Satya Prakash
  • Home
  • Book
  • ପଣ୍ଡିତ ଦୈତାରୀ ମହାପାତ୍ର- ଜୀବନୀ ଆଲେଖ୍ୟ
Book

ପଣ୍ଡିତ ଦୈତାରୀ ମହାପାତ୍ର- ଜୀବନୀ ଆଲେଖ୍ୟ

ଉତ୍ସର୍ଗ

ଭଦ୍ରକ ମାଟି ହେଉଛି ସାହିତ୍ୟ ଓ ସଂସ୍କୃତିର ମାଟି, ଯେଉଁ ମାଟି ଜନ୍ମ ଦେଇଛି ଡଃ ହରେକୃଷ୍ଣ ମହତାବ ପରି ଜାତୀୟବାଦୀ ନେତା ଓ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପରି ବିଶିଷ୍ଟ ସାହିତ୍ୟିକ। ସେହି ମାଟିର ପୁଣି ଆରାଧ୍ୟ ଦେବତା ହେଉଛନ୍ତି ଓମ୍ ଭୋଲେ ବାବା ପ୍ରଭୂ ଆରଡ଼ି ଅଧୀଶ୍ଵର ଆଖଣ୍ଡଳମଣି। ସେହି ଆଖଣ୍ଡଳମଣି ବାବାଙ୍କୁ ଉକ୍ତ ପୁସ୍ତକଟିକୁ ଉତ୍ସର୍ଗ କରି ମୁଁ ଚିର କୃତଜ୍ଞ।। ସବୁ ତୋହରି ଇଚ୍ଛା ମହାପ୍ରଭୂ। ଜୟ ଆରଡ଼ିଶ୍ବର।

ପ୍ରସ୍ଥାବନା

ଉକ୍ତ ପୁସ୍ତକ ରଚନା କରିବା କ୍ଷେତ୍ରରେ ଅନେକ ପ୍ରତିରୋଧ ଓ ପ୍ରତିବନ୍ଧକର ଶିକାର ହେବାକୁ ପଡ଼ିଛି। କେତେବେଳେ ତାଳି କେତେବେଳେ ଗାଳି ଏ ତ ସମାଜର ନିୟମ। ତେଣୁ କେତେକ ପ୍ରସଂଶା କରୁଥିବା ବେଳେ ଆଉ କେତେକ ନିନ୍ଦା ରଟନା କରିବାକୁ ମଧ୍ୟ ଭୁଲି ନଥିଲେ। ନିନ୍ଦୁକ ବ୍ୟକ୍ତି ଯେଉଁମାନେ କି ଅନ୍ୟର ପ୍ରତିଷ୍ଠା ଦେଖି ସହି ପାରନ୍ତି ନାହିଁ, ଅନ୍ୟର ପ୍ରଭାବକୁ ସହଜରେ ହଜମ କରି ପାରନ୍ତି ନାହିଁ, ପରର କୁତ୍ସା ରଟନାରେ ଦିନ ରାତି ଉଜାଗର କରି ଦିଅନ୍ତି, ‘ମୁଁ – ମୁଁ’ ର ଅହଂ ନେଇ ଜୀବନ ଅତିବାହିତ କରନ୍ତି ପରର ଶ୍ରେୟକୁ ନିଜର ସାମାଜିକ ପ୍ରତିଷ୍ଠା ଓ ଅର୍ଥ ବଳରେ ନିଜର ଶ୍ରେୟ କରି କିଣନ୍ତି – ସେମାନଙ୍କର ସମାଲୋଚନାର ଶରବ୍ୟ ହେବାକୁ ମୋତେ ପଡିଥିଲା। ଅସହିଷ୍ଣୁପଣ ଯେଉଁ ମାନଙ୍କୁ ଗୋଡାଇ ଖାଉଛି ସେମାନେ ଅସୂୟା ପରବେଶ ହେବା ସ୍ୱାଭାବିକ। ମୁଁ କିନ୍ତୁ ମୋ କର୍ତ୍ତବ୍ୟ ପଥରେ ବ୍ରତୀ। ଥରେ କୌଣସି କଥାକୁ ମନ ମଧ୍ୟରେ ଠାଣ୍ ନେଲେ ତହିଁରୁ ସହଜରେ ମୁକ୍ତି ମିଳେ ନାହିଁ। ତାହା ଚୂଡାନ୍ତ ରୂପ ରେଖ ପରିଗ୍ରହ ନକଲା ଯାଏଁ ସେଇଥିରେ ମୁଁ ଲାଗିଥାଏ ଯେ ଲାଗିଥାଏ। ଏହିଭଳି ଏକ ଦୃଢ ସଂକଳ୍ପ ଓ ଚିରନ୍ତନୀ ଉଦ୍ୟମ ଫଳରେ କୁହାଯାଇପାରେ ଯେ ପୁସ୍ତକଟିର ପୂର୍ଣ୍ଣାଙ୍ଗ କଳେବରର ପରିକଳ୍ପନା ସଚେଷ୍ଟ ସାର୍ଥକ ହୋଇପରିଛି। ତେଣିକି ଏହାର ସଫଳତା ଓ ବିଫଳତାକୁ ନେଇ ପାଠକମାନେ ଯାହା ଅଙ୍କ କଷିବେ।
ପଣ୍ଡିତ ମହାପାତ୍ରଙ୍କୁ ବ୍ୟକ୍ତିଗତ ଭାବେ ମୁଁ ଭଲଭାବେ ଜାଣିଛି, ଅନ୍ତରଙ୍ଗ ଭାବେ ମିଶିଛି ଓ ବ୍ୟକ୍ତି ଚରିତ୍ରକୁ ମଧ୍ୟ କିଛିଟା ବୁଝିଛି। ଅନେକ ସଭାସମିତି ବା ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଆମେ ଏକାଠି ହୋଇଛୁ ତେଣୁ ଆମ ଭିତରେ ବନ୍ଧୁତା ଓ ଆତ୍ମିକତା ଟିକିଏ ବେଶୀ। ସବୁଠୁଁ ମୁଁ ଅଧିକ ଖୁସି ହୁଏ ତାଙ୍କ ସ୍ରୁଷ୍ଟି ସଂରଚନାର ଦୀର୍ଘ କଳେବର ଦେଖି। ଯାହା ଏପରି ବିଶାଳ ଓ ବପୁବନ୍ତ ଯାହାକୁ ଆକଳନ ଓ ଅଧ୍ୟୟନ କରିବା ସମୟ ସାପେକ୍ଷ ଓ କଷ୍ଟସାଧ୍ୟ ମଧ୍ୟ। ତଥାପି ତାଙ୍କର ଅନେକ ପୁସ୍ତକ ମୁଁ ଅଧ୍ୟୟନ କରିଛି, ତହିଁ ଉତ୍ତାରୁ ଏକ ଭାବଧାରା ଅବବୋଧ ହେଲାରୁ ଯାହା କିଛି ଏତେକଥା… ।ପୁସ୍ତକଟିର କଳେବର ବିଶେଷ ବୃହତ ନହେଲେ ମଧ୍ୟ ସାହିତ୍ୟିକ ମୂଲ୍ୟବୋଧ ଭିତ୍ତିକ ଯାହା ପାଠକୀୟ ଆବେଦନ ରକ୍ଷା କରିବାକୁ ନିଶ୍ଚିତ ପକ୍ଷେ କିଞ୍ଚିତ୍ ସମର୍ଥ। ଏଥିରେ ଜୀବନୀ ଚରିତ, ସାହିତ୍ୟର ଭାବ ଓ ବିଚାରଧାରାର ବ୍ୟାପୃତି ପରିଲକ୍ଷିତ। ଯେଉଁମାନଙ୍କ ସାହାଯ୍ଯ ଓ ସହଯୋଗରେ ଉକ୍ତ ପୁସ୍ତକଟିର ପରିକଳ୍ପନା କରାଯାଇଛି ସେ ସମସ୍ତଙ୍କୁ ମୋର କୃତଜ୍ଞତା ପୁଟେ ଅନେକ ଧନ୍ୟବାଦ। ଯେଉଁ ବ୍ୟକ୍ତି ବିଶେଷ ଉକ୍ତ ପୁସ୍ତକ ରଚନା ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ଓ ସହଯୋଗୀତାର ହାତ ବଢାଇଛନ୍ତି ସେମାନଙ୍କୁ ବିଶେଷ କୃତଜ୍ଞତା ଜଣାଇବାକୁ ଆଦୌ ଭୁଲିବି ନାହିଁ। ସେମାନେ ହେଲେ ସର୍ବ ଶ୍ରୀ……….
ଜୀବନୀ ଚରିତକାର
ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ

ଅଭିମତ – ପଣ୍ଡିତ ଦୈତାରୀ ମହାପାତ୍ର

ଉକ୍ତ ପୁସ୍ତକରେ ପ୍ରକାଶିତ ମୋ ସମ୍ବନ୍ଧୀୟ ସମସ୍ତ ବ୍ୟକ୍ତିଗତ ତଥ୍ଯ ଓ ପୁସ୍ତକରାଜିର ତାଲିକା ସବିଶେଷ ସମ୍ପୂର୍ଣ୍ଣ ସତ୍ୟ ଅଟେ।ଏହା ଏକ ଜୀବନୀ ଚରିତ ମୂଳକ ଲେଖାଟିଏ ହୋଇଥିଲେ ହେଁ ଗବେଷଣାତ୍ମକ ନିବନ୍ଧଟିଏ। ଏଥିରେ ସମ୍ମିଳିତ ଓ ସନ୍ନିହିତ ଘଟଣାବଳୀ ଓ ଚରିତ୍ର ସହିତ ମୋର ନିଶ୍ଚିତ ଭାବେ ଆତ୍ମିକ ସମ୍ପର୍କ ଓ ସମ୍ପୃକ୍ତି ରହିଛି। ଘଟଣା ଗୁଡ଼ିକ ତଥ୍ୟଭିତ୍ତିକ ଓ ସତ୍ୟ ଉପରେ ଆଧାରିତ। ମୁଁ ଜଣେ ଦୀନହୀନ ବ୍ୟକ୍ତି ହୋଇଥିଲେ ହେଁ ମୋ ଜୀବନୀ ଚରିତ ଓ ସୃଷ୍ଟି ସର୍ଜ୍ଜନାକୁ ନେଇ ଏହି ଯେଉଁ ପୁସ୍ତକଟିର ପରିକଳ୍ପନା କରାଯାଇଛି ତାହା ନିଶ୍ଚିତ ଭାବେ ସ୍ଵାଗତଯୋଗ୍ୟ ଓ ଜୀବନୀ ଚରିତକାର ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ସେଠୀ ଧନ୍ୟବାଦର ପାତ୍ର। ତାଙ୍କର ଗବେଷଣାଲବ୍ଧ ଜ୍ଞାନ ଓ ଅନୁସନ୍ଧାନ ପିପାସାକୁ ମୁଁ କ’ଣ ଯେକୌଣସି ଲୋକ ଭୂୟସୀ ପ୍ରସଂଶା ନ କରି ରହିପାରିବେ ନାହିଁ।
ଅନେକ ପୁସ୍ତକର ରଚୟିତା ଭାବେ ସାହିତ୍ୟର ପ୍ରାୟତଃ ସମସ୍ତ ବିଭାଗରେ ଅବିଶ୍ରାନ୍ତ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଓ ପାଠକ ମାନଙ୍କର ହୃଦୟକୁ ଜିତିବା ମୋର ଲକ୍ଷ୍ୟ ହୋଇଥାଏ। ତେବେ ମୋର ପୁସ୍ତକ ଗୁଡ଼ିକର ସଠିକ୍ ଆକଳନ ଓ ମୂଲ୍ୟାୟନ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ସେଠୀ ଯେଉଁ ସାହସ ଓ ସାମର୍ଥ୍ୟ ଦେଖାଇଛନ୍ତି ତାହା ତାଙ୍କ ବିଶାଳ ହୃଦୟର ପରିଚାୟକ। ମୁଁ ତ ଚାହିଁବି ଓ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବି ତାଙ୍କର ଭବିଷ୍ୟତ ଜୀବନ ଉଜ୍ଜ୍ୱଳମୟ ହେଉ ଓ ତାଙ୍କର ସାହିତ୍ୟିକ ଜୀବନ କୃତୀ ଓ କୃତିତ୍ଵର ମହିମାମଣ୍ଡିତ ହେଉ। ସାହିତ୍ୟକ ତ କଳ୍ପନା ବିଳାସୀ। ସେ କଳ୍ପନାର ପୁଟ ଦେଇ ଏଭଳି ସାହିତ୍ୟ ସର୍ଜ୍ଜନା କରିପାରେ ଯାହା କଳ୍ପନା କରି ହେବ ନାହିଁ। ତେବେ ଶ୍ରୀଯୁକ୍ତ ସେଠୀ ବାସ୍ତବ ଘଟଣାବଳୀକୁ ନେଇ ଏଭଳି ଶବ୍ଦର ଯାଦୁକାରୀ ସ୍ପର୍ଶରେ ପ୍ରତିଟି ଘଟଣାକୁ ଜୀବନ୍ତ କରି ଗଢି ତୋଳିଛନ୍ତି ଯେ ତହିଁରେ ବିସ୍ମିତ ହେବାକୁ ହୋଇଥାଏ। ଏଥିରେ ଶବ୍ଦ ସଂଯୋଜନା ଓ ଘଟଣାବଳୀର ସୁସନ୍ନିବେଶି, କଳା ପାଟବତା ଓ ବର୍ଣ୍ଣନା ଚାତୁରୀ ମୋତେ ବେଶ୍ ବିମୋହିତ କରିଛି। ଆଶା ଏହା ପାଠକ ମାନଙ୍କର ପଠନ ପିପାସାକୁ ଚରିତାର୍ଥ କରିବା ସଙ୍ଗେ ସଙ୍ଗେ ମୋ ସମ୍ପର୍କରେ ଅଧିକ ତଥ୍ଯ ଜନ ମାନସକୁ ଦେଇ ପାରିବ।
ଈଶ୍ୱର ସମସ୍ତଙ୍କର ଭଲ କରନ୍ତୁ। ଓମ୍ ନମଃ ଶିବାୟ ।
(ଇତି)
ପଣ୍ଡିତ ଦୈତାରୀ ମହାପାତ୍ର

———-

ସୂଚୀପତ୍ର

1.ଉତ୍ସର୍ଗ
2 ପ୍ରସ୍ଥାବନା
3.ଶିବ ବାବାଙ୍କ ମୁହଁରୁ…
4.ଆଗୁଆ ସମୀକ୍ଷା
5.ଅଭିମତ 1
6ଉପକ୍ରମଣିକା

7 ବ୍ୟକ୍ତିଗତ ତଥ୍ଯ ସବିଶେଷ
8. ସଂକ୍ଷେପରେ ପଣ୍ଡିତ ମହାପାତ୍ର
9. ଉତ୍କଳ ମାତାର ଯଶସ୍ୱୀ ସନ୍ତାନ
10 ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ପଣ୍ଡିତ ମହାପାତ୍ରଙ୍କୁ କେତୋଟି ପ୍ରଶ୍ନ
11.ବାଲ୍ଯ ଧୂଳି ଧୂସରିତ ଜୀବନ
12. କୈଶୋରର ଚପଳାମୀ
13. ଯୌବନର ଉଦ୍ଦାମତା
14. ସାଧନାର ତୀରେ
15. ବୋଦ୍ଧିଦୀପ୍ତ ପ୍ରୋଢ
16. ଅଧ୍ୟୟନ ଓ ଅଧ୍ୟବସାୟ
17. ସାହିତ୍ୟ ସାଧକଙ୍କ ସାହିତ୍ୟ ସାଧନା
18. ସାହିତ୍ୟର ବିଭିନ୍ନ ବିଭାଗ ଓ ବିଭବ
19. ସାହିତ୍ୟରେ ଧର୍ମଧାରା ଓ ଦର୍ଶନ
20. କିଏ କ’ଣ କହନ୍ତି – ଶୁଣିବା ତାଙ୍କୁ
21. ଅନ୍ତିମ ଚରଣ

ଉପକ୍ରମଣିକା:ପଣ୍ଡିତ ଦୈତାରୀ ମହାପାତ୍ର – ଏକ ବିଶେଷତା
—–by ସତ୍ୟ ପ୍ରକାଶ ସେଠୀ
ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଜୀବନୀ ଚରିତ ଓ ଇତିବୃତ୍ତ ଲେଖିବା ପାଇଁ ପ୍ରଲୁବ୍ଧ ହୋଇଥିଲି ଠିକ୍ ଯେଉଁଦିନ ତାଙ୍କରି ମୁଖରୁ ତାଙ୍କ ଠାରୁ କିଛିଟା ଶୁଣିଥିଲି। ଏମିତି ଅନେକ ମୁଖରୁ ଅନେକ କଥା, ହେଲେ ପ୍ରତ୍ଯେକ୍ଷରୁ ଯାହା.. ।ସବୁଠୁଁ ଭିନ୍ନ୍ କଥା ହେଉଛି ଏତେ ଅଳ୍ପ ବୟସରୁ ଏତେ ଗୁଡ଼ିଏ ସଫଳତା – ତାଙ୍କୁ ଯେକୌଣସି ବ୍ୟକ୍ତି ନିକଟରେ ପ୍ରଶ୍ନବାଚୀ କରି ଛିଡା କରାଉଥାଏ। ମୁଁ ବି ଓଲାଟା ସିଧା କିଛି ପ୍ରଶ୍ନ ପଚାରିବାକୁ ଭୂଲି ନଥାଏ। ମନରେ ସ୍ଵତଃ ପ୍ରଶ୍ନ ଉଠେ – “ସତେ କ’ଣ ଏହି ସାଧାରଣ ବ୍ୟକ୍ତି ଜଣକ ଏତେ ଗୁଡ଼ିଏ ପୁସ୍ତକର ରଚୟିତା ହୋଇ ପାରନ୍ତି? “ତେଣୁ ତାଙ୍କ ଜୀବନୀକୁ ଅନୁକରଣ ଓ ଅନୁଧ୍ୟାନ କରିବାକୁ ଭାରି ଇଛା ହେଲା। ଏଣୁ ନିଠେଇ ନିରେଖି ଦେଖିବା ଆରମ୍ଭ କଲି। ବେଳେବେଳେ କିଛିଟା ବିସ୍ମିତ ଓ ଆନନ୍ଦିତ ମଧ୍ୟ ହେଉଥାଏ। ତାଙ୍କ ଜୀବନର ଗୋଟେ ପରେ ଗୋଟେ ରହସ୍ୟ ମୋ ଆଗରେ ଉନ୍ମୋଚିତ ହେବାକୁ ଲାଗିଲା। ତହିଁ ଉତ୍ତାରୁ ଆଗ୍ରହ ହେଲାରୁ ତାଙ୍କ ଜୀବନୀ ଲେଖି ବସିଲି। ଆଗକୁ ବିବାଦ ଅଛି – ଏ କଥା ନିଶ୍ଚିତ। ତଥାପି ତାଙ୍କ ସହ ବିତିଥିବା କେଇଟା ପଲକୁ ସାଇତି ରଖିବାକୁ ଚାହିଁଲି। ଦେଖାଯାଉ ଭବିଷ୍ୟତ କହିବ-” କି ଅଛି ଭବିତବ୍ଯେ” ।
ସହସ୍ରାଧିକ ଗ୍ରନ୍ଥାକାର ଭାବେ ସେ ଯେତିକି ପ୍ରଶଂସିତ ନୁହଁନ୍ତି ତା ‘ଠାରୁ ବେଶୀ ଜଣେ ପ୍ରଗଲ୍ଭ ବକ୍ତା ଓ ଧ୍ବନୀକାର ଭାବରେ ସେ ବେଶ୍ ପରିଚିତ। ସେ ପରିଚିତ ଜଣେ ଭାଷ୍ୟକାର ତଥା ହେତୁବାଦୀ ଦାର୍ଶନିକ ସୁଲଭ ମନନଶୀଳତା ପାଇଁ। ହେତୁ ଉପଦେଶ, ନିତୀ କଥା ଓ ପାଣ୍ଡିତ୍ୟ ପୂର୍ଣ୍ଣ ଚିନ୍ତାଧାରାର ସେ ପ୍ରବକ୍ତା। ଧର୍ମ ଦର୍ଶନ, ପୁରାଣ ଶାସ୍ତ୍ର ଓ ସଂସ୍କୃତ ସାହିତ୍ୟରେ ମଧ୍ଯ ପ୍ରଗାଢ ଜ୍ଞାନ ରଖିଥାନ୍ତି – ପଣ୍ଡିତ ଦୈତାରୀ ମହାପାତ୍ର ।ସହସ୍ରାଧିକ ପୁସ୍ତକ ରଚନା କରିବା ଯେକୌଣସି ଲୋକ ପକ୍ଷେ ଅସମ୍ଭବ ନୂହେଁ, ବାସ୍ତବିକ ଅପରିକଳ୍ପନୀୟ ।ତଥାପି ନିରବଚ୍ଛିନ୍ନ ଭାବେ ସେ ଲେଖି ଚାଲନ୍ତି ଓ ଓଡ଼ିଆ ସାହିତ୍ୟ ଅକାଶରେ ଏକ ତେଜସ୍କର ଜ୍ୟୋତି ରୂପେ ଉଦଭାସିତ।
ଏହି ପ୍ରକାର ଏକ ବ୍ୟକ୍ତିତ୍ୱ ପ୍ରତି ଆକୃଷ୍ଟ ହୋଇ ପଡିବା ମୋ ପକ୍ଷେ କିଛିଟା ଅସ୍ୱାଭାବିକ ନୂହେଁ। ତେଣୁ ଅନେକ ଦିନ ହେବ ତାଙ୍କର କର୍ମାଭିମୁଖୀ ଜୀବନଶୈଳୀ ଓ ଜୀବନଚର୍ଯ୍ୟା ଉପରେ ମୁଁ ତିକ୍ଷ୍ଣ ନଜର ରଖି ଆସୁଥିଲି। ସୁବିଧା ସୁଯୋଗ ମିଳିଲେ ଉଭୟଙ୍କ ଭିତରେ ବେଶ୍ କିଛି ଆଳାପ ଆଲୋଚନା ମଧ୍ୟ ଜମୁଥିଲା। ଥରେ ମନକୁ ଭାବନା ଆସିଲା ୟାଙ୍କୁ ଅଧିକ ଭାବେ ସମାଜକୁ ଚିହ୍ନେଇବାର ବୋଧହୁଏ ଆବଶ୍ୟକତା ଅଛି। ତେଣୁ ମୁଁ ସ୍ଥିର କଲି ତାଙ୍କର ଜୀବନୀ କାହାଣୀ ଲେଖିବାକୁ। ତେବେ ମୋ ସାମ୍ନାରେ ସବୁଠାରୁ ଜଟିଳ ଗଣିତ – ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା, ଯେମିତିକି ପୁସ୍ତକର ସଠିକ୍ ପରିଚୟ, ବିଷୟବସ୍ତୁର ଆକାର, ପ୍ରକାର ଓ ପ୍ରକରଣ, ଜୀବନୀ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଇତ୍ୟାଦି ଇତ୍ୟାଦି ଅନେକ କଥା। ତଥାପି ନିଜ ଭିତରେ ନିଜେ ମୁଁ କିଛିଟା ଶକ୍ତି ଓ ସାମର୍ଥ୍ୟ ଯୋଗାଡ଼ କରି ଧୀରେ ଧୀରେ ଆଗକୁ ବଢିଲି। ସଠିକତା ଓ ପ୍ରାମାଣିକତା ଆୟୁଧ କରି ଆଗୁସାର ହେଲି। ଏବେ ଦେଖୁଛି ସମ୍ପୂର୍ଣ୍ଣ ଗ୍ରନ୍ଥ। ଅବଶ୍ୟ ତୀର୍ଯ୍ୟକ କଟାକ୍ଷ ଓ ସମାଲୋଚନାର ଶରବ୍ୟ ହେବାର ଭୟ ବେଳେବେଳେ ମନକୁ ଭାଙ୍ଗି ଦେଉଥାଏ। ହେଲେ ଦୃଢ଼ ମନୋବଳ ଓ ପଣ୍ଡିତଙ୍କ କୃତି ଓ କୃତିତ୍ବକୁ ନେଇ ରଚିତ ଉକ୍ତ ପୁସ୍ତକର ସଫଳତା ନେଇ ମୁଁ ବେଶ୍ ଆଶାବାଦୀ। ତେଣୁ ଏପରି ଏକ ଦୁଃସାହସ କରିଛି। ଆଶା ପୂଜ୍ୟ ପୂଜାର ଆଦର ହେବ।
ଇତି
ଜୀବନୀ ଚରିତକାର

ବ୍ଯକ୍ତିଗତ ତଥ୍ଯ ସବିଶେଷ :

ନାମ – :ଶ୍ରୀଯୁକ୍ତ ଦୈତାରୀ ମହାପାତ୍ର
ଡାକ ନାଁ – :ବାବୁ
ଶ୍ରଦ୍ଧା ନାମ :ପଣ୍ଡିତ
ପ୍ରଶିଦ୍ଧି ନାମ :ଶିବ ବାବା
ମାତାଙ୍କ ନାମ :ସ୍ୱର୍ଗତଃ ଶାନ୍ତିଲତା ମହାପାତ୍ର
ପିତାଙ୍କ ନାମ :ସ୍ୱର୍ଗତଃ ଭୈରବଚନ୍ଦ୍ର ମହାପାତ୍ର
ପ୍ରପିତାମହଙ୍କ ନାମ:ମୋହନ ମହାପାତ୍ର
ପରମ ପିତା /ଆରାଧ୍ଯ ଦେବତା :ଓମ୍ ନମଃ ଶିବାୟ
ଜନ୍ମ୍ ତାରିଖ :18/01/1973
ଲିଙ୍ଗ :ପୁରୁଷ
ସ୍ଥାୟୀ ଠିକଣା – :ସା /ପୋ – ବ୍ରାହ୍ମଣୀ ଗାଁ ଶାସନ, ଜି-ଭଦ୍ରକ

ଥାନା /ତହସିଲ୍ /ଉପଖଣ୍ଡ – ବାସୁଦେବପୁର

ରାଜ୍ୟ – ଓଡ଼ିଶା, ଦେଶ – ଭାରତ,

ପିନ୍ କୋଡ୍ – 756165

ବର୍ତ୍ତମାନର (ଯୋଗା ଯୋଗ ଠିକଣା – ପାଟଣା ସାହି
ପୋ-/ଜିଲ୍ଲା – ଭଦ୍ରକ
ଥାନା :ପୁରୁଣା ବଜାର
ପିନ୍ କୋଡ଼ – 756100
Email- shivbaba.mahapatra@gmail.com
ଭାଷା – ଓଡ଼ିଆ
ପଢା/ ଲେଖା /କହିବା ଭାଷା – ଓଡ଼ିଆ /ଇଂରାଜୀ /ହିନ୍ଦୀ/ସଂସ୍କୃତ /ବଙ୍ଗଳା
ଜାତି ଓ ଜାତୀୟତା – ମାନବ ଜାତି ଓ ଭାରତୀୟତା
ବୈବାହିକ ଜୀବନ – :ବିବାହିତ – ଶ୍ରୀମତୀ ଅସୀମା ପାଣିଗ୍ରାହୀଙ୍କ ସହ ତା28 /06/2012 ରିଖରେ
ଧର୍ମ – ହିନ୍ଦୁତ୍ୱ
ପେଶା (proff) – ସରକାରୀ ଚାକିରୀ /ସମାଜ ସେବା /
ସାହିତ୍ୟ ସାଧନା /ବକ୍ତା/ପ୍ରବଚକ
ବର୍ତ୍ତମାନର କାର୍ଯ୍ୟ – ଶିକ୍ଷା ଅଧିକାର ଅଧିକାରୀ, ସଂକୃତି ସଂଯୋଜକ , ସୁବର୍ଣ୍ଣପୁର ଓ ଭଦ୍ରକ
ସମ୍ମାନ :
ସାଂଗଠନିକ ଦକ୍ଷତା :
ସାମାଜିକ ସଂଗଠନ ସହ ସମ୍ପୃକ୍ତି :

ସୃଷ୍ଟି ସମ୍ଭାର ଓ କୃତୀ:

ମୁଖ୍ୟ ସମ୍ପାଦକ :

ଆଦର୍ଶ ଓ ଅନୁକରଣୀୟ :

ବ୍ୟକ୍ତି ଚରିତ୍ର ଗଠନ- :ବାପା ଓ ମା

ଜୀବନାଦର୍ଶ – :ମାଆ

ଦର୍ଶନ ଶାସ୍ତ୍ର – :ପ୍ଲାଟୋ, ଆରିଷ୍ଟୋଟଲ ସ୍ଵାମୀ ବିବେକନନ୍ଦ, ମହାତ୍ମା ଗାନ୍ଧୀ

କବିତା-:ଗଙ୍ଗାଧର ମେହର, ମଧୁସୂଦନ ରାୟ, ଭୀମ ଭୋଇ, ଗୋପବନ୍ଧୁ ଦାସ
ଧର୍ମ :ଜଗତ ଗୁରୁ ଶଙ୍କରାଚାର୍ଯ୍ୟ
ଶିଶୁ ସାହିତ୍ୟ :ନନ୍ଦ କିଶୋର ବଳ,
କୁନ୍ତଳା କୁମାରୀ ସାବତ, ବିଦ୍ୟୁତ୍ ପ୍ରଭା ଦେବୀ, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଲୋକ ସାହିତ୍ୟ :ଜଗନ୍ନାଥ ପାଣି, ସନ୍ଥ ଚନ୍ଦ୍ରମଣି ଦାସ

ଗଳ୍ପ – :ଫକୀର ମୋହନ ସେନାପତି

ନାଟ୍ୟକାର – ଜଗନ ମୋହନ ଲାଲା

ପ୍ରବନ୍ଧ –ବିଚ୍ଛନ୍ଦଚରଣ ପଟ୍ଟନାୟକ, ଭଗବତ ଚରଣ ପାଣିଗ୍ରାହୀ
ଗବେଷଣାତ୍ମକ ନିବନ୍ଧ :ପଠାଣି ପଟ୍ଟନାୟକ, ଦୋଳ ଗୋବିନ୍ଦ ଶାସ୍ତ୍ରୀ, ଗୌରୀ କୁମାର ବ୍ରହ୍ମା

ବକ୍ତବ୍ୟ – :ସ୍ଵର୍ଗତାଃ ଇନ୍ଦିରା ଗାନ୍ଧୀ , ସ୍ଵର୍ଗତଃ ଅଟଳ ବିହାରୀ ବାଜପେୟୀ ଓ ବରିଷ୍ଠ ସମ୍ବାଦିକ ଅରୁଣ କୁମାର ପଣ୍ଡା

ସଂକ୍ଷେପରେ ପଣ୍ଡିତ ମହାପାତ୍ର – ମଲା ପୁଅ ବଞ୍ଚିଲା 

ବାସୁଦେବପୁରର ବ୍ରାହ୍ମଣୀ ଗାଁରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ଏକ ବ୍ରାହ୍ମ ମୁହୁର୍ତ୍ତରେ ପିତା ଭୈରବ ଚନ୍ଦ୍ରଙ୍କ ଔରସରୁ ମାଆ ଶାନ୍ତିଲତାଙ୍କ କ୍ରୋଡ଼ ମଣ୍ଡନ କରି ପରିବାରରେ ପଞ୍ଚମ ସନ୍ତାନ ରୂପେ ଜନ୍ମ ଗ୍ରହଣ କରନ୍ତି ବିସ୍ମୟ ବାଳକ ଶିବ ବାବା। ଯାହାଙ୍କର ଜାତକ ନାମ ଜଗବନ୍ଧୁ ଓ ସାର୍ଟିଫିକେଟ୍ ନାମ ଦୈତାରୀ। ପୁଣି ଶ୍ରଦ୍ଧାରେ ମାଆ ଡାକୁଥିଲେ ବାବୁ। ସେଇଠି ଥା’ନ୍ତି ଆହୁରି ତାଙ୍କର ତିନୋଟି ଭାଇ ଓ ଦୁଇଟି ଭଉଣୀ। କିନ୍ତୁ ଶିବ ବାବା ଉପରେ ନଜରଟା ସମସ୍ତଙ୍କର ଟିକିଏ ଅଧିକା। ତାଙ୍କର ଆର୍ଥିକ ଅବସ୍ଥାଟା ସମ୍ପର୍କରେ ନକହିଲେ ଭଲ। ନିହାତି ଗରୀବ ଲୋକ, ମାନେ ଓଳିଏ ଖାଇଲେ ଦୁଇ ଓଳି ଉପବାସ। ପିଲାଟିର ଜନ୍ମ୍ ଜାତକ ଲେଖୁ ଲେଖୁ ସେଦିନ ଜ୍ୟୋତିଷ ମହାଶୟ ବିସ୍ମୟ ପ୍ରକାଶ କରି କହି ପକାଇ ଥିଲେ – “ଇଏ ଜଣେ ମହାତ୍ମା। ବିଶ୍ଵ ଦରବାରରେ ସ୍ଵୀୟ କୃତି ବଳରେ ଅମର ସ୍ୱୀକୃତି ପାଇବାକୁ ହକ୍ଦାର। ସମଗ୍ର ବିଶ୍ୱରେ ଦିନେ ପ୍ରସିଦ୍ଧି ଲାଭ କରିବ ଓ ବିଶ୍ଵର ସନ୍ତାନ ରୂପେ ଯଶ କୀର୍ତ୍ତି ଓ ଗୌରବ ଅର୍ଜ୍ଜିବ। ମାଆ ମନ ବଡ ବଡ଼ କଥା ଶୁଣି ଶଙ୍କି ଯାଉଥିଲା। ମନେ ମନେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ -” ହେ ଶିବାନନ୍ଦ! ମୋ ଶିଶୁ ସନ୍ତାନ ତୁମକୁ ଲାଗିଲା”।

ପିଲାଟିର ମୁହଁରେ ନିଆରା ହସ ଓ ଭାବ ଭଙ୍ଗି ଦେଖି ପରିବାରର ଲୋକ ଖୁସିରେ ନାଚି ଯାଉଥିଲେ। ହେଲେ ଭଗବାନଙ୍କ ରାଜ୍ୟରେ ସବୁ ଓଲଟା ହୁଏ – ଏକଥା ଜଣା। ଖୁସିର ମୁହୂର୍ତ୍ତ ଗୁଡା ବେଶୀ କ୍ଷଣ ତିଷ୍ଟି ରହିପାରେ ନାହିଁ। ହଠାତ୍ କ’ଣ ହେଲା କେଜାଣି ପିଲାଟା ମଟକା ମାରି ନେଲା, ଯେତେବେଳେ କି ତାକୁ ମାତ୍ର୍ ସାତ ମାସ। ଆଉ ଗୋଡ଼ ହାତ କିଛି ହଲାଇଲା ନାହିଁ। ଯେତେ ଝଡ଼ା ଫୁଙ୍କା କଲେ ସବୁ ନିଷ୍ଫଳ ହେଲା। ସମସ୍ତେ କହିଲେ-” ପିଲାଟି ଆଉ ନାହିଁ। ଆତ୍ମାରୁ ପ୍ରାଣ ବାୟୁ ଉଡ଼ିଯାଇଛି” ।
ଏ କଥା ଶୁଣି ମାଆ ମନ ବା କେମିତି ସହଜେ ବୁଝନ୍ତା? ସେ ଖାଲି କୋଡ଼ି ଛେଚି ହୋଇ କାନ୍ଦୁଥାଏ। ଘଣ୍ଟାକୁ ଘଣ୍ଟା ବେହୋସ୍ ହୋଇ ମୂର୍ଚ୍ଛା ଯାଉଥାଏ। ନାହିଁ ଶୁଣିଲାଠୁଁ ବେଶ୍ ସମସ୍ତଙ୍କର କାନ୍ଦ ବୋବାଳି ପଡ଼ିଯାଇଥାଏ। ସାହି ପଡ଼ିଶା କେଇ ଜଣ ଆସି ପିଲାଟିକୁ କୋଳରୁ ଛଡାଇ ନେଇ ବାଘପଦା ମଶାଣି ପଦର ମଶାଣି ଭୂଇଁରେ ଉତ୍ତର ଆଡକୁ ମୁହଁ କରି ଯାମୁ ଗଛ ମୂଳେ ଗାତ ଖୋଳି ଶୁଆଇ ଦେଲେ। ସମସ୍ତେ ଚୁପ। ଏକ ସନ୍ନଟା ଛାଇ ଗଲା। ମାଆ କିନ୍ତୁ କହୁଥାଏ – “ମୋ ପୁଅ ମରି ନାହିଁ। ବଞ୍ଚିଛି। ସେ ଈଶ୍ୱରଙ୍କ ସନ୍ତାନ। ସେ କେବେ ମରି ପାରେନା। ମୋତେ ନେଇ ଚାଲ ତା ପାଖକୁ ମୁଁ ଥରେ ଦେଖିବି”। ତା’ର ବାୟାଣୀ ଓ ପାଗଳପଣ ଦେଖି ବାଧ୍ୟ ହୋଇ ସାହି ପଡ଼ିଶା ମେଳରେ ରାତି ଅଧରେ ମଶାଣି ଭୂଇଁକୁ ତାକୁ ନେଇଗଲେ। ଗଲା ବେଳକୁ କୁକୁର ଶିଆଳ କିଏ ବୋଧେ ଖୋଳି ପକାଇଛି, ଗାତରୁ ମାଟିଟା କିଛି ହଟି ଯାଇଛି, ପିଲାଟି କଇଁ କଇଁ ହୋଇ କାନ୍ଦୁଛି। ମାଆ ଦୌଡ଼ି ଯାଇ ଆବେଗରେ ପିଲାଟାକୁ କୋଳକୁ ଟାଣି ଆଣିଲା। କ୍ଷୀର ଦେଇ ବୋଧ କଲାଠୁଁ ତୁନି ହେଲା। ସମସ୍ତଙ୍କ ମୁହଁରେ ଆଶ୍ଚର୍ଯ୍ୟର ବାଣୀ – ଏ କି ବିଚିତ୍ର ହେଲା, ମଲା ପୁଅ କି ଜୀବନ ପାଇଲା”? ଯାହା ବି ହେଉ ଏ ସବୁ ଦଇବର ଖେଳ। ନୋହିଲେ କି ମଲା ଗାତରୁ ସେଦିନ ସେ ଛୁଆ ଉଦ୍ଧୁରି କି ଆସିଥାନ୍ତା? ସତରେ ମାଆର ମମତା – ଅପାର ତା’ର ବଳ। ଯମ ବି ଶେଷରେ ହାର ମାନିଲା।

ପିଲାଟିକୁ ମାତ୍ର୍ ଅଢେଇ ବର୍ଷ ହୋଇଛି କି ନାହିଁ କହିଲା – ମାଆଲୋ! ଭାଇହରିକେ କାନ୍ଧରେ ବସ୍ତାନି ପକାଇ କୁଆଡେ ଯାଉଛନ୍ତି, ମୋତେ ତୁ ସ୍କୁଲ୍ ପଠାଉନୁ। ପିଲାଟିର ଆଗ୍ରହ ଦେଖି ମାଆ ତାକୁ ଚାଟଶାଳୀ ପଠାଇ ଦେଲେ। ପୁଣି ବରଷେ ଖଣ୍ଡେ ପଢ଼ି ଯାଇଛି କି ନାହିଁ ମାଆକୁ କହିଲା – “ସମସ୍ତେ ତ ସ୍କୁଲ୍ ଯାଉଛନ୍ତି, ମୋତେ ତୁ ଚାଟଶାଳୀ ଅବଧାନେ ପାଖକୁ କାହିଁକି ପଠାଉଛୁ “।
ମାଆ କହିଲେ _”ସବୁ ଏକା କଥା। ତୁ ବଡ଼ ହୋଇଗଲେ ପୁଣି ବଡ଼ ସ୍କୁଲ୍ ଯିବୁ।ଏହି ସ୍କୁଲ୍ କୁ ପୂର୍ବେ ଚାଟଶାଳୀ କହନ୍ତି”।

ପିଲାଟି ପୁଣି ପଚାରିଲା -“ଚାଟଶାଳୀ ପୂର୍ବରୁ ଏହାକୁ କ’ଣ କହଁନ୍ତି”?
ମାଆ କହିଲେ -” ଚାଟଶାଳୀ ପୂର୍ବରୁ ଏହାକୁ ଆଶ୍ରମ ଓ ଆଶ୍ରମ ପୂର୍ବରୁ ଏହାକୁ ଗୁରୁକୁଳ ଆଶ୍ରମ କହୁଥିଲେ “।
ପିଲାଟି ଆହୁରି ଜିଜ୍ଞାସୁ ହୋଇଉଠିଲା। ପୁଣି ପ୍ରଶ୍ନ ବାଢିଲା -” ପ୍ରଥମ ଗୁରୁକୁଳ ଆଶ୍ରମ କୋଉଟା? ପ୍ରଥମ ଗୁରୁ କିଏ?? ପ୍ରଥମ ଗୁରୁଙ୍କର ପ୍ରଥମ ଶିଷ୍ୟ କିଏ” ???
ମାଆ କହିଲେ ତୋର ଏତେ ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇ ପାରିବି ନାହିଁ, କେବଳ ଏ ସବୁ ମହାଦେବ ତୋତେ କହି ପାରିବେ। ପୁଣି ପିଲାଟି କହିଲା -” ମହାଦେବଙ୍କୁ କେଉଁଠି ପାଇବି”? ମାଆ କହିଲେ – “ତୁ ଓମ୍ ନମଃ ଶିବାୟ ଡାକ, ସେ ଦିନେ ନିଶ୍ଚେ ତୋତେ ଦେଖା ଦେଇ ତୋର ସମସ୍ତ ପ୍ରଶ୍ନର ସମାଧାନ କରି ଦେବେ “। ସେଦିନ ଗୁରୁ ଓ ଗୁରୁ ମନ୍ତ୍ର ଦୁଇଟାଯାକ ବୋଧହୁଏ ମିଳିଯାଇଥିଲା ଶିବ ବାବାଙ୍କୁ।
ଅତିଶୟ ଦୁଃଖ ଓ ଦାରିଦ୍ର୍ୟରେ ମ୍ରିୟମାଣ ହୋଇପଡିଥିବା ପରିବାରରେ ଶିକ୍ଷା ପ୍ରତି ଏତେଟା ଧ୍ୟାନ କାହିଁକି ବା କିଏ କୁଆଡୁ ଦେଇ ପାରିଥାନ୍ତେ? ବଡ଼ ପିଲାମାନେ କାମଚଳା ଦୁଇ ଅକ୍ଷର ପଢି ଏବେ ମୂଲ ଲାଗି ହେଲେଣି। ବାପା ସାନ ପିଲାଟିକୁ ଧରି ଘର କାମତକ ତୁଲାଇ ନିଅନ୍ତି। ସାଲମା, ତେନ୍ତୁଳି ପାଣି ଖଟା ନୋହିଲେ ବାଡ଼ି କାନଶିରି ଶାଗରେ ପଖାଳ ପାଣି ଗଣ୍ଡେ ଖାଇ ସମସ୍ତେ ଚଳିଯାଉଥାନ୍ତି। ଓଳିଏ ଖାଇଲେ କେତେବେଳେ ଦୁଇ ଓଳା ଉପବାସ। ଏହି ତ ଗରୀବ ବାପୁଡାର ଜୀବନ ବିନ୍ୟାସ। ତଥାପି ଏତେ ସବୁ ସତ୍ତ୍ୱେ ନିଜର ଗଭୀର ଆତ୍ମବିଶ୍ଵାସ, ଧୀଶକ୍ତି ଓ ପଠନ ପିପାସା ଶିବ ବାବାଙ୍କୁ ରୋକି ପାରିନଥିଲା ମାଟ୍ରିକ ଯାଏଁ ପଢିବାକୁ।

ସେଦିନ ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ, ଘରକୁ ଜଣେ ତାମ୍ବ୍ର ବର୍ଣ୍ଣଧାରୀ ବାବାଜୀ ଆସିଥିଲେ। ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ ଓ ଉଦାର ଚରିତ୍ର ପରି ପ୍ରତିଭାତ ହେଉଥାନ୍ତି। ପିଲାଟିର ମୁହଁକୁ ଚାହିଁ ଦେଇ ମାଆଙ୍କୁ କହିଥିଲେ – “ଏ ପିଲା ବିଶ୍ୱର ଧର୍ମ ଜାଜକ ପାଲଟିବ। ଆପଣା ଅଲୌକିକ ପଣିଆ ଓ ବିଦ୍ୱାନ ବ୍ୟକ୍ତିତ୍ୱ ପାଇଁ ସାରା ବିଶ୍ୱରେ ଦିନେ ପରିଚିତ ହେବ” । ଏତିକି କହି ବାବାଜୀ କେଉଁଆଡ଼େ ଚାଲି ଯାଇଥିଲେ ତାଙ୍କର ସନ୍ଧାନ କାହିଁ ଏ ଯାଏଁ ଆଉ କେହି ପାଇନାହିଁ।
ଯାହା ବି ହେଉ କଷ୍ଟେମଷ୍ଟେ ପିଲାଟି ବି. ଏ. ଖଣ୍ଡକ ସ୍ଥାନୀୟ ବାସୁଦେବପୁର କଲେଜରୁ ପଢି କୃତିତ୍ଵର ସହ ପାସ କରିଗଲା। ଜଣେ ବଦାନ୍ୟ ବ୍ୟକ୍ତି ପିଲାଟିର ଜ୍ଞାନ ଗାରିମାରେ ପ୍ରୀତ ହୋଇ ଥରେ ଶହେଟି ଦୁଇ ଟଙ୍କିଆ କଏନ୍ ଥଳୀଟିଏ ହାତକୁ ବଢ଼ାଇ ଦେଇଥିଲେ, ସେହି ସେତିକିରେ କୌଣସି ପ୍ରକାର ପଢ଼ା ଖର୍ଚ୍ଚଟି ଉଠି ଗଲା। ଏବେ ‘କ’ଣ କରିବେ କ’ ଣ କରିବେ’ ବୋଲି ମନ ବଡ଼ ଘୂରି ସାରି ହେଉଥାଏ। କିଛି ଗୋଟେ ବୁଦ୍ଧି ବାଟ ମୁଣ୍ଡକୁ ଯୁଟୁ ନଥାଏ। ବାପା ଚାହୁଁଥାନ୍ତି ସୁଦୂର କଲିକତାର ବଙ୍ଗାଳୀ ବାଡ଼ିରେ ପୂଜାପୂଜି କରି ଦି’ ପଇସା ରୋଜଗାର କରିବାକୁ କୁଆଡୁ କାହା ସହ କଥା ହୋଇସାରିଛନ୍ତି । ପିଲାଟିି କିନ୍ତୁ ଚାହୁଁ ଥାଏ ଆହୁରି ପଢିବ। ମାଆଙ୍କ ସାମ୍ନାରେ ବିଚାରଧାରା ବ୍ୟକ୍ତ କରିବାରୁ ମାଆ କ୍ଷୀର, ଦହି ଓ ଘସି ବିକି ରଖିଥିବା ଜୀବନ ତମାମର ସମ୍ବଳ ପିଲାଟି ହାତକୁ ବଢ଼ାଇ ଦେଲେ। କହିଲେ – “ପୁଅରେ! ଏଇ ନେ, ଏଇଥିରେ ତୋର ଯାହା ଇଛା ସେୟା କର, ହେଲେ ଗୋଟିଏ କଥା ମନେ ରଖିଥିବୁ – ମନ ଯାହା କହିବ ଥରେ ବିବେକକୁ ମାତ୍ର୍ ପଚାରି ବୁଝିବୁ, ତେଣିକି ତୋ ଭାଗ୍ୟରେ ଯାହା ଅଛି ସେୟା ହିଁ ହେବ”। ସେଦିନ ସେହି ଷାଠିଏ ପଇସାର ପୁଞ୍ଜି ଧରି ସେ ଭଦ୍ରକ ଷ୍ଟେସନ ଅଭିମୁଖେ ଯାତ୍ରା କଲା। ମନରେ ଅହେତୁକ କୌତୁହଳ ନୂଆ କରି ଭଦ୍ରକ ସହର ଓ ଷ୍ଟେସନ ଦେଖିବ। ଏହି ସମୟରେ ଟ୍ରେନ୍ଟିଏ ଷ୍ଟେସନରେ ପହଂଚିବାରୁ ରେଲିଂ ଧରି ସିଧା ଭିତରକୁ ଉଠିଗଲା। ନୂଆ ଲୋକବାକ ଦେଖି ଆକାବାକା ହୋଇଯାଉଥାଏ। କୁଆଡେ ଯିବ କ’ଣ କରିବ ବୋଲି ମନରେ କୌଣସି  ସ୍ଥିରତା ଆସୁ ନଥାଏ,  କୌଣସି   ନିର୍ଦ୍ଧିଷ୍ଟ  ଲକ୍ଷ୍ୟ ବି ନଥାଏ। ବର୍ଣ୍ଣବୋଧରେ ପଢ଼ିଥିବା’ କଟକ ସହର ଧବଳ ଟଗର’ ମନେ ପଡିଯିବାରୁ ସେହି ଆକର୍ଷଣରେ କଟକ ଲେଖା ଯାଇଥିବା ସହରରେ ସେ ଓହ୍ଲାଇ ପଡ଼ିଲା। ସେହି ପ୍ଳାଟ ଫର୍ମରେ ଏଗାର ଦିନ ବିତିଗଲା। ଗାଧୁଆ ପାଧୁଆ ନାହିଁ କି ବଳକା ଲୁଗା ଖଣ୍ଡେ ନାହିଁ ବଦଳେଇବାକୁ। ପ୍ରତ୍ୟେହ ପାଞ୍ଚ ପଇସାରେ ମଟର କିଣେ, ସେଥିରୁ ସକାଳେ ଅଧା ଓ ରାତିରେ ଅଧା ଖାଇ ପାଣି ପିଇଦିଏ। ଏଇମିତି ପଞ୍ଚାବନ ପଇସା ଶେଷ। ଆଉ ବଳକା ପାଞ୍ଚ ପଇସା ଆଜି ବି ଲଟକିଛି ବେକରେ ମାଳା ହୋଇ।

ଏହା ଭିତରେ ଦୀର୍ଘ ଏଗାର ଦିନ ଅତିକ୍ରାନ୍ତ୍ ଉତ୍ତାରୁ ମ୍ବାଇରୁ ଟ୍ରେନ୍ ଯୋଗେ ଫେରୁଥିଲେ ଦୟାର୍ଦ୍ର ଚିତ୍ତ ରାମ ଚନ୍ଦ୍ର ପଣ୍ଡା ମହୋଦୟ। ଘଟଣାକ୍ରମେ ପିଲାଟି ପାଖ ଦେଇ ଅତିକ୍ରମ କରି ଯାଉଁ ଯାଉଁ ଅଟକିଗଲେ କ୍ଷଣେ। ପଚାରିଲେ – “ଖାଇଛୁ” ?
– ନାଁ
-“ଖାଇବୁ” ?
-ହଁ
ଆଉ ବିଶେଷ କିଛି ପଚାରି ନାହାଁନ୍ତି। ସିଧା ପିଲାଟିକୁ ସାଥିରେ ଧରି ନେଇ ଆସିଲେ ଘରକୁ। ସାବୁନ୍ ଦେଲେ, କହିଲେ – “ଘସି ଘାସି ହୋଇ ଗାଧୋଇ ପଡ଼”। ତାପରେ ପେଟପୂରା ଖାଦ୍ୟ ଓ କିଛିଟା ଆଳାପ ଆଲୋଚନା। ସେଇଠୁ ଆରମ୍ଭ ହେଲା ଜୀବନର ଏକ ନୂଆ ମୋଡ। ଟିଉସନ୍ ହେଲା ଜୀବନର ପେଶା। ରହଣି ଜାଗା ରାମ ଚନ୍ଦ୍ର ପଣ୍ଡା ଘର। ନିଜ ଅଧ୍ୟୟନ ଓ ଅଧ୍ୟବସାୟ ଜୀବନରେ ସାଧନା କିନ୍ତୁ ଅହରହ ଚାଲିଥାଏ। ଗୋଟେ ପଟେ ସାହିତ୍ୟର ସାଧନା ଓ ଅନ୍ୟପଟେ ଗୋଟେ ପରେ ଗୋଟେ ବିଷୟରେ ପରୀକ୍ଷା ଦେଇ ସାତଟି ବିଷୟରେ ଏମ୍. ଏ ପାଶ୍।ତହୁଁ  ରାଜଧାନୀ କଲେଜରେ ମିଳିଗଲା ଚାକିରୀଟାଏ – ସେଇ ବିରଳ ପ୍ରତିଭାଙ୍କୁ। ପୁଣି ସେଦିନ ଏମିତି କ’ଣ ହେଲା କେଜାଣି, ସରକାରୀ ଚାକିରୀର ମୋହ ଛାଡ଼ି ଶିବ ବାବା ଚାଲିଲେ ହିମାଳୟ ପାଦଦେଶ। ଯେଉଁଠି ସେ ଘୋର ତପସ୍ୟାରେ ଜୀବନରେ ମୂଲ୍ୟବାନ୍ ଅଢେଇଟି ବର୍ଷ ସାଧନାରେ କାଟି ଦେଲେ। ସେଇଠି ପୁଣି ତାଙ୍କର ଭେଟ ହୁଏ କାଞ୍ଚି କାମ କୋଟିର ଶଙ୍କରାଚାର୍ଯ୍ୟଙ୍କ ସହ।ଯାହାଙ୍କ ସାହଚର୍ଯ୍ୟ ପାଇ ସେ ମାତିଗଲେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ – ବେଶ୍ କିଛି ଦିନ। ତହିଁ ଉତ୍ତାରୁ ଫେରି ଆସିଲେ ପୁଣି କଟକ ସହର ସେଇ ପୁରୁଣା କର୍ମ ଭୂମିକୁ ଯେଉଁଠୁ ସେ ବାସ୍ତବ ଜୀବନ ଆରମ୍ଭି ଥିଲେ।ପରିଶେଷରେ ପିତାମାତାଙ୍କର ଦେହାନ୍ତ ଖବର ଶୁଣି ଦୁଃଖ ଓ ପରିତାପରେ ଭାଙ୍ଗି ପଡିଥିଲା ମନ।

ତେଣୁ ଏବେ ଭଦ୍ରକରେ ସେ ଅବସ୍ଥାପିତ,ଯାହାକି ପାଲଟିଛି ତାଙ୍କ ସାଧନାର ପୀଠସ୍ଥଳୀ। ଯେଉଁଠି ସେ ରଚନା କରିଚାଲିଛନ୍ତି ଗୋଟେ ପରେ ଗୋଟେ କାହିଁ କେତେ ସାହିତ୍ୟିକ କୃତି। ଏବେ ସୁଦ୍ଧା 1566 ଖଣ୍ଡ ବହି ପ୍ରକାଶିତ ହୋଇ ସାରିଲାଣି। ଆହୁରି ଅନେକ କୃତି ପ୍ରକାଶନୀ ଅପେକ୍ଷାରେ। ଧର୍ମ, ଦର୍ଶନ, ପୁରାଣ, ପ୍ରକୃତି, ଶିଶୁ ସାହିତ୍ୟ, ନୀତି ଓ ହେତୁ ଉପଦେଶ, ଜୀବନୀ, ସାମାଜିକ ସଂସ୍କାର ପାଖରୁ ଆରମ୍ଭ କରି ପ୍ରାୟତଃ  ସାହିତ୍ୟର ସବୁ ବିଭାବ ଓ ବିଭାଗରେ ଅଶୀ ଚାଳନା କରି ସେ ଏକ ବିରଳ କୃତିତ୍ଵରେ ମହିମା ମଣ୍ଡିତ।ଏହି ଅନନ୍ୟ ପ୍ରତିଭାଧର ବ୍ୟକ୍ତିତ୍ୱ ନିକଟରେ ଆଧ୍ୟାତ୍ମିକତା, ତ୍ୟାଗ, ବିଦ୍ ବତ୍ତା ଓ ସେବା ମନୋବୃତ୍ତିର ଅପୂର୍ବ ସମନ୍ଵୟ ଘଟିଛି। ସେ ଏକାଧାରରେ ଜଣେ ସଂସ୍କୃତିପ୍ରାଣ, ଗବେଷକ, କବି, ଗାଳ୍ପିକ, ଲେଖକ, ନାଟ୍ୟକାର, ପ୍ରାବନ୍ଧିକ, ପ୍ରବକ୍ତା, ସମ୍ବାଦିକ, ଏବଂ ଯୋଗ ତଥା ଜ୍ୟୋତିଷ ବିଶାରଦ।ସାହିତ୍ୟର ବହୁବିଧ ଦିଗକୁ ପୁଷ୍କଳ କରିଛି ଆଜି ତାଙ୍କର କୃତି ରାଜି।

ହେଲେ ମନରେ ପ୍ରଶ୍ନ ଉଠେ ଏହା କି ସମ୍ଭବ?

