Satya Prakash
  • Home
  • ଗଳ୍ପ
  • ନୂତନ ପିଢିର ଉତ୍ତର ଦାୟିତ୍ୱ
ଗଳ୍ପ

ନୂତନ ପିଢିର ଉତ୍ତର ଦାୟିତ୍ୱ

ଚାକିରୀରୁ ଅବସର ନେବା ପରେ ଆପଣା ଉପରେ ଜୀବନଟା କେମିତି ଗୋଟାଏ ବୋଝ ହୋଇଉଠେ । ବର୍ଷେ ହେଲା ଚାକରୀରୁ ଅବସର ନେଲିଣି, ଯେମିତି ଲାଗୁଛି ଏହା ଭିତରେ ଗୋଟାଏ ଯୁଗ ବିତିଗଲାଣି । ଯୁଆଡ଼େ ଚାହିଁଲେ ଖାଲି ଖାଁ ଖାଁ ଲାଗୁଛି । ଖାଲି ଏକୁଟିଆ, ପିଲାମାନେ ସବୁ ବାହାରେ ରହୁଛନ୍ତି । ସେତେବେଳେ ସିନା ଧରାବନ୍ଧା କାମଥିଲା । ଅଫିସକୁ ଚାଲିଯାଉଥିଲି, ଆଉ କାମସାରି ଫେରି ଆସୁଥିଲି ଘରକୁ । ପିଲାଛୁଆ ପତ୍ନୀଙ୍କ ସହ ସୁଖ ଦୁଃଖ ହେଉ ହେଉ ଦିନ ଅଣ୍ଟେ ନି କି ସୁଖ ସରେ ନାହିଁ । ସମୟ କେଉଁବାଟେ ଚାଲିଯାଏ, ତା’ର ହିସାବ ରଖି ହୁଏ ନାହିଁ । ଏବେ କିନ୍ତୁ ଭାରି ଗୋଟାଏ ନିଃସଙ୍ଗତା । ଜୀବନଟା ବୋର୍ ସମ୍ ଫିଲ୍ ହେଉଛି । ବସି ବସି କ’ଣ କରିବି? କେତେ ଭାବନା ଆସି ମୁଣ୍ଡ ଟେକେ । ଭାବନାରା ଖିଅଧରି କେତେ ଅତୀତକୁ ଯୋଡ଼ିବସେ । ସେଦିନ ହଠାତ୍ କାହିଁକି କେଜାଣି ମନେ ପଡ଼ିଗଲା ମଦନ ବାବୁଙ୍କ କଥା । ସେ ଥିଲେ, ମୋର ଅନ୍ତରଙ୍ଗ ବନ୍ଧୁ । ତାଙ୍କର ସହଚର୍ଯ୍ୟ ଯିଏ ଥରେ ପାଇଛି, ତାକୁ ସିନା ଚିହ୍ନିଚି, କେବେ ଭୁଲିବାର ନୁହେଁ । ସେ ଥିଲେ ଯେମିତି ମିଷ୍ଟଭାଷୀ ସେହିପରି ସରଳ, ନିଷ୍କପଟ ଓ କର୍ତ୍ତବ୍ୟ ପରାୟଣ । ସର୍ବୋପରି ମଣିଷକୁ ଭଲ ପାଇବା ଥିଲା ତାଙ୍କ ଜୀବନର ପରମବ୍ରତ । ଆଗେ ଆମେ ଯେତେବେଳେ ସାଙ୍ଗ ହୋଇ ବାରିପଦାରେ ଚାକିରୀ କରୁଥିଲୁ ଉଭୟ ପରିବାର ଭିତରେ କେମିତି ଗୋଟାଏ ଆତ୍ମୀୟତା ଥିଲା । ଏବେ ଆଉ ସେ ସବୁ ସମ୍ଭବ ହୁଏ ନାହିଁ । ଅବଶ୍ୟ ସେଠାରୁ ବଦଳି ହୋଇଗଲା ପରେ କିଛି ଦିନ ଚିଠି ପତ୍ର ଦିଆନିଆ ଚାଲିଥିଲା । ସେତକ ବି ଏବେ ବନ୍ଦ ହୋଇଗଲାଣି । ମଣିଷ ନିଜ ଧନ୍ଦାରେ ଏତେ ବ୍ୟସ୍ତ ଯେ; ଇଛାଥିଲେ ବି ଅନେକଙ୍କ ସହ ସଦାସର୍ବଦା ସଂପର୍କ ରଖିବା ସମ୍ଭବପର ହୁଏନାହିଁ । ସହଜେ ତ ବୟସର ଭାରାକ୍ରାନ୍ତରେ ଆମର ରଥଚକ ଅଟକି ଗଲାଣି । ଏ ବୟସରେ ବା ଆଉ ସଂପର୍କ ରଖିବା କେତେଦୂର ସମ୍ଭବ? ତଥାପି ପୂର୍ବ ଦିନର ସ୍ମୃତି ମନେ ପକାଇବାରେ ଭାରି ଗୋଟାଏ ଆନନ୍ଦ । ମଦନ ବାବୁଙ୍କ ପିଲାଙ୍କର ଶାନ୍ତ ସରଳ ମୁହଁ ଗୁଡ଼ିକ ମନେ ପଡ଼ି ଯାଉଥାଏ । ଆଗେ ମତେ ଦେଖିବା କ୍ଷଣି “ହେଇ ଅଙ୍କଲ୍ ଆସିଲେଣି” ବୋଲି ପାଟି କରି ଉଠୂଥିଲେ। ଏବେ କେତେ ବଡ଼ ହୋଇ ଯିବେଣି । ଡ଼୍ରାଇଭରକୁ ଡ଼ାକିଲି, ଭାବିଲି ମଦନ ବାବୁଙ୍କ ଘର ଆଡ଼େ ଯାଇ ଟିକିଏ ବୁଲିଆସିବା ।  ବୃଦ୍ଧ ଅବସ୍ଥାରେ ପୁରୁଣା ବନ୍ଧୁଟିଏ ଅବା ଚିହ୍ନା ମୁହଁଟିଏ ସହିତ ଭେଟଣା ହୋଇଗଲେ, ତା’ର ଆନନ୍ଦ କହି ହୁଏ ନାହିଁ । ଗାଡ଼ି ଯାଇ ପହଞ୍ଚିଲା ବାରିପଦାରେ । ବହୁ  ବର୍ଷ ତଳେ ଛାଡ଼ିଥିବା ଘରକୁ ଫେରିବାକୁ ଅସମର୍ଥ ହେଲେ ହେଁ ଠଉରାଇ ଠଉରାଇ ଶେଷରେ ଠିକଣା ଜାଗାରେ ପହଞ୍ଚିଗଲି ।

