ଆମ ଶିକ୍ଷା ବ୍ୟବସ୍ଥାରେ ଦୟନୀୟ ପରିଣତି ଓ ବିକଟାଳ ସ୍ଥିତି-ଆଜି ଭୋଗୁଛନ୍ତି ନିରଞ୍ଜନ । ଉନବିଂଶ ଶତାବ୍ଦୀର ଶେଷ ଦୁଇଦଶକରେ ଓଡ଼ିଶାରେ ଛତୁ ଫୁଟିଲାପରି ଅନେକ ସ୍କୁଲକଲେଜ ସବୁ ଗଢ଼ିଉଠିଥିଲା। ଓଡ଼ିଶାରେ ବା ତିନିଶହ ଚଉଦ ବ୍ଲକରୁ ଏମିତି କୌଣସି ଗୋଟେ ବ୍ଲକ୍ ନାହିଁ, ଯେଉଁଠି କଲେଜ ଗୋଟେ ହୋଇନାହିଁ। ତେଣୁ ଏହାକୁ ତ ଆମେ ସୁବର୍ଣ୍ଣଯୁଗ କହିପାରିବା କିମ୍ବା ଶିକ୍ଷାକ୍ଷେତ୍ରରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଅନାୟାସରେ ଆସିପାରିଥିଲା ବୋଲି ନିଶ୍ଚୟ କହିବା । ଯଦ୍ବାରା ଶିକ୍ଷିତ ନବଯୁବକ ମନରେ ଗୋଟେ ଉନ୍ମାଦନା ଭରି ଯାଇଥିଲା – “ଯାହାହେଉ କିଛି କୁଆଡୁ ନହେଲେ, ଶିକ୍ଷକଟିଏ ହେଉ ବା ଅଧ୍ୟାପକ ଚାକିରିଟିଏ ତ ନିଶ୍ଚୟ ମିଳିଯିବ।”
ଯେଉଁମାନେ ଅଧାଖଣ୍ଡିଆ ପାଠପଢିଛନ୍ତି ସେମାନଙ୍କ କଥା ଅଲଗା, କିନ୍ତୁ ଯେଉଁମାନେ ଟିକିଏ ଉଚ୍ଚଶିକ୍ଷା ପାଇଛନ୍ତି, ପୁଣି ପି. ଏଚ୍. ଡି. ଏବଂ ଏମ୍. ଫିଲ୍ ଆଦି ଡିଗ୍ରୀ ହାସଲ କରିଛନ୍ତି, ସେମାନଙ୍କ ପାଇଁ ଏହା ହେଉଛି ଗୋଟେ ସମ୍ମାନଜନକ ଶାନ୍ତ୍ୱନା। ସେମାନେ ଏହି ବ୍ୟବସ୍ଥାରେ ମ୍ୟାନେଜିଂ କମିଟିକୁ ଧରି ଅଧ୍ୟାପନା ବା ଶିକ୍ଷକତା ପେଶାରେ ପଶି ଯାଉଥିଲେ। ଆଉ କେତେକଙ୍କର ଏଇ ଶିକ୍ଷକତା ବା ଅଧ୍ୟାପନା କ୍ଷେତ୍ରରେ ଚାକିରି କରିବାପାଇଁ ବି ପଢାବେଳୁ ଗୋଟେ ବିରାଟ ବଡ଼ ପାଗଳପନ ଥିଲା।
ଏହି ଅଧ୍ୟାପନା ଚାକିରିଟା ବାସ୍ତବରେ ଖୁବ୍ ଭଲ ଓ ଅତି ସମ୍ମାନଜନକ , ଯେଉଁଥିପାଇଁ ବି ଆମ ନିରଞ୍ଜନ ଦିନେ ବାଇ ହୋଇଥିଲା ।ଲୋକଙ୍କ ଦୃଷ୍ଟିରେ ଇଏ ଖୁବ୍ ବଡ଼-” ଯିଏ ଭୁଣ୍ଡା ଭୁଣ୍ଡା କଲେଜ ଟୋକାଙ୍କୁ ସବୁ ପଢେଇବେ, ସିଏ କ’ଣ ଆଉ ଛୋଟିଆ ଲୋକ ନା କ’ଣ?”
ସେଦିନ ଆମ ଗାଁ ନିରଞ୍ଜନ ବାଣୀବିହାରରେ ପାଠ ପଢୁପଢୁ ଗାଁକୁ ଆସିଥିଲା। ଗାଁ ମଝିରେ ପହଞ୍ଚିଲା ବେଳକୁ ଗାଁର ଅଧାତିନିପା ‘ଲୋକ ଏକାଠି ହୋଇଯାଇ ଚିଲ୍ଲାଇଥିଲେ – “ଆମ ନିରଞ୍ଜନ, ଆଉ ଦିନ କେଇଟାପରେ ଅଧ୍ୟାପକ ହେବରେ ଅଧ୍ୟାପକ, ଇଏ ଆମ ଗାଁ ପାଇଁ କ’ଣ କମ୍ ଗୌରବର କଥା ।” ସାଥି ଗାଉଁଲିଆ ଟୋକା ତ ତାକୁ କୁଣ୍ଢାଇ ପକାଇ ଦମେ ନାଚିଥିଲେ।
ଦୂରରୁ କିନ୍ତୁ ଗଞ୍ଜୋଡିଆ ଅନାମ ବସିରହି ଖଞଣୀ ବଜାଉ ବଜାଉ କହୁଥାଏ – “ଏଟା ଅଧ୍ୟାପକ ହେବ ନା ବାଳୁଟେ ହେବ।”
ବେଳେବେଳେ ଏଇ ନିଶାଡି ଗୁଡ଼ାକ ବି କଡବା ସଚ୍ (କଠୋର ସତ୍ୟ) କହନ୍ତି ବୋଲି ଅନେକ ଦିନପରେ ଆଜି ନିରଞ୍ଜନ ଏକାନ୍ତରେ ବସିରହି ଭାବୁଛନ୍ତି।
