ବାପା ଏକା, ଜେଜେ ବି ଏକା ଥିଲେ। କିନ୍ତୁ ଜଗ ସାତ ଭଉଣୀରେ ଗୋଟିଏ ଭାଇ। ଭାରି ଲାଡଲା, ଏକୋଇରବଳା ବିଶିକେଶନ। ଭାରି ବିଛୁଆତି ଖଣ୍ଡେ । ଯେତକ ଦୁଷ୍ଟାମି ସବୁ ତାରି। ଯାହା ଜିଦ୍ କରିଥିବ ସେୟା।କାନ୍ଦିକି ଗଡିଯିବ ବରଂ, କିନ୍ତୁ ଜିଦ୍ ଛାଡ଼ିବ ନାହିଁ। ଚିଆଁଖଣ୍ଡେ କିନ୍ତୁ ଭାରି ନଟଖଟିଆ, ହଟିଆ ନାଗର। ଅଝଟିଆଙ୍କର ବଡବାପ।
ଛୋଟବେଳେ ବାପା ଥରେ, ମାମୁଘରକୁ ବୁଲାଇ ନେଇଥିଲେ।ସେଠି ମେଣ୍ଢାପଲ ଦେଖିଲା। ତା’ର ଝୁଙ୍କ ଉଠିଲା, କହିଲା – “ମୋତେ ଗୋଟେ ।”
ଯେତେ ଯିଏ ବୁଝେଇଲେ, ଜମା ବୁଝିଲା ନାହିଁ କି କାନ୍ଦ ବନ୍ଦହେଲା ନାହିଁ। ଅଜା ପୁଣି ଗୋଟେ ମେଣ୍ଢା କିଣିକି ଆଣିଲେ। ସେଇଦିନରୁ ସେ ମେଣ୍ଢା ପାଳିଛି। ଏଇ ଅଭ୍ୟାସଟା ପଶୁପକ୍ଷୀ ପ୍ରତି ତା ଭିତରେ ଗୋଟେ ପ୍ରେମଭାବ ଜାଗ୍ରତ କରିଛି। ବଡ଼ ହେଲାପରେ ସେ ଫାର୍ମ ହାଉସ୍ ଯେବେ କଲା, ଗାଈଗୋରୁ, ଛେଳି, ଧଳା ଘୁସୁରି, କୁକୁଡ଼ା, ବତକ, ହଂସ ସବୁ ପାଳିଲା। ସହଜେ ତ ତାଙ୍କର ଗୋପାଳଘର, ତେଣୁ କ୍ଷୀରଦହିରେ ଅଭାବ ନଥାଏ। ଏବେ ତା ସହିତ ମାଛମାଂସ, ସବୁ ଯୋଡ଼ି ହୋଇଗଲା। ଚିଙ୍ଗୁଡି ଘେରି, ମାଛ ପୋଖରୀ ସବୁ ଅଛି। ଫଳଫୈସଲି କରିବାରେ ବି ଧୂରନ୍ଧର।
ଚାଷୀଘର ଛୁଆହେଲେ କ’ଣହେବ ଜଗ ଟିକିଏ ଥିଲାବାଲା, ଅତି ସମ୍ପନ୍ନ ପାଖଆଖ ଗାଁର। ତେଣୁ ବାପଗୋସାପର ଗୋଟେ ଖାତିର୍ ଅଛି। ଜଗ ବି ଟୋକାଖଣ୍ଡେ ହେଲେ କ’ଣହେବ, ଢେର୍ କରିଛି। ସେ ସେଇଥିରେ ଖଣ୍ଡେ ଖଣ୍ଡେ ଯୋଡିକି ସବୁଟାକୁ ବଡ଼ କରିଛି, ସେ ତେଣିକି ପୋଖରୀ ହେଉ ବା କ୍ଷେତିବାଡ଼ି ହେଉ। ଏଇ ଘୁସୁରି ରଖିବା କଥାହେଉ ବା ବତକ, ହଂସ, ଓଟ, କିୱିପକ୍ଷୀ ଓ ମୟୁର ରଖିବାକଥା ହେଉ, ଇଏ ସବୁ ତା’ର ଅଭିନବ ଉପାୟ।
ଘର ବି ତ ବାସୁଦେବପୁରର ହିନ୍ଦୋଳ। ତେଣୁ ଏସବୁ ବେଉସା ପାଇଁ ସେଟା ସର୍ବୋତ୍କୃଷ୍ଟ ଭୂଇଁ। ପୁଣି ସେଇବାଟ ଦେଇ ମନ୍ତେଇ ନଈ ବୋହି ଯାଉଥିବାରୁ ଏସବୁ ଚିଙ୍ଗୁଡ଼ି ଓ ମାଛଚାଷ ପାଇଁ ଭାରି ଉତ୍ତମ ହୁଏ।
