Satya Prakash
ଗଳ୍ପ

ନାସ୍ତି ବାଣୀ

କେଡ଼େ ମନ ଖୁସିରେ କୁଳୁ କୁଳୁ ହୋଇ ବହି ଯାଉଛି ବିଟପା  । ସତେକି ତା’ର ଜଳକାଚବେଣୀଟା ବେଶ୍ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି  । ନୀଳ ଭୂଜଙ୍ଗୀ ପରି ପର୍ବତର ବକ୍ଷ ଉପରୁ ହସି ହସି ଗଡ଼ି ଆସୁଥିଲା ତଳକୁ । ମନ ତଳେ କେତେ ରଙ୍ଗୀନ  ଆଶା, ସୁନେଲି ଭବିଷ୍ୟତର ପରିକଳ୍ପନା ଠୁଳ ହୋଇଥିଲା–ତା’ର  । କେତେବେଳେ ସେ ସମୁଦ୍ରର ବକ୍ଷ ମଧ୍ୟରେ ମିଶିଯିବ, ଉତ୍ତାଳ ତରଙ୍ଗର କାନ୍ଧରେ ହାତ ପକାଇ ଝୁଲି ଖେଳିବ, ପୁଣି ଡ଼େଇଁ ଡ଼େଇଁ ସମୁଦ୍ରର ବେଳା ଭୂମି ସ୍ପର୍ଷ କରିବ- ଅନୁଭବ କରିବ ଅନନ୍ତ ପ୍ରକୃତିର ଶୋଭା  । ସେଇଥିରେ ତା’ର ଜନ୍ମ ହେବ ସାର୍ଥକ, ସେଇଥିରେ ସେ ଲାଭ କରିବ ତୃପ୍ତି  । ସେଇଥି ପାଇଁ ସେ ବିଶ୍ରାମ ରହିତାହୋଇ ଛୁଟି ଚାଲିଛି ଆଗକୁ । ପଥରେ କେଉଁଠି ପଥରଟାଏ କି ପଟାଳ ମାଟିରେ ଝୁଣ୍ଟି ପଡ଼ୁଛି ସେ  । ପୁଣି ଉଠି ପଡ଼ି ଅସ୍ତବ୍ୟସ୍ତ ହୋଇ ଧାଇଁ ଚାଲିଛି  । ମନରେ ତା’ର ବେଳେ ବେଳେ ଜମି ଆସୁଛି ଦୁଃଖ– ସମୟଟାକୁ ଆୟତ୍ତ କରି ପାରୁନାହିଁ  । ସବୁବେଳେ ସମୟ ତାକୁ ଅତିକ୍ରମ କରି ଚାଲିଛି  । ସମୟଟାକୁ ଧରି ରଖିବ କେମିତି ? ସେ ତ ଅଜୟ, ସେ ତ ନିର୍ବିକାର, ସେ ବାଧାଶୂନ୍ୟ  । କେତେବେଳେ କେମିତି ବିଟପା ସମୟରେ ବାହୁ ଛାୟା ତଳେ ରହି ହସି ହସି ଶୁଖି ଯାଉଛି ତ ପୁଣି କେତେବେଳେ କାନ୍ଦି କାନ୍ଦି କୂଳ ଉଲଙ୍ଘନ କରୁଛି– ନାଚି ନାଚି ଅଧିର ହୋଇ ପଡ଼ୁଛି ତାହାର ବକ୍ଷ ମଧ୍ୟରେ  ।

 

ଅସ୍ତମିତ ସୂର୍ଯ୍ୟର ଗୋଧୂଳି ଲଗ୍ନରେ ହିମ ପ୍ରବାହମାନ ଆକାଶରେ ଉଡ଼ନ୍ତା ପକ୍ଷୀ ବାଦଲର ଉପରି ଭାଗରେ ପଇଁନ୍ତରା ମାରୁଥିଲେ  । ଝିରି ଝିରି ହୋଇ ପର୍ବତ ଚୁଳରୁ ଝରି ଆସୁଥିଲା ହିମଧାରା  । କେତେଟା ରଙ୍ଗୀନ ପ୍ରସ୍ତର ପଶ୍ଚିମ ସ୍ତମ୍ଭରେ ଖେଳେଇ ହୋଇ ପଡ଼ିଥିଲା  । ସେମାନଙ୍କ ପଛରେ  ଅପେକ୍ଷା କରିଥିଲା ଗ୍ରାସାକାଂକ୍ଷି ଲୋଳଜିହ୍ୱ ତିମିର ପଟଳ  । ପର୍ବତର ଘନନୀଳ କାନ୍ତି ଏହାର ଦର୍ଶକ  । ସେମାନେ ନିଶ୍ଚଳ, ନିରୁତ୍ତର  । ସତେକି ନିଜ ସ୍ଥିତି ଉପରେ ଅଟଳ ବିଶ୍ୱାସ  । ଦୀର୍ଘଦିନ ପାଇଁ ନିଜର ନୀଳିମାକୁ ବଜାୟ ରଖିବେ  । ସମୟ ବଜ୍ରର ଗୁରୁ ଗମ୍ଭୀର ସ୍ୱର ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଲେ ଦୃଢ଼ କଣ୍ଠରେ ଜବାବ ଦେବେ  । କାହିଁକି ସମସ୍ତଙ୍କୁ ଭିକ୍ଷୁ କାଙ୍ଗାଳ କରିବା ପାଇଁ ତୁମ୍ଭର ଇଚ୍ଛା? କାହିଁକି ଉଚ୍ଚ ନୀଚ୍ଚର ଭେଦଭାବ ସୃଷ୍ଟି କରିବାକୁ ତୁମ୍ଭେ ବ୍ୟଗ୍ର ? କାହିଁକି ତୁମ୍ଭ ମଧ୍ୟରେ ପୂରି ରହିଛି  ଧ୍ୱଂସ କରିବାର ମୋହ ? ଦିକ୍ ପଟାନ୍ତରର ଦୁର୍ଦମନୀୟତା, ହସିଉଠିବା ?

