ଅଢେଇ ଫୁଟିଆ ମଞ୍ଚ
—–by ସତ୍ୟ ପ୍ରକାଶ ସେଠୀ
ଆମର ଆଜ୍ଞା ଗୋଟାଏ ସାଂସ୍କୃତିକ ଓ ସାମାଜିକ କ୍ରିୟାନୁଷ୍ଠାନ କମିଟି ଅଛି। ଭାରି ଭଲ ଅନୁଷ୍ଠାନ ।ପ୍ରତି ବର୍ଷ କିଛି ନା କିଛି ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହାତକୁ ନେଇଥାଏ। ପଇସାଟିଏ କୋଉଠୁ ଆସୁ ବା ନଆସୁ ମରି ପଡ଼ି ଚାନ୍ଦା ଆଦାୟ କରି ହେଉ ପଛେ କାର୍ଯ୍ୟକ୍ରମଟି ହୋଇଥାଏ। କିଛି ଉତ୍ସର୍ଗୀକୃତ ସଦସ୍ୟ ଅଛନ୍ତି। ଆଉ କିଛି ତ ହୋହାଲ୍ଲା ପାର୍ଟି ରହିବା କଥା ରହିବେ, ସେଥିରେ କିଛି ଯାଏ ଆସେ ନାହିଁ। ପ୍ରତିବର୍ଷ ଯେମିତି ହେଲେ ବାର୍ଷିକ ସାଧାରଣ ସଭାଟେ ହେବା କଥା ହେବ। ଚୟନ ପ୍ରକ୍ରିୟାରେ କିଛି ପ୍ରତିଭା ଚୟନ କରାଯାଇଥାଏ ଓ କିଛି ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଏ। ଚଳନ୍ତି ବର୍ଷକୁ ଲଗେଇ ତୃତୀୟ ବର୍ଷରେ ପଦାର୍ପଣ କଲା। ସଭା ପୂର୍ବରୁ ଗୋଟାଏ ପ୍ରସ୍ତୁତି ବୈଠକ ହୁଏ। ସେଥିରେ ଅତିଥି ଚୟନଟା କରାଯାଏ, ଯେଉଁଟା କି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାବ – ସଭାର ଶ୍ରୀ ବୃଦ୍ଧି ଓ ସଫଳତା ପାଇଁ।
ପ୍ରଥମ ବର୍ଷ ସଭା ପୂର୍ବରୁ ଏମିତି ଗୋଟାଏ ବୈଠକ ହୋଇଥିଲା। ନିଷ୍ପତ୍ତି ନିଆଗଲା – ଏଥର ମନ୍ତ୍ରୀ ଓ ନେତା ମାନଙ୍କୁ ଡକରା ହେବ। କାରଣ ଯାହା ହେଲେ ସେମାନେ ବଡ଼ ବଡ଼ୁଆ ନା, ସେମାନେ ଆସିଲେ ବହୁତ ସୁବିଧା, ଆଇନ କାନୁନ ଦିଗରୁ କୌଣସି ପ୍ରତିବନ୍ଧକ ରହେ ନାହିଁ। ପୁଣି ସେ ଆସିଲେ କାଳେ ମେଞ୍ଚାଏ ଦେଇଯା’ନ୍ତି। ଅଭାବ ରହେ ନାହିଁ। କିଛି ଉନ୍ନୟନ ମୂଳକ କାମ ବି ହୋଇ ପାରିଥାଏ ବୋଲି ପୁଣି ଗୋଟାଏ ବିଶ୍ବାସ ତ ଅଛି। ଭାରତୀୟ ଦଳୀୟ ପରମ୍ପରା ଓ ବ୍ୟବସ୍ଥା ପ୍ରତି ଖୁବ୍ ଅସ୍ତା ରଖି ନଥିବା ଆର ଦଳୀୟାକ ନାଇଁ ନାଇଁ ହେଉଥିଲେ ହେଁ majority is victory ନ୍ଯାୟରେ ସ୍ଥିର ହେଲା ଏଥର ଯାହା ବି ହେଉ ମନ୍ତ୍ରୀ ଆସିବେ। ଲୋକଙ୍କ ଭିତରେ ଭାରି ଗୋଟେ ଉତ୍ସାହ ଓ ଉଦ୍ଦୀପନା।
ଧାର୍ଯ୍ୟ ଦିନ ଆସି ପହଂଚିବାରୁ ସଭା କାର୍ଯ୍ୟ ଆରମ୍ଭ ହେଲା।
ସମୟ ନିର୍ଘଣ୍ଟ ସକାଳ 10 ଟା। ଆମେ ଭାରତୀୟ ତ, ସେଥିପାଇଁ ସତକଥା ହେଲା 11ଟା। ମନ୍ତ୍ରୀ ପହଂଚି ନାହାଁନ୍ତି। ଫୋନ୍ କଲାଠୁଁ ଆଗ ଏନଗେଜ୍ ଆସିଲା , ଲାଗିଲାଠୁ କହିଲେ –
“ଆଉ ଟିକିଏ ବିଳମ୍ବ ହୋଇପାରେ, ବାର ଆଡ଼େ ତେର କାମ, ସବୁ ନିପଟେଇ କି ଯିବାକୁ ପଡ଼ିବ, ଗୋଟେ କାମ କର, ଘଣ୍ଟାଟିଏ late ରେ ମିଟିଂ ଆରମ୍ଭ କର, ସବୁ ଠିକ୍ ଠାକ୍ ହୋଇଯିବ।”
ସେୟା ହେଲା, ଘଣ୍ଟାଏ କାହିଁକି, ଦେଢ ଘଣ୍ଟା ଅପେକ୍ଷା। ଫୋନ୍ ଆସିଲା – “ବାଟରେ ଟିକିଏ କାମ ବାକି ରହିଯାଇଛି ତୁମେ ମିଟିଂ ଆରମ୍ଭ କରିଦିଅ। ମୁଁ ଯାଇ ମଝିରେ ପହଂଚି ଯିବି। ”
