Satya Prakash
ଗଳ୍ପ

ଆତ୍ମଗ୍ଳାନୀର ଶୀକାର

ସେଦିନ ଥିଲା ଆଦ୍ୟ ବସନ୍ତର ଏକ ମନୋରମ ସୁପ୍ରଭାତ । ଶୀତ ମିଶା ସୁଲୁସୁଲୁ ମୃଦୁ ସମୀରଣ ଦେହରେ ଶିହରଣ ଖେଳାଉଥାଏ । ସୂର୍ଯ୍ୟର ରକ୍ତିମ ଆଭାରେ ଚୁତର୍ଦ୍ଦିଗ ରଙ୍ଗାୟିତ ହୋଇଥାଏ । ରାତ୍ରିର ନିରବତା କ୍ରମେ ଭାଜି ଆସୁଥାଏ ।  ଦିନର କୋଳାହଳମୟ କାକଳୀ କ୍ରମେ ସ୍ପଷ୍ଟରୁ ସୃଷ୍ଟତର ହୋଇ ଉଠୁଥାଏ ।

ନିତିଦିନିଆ ପରି ସେଦିନ ପ୍ରମୋଦ ବାବୁ ନିଜର ନିତ୍ୟକର୍ମ ସଂପାଦନ ପୂର୍ବକ ଖବର କାଗଜର ଉପରେ ଦୃଷ୍ଟି ସଂପ୍ରାତ କରୁଥାନ୍ତି । ଖବର କାଗଜର ଟିକିଟିକି ଅକ୍ଷର ମଧ୍ୟରୁ ଧରା ଦେଉଥାଏ କେତେ କ’ଣ ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ସମ୍ବାଦ । ଆଖି ଆଇନାର ଦର୍ପଣ ଆଗେ ପ୍ରତିମ୍ବିବିତ ହେଉଥାଏ କେତେ ଛବି । କିନ୍ତୁ କାହିଁକି କେଜାଣି, ବେଳେବେଳେ ଗୋଟିଏ ଗୋଟିଏ ଛୋଟିଆ ସମ୍ବାଦ ସହିତ ମଣିଷ ର ସଂପୃକ୍ତି ଗଢିଉଠେ । ମନକୁ ବେଶ୍ ଆକର୍ଷିତ କରେ । ଖୁସିରେ ସେ ଆତ୍ମ ବିଭୋର ହୋଇଉଠେ । ଏପଟ ସେପଟ କରି ବାରମ୍ବାର ପଢିବସେ ସେଇ ଏକ ସମ୍ବାଦକୁ । ଖୁସିରେ ଡ଼ାକଛାଡ଼ିଲେ- ପ୍ରମୋଦ ବାବୁ । ଏତିକି ବେଳେ କରରେ ଚା ପିଆଲା ଧରି ଉଭାହେଲା ନାରୀ ମୂର୍ତ୍ତିଟିଏ । ପ୍ରମୋଦ ବାବୁ ଟିକେ ଚଟୁଳ କରି କହି ଉଠିଲେ

– “ଆଗ ତାଜା ଖବର, ତା’ପରେ ଚା’ ।ଆରେ! ଆଜି ପେପର ଦେଖିଲଣି”?

– “ହଁ …ଦେଖିଛି, ଚା ଥଣ୍ଡା ହେଲା ।”

– “କଣ ଦେଖିଛ ‘ତା’ହେଲେ କୁହତ?”

– “ଏଇ କିଏ କାହାକୁ ଛୁରୀ ପେଲିଲା, ସହରରେ ଗୁଣ୍ଡାଙ୍କ ପ୍ରାଦୃର୍ଭାବ ବଢୁଛି । ମରୁଡ଼ି ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ ଅନୁଦାନ ଲୋଡ଼ା । ଚିନି ପ୍ରଭୃତି କଣ୍ଟ୍ରୋଲ ଜାତ ପଦାର୍ଥର ବ୍ୟାପକ ହେରାଫେରି ଓ କଳାବଜାରି”

– “ଆରେ ସେ କଥା କହୁନାହିଁ ମ । ଦେଖିଲଣି, ଜୟନ୍ତ ବାବୁ ଆଇ.ଏ.ଏସ ପାଇଛନ୍ତି ।”

– “ସତେନା କ’ଣ?”