ଆଜି ନିରଞ୍ଜନଙ୍କ ମନରେ ଗୋଟେ ବିରାଟ ଭାବାନ୍ତର ଦେଖାଦେଇଛି। ସେ ନିକାଞ୍ଚନରେ ବସିରହି ଜୀବନ ତମାମର ଘଟଣାବଳିକୁ ରୋମନ୍ଥନ କରୁଛନ୍ତି, ଯେହେତୁ ହାତରେ କିଛି କାମ ନାହିଁ। ଏଥିରେ ବ୍ୟକ୍ତିଗତ ଜୀବନର ଘଟଣାକ୍ରମ ଯେତିକି ତାଠୁଁ ବେଶୀ ଶିକ୍ଷାବ୍ୟବସ୍ଥାରେ ଘଟିଯାଇଥିବା ଘଟଣାପୁଙ୍ଖ – ସବୁ ସ୍ଥାନ ପାଉଛି ।
ସେ ଏବୟସରେ ଦୋଷଦେବେ ତ କାହାକୁ – ନିଜ ଭାଗ୍ୟକୁ ନା ଶିକ୍ଷାବ୍ୟବସ୍ଥାର ତ୍ରୁଟିବିଚ୍ୟୁତିକୁ? ତେବେ କ’ଣ ଶିକ୍ଷାନୀତିରେ ଆମୂଳଚୂଳ ପରିବର୍ତ୍ତନ ଲୋଡା ? ଏ ଦିଗରେ ସରକାରଙ୍କର ଆନ୍ତରିକତାର ଅଭାବ ନା ପ୍ରାଶାସନିକ ଉଦାସୀନତା? ତେବେ ପ୍ରକୃତରେ ଦାୟୀଦାର କିଏ – ସରକାର ନା ରାଜନୈତିକ ଦଳର ପଶାପାଲିରେ ଶକୁନିର ପଶାକାଠି ପାଲଟିଥିବା ଶିକ୍ଷକନେତା? କିନ୍ତୁ ଅଧ୍ୟାପକମାନେ ତ ବେଶ୍ କିଛି ଗୋଟିସାଜି ଶରବ୍ଯ ହେଲେ ନା।
ଏମିତି ଅନେକକିଛି ଭାବନା, ତାଙ୍କ ମୁଣ୍ଡରେ ଖେଳେଇ ହୋଇ ବିଛୁରି ହୋଇ ପଡୁଥିବା ବେଳେ, କ୍ଷତବିକ୍ଷତ ହୋଉଥିଲା ଆତ୍ମା । ସେ ନିଜକୁ ନିଜେ ଏମିତି ପ୍ରଶ୍ନପରେ ପ୍ରଶ୍ନ ପଚାରି ନିଜକୁ ନିଜେ ଶରବିଦ୍ଧ କରୁଥିଲେ, ଖାଲି ଗୋଟେ ଚୂଡାନ୍ତ ନିଷ୍କର୍ଷ ପାଇବା ଆଶାରେ।କିନ୍ତୁ କୂଳକିନାରା କିଛି ହେଲେ ପାଉ ନଥିଲେ – ଖାଲି ଏଣୁତେଣୁ କିଛି ବକିବା ବ୍ୟତୀତ।ଭୀଷ୍ମର ଶରଶଯ୍ଯା ଆଃ କି ଭୀଷଣ କଷ୍ଟଦାୟକ।
ଫେରିଲା ପଛକୁ। ବାଲେଶ୍ଵର ସରିପଳ ତାଙ୍କ ଘର। ଛୋଟିଆ ଗାଁଟିଏ। ଶିକ୍ଷିତ କହିଲେ ବିରଳ। ଗାଁରେ କେହି ଗୋଟେଅଧେ ଯାହା ଖଣ୍ଡିଆ ମଣ୍ଡିଆକି ପାଠ ଦି’ଅକ୍ଷର ପଢିଛନ୍ତି। ସେଇଥିରେ ଜଣେଅଧେ ଚାକିରି କରିଛନ୍ତି, ଜଣେ ପିଅନ୍ ଆଉଜଣେ କଲେକ୍ଟର ଘରେ କ୍ଲର୍କ୍।
ଆଉ ବାକିତକ ସମସ୍ତେ ହିଡମଟି ମୁଣ୍ଡରେ ମାରି ଚଳୁଛନ୍ତି। ଦିନସାରା ବିଲରେ ଖଟନ୍ତି। ଖରାବେଳେ ଓ ରାତିରେ ଥକ୍କା ହେଲେ, ନିଜ ବାହୁକୁ ତକିଆକରି ଶୁଅନ୍ତି । ସଂଧ୍ଯାହେଲେ ମଶାଲ ଭଳିଆ ଡିବିରି ଆଲୁଅ ଜାଳି ତା ତଳେ ଖଟିଜମାନ୍ତି। ସେଇ ସେତକ ତାଙ୍କର ଶାନ୍ତି। କଥା କ’ଣ କି, ଗାଁମଝିରେ ଗୋଟେ କୀର୍ତ୍ତନମଣ୍ଡପ ଅଛି, ତାରି ପାଖକୁ ଲାଗି ପୁରୁଷ ପୁରୁଷ ଧରି ଗୋଟେ ତେନ୍ତୁଳିଗଛ ଠିଆହୋଇଛି, ଯାହାର ଗୋଡ଼ହାତ ଖୁବ୍ ଲମ୍ବିଛି । ସେଇଠି ଗୋଟେ ଛାଉଣୀଆକରି ଗଣଶା ବି ପାନବିଡ଼ି ଦୋକାନଟିଏ କରିଛି, ଖୁଚୁରା ତେଜରାତି ସୌଦାପାତି ସବୁ ତା ପାଖରେ ମିଳେ । ସେଇ ତେନ୍ତୁଳିଗଛ ତଳେ ଦି’ତିନିଟା ଅଖା ପାଲପଡ଼ି ତାସ୍ ପାଲି ଚାଲେ। ଯିଏ ନ ଖେଳେ, ସେମାନେ ମଳାମଳାକିଆ ବସି ଗୁଲିଖଟି କରନ୍ତି। ସେଠି ନିରଞ୍ଜନ କଥା ବି ପଡ଼େ-“ସିଏ ଯେମିତି ପଢୁଛି, ବଡ଼ ବାବୁ ନିଶ୍ଚେ ହେବ।” ଆଜି ସେକଥା ମନେପଡ଼ିଲେ ନିରଞ୍ଜନ ଆଖିରୁ ଲୁହଗଡୁଛି।ନିଜକୁ ନିଜେ ଧିକାରୁଛି, କୁଆଡ଼େ ଗଲା ସେ ସ୍ଵପ୍ନ। ହାଏ ହାଏରେ ଭାଗ୍ୟ।
