ସେଦିନ ସାୟଂ ଭ୍ରମଣରେ ବାହାରିଥାଏ । ସଂଯୋଗବଶତଃ ଜେଲ୍ ସାହେବଙ୍କ ସହ ଭେଟ ହୋଇଗଲା। ଆମେ ଦିନେ ଖୁବ୍ ଅନ୍ତରଂଗ ବନ୍ଧୁଥିଲୁ;ସାଙ୍ଗ ହୋଇ ପାଠ ପଢୁଥିଲୁ, ତେଣୁ ଆମ ଭିତରେ ଅନେକ ଆନ୍ତରିକତା ।
ସେ ଜାଣିଥାନ୍ତି ମୁଁ ଏମିତି କାଁ-ଭାଁ ଲେଖାଲେଖି କରେ । କହିଲେ- ବନ୍ଧୁ ଆମ ଜେଲ ଭିତରେ ତ ଅନେକ ଅକୁହା କାହାଣୀ ଛପି ରହିଛି; ସେଥିରୁ ଗୋଟିଏ ଅଧେ ଲେଖୁ ନାହାଁନ୍ତି ।
କଥାଟା ମନକୁ ପାଇଗଲା । କହିଲି – “ଟିକିଏ ଫୁରସତ୍ ମିଳିଲେ ତୁମ ଜେଲ୍ ଆଡ଼େ ଯାଇ ବୁଲି ଆସିବି। କଏଦୀ ମାନଙ୍କ ସହ ଦେଖା ହୋଇଯିବ; କିଛି ନହେଲେ ବଡ଼ ଅନୁଭୂତିଟାଏ ତ ମିଳିଯିବ । ତା’ ପରେ ଲେଖାଲେଖି କଥା ଭାବିବା ।”
ସେଦିନ ରବିବାର ଥାଏ । ମୋର କିଛି କାମ ନଥାଏ ଫୋନ୍ କଲି । ବନ୍ଧୁଙ୍କୁ ପଚାରିଲି – “ମୋ ପାଇଁ ଟିକିଏ ସମୟ ସୁବିଧା ହୋଇ ପାରିବ ତ?”
ବନ୍ଧୁ ଟିକିଏ ଚଟୂଳ କରି କହିଲେ- “କୋୟି ପ୍ରୋବ୍ଲେମ୍ ନହିଁ ହେ; ଆପ୍କି ସେବା ମେ ବନ୍ଦା ଅବି ହାଜର ହେ । ଆ ଯାଇଏ “।
ମୁଁ କି ଏ ସୁଯୋଗ ହାତଛଡ଼ା କରେ ? ଧରଡ଼ା ମୋଟର ସାଇକେଲଟା ଖୋଲିଲି । ଘଁ ଘଁ କରି ଜେଲ ସାମ୍ନାରେ ଥୋଇ ଦେଲି । ବନ୍ଧୁ ତ ପୂର୍ବରୁ ପ୍ରତୀକ୍ଷାରେ ଥିଲେ, ପାଛୋଟି ନେଲେ । ଜେଲ୍ ବୁଲା ଚାଲିଲା । ମଝିରେ ମଝିରେ ମୋତେ କଏଦୀମାନଙ୍କର ଇତବୃତ୍ତି ଶୁଣାଉଥା’ନ୍ତି । କାହାରି କାହାରି ସହିତ ମୋତେ ପୁଣି ପରିଚିତ କରାଇ ଦେଉଥା’ନ୍ତି, ହଠାତ୍ ଗୋଟିଏ କଏଦୀ ଉପରେ କାହିଁକି କେଜାଣି ମୋର ନଜର ଲାଖିଗଲା । ଜେଲର ସାହେବଙ୍କୁ ପଚାରିଲି । କହିଲେ-
“ଏ ଆଜ୍ଞା ବଡ଼ କ୍ରିମିନାଲଟାଏ ଗୋଟାଏ ମର୍ଡ଼ର କେସରେ ଏଠାକୁ ଆସିଛି । ଆଜୀବନ ସଜ୍ଜା ଭୋଗୁଛି । ଅବଶ୍ୟ ଏବେ ସାଧୁ ପାଲଟି ଗଲାଣି । ପୁଣି ସେ ଜେଲ ପରିସରରେ ଗୋଟିଏ କୋଚିଂ ସେଣ୍ଟର ଖୋଲି ଉପଯୁକ୍ତ ଶିକ୍ଷାଦାନ ପୂର୍ବକ ଉତ୍ତମ ଛାତ୍ର ଓ ଉନ୍ନତ ରାଷ୍ଟ୍ର ନିର୍ମାଣ କରିବାର ଅଭିଳାଷ ରଖିଛି । ମୁଁ ମଧ୍ୟ ସରକାରଙ୍କୁ ଏଥି ସକାଶେ ସୁପାରିସ୍ କରିଛି ।”
ଏକଥା ଶୁଣି ମୋର ମନେ ପଡ଼ିଯାଉଥାଏ, – ସେଦିନ ସମ୍ବାଦ ପତ୍ରରେ ବାହରିଥିଲା – “କଏଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଟିଉସନରେ ପିଣ୍ଟୁ ଓଡ଼ିଶାର ପଞ୍ଚମ ସ୍ଥାନ ଅଧିକାର; – ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ;”
ଏଥର ମୋର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ; ଇଏ ହେଉଛି, ସେହି କଏଦୀ; ଯାହା କଥା ସେଦିନ ଚର୍ଚ୍ଚାର ପରିସରକୁ ଆସିଥିଲା । ହେଲେ ଜେଲରଙ୍କ କଥା ଶୁଣି ମୋତେ କାହିଁକି ଅଡ଼ୁଆ ବୋଧ ହେଉଥାଏ । କାରଣ ଲୋକ ବେଳେ ବେଳେ ଏମିତି ବଦଳେ- ଏକଥା ସତ । ପରିସ୍ଥିତି ଓ ପରିବେଶ ତା’ର ପ୍ରକୃତି ଓ ପ୍ରବୃତ୍ତିରେ ହୁଏତ କିଛିଟା ପରିବର୍ତ୍ତନ ଆଣିପାରେ- ଏକଥା ଆମେ ଜାଣୁ । ଅବଶ୍ୟ କାଁ ଭାଁ ଗଣ୍ଡଗୋଳ କରୁଥିବା ବା ବିଗିଡ଼ି ଯାଇଥିବା ଲୋକ, ପଶ୍ଚାତ୍ତାପ କରିବା ଫଳରେ କିଛିଟା ବଦଳି ଯାଏ- ଏହା ସମ୍ଭବ । ତା ବୋଲି ସାମାନ୍ୟ କାରଣରୁ ମର୍ଡ଼ର କରିବାର ଅଭିପ୍ରାୟ(ମୋଟିଭ୍) ରଖୁଥିବା କ୍ରିମିନାଲ- କ’ଣ କେବେ ବଦଳିପାରେ?
