21.ଭୀମବଳ କୁଇନ୍ତା ଜାଣେ
ଜତୁଗୃହ ଦାହ ପରି ଏକ ଦୂରଭିସନ୍ଧି ଷଡଯନ୍ତ୍ରକୁ ନିରର୍ଥ କରିବା ପାଇଁ କୃଷ୍ନ ଓ ବିଦୁର କ’ଣ କମତି ପ୍ରରିଶ୍ରମ କରିଛନ୍ତି କି।ତହିଁରେ ପରା ଅନେକ ଯୋଜନା ସାମିଲ ହୋଇଥିଲା ।ପ୍ରଥମେ ତ ଗୃହ ନିର୍ମାଣରେ ଜ୍ୱଳନ୍ତଶୀଳ ପଦାର୍ଥର ବ୍ୟବହାର ହୋଇଥିବାର ଆଭାସ ପାଇଲା ପରେ, ତହିଁରେ ରୋଷେଇ ନକରି ଫଳମୂଳ ଆହାର କରିବାକୁ ବିଦୁର ଗୁପ୍ତରେ ଯାଇ ପଣ୍ଡବମାନଙ୍କୁ ପରାମର୍ଶ ଦେଇ ଆସିଲେ ।ପୁଣି ଖଲ୍ଯକାରକୁ ଇତଃସ୍ତତଃ ଏକାନ୍ତରେ ବନରେ ଭ୍ରମଣ କରିଥିବାର ଦେଖି ତାକୁ ସିନ୍ଧିକାଠି ସାହାଯ୍ୟରେ ଜତୁଗୃହରୁ ନଦୀଯାଏ ସୁଡଙ୍ଗ ନିର୍ମାଣ ଦାୟିତ୍ଵ ଦେଲେ। ସାଥିରେ ସାହାଯ୍ୟ କରିବାକୁ ଗୋଟେ ମୂଷିକ ବି ପଠାଇଥିଲେ ।ପୁଣି ବାସୁଦେବଙ୍କୁ ଏସବୁ ବିଷୟ ଅବଗତ କଲାରୁ ସେ ତାଙ୍କ ବାହୁରୁ ଦୁଇଟି ମଣିଷ ଉତ୍ପନ୍ନ କରି ସୁଡ଼ଙ୍ଗରୁ ବାହାରୁଥିବା ମାଟି ସବୁକୁ ଭକ୍ଷଣ କରିଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏ ସବୁ କାମ ଅତି ସତର୍କତାର ସହିତ ଓ ଗୁପ୍ତରେ ସଂଘଟିତ ହେଉଥିଲା ।କାନ କାନତକ କାହାକୁ ଖବର ନଥିଲା। ତେଣୁ ଦୁର୍ଯ୍ଯୋଧନ କିଛି ଜାଣି ପାରୁନଥିଲା। ପୁଣି ପ୍ରସ୍ତୁତି ସମ୍ପୂର୍ଣ୍ଣ ହେଲା ପରେ ଠିକଣା ସମୟ ଉପଗତ ହେବାରୁ ପାଣ୍ଡବମାନେ ନିଜେ ଜତୁଗୃହକୁ ଅଗ୍ନି ସଂଯୋଗ କରି ସେଇ ସୁଡଙ୍ଗ ପଥ ଦେଇ ନଦୀକୂଳକୁ ଆସିଯାଇଥିଲେ ।ରାତ୍ରି ସମୟରେ ଏଇ କର୍ମଟିକୁ ଗୁପ୍ତରେ ସାକାର କରାଯାଇଥିବାରୁ, ତହିଁରେ ଅତ୍ୟଧିକ ନିଶାଗ୍ରସ୍ତ ହୋଇ ଶୋଇପଡିଥିବା ପୁରୋଚନ ସୂପକାର ସମେତେ ଅଜ ଶବରର ପତ୍ନୀ ଓ ତା’ର ପାଞ୍ଚପୁତ୍ର ଜଳିପୋଡି ମୃତ୍ୟୁବରଣ କରିଥିଲେ।
ଏ ଖବର ଶୁଣି ପାଣ୍ଡବମାନେ ମରିଯାଇଥିବା ଭାବି କୌରବମାନେ ଖୁସି ହୋଇଗଲେ ଆଉ ପାଣ୍ଡବମାନଙ୍କର ସେପଟେ ପ୍ରେତକ୍ରିୟା ମଧ୍ୟ କଲେ ।ଶ୍ରୀକୃଷ୍ଣ ଓ ବିଦୁର ସତ ଜାଣିଥିଲେ ବି କାହାକୁ କିଛି କହିଲେ ନାହିଁ।
ପୂର୍ବରୁ ନଦୀକୂଳରେ ବିଦୁର ନିର୍ଦ୍ଦେଶରେ ଜଣେ ଧୀବର ନାବ ପ୍ରସ୍ତୁତ କରି ରଖିଥିଲା। ତାକୁ କୁହାଯାଇଥିଲା ଲୋକଲୋଚନରୁ ଏହାକୁ ଗୁପ୍ତ ରଖିବା ପାଇଁ ଜଳରେ ବୁଡାଇ ନାବଟିକୁ ରଖିବା ପାଇଁ। ଦିନରେ ସେ ଶୋଇବ ଓ ରାତିରେ ଜାଗ୍ରତ ରହି ପାଣ୍ଡବମାନଙ୍କୁ ଅପେକ୍ଷା କରି ରହିବାକୁ ତାକୁ କୁହଯାଇଥିଲା। ପାଣ୍ଡବମାନେ ନଦୀକୂଳରେ ପହଞ୍ଚିଲା ପରେ ନାବିକ ଜଳରେ ବୁଡି ରହିଥିବା ନାବରୁ ଜଳ ନିଷ୍କାସନ କରି ତହିଁରେ ବସିବାକୁ କହିଲା । ନାବ ଭାରା ସହି ନପାରି ଟଳମଳ ହେଲାରୁ ନାବିକ କହିଲା ନାବ ବୁଡ଼ି ଯାଇପାରେ ।ଭୀମଙ୍କ ଓଜନଯୁକ୍ତ ଗଦା ଫିଙ୍ଗିଦେବା ପରେ ବି ଭାରା କମିଲା ନାହିଁ ।
ସେଇ ସରଯୂ ନଦୀରେ କୁମ୍ଭୀର ଦୈତ୍ୟ ରହୁଥିଲା ।ମଣିଷ ଗନ୍ଧ ପାଇ ନାବ ଚାରିପଟେ ସେ ଘୂରି ବୁଲିବାକୁ ଲାଗିଲା ।ନାବିକ କହିଲା, ଯାହାକୁ ହେଲେ ଜଣଙ୍କୁ ତ ନାବରୁ ଓହ୍ଲାଇବାକୁ ହେବ ।ତେଣେ ନାବରୁ ଓହ୍ଲାଇଲେ ଦୈତ୍ୟ ଖାଇବ।ବଡ଼ ବିଷମ ସମସ୍ୟା ସ୍ରୁଷ୍ଟି ହେଲା। ତାହେଲେ କିଏ ଓହ୍ଲାଇବ? ଯୁଧିଷ୍ଠିରଙ୍କୁ ପରିତ୍ୟାଗ କରିବାକୁ କୁନ୍ତୀ ରାଜି ହେଲେ ନାହିଁ। ଯୁଧିଷ୍ଠିର ଭୀମ ଓ ଅର୍ଜୁନଙ୍କୁ ପରିତ୍ୟାଗ କରିବାକୁ ଅମତ ହେଲେ। ସେହିପରି ମାଦ୍ରୀପୁତ୍ର ସହଦେବ ଓ ନକୁଳ ଶାବତ ମାତାର ସନ୍ତାନ ତଥା ଅନୁଜ ହୋଇଥିବାରୁ ତାଙ୍କୁ ପରିତ୍ୟାଗ କରିବାକୁ ଯୁଧିଷ୍ଠିର ଅନିଚ୍ଛୁକ ହେଲେ ।କୁନ୍ତୀ ମାତା ନିଜେ ସମର୍ପିତ ହେବେ ବୋଲି କହିଲେ ।କୁନ୍ତୀପୁତ୍ରମାନେ ଏଥିରେ ରାଜି ହେଲେ ନାହିଁ।
କୁନ୍ତୀ ମନେମନେ ଭାବିଲେ ଏଇ ପରିସ୍ଥିତିରେ ଭୀମକୁ ସମର୍ପିତ କଲେ ଠିକ୍ ହେବ କି। କାରଣ ମାତା ଜାଣନ୍ତି ଭୀମର ବଳ କେତେ ଓ ଏ ପରିସ୍ଥିତିରେ ସେଇ ହିଁ ଏକା ହୁଏତ ମୁକାବିଲା କରିପାରିବ। ସେଥିପାଇଁ ପରା ଲୋକମୁଖରେ ଗୋଟେ ବାଣୀ ଖୁବ୍ ପ୍ରଚାରିତ, “ଭୀମ ମା ‘କୁଇନ୍ତା ଜାଣେ ଭୀମର ବଳ କେତେ ।” ତେବେ ଭୀମ ମାଆଙ୍କ ମନକଥା ଜାଣିପାରି ତତ୍କ୍ଷଣାତ୍ ଜଳକୁ ଡେଇଁପଡ଼ିଲା ।ସମସ୍ତେ ସନ୍ତାପରେ ପଡ଼ିଗଲେ।
କୁମ୍ଭୀର ନିମିଷକେ ତାକୁ ଗିଳିଦେଲା ।ହେଲେ ସେ ପରା ବୀର ବିକ୍ରମ ପବନ ସୂତ।ଉଦର ଭିତରେ ନିଜର ଅପରିମିତ ବଳ ପ୍ରୟୋଗ କରି କାୟା ବିସ୍ତାର କଲା। ଫଳରେ ଦୈତ୍ୟର ଉଦର ଫାଟିଗଲା ।ଭୀମ ସେଥିରୁ ବାହାରି ନାବ ପାଖରେ ପହଞ୍ଚିଲା ।ସମସ୍ତେ ତାକୁ ଦେଖି ଖୁସି ହୋଇଗଲେ ।ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ।
ସେଠୁ ବିପଦ ହଟିଲା ପରେ ସେମାନେ ଆଗକୁ ବଢ଼ିଲେ ।ଘନଘୋର ବନାନୀରେ ବୁଲୁବୁଲୁ ଜଳାଶୟ ନିରୂପଣ କରିବାକୁ ଭୀମକୁ ବଡ଼ଭାଇ କହିଲେ ।ଭୀମ ସରଯୂ ନଦୀକୂଳରେ ଗୋଟେ ଭଲ ଘାଟ ଦେଖିଲେ ।ସେଠାରେ ଗୋଟେ ସୁନ୍ଦର ଫଳ ବଗିଚା ଥିଲା। ଭୀମ ସେଥିରୁ ବହେ ଖାଇଗଲା ଓ ଭାଇମାନଙ୍କ ପାଇଁ ମଧ୍ଯ କିଛି ସଂଗ୍ରହ କଲା। ଅତ୍ୟାଧିକ ଆହାର ଯୋଗୁ ନିଦ୍ରା ଘାରିଲା। ସେ ସେଇଠି ଘଡିଏ ଖଣ୍ଡ ଶୋଇପଡିଲା ।
ସେଇ ଫଳ ବଗିଚାଟି ବାସ୍ତବରେ କିନ୍ନରାସୁରର ଥିଲା ।ସେ ମଣିଷ ଗନ୍ଧ ପାଇ ଧାଇଁ ଆସିଲା। ଭୀମକୁ ଦେଖି ଭାରି ଖୁସି ହୋଇଗଲା। ଭାବିଲା, ସେ ନିଦରୁ ଉଠିଲେ ତା’ର ଭକ୍ଷଣ ହେବ ।ଏବେ ସେ ଆଗ ସ୍ନାନ କରି ଆସିବ ।ସ୍ନାନ ସାରିଲା ପରେ ସେ ବୃକ୍ଷାଦି ଉପାଡି ଭୀମ ଉପରେ ସବୁ ନିକ୍ଷେପ କଲା। ଭୀମ ଜାଗ୍ରତ ହେବାରୁ ଅସୁରର ଏତାଦୃଶ୍ୟ କାର୍ଯ୍ୟ ଦେଖି କ୍ରୋଧିତ ହେଲା ।ଅବଶ୍ଯ ଶତଶୃଙ୍ଗ ପର୍ବତ ଠାରୁ ଅଭିଶାପ ପାଇ ଭୀମ ସବୁବେଳେ ପ୍ରଥମ ଯୁଦ୍ଧ ହାରେ। ତେଣୁ କିନ୍ନରାସୁର ଭୀମକୁ ତଳେ କଚାଡି ଦେଲା ।ଭୀମ କିନ୍ତୁ ଶତଶୃଙ୍ଗ ପର୍ବତକୁ ସ୍ମରଣ କରିବାରୁ ତା’ର ଶତଶୃଙ୍ଗର ବଳ ହୋଇଗଲା। ତେଣୁ ସେ କିନ୍ନରାସୁରକୁ ବଧ କଲା।
ସେ କଥା କ’ ଣ କି, ହିରଣ୍ୟ ଦୈତ୍ୟର ବଂଶଧର ନିର୍ବାତକଚପର ପୁତ୍ର ବଜ୍ରକଚପର ଚାରିପୁଅ ଓ ଗୋଟେ ଝିଅ ଥିଲା। ସେମାନେ ହେଲେ କୁମ୍ଭିର, କିନ୍ନର, ହିଡିମ୍ବକ ଓ ବକାସୁର। ଏମାନେ ସମସ୍ତେ ଉତ୍ପାତିଆ ଓ ଉତ୍ପୀଡ଼କ ।ଜଣଙ୍କ ପରେ ଜଣଙ୍କୁ ଭୀମ ନିପାତ କରିଥିଲା। କିନ୍ତୁ ସେମାନଙ୍କ ଭଉଣୀ ହିଡିମ୍ବିକୀ ଏହିସବୁ ଯୁଦ୍ଧ ସମୟରେ ଭୀମକୁ ଅନେକ ସାହାଯ୍ଯ କରିଥିବାରୁ ସେ ତାକୁ ବିବାହ କରିଥିଲେ ଓ ତାଙ୍କଠୁଁ ଘଟୋତ୍କଚ ଜନ୍ମଲାଭ କରିଥିଲା। ଏହିପରି ମହାଭାରତର କାହାଣୀ ସବୁ ବଡ ବିସ୍ମୟକର।ଏହା ଯେତିକି ରହସ୍ୟମୟ ସେତିକି ଉତ୍କଣ୍ଠା ଓ ବ୍ୟଗ୍ରତା ମଧ୍ଯ ବଢ଼ାଇଥାଏ ।
22.ପଡ଼ିଗଲେ ଉଠିପାରିବନି
ପ୍ରଳୟଙ୍କରୀ ମହାଭାରତ ଯୁଦ୍ଧର ପରିସମାପ୍ତି ଘଟିଲା। କୃଷ୍ନ ବି ଯଦୁବଂଶକୁ ସମୂଳେ ବିନାଶ କରି ବୈକୁଣ୍ଠକୁ ଫେରି ଯାଇଥିଲେ। ରାଜସିଂହାସନ ଓ ଧନ ଆଦି ପ୍ରତି ସେମାନଙ୍କର ମୋହ ତୁଟି ଯାଇଥିଲା ।କେବଳ ବୈରାଗ୍ୟ ପ୍ରାପ୍ତି ଓ ମୋକ୍ଷ ଲାଭ ସକାଶେ ଅନ୍ତରାତ୍ମାର ଡାକ ସେମାନଙ୍କୁ ଶୁଭା ଯାଉଥିଲା ।
ପରୀକ୍ଷିତକୁ ପ୍ରଜାପାଳନ, ରାଜନୀତି ଓ ରାଜସିଂହାସନ ପରିଚାଳନାର ଶିକ୍ଷା ଯୁଧିଷ୍ଠିର ଦେଇ ତୀର୍ଥ ଭ୍ରମଣରେ ବାହାରି ପଡ଼ିଲେ। ଆତ୍ମୀୟସ୍ଵଜନ, ବନ୍ଧୁବାନ୍ଧବ ପଛରେ ଛାଡ଼ି ଆସିଲେ। ସାଥିରେ ରହିଗଲେ ଦ୍ରୌପଦୀ ଓ ଅନ୍ୟ ଚାରି ଭାଇ। ।ବାଟରେ ପୁଣି ଅବସ୍ଥା ଚକ୍ରରେ ପଡ଼ି ସୁହାଣୀ କନ୍ୟାକୁ ବିବାହ କଲେ। କେତକ ତୀର୍ଥ କ୍ଷେତ୍ରରେ ଆଉ କିଛି ଦୈତ୍ୟ ତେବେବି ଉତ୍ପାତ କରୁଥିଲେ ।ତେଣୁ ଏରଣ୍ଡକ ସମେତ ଅନେକ ଦାନବକୁ ପାଣ୍ଡବମାନେ ସଂହାର କଲେ।
ପରିଶେଷରେ ଆରମ୍ଭ ହେଲା ସ୍ଵର୍ଗାରୋହଣ ଯାତ୍ରା। ତା ପୂର୍ବରୁ ବିଭିନ୍ନ ତୀର୍ଥସ୍ଥାନ ସବୁ ଭ୍ରମଣ କରି ଦେବାଦେବୀଙ୍କୁ ଦର୍ଶନ କଲେ। ବ୍ଯାସ କହିଲେ ତୀର୍ଥ ସମୟରେ ଅସ୍ତ୍ର ଧରିବା ଉଚିତ୍ ନୂହେଁ। ତେଣୁ ଜଣଙ୍କ ପରେ ଜଣେ ସମସ୍ତେ ଅସ୍ତ୍ର ସବୁ ପରିତ୍ୟାଗ କଲେ ।ବାଟରେ ତ୍ରିବେଣୀ ସଙ୍ଗମଠାରେ ଅଶ୍ଵତ୍ଥାମା, କୃପାଚାର୍ଯ୍ୟ ଓ ପର୍ଶୁରାମଙ୍କୁ ଭେଟିଲେ। ସମସ୍ତ ତୀର୍ଥ ଦର୍ଶନ ପରେ ସେମାନେ ସ୍ୱର୍ଗାରୋହଣ କରିବାକୁ ମନ ସ୍ଥିର କଲେ ।
ରୁଷି ବିଶ୍ଵାମିତ୍ର କହିଲେ, କର୍ଣ୍ଣକୁଟ ପର୍ବତରେ କର୍ଣ୍ଣ ରୁଷି ବସିଛନ୍ତି। ସେଠାରେ ଗଙ୍ଗା, ଯମୁନା ଓ ସରସ୍ଵତୀ ନଦୀର ତ୍ରିବେଣୀ ସଙ୍ଗମ। ସେହିଠାରୁ ହିମାଳୟକୁ ରାସ୍ତା ପାଇବ। ସହଦେବକୁ ପଚାରିଲାଠୁଁ ଓ କହିଲା, ସେଠୁ ହିମାଳୟ ବିଂଶଯୁଣ ପଥ ହେବ ।ସେ ରାସ୍ତା ଅତି ଦୁର୍ଗମ ଥିଲା ।ଚାଲି ଚାଲି ଗଲାବେଳେ ପାଦରୁ ସବୁ ମାଂସ ଝଡ଼ିପଡ଼ିଲା ।ଦ୍ରୌପଦୀ କହିଲେ, ଏତେ କଷ୍ଟ କରି କ’ଣ ପାଇଁ ସ୍ଵର୍ଗକୁ ଯିବା ।
ଯୁଧିଷ୍ଠିର କହିଲେ, ଶ୍ରୀକୃଷ୍ଣ ତାଙ୍କ ସଖା ଥିଲେ। ସେ ବୈକୁଣ୍ଠ ଚାଲିଗଲେଣି। କଳି ଯୁଗ ବି ମର୍ତ୍ତ୍ୟରେ ପ୍ରବେଶ କରି ସାରିଲାଣି। ଆଉ ଅଧିକ ଦିନ ରହିଲେ ପାପ ହେବ। ତେଣୁ ସମସ୍ତେ ଚାଲିଆସ।
କିଛି ବାଟ ଅତିକ୍ରମ କଲାପରେ ଦ୍ରୌପଦୀ କ୍ଷୁଧା ଓ କ୍ଳାନ୍ତି ଯୋଗୁ ଟଳି ପଡ଼ିଲେ ।ସ୍ଵାମୀ ରଖ ରଖ କହି ଆକୁଳ ହେଲେ ।ଭୀମ ବଡ଼ ଭାଇଙ୍କୁ କହିଲେ, ଦ୍ରୌପଦୀ ଆଉ ଚାଲିପାରିବ ନାହିଁ। ଯୁଧିଷ୍ଠିର କହିଲେ, ଦ୍ରୌପଦୀକୁ ଛାଡ଼ି ଚାଲିଆସ। ଭୀମ କହିଲେ, ଦ୍ରୌପଦୀ ଦାସୀ ଭଳି ସମସ୍ତଙ୍କର ସେବା କରିଛି। ତାକୁ କେମିତି ଛାଡି ଚାଲିଯିବା କଥା କହୁଛନ୍ତି।
ଯୁଧିଷ୍ଠିର କହିଲେ, ଯେଝା ପୁଣ୍ୟ ବଳରେ ଯେଝା ସ୍ୱର୍ଗାରୋହଣ କରିବେ ।ଭାଳି ହୋଇ ଆଉ କିଛି ଲାଭ ନାହିଁ। ମୋହମାୟାରେ ନପଡି ଆଗକୁ ବଢ଼ ।ପଡିଗଲେ ଥରେ ଉଠିପାରିବନି ।ଦ୍ରୌପଦୀ କିଛି ପାପ କରିଥିବାରୁ ଆଗକୁ ସେ ବଢ଼ି ପାରୁ ନାହିଁ। ନିଜର ଅହମିକା ଯୋଗୁ ସ୍ଵୟମ୍ବର ସେ କୌରବମାନଙ୍କୁ ନାନାଦି କଟୁକଥା କହିଥିଲା। ପଞ୍ଚଦଶ ବର୍ଷ କେଶ ଉନ୍ମୁକ୍ତ ରଖି କୌରବଙ୍କ ମୃତ୍ୟୁର କାରଣ ହୋଇଥିଲା। ତା ଯୋଗୁ ଏ ମହା ସମର ସଂଘଟିତ ହୋଇଥିଲା। ଯୁଧିଷ୍ଠିରଙ୍କ ଯୁକ୍ତିରେ ଅସନ୍ତୁଷ୍ଠ ହୋଇ ଭୀମ କହିଲେ, ତାହେଲେ ତୁମ ବିଚାରରେ ଦ୍ରୌପଦୀ ଦୋଶଯୁକ୍ତ ।ହଉ, ଯାହା ତୁମ ଇଚ୍ଛା। ଏତିକି କହି ଯୁଧିଷ୍ଠିରଙ୍କ ଆଜ୍ଞାଙ୍କୁ ଖଣ୍ଡନ କରି ନପାରି ଦ୍ରୌପଦୀଙ୍କୁ ଛାଡ଼ି ଆଗକୁ ଚାଲିଲେ ।
ଏଥର ପାଳି ପଡିଲା ସହଦେବର। ସେ ଚାଲି ନପାରି ତଳେ ପଡ଼ିଗଲା ।ଭୀମ ତାକୁ ଧରି କୋଳାଗ୍ରତ କଲେ ।ଭାଇକୁ କହିଲେ, ସହଦେବ ପଡ଼ିଗଲା। ଯୁଧିଷ୍ଠିର କହିଲେ, ତାକୁ ଛାଡ଼ି ଚାଲିଆସ।ଭୀମ କହିଲେ ସହଦେବ ପରାଏ ଭ୍ରାତାକୁ ଛାଡି କେମିତି ଚାଲିଯିବା। ସେ ଆମକୁ ଭୂତ ଓ ଭବିଷ୍ୟତ ସମ୍ପର୍କରେ ସୂଚନା ପ୍ରଦାନ କରି ବହୁ ଉପକାର କରିଛି।
ଯୁଧିଷ୍ଠିର କହିଲେ ସେ ସର୍ବଜ୍ଞାତା ହେଲେ କ’ଣ ହେବ ତାର ବହୁତ ତ୍ରୁଟି ଅଛି। ସେସବୁ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଜେ। ତାକୁ ପଚାରିଲେ ଯାଇ କୁହେ। ତେଣୁ ସେଇଠି ତାକୁ ଛାଡି ଚାଲିଆସ।
ଭୀମ କହିଲେ, ତୁମ ବିଚାରରେ ତେବେ ସହଦେବ ବି ଦୋଷୀ। ତାକୁ ପରିତ୍ୟାଗ କରି ଅସନ୍ତୋଷ ହୋଇ ଆଗକୁ ଚାଲିଲେ ।
ପୁଣି ସେଇ ପ୍ରକାରେ ନକୁଳର ପତନ ହେଲା।ଭୀମ ତାକୁ କୋଳକୁ ଉଠାଇନେଲେ ।ପଛରୁ ଡାକି କହିଲେ, ନକୁଳ ଆଉ ଚାଲିପାରିବ ନାହିଁ। ଯୁଧିଷ୍ଠିର କହିଲା, ଛାଡି ଚାଲିଆସ। ତାହାପାଇଁ ଆଉ ଅପେକ୍ଷା କରିବାର ଆବଶ୍ୟକତା ନାହିଁ।
ଭୀମ କହିଲେ, ଇଏ କେମିତିକା କଥା ।ନକୁଳ ପରା ଅତ୍ୟନ୍ତ ସୁନ୍ଦର ଓ ମଧୁର ସ୍ୱାଭାବର। ସେ ବି ବହୁ ଜ୍ଞାନୀ। କୁନ୍ତ ମୂନରେ ପୃଥିବୀକୁ ଧାରଣ କରି ସେ ରାଜସୂୟ ଯଜ୍ଞରେ ବହୁ ଉପକାର କରିଛି।
ଯୁଧିଷ୍ଠିର କହିଲେ, ନକୁଳ ନିଜ ସୌନ୍ଦର୍ଯ୍ଯକୁ ନେଇ ଗର୍ବକରେ। ନିଜ ଜ୍ଞାନ ଓ ଶକ୍ତିକୁ ନେଇ ବି ଗର୍ବକରେ। ତେଣୁ ତାକୁ ଅପେକ୍ଷା ନକରି ଚାଲିଆସ।
ଯୁଧିଷ୍ଠିରଙ୍କ ଯୁକ୍ତିରେ ଭୀମ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ନକୁଳ ବି ଦୋଷୀ। ତା’ପରେ ଅର୍ଜୁନ, ଭୀମ ଓ ଯୁଧିଷ୍ଠିର ଆଗକୁ ଚାଲିଲେ, ପଛରେ ଛାଡି ଆସିଲେ ନକୁଳକୁ ।
କିଛିବାଟ ପରେ ବାଟ ଚାଲି ନପାରି ଅର୍ଜୁନ ତଳେ ପଡିଗଲେ। ଭୀମ ଅର୍ଜୁନକୁ ଧରି କାନ୍ଦିବାକୁ ଲାଗିଲା। ତା’ର ଗୁଣମାନ ବଖାଣି ବାହୁନି ହେଲା ।କହିଲା, ଅର୍ଜୁନର ଗୁଣ କହିଲେ ନସରେ। ସେ ବାସୁଦେବଙ୍କର ସବୁଠୁଁ ପ୍ରିୟ ।ପାତାଳ, ମର୍ତ୍ତ୍ୟ ଓ ସ୍ଵର୍ଗରେ ସେ ଅଜେୟ ।ବହୁବାର ସେ ସ୍ଵର୍ଗ ପୁରୀକୁ ରକ୍ଷା କରିଛି। ମହାଭାରତ ଯୁଦ୍ଧର ସେ ମହାନାୟକ। ଆଜି ଶକ୍ତିକ୍ଷୟ ଯୋଗୁ ସେ ଧରାଶାୟୀ।
ଯୁଧିଷ୍ଠିର ତାହା ଶୁଣି ଅର୍ଜୁନଙ୍କୁ କହିଲେ, ପୃଥିବୀରେ ଜନ୍ମ ହେଲେ ଅବଶ୍ୟ ମରଇ ।ତୁ ବହୁ ଶକ୍ତିଶାଳୀ ହୋଇ ବହୁ କ୍ରୋଧ କରିଛୁ। ତୁ ତେଣୁ ସ୍ୱଦେହରେ ସ୍ଵର୍ଗାରୋହଣ କରିପାରିବୁ ନାହିଁ।
ଏଥିରେ ଗଭୀର ଭାବେ ମର୍ମାହତ ହୋଇ ଭୀମ କହିଲେ, ସମସ୍ତଙ୍କୁ ଛାଡି ତୁମେ ପ୍ରାୟ ଏକୁଟିଆ ସ୍ଵର୍ଗକୁ ଯିବାକୁ ମନସ୍ଥ କରିଛ। ତୁମର ହୃଦୟ ଏମିତି କଠୋର କେମିତି ହୋଇଗଲା ।ସମସ୍ତଙ୍କୁ ପଛରେ ଛାଡ଼ିଲ। ହେଲେ ମୋତେ ତ ସାଙ୍ଗରେ ନିଅ।
ଯୁଧିଷ୍ଠିର ତହୁଁ ଭୀମକୁ କୋଳାଗ୍ରତ କରି ବୁଝାଇଲେ, ଶୋକ ନକର ଭ୍ରାତା। ତୁମେ ସମସ୍ତେ ମୋର ପଞ୍ଚଭୂତ ଆତ୍ମା। ତଥାପି ସମସ୍ତେ ନିଜ ପୁଣ୍ୟ ବଳେ ସ୍ଵର୍ଗବାସ କରିବେ ।ଯାହାର କିନ୍ତୁ କିଛି ତ୍ରୁଟି ଥିବ ସେ ସ୍ଵଦେହରେ ଯାଇପାରିବ ନାହିଁ।
ଭୀମ ପୁଣି ଥରେ କହିଲା, ମୋତେ ସାଙ୍ଗରେ ନିଅ ଓ ବଡ଼ ବଡ଼ ପାଦ ପକାଇ ଆଗକୁ ଚାଲିଲା। ହିମାଳୟ ଶିଖର ସେତେବେଳକୁ ଦୃଶ୍ୟ ହେଉଥିଲା ।ତେଣୁ ମନେ ହେଉଥିଲା ଉଭୟ ଉତ୍ତୁଙ୍ଗ ଶିଖର ଛୁଇଁବେ। କିନ୍ତୁ ଅପ୍ରତ୍ୟାଶିତ ଭାବେ କ୍ଳାନ୍ତି ଘୋଟିଆସିଲା ।ହିମ ଚଟାଣରେ ତାଙ୍କ ପାଦ ଖସିଗଲା। ବହୁ ତଳକୁ ଖସୁଖସୁ ସେ ନିଜକୁ ଟିକିଏ ସମ୍ଭାଳି ନେଲା ଓ ଆଗକୁ ବଢ଼ିଲା । ପୁଣି କିଛି ବାଟ ଚାଲିଲା ପରେ ସେ ଝୁଣ୍ଟିଲା। ତଳେ ପଡିଯିବାରୁ ଜଗତାତ୍ମା ତାକୁ ମାଡିବସିଲେ ।ସେ ବିକଳ ହୋଇ ଡାକ ଛାଡିଲା।
