Satya Prakash
ଗଳ୍ପ

ବୋଉଲୋ! ମୁଁ କାଗଜ ଖାଉଛି

ବୋଉଲୋ !

ଭାରି ଭୋକ  । ମୁଁ  ଏବେ କାଗଜ ଖାଉଛି  । କିଛି ଉପାୟ  ନ ପାଇ ତୋ ପାଖକୁ ଚିଠି ଲେଖୁଛି । ମୋ ରାଣ ! ଚିଠି ପଢ଼ି କେବେ ବି କାନ୍ଦିବୁ ନାହିଁ  । ହେଲେ ମୋ କଥା ଯେତେବେଳେ  ମନେ ପଡ଼ିବ, ଚିଠି ଖଣ୍ଡିକ ଖୋଲି ପଢ଼ି ନେବୁ  ।

କ’ଣ କରିବି ? ଖାଇବାକୁ କିଛି ନାହିଁ  । ସବୁ ସରିଗଲାଣି   ।ଟିଫିନ୍ ବକ୍ସରୁ  ଟିଫିନ୍ ତ ସବୁ ଚାଟିକି ସଫା କରି ଦେଇଛି  । ପାଣି ବୋତଲରୁ ପାଣି ବି କେତେବେଳୁ ସରିଗଲାଣି  । ଏବେ କ’ଣ ଖାଇବି, କେମିତି ବଞ୍ଚିବି କିଛି ଜାଣି ପାରୁନାହିଁ  ।

ଆଉ ଭୋକ ସମ୍ଭାଳି ହେଉନାହିଁ ଲୋ ବୋଉ  । ଦେହ କ’ଣ ହୋଇଯାଉଛି । ଛାତି, ମୁଣ୍ଡ ବିନ୍ଧି ଉଠୁଛି । ପେଟ କାମୁଡ଼ି ଧରୁଛି  । ଚାଲିବାକୁ ଶକ୍ତି ପାଉ ନାହିଁ  । ଭାରି ଦୁର୍ବଳ ଲାଗୁଛି  । ଗୋଡ଼ ହାତ ଥରି ଉଠୁଛି  । ହାତରୁ କଲମ ଖସି ପଡ଼ୁଛି  । ଅକ୍ଷର ଗୁଡ଼ାକ ଅଙ୍କା ବଙ୍କା  ହୋଇ ଯାଉଛି  । ଆଦୈା ବଳ ପାଉ ନାହିଁ ;ସତରେ ମୁଁ କଣ ଆଉ ବଞ୍ଚିବି ନାହିଁ ବୋଉ?

ଏବେ ତାତିରେ ଦେହ ଖଇ ଫୁଟୁଛି  । ଭୀଷଣ ଜ୍ୱର  । ପାଟି ଶୁଖି ଅଠା ଅଠା ହୋଇଯାଉଛି, ଉଃ…..ଆଃ ଭାରି କଷ୍ଟ  । ଭୀଷଣ ଶୋଷ  । ଟୋପେ ପାଣି ଦେଲୋ ବୋଉ! ନ ହେଲେ ଜୀବନ କେତେବେଳେ ଚାଲିଯିବ, ତୁ ଖାଲି ଝୁରି ହେଉଥିବୁ  ସିନା ହେଲେ ତୋ ଟୁବୁଲାକୁ ଆଉ କେବେ ବି ପାଇବୁ ନାହିଁ ।