କଥାଟା ହେଉଛି, ଏମାନେ ସାଧାରଣତଃ ଷ୍ଟାଟିକ୍ ପ୍ରବୃତ୍ତିର ଚରିତ୍ର ହୋଇଥାନ୍ତି । ଏମାନଙ୍କ ଭିଲିଏନିଟି କେବେ ମରିପାରେନା । ଦୁନିଆରେ ପ୍ରାୟତଃ ଦୁଇ ପ୍ରକାରର ଚରିତ୍ରର ଲୋକଥା’ନ୍ତି । ଗୋଟିଏ ହେଉଛି ରାମ ବା ରାବଣ ପରି ଷ୍ଟାଟିକ୍ ବା ସ୍ଥିର ଚରିତ୍ରର ଲୋକ । ଏମାନଙ୍କ ଲକ୍ଷଣ ହେଲା ଜନ୍ମରୁ ମରଣ ପର୍ଯ୍ୟନ୍ତ ସାଧୁ ବା ଅସାଧୁ ଗୋଟିଏ ପ୍ରକାରର ଚିନ୍ତାଧାରାକୁ ଜାବୁଡ଼ି ଧରିବା । ଏମାନଙ୍କର ପରିବର୍ତ୍ତନ କେବେ ବି ସମ୍ଭବ ନୁହେଁ । ଏମାନେ ହେଲେ – ଶକ୍ତିଶାଳୀ ଚରିତ୍ର । ଅନ୍ୟଟି ହେଲା ଗୌଣ ବା ସାଧାରଣ ଦୁର୍ବଳ ଚରିତ୍ର ଯେଉଁମାନେ କି – ରାଉଣ୍ଡ କ୍ୟାରେକ୍ଟର ବା ପରିବର୍ତ୍ତନଶୀଳ ଚରିତ୍ର । ସେମାନେ ସାମାଜିକ ଅବହାୱାରେ ବା ଟିକିଏ ଚାପରେ ଅହରହ ପରିବର୍ତ୍ତିତ ହୋଇଥା’ନ୍ତି ।
ଏସବୁ ଦୃଷ୍ଟି କୋଣରୁ ବିଚାର କଲେ,ମୋତେ କଥାଟା କାହିଁକି ଟିକିଏ, ଅପ୍ରାସଙ୍ଗିକ ମନେ ହେଲା । ମୁଁ କହିଲି- “ଲୋକଟା ସଂଗେ ଦି’ପଦ କଥା ହୋଇଥା’ନ୍ତି ।” ତତ୍କ୍ଷଣାତ୍ ଜେଲର ତାକୁ ଡ଼ାକି କହିଲେ- ଜଣେ ଭିଜିଟର ଆସିଛନ୍ତି । ତୋ ସହ କଥା ହେବେ । ଠିକ୍ ଠାକ୍ ଜବାବ ଦେବୁ । ମୁଁ ଟିକିଏ ଆସୁଛି ।”
ଏତିକି କହି ଜେଲର ଅନ୍ୟ ସାଇଡ଼୍କୁ ତାଙ୍କ କାମରେ ଚାଲିଗଲେ । ମୁଁ ବି ଲୋକଟାକୁ ଷ୍ଟଡ଼ି କରିବା ପାଇଁ ଟିକିଏ ନିରୋଳା ଖୋଜୁଥାଏ । ଲୋକଟାକୁ ଚୁପ୍ -ଚାପ୍ ନିରିକ୍ଷଣ କରୁଥାଏ, ତା’ର ଗତି ବିଧି ଲକ୍ଷ୍ୟ କରୁଥାଏ । ଲୋକଟା ବେଶ୍ ଚୁପ୍ -ଚାପ୍ ସ୍ବାଭାବିକ ଢଙ୍ଗରେ ବସିଥାଏ, ସତେକି ବାହ୍ୟ ପ୍ରଭାବ ତା ଉପରେ କିଛି ନଥାଏ । ସେ ବେଶ୍ ନିରୁଦ୍ ବେଗ । କିଏ କ’ଣ କହିଲା ନ କହିଲା, ସେଥିପ୍ରତି ଉଦାସୀନ । କୌଣସି କଥାରେ ତା’ର ପ୍ରଦିବାଦ ନାହିଁ କି ପ୍ରତିକ୍ରିୟା ନାହିଁ । ସତେକି ଅତୀତରେ ତା ଉପରେ ଯାହା ସବୁ ବିତି ଯାଇଛି, ସେସବୁକୁ ଆପଣାର ମଣି ସିଏ ଆଦରି ନେଇଛି । କାହାରି ବିରୁଦ୍ଧରେ ଆଉ ତା’ର କିଛି ଆପତ୍ତି ବା ଅଭିଯୋଗ ନାହିଁ । ତା ହେଲେ ପୂର୍ବରୁ ସେ କ’ଣ ଜାଣିଛି ଯେ ସେ ଯାହା କହିବ – ତା କଥାକୁ କେହି ବିଶ୍ୱାସ କରିବେନି – କେହି ଶୁଣିବେନି – ତେଣୁ ସେ କିଛି କହିବନି ।
ମୁଁ ଏତେବେଳକୁ ତାକୁ ସମୟିକ ପ୍ରଶ୍ନ ପଚାରି ତା ସହ ଗୋଟାଏ ପ୍ରକାର ପରିଚିତି ସୃଷ୍ଟି କରିସାରିଥାଏ ।ଏଥର ପଚାରିଲି – ତୁମେ କ’ଣ ସତରେ ମର୍ଡ଼ର କରିଛ ?
– ହଁ
– କାହାକୁ ?
– ଦଦେଇ ନନାଙ୍କୁ
– କାହିଁକି ?
– କାରଣ ସେ ଜଣେ ଭଲ ଲୋକ
– ଜଣେ ଭଲ ଲୋକଙ୍କୁ ତୁମେ ମାରି ପାରିଲ କେମିତି ? ସେ କ’ଣ ତୁମର କିଛି କ୍ଷତି କରିଥିଲେ ?
– ନା’ ମୋର ନୁହେଁ ସେମାନଙ୍କର
– ତେବେ ତୁମେ କାହିଁକି ମାରିଲ ?
– କହି ପାରିବିନି
– ଇଏ କେମିତିକା କଥା ?
– କାରଣ ମୁଁ ନୁହେଁ, ସେ …………..ମା …………..
କହୁ କହୁ ଲୋକଟା ଅଟକି ଗଲା; ଯେମିତି କିଛି ଲୁଚାଉଥିଲା ପରି ମନେ ହେଲା । ମୁଁ ପୁଣି ଦୋହରାଇ ପ୍ରଶ୍ନ କଲି – “ସେମାନେ ବୋଇଲେ ….”
