖେଳରେ ଖେଳିବାରେ ବା ଉପଭୋଗ କରିବାରେ ଗୋଟେ ନିଆରା ଆନନ୍ଦ ଥାଏ। ପ୍ରକୃତ ଖେଳାଳୀ ଓ ବିଜେତା ମଧ୍ୟ ସହଜରେ ନିରୂପିତ ହୋଇଯାଏ। ଜିତିଲାବାଲାକୁ ବାଃ ବାଃ ରେ ସମସ୍ତେ ପୋତି ପକାନ୍ତି। ସେ ବି ଟିକେ ଛାତି କୁଣ୍ଢେ ମୋଟ କରି ଫୁଲି ଉଠେ। ସେ ଅନୁଭୂତି ଗୁଡାକ ଭାରି ଭଲ। 100 ମିଟର, 200 ମିଟର ଆଦି ଦୌଡ଼,ଲଙ୍ଗ ଜମ୍ଫ, ଖୋକ, ହାଇ ଜମ୍ଫ, କବାଡ଼ି ଆଦି କେତେଗୁଡିଏ ଖେଳ ପରା ଥାଏ। ଏଇଥିରୁ ପ୍ରତିଯୋଗୀ ଚୟନ ହୋଇ ସବୁ ବ୍ଲକ ଓ ଜିଲ୍ଲା ସ୍ତରୀୟ ତଥା ରାଜ୍ୟ ସ୍ତରୀୟ ଯାଏଁ ଯାଆନ୍ତି। ଆମ ରାଜୁଆଟା ପରା ଭଲ ଦୌଡ଼ି ପାରେ ବୋଲି ରାଜ୍ୟ ସ୍ତରୀୟ ଯାଏଁ ଯାଇ ସେଦିନ ଭୁଣ୍ଡା କପ୍ ଟେ ଆଣିଥିଲା। ଆମେ ସମସ୍ତେ ଛଡାମରା ଲାଗି କପ୍ ଟା ଦେଖିଲୁ ଓ ତାକୁ କୁଣ୍ଢାଇ କେତେ ନାଚିଥିଲୁ।ଆଉ ପ୍ରଭାତୀ ତ କବାଡ଼ିରେ ଜିତି ଫେରିଲା ବେଳକୁ ଆମକୁ ଦେଖି ହସି ହସି ଫାଟି ପଡୁଥିଲା। ଆମେ ସବୁ ତା ଚାରିପଟେ ବେଢି ଯାଇ ଖୁବ୍ ପ୍ରସଂଶା କରିଥିଲୁ। ମନେ ମନେ ଭାବୁଥିଲୁ ଆମକୁ ବି ଭଗବାନ ସେଇ କଳାଟା ଟିକିଏ ଦିଅନ୍ତା କି?
ଆମ ସ୍କୁଲ ରେ ଆନୁଆଲ function ପୂର୍ବରୁ ପ୍ରତି ବର୍ଷ ଏଇ sports events ଗୁଡିକ ଅୟୋଜିତ ହୁଏ। ମୁଁ ବି ସେଥିରୁ ଗୋଟିଏ ଯୋଡ଼ିଏ ଭାଗ ନେଇଥିଲି। ହେଲେ କେବଳ ଖୋକୋରେ ଫାଷ୍ଟ  ହୋଇଥିଲି ।ଆମେ ଘରୋଇ ଭାବେ ଖେଳୁଥିବା ଆଉ ଏଇ ଖେଳ ଭିତରେ ବହୁତ ଫରକ ଥାଏ। ଏଠି ମଣିଷ ଅନେକ ଶୃଙ୍ଖଳିତ ହୋଇଯାଏ ଓ ଜିତିବାର ଅଭିଳାଷା ତଥା କିଛି କରିକି ଦେଖାଇବାର ମନୋବାଞ୍ଛା ବୃଦ୍ଧି ହୁଏ। କିଛି ଗୋଟେ ସଫଳତା ପାଇଗଲେ ମନ ଭିତରେ ନିଜର ଆତ୍ମପ୍ରତ୍ୟୟ ଓ ବିଶ୍ବାସବୋଧଟା ବଢିଯାଏ। ଆମ ଗାଁ ବିଶୁଆଟା ପରା ସୁଦ ଗଜ ମୂର୍ଖଟାଏ, ପାଠ ଷାଠରେ ତା’ର ନାଁ ଗନ୍ଧ ନଥାଏ। କିନ୍ତୁ ଯେଉଁଦିନ ଠାରୁ ସେ ସ୍କୁଲ ଡ୍ରାମାରେ ଭଲ ପ୍ରଦର୍ଶନ କରି ପ୍ରସଂଶିତ ହେଲାଣି, ସେହିଦିନଠାରୁ ପାଠଗୁଡାକ ପରା ଡଗଡଗ କରି କହି ଯାଉଛି। ଉତ୍ତମ ପ୍ରଦର୍ଶନର କ’ଣ ଫଳ ମିଳେ ବୋଧେ ସେ ବୁଝି ସାରିଲାଣି।
ସେଦିନ ଆମ ସ୍କୁଲ ସହିତ କେନ୍ଦୁଆପଦା ସ୍କୁଲର ଇଣ୍ଟର୍ ସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଉଥିଲା। ମୁଁ ସେଥିରେ ଗୋଲ୍ କିପର ଥାଏ। ପେନାଲିଟି ସର୍ଟ ବେଳେ ଗୋଟେ ଭୁଣ୍ଡା ଟୋକାଟେ ଏତେ ଯୋହର୍ ବଲ୍ ମାଇଲା ଯେ, ମୁଁ ତ ବଲଟି ଧରି ଖାଲି ଘିରିଘିରି ହୋଇ ଦୁଇ ଭେରା ବୁଲି ପଡି ନୋଉଟି ପଡ଼ିଲି। ସମସ୍ତେ ହସି ଉଠିଲେ ସିନା, ହେଲେ ଜିତ୍ ର ଯଶନ୍ ମନେଇ ମୋ ଉପରେ ସମସ୍ତେ ଅଜାଡ଼ି ହୋଇ ପଡିଲେ, ମୁଁ ଅଣନିଶ୍ଵାସୀ ହୋଇ ପଡୁଥାଏ। ସେଇଥିରେ କି ଆନନ୍ଦ, ଖୁସିରେ ହୃଦ ଫାଟି ପଡୁଥାଏ। ଯେତେବେଳେ ଖେଳି ସାରି ସେଠୁ ଆମେ ଆମ ସ୍କୁଲକୁ ଫେରିଲୁ, ପୂରାପୂରି ଆମେ ହିରୋ। ସାରଙ୍କଠୁଁ ନେଇ ସାଙ୍ଗ ସାଥିଙ୍କର କି ଦେଖିବ ଖୁସି, ସତେକି ଆମେ ଗଡ଼ ଜିତି ଆସିଛୁ।
ଏତଦ୍ ବ୍ୟତୀତ ଆମ ପି. ଟି. ସାର୍ ଭଗବାନ ସାର୍ ଡ୍ରିଲ, ମାର୍ଚ୍ ଫାଷ୍ଟ, , ସାବଧାନ୍ ବଢିଆ କରନ୍ତି। ସେ ବାଏଁ ମୁଡ୍ କହିଲା ବେଳକୁ ଆମେ ଡାଏଁ ମୁଡ୍ ଜାଣିଜାଣି କରୁ, ସମସ୍ତେ ଠୋ ଠୋ ହୋଇ ହସି ଉଠନ୍ତି  , ଭାରି ମଜ୍ଜା ହୁଏ।
ଭାରତୀଟା ଖୁବ୍ ମୋଟି। କବାଡ଼ି ଖେଳରେ ସେ ହିରୋଇନ୍। ତାକୁ ସମସ୍ତେ ଡରି ଯାଆନ୍ତି। ଥରେ ଦୁଇଥର ରା’ ଦେଲା। କେହି ଡରେ ତା ପାଖ ପଶିଲେ ନାହିଁ। କିନ୍ତୁ ତୃତୀୟ ଥର ବେଳକୁ ପ୍ରଭାତୀଟା ସାହସ କରି ତା ଦୁଇ ଗୋଡକୁ ଗୋଛେଇ ଏକାବେଳେକେ ତାକୁ ଧରି ପକାଇଲା। ଯେଉଁଠି ତାକୁ ଧରିଲା, ସେଇଠି ସେ ରହିଲା। ତା’ପରେ ସମସ୍ତେ ତା ଉପରେ ଅଜାଡ଼ି ହୋଇ ପଡିଲେ। ସେଇଟା ଖାଇ ଭାଲୁ ଫେଣ୍ଡ୍ରା ମୁହିଁ। ଏତେ ବଡ଼ ଶରୀରଟେ ଧରିଛି ଯେ, ହେଲେ ମୋଟେ ବଳ ନାହିଁ। ଖାଲି ସିନା ହାତୀ ଭଳିଆ ଦେହଟା ଧରିଛି, ହେଲେ କୋଉ କାମକୁ ନୂହେଁ । ଖେଳିବାଠାରୁ ଆମ ଦେଖଣା ହାରିକୁ ଭାରି ମଜ୍ଜା ଲାଗେ। ଖେଳପରେ ଖେଳର ତ୍ରୁଟି ବିଚ୍ୟୁତି ଓ ଜୟ ପରାଜୟକୁ ନେଇ ଖୁବ୍ ଆଲୋଚନା ହୁଏ।
ଏଇମିତି କେତେ କଥା ଯାଇଛିନା, ଏଇ କ’ଣ ଗୋଟେ? ସେଗୁଡାକ ସବୁ ମନେ ପଡିଲେ ଭାରି ହସ ଲାଗେ ଓ ଅତୀତକୁ ଫେରି ଯିବାକୁ ପୁଣି ତେଣୁ ମନ କହେ ।

 

ପାବଚ୍ଛ 19 ଭୋଜି 

ସରସ୍ଵତୀ ପୂଜା ଓ ଗଣେଶ ପୂଜାରେ ଆମ ସ୍କୁଲରେ ଆଉ କିଛି ହେଉ କି ନ ହେଉ, ଭୋଜି ଭାତ ଗଣ୍ଡେ କିନ୍ତୁ ନିଶ୍ଚିତ ହୁଏ। ଏହି ଖିଆପିଆର ପର୍ବଟା ଉତ୍ସବଟାକୁ ଦୁଇଗୁଣା କରିଦିଏ। ଠାକୁର ଯାହା ସଜେଇ ହୁଅନ୍ତୁ ବା ନ ହୁଅନ୍ତୁ, ଆମେ କିନ୍ତୁ ପୂରା ଚିକ୍ଚିକ୍।ସମସ୍ତେ ନୂଆ ଲୁଗା ଖଣ୍ଡେ ଖଣ୍ଡେ ପିନ୍ଧି ପକାଇ ସ୍କୁଲ ଆସିଯାଉ। ଆମ ହିରୋଇନ୍ ଗୁଡାକ ତ, ମାନେ ଆମ ଝିଅ ଛୁଆଗୁଡାକ ନାକରେ ନୋଥ, ପାଦରେ ଅଳତା, ଗୋଡ଼ରେ ପାଉଁଜି ଆଉ କିଛିକିଛି ନୂଆ କରି ଶାଢ଼ି ପିନ୍ଧି ବି ସେଦିନ ଆସିଥାନ୍ତି। ତେଣୁ ସେ ଦିନକ ପାଇଁ ଭାରି ଫୁଲେଇ ହୁଅନ୍ତି। ସେଦିନ ଏଇ ଉଦଣ୍ଡି ସୀତାମାନଙ୍କର ଅସଲ ଚେହେରା ପଦାକୁ ଆସେ। ଲାଜେଇ ଲାଜେଇ ସିନା କଥା କହିବେ, ହେଲେ କିଛି ଗୋଟେ କଥା ପଡ଼ିଲେ ଖାଲି କିରିକିରି କୁତୁରି କାଳିଆ ଦେଲା ପରିକା ହସିବେ। ଆମ ସହିତ କମ୍ ଥଟ୍ଟା ତାମସା କରନ୍ତି ନା କ’ଣ? ଆମେ କିନ୍ତୁ କିଛି ଯଦି କହିଦେଲୁ ଖାଲି ପୁତନା ରାକ୍ଷାସୁଣୀ ଭଳି ଧମକାଇବେ-“ଦେଖିବୁ ନା ଏଇସାତ ସାରଙ୍କୁ କହିଦେବି”। ଝିଅ ଛୁଆଙ୍କ କଥାକୁ ସାର୍ ଟିକେ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ଭାରି ଭାଉ ଖାଆନ୍ତି। ଆମେ କିନ୍ତୁ ପୁଅଗୁଡାକ ଭାରି ଜବାବ୍ ଦେଲାବାଲା। ତାଙ୍କ କଥାକୁ କଥାରେ ଜବାବ୍ ଦେଇ ଦେଉ, ତେଣିକି ଯାହା ହେବା କଥା ହେଉ। ତା ବୋଲି ଦେଖା ସେକା କଥାକୁ କିଏ ଛାଡିବ? ଆମେ ପୁଅ ପିଲା ଆମର କଣ ପ୍ରେଷ୍ଟିଜ ନାହିଁ ନା, ଝିଅ ଛୁଆ କହିଦେଲେ ବୋଲି ଆମେ ଛାଡି ଦେବୁ? ଆମେ ସବୁ କଥାବାର୍ତ୍ତା ହୋଇ ଯାଇଥାଉ, ଯୁକ୍ତି ପଡ଼ିଲେ କେବେବି ଛାଡିବା ନାହିଁ କି, ଆମେ ତଳ ପଟିଆ ହେବା ନାହିଁ। କିନ୍ତୁ ଏଇମିତି ଅଯଥା କଥାକୁ ନେଇ କଥା କଟାକଟି ଭାରି ଜୋହର୍ ସୋହର ଚାଲେ ।ସାର୍ ବେଳେବେଳେ ପଶି ଆସି କହିବେ – ଇବେ ମାଛ ହାଟ ବସିଲା ଭଳିଆ କାହିଁକି ହେଉଛ,ବଡ଼ କ୍ଲାସ୍ ପିଲା ହେଲଣି ଟିକିଏ ଆସ୍ତେ ପାଟି କରୁନ”। ଆମେ ଟିକେ ଥମି ଯାଉ, କିନ୍ତୁ ପୁଣି ପୁରୁଣା ରାଗଟା ରଖି କଥାର ଖିଅଟା ଧରି ଉଖାଡୁ। ତେଣୁ ଝଗଡ଼ାଟା ଝିଅ ପୁଅ ଦୁଇଟା ଗ୍ରୁପ୍ ହୋଇ ଭଲ କି ଲାଗେ।
ଠାକୁର ପୂଜା ଯେମିତି ଯାହା ହେବା କଥା ସେମିତି ହୁଏ। କିନ୍ତୁ ସେଇଟା ଆମ ପାଇଁ ଏତେ କିଛି ବଡ଼ କଥା ନୂହେଁ, ବଡ଼ କଥା ହେଉଛି କେମିତି ଟିକେ ମସ୍ତି କରିବା। କାରଣ କେତେଦିନ ପରେ ଆଜି ଟିକେ ପାଠରୁ ଛୁଟକରା ମିଳିଛି। ତେଣୁ ଯେଉଁଠି ଦେଖିବ ଦଳଦଳ ହୋଇ ପିଲା ଖାଲି ରୁଣ୍ଡ ହୋଇଥିବେ। ଅଷ୍ଟମରୁ ଏକାଦଶ ଏକାବେଳେକେ ଏତେ ଗୁଡ଼ାଏ ପିଲାଙ୍କ ପାଇଁ ରୋଷେଇବାସ, ଛୋଟିଆ କଥା ନୂହେଁ। ତିନି ଚାରିଟା ପିଅନ୍ ପରା ଥକି ଯାଆନ୍ତି। ତେଣୁ ଆମ ପିଲାମାନଙ୍କ ପାଇଁ କିଛି କାମ ବି ସାର୍ ରଖିଥାନ୍ତି।
ଝିଅ ଛୁଆଗୁଡାକ ଫୁଟାଣି ମାରିଲେ କ’ଣ ହେବ, ଗୋଟେ ବା ପିଆଜ କାଟି ପାରିବେ ନାହିଁ। ଖାଲି ଆଖିରେ ଅମୃତାଞ୍ଜନ ଲଗେଇଲା ଭଳିଆ ଉଃ.. ଆଃ.. ହୋଇ ଆଖିରୁ ଲୁହ ବର୍ଷିବେ ଓ ନାକ ସୁଁ ସୁଁ କରି ନାକରୁ ସିଙ୍ଘାଣି ବାହାର କରିବେ। ତା ବୋଲି ଆମେ କ’ଣ ସିଙ୍ଘାଣି ଖାଇବୁ ନା? ମୁଁ ତେଣୁ କହିଲି-” ଛାଡ଼ ବେ ମୋତେ!ତୁମେ ଯଦି ନ ପାରୁଛ”।
