ଏକ ନିପଟ ମଫସଲରେ ତେଲିଙ୍ଗିର ଜନ୍ମ । ମା-ବାପା ଦି’ଟା ଭାରି ଗରିବ; ମୂଲ ଲାଗିଲେ ଭାତ ଖାଆନ୍ତି । ସେଥିରୁ ଯାହା ଦି’ପଇସା ବଞ୍ଚେ; ତେଲିଙ୍ଗିର ପଢା ଖର୍ଚ୍ଚରେ ଲାଗିଯାଏ । ପରିବାରରେ ଆହୁରି କେତେଗୁଡ଼ାଏ ଛୁଆ ପିଲା ଅଛନ୍ତି । ହେଲେ ସମସ୍ତଙ୍କୁ ପଢାଇବା ‘ବାପା-ମା’ ପକ୍ଷରେ ସମ୍ଭବପର ହେଲା ନାହିଁ । ତେଲିଙ୍ଗିଟା ପିଲା ବେଳେ ଭାରି ଶାନ୍ତ । ପଢାରେ ଟିକିଏ ମନ ଦେଲାରୁ, ବାପା ଅନ୍ୟ ଛୁଆଙ୍କୁ ଛାଡ଼ି ତା’କୁ ପାଠ ପଢାଇଲେ ।
କଷ୍ଟେ-ମଷ୍ଟେ ତେଲିଙ୍ଗିଟା ମ୍ୟାଟ୍ରିକ୍ ପାଶ୍ କରିଗଲା । ଏଥର କଲେଜ ଯିବ । ର୍ଗାଁରେ ତ ସୁବିଧା ସୁଯୋଗ କିଛି ନାହିଁ । ସହରରେ ଯାଇ ପାଠ ପଢିବ- ତେଲିଙ୍ଗିର ବି ଭାରି ଇଚ୍ଛା ଥାଏ । ହେଲେ ଗରିବ ବାପା-ମା ପକ୍ଷରେ ସେତକ ବି ସମ୍ଭବ ପର ହେଲା ନାହିଁ ।
ବାପା ମନା କଲେ – “ମୁଁ ଆଉ ପାରିବି ନାହିଁ । ତା’ର ଯାହା ଇଚ୍ଛା ସେୟା କରୁ” । ମାତ୍ର ବଡ଼ ଭାଇଟା ବାପା କାନ୍ଧକୁ କାନ୍ଧ ଯୋଖି ଦେଲା; କହିଲା – “ବାପା! ଆମେ ତ ପାଠ ଶାଠ ପଢି ପାରିଲୁ ନାହିଁ । ହେଲେ ତେଲିଙ୍ଗିଟା ପାଠ ପଢୁ, ତା’କୁ ମନା କର ନାହିଁ । ମୁଁ ବରଂ ତୁମ ସାଙ୍ଗରେ ମୂଲ ଲାଗି ତା’ପାଖକୁ ପଇସା ପଠେଇବି । ବାପା ସମ୍ମତି ଦେଲେ ।
ଏଥର ତେଲିଙ୍ଗି ଗଲା ସହରକୁ ପାଠ ପଢି । ସହରର ଲୋକବାକ, ଚାଲି-ଚଳଣି, କୋଠା-ବାଡ଼ି ଦେଖି, ଆକା-ବାକା ହୋଇଗଲା । ପ୍ରଥମେ ପ୍ରଥମେ ସେ ଗୁମ୍ସୁମ୍ ରହିଲା । ନିଜ ପାଠ ବହିପତର ନିଜକୁ ଆବଦ୍ଧ କରି ରଖିଲା । ମନର ଆଢୁଆଳରେ କେତେ ଯେ ଆଶାର ସମ୍ଭାର ଉଙ୍କି ମାରିଲା – “ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସେ ଡ଼ିଗ୍ରୀଟାଏ ହାସଲ କରିବ; ବାବା ମା’ଙ୍କର ସ୍ୱପ୍ନ ସାକାର ହେବ- “ପୁଅ ଆମର ହାକିମ ହେବ ।”ହେଲେ ପରିସ୍ଥିତି ପରିବେଶ ସବୁ କେମିତି ବିଗିଡ଼ି ଗଲା ।
