କୁନା ବାପାର ଭାରି ବଢିଆ ଚାକିରୀ । ସରକାରୀ ଘରର ସେ କିରାଣୀ । ନିତି ଶେଯରୁ ଉଠି, ଅଫିସ୍ ଚାଲି ଯାଆନ୍ତି; ଫେରିଲା ବେଳକୁ, ରାତି ଅଧ ହୋଇଯାଇଥାଏ । ତଥାପି ବାସି କାମ ସରେ ନାହିଁ; ଅଫିସର ପାଖକୁ ପ୍ରତ୍ୟହ ଗାଳି ଖାଆନ୍ତି । ତାଙ୍କର କଅଣ ଏମିତି ସେମିତି ନୌକରୀ; ସେ ପରା କିଲକ୍ଟର ହର ରେସିଡ଼େନ୍ସ- ଦାୟିତ୍ୱରେ ଅଛନ୍ତି । କିନ୍ତୁ ହୋମ୍ ମିନିଷ୍ଟର ଏପଟେ ରାଗିକି ଖପ୍ପା ହୁଅନ୍ତି । ଘର କାମ କେଉଁଟା ବି ହୁଏ ନି ଠିକ୍ ଠାକ୍ ।କୁନାକୁ ସବୁବେଳେ ଝାଡ଼ା-ବାନ୍ତି; ପୁଣି କୁନା ବୋଉର ପେଟ ବେମାରୀ, ଅଣ୍ଟା ଦରଜ; ହେଲେ ଡ଼ାକ୍ତର ପାଖକୁ ନେବାକୁ ହୁଏନି କେତେବେଳେ ବି ଟାଇମ୍ ।
କୁନା ବୋଉକୁ ଏ ଗୁଡ଼ାକ ମୋଟରୁ ଭଲ ଲାଗେନି । କହନ୍ତି- “ଇଏ କୋଉ ଚାକିରୀରେ ଯାଏ କି ବା? ହେଲେ ବାପା ତା’ର ହେଡ଼୍ କ୍ଲର୍କ; ସରକାରୀ ଅଫିସରେ, ସେ ବଡ଼ ବାବୁ । ଡ଼ରେ ପିଅନ୍ ଚପରାସୀ ସବୁ ଘରେ ଖଟନ୍ତି । ଦୈନିକ ଦିନ ବାରଟାରେ ଅଫିସ୍ ଯାଆନ୍ତି; ଯାହା ଇଛା ସେୟା କରନ୍ତି । ପୁଣି କେବେ କେବେ ଘରେ ବସି ଖୁସି ଗପ ଜମାନ୍ତି; ‘ଜ୍ୱର ହୋଇଛି’- କହି; ଅଫିସକୁ ଫୋନ୍ କରନ୍ତି । ଏଫ.ଏଲ.ମାରି ସବୁ ସୁବିଧା ସୁଯୋଗ ନିଅନ୍ତି । ପ୍ରତ୍ୟହ ପାଞ୍ଚ-ଶହ- ହଜାରେ ଧରି ଘରକୁ ଫେରନ୍ତି; ଲୋକ କୁଆଡ଼େ ଯାଚି କି ଦିଅନ୍ତି । ଗୁପ୍ଚୁପ୍ ଦହିବରା ରୋଜ୍ ଖୁଆନ୍ତି । ବାପା ତ ଆମର ଭାରି ହେର୍ଡ଼ ଷ୍ଟ୍ରଙ୍ଗ୍ । ହେଲେ ଇଏ ତୁମର କି ଚାକିରୀ ବା ?”