– ଯେଣୁ ସେମାନେ ମୁକୁଳିବେ, ମୁଁ ଫସିଲି ।
ମୁଁ ତା’ କଥା ଗୁଡ଼ାକ ଠିକ୍ ସେ ବୁଝି ପାରୁନଥାଏ । ତା’ ର ଉଦ୍ଭଟ ଓ ଅପ୍ରାସଙ୍ଗିକ ମନେ ହେଉଥିବା ଉତ୍ତର ଗୁଡ଼ାକ ମୋତେ ଦ୍ୱନ୍ଦ ଦେହେଳୀ ଭିତରେ ପକାଇ ଦେଉଥାଏ । ତଥାପି ତା’ଭିତର ମଣିଷଟା କେମିତି ଗୋଟାଏ ଉଦ୍ଭାରି ହୋଇ ଆସୁଥାଏ । ମୁଁ ତାକୁ କହିଲି- ଦେଖ ମୁଁ ଜଜ୍ ନୁହେଁ; କିମ୍ବା ତୁମ କେସ୍ ସହ ସମ୍ପକ ରଖିଥିବା କେହିବି ନୁହଁ ।
ମୁଁ ଜଣେ ଦରଦୀ ଲେଖକ । ତୁମ କଥାଟା ପ୍ରତି ଆଗ୍ରହ ଜନ୍ମିବାରୁ ପଚାରି ବସିଛି । ବରଂ ମୋତେ ତୁମେ ତୁମର ବନ୍ଧୁଭାବେ ଗ୍ରହଣ କରିପାର । ମୁଁ ଜାଣିଛି- ତୁମ ଭିତରେ ଗୋଟିଏ ବିରାଟ କାହାଣୀ ଛପି ରହିଛି । ଯାହା ଅକୁହା ହୋଇ ଅନେକ ରହି ଯାଇଛି । କାହାକୁ ତମେ ଅଜାଗା ଘା ଦେଖାଇ ପାରୁନାହଁ; ହେଲେ ନିଜ ଅନ୍ତର ଭିତରେ ଏମିତି ଅନେକ କଥା ଚାପିରଖି; ମଣିଷ ଯନ୍ତ୍ରଣାରେ ଛଟପଟ ହୋଇ ଦଗଧିଭୂତ ହୁଏ ସିନା, ହେଲେ ସମାଧାନର ବାଟ ଫିଟେନା । ଖାଲି ଅଶାନ୍ତି, ଅସନ୍ତୋଷର ଦାବାନଳେ ଝଳି ଝଳି ମାନସିକ ଚାପ ବଢିବା ସାର ହୁଏ; ମାତ୍ର ଜଣେ ଅଧେ ପାଖରେ କଥାଟା ପ୍ରକାଶ କରିଦେଲେ ମନଟା ସ୍ୱୟଂ ହାଲୁକା ହୋଇଯାଏ । ମୋତେ ତୁମେ କହିବନି ? ମୁଁ ପରା ଦରଦୀ ମଣିଷଟିଏ ।
ମୋର ଅନୁନୟ, ଅନୁଯୋଗ ମୂଳକ କଥାରେ ଲୋକଟି ତରଳିବାକୁ ଲାଗିଲା । ଅସ୍ୱାଭାବିକ ଢଙ୍ଗ ଢାଙ୍ଗ ଛାଡ଼ି, ସ୍ୱାଭାବିକ ହେବାକୁ ଲାଗିଲା । ମୋ ସହିତ ଆତ୍ମୀୟତା ବାଣ୍ଟିଲା । ଅତୀତର ଗର୍ଭରୁ ହୀରା-ମୋତି-ମାଣିକ ଆଣି ମୋ ହାତରେ ଅର୍ଘ୍ୟ ରୂପେ ଟେକିଦେଲା ।
– “ମୁଁ ଆଜ୍ଞା ମୁର୍ଖ ନୁହେଁ ; ଏମ୍.ଏ.ସି. ପର୍ଯ୍ୟନ୍ତ ପଢିଛି । ସବୁ ବୁଝିପାରୁଛି, ମୋର ବି ସ୍ୱପ୍ନ ଥିଲା – ଉଚ୍ଚହେବା ପାଇଁ, ପାଠ ପଢି ଚାକିରି କରିବି; ଶିକ୍ଷାଦାନ କରିବି ; ସମାଜର ଅନ୍ୟ ମଣିଷଙ୍କ ପରି ଜଣେ ହୋଇ ଛିଡ଼ା ହେବି । ଘର ସଂସାର କରିବି; ପ୍ରେମୀକାକୁ ମୋର ଖୁସିରେ ରଖିବି ; କିନ୍ତୁ ହେଲା କ’ଣ ? ମୋର ସମସ୍ତ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା ବେଳେ ମୁଁ ପଙ୍ଗୁ, ମୁଁ ଅଥର୍ବ.. ” । ମୁଁ କହିଲି
– “କିନ୍ତୁ ତୁମେ ଏମିତି କଲ କାହିଁକି”?
– ମୁଁ ଆଜ୍ଞା କିଛି କରିନାହିଁ । ସେମାନେ ମୋତେ ଫସେଇ ଦେଲେ ………” ।
ଆଉ କିଛି କହି ପାରିଲା ନାହିଁ । ଲୋକଟା ଏଥର କାନ୍ଦି ପକାଇଲା । ମୁଁ ଟିକିଏ ପିଠି ଥାପୁଡ଼ାଇ ଦେଇ କହିଲି – “ଭାବ ପ୍ରବଣ ହୁଅ ନାହିଁ; କିନ୍ତୁ ସେମାନେ …..ସେମାନେ କିଏ ?”
ଏଥର ଲୋକଟା କହି ଚାଲିଲା- କୁପାରୀ ମୋର ଗାଁ ; ନାମ ମୋର ଚନ୍ଦ୍ରକାନ୍ତ ; ବୟସ ମୋର ମଥୁରା କଟକ ପୁରୀର କୃଷ୍ଣ ରାଜାର ନୁହେଁ; ଗୋପପୁର ଯଶୋଦାଙ୍କ କିଶନ କହ୍ନେୟାର; ପେଶା ମୋର ସୁଦାମା, ସୁବଳାଙ୍କ ସହ ଖେଳ କୁଦ; ଷଷ୍ଠ ଶ୍ରେଣୀର ମୁଁ ଛାତ୍ର; ନାମରେ ବୋଳି ହୋଇ ଯାଇଛି ଆଜି କଳଙ୍କର ଦାଗ ।
ସେଦିନ ଚାଟଶାଳୀ ଛୁଟି ପରେ ହାତରେ ବେଲୁନ୍ ଉଡ଼ାଇ ଉଡ଼ାଇ ରାସ୍ତାରେ ମୁଁ ଚାଲିଥାଏ । ସାଥିରେ ଥା’ନ୍ତି, ଆହୁରି ଅନେକ ସାଙ୍ଗ ସାଥି ସୁଦାମା, ସୁବଳ; ସମୟ ଅପରାହ୍ନ ଚାରିଟା କୋଡ଼ିଏ ପ୍ରାୟ । ଚପଳମତି ଶିଶୁ ମୁଁ; ମନ ଖେଳ କୁଦରେ ମାତିଥାଏ । ଯଶୋଦା ମା’ ଅନେଇ ଅନେଇ ରହିଯାଏ । କହ୍ନେଇ ଲାଲା ଆସିଲେ; ଖା ଖା ବୋଲି ବଳେଇ ଦି’ଟା ଖୁଆଇ ଦେବ । କହ୍ନେଇ କାହିଁ ଗୁରୁକୁଳ ଆଶ୍ରମରୁ ଫେରିଲା ନାହିଁ ବୋଲି , ଚାତକି ପରି ବାଟ ଜଗି ଜଗି ଖାଲି ଘରୁ ବାହାର, ବାହାରୁ ଘର ଧାଏଁ । ହଠାତ୍ କାହୁଁ କେଉଁଠୁ ଆଇଲା କେଜାଣି; ଗୋଟାଏ ଲୋକ, ବେକ ମୁଣ୍ଡ, ପେଟରେ ହଣା ଖାଇ ଦୌଡ଼ି ଦୌଡ଼ି ଭୀମା ରଡ଼ିଟାଏ ଛାଡ଼ି, ଆମ ଆଗରେ ପଡ଼ିଗଲା । ସତେକି କଂସର ଅତ୍ୟାଚାରର ଆକ୍ରମଣରେ ଶିକାର ହୋଇ ମଥୁରା କଟକ ଛାଡ଼ି, ଗୋପପୁର ଅଭିମୁଖେ ଧାବମାନ । ସାଙ୍ଗ ସାଥିମାନେ ଡ଼ରି ଯିଏ ଯୁଆଡ଼େ ଧାଇଁ ପଳାଇ ଗଲେ । କୃଷ୍ଣ କିନ୍ତୁ ଯଗି ରହିଲେ । ବୋତଲରୁ ପାଣି କାଢି, ମୁହଁରେ ଢାଳିଲେ ।