ଏହି ଘର ଆଗେ କେତେ କୋଳାହଳମୟ ଥିଲା । କ’ଣ ଦେଖୁଛି ଗୋଟିଏ ନିର୍ଜ୍ଜିନ ଦ୍ୱୀପ । କ’ଣ ଏଠି କେହି ରହୁ ନାହିଁନ୍ତି ନା କ’ଣ ? ଏହିପରି ମନରେ କେତେ କ’ଣ ପ୍ରଶ୍ନ । ଦୁଃଖ ଲାଗିଲା ହୁଏତ ମଦନ ବାବୁଙ୍କ ସହ ଆଉ ଦେଖା ହୋଇ ପାରିବ ନାହିଁ । ଯଦି ଅନ୍ୟ କେଉଁଠି ରହୁଥାନ୍ତି ? ସେ ନୂଆ ଠିକଣା ତ ମୋ ପାଖରେ ନାହିଁ ।

ହଠାତ୍ ମୋର ସମସ୍ତ ଭାବନାକୁ ବିପର୍ଯ୍ୟସ୍ତ କରି ପକାଇ ଘର ଭିତରୁ ଖୁଁ ଖୁଁ କାଶ ଶବ୍ଦ ସହ ବେଦନାକ୍ତ ନିମ୍ନମାନର କଣ୍ଠସ୍ୱର ଭାସି ଆସିଲା । ନିଜକୁ ସମ୍ଭାଳି ନପାରି ହଠାତ୍ କାହାର ଗୋଟାଏ ତାଡ଼ନାରେ ଭିତରକୁ ପଶିଗଲି । ଆଉ ଭିତରକୁ ଯାଇ ଯାହା ଦେଖିଲି, ନିଜକୁ ବିଶ୍ୱାସ ନକରି ରହିପାରିଲି ନାହିଁ । ବେଦନାରେ ଅନ୍ତରାତ୍ମା ଫାଟି ପଡ଼ୁଥାଏ । ମଣିଷର ପୁଣି ଏମିତି ଦୁରାବସ୍ଥା ଆସେ ।