ମୁଁ ଯେତେ ପିଆଜ କାଟେ ମୋର କିଛି ହେବ ନାହିଁ। ଆଖି ବୁଜିବୁଜି ସବୁ କାଟି ପକାଇବି। ଏ ଟେକନିକ୍ ସିନା ତାଙ୍କୁ ମାଲୁମ୍ ଥିଲେ ହେବ, ସେଗୁଡାକ ସୁଦ ଗଧୀ ।ମୋ ପାଟିରୁ ଗଧୀ ଶବ୍ଦ ବାହାରିଛି କି ନାହିଁ, ମୋ ସହିତ ଯୁକ୍ତି ଲଗେଇ ଦେଲେ । ମୁଁ କହିଲି – “ଠିକ୍ ଅଛି ଆମର ପିଆଜ କଟା ସରିଲା ବେଳକୁ ତୁମର ଯଦି ଟମାଟୋ କଟା ସରି ଯାଇଥିବ ତାହେଲେ ତୁମେ ଗଧୀ ନୂହେଁ। ଚାଲେଞ୍ଜ୍ ରହୁ” । ସେୟା ହେଲା ଆମ ପୁଅ ଛୁଆଙ୍କର ପିଆଜ କଟା ଡିପାର୍ଟମେଣ୍ଟ ରହିଲା ଆଉ ଝିଅ ଛୁଆଙ୍କର ଟମାଟୋ କଟା। ପାର୍ବତୀ ଆଉ ଟୁନି ଦିଟା ବଡ଼ ଗୋଳେଇ। ୟାକୁ ତାକୁ ଅନେଇବେ, କେହି ଯେମିତି ନ ଦେଖିବେ ଗୋଟା ଟମାଟୋ ଗୁଡାକ କଟା ଟମାଟୋ ଭିତରେ ଗଳେଇ ପକାଇବେ। ବାଜି ହାରିବାକୁ ଏତେ ଡର?
ପୁଣି ସରସ୍ଵତୀ, କନକ, ଅହଲ୍ୟା ପ୍ରମୂଖ ମଟର ଛୁଇଁ ଛଡାଇବା ଦାୟିତ୍ଵ ନେଇଥିଲେ ଯେ, ଅଧା ମଟର ଖାଇ କି ସଫା କରିଦେଲେ। ଏଗୁଡାକ ବା ଛେଳି , ଖାଲି ଅହରହ ପାଟି ଚାକୁଳି କରୁଥିବେ। ସାର୍ ପଚାରିଲା ବେଳକୁ – “କିବେ! ଏତିକି କଣ, ଏତେ ଆସିଥିଲା ପରା” ? କେହି କିଛି କହୁ ନଥାନ୍ତି। ପାଟି ଭିତରେ ପୂରାଇ ଇଏ ୟାକୁ ସେ ତାକୁ ଦୋଷ ଦେଉଥାନ୍ତି। ୟା ତା ନାଁ ର ଦୋଷ ଗଡାଇ ଖସିବା ବାଟଟା ଠିକ୍ ଜାଣିଛନ୍ତି ।
ସତ କହୁଛି ମୁଁ, ସବୁ ବଡ଼ ବଡ଼ କାମ ପରା ଆମ ପୁଅ ଛୁଆଙ୍କର। ତେଣୁ ବୋଇତାଳୁ ଓ ଆଳୁ କଟା ବି ଆମ ପାଳି। ସେ ଝିଅ ଛୁଆଙ୍କର ଖାଲି କୋବି ଓ ଅନ୍ୟ ପରିବା। ଅଦା ରସୁଣ ବି ଛଡାଇବା ଦାୟିତ୍ଵ ସିନା ଝିଅମାନଙ୍କର କିନ୍ତୁ ଛେଚାଛେଚି ଓ କୁଟାକୁଟି ଦାୟିତ୍ଵଟା ଆମ ପୁଅ ମାନଙ୍କର। ହେଲେ ସେଇ ସେତକ କାମ ବି ପରା ତାଙ୍କ ଦେହି ଠିକ୍ ସେ ହେବ ନାହିଁ।
ଖାଲି ତ ମୁହଁକୁ ମୁହଁ ଯୋଡି କି ଗପିଲେ, ଆଉ କାମ ହେବ କେତେବେଳେ? ତେଣେ ଧରଣୀ ଭାଇ ରୋଷେଇ କରୁ କରୁ “ମସଲା, ମସଲା” ବୋଲି କେତେଥର ହୁରି ପକେଇଲେଣି।
ତେଣୁ ଅନିରୁଦ୍ଧ ରାଗିକି କହିଲା – “କି ଲୋ! ଏତେ ଡେରି କାହିଁକି? ବାହା ହୋଇଥିଲେ ତ ଏତେବେଳକୁ ଦିଟା ଛୁଆ ହୁଅନ୍ତାନି, ବସିକି ଛଡାଉଛନ୍ତି ଯେ ଛଡାଉଛନ୍ତି” । ତାକୁ ସେମାନେ ମାରି ଗୋଡ଼ାଇଲେ ଯେ, ସେ ହସି ହସି ଦୌଡ଼ିକି ପଳାଇଲା। ମୁଁ କହିଲି – “ହଉ ସେ କଥା ଛାଡ଼। ଶ୍ଵଶୁରଘରକୁ ଗଲେ କେମିତି ଆଗ ଚଳିବ ମୋତେ ସେଇ କଥା କୁହନି? ତୁମେ ତ ପରିବା କାଟୁକାଟୁ ଶ୍ୱଶୁରବୁଢ଼ା ହଳରୁ ଫେରି ହଳୁଆ ପାଞ୍ଚଣ ଦାଣ୍ଡ ପିଣ୍ଡା ଚାଳରେ କେଞ୍ଚି ଦେଇ, ଭାତ ମାଗିବ-“ବୋହୂମା! ଝଅଟ ଭାତ ବାଢ଼, ଭୋକ ଲାଗିଲାଣି” । ସେତେବେଳେ କ’ଣ କହିବ? -” ରହଗୋ ଶ୍ୱଶୁରେ! ମୁଁ ବା ରାନ୍ଧିନି “।ଦେବ ଯେ ସେହି ହଳୁଆ ପାଞ୍ଚଣରେ ପାହାରେ, ଏକାବେଳକେ ବୁଦ୍ଧି ଶିଖିବ।
ଏ କଥା ତ ଶୁଣି ଦମେ ହସ ହେଲା। ହେଲେ ସମସ୍ତେ ଘେରି ମୋତେ ଚିଡ଼େଇଲେ। କହିଲେ – “ହଉ, ଆମେ ଦେଖିବୁ ଯେ, ତୁ କେମିତି ସୁନା ନାକୀ ଝିଅକୁ ବାହା ହୋଇ ଘରକୁ ଆଣୁଛୁ । ସେ ତ ଭଲ ସାଠଣା ମାଠଣା ଜାଣିଥିବ। ଖାଲି ରାତି ପାହିଲା ବେଳକୁ ଛଅ ତିଅଣ ନଅ ରକମର କରି, ତା ସହିତ ଶୁଖୁଆ, ବଢି ଓ ବାଇଗଣ ଛେଚି ତୋତେ ବେଲେ ପଖାଳ ବାଢି ଦେବ, ତୁ ତ ଖାଲି ଶୁଖିଲାଟାରେ ଗୋଡ଼ ଉପରେ ଗୋଡ଼ ପକାଇ ବସି ଗେଫା ମାରିବୁ.. ।
ଏଇମିତି ହସର ଫରୁଆ ଖୋଲୁଥାଏ, କଥାର ଖିଅଟା ଲମ୍ବୁଥାଏ ।