 

ବିଟପାର କୂଳେ କୂଳେ ଲମ୍ବି ଯାଇଛି ସେତୁର ଅପରିମିତ ସମାହାର, ତା’ରି ପରକୁ ଗହୀର ବିଲର ଧାନ କ୍ଷେତ, ଗାଁ ପରେ ଗାଁ ଲମ୍ବିଯାଇଛି ସେଇଠି  । ଧୂଳିଆ ରାସ୍ତାଟି, ବ୍ୟସ୍ତହୋଇ ଧାଇଁ ଯାଇଛି ସେଇ ଆଡ଼କୁ  । ମଣିଷର ବନ୍ଧନ ଦେଖି ସେ କାନ୍ଦି ଉଠିବ, କେତେ ଦୁଃଖୀ ରଙ୍କିର ଶରୀରକୁ ନିଜ ଉପରେ ରଖି  ପୁଣି ଧାଇଁ ଯିବ କେଉଁ ରାଇଜକୁ  । ଭର୍ସନା କରିବ ଉତ୍ଫୁଲ୍ଲ ମନା କଳ ନିନାଦିନୀ ବିଟପାକୁ  । ଦୁନିଆର ଦୁଃଖ ଦାରିଦ୍ର୍ୟର ମଞ୍ଚସଜ୍ଜା ବିରୁଦ୍ଧରେ ପ୍ରତିବାଦ କରି ପ୍ରକୃତିର ମଞ୍ଚସଜ୍ଜା ନିକଟରେ ଛିଡ଼ାହେବ ଦୀର୍ଘ ପ୍ରଶ୍ନବାଚୀ ନେଇ  । ଦୂର ଗାଁ ଗୁଡ଼ିକ ମୁହଁ ଅନ୍ଧାର ତଳେ ଝାପସା ଦିଶିଲେଣି  । ନଈ ଏପଟକୁ ସେ ବନ୍ଧ ଉପରେ ଦୁଇଜଣ କିଏ ଗଡ଼ି ଧରି ଆସୁଛନ୍ତି ଖୁବ୍ ଧିର ମନ୍ଥର ଗତିରେ  । ସେମାନଙ୍କର ମନରେ ଯେପରି ଭୟର ଲେଶ୍ ମାତ୍ର ନାହିଁ  ।

ଅନ୍ଧାର ପ୍ରତି ଭ୍ରୂକ୍ଷେପ ନାହିଁ  । ସମାଜର  ବାଦ ପ୍ରତିବାଦକୁ ସହି ସହି ଯେମିତିକି ଦେହଟା ତାଙ୍କର ପଥର ହୋଇଯାଇଛି  । ସେଇଥିପାଇଁ ଏ ଅନ୍ଧାର ମଧ୍ୟରେ ଗତି ତାଙ୍କର ଅଚଞ୍ଚଳ  । ନନ୍ଦ ସାହୁ ଅଟକି ଗଲେ ରାସ୍ତା ଉପରେ କାଳେ ଗୋଟାଏ କିଛିି ଲାଭ ମିଳିବ  । ଏ ଦୁର୍ଭିକ୍ଷରେ ଅଣ୍ଟାକୁ କନାଖଣ୍ଡେ ମିଳୁନାହିଁ କି ପେଟକୁ ଦାନା ଖଣ୍ଡେ ମିଳୁନାହିଁ  । ଏ ଚାରି ପାଖରେ ଲୋକେ ତାଙ୍କରି ଉପରେ ଆଶା ଭରସା ରଖିଛନ୍ତ  । ଗହଣା ଗାଣ୍ଠି ଜମିବାଡ଼ି ସବୁ ଯାଉ ପଛକେ ଗଣ୍ଡେ ଖାଇବାକୁ ମିଳୁ  । ସାହୁଙ୍କର ମନରେ ଆନନ୍ଦ କାଳେ କିଏ ଗହଣା ଗାଣ୍ଠି ଖଣ୍ଡେ ଆଣିଥିବ, ଧାନ ମୁଠେ ନେବାକୁ  । କିଛି ଲାଭ ହେବତ– ସେଇଥିପାଇଁ ସେ ଏମାନଙ୍କୁ ଅପେକ୍ଷା କରିଛନ୍ତି ।

