Satya Prakash
ଗଳ୍ପ

ନୀଳିମା

ସେଦିନ ନୀଳମା ସ୍କୁଲ ଅଫିସରେ ବସିଥାଏ । ଚୁପ୍ ଚାପ୍ ଖାତା ଦେଖାରେ ମଜ୍ଜି ଯାଇଥାଏ । ପ୍ରବନ୍ଧ ପ୍ରତିଯୋଗିତା ହୋଇଥାଏ । ପିଲାଏ ଲେଖିଥାନ୍ତି ସନ୍ଦର୍ଭ- “ଯୌତୁକ ଏକ ଅପରାଧ” । ଖାତା ଗୁଡ଼ିକର ଉପଯୁକ୍ତ ମୂଲ୍ୟାଙ୍କନ ଜରୁରୀ । ହେଡ୍  ମାଷ୍ଟରଙ୍କର ଆଉ କାହା ଉପରେ ଭରସା ପାଇଲାନି ଯେ….. । ନୀଳିମା ମନଯୋଗ ଦେଇ ସବୁ ଦେଖୁଥାଏ । ଯେମିତି କିଛି ତ୍ରୁଟି ରହି ନଯାଏ ।  ପିଲାଟିଏ ଲେଖିଥିଲା –

“ ଯୌତୁକ ଯୌତୁକ ଚାରିଆଡ଼େ ଖାଲି ଯୌତୁକ ରାକ୍ଷସର ବିକଟାଳ ରଡ଼ି । ସମସ୍ତେ ଚିତ୍କାର କରୁଛନ୍ତି, ମାତ୍ର କିଏ ବା ତାହାର ପ୍ରତିକାର କରୁଛି ? ସରକାର ଅବଶ୍ୟ ନାନା ଆଇନ୍ କାନୁନ୍ କଲେଣି, ମାତ୍ର ଏଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତି ନାହିଁ । ବ୍ୟାଧିଗ୍ରସ୍ତ ହୋଇପଡ଼ିଛି ସମାଜ । ଆଜି ସମ୍ବାଦପତ୍ରର ପୃଷ୍ଠା ଉନ୍ମୋଚନ କଲେ – ଯୌତୁକ ନିର୍ଯ୍ୟାତନା ଆଗ ଦୃଷ୍ଟିରେ ପଡ଼େ । କନ୍ୟାପିତା କନ୍ୟା ଜନ୍ମକୁ ଆଶୀର୍ବାଦ ନମଣି ଅଭିଶାପ ମଣେ । କନ୍ୟାମାତା କନ୍ୟା ଭ୍ରୂଣ ନଷ୍ଟ କରିବା ପାଇଁ ସହମତି ଜଟାଏ ।  ଏଠି ଶିକ୍ଷା ଅବା ରୂପଗୁଣ କନ୍ୟା ନିର୍ବାଚନ କରିବାର ମାପକାଠି ନୁହେଁ । ଅର୍ଥ ହିଁ ଯୋଗ୍ୟାଯୋଗ୍ୟ ନିରୂପଣ କରେ । କନ୍ୟାପିତା ଯୋଗ୍ୟ ବରଟିଏ ଖୋଜି ଖୋଜି ନୟାନ୍ତ ହୁଏ । କିନ୍ତୁ ଗାଡ଼ି ମୋଟର ରାସ୍ତା ଖର୍ଚ୍ଚ ପାଇଁ ବର ଅଡ଼ି ବସେ । ବର ପିତାମାତାର ଦାବି କିନ୍ତୁ ବଢି ବଢି ଯାଏ । ଦାରିଦ୍ର୍ୟର କଷାଘାତରେ ପେଶି ହୋଇ କନ୍ୟାର ବୟସ – ଏଣେ ବଢି ବଢି ଯାଏ । ଧନିକ ଉପହାର ଉପଢୌକନେ ଶିକ୍ଷିତ ଚାକିରିଆ ବର ସିନା କିଣେ, ହେଲେ କନ୍ୟାର ଦରିଦ୍ର ପିତାମାତା ସାମାଜିକ ଲା‚ନା ସହିନପାରି ବେକରେ କଳସୀ ବାନ୍ଧି କୂଅ ପୋଖରୀରେ ବୁଡ଼ିମରେ । ଏ କି ସତେ ସାମାଜିକ ବ୍ୟାଧି ଅବା ଅପସଂସ୍କୃତି ? ଯୌତୁକ ନିର୍ଯ୍ୟାତନା କିନ୍ତୁ ସମ୍ବାଦ ପତ୍ରର ପୃଷ୍ଠା ମଣ୍ଡନ କରେ ।”

