Satya Prakash
ଗଳ୍ପ

ଚିନ୍ତାମୁକ୍ତି


ଏବେକା କଥା ନହେଲେ ବି ବେଶିଦିନ ପୂରୁଣା କଥା ନୂହେଁ, ଏଇମାତ୍ର କୋଡ଼ିଏ ତିରିଶ ବର୍ଷ ହେବ। ନିର୍ମଳ ସହର ଯିବ। ପ୍ରଥମଥର ପାଇଁ ଟ୍ରେନ୍ ଯାତ୍ରା କରିବ, ତାଙ୍କ ଘର ତ କେଉଁଝର ଆଡ଼େ, ହରିଚନ୍ଦନପୁର ହାଟ ଯେଉଁଠି ହୁଏ, ସେଇ ପାଖରେ କେଉଁ ଗୋଟେ ଗାଁ, କୁଆଡ଼କୁ ଗୋଟେ ଆହୁରି ଭିତରକୁ, ଭଗାମୁଣ୍ଡା ଆଡ଼େ ହେବ । ଇଏ ମୂରୁଖଲୋକ ନୂହେଁ ପରା, ହଁ ପାଠଶାଠ ଦି’ଅକ୍ଷର ନିଶ୍ଚୟ ପଢିଛି, ସିଏ ପୁଣି ଘଟଗାଁ କଲେଜରେ। ତେଣୁ ଜ୍ଞାନବିଜ୍ଞାନ ସମ୍ପର୍କରେ ତା’ର ଧ୍ୟାନଧାରଣା ଓ ଜ୍ଞାନ ଅବଧାରଣା ରହିବା କିଛି ଅସ୍ୱାଭାବିକ କଥା ନୂହେଁ। ହଁ ଏଇଟା ନିଶ୍ଚୟ ଟିକିଏ ଅସ୍ୱାଭାବିକ ଯେ, ଟ୍ରେନ୍ ଯାତ୍ରା ସମ୍ପର୍କରେ କିଛିଟା ଅଜ୍ଞାନତା ଥିଲା । ତଥାପି ସେତେଟା ନୂହେଁ, କାହିଁକିନା ଆଜି ବି ଯେଉଁମାନେ ଟ୍ରେନରେ ଆଦୌ ଯାତ୍ରାକରି ନାହାଁନ୍ତି, ସେମାନଙ୍କୁ ପଚାରିଲେ, ଟ୍ରେନ୍ ସମ୍ଵନ୍ଧୀୟ କିଛି ବିଶେଷ ସୂଚନା, ସେମାନେ ଡାଉଁ ବୋଲି ବାଉଁ କହି ଦେବେ, କିଛି ବୁଝିହେବ ନାହିଁ।

ତେବେ ସେ ଯାହାହେଉ ନା କାହିଁକି କେଉଁଝର ଜିଲ୍ଲାପଟେ ଆଦୌ ଟ୍ରେନ୍ ଲାଇନ୍ ନଥିବାରୁ ସେମାନଙ୍କର ଏଦିଗରେ ଅଜ୍ଞନତା ଦୋଷ ଟିକିଏ ବେଶି। ଅବଶ୍ଯ ଏବେ କିଛିକିଛି ଅଞ୍ଚଳକୁ ଟ୍ରେନ୍ ଲାଇନ୍ ପଡ଼ିଲାଣି- ତାହା ସୁଖର ବିଷୟ। ତେଣୁ ଜାନକାରି କିଛିଟା ହାସିଲ ହେବଣି। ଏଇଟା ଟିକିଏ ପାହାଡିଆ ଅଞ୍ଚଳ, ତେଣୁ ଝରଣା, ଜଙ୍ଗଲ ଓ ଜଙ୍ଗଲିଆ ଜୀବଜନ୍ତୁ ସମ୍ପର୍କରେ ସେମାନେ ଭଲ ଧାରାବିବରଣୀ ଶୁଣାଇପାରନ୍ତି। ବିସ୍ତୃତଭାବେ ବ୍ୟାଖ୍ୟାନକରି ସବୁକଥା ନିଶ୍ଚିତ କହିବେ।ନଦନଦୀ କେଉଁ ସେମିତି ସିଆଡ଼େ ଅଛି କି, କିନ୍ତୁ ଝରଣା, ଝର, ନାଳ, ନାଳିଆ ଖୁବ୍ ଅଛି, ଯେଉଁଠି ବେଙ୍ଗମୂତିଲେ ପାଣି, ପୁଣି ବର୍ଷା ଛାଡ଼ିବାକ୍ଷଣି କେଇଘଣ୍ଟା ପରେ ଅନ୍ତ ଖାଲୁଆକରି ଶୁଖିଲା ପଡିଥିବ। ତେଣୁ ସବୁଆଡ଼େ ବାହ୍ୟପରିବେଶ ଓ ଅନ୍ତଃ କରଣରେ ସ୍ତୁତି ଟିକିଏ ଭିନ୍ନ।