ଉତ୍କଳ ମାତାର ଯଶସ୍ଵୀ ସନ୍ତାନ
——————————————
ଆଧ୍ୟତ୍ମିକ ସାହିତ୍ୟ ଜଗତରେ ନିଜର ସରସ୍ଵତ ସମ୍ଭାରରେ ସେ କେବଳ ପରିଚିତ ନୁହଁନ୍ତି, ବରଂ ଶିବ ଭକ୍ତ ରୂପେ ସେ ସମଗ୍ର ରାଜ୍ଯ ଓ ରାଜ୍ଯ ବାହାରେ ସୁପରିଚିତ। ଏହି ମହାନ ସରସ୍ୱତ ସାଧକଙ୍କୁ ସମସ୍ତେ ଶିବ ବାବା ଜାଣନ୍ତି ଆଉ ସମ୍ବୋଧନ କରନ୍ତି। ଦେବାଧିଦେବ ମହାଦେବଙ୍କର ଆବାଲ୍ୟ ଉପାସକ ଏହି ସମର୍ପିତ ବ୍ୟକ୍ତି ଜଣକର ଜନ୍ମ୍ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଲକ ଅଧିନସ୍ଥ ବ୍ରାହ୍ମଣ ଗାଁ ଗ୍ରାମରେ ଏକ ଶିବ ସେବା ପରାୟଣ ପରିବାରରେ ଜନ୍ମିତ ଏହି ବ୍ୟକ୍ତିଙ୍କ ପିତା ଭୈରବାନନ୍ଦ ମହାପାତ୍ର ଓ ମାତାଙ୍କ ନାମ ଶାନ୍ତିଲତା ମହାପାତ୍ର। ଗ୍ରାମର ଇଷ୍ଟ ପାତାଳ ଲିଙ୍ଗୀ ମହାଦେବ ଶ୍ରୀ ଶ୍ରୀ ପ୍ରସନ୍ନ କ୍ଷେମେଶ୍ଵରଙ୍କର ଆଶ୍ରିତ ଏହି ପରିବାର। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପ୍ରାୟ ସାଢେ ତିନି ବର୍ଷ ବୟସରୁ ମାଆଙ୍କ ଠାରୁ ‘ଓମ୍ ନମଃ ଶିବାୟ ‘ମନ୍ତ୍ର ପାଇ ସେ a ଅନର୍ଗଳ ଶିବଙ୍କ କଥା ଭାଗବତ ପଦ ପରି ସ୍ୱତଃ କହି ଚାଲିଲେ ଓ ଲେଖିଲେ। ଯାହାକି ପରବର୍ତ୍ତୀ ସମୟରେ ଶୈବ ରସାମୃତ ନାମରେ 15 ଖଣ୍ଡ ଗ୍ରନ୍ଥରେ ପରିଣତ ହୋଇ ଏକ ମହାକାବ୍ୟ ରୂପକ କଳ୍ପଦ୍ରୁମରେ ବିକଶିତ ହେଲା। ଏହି ଶିବ ବାବାଙ୍କର ଜନ୍ମ 1973 ମସିହା ପବିତ୍ର ଗଣେଶ ଚତୁର୍ଥୀ ତିଥିରେ ବ୍ରାହ୍ମ ମୁହୂର୍ତ୍ତରେ। ସେ ପରମ ପିତୃ ମାତୃ ଭକ୍ତ ଓ ଗଭୀର ଭାବେ ଶିବଙ୍କ ପ୍ରତି ସମର୍ପିତ। ସେ ଏକାଧାରରେ ଜଣେ ପ୍ରବଚକ, ସୁବକ୍ତା, ସୁଲେଖକ, ଧୀମାନ୍, ପ୍ରତ୍ୟୁତ୍ପନ୍ନ, ପଣ୍ଡିତ, ମତିମାନ୍ ଓ କବି ।ବର୍ତ୍ତମାନ ସୁଦ୍ଧା ସେ ପାଖାପାଖି ପ୍ରାୟତଃ ଦୁଇ ହଜାର ପୁସ୍ତକର ରଚୟତା। ଏବେ ବି ଅନେକ ପୁସ୍ତକ ପ୍ରକାଶନ ଅପେକ୍ଷାରେ। ଉତ୍କଳୀୟ ସଂସ୍କୃତି, ଦର୍ଶନ, ପର୍ବ ପର୍ବାଣୀ ଓ ତାହାର ପୃଷ୍ଠଭୂମି, ନୈତିକତାର ପୁନରୁଦ୍ଧାର, ପିତାମାତାଙ୍କୁ ଦେବତା ଜ୍ଞାନରେ ପରିପୂଜନ ପ୍ରଭୁତି ବିବିଧତାରେ ବର୍ଣ୍ଣିଳ ତାଙ୍କର ପୁସ୍ତକରାଜି।
ଶୈବ ରସାମୃତ ପ୍ରାୟ ପାଞ୍ଚ ହଜାର ପୃଷ୍ଠା ସମ୍ବଳିତ ହୋଇଥିବା ବେଳେ “ଆମ ପର୍ବ ପର୍ବାଣୀ” (ବାର ମାସ ପାଇଁ ବାର ଖଣ୍ଡ) ପ୍ରାୟ ତିନି ହଜାର ପୃଷ୍ଠା ପର୍ଯ୍ୟନ୍ତ ବ୍ୟାପ୍ତ। ଭବିଷ୍ୟତରେ ଏହି ଦୁଇଟି କୃତି ତାଙ୍କୁ ଦିନେ ବିଶେଷ ଗୌରବ ଆଣି ଦେବ ଏହା ନିଃସନ୍ଦେହ। ତାଙ୍କ କୃତ ଜ୍ୟୋତିଷ ଶାସ୍ତ୍ର ପୁସ୍ତକ ଦୁଇ ଖଣ୍ଡ ବେଶ୍ ଜନାଦୃତ। ତାଙ୍କର ମହନୀୟ ତଥା ଅସଂଖ୍ୟ କୃତି ମଧ୍ୟରେ ପିତାମାତା ଆମ ପ୍ରତ୍ୟେକ୍ଷ ଦେବତା,ମହାଯୋଗୀ ଶିବ, ଦ୍ଵାଦଶ ଜ୍ୟୋତିର୍ଲିଙ୍ଗମ୍, ଭକ୍ତ ଓ ଭଗବାନ, ସମ୍ପୂର୍ଣ୍ଣ ଏକାଦଶୀ ମାହାତ୍ମ୍ୟ, ଜ୍ୟୋତିର୍ବିଜ୍ଞାନମ୍-2 ଖଣ୍ଡ, ପ୍ରାଚୀନ ପଞ୍ଚ ସଖା, ପିତା ମାତା ଆମ ପ୍ରତ୍ୟେକ୍ଷ ଦେବତା, ଶ୍ରୀମଦ୍ ଭାଗବତ ଗୀତା(ଭାବାର୍ଥ ସହିତ ଅନୁବାଦ) ଶ୍ରୀମଦ୍ ଭାଗବତ ଗୀତା ନବାକ୍ଷରୀ, ସାଥୀ ପ୍ରବନ୍ଧ ସୁମନ, ବିଭିନ୍ନ୍ ମହା ପୁରୁଷଙ୍କ ଜୀବନୀ, ସାଧାରଣ ଜ୍ଞାନ,ଯୋଗାସନର ବିଧି ବିଧାନ-2 ଖଣ୍ଡ, ବିଭିନ୍ନ ଖେଳର ବିଧି ବିଧାନ, ମୋକ୍ଷ ଧାମ ଗୟା, ଆଦର୍ଶ ବାଳକ – 4 ଖଣ୍ଡ, ଆଦର୍ଶ ବାଳିକା – 4 ଖଣ୍ଡ, ଆମ ଦେଶର ଗୌରବ – 24 ଖଣ୍ଡ,, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଆମ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ରାଷ୍ଟ୍ର ଭକ୍ତ ନରେନ୍ଦ୍ର ମୋଦୀ, କ’ଣ କଲେ କ’ଣ ମିଳେ, ନିହାତି ଜାଣିବା ଆବଶ୍ୟକ, କ’ଣ କରିବ ଉଚିତ୍ ଓ କ’ଣ ନ କରିବ ଉଚିତ, ପାପ ପୁଣ୍ଯ ବିଚାର, ବେଦ ବେଦାନ୍ତର ଅମୃତ ବାଣୀ, ଗୀତରେ ଗୀତରେ ଅମୃତ ବାଣୀ, କଥାରେ କଥାରେ ଅମୃତ ବାଣୀ,ଆମ ସଂସ୍କୃତିରେ ଝୋଟି ଚିତା ମୁରୁଜ, ପ୍ରାଚୀନ ପଞ୍ଚସଖା ଇତ୍ୟାଦି। ଏହା ବ୍ୟତୀତ ଆଳତି ସ୍ଵପ୍ନ ଦର୍ଶନ ତଥା ନାଟକ, ପ୍ରବନ୍ଧ, ଉପନ୍ୟାସ, ଜୀବନୀ, କବିତା ଆଦି ବିଭାଗରେ ମଧ୍ୟ ବହୁ ପୁସ୍ତକ ରଚନା କରିଛନ୍ତି। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ଶୈବପୀଠ ଉତ୍କଳ ଭୂମିରେ ନୈତିକ ଜାଗରଣ ଓ ଚେତନାର ଉଦ୍ରେକ ଏହି ସାଧକଙ୍କର ଲକ୍ଷ୍ୟ। ତାଙ୍କ କୃତ ସମ୍ପୂର୍ଣ୍ଣ ଏକାଦଶୀ ମାହାତ୍ମ୍ୟ ଓ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗମ୍ ପ୍ରମାଣ କରେ ଯେ ଏହି ସାଧକ ହେଉଛନ୍ତି ଉତ୍କଳୀୟ ଶୈବ ସଂସ୍କୃତିର ତଥା ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରାର ଜଣେ ପ୍ରବକ୍ତା।ଯୁବ ସୁଲଭ କର୍ମ ଉଦ୍ଦୀପନାରେ ସେ ଶତତଃ ବ୍ୟସ୍ତ। ଜୀବନଚର୍ଯ୍ଯା ସ୍ପଷ୍ଟ ଓ ସରଳ ତଥା ନିରାଡମ୍ବର। ଯୁକ୍ତି ଶାଣିତ। ପ୍ରବଚକ ଭାବେ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିବାରେ ସେ ଧୂରୀଣ। ସେ ମିଷ୍ଟଭାଷୀ, ଆଳପୀ, ପରୋପକାରୀ ଓ କର୍ମଯୋଗୀ। ତାଙ୍କ ରଚିତ ମହାକାବ୍ୟକୁ ପାଠ କଲେ ଅଭିଭୂତ ହେବାକୁ ହୁଏ। ସେ ଯଥାର୍ଥରେ ଉତ୍କଳ ମାଟିରେ ଅନ୍ୟ ଏକ ମହାନ ସ୍ରଷ୍ଟା।
ଅଲୌକିକ ଅଭାରେ ସେ ଯେପରି ଦୀପ୍ତିମନ୍ତ, ଲୌକିକ ଶିକ୍ଷାରେ ମଧ୍ୟ ସେ ବହୁବିଧ ବର୍ଣ୍ଣରେ ପୂରିତ। ରାଜନୀତି ବିଜ୍ଞାନ, ଓଡ଼ିଆ, ଇଂରାଜୀ, ଇତିହାସ ପରି ଏକାଧିକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏକ ପାଣ୍ଡିତ୍ଯପୂର୍ଣ୍ଣ ବ୍ୟକ୍ତିତ୍ଵର ସେ ଅଧିକାରୀ ହୋଇ ପାରିଛନ୍ତି। କମ୍ପୁଟର ଶିକ୍ଷାରେ ପି. ଜି. ଡି. ସି. ଏ ଓ ଡି ଟି. ପି. ପାଠ୍ୟକ୍ରମ ସାର୍ଟିଫିକେଟ ହାସଲ କରିବା ସଙ୍ଗେ ସଙ୍ଗେ ସେ ମଧ୍ୟ ପାଠାଗାର ଓ ସୂଚନା ବିଜ୍ଞାନରେ ସ୍ନାତକ ଉପାଧି ପାଇଛନ୍ତି। ବହୁ ସୁନାମ ଧନ୍ଯ ପାଠାଗାରରେ କାର୍ଯ୍ୟ କରି ଗ୍ରନ୍ଥାଗାରିକର ଅନୁଭୂତି ଓ ଉପଲବ୍ଧିଆ ମଧ୍ୟ ପ୍ରାପ୍ତ କରିଛନ୍ତି।

ଶିଶୁ ଓ କିଶୋର ମାନଙ୍କ ମନଲାଖି ଶିଶୁ ପତ୍ରିକା’ ଫୁଲର ହସ ‘ର ସେ ହେଉଛନ୍ତି ପ୍ରତିଷ୍ଠାତା ସମ୍ପାଦକ। ମହାମାୟୀ ମାଆ ହିଙ୍ଗୁଳା, ଶ୍ରୀ ଶିବ ଚାଳିଶା, ଶ୍ରୀ ଶିବାଷ୍ଟକ ପ୍ରଭୂତି ଗ୍ରନ୍ଥରେ ସ୍ଥାନିତ ଶ୍ଲୋକ ଓ ପଦାବଳୀରୁ ତାଙ୍କର ସଂସ୍କୃତ ଭାଷାରେ ପାରଦର୍ଶିତା ଥିବା ସ୍ପଷ୍ଟ ପ୍ରମାଣିତ ହୁଏ। ଏହି ସରସ୍ଵତ ସାଧକଙ୍କୁ ପ୍ରଜ୍ଞା ପୁରୁଷ ଶଶି ସମ୍ମାନ, ରାଜଧାନୀ ସମ୍ମାନ, କଟକ ସମ୍ମାନ ଭୁବନେଶ୍ବର ସମ୍ମାନ, ମା ବିରଜା ସମ୍ମାନ, ବରୁଣେଶ୍ୱର, ଧନ୍ଵନ୍ତରୀ, ଗୌରୀ ଶଙ୍କର ସ୍ଵର୍ଣ୍ଣଶ୍ରୀ ବିରଳ ସରସ୍ଵତ ସ୍ରଷ୍ଟା, କଳିଙ୍ଗ ରତ୍ନ, ମା ହିଙ୍ଗୁଳା ସମ୍ମାନ, ଚଲାପଥ ଆଧ୍ୟତ୍ମିକ ସାହିତ୍ୟ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। ଏହି ସାଧକ ଅଦ୍ୟାବଧି ପ୍ରାୟ ଏକ ଶତରୁ ଉର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ ହୋଇ ଗୌରବାନ୍ୱିତ ହୋଇଛନ୍ତି। ସମାଜରେ ବହୁ ମାନ୍ୟଗଣ୍ୟ ତଥା ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କର ସ୍ଵଅନୁଭୂତି ଭୂମିକାରେ ତାଙ୍କର ପୁସ୍ତକରେ ମହତ୍ତ୍ୱ ପ୍ରକଟିତ। ସତ୍ ସାହସ ଓ ସତ୍ ସଂକଳ୍ପ ହେଉଛି ତାଙ୍କର କର୍ମ ପ୍ରେରଣା। ସେ କହନ୍ତି – “ମୁଁ କର୍ମରେ ପ୍ରଚଣ୍ଡ ବିଶ୍ବାସ ରଖେ। କର୍ମରେ ଅଗ୍ରସର ହେଲା ବେଳେ ପ୍ରଭୂଙ୍କୁ ସ୍ମରଣ କରି ଆଗେଇ ଯାଏ। ବହୁ ବାଧା, ବହୁ କଷ୍ଟ, ବହୁ ନିନ୍ଦା ଆସେ ସତ କିନ୍ତୁ ମୁଁ ସେଥିରେ ଆଦୌ ବିଚଳିତ ନହୋଇ କର୍ମଟିକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେଇଥାଏ। କେବେ କୌଣସି ଭଲ କାମରେ ପଛ ଘୁଞ୍ଚା ଦିଏ ନାହିଁ।ପରମ ପିତା ଦେବଦେବ ମହାଦେବଙ୍କ କୃପା ହିଁ ମୋର ସମ୍ବଳ। ତାଙ୍କରି ଅଲୌକିକ ମହିମାର ବିରୋଚନ କରିବାକୁ ସେ ମୋତେ ଏହି ଭବସାଗରକୁ ପଠାଇଛନ୍ତି। ମୋ ପିଣ୍ଡରେ ପ୍ରାଣ ଥିବା ଯାଏଁ ମୁଁ ତାଙ୍କରି ଗୁଣ ଗାନ କରି ଚାଲିଥିବି। ଜଗତର କଲ୍ଯାଣ ନିମନ୍ତେ କିଛି ସ୍ମରଣୀୟ କାର୍ଯ୍ୟ କରି ଚାଲିଯିବି। ଯାହା ପରମ ପିତାଙ୍କର ଇଛା, ତାହା ହିଁ ମୋର ଇଚ୍ଛା। ପ୍ରତି ଘରେ ଘରେ ଜୀଅନ୍ତା ଦେବତା ପିତାମାତା ରୂପରେ ଶିବ ଶକ୍ତି ବିରାଜିତ। ସେମାନଙ୍କର ସେବା କଲେ, ସେମାନଙ୍କୁ ଖୁସି କରାଇ ପାରିଲେ ପ୍ରତ୍ୟେକ ସନ୍ତାନ ସଫଳତାର ଚରମ ସୋପାନରେ ଉପନୀତ ହୋଇ ପାରିବ – ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ। ଅବକ୍ଷୟମୁଖୀ ସମାଜର ପୁନଃ ଉତ୍ଥାନ ଓ ବିକାଶ ପାଇଁ ଏହା ହିଁ ତ୍ଵରିତ ମହୌଷଧି। ”
ଭଗବାନ କରନ୍ତୁ, ମାଟି ମାଆର ଏଇ ଯଶସ୍ବୀ ସୁପୁତ୍ର ପାଇଁ ଉତ୍କଳ ମାତା ଗୌରବାନ୍ୱିତ ହେଉ। ଦିଗବିଦଗରେ ତାଙ୍କରି ସୁରଭି ମହକି ଯାଉ। ‘ଶୈବ ରସାମୃତ’ ମହାକାବ୍ୟର ପ୍ରବକ୍ତା ଓ ରଚୟିତା ସରସ୍ଵତ ସାଧନାର ଉତ୍କର୍ଷତା ନିମନ୍ତେ ସେ ବହୁ ଯଶ କିର୍ତ୍ତୀର ଅଧିକାରୀ ହୁଅନ୍ତୁ। ଓଡ଼ିଆ ଭାଷା ଓ ଜାତିର ସେ ହୁଅନ୍ତୁ ଗର୍ବ ଓ ଗୌରବ। ତାଙ୍କ ଚଲାପଥରେ ଫୁଲ ଚନ୍ଦନ ବରଷି ଯାଉ। ସେ ହୁଅନ୍ତୁ ବିସ୍ମୃତ ଓ ବିସ୍ମୟ ବ୍ୟକ୍ତିତ୍ୱ। ଉତ୍କଳର ପଥିତ ଯଶା ଆଧ୍ୟାତ୍ମିକ ପ୍ରାଣ ପୁରୁଷ ତାଙ୍କ ସରସ୍ଵତ ସାଧନା ପ୍ରବହମାନା ଗଙ୍ଗା ପରି ଚିର ପ୍ରବାହଶୀଳ ହେଉ। ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନରେ ଅଧିକାରୀ ହୁଅନ୍ତୁ, ଏହା ହିଁ ଆମର କାମନା।

ଏହି ମହାନ ସାରସ୍ଵତ ସାଧକ ଏବେ ରାଜ୍ୟ ସରକାରଙ୍କ ଅଧୀନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶିକ୍ଷା ଅଧିକାର ଅଧିକାରୀ ରୁପେ ସମ୍ପ୍ରତି କାର୍ଯ୍ୟରତ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଗଭର୍ଣ୍ଣିଂ ବଡି ସଦସ୍ୟ ଭାବେ ସଫଳତାର ସହିତ କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି।

ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ପଣ୍ଡିତ ମହାପାତ୍ରଙ୍କୁ କେତୋଟି ପ୍ରଶ୍ନ 

 


ଓଡ଼ିଶାର ଗର୍ବ ଓ ଗୌରବ – ପଣ୍ଡିତ ମହାପାତ୍ର ସାଧାରଣତଃ ଜଣେ ଅମ୍ଲାନ ପ୍ରତିଭା। ଯାହାଙ୍କର ଜୀବନରେ ବିଶେଷ ମୁହୂର୍ତ୍ତ ସମାଜ କଲ୍ୟାଣରେ ବ୍ରତୀ, ଯାହାଙ୍କ ଲେଖନୀ ସଦା ଚଳ ଚଞ୍ଚଳ। ଏପରି ବ୍ୟକ୍ତିତ୍ଵଙ୍କ ବ୍ୟକ୍ତିତ୍ୱରୁ କିଛି ସ୍ମୃତି ସାଉଁଟିବାର ପ୍ରୟାସ ଉପରାନ୍ତେ..।
ଯାହାଙ୍କର ଆଧ୍ୟାତ୍ମିକତାରେ ବିଭୋର ମନ ପ୍ରାଣ ଓ କଣ୍ଠରେ ‘ଓମ୍ ନମଃ ଶିବାୟ ‘ଆହୃଦ ଉଚ୍ଚାରଣ-ସେ ହେଉଛନ୍ତି କାଳଜୟୀ, ଯଶ୍ବସୀ ଶିବ ବାବା ।ଭଦ୍ରକ ମାଟିରେ ଜ୍ଞାନଚକ୍ଷୁ ଉନ୍ମିଳନ ପରେ ସେ କରି ଚାଲିଛନ୍ତି ଆଜନ୍ମ ସାରସ୍ଵତ ସାଧନା। ସମାଜ ହାତରେ ତୋଳି ଦେଇଛନ୍ତି ଅନେକ ପୁସ୍ତକର ଅର୍ଘ୍ୟ।ତାଙ୍କର ଲେଖାରେ ପୌରାଣିକତା ଓ ଶିବ ତତ୍ତ୍ଵ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ଶୈବ ରସାମୃତ ପରି ଗୋଟିଏ ମହାକାବ୍ୟର ସ୍ରସ୍ଟା ଜଣେ ଯୁବକ ବୋଲି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଶିବ ବାବା କହନ୍ତି – “ଯାହା ଭଗବାନ ପରମେଶ୍ଵର ମୋତେ କହନ୍ତି ତାହା ମୁଁ ଲେଖେ। କଲମରେ କାଳି, ହୃଦୟରେ ଭାଷା ଓ ଭାବ, ଶରୀରରେ ବିବେକ ଓ ପ୍ରଜ୍ଞା ରୂପରେ ସେ ଦୃଶ୍ୟ ଓ ଅଦୃଶ୍ୟ ସର୍ବ ଅବସ୍ଥାରେ ସେ ଯେପରି ମୋତେ ଚଳାନ୍ତି ମୁଁ ସେପରି ଚଳେ। ତାଙ୍କ ଗୁଣଗାଥା ରଚନ ଓ କୀର୍ତ୍ତନ କରିବାକୁ ସେ ଏ ଭବ ସାଗରକୁ ମୋତେ ଆଣି ଥିବାର ମୋର ଭାବାବେଗ ସ୍ରୁଷ୍ଟି ହୁଏ। “ସବୁଠୁଁ ଭିନ୍ନ୍ କଥା ଏହିକି ଓଡ଼ିଆ ସଂସ୍କୃତିରେ ଥିବା ଅସଂଖ୍ୟ ପର୍ବ ପର୍ବାଣୀର ପୃଷ୍ଠଭୂମି, ତାହାର ପାଳନ ବିଧି, ତହିଁର ଆରାଧ୍ୟ ଦେବାଦେବୀ ଓ ଫଳାଫଳ ସମ୍ପର୍କିତ ତତ୍ତ୍ୱକୁ ଗୁନ୍ଥି ଅତି ବ୍ୟାପକ ଭାବେ ସେ ଯେପରି ଓଡ଼ିଆ ବାର ମାସ ପାଇଁ ବାରଟି ପର୍ବ ପର୍ବାଣୀ ଗ୍ରନ୍ଥ ଲେଖିଛନ୍ତି ତାହା ପ୍ରଣିଧାନ ଯୋଗ୍ୟ। ଏହି ‘ଶୈବ ରସାମୃତ’ ଓ ‘ଆମ ପର୍ବ ପର୍ବାଣୀ’ ର ରଚୟିତା ଭାବେ ସେ ଦିନେ ସ୍ଵତନ୍ତ୍ର ଆଲେଖ୍ୟର ସ୍ଵାକ୍ଷର ବହନ କରିବାକୁ ବାଧ୍ୟ।
ଓଡ଼ିଶା ହେଉଛି ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଶୈବପୀଠ। ଏହା ହେଉଛି ଶିବ ପାର୍ବତୀଙ୍କ ରାହସ ଭୂଇଁ। ଏ ମାଟିର ଅଣୁ ରେଣୁ, ଧୂଳି ମାଟି, ପାଣି ପବନ, ଭାଷା ସଂସ୍କୃତି ସବୁ ମହାନ ଓ ବନ୍ଦନୀୟ। ଏହା ଠାରୁ ପବିତ୍ର ଓ ପୁଣ୍ୟତଃ କିଛି ନାହିଁ।
ଅସୀମ ଧୈର୍ଯ୍ୟ ଓ ସାହସକୁ ପ୍ରତିପାଦନ କରି ନୀରବଛିନ୍ନ ଭାବେ ସାହିତ୍ୟ ସାଧନା କରି ଆସୁଥିବା ସାହିତ୍ୟର ପୂଜାରୀ ସେଇ ଶିବ ବାବା ଏକାଧାରରେ ଜଣେ ଆଉ ଔପନ୍ୟାସିକ, ଗବେଷକ, ଗାଳ୍ପିକ, ପୁରାଣ ଶାସ୍ତ୍ରକାର, ଅନୁବାଦ କଳାରେ ନିପୂଣ, ଲେଖକ, ନାଟ୍ୟକାର, ପ୍ରାବନ୍ଧିକ, ଶିଶୁ ସାହିତ୍ୟ ଲେଖକ, ପତ୍ରିକା ସମ୍ପାଦକ, ଗ୍ରନ୍ଥଗାରିକ, ଭକ୍ତକବି ତଥା ସମାଜ ସେବୀ। ତାଙ୍କର ଖ୍ଯାତି ତଥା ସୁଖ୍ୟାତି ପାଇଁ ସେ କଳିଙ୍ଗ ରତ୍ନ, ମା ହିଙ୍ଗୁଳା ସମ୍ମାନ, ମିଷ୍ଟର ଓଡ଼ିଶା ସମ୍ମାନ, ବିରଳ ସାରସ୍ଵତ ସ୍ରସ୍ଟା ସମ୍ମାନ, ଗୌରୀ ଶଙ୍କର ସମ୍ମାନ, କ୍ଷେତ୍ର ଲୀଳା ସମ୍ମାନ, ଶଶି ସମ୍ମାନ, ଚଲାପଥ ଆଧ୍ୟତ୍ମିକ ସମ୍ମାନ ପ୍ରଜ୍ଞା ପୁରୁଷ ସମ୍ମାନ, ବିରଜା ସମ୍ମାନ, ବରୁଣେଶ୍ୱର ସମ୍ମାନ ରାଜଧାନୀ ସମ୍ମାନ, କଟକ ସମ୍ମାନ ଆଦି ଶତାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେଇ ପ୍ରତିଭାଧରଙ୍କୁ କଥୋପକଥନ ଜରିଆରେ ମୋର କେତୋଟି ମୌଲିକ ପ୍ରଶ୍ନ :
ପ୍ରଶ୍ନ 1.ଆପଣ ଓଡ଼ିଶାର ଗର୍ବ ଓ ଗୌରବ – ଏହି କଥା କହିଲା ବେଳେ ଆପଣ କିପରି ଭାବେ ଉତ଼୍ଙଫୁଲ୍ଲିତ?
ଉ. ମୁଁ ଓଡ଼ିଶାର ଗର୍ବ ନୂହେଁ କି ଗୌରବ। ମୁଁ ଜଣେ ସାହିତ୍ୟ ସାଧକ ଓ କର୍ମୀ। କର୍ମ ହିଁ ଜୀବନ। କର୍ମ ଯୋଗ ମୋର ସାଧନା।
ପ୍ରଶ୍ନ 2.ବାବା – ଏହି ଶବ୍ଦକୁ ଆପଣ କିପରି ଭାବେ ଦେଖନ୍ତି?
ଉ. ବାବା ଏକ ଆପେକ୍ଷିକ ଶବ୍ଦ, ଯାହା ପ୍ରତି ଲୋକଙ୍କର ଅପେକ୍ଷା ରହିଥାଏ। ଏକ ବିଶ୍ବାସ ଓ ଆସ୍ଥା ଭାବ ରଖି ଜନତା ସେମାନଙ୍କୁ କିଛିଟା ଭରସା କରିଥାନ୍ତି। ମାତ୍ର ଆଜିର ଭଣ୍ଡାମୀ ଓ ଠକାମି ଦୁନିଆରେ ଏମାନେ ଜନତାର ସେହି ସରଳ ବିଶ୍ବାସ ମୂଳରେ କୁଠାରଘାତ କରୁଛନ୍ତି। ଫଳରେ ଜନତାର ବିଶ୍ବାସ ହରାଇ ବସୁଛନ୍ତି। ତେବେବି କିଛିଟା ଆଧ୍ୟତ୍ମିକ ଗୁରୁ ଓ ସାଧୁ ବା ସନ୍ଥ ଅଛନ୍ତି ଯେଉଁମାନେ ସମାଜର ପଥପ୍ରଦର୍ଶକ ହୋଇଥାନ୍ତି ଓ ଲୋକଙ୍କର ଆଧ୍ୟତ୍ମିକ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ଅହରହ ଚେଷ୍ଟିତ ଥାଆନ୍ତି। ଏ କଥା ନିଃସନ୍ଦେହ।