ଏତେବେଳକୁ ଲୋକଟା ଯେ ମରିଗଲାଣି; ଛୋଟିଆ ପିଲାଟା ବା କେମିତି ବୁଝନ୍ତା ? ସେତେବେଳକୁ ନଅରର ସମସ୍ତ ଲୋକ ରୁଣ୍ଡୀଭୂତ ହୋଇସାରିଥା’ନ୍ତି । ପୁଣି ନିକଟରେ କଟୁଆଳର ବନ୍ଦିଶାଳା । କୁଟୁଆଳ ବି ହାଜର । ସମସ୍ତଙ୍କ ମୁହଁରେ ଗୋଟିଏ କଥା – “ଆମେ ଆସି ଦେଖେ ତ କିଶନ କହ୍ନେୟା ଅଛି ।” କଟୁଆଳ ସନ୍ଦେହରେ ଗିରଫ କଲା । କହ୍ନେଇ କିନ୍ତୁ ବୁଝିପାରୁନଥାଏ- କଟୁଆଳ କୁଆଡ଼େ ନିଏ ? କାହିଁକି ନିଏ ? କେମିତି ରଖେ ??? କେବଳ ନନ୍ଦ ଯଶୋଦା ଓ ଆଉ ସବୁ ଆତ୍ମୀୟ ସଖା ସହୋଦରମାନେ କାନ୍ଦି ଉଠିବାରୁ, କିଶନ ବି କାନ୍ଦି ଉଠିଲା । ଗୋପପୁର ଛାଡ଼ି ଯିବାର ବିଷାଦରେ ମନ ଘାବରେଇ ଗଲା। ଶଙ୍କା, ଆଶଙ୍କାରେ ଚିତ୍ତ ଶିହରିତ ହୋଇ ଉଠିଲା । ହେଲେ ଅସଲ ଘଟଣାଟା ପ୍ରତି ସେ ଏତେ ପର୍ଯ୍ୟନ୍ତ ସଚେତନ ହୋଇପାରୁନଥାଏ । ପରିଣତିଟା ଯେ ଭୟଙ୍କର ରୂପ ନେବାକୁ ଯାଉଛି, ଏକଥା ତା’ ପିଲା ମୁଣ୍ଡରେ ବା ପସନ୍ତା କେମିତି? ହାଜତରେ କଟୁଆଳର ନିର୍ମମ ପ୍ରହାର ଚାଲିଲା ଜେରା ହେଲା । ସେ ଯାହା କହିବା କଥା କହିଲା । ହେଲେ କେହି ତାକୁ ବିଶ୍ୱାସ କରିବା ଅବସ୍ଥାରେ ନଥିଲେ ।
ଏତେବେଳକୁ ଅସଲ ହତ୍ୟାକାରୀମାନେ ଷଡ଼ଯନ୍ତ୍ର ରଚି ସାରିଥା’ ନ୍ତି । ଜୟଦ୍ରଥମାନଙ୍କ ଚକ୍ରାନ୍ତରେ ଶିକାର ହୋଇ ଅଭିମନ୍ଯୁ ଚକ୍ରବ୍ଯୁହ ଭେଦ କରି ବାହାରକୁ ଆସିପାରିଲା ନାହିଁ । ସମସ୍ତ ରାସ୍ତା ତା’ ପାଇଁ ବନ୍ଦ ହୋଇସାରିଥାଏ । ସେ ବେଲରେ ଆସିଲା ସତ; ହେଲେ କେସ୍ ଚାଲିଲା ଲମ୍ବା ସମୟ ଧରି ।
କେତୋଟି ଦୀର୍ଘ ନିଶ୍ୱାସ ଓ ସାମୟିକ ବିରତି ଟାଣି ପୁଣି ସେ କହିଲା “ଏତେସବୁ ପ୍ରତିକୂଳ ପରିସ୍ଥିତି ଓ ଉତ୍କଟ ଦରିଦ୍ରତା ସତ୍ତ୍ୱେ ଅଧ୍ୟୟନ କରିବାର ପିପାସା ମୋ ମନୁ ପ୍ରଶମିତ ହୋଇ ନଥାଏ । ମୁଁ ପାଠ ପଢିଲି, ଅର୍ଥ ପାଇଁ ଟିଉସନ୍ କଲି; ଡ଼ିଗ୍ରୀ ପରେ ଡ଼ିଗ୍ରୀ ହାସଲ କଲି। ପରିଶେଷରେ ସ୍ନାତକୋତ୍ତର ପରୀକ୍ଷାରେ, ରସାୟନ ବିଜ୍ଞାନରେ, ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ, ଉତ୍ତୀର୍ଣ୍ଣ ହେଲି । ଗୋଲ୍ଡ ମେଡ଼ାଲ ପାଇଲି । କୋଚିଂ ସେଣ୍ଟର ଖୋଲି ଶିକ୍ଷାଦାନ ଅଭିଯାନ ଚଳାଇଲି। କେତେ ଅର୍ଜ୍ଜୁନ, ଯୁଧିଷ୍ଟିରଙ୍କୁ ଉପଦେଶ ପରାମର୍ଶ ଜରିଆରେ ଜୀବନର ରଣକ୍ଷେତ୍ରେ ଯୁଝିବା ପାଇଁ କୃତିତ୍ୱର ମହାମନ୍ତ୍ର ଦେଲି ।
ଏଥର କେସର ଶୁଣାଣି ଓ ଫଇସଲା ତାରିଖ ପାଖେଇ ଆସିଲା । ଜିଜ୍ଞାସା କଲାରୁ, ଜାଣିପାରିଲି, ଗାଁର କେତେକ ଅସାଧୁ ଓ ଖଳ ପ୍ରକୃତିର ଲୋକ ଜମି ଜମା ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ ଆୟୁଧ କରି , ସାଧାରଣତଃ ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଭିଆଇ ବସିଲେ, ବିରାଟ ଲଙ୍କା କାଣ୍ଡ । ଆକସ୍ମିକ ବାର୍ତ୍ତାଳାପ- ଗଣ୍ଡଗୋଳ- ଠେଲାପେଲା- ଉଚ୍ଚବାଚ୍ଚ ଓ ତହିଁରୁ ପରିସ୍ଥିତି ଅଣାୟତ ହେଲାରୁ ଖଣ୍ଡା- ତଲବାର- ଶେଷରେ ମର୍ଡ଼ର । ପୁଣି ମତେ ଫସେଇ କଏଦୀ ସଜାଇବାର ଏକମାତ୍ର କାରଣ ହେଲା, ନିଜର ସୁରକ୍ଷା ଓ ତତ୍ ସଙ୍ଗେ ସଙ୍ଗେ ମୋ ପିତାଙ୍କ ସହ ଥିବା ପୂର୍ବ ରାଜନୈତିକ ଶତ୍ରୁତାର ଚରମ ପ୍ରତିଶୋଧ । ଘଟଣାଟି ସଂପୂର୍ଣ୍ଣ ଉଦେ୍ଦଶ୍ୟ ପ୍ରଣୋଦିତ, ରାଜନୈତିକ ଚକ୍ରାନ୍ତ ଓ ଅଭିସନ୍ଧି ମୂଳକ ହୋଇଥିଲେ ହେଁ; ମୁଁ ଦଣ୍ଡିତ ହେବାକୁ ବାଧ୍ୟ । କାରଣ ମୋ ବିରୁଦ୍ଧରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଏକାଠା ହୋଇ ସାରିଥାଏ ।