ମିଟିଂ ଆରମ୍ଭ ହେଲାବେଳକୁ ଦିନ 12.30, ସଭା ସରିବା ସରିବା ହେଲାଣି ମନ୍ତ୍ରୀଙ୍କ ପାଇଁ ଭାଳେଣି। ପୁଣି ଫୋନ୍, ମନ୍ତ୍ରୀ କହିଲେ -” ଶେଷ ଆଡୁଆ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ କୁହ, ଭାଷଣ ଟିକିଏ ଲମ୍ବେଇ ଲମ୍ବେଇ ଦେଉଥିବେ, ମୁଁ ପହଂଚି ଯାଉଛି।”
ସେୟା ହେଲା ଲମ୍ବା ଭାଷଣ କାର୍ଯ୍ୟକ୍ରମ ଚାଲିଲା।
ମନ୍ତ୍ରୀ ପହଁଞ୍ଚିଲେ 3ଟା। ଲୋକ ଉଠୁ ଉଠୁ ହେଲେଣି, ଭାଷଣ ବି ଲମ୍ବା।ଆଜ୍ଞା ନିର୍ବାଚନ ସମୟ ପାଖେଇ ଆସିଲାଣି, ତେଣୁ ରାଜନୀତି କଥା ଟିକିଏ ବାଗେଇ ଚୂନେଇ ନ କହିଲେ ହେବ କି ହେ!
ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ସ୍ଥଗିତ ରଖାଗଲା। ମନ୍ତ୍ରୀ କହିଲେ – ସେଗୁଡାକ ସବୁ ଘରେ ବାଣ୍ଟି ଦେବ। ଆଉ ଲଞ୍ଚ ନା ଚୋପା। ଲୋକ ବିରକ୍ତ ହୋଇ ଫେରି ଗଲେଣି। 2nd session ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଲା। ସଭା ଫସର ଫାଟିଲା।ଆମେ କର୍ମକର୍ତ୍ତା ଦୁଃଖ ଅବସାଦ ଭିତରେ ମୁହଁ ମାଡ଼ି ରହିଲୁ – ପୁଣି ବରଷେ..। ବରଷକେ ଥରେ ପୁଣି ହେବ ନୂଆ ଯୋଜନା…, ବାର୍ଷିକ ସାଧାରଣ ସଭା . ..
ଦ୍ବତୀୟ ବାର୍ଷିକ ସାଧାରଣ ସଭା – :
ଦ୍ବିତୀୟ ବର୍ଷ ସଭା ପାଇଁ ଆଉ ମନ୍ତ୍ରୀ ନେତା ନୁହଁନ୍ତି। ଏଥର ଆମେ ସ୍ଥିର କଲୁ, ଆଜ୍ଞା! ଖାଲି ବଡ ବଡ ଅଫିସର ମାନଙ୍କୁଆଣିବୁ। ହଁ ଆଜ୍ଞା! ସେମାନେ କୁଆଡ଼େ ଭାରି ସମୟାନୁବର୍ତ୍ତିତାର କଠୋର ଅନୁଶାସନପ୍ରିୟ । କଥା ମାନେ କଥା। ନହେଲେ ଏତେ ବଡ଼ ଦେଶଟା ଚଳାଉଥାନ୍ତେ କିପରି? ନେତା ସିନା ଖାଲି ନାଁକୁ, ହେଲେ ଦେଶର ଅସଲ ଭାଗ୍ୟ ବିଧାତା ଏହି ଆଜ୍ଞା! – ଅଫିସର ଗୋଷ୍ଠୀ। ଗୋଟେ ଆଦବ କାଇଦା ମାନି ଯେତେବେଳ ଦେଶଟାକୁ ଶାସନ କରନ୍ତି, ଭାରି ଆଜ୍ଞା! ବିଜ୍ଞ ମଣିଷ ।ହେଲେ ବୁଦ୍ଧି ଅନୁସାରେ ବାକ୍ ଚାତୁରୀ ଓ ଭାଷଣ ଦେବାର ଠାଣି ଏମାନଙ୍କର ଟିକିଏ କମ୍। ତେଣୁ ମିଟିଂରେ ମୌସୁମୀଟା ସେତେ ଆସେ ନାହିଁ। ସବୁ କଥା ଗୁଡାକୁ ଟିକିଏ ଲେହେରେଇ କି ସିନା କହିଲେ ହୁଅନ୍ତା, ଏମାନେ କେମିତି ଗୋଟେ mild ହୋଇ ସବୁ କଥା କହନ୍ତି ।ସେଇଥି ପାଇଁ ଟିକେ ମଜା ଆସେ ନାହିଁ। ଯାହା ବି ହେଉ, ଆମେ ନାହୁଁକି? – ଚଳେଇ ନେବା, ଦେଖିବା କ’ଣ ହେଉଛି। ହେଲେ ଏଥରେ ଏମାନେ ଆସନ୍ତୁ।
ହେଲେ ଆଜ୍ଞା! ଏମାନେ ଭାରି ଭାରି ସମୟ ବିକିଳିଆ। ଖାଲି ଥେଇ ଥେଇ କରେଇବେ-“ଜଲଦି ସାର, ଜଲ୍ଦି ସାର।”କି ହୋ! ଖାଇ ଯିବୁ ନା କ’ ଣ? ସଭାଟା ପୁଣି ଯେମିତି ହେବା କଥା ସେମିତି ହେବ ନା, ନ ହେଲେ ଅସୁନ୍ଦର ଦେଖାଯିବନି – ଆପଣ କହିଲେ?