ପ୍ରଶ୍ନ 3. ସାମାଜିକ ଜୀବନରେ ଆପଣ ଲୋକ ମୁଖରେ ଶିବ ବାବା ରୂପେ ସାଧାରଣତଃ ପରିଚିତ। ଏହି ପରିଚୟ କିପରି, କାହିଁକି ଓ କେବେ ହେଲା?
ଉ :1997 ମସିହା ପର୍ଯ୍ୟନ୍ତ ମୋର ସାଧାରଣ ଜୀବନ ଅତ୍ୟନ୍ତ ସରଳ ଓ ବ୍ୟକ୍ତି ପରିଚୟ ନଗଣ୍ୟ। କିନ୍ତୁ ଯେତେବେଳେ ବିଭିନ୍ନ ଦେବା ଦେବୀ ଓ ସଭା ସମିତିରେ ମୁଁ ଶିବ ତତ୍ତ୍ଵ ସମ୍ପର୍କରେ ପ୍ରବଚନ ଦେଲି, ତାହା ପର ଠାରୁ କିଛି ଲୋକ ମୋତେ ଶିବ ସାଧକ, ପଣ୍ଡିତ, ସଧୁଶ୍ରୀ ନାମରେ ସମ୍ବୋଧନ କରିବା ଆରମ୍ଭ କଲେ। ବିଶେଷ କରି ଯଷ୍ଟିସ୍ ରଙ୍ଗ ନାଥ ମିଶ୍ର, ବରିଷ୍ଠ ସମ୍ବାଦିକ ଅରୁଣ କୁମାର ପଣ୍ଡା, ପ୍ରୋଫେସର ଦୋଳ ଗୋବିନ୍ଦ ଶାସ୍ତ୍ରୀ, ଯଷ୍ଟିସ୍ ଲିଙ୍ଗରାଜ ରଥ, ଯଷ୍ଟିସ୍ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ପ୍ରୋଫେସର ଡଃ ରେଖା ମହାନ୍ତି ପ୍ରଭୂତି ବହୁ ମାନ୍ୟଗଣ୍ୟ ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମୋତେ ‘ଶିବ ବାବା ‘ନାମରେ ସମ୍ବୋଧିତ କଲେ ଓ ଜନମାନସରେ ଶିବ ବାବା ପରିଚିତି ତୋଳିଲେ।
ପ୍ର 4. ଆପଣଙ୍କ ଜନ୍ମ ସ୍ଥାନ ଓ ପିତୃ ମାତୃ ପରିଚୟ?
ଉ. ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ଶାସନରେ 1973 ମସିହାରେ ପବିତ୍ର ଗଣେଶ ଚତୁର୍ଦଶୀ ତିଥିରେ ମୋର ଜନ୍ମ। ଜନ୍ମଦାତା ସ୍ଵର୍ଗତଃ ଭୈରବାନନ୍ଦ ମହାପାତ୍ର ଓ ଜନ୍ମଦାତ୍ରୀ ସ୍ୱର୍ଗତାଃ ଶାନ୍ତି ଲତା ମହାପାତ୍ର। ଦେବାଧିଦେବ ମହାଦେବ ଶ୍ରୀ ଶ୍ରୀ ପ୍ରସନ୍ନ କ୍ଷେମେଶ୍ଵର ଓ ବାବା ଆଖଣ୍ଡଳମଣି ଆମ ପରିବାରର ଆରାଧ୍ୟ ଦେବତା।
ପ୍ର. 5.ଆପଣ ଏବେ ରାଜ୍ୟ ସରକାରଙ୍କ ଦ୍ଵାରା ଶିକ୍ଷା ଅଧିକାର ଅଧିକାରୀ ଭାବେ ଅବସ୍ଥାପିତ ସେ ସମ୍ପର୍କରେ କ’ଣ କହିବେ?
ଉ. ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଓ ଗଣ ଶିକ୍ଷା ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଶ୍ରୀଯୁକ୍ତ କିଶୋର ମହାନ୍ତିଙ୍କ ପତ୍ର ପାଇ 2011 ମେ 8 ତାରିଖରେ କଟକ ଜିଲ୍ଲାରେ ଶିକ୍ଷା ଅଧିକାର ଅଧିକାରୀ ରୁପେ ଯୋଗଦାନ କରି ତା’ ପରେ ଜିଲ୍ଲାପାଳ ଭଦ୍ରକ, ବାଲେଶ୍ଵର ଓ ସୁବର୍ଣ୍ଣପୁରଙ୍କ ପତ୍ର ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସେହି ଜିଲ୍ଳା ମାନଙ୍କରେ ଆର୍. ଟି. ଇ. ର ନୋଡାଲ ଅଫିସର ତଥା ରାଜ୍ୟ ଶିକ୍ଷା ଅଧିକାର ଅଧିକାରୀ ଭାବେ ଅଧୁନା କାର୍ଯ୍ୟରତ। ମୋ କାର୍ଯ୍ୟରେ ସନ୍ତୁଷ୍ଟି ପ୍ରକାଶ କରି ଜିଲ୍ଲାପାଳମାନେ ମଧ୍ୟ ମୋ ସପକ୍ଷରେ ସୁପାରିଶ ପତ୍ର ସରକାରଙ୍କୁ ପଠାଇଛନ୍ତି।

ପ୍ର. 6 ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ କିଛି କୁହନ୍ତୁ?
ଉ. ମୁଁ ପ୍ରଥମେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲା ପରେ ଓଡ଼ିଆ, ଇଂରେଜୀ, ଇତିହାସ ଓ ସଂସ୍କୃତରେ ମଧ୍ୟ ପି. ଜି କରିଛି। ଏଥି ସହିତ ପି. ଜୀ. ଡି. ସି. ଏ. ଓ ଡି. ଟି. ପି କୋର୍ସ ମଧ୍ଯ କରିଛି। ପାଠାଗାର ଓ ସୂଚନା ବିଜ୍ଞାନରେ ମଧ୍ୟ ଡିଗ୍ରୀ ହାସଲ କରିଛି। ଏବେ ବି ପାଠ ପଢା ପାଇଁ ପ୍ରବଳ ନିଶା ମୋ ଭିତରେ ଉଜ୍ଜିବିତ। ଇଚ୍ଛା – ଆଉ କିଛି ପଢି ପାରନ୍ତି କି? ଯୋଗ୍ୟତା ହାସଲ ପାଇଁ ନୂହେଁ, ପରନ୍ତୁ ପଠନ ପିପାସାର ନିବାରଣ ନିମନ୍ତେ।
ପ୍ର7. ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆକର୍ଷଣ ହେଲା କିପରି? ଆଧ୍ୟତ୍ମିକ ଚିତ୍ତ ବୃତ୍ତିର କିପରି ଭାବେ ଉତ୍ତରଣ ଘଟିଛି?
ଉ. ବୋଧହୁଏ ମାତ୍ର ତିନି ବର୍ଷ ବୟସରୁ ଆଧ୍ୟତ୍ମିକତାର ଝଲକ ଓ ବିଚାର ଧାରା ମୋ ଭିତରେ ଅନୁଭୂତ ହୋଇଥିଲା। ମୁଁ ଅନର୍ଗଳ ଭାବେ ଶିବ କଥା ଓ ଶିବ ଗାଥା ଗୀତି ଆକାରରେ ଗାଉଥିଲି। ଅବଶ୍ୟ ଏ କଥା ମୋର ଜିଜ୍ଞାସୁ ମନରୁ ଉଦ୍ରେକ ହେଉଥିଲା। ମୁଁ ସୃଷ୍ଟି ତତ୍ତ୍ଵ ସମ୍ପର୍କରେ ଯେତେବେଳେ ପ୍ରଶ୍ନିଳ ମୁଦ୍ରାରେ ବାରମ୍ବାର ମାଆଙ୍କୁ ଚାହୁଁଥିଲି, ସେ ବେଶ ଶାନ୍ତ ଓ ସରଳ ଭବରେ ଉତ୍ତର ରଖୁଥିଲେ। କହୁଥିଲେ – ତୁ’ ଓମ୍ ନମଃ ଶିବାୟ ‘ମନ୍ତ୍ର ଜପ କର ତୋର ସବୁତକ ଜଟିଳ ପ୍ରଶ୍ନର ସରଳ ସମାଧାନ ତୋତେ ମିଳିଯିବ। ସେଇ ମନ୍ତ୍ର ମନ ପ୍ରାଣ ହୃଦୟ ଦେଇ ଅହରହ ଶୟନେ ସପନେ ଓ ଜାଗରଣେ ଉଚ୍ଚାରଣ କରି ହୁଏତ ବିଶ୍ଵ ପିତା ଦେବାଧିଦେବ ମହାଦେବ ଓ ବିଶ୍ଵ ମାତାଙ୍କ ଅପାର କୃପା ଲାଭ କରିବାକୁ କିଞ୍ଚିତ୍ ସକ୍ଷମ ହୋଇଛି।
ପ୍ର 8. ଆପଣଙ୍କର ଆଧ୍ୟତ୍ମିକ ସାଧନା, ସାଧନାଗତ ସିଦ୍ଧି ଓ ବ୍ରହ୍ମ୍ ଦର୍ଶନ ସମ୍ପର୍କରେ କିଛି କହିବେ କି?

ଉ. ମୋତେ ପ୍ରାୟ ସାଢେ ତିନି ବର୍ଷ ହୋଇଥାଏ। ମୁଁ ନିଘୋଡ଼ ନିଦରେ ଶୋଇଥାଏ। କିଏ ଜଣେ ବୃଦ୍ଧ ଆସି ମୋ ପିଠିରେ ଶକ୍ତ ପ୍ରହାରଟିଏ କଷି ଦେଲେ। ସେ ଆଘାତ ମୁଁ ଆଜି ଯାଏଁ ଭୁଲି ପାରିନାହିଁ। ଶକ୍ତ ଆଘାତରେ ମୁଁ ନିଦରୁ ଉଠି ବସି ପଡ଼ିଲି। ସେ ବୃଦ୍ଧଙ୍କୁ ପଚାରିଲି – “ତୁମେ କିଏ? କାହିଁକି ମୋତେ ବାଡ଼େଇଲ?” ସେ କହିଲେ – ମୋତେ କ’ଣ ତୁ ଚିହ୍ନି ପାରୁ ନାହୁଁ? ତୁ ପରା ଅହରହ ମୋତେ ସ୍ମରଣ କରୁଛୁ। ଆଉ ଶୋଉଛୁ କ’ଣ? ଉଠ! ଲେଖିବୁ। ମୁଁ ପ୍ରାୟ ଜାଗ୍ରତାବସ୍ଥାରେ ତାଙ୍କୁ ପଚାରୁଛି – କ’ଣ ଲେଖିବି? ସେ କହିଲେ – ମୋର ଗୁଣକୀର୍ତ୍ତନ କର! ହାତରେ କଲମ ଧରି ଲେଖନୀ ଚାଳନା କର। ତୋ ହୃଦୟରେ ମୁଁ, ତୋ ଚାରି ପାଖରେ ମୁଁ। ମୁଁ ସବୁ କରି କରାଉଥାଏ। ତୋ କାମ, ତୁ ଲେଖି ଚାଲ ।ସେଦିନର ସେଇ ପ୍ରହାର ଥିଲା ମୋ ପାଇଁ ବ୍ରହ୍ମ୍ ପାହାର। ବାପରେ ବାପ! ମଲି ବୋଲି ଅକସ୍ମାତ ମୋ ପାଟିରୁ ବୋଧହୁଏ ମୋ ପାଟିରୁ ବାହାରି ହୋଇଥିବ। ସେଇ ହେଉଛି ମୋ ବ୍ରହ୍ମ୍ ଉଦୟର କାରଣ ଓ ବ୍ରହ୍ମ୍ ଦର୍ଶନର ନିରଳା କାହାଣୀ। ତା’ ପରେ ମୋତେ ଯେତେବେଳ ମାତ୍ର୍ 6 କି 7 ବର୍ଷ ଠିକ୍ ସେଇ ସମୟରେ ଜଣେ ପକ୍ଵ କେଶଧାରୀ, ଗେରୁଆ ବସ୍ତ୍ର ପରିହିତ, ପାଦରେ କଠୋଉ, ଦେହର ରଙ୍ଗ ତାମ୍ର ବର୍ଣ୍ଣ,ହାତରେ କମଣ୍ଡଳୁ, ମସ୍ତକ ଉପରେ ପତ୍ର ଛାୟାର ସୁଶୀତଳ ଛତା, ପ୍ରଶାନ୍ତ ଚିତ୍ତ, ମୁଖ ମଣ୍ଡଳରେ ଉଦାତ୍ତ ଧୋନୀ ଯାହା କର୍ଣ୍ଣ ଗହ୍ଵର ଭେଦ କରି ଶୀତଳ ସମୀରଣ ପ୍ରବାହ କରିବାର ଭ୍ରମ ଅହରହ ସୃଷ୍ଟି କରୁଥାଏ। ଏବେ ବି ମନେ ଅଛି ଯାହାଙ୍କର ରୂପ କାନ୍ତି ଶରୀର ଓ ଗୁରୁ ଗମ୍ଭୀର ଉଦ୍ଗାତ ସ୍ଵରର ଉଦ୍ ଘୋଷଣ ମୋ ଶିରା ପ୍ରଶିରାରେ ବାରବାର କମ୍ପନ ସୃଷ୍ଟି କରିଥାଏ। ସେଦିନ ସେ ଆମ ପିଣ୍ଡା ଉପରେ ବସି ପଡି ମୋର କର, କପାଳ, କୋଷ୍ଠି ଦେଖି ବଖାଣି ଥିଲେ ମୋର ଭବିଷ୍ୟତ ଓ କହିଥିଲେ କିଛି ଏହି ପ୍ରକାର ଯେମିତି ଆଜି ଚାଲିଛି ମୋର କାର୍ଯ୍ୟଧାରା। କେବଳ ଏତିକି କହି ପାରେ ତାଙ୍କରି ଦର୍ଶନ ଓ ଆଶୀର୍ବାଦ ମୋର ଆଧ୍ୟତ୍ମିକ ଜୀବନକୁ ସହଜ ଓ ସରଳ କରି ପାରିଛି।
ପ୍ର 9. ଆପଣଙ୍କ ସାଧନା ପୀଠ କେଉଁଠି?
ଉ. ହିମାଳୟର କେଦାର ନାଥ। ବ୍ରାହ୍ମଣ ଗାଁ ମୋ ଜନ୍ମ ସ୍ଥାନ। କଟକ ମୋ କର୍ମଭୁମା।
ପ୍ର 10. ସାହିତ୍ୟ ଜଗତରେ ବିଭିନ୍ନ୍ ବିଭାଗରେ ଆପଣଙ୍କର ମୌଳିକତା ପରିଦୃଷ୍ଟ। କ’ଣ କହିବେ ୟାକୁ ନେଇ?
ଉ. ଦେଖନ୍ତୁ! ସାହିତ୍ୟର ପରିଧି ଓ ପରିସୀମା ଅତ୍ୟନ୍ତ ବ୍ୟାପକ। ତାକୁ ନେଇ ଅଙ୍କ କଷିବା ପ୍ରାୟତଃ କଷ୍ଟକର। ତଥାପି ସାହିତ୍ୟର ପ୍ରୟତଃ ପ୍ରତିଟି ବିଭାଗରେ ମୁଁ ଅସୀ ଚାଳନା କରିଛି ଓ ଓଡ଼ିଆ ଭାଷା ଓ ସଂସ୍କୃତିର ଜୟଗାନ କରିବାକୁ ପ୍ରାଯତ୍ନ କରିଛି। ନୀତି ନୈତିକତା ଓ ଆଧ୍ୟତ୍ମିକ ଭାବଧାରା ଏଥିରେ ପରିଦୃଶ୍ୟ ହୋଇଛି। ତେଣିକି ପାଠକେ କହିବେ ଏଥିରେ ବ୍ୟାବହାରିକ ଜୀବନରେ ପାଠକଙ୍କ ଆଶା ଆକାଙ୍କ୍ଷା କେତେ ଦୂର ପୂରଣ ହୋଇ ପାରିଛି ବା ସାହିତ୍ୟିକ ମୂଲ୍ୟବୋଧ କେତେ ରକ୍ଷା ହୋଇପାରିଛି।
ପ୍ର 11. ଆପଣଙ୍କର ବିଶାଳ କୃତି ମଧ୍ୟରୁ କେତକ ପ୍ରମୂଖ କୃତି ବିଶେଷ ଉଲ୍ଲେଖ କରିବାକୁ ଚାହିଁବେ?
ଉ. ବର୍ତ୍ତମାନ ସୁଦ୍ଧା ମୋର ପ୍ରକାଶିତ ପୁସ୍ତକର ସଂଖ୍ୟା ପ୍ରାୟତଃ ପାଖାପାଖି 2000 । ଅପ୍ରକାଶିତ ଓ ପାଣ୍ଡୁଲିପି ଆକାରରେ ଆହୁରି ଅନେକ ମହଜୁଦ ଅଛି। ପ୍ରକାଶିତ ପୁସ୍ତକମାନ ମଧ୍ୟରୁ 5000 ପୃଷ୍ଠା ସମ୍ବଳିତ ଶୈବ ରସାମୃତ ମହାକାବ୍ୟ – ଯାହାକି 15 ଖଣ୍ଡରେ ବିଭକ୍ତ, 3500 ପୃଷ୍ଠା ସମ୍ବଳିତ ‘ଆମ ପର୍ବ ପର୍ବାଣୀ’ – 12 ଖଣ୍ଡ,, ମହାଯୋଗୀ ଶିବ, ଦ୍ଵାଦଶ ଜ୍ୟୋତିର୍ଲିଙ୍ଗମ୍, ଭକ୍ତ ଓ ଭଗବାନ, ସମ୍ପୂର୍ଣ୍ଣ ଏକାଦଶୀ ମାହାତ୍ମ୍ୟ, ଜ୍ୟୋତିର୍ବିଜ୍ଞାନମ୍-2 ଖଣ୍ଡ, ପ୍ରାଚୀନ ପଞ୍ଚ ସଖା, ପିତା ମାତା ଆମ ପ୍ରତ୍ୟେକ୍ଷ ଦେବତା, ଶ୍ରୀମଦ୍ ଭାଗବତ ଗୀତା(ଭାବାର୍ଥ ସହିତ ଅନୁବାଦ) ଶ୍ରୀମଦ୍ ଭାଗବତ ଗୀତା ନବାକ୍ଷରୀ, ସାଥୀ ପ୍ରବନ୍ଧ ସୁମନ, ବିଭିନ୍ନ୍ ମହା ପୁରୁଷଙ୍କ ଜୀବନୀ, ସାଧାରଣ ଜ୍ଞାନ,ଶ୍ରୀ ଶିବ,  ସ୍ଵରୂପିଣୀ ମାଆ, ଶ୍ରୀ ଶିବାଷ୍ଟକ ରସାମୃତ  ଶିବ ମାହାତ୍ମ୍ୟ , ଶିବ ଚାଳିଶା, ମହିମାମୟୀ  ହିଙ୍ଗୁଳା, ଆମ ସଂସ୍କୃତିରେ ବୋଲ ବମ୍  ଯୋଗାସନର ବିଧିବିଧାନ  (2 ଖଣ୍ଡ )   ଯୋଗାସନର ବିଧି ବିଧାନ-2 ଖଣ୍ଡ, ବିଭିନ୍ନ ଖେଳର ବିଧି ବିଧାନ, ମୋକ୍ଷ ଧାମ ଗୟା, ଆଦର୍ଶ ବାଳକ – 4 ଖଣ୍ଡ, ଆଦର୍ଶ ବାଳିକା – 4 ଖଣ୍ଡ, ଆମ ଦେଶର ଗୌରବ – 24 ଖଣ୍ଡ,, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଆମ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ରାଷ୍ଟ୍ର ଭକ୍ତ ନରେନ୍ଦ୍ର ମୋଦୀ, କ’ଣ କଲେ କ’ଣ ମିଳେ, ନିହାତି ଜାଣିବା ଆବଶ୍ୟକ, କ’ଣ କରିବ ଉଚିତ୍ ଓ କ’ଣ ନ କରିବ ଉଚିତ, ପାପ ପୁଣ୍ଯ ବିଚାର, ବେଦ ବେଦାନ୍ତର ଅମୃତ ବାଣୀ, ଗୀତରେ ଗୀତରେ ଅମୃତ ବାଣୀ, କଥାରେ କଥାରେ ଅମୃତ ବାଣୀ, ଆଦି  କେତେକ ପ୍ରମୁଖ ଗ୍ରନ୍ଥ।

ପ୍ର 12.ଏହି ପୁସ୍ତକ ଗୁଡିକ ନିଜର ପ୍ରକାଶନ ନା ଆଉ କାହାର?
ଉ. ମୁଁ କିଛି ପୁସ୍ତକ ଶିବମ୍ ପ୍ରକାଶନ (ନିଜସ୍ଵ ପ୍ରକାଶନ) ନାମରେ ପ୍ରକାଶ କରିଛି। କିନ୍ତୁ ପ୍ରାୟତଃ ବହି ଗୁଡିକ କଟକର ବିଭିନ୍ନ ସୁନାମ ଧନ୍ଯ ପ୍ରକାଶନୀ ସଂସ୍ଥା ଦ୍ଵାରା ପ୍ରକାଶିତ। ତନ୍ମଧ୍ୟରୁ କଟକ ଟ୍ରେଡିଂ କମ୍ପାନୀ, ସତ୍ୟ ନାରାୟଣ ବୁକ୍ ଷ୍ଟୋର, ଡ଼ାଇମଣ୍ଡ ପବ୍ଲିଶର୍ସ, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର, ଜଗନ୍ନାଥ ରଥ ପାୟନିଅର୍ ପ୍ରକାଶନ, ସାଥୀ ପବ୍ଲିକେସନ୍, ତିଥି ବୁକ୍ସ, ସୂର୍ଯ୍ୟ ପ୍ରକାଶନୀ ପ୍ରଭୃତି ଅନ୍ୟତମ।
ପ୍ର 13. ସାରସ୍ଵତ ସାଧନା କ୍ଷେତ୍ରରେ ଆପଣଙ୍କୁ କେଉଁଠୁ ଅଧିକ ସହାୟତା ମିଳିଛି?
ଉ. ଭାଗବାନଙ୍କର କରୁଣା। ବିଭିନ୍ନ ପୁସ୍ତକ ପଠନ, ସାଧୁ ସନ୍ଥଙ୍କ ସଂସର୍ଗ, ଶିକ୍ଷା ଗୁରୁ, ପିତା ମାତା, ଗୁରୁଜନଙ୍କ ଆଶୀର୍ବାଦ, ବିଭିନ୍ନ ଦେବାଦେବୀ ପୀଠ ପରିଦର୍ଶନ କରି ତଥ୍ଯ ସଂଗ୍ରହ, ଐତିହାସିକ ଓ ପର୍ଯ୍ୟଟନ ସ୍ଥାଳୀ ପରିଦର୍ଶନ ଓ ପରିଭ୍ରମଣ। ଏତଦ୍ ବ୍ୟତୀତ ସମାଜର ପ୍ରମୁଖ ତଥା ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିବୃନ୍ଦ ମୋ ରଚିତ ପୁସ୍ତକ ମାନଙ୍କରେ ମୁଖବନ୍ଧ ଲେଖି ମୋତେ ଉତ୍ସାହିତ କରିଛନ୍ତି।
ପ୍ର 14. ବର୍ତ୍ତମାନ ପରିପ୍ରେକ୍ଷୀରେ ଆପଣମାନଙ୍କର ସାମାଜିକ ଦାୟିତ୍ୱବୋଧ କ’ଣ?
ଉ.ବର୍ତ୍ତମାନର ଅବକ୍ଷୟମୁଖୀ ସମାଜ ଓ ବିପନ୍ନ ଅଭିମୁଖୀ ସାଂସ୍କୃତିକ ପଟ୍ଟଭୂମିରେ ମୋ ସହ ପ୍ରତ୍ୟେକ ନାଗରିକର ଦାୟିତ୍ଵ ରହିଛି। ଭାଷା ଜନନୀର ସେବା, ମାତୃଭୂମିର ସମ୍ମାନ ରକ୍ଷା କରିବା, ସଂସ୍କୃତିର ପୁନରୁଦ୍ଧାର, ନୈତିକ ଚେତନାର ଉଦ୍ରେକ ବର୍ତ୍ତମାନ ଜରୁରୀ ହୋଇପଡ଼ିଛି। ମୁଁ କର୍ମରେ ପ୍ରଚଣ୍ଡ ବିଶ୍ବାସ କରେ। ଲେଖା ମାଧ୍ୟମରେ ହେଉ ବା କର୍ମ ମାଧ୍ୟମରେ ସମାଜକୁ ସଚେତନ କରିବା ମୋର କାମ। ଶିଶୁ ସାହିତ୍ୟ ‘ଫୁଳର ହସ ‘ ର ସମ୍ପାଦନା, “ଆନ୍ତର୍ଜାତୀୟ ଶିବ ସେନା ପ୍ରସାର ସମିତି” ର ପ୍ରତିଷ୍ଠାତା, “ଭାଷା ସାହିତ୍ୟ ପ୍ରତିଷ୍ଠାନ ” ର ପ୍ରତିଷ୍ଠାତା, ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଦସ୍ୟ ରୂପେ ସାମାଜିକ ଜାଗରଣ ଓ ସଂସ୍କାର କ୍ଷେତ୍ରରେ କିଛି କର୍ମ କରୁଛି। ବିଭିନ୍ନ ଧାର୍ମିକ ପୀଠରେ ପ୍ରବଚନ ମାଧ୍ୟମରେ ଜନ ସଚେତନତା ଜାଗ୍ରତ କରୁଛି। ବିଶେଷ କରି ଯୁବ ସମ୍ପ୍ରଦାୟ ପାଇଁ ହୃଦୟରେ ଆଧ୍ୟାତ୍ମିକତା ଜାଗରଣ ଓ ଶିଶୁ ହୃଦୟରେ ପିତୃ ମାତୃ ସେବା ତଥା ଈଶ୍ଵର ଅନୁରାଗର ବୀଜ ମନ୍ତ୍ର ବୁଣୁଛି। ଏଥି ସହିତ ସରକାରୀ ଦାୟିତ୍ଵ ନିର୍ବାହ କରି ବିଦ୍ୟାଳୟ ମାନଙ୍କରେ ବୈପ୍ଳବିକ ପରିବର୍ତ୍ତନ ଆଣିବା କାର୍ଯ୍ୟରେ ନିଯୋଜିତ ଅଛି।
ପ୍ର 15. ଆପଣଙ୍କ ପ୍ରିୟ ଆଶ୍ରୟ କ’ଣ ?
ଉ. ଓମ୍ ନମଃ ଶିବାୟ ।
ପ୍ର16. ଆପଣଙ୍କର ଧେୟ?
ଉ. ପିତାମାତା ଏବଂ ବିଶ୍ଵଶ୍ୱର ବିଶ୍ଵଶ୍ୱରୀ।
ପ୍ର 17. ଆପଣ ସଂସାରୀ କି?
ସଂସାରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ତ ସଂସାରୀ। ଏଥିରେ ଦ୍ୱିମତ ନାହିଁ। ସଂସାର କହିଲେ ମୁଁ, ବାପା ମା ଓ ପରିବାରକୁ ବୁଝାଏ।
ପ୍ର18. ଆପଣଙ୍କର ଦୈନ୍ୟନ୍ଦିନ ଜୀବନଚର୍ଯ୍ୟା କିପରି?
ଉ. ମୁଁ ପ୍ରତିଦିନ ଭଗବାନ ଶିବଙ୍କ ନାମ ଉଚ୍ଚାରଣ କରି ମୋର ଜୀବନ ଚର୍ଯ୍ୟା ଆରମ୍ଭ କରିଥାଏ। ଚବିଶ ଘଣ୍ଟାରେ ଦୁଇ ଓଳା ଖାଏ, ତିନି ଘଣ୍ଟା ଶୁଏ ଓ ଅବଶିଷ୍ଟ ସମୟରେ ଈଶ୍ୱରାଭିମୁଗୀ ହୋଇ ସମାଜ ସେବା କାର୍ଯ୍ୟ ଓ ଲେଖାଲେଖି କରେ।
ପ୍ର19. ଶିବ ବାବା ରୂପେ ଆପଣଙ୍କର ଯୁବ ପିଢୀକୁ ସନ୍ଦେଶ କ’ଣ?
ଉ. ସମାଜରେ ଉନ୍ନତି ଓ ଅଗ୍ରଗତି ଯୁବ ସମାଜ ଉପରେ ନିର୍ଭର କରେ। ଏଣୁ ଯୁବକମାନେ ପିତାମାତାଙ୍କ ସେବା କର୍ମ ପୁଣ୍ୟ ଫଳେ ଆଶୀର୍ବାଦଯୁକ୍ତ ହୋଇ ଈଶ୍ଵରାଭିମୁଖୀ ହୋଇପାରିଲେ ସମାଜରେ ମଙ୍ଗଳ ସାଧନ ହେବ ସଙ୍ଗେ ସଙ୍ଗେ ଉନ୍ନତି ହୋଇ ପାରିବ।
ପ୍ର20. ଛାତଛାତ୍ରୀ ମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ’ ଣ ରହିବ? ପ୍ରତ୍ୟେକ ଛାତଛାତ୍ରୀ ଶିକ୍ଷା ଅଧ୍ୟୟନ ସମୟରେ କେତେକ ଦିଗ ପ୍ରତି ଦୃଷ୍ଟି ଦେବା ବିଧେୟ। ଯଦ୍ୱାରା କି ସେମାଙ୍କର ଭବିଷ୍ୟତ ଜୀବନ ସରସ ସୁନ୍ଦର ହେବ ଓ ଯଶବୃଦ୍ଧି ହେବ। ତାହା ହେଉଛି ସମୟାନୁବର୍ତ୍ତିତା, ପିତୃ ମାତୃ ସେବା, ବିନୟ ଭାବ, ପରୋପକାର, ସତ୍ୟାନୁଶୀଳନ, କର୍ମନିଷ୍ଠ, ଈଶ୍ଵର ବିଶ୍ଵାସ, ଗୁରୁଜନ ସେବା, ଶୃଙ୍ଖଳାଜ୍ଞାନ, ଗୁରୁପୂଜନ, ମହାପୁରୁଷ ମାନଙ୍କର ଜୀବନୀ ଅଧ୍ୟୟନ ଓ ଅନୁଶୀଳନ।