ପୁଣି ମୁଁ ଷଷ୍ଠ ଶ୍ରେଣୀରେ ପଢୁଥିବା ସମୟରେ, ମୋତେ ଏଗାର ବର୍ଷ ହୋଇଥିଲା ବେଳେ, ଘଟଣାଟି ଘଟିଥିଲା ; ହେଲେ ପୋଲିସ୍ ମୋର ବୟସ ଅଠର, ସାବାଳକ ଓ ଦଶମ ଶ୍ରେଣୀର ଛାତ୍ରବୋଲି ଅଭିହିତ କରିସାରିଥାଏ । ଯାହାକି ମୋ ଭାଗ୍ୟର ଅନ୍ୟ ଏକ ବିଡ଼ମ୍ବନା । ଦୀର୍ଘ ସମୟ ଧରି କେସ୍ ଲଢି ଲଢି ଆମର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥାଏ । ମନୋବଳ ଭାଙ୍ଗି ଯାଇଥାଏ । କେସ୍ ଲଢିବାକୁ ସାମର୍ଥ୍ୟ ନଥାଏ । ଫଳରେ ହାରିବାକୁ ପଡ଼ିଲା । ମାନ୍ୟବର ସେସନସ୍ କୋର୍ଟ ମୋତେ ଆଜୀବନ୍ କାରାଦଣ୍ଡାଦେଶ ଶୁଣାଇଲେ ।
ମନ ମୋର ବିଦ୍ରୋହ କରି ଉଠୁଥାଏ । ଏ ତେବେଳକୁ ଭଗବାନଙ୍କ ଉପରେ ଥିବା ମୋର ସମସ୍ତ ବିଶ୍ୱାସ, ଆପଣାଛାଏଁ ତୁଟି ଯାଇଥାଏ । ମୋର ଦରିଦ୍ରତା ମୋତେ ଉପହାସ କରୁଥାଏ । ମୋ ଅନ୍ତରର କୋହ, ମନର ଆବେଗକୁ, ମୁଁ ଚାପି ରଖି ପାରୁନଥାଏ । ସାମାଜିକ ବିଧି ବ୍ୟବସ୍ଥା ମୂଳରେ କୁଠାରଘାତ କରିବାକୁ ଇଛା ହେଉଥାଏ । ଆଇନର ନୀତି ନିୟମକୁ ଛିଣ୍ଡାଇ, ଖିନ୍ ଭିନ୍ କରି ଦେବାକୁ ଉଦଗ୍ରୀବ ହୋଇଉଠୁଥାଏ । ଆହୁରି ଏପଟେ ଉଚ୍ଚ ଶିକ୍ଷା ଓ ଶିକ୍ଷାଦାନର ମୋହ ମୁଁ ପରିତ୍ୟାଗ କରିପାରୁନଥାଏ । ମୁଁ ଏକ ଭିନ୍ନାନ୍ଧ ହୋଇ ଯାଉଥାଏ ।
ଶେଷରେ ଆତ୍ମ ସମର୍ପଣ ନକରି ଆଇନର ଅନ୍ଧ ଗଳିରେ ଫେରାର ହୋଇଗଲି । ଯାହାକି ପରେ ମୋ ଜୀବନରେ ମସ୍ତବଡ଼ ଭୁଲସିଦ୍ଧ ହେଲା । ଏବେ ବି ସେଥିପାଇଁ ମୁଁ ଅନୁତପ୍ତ ; ତଥାପି ନିରୁପାୟ । ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନ ନେଇ,ଆଇନ୍କୁ ହାତ ମୁଠାକୁ ନେଇ, ମୁଁ ଯେଉଁ ଭୁଲ କଲି, ତାହାର ପ୍ରାୟଶ୍ଚିତ ଏବେ କରୁଛି ।
ସେଠୁ ଦିଲ୍ଳୀ ଚାଲିଗଲି । ନାମ ବଦଳାଇ ଦେଇ, ନିରାକାର ରଖିଲି । ଏକ କୋଚିଂ ସେଣ୍ଟର ଖୋଲି, ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଦେଲି । ମୋର ଅଧ୍ୟୟନ ଓ ଅଧ୍ୟାପନା କରିବାର ଯେଉଁ ନିଶା ଥିଲା- ତାହା ଫଳବତୀ ହେବାକୁ ଲାଗିଲା । ଯୌବନ ନିମନ୍ତ୍ରଣ ଜଣାଇବାରୁ ପ୍ରେମ କଲି । ଏକ ପଞ୍ଜାବୀ କନ୍ୟା ସହ ବିବାହ ବନ୍ଧନରେ ଛନ୍ଦି ହୋଇଗଲି । ବେଶ୍ କିଛି ଦିନ ସୁଖ, ଶାନ୍ତିରେ ସମୟ ବିତିବାକୁ ଲାଗିଲା । ମାତ୍ର ମୋ ପାଇଁ ସମସ୍ତ ସୁଖ ଅଳୀକ । ଯେହେତୁ ମୋ ଜୀବନ ଅଭିଶପ୍ତ । ପୁଣି ସେହି ଭୁଲ । ସେଦିନ ଗାଡ଼ି କାଗଜପତ୍ର ଯାଞ୍ଚ ବେଳେ, ଅକସ୍ମାତ ମୋ ପାଟିରୁ ବାହାରି ଆସିଲା “କିଶନ କହ୍ନେୟା ” । ମାତ୍ର ମୋର ଚାରି ଚକିଆ ଯାନର କାଗଜପତ୍ରର ଛଦ୍ମନାମ ଥାଏ ନିରାକାର । ତେଣୁ ଦିଲ୍ଲୀ ପୋଲିସର ସନ୍ଦେହ ଘେରରେ ଆସିଗଲି ।
ଏଥର ଚାଲିଲା ନିର୍ମମ ପ୍ରହାର, ଅକଥନୀୟ ଅତ୍ୟାଚାର । ପୋଲିସ୍ର ଜୁଲମ ସହିନପାରି ସତକଥା ମୋ ପାଟିରୁ ବାହାରି ଆସିଲା – ମୁଁ ଦଦେଇ ମର୍ଡ଼ର କେସର ଫେରାର ଆସାମୀ । ଏହା ପରେ ପୁଣି ସେହି ଭାଗ୍ୟର ବିଡ଼ମ୍ବନା । ଦୁର୍ଭାଗ୍ୟ ମୋର ପିଛା ଛାଡ଼ିବାକୁ ନାରାଜ । ତା’ପରେ ଦିଲ୍ଲୀ ପୋଲିସ୍ ମୋତେ ଆନ୍ତର୍ଜାତିକ ଅପରାଧୀ ସଜାଇ ପଠାଇଦେଲା – ତିହାର ଜେଲ । ଅବଶ୍ୟ ମୋର ପରିବାର ବର୍ଗ, ସରକାରଙ୍କ ଠାରେ ନିଜର ସମସ୍ୟା ବ୍ୟକ୍ତ କରନ୍ତେ; ଦିଲ୍ଲୀର ମାନ୍ୟବର ତିସ୍ ହଜାରୀ କୋର୍ଟ, ମୋତେ ନିଜ ଜିଲ୍ଲା କାରାଗାରକୁ, ସ୍ୱତନ୍ତ୍ର କଏଦୀ ଭାବେ ପଠାଇ ଦେଲେ । ଏହିଠାରେ ଆଜୀବନ ସଜ୍ଜା କାଟୁଛି । ଜେଲର ଚାରି କାନ୍ଥ ଭିତରେ ଜୀବନର ଅଙ୍କ କସୁଛି । ପୁଣି ସୁବ ଅଙ୍କ କେମିତି ଭୁଲ ହୋଇ ଯାଉଛି । ତଥାପି ସମାଧାନର ସୁତ୍ରଟା ମୁଁ ଖୋଜି କି ପାଉନାହିଁ । ତୁମେ ସେଇ ସୂତ୍ରଟା ଖୋଜି ଦେଇ ପାରିବ କି; ହେ ! ଲେଖକ ବନ୍ଧୁ?