ଯୁଧିଷ୍ଠିର କହିଲେ, ବିକଳ ହୋଇ ଆଉ ଲାଭ ନାହିଁ। ତୁ ନିସ୍ପନ୍ଦ ହୋଇ ପଡିରହ।ସେ ପର୍ବତ ଶିଖରରୁ ବହୁ ତଳକୁ ଖସିପଡ଼ିଲା ।
ସମସ୍ତ ମୋହମାୟା ତ୍ୟାଗ କରି ଏଥର ଯୁଧିଷ୍ଠିର ଏକୁଟିଆ ଯାଇ ହିମାଳୟ ଶିଖରରେ ପହଞ୍ଚିଲେ ।ଶୁଦ୍ଧ ସ୍ପଟିକ ହିମାଳୟ ଶିଖରରେ ପହଞ୍ଚି ଯୁଧିଷ୍ଠିର ପଚାଶ ଯୋଜନ ଉପରକୁ ଉଠିଗଲେ ।ସେଇଠାରେ ଦେବତାଙ୍କ କୋଳାହଳ ଓ ଦୁନ୍ଦୁଭି ଶୁଭିଲା। ହିମାଳୟ ଉପରେ ଥିଲା, ସୂର୍ଯ୍ୟ, ରୁଦ୍ର, ନାରାୟଣ ଆଦିଙ୍କର ନିବାସସ୍ଥାନ ।
ଯୁଧିଷ୍ଠିର ତଳକୁ ଚାହିଁବାରୁ ଦେଖିଲେ ଏକ ଜୀର୍ଣ୍ଣକୂପ ।ତହିଁରେ ଛୟାନବେ ସହସ୍ର ନୃପତି ପତିତ ହୋଇଥିଲେ ।ସେମାନେ ମହାଭାରତ ଯୁଦ୍ଧର ପ୍ରଥମ ଦିନରୁ ଯୁଦ୍ଧକ୍ଷେତ୍ର ଛାଡି ପଳାୟନ କରିଥିବାରୁ ନର୍କଗାମୀ ହୋଇଥିଲେ।ଏବେ ଯୁଧିଷ୍ଠିରଙ୍କ ଦର୍ଶନ ପାଇବାରୁ ମୁକ୍ତିଲାଭ କରି ତାଙ୍କୁ ପ୍ରଣାମ କଲେ ।”ନରେ ବା ଗୁଞ୍ଜରେ ଅଶ୍ଵତ୍ଥାମା ହତ ଇତି “କହି ଦ୍ରୋଣଙ୍କୁ ଭ୍ରମିତ କରିଥିବାରୁ ତାହା ଯୁଧିଷ୍ଠିରଙ୍କର ଜୀବଦଶା ଭିତରେ ଏକମାତ୍ର ଭୁଲ ଥିଲା। ତେଣୁ ଜମରାଜ ତାଙ୍କୁ ଇନ୍ଦ୍ରସଭା ନେବା ପୂର୍ବରୁ ନର୍କର ଏହି ଜୀର୍ଣ୍ଣକୂପ ଦର୍ଶନ କରାଇଥିଲେ ।
ସ୍ଵର୍ଗପୁରୀକୁ ଆସିବା ପରେ ଯୁଧିଷ୍ଠିର ସମସ୍ତ ଆତ୍ମୀୟ ସ୍ଵଜନଙ୍କୁ ଛାଡି ଆସିଥିବାରୁ ନିଜକୁ ଏକାକୀ ଓ ଅସହାୟବୋଧ କରୁଥିଲେ ।ଧର୍ମଦେବତା ଏହା ଜାଣିପାରି ଧବଳ ସ୍ୱାନ ରୂପରେ ପ୍ରତିଭାତ ହେଲେ ।ଯୁଧିଷ୍ଠିର ତ ତଥାପି ମାୟା ମୋହରୁ ସମ୍ପୂର୍ଣ୍ଣ ମୁକ୍ତି ପାଇ ପାରୁ ନଥିଲେ। ତେଣୁ ସେ ତାକୁ ଶ୍ରଦ୍ଧାରେ ସାଙ୍ଗରେ ନେଲେ ।
ବ୍ରହ୍ମା ଆଦେଶ ଦେଲେ, ଯୁଧିଷ୍ଠିର ସ୍ଵଶରୀରରେ ସ୍ଵର୍ଗରେ ପ୍ରବେଶ କରି ସାରିଛନ୍ତି। ତେଣୁ ତାଙ୍କୁ ଇନ୍ଦ୍ରସଭାରେ ଉପସ୍ଥିତ କରାଅ। ବିମାନରେ ବସିବା ପୂର୍ବରୁ ଇନ୍ଦ୍ର କହିଲେ, ସ୍ଵାନକୁ କାହିଁକି ସାଥିରେ ଆଣିଛ ।
ଯୁଧିଷ୍ଠିର କହିଲେ, ସମସ୍ତ ପରିଜନଙ୍କୁ ଛାଡି ଆସିଥିବାରୁ ସ୍ୱାନ ତାଙ୍କର ଏକମାତ୍ର ବନ୍ଧୁ।
ଇନ୍ଦ୍ର ହସି କହିଲେ, ଇଏ ହେଉଛନ୍ତି ପ୍ରକୃତରେ ଧର୍ମଦେବତା।ସେ ନିରାକାର ଶୂନ୍ୟ। ତାଙ୍କଠୁଁ ଉତ୍ପତ୍ତି ପବନ, ପବନରୁ ଜଳ, ଜଳରୁ ତପନ, ତପନରୁ ତପନରୁ ହିମ ଓ ଦୁଗ୍ଧ, ଦୁଗ୍ଧରୁ ଫେଣ, ଫେଣରୁ ଅଣ୍ଡ, ଅଣ୍ଡରୁ ବ୍ରହ୍ମାଣ୍ଡର ସ୍ରୁଷ୍ଟି ।ସେଇ ବ୍ରହ୍ମାଣ୍ଡରୁ ନିଜେ ଯୁଧିଷ୍ଠିର ଜନ୍ମ ।
ଯୁଧିଷ୍ଠିରଙ୍କୁ ଇନ୍ଦ୍ର ଏହା କହିବା ପରେ ପରେ ସ୍ୱାନ ଅନ୍ତର୍ଦ୍ଧାନ ହୋଇଗଲା। ସେଇ ଧର୍ମଦେବତା ଶୂନ୍ୟରୁ କହିଲେ, ହେ ଯୁଧିଷ୍ଠିର! ତୁମେ ସତ୍ୟବାଦୀ, ତୁମେ ପ୍ରକୃତରେ ସିଦ୍ଧପୁରୁଷ ।ତୁମେ ବିମାନରେ ବସି ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କୁ ସାକ୍ଷାତ କରିବ।
ତା’ପରେ ବାସବଙ୍କ ଚଉଷଠି କୋଟି ପୁତ୍ର ଉପସ୍ଥିତ ହୋଇ ଇନ୍ଦ୍ରସଭାକୁ ଯୁଧିଷ୍ଠିରଙ୍କୁ ସ୍ଵାଗତ କଲେ ।ଇନ୍ଦ୍ର ସଭାରେ ସେ ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କୁ ଦେଖି ଆନନ୍ଦିତ ହେଲେ। କୌରବ ଭାଇ ମାନଙ୍କୁ ବି ଦେଖିଲେ। ଦେଖିଲେ ମହାଭାରତ ଯୁଦ୍ଧରେ ପ୍ରାଣ ହରାଇ ଥିବା ଯୋଦ୍ଧାମାନଙ୍କୁ। ଶ୍ରୀକୃଷ୍ଣଙ୍କୁ ଯୁଦ୍ଧଭୂମିରେ ଦେଖି ସମସ୍ତେ ମୋକ୍ଷ ପାଇଯାଇଥିଲେ। ସେଠାରେ ଦ୍ରୋଣ, କର୍ଣ୍ଣ, ଶଲ୍ଯ, ଭୁରିଶ୍ରବା, ସଞ୍ଜୟ, ବିଦୁର, ଲକ୍ଷ୍ମଣ କୁମାର, ଅଭିମନ୍ୟୁ ପ୍ରଭୃତିଙ୍କୁ ବି ଦେଖିଲେ। କେବଳ ଧୃତରାଷ୍ଟ୍ର ନଥିଲେ, ଯିଏକି ଭାତୃପୁତ୍ରମାନଙ୍କ ପ୍ରତି ଅନ୍ୟାୟ କରିଥିବା ଯୋଗୁ ପାପ କରି ନର୍କବାସ କରୁଥିଲେ।
23.ତୁ ମରିଗଲୁ
ମହାଭାରତ ଯୁଦ୍ଧର ପରିସମାପ୍ତି ପରେ ଚାରିଆଡ଼େ ବାତାବରଣ ସ୍ତବ୍ଧ ପାଲଟି ଯାଇଥିଲା ।କାରଣ ରଥୀମହାରଥୀ ସମେତ ଆକ୍ଷୌଣୀ ଅକ୍ଷୌଣୀ ସୈନ୍ୟସାମନ୍ତମାନେ ମୃତାହତ ହୋଇଥିଲେ ।ତେଣୁ ଖାଲି ବିଧବା ରମଣୀ ମାନଙ୍କର କାନ୍ଦବୋବାଳି ଶୁଭା ଯାଉଥିଲା ।ବିଷାଦର କରାଳ ଛାୟା ସମସ୍ତଙ୍କୁ ଗ୍ରାସ କରିଥିଲା।
ଏତେବେଳେ ବାସୁଦେବ ନନ୍ଦିଘୋଷ ରଥ ଚଢ଼ି ହସ୍ତିନା ନଗରୀରେ ପ୍ରବେଶ କଲେ। ସେମାନେ ପ୍ରଥମେ ବିଦୁର ଓ ପରେ ଅନୁମତି ନେଇ ଗାନ୍ଧାରୀ ତଥା ଧୃତରାଷ୍ଟ୍ରଙ୍କୁ ଭେଟିଥିଲେ ।ଏତେବେଳେ ତ ସମସ୍ତଙ୍କ ମନରେ ନାନା ଭାବାନ୍ତର ସ୍ରୁଷ୍ଟି ହେଉଥିଲା ଓ ଯୁଦ୍ଧର ପରିଣତିକୁ ନେଇ ହୃଦୟ ବିଗଳିତ ହେଉଥିଲା। ଗାନ୍ଧାରୀ କ୍ଷୁବ୍ଧ ହୋଇ ଅନ୍ଧପୁଟୁଳି ଖୋଲିବା ବାହାନାରେ ଯୁଧିଷ୍ଠିରକୁ ଆଖିର ସ୍ଫୁଲିଙ୍ଗରେ ବିନଷ୍ଟ କରିବାକୁ ଚାହୁଁଥିଲେ। କିନ୍ତୁ ନିଜ ପୁତ୍ର ଦୁର୍ଦ୍ଦକ୍ଷ ହିଁ ଦହନ ହେଲା ।ତେଣୁ ଦୁଃଖଭାଗ ଆହୁରି ବଢ଼ି ଯାଇଥିଲା।
ଏତେବେଳେ ନିଟାଣୁଆ ବି ଟାଣ ଦେଖାଇଥାଏ ।କିଛି ନପାରିଲେ ନିଜ ନଖରେ ବିଦାରଣ କରି କ୍ରୋଧପ୍ରକଟ କରେ ।ଠିକ୍ ସେଇ ପ୍ରକାର ଧୃତରାଷ୍ଟ୍ର ବି କିଛିଗୋଟେ କରିପକାଇବେ ବୋଲି ଆଙ୍କୁପାଙ୍କୁ ହେଉଥାନ୍ତି ।ଭୀମ କୌରବ ଶତଭ୍ରାତାଙ୍କୁ ମୃତ୍ୟୁର ବାଟ ଦେଖାଇଥିବାରୁ, ତାଙ୍କର ତା ଉପରେ ବେଶୀ ରାଗ। ସେ କିନ୍ତୁ ଛଳ କଲେ ।କୋମଳ ବଚନ କହି ଭୀମଙ୍କୁ ପାଖକୁ ଡାକିଲେ ।କହିଲେ, ତୋର ଶକ୍ତି ସାମର୍ଥ୍ୟ ବଳରେ ଏ ଯୁଦ୍ଧ ଜିତିବା ସମ୍ଭବପର ହୋଇଛି। ତେଣୁ ଟିକିଏ ମୋ ପାଖକୁ ଆସେ , ମୁଁ ତୋତେ ଆଲିଙ୍ଗନ କରିବାକୁ ଚାହେଁ।
କୃଷ୍ଣ ତ କିନ୍ତୁ ବଡ଼ କୌଶଳୀ, ସେ କୁଟକପଟିଆଙ୍କର ଶିରୋମଣୀ । ସେ ଜ୍ଯେଷ୍ଠ ପିତାଙ୍କ ଲୁକ୍କାୟିତ ଇଚ୍ଛାକୁ ଜାଣିଛନ୍ତି, ତେଣୁ ସେ ଭୀମକୁ ସେସ୍ଥାନରୁ ଘୁଞ୍ଚାଇନେଲେ।ତା ସ୍ଥାନରେ ଲୌହଭୀମ ପ୍ରତିମାକୁ ଥୋଇଦେଲେ ।ଧୃତରାଷ୍ଟ୍ର ନିଜ ଭିତରରେ ଥିବା ସମସ୍ତ ଶକ୍ତି ଖଟାଇ ସେ ମୂର୍ତ୍ତିକୁ ଚାପି ଦେଲାରୁ ତାହା ଭାଙ୍ଗି ଧୂଳିସାତ୍ ହୋଇଗଲା ।ସମସ୍ତେ ଦେଖିଲେ ଧୃତରାଷ୍ଟ୍ରଙ୍କ କ୍ରୋଧର ପରିସୀମା ଓ ଶରୀରର ଅପରିମିତ ବଳ।
ବାସ୍ତବରେ ଭୀମଙ୍କର ଲୌହ ପ୍ରତିମା ପଛରେ ବହୁ ରହସ୍ୟ ଲୁଚି ରହିଛି । କାହିଁକିନା ବିଦୁର ଯେଉଁଦିନ ଭବିଷ୍ୟବାଣୀ କରି କହିଲେ, ତୁମ ପୁତ୍ର ଦୁର୍ଯ୍ଯୋଧନ ଏକାଙ୍ଗ ଚତ୍ରବର୍ତ୍ତୀ ହେବ, କିନ୍ତୁ ସବୁ ଭାଇମାନଙ୍କୁ ମାରାଇବ। ଭୀମ ଦ୍ଵାରା ହିଁ ତା’ର ନିଧନ ହେବ ।ସେଇଦିନଠାରୁ ଧୃତରାଷ୍ଟ୍ର ଆଖଡାଶାଳରେ ଏ ଲୌହଭୀମ ପ୍ରତିମୂର୍ତ୍ତି ଆଣି ରଖିଲେ ।ଉଦ୍ଦେଶ୍ୟ, ଦୁର୍ଯ୍ଯୋଧନ ପ୍ରତ୍ୟେହ ସେଇ ପ୍ରତିମୂର୍ତ୍ତିକୁ ମୁଥ ମାରି ମାରି ଭୀମକୁ ମାରିବା ଅଭ୍ୟାସ କରୁ ଓ ତାହାହିଁ ହେଉଥିଲା ।
ଧୃତରାଷ୍ଟ୍ର ତ ଅନ୍ଧ। ସେ କିଛି ଦେଖିପାରନ୍ତି ନାହିଁ ।କିନ୍ତୁ ଭୀମର ପ୍ରତିମୂର୍ତ୍ତିକୁ ଚୂର୍ଣ୍ଣ ବିଚୂର୍ଣ୍ଣ କଲାପରେ ସେ ମନେମନେ ଅତ୍ୟନ୍ତ ପ୍ରସନ୍ନ ହୋଇ ଉଠିଲେ। ହେଲେ ଛଳନାରେ କୁମ୍ଭିର କାନ୍ଦଣା କାନ୍ଦି କହିଲେ, ଭୀମ ସତରେ ତୁ ମରିଗଲୁ। ପୁଣି କହିଲେ, ତୁ କେଉଁ ବଳରେ ଦୁର୍ଯ୍ଯୋଧନକୁ ମାରିଲୁ ଓ ତା’ର ଅନର୍ଘ ମଣିମୁକୁଟକୁ ପାଦରେ ଦଳିଚକଟି ଦେଲୁ।ହେଲେ ମୁଁ ତ ଦେଖୁଛି ତୋର ଶକ୍ତି ଅତ୍ୟନ୍ତ କ୍ଷୀଣ, କାହିଁକିନା ଏଡ଼େ ସହଜରେ ତୁ ଚୂର୍ଣ୍ଣ ହୋଇଗଲୁ ।
ଏତେବେଳେ ଭୀମ ବୁଝିପାରିଲା ବାସୁଦେବ କାହିଁକି ତାକୁ ପଛକୁ ହଟାଇ ଆଣିଲେ। ଆଉ ମଧ୍ଯ ବୁଝିବାକୁ ବାକି ରହିଲା ନାହିଁ ଯେ, ଧୃତରାଷ୍ଟ୍ର ତାକୁ ମାରିବାକୁ ଚାହୁଁଥିଲେ ବୋଲି।
ବାସୁଦେବ ବି ଭାରି କପଟୀ। ତେଣୁ ସେ ଆହୁରି ଛଳକରି କହିଲେ, ଭଲହେଲା ।ଭୀମ ଉପରେ ତୁମର ରାଗ ଥିଲା ।ଏବେ ତାକୁ ମାରି ଦେଇଥିବାରୁ ନିଷ୍କଣ୍ଟକ ରାଜ୍ୟ ଭୋଗକର।
ଭୀମ ଉପହାସ କରି କହିଲା, ଜ୍ଯେଷ୍ଠ ପିତା! ତୁମ୍ଭେ ଆଉ ତୁମ୍ଭର ପୁତ୍ରମାନେ ନିଜେ ନାନାଦି କୂଟ କରିବାରୁ ତୁମ୍ଭର ପୁତ୍ରମାନେ ଆଜି ମଲେ। ହେଲେ ମୁଁ ସେଇ ତୁମ୍ଭ ପୁତ୍ରହନ୍ତା ଭୀମ, ଯିଏକି ତୁମ ସମ୍ମୁଖରେ ଏବେବି ବଞ୍ଚିଛି। ତୁମ୍ଭେ କିନ୍ତୁ ତୁମ୍ଭର କର୍ମଫଳ ଭୋଗୁଛ।ଏହା କହି ଭୀମ ଦାନ୍ତ କଡ଼ମଡ଼ କରି ଧୃତରାଷ୍ଟ୍ରଙ୍କୁ ମାରିବା ପାଇଁ ଗୋଡ଼ାଇ ଗଲା, ଯେମିତିକି ସବୁତକ ରାଗ ସେ ଏକାବେଳେକେ ଶୁଝାଇଦେବ ।
ବାସୁଦେବ କିନ୍ତୁ ରୋକିଦେଲେ ।ଆଉ ଉଭୟ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କୁ କହିଲେ, ଏବେ ପାଣ୍ଡବମାନଙ୍କ ପ୍ରତି ଥିବା ସମସ୍ତ ଘୃଣା ଓ ଅସୂୟା ଭାବ ପରିତ୍ୟାଗ କରି ସେମାନଙ୍କୁ ନିଜର କରିନିଅ ଓ ସୁଖଶାନ୍ତି ଲାଭ କର।
ସେମାନେ ଟିକିଏ ଶାନ୍ତ୍ୱନା ପାଇ ଏ କଠୋର ପରିସ୍ଥିତିକୁ ଧୀରେ ଧୀରେ ହୃଦୟଙ୍ଗମ କଲେ। କିନ୍ତୁ ଯୁଦ୍ଧସ୍ଥଳ ପରିଦର୍ଶନ କରି ସମସ୍ତଙ୍କୁ ଟିକିଏ ଶେଷଦର୍ଶନ କରିବାକୁ ଇଚ୍ଛାବ୍ୟକ୍ତ କଲେ। ବାସୁଦେବ ତାଙ୍କୁ ସାଥିରେ ନେଇଗଲେ।
24.ଉଲ୍ଲୁକ ବିଦ୍ୟା
ସେତେବେଳକୁ ବାରବର୍ଷ ପାଇଁ ପାଣ୍ଡବମାନେ ବନବାସ କରୁଥାନ୍ତି। ଠିକ୍ ଏତିକିବେଳକୁ ପିତୃଶ୍ରାଦ୍ଧ ପଡ଼ିଲା ।ପିତା ପଣ୍ଡୁଙ୍କ ଶ୍ରାଦ୍ଧ ଉପଲକ୍ଷେ ଗଣ୍ଡା ଆଣିବାକୁ ଯୁଧିଷ୍ଠିର ଭାଇମାନଙ୍କୁ ପଠାଇଲେ ।
ଅର୍ଜୁନ ପଶ୍ଚିମ ଅଭିମୁଖେ ଯାତ୍ରା କରୁକରୁ ଭବାନୀ ନଦୀକୂଳରେ କାମାକ୍ଷୀ ଦେବୀଙ୍କ ମନ୍ଦିର ଦେଖିଲେ। ଏହା ନଗରୀରେ ଅବସ୍ଥିତ। ନିକୁମ୍ଭ ସେ ରାଜ୍ୟର ଅଧୀଶ୍ଵର। ସେ କାମାକ୍ଷୀ ଦେବୀଙ୍କର ଭକ୍ତ ।ଯାହାବି ହେଉ ତହିଁ ଅର୍ଜୁନ ଦେବୀଙ୍କର ପୂଜାଅର୍ଚ୍ଚନା କଲେ ।କ୍ଳାନ୍ତ ଲାଗିବାରୁ ସେଠାରେ ଥକ୍କା ହୋଇ ଶୋଇପଡିଲେ ।
ରାହୁ ପୁତ୍ର ହେଉଛି ଶମ୍ଭୁରାଣ ଦୈତ୍ୟ। ତା ପୁତ୍ର ବଜ୍ରବାଣ। ବଜ୍ର ପୁତ୍ର ଦଶାସୁର।ଦଶାସୁର ପୁତ୍ର କପାସୁର। ତା ପୁତ୍ର ସୁଦାସୁର ।ତା ପୁତ୍ର ହିରଣ୍ୟ କୁମାର ଓ ଜପାସୁର ।ଜପାସୁର ପୁତ୍ର ସୁଦାସ ବସୁ ।ହିରଣ୍ୟ ପୁତ୍ର ଲମ୍ବାସୁର ।ତା ପୁତ୍ର ଲୋହାସୁର ତା ପୁତ୍ର ଆରାଧିକ। ତା ପୁତ୍ର ଅଜପାକ। ତା ପୁତ୍ର କୁମ୍ବକ।ପରିଶେଷରେ ତା ପୁତ୍ର ହେଉଛି ଏଇ ନିକୁମ୍ଭ।
ଅନ୍ୟପଟେ ଦେଖିବାକୁ ଗଲେ ରମ୍ଭା କନ୍ୟା ହାରାବଳୀ ଅତ୍ୟନ୍ତ ସୁନ୍ଦରୀ ଥିଲା। କିନ୍ତୁ ନିକୁମ୍ଭ ଦୈତ୍ୟ ସ୍ଵର୍ଗ ଆକ୍ରମଣ କରି ଫେରିବା ବେଳେ ହାରାବଳୀକୁ ଜବରଦସ୍ତି ନେଇ ଆସିଥିଲା। ତାକୁ ସେ ଏକ ପ୍ରକାର ବନ୍ଦୀ କରି ରଖିଥିଲା। କୁଆଡେ ଛାଡୁ ନଥିଲା ।ପରନ୍ତୁ ହାରାବଳୀକୁ ବିବାହ କରିବା ପାଇଁ ପ୍ରବର୍ତ୍ତାଉଥିଲା ।ହାରାବଳୀ ସେଠୁ ମୁକ୍ତିର ମାର୍ଗ ଖୋଜୁଥିଲା ।
ସେ କହିଲା, କାମାକ୍ଷୀ ଦେବୀଙ୍କ ଉପାସନା ସରିଲା ପରେ ସେ ତାଙ୍କୁ ବିବାହ କରିବ। ତେଣୁ ମନ୍ଦିର ଦର୍ଶନ ପାଇଁ ସେ ନିକୁମ୍ଭଠାରୁ ଅନୁମତି ପାଇଥିଲା।
ବିଲେଇ କପାଳକୁ ତ ଶିକା ଛିଡେ ।ଠିକ୍ ସେମିତି ସେ ମନ୍ଦିର ଦର୍ଶନ କରୁକରୁ ସେଠାରେ ଅର୍ଜୁନଙ୍କୁ ଦେଖି ତାଙ୍କ ପୌରୁଷତ୍ବ ପ୍ରତି ଆକୃଷ୍ଠ ହେଲା ।ହାରାବଳୀ ତ ମାୟା ବିଦ୍ୟାରେ ଅତ୍ୟନ୍ତ ଧୂରୀଣା ।ତେଣୁ ସେ ମନ୍ତ୍ର ବଳରେ ଅର୍ଜୁନକୁ ସାଥିରେ ନେଇ ଆସିଲା।ଅର୍ଜୁନ ଅସୁସ୍ଥ ଥିବାରୁ ବନ୍ଦୀଶାଳାରେ ସେ ତାଙ୍କର ସେବା କଲା। ଅର୍ଜୁନଙ୍କର ନିଦ୍ରାଭଙ୍ଗ ହେବାରୁ ହାରାବଳୀ ତାଙ୍କଠାରେ ପ୍ରେମ ନିବେଦନ କଲା।
ଅର୍ଜୁନ କିନ୍ତୁ ସେଥିରେ ସହମତ ହୋଇପାରିଲେ ନାହିଁ। ଏତିକି ବେଳକୁ ନିକୁମ୍ଭ ଅସୁର ଆସିଯିବାରୁ, ସେ ଅର୍ଜୁନଙ୍କୁ ଦୈତ୍ୟ କବଳରୁ ରକ୍ଷା କରିବାକୁ ନିଷ୍ପତ୍ତି ନେଲା। ତେଣୁ ଉଲ୍ଲୁକ ବିଦ୍ୟା ବଳରେ ସେ ଅର୍ଜୁନଙ୍କୁ ଏକ ଗଭୀର କୂପ ମଧ୍ୟରେ ରଖିଲା।
ରାତ୍ରିରେ ନିକୁମ୍ଭ ଆସି ହାରାବଳୀକୁ ପ୍ରେମ ନିବେଦନ କଲା। ତା’ର ଦାସୀମାନେ କହିଲେ, ସେ ଏବେ ରଜସ୍ୱୀଳା ହୋଇଛି ।ତେଣୁ ନିକୁମ୍ଭ ଆଗକୁ ଆଉ ଅଗ୍ରସର ହେଲା ନାହିଁ। ମଣିଷ ଗନ୍ଧ ତାଠେଇଁ ବାଜିବାରୁ ସେ ପଚାରିଲା, ଏ ବନ୍ଦୀଶାଳାର ଆଉ କିଏ ଅଛି କହ ।ଦାସୀ ମାନେ କହିଲେ, ନା ତ ଆଉ କେହି ନାହାନ୍ତି । ସେ କିନ୍ତୁ ସେ କଥାକୁ ବିଶ୍ବାସ ନକରି ବହୁତ ଖୋଜିଲା। କିଛି ନପାଇ ଫେରିଗଲା ।ବାସ୍ତବରେ ଅର୍ଜୁନ ତ ସେଠାରେ ଥିଲା। କିନ୍ତୁ ମାୟାବଳରେ ସେ କୂପ ମଧ୍ୟରେ ଥିବାରୁ ତାକୁ ନିକୁମ୍ଭ ଖୋଜି ପାରିଲା ନାହିଁ।
ଏପଟେ ଅର୍ଜୁନ ନଫେରିବାରୁ ଭାଇମାନଙ୍କ ଭିତରେ ଭାଳେଣି ପଡ଼ିଲା ।ଯୁଧିଷ୍ଠିର ସହଦେବକୁ ଡାକି ପଚାରିଲେ। ସେ ଭୂତ ଭବିଷ୍ୟତ ଗଣନା କରି କହିଲେ, ନିକୁମ୍ଭ ଦୈତ୍ୟର ବନ୍ଦୀଶାଳାରେ ସେ ଏବେ ଅଛନ୍ତି। ହାରାବଳୀ ଦ୍ଵାରା ନିର୍ମିତ ତହିଁ ଏକ ଗଭୀର ଗର୍ତ୍ତ ଭିତରେ ସେ ଏବେ ଅବସ୍ଥାନ କରୁଛନ୍ତି। ଯୁଧିଷ୍ଠିର ତେଣୁ ଅନନ୍ୟୋପାୟ ହୋଇ ବିପଦମୋଚନ ଅଭୟକାରଣ ଶ୍ରୀକୃଷ୍ଣଙ୍କୁ ଅବିଳମ୍ବେ ସ୍ମରଣ କଲେ। କୃଷ୍ନ ତାଙ୍କ ସହ ଏ ସମ୍ପର୍କରେ ବିଚାରବିମର୍ଶ କଲେ। ଭୀମ ଉତ୍କ୍ଷିପ୍ତ ହୋଇ ନିକୁମ୍ଭ ଦୈତ୍ୟକୁ ନିଶେଷ କରିବା ପାଇଁ ଅଗ୍ରସର ହେଲେ। ଉଭୟଙ୍କ ଭିତରେ ତୁମୁଳ ସଙ୍ଘର୍ଷ ହେଲା ।ମାତ୍ର ଭୀମ ନିକୁମ୍ଭ ଦୈତ୍ୟକୁ ପରାସ୍ତ କରି ପାରିଲେ ନାହିଁ। ବାଧ୍ୟ ହୋଇ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ପେଷଣ କଲେ।କିନ୍ତୁ ନିକୁମ୍ଭ ଦୈତ୍ୟ ବହୁ ପରାକ୍ରମୀ ଥିଲା ।ତେଣୁ ସେ ସୁଦର୍ଶନ ଚକ୍ର ଶ୍ରୀକୃଷଙ୍କ ହାତରୁ ଛଡ଼ାଇନଲା।ତାହା ଦେଖି ସୂର୍ଯ୍ୟ ଶ୍ରୀକୃଷଙ୍କୁ ସୂର୍ଯ୍ୟାବର୍ତ୍ତ ଚକ୍ର ଦେଲେ ।ତଥାପି ଶ୍ରୀକୃଷ୍ଣ ତାକୁ ପରାସ୍ତ କରିପାରିଲେ ନାହିଁ। ଏଥର ଯୁଧିଷ୍ଠିର ସହଦେବଙ୍କୁ ତାହାର କାରଣ ପଚାରିଲେ। ସହଦେବ କହିଲେ, ନିକୁମ୍ଭର ମରଣ କେବଳ ଅର୍ଜୁନ ହସ୍ତରେ ଲେଖା ଅଛି।