ଏମିତି ହେଲେ ଟିକିଏ ଅଡ଼ୁଆ ।ଯାହା ବି ହେଉ ସଭାଟା ସଭା ଭଳି ହେବା ଉଚିତ୍। ନିଷ୍ପତ୍ତିଟା ନିଆ ସରିଛି ମାନେ, ଏଥରକ ଏମାନଙ୍କୁ ଡକା ଯିବ – ଦେଖା ଯାଉ କୋଉ ପାଣି କୁଆଡ଼କୁ ଯାଉଛି । ସେୟା ହେଲା, ଥୋଡେ ଖଣ୍ଡ ଅଫିସରଙ୍କୁ ଆଗ ସ୍ୱୀକୃତି ମଗାଗଲା। ଏଥିପାଇଁ ବି ଆଜ୍ଞା ନେତାଙ୍କର ବା ଅଫିସରଙ୍କର ଚାମଚା ବା ତାଙ୍କ ପ୍ରିୟ ଲୋକଙ୍କଠୁଁ reference ନେବା ଦରକାର ପଡିଥାଏ। ଯାହା ହେଉ reference ନେଲୁ। ଯିବା ଆସିବା ଗସ୍ତ ଖର୍ଚ୍ଚଟା ବି ବୁଲେଇ ବଙ୍କେଇ ଦେବାକୁ ରାଜି ହେଲୁ। ହେଲେ condition, କହିଲେ – “ଠିକ୍ କେତେଟା ବେଳେ ଯିବୁ କହିଦିଅ, ଆମେ ପହଂଚି ଯିବୁ, ଆମ ଭାଷଣ ସରିବା କ୍ଷଣି ଆମକୁ ଛାଡି ଦେବ, ଆମେ ଫେରି ଆସିବୁ, ତୁମର ସବୁ ଟାଇମ ଟେବୁଲ ନାହିଁ, 10 ଟା କହି 5ଟା ପର୍ଯ୍ୟନ୍ତ ବସେଇ ଥିବ, ଏମିତି ହେଲେ ଆମେ ଯିବୁ ନାହିଁ।”
-“ଆମେ କହିଲୁ ନାହିଁ ଆଜ୍ଞା! ଆମ କମିଟିବାଲାଙ୍କର ଭାରି ସମୟ ଜ୍ଞାନ। 11 ଟା ମାନେ 11ଟା। ଆପଣ ଖାଲି ଟାଇମରେ ପହଞ୍ଚନ୍ତୁ ନା!” ସେୟା ହେଲା ଗଣ୍ଡେ ଛ’ଅଟା ଅଫିସରଙ୍କୁ ଅତିଥି କରାଗଲା। ସେଥିରୁ ଦୁଇ ତିନିଟା ପହଁଚି ଗଲେ, ଆଉ କିଛି fail ମାଇଲେ ।ପହଞ୍ଚୁ ପହଞ୍ଚୁ ମୁଖ୍ୟ ଅତିଥି କହିଲେ – “ମୋର ସମୟ ନାହିଁ, ଅଫିସରେ ତେଣେ କେତେ କାମ ଅଛି। ମୋତେ ଆଗ କହିବାକୁ ଦିଅ, ମୁଁ ଆଗ କହି ଦେଇ ପଳେଇବି। “ତାଙ୍କ ଦେଖାଦେଖି ମୁଖ୍ୟ ବକ୍ତା ଓ ଓଲଟା କ୍ରମରେ ବା ଗୋଳେଇ ମିଶେଇ ଅତିଥିବୃନ୍ଦ କ’ଣ ପଦେ ଅଧେ ଫୁସଫାସ୍ କହି ଦେଇ ଛୁ। ଅଧଘଣ୍ଟାରେ ଭାଷଣ କାମ ଶେଷ। ଅଫିସର ଲୋକ କିଏ ଯବରଦସ୍ତି କରିବ, ୟାଙ୍କୁ ଆଜ୍ଞା ଆମ କମିଟିର ଭାରି ଡର।ଯାହା ବି ହେଲେ ଆମ ଭିତରେ ବି ଚାକିରିଆ କିଛି ଅଛନ୍ତି ନା! ଅସଲ କଥାଟା ଆଜ୍ଞା, – ବଡ଼ ଅଫିସର ସିନା ହୋଇଛନ୍ତି, ପଦବୀ ଗୋଟେ ମାଡ଼ି ବସିଛନ୍ତି, ହେଲେ ଭାଷଣ ଦେବାରେ ୟାଙ୍କର ସିଦ୍ଧହସ୍ତତା ନାହିଁ, ଭାଷଣ ଦେବାକୁ ଏମାନଙ୍କୁ ଭାରି ଡର। ତେଣୁ କାଳେ ୟାଙ୍କ ଦୁର୍ବଳତା ଉପସ୍ଥିତ କିଛି ତଳିଆ କର୍ମଚାରୀଙ୍କ ଆଗେ କେତେବେଳେ ଧରା ପଡ଼ିଯିବ, ସେଇ ଡରରେ ଆଜ୍ଞା! କଣ ଦି’ପଦ ଜଲଦି କହି ଦେଇ ଚମ୍ପଟ ମାରିଲେ ଗଲା , ଫଳରେ ତାଙ୍କ ଦୁର୍ବଳତା ଆଉ କେହି ଜାଣି ପାରିବେ ନାହିଁ। ହେଲେ ଆମ ମିଟିଂକୁ ଏଇମିତି ଅଧାରୁ ବେଙ୍ଗା କରି ଯିବ ନା?ଏଇଟା ଗୋଟେ ଶୋଭନୀୟ କଥା କି କହିଲେ?