ଅନାମ କାକାର ଗୁମୁଟି ଖଣ୍ଡକ ମଧ୍ଯ ତାକୁ ଲାଗିଛି, ଯେମିତି ସେ ଏକା ଏ ମଠର ମହନ୍ତ।ସେଇଠି ଏକଦମ୍ ଗଛମୁଳିଆକି ଅନାମ କାକା ଓ ବୃନ୍ଦା କାକା ଚୁପକିନା ବସି ଗଞ୍ଜାଦଳନ୍ତି। ଦରକାର ପଡ଼ିଲେ ସଟକେ ସଟକେ ଟାଣି ତଳିଆକି ଧୂଆଁ ଛାଡନ୍ତି। ନିଶାହୋଇ ଗଲାପରେ, ଉଠିକି ଗୁମୁଟିକୁ ଯାଆନ୍ତି। ବୃନ୍ଦା କାକା ଖଞ୍ଜଣୀ ମାରେ, ଅନାମ କାକା ଦନେଇ ଦାସଙ୍କ ଖନାବଚନରୁ ଉଦ୍ଧୃତି ସଂଗ୍ରହକରି ପାଣିପାଗ ଓ ଚାଷଉପରେ ଭବିଷ୍ୟବାଣୀ ବଖାଣନ୍ତି, ବେଦ ଗାଆନ୍ତି, ଜୀବନର ମରମ ବାଣୀ ଉଗାଳନ୍ତି, ସରିମାର୍ଥ ପଢ଼ାନ୍ତି ।ତାଙ୍କ କଥା ବେଳେବେଳେ ଅକାଟ୍ଯ ସତ୍ୟ ହୋଇଯାଏ।ସେକଠୋର ସତ୍ୟ ପ୍ରଖ୍ଯାପନ କରନ୍ତି।
ବଳିଆ ସେଇଠି ଗୋଟେ ବଡ଼ ଶିଙ୍କଡ ଉପରେ ବସି ରେଡ଼ିଓ ଧରି ଯୁବବାଣୀ କାର୍ଯ୍ୟକ୍ରମ ଓ ସମ୍ବାଦ ଶୁଣେ, ଦେଶବିଦେଶର ଖବରଅନ୍ତର ରଖେ।ଅଧ୍ୟାପକ ଚାକିରି ପାଇଁ ସରକାର କ’ଣ ସବୁ ନୀତିନିୟମ ପ୍ରଣୟନ କଲେ, ସେ ଆଗ ବା ନିରଞ୍ଜନକୁ ଜଣାଇଥାଏ। ଏମିତି କେତେସବୁ କଥା ଆଜି ଜୀବନ୍ତହୋଇ ସଚିତ୍ର ଆଖିସାମ୍ନାରେ ଭାସିଉଠୁଛି।
ଢଳଢଳ ସୁନୟନରେ ଛଳଛଳ ଘନ ଜଳରାଶି ପ୍ରକଟକରି, ନିରଞ୍ଜନ ନିରନ୍ତର ଅନ୍ତର୍ଦୃଷ୍ଟି ନେଇ ଦେଖୁଥିଲେ –
ବାପା ପରା ପରଘରେ ମୂଲଲାଗିଲେ ଘରେ ଚୂଲିଜଳେ। ତେଣୁ ପରିବାରରେ ଆଉ କେହି ପାଠପଢି ପାରିଲେ ନାହିଁ। ସବୁ ଦରକେନ୍ତରା ହୋଇ ଅଧାଖଣ୍ଡିଆ ରହିଲେ। କେବଳ ଭାଇ ଟିକିଏ ବାପାଙ୍କ ସହ କାନ୍ଧ ଦେଲାଠୁଁ ବଡ଼ ନାନୀ ସପ୍ତମ, ସାନ ନାନୀ ମାଟ୍ରିକ୍ ଓ ଇଏ ଏମ୍. ଏ. ଯାଏ ଯାଇଛନ୍ତି ।
ପଢାଖର୍ଚ୍ଚ ଭାଇ ଯୋଗୁ କଷ୍ଟେମଷ୍ଟେ ଉଠେ, ନିରଞ୍ଜନ ବି ଟ୍ୟୁସନ୍ କରି ଖୋରାକି ଖର୍ଚ୍ଚ ଉଠାନ୍ତି। ମାଆ ମୁଡ଼ିଭାଜି ଗାଁରେ ବିକେ, ସେଇଥିରୁ ଭୁଜାଭୁଜି ଗଣ୍ଡେ ବାହାର କରି ପଠାନ୍ତି। ଭାଇ ନେଇକି କୋଥଳିକରି ସବୁ ଦେଇଆସେ, ନହେଲେ ସେ ଆସି ନିଜେ ନିଅନ୍ତି। ଜଳଖିଆ ଖର୍ଚ୍ଚ ରହିଯାଏ।
ତେଣୁ ପିଲାବେଳେ ଦାରିଦ୍ର୍ଯ ଓ ପଢାବେଳେ ଅଭାବୀ ଦୁନିଆ ସେ ଦେଖିଛନ୍ତି। ସମସ୍ତଙ୍କର ଗୋଟେ ଆଶା ଭରସା – ନିରଞ୍ଜନ ଏମ୍. ଏ. ପଢ଼ିଲାଣି ଅଧ୍ୟାପକଟିଏ ହେଲେ, ତାଙ୍କର ଦୁଃଖ ଯିବ। କିନ୍ତୁ ସେମିତି କାହିଁ ହୋଇପାରିଲା ନାହିଁ। ସେ ଅଧ୍ୟାପକ ହେଲେ ସତ, କିନ୍ତୁ ଗୋଟେ ପ୍ରାଇଭେଟ୍ କଲେଜରେ, ଯେଉଁଠିକି “ଦରମା ବିନା ଖଟଣି ଜ୍ୟାଦା”। ଏବେ ମିଳିବ, ଆସନ୍ତା ବର୍ଷ ମିଳିବ, ଆଉ କେଇଟା ଦିନପରେ ମିଳିବ, ଶେଷକୁ ମୋଟେ ନାହିଁ। ପଇସାର ଗନ୍ଧବାସନା ନାହିଁ, ଆକାଶକୁ ଚାତକ ପରି ଚାହିଁଚାହିଁ ଜୀବନର ମୂଲ୍ୟବାନ୍ ସମୟତକ ଗଲା।