ତଦ୍ ପଶ୍ଚାତେ ଶ୍ରୀକୃଷ୍ଣ ଗରୁଡ଼କୁ ଆଦେଶ ଦେଲେ, ଅର୍ଜୁନଙ୍କୁ ଘେନି ଆସ । ଗରୁଡ଼ ଯାଇ ହାରାବଳୀକୁ କହିଲା, ଅର୍ଜୁନଙ୍କୁ ସେ ଗଭୀର ଗର୍ତ୍ତରୁ ବାହାର କର ।ହାରାବଳୀ କହିଲା, ସେ କଥା ହେବ ନାହିଁ। ଯଦି ଅର୍ଜୁନ ତାଙ୍କୁ ବିବାହ କରିବାକୁ ରାଜି ହେବେ, ତେବେ ସେ ତାଙ୍କୁ ଗର୍ତ୍ତରୁ ବାହାର କରିବେ। ଶ୍ରୀକୃଷ୍ଣ ତା ପ୍ରସ୍ତାବରେ ରାଜିହେଲେ ।ତେଣୁ ସେ ଅଙ୍ଗୀକାରବଦ୍ଧ ହେଲେ ।ହାରାବଳୀ ଅର୍ଜୁନଙ୍କୁ ବାହାର କଲା। ଅର୍ଜୁନଙ୍କୁ ଏସବୁ କିଛି ଆଶ୍ଚର୍ଯ୍ୟ ଲାଗୁଥିଲା। ସେ ଆଉ କିଛି ଅଧିକ ନବିଚାରି ଆଗ ନିକୁମ୍ଭ ସହ ଯୁଦ୍ଧ ଲଢ଼ିଲେ। ନିକୁମ୍ଭ ପରାସ୍ତ ହେଲା। ଅର୍ଜୁନ ତାକୁ ବଧ କଲେ। ଏଥିରେ ଦେବଗଣ ଅତ୍ୟନ୍ତ ଖୁସି ଜାହିର୍ କଲେ। ଶ୍ରୀକୃଷ୍ଣ ବଚନ ରଖିଲେ ।ହାରାବଳୀ ସହ ଅର୍ଜୁନଙ୍କର ଶୁଭ ପରିଣୟ ଅନୁଷ୍ଠିତ ହେଲା।ସମସ୍ତେ ଆନନ୍ଦିତ ହେଲେ।
25.ଦନୁଜ ଶର
ମହାଭାରତ ଯୁଦ୍ଧର ବିଷମ ପରିଣତି କଥା କାହାକୁ ବା ଅଜଣା। କେତେ ରାଜାମହାରାଜା ଓ ରଥୀମହାରଥୀ ପ୍ରାଣ ବିସର୍ଜନ କଲେ। ସାଧାରଣ ନୀରିହ ଜନତା ବି ଅକଥନୀୟ ଅତ୍ୟାଚାର ସହିଲେ। ଆକ୍ଷୌଣୀ ଆକ୍ଷୌଣୀ ସୈନ୍ୟସାମନ୍ତ ସବୁ ନିଧନ ହେଲେ।ତେଣୁ ସମସ୍ତଙ୍କ ମନରେ ବିଷାଦର କାଳିମା ଛାଇହୋଇ ଯାଇଥିଲା ।ତହିଁରୁ ମୁକ୍ତି ଓ ମନର ଶାନ୍ତି ନିମନ୍ତେ ବସୁଦେବ କହିଲେ, ଅଶ୍ଵମେଧ ଯଜ୍ଞର ଆୟୋଜନ ହେଉ। ବ୍ୟାସଙ୍କ ପରାମର୍ଶ କ୍ରମେ ହସ୍ତିନାପୁରରେ ଯୁଧିଷ୍ଠିରଙ୍କ ଦ୍ଵାରା ତାହା ଏହି କର୍ମ ମଧ୍ୟ ସମ୍ପାଦିତ ହୋଇସାରିଥିଲା ।
ତେଣୁ କୃଷ୍ଣ ହସ୍ତିନାପୁରରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ କରିବା ପାଇଁ ଅକ୍ରୁରକୁ ଡାକି କହିଲେ, ଯାଇ ପାଣ୍ଡବମାନଙ୍କୁ ନେଇଆସ ।ଦ୍ରୌପଦୀ ଓ ସୁଭଦ୍ରାକୁ ବି ସାଥିରେ ଘେନିଆସିବ। ସମସ୍ତ ମୁନିରୁଷି ବି ଆସି ଯଜ୍ଞରେ ଉପଗତ ହେଲେ ।
ଅର୍ଜୁନ ଚାହିଁଲେ ଦ୍ଵାରପାଳ ଦାୟିତ୍ଵ ନିଜେ ନିର୍ବାହ କରିବା ପାଇଁ। ବାସୁଦେବ ଭାବିଲେ, ଅର୍ଜୁନକୁ ଏ ଦାୟିତ୍ଵ ଦେଲେ ଅଧିକ ଅନର୍ଥ ହେବ। ତେଣୁ ସେ ତାଙ୍କୁ ଦାୟିତ୍ଵ ଦେବାକୁ ମନା କରୂଥିଲେ। ମାତ୍ର ଯୁଧିଷ୍ଠିର ଯୁକ୍ତି ବାଢିଲେ ଯେ, ଅର୍ଜୁନ ମହାବୀର। ତେଣୁ ସେ ସୂଚାରୁ ରୂପେ ଏ କାର୍ଯ୍ୟ ସମ୍ପାଦିତ କରିପାରିବ। ଫଳରେ ବାସୁଦେବ ରାଜି ହେଲେ। ସେହିପରି ଯଜ୍ଞର ଅଲଗା ଅଲଗା ଦାୟିତ୍ଵ ସବୁ ଉପଯୁକ୍ତ ସବୁଙ୍କୁ ଦେଖି ବଣ୍ଟନକଲେ।
ଯଜ୍ଞ କାର୍ଯ୍ୟ ଅବିରତ ଗତିରେ ଆଗେଇ ଚାଲିଥାଏ। ଏବେ ତୃତୀୟ ଦିନର ଯାଇ ପହଞ୍ଚିଲା । ସେଦିନ ବସୁକଳ୍ପ ବ୍ରାହ୍ମଣ ଓ ତା’ର ପତ୍ନୀ ଶ୍ରିୟା ବିପଦରେ ପଡି ଭାବିଲେ, କୃଷ୍ଣ ଯଜ୍ଞ କରୁଥିବାରୁ ତାଙ୍କ ପାଖକୁ ଗଲେ ସେ ନିଶ୍ଚୟ ସୁରକ୍ଷା ପ୍ରଦାନ କରିବେ। ତେଣୁ ସେମାନେ କୃଷ୍ଣଙ୍କ ପାଖକୁ ଦେଖାକରିବାକୁ ଆସି ବେଦପାଠ କରିକରି ଯାଇ ଦ୍ଵାରଦେଶରେ ଅର୍ଜୁନଙ୍କୁ ଭେଟିଲେ ।ସେ କିନ୍ତୁ ପ୍ରବେଶ ପାଇଁ ଆଦେଶ ଅନୁମତି ଦେଲେ ନାହିଁ। କହିଲେ, କୃଷ୍ଣ ଯଜ୍ଞରେ ବ୍ୟସ୍ତ ଥିବାରୁ ଯାହା କହିବାର ଅଛି ତାଙ୍କୁ କୁହ।
ବ୍ରାହ୍ମଣ କହିଲେ, ତୁମକୁ କହିଲେ ତାହା ତୁମେ ସମାଧାନ କରିପାରିବ ନାହିଁ।
ଅର୍ଜୁନ କହିଲେ, ମୁଁ ବହୁ ଯୁଦ୍ଧରେ ବିଜୟପ୍ରାପ୍ତ ହୋଇଛି, ମୁଁ ପାରିବି ନାହିଁ ତ କିଏ ପାରିବ ।ତେଣୁ ଯାହା କହିବାର ଅଛି, ମୋତେ କୁହ।
ବ୍ରାହ୍ମଣ କହିଲା, ଥରକୁ ଥରକୁ ତାହାର ଛଅ ପୁତ୍ର ଜାତ ହେଲା। ଜନ୍ମପରେ ତାଙ୍କୁ କିଏ କେଣେ ନେଇଯାଉଛି। ଏବେ ତା’ର ଆସନ୍ନ ପ୍ରସବ ହେବାକୁ ଯାଉଥିବା ସପ୍ତମ ସନ୍ତାନକୁ ବଞ୍ଚାଇବାକୁ ଚାହୁଁଛି।
ଅର୍ଜୁନ ତାହା ଶୁଣି ଦୃଢ଼ ସଂକଳ୍ପ ସହ କହିଲେ, ମୁଁ ସେ ପୁତ୍ରକୁ ବଞ୍ଚାଇବି। ନପାରିଲେ ଅଗ୍ନିରେ ଝାସଦେବି।
ତହୁଁ ଅର୍ଜୁନ ବ୍ରାହ୍ମଣ ସହ ତା କୁଟୀରକୁ ଗଲେ ।ମନଭେଦି ଶର ଦ୍ଵାରା ପ୍ରସବ ଗୃହକୁ ଆଚ୍ଛାଦିତ କରି ସୁରକ୍ଷା କବଚ ତୋଳିଲେ।
କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେ ପୁତ୍ର ମଧ୍ୟ ଜାତ ହେଲାପରେ କେଉଁଆଡ଼େ ଚାଲିଗଲା ।ଅକୃତକାର୍ଯ୍ୟ ହେବାରୁ ଅର୍ଜୁନ ଅଗ୍ନିରେ ଝାସ ଦେବାକୁ କାଠି ସବୁ ଏକାଠି କଲେ । ଖବର ପାଇ ସେଠାଣେ ତୁରନ୍ତ କୃଷ୍ଣ ଯାଇ ପହଞ୍ଚିଲେ। ସେ ଅଗ୍ନି କୁଣ୍ଡରେ ପ୍ରବେଶ କରିବା ପୂର୍ବରୁ ତାକୁ ଟାଣିକି ଧରିଲେ ଓ ସେ କାର୍ଯ୍ୟରୁ ନିବୃତ୍ତ କରି ଶାନ୍ତ୍ୱନା ଦେଲେ।ପ୍ରତିକାର କଥା କହି ନିବୃତ୍ତ କରାଇଲେ।
ତା’ପରେ ସେ ଅର୍ଜୁନକୁ ଧରି ଗରୁଡ଼ ବାହନରେ ସିଧା ବୈକୁଣ୍ଠ ଗଲେ ।ସେଠାରେ ମହାବିଷ୍ଣୁ ଦେଖି କହିଲେ, ପୃଥିବୀର ଭାରା ଉଶ୍ୱାସ କରିବା ପାଇଁ ମୋର ଧଳା ଓ କଳା ବାଳରୁ କୃଷ୍ନ ଓ ବଳରାମକୁ ସ୍ରୁଷ୍ଟିକରି ମର୍ତ୍ତ୍ୟ ପଠାଇଥିଲି ।ଏବେ ପ୍ରତ୍ୟାବର୍ତ୍ତନର ସମୟ ହୋଇଛି, ତୁରନ୍ତ ନିତ୍ୟ ଗୋଲକକୁ ଫେରିଆସ ।
କୃଷ୍ଣ କଥାଦେଲେ , ସେ ଯଦୁବଂଶ ଧ୍ଵଂସକରି ଶୀଘ୍ର ଫେରିଆସିବେ। ହେଲେ ଏବେ ତ ବ୍ରାହ୍ମଣ ସାତପୁତ୍ରଙ୍କୁ ଫେରାଇ ଦିଅନ୍ତୁ। ମହାବିଷ୍ଣୁ କହିଲେ, ଏବେ ସେମାନଙ୍କୁ ସାଥିରେ ନେଇଯାଇପାର ।କିନ୍ତୁ ସେମାନଙ୍କୁ ଏଠାକୁ ନ ଆଣିଥିଲେ ତୁମେ ଏ ସମାଚାର ପ୍ରାପ୍ତି ପାଇଁ ବୈକୁଣ୍ଠ ଆସି ନଥା’ନ୍ତ।ତେଣୁ ଏ ସବୁ ପୂର୍ବ ପରିକଳ୍ପିତ ଓ ଯୋଜନା ମୁତାବକ ସଂଘଟିତ ହୋଇଛି।
ବ୍ରାହ୍ମଣ ଦମ୍ପତି ପୁତ୍ରମାନଙ୍କୁ ପାଇଁ ଖୁସି ହେଲେ। ଅନ୍ୟପଟେ କଳିଆ ନାରଦଙ୍କୁ ଅଶ୍ଵମେଧ ଯଜ୍ଞକୁ ନିମନ୍ତ୍ରଣ କରାଯାଇ ନଥିବାରୁ ତାଙ୍କ ସ୍ୱାଭିମାନ ଉପରେ ଆଞ୍ଚ୍ ଆସିଥିଲା ।ସେ ତେଣୁ ବିକଳ୍ପ ଭାବେ କିଛି ଅନର୍ଥ ଘଟାଇଥିଲେ ।ସେ କଦମ୍ବାସୁରକୁ ଅଶ୍ଵମେଧ ଯଜ୍ଞରେ ବିଘ୍ନ ଘଟାଇବାକୁ ପ୍ରରୋଚିତ କଲେ ।ସେ ତାକୁ ତତେଇବା ଓ ମତେଇବା ପାଇଁ ନାନା ବିବରଣ ବିସ୍ତୃତ ଭାବେ ଦେଲେ। କହିଲେ, ତୋର ପୂର୍ବ ବଂଶଧର ସମସ୍ତଙ୍କୁ କୃଷ୍ଣ ବଧ କରିଛନ୍ତି। ମୀନ ରୂପେ ଶଙ୍ଖାସୁରକୁ ବଧ କଲେ। ତା ପୁତ୍ର ହିରଣାକ୍ଷକୁ ବରାହ ରୂପେ ସଂହାରିଲେ।ତା ଭାଇ ହିରଣ୍ୟକଶିପୁକୁ ନରସିଂହ ରୂପରେ ତାରଣ କଲେ। ତା ପୁତ୍ର ପ୍ରହଲ୍ଲାଦ ତାଙ୍କ ଭକ୍ତ ହେଲା।କିନ୍ତୁ ତାଙ୍କ ପୁତ୍ର ବୈଲୋଚନକୁ ନାରୀ ରୂପେ ମାରିଲେ ।ବୈଲୋଚନ ପୁତ୍ର ବଳିକୁ ବାମନ ଅବତାରରେ ପାତାଳକୁ ଚାପିଲେ ।ବଳିପୁତ୍ର ବାଣାସୁରର ନବେଶହ ଅଠାନବେ ବାହୁକୁ ନିର୍ମମ ଭାବେ ଚ୍ଛେଦନ କଲେ। ବାଣାସୁର ପୁତ୍ର ମୂଢାସୁରକୁ ବି ମାରିଲେ ।ଏମିତି ନିର୍ଦୟ ଭାବେ ସଂହାର ଲୀଳା ରଚନା କରି ସେ ତୁମ ବଂଶର ବହୁ କ୍ଷତିସାଧନ କରିଛନ୍ତି। ତେଣୁ ପ୍ରତିଶୋଧ ନେବାପାଇଁ ତାଙ୍କ ଯଜ୍ଞଶାଳ ଭାଙ୍ଗ।
ଠିକ୍ ଏତିକି ବେଳକୁ କୃଷ୍ଣ ଅର୍ଜୁନଙ୍କୁ ନେଇ ବୈକୁଣ୍ଠ ଗମନ କରିଥିଲେ। ତାହାର ସୁଯୋଗ ନେଇ କଦମ୍ବାସୁର ଅସୁର ବଳ ସଙ୍ଗରେ ଧରି ଯଜ୍ଞବେଦୀ ଆକ୍ରମଣ କଲା। ଉଦ୍ଧବ ଓ ଶକ୍ରାଜିତକୁ ସେ ବଧ କଲା। ପ୍ରଦ୍ୟୁମ୍ନ ଓ ଅନଙ୍ଗ ଯୁଦ୍ଧରେ ଯୋଗଦେଇ ପ୍ରତିରୋଧ କଲେ ।ଫଳସ୍ଵରୂପ ଲୋହାସୁର ବଧ ହେଲା ।କଦମ୍ବାସୁରର ମନ୍ତ୍ରୀ ଲୌହଦଣ୍ଡ ବି ନିହତ ହେଲା। ସମସ୍ତ ଯାଦବମାନେ ମିଶି ତାକୁ ରୋକିବାକୁ ନିଶ୍ଚୟ ବହେ ପ୍ରଯତ୍ନ କଲେ ।କିନ୍ତୁ ପାରିଲେ ନାହିଁ। ଏପରିକି ବଳରାମଙ୍କ ଶର ମଧ୍ଯ କଦମ୍ବାସୁରର ଶରୀରଭେଦ କରିପାରିଲା ନାହିଁ ।
ତେଣୁ ଯଜ୍ଞଭଙ୍ଗ ହେଲା ।କଦମ୍ବାସୁର ବହୁ ଯାଦବମାନଙ୍କୁ ହତ୍ୟାକରି ମଣିନାଗ ପର୍ବତକୁ ଚାଲିଗଲା ।
କୃଷ୍ଣ ଓ ଅର୍ଜୁନ ବୈକୁଣ୍ଠରୁ ପ୍ରତ୍ୟାବର୍ତ୍ତନ କରି ସବୁକଥା ଅବଗତ ହେଲେ। ନାରଦ ପୁଣି ପାଶା ପରିବର୍ତ୍ତନ କରି କୃଷ୍ଣଙ୍କୁ ଏ ସୂଚନା ଦେଲେ । କୃଷ୍ଣ ତତ୍କ୍ଷଣାତ୍ ବଳରାମ ଓ ଅର୍ଜୁନଙ୍କ ସହ ମଣିନାଗ ପର୍ବତ ଅଭିମୁଖେ ଯାତ୍ରାକଲେ। ସେଠାରେ କଦମ୍ବାସୁର ସହ ଭୀଷଣ ଯୁଦ୍ଧ ହେଲା। କିନ୍ତୁ ତାକୁ ସହଜରେ ପାରିଲେ ନାହିଁ। ବରଂ କଦମ୍ବାସୁର କୃଷ୍ଣଙ୍କୁ ମଣିନାଗ ସର୍ପ ବନ୍ଧନରେ ବାନ୍ଧିଲା ।ତା ଗଦା ପ୍ରହାରରେ ବଳରାମ ବି ସଂଜ୍ଞାଶୂନ୍ୟ ହେଲେ ।ଅର୍ଜୁନର ପାଶୁପତ ଅସ୍ତ୍ର ଟିକିଏ କାମ କଲା, ତେଣୁ କଦମ୍ବାସୁର ନମଲେ ବି ରକ୍ତାକ୍ତ ହୋଇ ଲହୁଲୁହାଣ ହେଲା ।ଗରୁଡ଼ ବ୍ୟସ୍ତ ହୋଇ ଧାଇଁ ସ୍ଵର୍ଗରୁ ଅମୃତ ଆଣି ସିଞ୍ଚନ କରିବାରୁ କୃଷ୍ଣ ଓ ବଲରାମ ପୁଣି ଚେତନା ଫେରିପାଇଲେ।
ଏଥର କିନ୍ତୁ ଅର୍ଜୁନ ବଲରାମଙ୍କୁ କହିଲେ, କଦମ୍ବାସୁର ମରିବାର ମୃତ୍ୟୁଭେଦ ତାଙ୍କୁ ଜଣା ଅଛି। ସେ ବଳରାମଙ୍କ ବ୍ୟତୀତ ଆଉ କାହା ହସ୍ତରେ ମରିବ ନାହିଁ । ଏହା ଜାଣି ବଳରାମ ହଳଲଙ୍ଗଳରେ ଆକ୍ରମଣ କଲେ ।ତଥାପି ସେ ପ୍ରବଳ ପ୍ରତାପୀ ମଲା ନାହିଁ। ଅର୍ଜୁନ କହିଲେ, ଦନୁଜ ଶର ପ୍ରୟୋଗ କରନ୍ତୁ। ତାହା କରିବାରୁ କଦମ୍ବାସୁର ବିକଟାଳ ରଡି ଛାଡି ଦେହତ୍ୟାଗ କଲା।
ଗୋଟେ ବଡ଼ ବିପର୍ଯ୍ୟୟରୁ ମଣିଷ ମୁକ୍ତି ପାଇଲା ।ବିଳମ୍ବ ଓ ବିଘ୍ନ ହେଲେ ମଧ୍ଯ ଯଜ୍ଞକାର୍ଯ୍ୟ ସମ୍ପନ୍ନ ହେଲା। କଦମ୍ବାସୁରର ପ୍ରତାପ ଓ ପରାକ୍ରମ ସାରା ବିଶ୍ୱ ଦେଖିଲା।
26.ବୁଢ଼ାଅଆଙ୍ଗୁଳିକୁ ମୁଖରେ ରଖିଲେ
ରାମାୟଣ ଓ ମହାଭାରତ ଯୁଗରେ ବହୁବାର ରାଜସୂୟ ଓ ଅଶ୍ୱମେଧ ଯଜ୍ଞ ହୋଇଛି ।କେତେବେଳେ ନିଜର ପ୍ରଭୁତ୍ଵ ଓ ପ୍ରତିଷ୍ଠା ପାଇଁ ତ ପୁଣି କେତେବେଳେ ଆତ୍ମାର ଶାନ୍ତି ଓ ପାତକ ନାଶନ ପାଇଁ ।କୁରୁକ୍ଷେତ୍ରର ମହାସମର ଭୟବହତା ଓ ତାହାର ବିଭତ୍ସତା ପରେ ପ୍ରଥମେ ଦ୍ୱାରିକାଠାରେ କୃଷ୍ଣଙ୍କ ଦ୍ଵାରା ଓ ପୁଣି ଯୁଧିଷ୍ଠିରଙ୍କ ଦ୍ଵାରା ହସ୍ତିନାପୁରରେ ବି ଅଶ୍ଵମେଧ ଯଜ୍ଞର ଆୟୋଜନ ହୋଇଥିଲା ।
ବ୍ୟାସ ଯୁଧିଷ୍ଠିରଙ୍କ ପାଖକୁ ଯାଇ କହିଲେ, ଦେଖ! ଅଶ୍ଵମେଧ ଯଜ୍ଞ କଲେ ପାତକ ନାଶ ହୁଏ। ପୂର୍ବରୁ ତୁମେ ଏହି ଯଜ୍ଞ କରିଥିବାରୁ ପଣ୍ଡୁଙ୍କର ପାପ ବିମୋଚନ ହୋଇଥିଲା ଓ ସେ ସ୍ଵର୍ଗାରୋହଣ କରିଥିଲେ।
ଯୁଧିଷ୍ଠିର କହିଲେ, ସେତେବେଳେ ଅଶ୍ଵମେଧ ଯଜ୍ଞରେ ଭଣ୍ଡାର ରକ୍ଷକ ଦାୟିତ୍ଵ ଦୁର୍ଯ୍ଯୋଧନ ତୁଲାଇଥିଲେ। ତା ହସ୍ତରେ ଶଙ୍ଖପଦ୍ମ ଚିହ୍ନ ଥିବାରୁ ଧନର ଅଭାବ ରହିଲା ନାହିଁ। ସେ ଯାହାକୁ ଛୁଇଁଦିଏ ତାହା ସୁନା ହୋଇଯାଏ।
ବ୍ୟାସ ବୁଝାଇଲେ ଧନ ମିଳିଯିବ, ଚିନ୍ତା କର ନାହିଁ। କିନ୍ତୁ ଅଶ୍ୱିନୀ କୁମାରଙ୍କୁ ଆଗ ସ୍ମରଣ କର, କୁବଳୟା ଅଶ୍ୱ ଦେବାପାଇଁ ।ଯଜ୍ଞଅଶ୍ଵ ହେବା ପାଇଁ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ଯୁଧିଷ୍ଠିର ସ୍ମରଣ କରନ୍ତେ, ଅଶ୍ୱିନୀ କୁମାର ତାହା ଅବିଳମ୍ବେ ପ୍ରଦାନ କଲେ। ଅର୍ଜୁନ ତାକୁ ନେଇ ଚଉଦିଗ ଯାତ୍ରାକଲେ ।ମହାଭାରତ ଯୁଦ୍ଧରେ ତ ଅନେକ ପରାକ୍ରମୀ ରାଜା ନିଃସନ୍ଦେହ ମୃତ୍ୟୁବରଣ କରିଥିଲେ। ତଥାପି ଯେଉଁ ଅଳ୍ପକେତକ ରାଜା ଥିଲେ କେଉଁଠି ଆସ୍ପର୍ଦ୍ଧା କରି ପ୍ରତିବାଦ ଓ ପ୍ରତିରୋଧ କଲେ, କୁବଳୟା ଅଶ୍ଵ ମଣିଷ ସ୍ଵରରେ କୁହେ – “ମୁଁ ଅଶ୍ୱିନୀ କୁମାରଙ୍କ ଅଶ୍ଵ ।ଅଶ୍ଵମାନଙ୍କ ମଧ୍ୟରେ ମୁଁ ରାଜା। ଅଶ୍ଵମେଧ ଯଜ୍ଞରେ ଅଶ୍ଵ କରି ମୋତେ ନେଇ ଅର୍ଜୁନ ଆସିଛନ୍ତି। କେହି ପ୍ରତିରୋଧ କଲେ, ଅର୍ଜୁନଙ୍କ ବାଣରେ ସମ୍ମୁଖୀନ ହେବାକୁ ହେବ।” ଏକଥା ଶୁଣି ଡରରେ ସମସ୍ତେ ବାଟ ଛାଡି ଦିଅନ୍ତି।
ଏହିପ୍ରକାର କ୍ରମଶଃ ଅର୍ଜୁନ ଅଗ୍ରସର ହେଉଥାନ୍ତି। କିନ୍ତୁ ଯେତେବେଳେ ସେ ଜେନାମଣି ନଗରରେ ପ୍ରବେଶ କଲେ ଭୀଷଣ ପ୍ରତିରୋଧର ସାମ୍ନା କଲେ ।ସେଠାକାର ରାଜା ବବ୍ରୁବାହାନ ଥାଆନ୍ତି ।ସେ ଯଜ୍ଞ ଅଶ୍ଵକୁ ଅଟକାଇଲେ ।ତେଣୁ ଅର୍ଜୁନ ଓ ତା ଭିତରେ ଭୀଷଣ ଯୁଦ୍ଧ ହେଲା। ଶେଷରେ ବବ୍ରୁବାହନ ଅର୍ଜୁନଙ୍କ ଉପରେ ବ୍ରହ୍ମଶର ପ୍ରୟୋଗ କଲେ। ତା ଦେଖି ଅର୍ଜୁନ ତା ଉପରେ ନାରାୟଣ ଶର ପ୍ରୟୋଗ କଲେ। ଫଳରେ ଉଭୟ ସଂଜ୍ଞାହୀନ ହୋଇପଡ଼ିଲେ। ପରିସ୍ଥିତି ସଙ୍ଗିନୀ ହେଲା ।ବ୍ୟାସ ଏହା ଜାଣିପାରି ସେଠାରେ ପହଞ୍ଚିଲେ ।ସେ ସଞ୍ଜିବନୀ ମନ୍ତ୍ର ଯୋଗେ ଉଭୟଙ୍କୁ ସଂଜ୍ଞାନ କଲେ ।ଉଭୟଙ୍କର ପରିଚୟ ହେଲା ।ପିତା ପୁତ୍ରଙ୍କର ମିଳନ ହେଲା ।
ପ୍ରକୃତ କଥା ହେଉଛି ଏକଦା ଅର୍ଜୁନ ଯେତେବେଳେ ହିଙ୍ଗୁଳା ମନ୍ଦିରରେ ଥିଲେ, ଶତଧନୁ ଶର ଅର୍ଜୁନ ପାଖରେ ଶରଣ ପଶିଥିଲା। ଆଉ ଶତୃ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମଣିପୁରର ଶବର ରାଜା ଚିତ୍ରାଙ୍ଗଦା ମଧ୍ୟ ତାଙ୍କର ଶରଣ ପଶିଥିଲା।ଅର୍ଜୁନ ତାଙ୍କୁ ସେ ବିପଦ କାଳରୁ ରକ୍ଷା କରିଥିବାରୁ, ଚିତ୍ରାଙ୍ଗଦା ନିଜ କନ୍ୟା ଉଲୁପି ସହିତ ତାଙ୍କର ବିଭାହ କରାଇଥିଲେ। ତେଣୁ ବବ୍ରୁବାହନ ଅର୍ଜୁନ ଓ ଉଲୁପିର ସନ୍ତାନ। ତେଣୁ ପରିଚୟ ମିଳିବାରୁ ପିତାପୁତ୍ର କୋଳାଗ୍ରତ ହେଲେ ।
ଏଥିରୁ ଗୋଟିଏ କଥା ଆପତତଃ ସ୍ପଷ୍ଟ ଯେ, ଯେତେ ପରାକ୍ରମୀ ଓ ପରାଭୂତ ରାଜାଙ୍କର ପତନ ହେଉନା କାହିଁକି ତଥାପି ଶକ୍ତି ଓ ସାମର୍ଥ୍ୟର ନିଦର୍ଶନ କେଉଁଠି ନା କେଉଁଠି ଦେଖିବାକୁ ମିଳେ ।
ମୂଢାସୁର ବି ନିଜେ ଗୋଟେ ଶକ୍ତିର ନିଦର୍ଶନ । ତେଣୁ କୁହଯାଏ, ତାମଡା ଉପରେ ତାମଡା। ଯେତେ ଯେତେ ଶକ୍ତିର କ୍ଷୟ ହେଉଥାଏ ସେତେ ସେତେ ନୂତନ ଶକ୍ତିର ବି ପୁଣି ଉତ୍ପନ୍ନ ହୁଏ ।
ମୂଢାସୁର ବାସ୍ତବରେ ସେହିପ୍ରକାର ଜଣେ ଶକ୍ତିଶାଳୀ ଦୈତ୍ୟ ।ତାଙ୍କୁ ଯାଇ ତା ମନ୍ତ୍ରୀ କହିଲେ, ପାଣ୍ଡବମାନେ ଅଶ୍ଵମେଧ ଯଜ୍ଞ କରୁଛନ୍ତି ।ସବୁ ରାଜାମାନଙ୍କୁ ଡାକିଛନ୍ତି। ଆଉ ମଧ୍ଯ କହିଲେ, କୃଷ୍ଣଙ୍କର ଏବେ ବଳ କ୍ଷୟ ହୋଇଗଲାଣି।
ମୂଢାସୁର କହିଲା, ମୁଁ ବି ଜଣେ ରାଜା। ମୋତେ କାହିଁକି ନିମନ୍ତ୍ରଣ କରାଗଲା ନାହିଁ।