ପ୍ରଥମ ଦିନରେ ସେ ଦେଖିଲା କେତେ ଯେ ରୂପର ପସରା ଆଉ ରଙ୍ଗର ହୋଲି । ନିଜକୁ ଦେଖି ଚମକି ପଡ଼ିଲା । ମନରେ ଦେଖା ଦେଲା- ଅନେକ ଉତ୍କଣ୍ଠା ଓ ବ୍ୟଗ୍ରତା । ଆସ୍ତେ ଆସ୍ତେ ସହରୀ ସଭ୍ୟତା ଆଡ଼କୁ, ସେ ଆକୃଷ୍ଟ ହେବାକୁ ଲାଗିଲା । ନୂଆ ଅନୁଭୂତିଟାଏ ପାଇଁ, ସାଥିରେ କେତେ କାହିଁ ମିଶିଲା; ମାତ୍ର ସବୁଠୁ ତଡ଼ା ଖାଇଲା । ଦୂର୍ ଦୂର୍ କହି ସମସ୍ତେ ଗୋଡ଼ାଇଲେ । ଏପରିକି ସାଥି ସହପାଠୀ ସହପାଠୀନୀ ମାନେ ମଧ୍ୟ ହସି କରି କଥା ପଦେ କହିଲେ ନାହିଁ ।
ଅନ୍ୟମାନଙ୍କର “ଗାଁଉଲିଆ – ମଫ” ଡ଼ାକ ସେ ଆଉ ଶୁଣି ପାରିବ ନାହିଁ- ଭାବିଲା। ଏଥର ପୁରୁଣା ଭେକ-ଭାକ ଛାଡ଼ି, ନୂଆ ଆବରି ନେଲା । ପରିବର୍ତ୍ତିତ ଅବହାୱାରେ ନିଜେ ବଦଳିବାକୁ ଲାଗିଲା ।
ଦିନେ ଦେଖିଲା ସମସ୍ତେ ବାୟା ହେଉଛନ୍ତି, ସେ ବା କେମିତି ବାଦ୍ ପଡ଼ିଥାନ୍ତା । ଶୁଣିଲା- ଭଲପାଏ ବୋଲି କେତେ ଯେ, ମିଥ୍ୟା ପ୍ରତିଶ୍ରୁତି । ଭାବିଲା- “ସତ; ସାର୍ଥକ ହୋଇଲା ଜୀବନ ତା’ର” । ମନରେ ଉପୁଜିଲା, ଡ଼ିଗ୍ରୀଟା ମିଳିଗଲେ ଅବା ମିଳି ଯିବ କି ଚାକିରୀଟା”? ଭୁଲି ଗଲା, ଆଗମନୀ ଇତିହାସ । ଭୁଲିଲା ଘର; ଭୁଲିଲା ଦୁନିଆ । ସହରର ସିନେମାହଲ୍ -ପାର୍କ- ଲାଇବ୍ରେରୀ ଠାରୁ ଗଳି କନ୍ଦି ମଶାଣୀ ପଦର ଯାଏଁ ସବୁଠି ଖୋଜିଲା – ଖାଲି ତା’କୁ । ତା ବିନା ସତେ ଯେମିତି ପୃଥିବୀଟା ଆଜି ବିବର୍ଣ୍ଣ; ସୂର୍ଯ୍ୟ ଯେ ରକ୍ତହୀନ; ବଂଚିବା ଏଠି ନିରର୍ଥକ । ତେଣୁ କ୍ଲବ ବାର ମଦୁଆ ଆଡ୍ଡାରେ ସମୟ ବିତିଲା । କୁସଙ୍ଗରେ ପଡ଼ି ସବୁ ନାଶିଲା । ପଇସାର ଆବଶ୍ୟକତା ପଡ଼ିଲାରୁ ଅନୈତିକ କାର୍ଯ୍ୟକଳାପରେ ସେ ବୁଡ଼ି ରହିଲା । ହିତାହିତ ଜ୍ଞାନ ହରାଇ ସବୁ ସେ କଲା । ସେ ଦିନ ହଠାତ୍ କାହାର ନାହିଁ କାରରେ ଚେତନା ସେ ଫେରି ପାଇଲା । ମୋନାଲିସା କହିଲା – “ମୁଁ ତୁମକୁ ଭଲ ପାଏ ବୋଲି କ’ଣ ବାହାହେବା