ଉଦଣ୍ଡି ଝିଅ
—-by ସତ୍ୟ ପ୍ରକାଶ ସେଠୀ
ମୁଁ ଉଦଣ୍ଡି ଝିଅ। ଗାଁ ଗୋଟାକର ମୋହରି ଚର୍ଚ୍ଚା। ମୁଁ କୁଆଡ଼େ ଅଣ୍ଡିରା ଚଣ୍ଡି। ମାରଣା ଷଣ୍ଢ ଓ ଅରଣା ମଇଁଷିକୁ ମୋର ଖାତିର ନାହିଁ। ଯାହା ଇଚ୍ଛା ସେୟା କରେ। ରାତି ଅଧ ଯାଏଁ ଗାଁ ସାରା ବୁଲେ। ମୋ. ମୁହଁରେ ଜବାବ ଦେବା ପାଇଁ କୋଉ ପୁଅର ସାହସ ନାହିଁ। ଟିକିଏ ଓଲମବିଲମ ହେଲେ ମାରି କି ଗାଲ ଭାଙ୍ଗି ଦିଏ । ନାରୀର ମୁଁ ରକ୍ଷା କବଚ ।ରାଣ୍ଡୁଆ ଭାଡୁଆ ଟୋକାଙ୍କ ପାଇଁ ମୁଁ ମହିଷା ମର୍ଦ୍ଦିନୀ। ସକ୍ଷାତ ରଣ ଚଣ୍ଡି। ମୋତେ ଦେଖିଲେ ମଣିଷ ପିଲା ଡରରେ ବାଟ ଛାଡି ଦିଏ। ମୁଁ ଗୋଟାଏ ରଣପା ଗୋଷ୍ଠୀ ଗଢି ଥାଏ। ସାତ ଖଣ୍ଡ ଗାଁର ନାରୀ ନିର୍ଯ୍ୟାତନା ପାଇଁ ଆମର ଲଢେଇ। କେଉଁଠି ଯଦି ନାରୀକୁ ଅବଳା ଦୁର୍ବଳା ଭାବି ଅତ୍ୟାଚାର କରାଯାଏ, ତେବେ ରଣପା ଗୋଷ୍ଠୀକୁ ଖବର ଆସେ। ଖବର ପାଇବା କ୍ଷଣି ଅସୁରୁଣୀ ପଲ ଧରି ରଣପା ମୁଖିଆ ରଣ ଚଣ୍ଡି ପହଁଚି ଯାଏ। ମୋ ଉପସ୍ଥିତି ପ୍ରତିପକ୍ଷ ମନରେ ଭିତ୍ତି ସଂଚାର କରିଥାଏ ପୁଣି କାହା ପାଇଁ ବା ହୁଏତ ଆଶ୍ୱସ୍ତି ହୋଇପାରେ। ଗୋଡ ହାତ ତଳେ ପଡ଼ି କଥାଟା ସମାଧାନ କରନ୍ତି, ନୋହିଲେ ମୋର ରଣ ଚଣ୍ଡି ମୂର୍ତ୍ତି ଦେଖି ଭୟରେ ଆତ୍ମଗୋପନ କରନ୍ତି।
ମୋର ଉଦଣ୍ଡି ପଣିଆ ଦେଖି କେହି ମୋତେ ବାହା ହେଲେ ନାହିଁ। ମୋର ବି ବାହା ହେବା ପାଇଁ ଆଦୌ ଇଛା ନଥାଏ। ଯେଉଁଠୁ ଗୋଟେ ଅଧେ ପ୍ରସ୍ଥାବ ଆସୁଥାଏ, ମୁଁ ଭଗେଇ ଦେଉଥାଏ ।