ତୁ ଏଡ଼େ ନିର୍ଦ୍ଦୟୀ ହଅନା ବୋଉ  । ମୋ ଜ୍ୱର ସମୟରେ ମୋ ମୁଣ୍ଡ ପାଖରେ ବସି ମୋ ମୁଣ୍ଡ ଚିପି ଦେବୁ ନାହିଁ ତ ଆଉ କିଏ ଚିପି ଦେବ, କହିଲୁ ? ବାପା ତ ସବୁ ବେଳେ ଅଫିସ୍ କାମରେ ବ୍ୟସ୍ତ  । ରାତି ଅଧକୁ ଘରକୁ ଫେରିବେ  । ଛୁଟି ଦିନରେ ସାଙ୍ଗ ସାଥି ସହ ଟୁପୁରୁ-ଟାପୁରୁ ହେଉ  ହେଉ ବେଳ ଉଛର ହୋଇ ଯାଇଥିବ  । ଏତେବେଳେ କିଏ ମଲେ ବା ଗଲେ ତାଙ୍କର ଯାଏ ଆସେ କେତେ ? ବଟିକାଟିଏ ଆଣି ଦେବାକୁ ତାଙ୍କୁ ତର ହେବ ନାହିଁ  । ଅପାଟା ବି ସେଇମିତିକା  । ତା’ପଢ଼ା ଭଲ ତ ସିଏ ଭଲ  । ଅହରହ ପଢ଼ା ଟେବୁଲ୍ ପାଖରେ ବସିଥିବ ଯେ ବସିଥିବ । ସେଠୁ ଜମା ହୁଙ୍କିବ ନାହିଁ କି ହଲିବ ନାହିଁ  । ମୋ କଥା ତୋ ଛଡ଼ା ଆଉ କିଏ ବୁଝିବ, କହିଲୁ!

ମୁଁ ଏତେ ବଡ଼ ପାଟିରେ ତିନି ଦିନ ହେଲା ଚିଲଉଛି  । ସାରଙ୍କୁ ବାପାଙ୍କୁ, ତୋତେ, ଅପାକୁ– ସମସ୍ତଙ୍କୁ ଡ଼ାକୁଛି  । କେହି ହେଲେ ଶୁଣନ୍ତ? ଆରେ ସତ କଥା ତ! ତୁମେ କେମିତି ବା ଶୁଣିବ ? ସ୍କୁଲ୍ ଘରଟାର ତ କବାଟ ଝରକା ସବୁ ବନ୍ଦ  । ବଡ଼ ବାଉଣ୍ଡରୀ ସାଙ୍ଗକୁ ଉଚ୍ଚା ଦିୱାଲ  । ଗେଟଟା ବି ବନ୍ଦ ଥିବ  । ମୋ ଡ଼ାକ କ’ଣ ତୁମ ନିକଟରେ ପହଞ୍ଚୁଥିବ ? ଦଶାଦିଆ ସ୍କୁଲ୍ଟାକୁ ନିଛାଟିଆ ଜାଗାରେ କିଏ ସେ ଗୋଟାଏ ବସେଇଛି  କେଜାଣି ? ସ୍କୁଲ୍ ଛୁଟି ପରେ ଅଣ୍ଡିଆ କୁଆ ବି ଏଠାକୁ ଆସିବ ନାହିଁ  । ତା’ର କ’ଣ ବୁଦ୍ଧି ଅକଲ କିଛି ନାହିଁ ? ଛୁଆ ପିଲା ବେଳେ କାଳେ ଏମିତି ହଇରାଣ ହରକତ ହୋଇ ପାରନ୍ତି –ସିଏ କେମିତି ଏକଥା ଚିନ୍ତି ପାରିଲା ନାହିଁ; କେଜାଣି ? ହୋଉ, ଯାହା ହେବା କଥା ତ ହେଲାଣି  । ଭାଗ୍ୟରେ ଯାହା ଅଛି ସେୟା ହେବ  । ହେଲେ ମୁଁ ଏଥର କ’ଣ କରିବି, କହନି !