ଏଥିରେ ଶୁଶୀଳା ଦେବୀ ଖୁବ୍ ବଡ଼ ଖୁସିଟାଏ ହୋଇଛନ୍ତି ସତ; ମାତ୍ର  ତାଙ୍କର ଖୁସି ବେଶି ସମୟ ରହିପାରିଲା ନାହିଁ । ଯେତେବେଳେ ସେ ଶୁଣିଛନ୍ତି, ଜୟନ୍ତ ବାବୁ ସେହି ସହରକୁ ଜିଲ୍ଲାପାଳ ହୋଇ ଆସୁଛନ୍ତି; ସେତେବେଳେ କାହିଁକି କେଜାଣି; ଏକ ଅଜଣା ଆତଙ୍କରେ ଶିହରିତ ହୋଇ ଉଠିଲେ। ମୁଖ ମଣ୍ଡଳରେ ବାରି ହୋଇ ପଡ଼ୁଥାଏ; ବିବ୍ରତତାର ଛାପ । ନିଜର ଅସଙ୍ଗତ ଭାବକୁ ଲୁଚାଇବାକୁ ଚେଷ୍ଟାକରି ମଧ୍ୟ ତା’ ମଣିଷ ପାରେନା । ତାଙ୍କର ଅନ୍ୟମନସ୍କତା ଧରାପଡ଼େ ପ୍ରମୋଦବାବୁଙ୍କ ଆଖିରେ । ସେ ବିସ୍ମିତ ହେଲେ ସିନା’ କିଛି ବୁଝିପାରିଲେନି ।

ଜିଲ୍ଲାପାଳଙ୍କ ବାସଗୃହ ନୀରବତାର ରାଜତ୍ୱ । ନୀଡ଼ରେ ଏକୁଟିଆ ପକ୍ଷୀଟି ଫାଇଲ ଚାଷରେ ନିମଗ୍ନ । କୌଣସି ଏକ ଜରୁରୀ ସରକାରୀ କାର୍ଯ୍ୟରେ ଏସ.ଡ଼ି.ଓ. ବାଧ୍ୟ ହୋଇଛନ୍ତି ଅସମୟ ହେଲେ ସୁଦ୍ଧା ଆସିବାକୁ । ସନ୍ତର୍ପଣ ସହକାରେ, ଧୀର ପଦ ପାତରେ, ପ୍ରବେଶ କଲେ ଜିଲ୍ଲାପାଳଙ୍କ କୋଠରୀ ଭିତରକୁ । ମନରେ ଅନେକ ପ୍ରଶ୍ନ:-

“ନୂଆ ଜିଲ୍ଲାପାଳ । ଜଣାନାହିଁ କାହାର କେମିତିକା ସ୍ୱଭାବ । ଉପରିସ୍ଥ ଅଫିସରଙ୍କ ତଳିଆ କର୍ମଚାରୀ ପ୍ରତି ଯେମିତିକା ମନୋଭାବ- କାଳେ ଚିଡ଼ିଯିବେ ।”

– “କିଏ? ପ୍ରମୋଦ ବାବୁ ।” କୁଣ୍ଢାଇ ପକାଇଲେ ଜୟନ୍ତ ବାବୁ । ବିସ୍ମୟରେ ପ୍ରମୋଦ ବାବୁ କହି ପକାଇଲେ ।

– “ସାର…..!”

ପୂର୍ଣ୍ଣଚ୍ଛେଦ ଟାଣି ପୁଣି ଆରମ୍ଭ କଲେ ଜୟନ୍ତ ବାବୁ – “ଆରେ ଏଇଟା ଅଫିସ୍ ନୁହେଁ, ମୋ ଘର ବି ରିଲାକ୍ସଡ଼୍ । ତା’ ଛଡ଼ା ତୁମେ ତ ମୋ ଅତିଥି ।”