ଅନେକ ଦିନପରେ ଭାଇକୁ ବି ବାହାଦେଲା ଓ ଭଉଣୀ ଦୁଇଟାକୁ ମଧ୍ଯ ଗରିବଘର ଦେଖି ନଖେଇଦେଲା। ତାଙ୍କ ବ୍ଲକଗ୍ରାଣ୍ଟ ପଇସାରେ ଯୌତୁକ ଗଣ୍ଡାକ ଆହୁରି କେମିତି ମୁଣ୍ଡଲାଗିଲା । ଏବେ ବି ବାପାମାଆ ବଞ୍ଚିଛନ୍ତି, ହେଲେ ମେଡ଼ିସିନ୍ ଖର୍ଚ୍ଚ ପ୍ରଚୁର ଦରକାର ହେଉଛି। ଭାଇର ସଂସାର ବଢ଼ିଲାଣି, ତା ପିଲାଙ୍କର ବି ଦାବି ବଢ଼ିଲାଣି । ନିରଞ୍ଜନ ନାଇଁ ନାଇଁ ହେଉଥିଲା ତା ବେକରେ ବି ପରିବାରବାଲେ ଗୋଟେ ଶିକ୍ଷିତ ଆଧୁନିକା ଝିଅ ଛନ୍ଦିଦେଲେଣି।
ଘରଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ତ ସେ ଆଉ ପୂରଣ କରିପାରୁ ନାହାନ୍ତି, ସେଇଥିରେ ସ୍ତ୍ରୀର ନିଇତି ନୂଆନୂଆ ଡିମାଣ୍ଡ କେମିତି ପୂରଣ କରିବେ, ସେ ଜାଣିପାରୁ ନାହାନ୍ତି। ନିଜର ବି ଯୋଡ଼ିଏପିଲା ହେଲେଣି, ସେମାନେ ଏବେ ସ୍କୁଲକଲେଜ ଗଲେଣି, ତଥାପି ସମସ୍ୟା ମେଣ୍ଟୁ ନାହିଁ। କେବଳ ଟ୍ୟୁସନ୍ ଗଣ୍ଡାକ ଭରସା। ସେଇଥିରେ ସଂସାର ଚଳୁଛି, ହେଲେ ଖଟଣି ଅଧିକ ପଡୁଛି। ହେଲେ ସେ କ’ଣ କରିବେ, ଉପାୟ କିଛି ଥିଲେ ତ। ଏ ମହରଗ ଯୁଗରେ ଚଳିବା କେତେ କଷ୍ଟ କହିଲେ! ଏବେ ବି ଭାଇ ଗାଁରୁ ଚାଉଳପତ୍ର ପଠାଉଛି। କି ଲଜ୍ଜାକର କଥା ଦେଖନ୍ତୁ! ଏ ବୟସରେ ଓଲଟି ଭାଇ ସାହାଯ୍ଯ କରୁଛି, ହେଲେ ସେ ଭାଇକୁ କିଛି ବୋଲି କିଛି ସାହାଯ୍ଯ କରିପାରିଲେ ନାହିଁ। ଖାଲି ନାନା ଲୋକଙ୍କର ତାନା ଶୁଣିବାକୁ ମିଳୁଛି, ଇଆଛଡା କିଛି ନାହିଁ। କିଏ କହୁ ନାହାନ୍ତି କହୁନ! ସ୍ତ୍ରୀ ଛୁଆପିଲା କହୁ ନାହାନ୍ତି ନା ବନ୍ଧୁବାନ୍ଧବ, ପାଖପଡୋଶୀ ସାଙ୍ଗସାଥି, ଗାଁଲୋକ କିଏ ନ କହୁଛି। ଆଜି ବି ଗାଁ ମଝିରେ ଅନାମ କାକା ଦେଖିଲେ ଉପହାସ କରନ୍ତି, କୁହନ୍ତି – ତୋ ଦେଇ କିଛି ହେବ ନାହିଁ, ସବୁ ଛାଡ, ମୋ ସହିତ ଖଞ୍ଜଣୀ ବଜା । ସତରେ ଇଏ ବଡ଼ ଦୁଃଖଦ କାହାଣୀ, ଭାବିଲେ ଚାକ୍ଷୁରେ ଅଶ୍ରୁ ରହୁ ନାହିଁ।ନିରନ୍ତର ଧାରା ଶ୍ରାବଣୀ ବହୁଛି।
ନିଜର ସମସ୍ତ ସ୍ଵପ୍ନ ଏମିତି ଅଚିରେ ଲିଭିଗଲା। ସେଦିନର ମେଧାବୀଛାତ୍ର ଆଜି ପରଓଳି ତଳେ ମୁଣ୍ଡଗୁଞ୍ଜୁଛି। ନା ରହିବାକୁ ନିଜର ଭଲଘର ଖଣ୍ଡେଅଛି ନା ନିଜର ଠିକଣା। ପରିଚୟ ବୋଲି ଯାହା ମିଳିଛି ସେ ତ ମିଛ ଅହମିକା – “କ’ଣ ନା ଅମୁକ କଲେଜରେ ସମୁକ ଅଧ୍ୟାପକ ଅଛି।” ଲଜ୍ଜା। ଘୋର ଲଜ୍ଜ୍ୟା। ସତରେ ଅଧ୍ୟାପକ ବୋଲି ପରିଚୟ ଦେବାକୁ ଭାରି ଲାଜଲାଗୁଛି, ଆହୁରି ଅଟ୍ଟହାସ୍ୟ କରୁଛି ଏ ଡକ୍ଟରେଟ ଉପାଧିଟା।