ତଥାପି ସାହସ କରି ଶେଷଯାାଏଁ ଆମେ ମିଟିଂ ଚାଲୁ ରଖିଥିଲୁ – ଆଉ ଯେଉଁ ତଳି ତଳିଆ ଥିଲୁ। ହେଲେ ଆମ କଥା ଶୁଣିବାକୁ କେହି ନଥିଲେ। ମିଟିଂ ସରିଲା ବେଳକୁ ଆମେ, ଆମ କମିଟି, କୃତୀ ପ୍ରତିଯୋଗୀ ଓ ସମ୍ବର୍ଦ୍ଧିତ ପ୍ରତିଭା, ଆଉ ସବୁ ଛୁ ମନ୍ତର।
ସଭାର ମୁଖ୍ୟ ଆକର୍ଷକମାନେ ଚାଲି ଯିବାରୁ ଶ୍ରୋତାମଣ୍ଡଳୀ ଶୂନ୍। ନିଜେ ନିଜେ ସମ୍ବର୍ଦ୍ଧିତ ପ୍ରତିଭା ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କଲୁ। ହେଲେ କାହାରି ମନରେ ସରସତା ନଥିଲା। ମିଡିଆ ବନ୍ଧୁମାନେ ବି ଚାଲି ଯାଇଥିଲେ। ଗୋଟେ ଭଲ ଫଟୋ ବି ଉଠେଇ ନେଇ ପାରିଲେ ନାହିଁ -ସମ୍ବାଦ ପତ୍ରରେ ଛାପିବା ପାଇଁ । ସମସ୍ତଙ୍କ ମନ ଖରାପ। ମିଟିଂ ସରିଗଲା। ବହୁ ଆଡମ୍ବରରେ ଲଘୁ କ୍ରିୟା। ସବୁ ଫସର ଫାଟିଲା ।
ତୃତୀୟ ବାର୍ଷିକ ସାଧାରଣ ସଭା – :
ଏଥର ବାର୍ଷିକ ସାଧାରଣ ସଭା ତୃତୀୟ ବର୍ଷରେ ପଦାର୍ପଣ କଲା। ପୂର୍ବ ବର୍ଷ ମାନଙ୍କ ସଭାରୁ ଢେର କିଛି ଶିକ୍ଷା ମିଳିଲା। ଯେତକ ଅନୁଭବ ଓ ଅନୁଭୂତି ସବୁ ହୋଇସାରିଥିଲା। ତେଣୁ ଏଥର ଆମେ ସମସ୍ତେ ଅଧିକ ସଚେତନ। ସ୍ଥିର ହେଲା ଜ୍ଞାନୀ ଗୁଣୀ ସମାଜର କିଛି ପ୍ରତିଷ୍ଠିତ ଓ କିଛି ଆଂଚଳିକ ସ୍ତରରେ ଗୁରୁତ୍ଵ ରଖୁଥିବା ଲୋକଙ୍କୁ ଡକରା ଯିବ।ସେଇମାନେ ଅତିଥି ହେବେ। ସମୟଟା ତେଣିକି ଠିକ୍ ଠାକ୍ ରହିବ। ଅତିଥି ମାନଙ୍କର ଆଉ ମନମାନି ବେଶୀ କାମ କରିବ ନାହିଁ। ସେୟା ହେଲା। ମାତ୍ର୍ ଏ ତରିକାଟା ଏତେ ବିପଦ୍ ଜନକ ବୋଲି ଜଣା ନଥିଲା। ମୂଳରୁ ନିମନ୍ତ୍ରଣ ପତ୍ର ପ୍ରସ୍ତୁତିଠାରୁ ଅଡୁଆ। ପ୍ରତ୍ୟେହ ମିଶାଣ ଫେଡାଣ ଭିତରେ କେତେ ନୂଆ ଅତିଥି ଯୋଡୁଥାନ୍ତି, ଅଉ କେତେକ ଫେଡାଣ ହେଉଥାନ୍ତି । ଶେଷରେ ନିମନ୍ତ୍ରଣ ପତ୍ରରେ ଧରିଲା ପର୍ଯ୍ୟନ୍ତ ଅତିଥିମାନଙ୍କ ନାମର ସମାବେଶ। ତଥାପି କିଛି ସହଯୋଗୀଙ୍କ ମନ ଖରାପ।
ଆଲୋଚନା ହେଲା ମଞ୍ଚରେ ବେଶୀ ବଡ଼ ବଡ଼ portfolioର ଅତିଥି ନଥିବାରୁ ଗୋଟିଏ ନିର୍ଦ୍ଦିଷ୍ଟ criteria fix କରିବା କଷ୍ଟକର ହେଉଛି ।