ପ୍ର 21.ଆପଣଙ୍କ ଭବିଷ୍ୟତ କର୍ମ ଯୋଜନା କ’ଣ?
ଉ. ଆଜି ଯାଏ ମୁଁ ନିଜ ଇଛାରେ କିଛି କରି ନାହିଁ। ଯାହା ପରମେଶ୍ୱରଙ୍କ ଇଚ୍ଛା ଓ ନିର୍ଦ୍ଦେଶ ତାହାହିଁ କରିଛି। ତଥାପି ଭବିଷ୍ୟତରେ ବଞ୍ଚିଥିବା ଯାଏଁ ଭବେଶେ ଓ ଭବାନୀଙ୍କ ଗୁଣଗାନ କରି ସମାଜ ସେବାରେ ଆଗେଇ ଚାଲିବି। ପିତା ମାତାଙ୍କ ଗୁଣଗାନ ମୋ ଜୀବନର ବ୍ରତ ହେବ।
ପ୍ର 22 ଅନେକ ଭକ୍ତ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କ ଠାରୁ ବାବା ମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଏପରି ଭକ୍ତଙ୍କୁ ଆପଣ କିପରି ଗ୍ରହଣ କରିବେ?
ଉ. କଳିଯୁଗରେ ପ୍ରକୃତ ବାବା ମିଳିବା କଷ୍ଟ। ମାନବ ରୂପରେ ଦେହ ଧାରଣ କରିଥିବା ବାବା ମାନେ ଈଶ୍ୱରଙ୍କ ଠାରୁ ବଡ଼ ନୁହଁନ୍ତି। ବାବା ମାନଙ୍କୁ ଈଶ୍ୱରଙ୍କ ଠାରୁ ଅଧିକ ମାନ୍ୟତା ଦେବା ମହାପାପ।ବାବାମାନଙ୍କର କର୍ତ୍ତବ୍ୟ ହେଉଛି ଈଶ୍ୱରଙ୍କ ନିକଟକୁ ବାଟ ଦେଖାଇବା, ତା ‘ମାନେ ନୂହେଁ ନିଜେ ଈଶ୍ୱର ହେବା। ଏଣୁ ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମକୁ ବିଶ୍ବାସ ରଖି ଆଗକୁ ବଢିବା ଉଚିତ୍। ପିତା ମାତା ହେଉଛନ୍ତି ଜୀବନ୍ତ ଦେବତା, ପ୍ରତ୍ୟେକ୍ଷ ଦେବତା ଯାହାଙ୍କର କୃପା ପ୍ରାପ୍ତି ହେଲେ ଈଶ୍ଵର ଦର୍ଶନ ମିଳି ପାରିବ।
ପ୍ର23. ଆପଣ ପାଠକଙ୍କ ସ୍ୱୀକୃତିକୁ କିପରି ଭାବେ ଗ୍ରହଣ କରନ୍ତି।
ଉ. ସମସ୍ତ ସ୍ୱୀକୃତିର ଉର୍ଦ୍ଧ୍ଵରେ।

ପ୍ର24 ନିଜ ସାଧନାର ପ୍ରଚାର ପ୍ରସାର ପାଇଁ କେବେ କାହାର ସାହାଯ୍ଯ ଲୋଡ଼ିଛନ୍ତି?
ଉ. ନାଁ
ପ୍ର25. ଆପଣଙ୍କ ପ୍ରିୟ ଖାଦ୍ୟ କ’ଣ?
ଉ. ସାତ୍ତ୍ଵିକ ଭୋଜନ ଓ ଫଳ ମୂଳ ଆହାର ତଥା ପରିବାରେ ତିଆରି ଯକୌଣସି ଭଜା।
ପ୍ର 26. ଆପଣଙ୍କର ପ୍ରିୟ ରଙ୍ଗ?
ଉ. ନାଲି ଓ ହଳଦିଆ।
ଆପଣ କାହାକୁ ବେଶୀ ଭଲ ପାଆନ୍ତି?
ଉ. ଜନ୍ମଦାତା ଓ ଜନ୍ମଦାତ୍ରୀ।
ପ୍ର 27. ଆପଣଙ୍କ ଦୃଷ୍ଟିରେ ଜୀବନର ଅର୍ଥ କ’ ଣ?
ଉ. ଜୀବନର ପ୍ରକୃତ ଅର୍ଥ ହେଉଛି ସମୟର ସଦୁପଯୋଗ କରିବା।
ଆପଣଙ୍କ ମୂଲ୍ୟବାନ୍ ସମୟ ଓ ସାରଗର୍ଭକ ଉତ୍ତର ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ

ବାଲ୍ଯ ଜୀବନ ଓ ଧୂଳି ଖେଳ ତଥା କୈଶୋରର ଚପଲଳମୀ

ପଣ୍ଡିତଙ୍କ ବାଲ୍ଯ ଜୀବନ ବଡ଼ ଦୁର୍ବିସହ ଥିଲା। ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ପେଟକୁ ଦୁଇ ଓଳା ଭଲରେ ଗଣ୍ଡେ ଖାଇବାକୁ ନଥିଲା। ପୁଣି ଛଅ ଗୋଟି ଶିଶୁ ସନ୍ତାନକୁ ନେଇ ପିତା ଭୈରବ ଚନ୍ଦ୍ରଙ୍କ ପରିବାର ଥିଲା ଖୁବ୍ ବଡ଼। ତେଣୁ ପୁଷ୍ଟିକର ଖାଦ୍ୟ କଥା ଛାଡ଼ନ୍ତୁ ଗଣ୍ଡେ ଖାଇ ଦଣ୍ଡେ ଜିଇଁବା ଥିଲା ଜୀବନ। ପିଲାବେଳେ ଖାଦ୍ୟ ପ୍ରତି ବିଶେଷ ଲୋଭ ରଖୁଥିବା ଶିବ ବାବାଙ୍କୁ କିନ୍ତୁ ସେଥିରେ ଫରକଟା ବେଶ୍ ଜଣାପଡୁଥିଲା। ତଥାପି ଭାଇ ଭଉଣୀମାନଙ୍କ ଗହଣରେ ହସି ଖେଳି ଜୀବନ ବେଶ୍ ଆନନ୍ଦରେ ବିତି ଯାଉଥିଲା। ପୁଣି ଗାଁ ସାଙ୍ଗ ସାଥି ସହିତ ନସର ପସର ହେଉ ହେଉ ବେଳ ଅଣ୍ଟେ ନାହିଁ କି ସୁଖ ସରେ ନାହିଁ। ସକାଳୁ ସଞ୍ଜ ଯାଏଁ କେମିତି ସମୟ କଟି ଯାଉଥିଲା ଜଣା ପଡୁନଥିଲା। ସଞ୍ଜ ନଇଁ ଆସିଲା ବେଳକୁ ମାଆ କୋଡ଼ରେ ମୁଣ୍ଡ ରଖି ଶୋଇ ଯାଉଥିଲା। ଆରମ୍ଭ ହୋଇଯାଉଥିଲା ବୁଢୀ ଅସୁରୁଣୀ ଠାରୁ ଆରମ୍ଭ କରି ପରି କାହାଣୀ, ସାହାଡ଼ା ସୁନ୍ଦରୀ ଓ ମହାପୁରୁଷ ମାନଙ୍କର ଜାବନୀ ଗାଥା ଯାଏଁ କେତେ କ’ଣ ଗଳ୍ପ ସମ୍ଭାର । ଗଳ୍ପଟା ଶେଷ ହେବା ପୂର୍ବରୁ ନିଦଟା ଘୋଟି ଆସିଥାଏ। ମାଆ ରନ୍ଧା ବଢା ସାରି ଆସି ମୁଣ୍ଡ ପାଖରେ ବସେ। କହେ – “ବାବୁ! ଉଠ୍ ଖାଇବୁ।” “ଉଁ.. ଖାଇବି ନାହିଁ” – କହି ଶୋଇ ପଡେ। ମାଆ ବାଧ୍ୟ କଲାଠୁଁ ବିରାଟ ରଡି ଛାଡେ। ମାଆ ମନ ଶଙ୍କି ଯାଏ। ପିଲାଟି ଘୁମେଇ ଶୋଇ ପଡେ। ବୋଧହୁଏ ସଂଜୁଆ ଖାଇଥିବା ଦୋହରା ଭାତ ଏପର୍ଯ୍ୟନ୍ତ ପେଟରୁ ହଜମ ହୋଇ ନଥାଏ। ପୁଣି ସକାଳ ହେଲେ ଭାରି ଭୋକ। ଗିରାସେ ପେଟରେ ଠୁଙ୍କି ଦେଇ ଖେଳ କୁଦରେ ମାତିଯାଏ। ଆରମ୍ଭ ହୋଇଯାଏ କଣ୍ଢେଇ ବାହାଘର ଓ ତାହାରି ଭିତରେ ଜୀବନର ଅସୁମାରି ସ୍ଵପ୍ନ। ଏବେ ବି ମନେ ପଡ଼ନ୍ତି ଗାଁର ସେଇ ଖେଳ ସାଥି କୈଳାଶ, ଅଭୟ, ସଞ୍ଜୟ, ପଦ୍ମା, ଉଦାସିନୀ, ସାବିତ୍ରୀ, ବିଜୟ, ବଂଶୀଧର, ସତ୍ୟ ନାରାୟଣ, ପ୍ରଫୁଲ୍ଲ, ପ୍ରହଲ୍ଲାଦ ଓ ଆହୁରି କେତେ କିଏ। ବାସ୍ତବରେ ପିଲା ବେଳ ଧୂଳି ଘର ଜୀବନର ସେଇ କେଇଟି ମୁହୂର୍ତ୍ତ ଅଭୁଲା ତା ‘ସ୍ମୃତି। ଯାହା ବିସ୍ମୃତ ପ୍ରାୟ ହେଲେ ମଧ୍ୟ ଭୂଲି ହୁଏନା। ଶିବ ବାବା କୁହନ୍ତି ତାଙ୍କର ବୋଉ ବୋଉକା ବାଗୁଡ଼ି ଖେଳ ଓ କିତିକିତିକା ଖପରା ଡିଆଁ ଖେଳ କୁଆଡେ ଭାରି ପ୍ରିୟ ଥିଲା। ସେଥିରେ ସେ କୁଆଡେ ଭାରି ସିଦ୍ଧିହସ୍ତ। ତେଣୁ ଅପରପକ୍ଷରେ ଥିବା ସମସ୍ତ ଖେଳ ସାଥୀଙ୍କୁ ପରାଭବ ଓ ପରାଜିତର ଗ୍ଲାନି ଭୋଗିବାକୁ ପଡୁଥିଲା।
ଆପଲକେ ସେହି ମଧୁର ମୁହୂର୍ତ୍ତ ଗୁଡାକ କୁଆଡ଼େ ଉଭେଇ ଗଲା। ଚାହୁଁ ଚାହୁଁ ଆରମ୍ଭ ହୋଇଗଲା କୈଶୋର ଓ କୈଶୋରର ଚପଳାମୀ। ଯେତିକି ଦୁଷ୍ଟାମି ଓ ନଟଖଟି ଠିକ୍ ଏଇ ସମୟରେ ।ଏଇ ଯେମିତି ସେଦିନ ନନା (ମାନଗୋବିନ୍ଦ) ଚାପୁଡ଼ାଟାଏ ମାରି ଦେବାରୁ କି ଦେଖିବ କାନ୍ଦ ବୋବାଳି। କାନ୍ଦି କାନ୍ଦି ଧୂଳିରେ ଗଡିଗଲେ। ଯେତେ ଯିଏ ବୋଧ କଲେ ଜମାରୁ ଶୁଣିଲେ ନାହିଁ। ମାଆ ଯାହା କୋଳକୁ ନେଲାଠୁଁ ତୁନି ହେଲେ। ବଡ଼ ଅଜବ ସେ ପିଲା ଦିନ, ଏବେବି ମନେ ପଡ଼ିଲେ ହସି ପକାନ୍ତି ଶିବ ବାବା। ପୁଣି ଜଣେ ବହିର ମଲାଟ ଧରି ଟାଣି ଚିରି ଦେବାରୁ କି ଦେଖିବ ଭେମା ରଡି। ଏଇମିତି କେତେ କ’ଣ ଅତୀତ ସ୍ମୃତି, କିନ୍ତୁ ଭାରି ମଧୁର ସେ ସ୍ମୃତି।
ଦିନକର କଥା ଗୋଟି ଡ଼ାବୁଳ ଖେଳୁ ଖେଳୁ ଗୋଟି ଯାଇ ବାଜିଲା କୈଳାସ ମୁଣ୍ଡରେ, ଅତର୍ଚ୍ଛା ସେ କିଂ କର୍ତ୍ତବ୍ୟ ବିମୂଢ ହୋଇ ହାବୁଡି ପଡିଲା ଗୋରୁ ବନ୍ଧା ଖୁଣ୍ଟିଠିଁ। ଭାଙ୍ଗି ଗଲା ତା’ ର ହାତ। ମାଡ ଫଳିଲା ଶିବ ବାବାଙ୍କ ପିଠିରେ। ମାଆ ଯେତିକି ଆକଟ କରି କଥା କହିଲେ ତହିଁରୁ ଅଧିକ ପିଟିଲେ। ଅନ୍ୟ ପିଲାର ବରଂ ଦୋଷ ଥାଉ ନିଜ ପିଲାକୁ ମାଡ ଗାଳି ଦେଇ ଆକଟ କରନ୍ତି ବାପା ମାଆ ମାନେ, କାରଣ ମନରେ ଭୟ କାଳେ ପିଲାଟି ଭବିଷ୍ୟତରେ ବିଗିଡି ଯିବ କି। ପିଲାମାନଙ୍କର ବାପା ମାଆ ପ୍ରତି ମଧ୍ଯ ଥିଲା ଅହେତୁକ ଭକ୍ତି। ଏବର କଥା ନକହିଲେ ଭଲ। ସେ କାଳ ଏ କାଳେ ନାହିଁ। ଏବେ ଏମିତି ଘଟଣା ଘଟିଲେ ହେବ ଖଣ୍ଡ ପ୍ରଳୟ ଓ ତୁମୁଳ କାଣ୍ଡ। ଦୁଇ ପରିବାର ଭିତରେ ଲାଗିଯିବ ମହାଭାରତ। ଛାଡ଼ ଏ ସବୁ କଥା। ଆଉ ଗୋଟେ କଥା ଉତ୍ଥାପନ କରିବା ବରଂ ଭଲ।
ଅନେକ ସମୟରେ ଟିକିଏ କାମରୁ ଫୁରୁସତ୍ ପାଇଲେ ଗାଁରେ ଥିବା ସ୍ତ୍ରୀଲୋକମାନେ ତାଙ୍କ ପିଣ୍ଡାରେ ଏକାଠି ହେଉଥିଲେ। ସେମାନଙ୍କ ଭିତରେ ଥାଆନ୍ତି କାଳୀ ବଡ଼ମା,ଚମ୍ପା ବୁଢୀମା, ହାଡ଼ିମା ଓ ଗୁର ଖୁଡୀ ମାନେ। ଆରମ୍ଭ ହୋଇ ଯାଏ ହସର ଫରୁଆ। କଥାରେ ଖିଅ ଯାଇ କେଉଁଠି ଲାଗି ଯାଏ ତାହାର ହିସାବ ରଖି ହୁଏ ନାହିଁ। ଖାଲି ହସାହସି ହୋଇ କମ୍ପାନ୍ତି। ହସର ଜୁଆର ଛୁଟେ ଓ ଆନନ୍ଦର ଲହରୀ ଖେଳେ। ଶିବ ବାବା ପିଲା ଲୋକ। ସେ ଭଲ ଲହରେଇ ଗୀତ ଗାଇ ପାରୁଥିବାରୁ ତାକୁ ପାଖକୁ ଡାକି କାନ୍ଦଣା ଗୀତ ଗାଇବାକୁ କହନ୍ତି।

ସେ ମଧ୍ୟ ବଡ଼ ଉତ୍ସୁକତାର ସହିତ ଗାଆନ୍ତି। ହେଲେ ଦିନେ ଏତେ ଜୋହରରେ ତଣ୍ଟି ଫଟାଇ କାନ୍ଦଣା ଗୀତ ଗାଇଲେ ଯେ  ପାଖ ପଡୋଶୀ କ’ଣ ଘଟିଗଲା ବୋଲି ଭାବି ଦୌଡ଼ି ଆସିଲେ। ତାଙ୍କ ସ୍ଵର ସହ ସ୍ଵର ମିଶାଇ ସ୍ତ୍ରୀ ଲୋକମାନେ ମଧ୍ଯ କାନ୍ଦିବାକୁ ଲାଗିଲେ। କିଏ ମରିଗଲା ବୋଲି ଭାବି ନନା ସମତେ ଅନ୍ୟମାନେ ମଧ୍ୟ ଧାଇଁ ଆସିଲେ। କାନ୍ଦଣା ଗୀତଟି ଠିକ୍ ଏମିତି କିଛି ଥିଲା ଯେମିତିକି – “କେତେ ଗେହ୍ଲ ବସରରେ ବଢେଇଥିଲୁଲୋ ବୋଉ!, ଝିଅ ଝିଅ ବୋଲି କାହାକୁ ଡାକିବୁ ଲୋ ବୋଉ! ଖାଇ ନଥିଲେ ଖୁଆଇ କିଏ କୋଳେ ବସେଇବ ଲୋ ବୋଉ!” ଘଟଣାଟି ହଠାତ୍ କେହି ସିନା ବୁଝି ପାରିଲେ ନାହିଁ, ହେଲେ କାନ୍ଦ ବୋବାଳି ତୁନି ପଡ଼ିବା ପରେ ବୁଝାପଡିଲା ଯେ ଏ ସବୁ କିଛି ନୂହେଁ ବରଂ ଶିବ ବାବାଙ୍କର ନାଟକବାଜି। ତେଣୁ ନନା ଭୀଷଣ ରାଗିଗଲେ ଓ କାଠ ଫାଳଆ ଧରି ଗୋଡାଇ ଆସିବାରୁ ପିଲାଟି ମାଡ ଭୟରେ କୁଆଡେ ଲୁଚି ଗଲା ଯେ ଲୁଚି ଗଲା ସନ୍ଧ୍ୟା ଯାଏଁ ଘରକୁ ମୋଟେ ଫେରିଲାନି। ସମସ୍ତେ ବ୍ୟସ୍ତଆସ୍ତ ହେବାରୁ ଓଳି ପଛପଟୁ ବାହାରିଲେ। ସେଇ ନନା ପୁଣି ବୁଝାଶୁଝା କରି ଖୁଆଇଲେ।
ଆଉ ଦିନକର ଘଟଣା। ଶୀତ ଦିନିଆ ସଂଜୁଆ ରାତି। ଅବଧାନ ପାଖରୁ ଫେରୁଥାଏ ପିଲାଟି। ଜାଡର ପ୍ରକମ୍ପ ସହି ହେଉନଥାଏ। ହଠାତ୍ ତିନି ଚାରିଟା କୁକୁର ଛୋଟ ପିଲା ଏକୁଟିଆ ଦେଖି ଖେଦି ଆସିଲେ। ଭୟଙ୍କର ରଟାସିଆ ଚାହାଣି, ଭୂକୁଥାନ୍ତି – ଭୋ ଭୋ ଭୋ…। ପିଲାଟିର ଭୟରେ ଜୀବନ ଛାଡ଼ି ଯାଉଥାଏ। ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥାଏ। ଶେଷରେ ଅନନ୍ୟୋପାୟ ହୋଇ ନିକଟସ୍ଥ ଦଳ ଓ କଦର୍ମାକ୍ତ ହାଡ଼ି ଗଢିଆକୁ ଡେଇଁ ପଡି ଆଗ ପେଟେ ଖଣ୍ଡ ପାଣି ପିଇ ଗଲେ, ତା, ପରେ ‘ବୋଉଲୋ ମରି ଗଲି’ ବୋଲି ଚିତ୍କାର କରିବାରୁ ପାତ୍ର ସାହିରୁ ଲୋକ ଆସି ଉଦ୍ଧାର କଲେ। ଆଉ ଟିକିଏ ବିଳମ୍ବ ହୋଇଥିଲେ ପ୍ରାଣବାୟୁ ଅଚିରେ ଉଡିଯାଇଥାନ୍ତା।

ପୁଣି ସାହିରେ ଏହି ଗେଡ଼ିମା କୁଆଡେ ତାଙ୍କର ଭାରି ପ୍ରିୟ। ତାଙ୍କରି ପଛରେ ସେ ଖାଲି ଲାଗିଥାନ୍ତି। ସେ ଚିଡିକି ହୁତାସନ ।ଖାଲି ଛେଚିକୁଟି ହୋଇ ବାଇଶି କୁଟା ହେଉଥାନ୍ତି। ଇଏ ତ ନଟଖଟି ନାରଦ ଚିଡ଼େଇବାରେ ଓସ୍ତାଦ। ସେଇ ଗେଡ଼ିମା ପଛରେ ଦିନରାତି ଘିରିଘିରି ହୋଇ ଘୂରୁଥାନ୍ତି। ଆଉ ଛିଗୁଲେଇକି ଚିଡ଼େଇ କୁହନ୍ତି – “ଜାଣିଚୁ ନା ଭାଇ ଶୁଣୁଚୁନା ଏଣିକି ଗେଡ଼ିମା ଯାଇଚୁନା” ।ଏଇମିତି ସୁମଧୁର ସବୁ ସେହି ସ୍ମୃତି। ସେ ସବୁକୁ ହୁଏତ ସମୟ ବାନ୍ଧି ରଖିପାରେ ନାହିଁ। ହେଲେ ହଠାତ୍ ଆଜି କାହିଁକି କେଜାଣି ସେ ଗେଡ଼ିମା କଥାଟା ମନେ ପଡିଯିବାରୁ ଚିବୁକ ଦେଇ ଆଖିରୁ ଦୁଇ ଧାର ଲୁହ ନିଗିଡି ପଡ଼ିଲା। ସବୁ ହେଉଛି ସେଇ ସମୟର ଖେଳ।
ଆଜି ପୁଣି କାହିଁକି କେଜାଣି ମନେ ପଡିଯାଉଛି ଭଉଣୀ ମାନଙ୍କ କଥା। ଦିନକର କଥା ଭଉଣୀ (ଜୟନ୍ତୀ, ମିନତୀ ଓ ସରସ୍ଵତୀ) ମାନଙ୍କ ସହିତ ଖେଳୁଥାଏ। ସେମାନେ ଦାଣ୍ଡ ପିଣ୍ଡାରେ ବସି କାଇଁଚ କେନ୍ଦା କେନ୍ଦୁଥାନ୍ତି ଓ ଆଉ କେହି କେହି କାଇଁଚରେ ମାଣ ପାଛିଆ ଓ ଫୁଲ ବୁଣୁଥାନ୍ତି। ହଠାତ୍ ସାତ /ଆଠଟା ମାଙ୍କଡ଼ ଧାଇଁ ଆସିଲେ। ଯିଏ ଯୁଆଡେ ପାରିଲେ ଧାଇଁ କି ଘଟଣାସ୍ଥଳରୁ ପାର। ବାକି ରହିଗଲା ଦାଣ୍ଡ ପିଣ୍ଡାରେ ପିଲାଟି। କାହାରି ତା କଥା ହୋସ୍ ରେ ନଥାଏ। ଗୋଟାଏ ମାଙ୍କଡ଼ ପଟାସ ପଟାସ କରି ତା ଗାଲରେ କଷି ଦେଲେ କେଇ ଗୋଟି ଚାପୁଡ଼। ସେଇଟା ବୋଧେ ମାଙ୍କଡ଼ ସର୍ଦାର। ପୁଣି ନଖରେ ଛାତିକୁ ବିନ୍ଦାରି ଦେଲା ଯେ ପିଲାଟି ଚିରାଡି ଛାଡ଼ି କାନ୍ଦି ଉଠିଲା। ମାଆ ଘର ଭିତରୁ “ବାବୁ କାହିଁ “କହି ହାତରେ ଠେଙ୍ଗା ଧରି ଆସିଲାରୁ ମାଙ୍କଡ଼ ଛାଡ଼ି ପଳାଇଲା। ବିଚରା ଅଳ୍ପକେ ମାଙ୍କଡ଼ ଦାଉରୁ ରକ୍ଷା ପାଇଗଲା। ଯାହାକୁ ରଖିବ ଅନନ୍ତ କି କରି ପାରେ ବଳବନ୍ତ। କିନ୍ତୁ ଏହି ବେପରୁଆ କାରଣରୁ ସେଦିନ ପ୍ରଚଣ୍ଡ ଗାଳି ବର୍ଷିଥିଲା ଭଉଣୀମାନଙ୍କ ଉପରେ।

ଆଉ ଗୋଟେ କଥା ଏଠାରେ ଉଲ୍ଲେଖ ନକଲେ ଲେଖାଟି ଅଧା ଅଧୁରା ହୋଇ ରହିଯିବ। କଥାଟି ହେଉଛି ପିଲାବେଳେ ସେ ଗୋଟେ ସର୍ବଗ୍ରାସୀ ପ୍ରାଣୀ ଥିଲେ। ଯା ପାରି ତାହା ପାଉଥିଲେ ଖାଇ ଯାଉଥିଲେ, ସତେ କି ଯେମିତି କାଳ ଗ୍ରାସିଛି। ଦିନକୁ ଆଠ ଦଶ ଥର ଖାଇ ମଧ୍ୟ ଭୋକ ମେଣ୍ଟୁନଥିଲା। ବହୁ ଗୁଣୀ ଗାରେଡ଼ିର ସହାୟତା ନେଲା ପରେ ମଧ୍ୟ ଘଟଣାର କିଛି ଉପଶମ ନହେବାରୁ ଥରେ ଜଣେ ସାଧୁଙ୍କର ପରାମର୍ଶ ଲୋଡ଼ା ଯାଇଥିଲା। ତାଙ୍କ ପରମର୍ଶ କ୍ରମେ ମହୁରାଳି ମାଛ ଠାରୁ ଆରମ୍ଭ କରି ପ୍ରାୟତଃ ବିଭିନ୍ନ୍ ପ୍ରକାରର ସୁଆଦିଆ ତିଅଣ ଓ ବହୁ ପରିମାଣରେ ଖାଦ୍ୟ ପଦାର୍ଥ ରୋଷେଇ କରି ଦାଣ୍ଡରେ କଦଳୀ ପତ୍ର ଉପରେ ତାଙ୍କୁ ପରସି ଦିଆ ଯାଇଥିଲା। ସେଦିନ ଏତେଗୁଡିଏ ଖାଦ୍ୟ ପଦାର୍ଥ ଏକତ୍ର ଦେଖି ଉତ୍କଣ୍ଠାର ସହ ସେ ଆଗ୍ରହାଣ ଆକଣ୍ଠ ଭୋଜନ କରିଥିଲେ। ଯାହା ବଳକା ଖାଦ୍ୟ ପଦାର୍ଥ ରହିଥିଲା ତାହାକୁ ପତ୍ରରେ ଗୁଡାଇ ଶଙ୍ଖାମାରି ପୋଲ ନିକଟସ୍ଥ ଏକ କାନକୋଳି ବୁଦା ମୂଳେ ପୋତି ଦିଆ ଯାଇଥିଲା।

ସେହିଦିନୁ ପଣ୍ଡିତ ମହାପାତ୍ରଙ୍କର ଖାଦ୍ୟ ପ୍ରତି ଏକରକମର ବିକାର ଆସିଯାଇଥିଲା। ଏଣିକି ଆଉ ଖାଦ୍ୟ ଲୋଭ ନାହିଁ। ଏବେ ତ ମୋଟେ ନାହିଁ। ଦିନକୁ ମାତ୍ର୍ ଦୁଇ ଓଳା। ତାହା ପୁଣି ଶାକଶବଜି ନହେଲେ ଫଳମୂଳ। ସେହି ସେତିକିରେ ଉଦର ଭରେ, ପରିତୃପ୍ତିରେ ଅନ୍ତର ଭରିଉଠେ ।ଏହିପରି ମଣିଷ ଜୀବନରେ କେତେବେଳେ କେଉଁ କଥା, ଭାବି ବସିଲେ ଅନେକ କଥା। ତେଣୁ ଏଇଠି ମାରିବା ଥୁକୁଲ।
ଯୌବନ
———–
ସବୁ ହେଲା ଯେ ହେଲେ ଅସଲ କଥାକୁ ଆମେ ଏ ଯାଏଁ ଆସି ନାହୁଁ। ଅସଲ କଥାଟା ହେଲା ଯୁବା କାଳ। ଯୁବା ବୟସ ହେଉଛି ମଣିଷ ଜୀବନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୈଭବ। ଯାହା ପ୍ରଚଣ୍ଡ ଉଦ୍ଦାମତା ଓ ଉଦ୍ଦୀପନାରେ ଭରପୂର। ଶିବ ବାବା କହନ୍ତି ତାଙ୍କର ପ୍ରଚଣ୍ଡ ଅଧ୍ୟୟନ ପିପାସା ଓ ପଠନ ନିଶା ଯୋଗୁଁ ତାଙ୍କ ଯୌବନ କେଉଁଆଡ଼େ ହଜି ଯାଇଥିଲା। ତେଣୁ ତାହାର ସଠିକ୍ ହିସାବ ସେ ରଖି ପାରି ନାହାଁନ୍ତି।

ଅଧୟନ ଓ ଅଧ୍ୟବସାୟ 

ନିଶ୍ଚୟ ପଢ଼ନ୍ତୁ-ଉଲ୍ଲସିତ ହୋଇପାରନ୍ତି, କାରଣ ଅତୀତ ଉଜାଗର ହେଲା ଭଳି କିଛି..