ସେଦିନ କୈଳାଶ ଦେଖା ହୋଇଥିଲା, ସେ ତାଙ୍କ ସାଙ୍ଗ କଲେଜମେଟ।ସେ କୋଉ କମ୍ପାନୀରେ ଗୋଟେ ଅଛି। ପ୍ରଥମେ ତ ଦେଖି ଚିହ୍ନିପାରିଲା ନାହିଁ। ପରିଚୟ ଦେଲାଠୁଁ, ଆଗ ପଚାରିଲା – “ଏବେ କ’ଣ କରୁଛୁ?” ଅଧ୍ୟାପକ କଥାଶୁଣି, କହିଲା -” ପିଅନ୍ ଚାକିରିଟେ ହେଉପଛେ ଅଣ୍ଡାଳେ, ଏଠି କାହିଁକି ପଡ଼ିରହିଛୁ, କ’ଣ ଭବିଷ୍ୟତ ଅଛି । ତୋ ବାପା ସିନା ତୋତେ ଆଣି ଏଯାଏଁ ଛାଡ଼ିଲେ, ହେଲେ ତୁ ତୋ ଛୁଆଙ୍କୁ ମଣିଷ କରିପାରିବୁ କି ନାହିଁ, ଦେଖ। “
ସେଦିନିଆର କୈଳାସ କହିଥିବା ଛୁଆଙ୍କ କଥା ଆଜି ବି ମନେପଡିବାରୁ ହୃଦୟ ଦହି ହେଇଯାଉଛି । ବାସ୍ତବରେ ସେତିକି ସମ୍ବଳ ତ ଏବେ ଆଉ ତାଙ୍କ ପାଖରେ ନାହିଁନା, ସେ ପରା ଏବେ ଅବସରପ୍ରାପ୍ତ କର୍ମଚାରୀ । ଏବେ ବର୍ଷେ ଦି’ବର୍ଷ ହେବ ପୁଅଟା ହାଲିକି ଇଞ୍ଜିନିରିଂ ପଢୁଛୁ, ତା ଆଡମିସନ ବେଳକୁ ଯେମିତି ହେଉ ଏଡଜଷ୍ଟ ହୋଇଗଲା।ଏବେ ମଝିରେ ମଝିରେ ତା ଆବଶ୍ୟକତା ମେଣ୍ଟାଇବା ପାଇଁ ଦଶପଚାଶ ଜଣଙ୍କୁ ପଇସା ମାଗିଆଣି କିନ୍ତୁ ଫେଲ୍ । କିଏ କାହିଁକି ଦେବେ କହୁ ନାହାନ୍ତି, ସମସ୍ତ ଜାଣିଛନ୍ତି ପଇସାଟା ଫେରେଇବା ପାଇଁ ସାତ ସପନ ହେବ। ତେଣୁ ପୁଅ ରାଗିଛି, ଘରକୁ ଆଉ ଅସୁନାହିଁ। ଝିଅ ପଢ଼ାସରି ଘରେବସିଛି, କଥା କଥାକେ ଅଭିମାନକରି ମୁହଁ ଫୁଲାଉଛି। ଏହିଭଳି ଦୁର୍ଗତିକାଳ ବଡ଼ବିପତ୍ତି କାରଣ।
ଆଗରୁ ସ୍ତ୍ରୀ ରମ୍ଭା ଟିକିଏ ଭଲପାଏ, ସ୍ଵାମୀ ଅଧ୍ୟାପକ ବୋଲି ଅନ୍ୟଆଗେ କହିଲାବେଳେ ତା ଛାତି ଗର୍ବରେ ଫାଟିପଡ଼େ, କିନ୍ତୁ ନିଜ ଚିରାନିକୁଟା ଲୁଗାପଟା ଓ ଘର ଆସବାବପତ୍ର ଦେଖିଲେ ଚମକିପଡ଼ି ଛାତିରେ ପୁଳାଏ ଖଣ୍ଡ ଛେପପକାଏ। ତା ମନ ଏତେ ଛୋଟ ହୋଇଯାଏ ଯେ, ଇଏ କଲେଜରୁ ଆସିବାଯାଏ ସେ ଘର ଦୁଆରମୁହଁରେ ମୁହଁ ଓହଳାଇ ସେଇମିତି ବସିଥାଏ।
ଏବେ ଚାକିରି ସରି ଯାଇଥିବାରୁ, କାଲି ରାତିରେ ଝିଅ ବାହାଘରକୁ ନେଇ ବହେ ଝଗଡ଼ା ଯାଇଛି। ରାଗିକି ବୁଢୀ ବୟସରେ ବାପ ଘରକୁ ଚାଲି ଯାଇଛନ୍ତି , ସାଙ୍ଗରେ ଝିଅକୁ ବି ନେଇ ଯାଇଛନ୍ତି। ତେଣୁ ନିରଞ୍ଜନ ଏକଲା, ଖାଲି ଏକୁଟିଆ ହେଉଛନ୍ତି।
ଏଇମିତି ଏ ଦୁଃଖ କାହାଣୀ କାହାକୁ କହିବା ଯେ କେତେ? ସେଦିନ ପରା ଦିନତମାମର ସଙ୍ଘର୍ଷପରେ ରାତିରେ ତକିଆ ଭିଜେ। ତଥାପି ବି ଦିନରେ ବେଠି ଖଟିବାକୁ ମଣିଷ ଭଙ୍ଗା ସାଇକେଲ ଧରି କଲେଜ ଯାଏ। ଗୋଟିଏ ଆତ୍ମସନ୍ତୋଷ-ମଣିଷ ଅଧ୍ୟାପନା କରୁଛି, ଶହଶହ ଛାତ୍ର ଆଜି ଉତ୍ତୀର୍ଣ୍ଣ ହୋଇଛନ୍ତି। ତଥାପି ସେ ଭାଙ୍ଗିପଡ଼ି ନ ଥିଲେ , ଆଶା ଅସୁମାରି, ଆଶା ମରୀଚିକା, ନିଜ ଦୁଃଖକୁ ନିଜେ ବୋହିକି ବାଟ ଚାଲୁଥିଲେ । ତେବେ ବି ସେ ଆଶାବାଦୀ ଥିଲେ -ସରକାର ନିଶ୍ଚୟ କିଛି କରିବେ ।ଦିନେ ସ୍ଵପ୍ନ ସତହେଲା, ଅଳ୍ପ ପଇସା ହେଉପଛେ, କିଛି କିଛି ବ୍ଲକ୍ ଗ୍ରାଣ୍ଟ୍ ପଇସା ମିଳିବାକୁ ଲାଗିଲା।