ପାଖକୁ  ଆସିଗଲେଣି ସେମାନେ  । ଖୁବ୍ ପାଖକୁ  । ପିଲା ଦୁଇଟି, ଦୁଇ ଭାଇ ସେମାନେ  । ଏଇ ନରୁ ପ୍ରଧାନର ପୁଅ ସେମାନେ  । ବାପା ସେମାନଙ୍କର ଏ ଦୁର୍ଭିକ୍ଷରେ ଖାଇବାକୁ ନପାଇ ହଇଜାରେ ଯାଇଛି  । ଚାରିଆଡ଼େ ତ ହଇଜା ଆମାଶୟ ଲାଗିରହିଛି  । ଯିଏ ତ ଗଲା ଗଲା  । ଯେଉଁମାନେ ବଞ୍ଚିରହିଛନ୍ତି ସେମାନଙ୍କୁ ରକ୍ଷା ମିଳୁଛି କେଉଁଠୁଁ  । ଲୋକମାନେ ମରିଗଲେ, ଗାଁ ଜମିବାଡ଼ି ସବୁ ଗାଁ ମହାଜନ ମାନଙ୍କର  । ପିଲା ଦୁଇଟିକି ଦେଖି ନନ୍ଦ ସାହୁଙ୍କର ସେମାନଙ୍କ ଉପରେ ବହୁତ ରାଗ ହେଲା  । ଏତେ ଆଶା କରି ସେ ଛିଡା ହୋଇ ଥିଲେ କିଛି ମିଳିବ ବୋଲି  । କିନ୍ତୁ ଏ ପିଲା ଦୁଇଟା ଭିକମାଗି ଫେରୁଛନ୍ତି ଗାଁକୁ  । କିଏ ଜାଣିଥିଲା ଏ ସଂନ୍ଧ୍ୟାଟାରେ ଏପରି ଅଶୁଭ ଦର୍ଶନ ହେବ ବୋଲି ? ପୁଣି  ସେମାନେ କ’ଣ ଚୁପ୍ ଚୁପ୍ ଚାଲିଯିବେ? ତାଙ୍କର ସବୁ ଯେମିତି ନେଇ କେହି ଗଣ୍ଡେ ଖାଇବାକୁ ଦେଲେ ନାହିଁ, ବାଟଯାକ  ବାବୁ, ମୁଠେ ଖାଇବାକୁ ଦିଅନ୍ତୁ, ପଇସାଟାଏ ଦିଅନ୍ତୁ– ଏଇମିତି  ବକର ବକର ହେବେ  । କି ଅନାର୍ଯ୍ୟ ଏଗୁଡ଼ାକ  । କିରେ କାଙ୍ଗାଳ ପଲ! ତୁମ ଜମି କଅଣ ମାଗଣାରେ ନେଲୁ ? ତୁମ ବାପା ମା’ ଧାର କରଜ କରିଥିଲେ  । ଦେଇପାରି ନଥିଲେ । ସେଇଥି ପାଇଁ ଜମି ନେଲୁ  । ତୁମ୍ଭର ସେଥିରେ ହେଲା କ’ଣ ? ଖାଇବାକୁ ନ ପାଇଲେ କେଉଁଠି ମରି ଯାଉନା  । ଖାଲି ଦିଅ ଦିଅ  । ଦେହରୁ ଝାଳ ଦେଇ କଳ କୈାଶଳ ଖଞ୍ଜି ଧନକଲୁ, କ’ଣ ଦାନ କରିବା ପାଇଁ ? ଏହିଭଳି କେତେ କଥା– ସାହୁଏ ଚିନ୍ତା କରିଯାଉଥିଲେ ମନେ ମନେ ।

ପାଖରେ ପିଲା ଦୁଇଟିକୁ ଦେଖି ଟିକେ ହସିନେଲେ– ସାହୁଏ  । ସତେକି ସେ ହସରେ କ’ଣ ଗୁଡ଼ାଏ ଛପି ରହିଛି ,ଅଠା କାଣ୍ଡିଆ ଭଳି କ’ଣ ଗୁଡାଏ ଲାଖି ରହିଛି ସେ ହସରେ  । ଛି….., ଛି……, ପାକୁଆ ପାଟିକୁ ହସଟା ଅନ୍ଧାର ମଧ୍ୟରେ କାଳିଆ ରଙ୍ଗରେ ଜୁଡ଼ୁ ବୁଡ଼ୁ ହୋଇ ଯାଉଛି  । କେମିତି ଗୋଟାଏ ଦେଖା ଯାଉଛି ସତେ ?

— “କିରେ ଦୁଃଖା! ଆଜି କେତେ ଭିକ ମିଳିଲା” ?

— “ନା ବାବୁ! କେଉଁଠୁଁ ଭିକ ମିଳିବ  । ଆମ୍ବ ତୋଟାରେ କିଏ କେଜାଣି ଗଣ୍ଡେ ଖାଉଥିଲା । ମାଗିବାରୁ ସେଇ ଗଣ୍ଡିଏ ଦେଇଥିଲା”  ।

