Satya Prakash
Uncategorised

ଇଚ୍ଛାମୟୀ

ଇଚ୍ଛାମୟୀ
By ସତ୍ୟ ପ୍ରକାଶ ସେଠୀ
ଇଚ୍ଛାମୟୀ ମାନଙ୍କର ଇଚ୍ଛା ଅସୁମାରି। ଏଇ ଇଚ୍ଛାମାନେ ସତରେ ବଡ଼ ଅସହଜ, ବେଳେ ବେଳେ ବି ଭାରି ଦୁଷ୍ଟାମି କରନ୍ତି। ଚାହିଁକି ସେମାନଙ୍କୁ ମନ ଉହାଡରୁ ଆଉ ତ ଏକାବେଳେକେ ହଟେଇ ହୁଏ ନାହିଁନା । ଯେଣୁ ସେମାନେ ଅମର ଲଡୁ ଖାଇ ଅମରତ୍ବ ପାଇଛନ୍ତି, ତେଣୁ ଚେଇଁକି ରହନ୍ତି, ବେଳେବେଳେ ମନ ଉହାଡରୁ ସ୍ଵୟଂ ଆତ୍ମପ୍ରକାଶ ବି କରନ୍ତି। ଇଚ୍ଛାମାନେ ବୁଝନ୍ତି ନାହିଁ ବାସ୍ତବିକତାଠାରୁ ସେମାନେ କେତେ ଦୂରରେ କିନ୍ତୁ ବହୁ ଅବାସ୍ତବ ପରିକଳ୍ପନାରେ ଭିତରେ ନିଜକୁ ନିଜେ ହଜାଇ ଦିଅନ୍ତି। ତେଣିକି ତାହା ଚୂଡ଼ାନ୍ତ ରୂପରେଖ ନେଲା ବେଳକୁ ଭାବନାରେ ଭଟ୍ଟା ପଡିଯାଉ ବା ବାସ୍ତବ ରୂପରେଖ କିଛି ଗଢ଼ିତୋଳୁ ଅଥବା ନାହିଁ ।ବାସ୍ତବରେ ଇଚ୍ଛା ମାନେ ଅବ୍ୟକ୍ତ ଯନ୍ତ୍ରଣା। ମନପ୍ରାଣକୁ ଓ ଶରୀରକୁ ଭାରି ପୀଡା ଦିଅନ୍ତି। ଏମାନେ ପରା ଖିଆଲି ମଣିଷର ଗୋଟେ ଖିଆଲ। ଭାବନା ରାଜ୍ୟରେ ବୁଡିରହି ସେ ଯେ କେଉଁ ଖିଆଲ କେତେବେଳେ ମନକୁ ଆଣେ ତାହା ବୁଝିବା ଏତେ ସହଜ ହୁଏ ନାହିଁ। ଏଇଟା ନିଶ୍ଚିତପକ୍ଷେ ମନ ଗହନର ଗୋଟେ ଲିଳାଖେଳା , ତେଣୁ ତାକୁ ଅନ୍ୟଜଣେ ବା ବୁଝନ୍ତା କିପରି? ଏମାନେ ପରା ଅନେକ ଅବ୍ୟକ୍ତ, ଅପରିପ୍ରକାଶ, ଅପରିଣାମଦର୍ଶି ଆଉ ଅପରିପକ୍ଵ ବି। ତେଣୁ ପରିଣତି ଚିନ୍ତା ଆସିବା କେଉଁଆଡୁ। କେବଳ ଯେତେବେଳେ ଯାହା ଭାବି ହେଲେ, ସେୟାକୁ ନେଇ ବହେ ଘାଣ୍ଟି ହେଲେ ।ଯେହେତୁ ଏହା ଅନ୍ଦର ମହଲର କଥା ଓ ମନ ମଧ୍ୟରେ ତାହା ସଂଘଟିତ ହୋଇ ଓ ପୁଣି ବିଲୟ ଭଜେ, ତେଣୁ ଅପରପକ୍ଷକୁ ତାହାର ଆଭାସ ହେଲେ ମଧ୍ୟ କୌଣସି ସ୍ପଷ୍ଟ ଅବଧାରଣା ତ କରିହୁଏ ନାହିଁ।
ଏହି ଇଚ୍ଛାମାନେ ଅବାସ୍ତବ ପରିକଳ୍ପନା ହେଲେ ବି ଭାରି ଶାନ୍ତିପ୍ରଦ। କାହିଁକିନା ମଣିଷର ସବୁ ଇଚ୍ଛାର ପୂର୍ତ୍ତି ଘଟେନା। ତେଣୁ ଅଶାନ୍ତି ଅନୁଶୋଚନା ରହିବା ସ୍ୱାଭାବିକ। କିନ୍ତୁ ଇଚ୍ଛାମାନେ ସେଇ ଅଭାବକୁ କିଛିଟା ଦୂର କରନ୍ତି। ଅସମ୍ଭବକୁ ବି ସମ୍ଭବ କରନ୍ତି, ତେଣିକି ଭାବନାରେ ତାହା ସୀମିତ ନରହୁ ନା କାହିଁକି।

ସେଦିନ ଅଦିନିଆ ବର୍ଷା ଗୁଡ଼ାକ ବୌଦ ହୋଇ ଅକାଶରେ ଖଣ୍ଡ ଖଣ୍ଡ ଭାସି ବୁଲୁଥିଲେ। ଆସନ୍ନ ବର୍ଷାର ସମ୍ଭାବନା ତ ମନ ମଧ୍ୟରେ ଭାବନା ତୋଳୁଥିଲା, କିନ୍ତୁ ମୋଟେ ବର୍ଷୁ ନଥିଲା। ପ୍ରାକୃତିକ ପରିବେଶ ଓ ପରିସ୍ଥିତି ଏବେ ଅହରହ ବଦଳୁଛି। ତେଣୁ କିଛି ପୂର୍ବାନୁମାନ କରିବା ଆଉ ସହଜ ହେଉ ନାହିଁ। ପାଣିପାଗ ଜଳବାୟୁ ବିଶାରଦମାନଙ୍କ ପକ୍ଷରେ ବି ଏହାର କିଛି ସଠିକ୍ ଆକଳନ କରିବା କାହିଁ ସମ୍ଭବପର ହେଉ ନାହିଁ।