ଏହାପରେ ଅନେକ ସୁଖ ଦୁଃଖ ଆଳାପ ଆଲୋଚନା । ସୁଶୀଳା କେମିତି ଅଛି, ଆମ ଗାଁ ଆଡ଼େ କେବେ ଯାଇଥିଲେ, ମଉସା ମାଉସୀ କେମିତି ଅଛନ୍ତି, ଅଫିସ୍ ଖବର ସବୁ କ’ଣ, ଇତ୍ୟାଦି ଅନେକ ଆନ୍ତରିକତା ପୂର୍ଣ୍ଣ କଥାବାର୍ତ୍ତା । ଆଜିକାଲି ଶାନ୍ତି ବା କାହିଁ ଚାକିରୀ ଜୀବୀ କଥା ନକହିଲେ ଭଲ । ଯାନ୍ତ୍ରିକ ସଭ୍ୟତାର ଆଧୁନିକ ମଣିଷ କି ନା ସେଇଥି ପାଇଁ ସମସ୍ତେ ବ୍ୟସ୍ତ ବିବ୍ରତ । ମଣିଷକୁ ଅବସର ନାହିଁ ଯେ, ସେ ଖୁସି ଗପ କରିବ  । ତଥାପି ଯେତେବେଳେ ଗୋଟେ ଅଧେ ଚିହ୍ନିଲା ମୁହଁ ଦେଖେ ତା ଆଗେ ଯେମିତି ଯୁଗ ଯୁଗର କଥା କହିବସେ । ସମୟ ସରେନାହିଁ, କି ଖୁସି ଅଣ୍ଟେ ନାହିଁ । ସତେ ଯେପରି ସବୁକଥା ସେ ଏକାବେଳେକେ ସାରି ଦେବାକୁ ଚାହେଁ । ମନ ବି ଟିକେ ହାଲୁକା ହୋଇଯାଏ । ବନ୍ଧୁତ୍ବର ନିଦର୍ଶନ ପୂର୍ବକ ଉଚିତ୍ ଆତିଥ୍ୟ ପାଇ, ଫେରି ଆସିଲେ ପ୍ରମୋଦ ବାବୁ, ବିସ୍ମିତ ଓ ତୁଷ୍ଟ ନେତ୍ରରେ । ମନେ ମନେ ଭାବୁଥାନ୍ତି- “ଉପରିସ୍ଥ କର୍ମଚାରୀ ହେଲେ ହେଁ ସମସ୍ତଙ୍କର କ’ଣ ଥାଏ ଅଯଥା ଦାମ୍ଭିକତା । ତା ମଧ୍ୟରେ ପୁଣି ଏମିତି କେତେକ ଅଛନ୍ତି ତ, ଯେଉଁମାନେ ପରୋପକାରୀ, ଦରଦୀ ଓ ଅତିଥି ପରାୟଣ । ମନ ଭୋଗରେ ନୁହେଁ ତ୍ୟାଗର ବ୍ୟାପୃତ ।”

ସେହିଦିନୁ କେମିତି ଏକ ଘନିଷ୍ଠ  ସଂପର୍କ ଗଢି ଉଠିଲା ଉଭୟଙ୍କ ମଧ୍ୟରେ।

ଜୟନ୍ତ ବାବୁଙ୍କୁ ଦେଖି ସୁଶୀଳା ଦେବୀ ଯେତିକି ଖୁସି ହୁଅନ୍ତି; ସେତିକି ଦୁଃଖ ଅନୁଭବ କରନ୍ତି- ତାଙ୍କର ଏକୁଟିଆ ନିସର୍ଗ ଜୀବନ କଥା – ଭାବି । ପ୍ରମୋଦ ବାବୁ ବହୁ ସମୟରେ କଥା ପ୍ରସଙ୍ଗରେ ପଚାରି ଦିଅନ୍ତି-

“ଜୟନ୍ତ ବାବୁ ଆପଣ କାହିଁକି ବାହା ହେଉନାହାଁନ୍ତି ? ଏତେ ବଡ଼ ବଙ୍ଗଳା, ଅଯଥା ବସି ବସି ଏକୁଟିଆ ବୋର୍ ହେଉଥିବେ । ଯିଏ ଅନ୍ୟର ଦୁଃଖ ଦେଖିଲେ ବ୍ୟଥିତ ହୁଅନ୍ତି, ସେ ନିଜ ଉପରେ ଏତେଟା ନିଷ୍ଠୁର ହୋଇପାରନ୍ତି କିପରି?” ସେ ଅତି ହାଲୁକା ଭାବରେ ଉତ୍ତର ଦିଅନ୍ତି –

“ବେଶ୍ ଏଭଳି ଆରାମରେ ଅଛି । ଏତେ ବଡ଼ ଜିଲ୍ଳାର ଦାୟିତ୍ୱ ମୋ ଭଳି  ସଂସାରଛଡ଼ା ପ୍ରାଣୀ ନଥିଲେ ଆଉ କିଏ ବା ବୁଝନ୍ତା? ତା’ଛଡ଼ା ଅଯଥା ସଂସାର ଝାମେଲାରେ ପଶିବା ପାଇଁ – ମୋର ଭାଇ! ଇଚ୍ଛା ନାହିଁ ।”

ଏଥିରେ କାହାରି କିଛି କ୍ଷତି ହୁଏ ନାହିଁ ସତ; କିନ୍ତୁ ଖୁବ୍ ବେଶି ମର୍ମାହତ ହୁଅନ୍ତି- ସୁଶୀଳା ଦେବୀ । ତାଙ୍କ ମୁହଁରେ ଫୁଟି ଉଠେ ଅସ୍ପଷ୍ଟ ନୀରବ ଧ୍ୱନୀ । ସେ କିଛି କହିବେ କହିବେ ହୋଇ କହି ପାରନ୍ତିନି । ମନର କଥା ମନରେ ରହେ । ହୃଦୟରେ ଦେଖାଦିଏ ବିରାଟ କ୍ଷତ । ସତେ ଯେମିତି ଦୋଷୀଟିଏ ପରି ସେ କହିବାକୁ ଚାହାଁନ୍ତି-

“ଜୟନ୍ତ ଭାଇଙ୍କ ଅବିବାହିତ ଜୀବନ ପାଇଁ ସେ ନିଜେ ଦାୟୀ, କିନ୍ତୁ କେମିତି କହିବେ?”