ଏତେବେଳଯାଏ  ନୀଳିମା ପଢୁଥିଲା  । ହଠାତ୍ ଅଟକି ଗଲା । ଅମାନିଆ ଅଶ୍ରୁଗୁଡ଼ାକ ବାଧା ମାନେନା । କେତେବେଳେ ଯେ ତା ଚିବୁକ ଦେଇ ବହି ଗଲାଣି ଗଣ୍ଡଦେଶକୁ- ତା’ର ଅଲକ୍ଷ୍ୟରେ; ତା’ର ହିସାବ ସେ ରଖି ପାରିଲା ନାହିଁ ।  ହଠାତ୍ ହେଡ଼୍ମାଷ୍ଟ୍ରେ ପଶି ଆସି କହିଲେ – “ନୀଳିମା ! ତୁମେ କାନ୍ଦୁଛ ଯେ” ।

– “ନାହିଁ ସାର୍ ! ଚଷମା ତଳେ ପିଲା ଗୁଡ଼ାକଙ୍କର ଛୋଟ ଛୋଟ ଅକ୍ଷର ପଢି ହେଉନାହିଁ । ଆଖି ଉପରେ ପ୍ରେସ୍ର ହେଉଛି; ଆଖିରୁ ପାଣି ଗଡ଼ୁଛି ।

ହେଡ଼ମାଷ୍ଟ୍ରେ କିଛି କହିଲେନି । ଚୁପ୍ ହୋଇଗଲେ, କ୍ଷଣେ ଅଟକି ସେଠୁ ଚାଲିଗଲେ । ହେଡ଼ମାଷ୍ଟ୍ରେଙ୍କୁ ମିଛକହି ନୀଳିମା ଠକି ଦେଲା ସିନା; ହେଲେ ନିଜକୁ ……..?  ନିଜକୁ ସେ ଠକି ପାରିଲା ନାହିଁ । ଏକ ଅବ୍ୟକ୍ତ ଯନ୍ତ୍ରଣାରେ ସେ ଛଟପଟ ହେବାକୁ ଲାଗିଲା । ମନରେ ଭରିଗଲା ବିଷାଦର କାଳିମା । ଖର ନିଃଶ୍ୱାସ ଗୁଡ଼ାକ ପ୍ରଖର ହେବାକୁ ଲାଗିଲା । ଛାତି ଭିତରେ କେମିତି ଏକ ଅସହ୍ୟ ଯନ୍ତ୍ରଣା ଅନୁଭବ ହେଲା । ସେ ନିଜକୁ ନିଜେ ଅଣନିଃଶ୍ୱାସୀ ବୋଧ କଲା । କାହାକୁ କିଛି କହିଲାନି । ସହଳ ଘରକୁ ଫେରି ଆସିଲା ।

ଘରେ ଆସି ଖାତାପତ୍ର ଫିଙ୍ଗିଦେଇ ବେଡ଼୍ ରୁମ୍କୁ ପଶିଗଲା ।  ଭିତରୁ କିଳଣିଟା ଦେଇ ବିଛଣା ଉପରେ ଲପ୍ଟିକି ଶୋଇଗଲା । ମା ଡ଼ାକି ଡ଼ାକି ଥକିଲା । ଉଠିଲା ନାହିଁ । କହିଲା – “ମୋତେ ନିଦ ଲାଗୁଛି ଟିକେ ଶୋଇବାକୁ ଦେ, ଚିଲା-ଚିଲି କରନା, ବୋଉ ! ମୁଁ ଖାଇବି ନାହିଁ ।”