ପାବଚ୍ଛ 20 ହାଇସ୍କୁଲ୍ ଡ୍ରାମା 

ହାଇସ୍କୁଲ ଡ୍ରାମାଟା ଆଃ କି ମଜ୍ଜା! ସ୍କୁଲ ଜୀବନରେ ଯେତେ କାର୍ଯ୍ୟକ୍ରମ ଅଛି ସବୁଠାରୁ most entertaining ବା ଅତି ମନୋରଞ୍ଜନ କାର୍ଯକ୍ରମ ହେଉଛି, ଏହି ଡ୍ରାମା। ଛୋଟ ଶ୍ରେଣୀରେ ଡ୍ରାମା ହେଉଥିଲା ଯେ, ଆମେ କିନ୍ତୁ ସେତେ କିଛି ନ ବୁଝି ଡ୍ରାମା କରୁଥିଲୁ। ଏଠି କିନ୍ତୁ ଡ୍ରାମାର ଭାବ ଓ ଭାଷା ଦିଟାଯାକ ବୁଝି ଆମେ ନାଟ୍ଯାଭିନୟ କରୁଥିଲୁ। ତେଣୁ ମନରେ ମନେ ଖୁସି। ବହୁ ପ୍ରତୀକ୍ଷିତ ଡ୍ରାମାକୁ ନେଇ ପୂରା ମନପ୍ରାଣ ଉଚ୍ଛନ୍ନ।
ମଣିଷ ତ କଳାର ପୂଜାରୀ। ନିଜର କଳାତ୍ମକ ଭାବ ପରିପ୍ରକାଶ ପାଇଁ ସେ ମାଧ୍ୟମ ଅନ୍ୱେଷଣ କରୁଥାଏ। ସୁଯୋଗ ପାଇଲେ ସେଇ ଅନ୍ତର୍ନିହିତ ଗୁଣାବଳୀର ବିକାଶ ସାଧିତ ହୋଇଥାଏ। ଯାହା ଆମ ବିଦ୍ୟାଳୟ ମାନଙ୍କରେ ପ୍ରଥମ କରି ପରିପ୍ରକାଶ ପାଏ।
ଗଣେଶ ପୂଜା ହେଉ ବା ସରସ୍ୱତୀ ପୂଜା ନତୁବା ଆନୁଆଲ function, ଯେଉଁଠି ହେଉ ଗୋଟେ ଯାଗାରେ ଆମ ବିଦ୍ୟାଳୟରେ ନିଶ୍ଚିତ ଭାବେ ବର୍ଷକୁ ଥରେ ଡ୍ରାମା ହେବ। ଆମ ଗୀତ ସାର୍ (music ଓ craft teacher) ଆଉ ଅନ୍ୟ ସାର୍ ମାନଙ୍କ ସହିତ ମିଶି କଳାକାର ଚୟନ କରିବେ। ଛୋଟ ଛୋଟ dialogue ମନରୁ ଫାନ୍ଦି କହିବାକୁ କହିବେ, ଯିଏ ଭଲ କହି ପାରିଲା ତାକୁ ରୋଲ୍ ଦେବେ।
ପୁଅ ଝିଅ ଭିତରେ କାଳେ ବିଶୃଙ୍ଖଳା ସ୍ରୁଷ୍ଟି ହୋଇପାରେ ବୋଲି, ଝିଅ ମାନେ ଗୀତି ନାଟ୍ୟ କରିବେ ଆଉ ପୁଅ ମାନେ ମୁଖ୍ୟ ନାଟକ କରିବା କଥା ସ୍ଥିର ହେଲା। ସେତେବେଳେ ସମାଜ ଟିକେ ରକ୍ଷଣଶୀଳ ଥିଲା ତ, ନହେଲେ ପରା ଅଭିଭାବକମାନେ ଅନୁମତି ଦେବେ ନାହିଁ।
ଏହି ସମୟଟା ବେଶ୍ ଲଘୁ ଭାବେ ଜୀବନଟାକୁ ଜୀଇଁ ହୁଏ। କାରଣ ପ୍ରତିଦିନ ରିକ୍ରେସନ ପରେ ଆଉ ପାଠ ପଢା ହୁଏ ନାହିଁ। ଯେଉଁମାନେ ରୋଲ୍ କରିଥାନ୍ତି, ସେଇ କଳାକାର ମାନଙ୍କୁ ନେଇ କବାଟ କିଳା ରିୟଲସେଲ୍ ହୁଏ। ଆଉ ଆମ ଦଳକ ଯେଉଁମାନେ ରୋଲ୍ କରି ନଥାଉ, ସେମାନେ ଚୁପ୍ଚାପ୍ ବସି ପଢିବାକୁ ସାର୍ ତାଗିଦ୍ କରିଥାନ୍ତି। ଆମେ କିନ୍ତୁ ସେଇ ଡ୍ରାମାକୁ ନେଇ ଅହରହ ଆଲୋଚନାରେ ମାତି ରହୁ ଯେ- ହେଇବେ! ସେ ଏମିତି ଅଟ୍ଟହାସ୍ୟ କଲା, ସେମିତି dialogue ଝାଡିଲା ।ଏକରକମର ସେମାନଙ୍କ ନାଟ୍ଯାଭିନୟର ହନୁକରଣ ବା ଅନୁକରଣରେ ଆମେ ବି ଶ୍ରେଣୀଗୃହ ଭିତରେ ମୁଖବାଦ୍ୟ ତଡ଼ରତଡ ବଜେଇ ନାଟ୍ୟ ଲୀଳା ପ୍ରଦର୍ଶନ କରୁଥାଉ, ଯହିଁର ବ୍ୟତିକ୍ରମରେ ଖୁବ୍ ହାସ୍ୟରୋଳ ହୁଏ। ପରିସ୍ଥିତି ଅଣାୟତ ହେଲେ, ସାର୍ ଛଡି ଗୋଟେ ଧରି ଆସି ଡାଣ୍ଟନ୍ତି ନହେଲେ ମୌଖିକ ବୌଦ୍ଧିକ ପରୀକ୍ଷା ନିଅନ୍ତି।
ସେଥର ମହିଷା ମର୍ଦ୍ଦନୀ ଗୀତିନାଟ୍ୟ ଆମ ସ୍କୁଲରେ ଅନୁଷ୍ଠିତ ହେଉଥାଏ। ଶୁମ୍ଭ ନିଶୁମ୍ଭ ଦିଟାକୁ ମାରି ସାରିଲା ପରେ ମହିଷାସୁରକୁ ମାରିବା ସିନ୍ ଟା ଥାଏ। ତେଣୁ ନୃତ୍ୟ ନାଟିକାରେ ଦୂର୍ଗା ହୋଇଥିବା ଝିଅଟାକୁ ଦୁଇଟା ଶାଢ଼ି ପିନ୍ଧାଇ ଦେଇଥାନ୍ତି। ମହିଷାସୁରକୁ ମାରିବା ବେଳେ ବିବସନା ଦୃଶ୍ୟ ଗଢି ତୋଳିବା ପାଇଁ ଗୋଟେ ଶାଢୀ ଖୋଲି ଦେବାକୁ ତାକୁ କୁହାଯାଇଥାଏ। ତେଣୁ ସେ ଯେତେବେଳେ “ରେ ପାମର! ତୋତେ ବଧ କରିବା ପାଇଁ ଦେବତା ମାନେ ମୋତେ ସ୍ରୁଷ୍ଟି କରିଛନ୍ତି, ଏବେ ତୋତେ କିଏ ରକ୍ଷା କରିବ ମୋ ହାତରୁ” – କହି, ଦୂର୍ଗା ବେଶରେ ମହିଷାସୁର ଛାତି ଉପରେ ଗୋଟେ ଗୋଡ ରଖି ଓ ହାତରେ ତ୍ରିଶୂଳ ଉଠାଇ ଗୋଟେ ଶାଢୀ ଧରି ଫିଙ୍ଗିଲା ସେତେବେଳେ ତ୍ରିଶୂଳରେ ଟାଣି ହୋଇ ଆର ଶାଢୀଟା ମଧ୍ଯ କିଛିଟା ବାହାରି ଗଲା। ମହିଷାର ଅଟ୍ଟହାସ୍ୟ ସହ ପିଲାଙ୍କର ଯେଉଁ ହସ ଓ ତାଳି, ଦୂର୍ଗା ଲାଜରେ ଜୁଡ଼ୁବୁଡ଼ୁ। ଧଡ଼ାସକିନା ସିନଟା ଟାଣି ହୋଇଗଲା ଓ ଲାଇଟ୍ ଟା ଲିଭିଗଲା।
ଏହି ସବୁ ବ୍ୟତିକ୍ରମ ପାଇଁ ସେତେବେଳେ ଖୋଲା ପେଣ୍ଡାଲ ଯାତ୍ରା ନହୋଇ ଅଧିକତର ସ୍କ୍ରିନ୍ ବାଲା ଡ୍ରାମା ହେଉଥିଲା। ଫଳରେ ଏହିଭଳି ଅସ୍ୱାଭାବିକ ପରିସ୍ଥିତିକୁ ଆୟତ୍ତ କରି ହେଇଥିଲା।