ମୋ କଥା ତ କେହି ଶୁଣି ପାରୁ ନାହଁ  । ଡ଼ାକି ଡ଼ାକି ଗଳା ଫାଟି ଗଲାଣି । ପାଣି ଟୋପାଏ  ନାହିଁ  । ତଣ୍ଟି ଶୁଖି ଗଲାଣି, ଏଣିକି ଆଉ ଜୀଇ ରହିବା ସମ୍ଭବପର ନୁହେଁ  । ବୋଉ! ତୁ ତ ଜାଣିଥିଲୁ ମୋତେ ଜ୍ୱର ହେଇଥିଲା ବୋଲି; ହେଲେ ବାପାଙ୍କୁ ଡ଼ରି ମୋତେ କେମିତି ସ୍କୁଲ୍ ପଠାଇ ଦେଲୁ କହତ ? ଖାଲି ତୋ କଥା ଅମାନ୍ୟ କରିବି ନାହିଁ ବୋଲି ସ୍କୁଲକୁ ଆସିଲି  । ନଚେତ୍ ସ୍କୁଲକୁ ଆସିବାକୁ ଆଦୈା ଇଚ୍ଛା ନ ଥିଲା ଲୋ ବୋଉ! ଆସିଲା ବେଳେ ତୁ ସିନା ବାଧ୍ୟ କରି ଖୁଆଉ ଥିଲୁ, ହେଲେ ମୋତେ ତ ଜ୍ୱର, ସେଥିପାଇଁ ଅରୁଚି ଲାଗୁଥାଏ  । ଖାଲି ଅଇ ଉଠୁଥାଏ । କେମିତି ଖାଇଥାନ୍ତି କହିଲୁ ?

ଖାଲି ପେଟରେ ସ୍କୁଲ୍କୁ ପଳାଇ ଆସିଲି ସିନା, ହେଲେ ଏଠି ପାଠ ପଢ଼ାରେ ଆଦୈା ମନ ଲାଗୁ ନଥାଏ । ମୁଣ୍ଡଟା ଘୂରାଇ ଦେଲା ଯେ ଡ଼େକ୍ସ ଉପରେ ମୁଣ୍ଡ ରଖି ଢୁଳାଇ ପଡ଼ିଲି  । କେତେବେଳେ ନିଦଟା ଯେ ଘୋଟି ଆସିଛି, ମୁଁ ମୋଟେ ଜାଣି ପାରି ନାହିଁ   । ଉଠିଲା ବେଳକୁ ଚାରିଆଡ଼େ ଶୂନ୍-ଶାନ୍, ଖାଲି ଅନ୍ଧକାର  । କବାଟ, ଝରକା ବାଡ଼େଇଲି  । କେହି ଶୁଣିଲେ ନାହିଁ  । ଅନ୍ଧାର ଭିତରେ ସବୁ ଭୂତ ପ୍ରେତ କଥା ମନେ ପଡ଼ି ଯାଉଥାଏ  । ରୁମ ମୂଳୀ ଟାଙ୍କୁରୀ ଉଠୁଥାଏ  । କିଛି ଗୋଟାଏ ଶବ୍ଦ ହେଲେ ହାଉଳି ଖାଇ ଉଠି ତୋ କଥା ମନେ ପକାଉଥାଏ । ହେଲେ ଏଠି କିଏ ଅଛି ଯେ ମୋତେ ଆହା ପଦେ କହିବ; କୋଳକୁ ଟାଣି ନେଇ ବୋକ ଦେବ, ପଣତ କାନି ଘୋଡ଼ାଇ ଢାଙ୍କି ରଖିବ?

ଜାକି ଜୁକି ହୋଇ ଗୋଟିଏ କଣରେ ମୁଁ ଆଖି ନିବୁଜ କରି ବସି ପଡ଼େ  । ଆଖି ଖୋଲିଲେ ଖାଲି ଡ଼ର । ସାଇଁ ସାଇଁ ନିଶା ଗର୍ଜନ  । ଭୟଙ୍କର ଅନ୍ଧାର  । ଅବଶ୍ୟ ଏ ଅନ୍ଧକାରଟା ଏବେ ମୋର ଦେହସୁହା ହୋଇ ଗଲାଣି । ତଥାପି ଭୟ ମୋ ପିଛା ଛାଡ଼ୁନାହିଁ  । ବଡ଼ ଦୁର୍ଦ୍ଦାନ୍ତ, ଦୁର୍ଦ୍ଦଷ–ଏ  । ଆଜକୁ ତିନି ଦିନ ବିତିଗଲାଣି  । ପ୍ରତିଦିନ ସେହିପରି ଅପେକ୍ଷା କରି ରହେ, କାଲି କେହି ଆସିଲେ ସ୍କୁଲ୍ ଖୋଲିବ  । ମୋତେ ତାଲା ଫିଟାଇ ସ୍କୁଲ୍ ରୁମରୁ ଉଦ୍ଧାର କରିବ  । ସେତେବେଳେ ମୁଁ ଦମେ କାନ୍ଦିବି  । ବାପା, ବୋଉ-ସାରଙ୍କ ଉପରେ ଅଭିମାନ କରି ନାକ ଫଟାଇବି  । ଯା’ ପାରି ତା’  ପାଇବି, ଆଗ ଖାଇଯିବି  ।