ପିଲା ବେଳ ଧୂଳିଘର ପରି ମାନବ ଜୀବନରେ ଆହୁରି ଗୋଟିଏ ସୁନ୍ଦର ମୁହୂର୍ତ୍ତ ରହିଛି, ଯାହା ସ୍ମୃତି ଭାଲ ପଟେ ଉଇଁକି ଉଠେ ।ତାହା ହେଉଛି ପିଲାବେଳ ପାଠପଢ଼ାର ସୁନ୍ଦର ମୁହୂର୍ତ୍ତ ।ଅବଧାନଙ୍କ ବେତ୍ରାଘାତ ଓ ସିଲଟରେ ଖଡ଼ି ଗାରରୁ ଜୀବନ ଆରମ୍ଭ ହୋଇ ଲମ୍ବି ଯାଇଥାଏ ବିଶ୍ଵ ବିଦ୍ୟାଳୟ ଯାଏଁ। ଯାହା ମଧ୍ୟ ଘଟିଥିଲା ପଣ୍ଡିତ ମହାପାତ୍ରଙ୍କ କ୍ଷେତ୍ରରେ। ସେଇଥିରୁ ସାଉଁଟି ଆଣି ପରସି ଦେବା ଅଳ୍ପ କେତୋଟି।
ଛୋଟ ଶିଶୁଟିଏ ଚିରାଡି ଛାଡ଼ି କାନ୍ଦି ଉଠିବା ପରେ ଧୀରେ ଧୀରେ ତା’ର ଚେତନା ଶକ୍ତିର ଉଜାଗର ହୁଏ। ସେ କ୍ରମଶଃ ଆଗକୁ ବଢେ। ପ୍ରଥମେ ସେ ବାପା ମାଆ, ପରିବାର ଗୁରୁଜନ ଓ ସାମାଜ ଠାରୁ ନାନା କଥା ଶିକ୍ଷା ଲାଭ କଲା ପରେ ଓ ବୟଃପ୍ରାପ୍ତ କଲା ପରେ ସେ ବିଦ୍ୟାରମ୍ଭ କରେ। ସେଇ ଧାରାରେ ସେଦିନ ମଧ୍ୟ ପଣ୍ଡିତ ମହାପାତ୍ର ଅବଧାନ ସ୍ଵର୍ଗତଃ ବାଇଧରଙ୍କ ପାଖକୁ ଯାଇ ଫଳା, ସଂଖ୍ୟା ଓ ଶ୍ରୁତ ଲିଖନ ସହିତ କଡା, ଗଣ୍ଡା, କାହାଣ, ପଣ ଆଦି ସମ୍ପର୍କରେ ବେଶ୍ କିଛି ଜ୍ଞାନ ଆହରଣ କରିଥିଲେ, ଯାହା ଭବିଷ୍ୟତ ପାଇଁ ପକାଇଥିଲା ମୂଳଦୁଆ।
ପରେ ନିକଟସ୍ଥ ବ୍ରାହ୍ମଣ ଗାଁ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖିଲା ପରେ ଆରମ୍ଭ ହୋଇଥିଲା ବିଧିବଦ୍ଧ ଭାବେ ଅଧୟନ ପର୍ବ। ସେଇଠି ଥିଲେ ପ୍ରଧାନ ଶିକ୍ଷକ ରମେଶ ସାହୁ, ରବି ସାର୍ (ରାଗି), ବୁଢ଼ା ସାର୍ (ରତ୍ନାକର ମହାନ୍ତି) ଆଉ ପଦ୍ମ ଲୋଚନ ଦଳେଇ ସାର୍ ଯେଉଁମାନେ କି ପିଲାଟିକୁ ଖୁବ୍ ଭଲ ପାଉଥିଲେ ତା’ର ବିଦ୍ ବତ୍ତା ଓ ପ୍ରଚଣ୍ଡ ଧୀଶକ୍ତି ପାଇଁ। ସେ ପିଲାଟି ଦିନରୁ ଯେ ଖୁବ୍ ଶାନ୍ତ ସରଳ ଥିଲେ ସେ କଥା ନୂହେଁ, ବରଂ ଅନ୍ୟ ପିଲା ପରି ସେ ଥିଲେ ବେଶ୍ ନଟଖଟି।
ଦିନକର କଥା କଲମ ପ୍ରତି ଲୋଭ ସମ୍ବରଣ ନକରି ପାରି ସେ ଗୁରୁଜୀ ବାଇଧର ସାରଙ୍କ କଲମ ଦ୍ୱୟକୁ ସନ୍ତର୍ପଣ ସହକାରେ ଖେଳଛୁଟି ବେଳେ ଚୋରାଇ ବର ଗଛ ସିଙ୍କଡ ତଳେ ଲୁଚାଇ ରଖିଥିଲେ। ଉତ୍ତମ ମଧ୍ୟମ ଦିଟା ବସିବାରୁ ସବୁ ସତ କଥା କହି ପକାଇ ଥିଲେ।

ଘଟଣାକ୍ରମଟି ଠିକ୍ ଏମିତି। ପଣ୍ଡିତ ମହାପାତ୍ର ସିନା କଲମ ଦୁଇଟି ଚୋରେଇ ନେଲେ, ହେଲେ ଯେଉଁ ଗୁରୁଜୀଙ୍କୁ ଏହି ନାଲି ଓ ନୀଳା ରଙ୍ଗର କଲମ ଦୁଇଟି ଭାରି ପ୍ରିୟ ଥିଲା ସେ ବ୍ୟସ୍ତ ହୋଇପଡ଼ି ଏଣେତେଣେ ଧାଇଁବାକୁ ଲାଗିଲେ। ଗୋଟି ଗୋଟି କରି ସମସ୍ତ ପିଲାଙ୍କୁ ପଚାରିଲେ। କେହି ମାନିଲେ ନାହିଁ। ଶେଷରେ ଅଫିସ ଘରେ ଅନ୍ୟ ଶିକ୍ଷକ ବନ୍ଧୁଙ୍କୁ ନେଇ ବୈଠକ ବସିଲା। ବୈଠକରେ ନିଷ୍କର୍ଷ ବାହାରିଲା – ପିଲାମାନଙ୍କ ଭିତରୁ ନିଶ୍ଚୟ କେହି ଜଣେ ନେଇଛି, ଶାସନର ଆବଶ୍ୟକତା ଅଛି। ଶାସନ ଭାର ନେଲେ ପ୍ରଚଣ୍ଡ କ୍ରୋଧି ରବି ସାର୍। ରବି ସାର୍ ରାଗ ଗରଗର ହୋଇ ଶ୍ରେଣୀରେ ପ୍ରବେଶ କଲେ। ଜଣକ ପରେ ଜଣକୁ ନିସ୍ତୁକ ମାଡ ମାଇଲେ। କବଲେଇକି ପଚାରିଲେ – “କିଏ ସେ ନେଇଛ ସତ କଥା ମାନିଯାଅ, ନୋହିଲେ ଆହୁରି ନିର୍ମମ ମାଡ ହେବ। ତାଙ୍କ ଡରା – ହାଲ୍ଲାରେ ସମସ୍ତେ ଛାନିଆ। ସେ ମାଡ଼ ଏତେ ଭୟଙ୍କର ଥିଲା ଯେ ଦୟାର୍ଦ୍ର ଚିତ୍ତ ପଦୁ ସାର୍ ଏ କଥା ସହଜରେ ସହ୍ୟ କରି ପାରିଲେ ନାହିଁ। ଶ୍ରେଣୀ ଗୃହ ମଧ୍ୟକୁ ଧସେଇ ପଶି ଆସିଲେ, ନିଜେ କାନ୍ଦି ପକାଉ ପକାଉ କହିଲେ -” ମୋର କଲମ ଦରକାର ନାହିଁ ପଛେ, ହେଲେ ଆପଣ ଏ ପିଲାମାନଙ୍କୁ ଏମିତି ବାଡନ୍ତୁ ନାହିଁ “। ରବି ସାର୍ ଅଫିସକୁ ଫେର୍ ଆସିଲେ। ଘଟଣାଟି ସରିଗଲା। ସମସ୍ତେ ନୀରବ। ଏକ ସନ୍ନଟା ଛାଇଗଲା।
ସେପଟରେ କିନ୍ତୁ ପଣ୍ଡିତଙ୍କ ଭାବନା ରାଜ୍ୟରେ କେତେ କ’ଣ ଭାବାନ୍ତର ସ୍ରୁଷ୍ଟି ହେଉଥାଏ। ସେ ଭାବିବାକୁ ଲାଗୁଥାନ୍ତି – “ମୁଁ ଭୁଲ୍ କରିଦେଲି, ଯେଉଁଥିପାଇଁ କି ଅନ୍ୟମାନଙ୍କୁ ମାଡ ପଡ଼ିଲା”। ପୁଣି ଭାବୁଥାନ୍ତି -” ମୁଁ ଚୋର ।ସମସ୍ତେ ଯେମିତି ମୋତେ ଚୋର ଚୋର ଡାକୁଛନ୍ତି” । ଚୋର ମନ ତ ଚୋର ଗଣ୍ଠିଲିରେ, ତେଣୁ ନିଜକୁ ନିଜେ ପ୍ରଶ୍ନ କରେ -” ଅନ୍ୟମାନେ କଣ ମୋର ଲୁଚକୁଛ ମନୋଭାବ ଦେଖି ମୋତେ ଚୋର ବୋଲି ଠହରେଇ ସାରିଲେଣି? ତେବେ କ’ଣ ସତରେ ମୁଁ ଚୋର? ମୋର ତ ଖାଲି କଲମଠିଁ ମନ, ମୁଁ କାହିଁକି ଚୋର ହେବି?
ଶେଷରେ ମନକୁ ନିଷ୍ପତ୍ତି ଆସେ। କାନ୍ଦି କାନ୍ଦି ସେ ଅଫିସ୍ ରୁମକୁ ଧାଇଁଲା। କହିଲା -” ସାର୍! ମୁଁ ଚୋର , ମୁଁ ଭୁଲ୍ କରିଛି – କଲମ ଚୋରି କରି, ମୋତେ ଶାସ୍ତି ଦିଅନ୍ତୁ ।ମୁଁ କଲମ ପ୍ରତି ମୋର ଲୋଭ ସମ୍ବରଣ କରି ପାରିଲି ନାହିଁ – ଭୂଲ କଲି, କ’ଣ କରିବି ଗରିବୀ ଘରର ପିଲା ତ, ଝର କଲମ ଖଣ୍ଡେ ମୋ ଭାଗ୍ୟରେ ନାହିଁ “। ସାର୍ ବି କୋହ ସମ୍ଭାଳି ପାରିଲେ ନାହିଁ, ପିଲାଟିକୁ ବୋଧ ଦେଉ ଦେଉ ନିଜେ ବି ଭୋ ଭୋ ହୋଇ କାନ୍ଦି ଉଠିଲେ। କହିଲେ -” ତୁ ଚୋର ନୂହେଁ ।ତୋର କଲମ ପ୍ରତି ଏହି ଦୁର୍ବଳତା ତୋତେ ଦିନେ ବଡ଼ କରିବ। ଆଜିଠାରୁ ଏ କଲମ ଦୁଇଟି ତୋର। ହେଲେ ବାବୁରେ! ତୁ କେବେ ବି ଚୋରି କରିବୁ ନାହିଁ। ମୋ କଥା ସବୁଦିନେ ମନେ ରଖିଥିବୁ “।
ସେତିକିରେ ସେଦିନର ସମସ୍ତ ଘଟଣାର ପୂର୍ଣ୍ଣଛେଦ ପଡିଲା। ଘଟଣାଟି ଥିଲା ତୃତୀୟ ଶ୍ରେଣୀର। ପଣ୍ଡିତଙ୍କ ମନରୁ ଛାଡ଼ିଗଲା ଲୋଭ ମୋହ ଭାବ। ହେଲେ ଚୌର୍ଯ୍ଯ ବୃତ୍ତି କି ସହଜରେ ଛୁଟେ ? ଚୌର୍ଯ୍ଯ ହେଉଛି ଦରିଦ୍ରତାର ଭୋକ ଓ ପରିସ୍ଥିତିର ଆହ୍ଵାନ।
ତେଣୁ ପୁଣି ଘଟଣାର ପୁନରାବୃତ୍ତି ଘଟିଲା। ପରିସ୍ଥିତି କିନ୍ତୁ ଭିନ୍ନ। ଏଥରକ ଚତୁର୍ଥ ଶ୍ରେଣୀର ଛାତ୍ର ପଣ୍ଡିତ।ଭୀମସେନ ମହାପାତ୍ରଙ୍କ ଘର। ସନ୍ଧ୍ୟାବେଳେ ଟ୍ୟୁସନ୍ ଚାଲିଥାଏ। ଟ୍ୟୁସନ୍ କରୁଥାନ୍ତି ନାରଣ ଓଝା ସାର୍। ଟ୍ୟୁସନ୍ ଫିସ୍ ଅତି ନଗନ୍ୟ, ମାତ୍ର୍ ଅଳ୍ପ କେଇଟା.. ।ତେଣୁ ଅନ୍ୟ ପିଲାମାନଙ୍କ ସହ ପଣ୍ଡିତ ବି ପଢିବାକୁ ଯାଉଥାନ୍ତି। ହେଲେ ଦାରିଦ୍ର୍ୟ ଯୋଗୁଁ ଅଧା ବେଳେ ପେଟରେ ଗୋଟେ ଦାନା ବି ନଥାଏ। ଘରେ ଆମ୍ବିଳ ତୋରାଣୀ ସହିତ ମୁଠାଏ ଭାତ ଯାହା ସମ୍ବଳ। ଦିନେ ଖାଇଲେ ଦୁଇଦିନ ଉପବାସ। ଭୋକରେ ପେଟ ଆଉଟି ପାଉଟି ହେଉଥାଏ। ତେଣୁ ପାଠରେ ଆଦୌ ମନ ଲାଗୁନଥାଏ। ଆଖିରେ ପଡିଲା – ଭୀମସେନଙ୍କ ଘରେ ଗୀତା ବହିଟିଏ ଥୁଆ ହୋଇଛି , ଯେଉଁଥିରେ କି କେତୋଟି ଦୁଇ ଟଙ୍କିଆ ଖଡଖଡିଆ ନୋଟ୍ ଥାଏ। ପଣ୍ଡିତେ ଭାବିଲେ – ଏଥିରୁ ଯଦି ଅଳ୍ପ କେତୋଟି ସେ ଉଠେଇ ନିଅନ୍ତି, ତେବେ ହୁଏତ କେହି ଟେର ପାଇବେ ନାହିଁ। ତାଙ୍କର ବି ଉଦର ଭରି ଯାଆନ୍ତା, ଭୋକ ତ ଆଉ ସମ୍ଭାଳି ହେଉ ନାହିଁ। ତେଣୁ କ’ଣ କରିବେ ସିଏ? ହେଲେ ଚୋର ଘର ଯେ କେବେ ଉଜାଳା ହଏ ନାହିଁ – ଏ କଥା ପିଲାଟି ଭାବି ପାରିଲା ନାହିଁ। ଯାହା ବି ହେଉ ସୁଯୋଗ ଉଣ୍ଡି ସେଇଥିରୁ ଦୁଇଟି ମାନେ ମୋଟ ଚାରି ଟଙ୍କା ଉଠେଇନେଲା। ସେଥିରୁ ଆଗ ପଚାଶ ପଇସାରେ ଯାହା ପାରି ତାହା ପାଇଲା ଖାଇଗଲା। ବଳକା ସାଢେ ତିନି ଟଙ୍କା ଲୁଚେଇ କରି ରଖିଥାଏ। ପେଟକୁ ଟିକିଏ ଶାନ୍ତି ଲାଗିଲା। ହେଲେ ଭୟ ଯୋଗୁ ମନ ଥୟ ଧରୁ ନଥାଏ। କାନକୁ ଖାଲି ଶୁଭି ଯାଉଥାଏ – “ହେଇ! ଚୋର।ଚୋର ଆସିଲାଣି”। ତେଣୁ ମନକୁ ପାପ ଛୁଉଁ ଥାଏ। ତା’ପର ଦିନ କିନ୍ତୁ ସେହି ସ୍ୱାଭାବିକ ରୂପରେ ଟ୍ୟୁସନ୍ ଗଲେ। ହେଲେ ସେ ଯିବା ପୂର୍ବରୁ ପଇସାକୁ ନେଇ ଚର୍ଚ୍ଚା ଯୋହର ଧରି ସାରିଥାଏ। ଭୀମସେନ ବାବୁ ଜାଣିଯାଇଥାନ୍ତି ପଇସା ଚୋରି ହୋଇଛି ବୋଲି ଆଉ କିଏ କିଏ ବୋଲି ଶେଷରେ ଧରା ପଡ଼ନ୍ତି ପଣ୍ଡିତେ। ବାପା ସେହି ବଳକା ସାଢେ ତିନି ଟଙ୍କା ସହିତ ଆଉ ପଚାଶ ପଇସା ମିଶାଇ ଭୀମସେନ ବାବୁଙ୍କୁ ନେହୁରା ହୋଇ ଫେରାଇ ଦେଇଥିଲେ। ବାପା ମାଆ ସେଦିନ ପଣ୍ଡିତଙ୍କୁ ବହୁତ ମାରିଥିଲେ ଓ ତାହାଠାରୁ ଅଧିକ ବୁଝାସୁଝା କରିଥିଲେ। କଥାରେ ଅଛି ମାଆ ମାଡ କୁଆ ପାଡ଼, କିନ୍ତୁ ବାପା ମାଡ ରାଜ୍ୟ ଛାଡ଼। ସେହିଦିନୁ ବୋଧହୁଏ ହେଲା ପିଲାଟିର ଆତ୍ମିକ ପରିବର୍ତ୍ତନ। ଦେଖାଦେଲା ପଣ୍ଡିତଙ୍କ ଚରିତ୍ରରେ ଅହେତୁକ ପରିବର୍ତ୍ତନ। ମନେ ମନେ ଶପଥ ନେଲେ ସେ ଭୋକରେ ମରିବେ ପଛକେ ହେଲେ କାହାରି ପଡ଼ିଥିବା କୁଟାଖିଅଟେ ମଧ୍ୟ ଆଉ ଉଠାଇବେ ନାହିଁ। ଏହିଭଳି ମଣିଷ ଜୀବନରେ ବେଳେବେଳେ କିଛି କିଛି ଘଟଣା ବିରାଟ ପରିବର୍ତ୍ତନ ଆଣି ଦେଇଥାଏ। ଯାହା ମଧ୍ଯ ଘଟିଥିଲା ପଣ୍ଡିତଙ୍କ ଜୀବନରେ। ତେବେ ଯାହା ବି ହେଉ ଏବେ ଆମେ ଆଗକୁ ବଢିବା।
ସବୁ ଘଟଣା ଓ ଅଘଟଣ ଭିତରେ ପାଠପଢ଼ା କିନ୍ତୁ ଠିକ୍ ଚାଲିଥାଏ। ଶ୍ରେଣୀରେ ପଢା ହେଉଥିବା “ଏକତାର ରାହା, ଧୀରେ ଘେନ କାନନରେ (କଳା ମାଣିକରେ) ଓ କାଳିଜାଇ ପ୍ରଭୃତି କବିତା ମନ ଭିତରେ ସାହିତ୍ୟାନୁରାଗ ସ୍ରୁଷ୍ଟି କରୁଥାଏ।ପାଠ ବି ମଧ୍ୟ ଇଂରାଜୀ ସ୍କୁଲ ଧରି ଯାଇଥାଏ। ବାଲ୍ଯ ଚପଳାମୀ ଅନେକ କମି ଯାଇଥାଏ।
ଥରେ ତପନ ସାର୍ କଳା ମାଣିକ ଉପରେ ବୌଦ୍ଧିକ ପରୀକ୍ଷା ନେବାକୁ ଚାହିଁଲେ। ପଣ୍ଡିତ ଭାବାବେଗ ହୋଇ ଲେଖି ବସିଲେ ଯେ, ଯିଏ ତାଙ୍କ ଠାରୁ ଦେଖି ଲେଖୁଥିଲା ପାଇଲା 9/10, ଆଉ ତା ‘ଠାରୁ ଯିଏ ଦେଖି ଲେଖୁଥିଲା ସେ ପାଇଲା 8/10, ହେଲେ ପଣ୍ଡିତେ ପାଇଲେ 6/10 ଓ ଶକ୍ତ ଗାଲକୁ ଚାପୁଡ଼ା। କାରଣ ସାର୍ ଭାବିଲେ ସେ ହିଁ କପି କରିଛନ୍ତି। କାରଣ ଲେଖାଗୁଡ଼ିକ ସବୁ ପ୍ରାୟତଃ ସମାନ। ପରେ ପ୍ରକୃତ କଥା ବୁଝାପଡିଲା ବେଳକୁ ସାର୍ ମନଦୁଃଖ କଲେ ଓ ପିଲାଟିକୁ ପାଖକୁ ଡାକି କହିଲେ-” ତୋ ଲେଖା ଶୈଳୀରୁ ସ୍ପଷ୍ଟ ଅବଧାରଣା ହେଉଛି – ତୁ ନିଶ୍ଚୟ ଦିନେ ବଡ଼ ସହିତ୍ୟକର କୃତି ଓ ଗୌରବ ଲାଭ କରିବୁ “।
ଏହିପରି ପରିସ୍ଥିତି ସଦା ସର୍ବଦା ଭିନ୍ନ୍ ମୋଡ ନିଏ। ଏବେ ତ ଘରେ ଫୁଟା କଉଡିଟିଏ ନାହିଁ। ଦାରିଦ୍ର୍ୟ ହଟୁ ନଥାଏ। ଅନ୍ୟପଟେ ପିଲାଗୁଡ଼ିକ ବଡ଼ ହୋଇଯିବାରୁ ଖାଦ୍ୟାଭାବ ପରିବାରରେ ବେଶୀ ଉତ୍କଟ ହେଉଥାଏ। ତେଣୁ ଗଙ୍ଗାଧର ମଧ୍ୟ ଇଂରାଜୀ ସ୍କୁଲରୁ ପାଠ ପଢା ସାରି ସେ ବ୍ରାହ୍ମଣ ଗାଁ ଉଚ୍ଚ ବିଦ୍ୟାଳୟରେ ନାଁ ଲେଖି ଥିଲେ ହେଁ ନିୟମିତ ବିଦ୍ୟାଳୟକୁ ଆସି ପାରୁନଥିଲେ। କାରଣ ମୂଲ ଲାଗିବାକୁ ପଡୁଥିଲା। ପୁଣି ସମୟ ବଳିଲେ ନିଜ ବିଲରେ ମଧ୍ୟ ଖଟିବାକୁ ହୋଇଥାଏ  ।ତେଣୁ 8/15 ଦିନକେ କେବେ କେମିତି ବିଦ୍ୟାଳୟ ଯିବାକୁ ହେଉଥିଲା। ସେହି ସେତିକିରେ ଯେତିକି ପାଠପଢା। କାମ ବୋଲି କ’ଣ କମ୍ କି ହୋ – ରାସ୍ତା କାମ, ମାଟି କାମ , କାଡା ନାଳ ସଫେଇ କାମ, ପୋଖରୀ ଖୋଳା କାମ, ଅନ୍ୟର ଚାଷବାସ କାମ ଏଇମିତି କେତେ… ।ମଜୁରୀ ବୋଲି ମୋଟରୁ ସାତ ଟଙ୍କା ବା ଠିକା କାମ ହେଲେ ବା ଦୁଇ ପଇସା ଅଧିକା। ପୁଣି ନିଜର ଚାଷବାସ ଅଛି। ତା’ ସାହିତ ହେଁସ ବୁଣିବା, ବିଞ୍ଚଣା ବୁଣିବା, ଜାଲ ବୁଣିବା, ପୋହଳ, ପାଛିଆ, ଅନ୍ଧୁଲି ଆଦି ବୁଣିବା, ଇତ୍ୟାଦି କେତେ କାମ। ପୁଣି ଫୁରସତ୍ ଟିକିଏ ମିଳିଲେ ସନ୍ଧ୍ୟାବେଳେ ଟ୍ୟୁସନ୍ କରି ଘରକୁ ଦି’ପଇସା ଆଣିବା। ତା’ଭିତରେ ହଜି ଯାଉଥାଏ ନିଜ ପାଠପଢା। ତେବେ ବି ଯେଣୁ ମନଟା ଥାଏ ପାଠଠିଁ, ସାଧନାଟା ଥାଏ ତା’ବାଟରେ। ଏଇମିତି ଜୀବନ ଧାଇଁଲା ଅଷ୍ଟମରୁ ଯୁକ୍ତ ଦୁଇ ପଢ଼ା ବର୍ଷ ଯାଏଁ। ମଝିରେ ମାଟ୍ରିକର ମାଇଲି ଖୁଣ୍ଟଟା। ସେକେଣ୍ଡ୍ ଡିଭିଜନରେ କୌଣସି ପ୍ରକାରରେ ପାର ହୋଇଗଲା। ସ୍ଥାନୀୟ ବାସୁଦେବପୁର ଏ. ବି. କଲେଜରେ ମଧ୍ୟ ଆଡମିସନ ହୋଇଗଲା। ହେଲେ ପାଠ ପଢା ସେହି ପୂର୍ବରୀତି ଅନୁସରୀ।