ନିର୍ମଳଟା କିନ୍ତୁ ପୂରା ପାହାଡ଼ିଆଟା ଆଉ ଗାଉଁଲିଆଟା ବି । ପାଠଶାଠ ସିନା ଦି’ଅକ୍ଷର ପଢ଼ିଛି, ହେଲେ ବାହାର ଦୁନିଆ ସମ୍ପର୍କରେ ତା’ର ଅଭିଜ୍ଞତା ଆଦୌ ନାହିଁ କହିଲେ ଚଳେ । କି ହୋ, ଯେଉଁଟା ନ ଜାଣିଛ ସେଇଟା ପୁଣି ପଚାରିକି ବୁଝିବା କଥା କି ନୂହେଁ, ନା ଏମାନେ ପାଟି ଖୋଲିବେ ନାହିଁ କି କାହାକୁ ପଚାରିହେଲେ, ଭାବିବେ – ଏଇଟା ଗଣ୍ଡଦୋଷ।ପାଠରେ ଅବଶ୍ଯ ସେ ମାହିର ଅଛି, ସ୍ଵପ୍ନ ବି ଅଛି ସେ ମାଷ୍ଟର ହେବ। ତାଙ୍କ ପାଖରେ ପରା ସବୁ ଭଦ୍ରିକିଆ, କଟକିଆ, ବାଲେଶ୍ଵରିଆ ଲୋକ ମାଷ୍ଟର୍ ଚାକିରିରେ ଭର୍ତ୍ତି ହୋଇଛନ୍ତି , ଯେହେତୁ ସେମାନଙ୍କର ପାଠ ଏତେ ନାହିଁ। ତେଣୁ ମାଷ୍ଟର୍ ହେବାର ସ୍ଵପ୍ନ ଆଗରେ ତାକୁ ଆଉସବୁ ତୁଚ୍ଛଲାଗେ।

ତେଣୁ ସେ ହିନ୍ଦୀ ସମ୍ମାନ ରଖି ବି. ଏ. ପାସ୍ କଲାପରେ ବହୁତ ଲୋକଙ୍କୁ ପଚାରିଛି ଯେ, ମାଷ୍ଟର ହେବାପାଇଁ କ’ଣ କ’ଣ ସବୁ କରିବାକୁ ପଡ଼ିବ। ତେଣୁ ସେ ପରାମର୍ଶ ଲୋଡି ହିନ୍ଦୀରେ କ’ଣ ସବୁ କରିବାକୁ ହେବ, ଏମିତି ସବୁ ବୁଝିଛି। ଏବେ ହିନ୍ଦୀରେ ବି. ଏଡ୍. କରିବାକୁ ମସୁଧା ରଖିଛି, ତେଣୁ ସେ ପଚାରି ବୁଝିଛି, ସେଥିପାଇଁ ଆୟୋଜନ ବି ଚାଲିଛି- କେଉଁଠି କେମିତି ଫର୍ମ ପକାଇବ, ଯାହାଫଳରେ ତାକୁ ଏଇ ସୁଯୋଗ ମିଳିବ।

ଯୋଗକୁ ଆଗ୍ରାରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନରୁ ସେ ଡାକରା ପାଇଲା, ଯେଉଁଠିକି ଅଣହିନ୍ଦୀ ରାଜ୍ୟରୁ ଛାତ୍ରଛାତ୍ରୀ ଆସି ସେଠି ପଢିପାରିବାର ବିଧିବ୍ୟବସ୍ଥା ଥିଲା। ଏଇ କୋର୍ସ କରିବା ପାଇଁ ଏବେ ଦୁଇ ବର୍ଷ ଲାଗୁଛି, ସେତେବେଳେ କିନ୍ତୁ ଏକବର୍ଷ ସମୟ ଅବଧି ଥିଲା। ପୁଣି ଏହା ଏକ କେନ୍ଦ୍ରୀୟ ଯୋଜନା ହୋଇଥିବାରୁ ୧୫୦୦ ଟଙ୍କା ମାସିକ ବୃତ୍ତି ମଧ୍ଯ ଛାତ୍ରଛାତ୍ରୀ ମାନଙ୍କୁ ମିଳୁଥିଲା