— ଯାହା ହେଉ ଦୁଃଖା ଏ ଦୁର୍ଭିକ୍ଷରେ ଦି ଭାଇ ଯାକ ଖୁସିରେ ଚଳି ଯାଉଛ ।

ବାସ୍ ସେତିକି  । ଗରିବ ମାନଙ୍କ ପ୍ରତି ଏଇ ହେଉଛି ଶ୍ରେଷ୍ଠ ଆଘାତ  । ଦର ଭୋକିଲା ପେଟରେ ଆତ୍ମା କାନ୍ଦି ଉଠୁଥିଲା  । ସତେକି ସେ ଚର୍ମର ବନ୍ଧନ ଛିନ୍ନ କରି ଉଡିଯିବ, ବାପାର କଥା ମନେ ପକାଇ, ଏହି ସାନ ଭାଇଟା ପାଇଁ ଦୁଃଖାର ଅନ୍ତରରେ କୋହ ଉଠୁଥିଲା  । ଇଚ୍ଛା ହେଉଥିଲା କହିଦେବାକୁ– “ସାହୁ ବାବୁ, ତୁମ୍ଭ ଭଳି ଲୋକ ଏ ସଂସାରରେ ଥିବା ପର୍ଯ୍ୟନ୍ତ, କେହି କେବେ ଖୁସିରେ ଚଳି ପାରିବ ନାହିଁ”  । କିନ୍ତୁ ନୀରବ ରହିଥିଲା ସେ  । କିଛି କହି ପାରିନଥିଲା । ପୁଣି  ସାହୁଏ ପ୍ରଶ୍ନ କରିଥିଲେ– “କିରେ! ଧାମରା ବନ୍ଦରରେ ତ ବେଶ୍ କାମ ମିଳୁଛି, ସେଇଠିକି ଚାଲି ଯାଉନା  ଭଲରେ ଚଳନ୍ତ  । ଏଠି ନୁଖୁରାଟାରେ କାହିଁକି ପଡ଼ି ରହିଛ?”  । ଗାଁ ମୁଣ୍ଡର ଦୋହରା ବାଟରେ ଏକ ଆଶ୍ୱସ୍ତିର ନିଃସ୍ୱାସ ନେଇ ସାହୁଏ ବାଟ ଭାଙ୍ଗିଥିଲେ  ।

ନିଜ ଗାଁର ଲୋକ ମାନଙ୍କ ହୃଦୟକୁ ଦୁଃଖା ବେଶ୍ ଚିହ୍ନି ପାରିଥିଲା  । ସେ ଭଲ ଭାବରେ ଜାଣିଥିଲା — ଏ ଗାଁରେ ଖାଇବାକୁତ ଗଣ୍ଡେ ମିଳିବ ନାହିଁ  । ତାହା ବ୍ୟତୀତ ରହିବାକୁ ମଧ୍ୟ ତଳକୁ ଓଳାଟିଏ ବି ମିଳିବ ନାହିଁ  । ସେମାନେ ଆହୁରି ଆଗକୁ ଚାଲିଯିବେ– ଆର ଗାଁକୁ, ସେଇଠି ହୁଏତ ସେମାନେ ଟିକେ ଶାନ୍ତି ପାଇବେ– ଏ ରାତିକ ପାଇଁ  । ଭାଇଟି ତା’ର ଶୀତରେ ଥରି ଯାଉଥାଏ  । ସାନ ଭାଇକୁ ପାଖକୁ ଟାଣି ନେଇ ତା’ର ହାତ ଧରି ଚାଲିଯାଇଥିଲା  । ଜନ୍ମ ମାଟିର ମୋହ ତା’ର ଆଖିରୁ ଝରାଇ ଦେଇଥିଲା ପୁଳାଏ ଲୁହ– ସେଇଠି  ।

ଆର ଗାଁର ଘରଟିଏ  । ମିଞ୍ଜି ମିଞ୍ଜି ହୋଇ ଆଲୁଅ ଟିଏ, ଘର ମଧ୍ୟରେ ଦେଖା ଯାଉଥାଏ  । ପିଣ୍ଡା ଉପରକୁ ଦୁଇ ଭାଇ ଉଠିଲେ  । ମନରେ କେତେ ଆଶା– କାଳେ ମୁଠିଏ ଖାଇବାକୁ ମିଳିବ  । ଦାଣ୍ଡ ପଥର ଉପରେ ଛିଡ଼ାହୋଇ ମାଗିଲା– ମା’ ଗଣ୍ଡିଏ ଖାଇବାକୁ ମିଳିବ? “ସେପଟୁ ସ୍ୱରଟିଏ ଭାସି ଉଠିଲା– କିଏ, କି,ରେ ଅଳପଇସ, କାଙ୍ଗାଳ କାହିଁକି ଏଠିକି ଆସିଛୁ ? ମଣିଷ, ମଣିଷକୁ ଟିକେ ଶାନ୍ତି ମିଳିବ ନାହିଁ  । ଯା’ ଯା’ ବାହାରି ଯା’ ଏଠୁ, କେଉଁ ଗଛ ମୂଳକୁ ନହେଲେ ଦାଣ୍ଡ ଧୂଳିକୁ ଅନାଇ– ସେଇଠି ମାଗ ମିଳିବ”  । କବାଟ ବନ୍ଦ ହେଲା  । ଦୁଃଖାର ଆଖିରୁ ଝରି ଆସୁଥିଲା ଅନବରତ ଳୁହଧାରା  ।

ଫେରି ଯାଇଥିଲା ଦୁଃଖା ଗାଁ ଭିତରକୁ  । କ’ଣ ଗୋଟାଏ କୋଳାହଳ ଶୁଣା ଯାଉଛି କେଜାଣି– “ଆଉଗଣ୍ଡେ”, “ଦି’ଟା”, “ମୋତେ ଦିଅ”, “ନା ନା  ମୋତେ”, “ଟୋପେ ତୋରାଣି ଦିଅ”  । କୈାଣସି ସଦୟ ବ୍ୟକ୍ତି ଗଣ୍ଡେ ଦାନ  କରୁଛନ୍ତି ବୋଧହୁଏ– ଦୁଃଖା ଜାଣିଲା  । ଭାଇକୁ କାଖରେ ଜାକି ଦଉଡ଼ି ଗଲା ସେଇଠିକି  । ସମସ୍ତେ ଭାତ ନେଇ ଫେରୁଛନ୍ତି  । କିଏ କେମିତି ବସି ଖାଉଛନ୍ତି  । ଆଗେଇ ଯାଇ ମାଗିଲା — “ମୋତେ ମୁଠିଏ ବାବୁ!”