ପାଇଁ କଥା ଦେଇଥିଲି ।” ମନରେ ଦେଖାଦେଲା ଭାବାନ୍ତର – “ଏଇ ମୋନାଲିସା ପାଇଁ ସେ କେତେ ସମୟ ବ୍ୟୟ ନ କରିଛି ଆଜି ଏ କ’ଣ କହୁଛୁ” ? ସତେକି ନୂଆଣିଆ ଆକାଶଟା ଛିଡ଼ି ପଡ଼ିଲା । ମନେ ପଡ଼ିଗଲା ବାପା ଭାଇଙ୍କର କଥା- “ଭୀଷଣ ତାତି ସହି, କେତେ ଯତନରେ ତା’କତି ପଠାଉଥା’ନ୍ତି ପଇସା ଗଣ୍ଡାକ । ହେଲେ ପରୀକ୍ଷାଟା ଯେ ମୁଣ୍ଡ ଉପରେ, ଫେଲ ହେବାଟା ସୁନିଶ୍ଚତ ଜାଣି ବିଷାଦିନ ହୋଇ ଉଠିଲା- ମନ । ବୁଦ୍ଧି ବାଟ କିଛି ଦିଶିଲା ନାହିଁ । କ’ଣ କରିବ ସେ ; ଜାଣି ପାରିଲା ନାହିଁ । ମୁଣ୍ଡଟା ଚକ୍କର କାଟିଦେଲା । ଗଛ କାଟିଲା ପରି ତଳେ ପଡ଼ିଗଲା । ଚେତା ଫେରି ପାଇବା ପୂର୍ବରୁ କିଏ ସେ ଗୋଟାଏ ଉଠାଇ ନେଇ ଯାଇଥିଲା- ତାକୁ । ଆଖି ଖୋଲି ଦେଖେ ତ; ଶୋଇଛି ତୁଳୀତଳ୍ପ ଶେଯ ଉପରେ; ଚାରିପଟେ ପରିମାନେ ବିଞ୍ଚଣା ଧରି ବିଞ୍ଚୁଛନ୍ତି । ବିରାଟ ପ୍ରାସାଦ; ସ୍ୱର୍ଗର ଅମରାବତୀର ଭ୍ରମ ସୃଷ୍ଟି ହେଉଥାଏ । ଠିକ୍ ଏତିକି ବେଳେ ଲୋକଟିଏ ସଧିରେ ଆସିଲା । ତା’ର ଇସାରାରେ ସମସ୍ତେ ସେଠୁ ଛାଡ଼ି ଚାଲିଗଲେ । ମୁଣ୍ଡ ବାଳ ଆଉଁଷି ଦେଲା । କହିଲା – “ତୁମ ଉପରେ ଅତୀତରେ ଯାହା ସବୁ ବିତି ଯାଇଛି; ମୁଁ ଜାଣେ । ତୁମ ଉପରେ ଅନେକ ଦିନ ହେବ ମୁଁ ନଜର ରଖିଛି । ଏ ବିରାଟ ଐଶ୍ୱର୍ଯ୍ୟ ସବୁ ତୁମର । ଏଠି କିଛି ତୁମର ଅଭାବ ଅସୁବିଧା ରହିବ ନାହିଁ । ମନ ଭରି ଜୀବନକୁ ଉପଭୋଗ କର । ଆଇ ୟାମ୍ ଇଓର ଗଡ଼୍ ଫାଦର ।
ତେଲିଙ୍ଗିକୁ ସବୁ କିଛି ସ୍ୱପ୍ନ ଭଳି ଲାଗୁଥାଏ । “ହାତୀ ନେ ଘୋଡ଼ା ନେ’ର ପ୍ରଲୋଭନ ଭିତରେ ସେ କ୍ରମଶଃ ପ୍ରଲୋଭିତ ହେବାକୁ ଲାଗିଲା । ଗାଁଉଁଲି ସରଳିଆ ଚରିତ୍ରଟିଏ ଦେଖି ସେମାନେ କେବେଠାରୁ ଜାଲ ବିଚ୍ଛାଇ ରଖିଥା’ନ୍ତି । ମାତ୍ର ବଡ଼ କାମକୁ ଆସିବ ଦେଖି, ଏଥର ଜାଲରେ ଛନ୍ଦି ଦେଲେ । ଆଡ୍ଡାକୁ ଧରି ନେଇଗଲେ । ବ୍ରେନ୍ ୱାସିଙ୍ଗି କରିଦେଲେ । ଭିଡ଼ିଓ ରେକଡ଼ିଂ ଖୋଲି ଦେଲେ । ତା ଜୀବନର ଦୁର୍ବଳ ମୂହୁର୍ତ୍ତ ଗୁଡ଼ାକୁ ଦେଖାଇ ତାକୁ ଉତ୍ତେଜିତ କରିବାକୁ ଲାଗିଲେ । ସବୁ ଚିତ୍ର ଆଖି ସାମ୍ନାରେ ଭାସି ଉଠିଲା । ଗାଁ ଠାରୁ ସହର ଯାଏଁ ସବୁଠି ସେ କେମିତି ହୀନମନ୍ୟତାର ଶିକାର ହୁଏ । ମତଲବୀ ଦୁନିଆ ତା’କୁ ହତାଦର କରେ । ଅସ୍ପୃଶ୍ୟତା ସ୍ପୃହଣୀୟ ନହେଲେ ହେଁ, ସେ ବ୍ୟଥିତ ହୁଏ । ଜୀବନ ଦୁର୍ବିସହ ହୋଇଉଠେ । ଜୀବନ -ଜୀବିକା ନେଇ ଏଠି ବଂଚିବା କଷ୍ଟକର ହୋଇ ପଡ଼େ । ତା’ର ଦାରିଦ୍ର୍ୟ ପାଇଁ ସେ କେମିତି ସମସ୍ତଙ୍କ ଦ୍ୱାରା ଉପହାସିତ ଓ ଉପେକ୍ଷିତ ହୁଏ । ଆହୁରି ସେ ଦେଖେ- ଗାଁରେ ସାହୁକାରର ଜୁଲମ ଓ ଅତ୍ୟାଚାର; ତତ୍ ସଙ୍ଗେ ସଙ୍ଗେ ସରକାରଙ୍କ ଦ୍ୱାରା ତା’ର ଘରଟା କେମିତି କୋରକ୍ ହୋଇ ନିଲାମ ହୋଇଯାଏ ।ପରିବାରଟା ସାରା ଗଛ ମୂଳରେ ପଡ଼ି ରହେ । ଏତେବେଳକୁ ସେ ଆହୁରି ଉତ୍ତେଜିତ ହୋଇଯାଏ । ପ୍ରତିଶୋଧ ନେବାକୁ ମନେ ମନେ ସ୍ଥିର କରେ ।
ଏତିକି ବେଳେ ପୁଣି ଗଡ଼୍ ଫାଦର ଦୃଷ୍ଟି ଗୋଚର ହେଲେ । କହିଲେ- “ସମାଜରୁ ସବୁ ସ୍ତରରୁ ଠୋକର ଖାଇ ଖାଇ ତୁମେ ତଳେ କଚାଡ଼ି ହୋଇ ପଡ଼ିଥିଲ । ମୁଁ ତୁମକୁ ହାତ ଧରି ଉପରକୁ ଉଠାଇ ଆଣିଲି । ମୁଁ ଚାହେଁ ତୁମେ ଉପରକୁ ଉଠ, ଆହୁରି ଉପରକୁ । ଦୁନିଆ ତୁମକୁ ଦେଖି ଭୟ କରୁ । ତୁମେ ପ୍ରତିଶୋଧ ନିଅ” । ତେଲିଙ୍ଗି କହିଲା – “ହଁ….ହଁ….ପ୍ରତିଶୋଧ ; ଖାଲି ପ୍ରତିଶୋଧ ମୋର ଦରକାର” ।
ଏଥର ଭଲ ଭେଲର ସିଦ୍ଧାନ୍ତଟା ଅମୂଳକ ମନେ ହେଲା । ଜୀବନଟାକୁ ବାଜି ଲଗାଇ ସେ ଖେଳ ଖେଳିବା ଆରମ୍ଭ କରିଦେଲା ଚାରିଆଡ଼େ ଖାଲି ବିଷ ମଂଜି ବୁଣି ଦେଲା । ଦୁନିଆଟା ଖାଲି ହୁତ୍ ହୁତ୍ ହୋଇ ଜଳିବାକୁ ଲାଗିଲା । ଅପରାଧ ଦୁନିଆରେ ସିଏ ଏବେ ବେତାଜ୍ ବାଦଶାହା । କଦମ କଦମ ବଢାଇ ସେ ଆଗକୁ ଚାଲିଲା; ହେଲେ ଗୋଡ଼ ହଟେଇ ସେଠୁ ଫେରି ପାରିଲା ନାହିଁ । ଲାଖିକି ରହିଗଲା ।