ଏବେ ମୁଣ୍ଡ ଉପରେ ଫର୍ମ ଫିଲ୍ ଅପ୍ ର ବୋଝ। “କ’ଣ କରିବେ କ’ ଣ କରିବେ” ବୋଲି କିଛି ବୁଦ୍ଧି ଜୁଟୁ ନଥାଏ। ବାପା କହୁଛନ୍ତି-ପରିକ୍ଷା ଦେ ‘ନି, ପଇସା କୁଆଡୁ ଆସିବ? “ମାଆ କହୁଛନ୍ତି -” ତୋ ବାପା ତ ଏମିତି କହୁଛନ୍ତି ମୁଁ ଆଉ କଣ କରିବି?” କଲେଜରେ ଅନ୍ୟାନ୍ୟ ଦରମା ଫିସ୍ ସହିତ ମୋଟ୍ 78 ଟଙ୍କା ଆବଶ୍ୟକ। ସେତିକି କ’ ଣ ସେ ସମୟ ପାଇଁ କମ୍ ହୋଇଛି କି? କୋଉଠୁ ଆସିବ ପଇସା? ମୁଣ୍ଡରେ ପଡ଼ିଲା ଚଡକ। ଚିନ୍ତାରେ ଘୂରିସାରି ହୋଇ ଘରୁ ବାହାରି ଆସିଲା, ରାସ୍ତା କଡ଼ରେ ଗୋଟେ ଗଛ ମୂଳେ ବସି ପଡ଼ି କାନ୍ଦିବାକୁ ଲାଗିଲା। ଠିକ୍ ସେତିକି ବେଳକୁ ସେଇପଟେ ଶୂନ୍ ଗାଡି ବା ଆଜିର ସାଇକେଲ୍ ଧରି ତାଙ୍କୁ ଅତିକ୍ରମ କରୁଥାନ୍ତି ମଣ୍ଟୁ ଭାଇ ଓରଫ ମନୋରଞ୍ଜନ ବେହେରା। ସେ ସେହି ଅଞ୍ଚଳର ନାମଜାଦା ଜମିଦାର ମାନଗୋବିନ୍ଦଙ୍କ ପୁଅ, ଯାହଙ୍କ ନାଁ ଶୁଣିଲେ ଗର୍ଭଣା ଗାଈ ବି ବାଟ ଛାଡ଼ି ଦିଏ। ଡରରେ ତଣ୍ଟି ଶୁଖି ଅଠା ହୋଇଯାଏ। କିନ୍ତୁ ମଣ୍ଟୁ ଭାଇ ଭାରି ଭଲ ଲୋକ। ଦେଖିଲେ – ପିଲାଟି ଧକେଇ କାନ୍ଦୁଛି। ପଚାରିଲେ – “କିରେ! କ’ଣ ହେଲା କି?” ସବୁକଥା ଶୁଣିସାରି କହିଲେ – କାଲି ଉଆସକୁ ଆ’।
ସେଦିନ କିଛି ବୁଝିପାରି ନଥିଲେ ପଣ୍ଡିତେ – ଖାଲି ମୁଣ୍ଡ ଟୁଙ୍ଗାରି ହଁ ମାରିବା ବ୍ୟତୀତ। ମାତ୍ର ଆଜ୍ଞା ପାଳିବାକୁ ହେବ। ଡର ଲାଗୁଥାଏ। ମନ ମଧ୍ୟରେ ମଧ୍ଯ ଆବେଗ (ଗାଁରେ ଥିବା ଏକମାତ୍ର କୋଠା ଘର) ସେ ପ୍ରଥମ କରି କୋଠା ମାଡ଼ିବେ – କୋଠା। ଏହା କମ୍ ଗୌରବର କଥା ନୂହେଁ? ପୁଣି ଡର – ଜମିଦାର କାଳେ ରାଗିବେ, ତାଙ୍କ ଆଗରେ ତ ଛତା ମୁଣ୍ଡାଇବା ବା ଚପଲ ମାଡ଼ିବା ମନା। ପୁଣି ତାଙ୍କ ଆଗରେ ବଡ଼ ପାଟିରେ କଥା ହେଲେ ବା ହସିଲେ ମଲ। କାରଣ ସେ ଜମିଦାର। ତଥାପି ସାହସ ବାନ୍ଧିଲା। ସତର୍କତାର ସହ ଦୁଆର ମୁହଁରେ ହାତ ଯୋଡ଼ି ଯାଇ ଠିଆ ହେଲା। ମଣ୍ଟୁ ଭାଇର ଦୃଷ୍ଟି ପଡିଯିବାରୁ ବାହାରେ ପଡିଥିବା ଲମ୍ବା କାଠ ଚେୟାରରେ ବସିବାକୁ – କହିଲେ। ପୁଣି କିଛି ସମୟ ପରେ ତାଙ୍କ ସାନଭାଇ ମଙ୍ଗୁ ଭାଇ(ମିହିର କୁମାର) ଙ୍କୁ ଦେଖି କହିଲେ -” ପାତ୍ର ପୁଅ ଆସିଛନ୍ତି ତାଙ୍କୁ ଦେଇ ଦିଅ “। ମଙ୍ଗୁ ଭାଇ’ ଆଜ୍ଞା ‘କହି ଘର ଭିତରକୁ ଚାଲି ଗଲେ ଓ ଫେରିଲା ବେଳକୁ ହାତରେ ଗୋଟେ ନୂଆ ଦୁଇ ଟଙ୍କିଆ ନୋଟ୍ ବିଡା ଧରି ଆଣି ପଣ୍ଡିତେଙ୍କ ହାତକୁ ବଢ଼ାଇ ଦେଲେ।
ପାତ୍ର ପୁଅ ଏଥିରେ ବିସ୍ମିତ ସିନା ହେଲେ, ହେଲେ ଖୁସିରେ ତାଙ୍କର ଅନ୍ତ ନଥିଲା। ଘରେ ଆସି ଗଣି ଦେଖେ ତ ପୂରାପୂରି ଦୁଇ ଶହ ଟଙ୍କା ଯାହା (ଏତେ ଗୁଡ଼ିଏ ଟଙ୍କା ଏକାବେଳେକେ) ପ୍ରଥମ ଥର ସେ ଦେଖିଲେ। ସେଥିରେ ଫର୍ମ ଫିଲ୍ ଅପ୍ ତ ହୋଇଗଲା, ବହିପତ୍ର ମଧ୍ୟ କିଛି କିଣା ଗଲା। ବଳକା ପଇସା ମାଆଙ୍କୁ ଧରାଇ ଦେଇ ରଖିବାକୁ – କହିଲେ।
ପ୍ଲସ୍ ଟୁ ପାଠ ସରିଗଲା। ଏବେ ପ୍ଲସ୍ ଥ୍ରୀ। ବାପା କହୁଛନ୍ତି – କଲିକତା ବଙ୍ଗାଳୀ ବାଡ଼ିରେ ରହି ପୂଜାପୂଜି କରି ଦୁଇ ପଇସା କମେଇବାକୁ। ପିଲାଟି ଚାହୁଁଛି-ପଢିବାକୁ। ତେଣୁ ହଁ ନାହିଁ ଶଙ୍କାକୂଳ ସ୍ଥିତି ।ତାହାରି ଭିତରେ ସେ ପୁଣି ସେହି କଲେଜରେ ନାଁ ଲେଖେଇ ଦେଲେ। ହେଲେ ପଇସା ଅଭାବରୁ ପାଠ ପଢି ପାରିଲେ ନାହିଁ।
ତେଣୁ ଦିନେ ମନସ୍ତାପରେ ଟ୍ରେନ୍ ଯୋଗେ ଭୁବନେଶ୍ବର ଅଭିମୁଖେ ଯାତ୍ରା କଲେ। ପାଖରେ ସମ୍ବଳ ବୋଲି କୁମ୍ପି ଭାଙ୍ଗି ମାଆ ଦେଇଥିବା ମାତ୍ର ଷାଠିଏ ପଇସା। ଗନ୍ତବ୍ୟ ସ୍ଥଳ ଶୂନ୍। ଲକ୍ଷ୍ୟ ଅନିର୍ଦ୍ଧିଷ୍ଟ। ବିନା ଟିକେଟରେ ଟ୍ରେନ୍ ଚଢିଗଲେ। ଟ୍ରେନ୍ ଯାଇ ଲାଗିଲା କଟକ ସହରରେ। ସେଇଠି ପିଲାବେଳେ ବର୍ଣ୍ଣବୋଧ ବହିରେ ପଢିଥିବା “ଧବଳ ଟଗର କଟକ ନଗର “ମନରେ ଆକର୍ଷଣ ସ୍ରୁଷ୍ଟି କରିବାରୁ ସେଇଠି ସେ ଓହ୍ଲେଇ ପଡିଲେ। ମାତ୍ର୍ କୁଆଡେ ଯିବେ, କ’ଣ କରିବେ କିଛି ଜାଣି ପାରୁନଥାନ୍ତି। ସହରର କୋଠାବାଡି ଓ ଚାକଚକ୍ୟ ଦେଖି ଆକାବାକା ଲାଗୁଥାଏ। ତେଣୁ ପ୍ଲାଟ୍ ଫର୍ମରେ ଦିନ ପରେ ଦିନ ଏଗାର ଦିନ ବିତିବାକୁ ଲାଗିଲା। ପ୍ରତ୍ୟେହ ପାଞ୍ଚ ପଇସାରେ ମୋଟର ଶୋଲା କିଣି ସେୟାକୁ ଦୁଇ ଭାଗ କରି ଦୁଇ ଓଳା ଖାଇ ପାଣି ପିଇ ଦେଉଥିଲେ। କ୍ରମଶଃ ଏକାଦଶ ଦିନ ଯାଇ ପହଞ୍ଚିଲା – ଦ୍ଵାଦଶ ଦିନ। ପାଖରେ ଆଉ ମାତ୍ର ପାଞ୍ଚ ପଇସା।

ଦିଲ୍ଲୀରୁ ସେଦିନ ଫେରୁଥିଲେ ରାମ ଚନ୍ଦ୍ର ପଣ୍ଡା ମହୋଦୟ। ପିଲାଟିକୁ ଅତିକ୍ରମ କରି ଯାଉଁ ଯାଉଁ କ’ଣ ହେଲା କେଜାଣି ପଛକୁ ଫେରିଲେ ଦୁଇ ପାଦ। ପଚାରିଲେ -” ଖାଇଚୁ”?
-ନାଁ
-ମୋ ସାଙ୍ଗରେ ଯିବୁ?
-ନୀରବରେ ମୁଣ୍ଡ ଟୁଙ୍ଗାରିଲା
ତା’ ପରେ ଭାଗ୍ୟ ବଦଳି ଗଲା ।ଭାଗ୍ୟାକାଶରେ ଦେଖା ଦେଲା ବିରାଟ ପରିବର୍ତ୍ତନ। ରାମ ଚନ୍ଦ୍ର ପଣ୍ଡାଙ୍କର ଘର ହେଲା – ଠିକଣା। ବେଉସା ହେଲା ପାଠ ପଢିବା ଓ ପଢେଇବା। ସେଇଠି ରହିଲେ। ଆରମ୍ଭ ହେଲା ଟ୍ୟୁସନ୍ ସହିତ ପାଠପଢା। ପ୍ରଥମେ ତ ଗାଧୋଇ ପାଧୋଇ ପେଟେ ଖାଇନେଲେ। ତା’ପରେ ତିଆରି ହେଲା ଭବିଷ୍ୟତ କର୍ମପନ୍ଥା।
ଏଠାରେ ରାମ ଚନ୍ଦ୍ର ପଣ୍ଡାଙ୍କ ସମ୍ପର୍କରେ ଉଲ୍ଲେଖ ନକଲେ ନ ଚଳେ। କାରଣ ତାଙ୍କୁ ବ୍ୟକ୍ତିଗତ ଭାବେ ମୁଁ ଜାଣିଛି। ଯେଣୁ ମୁଁ ରାଜଧାନୀ କଲେଜର ଛାତ୍ର। ଏହି ରାମ ଚନ୍ଦ୍ର ପଣ୍ଡା ହେଉଛନ୍ତି ଜଣେ ଭିନ୍ନ ଧରଣର ମଣିଷ,। ସେ ଥିଲେ ରାଜନୀତି ବିଭାଗର ଅଧ୍ୟାପକ। ଯାହଙ୍କ ପ୍ରେରଣାରେ ବ୍ୟକ୍ତିଗତ ଭାବେ ଉଦବୁଦ୍ଧ ହୋଇ ମୁଁ ପ୍ରିଏମ୍ବୁଲ ଠାରୁ ଆରମ୍ଭ କରି ଆମେଣ୍ଡମେଣ୍ଟ ଓ ସମ୍ବିଧାନର ବିଭିନ୍ନ୍ ଧାରା ଓ ଅନୁଛେଦ ଯାଏଁ ସେଦିନ ଘୋଷି ପକାଇଥିଲି। ସେ ଥିଲେ ମୋ ବଡ଼ ଭାଇଙ୍କର ସାଙ୍ଗ। ତେଣୁ ଆମେ ରହୁଥିବା ଗୌତ୍ତମ ନଗର ଘରକୁ ସେ ବହୁତ ଥର ଆସନ୍ତି। ଇଣ୍ଟରକାଷ୍ଟ ମ୍ଯାରେଜ କରିଥିବାରୁ ତାଙ୍କ ବାପା ତାଙ୍କୁ ଘରେ ପୂରାଇ ଦେଉନଥିଲେ। ମଝିରେ ମଝିରେ ପୁଅକୁ ମନ ଭରି ଗାଳି ଦେବା ପାଇଁ ଖୋଜି ଖୋଜି ଆମ ଘର ଯାଏଁ ପହଁଚି ଯାଉଥିଲେ। ସେ ଥିଲେ ଆମ୍ବେଦକରଙ୍କ ଚିନ୍ତା ଚେତନାର ବାହକ ତାଙ୍କ ଦର୍ଶନ ଓ ଆଦର୍ଶର ଜଣେ ଭଲ ପ୍ରବକ୍ତା। ସେ କହୁଥିଲେ – “ତୁ, ତୁମେ ଓ ଆପଣ ଭିତରେ ଗୋଟେ ଫରକ କ’ଣ? ଏହି ଶବ୍ଦ ତ୍ରୟ ପାଇଁ ସମାଜରେ ଅଧିକ ବିଭେଦତା ଓ ଅସମତା ସ୍ରୁଷ୍ଟି ହେଉଛି। ତେଣୁ ଏ ସମସ୍ତ ଶବ୍ଦ ପାଇଁ ଯେକୌଣସି ଗୋଟିଏ ଶବ୍ଦ ବ୍ୟବହାର ହେବା ଉଚିତ୍। ଜାତି ବର୍ଣ୍ଣ ଓ ଧର୍ମ ଭିତ୍ତିରେ ବିଭେଦତା ରହିବା ଉଚିତ୍ ନୂହେଁ”। ଏହିପରି ଅନେକ କଥା। ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ଏକ ସୁନ୍ଦର ସମାଜର ସ୍ଵପ୍ନ ଦେଖୁଥିଲେ – ସେ, ଯେଉଁଠି ସମାଜ ଛିଡା ହୋଇଥିବ ତ୍ୟାଗପୂତର ମହାନୀୟତା ଉପରେ। ବଡ଼ piculiar ବା ଅସ୍ୱାଭାବିକ ମଣିଷଟେ। ହେଲେ ମଣିଷ ପରି ମଣିଷଟେ। ମୋଟାମୋଟି ଭାବେ କହିଲେ – ସେ ଜଣେ ସାମାଜିକ କର୍ମୀ ଓ ଦରଦୀ ମଣିଷଟିଏ।
ଯାହା ହେଉ ସେଦିନ ସେହି ଦୟାର୍ଦ ଚିତ୍ତ ରାମ ଚନ୍ଦ୍ର ପଣ୍ଡା ମିଳି ଯାଇଥିଲେ ପଣ୍ଡିତ ମହାପାତ୍ରଙ୍କ ଜୀବନ ରେଖାରେ। ସେ ନେଇଗଲେ ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ଵ। ଏ. ବି. କଲେଜ, ବାସୁଦେବପୁରରୁ ସାର୍ଟିଫିକେଟ ଯାଇ ପହଞ୍ଚିଲା ରାଜ୍ଯ ରାଜଧାନୀ ରାଜଧାନୀ କଲେଜରେ। ସେଇଠି ପୁଣି ପଣ୍ଡିତଙ୍କର ନାଁ ଲେଖା ହେଲା ପ୍ଲସ୍ ଥ୍ରୀରେ। ପାଠ ପଢା ଆଗେଇଲା। ଟ୍ୟୁସନ୍ ସହିତ ପାଠପଢା ଚାଲିଲା। ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ସହଯୋଗ ରହିଲା ରାମ ଚନ୍ଦ୍ର ପଣ୍ଡାଙ୍କ ହାତରେ। ଚାହୁଁ ଚାହୁଁ ଯୁକ୍ତ ତିନି ସରିଗଲା ଓ ଖ୍ରୀଷ୍ଟ କଲେଜରେ ଆରମ୍ଭ ହେଲା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ। ପଣ୍ଡିତଙ୍କ ପାଠ ଭୋକ ଯୋଗୁଁ ତାଙ୍କୁ ଗୋଟେ ପରେ ଗୋଟେ ଡିଗ୍ରୀ ମିଳି ଚାଲିଥିଲା। ସେ ସଂସ୍କୃତ, ଇଂରେଜୀ, ଓଡ଼ିଆ ଓ ଇତିହାସ ଆଦି ବିଷୟରେ ମଧ୍ୟ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି ପାରିଥିଲେ। ପୁଣି ମନ ବୁଝିଲା ନାହିଁ ଯେ ଲାଇବ୍ରେରୀ ସାଇନସ୍ ଓ ସୂଚନା ପ୍ରଯୁକ୍ତ ବିଦ୍ୟାରେ ମଧ୍ୟ ଡିଗ୍ରୀ ହାସଲ କଲେ। ଏଥି ସହିତ ଦି. ଟି. ପି. ଓ ପି. ଜି. ଡି ସି ଏ. ରେ ମଧ୍ୟ ଯୋଗ୍ୟତା ହାସଲ କଲେ।
ସେପଟେ ଟ୍ୟୁସନ୍ ଚାଲିଥିଲା। କେଉଁଝର କଲୋନୀ ଓ ତୁଳସୀପୁର ଠାରୁ ଆରମ୍ଭ କରି ବାର ମାଣିଆ ଯାଏଁ ଦିନକୁ ଚାଲିଥାଏ ଆଠଟି ଟ୍ୟୁସନ୍। ବଳକା ସମୟ ମିଳିଲେ ପୁସ୍ତକ ଲେଖାଲେଖି ଓ ଅଧ୍ୟୟନ। କ୍ରମଶଃ ସେ ରାମ ଚନ୍ଦ୍ର ପଣ୍ଡାଙ୍କ ଘର ଛାଡି ଆସିଗଲେ ବାର ମାଣିଆ ସ୍ଥିତ ଭଡାଘରକୁ। ଘର ମାଲିକ ଥିଲେ କାଶୀନାଥ ଆଚାର୍ଯ୍ୟ।
ଇତିମଧ୍ୟରେ ଫାୟାର ବିଗ୍ରେଡ୍ ଆଫିସର ଓ ଓ. ପି ଏସି କ୍ଲିର କରି ରାଜଧାନୀ କଲେଜରେ ଅଧ୍ୟାପକ ଭାବେ 13 ଦିନ ପାଇଁ ଯୋଗ ଦେଇଥିବା କଥା ପଣ୍ଡିତ ମହାପାତ୍ର କହନ୍ତି। ମାତ୍ର ତାଙ୍କର ଭିନ୍ନ୍ ଚିନ୍ତା ଧାରା ଓ ଆଧ୍ୟତ୍ମିକ ଦ୍ୟୋତନା ସ୍ରୁଷ୍ଟି ହେବାରୁ ସେ ଚାକିରୀ ଛାଡ଼ି ହିମାଳୟ ଚାଲିଯାଇଥିବା କଥା କହନ୍ତି। ଏ ସମ୍ପର୍କରେ ଆମେ ଅନ୍ୟ ଅନୁଚ୍ଛେଦରେ ପ୍ରକାଶ କରିବା। ଏତିକିରେ ତାଙ୍କର ପ୍ରଚଳିତ ପାଠ୍ଯ ପୁସ୍ତକ ଅଧ୍ୟୟନ ଓ ଡିଗ୍ରୀ ହାସଲ କରିବା ପର୍ବ ସିନା ସରିଗଲା, ହେଲେ ବହୁ ଓ ବିବିଧ ପୁସ୍ତକ ଅଧ୍ୟୟନ ନିଶା ତଥା ପୁସ୍ତକ ରଚନା କରିବାର ଭୂତ ଏ ଯାଏଁ ତାଙ୍କ ମୁଣ୍ଡରୁ ଓହ୍ଲାଇ ନାହିଁ। ଏମିତି ବି ମଣିଷ ଥାଆନ୍ତି।

କିଛି ଅଲୌକିକ ଓ ଅସ୍ଵାଭାବିକ ଘଟଣାବଳୀ

କିଛି ଅଲୌକିକ ଓ ଅସ୍ୱାଭାବିକ ଘଟଣାବଳୀ
————————————–
ପ୍ରତ୍ୟେକ ମଣିଷ ଜୀବନରେ ଏମିତି କିଛି ଅଲୌକିକ ଓ ଅସ୍ୱାଭାବିକ ଘଟଣା ଘଟିଥାଏ କି ଯେତେବେଳେ ଘଟଣାଗୁଡ଼ିକ କେବେ କେବେ ଘଟିଯାଏ ସେତେବେଳେ ସେ ନିଜକୁ ନିଜେ ପ୍ରକୃତିସ୍ଥ ହୋଇପାରେନା। ସଠିକ ଭାବେ ଘଟଣାଟିକୁ ବୁଝିବାକୁ ଅକ୍ଷମତା ପ୍ରକାଶ କରେ ଯେ ଘଟଣାଟି କେମିତି ସଂଘଟିତ ହୋଇ ଅପଲକେ ବିଲୟ ଭଜିଲା । ସେଥିପାଇଁ ମନରେ ଶଙ୍କା ଓ ଆଶଙ୍କା ଉଙ୍କି ମାରି ନିଜକୁ ଦୋହଲାଇ ଦିଏ। ତେଣୁ ସେ ନିଜର ଭ୍ରାନ୍ତ ଅବବୋଧ ନିୟମ ଯୋଗୁଁ ବା ଅବଚେତନ ମନର ଭାବନା ଯୋଗୁଁ ହେଉ ଅବା ଆଧ୍ୟତ୍ମିକ ସମର୍ପଣ ଭାବ ହେତୁ ହେଉ ସେଥିରେ ଅଲୌକିକତା ଯୋଡ଼ି ବଖାଣି ବସେ।
ଏଭଳି ମଧ୍ୟ କିଛି ଘଟଣା ଘଟିଥିଲା ପଣ୍ଡିତଙ୍କ ଜୀବନରେ, ଯାହାକୁ ସେ ଅଲୌକିକତା ଓ ଆଧ୍ୟାତ୍ମିକ ଭାବର ଉଜାଗର କହିଥାନ୍ତି, ଯାହା ହୁଏତ ପାଠକମାନଙ୍କୁ ଭାବିବାକୁ ମଜବୁର୍ କରିପାରେ ହେଲେ ଆମର କର୍ତ୍ତବ୍ୟ କେବଳ ଉଲ୍ଲେଖ କରିବା। ତାହାର ସତ୍ୟାସତ୍ୟର ଅନୁସନ୍ଧାନ ପାଇଁ ନୂହେଁ ବରଂ ଘଟଣା କ୍ରମର ପ୍ରବାହ ଓ ପରିସ୍ଥିତି ତଥା ପରିବେଶକୁ ଅଧିକ ଶାଣିତ କରି ଗଢି ତୋଳିବା ପାଇଁ। ପାଠକମାନେ ହିଁ ପ୍ରକୃତ ବିଚାରକ ଯିଏ ସବୁ କଥାକୁ ତଉଲି ସଠିକ୍ ନିଷ୍ପତ୍ତି ନେଇ ପାରିବେ।
ଏହି ଘଟଣାଗୁଡ଼ିକ ଏମିତି ଦ୍ୱନ୍ଦାତ୍ମକ ଓ ଅବିଶ୍ୱାସନୀୟ ହେଲେ ହେଁ ବେଳେବେଳେ ମଣିଷ ସ୍ୱପ୍ନକୁ ସତ ମଣିଥାଏ ଓ ସ୍ଵପ୍ନାଦେଶକୁ ଈଶ୍ୱରଙ୍କ ନିର୍ଦ୍ଦେଶ ମାନିଥାଏ। ପୁଣି ସେହି ଘଟଣାକୁ କେତେବେଳେ coincident ବା ଘଟଣାବଶତଃ ଘଟିଗଲା ବୋଲି ଭାବେ। ତେବେ ସେ କଥା ଯାହା ହେଉନା କାହିଁକି, ଏହି ସବୁ ଜିନିଷଗୁଡ଼ିକ ମଣିଷ ଭିତରେ ବ୍ୟାପକ ପରିବର୍ତ୍ତନର ଝଲକ ସୃଷ୍ଟି କରିଥାଏ। ଆସନ୍ତୁ ସେହିଭଳି କେତୋଟି ଘଟଣାର ସମୀକ୍ଷା କରିବା।