“କିଏରେ ଏତେବେଳ ଯାଏଁ କେଉଁଠି ଥିଲୁ ? ସବୁତ ସରିଗଲାଣି, ଆଉ ଅଛି କ’ଣ?” ଆଖିଲୁହ ଆଖିରେ ଲିଭି ନଥିଲା ଦୁଃଖାର  । ଆଦ୍ର କଣ୍ଠରେ ପୁଣି କହିଲା– “ମୁଠିଏ ଭାତ ବାବୁ!” ଗୃହ କର୍ତ୍ତା ଭାରି ଦୟାଳୁ ଖାଇବାକୁ ଦି’ମୁଠା ଦେଇଥିଲେ  । ନିଜ ପେଟକୁ ଦରପୂରା ରଖି ଭାଇକୁ ପେଟଭରି ଖୁଆଇଲା  । କେଉଁଠି ପୁଣି ରାତିଟି କଟାଇବେ – ସେମାନେ ? ଖାଇବାକୁ  ସିନା ଗଣ୍ଡେ ମିଳିଲା  । ଗାଁ ମଝିର ଲିମ୍ବ ଗଛମୂଳେ ଭାଇକୁ ପାଖକୁ ଯାକିଆଣି ଶୋଇ ପଡ଼ିଲା ଧୂଳିରେ  । ଘୋଡ଼ି ହେବାକୁ ଲୁଗା ନାହିଁ  । ନିଜେ ଯେମିତି ହେଲେ ଶୀତକୁ ସହିଯିବ  । କିନ୍ତୁ ଭାଇର ନରମ ଚମ ସହିବ କେମିତି ? ବାପା ମା ପରା ତା’ରି ହାତରେ ଜଗାକୁ ମଣିଷ କରିବା ପାଇଁ ଛାଡ଼ି ଦେଇ ଯାଇଛନ୍ତି  । ତା’କୁ ଏ ଭାଇ ବଞ୍ଚାଇ ରଖି ମଣିଷ କରି ପାରିବ ତ ?

 

ଶିତୁଆ ରାତିର ଲିମ୍ବ ଗଛ ଛାଇରେ ସେ କେତେବେଳେ ଶୋଇ ଯାଇଛି ଜାଣେ ନାହିଁ  । ଜଗା ଡ଼ାକିଲା-

ଭାଇ!, ଭାଇ!!

— ଏଁ

— ବେଳ କେତେ ହେଲାଣି  । ଉଠ୍ କୁଆଡ଼େ ଯିବୁ ପରା ?

ଦିନସାରା ବୁଲି ବୁଲି ଥକ୍କା ଲାଗି ଯାଇଥିଲା ତା’କୁ  । ଆଖିମଳି ମଳି ନିଦରୁ ଉଠିଲା  । “ଜଗା ଆରେ କେତେବେଳ ହୋଇଗଲାଣି ସତେ ? ଟିକେ ସକାଳେ ଉଠିଥିଲେ କେତେବାଟ ଚାଲି ଯାଆନ୍ତେଣି ସେମାନେ  । “ଧିକ୍ ଏ ଜୀବନକୁ । କାହିଁକି ଏତେବେଳ ଯାଏଁ ଶୋଇଗଲି?”  । ନିଜ ଉପରେ ନିଜେ ଗାଳି ବର୍ଷଣ କରିବାକୁ ଲାଗିଲା  ।  “ଯେଉଁଠି ଯେମିତି ଗଣ୍ଡେ ଖାଇବାକୁ ମିଳିବା କଥା, ସେଠୁତ ଆଗରୁ ଯାଇ ସମସ୍ତେ ମାଗିନେଇ ଯିବେଣି । ଆଜି ଦିନକ ଉପାସରେ କଟିବ ସିନା” । ଭାଇକୁ ଗୋଟାଏ ହାତରେ ଧରି ଧିରେ ଧିରେ ଆଗକୁ ଚାଲିଲା । ମନରେ କେତେ ଚିନ୍ତାର ବଉଦ ଉଙ୍କି ମାରୁଥାଏ  । ଆଗରେ କେତେ ବାଧା ବିଘ୍ନ ଛିଡ଼ା ହୋଇଥାଏ  । ଗରିବ ମଣିଷ ଏଇ ଦୁଃଖା  । ତା’ର ଶକ୍ତି କ’ଣ ତାକୁ ଦଳି ଦେଇପାରିବ ?