ତେଣୁ ସେ କ୍ରୋଧିତ ହୋଇ ଯଜ୍ଞ ଭାଙ୍ଗିବାକୁ ଯଜ୍ଞସ୍ଥଳକୁ ଗଲା। ତା ସାଥିରେ ତା’ର ପ୍ରବଳ ପ୍ରତାପୀ ଚାରିଜଣ ସେନାପତି ଗଲେ ।ସେମାନେ ହେଲେ-କାଳଦଣ୍ଡ, ଯମଦଣ୍ଡ, ନରଦଣ୍ଡ ଓ ଦେବଦଳନ ।ସେମାଙ୍କ ସହ ଭୀମ, ନକୁଳ ଓ ସହଦେବ ପ୍ରବଳ ଯୁଦ୍ଧ କଲେ। ଫଳରେ ମୂଢାସୁରର ବହୁ ସୈନ୍ୟ ମୃତାହତ ହେଲେ ।ତା’ ର ଚାରି ସେନାପତିଙ୍କ ଆଘାତରେ ଏ ତିନି ଭ୍ରାତା ମୂର୍ଚ୍ଛା ଗଲେ ।ଏହା ଶୁଣି ମୂଢାସୁର ସହ ଯୁଦ୍ଧ କରି ଅର୍ଜୁନ ତା’ର ତିନି ସେନାପତିଙ୍କୁ ମାରି ପକାଇଲେ ।କିନ୍ତୁ ମୂଢାସୁରକୁ ହରାଇବା ଅସମ୍ଭବ ପ୍ରତୀତ ହେଉଥିଲା ।ତେଣୁ ନାରଦ ଯାଇ ବଳରାମଙ୍କୁ ଏ ସମ୍ବାଦ ଦେଲେ। ବଳରାମ ଆସି ତୁମୁଳ ଯୁଦ୍ଧ କରି ଦେବଦଳନକୁ ମାରି ପକାଇଲେ ।ଏଥିରେ ମୂଢାସୁର ରାଗିଯାଇ ବଳରାମଙ୍କୁ ନିସ୍ତୁକ ମାଡ଼ ଦେବାରୁ ବଳରାମ ମୂର୍ଚ୍ଛିତ ହୋଇଗଲେ ।ନାରଦଠାରୁ ଏ ସମାଚାର ଶ୍ରୀକୃଷ୍ଣ ପାଇଲେ ।ସେ ମଧ୍ଯ ମୂଢାସୁରକୁ ହରାଇବାର ଅସଫଳ ହେଲେ ।ଓଲଟା ମୂଢାସୁରର ଅସ୍ତ୍ରାଘାତରେ ଶ୍ରୀକୃଷ୍ଣ ନିଜେ ମୂର୍ଚ୍ଛା ଗଲେ।
ଏହିଭଳି ପରିସ୍ଥିତି ଆହୁରି ସଙ୍କଟାପନ୍ନ ହେଲା। ନାରଦ କିଛି ଉପାୟ ନପାଇ ଆସ୍କନ୍ଦ ବନକୁ ଗଲେ ।ସେଠାକୁ ଯାଇ ଯାଇ ହନୁମାନକୁ କହିଲେ, କି ମୂଢାସୁର ପାଣ୍ଡବମାନଙ୍କୁ ଆକ୍ରମଣ କରିଛି। ଶ୍ରୀକୃଷ୍ଣ, ବଳରାମ, ଭୀମ, ନକୁଳ ଓ ସହଦେବ ଧରାଶାୟୀ ହୋଇ ମୂର୍ଚ୍ଛା ପଡ଼ିଛନ୍ତି ।କେବଳ ଅର୍ଜୁନ ଏକୁଟିଆ ଲଢୁଛି ।ସେ ତୁମ ଦ୍ଵାରା କେବଳ ମୃତ୍ଯୁବରଣ କରିବ। ହନୁମାନ ତତ୍କ୍ଷଣାତ୍ ଯୁଦ୍ଧ ସ୍ଥଳରେ ଉପସ୍ଥିତ ହେଲେ। ସେ ବହୁ ଲଢ଼ିଲା ପରେ ବି ମୂଢାସୁରର ମୃତ୍ୟୁ ହେଲା ନାହିଁ।
ତେଣୁ ସହଦେବ ହନୁମାନକୁ ମୂଢାସୁରର ମୃତ୍ୟୁଭେଦ କହିଲା, ମୂଢାସୁର ଶିବଙ୍କୁ ପୂଜି ବହୁ ବର ପାଇଥିଲା। ତାହା ଦେଖି ଏକଦା ବ୍ରହ୍ମା ବ୍ରାହ୍ମଣ ରୂପରେ ଆସି ତାକୁ ପଚାରିଲେ, କ’ଣ ସବୁ ବର ଶିବଙ୍କ ପାଖରୁ ପାଇଲ ।
ମୂଢାସୁର କହିଲା, ସକାଳୁ ସନ୍ଧ୍ଯା ଯାଏ ବହୁ ବର ମାଗିଲା।ଶିବ ତଥାସ୍ତୁ କହିଲେ ।
ବ୍ରହ୍ମା ପୁଣି କହିଲେ, ସବୁ ମାଗିଲ ଯେ, ହେଲେ ତୁମର ମୃତ୍ୟୁଭେଦ ମାଗିଛି କି ନାହିଁ ।
ତେଣୁ ସେ ବ୍ରହ୍ମାଙ୍କ କଥାରେ ଭ୍ରମିତ ହୋଇ ଶିବଙ୍କୁ ଯାଇ ନିଜ ମୃତ୍ୟୁଭେଦ ମାଗିଲା ।ଶିବ କହିଲେ, କୌଣସି ବାନର ମୂଢାସୁରର ବାମ ପାଦ ବୁଢ଼ା ଅଙ୍ଗୁଳିକୁ ତା’ର ମୁଖରେ ରଖିଲେ ସେ ମରିବ।
ତେଣୁ ହନୁମାନ ସହଦେବଠାରୁ ଏ ମୃତ୍ୟୁ ଭେଦ ଜାଣି ମୂଢାସୁରକୁ ମାଡ଼ିବସି ତା’ର ବାମ ପାଦର ବୁଢ଼ା ଅଙ୍ଗୁଳିକୁ ନିଜ ମୁଖରେ ରଖିଲାରୁ ତା’ର ମୃତ୍ୟ ହେଲା ।
ଯୁଦ୍ଧର ଭୟବହତା ପରେ ଶାନ୍ତି ଆସିଲା। ମୂର୍ଚ୍ଛିତମାନେ ଉଠିଲେ ।ଯଜ୍ଞ ସମାପ୍ତ ହେଲା ।ପାଣ୍ଡବମାନେ ଯେତେ ହତ୍ୟାଦୋଷ କରିଥିଲେ ସେ ସବୁରୁ ମୁକ୍ତି ପାଇଲେ ।ପାତକ ନାଶ ହେଲା।
27.ଲକ୍ଷଣା
ଝିମାଣି ଖେଳରୁ ମହାଭାରତ ଓ ଭୀମଙ୍କ ଦୁର୍ଯ୍ଯୋଧନକୁ ଗୋଲକପୁତ୍ରର ଆକ୍ଷେପୁକ୍ତିକୁ ଭିତ୍ତି କରି ଉଭୟଙ୍କ ଭିତରେ ଭୟଙ୍କର ଭାତୃ ବିବାଦ ଦେଖାଦେଲା ।ଯାହା ପରେ ଉଗ୍ରରୂପ ଧାରଣ କଲା। ଫଳରେ ପ୍ରାଥମିକ ପର୍ଯ୍ୟାୟରେ ଷଡଯନ୍ତ୍ର ହିଁ ମୁଖ୍ୟ ଆୟୁଧ ହେଲା ।ଏମାନଙ୍କ କଳିଗୋଳ ଦେଖି ଭୀଷ୍ମ ଦିନେ କହିଲେ, ଆଉ ଏକାଠି ରହିବା ସମ୍ଭବପର ନୂହେଁ। ବରଂ ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ରହନ୍ତୁ ।ସେୟା ବି ହେଲା ।ମାତ୍ର ଇନ୍ଦ୍ରପ୍ରସ୍ଥରେ ରହିଲେ ବି ଯିବା ଆସିବା ଲଗି ରହିଥିଲା।
ଏଣେ ଦୁର୍ଯ୍ଯୋଧନ ପାଣ୍ଡବମାନଙ୍କୁ ବିନାଶ କରିବା ପାଇଁ ମସୁଧା ଚଳାଇ ରଖିଲା। ଏହି ବିନାଶ ଚିନ୍ତା କରିକରି ଦିନେ ସେ କର୍ଣ୍ଣ, ଅଶ୍ଵତ୍ଥାମା ଶକୁନି ଆଦି ସହ ବନରେ ବିଚରଣ କରୁଥିଲା ।ସେଠାରେ ପୁରୋଚନ ପଣ୍ଡା ସେମାନଙ୍କୁ ଦେଖିଲା। ତାଙ୍କ ମସ୍ତକରେ ବିବ୍ରତତାର ଛାପ ସ୍ପଷ୍ଟ ବାରି ହୋଇ ପଡୁଥିଲା। ପୁରୋଚନ ତାଙ୍କୁ ବିବ୍ରତତାର କାରଣ ପଚାରିଲା ଆଉ ଆଶ୍ୱସନା ବି ଦେଇ ଉପାୟ ବତାଇଲା।କହିଲା, ଜତୁଗୃହ ନିର୍ମାଣ କରି ସେଥିରେ ପାଣ୍ଡବମାନଙ୍କୁ ପୋଡ଼ି ମାରିବା ।ସମସ୍ତଙ୍କୁ କଥାଟା ମନକୁ ପାଇଲା।
ଘୃତ, ଛଣ, ଲାଖ ଇତ୍ୟାଦି ଦହନଶୀଳ ପଦାର୍ଥରେ ଗୃହ ନିର୍ମିତ ହେଲା ଗୃହ ନିର୍ମାଣ ପରେ ଧୃତରାଷ୍ଟ୍ରଙ୍କ ଦ୍ଵାରା ପ୍ରବର୍ତ୍ତାଇ ପାଣ୍ଡବମାନଙ୍କୁ ସେଠାରେ ରଖାଇବାକୁ ସେମାନେ ସଫଳ ହେଲେ। ପ୍ରଥମେ ପ୍ରଥମେ ପାଣ୍ଡବମାନେ ଖୁସିହେଲେ, ଯାହାହେଉ ଦୁର୍ଯ୍ଯୋଧନର ମନ ବୋଧେ ପରିବର୍ତ୍ତିତ ହୋଇଛି। ନହେଲେ ସେମାନଙ୍କ ପାଇଁ କାହିଁକି ଏତେ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କଲା।ତେଣୁ ପ୍ରୀତିଭାଗ ବଢ଼ିଲା ।ଏହି ବାରୁଣାବତରେ ଅବସ୍ଥାନ ସମୟରେ ସେମାନେ ମୃଗ, ଗଣ୍ଡା ଆଦି ଶିକାର କରି ଜ୍ଯେଷ୍ଠ ପିତାଙ୍କୁ ମଧ୍ଯ ଭେଟିଦେଇ ଚାଲିଲେ।
ସେମାନେ ବାରୁଣାବତରେ ଅବସ୍ଥାନ ଦେଖି ଧୃତରାଷ୍ଟ୍ର ଦୁର୍ଯ୍ଯୋଧନର ଅଭିଷେକ ଚିନ୍ତା କଲେ। କିନ୍ତୁ ଭୀଷ୍ମ ଓ ବିଦୁର କହିଲେ ଜ୍ଯେଷ୍ଠପୁତ୍ର ଯୁଧିଷ୍ଠିର ଥିବାରୁ ତାହା ସମ୍ଭବ ନୂହେଁ। ଏଥିରେ ଦୁର୍ଯ୍ଯୋଧନ ପୁଣି ପ୍ରତିକ୍ରିୟାଶୀଳ ହେଲା ।ଭୀମକୁ ମଧ୍ୟ ବିଷ ଲଡୁ ଖୁଆଇ ନଦୀ ଗର୍ଭକୁ ଫିଙ୍ଗି ମାରିବାର ଅପଚେଷ୍ଟା କରିଥିଲା।
ଏଥର ଜତୁଗୃହରେ ପୋଡ଼ି ମାରିବାର ଶେଷ ନିଷ୍ପତ୍ତି ନେଲା। ପ୍ରଥମେ ପୁରୋଚନ ସୂପକାର ଦ୍ଵାରା ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ବିଷ ମିଶାଇ ପାଣ୍ଡବମାନଙ୍କୁ ପରସା ଗଲା ।ଧର୍ମରାଜ ଏହି ଅତ୍ୟାଧିକ ସତ୍କାର ବ୍ୟବସ୍ଥା ଦେଖି ସନ୍ଦେହ କଲାରୁ ସହଦେବକୁ ପଚାରିଲେ ।ସହଦେବ କହିଲାରୁ ସେମାନଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ସେ ଭଲ ଭାବେ ଅଭିହିତ ହେଲେ।ମାତ୍ର ଅର୍ଜୁନ ଓ ଭୀମଙ୍କ ପାଖରୁ ଏ ରହସ୍ଯ ଲୁଚାଇ ରଖିଲେ ।କାରଣ ସେମାନେ କ୍ରୋଧ ସମ୍ବରଣ ନକଲେ ଅଯଥା ଏଇଲାଗେ ଅନର୍ଥ ହେବ ।
ଭୀଷ୍ମଙ୍କୁ ପାଣ୍ଡବଙ୍କ ସୁରକ୍ଷା ଚିନ୍ତା ଘାରୁଥିବାରୁ ସେ ବାରୁଣାବତର ସବୁ କଥାକୁ ଗୁପ୍ତରେ ନଜର ରଖିବାକୁ ବିଦୁରକୁ ଆଦେଶ ଦେଇଥିଲେ ।ଏହି ସମୟରେ ସେଠାରେ ବିଦୁର ପହଂଚି ଉପଦେଶ ଦେଲେ ଏଥିରେ ଜ୍ୱଳନ ବସ୍ତୁ ବ୍ୟବହାର ହୋଇଥିବାରୁ ରୋଷେଇ ନକରି ଫଳମୂଳ ଖାଇବା ପାଇଁ ଓ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ।
ଖାଦ୍ୟ ରନ୍ଧନ ନହେବାରୁ ପୁରୋଚନ ଓ ଦୁର୍ଯ୍ଯୋଧନର ଚିନ୍ତାର କାରଣ ହେଲା। ତେଣୁ ପରବର୍ତ୍ତୀ ପଦକ୍ଷେପ ସ୍ଵରୂପ ପୁରୋଚନ ଜତୁଗୃହ ଚାରିପଟେ ବସ୍ତୁକାରମାନଙ୍କୁ ରଖି ବସ୍ତୁ ନିର୍ମାଣ ପାଇଁ ଶାଳ ରଚନା କଲା।
କାରଣ ଜତୁଗୃହରେ ଅଗ୍ନି ସଂଯୋଗ କରିବା ଉଦ୍ଦେଶ୍ୟ ଥିଲା ।ତାହା ଜାଣି ବିଦୁର ବନରେ ରାତ୍ରି ପରିକ୍ରମା କରୁଥିଲେ ।ତାଙ୍କୁ ଦେଖି ଖଲ୍ଯକାର ଇତଃସ୍ତତଃ ଧାଇଁ ପଳାଉଥିଲା ।।ତାଠୁଁ ତା’ର ବୃତ୍ତାନ୍ତ ପଚାରି ବୁଝିଲେ। ଜାଣିଲେ ସେ ସିନ୍ଧିକାଠି ସାହାଯ୍ୟରେ ଚୌର୍ଯ୍ଯବୃତ୍ତିକୁ ପରିଣାମ ଦିଏ । ଏହା ଜାଣି ଜତୁଗୃହରୁ ବାହାରିବା ପାଇଁ ଏକ ସୁଡଙ୍ଗ ନିର୍ମାଣ ପାଇଁ ସେ ଯୁଧିଷ୍ଠିର ପାଖକୁ ତାକୁ ଏକ ମୂଷିକ ସହ ପଠାଇଲେ। କାରଣ ମୂଷିକ ଗର୍ତ୍ତରେ ରହି ବନାଗ୍ନିରୁ ନିଜକୁ ରକ୍ଷା କରିପାରି ଥାଏ। ବିଦୁରଠାରୁ ଏ ଖବର ଶୁଣି ଶ୍ରୀକୃଷ୍ଣ ନିଜ ବାହୁରୁ ଦୁଇଜଣ ବ୍ୟକ୍ତିଙ୍କୁ ଆଦେଶ ଦେଲେ, ସୁଡ଼ଙ୍ଗ ଖୋଳାରେ ଯେତେ ମାଟି ବାହାରିବ ସବୁ ଭକ୍ଷଣ କରିଦେବ। କାରଣ ଜତୁଗୃହରୁ ନଦୀଯାଏ ଦୂରତା ଥିଲା ଏକାଦଶ ଯୁଣ। ତାହା ନକଲେ ଦୁର୍ଯ୍ଯୋଧନ ଗୁପ୍ତଚରଠାରୁ ଏ ସମାଚାର ପାଇଯାଇ ବିଘ୍ନ ସ୍ରୁଷ୍ଟି କରିବ ।
ସବୁକଥା ଗୁପ୍ତରେ ସଂଘଟିତ ହୋଇଗଲା ।ଖୋଳା କାର୍ଯ୍ୟ ସରିଲା ପରେ ପାଣ୍ଡବମାନେ ନିଜେ ଜତୁଗୃହରେ ଅଗ୍ନି ସଂଯୋଗ କରି ସୁଡ଼ଙ୍ଗ ଦେଇ ନଦୀ ପଠାରେ ସୁରକ୍ଷିତ ପହଂଚି ଗଲେ। ସେପଟେ ଏକମାତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ଦ୍ଵାରା ନିକଟରେ ପୁରୋଚନ ଜଗି ରହିଥିଲେ ମଧ୍ଯ କିଛି ସୁରାକ୍ ପାଇ ନଥିଲା। ପରନ୍ତୁ ଅତ୍ୟାଧିକ ମଦ୍ୟପାନ ଯୋଗୁ ନିଦରୁ ନଉଠିପାରି ସେ ନିଜେ ସେଇ ନିଆଁରେ ପୋଡିହୋଇ ମଲା। ପୂର୍ବ ରାତିରେ ପଣ୍ଡବମାନଙ୍କ ଆଶ୍ରୟ ନେଇଥିବା ପାଞ୍ଚ ବ୍ରାହ୍ମଣପୁତ୍ର ଓ ତାଙ୍କ ମାତା ନିଦରୁ ନଉଠିବାରୁ ସେମାନେ ମଧ୍ଯ ମୃତ ହୋଇଥିଲେ। ମାତା ସମତେ ସେମାନଙ୍କ ଅସ୍ତି ଦେଖି କୌରବମାନେ ଭାବିଲେ ପାଣ୍ଡବ ମୃତ। ତେଣୁ ସେ ଖୁସିରେ ବିଭୋର ହୋଇଗଲା ।ଭୀଷ୍ମ ଏହା ଶୁଣି ଦୁଃଖିତ ହେଲେ। ଧୃତରାଷ୍ଟ୍ର ଦୁଃଖୀ ହେଲେ ବି ପୁତ୍ରମାନେ ନିଷ୍କଣ୍ଟକ ହେବା ଜାଣି ଆନନ୍ଦିତ ହେଲେ।
ପାଣ୍ଡବମାନେ ଦେଖିଲେ, ପ୍ରତି ପଦପାତରେ ସେମାନଙ୍କ ପ୍ରତି ବିପଦ ଅଛି। ତେଣୁ ଘୃଣା ଓ ଅସୂୟା ଭାବ ପୋଷଣ କରି କିଛିଦିନ ଏକାନ୍ତରେ ଗୁପ୍ତରେ ବନରେ ବିଚରଣ କରିବାକୁ ଲାଗିଲେ ।ଏହି ରହଣି ସମୟରେ ଉତ୍ପାତ କରୁଥିବା ଅନେକ ଅସୁରଙ୍କୁ ମଧ୍ଯ ସେମାନେ ନିପାତ କରି ଧାରିଣୀ ଭାର ଉଶ୍ୱାସ କଲେ ।ଏହି ଭ୍ରମଣ କରୁଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବହୁ ଅସ୍ତ୍ର ଓ ଶକ୍ତି ମଧ୍ୟ ହାସଲ କରି ସେମାନେ ଅଧିକ ବଳଶାଳୀ ହେଲେ। ଯାହା ମହାଭାରତ ସମର ସମୟରେ ବହୁ କାମରେ ଆସିଥିଲା।
28.ମୋହାନ୍ଧ ଧୃତରାଷ୍ଟ୍ର
ଧୃତରାଷ୍ଟ୍ର ହେଉଛନ୍ତି ମହାଭାରତର ସବୁଠାରୁ ନୀନ୍ଦନୀୟ ଓ ବିବାଦୀୟ ଚରିତ୍ର । ସେ ହେଉଛନ୍ତି ଦୁର୍ବଳ ମାନସିକତାର । ଶାରୀରିକ ଦୃଷ୍ଟିକୋଣରୁ ହୃଷ୍ଟପୁଷ୍ଟ ଓ ଶକ୍ତିଶାଳୀ ହୋଇଥିଲେ ହେଁ ବିଚାରଧାରା ଓ ମାନସିକତା ଦୃଷ୍ଟିକୋଣରୁ ସନ୍ତୁଳନ ହରାଇ ବସିଥିବା ଏକ ବିକାରଗ୍ରସ୍ତ ମଣିଷ ହେଉଛନ୍ତି ଧୃତରାଷ୍ଟ୍ର। ଯେଉଁଥିପାଇଁ କି ସମସ୍ତ ବିଡ଼ମ୍ବନା ଓ ବିଘ୍ନର ସେ କାରଣ ପାଲଟିଛନ୍ତି। ସେ ବିକଳାଙ୍ଗ ହେତୁ ଅନ୍ଧ ଥିଲେ ସେ କଥା ଭିନ୍ନ କିନ୍ତୁ ପୁତ୍ର ପ୍ରତି ଅତିରିକ୍ତ ଆସକ୍ତି ହେତୁ ଯେ ମୋହାନ୍ଧ ଥିଲେ ଏକଥା କହିବା ଆଦୌ ଭୁଲ ହେବ ନାହିଁ। ଯେଉଁଥି ପାଇଁକି ସେ ଭୁଲ୍ ପରେ ଭୁଲ କରିଚାଲିଥିଲେ ଆଉ ତାଙ୍କ ଅଗଣିତ ଭୁଲକୁ ସହଜରେ ଗଣତି କରାଯାଇ ପାରିବ ନାହିଁ। ଏଇଥିପାଇଁ ମହାଭାରତରେ ସବୁଠାରୁ ନୀନ୍ଦନୀୟ ହେଉଛନ୍ତି ଧୃତରାଷ୍ଟ୍ର।ତେଣୁ ଅପକୀର୍ତ୍ତି ଓ ଅପଯଶ ସେ ମୁଣ୍ଡାଇବେ ତ ନିଶ୍ଚୟ ।
ରାଜମାତା ସତ୍ୟଭାମାଙ୍କ ପ୍ରରୋଚନାରେ ମାତା ଅମ୍ବିକା ସହ ବ୍ୟାସ ପ୍ରଣୟ ଲୀଳା ରଚନା କରିବାରୁ ଅମ୍ବିକା ଧର୍ମଦ୍ବନ୍ଦରେ ପଡି ଚାକ୍ଷୁ ମୁଦ୍ରିତ କରିବାରୁ ଧୃତରାଷ୍ଟ୍ର ଅନ୍ଧ ହୋଇ ଜନ୍ମ ଗ୍ରହଣ କଲେ।ବ୍ୟାସ ତାଙ୍କୁ ଦିବ୍ୟ ଚକ୍ଷୁ ଦେଲେ ଓ ଗାଲବ ପୁତ୍ର ସଞ୍ଜୟଙ୍କୁ ତାଙ୍କ ପାଖରେ ସଖା ଭବରେ ରଖିଲେ। ତେଣୁ ଅନ୍ଧପୁତ୍ରକୁ ଶତୃ କବଳରୁ ସୁରକ୍ଷିତ ରଖିବା ପାଇଁ ବ୍ୟାସ ପୁତ୍ରକୁ କୋଳାଗ୍ରତ କରି ତାଙ୍କ ଶରୀର ବଜ୍ର ହେଉ ବୋଲି ଆଶୀର୍ବାଦ ଦେଇଥିଲେ।ତେଣୁ ଶତ ସିଂହର ପରାକ୍ରମ ତାଙ୍କ ଶରୀରରେ ଥିଲା।
ସେ ଅନ୍ଧ ହେଲେ ବି ଅତ୍ୟନ୍ତ ପରାକ୍ରମୀ ଓ ବଳଶାଳୀ। ତେଣୁ ନିଜ ଶକ୍ତି ଓ ସାମର୍ଥ୍ୟ ନେଇ ତାଙ୍କର ନିଜ ଉପରେ ବହୁ ଅଭିମାନ ଓ ଅହଙ୍କାର ଥିଲା ଯାହାର କୁପରିଣତି ଦିନେ ସମଗ୍ର ହସ୍ତିନାପୁରବାସୀଙ୍କୁ ଭୋଗିବାକୁ ପଡିଥିଲା।
ରାଜଭିଷେକ ପ୍ରସଙ୍ଗ ଉଠିବାରୁ ଭୀଷ୍ମ କହିଲେ ସେ ବଚନବଦ୍ଧ, ତେଣୁ ରାଜା ହୋଇପାରିବେ ନାହିଁ କେବଳ ହସ୍ତିନା ରାଜ ସିଂହାସନର ଦାସ ହୋଇରହିବେ। ଭୁରିଶ୍ରବା ପରାମର୍ଶ ଦେଲେ ଧୃତରାଷ୍ଟ୍ର ଅନ୍ଧ ହୋଇଥିବାରୁ ସେ ରାଜା ହେବା ପାଇଁ ଯୋଗ୍ୟ ନୁହଁନ୍ତି, ତେଣୁ ପଣ୍ଡୁଙ୍କର ଅଭିଷେକ ହେଲା। ଧୃତରାଷ୍ଟ୍ର କିନ୍ତୁ ଗାନ୍ଧାରୀଙ୍କ ସହ ଅନ୍ତଃପୁରରେ ରାଜା ହୋଇ ନପାରିବାରୁ ବିଳାପ କରୁଥିଲେ।
ରାଜା ହେବାର ମହତ୍ତ୍ଵାକାଂକ୍ଷା ତାଙ୍କ ଭିତରେ ପ୍ରବଳ ବଳବତ୍ତର ହେଉଥିଲା। ଏପରି ବଡ଼ ହୋଇ ଅନ୍ଧତ୍ତ୍ଵ ପାଇଁ ରାଜା ହୋଇ ନପାରିବାରୁ ନିଜ ଜନ୍ମତ୍ବକୁ ସେ ଧିକ୍କାର କରୁଥିଲେ। ଗାନ୍ଧାରୀ ତାଙ୍କୁ ପ୍ରବୋଧନା ଦେଲେ ମଧ୍ୟ ସେ ବୁଝୁ ନଥିଲେ।
ପଣ୍ଡୁ ଦୀଗ୍ବୀଜୟୀରୁ ଫେରି ଭାଇର ଦର୍ଶନାଭିଲାଷୀ ହୋଇ ଧୃତରାଷ୍ଟ୍ରଙ୍କ ସଦନରେ ଉପସ୍ଥିତ ହେଲା ବେଳେ ଏଇ କଥା ଶୁଣି ଦୁଃଖୀ ହେଲେ ଓ ରାଜ ସିଂହାସନ ଭାଇକୁ ଦେଇ କୁନ୍ତୀଙ୍କ ସହ ବନବାସ ଚାଲିଗଲେ।
ପୁଣି ପଣ୍ଡୁ ଙ୍କ ବନବାସ ସମୟରେ ଯେତେବେଳେ ଯୁଧିଷ୍ଠିର ଜନ୍ମ ହେବା ସମ୍ବାଦ ପାଇ ସମସ୍ତେ ଉତ଼୍ଙଫୁଲ୍ଲିତ ହୋଇ ଉଠିଲେ, ସେତେବେଳେ କିନ୍ତୁ ଧୃତରାଷ୍ଟ୍ର ଦୁଃଖରେ ମ୍ରିୟମାଣ ହୋଇଗଲେ ଯେ ନିଜର ସନ୍ତାନ ହେବା ପୂର୍ବରୁ ପଣ୍ଡୁଙ୍କର ପୁତ୍ର ହୋଇଥିବାରୁ ସେ ହସ୍ତିନାର ରାଜା ହେବ।
ସେ ତେଣୁ ସନ୍ତାନ ପ୍ରାପ୍ତି ପାଇଁ ପାଗଳପ୍ରାୟ ହେଲେ। ବ୍ୟାସ ଯଜ୍ଞ କରିବାକୁ କହିଲେ। ଯଜ୍ଞରେ ଆହୂତି ଶେଷେ ଦୁର୍ବାସା ବର ମାଗିବାକୁ କହିବାରୁ ସେ ଶତପୁତ୍ର କାମନା ରଖିଲେ ଓ ତାହା ବି ଫଳପ୍ରଦ ହେଲା ।
ଭୀଷ୍ମ ପ୍ରଥମେ ଓ ପରେ ଗୁରୁ ଦ୍ରୋଣାଚାର୍ଯ୍ୟ ରାଜପୁତ୍ର ମାନଙ୍କୁ ପ୍ରଶିକ୍ଷିତ କଲେ। ପ୍ରଶିକ୍ଷଣ ଶେଷେ ରାଜପୁତ୍ରମାନଙ୍କର ଅସ୍ତ୍ର ବିଦ୍ୟା କୌଶଳର ପରୀକ୍ଷଣ ନିମନ୍ତେ ରଙ୍ଗସଭାର ଆୟୋଜନ ହେଲା। ସେଥିରେ ଅର୍ଜୁନ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହେଲେ।
ତା’ପରେ ରାଜପୁତ୍ର ମାନେ ବେଶୀ କ୍ରୀଡା ପ୍ରିୟ ହୋଇଉଠିଲେ। ସେମାନେ ଇନ୍ଦ୍ରପ୍ରସ୍ଥ ର ଆଖଡାଶାଳରେ ଝିମାଣି ନାମକ ଖେଳ ରଚନା କରି ଖେଳରେ ମାତିରହିଲେ।
ଖେଳରୁ ଭାତୃ ବିବାଦ ଉପୁଜିଲା। ପାରସ୍ପରିକ ଲଢେଇରେ ଭୀମ ସମସ୍ତ କୌରବ ମାନଙ୍କୁ ପ୍ରହାର କଲା। ସିଂହାସନଲୋଭୀ ଧୃତରାଷ୍ଟ୍ର ଯେତେବେଳେ ଦେଖିଲେ ଭୀମଠାରୁ କୌରବ ମାନେ ହାରିଛନ୍ତି, ସେତେବେଳେ ସେ ବଳରାମଙ୍କୁ ଅନୁରୋଧ କରି କୌରବମାନଙ୍କୁ ଗଦା ଯୁଦ୍ଧ ଶିଖାଇଲେ।