ଥରେ କାଦୁଅରେ ଗୋଡ଼ ଭର୍ଣ୍ଣି କରି ସାରିଲା ପରେ ସେଠୁ ଉଦ୍ଧୁରିବା କଷ୍ଟକର, ସିଏ ସେହି ପଙ୍କରେ ପଡ଼ି ବୁଡ଼ି ମରିବା ହିଁ ସାର । ଆଗେ ଖୁସି ଲାଗେ । ପଇସାର ମୋହ ଲାଗେ । ନୂଆ ଜୀବନ ଭାରି ଭଲ ଲାଗେ । ଯେତେବେଳେ ସେ ମହାକାଳ ଫଳ ଭିତରର ବିଷ ଜାଣେ, ସେତେବେଳେ ସେଠୁ ମୁକୁଳିବାକୁ ଚେଷ୍ଟା କରେ । ହେଲେ ସବୁ ବାଟ ତା’ ପାଇଁ ବନ୍ଦ ହୋଇ ସାରିଥାଏ । ଜୀବନ ଭୟରେ ସେ ସେଠୁ ଆସି ପାରେ ନାହିଁ । ଭୟ ଓ ଶଙ୍କା ଭିତରେ ସିଏ ଜୀବନ ଜୀଏ। ତା’ ଭିତରେ ରହିଲେ ପୋଲିସ ଭୟ ତାକୁ ଗୋଡ଼ାଇ ଖାଏ । ବାହାରେ ‘ଗଡ଼୍ ଫାଦରର ଲୋକମାନେ ଜଗି ଯାଆନ୍ତି। ଶାନ୍ତିରେ ବଂଚିବାକୁ ଦେବେ ନାହିଁ । ଏତେବେଳେ ସେ କ’ ଣ କରିବ କିଛି ଜାଣି ପାରିଲା ନାହିଁ; ଖାଲି ପଶ୍ଚାତ୍ତାପ୍ ଓ ଅନୁଶୋଚନାରେ କାଳ କ୍ଷେପଣ କଲା ।
ପ୍ରେମରେ ହତାଶ ହେଲା ଉତ୍ତାରୁ ନିଜ ଉପରୁ ଭରସା କେବେଠାରୁ ତୁଟି ଯାଇଥାଏ; ସେ ଆଉ କାହାରି ହୋଇ ପାରିବ ନାହିଁ ବୋଲି – ଭାବିଲା । ଏତେବେଳେ ହିତାହିିତ ଜ୍ଞାନ ରହିତ ହୋଇ , ପ୍ରତିହିଂସା – ପ୍ରତିଶୋଧର ଦାବାନଳେ ସେ ଝଲସିବାକୁ ଲାଗିଲା । ନାରୀମାନଙ୍କୁ ଅବିଶ୍ୱାସ କଲା । ମନେ ମନେ ଭାବିଲା – “ପୃଥିବୀର କୌଣସି ନାରୀକୁ ସେ ଶାନ୍ତିରେ ରଖେଇ ଦେବ ନାହିଁ । କାହାକୁ ସମ୍ମାନ ଦେବ ନାହିଁ । ସମସ୍ତଙ୍କ ସହ ସେ ଚୋର -ପୋଲିର ଖେଳ ଖେଳିବ । ପ୍ରେମ ଜାଲରେ ଫସେଇ ସବୁ ନାରୀକୁ ବିପଥଗାମୀ କରିବ । ସମସ୍ତଙ୍କ ଉପରେ ବଦଲା ନେବ” । ସେୟା କଲା । ସହସ୍ର ନାରୀଙ୍କୁ ସେ ଉପଭୋଗ କଲା । ଦିଅଁଙ୍କ ମଥାରେ ଚଢାଇ ସକାଳେ ବାସି ଫୁଲକୁ ପୂଜାରୀ ନର୍ଦ୍ଦମାରେ ଫିଙ୍ଗି ଦେଲା ପରି; ସେ କେତେ ଝିଅଙ୍କୁ ବାସର ରାତି ପରେ ପାଦରେ ଦଳି ଚକଟି ରାସ୍ତା କଡ଼ରେ ଆଡ଼େଇ ଦେଇ ସେଠୁ ଚାଲି ଗଲା – ତାହାର ହିସାବ ନିଜେ ରଖି ପାରିଲା ନାହିଁ ।