କୁନା ବୋଉର କଥା ଶୁଣି, କୁନା ବାପାର ମୁହଁ ଶୁଖି ମଳିନ ପଡ଼େ; ଲାଜରେ ଝାଉଁଳି ପଡ଼ନ୍ତି । ପତ୍ନୀ ପାଖରୁ ହୀନମାନ କଥା ଗୁଡ଼ାକ ଶୁଣି, ରାଗରେ ଜର୍ ଜର୍ ହୁଅନ୍ତି ସିନା ; ହେଲେ ନୀରବରେ ସବୁ ସହନ୍ତି । କାରଣ ସେ ଜାଣିଥାନ୍ତି, ପାଟି ଖୋଳି ପଦେ କହିଲେ; ଏଇ ଲାଗେ ହାଟ ବସିବ । ମନେ ମନେ ଖାଲି ବରବର ହେଉଥାନ୍ତି- “ବାପାଟା ତୋର କାମିକା -ଦାମିକା ଭାରି ସଚ୍ଚୋଟ, ନା ଟାଉଟରଙ୍କର ଶିରୋମଣି? ସେତେବେଳେ କେମିତି ମାଇନର ଖଣ୍ଡେ ପଢି. ଆହୁରି ଚାକିରୀ ଗୋଟେ ପାଇଥିଲେ କୁହ….” ।
କୁନା ବାପା ଯେତେ ଜାଣିବାର ଲୋକ ହୁଅନ୍ତୁ ନା କାହିଁକି ; କିନ୍ତୁ ଆପଣ ସ୍ତ୍ରୀ ଆଗେ ତାଙ୍କର ସବୁ ଗର୍ବ ଭାଙ୍ଗି ଚୁରମାର ହୁଏ । ନଥାଉ ପଛେ ବୁଦ୍ଧି -ଅକଳ ଅବା ପାଠ-ସାଠ ଦି ଅକ୍ଷର, କୁନା ବୋଉ କିନ୍ତୁ ଭାରି ଜାଣିବାର । ସେ ଜିଣିଲେ ଜିଣି ପାରନ୍ତି, ପୃଥିବୀଟା ସମୂହ, ହେଲେ କୁନା ବୋଉ ଆଗେ ହାରିବାଟା ସ୍ଥିର ନିଶ୍ଚୟ ଅଟେ ଜାଣ । ତାଙ୍କର ସମସ୍ତ ଜ୍ଞାନ ଗାରିମା ଆଉ ବୌଦ୍ଧକ ପରୀକ୍ଷା ଅବା ସରକାରୀ ନୌକାରୀଟା; ତା’ ଆଗେ ଲଘିମା ଲଭେ । ତାଙ୍କର ସମସ୍ତ ଫୁଟାଣୀ-ଟିପ୍ପଣୀ ତା’ନିକଟେ ନ୍ୟୁନ ପଡ଼େ; ତେଣୁ କୁନା ବାପା କରନ୍ତିନି କେବେ- ବଡ଼ିମା ।
ଦିନେ କୁନା ବାପା ସଉଦା ପାଇଁ ମାର୍କେଟ ବାହାରିଥାନ୍ତି । କୁନା ବୋଉର ତାଗିଦ୍ ଶୁଣି ଶୁଣି ହେଲେ ଛାନିଆଁ – “ଏଟା ଆଣିବ, ସେଟା ଆଣିବ, ବେଗି ଆସିବ । ପୁଣି ସବୁ ସଜ ତଟକା ଧରି ଆଣିବ; ତା ଛୁଆ ଖାଇବନି ବାସି ଦରବ -ଏମିତି କ’ଣ ।
କୁନା ବାପା ଡ଼ରି ଡ଼ରି ବଜାର ଗଲେ- “ଏଥକୁ ଗଡ଼ ବଡ଼ ହେଲେ କୁନା ବୋଉ ନିଶ୍ଚୟ ସବୁ ଛାଟିକି ଫିଙ୍ଗି ଦେବେ ।” ଲିଷ୍ଟ ମିଳାଇ ମିଳାଇ ସଉଦା -ପାତି ସବୁ କିଣିଲେ । ଗୋଟିଏ ଯେମିତି ବାହୁଡ଼ି ନ ଯାଏ, ସବୁ ଘିନିକି ଆଇଲେ । ମନେ ମନେ ଭାବୁଥାନ୍ତି- “ଟିକିଏ ଏପଟ ସେପଟ ହେଲେ, କୁନା ବୋଉ ନିଶ୍ଚୟ ଚିଲା-ଚିଲି କରି, ପଡ଼ିଶୀଙ୍କୁ ଏକାଠି କରିବ; ନିଜ ଅପାରଗପଣିଆ ମିଛଟାରେ ସବୁ ପଦାରେ ପଡ଼ିବ ।