କିନ୍ତୁ ଭୀମ ସହ କୌରବମାନଙ୍କର ଶତ୍ରୁତା ସବୁବେଳେ ଲାଗିରହିଲା। ଭୀମ କରବୀର ପର୍ବତକୁ ଗଦାରେ ପିଟିପିଟି ବିଚୂର୍ଣ୍ଣ କରିଦେଲେ। ତାଙ୍କ ଗଦା ପ୍ରହରରେ ଆକାଶ ଧରିତ୍ରୀ ଓ ପାତାଳରେ କମ୍ପନ ସ୍ରୁଷ୍ଟି ହେଲା। ତାହା ଦେଖି ଧୃତରାଷ୍ଟ୍ରଙ୍କୁ ସୁରକ୍ଷା ଚିନ୍ତା ଘାରିଲା। ତେଣୁ ସେ ଭୀଷ୍ମଙ୍କୁ କହିଲେ ଏଠାରେ ପାଣ୍ଡବମାନେ ରହିଲେ ସଦା କଳିତକରାଳ ଲାଗିରହିବ। ତେଣୁ ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ଯାଇ ଅବସ୍ଥାନ କଲେ। କିନ୍ତୁ ସବୁଦିନେ ସେଠାରୁ ଆସି ରାଜସଭାରେ ଉପସ୍ଥିତ ହୁଅନ୍ତି। ତେଣୁ କଳି ଆଦୌ ପ୍ରଶମିତ ହେଲା ନାହିଁ। ଦୁର୍ଯ୍ଯୋଧନ ପାଣ୍ଡବମାନଙ୍କୁ ନୀଚ୍ଚା ଦେଖାଇବା ପାଇଁ ସେମାନଙ୍କ ପିତାମାନଙ୍କ ନାଁ ଧରି ଧର୍ମପୁତ୍ର, ପବନପୁତ୍ର ଇତ୍ୟାଦି ଡାକିଲେ। ଭୀମ ବି କୃଷ୍ଣଙ୍କ ପାଖରୁ ବୁଦ୍ଧି ନେଇ ଦୁର୍ଯ୍ଯୋଧନକୁ ଗୋଲାକପୁତ୍ର କହିଲେ। ଏହିପରି ଅପମାନ ସୂଚକ ଶବ୍ଦରେ ପରସ୍ପରର କ୍ରୋଧାଗ୍ନୀ ପ୍ରଜ୍ଜ୍ଵଳିତ ହେଲା।
ଦୁର୍ଯ୍ଯୋଧନ ପାଣ୍ଡବମାନଙ୍କର ଅନିଷ୍ଠ କରିବା ପାଇଁ ବିଭିନ୍ନ ମନ୍ଦ ଓ ଘାତକ ଚିନ୍ତା ଧାରାରେ ଅହରହ ବ୍ୟାପୃତ ରହିଲା। ବାରଣାବତଠାରେ ପୁରୋଚନା ପଣ୍ଡା ସୂପକାରଙ୍କ ପ୍ରରୋଚନାରେ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରି ସେଠାରେ ପାଣ୍ଡବମାନଙ୍କୁ ଅବସ୍ଥାନ କରାଇଲେ। ଉଦ୍ଦେଶ୍ୟ ସେଇ ଜତୁଗୃହରେ ବିଶ ଦେଇ ଓ ପୋଡ଼ି ପାଣ୍ଡବମାନଙ୍କୁ ମାରିବା। ସେଠାରେ ସେମାନଙ୍କ ରହଣି ଦେଖି ଧୃତରାଷ୍ଟ୍ର ଦୁର୍ଯ୍ଯୋଧନର ଅଭିଷେକ ପାଇଁ ଚିନ୍ତା କଲେ। ଭୀଷ୍ମ ଓ ବିଦୁର କହିଲେ ଯୁଧିଷ୍ଠିର ଜ୍ଯେଷ୍ଠ ଥାଉଥାଉ ଏପରି କଲେ ଜନ ଅସନ୍ତୋଷ ଦେଖାଦେବ। ଧୃତରାଷ୍ଟ୍ରଙ୍କ ନିଜ ପୁତ୍ରକୁ ରାଜା କରେଇବାର ବୃହତ୍ ଅଭିଳାଷକୁ ଧକ୍କା ଲାଗିଲା।
ସେ ପାଣ୍ଡବମାନଙ୍କ ଉପରେ କ୍ରୋଧିତ ଥିଲେ ବି ଚଳନା ପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଦିନେ ଭୀମ ଜ୍ଯେଷ୍ଠ ପିତାଙ୍କୁ ପ୍ରଣାମ କରି ରାଜସଭାରେ ଆସନ ଗ୍ରହଣ କଲେ। ଧୃତରାଷ୍ଟ୍ର ଦୁର୍ଯ୍ଯୋଧନକୁ କହି ତାଙ୍କ ପାଇଁ ଖାଦ୍ୟ ପ୍ରାବନ୍ଧନ କଲେ। ସେଥିରେ ପୁରୋଚନା ପଣ୍ଡା ସୂପକାରକୁ କହି ବିଶ ଲଡୁ ପରସା ଗଲା।ଭୀମ ଅଚେତ ହୋଇପଡ଼ିବା ଯୋଗୁ ତାଙ୍କ ଶରୀରରେ ପଥର ବାନ୍ଧି ତାଙ୍କୁ ନଦୀରେ ବୁଡ଼ାଇ ଦେଲେ।
ସେଠାରେ ସେ ଅନନ୍ତ ନାଗ ଓ ତାଙ୍କ କନ୍ୟା ବେଳାବାଳୀ ଯୋଗୁ ଜୀବନ ପାଇଲେ। ତା’ପରେ ନାଟକୀୟ ଘଟଣାକ୍ରମେ ଭୀମଙ୍କ ଦ୍ଵାରା ପାଣ୍ଡବାସୁର ବଧ୍ୟ ଓ କୌରବମାନଙ୍କୁ ରକ୍ଷା କଥା କୌରବ ମାନେ ଯାଇ ଧୃତରାଷ୍ଟ୍ରଙ୍କୁ କହିଲେ। ଏଥିରେ ପିତା ଭାବେ ଯେତେଟା ଖୁସି ହେବା କଥା ଧୃତରାଷ୍ଟ୍ର ହେବା କଥା ନହୋଇ ଓଲଟା ଭୀମ ବଞ୍ଚି ଯାଇଥିବା କଥା ଶୁଣି କୌରବମାନେ ଅସୁରକ୍ଷିତ ହୋଇ ଗଲେ ମନେକରି ସେ ଚିନ୍ତାଗ୍ରସ୍ତ ହେଲେ।
ପୁଣି ଜତୁଗୃହରେ ଦାହହୋଇ ପାଣ୍ଡବମାନେ ମୃତହେବା କଥା ଜାଣି ଧୃତରାଷ୍ଟ୍ର ଭାତୃପୁତ୍ରମାନଙ୍କ ବିୟୋଗରେ ଦୁଃଖୀ ହେଲେ ହେଁ ନିଜ ପୁତ୍ରମାନେ ନିର୍ଦ୍ଵନ୍ଦରେ ରାଜୁତି କରିପାରିବା କଥା ଭାବି ଆନନ୍ଦିତ ଥିଲେ।
ତେଣୁ ସେ ପାଣ୍ଡବମାନଙ୍କର ପ୍ରେତକ୍ରିୟା ସମ୍ପାଦନ କଲେ ଓ ସେଇ ସୁଯୋଗରେ ବି ଦୁର୍ଯ୍ଯୋଧନର ଅଭିଷେକ କରାଇବାକୁ ସକ୍ଷମ ହେଲେ। ପୁଣି ଦ୍ରୌପଦୀଙ୍କ ସ୍ଵୟମ୍ବର ହେତୁ ପଣ୍ଡବମାନେ ବଞ୍ଚିଥିବା କଥା ଜଣାପଡିବାରୁ ସମସ୍ତେ ଆନନ୍ଦିତ ହେଲେ। କିନ୍ତୁ ବିଦୁର ଓ ଭୀଷ୍ମ ସେମାନଙ୍କୁ ଅର୍ଦ୍ଧେକ ରାଜ୍ୟ ଫେରାଇବା କଥା କହିବାରୁ ଧୃତରାଷ୍ଟ୍ର କଷ୍ଟବୋଧ କଲେ।ବାଧ୍ୟ ବାଧକତାରେ ବଡ଼ କଷ୍ଟରେ ତାହା ଫେରାଇଲେ।
ଏହାପରେ ପାଣ୍ଡବମାନେ ରାଜସୂୟ ଯଜ୍ଞ କଲେ। ଯଜ୍ଞ ପରେ ଜ୍ଯେଷ୍ଠମାନଙ୍କୁ ଭେଟିବାକୁ ହସ୍ତିନା ଆସିଲେ। ସେଠାରେ କୌଶଳ କ୍ରମେ ଶକୁନି ଓ ଦୁର୍ଯ୍ଯୋଧନ ପଶା ଖେଳିବାକୁ ଅନୁରୋଧ କଲେ। ଯୁଧିଷ୍ଠିର ପଶା ଖେଳି ଧନ ସମ୍ପତ୍ତି, ରାଜ୍ୟ ରାଜ ସିଂହାସନ, ଭାଇ ଓ ପତ୍ନୀ ଙ୍କୁ ହରାଇଲେ। ଦୁର୍ଯ୍ଯୋଧନ ଓ ଦୁଃଶାସନ ସମସ୍ତଙ୍କ ସମ୍ମୁଖରେ ଦ୍ରୌପଦୀ ଙ୍କ ବସ୍ତ୍ର ହରଣ ଲୀଳା ରଚିଲେ। ଧୃତରାଷ୍ଟ୍ର ପୁତ୍ର ମାନଙ୍କ ପାପକର୍ମର ମୂକ ସାକ୍ଷୀ ସିନା ହେଲେ ହେଲେ ପ୍ରତିରୋଧ କଲେ ନାହିଁ। କିନ୍ତୁ ଯେତେବେଳେ ଦ୍ରୌପଦୀଙ୍କ କ୍ରୋଧାଗ୍ନିରେ ହସ୍ତିନାପୁର ଜଳିବାକୁ ଲାଗିଲା ସେତେବେଳେ ଯାଇ ଚେତନା ପଶିଲା। ସେ ଦ୍ରୌପଦୀଙ୍କୁ ଅନୁରୋଧ କଲେ ଓ କହିଲେ ପ୍ରତିବଦଳରେ ଯାହା ମାଗିବ ସେ ଦେବେ। ତହୁଁ ପାଣ୍ଡବମାନେ ପୁନଃ ସବୁକିଛି ଫେରି ପାଇଲେ ଓ ହସ୍ତିନାପୁର ବି ରକ୍ଷା ପାଇଲା।
କିଛିଦିନର ବିରାମ ପରେ ପୁନର୍ବାର ଯୁଧିଷ୍ଠିରଙ୍କୁ ପଶା ଖେଳେଇ ଦୁର୍ଯ୍ଯୋଧନ ଓ ଶକୁନି ପରାସ୍ତ କଲେ। ଫଳରେ ବାର ବର୍ଷ ପାଇଁ ପାଣ୍ଡବମାନେ ସବୁକିଛି ହରେଇ ବନବାସ ଗଲେ। ଏଥିଯୋଗୁ ବିଦୁର ଓ ସଂଜୟ ଦୁହେଁ ଧୃତରାଷ୍ଟ୍ରଙ୍କ ଅପାରଗତାକୁ ଦାୟୀ କଲେ।ଏହାହିଁ ମହାଭାରତ ଯୁଦ୍ଧର ବିପରୀତ ପରିଣତି ଆଡକୁ ସମସ୍ତଙ୍କୁ ଟାଣି ନେଉଥିଲା। ତଥାପି ଧୃତରାଷ୍ଟ୍ର ପୁତ୍ରମାନଙ୍କ ଅପକ୍ରମକୁ ଘୋଡ଼ାଇ ଚାଲିଥିଲେ, ଯାହା ପରେ ମହା ବିପତ୍ତିକୁ ସୂଚିତ କରୁଥିଲା।
ପାଣ୍ଡବମାନେ କାମ୍ୟକ ବନରେ ବନବାସ କରୁଥିଲା ବେଳେ ଦୁର୍ଯ୍ୟୋଧନ ଛଳନାରେ ପାଣ୍ଡବମାନଙ୍କୁ ଭେଟି ଉପହାସ କରିବାକୁ ଚାହିଁଲା। ସମସ୍ତେ ବାରଣ କରୁଥିଲେ ମଧ୍ୟ ଧୃତରାଷ୍ଟ୍ର ଅନୁମତି ଦେଲେ। ଫଳତଃ ବିଡ଼ମ୍ବନା ବଶତଃ ଇନ୍ଦ୍ର ପୁତ୍ର ଚିତ୍ରସେନ ଦ୍ଵାରା ପରାସ୍ତ ହୋଇ ଦୁର୍ଯ୍ଯୋଧନ ଅପମାନର ଶିକାର ହେଲେ ।
ଅଜ୍ଞତାବାସ ଶେଷରେ ବିରାଟ ରାଜ୍ୟରେ ଯୁଧିଷ୍ଠିରଙ୍କ ଅଭିଷେକ ହେଲା। ତାଙ୍କୁ ହସ୍ତିନା ଫେରି ଆସିବାକୁ ଧୃତରାଷ୍ଟ୍ର ଅବଶ୍ଯ ଚାହିଁଲେ। କିନ୍ତୁ ଶକୁନିର ମନ୍ଦ ଉଦ୍ଦେଶ୍ୟ ଯୋଗୁ ତାହା ଚରିତାର୍ଥ ହେବାକୁ ଦୁର୍ଯ୍ଯୋଧନ ଦେଲେ ନାହିଁ। ଶେଷରେ ସୌମ୍ୟକ, କୃଷ୍ନ ଓ ବିଦୁର ମଧ୍ୟ ମଧ୍ୟସ୍ଥି କରି ବିଫଳ ହେଲେ। ଅର୍ଦ୍ଧେକ ରାଜ୍ୟ ଫେରାଇବା କଥା ଦୂରେ ଥାଉ ଖଣ୍ଡେ ପଡା ମଧ୍ୟ ବିନା ଯୁଦ୍ଧରେ ଦେବାକୁ ଦୁର୍ଯ୍ଯୋଧନ ରାଜି ହେଲେ ନାହିଁ। ତେଣୁ ମହାଭାରତ ମହାସମର ହେଲା ।ଯୁଦ୍ଧ ଭୂଇଁରେ ଜ୍ଯେଷ୍ଠ ପିତା ଧୃତରାଷ୍ଟ୍ରଙ୍କୁ ପ୍ରଣାମ କରି ଯୁଧିଷ୍ଠିର ସମାନ ପ୍ରସଙ୍ଗ ଦୋହରାଇଲେ। ଖଣ୍ଡେ ପଡ଼ା ଦେଲେ ବି ସେ ଯୁଦ୍ଧ ଟାଳି ଦେବେ। ତାହା ସମ୍ଭବ ନହେବାରୁ ଯୁଦ୍ଧ ଅବଶ୍ୟମ୍ଭାବୀ ହେଲା। ଧୃତରାଷ୍ଟ୍ର ପୂତ୍ରର ଏ ଅନୈତିକ ନିଷ୍ପତ୍ତି ଉପରେ ନା କିଛି ପ୍ରତିବନ୍ଧକ ଲଗାଇ ପାରିଲେ ନା ତାଙ୍କୁ ଏଥିରୁ ନିବୃତ୍ତ କରାଇ ପାରିଲେ। ଯୁଦ୍ଧର ଧାରା ବିବରଣୀ ସେ ପ୍ରତ୍ୟେହ ସଂଜୟ ଠାରୁ ଶୁଣୁଥାନ୍ତି। ପ୍ରତିଦିନ ଯୁଦ୍ଧରେ କେତେ କେତେ ରଥୀ ମହାରଥୀ ସବୁ ଟଳି ପଡ଼ୁଥାନ୍ତି। ଯେବେ କୌରବଙ୍କ ବିଜୟ ହେଉଥାଏ ଧୃତରାଷ୍ଟ୍ର ଉଲ୍ଲସିତ ହେଉଥାନ୍ତି, କିନ୍ତୁ ଯେତେବେଳେ କୌରବ ପକ୍ଷର ହତାହତ ଖବର ଶୁଣିଥାନ୍ତି ସେ ବିବ୍ରତ ହେଉଥାନ୍ତି ଓ ଧୀରେ ଧୀରେ ବୁଝୁଥାନ୍ତି ବାସ୍ତବିକତା ଓ ଶକୁନିର ଚକ୍ରାନ୍ତ କଥା।
ଶେଷରେ ରକ୍ତ ନଦୀ ସନ୍ତରଣ କରି ଯେତେବେଳେ ଦୁର୍ଯ୍ଯୋଧନ ଆସି ଶରଣାପନ୍ନ ହେଲା, ସେତେବେଳେ ସେ ସତ କହିଲେ। କହିଲେ କି, ତୁ ଶକୁନି କଥାରେ ପ୍ରରୋଚିତ ନହୋଇଥିଲେ ଓ ବାସୁଦେବ ଙ୍କୁ ଅପମାନିତ ନକରି ପାଞ୍ଚ ଖଣ୍ଡ ପଡା ଦେଇ ଦେଇଥିଲେ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାନ୍ତା।
ପରିଶେଷରେ ଯୁଦ୍ଧ ପରେ ଯେତେବେଳେ ପାଣ୍ଡବମାନେ ହସ୍ତିନାପୁର ଫେରି ତାଙ୍କୁ ଭେଟିଲେ ସେ ଛଳ କରି ନିଜ ବାହୁ ବଳରେ ଭୀମକୁ ଚାପି ମାରିଦେବାକୁ ମସୁଧା କରିଥିଲେ। ତାହା ବି ବାସୁଦେବ ଙ୍କ ଯୋଗୁ ସମ୍ଭବ ହେଲା ନାହିଁ। ଭୀମ ତାଙ୍କୁ ସବୁଦିନେ ସେଥିଲାଗି ନାନା ଧିକ୍କାର କରନ୍ତି।
ମହାଭାରତ ଯୁଦ୍ଧର ଅନ୍ତରେ ସେ ଗାନ୍ଧାରୀଙ୍କ ସହ ପୁତ୍ରମାନଙ୍କର ଓ ଅନ୍ୟ ପ୍ରିୟଜନଙ୍କ ଶେଷ ଦର୍ଶନ ପାଇଁ ଯୁଦ୍ଧ ଭୁଇଁକୁ ଗଲେ। ସେଠାରେ ସମସ୍ତଙ୍କୁ ଦେଖି ବହୁ ବିଳାପ କଲେ ଓ ନିଜ କଲା କର୍ମର ପ୍ରାୟଶ୍ଚିତ ପାଇଁ ବହୁ ଅନୁତାପ କଲେ। ରାଜ ଉଆସରେ ଶୋକର ଛାୟା ଖେଳିଗଲା। ବିଧବା ରମଣୀ ଙ୍କର ହାହାକାର ଖାଲି ଶୁଭା ଗଲା। ଅବଶ୍ୟ ପାଣ୍ଡବମାନେ ସବୁ ଭୁଲି ସେମାନଙ୍କର ଅନେକ ମର୍ଯ୍ୟାଦା ଓ ଯଥାମାନ୍ୟ କଲେ। ତଥାପି ଶୋକାଭିଭୂତ ହୋଇ ସମସ୍ତ ମୋହ ମାୟା ତ୍ୟାଗ କରି ଶେଷରେ ସେ ଗାନ୍ଧାରୀଙ୍କ ସହ ବାନାପ୍ରସ୍ଥରେ ଚାଲିଗଲେ। କେଡ଼େ ବଡ ରାଜପରିବାରର କି ଦୁର୍ଦ୍ଦଶା ହେଲା ।
29.ତ୍ୟାଗ ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ
ଭୀଷ୍ମଙ୍କ ଜୀବନ କଷଟି ପଥରେ କଷି ହେବା ବ୍ୟତୀତ ଆଉ କିଛି ନାହିଁ ।ସେ ଥିଲେ ତ୍ୟାଗ ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ପୂର୍ବରୁ ଓ ପରେ ଯେତେ ଯେତେ ତ୍ୟାଗ ଓ ବଳିଦାନର ଉଦାହରଣ ଦେଖିବାକୁ ମିଳେ ତାହା ଭୀଷ୍ମଙ୍କଠାରୁ କେବେବି ବଳିଯାଇ ନପରେ, ଯାହଙ୍କ ଜୀବନଚର୍ଯ୍ୟା ଓ ଜୀବନଗାଥା କେବଳ ଅସୁମାରି ବ୍ୟଥାକୁ ହିଁ ବୟାନ କରେ ।ଯେଉଁଠି ଦୁଖଃ ହିଁ କେବଳ ଦୁଃଖ ଓ ଅନ୍ୟ ଇଚ୍ଛାରେ ବଞ୍ଚିବାର ମହାନୀୟତା ହିଁ କେବଳ ଶିଖାଇଥାଏ ।ପ୍ରତିଟି ଲୋକ ନିଜ ପାଇଁ ବଞ୍ଚୁଥିଲା ବେଳେ ଅନ୍ୟପାଇଁ ବଞ୍ଚିବା ତ ଭୀଷ୍ମ ହିଁ ଶିଖାଇ ଥାଆନ୍ତି ।କେତେବେଳେ ଆଉ ସିଏ ନିଜ ପାଇଁ ଘଡିଏ ବା ଓଉତେ ବଞ୍ଚିଲେ କି? ଅନ୍ୟ ପାଇଁ ବଞ୍ଚିବା ଓ ଅନ୍ୟର ଇଚ୍ଛାର ପରିପୂର୍ତ୍ତି ପାଇଁ ଜିଇଁବା ଯେମିତି ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଓ ଅଭିଳାଷ ।ଧନ୍ୟ ତାଙ୍କ ଜୀବନ ଯାହଙ୍କ ଜୀବନ କଷଟି ପଥରେ କଷିହେବା କେବଳ ସାର।
ଛାଡନ୍ତୁ, ତାଙ୍କ ପୂର୍ବଜନ୍ମ ଓ ଅଭିଶାପର କାହାଣୀ। କିନ୍ତୁ ଯେଉଁ ପୂର୍ଣ୍ଣାଙ୍ଗ ଜୀବନଟେ ସେ ଜିଉଁଥିଲେ ତାହାର ଦୁଃଖଭାଗ ସତରେ ଅବର୍ଣ୍ଣନୀୟ ଓ ଅପରିକଳ୍ପନୀୟ ।ଜନ୍ମ ହେଉ ହେଉ ମାଆ ନିର୍ଦ୍ଦୟୀ ହୋଇଉଠିଲେ, ଅନ୍ୟ ପାଞ୍ଚ ଭ୍ରାତାଙ୍କ ପରି ତାଙ୍କୁ ମଧ୍ୟ ମାତା ଗଙ୍ଗା ନଦୀ ଜଳରେ ଭଷାଇ ମାରିଦେବକୁ ଚାହିଁଲେ ।ପିତା ଶାନ୍ତନୁ ପ୍ରତିବାଦ କରି ତାଙ୍କର ମାତୃତ୍ୱକୁ ଧିକ୍କାର କରିବାରୁ ସେ ପୁତ୍ରକୁ ତଳେ ପକାଇଦେଲେ ଓ କହିଲେ, ‘ଏ ପୁତ୍ର ବଞ୍ଚୁ ବା ମରୁ ‘।ତାହା ହିଁ ପୁତ୍ର ପାଇଁ ଇଚ୍ଛାମୃତ୍ୟୁର ବରଦାନ ହୋଇଗଲା ।ପୁଣି ଗଙ୍ଗା ଶାନ୍ତନୁଙ୍କୁ ଅଭିଶାପ ଦେଇ କହିଲେ, ଏ ପୁତ୍ରର ପୁତ୍ରଠାରୁ ଜାତ ସନ୍ତାନ ତାଙ୍କ ମୃତ୍ୟୁର କାରଣ ହେବ। କଠୋରରୁ କଠୋରତର ହେଉଥାଏ ବାଣୀ ।ମାତାର ପୁତ୍ର ପ୍ରତି ଦେଖନ୍ତୁ କି ଅନାଗ୍ରହ ସତେକି ମରଣାନ୍ତକ ଯନ୍ତ୍ରଣାଠୁଁ ବି ବଳି ସେ ଯମଯନ୍ତ୍ରଣା ।ଆହାକି ନିଦାରୁଣ, ନିଦାଘଠୁଁ ବଳି ସେ ଦୁର୍ଦ୍ଦଶା ।ଦୁର୍ଦ୍ଦଶ ଓ ଦୁର୍ଦ୍ଦମନୀୟ ନିୟତିର ଗତି ।ପ୍ରଥମରୁ ତାଙ୍କ ନାମ ଦେବରଥ ଥିଲା କିନ୍ତୁ ତାଙ୍କ ଜନ୍ମ ସମୟର ପରିସ୍ଥିତି ଭୀଷଣ ଥିବାରୁ ପିତା ତାଙ୍କ ନାମ ଭୀଷ୍ମ ରଖିଥିଲେ।
କ୍ରୋଧରେ ବଶବର୍ତ୍ତୀ ହୋଇ ଏତେ ସବୁ ଘଟିଗଲା ପରେ ବି ମାତୃତ୍ୱ ଯାଗିଲା,ସେ ସ୍ନେହବଶତଃ ପୁତ୍ରକୁ ପ୍ରଶିକ୍ଷିତ କରି ଉପଯୁକ୍ତ କରିବା ପାଇଁ ସାଥିରେ ନେଇ ରଖିଲେ ଓ ଗୁରୁ ପର୍ଶୁରାମଙ୍କଠୁଁ ଶିକ୍ଷା ଆହରଣ କରାଇଲେ।ତାହାର ପ୍ରମାଣ ମଧ୍ୟ ଭୀଷ୍ମ ଦେଲେ। ,
ଯେତେବେଳେ ଶାଲ୍ଵଦେଶର ରାଜକୁମାର ହସ୍ତୀନା ଆକ୍ରମଣ କଲେ, ସେତେବେଳେ ସେ ସେମାନଙ୍କୁ ହରାଇ ରାଜ୍ୟକୁ ସୁରକ୍ଷିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ରାଜକ୍ଷମା ପ୍ରଦାନ କରି ପରାକ୍ରମ ଓ ମହାନୀୟତର ପରାକାଷ୍ଠା ଦେଖାଇଲେ ।
ପୁଣି ମାତା ଗଙ୍ଗାଙ୍କ ପିତାଙ୍କୁ ପରିତ୍ୟାଗ ପରେ ପିତା ଶାନ୍ତନୁ ଚାହିଁଲେ ଦାସରାଜାଙ୍କ କନ୍ୟା ସତ୍ୟବତୀକୁ ବିବାହ କରିବେ। କିନ୍ତୁ ଦାସରାଜା ନିଜ କନ୍ୟାର ବିବାହ ପାଇଁ ଅଦ୍ଭୁତ ସର୍ତ୍ତ ରଖିଲେ ।ପିତାଙ୍କୁ ଏଥିରେ ଦୁଃଖୀ ଦେଖି ଭୀଷ୍ମ କଥାଦେଲେ, ସେ କିମ୍ବା ତାଙ୍କ ଔରସଜ ସନ୍ତାନ କେହି ରାଜା ହେବେ ନାହିଁ। ରାଜା ହେବେ ତ ସତ୍ୟବତୀର ସନ୍ତାନ ରାଜା ହେବେ, ସେ ସେଥିରେ ରାଜି।ଖାଲି ଏତିକି ନୁହେଁ ସେ ପିତାଙ୍କର ଇଚ୍ଛାର ମାନ ରଖି ବଜ୍ର କଠୋର ଶପଥ ତ୍ରିଵାର ନେଲେ ଯେ, ସେ କେବେ ବିବାହ କରିବେ ନାହିଁ କି ପିତାଙ୍କ ମୃତ୍ୟୁର କାରଣ ହେବେ ନାହିଁ ।
ପୁଣି ପଦ୍ମଦଳ ଦେଶର ନରେଶଙ୍କ ଶତପୁତ୍ର ଓ ଚାରିକନ୍ୟା ଥିଲେ ।ସେ ଭୀଷ୍ମଙ୍କ ଭ୍ରାତା ବିଚିତ୍ରବୀର୍ଯ୍ୟ ଓ ଚିତ୍ରାଙ୍ଗଦକୁ ନିଜ କନ୍ୟା ଅମ୍ବିକା ଓ ଅମ୍ବାଳିକାକୁ ବିବାହ ଦେଲେ ।ତା ଦେଖି ଯୌବନର ମାଦକତାରେ ଉବୁଟୁବୁ ହେଉଥିବା ଭୀଷ୍ମଙ୍କ ପୌରୁଷତ୍ବ ଜାଗିଲା ।ସେ କହିଲେ, ତାଙ୍କର ଅନ୍ୟପୁତ୍ରୀ ଅମ୍ବାକୁ ତାଙ୍କ ସହ କାହିଁକି ବିବାହ ଦେଲେ ନାହିଁ, ସେ ତେଣୁ ତା ସ୍ଵୟମ୍ବରରେ ଭାଗ ନେବେ। ସେତେବେଳେକୁ ଭୀଷ୍ମଙ୍କ ପ୍ରତିସ୍ପର୍ଦ୍ଧା ଓ ପରାକାଷ୍ଠା କାହାକୁ ଅଛପା ନଥାଏ। ତେଣୁ ତାଙ୍କ ଡରରେ କେହି ସ୍ଵୟମ୍ବରରେ ଭାଗନେଲେ ନାହିଁ।ଏପରିକି ଅମ୍ବାକୁ ଭଲ ପାଉଥିବା ଶାଲ୍ଵ ନରେଶ ବି ଡରେ ଆସିଲେ ନାହିଁ। ସ୍ଵୟମ୍ବର ଭାଙ୍ଗିଗଲା ।କିନ୍ତୁ ପଦ୍ମନାଭ ଖୁସି ଖୁସିରେ ଭୀଷ୍ମଙ୍କୁ କନ୍ୟାଦାନ କରିବାକୁ ରାଜିହେଲେ ।ହେଲେ ପୁଣି ବିଡ଼ମ୍ବନା। ଏଥିରେ ପିତା ଶାନ୍ତନୁ ଗଙ୍ଗାଙ୍କ ଅଭିଶାପ କଥା ମନେପକାଇ ଦୁଃଖରେ ମ୍ରିୟମାଣ ହେଲେ। ତାହା ଭୀଷ୍ମ ଜାଣିଲା ପରେ ବିବାହ ପ୍ରସ୍ତାବକୁ ଭାଙ୍ଗିଦେଲେ। ସେଇଦିନ ଠାରୁ ନିଜ ଭିତରେ ନିଜର ସମସ୍ତ ଅବଦମିତ ଇଚ୍ଛାକୁ ଚାପିରଖି ସେ ଜୀବନତମାମ ଅବିବାହିତା ରହିଲେ।ଓଃ କି ତ୍ୟାଗ?