ଯେଉଁ ପିଲା ଗୁଆ ଟିକିଏ ଖାଇଲେ ମୁଣ୍ଡ ଘୁରାଉଥିଲା; ସେ ଆଜି ବ୍ରାଉନ୍ ସୁଗାର୍ ହେରୋଇନ୍ ଚରଷ ଖାଇଲାଣି । ଦିନେ ଖଣ୍ଡିଆ ବିଡ଼ିଟାଏ ଖାଇବା ଲାଗି ତା’ପାଖରେ ପଇସା ନଥିଲା ; ଏବେ ସେ ଚେନ୍ ସ୍ମୋକର । ଲମ୍ବା ଲମ୍ବା ସିଗାରେଟ୍ ଟାଣି ବୁଲେ । ଟଙ୍କାର ବିଡ଼ା ଉପରେ ମୁଣ୍ଡ ରଖି ଶୁଏ । ନିଶାରେ ସେ ସମସ୍ତ ଅପକର୍ମ କରେ । କାହାକୁ ତା’ର ଖାତିର ନାହିଁ । ପୁଣି ଯେତକ ଅସାମାଜିକ ଗୁଣ୍ଡା ଶ୍ରେଣୀର ଲୋକ ସମସ୍ତେ ତା’ର ସହଯୋଗୀ, ସହଚରୀ । ସହରର କୁସଙ୍ଗ ଓ କୁସଂସ୍କାରରେ ପଡ଼ି,କ୍ରମଶଃ ସେ ଗାଁର ତେଲିଙ୍ଗିରୁ ତେଲିଙ୍ଗି ଦାଦାରେ ପରିଣତ ହୋଇଗଲା । ଯେତକ ଚୋରି, ଡ଼କାୟତି, ସ୍ମଗଲିଂ, କଳାଧନ୍ଦା – ସେ ସବୁରେ ଲିପ୍ତ ରହିଲା । ଜୀବନ ତା’ର ଭୋଗ ସର୍ବସ୍ୱ ଓ ବସ୍ତୁବାଦୀ ହୋଇ ଉଠିଲା । ପଇସାର ଯହୁଁ ଯହୁଁ ଆବଶ୍ୟକତା ବଢୁଥାଏ, ତହୁଁ ସେ ବ୍ଲାକ୍ ମାର୍କେଟରେ ଅଧିକରୁ ଅଧିକ ମୁଣ୍ଡ ପୁରାଉଥାଏ, ବସ୍ତୁବାଦୀ ଦୁନିଆରେ ସେ ହଜି ଯାଉଥାଏ । ଏଥର ସେ ମାଫିଆ ଡ଼ନ୍ । ତାକୁ ପ୍ରତିବାଦ କରିବାର ସାହାସ କାହାର ଅଛି ଯେ, ତାକୁ ପ୍ରତିବାଦ କରିବ । ତା ପାଇଁ କଥା ତା’ର ବନ୍ଧୁକ -ପିସ୍ତଲର ମୁନ । ସମସ୍ତେ ଭୀତତ୍ରସ୍ତ । ଭୟରେ ମନ୍ତ୍ରସ୍ତ । ଏଥର ସେ ଯେମିତି ଚାହିଁଲା ତା’ରି ଇସାରାରେ ଦୁନିଆଟା ସେଇମିତି ନାଚିଲା ।
ସେଦିନ ଭାଇ ଆସିଥିଲା; କହିଲା- “ତେଲିଙ୍ଗି ! ତୁ ସହରରେ ରହୁଛୁ । ପାଠପଢି ମଣିଷ ହେବାକୁ ଆମେ ତୋତେ ପଠେଇଥିଲୁ । ଆଜି ଏ କ’ଣ ଶୁଣୁଛୁ ? ତୁଟା ଅମଣିଷ ହୋଇ ଗଲୁରେ; ଅମଣିଷ । ଚାଲ, ଗାଁକୁ ଫେରି ଚାଲ ।