କିଣିଲେ- ଜହ୍ନି, ବାଇଗଣ, କଷି କାକୁଡ଼ି ଆଉ କେତେ ସୁଆଦିଆ ଦେଶୀ ଦରବ । ଘରେ ଆସି ପହଞ୍ଚିବ ଆଗୁ; କୁନା ବୋଉ ଫିଟାଇ ଦେଖିବାକୁ-ହେଲେ ତରତର । “ପୋକା ବାଇଗଣ, ବୁଢା ବାଇଗଣ”- କହି; ଗୋଟି ଗୋଟି ସବୁ ତଳେ ଦେଲେ ଫିଙ୍ଗି । “ପିତା କାକୁଡ଼ି ଜାଲି ଜହ୍ନି”- କହି; ସବୁ ଦେଲେ ପକାଇ । କୁନା ବାପାର ଅକଲ ହେଲା ଗୁଡ଼ୁମ୍ । କୁନା ବୋଉର ରାଗ ଗର -ଗର ମୁହଁ ଛିଞ୍ଚଡ଼ା ଦେଖି; ଅଖିଆ-ପିଆ ଅଫିସ୍ ଗଲେ-ସଅଳ ପଳାଇ ।
ତାଙ୍କର ମୁହଁ ଭୂରୁଙ୍ଗା ଦେଖି, ଅଫିସ୍ ସାରା ହେଲେ- କାବା । ପଚାରିଲା ଉତ୍ତାରୁ; କୁନା ବୋଉ ଗୁଣବତୀର ଗୁଣ ବଖାଣିଲେ । “କୁନା ବୋଉର ଜ୍ୱାଳା ସିଏ ଆଉ ସହି ପାରିବେ ନାହିଁ – କହି, ଭେଁ-ଭେଁ ରଡ଼ି ଛାଡ଼ିଲେ । ଗୋଟିଏ ଛୋଟିଆ ଗୋଲ୍ ଟେବୁଲ୍ ବୈଠକ ବସିଲା । ସାଥୀ ସହକର୍ମୀ ବୁଝାଇ କହିଲେ- “ମନ ଉଣା କଲେ କି ଚଳିବ? ସଂସାର କରିଥିଲେ ପରା, ପଥର ପଡ଼ିଲେ ସହି” ।
ଏଥର ଅଫିସ୍ କାମ ସାରି ଘରକୁ ଫେରିଲେ; ନିଜ ଲୁଗୁଆ ପଟା, ନିଜେ ସଜାଡ଼ି ରଖିଲେ । କିନ୍ତୁ ହଠାତ୍ କୁନା ବୋଉର ପାଟି ଶୁଣି-ଚିଇଁକି ଉଠିଲେ । ଛାତିରେ ପୁଳାଏ ଖଣ୍ଡ ଛେପ ପକାଇ, ଛେପ ଢୋକିଲେ । ନୀରବରେ ସବୁ ଶୁଣିଲେ- ‘ତୁମେ କୁନା ବାପା କିଛି ଜାଣି ନାହିଁ । ଏଠି କଣଅ ଜୋତା ମୌଜା; ଏମିତି ରହେ? ସାର୍ଟ ପ୍ୟାଣ୍ଟ ସେଠି ନରଖି, ଏଠି ରଖ, ହାତ ଗୋଡ଼ ଧୋଇ ଧିରିକି ବସ” । ଭାବିଲେ- ସତେକି ସିଏ କୁନାଠୁ ହୀନ;କୋଉ କାମକୁ ନୁହେଁ ଧୃତ । ତହିଁ ଆରଦିନ ଶେଯରୁ ଉଠି, ସିଧା ହାଟକୁ ଗଲେ । କୁନା ବୋଉର ତାଗିଦ୍ ମାନି, ବଜାର କଲେ । ହାଟ ସାରା ଦରାଣ୍ଡି ଦରାଣ୍ଡି ଜିନିଷ କିଣିଲେ । ଗୋଟା ମାଛ, ପାଚିଲା ଟମାଟର, ଭଲ ଦରବ ସବୁ ଧରି ଘରକୁ ଧାଇଁଲେ । ହେଲେ ସ୍ତ୍ରୀ’ର ସରାଗ ନ ଦେଖି ମନଟା ହେଲା – ଫିକା । କୁନା ବୋଉର କମ୍ପ୍ଲେନ୍ ଚାଲିଲା – “ପଚା ମାଛ, ପଚା ଟମାଟର ମୁଁ ରାନ୍ଧିପାରିବିନି; ତୁମ ଭଳି ଅଯୋଗାକୁ ନେଇ ଘର କରିବିନି” ।
ଅଫିସରେ ଯାଇ ସବୁ କହିଲେ; ଅଫିସ୍ ଯାକ ଏକାଠି ହେଲେ । ଏଥର ଚାଲିଲା କେତେ ସଲାହ-ମସୁଧା । ମଦନ ବାବୁ କହିଲେ- “ଧୈର୍ଯ୍ୟ ଧର ବନ୍ଧୁ! ବିପଦ ଯିବ ଟଳି ।” କାନେ କଅଣ ଫୁସ୍ ଫୁସ୍ ଦେଲେ- ଫୋଡ଼ି । କୁନା ବାପା ପେଟେ ଖାଇ ଘରକୁ ଫେରିଲେ । କନ୍ଥା- ଘୋଡ଼ି-ଘାଡ଼ି ହୋଇ ଶୋଇ ପଡ଼ିଲେ । ପତ୍ନୀ ଡ଼ାକି ଡ଼ାକି ଥକିଲେ। ମୋଟେ ଉଠିଲେ ନାହିଁ । କୁନ୍ଥୁ-କାନ୍ଥୁ ହୋଇ ରହିଲେ । ଜ୍ୱରେ କମ୍ପୁଛନ୍ତି- କହିଲେ । ଆଖି ବୁଜିବୁଜି – ଶୋଇଲେ । ପତ୍ନୀ ନାଚି -କୁଦି; ଘଷି -ମୋଡ଼ି ହୋଇଲେ- ଥକ୍କା ।