ହଠାତ୍ ନୀଳିମାର ଆଖି ପଡ଼ିଗଲା, ଅସିଆ ମସିହାର ପସିଆ ଅଇନାଟା ଉପରେ  । କାହିଁ କେତେ ଦିନ ହେବ ସେ ନିଜକୁ ଦେଖି ନାହିଁ, ନିଜର ଯନô ନେଇ ନାହିଁ । ଖାଲି ଜୀବନ ଯନ୍ତ୍ରଣା ନେଇ ସେ ଜୀଇଁ ରହିଛି ।  ଯନ୍ତ୍ରପରି କର୍ତ୍ତବ୍ୟର ତାଡ଼ନାରେ କାମ କରିଛି ।  ହଠାତ୍ ଦର୍ପଣ ଆଗେ ନିଜ ଚେହେରାଟା ଧରାପଡ଼ି ଯିବାରୁ ନିଜକୁ ଦେଖିଲା, ଚମକି ପଡ଼ିଲା – ଏ କଣ ଦେଖୁଚି ସେ ? ଆଖି ସାମନାରେ ଜୀର୍ଣ୍ଣଶୀର୍ଣ୍ଣ ମଳିନ ନାରୀମୂର୍ତ୍ତିଟିଏ । ଶରୀର ଯେ ତେଜହୀନ, ମୁଖ ମଣ୍ଡଳ ଶୁଖି ମଳିନ । ମୁହଁସାରା ବ୍ରଣର ଦାଗ  । ବେଶଭୂଷା ଆକର୍ଷଣ ହୀନ । ମୁଣ୍ଡବାଳ ଫୁରୁଫୁରୁ । ସତେ କ’ଣ ବୁଢୀ ଅସୁରୁଣୀଟିଏ ବସିଛି ?