ହେଲେ ଏବେ ମନେ ପଡ଼ିଗଲା ସାର୍ ସମର ଭେକେସନ୍ ହେବ ବୋଲି କହୁଥିଲେ  । ସ୍କୁଲ୍ କୁଆଡେ ଏବେ ଦେଢ଼ ମାସ ଛୁଟି ରହିବ  । ଆମ ସ୍କୁଲ୍ ପିଅନ ରବି ଭାଇ ସେଥିପାଇଁ ବୋଧହୁଏ, ଆଚ୍ଛା କରି କବାଟ ଝରକା ସବୁ ବନ୍ଦ କରି, ତାଲା ପକାଇ ଦେଇଥିବ  । ଆଉ ସ୍କୁଲକୁ କିଏ ଆସିବ ଯେ, ମୋତେ ଦେଖିବ ? ମୁଁ ଯେ ସେଦିନ କ୍ଲାସ୍ ରୁମରେ ସମସ୍ତଙ୍କ ଅଲକ୍ଷ୍ୟରେ ଶୋଇ ପଡ଼ିଥିଲି, ବୋଧହୁଏ ମୋତେ କେହି ଦେଖି ନାହିଁ  । ମୋ ସାଙ୍ଗ ଟୁନା ବି ମୋତେ କେମିତି ଡ଼ାକିଲା ନାହିଁ କେଜାଣି? ସ୍କୁଲ୍ ଦୀର୍ଘ ଦିନ ଛୁଟି ହେବା କଥା ଜାଣି, ସିଏ ବି ଡ଼େଇଁ ଡ଼େଇଁ ନିଶ୍ଚୟ ରୁମରୁ ବାହାରି ଚାଲି ଯାଇଥିବ  ।

ଛୁଟିରେ ସମସ୍ତେ ଭାରି ମଜା କରୁଥିବେ ନା ? ମାମୁ ଘର ଦାଦା ଘରକୁ ବୁଲି  ବାହାରିଥିବେ  । କେହି କେହି ନା  ନିଜ ଗାଁ ଅବା ଦର୍ଶନୀୟ ସ୍ଥାନ ନିଶ୍ଚୟ ବୁଲି ଯାଇଥିବେ  । ଛୁଟି ପରେ ସ୍କୁଲରେ ଯେତେବେଳେ ସମସ୍ତେ ଏକାଠି ହେବେ କେତେ ଖୁସି ଗପ କରିବେ  । ନିଜ ନିଜ ଅନୁଭୂତି ସବୁ ବଖାଣି ବସିବେ  । ହସା-ହସି ହୋଇ  ଖାଲି କମ୍ପାଇବେ  । ସ୍କୁଲ୍ ଖୋଲିଲେ ସତରେ ଭାରି ମଜା ହେବ  ।

