Book title :କଥାଣି
ଉତ୍ସର୍ଗ
ଉକ୍ତ ‘କଥାଣି’ ଗଳ୍ପ ସମ୍ଭାରଟିକୁ ମୁଁ ମୋର ନାତି ଓ ନାତୁଣୀ ମାନଙ୍କୁ ଉତ୍ସର୍ଗ କରୁଛି। ଅଭିପ୍ସା, ଅନ୍ଵେଷା, ଆହାନା , ହରିତା, ଟୁଟୁଲୁ, ଆଦ୍ଯା, ଓମ୍,କ୍ରିସ୍, ଚିଙ୍କି, ଆଦି ଅନେକ ମୋର ନାତି ନାତୁଣୀ କାରଣ ମୋର ଭଣଜା ଓ ଭାଣିଜୀମାନେ ପ୍ରାୟତଃ ସବୁ ବାହାସାହା ହୋଇଗଲେଣି ।ତେଣୁ ସେମାନଙ୍କ ପିଲାମାନଙ୍କ ସହିତ ଯେତେବେଳେ ଦେଖାହୁଏ ସେମାନେ ମୋ ଚାରିପଟେ ବେଢି ବସିଯାଆନ୍ତି ଆଉ ଗପ ଶୁଣିବା ପାଇଁ ଅଥୟ ହୁଅନ୍ତି। ସେମାନଙ୍କର ବି ସବୁବେଳେ ଗୋଟେ ଅଭିଯୋଗ ଯେ, ମୁଁ କାହିଁକି ସେମାନଙ୍କ ପାଇଁ ଗପ ଲେଖୁ ନାହିଁ। ତେଣୁ କଥା ରଖି ‘କଥୁଣି’ଲେଖିଲି ।ଆଶା କରାଯାଏ ପିଲାମନଙ୍କ ପାଇଁ ଲେଖିଥିବାରୁ ସେମାନେ ଏଥିରେ ଖୁବ୍ ମନୋନିବେଶ କରିବେ।
(ଇତି)
କହାଣୀପ୍ରିୟ
କଥାକାର
ଡ଼ ସତ୍ୟ ପ୍ରକାଶ ସେଠୀ
ମୁଖବନ୍ଧ
ଆସନ୍ତୁ କିଛି ଚରିତ୍ର ଓ ଘଟଣାବଳିକୁ ପଢିବା ଓ ବୁଝିବା, ଯେଉଁଥିରେ କର୍ଣ୍ଣ, ଶଲ୍ଯ, ଅଶ୍ଵତ୍ଥାମା ପରି କିଛି ପୌରାଣିକ ଚରିତ୍ର ବି ରହିବେ ଆଉ କିଛି ଗଙ୍ଗାଧର ମେହେର, ଫକୀରମୋହନଙ୍କ ପରି ଏୈତିହାସିକ ତଥା ବ୍ୟକ୍ତିତ୍ଵର ଔଜଲ୍ୟରେ ଜାଜୁଲ୍ୟମାନ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ବି ଜାଣିବା। ଜାଣିବା ଓମ୍, ଆହନା ପରି କିଛି ସାଧାରଣ ଚରିତ୍ର ଯେଉଁମାନେ ଆମ ସମାଜରେ ଅହରହ ଆତଯାତ ହୋଇ ବିଭିନ୍ନ ଲିଳାଖେଳା କରନ୍ତି। କାହାଣୀର ପୃଷ୍ଠଭୂମି ଓ ଘଟଣାପ୍ରବାହ ବୟସ୍କମାନଙ୍କୁ ବି ଆକୃଷ୍ଠ କରିପାରେ କିନ୍ତୁ ମୁଖ୍ୟତଃ ଏହାର କାହାଣୀଧର୍ମିତା ଆମ ସମାଜର ସହଜ, ସରଳ ଓ ତରଳ ଚପଳ ଓ କୋମଳମତି ଶିଶୁମାନଙ୍କୁ ବେଶ୍ ଆକୃଷ୍ଠ କରିବ ।ଏହା ମଧ୍ଯ ତତ୍ତ୍ଵ ଓ ତଥ୍ଯଭିତ୍ତିକ ହୋଇଥିବାରୁ ଉପାଦେୟତା ଓ ଉପଯୋଗୀତା ଦୃଷ୍ଟିକୋଣରୁ ଜୀବନରେ ବେଶ୍ କିଛି କାମରେ ଆସିପାରେ ।ତେବେ ତ ସବୁ ବର୍ଗର ଲୋକେ ଏହା ପ୍ରତି ଆକୃଷ୍ଠ ହେବେ ବୋଲି ଲେଖକ ଖୁବ୍ ଆଶାବାଦୀ।
ଆମେ ଅନେକ କାହାଣୀ ଜୀବନକାଳ ଭିତରେ ପଢିଥା’ନ୍ତି ।କିନ୍ତୁ ସମ୍ପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ରୂପରେ ଗୋଟେ କାହାଣୀ ବା ବିଷୟବସ୍ତୁକୁ ପାଇବା ପ୍ରାୟତଃ ବିରଳ ହୋଇଥାଏ। ଅବଶ୍ୟ ଏହା ଅଧିକ କଷ୍ଟସାଧ୍ଯ ଓ ସମୟସାପେକ୍ଷ ହୋଇଥାଏ। ପ୍ରଚଣ୍ଡ ଅଧ୍ୟାବସାୟ ଓ ବିଷୟବସ୍ତୁରେ ସମ୍ପୂର୍ଣ୍ଣ ପ୍ରବେଶ କରି ଘଟଣାପ୍ରବାହକୁ ଧରି ରଖିବା ବାସ୍ତବରେ କଠିନ ବ୍ୟାପାର। ତଥାପି ତ କିଛିମାତ୍ରାରେ ପ୍ରୟାସ ନିଶ୍ଚୟ କରାଯାଇଛି। ତାହା ପାଠକମାନଙ୍କୁ ସନ୍ତୁଷ୍ଟ କରିପାରିଲେ ଏହା ସଫଳ ହୋଇପରିଛି ବୋଲି ନିଜ ଭିତରେ ଗୋଟେ ଆତ୍ମସନ୍ତୁଷ୍ଠି ମିଳିବ।ତଥାପି ଯେଉଁ ଯେତିକି ପରିଶ୍ରମ ଓ ସାଧନା କରାଯାଇଛି, ତାହାର ସାଫଲ୍ଯ ଓ ସାର୍ଥକତା କେବଳ ଆପଣମାନଙ୍କ ବିଚାର ଉପରେ ହିଁ ନିର୍ଭର କରେ।ତେଣୁ ପଣ୍ଡିତ ଗୁଣୀଜନେ ନିଶ୍ଚିତ ବିଚାର କରିବେ ଓ ତୃଟି ସୁଧାର କରି ମାର୍ଜନା କରିବା ହେବେ। କିଛି ବିଷୟ ନିଶ୍ଚିତ ଭାବେ ତର୍କସମ୍ଭୂତ ଓ ବିବାଦୀୟ, ତେବେ ଦୋଷ କ୍ଷମଣୀୟ ।ତେଣୁ ଆବଶ୍ଯକସ୍ଥଳେ କ୍ଷମା ଦେଇ ମହାନୁଭବତାର ପରିଚୟ ଦେବେ।
ଛାଡ଼ନ୍ତୁ, ଏତେ ସବୁ କଥାରୁ କ’ଣ ମିଳିବ। କିନ୍ତୁ ଆଜିବି କାହାଣୀ ଲେଖିବାର ଓ ପଠନ କରିବାର ପିପାସା ଦ୍ରବୀଭୂତ ହୋଇନାହିଁ ।କାରଣ କାହାଣୀ ମନୁଷ୍ଯକୁ ଅଲଗା ଜଗତକୁ ନେଇଯାଏ, ଯେଉଁଠି ଖୁସି ହିଁ କେବଳ ଖୁସିଥାଏ । ଏଇ କାହାଣୀ ବି ଶିକ୍ଷଣୀୟ ହୋଇଥାଏ, ଯାହା ଜୀବନର ଦିଶା ଓ ଦିଗ ନିର୍ଣ୍ଣୟ କରିବାରେ ବେଶ୍ କିଛି ସହାୟକ ହୋଇଥାଏ। ତେଣୁ ବିଷୟବସ୍ତୁରେ କାହାଣୀ ଭାଗକୁ ଅଧିକ ଗୁରୁତ୍ୱ ଦିଆଯାଇ ସମୃଦ୍ଧ କରିବାକୁ ଚେଷ୍ଟା କରାଯାଇଛି ।ବିଷୟବସ୍ତୁ ଓ ଘଟଣାଗୁଡିକରୁ ଇତିହାସ, ପୁରାଣ ଓ ଭୂଗୋଳ ସମ୍ବନ୍ଧରେ ମଧ୍ଯ କିଛି ଅବଧାରଣା ହେବ ।ଖାଲି ପାଠକେ ଏଥିରେ ରୁଚି ରଖିଲେ ହେଲା ।
ଏଥିରେ କିଛି ବି କାଳ୍ପନିକ ଓ ଉଦବାସ୍ତୁ କଥାବସ୍ତୁ ସମ୍ମିଳିତ ହୋଇଛି । ଉଦ୍ଦେଶ୍ୟ- ପାଠକମାନଙ୍କୁ କିଛିଟା ସହଜ, ସରଳ ଓ ଲଘୁ ସାହିତ୍ୟ ପରିବେଷଣ କରି ତା ଭିତରେ ପଠନ ଅଭ୍ୟାସ ଓ ପଠନ ପିପାସା ବୃଦ୍ଧିକରିବା ତଥା ଟିକେ ଚିତ୍ତବିନୋଦନ କରିବା ।ଯେଉଁଥିରେ କି ପିଲାମନ ଏହାକୁ ଅଧ୍ୟୟନ କରି ହସି ଆସିବ ।ଏଥିରେ ଏମିତି ଶବ୍ଦବାଣ ମରାଯାଇଛି ବା ସଂଯୋଜନା କରାଯାଇଛି ଯେମିତି ପାଠକକୁ ଆଗକୁ ଆଗକୁ କଢ଼େଇ ନେବ ଓ ସେ ଏକା ନିଶ୍ୱାଷକେ ପଢ଼ି ପକାଇବ ।ଏମିତି କିଛି ଅଭିସନ୍ଧି ରଖି ଲେଖା ତ ଯାଇଛି, ଦେଖାଯାଉ ପିଲାମାନେ କେମିତି ତହିଁରେ ରୁଚି ରଖୁଛନ୍ତି ।
ସତ କହିବାକୁ ଗଲେ, ଏଥିରେ ସ୍ଥାନିତ ଅଳ୍ପକିଛି ଚରିତ୍ର ଓ ଘଟଣାବଳି ହୁଏତ ସ୍ଵକୀୟ ସୃଜନଶୀଳ ପ୍ରତିଭା ଓ ସ୍ଵତନ୍ତ୍ରତାର ପରିଚାୟକ ଅଟେ। କିନ୍ତୁ ଅଧିକାଂଶ ଇତିହାସ ଓ ପୁରାଣରୁ ଉଦ୍ଧୃତ ଓ ଆନୀତ। ତେଣୁ ଲେଖକଙ୍କର ବିଶେଷ କିଛି ବାହାଦୁରୀ ବା ବଡପଣ ନାହିଁ ।ତେବେ ଘଟଣା ଚୟନ ଓ ଉପସ୍ଥାପନା ଶୈଳୀରେ କିଛିଟା ହୁଏତ ଭିନ୍ନତା ପରିଲକ୍ଷିତ ।ଯାହାର ଯଥାର୍ଥତା ପାଠକମାନେ ବିଚାର କରିବେ।
।। ଜୟ ଜଗନ୍ନାଥ।।
(ଇତି)
ଗାଳ୍ପିକ
ଡ଼ ସତ୍ୟ ପ୍ରକାଶ ସେଠୀ
ସୂଚିପତ୍ର
- ଉଲ୍ଲୁକ ବିଦ୍ୟା
- ସତ୍ୟକରା ଆମ୍ବକଥା
- ଦିଫାଳକରି ଚିରିଦେଲା
- ଲୌହମୂଷଳ
- କୋକୁଆ
- ଭୀମବଳ କୁଇନ୍ତା ଜାଣେ
- ଲକ୍ଷଣା
- ପାଣ୍ଡବାସୁର
- ଲାଖବିନ୍ଧା
- ରଣଭଙ୍ଗ
- ଝିମାଣି ଖେଳରୁ ମହାଭାରତ
- କର୍ଣ୍ଣ ହାର୍ ମାନି ନାହାନ୍ତି
- ମାତୁଳଙ୍କ ବିରୋଧୀ ପକ୍ଷ
- ପଡ଼ିଗଲେ ଉଠିପାରିବନି
- ଅପରିଣାମଦର୍ଶୀ
- ମଣ୍ଡାଖିଆ ଅସୁର
- ଦୃଶ୍ୟପଥ ନିର୍ମାଣ
- ବିନାଯୁଦ୍ଧେ ବଜ୍ରବିଦ୍ଧ
- ନଖମୂଳରୁ ବାହାରିଆସ
- ଶ୍ରୀଅଙ୍ଗେ ଲାଗି
- ନିଶ
- କାଶିଆ କପିଳା
- ଭୋଳାନାଥ ଖମାରିଆ ଜାଣିବୁ
- ପଚାପଇଡ଼ ହାତୀକୁ ବାଈ
- ଦନୁଜ ଶର
- ବୁଢ଼ାଆଙ୍ଗୁଠି ପାଟିରେ ରଖିଲେ
- ଡିମାଡିମା ଆଖି
- ବିପତ୍ତେ ମଧୁସୂଦନ
- କନ୍ଦରା ଗାଁ କୂଅ
- ଆନକୁ ନ ଭଣେ
- ବୀରବର ଉପାଧି ଲାଭ
- ଆମ୍ବତୋଟାରେ ଦରବାର
- ରକ୍ତନଦୀ ସନ୍ତରଣ
- ସହିପାରିଲାନି ସିଂହନାଦ
- କଷ୍ଟକଲେ ବାଧେ
- ମୋଡ଼ି ମୋଡ଼ିକା ଗଡ଼ି ଗଡ଼ିକା
- ପାଟିରେ ଲାଖିଲା କଣ୍ଟା
- ମୋବାଇଲ୍ ଟିପୁଛି
- ପଞ୍ଚମ ପାଶ୍
- ଅପେଶା ଧାନର ଭାତ
- ମାଡ଼ିବସି ବିଦାରଣ
- ଆଖିର ସ୍ଫୁଲିଙ୍ଗ
43.ତୁ ମରିଗଲୁ
44.ପଶିଲେ ଅନ୍ଧ ବାହାରିଲେ ମୃତ
୧.ସତ୍ୟ କରା ଆମ୍ବ କଥା
“ସତ୍ୟ କରା ଆମ୍ବ କଥା” ମହାଭାରତର ଏକ କୌତୁହଳପୂର୍ଣ୍ଣ କଥାବସ୍ତୁ। ଯାହା ଶ୍ରବଣ ମାତ୍ରକେ ଚିତ୍ତ ବିନୋଦନ ହୁଏ ।ସେତେବେଳକୁ କପଟ ପାଶାରେ ହାରି ପାଣ୍ଡବମାନେ ବାର ବର୍ଷ ବନବାସ କରୁଥାନ୍ତି ।
ଠିକ୍ ସେହି ସମୟରେ ପଣ୍ଡବମାନଙ୍କର ଦୁର୍ଗତି କେମିତି ଅଛି, ତାହା ଜାଣିବାକୁ ଦୁର୍ଯ୍ଯୋଧନ ଅତ୍ୟନ୍ତ ଆଗ୍ରହୀ ହୋଇପଡିଲେ। ସେ ୟାକୁ ନେଇ ମାମା ଶକୁନି ସହିତ ମନ୍ତ୍ରଣା କଲେ। ଶକୁନି କହିଲେ, ପୁରୋଚନା ପଣ୍ଡା ପୁଅ ଗୌରମୋକ୍ଷକୁ ପଠାଇଲେ ଉଦ୍ଦେଶ୍ୟ ସାଧିତ ହେବ ଓ ପାଣ୍ଡବମାନଙ୍କର ବେଉରା ଠିକ୍ ରେ ନେଇ ହେବ ।
ତେଣୁ ଦୁର୍ଯ୍ଯୋଧନ ପାଖକୁ ଗୌରମୋକ୍ଷକୁ ଡାକି କହିଲେ, ବ୍ରାହ୍ମଣ ବେଶରେ ଯାଇ ପଣ୍ଡବମାନଙ୍କୁ ଏଇ ଅସମୟରେ ଆମ୍ବ ମାଗ ।ଭାବିଲା, ପାଣ୍ଡବମାନେ ଅବେଳାରେ ବ୍ରାହ୍ମଣକୁ ଆମ୍ବ ଦେଇ ନପାରିଲେ ଧର୍ମଚ୍ୟୁତ ହୋଇ ନିଶ୍ଚେ ଅଧର୍ମ ଅର୍ଜିବେ।
ତହୁଁ ଆଜ୍ଞାପାଳି ଗୌରମୋକ୍ଷ ବନସ୍ତକୁ ଗମନ କଲା। ସେ ବୈଦିକ ବ୍ରାହ୍ମଣ ବେଶ ପରିଧାନ କରି କହିଲା, ମୁଁ ଭୋକିଲା ଅଛି। ମୋତେ ଖାଦ୍ୟ ପରିବେଷଣ କର। ମାତ୍ର ମୁଁ ଅନ୍ନ ଆହାର କରିବି ନାହିଁ। ମୋତେ କେବଳ ଆମ୍ବ ଖାଇବାକୁ ଦେଲେ ମୁଁ ଖାଇବି।
ଏକଥା ଶୁଣି ସମସ୍ତଙ୍କର ଭାଳେଣି ପଡିଗଲା ।ଏ ଅସମୟରେ ପୁଣି ଭାଦ୍ରବ ମାସରେ ଆମ୍ବ କେଉଁଠୁ ମିଳିବ।ତଥାପି ଧର୍ମନିଷ୍ଠ ଯୁଧିଷ୍ଠିର ଭାଇମାନଙ୍କୁ ବନକୁ ପଠାଇଲେ ।ସେମାନେ ସମସ୍ତେ ଆମ୍ବ ନପାଇ ଫେରି ଆସିଲେ ।ବଡ଼ ବିଷମ ଅବସ୍ଥାରେ ପଡ଼ିଲେ ।ଅତିଥିଙ୍କୁ ଭୋଜନ କରାଇ ନପାରିଲେ ଧର୍ମନଷ୍ଟ ହେବ ବୋଲି ଭାବିଲେ ।ତେଣୁ କୃଷ୍ଣଙ୍କୁ ସ୍ମରଣ କଲେ, ଏ ବିପଦରୁ ଉଦ୍ଧାରିବା ପାଇଁ ।କୃଷ୍ଣ ଗୌରମୋକ୍ଷର ଖଳବୁଦ୍ଧି ଜାଣିପାରିଲେ ବି ଉପାୟ ବାହାର କଲେ। ସେ କହିଲେ, ଗୋଟେ ଆମ୍ବ ଟାକୁଆ ଖୋଜି ଧରି ଆସ। ଆମ୍ବ ଟାକୁଆ ଧରି ଆଣିଲା ପରେ ସେ ସମସ୍ତଙ୍କୁ କହିଲେ, “ସମସ୍ତେ ନିଜ ନିଜର କଠୋର ଓ ସର୍ବଶ୍ରେଷ୍ଠ ସତ୍ୟ ପ୍ରକାଶ କଲେ ଆମ୍ବ ଅବଶ୍ଯ ଫଳିବ।ତେଣୁ ସମସ୍ତେ ସତ୍ଯବଚନ ପ୍ରକଟ କର।”
ଯୁଧିଷ୍ଠିର କହିଲେ, “ମୁଁ ଧର୍ମରକ୍ଷା କରିବାକୁ ଚାହେଁ। କୌରବ ମାନେ ଯେଉଁ ମୋର ରାଜ୍ୟ ନେଇଯାଇଛନ୍ତି ତାହା ମୁଁ ଫେରାଇ ଆଣିବାକୁ ଚାହେଁ। “ଏ କଥା କହିଲା ପରେ ଟାକୁଆରୁ ଅଙ୍କୁରୋଦଗମ ହେଲା ।
ଭୀମ କହିଲେ,” ମୁଁ କୌରବ ଶତଭ୍ରାତାଙ୍କୁ ବଧ କରିବାକୁ ଚାହେଁ ଓ ଦୁଃଶାସନ ରକ୍ତରେ ଦ୍ରୌପଦୀଙ୍କ କେଶ ଧୌତ କରିବାକୁ ଚାହେଁ ।” ଏ କଥା କହିଲାରୁ ଆମ୍ବ ଗଛରେ ଡାଳପତ୍ର କଅଁଳିବାକୁ ଲାଗିଲା।
ଅର୍ଜୁନ କହିଲେ,” ମୁଁ ପାଶୁପତ ଅସ୍ତ୍ର ଓ ଗାଣ୍ଡିବ ପ୍ରୟୋଗ କରି କୌରବମାନଙ୍କର ବିନାଶ କରିବାକୁ ଚାହେଁ।” ଏକଥା କହିଲା ପରେ ବୃକ୍ଷରେ ବଉଳ ଆସିଲା ।
ନକୁଳ କହିଲେ,” ମୋର କୁନ୍ତ ମୂନରେ ମୁଁ ପୃଥିବୀ ଜୟ କରିପାରିବି। ତା ସହାୟତାରେ ମୁଁ କୌରବ ମାନଙ୍କୁ ବିନାଶ କରିବି।” ଏହା କହିଲା ପରେ ଫୁଲରୁ ଫଳ ହେଲା ।
ସହଦେବ କହିଲେ, ମୁଁ ଭୂତ ଓ ଭବିଷ୍ୟତ ଜ୍ଞାତା। ମୋତେ ପଚାରି କାର୍ଯ୍ୟକଲେ କୌଣସି ଅସୁବିଧା ରହିବ ନାହିଁ।” ଏକଥା କହିଲା ପରେ ଗଛରେ ପାଞ୍ଚଗୋଟି ଆମ୍ବ ପାକଳ ହେଲା ।
ଦ୍ରୌପଦୀ କହିଲେ, ମୁଁ ମୋର ପାଞ୍ଚ ପତିଙ୍କୁ ପ୍ରଗାଢ଼ ପ୍ରେମ କରେ ।ତଥାପି ପାର୍ଥ ମୋର ସବୁଠାରୁ ପ୍ରିୟ। ସେହିପରି ଥିଲେ ହେଁ ମୋର ପାଞ୍ଚ ପତି କର୍ଣ୍ଣଠାରୁ ବଳେ ମୋର ମତି ।ମୁଁ କୌରବ ମାନଙ୍କର ବିନାଶର କାରଣ ହେବାକୁ ଚାହେଁ। ” ଏହାପରେ ପାଞ୍ଚଟିଯାକ ଆମ୍ବ ପକ୍ଵଫଳରେ ପରିଣତ ହେଲା ।
କୃଷ୍ଣ ପ୍ରଥମ ଫଳ ନିଜେ ରଖିଲେ ।ଦ୍ଵିତୀୟ ଫଳ ଇନ୍ଦ୍ରଙ୍କୁ ଦେଲେ ।ତୃତୀୟ ଫଳ ରୁଷି ମଣ୍ଡଳକୁ ଦେଲେ ।ଚତୁର୍ଥ ଫଳ ପାଣ୍ଡବମାନଙ୍କୁ ଦେଲେ ।ପଞ୍ଚମ ଫଳଟିକୁ ଗୌରମୋକ୍ଷକୁ ଦେଲେ ।
ନିତ୍ୟକର୍ମ ସମ୍ପାଦନ କରି ଆମ୍ବ ଖାଇବ ବୋଲି କହି ଗୌରମୋକ୍ଷ ସେଠାରୁ ଚାଲିଗଲା । ଭାବିଲା, ଏହାକୁ ନେଇ ସେ ଦୁର୍ଯ୍ଯୋଧନକୁ ଦେବ। ଦୁର୍ଯ୍ଯୋଧନ ଖୁସି ହୋଇ ନିଶ୍ଚୟ ଉପଢୌକନ ଦେବ। ଏ ସତ୍ୟ କରା ଆମ୍ବ ଖାଇ ଦୁର୍ଯ୍ଯୋଧନ ଅମର ହେବ ।
କୃଷ୍ଣ ସହଦେବକୁ ପଚାରିଲେ, ଏ ବ୍ରାହ୍ମଣର ବୃତ୍ତାନ୍ତ କହିବାକୁ ।ସହଦେବ କହିଲେ, ଇଏ ଜତୁଗୃହ ସଂରଚନା କରିଥିବା ପୁରୋଚନର ପୁତ୍ର। ଦୁର୍ଯ୍ଯୋଧନ ଦ୍ଵାରା ପ୍ରେରିତ ହୋଇ ସେ କପଟରେ ଏଠାକୁ ଆସିଛି ।
କୃଷ୍ଣ କହିଲେ, ଭୀମ ଯାଇ ତା’ର ଆମ୍ବ ନେଇଆସୁ ।
ଯୁଧିଷ୍ଠିର କହିଲେ, ଦେଇଥିବା ବସ୍ତୁ ଫେରାଇ ଆଣିଲେ ଅଧର୍ମ ହେବ।
ତହିଁ ଉତ୍ତାରୁ କୃଷ୍ଣ ସ୍ଵୟଂ ବ୍ରାହ୍ମଣ ବେଶରେ ଗୌରମୋକ୍ଷକୁ ଅନୁଧାବନ କଲେ ।ସେ ନଦୀକୂଳରେ ବସ୍ତ୍ର ପାଲଟୁ ଥିବାରୁ ଆମ୍ବଟି ତଳେ ଖସିପଡିଲା ।କୃଷ୍ଣ ପଚାରିଲେ, ଆଜି ଅଦିନରେ ଏ ଆମ୍ବ ଫଳଟି କେଉଁଠି ପାଇଲ ।ଏହାକୁ ନଖାଇ କେଉଁଠିକୁ ନେଇକି ଯାଉଛ ତୁମେ ।
ଗୌରମୋକ୍ଷ କହିଲା, ଇଏ ସତ୍ଯ କରା ଆମ୍ବ ଅଟେ। ସତ୍ୟ ବଚନ କହିବାରୁ ଟାକୁଆରୁ ଫଳି ଏହା ପକ୍ବ ହୋଇଛି । ଏହାକୁ ମୁଁ ଦୁର୍ଯ୍ଯୋଧନକୁ ଦେବ।
କୃଷ୍ଣ କହିଲେ, ଏହା ମାୟା ଆମ୍ବ ହୋଇପାରେ ।ପୁଣି ସେ କହିଲେ, ଦେଖିବା ସତ୍ୟ କଥା କହିଲେ ଏ ଆମ୍ବର କ’ଣ ହେବ। ଏହା କହି କୃଷ୍ଣ ବିଭିନ୍ନ ମିଥ୍ୟା କଥା କହିଲେ – ଜଳରେ ପଥର ଭାସୁଛି, ସୋଲ ଜଳରେ ବୁଡି ଯାଉଛି, ନାରୀ ପୁରୁଷକୁ ଜୟ କରିଛି, ପୁରୁଷର ସନ୍ତାନ ଜନ୍ମ ହୋଇଛି ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୋଇଛି, ଅନ୍ଧ ଦୌଡ଼ି ଯାଉଛି, ଚକ୍ଷୁଷ୍ମାନ ଲୋକ କିଛି ଦେଖିପାରୁ ନାହିଁ ଇତ୍ୟାଦି ନାନାଦି ମିଛ କଥା।
ଏ ସବୁ ଡାହା ମିଛ କଥା କହିବାରୁ ସତ୍ୟ କରା ଆମ୍ବ ଭଷ୍ମ ହୋଇ କୁଆଡ଼େ ନିଶ୍ଚିହ୍ନ ହୋଇଗଲା। ଗୌରମୋକ୍ଷ ତା’ର ଆମ୍ବ କୁଆଡ଼େ ଗଲା ବୋଲି ବିକଳ ହୋଇ ବିଳାପ କଲା। କୃଷ୍ଣ ସେତେବେଳକୁ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ।
୨.ଲୌହ ମୂଷଳ
କୃଷ୍ନଙ୍କର ଗୋପଲୀଳା ସରିଯାଇଥିଲା ।ଦ୍ୱାରିକା ଲୀଳା ବି ଖୁବ୍ ହେଲା। ମୁଖ୍ୟ ଦାୟିତ୍ଵ ଯାହା ଥିଲା କଂସ ନିଧନ, ତାହା ବି ସମାହିତ ହୋଇ ସାରିଥିଲା ।ଅବତାରୀ ପୁରୁଷର ଅବତାରର ଉଦ୍ଦେଶ୍ୟ ସାଧିତ ହୋଇଗଲା ପରେ ସେ ମର୍ତ୍ତ୍ୟରେ ରହିବାର ପ୍ରାୟତଃ ଆଉ କୌଣସି ଆବଶ୍ୟକତା ନଥାଏ। କୃଷ୍ନ କିନ୍ତୁ ଷୋହଳ ସହସ୍ର ଗୋପନାରୀ ଓ ଷୋହଳ ସହସ୍ର ଦେବନାରୀ ପାଇ ମୋହମାୟାରେ ପୂରା ଆଛନ୍ନ ହୋଇଯାଇଥିଲେ ।ପୁଣି ତାଙ୍କର ଥିଲେ ସହସ୍ରାଧିକ ପୁତ୍ର ସନ୍ତାନଗଣ। ଯେଉଁ ସକାଶେ କି କୃଷ୍ଣ ବୈକୁଣ୍ଠକୁ ଯିବାକୁ ମନ ବଳାଉ ନଥିଲେ। ଫଳରେ ତାଙ୍କର ଅବତାର ଲୀଳି ଅଯଥା ବଢ଼ି ବଢ଼ି ଚାଲିଥିଲା ।
ଏତେବେଳେ କିନ୍ତୁ ମହାବିଶ୍ନୁ ଚାହିଁଲେ, କୃଷ୍ନ ମର୍ତ୍ତ୍ୟଲୀଳା ସାରି ଶୀଘ୍ର ବୈକୁଣ୍ଠକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ।କାରଣ କଂସବଧ ସଙ୍ଗେ ସଙ୍ଗେ ମର୍ତ୍ତ୍ୟରେ ବହୁ ଅସୁର ଓ ପାପୀମାନଙ୍କର ପ୍ରାୟତଃ ବିନାଶ ହୋଇ ସାରିଥିଲା। ତେଣୁ ମହାବିଷ୍ନୁ ଅଷ୍ଟବକ୍ର ରୁଷିଙ୍କୁ ଡାକି କହିଲେ, ମର୍ତ୍ତ୍ୟକୁ ଯାଇ କିଛି ଗୋଟେ କର ଯଦ୍ଵାରା କି କୃଷ୍ନ ସମସ୍ତ ମୋହମାୟା ଓ ବନ୍ଧନ ପରିତ୍ୟାଗ କରି ଅକ୍ଲେଶରେ ବୈକୁଣ୍ଠପୁରକୁ ଫେରିଆସିବେ।
ତେଣୁ ଅଷ୍ଟବକ୍ର ରୁଷିଙ୍କର ଦ୍ୱାରିକା ଆଗମନ ହେଲା ।ସେ ଆସି ଦେଖିଲେ ବାସୁଦେବଙ୍କ ସହସ୍ର ପୁତ୍ରମାନେ ଖେଳୁଥିଲେ ।ସେମାନେ ଅତି ଉଶୃଙ୍ଖଳ ମନେ ହେଉଥିଲେ। ଏପରିକି ସେମାନେ ତାଙ୍କୁ ବି ପରିହାସ କରିବାକୁ ଭୁଲିଲେ ନାହିଁ ।
ଖେଳପ୍ରିୟ କୃଷ୍ନନନ୍ଦନ ଶାମ୍ବକୁ ନାରୀବେଶ କରି ତା ଉଦରରେ ଏକ ଲୌହପିଣ୍ଡ ରଖି ରୁଷିଙ୍କୁ ପଚାରିଲେ, କୁହ ରୁଷିବର! ଏ ଅନ୍ତଃସତ୍ତ୍ୱା ନାରୀକୁ ଦଶମାସ ଦଶଦିନ ବିତିଯାଇଥିଲେ ହେଁ ଗର୍ଭ କଷ୍ଟ କିମ୍ଫାପାଉଛି । ସେ ପୁରୁଷ ଅବା ନାରୀ ଜନ୍ମ କରିବ ସଂଶୟ ଫେଡ଼ି ତୁରନ୍ତ କୁହ ।
ଅଷ୍ଟବକ୍ର ପିଲାମାନଙ୍କର ଥଟ୍ଟାପରିହାସ ବୁଝିପାରି ଖପ୍ପା ହୋଇ କହିଲେ, ଏ ନାରୀ ଏକ ଲୌହ ପିଣ୍ଡ ପ୍ରସବ କରିବ। ସେହି ଲୌହ ମୁଷଳରେ ତୁମର ବଂଶ ନିପାତ ହେବ। ଏତେବେଳେ ଯାଇ ଚେତନା ପଶିଲା।କୌତୁକବଶତଃ ଗୁରୁଜନଙ୍କୁ ପରିହାସ କଲେ ତାହାର ପରିଣାମ ଯେ କେତେ ଭୟଙ୍କର ହୁଏ, ତାହା ସେମାନେ ବୁଝିପାରିଲେ । ଉପାୟ ନପାଇ ବାସୁଦେବ ପାଖକୁ ସମସ୍ତେ ଧାଇଁଲେ।
ବାସୁଦେବ ଜାଣିଲେ, ତାଙ୍କର ମର୍ତ୍ତ୍ୟଲୀଳା ସମାପନ ହେବାକୁ ଯାଉଛି। ତେଣୁ ଏପରି ଅଘଟଣ ଅବଶ୍ୟ ଘଟିଲା। ରୁଷିଙ୍କ ଅକାଟ୍ଯ ବାକ୍ୟ ତ ନିଶ୍ଚେ ଫଳପ୍ରଦ ହେବ। ତଥାପି ସେ ଅକ୍ରୁରଙ୍କ ଦ୍ଵାରା ଇନ୍ଦ୍ରପ୍ରସ୍ଥରୁ ଭୀମକୁ ଡକାଇ ଆଣିଲେ ।କହିଲେ, ଏ ଲୌହମୂଷଳକୁ ଘୋରି ସମାପ୍ତ କରିଦିଅ, ନହେଲେ ଯାଦବକୂଳ ଅକାଳେ ବିନଷ୍ଟ ଯିବ ।
ଭୀମ ତାକୁ ଏଗାର ବର୍ଷ କାଳ ଧରି କ୍ଷୀରସମୁଦ୍ର ସମୀପକୁ ଯାଇ ଘର୍ଷଣ କଲେ ।ଘର୍ଷଣରୁ ନିର୍ଗତ ଲୌହ କଣିକା ଫେଣହୋଇ ଭାସିଗଲା ।ସେଥିରୁ ଏରକା ଅରଣ୍ୟ ସ୍ରୁଷ୍ଟି ହେଲା ।ଶେଷକୁ ଯେଉଁ କ୍ଷୁଦ୍ର ଅଂଶ ରହିଗଲା, ଏ ଟିକକ ଆଉ କାହାର କ’ଣ କ୍ଷତି କରିବ ଭାବି ସମୁଦ୍ରକୁ ଫିଙ୍ଗିଦେଲା।
ସେଇ କ୍ଷୁଦ୍ର ଲୌହ ଖଣ୍ଡକୁ ମାଛ ଗିଳିଦେଲା ।ଜାଲରେ ପଡ଼ିବାରୁ ଧୀବର ସେ ମାଛକୁ ଧରିଲା ।ଧୀବର ତା ସ୍ତ୍ରୀକୁ କହିଲା, ଏ ମାଛଟିକୁ ବନ୍ଧୁ ଜରା ଶବରକୁ ଦେବା ।ଜରା ଶବର ସ୍ତ୍ରୀ ସେ ମାଛଟିକୁ କାଟିବାରୁ ଲୌହ ଖଣ୍ଡଟିକୁ ପାଇ ଜରା ଶବରକୁ ଦେଲା ।ମାଛ ରାନ୍ଧି ଜରା ଶବର ସ୍ତ୍ରୀ ଉଭୟ ଜରା ଓ ଧୀବରକୁ ଖୁଆଇଲା ।ଲୌହ ଖଣ୍ଡଟି ଶର ନିର୍ମାଣ ପାଇଁ ଉତ୍ତମ ମନେ ହେବାରୁ ସେ ଶର ତିଆରି କରି ତା ତୁଣୀରେ ରଖିଲା।
ଭୀମ ଜିଜ୍ଞାସା କରନ୍ତେ ସହଦେବ ଭବିଷ୍ୟ ବାଣୀ ଶୁଣାଇଥିଲେ। ଲୌହ ଖଣ୍ଡଟିରୁ ଯେଉଁ କଣିକା ବାହାରିଲା ସେଥିରୁ ଏ ଏରକାବନ ସ୍ରୁଷ୍ଟି ହେବ ।ଏରକା ଯଷ୍ଟିରେ ବାଡ଼ିଆ ବାଡି ହୋଇ ଦିନେ କଳିଗୋଳ କାରଣରୁ ଯଦୁକୁଳ ଧ୍ଵଂସ ହେବ ।ସମସ୍ତେ ମୃତ୍ୟୁବରଣ କରିବେ। ଯେଉଁ ଲୌହ ଖଣ୍ଡଟିକୁ କ୍ଷୁଦ୍ର ଭାବି ନିକ୍ଷେପ କଲ, ତହା ଦିନେ ବାସୁଦେବଙ୍କ ଜୀବନ ନେବ।ଜରାଶବର ତହିଁରେ ଶର ତିଆରି କରି ପ୍ରୟୋଗ କଲେ ବାସୁଦେବଙ୍କର ଦେହାନ୍ତ ହେବ ।କାରଣ ଜରା ତ୍ରେତୟା ଯୁଗର ଅଙ୍ଗଦ ଥିଲା। ତା ପିତାର ପ୍ରତିଶୋଧ ପ୍ରଭୁ ରାମଚନ୍ଦ୍ର ଉପରେ ନେବା ପାଇଁ ଇଚ୍ଛାବ୍ୟକ୍ତ କରିବାରୁ ପ୍ରଭୁ ତାକୁ ଦ୍ଵାପର ଯୁଗରେ ମାରିବାକୁ ବର ଦେଇଥିଲେ। ତେଣୁ ଏ ବର ସମୟ ଆସିଲେ ନିଶ୍ଚୟ ଫଳପ୍ରଦ ହେବ।
ଅବଶ୍ଯ ତାହା ଦିନେ ସତ୍ୟରେ ପରିବର୍ତ୍ତିତ ହେଲା ।ଯଦିଓ ଏହା ସତ୍ୟରେ ରୂପାନ୍ତରିତ ହେବାକୁ ଆହୁରି ବହୁ ସମୟ ବିତି ଯାଇଥିଲା। ତେବେ କୁରୁକ୍ଷେତ୍ର ଯୁଦ୍ଧର ଅବସାନ ପରେ ପାଣ୍ଡବ କୁହନ୍ତୁ ବା ଯଦୁଶ୍ରେଷ୍ଠ ଶ୍ରୀକୃଷ୍ଣ, ସମସ୍ତଙ୍କ ଭିତରେ କେମିତି ଗୋଟେ ଅବସାଦର କାଳିମା ଛାଇହୋଇ ଯାଇଥିଲା। ଯୁଦ୍ଧର ଭୟବହତା ଓ ତା’ର କରୁଣ ପରିଣତି ସମସ୍ତଙ୍କ ମନକୁ ବିଷାଦିତ କରିଥିଲା ।ତେଣୁ ନା ପରିବାରର ମାୟା ନା ରାଜ୍ୟ ଶାସନର ମୋହ ତାଙ୍କୁ ଆକୃଷ୍ଠ କରୁଥିଲା ।ଏତେବେଳେ ନାନା ଘଟଣା ଓ ଅଘଟଣା ସବୁ ସ୍ୱତଃ ସଂଘଟିତ ହୋଇ ଯାଉଥିଲା । ଅଷ୍ଟବକ୍ର ରୁଷିଙ୍କ ଅଭିଶାପ ସଙ୍ଗେ ସଙ୍ଗେ ଗାନ୍ଧାରୀ ବି ଯଦୁବଂଶ ଧ୍ଵଂସ ପାଇଁ ଅଭିଶାପ ଦେଇ ସାରିଥିଲେ। ଖାଲି ଫଳାଫଳ ଭୋଗ କରିବାକୁ ଯାହା ବାକି ରହି ଯାଇଥାଏ।
ଏତେବେଳେ ପୁଣି ବିଶ୍ନୁ ଦୁର୍ବାସା ରୁଷିଙ୍କୁ ପଠାଇ କୃଷ୍ନଙ୍କୁ ବୈକୁଣ୍ଠ ଡକାଇ ନେଲେ। କହିଲେ, ଏବେ ତ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନର କର ।କାରଣ ପ୍ରକୃଷ୍ଠ ସମୟ ଯେ ଆସି ଉପଗତ ।ଏବେ ଯୁଗାବାସନର ଓ କଳିଯୁଗ ପ୍ରବେଶ କରିବାର ସମୟ ହୋଇଗଲାଣି ।
ମହାବିଷ୍ନଙ୍କଠୁଁ ଏକଥା ଶୁଣି କୃଷ୍ଣଙ୍କର ମୋହଭଙ୍ଗ ହେଲା ।ସେ ବୈକୁଣ୍ଠରୁ ଫେରି ମାୟା ରଚନା କଲେ ।ନାନା ବିତ୍ପାତ ସ୍ରୁଷ୍ଟି ହେଲା। କୋକୁଆ ଭୟ ସମସ୍ତଙ୍କୁ ଗ୍ରାସ କଲା। କାଦମ୍ବରୀ ରସପାନ ଯୋଗୁ ମଧ୍ଯ ଯାଦବମାନେ ଉନ୍ମତ୍ତ କାଣ୍ଡ ଭିଆଇଲେ ।ତେଣୁ ଯଦୁବଂଶ ଅଚିରେ ବିନଷ୍ଟ ହେଲା ।ପରେ ବଲରାମ ଭ୍ରାତା ମଧ୍ୟ ପ୍ରାଣ ବିସର୍ଜନ କଲେ।
କୃଷ୍ନ ଏବେ ଏକାକୀ ହୋଇପଡ଼ିଲେ। ସମସ୍ତଙ୍କୁ ହରାଇ କୁଳନାରୀମାନଙ୍କୁ କେମିତି ସାମ୍ନା କରିବେ ବୋଲି ମନସ୍ତାପ କରି ଅରଣ୍ୟକୁ ଆସିଗଲେ ।ସେଠାରେ ଶିଆଳି ଲତା ଉପରେ ବସିପଡ଼ି ଭାବିବାକୁ ଲାଗିଲେ ।ଏହି ଭାବାନ୍ତର ସମୟରେ ଶିଆଳି ଲତାରେ ଝୁଲି ରହିଥିବା ତାଙ୍କ ପାଦ ଦୁଇଟି ମୃଗକାନ ପରି ପ୍ରତୀୟମାନ ହେବାରୁ ଜରା ଶବର ଶରରେ ସେ ନିହତ ହେଲେ। ରୁଷିଙ୍କ ଅଭିଶାପ ସତ ହେଲା ।
୩.ପାଣ୍ଡବାସୁର ବଧ
ପାଣ୍ଡବାସୁର ବୋଲି ଗୋଟେ ଅସୁର ଥିଲା ।ସେ କାଳୀ ମାତାଙ୍କୁ ନିଜ ଜିଭର ରକ୍ତ ଦାନ କରି ସନ୍ତୁଷ୍ଟ କରିଥିଲା। ତେଣୁ କାଳୀ ମାତାଙ୍କ ବରପ୍ରାପ୍ତି ହୋଇ ସେ ଅତ୍ୟନ୍ତ ଶକ୍ତିଶାଳୀ ହୋଇଉଠିଥିଲା।
ବରଦାନ ଅନୁସାରେ ତାକୁ ଇନ୍ଦ୍ର, ଚନ୍ଦ୍ର ଓ ଦେବତା କେହି ମାରି ପାରିବେ ନାହିଁ। କେବଳ ଯଦି ତାକୁ ଦୁଇଫାଳ କରି ଚିରି ସେଥିରେ ଅସ୍ତ୍ର ତିଆରି କରାଯାଇ ପାରିବ, ସେଥିରେ ମାରିଲେ ସେ ତାରି ନିଜ ଅସ୍ତ୍ରରେ ନିଜେ ମରିବ। ତେଣୁ ସେ ମଦମସ୍ତ ହୋଇ ନାନାଦି କାଣ୍ଡ ଭିଆଇଲା ।ସ୍ଵର୍ଗ ଓ ମର୍ତ୍ତ୍ୟରେ ମଧ୍ଯ ଉନ୍ମତ୍ତ କାଣ୍ଡ ଘଟାଇଲା ।ହସ୍ତିନାପୁରରେ ବି ଭୟର ଆତଂକ ଖେଳାଇଲା।
ଅବଶ୍ଯ ଦୁର୍ଯ୍ଯୋଧନ, ଅଶ୍ଵତ୍ଥାମା, କର୍ଣ୍ଣ ଇତ୍ୟାଦି ତାକୁ ଦମନ କରିବା ପାଇଁ ବନସ୍ତକୁ ଗଲେ ।ଭୀଷଣ ଯୁଦ୍ଧ ହେଲା। ସେ କିନ୍ତୁ ସମସ୍ତଙ୍କୁ ମାରି ପକାଇଲା।ସେମାନଙ୍କ ଶବଗୁଡ଼ାକୁ ଏକାଠି ରଖି ସ୍ନାନପୂଜା ସାରି ସେମାନଙ୍କୁ ଭୋଜନ କରିବ ବୋଲି ଭାବି ନଦୀକୁ ଚାଲିଗଲା ।
ଏପଟେ ଭୀମ ତ ଢେର୍ ଦିନ ହେବ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା ତାକୁ ଖୋଜି ଖୋଜି ପାଉ ନଥିଲେ। କିନ୍ତୁ ଖୋଜା ଖୋଜାଖୋଜି ଜାରିରଖି ନକୁଳ, ସହଦେବ, ଅର୍ଜୁନ ଓ ଯୁଧିଷ୍ଠିର ସେଠାରେ ଯାଇ ପହଞ୍ଚି ଦେଖେ ତ ଏମାନେ ସବୁ ମୃତ ପଡ଼ିଛନ୍ତି ।ତେଣୁ କୌରବମାନଙ୍କୁ ବଞ୍ଚାଇବା ପାଇଁ ପାଣ୍ଡବାସୁର ସହ ସେମାନଙ୍କର ଯୁଦ୍ଧ ହେଲା। ହେଲେ କେହି ତାକୁ ପରାସ୍ତ କରିପାରିଲେ ନାହିଁ। ସହଦେବକୁ ଉପାୟ ପଚାରିଲାଠୁଁ ସେ କହିଲା, ୟାକୁ କେବଳ ଭୀମ ହିଁ ମାରିପାରିବ। ଆଉ ତା’ର ମୃତ୍ୟ ରହସ୍ୟ ବି କହିଲା। ଯୁଧିଷ୍ଠିର ତତ୍କ୍ଷଣାତ୍ ଆକୁଳ ହୋଇ ଭୀମକୁ ସ୍ମରଣ କଲେ।
ଭୀମ ସେତେବେଳେ ପାତାଳଲୋକରେ ରହୁଥିଲା ।ଆଉ ନାଗଲୋକରେ ରହିବା ଫଳରେ ସେ ଅତ୍ୟନ୍ତ ବଳଶାଳୀ ଓ ସୁସ୍ଥ ହୋଇଯାଇଥିଲା। ଯୁଧିଷ୍ଠିର ଭ୍ରାତା ସ୍ମରଣ କରିବା ଫଳରେ ତା’ର ବୋଧ ହେଲା ଯେ, ସେ ଏବେ ପାତାଳଲୋକରେ ଅଛି ।ତେଣୁ ଭାଇ ପାଖକୁ ଆସିବାକୁ ଉଦଗ୍ରୀବ ହେଲାରୁ ବେଲାବାଳୀଠାରୁ ବିଦାୟ ନେଲା । ବେଲାବାଳୀ କହିଲା, ସେ ଏବେ ଅନ୍ତଃସତ୍ତ୍ୱା ଅଛି । ଭୀମ କହିଲେ, ପୁତ୍ର ଜନ୍ମ ହେଲେ ତା ନାମ ବେଲାଳସେନ ରଖିବ। ତା’ପରେ ଭାବପୂର୍ଣ୍ଣ ଦୁଃଖଦ ବିଦାୟ ହେଲା ।
ଭୀମ କିନ୍ତୁ ଆଉ ଅଧିକ ସମୟ ଅତିବାହିତ ନକରି ତୁରନ୍ତ ଆସି ଯୁଧିଷ୍ଠିରଙ୍କ ସମ୍ମୁଖରେ ଉପସ୍ଥିତ ହେଲା।
ତା’ପରେ ସେ କୌରବମାନଂକ ଦ୍ଵାରା ତାକୁ ବିଷ ଲଡୁ ପ୍ରଦାନ ଓ ପରେ ପରେ ତା ଶରୀରରେ ପଥର ବାନ୍ଧି ତାକୁ ନଦୀଗର୍ଭକୁ ନିକ୍ଷେପ କରିବା ଆଦି କଥା ସବୁ ଗୋଟି ଗୋଟି କରି କହିଲା। କହିଲା, ସେଦିନ ସେ ବାରୁଣାବତରୁ ହସ୍ତିନାପୁର ଯାଇଥିଲା ବେଳେ ଦୁର୍ଯ୍ଯୋଧନ ଓ ଦୁଃଶାସନ ମଝିରେ ତାକୁ ବସାଇ ବଳେଇ ବଳେଇ ଖାଦ୍ୟ ପରଷି ଥିଲେ ।ସେଥିରେ ବିଷଲଡୁ ଦେଇ ତାକୁ ମାରିବାକୁ ଚାହିଁଥିଲେ। ସେ ମୂର୍ଚ୍ଛିତ ଥିଲା ବେଳେ ତାକୁ ନଦୀକୁ ପଥର ବାନ୍ଧି ଫିଙ୍ଗି ଦେଇଥିଲେ। ଭାବିଥିଲେ, ସୁଗଭୀର ଜଳରେ ତାକୁ ସର୍ପମାନେ ଖାଇଯିବେ ଆଉ ପାଣ୍ଡବ ଭ୍ରାତାମାନେ କିଛି ଜାଣିପାରିବେ ନାହିଁ ।ନଦୀରେ ଅନନ୍ତନାଗର କନ୍ୟା ବେଲାବାଳୀ ଓ ତା’ର ଅନ୍ୟ ଦୁଇ ଭଉଣୀ ସନ୍ଧ୍ୟାବାଳୀ ଓ ବିନ୍ଧ୍ଯାବାଳୀ ଜଳ କ୍ରୀଡା କରିଥିବା ବେଳେ ତାକୁ ପାଇ ନାଗଲୋକ ନେଇ ସେବାଶୁଶ୍ରୁଶା କରି ବଞ୍ଚେଇଲେ ।ସେଠାରେ ବେଲାବିଳୀ ଚାହିଁବାରୁ ସେ ତାକୁ ବିବାହ କରିଛି।ଅନନ୍ତନାଗ ତା’ର ପରିଚୟ ପାଇ ଖୁସି ହୋଇ ଅମୃତ ପାନ କରାଇବାରୁ ସେ ଆଗ ଅପେକ୍ଷା ଅଧିକ ବଳଶାଳୀ ହୋଇଯାଇଚି।