ମନରେ ଦେଖାଦେଲା ଭାବାନ୍ତର । ଅସରନ୍ତି ଭାବନାର ଗୁଚ୍ଛ । ମନକୁ ମନ ପ୍ରଶ୍ନ ପଚାରେ – ଏ କ’ଣ ସେଇ ଝିଅ । ଯିଏ ଦିନେ ହେଁ ହେଁ ହୋଇ ଖିଲି ଖିଲି ହସୁଥିଲା । ସାଙ୍ଗସାଥୀ ଗହଣରେ- ପାଟିକରି କମ୍ପାଉଥିଲା । ଅଳିଅର୍ଦ୍ଦଳି କରି ଘରଟାକୁ ଉଚ୍ଛନ୍ନ କରି ଦେଉଥିଲା । ଟିକେ ଟିକେ କଥାରେ ରାଗିଯାଉଥିଲା, ଅଭିମାନ କରି ମୁହଁ ଫୁଲାଉଥିଲା । ସ୍ନୋ, ପାଉଡ଼ର, ଟିକିଲିଟିଏ ପାଇଁ ବାପା ପାଖରେ ନାଲିସ୍ କରୁଥିଲା । ଭଲ ଡ଼୍ରେସ୍ ଟିକେ ବା ପ୍ରସାଧନ ସାମଗ୍ରୀଟାଏ ନହେଲେ ବୋଉ ଉପରେ ପାଟିକରି ଉଠୁଥିଲା, ସତେକି ବୋଉ ଉପରେ ସେ ଛୋଟିଆ ରାଜା । ବୋଉ କହୁଥିଲା- “ଝିଅକୁ ଗେହ୍ଲାକରି ମୁହଁ ବଢଉଛ, ସେଇ ଝିଅ ଦିନେ କନେ୍ଦଇବ ଯେ, ରଇଥ- ମଜ୍ଜା ପାଇବ ।” ପୁଣି ମନେ ପଡ଼ିଯାଉଥାଏ ସେ ଟିକେ ସୁନ୍ଦର ବୋଲି ସେଦିନ ମାମୁଁ କହୁଥିଲେ – “କୁନିଟା ଆମର ରାଣୀ ହେବ – ରାଣୀ । ରାଇଜ ରଜା ଆସିବେ, ବାଇଦ ବଜାଇ, ମନପବନ ଘୋଡ଼ାରେ ବସାଇ, ନେଇ ଯିବେ ସୁଦୂର ରାଇଜକୁ ।” ପୁଣି କେତେ ଅତୀତ ମନେପଡ଼ି ଯାଉଥାଏ । ସବୁ ଘଟଣା ଜୀବନ୍ତ ହୋଇ  ଆଖି ସାମ୍ନାରେ ଭାସି ଉଠୁଥାଏ, ସେ ଦିନ ସାଙ୍ଗ ସାଥୀମାନେ ତା’ର ରୂପ ଗୁଣକୁ ନେଇ କେମିତି ଇର୍ଷା କରୁଥିଲେ । ପୁଣି ସ୍କୁଲ କଲେଜରେ ସେ ଟିକେ ଭଲ ପାଠ ପଢେ ବୋଲି ସହପାଠୀ, ସହପାଠିନୀ ଅଙ୍କ ଟିକକ ବୁଝିବା ପାଇଁ ଅବା ନୋଟଟା ନେବାକୁ କ’ଣ କମ୍ତି ନେହୁରା ହୁଅନ୍ତି । ନିଳୀମା ! ନିଳୀମା !! ହୋଇ ତା ପଛରେ ଗୋଡ଼ାଉଥାନ୍ତି । କାହିଁ କେହି ଆଉ ମନେ ପଡ଼ୁନାହାନ୍ତି ତ । ବାହା ସାହା ହୋଇ ସମସ୍ତେ ସୁଖରେ ଥିବେ । ନିଜ ସଂସାରରେ ନିଜେ ମାତିଥିବେ । ସେଦିନ କମଳିନୀ ଦେଖା ହୋଇଥିଲା । ସେ କହୁଥିଲା – “ତା’ ଛୁଆ ଭାରି ଅଝଟିଆ, ହେଲେ ତା’ ସ୍ୱାମୀଟା ଭାରି ଭଲ, ତା’କୁ ବହୁତ ଭଲ ପାଆନ୍ତି ।”

କିନ୍ତୁ ନୀଳିମା ? ନୀଳିମାର କ’ଣ ହୋଇଛି ? ? ଆଜି କାହିଁକି ସେ ଏମିତି ଦେଖା ଯାଉଛି ??? ମୁଖ ମଣ୍ଡଳରେ  ସେ ଆଭା, ଅବା ଚେହେରାରେ ସେ କାନ୍ତି ଆଉ ନାହିଁ । ତା’ର ବୟସ ଗଡ଼ି ଯାଇଛି । ଯୌବନ ଲୁଚି ଯାଇଛି । ବସନ୍ତ ହଜି ଯାଇଛି । ଶୁଭୁ ନାହିଁ ଆଉ କୋଇଲିର କୁହୁତାନ । ତାହେଲେ କିଏ ? କିଏ ଏଥିପାଇଁ ଦାୟୀ ??