ଶାଗ ପେଜ ଖାଇ ସେଇଠି ରହିବୁ । ସେ ବରଂ ଶାନ୍ତି । ଏ ନର୍କ ଭିତରେ ଘାଣ୍ଟି ହୋଇ ତୁ ଆଉ ନର୍କଗାମୀ ହୋଅ ନାହିଁ, ଏମିତି ବାପା-ମାର ନାଁ ପକାନାହିଁ । ଧର୍ମ ସହିବ ନାହିଁ” । ତେଲିଙ୍ଗି ଭୂରୁଡ଼ିଟାଏ ପକାଇ କହିଲା – “ତୋ ବାଟେ ତୁ ଯାଅ, ମୋତେ ଧର୍ମ ଉପଦେଶ ଶୁଣାଇବା ଦରକାର ନାହିଁ । ହେଇ ଟଙ୍କା ବିଡ଼ାଟା ଉଠା, ଏଠୁ ଜଲଦି ହଟ । ଭାଇ ଟଙ୍କା ଧରିଲା ନାହିଁ । କାନ୍ଦି କାନ୍ଦି ଗାଁକୁ ଫେରିଲା । ସେହି ଦିନୁ ଭାଇଟା ମୁହଁ ଫେରାଇ ଆଣିଲା ଯେ; ଆଉ ସହରକୁ ମୁହଁ ଉଠାଇ ଦେଖିଲା ନାହିଁ । ବାପା-ମା’ ଦି’ଟା ହାଇପ୍ -ସାଇପ୍ ହୋଇ ମରିଗଲେ, ହେଲେ ତେଲିଙ୍ଗି ଗାଁ ମାଟି ମାଡ଼ିଲା ନାହିଁ । ଗାଁ ଲୋକ କହିଲେ – “ସେଟା ମଣିଷ ନୁହେଁ; ପଥର ପାଲଟି ଯାଇଛି । ଭଗବାନ ସବୁ ଦେଖନ୍ତି; ସବୁ ଶୁଣନ୍ତି; ହେଲେ ଡ଼େରିରେ ଶୁଣାଣୀ ଶୁଣାନ୍ତି । ତାହାର ବିଚାର ମଧ୍ୟ ସେ କରିବେ; ତା’ର ବେଳ ପାଖେଇ ଆସିଲାଣି ।”
ମଣିଷର ସବୁ କାଳ ସମାନ ଯାଏ ନାହିଁ, ଗୁରୁ ଗୌରବ ମାନିଲା ନାହିଁ; ପରିଣତି ଯାହା ହେବା କଥା ସେୟା ହେଲା । କେତେ ଯେ ନାରୀଙ୍କ ଇଜ୍ଜତ ନେଇ ସେ ଖେଳ ଖେଳିଛି; ତାଙ୍କ ମାଂସକୁ ବଜାରରେ ନିଲାମ୍ କରିଛି; ତା’ର ଆକଳନ କରି ହେବ ନାହିଁ । ନାରୀ ଆଖିର ଅଶ୍ରୁ କେବେ ବେକାର ଯାଏ ନାହିଁ ।
ତେଲିଙ୍ଗି ଏବେ ପରିଣତ ବୟସରେ ପଦାର୍ପଣ କଲାଣି । କେତେ ବିରୋଧୀ ସଙ୍ଗଠନ ଗଢି ଉଠିଲାଣି । କେତେ ମାଫିଆ-ଡ଼ନ୍ ତା’ର ପ୍ରତିଦ୍ୱନ୍ଦୀ ହୋଇ ଛିଡ଼ା ହେଲେଣି । ତା’ର ଏକଲା କାରତି ଆଉ କାମ କଲା ନାହିଁ । ନିଜ କଲା କର୍ମର ଯେତେ ସବୁ ଘୋଟଲା ପଦାକୁ ଆସିଲା ଗଡ଼୍ ଫାଦରର ବି ସେ ଅଦରକାରୀ ହୋଇ ପଡ଼ିଲା । ବିରୋଧୀଏ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିଦେଲେ । କ୍ରାଇମବ୍ରାଞ୍ଚ ସମସ୍ତ ସାକ୍ଷ୍ୟ ପ୍ରମାଣ ଏକାଠି କରି ତାକୁ ଆରେଷ୍ଟ କଲା । ଶୁଣାଣୀ ହେଲା ; ତାକୁ ଆଜୀବନ ସଜା ହୋଇଗଲା ।