ଏଥିରେ ଭାଇମାନେ କୌରବମାନଙ୍କର ଦୂରଭିସନ୍ଧି ଦେଖି ଆଶ୍ଚର୍ଯ୍ୟ ହେଲେ। ଭୀମ କୌରବମାନଙ୍କୁ ମୃତ ଦେଖି ଆନନ୍ଦିତ ହେଲା। ତେବେ ଦୟାବନ୍ତ ଧର୍ମରାଜ କହିଲେ, ସେସବୁ କଥା ପରେ ବୁଝାବୁଝି ହେବାରେ ଭୀମ! ଏବେ ପାଣ୍ଡବାସୁରକୁ ବଧ କର ଆଉ କୌରବମାନଙ୍କୁ ବଞ୍ଚାଇ ଜ୍ଯେଷ୍ଠପିତାଙ୍କୁ ଆଗ ଦୁଃଖରୁ ମୁକ୍ତି କର ।
ଜ୍ଯେଷ୍ଠ ଭ୍ରାତାଙ୍କ ଆଦେଶ ତ ଶିରୋଧାର୍ଯ୍ୟ ।ସହଦେବ ବି ପାଣ୍ଡବାସୁରର ମୃତ୍ୟୁଭେଦ କହିଦେଲା ।ତେଣୁ ଭୀମ ପାଣ୍ଡବାସୁରକୁ ଦୁଇଫାଳ କରି ଚିରି ପକାଇ ତାହାରି ଅସ୍ତ୍ରରେ ତାକୁ ମାରିଲା। ଅର୍ଜୁନ ଜୀବନ୍ୟାସ ଶର ଦ୍ଵାରା କୌରବମାନଙ୍କୁ ଜୀବିତ କରାଇଲା।
ଭୀମ କିନ୍ତୁ କଟୁକ୍ତି କରିବାକୁ ଆଦୌ ଭୁଲିଲେ ନାହିଁ ।ତାଙ୍କୁ ମାରିବାକୁ ଅପଚେଷ୍ଟା କରିଥିବାରୁ ସେ କୌରବମାନଙ୍କୁ ବହୁ ଧିକ୍କାର କଲା। ଆଉ ଚେତାଇ ଦେଲା ବି ତା ଯୋଗୁ ଆଜି ସେମାନେ ଜୀବନ ପାଇଲେ। ଏ ତାତ୍ସଲ୍ୟ ଶୁଣି କୌରବମାନେ ବଡ ଲଜ୍ଜିତ ହେଲେ। ସମସ୍ତେ ହସ୍ତିନା ଫେରି ସବୁକଥା କହିଲେ । କିନ୍ତୁ ପୁତ୍ର ସ୍ନେହରେ ମୋହାନ୍ଧ ଧୃତରାଷ୍ଟ୍ର ଭୀମ ବଞ୍ଚିଥିବା କଥା ଜାଣି ପୁତ୍ରମାନେ ଅସୁରକ୍ଷିତ ହୋଇଗଲେ ଭାବି ଦୁଃଖୀ ହେଲେ ।
ଗୋଟେ ମହାସମରର ଅନ୍ତ ଘଟିଲା ଆଉ ପାଣ୍ଡବାସୁରର ଦୌରାତ୍ମ୍ୟରୁ ସମସ୍ତେ ରକ୍ଷା ପାଇଗଲେ।ଦେବତାମାନେ ବି ବଡ ଖୁସି ହୋଇ ପାଞ୍ଚଭାଇ ପାଣ୍ଡବାସୁରକୁ ମାରିଥିବାରୁ ସେମାନଙ୍କୁ ସେଇଦିନଠାରୁ ପାଣ୍ଡବ ଆଖ୍ୟା ଦେଲେ I
୪.ଝିମାଣି ଖେଳରୁ ମହାଭାରତ
ସବୁବେଳେ ଛୋଟ କଥାରୁ ବଡ଼ ଘଟଣା ଘଟେ। ଏମିତି ଥରେ ମହାଭାରତ ସମୟରେ ହୋଇଥିଲା ।ଦ୍ରୋଣଙ୍କଠାରୁ ପ୍ରଶିକ୍ଷଣ ପାଇ ରାଜକୁମାରମାନେ ହସ୍ତିନା ଫେରି ଆସିଥିଲେ ।ସେଠାରେ ରାଜପୁତ୍ର ମାନଙ୍କର ଶକ୍ତିର ପରୀକ୍ଷା ପାଇଁ ଏକ ରଙ୍ଗସଭାର ଆୟୋଜନ ହୋଇଥିଲା ।ଯେଉଁଥିରେ ଅର୍ଜୁନ ସର୍ବଶ୍ରେଷ୍ଠ ଯୋଦ୍ଧା ଭାବେ ବିବେଚିତ ହୋଇଥିଲା। ଯାହା କୌରବ ମାନଙ୍କୁ ଇର୍ଷାନ୍ୱିତ କରିଥିଲା ।ପରେ ଭାନୁମତୀକୁ ଦୁର୍ଯ୍ଯୋଧନ ବିବାହ ପଶ୍ଚାତେ ସେ ଅଧିକ ଅଭିମାନୀ ହୋଇ ପଡିଲା। କାହାରି ପ୍ରତି ଶ୍ରଦ୍ଧା ବା ସମ୍ମାନଭାବ ଆଉ ତା’ର ରହିଲା ନାହିଁ। ସେ ହିତାହିତ ଜ୍ଞାନ ଭୁଲିବାକୁ ଲାଗିଲା।
ଗୁରୁକୁଳରୁ ଫେରିବା ପରେ ପାଣ୍ଡବ ଓ କୌରବ ଉଭୟ ଅଧିକ କ୍ରୀଡାପ୍ରିୟ ହୋଇଗଲେ ।ସେମାନେ ତେଣୁ ଖେଳକୁଦରେ ଅଧିକ ମାତି ରହିଲେ। ସେମାନେ ଇନ୍ଦ୍ରପ୍ରସ୍ଥରେ ଝିମାଣି ନାମକ ଏକ କ୍ରୀଡା ରଚନା କରି ସେଥିରେ ବ୍ରତୀ ରହିଲେ। ସେଇ ଝିମାଣି ଖେଳ କୁରୁପାଣ୍ଡବ ବିବାଦର ମୁଖ୍ୟ ଆୟୁଧ ହେଲା ।
ଖେଳରେ ସବୁ ଭାଇମାନେ ଦୁଇ ଦଳରେ ବିଭକ୍ତ ହୋଇଗଲେ। ଦୁର୍ଯ୍ଯୋଧନ ସପକ୍ଷରେ ଦୁଃଶାସନ ରହିଲା ବେଳେ ଯୁଧିଷ୍ଠିରଙ୍କ ସପକ୍ଷରେ ସଦା ସର୍ବଦା ଭୀମ ରହନ୍ତି। ବେଶ୍ ରୋଚକ ସ୍ଥିତିରେ ଖେଳ ବଡ଼ ଉପଭୋଗ୍ୟ ହୁଏ ।ମାତ୍ର ଏଇ ଖେଳ ଦିନେ ସତ ସତିକା ଦ୍ଵନ୍ଦ ଉତ୍ପନ୍ନ କଲା ଓ ଉଭୟଙ୍କ ଭିତରେ ଥିବା ସଦ୍ଭାବନାକୁ କ୍ଷତି ପହଞ୍ଚାଇଲା ।
ଦିନେ ଖେଳୁ ଖେଳୁ ଦୁଃଶାସନ ଯୁଧିଷ୍ଠିରଙ୍କୁ ଆଘାତ ପହଞ୍ଚାଇବାରୁ ଭୀମ ରାଗିକି ଦୁଃଶାସନକୁ ନିର୍ଦ୍ଧୂମ ପ୍ରହାର କଲା ।ଅନ୍ୟ କୌରବ ଭ୍ରାତାମାନେ ବାଧା ଦେବାରୁ ଭୀମ ସମସ୍ତଙ୍କୁ ବାଡ଼େଇ ଲହୁଲୁହାଣ କଲା ।ପରିଣତି ସ୍ଵରୁପ ଉଭୟ ଦୁଇ ଦଳରେ ବାଣ୍ଟି ହୋଇ ଗଲେ। ବିବଦମନୀୟ ସ୍ଥିତି ଉତ୍ପନ୍ନ ହେଲା। ଶତ୍ରୁତା ବଢ଼ିଲା।
କୌରବମାନେ ହାରିବାରୁ ସିଂହାସନ ଲୋଭୀ ଧୃତରାଷ୍ଟ୍ର ବଳରାମଙ୍କୁ କହି କୌରବ ମାନଙ୍କୁ ଗଦା ଯୁଦ୍ଧ ଶିଖାଇଲେ। ଉଭୟଙ୍କ ଶତ୍ରୁତାକୁ ଦୃଷ୍ଟିରେ ରଖି ଭୀଷ୍ମଙ୍କୁ ସେ କହିଲେ, ପାଣ୍ଡବମାନେ ହସ୍ତିନାପୁର ଛାଡି ଦୂରରେ ରହନ୍ତୁ। ଫଳରେ ପରସ୍ପର ଦୂରରେ ରହିଲେ ଆଉ ଭାଇ ଭାଇ ମାନଙ୍କ ଭିତରେ ଅଯଥା କଳି ଉତ୍ପନ୍ନ ହେବ ନାହିଁ। ସେୟା ହେଲା, କିନ୍ତୁ ପାଣ୍ଡବମାନେ ପ୍ରତିଦିନ ହସ୍ତିନା ଆସି ରାଜସଭାରେ ଉପସ୍ଥିତ ହୁଅନ୍ତି ।
ତଥାପି କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୂହେଁ। ପ୍ରତ୍ୟେକେ ପରସ୍ପରକୁ ନୀଚ୍ଚା ଦେଖାଇବାରେ ବ୍ୟସ୍ତ ।ଦୁର୍ଯ୍ଯୋଧନ ପାଣ୍ଡବମାନଙ୍କୁ ଅପମାନିତ କରିବା ପ୍ରୟାସରେ ସେ ସେମାନଙ୍କୁ ପିତାମାନଙ୍କ ନାମ ସହ ଯୋଡ଼ି ଯଥାକ୍ରମେ ଧର୍ମପୁତ୍ର, ପବନପୁତ୍ର, ବାସବି, ଅଶ୍ବିନୀସମ୍ଭବା ଓ ମାଦ୍ରୀପୁତ୍ର ଆଦି ସମ୍ବୋଧନ କରି ଚାଲିଲା। ମାତା କୁନ୍ତୀଙ୍କୁ ବି ଦୁରାଚାରୀ ଆଖ୍ୟା ଦେବାକୁ ଭୁଲିଲା ନାହିଁ। ଭୀମ ଏଥିରେ ରାଗି କୋପନାଳ ହେଲେ ହେଁ କୁନ୍ତୀ ଓ ଯୁଧିଷ୍ଠିର ବୋଧ ଦେଇ ଶାନ୍ତ ରହିବାକୁ କହନ୍ତି। ଦିନେ ଶ୍ରୀକୃଷ୍ଣ ଉପସ୍ଥିତ ଥିଲା ବେଳେ ଭୀମ ପ୍ରତିଶୋଧ ନେବାକୁ ଉଦଗ୍ରୀବ ହୋଇଉଠିଲା। ଶ୍ରୀକୃଷ୍ଣ କହିଲେ, ସେ ଦୁର୍ଯ୍ଯୋଧନକୁ ‘ଗୋଲାକପୁତ୍ର’ କହୁ ।ଦୁର୍ଯ୍ଯୋଧନ ଯୁଆଡ଼େ ଗଲା ଭୀମ ଗୋଲାକ ପୁତ୍ର, ଗୋଲାକ ପୁତ୍ର କହି ଚାଲିଲା। ସଭାସଦ ବର୍ଗ ମଧ୍ୟ ଏହା ଶୁଣି ହସି ପଡ଼ିଲେ ।ଦୁର୍ଯ୍ଯୋଧନ ଏଥିରେ ଅପମାନିତ ବୋଧ କଲା। ସେ ସେଠାରୁ ଉଠିଯାଇ ନିଜ ପ୍ରକୋଷ୍ଠରେ କବାଟ କିଳି ରହିଲା। ଗାନ୍ଧାରୀ ଖାଇବାକୁ ଡାକିଯିବାରୁ ଗୋଲକପୁତ୍ରର ରହସ୍ଯ ଜାଣିବାକୁ ଚାହିଁଲା। ମାତା ସବୁକଥା ଫିଟାଇ କହିଲେ ।କହିଲେ କି, ସେ ତା ବାପା ଧୃତରାଷ୍ଟ୍ରକୁ ବିବାହ କରିବା ପୂର୍ବରୁ ସାହାଡ଼ା ବୃକ୍ଷକୁ ବିବାହ କରିଥିଲେ। ସେଥିପାଇଁ ଭୀମ ଗୋଲକପୁତ୍ର କହୁଛୁ ।ଏହାଦ୍ୱାରା ମାନି ଦୁର୍ଯ୍ଯୋଧନ ଅଜା ଗାନ୍ଧାରସେନ ଉପରେ କୁପିତ ହେଲା , ସେ କାହିଁକି ବିଧବା କନ୍ୟାକୁ ତା ବାପାଙ୍କୁ ବିବାହ ଦେଲା।
ତେଣୁ ରାଗିକି ଲୌହଗିରି ପର୍ବତରେ ଆଗ ଗୋଟେ ପଥର ଗୃହ ନିର୍ମାଣ କଲା ।ମାତାଙ୍କ ଅନୁମତି ନେଇ ସେ ଅଜାଙ୍କ ଘରକୁ ଭେଟିବାକୁ ଗଲା ।ସେଠାରେ ସସମ୍ମାନେ ଗାନ୍ଧାରସେନ ଓ ତାଙ୍କ ପରିବାରକୁ ନିମନ୍ତ୍ରଣ ଜଣାଇ ଆସିଲା ।ସେ ଆସିଲାରୁ ସେଠାରେ ସମସ୍ତଙ୍କୁ ବନ୍ଦୀ କରି ରଖିଲା। ବନ୍ଦୀର କାରଣ ଗାନ୍ଧାରସେନ ଜାଣିବାକୁ ଚାହିଁବାରୁ ଦୁର୍ଯ୍ଯୋଧନ କହିଲା, ବିଧବା କନ୍ୟାକୁ ତାଙ୍କ ପିତାଙ୍କ ସହ ବିବାହ ଦେଇଥିବାରୁ ବନ୍ଦୀ କରାଗଲା ।ସେ ମୁକ୍ତି ପାଇଁ ବିନତି କଲେ। ଦୁର୍ଯ୍ଯୋଧନ ଜାଣିଥିଲେ ଗାନ୍ଧାରସେନ ଭୂତଭବିଷ୍ୟ ଜ୍ଞାତା ।ତେଣୁ ତାଙ୍କୁ ଦୁର୍ଯ୍ଯୋଧନ କହିଲେ, ତାକୁ ପାଣ୍ଡବମାନଙ୍କୁ ହରେଇବାର ମାର୍ଗ ପ୍ରଦର୍ଶନ କଲେ ସେ ବନ୍ଦୀରୁ ମୁକ୍ତ କରିବା କଥା ଚିନ୍ତା କରିବେ । କିନ୍ତୁ ସେ ଦୁଷ୍ଟ ଦୁର୍ଯ୍ଯୋଧନକୁ କିଛି କହିଲେ ନାହିଁ। ତେଣୁ ଗାନ୍ଧାରସେନ ସହ ଶକୁନି ଓ ସାଙ୍ଗରେ ଆସିଥିବା ସୈନ୍ୟବାହିନୀ ବି ବନ୍ଦୀ ହେଲେ। ଗାନ୍ଧାରୀ ଯେତେ ପ୍ରବର୍ତ୍ତାଇଲେ ସେମାନଙ୍କ ମୁକ୍ତି ପାଇଁ ଦୁର୍ଯ୍ଯୋଧନ କାହାକଥା ଶୁଣିଲା ନାହିଁ।
ଗାନ୍ଧାରୀ ହତୋତ୍ସାହିତ ହୋଇ କହିଲେ, ବନ୍ଦୀମାନଙ୍କୁ ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବାକୁ। ଦୁର୍ଯ୍ଯୋଧନ ଯାହା ବ୍ୟବସ୍ଥା କଲେ, ତାହା ଅତ୍ୟନ୍ତ ନଗନ୍ୟ ଥିଲା। ପୁଣି ପ୍ରତିଦିନ ଜଣେ ଜଣେ ବନ୍ଦୀର ଖାଦ୍ୟ କମ୍ କରିବାକୁ ନିର୍ଦ୍ଦେଶ ଥିଲା। ଗାନ୍ଧାରସେନ ଦେଖିଲେ ଆଉ ଜୀବନ ନିର୍ବାହ କରିବା ସମ୍ଭବ ନୂହେଁ। ସେ ତେଣୁ ପୁତ୍ର ଶକୁନିକୁ ପାଖକୁ ଡାକି କହିଲେ, ସେ ଯେମିତି ହେଲେ ବଞ୍ଚିରହି କୌରବ ବଂଶ ନିପାତ ପାଇଁ ଶପଥ ନେଉ। ଜଣଙ୍କ ପରେ ଜଣେ ଅତି କରୁଣ ଭାବେ ଦେହତ୍ୟାଗ କରିଦେଲେ।ମୋଟ ଶହେ ସତାନବେ ବନ୍ଦୀଙ୍କ ଭିତରୁ କେବଳ ଶକୁନି ମାମା ହିଁ ବଞ୍ଚିକି ଥିଲେ।
ଗାନ୍ଧାରୀସେନ ମରିବାର ଅବ୍ୟବହିତ ପୂର୍ବରୁ ଶକୁନିକୁ ପାଖକୁ ଡାକି କହିଲେ, ଦୁର୍ଯ୍ଯୋଧନ ମରିବାର ଉପାୟ ଅଛି ।ଶକୁନି ତା ବୁଦ୍ଧିବଳରେ ହସ୍ତିନାର ମନ୍ତ୍ରୀ ହେବ ବୋଲି ଭବିଷ୍ୟ ବାଣୀ କଲେ। କହିଲେ, ସେ ମରିଯିବା ପରେ ତାଙ୍କ ଡାହାଣ ହାତ ଅସ୍ତିରୁ ପଶାକାଠି ଓ ବାମ ହାତ ଅସ୍ତିରୁ ପଶାର ଦାନ ଗୋଟି ତିଆରି କରି ସେ ଜଗତଜିତା ହେବ ।
ଗାନ୍ଧାରସେନ ଗଙ୍ଗାଙ୍କୁ ସେବା କରି ଏହି ପଶାକାଠି ତିନି ମାସ ପାଇଁ ପାଇଥିଲେ। ଯେଉଁଥିରେକି ସେ ପଶା ଖେଳି ବହୁ ଧନରତ୍ନ ହାସଲ କରିଥିଲେ। ତିନି ମାସ ପରେ ଗଙ୍ଗା ଏହା ଫେରାଇ ନେବା ବେଳେ ତାଙ୍କ ବଂଶଧର ଏହା ପୁନଃ ପ୍ରାପ୍ତି ପାଇଁ ଗଙ୍ଗା ଏହି ଉପାୟ ବତେଇ ଥିଲେ ।ତାହା ସେ ପୁତ୍ର ଶକୁନିକୁ କହିଲେ।
ଦିନେ ମାନି ଦୁର୍ଯ୍ଯୋଧନ ପରିସ୍ରା କରୁଥିବା ବେଳେ ପରିସ୍ରାରେ ବଟବୃକ୍ଷର ବୀଜ ଭାସିଯିବାରୁ ସେ ଏକଥା ଭାବି ହସିଦେଲା ଯେ, ଦେଖ ସେ ଏତେବଡ଼ ଯେ ବଟବୃକ୍ଷ ଏତେବଡ଼ ହୋଇଥିଲେ ହେଁ ତା ବୀଜ ସାମାନ୍ୟ ତା ପରିସ୍ରାରେ ବି ଭାସିଗଲା ।
ଏକଥାର ମର୍ମ କିଛି ଠିକ୍ ସେ ବୁଝି ନପାରିଥିଲେ ବି ପ୍ରସ୍ତର ଗୃହକୁ ବନ୍ଦୀ ପାଇଁ ଖାଦ୍ୟ ନେଇଯାଉଥିବା ମାଳତୀ ବି ହସିଦେଲା ।ଦୁର୍ଯ୍ଯୋଧନ ତାକୁ ହସିବାର ଦେଖି ରାଗିଗଲେ ।କହିଲେ, କାହିଁକି ହସିଲୁ କାଲି ସୁଦ୍ଧା ଉତ୍ତର ଦେଇ ନପାରିଲେ ମୃତ୍ୟ ଦାଣ୍ଡରେ ଦଣ୍ଡିତ ହେବୁ ।ପ୍ରସ୍ତର ଗୃହରେ ଅନ୍ନ ପରିବେଷଣ ସମୟରେ ମାଳତୀର ମନଦୁଃଖ ଦେଖି ଶକୁନି କାରଣ ଜିଜ୍ଞାସା କଲେ। ମାଳତୀ କହିଲା, ରାଜା ହସୁଥିବା ଦେଖି ସିଏ ବି ହସିଦେଲା। କିନ୍ତୁ ହସର ପ୍ରକୃତ କାରଣ ତାକୁ ଜଣା ନାହିଁ। ଶକୁନି କହିଲା, ଠିକ୍ ଅଛି ରାଜାଙ୍କୁ ଯାଇ କହ, ବନ୍ଦୀ ଘରେ ଯିଏ ଅଛି ସିଏ ହସିବାର କାରଣ ଜାଣିଛି ।
ଏକଥା ମାଳତୀ କହିବାରୁ ଦୁର୍ଯ୍ଯୋଧନ ଆଶ୍ଚର୍ଯ୍ୟ ହୋଇଗଲେ। ବନ୍ଦୀଘରେ ଆଉ କିଏ ବଞ୍ଚି ରହିଥିବ ବୋଲି ଭାବିଲେ।ତେଣୁ ସେ ଶକୁନିକୁ ଯାଇ ପଚାରିଲାଠୁଁ ସେ ଯେଣୁ ସବୁ ଦେଖିଥିଲା ପ୍ରକୃତ କାରଣ କହିଦେଲା। ପୁଣି କେମିତି ଏତେ ଦିନ ବଞ୍ଚି ରହି ପାରିଲା ପଚାରିଲାରୁ କହିଲା, କାନ୍ଥରେ କିଛି ଖାଦ୍ୟ କଣିକା ବଳେଇ ବଳେଇ ରଖି ଥିବାରୁ ସେ ଏତେଦିନ ଯାଏ ବଞ୍ଚି ପାରିଲା। ଏକଥା ଶୁଣି ଦୁର୍ଯ୍ଯୋଧନ ଭାବିଲେ, ଏ ନିଶ୍ଚୟ ବିଜ୍ଞ ବ୍ୟକ୍ତି। ତେଣୁ ତାଙ୍କୁ ବନ୍ଦୀମୁକ୍ତ କରି ମନ୍ତ୍ରୀ କଲେ।
ଭବିଷ୍ୟତ ବାଣୀ ସତ ହେବାକୁ ଯାଉଥିବାରୁ ଶକୁନି ମନେମନେ ଖୁସି ହେଲା। ଧୀରେ ଧୀରେ ପାଣ୍ଡବଙ୍କ ପ୍ରତି ଦୁର୍ଯ୍ଯୋଧନର ମନରେ ଘୃଣାଭାବ ଭରି ଯୁଦ୍ଧର ସୂତ୍ରପାତ କଲା ଓ ନିଜ ପ୍ରତିଶୋଧ ପୂରଣ କରିବା ପାଇଁ ସମସ୍ତ ପ୍ରୟାସରେ ଲାଗିରହିଲା। ତେଣେ ଦୁଷ୍ଟ ଦୁର୍ଯ୍ଯୋଧନ ମାମୁଙ୍କର ପ୍ରକୃତ ଉଦ୍ଦେଶ୍ୟ ଜାଣି ନପାରି ଭ୍ରମରେ ରହିଲା ।
ଶେଷରେ ଏହି ଶକୁନି ଓ ଶକୁନିର ପଶାକାଠି ମହାଭାରତ ଯୁଦ୍ଧର ନିର୍ଣ୍ଣାୟକ ମୋଡ ନେଲା ।କୁରୁକ୍ଷେତ୍ର ମହାସମରରେ କେତେ ଯେ ରଥିମହାରଥୀ ଠାରୁ ସାଧାରଣ ନିରୀହ ଜନତା ନିଧନ ହେଲେ ତା’ର କିଛି ଇୟତା ନାହିଁ। ତେଣୁ ଯଥାର୍ଥରେ କୁହଯାଏ ଝିମାଣି ଖେଳରୁ ମହାଭାରତ ଯୁଦ୍ଧ, ଯାହାର ପରିଣତି ଅତ୍ୟନ୍ତ ଭୟାନକ ଥିଲା।
୫.ବିନା ଯୁଦ୍ଧେ ବଜ୍ରବିଦ୍ଧ
ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଯୁଦ୍ଧ କରି ମଲେ ବୀରଗତି ପ୍ରାପ୍ତି ହୋଇଥାଏ। କାହିଁକିନା ସେଥିରେ ଶକ୍ତି ପ୍ରଦର୍ଶନର ପରାକାଷ୍ଠା ସଙ୍ଗେ ସଙ୍ଗେ ଗୌରବ ବି ଥାଏ ।କିନ୍ତୁ ବିନା ଯୁଦ୍ଧରେ ବଜ୍ରବିଦ୍ଧ ହେବା ଏକ ବିଡମ୍ବନା ନୂହେଁ ତ ଆଉ କ’ଣ, ଯାହା ଘଟୋତ୍କଚ ଭାଗ୍ୟରେ ହିଁ ଜୁଟିଥିଲା।
କୌରବମାନଂକ ଦ୍ଵାରା ଜତୁଗୃହ ଷଡଯନ୍ତ୍ର ରଚନା ପରେ ପାଣ୍ଡବମାନେ ଆଉ ନିଜକୁ ସୁରକ୍ଷିତ ମଣୁ ନଥିଲେ।ମନରେ ନାନା ଶଙ୍କା ଆଶଙ୍କା ଉପୁଜୁଥିଲା, ଏଇଲାଗେ ପୁଣି ଅଯଥା କଳହ ହେବ ।ତେଣୁ ହସ୍ତୀନାପୁରୀକୁ ନଫେରି ସେମାନେ କିଛିଦିନ ବନପ୍ରାନ୍ତରେ ଆତ୍ମଗୋପନ କରିବା ସଙ୍ଗେ ସଙ୍ଗେ ଘୂରି ବୁଲିବାକୁ ଲାଗିଲେ ।ଏହି ସମୟରେ ନାନା ଘଟଣା ଓ ଅଘଟଣା ସବୁ ସଂଘଟିତ ହୋଇଯାଉଥିଲା। ତହୁଁ ହିଡ଼ିମ୍ବିକୀ ସହ ଭୀମଙ୍କ ଭେଟ ଓ ଘଟୋତ୍କଚ ପରି ବଳଶାଳୀର ଜନ୍ମ ଏକ ସଂଯୋଗ ବୋଲି ଆମେ କହିପାରିବା।
ସେଦିନ କ’ଣ ହୋଇଛି ନା, ସାରଣୀ କେଶରୀ ନଦୀ କୂଳରେ ପାଣ୍ଡବମାନେ ଶୋଇଥା’ନ୍ତି ଆଉ ଭୀମ ସେମାନଙ୍କୁ ଜଗି ବସିଥା’ନ୍ତି। ହିଡିମ୍ବକ ଓ ହିଡିମ୍ବିକୀ ଦୁଇ ଭାଇଭଉଣୀ ।ସେହି ଅରଣ୍ୟରେ ରହନ୍ତି ।ଏମିତି ବନପ୍ରାନ୍ତରରେ ବୁଲୁବୁଲୁ ହିଡିମ୍ବିକୀର ଦୃଷ୍ଟି ଭୀମକାନ୍ତଙ୍କ ଉପରେ ପଡିଲା। ସେ ତାଙ୍କ ରୂପରେ ବିମୋହିତ ହୋଇ ପ୍ରେମରେ ଆବିଷ୍ଠ ହେଲା ।ତେଣୁ ତ ଭୀମଙ୍କୁ ପ୍ରେମ ନିବେଦନ କରିବାକୁ ପଛାଇଲା ନାହିଁ। ଭୀମ କିନ୍ତୁ ନିଜେ ଦୂରାବସ୍ଥା ଭୋଗ କରୁଥିବା କହି ପ୍ରେମ ନିବେଦନକୁ ଅସ୍ୱୀକାର କଲେ। ତଥାପି ସ୍ନେହାବିଷ୍ଠ ହୋଇ ସେ ହିଡିମ୍ବିକୀଠାରୁ ତା’ର ଜନ୍ମ ବୃତ୍ତାନ୍ତ ଶୁଣିବାକୁ ଚାହିଁଲେ ।
ହିଡିମ୍ବିକୀ ତା’ର ଦୀର୍ଘ ବଂଶବୃକ୍ଷର ପରିଚୟ ରଖି କହିଲା, ସେ ହେଉଛି ହିରଣ୍ୟାସୁରର ବଂଶଧର। ହିରଣ୍ୟାସୁରର ପୁତ୍ର ଜପାସୁର।ତା’ର ପୁତ୍ର ଘୋର। ଘୋରର ପୁତ୍ର ପବନାସୁର ।ତା’ର ପୁତ୍ର ଜପାମାଳି। ତା’ର ପୁତ୍ର ବୀରାସୁର।ତା’ର ପୁତ୍ର କେତୁମାଳି।ତାଠାରୁ ଜାତ କଦମ୍ବାସୁର ଓ ଅମ୍ବାସୁର । ଅମ୍ବାର ପୁତ୍ର ନିର୍ବାତକଚପ। ତା’ର ଚାରି ପୁତ୍ର ଓ ଏକ ପୁତ୍ରୀ ।ସେ ସେହି ନିର୍ବାତକଚପର ପୁତ୍ରୀ ।ଏବେ ଭାଇ ହିଡିମ୍ବକ ସହ ସେ ସେଠାରେ ବାସ କରୁଛି। ହିଡିମ୍ବକ ଭାରି ଉତ୍ପୀଡ଼କ। ସେ ନିଜେ ବି ତା ଉତ୍ପୀଡ଼ନରେ ଉତ୍ପୀଡ଼ିତ ।ହିଡିମ୍ବକୀ ସହ ଭୀମର ଏହିପ୍ରକାର ବାର୍ତ୍ତାଳାପ ବେଶ୍ ରୋଚକ ସ୍ଥିତିରେ ଥାଏ । ଏତିକି ବେଳକୁ ହିଡିମ୍ବକ ଅଚାନକ ସେଠାରେ ଆସି ପହଂଚିଗଲା ଓ ଭୀମକୁ ମାରିବା ପାଇଁ ଉଦ୍ୟତ ହେଲା ।ଭୀମ ବି କେଉଁ ଛାଡ଼ିବା ଲୋକ ।ତୁମୂଳ ସଙ୍ଘର୍ଷ ହେଲା ।ହିଡିମ୍ବକ ମାୟାବୀ ଶକ୍ତି ବଳରେ ବିରାଟକାୟ ରୂପ ପରିଗ୍ରହ କଲା ।
ହିଡିମ୍ବକୀ ଏ ଯୁଦ୍ଧରେ ଭୀମର ସହାୟତା କଲା ।ସେ ତା ମାୟାଶକ୍ତି ବଳରେ ଭୀମର ଶରୀରରକୁ ପ୍ରଚଣ୍ଡାକାରରେ ପରିଣତ କଲା ଓ ତାକୁ ମାୟାଶକ୍ତି ପ୍ରଦାନ କରି ଅଧିକ ଶକ୍ତିଶାଳୀ କଲା । ଏଥିରେ ହିଡିମ୍ବକ ଖପ୍ପା ହେଲା ଓ ହିଡିମ୍ବିକୀକୁ କହିଲା, ମାୟା ଶକ୍ତିବାଣ ତାକୁ ଦେବାପାଇଁ ।ହିଡିମ୍ବିକୀ ତାହା ନକରି ତାହା ସେ ଭୀମ ହାତରେ ଦେଲା ।ଫଳରେ ହିଡିମ୍ବକ ଯୁଦ୍ଧରେ ହାରି ମୃତ୍ୟୁବରଣ କଲା। ଯୁଦ୍ଧରେ ସଙ୍କଟାପନ୍ନ ଅବସ୍ଥାରେ ହିଡିମ୍ବିକୀ ସାହାଯ୍ଯ କରିଥିବାରୁ ଭୀମର ତା ପ୍ରତି ଅନୁକମ୍ପା ଜାତ ହେଲା। ସେ ତା ବିବାହ ପ୍ରସ୍ତାବରେ ସମ୍ମତ ହେଲା ।
ହିଡିମ୍ବିକୀ ମାତା କୁନ୍ତୀଙ୍କୁ ପ୍ରଣାମ କରି ତାକୁ ପୁତ୍ରବଧୂ ରୂପେ ଗ୍ରହଣ କରିବାକୁ ବିନତି କଲା। ତା’ର ସମର୍ପଣ ଭାବ ଓ ବିନୟ ବଚନ ଦେଖି କୁନ୍ତୀ ଓ ପାଣ୍ଡବମାନେ ଏ ବିବାହ ପ୍ରସ୍ତାବକୁ ସମ୍ମତି ଦେଲେ । ତାଙ୍କ ଅସୁର ଲୋକର ପରମ୍ପରା ଅନୁସାରେ ଯିଏ ତାଙ୍କ ରାଜାକୁ ମାରିଥିବ ସେ ତାଙ୍କର ସମ୍ରାଟ ହେବ। ତେଣୁ ଭୀମ ସେଠାରେ ରାଜା ହେଲେ। କୁନ୍ତୀ ଓ ଅନ୍ୟ ପାଣ୍ଡବମାନେ କିଛିକାଳ ଭୀମକୁ ସେଠାରେ ଛାଡ଼ି ଅନ୍ୟତ୍ର ବିଚରଣ କରିବାକୁ ଚାଲିଗଲେ। ଏଥର ଉଭୟଙ୍କଠାରୁ ଜନ୍ମନେଲା ଶକ୍ତିଶାଳୀ ସନ୍ତାନ, ନାମ ତା’ର ଘଟୋତ୍କଚ। ଯାହାର ବିରାଟକାୟ ବପୁ ଓ ଭୟଙ୍କର ପଦାଘାତରେ ଶତୃକୁଳ ଭୟରେ ଥରହର ହୁଅନ୍ତି ।
ପାଣ୍ଡବ ଭାଇମାନଙ୍କର ଜ୍ୟୋଷ୍ଠପୁତ୍ର ହେଲା ଘଟୋତ୍କଚ ।ବର୍ଷକ ପରେ ପାଣ୍ଡବ ଭାଇମାନେ ମାତା କୁନ୍ତୀଙ୍କ ସହ ସେଠାକୁ ଫେରିଲେ ।ଘଟୋତ୍କଚର ରାଜ୍ୟାଭିଷେକ ହେଲା ସେ ଏଣିକି ସେଠାକାର ଶାସନ ଭାର ସମ୍ଭାଳିବ। ଯୁଧିଷ୍ଠିର ସ୍ମରଣ କରିବାରୁ ଏଇ ରାଜ୍ୟାଭିଷେକ କର୍ମ ବ୍ୟାସଙ୍କ ଦ୍ଵାରା ସମ୍ପାଦିତ ହେଲା ।ଭୀମ ସମତେ ସମସ୍ତ ପାଣ୍ଡବମାନେ ସେ ସ୍ଥାନ ଛାଡି ଅନ୍ୟତ୍ର ପ୍ରତ୍ୟାବର୍ତ୍ତନ କଲେ ।ବିଦାୟ ବେଳାରେ କୋଳାକୋଳି ଓ କ୍ରନ୍ଦନରୋଳ ବହେ ହେଲା ।ଘଟୋତ୍କଚ ପିତାଙ୍କୁ ଆଲିଙ୍ଗନ କରି ପ୍ରଣିପାତ କଲା, ଅନ୍ୟ ଜ୍ଯେଷ୍ଠଙ୍କୁ ବି ।
ମହାଭାରତ ଯୁଦ୍ଧରେ ଘଟୋତ୍କଚ ବଡ଼ ଭୂମିକା ଲିଭାଇ ଥିଲା। ପ୍ରଥମରୁ ସେ ଯୁଦ୍ଧ କ୍ଷେତ୍ରକୁ ଆସି ନଥିଲା। ପ୍ରଥମେ ପ୍ରଥମେ ମହାଭାରତ ଯୁଦ୍ଧରେ ସବୁ ନୀତି ନିୟମ ପାଳନ କରାଯାଉଥିଲା। ଉଚିତ୍ ସମୟ ନିର୍ଘଣ୍ଟ ବି ଥିଲା। ତେଣୁ ତ ଏହାକୁ ଧର୍ମ ଯୁଦ୍ଧ ଯଥାର୍ଥରେ କୁହା ଯାଉଥିଲା। କିନ୍ତୁ ଧୀରେ ଧୀରେ ଯୁଦ୍ଧର ଗତି ଯେତେ ତୀବ୍ରତର ହେଉଥାଏ,ସେତେ ସମସ୍ତ ନିୟମ ଧୀରେ ଧୀରେ ଭାଙ୍ଗୁଥିଲା। ତହୁଁ ତ ଦ୍ରୋଣ ସେନାପତି ହେବାର ଚତୁର୍ଥ ଦିନ ଅର୍ଥାତ୍ ମହାଭାରତ ଯୁଦ୍ଧର ଚତୁର୍ଦଶ ଦିବସରେ ରାତ୍ରିରେ ଗୋଳଯୁଦ୍ଧ ହୋଇ ଉଭୟ ପକ୍ଷର ବହୁ ସୈନ୍ୟ ହତାହତ ହୋଇଥିଲେ। ଘଟୋତ୍କଚର ଆବହନ କରିବାରୁ ସେ ରଣ କ୍ଷେତ୍ରରେ ଉଭା ହେଲା।
ଘଟୋତ୍କଚର ବିରାଟକାୟ ବପୁ ।ଗଗନଶ୍ଚୁମ୍ବି ଶରୀରର ଶାଖା ପ୍ରଶାଖା। ଦନ୍ତୁରା ନଖକୁ କିଳିକିଳା ରାବ ।ତା’ର ପାଦର ଦଳା ଚକଟାରେ କେତେ ଯେ ହତାହତ ହେଲେ ।ଶତ୍ରୁପକ୍ଷ ସୈନ୍ୟଙ୍କୁ ସେ ଗୋଟା ଗୋଟା ଗିଳି ପକାଇଲା। ହଜାର ହଜାର ସୈନ୍ୟକୁ ସେ ଦଳି ମକଚି ମାରି ପକାଇଲା। ଏହା ଦେଖି ଭୟପାଇ ସମସ୍ତେ ଏଣେତେଣେ ଦୌଡିବାକୁ ଲାଗିଲେ। ତା ସମ୍ମୁଖ ହେବାକୁ କେହି ସାହସ କରିପାରିଲେ ନାହିଁ। ଲାଗୁଥିଲା ସେ ସେଇକ୍ଷଣି ଯୁଦ୍ଧ ସମାପ୍ତ କରିଦେବ। ଚାରିଆଡ଼େ ଆତଙ୍କ ଖେଳିଗଲା।
ଶେଷରେ ତାଙ୍କ ସମ୍ମୁଖ ହେବା ପାଇଁ ଅଳାମ୍ବୁଷ ଓ ଅଳାୟୁଧ ଆସିଲେ । ଅଳାୟୁଧକୁ ଘଟୋତ୍କଚ ମାରି ପକାଇଲା।ଏହା ଦେଖି ତାଙ୍କ ପିତା ଅଳାମ୍ବୁଷ ଘଟୋତ୍କଚ ଉପରେ ଅସ୍ତ୍ର ବୃଷ୍ଟି କଲେ ।ସେ ଯୁଦ୍ଧର ଆକାର ଓ ପ୍ରକାର ଭୀଷଣ ହେଲା ।ଉଭୟ ଆହତ ହେଲେ।ଭୀମ ଓ ଘଟୋତ୍କଚ ଶତୃ ସୈନ୍ୟ ମାନଙ୍କୁ ପ୍ରବଳ ମାତ୍ରାରେ ସଂହାର କରି ଯାଉଥିଲେ ।କୌରବ ସୈନ୍ୟବଳ ଧୀରେ ଧୀରେ କମି ଯାଉଥିଲା।
ଠିକ୍ ଏତିକି ବେଳକୁ ବିରାଟ ରାଜାଙ୍କୁ କର୍ଣ୍ଣ ବବଲ ଶର ଉତକ୍ଷେପଣ କରି ପରାସ୍ତ କରି ଅର୍ଦ୍ଧଚନ୍ଦ୍ର ବାଣ ଦ୍ଵାରା ତାଙ୍କ ଶିର ଚ୍ଛେଦନ କଲେ ।ଏଥିରେ ଉତ୍କ୍ଷିପ୍ତ ହୋଇ ଉନ୍ମତ୍ତ ସିଂହ ପରି ଅର୍ଜୁନ କର୍ଣ୍ଣଙ୍କ ସହ ଯୁଦ୍ଧ କଲେ ।ଶଲ୍ୟ କର୍ଣ୍ଣକୁ ସ୍ମରଣ କରାଇ ଦେଲେ, “ଇନ୍ଦ୍ର ଯେଉଁ ଶକ୍ତି ପ୍ରଦାନ କରିବାକୁ ବଚନ ଦେଇଥିଲେ ତାଙ୍କୁ ତାହା ଏବେ ମାଗ। “
କର୍ଣ୍ଣ ତାହା ସ୍ମରଣ କରିବାରୁ ଇନ୍ଦ୍ର ବିଚଳିତ ହେଲେ ।କାରଣ ସେ ଜାଣିଥିଲେ କର୍ଣ୍ଣ ନିଶ୍ଚୟ ବାସୁଦେବ ଓ ଅର୍ଜୁନଙ୍କୁ ମାରିବା ପାଇଁ ଏ ଶକ୍ତିର ପ୍ରୟୋଗ କରିବ। ତେଣୁ ସେ ବୃହସ୍ପତିଙ୍କର ପରାମର୍ଶ ଲୋଡ଼ିଲେ ।ବୃହସ୍ପତି କହିଲେ, “ବାସୁଦେବ ନିଶ୍ଚୟ କିଛି ପ୍ରତିକାର କରିବେ। ତେଣୁ ଯେହେତୁ ତୁମେ ବଚନବଦ୍ଧ, ତୁମ୍ଭଙ୍କୁ କର୍ଣ୍ଣକୁ ଶକ୍ତି ଦେବାକୁ ହେବ।”ଇନ୍ଦ୍ର କର୍ଣ୍ଣଙ୍କୁ ଶକ୍ତି ଦେଇଦେଲେ।
ଶଲ୍ୟ ତେଣେ କର୍ଣ୍ଣଙ୍କୁ ତୁରନ୍ତ କହିଲେ, ଘଟୋତ୍କଚ ଭୟଙ୍କର ଯୁଦ୍ଧ କରୁଛି, ତେଣୁ ତାହାକୁ ଏ ଶକ୍ତି ପ୍ରୟୋଗ କରି ବଧ କର।ମାତ୍ର ଅର୍ଜୁନ ଓ ବାସୁଦେବକୁ ନିହତ କରିବା ପାଇଁ କର୍ଣ୍ଣ ଶକ୍ତି ବାଣର ପ୍ରୟୋଗ ପାଇଁ ଅପେକ୍ଷାରେ ଥିଲେ। ତେଣୁ ସେ ନଶୁଣିଲା ପରି ନୀରବତା ଅବଲମ୍ବନ କଲେ ।ଫଳତଃ ଘଟୋତ୍କଚ ଅଳାମ୍ବୁଷକୁ ବଧ କରିଦେଲା ।
ଏ କଥାରେ ଶଲ୍ୟ, ଶକୁନି ଓ ଦୁର୍ଯ୍ଯୋଧନ ସମସ୍ତେ ମିଶି କର୍ଣ୍ଣକୁ ବଡ଼ ଧିକ୍କାର କଲେ ।ଦୁର୍ଯ୍ଯୋଧନ କହିଲେ, “ତୋର ବାହୁବଳକୁ ନିର୍ଭର କରିଥିଲି, କିଛି ଫଳ ହେଲା ନାହିଁ।”
ଶକୁନି କହିଲା, “ହାତରେ ଶକ୍ତି ଅସ୍ତ୍ର ଥାଇକି କୃଷ୍ନ ଅର୍ଜୁନକୁ ମାରୁ ନାହୁଁ ।” ଶଲ୍ଯର ତାଚ୍ଛଲ୍ୟ ସଦାସର୍ବଦା ଥାଏ ।
ଏଥର କର୍ଣ୍ଣ ଆଉ କୋପ ସମ୍ବରଣ ନକରି ଶକ୍ତିଅସ୍ତ୍ର ସଂଯୋଗ କରିଦେଲେ ।
ବାସୁଦେବ ଘଟୋତ୍କଚକୁ କହିଲେ, “ନନ୍ଦିଘୋଷ ପଛରେ ଲୁଚି ଯା’।”ସେ ଲୁଚିଗଲା। ହନୁମାନକୁ କହିଲେ, ନନ୍ଦିଘୋଷକୁ ପାତାଳକୁ ନେଇ ଯା’। “ସେ ତା ଭାରା ପାତାଳକୁ ଛାଡ଼ିଦେଲା ।
ସେତେବେଳକୁ ଶକ୍ତିବାଣ କର୍ଣ୍ଣ ହସ୍ତରୁ ବାହାରି ଯାଇଥିଲା।ମାତ୍ର ସେ ତ ଅଫେରା ବାଣ ଓ ଥରେ ମାତ୍ର ପ୍ରୟୋଗଶୀଳ।କିନ୍ତୁ ନନ୍ଦିଘୋଷ ଅପସାରିତ ହୋଇଯାଇଥିବାରୁ ସେ ସ୍ଥାନରେ ରହିଯାଇଥିଲା କେବଳ ଘଟୋତ୍କଚ ।ଯାହାକୁ ଶକ୍ତି ପ୍ରହାର କଲା। ଯୁଦ୍ଧ ନକରି ମଧ୍ଯ ଘଟୋତ୍କଚର ସେ ସ୍ଥାନରେ ମୃତ୍ୟୁ ହେଲା।
ଶକ୍ତି ଅର୍ଜୁନ ଓ ବାସୁଦେବଙ୍କୁ ମାରିବାକୁ ନିରର୍ଥ ହେବା ପରେ ହନୁମାନ ନନ୍ଦିଘୋଷକୁ ପୁଣିଥରେ ଉପରକୁ ଉଠାଇ ଆଣିଲେ ।
ମହାଶକ୍ତିଶାଳୀ ଘଟୋତ୍କଚର ଜୀବନ ନାଟିକାର ପରିସମାପ୍ତି ଘଟିଲା ।ସେଦିନର ଯୁଦ୍ଧ ସରିଲା। ଘଟୋତ୍କଚ କାହିଁକି ଓ କେମିତି ମଲା ବୋଲି ଧୃତରାଷ୍ଟ୍ର ଜିଜ୍ଞାସା କରନ୍ତେ ସଂଜୟ ସବୁକଥା ଖୋଲିକି କହିଲେ ।କହିଲେ କି, ଘଟୋତ୍କଚ ମାତା ହିଡିମ୍ବିକୀ କଥାରେ ପଡ଼ି ରାଜସୂୟ ଯଜ୍ଞ ସମୟରେ ଦ୍ରୌପଦୀକୁ ପ୍ରଣାମ କରି ନଥିବାରୁ, ସେ ଅଭିଶାପ ଦେଇଥିଲେ, ବିନା ଯୁଦ୍ଧରେ ବଜ୍ରବିଦ୍ଧ ହୋଇ ମରିବାକୁ। ହିଡିମ୍ବିକୀ ବି ଏତାଦୃଶ୍ୟ କାର୍ଯ୍ୟରେ ଉତ୍କ୍ଷିପ୍ତ ହୋଇ ଦ୍ରୌପଦୀକୁ ମଧ୍ଯ ଅଭିଶାପ ଦେଇଥିଲେ, “ତା’ର ପାଞ୍ଚପୁତ୍ର ଅବଶ୍ଯ ଜନ୍ମିବେ ଓ ସାତ ବର୍ଷରେ ସେମାନେ ମରିବେ।”
ଦ୍ରୌପଦୀଙ୍କ ଅଭିଶାପ କାରଣରୁ ଅବଶ୍ଯ ଘଟୋତ୍କଚର ନିଧନ ହେଲା ।
6.ରକ୍ତନଦୀ ସନ୍ତରଣ
ଶଲ୍ଯଙ୍କ ମୃତ୍ୟୁପରେ କୃପାଚାର୍ଯ୍ୟଙ୍କୁ ସେନାପତି ଆସନରେ ଆସୀନ କରାଇଲେ ଦୁର୍ଯ୍ଯୋଧନ ।ମାତ୍ର ସେ ଅସ୍ତ୍ର ପରିତ୍ୟାଗ କରି ବନକୁ ପଳାୟନ କଲା ପରେ ଆପତତଃ ଯୁଦ୍ଧର ପରିସମାପ୍ତି ଘଟିଥିଲା ।ଆରମ୍ଭ ହେଲା ରାତ୍ରିରେ ଗୋଳଯୁଦ୍ଧ ।
