ଦିନାନ୍ତ ସ୍ପର୍ଶ କରିଥିଲା ନଈ ବନ୍ଧର ତଳେ କ୍ରମଶଃ । ରଜନୀର ସଙ୍ଗମକୂଳ ଦିନକର ଆବେଗମୟ ପ୍ରାଣରେ ଗତିଶୀଳ ହେଉଥିଲେ । ରକ୍ତ ଅରୁଣିମାର ରଙ୍ଗ ସାଗରରେ ସନ୍ତରଣ କରୁଥିଲା ଧରଣୀର ପୁଲକିତ ବକ୍ଷ । ଆକାଶରେ କେତେଟା ରଙ୍ଗ ବେରଙ୍ଗ ବାଦଲର ଆସର ଖୁବ ମାନୁଥିଲା । ବିଶୁର ବଂଶୀରୁ ଛୁଟି ଚାଲିଥିଲା ବଂଶୀର ମୂର୍ଚ୍ଛନା । ସରସ ସୁନ୍ଦର ଏଇ ବିଶୁ, କୋମଳ ପ୍ରାଣ ସ୍ପର୍ଶି ତା’ର ବଂଶୀର ଭାଷା– କେତେ ଦୁଃଖ ଦୈନ୍ୟ ବ୍ୟସ୍ତତା ବା ଆନନ୍ଦ ମଧ୍ୟରେ ସେମାନଙ୍କର ଦୃଢ଼ିଭୂତ ବନ୍ଧୁତ୍ୱ । ଗାଈ ଜଗାଳୀ ବିଶୁ ଧୁପ୍ ଖରାର ଢେଉ ,ବର୍ଷାର ଅବିଶ୍ରାନ୍ତ ଧାରା ତଳେ ସେ ଏଥିରୁ ପାଇଛି ଆନନ୍ଦ, ଢାଳି ଦେଇଛି ମମତା । ଆଜି ବିଶୁ ଅଙ୍କା ବଙ୍କା ବାଟରେ ଗତି କରି ଚାଲିଛି ବଂଶୀରେ ସ୍ୱର ଦେଇ ।
କେତକୀ — ଉଚ୍ଛନ୍ନ ଯୈାବନା । ତରଳ ପ୍ରାଣରେ ତା’ର ବଂଶୀର ସ୍ୱର ଛୁଟାଇଛି ପୂର୍ଣ୍ଣ ଗର୍ଭା ନଦୀର ଉଦ୍ଦାମ ସ୍ରୋତ । ମନ ତା’ର ଚଞ୍ଚଳ,ପ୍ରାଣ ଆକୁଳତାରେ ସିକ୍ତ, ଦେହ ଚାହେଁ ମିଳନ, ଚକ୍ଷୁରେ ପ୍ରେମର ପିପାସା । ଯୈାବନରେ ଅର୍ଘ୍ୟ ଧରି ଛିଡ଼ା ହୋଇଛି ସେ– ବାଢ଼ିଦେବ ଆକାଙ୍କ୍ଷିତ ଅତିଥିର ହୃଦ ମନ୍ଦିରରେ ।
ମିଳନର ମରୁବାଲିରେ କେତକୀ । ମରୁର ଶେଷ ନାହିଁ, ପିପାସା ଅନାବଦମିତ । କେଉଁଠି ଏହାର ଅନ୍ତ ? ଉଇଣ୍ଟର କେୟାର ବଡ଼ି ଲୋସନ , ପଣ୍ଡସ ପାଉଡ଼ର , ଟେମ୍ପ୍ଟେସନ ଅତରର ଗନ୍ଧ ଦେହରେ ତା’ର ଭରିଦେଇଛି ଆହୁରି ମାଦକତା । କୁସୁମାୟିତ କବରୀରେ ହସ୍ତର ଧିର କୋମଳ ସ୍ପର୍ଶ ପୁଣି ତାକୁ ତୀବ୍ରତର କରୁଛି । ସେ ସାଥିଟିଏ ଚାହେଁ, ଯିଏ ତା’ର ହାତଧରି ଅତୃପ୍ତ ବାସନାକୁ ଚରିତାର୍ଥ କରିବ । ନିଜର ସଞ୍ଚିତ ଧନକୁ ପୁଷ୍ପାଞ୍ଜଳିର ରୂପ ଦେବ । କିନ୍ତୁ ……. ସେ ଅବିବାହିତା ରମଣୀ ନୁହେଁ, ଯୁବତୀ ସମାଜର ବନ୍ଧନ, ସଂସ୍କୃତିର ବନ୍ଧନରେ ସେ ବନ୍ଦୀନୀ ଅଲଙ୍ଘନୀୟା । ମନ କୁହୁଳି ଉଠିଲା । ଗୋଲାପି ଓଠର ପାଖୁଡ଼ାରେ ସୃଷ୍ଟି ହେଲା କମ୍ପନ — ସତେ କେଡ଼େ ନିଷ୍ଟୁର ଏ- ସମାଜ । ଓଃ, ସବୁକିଛି ଅସହ୍ୟ । ନିଜ ମଧ୍ୟରେ ବେଦନା ଅନୁଭବ କରୁଥିଲା ସେ କାମନାର ଜ୍ୱାଳାରେ । ଶ୍ୱାସ କ୍ଷିପ୍ରତର ହେଉଥିଲା — ନାଁ ନାଁ ସମାଜ ପରିବାର ଆତ୍ମୀୟ – ଏ ସବୁ କେହି ତା’ର ନୁହେଁ । ତାକୁ ସେ ଛିନ୍ନ କରିବ । ଏ ସରଳ ସୁନ୍ଦର ଚମଡ଼ା ଦେହକୁ ପୋଡ଼ି ସେ ପାଉଁଶ କରି ପାରିବ ନାହିଁ । ତା’ର ମନ ଚାହେଁ ପ୍ରେମ ।