ପୁଣି ନୀଳିମାର ମନେ ପଡ଼ିଯାଉଥାଏ – ତା’ର ଅତୀତ । ତା’ର ବି ସ୍ୱପ୍ନ ଥିଲା  । ପିଲାଛୁଆ ପତି ପନôୀର ସଂସାର କରିବ ସିଏ । ତା’ର ମନର ମଣିଷ ଆସିବେ । ରୋଷଣି କରି ନେଇଯିବେ, ତା’କୁ ସୁଦୂର ରାଇଜକୁ- ସେଠି କେହି ନଥିବେ । ଖାଲି ଶୁଆ ଶାରୀ ଦୁଇଟି ଥିବେ । ବସା ବାନ୍ଧି ରହୁଥିବେ । ଶୀତୁଆ ଶୀତ ପରେ ମୃଦୁ ମନ୍ଦ ମଳୟ ବହିଲେ ଅଣ୍ଡା ଦେବେ । ପୁଣି ଅଣ୍ଡାଧରି ଶାରୀଟି ତାପିବ । ଶୁଆ ସୁଆଦିଆ ଫଳ ଆଣି ତା ଚଞ୍ଚୁରେ ଭରିବ । ଭାରି ମଜ୍ଜା ହେବ । ଛୁଆ ହୁଅନ୍ତା, ଚିଁ ଚିଁ କରି କମ୍ପାଉଥାନ୍ତେ; ଆସ୍ତେ ଆସ୍ତେ କଥାକହି ଶିଖନ୍ତେ । କିଚିରି ମିଚିରି ଶଦ୍ଦରେ ନୀଡ଼ଟା କୋଳାହଳମୟ ଲାଗୁଥାନ୍ତା । ଦରୋଟି ଦରୋଟି କଥା କହନ୍ତେ, ଭାରି ମିଠା ଲାଗନ୍ତା  । ପୁଣି ଖଣ୍ଡି ଉଡ଼ା ଦେଇ କେତେବେଳେ ପାଖରେ ବସନ୍ତେ; ଆଦରରେ କୋଳକୁ ନିଅନ୍ତେ; ଭାରି ଭଲ ହୁଅନ୍ତା । କିନ୍ତୁ କାହିଁ – କୁଆଡ଼େ ଗଲା ତା’ର ସପନ ? କିଏ ସେ ?? କେଉଁ ସପନ ବଣିକ ଚୋରାଇ ନେଲା ତା’ର ସପନ ……..???