ଏତେବେଳକୁ ଶକୁନି ନିହତ ହୋଇସାରିଥିଲେ ଆଉ ଦୁର୍ଯ୍ଯୋଧନ ମାନଙ୍କର ଅଭିସନ୍ଧି ବୁଝି ସାରିଥିଲେ ।ହେଲେ ଆଉ କ’ଣ ଥାଏ। ତଥାପି ଜୀବ ଅଛି ମାନେ ଲୋଭ ଅଛି। ସେ ପୁତ୍ର ଲକ୍ଷ୍ମଣ କୁମାରଙ୍କୁ ଡାକି କହିଲେ ରଣଭୂମି ଛାଡି ଆତ୍ମଗୋପନ କରିବାକୁ ।ନହେଲେ କୌରବ କୁଳର ଏକମାତ୍ର ସନ୍ତକ ର ଜୀବନ ଦୀପ ଲିଭିଯିବ କୁଳ ରକ୍ଷା କରିବାକୁ ଆଉ କେହି ରହିବେ ନାହିଁ। ପ୍ରଥମେ ପୁତ୍ର ଏ ପ୍ରସ୍ତାବରେ ପୁତ୍ର ହେଉନଥିଲା। କିନ୍ତୁ ବଂଶ ରକ୍ଷାର ଦ୍ୱାହି ଦେବାରୁ ସେ ରଖିହେଲା। କିନ୍ତୁ ଅନ୍ଧ ଯୁଦ୍ଧରେ କିଏ କାହାକୁ ବା ଚିହ୍ନିଛୁ। ପାଣ୍ଡବ ସମତେ ଦୁଷ୍ଟଦ୍ୟୁମ୍ନ, ସାତ୍ୟକି, ଦୁର୍ଦ୍ଦଷ ପ୍ରମୂଖ ଯୁଦ୍ଧର ଅନ୍ତିମ ଘଡିରେ ଅବଶିଷ୍ଠ କୌରବ ସୈନ୍ୟ ମାନଙ୍କୁ ନିପାତ କରୁଥିଲେ ।ଲକ୍ଷ୍ମଣ କୁମାର ସେଇ ସୈନ୍ୟମାନଙ୍କ ଭିତରେ ଥିଲା। ଗୋଳ ଯୁଦ୍ଧରେ କେହି କାହାକୁ ଚିହ୍ନି ପାରୁନଥିବାରୁ ଦୁଷ୍ଟଦ୍ୟୁମ୍ନର ଗଦା ତା ମୁଣ୍ଡ ଉପରେ ପଡିଲା। ସେ ମୃତ୍ୟୁବରଣ କଲା।
ନକୁଳ କୁନ୍ତ ପ୍ରୟୋଗ କଲାରୁ ତାହା ଦୁର୍ଯ୍ଯୋଧନର ହାତୀ ଦେହରେ ଲାଗିଲା। ବିଦର୍ଭ ରାଜନ ଶିବପାଳଙ୍କ ହାତୀର ଘଣ୍ଟି ବି ଖସିପଡିଲି ।ଦୁର୍ଯ୍ଯୋଧନ ସେ ଘଣ୍ଟି ତଳେ ରହିଗଲେ ।ହସ୍ତୀ ଘଣ୍ଟି ଉପରେ ପଡିଗଲା ଓ ବହୁ ସୈନ୍ୟ ମୃତ ହୋଇ ହସ୍ତୀ ଉପରେ ପଡ଼ିଲେ। ରକ୍ତର ନଦୀ ବୋହିଗଲା ।ରାତ୍ର ତ୍ରୟୋଦଶ ଘଡିରେ ଗୋଳଯୁଦ୍ଧର ସମାପ୍ତି ଘଟିଲା ।ପାଣ୍ଡବମାନେ ବିଜୟ ଉଲ୍ଲାସରେ ମାତିଲେ।
କୌରବମାନଙ୍କର ପତନ ସଙ୍ଗେ ସଙ୍ଗେ କୁରୁକ୍ଷେତ୍ରରେ ରକ୍ତନଦୀ ବୋହିଗଲା।ତେତ୍ରିଶ କୋଟି ଯୋଗିନୀ, ନଅ କୋଟି କାତ୍ୟାୟନୀ, ଏକାଦଶ କୋଟି ଭୈରବୀ, ଏକ ଅର୍ବୁଦ ରୁଦ୍ରାଣୀ, ଏକ ଲକ୍ଷ ବ୍ରାହ୍ମଣୀ, ପାଞ୍ଚ ଲକ୍ଷ ଦେବୀ, ତିନି ଲକ୍ଷ ଇନ୍ଦ୍ରାଣୀ, ଚଉଦ ଲକ୍ଷ ନାରାୟଣୀ, ଦୁଇ ଲକ୍ଷ ଡାକିନୀ, ଏକ କୋଟି ନିରସିଂହୀ, ଏକ ବୃନ୍ଦ ପିଶାଚୀ, ଏକ ଖର୍ବ ବରାହୀ, ଦୁଇ ଲକ୍ଷ ଚାମୁଣ୍ଡା, ନଅ କୋଟି ଚଣ୍ଡୀ, ନଅ କୋଟି କଙ୍କାଳୀ, ଏକ କୋଟି ଘୋରରବୀ ବେତାଳୀ ଇତ୍ୟାଦି ଆସି ସେ ସ୍ଥାନେ ମାଂସ ଓ ରକ୍ତ ଭକ୍ଷଣ କଲେ।
ଯୁଦ୍ଧର ଏ ଶେଷ ତାଣ୍ଡବ ଲୀଳା ଦେଖି ଦୁର୍ଯ୍ଯୋଧନ ଆଶ୍ଚର୍ଯ୍ୟର ଆଉ ସୀମା ରହିଲା ନାହିଁ। ଏପଟେ ବଞ୍ଚିବାର ପ୍ରବଳ ଇଚ୍ଛା। ତେଣୁ ସଙ୍ଘର୍ଷ କରିବାକୁ ହେବ ଜାଣି କିଛିବାଟ ରକ୍ତନଦୀ ସନ୍ତରଣ କଲା ।ଥକିପଡ଼ିଲାପରେ ଆଶ୍ରୟ ଖୋଜିଲା ।ଶବ ଧରି ପାରି ହୋଇଯିବାକୁ ଆପ୍ରାଣ ଚେଷ୍ଟା କଲା। ମାତ୍ର ଯେଉଁ ଶବକୁ ଆଶ୍ରୟ କଲା ଗୋଟି ଗୋଟି କରି ସବୁ ଶବ ବୁଡିଗଲା। ଏହି ପ୍ରକାରେ ଦୁଃଶାସନଠାରୁ ଆରମ୍ଭ କରି ଅନ୍ୟ ଭ୍ରାତାଗଣ, ପୁଣି କର୍ଣ୍ଣ, ଦ୍ରୋଣ, ଶକୁନି, ଭୁରିଶ୍ରବା, ଶଲ୍ଯ ପର୍ଯ୍ୟନ୍ତ ଯାହା ଶବକୁ ଆଶ୍ରା କଲା କେହି ତାକୁ ନଦୀ ପାର ହେବାରେ ସାହାଯ୍ୟ କଲେ ନାହିଁ ସେମାନଙ୍କୁ ଦେଖି ସେ ବିଳାପ କଲା। ସେମାନଙ୍କ ପୂର୍ବକଥା ସବୁ ମନେ ପଡିଯାଉଥାଏ ।କିପରି କିଏ ଅତି ନିଜର ଥିଲା ଆଉ କିଏ ତାକୁ ବିଶ୍ୱାସଘାତକତା କରିଥିଲା ।ହେଲେ ବି ସେ ଆଉ କାହାଠୁ ସାହାଯ୍ୟ ପାଇଲା ନାହିଁ। ଶେଷରେ ଗୋଟେ ଶବ ଭାସି ଭାସି ଆସିଲା। ତାକୁ ଓଲଟାଇ ଦେଖିଲା ବେକକୁ ତାହା ଥିଲା ପ୍ରିୟପୁତ୍ର ଲକ୍ଷ୍ମଣ କୁମାରର ।ଯାହା ସିଏ ଭାବିଥିଲା ବଂଶର କୁଲନନ୍ଦନ ଅତିକମ୍ ରେ ବଞ୍ଚି ଯାଉଥିବ ବୋଲି ତାହା ନହୋଇ ପାରିଥିବାରୁ ଆହୁରି ଜୋର୍ ଜୋର୍ କ୍ରନ୍ଦନ କରିବାକୁ ଲାଗିଲା। ଶେଷରେ ପୁତୁରାର ଶବକୁ ଆଶ୍ରା କରି ନଦୀ ପାର ହେଲା। ବେଦନାକ୍ତ ହୃଦୟରେ ଦୁଃଖଭାଗ ଭରି ଯାଉଥିଲା ।ନଦୀପାର ହେବା ପରେ ସେ ପ୍ରଥମେ ଶରଶଯ୍ୟାରେ ଥିବା ଭୀଷ୍ମ ଙ୍କ ପାଖକୁ ଯାଇ ବଞ୍ଚିବାର ଉପାୟ ବତାଇବାକୁ ଆକୁଳ ନିବେଦନ କଲା।
ଭୀଷ୍ମ କହିଲେ, ସମସ୍ତଙ୍କୁ ହରାଇ ଏଭଳି ବଞ୍ଚିରହିବା କିଛି ମାନେ ନାହିଁ। ବରଂ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲେ ଭଲ ହୋଇଥା’ନ୍ତା। ମୃତ୍ୟ କିନ୍ତୁ ତୋର ସୁନିଶ୍ଚିତ। ତୋତେ ବଞ୍ଚାଇବା ପାଇଁ
ମୋ ପାଖରେ ସେମିତି କୌଣସି ଉପାୟ ନାହିଁ। ବରଂ ଦୁର୍ବାସା ରୁଷିଙ୍କ ପାଖକୁ ଯା’ ସେ ହୁଏତ କିଛି ଉପାୟ ବତାଇ ପାରନ୍ତି ।ତେଣୁ ଦୁର୍ଯ୍ଯୋଧନ ସେ ସ୍ଥାନ ତୁରନ୍ତ ଛାଡି ଦୁର୍ବାସା ରୁଷିଙ୍କ ଆଡକୁ ଚଳିଲା।
ତା ପୂର୍ବରୁ ସେ ଶେଷଥର ପାଇଁ ହସ୍ତିନା ନଗରୀକୁ ଗଲା ।ସେଠାରେ ସ୍ତ୍ରୀ ଭାନୁମତୀ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ବିବଶ ଦେଖି କ୍ରନ୍ଦନ କଲେ ।ଦୁର୍ଯ୍ଯୋଧନ ତାକୁ ପ୍ରବୋଧନା ଦେଲେ ।କହିଲେ, ଆଜି ରାତିଟା ତା ପାଇଁ ବିପଦ। ରାତି ପାହିବା ଯାଏ ସେ ବଞ୍ଚି ରହିଲେ ପୁଣି ରାଜା ହେବେ। ତାଙ୍କୁ କେହି ମାରିପାରିବେ ନାହିଁ ।
ତା’ପରେ ସେ ଗାନ୍ଧାରୀ ଓ ଧୃତରାଷ୍ଟ୍ର ପାଖରେ ପହଞ୍ଚିଲେ। ଧୃତରାଷ୍ଟ୍ର ତାକୁ କହିଲେ, ଯଦି ଶକୁନି କଥାରେ ତୁ ପ୍ରରୋଚିତ ହୋଇ ନଥା’ନ୍ତୁ କି କୃଷ୍ନଙ୍କୁ ସେଦିନ ଅପମାନିତ କରି ନଥାନ୍ତୁ ତାହେଲେ ଯୁଦ୍ଧ ହୋଇନଥାନ୍ତା କି ତୋର ଏ ଦୁର୍ଦ୍ଦଶା ହୋଇ ନଥାନ୍ତା। ତୋର ଜନ୍ମ ବେଳେ ବିଦୁର କହିଥିଲା ତୁମର ଏ ପୁତ୍ର କୂଳହନ୍ତା ହେବ ।ତାକୁ ମାରିଲେ କୂଳରକ୍ଷା ହେବ। ବିଦୁର କଥା ସେଦିନ ଆମେ ନମାନି, ତୋରି ପାଇଁ ଆଜି ଆମେ ଅପୁତ୍ରିକ ହେବାକୁ ଯାଉଛୁ ।ଅନେଶତ ପୁତ୍ରଙ୍କର ବିନାଶ ହୋଇ ସାରିଛି। ଏତକ କହି ସେ କପାଳରେ ହାତ ଦେଲେ।
ଦୁର୍ଯ୍ଯୋଧନଙ୍କର ତଥାପି ବଞ୍ଚିବାର ମୋହ ଅଧିକ। ସେ ପିତାଙ୍କୁ ଦିନକ ପାଇଁ ତାଙ୍କ ବଞ୍ଚିବାର ରାସ୍ତା ଦେଖାଇବାକୁ କହିଲେ ।କାରଣ ଯଦି ସେଇ ଦିନକ ସେ ବଞ୍ଚିଯାଏ ତେବେ ପୁନର୍ବାର ରାଜା ହେବ। କାହିଁକିନା ଭୀମ ସେପଟେ ଶପଥ କରିଥାଏ, ସୂର୍ଯ୍ୟା ଉଦୟ ପୂର୍ବରୁ ସେ ଯଦି ତାକୁ ନମାରି ପାରେ ତେବେ ଆତ୍ମହତ୍ୟା କରିବ। ତାହା ଦେଖି ପାଣ୍ଡବମାନେ ନିଶ୍ଚେ ଆତ୍ମ ବିସର୍ଜନ କରିଦେବେ ।
ଧୃତରାଷ୍ଟ୍ର କହିଲେ ଲୁଚି କରି ତୋର ବଞ୍ଚିବାର ଆଶା କ୍ଷୀଣ। କାହିଁକିନା ଯେଉଁଠି ଲୁଚିଲେ ବି ସର୍ବଜ୍ଞାତା ସହଦେବ ସବୁ କହିଦେବ ।ତଥାପି ବ୍ୟାସ ସରୋବରରେ ଦୁର୍ବାସା ଅଛନ୍ତି, ତାଙ୍କ ପାଖକୁ ଗଲେ ହୁଏତ ସେ କିଛି ଉପାୟ କହି ପାରନ୍ତି।
ଆଉ କାହା ପାଖରୁ କିଛି ଆଶାର ଆଲୋକ ନପାଇ ସେ ସିଧା ଦୁର୍ବାସାଙ୍କ ପାଖକୁ ଗଲା।
ଦୁର୍ଯ୍ଯୋଧନର ଅଜ୍ଞାନତା ଓ ଅବିଚାରତା ପାଇଁ ଦୁର୍ବାସା ତାକୁ ନାନା କଥା କହିଲେ। ମାତ୍ର ସେ ବିନତି କରିବାରୁ ଦୁର୍ବାସା କହିଲେ, ବ୍ୟାସ ରୁଦ୍ରଗର୍ଭ ଲିଙ୍ଗ କୈଳାଶରୁ ଆଣି ସରୋବରରେ ସ୍ଥାପନା କରିଛନ୍ତି, ଯାହାର ମହିମା ଅଶେଷ। ସେହି ଲିଙ୍ଗ ମଧ୍ୟରେ ପ୍ରବେଶ କରି ଆତ୍ମଗୋପନ କର କେହି ସହଜରେ ଖୋଜିକି ପାଇବେ ନାହିଁ। ତଥାପି ସହଦେବ ଭୂତ ଓ ଭବିଶ୍ଯ ଜ୍ଞାତା ହୋଇଥିବାରୁ ସେ କହିଦେଇପାରେ । ତେବେ ବି ଏ ବ୍ୟାସସରୋବରରେ ଇନ୍ଦ୍ର, ଚନ୍ଦ୍ର ହେଲେବି କୌଣସି ଅନୁପ୍ରବେଶକାରୀ ଦହନ ହୋଇଯିବେ ।ଆହୁରି ମଧ୍ଯ ସତର୍କ କରାଇଦେଲେ, ଭୀମ ଆସି ତିନି ରଡି ଦେବ। ସେ ତିନି ରଡିକୁ ସମ୍ବରଣ କରି ସରୋବରରୁ ନବିହାରିଲେ ପୁଣି ତୁମେ ରାଜା ହୋଇପାରିବ। ନ ସହିପାରିଲେ ମରିବ।
ଦୁର୍ଯ୍ଯୋଧନ ଏ କଥା ଶୁଣି ମନେମନେ ଦୃଢ଼ ନିଶ୍ଚୟ ହେଲେ ଯେ ସେ ଯେମିତି ହେଉ ଭୀମର ତିନି ରଡି ସହିବ। ଏଥର ସେ ସରୋବରକୁ ସୁରକ୍ଷିତ ଭାବି ସେଥିରେ ପଛଘୁଞ୍ଚା ଦେଇ “ଶରଣ ଦିଅ” କହି ପ୍ରବେଶ କଲା ନହେଲେ ଅନୁପ୍ରବେଶକାରୀ ଭାବେ ପ୍ରବେଶ କରିଥିଲେ ଭଷ୍ମ ହୋଇଯାଇଥାନ୍ତା।
ସେଠାରେ ବିଳାସପୂର୍ଣ୍ଣ ବ୍ୟବସ୍ଥା ଥିଲା ।ସେ ସୁବର୍ଣ୍ଣ ଶଯ୍ୟାରେ ନିଦ୍ରାଗଲା ।ଦୀର୍ଘ ଅଠର ଦିନ ହେବ ଅନିଦ୍ର ରହି ଯେଉଁ ଅବିଶ୍ରାନ୍ତ ସଙ୍ଘର୍ଷ କରିଥିଲା ତାହା ଧୀରେଧୀରେ ନିର୍ବାପିତ ହେବାକୁ ଲାଗିଲା। ଏତିକି ବେଳକୁ ତା ଉପରେ କାହାର ଅଶ୍ରୁ ନିପତିତ ହେଲା । ଦେଖିଲା ବେଳକୁ ଲକ୍ଷ୍ମୀ ଦେବୀ ତା ପାଖରେ ବସି ଅଶ୍ରୁ ନିଗାଡ଼ୁଛନ୍ତି, ତାହାର ଏହି ଦୁରାବସ୍ଥା ଦେଖି। ଲକ୍ଷ୍ମୀ କହିଲେ, ବହୁଦିନ ତୁମ କାନ୍ଧରେ ରହିଲି ।ମାତ୍ର ଯୁଦ୍ଧ ସମୟରେ ତଳେ ଖସି ପଡ଼ି ଆଉ ତୋତେ ଖୋଜି ପାଉ ନଥିଲି। ଆଜି ବ୍ୟାସ ସରୋବରକୁ ତୁ ଆସିଥିବା ଜାଣି ତୋ ପାଖକୁ ଆସିଲୁ। ସିଏ ବି ଚେତାଇ ଦେଲେ, ଭୀମର ତିନି ରଡି ସମ୍ବରଣ କରି ପାରିଲେ ଭୀମ ଅଗ୍ନିରେ ଝାସ ଦେବ ଆଉ ତୁ ରାଜା ହେବୁ। ଏତକ କହି, ଶ୍ରଦ୍ଧାରେ ଦୁର୍ଯ୍ଯୋଧନର ମସ୍ତକକୁ ନିଜ କୋଳରେ ଧାରଣ କଲେ। ଦୁର୍ଯ୍ଯୋଧନ ଲକ୍ଷ୍ମୀଙ୍କ କୋଳରେ ଅଚିନ୍ତାରେ ଶୋଇପଡ଼ିଲା ।
7.ପଶିଲେ ଅନ୍ଧ ବାହାରିଲେ ମୃତ
ମହାଭାରତ ସମୟର କଥା।ଏକଦା ବନବାସ କାଳରେ ପାଣ୍ଡବ ଭ୍ରମଣ କରିକରି ଯାଇ ସୁରଦେବ ଜଙ୍ଗଲରେ ପହଞ୍ଚିଲେ ।ଶୋଷ ଲାଗିବାରୁ ଯୁଧିଷ୍ଠିର ଆଜ୍ଞାକାରୀ ଭୀମକୁ ଜଳ ଆଣିବାକୁ କହିଲେ। ଭୀମ ଜଳ ସନ୍ଧାନ କରିବାକୁ ଯାଇ ସୁଦେବ ପର୍ବତରେ ପହଞ୍ଚିଲେ। ସେଠାରେ ଗୋଟେ ପୁଷ୍କରଣୀ ଦେଖିଲେ, ଯାହାର ନାଁ ଅନ୍ଧକ।ତହିଁରେ ଜଳ ଭର୍ତ୍ତି ହୋଇଥାଏ। ଜଳରାଶି କାଚକେନ୍ଦୁ ପରି ସ୍ୱାଛ ଓ ଅତି ନିର୍ମଳ ଥାଏ ।
ସରୋବର ମଧ୍ୟରେ ପୁଣି ଏକ ଶିମୁଳି ବୃକ୍ଷ ଥିଲା। ବୃକ୍ଷ ଉପରେ ଏକ ବକ ବସିରହିଥିଲା।ଯାହାକୁ ଭୂତଭବିଷ୍ୟ ସବୁ ଜଣା। ଏମିତିକି ବେଦାଦି ମନ୍ତ୍ର ଉଚ୍ଚାରଣ କରିବାକୁ ସେ ସମର୍ଥ।
ଭୀମା ଦେଖିଲା ଜଳ ପିଇବା ପାଇଁ ଏହା ଉପଯୁକ୍ତ। ତେଣୁ ସରୋବରରେ ପଶିଲା । ଏତିକିବେଳକୁ ଧର୍ମବକ ବାରଣ କଲା । ସେ କହିଲା, ସରୋବରରୁ ଜଳ ନେବାକୁ ହେଲେ ତାକୁ କେତୋଟି ପ୍ରଶ୍ନର ଉତ୍ତର ଆଗ ଦେବାକୁ ହେବ। କିନ୍ତୁ ପ୍ରଶ୍ନର ଉତ୍ତର ନଦେଇ ଜଳ ନେବାକୁ ସରୋବରରେ ସେ ପଶିଲେ ଅନ୍ଧ ହୋଇଯିବ। ଆଉ ଯଦି ଜଳରୁ ବାହାରିଯିବ ସେ ମୃତ୍ୟୁବରଣ କରିବ।
ଭୀମ ତା କଥା ବା କାହିଁକି ଶୁଣିବାକୁ ଯିବ। ଓଲଟା ସେ ତା କଥାକୁ ହାସ୍ୟ ମଣିଲା। ପ୍ରଥମେ ତୃଷା ନିବାରଣ କରିବା ପାଇଁ ସେ ସରୋବର ମଧ୍ୟରେ ପଶି ଚଳାଚଳା କରି ଜଳପାନ କଲା ।ତହୁଁ ଧର୍ମବକର କହିବାର ଅନୁରୂପ ଭାବେ ସେ ଅନ୍ଧ ହୋଇଗଲା। ପୁଣି ଜଳରୁ ଯେମିତି ଉପରକୁ ଉଠି ଆସିଛି, ସେମିତି ମୃତ୍ୟୁବରଣ କଲା।
ଏଇ ରକମର ବହୁ ସମୟ ବିତିଗଲା। ଭୀମ ଯେମିତି ନଫେରିଲା, ଜ୍ଯେଷ୍ଠଭ୍ରାତା ବିଚଳିତ ହୋଇ ଭୀମଙ୍କୁ ଖୋଜି ଆଣିବା ପାଇଁ ଅର୍ଜୁନଙ୍କୁ ପଠାଇଲେ। ଅର୍ଜୁନ ବହୁ ଖୋଜାଖୋଜି ପରେ ସରୋବର ନିକଟରେ ଭୀମ ମରି ପଡିଥିବାର ଦେଖିଲେ ।
ସେ ତୃଷାର୍ତ୍ତ ଥିବାରୁ ପ୍ରଥମେ ଭାବିଲେ ତୃଷ୍ଣା ନିବାରଣ କରିବେ ।ତେଣିକି ପରିସ୍ଥିତି ଦେଖି ଉପାୟ ପାଞ୍ଚିବେ। ତେଣୁ ସେ ସରୋବର ମଧ୍ୟକୁ ପ୍ରବେଶ କଲେ। ତାହା ଦେଖି ଧର୍ମବକ ପୂର୍ବଭଳି ସଚେତନ କଲା ।ଅର୍ଜୁନ ତା କଥା ନମାନି ଜଳପାନ କଲେ ଓ ଅନ୍ଧହୋଇ ବାହାରକୁ ଆସିଲାରୁ ମୃତ୍ୟୁବରଣ କଲେ ।
ଭୀମ ଓ ଅର୍ଜୁନ ନଫେରିବାରୁ ସେମାନଙ୍କ ଅନ୍ଵେଷଣରେ ଯୁଧିଷ୍ଠିର ନକୁଳକୁ ପଠାଇଲେ ।ସେ ଯାଇ ସରୋବର ସମୀପରେ ପହଞ୍ଚିଲେ ।ଦେଖିଲେ ଏମାନେ ଦୁଇଜଣ ମୃତ ପଡିଛନ୍ତି। ସିଏ ବି ନିଜର ତୃଷ୍ଣା ନିବାରଣ ପାଇଁ ପ୍ରଥମେ ଚେଷ୍ଟିତ ହୋଇ ସରୋବରରେ ପଶିଲେ ।ଧର୍ମବକର କୌଣସି ନିବାରଣ ମାନିଲେ ନାହିଁ। ତେଣୁ ତା ପ୍ରଶ୍ନର ଉତ୍ତର ନଦେଇ ଜଳପାନ କରି ଅନ୍ଧ ହେଲେ। ପୁନଶ୍ଚ ତହିଁରୁ ବାହାରି ଆସିବାରୁ ତାଙ୍କର ମଧ୍ଯ ମୃତ୍ୟୁହେଲା।
ଏମାନେ ତିନିଜଣ ନଫେରିବାରୁ ଅନୁଜ ସହଦେବ ଏକା ପଥରେ ଯାତ୍ରୀ ହେଲେ ।ସିଏ ବି ଖୋଜି ଖୋଜି ସେଇ ସରୋବର ନିକଟରେ ଉପସ୍ଥିତ ହେଲେ। ଏମାନେ ସମସ୍ତେ ମୃତ ପଡ଼ିଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ। ତେବେବି ଜଳପାନ କରି ଆଗ ତୃଷ୍ଣା ନିବାରଣ ପାଇଁ ନିଷ୍ପତ୍ତି ନେଲେ। ତେଣୁ ସେ ସେଇ ସମଦଶା ଭୋଗକଲେ।
ଏଥର ଅପେକ୍ଷାର ଅନ୍ତ ଘଟିଲା। କାହାକୁ ନଫେରିବାର ଦେଖି ଯୁଧିଷ୍ଠିର ଅନନ୍ୟୋପାୟ ହେଲେ ।ତେଣୁ ସେ ତତ୍କ୍ଷଣାତ୍ ସ୍ଵୟଂ ଅନୁସନ୍ଧାନରେ ବାହାରିଲେ ।ଯାଇ ଦେଖିଲେ ଅନ୍ଧକ ପୁଷ୍କରଣୀ କୂଳେ ସମସ୍ତ ଭ୍ରାତାଗଣ ମୃତ ପଡ଼ିଛନ୍ତି । ସେ ବଡ଼ ବିସ୍ମିତ ହେଲେ। ତାଙ୍କ ମନରେ ନାନା ଭାବାନ୍ତର ସ୍ରୁଷ୍ଟି ହେଲା ।ଧର୍ମବକ ତାଙ୍କ ଗତିବିଧି ଲକ୍ଷ୍ୟକରି କହିଲେ, ସେ ଯଦି ତାଙ୍କର କେତୋଟି ପ୍ରଶ୍ନର ଉତ୍ତର କହିଦେବେ ତେବେ ସରୋବରରୁ ଜଳପାନ କରିପାରିବେ ।ନହେଲେ ଆଗରୁ ଆସିଥିବା ଚାରିଜଣଙ୍କ ପରି ଜୀବନ ଉତ୍ସର୍ଗ କରିବେ। ଉକ୍ତ ପ୍ରସ୍ତାବକୁ ଯୁଧିଷ୍ଠିର ସ୍ୱୀକାର କଲେ।ବକ ପ୍ରଶ୍ନକଲେ, ଯୁଧିଷ୍ଠିର ଗୋଟିଗୋଟି ସମସ୍ତ ପ୍ରଶ୍ନର ଉତ୍ତର ରଖିଲେ। ଧର୍ମବକ ପଚାରିଲା –
ଗୋବ୍ରାହ୍ମଣ ହତ୍ୟାଠାରୁ ସବୁଠାରୁ ବଡ଼ ଦୋଷ କ’ଣ? – ବିସ୍ଵାଶଘାତକତା ସବୁଠାରୁ ବଡ଼ ଦୋଷ। ନିଜର ଗୁଣ ନଥାଇ ଅନ୍ୟର ଦୋଷ ବାଛିବା ସବୁଠାରୁ ବଡ଼ ଦୋଷ। କରିଥିବା କୀର୍ତ୍ତିକୁ ଯିଏ ନିଜେ ନଷ୍ଟକରେ ସେ ବଡ଼ ଦୋଷୀ। ଯିଏ ଦାନ ଗ୍ରହଣ କରେ, କିନ୍ତୁ ଦାନ ଦିଏ ନାହିଁ ସେ ବଡ଼ ଦୋଷୀ।
ରାଜା କେତେବେଳେ ନଷ୍ଟ ହୁଏ? – ରାଜା ନଷ୍ଟ ହୁଏ, ଯେତେବେଳେ ସିଏ ଧନ କ୍ଷୟକରେ ଓ ରାଜ୍ୟ ନଷ୍ଟକରେ।
ସବୁଠାରୁ ବଡ଼ ଧନ କ’ଣ? – ବିଦ୍ୟା
ସବୁଠାରୁ ଘନ କ’ଣ? – ଶାସ୍ତ୍ର। କାରଣ ବନ ସରିଯାଏ କିନ୍ତୁ ଶାସ୍ତ୍ର ସରେ ନାହିଁ।
ଗୃହର ବନ୍ଧୁ କିଏ? – ସୁଲକ୍ଷଣା ନାରୀ ।
କିଏ ପ୍ରକୃତ ବନ୍ଧୁ? – ବିଦ୍ୟା ଓ ବିବେକ ।
ସକଳ ବ୍ୟାଧିର ଉପଚାର କିଏ ? – ବଚନ।
ବିଭିନ୍ନ ପାତକମାନଙ୍କ ଉପଶମ କିଏ କରିପାରିବ? – ଧାର୍ମିକ ବ୍ୟକ୍ତି।
କେମିତି ପାତକନାଶ କରାଯାଇ ପାରିବ? – ଧର୍ମ କଲେ।
କିଏ ଆପଦରୁ ମୁକ୍ତ ରହେ? – ଯିଏ ପାର୍ବତୀଙ୍କୁ ସ୍ମରଣ କରେ ।
ଆକାଶର ବିସ୍ତାର କେତେ? – ଚାରି ଆଙ୍ଗୁଳି ପର୍ଯ୍ୟନ୍ତ ।
ପୃଥିବୀର ପରିମାପ କେତେକ? – ଦୁଇ ପାଦ।
ବର୍ଷାର ଧାରା କେତେ? – ନଅ।
ଅକାଶରେ କେତେ ନକ୍ଷତ୍ର ଅଛନ୍ତି? – ଦୁଇ ଲକ୍ଷ୍ୟ।
ତିନିପୁରରେ କେତେ ଦ୍ଵାର ଅଛି? – ସଚରାଚରର ଦଶ ଦ୍ଵାର ।
କେଉଁଠି ରଜ ତମ ସତ୍ତ୍ଵ ଥାଏ? – ସତ୍ତ୍ଵ ଅକାଶରେ, ତମ ରୁଦ୍ର ମଧ୍ଯସ୍ଵର୍ଗରେ ଏବଂ ରଜ ବିଶ୍ନୁ ପାତାଳରେ ରହନ୍ତି ।
କ୍ଷିତି, ଆପ, ତେଜ ଓ ମରୁତରେ କିଏ ବିଦ୍ୟମାନ? – କାଳପୁରୁଷ ଯିଏ ଅକ୍ଷୟ, ଅବ୍ୟୟ , ଅବିନାଶ, ଆଦିବ୍ରହ୍ମ ନିରାକାର ।
ଧର୍ମବକ ଯୁଧିଷ୍ଠିରଙ୍କ ଉତ୍ତରରେ ଏକଦମ୍ ପ୍ରସନ୍ନ ହୋଇ ଜଳପାନ କରିବାକୁ ଅନୁମତି ଦେଲା। ସେ ଜାଣିପାରିଲା ଇଏ ନିଶ୍ଚେ ଯୁଧିଷ୍ଠିର। ଯୁଧିଷ୍ଠିର କହିଲେ, ମୋର ଭ୍ରାତାମାନଙ୍କୁ ଦୟାକରି ଜୀବିତ କରନ୍ତୁ। ଧର୍ମବକ କହିଲା, ମୁଁ ମାତ୍ର ଦୁଇ ଜଣଙ୍କୁ ଜୀବିତ କରିପାରିବି। ତେଣୁ ବାଛିନିଅ କେଉଁ ଦୁଇଜଣଙ୍କୁ ଜୀବିତ ଦେଖିବାକୁ ଚାହୁଁଛ।
ଯୁଧିଷ୍ଠିର କହିଲେ, ମାଦ୍ରୀ ପୁତ୍ରମାନଙ୍କୁ ଜୀବିତ ନକଲେ ଅଧର୍ମ ହେବ ।ଲୋକେ କହିବେ, ବୈମାତୃକ ମନୋଭାବ ପୋଷଣ କଲ। ତେଣୁ ନକୁଳ ଓ ସହଦେବଙ୍କୁ ଜୀବିତ କରନ୍ତୁ ।ଏଥିରେ ଧର୍ମବକ ଏକାନ୍ତ ପ୍ରସନ୍ନ ହୋଇ ସେ ସମସ୍ତଙ୍କୁ ଜୀବିତ କରିଦେଲେ।
ଧର୍ମବକ କେତୋଟି ଦୃଷ୍ଟାନ୍ତ ଦେଇ କହିଲେ, ଦକ୍ଷ ପ୍ରଜାପତିଙ୍କ ନାତି ଇକ୍ଷାକୁ ଅତ୍ୟନ୍ତ ଧାର୍ମିକ ଥିଲେ। ସିଏ ପିଶାଚମାନଙ୍କୁ ବଧକରି ସୁଶାସନ ପ୍ରତିଷ୍ଠା କରିଥିଲେ। ତାଙ୍କ ପତ୍ନୀ ନୀରାବତୀ ଧାର୍ମିକ ଥିବାରୁ କ୍ଷୀର ସମୁଦ୍ରରେ ଚାଲି ପାରୁଥିଲେ ।ମୃତ୍ୟୁପରେ ଉଭୟ ଦମ୍ପତି ନକ୍ଷତ୍ର ହୋଇ ଅକାଶରେ ରହିଲେ ।ତୁମେ ବି ଧର୍ମବନ୍ତ। ତେଣୁ ଭୟ ନକରି ଜଳ ଆସ୍ତରଣ ଉପରେ ଚାଲିଚାଲି ମୋ ପାଖକୁ ଆସ। ଯୁଧିଷ୍ଟିର ଜଳ ଉପରେ ଚାଲି ପାରିଲେ। ସେ ଧର୍ମବକର ପରିଚୟ ଜିଜ୍ଞାସା କରିବାରୁ ଧର୍ମବକ କହିଲା, ମୁଁ ହେଉଛି ନିଜେ ଧର୍ମଦେବତା ଓ ତୁମ ପିତା। ବକ ରୂପରେ ତୁମ ପାଣ୍ଡବମାନଙ୍କ ବ୍ରହ୍ମହତ୍ୟା ପାପମୋଚନ ଅପେକ୍ଷାରେ ଅଛି।
ପୁଣି ଯୁଧିଷ୍ଠିର ଏହି ଆଶ୍ଚର୍ଯୟଜନକ ସରୋବର ବିଷୟରେ ଜାଣିବାକୁ ଚାହିଁଲେ। ଧର୍ମବକ କହିଲା, କୁମ୍ଭକର୍ଣ୍ଣ ତ୍ରେତୟାରେ ରାମଚନ୍ଦ୍ରଙ୍କ ଦ୍ଵାରା ନିହତ ହୋଇଥିଲା। ସେ ଜଣେ ଶକ୍ତିଶାଳୀ ଦୈତ୍ୟ ଥିଲା। ତା କଟାମୁଣ୍ଡ ବି ବହୁ ବାନରସେନାଙ୍କୁ ଖାଇଯାଇଥିଲ ।ତେଣୁ ରାମଚନ୍ଦ୍ର ତାକୁ ଦୁଇଫାଳ କରିଦେଇଥିଲେ ।ତା କପାଳ ଭାଗ ଏଇ ସରୋବର। ଯିଏ ଏଠି ଜଳପାନ କରେ ସକଳ ଜୀବ ମୃତ୍ୟୁବରଣ କରନ୍ତି। ମୁଁ ଏଠି ରହି ସମସ୍ତଙ୍କୁ ସତର୍କ ସୂଚନା ଦିଏ। ଯେହେତୁ ତୁମେମାନେ ଏ ଜଳରେ ସ୍ନାନ କଲ ଏ ଜଳ ତୁମମାନଙ୍କର ଧର୍ମ ବଳରୁ ଏବେ ଅତ୍ୟନ୍ତ ପବିତ୍ର ହୋଇଗଲା।
8.ଅପେଶା ଧାନର ଭାତ
–by Dr Satya Prakash Sethy
ମହାଭାରତରେ ପଶାଖେଳରେ ହାରି ପାଣ୍ଡବମାନେ ବାରବର୍ଷ କାଳ ବନବାସ ଯିବା କଥା ଆମେ ଜାଣିଛନ୍ତି ।ତନ୍ମଧ୍ୟରେ କଷ୍ଟଦାୟକ ଅଜ୍ଞାତବାସ ଥିଲା, ଏକ ବର୍ଷ ତେରଦିନ ।ଯେଉଁଥିରେ ନାନା ଦୁର୍ଦ୍ଦଶା ଓ ଦୁର୍ଗତି ଦେଇ ପାଣ୍ଡବମାନେ ଗତିକଲେ। ସବୁଠାରୁ ଦୁଖଦ ଉପଲବ୍ଧି ଥିଲା, ନିଜ ପରିଚୟକୁ ଗୋପନୀୟ ରଖିବା। ଯାହା ଏତେଟା ସହଜ ନଥିଲା। ତେବେବି ଚତୁରତାର ସହିତ ନିଜ ପରିଚୟକୁ ଗୁପ୍ତରଖି ପାଣ୍ଡବ ପଞ୍ଚପୁତ୍ରମାନେ ବିରାଟ ରାଜାଙ୍କ ସଭାରେ ଉପସ୍ଥିତହେଲେ ଓ ଭିନ୍ନଭିନ୍ନ ନାମ ପରିଗ୍ରହଣ କରି ସେଠାରେ କର୍ମନିଯୁକ୍ତି ପାଇଲେ।
ସେମାନେ ଯଥାକ୍ରମେ, ସଭାପଣ୍ଡିତ କୋନ୍ତ, ସୂପକାର ବଲ୍ଳଭ, ନୃତ୍ୟଗୀତ ଗୁରୁ ବୃହନ୍ନଳା, ବାଜିପାଳକ ଓ ତନ୍ତ୍ରିପାଳ ହେଲେ।ଦ୍ରୌପଦୀ ବି ପରିଚାରକା ସୈରିନ୍ଧ୍ରୀ ନାମରେ ଅଭିହିତ ହେଲେ। ନୂତନ ନିଯୁକ୍ତି ଓ କର୍ମସଂସ୍ଥାନକୁ ନେଇ ସମସ୍ତେ ନିଜ ନିଜ କର୍ମରେ ଲିପ୍ତ ରହିଲେ।
ଏହି ସମୟରେ ବଳିମଲ୍ଲର ବିରାଟ ସଭାରେ ଉପସ୍ଥିତି ଓ ମଲ୍ଲଯୁଦ୍ଧ ପାଇଁ ଆହ୍ଵାନ ସମସ୍ତଙ୍କୁ ଅକଳିଆରେ ପକାଇଲା । ବଳିମଲ୍ଲ ଥିଲା ପ୍ରବଳ ପ୍ରତାପୀ ଓ ମଲ୍ଲଯୁଦ୍ଧରେ ଓସ୍ତାଦ ।ତେଣୁ ତା’ର ଗର୍ବଅହଙ୍କାର କହିଲେ ନସରେ।
ଯେତେବେଳେ ବାମନ ଅବତାରରେ ଶ୍ରୀହରି ବଳିକୁ ପାତାଳଗାମୀ କରିଥିଲେ, ସେତେବେଳେ ବଳିର ମଲ୍ଲମାନେ ତାଙ୍କୁ ପ୍ରବଳ ପ୍ରତିରୋଧ କରିଥିଲେ। ତେଣୁ ବାମନ ଅବତାରରେ ଶ୍ରୀହରି ନିଜ ଲୋମଗୁଡିକୁ ବିସ୍ଫାରିତ କଲାରୁ ଏହି ମଲ୍ଲମାନେ ଯୋଜନ ଯୋଜନ ଦୂରରେ ଯାଇ ପଡ଼ିଲେ ।ସେମାନଙ୍କ ମଧ୍ୟରୁ ସୁବାହୁ କେଶରୀ ଦର୍ପିୟାନ ମଲ୍ଲ ହେଲା ।
ସେ ଦିନେ ହଠାତ୍ ବିରାଟ ରାଜ୍ୟରେ ପହଂଚି ମଲ୍ଲଯୁଦ୍ଧ କରିବାକୁ କୀଚକକୁ ଆହ୍ଵାନ ଦେଲା ଓ ନାନାଦି ବାହାସ୍ଫୋଟ ମାରିଲା, ସତେ କି ତା ଲେଖାରେ ଆଉ କେହି ମଣିଷ ନାହିଁ । ସେ ଏକା ସର୍ବଶ୍ରେଷ୍ଠ ଯୋଦ୍ଧା।
କୀଚକ ଥିଲା ପ୍ରକୃତରେ ବିରାଟ ରାଜାଙ୍କ ଶାଳକ ଓ ବିରାଟ ରାଜ୍ୟର ସେନାପତି। ତାହାର ଅପରିମିତ ବାହୁବଳ ଉପରେ ଆଶ୍ରିତ ହୋଇ ବିରାଟ ନିଷ୍କଣ୍ଟକ ରାଜ୍ୟଶାସନ କରୁଥିଲେ । ତେଣୁ ତା ଜୀବନ ପ୍ରତି ବିପଦ ଆଶଙ୍କା କରି ବିରାଟ ତାକୁ ଲଢ଼େଇବାକୁ ଚାହିଁଲେ ନାହିଁ ।ବିରାଟ କହିଲେ, ବଳିମଲ୍ଲକୁ କୁହ ସେ ଆଉ କାହାକୁ ବାଛୁ ଏ ମଲ୍ଲଯୁଦ୍ଧ ପାଇଁ।
ସୁବାହୁ କହିଲା, ସେକଥା ହୋଇପାରିବ ନାହିଁ। ତେବେ ଯଦି କୀଚକ ସହ ଲଢ଼େଇବାକୁ ଚାହୁଁନାହାନ୍ତି, ତାହେଲେ ଅନ୍ୟ କୌଣସି ଉପଯୁକ୍ତ ଯୋଦ୍ଧା ଦିଅନ୍ତୁ। ସେ ସମକକ୍ଷ ଯୋଦ୍ଧା ସହ ଲଢ଼ି ପରାଭବର ଗ୍ଲାନି ଚଖାଇବା ପାଇଁ ଉଦଗ୍ରୀବ ଅଛନ୍ତି ।ଏଥିରୁ ଅନ୍ୟଥା ହେଲେ ସେ ଯାଇ ବିରାଟ ରାଜାଙ୍କର ପରମ ଶତୃ ତ୍ରିଗର୍ତ୍ତକୁ ସାହାଯ୍ଯ କରିବ ।ତେଣିକି ପରିଣତି ଯାହା ହେବ, ସେ ଦାୟୀ ରହିବେ ନାହିଁ । ଏହିଭଳି ବହୁ ଧମକପୂର୍ଣ୍ଣ ବାଣୀ ଶୁଣାଇ ବଡ଼ ଆସ୍ଫାଳନ କଲା ।ବିରାଟ ରାଜା ଉପାୟ ନପାଇ ବିଚଳିତ ହେବାକୁ ଲାଗିଲେ। ଏପରି ପରିସ୍ଥିତିରେ ସେ ସଭାପଣ୍ଡିତ ଆସନରେ ବସିଥିବା ଧର୍ମରାଜ କୋନ୍ତଙ୍କ ପରାମର୍ଶ ଲୋଡ଼ିଲେ ।କୋନ୍ତ କହିଲେ, ସେକଥା ପଛକୁ ରଖନ୍ତୁ। ଆଗ ସୁବାହୁଙ୍କର ଖାଇବା ପିଇବା ଓ ରହିବାର ସୁବନ୍ଦୋବସ୍ତ କରାଯାଉ ।ତା’ପରେ ଯାଇ ମଲ୍ଲଯୁଦ୍ଧ କଥା ଚିନ୍ତାକରିବା।
କଥାଟା ସମସ୍ତଙ୍କ ମନକୁ ବଢିଆ ପାଇଲା। ବିରାଟଙ୍କ ଦୂତ ସୁବାହୁଙ୍କୁ ବଲ୍ଳଭ ପାଖକୁ ନେଇଗଲା। କହିଲା, ମହାରାଜାଙ୍କର ଆଦେଶ ସୁବାହୁଙ୍କର ଖାଇବା ପିଇବାର ବନ୍ଦୋବସ୍ତ କର ।
ବଲ୍ଳଭ ସୁବାହୁକୁ କହିଲା, ଆଗ ଗାଧୋଇ ଆସ ।ସେ ତା ହାତରେ କିଛି ଶୋରିଷ ଦେଲା। କହିଲା, ଏହାକୁ ଚିପୁଡ଼ିକି ତେଲ ବାହାର କର ଓ ତାହା ଦେହେରେ ବୋଳି ହୋଇପଡ଼।
ଏକଥା ଶୁଣି, ସୁବାହୁ ଉତ୍କ୍ଷିପ୍ତ ହେଲା ।ଚଟୁଳକରି କହିଲା, ହାତରେ ଚିପି ତେଲ ବାହାର କରିବି ନା କ’ଣ। ବଲ୍ଳଭ ତ କଥାରେ ନୁହେଁ, କାମରେ କରିକି ଦେଖାଇବା ଲୋକ ।ସେ ତେଣୁ ସେଇଥିରୁ ପୁଳାଏ ଶୋରିଷ ନେଇ, ନିଜ ହାତରେ ଦଳିମକଚି ତେଲ ବାହାର କରି ତା ହାତକୁ ବଢ଼ାଇଦେଲା। ସେ ହତଚକିତ ହୋଇ ରହିଗଲା।
ସୁବାହୁ ଗାଧୋଇ ଆସିବା ପରେ ବଲ୍ଳଭ ତାକୁ ଅପେଶା ଧାନର ଭାତ ଓ ପଥର ଗୁଣ୍ଡର ତରକାରୀ ଖାଇବା ପାଇଁ ବାଢ଼ିକି ଦେଲା ।ସୁବାହୁ ବା ତା ଖାଇପାରନ୍ତା କେମିତି ।ସେ କୋପ ହୋଇ ଖାଦ୍ୟ ପାଖରୁ ଉଠି ଚାଲିଗଲା। ଯାଇ ବିରାଟ ରାଜାଙ୍କ ନିକଟରେ ଅଭିଯୋଗ କଲା। ବିରାଟ ରାଜାଙ୍କ ଦୂତ ଆସି ସମାଚାର ଦେଲା। ବଲ୍ଳଭ ନିଜେ ସେ ସମସ୍ତ ଖାଇଗଲା। ସୁବାହୁ ପାଇଁ ପୁ୍ନଶ୍ଚ ସୁସ୍ୱାଦୁ ଭୋଜନ ସବୁ ପ୍ରସ୍ତୁତ କଲା। ସୁବାହୁ ତାହା ଖାଇ ଅତ୍ୟନ୍ତ ପ୍ରସନ୍ନ ହେଲା।
ତାକୁ କିନ୍ତୁ ରୋଷଶାଳର ବହୁକଥା ଆଶ୍ଚର୍ଯ୍ୟ ଓ ଚକିତ କରୁଥିଲା ।ସେଠାରେ କଞ୍ଚା କାଠରେ ଚୂଲି ଜଳୁଥିଲା।ଅକଟା ପରିବା ସବୁ ପାକପ୍ରକ୍ରିୟାରେ ସ୍ୱାଦିଷ୍ଠ ହୋଇଯାଉଥିଲା। ପୁଣି ଏକୁଟିଆ ସେଇ ଜଣେମାତ୍ର ସୂପକାର ସମଗ୍ର ପ୍ରାସାଦବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲା ଓ ପରଷୁ ଥିଲା ।
ଯାହାବି ହେଉ ବଲ୍ଳଭ ଦ୍ଵାରା ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟଖାଇ ସେ ଉତ଼୍ଙଫୁଲ୍ଲିତ ଥିଲା ।ପୁଣି ରାଜାଙ୍କ ପାଖକୁ ଆସି ମଲ୍ଲ ଯୁଦ୍ଧ ମାଗିଲା। ତା’ର ଅଜବ ଯୁକ୍ତି ଓ ଅଖାଡୁଆ ପ୍ରସ୍ତାବ, ସମସ୍ତଙ୍କୁ ଭାରାକ୍ରାନ୍ତ କରୁଥିଲା ।କୋନ୍ତ କହିଲେ, କୀଚକ ଅବା କୌଣସି ଶକ୍ତିଶାଳୀ ବ୍ୟକ୍ତି ସହ ତା’ର ମଲ୍ଲଯୁଦ୍ଧ କରାଇବା। ଆହୁରି ସେ କହିଲେ, ସବୁ ଦୃଷ୍ଟିକୋଣରୁ ବଲ୍ଳଭ ଉପଯୁକ୍ତ ଲାଗୁଛି ଯୁଦ୍ଧ ପାଇଁ। କୀଚକ କିନ୍ତୁ ପ୍ରସ୍ତାବକୁ ନାପସନ୍ଦ କଲେ। ତାଙ୍କ କହିବା କଥା, ଜଣେ ରୋଷେୟା ସହିତ ୟାକୁ ଲଢ଼େଇବା ଅର୍ଥ ତାକୁ ଯମମୁହଁକୁ ଠେଲିଦେବା ସଙ୍ଗେ ସମାନ। ତା ଛଡା ସେ ରୋଷେଇ କରୁଥିବାରୁ, ସମଗ୍ର ପ୍ରାସାଦବାସୀ ତା ଯୋଗୁ ଦିଟା ଆହାର କରୁଛନ୍ତି ।