ପ୍ରମୋଦ ବାବୁ ସାଇକୋଲୋଜିରେ ଏମ୍.ଏ. । କଥାବାର୍ତ୍ତା ମଝିରେ ମଝିରେ ସ୍ତ୍ରୀ’ର ଏମିତି ଇତଃସ୍ତତଃ ଭାବ ତାଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରେ । ମନସ୍ତତ୍ତ୍ୱବିତର ବିଶ୍ଳେଷକ ଚକ୍ଷୁ ନେଇ, ସେ ସୁଶୀଳାଙ୍କର ମନୋଭାବକୁ ପଢିବା ପାଇଁ, ବାରମ୍ବାର ଚେଷ୍ଟାକରି ମଧ୍ୟ   ନିଷ୍ଫଳ  ହୁଅନ୍ତି । ମଣିଷର ଅନ୍ତର ପ୍ରଦେଶର କଥା ଜାଣିବା; କ’ଣ ସହଜ କଥା? କ୍ରମେ ମନ ଘାରିଯାଏ, ସଂନେ୍ଦହର ବିଷର୍ପ ଜ୍ୱାଳାରେ ଛଟପଟ ହେବାକୁ ଲାଗନ୍ତି ।

ଏମିତି କେତେଦିନ ହସ ଖୁସିରେ କଟିଗଲା । ଏଣିକି ଆସ୍ତେ ଆସ୍ତେ, ସୁଶୀଳାଙ୍କ ଜୀବନରେ ଦେଖା ଦେଲାଣି,ଅସ୍ୱାଭାବିକ ପରିବର୍ତ୍ତନ । ପାରିବାରିକ ଜୀବନରେ ସୃଷ୍ଟି ହେଲାଣି ଟିକିଏ ଟିକିଏ ଝଡ଼ । ସୁଶୀଳାଙ୍କ ଭାଗ୍ୟ ଆକାଶରେ ଦେଖା ଦେଲାଣି, ଖଣ୍ଡେ ଜହ୍ନି ମଂଜିଆ ବାଦଲ । କେତେବେଳେ ଯେ ବର୍ଷି ନଯିବ-ତା କିଏ କହିବ ? ଆଜିକାଲି ଜୟନ୍ତ ବାବୁ ଆସିଲେ, ପ୍ରମୋଦ ବାବୁ ଆଉ ବିଶେଷ ଖୁସି ହୁଅନ୍ତି ନାହିଁ । ସ୍ୱହସ୍ତ ପ୍ରସ୍ତୁତ ସୁମିଷ୍ଟ ଖାଦ୍ୟ ପଦାର୍ଥ, ଯେତେ ପ୍ରକାରେ ପରିବେଷଣ କଲେ ମଧ୍ୟ, ସ୍ୱାମୀଙ୍କର ଆଉ ସେଥିରେ ଆଦର ରହେ ନାହିଁ । ସବୁବେଳେ ଚିଡ଼ିଚିଡ଼ା ସ୍ବଭାବ , ତାଙ୍କର ଅଭ୍ୟାସରେ ପରିଣତ ହୋଇ ଗଲାଣି । ପାରିବାରିକ ସମସ୍ୟା ପ୍ରତି ଏଣିକି ସେ ଉଦାସୀନ । ଅଳ୍ପ କଥା କହନ୍ତି, ଘରେ ଖୁବ୍ ଅଳ୍ପ ସମୟ ରହନ୍ତି । ସୁଶୀଳା ଏବେ କରିବେ କ’ଣ ? ସ୍ୱାମୀଙ୍କର ଅଶାନ୍ତ ଭାବ ସଂଦର୍ଶନରେ – ସେ ଯେ ବ୍ୟସ୍ତ ବିବ୍ରତ । ନିଜର ସୁନେଲି ସଂସାର ଭାଜି ଯାଉଥିବା ଦେଖି ମଧ୍ୟ ସେ ନିରୁପାୟ । ସ୍ୱାମୀଙ୍କର ସ୍ନେହ ସୁହାଗ ବିବର୍ଜତା, ପତିପରାୟଣା ଭାରତୀୟ ରମଣୀଟି – ଆଜି ସେ ଦୁଃଖର ଅମାନଦୀରେ ଉବୁଟୁବୁ । ଚାରି  ଆଡ଼େ ଘନ ଅନ୍ଧକାର । ବିଚରା ଅସହାୟା, କ’ଣ ବା କରିପାରନ୍ତା ଅଧିକା ସେ ?