ସେଇଠୁ କୁଆଡ଼େ ପଢିକି ଆସିଲେ ଚାକିରିଟା ଥୁଆ, ସେ ସଂସ୍ଥାନର ବଡ଼ ନାଁ। ହିନ୍ଦୀ ମାଷ୍ଟରର ଦରମା ବି ଭଲ – ତାଙ୍କ ଗାଁ ହିନ୍ଦୀ ମାଷ୍ଟର ବାଲେଶ୍ଵରୀଆ ବାବୁ ନାଗେଶ୍ଵର ଚମ୍ଫତିରାୟ ପରା ଠିକ୍ ଏଇକଥା କହିଛନ୍ତି। ମାଷ୍ଟର ଚାକିରିଟା ଏକଦମ୍ ଭଲ, ପୂରା ଧୂଆମୂଳା। ଏଥିରେ ଧୋଇ ନାହିଁକି ମରୁଡ଼ି, ଥରେ ପାଇଗଲେ ବସିଶୋଇକି ଚାକିରି କରିବା କଥା। ଅନ୍ୟ ଚାକିରିରେ ତ କେତେ ଟେନସନ୍, ସେଠି ଅଫିସରିଆ ରାଜ ବେଶି। ଏଠି କେହି ସେମିତି କହିବାକୁ ନାହିଁ, ଖାଲି ଗଲ, ପଢ଼େଇଲ, ପୁଣି ଆଇଲ।ଖାଲି ଧରାଧରି କରି ଟିକିଏ ଘରପାଖରେ ରହିଗଲେ, ବାସ୍ କଥା ସରିଲା। ଛୁଆପିଲା କଥା, ଘରଦ୍ଵାର କଥା ସବୁ ନିଜେ ବୁଝିଲ, ବେଶ୍ କାମ ସୁରୁଖୁରୁରେ ଚାଲିଲା।

ତେଣୁ ମାଷ୍ଟର ଚାକିରି ପାଇଁ ଏଣିକି ନିର୍ମଳ ପୂରା ଲାଳାୟିତ। ସେ ଆଗ୍ରା ଯିବ – ପଢ଼ିବାକୁ। ଦିନ, ତାରିଖ ଓ ସମୟ ଧାର୍ଯ୍ୟ। ତାକୁ ଭଦ୍ରକ କିମ୍ବା ଯାଜପୁର ଆସିବାକୁ ହେବ, ଟ୍ରେନ୍ ଚଢିବା ପାଇଁ। ଆଗୁଆ ଟିକେଟ କାଟିଲା, ସାତ ତାରିଖକୁ ମିଳିଲା, ଯାଜପୁର ରୋଡରୁ ସେ ଉଠିବ ।

ସାନଭାଇକୁ ଧରି, ଗୋଟେ ଟ୍ରେକର ଗାଁରୁ ରିଜର୍ଭ କରି ଆସି ଯାଜପୁର ରୋଡ଼ରେ ପହଂଚିଗଲା। ଟ୍ରେକର ରୁ ଓହ୍ଲାଇ ବେଡ଼ିଂପତ୍ର ଥୋଇଦେଲା। ଭରା ଜିନିଷ ପୁଣି ଦୁଇବର୍ଷ ରହି ସେଠି ପାଠପଢିବାକୁ ହେବ ନା, ତେଣୁ ବହିପତ୍ର, ଖାଦ୍ୟପଦାର୍ଥ କେତେ ରକମର, ନିଜ ଡ୍ରେସ୍, ଭଲମନ୍ଦ ସବୁ ପ୍ୟାକ୍ କରିଛି। ଆଡମିଶନ୍ ହେଲାକ୍ଷଣି ହଷ୍ଟେଲ ମିଳିଯିବ, ସେ ରହିକି ଖାଲି ପାଠପଢିଲେ ହେଲା, ତେଣିକି ଆସିଲେ ତ ଚାକିରି ଆଉ।

ମନରେ ଉଚ୍ଚାଟନ ଅଛି। ବେଶ୍ ଉତ୍ସାହିତ ଓ ପ୍ରସନ୍ନ ସେ ଥିଲା। ଉତ୍କଳ ଏକ୍ସପ୍ରେସ୍ ଆସି ଠିକ୍ ସମୟରେ ଲାଗିଲା। ରାତି ୧୨.୪୦ ତା ରାଇଟ୍ ଟାଇମ୍। ଟ୍ରେନକୁ ଉଠିଗଲା। ରିଜର୍ଭେସନ୍ ବଗି ଦେଖି ବସିବାକୁ ଯାଉଛି ଟି. ଟି. ସି. ଓହ୍ଲାଇଦେଲା। ନିର୍ମଳ କହିଲା – “ମୋର କ’ଣ କିଛିଭୁଲ ରହିଗଲା କି? ମୁଁ ପରା ମାସକ ଆଗରୁ ଟିକେଟ କାଟିଛି, ଏଇ ଦେଖୁନାହାଁନ୍ତି ବଗି ନମ୍ବର ଓ ସିଟ୍ ନମ୍ବର ସବୁ ପଡିଛି।” ଟିଟିସି କହିଲେ-“ହଁ ଠିକ୍ ଯେ, ହେଲେ ଆପଣଙ୍କ ଟ୍ରେନ୍ କାଲିଠାରୁ ଚାଲିଗଲାଣି।ସାତ ତାରିଖ, ମାନେ ଛଅ ତାରିଖ ରାତି ବାରଟା ପରେ ବାରଟା ଚାଳିଶ ମିନିଟ୍ ରେ ଆପଣଙ୍କୁ ଯିବାକୁ ଥିଲା। ହୋଉ ଆଉ ସମୟ ବରବାଦ୍ କରନ୍ତୁ ନାହିଁ।ଶୀଘ୍ର ଓହ୍ଲାନ୍ତୁ, ଟ୍ରେନ ଛାଡ଼ିବ। “
ତାଙ୍କ ସ୍ଵପ୍ନ ଭାଙ୍ଗି ଯାଉଥିବାର ଦେଖି, ସାନ ଭାଇଟା କାନ୍ଦିକାଟି ଉଚ୍ଛନ୍ନ ହୋଇଯାଉଥିଲା । ନିର୍ମଳ ବାବୁ ତାକୁ ବୋଧ ବା ଶାନ୍ତ୍ୱନା ଦେବେ କ’ଣ ନା ଅଗତ୍ୟା ଓହ୍ଲାଇପଡ଼ି କହିଲେ – ଆଉ ଭାବିବାକୁ ଟାଇମ୍ ନାହିଁ, ତୁ ଚାଲିଲୁ! ଥାର୍ଡ କ୍ଲାସ୍ କମ୍ପାଟମେଣ୍ଟରେ ଜିନିଷ ତୁରନ୍ତ ଉଠା।”

ଉଠିଗଲେ ତୁରନ୍ତ ଯାଇ ସିଟ୍ ଟେ ପାଇ ବସିଗଲେ। ଜିନିଷ ଟିକିଏ ଉପରକୁ ଟେକି ଦେଇ ହୋସ୍ ନେଲେ। ତେଣିକି ଦେଖାଯିବ ଭାଗ୍ୟ କୁଆଡ଼କୁ ନେଉଛି। ଏପଟେ ତ ମାଷ୍ଟର ହେବାର ଇଚ୍ଛା ବଳବତ୍ତର ଅଛି, ତେଣିକି ଦଇବ ସାହା।

କିଛି ସମୟ ଉପରାନ୍ତେ ଟି. ଟି ସି. ଆସିଲେ , ଟିକେଟ୍ ଚେକ୍ ହେଲା । ଜେନେରାଲ କମ୍ପାମେଣ୍ଟରେ ଦେଖି ପ୍ରଶ୍ନ ଉଠାଇଲେ। ନିର୍ମଳ କହିଲେ – “ଆଜ୍ଞା! ମୋର ଆର୍. ଏ. ସି. ଥିଲା ଟିକେଟ କନଫାର୍ମ ହୋଇ ନ ଥିଲା, ତା’ଛଡା ଏଠି ଏତେ ଲଗେଜ୍ ଧରି ଉଠିଆସିଛି ଯେ, ଆଉ ବୋହିକି ନେଇଯାଇ ପାରିବି ନାହିଁ। ସିଟ୍ ବି ତ ଗୋଟେ ପାଇଯାଇଛି, ମୋର କିଛି ଅସୁବିଧା ନାହିଁ। “

ଆଉ କିଛି ବିଶେଷ ଯୁକ୍ତି ହୋଇନାହିଁ, କିନ୍ତୁ ପାଖ ସିଟ୍ ରେ ଯେଉଁ ଅଲଗା ଭାଷାଭାଷୀ ଲୋକ ବସିଥିଲେ, ସେ ଖାଲି ୟାଙ୍କୁ ବଲବଲ ହୋଇ ଚାହୁଁଥା’ନ୍ତି, ପୁଣି ନିଜ ଭିତରେ ଠରାଠରି ହୋଇ ତାଙ୍କ ଭିତରେ କଥାହୋଇ ହସୁଥା’ନ୍ତି ଯେ -” ଦେଖ ହୋ! ଏଇ ଲୋକଟା ରିଜରଭେସନ୍ କରିକି ବି କେମିତି ସାଧାରଣବର୍ଗ ପାଇଁ ଉଦ୍ଦିଷ୍ଠ ବଗିରେ ଏତେଦୂର କଷ୍ଟକରି ଯାତ୍ରା କରୁଛି, ଇଏ ବୋକା ନୂହେଁ ତ ଆଉ କ’ଣ” – ପ୍ରଶ୍ନିଳ ମୁଦ୍ରାରେ ?
ନିର୍ମଳ ବାବୁ କାହାକୁ କିଛି କହୁ ନଥିଲେ ମଧ୍ୟ ଦାନ୍ତଚାପି ମନେମନେ ଏକାକୀଏକା ସିଏ ବି ହସୁଥିଲେ ଯେ – “ଏ ଲୋକଗୁଡ଼ାକ ଜାଣନ୍ତି ନାହିଁ ଯେ, ତାଙ୍କ ଆକାଂକ୍ଷୀତ ଗାଡ଼ି ଗୋଟେ ଦିନ ଆଗରୁ ଚାଲିଯାଇଛି ବୋଲି । ଇଏ ଯଦି ଏବେ ରିଜର୍ଭେସନ୍ ବଗିକି ଯାଆନ୍ତି, ତେବେ ଧରାପଡ଼ି ଜୋରିମାନା ନିଶ୍ଚେ ଦେବେ ବା ତାଙ୍କୁ ଟ୍ରେନରୁ ଓହ୍ଲାଇ ଦେଇପାରନ୍ତି ବି । ସେ ତେଣୁ ସମସ୍ତଙ୍କ ଆଖିରେ ଧୂଳିଦେଇ ଯାତ୍ରା କରୁଛନ୍ତି। ଏପରିକି ଟିକେଟ୍ କଲେକ୍ଟର ବି ଏତେ ମନୋନିବେଶ ପୂର୍ବକ ଦେଖି ନଥିବାରୁ ତ୍ରୁଟି ଧରିପାରିଲେ ନାହିଁ। “

ଏମିତି ସିନା ଭାବି ସେ ଖୁସି ହେଉଥିଲେ, ତଥାପି ମନରେ ଅହେତୁକ ଭୟଥିଲା ଯେ – ଆଉ ବାଟରେ ସେ କେଉଁଠି ଧରା ପଡିଯିବେ ନାହିଁ ତ। ତେଣୁ ମନେମନେ ଈଶ୍ୱରଙ୍କୁ ବି ସୁମରଣା କରୁଥିଲେ।

ପ୍ରଥମ ଯାତ୍ରା ଗୋଟେ ଭିନ୍ନ ଅନୁଭୂତି, ସେ ତେଣିକି ଟ୍ରେନଯାତ୍ରା ହେଉ ବା ଟ୍ରାମଯାତ୍ରା ଅବା ପ୍ଲେନଯାତ୍ରା ହେଉ ବା ଜାହାଜଯାତ୍ରା। ନୂଆଯାତ୍ରା ନୂଆ ଅନୁଭୂତି ଭିନ୍ନଭିନ୍ନ ବହୁ ଭିନ୍ନ ଅନୁଭବ ଓ ଅଭିଜ୍ଞତା ସବୁ ଆଣିଦେଉଥାଏ ।

ନିର୍ମଳ ମନ ପରା ଖାଲି ଛକଛକ ହେଉଥାଏ। କେତେବେଳ ଛାତି ଧଡ଼ଧଡ୍ ତ କେତେବେଳେ ମନ ଚଙ୍ଗଚଙ୍ଗ ହେଉଥାଏ। ବେଳେ ପୁଣି ଶରୀରରେ ପ୍ରାଣ ନଥାଏ। ଏକୁଟିଆ ଯାତ୍ରା, ପୁଣି ଏଇ ଯାତ୍ରାର ଆଦବ କାଇଦାକାନୁନ୍ ସବୁ ତାଙ୍କୁ ଅମାଲୁମ୍ ନା। ସାଙ୍ଗରେ ଆଉ କେହିଜଣେ ଆସିଥାନ୍ତେ କି? ଏକଲା ଏକଲା କ’ଣ ଗୋଟେ ଯାତ୍ରା କରିବ, “କଥାରେ ଅଛି ପରା ଏକା ବୋକା “।

ମନେମନେ ଭାବୁଥା’ନ୍ତି – ଯଦି ଏଇଲାଗେ ଝାଡାପରିସ୍ରା ଯିବେ, ତେବେ କିଏ ଯଦି ତାଙ୍କ ଜିନିଷ ପତ୍ର ସବୁ ଉଠେଇ କି ନେଇ ଯାଏ, ସେ କ’ ଣ କରିବେ? ପୁଣି ସାଙ୍ଗରେ ସବୁ ସାର୍ଟିଫିକେଟ୍ ଅଛି ପରା, ସେଇଟା ଯଦି କାହା ହାତରେ ଲାଗିଯିବ ନା ତାହେଲେ କାମଶେଷ, ତାଙ୍କ କ୍ୟାରିଅର ବରବାଦ୍ ହୋଇଯିବ। ନା ଝାଡ଼ା ଲାଗୁପଛେ ସିଏ ଯିବେ ନାହିଁ। କିନ୍ତୁ
ସକାଳ ହେଲାପରେ ଆଉ ତ ଝାଡାପରିସ୍ରା ଚାପି ହେବ ନାହିଁ ନା, ତେଣୁ ପାଖଯାତ୍ରୀଙ୍କୁ ଟିକେ ହିନ୍ଦୀରେ ଠାରି କି ସାହାଯ୍ଯ ନେଲେ – ଆଜ୍ଞା! ଜରା ସା ଧ୍ୟାନ ରଖିଏ ନା ହମ୍ ଦୁଇ ଯା କର ଆତା ହୁଁ (ଆଜ୍ଞା ଟିକିଏ ଧ୍ୟାନ ରଖିଥିବେ, ମୁଁ ଦୁଇ କରି ଆସୁଛି) । ଏତେ ସମୟ ଯାତ୍ରାପରେ ଯେତେ ଅଚିହ୍ନାଲୋକ ହୁଅନ୍ତୁ ପଛେ, ଏମାନଙ୍କ ସହ କଥାବାର୍ତ୍ତା ପ୍ରସଙ୍ଗରେ ଟିକେ ଅଳ୍ପବହୁତ ଦୋସ୍ତି ହୋଇଯାଏ। ତାଙ୍କ କ୍ଷେତ୍ରରେ ବି ଠିକ୍ ସେୟା ହିଁ ଘଟିଥିବ। ତଥାପି ମନରେ ଗୋଟେ ଡର, ନିଜ ସାର୍ଟିଫିକେଟ୍ ମୁଣି ଜରିଟାକୁ ହାତରେ ମୁଠାଇ ଝାଡ଼ାଗଲେ। ମଗନେବା ଅଭିଜ୍ଞତା ନ ଥିବାରୁ ଲେଟ୍ରିନ ଭିତରେ ଭାରି କଷ୍ଟ ପାଇଥିବେ ବିଚରା।

ଆଠ ତାରିଖ ଦିନରେ ବି ଆଉ ଜଣେ ଟିଟିସି ଟିକେଟ୍ ଚେକ୍ କରିବା ପାଇଁ ବଗିକୁ ଆସିଥିଲେ। ପୁଣି ଅହେତୁ ଡର ମନରେ ପଶିଲା – କାଳେ ଧରାପଡି ଯିବେକି, ଆଉ ସବୁଥର ତ ଗାଲୁମାରି ଟାଳିହେବ ନାହିଁ ନା? ତେଣୁ ଛନକା ପଶିଲା, ସେ ଛାନିଆରେ ଢେର୍ ସମୟ ପାଇଖାନା ଭିତରେ ଛପିକି ରହିଲେ। ପରଷ୍ଟେସନ୍ ରେ ଟି ଟି ସି ଓହ୍ଲାଇ ଗଲାପରେ ସେ ପୁଣି ବାହାରିକି ଆସିଲେ। ସେଦିନ କି ଟେନସନ୍ ରେ ସତରେ ନିର୍ମଳ ଡରିଡରି ଯାତ୍ରା କରୁଥାଏ, ଏବେବି ଭାବିଲେ ରୁମମୂଳି ପରା ଟାଙ୍କୁରି ଉଠୁଛି।

କ’ଣ କରିବେ,କେତେ ଆଉ ବସିରହିବେ। ଏକାଏକା ବସିରହି ଭାରି ବିରକ୍ତ ଲାଗୁଥାଏ, ତଥାପି ଗନ୍ତବ୍ୟସ୍ଥଳୀ ଆସିବାକୁ ଆହୁରି ଡେରିଅଛି, ତେଣୁ ବାଦାମ ମଟର ଚୋବାଇ ସମୟ ଅତିବହିତ କଲେ ବରଂ ଭଲ । ସାଧାରଣ ବଗିରେ ଯାତ୍ରା ବଡ଼ କଷ୍ଟକର ଓ ବିପଦସଙ୍କୁଳ, ଯେତକ ହୀନସ୍ଥା ହେବକଥା, ସବୁ ସେଇଠି ହେବ। ରିଜର୍ଭେସନ୍ ବଗିରେ ଗୋଟେ ଅଲଗାକଥା, ସେଠି ଟିକିଏ ସେଫଟି ଓ ସୁରକ୍ଷିତ, କିନ୍ତୁ ଏଠି ପରା ଚୌର୍ଯ୍ଯଭୟ ସାଙ୍ଗକୁ ଭିଡ଼ ଯେ ଭିଡ଼ ପାଦ ପକାଇବାକୁ ଅବସର ନାହିଁ। ଲୋ ବୋପା! କି ଲୋକ ଧସେଇ ପଶୁଥା’ନ୍ତି, ଯେତିକି ଓହ୍ଲାଉଥା’ନ୍ତି ତାହାର କେଇଗୁଣା ଚଢୁଥା’ନ୍ତି, ତେଣୁ ଭିଡ଼ ହଟିବା ନାଁ ନେଉ ନଥାଏ। ନିର୍ମଳ ତେଣୁ ମନେମନେ ସ୍ଥିରକରି ନେଉଥା’ନ୍ତି ବରଂ ମାସେ ଦୁଇମାସ ଆଗରୁ ସେ ପ୍ଲାନିଂ କରିବେ, କିନ୍ତୁ ସେ ବୁଝାବୁଝି କରି ହେଉପଛେ କିନ୍ତୁ ଆଗୁଆ ଟିକେଟ ନିଶ୍ଚୟ କରିବେ ଓ ରିଜର୍ଭ ଭେସନ୍ ରେ ହିଁ କେବଳ ଯାତ୍ରା କରିବେ। ଏ ଯମ ଯନ୍ତ୍ରଣା ଆଉ ଭୋଗିବେ ନାହିଁ କି ଥାର୍ଡ କ୍ଲାସ୍ ରେ ଯାତ୍ରା କରିବେ ନାହିଁ। ପାଖାପାଖି ହୋଇଥା’ନ୍ତା, ଗୋଟେ କଥା। କିନ୍ତୁ ସତରଶହ ଅଠରଶହ କିଲୋମିଟର ଯାତ୍ରା କରିବା କ’ ଣ ଗୋଟେ ଛୋଟିଆ କଥା?

ଛୋଟିଆ ଛୁଆଟେ ଆସିଲା, ବଗି ଓଳାଇଲା।
କେତେବେଳେ ଜଣେ ଯାତ୍ରୀଙ୍କର ପର୍ସ ତଳପଡ଼ି ଯାଇଥିବାରୁ ଉଠାଇ ନେଇ ପାର୍, ସେ ଯାଇ ସାରିଲାପରେ ଇଏ ଖାଲି ମିଛଟାରେ ହୋ ହାଲ୍ଲା କରିବା କଥା। ତେଣୁ ଭାରି ସତର୍କ ହେବା କଥା।

ଏଇ ଫେରିବାଲା ଓ ବୁଲା ବିକାଳୀ ବି କମ୍ ବଦମାସ୍ କି? ଏଠି ପରା କେହି କାହାର ନୂହେଁ, ନିଜ ହିସାବରେ ନିଜେ ରହିବା କଥା ନହେଲେ କେତେବେଳେ କିଏ କଛାକାଟି ନେଇଯାଇଥିବେ ଜାଣିପାରିବ ନାହିଁ।

ବେଳେ ଲାଗୁଥାଏ, ଟ୍ରେନ୍ ଛିଡାହୋଇଛି କିନ୍ତୁ ଗଛ ସବୁ ଦୌଡୁଛି। ପୁଣି ସଚେତନ ହେଉଥା’ନ୍ତି, ଚଳନ୍ତା ଟ୍ରେନ୍ ର ଯାତ୍ରୀଙ୍କୁ ଏମିତି ଲାଗିବ ନ୍ୟୁଟନ ପରା କହିଛନ୍ତି, ତେଣୁ ଏହା ତାଙ୍କ ଭ୍ରମ ଆଉକିଛି ନୂହେଁ। କେତେ କେତେ ଜାଗାରେ ଟ୍ରେନ ସବୁ ଯାଇ ଅଟକୁ ଥାଏ। କେଉଁଟା ବଡ ଷ୍ଟେସନ୍ ଆଉ କୋଉଟା ଟିକି। ବଡ଼ ବଡ଼ ସହର ବଜାର ବି ସବୁ ଦୃଶ୍ୟ ହେଉଥାଏ। ଦୁନିଆଟା ସତରେ କେତେ ବଡ଼, କେତେ କେତେ ଜିନିଷ ସବୁ ଦୃଶ୍ୟ ହେଉଛି ଏଇ ମଣିଷ ସତରେ ତାହେଲେ କିଛି ଦେଖିନାହିଁ। ଏଇଥିପାଇଁ ଆମକୁ ଘୁମାଫେରା କରିବାକୁ ପଡ଼ିବ। ଯେତେଯେତେ ନୂଆ ଜିନିଷ ଦେଖିବ, ମଣିଷର ଆଖି ପରା ଫେରିବ। ତା’ଛଡା, ତାକୁ ଆଉ ଦୁନିଆକୁ ଦେଖି ଡର ଲାଗିବ ନାହିଁ। ସବୁ ବିଷୟରେ ଜାଣିବା, ଦେଖିବା, ଚାହିଁବା – ବାସ୍ତବରେ ବହୁତ ବଡ଼ ଜ୍ଞାନ। ତେଣୁ ଧୀରେ ଧୀରେ ନିର୍ମଳର ଡର ହଟୁଥିଲା, ଯେତେ ଡର ସେ ପ୍ରଥମେ ଆସିଲା ବେଳେ ତା’ର ଥିଲା। କେବଳ ନିର୍ଭୀକତା ଆସୁ ନ ଥାଏ ତା’ର, ଏଇ ଟ୍ରେନ୍ ଟିକେଟର ଗଡ଼ବଡ଼ି ଯୋଗୁ।
ଟ୍ରେନ୍ ଷ୍ଟେସନ୍ ମାନଙ୍କର ରହିଲେ ଲୋକେ ଦୌଡ଼ି ଯାଇ ପାଣି ବୋତଲ ଓ ଖାଦ୍ୟ ପୁଡିଆ ଧରି ପୁଣି ଟ୍ରେନ୍ ଦୌଡ଼ି କି ଧରି ଉଠି ଆସୁଥାନ୍ତି, କିନ୍ତୁ ନିର୍ମଳ ଆଦୌ କେଉଁଠି ଉତ୍ତରି ନାହିଁ, କାଳେ ଟ୍ରେନ ଛାଡିଦେଲେ ସେ ରହିଯିବ, ଏହି ଡର ତାକୁ ଖାଉଥାଏ। ଟ୍ରେନ ଭିତରକୁ ବି ଖାଦ୍ୟ ସାମଗ୍ରୀ ଆସେ ସେଇଠୁ ସେ କିଛି ସଂଗ୍ରହକରି ଖାଏ। ନ ହେଲେ ଚୁଡ଼ାଛତୁଆ କଦଳୀ ସାଙ୍ଗରେ ଆଣିଥିଲା ସେୟାକୁ ଖାଇ ପାଣି ମୁନ୍ଦେ ପିଏ।
ଯାହାହେଉ ଶେଷରେ ଏଇ କଷ୍ଟଦାୟକ ଓ ଚିନ୍ତାଗ୍ରସ୍ତ ଟ୍ରେନ୍ ଯାତ୍ରାର ଅନ୍ତଘଟିଲା,ଯଦିଓ ପ୍ଲାଟଫର୍ମରୁ ବାହାରିବା ପାଇଁ ସିଏ ଟିକିଏ ଅଧିକ ସନ୍ତର୍ପଣ ସହକାରେ ହୁସିଆରି ଦେଖାଇଥିଲେ । ନିଜକୁ ଜଗାରଖା କରି ସେ ଆଗ୍ରା ଷ୍ଟେସନ୍ ବାହାରକୁ ଆସିଲେ , ମନରେ ଗଡ଼ ଜୟ କରିବାର ଗୋଟେ ବିରାଟ ଆଶ୍ୱସ୍ତି। ସତେ ଯେମିତି ସେ ଏଭେରେଷ୍ଟର ଉତ୍ତୁଙ୍ଗ ଶୃଙ୍ଗ ଚଢି ବିଜୟର ବାନା ଉଡାଇ ଫେରିଛନ୍ତି। ତାଙ୍କ ଖୁସି ହେବାର ଆଉ ଗୋଟେ କାରଣ ହେଲା ସେ ମାପିଚୁପି ଘରୁ ପଇସା ଆଣିଛନ୍ତି, ଯଦି ଟ୍ରେନରେ ଜୋରିମାନା ଦେଇଥାନ୍ତେ, ତେବେ କୋର୍ସ ପାଇଁ ବି ଆଡମିଶନ କରିପାରି ନଥାନ୍ତେ। ଭଗବାନ ବଞ୍ଚାଇ ଦେଇଛନ୍ତି। ଏତିକି ବେଳକୁ ବର୍ଷା ହେଲା, ଆଗ୍ରା ଷ୍ଟେସନ୍ ବାହାରେ ବର୍ଷା ବି ଯେମିତି ତାଙ୍କୁ ସ୍ୱାଗତ କଲା ଉକ୍ତ ବିଜୟୋତ୍ସବ ପାଳିବା ପାଇଁ। ତେଣୁ ଭଗବାନଙ୍କୁ କୋଟି ଦଣ୍ଡବତ କଲେ ଏହି ନିରାପଦ ଯାତ୍ରା ପାଇଁ।