ମାତ୍ର ପରିଶେଷରେ ବହୁ ବିଚାରବିମର୍ଶ କଲାପରେ ବଲ୍ଳଭ ସବୁଠାରୁ ଅଧିକ ଉପଯୁକ୍ତ ମନେହେଲା। ତେଣୁ ବିରାଟ ରାଜା ଅନୁମତି ଦେଲେ, ବଲ୍ଳଭ ସହ ସୁବାହୁର ମଲ୍ଲଯୁଦ୍ଧ ହେବ । ତୁରନ୍ତ ବଲ୍ଳଭକୁ ଡକରା ଗଲା। ତାହା ଶୁଣି ବଲ୍ଳଭ କହିଲା, ଯଦି ରାଜନ ତା ଉପରେ ଅସନ୍ତୁଷ୍ଠ ଅଛନ୍ତି ତେବେ ତୁରନ୍ତ ରାଜ୍ୟରୁ ବିତାଡନ କରନ୍ତୁ ।କିନ୍ତୁ କାହିଁକି ଏପରି ମରଣଯନ୍ତାକୁ ଠେଲି ବାରମ୍ବାର ବିପଦରେ ପକାଉଛନ୍ତି ।ପ୍ରଥମେ ତ ଭୟଙ୍କର ବ୍ୟାଘ୍ର ସହ ଲଢ଼ିବାକୁ କହିଲେ। ସେଥିରୁ ଉଧୁରିକି ଆସିଲା ପରେ, ଏବେ ପୁଣି କହୁଛନ୍ତି ମଲ୍ଲଯୁଦ୍ଧ କରିବାକୁ।
ଏକଥା କହିବାର ଭୀମର କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଭିନ୍ନ ଥିଲା । କାରଣ ସେ ପରା ପାଣ୍ଡବ ପୁତ୍ର। ତେଣୁ ଯେତେ ଯିଏ ଯାହା କହିଲେ ବି ବଡ଼ଭାଇ ଆଜ୍ଞା ନପାଇଲେ ସେ କିଛି କରିବ ନାହିଁ। କୋନ୍ତ ଠିକ୍ ତାହା ବୁଝିପାରି ପରୋକ୍ଷରେ ଆଦେଶ ଦେବାରୁ, ଭୀମ ଏ ମଲ୍ଲ ଯୁଦ୍ଧ ଲଢ଼ିବାକୁ ରାଜିହେଲା।
ଏଥର ସୁବାହୁର ଆଉ ବଡ଼ପଣ ଓ ଔଦ୍ଧତ୍ଯ ଦେଖେ କିଏ ।ସେ ତ ଖାଲି ନାହାଳି ନାହାଳି ଭୀମ ଆଡକୁ ମାଡ଼ିଆସିଲା ।କହିଲା, ତୁ ମୋ ସହିତ ଲଢ଼ିବାକୁ ଆସିଛୁ, ହେଲେ ତୋତେ ମଲ୍ଲଯୁଦ୍ଧର ନିୟମକାନୁନ ସବୁ ଆଗ ଜଣାନା ।
ଭୀମ କହିଲା, ମୁଁ ରାନ୍ଧଣା ପ୍ରକ୍ରିୟା ଜାଣିଛି ।
ସୁବାହୁ କହିଲା, ଯଦି ଜାଣିଛୁ ତେବେ ଯୁଦ୍ଧ କର। ନହେଲେ ଏଠୁ ପଳାଇ ଯା ‘।କାହିଁକିନା ମଲ୍ଲଯୁଦ୍ଧର ନିୟମ, ଯିଏ ହାରିବ ସେ ମରିବ।
ଭୀମ କହିଲା, ମୁଁ ଜାଣେ କି ନଜାଣେ ତୁମେ ତ ଜଣାଇ ଦେଲ। ମୁଁ ତେଣୁ ରାଜି। ତେଣିକି ଯାହା ଭାଗ୍ୟରେ ଥିବ ତାହାହିଁ ହେବ।
ତା’ପରେ ଉଭୟଙ୍କ ଭିତରେ ଭୟଙ୍କର ଯୁଦ୍ଧ ହେଲା। ମଲ୍ଲ ଭୀମକୁ ମାଡ଼ିବସି ତାକୁ ଇଷ୍ଠସ୍ମରଣ କରିବାକୁ କହିଲା। ଯୁଦ୍ଧ ଦେଖିବା ପାଇଁ ତ କେତେବେଳଠାରୁ ଦର୍ଶକମାନେ ମନରେ ଉତ୍ସୁକତା ଭରି ଥାଟ୍ଟପତ୍ର ଭାଙ୍ଗୁଥିଲେ।ଏତାଦୃଶ୍ୟ ଦୃଶ୍ୟଦେଖି ସମବେତ ଜନତା ବଲ୍ଳଭ ପ୍ରତି ଦୟାଶୀଳ ହୋଇ ସମବେଦନା ପ୍ରକଟ କଲେ ।ଏପରିକି ରାଜାଙ୍କର ଏମନ୍ତ ନିଷ୍ପତ୍ତିକୁ ନାପସନ୍ଦ କରି ବିରାଟଙ୍କୁ ‘ମନ୍ଦଲୋକ’ ବୋଲି କହିବାକୁ ଲାଗିଲେ।
ହେଲେ ସେ ତ ବାସ୍ତବରେ ଭୀମ। ପ୍ରଥମେ ଭୀମ ସିନା ହାରେ। ପରେ କିନ୍ତୁ ସିଏ ଶତଶୃଙ୍ଗ ପର୍ବତକୁ ସ୍ମରଣକରି ଶତଶୃଙ୍ଗର ପରାକ୍ରମ ନେଇ ଆକ୍ରମଣ କଲାଠୁଁ ପତା ପଲଟିଲା ।ଚାହୁଁଚାହୁଁ ମଲ୍ଲକୁ ବଲ୍ଳଭ ମାଡ଼ିବସିଲା ।ସେ ଆଉ ଅଳିଚଳି ପାରିଲା ନାହିଁ। ବଲ୍ଳଭ ମଲ୍ଲକୁ ଦୁଇଫାଳ କରି ଚିରିଦେଲା। ମଲ୍ଲର ମୃତ୍ୟୁ ହେଲା ।ଆଉ କାହାକୁ ଦୃଶ୍ୟ ହେଉ ବା ନହେଉ ବଲ୍ଳଭକୁ କିନ୍ତୁ ଦୃଶ୍ୟ ହେଲା, ମଲ୍ଲ ଦେହରୁ ଗୋଟେ ଦିବ୍ୟ ପୁରୁଷ ବାହାରି ସ୍ଵର୍ଗକୁ ଚାଲିଗଲା ।
ବିରାଟ ରାଜା ଅତ୍ୟନ୍ତ ପ୍ରସନ୍ନ ହୋଇ ବଲ୍ଳଭକୁ ବହୁ ପୁରସ୍କାରରେ ଅଳଙ୍କୃତ କଲେ ।ଜନତା ଶତମୁଖ ହୋଇ ପ୍ରଶଂସାରେ ପୋତି ପକାଇଲେ ।ବଲ୍ଲଭଙ୍କର ଏ ବିରାଟ ସଫଳତାରେ ସମସ୍ତେ ଉତ଼୍ଙଫୁଲ୍ଲିତ ହେଲେ ।
9.ମାଡିବସି ବିଦାରଣ
କୁଟକପଟ ପଶାଖେଳରେ ପାଣ୍ଡବମାନେ କୌରବମାନଙ୍କ ପାଖରୁ ହାର୍ ମାନିଲେ ।ଶକୁନି ମାମାଙ୍କର ଦୂରଭିସନ୍ଧି ଫଳବତୀ ହେଲା ।ଏପରି ସ୍ଵୟଂ ଶ୍ରୀକୃଷ୍ଣ ପାଣ୍ଡବ ପକ୍ଷରେ ରହି ବି ନିୟତିର କରାଳ ଗତିକୁ ଆନ କରିପାରିଲେ ନାହିଁ। ସବୁ ଭାଗ୍ୟର ବିଡ଼ମ୍ବନା ।ପାଣ୍ଡବମାନେ ବନବାସ ଗଲେ ।ପୁଣି ବନବାସ ସାରି ବିରାଟ ରାଜ୍ୟରେ ଅଜ୍ଞାତବାସ କଲେ ।ଲୁଚିଲୁଚି ଜୀବନ କାଟିବା ସତେ କି ଦୁର୍ବିଶହ ।ସେଠାରେ ସମସ୍ତେ ନୂଆ ନାଁ ଓ ନୂଆ ପୋଷାକ ପରିପାଟି ଗ୍ରହଣ କଲେ, ଯେମିତି କେହି ଚିହ୍ନିପାରିବେ ନାହିଁ ।
ଯୁଧିଷ୍ଠିର ହେଲେ ସଭାପଣ୍ଡା କୋନ୍ତ, ଭୀମ ହେଲେ ସୂପକାର ବଲ୍ଳଭ, ଅର୍ଜୁନ ହେଲେ ନୃତ୍ୟ ଓ ସଙ୍ଗୀତ ଗୁରୁ ବୃହନ୍ନଳା, ନକୁଳ ହେଲେ ବାଜିପାଳକ, ସହଦେବ ହେଲେ ତନ୍ତ୍ରିପାଳ ଏବଂ ଦ୍ରୌପଦୀ ହେଲେ ପରିଚାରିକା ସୈରିନ୍ଦ୍ରୀ ।
ସେତିକିରେ ଦୁଃଖଭାଗ ସରିଲା ନାହିଁ ।ନାନା ପରୀକ୍ଷା ଦେଇ ଗତିକରିବାକୁ ପଡ଼ିଲା। ପରିଚୟ ସବୁବେଳେ ସଙ୍କଟରେ ପଡ଼ୁଥିଲା। ଟିକିଏ ଅସାବଧାନତା ହେଲେ, ପ୍ରକୃତ ପରିଚୟ ସାମ୍ନାକୁ ଆସିଯିବାର ଭୟ ଘାରୁଥିଲା ।କାହିଁକିନା ସର୍ତ୍ତ ଥିଲା ବର୍ଷେ ତେର ଦିନ ଲୁଚି ନପାରିଲେ, ଧରାପଡ଼ି ପୁଣିଥରେ ବାରବର୍ଷ ପାଇଁ ବନବାସ କରିବାକୁ ପଡ଼ିବ । ତେଣୁ ବହୁ ବିପରୀତ ଓ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ହୋଇଥିଲା।
ବେଣ୍ଟକରା ନାମକ ଜଣେ ଶବର ଥିଲା। ତା’ର ପ୍ରକୃତ ନାଁ ଜରା। ସେ ଥରେ ଅରଣ୍ୟରେ ବୁଲୁଥିଲା ।ଦେଖିଲା, ହାତୀ ଆଉ ବ୍ୟାଘ୍ର ତୁମୁଳ ସଙ୍ଘର୍ଷ କରୁଛନ୍ତି ।ସେ ହସ୍ତକ୍ଷେପ କଲା। ହାତୀଟିକୁ ଧରିଆଣି ବିରାଟ ରାଜାଙ୍କୁ ଦେଲା। ଏହା ମତ୍ତହସ୍ତୀ ହୋଇଥିବାରୁ କହିଲା, ଏହାକୁ ସମ୍ଭାଳି କି ରଖିଥାଅ।
ପୁନଶ୍ଚ ବନକୁ ଫେରିଯାଇ ବ୍ୟାଘ୍ରଟିକୁ ମଧ୍ଯ ଧରି ପକାଇଲା। ତାକୁ ବି ସାଥିରେ ଧରି ବିରାଟ ନଗରରେ ପହଞ୍ଚିଲା। ଲୋକମାନେ ତାହା ଦେଖି ଭୟରେ ତାଟକବାଟ କିଳିଦେଲେ ।
ଜରା କହିଲା, ମୁଁ ଶୁଣୁଛି ଏ ରାଜ୍ୟରେ କୀଚକ କୁଆଡ଼େ ବହୁ ପରାକ୍ରମୀ ।ତେଣୁ ସେ ବାଘ ସହିତ ଲଢ଼ି ନିଜ ପରାକ୍ରମର ପରିଚୟ ଦେଉ ।
ରାଜା ବିରାଟ କହିଲେ, କୀଚକ ବାହୁବଳେ ମୁଁ ରାଜା ହୋଇ ରହିଛି। ତେଣୁ ତାକୁ କେମିତି ବାଘ ସଙ୍ଗେ ଭିଡ଼ାଇବି ।ବରଂ ଗୋଟେ କାମ କର, ଏଇ ବ୍ୟାଘ୍ରକୁ ଅନ୍ୟ କେଉଁ ରାଜ୍ୟକୁ ନେଇଯାଅ।
ଜରା ତ ଧନୁର୍ବିଦ୍ୟା ଓ ଶସ୍ତ୍ରବିଦ୍ୟାରେ ବହୁତ ପାରଙ୍ଗମ ।ତେଣୁ ତାହାର କାହାକୁ ଖାତର ନଥାଏ । ସେ ମୁହଁତୋଡ଼ ଜବାବ ଦେଲା ।କହିଲା, ସେମିତି ହେଲେ ସେ ଉକ୍ତ ବ୍ୟାଘ୍ରକୁ ନେଇ ବିରାଟରାଜ୍ୟର ଯିଏ ସବୁଠାରୁ ବଡ଼ଶତୃ ସେଇ ତ୍ରିଗର୍ତ୍ତକୁ ଦେଇଦେବ।ସେ ଏଇ ବଳଶାଳୀ ବ୍ୟାଘ୍ର ସହ ଆସି ବିରାଟ ରାଜ୍ୟକୁ ଆକ୍ରମଣ କରିବ।
ବିରାଟ ରାଜା ବଡ଼ ସଙ୍କଟରେ ପଡ଼ିଗଲେ। ଭାବିଲେ, ଇଏ ଆହୁରି ଅଧିକ ସମସ୍ୟା ସ୍ରୁଷ୍ଟିହେବ। ତେଣୁ ସେ ଜରାକୁ କହିଲେ, ସେ ଯେଉଁ ମତ୍ତହସ୍ତୀ ଦେଇ ଯାଇଥିଲେ, ତାକୁ ତ ସମ୍ଭାଳି ହେଉନାହିଁ ।ପୁଣି ଏ ବ୍ୟାଘ୍ରକୁ ରଖି ହରଡଘଣାରେ ପଡ଼ିବା କଥା ।ତେବେ ସେଇ ମତ୍ତହସ୍ତୀ ସହିତ ଏଇ ବ୍ୟାଘ୍ରର ଲଢ଼େଇ କରାଯାଉ ।
ଜରାକୁ ଏ କଥାଟି ମନକୁ ପାଇଲା। ଯାହା ହେଲେବି ତ ଗୋଟେ ବିକଳ୍ପ ମିଳିଲା। ବ୍ୟାଘ୍ର ଓ ଗଜ ମହାସଙ୍ଘର୍ଷ କଲେ ।ଲଢ଼େଇ ରୋଚକ ହେଲା ।ଶେଷରେ ଗଜ ପରାଜିତ ହୋଇ ମୃତ୍ୟୁବରଣ କଲା। ବ୍ୟାଘ୍ର ତାକୁ ମାରି ପକାଇଲା। ହେଲେ ଘଟଣାର ସେଇଠି ପରିସମାପ୍ତି ହେଲା ନାହିଁ।
ଜରା କହିଲା, ବ୍ୟାଘ୍ର ତା’ର ଉତ୍କୃର୍ଷତା ପ୍ରତିପାଦନ କରିଛି ।ତେଣୁ ବର୍ତ୍ତମାନ କୀଚକର ପ୍ରକୃତ ସାମର୍ଥ୍ୟର ପରୀକ୍ଷା କରାଯାଉ। ସେ ବ୍ୟାଘ୍ର ସହିତ ଲଢୁ।ଜରା ଉକ୍ତ ପ୍ରସ୍ତାବ ଦେଇ ତା ଯିଦରେ ଅଟଳ ରହିଲା ।
କୋନ୍ତ ତାହା ଦେଖି, ଉପାୟ ବାହାର କଲେ। ସେ କହିଲେ କୀଚକ ବ୍ୟତୀତ ଅନ୍ୟ କୌଣସି ବଳଶାଳୀ ସହିତ ବ୍ୟାଘ୍ରକୁ ଲଢ଼ାଯାଉ ।ଏଥି ସହିତ ସୂପକାର ବଲ୍ଳଭ ସହିତ ଲଢ଼ାଯାଉ ବୋଲି ମଧ୍ଯ ସେ ପରାମର୍ଶ ଦେଲେ।
ବିରାଟ ରାଜା କିନ୍ତୁ ଅସହମତ ହେଲେ। ତାଙ୍କ କହିବା କଥା, ଜଣେ ସୂପକାର ସମଗ୍ର ରାଜପ୍ରାସାଦର ରାଜା, ମନ୍ତ୍ରୀଠାରୁ ଆରମ୍ଭକରି ପାରିଷଦବର୍ଗଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତକରି ଆହାର ଯୋଗାଉଛି ।ତେଣୁ ତାକୁ ଏପରିଭାବେ ବ୍ୟାଘ୍ର ମୁହଁକୁ ଠେଲିଦେବା କ’ଣ ଠିକ୍ ହେବ ।
ବଲ୍ଲଭ ହୃଷ୍ଟପୁଷ୍ଟ ହୋଇଥିବାରୁ ବ୍ୟାଘ୍ର ସହ ସେ ଲଢ଼ିପାରିବ ବୋଲି ଯୁଧିଷ୍ଠିର ବିଶ୍ବାସ ଜତାଇବାରୁ, ବିରାଟ ଆଶ୍ୱସ୍ତ ହେଲେ ।ସେ ଦୂତପ୍ରେରଣ କରି ଖବର ଦେଲେ କି, ବଲ୍ଳଭ ତୁରନ୍ତ ରାଜସଭାରେ ଆସି ଉପସ୍ଥିତ ହେଉ ।
ସେତେବେଳକୁ ସେ ଖାଦ୍ୟ ପ୍ରସ୍ତୁତିରେ ବ୍ୟସ୍ତ ଥିଲା ।ସେଇ ବାହାନାରେ ସେ କଥାଟାକୁ ଟାଳିଦେଲା ।କହିଲା, ସେ ଏବେ ପାକକ୍ରିୟାରେ ବ୍ୟସ୍ତ ଅଛି ଆସିପାରିବ ନାହିଁ।
କୋନ୍ତଭଟ୍ଟ ରୂପୀ ଯୁଧିଷ୍ଠିର ଦୂତ କଥାର ଏ ରହସ୍ୟ ବୁଝିଗଲେ ।ବଲ୍ଳଭ ରୂପୀ ଭୀମ ଜ୍ୟେଷ୍ଠ ଭ୍ରାତାଙ୍କର ଅନୁମତି ନପାଇଲେ କିଛି ବି କରିବେ ନାହିଁ। କାରଣ ସେ ଜ୍ଯେଷ୍ଠଭ୍ରାତାଙ୍କର ଏକାନ୍ତ ଅନୁଗତ ଓ ଭାରି ଆଜ୍ଞାବହ ।ତେଣୁ କୋନ୍ତଭଟ୍ଟ ଦୂତଙ୍କୁ କହିଲେ, ଯାଅ! ଯାଇକି ବଲ୍ଳଭକୁ କୁହ, ସଭାପଣ୍ଡା କୋନ୍ତ ତାଙ୍କୁ ଆସିବାକୁ କହିଛନ୍ତି।
ତାହା ଶୁଣି ବଲ୍ଳଭ ଆଉ କାଳକ୍ଷେପଣ ନକରି ସଙ୍ଗେ ସଙ୍ଗେ ରାଜସଭାରେ ଆସି ହାଜର । ବିରାଟ ରାଜା ତାକୁ ବ୍ୟାଘ୍ର ସହିତ ଲଢ଼ି ରାଜ୍ୟର ମର୍ଯ୍ୟାଦା ରଖିବାକୁ କହିଲେ।
ବଲ୍ଳଭ କହିଲା, ମୁଁ ଛାର ସୂପକାର ।ବ୍ୟଞ୍ଜନ ପ୍ରସ୍ତୁତ କରିବା ମୋର କର୍ମ। ରୋଷେଇ କରିବାରେ ଅବଶ୍ଯ ମୋର ନିପୁଣତା ଅଛି ।କିନ୍ତୁ ଏ ଲଢ଼େଇ କରିବା, ମୋ ପକ୍ଷେ ଉଚିତ୍ ନୁହେଁ। ତେବେ ଆପଣ କ’ଣ ସତରେ ମୋ ଉପରେ ରୁଷ୍ଟ ଅଛନ୍ତି କି, ଯେଉଁଥିପାଇଁ ବ୍ୟାଘ୍ର ସହିତ ଲଢ଼ିବା କଥା ମୋତେ କହୁଛନ୍ତି।
ବିରାଟ କହିଲେ, ନା ସେକଥା ନୁହେଁ। ବାସ୍ତବରେ ତୁମେ ବ୍ୟାଘ୍ର ସହ ଲଢ଼ିପାରିବ ବୋଲି ମୋର କାହିଁ ମନରେ ପ୍ରତ୍ୟେୟ ହେଉଛି ।ତେଣୁ ତୁମେ ବ୍ୟାଘ୍ର ସହିତ ଲଢ଼ି ରାଜ୍ୟର ଟେକ ଓ ଗରିମା ରଖ ।
ବିରାଟଙ୍କ ନମ୍ର ଗଳାରେ କମ୍ର କଥା ଶୁଣି, ବଲ୍ଳଭ ପ୍ରସ୍ତୁତ ହେଲା ବ୍ୟାଘ୍ର ସହିତ ଲଢ଼ିବା ପାଇଁ। ଏଇ ଲଢ଼େଇ ବହୁ ବିପର୍ଯ୍ୟୟ ତୋଳିବ ବୋଲି ମନରେ ଆଶଙ୍କା ଉପୁଜୁଥିଲା। ପ୍ରଥମେ ପ୍ରଥମେ ବଲ୍ଳଭ ହାରିଲା ପରି ବି ପ୍ରତୀତ ହେଉଥିଲା। କିନ୍ତୁ କ୍ରମଶଃ ବଲ୍ଳଭ ବ୍ୟାଘ୍ର ଉପରେ ଭାରୀ ପଡିଲା। ସେ ଶତଶୃଙ୍ଗର ବଳନେଇ ବାଘକୁ ମାଡ଼ିବସି ତାକୁ ବିଦାରଣ କଲା । ବ୍ୟାଘ୍ରର ଘଟଣାସ୍ଥଳରେ ମୃତ୍ୟୁ ହେଲା। ସେ ବ୍ୟାଘ୍ର ଶରୀରରୁ ଏକ ଦିବ୍ୟ ପୁରୁଷ ବାହାରି ସ୍ଵର୍ଗକୁ ଗମନ କଲା।
ଜରା ତ ଭୀଷଣ ଜ୍ଞାନୀ। ସେ ଏ ରହସ୍ୟକୁ ଭେଦ କରିବାକୁ ଚାହିଁଲା। ତେଣୁ ଚୁପି ଚୁପି ସେ ବଲ୍ଳଭ ପାଖକୁ ଗଲା। ଧୀର ଗଳାରେ କାନ ପାଖରେ କହିଲା, ତୁମେ ଯଦି ଭୀମ ତେବେ ପରିଚୟ ଦେଇ ମୋ ସଂଶୟ ଦୂର କର।
ବଲ୍ଳଭ ହଁ କହିଲା ଓ ଏକଥାକୁ ଗୁପ୍ତରଖି ଅଜ୍ଞାତବାସରେ ସହଯୋଗ କରିବାକୁ ଅନୁରୋଧ କଲା।
ଜରା କହିଲା ନିଶ୍ଚିତ ରୁହ ବନ୍ଧୁ। ସେ ତା’ର ପରିଚୟ ଦେଇ କହିଲା, ମୁଁ ତୁମ ଶୈଶବର ସାଥି।କାରଣ ଯେତେବେଳେ ତୁମର ଜନ୍ମହେଲା ସେତେବେଳେ ସେ ତା ପିତାଙ୍କ ସାଥିରେ ଶତଶୃଙ୍ଗ ପର୍ବତରେ ଥିଲା ।ପଣ୍ଡୁ ଓ ତା ପିତା ବି ଉପଯୁକ୍ତ ବନ୍ଧୁ। ଉଭୟ ଉଭୟଙ୍କ ପରିଚୟ ପାଇ ଖୁସିହେଲେ।
ବିରାଟ ବଳ୍ଳଭର ଅଦ୍ଭୁତ ପରାକ୍ରମ ଦେଖି ଅତ୍ୟନ୍ତ ପ୍ରୀତ ହେଲେ ।ସେ ତାକୁ ନିଜର ଅଳଙ୍କାର ସବୁ ଦେଇ ପୁରସ୍କୃତ କଲେ।
10.ଆଖିର ସ୍ଫୁଲିଙ୍ଗ
ମହାଭାରତ ଯୁଦ୍ଧର ପରିସମାପ୍ତି ଘଟିଲା। ବର୍ତ୍ତମାନ ପାଣ୍ଡବମାନେ ହସ୍ତିନା ଫେରିବେ। ସାଥିରେ ଥିଲେ ସଖା କୃଷ୍ଣ । ନନ୍ଦିଘୋଷ ରଥରେ ସମସ୍ତେ ଅଧିରୁଢ ହେଲେ ।ବାଟରେ ବାସୁଦେବ ଭୀମଙ୍କୁ ବାରଣ କଲେ, ବଡ଼ବାପା ଧୃତରାଷ୍ଟ୍ରଙ୍କ ସମ୍ମୁଖକୁ ନଯିବା ପାଇଁ ।ତାଙ୍କ କହିବାର କଥା ହେଉଛି, ଧୃତରାଷ୍ଟ୍ରଙ୍କର ସବୁଠାରୁ ଅଧିକ ରାଗ ଭୀମ ଉପରେ ଥାଇପାରେ । କାହିଁକିନା ସେଇ ହିଁ ତାଙ୍କର ଶତପୁତ୍ରକୁ ନିଧନ କରିଛି ।ତେଣୁ ଅଯଥା ସାମ୍ନାକୁ ଗଲେ, ତାଙ୍କ କ୍ରୋଧର ଶିକାର ହେବାକୁ ନିଶ୍ଚେ ପଡ଼ିପାରେ ।କାରଣ ଧୃତରାଷ୍ଟ୍ର ପରା ମହାଶକ୍ତିଶାଳୀ ।ଏବେବି ତାଙ୍କ ଦେହରୁ ଶକ୍ତି କମି ନାହିଁ। ତାଙ୍କୁ ପରା ବରଦାନ ଅଛି, ସେ ମହାପର୍ବତକୁ ଚାପିଦେଲେ ବି ପର୍ବତ ଚାପିହୋଇ ବିଦୀର୍ଣ୍ଣ ହୋଇଯିବ ।
ପାଣ୍ଡବମାନେ ହସ୍ତିନାରେ ପ୍ରବେଶ କରନ୍ତେ, ପ୍ରଥମେ ବିଦୁରକୁ ଦେଖିଲେ।ତାଙ୍କୁ ପ୍ରଣିପାତ କରି ଧୃତରାଷ୍ଟ୍ରଙ୍କୁ ଭେଟିବାକୁ ଅନୁମତି ଲୋଡ଼ିଲେ ।ଅନୁମତି ନିମନ୍ତେ ବିଦୁର ତାଙ୍କ ପ୍ରକୋଷ୍ଠକୁ ଗଲେ ।ଧୃତରାଷ୍ଟ୍ରଙ୍କୁ କହିଲେ, ପାଣ୍ଡବମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି।
ଧୃତରାଷ୍ଟ୍ରଙ୍କ ମନର ଜ୍ୱାଳା ତ ଅପରିମିତ। ଯାହା ଖାଲି ହୁତହୁତ୍ ହୋଇ ଜଳୁଥାଏ ।ଯୋଗକୁ ବିଦୁରର ଏହି ବାଣୀ ମନକୁ ବହୁତ ପୀଡ଼ା ଦେଲା। କାରଣ ସେତେବେଳକୁ ପାଣ୍ଡବମାନଙ୍କ ପ୍ରତି ଘୃଣା ଓ ଅସୂୟାରେ ତାଙ୍କ ହୃଦୟ ଭରି ଯାଇଥିଲେ। ସେ ରାଗିକି ଲାଲ ପଡିଯାଇଥିଲେ ।ତେଣୁ ଅଗତ୍ୟା କହି ପକାଇଲେ, ଆଉ କୁଆଡ଼େ ଆସିଛନ୍ତି। କ’ଣ ମୋର ଶତପୁତ୍ରକୁ ମାରିସାରି ମୋ ହୃଦୟର ଜ୍ୱାଳାକୁ ଆହୁରି ଉଦୀପ୍ତ କରିବା ପାଇଁ ।
ବିଦୁର ତାଙ୍କ ମନକୁ ଲଘୁବାଣୀ କହି ଶାନ୍ତ୍ୱନା ଦେଲେ ।ଆଉ କ୍ରୋଧ ସମ୍ବରଣ କରିବାକୁ ଅନୁରୋଧ କଲେ ।ସେ ପ୍ରବୋଧନା ଦେଇ କହିଲେ, ସେମାନଙ୍କୁ ଦୋଷଦେଇ କିଛି ଲାଭ ନାହିଁ। ମୂଳଠୁଁ କହିଛି, ଦୁର୍ଯ୍ଯୋଧନକୁ ବଳି ଦେଲେ ଅନ୍ୟ ପୁତ୍ରମାନେ ସୁରକ୍ଷିତ ବଞ୍ଚିରହିବେ ।ସେତେବେଳେ କିନ୍ତୁ କୌଣସି କଥାକୁ ମାନିଲେ ନାହିଁ ।ଓଲଟା ପୁତ୍ରାନ୍ଧରେ ସବୁକଥାରେ ତା’ର ସହଯୋଗ କଲେ।କିନ୍ତୁ ଗୋଟେ କଥା ମନେରଖିବାର ଥିଲା ବାସୁଦେବ ଯେତେବେଳେ ପାଣ୍ଡବମାନଙ୍କ ସପକ୍ଷରେ ଅଛନ୍ତି, ବିଜୟ ତ ସେଇଦିନଠାରୁ ସୁନିଶ୍ଚିତ ହୋଇ ଯାଇଥିଲା। ଆଉ କୌରବମାନଙ୍କର ପରାଜୟ ମଧ୍ଯ ସ୍ଥିର ହୋଇ ସାରିଥିଲା। ତଥାପି ତୁମର ସିଂହାସନକୁ ଜାବୁଡ଼ି ଧରିବାର ମୋହ ଓ ମହତ୍ତ୍ୱାକାଙ୍କ୍ଷା ଦୁର୍ଯ୍ଯୋଧନ ପରି ଅଭିମାନୀ ଓ ଅବିବେକୀକୁ ଅପଥରେ ଚାଲିବା ପାଇଁ ବଳ ଯୋଗାଇଲା। ତୁମେ ନିଜେ ତାହାର ପ୍ରତିଟି କଥାକୁ ସମର୍ଥନ କରି ଓ ପାଖେ ପାଖେ ଛାଇପରି ରହି ତାକୁ ଅଧିକ ବିନାଶ ଆଡ଼କୁ ଟାଣିନେଇଛ।
ଏତେବେଳଯାଏ ଧୃତରାଷ୍ଟ୍ର ନୀରବରେ ସବୁକଥ ଶୁଣି ଯାଉଥିଲେ। ଏଥର କହିଲେ,ହୋଉ ତାହେଲେ ପାଣ୍ଡବମାନଙ୍କୁ ଭିତରକୁ ଆସିବାକୁ କୁହ। ତହୁଁ ପାଣ୍ଡବମାନେ ବାସୁଦେବଙ୍କ ସହିତ ଭିତରକୁ ପ୍ରବେଶ କଲେ। ଗାନ୍ଧାରୀଙ୍କୁ ପ୍ରଥମେ ପ୍ରଣିପାତ କଲେ ତା’ପରେ ଧୃତରାଷ୍ଟ୍ରଙ୍କୁ ପ୍ରଣିପାତ କଲେ ।ଉଭୟ ଗାନ୍ଧାରୀ ଓ ଧୃତରାଷ୍ଟ୍ର ମୃତ ପୁତ୍ରମାନଙ୍କ କଥା ମନେପକାଇ ବିଳାପ କଲେ। ଏପରିକି ଧୃତରାଷ୍ଟ୍ର ପଛକଥା ମନେପକାଇ ସଞ୍ଜୟଙ୍କ ସମ୍ମୁଖରେ କହିଲେ କି , ସେ ସେତେବେଳେ ଅନ୍ୟମାନଙ୍କ ଉପଦେଶକୁ କର୍ଣ୍ଣପାତ ନକରିବାରୁ ଆଜି ପୁତ୍ରମାନଙ୍କର ଏ ଦୁର୍ଦ୍ଦଶା ଦେଖିବାକୁ ପଡ଼ିଲା। ସେ ଏମିତି ବାହୁନି ବାହୁନି କାନ୍ଦିବାରୁ ସଂଜୟ ବୋଧଦେଇ କହିଲେ, ପୁତ୍ରମାନେ ଖଳବୁଦ୍ଧି କରିବାରୁ ଆଜି ଏ ଦୁର୍ଦ୍ଦଶା ଭୋଗିବାକୁ ହେଲା ।
ଏଥର ଗାନ୍ଧାରୀ ମୁହଁ ଖୋଲିଲେ ।ତାଙ୍କ ମନ ମଧ୍ୟରେ ମଧ୍ଯ ପାଣ୍ଡବମାନଙ୍କ ପ୍ରତି ପ୍ରଚଣ୍ଡ କ୍ରୋଧାଗ୍ନୀ ସବୁ ପୁଞ୍ଜିଭୂତ ହୋଇ ରହିଥିଲା। ସେ କହିଲେ, ସ୍ଵାମୀ ଅନ୍ଧ ହୋଇଥିବାରୁ ‘ମୁଁ ବି କାହିଁକି ସୁନ୍ଦରବସ୍ତୁ ଦେଖିବି’ ବୋଲି ଭାବି ଆଖିରେ ଦୀର୍ଘଦିନ ଧରି ଅନ୍ଧପୁଟୁଳି ଧାରଣ କରିଥିଲି ।ଏପରିକି ନିଜ ପୁତ୍ରମାନଙ୍କୁ ମଧ୍ୟ ମୁଁ ଦେଖି ନାହିଁ। ଆଜି କିନ୍ତୁ କାହିଁକି ଭାରି ମନ ହେଉଛି, ତୁମ୍ଭମାନଙ୍କୁ ଦେଖିବି । ତେଣୁ ଯୁଧିଷ୍ଠିରଙ୍କୁ ପାଖକୁ ଡାକି ତାହା ଖୋଲିବାକୁ କହିଲେ।
ତତ୍କ୍ଷଣାତ୍ ବାସୁଦେବ ଏହାର ଅଭିପ୍ରାୟ ସହଦେବଙ୍କଠୁଁ ଜାଣିବାକୁ ଚାହିଁଲେ ।ସହଦେବଙ୍କଠୁଁ ସେ ବୁଝିଗଲେ ଯେ, ଗାନ୍ଧାରୀଙ୍କ ଉଦ୍ଦେଶ୍ୟ କିଛି ଭିନ୍ନ ଅଛି। ଗାନ୍ଧାରୀ ପ୍ରକୃତରେ ପାଣ୍ଡବମାନଙ୍କର ବିନାଶ ଚାହୁଁଛନ୍ତି। ତେଣୁ ସେ ସହଦେବଙ୍କୁ ଇସାରା ଦେଲେ, ଗୁପ୍ତରେ ଯୁଧିଷ୍ଠିରଙ୍କୁ କୁହ ଯେ, ଅନ୍ଧପୁଟୁଳି ଖୋଲିଲେ କ’ଣ ହେବ ।
ସେ କହିଲେ, ଗାନ୍ଧାରୀଙ୍କ ଆଖିର ସ୍ଫୁଲିଙ୍ଗରେ ଯିଏ ପ୍ରଥମେ ସମ୍ମୁଖକୁ ଯିବ ସେ ଜଳି ଭଷ୍ମ ହୋଇଯିବ ।ଶ୍ରୀକୃଷ୍ଣ ଦୁର୍ଦ୍ଦକ୍ଷକୁ କହିଲେ, ମାତାଙ୍କର ଅନ୍ଧପୁଟୁଳି ଫିଟାଇବା ପାଇଁ ।ଦୁର୍ଦ୍ଦକ୍ଷ ତାହା କରନ୍ତେ, ଅବିଳମ୍ବେ ପୋଡ଼ି ଭଷ୍ମ ହୋଇଗଲେ ।ବାସୁଦେବ ସେତେବେଳକୁ ପାଣ୍ଡବମାନଙ୍କୁ ନିଜ ପଛପଟେ ଆଚ୍ଛାଦିତ କରି ରଖିଥିଲେ। ତେଣୁ ସେମାନଙ୍କର କିଛି ହେଲା ନାହିଁ।
ବିଦୁର ଏତାଦୃଶ୍ୟ କାର୍ଯ୍ୟ ଦେଖି କହିଲେ, ଧିକ୍ ତୁମକୁ ! ମହାଭାରତ ଯୁଦ୍ଧପରେ ତୁମର ଜଣେମାତ୍ର ପୁତ୍ର ବଞ୍ଚି ରହିଥିଲେ। ଶେଷରେ ତାକୁ ବି ଜାଳିପୋଡ଼ି ଭଷ୍ମ କରିଦେଲ ।
ଗାନ୍ଧାରୀ କହିଲେ, ମୁଁ ଅନ୍ଧୁଣୀ ହୋଇ ରହିଥିଲି ।ତେଣୁ ପୁତ୍ରମାନଙ୍କୁ କେବେ ଦେଖି ନଥିଲି।
ବାସୁଦେବ ବି କହିଲେ, ତୁମର କପଟପୂର୍ଣ୍ଣ ବିଚାରକୁ ଧିକ୍ ।ତୁମେ ଆଖିରୁ ଅନ୍ଧପୁଟୁଳି ଖୋଲି ମଧ୍ଯ ଅନ୍ଧହୋଇ ରହିଛ। ପାଣ୍ଡବମାନଙ୍କର ଅନିଷ୍ଟ କରିବାକୁ ଚାହିଁ ଶେଷରେ ନିଜେ ପୁତ୍ରହନ୍ତା ହେଲ।
ଧୃତରାଷ୍ଟ୍ର ଶେଷ ପୁତ୍ରର ନିଧନରେ ଆହୁରି କାନ୍ଦିଲେ ।ଦୁଃଖରେ ସମସ୍ତେ ଅଭିଭୂତ ହେଲେ ।ଏକ କରୁଣ ରସରେ ସମସ୍ତେ ଶିକ୍ତ ହୋଇଗଲେ ।
11.ସହିପାରିଲାନି ସିଂହନାଦ
ରାତ୍ର ତ୍ରୟୋଦଶ ଘଡିରେ ଗୋଳଯୁଦ୍ଧ ପ୍ରାୟତଃ ସମାପ୍ତ ହେଲା। ସମସ୍ତ ଶତ୍ରୁପକ୍ଷ ନିପାତ ହୋଇଥିବା ଭାବି ପାଣ୍ଡବମାନେ ମହା ଆନନ୍ଦରେ ଭେରୀ ତୁରୀ ବଜାଇ ଇନ୍ଦ୍ରପ୍ରସ୍ଥରେ ପ୍ରବେଶ କଲେ। ମାତା କୁନ୍ତୀ କହିଲେ, ଦୁର୍ଯ୍ଯୋଧନକୁ କିଏ ମାରିଛି। ସମସ୍ତେ ଶଲ୍ଯ, କର୍ଣ୍ଣ, ଦ୍ରୋଣ, ଅନେଶତ ଭାଇ ଇତ୍ୟାଦିଙ୍କୁ ମାରିଥିବା ଓ ରକ୍ତନଦୀରେ ସେମାନଙ୍କ ଶବ ଭାସୁଥିବା କଥା କହିଲେ, କିନ୍ତୁ କେହି ଦୁର୍ଯ୍ଯୋଧନ କଥା କହିଲେ ନାହିଁ ।ତେଣୁ ମାଆଙ୍କର ସନ୍ଦେହ ଉତ୍ପନ୍ନ ହେଲା ।ସେ ଜଣ ଜଣକରି ସମସ୍ତଙ୍କୁ ପଚାରିଲେ, କୁହ କିଏ ଦୁର୍ଯ୍ଯୋଧନକୁ ମାରିଛି। ସମସ୍ତେ କହିଲେ, ରକ୍ତନଦୀ ବୋହୁଥିଲା। ନଦୀରେ କୁଢ କୁଢ ଶବ ଭାସୁଥିଲା। କିନ୍ତୁ କେହି କହିଲେ ନାହିଁ ଯେ ଦୁର୍ଯ୍ଯୋଧନର ଶବ ଦେଖିଛନ୍ତି ବୋଲି ।ତେଣୁ ମାତା ବାସୁଦେବ ତଥା ପୁତ୍ରମାନଙ୍କ ଉପରେ କ୍ରୋଧିତ ହେଲେ। କହିଲେ ଶବ ଯଦି କେହି ଦେଖିନାହଁ, ତେବେ ଦୁର୍ଯ୍ଯୋଧନ ମରିବା କଥା କେମିତି କହୁଛ।
ସେଇଠୁ ସମସ୍ତଙ୍କ ମନରେ ଭାଳେଣି ପଡ଼ିଲା ।ଭୀମ ପ୍ରତିଜ୍ଞା କଲା, ଯଦି ଆଜି ଦୁର୍ଯ୍ଯୋଧନକୁ ନମାରିଛି ତେବେ ଅଗ୍ନିରେ ଝାସଦେବି ।କୁନ୍ତୀ ମାତା ବି କହିଲେ, ଯଦି ଆଜି ତାକୁ ବଧ ନକର ତାହେଲେ କାଲିଠାରୁ ଆଉ ମୁଁ ତୁମ୍ଭମାନଙ୍କ ମୁହଁ ଚାହିଁବି ନାହିଁ।
ସେତେବେଳକୁ ରାତ୍ରୀ ଅବସାନ ହେବାକୁ ଆହୁରି ଏକ ପ୍ରହର ବାକିଥାଏ ।ନିଆଁହୁଳା ଜାଳି ପାଣ୍ଡବମାନେ ସମସ୍ତ ଶବ ଚିହ୍ନଟ କଲେ। କିନ୍ତୁ ଦୁର୍ଯ୍ଯୋଧନ ଶବ ନପାଇ ଜାଣିଲେ ଯେ, ସେ ଜୀବିତ ଅଛି। ତେଣୁ ତୁରନ୍ତ ଅନୁସନ୍ଧାନ କଲେ। ସମସ୍ତେ ପ୍ରଥମେ ଭୀଷ୍ମ ପାଖକୁ ଯାଇ ତାହା ଜିଜ୍ଞାସା କଲେ। ଭୀଷ୍ମ କିନ୍ତୁ ମୌନ ରହିଲେ ।ବାସୁଦେବ କହିଲେ, ଭୀଷ୍ମଙ୍କର ଏବେବି ଦୁର୍ଯ୍ଯୋଧନ ପ୍ରତି ଅନୁରକ୍ତି ଅଛି। ତେଣୁ ସେ ଜାଣି ମଧ୍ଯ କିଛି କହୁ ନାହାନ୍ତି ।
ବାସୁଦେବ ସହଦେବଙ୍କୁ ପଚାରିଲେ। ସହଦେବ ସବିଶେଷ ତଥ୍ଯ ପ୍ରଦାନ କଲେ।ସହଦେବ କହିଲେ, ରାତ୍ରିରେ ଗୋଳଯୁଦ୍ଧରେ କେହି କାହାକୁ ଚିହ୍ନି ନପାରି ହଣାକଟା ଲାଗିଲେ ।ସେଇ ଯୁଦ୍ଧରେ ଅନେକ ମଲେ। ନକୁଳ କୁନ୍ତ ପ୍ରୟୋଗ କରି ଦୁର୍ଯ୍ଯୋଧନର ସୁହସ୍ତୀ ହାତୀକୁ ବଧକଲେ । ବିଦର୍ଭ ରାଜନ ଶିବପାଳଙ୍କ ହାତୀକୁ ବି ବଧ କଲେ। ତା’ର ଘଣ୍ଟି ଖସିପଡିବାରୁ ଦୁର୍ଯ୍ଯୋଧନ ସେ ଘଣ୍ଟି ତଳେ ରହିଗଲେ ।ହସ୍ତୀ ଘଣ୍ଟି ଉପରେ ପଡିଗଲା ଓ ବହୁ ସୈନ୍ୟ ମୃତାହତ ହୋଇ ହସ୍ତୀ ଉପରେ ପଡ଼ିଲେ। ରକ୍ତର ନଦୀ ବୋହିଗଲା ।ରାତ୍ର ତ୍ରୟୋଦଶ ଘଡିରେ ଗୋଳଯୁଦ୍ଧର ସମାପ୍ତି ଘଟିଲା ।
ଯୁଦ୍ଧର ଏ ଶେଷ ତାଣ୍ଡବ ଲୀଳା ଦେଖି ଦୁର୍ଯ୍ଯୋଧନ ଚକିତ ହେଲା। ତଥାପି ତା’ର ବଞ୍ଚିବାର ଇଚ୍ଛା ପ୍ରବଳ ହେଲା । ତେଣୁ ସେଠୁ ବାହାରି କିଛିବାଟ ରକ୍ତନଦୀ ସନ୍ତରଣ କଲା ।ଥକିପଡ଼ିଲାପରେ ଆଶ୍ରୟ ଖୋଜିଲା ।ଶବ ଧରି ପାରି ହୋଇଯିବାକୁ ଆପ୍ରାଣ ଚେଷ୍ଟା କଲା। ମାତ୍ର ଯେଉଁ ଶବକୁ ସେ ଆଶ୍ରୟ କଲା ଗୋଟି ଗୋଟି କରି ସବୁ ଶବ ବୁଡିଗଲା। ଏହି ପ୍ରକାରେ ଦୁଃଶାସନଠାରୁ ଆରମ୍ଭ କରି ଅନ୍ୟ ଭ୍ରାତାଗଣ, ପୁଣି କର୍ଣ୍ଣ, ଦ୍ରୋଣ, ଶକୁନି, ଭୁରିଶ୍ରବା, ଶଲ୍ଯ ପର୍ଯ୍ୟନ୍ତ ଯାହା ଶବକୁ ଆଶ୍ରା କଲା କେହି ତାକୁ ନଦୀ ପାର ହେବାରେ ସାହାଯ୍ୟ କଲେ ନାହିଁ। ସେମାନଙ୍କୁ ଦେଖି ସେ ବିଳାପ କଲା। ଶେଷରେ ପୁତ୍ର ଗୋଟେ ଶବ ଭାସି ଭାସି ଆସିଲା। ତାକୁ ଓଲଟାଇ ଦେଖିଲା ବେଳକୁ ତାହା ଥିଲା ପ୍ରିୟପୁତ୍ର ଲକ୍ଷ୍ମଣ କୁମାରର ।ଯାହା ସିଏ ଭାବିଥିଲା ବଂଶର କୁଲନନ୍ଦନ ଅତିକମ୍ ରେ ବଞ୍ଚି ଯାଇଥିବ ବୋଲି ତାହା ନହୋଇ ପାରିଥିବାରୁ ଆହୁରି ଜୋର୍ ଜୋର୍ କ୍ରନ୍ଦନ କରିବାକୁ ଲାଗିଲା। ଶେଷରେ ପୁତ୍ରର ଶବକୁ ଆଶ୍ରା କରି ନଦୀ ପାର ହେଲା। ନଦୀପାର ହେବା ପରେ ସେ ପ୍ରଥମେ ଶରଶଯ୍ୟାରେ ଥିବାଭୀଷ୍ମଙ୍କ ପାଖକୁ ଗଲା
ତା’ପରେ ରାଜ ଉଆସ ଯାଇ ଭାନୁମତୀ, କୁନ୍ତୀ ଓ ଧୃତରାଷ୍ଟ୍ରଙ୍କୁ ଦେଖାକରି ବଞ୍ଚିବାର ମାର୍ଗ ଖୋଜି ଶେଷରେ ଦୁର୍ବାସାଙ୍କ ପରାମର୍ଶ ଲୋଡ଼ିଲା।ସେଠାରେ ରୁଦ୍ରଙ୍କ ଲିଙ୍ଗ ଅଛି ।ତା’ଉପରେ କାଳସର୍ପ ବସିଛି ।ଦୁର୍ଯ୍ଯୋଧନ ପଛଘୁଞ୍ଚା କରି ଜଳରେ ପ୍ରବେଶି ଲିଙ୍ଗ ମଧ୍ୟରେ ବସିଗଲା।
ଅନ୍ୟପଟେ ଦୁଷ୍ଟଦୁମ୍ନ ଏକାକୀ ଅରଣ୍ୟରେ ଦୁର୍ଯ୍ଯୋଧନକୁ ଖୋଜୁଥିଲା ବେଳେ ବିଧୁତ ନାମକ ବ୍ୟାଧକୁ ଦେଖି ପଚାରିଲେ, ଦୁର୍ଯ୍ଯୋଧନକୁ ଦେଖିଛ କି ।ସେ କହିଲା, ଚିହ୍ନି ନାହିଁ। କିନ୍ତୁ ଜଣେ ବ୍ୟାସସରୋବରରେ ପଛଘୁଞ୍ଚା ଦେଇ ପଶିଥିବାର ସେ ଦେଖିଛି ।ଦୁଷ୍ଟଦୁମ୍ନ ଏ ଖବର ଭୀମକୁ ଦେଲା।
ଦୁର୍ବାସାଙ୍କ ଦେଖି ଭୀମ ପଚାରିଲା, ଦୁର୍ଯ୍ଯୋଧନ କୁଆଡ଼େ ଗଲା। ପୁଣି ପାଣ୍ଡବମାନେ ବି ପଚାରିଲେ। ଦୁର୍ବାସା ଚୁପ୍ ରହିଲେ ।ଭୀମ ରାଗିଯାଇ ଦୁର୍ବାସାଙ୍କୁ ଗାଳିଦେଲେ।କହିଲେ, ତୁମେ ଚାହିଁଲେ ବି ଦୁର୍ଯ୍ଯୋଧନକୁ ବଞ୍ଚାଇ ପାରିବ ନାହିଁ। ସେ ଦୁର୍ବାସାଙ୍କୁ ମାରିବାକୁ ଉଦ୍ଯତ ହେଉଥିଲେ ।ବାସୁଦେବ ଅଟକାଇ ଦେଲେ ।ଭୀମ ସରୋବରରେ ପଶିବାକୁ ଉଦ୍ୟତ ହେଉଥିଲେ ।ବାସୁଦେବ କହିଲେ, ଅନୁପ୍ରବେଶ କଲେ ଜଳିଯିବ।
ଅର୍ଜୁନ କହିଲେ, ମନଭେଦୀ ଶର ପ୍ରୟୋଗ କରି ମାରିବାକୁ। ବାସୁଦେବ କହିଲେ, ଲକ୍ଷ୍ମୀ ଦୁର୍ଯ୍ଯୋଧନକୁ କୋଳରେ ଧରି ରଖିଥିବାରୁ ତାହା ସମ୍ଭବ ନୁହେଁ। ଭୀମ କହିଲେ, ମୁଁ ତେଲକୁ ଗଦାଘାତ କରି ମାରିବାକୁ କୁନ୍ତୀ ମାତାଙ୍କ ଆଗେ ପ୍ରତିଜ୍ଞା କରୁଥିବାରୁ ତାହା ନକରି ପାରିଲେ ସତ୍ୟଭଙ୍ଗ ହେବ ।
ତହୁଁ ବାସୁଦେବ ସହଦେବଙ୍କୁ ପଚାରିଲେ, ଦୁର୍ଯ୍ଯୋଧନ କେମିତି ବ୍ୟାସ ସରୋବରରୁ ବାହାରିବ କହ ।ସହଦେବ କହିଲେ, ଭୀମ ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତ କରି ତିନି ଥର ରଡି ଦେଲେ, ସେ ସମ୍ବରଣ କରିନପାରି ବାହାରି ଆସିବ ।ବାସୁଦେବ ଆଶଙ୍କା ବ୍ୟକ୍ତ କରିବାରୁ ସହଦେବ କହିଲେ, ଭୀମ ଏକଦା ଦୈତ୍ୟ କୁ ମାରି ଶିବଙ୍କର ଉପକାର କରିଥିବାରୁ ସେ ଆବଶ୍ୟକ ବେଳେ ବର ମାଗିଲେ ବଚନବଦ୍ଧ ହୋଇଛନ୍ତି ।
ଭୀମ ଶିବଙ୍କୁ ସ୍ମରଣ କରି ବର ମାଗିଲେ। ଶିବ ପାର୍ବତୀଙ୍କୁ ପଚାରିଲେ ।ପାର୍ବତୀ କହିବାରୁ ଶିବ ସିଂହନାଦ ଭୀମଙ୍କୁ ଦେଇ କହିଲେ, ସିଂହନାଦ କଲେ ତ୍ରିପୁର କମ୍ପମାନ ହେବ।
ଭୀମ ସିଂହନାଦ ନେଇ ପ୍ରଥମ ରଡି କରିବାରୁ ମର୍ତ୍ତ୍ୟ ଟଳମଳ ହେଲା ।ସେଥିରେ ମାନଗୋବିନ୍ଦର ନିଦ୍ରାଭଙ୍ଗ ହେଲା ।ଦ୍ବୀତୀୟ ରଡିରେ ପାତାଳ କମ୍ପମାନ ହେଲା ।ଫଳରେ ଦୁର୍ଯ୍ଯୋଧନ ଭୀମକୁ ମାରିବାକୁ ପ୍ରତିଜ୍ଞା କରି ବାହାରିଲା।
ଲକ୍ଷ୍ମୀ ବୁଝାଇଲେ, ଯୁଦ୍ଧ ସମୟରେ ତୋ କାନ୍ଧରୁ ଖସିପଡ଼ିଥିଲି ।ପୁଣି ଖୋଜି ଖୋଜି ତୋ ପାଖକୁ ଆସିଛି। ଯଦି ତୁ ଏ ସରୋବରରୁ ନବାହାରୁ ପାଣ୍ଡବମାନେ ତୋର କିଛି ବି କ୍ଷତି କରିପାରିବେ ନାହିଁ ଆଉ ରାତି ପାହିଲେ ତୁ ପୁଣି ରାଜା ହେବୁ। କିନ୍ତୁ କଥା ନମାନି ବାହାରକୁ ଚାଲିଗଲେ ମୁଁ ତୋତେ ପରିତ୍ୟାଗ କରିବି।
ଦୁର୍ଯ୍ଯୋଧନ କର୍ଣ୍ଣପାତ ନକରି ଲକ୍ଷ୍ମୀଙ୍କୁ ପେଲି ଦେଲା ।ଲକ୍ଷ୍ମୀ ତଳେ ପଡ଼ିଗଲେ। ଏତିକି ବେଳକୁ ଭୀମ ତୃତୀୟ ରଡି ଦେଲାରୁ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳ କମ୍ପମାନ ହେଲା ।ଏପରିକି ବ୍ୟାସଙ୍କ ହାତରୁ ବିଶ୍ନୁପୁରାଣ, ଶିବପୁରାଣ, ମାର୍କଣ୍ଡପୁରାଣ ଓନାରଦପୁରାଣ ଖସିପଡ଼ିଲା ।ସେସବୁ ପୁରାଣଶାସ୍ତ୍ର ଭୀମଙ୍କ କାନ୍ଧରେ ପଡ଼ିଲା ।ଦୁର୍ଯ୍ଯୋଧନ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ। ସେ ସରୋବରରୁ ବାହାରି ଆସି ପାଣ୍ଡବମାନଙ୍କୁ ଗଦାଯୁଦ୍ଧ ପାଇଁ ଆହ୍ଵାନ କଲା।
ବାସୁଦେବ କହିଲେ, ତୁମ୍ଭେମାନଙ୍କର ଧର୍ମ ଅଧର୍ମ ବିଚାର ନ ଥିବାରୁ ମିଳିତ ଭାବେ ଅଭିମନ୍ୟୁକୁ ବଧକଲ ।ହେଲେ ପାଣ୍ଡବମାନେ ସେପରି କରିବେ ନାହିଁ। ତୁମ ଇଚ୍ଛା ମୁତାବକ ଜଣଙ୍କୁ ଚୟନ କର ଯୁଦ୍ଧ ଲଢ଼ିବା ପାଇଁ । ଦୁର୍ଯ୍ୟଧନ କହିଲେ, ରାଜା ରାଜା ସହିତ ଲଢିବା ଉଚିତ୍। ତେଣୁ ଯୁଧିଷ୍ଠିରଙ୍କୁ ବାଛୁଛି। ।ବାସୁଦେବ କହିଲେ, ତୁମେ ଯୁଦ୍ଧର କେଉଁ ନିୟମ ପାଳନ କରିଛ ଯେ। ତେଣୁ ଭୀମ ଆମର ରାଜା। ଦୁର୍ଯ୍ଯୋଧନ ତାଚ୍ଛଲ୍ୟ କରି କହିଲେ, ତେବେ ଯୁଧିଷ୍ଠିର ତାକୁ ପ୍ରଣାମ କଲେ ମୁଁ ମାନି ନେବି।ପାଞ୍ଚ ପାଣ୍ଡବ ଇନ୍ଦ୍ରଙ୍କର ଆତ୍ମା ।ସେମାନଙ୍କ ଭିତରେ କିଛି ଫରକ ନାହିଁ ତେଣୁ ବାସୁଦେବ ପ୍ରଥମେ ଭୀମଙ୍କୁ ପ୍ରଣାମ କଲେ ।ପରେ ଯୁଧିଷ୍ଠିର, ଅର୍ଜୁନ, ନକୁଳ, ସହଦେବ ଓ ଦୁଷ୍ଟଦୁମ୍ନ ବି ପ୍ରଣାମ କଲେ ।ଦୁର୍ଯ୍ଯୋଧନ ତାହା ଦେଖି ଆଶ୍ଚର୍ଯ୍ୟ ହେଲେ। ସେସମୟରେ ଭୀମଙ୍କ କାନ୍ଧରେ ବିଶ୍ନୁପୁରାଣ ଥିବାରୁ ବଡମାନେ ତାଙ୍କୁ ପ୍ରଣାମ କଲେ ବି ତାଙ୍କର କୌଣସି ହାନି ହେଲା ନାହିଁ।
ତେଣୁ ଭୀମ ଓ ଦୁର୍ଯ୍ଯୋଧନ ମଧ୍ୟରେ ଚାଲିଲା ଗଦା ଯୁଦ୍ଧ ।ଉଭୟ ଗଦା ବିଦ୍ୟାରେ ସିଦ୍ଧିହସ୍ତ ।ତେଣୁ କେହି କାହାକୁ ହରେଇବା ଏତେ ପ୍ରାୟ ସହଜ ହେଲା ନାହିଁ। ସେ ଲଢେଇ କିନ୍ତୁ ଅତୀବ ଚିତ୍ତାକର୍ଷକ ଓ ପୀଡ଼ାଦାୟକ ଥିଲା ।ବାସୁଦେବ ପଚାରିଲେ ସହଦେବକୁ ତା’ର ମୃତ୍ୟୁଭେଦ ।
ସହଦେବ କହିଲେ, ସେ ଜନ୍ମ ହେବା ପରେ ଦୁର୍ବାସା ତା ଶରୀରକୁ ବଜ୍ର କରିଦେଇଥିଲେ ।ଦୁର୍ବାସା ଉପରେ ସେ ମଳତ୍ୟାଗ କରିବାରୁ ଦୁର୍ବାସା ତାକୁ ଅଭିଶାପ ଦେଇଥିଲେ, ତା’ର ମଳଦ୍ଵାର ଫାଟିଯାଇ ତା’ର ମୃତ୍ୟୁହେବ।
ଏକଥା ଭୀମକୁ ଚେତାଇ ଦେବା ପାଇଁ ବାସୁଦେବ ତାଳିମାରି ଇସାରା କଲେ। ଭୀମ ସେଥିଯୋଗୁ ଟିକିଏ ଅଲକ୍ଷ୍ୟ ହେବାରୁ ଦୁର୍ଯ୍ଯୋଧନ ତାକୁ ପ୍ରହାର କରି କ୍ଷୀର ସମୁଦ୍ରରେ ପକାଇଦେଲା। ଭୀମ ଅଦୃଶ୍ୟ ହେବାରୁ ସମସ୍ତେ ବିଚଳିତ ହେଲେ ।
ସହଦେବଙ୍କୁ ପଚାରିଲାଠୁଁ ଭୀମ କ୍ଷୀରସାଗରରେ ଅଚେତ ହୋଇ ପଡିଥିବା କହିଲେ। ବାସୁଦେବ ସ୍ଵର୍ଗକୁ ଗରୁଡ଼କୁ ପ୍ରେରଣ କରି ଅମୃତ ଆଣି ତାକୁ ସିଞ୍ଚନ କରିବାକୁ କହିଲେ । ଚୈତନ୍ୟ ପାଇଲା ପରେ ଗରୁଡ଼ ତାଙ୍କୁ ଦୁର୍ଯ୍ଯୋଧନ ର ମୃତ୍ୟୁଭେଦ କହିବା ସଙ୍ଗେ ସଙ୍ଗେ ଫେରାଇ ଆଣିଲେ ।
ଏତେବେଳେ ଦୁର୍ଯ୍ଯୋଧନ ଭାବିଥିଲା ଯୁଦ୍ଧର ଅବସାନ ହେଲା ତେଣୁ ସେ ଚକ୍ରବର୍ତ୍ତୀ ରାଜା ହେଲା ଭାବି ଖୁସିରେ ଚାଲି ଯାଉଥିଲା ।ଭୀମ ପୁନର୍ବାର ଉପସ୍ଥିତ ହୋଇ ଦୁର୍ଯ୍ଯୋଧନକୁ ଧିକ୍କାର କଲା ।ଦୁର୍ଯ୍ଯୋଧନ ଭୟ ପାଇ ବଲରାମଙ୍କୁ ସ୍ମରଣ କଲା। ଦୁର୍ଯ୍ଯୋଧନ ତାଙ୍କୁ ଦେଖି କହିଲା, ପାଣ୍ଡବମାନେ ତା ସହ ଛଳ କରୁଛନ୍ତି। ତାହା ଶୁଣି ହଳଧର ରାଗିଗଲେ ।ପାଣ୍ଡବମାନେ ତାଙ୍କୁ ବହୁ ସମ୍ମାନ ଦେଲେ। ସେ ସନ୍ତୁଷ୍ଟ ହୋଇ ଫେରିଗଲେ। ବାସୁଦେବ କହିଲେ, ବଲରାମ ଭ୍ରାତା ଆସିବା ଆଗରୁ ଯଦି ଦୁର୍ଯ୍ଯୋଧନର ପତନ ହୋଇଥାନ୍ତା ତେବେ ସେ ନିଶ୍ଚୟ କ୍ରୋଧ କରିଥାନ୍ତେ। ତେଣୁ ଏବେ ଆଉ ଚିନ୍ତା ନାହିଁ, ଶୀଘ୍ର ଯୁଦ୍ଧ ସାର।
ଭୀମ ଶତଶୃଙ୍ଗ ପର୍ବତକୁ ସ୍ମରଣ କଲେ। ତାହାର ବଳ ଅପ୍ରମିତ ହେଲା ।ସେ ରଣହୁଂକାର ଦେଇ ଦୁର୍ଯ୍ଯୋଧନକୁ ଗଦା ପ୍ରହାରରେ ରକ୍ତାକ୍ତ କଲା ।ତା’ର ମୁକୁଟକୁ ତଳେ ପକାଇ ପାଦରେ ଚକୁଟି ଦେଲା ।ତା ମଳଦ୍ଵାର ମୁହଁରେ ଗଦା ପ୍ରହାର କଲାଠୁଁ ତା ଶରୀରରୁ ଅହରହ ରକ୍ତ ନିର୍ଗତ ହେଲା। ସେ ଚିତ୍କାର ଛାଡ଼ିଲା। ଭୀମ ଗଦା ପ୍ରହାର କରି ତା ଜାନୁ ଭାଙ୍ଗିଲା।ତା’ପରେ ତା ମୁଣ୍ଡ ମୋଡ଼ିବା ପାଇଁ ଯାଉଥିଲା, ଯୁଧିଷ୍ଠିର ପ୍ରତିରୋଧ କରି କହିଲେ, ଧୃତରାଷ୍ଟ୍ରଙ୍କୁ ସନ୍ତାନହୀନ କରେଇବା ଉଚିତ୍ ନୂହେଁ ।ସେ ନିଜେ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରୁ।ଏଥର ଦୁର୍ଯ୍ଯୋଧନ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲା। ଭୀମ ବହୁ କଟୁକଥା କହିଲେ ।
ବସୁଦେବ କହିଲେ, ଶୀଘ୍ର ଇନ୍ଦ୍ରପ୍ରସ୍ଥ ଯିବା ।କାରଣ ପ୍ରଭାତ ହୋଇଗଲେ କୁନ୍ତୀମାତା ଦୁର୍ଯ୍ଯୋଧନର ମୃତ୍ୟୁ ସମ୍ବାଦ ନପାଇଲେ ପ୍ରାଣ ବିସର୍ଜନ କରିଦେବେ। ତେଣୁ ଦୁର୍ଯ୍ଯୋଧନର କ୍ଷତବିକ୍ଷତ ଶରୀରକୁ ପତ୍ର ଶଯ୍ୟାରେ ଶୁଆଇ ଦୁର୍ଦ୍ଦକ୍ଷକୁ ଦାୟିତ୍ଵ ଦେଇ ପାଣ୍ଡବମାନେ ଚାଲିଗଲେ।
ଅଶ୍ଵତ୍ଥାମା ଅରଣ୍ୟରେ ବୁଲୁଥିଲା ବେଳେ ବିଧୁତ ବ୍ୟାଧ ପାଖରୁ ଏଇ ଖବର ପାଇଲା। ସେ ବ୍ୟାସ ସରୋବରରେ ଆସି ଦୁର୍ଯ୍ଯୋଧନର ଏ ଦୁର୍ଗତି ଦେଖି ବିଳାପ କଲା। ତା ଅନୁରୋଧକ୍ରମେ ଦୁର୍ଯ୍ଯୋଧନ ଦୁବଚାଉଳ ଦେଇ ତାକୁ ସେନାପତି କଲା। ଅଶ୍ଵତ୍ଥାମା ପାଣ୍ଡବ ଶିବିରରେ ପଶି ଦୁଷ୍ଟଦୁମ୍ନ ସମେତ ଦୁଇ ଅକ୍ଷୌଣୀ ପାଣ୍ଡବ ସୈନ୍ୟଙ୍କୁ ଆଗ ନିପାତ କଲା ।ଶୟନ ଅବସ୍ଥାରେ ଥିବା ଦ୍ରୌପଦୀଙ୍କର ପଞ୍ଚପୁତ୍ରକୁ ପାଣ୍ଡବ ଭାବି ମାରିଲା। ସେମାନଙ୍କ କଟାମୁଣ୍ଡ ଆଣି ଦୁର୍ଯ୍ଯୋଧନ ହାତରେ ଦେଲା। ପାଣ୍ଡବମାନଙ୍କ ମୃତ୍ୟୁରେ ପ୍ରଥମେ ଦୁର୍ଯ୍ଯୋଧନ ଖୁସିହେଲା। ପରେ ଜାଣିଲା, ଏମାନେ ପାଣ୍ଡବ କୁଳନନ୍ଦନ ।ତେଣୁ ବଂଶରକ୍ଷା ସଂକଟ ଦେଖି ଅଶ୍ଵତ୍ଥାମାର ଅପରିଣାମଦର୍ଶିତାକୁ ଦାୟୀକରି ତାକୁ ନାନା ଧିକ୍କାର କଲା ।ଅଶ୍ଵତ୍ଥାମା ପୁନଃ ଅରଣ୍ୟକୁ ଚାଲିଗଲା ।ଶେଷରେ ଦୁର୍ଦ୍ଦକ୍ଷକୁ କହିଲେ, ସେ ମୁଣ୍ଡଗୁଡିକ ମୋ କୋଳକୁ ଦେ। ତା’ପରେ ସ୍ନେହାତିଶଯ୍ୟରୁ ଅତ୍ୟନ୍ତ ବିଳାପ କରି ପ୍ରାଣତ୍ୟାଗ କରିଦେଲା।
12.ନଖମୂଳରୁ ବାହାରିଆସ
ମହାଭାରତର ରୋଚକ ସ୍ଥିତି ହେଉଛି ଉଦଯୋଗ ପର୍ବ। ଏହି ପର୍ବରେ “ବିନା ଯୁଦ୍ଧେ ନଦେବି ସୁଚ୍ୟଗ୍ରେ ମେଦିନୀ” ର ପଣ କରି ଦୁର୍ଯ୍ୟୋଧନ ପାଞ୍ଚପଡା ମାତ୍ର ଗ୍ରାମ ପାଣ୍ଡବ ମାନଙ୍କୁ ଦେବାକୁ ମନା କରିବାରୁ ବିଡ଼ମ୍ବନା ସ୍ଵରୂପ ଶ୍ରୀକୃଷ୍ଣ ଅପମାନିତ ହୋଇ ରିକ୍ତ ହସ୍ତରେ ଫେରିଥିଲେ ।ତେଣୁ ଯୁଦ୍ଧ ପ୍ରାୟତଃ ସ୍ଥିର ହୋଇଯାଇଥିଲା। ବାକି ରହିଯାଇଥିଲା ବଳ ଗୋଟାଗୋଟି ।କାହିଁକିନା ଏହି ଯୁଦ୍ଧ କେବଳ ପାଣ୍ଡବ ଓ କୌରବମାନଙ୍କ ଭିତରେ ସୀମିତ ହୋଇ ରହି ନଥିଲା। ଯୁଦ୍ଧର ଭୟବହତା ସମଗ୍ର ଭାରତ ଭୂଖଣ୍ଡକୁ ବ୍ୟାପୀ ଯାଇଥିଲା। ତେଣୁ ସମସ୍ତ ସମର୍ଥ ଯୋଦ୍ଧା ଓ ରାଜାମାନେ ସ୍ଵଇଚ୍ଛାରେ ନିଜ ନିଜ ପକ୍ଷ ବାଛିନେଇ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ନିଜ ନିଜର ପରାକାଷ୍ଠା ଆଉ କୌଶଳ ଦେଖାଇବା ପାଇଁ। ତହୁଁ ଉତ୍ତାରୁ ବନ୍ଧୁ ଜ୍ଞାତିକୁଟୁମ୍ବ ଓ ପରିଜନ ବି ଲୋଡ଼ା ପଡ଼ିଥିଲେ ।
ସମଧର୍ମ ପାଳନ କରି ଭୀମ ନିଜ ପୁତ୍ର ବେଲାଳସେନକୁ ଆବହନ କଲେ ।ସେ ବେଲାବାଳୀ ଗର୍ଭରୁ ଜାତ। ଆସିବାବେଳେ ସେ ପୁତ୍ରକୁ ଭାବପୂର୍ଣ୍ଣ ବିଦାୟ ଦେଲେ ।ବେଲାଳସେନ ଉପସ୍ଥିତ ହୋଇ ଯୁଧିଷ୍ଠିର, ଭୀମ ଆଦିଙ୍କୁ ପ୍ରଣାମ କରି ସ୍ନାନ କରିବାକୁ ଚାଲିଗଲେ। ସେଠାରେ ସେ କୃଷ୍ନଙ୍କୁ ପ୍ରଣାମ କରିବାରୁ କୃଷ୍ନ ତାଙ୍କୁ ତାଙ୍କ ପରିଚୟ ପଚାରି ବୁଝିଲେ ।ଏତେବେଳେ ତା’ର ନାନା ଭାବାନ୍ତର ସ୍ରୁଷ୍ଟି ହେଲା ।
ସଂସାରର ସବୁଠାରୁ ଶକ୍ତିଶାଳୀ ହେଲାପରେ ଜଣେ ବ୍ୟକ୍ତି ବାସ୍ତବତା କ’ଣ ବୁଝିପାରେ । ସେ ପରା ଗୁରୁଙ୍କ ପ୍ରେରଣାରେ କଠୋର ତପସ୍ୟା କରି କାମାକ୍ଷା ଦେବୀଙ୍କଠୁଁ ତିନୋଟି ଦିବ୍ୟବାଣ ହସ୍ତଗତ କରିଥିଲା।ଯାହା ତାକୁ ସଂସାରର ସର୍ବଶ୍ରେଷ୍ଠ ମହାବୀର କରିବା ପାଇଁ ଯଥେଷ୍ଟ ଥିଲା। କାରଣ ଏଥିରୁ ଦୁଇଟି ହିଁ କୌଣସି ଶତ୍ରୁ ପକ୍ଷକୁ ଚିହ୍ନଟ କରି ସମ୍ପୂର୍ଣ୍ଣ ଭାବରେ ଧୂଳିସାତ କରିବାକୁ ସକ୍ଷମ ଥିବା ବେଳେ ତୃତୀୟଟି ସବୁଠାରୁ ଭୟଙ୍କର ମହାବିନାଶକ ଅସ୍ତ୍ର ଥିଲା।
କିଶୋର ଅବସ୍ଥାରୁ ବନ ପ୍ରଦେଶରେ ତା’ର କୁଟିର ପାଖ ମାର୍ଗ ଦେଇ ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ଉପଦ୍ରବୀ ରାକ୍ଷସମାନଙ୍କ ଦାଉରୁ ରକ୍ଷାକରିବା ପାଇଁ ସେମାନଙ୍କୁ ଆବଶ୍ୟକ ପଡ଼ିଲେ ହତ୍ୟା କରି ସୁରକ୍ଷା ଦେଉଥିଲା। ଜେଜେମା ହିଡ଼ିମ୍ବାଙ୍କଠାରୁ ବୁଝିଥିଲା ଯେ, ଜଣେ ବୀରର କର୍ତ୍ତବ୍ୟ ହେଉଛି ଦୂର୍ବଳକୁ ରକ୍ଷା କରିବା ଓ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ହେଉଛି ମୋକ୍ଷପ୍ରାପ୍ତି କରି ଭଗବାନଙ୍କଠାରେ ସ୍ଥାନ ପାଇବା।ମୋକ୍ଷ ପାଇବାର ଅନ୍ୟତମ ରାସ୍ତା ହେଲା ଭଗବାନଙ୍କ ହସ୍ତରେ ମୃତ୍ୟୁଗତି ପ୍ରାପ୍ତହେବା।ତେଣୁ ଏହି ଭାବନାର ଇଚ୍ଛା ଲୁକ୍କାୟିତ ଭାବେ ତା ଭିତରେ ଥିଲା ।
ଏଣୁ ତା ମନ ଭିତରେ ସେ ଏକ ଦିବ୍ୟସ୍ୱର ଅନୁଭବ କରୁଥିଲା ଯେ, ସଂସାରର ସବୁଠାରୁ ଶକ୍ତିଶାଳୀ ହେଲାପରେ ଆଉ ତା’ର କାର୍ଯ୍ୟ କିଛି ନାହିଁ, ପ୍ରକାରାନ୍ତରେ ଏହା ସୀମିତ ହୋଇଯାଇଛି।
ସେ ଭୁଲବଶତଃ ପ୍ରତିଜ୍ଞା କରିଥିଲା ଯେ ସେ ଦୂର୍ବଳର ପକ୍ଷ ନେବ, ସେ ଧର୍ମର ପକ୍ଷ ନେବ ବୋଲି ପ୍ରତିଜ୍ଞା କରିନଥିଲା।
ତେଣୁ ମହାଭାରତର ଯୁଦ୍ଧ ଆରମ୍ଭ ହେବାର ଠିକ୍ ପୂର୍ବରୁ କୁରୁକ୍ଷେତ୍ରରେ ପହଞ୍ଚି ଯୁଦ୍ଧରେ ଦୁର୍ବଳ ପକ୍ଷରେ ଲଢ଼ି ସବଳ ପକ୍ଷକୁ ନିମିଷକ ମଧ୍ୟରେ ସମାପ୍ତ କରିଦେବ ବୋଲି ମନରେ ପାଞ୍ଚଥିଲା।
ପ୍ରଥମେ ପ୍ରଥମେ ବାସ୍ତବତା ବୁଝି ପାରିନଥିଲା ଓ ବାସ୍ତବତା ବିଳମ୍ବରେ ବୁଝିଲା ବେଳକୁ ଜାଣିପାରିଥିଲା ଯେ ସେ ପ୍ରକାରାନ୍ତରେ ପାଣ୍ଡବମାନଙ୍କର ହିଁ ବିନାଶ କରିବ । କାରଣ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ଥିବାରୁ ପାଣ୍ଡବମାନେ ହିଁ ସବଳ ଓ କୌରବମାନେ ହିଁ ଦୁର୍ବଳ ଥିଲେ।
ତେବେ କିଛିକ୍ଷଣ ପରେ ଶ୍ରୀକୃଷ୍ଣ ଏହାର ନିଦାନ କରିବା ପାଇଁ ତା’ର ତତ୍କାଳ ବୀରଗତି ପାଇଁ ବ୍ୟବସ୍ଥା କରିବେ ଭାବି ଖୁସି ହୋଇଯାଇଥିଲା।
ତେଣୁ କୃଷ୍ନ ଜିଜ୍ଞାସା କଲାରୁ ନିଜ ପରିଚୟ ବେଲାଳସେନ କହିଲେ,-“କୁରୁକ୍ଷେତ୍ର ଯୁଦ୍ଧରେ ଯୁଦ୍ଧ କରିବାକୁ ଆସିଛି।”
କୃଷ୍ନ କହିଲେ – “କୌରବ ସେନାମାନଙ୍କ ସଂଖ୍ୟା ବିପୁଳ । ତାଙ୍କ ତୁଳନାରେ ପାଣ୍ଡବମାନେ ନ୍ୟୁନସଂଖ୍ୟକ ।ତେଣୁ ତୁମେ କେମିତି କୌରବମାନଙ୍କ ସହ ଯୁଦ୍ଧ କରିପାରିବ।”
ବେଲାଳସେନ କହିଲା – “ସେ ଗୋଟିଏ ଶରରେ ସମସ୍ତ କୁରୁସୈନ୍ୟଙ୍କୁ ନିହତ କରିପାରିବ ।ପରୀକ୍ଷା ନେବାକୁ ଚାହିଁଲେ ସେ ପ୍ରସ୍ତୁତ ଅଛି। “
ଶ୍ରୀକୃଷ କହିଲେ – “ହେଲେ କେମିତି? କୌରବ ଓ ପାଣ୍ଡବ ସେନା ମିଶାମିଶି ହୋଇଗଲେ, ସେ କେମିତି ଚିହ୍ନଟ କରିପାରିବ? “
ବେଲାଳସେନ କହିଲା -” ତେବେ ତା ଶର ମୂନରେ ଯେକୌଣସି ଗୋଟେ ଚିହ୍ନ ଦେଇଦିଅ, ଦେଖିବ! ସେଇ ଚିହ୍ନ କେମିତି କେବଳ କୌରବ ସୈନ୍ୟଙ୍କ ମସ୍ତକରେ ଲାଗିଯିବ ।”
ଏଥର ଶ୍ରୀକୃଷ୍ଣ ଶରର ଅଗ୍ରଦେଶରେ ସିନ୍ଦୂର ଲଗାଇ ଦେଲେ ।ଆଶ୍ଚର୍ଯ୍ୟର କଥା, ବେଲାଳସେନ ଶର ସନ୍ଧାନ କାଲାରୁ ସେ ସିନ୍ଦୁର ସମସ୍ତ କୌରବ ସେନାଙ୍କ ମସ୍ତକରେ ଅଙ୍କିତ ହୋଇ ଗଲା।ଏଥିରେ କୃଷ୍ନରାୟ ସମ୍ପୂର୍ଣ୍ଣ ବିସ୍ମିତପ୍ରାୟ ହୋଇ ଗଲେ। ସେ ଆହୁରି ପରୀକ୍ଷା ନେବା ପାଇଁ କହିଲେ -“ହେଲେ ସେମାନେ ଯଦି ଲୁଚି ଯାଆନ୍ତି, ସେମାନଙ୍କୁ କେଉଁଠି ତୁମେ ଖୋଜି ପାଇବ?”
ସେ ତ ବେଲାଳସେନ। ଅଦ୍ଭୁତ ବାଳକ ।କୃଷ୍ନଙ୍କୁ କହିଲେ – ଠିକ୍ ଅଛି, ଆପଣ କେଉଁଠି ବି ଏବେ ଲୁଚି ଯାଆନ୍ତୁ। ଦେଖିବା ମୋ ଶର ଆପଣଙ୍କୁ ସନ୍ଧାନ କରି ପାରୁଛି କି ନାହିଁ। “
କୃଷ୍ନ ତୁରନ୍ତ ଲୁଚିଗଲେ ।ସେ ପୁଣି ବେଲାଳସେନଙ୍କ ସୂକ୍ଷ୍ମାତିସୂକ୍ଷ୍ମ ନଖ କୋଣରେ ।ବେଲାଳସେନଙ୍କ ଶର ବ୍ରହ୍ମାଣ୍ଡ ସାରା ଖୋଜି ଆସିଲା ପରେ ନିଜ ନଖ ମୂନରେ ଲାଖି ରହିଲା ।ବେଲାଳସେନ ଏ କଥା ଜାଣିପାରି ସହାସ୍ଯ ବଦନରେ କହିଲେ -” ପ୍ରଭୁ ଚକ୍ରଧର ଏଥର ନଖ ମୂଳରୁ ବାହାରି ଆସ। “
ଏତଦ୍ଵାରା ପ୍ରଭୁ ଆହୁରି ବିସ୍ମୟ ହୋଇ ଚିନ୍ତାପ୍ରକଟ କଲେ ।ଭାବିଲେ – ମହାଭାରତ ଯୁଦ୍ଧ ଯାହା ଅଠର ଦିନ ସଂଘଟିତ ହେବ ବୋଲି ଦୈବୀ ନିର୍ଘଣ୍ଟ ହୋଇଛି, ତାହା ବେଲାଳସେନ ଯୋଗୁ ଗଡବଡ ହୋଇଯିବ ।କାହିଁକିନା ସେ ତ ନିମିଷକେ ଏ ଯୁଦ୍ଧ ସାରି ଦେବାକୁ ବସିଛି ।
କୁଟ କପଟିଆ ଚକ୍ରଧର କେତେବେଳେ କେଉଁ କଥା ଯେ ଚିନ୍ତନ୍ତି ଓ ଇଚ୍ଛନ୍ତି ତାହା ସ୍ଵୟଂ ସ୍ରୁଷ୍ଟି ନିୟନ୍ତାଙ୍କୁ ବି ଆଜଣା। ଏଥର ସେ ଧୀର ଗଳାରେ କହିଲେ – “ଯଦି ମୁଁ କିଛି ଦାନ ମାଗେ ତାହା ତୁମେ ଦେଇପାରିବ?”
ସେ ଅବିଳମ୍ବେ ହଁ ଭରିଲାରୁ ଶ୍ରୀକୃଷ ତାକୁ ଦାନ ପାଇଁ ପ୍ରତିଜ୍ଞା କରିନେଲେ ଓ ନିଜ ଶିର ଚ୍ଛେଦନ କରି ଦାନ ଦେବାକୁ କହିଲେ। ଏଥିରେ ସେ ବ୍ୟଥିତ ନହୋଇ ରାଜିହେଲା,, କିନ୍ତୁ କହିଲା – “ମୁଁ ମଧ୍ୟ କିଛି ଦାନ ମାଗିବାକୁ ଚାହୁଁଛି ।”
ଶ୍ରୀକୃଷ୍ଣ ଉତ୍ତରରେ କହିଲେ -” ତୁ ପ୍ରାୟ ଜୀବନଦାନ ମାଗିବୁ? “
ବେଲାଳସେନ ପ୍ରତ୍ୟୁତ୍ତରରେ କହିଲା – “ଦେଇଥିବା ବସ୍ତୁ ମୁଁ ଫେରାଇ ସେ ଅଧର୍ମ କରିବି ନାହିଁ।”
ଏକଥା ଶୁଣି ଶ୍ରୀକୃଷ୍ଣ ବରଦେବା ପାଇଁ ଅଙ୍ଗୀକାରବଦ୍ଧ ହେଲେ ।ବେଲାଳସେନ କହିଲା -କୁରୁଯୁଦ୍ଧ ଶେଷ ପର୍ଯ୍ୟନ୍ତ ମୋତେ ଦିବ୍ୟଚକ୍ଷୁ ପ୍ରଦାନ କର ପ୍ରଭୁ! ଅଠର ଦିନ ଯୁଦ୍ଧ ଦେଖିବା ପାଇଁ ମୋ ମନ ବ୍ୟାକୁଳିତ ହେଉଛି। ମନରେ କେଡ଼େ ଆଶ କରି ଆସିଥିଲୁ ଯୁଦ୍ଧ ଲଢିବାକୁ, ହେଲେ ସେତିକି ଯଦି ଭାଗ୍ୟରେ ନ ଜୁଟିଲା, କମ୍ ସେ କମ୍ ଯୁଦ୍ଧ ଟିକିଏ ଦେଖିବା ପାଇଁ ତ ଅବସର ଦିଅ। “
ଶେଷରେ ସେୟା ହେଲା ।ବେଲାଳସେନ ନିଜ ଶିର ଚ୍ଛେଦନ କରି ଦେଲା, ଆଉ ଶ୍ରୀକୃଷ୍ଣ ବେଲାଳସେନର ମସ୍ତକକୁ ଦେବନାଶନ ସ୍ତମ୍ବ ଉପରେ ରଖିଲେ ।
ଏହି ବେଲାଳସେନଙ୍କ ଜନ୍ମ ବୃତ୍ତାନ୍ତ ମଧ୍ଯ ଅତ୍ୟନ୍ତ ଚିତ୍ତାକର୍ଷକ ।ଭୀମକୁ ଏକଦା ପୁରୋଚନ ନାମକ ସୂପକାର ଦ୍ଵାରା କୌରବମାନେ ସୁସ୍ୱାଦିଷ୍ଟ ବ୍ୟଞ୍ଜନ ପରଶି ତହିଁରେ ବିଷଲଡୁ ଖୁଆଇ ନଦୀଗର୍ଭକୁ ଶରୀରରେ ପଥର ବାନ୍ଧି ନିକ୍ଷେପ କରିଦେଇଥିଲେ ।ତହିଁରେ ନାଗ ବାସ କରୁଥିବାରୁ ଭାବିଥିଲେ ନାଗମନେ ତାଙ୍କୁ ଖାଇଯିବେ। ସେ ନଦୀର ତଳ ଆସ୍ତରଣକୁ ଚାଲିଯାଉଥିବା ବେଳେ ସେହି ନଦୀରେ ସନ୍ଧ୍ୟାବାଳୀ, ବିନ୍ଧ୍ୟାବାଳୀ ଓ ବେଲାବାଳୀ ଭଗ୍ନୀତ୍ରୟ ଜଳକ୍ରୀଡା କରୁଥିବା ଅବସ୍ଥାରେ ତାଙ୍କୁ ଦେଖି ନେଇଥିଲେ ।ଭୀମଙ୍କ ପୁରୁଷକାୟ ରୂପକାନ୍ତି ଦେଖି ବେଲାବାଳୀ ମୋହିତ ହେଲା। ତେଣୁ ନାଗଲୋକରେ ସେ ଭୀମଙ୍କର ବିଷ ହରଣ କଲା। ସେଠାରେ ଅନନ୍ତନାଗ ତାଙ୍କୁ ପଣ୍ଡୁପୁତ୍ର ଜାଣି ଅତ୍ୟନ୍ତ ଖୁସି ପ୍ରକଟ କରି ଅମୃତପାନ କରିବାକୁ ଦେଲେ ।ତହୁଁ ସେ ଅତ୍ୟନ୍ତ ବଳଶାଳୀ ହୋଇ ଭୀମକାନ୍ତ ରୂପ ଗ୍ରହଣ କଲେ। ସେଠାରେ ସେ ବେଲାବାଳୀକୁ ବିବାହ କରି କିଛିଦିନ ଖୁସିରେ ରହିଲେ ।ଭ୍ରାତା ଯୁଧିଷ୍ଠିର ତାଙ୍କୁ ସ୍ମରଣ କରୁଥିବା ଜାଣି ସେ ବିଦାୟ ନେଲେ ।ବିଦାୟ ବେଳାରେ ବେଲାବାଳୀ ଅନ୍ତଃସତ୍ତ୍ୱା ହେବାକଥା ଜାଣି ଜନ୍ମପରେ ତା ନାଁ ବେଲାଳସେନ ରଖିବାକୁ କହି ଆସିଥିଲେ ।
ତେବେ ପରାକ୍ରମୀ ବେଲାଳସେନର ବିୟୋଗରେ ସମସ୍ତେ ଯେ ଦୁଃଖୀହେବେ, ଏକଥା ଶ୍ରୀକୃଷ୍ଣ ଜାଣିପାରି ଅଭିନୟ କଲେ। କହିଲେ,” ଦେବନାଶନ ସ୍ତମ୍ବ ପାଣ୍ଡବମାନଙ୍କ ଭଳି ଜଣଙ୍କୁ ବଳି ମାଗୁଛି, ।ତେଣୁ ଜଣଙ୍କୁ ବଳି ଦିଅ।”
ପାଣ୍ଡବମାନଙ୍କ ଭିତରୁ କାହାକୁ ବଳି ଦିଆଯିବ ବୋଲି ଦୁଖଭରା ବିଚାରବିମର୍ଷ ହେଲା ।ଶେଷରେ ବାସୁଦେବ କହିଲେ – “କାହାକୁ ବଳି ଦେବାର ଆବଶ୍ୟକତା ନାହିଁ। କାହିଁକିନା ସେ ସ୍ନାନକରି ଫେରୁଥିବା ବେଳେ ପାଣ୍ଡବମାନଙ୍କ ପରି ଦେଖା ଯାଉଥିବା ଜଣଙ୍କ ମସ୍ତକ ଚ୍ଛେଦନ କରି ସ୍ତମ୍ବ ଉପରେ ରଖିଦେଇ ଆସିଛନ୍ତି ।”
ଭୀମର ଏଥର ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ, ତାଙ୍କ ପୁତ୍ର ନଦୀକୁ ଗାଧୋଇବାକୁ ଯାଇଥିଲା ।ତେଣୁ ତାଙ୍କ ମସ୍ତକ ନିଶ୍ଚୟ ସ୍ତମ୍ବ ଉପରେ ଥୁଆ ହୋଇଛି ।ଏ କଥାରେ ସେ ଭୀଷଣ କ୍ରୋଧିତ ହୋଇ ରଡି ଛାଡିଲେ। କୃଷ୍ନ ତ ବଡ଼ ଚତୁର। ତେଣୁ ସେ ଯେତେବେଳେ ଦେଖିଲେ ପରିସ୍ଥିତି ଅଣାୟତ ଆଡକୁ ଯାଉଛି, ସେ ଭୀମକୁ କୋଳକରି ତା ଦୁଃଖ ସମ୍ବରଣ କଲେ ।
ଏତିକିରେ କାହାଣୀ ସରି ନାହିଁ ।ସେ ଖାଲି ଯେ ଦାନୀ ଥିଲେ ସେକଥା ନୂହେଁ ସେ ମଧ୍ଯ ଥିଲେ ବଚନପ୍ରେୟସୀ। ଅକାଟ୍ଯ ସତ୍ୟ ବଚନ କହିବାକୁ ମଧ୍ଯ ସେ କୁଣ୍ଠିତ ହେଉ ନଥିଲେ। ମହାଭାରତ ଯୁଦ୍ଧପରେ ଯେତେବେଳେ ଯୋଦ୍ଧାମାନେ ନିଜ ନିଜ ଭିତରେ ନିଜ ବୀରତ୍ୱ ଓ ପରାକାଷ୍ଠାକୁ ନେଇ ଆସ୍ଫାଳନ କରୁଥିଲେ, ସେତେବେଳେ ବାସୁଦେବ କହିଲେ – “ହୋଉ ହୋଉ ସମସ୍ତଙ୍କ ଘନପଣ ଜଣାଅଛି।ତେବେ ସମସ୍ତେ ଆସ! ପଚାରିବା ଛିନ୍ନମସ୍ତକକୁ ଯିଏ ଶୁଭସ୍ତମ୍ବ ଉପରେ ରହି ଅଠରଦିନ କାଳ ମହାଭାରତ ଯୁଦ୍ଧ ସବୁଦେଖିଛି ।ବାସୁଦେବ ପଚାରିଲେ -” ଏ ଯୁଦ୍ଧରେ କିଏ କାହାକୁ ବଧ୍ଯ କରିଛି, ତୁ ସୁଉଚ୍ଚ ସ୍ଥାନରେ ଥିବାରୁ ଜାଣିବା ସମ୍ଭବ ହୋଇଥିବ ।ତେଣୁ ସତ କହ।”
ବେଲାଳସେନ କହିଲା – “ଲକ୍ଷ ଲକ୍ଷ ଅଶ୍ଵ, ଗଜ, ଓ ସୈନ୍ୟ ସବୁ ସମ୍ମିଳିତ ହୋଇ ଯୁଦ୍ଧ କଲେ ଓ ବହୁ ସେମାନଙ୍କ ମଧ୍ୟରୁ ମୃତ୍ୟୁବରଣ କଲେ । ଚକ୍ର ଆସି ସମସ୍ତଙ୍କର ଶିର ଚ୍ଛେଦନ କରିବା ମୋ ଦିବ୍ୟଚକ୍ଷୁରେ ସବୁବେଳେ ଦୃଶ୍ୟମାନ ହେଲା ।”
ଭୀମ ତ ଭାରି କୋପୀ। ଏକଥା ଶୁଣି ରାଗିଗଲା ।ଭାବିଲା, ” ଚକ୍ର ସବୁ ବିନାଶ କରିଛି” କହି ପୁତ୍ର ତାଙ୍କର ସମସ୍ତଙ୍କୁ ନିନ୍ଦା କଲା। ଏଥିରେ କ୍ରୋଧାନ୍ୱିତ ହୋଇ, ତୁ ଗୋଟେ ଅନ୍ଧ କହି ତା’ର ମସ୍ତକକୁ ଏକ ମୁଥ ମାରିବାରୁ ସେ ଶୁଭସ୍ତମ୍ବରୁ ଛିନ୍ନ ହୋଇ ଧୂଳିରେ ମିଶିଗଲା ।
କିନ୍ତୁ ଏ କଥା ଜାଣିବାକୁ ହେବ ଯେ, ବେଲାଳସେନ ସତ୍ୟ ପ୍ରଖ୍ଯାପନ କରିବାରୁ ପାଣ୍ଡବମାନଙ୍କର ଗର୍ବ ଖର୍ବ ହେଲା।
ମହାଭାରତ ଯୁଦ୍ଧରେ ଅନେକ ସୈନ୍ୟସାମନ୍ତ ଯୋଦ୍ଧା, ରାଜା, ମହାରାଜମାନେ ପ୍ରାଣ ତ୍ୟାଗକଲେ ।କିନ୍ତୁ ବେଲାଳସେନଙ୍କ ସତ୍ୟବଚନ, ତ୍ୟାଗ, ବଳିଦାନ ଓ ବୀରତ୍ୱର ଗାଥା କାଳକାଳକୁ ଅମର ହୋଇ ରହିଗଲା।
13.ଦୃଶ୍ୟପଥ ନିର୍ମାଣ
ଭାରତୀୟ ଗୁରୁକୁଳ ଆଶ୍ରମ ପରମ୍ପରାରେ ଗୁରୁଶିଷ୍ୟର ସମ୍ପର୍କ ଅତି ନିବିଡ଼। ଏପରିକି ପିତାପୁତ୍ର ତୁଲ୍ୟ ବିଚାର କରାଯାଏ। ଏତେବେଳେ ଗୁରୁଙ୍କର ଶିଷ୍ୟ ପ୍ରତି ଯେପରି ଅପତ୍ୟ ପ୍ରେମ ଓ ବାତ୍ସଲ୍ୟ ଥାଏ ସେହିପରି ଗୁରୁଙ୍କ ପ୍ରତି ଶିଷ୍ୟର ଅନବଦ୍ୟ ଭକ୍ତି ନୈବେଦ୍ୟ ଅର୍ପଣ ଭାବନା ଥାଏ।
ଦ୍ରୋଣାଚାର୍ଯ୍ୟ ଗୁରୁମାନଙ୍କ ଭିତରେ ଜଣେ ଶ୍ରେଷ୍ଠ ଗୁରୁର ପରିଚାୟକ ପାଲଟିଥିଲେ।ସେ ନିଜର ସ୍ଵକୀୟ ପ୍ରତିଭା ଓ ଅସ୍ତ୍ରଶସ୍ତ୍ର ବିଦ୍ୟାରେ ପରଙ୍ଗମତା ପାଇଁ ପ୍ରସିଦ୍ଧି ଅର୍ଜ୍ଜନ କରି ପାରିଥିଲେ। ମହାଭାରତ ଯୁଗରେ ସେ ପାଣ୍ଡବ ଓ କୌରବମାନଙ୍କୁ ସମସ୍ତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ବିଦ୍ୟାରେ ନିପୁଣ କରିପାରି ଥିଲେ ।ସେ ଚାହୁଁଥିଲେ ତାଙ୍କ ଶିଷ୍ୟମାନେ ସମସ୍ତ ବିଦ୍ୟା ହାସଲ କରି ସଂସାରରେ ଶ୍ରେଷ୍ଠତା ପ୍ରତିପାଦନ କରନ୍ତୁ ।ଯେମିତି ସେମାନଙ୍କ ସମକକ୍ଷ ଆଉ କୌଣସି ଯୋଦ୍ଧା ତିଷ୍ଠି ରହି ନପାରନ୍ତୁ। ଗୁରୁ ମାନଙ୍କର ଏମିତି ଅଭିମାନ ଥାଏ।
କୌରବ ଶତଭ୍ରାତା ଓ ପଞ୍ଚୁପାଣ୍ଡବଙ୍କ ସହିତ ତାଙ୍କର ନିଜସ୍ଵ ସନ୍ତାନ ଅଶ୍ଵତ୍ଥାମା ମଧ୍ଯ ସେଇ ଗୁରୁକୁଳ ଆଶ୍ରମରେ ଅଧ୍ୟୟନ କରୁଥିଲେ।ଆଶ୍ରମଟି ବାରୁଣାବତରେ ଅବସ୍ଥିତ ଥିଲା।
ଦିନେ ଘଟଣାକ୍ରମେ ସେଇ ଆଶ୍ରମକୁ ଅଜପତିର ନାତି ଜରା ସାଥିରେ ମୃଗ ଧରି ଦ୍ରୋଣଙ୍କ ଆଶ୍ରମକୁ ଆସିଲା। ଦ୍ରୋଣଙ୍କୁ ସେ ମୃଗ ଭେଟି ସ୍ଵରୂପ ଗ୍ରହଣ କରିବାକୁ ଅନୁରୋଧ କଲା। ତା ବଦଳରେ ତାକୁ ଶିଷ୍ୟ ଭାବେ ଗ୍ରହଣ କରି ଶସ୍ତ୍ର ବିଦ୍ୟା ଶିକ୍ଷା ପ୍ରଦାନ କରିବାକୁ ଯୋଡ ହସ୍ତରେ କାକୁତି ବିନତି ହୋଇ ଅନୁରୋଧ କଲା। ସେତେବେଳକୁ ସେଠାରେ କୌରବ ଓ ପାଣ୍ଡବମାନେ ଉପସ୍ଥିତ ଥିଲେ। ଯୁଧିଷ୍ଠିର ଓ ଅର୍ଜୁନ ତାକୁ ଶିକ୍ଷା ପ୍ରଦାନ କରିବାକୁ ଗୁରୁଙ୍କୁ ଅନୁରୋଧ କରି ସମ୍ମତ ହେଲେ। ମାତ୍ର ଦୁର୍ଯ୍ଯୋଧନ ଓ ଦୁଃଶାସନ ନାନା ଧିକ୍କାର କରି ସେଠାରୁ ତାକୁ ବାହାର କରିଦେଲେ ।
ତା ଜାତି ଗୋତ୍ର ପଚାରିବାରୁ, ସେ ନିଜକୁ ଶବରକୁଳ ବଂଶଜ କହିଥିଲା, ଯାହା ତା ପାଇଁ ମୁଖ୍ୟ ପ୍ରତିବନ୍ଧକ ହୋଇଥିଲା। ରାଜପୁତ୍ରଙ୍କ ସହିତ ତାକୁ ପଢିବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି ଦ୍ରୋଣ ବିବେଚନା କଲେ ।ତେଣୁ ସେ ମନଦୁଃଖରେ ରିକ୍ତ ହସ୍ତରେ ସେଠାରୁ ଫେରିଲା ।