ତେଣୁ ଯିଏ ନାହିଁ ସିଏ ମଞ୍ଚରେ ଧସେଇ ବସି ଯାଇ ପାରନ୍ତି। ଏଣୁ ଟେବୁଲ,ମହାପ୍ରଭୂ ଜଗତରନାଥ ଜଗନ୍ନାଥଙ୍କ ତୈଳ ଚିତ୍ର, ଓ ଡାଇସ୍ ରଖିବା ପରେ ଆଉ ମାତ୍ର ଅଢେଇ ଫୁଟିଆ ବଳକା ଯାଗା ରହିବ, ଅତିଥିମାନଙ୍କ ପାଇଁ ଚେୟାର ପଡ଼ିବା ପାଇଁ – କେବଳ ଗୋଟିଏ ଧାଡ଼ିରେ। ପଛକୁ ଯାଗା ବଳକା ରହିଲେ ଝାମେଲା। ଚେୟାର ତଳୁ ଉଠେଇ ନେଇ କିଏ ବସିଯିବେ, ନିୟନ୍ତ୍ରଣ କରିବା କଷ୍ଟକର ହେବ। ସେୟା ହେଲା। ଅନୁରୂପ ପେଣ୍ଡଲ ପ୍ରସ୍ତୁତି ହେଲା। ନିର୍ଦ୍ଦିଷ୍ଟ ସମୟ, ତାରିଖ, ବାର ଓ ତିଥିରେ ସଭାକାର୍ଯ୍ଯ ଆରମ୍ଭ ହେଲା।
ନିର୍ଘଣ୍ଟ ସମୟର ଯଥେଷ୍ଟ ପୂର୍ବରୁ ଅତିଥିମାନେ ତ ଆସି ପହଞ୍ଚି ସାରିଥିଲେ, ତେଣୁ କିଛି ଅସୁବିଧା ହେଲା ନାହିଁ। କାର୍ଡର ଲମ୍ବା ମାଳ ଭିତରୁ ସତର ଜଣଙ୍କ ପାଇଁ ଚେୟାରର ବନ୍ଦୋବସ୍ତ ।ଅତିଥିମାନେ ଆସନ ଅଳଙ୍କୃତ କଲେ। ସଭା କାର୍ଯ୍ୟ ବେଶ୍ ସରଗରମରେଚାଲିଥାଏ, ହେଲେ ହୋହାଲ୍ଲା ଥମୁ ନଥାଏ। କୁଆଡେ କାର୍ଡରେ ସ୍ଥାନିତ (ଯେଉଁମାନେ କି ମଞ୍ଚ ଉପରେ ବସିଛନ୍ତି) , ସେମାନଙ୍କଠାରୁ ବହୁ ଉଚ୍ଚ ପଦ ପଦବୀରେ ଥିବା ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ତଳେ ରହି ଯାଇଛନ୍ତି। ତେଣୁ ବାରମ୍ବାର ଗୋଟିଏ ଚେୟାର ବଢ଼ୁଥାଏ। ଯାଗା ନହେବାରୁ ସଭାରେ ଦୁଇ ଧାଡ଼ି ଚେୟାର ପଡିଲାଣି। ମାତ୍ର୍ ଚେୟାର ପକାଇବା ପାଇଁ କେବଳ ଅଢେଇ ଫୁଟ ସ୍ଥାନର ବ୍ୟବସ୍ଥା – ସମସ୍ୟା ନିୟନ୍ତ୍ରଣ ବାହାରେ। ଯାକିଯୁକି ହୋଇ ଚେୟାର ପଡ଼ୁଥାଏ। ବଳକା ଯାଗା- ଶୂନ୍। ଅନ୍ୟମାନେ ଯାହା ଯେମିତି ଚେୟାରରୁ ବାହାରି ଆସି ବା ଚେୟାର ପାଖରେ ମାଇକ୍ରୋଫୋନ୍ ଧରି ବେଶ୍ ଦି’ପଦ ଛିଡା ହୋଇ କହିଲେଣି। ଏଥର ମୁଖ୍ୟ ଅତିଥିଙ୍କର ଆଜ୍ଞା! ପାଳି। ଲୋକଟି ଟିକିଏ ପୃଥୁଳକାୟ ହୋଇଥିବାରୁ ଭିନ୍ନ ଏକ ସମସ୍ୟା । ସେ ନା ଚେୟାରରୁ ଭିଡ଼ ଭିତରୁ ଠିକ୍ ସେ ଉଠି ପାରିଲେ ନା ଛିଡା ହେବା ପାଇଁ ସେତେଟା ଫାଙ୍କା ଯାଗା ଥିଲା। ତେଣୁ ଟିକିଏ ଚେୟାରକୁ ହଟେଇବାର ପ୍ରୟାସ କରୁ କରୁ ପଛପଟ ଅତିଥି ଭାରସାମ୍ୟ ହରାଇ ଅଢେଇ ଫୁଟିଆ ଉଚ୍ଚତା ବିଶଷ୍ଟ ପଟା ମଞ୍ଚ ଉପରୁ ତଳକୁ ଓଲଟି ପଡ଼ିଲେ। ପଡ଼ିଲା ବେଳେ ଡାଁ ବାଁ କି ଆଖପାଖ ଦୁଇଟି ଚେୟାର ଉପରେ ହାତ ପଡ଼ି ଯିବାରୁ ସେମାନଙ୍କୁ ବି ତଳକୁ ଗଡ଼ାଇ ପକାଇ ସାରିଥିଲେ। ତେଣିକି କାଠ ଖୁଞ୍ଚ, ବାଉଁଶ ଖମ୍ବ ଓ ଲୁହା ଦଣ୍ଡାରେ ମୁଣ୍ଡ ବାଜି – ଖଣ୍ଡିଆ ଖାବରା। ହୋହାଲ୍ଲା ଓକୋଳାହଳମୟ ପରିବେଶ ଘଟଣାକୁ ଅଧିକ ଜଟିଳ କରି ଗଢି ତୋଳୁଥିଲା । “କ’ଣ ହେଲ, କ’ଣ ହଲା” ବୋଲି ଚିତ୍କାର – ଯେଉଁ ଚିତ୍କାର ଯନ୍ତ୍ରଣାରେ ଛଟପଟ ହେଉଥିବା “ମରି ଗଲି ଲୋ! ମରିଗଲି!” ର ଚିତ୍କାର ଠାରୁ ଆହୁରି ଭୟଙ୍କର ଓ ଶାବ୍ଦିକ କ୍ଷମତାସମ୍ପନ୍ନ ଥିଲା। ଶେଷରେ ଆମ୍ବୁଲାନ୍ସ ଓ ଡାକ୍ତରଖାନାକୁ ବୁହା ହେବାର ଦୃଷ୍ଯ। ହୋହାଲ୍ଲା ଭିତରେ ସଭା କାର୍ଯ୍ୟ ଅଧାରୁ ଶେଷ ହେଲା। ଯେତକ ହୀନସ୍ତା ଓ ଅବସ୍ତା ହେବା କଥା ମଣିଷ ହେଲା।ଆଉ କ’ଣଟେ ଯେ ବାକି ରହିଲା?
ସମାଜ ଯେଉଁଠି ବିଶୃଙ୍ଖଳିତ, ସମୟାନୁବର୍ତ୍ତିତା ଯେଉଁଠି ଦୁଷ୍ପ୍ରାପ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପ୍ରତି ଯେଉଁଠି ଶ୍ରଦ୍ଧା ନାହିଁ ସେଠି ଶୃଙ୍ଖଳା ଜ୍ଞାନର ଘୋର ଅଭାବ, ତହୁଁ ସବୁ କିଛିକୁ ବ୍ୟବସ୍ଥିତ କରିବା ଅସମ୍ଭବ ନୁହେଁ , ନିଷ୍ପ୍ରୟୋଜନ ।ଚାଲୁ ଥାଉ, ସମାଜ ଯେମିତି ଚାଲିଛି ତା’ ବାଟରେ, ଯେପର୍ଯ୍ୟନ୍ତ ଆମେ ସଚେତନ ନୋହୁଁ।
ଇଏ ଆମ ବିଧି ବ୍ୟବସ୍ଥା, ସଭା ସମିତି କିନ୍ତୁ ଭାରି ବଢିଆ। ଏଣୁ ମାଇଲେ ଗୋ ହତ୍ୟା, ତେଣୁ ମାଇଲେ ବ୍ରହ୍ମ୍ ହତ୍ୟା, ମଣିଷ କୋଉ ବାଇରେ ମରିବ?
ଚତୁର୍ଥ ବର୍ଷ ବାର୍ଷିକ ସାଧାରଣ ସଭା – :
କ୍ରମଶଃ
—–by ସତ୍ୟ ପ୍ରକାଶ ସେଠୀ
ଆଉ ନୁହଁ ଆମେ ବଞ୍ଚି ଜୀଇଁ ଥିଲେ ଆରଥରକୁ କିଛି ପେଶାଦାର ବକ୍ତା ମାନଙ୍କୁ ଡକାଇ ସଭା କରିବୁ। ଏଇ ପେଶାଦାର ବକ୍ତାମାନେ ଟିକିଏ ଅଲଗା। ଏମାନଙ୍କୁ ମିଟିଂ କାଏଦା କଟକଣା ବେଶ୍ ମାଲୁମ୍। ଏମାନେ ସଭା ସମିତି କରି କରି ବୁଢା ହେଲେଣି। ଖାଲି କହନ୍ତି ନା specialist ବୋଲି? ଭାରି ଅଭ୍ୟସ୍ତ ଓ ଅଭିଜ୍ଞ – ଏମାନେ। ତାଙ୍କ ବକ୍ତବ୍ୟ ଯେପରି ଗୁରୁ ଗମ୍ଭିର ହୋଇଥାଏ ସେହିପରି ସ୍ପଷ୍ଟ ଅଭିବ୍ୟକ୍ତି, ଭାଷଣରେ ଦୃଢତା, ଓଜନଦାର ଓ ମୂଲ୍ଯଭିତ୍ତିକ ହୋଇଥାଏ। ଭାରି ଶିକ୍ଷଣୀୟ ଓ ଉପାଦେୟ କଥା କହିଥାନ୍ତି। ସେ ହିଁ ପ୍ରକୃତ ଫିଟ ଏବଂ ଠିକ୍। ଏଣୁ ତେଣୁ ଲୋକଙ୍କୁ ଡାକି ଅପଦସ୍ତ ହେବା ଅପେକ୍ଷା “go for better option “. ତା ଛଡା ଦୁନିଆଟା ଆଜ୍ଞା specialistର ଯୁଗ ।ସବୁ କଥାରେ specialist ଓ ଅଭିଜ୍ଞ ଲୋଡ଼ା, ତେଣୁ why not we? ରୋଗୀଟେ ହେଲେ ଅଭିଜ୍ଞ (specialist) ଓ ବିଶେଷଜ୍ଞ (expert) ପାଖକୁ ଯାଏ ।ବିଭାଘର ଠିକ୍ କରିବାକୁ ହେଲେ ଏହି specialist ମଧ୍ୟସ୍ଥିଙ୍କର ଆବଶ୍ୟକତା ଥାଏ ।