ନୀଳିମା ଆହୁରି ଫେରି ଯାଉଥାଏ ଅତୀତକୁ । ମନେ ପଡ଼ି ଯାଉଥାଏ, ବାପା ମାଆ, ଘର-ଦ୍ୱାର ସବୁକିଛି, ଯାହା ତା’ ପାଇଁ ଆଜି ଅତୀତ । ନିଳୀମାର ଜନ୍ମ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରରେ । ବାପା ଗୋଟିଏ କ୍ଷୁଦ୍ର ଫ୍ୟାକ୍ଟେରୀରେ କାମ କରନ୍ତି । କୌଣସି ପ୍ରକାରରେ ଘର ଗୁଜୁରାଣ ମେଣ୍ଟିଯାଏ । ଯାହା ବଳକା ରହେ ପିଲାର ପଢା ଖର୍ଚ୍ଚରେ ଲାଗିଯାଏ । ନୀଳିମାଟା ଗେଲ ବସରରେ ବଢିଥାଏ । ଯାହା ସେ ମାଗେ ତା’କୁ କେହି ମନା କରନ୍ତି ନାହିଁ । ବାପା ତା’ର ସବୁ ଅଭାବ ଅସୁବିଧା ପୂରଣ କରନ୍ତି । ପରନ୍ତୁ କେବେ ତା’କୁ ଜାଣିବାକୁ ଦେଇ ନାହାନ୍ତି- ଗରିବର ଅଭାବ ବୋଧ କ’ଣ । ନିଜେ ଅବିଶ୍ରାନ୍ତ କାମ କରି ରୋଗଗ୍ରସ୍ତ ହୋଇଛନ୍ତି ପଛେ, ବଟିକାଟିଏ କେବେ ଖାଇ ନାହାଁନ୍ତି । ଓଭର ଟାଇମ୍ ପରେ ଓଭର ଟାଇମ୍ ଏକ୍ସଟ୍ରା ଓ୍ୟାର୍କ ଲୋଡ଼ ନେଇ, ସେ କେତେ କାମ ନ କରିଛନ୍ତି ସତେ । ହେଲେ ଝିଅ ପାଠ ପଢୁ, ତା’ ମନ କେମିତି ଭାଙ୍ଗିବେ । ନୀଳିମା ଚାହିଁଲା ଉଚ୍ଚ ଶିକ୍ଷିତା ହେବ – ତା’କୁ ବି.ଏ. ପର୍ଯ୍ୟନ୍ତ ପାଠ ପଢାଇଲେ । ସେତିକିରେ ସେ ବି ସନ୍ତୁଷ୍ଟ ହେଲାନାହିଁ । ସବୁଥର ପରି ସେଇ ଏକା ଜିଦ୍  । ସେ ଭଲ ନମ୍ବର ରଖିଛି, ଆହୁରି ପଢିବ । ଏମ.ଏ. ପଢିଲା, ବାପା ମନା କରି ପାରିଲେ ନାହିଁ । ନିଜର ଦାରିଦ୍ର୍ୟ କଥା କହି ପାରିଲେ ନାହିଁ । ଝିଅକୁ ପାଠ ପଢାଇଲେ । ଯାହା ଦୁଇ ପଇସା ରହିଥାନ୍ତା ସିବୁ ବାଟେ ବାଟେ ଗଲା । ଏଥର ନୀଳିମା  ପଢାସାରି ଘରେ ବସିଲା । ପନôୀ ଅଥୟ କଲେ- “ଆଗୋ ଶୁଣୁଛ! ଝିଅ ପାଇଁ ବର ଖୋଜ” । କେଉଁଠୁ କି ବର ଖୋଜିବେ ? ହାତରେ ତ ପଇସା ବୋଲି ଗୋଟେ ନାହିଁ । ଝିଆର ପୁଣି ପଢାକୁ ଦେଖି ବର ଖୋଜିବାକୁ ପଡ଼ିବ ନା ? ବଡ଼ ଘରର ଫାଟକ ଖୋଲି ଯିବାକୁ ତ ଡ଼ର । ସବୁଠି  ମୋଟା ଅଙ୍କର ଯୌତୁକ ଲୋଡ଼ା । ବୁଢା କିନ୍ତୁ ରୋକ୍ଠୋକ୍ କହିଦିଏ ବର ଯାତ୍ରୀଙ୍କୁ ଗଣ୍ଡେ ଖାଇବାକୁ ଓ ସାମୂହିକରାସ୍ତା ଖର୍ଚ୍ଚ ବ୍ୟତୀତ ସେ ଆଉ କିଛି ଦେଇପାରିବ ନାହିଁ; ହେଲେ ଝିଅଟି ତାଙ୍କର ରୂପବତୀ ଗୁଣବତୀ , ଭଲ ବୋହୂଟିଏ ପାଇବେ । ଏକଥା ଶୁଣି ପୁଣି କିଏ କହେ – “ରଖ ହୋ! ତୁମର ସୁନ୍ଦରିଆ ପାଠୋଇ ଝିଅକୁ; । କେତେ ମାଲ୍ ଦେଇପାରିବ ଆଗ ସେଇ କଥାଟା କୁହ ।” ବୁଢାର ମୁଣ୍ଡ ଚକ୍କର କାଟେ । ଯାଇ ଗୋଟେ ଅଧେ ପ୍ରସ୍ତାବ ଆଗେ ଆସୁଥିଲା ଏବେ ଆଉ ସେ ସବୁ ଆସେନାହିଁ । ସବୁ ଘଟସୂତ୍ର କଳି ସାରିଲେଣି ବୁଢାର ଗୁମର କେତେ । ସେମାନେ ବି ବାଟଭାଙ୍ଗି ଚାଲିଯା’ନ୍ତି । ଏଥର ବୁଢା ନିରୂପାୟ, କିଂକର୍ତ୍ତବ୍ୟବିମୂଢ ।