ସ୍କୁଲକଲେଜ ଗୋଟେ ବଡ଼ ସଂଗଠନ, ସେୟାକୁ ଆଧାରକରି କେତେ କେତେ ନେତାମନ୍ତ୍ରୀ ପରା ଜନପ୍ରିୟତା ହାସଲ କରିଛନ୍ତି। ତେଣୁ ମନଇଚ୍ଛା ସବୁ ଶିକ୍ଷାନୁଷ୍ଠାନ ଗଢିଉଠିଥିଲା। ଇଏ ବି ଏମିତି ଗୋଟେ ବ୍ୟବସ୍ଥା ଯେ, ସ୍ଵାଧୀନତା ପରେ ପାଠଭୁଖା ଗାଁଗହଳିର ପିଲା କଲେଜମାଟି ମାଡ଼ିପାରିଲେ। କିନ୍ତୁ ଅତ୍ୟାଧିକ ନବନିର୍ମାଣ ଅନୁଷ୍ଠାନ ହୁଏତ ବିପର୍ଯ୍ୟୟ ତୋଳିବାର ଅନ୍ୟତମ କାରଣ ହୋଇପାରେ, କାରଣ ସରକାରଙ୍କ ଉପରେ ଅତ୍ୟଧିକ ଆର୍ଥିକବୋଝ ପଡିବାରୁ ଗ୍ରାଣ୍ଟ – ଇନ୍ – ଏଡ୍. ପାଇବା ବହୁ ବିଳମ୍ବିତ ହୋଇଥିଲା, ଫଳରେ ସମ୍ପୃକ୍ତ କର୍ମଚାରୀମାନେ ବହୁ ଅକଥନୀୟ କଷ୍ଟବରଣ କରୁଛନ୍ତି, ଯାହା ଅବର୍ଣ୍ଣନୀୟ । ୧୯୯୨ ମସିହାରେ ରାଜ୍ୟସରକାର ଗୋଟେ ନୂଆ ଶିକ୍ଷନୀତି ଆଣିଲେ ଓ ସଂଘର କର୍ମକର୍ତ୍ତାଙ୍କ ସହିତ ଗୋଟେ ଗୁପ୍ତବୁଝାମଣାପତ୍ର ସ୍ୱାକ୍ଷରିତହେଲା, ଫଳତଃ ପ୍ରତି ବ୍ଲକରେ ଗୋଟେମାତ୍ର ଡିଗ୍ରୀକଲେଜ ଓ ଦୁଇଟା ପ୍ଲସ୍ ଟୁ’କଲେଜକୁ ସ୍ୱୀକୃତି ମିଳିପାରିଲା। ଅବଶିଷ୍ଠ ବଞ୍ଚିତ ରହିଲେ। ଅବଶ୍ଯ ମହିଳା କଲେଜ ଓ ଶିକ୍ଷା ଅନଗ୍ରସର ଜିଲ୍ଲାରେ ଏହି ନୀତିର କୋହଳ ରହିଲା। ଉକ୍ତ ରାଜିନାମା ଅନୁସାରେ ୧୯୯୨ ମସିହା ବେଳକୁ ଯେଉଁମାନେ ୯ ବର୍ଷ ଚାକିରି କରିଥିବେ ପୂରା, ୭ ବର୍ଷ ଚାକିରି କରିଥିଲେ ୨/୩ ଅଂଶ, ୫ ବର୍ଷ ଚାକିରି କରିଥିଲେ ୧/୩ ଅଂଶ ମାସିକ ବେତନ ପାଇବାକୁ ଯୋଗ୍ୟହେବେ। କିନ୍ତୁ ମହିଳା ଶିକ୍ଷାନୁଷ୍ଠାନ ଓ ଶିକ୍ଷାନଗ୍ରସର ଜିଲ୍ଲା ପାଇଁ ଉକ୍ତ ଚାକିରି ବ୍ୟବଧାନ ସୀମା ୯,୭,୫ ପରିବର୍ତ୍ତେ ୭,୫,୩ ରଖାଗଲା।
ଶିକ୍ଷକସଂଘ ବାରିପଦାରେ ସଂଘ କାର୍ଯ୍ୟକର୍ତ୍ତାଙ୍କର ଏଇ ପ୍ରସଙ୍ଗକୁ ନେଇ ମିଟିଂରେ ତୁମୁଳକାଣ୍ଡ ଘଟିଗଲା ।ସମସ୍ତେ ଅସନ୍ତୋଷ ଝାଡ଼ିଲେ। ନିରଞ୍ଜନ ବି ଖରିଖରି ଶୁଣାଇଥିଲେ।
ଶେଷରେ ବ୍ୟାସନଗର କଲେଜରେ ଅନୁଷ୍ଠିତ ଅନ୍ୟଏକ ବୈଠକରେ ଶିକ୍ଷକସଂଘ ପୂରାପୂରି ଭାଙ୍ଗି ଫାଳଫାଳ ହୋଇଗଲା।