ଏଇମିତି ବୟସ ପଇଁତିରିଶି ଧରିଲାଣି। ଏଣିକି ଲାଞ୍ଛିତା ଓ ଯେତକ ଦୁର୍ନାମ ନେବା ସାର । ଝିଅ ଜନମ ହୋଇ କୁଆଡ଼େ ବାହା ହେବାଟା ନିହାତି ଜରୁରୀ। ନୋହିଲେ କୂଳ କୁଟୁମ୍ବକୁ ଲାଜ। ସାତ ପୁରୁଷ ପାଣି ପାଇବେ ନାହିଁ। ସବୁ କଥାକୁ ବିଚାର କରି ବିବାହ ପଇଁ ହଁ ଭରିଲି। ହେଲେ ମୋ ବୟସକୁ ଲକ୍ଷ୍ଯ କରି ବର ମିଳିଲେ ତ- ହୁଏ? ତେବେ ପାଞ୍ଚ କୋଶ ଯାଏଁ ଖବର ଗଲା। ଚାରିଆଡେ ଖୋଜାଗଲା । ଶେଷରେ କେମ୍ଫା ବରଟିଏ ମିଳିଲା।, କୁଆଡେ ଧନ ରତ୍ନ ଦି’ଟା ଅଛି, ଯେଉଁଠି ମୁଁ ଖୁସିରେ ଚଳି ଯିବି। ବାପା ବୋଉ ବାଧ୍ୟ କରୁଥିଲେ, ମୁଁ ରୋକଠୋକ୍ ମନା କରିଦେଲି। କହିଲି – “ମୋ ବାହାଘର ଚିନ୍ତା କରିବା ଦରକାର ନାହିଁ। ଯେତେଦିନ ବଞ୍ଚିଛି, ସମାଜ ପାଇଁ ବଞ୍ଚିବି।ମରିଗଲେ କୁକୁର ଶିଆଳକୁ ମୋ ଶବଟା ଦେଇ ଦେବ। ହେଲେ ଏଭଳିଆ ପିଲାକୁ ମୁଁ ବାହା ହୋଇ ପାରିବି ନାହିଁ। ମୋଟାମୋଟି କହିବାକୁ ଗଲେ – ମୁଁ ବାହା ହେବି ନାହିଁ। ଏମିତି ତ ଅନେକ ପୁରୁଷ ଓ ନାରୀ ଅଛନ୍ତି, ଯେଉଁ ମାନେ ବିବାହ ବନ୍ଧନରେ ବାନ୍ଧି ନହୋଇ ମଧ୍ଯ ଜୀବନ ନିର୍ବାହ କରୁଛନ୍ତି। ଧରି ନିଅ ମୁଁ ସେମାନଙ୍କ ମଧ୍ୟରୁ ଜଣେ। ସଂସାର ଛଡା ବୈରାଗୀ ନୁହଁ, ବିବାହ ବନ୍ଧନରେ ବାନ୍ଧି ନହୋଇ ଜୀବନକୁ ଖୋଜୁଥିବା ଜଣେ ସାଧବୀ।
ବାପା ବୋଉ କହିଲେ – “ତୋ ମୁହଁରେ କିଏ ଜବାବ ଦେବ ଲୋ ମାଆ! ତୋହର ଯାହା ଇଚ୍ଛା ସେୟା କର। ”
ସେହିଦିନ ଠାରୁ ମୁଁ ଅବିବାହିତା । ହେଲେ ଏମିତି ଧୁମ୍ ଧଡ଼ାସ କରିବା ବ୍ୟତୀତ ମୋ ପାଖରେ ଖାସ୍ କରି ସେମିତି କିଛି କାମ ନଥାଏ। ମନେ ମନେ ଭାବୁଥାଏ କ’ଣ ଗୋଟେ କାମ ନିଶ୍ଚୟ କରିବି, ଯାହା ଫଳରେ କି ସମାଜର ମଙ୍ଗଳ ବିଧାନ ହୋଇପାରିବ ଓ ଦୁନିଆ ପାଇଁ ମୁଁ କିଛି କରି ପାରିବାର ଗୌରବ ମୁଣ୍ଡାଇବି। ଏମିତି ଭାବନା ଭିତରେ ବୁଡ଼ି ରହି ଜୀବନ ସହ ଯୁଝୁ ଯୁଝୁ କେତେ ସ୍ଵପ୍ନ ଆଖି ସାମ୍ନାରେ ଆସି ଥେଇ ଥେଇ ହୋଇ ନାଚିଲା।