ସମାଧାନର ରାହା ଖୋଜୁ ଖୋଜୁ , ଶେଷରେ ଯାଇ ପହଁଞ୍ଚେ ଜୟନ୍ତ ଭାଇଙ୍କ ଘରେ । ଅନ୍ୟ ନିକଟରେ କଥାଟା ବ୍ୟକ୍ତ କରିଦେଲେ, ବୋଧହୁଏ ମନଟା ହାଲ୍କା ହୋଇଯାଏ ।

– “ଦେଖି ପାରୁଛନ୍ତି ଜୟନ୍ତ ଭାଇ ! ମୋ ଅନ୍ତରର କୋହକୁ । ଅନୁଭବ କରି ପାରୁଛନ୍ତି; ମୋ ଘରେ ସୃଷ୍ଟି  ହେଉଥିବା ଅଦିନ ଝଡ଼କୁ  । କୁହ ଜୟନ୍ତ ଭାଇ! କାହିଁକି ତୁମେ ନିଜ ଉପରେ ନେଲ ଏମିତି ପ୍ରତିଶୋଧ ? କଥା ଦିଅ ମୋତେ, ତୁମେ ସୁଖର ସଂସାର ଗଢିବ । ଏ ଘରକୁ ଭାଉଜ ଆସିବେ । କିନ୍ତୁ ତୁମେ ଚିର ଅବିବାହିତ ରହିଲେ, ମୁଁ ଶାନ୍ତି ପାଇ ପାରିବି ନାହିଁ । ମୋ କଥା କ’ଣ ତୁମେ ରଖିବ ନାହିଁ! ଜୟନ୍ତ ଭାଇ?”

ମଣିଷ ଜୀବନର ବ୍ରତ ଭାବେ ଥରେ ଯାହା ଗ୍ରହଣ କରିନେଇଥାଏ- ତାହାକୁ କ’ଣ ଏତେ ଶୀଘ୍ର ବଦଳାଇ ପାରେ ? ଏତେବେଳ ଯାଏ ଜୟନ୍ତ ବାବୁ ନୀରବରେ ସବୁ ଶୁଣୁ ଥିଲେ । ଶେଷରେ କହିଲେ-

“ନା’ ଭଉଣୀ, ତୋ କଥା ରକ୍ଷା କରିବାକୁ ମୁଁ ସଂପୂର୍ଣ୍ଣ ଅସମର୍ଥ । ସେଥିପାଇଁ ଅବଶ୍ୟ ଦୁଃଖିତ । ତେବେ ତୋ ଜୀବନରେ, ମୁଁ ସେମିତି କିଛି ଘଟିବାକୁ ଦେବି ନାହିଁ । ଆଚ୍ଛା ତୁ କହିଲୁ ଦେଖି- ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରି ସାରିଲା ପରେ, ମୋ ହୋଇ ଆଉ ମୋର କ’ଣ ଅଛି ଯେ, କାହାକୁ ବିବାହ କରି ମୁଁ ଖୁସି କରି ପାରିବି? ତା’ ଛଡ଼ା ବିବାହ ହୋଇଥିଲେ, ଯିଏ ବା ବେଶି ଖୁସି ହୋଇଥା’ନ୍ତା ସିଏ ତ(ମାଆ) ଏ ସଂସାରର ଆର ପାରିରେ । ଆଉ କାହା ଲାଗି?

କିନ୍ତୁ ମୋତେ କେନ୍ଦ୍ରକରି ….ପ୍ରମୋଦ ବାବୁ

……ସଂଦେହ କରିପାରନ୍ତି …..ନା …..

ନା…… ।”

ଏହା କହି ଜୟନ୍ତ ବାବୁ ଘର ଭିତରକୁ ଚାଲିଗଲେ । ନିଜର ବଦଳି ପାଇଁ ସମସ୍ତ ବନ୍ଦୋବସ୍ତ କରିନେଲେ । ପ୍ରମୋଦ ବାବୁ ଘରେ ଆସି ଦେଖନ୍ତି ଯେ ସୁଶୀଳା ଦେବୀ ନାହାଁନ୍ତି । ପ୍ରଚଣ୍ଡ କ୍ରୋଧରେ ଉତ୍କ୍ଷିପ୍ତ ହୋଇଉଠିଲେ । ଆଜି ଗୋଟିଏ ଶେଷ ନିଷ୍ପତ୍ତି ହେବ । ଗୃହରେ ପାଦ ଦେଉଣୁ ନଦେଉଣୁ; ସ୍ୱାମୀଙ୍କର ଗର୍ଜ୍ଜନ- “ସୁଶୀଳା? କୁଆଡ଼େ ଯାଇଥିଲ ?” ଏହାପରେ ଅନେକ ଗାଳି, ଅନେକ ଅଶ୍ଳୀଳ ଇଂଗିତ । “ସ୍ୱାମଙ୍କର ଏତେ ସନ୍ଦେହ ; ଏତେ ଅଶାନ୍ତି; ନା ଆଉ ନୁହେଁ – ଯନ୍ତ୍ରଣା ଯଥେଷ୍ଟ ହେଲାଣି । ଏତେ ବଡ଼ କଳଙ୍କର ବୋଝକୁ ସେ ନୀରବରେ ବା ସହନ୍ତେ କିପରି ? “ଧୈର୍ଯ୍ୟର ବନ୍ଧ ଭାଙ୍ଗିଲେ ପରିଣତି ପ୍ରତି ବିଚାର ରହେନା । ଯାହା ହେଉନା କାହିଁକି ସତ୍ୟର ସାମନା କରିବା ପାଇଁ ସେ ଏବେ ଆଗଭର । ସ୍ୱାମୀଙ୍କର ସନ୍ଦେହ ଦୂର ପାଇଁ ସବୁ ସେ ଖୋଲି କହିଲେ ।

କୁଡ଼େଇ ଗ୍ରାମରେ ତାଙ୍କର ଘର ଜୟନ୍ତ ବାବୁଙ୍କ ଘର ତାଙ୍କ ଘରକୁ ଲାଗିଛି । ବୁଢୀ ମା’ଟିକୁ କାମରେ ସାହାଯ୍ୟ କରିବା ପାଇଁ ବହୁତ ସମୟରେ ସୁଶୀଳା ଆସନ୍ତି, ଜୟନ୍ତଙ୍କ ଘରକୁ  । ଜୟନ୍ତ ନିଶ୍ଚଳ ଭାବେ ସଦାସର୍ବଦା ପାଠ ପଢାରେ ବ୍ୟସ୍ତ । ସୁଶୀଳାଙ୍କ ପ୍ରତି ତାଙ୍କର ଥାଏ ଅହେତୁକ ସ୍ନେହ । ସୁଶୀଳାର ମଧ୍ୟ ବଡ଼ଭାଇ ହେତୁ ଅନେକ ଭକ୍ତି । କ୍ରମେ ଯୌବନ ଆସି ପଦାର୍ପଣ କରିବାରୁ – ଏହି ସ୍ନେହ ମମତା ରୂପାନ୍ତରିତ ହୋଇଯାଏ ଭଲ ପାଇବାରେ । ସୁଶୀଳାଙ୍କ ମନୋଭାବକୁ ଭଲଭାବରେ ପଢି ନପାରି ଭୂଲ୍ କରି ବସନ୍ତି ଜୟନ୍ତ । ମନେ ମନେ ଭଲ ପାଇ ବସନ୍ତି ସୁଶୀଳାକୁ । କୌଣସି ଏକ ଦୁର୍ବଳ ମୂହୁର୍ତ୍ତରେ ଅନ୍ତରର ଅଭିଳାଶା ଅଭିବ୍ୟକ୍ତି ଲାଭକରେ- “ମୁଁ ତୁମକୁ ଭଲ ପାଏ ସୁଶୀଳା…”  । ଏ ପ୍ରକାର ଅନୁଯୋଗ ମୂଳକ କଥାରେ ସଂପୂର୍ଣ୍ଣ ଅପ୍ରତିତ୍ତଭ  ହୋଇ ପଡ଼ନ୍ତି ସୁଶୀଳା । କ’ଣ କରିବେ କରିବେ ହୋଇ କିଛି କହିପାରେ ନାହିଁ । ଦେଖା ଦିଏ ତୀବ୍ର ମାନସିକ ଦ୍ୱନ୍ଦ “ଜୟନ୍ତ ଭାଇକୁ ସେ ଭକ୍ତି କରେ । ତାଙ୍କର ସରଳ ନିଷ୍ପାପ ଭାବ ଦେଖି, ସେ ମନେମନେ ଖୁସି ହୁଏ । କିନ୍ତୁ ବିବାହ ….? ବିବାହ ହେବା କଥାତ ସେ ସ୍ୱପ୍ନରେ କେବେ କଳ୍ପନା କରି ନାହାଁନ୍ତି । ନୀରବରେ ସେ ଘରକୁ ଫେରି ଆସିଛନ୍ତି ସିନା ହେଲେ କିଛ କହିପାରି ନାହାଁନ୍ତି ।