ବୋଉ ! ଆମେ ପରା ଏଥର ଦାର୍ଜିଲିଂ ଯିବା ? ସେଦିନ ତୁ ବାପାଙ୍କୁ କହୁ ନ ଥିଲୁ ନା, ଆମେ ଏଥର ଦାର୍ଜିଲିଂ ଯିବା, ବଡ଼ ମାମୁ କୁଆଡ଼େ ଫୋନ କରିଥିଲେ ବୋଲି  । ହେଲେ ମୁଁ କେମିତି ଯିବି ? ମୁଁ ତ ସ୍କୁଲ୍ ଘର ଭିତରେ ବନ୍ଦୀ ହୋଇ ରହିଛି, ନା ତୁମେ କେହି ମୋତେ ଦେଖି ପାରୁଛ; ନା କେହି ଶୁଣି ପାରୁଛ  । ମୁଁ ବି କାହାକୁ ତ ଦେଖି ପାରୁ ନାହିଁ କି ଶୁଣିପାରୁ ନାହିଁ  । ତା’ ହେଲେ ଏବେ କ’ଣ କରିବି ? ଏଠୁ କେମିତି ମୁକୁଳିବି? ହେ ଭଗବାନ ! ସେ ଉପାୟଟା ମୋତେ କହି ଦିଅନ୍ତ ନି ? ଧେତ୍ ଏ ଭଗବାନଟା ବି ସେୟା  । ସିଏ ବି ମୋ କଥା ଶୁଣୁ ନାହିଁ  । ଭାରି କାଲ  । ତୁଚ୍ଛାଟାରେ ତୁ କାହିଁକି ନିତି ଦୁଧ କଦଳୀ ପଣା ଢାଳୁ କେଜାଣି ?

ହେଲେ ବୋଉ ! ତୁ କ’ଣ ମୋତେ ମନେ ପକାଉ ନାହୁଁ ? ବାପା କ’ଣ ମୋତେ ଖୋଜୁ ନାହାଁନ୍ତି ? ନ ଖୋଜନ୍ତୁ କେହି  । ମୁଁ ତୁମକୁ ବହୁତ ହଇରାଣ କରୁଥିଲି ନା ? ଖାଇବା ପାଇଁ ଅଝଟ; ଶୋଇବା ପାଇଁ ଅଝଟ; ପଢ଼ିବା ପାଇଁ ଅଝଟ  ।  ଦିନଟା ସାରା ଖାଲି ତୋରି ପଛରେ ଲାଗିଥାଏ  । ତୁ ଚିଡ଼ିକି ନାଚି ଉଠୁଥାଉ । ନା ଲୋ ବୋଉ! ତୁ ଆଉ ଚିଡ଼୍ ନା  । ମୁଁ ତ ଆଉ ଏଠୁୁ ଉଦ୍ଧୁରି ପାରିବି ନାହିଁ  । ତୁ କାହିଁକି ମୋ ଉପରେ ଚିଡ଼ିବୁ ? ଅପାକୁ କହିବୁ ! ମୁଁ ଆଉ ତାକୁ ଥଟ୍ଟା କରିବି ନାହିଁ କି ଖାଇବା ପାଇଁ କଳି କରିବି ନାହିଁ  । ଏକା ଏକା ସେ ତା’ର ସବୁ ଖାଉ  । ତୁ ତା’ ଉପରେ ଆଉ ଜମାରୁ ରାଗିବୁ ନାହିଁ, ସ୍କୁଲ୍ ଖୋଲିଲା ବେଳକୁ, ମୁଁ ତ ମରିକି ପଡ଼ିଥିବି  । ମୋର ମାଂସ ଜନ୍ଦା, ପିମ୍ପୁଡ଼ି ସବୁ ଖାଇ ଯାଇଥିବେ  । ଖାଲି ହାଡ଼ ଗଦାଏ ଯାହା ପଡ଼ିଥିବ  । ଯେମିତି ଆମ ଲାବ୍ରୋଟେରୀରେ କଙ୍କାଳ ସବୁ ଗଦା ହୋଇଛି । ବଡ଼ ଭାଇମାନେ କ’ଣ ସେଠି ସବୁ ପରୀକ୍ଷା ନିରୀକ୍ଷା କରନ୍ତି  ।