କେଶ୍ ବାସ୍ କଥା ଉଠିଲେ ବି specialist, criminal ନା civil ବାବୁ କେଉଁଥିରେ ଅଭିଜ୍ଞ ଆଗ ପଚାରି ବୁଝା ଯାଏ। institutionର ମୁଖ୍ୟ କିଏ ହେବେ specialist ନା generalist – ଏହା ମଧ୍ୟ ଗୋଟେ dichotomy. ଅର୍ଥାତ୍ ବିଭାଗୀୟ ମୁଖ୍ୟ ଜଣେ ଆଇ. ଏ. ଏସ /O AS ନା ଜଣେ ବୟୋଜ୍ୟୋଷ୍ଠ (senior) ଓ ବିଶେଷଜ୍ଞ (expert) ହେବେ?ମାନେ ସି. ଡ଼ି. ଏମ୍. ଓ. ଡାକ୍ତର ନା ଆଇ. ଏ. ଏସ ସେହିପରି PRINCIPAL ଅଭିଜ୍ଞ ଶିକ୍ଷାବିତ୍ ନା ଆଇ. ଏ. ଏସ ରହିବେ? ସବୁ କଥାରେ SPECIALIST ଠିକ୍ ।ଏକଥା ପାଇଁ କାହିଁକି ନୁହଁ? ତେଣୁ ଆଗରୁ ସ୍ଥିର ହେଲା ଖୋଜି ଲୋଡି ବଡ଼ ବଡ଼ ବକ୍ତା ଓ ପ୍ରବୀଣ ଭାଷ୍ଯକାରଙ୍କୁ ଏଥର ଅତିଥି କରାଯିବ। ସେହି ଅନୁସାରେ ଯୋଗାଯୋଗ ଚାଲିଲା।
ହେଲେ ଏମାନଙ୍କ ପାଇଁ ଖର୍ଚ୍ଚ ଟିକିଏ ଅଧିକ ଲାଗେ। ତେଣୁ big budget ପ୍ରସ୍ତୁତ ହେଲା। ମଞ୍ଚ ସଜ୍ଜା ଯେମିତି ହେଲେ ଚଳିଯିବ। କିନ୍ତୁ ତାଙ୍କ ଗସ୍ତ ଖର୍ଚ୍ଚ ସହିତ ଅନ୍ୟାନ୍ୟ ଖର୍ଚ୍ଚ ଦେବାକୁ ହେବ। refreshment ପାଇଁ ଆଗୁଆ ହୋଟେଲ ବୁକ୍ କରିବାକୁ ପଡ଼ିବ। ରାତ୍ରିରେ ରହିବେ ସେଥିପାଇଁ ଖାଇବା ସହିତ ଟିକିଏ ମୃଦୁ ପାନୀୟ ମଧ୍ଯ ବ୍ୟବସ୍ଥା ହୋଇ ପାରିଲେ ଭଲ। ନୋହିଲେ ଗଳା ଫିଟିବ ନାହିଁ। ପୁଣି ଯେତେବେଳେ ଏତେ ଦୂରରୁ ଆସୁଛନ୍ତି, ତେଣୁ ସ୍ଥାନୀୟ ଆଖଣ୍ଡଳେଶ୍ଵରଙ୍କୁ ଭେଟି ଯିବେ। ତେଣୁ ବ୍ୟବସ୍ଥାଟା ବନ୍ଦୋବସ୍ତ କରିବାକୁ ଦେଖେଇ ଦେଖେଇ କହିଲେଣି। ଏହିପରି ଅତିଥିଙ୍କର ବରାଦୀ ଶୁଣି ଶୁଣି ଆମର ଫକାସି ଉଡ଼ିଗଲାଣି। ଦେଖା ଗଲାଣି- ଚାନ୍ଦାର volumeଟା ବଢାଇ double କରିବାକୁ ହେବ, ନୋହିଲେ ନିଅଣ୍ଟିଆ ବଜେଟ ହୋଇଯିବ।
ଏହି ବଡ଼ ବକ୍ତା, କିଏ, କ’ଣ ଆଉ କାହିଁକି – ଟିକିଏ ବୋଧେ କଥାଟା ଅସ୍ପଷ୍ଟ ରହିଯାଉଛି। ଆଜ୍ଞା! ବଡ଼ ବକ୍ତାମାନେ ବଡ଼ ବକ୍ତା। ପୁଣି ଗୋଟେ ପରିଚୟ କ’ ଣ? ଏମାନଙ୍କ ଜ୍ଞାନ ଗୁଣର ତର୍ଜ୍ଜମା କରିବା ଠିକ୍ କଥା ନୁହଁ। ମୋଟାମୋଟି ଭାବେ କହିଲେ, ଏମାନେ ଭଲ କହି ପାରନ୍ତି। ଓ ଓଡିଶା ରାଜ୍ୟରେ ଏମାନଙ୍କ ନାଁ ଖୁବ୍ ଉପରେ। ଗୋଟିଏ ପଦରେ କହିଲେ, “ନାମକରା ବକ୍ତା”।ଯେମିତି ପାଲାବାଲା ଓ କୀର୍ତ୍ତନ ଦଳୀୟା ବୁଲି ବୁଲି ପରିବେଷଣ କରନ୍ତି ଓ ନେଇଥାଆନ୍ତି-ଚାର୍ଜ, ସେହି ଭଳିଆ, ଆଜ୍ଞା!