କେଉଁଠୁ ଗୋଟେ ଅଧେ ପ୍ରସ୍ତାବ ପାଇଲେ ବୁଢା ଯାଇ ବୁଝିଆସେ, ଏଠି -ସେଠି- ସବୁଠି ବୁଲିଆସେ, ସଞ୍ଜ ହେଲେ ମୁଣ୍ଡରେ ହାତଦେଇ ବସିପଡ଼େ । ନୀଳିମା ବୋଉ ପଚାରେ- “କ’ଣ କିଛି ଖବର ପାଇଲ ।” ବୁଢା ମୁଣ୍ଡ ହଲାଇ ନାହିଁ କରେ । କହେ- “ଝିଅର କପାଳ ଫଟା”, ମୁଣ୍ଡରେ ହାତ ଦେଇ ବସି ରହେ । ବେଶ୍ କିଛି ସମୟ ଚୁପ୍ଚାପ୍ ଚାଲିଯାଏ । ରାତ୍ରିର ଅନ୍ଧକାର ଘୋଟିଯାଏ । ଭାତ ବଢା ହୋଇ ହୋଇ ଶୁଖିଯାଏ । ରାତି ପାହିଯାଏ । ବଡ଼ି ଭୋର୍ରୁ ଉଠି ବୁଢା କେଉଁଆଡ଼େ ଚାଲିଯାଏ ।

ନୀଳିମା ଏପଟେ ବିଛଣା ଉପରେ ପଡ଼ି ପଡ଼ି ସବୁ ଶୁଣେ; ସବୁ ବୁଝେ । ସେଦିନ କହିଲା- “ବାପା ମୁଁ ଆଉ ବାହା ହେବି ନାହିଁ । ତୁମେ ଆଉ ମୋ ପାଇଁ ବରପାତ୍ର ଖୋଜିବନି । ମୁଁ ଚାକିରି କରିବି” । ବୁଢା କିଛି କହିଲେନି, ଉତ୍ତର ବୋଧେ ତାଙ୍କ ପାଖରେ ଥାଏ କି ନଥାଏ । ବୁଢା ଦୀର୍ଘ ନିଶ୍ୱାସଟାଏ ପକାଇ ନୀଳିମାକୁ କୋଳକୁ ଟାଣିନେଲେ । ମୁଣ୍ଡବାଳ ଆଉଁସି ଦେଇ କହିଲେ- “ମା! ତୁ ଆଉ ଆର ଜନ୍ମକୁ ଗରିବ ଘରେ ଜନମିବୁ ନାହିଁ । ଏ ବୁଢା ବାପାଟା ତୋର ଘର ସଂସାର ବସେଇ ପାରିଲା ନାହିଁରେ ମା’……କେତେ ଲା‚ନା ଆଉ ଅପବାଦ ମୁଁ ସହିବି ।” ବୁଢାର କଥା ଶୁଣି ସମସ୍ତେ କାନ୍ଦି ଉଠିଲେ । ଏକ କରୁଣ ପରିବେଶ ଛାଇ ହୋଇଗଲା । ରାତିସାରା ବୁଢା ଚାହିଁ ରହି ରହି, ଆକାଶର ତାରା ଗଣୁଥାଏ । ରାତିସାରା ବୁଢା କ’ଣ ଭାବୁଥାଏ କେଜାଣି ? ରାତି ପାହିଲା ବେଳକୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥାଏ । ଆଉ ମୋଟେ ଫେରିଲା ନାହିଁ……… ।

ସକାଳୁ ବୋଉ ଡ଼ାକିଲା – “ନୀଳିମା ଉଠ୍” । ଆଖି ମଳି ମଳି ନୀଳିମା ବିଛଣାରୁ ଉଠିଲା । ମନେ ପଡ଼ିଗଲା, ଆଜି ଖାତା ଗୁଡ଼ିକ ଫେରାଇବାକୁ ହେବ । ହେଡ୍  ମାଷ୍ଟ୍ରେ ତାଗିଦ୍ କରିଥିଲେ । ତରତର ହୋଇ ସ୍କୁଲ ବାହରି ପଡ଼ିଲା । ଫେରିଲା ବେଳକୁ ସଞ୍ଜ ନଇଁ ଆସିଥାଏ । ହେଲେ ତା ଭାବନାର ଅନ୍ତ ନଥାଏ….

Related posts

ପାନ ବାଲି ଝିଅ pana bali jhia

satya

ଦିନକର ଅପତ୍ନୀକ

satya

ଫୁଙ୍ଗୁଳା ଦେହ ସେଁକା ଛାତି

satya

Leave a Comment

Login

X

Register