ବିଶୁର ବଂଶୀ ସ୍ୱର ସେ କେତେଥର ଶୁଣିଛି । କିନ୍ତୁ ଆଜିର ଶୁଣିବା ଏବଂ ପୂର୍ବର ଶୁଣିବା ମଧ୍ୟରେ ଯେମିତି କେତେ ପାର୍ଥକ୍ୟ ଅନୁଭବ କରୁଥିଲା ସେ । କେତେ ଅତୀତର ପିଲାଦିନେ ସେ ଦୁହେଁ ଥିଲେ ସାଥି । ମଧୁମୟ ପଲ୍ଲୀ କୋଳରେ ଖେଳି ଖେଳି ଦୁର୍ହେଁ ଗ୍ରାମ୍ୟ ବିଦ୍ୟାଳୟରେ ଆରମ୍ଭ କରିଥିଲେ ବିଦ୍ୟାରମ୍ଭ । କେତକୀ ଆଗେଇ ଆସିଛି ଢେର ଆଗକୁ । କିନ୍ତୁ ବିଶୁ, ଅର୍ଥାଭାବରେ ପଡ଼ି ରହିଛି ଢେର ପଛରେ । ପରଘରେ ଖଟି ଜୀବନ ଯାପନ କରିବାରେ ନିଜକୁ କରିଛି ନିୟୋଜିତ ।
କେତକୀ ଆଗରୁ କେତେ ପାର୍ଥକ୍ୟ ଅନୁଭବ କରିଛି, ତା ‘ଏବଂ ବିଶୁ ମଧ୍ୟରେ — ଶିକ୍ଷାର ପାର୍ଥକ୍ୟ, ପୋଷାକ ପରିଚ୍ଛଦ, ଚାଲି ଚଳଣୀ ଏମିତି କେତେ କ’ଣ । ସତେ ଯେମିତି ଏ ଗରିବ ବିଶୁ ମଣିଷ ନୁହେଁ ଆଉ ସେ ନିଜେ ମଣିଷତ୍ୱର ଢେର ଉଚ୍ଚରେ । କିନ୍ତୁ ଆଜି ……. ? କେତକୀର ଚକ୍ଷୁ ଉତ୍ତେଜନାରେ ପିଙ୍ଗଳ ହୋଇ ଆସୁଥିଲା । ହୃଦୟର ସ୍ପନ୍ଦନ ଅଧିକରୁ ଅଧିକ ହେଉଥିଲା । ସେ ଭାବୁଥିଲା ବିଶୁ ଗରିବ ନୁହେଁ, ଅଶିକ୍ଷିତ ନୁହେଁ, ବହୁ ଉଚ୍ଚରେ- ସେ ।
ଶର୍ବରୀର ମୁଖଶ୍ରୀରେ ଶେଷ ଚୁମ୍ବନ ବାଢ଼ି ସାରିଥିଲେ ଦିନକର । କ୍ରୀଡ଼ାବତୀର ମସ୍ତକ ଅବନତ ହୋଇ ଯାଉଥିଲା । ତାମସୀ ଆସର ଜମି ଆସୁଥିଲା ଧିରେ ଧିରେ ।
ବିଶୁ ଭାଇ ………..! ବିଶୁ ଅନାଇଲା ପଛକୁ । ଥମି ଆସିଲା ବଂଶୀର ସ୍ୱର । କେତକୀ ଛିଡ଼ା ହୋଇଛି । ଚକ୍ଷୁରେ ତା’ର ଆଶାର ଜୁଆର, ଓଠରେ କେତେ ମଧୁର ସ୍ୱପ୍ନର ତରଳ ସ୍ରୋତ । ବିଶୁ ଆଶ୍ଚର୍ଯ୍ୟ ହେଲା ଭାରି । କେତକୀ ତରୁଣୀ,ସେ ତରୁଣ, ଅଥଚ ଏପରି ଏକ ସଂନ୍ଧ୍ୟାରେ ନଦୀ ପଠାର ନିର୍ଜ୍ଜନ ଆମ୍ର କୁଞ୍ଜରେ କେତକୀକୁ ସେ ଦେଖୁଛି ଏକ ଅପ୍ରାକୃତିକ ଅବସ୍ଥାରେ ।
— କେତେ ସୁନ୍ଦର ସତେ ତୁମ ବଂଶୀର ସ୍ୱର, ଏ ବିଶୁ ଭାଇ !
କ’ଣ କହିବ ବିଶୁ କିଛି ଭାବି ପରୁନଥିଲା । କ’ଣ କହିବ, କହିବ ହୋଇ ପୁଣି ପାଟି ବନ୍ଦ କଲା । କ’ଣ ବା ସେ କହିବ ? କେତକୀର ଚକ୍ଷୁରେ ମାଦକତା, ମୁଖରେ ସହସ୍ର ହସର ଶତହ୍ରଦା, ଧନୀର ତରୁଣୀ ସେ ,ଶିକ୍ଷିତା ଭାବିଲା ବେଳକୁ ଦେହରେ ତା’ର ପୁଲକ ଜମି ଆସୁଥିଲା । ମନରେ ଉଠୁଥିଲା କେତେ ସ୍ୱପ୍ନର ତରୀ ଦେହରେ ରକ୍ତର ଚଞ୍ଚଳତା । କିନ୍ତୁ……. ଛି, ଛି, କ’ଣ ଗୁଡ଼ାଏ ସେ ଭାବୁଛି । ସେ ଯେ ଦରିଦ୍ର ସ୍ୱଳ୍ପ ଶିକ୍ଷିତ, ସମାଜର ନଗନ୍ୟ ।
— ବିଶୁ ଭାଇ !
କେତକୀ କଣ୍ଠରେ ସେହି ଚପଳ ସୁଲଭ ଡ଼ାକ । ନିଜ ମଧ୍ୟକୁ ଫେରି ଆସିଲା ବିଶୁ । ଧିର ସ୍ୱରରେ ଉତ୍ତର ଦେଲା– ମୋ ପାଖରେ କ’ଣ ଦରକାର ଅଛି କେତକୀ?
— କ’ଣ ତୁମେ ଏମିତି ଭାବୁଛ ?
— ନାଁ କିଛି ନୁହେଁ ।
–ବିଶୁ ଭାଇ !