ହଠାତ୍ ସେଦିନ ବର୍ଷାଝଡ଼ି ରାତିରେ କେହି ଜଣେ ଆଗନ୍ତୁକଙ୍କ ଆଗମନରେ ଇଚ୍ଛାମୟୀ ଚମକି ପଡ଼ିଲେ। ମସ୍ତକର ପୁଞ୍ଜାଏ ବାଳରେ ଧରି ରହିଥିବା ବୁନ୍ଦା ବୁନ୍ଦା ଜଳରାଶି ଟପଟପ୍ ହୋଇ ତଳକୁ ଖସୁଥିଲା। ଦେହହାତ ଓଦା ସରପଟ।
ପରଦା ହଟେଇ ସମ୍ପୂର୍ଣ୍ଣ ଶରୀରଟାକୁ ତନତନ କରି ନିରିକ୍ଷଣ କଲା ଉତ୍ତାରୁ ଆବିଷ୍କାର ହେଲେ ବିକି ଭାଇ। ବିକି ଭାଇ ଉପରକୁ ମୁହଁ ଉଠାଇଲେ। ତାଙ୍କ ମୁହଁରୁ ଭାସି ଆସିଲା – ଇଚ୍ଛାମୟୀ !
ଇଚ୍ଛାମୟୀ ଆଗ ଚମକି ପଡ଼ିଲେ, ତା’ପରେ କି ଖୁସି – “ବିକି ଭାଇ ଏତେଦିନ ପରେ ହଠାତ୍ କେମିତି?ଆସନ୍ତୁ! ଆସନ୍ତୁ!! ଆଗ ଘର ଭିତରକୁ। “

ଭିତରକୁ ଦୌଡ଼ିଯାଇ ଟାୱେଲ୍ ଟେ ହାତରେ ଟାଣିଆଣି ମୁଣ୍ଡଟାକୁ ଆଗ ଅଧା ପୋଛି ପକାଇଲା।

ବିକି ଭାଇ କହିଲେ – “ଆରେ ଥାଉ ଥାଉ ସେତିକି ଥାଉ, ମୁଁ ନିଜେ ପୋଛି ହେଉଛି।”

ବିକି ଭାଇ ନିଜେ ନିଜେ ପୋଛିହୋଇ ଦେହରୁ କପଡ଼ା ଖୋଲିବାକୁ ଲାଜ ଲାଜ ହେଉଥିଲେ। ଇଚ୍ଛାମୟୀ କହିଲା -” ଦିଅନ୍ତୁ ମ ବିକି ଭାଇ, ଓଦା ଲୁଗାଗୁଡ଼ାକ ଆଉ କ’ଣ ଦେହରେ ରଖିବେ, ମୁଁ ୱାଶିଂ ମେଶିନରେ ପକାଇ ଦେଉଛି।”
ଇଚ୍ଛାମୟୀ ଉତ୍ତରକୁ ଅପେକ୍ଷା ନକରି ଦେହରୁ ସାର୍ଟଟାକୁ ଏକରକମର ଟାଣି ପକାଇ ଅପେକ୍ଷା କଲା, ବିକି ଭାଇ ପ୍ୟାଣ୍ଟଟା ଖୋଲିକି ଦେଲେ ନେଇ ୱାଶିଂ ମେଶିନରେ ଘୂରାଇ ଦେବେ ।

ବିକି ଭାଇ ଭିତରେ ହାଫ୍ ପ୍ୟାଣ୍ଟ ପିନ୍ଧିଥିବାରୁ ଚଳିଗଲା, ସେ ଆଉ ଦେହରେ ନ ବେଢି କାନ୍ଧ ଉପରେ ଟାୱେଲ୍ ଟା ପକାଇ ଦେଲେ ଆଉ ପ୍ୟାଣ୍ଟଟା ମଧ୍ଯ ଖୋଲି ଦେଇଦେଲେ ।

ବର୍ଷାରେ ଭିଜି ଯାଇଥିବା କାରଣରୁ ଇଚ୍ଛାମୟୀ ହାତରେ ସୁପ୍ ପିଆଲା ଆଣି ଧରେଇ ଦେଲେ। ସେତେବେଳକୁ ରାତି ୯ଟା ବାଜିଗଲାଣି। ରାତିକୁ ଆଉ ରୋଷେଇବାସ କିଛି କରିବାର ନାହିଁ। ରୁଟିତରକାରୀ ତ ହୋଇକି ଅଛି, ଡାଇନିଂ ଟେବୁଲ୍ ଉପରେ ହଟ୍ କେସ୍ ରେ ଢଙ୍କା ହୋଇ ରହିଛି। ଚାକର ବାକର ତାଙ୍କ ନିତ୍ୟକର୍ମ ସାରି ଫେରିଗଲେଣି ସରଭେଣ୍ଟ କ୍ୱାଟରକୁ।
ଅଳ୍ପକିଛି ସମୟର କଥାବାର୍ତ୍ତା ପରେ ପୁଅ ବିଶୁ ଖାଇବାକୁ ମାଗିବାରୁ ସେଇଠି ସମସ୍ତେ ମିଶି ଖାଇବା ପର୍ବଟିକୁ ସାରି ଦେଇଥିଲେ।ଖାଉ ଖାଉ ବିଶୁ ନିଦ ଅଳସେଇ ହୋଇ ଶୋଇବାକୁ ଚାଲି ଯାଇଥିବାରୁ ଉଭୟ ସେଇ ଡ୍ରଇଂ ରୁମ୍ ରେ ବସି ଗପସପର ମାହୋଲଟାକୁ ଆଉ ଟିକିଏ ତେଜ କରି ଦେଇଥିଲେ।

