ଏଇ ଦେଖ ଆକାଶ ବକ୍ଷରେ …………..ସେ କ’ଣ ? ଓଃ ସେହି ମହାପୁରୁଷ ମାନଙ୍କର ଚିତ୍ରନା ? ପୁଣି ଲୁଚିଗଲା ଯେ ? ନା ନା ମନର କାହିଁ ସ୍ଥିରତା ତ ଆସୁନାହିଁ । କେମିତି ବା ଆସିବ । ଏହି ବାଦଲ ଗୁଡ଼ା ଯେ ଅସ୍ଥିର ହୋଇ ଖେଳି ବୁଲୁଛନ୍ତିି । କେତେବେଳେ କାହାର କେଉଁ ରୂପରେଖ, କି ନାଟ ବା ରଚୁଛନ୍ତି, କହି ହେଉନାହିଁ । ଆକାଶଟା ବି ସେମିତି ନର୍ତ୍ତନମୟ ଦେଖାଯାଉଛି ।
କିନ୍ତୁ ଏ ପରିପର୍ତ୍ତନଶୀଳ ………………..? ସେ କହି ଚାଲିଥାନ୍ତି ।
ଆଶ୍ୱିନର ଏକ ବ୍ୟସ୍ତ ସକାଳ । ମେଘଧାରା ବନ୍ଦ ହୋଇଯାଇଥାଏ– ସେଦିନ । ପ୍ରାଚୀ ଦିଗ୍ ପଟରୁ ମଧ୍ୟ ଉଇଁ ଆସିଲାଣି ସୂର୍ଯ୍ୟାଲୋକ । ଖୁବ୍ ଶୀଘ୍ର ପେଣ୍ଟଟା ପିନ୍ଧିଦେଇ ବାହାରକୁ ବାହାରି ପଡ଼ିଲି । ଦୀର୍ଘଦିନ ଧରି ବର୍ଷାଟା ଲାଗି ରହିଥିବାରୁ ବାହାରକୁ ମୋଟେ ବାହାରି ପାରି ନଥିଲି । ସେଇଥି ପାଇଁ ମନଟା ଖୁବ୍ ଚଞ୍ଚଳ ହୋଇ ଉଠୁଥିଲା । କିଛି ବାଟ ଯିବାପରେ ଜାତୀୟ ରାଜ ପଥର ସୀମା ସ୍ପର୍ଶକରି ଖୁବ୍ ଆନନ୍ଦ ଅନୁଭବ କଲି । ରାଜ ପଥର ପିଚୁ ରାସ୍ତାଟା ମଧ୍ୟ ବେଶ୍ ଖୁସିଥିଲା । ଏହି ରାଜପଥ ଉପରେ କେତେଥର ଚାଲିଛି । ମୋରି ପାଦର କେତେ ଧୂଳି କଣା ତାରି ଛାତି ଉପରେ ଲାଗି ରହିଥିବ । ତା’ରି ଛାତି ଉପରେ ମୋର କଳା ବୁଟର ଭାରିକୁ କେତେଥର ଅଜାଡ଼ି ଦେଇ ମୁଁ ଶାନ୍ତି ଲାଭ କରିଛି । ସବୁ ଦିନିଆ ସାଙ୍ଗ ଏଇ ପିଚୁ ରାସ୍ତଟା । ତଥାପି ସେଦିନ କାହିଁକି ମନରେ ଲାଗିଥିଲା ନୂଆ ରକମର ଆନନ୍ଦ, ନୂଆ ଉତ୍ସାହ । ସିମେଣ୍ଟ ନିର୍ମିତ୍ତ ପୋଲର ସୀମା ଦେଶ ଟିକିଏ ଉଚ୍ଚା ହୋଇ ଉଠି ଯାଇଥିଲା ଖୁବ୍ ଉପରକୁ । ଉଠିବା ବେଳକୁ ଅବଶ୍ୟ ଟିକେ କଷ୍ଟ ହେଉଥିଲା । ରାସ୍ତା ଉପରକୁ ଆସି ଉପରକୁ ଅନାଇଲି । ବାଦଲ ପ୍ରିୟ ଆକାଶ ହସି ଉଠୁଥିଲା । ପୂର୍ବ ଦିଗରୁ ସୂର୍ଯ୍ୟ ଅଳ୍ପ ଦୂରେଇ ଆସିଲେଣି । ସମୟ ୮ଟା ହେବ ପ୍ରାୟ । ଗତିର ଲକ୍ଷ୍ୟ ମୋର ନିର୍ଦ୍ଦିଷ୍ଟ ନ ଥିଲା । ଇଚ୍ଛାଥିଲା କେବଳ ପ୍ରକୃତିକୁ ତିଳ ତିଳ କରି ଅନୁଭବ କରିବା ପାଇଁ । ଇଛା ହେଉଥିଲା ଚିତ୍ରମୟୀ ପ୍ରକୃତିର କୋଳ ମଧ୍ୟରେ ଯେତେ ସବୁ ଚିତ୍ର ବିଚିତ୍ର ଅଛି ସେମାନଙ୍କୁ ଘାଣ୍ଟି ସେମାନଙ୍କର ସୈାନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ । କିନ୍ତୁ ଚାରିଆଡ଼କୁ ଅନାଇଲି, ଟିକିଏ ଦୂରକୁ । କ’ଣ ସେଇଠି ଗୋଟାଏ ବହିଯାଉଛି । ଜଳ ସ୍ତରଟା କିନ୍ତୁ ତା’ର ବେଶ୍ ଦେଖାଯାଉଛି । ତାହାରି ପାଖକୁ ଲାଗି କେତେଟା ମୁଣ୍ଡ ନୂଆଣିଆ ଚାଳଘର । ନଡ଼ିଆ ଗଛ କେତେଟା ବି ଉପରକୁ ମୁଣ୍ଡ ଟେକିଥାନ୍ତି । ଆହୁରି କେତେ କେତେ ଗଛ ଲତା ସେଇଠି ମାଡ଼ି ଯାଇଛନ୍ତି । ଅନ୍ୟ ପଟରେ ଧାନ କିଆରୀ, ଆଖୁର ଫସଲ । ଧାନ ଗୁଡ଼ିକରୁ କେଉଁଠି କେମିତି ଗୋଟେ ଅଧେ କିଆରିରେ ଧାନ ଫୁଲ ଫୁଟିଲାଣି । ଅନ୍ୟମାନେ ସବୁଜିମାରେ ପୁର୍ଣ୍ଣ । ଆଶ୍ୱିନ ମାସର ଆଖୁ ବି ବେଶି ଡ଼େଙ୍ଗା ହୋଇଗଲାଣି । ସେହିମାନଙ୍କ ପାଖକୁଲାଗି ଅଳ୍ପ ବହୁତ କେତେ ପ୍ରକାର ଗଛସବୁ ଠିଆ ହୋଇଛନ୍ତି । ସମସ୍ତେ ନିଃଶ୍ଚଳ, ନିରୁତ୍ତର ମନେ ମନେ ଯେତେ ପ୍ରଶ୍ନ କଲି କେହି ହେଲେ ଉତ୍ତର ଦେଲେ ନାହିଁ । ବୋଧହୁଏ ବର୍ଷାର ଆତିଶଯ୍ୟରେ ସେମାନେ କାତର । ସେମାନଙ୍କ ସମ୍ବନ୍ଧରେ ବେଶି କିଛି ଚିନ୍ତା ନ କରି ସିଧା ସିଧା ବାଟ ଧରିଲି । କିଛିବାଟ ଯିବାପରେ ନାଲି ଗୋଡିର ଗୋଟିଏ ରାସ୍ତା ଆଖି ଆଗକୁ ଆସିଲା । ଆଗରେ ପାଗଳଟିଏ ପ୍ରଳାପ କରି କରି ଆସୁଥାଏ । ମଝିରେ ମଝିରେ ଉଚ୍ଚାଟ ହସ ମଧ୍ୟରେ ମଜି ଯାଉଥାଏ । ପୁଣି କେତେବେଳେ ନୀରବ ରହି ଗତି ବୃଦ୍ଧି କରୁଥାଏ । ଆଖି ଆଗରେ ତା’କୁ ଦେଖି କିଛି ସମୟ ଅପେକ୍ଷାକରି ରହିଲି । ପୁଣି କ’ଣ ଗୁଡ଼ାଏ ଚିନ୍ତା ମୁଣ୍ଡକୁ ଆସିଲା କେଜାଣି, ଆଗକୁ ଚାଲିବାକୁ ଆରମ୍ଭ କଲି । କିଛିବାଟ ଗଲାପରେ ଚାଳ ଘରଟିଏ ଦ୍ୱାର ଖୋଲା ହୋଇଥାଏ । ଦେଖିଲି ଜଣେ ଯୁବକ ଖଟ ଉପରେ ବସି ଏକ ଲୟରେ ଆକାଶକୁ ଚାହିଁଛନ୍ତି । ସାମାନ୍ୟ ସୁସ୍ଥ କିନ୍ତୁ ଗରିବ ଭଳି ଜଣାଯାଉଥାନ୍ତି ସେ । ଚିହ୍ନିବାକୁ ଚେଷ୍ଟାକଲି ସେ ମୋର ଜଣେ ବନ୍ଧୁ ।
ରାସ୍ତାରେ ଛିଡ଼ାହୋଇ ଡ଼ାକିଲି । ଉତ୍ତର ଦେଲେ, ସେ ମୋ ପଟକୁ ମୁହଁ ବୁଲାଇ । ଘର ଭିତରକୁ ଯିବାପାଇଁ ପୁଣି ଇସାରା ଦେଲେ । ମୁଁହରେ ତାଙ୍କର ଫୁଟି ଉଠୁଥିଲା ସ୍ମିତ ହାସ, କିନ୍ତୁ ଭାବ ରଞ୍ଜକ । କ’ଣ ଚିନ୍ତାମଗ୍ନ ଅଛନ୍ତି କି ? ପ୍ରଶ୍ନକଲି କିନ୍ତୁ ମୋର ପ୍ରଶ୍ନ ତାଙ୍କର ଭାବ ପ୍ରବଣତାରେ ବାଧା ଦେଇ ପାରିଲା ନାହିଁ । ମନେ ମନେ ହସି ନେଲି ଗୁଡ଼ାଏ । ଭାବିଲି କବି ଓ ଭାବୁକ ମାନେ ତ ଏହି ଭାବ ପ୍ରବଣତାର ଗୋଟାଏ ଖିଆଲି ପଛରେ ଲାଗି ରହିଥାନ୍ତି । ବୈାଜ୍ଞାନିକମାନେ ପିମ୍ପୁଡ଼ିକୁ ରେଳ ଗାଡ଼ି ସହିତ ତୁଳନା କରନ୍ତି ଆଉ ପୁଷ୍କରଣୀକୁ ହ୍ରଦ ସହିତ । କେବେ ସାଧାରଣ ଲୋକେ ଯଦି ସେହି ଖିଆଲ ପଛରେ ଲାଗି ରହିଥାନ୍ତି କ୍ଷତି କ’ଣ ?
କିଛି ସମୟ ପାଇଁ ମୁଁ ଏକ ନୀରବ ରାଜ୍ୟ ମଧ୍ୟଭାଗ ଦେଇ ଗତି କଲି । ବନ୍ଧୁଙ୍କର ଏ ନୀରବତାରେ କୈାଣସି ପ୍ରକାର ପରିବର୍ତ୍ତନ ନ ଦେଖି ତାଙ୍କୁ ହଲାଇ ଦେଇ ଟିକେ ହସିଦେଲି । ଭାବିଲି ବୋଧ ହୁଏ ବଂଧୁ ନିଦେଇ ଗଲେଣି । କିନ୍ତୁ ହଠାତ୍ ସେ କ’ଣ ଗୁଡ଼ାଏ ଏକ ବିସ୍ଫୋରଣ ଭଳି ବକିଗଲେ । ଏଇ ଦେଖ ଆକାଶ ବକ୍ଷରେ ………. ପରିବର୍ତ୍ତନଶୀଳ । ଆହୁରି ସେ କହିଚାଲିଥାନ୍ତି — ଏଇ ଦେଖ ! ଆକାଶ ବକ୍ଷରେ କେତେ ନାଲି, ନେଳି ଧଳା ବାଦଲ । କାହିଁକି ସେମାନେ ଏମିତି ମନ ଖୁସିରେ ନାଚି ବୁଲୁଛନ୍ତି । ନାଁ ନାଁ ମୋତେ ଏଗୁଡ଼ା ଭଲ ଲାଗୁନାହିଁ । ସବୁବେଳେ ସେମାନେ ପରିବର୍ତ୍ତନଶୀଳ? ଭାବିଲି — ବୋଧହୁଏ ତାଙ୍କରି ଆଳାପ ମୋର