ଏତେବେଳ ଯାଏଁ ମୁଁ ତା’ର କଥା ଶୁଣୁଥିଲି। ହଠାତ୍ ତା’ର ପ୍ରଶ୍ନରେ- ମୁଁ ଚମକି ପଡ଼ିଲି; ଏକ ଅବ୍ୟକ୍ତ କରୁଣ ରସରେ ମୋର ଅନ୍ତର ସିକ୍ତ ହୋଇ ଉଠିଲା । ମୁଁ କିଛି କହି ପାରିଲି ନାହିଁ । ମୁଁ ଜାଣିଛି, ମୋର ପାଠକ ବି ନିଜର ଆଖିର ଅଶ୍ରୁକୁ ଅଟକାଇ ରଖିପାରିବେ ନାହିଁ । କାରଣ ଘଟଣାଟି ଏପରି ସମ୍ବେଦନଶୀଳ ଯେ ଭାବିବାକୁ ମଜବୁର ହୋଇ ଉଠିବେ । ସୂତ୍ରଟା ଖୋଜିବାକୁ ନିଶ୍ଚୟ ଚେଷ୍ଟା କରିବେ ।
ମୁଁ ଯେତେଯେତେ କାହାଣୀ ଭିତରକୁ ମଥା ପୁରାଉଥାଏ । ସେତେ ସେତେ ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ଉଠୁଥାଏ । କି ସୁନ୍ଦର ଥିଲା ଶିଶୁ ମନର ଚପଳାମି ଆଉ ତାର ବେଲୁନ୍ ଖେଳ- ଏ କି ହେଲା? ମହାଭାରତର କିଟିମିଟିଆ କାହାଣୀ ପରି ତା ଜୀବନରେ ଘଟଣା ପରେ ଘଟଣା ସବୁ ଯୋଡ଼ି ହୋଇଗଲା । କ୍ରମଶଃ କେସ୍ ତା’ର ଜଟିଳରୁ ଜଟିଳତର ହୋଇଗଲା; ସତେକି ତା’ ମୁକୁଳିବାର ସମସ୍ତ ରାସ୍ତା ଆଜି ବନ୍ଦ । କିନ୍ତୁ କାହିଁକି? କାହିଁକି ମଣିଷ ଜୀବନରେ ଏମିତି ବ୍ୟତିକ୍ରମ ବେଳେ ବେଳେ ହୁଏ ?
ଅନାଇଁ ମନାଇଁ
ଜୀବନରେ ଅହରହ ଅନେକ ଘଟଣା ଘଟେ । ମାତ୍ର ସବୁ ଘଟଣା ବିଘଟଣ ନୁହେଁ; କି ସବୁ ବିଘଟଣ ଦୁର୍ଘଟଣା ନୁହେଁ । ଦୁର୍ଘଟଣା ଯେଣୁ ବିନା ନିମନ୍ତ୍ରଣର ଅତିଥି ; ନା ତା’ପାଇଁ ଥାଏ ପୂର୍ବ ପ୍ରସ୍ତୁତି ଅବା ପ୍ରତିଶୃତି; ନା ତା’ ପାଇଁ ହୁଏ ସ୍ୱାଗତ ସମ୍ବର୍ଦ୍ଧନା ଅବା ଅତିଥି ସତ୍କାର ଅଭ୍ୟାଗତ, ଅଭ୍ୟର୍ଥନା । ଯେଣୁ ସିଏ ଅବାନ୍ଛିତ ଅତିଥି, ଖାଲି ସିନା ପ୍ରତାରିତ କରେ ପ୍ରବଞ୍ଚନା-ପ୍ରତାରଣେ ।
ସମସ୍ତ ଭାବନା ଦୁର୍ଭାବନାକୁ ପଛରେ ପକାଇ, ଦୁର୍ଘଟଣା ପୁଣି ଆସେ କେବେ – ଆକସ୍ମିକ । ସେ ଆସିବା ଆଗୁ, ନା ଥାଏ ତା’ର ନାଲି ନୋଟିସ୍ ନା ଥାଏ ତା’ର କିଛି ଖବର ଅନ୍ତର । ହଠାତ୍ ସିଏ ଆସେ, ଧନ-ଜୀବନ ନେଇ ସେଠୁ ଚାଲିଯାଏ । କରୁଣ ପରିବେଶ ପଛରେ ଛାଡ଼ିଯାଏ; ଯାହା ସ୍ମୃତି ହୋଇ କେବଳ ପଡ଼ି ରହେ । ଯେତେ ଭୁଲିଲେ ମଧ୍ୟ ଭୁଲି ହୁଏନା; ବେଳ ଅବେଳରେ ଖାଲି ଗୁଡ଼ାଇ ତୁଡ଼ାଇ ମନେ ପଡ଼ିଯାଉଥାଏ ।
ସେଦିନ ନିଧି ମଉସା ସକାଳୁ ସକାଳୁ ବିଛଣାରୁ ଉଠିପଡ଼ି, ଗାଧୋଇ -ପାଧୋଇ ବାହାରି ପଡ଼ିଲେ ସହର । ବାଟସାରା ଗାଡ଼ି ମୋଟର ଭେଁ ଭାଁ ରଡ଼ି ଶୁଣି ବୁଢା ଛାତି, ହେଉଥାଏ ଧଡ଼ପଡ଼ । ମନେ ମନେ ଭାବୁଥାଏ- “ବାଟରେ ଆସିଲା ବେଳକୁ କାଳି ବିରାଡ଼ିଟା ବାଟ ଓଗାଳୁଥିଲା; କାଳେ କିଛି ଦୁର୍ଘଟଣା ଘଟିବ କି?”
ଠିକ୍କା ଏତିକି ବେଳକୁ କାହୁଁଥିଲା, ଆନ୍ଦ୍ରା ଟ୍ରକଟା ହଠାତ୍ ମାଡ଼ି ଆସିଲା । ଚାହୁଁ ଚାହୁଁ ଧଡ଼ାସକିନା ଶଦ୍ଦଟାଏ ହେଲା । ବୁଢା ଆଖି ବୁଜିଦେଲା । ଆଖି ଖୋଲି ଦେଖେ ତ, ଗୋଡ଼ଟା ଚାପି ହୋଇ ଯାଇଛି କେଉଁ ଏକ ସିଟ୍ ତଳେ । ପନ୍ଝାଏ ଲୋକ ତା’ ଉପରେ ଅଜାଡ଼ି ହୋଇ ପଡ଼ିଛନ୍ତି, ହେଲେ କେହି ହଟିଲେନି । ଏଥର ଗୋଟା ଗୋଟା ସବୁ ଆଡ଼େଇ ଦେଲା। ପ୍ରଦିବାଦ କରିବାକୁ କାହାର ବା ଜୀବନ ଥାଏ? ଏବେ ଟିକିଏ ବୁଢା ନିଶ୍ୱାସୀ ପାରିଲା, ହେଲେ ଗୋଡ଼ଟା ସେଠୁ ହୁଙ୍କିଲାନି ଜମା ।
ଟ୍ରକଟା ମାଛ ବୋଝେଇ ହୋଇଥାଏ । ଏଣେତେଣେ ବିଛୁରି ହୋଇ ପଡ଼ିଥାଏ । ଲୋକଙ୍କୁ ଲୋକ ସୁଖୁଆ ମାଛ ପରି ଆଡ଼େଇ ଦେଇ, ସମସ୍ତେ ମାଛ ଖୁଣ୍ଟିବାରେ ବ୍ୟସ୍ତ । ଯିଏ ଭେଟୁଥାଏ ତା’ ପାରୁ ମୁତାବକ ବାନ୍ଧୁଥାଏ; ସେଠୁ ଚାଲୁଥାଏ । ଆଉ କେତେକ ମଲା ଶବକୁ ଲେଉଟାଇ ଯାହା ପାଉଥାଏ, ଲୁଟି ନେଉଥାଏ ।
ବୁଢା ଚାରି ଆଡ଼କୁ ଆଖି ଫେରାଇଲା । ଦେଖିଲା କାହାରି କାହାରି ଚେତା ନାହିଁ । ପୁଣି କାହାରିବା ମୁଣ୍ଡ ଫାଟି ରକ୍ତ ଝରୁଛି । ଲହୁ ଲୁହାଣ ହୋଇ ସମସ୍ତେ ପଡ଼ିଛନ୍ତି । ବସ୍ ସାରା ରକ୍ତ ଜୁଡ଼ୁବୁଡ଼ୁ । ଚିତ୍ପଟାଙ୍ଗ ହୋଇ ବସ୍ ପଡ଼ିଛି । ତା’ଉପରେ ସବାର ହୋଇଛି – ଟ୍ରକଟାଏ । ଦୋଷଟା ଯାହାର ଥାଉନା କାହିଁକି; ଡ଼୍ରାଇଭର କ୍ଲିନର କିନ୍ତୁ, ଡ଼ିଆଁ ମାରି ସେଠୁ ପାର । ଯିଏ ମଲା, ସିଏ ତରିଗଲା । ଯିଏ ଚେତା ପାଇଲା, ଝରକା ଆଡ଼େଇ ସିଧା ମେଡ଼ିକାଲ ଧରିଲା । ଯେଉଁମାନେ ଚେତନା ଶୂନ୍ୟ ଅବା ପଙ୍ଗୁ ହୋଇ ପଡ଼ି ରହିଲେ- ସେମାନେ ଅର୍ଦ୍ଧଚେତ ଅବସ୍ଥାରେ, ଆତ୍ମ ଦହଙ୍ଗଜ ହେଲେ । ନା ହାତ ବଢାଇଲେ ହାତ ପାଉଛି; ନା ଗୋଡ଼ ବଢାଇଲେ ଗୋଡ଼ ପାଉଛି । ତ୍ରିଶଙ୍କୁ ଅବସ୍ଥାରେ ସେମାନେ ରହିଲେ । ଦୁର୍ଘଟଣା ସ୍ଥଳେ ଯେ, ବହୁ ଲୋକ ରୁଣ୍ଡ; ହେଲେ ଆହା ପଦେ କହିବାକୁ କେହି ନାହିଁ । ସମସ୍ତେ ଆପଣା ହୁସିଆରରେ ଆପେ ଥା’ଆନ୍ତି । ଦେଖୁଥା’ନ୍ତି ଚାହୁିଁଥା’ନ୍ତି, ସେଠୁ ଚାଲି ଯାଉଥା’ନ୍ତି । ଆଉ କେହି କେହି ମଜା ଦେଖିବା ପାଇଁ ଅପେକ୍ଷା କରିଥା’ ନ୍ତି । ହେଲେ ସାହାଯ୍ୟ କରିବାକୁ କେହି ନାହିଁ । ଯେଣୁ ପାଣି ମୁନ୍ଦେ ଦେବେନି କେହି, ଆପଣା ଭାଗ୍ୟ ଆଦରି , ସେଠି ଦୁର୍ଘଟଣାଗ୍ରସ୍ଥ ଲୋକ ପଡ଼ି ରହେ, ବିକଳେ ଚିତ୍କର କଲେ, ତାହାର ଚିତ୍କାର କେହି ଶୁଣିବେନି ।
ଏଥର ବୁଢା ବାହାରକୁ ଚାହିଁଲା, ଦେଖିଲା ଲୋକ ପୂରିଛନ୍ତି । ଯେମିତି ମାଛ ହାଟ ବସିଛି, କଣ ସାଉଁଟିକି ପୂରାଉଥା’ନ୍ତି । ସତକୁ ସତ ଦେଖିଲା ବେଳକୁ ଲୋକ ମାଛ ରୁଣ୍ଡାଉଥାନ୍ତ । ବୁଢାର ବୁଝିବାକୁ ଏଥର ଆଉ ବାକି ରହିଲା ନାହିଁ ଯେ : ଆନ୍ଧ୍ରା ଟ୍ରକଟା ଓଲଟି ପଡ଼ିଛି । ମାଛ ଟ୍ରକଟା ନିଶ୍ଚୟ ହୋଇଥିବ ।