ଆଉ ଗୋଟେ କଥା କହିବି ନା! ପ୍ରଭାତୀ ନୁହଁ ନା! ଶୁମ୍ଭ ରୋଲ୍ କରିଥିଲା। ତାକୁ ଯେତେବେଳେ ନିଶ ଲଗାଇ ବାଘରା ଚେହେରା କଲେ, ସେ ଆଇନାରେ ଦେଖିଲା ପରେ ଖୋଲିକି ଫିଙ୍ଗି ଦେଲା। ଜମାରୁ ରାଜି ହେଲା ନାହିଁ ଆଉ ପେଣ୍ଟିଂ ହେବାକୁ। ଯିଏ ଯେତେ ବୁଝେଇ ବୁଝେଇ ଥକିଲେ, ସେ କିନ୍ତୁ ଖାଲି ଭେଁ ଭେଁ ରଡି ଛାଡ଼ିଲା, ଜମାରୁ ବୁଝିଲା ନାହିଁ । ତା ବାପା ବି କେତେ ବୁଝେଇଲେ ଯେ, ଡ୍ରାମାରେ ରୋଲ୍ କଲେ ଏମିତି ପୁଅ ଭଳି ସଜେଇ ହେବାକୁ ହୁଏ ବୋଲି, ସେଇଠୁ ଯାଇ ଟିକେ ବୁଝିଲା। ସେଟା ସତରେ ହୁଣ୍ଡିଟେ ।ଆମେ ସେଥିଲାଗି ତାକୁ ସବୁବେଳେ ଚିଡ଼ାଉ – “ହୁଣ୍ଡି ଲୋ ହୁଣ୍ଡି, କାହିଁକି ଲଗାଉନୁ ତୁ ନିଶ, କ’ଣ ପୁଅ ହୋଇ ଯିବୁ ବୋଲି” ?
ଗୀତିନାଟ୍ୟ ସରିଲା। ଏବେ ପୁଅ ଛୁଆ ମନାନଙ୍କର ପାଳି। ମଞ୍ଚସ୍ଥ ହେବ ମୁଖ୍ୟ ନାଟକ। ଅଭିନୟ କରିବେ ଆମ କୁମରମଣି ଟୋକା ଦଳ । ଭିତରେ ଭିତରେ ପ୍ରତିଯୋଗୀତା ଥାଏ କେମିତି ଝିଅଙ୍କଠାରୁ ଆମର ହେବ ଟିକିଏ ଉନ୍ନତ। ସମସ୍ତେ ଉତ୍ସୁକ। ରାଜା ଭୂମିକାରେ ଅଭିନୟ କରୁଥିବା ଆମ ନୀର କହିଲା – “କୁହ! କୁହ! ଦୂତ ପ୍ରବର! କଣ ମୋ ରାଜ୍ୟର, ଆଣିଛ ତୁମେ କି ଖବର?” ଦୂତ କହିଲା – “ମଣିମା ଶୁଣିବା ହୁଅନ୍ତୁ! ବିନ୍ଧ୍ୟ ରାଜ୍ଯ ଅଚାନକ, କରିଛି ଆମ ରାଜ୍ୟ ଆକ୍ରମଣ”। ରାଜା ଡାହାଣ ଗୋଡଟାକୁ ଯୋହର ତଳେ କଚାଡି କହିବାକୁ ଥାଏ ସଂଳାପ – “କି କହିଲ! କି କହିଲ ଦୂତ! ବିନ୍ଧ୍ୟ ରାଜ୍ଯ କରିଛି ଆକ୍ରମଣ? ତୁରନ୍ତ ଯାଇ ବନ୍ଦକର ପ୍ରବେଶ ଦ୍ଵାର”। ଠିକ୍ ଏତିକି ବେଳକୁ ନୀର ପାଦରେ ଗୋଟେ ଖୁଞ୍ଚ ପଶିଗଲା। ସେତେବେଳେ ଗାଁରୁ ସବୁ ଖଟ ବୁହା ହୋଇ ମଞ୍ଚ ତିଆରି ହେଉଥାଏ। କିନ୍ତୁ ଖଟର ଗୋଡଗୁଡାକ ପ୍ରାୟତଃ ସମାନ ନଥିବାରୁ ବାଉଁଶ ଠେକରା ଦିଆ ଯାଇ ସମାନ କରାଯାଇଥାଏ। ତେଣୁ ନୀର ଯେତେବେଳେ ଖଟ ଉପରେ ପାଦଟା କଚାଡି ଦେଇଛି ତା ପାଦରେ ବାଉଁଶ ଖୁଞ୍ଚ ତ ପଶିଗଲା ଖଟଟା ବି ତଳକୁ ଗଳି ପଡ଼ିଲା । ତେଣୁ ପୂର୍ବୋକ୍ତ ସଂଳାପ ସହିତ ମ୍ୟାଚିଙ୍ଗ କରି “ମହାମନ୍ତ୍ରୀ! ଯୁଦ୍ଧ ପାଇଁ ସୈନ୍ୟ ସାମନ୍ତ ସଜାଗ କର” ପରିବର୍ତ୍ତେ କହିଦେଲା – “କିଏ ସେ ଏଠାରେ ପୋତିଥିଲା ଖୁଞ୍ଚ, ପଶିଗଲା ପାଦେ ମୋର ଦେଲା ମୋତେ କଷ୍ଟ। ମହାମନ୍ତ୍ରୀ! ତୁରନ୍ତ ନେଇ ଚାଲ ମୋତେ ରାଣୀ ଅନ୍ତପୁର ନେବି ମୁଁ ବିଶ୍ରାମ”।
ଯୁଦ୍ଧ ସମୟରେ ରାଜା ବିଶ୍ରାମ ନେବା କଥା କହିବାରୁ ଆମେ ସମସ୍ତେ ହୋ ହୋ ହୋଇ ହସି ଉଠିଥିଲୁ। ନୀରଟା ତା ‘ପର ଠାରୁ ପେଙ୍ଗେଇ ପେଙ୍ଗେଇ ଷ୍ଟେଜକୁ ଗଲା। ସମସ୍ତେ କହିଲେ-” ପେଙ୍ଗା ରାଜା”।
କେତେ ଘଟଣ ଅଘଟଣକୁ ନେଇ ସେଇ ଯାତ୍ରା ଅଭିନୟ ଶେଷରେ ସରିଗଲା। ହେଲେ ସରି ନଥିଲା ଆଲୋଚନା। ଗୀତି ନାଟକର ନାୟିକା ପ୍ରତିମା ଓ ମୁଖ୍ୟ ନାଟକର ନାୟକ ନୀରକୁ ଯୋଡି ସମସ୍ତେ ନାୟକ ନାୟିକା କହି ଚିଡ଼େଇଲେ। ଦୁହେଁ ମିଛି ମିଛିକା ଆମ କଥାରେ ରାଗି ଉଠୁଥିଲେ ସିନା, ହେଲେ ଦିହିଁଙ୍କୁ ଦିହେଁ ମନେମନେ ଭାରି ଖୁସି ହେଉଥିଲେ ଓ ସେଇ ଭାବ ରଖି ପରସ୍ପର ଟିକେ ଚୁହାଁଚୁହିଁ ମଧ୍ୟ ହେଉଥିଲେ। ଇଶାରାରେ ଇଶାରାରେ ଚାଲିଥିଲା ପିଲାଳିଆ ପ୍ରେମ ସମ୍ଭାଷଣ। ଦିନେ ପ୍ରତିମା ନୀରର ଖାତାଟା ମାଗି ନେଇଥିଲା। ସେ ସେଥିରେ ଗୋଟେ ଏଣୁତେଣୁ କ’ଣ ଚିଠି ଲେଖି ଦେଇଥିଲା। ନୀର ଆଉ ସେ କଥା ଜାଣେ ନାହିଁ, କିନ୍ତୁ ଦୁର୍ଭାଗ୍ୟକୁ ନୀରର ମାଇଁ ହାତରେ ସେଇ ଖାତାଟି ପଡିବାରୁ, ସେ କହିଲେ – “ଆମ ନୀର ତାହେଲେ ଏବେଠୁଁ ପ୍ରେମ କଲାଣି”। ନୀର ତେଣୁ ରାଗି ଯାଇ ସିଧା ତା’ପର ଦିନ ପ୍ରତିମାକୁ ଯାଇ କହିଲା – “ଏ ପ୍ରତିମା! ଏଇଠିକି ଆ’ନି।ତୋର ଯଦି ଏତେ ପ୍ରେମ ଉଛୁଳୁଛି, ତାହେଲେ ମୋତେ ସିଧା ଚିଠି ଦେଉନୁ। ଖାତା ଫାତାରେ ଗୋଟେ କ’ଣ ଲେଖି ପକାଉଛୁ? ଦେବି ଯେ ଗୋଟେ..” ।ତା’ପର ଦିନ ସେଇ ଏକା କ୍ଲାସ୍ ଅଥଚ ଅଲଗା ସେକ୍ସନ୍ ରେ ପଢୁଥିବା ନୀରର ଭାଣିଜୀକୁ ପ୍ରତିମା ଡାକି କହିଲା – “ତୋ ମାମୁଟା ସୁଦ ବୋକାଟେ। କ’ଣ ଗୋଟେ ଖାତାରେ ଲେଖି ଦେଇଥିଲି ବୋଲି ମୋତେ ଧମକାଉଛି”। ସୁଲି (ନୀରର ଭାଣିଜୀ) କହିଲା -” ମୋ ମାମୁଁ କାହିଁକି ବୋକା ହେବମ! ତୁ ତ ଉତୁରୁଛୁ। ”
ଏଇମିତି ସ୍କୁଲ ପ୍ରେମ ଯାହାର ପ୍ରକୃତ ଅର୍ଥ କିଛି ବୁଝା ପଡେ ନାହିଁ।