କେତକୀର କଣ୍ଠ ଦବି ଆସୁଥିଲା । କ’ଣ ବା କହିବ ସେ?କେତକୀ ଲଜ୍ଜାବନତ ହେଲା । ବିଚଳିତ ଅନୁଭବ କଲା ନିଜକୁ । ଯେମିତି କେତେ କଥାର ସ୍ରୋତ ଏକା ସାଙ୍ଗରେ ଭାସି ଆସି ସବୁ ଅଟକି ଯାଇଛନ୍ତି । ନା ନିଜ ମନର କଥାକୁ ବ୍ୟକ୍ତ କରିବା ପାଇଁ ବିଶୁ ମନର ମାପକାଠି ସେ ଖୋଜି ପାଉଛି ନା ନିଜ ହୃଦୟର ସବୁତକ ଭାଷା ଅଭିବ୍ୟକ୍ତି ଲାଭ କରି ପାରୁଛି ।
–କେତକୀ ଏପରି ଏକ ସଂନ୍ଧ୍ୟାର ନିର୍ଜନ ବେଳାରେ ତୁମେ ମୋ ପାଖକୁ ଆସିବା ଠିକ୍ ହୋଇନାହିଁ । ଲୋକେ ଦେଖିଲେ କ’ଣ କହିବେ- ଚିନ୍ତା କରି ପାରୁଛ?
ଭକ୍ତିନିଶା ବିରକ୍ତିରେ କହିଲା ବିଶୁ ।
କେତକୀ କିନ୍ତୁ ହସିଲା । କ୍ଷତି କ’ଣ ବିଶୁଭାଇ ! ନିଜର ମନ କ’ଣ ଲୋକମାନଙ୍କର ଇଚ୍ଛାଧିନ । ସେମାନଙ୍କର କ’ଣ କିଛି ସ୍ୱାଧିନ ଚିନ୍ତାଧାରା ରହିବା ଉଚିତ ନୁହେଁ ।
କେତେବେଳୁ ଅନ୍ଧାର ଆସିଯାଇଥିଲେ ମଧ୍ୟ ଅନୁଭବ କରି ପାରୁ ନଥିଲେ ଦୁହେଁ । ଖୁବ୍ ନିକଟତର ହୋଇ ସେମାନେ ଛିଡ଼ା ହୋଇଥିଲେ । କେତକୀର ଉଷ୍ଣ ଶ୍ୱାସ ଯଥାର୍ଥରେ ଅନୁଭବ କରି ପାରୁଥିଲା ବିଶୁ । କେତକୀକୁ ଦେଖୁଥିଲେ ଅପ୍ରାକୃତିକ ଅବସ୍ଥାରେ । ସରଳ ସୁନ୍ଦର ବିଶୁକୁ ଏ ସବୁ କିଛି ଭଲ ଲାଗୁନଥିଲା । ସେ କେତକୀକୁ ହଲାଇ ଦେଲା ପ୍ରକୃତିସ୍ଥ କରିବା ପାଇଁ, କିନ୍ତୁ ବ୍ୟର୍ଥ ସବୁ । କେତକୀ ବିଶୁର ପାଦରେ ହାତ ରଖି କହିଲା — ବିଶୁଭାଇ ! ମୋ ପାଇଁ ତୁମେ କିଛିଟା ତ୍ୟାଗ କରି ପାରିବ ନାହିଁ । ମୁଁ ତୁମ ପାଖରୁ ମୋତେ ଦୂରେଇ ନେଇ ପାରିବି ନାହିଁ ?
କେତକୀ ଶରୀରର ଚପଳତା ବିଶୁର ଯୁବକ ସୁଳଭ ରକ୍ତକୁ କ୍ରମଶଃ ଉଷ୍ଣ କରୁଥିଲା । ଲୋମ ପ୍ରତିଲୋମରେ ଖେଳି ଯାଉଥିଲା ଶିହରଣ । ଯେମିତି ସେ ନିଜକୁ ଏକ ନୂଆ ରଙ୍ଗରେ ଆଜି ଆବିଷ୍କାର କରୁଛି ।
କିଛି କହିପାରିଲା ନାହିଁ ଆଉ ବିଶୁ । ପରସ୍ପର ଆଡ଼କୁ ଦୁହେଁ ଆକୃଷ୍ଟ ହୋଇ ଯାଉଥିଲେ । ଚପଳ ଛନ୍ଦାର କୋମଳ ଗଣ୍ଡର ଉଷ୍ଣ ଚୁମ୍ବନ କେତୋଟି ବାଢ଼ି ଦେଲା ବିଶୁ ।
ତା ପରେ ………………
କେତେ ଯେ ବିନିଦ୍ର ରଜନୀ ଏହି ଆମ୍ର କୁଞ୍ଜରେ କଟି ଯାଇଛି, କେତେ ସୁଖର ସ୍ୱପ୍ନରେ ରସାଣିତ ହୋଇଛନ୍ତି ଦୁହେଁ ।
୍ ୍ ୍ ୍
ଆଜି ସ୍କୁଲରେ ଗୋଟାଏ ଭାରି ଭଲ ଦିନ । ନୂଆ ସାର୍, ଆସିଛନ୍ତି ଜୀବନବାବୁ-ଜୀବନାନନ୍ଦ ପାଣିଗ୍ରାହୀ- ସୁନ୍ଦର ସୁଠାମ ଯୁବକ । ସବୁ ପିଲାମାନେ ନୂଆ ସାରଙ୍କୁ ଥରେ ଥରେ କମନରୁମରେ ଝରକା ବାଟଦେଇ ଦେଖି ଆସିଲେଣି । ଯେମିତି ନୂଆ ସାର୍ ଚିଡ଼ିଆ ଖାନାର ଜୀବ ଅବା ଦୁର୍ଲ୍ଲଭ ବସ୍ତୁ । କେତକୀ ମଧ୍ୟ ଦେଖି ସାରିଲାଣି ନୂଆ ସାରଙ୍କୁ ଶରୀରର ଗଠନ ଭାରି ଭଲ ଲାଗିଲା ତାକୁ । ଯଦି ବିଶୁ ଭାଇ ଏମିତି ହୋଇ ଥାଆନ୍ତା ନା! ଦୁର୍ବଳତା ଜମିଆସୁଥିଲା ମନରେ ବିଶୁ ପ୍ରତି । ତା ସାଙ୍ଗକୁ କେତେ ଭାବନା । ଖେଳ ପଡ଼ିଆରେ ବସି ସେ ଭାବୁଥିଲା ନୂଆ ସାରଙ୍କ କଥା ।
ଅଞ୍ଜନା କେତକୀର ଗାଲରେ ଟିପ ଛୁଇଁଲା । ତୁମେ ଯାହାକୁ ଭାବୁଥିଲ ମୁଁ ସେହି– ଚୁପ୍କରି କେତକୀର କାନ ପାଖରେ କହିଲା । ଧେତ୍ ବିରକ୍ତିରେ କେତକୀର ମୁହଁ ରଙ୍ଗା ପଡ଼ିଗଲା । ଆଉ ଠା’କୁୁ ବସି ସ୍ୱର୍ଣ୍ଣଲତା ଏବଂ ସରୋଜିନି ହସି ହସି ଲୋଟି ଯାଉଥିଲେ ପଡ଼ିଆରେ ସବୁଜ ଗାଲିଚା ଉପରେ । ସତେ ଯେମିତି ସେମାନେ ମିଶିଯିବେ ସେଥିରେ ।
କେତକୀ ମନର ସରାଗ ମଉଳି ଗଲା । ଯେମିତି ଏମାନେ ତା’ର ସଞ୍ଚିତ ଧନ ଲୁଟି ନେଇ ଯାଇଛନ୍ତି । ସେମାନେ ହସୁଛନ୍ତି କାହିଁକି ? ତା’ର ମନ କଥା ଜାଣି ନେଲେକି ଏମାନେ ? ମନରେ କେତେକଥା କାଳ ପଶିଲା ।
ଘଣ୍ଟି ବାଜିଲା । ରିକ୍ରେସନ୍ ଏଥର ଶେଷ । ଚାରି ବାନ୍ଧବୀ ଯାକ ଉଠି ଚାଲିଗଲେ ।
ତା’ ପରଦିନ ଜୀବନ ବାବୁ ଆସିବେ ପଢ଼ାଇବା ପାଇଁ । ପିଲା ମାନଙ୍କ ମନରେ ଆନନ୍ଦ, ସବୁଠୁ ବେଶି କେତକୀର । ସ୍କୁଲକୁ ଆସିବା ପୂର୍ବରୁ ନିଜର ଶାଢ଼ୀଟାକୁ ଭଲ ଭାବେ ଲକ୍ଷ୍ୟ କରିନେଲା । ପୁଣି କେଶ ବିନ୍ୟାସ ସବୁ ଠିକ୍ ଅଛି କି ନାହିଁ । ଶାଢ଼ୀଟା ବେକ ପାଖରୁ ଆସି ବ୍ଲାଉଜ ସହିତ ପିନ୍ ଦ୍ୱାର ଠିକ୍ ସ୍ଥାନରେ ଆଟାଚ ହୋଇଛି କି ନାହିଁ-ଦେଖିନେଲା ଆଉଥରେ । ଆଶ୍ୱସ୍ତ ଲାଗିଲା ଖୁବ୍ ।
ତା’ପରେ ନୂଆ ସାର୍ କ୍ଲାସକୁ ଆସନ୍ତି । ଆଖିରେ ଚଞ୍ଚଳତା, ମୁଖରେ ତା’ ହସ । ଜୀବନ ବାବୁ ମଧ୍ୟ ଲକ୍ଷ୍ୟ କରିଛନ୍ତି ଭଲରୂପେ । କେତକୀ ଯେ କ୍ଲାସରେ ସମସ୍ତଙ୍କ ଠାରୁ ସୁନ୍ଦରୀ ତା ନିଃସନ୍ଦେହ ।
ନୂଆ ସାର୍ ପୁରୁଣା ହୋଇଛନ୍ତି । କେତେ ଦିନ କେତେ କଥା ବିତି ଯାଇଛି ଏହା ମଧ୍ୟରେ । ଜୀବନ ବାବୁଙ୍କର ଅତିପ୍ରିୟ ଛାତ୍ରୀ ହୋଇଛି କେତକୀ । ଭଲ ପଢ଼ିବା ପାଇଁ ନୁହେଁ, ଭଲ ନ ପଢ଼ିବା ପାଇଁ ଏବଂ ନିଜକୁ ସଜାଇବାରେ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ଯୋଗୁ । ଏବେ କେତକୀ ପ୍ରଶ୍ନର ଭଲ ଉତ୍ତର ଦେଇ ପାରୁ ନଥିଲେ ମଧ୍ୟ କେତକୀକୁ ପ୍ରଶ୍ନ ପଚାରିବା ଯେମିତି ଜୀବନ ବାବୁଙ୍କର ଗୋଟାଏ ମଜ୍ଜାଗତ ଅଭ୍ୟାସ ହୋଇ ଯାଇଛି । କେତକୀର କଣ୍ଠଧ୍ୱନୀ ଯେମିତି ତାଙ୍କର ଯୁବକ ହୃଦୟରେ ସ୍ନାୟବିକ ଜୀବନିକା । ଯଦି ସେ କେତକୀକୁ ପାଇପାରନ୍ତେ …… କେତକୀ ମଧ୍ୟ ଭାବିଛି ଅନୂରୁପ । ସେ ନିଜକୁ ଅପମାନିତ ମଣିନାହିଁ । ବରଂ ମଣିଛି ଭାଗ୍ୟବତୀ ।