ଏପରି ଏକ ସନ୍ଧିକ୍ଷଣ ମୂହୁର୍ତ୍ତରେ ପ୍ରମୋଦଙ୍କ ସହିତ ସୁଶୀଳାର ବିବାହ ହୋଇ -ଯାଇଛି ।

ମଣିଷ ପ୍ରେମର ପୂଜାରୀ । ଅନ୍ୟର ଜ୍ଞାନ୍ତରେ ହେଉ ବା ଅଜ୍ଞାତରେ ସେ ତାକୁ ଭଲ ପାଇ ବସେ । ନିଜର ଭଲ ପାଇବାର ସାର୍ଥକତା ହୁଏ ବିବାହରେ, କିନ୍ତୁ ଯେତେବେଳେ  ତାର ପ୍ରେମ ନିବେଦନ ନିରର୍ଥକ ହୁଏ, ଯେତେେବେଳ ଅନ୍ୟ ଜଣେ ତା’ର ଅନ୍ତରର ପ୍ରେମର ଗଭୀରତାକୁ ପ୍ରେମର ପରିମାପନରେ ମାପିବାକୁ ଅସମର୍ଥ ହୁଏ, ମନ ତା’ର ଫାଟିଯାଏ । ଏତେବେଳେ ସେ ବଜ୍ର କଠୋର ଶପଥ ନିଏ, ନିଜ ଉପରେ ନିଜେ ନିଏ ଚରମ ପ୍ରତିଶୋଧ । କ୍ରମେ ନିଜର ସେ ଦୁର୍ବଳ ମୂହୁର୍ତ୍ତ ଗୁଡ଼ାକ  ସଂପୂର୍ଣ୍ଣ ହୁଏ ବିସ୍ମିତ । ତଥାପି ଏଥିପାଇଁ ସେ ହୁଏ ଦଣ୍ଡିତ ।

ଏ ସମସ୍ତ ସୁଶୀଳା ଠାରୁ ଜାଣି ପ୍ରମୋଦ ବାବୁଙ୍କ ସନ୍ଦେହ କିଛିଟା ଦୂର ହୋଇଛି । ଟିକିଏ ଆଶ୍ୱସ୍ତ ଅନୁଭବ କରିଛନ୍ତି । ନିଜର ଭୁଲ୍ପାଇଁ କେତେ ଅନୁତାପ କରିଛନ୍ତି । ତଥାପି ଦରକାର ଏହାର ପ୍ରମାଣ । ଉପଯୁକ୍ତ ପରୀକ୍ଷା । ପୁରୁଷ ତ ସହଜେ ସନ୍ଦେହ । ସବୁ କଥାକୁ ସେ ସରଳ ଭାବରେ ଗ୍ରହଣ କରି ପାରେନା । ଏଥିପାଇଁ ପରା ସେ-ଦିନ ସୀତାଙ୍କୁ ଦେବାକୁ ପଡ଼ିଥିଲା ଅଗ୍ନି ପରୀକ୍ଷା । ବିଦାୟ ସମ୍ବର୍ଦ୍ଧନା ଦେବା ବାହାନାରେ ଜୋର ଜିଗର କରି, ଜୟନ୍ତ ବାବୁଙ୍କୁ ଡ଼ାକି ଆଣିଛନ୍ତି, ପ୍ରମୋଦ ବାବୁ । ପାଏସରେ ବିଷ ମିଶାଇ ପରିବେଷଣ କରିବା ପାଇଁ ସେ ପ୍ରରୋଚିତ କରନ୍ତି ଆପଣା ସ୍ତ୍ରୀକୁ । ଏଥିରେ ସୁଶୀଳାଙ୍କର ଦେଖାଦିଏ ଭାବାନ୍ତର-

“ସେ ସ୍ୱାମୀଙ୍କର ନିଦ୍ଦେର୍ଶକୁ ଅକ୍ଳେଶରେ ପାଳନ କରିପାରିଥା’ନ୍ତେ । କିନ୍ତୁ ଜୟନ୍ତ ଭାଇଙ୍କର ମୃତ୍ୟୁ ପରେ  କ’ଣ ହେବ ସେମାନଙ୍କର ଅବସ୍ଥା? ପୋଲିସ୍ କ’ଣ ସେମାନଙ୍କୁ ଛାଡ଼ିଦେବ ? ତା’ ଛଡ଼ା ଜୟନ୍ତ ଭାଇଙ୍କ ପରି ଜଣେ ଅମାୟିକ ଦେବପ୍ରତିମଙ୍କୁ ମାରି, ସେ କ’ଣ ଶାନ୍ତି ପାଇ ପାରିବେ? ତଥା ସ୍ୱାମୀ ଆଗେ ନିଜକୁ ନିଦେ୍ଦାଷିନୀ ବୋଲି ପ୍ରମାଣିତ କରିବାକୁ ପଡ଼ିବ । ସେ ପରା ସତୀ ସ୍ୱାଧୀ ସୀତା ଅନୁସୂୟା ଦେଶର ନାରୀ”