ଦିଗନ୍ତକୁ ଅନାଇଲା ଦୁଃଖା  । ପୃଥିବୀ ବକ୍ଷରେ ଆକାଶଟା ମିଶିଯାଇଛି ସେଇଠିକି  । ଏଇଠି ଦିଗର ଅନ୍ତ ହୋଇଛି । ତା’ର ଏପଟକୁ ସବୁଜ ପୃଥିବୀର ରଙ୍ଗ କେଉଁଠି ଖେଳୁଛି  । କେଉଁଠି ନିଃସ୍ତବ୍ଧ ମହାଭୃଜଙ୍ଗୀ ପରି ନିଃଶ୍ଚଳ ତାହାରି ଶରୀର । ସତେକି କେତେବେଳେ ଉନ୍ମାଦିନୀ ପରି ନାଚି ଉଠିବ ବିଭିଷିକାମୟୀ  । ହସି ଉଠିବ ପୁଣି  । ଧ୍ୱଂସ ହୋଇଯିବ ଏ ଦୁନିଆଟା  । କିନ୍ତୁ ଦୁଃଖା ଭବିଷ୍ୟତର ଦିଗନ୍ତ ନାହିଁ  । ପୃଥିବୀ ଭଳି ସେ ଖୁସି ହୋଇ ପାରୁନାହିଁ କି ବିଭୀଷିକାମୟ ମଧ୍ୟ ହୋଇ ପାରୁନାହିଁ  । ନିଜ ଦେହରେ କ୍ଷୁଧିତ ଆତ୍ମା ଯେମିତି ଗୋଟାଏ ଚିତ୍କାର କରି ତାକୁ ପରିହାସ କରୁଛି  । ସବୁଠି ତା’ ପାଇଁ ସଂଗ୍ରାମର ଆହ୍ୱାନ  । ସେ ସଂଗ୍ରାମ କରିବ  । ଏଇ ସାନ ଭାଇଟି ପାଇଁ ସଂଗ୍ରାମ କରିବ  । ଦେହକୁ ଖଣ୍ଡ ବିଖଣ୍ଡ କରି ସେ ତାକୁ ବଞ୍ଚାଇବ  ।

କେଉଁ ଏକ ଗାଁ ପାଖରେ ପହଁଞ୍ଚିଛନ୍ତି ସେମାନେ  । କେତେ ମନ ଖୁସିରେ ଦୁଃଖା ଗାଁ ଭିତରେ ଭିକ ମାଗିଲା  । ଗୋଟି ଗୋଟି ହୋଇ ସବୁ ଘର ତାଟ ପଡ଼ିଗଲା । ମୁଠାଏ ଚାଉଳ ଯାହା ମିଳିଲା ସେତିକି ନେଇ ସେମାନେ ଏ ଗାଁରୁ ନେଲେ ବିଦାୟ । ପୁଣି ଚାଲିଲେ ଅନ୍ୟ ଗୋଟାଏ ଗାଁକୁ । ଦେହରେ ଶକ୍ତି ନାହିଁ  । ବାଲିଆ ରାସ୍ତାରେ ଗୋଡ ବେଳେ ବେଳେ ହାଲିଆ ହୋଇ ଉଠୁଛି  । ମୁଣ୍ଡ ଉପରେ ସୂର୍ଯ୍ୟ ରଶ୍ମି ଛିଡିକି ପଡ଼ୁଛି । ତଥାପି ସେ ଅନ୍ୟ ଗାଁକୁ ଯିବ  । ନିଜକୁ ବଞ୍ଚାଇବା ପାଇଁ ନୁହେଁ  । ଏହି ସାନ ଭାଇଟିକୁ ବଞ୍ଚାଇବା ପାଇଁ  ।

ପୁଣି ସମୟ କ୍ରମେ କ୍ରମେ ଅତିକ୍ରମ କରୁଛି  । ଅନ୍ଧକାରର ଆହ୍ୱାନ ପ୍ରାଣୀ ଜଗତକୁ ଅସ୍ତବ୍ୟସ୍ତ କରି ପକାଉଛି  । କିନ୍ତୁ ଦୁଃଖାର ସେଇ ମୁଠିକ ଚାଉଳ  । ସେତିକି ଆଜି ଦିନର ସମ୍ବଳ  । ନିରାଶ ହୋଇଛି ସେ ଆଜି  । ଗତ ଦୁଇ ଦିନରେ ଥରେ ମାତ୍ର ଭାତ ପେଟପୂରା ଖିଆ ହୋଇଛି  । ତାହା ପରେ ମାତ୍ର ଦୁଇମୁଠି ଚାଉଳ ସେମନଙ୍କ ଭୋକ ଏଥିରେ ଦୂରିଭୂତ ହେବ ତ ? ନା ସେ ନିଜର ସଂଗ୍ରାମ ଜାରି ରଖିବ  । ଅନ୍ୟ ପନ୍ଥା କିଛି ନାହିଁ  । ଟିକିଏ ଦୂରକୁ ଅନାଇଲା ଦୁଃଖା  । ଟିକେ ଉଚ୍ଚ ଜାଗାରେ କେତେଟା ଆଲୁଅ ଜଳୁଛି  । ବୋଧହୁଏ ସେଇଠି କିଛି ଖାଇବାକୁ ମିଳିବ  । ସେଇଠିକି ଚାଲିଲେ ସେମାନେ  । କଲେଜର ସୁଦୀର୍ଘ ପାଚେରୀଟି ଛିଡ଼ା ହୋଇଛି  । ଝିଅ ପୁଅ ମାନେ ପଢ଼ାପଢ଼ିରେ ବ୍ୟସ୍ତ  । ଗରିବ ମାନଙ୍କର ଦୁଃଖରେ ସେମାନେ ଦୁଃଖି ହୁଅନ୍ତି  । ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରନ୍ତି  ।