ବୋଉ! ତୁ କ’ଣ ଭାବୁଛୁ ମୋତେ କିଏ କିଡ଼ାନପ୍ କରି ନେଇ ଯାଇଛି ନା ମୁଁ କୁଆଡ଼େ ରାଗି କି ପଳାଇଛି ? ମୁଁ କାହିଁକି କୁଆଡ଼େ ରାଗିକି ଯିବି ? ତୋ ସ୍ନେହବୋଳା କଥାରେ ତ ମୋ ମନ ବହଲି ଯାଏ, ତୁ ତ ଏକଥା ଭଲକି ଜାଣିଛୁ  । ତା ହେଲେ ମୋତେ କିଏ କିଡ଼ନାପ୍ କରି ନେଇଥିବା କଥା ନିଶ୍ଚୟ ତୁ ଭାବୁଥିବୁ  । ସେଥିପାଇଁ ବାପାଙ୍କୁ ପଠାଇ ଚାରିଆଡ଼େ ଖୋଜା ଖୋଜି  କରୁଥିବୁ  । ପୋଲିସ୍ ଷ୍ଟେସନ୍ ଯାଇ ଏତଲା କରିଥିବୁ । ରେଡ଼ିଓ, ଟି.ଭି ରେ ନିରୁଦ୍ଦିଷ୍ଟ ଲୋକଙ୍କ ତାଲିକାରେ ମୋ ନାମ ପ୍ରକାଶ ପାଇଥିବ  । ସମସ୍ତେ ତତ୍ପର ହୋଇ ଉଠିଥିବେ  । ହେଲେ ତୁ ବାପାଙ୍କୁ ସ୍କୁଲ ପଠାଇ ମୋତେ ଖୋଜିଲୁ ନାହିଁ ? କିନ୍ତୁ ସ୍କୁଲ୍ ଭିତରେ ମୁଁ ଯେ ରହି ଯାଇଥିବି ଏକଥା ତୁ ବା କେମିତି ଜାଣିବୁ ? ଏ କଥାଟା ତୋ ମୁଣ୍ଡକୁ ନିଶ୍ଚୟ ଢୋକି ନଥିବ  । ମୋ କଥା ମନେ ପକାଇ ତୁ କାନ୍ଦୁଛୁ କି ଲୋ ବୋଉ ? ନାଲୋ ବୋଉ ! ତୁ କାନ୍ଦିବୁ ନାର୍ହି  । ମୁଁ ସହି ପାରିବି ନାହିଁ  । ମୋର କୋହ ଉଠେଇବ  । ମୋ ନିଃଶ୍ୱାସ ରୁଦ୍ଧ ହୋଇଯିବ । ତୁ କାହିଁକି ଏତେ ଚିନ୍ତା କରୁଛୁ ? ଅପା ତ ତୋ ପାଖରେ ଅଛି । ସେ ଗେହ୍ଲେଇଟା ଭାରି ଭଲ  ।

ଆଉ ବୋଉ ଲେଖି ପାରିବି ନାହିଁଲୋ ! ହାତ ଗୋଡ଼ ଚଳୁ ନାହିଁ  । କେମିତି ସବୁ ଅବଶ ହୋଇ ଗଲାଣି । ପୁଣି ଭାରି ଭୋକ  । ସହି ହେଉ ନାହିଁ  । ଇଚ୍ଛା ହେଉଛି ମାଟି ପଥର ଗୋଡ଼ି ଯାହା ପାଇବି ସବୁ ଖାଇଯିବି । ଏଥର ଏଇ କାଗଜ ଗୁଡ଼ାକ ଖାଉଛି  । ଆଉ କିଛି ନାହିଁ, କ’ଣ ଖାଇବି ତୁ କହୁନୁ ?  ହେଲେ ପାଣି ?? ପାଣି କାହିଁ ? ତଣ୍ଟି କ’ଣ ହୋଇ ଯାଉଛି  । ଓଃ…. ପେଟ ……. ମୋ ମୁଣ୍ଡ…… ମୋ ଛାତି ……….. ଏଥର ମଲି  । ବୋଉ……. ଉ ……. ଉ………..  ।

Related posts

କୁନା ବାପା ତୁମେ କିଛି ଜାଣିନ

satya

ସମାଜ ସୁଧାରକ

satya

ପ୍ରେମ ଓ ପ୍ରେମ ଭାବ prema o premabhaba

satya

Leave a Comment

Login

X

Register