ସରକାରୀ ପ୍ରୋତ୍ସାହନରେ ୧୯୯୪ ମସିହା ପର୍ଯ୍ୟନ୍ତ ଗୋଟେ ବୈଧିକରଣ ଆଇନ୍ ଆଣି ଜି. ଆଇ. ଏ. ବା ଗ୍ରାଣ୍ଟ – ଇନ୍ – ଏଡ୍ ବ୍ୟବସ୍ଥା ଲାଗୁକରାଗଲା। ତା’ପରଠାରୁ ଫ୍ରିଜିଂ ଏଣ୍ଡ୍ କ୍ଯାପିଂ (ସ୍ଥାଣୁ ଏବଂ ଠିପି ବନ୍ଦ) ଆରମ୍ଭ ହେଲା ଅର୍ଥାତ୍ ଆଉ ନୂଆ କଲେଜ ଖୋଲିବ ନାହିଁ କି ଖୋଲିଥିବା କଲେଜକୁ ଦରମା ଦିଆଯିବ ନାହିଁ, ଯଦିବା ଦରମା ଦିଆଗଲା ତେବେ ବ୍ଲକଗ୍ରାଣ୍ଟ ବ୍ୟବସ୍ତା – ଯାହା ଏକ ନୂଆ ଅନୁଭବ । ଏହାର ପ୍ରତିବାଦରେ ସେଦିନ ଗଢାହେଲା,”ଅଖିଳ ଓଡିଶା ଅଣଗେଜେଟେଡ ଅଧ୍ୟାପକ ଓ କର୍ମଚାରୀ ସଂଘ” ଯାହାର ନେତୃତ୍ବନେଲେ ଜଣେ ଦୁଇଜଣ ଅଧ୍ୟାପକ । ଏହା ସଫଳତା କି ବିଫଳତା କେଜାଣି କିନ୍ତୁ ଏଇ ବ୍ୟବସ୍ଥାରେ ପ୍ରଥମଥର ଓଡିଶା ଶିକ୍ଷାଜଗତରେ ଅଧ୍ୟାପକ ପାଇଲେ ୫୭୩୩ ଟଙ୍କା ମାତ୍ର ମାସିକ ବେତନ, ସିଏ ପୁଣି ପନ୍ଦରବର୍ଷ ଖଟିଲାପରେ।
ଏହି ବ୍ୟବସ୍ଥାରେ ବି ଏତେଟା ସରଳୀକରଣ ନଥିଲା। ଓଡ଼ିଶାରେ ପୁଣି ଦୁଇ ପ୍ରକାର ବ୍ଲକଗ୍ରାଣ୍ଟ ଅଧ୍ୟାପକ ରହିଲେ। ଯେତେ ଭାଗ ଭାଗ କରିହେବ, ଭାଗକରିବା ପରା ଆମକାମ। ଯେଉଁମାନେ ପୁରୁଣାକଲେଜ ମାତ୍ର ମ୍ୟାନେଜମେଣ୍ଟ ଦ୍ଵାରା ରଖିତ ଅଧ୍ୟାପକ ସେ ଆସିଲେ ୪୪୮ ପ୍ରକରଣରେ ଆଉ ଯିଏ ନୂଆକଲେଜରେ ପରିଚାଳନା ପରିଷଦ ଦ୍ଵାରା ରଖିତ ସେମାନେ ଆସିଲେ ୬୬୨ ପ୍ରକରଣରେ। ତେଣୁ ପ୍ରଥମଗୋଷ୍ଠୀ ମାସିକ ୧୧୧୩୯ ଟଙ୍କା ପାଇଲାବେଳେ ଦ୍ଵିତୀୟଦଳ ୫୭୩୩ ଟଙ୍କା ମାତ୍ର ରୋକଡା ପାଇଲେ ।
ହାଏ ହାଏରେ ଶିକ୍ଷାନୀତି, ଯେଉଁଠି ଅଧ୍ୟାପକଟିଏ ଅନ୍ୟଦ୍ୱାରେ ବନ୍ଧାପଡ଼େ। ନିରଞ୍ଜନ ପୁଣି ତତଲା ଲୁହଗୁଡ଼ାକ ଢୋକୁଥିଲେ, ସେପଟେ ମୁଣ୍ଡକୁ ଚିନ୍ତା ବିନ୍ଧୁଥିଲେ ।
ତେବେ ସତରେ କ’ଣ ତାଙ୍କ ଦୟିନୀ ଆଉ କେବେ ବି ଦୂରହେବ ନାହିଁ? ଏହିପରି ତେବେ ସେ ପେଟର ଭୋକକୁ ମୁହଁର ଲାଜ ନିକଟରେ ସମର୍ପଣ କରିଦେଇ ବାନାପ୍ରସ୍ଥରେ ଚାଲିଯିବେ ନା ଶତସିଂହର ପରାକ୍ରମନେଇ ପ୍ରଚଣ୍ଡ ବିଦ୍ରୋହର ବହ୍ନୀ ପ୍ରଜ୍ଜ୍ଵଳିତ କରିବେ?
ଏବେ ଅବଶ୍ଯ ଶେଷବେଳକୁ ନିରଞ୍ଜନ କେମିତି ଗଣ୍ଡେ ଅଧିକ (ଷାଠିଏ /ସତୁରୀ ହଜାର) ଦରମା ପାଉଥିଲେ , କିନ୍ତୁ ତାହା ସମୁଦ୍ରକୁ ସଙ୍ଖେ। ଏ ମହରଗ ଯୁଗକୁ ତାହା କୁଆଡ଼କୁ ପାଏ। ସେ କିନ୍ତୁ ଟଙ୍କାଟିଏ ପେନ୍ସନ ପାଇବେ ନାହିଁ, ଯେହେତୁ ସେମାନଙ୍କ ଚାକିରିରେ ବୈଧିକରଣ ହୋଇନାହିଁ। ଏମାନେ ପରା ଉଠାଘାଣ୍ଟିଆ, ହୁଙ୍କାପିଟା।
ତେଣୁ ବୁଢ଼ାକାଳରେ ଛୁଆଙ୍କ ଉପାର୍ଜନ ଉପରେ ନିର୍ଭର କରିବାକୁ ବାଧ୍ୟ । ଆଜିକାଲି ଯୁଗରେ ପିଲାମାନେ ତ ବାପାମାଆ ମାନଙ୍କୁ ଯାହା ପଚାରୁଛନ୍ତି। ତେଣୁ ସେହି ଭଗବାନ ହିଁ ଭରସା।
ଶିକ୍ଷ ବ୍ୟବସ୍ଥାରେ ଯେ କିଛି ସଂସ୍କାର ଆସିନାହିଁ ଅଥବା ବିକାଶ ହୋଇନାହିଁ , ଏ କଥା ଆମେ କହିପାରିବା ନାହିଁ, କିନ୍ତୁ ଖାମିଆ ଯାହା ରହିଛି ତା’ର ଯେ ସୁଧାର ହେବା ଅନାବଶ୍ୟକ – ଏହା କିପରି?