ପାବଚ୍ଛ 21

ସାଉଁଟା କାହାଣୀ ପାବଚ୍ଛ 21
By ସତ୍ୟ ପ୍ରକାଶ ସେଠୀ
ବିଭିନ୍ନ୍ ଅଙ୍କାବଙ୍କା ରାସ୍ତା ଦେଇ ଆମ ପାଠ ପଢାଟା ତେଣେ ଦୃତ ଗତିରେ ଆଗେଇ ଚାଲିଥାଏ। ଭଲମନ୍ଦକି ଦି ଅକ୍ଷର ସାର୍ ଙ୍କଠୁଁ ଶିଖିଲୁଣି। ସ୍କୁଲ ବେଳାରେ ବି ଛାତ୍ର ଜୀବନରେ ଯେତିକି ମଜ୍ଜା ଉଠେଇବା କଥା ଉଠେଇ ସାରିଲୁଣି। ଏଣିକି ଜୀବନର ସବୁଠାରୁ ବଡ ପରୀକ୍ଷା, ମ୍ୟାଟ୍ରିକର ବୋର୍ଡ ପରୀକ୍ଷା। ଏହି ପରୀକ୍ଷା ପାଇଁ ଏକ୍ସଟ୍ରା କ୍ଲାସ୍, କୋଚିଂ କ୍ଲାସ୍ ଠାରୁ ଆରମ୍ଭ କରି ଯେତେ ପ୍ରଯତ୍ନ କରିବା କଥା ସାର୍ ମାନେ କରିଥାନ୍ତି। ଅଭିଭାବକମାନେ ବି ବଡ଼ ସିରିୟସ। ଆମ ଖେଳକୁଦର ସ୍ଯିଡୁଲ୍ ବି ସବୁ ବଦଳି ଯାଇଥାଏ। ଖାଲି କେମିତି ପାଠ ଗୁଡାକ ପଢି ପକାଇଲେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ହେବ- ସେଇ ଚିନ୍ତା।
ଏହି ମାଟ୍ରିକ୍ ପାସ୍ କରିବାକୁ ହେଲେ ପରା ପାହୁଚ ପାହୁଚ କରି ସାଢେ ମାସିକ ଓ ବାର୍ଷିକ ପରୀକ୍ଷାକୁ ମିଶାଇ ବାଇଶି ପାହାଚର ଖସଡା ସିଢି ଚଢିବାକୁ ହୁଏ। ତେଣୁ ସାବଧାନ ହୋଇ ଗୋଡ ଥାପିବାକୁ ହୁଏ। ନହେଲେ ପରେ ଟିକିଏ ଅସାବଧାନତା ହେଲେ କେତେବେଳେ ପାଦ ଖସିଯାଇ ରସାନ ତଳକୁ ଖସି ଯାଇଥିବ ଯେ ତାହା ଜାଣି ହେବ ନାହିଁ। ବାଇଶି ପାବଚ୍ଛର କଷ୍ଟ ଉଠେଇଲେ ସିନା ଯାଇ ଦିଅଁ ଦର୍ଶନ ହୁଏ ଓ ମ୍ୟାଟ୍ରିକ ପାସ୍ କରି ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ଦର୍ଶନ ମିଳିବ, ନହେଲେ ଯେଉଁ ମୂର୍ଖକୁ ସେଇ ମୂର୍ଖ, ମୂରୁଖ ପହ୍ଲରେ ମୂରୁଖ ହୋଇ ରହିବା ଖାଲି ସାର ହେବ।
ଶେଷରେ ଆସି ପରୀକ୍ଷା ବେଳ ଗୁଳମୁଣ୍ଡ ଛୁଇଁଲା। ଭଦ୍ରକସ୍ଥିତ ଏନ୍. ସି. ହାଇସ୍କୁଲରେ ଆମର ସେଣ୍ଟର ପଡିଲା। ସେଇଠି ଗୋଟେ ବଡ଼ ଘର ନିଆ ଯାଇଥାଏ। ଯେଉଁଠିକି ଆମର ରହିବା ଖାଇବା ଓ ମେସିଙ୍ଗ ଚାଲିଲା।
ପରୀକ୍ଷା ସରିବା ଯାଏଁ ଜଣେ ଦୁଇ ଜଣ ସାର୍ ଜଗିକି ରହନ୍ତି। ଅନ୍ୟ ସାର୍ ମାନେ ଯାହାର ଯେଉଁଦିନ ପରୀକ୍ଷା ଥାଏ, ତା ପୂର୍ବ ଦିନ ତାଙ୍କର ରାତ୍ରି ରହଣି ଓ ପାଠ୍ଯ ପୁସ୍ତକ ଆଲୋଚନା। ପରୀକ୍ଷାରେ ପଡ଼ିବାକୁ ଥିବା ସମ୍ଭାବ୍ଯ ବିଷୟ ଉପରେ ଆଲୋଚନା ହୁଏ ଓ ପରୀକ୍ଷା ସମ୍ଵନ୍ଧୀୟ ବିଭିନ୍ନ୍ ଟିପ୍ପସ ମଧ୍ୟ ସାର୍ ମାନେ ଦିଅନ୍ତି। ସାର୍ କୁହନ୍ତି – “ଏତେଦିନ ହେଲା ଆମେ ପଢାଇଲୁ, ହେଲେ ମୋ ବିଷୟରେ ତୁମେ ଯଦି ଭଲ ମାର୍କ ରଖି ନ ପାରିବ ମୁଁ ଲଜ୍ଜିତ ହେବି। ତେଣୁ ମୋର ତୁମକୁ କହିବା କଥା ସମସ୍ତେ ଭଲ କରିବାକୁ ଚେଷ୍ଟା କରିବ, ସେଇ ହିଁ ହେବ ମୋ ପାଇଁ ଗୁରୁ ଦକ୍ଷୀଣା, ନହେଲେ ମୁଁ ଜାଣିବି ତୁମେ ମୋତେ କେହି ଭଲ ପାଉ ନାହଁ” । ଆମେ ତେଣୁ ଟିକେ ସିରିୟସ ହୋଇ ପଢାପଢିରେ ମନୋନିବେଶ କରୁ।
ସାର୍ ମାନେ ବି ଶେଷ କସରତ କରନ୍ତି, ଜଗାରଖା କରି ପିଲାମାନଙ୍କୁ କେତେ ଆକଟ ଭିତରେ ରଖନ୍ତି। ଅଶୀ ନବେ ଜଣ ପିଲାଙ୍କୁ ଏକାଠି ଗୋଟେ ଗୋଠରେ ରଖିବା କ’ଣ ସହଜ କଥା ହୋଇଛି କି? ଜଗୁଯଜଗୁ ପରା ସେଇଥିରେ କିଏ କେତେବେଳେ ଖସିଯାଇ କେତେ କାଣ୍ଡ କାରନାମା ସବୁ ଭିଆଇ ବସୁଥାନ୍ତି। ଝିଅ ପୁଅଙ୍କର ଏତେବେଳକୁ ଖୁବ୍ ଅମାନିଆ ବୟସ, ତେଣୁ ତାଙ୍କୁ ଚାବି ପକାଇ ରଖିଲେ କି ସେ ରହନ୍ତି? ଯେଉଁମାନେ ପାଠ ପଢୁଆ ପିଲା ସେ ଠିକ୍ ପଢନ୍ତି। ତେଣିକି ସେ ଓଳି ଆଡ଼େ ହେଉ ବା ବାଡ଼ି ପଟେ ନତୁବା ଘର ଭିତରେ ଗୋଟେ କୋଣରେ ସେମାନେ ଛପିକି ପଢ଼ିପକାନ୍ତି। କାହା କଥାକୁ ସେତେ ନଜର ଦିଅନ୍ତି ନାହିଁ। ଆଉ କିଛି ବାଇଜା ଛୁଆ ଅଛନ୍ତି ପରା ସେ ଖାଲି ଚୁଙ୍ଗୁଚୁଙ୍ଗୁ ହେଉଥିବେ। ଟିକିଏ ଫୁରୁସତ୍ ପାଇଲେ କୋଉ ଝିଅ ଛୁଆଙ୍କ ପଛରେ ପଡିବେ ନହେଲେ ନାଟ ତାମସା କରିବେ।
ଏମାନଙ୍କ ଭିତରୁ ରଣଜିତଟା ଭାରି ଦୃଷ୍ଟ। ଥିବଥିବ ଝିଅଙ୍କ ରୁମ୍ ଭିତରେ ପଶି ଯାଇ କ’ଣ ଗୋଟେ କହି ଦେଇଥିବ। ବାସ୍ ସେୟାକୁ ନେଇ ତୁମୁଳ କାଣ୍ଡ ହେବ।
ସେଦିନ ପରୀକ୍ଷା ସାରି ଫେରିଲା ବେଳକୁ ତୁହିନା ଚୁଟିଟାକୁ ଟାଣିଦେଲା। ସେ ପାଖରେ ପଡିଥିବା କାଠ ଫାଳିଆରେ ପାହାରେ ପକାଇଲା ଯେ,ତା ବାଆଁ ହାତର ନଖ ଅଙ୍ଗୁଳିଟା ଫାଟିକି ଖାଲି ଝିରିଝିରି ହୋଇ ରକ୍ତ ବୋହିଲା। ସେ ରାଗ ରଖିଥିଲା ଯେ, ପାଖରେ ଥିବା ଗୋଟେ ଗାଡ଼ିଆକୁ ଗାଧୋଇ ଗଲା ବେଳେ ସେ ତୁହିନା ଡ୍ରେସ୍ ଟାକୁ ଲୁଚେଇ ଗଛ ଅଗରେ ନଖେଇ ଦେଲା। ସେଇଥିରେ କ’ଣ କମ କଥା ହୋଇଛି?କୃଷ୍ଣ ସାର୍ ତ ହାତ ଯୋଡି ଦେଲେ, କହିଲେ -” ଆଉ କ’ଣ ତୁମକୁ ଶାସନ କରିବା ବେଳ ଅଛି, ହେଲେ ଆମକୁ ଆଉ ବଦନାମ଼୍ କର ନାହିଁ “।
ପୁଣି ଆଉ ଗୋଟେ ଘଟଣାର ନଜିର ଅଛି। ସେଠାକୁ ବିଭିନ୍ନ୍ ସ୍କୁଲର ପିଲା ସବୁ ପରୀକ୍ଷା ଦେବାକୁ ଆସିଥାନ୍ତି। ତେଣୁ ଆମ ସ୍କୁଲ ଛୁଆଙ୍କର ଅନ୍ୟ ସ୍କୁଲ ଛୁଆଙ୍କ ସହିତ ଛକାପଞ୍ଝା ଚାଲେ। ସେଦିନ ଆମ ଝିଅଛୁଆ ଗୁଡାକ ସବୁ ଝରକା ଆଉଜେଇ ଶୋଇ ଥାନ୍ତି। ରାତିରେ ଅନ୍ୟ ଗୋଟେ ସ୍କୁଲ ଛୁଆ ଝରକା ଆଡ଼େଇ ଉଣ୍ଡିଲେ। ସମସ୍ତେ ଶୋଇ ପଡିଥାନ୍ତି ।ତୁଳସୀଟା ଚେଇଁ ଏକା ପାଠ ପଢୁଥାଏ। ତାକୁ ଗୋଟେ କାଠିରେ ଧିରେ ଧିରେ କିଏ କେଞ୍ଚି ଦେଲା। ସେ କିଏ ବୋଲି ପାଟି କଲା ବେଳକୁ ଏମାନେ ଝରକା ମୂଳେ ଛାପି ଯାଉଥାନ୍ତି। ଏଥର ତା ଡ୍ରେସ୍ ଟା ଭିତରେ ଲମ୍ବା କାଠିଟାକୁ ପୂରାଇ ଦେଲେ। ସେ ହାଉଳି ଖାଇ ଉଠି” କିଏ ସେ କହନି ଛତରା, ଭେଗା” କହି ପାଟି କରିଉଠିଲା। ସମସ୍ତେ ଉଠି ପଡ଼ିଲେ। ଆମେ ବହେ ଖୋଜାଖୋଜି କଲୁ, ହେଲେ କାହାକୁ ପାଇଲୁ ନାହିଁ କି କିଛି ସଠିକ୍ ସନ୍ଧାନ ମିଳିଲା ନାହିଁ। ତଥାପି ଆମେ ଛୁଆ ଜାସୁସୀ କରି ସେ ଟୋକାଙ୍କୁ ଧରିଲୁ। ସେତେବେଳେ ଆମର ଭାରି feelings. ଆମ ସ୍କୁଲ ଛୁଆ ମାନେ ଆମର, ତାଙ୍କୁ କେହି କିଛି କହି ଦେବ ମାନେ ଆମେ ମୋଟେ ଛାଡିବୁନି। ସିଧା ଯାଇ ସେ ଟୋକାଙ୍କୁ ଉଠେଇ ଆଣି ଦମେ ଧୂଲେଇ କଲୁ। ତାଙ୍କ ସ୍କୁଲ ସାର୍ ମାନେ ଆସି ପୁଣି ଆମ ସାର୍ ମାନଙ୍କ ସହ ସାଲିସ୍ କରି ଓ ତାଙ୍କୁ ଗାଳି ଫଜିଲ୍ କରି ଯାଇ ନେଲେ।
ଏଇମିତି ଏଇମିତି ମାଟ୍ରିକ୍ ପରୀକ୍ଷାଟା ସରିଗଲା। ଯେଉଁମାନେ ପାସ୍ କରିଗଲେ ସେମାନେ ଜ୍ଞାନର ଆଲୋକ ଦେଖିଲେ। ଆଉ ଯିଏ ଫେଲ୍ ହୋଇ ରହିଗଲେ, ସେମାନେ ଭାଗ୍ୟକୁ ଏଯାଏଁ ନିନ୍ଦୁଛନ୍ତି ଯେ ନିନ୍ଦୁଛନ୍ତି।
ସାର୍ ତ ସେଦିନ ଠିକ୍ କଥା କହୁଥିଲେ – “ମାଟ୍ରିକ୍ ପରେ ତୁମକୁ ଆଉ କେହି ଆକଟ କରିବାକୁ ନଥିବେ। ତେଣିକି ତୁମେ ହିଁ ତୁମର ଗୁରୁ ହେବ। ତେବେ ଏବେ ଯେଉଁ ଭଲରେ ମନ୍ଦରେ ଦି ପଦ କହୁଛୁ ସବୁ ମନେ ରଖିଥିବ, ଜୀବନରେ ନିଶ୍ଚୟ କାମରେ ଆସିବ”।

ପାବଚ୍ଛ 22 ଶେଷ ସ୍ପର୍ଶ – ବାଇଶି ପାହାଚ

ମୋ ଉଚ୍ଚ ବିଦ୍ୟାପୀଠ-ଏକ ନିଆରା ପରମ୍ପରାର ଭିନ୍ନ ଏକ ଆସ୍ବାଦନ। ଅନେକ ଉତ୍ତମ ଛାତ୍ର/ଛାତ୍ରୀ ସୃଷ୍ଟି କରିବାକୁ କ୍ଷମ। ତହିଁ ଉତ୍ତାରୁ ଆମେ ସବୁ ସେଇ ସ୍କୁଲର ସ୍ମୃତି ମନେ ପକାଇ ବେଶ୍ କିଛି ଆହ୍ଲାଦିତ ବା ଭାବବିହ୍ଵଳ ହୋଇଥାଉ। ବେଶ୍ କିଛି ଭଲ ଖରାପ, ମିଠା ପିତା, ତିକ୍ତ ସତୃପ୍ତ ବା ଉଭୟ ମୋଡ଼- ମଣିଷ ଜୀବନରେ ଏଇଠି ହିଁ ଆସିଥାଏ। ତେଣୁ ତ ସ୍କୁଲ୍ ଜୀବନ ଓ ପିଛିଲା ଦିନର ସ୍ମୃତିଗୁଡ଼ାକ ମନକୁ ଆସି ଭାରି ଆନ୍ଦୋଳିତ କରିଥାଏ। ସେଥିସକାଶେ ମୁଁ ଗାଏ –

ଇଚ୍ଛା ହୁଏ କାହିଁ ବେଳେ ବେଳେ ମୋର
ପଛକୁ ଯିବାକୁ ଫେରି
ଜୀଇବାକୁ ପୁଣି ଆଉ ଥରେ ସେଇ
ପିଛିଲା ଦିନକୁ ଭରି ।। 1
ବେଳେ ବେଳେ ଚାହେଁ ଶିଶୁଟେ ହେବାକୁ
ଖେଳିବାକୁ ନୁହଁ ମନ
ଦେଖିବାକୁ ପରା ମୋ ମା’ର ଓଠରେ
ଆମ ସେ ହସିଲା ଦିନ ।। 2
ବେଳେ ଭାବୁଥାଏ ଫେରିବାକୁ ଦିନେ
ସେଇ ସ୍କୁଲ୍ ପିଲା ହୋଇ
ପଢିବାକୁ ନୁହଁ ଭେଟିବାକୁ ସାଥୀ
ଭେଟୁନି ଯାହାଙ୍କୁ ମୁଇଁ ।। 3
ବେଳେ ଭାବେ ବସି ଫେରନ୍ତାନି ସେଇ
ବିବାହ ଉତ୍ସବ ବେଳ
ନୂଆ ସାଥୀ ନୁହଁ ମନ ଭରି ଭୋଗ
କରନ୍ତି ବିବାହ କାଳ ।। 4
ଆଉ ବେଳେ ପୁଣି ଛୁଆପିଲା ମୋର
ହୋଇ ଯାଆନ୍ତେକି ଟିକି
ତାଙ୍କ ସଙ୍ଗେ ପୁଣି ଖେଳନ୍ତି ଯେ ବସି
ଖେଳୁନି ଯାହା ସେମିତି ।। 5
ବେଳେ ଇଚ୍ଛା ହୁଏ ପ୍ରଥମ ଚାକିରୀ
ଦିନ ଆସନ୍ତା କି ଫେରି
ନୁହଁ ଅଳ୍ପ କାମ ବରଂ ସେ ପ୍ରଥମ
ଦରମାର ଖୁସି ଭରି ।। 6
ବେଳେ ଚାହେଁ ମୁଇଁ ଫେରିବାକୁ ପୁଣି
ସମୟର ଆର ପାରି
ଯେଉଁଠି ନଥିବ ପାର୍ଥିବ ଶରୀର

ଥିବ ବିଭୂ ପ୍ରେମ ଭାରି ।। 7
ମୋର ବୋଲି ହୋଇ ଅଛି ଯାହା ରହି

ନଥିବ ମୋହର କିଛି
ସମୟର ଏହି ଶୁଖିଲା ବାଲିରେ
ଯାଇଥିବ ସବୁ ଲୁଚି।8

ଚାଲି ଚାଲି ମୁଇଁ ଥକି ପଡ଼ିଲାଣି

ତଥାପି ସରୁନି ବାଟ
ଦେହ ହାତ ମୋର ଅବଶ ଲାଗୁଛି
ନିତି ହୁଏ ଛଟପଟ ।। 0
ଆଜି କାହିଁକି କେଜାଣି ମୁଁ ଟିକିଏ ବୋଧେ ବେଶୀ ଭାବପ୍ରବଣ ହୋଇପଡୁଛି ।ସବୁ କଥା ଗୁଡ଼ାକ ରୋମନ୍ଥନ କରିବାକୁ ଭାରି ଇଚ୍ଛା ହେଉଛି। ବାକି କଥାଗୁଡ଼ାକ ମାଡ଼ି ବସୁଛି।ସାଙ୍ଗସାଥୀ, ଶ୍ରେଣୀଶିକ୍ଷକ – ସବୁକିଛି। ସେମାନଙ୍କ ମଧ୍ୟରୁ ଆଜି ଅନେକ ସମୟର ଗର୍ଭେ ଲୀନ ହୋଇ ଯାଇଛନ୍ତି । ତଥାପି ତ ଆହୁରି ଅନେକ ଅଛନ୍ତି, ଯେଉମାନଙ୍କ ଭିତରୁ କେତକ ଝାପ୍ସା ମନେ ପଡ଼ୁଛନ୍ତି। ହେଇ ଯେମିତି ବବୀ, ଅଲେଖ, ବାପି, କୂଳ, ବିନାୟକ, ପ୍ରଶାନ୍ତ( ଦାସ) ଶ୍ରୀ ଧର, କିଶୋର ଓ ଆଉ ଅନ୍ୟମାନେ। ସେଇ ସ୍କୁଲ୍ ତ ଅଛି, ଯେଉଁଠି ସେଦିନ ମୁଁ ଏମିତି ପାଠ ପଢୁଥିଲି। ସାଙ୍ଗମାନଙ୍କ ସହ ବେଶ୍ କିଛି ଆତ୍ମୀୟତା ବାଣ୍ଟୁଥିଲି ବା ହସାହସି ହୋଇ କମ୍ପାଉଥିଲି। ଖେଳ ଛୁଟିରେ ଅନନ୍ତ ହାଜିରା ଘୁଗୁନିବାଲା ବା କୁରୁପା ଭାଇ ଗୁଲଗୁଲା ଦୋକାନ ଆଗରେ ଲାଇନ୍ ହୋଇ ଛିଡା ହେଉଥିଲୁ , ନତୁବା ମାଲଡିହ ତେନ୍ତୁଳି ଗଛରୁ କଞ୍ଚା ତେନ୍ତୁଳି ସଂଗ୍ରହ କରି, ଚେନାଚୁର ଲୁଣ ସହିତ ଖାଇ ଟାକରା ଫୁଟାଉଥିଲୁ।
ସାଥୀମାନେ ପାଟିରୁ ଲାଳ ଗଡ଼ାଇ ଖଣ୍ଡେ ଦେ ବୋଲି ମାଗି ହେଉଥା’ନ୍ତି। ଏଇ ରାଜୁଟା ଭାରି ଗୋଟେ, ସବୁ କଥାରେ ପ୍ରତିବାଦ କରିବ। ମୋତେ ଖାଲି ଚିଡ଼େଇବ।ମୁଁ ତା ‘ଉପରେ ରାଗିକି ହୂତାସନ। ଚିଡ଼ିକି ବାଇଶି କୁଟା ହେଉଥାଏ। କିନ୍ତୁ ସେ ରାଜୁଟା ଭାରି ପାଠୁଆ, ସମସ୍ତେ ତାକୁ ଭଲ ପାଆନ୍ତି। ମୋର ବି ସେ ଭାରି ପ୍ରିୟ। ତା’ ମାନେ ନୂହେଁ ଯେ ଆଶିଷ, ଚିତ୍ତ, ରବି କୈଳାସ, ଯଶୋବନ୍ତ, ଚୈତନ, ରଞ୍ଜନ ହରିଆ, ସୁରେଶ, ଅଭି, କୈଳାଶ , ସାଗର, ରମା, ଅନିରୁଦ୍ଧ, ଅକ୍ଷୟ, କୃତ୍ତିବାସ, ସହିତ ମୋର ଭଲ ସମ୍ପର୍କ ନୁହଁ – ଖୁବ୍ ଭଲ ସମ୍ପର୍କ।

ପୁଣି ଜୀବନର ଆଉ ଗୋଟେ ଦିଗ ଭାଗ କଥା ଏଠାରେ ଉଲ୍ଲେଖ ନକଲେ ନ ଚଳେ । ସେହି ହିଁ ଆମ ଜୀବନର କେତୋଟି ବିଶେଷ ମୁହୂର୍ତ୍ତ। ସ୍କୁଲ୍ ଟାଇମର ଯଥେଷ୍ଟ ପୂର୍ବରୁ ଆମେ ପହଂଚି ଯାଉଥିଲୁ ସ୍କୁଲ୍ ପାଖ ଠାକୁରାଣୀ ମନ୍ଦିର ଆଗରେ। ସେଇଠି ତେନ୍ତୁଲି ଗଛ ମୂଳରେ ଠାକୁରାଣୀଙ୍କ ଆଗରେ ବେଶ୍ ଦି ବାଜି ବାଟି ନହେଲେ ନାହିଁ ବାଳୀ ଖେଳ ହୋଇଯାଉଥିଲା। ସେପଟେ ପାର୍ଥନା ଆରମ୍ଭ ହୋଇଯାଇଥାଏ, ଆମ ବାଜିଟା ଛିଡି ନଥାଏ। ସାର୍ କିନ୍ତୁ ଠିକ୍ ନଜର ରଖିଥାନ୍ତି, ସକାଳୁ ସକାଳୁ ଗଣି ଗଣି ଜଣକା ଦି ଦି ପାହାର ହୋଇଯାଉଥାଏ। ତେଣିକି ମନଟା ଖେଳ କୁଦରୁ ହଟି ପାଠ ଆଡକୁ ଚାଲି ଯାଉଥାଏ। ପୁଣି ସ୍କୁଲ୍ ଛୁଟି ହେଲା କ୍ଷଣି ଚାଲି ଯାଉଥିଲୁ – ଝାଟିଆ ବଣକୁ, ଫୁଟବଲ୍ ଖେଳିବାକୁ। ବେଶ୍ କିଛି ପେଣ୍ଡୁ ସହିତ କସରତ ହୋଇଗଲା ପରେ ଥକ୍କା ହୋଇ ଫେରି ଆସୁଥିଲୁ ଘରକୁ। ତା’ପର ଦିନ ପୁଣି ସେଇ ସମାନ ଅଭ୍ୟାସ। ପାଠଟା ଯେତିକି ନୁହଁ ଖେଳର ନିଶାଟା ସେତେ ଅଧିକା। ଏଥିପାଇଁ ଗୁରୁଜୀଙ୍କ ଠାରୁ କ’ଣ କମ୍ ତି ଶୁଣିଛୁ ନା କମ୍ ତି ମାଡଗାଳି ଖାଇଛୁ। ଆହା! କି ସୁନ୍ଦର ସେ ପିଲାବେଳ ଆଉ ତା’ର ସ୍ମୃତି ବିଜଡ଼ିତ ପ୍ରତିଟି ମୁହୂର୍ତ୍ତ। ଆଉ ଥରେ ଏଇମିତି ହଟକି ପୁଣି ଥରେ ଯାଆନ୍ତୁ କି ସେଇଠି ଲଟକି।