ହେଲେ ଗୋଟାଏ ବି ସ୍ଵପ୍ନ ମୋ ମନ ପ୍ରାଣକୁ ଆକୃଷ୍ଟ କରି ପାରୁ ନଥାଏ। ଏବେ ମୁଁ କ’ଣ କରିବି?-ଏପରି କିଛି ଭାବନା। ଅହରହ ଭାବନା ରାଇଜରେ ଘୂରି ବୁଲୁ ବୁଲୁ ହଠାତ୍ ଆଖିଟା ଯାଇ ଲାଖିଗଲା – ଗୋଟାଏ କନ୍ୟାଶ୍ରମ ଠେଇଁ, ଯେଉଁଟା ଏବେ ମୋ ସ୍ୱପ୍ନର ପାରାବାର। ନାରୀ ସୁରକ୍ଷା ଓ ନାରୀ ଜାଗୃତି , ନାରୀ ନିର୍ଯ୍ୟାତନା ଓ ଅତ୍ୟାଚାର ବିରୁଦ୍ଧରେ ଲଢ଼ିବା, ନାରୀର ପଦ ମର୍ଯ୍ୟାଦାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସଂଗ୍ରାମ କରିବା, କନ୍ୟା ଭୃଣ ନଷ୍ଟ କରିବା ବିରୁଦ୍ଧରେ ଆନ୍ଦୋଳନ ଛିଡା କରିବା, ନାରୀକୁ ସାମାଜିକ ନିରାପତ୍ତା ଓ ଆଇନଗତ ସହାୟତା ଯୋଗାଇଦେବା – ଏପରି ମୋର ପେଶା।
ଏବେ ରଣପା ନାରୀ ମଣ୍ଡଳୀ କେବଳ ମୋ ଗାଁ ବା ସାତଖଣ୍ଡି ଗାଁରେ ସୀମିତ ନରହି ସମଗ୍ର ଭାରତ ବର୍ଷରେ ତା’ର ଶାଖା ପ୍ରଶାଖା ମେଲିଛିି। ଅନେକ ଏନ୍. ଆର୍. ଆଇ. ଓ ସ୍ଵାଚ୍ଛାସେବୀ ମାନଙ୍କର ହାତ ମଧ୍ଯ ଲମ୍ବି ଆସିଛି। ଯେଉଁମାନେ ସମାଜରେ ଅବହେଳିତା ବା ଲାଞ୍ଛିତା ହୋଇ ଆଶ୍ରା ଲୋଡନ୍ତି ସେମାନଙ୍କ ପାଇଁ ରଣପା ନାରୀ ମଣ୍ଡଳୀ ଦ୍ଵାର ଉନ୍ମୁକ୍ତ ରହିଥାଏ। ସେମାନଙ୍କର ଅଧିକାର ଓ ଦାବୀ ପ୍ରତି ସଦା ଏ ନାରୀ ମଣ୍ଡଳୀ ସଚେତ ଓ ସଚେତନ ଥାଏ। ସମସ୍ତ ପ୍ରକାରର ସମ୍ଭାବ୍ଯ ପ୍ରଚେଷ୍ଟା ମଧ୍ଯ ଜାରି ରହିଥାଏ। ଆପଣମାନଙ୍କୁ ଅନୁରୋଧ କରୁଛି, ଯେଉଁ ମାନଙ୍କୁ ଏଭଳି ଏକ ସଂସ୍ଥାନର ଆବଶ୍ୟକତା ଅଛି, ସେମାନେ ଏହାର ସାହାରା ବା ସହଯୋଗ ନେଇ ପାରିବେ। ସେଥିପାଇଁ କାହାକୁ କୌଣସି ମୂଲ୍ୟ ଦେବାକୁ ପଡି