Satya Prakash
ଗଳ୍ପ

ପ୍ରୀତିପର୍ଣ୍ଣା

ପ୍ରୀତିପର୍ଣ୍ଣା
—–by ସତ୍ୟ ପ୍ରକାଶ ସେଠୀ
ଜନ୍ମ ଓ ମୃତ୍ୟୁ ପରି ପ୍ରେମ ଜୀବନର ଏକ ଚିରନ୍ତନ ସତ୍ୟ।ମୁନି ରିଷି ଠାରୁ ଆରମ୍ଭ କରି ଇତର ପ୍ରାଣୀ ଯାଏଁ କେହି ସେଥିରୁ ବର୍ତ୍ତି ଯାଇ ପାରି ନାହାନ୍ତି।ମାନବ ଶିଶୁ ହାତ ଗୋଡ଼ ହଲାଇ ଧୀରେ ଧୀରେ ସେ ବଡ଼ ହୁଏ। କ୍ରମଶଃ ଦୁନିଆର ହାନି ଲାଭ ସବୁ  ବୁଝେ। ଯୌବନ ଆସି ପଦାର୍ପଣ କଲାଠୁଁ ତା’ହୃଦୟରେ ପ୍ରେମ ଭାବ ମୁଣ୍ଡ ଟୁଙ୍ଗାରେ। ଦୁନିଆଟା ତାକୁ ପ୍ରେମମୟ ପ୍ରତୀତ ହୁଏ। ସବୁ କିଛି ତାକୁ ମଧୁର ଓ ସୌନ୍ଦର୍ଯ୍ୟମୟ ଲାଗେ। ଦେହରେ ଶାରୀରିକ ବିକୃତି ଓ ମନରେ ଏକ ଅଫୁରନ୍ତ ଉତ୍ସବ ଜାଗିଉଠେ। ହୃଦୟ ପ୍ରେମଶିକ୍ତ ହୁଏ। ସେ ଖୋଜେ ସାଥୀଟିଏ ଯାହା ସହ ସେ ଖେଳିବ, ବୁଲିବ, ହସିବ ବସିବ ବା ନିଜର ବିଶେଷ ମୁହୂର୍ତ୍ତକୁ ବ୍ୟତୀତ କରିବ।
ପ୍ରୀତିପର୍ଣ୍ଣା ପୂର୍ଣ୍ଣ ଯୌବନା। ଦେହରେ ମାଦକତା ଭରି ରହିଥାଏ। ତା’ର ଅଙ୍ଗ ସୌଷ୍ଠବ ଅତ୍ୟନ୍ତ ରୁଚିମନ୍ତ। ସ୍ଵର୍ଗର ଅପସରି ପରି ସେ ବେଶ୍ ସୁନ୍ଦରୀ। ଯିଏ ଦେଖୁଥାଏ ତାକୁ ଲୋଲୁପ ଦୃଷ୍ଟି ପକାଉଥାଏ। ପୁରୁଷ ହୃଦୟରେ ସେ କାଳ୍ପନିକ ରାଜକୁମାରୀ ବା ସାହାଡ଼ା ସୁନ୍ଦରୀ କାହାଣୀର ନାୟିକା। କେତେ ଯେ ପୁରୁଷ ତା’ର ରୂପରେ ବିମୋହିତ ହୋଇ ନଥିବେ ତା’ କହି ହେବ ନାହିଁ । ଅତ୍ୟାଧୁନିକ ପ୍ରସାଧାନ ସାମଗ୍ରୀ, ଓଠରେ ଲିପ୍ଷ୍ଟିକ୍ ଓ ଭୃଲତାରେ ଆଇଲାଶ ଓ ଦେହରେ ଅତର ଗନ୍ଧ ନଥାଇ ମଧ୍ଯ ତା’ର ଅଙ୍ଗ ସୌଷ୍ଠବ ବେଶ୍ ପରିସ୍ଫୁଟ ହୋଇ ଦିଶୁଥାଏ।କେବେ କେବେ ଦେହର ଅତର ଗନ୍ଧ ବିମୁଗ୍ଧ ସାଥୀ ସହପାଠୀଙ୍କୁ ବିମୋହିତ କରିଥାଏ। ସେ ହେଉଛି ଆମ ବିଶ୍ୱବିଦ୍ୟାଳୟର କୁଇନ।