ଆଉ ଆମ ସ୍କୁଲ୍ ଘରଟା ବି ଭାରି ବଢିଆ ଥିଲା। ସେତେବେଳକାର ଛଣ ଛପର ଘର ଯାହା ଦିନରେ ଚାନ୍ଦ ଓ ରାତିରେ ତାରା ଗଣୁଥିଲା। ତାହା ଏବେକାର ସୁଉଚ୍ଚ କୋଠା ନୁହଁ ବା ଆଲୋକ ମାଳିନୀ ଶୀତ ତାପ ନିୟନ୍ତ୍ରିତ ଜ୍ୟୋତ୍ସ୍ନା ବିଧୌତ ଆଧୁନିକ ସଫେଦ ଗୃହ ନୁହଁ। ବେଳେବେଳେ ମଧ୍ୟ ଗୋବର ଆଦାୟ କରି ଘର ଲିପା ହେଉଥିଲା। ସେଦିନଟା ଭାରି ମଜା ଲାଗୁଥିଲା, କାହିଁକିନା ଗୁଲି ଗପ କରିବା ପାଇଁ ବେଶ୍ ଗୋଟେ ଅବସର ମିଳି ଯାଉଥିଲା ଆଉ ପାଠ ପଢ଼ାରୁ ବି ଟିକିଏ ତ୍ରାହି ମିଳି ଯାଉଥିଲା। ଥାଉ ଆଉ କହିବା ନାହିଁ – ଅଧିକ କଥନ ହୋଇଯିବ। ଆହୁରି ଅନେକ କଥା ବାକି ଅଛି।
ପୁଣି ସବୁ ସାର୍ ମାନଙ୍କ କଥା ଗୋଟି ଗୋଟି ହୋଇ ମନେ ପଡିଯାଉଛି। ହେଡ୍ ମାଷ୍ଟ୍ରେ ଲେଙ୍କା ସାର୍ ଭାରି ଭଲ ମଣିଷ। ପାଠ ସହ ଯେତକ ଉପଦେଶ ପରାମର୍ଶ ଶୁଣାଇଥାନ୍ତି।ସାଇ ବାବା, ମହାତ୍ମା ଗାନ୍ଧୀ ଆଦି ମହାପୁରୁଷଙ୍କ କାହାଣୀ ଶୁଣାଇ ପ୍ରାଭାବିତ କରିଥାନ୍ତି। ପଢ଼ା ସହ ହସର ଫରୁଆ କଥା ଆସିଲେ ଶିଅଳ ସାରଙ୍କ କଥା ମନେ ପଡିଯାଏ। ତା ଛଡ଼ା ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶରେ ତାଙ୍କ ଭୂମିକାଟି ଟିକିଏ ଅଧିକାଥାଏ। ସବୁ ବେଳେ ହସୁ ଥିବା ହସହସ ମୁଖ କିଶୋର ସାର୍ ବେଶ୍ ହସେଇ ମଜ୍ଜେଇ ପାଠ ପଢାନ୍ତି। ଚନ୍ଦ୍ରମଣି ସାର ମଧ୍ଯ ବହୁତ ମଜ୍ଜା କଥା କହି ପଢାଇଥାନ୍ତି। ଏବର ହେଡ୍ ମାଷ୍ଟର ସେବର ଆମ ଅଭିମନ୍ୟୁ ସାର୍ – ସେ ତ ପିଲାଙ୍କ ସହ ପିଲା ହୋଇଯାଆନ୍ତି, ଆଦୌ ରାଗନ୍ତି ନାହିଁ। ଭାରି ଭଲ ଲୋକ। କୃଷ୍ଣ ସାର୍ ସ୍ୱାଭାବିକ ଭାବେ ଟିକିଏ ଗୁରୁ ଗମ୍ଭିର। ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଖ ମଣ୍ଡଳ। ମନେ ହୁଅନ୍ତି ଭାରି କଠୋର। ମାତ୍ର ବାସ୍ତବରେ ଭାରି ଛାତ୍ରବତ୍ସଳ, ଅନୁଶାସନପ୍ରିୟ, ସମୟାନୁବର୍ତ୍ତିତା, punctual. ତାଙ୍କୁ ଆମେ ବିଶେଷ ଭାବେ ମନେ ରଖିଛୁ ଇଂରାଜୀ ଶିକ୍ଷା ପାଇଁ। ପୂର୍ଣ୍ଣ ସାହୁ ସାର୍ ମଧ୍ଯ ଜଣେ ଭଲ ମଣିଷ। ଜଗନ୍ନାଥ ସାର୍ ଭାରି ପ୍ରିୟ ।ସାଂଗଠନିକ ଦକ୍ଷତା, ଯୋଗାଯୋଗ, ସ୍କୁଲର ବିକାଶ, ଅନ୍ଯାନ୍ଯ କ୍ଷେତ୍ରରେ ତାଙ୍କର ଦକ୍ଷତା ଟିକିଏ ଅଧିକ।

ସ୍ଵର୍ଗତଃ ମୋହିନୀ ସାର୍ ଉଚ୍ଚକିତ ଚିନ୍ତା ଚେତନା ପ୍ରସୂନ ସୁଗୁଣାବଳୀର ବ୍ୟକ୍ତିତ୍ଵ। ଯିଏ କି ଆଜି ଆମ ନିକଟରେ ନଥିଲେ ହେଁ ତାଙ୍କରି ସ୍ମୃତିଟି ବେଶ୍ ତାଜା ହୋଇ ରହିଛି।
ଆଜକୁ ଠିକ୍ କିଛି ଦିନ ତଳେ ଏଇଠି ଏଇ ସ୍କୁଲରେ ବ୍ୟୟିତ ମୋର ପ୍ରତିଟି ମୁହୂର୍ତ୍ତ ମୋ ସ୍ମୃତି ଭାଲ ପଟେ ଆଜି ଉଇଁକି ଉଠେ। ସେଦିନ ମୁଁ ଠିକ୍ ତୁମ ଭଳି ବା ତୁମେ ଠିକ୍ ମୋ ଭଳି ଏଇମିତି ସ୍କୁଲ ଗୋଇଁଙ୍ଗ ବୟ। my school time – ସ୍କୁଲ ଟାଇମ ଆସିଗଲେ, ଦୌଡ଼ି ଦୌଡ଼ି ଶ୍ରେଣୀ ଗୃହକୁ ପଶି ଯାଉଥିଲି। ମନରେ କିଛିଟା ସମ୍ଭାବନା, ଦୁର୍ବାଭାବନା। ଅନେକ ଡର – ପଣ୍ଡିତ ସାର୍ ଙ୍କ କ୍ଲାସ ଅଛି। ସଂସ୍କୃତରେ ଯଦି ଭଲ କି ଦି ପଦ କହି ନ ପାରିଲି – ମଲି। ମାଡ଼ ଭୟରେ ପାଠ ଗୁଡ଼ାକ ମନେ ପଡ଼ି ଯାଉଥାଏ। ଏଇ ଯେଉଁ ପଣ୍ଡିତ ସାର୍ ଙ୍କୁ ଆମେ ଦେଖୁଛେ ବା ଆଗରୁ ଦେଖିଛେ, ସେ ଶ୍ରେଣୀ ଗୃହ ଭିତରେ ବେଶ୍ କଠୋର ଅନୁଶାସନ ଭିତରେ ଛାତ୍ରଛାତ୍ରୀଙ୍କୁ ଗଢିବାର ସଙ୍କଳ୍ପ ନେଇ ଟିକିଏ କଠୋର ହୋଇଥାନ୍ତି। ଏବେ ବି ମୋର ମନେ ଅଛି ସେଇ ଝାଉଁ ଡାଳର ପାହାର।

ଧେତ୍ କହୁ କହୁ କେତେ କଥା କହି ଗଲିଣିମ! ଏତେ ଶୀଘ୍ର ସ୍କୁଲ ଜୀବନଟା ସରିଯିବ ବୋଲି କ’ଣ କେହି କେବେ ଭାବିଥିଲା?

The big end

Related posts

Nila Gaganra Pathika | Story Book

satya

ମାନପତ୍ର

satya

ପଣ୍ଡିତ ଦୈତାରୀ ମହାପାତ୍ର- ଜୀବନୀ ଆଲେଖ୍ୟ

satya

Leave a Comment

Login

X

Register