ନିଦ୍ଦେର୍ଶନା ନିମନ୍ତେ ଅଟକି ଗଲା । କିନ୍ତୁ ଏ ଆଳାପ ଠିକ୍ ମୋତେ ପ୍ରଳାପ ପରି ବୋଧ ହେଉଥିଲା । ତାଙ୍କୁ କହିଲି — ଏ ଦୁନିଆଟା ଏମିତି ପରିବର୍ତ୍ତନଶୀଳ , ପରିବର୍ତ୍ତନ ଏହାର ବିଧି, ପରିବର୍ତ୍ତନ ପାଇଁ ସେ କେବଳ ବଞ୍ଚିରହିଛି । ନ ହେଲେ ପ୍ରକୃତି ବଞ୍ଚିରହିବ କେମିତି? ସେ ବାଧା ଦେଇ କହିଲେ ନାହିଁ– ହଁ ,ଠକ୍ କହିଛ ବଂଧୁ, ଏଗୁଡ଼ାକ ସବୁ ପରିବର୍ତ୍ତନଶୀଳ, ପରିବର୍ତ୍ତନ ଏମାନଙ୍କର ବିଧି– ପଞ୍ଚବିଧାନ । ତା ନହେଲେ ବାଦାନୁବାଦର ସୃଷ୍ଠି ହୋଇଥାନ୍ତା କିପରି , ସେଇଠି କିପରି ଲୁଚିରହିଥାନ୍ତା ଅନନ୍ତ ମହାଶକ୍ତିର ଅଜେୟ ପରାକ୍ରମ, ମଧୁର ସୃଜନ, ବିଭତ୍ସ ସଂହାର ?
ହୋଃ, ହୋ, ହୋ -ଭାସି ଆସିଲା ପବନ ବକ୍ଷରେ ଏକ ଭବ୍ୟ ହାସ୍ୟ ରୋଳ । ସେହି ପାଗଳଟିର ଉଚ୍ଚହସ ସହିତ ବୋଧହୁଏ ପୁଣି ଏକ, ଦୁଇ, ତିନି ଅନେକ କଣ୍ଠର ହାସ୍ୟ ରୋଳ — କୈାତୁକମୟ ହାସ୍ୟରୋଳ । କେତେଟା ବୁଲା କୁକୁର ବି ଭୁକି ଉଠିଲେ, ପୁଣି ନିକଟେଇ ଆସିଲା କେତୋଟି ଜୀବ କଣ୍ଠର ନାଦ, ପ୍ରତିନାଦ, ଆର୍ତ୍ତନାଦ । ପାଗଳଟି କାନ୍ଦି କାନ୍ଦି ଆଖିର ଲୁହକୁ ଢୋକି ଦେଉଛି । ବଂଧୁ ଦ୍ୱାର ଦେଶକୁ ଉଠି ଆସିଲେ । ମୁଁ ବି ଉଠି ଆସିଲି । ରୁଦ୍ଧ କଣ୍ଠରେ କାନ୍ଦି ଯାଉଛି ପାଗଳଟି । ପାଗଳ– ଯେଉଁ ପାଗଳଟିକୁ ମୁଁ ବାଟରେ ଦେଖିଥିଲି, ନଗ୍ନ ଭେକର ମଣିଷ । ମୁଣ୍ଡର ଝାଳ ଜମା ହେଇଛିି । ଦେହର ଚମଡ଼ା ଶୁଖି ଯାଇଛି । ଝାଡ଼ିଦେଲେ ମଲାଚମ ସବୁ ବାହାରି ଆସିବ ଦେହରୁ । ହାତରେ ଗୋଟାଏ ଭଙ୍ଗା ହାଣ୍ଡି । ସେଥିରେ ଗଣ୍ଡିଏ ଭାତ । ପିଲାଗୁଡ଼ାଏ ନାଚି କୁଦି ଟେକା ପଥର ଫିଙ୍ଗୁଥାନ୍ତି । ନାଟ ତାମସା କରୁଥାନ୍ତି । କେତେ ଯେ କ’ଣ ସେମାନେ ହସି ହସି କହି ଯାଉଥାନ୍ତି । ସେଥିରେ ସେମାନେ ପାଉଥାନ୍ତିି ଆନନ୍ଦ । କାଳିଆ କାଞ୍ଚିଆ କୁକୁର ଗୁଡ଼ାଏ ପଛରେ ଗୋଡ଼ାଉଥାନ୍ତି । ସେମାନେବି ସେଥିରୁ ପାଉଥାନ୍ତିି ଆନନ୍ଦ । ଗୋଟିଏ ମନରେ ଦୁଃଖ ,ଅନ୍ୟ ମନରେ ସୁଖ । ଜଣେ ଅନ୍ୟକୁ ଦୁଃଖ ଦେଇ ଆନନ୍ଦ ପାଇବାରେ ଲୋଟି ଯାଉଥାନ୍ତି । ଏହି ତ ଏ ଦୁନିଆର ପରିବର୍ତ୍ତନଶୀଳ ନୀତି । ବଂଧୁ ସାମାନ୍ୟ ହସୁଥିଲେ କିନ୍ତୁ ସେ ହସରେ ନଥିଲା ହସର ପ୍ରକୃତ ମିଠାସ ।
ସ୍ୱ ସ୍ଥାନକୁ ଫେରି ଆସିଲୁ । ସେ କହିଲେ- ହଁ, ଠିକ କହିଥିଲ ତୁମ୍ଭେ । ବାସ୍ତବିକ ଏ ଜଗତଟା ପରିବର୍ତ୍ତନଶୀଳ, ଜୀବନଟା ମଧ୍ୟ । ଦୁନିଆର ଅବସ୍ଥିତିକୁ ହୃଦୟଙ୍ଗମ କରିବା ଜୀବ ଜଗତର ଅସାଧ୍ୟ । ସେ ନିରାକାର ପରମ ବ୍ରହ୍ମଙ୍କର ଅଧିନା ତାଙ୍କର କୃପା ଲାଭକରି କିଏ ଭାଗ୍ୟବାନ, ତା ପାଇଁ ଶୁଭ୍ର ସଜ୍ଜିତ ବାସଗୃହ, ସମ୍ମାନର ମହାପାରାବାର । ଆଉକିଏ ତାଙ୍କ କୃପା ବିନା ଦରିଦ୍ର ଭିକାରୀ, ପାଗଳ । ପୁଣି ତାଙ୍କରି ଖିଆଲରେ କିଏ ଦସ୍ୟୁ, ଦୁର୍ବୁତ୍ତ, ପାପୀ, ଅଧମ, ସବୁକିଛି ତାଙ୍କରି କର୍ମ । ଲୁହ ଟୋପା ଝରି ଆସିଲା ତାଙ୍କର ଚକ୍ଷୁ ଦ୍ୱୟରୁ । ସେ ଖୁବ୍ ଗରିବ ବୋଧେ । ସେଇଥିପାଇଁ ତାଙ୍କ ମନରେ ଲାଗିଥିଲା ଗଭୀର କ୍ଷତ । ମୁଁ ତାଙ୍କୁ କହିଲି ଏମିତି ଏ ପୃଥିବୀଟା — ଏମିତି ବିଭତ୍ସ, ଏମିତି ଦୁର୍ଦ୍ଦମ, ଦୁର୍ଦ୍ଦଶ– ଏଥିରେ ଦୁଃଖ କରିବାର କ’ଣ ଅଛି ? ଶତ ଶତ ବାଧା ବିଘ୍ନକୁ ମଣିଷ ଭ୍ରୂକ୍ଷେପ ନ କରି ପୁଣି ତ ବଞ୍ଚି ରହିବାର ଚେଷ୍ଟା କରିଛି । ଯଦି ମଣିଷ ଶ୍ରେଷ୍ଠ ସଂଗ୍ରାମୀ ଜୀବ ଏବଂ ସଂଗ୍ରାମ ଆମର ଚିରବଂଧୁ ହୋଇଥାଏ ତେବେ ଆମେ ତାକୁ ଡ଼ରିଯାଇ ପଛଘୁଞ୍ଚା ଦେଲେ କି ଚଳିବ ?ତେବେ ବଞ୍ଚିରହିବାର ମଧୁରତାକୁ ଅନୁଭବ କରିବା କେମିତି ? ସଂଗ୍ରାମୀ ମନରେ ଥାଏ ସିନା ଆନନ୍ଦ, ପ୍ରାଣରେ ତୃପ୍ତି, ଅନନ୍ତ ଶକ୍ତିର ଆଶୀର୍ବାଦ । ସବୁକିଛି ପରମ ପିତାଙ୍କର ଚରମ ସୃଜନ । ଏହାରି ମଧ୍ୟରେ ବୁଡ଼ି ରହିଛି ଭଗବାନଙ୍କର ‘କୃତି’