ସମସ୍ତଙ୍କ ଭିତରେ ପ୍ରୀତିପର୍ଣ୍ଣାକୁ ପାଇବା ପାଇଁ ପ୍ରତିଯୋଗୀତା। କେହି କେହି ପ୍ରୀତିପର୍ଣ୍ଣାର ବିଶ୍ଵ ବିଦ୍ୟାଳୟ ଯିବା ଆସିବା ବାଟ ଜଗି ବସିଥାନ୍ତି-ଥରେ ମାତ୍ର୍ ତାକୁ ଦର୍ଶନ କରିବା ପାଇଁ। ଆଉ କେହି କେହି ମହୁ ମାଛି ପରି ଘେରି ଯାଉଥାନ୍ତି ତା’ ଚାରିପଟେ – କଥା ପଦେ ହେବା ପାଇଁ। ପ୍ରୀତିପର୍ଣ୍ଣାର ହସର ଝଲକ ଟିକକ ପାଇବା ପାଇଁ ଦିନ ତମାମ ଅନିସା କରି ରହିଥାନ୍ତି – ସମସ୍ତେ। ପ୍ରୀତିପର୍ଣ୍ଣାକୁ ଯେମିତି ଶ୍ରେଣୀ ଗୃହ ଭିତରେ କଣେଁଇ କଣେଁଇ ବାରମ୍ବାର ଚାହିଁ ହେବ, ସେହିଭଳି ଗୋଟେ ଦୂରତା ଓ ସହଜେ ଦର୍ଶନ କରି ହେଲା ଭଳି ଜାଗା ବାଛି ବସିବାକୁ ପୁରୁଷ ବନ୍ଧୁମାନଙ୍କ ମଧ୍ୟରେ ଗୋଟେ ପ୍ରତିଯୋଗୀତା ଲାଗି ରହିଥାଏ। ପ୍ରୀତିପର୍ଣ୍ଣା ଯେଉଁ ଦିନ ବିଶ୍ଵ ବିଦ୍ୟାଳୟ ଆସେ ନାହିଁ ସେଦିନ ବିଶ୍ଵ ବିଦ୍ୟାଳୟଯାକ ପିଲାଙ୍କର ମନ ଭାଙ୍ଗି ଯାଏ, କାହାରି ମନରେ ସେତେ ସରାଗ ନଥାଏ। କାରଣ ଅନେକଙ୍କ ହୃଦୟର ସେ ମନ ମୟୂରୀ।
ପ୍ରୀତିପର୍ଣ୍ଣା ସେଲେବ୍ରିଟି ନହେଲେ ମଧ୍ୟ ସେ ଆମ ବିଶ୍ଵ ବିଦ୍ୟାଳୟର ସେଲେବ୍ରିଟି ପାଲଟି ଯାଇଥାନ୍ତି। ସବୁଠିଁ ତାଙ୍କ ରୂପ ଯୌବନର ଆଲୋଚନା। କ୍ୟାଣ୍ଟିନ୍ ଓ ଲାଇବ୍ରେରୀ ଠାରୁ ଆରମ୍ଭ କରି ବିଶ୍ଵ ବିଦ୍ୟାଳୟରେ ଏକରୁ ଅନେକ ଲୋକ ମେଳି ସ୍ଥଳୀ ଗୁଡ଼ିକରେ ମୁଖ୍ୟ ଆଲୋଚନାର ବିଷୟ – ସେଇ ପ୍ରୀତିପର୍ଣ୍ଣା।
ଏଗୁଡାକ କିନ୍ତୁ ପ୍ରୀତିପର୍ଣ୍ଣାକୁ ଭଲ ଲାଗେ ନାହିଁ। ସେ ଅଣନିଶ୍ଵାସୀବୋଧ କରୁଥାନ୍ତି। ବିଶ୍ଵ ବିଦ୍ୟାଳୟକୁ ଯିବା ଆସିବା ଠାରୁ ବିଶ୍ଵ ବିଦ୍ୟାଳୟ ଭିତରେ ମଧ୍ଯ ସେ ନାନା ଅଶ୍ଳୀଳ ଇଙ୍ଗିତରେ ଶୀକାର ହୋଇ ଯାଉଥାଏ । ତା’ର ରୂପକୁ ନେଇ ତା’ ମନରେ ଯେତିକି ଗର୍ବ ଥିଲା ଏବେ ସେହି ରୂପକୁ ନେଇ ପ୍ରତ୍ୟେହ ନୂଆ କାହାଣୀ ଘଟେ। ନାନା ଘାତ ପ୍ରତିଘାତର ଶୀକାର ହେବାକୁ ହୁଏ। ଦୈନନ୍ଦିନ ଘଟୁଥିବା ଅଘଟଣକୁ ସାମ୍ନା କରିବାକୁ ଯାଇ ତା’ ମନରେ ଅହେତୁକ ଡର ପଶି ଯାଉଥିଲା। ସିଏ ବି ମନେ ମନେ ଚାହୁଁଥିଲା ସୁରକ୍ଷା, ଗୋଟାଏ ପୁରୁଷ ବନ୍ଧୁର ସାହାରା।

ପ୍ରତ୍ୟେହ ଘରକୁ ନୂଆ ଅଭିଯୋଗ ନେଇ ଫେରେ – ପ୍ରୀତିପର୍ଣ୍ଣା। ବାପା ତ ତା’ର ସାଧାରଣ କ୍ଲର୍କଟିଏ, ଦୁନିଆ ସହିତ ଲଢିବାର  ସାମର୍ଥ୍ୟ ତାଙ୍କର ବା ଆସନ୍ତା କୁଆଡୁ? ବସି ବସି ଉପାୟ ଚିନ୍ତା କରୁଥାନ୍ତି। ରୋଷେଇ ଶାଳରୁ ପତ୍ନୀ ହାତରେ ଅଟା ଚକଟା ଧରି ଆସି ପାଖରେ ଛିଡ଼ା ହେଲେ। କହିଲେ – “ହଇ ଗୋ! ଶୁଣୁଛ, ପ୍ରୀତିପର୍ଣ୍ଣାର ବାହାଘର କର। କେତେ ଆଡୁ କେତେ ପ୍ରସ୍ତାବ ଆସୁଛି, ଭଲ ପିଲାଟିଏ ଦେଖି ଛନ୍ଦି ଦେବା। ତେଣିକି ତା ସଂସାର ସେ ସମ୍ଭାଳିବ। ତୁମେ ଆଉ ତା ଟେନସନ୍ ଏତେ ନେଇ ପାରିବ ନାହିଁ। ରୋଗୀଣା ମଣିଷଟା, ଦେହ ମୁଣ୍ଡ ଖରାପ ହୋଇଯିବ”।
ସେୟା ହେଲା ।ପ୍ରୀତିପର୍ଣ୍ଣାର ବିବାହ ଆୟୋଜନ ଚାଲିଲା। ଗୋଟେ ଥିଲାବାଲା ଘରେ ବୋହୂ ହେବ ପ୍ରୀତିପର୍ଣ୍ଣା। ସିଏ ବି ପରିସ୍ଥିତି ଦୃଷ୍ଟିରୁ ପ୍ରତିବାଦ କରିପାରିଲା ନାହିଁ। ହେଲେ ଗୋଟାଏ ସର୍ତ୍ତ ସେ ପାଠ ପଢିବ। ଶ୍ବଶୁର ସେଥିରେ ରାଜି ହୋଇଗଲେ। ବିବାହ ସମ୍ପନ୍ନ ହୋଇଗଲା। ରୂପବତୀ ହେଲେ ଘର କୋଣର ବୋହୂ। ପ୍ରତିଶ୍ରୁତି ଭୂଲି ତାକୁ ବାରଣର ଶୀକାର ହେବାକୁ ପଡିଥାଏ। ତଥାପି ନିଜର ଅଦମ୍ୟ ଅଧ୍ୟାବସାୟର ନିଶା ତାଙ୍କୁ ବିଶ୍ଵ ବିଦ୍ୟାଳୟ ଆସିବାକୁ ରୋକି ପାରି ନଥାଏ। ଏଥିପାଇଁ ଅବଶ୍ୟ ଶାଶୁ ଓ ନଣନ୍ଦଙ୍କ ଠାରୁ ନାନା ଅକଥା ଶୁଣିବାକୁ ପଡିଥାଏ।
ବିବାହ ଉତ୍ସବ କାଳରେ ସମସ୍ତ ସାଥୀ ସହପାଠୀ ଓ ସହପାଠିନୀ ମଧ୍ୟ ନିମନ୍ତ୍ରିତ ହୋଇ ଆସିଥିଲେ।ଏବେବି ସେ ବିଶ୍ଵ ବିଦ୍ୟାଳୟ ଆସନ୍ତି। ହେଲେ ମସ୍ତକରେ ସିନ୍ଦୂର ଲାଗିଲାଠୁଁ ସେ ସାଥୀ ସହପାଠୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କର ଅପା। ପ୍ରୀତିପର୍ଣ୍ଣା ଅପା। ସମସ୍ତଙ୍କର ଆଦରଣୀୟା ଓ ସମ୍ମାନୀୟା।
ବିବାହ ପୂର୍ବରୁ ଯେମିତି ସେ ସମସ୍ତଙ୍କର ଭୋଗ୍ୟା ହେବା ପାଇଁ ଯୋଗ୍ୟା ଥିଲେ – ଅନ୍ୟମାନଙ୍କ ନଜରରେ, ହେଲେ ହାତକୁ ଦୁଇ ହାତ ହୋଇଗଲା ପରେ ବୋଧହୁଏ ଟିକିଏ ଲୋକଙ୍କର ଦୃଷ୍ଟି ଭଙ୍ଗୀରେ ପରିବର୍ତ୍ତନ ଘଟି ଥାଏ।
ପ୍ରୀତିପର୍ଣ୍ଣାର ପ୍ରେମ ସୁଧା ନିଧି ପାଇବା ପାଇଁ ଯେଉଁ ପ୍ରତିଯୋଗୀତା ଚାଲିଥିଲା, ତା’ର ଗୋଟେ ପୂର୍ଣ୍ଣଛେଦ ପଡ଼ିଲା। ଏବେ ସମସ୍ତେ ଅପାର ଭାଇ। ଅପାର ସ୍ନେହ ଶ୍ରଦ୍ଧା ମଧ୍ୟ ନିଆରା। ସେବେ ରୂପ ପାଇଁ ଓ ଏବେ ଗୁଣ ପାଇଁ ସେ ବେଶ୍ ଚର୍ଚ୍ଚିତା। ସମସ୍ତେ ଖୁସି ହୁଅନ୍ତି। ବାସ୍ତବରେ ସୌନ୍ଦର୍ଯ୍ୟ ସହିତ ଗୁଣର ସମିଶ୍ରଣ ଘଟିଲେ, ମଣିଷ ନିଆରା ବ୍ୟକ୍ତିତ୍ଵର ଅଧିକାରୀ ହୋଇଥାଏ। ସେହି ହିଁ ପୂଜନୀୟା ଓ ବନ୍ଦନୀୟା। ସତେ କି ଦୀପ୍ତିମୟୀ ଦେବୀ ମୂର୍ତ୍ତିଟିଏ।
ମାତ୍ର୍ ମଣିଷ ଜୀବନରେ କୌଣସି ଜିନିଷ ଚିରସ୍ଥାୟୀ ନୁହଁ। ଏଠି ସବୁ କିଛି ଅଳିକ। ଅଢେଇ ଦିନରେ ବଢଇ କଥା ପୁଣି ନୂଆ କାହାଣୀ ଲେଖା ହୁଏ। ସୁଖ ସମୃଦ୍ଧିର କଥା ମଧ୍ୟ ସେୟା। ଏକ ନିୟମର କ୍ରମିକ ଧାରା। କ୍ଷଣକେ ଛାଇ ଓ ପୁଣି ଖରା। ଖରା ଛାଇର ଲୁଚକାଳି ଭିତରେ ଜୀବନ କିନ୍ତୁ ବେଶ୍ ଧାଏଁ।
* * *
ସୁନ୍ଦରୀ ସ୍ତ୍ରୀମାନଙ୍କୁ ପୁରୁଷମାନେ କୁଆଡେ ଭାରି ସନ୍ଦେହ ଚକ୍ଷୁରେ ଦେଖନ୍ତି । ସେଦିନ ଜଣେ ସାଥୀ ସହପାଠୀ ସହିତ ହସି କଥା ହେଉଥିବାର କୁଆଡ଼େ ସ୍ଵାମୀ ମହାଦେବ ଅଫିସରୁ ଫେରିବା ବାଟରେ ଦେଖି ପକାଇଥିଲେ। ଘର ଭିତରକୁ ନପଶୁଣୁ ଆରମ୍ଭ ହୋଇଗଲା ଜେରା। ଶାଶୁ ଶ୍ୱଶୁର ମଧ୍ୟ ପଦେ ପଦେ ପାଳି ଧରୁଥାନ୍ତି।ନଣନ୍ଦ ଓ ଘର ଜ୍ୱାଇଁଆ ସ୍ୱାଭାବର ନଣଦେଇଟା କଥାଟାକୁ ଅଧିକ ମୋଟ କରି ପକାଇଲେ। ସେମାନଙ୍କର ଉଦ୍ଦେଶ୍ଯଟା କ’ଣ ଥିଲା କେଜାଣି ଭଗବାନଙ୍କୁ ଜଣା। ତେଣିକି ଧାରାବାହିକ ଭାବେ ଚାଲେ ନାନା ଅପଯଶ ଅପନିନ୍ଦା ଓ ଗାଳି। ପ୍ରୀତିପର୍ଣ୍ଣା ନିରୀହା ଶିଶୁ ଶାବକ ହରିଣୀଟି ପରି କେବଳ ନୀରବରେ ଚାହିଁ ରହେ। ସମସ୍ତ ଅକଥନୀୟ ଅତ୍ୟାଚାରକୁ ମୁଣ୍ଡ ପାତି ସହେ। କାରଣ ପ୍ରତିବାଦ କରିବା ପାଇଁ ତାଙ୍କ ନିକଟରେ ଯଥେଷ୍ଟ ଭାଷା ନଥାଏ ବା ତାଙ୍କୁ ଶୁଣିବା ପାଇଁ କେହି ସେତେ ଆଗ୍ରହ ଦେଖାଉ ନଥାନ୍ତି। ଅଭିସନ୍ଧି ରଖି ଶ୍ବଶୁର ଘର ଲୋକେେ ତାଙ୍କ ପାଠ ପଢ଼ାରେ ପୂର୍ଣ୍ଣଚ୍ଛେଦ ଟାଣିବା ନିଷ୍ପତ୍ତି ପ୍ରାୟତଃ ନେଇସାରିଥିଲେ । ନିରୁପାୟ ହୋଇ ସମ୍ମତି ଜଣାଇବାକୁ ମନେ ମନେ ସ୍ଥିର କରୁଥାନ୍ତି ପ୍ରୀତିପର୍ଣ୍ଣା। ମାତ୍ର୍ ଗାଳି ଓ ତିରସ୍କାର ପରିମାଣ ଦିନକୁ ଦିନ ବଢିବାକୁ ଲାଗୁଥାଏ। ସେତିକିରେ ବି ଝଡ଼ ଥମିଲା ନାହିଁ। ପୁଣି ବାପା ମାମୁଁଙ୍କୁ ଡାକି କୁଳଟା ବେଶ୍ୟାର ଅପବାଦ ଓ ଶେଷରେ କହିଲେ – “ୟା’କୁ ଆମେ ସମ୍ଭାଳି ପାରିବୁ ନାହିଁ, ପାରୁଛ ଯଦି ନିଜ ସାଥିରେ ନିଜ ଘରକୁ ତାକୁ ନେଇଯାଅ, ତା ସଙ୍ଗେ ଆମେ ଝଗଡ଼ା ଝାଣ୍ଟି କରି ପାରିବୁ ନାହିଁ”, ଇତ୍ୟାଦି। ଇତି ହେଲା ଗୋଟାଏ କାହାଣୀର ଶେଷ କଥା। ପ୍ରୀତିପର୍ଣ୍ଣା ନୀରବରେ ସମୟର ଆହ୍ୱାନକୁ ସହି ନେଲେ। ମନେ ମନେ ଗୋଟିଏ କଥା ବାରମ୍ବାର ଭାବୁଥିଲେ – “ନାରୀର ସୌନ୍ଦର୍ଯ୍ୟ ଅଭିଶାପ ନା ଆଶୀର୍ବାଦ”?

ବାସ୍ ସେତିକି। ଘଟଣା ଏବେ ଭିନ୍ନ ମୋଡ। ପ୍ରୀତିପର୍ଣ୍ଣା ସେହିଦିନଠୁଁ ବାପ ଘରେ। କୌଣସି ପ୍ରକାରରେ ଏମ୍. ଏ. ପରୀକ୍ଷାଟା ଦେଇଦେଇ ମାତିଗଲେ ଆଇ. ଏ. ଏସ୍.ପରିକ୍ଷା ପାଇଁ। ସଦା କଠୋର ପରିସ୍ଥିତି ଓ ପରିବେଶ ସହ ଲଢ଼ି ଲଢ଼ି ପ୍ରୀତିପର୍ଣ୍ଣା ଚାହୁଁଥାନ୍ତି – ନିଜକୁ ନିଜେ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ଏ ନାରୀ ଜାତିଟାର ରକ୍ଷା କବଚ ପାଲଟିବାକୁ। ତାଙ୍କର ଇଚ୍ଛା ଶକ୍ତି ଶେଷରେ ତାଙ୍କୁ ଆଇ. ପି. ଏସ୍. ଅଫିସରରେ ନିଯୁକ୍ତି ପର୍ଯ୍ୟନ୍ତ ଟାଣି ନେଲା। ଏବେ ସେ ଏସ୍. ପି. ପ୍ରୀତିପର୍ଣ୍ଣା। କଠୋର ଅନୁଶାସନ ଓ ବିଶାଳ ହୃଦୟ ନେଇ ସହରରୁ ଅଳିଆ ଓ ଆବର୍ଜନା – ଅସାମାଜିକ ଗୁଣ୍ଡା ବଦମାସିଆଙ୍କୁ ହଟେଇ, ଏକ ସୁସ୍ଥ ସମାଜ ଗଠନ କରିବା ତାଙ୍କର ଲକ୍ଷ୍ୟ। ସାଧାରଣ ଜନତାକୁ ନ୍ୟାୟ ପ୍ରଦାନ କରିବା ତାଙ୍କର ଦ୍ଵିତୀୟ ଲକ୍ଷ୍ୟ। ଘରୋଇ ହିଂସା ଓ ପାରିବାରିକ କନ୍ଦଳକୁ ଆପୋଷ ବୁଝାମଣା ସୂତ୍ରରେ ସମାଧାନ କରିବା ତାଙ୍କର ତୃତୀୟ ଲକ୍ଷ୍ୟ।
ପ୍ରୀତିପର୍ଣ୍ଣା ଜୀବନ ସାରା ଚର୍ଚ୍ଚିତା ରହିଛନ୍ତି। ଆଜି ବି ସେ ବେଶ୍ ଚର୍ଚିତା। କିନ୍ତୁ ଏ ଚର୍ଚ୍ଚା ଭିନ୍ନ୍ ଏକ ଗୌରବର ଗାଥା ଗାଏ।

ତୁମେ ପ୍ରୀତିପର୍ଣ୍ଣା ରଖିଗଲ ଯେଣୁ

ଏ ମାଟି ମାଆର ମାନ

ତୁମ ପ୍ରସଂଶାରେ ଶତମୁଖେ ପରା

ଜନତାର ଜୟ ଗାନ।।

Related posts

ନିଶା ଓ ନିଶା

satya

ଇଏ ବି ଗୋଟେ ପ୍ରେମ

satya

କାଳିସୀ

satya

Leave a Comment

Login

X

Register