ଆଲୋକ ମାଳିନୀ  । ଗୋଟାଏ ଧନୀ ନଗରୀ ଭଳି ଶୋଭାମାନ– ଏହି କଲେଜ  ।  ସୀମା ମଧ୍ୟକୁ ପ୍ରବେଶ କଲେ ଦୁଇଭାଇ  । ପିଚୁ ରାସ୍ତା ଗୁଡ଼ିଏ ଉଚ୍ଚ ଉଚ୍ଚ ପ୍ରାସାଦ ଗୁଡ଼ିକର ସୂଚକ ହୋଇଥାଏ  । ସେମାନଙ୍କ କଡ଼େ କଡ଼େ ଝାଉଁ ନଡ଼ିଆ ଗଛର ଧାଡ଼ି  । କେଉଁଠି କେମିତି ଫୁଲଗଛ ଗୁଡ଼ିଏ ସଜ୍ଜାହୋଇ ଲଗା ଯାଇଛି  । ସ୍ଥାନେ ସ୍ଥାନେ ବହୁଳ ଆମ୍ବ ଗଛର ତଳେ ଅନ୍ଧକାରର ସମସ୍ୟା  । ଲକ୍ଷ୍ୟକଲା ଦୁଃଖା– ଆଗରେ କିଏ ଦୁଇଜଣ ବାବୁ ଆସୁଛନ୍ତି  । ଅପେକ୍ଷା କଲା ସେମାନଙ୍କୁ  । ଚିହ୍ନିଲା ଦୁଃଖା- ତାଙ୍କ ଗାଁର ଦୁଇଜଣ ବାବୁ– ଏ କଲେଜରେ ପଢ଼ୁଛନ୍ତି! ଦୁଃଖା କହିଲା– ବାବୁ! କାଲିଠୁ ଦି’ଟା ଖାଇବାକୁ ପାଇନାହୁଁ   । ମୁଠିଏ ଖାଇବାକୁ ଦିଅ  । “ଆରେ ଦୁଃଖା ନାଁ କିଏ ? ଆଛା, ଆଛା ଏଇ ଛାତ୍ରାବାସକୁ ଚାଲ, ବ୍ୟବସ୍ତା କରିଦେବୁ” – ବାବୁ ଦୁଇଜଣ କହିଲେ । ତା’ପରେ ଅନାଇଲା ଦୁଃଖା– ବାବୁମାନେ ଅଟୋ ରିକ୍ସା ଚଢ଼ି ଚାଲି ଯାଉଛନ୍ତି  ।

ପୁଣି ଚାଲିଲେ ଦୁହେଁ ଛାତ୍ରାବାସ ମଧ୍ୟକୁ  । ସେଇଠି ହୁଏତ ଦି’ମୁଠି ଖାଇବାକୁ ମିଳିବ  । ଦି ପଇସା ପାଇବେ  । କେତେ ଦୟାଳୁ ବାବୁ ଅଛନ୍ତି  । ଆଉ ନ ହେଲେ ବି ଖାଇବାକୁ ତ ଗଣ୍ଡେ ମିଳିବ  । ଆଗେଇ ଗଲେ ଦ୍ୱାର ଦେଶକୁ  ।

ପ୍ରହରୀର କଠୋର ଗଳା କମ୍ପି ଉଠିଲା– “କିଏରେ ଏଠିକି ଆସିଛୁ ? ଏତେ ରାତିରେ କୁଆଡ଼େ ? ଯା, ଯା ବାହାରକୁ ପଳା”  ।

— “ବାବୁ!  ମୁଁ ଭିକାରୀ  । କାଲିଠୁ ଖାଇ ନାହୁଁ  । ଗଣ୍ଡେ ଖାଇବାକୁ ମିଳୁ ।

— ଆରେ କ’ଣ କହିଲୁ! ଖାଇବାକୁ ମିଳୁ”? ତୁ ଖାଇବାକୁ ଖୋଜୁଛୁନା,

ଚୋରି କରିବାକୁ ଆସିଛୁ ? ଯା, ଯା -ଆରେ ଯାଉଛୁନା ପୁଣି ମାଡ଼

ଦରକାର କରୁଛୁ”?

ଛାତିର ଗଭୀର ପ୍ରସ୍ଥରରେ ଧକ୍କା ଲାଗିଲା ଦୁଃଖାକୁ  । କେତେ ଆଶା ଭରସା ରଖି ଧାଇଁ ଆସିଥିଲା ସେ  । ତେବେ କ’ଣ ଫେରିଯିବ ଏଠୁ ? ବାବୁ ମାନଙ୍କୁ ନିଜର ଦୁଃଖ ସମ୍ବନ୍ଧରେ ପଦେ କହି ପାରିବ ନାହିଁ ? ସେ ବାବୁ ଦୁଇ ଜଣକ ଆଉ ଫେରି ନାହଁନ୍ତି  । ତେବେ କିପରି କ’ଣ କରିବ ସେ ? ଝରକା ପାଖରେ କ’ଣ ବାବୁ ମାନଙ୍କ ପାଖରେ ଗୁହାରି କରିବ ? କେତେ କାନ୍ଦି କାନ୍ଦି ମୁଠେ ଖାଇବାକୁ ସେଦିନ ଝରକା ପାଖେ ପାଖେ ବାବୁ ମାନଙ୍କୁ ମିନତି କଲା  । ସେମାନଙ୍କ ପାଖରୁ ମଧ୍ୟ ସେ କେତେ ଗାଳି ଶୁଣିଛି, କେତେ ଧିକ୍କାର  । ମନ ଗହୀରରେ କେତେ ଦୁଃଖ ଆସିଛି  । କିନ୍ତୁ କାହା ଆଗରେ ସେ ଏ ସବୁକୁ ବଖାଣିବ  । ଯେଉଁ ମାନଙ୍କ ପାଖରେ କହିବ ବୋଲି ସେ ଆସିଥିଲା, ସେମାନେତ କେବେ ଠାରୁ ଚାଲିଗଲେଣି ଆଉ କାହିଁ ଫେରିଲେ ନାହିଁ । ସତରେ ସେ ଆଉ କ’ଣ ବଞ୍ଚିପାରିବ ନାହିଁ ? ଆଉ ସେ ସହିପାରିବ ନାହିଁ ମଣିଷ ଜାତିର ଅହଙ୍କାର ?