କିନ୍ତୁ କଥାରେ ଅଛି ପରା ଇଚ୍ଛାଶକ୍ତି ଥିଲେ କିଛି ବି ଅସାଧ୍ୟ ନାହିଁ ଏଇ ମହିତଳେ ।ପାଠ ପଢିବାର ଅଦମ୍ଯ ପିପାସା ଓ ଦୃଢ଼ ମନୋବଳ ସେଦିନ ଜରାକୁ ସେତିକିରେ ସେଇଠି ରୋକିପାରି ନଥିଲା। ତା’ର ସଂକଳ୍ପ ଆହୁରି ଦୃଢ଼ ଓ ରୂଢ଼ ହୋଇଥିଲା। ଘୃଣା ଓ ଅସୂୟାର ଶିକାର ହୋଇ ସେ ଦବି ଯାଇନଥିଲା ।ସେ ଅପମାନରେ ଜର୍ଜରିତ ହୋଇ ସିନା ସେଠୁ ଚାଲି ଆସିଲା, କିନ୍ତୁ ମନେମନେ ନୀରବରେ ଉପାୟ ପାଞ୍ଚିଲା।
ସେ ଜାଣିଛି ତାହା ଲତାକୁଞ୍ଜ ଆଚ୍ଛାଦିତ ଏକ ଘନ ଜଙ୍ଗଲ। ତଥାପି ସେ ପାଠଶାଳାରୁ ବନ ମଧ୍ୟକୁ ବୃକ୍ଷଲତା କାଟି ଏକ ଦୃଶ୍ୟପଥ ନିର୍ମାଣ କଲା। ଯହିଁରେ ସେ ରାଜପୁତ୍ର ମାନଙ୍କର ଅସ୍ତଚାଳନାକୁ ଦେଖି ଓ ଅନୁକରଣ କରି ଶିକ୍ଷାଲାଭ କରିପାରିବ ଏବଂ ସେ ତାହା ହିଁ କଲା। ତା ସ୍ତ୍ରୀ କିନ୍ତୁ ବଡ଼ ବୁଦ୍ଧିମତୀ ।ସେ ପରାମର୍ଶ ଦେଲା, “ବିନା ଗୁରୁରେ ଶିକ୍ଷା ଅଶିକ୍ଷା ସହ ସମାନ ।ତେଣୁ ଗୁରୁ କରିବା ନିତ୍ୟାନ୍ତ ଆବଶ୍ୟକ। ” କଥାଟା ତା ମନକୁ ପାଇଲା। ତେଣୁ ଜରା ଦ୍ରୋଣଙ୍କୁ ଗୁରୁ ରୂପେ ମନେ ମନେ ବରିନେଲା। ସେଥିସକାଶେ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କଠାରେ ଲୟ ଓ ଭକ୍ତି ରଖି ଶିକ୍ଷାଲାଭ କରିବାକୁ ଲାଗିଲା।
ଏ କଥାଟା କାନ କାନତକ କାହାକୁ ଖବର ଲାଗିଲା ନାହିଁ ।ସେ ଗୁପ୍ତରେ ସବୁ କଥା କରି ଚାଲିଲା। ପ୍ରାୟତଃ ସମସ୍ତ ବିଦ୍ୟାରେ ସେ ଅଧିକ ଧୂରୀଣ ଓ ସାର୍ଥକ ହେବାକୁ ଲାଗିଲା। ସେପଟେ କୌରବ ଓ ପାଣ୍ଡବମାନଙ୍କର ଶିକ୍ଷା ବି ସରି ସରି ଆସୁଥିଲା। ଏବେ ପରୀକ୍ଷାର ବେଳ ।ଦ୍ରୋଣ ଥରେ ଶିଷ୍ୟମାନଙ୍କର ପରୀକ୍ଷା ନେବାକୁ ଚାହିଁଲେ।
ତେଣୁ ଶିଷ୍ୟମାନଙ୍କୁ ସେ ଏକ ପର୍ବତ ଶିଖରକୁ ନେଇଗଲେ ।ସେଠାରେ କୃଷ୍ନାଗୁରୁ ବୃକ୍ଷକୁ ଚ୍ଛେଦନ କରିବାରୁ ତାହା ଏକ ଖମ୍ବ ସଦୃଶ ପ୍ରତୀତ ହେଲା। ତା ଉପରେ ସେ ଗୋଟେ ଖଡିକା ରଖି, ତା ଉପରେ ଗୋଟେ ଧାନଶୃଙ୍ଗ ରଖିଲେ ।ପୁଣି ତା ଉପରେ ଗୋଟେ ଶୋରିଷ ରଖି ରାଜପୁତ୍ର ମାନଙ୍କୁ ଧନୁ ଦେଇ ଶର ସନ୍ଧାନ କରିବାକୁ କହିଲେ ।ଆଗ ପଚାରିଲେ, ସେମାନେ କ’ଣ ଦେଖୁଛନ୍ତି। ଅଶ୍ଵତ୍ଥାମା ସହିତ ଅନ୍ୟ ରାଜପୁତ୍ରମାନେ ନିଜ ନିଜ ଅନୁଭବ ଓ ଅନୁଭୂତ ଅନୁସାରେ ବହୁ ଭିନ୍ନ ଭିନ୍ନ କଥା କହିଲେ। କିନ୍ତୁ କେହି କହିଲେ ନାହିଁ ଯେ ଧାନଶୃଙ୍ଗ ବା ସୋରିଷ ଦେଖିବାରେ ସମର୍ଥ ହେଲେ ବୋଲି ।ଅର୍ଜୁନଙ୍କୁ କିନ୍ତୁ ପଚାରିବାରୁ ସେ ପୁଙ୍ଖାନୁପୁଙ୍ଖ ସବୁ ଦେଖିଥିବା ଗୋଟି ଗୋଟି ବର୍ଣ୍ଣନା କଲା ଯାହା ଅବର୍ଣ୍ଣନୀୟ ।ଦ୍ରୋଣ ଏଥିରେ ଅତୀବ ପ୍ରସନ୍ନ ହୋଇ କହିଲେ, “ଅର୍ଜ୍ଜୁନ ଜଗତଜିତା ହେବ ଓ ପର୍ଶୁରାମ ପରି ଯୋଦ୍ଧାଙ୍କୁ ବି ହରାଇ ପାରିବ ।”
ସେ ନିଜ ପୁତ୍ର ଅଶ୍ଵତ୍ଥାମାକୁ ସମକକ୍ଷ ଯୋଦ୍ଧା କରିବାକୁ ଚାହୁଁଥିଲେ। ମାତ୍ର ତାହା ହୋଇ ନପାରିବାରୁ, ସେ ଜାଣିଲେ ଯେ ଅଶ୍ଵତ୍ଥାମା ଜୀବନ ପ୍ରତି କେବେ ନା କେବେ ବିପଦ ଅଛି। ତେଣୁ ସେ ତାକୁ ପଠାଇଦେଲେ ତା ମାମୁ କୃପାଚାର୍ଯ୍ୟଙ୍କ ସହ ତପ ଆଚରଣ କରି ଅଧିକ ଶକ୍ତିଶାଳୀ ହେବା ପାଇଁ। ଏହି ସମୟରେ ଅନ୍ୟ ଏକ ବିଡମ୍ବନା ଘଟିଲା, ଯେଉଁଥିରେ ଦ୍ରୋଣଙ୍କ ନିଜ ଶିଷ୍ୟକୁ ସର୍ବଶ୍ରେଷ୍ଠ କରିବାର ଆସ୍ଫାଳନ ଭାଙ୍ଗି ଚୁର୍ ଚୁର୍ ହୋଇ ଯାଇଥିଲା ।
ନିଜ ସ୍ଵର୍ଗବାସ ପତ୍ନୀ କୃପୀଙ୍କର ଶ୍ରାଦ୍ଧ ଉପଲକ୍ଷେ, ସେ ଶିଷ୍ୟମାନଙ୍କୁ କହିଲେ ଗଣ୍ଡା ଶିକାର କରି ଧରିଆସିବା ପାଇଁ। କର୍ଣ୍ଣ ଓ ପାଣ୍ଡବମାନେ ଗଣ୍ଡା ଧରି ଫେରି ଆସିଲେ ।କିନ୍ତୁ କୌରବ ମାନେ ଫେରିଲେ ନାହିଁ। ଗୁରୁଙ୍କୁ ଚିନ୍ତା ଘାରିଲା।
କୌରବମାନେ ତ ଦୁଷ୍ଟକୁ ଦୁଷ୍ଟ ଓ ଉଦ୍ଧତ ବି। ସେଇ ସମୟରେ ଜରାର ପତ୍ନୀ ଗାଧୋଉଥିବାର ଦେଖି କୌରବମାନେ ଅସଦାଚାରଣ କଲେ ।ସେ ରକ୍ଷାକରିବା ପାଇଁ ଡ଼ାକ ଛାଡ଼ିବାରୁ ଜରା ଆସି କୌରବ ମାନଙ୍କୁ ବଧକଲା ।
କୌରବମାନେ କାହିଁକି ଆଶ୍ରମ ଫେରିଲେ ନାହିଁ ବୋଲି ସନ୍ତାପିତ ହୋଇ ସେମାନଙ୍କୁ ଖୋଜିବା ପାଇଁ ପଣ୍ଡୁପୁତ୍ରମାନଙ୍କୁ ଦ୍ରୋଣ ପଠାଇଲେ। ପାଣ୍ଡବମାନେ ଯାଇ ଦେଖିଲେ କୌରବଭ୍ରାତାଗଣ ମୃତ ପଡ଼ିଛନ୍ତି । ଏ ଖବର ଭୀମ ଆସି ଦ୍ରୋଣଙ୍କୁ ଦେଲା ।
ଦ୍ରୋଣ ତତ୍କ୍ଷଣାତ୍ ଯାଇ ଦେଖିଲେ, କ’ଣ ସେ ସ୍ଥିତି ଓ କିଏସେ ସେଇ ଯୋଦ୍ଧା ।ଅର୍ଜୁନ ଓ ଜରା ପରସ୍ପର ଭିତରେ ତୁମୁଳ ସଂଗ୍ରାମ କରୁଥା’ନ୍ତି। ହେଲେ କେହି କାହାକୁ ପରାଜିତ କରିପାରୁ ନଥାନ୍ତି। ଅର୍ଜୁନ ପରାଏ ବୀର ଯେଉଁଠି ତାକୁ ହରାଇ ପାରୁ ନାହିଁ, ଗୁରୁଙ୍କର ଆଉ ଆଶ୍ଚର୍ଯ୍ୟରେ ସୀମା ରହିଲା ନାହିଁ। ଦ୍ରୋଣ ଜାଣିଥିଲେ ଏଇ ସମର କୌଶଳ ସେ କିମ୍ବା ପର୍ଶୁରାମ ବ୍ୟତୀତ ଆଉ କେହି ଶିକ୍ଷା ଦେଇ ପାରିବେ ନାହିଁ। ତେଣୁ ସେ ମଝିରେ ହସ୍ତକ୍ଷେପ କରି ଯୁଦ୍ଧ ରୋକିଲେ ଓ ପଚାରିଲେ, ଏ କୌଶଳ ତୁମେ କାହାଠାରୁ ଶିଖିଲ? “
ଦ୍ରୋଣଙ୍କୁ ଦେଖି ଜରା ପ୍ରଣିପାତ କଲା ଓ ତାଙ୍କୁ ଗୁରୁ ରୂପେ ଗ୍ରହଣ କରି ସେ ତାଙ୍କ ଅଲକ୍ଷ୍ୟରେ ଏତକ ବିଦ୍ୟା ଆହରଣ କରିଛି ବୋଲି କହିଲା । ତାକୁ ଆହୁରି ପରୀକ୍ଷା କରିବା ପାଇଁ ଗୁରୁ କହିଲେ, ମୃତକମାନଙ୍କୁ ଜୀବନ୍ୟାସ ଶର ପ୍ରୟୋଗ କରି ଜୀବନ ପ୍ରଦାନ କରିବାକୁ। ସେ ଆଦେଶ ପାଳନ କରି ତାହା କରିବାରୁ କୌରବମାନେ ଜୀବନ ପାଇଲେ।
ହେଲେ ଦୁର୍ଯ୍ଯୋଧନ ଗୁରୁଙ୍କଠାରେ ଅଭିମାନ ଭରା ଅଭିଯୋଗ କଲା ଯେ, କୌରବମାନଙ୍କର ସାମର୍ଥ୍ୟ ଜରାଠାରୁ ବି କମ୍ ।ସେମାନେ ନିଜକୁ ବି ଧିକ୍କାର କଲେ ।ଏଥିରେ ଗୁରୁ ବ୍ୟଥିତ ହେଲେ। ନିଜ ଶିଷ୍ୟଙ୍କର ସୁରକ୍ଷା ଚିନ୍ତା ଗୁରୁଙ୍କୁ ଘାରିଲା। ତେଣୁ ସେ କପଟ କରି ଜରାକୁ ଗୁରୁ ଦକ୍ଷୀଣା ମାଗିଲେ ।ଜରା ବଚନବଦ୍ଧ ହେଲା ଯେ, ଯାହା ମାଗିବେ ସେ ଦେବ ।ଗୁରୁ କହିଲେ, ତା’ର ବାମ ହସ୍ତର ବୁଢ଼ା ଆଙ୍ଗୁଠି କାଟି ଦେବା ପାଇଁ ।ସେ ଅବିଳମ୍ବେ ବିନା ଦ୍ୱିଧାରେ ତାହା ପାଳନ କଲା। କିନ୍ତୁ ଏହା କରିବା ଦ୍ୱାରା ଶସ୍ତ୍ରଚାଳନା ଶକ୍ତି ତା’ର ନିଶ୍ଚିତପକ୍ଷେ କିଛିଟା କମିଗଲା। ଏ କଥାକୁ ହୃଦୟଙ୍ଗମ କରି ଦ୍ରୋଣ କହିଲେ, ଅର୍ଜୁନ ବ୍ୟତିରେକେ ସେ ସମସ୍ତଙ୍କୁ ହରାଇ ପାରିବ ଏତକ ଆଶୀର୍ବାଦ ଦେଇ ଯାଉଛି।
ସେଇଠାରେ ଗୁରୁ ଦ୍ରୋଣାଚାର୍ଯ୍ୟ ତାହାର ନାମ ଏକଲବ୍ଯ ରଖିଲେ। ଯେଉଁ ନାମରେ ସେ ସଚରାଚରରେ ଆଜି ସୁଖ୍ୟାତ ।ଶବର ଶିଷ୍ୟ ପ୍ରତି ଏ ଅନାୟଭାବ ଯୋଗୁ ଗୁରୁଶିଷ୍ୟ ପରମ୍ପରାରେ କିନ୍ତୁ ସବୁଦିନ ପାଇଁ ଦ୍ରୋଣ ଏକ କଳଙ୍କିତ ଅଧ୍ୟାୟ ମୁଣ୍ଡାଇଲେ। ଆଜି ବି ସାଧନାରେ ସିଦ୍ଧି ସକାଶେ ଏକଲବ୍ୟ ଚିର ନମସ୍ୟ ।ତା’ର ନିଷ୍ଠା, ଅଧ୍ୟୟନରେ ମନୋନିବେଶ ଓ ଗୁରୁଙ୍କ ପ୍ରତି ଲୟ ତଥା ଭକ୍ତି ଭାବ ଅମର ଗୀତାର ଅଲିଭା ଗାର ହୋଇ ଚିରଦିନ ରହିବ।ଯୁଗ ଯୁଗକୁ ଏ କଥା ସାକ୍ଷ୍ୟ ଦେଉଥିବ।
14.ମଣ୍ଡାଖିଆ ଅସୁର
କୌରବମାନଂକ ଦ୍ଵାରା ରଚା ଯାଇଥିବା ଷଡଯନ୍ତ୍ରର ଶିକାର ହୋଇ କୌଶଳକ୍ରମେ ପଣ୍ଡବମାନେ ଜତୁଗୃହରୁ ବାହାରି ଆସିଥିଲେ ।ତା’ପରଠାରୁ ସେମାନେ ଅସୁମାରି କଷ୍ଟ ଓ ଦୁଖର ସାମ୍ନା କରିଛନ୍ତି। ବଣ ଜଙ୍ଗଲ ଘେରା ରାସ୍ତା ପାରି ହୋଇ ଜନପଦକୁ ଆସିବା ପୂର୍ବରୁ କେତେଯେ ଅସୁର ଓ ଦୁଷ୍ଟଙ୍କୁ ଦମନ କରିବାକୁ ପଡିଥିଲା ତାହାର ହିସାବ ନାହିଁ । ପ୍ରଥମେ ତ କୁମ୍ଭିରାସୁର, ତା’ପରେ କିନ୍ନରାସୁର ଓ ପରେ ହିଡିମ୍ବକ।ଏ ସମସ୍ତେ ଭୀମଙ୍କ ଦ୍ଵାରା ନିହତ ହୋଇଥିଲେ। ବାକି ରହି ଯାଇଥିଲା ବକାସୁର। ଏ ଚାରି ଜଣଯାକ ଗୋଟିଏ ମାଆ ପେଟରୁ ଜନ୍ମ ।ଏମାନେ ସବୁ ହେଲେ ହିରଣ୍ୟ ଦୈତ୍ୟର ବଂଶଧର ତଥା ନିର୍ବାତକଚପର ପୌତ୍ର ଓ ବଜ୍ରକଚପର ପୁତ୍ର। ସମସ୍ତେ ଭାରି ବିତ୍ପାତକାରୀ ଦୈତ୍ୟ।
ବକାସୁରର ଭାଇମାନଙ୍କୁ ଭିନ୍ନ ଭିନ୍ନ ଅରଣ୍ୟରେ ମାରି ସାରିଲା ପରେ ପାଣ୍ଡବମାନେ ଭିକ୍ଷାବୃତ୍ତି ଆଚରଣ କରି ବ୍ରାହ୍ମଣ ବେଶରେ ରହିଲେ। ନିଜ ପରିଚୟ ଗୁପ୍ତ ରଖିଲେ। ପ୍ରଥମେ ଶିବପୁରୀ ଗ୍ରାମରେ ଥିଲେ ।ସେଠାରେ ଚଣ୍ଡାଳମାନେ ଉତ୍ପାତ କରୁଥିଲେ ।ପାଣ୍ଡବମାନେ ଭୀମଙ୍କ ଦ୍ଵାରା ସେମାନଙ୍କୁ ଦମନ କରି ବିଶ୍ନୁକରଙ୍କୁ ସେଠି ରାଜା କରାଇଲେ ।
ତା’ପରେ ଭିକ୍ଷା ପାଇଁ ଅନ୍ୟତ୍ର ଗମନ କଲେ। ବାଟରେ ଯାଉ ଯାଉ ଏକଛତ୍ରୀ ନଗର ପଡ଼ିଲା ।ସେଠି ବେଦଶ୍ରବା ନାମକ ଜଣେ ବ୍ରାହ୍ମଣ ରହୁଥିଲେ। ତାଙ୍କ ଘରଠିଁ ପହଞ୍ଚିଲା ବେଳକୁ ରାତି ହୋଇଯାଇଥିଲା। ପାଣ୍ଡବମାନେ ତାଙ୍କୁ ଖାଇବାକୁ ମାଗିଲେ ।ସେମାନେ ଗରିବ ହୋଇଥିବାରୁ ବେଶୀ କିଛି ନଦେଇ ପାରିଲେ ବି ଯାହା ଥିଲା ଅଳ୍ପକିଛି ଦେଇ ଭୋଜନ କରାଇଲେ।ସେଇ ଘରେ ତାଙ୍କର ପୁତ୍ର ବିଦ୍ୟାଧର ଓ ପୁତ୍ରବଧୂ ଭାନୁମତୀ ବି ରହୁଥିଲେ ।
ତଥାପି ବେଦଶ୍ରବାର ପତ୍ନୀ ଉମା ସେମାନଙ୍କୁ ତାଙ୍କର ଅତିଥି ହେବା ପାଇଁ ସମ୍ମତି ଦେଲେ।
ପରଦିନ ମାତା କୁନ୍ତୀ ଓ ଭୀମକୁ ସେଠାରେ ଛାଡି ଅନ୍ୟମାନେ ଭିକ୍ଷା କରିବାକୁ ଚାଲିଗଲେ। ପାଣ୍ଡବମାନେ ଯାହା ଭିକ୍ଷା ସଂଗ୍ରହ କରନ୍ତି ସେଇଥିରୁ କିଛି ବ୍ରାହ୍ମଣ ପରିବାରକୁ ବି ଦିଅନ୍ତି। ଏଇମିତି ଏଇମିତି କିଛିଦିନ ଅତିବାହିତ ହେଲା ।
ଏଇ ସମୟରେ ଗୋଟେ ଅନିଷ୍ଠ ହେଲା ।କାରଣ ସେଇ ନଗରୀରେ ବକାସୁର ନାମରେ ଜଣେ ଅସୁର ରହୁଥିଲା। ସେ ମହା ପ୍ରତାପୀ ଓ ଉତ୍ପୀଡ଼କ ଥିଲା ।ଧନ ଦରବ ତ ଯାହା ନୁକସାନ କରୁଥିଲା, ସେଇଥିରେ ପୁଣି ମଣିଷମାନଙ୍କୁ ଗୋଟା ଗୋଟା ଗିଳି ଯାଉଥିଲା। ତା ଉତ୍ପୀଡ଼ନରେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ। ହେଲେ କିଛି ଉପାୟ ନଥିଲା ।
ତା ଧ୍ଵଂସର ତାଣ୍ଡବ ଲୀଳାରେ ଅତିଷ୍ଠ ହୋଇ ଦିନେ ଗାଁରେ ସଭା ବସିଲା। ସଭାରେ ସ୍ଥିର ହେଲା ବକାସୁର ତ ପ୍ରତିଦିନ ବହୁ ଧନ ଓ ଜୀବନ ହାନି ଘଟାଉଛି। ଶେଷକୁ ଗାଁ ଗୋଟାକ ପୂରା ନିପାତ ହୋଇଯିବ ।ତା ଅପେକ୍ଷା ତାକୁ ଅନୁରୋଧ କରାଯାଉ ଯେ ସେ ଆଉ ଗାଁରେ ଉତ୍ପାତ ମଚାଇବ ନାହିଁ ।ବରଂ ସମସ୍ତେ ପାଳି କରି ଗ୍ରାମବାସୀମାନେ ତା ପାଖରେ ଖାଦ୍ୟପଦାର୍ଥ ସହ ଜଣେ ଲୋକକୁ ସମର୍ପି ଦେବେ।
ତଦନୁସାରେ ଯେଉଁଦିନ ଯାହାର ପାଳି ପଡ଼ିବ ସେ ତା’ର ଏକୁଟିଆ ଏତକ ବୋଝ ଉଠାଇଲା ଓ ଜଣେ ମଣିଷକୁ ରାକ୍ଷସକୁ ଭେଟି ଚଢେଇଲା ।ତତ୍ ସହିତ ଏକ ଶଗଡ଼ ଖାଦ୍ୟ ସମାଗ୍ରୀ ବି ପହଞ୍ଚାଇବାକୁ ହେଲା ।ଏହାଦ୍ୱାରା ଏକାବେଳେକେ ଆଉ ସମସ୍ତଙ୍କର ଜୀବନହାନି ହେଲା ନାହିଁ। ବରଂ ଯାହାର ଯେଉଁଦିନ ପାଳି ସେ କେବଳ କ୍ଷତି ସହିଲା । ଏହିଭଳି ପ୍ରଥା ସେମାନଙ୍କର ଗଡ଼ି ଗଡ଼ି ଚାଲିଥାଏ। ଆଉ ବକାସୁର ଆରାମରେ ବସିଶୋଇ ଖାଦ୍ୟ ସମାଗ୍ରୀ ଓ ମଣିଷ ମାଂସ ଖାଇ ବଡ଼ ଖୁସିରେ ଥାଏ।ଅମ୍ବିକା ଚଣ୍ଡାଳ ବକାସୁରର ଆଜ୍ଞାକାରୀ ରୂପେ ନିଯୁକ୍ତ ହୋଇଥାଏ। ତା’ର କାମ ହେଲା, କାହାର କେଉଁଦିନ ପାଳି ପଡ଼ିବ ସେଇ ଖବର ଆସି ଦେଇଯିବ ।
ଏକଥା କିଛି ପାଣ୍ଡବମାନଙ୍କୁ ଆଗରୁ ଅବଗତ ନଥିଲା ।ଯୋଗକୁ ସେଦିନ ଚଣ୍ଡାଳ ଆସି ଦେବଶ୍ରବା ଘରେ ତାଗଦା ଦେଇକି ଗଲା ଯେ ତା’ର ପାଳି ବୋଲି। ଏକଥା ଶୁଣି ପରିବାରବର୍ଗ ଭିତରେ କାନ୍ଦ ବୋବାଳି ପଡ଼ିଗଲା। ସମସ୍ତେ ଦୁଃଖରେ ଦ୍ରବୀଭୂତ ହେଲେ ।କାରଣ ପରିବାର ଭିତରୁ କାହାକୁ ହେଲେ ତ ବଳି ଦେବାକୁ ହେବ।
ଶେଷରେ ସେମାନେ ନିଷ୍ପତ୍ତି କଲେ, ପୁଅ ବିଦ୍ୟାଧରକୁ ବଳି ପଡ଼ିବାକୁ ଯିବାକୁ ହେବ ।ଏକଥା କୁନ୍ତୀ ଶୁଣି କହିଲେ, ଅତିଥିମାନେ ଘରେ ଥାଉ ଥାଉ ଗୃହସ୍ଵାମୀ କେମିତି ବଳି ପଡ଼ିବେ। ବରଂ ସେମାନଙ୍କ ମଧ୍ୟରୁ କାହାକୁ ବଳି ପଡ଼ିବାକୁ ଯିବାକୁ ହେବ ।ଅନେକ ବିଚାରବିମର୍ଷ ହେଲା। ସେମାନଙ୍କ ଭିତରୁ କିଏ ମୃତ୍ୟୁ ମୁଖକୁ ଯିବ ବୋଲି ଭାଳେଣି ପଡ଼ିଲା। ମାତା କୁନ୍ତିକୁ ତ କେହି ଛାଡ଼ି ପାରିବେ ନାହିଁ। ଯୁଧିଷ୍ଠିରଙ୍କୁ ବି କେହି ଛାଡ଼ିବାକୁ ନାରାଜ ।ଯୁଧିଷ୍ଠିର ଅନୁଜ ମାନଙ୍କୁ ଛାଡିବାକୁ ରାଜି ହେଲେ ନାହିଁ।
ଏମିତି କଥାକଟାକଟି ଓ ଯୁକତି ତରକ ଚାଲିଲା ।ଶେଷ ବେଳକୁ ହୁଙ୍କାପିଟା ଭୀମ ଥିଲା ।ସେ ନିଜେ ବାହାରି ପଡ଼ିଲା। ସେ ଏକ ଶଗଡ ଭାତ ଓ ପିଠା ସାଙ୍ଗରେ ବୋହି ନେଇ ବକା ରହୁଥିବା ସ୍ଥାନକୁ ଚାଲିଲା। ସେଠାରେ ଦେଖିଲା ବକାସୁର ନିଘୋଡ ନିଦରେ ଶୋଇଯାଇଛି। ତେଣୁ ଭୀମ ଅପେକ୍ଷମାଣ ହୋଇ ଶଗଡ ଉପରେ ବସି ରହିଲା, ଦେଖାଯାଉ ମହାଶୟ କେତେବେଳେ ଉଠୁଛନ୍ତି ବୋଲି ।ସେ ତ ବୃକୋଦର। ବସି ବସି ତକୁ ଭୋକ ଲାଗିଲା। ତେଣୁ ସେ ଖାଇ ଲାଗିଲା। ଖାଉ ଖାଉ ଶଗଡକ ଯାକ ପିଠା ଓ ଖାଦ୍ୟପଦାର୍ଥ ସବୁ ଏକା ଖାଇ ନିପାତ କରିଦେଲା। ଖାଉ ଖାଉ ତାକୁ ନିଦ ବି ଲାଗିବାରୁ ସେଇ ଶଗଡ ଉପରେ ସେ ଚିତକାତ ହୋଇ ଶୋଇପଡ଼ିଲେ।
ଏତେବେଳକୁ ବକାସୁରର ନିଦ ଭାଙ୍ଗି ଆସୁଥିଲା। ସେ ନିଦରୁ ଉଠି ଚିତ୍କାର କଲା ।ଦେଖିଲା, ତା’ର ଖାଦ୍ୟପଦାର୍ଥ ସବୁ ଖାଇଦେଇ କିଏ ଶଗଡ଼ ଉପରେ ଶୋଇଯାଇଛି। ରାଗ ତ ତା’ର ପଞ୍ଚମରେ ପହଞ୍ଚିଲା ।ଖାଲି ତ ରଣହୁଂକାର ଦେଇ କୁଦି ଗଲା ।ସେ ଭୀମ ଉପରେ ଅତର୍କିତ ଭାବେ ପ୍ରହାର କରି ଚାଲିଲା। ଏକା ମାଡକେ ଭୀମର ନିଦ ଭାଙ୍ଗିଗଲା। ହଁ ତୁମୁଳ ସଂଗ୍ରାମ ହେଲା ।ନିମିଷକେ ସେ ଖଣ୍ମଣ୍ଡଳ ଗର୍ଜନ ତର୍ଜନରେ କମ୍ପମାନ ହେବାକୁ ଲାଗିଲା। ସେ ରାକ୍ଷସ ହେଲେ ଭୀମ କୋଉ କମ୍ କି ।ତା’ର ପରା ଶତଶୃଙ୍ଗର ବଳ ।ପ୍ରଥମେ ସିନା ଅସୁର ବଳିୟାନ ପ୍ରତୀତ ହେଉଥିଲା, କିନ୍ତୁ ଦ୍ୱିତୀୟରେ ଭୀମ ପରା ତାକୁ ପରାସ୍ତ କଲା। ଶେଷ ଆଡକୁ ବକାସୁରକୁ ଭୀମ ମାଡିବସି ତା ବେକକୁ ଏମିତି ମୋଡିଦେଲା ଯେ, ଏକା ବେଳକେ ତା ଜୀବନ ବାୟୁ ଉଡିଗଲା। ସେ ଗଁ ଗଁ ହୋଇ ପ୍ରକାଣ୍ଡ ଚିତ୍କାର କରି ମରିଗଲା।
ତା ରଡି ଖଣ୍ଡ ମଣ୍ଡଳକୁ ଶୁଭିଲା। ସେ ଶବ୍ଦ ଶୁଣି ଗାଁ ଲୋକେ ସବୁ ଦେଖିବାକୁ ଧାଇଁ ଆସିଲେ। ଦେଖିଲା ବେଳକୁ ଭୀମ ବଞ୍ଚିଛି, ବକାସୁର ମରିପଡ଼ିଛି ।ଗ୍ରାମବାସୀ ଖୁସିରେ ନର୍ତ୍ତନ କରିବାକୁ ଲାଗିଲେ ।ସେମାନେ ଭୀମକୁ ଉପରକୁ ଟେକି ଧରି ଜୟଗାନ କଲେ ।ଜୟଧ୍ୱନୀରେ ଗଗନପବନ ପ୍ରକମ୍ପିତ ହେଲା। ଖୁସି ଫେରିଆସିଲା। ଆନନ୍ଦର ସୀମା ରହିଲା ନାହିଁ । ସମସ୍ତେ ଚାହିଁଲେ, ଭୀମ ସେ ନଗରୀରେ ରାଜା ହୁଅନ୍ତୁ। କିନ୍ତୁ ଅସୁର ବଧ ପରେ ଗାଁ ପ୍ରତି ଆଉ କୌଣସି ବିପଦ ନଥିବା କହି, ପାଣ୍ଡବମାନେ ସେ ନଗରୀର ରାଜା ଭାବେ ବେଦଶ୍ରବାକୁ ବସାଇ ଅନ୍ୟତ୍ର ଚାଲିଯାଇଥିଲେ ।
15. ଅପରିମାଣଦର୍ଶୀ
ଅଶ୍ଵତ୍ଥାମା ମହାଭାରତରେ ସବୁଠାରୁ ରହସ୍ୟମୟ ଚରିତ୍ର ।ବହୁ ବିପରୀତ ଓ ପ୍ରତିକୂଳ ପରିସ୍ଥିତି ଦେଇ ସେ ଜୀବନତମାମ ପରା ଗତିକରିଛି। ତେଣୁ ତ ସେ ଟିକିଏ ଚିଡିଚିଡା ସ୍ୱଭାବର ଓ ଅତି ରୁକ୍ଷ ।ସେ ଏକମାତ୍ର ଚରିତ୍ର ଯିଏକି କୌରବ ପକ୍ଷରୁ ଲଢ଼ିଥିବା ଯୋଦ୍ଧାମାନଙ୍କ ମଧ୍ୟରୁ ଜୀବିତ। ସେ ଅଜୟ ଓ ଅମର ବର ପାଇଥିବାରୁ ଏବେଯାଏ ବଞ୍ଚିଥିବା ବିଶ୍ବାସ ମଧ୍ଯ କରାଯାଏ।ଅବଶ୍ୟ କୃପ କଥା ବି ଆଉ କିଛି ଖୋଜଖବର ନାହିଁ ।
ପିତା ଦ୍ରୋଣ ଓ ମାତା କୃପୀଙ୍କଠାରୁ ସେ ଜାତ।କୃପୀ ଅନ୍ତଃସତ୍ତ୍ଵା ଥିଲା ବେଳେ ମୃତ୍ୟୁବରଣ କଲେ। ତାଙ୍କ ଗର୍ଭ ବିଦାରଣ କରି ଦ୍ରୋଣ ଗର୍ଭସ୍ଥ ଶିଶୁକୁ ବାହାର କଲେ ।ସେ ଜନ୍ମ ସମୟରେ ଅଶ୍ଵ ଭଳି ରବ କଲାରୁ ତା ନାମ ଅଶ୍ଵତ୍ଥାମା ରଖିଥିଲେ। ପିତା ଭରଦ୍ବାଜ ଅଭିଶାପ ଦେଇଥିଲେ, ଦ୍ରୋଣ ଅପତ୍ନୀକ ରହିବେ ଓ ବ୍ରାହ୍ମଣ ହୋଇ ବି କ୍ଷେତ୍ରୀୟ ଭଳି ଜୀବନ ନିର୍ବାହ କରିବେ ।
ଫଳରେ ଦ୍ରୋଣ ଏକାକୀ ବହୁ କଷ୍ଟରେ ପୁତ୍ରସନ୍ତାନର ଲାଳନପାଳନ କଲେ ।କିନ୍ତୁ ମାତୃସ୍ନେହରୁ ସେ ସଦା ବଞ୍ଚିତ ରହିଲେ ।
ଦ୍ରୋଣ ମଧ୍ଯ ପତ୍ନୀର ଅବର୍ତ୍ତମାନରେ ନାନା ଦୁର୍ଗତି ଦେଇ ଗତିକଲେ ।ଏପରିକି ପିଲାଟିକୁ କ୍ଷୀର ଟିକିଏ ଦେବା ପାଇଁ ତାଙ୍କ ପାଖରେ ଗାଈଟିଏ ନଥିଲା। ତେଣୁ ସେ କୃପାଚାର୍ଯ୍ୟଙ୍କୁ ପିଲାଟିର ଦାୟିତ୍ଵ ଦେଇ ସନ୍ଧାନରେ ବାହାରିଗଲେ ।ମାମୁମାଇଁ ଅଶ୍ଵତ୍ଥାମାର ଦାୟିତ୍ଵ ତୁଲାଇଲେ।
ଏଥିପୂର୍ବରୁ ଦ୍ରୁପଦ ନରେଶ ଯେତେବେଳେ ବିରାଟଙ୍କଠାରୁ ରାଜ୍ଯ ଓ ରାଜ୍ୟ ସିଂହାସନ ହରାଇ ଥିଲେ ସେତେବେଳେ ଦ୍ରୋଣ ତାଙ୍କୁ ଧନ ସାହାଯ୍ୟ କରିଥିଲେ ଓ ରାଜ୍ୟ ଫେରିପାଇବା ପାଇଁ ସୈନ୍ୟବଳ ଏକାଠି କରିବା ପାଇଁ ବି ସାହାଯ୍ଯ କରିଥିଲେ । ତାହା ସେ ଦ୍ରୋଣଙ୍କୁ ଫେରାଇ ଦେବେ ବୋଲି କହିଥିଲେ ହେଁ ଦ୍ରୋଣଙ୍କୁ ତାହା ନଦେଇ ଓଲଟା ତିରସ୍କାର କଲେ। ତାହାର ପ୍ରତିଶୋଧ ନେବା ପାଇଁ ସେ ପର୍ଶୁରାମଙ୍କଠୁଁ ଶିକ୍ଷା ଆହରଣ କରି ଚାହିଁଲେ ରାଜକୁମାରମାନଙ୍କୁ ଶିଷ୍ୟ କରି ଏହାର ବଦଳା ନେବେ। ଶେଷରେ ସେ କୌରବ ଓ ପାଣ୍ଡବମାନଙ୍କୁ ନଗରଠାରୁ ଦୂରରେ ଆଶ୍ରମ କରି ଶିକ୍ଷା ଦେଲେ। ସେଇଠାରେ ଅଶ୍ଵତ୍ଥାମା ବି ପ୍ରଶିକ୍ଷିତ ହେଲେ ।
ଶିବିରରେ ଅଶ୍ଵତ୍ଥାମା ସର୍ବଦା କୌରବମାନଙ୍କ ପକ୍ଷ ନିଏ। କୌରବମାନେ ଅନ୍ଯାୟକୁ ପ୍ରଶ୍ରୟ ଦେଉଥିବାରୁ ଦ୍ରୋଣ ଯେତେ ଚେଷ୍ଟା କରନ୍ତି ସେ ପାଣ୍ଡବମାନଙ୍କ ସହିତ ବନ୍ଧୁତା ରଖନ୍ତୁ, ସେ କିନ୍ତୁ ତାହା କରେ ନାହିଁ। ମା’ ନଥିବାରୁ ସେ ଭାରି କ୍ରୋଧ ହୁଏ ଓ ବାପା କଥାକୁ ସବୁବେଳେ ହେଟେ। ତେଣୁ ସେ ଧୀରେ ଧୀରେ ଅପରିଣାମଦର୍ଶୀ ଓ ଅବିବେକୀ ପାଲଟିଗଲା। ଯେଉଥିପାଇଁକି ଦ୍ରୋଣଙ୍କର ମନରେ ପୁତ୍ରର ସୁରକ୍ଷା ଓ ଭବିଷ୍ୟତକୁ ନେଇ ସବୁବେଳେ ଶଙ୍କା ଉପୁଜେ।
ପ୍ରଶିକ୍ଷଣ ସରିଲା ପରେ ଦ୍ରୋଣ ନିଜ ପୁତ୍ର ସମେତ ସମସ୍ତ କୌରବ ଓ ପାଣ୍ଡବମାନଙ୍କର ଶକ୍ତି ପରୀକ୍ଷା ନେଲେ ।କିନ୍ତୁ ପରୀକ୍ଷାରେ ଅର୍ଜୁନ ବ୍ୟତୀତ ସମସ୍ତେ ଅସଫଳ ହୋଇଥିଲେ। ତେଣୁ ଦ୍ରୋଣଙ୍କୁ ନିଜ ପୁତ୍ରର ସୁରକ୍ଷା ଚିନ୍ତା ଘାରି ଥିଲା ।ଅଶ୍ଵତ୍ଥାମା ଉତ୍ତମ ଭାବେ ପ୍ରଶିକ୍ଷିତ ହୋଇଥିଲେ ହେଁ ସେ ଅର୍ଜୁନଙ୍କ ସମକକ୍ଷ ଯୋଦ୍ଧା ହୋଇ ପାରିଲେ ନାହିଁ। ତା ଛଡା ସବୁକଥାରେ ସେ ଯେପରି କୌରବ ସପକ୍ଷରେ ଯୁକ୍ତି ବାଢୁଛି ତେବେ ଭବିଷ୍ୟତରେ ଯଦି ଭାତୃ ବିବାଦ ଦେଖାଦେବ ଆଉ ସେ କୌରବ ପକ୍ଷରେ ରହିଲେ ନିଶ୍ଚେ ଅର୍ଜୁନଙ୍କ ଦ୍ଵାରା ନିହତ ହେବ। ତେଣୁ ସେ ମାମୁ କୃପାଚାର୍ଯ୍ୟଙ୍କ ସହ ଘୋର ତପ ଆଚରଣ କରି ଅଧିକ ଶକ୍ତିଶାଳୀ ହେବାକୁ ଅରଣ୍ୟକୁ ତାକୁ ପଠାଇଦେଲେ ।
ପୁଣ୍ୟତୋୟା ନଦୀକୂଳରେ କୃପାଚାର୍ଯ୍ୟ ଓ ଅଶ୍ଵତ୍ଥାମା ନିରାକାର ବ୍ରହ୍ମଙ୍କୁ ଚଉଦ ବର୍ଷ ଅନାହାର ଓ ନିର୍ଜଳା ଉପବାସରେ ତପସ୍ୟା କରି ବରପ୍ରାପ୍ତି କଲେ ।ପୃଥିବୀ ଥିବା ପର୍ଯ୍ୟନ୍ତ ସେମାନଙ୍କର ମୃତ୍ୟୁ ନାହିଁ ଓ ତାଙ୍କୁ ନିଦ୍ରା, କାଳ, କାମ ଆଦି ଜୟ କରି ନପାରନ୍ତୁ ବୋଲି ବରପ୍ରାପ୍ତି ହେଲା ।ତା’ପରେ ସେମାନଙ୍କ ଶାରୀର ଅତ୍ୟନ୍ତ କ୍ଷୀଣ ଓ ଦୁର୍ବଳ ହୋଇଯାଇଥିବାରୁ କୃପାଚାର୍ଯ୍ୟଙ୍କୁ ଭୀମ ଓ ଅଶ୍ଵତ୍ଥାମାଙ୍କୁ ଦୁଃଶାସନ କାନ୍ଧରେ ବସାଇ ହସ୍ତିନା ନେଇ ଆସିଲେ ।
ଅଶ୍ଵତ୍ଥାମା ସବୁକଥାରେ କୌରବମାନଙ୍କୁ ସମର୍ଥନ ଦେଇ ପାପର ଭାଗୀଦାର ହେଉଥିଲା ।ଏପରିକି ଦ୍ରୌପଦୀ ସ୍ଵୟମ୍ବରରେ ଭାଗନେଇ ବ୍ରାହ୍ମଣ ବେଶରେ ଥିବା ପାଣ୍ଡବ ଓ ଦ୍ରୌପଦୀକୁ ଲାଞ୍ଛନା ଓ ଭର୍ତ୍ସନା କରିବାକୁ ମଧ୍ଯ ଭୁଲି ନଥିଲା। ସୁଯୋଗ ପାଇଲେ ସେ ଏହିଭଳି କର୍ମରେ ଲିପ୍ତ ରହେ ।
ଯେତେବେଳେ ମହାଭାରତ ଯୁଦ୍ଧରେ ଭୀଷ୍ମଙ୍କୁ ଦ୍ରୋଣ ସେନାପତି କଲେ ସେତେବେଳେ ମଧ୍ଯ ଅଶ୍ଵତ୍ଥାମା ଶିଷ୍ଟାଚର ଭୁଲି ପ୍ରତିବାଦ କଲେ ।କହିଲେ, ଭୀଷ୍ମ ଅପୁତ୍ରିକ ହୋଇଥିବାରୁ ତାଙ୍କୁ ସେନାପତି ଚୟନ କରି ଠିକ୍ କରାଯାଇ ନାହିଁ। ତାଙ୍କର ଏହି ବଦଗୁଣ ଯୋଗୁ ଅଶ୍ଵତ୍ଥାମା ଦୁର୍ଯ୍ଯୋଧନର ବନ୍ଧୁ ହୋଇ ବି ତାଙ୍କୁ ମହାଭାରତ ଯୁଦ୍ଧରେ ମୁକୁଟ ଦେଲେ ନାହିଁ, ଯଦିଓ ଅନ୍ୟ ସମସ୍ତ ମହାରଥୀଙ୍କୁ ମୁକୁଟ ଦିଆ ଯାଇଥିଲା। ଯୁଧିଷ୍ଠିର ଏହାର କାରଣ ସହଦେବଠୁଁ ଜିଜ୍ଞାସା କଲାରୁ ସେ କହିଲେ, ଅଶ୍ଵତ୍ଥାମା କ୍ଷତ୍ରୀୟ ହୋଇ ଅମରତ୍ବ ପ୍ରାପ୍ତି ପାଇଁ ବର ମାଗିଛି। ଦୁର୍ଯ୍ଯୋଧନଙ୍କ ବିଚାରରେ , କ୍ଷତ୍ରୀୟ ଅମର ବର ମାଗିବା ଠିକ୍ ନୂହେଁ ।ସେ କ୍ରୁର ହେଲେ ବି ଜ୍ଞାନୀ, ତେଣୁ ମୁକୁଟ ଦେଲେ ନାହିଁ ।
ଅପମାନ ଓ ଲାଞ୍ଛନାରେ ମୁଣ୍ଡ ତଳକୁ ହୋଇଯାଉଥିଲେ ମଧ୍ଯ ତଥାପି ସେ ଦୁର୍ଦ୍ଦମନୀୟ ଯୁଦ୍ଧ ଲଢ଼ି ବହୁ ବିରୋଧୀ ପକ୍ଷର ସୈନ୍ୟଙ୍କୁ ହତାହତ କଲେ ।
ଯୁଦ୍ଧର ଚତୃଦଶ ଦିବସରେ କର୍ଣ୍ଣଙ୍କ ଦ୍ଵାରା ଘଟୋତ୍କଚ ନିହତ ହେବାରୁ ପୁତ୍ର ଶୋକରେ ହତବାକ୍ ହୋଇ ଭୀମ ତା’ପରଦିନ ଭୀଷଣ ଆକ୍ରମଣ କଲେ। ଅଶ୍ଵତ୍ଥାମା ରଥକୁ ଭୀମ ଉଠାଇ ଫିଙ୍ଗିଦେଲା। ରଥରେ ସଂଯୁକ୍ତ ଅଶ୍ଵ ସହ ଅଶ୍ଵତ୍ଥାମା ଯୋଜନ ଦୂରରେ ଯାଇ ପଡିଲା। ମାଳବ ରାଜା କୃତବର୍ମ ଭୀମକୁ ପ୍ରତିରୋଧ କରିବାରୁ ଭୀମ ତା ହସ୍ତୀର ମୂର୍ଦ୍ଧନୀରେ ଗଦା ପ୍ରହାର କଲା। ସେ ଅବିଳମ୍ବେ ମୃତ୍ଯବରଣ କଲା, ଯାହାର ନାମ ବି ଅଶ୍ଵତ୍ଥାମା ଥିଲା । ତେଣୁ ଅଶ୍ଵତ୍ଥାମା ହତ ବୋଲି ଚହଳ ପଡ଼ିଗଲା।
ଫଳତଃ ଯୁଧିଷ୍ଟିରଙ୍କ “ନରେ ବା ଗୁଞ୍ଜରେ ଅଶ୍ଵତ୍ଥାମା ହତ” ଉକ୍ତିରେ ବିଭ୍ରମ ହୋଇ ଦ୍ରୋଣ ଅଶ୍ଵତ୍ଥାମାର ମୃତ୍ଯ ହୋଇଯାଇଥିବା ଭାବି ଅସ୍ତ୍ର ତ୍ୟାଗ କରିବାରୁ ଦୁଷ୍ଟଦ୍ୟୁମ୍ନଙ୍କ ଦ୍ଵାରା ନିହତ ହେଲେ।
ଅଶ୍ଵତ୍ଥାମା ମୂର୍ଚ୍ଛା ତ୍ୟାଗକରି ଫେରୁଥିଲା, କୃପବର୍ମା ତାକୁ ଦ୍ରୋଣ ମୃତ୍ଯ ଖବର ଦେଲେ ।ସେ କପଟ ଯୁଦ୍ଧରେ ମରିଥିବା ଜାଣି ଅଶ୍ଵତ୍ଥାମା ଅର୍ଜ୍ଜୁନ ଓ ବାସୁଦେବ ଉପରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲା ।ଯୁଦ୍ଧ ଭୂମି ତା’ର ଆଲୋକରେ ତେଜୋଦୀପ୍ତ ହେଲା।
ବାସୁଦେବଙ୍କ ପରାମର୍ଶକ୍ରମେ ଅର୍ଜୁନ ବିଶ୍ନୁଅସ୍ତ୍ର ପ୍ରୟୋଗ କରିବାକୁ ଯାଉଥିଲା। ଦେବତାମାନେ ଆସି ଅଶ୍ଵତ୍ଥାମାକୁ କହିଲେ, ଏହା ଦ୍ଵାରା ସାରା ବ୍ରହ୍ମାଣ୍ଡ ଜଳି ଧ୍ଵଂସ ହୋଇଯିବ ।ତା’ର ବିନାଶକ ଶକ୍ତି ଭୟଙ୍କର। ତେଣୁ ଭଗ୍ନମନୋରଥ ହୋଇ ସେ ପିତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ ପାଇଁ ଚାଲିଗଲା ।ଫେରି ଦୁର୍ଯ୍ଯୋଧନଙ୍କୁ କହିଲା, ତାକୁ ସେନାପତି କଲେ ସେ ପଞ୍ଚୁ ପାଣ୍ଡବ ଓ ଦୁଷ୍ଟଦ୍ୟୁମ୍ନକୁ ବଧ କରିବା ସଙ୍ଗେ ସଙ୍ଗେ ପଞ୍ଚରାଜ୍ୟ ଆଣିଦେବ। ପୁନର୍ବାର ଦୁର୍ଯ୍ଯୋଧନ ତାହା କରିବାକୁ ମଧ୍ଯ ମନା କରିଦେଲେ, କାରଣ ସେ କ୍ଷତ୍ରୀୟ ହୋଇ କାହିଁକି ତ୍ରିବୀଜ ବର ମାଗିଥିଲା ।
ତେଣୁ ସେ ବୀତସ୍ପୃହ ହୋଇ ସମସ୍ତ ଅସ୍ତ୍ର ଦାନ କରି ତପ ଆଚରଣ କରିବାକୁ ଚାଲିଗଲେ ।ବାସୁଦେବ ବ୍ରାହ୍ମଣ ବେଶରେ ତା ପାଖରୁ ଅସ୍ତ୍ର, ଆଭୂଷଣ ଓ ଅଶ୍ଵ ଆଦି ଦାନ ଗ୍ରହଣ କରି ପାଣ୍ଡବମାନଙ୍କୁ ଆଣି ଦେଇଦେଲେ। ଶକୁନି ଅଶ୍ଵତ୍ଥାମାକୁ ପଚାରିଲେ, କାହାକୁ ଅସ୍ତ୍ର ଦାନ କଲ। ଅଶ୍ଵତ୍ଥାମା କହିଲା, ବ୍ରାହ୍ମଣକୁ। ଶକୁନି କହିଲା, ସେ ବ୍ରାହ୍ମଣ ହିଁ ବାସୁଦେବ ଥିଲେ। ଅଶ୍ଵତ୍ଥାମା କହିଲା, ପର୍ଶୁରାମ ଅବତାରଠାରୁ ଯେଉଁ ଅସ୍ତ୍ର ଗ୍ରହଣ କରିଥିଲି ତାହା କୃଷ୍ନ ଅବତାର ଗ୍ରହଣ କଲେ, ଯେଉଁଠୁ ଅସ୍ତ୍ର ଆସିଥିଲା ସେଇଠାକୁ ଚାଲିଗଲା ।ସେ ଆଉ କୌଣସି ଅନୁଶୋଚନା ନକରି ପ୍ରୟାଗ ଚାଲିଗଲେ ।