ପଣ୍ଡିତ କହନ୍ତି – ସେଦିନ ତାଙ୍କୁ ବୟସ ଚାରି କି ପାଞ୍ଚ ହେବ। ସେ ଦୃଷ୍ଟ ଯେ ଦୃଷ୍ଟ ଭାରି ଦୃଷ୍ଟ ହେଉଥିଲେ। ପର ଘରର କଳି ନିଜ ଘରେ ପୂରେଇବା ତାଙ୍କର ଅଭ୍ଯାସ ଥିଲା। ତାଙ୍କର କାମ – ଗାଁ ସାଙ୍ଗ ସାଥି ସହ ଖେଳିବା ଓ ଅନ୍ୟକୁ ଚିଡ଼େଇବା। ତହିଁରୁ ନିତ୍ୟ ନୂତନ ଘଟଣାମାନ ସୃଷ୍ଟି ହୋଇ ‘ନଥିଲା ଘରେ କଳି’ ପଶୁ ଥିଲା। ଅନ୍ୟ ପିଲାମାନଙ୍କର ବାପା ମାଆ ପ୍ରତ୍ୟେହ ନୂଆ ଅଭିଯୋଗ ଧରି ଆସି ଘରେ ହାଜର ହୋଇ ଯାଉଥିଲେ। ବାପା ମାଆ କେତେ କଥା କେମିତି କାହା ସହ ସମାଧାନ କରିବେ – ବଡ଼ ବିରକ୍ତ ହୋଇ ଯାଉଥାନ୍ତି, ହେଲେ ପିଲାଟା ବା ପାଠ ପଢ଼ାରେ ବା ମନ ଦିଅନ୍ତା? – ମନରେ ପ୍ରଶ୍ନବାଚୀ ହୋଇ ଛିଡ଼ା ହେଉଥିଲା । ତା’ର ଭବିଷ୍ୟତ କ’ଣ ହେବ ବୋଲି ମନରେ ଶଙ୍କା ଉପୁଜୁଥିଲା। ଏହିଭଳି ଘଟଣା ପ୍ରବାହ ଭିତରେ ଥରେ ଜଣେ ସାଧୁ ଘରକୁ ଆସିଲେ ଯେତେବେଳେ କି ପଣ୍ଡିତ ଦାଣ୍ଡରେ ବାଟି ଖେଳୁଥିଲେ। ତାମ୍ର ବର୍ଣ୍ଣ ଶରୀର, ଗେରୁଆ ବସ୍ତ୍ର ପରିହିତ, ତାଳ ପତ୍ର ନିର୍ମିତ ଛତା ମୁଣ୍ଡ ଉପରେ, ପାଦରେ କଠୋଉ, ହାତରେ କମଣ୍ଡଳୁ, ମୁଖ ମଣ୍ଡଳରେ ମଶ୍ରୁ, ଶରୀର ସୌଷ୍ଠବ ଅତ୍ୟନ୍ତ ରୁଚିବନ୍ତ, ଜଟାଜୁଟ ଧାରୀ, କଥାରେ ଦୃଢତା ଓ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ବାକ୍ ରୀତି, ସତେକି ଦେବଲୋକର ଦେବଦୂତ ପରି ପ୍ରତିଭାତ ହେଉଥାନ୍ତି। ପରିବାରର ଲୋକ ତ ଧର୍ମ ପ୍ରତି ବେଶ୍ ଅନୁରାଗୀ, ତେଣୁ ତାଙ୍କୁ ସପ ପକାଇ ପିଣ୍ଡାରେ ବସିବାକୁ ଅନୁରୋଧ କଲେ। ମାଆଙ୍କୁ ବାପା କହିଲେ – “କ୍ଷୀର ଟିକିଏ ଦିଅ “। ମାଆ କ୍ଷୀର ଆଣି ଦିଅନ୍ତେ ସେ କିଛି ସମୟ ଧରି ମାଆଙ୍କୁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଲେ, ତା’ ପରେ ପୁଣି ଶୂନ୍ୟକୁ ଚାହିଁ ରହିଲେ। ମନେ ମନେ କ’ଣ ଗୁଣୁଗୁଣୁ ହେଉଥାନ୍ତି, ବୋଧହୁଏ କିଛି ମନ୍ତ୍ର ଉଚ୍ଚାରଣ କରୁଥାନ୍ତି। ତା’ପରେ ପୁଣି କିଛି ସମୟର ନୀରବତା ଭାଙ୍ଗି ଅନର୍ଗଳ କାହିଁ ଚାଲିଲେ -” ତୁମ ପୁଅ ତୁମର ନୂହେଁ, ସେ ସମଗ୍ର ବିଶ୍ଵର ସନ୍ତାନ। ଦିନେ ସେ ଧର୍ମ ଯାଜକ ପାଲଟିବ। ଧର୍ମ ବାଣୀର ପ୍ରଚାର କରିବ, କାଳଜୟୀ ହେବ” – ଇତ୍ୟାଦି ଇତ୍ୟାଦି ଅନେକ ଭବିଷ୍ୟବାଣୀ । ଏ କଥାରେ କିଛି ଗୁରୁତ୍ଵ ଥାଉ ବା ନଥାଉ କିନ୍ତୁ ପଣ୍ଡିତଙ୍କ ମନରେ ଭାବାନ୍ତର ସୃଷ୍ଟି କରିବାକୁ ଯଥେଷ୍ଟ ଥିଲା। ତାଙ୍କ ମନ ସେହିଦିନୁ ଆନ୍ଦୋଳିତ ହେବାକୁ ଲାଗିଲା। ଏତକ କହି ସେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ, କିନ୍ତୁ ପଣ୍ଡିତଙ୍କ ମନ ବାରବାର ତାଙ୍କୁ ହିଁ ଖାଲି ଧୁଣ୍ଡୁଥାଏ। ମନରେ ଇଚ୍ଛା – ଆଉ ଥରେ ଭେଟ ହୁଅନ୍ତା କି?ଭାବାନ୍ତରରେ ଏବେ ବି ପଣ୍ଡିତେ କହନ୍ତି – “ସେହି ରୂପେ ପ୍ରଭୂ ମୋତେ ଆଉ ଥରେ ଦେଖାଦିଅ। ମୁଁ ଦୀନ ଅଧମ ଡାକୁଛୁ ବାରେ ମୋତେ ସାହା ହୁଅ। ତୁମ ନାମ ଏହି ମୁଖ ସଦା ଜପୁଥାଉ”। ଆହୁରି ସେ କହନ୍ତି -“ଅନେକ କାନ୍ଦିଛି, ଅନେକ ଖୋଜିଛି। ଆଖି ବୁଜିଲେ ଖାଲି ସେହି ରୂପ ମୋତେ ଦିଶି ଯାଏ ସତେ ଅବା ଲାଗେ ସେ ସେହି ରୂପେ ସଦା ମୋ ପାଖେ ଅଛନ୍ତି, ହେଲେ ଦୁଷ୍ପ୍ରାପ୍ୟ ପ୍ରାୟ ଅଦୃଶ୍ୟ ରହୁଛି । ସେହି ଦିନୁ ମୋର ଚପଳାମୀ ଓ ଚଗଲାମି କୁଆଡ଼େ ଗଲା, ଅନେକ କମି ଗଲା, ପାଠ ପଢ଼ାରେ ବି କିଛିଟା ଧ୍ୟାନ ବାଣ୍ଟି ହୋଇଗଲା”।
ଘଟଣାକ୍ରମେ ଅନ୍ୟ ଏକ ଘଟଣା ଏଠାରେ ଉଲ୍ଲେଖ କରିବା ଶ୍ରେୟସ୍କର ମନେହୁଏ। ଦିନକର କଥା। ଥରେ ପଣ୍ଡିତେ ବାର ମାଣିଆରେ ରହୁଥିଲେ, ଟ୍ୟୁସନ କରି ଚଳୁଥିଲେ। ଗୋଟେ ପଟେ ପାଠପଢା ଓ ଅନ୍ୟ ପଟେ ପୁସ୍ତକ ରଚନା। ଏହି ସମୟରେ’ ଶୈବ ରସାମୃତ ‘ରଚନା ହେଉଥାଏ। ‘ଜ୍ଞାନ ଯୋଗ’ କଥା ଉଠିଲା ବେଳକୁ ସେ ଟିକିଏ ହଡବଡେଇ ଗଲେ। କେମିତି ଲେଖିବେ ମୁଣ୍ଡକୁ କିଛି ଜୁଟୁ ନଥାଏ। ଠିକ୍ ସେଇ ସମୟରେ 8/10 ବର୍ଷର କନ୍ୟାଟିଏ ଆସି କହିଲା – “ଭାଇ! ଭାରି ଭୋକ, ଗଣ୍ଡେ ଖାଇବାକୁ ମିଳିବ?” ପଣ୍ଡିତେ ମନା କରିପାରିଲେ ନାହିଁ। ଷ୍ଟୋଭ୍ ରେ ରୋଷେଇ କରି ବଡ଼ ଶ୍ରଦ୍ଧାରେ ଦି’ଟା ଖୁଆଇଲେ। ତା’ ପରେ ଝିଅଟି କେମିତି ତିନି ଚାରି ଦିନ ଅଟକି ଗଲା ସେ କହି ପାରିବେ ନାହିଁ।
କହେ -” ଭାଇ କ’ଣ ଲେଖୁଛ, ଲେଖ ।ମୁଁ ଏଇଠି ଶୋଇ ପଡ଼ୁଛି” ।
ପଣ୍ଡିତେ ପାଲଟା ପ୍ରଶ୍ନ କରନ୍ତି -” କ’ଣ ଲେଖିବି? ମୋତେ ତ ମନକୁ କିଛି ଆସୁ ନାହିଁ” ।
ଝିଅଟି କହେ – “ଯାହା ଲେଖୁଥିଲ ଲେଖ। ”
ପଣ୍ଡିତ ପୁଣି କହନ୍ତି – ମୋର ତ କିଛି ମନେ ପଡୁ ନାହିଁ, ଲେଖନୀ ବାରମ୍ବାର ଅଟକି ଯାଉଛି “।
ଝିଅ -” ଯାହା ମନକୁ ଆସୁଛି ଲେଖ, ସବୁ ଲେଖି ହୋଇଯିବ। ”
ତା’କଥା ମାନି ପଣ୍ଡିତେ ଲେଖି ବସନ୍ତି, ଝିଅଟି ଶୋଇଯାଏ। ଦିନେ ପଣ୍ଡିତେ ଜିଦ୍ କଲେ – “ତୁ କିଏ କହ? ତୋ ଘର କେଉଁଠି? କାହିଁକି ଯାଉନୁ, ଏଠି ଏମିତି ଅଟକିଛୁ?”
ଝିଅ -” ହଁ ମୁଁ ଏବେ ଯାଉଛି, ମୋର କାମ ସରିଗଲାଣି। ହେଲେ ଭାଇ! ଲେଖା କେବେ ବନ୍ଦ କରିବ ନାହିଁ”
ଏତିକି କହି ଝିଅଟି କୁଆଡ଼େ ଚାଲି ଯାଇଥିଲା, ପଣ୍ଡିତେ ଖୋଜି ଖୋଜି ଆଉ ଜମା ପାଇଲେ ନାହିଁ। ସେତେବେଳକୁ ଜ୍ଞାନ ଯୋଗ ଲେଖା ସରି ଯାଇଥାଏ। ପଣ୍ଡିତଙ୍କୁ ଏ ସବୁ କଥା ସ୍ଵପ୍ନ ପରି ପ୍ରତୀତ ହେଉଥାଏ। ସେ ନିଜକୁ ବିଶ୍ବାସ କରି ପାରୁ ନଥାନ୍ତି। ଏ ଘଟଣାଟି ସତ ନା ସ୍ଵପ୍ନ। ସେ ନିଜକୁ ନିଜେ ପ୍ରକୃତିସ୍ଥ ହେଲେ ଯେତେବେଳେ ଘର ମାଲିକ ଓ ମାଲିକାଣୀ ଆସି ପହଁଞ୍ଚି ପଚାରିଲେ – “ତୁମ ସାନ ଭଉଣୀ ଆସିଥିଲା ପରା, କ’ଣ ଚାଲିଗଲାଣି କି? “ସେଦିନ ତାଙ୍କର ଭାରି ଭାବାନ୍ତର ହେଲା। ସେ ଭାବି ଭାବି ଶୋଇ ପଡ଼ିଲେ। ରାତିରେ ସ୍ଵପ୍ନରେ ମାଆ ଭବନୀଙ୍କୁ ଦର୍ଶନ କଲେ। ଏବେ ବି ଏ କଥା କହିଲା ବେଳକୁ ପଣ୍ଡିତଙ୍କ ରୁମମୂଳି ଟାଙ୍କୁରି ଉଠୁଥାଏ।
ବେଳେବେଳେ ଦେଖାଯାଏ ଅନେକ ଜ୍ଞାନୀ ଗୁଣୀ ଲୋକ ନିଜର ଶ୍ରେୟ ଅନ୍ୟକୁ ଦେଇ ଦେଇଥାନ୍ତି। ଅନେକ ସମୟରେ ସେମାନେ ନିଜର କୃତି ଓ କୃତିତ୍ବକୁ ମଧ୍ୟ ଭଗବାନଙ୍କଠିଁ ଆରୋପଣ କରିଥାନ୍ତି। ଅତୀତରେ ଏ କଥା ଅନେକତ୍ର ଘଟିଛି। ତେବେ ଯାହା ହେଉନା କାହିଁକି ପଣ୍ଡିତଙ୍କ କୃତିରାଜି ଯେ ବ୍ୟାପକ ଏ କଥା ସ୍ୱୀକର କରିବାକୁ ହୁଏ। ଭବିଷ୍ୟତ ଯାହାର ଆଲୋଚନା ଓ ପର୍ଯ୍ୟାଲୋଚନା କରି ତାହାର ନିର୍ଯ୍ୟାସ ବାହାର କରି ପାରେ।

ପୁଣି 1996 ମସିହାର କଥା। ପାଠ ପଢା ତ ପ୍ରାୟତଃ ସରି ସରି ଆସୁଥାଏ। ରାଜଧାନୀ କଲେଜରେ ଚାକିରୀଟାଏ ମଧ୍ୟ ମିଳି ଯାଇଥିଲା। ଲେଖାଲେଖି ସ୍ୱାଭାବିକ ରୀତିରେ ତା’ ବାଟରେ ଚାଲିଥାଏ। ଏହି ସମୟରେ ମୁଣ୍ଡକୁ ଗୋଟେ ପାଗଳାମୀ ଜୁଟିଲା। ଭାବିଲେ – ସମସ୍ତେ ପାଠ ପଢି ଚାକିରୀ କରୁଛନ୍ତି, ମୁଁ ସେୟା କଲେ ଆଉ ଅଧିକାଟା କ’ଣ ବା ହେବ? ଏମିତି ଭାବନା ତାଙ୍କୁ ଅଥୟ କରୁଥାଏ। ସେ ପାଗଳ ପ୍ରାୟ ପ୍ରଳାପ କରୁଥାନ୍ତି। ଶେଷରେ ମୁଣ୍ଡରେ ଗୋଟେ ଭୂତ ଶବାର ହେଲା। ସେ ଚାକିରୀ ଛାଡ଼ି କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ନିଜକୁ ଖୋଜି ଆବିଷ୍କାର କଲାଠୁଁ କୁଆଡେ ହିମାଳୟର ଦୁର୍ଗମ ଅଞ୍ଚଳରେ ପାଇଲେ, ଯେଉଁଠି ଘେରି ରହିଥିଲେ ଅନେକ ସାଧୁସନ୍ଥ। ସେମାନେ ତାଙ୍କୁ ପାଛୋଟି ନେଲେ। ଶୁଦ୍ଧପୂତ କରି ତପସ୍ୟାରେ ବସାଇଲେ। ପୋଷାକ ପରିଚ୍ଛେଦ ବଦଳି ଗଲା। ଯାହା ପରେ ଗେରୁଆରେ ପରିଣତ ହେଲା। ପ୍ରଥମେ ଦୁଇ ଓଳା ଓ ପରେ ଓଳିଏ, ପୁଣି ପରେ ସମ୍ପୂର୍ଣ୍ଣ ଖାଦ୍ୟ ପଦାର୍ଥ ବନ୍ଦ। ନିବୁଜ ଗୁମ୍ଫା ଭିତରେ ଚାଲିଲା ତପସ୍ୟା। ତପସ୍ୟାରେ ସିଦ୍ଧି ସମ୍ପର୍କରେ ସେ ବିଶେଷ କିଛି କହି ପାରିବେ ନାହିଁ। କିନ୍ତୁ ଏଇମିତି ଅଢେଇ ବର୍ଷ ବିତିଗଲା। ଦେହ ଶୁଖି କଣ୍ଟା ହୋଇଯାଇଥା ରଙ୍ଗନାଥ କେମିତି କେଜାଣି ସେଠି ପହଞ୍ଚିଯାଇ ଏକରକମର ତାଙ୍କୁ ଉଦ୍ଧାର କଲେ। ଦିଲ୍ଲୀରେ ନିଜ ପାଖରେ କିଛି ଦିନ ତାଙ୍କୁ ରଖିଲେ। ସାଙ୍ଗରେ ଭାରତ ଓ ପ୍ରୁଥିବୀର ମଧ୍ୟ କେତେକ ସ୍ଥାନ ବୁଲାଇ ଦେଖାଇଲେ। ଭଲ ଅନୁଭୂତି ଥୋକେ ଖଣ୍ଡ ହେଲା। କାଞ୍ଚିକୋଟିର ଶଙ୍କରାଚାର୍ଯ୍ୟଙ୍କ ସହ ମଧ୍ୟ ଭେଟ କରାଇଲେ। କିଛି ଦିନ ଧର୍ମ ପ୍ରଚାର ଚାଲିଲା ଓ କିଛି ସ୍ଥାନ ବୁଲି ପ୍ରବଚନ ଦିଆଗଲା। ଶେଷରେ ସେ ପଣ୍ଡିତଙ୍କୁ ଆଣି କଟକରେ ଛାଡିଲେ। ପଣ୍ଡିତ ତାଙ୍କ ଘରକୁ ମଝିରେ ମଝିରେ ଯିବା ଆସିବା କରୁଥାନ୍ତି। ସେ ପଣ୍ଡିତଙ୍କୁ ପଚିଶ ହଜାର ଟଙ୍କାର ଗୋଟେ ଚେକ୍ ଦେଇଥିଲେ ଶୈବ ରସାମୃତ ଛାପିବା ପାଇଁ। ଯାହା ଅନେକଟା ସହାୟକ ହୋଇ ପାରିଥିଲା।
ଏହା ପରେ ତ ଏମିତି ଚାଲିଛି ବର୍ତ୍ତମାନ – ବହି ଲେଖା ଓ ଛପା। ତାହା ଛଡା ଧର୍ମୀୟ ଅନୁଷ୍ଠାନରେ ପ୍ରବଚନ ଓ ସାହିତ୍ୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବକ୍ତା।
ସମ୍ପ୍ରତି ରାଜ୍ୟ ସରକାରଙ୍କ ଅଧୀନରେ ସେ ରାଜ୍ୟ ଶିକ୍ଷା ଅଧିକାର ଅଧିକାରୀ ରୁପେ ଅବସ୍ଥାପିତ ଓ ଭଦ୍ରକ ଜିଲ୍ଲା ସମେତେ କେତକ ଜିଲ୍ଲା ଦାୟିତ୍ଵରେ ରହିଛନ୍ତି ଶିକ୍ଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ କାମ କରୁଛନ୍ତି। ଏତଦ୍ ବ୍ୟତୀତ ସଂସ୍କୃତି ବିଭାଗର ସଂଯୋଜକ ରୂପେ ମଧ୍ୟ ଦାୟିତ୍ଵ ନିର୍ବାହ କରୁଛନ୍ତି। ଆଗକୁ ଜୀବନର ମୋଡ କେଉଁ ଆଡକୁ ଯାଉଛି ଦେଖିବାର ଅଛି।
ଏ କଥା ସତ ଯେ ଏବେ ସେ ସାଂସାରିକ ଜୀବନ ଯାପନ କରିବା ଫଳରେ ପୂର୍ବର ସାଧନା, ସିଦ୍ଧି ଓ ସଙ୍କଳ୍ପର କିଛିଟା ବ୍ୟାଘାତ ଘଟିଛି। ଜୀବନ ଚର୍ଯ୍ୟାରେ ମଧ୍ୟ ଅନେକଟା ପରିବର୍ତ୍ତନ ଘଟିଛି। ତେବେ ସାହିତ୍ୟ ସାଧନା ଜାରି ରହିଛି।


 

ଶେଷରେ ଶେଷ କଥା – ସ୍ପଷ୍ଟ ସ୍ବୀକାରୋକ୍ତି

କାହାରି ମହାନତା ବଖାଣିବା ଆମମାନଙ୍କର ନିଶ୍ଚିତ ଭାବେ କର୍ମ ନୂହେଁ, ମାତ୍ର୍ ହକିକତ ବତେଇବା ବା ବାସ୍ତବତାର ପ୍ରଖ୍ଯାପନ କରିବା ଆମର ଧର୍ମ। ଠିକ୍ ଏହି ପରିପ୍ରେକ୍ଷୀରେ କିଛି ଅଲୌକିକତା ବା ଅତି ମାନବୀୟ ଚରିତ୍ରର ବ୍ୟାଖ୍ୟାନ କରିବା ମୋର ଉଦ୍ଦେଶ୍ୟ ନୁହେଁ। ହଁ – ଏ କଥା ସତ ଯାହାଙ୍କର ସୃଷ୍ଟି ସର୍ଜନାର ବ୍ୟାପକତା ମୋତେ କିଛିଟା ବିସ୍ମିତ କରିଛି ତାହାର ଅବତାରଣା କରି ଜନମାନସରେ ତାହାର ମନ୍ଥନ ଓ ବିଚାର ପାଇଁ ଉପସ୍ଥାପନ କରୁଅଛି। ଯାହା ବା ଅଲୌକିକତା କିଛିଟା ରହିଛି ତାହା କେବଳ ଜନ ମୁଖର ଉଚ୍ଚାରଣ, ମୋର ସେଥିରେ ବ୍ୟକ୍ତିଗତ ଭାବେ କିଛି ଉପଲବ୍ଧିଆ ବା ପ୍ରତ୍ୟେକ୍ଷ ଅନୁଭୂତି ଓ ଅନୁଭବ ନାହିଁ। ଏଥିରେ ସଂଗୃହୀତ ସବୁତକ ତଥ୍ୟର ପ୍ରାମାଣିକତା ପାଇଁ ଲେଖକ ଏକକ ଭାବେ ଦାୟୀ ହୋଇ ନପାରନ୍ତି। କାରଣ ସ୍ଥାନିତ ସମସ୍ତ ତଥ୍ୟର ପ୍ରମାଣ ଓ ପ୍ରାମାଣିକତା ମିଳିବା କଷ୍ଟକର। ତେଣୁ ଲୋକଶ୍ରୁତି ଓ ଲୋକ ମୁଖର କାହାଣୀ ହିଁ ଅନେକତ୍ର ଆୟୁଧ। ଏଥିସହିତ ପଣ୍ଡିତ ମହାପାତ୍ରଙ୍କ ପ୍ରଦତ୍ତ ବ୍ୟକ୍ତିଗତ ତଥ୍ୟ ଓ ତଥ୍ୟାବଳୀ ଏହାର ବଡ଼ ଭିତ୍ତି। ତେବେବି ସାହିତ୍ୟିକର ଭାବାବେଗ, ଘଟଣା କ୍ରମର ଧାରାବାହିକତା ନିରୂପଣ, ରୁଚିବନ୍ତ ଉପସ୍ଥାପନ ପାଇଁ ମୋର ପ୍ରୟାସ ଏକାନ୍ତ ନିଜସ୍ୱ। ପଠନଧର୍ମୀ, ପାଠକୀୟ ଆବେଦନ ଓ ଘଟଣାକ୍ରମର ପ୍ରବାହ ଏଥିରେ ରକ୍ଷା କରାଯାଇଛି ବୋଲି କେତେକାଂଶରେ କୁହାଯାଇପାରେ। ସମ୍ପୂର୍ଣ୍ଣ ଜୀବନୀ ଚରିତଟି କାହାଣୀଧର୍ମୀ ଓ ଗବେଷଣାତ୍ମକ ନିବନ୍ଧଟିଏ। ଏଥିରେ ବହୁ ଘଟଣାକ୍ରମ ଓ ପରିସ୍ଥିତିର ଅନୁଶୀଳନ ତଥା ପର୍ଯ୍ୟବେକ୍ଷଣ ପରିଦୃଶ୍ୟମାନ। ଚଟୁଳ ଅନୁଭବ ଓ ଅନୁଭୁତିର ଫେଣ୍ଟାଫେଣ୍ଟି ଭାବ ସହିତ ନିଜର ମନସ୍ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ ଓ ବିଚରଶକ୍ତିର ଯଥାଯଥ ପ୍ରୟୋଗ ଏଥିରେ ଲକ୍ଷ୍ୟଣୀୟ। ତଥ୍ୟଗୁଡିକ ପାଠକକୁ ବିଭ୍ରାନ୍ତ ନକରି ଏହାର ସଠିକତା ଆକଳନ କରିବାରେ ସହାୟକ ହେଉ – ଏହା ହିଁ ମୋର ପ୍ରୟାସ। ଯାହା ଜଣେ ସୁସାହିତ୍ୟିକର ଧର୍ମ ହେବା ଉଚିତ୍, ତାହା ମଧ୍ୟ ମୋର ସର୍ବାଦୌ କର୍ତ୍ତବ୍ଯ। ତେଣୁ ଜଣେ ସଚେତନ ନାଗରୀକର ଯେଉଁ ଗୁରୁ ଦାୟିତ୍ଵ ରହିଛି ତାହାକୁ ପାଳନ କରିବାକୁ ଯାଇ ମୁଁ ସଚେତ ସଚେଷ୍ଟ ପ୍ରୟାସ କରିଛି। କୌଣସି ଅତିଶୟ ଆସକ୍ତି, ଅନୁରକ୍ତି, ବିରକ୍ତି ବା ଅସୂୟା ଭାବ ପରବେଶ ନହୋଇ ନିରପେକ୍ଷତା ଓ ସଚ୍ଚୋଟତା ଅବଲମ୍ବନ କରିବାକୁ ମୁଁ ଶତତଃ ଚେଷ୍ଟା କରିଛି। ତେଣିକି ସବୁ ଈଶ୍ୱରଙ୍କ ଇଚ୍ଛା। ତଥାପି ଲେଖାଟି ଯଦି କାହା ମନରେ ଘାତ ବା ବ୍ୟାଘାତ ସୃଷ୍ଟି କରେ, ତେବେ ନିଜର ମହନୀୟ ଗୁଣାବଳୀରେ ମୋତେ କ୍ଷମା କରିବାକୁ ସବିନୟ ଅନୁରୋଧ ନିଶ୍ଚୟ କରିବି। ମୁଁ ସେତେ ବଡ ସାହିତ୍ୟିକ ହୋଇ ନପାରେ ସତ ହେଲେ ମୂଲ୍ୟବୋଧ ଭିତ୍ତିକ ସାହିତ୍ୟ ପରିବେଷଣ କରିବା ତଥା ସାହିତ୍ୟର ଉତ୍କର୍ଷତା ସାଧିତ କରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ମୋର ଲକ୍ଷ୍ୟ। ଶେଷରେ ପାଠକମାନଙ୍କର ଟିପ୍ପଣୀ ଓ ମତାମତକୁ ସଆଗ୍ରହ ଅପେକ୍ଷା।
ଅନ୍ୟ ଏକ ଦିଗନ୍ତ – ଉକ୍ତ ପୁସ୍ତକ ପ୍ରକାଶନ ଅବସରରେ ପ୍ରକାଶକ ଶ୍ରୀଯୁକ୍ତ ଜଗନ୍ନାଥ ରଥଙ୍କୁ ତାଙ୍କର ସହଯୋଗ ଓ ସହିଷ୍ଟୁ ଭାବ ପୋଷଣ ପାଇଁ ତାଙ୍କୁ ଗଭୀର ଭାବେ କୃତଜ୍ଞତା ଜ୍ଞାପନ କରିବାକୁ ଚାହିଁବି। ଆହୁରି ମଧ୍ୟ ଏ କଥା ଚାହିଁବି ଯେ ଉତ୍କଳରତ୍ନ ପଣ୍ଡିତ ଦୈତ୍ଯାରୀ ମହାପାତ୍ର ଯିଏକି ସହସ୍ରାଧିକ ପୁସ୍ତକର ରଚୟିତା ସେ ଆହୁରି ଅଧିକ ସାହିତ୍ୟ ରଚନା କରି ତାଙ୍କ ସ୍ରୁଷ୍ଟି ସଂରଚନାରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରନ୍ତୁ। ଓଡ଼ିଶାର ପୁରପଲ୍ଲୀରେ ତାଙ୍କ କୃତି ରାଜି ଚହଳ ପକାଉ। ଜନତାଙ୍କ ହୃଦୟରେ ଓ ମନ ଭିତରେ ତାଙ୍କ ରଚନାବଳୀ ଆଲୋଡନ ସ୍ରୁଷ୍ଟି କରୁ। ସେ ଦୀର୍ଘାୟୁ ଓ ଯଶସ୍ୱୀ ହୁଅନ୍ତୁ – ଏହାହିଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।ଧନ୍ୟବାଦ
ଇତି
ଜୀବନୀ ଚରିତକାର
ସହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ

Referrals:
1.ବିଭିନ୍ନ୍ ପ୍ରକାଶନୀ ସଂସ୍ଥା ଦ୍ଵାରା ପ୍ରକାଶିତ ପୁସ୍ତକ ତାଲିକା
2.ରାଜଧାନୀ ପୁସ୍ତକ ମେଳା ଦ୍ଵାରା ପ୍ରକାଶିତ ଓଡ଼ିଆ ପୁସ୍ତକ ପ୍ରକାଶନୀ ସୂଚୀ
3. ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ଲେଖକ ପରିଚିତି
4.ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ପ୍ରଦତ୍ତ ପୁସ୍ତକ ସୂଚୀ
5.ବିଭିନ୍ନ ପତ୍ର ପତ୍ରିକା ପ୍ରକାଶିତ ପେପର୍ କ୍ଲିପ
6. ପଣ୍ଡିତ ମହାପାତ୍ରଙ୍କ ଗ୍ରାମ୍ୟ ପରିଦର୍ଶନ ଓ ପରିଚିତ ଗ୍ରାମୀଣ ମଣିଷ ସହ ଭାବ ଆଦାନ ପ୍ରଦାନ
7.ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପଣ୍ଡିତ ମହାପାତ୍ରଙ୍କ ଉପରେ ଟୀକା, ଟିପ୍ପଣୀ, ଅଭିମତ ଓ ପୁସ୍ତକ ସମୀକ୍ଷା ଫର୍ଦ୍ଦର ଅନୁଶୀଳନ
8.ପଣ୍ଡିତ ମହାପାତ୍ରଙ୍କ କେତେକ କୃତି ରାଜିର ଅଧ୍ୟୟନ ଓ ଅନୁଧ୍ୟାନ

Related posts

ପରିତ୍ୟକ୍ତ କୋଠି

satya

Nila Gaganra Pathika | Story Book

satya

ମୁଁ ରାନୁ କହୁଛି

satya

Leave a Comment

Login

X

Register