ତେବେ ସେ କ’ଣ ଫେରିଯିବ ? ନିଜେ ସିନା ମରିଯିବ  । ହେଲେ  ତା’ ହାତରେ ଯେଉଁ ସାନ ଭାଇଟିର ଭାର ଲଦା ହୋଇଛି, ତା’ର ଅବସ୍ଥା କ’ଣ ହେବ ? ସେ ମଣିଷ ହେବ କେମିତି ? ନା ନା ଯେତେ ବାଧାବିଘ୍ନ  ଆସୁ ପଛେ ତା’ ସହିତ ଯୁଦ୍ଧ କରିବାକୁ ହେବ । ପୁଣି ଆଗେଇଲା ଦୁଃଖା ଆଗ ଝରକା ପାଖକୁ  ।

–ବାବୁ! ପଇସାଟିଏ ମିଳୁ  ।

ଗୋଟିଏ କୋଠରୀରେ କିଏ ଜଣେ ବାବୁ ପଢ଼ୁଛନ୍ତି  । ପଚାରିଲେ —

— “କିଏ ସେ” ?

 

— “ବାବୁ କାଲିଠୁଁ କିଛି ଖାଇନୁ  । ପଇସା ଗୋଟିଏ ମାଗୁଛି  ।

ନିଜ ସ୍ଥାନରୁ ଉଠି ଟଙ୍କାଟିଏ ବଢ଼ାଇଦେଲେ– ବାବୁ ଜଣକ  । ମନେ ମନେ କ’ଣ ଚିନ୍ତା କରୁଥାନ୍ତି କେଜାଣି ଜଣାପଡ଼ୁଥାନ୍ତି ଖୁବ୍ ବ୍ୟସ୍ତଭଳି  ।

ମୁହଁରେ ଥାଏ ଦୁଃଖାର ବ୍ୟଗ୍ରତାର ଚିହ୍ନ  । ପଇସାତକ ନେଇ ପଛକୁ ଫେରିଲା ସେ  । ପୁଣି ଭାବିଲା ଖାଇବାକୁ ଗଣ୍ଡେ ମାଗିବ  । ପଇସା ସିନା ମିଳିଲା, ଖାଇବାକୁ ପଇବ କେଉଁଠୁଁ ? ଏଥିରେ କ’ଣ ତାଙ୍କର ପେଟ ପୁରିବ ? ପୁଣି ଡ଼ାକିଲା– ବାବୁ !

–କ’ଣ ? କିଛି ଦରକାର ଥିଲା ମୋ ପାଖରେ  ।

— ବାବୁ! ଗଣ୍ଡେ ଖାଇବାକୁ ମିଳୁ ।

— ଆଗକୁ ଆସ ମୁଁ ଚେଷ୍ଟା କରିବି ।

— ଦୁଃଖାର ମନରେ ଆଶା ଜାଗ୍ରତ ହେଲା  । ଭିତରକୁ ଯିବାପାଇଁ ଚେଷ୍ଟାକଲା । ଦ୍ୱାର ପାଳ ସେଇଠି ଛିଡ଼ା ହୋଇଥିଲା  । ଦୁଃଖା ଭରସି ପାରିଲା ନାହିଁ  । ତାହାରି ଆଖି ବୋଧହୁଏ ଦୁଃଖା ଉପରେ ପଡ଼ିଲା  । ପୁଣି ସେ ଚିତ୍କାର ଛାଡ଼ି କେତେ ଗାଳି ଗୁଲଜ କଲା । ବାହାର କରି ଦେଲା ତାକୁ ପୁଣି  ।

ପଛକୁ ଫେରିଲା ଦୁଃଖା  । ଆଖିରେ ଭରିଥିଲା ଲୁହ  । ମନରେ ଉଙ୍କି ମାରୁଥିଲା କେତେ ପଦ କଥା-ଚୋର ନା ଭିକାରୀ, ଯା’ ଏଠୁ ଚାଲିଯା  । ଆଗରେ ଅନ୍ଧାର ଗହଳି ଅପେକ୍ଷା କରି ରହିଥିଲା  । ଭାଇକୁ ପୁଣି ଗୋଟାଏ ହାତ ଧରି ସେହି ଅନ୍ଧାର ଭିତରକୁ ଚାଲିଗଲା  । ଖୁବ୍ ଅନ୍ଧାର ଭିତରକୁ  । ଯେଉଁଠି ଘନ ଅନ୍ଧାରର ବନ୍ଧନ ସ୍ୱାଭିମାନରେ ଝରିପଡ଼େ  ।

v

Related posts

ପ୍ରତିକ୍ଷିତ ନାୟିକା

satya

ତୁମୁଳ କାଣ୍ଡ

satya

ଆତ୍ମଗ୍ଳାନୀର ଶୀକାର

satya

Leave a Comment

Login

X

Register