ତେଣୁ ଇଚ୍ଛାମୟୀ ଗାଢ଼ ଲାଇଟ୍ ଗୁଡ଼ାକ ଆଖିକୁ ବିରକ୍ତ କରୁଥିବାରୁ ଲିଭାଇ ଦେଇ ଜିରୋ ପାୱାରର ଲାଇଲନ ଆଲୁଅ ଗୁଡ଼ାକ ଜଳାଇ ଦେଇ ପାଖରେ ଆସି ସୋଫା ଉପରେ ବସିପଡ଼ିଲେ। ଝିକିମିକି ହୋଇ ଅସ୍ପଷ୍ଟ ଆଲୁଅ ଗୁଡ଼ାକ ମୁହଁରେ ପଡ଼ି ଭାରି ଚିକ୍ଚିକ୍ କରୁଥାଏ।

ତେଣିକି ଗଳ୍ପ ଲମ୍ବିଲା ଗାଁରୁ ସହରଯାଏ, ବର୍ତ୍ତମାନଠୁଁ ଅତୀତ ବାଲ୍ଯଯୌବନ ଯାଏ। ପୂରୁଣା କଥାଗୁଡ଼ାକ ଭାରି ରୋମାନ୍ଥିତ ହେଉଥାଏ। ଇଚ୍ଛାମୟୀ ଭାରି ଛୋଟ ହୋଇଥିଲା, ଏଇ ବିକି ଭାଇକୁ ସେ ଗୁରୁ କରିଥିଲା। ସେ ଇଚ୍ଛାମୟୀଠାରୁ ଦୁଇ ତିନି କ୍ଲାସ୍ ଉପରେ ପଢ଼ନ୍ତି।

ବିକି ଭାଇର ଆମ୍ବ ତୋଟା ୟାଙ୍କ ଖଳା ପଛପଟକୁ ଲାଗିଛି। ବିକି ଭାଇ ସେଇ ଆମ୍ବ ଗଛମୂଳେ ମସିଣା ପକାଇ ପାଠ ପଢନ୍ତି। ଇଚ୍ଛାମୟୀ ଯେତେବେଳେ ନାହିଁ ସେତେବେଳେ ବାଡ଼ ପାଖକୁ ଯାଇ ଆମ୍ବ ମାଗିକି ଖାଏ। ବୋଉ ଡାକ ଛାଡ଼ିଲେ – “ଆଲୋ କୁଆଡ଼େ ଗଲୁ କି?”

କୁହେ – “ମୁଁ ଏଇଠି ଅଛି ଲୋ ବୋଉ। ବିକି ଭାଇ ପାଖରୁ ଗଣିତ ପଚାରି ବୁଝୁଥିଲି।”

ବିକି ଭାଇ କହିଲେ – “ତୁ ମାଉସୀଙ୍କୁ ମିଛ କାହିଁକି କହିଲୁ?”

ସେ କହେ – “ମିଛ କ’ଣ ମ, ଆମ୍ବ ଖାଇବା କଥା କହିଲେ ବୋଉ କହିବ ମାଗିଖାଇ, ସେଇଥିପାଇଁ ଟିକିଏ ବାହାନା କରିଦେଲି।”

ବିକି ଭାଇ ତେଣୁ ଚିଡ଼ାଏ – “ତୁ ମିଛେଇରେ ତୁ ମିଛେଇ।”

ସେଇସବୁ କଥା ଏବେ ପଡିବାରୁ ଭାରି ହସ ହେଲା, କିନ୍ତୁ ପିଛିଲା କଥାଗୁଡ଼ାକ ମନକୁ ବ୍ୟଥିତ କଲା। ଏଇ ବିକି ଭାଇ ହାଇସ୍କୁଲ ଛାଡ଼ି ଯେତେବେଳେ କଲେଜ ଗଲେ, ଇଚ୍ଛାମୟୀ ତାଙ୍କରି ହାତରେ ସବୁ ଜିନିଷ ମଗାଏ, ତେଣିକି ତାହା ଟିକିଲି ନେଲ ପଲିସ୍ ହେଉ ଅଥବା ବହିପତ୍ର। କାହିଁକିନା ଇଚ୍ଛାମୟୀର ଭାଇ ନାହାଁନ୍ତି ତ ତା’ର ଛୋଟମୋଟ କଥା ବୁଝିବାକୁ। ଯାହା ସେଇ ବାପା କରିବେ ନହେଲେ ଏହି ବିକି ଭାଇ। ଏମିତି ଏମିତି ଭିତରେ ବୟସ ଗଡ଼ି ଚାଲିଲା । ଇଚ୍ଛାମୟୀ ବି କଲେଜ୍ ଗଲା। ବିକି ଭାଇ ଟିକିଏ ତା’ର ସବୁକଥା ଦାୟିତ୍ଵ ନିଏ। ସାହିପଡ଼ିଶା କିଛି ଦେଖେଇ ସେକେଇ କହିଲେ, ବୋଉ କୁହେ- “କ’ଣ ହେଲା ସେଠୁ, ଆଉ କ’ଣ ଭଲରେ ମନ୍ଦରେ କେହି କାହାର ସାହାଯ୍ଯ ଲୋଡନ୍ତେ ନାହିଁ ନା କ’ଣ, ଯିଏ ଯାହା କହୁଛି କହୁ, ତୁ ସେଗୁଡାକୁ ଆଦୌ ଶୁଣୁ ନାହିଁ। ବଳେ ବଳେ କହି କହି ତାଙ୍କର ପାଟି ଥୋବରା ହୋଇଗଲେ ସେ ଚୁପ୍ ହୋଇଯିବେ। “