ଅନ୍ୟପଟେ ସ୍ଵୟମ୍ବର ଭାଙ୍ଗି ଥିବାରୁ ଭୀଷ୍ମ ତାଙ୍କୁ ଗ୍ରହଣ କରନ୍ତୁ ବୋଲି ଅମ୍ବା ଅଡି଼ବସିଲେ ।ତାହା ଅଗ୍ରାହ୍ୟ ହେବାରୁ ଗଙ୍ଗାରେ ଝାସ ଦେବାକୁ ଅମ୍ବା ଉଦ୍ୟତ ହେଉଥିଲା ବେଳେ ପର୍ଶୁରାମ ଘଟଣାସ୍ଥଳରେ ପହଞ୍ଚିବାରୁ ସେ ତାଙ୍କୁ ଦୁଃଖ କଥା କହିଲେ। ସେ ଭୀଷ୍ମଙ୍କୁ ବୁଝାଇଲେ, ମାତ୍ର ସେ ଅସମର୍ଥତା ପ୍ରକାଶ କରିବାରୁ ପର୍ଶୁରାମ ଯୁଦ୍ଧର ଆହ୍ଵାନ ଦେଲେ ।ପରିସ୍ଥିତି ଏମିତି ହେଲା ଅନିଚ୍ଛାକୃତ ଭାବେ ନିଜ ଗୁରୁଙ୍କ ସହିତ ତାଙ୍କୁ ଲଢିବାକୁ ହେଲା, ଆଉ ସେ ନିଜ ପରାକ୍ରମର ଉତ୍କର୍ଷତା ପ୍ରତିପାଦନ କରି ନିଜ ଗୁରୁଙ୍କୁ ବି ପରାଜିତ କଲେ ।ପରେ ଅବଶ୍ୟ ଶାନ୍ତନୁ, ପରାଶର ଓ ଭୁରିଶ୍ରବା ହସ୍ତକ୍ଷେପ କରି ଏ ଯୁଦ୍ଧ ବନ୍ଦ କରାଇଥିଲେ।
ଅସମ୍ଭବ ବିରହ ଜ୍ୱାଳାରେ ଅହରହ ଦଗ୍ଧୀଭୂତ ହେଉଥିବା ଅମ୍ବା କିନ୍ତୁ ଶାନ୍ତ ହୋଇ ରହିପାରିଲା ନାହିଁ ।ସେ କଠୋର ତପ ଆଚରଣ କରି ଶିବଙ୍କଠାରୁ ବରପ୍ରାପ୍ତି କଲେ ।ଶିବ କହିଲେ, ସେ ନାରୀ ହୋଇଥିବାରୁ ଯୁଦ୍ଧ କରିପାରିବ ନାହିଁ। ତେଣୁ ପରଜନ୍ମରେ ନପୁଂସକ ହୋଇ ଜନ୍ମି ଭୀଷ୍ମ ମୃତ୍ୟୁର କାରଣ ହେବ। ତାହାକୁ ଫଳବତୀ କରିବାକୁ ଯାଇ ଅମ୍ବା ପୁନର୍ଜନ୍ମ ସକାଶେ ଗଙ୍ଗାରେ ଆତ୍ମବିସର୍ଜନ କଲା । ଏମିତି କରୁଣତା ଓ ଜୀବନ ସଂଗ୍ରାମରେ ଦ୍ଵନ୍ଦ ଜୀବନକୁ ଜଟିଳ ଗଣିତ କରି ଗଢି ତୋଳୁଥିଲା।
ଯେତେବେଳେ ପୁଣି ସୋମବଂଶ ବଂଶଧାରଣ ସଙ୍କଟ ଦେଇ ଗତିକଲା, ବିଚିତ୍ରବୀର୍ଯ୍ୟ ଓ ଚିତ୍ରାଙ୍ଗଦର ମୃତ୍ୟୁପରେ ବିମାତା ସତ୍ୟବତୀ ଭୀଷ୍ମଙ୍କୁ ପ୍ରବର୍ତ୍ତାଇଲେ, ଅମ୍ବିକା ଓ ଅମ୍ବାଳିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି ସନ୍ତାନ ଉତ୍ପନ୍ନ କରିବା ପାଇଁ। ଭୀଷ୍ମ କିନ୍ତୁ ପରଦାର ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇ ନିଜ ପ୍ରତିଜ୍ଞାରେ ଅଟଳ ରହିଲେ। ଏମିତି ଭୀଷଣ ବିଷମ ପରିସ୍ଥିତିରେ ତାଙ୍କୁ ଅହରହ ସମୂଖୀନ ହେବାକୁ ପଡ଼ୁଥିଲା।
ତା’ପରେ ଭାଇମାନଙ୍କର ବିବାହ ହେଉ ବା ପୁତୁରା ଧୃତରାଷ୍ଟ୍ର ଓ ପଣ୍ଡୁଙ୍କର ବିବାହ ହେଉ ଅଥବା ନାତି ଦୁର୍ଯ୍ଯୋଧନ ପ୍ରମୁଖଙ୍କ ବିବାହ ହେଉ ସବୁଥିରେ ସେ ନିଜ ଶୌର୍ଯ୍ୟ ଓ ବୀର୍ଯ୍ୟର ପରିଚୟ ଦେଇ ବା ଅପରପକ୍ଷକୁ ଭୟଭୀତ କରି ତାହା ସମ୍ଭବ କରିଛନ୍ତି। ଭୀଷ୍ମ ରୂପୀ ସୁରକ୍ଷାକବଚର ସୁରକ୍ଷାରେ ହସ୍ତିନାପୁର ସୁରକ୍ଷିତ। ଶତ୍ରୁପକ୍ଷ କେବେ ଧୃଷ୍ଟତା କରି ନାହାନ୍ତି, ଧୃଷ୍ଟତା କଲେ ବି ଧରାଶାୟୀ ହୋଇଛନ୍ତି।
ତେଣୁ ହସ୍ତିନାପୁରୀ ସିଂହାସନ ରେ ଯିଏ କେହି ବସୁନା କାହିଁକି, ସେ ସ୍ଥିର ଓ ନିଶ୍ଚୟତା ମଧ୍ୟରେ ନିରଙ୍କୁଶ ଶାସନ କ୍ଷମତା ଉପଭୋଗ କରିଛି, ତାହା ପୁଣି କେବଳ ସମ୍ଭବ ହୋଇଛି ଏଇ ଭୀଷ୍ମଙ୍କ ସକାଶେ।
ମାତ୍ର ଭୀଷ୍ମଙ୍କୁ ମିଳିଛି କଣ ତିରସ୍କାର ନା ପୁରଷ୍କାର? ଦିନେ ସମୟ ଥିଲା ସେ ଉଭୟ ପାଣ୍ଡବ ଓ କୌରବ ଗଣକୁ ଉତ୍କୃଷ୍ଠ ଭାବେ ପ୍ରଶିକ୍ଷିତ କରିବା ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପରି ଗୁରୁ ବାଛି ଶିକ୍ଷିତ କରିଥିଲେ। ହେଲେ ହେଲା କଣ? ସେମାନେ ଶତୃ ସହିତ ଲଢିବେ କଣନା, ନା ନିଜ ନିଜ ଭିତରେ ଅଧିକ ପ୍ରତିଯୋଗୀତା କରିବା ପାଇଁ ଆସ୍ପର୍ଦ୍ଧା ଦେଖାଇଲେ। ଫଳସ୍ଵରୂପ ଭାତୃ ବିବାଦ ଭୟଙ୍କର ରୂପ ନେଲା। ସାମାନ୍ୟ କଳହରୁ ଶେଷରେ ମହାଭାରତ ପରି ଯୁଦ୍ଧର ସୂତ୍ରପାତ ହେଲା। ଗୋଟେ ପଟେ ନୀତି ନୈତିକତାର ପ୍ରଶ୍ନ, ଅନ୍ୟ ଦିଗରେ ହସ୍ତିନା ସିଂହାସନ ପ୍ରତି ବଚନବଦ୍ଧତା ତାଙ୍କ ବିବଶତାର କାରଣ ପାଲଟିଲା। ସେ ଚାହିଁକି ଦ୍ରୌପଦୀ ଙ୍କ ବସ୍ତ୍ରହରଣ ଲୀଳା ରୋକି ପାରିଲେ ନାହିଁ କି ପଶା ଖେଳ ରୋକି ପାରିଲେ ନାହିଁ। କୌରବ ମାନଙ୍କର ଅନୀତି ଅନ୍ୟାୟର ସେ ଧୀରେ ଧୀରେ ମୂକସାକ୍ଷୀ ସିନା ପାଲଟିଗଲେ ହେଲେ କିଛି କରିପାରିଲେ ନାହିଁ। ସବୁ ଜାଣି ଶୁଣି ସେ ନୀରବତା ଅବଲମ୍ବନ କଲେ। ପ୍ରତିବାଦ କଲେ ବି କେହି ତାଙ୍କ କଥା କୁ ସେତେ ମର୍ଯ୍ୟାଦାପୂର୍ଣ୍ଣ ଭାବେ ଗ୍ରହଣ କଲେ ନାହିଁ। ବାସ୍ତବରେ ସେଦିନ ଭୀଷ୍ମଙ୍କ ନୀରବତା ହିଁ ଆଜିକାଲି ବୃଦ୍ଧ ମାନଙ୍କର ବିବଶତାକୁ ମନେପକାଇ ଦିଏ। ବୟସ ହୋଇ ଗଲା ପରେ ସମସ୍ତେ ଏମିତି ଅପାଂକ୍ତେୟ ଓ ବିବଶ ହୋଇଯାଆନ୍ତି।
ତଥାପି ସେ ପରିଣତ ବୟସରେ ପଦାର୍ପଣ କଲେ ବି ସେ ହେଉଛନ୍ତି ସର୍ବଶ୍ରେଷ୍ଠ ଯୋଦ୍ଧା। ସେଇଥିପାଇଁ ତ ମହାଭାରତ ଯୁଦ୍ଧର ପ୍ରଥମ ଦଶ ଦିନ ସେ ହିଁ କୌରବ ପକ୍ଷର ସେନାପତି।
କିନ୍ତୁ ହେଲା କ’ଣ? ଇଏ ପରା ଧର୍ମଯୁଦ୍ଧ। ତେଣୁ ଏଠି ଅନୀତି, ଦୁର୍ନୀତି ଓ ଅଧର୍ମର ପରାଜୟ ସୁନିଶ୍ଚିତ। ଏଠି ଭୀଷ୍ମ ଚାହିଁଥିଲେ, ନିମିଷକେ ମହାଭାରତ ଯୁଦ୍ଧର ପରିସମାପ୍ତି ଘଟାଇ ପାରିଥାନ୍ତେ। କିନ୍ତୁ ପରିସ୍ଥିତି ଓ ପରିବେଶରେ ସେ ଥିଲେ ଏକାନ୍ତ ନାଚାର।ଗୋଟେ ପକ୍ଷରେ ନିଜ ଶକ୍ତି ଓ ସାମର୍ଥ୍ୟର ପରାକାଷ୍ଠା ପୁଣି ଅନ୍ୟ ପକ୍ଷରେ ଧର୍ମର ଦ୍ୱାହି। ସେ ନିଜେ ଭିତରେ ନିଜେ ତୀବ୍ର ଜ୍ଵଳନର ଶିକାର। ତେଣୁ ଇଚ୍ଛା ମୃତ୍ୟୁକୁ ସେ ବରୀ ନେବାକୁ ବାଧ୍ୟ। ଯୁଦ୍ଧ ଭୂଇଁରେ ଶ୍ରୀଖଣ୍ଡୀକୁ ଦେଖି ଦୁଃଖ ଓ ଅବସାଦରେ ଅନୁତାପ ନିଆଁରେ ଝଲସିତ ହୋଇ ଅସ୍ତ୍ର ତ୍ୟାଗ କରିଦେଲେ। ତଥାପି ଯୁଦ୍ଧର ପରିଣତିକୁ ଦେଖିବାର ଲୋଭ ସମ୍ବରଣ କରି ନପାରିବାରୁ ଅର୍ଜୁନ ଶରଶଯ୍ୟା କରିଦେଲେ ।ତାରି ଉପରେ ଶରବିଦ୍ଧ ହୋଇ ପଡ଼ି ରହି ସେ ଯୁଦ୍ଧ ଅବଲୋକନ କଲେ ସିନା କିନ୍ତୁ ଆହାଃ କି ଦୁଃଖ ଓ ଯନ୍ତ୍ରଣା ନଭୋଗିଥିବା ସେଦିନ ସତେ। ମ୍ଳାନ ପଡ଼ି ଗଲା ଗୋଟାଏ ବିରାଟ ଜ୍ୟୋତିର। ମହାଭାରତ ଯୁଦ୍ଧର ଅବସାନ ପରେ ଲିଭିଗଲା ତାଙ୍କ ଜୀବନ ଦ୍ଵୀପ। କେତେ କେତେ ପ୍ରିୟଜନଙ୍କୁ ଆଖି ସାମ୍ନାରେ ହରାଇବାର ସେ ଯେଉଁ ଅସୁମାରି ଗାଥା ସବୁ ସେ ଦେଖିଥିବେ। ଏମିତି ଏକ ନିଷ୍କରୁଣ ଅଭିଶପ୍ତ ଯବାନ ସତରେ କେହି କଣ କେବେ ଚାହେଁ।
30.କର୍ଣ୍ଣ ହାର ମାନି ନାହାନ୍ତି
ପୁରାଣ ଯୁଗର କଥା। ମହାଭାରତ ଯୁଗରେ ଅନେକ କାହାଣୀ ଆମେ ତ ଶୁଣିଛନ୍ତି। ସେଇ ସମୟରେ କର୍ଣ୍ଣ ବୋଲି ଜଣେ ଯୋଦ୍ଧା ଥିଲେ। ସେ ଜୀବନରେ କେବେ ହାର୍ ମାନି ନାହାନ୍ତି । କାରଣ ସଂଘର୍ଷ କ’ଣ ସେ ପିଲାଟି ଦିନରୁ ଶିଖିଛନ୍ତି ଆଉ ଜୀବନ ଯୁଦ୍ଧ କ’ଣ ସେ ଜାଣିଛନ୍ତି।
ଆଜିକାଲି ଆମେ ତ ଟିକିଏ କଥାରେ ହାର୍ ମାନି ନେଉଛନ୍ତି ଆଉ ବିନା ସଂଗ୍ରାମରେ ନିଜ ହାର୍ କୁ ନିଜେ ସ୍ଵୀକାର ବି କରି ନେଉଛନ୍ତି। କର୍ଣ୍ଣ କିନ୍ତୁ ସେପରି ନଥିଲେ। ସେ ନିଜ ଜୀବନ ସହିତ ନିଜେ ଲଢୁଥିଲେ ।ସତରେ କର୍ଣ୍ଣଙ୍କ ଜୀବନ ଅତୀବ ସଙ୍ଘର୍ଷପୂର୍ଣ୍ଣ ।ତଥାପି ତାଙ୍କ ଜୀବନର ସଂକଳ୍ପ ଅତି ଦୃଢ଼ ।ତେଣୁ ସେ ହାର୍ ମାନୁ ନଥିଲେ।
କର୍ଣ୍ଣଙ୍କ ଜନ୍ମ ବୃତ୍ତାନ୍ତ ବେଶ୍ ରହସ୍ୟମୟ।ଜନ୍ମରୁ ସେ କେତେ ପ୍ରତିକୂଳ ପରିସ୍ଥିତି ଦେଇ ଯେ ଗତି କରିଛନ୍ତି ତା’ର କିଛି ଇୟତା ନାହିଁ। ଏପରିକି ସେ ଜନ୍ମ ହେବା କ୍ଷଣି ମାଆ କୁନ୍ତୀ ତାଙ୍କୁ ଗୋଟେ ଟୋକେଇରେ ପୂରାଇ ନଦୀରେ ଭଷାଇ ଦେଇଥିଲେ ।ତଥାପି ସେ ହାର୍ ମାନି ନାହାନ୍ତି । ଥରେ ଭାବି ଦେଖ ତ ଏ ବିପଦ ସଙ୍କୁଳ ପରିସ୍ଥିତିରୁ ସେ କେମିତି ବାହାରିକି ଆସିଥିବେ ।
ଶେଷରେ ନଦୀରୁ ତାଙ୍କୁ ପାଇ ଆଣି ସଂଜୟ ପୁତ୍ରୀ ରାଧା ତାଙ୍କୁ ଘରେ ରଖିଥିଲେ। ପୁଣି ରାଧା ଅଧୀରଥକୁ ବିବାହ କଲା ପରେ ସେ ତାଙ୍କ ସାଙ୍ଗରେ ରହି ଆସିଲେ। ଜଣେ କ୍ଷତ୍ରିୟ ପିଲା ହୋଇ ବି ସେ ସାରଥି ଘରେ ଦାରିଦ୍ର୍ୟ ଓ ଅଭାବବୋଧ ଭିତରେ କେଡ଼େ କଷ୍ଟରେ ଜୀବନ ଅତିବାହିତ ନ କରିଥିବେ ସତେ। ତଥାପି ସେ ହାର୍ ମାନି ନାହାନ୍ତି ।
ଧୀରେ ଧୀରେ ବଡ଼ ହୋଇ ଯେତେବେଳେ ପାଠ ପଢିବାକୁ ଚାହିଁଲେ। ସେତେବେଳେ ସେ ଗୁରୁ ଦ୍ରୋଣାଚାର୍ଯ୍ୟ ଆଶ୍ରମରେ ଦିନେ ପହଞ୍ଚିଲେ। ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଦେଖି କହିଲେ – “ତୁ କିଏ, ତୋ ଜାତି କ’ଣ, ତୁ ତ ଏଠି ପଢ଼ି ପାରିବୁ ନାହିଁ। କାହିଁକିନା ଏଠି କେବଳ ରାଜକୁମାରମାନେ ହିଁ ପଢ଼ି ପାରିବେ।” ସେଦିନ କର୍ଣ୍ଣ ଯେ କେତେ ଆଘାତ ପାଇ ନଥିବେ ସେ କଥା ସହଜେ ବିଶ୍ବାସ କରିହେବ ନାହିଁ। ତଥାପି କର୍ଣ୍ଣ ହାର୍ ମାନି ନାହାନ୍ତି ।
ତାଙ୍କର ତ ପାଠ ପଢିବା ନିଶା ପ୍ରବଳ। ସେଥିରୁ ସେ ବା କେମିତି ନିଜକୁ କ୍ଷାନ୍ତ କରି ପାରିଥାନ୍ତେ? ତେଣୁ ଶେଷରେ ସେ ଗୁରୁ ପର୍ଶୁରାମଙ୍କ ନିକଟରେ ପହଞ୍ଚିଲେ। ପର୍ଶୁରାମଙ୍କଠୁଁ ସେ ସମସ୍ତ ଧନୁର୍ବିଦ୍ୟା ଓ ଯୁଦ୍ଧ କୌଶଳମାନ ଶିକ୍ଷା ଆହରଣ କରି ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ହେଲେ ।
ହେଲେ ସେଠି ବି ସେ ଅପମାନ ଓ କ୍ରୋଧର ଶିକାର ହେଲେ ।ନିଜ ଗୁରୁଙ୍କ ପାଖରେ ନିଜ ପରିଚୟ ଲୁଚାଇ ସେ ଶିକ୍ଷା ଲାଭ କରିଥିବାରୁ ପର୍ଶୁରାମ ରାଗିକି ତାଙ୍କୁ ଅଭିଶାପ ଦେଲେ – “ଜୀବନରେ ସବୁଠାରୁ ବଡ଼ ଯୁଦ୍ଧ ଯେତେବେଳେ ତୁ ଲଢ଼ିବି ସେତେବେଳେ ଏ ଶିକ୍ଷା ତୋ କାମରେ ଆସିବ ନାହିଁ। ତୁ ସବୁ ଭୁଲିଯିବୁ ଆଉ ଯୁଦ୍ଧ ହାରିବୁ ।ତଥାପି କର୍ଣ୍ଣ ଜୀବନରେ ହାର୍ ମାନି ନାହାନ୍ତି । ସେ ସମସ୍ତ ଦୁଃଖ ଓ ଅଶ୍ରୁକୁ ନିଜ ଛାତି ଭିତରେ ଚାପି ରଖିଲେ।
ଆଉଥରେ ଗୁରୁ ପର୍ଶୁରାମ ଆଶ୍ରମ ସାମ୍ନାରେ ଢୋଳାଉ ଥିବାର ଦେଖି କର୍ଣ୍ଣ କହିଲେ – “ଗୁରୁଦେବ ମୁଁ ଗୋଡ଼ ଲମ୍ବାଇ ଦେଉଛି ମୋ କୋଳରେ ଶାନ୍ତିରେ ବିଶ୍ରାମ ଯାଆନ୍ତୁ। ଗୁରୁ ଶୋଇଛନ୍ତି। କର୍କଟ ବିଛାଟିଏ ଆସି ତାଙ୍କ ଗୋଡକୁ କାମୁଡ଼ି ରକ୍ତାକ୍ତ କରି ପକାଇଲା। ସେ ତାଙ୍କ ଧୈର୍ଯ୍ୟର ପରୀକ୍ଷା କରୁଥିଲା ।ତଥାପି କର୍ଣ୍ଣ ନୀରବ ନିଶ୍ଚଳ। କାହିଁକିନା ତାଙ୍କର ଡର ଥିଲା। ସେ ଯେବେ ଟିକିଏ ହଲିଯିବେ, କାଳେ ତାଙ୍କ ଗୁରୁଙ୍କର ନିଦରେ ବ୍ୟାଘାତ ସ୍ରୁଷ୍ଟି ହେବ ।ତେଣୁ ସେ ଧୈର୍ଯ୍ୟ ଓ ସଞ୍ଜମ ଆଗରେ ହାର୍ ମାନି ନାହାନ୍ତି । କଙ୍କଡା ବିଛାର କାମୁଡ଼ାରେ ତାଙ୍କ ଦେହରୁ ଯେତେବେଳେ ରକ୍ତ ନିର୍ଗତ ହୋଇ ଗୁରୁଙ୍କଠିଁ ଲାଗିଲା, ଗୁରୁଙ୍କ ନିଦ ଭାଙ୍ଗିଗଲା। ସେ କର୍ଣ୍ଣଙ୍କର ଏତାଦୃଶ୍ୟ ଧୈର୍ଯ୍ୟ ଦେଖି ସନ୍ଦେହ କଲେ ଓ କହିଲେ ସତ କହ ତୁ କିଏ ।କାରଣ ତୁ କ୍ଷତ୍ରୀୟ ନହୋଇଥିଲେ ତୋ ଭିତରେ ଏତେ ଧୈର୍ଯ୍ୟ ଓ ସହିବାର କ୍ଷମତା ଆସି ନଥାନ୍ତା। ତେଣୁ ତୁ ନିଶ୍ଚୟ କ୍ଷତ୍ରୀୟ। ତେଣୁ ଜଣେ କ୍ଷତ୍ରୀୟ ହୋଇ ମୋ ନିକଟରେ ତୋ ପରିଚୟ ଗୋପନ ରଖି ଶିକ୍ଷା ଲାଭ କରିଥିବାରୁ ତୁ ଅଭିଶାପର ପାତ୍ର। ତେଣୁ ଉଚିତ୍ ବେଳେ ଓ ଜୀବନର ସବୁଠାରୁ ବଡ଼ ଯୁଦ୍ଧ ତୁ ଯେତେବେଳେ ଲଢ଼ିବୁ ଏ ଶିକ୍ଷା ତୋ କାମରେ ଲାଗିବ ନାହିଁ। ତଥାପି କର୍ଣ୍ଣ ହାର ମାନି ନାହାନ୍ତି, ସେ ନିଜ ଜୀବନରେ ଖୁବ୍ ଆଗକୁ ବଢିଛନ୍ତି ଓ ରାଜା ବି ହୋଇଛନ୍ତି। ସଙ୍ଘର୍ଷ କରି ଜୀବନ ଜିଇଁଛନ୍ତି, କିନ୍ତୁ ହାର ମାନି ନାହାନ୍ତି।
ଯୁଦ୍ଧବିଦ୍ୟା ସମାପ୍ତ ହେଲା।ସେ ଘରକୁ ଫେରି ଆସିଲେ। ସେପଟେ କୌରବ ଶହେ ଭାଇ ଓ ପଞ୍ଚୁ ପାଣ୍ଡବମାନଙ୍କର ଶିକ୍ଷା ବି ସମାପ୍ତ ହେଲା। ସେମାନେ ଫେରି ଆସିଲେ ରାଜ ନଅରକୁ ।ସେଠାରେ ସେମାନେ କ’ଣ ସବୁ ଶିକ୍ଷାପ୍ରାପ୍ତ କରିଛନ୍ତି ବୋଲି ଗୋଟେ ଶକ୍ତି ପ୍ରଦର୍ଶନ ଉତ୍ସବ ଅନୁଷ୍ଠିତ ହେଲା ।ସେଠାରେ ସମସ୍ତ ରାଜ ପାରିଷଦ ଓ ପ୍ରଜାମାନେ ମଧ୍ଯ ଉପସ୍ଥିତ ରହିଲେ ।ଭୀଷ୍ମ, ଦ୍ରୋଣାଚାର୍ଯ୍ୟଙ୍କଠାରୁ ସମସ୍ତ ରଥୀ ମହାରଥୀ ମଧ୍ଯ ଉପସ୍ଥିତ ରହିଲେ। ସେଠି ଅର୍ଜୁନ ଏମିତି ତାଙ୍କର ଧନୁର୍ବିଦ୍ୟା କୌଶଳ ଦେଖାଇଲେ ଯେ ସମସ୍ତେ ଅଭିଭୂତ ହୋଇଗଲେ ଆଉ ସେଇଠି ଅର୍ଜୁନଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା ବୋଲି ଘୋଷଣା କରିଦେଲେ ।
ସମସ୍ତେ ଜୟ ଜୟକାର କଲେ ।କେହି କିଛି ସ୍ଵର ଉଠାଇଲେ ନାହିଁ ।
କର୍ଣ୍ଣ କିନ୍ତୁ ପ୍ରତିବାଦ କଲେ ।କହିଲେ – “ମୋତେ କଳା ପାଟବତା ପ୍ରଦର୍ଶନ କରିବାର ସୁଯୋଗ ନଦେଇ କେମିତି ଆପଣ ଅର୍ଜୁନକୁ ସର୍ବଶ୍ରେଷ୍ଠ ବୋଲି ଘୋଷଣା କରିଦେଇ ପାରିବେ? ସେ କଥା ହୋଇ ପାରିବ ନାହିଁ। ମୁଁ ମଧ୍ଯ ମୋ ଶକ୍ତି ପ୍ରଦର୍ଶନ କରିବି। ମୋତେ ସୁଯୋଗ ଦିଆଯାଉ। “
ଦ୍ରୋଣାଚାର୍ଯ୍ୟ ସେତେବେଳେ ପ୍ରଶ୍ନ କଲେ – “ତୁ କିଏ? କେଉଁଠୁ ଆସିଛୁ? ତୋ ପରିଚୟ କ’ଣ? ତୋ ଜାତି କ’ଣ? “
ସେତେବେଳେ କର୍ଣ୍ଣ ପାଖରେ କିଛି ବି ଉତ୍ତର ନଥିଲା। ସେ ନିରୁତ୍ତର ହୋଇଯାଇଥିଲା ।ସବୁଠାରୁ ବଡ଼ ଦୁଃଖର କଥା ହେଲା ସେତେବେଳେ ତାଙ୍କ ମାଆ କୁନ୍ତୀ ମଧ୍ଯ ପାଖରେ ଉପସ୍ଥିତ ଥିଲେ ଆଉ ସେ ମଧ୍ଯ କର୍ଣ୍ଣ କୁଣ୍ଡଳ ଓ କବଚ ଦେଖି ଚିହ୍ନି ଯାଇଥିଲେ ଯେ କର୍ଣ୍ଣ ତାଙ୍କ ପୁଅ ବୋଲି। ତଥାପି ସେ ନୀରବ ରହିଲେ। କି ଦୁଃଖର କଥା କହିଲେ? କର୍ଣ୍ଣ ପୁଣି ଥରେ ଅପମାନିତ ଓ ଲଜ୍ଜିତ ହେଲେ। ତଥାପି ସେ ହାର୍ ମାନି ନାହାନ୍ତି ।
ତା’ପରେ କ’ଣ ହେଲା, ନା କର୍ଣ୍ଣ ଥରେ ଗୋଟେ ଜଙ୍ଗଲକୁ ଯାଇଥିଲେ ଶୀକାର କରିବାକୁ ।ସେଠି କ’ଣ ହେଲା ନା, ଭୁଲବଶତଃ ସେ ଗୋଟେ ଗାଈକୁ ମାରିଦେଲେ ।ଗାଈର ଯିଏ ମାଲିକ ଥିଲେ ସେଇଠି ସେ ତାଙ୍କୁ ଅଭିଷାପ ଦେଲେ, କହିଲେ -“ତୁ ମୋ ଗାଈକୁ ଜୀବନଦାନ ଦେଇପାରିବୁ?