ନଥାଏ। ଏହା ଏକ ସ୍ଵୟଂ କ୍ରିୟାଶୀଳ ଗୋଷ୍ଠୀ। ଏହାର ସମସ୍ତ ସଦସ୍ୟାମାନେ ଉତ୍ସର୍ଗୀକୃତ ଭାବାପନ୍ନା ମହାନୁଭବତାର ପରିଚାୟିକା ଅଟନ୍ତି। ପ୍ରତ୍ୟେକ ଅପଣାର କର୍ତ୍ତବ୍ୟ ଓ କର୍ମ ପ୍ରତି ବେଶ୍ ସଚେତନ ଥାନ୍ତି। ଏହାର ସଦସ୍ୟାମାନେ ବିଭିନ୍ନ ପ୍ରକାରର ହସ୍ତତନ୍ତ ଓ ହସ୍ତ କାରିଗରୀ ବିଦ୍ୟା ବଳରେ ନିଜ ଗୁଜୁରାଣ ମେଣ୍ଟାଇବା ସଙ୍ଗେ ସଙ୍ଗେ ସଂସ୍ଥା ପାଇଁ ଆର୍ଥିକ ସମ୍ବଳ ସଂଗ୍ରହ କରିଥାନ୍ତି। ତେଣୁ ଅନ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହଯୋଗ ଓ ସହାୟତା ଯୋଗାଇ ଦେବା ପାଇଁ ଆମର କୌଣସି ଦ୍ୱିଧା ନାହିଁ।
ଏବେ ମୁଁ ପରିଣତ ବୟସରେ। ସଂସ୍ଥାର ସଂସ୍ଥାପକ ହୋଇଥିବାରୁ ଏହାର ସଞ୍ଚାଳନ ଦାୟିତ୍ୱ ପୂରାପୂରି ମୋ ଉପରେ ନ୍ୟସ୍ତ। ତେବେ ବୟସର ଭାରାକ୍ରାନ୍ତରେ ନଇଁ ପଡିଥିବାରୁ ଏବେ ଏକ ସୁନ୍ଦର ବ୍ୟବସ୍ଥାଟି ବ୍ୟବସ୍ଥାପନା କରିବାର ଆବଶ୍ୟକତା ରହିଛି। ଧରନ୍ତୁ କାଲି ମୁଁ ମରିଯିବି ଏ ସଂସ୍ଥାର ସ୍ଥାୟିତ୍ଵ ନେଇ ପ୍ରଶ୍ନବାଚୀ ଛିଡା ହୋଇପାରେ। ତେଣୁ ଆପଣମାନଙ୍କ ଭିତରୁ କେହି ଆଗେଇ ଆସିବେ କି – ଏପରି ଏକ କାର୍ଯ୍ୟକ୍ରମକୁ ଆଗେଇ ନେବା ସଙ୍ଗେ ସଙ୍ଗେ ଏହାର ସ୍ଥାୟିତ୍ଵ ଓ ଧର୍ମକୁ ବଜାୟ ରଖିବା ପାଇଁ? ଏପରି ଏକ ମହାନ ଓ ମହତ୍ତ୍ଵ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ?? ଯଦି ଏପରି କିଛି ମନସ୍ଥ ବା ସ୍ଥିର କରନ୍ତି, ତେବେ ନିମ୍ନ୍ ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ
ନାମ – ରଣ ଚଣ୍ଡି,
ସଂଚାଳିକା, ରଣପା ନାରୀ ମଣ୍ଡଳୀ
କର୍ମ ଭୂମି ମୋ ଓଡିଶା
ଓଡ଼ିଆ ମୋ ଠିକଣା।