ଦୁର୍ଯ୍ଯୋଧନର ଜାନୁଭଙ୍ଗ ପରେ ମହା ଭାରତ ଯୁଦ୍ଧ ସରିଗଲା ବୋଲି ବୋଧ ହେଉଥିଲେ ହେଁ ବାସ୍ତବରେ ତାହା ସରି ନଥିଲା।
ଅରଣ୍ୟରେ ଭ୍ରମଣ କରୁଥିଲା ବେଳେ ବିଧୁତ ବ୍ୟାଧ ଅଶ୍ଵତ୍ଥାମାକୁ ଦେଖି ଇତଃସ୍ତତ ହୋଇ ଚାଲି ଯାଉଥିଲା ।ଅଶ୍ଵତ୍ଥାମା ପଚାରିଲେ, “ତୁ କାହିଁକି ଅସ୍ଥିର ଜଣାପଡୁଛି? ” ବ୍ୟାଧ କହିଲା, ଦୁର୍ଯ୍ଯୋଧନକୁ ନପାଇବାରୁ ଭୀମ ଠାକୁର ଆହାର ପରିତ୍ୟାଗ କରିଥିଲେ। ଏବେ ତାକୁ ପାଇ ତା’ର ଜାନୁଭଙ୍ଗ କରିଥିବାରୁ ଆହାର ଗ୍ରହଣ କରିବେ। ମୁଁ ତାଙ୍କର ସେବକ। ତାଙ୍କ ପାଇଁ ପକ୍ଷୀ ଶିକାର କରୁଛି। ଦୁର୍ଯ୍ଯୋଧନର ମୃତ୍ୟୁ ହେବା କଥା ଜାଣି ଶବ କେଉଁଠି ପଡ଼ିଚି ବୋଲି ଅଶ୍ଵତ୍ଥାମା ପଚାରିଲେ। ବ୍ୟାଧ କହିଲା, ବ୍ୟାସ ସରୋବରରେ।
ଅଶ୍ଵତ୍ଥାମା ଯାଇ ଦେଖିଲା, ଦୁର୍ଯ୍ଯୋଧନର ଜାନୁଭଙ୍ଗ ହୋଇଛି ।ଦୁର୍ଦକ୍ଷ ତା ପାଖରେ ବସି ସେବା କରୁଛି। ଅଶ୍ଵତ୍ଥାମାକୁ ଦେଖି ସେ ନିଜର ଅସହାୟତା ପାଇଁ ବିଳାପ କଲା। ଅଶ୍ଵତ୍ଥାମା କହିଲା, “ପ୍ରଥମରୁ ଯଦି ତାକୁ ସେନାପତି କରିଥା’ନ୍ତେ ତେବେ ଆଜି ଏ ଅବସ୍ଥା ଦେଖିବାକୁ ମିଳି ନଥା’ନ୍ତା।ଏବେବି ମୋତେ ସେନାପତି କଲେ ମୁଁ ପଞ୍ଚୁପାଣ୍ଡବଙ୍କ କଟା ମୁଣ୍ଡ ଆଣିଦେବି I ଦୁର୍ଯ୍ଯୋଧନ କହିଲା, ଏ ଅସହାୟତା ଅବସ୍ଥାରେ ତାକୁ ସେନାପତି କରିବାକୁ ତାଙ୍କ ପାଖରେ ନା ମୁକୁଟ ଅଛି ନା ଅଶ୍ଵ ଓ ହସ୍ତୀ ଅଛି।
ଅଶ୍ଵତ୍ଥାମା କହିଲା, ଏସବୁର ଆବଶ୍ୟକତା ନାହିଁ। କେବଳ ଅନୁମତି ଦିଅ।
ଦୁର୍ଯ୍ଯୋଧନ ଅଶ୍ଵତ୍ଥାମା ମୁଣ୍ଡରେ ଶ୍ଵେତ ଦୁବ ଛୁଇଁ ଓ ହସ୍ତରେ ଜଳଦାନ କରି ତାକୁ ସେନାପତି କଲେ। କହିଲେ, ହେ ସଖା! ପାଣ୍ଡବମାନଙ୍କର କଟା ମୁଣ୍ଡ ଦେଖିଲେ ମୋ ଆତ୍ମାକୁ ଶାନ୍ତି ମିଳିବ।
ଅଶ୍ଵତ୍ଥାମା ପାଣ୍ଡବମାନଙ୍କର ଶିବିରରେ ପଶି ପ୍ରଥମେ ଦୁଇ ଅକ୍ଷୌଣୀ ସୈନ୍ୟମାନଙ୍କୁ ବିନାଶ କଲେ। ସେତେବେଳକୁ ଦୁଷ୍ଟଦ୍ଯୁମ୍ନ ପାଞ୍ଚାଳୀର ଅନ୍ତଃପୁର ଦ୍ଵାର ଯଗି ଶୋଇଥିଲା।ଅଶ୍ଵତ୍ଥାମା ତାଙ୍କ ମୁଣ୍ଡକୁ କାଟିଲେ ।ପୁଣି ପାଣ୍ଡବ ବୋଲି ଭାବି ପାଣ୍ଡବ ପାଞ୍ଚପୁତ୍ରଙ୍କ ମୁଣ୍ଡ କାଟି ଭାର କରି ଆଣି ଦୁର୍ଯ୍ଯୋଧନ ସମୀପରେ ରଖିଲେ ।କହିଲେ, ପାଣ୍ଡବମାନଙ୍କର ଶିର ନେଇ ଆସିଛି ।
ଦୁର୍ଯ୍ଯୋଧନ ବି ତାହା ଦେଖି ଭାରି ଖୁସି ହୋଇଗଲେ। ସେତେବେଳକୁ ପ୍ରଭାତ ହୋଇ ଆସୁଥିଲା। ଦିବାଲୋକରେ ଦୁର୍ଯ୍ଯୋଧନ ସ୍ପଷ୍ଟ ଦେଖିଲେ, ତାହା ସବୁ ପାଣ୍ଡବ ପୁତ୍ରମାନଙ୍କର ଶିର ।ସେ ଶିର ଦେଖି ଦୁର୍ଯ୍ଯୋଧନ ବଡ଼ ବ୍ୟଥିତ ହେଲେ ।ଅତି ବିକଳ ହୋଇ କହିଲେ, ସେମାନେ ବଞ୍ଚିଥିଲେ ଅନ୍ତତଃ ସୋମବଂଶ ରକ୍ଷା ହୋଇଥାନ୍ତା।ଲକ୍ଷ୍ମଣ କୁମାର ମରି ସାରିଥିବାରୁ ଆଉ କୌରବ କିମ୍ବା ପାଣ୍ଡବ ମାନଙ୍କର କୌଣସି ସନ୍ତାନ ଜୀବିତ ରହିଲେ ନାହିଁ। ଦୁର୍ଯ୍ଯୋଧନ କହିଲେ, ତୋ ଭଳି ଅପରିଣାମଦର୍ଶୀ କ୍ଷତ୍ରୀୟକୁ ମୁଁ ପ୍ରଥମରୁ ଜାଣିପାରି ସେନାପତି କରିବାକୁ ମନାକରି ଦେଇଥିଲି। ମୋତେ ତୁ ଆଉ ମୁହଁ ଦେଖାନି, ଶୀଘ୍ର ଏଠୁ ଚାଲିଯା । ଦୁର୍ଦ୍ଦକ୍ଷକୁ କହିଲେ, ସେ କଟା ମୁଣ୍ଡ ମୋ କୋଳକୁ ଦେ। ଦୁର୍ଦ୍ଦକ୍ଷ ତାହା ଦେବା ପରେ ଦୁର୍ଯ୍ଯୋଧନ କ୍ରନ୍ଦନ କରି ଦେହତ୍ୟାଗ କରିଦେଲେ।
କଟୁକଥା ଓ ଅପରିଣାମଦର୍ଶିତାରେ ମ୍ରିୟମାଣ ହୋଇ ଅଶ୍ଵତ୍ଥାମା ଅରଣ୍ୟକୁ ଚାଲିଗଲେ ।ଦୁର୍ଦ୍ଦକ୍ଷ ପାଖରୁ ଏଇ ସମାଚାର ପାଇ ବାସୁଦେବ ବ୍ରାହ୍ମଣ ବେଶରେ ନନ୍ଦୀ ନାମକ ଅରଣ୍ୟକୁ ଯାଇ ତାକୁ ଖୋଜିଲେ। ସେଠାରେ କୃପ ସହ ଅଶ୍ଵତ୍ଥାମାକୁ ଭେଟିଲେ। କୃପ କହିଲେ, ଗୋବ୍ରାହ୍ମଣ ହତ୍ୟା କରି ସେ ଅନୁତପ୍ତ ଅଛନ୍ତି। ସେଇପରି ଅଶ୍ଵତ୍ଥାମା ବାଳବଧ ପାଇଁ ମନସ୍ତାପରେ ଅଛି ।
ବାସୁଦେବ କପଟରେ କହିଲେ, ଚାଲ ଅସ୍ତ୍ର ତ୍ୟାଗ କରି ତୀର୍ଥସ୍ଥାନ ଭ୍ରମଣ କରିବା ଓ ମନ୍ତ୍ରାଦି ଜପ କରି ପାତକ ନାଶ କରିବା ।ସେମାନେ ମାୟା ବୁଝି ନପାରି ଗଛ କୋଟରରେ ଅସ୍ତ୍ର ରଖିଦେଲେ ।ନଦୀ ତୀରରେ ଯାଇ ରତ୍ନଗିରି ପର୍ବତରେ ପହଞ୍ଚିଲେ। ସେମାନଙ୍କ ଅଜ୍ଞାତରେ ବାସୁଦେବ ଅସ୍ତ୍ର ହରଣ କରି ଦ୍ଵାରକାରେ ପାଣ୍ଡବମାନଙ୍କ ପାଖକୁ ଫେରିଗଲେ।
କିଛି ସମୟ ଉପରାନ୍ତେ ବାସୁଦେବ ରୂପୀ ବ୍ରାହ୍ମଣକୁ ନପାଇ ସେମାନେ ବିଚଳିତ ହେଲେ ।କୃପ ଯୋଗ ବଳରେ ଜାଣିଲେ ଯେ, ବାସୁଦେବ ଅସ୍ତ୍ର ଚୋରେଇ ନେଇଛନ୍ତି ।ଏକଥା ଅଶ୍ଵତ୍ଥାମା ଜାଣି ବଡ଼ କୋପ ହେଲେ।ସେ ଏକ କାଇଁଶିକା ବୃକ୍ଷ ଉପାଡି ତାକୁ ନଖରେ ବିଦାରଣ କରି ଧନୁ, ଗୁଣ ଓ ଶର ତିଆରି କଲେ। ତଦ୍ ପଶ୍ଚାତ୍ ମନ୍ତ୍ର ଉଚ୍ଚାରଣ କରି ଶର ପ୍ରୟୋଗ କରିଦେଲେ ।କହିଲେ,ପାଣ୍ଡବଙ୍କ ସହ ବାସୁଦେବଙ୍କ ଶିର ଚ୍ଛେଦନ କର ।ଯେଉଁ ପଥେ ପଥେ ସେ ଶର ଗଲା ସେଇ ପଥେ ପଥେ ପାହାଡା, ପର୍ବତ ଓ ଜୀବଜନ୍ତୁ ମାନଙ୍କୁ ତାହା ଦହନ କଲା। ସହଦେବ ବସୁଦେବଙ୍କୁ ଏହାର ପ୍ରତିକାର ପାଇଁ କହିଲେ, ନହେଲେ ସମସ୍ତେ ଦହନ ହୋଇଯିବା କଥା ଅବଗତ କରାଇଲେ । ବାସୁଦେବ ପ୍ରତିଅସ୍ତ୍ର ପ୍ରୟୋଗ କଲେ। ଏହାଦ୍ୱାରା କାଇଁଶିକା ଶକ୍ତି କିଛି କମିଲେ ବି ପୂର୍ଣ୍ଣତଃ ପ୍ରଶମିତ ହେଲା ନାହିଁ ।ଉପାୟ ନପାଇ ବାସୁଦେବ କାଇଁଶିକାକୁ ସ୍ତୁତି କଲେ ।
କାଇଁଶିକା କହିଲା, “ଆପଣ ତ ନିଜେ ନାରାୟଣ ଓ ସର୍ବ ଶକ୍ତିମାନ ।ଅଶ୍ଵତ୍ଥାମା ଆଦେଶ ଦେଇଛି, ପାଣ୍ଡବ ଓ ଯଦୁବଂଶକୁ ନିପାତ କରିବାକୁ ।ମୁଁ ଅଣବାହୁଡ଼ା ଶର ହୋଇଥିବାରୁ ଲକ୍ଷ୍ୟ ଭେଦ ନକରି ଫେରିବା ସମ୍ଭବ ନୂହେଁ ।ତେଣୁ ଅତି କମ୍ ରେ କୌଣସି ଜଣଙ୍କୁ ବଳି ଦେଲେ, ମୁଁ ଫେରିଯାଇ ପାରିବି।”
ବାସୁଦେବ କହିଲେ, ପଣ୍ଡବମାନଙ୍କୁ ନେଇ ପୃଥିବୀ ପୃଷ୍ଠରୁ ଆହୁରି ବହୁ ଦାନବକୁ ମାରି ତା’ର ଭାରା ଉଶ୍ୱାସ କରିବାକୁ ବାକି ଅଛି।
କାଇଁଶିକା କହିଲା, ତେବେ କୌଣସି ଜଣଙ୍କୁ ନିଜ ଇଚ୍ଛାମତେ ବଳି ଦିଅନ୍ତୁ।
ସହଦେବ ସହ ପରାମର୍ଶ କଲେ। ସହଦେବ କହିଲେ, ଉତ୍ତରା ଗର୍ଭରେ ଅଭିମନ୍ୟୁ ପୁତ୍ର ବଢୁଛି। ତାକୁ ବଳି ଦେଲେ କାଇଁଶିକା ନିରସ୍ତ୍ର ହେବ ।
ସୁଭଦ୍ରା କୋଳରେ ଉତ୍ତରା ଶୋଇଥିଲା ବେଳେ ତା’ର ଗର୍ଭସ୍ଥ ଶିଶୁକୁ ଶର ଲକ୍ଷ୍ୟଭେଦ କଲା ।ଶିଶୁକୁ ନିଧନ କରି ଉତ୍ତରାର ପାଦ ଦେଇ ବାହାରି ଗଲା। ଉତ୍ତରା ଅଚେତ ହୋଇପଡିଲେ ।ଗର୍ଭ ସ୍ଖଳନ ହୋଇ ରକ୍ତସ୍ରାବ ହେଲା ।ସମସ୍ତେ ସବୁକଥା ଜାଣି ଦୁଃଖୀ ହେଲେ ।ବାସୁଦେବ ଭର୍ତ୍ସନାର ଶିକାର ହେଲେ ଓ ଅପଖ୍ଯାତି ମୁଣ୍ଡାଇଲେ ।
ତଦୁତ୍ତାରେ ବାସୁଦେବ ସୁଦେଷ୍ନାଙ୍କ ଜୀବନ୍ୟାସ ମନ୍ତ୍ର ପଢ଼ି ଉତ୍ତରା ଓ ତା ପୁତ୍ର(ପରିକ୍ଷିତ) କୁ ଜୀବିତ କଲେ ।କହିଲେ, ମୋର ଅର୍ଦ୍ଧେକ ଆୟୁଷ ନେଇ ଶିଶୁକୁ ଜୀବିତ କର। ପ୍ରଜାପତି ଜୀବନ ଦାନ କଲେ ।ଶିଶୁ ଜୀବିତ ହୋଇ କ୍ରନ୍ଦନ କଲାରୁ ସମସ୍ତେ ଆଶ୍ଚର୍ଯ୍ୟ ହେଲେ।
ଏହିପ୍ରକାର ଗୋଟାଏ ଅଧ୍ୟାୟର ଅନ୍ତ ହେଲା ।ମହାଭାରତ ଯୁଦ୍ଧର ପରିସମାପ୍ତି ହେଲା ।ଅଶ୍ଵତ୍ଥାମାର କିନ୍ତୁ ଆଉ କେଣେ ଦେଖା ନାହିଁ। ଯୁଗରୁ ଯୁଗଯାଏ ସେ କୁଆଡ଼େ ବଞ୍ଚିଥିବା ବିଶ୍ବାସ କରାଯାଏ।
16.ରଣଭଙ୍ଗ
ଶୁକ୍ରବ୍ରହ୍ମାଙ୍କ ପୁତ୍ର ଥିଲେ କୃପବ୍ରହ୍ମା। ତାଙ୍କ ପୁତ୍ର ଶରୋଦ୍ବାନ। ତାଙ୍କଠାରୁ ଜନ୍ମ ନେଲେ ପୁତ୍ର କୃପ ଓ ପୁତ୍ରୀ କୃପୀ ।କୃପୀ ଦ୍ରୋଣଙ୍କୁ ବିବାହ କଲେ, କିନ୍ତୁ କୃପ ତପଚାରୀ ହୋଇ ତୀର୍ଥବାସୀ ହେଲେ ।
କୃପୀ ଅନ୍ତଃସତ୍ତ୍ୱା ଥିବା ଅବସ୍ଥାରେ ମୃତ୍ୟୁବରଣ କଲେ ଓ ତାଙ୍କ ଗର୍ଭ ବିଦାରଣ କରି ଅଶ୍ଵତ୍ଥାମା ଜନ୍ମ ଲାଭ କଲା।
ମା’ଛେଉଣ୍ଡ ପିଲାକୁ ଲାଳନପାଳନ କରିବା ବହୁ କଷ୍ଟକର ହେଲା। ତେଣୁ ସେ ବନ୍ଧୁ ଦୃପଦକୁ ସାହାଯ୍ଯ ଭିକ୍ଷା କରିଥିଲେ। ମାତ୍ର ସେଠାରୁ ଅପମାନିତ ହୋଇ ଫେରିବା ପରେ ପ୍ରତିଶୋଧ ଅପେକ୍ଷାରେ ଥିଲେ ।ତେଣୁ ସେ ହସ୍ତିନାପୁର ଯାଇ ଅଶ୍ଵତ୍ଥାମାକୁ ମାମୁ କୃପ ଓ ମାଇଁ ସୁଲକ୍ଷଣୀ ପାଖରେ ଛାଡ଼ିଲେ ।
ସେଠାରେ କୃପ ହିଁ ଦ୍ରୋଣକୁ ପରାମର୍ଶ ଦେଇଥିଲେ କି ବାରଣାବତ ଯିବାକୁ, ଯେଉଁଠି ଭୀଷ୍ମ କୌରବ ଓ ପାଣ୍ଡବମାନଙ୍କୁ ଅସ୍ତ୍ରଶିକ୍ଷା ଦେଉଛନ୍ତି। ତହୁଁ ଘଟଣାକ୍ରମେ ଦ୍ରୋଣ କୌରବ ଓ ପାଣ୍ଡବ ମାନଙ୍କର ଗୁରୁ ହୋଇପାରିଥିଲେ।
କୃପାଚାର୍ଯ୍ୟ ଥିଲେ ମହାଜ୍ଞାନୀ ଓ ଭୂତଭବିଷ୍ୟ ଜ୍ଞାତା ।ସେ ମଧ୍ଯ ପ୍ରଚଣ୍ଡ ତପି ଓ ଯୋଗୀ। ସେ ହେଉଛନ୍ତି ହସ୍ତିନାପୁରର ରାଜପୁରୋହିତ। ପୁଣି ଖୁବ୍ ଶକ୍ତିଶାଳୀ ଓ ଶସ୍ତ୍ରବିଦ୍ୟା ପାରଙ୍ଗମ। ଖୋଦ୍ ପର୍ଶୁରାମଙ୍କର ସେ ଶିଶ୍ଯ। ହସ୍ତିନାପୁରର ରାଜ ଦରବାରରେ ସେ ସଭାସଦ ଭାବେ ଉପସ୍ଥିତ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ ।ସମସ୍ତ ଶୁଭ ଓ ଧର୍ମ କାମ ମଧ୍ୟ ତାଙ୍କ ପୌରହିତ୍ୟରେ ସମ୍ପାଦିତ ହେଉଥିଲା ।
କୃପ ପୁଣ୍ୟକାମ ହୋଇ ମଧ୍ୟ ଅନେକ ସମୟରେ ଅସହାୟ ହୋଇ ପଡ଼ିଛନ୍ତି ।ତାଙ୍କର ଉଚିତ୍ ପରାମର୍ଶ ଦୁର୍ଯ୍ଯୋଧନ ଓ ଧୃତରାଷ୍ଟ୍ରକୁ ସଠିକ୍ ମାର୍ଗ ପ୍ରଦର୍ଶନ କରିବାରେ ନିରର୍ଥକ ହୋଇଛି। ଏପରିକି ଦ୍ରୌପଦୀର ବସ୍ତ୍ର ହରଣ ଲୀଳା ରଚନା ବେଳେ ସେ କୌରବ ମାନଙ୍କୁ ଅନୁଚିତ କର୍ମରୁ କ୍ଷାନ୍ତ କରିପାରି ନାହାନ୍ତି। ତେଣୁ ଜ୍ଞାନ ବା ଅଜ୍ଞାତରେ ସେ ନିଜ ଦାୟିତ୍ଵ ନିର୍ବାହ କରିବାକୁ ଅସମର୍ଥ ହୋଇଛନ୍ତି।
ସେ ଚେଷ୍ଟା କରି ମଧ୍ଯ ମହାଭାରତ ଯୁଦ୍ଧ ଟାଳି ପାରି ନାହାନ୍ତି କି କୌରବ ମାନଙ୍କୁ ଦୁର୍ଗତିରୁ ରକ୍ଷାକରି ପାରି ନାହାନ୍ତି ।ନୈତିକ ସମର୍ଥନ ନଦେଇ ମଧ୍ଯ ଅନେକ କ୍ଷେତ୍ରରେ ସେ ଅନ୍ୟାୟର ମୂକସାକ୍ଷୀ ପାଲଟିଛନ୍ତି ।ତେଣୁ ସେ ବେଳେବେଳେ ନିଜକୁ ନାଚର ଓ ବିବଶ ମନେ କରିଛନ୍ତି। କାରଣ ସେ ଭୀଷ୍ମଙ୍କ ପରି ହସ୍ତିନା ରାଜ ସିଂହାସନ ପ୍ରତି ଆନୁଗତ୍ୟ ରଖିଥିଲେ ଓ ଅନୁବନ୍ଧିତ ରହିଥିଲେ।
ଦ୍ରୋଣ ଯେତେବେଳେ ପ୍ରଶିକ୍ଷଣ ଶେଷେ ଶିଷ୍ୟମାନଙ୍କୁ ଶକ୍ତି ପରୀକ୍ଷା କରାଇଥିଲେ ସେତେବେଳେ ଅର୍ଜୁନ ବ୍ୟତୀତ ସମସ୍ତେ ଅକୃତକାର୍ଯ୍ୟ ହୋଇଥିଲେ ।ତେଣୁ ଅଶ୍ଵତ୍ଥାମା ସମକକ୍ଷ ଯୋଦ୍ଧା ହୋଇ ନପାରିବା କାରଣରୁ ଦ୍ରୋଣ କୃପ ସହିତ ଅଶ୍ଵତ୍ଥାମାକୁ – ଅରଣ୍ୟକୁ ପଠାଇଥିଲେ ।ତପ ଆଚରଣ କରି ଶକ୍ତି ପ୍ରାପ୍ତ ହେବାପାଇଁ। ସେଠାରେ ସେମାନେ ନିର୍ଜଳା ଉପବାସ ବ୍ରତ ରଖି କଠୋର ତପସ୍ୟା କରି ସିଦ୍ଧିଲାଭ କରିଥିଲେ। ଏପରିକି ଅମର ହେବା ପାଇଁ ବରପ୍ରାପ୍ତି କରିଥିଲେ। ଆହାର, ନିଦ୍ରା ଓ କାଳ ଉପରେ ନିୟନ୍ତ୍ରଣ ପାଇବାକୁ ତ୍ରିବୀଜ ବର ବି ମାଗିଥିଲେ। ତେଣୁ କୃପ ଅଜେୟ ଓ ଅମର ହୋଇଥିଲେ।
କୁରୁକ୍ଷେତ୍ର ଯୁଦ୍ଧ ପରେ ପୁନରାୟ ସେ ଧର୍ମରାଜ ଯୁଧିଷ୍ଠିରଙ୍କୁ ହସ୍ତିନାପୁର ସିଂହାସନରେ ଅଭିଷେକ କରାଇଥିଲେ ।ସେ ମଧ୍ଯ ପରୀକ୍ଷିତ ଓ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟର ଶିକ୍ଷା ଦାୟିତ୍ୱ ନିର୍ବାହ କରିଥିଲେ।
ମହାଭାରତ ଯୁଦ୍ଧରେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ସେନାପତିଙ୍କ ମୃତ୍ୟ ପରେ ଶେଷ ଦିନରେ ଶଲ୍ଯ ସେନାପତି ହୋଇଥିଲେ। ମାତ୍ର ଆଦିତ୍ୟଙ୍କ କ୍ରୋଧାନଳର ଶିକାର ହୋଇ ଅଳ୍ପ କେଇକ୍ଷଣ ପରେ ଦଗ୍ଧ ହେବାରୁ ଆଉ ଅଳ୍ପ କେତେକ ଯୋଦ୍ଧା ବାକି ରହି ଯାଇଥିଲେ।ଦୁର୍ଯ୍ଯୋଧନର ଚକ୍ଷୁ ଲୋତକାପ୍ଲୁତ ହୋଇ ଯାଉଥିଲା। ତା ମନରୁ ହତାଶାର କାଳିମା ପୋଛିବା ପାଇଁ କୃପ ଶାନ୍ତ୍ୱନା ଦେଇ କହିଲେ,ଶଲ୍ଯ ମୃତ ହେଲେ ବି ମୁଁ ତୁମ ପାଖରେ ଅଛି। ମୋତେ ସେନାପତି କର। ଦୁର୍ଯ୍ଯୋଧନ ଅନନ୍ୟୋପାୟ ହୋଇ କୃପଙ୍କୁ ସେନାପତି ଆସନରେ ଆସୀନ କଲେ ।ରାତ୍ରି ଯୁଦ୍ଧ କରିବାକୁ ନିଜେ ମଧ୍ଯ ବାହାରି ଗଲେ।
ସେ ରଥ ସଜାଇ ଯୁଦ୍ଧରେ ଅବତୀର୍ଣ୍ଣ ହେଲେ ।ଅବଶିଷ୍ଠ ପାଣ୍ଡବ ସୈନ୍ୟ ସମୂହକୁ ନିପାତ କରିବା ପାଇଁ ଯୁଦ୍ଧ ବଜାୟ ରଖିଲେ। କୃପ ଅର୍ଜୁନଙ୍କୁ ମଧ୍ଯ ସାବଧାନ ରହିବାକୁ ସତର୍କ କରାଇଲେ। ଦୁହିଁଙ୍କ ମଧ୍ୟରେ ଅସ୍ତ୍ର ବିନିମୟ ହେଲା ।କେହି କାହାରିକୁ ଛାଡିବା ଅବସ୍ଥାରେ ନଥିଲେ। ଅର୍ଜୁନ କୃପଙ୍କ ସମସ୍ତ ଅସ୍ତ୍ର ଚ୍ଛେଦନ କଲେ ।ତାଙ୍କ ରଥ ଭାଙ୍ଗିଗଲା।
କୃଷ୍ନ କହିଲେ, ଭୀଷ୍ମ, କର୍ଣ୍ଣ ଆଦିଙ୍କୁ ଶରବିଦ୍ଧ କରିବାକୁ ସମର୍ଥ ହେଲା ପରେ କୃପଙ୍କୁ ବିନାଶ କାହିଁକି କରୁନାହଁ। କୁନ୍ତୀ କର୍ଣ୍ଣଠାରୁ ନୀଳବାଣ ଐ ଭୋଜବାଣ ଆଣିଦେଇଥିଲେ ।ତାହା ଏପର୍ଯ୍ୟନ୍ତ ଯୁଦ୍ଧରେ ପ୍ରୟୋଗ ହୋଇନାହିଁ।
ଅର୍ଜୁନ ଅବିଳମ୍ବେ ସେଇ ବାଣ ପ୍ରୟୋଗ କରିଦେଲେ।
ମାତ୍ର ଉକ୍ତ ବାଣ ଦ୍ୱୟ ନାରାୟଣ ଓ ରୁଦ୍ରଙ୍କ ବାମ ହସ୍ତର କନିଷ୍ଠ ଆଙ୍ଗୁଳିର ନଖରୁ ଉତ୍ପନ ହୋଇଥିବାରୁ ତାହା କୃପ ବ୍ରାହ୍ମଣ ହୋଇଥିବାରୁ ତାଙ୍କୁ ଘାତ ନକରି କହିଲେ, ଯଦି କୌଣସି ଅସ୍ତ୍ରରେ ତାଙ୍କୁ ପ୍ରତିହତ କରିପାରିବ କର I ନହେଲେ ଯୁଦ୍ଧ ଭୂଇଁରୁ ପଳାୟନ କର ।କାରଣ ଅବ୍ୟର୍ଥ ଅର୍ଥ ହୋଇଥିବାରୁ ଲକ୍ଷ୍ୟ ଭେଦ ନକରି ଆମେ ଫେରିଯାଇ ପାରିବୁ ନାହିଁ ।
କୃପ କିନ୍ତୁ ପଳାୟନ କରିବାକୁ ମନା କଲେ। ତାଙ୍କ ପାଖରେ ବି ଏ ଅସ୍ତ୍ରକୁ ଚ୍ଛେଦନ କରିବା ପାଇଁ କୌଣସି ଅସ୍ତ୍ର ନଥିଲା। ତେଣୁ ଏ ବାଣ ଦ୍ୱୟ ତାଙ୍କ ଗଳା କାଟିଦେଲା। ମାତ୍ର କୃପ ବ୍ରାହ୍ମଣ ହୋଇଥିବାରୁ ଓ ସେମାନଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିବ ଭାବି, ଦୁଇ ବାଣ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ପଢି ତାଙ୍କୁ ପୁନଃ ଜୀବିତ କଲେ ଓ ପୁନର୍ବାର ପଳାଇ ଯିବାକୁ କହିଲେ ।
କୃପ ତହୁଁ ଜୀବନ ବିକଳେ ଧାଇଁଲେ। ତଦ୍ ପଶ୍ଚାତ୍ ନୀଳବାଣ ଓ ଭୁଜବାଣ ସନ୍ତୁଷ୍ଟ ନହୋଇ ଅବଶିଷ୍ଠ କୌରବ ସେନାଙ୍କୁ ବିନାଶ କଲେ ।କୁରୁକ୍ଷେତ୍ର ଯୁଦ୍ଧ ପ୍ରାୟତଃ ସମାପ୍ତ ହୋଇଯିବାକୁ ଲାଗିଲା ।
ଏହାପରେ ଅଶ୍ଵତ୍ଥାମା ଦ୍ଵାରା ପାଞ୍ଚ ପାଣ୍ଡବମାନଙ୍କ ପୁତ୍ରର ନିଧନ କାରଣରୁ ଅଶ୍ଵତ୍ଥାମାକୁ ଖୋଜିବା ପାଇଁ ବାସୁଦେବ ନନ୍ଦୀ ନାମକ ଅରଣ୍ୟକୁ ଚାଲିଗଲେ ।ସେଠାରେ ବ୍ରାହ୍ମଣ ବେଶରେ କୃପଙ୍କୁ ଭେଟି କହିଲେ, ସେ ତୀର୍ଥ ଭ୍ରମଣରେ ଆସିଛନ୍ତି । ସମଧର୍ମୀ ହୋଇଥିବାରୁ ସେ ତାଙ୍କ ସହ ପାଞ୍ଚଦିନ ରହି ତୀର୍ଥ ଭ୍ରମଣ କରିବାକୁ ମନ ବଳାଇଛନ୍ତି ।କୃପ ପରିଚୟ ଦେଇ କହିଲେ, ସେ ଯୁଦ୍ଧରେ ଗୋବ୍ରାହ୍ମଣ ବଧ କରିଥିବାରୁ ସମଧର୍ମୀ କହିବାକୁ ଅସମର୍ଥ ।ଅଶ୍ଵତ୍ଥାମା ବି ସାଥିରେ ଅଛି ।ସେ ଯୁଦ୍ଧ ପରିତ୍ୟାଗ କରିଥିଲା। କିନ୍ତୁ ଗତରାତିରେ ହଠାତ୍ ଆବିର୍ଭାବ ହୋଇ ଦ୍ରୌପଦୀ ନନ୍ଦନଙ୍କୁ ହତ୍ୟାକରି ବାଳ ଅପରାଧ କରି ଅନୁତାପ ନିଆଁ ଷରେ ଝଲସୁଛି ।
ବସୁଦେବ ତଦୁତ୍ତାରେ କପଟରେ କହିଲେ, ଚାଲ ଅସ୍ତ୍ର ସବୁ ପରିତ୍ୟାଗ କରି ମନ୍ତ୍ର ଆଦି ଜପ କରି ତୀର୍ଥ ସ୍ଥାନ ବୁଲିବା। ତହୁଁ ସେମାନେ ଗଛ କୋଟରରେ ଅସ୍ତ୍ର ସବୁ ଥୋଇଦେଇ ତୀର୍ଥ ଭ୍ରମଣରେ ଯାଇ ଗଣ୍ଡୁକୀ ନଦୀ ତୀରରେ ରତ୍ନଗିରି ପର୍ବତରେ ପହଞ୍ଚିଲେ। ସେମାନଙ୍କ ଅଜ୍ଞାତରେ ବାସୁଦେବ ଅସ୍ତ୍ର ସବୁ ଚୋରେଇ ପାଣ୍ଡବମାନଙ୍କୁ ଦେଇଦେଲେ ।କିଛି ସମୟ ପରେ ବ୍ରାହ୍ମଣ ରୂପୀ ବାସୁଦେବଙ୍କୁ ନପାଇ କୃପ ଓ ଅଶ୍ଵତ୍ଥାମା ବିଚଳିତ ହେଲେ। କୃପ ଯୋଗ ବଳରେ ଜାଣିପାରିଲେ ଯେ କ’ଣ ସବୁ କିପରି ଘଟିଛି। ଏଥିରେ ଅଶ୍ଵତ୍ଥାମା କ୍ରୋଧାନ୍ୱିତ ହୋଇ କାଇଁସିକା ବାଣ ପ୍ରୟୋଗ କରିଥିଲା।
ଏହିପରି କୃପଙ୍କ ବ୍ୟକ୍ତିତ୍ବ ମହାଭାରତରେ ଅତୀବ ଗୌରବାମୟ ଥିଲା ।
17.ମାତୁଳ ବିରୋଧୀପକ୍ଷ
ମଦ୍ର ଦେଶର ନରେଶଙ୍କ ପୁତ୍ରୀ ମାଦ୍ରୀ ଓ ପୁତ୍ର ଶଲ୍ଯ ।କୁନ୍ତୀଙ୍କ ସହ ପଣ୍ଡୁ ବନ ପର୍ବତରେ ବୁଲୁଥିଲା ବେଳେ ସେ ନିଜ କନ୍ୟା ମାଦ୍ରୀକୁ ପାଣ୍ଡୁଙ୍କ ସହ ବିବାହ ଦେଇଥିଲେ। ତାଙ୍କ ଗର୍ଭରୁ ସହଦେବ ଓ ନକୁଳ ଜନ୍ମ ଲାଭ କରିଥିଲେ। ସେଇ ଦୃଷ୍ଟିରୁ ଶଲ୍ଯ ହେଉଛନ୍ତି ପ୍ରକୃତରେ ପାଣ୍ଡବମାନଙ୍କର ମାତୁଳ ।ଶଲ୍ଯ ହେଉଛନ୍ତି ମହା ଶକ୍ତିଶାଳୀ ଓ ବିଶିଷ୍ଠ ଯୋଦ୍ଧା।
କୁରୁକ୍ଷେତ୍ରରେ ମହାସମର ଆରମ୍ଭ ହେବା ପୂର୍ବରୁ ଭାରତ ଭୂଖଣ୍ଡରୁ ବହୁ ରାଜା ମହାରାଜାମାନେ ଯୁଦ୍ଧରେ ନିଜକୁ ସାମିଲ କରି ନେଇଥିଲେ। ନିଜର ସାମର୍ଥ୍ୟ ଓ ଶକ୍ତିର ପରାକାଷ୍ଠା ଦେଖାଇବା ପାଇଁ ଏହାଥିଲା ସେମାନଙ୍କ ପାଇଁ ପ୍ରକୃଷ୍ଠ ସୁଯୋଗ। ଶଲ୍ଯ ମଧ୍ୟ ନିଜର ସୈନ୍ୟ ସାମନ୍ତ ସହ ପାଣ୍ଡବମାନଙ୍କ ସପକ୍ଷରେ ଯୁଦ୍ଧ ଲଢ଼ିବା ପାଇଁ ଆଗମନ କଲେ। ସହଦେବ ଓ ନକୁଳ ତାଙ୍କୁ ଶିବିରକୁ ପାଛୋଟି ଆଣିବା ପାଇଁ ବାଟକୁ ଯାଇଥିଲେ ହେଁ ଟିକିଏ ବିଳମ୍ବ ହୋଇଯାଇଥିଲା। ତେଣୁ ସେଇ ବାଟରେ ଦୁର୍ଯ୍ଯୋଧନ ଶିବିର ଆଗ ପଡ଼ିବାରୁ ସେ କୌଶଳକ୍ରମେ ଶଲ୍ଯଙ୍କୁ ଆତିଥ୍ଯ ଦେବା ପାଇଁ ଶିବିରକୁ ନେଇଯାଇଥିଲା। ସେଠାରେ ଖାଦ୍ୟପେୟର ସୁବନ୍ଦୋବସ୍ତ କରି ଶଲ୍ଯଙ୍କର ଖୁବ୍ ଅତିଥି ଅଭ୍ୟାଗତ କଲା ।ଚାଲାକି କରି ସେ ଶଲ୍ଯଙ୍କ ପାଖରୁ ବଚନ ନେଲା କି, ଶଲ୍ଯ ତାଙ୍କ ସପକ୍ଷରେ ଯୁଦ୍ଧ ଲଢିବେ। ଶଲ୍ଯ ପ୍ରକୃତ ଘଟଣା ବୁଝୁବୁଝୁ ସବୁ ବିଡ଼ମ୍ବନା ହୋଇ ଯାଇଥିଲା। ଶେଷରେ ତାଙ୍କୁ ନିଜ ଭଣଜାମାନଙ୍କ ବିରୁଦ୍ଧରେ ରହି କୌରବ ସପକ୍ଷରେ ଲଢିବାକୁ ହେଲା ।ସେ ଆସିଥିଲେ କ’ଣ ପାଇଁ କିନ୍ତୁ ହେଲା କ’ଣ ।ଏହାହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ଅବିଶ୍ବସନୀୟ ନିଷ୍ପତ୍ତି ।
ସେ ଭାରି ନିର୍ଭୀକ ବ୍ୟକ୍ତି ।ସୁଯୋଗ ପାଇଲେ ସେ କୌଣସି ରଥି ମହାରଥୀଙ୍କୁ ଛାଡନ୍ତି ନାହିଁ ।ସମସ୍ତଙ୍କୁ ସମାଲୋଚନା ଓ ତାତ୍ସଲ୍ୟ କରନ୍ତି।ସେ ପାଣ୍ଡବଙ୍କ ମାମୁ ହୋଇଥିବାରୁ କୌରବମାନେ ତାଙ୍କୁ ଯୁଦ୍ଧରେ କୌଣସି ବଡ ଭୂମିକା ପ୍ରଥମରୁ ଦେଇ ନାହାନ୍ତି ।ବରଂ ସେ ମହାରଥୀ ହୋଇ ମଧ୍ଯ କର୍ଣ୍ଣଙ୍କ ରଥର ସାରଥି ଭାବେ ଅପମାନ ଜନକ ସ୍ଥିତିରେ ଦାୟିତ୍ଵ ନିର୍ବାହ କରିଛନ୍ତି।
ସେ ଉତ୍ତମ ଯୋଦ୍ଧା ସହିତ ଭଲ ସାରଥି ମଧ୍ଯ ।ମହାଭାରତ ଯୁଦ୍ଧରେ ସେ ସକ୍ରିୟ ଭୂମିକା ଲିଭାଇ ଖୁବ୍ ଲଢିଛନ୍ତି ଓ ଶତୃ ପକ୍ଷର ଅନେକ ସୈନ୍ୟଙ୍କୁ ନିପାତ କରିଛନ୍ତି । ଦ୍ରୋଣ ଓ କର୍ଣ୍ଣଙ୍କ ନିଧନ ପରେ ମହାଭାରତ ଯୁଦ୍ଧର ଅନ୍ତିମ ଦିବସରେ ସେ କୌରବ ପକ୍ଷରୁ ସେନାପତି ଭାବେ ନିଯୁକ୍ତ ହୋଇ ଯୁଦ୍ଧ ଲଢିଥିଲେ ।ସେଇ ଅନ୍ତିମ ଦିନରେ ଚକ୍ରାନ୍ତକାରୀ ଶକୁନିର ନିଧନ ହେଲା ।
ଦୁର୍ଯ୍ଯୋଧନ ଯୁଧିଷ୍ଠିରଙ୍କ ସାମ୍ନାରେ ରଥ ରଖି ନାନା କଟୁକ୍ତି କଲା ।ଉଭୟଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା। ତାହା ଦେଖି ଅର୍ଜୁନ ବାସୁଦେବଙ୍କୁ କହିଲେ, ଦୁର୍ଯ୍ଯୋଧନ ସମ୍ମୁଖକୁ ରଥ ନେବାକୁ। ତହୁଁ ଦୁର୍ଯ୍ଯୋଧନ ଓ ଅର୍ଜୁନ ମଧ୍ୟରେ ସଂଘର୍ଷ ହେଲା।
ସେନାପତି ଶଲ୍ଯ ଆସି ଯୁଧିଷ୍ଟିରଙ୍କ ସଙ୍ଗେ ଲଢ଼ିଲେ। ଶଲ୍ଯ ଶକ୍ତିର ପରାକାଷ୍ଠା ଦେଖାଇଲେ। ସେ ଶର ବୃଷ୍ଟି କଲେ ।ଯୁଧିଷ୍ଟିରଙ୍କ ଶ୍ବେତ ହାତୀକୁ ଶଲ୍ଯ ମାରି ପକାଇବାରୁ ସେ ପାଦରେ ଚାଲିଚାଲି ଯୁଦ୍ଧ କଲେ ।ହାତାହାତି ଯୁଦ୍ଧ ହେବାରୁ ଶଲ୍ଯ ଯୁଧିଷ୍ଠିରଙ୍କୁ କେଶ ଧରି ନାନାଦି କଥା କହିଲା ଓ ଖଡ୍ଗ ଧରି ଆକ୍ରମଣ କଲା ।
ଧର୍ମନନ୍ଦନଙ୍କୁ ଯନ୍ତ୍ରଣା ଦେଉଥିବା ଦେଖି ଆଦିତ୍ୟ କ୍ରୋଧ ହେଲେ ।ସେ ତେଣୁ ଅଗ୍ନୀ ବର୍ଷଣ କଲେ ।ଆଦିତ୍ୟଙ୍କ କ୍ରୋଧାଗ୍ନୀରେ ଶଲ୍ଯ ଜଳିଗଲା ।ତା’ର ମୃତ୍ୟୁ ହେଲା। ଶଲ୍ଯର ସେନାପତିତ୍ବ ଅଧା ଦିନରେ ଶେଷ ହେଲା ।
ଏହି ଶଲ୍ଯ ଥିଲା ଭାର୍ଗବଙ୍କ ଶିଷ୍ୟ ।ଭୀଷ୍ମ, ଭୁରିଶ୍ରବା ଓ ସୋମଦତ୍ତ ମଧ୍ୟ ଭାର୍ଗବଙ୍କ ଶିଷ୍ୟ ଥିଲେ ।ସେ ଥରେ ପରୀକ୍ଷା ନେବା ପାଇଁ ଶିଷ୍ୟ ମାନଙ୍କୁ କହିଥିଲେ ପିମ୍ପୁଡ଼ିକୁ ଲକ୍ଷ୍ୟଭେଦ କରିବା ପାଇଁ ।ଶଲ୍ୟ ଶର ମାରିବାରୁ ଶର ପିମ୍ପୁଡ଼ିର ଶରୀର ଭେଦକରି ପର୍ବତକୁ ଭେଦକଲା ଓ ପର୍ବତ ଆରପଟେ ଥିବା ଅନଷ୍ଟକ ରୁଷିଙ୍କୁ ଭେଦ କଲା ।ସେ ତେଣୁ ଅଭିଶାପ ଦେଇଥିଲେ, ଶଲ୍ଯ ଅଳ୍ପ ସମୟ ବଞ୍ଚିବେ। ଅଭିଶାପ ସତ ହେଲା, ଶଲ୍ଯଙ୍କ ମ୍ରୁତ୍ୟୁ ହେଲା ଓ ଏଡେ ବଡ ଯୋଦ୍ଧାର କ୍ଷଣିକେ ଅନ୍ତ ହେଲା ।
18.କୋକୁଆ
ମହାଭାରତ ଯୁଦ୍ଧର ଅବସାନ ପରେ ମର୍ତ୍ତ୍ୟଧାମରେ ଶ୍ରୀକୃଷ୍ଣଙ୍କର ଲିଳାଖେଳା ପ୍ରାୟତଃ ସମାପ୍ତ ହୋଇଯାଇଥିଲା। ତେଣୁ ଦୁର୍ବାସାଙ୍କ ଦ୍ଵାରା ମହାବିଷ୍ନୁ ତାଙ୍କୁ ବୈକୁଣ୍ଠପୁରକୁ ଡାକି ଫେରି ଆସିବାକୁ କହିଲେ। ବୈକୁଣ୍ଠରୁ ଫେରି ସେ ଆଗ ନିଜ ଗଚ୍ଛିତ ଧନଭଣ୍ଡାରକୁ ବିତରଣ କରିଦେଲେ।ସେ ଚିନ୍ତାଗ୍ରସ୍ତ ହୋଇ ଯାଉଥିଲେ । ସେ ଭାବୁଥିଲେ, ଷୋହଳ ସହସ୍ର ଦେବନାରୀ ଓ ଷୋହଳ ସହସ୍ର ଗୋପନାରୀଙ୍କୁ କେଉଁଠି ଛାଡ଼ି ଯିବେ। ତାଙ୍କର ଲକ୍ଷେ ଷାଠିଏ ସହସ୍ର ଅଠାଅଶି ପୁତ୍ରମାନଙ୍କୁ କିପରି ସଂହାର କରାଇବେ। ତାଙ୍କୁ ଚିନ୍ତାରେ ଦେଖି ପ୍ରିୟ ଅକ୍ରୁର କାରଣ ପଚାରିଲା ।
ଶ୍ରୀକୃଷ୍ଣ କହିଲେ, ମର୍ତ୍ତ୍ୟରୁ ବିଦାୟ ନେଇ ବୈକୁଣ୍ଠ ଫେରିବାର ସମୟ ଆସି ଯାଇଚି। ତେଣୁ ତାଙ୍କୁ ଫେରିବାକୁ ହେବ ।ସାଙ୍ଗରେ ନେବା ପାଇଁ ଅକ୍ରୁର ବ୍ୟାକୁଳ ହେଲେ ।ସେ ତାକୁ ଏକାମ୍ର ତୀର୍ଥ ଯାଇ ଯୋଗାଭ୍ୟାସ କରିବା ପାଇଁ ପରମର୍ଶ ଦେଲେ ଓ ବ୍ରହ୍ମ ଜ୍ଞାନ ପ୍ରାପ୍ତିର ମାର୍ଗ ବତାଇଲେ।
ଏଥର ଦ୍ୱାରିକାରେ ନାନା ମାୟା ରଚନା କଲେ। ତେଣୁ ବହୁ ଅକଳ୍ପନୀୟ ଓ ଅବିଶ୍ୱସନୀୟ ଘଟଣାମାନ ସବୁ ସଂଘଟିତ ହେଲା । ବିତ୍ପାତ ଯୋଗ ଆସି ପହଞ୍ଚିଲା। ଭୂମିକମ୍ପର ଉପକ୍ରମ ହେଲା ।ରଣଦୁନ୍ଦୁଭି କରି ଘଡ଼ଘଡ଼ି ମାରି ବିଜୁଳି ଚଉଦିଗ ଚହଟିଲା ।ଘନଘନ ବର୍ଷା ସାଙ୍ଗକୁ ଉଲକାପାତ ହେଲା ।ଦିବାକାଳେ ଧୂମକେତୁ ଦୃଶ୍ୟମାନ ହେଲା ।ବାଡବାଗ୍ନିରେ ଗୃହ ସବୁ ଦାହ ହେଲା ।ମନ୍ଦିର ଓ ଧର୍ମ ସ୍ଥାନ ସବୁ ଭୁଶୁଡ଼ି ପଡ଼ିଲା ।ଚନ୍ଦ୍ରସୂର୍ଯ୍ୟ ଏକା ବେଲକେ ଉଦିତ ହେଲା ।ଚାରିଆଡ଼େ ହା-ହାକର ମଚିଗଲା ।ଲୋକେ ତ୍ରାହି ମାଂ ତ୍ରାହି ମାଂ ଡାକ ଛାଡିଲେ ।କୃଷ୍ନ ପିଙ୍ଗଳ ରୂପରେ ଭୟଙ୍କର କାଳପୁରୁଷ କୋକୁଆ ଆସି ନଗରରେ ବୁଲିଲା।
କୃଷ୍ନ ଦୂତ ପ୍ରେରଣ କରି କୋକୁଆଠାରୁ ରକ୍ଷା ପାଇବା ପାଇଁ ସତର୍କବାଣୀ ଘୋଷଣା କଲେ। ‘କୋକୁଆ ଆସିଛି ‘ ଏଇ ଏତକ ପ୍ରଚାର ହୋଇଗଲା ପରେ ଲୋକେ ଅଧିକ ଭୟ ପାଇ ଲୁଚିଲେ। ଦେବକୀ ମାତା ପଚାରିଲେ, କୋକୁଆ କେଉଁ ପ୍ରକାର ଜୀବ ।କୃଷ୍ନ କହିଲେ, ସେ ଭୟଙ୍କର। ତା’ର ସାତ ଆଖି, ଯୋଜନ ଯାଏ ବିସ୍ତାରିତ ଜିଭ, କୃଷ୍ନପିଙ୍ଗଳ ବର୍ଣ୍ଣ, ଏକ ଯୁଣ ବିସ୍ତାରିତ ମୁଖ ଓ ପାଞ୍ଚ ଯୁଣ ବିସ୍ତାରିତ ଗର୍ଭ ।
ଏହା ଶୁଣି ଲୋକେ ଏମିତି ବଢେଇ ଚଢ଼େଇ କଥାବାର୍ତ୍ତା କଲେ, ଯେମିତି ସତରେ ସେମାନଙ୍କ ମଧ୍ୟରୁ କେହି ତାକୁ ଦେଖିଛି ଅବା କୋକୁଆ କାହାକୁ ଆକ୍ରମଣ କରିଛି। କିନ୍ତୁ କୋକୁଆର ଭୟ ସମସ୍ତଙ୍କୁ ଡରେଇ ଡରେଇ ମାରିଲା ।