ବୁଢା କେତେ ଲୋକଙ୍କୁ ଡ଼ାକିଲା । ନେହୁରା ହେଲା – “ଏ ଭାଇ! ଟିକିଏ ଶୁଣ, ମୋତେ ବସ୍ ଭିତରୁ କାଢ । ମୋ ଗୋଡ଼ଟା ଯାବି ହୋଇ ଯାଇଛି । ସିଟ୍ ତଳେ ଫସି ଯାଇଛି । ।” କାହିଁକି ବା କିଏ ଶୁଣିବ? ଯାହା କାନରେ ବା ବାଜିଲା, ସେ କହିଲା – “ଆମେ କ’ଣ ମରିବା ପାଇଁ ସେଠିକି ଯିବୁନା? ପୋଲିସ୍ ଆସିବ ଆମକୁ ବାନ୍ଧିବ” । ବୁଢା ମନେ ମନେ ଶୋଧୁଥାଏ, “ଶଳେ ମାଛ ଚୋରି କରୁଛ, ପୋଲିସ୍ ବାନ୍ଧୁ ନାହିଁ , ଆମକୁ ଖାଲି ବସରୁ ଉଦ୍ଧାର କଲେ, ପୋଲିସ୍ ବାନ୍ଧିବ ?” ପୁଣି ଭାବୁଥାଏ- “କ’ଣ କରିବ ? ଆମ ଆଇନଟା ତ ଅନ୍ଧ । ଲୋକେ ମରି ଯାଉଥିବେ ପଛେ, ପାଣି ଟୋପାଏ ଦେବେ ନାହିଁ । ସତ କଥା – ପୋଲିସ୍ ଆସିବ, କିଛି ବୁଝିବ ନାହିଁ, ଖାଲି ବାନ୍ଧିବ । ଏ ଆଇନ୍ ଯେମିତି, ଲୋକଗୁଡ଼ାକ ବି ସେମିତି । ଯେତେ ଯାହା କଲେ, ଏଗୁଡ଼ାକ ସୁଧୁରିବେ ନାହିଁ; ସବୁ ରାଧା ଚଡ଼କରେ ଯିବେ ।”
ଏହି ସମୟରେ କାହାର ଗୋଟାଏ ଚେତା ଫେରି ଆସିଲା ନା କ’ଣ “ପାଣି ପାଣି” ହେଉଥାଏ । ବୁଢା ଡ଼ାକ ପକାଇଲା- “ଆରେ ଲୋକଟା ମରି ଯିବରେ-ପାଣି ଟୋପାଏ ଦିଅ” । କେହି ଶୁଣିଲେ ନାହିଁ। ସମସ୍ତେ ଅନେଇ ଦେଉଥା’ନ୍ତି, ସେଠୁ ଚାଲି ଯାଉଥା’ନ୍ତି । ବୁଢା ପୁଣି ଭାବେ – “ଲୋକ ଗୁଡ଼ାକ କାଲା ନା ଅନ୍ଧ ? ମଣିଷର ବିକଳ ଡ଼ାକ, କରୁଣ ଚାହାଣୀକୁ ଏମାନେ ଏଇମିତି ଆଡ଼େଇ ଯା’ନ୍ତି । ? ଏଗୁଡ଼ା ସତରେ ମଣିଷ ନା ଜାନୁଆର ???” କିଏ କେତେପ୍ରକାରର ଯନ୍ତ୍ରଣାରେ ଲୋକେ ଚିତ୍କାର କରୁଥାନ୍ତି । ବୁଢାର କାନ ବଧିରା ପଡ଼ିଗଲାଣି । ମନେ ମନେ ଭାବୁଥାଏ – “ଗୋଡ଼ଟା କୌଣସି ପ୍ରକାରେ ବାହାରି ଆସନ୍ତାକି ; ଦେଖନ୍ତେ ସମସ୍ତେ ବୁଢା ଏକୁଟିଆ କେମିତି ସମସ୍ତଙ୍କୁ ଉଦ୍ଧାର କରୁଛି” ।
ପୋଲିସ୍ ବାଲାଏ ଆସିଲେ: ସମସ୍ତଙ୍କୁ ଘଉଡ଼ାଇ ଦେଲେ । ଥୋଡ଼େ ଖଣ୍ଡ ମାଛ ଆଗ ଜିପରେ ଭର୍ତ୍ତି କରି ଘରକୁ ପଠାଇଦେଲେ । ଏଥର ଶବ ବୁହାହେଲା । ସାଥିରେ ଅଚେତ, ଅର୍ଦ୍ଧଚେତବାଲାଙ୍କୁ ବି ପକାଇଦେଲେ । ଶବ ସହ ଶବ ପାଲଟି ଗଲେ । ଆଉ ଯେତକ ଖଣ୍ଡିଆ ଖାବରା ହୋଇ ପଡ଼ିଥିଲେ, ଆମ୍ବୁଲାନ୍ସରେ ମେଡ଼ିକାଲ ବୁହାହେଲେ । ଜୀ’ଥିଲା ଲୋକଗୁଡ଼ାକୁ ବି ଶବ ସହ ଶବ କରି ମାଡ଼ି ମକଚିକି, ମ୍ଯୁନିସିପାଲିଟି ଭ୍ୟାନରେ ପୂରାଇ ଦେଲେ । ଯିଏ ଗୋଟେ ଅଧେ ଚେତା ପାଇଥିଲେ, ବଂଚିଗଲେ ।
ନିଧି ମୋଉସାର ମନେ ପଡ଼ିଗଲା, ଆସିଲା ବେଳେ ତା’ ସାମ୍ନା ସିଟରେ ବାପ, ମା, ପୁଅ, ଝିଅ ଗୋଟାଏ ପରିବାର ବସିଥିଲେ । ତାକୁ ଶୋଷ ଲାଗୁଥାଏ, ପିଲାଟିଏ ପାଣି ବୋତଲ ବଢାଇ ଦେଇ ‘ନେ ପିଇ’ – କହୁଥାଏ । ପୁଣି ନିଧି ମୋଉସା ଦେଖେ – ତା’ର ପରିବାରଟା ସାରା ଆଖି ସାମ୍ନାରେ କେମିତି ଶବ ହୋଇ ଯାଇଥାଏ । ପିଲାଟା ମା’ ଉପରେ ପଡ଼ି କାନ୍ଦୁଥାଏ । ପୋଲିସ୍ ବାଲାଏ ପିଲାଟାକୁ ଠେଲି ଦେଇ ଶବଗୁଡ଼ାକୁ ନେଇ ଚାଲିଯାଇଥା’ନ୍ତି । ପିଲାଟି ବୋଉ………ବୋଉ……………ହୋଇ ଧକ୍କେଇ କାନ୍ଦୁଥାଏ ।
ବୁଢାର ମନେ ପଡ଼ିଗଲା ବିଗିଡ଼ା ମନ୍ତ୍ରଟାଏ – “ଓଁ ଅନାଇଁ ମନାଇଁ ବାଟରେ, ପଡ଼ିଲୁ ଶୋଇ, ମୋ କଥା ମାନି ଉଠ୍ ବେଗ ହୋଇ । ଯେବେ ଛେକିବୁ ବାଟ, ଖାଇବୁ ଛାଟ, ଉଡ଼ି ଯା,’ ଅକାଟ ବନ୍ଧରୁ ପାଣି ଖା । ହରି ସହଦେବ ଅଛନ୍ତି କହି । ଚାଲ ଚାଲ ପାଣି ଖା’, ଚାଲ ଚାଲ ବୋଲି କାହାର ଆଜ୍ଞା ଶ୍ରୀହରି- ସହଦେବଙ୍କର କୋଟି କୋଟି ଆଜ୍ଞାୟଃ ।”
ନିଧି ମଉସା ପିଲାଟାକୁ କୋଳକୁ ଟାଣି ନେଲେ । ଜାବୁଡ଼ି ଧରି କାନ୍ଦି ଉଠିଲେ…. ।