ଏମାନଙ୍କର ସତରେ ଗୋଟେ ଧ୍ୱନି ଗୁଣ ଅଛି ଓ ସ୍ଵତନ୍ତ୍ର ବାକ୍ ଯନ୍ତ୍ରଟିଏ , ଯାହା କି ଈଶ୍ୱରଙ୍କ ବରଦାନ। ଏମାନେ କଥା କହିଲେ ସ୍ଵତଃ ଗଛରୁ ପତ୍ର ଝଡେ, ବିଜୁଳିର ଦ୍ୱୁତୀ ଊକୁଟେ, ଘଡଘଡିର ଚମକ ଚମକେ ଓ ଦେହର ଶିରା ପ୍ରଶିରାରେ ଶିହରଣ ଖେଳିଯାଏ। ଏମାନଙ୍କ କଳାପାଟବତା ଓ କୌଶଳଟିକୁ ମାନିବାକୁ ପଡ଼ିବ। ସେ ଦୃଷ୍ଟିରୁ କେହି ଖୁଣିବାର ନାହିଁ। ଭାରି ପାରଙ୍ଗମ। କିନ୍ତୁ କଥା ରହିଲା big budget ।ସବୁ ବରାତି ଗୁଡାକ ପୂରା ନକରି ପାରିବାର ଆମ ଅସମର୍ଥତା ଓ ଅକ୍ଷମତା। ଟିକିଏ ଧନୀକ ଓ ବଡ଼ ସଂସ୍ଥାମାନଙ୍କୁ ଏମାନେ ଠିକ୍। ହେଲେ ଆମ ପାଖରେ ଅର୍ଥର ଏତେଟା ପ୍ରାଚୁର୍ଯ୍ୟ ନଥିବାରୁ ଟିକିଏ କାଣ୍ଟଛାଣ୍ଟ କରି ଚଳିବାକୁ ହୁଏ।
ହେଲେ କ ‘ଣ ହେବ ଆଜ୍ଞା ମିଟିଂଟା ମିଟିଂ ଭଳିଆ ହେଲା। ଲୋକ ମୁଖରେ ପ୍ରସଂଶା ଭାରି। ଶୁଣିବାକୁ ଭାରି ଭଲ ଲାଗୁଥିଲା, ହେଲେ ହୃଦୟ ପୋଡ଼ି ଯାଉଥିଲା – ପଇସା ଚିନ୍ତା ଘାରି।
ସମସ୍ତଙ୍କର ଜିଦ୍ ଆରଥରକୁ ଏଇମାନେ ପୁଣି ଆସିବେ, ହେଲେ ଆମ ଭିତରୁ ଜଣେ ଅର୍ଥକୁ ଡରି ପ୍ରସ୍ଥାବ ଦେଇ ସାରିଥିଲେ – “ଆସନ୍ତା ବର୍ଷକୁ ସାହିତ୍ୟିକ ବାବୁ ମାନେ ଆସିବେ”।
ଆଉ କେତକଙ୍କ ଇଚ୍ଛା ପଇସା ଦିଆ ଅତିଥିଙ୍କୁ ଡାକିବା ପାଇଁ। କେତକ ଧନୀକ ଓ ବେପାରୀ ଅଛନ୍ତି, ଯେଉଁମାନେ କି ଆତ୍ମ ପ୍ରସାର ଓ ପ୍ରଚାର ପାଇଁ ପାଞ୍ଚ ଦଶ ହଜାର ଦେବାକୁ ଅରାଜି ହୁଅନ୍ତି ନାହିଁ, ବରଂ ପଇସା ଦେଇ ଗୌରବ କିଣିବାକୁ ଚାହାଁନ୍ତି। ଆଉ କେତକ ମୋଟା ଅଙ୍କ ଦେଇ ମାନପତ୍ର ଓ ଉତ୍ତରୀୟ କିଣିବାକୁ ଚାହାଁନ୍ତି। ହେଲେ ଆଜ୍ଞା ଏଇଟା ଆମ ନୀତି ବିରୁଦ୍ଧ। ତେଣୁ ପ୍ରସ୍ତାବଟା କାଟ ଖାଇ ଯାଇପାରେ। ଦେଖିବା ସମୟ ଆସୁ, ପରିସ୍ଥିତିକୁ ନେଇ ବିଚାର କରିବା। ଏବେଠୁ କଳ୍ପନା ଜଳ୍ପନା ବା ପରିକଳ୍ପନା କରିବା ଠିକ୍ କଥା ନୁହଁ । ନଇ ନ ଦେଖୁଣୁ ଲଙ୍ଗଳା ହେବା କ’ଣ କି ହୋ! … କ୍ରମଶଃ..