କୃଷ୍ଣ ତ ଆଗରୁ କେତେଥର ଅନ୍ୟ ଶକ୍ତିଶାଳୀ ଅସୁରଙ୍କ କବଳରୁ ରକ୍ଷା କରିଛନ୍ତି। ତେଣୁ ତାଙ୍କୁ ସମସ୍ତେ ଅନୁରୋଧ କଲେ, କୋକୁଆ ଦାଉରୁ ରକ୍ଷା କରିବାକୁ। ସେ କିନ୍ତୁ ସଫା ସଫା ମନା କରିଦେଲେ। କହିଲେ, କଳିଯୁଗ ଆରମ୍ଭ ହୋଇଗଲାଣି। କୋକୁଆ ବୁଲୁଛି ।ସେ ସମସ୍ତଙ୍କୁ ସଂହାର କରିବ। ପରନ୍ତୁ ସେ କାହାକୁ ତା କବଳରୁ ରକ୍ଷା କରିପାରିବେ ନାହିଁ। ଏକଥା ଶୁଣି ଲୋକେ ଆହୁରି ଡରିକି ଛାନିଆ ହୋଇଗଲେ । ପରିସ୍ଥିତି ଧୀରେଧୀରେ ସଙ୍ଗିନୀ ହେଲା ।ବିପଦ ବେଳା ଉପନୀତ ହେଲା ।ଭୟରେ ସମସ୍ତେ କମ୍ପିବାକୁ ଲାଗିଲେ ।
ଯଦୁବଂଶୀ ସନ୍ତାନ ସନ୍ତତି ଏମିତି ଡରିବାକୁ ଲାଗିଲେ ଯେ, ରାତିରେ ଶୋଇ ଶୋଇ କୋକୁଆ କୋକୁଆ ବୋଲି ବାଉଳି ହେଲେ ।ନିଦ ବାଉଳାରେ “କୋକୁଆକୁ ମାର ମାର” ବୋଲି କହି ଯମୁନାଯାଏ ଗୋଡ଼ାଇ ଗଲେ ।କୋକୁଆକୁ ମାର, କୋକୁଆକୁ ଧର ଇତ୍ୟାଦି କହି ଖେଳରେ ଖେଳରେ ପରସ୍ପର ମଧ୍ୟରେ ବାଡ଼ିଆପିଟା ଲାଗିଗଲେ ।କେହି କାହାକୁ ବୁଝିବା ଅବସ୍ଥାରେ ନଥିଲେ କି ଶୁଣିବା ଅବସ୍ଥାରେ। ତାଙ୍କ କାନକୁ ଖାଲି ଗୋଟିଏ କଥା ଜୋର୍ କି ଶୁଭୁଥିଲା, ତାହା ହେଲା ‘କୋକୁଆ ‘।କୃଷ୍ନ ବଳରାମ ଏହା ଦେଖି ପଛେ ପଛେ ଗଲେ।
ସାତ୍ୟକି ପଚାରିଲା ଶାମ୍ବକୁ, କୋକୁଆ କୁଆଡ଼େ ଗଲା। ଶାମ୍ବ ଏଇଠି ଅଛି ବୋଲି ତାକୁ ଖିଆସିରେ କହି, ସାତ୍ୟକି ଉପରକୁ ବାଡ଼ି ଫିଙ୍ଗିଦେଲା।ସାତ୍ୟକି ଘୁଞ୍ଚି ଯିବାରୁ ବାଡ଼ି ତା ଦେହରେ ନବାଜି କଦମ୍ବ ବୃକ୍ଷରେ ବାଜିଲା ।ତହୁଁ କଦମ୍ବ ଗଛରୁ ଅହରହ କ୍ଷୀର ନିର୍ଗତ ହେଲା। ସେ କ୍ଷୀର ଅପରିସୀମ ମାତ୍ରାରେ ହୋଇଥିବାରୁ ଯମୁନାକୁ ତା କ୍ଷୀର ବୋହିଗଲା।କ୍ଷୀରରେ ମାଦକତା ଥିଲା ।ପ୍ରଥମେ କୃଷ୍ନ ତାହା ପାନ କରି ‘ମଧୁର’ ବୋଲି କହିଲେ ।ଏକଥା ଶୁଣି ସମସ୍ତ ଯାଦବମାନେ ସେ ରସ ପାନ କରି ମତୁଆଲା ହୋଇଗଲେ। ବଳରାମ ମଧ୍ଯ ପାନ କଲେ। ଯାଦବମାନେ ବାରମ୍ବାର କଦମ୍ବ ବୃକ୍ଷକୁ ପିଟୁଥାନ୍ତି। ଯହୁଁ ଯହୁଁ ଅଧିକ କ୍ଷୀର କ୍ଷରଣ ହେଉଥାଏ ତହୁଁ ତହୁଁ ସେମାନେ ଅଧିକ ପାନ କରି ନିଶାସକ୍ତ ହେଉଥାନ୍ତି। ଶେଷରେ ପରିସ୍ଥିତି ଏମିତି ଅଣାୟତ ହେଲା ଯେ ଶେଷରେ କେହି କାହାକୁ ଆଉ ଅନ୍ଧାରରେ ଚିହ୍ନି ପାରିଲେ ନାହିଁ।
ହିତାହିତ ଜ୍ଞାନ ହରାଇ ଅହମିକା ଓ ଆସ୍ଫାଳନରେ ମଦମସ୍ତ ହେଲେ। ସାତ୍ୟକି କହିଲା, ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କଠାରୁ ବି ସେ ଆହୁରି ମହାନ ଯୋଦ୍ଧା। ତାପରି ଯୋଦ୍ଧା ବିରଳ। ମହାଭାରତ ଯୁଦ୍ଧରେ ସେ ଅନେକଙ୍କୁ ନିଧନ କରିଛି ।ଏପରିକି ଦ୍ରୋଣ ରଚନା କରିଥିବା ଶକଟା ବ୍ୟୁହକୁ ଅର୍ଜୁନ କୃଷ୍ନଙ୍କ ସାହାଯ୍ୟରେ ପ୍ରବେଶ କରି ପାରିଥିଲେ ।କିନ୍ତୁ ସେ କାହା ବିନା ସାହାଯ୍ୟରେ ନିଜେ ବ୍ୟୁହ ରଚନା କରି ଅନେକ ବୀରଙ୍କୁ ନିପାତ କରିଛି ।
ଶାମ୍ବ ପ୍ରତିବାଦ କରି କହିଲା, ବୃଥା ଆସ୍ଫାଳନ କରୁଛ ।ଭୁରିଶ୍ରବା ପରା ତୁମ ଶିର ଚ୍ଛେଦନ କରିଥାନ୍ତା ଯଦି ଅର୍ଜୁନ ଭୁରିଶ୍ରବା ଶିର ଚ୍ଛେଦନ ନକରି ଥାଆନ୍ତା ।
ଏତିକିରେ କ୍ରୋଧିତ ହୋଇ ସାତ୍ୟକି ଶାମ୍ବଙ୍କ ଶିର ଚ୍ଛେଦନ କରିଦେଲା ।ତାହା ଦେଖି ଯାଦବ ମାନେ ଯଷ୍ଟି ଧରି ସାତ୍ୟକିକୁ ଗୋଡ଼ାଇଲେ।ପ୍ରଦ୍ୟୁମ୍ନ ଖଡ୍ଗ ପ୍ରୟୋଗ କରି ସାତ୍ୟକିକୁ ମାରିଦେଲା ।ଏହା ଦେଖି କୃଷ୍ନ ଭାବିଲେ, ପ୍ରଦ୍ୟୁମ୍ନ ବଞ୍ଚି ରହିଲେ ତିନି ପୁରକୁ ଆତଙ୍କିତ କରି ରଖିବ। ତେଣୁ ସେ ଚକ୍ର ପେଷଣ କରି ପ୍ରଦ୍ୟୁମ୍ନର ଶିର ଚ୍ଛେଦନ କରିଦେଲେ ।ପ୍ରଦ୍ୟୁମ୍ନ ନିହତ ହେଲାପରେ ଚକ୍ର ଆଉ କୃଷ୍ନ ହାତକୁ ଫେରିଲା ନାହିଁ ।ତେଣୁ ଏହା ତ ଅନ୍ୟକିଛି ସୂଚନା ନିଶ୍ଚିତ ଦେଉଥିଲା।
ଏହିପ୍ରକାର କୃଷ୍ନ ନିଜେ ଯଦୁବଂଶକୁ ଶେଷ କରିଦେଲେ। ଏହାପରେ ବା ଆଉ କାହାର ହିତାହିତ ଜ୍ଞାନ ରହନ୍ତା କିପରି। ଭୀମ ଲୌହ ମୂଷଳକୁ ଘର୍ଷଣ କରିବାରୁ ଯେଉଁ ଫେଣ ନିର୍ଗତ ହୋଇଥିଲା ତହିଁରୁ ଏରକା ଜଙ୍ଗଲ ସ୍ରୁଷ୍ଟି ହୋଇଥିଲା। ସେଇ ଏରକା ବୃକ୍ଷର ଯଷ୍ଟିରେ ଯାଦବମାନେ ପିଟାପିଟି ହୋଇ ସବୁ ମଲେ।କୂଳ ଭଷ୍ମ ହୋଇଗଲା ।ଯମୁନା ରକ୍ତ ନଦୀରେ ପରିଣତ ହେଲା। ମଣିଷ ଦେଖିଲା ଏକ ଭୟଙ୍କର ଓ ହୃଦୟ ବିଦାରକ ଦୃଶ୍ୟ।
ବଲରାମ ସେତେବେଳକୁ ନିଶାସକ୍ତ ହୋଇ ଯାଇଥିଲେ। ସେ ପ୍ରକୃତିସ୍ଥ ହେଲା ବେଳକୁ ଶ୍ରୀକୃଷ୍ଣଙ୍କୁ ଖୋଜିଲେ। ନପାଇବାରୁ ଭାବିଲେ, ସେ ଏ ଭୟଙ୍କର ତାଣ୍ଡବରେ ନିଶ୍ଚୟ ମୃତ୍ୟୁବରଣ କରିଥିବେ । ବିଳପିତ ଆତ୍ମାରେ କହିବାକୁ ଲାଗିଲେ, ଯଦି କୃଷ୍ନ ନାହାନ୍ତି ତାହେଲେ ସିଏ ବି ନାହାନ୍ତି। କୃଷ୍ନ ବିନା ମର୍ତ୍ତ୍ୟରେ ତାଙ୍କର ବା ଆବଶ୍ୟକତା କ’ଣ ଅଛି। ତେଣୁ ସେ ଯୋଗମୁଦ୍ରାରେ ବସି ନାଶାରୁ ନିଜର ଜୀବନଦ୍ଵୀପ ସର୍ପାକାର ନିର୍ଗତ କରି କ୍ଷୀର ସମୁଦ୍ରରେ ଲୀନ ହୋଇଗଲେ ।
ଏସବୁ ଘଟିଯାଉଥିବା ଦେଖି ଶ୍ରୀକୃଷ୍ଣଙ୍କର ଭାବାନ୍ତର ହେଲା ।ସେ ଭାବିଲେ, ଏ ଅବସ୍ଥାରେ ସେ ଯଦି ଦ୍ୱାରିକା ପ୍ରତ୍ୟାବର୍ତ୍ତନ କରନ୍ତି ତେବେ ଏତେ ବିଧବା ରମଣୀଙ୍କର ଅଶ୍ରୁ ଦେଖି କ’ଣ ଉତ୍ତର ରଖିବେ। ତେଣୁ କାଳିନ୍ଦୀ ବନର ଗହଳ ଶିଆଳି ଲତାକୁଞ୍ଜରେ ବିଶ୍ରାମ ନେବାକୁ ଶ୍ରେୟସ୍କର ମଣିଲେ।ସେଠାରେ ଶୋଇରହି ଜୀବନ ତମାମର ସମସ୍ତ ଘଟଣାବଳି ସହ ବିଭିନ୍ନ ଅବତାରର ଲିଳାଖେଳା ସବୁ ମନେ ପକାଇ ଚାଲିଥାନ୍ତି। ଏତେବେଳକୁ ଗାନ୍ଧାରୀଙ୍କ ଅଭିଶାପ ଓ ଅଷ୍ଟବକ୍ର ରୁଷିଙ୍କ ଅଭିଶାପ ଫଳବତୀ ହୋଇସାରିଥିଲା ।କେବଳ ବାକିଥିଲା ତ୍ରେତୟାରେ ଅଙ୍ଗଦକୁ ଦେଇଥିବା ବରଦାନ କଥା ।ତେଣୁ ଶେଷରେ ମୃଗର କର୍ଣ୍ଣ ଭାବି ଜାରା ଶବର କୃଷ୍ନଙ୍କୁ ଶରବିଦ୍ଧ କଲା ।ଅଷ୍ଟବକ୍ର ରୁଷିଙ୍କ ଅଭିଶାପରୁ ଶାମ୍ବ ଜନ୍ମ କରିଥିବା ଲୌହ ମୂଷଳ ଭୀମ ସମ୍ପୂର୍ଣ୍ଣ ନଷ୍ଟ ନକରିପାରି ଯାହା ନଦୀକୁ ଫିଙ୍ଗି ଦେଇଥିଲା, ତାହାକୁ ମାଛ ଗିଳି ଥିଲା ।ମାଛ ପେଟରୁ ବାହାରିଥିବା ଲୁହାରେ ଶବର ତୀର ନିର୍ମାଣ କରିଥିଲା। ତାହା ହିଁ ଶ୍ରୀକୃଷଙ୍କ ପ୍ରାଣ ନାଶକଲା। ଶେଷରେ ଜାରା ଦ୍ଵାରା କୃଷ୍ନ ଅର୍ଜୁନଙ୍କୁ ଡକାଇ ପଠାଇ ତା’ର କଳା ହରଣ କଲା ପରେ ନିସ୍ତେଜ ହୋଇ ଯାଇଥିଲେ। ଯଦୁବଂଶ ଧ୍ଵଂସ ହେଲା ।
19.ଦିଫାଳକରି ଚିରିପକାଇଲା
ଜତୁଗୃହ ଘଟଣା ସଂଘଟିତ ହେଲାପରେ ପାଣ୍ଡବମାନେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।ତେଣୁ ସେଇ ସମୟ ଅବଧି ମଧ୍ୟରେ ଗୁପ୍ତରେ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଚୁଡାନ୍ତ ରୂପରେଖ ଦେବା ସଙ୍ଗେ ସଙ୍ଗେ ଅନେକ ଦୁଷ୍ଟ ଦୈତ୍ୟ ଓ ଅସୁରଙ୍କ ସଂହାର ଲୀଳା ରଚନା କରିଥିଲେ। ଶେଷରେ ଦ୍ରୌପଦୀଙ୍କୁ ସ୍ଵୟମ୍ବରରେ ହାସଲ କଲା ପରେ ସତ୍ୟ ପଦାକୁ ଆସିଥିଲା। ସମସ୍ତେ ଜାଣିଲେ ପାଣ୍ଡବମାନେ ଏବେବି ଜୀବିତ ଅଛନ୍ତି। ଏହା ଜାଣି ବିଦୁର ଓ ଭୀଷ୍ମ ପରାମର୍ଶ ଦେବାରୁ ଧୃତରାଷ୍ଟ୍ର ସେମାନଙ୍କୁ ଅର୍ଦ୍ଧେକ ରାଜ୍ଯ ଫେରାଇ ଦେଇଥିଲେ ଓ ବାରଣାବତ ଯାଇ ସେମାନେ ପ୍ରଜାପାଳନ କଲେ ।
ଘଟଣାକ୍ରମେ ଶ୍ରୀକୃଷ୍ଣ ଯମପୁର ଯାଇ ପଣ୍ଡୁ ଭୋଗୁଥିବା ଦୁର୍ଦ୍ଦଶା କଥା ବଲରାମଙ୍କୁ କହିଲେ। କିନ୍ତୁ ନାରଦଙ୍କ ଦ୍ଵାରା ଏହି ସମ୍ବାଦ ସେ ପାଣ୍ଡବ ପାଖରେ ପହଞ୍ଚାଇଲେ । ସେତେବେଳେ ସେଠାରେ ଉପସ୍ଥିତ ଦୁର୍ଯ୍ଯୋଧନ ପଣ୍ଡୁ ନର୍କବାସ କରୁଥିବା କଥା ଶୁଣିବାରୁ ନାନା ପରିହାସ କଲେ ।ଯୁଧିଷ୍ଠିର ଏହାର ଉପଚାର କରିବାକୁ ଉପାୟ ପଚାରନ୍ତେ କୃଷ୍ଣ ରାଜସୂୟ ଯଜ୍ଞ କରିବାକୁ କହିଲେ ।
ନାରଦ କହିଲେ, ଏଥି ସକାଶେ ଏକ ଲକ୍ଷ ରାଜାଙ୍କ ଅଂଶଗ୍ରହଣ ଅପରିହାର୍ଯ୍ୟ।କଂସଙ୍କ ଶ୍ୱଶୁର ଜରାସନ୍ଧ ଛୟାନବେ ହଜାର ରାଜାଙ୍କୁ ବନ୍ଦୀ କରି ରଖିଛି। ସେମାନଙ୍କୁ ଉଦ୍ଧାର କଲେ ଏହା ସମ୍ଭବ ହେବ। ଯୁଧିଷ୍ଠିର ତାହା ଶୁଣି କୃଷ୍ଣଙ୍କୁ କହିଲେ, ଜରାସନ୍ଧ ବାର ଥର ମଥୁରା ଆକ୍ରମଣ କରିବାରୁ କୃଷ୍ଣ ନିଜେ ଡରି ଦ୍ୱାରିକାରେ ଅବସ୍ଥାନ କଲେ ।ତେଣୁ ତାକୁ ମାରିବା କେମିତି ସମ୍ଭବ ହେବ।
ଭୂତ ଭବିଷ୍ୟ ଜାଣିଥିବା କୃଷ୍ନ କହିଲେ, ଯଜ୍ଞ ପାଇଁ ଏତେ ସଂଖ୍ୟକ ରାଜାଙ୍କୁ ଏକତ୍ର କରିବା ସକାଶେ ସେ ଜରାସନ୍ଧକୁ ଛାଡି ଦେଇଥିଲେ, ନହେଲା ସେ ତାଙ୍କୁ ବଳି ଯାଇନଥାନ୍ତା। ସହଦେବକୁ ପଚାରିଲାଠୁଁ ସେ ବି ସେଇ କଥା କହିଲା, ଜରାସନ୍ଧ ଭୀମଙ୍କ ଦ୍ଵାରା ନିହତ ହେବ ବୋଲି ତା’ର ମୃତ୍ୟୁ ରହସ୍ୟ ବି ଖୋଲିଲେ ।
ଜନ୍ମ ହେବା ପରେ ପରେ ଜରାସନ୍ଧ ଜରା ଅସୁରୁଣୀକୁ ବଧ କରିଥିବାରୁ ତା ନାଁ ଜରାସନ୍ଧ ।ସେ ଭାରି ଦୁର୍ଦ୍ଦଶ ଓ ଦୁର୍ଦ୍ଦାନ୍ତ। କଂସର ନିଧନ ପରେ ସେ କ୍ରମାଗତ ଅଷ୍ଟାଦଶ ବାର କୃଷ୍ଣଙ୍କୁ ଆକ୍ରମଣ କରିଥିଲା। ଫଳତଃ କୃଷ୍ନ ଗୋପ ଓ ମଥୁରା ଛାଡ଼ି ଦ୍ୱାରିକା ଚାଲିଯାଇଥିଲେ ।
ରାଜସୂୟ ଯଜ୍ଞ ପାଇଁ ଯେଉଁଦିନ କୃଷ୍ଣ ଯୁଧିଷ୍ଠିରଙ୍କ ସହ ପରାମର୍ଶ କରିଥିଲେ ତା ପରଦିନ ବନ୍ଦୀ ରାଜାମାନଙ୍କୁ ବଳି ଦେଇ ତା ଯଜ୍ଞର ପୂର୍ଣ୍ଣାହୁତି ଦେବାକୁ ଜରାସନ୍ଧ ମସୁଧା କରିଥିଲା ।ଏହା କଲେ ସେ ଇନ୍ଦ୍ରପଦ ପାଇବାକୁ ସଫଳ ହେବ ବୋଲି ଭାବିଥିଲା ।ତେଣୁ ତୁରନ୍ତ ତା କବଳରୁ ବନ୍ଦୀମାନଙ୍କୁ ମୁକ୍ତକରି ରାଜସୂୟ ଯଜ୍ଞରେ ସେମାନଙ୍କୁ ସମ୍ମିଳିତ କରିବା ଅପରିହାର୍ଯ୍ୟ ଥିଲା।
ତେଣୁ ଭୀମ ଓ ଅର୍ଜୁନଙ୍କୁ ନେଇ କୃଷ୍ଣ ଗରୁଡ଼ ବାହନରେ ମଗଧ ଚାଲିଗଲେ ।ବାଟରେ ବ୍ରାହ୍ମଣମାନେ ଦିନରେ ଯଜ୍ଞ ସାରି ଜରାସନ୍ଧଠାରୁ ଦାନ ଗ୍ରହଣ କରି ଫେରୁଥିଲେ ।ସେମାନଙ୍କଠାରୁ ସମ୍ବାଦ ମିଳିଲା କି ବନ୍ଦୀ ରାଜାମାନେ ଯଜ୍ଞଶାଳରେ ଅଛନ୍ତି । ବିଶେଷ ବ୍ୟବସ୍ଥା ଯୋଗୁ ସେଠାକୁ ଯିବା ପ୍ରାୟତଃ କଷ୍ଟସାଧ୍ୟ ଥିଲା । ଚାରିପଟେ ପ୍ରହରୀମିନେ ପ୍ରହରା ଦେଉଥିଲେ ।ପ୍ରଥମ ଦ୍ୱାରରେ ତା ନିଜ ପୁତ୍ର ଜଗିରହିଥିଲା।ଦ୍ଵିତୀୟ ଦ୍ୱାରରେ ଭେରୀ ଥିଲା ଯାହା ଶତ୍ରୁକୁ ଦେଖି ଆପେ ଆପେ ବାଜି ଉଠିବ। ତୃତୀୟ ଦ୍ୱାରରେ ଏକ ଫୁଲ, ଫଳ ଓ ପତ୍ର ବିହୀନ ଶିମୂଳି ବୃକ୍ଷ ଥିଲା। ଯାହା ଶତୃର ଆଗମନରେ ଫୁଲ, ପୁଷ୍ପ ଓ ପତ୍ର ଭରା ହୋଇ ଶତୃର ଉପସ୍ଥିତିକୁ ସୂଚୀତ କରିବ।ଚତୁର୍ଥ ଦ୍ୱାରରେ ଏକ ଗଦର୍ଭ ଥିଲା, ଯିଏ ଆଗମନରେ ବିକଟାଳ ରଡି ଛାଡିବ।
କୃଷ୍ଣ, ଭୀମ ଓ ଅର୍ଜୁନ ବ୍ରାହ୍ମଣ ବେଶରେ ପ୍ରଥମ ଦ୍ଵାର ଦେଇ ଯଜ୍ଞଶାଳକୁ ପ୍ରବେଶ ପାଇଁ ଚେଷ୍ଟା କଲେ। ସେଠାରେ ଯଗିଥିବା ଜରାସନ୍ଧ ପୁତ୍ର ସହଦେବ ସେମାନଙ୍କୁ ବ୍ରାହ୍ମଣ ଭାବି ପ୍ରଣାମ କଲା ଓ ଭିତରକୁ ଛାଡ଼ିଦେଲା।ଦ୍ଵିତୀୟ ଦ୍ୱାରରେ ଭେରୀ ଶବ୍ଦ କଲାରୁ ଭୀମ ତାକୁ ଏକାମୁଥକେ ଭାଙ୍ଗିଦେଲା । ତୃତୀୟ ଦ୍ୱାରରେ ପହଞ୍ଚିଲା ବେଳକୁ ଶିମୁଳି ବୃକ୍ଷ ତା’ର ଧର୍ମ ପାଳନ କରି ପତ୍ର, ଫୁଲ ଓ ଫଳରେ ଭରିଉଠିଲା।ଅର୍ଜୁନ ଗାଣ୍ଡିବ ସାହାଯ୍ୟରେ ତା ମୂଳୋତ୍ପାଟନ କରିଦେଲା ଓ ପବନ ଶର ପ୍ରୟୋଗ କରି ତାକୁ ସମୁଦ୍ରରେ ପକାଇ ଦେଲା । ଚତୁର୍ଥ ଦ୍ୱାରରେ ଗଦର୍ଭ ଯଗିଥିଲା ।ଏମାନଙ୍କୁ ଦେଖି ସେ ବିକଟାଳ ରଡି କଲା। କୃଷ୍ଣ ତତ୍କ୍ଷଣାତ୍ ନିଜ ଦକ୍ଷୀଣ ହସ୍ତକୁ ଯୋଜନ ପର୍ଯ୍ୟନ୍ତ ବିସ୍ତାରିତ କରିଦେଲେ। ଏହା ଦେଖି ଗଦର୍ଭ ଆହୁରି ଜୋର୍ ରେ ରଡି ଛାଡ଼ିଲା। କୃଷ୍ଣ ଦେବଦତ୍ତ ଶଙ୍ଖ ତା ମୁହଁରେ ରଖିଦେଲାରୁ ସେ ଆଉ ବୋବାଇ ପାରିଲା ନାହିଁ। ସେ ଜାଣିଗଲା ଏ ନିଶ୍ଚୟ ମହାପ୍ରଭୁ। ତେଣୁ ମୁକ୍ତି ପାଇଁ ନିବେଦନ କଲା ଓ ତା ପାଦ କୃଷ୍ଣଙ୍କ ଆଡକୁ ବଢ଼ାଇ ଦେଲା। କୃଷ୍ଣ ବାମ ହସ୍ତରେ ସ୍ପର୍ଶ କଲେ, ଫଳତଃ ତା ମୂର୍ଦ୍ଧନା ଫାଟିଗଲା ।ତା’ର ଶାପମୁକ୍ତି ହେଲା ।
ସମସ୍ତ ପ୍ରତିବନ୍ଧକକୁ ଏଡ଼ାଇ ଯଜ୍ଞଶାଳରେ ପହଞ୍ଚି ଏମାନେ ଅନର୍ଗଳ ବେଦପାଠ କରିବାକୁ ଲାଗିଲେ। ଜରାସନ୍ଧ ଆଶ୍ଚର୍ଯ୍ୟ ହେଲା ।ଏମାନେ କହିଲେ ତୀର୍ଥ ଯାତ୍ରାରେ ଯାଉଥିବା ବେଳେ ଯଜ୍ଞକଥା ଶୁଣି ଧାଇଁ ଆସିଛନ୍ତି ।କିନ୍ତୁ ସେମାନେଙ୍କର ଭିକ୍ଷାର ଆବଶ୍ୟକତା ନାହିଁ। ଜରାସନ୍ଧ କହିଲା, ଭିକ୍ଷା ନ ନେଲେ ବି ଯାହା ଇଚ୍ଛା ମାଗନ୍ତୁ, ସେ ଦେବାକୁ ପ୍ରସ୍ତୁତ। କୃଷ୍ଣ କୌଶଳରେ ଶପଥ କରାଇନେଲେ ଯେ, ଯାହା ଚାହିଁବେ ସେ ତାଙ୍କୁ ସେୟା ଦେବେ।
କୃଷ୍ଣ କହିଲେ, ସେମାନେ ତାଙ୍କ ସହ ଯୁଦ୍ଧ ଚାହାଁନ୍ତି । ସେ ତିନି ଜଣଙ୍କ ଭିତରୁ ଜଣଙ୍କୁ ଯୁଦ୍ଧ ପାଇଁ ବାଛି ପାରନ୍ତି। ଜରାସନ୍ଧ ଭାବିଲା, ଏମାନେ ନିଶ୍ଚୟ ମାୟାବୀ। ତଥାପି ଶପଥ କରିଥିବାରୁ ଭୀମଙ୍କୁ ବାଛିଲା। କାହିଁକି ନା କୃଷ୍ଣ ଓ ଅର୍ଜୁନଙ୍କୁ ସେ ହେୟଜ୍ଞାନ କଲା, ଭୀମ ଅପେକ୍ଷାକୃତ ଶକ୍ତିଶାଳୀ ଥିବାରୁ ତାକୁ ଟିକିଏ ଉପଯୁକ୍ତ ମନେକଲା।
ଉଭୟଙ୍କ ଭିତରେ ମଲ୍ଲଯୁଦ୍ଧ ଚାଲିଲା। ଯୁଦ୍ଧର ତାଣ୍ଡବରେ ଯଜ୍ଞଶାଳା ଭାଙ୍ଗି ବିଦୀର୍ଣ୍ଣ ହୋଇଗଲା ।ଭୀମ ପ୍ରଥମବାର ପରାଜିତ ହେଲେ ହେଁ ଶତଶୃଙ୍ଗ ପର୍ବତକୁ ସ୍ମରଣ କରିବାରୁ ଶତଶୃଙ୍ଗର ପରାକ୍ରମ ନେଇ ଭୀଷଣ ଆକ୍ରମଣ କଲା। ସେ କେତେବାର ଜରାସନ୍ଧର ମସ୍ତକ ମୋଡି ମର୍ଦ୍ଦନ କଲା ।କିନ୍ତୁ ଜରାସନ୍ଧର ମୃତ୍ୟୁ ହେଲା ନାହିଁ। ସେ ପୁନଃ ପୁନଃ ଉଠିଲା ଓ ଯୁଦ୍ଧ କଲା।
ଅର୍ଜୁନ ଉପାୟ ପଚାରିଲେ। କୃଷ୍ଣ ତାଳିମାରି ଭୀମର ଦୃଷ୍ଟି ଆକର୍ଷଣ କଲେ। ସେ ଚାହିଁବାରୁ ନିଜ ଧୋତିକୁ ଚିରି ଦୁଇଫାଳ କରିଦେଲ ।ଭୀମଙ୍କର ଶିବଙ୍କ ବରଦାନ କଥା ମନେ ପଡିଯିବାରୁ ସେ ଜରାସନ୍ଧଙ୍କୁ ଦୁଇଫାଳ କରି ଚିରିଦେଲା ।ମାତ୍ର ପୁଣି ସେ ଯୋଡ଼ି ହୋଇଯାଇ ବଞ୍ଚିଗଲା ।ଏଥର କୃଷ୍ଣ ଆଉ ଖଣ୍ଡେ କପଡ଼ା ଚିରି ଦୁଇହସ୍ତରେ ଧରିଥିବା ଦୁଇଖଣ୍ଡ କପଡ଼କୁ ଦୁଇ ବିପରୀତ ଦିଗକୁ ନିକ୍ଷେପ କଲେ। ଭୀମ ବି ଏଥିରୁ ବୁଝିଗଲେ ସେ ତାକୁ ଚିରି ଖଣ୍ଡେ ସମୁଦ୍ରକୁ ଓ ଆଉ ଖଣ୍ଡେ ଆକାଶକୁ ଦୁଇ ବିପରୀତ ଦିଗକୁ ଫିଙ୍ଗିଦେବାରୁ ଜରାସନ୍ଧର ମୃତ୍ୟୁ ହେଲା ।
ଏ ଖବର ପାଇ ତା’ର ପୁତ୍ର ସହଦେବ ସେଠାରେ ପହଞ୍ଚି କ୍ରୋଧିତ ହୋଇ ତୁମୁଳ ସଙ୍ଘର୍ଷ କଲା ।କୃଷ୍ଣ ତାକୁ ନିଜ ସ୍ଵରୂପ ଦେଖାଇବାରୁ ସେ ବୁଝିପାରିଲା ଏହା ଭଗବାନଙ୍କ ଲୀଳା ।ସେ ଶାନ୍ତ ହେଲା ଓ ପିତାଙ୍କୁ ମୁଖାଗ୍ନି ଦେଇ କ୍ରିୟାକର୍ମ କଲା ।ତାକୁ କୃଷ୍ଣ ମଗଧର ରାଜା କରାଇ ବନ୍ଦୀମାନଙ୍କୁ ମୁକ୍ତ କଲେ ।ସେମାନଙ୍କୁ ରାଜସୂୟ ଯଜ୍ଞରେ ଆଗ ଅଂଶଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇ ଫେରି ଆସିଲେ ।ଜରାସନ୍ଧ ଅତ୍ୟାଚାରରୁ ସମସ୍ତେ ରକ୍ଷାପାଇଲେ।ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ବି ସଫଳ ହେଲା।
20.ଲାଖବିନ୍ଧା
ଦ୍ରୌପଦୀଙ୍କ ସ୍ଵୟମ୍ବର ସଭାର ଆୟୋଜନ ଓ ଭାରତବର୍ଷର ବିଭିନ୍ନ ରାଜା ମହାରାଜା ମାନଙ୍କୁ ନିମନ୍ତ୍ରଣ ମହାଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଘଟନାବଳି।କୃଷ୍ନ ପରାମର୍ଶ ଦେଲେ ବ୍ୟାସଦେବଙ୍କୁ । ବ୍ୟାସଦେବ ଦ୍ରୁପଦଙ୍କୁ କହିଲେ, ଦ୍ରୌପଦୀଙ୍କ ସ୍ଵୟମ୍ବର ଆୟୋଜନ କର, ସ୍ଵୟମ୍ବରର ବିଧି ଓ ବ୍ୟବସ୍ଥା ବି ବୁଝାଇଦେଲେ। ତଦନୁସାରେ ସ୍ଵୟମ୍ବର ଅୟୋଜିତ ହେଲା ।ଲାଖ ଦ୍ଵାରା ପ୍ରତିଯୋଗୀମାନଙ୍କୁ ସ୍ଵୟମ୍ବରରେ ସଫଳ ହେବାକୁ କୁହାଗଲା। ଏହା ଏକ ଜଟିଳ ବ୍ୟବସ୍ଥା ଥିଲା। ଯେଉଁଥିରେ ରାଧାଚକ୍ର ସ୍ଥାପନ ପ୍ରକ୍ରିୟା ଥିଲା ମୁଖ୍ୟ । ସାତତାଳ ଉଚ୍ଚତା ଉପରେ ରାଧାଚକ୍ର ସ୍ଥାପନ କରାଗଲା। ସାତତାଳ ଉଚ୍ଚତା ପର୍ଯ୍ୟନ୍ତ ଜଳପୂର୍ଣ୍ଣ ଥିଲା। ତହିଁରେ ସବା ଉପରେ ଖେଳୁଥିଲା ମତ୍ସ୍ୟ। ତଳେ ଥିବା ସୁବର୍ଣ୍ଣ ଘଟର ଜଳ ଉପରେ ମତ୍ସ୍ୟର ଛାୟା ପ୍ରତିବିମ୍ବିତ ହେଉଥିଲା ।ରାଜା ଦ୍ରୁପଦ ଯେଉଁ ଶିବ ଧନୁ ପ୍ରାପ୍ତ ହୋଇଥିଲେ ତାହା ସ୍ଵୟମ୍ବର ସଭାରେ ରଖା ଯାଇଥିଲା। ସର୍ତ୍ତ ଥିଲା କି ଯିଏ ସେଇ ଶିବଧନୁ ସାହାଯ୍ୟରେ କଳସୀ ଉପରେ ମାଛର ପ୍ରତିବିମ୍ବ ଦେଖି ମାଛର ବାମ ଆଖିକୁ ଲାଖ ବିନ୍ଧି ପାରିବ, ସେଇ କେବଳ ଦ୍ରୌପଦୀକୁ ବିବାହ କରିବ।
ସଭାସ୍ଥଳରେ ଅନେକଙ୍କ ଉପସ୍ଥିତି ଥିଲା ।ସେ ସ୍ଥଳୀ ତେଣୁ ଉତ୍ସବମୁଖର ହୋଇ ଉଠିଥିଲା। ପ୍ରତିଯୋଗୀମାନେ ଭଳିକି ଭଳି ଅଙ୍ଗଭୂଷଣ, ଅଳଙ୍କାର ଓ ପୋଷାକ ପରିପାଟି ପିନ୍ଧି ବଡ଼ ଆକର୍ଷଣୀୟ ଭାବେ ନିଜକୁ ସଜାଇ ଥିଲେ। ରାଜାମହାରାଜା, ରଥୀମହାରଥୀ ମାନଙ୍କ ମଧ୍ୟରେ ଥିଲେ – ଜରାସନ୍ଧ, କୌରବଗଣ, ଦ୍ରୋଣ, ବୀରବାହୁ କର୍ଣ୍ଣ, କୀଚକ, ଅଶ୍ଵତ୍ଥାମା, କୃତବର୍ମା, ନିଷାଦରାଜ, କାଶୀରାଜ, ଅଙ୍ଗାରପନ୍ନଗ, କଳିଙ୍ଗସେନ ଇତ୍ୟାଦି ।
କୃଷ୍ନ ଓ ବଳରାମ ଥିଲେ ଏଥିରେ ଆୟୋଜକ ଓ ଉପଦେଷ୍ଟା।
ବଲରାମ ସ୍ଥିତି ଅନୁଧ୍ୟାନ କରି ଚୁପିଚୁପି କୃଷ୍ଣଙ୍କୁ କହିଲେ, ଜତୁଗୃହରେ ଅର୍ଜୁନ ଦାହ ହୋଇଥିବାରୁ କର୍ଣ୍ଣ ନିଶ୍ଚୟ ଦ୍ରୌପଦୀଙ୍କୁ ପ୍ରାପ୍ତ ହେବ ଓ ପାଇଗଲା ପରେ ଦୁର୍ଯ୍ଯୋଧନଙ୍କୁ ତାକୁ ସେ ନିଶ୍ଚୟ ସମର୍ପଣ କରିଦେବ। ତେବେ ତ ଘୋର ଅନର୍ଥ ଘଟିବ ।
ଏହା ଶୁଣି ଶ୍ରୀକୃଷ ପାଞ୍ଚାଳୀକୁ ଇଙ୍ଗିତ କଲେ ।ପାଞ୍ଚାଳୀ କହିଲା, ମୁଁ ସୂତପୁତ୍ରକୁ ବିବାହ କରିବି ନାହିଁ। ତେଣୁ ଲାଖ ବିନ୍ଧିବା କର୍ଣ୍ଣ ଯେଉଁ ନିଜକୁ ପ୍ରସ୍ତୁତ ହେଉଥିଲେ ଆଉ ଅଗ୍ରସର ହେଲେ ନାହିଁ।
କୃଷ୍ନ ପୁଣି ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ, ଫଳରେ ତାହା ଚାରିତାଳ ଜଳ ଉପରେ ରହି ସମସ୍ତ ଯୋଦ୍ଧାମାନଙ୍କ ଶରକୁ ପ୍ରତିରୋଧ କଲା ।ତେଣୁ ମହାରଥୀ ଦ୍ରୋଣ ଜରାସନ୍ଧ ସମତେ ଅନେକ ଅକୃତକାର୍ଯ୍ୟ ହେଲେ ।ଚକ୍ର ସବୁ ବାଟରେ ରୋଧୀଦେଲା ।ତହୁଁ ଭୀଷ୍ମ ଉଠିଲେ ।କହିଲେ, ମୁଁ ଶର ପ୍ରୟୋଗ କରି ଲାଖବିନ୍ଧାରେ ଜିତିଲେ ଦ୍ରୌପଦୀଙ୍କୁ ଦୁର୍ଯ୍ଯୋଧନ ସହ ବିବାହ କରାଇବି। ମାତ୍ର ଆଗରେ ଶ୍ରୀଖଣ୍ଡୀ ଉପସ୍ଥିତ ହେବାରୁ ସେ ନିଜ ସ୍ଥାନକୁ ଫେରିଗଲେ।
ତେଣୁ ଏଭଳି ସ୍ଥିତି ଜାରି ରହିବାରୁ ମନରେ ଶଙ୍କା ଆଶଙ୍କା ଉପୁଜିଲା। ଶ୍ରୀକୃଷଙ୍କ ବଳରାମ ଭାଇଙ୍କର ଆଶଙ୍କା ଦୂର କରିବା ପାଇଁ କହିଲେ, ଯାହା ପାଖରେ ମନଭେଦୀ ଶର ଅଛି ସେଇ କେବଳ ଏ ସ୍ଵୟମ୍ବର ଜିତି ପାରିବ। ଆଜି ନହେଲେ ନାହିଁ କାଲି କେହି ଶର ସନ୍ଧାନ କରି ନିଜ ସାମର୍ଥ୍ୟ ପ୍ରତିପାଦନ କରିବ।
ପୁଣି ବଳରାମ କହିଲେ, ଆଛା କାହ୍ନା! ବାସ୍ତବରେ କିଏ ଏ ସ୍ଵୟମ୍ବର ଜିତିବ।
ଶ୍ରୀକୃଷ୍ଣ କହିଲେ, ଏ ସ୍ଵୟମ୍ବର ଅର୍ଜୁନ ଜିତିବ।ବଳରାମ ଆଶ୍ଚର୍ଯ୍ୟ ଚକିତ ହେଲେ। କାହିଁକିନା ସେ ଜାଣିଥିଲେ, ଜତୁଗୃହରେ ଅଗ୍ନୀ ସଂଯୋଗ ହେତୁ ପାଣ୍ଡବମାନେ ମୃତ୍ୟୁବରଣ କରିଛନ୍ତି। ମାତ୍ର ଏବେ ସେମାନେ ଜୀବିତ ଥିବା ଜାଣି ସେ ଅତ୍ୟନ୍ତ ଖୁସି ହୋଇଗଲେ ।
ଏହି ପ୍ରକାରେ ପ୍ରଥମ ଦିନର କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ହେଲା । ରଥୀମାନଙ୍କର ଅସମର୍ଥତା ଦେଖି ଦ୍ରୁପଦ ଚିନ୍ତାଗ୍ରସ୍ତ ହେଲେ ।ତେଣୁ ଦ୍ଵିତୀୟ ଦିନ ପ୍ରାରମ୍ଭରେ ଦ୍ରୁପଦ କହିଲେ, ରାଜା ମହାରାଜା ଯଦି ଲାଖ ବିନ୍ଧିବାକୁ ସକ୍ଷମ ନହୁଅନ୍ତି, ତେବେ ଯେକୌଣସି ମହାରଥୀ ନିଜକୁ ଉପଯୁକ୍ତ ମନେ କରିବେ, ସେମାନେ ସ୍ଵୟମ୍ବରରେ ଭାଗ ନେଇପାରିବେ। ପାଣ୍ଡବମାନେ ତ ବ୍ରାହ୍ମଣ ବେଶରେ ପୂର୍ବରୁ ସଭା ଗୃହରେ ଉପସ୍ଥିତ ଥିଲେ। ଏକଥା ଶୁଣି ଅର୍ଜୁନ ଉଠି ଆସିଲେ। ଅନ୍ୟ ବ୍ରାହ୍ମଣମାନେ ବାରଣ କଲେ, ବ୍ରାହ୍ମଣମାନେ କ୍ଷତ୍ରୀୟ କନ୍ୟା ପାଇଁ ଚେଷ୍ଟା କରିବା ଅନୁଚିତ କହି । ଯୁଧିଷ୍ଠିର ପ୍ରବୋଧନା ଦେଇ କହିଲେ, ଯଦି ସାମର୍ଥ୍ୟ ଅଛି କେହିବି ଭାଗ ନେଇ ପାରିବ ।ଯୁଧିଷ୍ଠିରଙ୍କ ସମର୍ଥନ ପାଇ ଅର୍ଜୁନ ଅଗ୍ରସର ହେଉଥାନ୍ତି। ଏ କଥା କିନ୍ତୁ କୌରବ ଓ ଜରାସନ୍ଧକୁ ଗାତ୍ରଦାହ ହେଲା, ସେମାନେ ପରିହାସ କରିଥିଲେ।
ଏତିକି ବେଳକୁ ବଳରାମ, ବାସୁଦେବ ଓ ବ୍ୟାସଦେବ ପାଣ୍ଡବମାନଙ୍କୁ ଚିହ୍ନୁଥିଲେ । ବିଦୁର ବି ଚିହ୍ନି ପକାଇ ଭୀଷ୍ମଙ୍କୁ ଅବଗତ କଲେ।ଏମାନେ ବଞ୍ଚିଥିବା ଜାଣି ସେମାନେ ଖୁସି ହେଲେ।
ବାସୁଦେବ ମାୟା ଦ୍ଵାରା ସଭାସ୍ଥଳକୁ ଆଚ୍ଛାଦିତ କଲେ ଏବଂ ଅର୍ଜୁନଙ୍କୁ ଇସାରା କଲେ କି ଏଥିପାଇଁ ଲୋଡ଼ା ମନଭେଦୀ ଶର ପାଇଁ ସେ ଇନ୍ଦ୍ରଙ୍କୁ ସ୍ମରଣ କରନ୍ତୁ।ଏତକି ବେଳକୁ ବ୍ୟାସଦେବ ଇନ୍ଦ୍ରଙ୍କ ପାଖକୁ ଯାଇ ମନଭେଦୀ ଶର ଆଣି ଅର୍ଜୁନଙ୍କୁ ଦେଲେ।ଅର୍ଜୁନ ତହିଁରେ ମତ୍ସ୍ୟର ବାମ ଚକ୍ଷୁକୁ ଭେଦ କଲେ ।
ମାତ୍ର ଦୁର୍ଯ୍ଯୋଧନ ପ୍ରମୂଖ ଶର ବିନ୍ଧାକୁ ଛଳନାପୂର୍ଣ୍ଣ କହି ଅସହିଷ୍ଣୁତା କାରଣରୁ ପ୍ରତିବାଦ କଲେ। ତେଣୁ ଅର୍ଜୁନ ପୁନରାୟ ଶର ସନ୍ଧାନ କଲେ ।ଏଥର ଶର ମତ୍ସ୍ୟର ବାମ ଚକ୍ଷୁକୁ ଭେଦ କରି ତହିଁ ଲାଖିକି ରହିଲା ।ପ୍ରତିବାଦୀ ମାନଙ୍କ ମୁହଁ ସବୁ ଚୁପ୍ ହୋଇଗଲା ।ଦ୍ରୁପଦ, ଶ୍ରୀଖଣ୍ଡୀ, ଦୁଷ୍ଟଦୁମ୍ନ ଆଦି ଆନନ୍ଦିତ ହେଲେ ।ଦ୍ରୌପଦୀ ପୁଷ୍ପମାଳା ନେଇ ଅର୍ଜୁନଙ୍କ ଗଳାରେ ଦେଇ ପ୍ରଣାମ କଲେ ।
ଶ୍ରୀଖଣ୍ଡୀ ଓ ଦୁଷ୍ଟଦୁମ୍ନ ସଭାସ୍ଥଳକୁ ଆସି ଜରାସନ୍ଧ, ଦୁର୍ଯ୍ଯୋଧନ, ଦୁଃଶାସନ ଇତ୍ୟାଦିଙ୍କୁ ସେମାନଙ୍କ ପ୍ରତାରଣାପୂର୍ଣ୍ଣ ବ୍ୟବହାର ପାଇଁ ଅପମାନସୂଚକ ଶବ୍ଦ କହିଲେ। ଏଥିରେ ସେହି ପରାଭୂତ ଯୋଦ୍ଧାମାନେ ଆହୁରି ଉତ୍କ୍ଷିପ୍ତ ହୋଇ ଅର୍ଜୁନଙ୍କୁ ଆକ୍ରମଣ କଲେ ।ପ୍ରତିରକ୍ଷା ନିମନ୍ତେ ଅନ୍ୟ ପାଣ୍ଡବ ଭ୍ରାତାମାନେ ମିଳିତ ହେଲେ। ଭୀମ ଓ ଅର୍ଜୁନ ସମସ୍ତଙ୍କୁ ଗୋଡାଇ ଗୋଡାଇ କ୍ଷତବିକ୍ଷତ କଲେ। ଫଳତଃ ଅପଦସ୍ତ ହୋଇ କୌରବ ଓ ଅନ୍ୟମାନେ ପଳାୟନ କଲେ।ଭୀଷ୍ମ, ଦ୍ରୋଣ, ବିଦୁର, ଶ୍ରୀକୃଷ୍ଣ, ବଳରାମ, ବ୍ୟାସ ଆଦିଙ୍କଠୁଁ ଆଶୀର୍ବାଦ ନେଇ ଅର୍ଜୁନ ଦ୍ରୌପଦୀଙ୍କୁ ପ୍ରାପ୍ତ ହେଲେ। ଶ୍ରୀକୃଷ୍ଣ ପଞ୍ଚଜନ୍ୟ ଶଙ୍ଖ ବାଦନ କଲେ ।
ସ୍ଵୟମ୍ବର ସଭାରେ ଅସଦାଚାରଣ କରିଥିବାରୁ ଦୁର୍ଯ୍ଯୋଧନ ଇତ୍ୟାଦି ଭ୍ରାତାମାନଙ୍କ ଉପରେ କ୍ରୋଧିତ ହୋଇ ଦ୍ରୌପଦୀ ଅଭିଶାପ ଦେଲେ ।କହିଲେ କି, ମୁଁ ଯଦି ଯାଜ୍ଞସେନୀ ହୋଇଥିବି ତେବେ ମୋ ସ୍ୱାମୀଙ୍କ ହସ୍ତରେ ତୁମ ବଂଶ ନିପାତ ହେବ I
ଦ୍ରୌପଦୀଙ୍କ ଅସାମାନ୍ୟ ସୌନ୍ଦର୍ଯ୍ୟରେ ସମସ୍ତ ପାଣ୍ଡବମାନେ ଅଭିଭୂତ ହେଉଥିଲେ। ଯୁଧିଷ୍ଠିର ଓ ଭୀମ ଅଗ୍ରଜ ଥାଉ ଥାଉ ଅର୍ଜୁନ କେମିତି ଦ୍ରୌପଦୀଙ୍କୁ ବିବାହ କରିବେ ବୋଲି ଅର୍ଜୁନ ମତ ବ୍ୟକ୍ତ କରିବାରୁ ନିଷ୍ପତ୍ତି ପାଇଁ ସମସ୍ତେ ମାତାଙ୍କ ପାଖକୁ ଗଲେ। ମାତା ସେତେବେଳେ କୁରାଳ ଶାଳରେ ପୁତ୍ରମାନଙ୍କ ପାଇଁ ରୋଷେଇରେ ବ୍ୟସ୍ତ ଥିଲେ। ପାଣ୍ଡବମାନେ ଯାଇ କହିଲେ, ମା’ ଆମେ ଏକ ଦୁର୍ଲ୍ଲଭ ପଦାର୍ଥ ନେଇ ଆସିଛୁ। ମାତା କହିଲେ, ସମସ୍ତେ ସମାନ ଭାବେ ବାଣ୍ଟି ଖାଅ।
ସମସ୍ତେ ବିସ୍ମୟ ହୋଇ ଯାଉଥିଲେ। କିନ୍ତୁ ମାତୃ ଆଜ୍ଞା ଅବଜ୍ଞା କରିବାର ସାହସ କାହାରି ନଥିଲା ତେଣୁ ମାତୃ ଆଜ୍ଞା ଶିରୋଧାର୍ଯ୍ୟ ହେଲା ।ପାଣ୍ଡବମାନେ ଦ୍ରୌପଦୀଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ।