Satya Prakash
ଗଳ୍ପ

ଦୁର୍ଘଟଣା

ଜୀବନରେ ଅହରହ ଅନେକ ଘଟଣା ଘଟେ । ମାତ୍ର ସବୁ ଘଟଣା ବିଘଟଣ ନୁହେଁ; କି ସବୁ ବିଘଟଣ ଦୁର୍ଘଟଣା ନୁହେଁ । ଦୁର୍ଘଟଣା ଯେଣୁ ବିନା ନିମନ୍ତ୍ରଣର ଅତିଥି ; ନା ତା’ପାଇଁ ଥାଏ ପୂର୍ବ ପ୍ରସ୍ତୁତି ଅବା ପ୍ରତିଶୃତି; ନା ତା’ ପାଇଁ ହୁଏ ସ୍ୱାଗତ ସମ୍ବର୍ଦ୍ଧନା ଅବା ଅତିଥି ସତ୍କାର ଅଭ୍ୟାଗତ, ଅଭ୍ୟର୍ଥନା । ଯେଣୁ ସିଏ ଅବାନ୍ଛିତ ଅତିଥି, ଖାଲି ସିନା ପ୍ରତାରିତ କରେ ପ୍ରବଞ୍ଚନା-ପ୍ରତାରଣେ ।

ସମସ୍ତ ଭାବନା ଦୁର୍ଭାବନାକୁ ପଛରେ ପକାଇ, ଦୁର୍ଘଟଣା ପୁଣି ଆସେ କେବେ – ଆକସ୍ମିକ । ସେ ଆସିବା ଆଗୁ, ନା ଥାଏ ତା’ର ନାଲି ନୋଟିସ୍ ନା ଥାଏ ତା’ର କିଛି ଖବର ଅନ୍ତର । ହଠାତ୍ ସିଏ ଆସେ, ଧନ-ଜୀବନ ନେଇ ସେଠୁ ଚାଲିଯାଏ । କରୁଣ ପରିବେଶ ପଛରେ ଛାଡ଼ିଯାଏ; ଯାହା ସ୍ମୃତି ହୋଇ କେବଳ ପଡ଼ି ରହେ । ଯେତେ ଭୁଲିଲେ ମଧ୍ୟ ଭୁଲି ହୁଏନା; ବେଳ ଅବେଳରେ ଖାଲି ଗୁଡ଼ାଇ ତୁଡ଼ାଇ ମନେ ପଡ଼ିଯାଉଥାଏ ।

ସେଦିନ ନିଧି ମଉସା ସକାଳୁ ସକାଳୁ ବିଛଣାରୁ ଉଠିପଡ଼ି, ଗାଧୋଇ -ପାଧୋଇ ବାହାରି ପଡ଼ିଲେ ସହର । ବାଟସାରା ଗାଡ଼ି ମୋଟର ଭେଁ ଭାଁ ରଡ଼ି ଶୁଣି ବୁଢା ଛାତି, ହେଉଥାଏ ଧଡ଼ପଡ଼ । ମନେ ମନେ ଭାବୁଥାଏ- “ବାଟରେ ଆସିଲା ବେଳକୁ କାଳି ବିରାଡ଼ିଟା ବାଟ ଓଗାଳୁଥିଲା; କାଳେ କିଛି ଦୁର୍ଘଟଣା ଘଟିବ କି?”

ଠିକ୍କା ଏତିକି ବେଳକୁ କାହୁଁଥିଲା, ଆନ୍ଦ୍ରା ଟ୍ରକଟା ହଠାତ୍ ମାଡ଼ି ଆସିଲା । ଚାହୁଁ ଚାହୁଁ ଧଡ଼ାସକିନା ଶଦ୍ଦଟାଏ ହେଲା । ବୁଢା ଆଖି ବୁଜିଦେଲା । ଆଖି ଖୋଲି ଦେଖେ ତ, ଗୋଡ଼ଟା ଚାପି ହୋଇ ଯାଇଛି କେଉଁ ଏକ ସିଟ୍ ତଳେ । ପନ୍ଝାଏ ଲୋକ ତା’ ଉପରେ ଅଜାଡ଼ି ହୋଇ ପଡ଼ିଛନ୍ତି, ହେଲେ କେହି ହଟିଲେନି । ଏଥର ଗୋଟା ଗୋଟା ସବୁ ଆଡ଼େଇ ଦେଲା। ପ୍ରଦିବାଦ କରିବାକୁ କାହାର ବା ଜୀବନ ଥାଏ? ଏବେ ଟିକିଏ ବୁଢା ନିଶ୍ୱାସୀ ପାରିଲା, ହେଲେ ଗୋଡ଼ଟା ସେଠୁ ହୁଙ୍କିଲାନି ଜମା ।

ଟ୍ରକଟା ମାଛ ବୋଝେଇ ହୋଇଥାଏ । ଏଣେତେଣେ ବିଛୁରି ହୋଇ ପଡ଼ିଥାଏ । ଲୋକଙ୍କୁ ଲୋକ ସୁଖୁଆ ମାଛ ପରି ଆଡ଼େଇ ଦେଇ, ସମସ୍ତେ ମାଛ ଖୁଣ୍ଟିବାରେ ବ୍ୟସ୍ତ । ଯିଏ ଭେଟୁଥାଏ ତା’ ପାରୁ ମୁତାବକ ବାନ୍ଧୁଥାଏ; ସେଠୁ ଚାଲୁଥାଏ । ଆଉ କେତେକ ମଲା ଶବକୁ ଲେଉଟାଇ ଯାହା ପାଉଥାଏ, ଲୁଟି ନେଉଥାଏ ।

ବୁଢା ଚାରି ଆଡ଼କୁ ଆଖି ଫେରାଇଲା । ଦେଖିଲା କାହାରି କାହାରି ଚେତା ନାହିଁ । ପୁଣି କାହାରିବା ମୁଣ୍ଡ ଫାଟି ରକ୍ତ ଝରୁଛି । ଲହୁ ଲୁହାଣ ହୋଇ ସମସ୍ତେ ପଡ଼ିଛନ୍ତି । ବସ୍ ସାରା ରକ୍ତ ଜୁଡ଼ୁବୁଡ଼ୁ । ଚିତ୍ପଟାଙ୍ଗ ହୋଇ ବସ୍ ପଡ଼ିଛି । ତା’ଉପରେ ସବାର ହୋଇଛି – ଟ୍ରକଟାଏ । ଦୋଷଟା ଯାହାର ଥାଉନା କାହିଁକି; ଡ଼୍ରାଇଭର କ୍ଲିନର କିନ୍ତୁ, ଡ଼ିଆଁ ମାରି ସେଠୁ ପାର । ଯିଏ ମଲା, ସିଏ ତରିଗଲା । ଯିଏ ଚେତା ପାଇଲା, ଝରକା ଆଡ଼େଇ ସିଧା ମେଡ଼ିକାଲ ଧରିଲା । ଯେଉଁମାନେ ଚେତନା ଶୂନ୍ୟ ଅବା ପଙ୍ଗୁ ହୋଇ ପଡ଼ି ରହିଲେ- ସେମାନେ ଅର୍ଦ୍ଧଚେତ ଅବସ୍ଥାରେ, ଆତ୍ମ ଦହଙ୍ଗଜ ହେଲେ । ନା ହାତ ବଢାଇଲେ ହାତ ପାଉଛି; ନା ଗୋଡ଼ ବଢାଇଲେ ଗୋଡ଼ ପାଉଛି । ତ୍ରିଶଙ୍କୁ ଅବସ୍ଥାରେ ସେମାନେ ରହିଲେ । ଦୁର୍ଘଟଣା ସ୍ଥଳେ ଯେ, ବହୁ ଲୋକ ରୁଣ୍ଡ; ହେଲେ ଆହା ପଦେ କହିବାକୁ କେହି ନାହିଁ । ସମସ୍ତେ ଆପଣା ହୁସିଆରରେ ଆପେ ଥା’ଆନ୍ତି । ଦେଖୁଥା’ନ୍ତି ଚାହୁିଁଥା’ନ୍ତି, ସେଠୁ ଚାଲି ଯାଉଥା’ନ୍ତି । ଆଉ କେହି କେହି ମଜା ଦେଖିବା ପାଇଁ ଅପେକ୍ଷା କରିଥା’ ନ୍ତି । ହେଲେ ସାହାଯ୍ୟ କରିବାକୁ କେହି ନାହିଁ । ଯେଣୁ ପାଣି ମୁନ୍ଦେ ଦେବେନି କେହି, ଆପଣା ଭାଗ୍ୟ ଆଦରି , ସେଠି ଦୁର୍ଘଟଣାଗ୍ରସ୍ଥ ଲୋକ ପଡ଼ି ରହେ, ବିକଳେ ଚିତ୍କର କଲେ, ତାହାର ଚିତ୍କାର କେହି ଶୁଣିବେନି ।

ଏଥର ବୁଢା ବାହାରକୁ ଚାହିଁଲା, ଦେଖିଲା ଲୋକ ପୂରିଛନ୍ତି । ଯେମିତି ମାଛ ହାଟ ବସିଛି, କଣ ସାଉଁଟିକି ପୂରାଉଥା’ନ୍ତି । ସତକୁ ସତ ଦେଖିଲା ବେଳକୁ ଲୋକ ମାଛ ରୁଣ୍ଡାଉଥାନ୍ତ । ବୁଢାର ବୁଝିବାକୁ ଏଥର ଆଉ ବାକି ରହିଲା ନାହିଁ ଯେ : ଆନ୍ଧ୍ରା ଟ୍ରକଟା ଓଲଟି ପଡ଼ିଛି । ମାଛ ଟ୍ରକଟା ନିଶ୍ଚୟ ହୋଇଥିବ ।

ବୁଢା କେତେ ଲୋକଙ୍କୁ ଡ଼ାକିଲା  । ନେହୁରା ହେଲା – “ଏ ଭାଇ! ଟିକିଏ ଶୁଣ, ମୋତେ ବସ୍ ଭିତରୁ କାଢ । ମୋ ଗୋଡ଼ଟା ଯାବି ହୋଇ ଯାଇଛି । ସିଟ୍ ତଳେ ଫସି ଯାଇଛି । ।” କାହିଁକି ବା କିଏ ଶୁଣିବ? ଯାହା କାନରେ ବା ବାଜିଲା, ସେ କହିଲା – “ଆମେ କ’ଣ ମରିବା ପାଇଁ ସେଠିକି ଯିବୁନା? ପୋଲିସ୍ ଆସିବ ଆମକୁ ବାନ୍ଧିବ” । ବୁଢା ମନେ ମନେ ଶୋଧୁଥାଏ, “ଶଳେ ମାଛ ଚୋରି କରୁଛ, ପୋଲିସ୍ ବାନ୍ଧୁ ନାହିଁ , ଆମକୁ ଖାଲି ବସରୁ ଉଦ୍ଧାର କଲେ, ପୋଲିସ୍ ବାନ୍ଧିବ ?” ପୁଣି ଭାବୁଥାଏ- “କ’ଣ କରିବ ? ଆମ ଆଇନଟା ତ ଅନ୍ଧ । ଲୋକେ ମରି ଯାଉଥିବେ ପଛେ, ପାଣି ଟୋପାଏ ଦେବେ ନାହିଁ । ସତ କଥା – ପୋଲିସ୍  ଆସିବ, କିଛି ବୁଝିବ ନାହିଁ, ଖାଲି ବାନ୍ଧିବ । ଏ ଆଇନ୍ ଯେମିତି, ଲୋକଗୁଡ଼ାକ ବି ସେମିତି । ଯେତେ ଯାହା କଲେ, ଏଗୁଡ଼ାକ ସୁଧୁରିବେ ନାହିଁ; ସବୁ ରାଧା ଚଡ଼କରେ ଯିବେ ।”

ଏହି ସମୟରେ କାହାର ଗୋଟାଏ ଚେତା ଫେରି ଆସିଲା ନା କ’ଣ “ପାଣି ପାଣି” ହେଉଥାଏ । ବୁଢା ଡ଼ାକ ପକାଇଲା- “ଆରେ ଲୋକଟା ମରି ଯିବରେ-ପାଣି ଟୋପାଏ ଦିଅ” । କେହି ଶୁଣିଲେ ନାହିଁ। ସମସ୍ତେ ଅନେଇ ଦେଉଥା’ନ୍ତି, ସେଠୁ ଚାଲି ଯାଉଥା’ନ୍ତି । ବୁଢା ପୁଣି ଭାବେ – “ଲୋକ ଗୁଡ଼ାକ କାଲା ନା ଅନ୍ଧ ? ମଣିଷର ବିକଳ ଡ଼ାକ, କରୁଣ ଚାହାଣୀକୁ ଏମାନେ ଏଇମିତି ଆଡ଼େଇ ଯା’ନ୍ତି । ? ଏଗୁଡ଼ା ସତରେ ମଣିଷ ନା ଜାନୁଆର ???” କିଏ କେତେପ୍ରକାରର ଯନ୍ତ୍ରଣାରେ ଲୋକେ ଚିତ୍କାର କରୁଥାନ୍ତି । ବୁଢାର କାନ ବଧିରା ପଡ଼ିଗଲାଣି । ମନେ ମନେ ଭାବୁଥାଏ – “ଗୋଡ଼ଟା କୌଣସି ପ୍ରକାରେ ବାହାରି ଆସନ୍ତାକି ; ଦେଖନ୍ତେ ସମସ୍ତେ ବୁଢା ଏକୁଟିଆ କେମିତି  ସମସ୍ତଙ୍କୁ ଉଦ୍ଧାର କରୁଛି” ।

ପୋଲିସ୍ ବାଲାଏ ଆସିଲେ: ସମସ୍ତଙ୍କୁ ଘଉଡ଼ାଇ ଦେଲେ ।  ଥୋଡ଼େ ଖଣ୍ଡ ମାଛ ଆଗ ଜିପରେ ଭର୍ତ୍ତି କରି ଘରକୁ ପଠାଇଦେଲେ । ଏଥର ଶବ ବୁହାହେଲା । ସାଥିରେ ଅଚେତ, ଅର୍ଦ୍ଧଚେତବାଲାଙ୍କୁ ବି ପକାଇଦେଲେ । ଶବ ସହ ଶବ ପାଲଟି ଗଲେ । ଆଉ ଯେତକ ଖଣ୍ଡିଆ ଖାବରା ହୋଇ ପଡ଼ିଥିଲେ, ଆମ୍ବୁଲାନ୍ସରେ ମେଡ଼ିକାଲ ବୁହାହେଲେ । ଜୀ’ଥିଲା  ଲୋକଗୁଡ଼ାକୁ ବି ଶବ ସହ ଶବ କରି ମାଡ଼ି ମକଚିକି, ମ୍ଯୁନିସିପାଲିଟି ଭ୍ୟାନରେ ପୂରାଇ ଦେଲେ । ଯିଏ ଗୋଟେ ଅଧେ ଚେତା ପାଇଥିଲେ, ବଂଚିଗଲେ ।

ନିଧି ମୋଉସାର ମନେ ପଡ଼ିଗଲା, ଆସିଲା ବେଳେ ତା’ ସାମ୍ନା ସିଟରେ  ବାପ, ମା, ପୁଅ, ଝିଅ ଗୋଟାଏ ପରିବାର ବସିଥିଲେ । ତାକୁ ଶୋଷ ଲାଗୁଥାଏ, ପିଲାଟିଏ ପାଣି ବୋତଲ ବଢାଇ ଦେଇ ‘ନେ ପିଇ’ – କହୁଥାଏ । ପୁଣି ନିଧି ମୋଉସା ଦେଖେ – ତା’ର ପରିବାରଟା ସାରା ଆଖି ସାମ୍ନାରେ କେମିତି ଶବ ହୋଇ ଯାଇଥାଏ । ପିଲାଟା ମା’ ଉପରେ ପଡ଼ି କାନ୍ଦୁଥାଏ । ପୋଲିସ୍ ବାଲାଏ ପିଲାଟାକୁ ଠେଲି ଦେଇ ଶବଗୁଡ଼ାକୁ ନେଇ ଚାଲିଯାଇଥା’ନ୍ତି । ପିଲାଟି ବୋଉ………ବୋଉ……………ହୋଇ ଧକ୍କେଇ କାନ୍ଦୁଥାଏ ।

ବୁଢାର ମନେ ପଡ଼ିଗଲା ବିଗିଡ଼ା ମନ୍ତ୍ରଟାଏ – “ଓଁ ଅନାଇଁ ମନାଇଁ ବାଟରେ, ପଡ଼ିଲୁ ଶୋଇ, ମୋ କଥା ମାନି ଉଠ୍ ବେଗ ହୋଇ । ଯେବେ ଛେକିବୁ ବାଟ, ଖାଇବୁ ଛାଟ, ଉଡ଼ି ଯା,’ ଅକାଟ ବନ୍ଧରୁ ପାଣି ଖା । ହରି ସହଦେବ ଅଛନ୍ତି କହି । ଚାଲ ଚାଲ ପାଣି ଖା’, ଚାଲ ଚାଲ ବୋଲି କାହାର ଆଜ୍ଞା ଶ୍ରୀହରି- ସହଦେବଙ୍କର କୋଟି କୋଟି ଆଜ୍ଞାୟଃ ।”

ନିଧି ମଉସା ପିଲାଟାକୁ କୋଳକୁ ଟାଣି ନେଲେ  । ଜାବୁଡ଼ି ଧରି କାନ୍ଦି ଉଠିଲେ…. ।

Related posts

ଆମ କଲୋନୀର ହାଲଚାଲ

satya

ବିଜିତା ଆରୋହିଣୀ

satya

ସାବିତ୍ରୀର ପ୍ରତିଶୋଧ

satya

Leave a Comment

Login

X

Register