ଏଥିରେ ଇଚ୍ଛାମୟୀ ଟିକିଏ ଆହୁରି ସାହସ ପାଇଯାଏ। ଯିଏ ଯେତେ ଯାହା କହିଲେ ବି ସେ ସେଇ ବିକି ଭାଇ ସହ ସବୁବେଳେ ମିଶେ। ଧୀରେ ଧୀରେ ଯୌବନ ମୁଣ୍ଡ ଟୁଙ୍ଗାରିଲା ।ମିଳାମିଶା ଅଧିକ ହେଲା। ପରସ୍ପର ପରସ୍ପରର ସହଚର୍ଯ୍ୟ ପାଇ ବେଶ୍ ଆହ୍ଲାଦିତ ହୁଅନ୍ତି। ନିଜ ଭିତରେ ନିଜର ଉଦ୍ଦାମତା ପ୍ରକାଶ ପାଇଲା। ତା କେତେବେଳେ ଯେ ପ୍ରେମ ଭାବରେ ରୂପାନ୍ତରିତ ହୋଇଗଲା ତାହା କେହି ବି ଜାଣିପାରିଲେ ନାହିଁ। କିନ୍ତୁ ହେବ କ’ଣ? ବିକି ଭାଇ ବି . ଏ. ପାସ୍ କରି ପାଖ ଗାଁରେ ଶିକ୍ଷକତା କଲେ। ହେଲେ ଇଚ୍ଛାମୟୀ କଲେଜ୍ ରୁ ବି. ଏ. ପାସ୍ କରି ଉଚ୍ଚଶିକ୍ଷିତା ହେଲା। ତେଣୁ କେହି କାହାକୁ ମନକଥା କହିପାରିଲେ ନାହିଁ। ବାପାମାଆ ବି ସହଜରେ ଏ କଥାରେ ରାଜି ହୋଇ ନଥା’ନ୍ତେ। ତେଣୁ ମନର କଥା ମନରେ ରହିଲା। ସୈନ୍ୟବାହିନୀର ଜଣେ ଯୋଦ୍ଧା ସୈନିକର ପ୍ରସ୍ତାବ ଆସିବାରୁ ବାପାମା’ ଉତ୍ସୁକତା ପ୍ରକାଶ କରି ସେଇଠି ବାହାଘର କରିଦେଲେ ।ସେଦିନ ବିକି ଭାଇ ଅନ୍ୟ ଆଗେ ଏହି କଥା କହି ବହୁତ କାନ୍ଦିଥିଲେ। ପରେ ଇଚ୍ଛାମୟୀ ସବୁ ଶୁଣିଲା, କିନ୍ତୁ ବାହାଘର ତ ସରିଯାଇଥିଲା। ତଥାପି ଏବେବି ଉଭୟଙ୍କ ଭିତରେ ପ୍ରେମ ଅନୁରାଗ ବଳବତ୍ତର ରହିଛି, ଯାହାକୁ ମନେ ପକାଇଲେ ହୃଦୟ ଦହି ହୋଇଯାଉଛି।ଆଉ ବିକି ଭାଇ ସହ ସେତେ ଦେଖାହୁଏ ନାହିଁ, ଯାହା କେତେବେଳେ କେମିତି ଗାଁକୁ ଗଲେ।

ଏଇମିତି ସେ ଥରେ ଗାଁକୁ ଯାଇଥିଲେ, ବିକି ଭାଇକୁ କଟକ ଆଡ୍ରେସ୍ ଦେଇ କହି ଆସିଥିଲେ – ବିକି ଭାଇ! ଯେତେବେଳେ ବି କଟକ ଆସିବେ ନିଶ୍ଚୟ ଆମ ପାଖକୁ ଆସିବେ, ଏହି ରଖିଥାନ୍ତୁ ଆମର ପତ୍ତା। ହାତରେ କାଗଜ ଖଣ୍ଡେ ଧରାଇ ଦେଇଥିଲେ।। ହେଲେ ସେ କେବେ ଆସନ୍ତି ନାହିଁ। ଆଜି କିନ୍ତୁ ଅକଳିଆରେ ପଡ଼ି ଆସିଛନ୍ତି।କାହିଁକିନା ବଡ଼ ଡାକ୍ତରଖାନାରେ ଡାକ୍ତର ଦେଖାଇବା ପାଇଁ ଆସିଥିଲେ, ଡାକ୍ତର ଦେଖାଇଲା ପରେ, ତାଙ୍କ ଲେଖା ଅନୁସାରେ ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ହେଲେ ପରୀକ୍ଷା ରିପୋର୍ଟ ପାଉ ପାଉ ବିଳମ୍ବ ହୋଇଗଲା, ଆସନ୍ତା କାଲି ପୁଣି ତାଙ୍କୁ ରିପୋର୍ଟ ସହ ଡାକ୍ତର ଦେଖାଇବାକୁ ପଡ଼ିବ ରୋଗର ମଇନା କରିବା ପାଇଁ । ଏପଟେ ତ ତୁହାକୁ ତୁହା ବର୍ଷା। ମନରେ ଶଙ୍କା ଉପୁଜିଲା – ଆଉ ଘରକୁ ଫେରି ଆଉଥରେ ଆସି ହେବ ନାହିଁ। ଯାହାହେଉ ପଛେ ଆଜି ରାତିଟା ସେ ଇଚ୍ଛାମୟୀ ପାଖରେ ନହେଲେ ରହିଗଲେ ଚଳନ୍ତା ନାହିଁ? ତେଣୁ ସେ ଭିଜି ଭିଜି ଇଚ୍ଛାମୟୀ ଘର ଆଡକୁ ଢଳିଲେ । ଯାହାବି ହେଉ ଇଚ୍ଛାମୟୀ ତାଙ୍କୁ ଦେଖି ଭାରି ଖୁସି।