ଏଥର ସିଧାଯାଇ ଇନଷ୍ଟିଚୁଟରେ ପହଁଞ୍ଚିଲେ। ଆଡ଼ମିସନ୍ କାମ ସରିଲା,ଏଣିକି ତ ଛାତ୍ରବୃତ୍ତି ମିଳିବ, ଆଉ କିଛି ଚିନ୍ତା ନାହିଁ। ରହିବା ଖାଇବା ସବୁ ସୁବିଧା ମିଳିଯିବ।
ଟିକେଟ ଥାଇ କି ନଥାଇ ଏହି ବିନାଟିକେଟ ଯାତ୍ରା, ଯାହା ସ୍ମରଣୀୟ ଘଟନା – ନିର୍ମଳ ଜୀବନ ତମାମ କେବେବି ଏହା ଭୁଲିପାରିବେ ନାହିଁ।

ଏଣିକି ହଷ୍ଟେଲ ବି ତୁରନ୍ତ ମିଳିଯିବାରୁ ଜିନିଷପତ୍ର ରଖିଦେଇ, ନିର୍ମଳ ଅଛାଟ ହୋଇ ଶୋଇଗଲେ। ଆଉ ଖାଇଲେ ନାହିଁ କି ଉଠିଲେ ନାହିଁ, ନିର୍ମଳ ଦିନରୁ ଯାହା ଏଣୁତେଣୁ ଦିଓଟି ଖାଇଥିଲେ।

ଚିନ୍ତାମୁକ୍ତି, ଏମିତି ସୁନିଦ୍ରା ଦିଏ ଯେ, ପେଟଭୋକ ତା ନିକଟରେ ହାର୍ ମାନିଲା।

Related posts

ସାବିତ୍ରୀର ପ୍ରତିଶୋଧ

satya

ମାଟି ହେବ ଲୋ! ମାଟି

satya

ଆତ୍ମଗ୍ଳାନୀର ଶୀକାର

satya

Login

X

Register