ସେତିକିରେ ବି ତା’ର ସଜା କମ୍ ହେଲା ନାହିଁ; ଭଗବାନ ରାଗିଗଲେ । ସେ ଏବେ ଏର୍ଡ଼ସ୍ ରୋଗରେ ଆକ୍ରାନ୍ତ । ଶେଷରେ ସିଏ ଭାଗ୍ୟ ଭଗବାନ ଦ୍ୱାରା ତଡ଼ା ଖାଇଲା,ତାକୁ ବା ଆଉ କିଏ ଦଣ୍ଡିବ ? ତା’ର ସଜା କୋହଳ ହୋଇଗଲା; ଜେଲରୁ ଛୁଟକାରା ମିଳିଗଲା । ଜୀବନର ବାକି ସମୟତକ ସେ କେମିତି କାଟିବ – ସେଇ ଚିନ୍ତାରେ ମଗ୍ନ ଥାଏ । ହେଲେ ଉପାୟଟା ଖୋଜି ପାଉନଥାଏ । କିଛି ବୁଦ୍ଧିବାଟ ଦିଶୁ ନଥାଏ । ସମସ୍ତେ ଛି-ଛାକର କରି ଗୋଡ଼ାଉଥାନ୍ତି । ନା କେହି ପିଣ୍ଡାରେ ଜାଗା ଖଣ୍ଡେ ଦେଉଥାନ୍ତି; ନା କେହି ଖାଇବାକୁ ଗଣ୍ଡେ….. ।
ସବୁ ଜାଗାରୁ ଠୋକ୍କର ଖାଇ ଖାଇ; ଏଥର ସେ ଗାଁକୁ ଫେରି ଆସିଲା । ହେଲେ ଭାଇ ଭାଉଜଙ୍କ ପାଖକୁ ଫେରିବାକୁ ସାହସ୍ କରୁନଥାଏ । ନିଜର ଠିକଣା ତ ନିଜେ ହଜେଇ ସାରିଥାଏ । ଆଉ ଯେତେ ନାଟ କଲେ କଣ ହେବ? ପୁଣି ଖୋଜି ପାଇଲେ ତ ହୁଏ ?
ଶେଷରେ ଥକ୍କା ହୋଇ ଗାଁ ମୁଣ୍ଡ ବରଗଛ ମୂଳେ ବସି ପଡ଼ିଲା । ଉଦ୍ଉଦିଆ ଖରାବେଳ, ଝାଞ୍ଜି ପବନ ବାଡ଼ାଉଥାଏ । ଛାଇ ନିଦ୍ରା ଘୋଟି ଆସୁଥାଏ ।
ମନେ ପଡ଼ିଗଲା ସେଦିନ କୋର୍ଟ ପରିସରରେ ତା’କୁ ସଜା ହୋଇଗଲା ପରେ ଗଡ଼୍ଫାଦର କେମିତି ଅଟ୍ଟହାସ୍ୟ କରି, ଠୋ-ଠୋ ହସି ଉଠୁଥାଏ । ସତେକି ତା’ର ମୁର୍ଖାମୀ ପାଇଁ, ସେ ତା’କୁ ତାଚ୍ଛଲ୍ୟ କରି କହି ଉଠୁଥାଏ- “ଏମିତି କେତେ ତେଲିଙ୍ଗିଙ୍କୁ ଆୟୁଧ କରି , ଆଜି ଯାଏ ମୁଁ ଅପରାଧ ଚଳେଇ ଆସିଛି, ହେଲେ ମୁଁ କେବେ ଫସି ନାହିଁ । ଯେଣୁ ତେଲିଙ୍ଗି ମାନଙ୍କୁ ଢାଲ କରି ମୁଁ ସବୁ କାମ କରିଥାଏ; ସଭ୍ୟ ସମାଜ ଭିତରେ ରହି ଏଇମିତି ଲୁଟି ଚାଲିଥାଏ । ତୁମେମାନେ ମୋର କିଛି କରି ପାରିବ ନାହିଁ । ବରଂ ଆହୁରି କେତେ ତେଲିଙ୍ଗିମାନେ ସମଜରୁ ତଡ଼ା ଖାଇ ମୋର ଶରଣ ନେବେ । ଢାଲ ହୋଇ ମୋ ପାଇଁ ବାହାରିବେ ।” ତେଲିଙ୍ଗି ବିଚଳିତ ହୋଇଉଠୁଥାଏ । ନିଜକୁ ନିଜେ ସମ୍ଭାଳି ପାରିଲା ନାହିଁ, କହି ପକାଇଲା – “ଗଡ଼ ଫାଦରମାନେ- ତୁମେ ସତରେ ମହାନ; ତୁମ ଚାରି ଖୁରାକୁ ଜୁହାର” ।