କିଛିଦିନ ଅନ୍ତରରେ ଜୀବନ ବାବୁ କେତକୀର ଟିଉସନ ଶିକ୍ଷକ ଭାବରେ ନିଯୁକ୍ତି ପାଆନ୍ତି । ଏଥିରେ କେତକୀ ଯେତିକି ଖୁସି, ଜୀବନ ବାବୁ ମଧ୍ୟ ତାଠୁ ବେଶି । ଦୁହେଁ ଦୁହିଁଙ୍କର ମନ କଥା ଯେମିତି ଜାଣି ପାରିଛନ୍ତି । ଏହା ମଧ୍ୟରେ ଆଖିରେ ଆଖି କେତେ ଥର ମିଳିଛି, ହସରେ ପ୍ରତିହସ ସୃଷ୍ଟି ହୋଇଛି । ତେବେ ମନର କଥା ଖୋଲା ଖୋଲିଭାବେ କେହି କାହାକୁ କହି ପାରି ନାହାଁନ୍ତି ।
ନୂଆବର୍ଷ ଜାନୁଆରୀ ମାସର ପ୍ରଥମ ଦିନ । ସୋରିଷ ଫୁଲିଆ ଖରା ଚାରିଆଡ଼େ ବୁଣି ହୋଇଯାଇଥାଏ । ଜୀବନ ବାବୁ ପ୍ରିୟ ଛାତ୍ରୀକୁ ଅପେକ୍ଷାକରି ବସିଥା’ନ୍ତି – ସେଦିନର କମ୍ର ସକାଳରେ । ମନ ଦରିଆରେ କେତେ ଆଶାର ତରୀ ମନ ଦରିଆର କୂଳେ କୂଳେ ଖେଲି ବୁଲୁଥା’ନ୍ତି। ଚକ୍ଷୁରେ ତାଙ୍କର ଉଜ୍ଜଳତା ଥାଏ ଯଥେଷ୍ଟ । ଛାତିରେ ବେଦନା ବି । ଆଶାୟୀ ସୈନିକର ମନ ପ୍ରାଣ ନେଇ ସେ ଦୈାଡ଼ି ଚାଲିଥା’ନ୍ତି । ଜୀବନ ବାବୁଙ୍କର ଚିନ୍ତା ଭଗ୍ନ କରି ଆସିଲା କେତକୀ । ଜୀବନ ବାବୁଙ୍କର ପ୍ରାଣରେ ଆହୁରି ମାଦକତା ଭରିଦେଇ ଚୈାକିରେ ବସିଲା କେତକୀ ।
ଇତିହାସ ଖୋଲିବାକୁ ନିଦ୍ଦେର୍ଶ ଦେଲେ ଜୀବନ ବାବୁ । ଅଲରାଉଣ୍ଡର ଶିକ୍ଷକ ସେ । ସବୁଥିରେ ତାଙ୍କର ଦକ୍ଷତା । ସେଦିନ ଜୀବନ ବାବୁ ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଶ୍ୱାସ କ୍ରମଶଃ ଉଷ୍ଣ ହୋଇ ଆସୁଥିଲା । ଉଦ୍ୱିଘ୍ନ୍ନ ଭାବରେ ସେ କହି ଚାଲିଥିଲେ ମୋଗଲ ବଂଶ ଉପରେ । ଦୀଲ୍ଲୀର ବାଦ୍ଶାହା ଶାହଜାହାନ । ଶ୍ରେଷ୍ଠ ପ୍ରେମିକ ପୁରୁଷ ସେ । ଯାହାର ନାମ ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଯାହାର ନାମ ଶହ ଶହ ବର୍ଷ ଧରି ଆଗ୍ରାର ତାଜମହଲ ଗାଇ ବୁଲୁଛି । ଏଇ ଦେଖ! ଦେଖ କେତକୀ!! ସେହି ପ୍ରେମିକ ପୁରୁଷ ଶାହଜାହାନଙ୍କ ଚିତ୍ର । କେତକୀର ହାତ ଆଣି ରଖିଲେ ଚିତ୍ର ଉପରେ । କ୍ରମଶଃ ଉତ୍ତେଜିତ ହୋଇ ପଡ଼ୁଥିଲେ ସେ ।
ବହିରେ ଅସ୍ତିତ୍ୱ ହରାଇଲେ ସେ । ବହିଟି ଖସିଗଲା ହାତରୁ । କେତକୀର ଦେହ ଝାଳେଇ ଆସୁଥିଲା । ଜୀବନ ବାବୁ କହି ଯାଉଥିଲେ ତମେ ମୋର ଛାତ୍ରୀ ନୁହେଁ କେତକୀ, ତୁମେ ମୋର ପ୍ରାଣ, ତୁମରି ମଧ୍ୟରେ ମୁଁ ମୋର ପ୍ରାଣର ଅନୁ ସନ୍ଧାନ କରୁଛି । ମୋତେ ବଞ୍ଚାଅ କେତକୀ, ମୋତେ ବଞ୍ଚାଅ । ଦୁହେଁ ପରସ୍ପର ସହିତ ଛନ୍ଦି ହୋଇ ଯାଉଥିଲେ । କେତକୀ ଆପତ୍ତି କରି ନଥିଲା ।
ଦ୍ୱାର ଖୋଲା ଅଛି । କରବୀର ବୁଦା ଉପରୁ ଚଢ଼େଇଟିଏ ଶବ୍ଦ କରି ଉଡ଼ିଗଲା । ଅଜଣା ଭୟରେ ନିଜକୁ ମୁକୁଳିତ କରି ଆଣିଲା କେତକୀ । ଜୀବନ ବାବୁ ପରୀକ୍ଷା କରି ନେଲେ କିଛି ନାହିଁ । ଦ୍ୱାର ବନ୍ଦ କଲେ ।
ତାପରେ…….କେତକୀର ଅର୍ଦ୍ଧ ମୁକୁଳିତ ଅଙ୍ଗ ସୈାଷ୍ଠବରେ ନିଜକୁ ହଜାଇ ଦେଇଥିଲେ ଜୀବନାନନ୍ଦ । ଉତ୍ତାଳ ତରଙ୍ଗ ମାଳାର ବିରହିତ ବେଳା ସ୍ପର୍ଶ ପରେ ସେ ଗୋଟିଏ ପରେ ଗୋଟିଏ ଚୁମ୍ବନ କେତକୀର ଗଣ୍ଡ ଦେଶରେ ଆଙ୍କି ଚାଲିଥିଲେ । କେତକୀର ମସ୍ତକ ନିଜର ଛାତିରେ ଗୁଞ୍ଜିଦେଇ ଯୁବତୀ ଶରୀରର ଅସରନ୍ତୀ ସୁଧା ପାନ କରୁଥିଲେ ।
ଅନ୍ତରରେ କ୍ଷୁଧା ମନରେ ଝଡ଼ ଆଜି ପ୍ରଶମିତ ହୋଇଛି । ମନରେ ଆନନ୍ଦର ଜୁଆର । ଜୀବନ ବାବୁ କହିଲେ – କେତକୀ ! ବର୍ଷର ଏହି ପ୍ରଥମ ଦିନରେ ଆମ ଜୀବନର ଏହି ପ୍ରଥମ ଅଭିଯାନ ଆମର ଚଲା ପଥକୁ କୁସୁମିତ କରୁ । କେତକୀର ମୁଖରେ ଖେଳି ଯାଉଥିଲା ସରୁ ହସଟିଏ । ସେ ଲାଜେଇ ଯାଉଥିଲା ବି ।
କିନ୍ତୁ ଏବେ ଏଇ ଥରଟି ନୁହେଁ । କ୍ଷୁଦ୍ର କୋଠରୀଟିରେ ରାତି ମଧ୍ୟରେ କେତେଥର ଏଇ ଅଭିନୟ ଅଭିନୀତ ହୋଇ ଯାଇଛି । ଉଚ୍ଚବଂଶ ଉଚ୍ଚ ପରମ୍ପରାରେ ସମ୍ଭୁତ ଏଇ ଜୀବନାନନ୍ଦ । କେତକୀକୁ ସେ ବାହା ହେବେ । କେତକୀ କେତେ ଆଶାର ଖିଅ ଧରି ଉଡ଼ି ବୁଲିଥିଲା । ସେ ହେବ ଜୀବନଙ୍କର ଘରର ବୋହୂ ପ୍ରକାଶ୍ୟରେ, ଯାହା ସେ ଆଜି ଲାଭ କରୁଛି ଲୋକ ଚକ୍ଷୁର ଅନ୍ତରାଳରେ । କେତକୀର ଆଖିରେ କେତେ ସ୍ୱପ୍ନ ।
୍ ୍ ୍ ୍
ଆରେ …….ଚମକି ପଡ଼ିଲା କେତକୀ । ପେଟରେ ଯେମିତି ତା’ର କିଏ ବୁଲୁଛିି । ନାଁ ସେ କିଛି ନୁହେଁ । ଜୀବନ ବାବୁଙ୍କର ପ୍ରତିବିମ୍ବ । ଜୀବନ ବାବୁଙ୍କ ପାଇଁ ଉପହାର । କେତେ ଖୁସିରେ ଦଉଡ଼ିଗଲା ଜୀବନଙ୍କ ପାଖକୁ । ଜୀବନାନନ୍ଦାଙ୍କର ଗଳାରେ ବାହୁ ଛନ୍ଦି କହିଲା– ତୁମରି ସନ୍ତକ ଏଇ ପେଟରେ ଖେଳୁଛି । ତୁମକୁ ଉପହାର ଦେବା ପାଇଁ ମୁଁ ତାକୁ ଧରି ରଖିଛି । ତୁମେ ମୋତେ ଏହା ପୂର୍ବରୁ ବିବାହ ନକଲେ ଲୋକ ଚକ୍ଷୁରେ ସମ୍ମାନ କମିଯିବ ।
ଜୀବନ ବାବୁଙ୍କର ଏ କଥାରେ ଛାତି ଥରି ଉଠୁଥିଲା । ଅଜଣା ଭୟର ଚିତ୍କାରରେ ମୁଁହରୁ ହସ ଲିଭି ଲିଭି ଯାଉଥିଲା । କିନ୍ତୁ ସେ ସବୁ ଚାପି ରଖିଲେ । କାଣିଚାଏ ହସ ଫୁଟାଇ କେତେକୀର ଗାଲରେ ଧିର ଟିପାଟିଏ ଦେଲେ ।
ସେଦିନ ଜୀବନାନନ୍ଦ କେତେ ପ୍ରମାଦ ଗଣିଛନ୍ତି । ଭବିଷ୍ୟତକୁ ଅନାଇବାକୁ ଯାଇ ଭୟଭୀତ ହୋଇଛନ୍ତି । କେତକୀକୁ ବାହା ହେବା ପାଇଁ ସେ ଯେଉଁ ଜବାବ ଦେଇଛନ୍ତି, ତାହା ସେ ପାରିବେ ନାହିଁ କେବେ । ତାହାରି କାରଣ ମଧ୍ୟ କ’ଣ ଥାଇ ପାରେ, ମାତ୍ର ଜାତିର ଅସମତା, ବଂଶର ପରମ୍ପରା । କେତକୀ ଏବଂ ତାଙ୍କର ବନ୍ଧନ ଗୋଟାଏ ଉତ୍ତେଜନାର ,ପ୍ରାଣର ନୁହେଁ । ଜୀବନାନନ୍ଦ ଇସ୍ତଫା ଲେଖି ସାରିଥିଲେ କେବେଠୁ, ଆଜି ସେ ବିଦାୟ ନେବେ । ସ୍କୁଲରୁ ବିଦାୟ ନୁହେଁ କେତକୀ ପାଖରୁ ବିଦାୟ । ଯେଉଁ ଦିନ ଆସିଥିଲେ ପ୍ରଥମେ ସେ ଦିନ ହୋଇଥିଲା ସମ୍ବର୍ଦ୍ଧନା ସଭା । ଆଜି ମଧ୍ୟ ବିଦାୟ ସମ୍ବର୍ଦ୍ଧନା । ଦୁଇଟି ବର୍ଷ ମଧ୍ୟରେ କେତେ ଯେ ଘଟଣା ଘଟି ଯାଇଛି ସବୁ ଗୁଡ଼ିକ ତାଙ୍କର ମନେ ପଡ଼ିନାହିଁ । ତେବେ ସବୁଠାରୁ ବଡ଼ ଘଟଣା ହେଉଛି ସେ ଏଠୁ ଚାଲି ଯାଉଛନ୍ତି ।
ଜୀବନାନନ୍ଦାଙ୍କର ପାଦ ଉପରେ ମୁଣ୍ଡ ରଖିଲା କେତକୀ । ଚକ୍ଷୁରୁ ବହି ଯାଉଛି ଅଶ୍ରୁ । ଅଶ୍ରୁ ନୁହେଁ ଶ୍ରାବଣର ଧାରା । ଜୀବନାନନ୍ଦା ତାଙ୍କୁ ଛାତିରେ ଜାକି ଧରି କହୁଥିଲେ କେତକୀ ତୋର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତରର । ମୁଁ ତୋତେ ଛାଡ଼ି ରହି ପାରେନା । କେତେକ ଅତ୍ୟାବଶ୍ୟକୀୟ କାରଣରୁ ମୁଁ ଏଠାରୁ ଚାଲି ଯାଉଛି । ନୂଆ ଚାକିରୀରେ ଜଏନ୍ ଦେବା ପାଇଁ ଯାଉଛି । ପରେ ତୁମକୁ ମୁଁ ନେଇଯିବି ଏବଂ ଏହାର ଯାହା ହେଲେ ବି ମୁଁ କିଛି ଗୋଟାଏ ବ୍ୟବସ୍ଥା କରିବି । ମୋଟେ ଭୟ କର ନାହିଁ କେତକୀ । ଖୁବ୍ ଶୀଘ୍ର ଆମ୍ଭେ ଦୁହେଁ ସୁନାର ନୀଡ଼ ରଚନା କରିବା । ବାହାରକୁ ଆସିଲେ ଦୁହେଁ । ତା’ପରେ ବସ୍ ଚାଲିଗଲା । ଚାଲିଗଲେ ଜୀବନ ବାବୁ । କେତକୀ ଅନାଉଥିଲା ରାସ୍ତାର କଳା ପିଚ’ର ପଲସ୍ତରାକୁ ।
ବିଶୁ ଏହାରି ଭିତରେ କେତେଥର ଆସିଛି କେତକୀ ପାଖକୁ ପ୍ରଣୟର ନିବେଦନ ନେଇ । କିନ୍ତୁ ଜୀବନାନନ୍ଦଙ୍କ ସାନିଧ୍ୟ ପାଇବା ପରେ କେତକୀ ତାକୁ ତ ଉପେକ୍ଷା କରିଛି । ପୁଣି ତା’ ମନରେ ସେହି ଗରିବ ଧନୀର ଭାବନା ଜାଗରଣ ହୋଇଛି । ବିଶୁ ଗରିବ, ଅଶିକ୍ଷିତ -ସେ ଧନୀ, ଶିକ୍ଷିତ, ଜୀବନାନନ୍ଦଙ୍କର ବାକ୍ଦତ୍ତା ପତ୍ନ, ଉଚ୍ଚ ବଂଶର ବଧୁ ।
ସେଦିନ କହିଥିଲା ବିଶୁ — କେତକୀ ତୁ ମୋତେ ପ୍ରେମର ରାଜ୍ୟକୁ ଟାଣି ନେଇଥିଲୁ । ମୁଁ ନୁହେଁ । ଅଧର୍ମ ତୋର ହେବ । ଭଗବାନ ପରା ଉପରେ ଚାହିଁଛନ୍ତି । ଆ, ଆ ମୋର କେତକୀ ଥରେ ମୋ ପାଖକୁ । ଉପରେ ଆଜି ଚନ୍ଦ୍ର ହସୁଛି । ତାରାମାନେ ଚାହିଁଛନ୍ତି । ସେମାନେ ତ ଆମର ଖେଳ ଦେଖିବେ । ମୁଁ ତୋତେ ମୋ ଘରର ବୋହୂ କରିବି । ତୁ ମୋତେ ଏହି କଥା ଦେଇଥିଲୁ, ପୁଣି ମୁଁ ଆଉଥରେ ଆଜି ତୋତେ ମାଗୁଛି । କିନ୍ତୁ ଗାଁ ରାସ୍ତାର ଛୁପି ଛୁପିକା ଗଛ ଛାଇର ତଳେ ବିଶୁର ଗାଲରେ କେତକୀ ଠୋ, କିନା ଚାପୁଡ଼ାଟାଏ କସି ଦେଇଥିଲା । – “ଏଇ ତୋର ବୋହୂ କରିବାର ସ୍ୱପ୍ନ ।”ଯେଉଁଦିନ ମୁଁ କଥା ଦେଇଥିଲି ସେ ଗୋଟାଏ ଦିନର ଗୋଟାଏ ମୂହୁର୍ତ୍ତର ଉତ୍ତେଜନାର କେତେ ପଦ ମିଠା କଥା ଏବଂ କେତଟା ଉତ୍ତେଜନା ମୁଁ ଆଣି ଦେଇଥିଲି ବୋଲି, ଏହା ଅର୍ଥ ନୁହେଁ ଯେ ମୁଁ ତୋତେ ବାହା ହେବି । ତୁ ଗାଁର ଗୋଟାଏ ମୂଲିଆ, ଆଉ ମୁଁ …… ?” ଘୃଣାରେ କେତକୀର ମୁହଁ ଭଙ୍ଗା ପଡ଼ି ଆସୁଥିଲା ।
ବିଶୁର ଅନ୍ତର ସେଦିନ ବେଦନାସିକ୍ତ ହୋଇ ଉଠିଲା । ଛାତିର ସବୁ କୋହ ଚାପି ଧରିଲା । ଆଖିରୁ ଲୁହ ଝରାଇ ଚାଲିଗଲା ତା’ର ଭଙ୍ଗାଘରକୁ । ପୁଣି ବଂଶୀରୁ ତା’ର ଝରି ଆସିଲା ନିଜ ଜୀବନର କରୁଣ କାହାଣୀ । ଶତାବ୍ଦୀ ଶତାବ୍ଦୀର କେତେ ବ୍ୟର୍ଥ ପ୍ରେମର ମର୍ମନ୍ତୁଦ ବାଣୀ ତା’ର ବଂଶୀର କରୁଣ ସ୍ୱରରେ ପୁଣିଥରେ ଆତ୍ମ ପ୍ରକାଶ କଲା । ସେ କାରୁଣ୍ୟର ଶୈବ୍ୟ ରାତ୍ରିର ନିସ୍ତବ୍ଧତା ମଧ୍ୟରେ କାହିିଁଁ କେତେ ଦୂରକୁ ଚାଲି ଯାଇଥିଲା ।
**********
କିନ୍ତୁ ଜୀବନାନନ୍ଦ ବିଦାୟ ନେଲାପରେ କେତକୀ ଛାତିରେ ଅହେତୁକ ଭୟ ସଂଚାର ………..ହୋଇଛି । ସେ ଆଜି ସେ ଦିନର କଥା ପୁଣି ମନେ ପକାଇବାକୁ ଚେଷ୍ଟା କରିଛି । ଜୀବନାନନ୍ଦ ବିଦାୟ ନେବାର କେତେଦିନ ବିତି ଯାଇଛି । କେତକୀ ଉଦ୍ୱିଘ୍ନ ନୟନରେ ଜୀବନାନନ୍ଦଙ୍କ ଖବରକୁ ଚାହିଁଛି । ସେଦିନ ପୋଷ୍ଟ ପିଅନ ଆସି ଚିଠି ଦେଲା । କେତକୀ ଖୋଲିଲା । କିନ୍ତୁୁ ସେଥିରେ ଆଶା ନଥିଲା, ଭରସା ନଥିଲା ଆନନ୍ଦିତ ହେବାର କିଛି ନଥିଲା । ଝରକା ଖୋଲିଲା କେତକୀ । ତକିଆ ଉପରେ ମୁଣ୍ଡ ରଖି ଭାବୁଥିଲା । ଜୀବନ ବାବୁ ତାକୁ ବାହା ହେବେ ନାହିଁ । ତାଙ୍କର ଚେଷ୍ଠା ବିଫଳ ହୋଇଛି । ସେ ବ୍ରାହ୍ମଣ କେତକୀ ବ୍ରାହ୍ମଣର ସନ୍ତତି ନୁହେଁ । ତାଙ୍କ ବାପା ଅରାଜି ହୋଇଛନ୍ତି । କ୍ଷମା ଦେବା ପାଇଁ ଶେଷରେ ନିବେଦନ କରିଛନ୍ତି । ଜୀବନ ବାବୁଙ୍କୁ ଦୋଷ ଦେବା ପାଇଁ ଅବା ଅଭିଶାପ ବର୍ଷଣ କରିବା ପାଇଁ ସମୟ ନଥିଲା କେତକୀର । ପେଟରେ ତା’ର କ’ଣ ଗୋଟାଏ ବୁଲୁଥିଲା । ଏ ଦୋଷ ଜୀବନ ବାବୁଙ୍କର ନୁହେଁ – ତା’ର । ସେ ବିଶୁ ଭଳି ନିରୀହ ନିଷ୍ପାପ ଜୀବନ ଗୋଟାଏ ଦଳି ଦେଇଛି । ଜୀବନ ବାବୁଙ୍କୁ ବାଧା ନଦେଇ ନର୍କର କୀଟ ହୋଇ ଯାଇଛି ।
କେତକୀ ବାହାରକୁ ଆସିଲା । ରାତି ହୋଇ ଯାଇଛି । ଦୂର ଦିଗ୍ୱଳୟର ତଳେ ଚକୋରର ବ୍ୟଥିତ କ୍ରନ୍ଦନ । ଚନ୍ଦ୍ରର ଆଲୋକ ନାହିଁ । ବସନ୍ତର ମଳୟ ନାହିଁ, ମଲ୍ଲୀର ଗନ୍ଧ ନାହିଁ । ଘଞ୍ଚ ନିବିଡ଼ ଅନ୍ଧକାର ଶୀତରେ ଓଠ ଥରୁଛି । ସେଦିନ ଭଳି ରକ୍ତରେ ତା’ର ନାହିଁ ଉତ୍ତେଜନା, ରକ୍ତ ଯେମିତି ପାଣି ଫାଟି ଆସୁଛି । ଧିରେ ଧିରେ କବାଟ ବନ୍ଦ କଲା କେତକୀ । ଅନ୍ଧକାର ମଧ୍ୟରେ ତାକୁ ବାଟ ଚାଲିବାକୁ ପଡ଼ିବ । ଜୀବନର ବହୁ ବାଟ ଚାଲିବା ପାଇଁ ସେ ସ୍ଥିର କରିଥିଲା । କିନ୍ତୁ ସବୁ ବ୍ୟର୍ଥ ହୋଇଗଲା । ସେ ଖୁବ୍ ଅଳ୍ପ ଚାଲି କ୍ଳାନ୍ତ ହୋଇ ପଡ଼ିଲା । ଏହି ରାତ୍ରି ହିଁ ତା’ର ଶେଷ ଯାତ୍ରାର ରାତି ହେବ । ନୂତନ ସୂଯ୍ୟାଲୋକରେ ଧରା ଅଭିସିକ୍ତ ହେବା ପୂର୍ବରୁ ସେ ଏହି ଅନ୍ଧକାରରେ ମିଶି ଯାଇଥିବ । ହସିବାକୁ ଚେଷ୍ଟାକଲା । ହସ ତା’ର କେହି ଶୁଣି ପାରିଲେ ନାହିଁ । ଗୋଟାଏ ଦୁନିଆରୁ ଆଉ ଗୋଟାଏ ଦୁନିଆକୁ ଯିବା ପାଇଁ ଚଞ୍ଚଳ ହୋଇ ଉଠିଲା । ଗାଁ ମୁଣ୍ଡର ଠାକୁରାଣୀଙ୍କୁ ଜୁହାର ହେଲା । ମାଟି ମୁଣ୍ଡାଏ ମୁଣ୍ଡରେ ଲଗାଇଲା । ତା’ପରେ ଆଉ କେହି କେତକୀକୁ ଦେଖିନାହିଁ ।