ଔଷଧ ପତର ଆଣିବାକୁ ହେଲେ- କେତେ ନେହୁରା । “ପାରିବେ ନାହିଁ, ମୁଣ୍ଡ ଘୂରାଉଛି” – କହି; କୁନା ବାପା କଥା ଦେଲେ-ଟାଳି । ଏଥୁ ଅନ୍ତେ ଉପାୟ ଶୂନ୍ୟ ହୋଇ, କୁନା ବୋଉ ବ୍ୟସ୍ତେ ସୁଁ-ସୁଁ ହୋଇ; ବଜାରକୁ ଦୌଡ଼ିଲେ । ବଡ଼ କଷ୍ଟେ ଡ଼ାକ୍ତର ପଚାରି, ଔଷଧ ଆଣିଲେ । ଟଙ୍କାକ ଜିନିଷକୁ ଦଶଟଙ୍କା ଦେଲେ । ଭଲ ବୋଲି ଭେଲ ଧରି ଘରକୁ ଆଇଲେ ।
କୁନା ବାପାର କରାମତି, ଏବେ ଆଉ କିଏ ଦେଖେ? – “ଜନ୍ଦା ଖିଆ ମିଶ୍ରି, ପୋକ ଶାଲୁ-ଶାଲୁ ଶାଗୁ-କହି , ଥୁ-ଥୁ କରି-ସବୁ ଦେଲେ ଫିଙ୍ଗି । କୁନା ବୋଉ ରାଇଜ ଯାକ ଜିନିଷ ଆଣି, ଘରେ କଲେ- ଗଦା; ହେଲେ କୋଉଟା ବି ହେଲାନି- ସିଧା । କୁନ ବାପା କହିଲେ – “ଏଠି ପଇସା ଅସଲି, ଆଉ ସବୁ କଣ ନକଲି ? କୁନା ବୋଉ ତୁମେ କିଛି ଜାଣିନା: ତୁଚ୍ଛାଟାରେ କାହିଁ ପାଇଁ ମାର ଏତେ ମୁହଁ ଭୂରୁଡ଼ି ?”
କୁନା ବୋଉ କଅଣ ବୁଝିଲେ କିଏ ଜାଣି ? “କ୍ଷମା କର” ବୋଲି କହି; ତଳେ ଗଲେ -ଲୋଟି । ଏଥର ହମା ରଡ଼ି ଦେଖେ ଆଉ କିଏ? କୁନା ବାପା ଫେଁ କରି ହସି ଦେଲେ। କହିଲେ-
“ଆସ ଚାମେଲି ଆସ । ଆଉ ବାହାରି ପଡ଼,ସିନେମା ଦେଖାଇ ନେବି ଆସ । ଏଠି ଔଷଧ ଅସଲି, ଡ଼ାକ୍ତର ନକଲି; ନା ଡ଼ାକ୍ତର ଅସଲି,ରୋଗୀ ନକଲି;- ସବୁ ନକଲି, ସବୁ ଅସଲି, କିଏ ସେ ନକଲି, କିଏ ସେ ଅସଲି; – ବୁଝିବା ବଡ଼ ମୁସ୍କିଲ୍ । ଏ’ତ ଆମ ଦେଶ ଦୁନିଆ ; ଦେଶୀ ଦରବ-ଭାରି ବଢିଆ । ତୁଚ୍ଛାଟାରେ ଆମେ କିଆଁ ଲାଗିବା ପରସ୍ପରେ -କଳି “।
ଏତକ କଥା-କହି; ପତ୍ନୀର ହାତ ଧରି ଭିଡ଼ିନେଲେ – ବଜାରକୁ । ଘର ଭାଲୁ ବାହାର ଜଗତ ଦେଖିଲେ; ସୌଦାପାତି ସବୁ ଧରି, ଘରକୁ ଫେରିଲେ । ଖାଇ-ପିଇ ପେଟେ ଖୁସିରେ ରହିଲେ । ସେହି ଦିନୁ, ମୋଟେ ଆଉ ହୋଇନି କଳି । ଅଫିସ ସାରା କିନ୍ତୁ ଧ୍ୱନୀ ମଚାନ୍ତି- “କୁନା ବାପା ତୁମେ କିଛି ଜାଣିନ; କୁନା ବୋଉ ତୁମେ ସବୁ ଜାଣିଛ” ।
କୁନା ବାପା ଆବେଗରେ ହସି କହନ୍ତି – “ଭାଇ ! ସେତିକି ଥାଉ; ଆଉ କରନି ମୋତେ ଥଟ୍ଟା” ।