ଏ କଥା ଭାବି ମନେ ମନେ ପୁଣି ସାହାସ ବାନ୍ଧେ। ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ନିଜକୁ ପ୍ରସ୍ତୁତ କରେ । ଶେଷରେ ଖାଦ୍ୟ ପରିବେଶିତ ହୋଇଛି । ଖାଦ୍ୟ ପରିବେଶଣ କରି ସୁଶୀଳା ଜଡ଼ ନିର୍ବେଦ ପାଲଟି ଯାଇଛନ୍ତି । ସତେକି ଉଦାସୀନ ଓ  ନିର୍ବିକାର ନାରୀ ମୂର୍ତ୍ତିଟିଏ ନିଶ୍ଚଳଭାବେ ପଡ଼ି ରହିଛି କେଉଁ ଏକ ଅନାଦି କାଳରୁ ।  ଏ ପଟେ ଜୟନ୍ତ ବାବୁ ପାଏସ୍ ପ୍ଲେଟ ଭିତରେ ନିଜକୁ ହଜାର ଖୋଜି ବସନ୍ତି ଆପଣା ଅତୀତକୁ । “ ଛୋଟ ବେଳେ ଜୟନ୍ତ ବାବୁ ପାଏସ୍ ଟିକକ ପାଇଁ  କେତେ ଅଳି ନ କରିଛନ୍ତି ମା ନିକଟରେ”। ମନେ ମନେ ହଜିଲା ବେଳର କଥା ଭାବି ହସୁଥିଲେ ସିନା; ଏ ପଟେ ମା’ କଥା ମନେପଡ଼ି ଯିବାରୁ କେତେବେଳେ ଯେ ଆଖିରୁ ଚିବୁକ ଦେଇ ଦୁଇ ଧାର ଲୁହଗଡ଼ି ଆସିଲାଣି ତାହାର ହିସାବ ରଖି ପାରିଲେ ନାହିଁ ।  ପ୍ରମୋଦ ବାବୁଙ୍କୁ କିଛି ଦେଖା ଯାଉ ନଥାଏ । ସେ କେବଳ ଉତ୍ସୁକତାର ସହିତ ଚାହିଁ ରହିଥା’ନ୍ତି ଜୟନ୍ତ ବାବୁଙ୍କ ପାଏସ୍  ଆଡ଼କୁ । ଜୟନ୍ତ ଅତି ଯତନରେ ପାଏସ୍ ଚାମଚ ପାଟି ପାଖକୁ ନିଅନ୍ତେ ଚିତ୍କାର କରି ଉଠିଲେ – ପ୍ରମୋଦ ବାବୁ । ଫିଙ୍ଗି ଦେଇଛନ୍ତି ଦୂରକୁ , ପାଏସ୍ ପୂର୍ଣ୍ଣ ପାତ୍ରକୁ । ସୁଶୀଳା ବେହୋସ୍ ହୋଇ ତଳେ ପଡ଼ିଗଲେ । ତା’ ପରେ ଡ଼ାକ୍ତରଖାନା  ଓ ଆଉ ସବୁ ଶେଷ ।

ମିଳିଗଲା ସ୍ତ୍ରୀ ଠାରୁ ପତିପ୍ରେମର ନିଦ୍ଦର୍ଶନ । ତା’ର ସତୀତ୍ୱର ପରିଚୟ । ସୁଶୀଳାର ଶବ ନିକଟରେ ଶିଶୁ ସନ୍ତାନ ଦୁଇଟି କଇଁ କଇଁ ହୋଇ କାନ୍ଦି ଉଠୁଥା’ନ୍ତି-

“ବାପା ! ମା କାହିଁକି କଥା କହୁନି”………..

ପ୍ରମୋଦ ବାବୁ କିଛି କହିପାରିଲେ ନାହିଁ । ନିଜକୁ ସମ୍ଭାଳି ନପାରି ଶବ ଉପରେ ଲୋଟି ପଡ଼ି ଖାଲି ଦମେ କାନ୍ଦିଲେ। ଜୟନ୍ତ ବାବୁ ଶିଶୁ ସନ୍ତାନ ଦୁଇଟିକୁ କୋଳ ଉପରକୁ ଉଠାଇ ନେଇ, କେବଳ ଏତିକି କହିଲେ-

“ଖାଲି ଆଜି ନୁହେଁ, ଯୁଗ ଯୁଗ ଧରି ସୀତା ଯେ ରାମ ମାନଙ୍କ ଦ୍ୱାରା ନିର୍ଯ୍ୟାତିତା । ଏ ଦୁଃଖର ଅବସାନ କେବେ?

 

Related posts

ନିଶା

satya

ପାଗଳ

satya

ଗୋଟେ ନିଛାଟିଆ ରାତି

satya

Leave a Comment

Login

X

Register