ଇଚ୍ଛାମୟୀ ସିନା ଜଣେ ଲଢୁଆ ସୈନିକକୁ ବାହାହେଲେ, ହେଲେ ପ୍ରେମ ବେପାରରେ ସେ ନିହାତି ମଫ। ଯାଇ କୋଉ ସୀମାନ୍ତ ଯଗିଛନ୍ତି ଯେ ଯଗିଛନ୍ତି, ବର୍ଷେ ଛଅ ମାସକେ କେବେ ଥରେ ଘରକୁ ଆସନ୍ତି, ଆଠ ଦଶ ଦିନ ରହି ପୁଣି ଫେରିଯାଆନ୍ତି। ସେଇ କେଇଟା ଦିନ ଯାହା ମନରେ ଖୁସି। ହେଲେ ପୁଣି ଯେଉଁକଥାକୁ ସେଇକଥା। ଗୋଟେ ଅବ୍ୟକ୍ତ ଯନ୍ତ୍ରଣାରେ ସେ ଛଟପଟ। ମନ ଖାଲି ଆଉଟି ପାଉଟି ହୁଏ। ନିଜ ମନର କ୍ଷୁଧା ମନରେ ମରେ। ଶରୀରର କ୍ଷୁଧା ପ୍ରାଣକୁ କଷ୍ଟ ଦିଏ। ସେ କ’ଣ କମ୍ ସୁନ୍ଦରୀ ନା କମ୍ ରୂପବତୀ ।

ସେ ପରା ତନୁ ପାତେଳୀ ।ଆଖି, ନାକ, କାନ ସବୁ ଭାରି ଲୋଭିଲା। ଦନ୍ତପଂକ୍ତି ଅତି ସୁନ୍ଦର, ମୂଷା ଦାନ୍ତ ପରି ଟିକି ଟିକି। ହିନ୍ଦୀ ତାରକା ଜଗତରୁ ଗୋଟେ ନାୟିକା ଆଣି ଗୋଟେପଟେ ଛିଡ଼ା କରିଦେବ, ଆଉ ଗୋଟେପଟେ ଇଚ୍ଛାମୟୀକୁ, ଦେଖିବେ! ଇଚ୍ଛାମୟୀ ସେମାନଙ୍କଠୁଁ ବି ଭାରି ପଡ଼ିବ – ସୌନ୍ଦର୍ଯ୍ୟରେ। ପୂରା ବା ଗୋଟିଏ ଚାଉଳରେ ଗଢ଼ା। ଏବେ ବି ଦେଖିଲେ ଗୋଟେ ଛୁଆର ମାଆ ବୋଲି ତାକୁ ତ କେହି କହିପାରିବେ ନାହିଁ। ଯାହା କହନ୍ତି ଦିବ୍ୟ ସୁନ୍ଦରୀ – ସେଇ ଏକା ।ପରି ରାଇଜର ପରି, କୁହୁକ ରାଇଜର କୁହୁକରାଣୀ ଆଉ ମନ ରାଇଜର ମନପବନ କଠଉ- ସିଏ।ତା ସ୍ମୃତିଚାରଣ ମାତ୍ରକେ ମନ ଯେ କେଉଁ ରାଇଜକୁ ଚାଲିଯିବ ତାହାର କିଛି ଇୟତା ରହିବ ନାହିଁ। ସେମିତିକା କୋଟିକରେ ଗୋଟେ ସିନା ସିଏ । ଏମିତିକା ଆଉ କାହିଁ, କେଉଁଠି, କେବେ ସହଜରେ ଦେଖାଯାଏ ନାହିଁ।

ହେଲେ କ’ଣ ହେବ ଏତେ ସୌନ୍ଦର୍ଯ୍ୟ ନିଜଠିଁ ମାଖି। ସେଇ ସୌନ୍ଦର୍ଜ୍ୟକୁ ଭୋଗ କରିବା ପାଇଁ ଯାହା ହାତଧରି ବାହା ହୋଇଥିଲା, ସିଏ ତ ସବୁବେଳେ ବିଦେଶରେ।

ଲକିଙ୍କ ଚାକିରୀରେ ହାତଗୋଡ଼ ନାହିଁ। ଗତବର୍ଷ ଆସିଥିଲେ ଯେ, ହଠାତ୍ ଡକରା ପଡିବାରୁ ଦି ଚାରିଦିନ ଯାଇ ନାହିଁ ପୁଣି ଦୌଡ଼ିଲେ ସୀମାନ୍ତକୁ। ଏ ସବୁକଥା ଅଭିମାନ ଭରା କଣ୍ଠରେ ବିକି ଭାଇକୁ ସେଦିନ କହି ବିଚାରୀ ଭାରି ମନ ଦୁଃଖ କରୁଥାଏ।

ବିକି ଭାଇ ଅବଶ୍ଯ କିଛିଟା ଆଶ୍ୱସନା ଦେଉଥାନ୍ତି -” କିଏ ଆଉ ଭାଗ୍ୟ ଲିପିକୁ ଆନ କରିପାରିବ କି? ତେବେ ଯାହା ଭାଗ୍ୟରେ ମିଳିଛି ଆଦରି ଯା’। ଆଉ ପିଛିଲା କଥାକୁ ମନେପକାଇ ନିଜକୁ ଆଦୌ କଷ୍ଟ ଦେ ନାହିଁ। “

ଇଚ୍ଛାମୟୀ କହିଲେ -” ସେ କଥା ସତ ଯେ, ହେଲେ ଆଜି ଗୋଟେ କଥା ମୋତେ ସତ କହିଲେ, ତୁମେ କ’ଣ ମୋତେ ଭଲ ପାଉ ନଥିଲ ନା ମୁଁ ତୁମ ପାଇଁ ଯୋଗ୍ୟା ନଥିଲି, ହେଲେ ଏ ପ୍ରସ୍ତାବଟା ମୋ ବାପାଙ୍କୁ ଦେଇ ପାରିଲ ନାହିଁ କାହିଁକି? ତୁମକୁ ବାହା ହୋଇଥିଲେ ଅତି କମ୍ ରେ ତ ବୈଧବ୍ୟ ଦଶା ଭୋଗିଲା ପରି ମୁଁ ଏମିତି ଏକୁଟିଆ ରହୁ ନଥା’ନ୍ତି।ହେଲେ ଏଥିରେ ତୁମେ କିନ୍ତୁ ମୋର ଦୋଷ ଦେଇପାରିବ ନାହିଁ, କାହିଁକିନା ମୁଁ ପରା ଝିଅପିଲା। ତୁମେ କହୁନ! ମୁଁ କେମିତି ମୋ ମନକଥା ଖୋଲିକି କହି ପାରିଥା’ନ୍ତି? “

-” ତେବେ ତୁମକୁ ମୁଁ କ’ଣ ଏ ବିତ୍ତଶାଳୀ ଓ ସହରୀ ଜୀବନ ଦେଇ ପାରିଥା’ନ୍ତି?”

-” ଧିକ୍ ସେ ବୈଭବ ଓ ପ୍ରାଚୁର୍ଯ୍ୟକୁ ଯେଉଁଠି ମନ ପୋଡ଼ି ଯାଉଛି, ସେଠି ସୁନାରୂପା ଗହଣା କ’ଣ କିଛି ମାନେ ରଖେ ବିକି ଭାଇ? ତୁମେ ତ ସାହିତ୍ୟ ଶିକ୍ଷକ, ବିକି ଭାଇ! କହିପାରିବ ଜଣେ ନାରୀ ପ୍ରକୃତରେ କ’ଣ ଚାହେଁ?”

ପରିବେଶରେ ସନଟା ଛାଇ ଯାଉଥିଲା। ଯେମିତି ଉଭୟ ଏ ପ୍ରଶ୍ନ ବାଣରେ ନିଜର ନିୟନ୍ତ୍ରଣ ହରାଉଥିଲେ। ପରିସ୍ଥିତି ବେକାବୁ ହେଉଥିଲା।

ବିକି ଭାଇକୁ ନିରୁତ୍ତରିତ ଦେଖି ନେହା ଜଘଂଟାକୁ ହଲାଇ ଦେଇ ପଚାରିଲା -” କୁହ ବିକି ଭାଇ! ଆଜି କିନ୍ତୁ ତୁମେ ଚୁପ୍ ହୋଇ ରହିପାରିବ ନାହିଁ । ବିକି ଭାଇ ଦୁଇ ହାତରେ ଇଚ୍ଛାମୟୀ ହାତଟାକୁ ତୋଳିନେଇ କହିଲେ -” କ୍ଷମାକର ନେହା, ମୁଁ ଏହାର ଉତ୍ତର ରଖିପାରିବି ନାହିଁ। ସେତେବେଳକୁ ସେ ଯେମିତି କେଉଁ ଅତୀତ ରାଇଜରେ ନିଜକୁ ହଜାଇ ଦେଇ କିଛି ଖୋଜି ହେଉଥିଲେ। ମନ ଓ ପ୍ରାଣ ସ୍ୱତଃ ରୋମାଞ୍ଚିତ ହୋଇଯାଉଥିଲା ଆଉ ଦେହରେ ବି ଶିହରଣ, ପୁଣି ନେହା ସହିତ ବିତାଇଥିବା ଅତୀତର ସ୍ମୃତିଗୁଡ଼ାକ ଆଖି ସାମ୍ନାରେ ଥେଇଥେଇ ହୋଇ ନାଚିଉଠି ପରା ଭାରି ଅଥୟ କରୁଥିଲା।ତେଣୁ ସେ ଜଡ଼ ନିର୍ବେଦ ପାଲଟି ଯାଉଥିଲେ। କହିବା ପାଇଁ ମୁଖରୁ ବାଣୀ ସ୍ଫୃରୁ ନଥିଲା। ସେ ହୁଣ୍ଡା ହୋଇ ଯାଉଥିଲେ।

ଇଚ୍ଛାମୟୀ କିନ୍ତୁ ବିକି ଭାଇଙ୍କର ଏଇ ନିରବତାକୁ ବୋଧେ ଆଦୌ ବରଦାସ୍ତ କରିପାରୁ ନଥିଲେ। ତେଣୁ ସେ ବିକି ଭାଇର ହାତ ଦୁଇଟାକୁ ଛିଞ୍ଚାଡି ଦେଇ ନିଜ କାନିଟାକୁ ଟାଣିଆଣି ପାଟିରେ ପୂରାଇ ରଗଡି ରଗ ଶୁଝାଉଥିଲେ।

ଏତେବେଳେ ବିକି ଭାଇ ଇଚ୍ଛାମୟୀଙ୍କ ମନୋଭାବକୁ ତ ପଢ଼ିବା ପାଇଁ ବେଶ୍ ସକ୍ଷମ ଥିଲେ ହେଲେ ପରିବର୍ତ୍ତିତ ପରିସ୍ଥିତି ପାଖରେ କିଂକର୍ତ୍ତବ୍ଯ ବିମୂଢ଼ ହୋଇ ଯାଉଥିଲେ।
ଏତେବେଳକୁ ବିତି ଯାଇଥାଏ କେଯାଏଁ ସମୟ। ପରିସ୍ଥିତି ଯେମିତି ଭିନ୍ନ ମୋଡ ନେଉଥିଲା କାଳେ କିଛି ଘଟିବାର ଆଶଙ୍କାରେ ଚିତ୍ତ ଆଚମ୍ବିତ ହେଉଥିଲା। ତେଣୁ ଇଚ୍ଛାମୟୀ କଥାକୁ ବାଆଁରେଇ ଯିବାକୁ ତ ଚେଷ୍ଟା କରି ବିକି ଭାଇ କେତେଟା ଶିଆଳିଆ ହାଇ ମାରି କହିଲେ – “ମୋତେ ନିଦ ଲାଗିଲାଣି, ଆଉ ଗପି ପାରିବି ନାହିଁ ଇଚ୍ଛାମୟୀ ! “ଏତକ କହି ସେ ଅତିଥି ରୁମ୍ କୁ ଚାଲିଲେ ଶୋଇବାକୁ।

ଇଚ୍ଛାମୟୀ ଭିତରେ ଯେମିତି ଯୁଗଯୁଗର ଅବସୋସ ଓ ଅବସାଦ। ସେ ବିରକ୍ତି ଓ ଅସୂୟା ପରବଶ ହୋଇ ଉଠି ଦୁମ୍ ଦୁମ୍ ହୋଇ ଚାଲିଯାଇ ଗୋଟେ କିଳିଣି ଦିଆ ଘର ଭିତରେ ପଶିଗଲେ ।
ଆଜି ଅମାବାସ୍ୟା ରାତି,ପିଶାଚର ବୁଲିବା ସମୟ। ଏଇଟା ଗୋଟେ ପୁରୁଣା କାଳିଆ କୋଠି ଯାହା ଇଚ୍ଛାମୟୀଙ୍କ ଶ୍ୱଶୁରଘରର ପୈତୃକ ସମ୍ପତ୍ତି। କିନ୍ତୁ ଲୋକବାକ ଶୂନରୁ ଘରଟା ପୂର୍ଣ୍ଣତଃ ବ୍ୟବହାର ହୋଇପାରେ ନାହିଁ। ଇଚ୍ଛାମୟୀର ଦୁଇଟା ଦିଅର ଓ ଯାଆ, ଜଣେ ଆମେରିକା ଓ ଆଉ ଜଣେ ଇଂଲଣ୍ଡରେ। ଶାଶୁଶ୍ଵଶୁରଙ୍କ ପରେ ଇଚ୍ଛାମୟୀ ଏକୁଟିଆ ଘର ଯଗିଛନ୍ତି।
ଏତିକି ବେଳକୁ ଘର ଭିତରୁ ଶୁଭିଲା ଛମକ ଛମକ ଚାଲି ଓ ବେସୁରା ରାଗିଣିରେ ତୋଳା ହୋଇଥିବା ଘୁଙ୍ଗୁରର ଝମଝମ ଶବ୍ଦ। ବିକି ଭାଇର ଆଖି ଲାଗି ଆସୁଥିଲା, ହଠାତ୍ ଚିଇଁକି ଉଠିଲେ। ଆଶ୍ଚର୍ଯ୍ୟ, ରାତି ଅଧରେ ଏ କେଉଁଠୁ କି ଶବ୍ଦ? ଅନୁସରଣ ଓ ଅନୁଧାବନ କଲେ। ଶେଷରେ ପହଁଞ୍ଚିଲେ ସେଇ ରହସ୍ୟମୟୀ କୋଠାରୀ ପାଖରେ। ସାହସ କରି ଦରଵାଜାଟାକୁ ଆସ୍ତେ କରି ଟିକିଏ ଆଡେଇ ଫାଙ୍କରେ ଉଣ୍ଡି ଦେଖିଲେ – ଇଏ କି ଆଶ୍ଚର୍ଯ୍ୟ ଦୃଶ୍ୟବଳି ସବୁ ଅବଲୋକନ ହେଉଛି ।
ଇଚ୍ଛାମୟୀ ଏକରକମର ତ ଉଦଣ୍ଡ ନାଚ କରୁଥିଲା ।ଅଣ୍ଟିରେ ଲୁଗା କାନିଟା ଖୋସା ହୋଇଥିଲା। ମୁଖ ମଣ୍ଡଳରେ କ୍ରୋଧାଅଗ୍ନି ପ୍ରଜ୍ଜ୍ଵଳିତ ହେଉଥିଲା। ପରିସ୍ଥିତି ବଡ଼ ବିଷମମୟ।

ପାଖରେ କେତେଗୁଡ଼ିଏ ପୁରୁଣା କାଳିଆ ରାଜକୀୟ ବାକ୍ସ ସବୁ ମହଜୁଦ ଥିଲା। ଗୋଟେ ଖୋଲା ବାକ୍ସରେ ଗହଣାଗାଣ୍ଠି ସବୁ ଉଛୁଳି ଦିଶୁଥିଲା। ଇଚ୍ଛାମୟୀ ଗୋଟେ ରାଜକୀୟ ଶାଢ଼ୀପିନ୍ଧି ପ୍ରସାଧାନ ସମାଗ୍ରୀ ସବୁ ଖୁବ୍ ବୋଳି ହୋଇଥିଲା। ସେ ଦେଖା ହେଉଥିଲା ଯେମିତି ରାଜକୁମାରୀ ଚନ୍ଦ୍ରାବତୀ ପରି। ଦରଵାଜାର ବାମ ପାର୍ଶ୍ଵକୁ ଅସିଆ ମସିହାର ପସିଆ ଆଇନଟିଏ ଥାଏ। ତାକୁ ଦେଖି ରାଜନର୍ତ୍ତକୀ ପରି ସେ ନାଚି ଚାଲିଥାଏ ଓ ନିଜ ଚେହେରାକୁ ନିଜେ ନିଖାରି ଦେଖୁଥାଏ। ଗର୍ମାକ୍ତ ଝାଳ ଗର୍ଦ୍ଦନ ଦେଇ ଗମଗମ ବୋହି ଯାଉଥାଏ। ଦେହରୁ ଉତ୍ତେଜକ ଅତର ଗନ୍ଧ ବି ଭାସି ଆସୁଥାଏ। କିନ୍ତୁ ଇଏ କି ନାଚ? ତେବେ ଇଚ୍ଛାମୟୀ ଭିତରେ କେଉଁ ଅତୃପ୍ତ ଆତ୍ମାର ଭୂତ ସବାର ହୋଇଛି ନା ସେ ନିଜେ ନିଜ ଅସନ୍ତୋଷକୁ ଝାଡୁଛି। କିଛି ବୁଝା ପଡୁନାହିଁ। କିନ୍ତୁ ତା ଭିତରେ ପୁଞ୍ଜିଭୂତ ବହୁ ଅପ୍ରାପ୍ତିଜନକ ହତାଶା। ସତରେ କ’ଣ ସେ ନିଜର ଜୀବନ ଓ ଯୌବନକୁ ନେଇ ଯୁଝି ହେଉଛି ନା ଉତ୍କଟ ଯୌନଲାଳସାରେ ଆଉଟି ପାଉଟି ହେଉଛି ।ତେବେ ଏମିତି ବାୟାଣୀ ପରିକା କାହିଁକି ହେଉଛି? ତା’ର ଏ ରୂପ ଦେଖି ବିକି ଭାଇ ଭୟ ପାଇଗଲେ। ତା’ର କିଳିକିଳା ରାବ ଓ ତାଣ୍ଡବ ଦେଖି ବିକି ଭାଇ ଭାବିଲେ- “ତା ସାମ୍ନାରେ ଏବେ ଯିଏ କେହି ପଡ଼ିବ ସେ ଝୁଣି ଖାଇଦେବ। “ତେଣୁ ସେ ଭୟରେ କମ୍ଫିବାକୁ ଲାଗିଲେ। ଭୟ ପାଇ ଥରଥର ପଦପାତରେ ପଛକୁ ଫେରିଲେ। ବେଡ୍ ସିଟ୍ ଟାକୁ ମୁହଁ ଉପରେ ଢଙ୍କେଇ ଦେଇ ଶୋଇ ପଡ଼ିଲେ। କେତେବେଳେ ଯେ ନିଦ ଘୋଟିଯାଇଛି ଆଦୌ ଜାଣିହେଲା ନାହିଁ। ସକାଳୁ ଉଠିଲା ବେଳକୁ ଅନିନ୍ଦ୍ୟା ସୁନ୍ଦରୀ ଦେବୀ ମୂର୍ତ୍ତିଟିଏ ପାଖରେ ଚା ପିଆଲା ଧରି ଛିଡ଼ା ହୋଇଛି। ସେ ନିଜକୁ ଅବିଶ୍ବାସ କରୁଥା’ନ୍ତି ଇଏ ଯଦି ଇଚ୍ଛାମୟୀ ତେବେ ରାତିରେ ଦେଖିଥିବା ଭୂତୁଣୀ କିଏ। ପାଟିରେ ଅସ୍ପଷ୍ଟ ଧ୍ଵନି ଥିଲା – “କି, କିଏ? “
ଇଚ୍ଛାମୟୀ ହସିଦେଇ କହିଲେ – ବିକି ଭାଇ ଏମିତି ଭୂତ ଦେଖିଲା ପରି କ’ଣ ହେଉଛ? ମୁଁ ପରା ଇଚ୍ଛାମୟୀ , ତୁମ ସାମ୍ନାରେ ଛିଡା ହୋଇଛି। ଘଣ୍ଟାରେ ନଅଟା ବାଜିଲାଣି ତଥାପି କ’ଣ ନିଦ ଭାଙ୍ଗି ନାହିଁ? ବିକି ଭାଇ ଚା ପିଇଦେଇ ତରବରରେ ଲୁଗାପଟା ପିନ୍ଧିଦେଇ ଧାଇଁଲେ ମେଡିକାଲ୍। ପଛରୁ ଇଚ୍ଛାମୟୀ ପଛରୁ ଡାକୁଥାଏ – ବିକି ଭାଇ! ଜଳଖିଆ ତ ଖାଇ କି ଯାଅ। “
ସେ କହୁଥା’ନ୍ତି – ନା ଆଉ ରୋକି ହେବ ନାହିଁ, ଆଉଟ ଡୋର ଖୋଲିଯିବଣି, ଡ଼େରିକଲେ ଲମ୍ବା ଲାଇନ୍ ଲାଗିଯିବ।”

ହେଲେ ରାତିର ଘଟନାବଳିକୁ ନେଇ ସେ ଚକିତ ହେଉଥିଲେ, ସେ କଥା ତାଙ୍କ ମନରୁ ଆଦୌ ଲିଭୁ ନଥାଏ।

Related posts

ମୁଖବନ୍ଧ

satya

ଦେଶର ଶଙ୍କଟ ଘଡି

satya

ଲବି

satya

Login

X

Register