କର୍ଣ୍ଣ କହିଲେ -” ନା ମୁଁ ପାରିବି ନାହିଁ। “
-” ତାହେଲେ ତୁ ଯେତେବେଳେ ତୋ ଜୀବନର ସବୁଠାରୁ ବଡ଼ ଯୁଦ୍ଧ ଲଢ଼ିବୁ, ସେତେବେଳେ ତୋ ରଥଚକ କାଦୁଅରେ ପଶିଯିବ।”
ଆଉ ସେ କଥା ବି ଦିନେ ହେଲା ଯେତେବେଳେ ମହାଭାରତ ଯୁଦ୍ଧରେ କର୍ଣ୍ଣ ଆଉ ଅର୍ଜୁନ ମହାସମରରେ ପରସ୍ପରର ମୁହାଁମୁହିଁ ହେଲେ। ତଥାପି କର୍ଣ୍ଣ ହାର୍ ମାନି ନଥିଲେ।
ଶୋଷକ ସର୍ପ କୃଷ୍ଣ ଓ ଅର୍ଜୁନଙ୍କୁ ଗୋଟାପୁଣି ଗିଳି ତା ପୂର୍ବ ପ୍ରତିଶୋଧ ନେବା ପାଇଁ ବହୁବାର କର୍ଣ୍ଣଙ୍କୁ ଅନୁନୟ କରିଥିଲେ ହେଁ କର୍ଣ୍ଣ ଥରେ ସୁଯୋଗ ଦେଇଥିଲେ। କିନ୍ତୁ ସେଥିରେ ସେ ଆକୃତକାର୍ଯ୍ୟ ହେବାରୁ ଆଉ ଅନୁମତି ଦେଲେ ନାହିଁ। ସେ କର୍ଣ୍ଣଙ୍କ ରଥ ଧ୍ଵଜରେ ରହି ତାଙ୍କୁ ରକ୍ଷା କରୁଥିଲା ।ସେ କିନ୍ତୁ କ୍ଷୁବ୍ଧ ହୋଇ ରଥ ପରିତ୍ୟାଗ କରି ଚାଲି ଯାଇଥିଲେ ଆଉ ଗଲାବେଳେ ଅଭିଶାପ ଦେଇଥିଲା କି କର୍ଣ୍ଣଙ୍କ ରଥ ଦୁଇ ଦଣ୍ଡ ପର୍ଯ୍ୟନ୍ତ ଭୂମିରେ ଗଳିଯିବ।ତାହା ସତରେ ପରିଣତ ହୋଇଥିଲେ ମଧ୍ଯ ତଥାପି କର୍ଣ୍ଣ ଦବି ଯାଇ ନଥିଲେ, ସେ ଶେଷ ପର୍ଯ୍ୟନ୍ତ ବୀରତ୍ୱର ସହ ଲଢିଥିଲେ ।
ସେ କହିଲେ – ଦେଖ ଅର୍ଜୁନ! ମୁଁ ଏବେ ମୋ ରଥଚକକୁ ସଳଖୁଛି ଓ ନିରସ୍ତ୍ର ଅଛି ।ମୋତେ ତମେ ମାରି ପାରିବ ନାହିଁ। କାହିଁକିନା ଏହା ଯୁଦ୍ଧର ନିୟମ ବିରୁଦ୍ଧ। “
ସେତେବେଳେ ଅର୍ଜୁନ କହିଲେ -” ଯେତେବେଳେ ମୋ ପୁଅ ଅଭିମନ୍ୟୁକୁ ଚକ୍ରବ୍ୟୁହ ରଚନା କରି ନିର୍ମମ ଭାବେ ହତ୍ୟା କରାଗଲା ଆଉ ସେତେବେଳେ ତୁମେ ସେଠି ଉପସ୍ଥିତ ଥିଲ, କେଉଁଠି ଥିଲା ଯୁଦ୍ଧର ନିୟମ?”
ତା’ପରେ ଅନିନ୍ଦ୍ୟା ସୁନ୍ଦରୀ ଦ୍ରୌପଦୀଙ୍କର ସ୍ଵୟମ୍ବର ସଭା ହେଲା ।ସେଇ ସଭାକୁ ଭାରତର ବିଭିନ୍ନ ରାଜ୍ୟରୁ ରାଜା, ମହାରାଜା ଓ ରାଜକୁମାର ମାନେ ଆସିଥିଲେ। ସେମାନଙ୍କୁ କୁହାଗଲା ଯେ -” ଉପରେ ମାଛ ଗୋଟେ ବୁଲୁଛି, ଆଉ ଏପଟରେ ତା’ର ପ୍ରତିଛବି ଦେଖି ଯିଏ ତାକୁ ମାରିଦେବ ସେ ଦ୍ରୌପଦୀକୁ ବିବାହ କରିବ।”
କର୍ଣ୍ଣ କହିଲେ – “ଠିକ୍ ଅଛି ମୁଁ କରିଦେଖାଇବି।” ଆଉ ସେ କରି ଦେଇଥାନ୍ତେ ମଧ୍ଯ । କିନ୍ତୁ ସୂତପୁତ୍ରକୁ ମୁଁ ବାହାହେବି ନାହିଁ କହି ଦ୍ରୌପଦୀ ତାଙ୍କୁ ସେ ସୁଯୋଗ ଦେଇ ନଥିଲେ। ତଥାପି ସେ ହାର୍ ମାନି ନାହାନ୍ତି, କେବଳ ସୁଯୋଗ ଅପେକ୍ଷାରେ ଥିଲେ ନିଜ ପରାକାଷ୍ଠା ପ୍ରତିପାଦନ କରିବା ପାଇଁ।
ଦେଖନ୍ତୁ କେଡ଼େ ବଡ଼ ଦୁଃଖର କଥା ।କ’ଣନା ତାଙ୍କର ବାହାହେବାର ଥିଲା କିନ୍ତୁ ସେ ବାହା ହୋଇପାରିଲେ ନାହିଁ, କାହିଁକିନା ସେ କ୍ଷତ୍ରିୟ ନୁହଁନ୍ତି ।ତାଙ୍କ ଭିତରେ ପ୍ରତିଶୋଧର ସ୍ପର୍ଦ୍ଧା ଆସୁଥିଲା । ପ୍ରତିରୋଧ ଓ ପ୍ରତିବାଦର ଇଚ୍ଛା ବି ବଳବତ୍ତର ହେଉଥିଲା ।ତଥାପି ଏ ସମସ୍ତ ଦୁଃଖକୁ ବୁଝି ଛାତି ଭିତରେ ଚାପି ରଖିଥିଲେ। ତେବେବି ସେ ଜୀବନ ଯୁଦ୍ଧରେ ହାର୍ ମାନି ନାହାନ୍ତି ।
ଏହାପରେ ମହାଭାରତର ମହାସମର ଆରମ୍ଭ ହେଲା ।କିନ୍ତୁ କର୍ଣ୍ଣଙ୍କୁ ଯୁଦ୍ଧ ଭୂଇଁକୁ ଯିବାକୁ ଅନୁମତି ମିଳିଲା ନାହିଁ ।ଦୁର୍ଯ୍ଯୋଧନ କହିଲେ, “ମୋ ବନ୍ଧୁଙ୍କୁ ଏବେ ଯୁଦ୍ଧ ଭୂମିକୁ ଯିବାକୁ ଅନୁମତି ଦିଅନ୍ତୁ। କାହିଁକିନା ତାଙ୍କ ଭଳି ଯୋଦ୍ଧା ବିରଳ।”
ସେତେବେଳେ ସୈନ୍ୟବାହିନୀରେ ମୁଖ୍ୟ ଥିଲେ ଭୀଷ୍ମ। ସେ କହିଲେ – ନାଇଁ, ମୁଁ କର୍ଣ୍ଣଙ୍କୁ କେବେବି ଯୁଦ୍ଧ ଭୁଇଁକୁ ପ୍ରବେଶ କରିବାକୁ ଅନୁମତି ଦେବି ନାହିଁ। ସେ ଗୋଟେ ଅଭଦ୍ର। ଏତେବଡ଼ ରାଜସଭା ବସିଥିଲା ।ସେ ମୋ ପୁତ୍ର ବଧୂ ଦ୍ରୌପଦୀ ପ୍ରତି ଖରାପ ଶବ୍ଦ ବ୍ୟବହାର କରିଛି ।ତେଣୁ ମୁଁ ଯେପର୍ଯ୍ୟନ୍ତ ସୈନ୍ୟ ମୁଖ୍ୟ ଥିବି ଆଉ ଯୁଦ୍ଧ ଚାଲିଥିବ, ତାକୁ ସେପର୍ଯ୍ୟନ୍ତ ଯୁଦ୍ଧ ଲଢ଼ିବା ପାଇଁ ଅନୁମତି ଦେବି ନାହିଁ।”
ଦେଖନ୍ତୁ ଜଣେ ସର୍ବଗୁଣ ସମ୍ପନ୍ନ ଏଡେ ବଡ ଯୋଦ୍ଧା, ହେଲେ ସେ ତାକୁ ଯୁଦ୍ଧ କରିବାକୁ ଦିଆ ଯାଉ ନାହିଁ। ତାକୁ ଅଥର୍ବ ଓ ପଙ୍ଗୁ କରି ବସାଇ ଦିଆଗଲା। ଏହାଠାରୁ ବଳି ଅପମାନ ଜଣେ ଦକ୍ଷ ଯୋଦ୍ଧା ପାଇଁ ଆଉ କ’ଣ ଥାଏ?
ତେବେବି ସେ ହାର୍ ମାନି ନାହାନ୍ତି । ସୈନ୍ୟ ଆଡ୍ଡାସ୍ଥଳୀରେ ସେଇମିତି ଅପେକ୍ଷା କରି ରହିଲେ କେତେବେଳେ ସୁଯୋଗ ଆସିବ। ଶେଷରେ ଭୀଷ୍ମଙ୍କ ଶରଶଯ୍ୟା ପରେ ସେ ସୁଯୋଗ ଦିନେ ଆସିଲା।
ଏବେ ସମୟ ନିଜ ପରାକାଷ୍ଠାର ପରିଚୟ ଦେବା ପାଇଁ ।ଆଉ ସେ ଲଢ଼ିଲେ ବି ଏବଂ ସମସ୍ତଙ୍କୁ ଦେଖାଇଦେଲେ ସେ କେମିତିକା ଉତ୍କୃଷ୍ଟ ଯୋଦ୍ଧା ।
କିନ୍ତୁ ଷଡଯନ୍ତ୍ର ଓ ପ୍ରତାରଣାର ଶେଷ ହେଲା ନାହିଁ। ଇନ୍ଦ୍ରଦେବ ହେଉଛନ୍ତି ଅର୍ଜୁନଙ୍କ ପିତା ।ଯେତେବେଳେ ଦେଖିଲେ କର୍ଣ୍ଣ ରଣ କ୍ଷେତ୍ରରେ କଡ଼ା ଟକ୍କର ଦେଉଛନ୍ତି, ଇନ୍ଦ୍ରଦେବ ସ୍ଵୟଂ ଉପସ୍ଥିତ ହେଲେ । ସେ ଛଦ୍ମ ବେଶ ଧାରଣ କରି ପହଞ୍ଚିଲେ ।
କର୍ଣ୍ଣ ଭୋରରୁ ଉଠି ନଦୀ ତୁଠରୁ ଗାଧୋଇ ଫେରୁଛନ୍ତି ।ଇନ୍ଦ୍ରଦେବ ଯାଇ ଦାନ ଭିକ୍ଷା କଲେ। କର୍ଣ୍ଣ ଜାଣିଗଲେ, କହିଲେ ମୁଁ ଜାଣିଛି ଆପଣ ସାଧାରଣ ଭିକାରୀ ନୁହଁନ୍ତି। ଆପଣ ହେଉଛନ୍ତି ଇନ୍ଦ୍ରଦେବ। ତଥାପି ମୁଁ ବଚନ ହାରି ପାରିବି ନାହିଁ ।”
କାରଣ କର୍ଣ୍ଣ ଥିଲେ ମହାଦାନୀ। ବହୁକଷ୍ଟ ହେଲା ତାଙ୍କୁ ।ତଥାପି ସେ ନିଜ ଶରୀରରୁ କବଚ, ସ୍ଵର୍ଣ୍ଣ ଛାଉରୀ ଓ କର୍ଣ୍ଣକୁଣ୍ଡଳ ଆଦି ଖୋଲି ତାଙ୍କ ହାତକୁ ବଢ଼ାଇ ଦେଲେ। ଚକ୍ରାନ୍ତର ଶୀକାର ହେଲେ ।ଶରୀର ରକ୍ତାକ୍ତ ହୋଇଗଲା ।ତଥାପି ସେ ହାର୍ ମାନି ନାହାନ୍ତି । ତୀବ୍ର ସଂଗ୍ରାମରେ ସମ୍ମୁଖୀନ ହୋଇ ନିଜ ବୀରତ୍ୱ ଓ ପରାକାଷ୍ଠାର ପରିଚୟ ଦେଲେ। ଯାହା ତାଙ୍କୁ ଆଜିଯାଏଁ ଆମର କରି ରଖିଛି, ଆଉ ରଖିଥିବ ଯେପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହେଉଥିବେ।
ଏତେ କଥା କହିବାର ଉଦ୍ଦେଶ୍ୟ ହେଉଛି, ଆମେ ଯେତେ ଯେତେ ସବୁ ଉଦାହରଣ ଦେଲେ ଓ ଯେଉଁ ଯେଉଁ କଠିନ ପରିସ୍ଥିତି ସବୁ ଦେଇ କର୍ଣ୍ଣ ଆଗକୁ ବଢୁଥିଲେ, ସେଥିରୁ ଆପତତଃ ଗୋଟେ କଥା ଶିଖିବାକୁ ନିଶ୍ଚୟ ମିଳିଲା ଯେ ଆମ ଜୀବନ ଯାତ୍ରା ପଥରେ ଯେତେ ବାଧାବିଘ୍ନ ଓ କଷ୍ଟ ଆସୁନା କାହିଁକି ଆମେ ପଳାୟନପନ୍ଥି ହେବା ନାହିଁ ।ସବୁଟାକୁ ସାମ୍ନା କରିବା କିନ୍ତୁ ଯୁଦ୍ଧ ମଇଦାନ ଛାଡ଼ିବା ନାହିଁ କି ହାର୍ କେବେ ମାନିବା ନାହିଁ , ଯାହା କର୍ଣ୍ଣ କରି ଦେଖାଇ ଥିଲେ।
ଧନ୍ଯ କହିବା ସେ କର୍ଣ୍ଣଙ୍କୁ ।
31. .ମାଆ
ପ୍ରୀତିମୟୀ, ସ୍ନେହମୟୀ, କରୁଣାମୟୀ ମାଆ। ମାତୃତ୍ୱର ମହମହ ବାସ୍ନାରେ ମହକିତ ହେଉଥିବା ମାଆ, କୁନ୍ତୀ ହେଉଛନ୍ତି ସେଇ ମାଆ ଯାହାଙ୍କ ପଦବନ୍ଦନାରେ ଶତମୁଖ ହୁଅନ୍ତି ଜନତା। ସମସ୍ତ ମାନବୀୟ ଗୁଣାବଳୀରେ ଭରପୁର ହୋଇଥିବା ବିଶାଳ ହୃଦୟର ମାଆ ହେଉଛନ୍ତି କୁନ୍ତୀ।
ସିଦ୍ଧପୁର ରାଜା କୁନ୍ତଭୋଜ ଓ ରାଣୀ ଜମ୍ବୁବତୀଙ୍କଠୁଁ ସେ ଜନ୍ମିତ। ଥରେ ଦୁର୍ବାସା ଉପସ୍ଥିତ ହୋଇ କହିଲେ, ତାଙ୍କ ରାଜ୍ୟରେ କିଛିଦିନ ରହିବା ପାଇଁ ବ୍ୟବସ୍ଥା କରିବାକୁ। ତାହା କୁନ୍ତଭୋଜ କଲେ ଓ କୁନ୍ତୀଙ୍କୁ କହିଲେ, ରୁଷିଙ୍କ ଭଲମନ୍ଦ ବୁଝିବା ପାଇଁ। ପାଞ୍ଚ ବର୍ଷ ରହଣି ପରେ ସେ ଚାଲିଯିବାକୁ ଚାହିଁଲେ। ଗଲାବେଳେ କୁନ୍ତଭୋଜଙ୍କୁ ଅଶ୍ରୀବାଦ ଦେଇଗଲେ, ପୁତ୍ରୀ କୁନ୍ତୀ ସୋମବଂଶୀର ବଧୂ ସାଜିବେ ଓ ସେ ପୁତ୍ର ସନ୍ତାନ ଲାଭ କରିବେ।
ଏତେ ସେବା ପରେ ବି କୁନ୍ତୀଙ୍କୁ କାହିଁକି କିଛି କହିଲେ ନାହିଁ ବୋଲି ଆଶ୍ରୀବାଦ ପାଇବା ଆଶାରେ କୁନ୍ତୀ ଦୁର୍ବାସାଙ୍କ ପଶ୍ଚାତ୍ ଅନୁସରଣ କରନ୍ତେ, ଦୁର୍ବାସା ଜାଣିପାରି କହିଲେ, ଏଇ ନେ ମାଳାଟିଏ! ଏହାକୁ ହାତରେ ରଖି ଯେକୌଣସି ବୀର ପୁରୁଷକୁ ସ୍ମରଣ କରି ମନ୍ତ୍ର ପାଠ କଲେ ଅବଶ୍ଯ ସେ ପ୍ରାପ୍ତ ହେବେ।
କିନ୍ତୁ ଭାବିଲେ ରୁଷିଙ୍କ କଥାରୁ କ’ଣ ଅଛି, ଅବଶ୍ଯ ପରୀକ୍ଷଣ ଆବଶ୍ୟକ। ତେଣୁ ସେ ପରୀକ୍ଷଣ ସ୍ଵରୂପ ସେଇ ସମୟରେ ଅସ୍ତ ହେବାକୁ ଯାଉଥିବା ସୂର୍ଯ୍ୟଙ୍କୁ ଦେଖି ସ୍ମରଣ କରନ୍ତେ ସୂର୍ଯ୍ୟଦେବ ଆସି ପ୍ରକଟ ହେଲେ ଓ କୁମାରୀ କନ୍ୟା ସହ ପ୍ରଣୟ କଲେ । କୁନ୍ତୀ ଅବିବାହିତା ହୋଇଥିବାରୁ ପ୍ରଣୟ ନକରିବା ପାଇଁ ବିନତି କଲେ। ସୂର୍ଯ୍ୟ କହିଲେ ରୁଷି ବାକ୍ୟ ଅନ୍ୟଥା କଲେ ତାଙ୍କ ମୂର୍ଦ୍ଧନୀ ଫାଟି ଯିବ। ତେଣୁ ସେ ରମଣ କଲାରୁ ବୀର୍ଯ୍ୟ ସ୍ଖଳିତ ହେଲା। କୁନ୍ତୀ ଅନ୍ତଃସତ୍ତ୍ୱା ହେଲେ ଆଉ ବିବାହ କରି ପାରିବେ ନାହିଁ ବୋଲି ଶଙ୍କା ପ୍ରକଟ କଲେ। ତେଣୁ ସୂର୍ଯ୍ୟ ସ୍ଖଳିତ ବୀର୍ଯ୍ୟକୁ ତାଙ୍କ କର୍ଣ୍ଣରେ ନିପତିତ କଲେ। ଫଳରେ କର୍ଣ୍ଣ ଜନ୍ମ ନେଲେ। କିନ୍ତୁ ଅବିବାହିତା ହୋଇ କେମିତି ତା’ର ପାଳନ କରିବେ ବୋଲି ଭାବି ଗୋଟେ ପେଟିରେ ରଖି ତାକୁ ଯମୁନା ନଦୀରେ ଭସାଇ ଦେଲେ। ଏମିତି ଧର୍ମଦ୍ୱନ୍ଦ ହେତୁ ସଙ୍କଟରେ ଜଣେ କୁମାରୀ କନ୍ୟା ପଡ଼ିବା କଥା ନିହାତି ସ୍ୱାଭାବିକ କଥା, ଯାହା କୁନ୍ତୀଙ୍କ ଠାରେ ହିଁ ଘଟିଥିଲା।
ତାପରେ କିଛିଦିନ ଅନ୍ତରେ ଭୀଷ୍ମଙ୍କ ପ୍ରସ୍ତାବକୁ ସହଜରେ ଗ୍ରହଣକରି କୁନ୍ତଭୋଜ ନିଜ କନ୍ୟାକୁ ପଣ୍ଡୁ ସହ ବିବାହ ଦେଲେ। ହସ୍ତିନା ସିଂହାସନ ଆରୋହଣ ପ୍ରସ୍ତାବ ଆସିବାରୁ ଭୁରିଶ୍ରବା ପରାମର୍ଶ ଦେଲେ ଧୃତରାଷ୍ଟ୍ର ଅନ୍ଧ ହୋଇଥିବାରୁ ପଣ୍ଡୁ ସିଂହାସନ ଆରୋହଣ କରନ୍ତୁ। ପଣ୍ଡୁ ରାଜା ହେବା ପରେ ଦୀଗ୍ବୀଜୟରେ ବାହାରି ବଜୟୀ ହୋଇ ଫେରିବା ପରେ ବଡ଼ଭାଇଙ୍କୁ ଭେଟିବାକୁ ତାଙ୍କ କକ୍ଷକୁ ଗଲେ। ସେଠାରେ ଭାଇଭାଉଜଙ୍କ କଥୋପକଥନରୁ ଜାଣିଲେ ରାଜା ହୋଇ ନ ପାରିବା କାରଣରୁ ଧୃତରାଷ୍ଟ୍ର ବିଳାପ କରୁଛନ୍ତି। ତେଣୁ ତାଙ୍କୁ ରାଜ ସିଂହାସନ ଦେଇ ସେ କୁନ୍ତୀକୁ ସାଙ୍ଗରେ ଧରି ବନସ୍ଥକୁ ଚାଲିଗଲେ। ବନସ୍ତରେ ଭ୍ରମଣ କରୁଥିଲା ବେଳେ ତାଙ୍କୁ ଦେଖି ମାଦ୍ରୀ ନରେଶ ନିଜ କନ୍ୟା ମାଦ୍ରୀ ସହ ପଣ୍ଡୁଙ୍କ ବିବାହ କରାଇଦେଲେ। ତିନିହେଁ ବନ ପର୍ବତରେ ଭ୍ରମଣ କରିବାକୁ ଲାଗିଲେ।
ପଣ୍ଡୁ ଶିକାର ପାଇଁ ଭ୍ରମଣ କରୁକରୁ ମୃଗ ଭାବି ଅଗ୍ନିକା ରୁଷି ମୃଗ ସହ ରତି କରୁଥିବାବେଳେ ତାକୁ ଶରବିଦ୍ଧ କଲେ। ତେଣୁ ରୁଷି ଅଭିଶାପ ଦେଲେ, ପଣ୍ଡୁ ସ୍ତ୍ରୀମାନଙ୍କ ସହ ରତି କଲେ ପ୍ରାଣ ହରାଇବେ। ପଣ୍ଡୁ ହତୋତ୍ସାହିତ ହୋଇ ବ୍ୟାସଙ୍କୁ ସ୍ମରଣ କଲେ। ବ୍ୟାସ କହିଲେ, ସେ ସ୍ତ୍ରୀମାନଙ୍କ ସହ ରତି ନକରନ୍ତୁ। ଏକଥା ବି କହିଲେ ଯେ, ସେ ଯୋଗ ବଳରେ ଜାଣିଛନ୍ତି ଧୃତରାଷ୍ଟ୍ର ବୀର୍ଯ୍ୟହୀନ, ତେଣୁ ସେ ସନ୍ତାନ ଉତ୍ପନ୍ନ କରିବାକୁ ଅସମର୍ଥ। ତେଣୁ ପଣ୍ଡୁ ରାଣୀମାନେ ନିଜ ଇଚ୍ଛାରେ ସନ୍ତାନ ଜନ୍ମ କରନ୍ତୁ ଓ ସେ ସେଥିରେ ବାଧା ନଦିଅନ୍ତୁ। ନହେଲେ ଅପୁତ୍ରିକ ରହି ନର୍କଗାମୀ ହେବେ।
ସେତେବେଳକୁ ସେମାନେ ଶତଶୃଙ୍ଗ ପର୍ବତରେ ଅବସ୍ଥାନ କରୁଥିଲେ। ପଣ୍ଡୁ ଓ ତାଙ୍କ ରାଣୀମାନେ ନିଜର ଅବସ୍ଥା ପାଇଁ ଭାରି ମନସ୍ଥାପରେ ଥିଲେ। ଅଗସ୍ଥି ମୁନି ସେମାନଙ୍କ ପାଖକୁ ଯାଇ କୁନ୍ତୀଙ୍କୁ ମନେପକାଇ ଦେଲେ ଦୁର୍ବାସାଙ୍କ ମନ୍ତ୍ର ଓ ମାଳା କଥା। ସେ କହିଲେ କି ମାନବକୁ ସ୍ମରଣ କଲେ ସେ ଦୁରାଚାରୀ ହେବେ, ଏଣୁ କୌଣସି ଦେବତାଙ୍କୁ ସ୍ମରଣ କରି ସନ୍ତାନ ଉତ୍ପନ କରି ଅପୁତ୍ରିକ ଦୋଷରୁ ମୁକ୍ତି ପାଆନ୍ତୁ। ତେଣୁ କୁନ୍ତୀ ଧର୍ମରାଜ, ପବନ ଓ ଇନ୍ଦ୍ରଙ୍କୁଠାରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ପୁତ୍ରଙ୍କୁ ଲାଭ କଲେ। ସେହିପରି ସେହି ମାଳା ଓ ମନ୍ତ୍ର ଉପଯୋଗ କରି ମାଦ୍ରୀ ଅଶ୍ଵିନି କୁମାରଙ୍କଠୁଁ ନକୁଳଙ୍କୁ ପ୍ରାପ୍ତ କଲେ।