ଧୀରେଧୀରେ ବ୍ଲକଗ୍ରାଣ୍ଟ ବଢ଼ି ଯେତେବେଳ ଯତ୍ କିଞ୍ଚିତ୍ ଅଧିକା ପାଇଥିଲେ, କ୍ଷଣିକ ପ୍ରସନ୍ନତା ମନରେ ଭରିଥିଲା। ବାକିଧାର ଯାହାଥିଲା, ସବୁ ଶୁଝିଲେ। ବାକିଆ କାମ ବି ଟିକିଏ କଲେ, ପରିବାର ପାଇଁ ଅଳ୍ପ ବହୁତେ କିଛିକିଛି ଖୁସି ବି କିଣିଲେ। ସେଇ ପଇସାରେ ଭଉଣୀ ବାହାଘରର ବାକିଆ ଯୌତୁକ ଟଙ୍କା ଆହୁରି ଶୁଝିଥିଲା।ରମ୍ଭା ପାଇଁ ଚନ୍ଦ୍ରାହାର ଗୋଟେ ଖରିଦ୍ କରି ଭେଟିଦେଇଥିଲେ, ଯାହା ତାଙ୍କ ଜୀବନକାଳ ଭିତରେ ସର୍ବଶ୍ରେଷ୍ଠ ଉପହାର, ପତି ବୋଲି ଗୋଟେ ପତିଆରା ।
ହେଲେ ଅଚିରେ ସବୁ ଧୂଳିସାତ୍ ହୋଇଗଲା, ଅଳ୍ପ କେଇଟା ଦିନର ବ୍ୟବଧାନ ପରେ ପୁଣି ଚାକିରିରୁ ଅବସର ନେବାକୁ ହେଲା।
ଅବସର ନେବାରେ ଆଜକୁ ଦୁଇବର୍ଷ ବିତିଗଲାଣି। ସ୍ତ୍ରୀ ଛୁଆପିଲାଠାରୁ ସମସ୍ତେ ଭାବୁଥିଲେ ଏବେ ଅବସରକାଳୀନ ବେନିଫିଟ୍ ଥୋକେ ମିଳିବ ଯେମିତି ତାଙ୍କ ଗାଁ ସରୋଜ ବାବୁ କଲେକ୍ଟର ଅଫିସରୁ ଅବସର ନେଲାପରେ ପାଇଲେ। କିନ୍ତୁ ନିରଞ୍ଜନଙ୍କର ନା ଗ୍ରାଚ୍ଯୁଇଟ୍ ଅଛି ନା ଲିଭ୍ ସରେଣ୍ଡର। ପେନସନ୍ ବି ଶୂନ୍। କାରଣ ଇଏ ପରା ବ୍ଲକଗ୍ରାଣ୍ଟ ଅଧ୍ୟାପକ, ମାନେ ସନ୍ତୋଷଜନକ କିଛି ନହେଲେ ବି, ଥା ‘ମା’କୁ ନାମକୁମାତ୍ର ଅନୁଦାନପ୍ରାପ୍ତ, ହେଲେ ପେନସନ୍ ବିଲକୁଲ ପସ୍ତ।
କେମିତି ଏ ବାର୍ଦ୍ଧକ୍ୟକାଳେ ଚଳିବେ। ଛୁଆ କେହି ମଣିଷ ହୋଇ ନାହାଁନ୍ତି। ଆହୁରି କେତେକାମ ବାକି, ଭାବିଲେ ମୁଣ୍ଡ ଘୂରାଇ ଦେଉଛି।
ସେ ଏହିପରି ଇତଃସ୍ତତଃ ଭାବନା ସବୁ ମୁଣ୍ଡରେ ପୂରାଇ, ଭାବନାର ସୂତାଖିଅ ଧରି ମୁଣ୍ଡର ତାର ଗୁଡ଼ାକୁ ବେଶ୍ ଯୋଡ଼ୁଥିଲେ।
ଏଥର ଘରକୁ ଫେରିଲେ, ଭାଇ ପାଖରେ ପହଞ୍ଚିଲେ।ଭାବିଲେ- ଭାଇକୁ ସାହାଯ୍ୟ କରିବେ ,ସିଏ ବି ଚାଷୀଘର ଛୁଆ, ଚାଷକରିବେ। ଚାଷ ହିଁ ସର୍ବୋତ୍କୃଷ୍ଟ ମାଧ୍ୟମ, ଦରିଦ୍ରର ଏକମାତ୍ର ଅବଲମ୍ବନ ।
ସନ୍ଧ୍ୟାହେଲା, ଅନାମ କାକା ଗୁମୁଟିକୁ ଗଲେ। ଅନାମ କାକାଙ୍କ ପ୍ରତିଟି କଥା ମାନବ ଜୀବନରେ ପ୍ରଭୁତ ପ୍ରଭୁତ୍ଵ ବିସ୍ତାରକରେ। ସେ ଶରଣାଗତ ହେଲେ, ଜୀବନର ବାସ୍ତବତା କ’ଣ ବୁଝିଲେ। ଅନାମ କାକା କହିଲେ-“ଛାଡ଼ ସେସବୁକଥା, ଧର ଖଞଣୀ।