ମଦନ ବାବୁ ମୋତେ ଦେଖି ରୋଗ ଶଯ୍ୟାରୁ ଆସ୍ତେ କରି ନିଜକୁ ସାଉଣ୍ଟି ନେଇ କାନ୍ଥକୁ ଆଉଜି ଗଲେ । କହିଲେ – “ଆରେ ରାମିଆ! ମୋ ବନ୍ଧୁ ଆସିଛିରେ; ମୋର ଅନ୍ତରଙ୍ଗ ବନ୍ଧୁ” । ରାମିଆ ମୋ ଉଦେ୍ଦଶ୍ୟରେ ଚେୟାରଟିଏ ପକାଇ ଦେଇ ଚା କିମ୍ବା କଫି କରିବାକୁ  ବୋଧହୁଏ ଭିତରକୁ ଚାଲିଗଲା । ପୁଣି ମଦନବାବୁ ଆରମ୍ଭ କଲେ – “ୟାକୁ ତୁ ନିଶ୍ଚୟ ଚିହ୍ନିଥିବୁ; ଏ ହେଉଛି ସେହି ରାମିଆ ଚାକର; କିନ୍ତୁ ମୋ ପାଇଁ ରାମଚନ୍ଦ୍ର । ସମସ୍ତେ ସୁଖର ସାଥିରେ ସୁଖର; ଦୁଃଖର କେହିବି ନୁହେଁ । ମୋର ଏ ବୃଦ୍ଧତ୍ୱ ଓ ପଙ୍ଗୁତ୍ୱ ପାଇଁ ରକ୍ତର ସଂପର୍କ ପିଲାଛୁଆମାନେ ମୋ ପାଖରୁ ସିନା ଦୂରେଇ ଗଲେ, କିନ୍ତୁ ରାମିଆ ? ସେ ମୋତେ ଛାଡ଼ିପାରିଲାନି । ତାକୁ କ’ଣ କମ୍ତି କହିଛି; ତୋ ଘରକୁ ତୁ ଚାଲିଯା; ବାହାସାହା ହୋଇ ଖୁସିରେ ରହିବୁ । ଏଇ ବୁଢାଟା ଠେଇଁ ତୋର କି ଲାଭ ? କିନ୍ତୁ ଉତ୍ତର ପରିବର୍ତ୍ତେ ପାଇଛି କ’ଣ ଜାଣୁନା? ତା’ ଢଳ ଢଳ ନେତ୍ରରୁ ଦୁଇ ଠୋପା ଲୁହ । ଆଉ କେବେ ସାହସ କରି ନାହିଁ ପଚାରିବାକୁ । ସବୁ କାମ ସେ ମେସିନ୍ ଭଳି କରିଚାଲେ । କେତେବେଳେ ମୁଁ ଔଷଧ ଖାଇବି; କେତେବେଳେ ମୁଁ ଶୋଇବି; କେତେବେଳେ ମୋତେ କ’ଣ କରିବାକୁ ହେବ; ସବୁ ହିସାବ କିତାବ ତା ପାଖରେ” । ସତେ ଯେମିତି ତାଙ୍କର ଜୀବନଟା ରାମିଆ ନିର୍ଭରଶୀଳ ହୋଇ ପଡ଼ିଛି । ଏମିତି କେତେ କଣ ରାମିଆର ତାରିଫ୍ ଶୁଣି ଶୁଣି ମୁଁ ଏକଦମ୍ ବୋର୍ ହୋଇଗଲି । ମନେ ମନେ ଭାବୁଥାଏ,- “ଛୋଟ ଲୋକ ଗୁଡ଼ାଙ୍କ ସହିତ ଆମର ବା ସମ୍ପର୍କ କ’ଣ? ତା ଛଡ଼ା ରାମିଆ ଗୋଟାଏ ସାଧାରଣ ଚାକର । ତା’ସହିତ ଆମର ଏତେ ବେଶି ଦୀର୍ଘ ପରିିଚିତିର ବା ଆବଶ୍ୟକତା କ’ଣ ଅଛି? ବୋଧ ହୁଏ ମଦନ ବାବୁ ପ୍ରଳାପ କରୁଛନ୍ତି । ସହଜେ ବର୍ତ୍ତମାନ ସେ ବୃଦ୍ଧ ପୁଣି ଜରାଗ୍ରସ୍ଥ ଅବସ୍ଥାରେ ମଣିଷ ଏହିପରି ଅନେକ ଅଯଥା କଥା ଗପେ ମୁଁ ହଠାତ୍ କଥାର ମୋଡ଼ ପରିବର୍ତ୍ତନ କରି କହିଲି – “ଆଚ୍ଛା ଛାଡ଼ ଏସବୁ କଥା କ’ରାମିଆ କଥା ଖାଲି ଶୁଣାଉଥିବେ ନା ଆଉ କିଛି କହିବେ ପିଲାମାନଙ୍କ ଖବର  କ’ଣ? ସେମାନେ କ’ଣ ଏଠି କେହି ରହୁନାହାନ୍ତି? ତୁମେ ସେମାନଙ୍କ ପାଖକୁ ଚାଲିଯାଉନ ?” ବୁଢାର ଅନ୍ତରକୁ ବୋଧହୁଏ ଏକଥାଗୁଡ଼ାକ ଭାରି ବାଧିଲା । ସେ ଛିଗୁଲାଇଲା ଭଳି ବେଶ୍ ଟାଣ ଗଳାରେ କହିଲେ – “ହୁଁଁ- ପିଲାମାନେ କିଏ କାହାର ପିଲା ହୋ! ବାପା, ମା, ମାନେ ପିଲା ଜନ୍ମ କରିବାକୁ ଭାରି ସୁଖ ମଣନ୍ତି, କୁଆଡ଼େ ବୁଢା ବେଳକୁ ସାହା ହେବେ ବୋଲି । କିନ୍ତୁ ଟିକିଏ ମୁଣ୍ଡକୁ ହାତ ପାଇବା କ୍ଷଣି ବାପାକୁ ବି ଶଳା କହିବାକୁ ପଛାଇବେ ନାହିଁ । ସବୁ ଶଳା ସ୍ୱାର୍ଥପର । ଶେଷରେ ଏ ବୁଢା ବାପାଟାକୁ ବି’ ଭାଗ ଲଗାଇ ଦେଲେ । ଶୁଣିବ! ଥରେ, ଦୁଇ ପୁଅ ଆସିଥିଲେ । ବୁଢୀ ସେମାନଙ୍କୁ ଯିବାକୁ କହିବାରୁ ବଡ଼ ବୋହୂ କହିଲା – “ମା’ ଆମ ସାଙ୍ଗରେ ଚାଲନ୍ତୁ । ଆଉ ବାପା ସାନ ପାଖରେ ରହନ୍ତୁ । ନୋହିଲେ ସେ କଣ ଭାବିବ?” ବୁଢୀ ମୋତେ ଛାଡ଼ି କେବେ ଅଲଗା ରହି ନାହିଁ । ତେଣୁ ସେ ଏଥିରେ ରାଜି ହେଲା ନାହିଁ। ପିଲାମାନଙ୍କ ଜିଦ୍ ଯୋଗୁ ମୁଁ ତାଙ୍କୁ ବୁଝାଇ ଦେଲି- “ମାସ କେତେଟା ପରେ ମୁଁ ଯାଇ ତୋତେ ନେଇ ଆସିବି ନାହିଁ ? ଏମିତି ଏପଟ ସେପଟ ହୋଇ ପିଲାମାନଙ୍କ ସୁଖ ଦୁଃଖ ଦେଖିବାରେ ତ ଆମର ଖୁସି” । ବୃଦ୍ଧ-ବୃଦ୍ଧା ହୋଇଗଲା ପରେ ସ୍ୱାମୀ -ସ୍ତ୍ରୀ ସାଥୀ ହୋଇ ରହିବାଟା ବୋଧହୁଏ ଶାସ୍ତ୍ର ନିଷେଧ । ସେମାନେ କାହୁଁ ବୁଝିବେ, ଦୁଇଟି ଆତ୍ମାର ଅନ୍ତରୀଣ ସ୍ୱରକୁ । ଅସଲ କଥାଟା ହେଉଛି ସେମାନେ ଏକା ଏକା କାହିଁକି ବା ଦୁଇ ଦୁଇଟା ପ୍ରାଣୀର ବୋଝ ମୁଣ୍ଡାଇବେ । ତେବେ ଯାହା ହେଉ-ସେୟା ହେଲା । ମୁଁ ରହିଲି ସାନ ପାଖରେ, ଆଉ ବୁଢି ରହିଲା ବଡ଼ ପାଖରେ । ମୋତେ ତ ସାନ ଯାହା ଯେମିତି ରଖିଥିଲା ସେ କଥା ଛାଡ଼ । ଦିନେ ବଡ଼ପୁଅ ଘରକୁ ଯାଇ ବୁଢୀର ଅବସ୍ଥା ଦେଖେ ତ ଗୋଟାଏ ଚାକରାଣୀ ଠାରୁ କିଛି କମ୍ ନୁହେଁ । ମା’କୁ ଆଣି ତାର ସେବା ଯତ୍ନନ କରିବେ କ’ଣ ନା ଓଲଟା ଆପଣାର ସୁଖ ସମ୍ଭେଗ ପାଇଁ ମା ନାତି ନାତୁଣୀଙ୍କୁ ସମ୍ଭାଳିବା ଠାରୁ ଘରର ଯାବତୀୟ କାର୍ଯ୍ୟ ତୁଲାଇବେ । ବୁଢୀର ଅଶ୍ରୁଳ ମୁହଁକୁ ଆଉ ଚାହିଁ ପାରିଲି ନାହିଁ । ସାଙ୍ଗରେ ଧରି ଫେରି ଆସିଲି ଗାଁକୁ । ପୁଣି ବୁଢୀ ମରିଗଲା ପରେ ମୋତେ ପିଲାମାନଙ୍କ ସହ ଯିବାକୁ ବନ୍ଧୁମାନେ ବାଧ୍ୟ କଲେ । କିନ୍ତୁ ସାନ ବୋହୂ ଓ ବଡ଼ ବୋହୂର କଥାଶୁଣି ଆଖିରୁ ଲୁହ ଝରି ଆସିଲା । ଭାବିଲି ଦୁନିଆରେ କେହି କାହାରି ନୁହଁନ୍ତି । ଭଗବାନଙ୍କ ରାଜ୍ୟରେ ସମସ୍ତେ ଏକଲା; ଖାଲି ଏକଲା ହେଉଛନ୍ତି । ସେମାନେ କ’ଣ କଥାା ହେଉଥିଲେ, ଶୁଣିବ!- ଜଣେ କହିଲା- “ଆମେ ବାପାଙ୍କର ପୂରା ଦାୟିତ୍ୱ ନେଇ ପାରିବୁ ନାହିଁ; ଛୁଆ ପିଲାଙ୍କ ଜଂଜାଳ ଭିତରେ ସମୟ କାହିଁ ଯେ; ତାଙ୍କର ସେବା କରିବୁ । ଆଉ ଜଣେ କହିଲା- “ସାଙ୍ଗରେ ନ ନେଲେ ଅନ୍ୟମାନେ ଆମକୁ ନିନ୍ଦା କରିବେ ।ଗୋଟାଏ କାମ କର ଦେଈ । ତୁମେ ବାପାଙ୍କୁ ଛଅ ମାସ ରଖ, ପୁଣି ଆମେ ତାଙ୍କୁ ଛଅ ମାସ ନେଇ ଆସିବୁ ।” ଏହା ଦ୍ୱାରା ଆଉ କେହି କିଛି କହିବେ ନାହିଁ । ସବୁ ସମସ୍ୟା ବି ତୁଟି ଯିବ । ତା’ ଛଡ଼ା ବାପା ଏଠାରୁ ଚାଲିଗଲେ, ଗାଁ ଜମି ଜମା ସବୁ ବିକ୍ରି କରିବା ପାଇଁ  ବାପାଙ୍କର ଆଉ ଆପତ୍ତି ରହିବ ନାହିଁ । ଆମର ବି ଗୋଟାଏ ନୂଆ ଆମ୍ବାସଡ଼ର କାର୍ କିଣିବା ପାଇଁ ଟଙ୍କାର ବହୁତ ଜରୁରୀ ଅଛି ।”

ଏକଥା ଶୁଣି ପୁଅ ବୋହୂ ପାଖରୁ ମୁହଁ ଫେରାଇ ଆଣିଲି ଯେ, ଆଉ କେବେ ଚାହିଁବାକୁ ଇଛା କରିନାହିଁ । କହିଲୁ ଦେଖି ନିଜର ସ୍ୱାର୍ଥ ପାଇଁ କେହି କେବେ ବାପା ଗୋସି ବାପ ଅମଳର ଭିଟାମାଟି ଖଣ୍ଡିକ ବିକି ପାରେ? ସେଥିରେ ମୋର କିଛି ଆପତ୍ତି ନଥିଲା । ହେଲେ …..ସେମାନଙ୍କର ଅଭାବ କ’ଣ ? ଜଣେ ଡ଼ାକ୍ତର ; ଆଉ ଜଣେ ଇଂଜିନିୟର । କ’ଣ ଏଇଥି ପାଇଁ ସେମାନଙ୍କୁ ଏତେ ବଡ଼ କରିଥିଲି? ଶେଷରେ ବୁଢା ବାପାଟାକୁ ବି ଭାଗ…ଲଗାଇ ଦେଲେ । ହାଏ ଭଗବାନ । ଏହି କ’ଣ ତୋର ଆଧୁନିକ ମଣିଷ ସୃଷ୍ଟି କରିବାର ଶ୍ରେଷ୍ଠ ଅଭିସନ୍ଧି? ଏହି କଣ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତିର ମହନୀୟତା? ଏହି କ’ଣ ଭାରତୀୟ ସଂସ୍କୃତିର ପରିଣତି ???

ଏକଥା  କହିଲା ବେଳକୁ ତାଙ୍କର ଶ୍ୱାସ ପ୍ରକ୍ରିୟା କେମିତିି ଶିଥିଳ ହୋଇ ଯାଉଥାଏ । ବୃଦ୍ଧ ଅବଶ ହୋଇପଡ଼ୁଥା’ନ୍ତି । ବିଛଣା ଉପରକୁ ଢଳି ପଡ଼ିଲେ । ଦେଖିଲା ବେଳକୁ ମୁର୍ଚ୍ଛା ଚାଲି ଯାଇଛନ୍ତି । ସଙ୍ଗେ ସଙ୍ଗେ ରାମିଆ କାହାକୁ ଅପେକ୍ଷା ନକରି ଦୌଡ଼ିଗଲା ଡ଼ାକ୍ତର ବାବୁଙ୍କ ପାଖକୁ । ରାମିଆର ବୃଦ୍ଧ ପାଇଁ ବ୍ୟସ୍ତତା ଦେଖି, ଧିରେ ଧିରେ ଚିହ୍ନୁଥାଏ , ତା’ଭିତରର ମଣିଷଟିକୁ । ରାତିସାରା ସେ ବୃଦ୍ଧ ବିଛଣା ପାଖରେ ବସି ବସି କରି ଚାଲିଥାଏ ତାର କାମ । ଆଉ ବେଳେ ବେଳେ ନିଜର କୋହକୁ ସମ୍ଭାଳି ନପାରି ହାତ ତଳେ ମୁହଁକୁ ଚାପି ରଖି କାନ୍ଦି ଉଠୁଥାଏ କଇଁକଇଁ ହୋଇ । ପୁଣି ଦୌଡ଼ି ଯାଉଥାଏ ଠାକୁର ଘରକୁ । କେତେ କାକୁତି ବିନତି – “ହେ ପ୍ରଭୂ । ମୋର କିଛି ଲୋଡା ନାହିଁ । ଖାଲି ଥରୁଟିଏ ମୋ ବାବୁଙ୍କୁ ଭଲକରି ଦିଅ” । ପୁଅ ମାନଙ୍କ ପାଖକୁ ଟେଲିଗ୍ରାମ୍ ଗଲା- “ଫାଦର୍ ସିରିୟସ୍ କମ୍ ସୁନ୍” । ଉତ୍ତର ଆସିଲା – “ବାପା ତ ବୁଢା ହୋଇଗଲେଣି; ଏ ବୟସରେ ଏମିିତି ଦେହ ମଝିରେ ମଝିରେ ଖରାପ ରହେ । ତା ବୋଲି କ’ଣ; ଆମେ ସବୁବେଳେ ଯିବାଆସିବା କରିବା ସମ୍ଭବ ? ବଳେ ଭଲ ହୋଇଯିବେନି । ତା ଛଡ଼ା ବର୍ତ୍ତମାନ ପିଲମାନଙ୍କର ତ ପରୀକ୍ଷା । ଗଲେ ଅଯଥା ସେମାନଙ୍କ ଭବିଷ୍ୟତ ପ୍ରତି ଆମର କର୍ତ୍ତବ୍ୟରେ ଅବହେଳା ହେବ ନାହିଁ?” ପୁଣି କାହାର ଛୁଟି ନାହିଁ ତ କାହାର, ଦରମା କଟିଯିବା ଭୟରେ ସେ ବି ଆସିବାକୁ ନାରାଜ ।

ଏମିତି ଏକ କରୁଣ ପରିବେଶ ଭିତରେ ବୁଢାର ଶବ ସଂସ୍କାର କରାଗଲା । ଯେଉଁ ପିଲାମାନଙ୍କୁ ସେ ଏତେବଡ଼ କରିଥିଲା, ମଲା ବେଳକୁ ମୁହଁରେ ପାଣି ଟୋପାଏ ଦେଲେ ନାହିଁ ସିନା; କିନ୍ତୁ ମଲାପରେ ? ପୁଅ ପଣିଆ ଜାହିର କରି ଆସି ହାଜର । କେମିତି ମଘା କାମ ଶେଷ ହେବ ସେ ପ୍ରତି ଚିନ୍ତା ନାହିଁ । ଆରମ୍ଭ ହୋଇଗଲା ଭାଗ । କିଏ ସହରର କୋଠା ନେବ, କିଏ ପୋଖରୀ ନେବ ଇତ୍ୟାଦି ନେଇ ଭିଆଇ ବସିଲେ ବିରାଟ କାଣ୍ଡ । କେତେ ବୁଝା ଶୁଝା କଲାପରେ ମଘା କାମ ଶେଷ ହେଲା ପରେ ଭାଗବଣ୍ଟରା ହେବାକୁ ସ୍ଥିର କରାଗଲା । କିନ୍ତୁ ମଘା କାମ କେମିତି ହେବ? କିଏ ପଇସା ଦେବ – ସେ ବିଷୟରେ କାହାର ଚିନ୍ତା ନାହିଁ । ଭାଗ ନେବାକୁ ଯେମିତି ସମସ୍ତେ ତିଆର, ପଇସା ଦେବାକୁ ସେମିତି କେହି ନୁହଁ । ସମସ୍ତେ କୁନ୍ଥୁ କୁନ୍ଥୁ, ଟାଳଟୁଳ ନୀତିରେ କ୍ରମେ ନ’ଦିନ ବିତିଗଲା । ଦଶାହ ପାଇଁ ଆଉ ମାତ୍ର -ଗୋଟିଏ ଦିନ ବାକି । ଏତେ ପଇସା ଆମେ ଦେଇ ପାରିବୁ ନାହିଁ ବୋଲି ପରସ୍ପର କଳି କରୁଥାନ୍ତି । ଏତିକି ବେଳେ, ରାମିଆ ଗୋଟାଏ ନାଲି ଗାମୁଛାରେ କ’ଣ ବାନ୍ଧି ଆସି ମୋ ନିକଟରେ ହାଜର ହୋଇଗଲା । ଆଉ କହିଲା – “ଆଜ୍ଞା! ଆପଣ ତ ବାବୁଙ୍କର ଅତି ଅନ୍ତରଙ୍ଗ ବନ୍ଧୁ । ସାନ ବାବୁ ମାନଙ୍କର ମତି ଗତି ତ ଦେଖୁଛନ୍ତି । ଆପଣଙ୍କୁ ମୋ ରାଣ ଆଜ୍ଞା! ମୋ ବାବୁଙ୍କର କାମ ଯେପରି ସୁରୁଖୁରୁରେ ହୋଇଯାଏ ସେ ଦାୟିତ୍ୱ ଆପଣଙ୍କର । ଏହି ନିଅନ୍ତୁ ପଇସା । ମୋର ତ ଆଉ କେହି ନାହାଁନ୍ତି । ଜୀବନ ସାରା ଯାହା ପାରିଶ୍ରମିକ ରୂପେ ପାଇଥିଲି; ତାହାକୁ ସବୁ ଏଇ କାନିରେ ସାଇତି ରଖିଛି । ମୋ ବାବୁଙ୍କ କାମରେ ସେ ପଇସା ଲାଗି ନ ପାରିଲେ ଆଉ କାହା କାମରେ ଲାଗିବ । ମୋତେ କଥା ଦିଅନ୍ତୁ…. ଆପଣ କ’ଣ ଏତିକି ପାରିବେ ନାହିଁ? ତାର ଅନୁନୟରେ ମୁଁ କିଛି କହି ପାରିଲି ନାହିଁ । ସମସ୍ତଙ୍କ ମୁହଁ ତଳକୁ ହୋଇଗଲା ।

ସେୟା ହେଲା, ମଘା କାମ ଭଲରେ ସଂପନ୍ନ ହୋଇଗଲା । ପୁଣି ଆରମ୍ଭ ହୋଇଗଲା- କଳି, ଭାଗବଣ୍ଟରା ପାଇଁ । ମୁଁ ବି ବଡ଼ ଅଡ଼ୁଆରେ ପଡ଼ିଗଲି, ଗୋଟାଏ ଦିନ ପାଇଁ ଆସି ଗୁଡାଏ ଦିନ ଅଟକି ଗଲି । ଏହି ସମୟରେ ଜଣେ ଓକିଲ ବନ୍ଧୁ ହାତରେ ଗୋଟାଏ କ’ଣ କାଗଜ ଧରି ପହଞ୍ଚିଗଲେ । ସେଇଟିକୁ ମୋ ଆଡ଼କୁ ବଢାଇ ଦେଲେ । ସେଥିରେ ଲେଖାଥିଲା – “ରକ୍ତର ସଂପର୍କକୁନେଇ” ପିତା -ପୁତ୍ରରୀ ସଂପର୍କକୁ ବିବେଚନା କରାଯାଇ ପାରିବନି; ଜନ୍ମଗତ ଅଧିକାରକୁ ନେଇ କେହି କେବେ ପିତା ଅବା ପୁତ୍ର ହୋଇ ପାରେନା; ଏଥିପାଇଁ ମୋର କେହି ପୁଅ ନାହିଁ; ମୁଁ କାହାର ପିତା ନୁହେଁ; ରାମିଆ ମୋର ଚାକର ନୁହେଁ; ମୁଁ ତାର ପ୍ରଭୂ ନୁହେଁ । ସେ ମୋର ରାମଚନ୍ଦ୍ର । ପ୍ରକୃତ ପିତୃଭକ୍ତି ସିନା ରାମଚନ୍ଦ୍ର ଏକା ଜାଣେ । ସମସ୍ତେ ଶିଖିବେ କାହୁଁ । ମୋର ସମସ୍ତ ସ୍ତାବର ଅସ୍ତାବର ସଂପତ୍ତିର ଉତ୍ତରାଧିକାରୀ ମୋ ରାମଚନ୍ଦ୍ର । ଏହାପରେ ସମସ୍ତେ ଚୁପଚାପ୍ । ଏକ ସ୍ତବ୍ଧ ପରିବେଶ ଭିତରେ କେଉଁଠି ଥିଲା କେଜାଣି, ରାମିଆ ଦୌଡ଼ି ଆସି କହିଲା- “ନାଇ ସାନ ବାବୁ ତୁମ ସଂପତ୍ତି ତୁମର । ମୁଁ ଛାର ଚାକରଟା ଏସବୁ ନେଇ କରିବି କ’ଣ ?” ପୁଅ ମାନଙ୍କ ପାଟିରୁ ବାହାରି ଆସିଲା- “ତୁମେ ମଣିଷ ନୁହଁ, ରାମ କକା! ତୁମେ ଦେବତା । ଆମକୁ କ୍ଷମା କରି ଦିଅ । ।” ମୋ ପାଟିରୁ ଅକସ୍ମାତ ବାହରି ଆସିଲା- “ଜୟ ରାମଚନ୍ଦ୍ର କି ଜୟ” । ସଙ୍ଗେ ସଙ୍ଗେ ଏକଥାଟା ପାଣି ପବନରେ ମିଶିଯାଇ ଯେମିତି ମଧୁର ଗୁଂଜରଣ ସୃଷ୍ଟି କଲା, ଦୁଇ ପୁଅଙ୍କୁ ଖୋଜା ଗଲା । ଦେଖାଗଲା -ସମାଧି ସ୍ଥଳରେ ବସି କଇଁ କଇଁ କାନ୍ଦୁଥିବାର ଆଉ ଗୁଣୁ ଗୁଣୁ ହୋଇ କଣ ପହୁଥିବାର- “ବାପା ଆମକୁ କ୍ଷମା କରିଦିଅ । ଆମ ପାପର ପ୍ରାୟଶ୍ଚିତ ନାହିଁ । ଜୀବନରେ ଶାନ୍ତି ନାହିଁ, ମୁକ୍ତି ନାହିଁ, ଗତି ନାହିଁ । ଏ ଅଭିଶାପରୁ ଆମକୁ ମୁକ୍ତି ଦିଅ । ତୁମ ଭଳି ପିତା ସବୁବେଳେ ଆମକୁ ହେଉ ଆମ ଭଳି ସନ୍ତାନ କେବେ ତୁମକୁ ନହେଉ । ଅତୀତର ଦୁଃଖ ବର୍ତ୍ତମାନ କେବେ ବୁଝେନା । କିନ୍ତୁ ଭବିଷ୍ୟତ ? ସେ କଣ ବର୍ତ୍ତମାନକୁ କ୍ଷମା କରିବନି ? ଆମର ଭବିଷ୍ୟତ ମାନେ ମଧ୍ୟ ଅଛନ୍ତି । ସେମାନେ ବି କଣ ଆମକୁ ……. ।

Related posts

ଦୀପୁ ବି କହୁଥିଲା

satya

ଗୋଟିଏ ଭୂଲ କୋଟିଏ କ୍ଷତି

satya

ସବୁତ ବାନୁଆ

satya

Leave a Comment

Login

X

Register