ଏହି ସମୟରେ ଗାନ୍ଧାରୀ ନିଜ ଚକ୍ଷୁରେ ଅନ୍ଧପୁଟୁଳି ବାନ୍ଧିବା ନିଷ୍ପତ୍ତି ନେବା କଥା ଶୁଣି କିଛି ପରାମର୍ଶ ଦେବା ଲକ୍ଷ୍ୟରେ କୁନ୍ତୀ ପୁତ୍ରମାନଙ୍କୁ ଧରି ହସ୍ତିନା ଫେରିଆସିଲେ। ସେ ଗାନ୍ଧାରୀକୁ କହିଲେ ଏମିତି ନକରିବା ପାଇଁ। କାହିଁକିନା ଧୃତରାଷ୍ଟ୍ରଙ୍କର ଚକ୍ଷୁ ନଥିଲେ ବି ସେ ତାଙ୍କ ଚକ୍ଷୁ ହୋଇଥିଲେ। ତେଣୁ ଗାନ୍ଧାରୀ ଅନ୍ଧପୁଟୁଳି ବାନ୍ଧିଲେ ଧୃତରାଷ୍ଟ୍ର ରାଜକାର୍ଯ୍ୟରେ ଆହୁରି ଦୁର୍ବଳ ହୋଇପଡିବେ। ମାତ୍ର ପତିବ୍ରତାର ପରାକାଷ୍ଠା ଦେଖାଇ ଗାନ୍ଧାରୀ ସେଥିରୁ ନିବୃତ୍ତ ହେଲେ ନାହିଁ।
କୁନ୍ତୀ ଯମୁନାକୁ ଗାଧୋଇ ଯାଇଥିବା ବେଳେ ସଂଜୟ ପୁତ୍ରୀ ରାଧାଙ୍କ ସହ ଶିଶୁ ପୁତ୍ରଟିଏ ଦେଖି ଜାଣି ପାରିଲେ ଯେ ସେ ହେଉଛନ୍ତି ତାଙ୍କରି ଜନ୍ମିତ କର୍ଣ୍ଣ। କିନ୍ତୁ ନିଜ ପରିଚୟ ଦେଇ ନପାରିବାରୁ ସେ ରାଧା ପୁତ୍ର ରାଧେୟ ହୋଇ ରହିଲେ।
ଏତେବେଳେ ମାଦ୍ରୀ ପଣ୍ଡୁ ସହ ସେଇ ଶତଶୃଙ୍ଗ ପର୍ବତମାଳାରେ ରହୁଥିଲେ। ସେ ମାଳା ଧରି ମନ୍ତ୍ର ଉଚ୍ଚାରଣ କରି ସ୍ଵପ୍ନରେ ପଣ୍ଡୁଙ୍କ କଥା ସ୍ମରଣ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରଣୟ ହେଲା ଓ ରୁଷିଙ୍କ ଅଭିଶାପ କାରଣରୁ ଉଭୟଙ୍କର ମୃତ୍ୟୁ ହେଲା।ଶୃଙ୍ଗାର ଅବସ୍ଥାରେ ଅଦୃଶ୍ୟରୁ ଶର ଆସି ସେମାନଙ୍କୁ ବିଦ୍ଧ କଲା। ସେମାନଙ୍କୁଠାରୁ ଜାତ ମୃତ ସନ୍ତାନକୁ ଅଶ୍ଵିନି କୁମାର ଜୀବନ୍ଯାସ ଦେଇ ବଞ୍ଚାଇଲେ।ଫଳରେ ସହଦେବ ଜନ୍ମ ହେଲେ।କିଛି ବିଲକ୍ଷଣ ପ୍ରତୀତ ହେଲାରୁ ବିପଦର ଆଶଙ୍କା କରି ପୁତ୍ରମାନଙ୍କୁ ହସ୍ତିନାରେ ଛାଡି କୁନ୍ତୀ ଶତଶୃଙ୍ଗ ଯାଇ ଦେଖିଲା ବେଳକୁ ଅଶ୍ବିନୀ କୁମାର ସହଦେବଙ୍କୁ ତାଙ୍କ ହାତକୁ ଟେକିଦେଇ ସମସ୍ତ ବୃତ୍ତାନ୍ତ କହିଲେ। ଏହା ଥିଲା କୁନ୍ତୀଙ୍କ ପାଇଁ ସବୁଠାରୁ ବିଷାଦମୟ ସମୟ। ତଥାପି ଏହି ଦାରୁଣ ଦୁଃଖକୁ ସେ ସହ୍ୟ କରି ସନ୍ତାନମାନଙ୍କ ସକାଶେ ବଞ୍ଚି ରହିବାକୁ ଚାହିଁଲେ। ସେ ପ୍ରେତକ୍ରିୟା ସମ୍ପନ୍ନ କରିବାପାଇଁ ଅନ୍ୟ ପୁତ୍ରମାନଙ୍କୁ ହସ୍ତିନାପୁରରୁ ଡକାଇଲେ। ଗାନ୍ଧାରୀ ବ୍ୟାସଙ୍କ ସହ ସେଠାକୁ ଆସି କୁନ୍ତୀ ଓ ତା ପୁତ୍ର ମାନଙ୍କୁ ହସ୍ତିନା ନେଇ ଆସିଲେ।
ସେଠାରେ ଧୃତରାଷ୍ଟ୍ର ଓ ପଣ୍ଡୁ ପୁତ୍ରମାନଙ୍କର ଶିକ୍ଷା ଆରମ୍ଭ ହେଲା। ପ୍ରଥମେ ଭୀଷ୍ମ ଓ ପରେ ଦ୍ରୋଣଙ୍କଠାରୁ ସେମାନେ ଶିକ୍ଷା ଆହାରଣ କଲେ।
ଶିକ୍ଷା ସମାପ୍ତି ପରେ ରାଜପୁତ୍ର ମାନଙ୍କର ଅସ୍ତ୍ର ବିଦ୍ୟାର କୌଶଳ ପ୍ରଦର୍ଶନ ନିମନ୍ତେ ରଙ୍ଗସଭାର ଆୟୋଜନ ହେଲା ।ସେଠାରେ ଅର୍ଜୁନ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଆଖ୍ୟା ପାଇଲେ। କର୍ଣ୍ଣ ପ୍ରତିବାଦ କରି ସ୍ପର୍ଦ୍ଧାରେ ଭାଗ ନେବାକୁ ଚାହିଁଲେ ବି ତାଙ୍କୁ ସୂତପୁତ୍ର କହି ଅପମାନିତ ହେବାକୁ ପଡ଼ିଥିଲା। ସେଠାରେ କୁନ୍ତୀ ଉପସ୍ଥିତ ଥିଲେ ହେଁ ପରିସ୍ଥିତି ଦୃଷ୍ଟିକୋଣରୁ ପୁତ୍ର ବୋଲି ସମ୍ବୋଧନ କରିପାରିଲେ ନାହିଁ। ଜଣେ ମାଆ ପାଖରେ ତାହା କିପରି ପରିସ୍ଥିତି ଥିବ ସହଜେ ଅନୁମେୟ।
ତା’ପରେ ରାଜପୁତ୍ର ମାନେ ଇନ୍ଦ୍ରପ୍ରସ୍ଥରେ ଝିମାଣି ନାମକ ଖେଳ ରଚନା କରି ଖେଳିବା ଓ ଭୀମ କୌରବ ମାନଙ୍କୁ ନିସ୍ତୁକ ପ୍ରହାର କରିବା ପୁଣି ଭୀମଙ୍କ ଗଦା ପ୍ରହାରରେ କରବୀର ପର୍ବତ ବିଚୂର୍ଣ୍ଣ ହେବା ଆଦି ଘଟଣା ଯୋଗୁ ଧୃତରାଷ୍ଟ୍ର ନିଜ ସନ୍ତାନମାନଙ୍କ ପ୍ରତି ଭୟ ପାଇଲେ।ଫଳରେ କୁନ୍ତୀ ପୁତ୍ରମାନଙ୍କ ସହ ଅନ୍ୟତ୍ର ଇନ୍ଦ୍ରପ୍ରସ୍ଥରେ ସହାବସ୍ଥାନ କରନ୍ତୁ ବୋଲି ଚାହିଁଲେ ।କିନ୍ତୁ ସେଠି ରହିବି ହସ୍ତିନାପୁରର ରାଜଦରବାରରେ ସେମାନେ ନିୟମିତ ଯୋଗଦାନ କରୁଥିଲେ। ଦୁର୍ଯ୍ଯୋଧନ ସେମାନଙ୍କୁ ଅପମାନିତ କରିବା ପାଇଁ ସେମାନଙ୍କ ପିତାଙ୍କ ନାମ ଅନୁସାରେ ଧର୍ମପୁତ୍ର, ପବନ ପୁତ୍ର ଇତ୍ୟାଦି ସମ୍ବୋଧନ କରୁଥିଲେ ଓ ଏପରିକି ମାତା କୁନ୍ତୀଙ୍କ ଚରିତ୍ରକୁ ମଧ୍ୟ ଆକ୍ଷେପ କରୁଥିଲେ। ତେଣୁ କୃଷ୍ଣଙ୍କ ପରାମର୍ଶରେ ଭୀମ ଦୁର୍ଯ୍ଯୋଧନକୁ ଗୋଲାକପୁତ୍ର ଡାକିବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ଦୁର୍ଯ୍ଯୋଧନ ଶକୁନିର କୁପରାମର୍ଶରେ ସବୁବେଳେ ପାଣ୍ଡବମାନଙ୍କର କ୍ଷତି କରିବାକୁ ଚେଷ୍ଟିତ ରହିଲା।ଏପରିକି ଏକଦା ଭୀମକୁ ଖାଦ୍ୟରେ ବିଷ ଲଡୁ ଖୁଆଇ ତା ଶରୀରରେ ପଥର ବାନ୍ଧି ତାକୁ ନଦୀ ଗର୍ଭକୁ ନିକ୍ଷେପ କରିଥିଲେ ।ମାତ୍ର ଅନନ୍ତ ନାଗ କନ୍ୟା ବେଲାବଳୀ ଯୋଗୁ ସେ ଜୀବନ ବଞ୍ଚାଇ ଫେରିବାକୁ ସକ୍ଷମ ହୋଇଥିଲେ। ଶେଷରେ ବାରୁଣାବତରେ ସୁରମ୍ୟ ପ୍ରସାଦ ତୋଳି ସେଇ ଜତୁ ଗୃହରେ ପାଣ୍ଡବମାନଙ୍କୁ ସମୂଳେ ପୋଡି ଓ ବିଷ ଦେଇ ମାରିବାକୁ ଷଡଯନ୍ତ୍ର ରଚନା କଲା।
ଏହି ସମୟରେ ଅଜ ନାମକ ଶବରର ମୃତ୍ୟୁ ପରେ ତା ପତ୍ନୀ ଓ ପାଞ୍ଚ ପୁତ୍ର କ୍ଷୁଧାର୍ତ୍ତ ହୋଇ ଭ୍ରମଣ କରୁଥିଲା ବେଳେ କୁନ୍ତୀ ସେମାନଙ୍କୁ ଖୁଆଇ ସେଠାରେ ଆଶ୍ରୟ ଦେଲେ, ଯାହା ତାଙ୍କ ଦୟାଶୀଳା ସ୍ୱାଭାବର ପରିଚାୟକ ଅଟେ।
ଜତୁଗୃହରୁ କୌଶଳ କ୍ରମେ ପାଣ୍ଡବମାନେ ମାତା କୁନ୍ତୀଙ୍କ ସହ ସୁଡଙ୍ଗ ପଥ ଅତିକ୍ରମ କରି ସୁରନଦୀ କୂଳରେ ପହଞ୍ଚିଲେ। ନାବରେ ସମସ୍ତେ ବସିଲା ପରେ ଅସ୍ତ୍ରଶସ୍ତ୍ର ଫିଙ୍ଗିଦେଲା ପରେ ବି ଓଜନ ଯୋଗୁ ନାବ ଟଳମଳ ହେଲା।ନଦୀକୁ ଓହ୍ଲାଇବା ଅର୍ଥ କୁମ୍ବୀରାସୁର ଖାଇବ। ତେଣୁ କାହାକୁ ତ୍ୟାଗ କରିବେ ବୋଲି ଯେତେବେଳେ ଭାଳେଣି ପଡ଼ିଲା, କୁନ୍ତୀ ମନେମନେ ଭାବିହେଲେ ଭୀମ ହୁଏତ କୁମ୍ଭୀରାସୁର ସହ ଲଢ଼ି ପାରିବେ। ତାହା ଜାଣି ଭୀମ ନଦୀକୁ ଡେଇଁ ପଡ଼ିଲେ ଓ ଅସୁର ସହ ଲଢ଼ି ତା ବକ୍ଷ ବିଦାରଣ କରି ତାକୁ ବଧ୍ୟ କରି ପୁଣି ଆସିଗଲେ। କାରଣ ଭୀମର ବଳ କୁଇଁନ୍ତା ଜାଣେ ଅର୍ଥାତ ମାକୁ କେବଳ ପୁତ୍ରମାନଙ୍କର ପ୍ରକୃତ ବଳ ଜଣାଥାଏ। ପୁଣି ବନସ୍ତରେ ଭ୍ରମଣ କରୁଥିଲା ବେଳେ କିନ୍ନରାସୁର ଓ ହିଡିମ୍ବକ ବଧ୍ୟ ହେଲେ। ହିଡ଼ିମ୍ବକର ଭଉଣୀ ହିଡିମ୍ବିକୀର ସମର୍ପଣ ଭାବ ଦେଖି କୁନ୍ତୀ ତାକୁ ଭୀମ ପତ୍ନୀ ରୂପେ ଗ୍ରହଣ କଲେ। ସେଇ ହିଡିନ୍ଦକ ବନରୁ ବିଦାୟ ନେଲା ପରେ ଭିକ୍ଷା ଚରଣ କଲେ ଓ ଛଦ୍ମବେଶ ଧାରଣ କରି ରହିଲେ । ପ୍ରଥମେ ଶିବପୁର ନାମକ ଗ୍ରାମରେ ପହଂଚି ଭିକ୍ଷା ଗ୍ରହଣ କଲେ। ସେଠାରେ ଚଣ୍ଡାଳ ମାନଙ୍କୁ କବଳରୁ ଗ୍ରାମବାସୀ ଙ୍କୁ ରକ୍ଷା କରି ବିଷ୍ନୁଙ୍କରକୁ ବିଷ୍ନୁପୁରର ରାଜା କରି ଅନ୍ୟତ୍ର ଚାଲିଗଲେ। ସେଠାରୁ ଆସି ଏପରିକି ଏକଛତ୍ରୀ ନଗରର ଦରିଦ୍ର ବେଦଶ୍ରବାଙ୍କର ଘରେ ଆଶ୍ରୀତ ହୋଇ ସେମାନଙ୍କୁ ରହିବାକୁ ହେଲା। ଯେଉଁଠାରେ ଭୀମଙ୍କୁ ପୁଣି ସଙ୍କଟରେ ଶିକାର ହୋଇ ବକାସୁରକୁ ବଧ୍ୟ କରିବାକୁ ପଡିଲା।
ଅନ୍ୟପଟେ ହସ୍ତିନାରେ ସେମାନଙ୍କ ମୃତ୍ୟୁ ହୋଇଥିବା କଥା ଜାଣି ସେମାନଙ୍କ ପ୍ରେତ କ୍ରିୟା ବିଧି ସମ୍ପନ୍ନ ହୋଇ ସାରିଥିଲା। କୁନ୍ତୀ ଭାବିଲେ ଏଇମିତି ଦୂରରେ ରହିବା ବରଂ ଭଲ ମାତ୍ର ଫେରିଲେ ପୁଣି ଶତୃତା ବଢିବ। ତେଣୁ ସେ ସନ୍ତାନମାନଙ୍କ ସୁରକ୍ଷା ପାଇଁ ନାହିଁ ନଥିବା କଷ୍ଟକୁ ବରଣ କରିନେଲେ। ଏଣେତେଣେ ବ୍ରାହ୍ମଣ ବେଶରେ ଭ୍ରମଣ କରୁଥିଲା ବେଳେ ଏପରିକି କୁରାଳ ଶାଳରେ ରାତ୍ରିଯାପନ କରିବାକୁ ପଡ଼ିଥିଲା।
ଠିକ୍ ସେଇ ସମୟରେ ଦ୍ରୌପଦୀଙ୍କ ସ୍ଵୟମ୍ବରରେ ଭାଗ ନେଇ ଅର୍ଜୁନ ମନଭେଦି ଶର ପ୍ରୟୋଗ କରି ଲାଖବିନ୍ଧା ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇ ଦ୍ରୌପଦୀକୁ ଲାଭ କଲେ। ମାତ୍ର ଜ୍ଯେଷ୍ଠମାନେ ଥାଉଥାଉ କିପରି ସେ ତାଙ୍କୁ ବିବାହ କରିବେ ବୋଲି ନିର୍ଣ୍ଣୟ ନେଇ ପାରୁନଥିବା ବେଳେ ମାତାଙ୍କ ପାଖରେ ଆସି ହାଜର ହେଲେ ଓ କହିଲେ, ଆମେ ଏକ ଦୁର୍ଲ୍ଲଭ ପଦାର୍ଥ ନେଇ ଆସିଛୁ।ମାତା ସେତେବେଳେ ରୋଷେଇରେ ନିମଗ୍ନ ଥିବାବେଳେ କିଛି ନ ଦେଖି କହିଲେ, ସମାନ ଭାବେ ବାଣ୍ଟି ଖାଅ। ପୁତ୍ର ମାନେ ସ୍ତମ୍ଭୀଭୂତ ହୋଇଗଲେ। ପରିଣତି ସ୍ଵରୂପ ଦ୍ରୌପଦୀ ପାଞ୍ଚ ପତିଙ୍କୁ ବରଣ କଲେ ।
ଏହି ସ୍ଵୟମ୍ବର ପରେ ପଣ୍ଡବମାନେ ବଞ୍ଚିଥିବା କଥା ଜଣା ପଡ଼ିବାରୁ ଧୃତରାଷ୍ଟ୍ର ବାଧ୍ୟ ହୋଇ ସେମାନଙ୍କୁ ଫେରେଇ ଆଣିଥିଲେ ଓ ଅର୍ଦ୍ଧେକ ରାଜ୍ୟ ଦେବାକୁ ବାଧ୍ୟ ହୋଇଥିଲେ ।ଇନ୍ଦ୍ରପ୍ରସ୍ଥରେ ସେମାନେ ରହିଲେ ।
ଅନ୍ୟପଟେ ଶକୁନିର ମନ୍ତ୍ରଣାରେ ଦୁର୍ଯ୍ଯୋଧନ ଅହରହ ପାଣ୍ଡବମାନଙ୍କୁ ହାନି ପହଞ୍ଚେଇବା ଚେଷ୍ଟା ଜାରି ରଖିଥିଲେ ।ଶେଷରେ କପଟ ପାଶାରେ ହରାଇ ସେମାନଙ୍କର ସର୍ବସ୍ୱ ଲୁଟିନେଲେ ଦ୍ରୌପଦୀ ଲଜ୍ଜାଜନକ ବସ୍ତ୍ରହରଣର ଶିକାର ହୋଇ ଲାଞ୍ଛନା ସହିଲେ ।ତେଣୁ ସେ ତାଙ୍କ କ୍ରୋଧାଗ୍ନୀରେ ଜାଳିପୋଡ଼ି ଭଷ୍ମ କରିବା ଆରମ୍ଭ କରିବାରୁ ଧୃତରାଷ୍ଟ୍ର ଅନୁତାପ କରି ତାଙ୍କୁ ଶାନ୍ତ କରାଇଥିଲେ ଓ ପୁଣି ରାଜ୍ୟ ରାଜସିଂହାସନ ଫେରାଇଥିଲେ। ହେଲେ କ’ଣ ହେବ କିଛିଦିନର ବ୍ୟବଧାନ ଅନ୍ତରରେ ଆଉଥରେ ପୁଣି ପଶା ଖେଳାଇ ପାଣ୍ଡବମାନଙ୍କୁ ବାର ବର୍ଷ ପାଇଁ ବନବାସ କରାଇଲେ ଯହିଁରେ ବର୍ଷେ ତେର ଦିନ କଷ୍ଟଦାୟକ ଅଜ୍ଞାତବାସ ଥିଲା ।ମାତା ସବୁବେଳେ ପୁତ୍ରମାନଙ୍କୁ ସାଥ୍ ଦେଉଥିଲେ ।ମାତ୍ର ବୟସାଧିକ୍ୟ କାରଣରୁ ଓ କୃଷ୍ନଙ୍କ ପରାମର୍ଶ ହେତୁ ସେ ବନବାସ ନକରି ବିଦୁର ପାଖରେ ହସ୍ତିନାପୁରେ ରହିଲେ ।
ବନବାସ ସମ୍ପୂର୍ଣ୍ଣ ହେଲା ପରେ ଦୁର୍ଯ୍ଯୋଧନ ସେମାନଙ୍କୁୂ ରାଜ୍ୟ ଫେରାଇ ଦେବା କଥା, ମାତ୍ର ବିନା ଯୁଦ୍ଧେ ନଦେବି ସୁଚ୍ୟଗ୍ରେ ମେଦିନୀର ଆସ୍ପର୍ଦ୍ଧା କରି ଗୋଟିଏ ବି ପଡା ଦେବାକୁ ଅମତ ହେବାରୁ ଯୁଦ୍ଧ ଅବଶ୍ୟମ୍ଭାବୀ ହୋଇପଡିଲା। ମାତା ବି ଏହାକୁ ବାଧ୍ୟ ହୋଇ ସମ୍ମତି ଦେଇଥିଲେ। ଯୁଦ୍ଧର ବିଭିଷିକା ଭୟାବହ ହେଲା ।କେତେ ଆତ୍ମୀୟସ୍ବଜନ ଅଚିରେ ଟଳି ପଡ଼ିଲେ ।ଶେଷରେ ଧର୍ମର ଜୟ ହେଲା ।ହେଲେ ସେତେବେଳକୁ ସମସ୍ତଙ୍କ ମନ ପ୍ରାୟତଃ ବିଷାଦିତ ହୋଇଯାଇଥିଲା ।ଯାହାବି ହେଉ ଦୁର୍ଯ୍ଯୋଧନଙ୍କ ନିଧନ ପରେ ଯୁଧିଷ୍ଠିର ଶେଷରେ ରାଜା ହେଲେ।
ସେତେବେଳେ ନିଃସନ୍ତାନ ପାଳଟିଥିବା ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କୁ ସେ ନାନା ପ୍ରବୋଧନା ଦେଇ ପାଖରେ ରଖିଲେ ।ପୁଣି ପିଲାମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ଜ୍ଯେଷ୍ଠ ଓ ଗୁରୁଜନ ହୋଇଥିବାରୁ ତାଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ।
ମହାଭାରତ ଯୁଦ୍ଧ ପରେ ମନରେ ଶାନ୍ତି ଆଣିବା ପାଇଁ ପାଣ୍ଡବମାନେ ଅଶ୍ଵମେଧ ଯଜ୍ଞ କଲେ ।ତହିଁ ପରେ ଗାନ୍ଧାରୀ ଓ ଧୃତରାଷ୍ଟ୍ର ବାନାପ୍ରସ୍ଥରେ ବାହାରିଲେ ।ଅନ୍ତତଃ ସୁଖ ସମୟ ଆସି ଯାଇଥିଲେ ମଧ୍ୟ କୁନ୍ତୀ ମଧ୍ୟ ସେମାନଙ୍କ ସହ ବାହାରି ପଡ଼ିଲେ ।ଯେତେ ବୁଝାଇଲେ ମଧ୍ଯ ସେ ବୁଝିଲେ ନାହିଁ ।ବିଦୁର ଓ ସଂଜୟ ମଧ୍ଯ ସେମାନଙ୍କ ସହ ଗଲେ। ଅନ୍ତିମ ସମୟରେ ସେମାନେ ସମସ୍ତେ ଫଳମୂଳ ଖାଇ ନାନା ତୀର୍ଥସ୍ଥାନ ଭ୍ରମଣ କରିବାକୁ ଲାଗିଲେ।
କୁନ୍ତୀ ମାତା ଖୁବ୍ ସୁନ୍ଦର ସଂସ୍କାର ଦେଇଥିଲେ ପିଲାମାନଙ୍କୁ। ସେମାନଙ୍କର ଗୁରୁଜନ ପ୍ରତି ଭକ୍ତି ଓ ମାତା ପ୍ରତି ଅନୁରକ୍ତି ଖୁବ୍ ଥିଲା। ଭାଇମାନଙ୍କ ଭିତରେ ଅନୁବନ୍ଧନ ମଧ୍ଯ ଭଲ ଥିଲା। ଧର୍ମ, ନ୍ୟାୟ, ନୀତି ଓ ସତ୍ୟାନୁସରଣ ସେମାନଙ୍କର ଥିଲା ଆଦର୍ଶ। ପାଣ୍ଡବମାନେ ଶୌର୍ଯ୍ୟବୀର୍ଯ୍ୟର ପ୍ରଚଣ୍ଡ ପରିଚୟ ଦେବା ସଙ୍ଗେ ସଙ୍ଗେ ରାଜ୍ୟ ଓ ପ୍ରଜାଙ୍କ ହିତରେ ସଦା ସର୍ବଦା କାର୍ଯ୍ୟ କରୁଥିଲେ।କୁନ୍ତୀଙ୍କର ବ୍ୟକ୍ତିତ୍ଵର ଔଜଲ୍ୟରେ ପ୍ରାୟତଃ କେହି ତାଙ୍କୁ ବିଶେଷ ଅସଦାଚାରଣ କରୁ ନଥିଲେ ।ସମସ୍ତଙ୍କର ସିଏ ସର୍ବଦା ପ୍ରିୟଭାଜନ ହୋଇ ରହିଥିଲେ।କୁନ୍ତୀ ମାତାଙ୍କ ପରି ସ୍ନେହଶୀଳ ଓ ଅତ୍ୟନ୍ତ ଧୈର୍ଯ୍ୟଶୀଳା ଖୁବ୍ କମ୍ ଲୋକଙ୍କ ଠାରେ ଦେଖିବାକୁ ମିଳେ। ସମସ୍ତ ପ୍ରତିକୂଳ ପରିସ୍ଥିତିରେ ବି ସ ସନ୍ତାନ ମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ସେମାନଙ୍କର ଶକ୍ତି ହୋଇ ଛିଡ଼ା ହୋଇଥିଲେ।