ଜଗ ଯେ ହଠାତ୍ ଏଇ ବେଉସାରେ ମନୋନିବେଶ କରିଥିଲା, ତାହା ନୂହେଁ। ତା ମୂଳରେ ଅନେକଗୁଡ଼ିଏ କାରଣ ଓ ସନ୍ଧିକ୍ଷଣ ମୁହୂର୍ତ୍ତ ବି ରହିଛି।
ଜଗ ଆଇ. ଟି . ଆଇ. ସାରି ହରିୟାଣା ଚାଲିଗଲା ଚାକିରି କରିବା ପାଇଁ। ସେଠାରେ ହିସାରରେ ଗୋଟେ ସୂତାକଳରେ ଚାକିରିକରି ମେଣ୍ଟେନାନସ ଦାୟିତ୍ଵରେ ରହିଲା। ତାଙ୍କ କାମରେ ମାଲିକ୍ ଓ ମ୍ୟାନେଜର୍ ଭାରି ଖୁସିଥିଲେ। ଫୋର୍ ମ୍ୟାନ୍ ବି ଭଲଲୋକ ଥିଲେ, କିନ୍ତୁ ଇଂଜିନିୟରଟା ଭାରି ବଦମାସ୍। ସେ ମିଛସତ କହିକି, ସବୁବେଳେ ବହୁତ ହଇରାଣ ହରକତ କଲା। ଇଏ ତ ଗେହ୍ଲାବସରରେ ବଢ଼ିଥିବା ଗୋଟେ ଭିନ୍ନ ଚରିତ୍ର। ତାକୁ ଆଦରକଲେ ସେ ସବୁ କରିବ, ଟିକିଏ ତେଢାକଲେ ସବୁ ଭାଙ୍ଗିକି ଥୋଇଦେବ। ରାଗରେ ଏକାଥରେ ଚାକିରିଛାଡ଼ି ଘରକୁ ପଳାଇ ଆସିଲା। ବାପା ବି ଚାହୁଁ ନ ଥିଲେ, ଗୋଟିକିଆପୁଅ ଯାଇ ବାହାରେ ରହୁ। ଜଗ କହିଲା – “ମୋତେ ବାପା! ପଚାଶ ହଜାର ଦିଅନ୍ତୁ, ମୁଁ ବେପାର କରିବି, ମୋ ଦ୍ୱାରା ଚାକିରି ହେବ ନାହିଁ।”
ବାପା ବି ପୁଅର ମନ ରଖିବାପାଇଁ ତାକୁ ପଇସା ଧରାଇଲେ। ଭାବିଲେ – ଏଇଠି ତା ମନ ଲାଗିଯାଉ , ଆଉ ସେ ବାହାରକୁ ନ ଯାଉ। ଜଗ ଆରମ୍ଭକଲା ତେଜରାତି ଦୋକାନ, ପରେ ହରେକ ରକମର ମାଲ୍ ରଖି ଭେରାଇଟି ଷ୍ଟୋର୍ ବି କଲା, ଏବେ ଯାହାର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ୱାଧିକ ହେବ। ଫାର୍ମ ହାଉସ୍, ରାଜନୀତି, କଣ୍ଟ୍ରାକ୍ଟି ଅନ୍ୟାନ୍ୟ ଜିନିଷ ତ ଧୀରେଧୀରେ ତା ସହିତ ଯୋଡ଼ିହୋଇଗଲା, ଏବେ ଜୀବନ ଆଗକୁ ଧାଉଁଛି। ସରପଞ୍ଚ, ଜିଲ୍ଲାପରିଷଦ ବି କେଇ ଥର ହେଲାଣି।
ତେବେ ଅନ୍ୟମାନଙ୍କ ପରି ଜଗର ଜୀବନ ବି ବେଶ୍ ସରଳ ଓ ସହଜ ଭାବରେ ଏପରି ଗତିଧରି ନ ଥିଲା।
ଆଜି ଜଗ ଭଦ୍ରକ ଆସିଥିଲା, ଗୋଟେ କ’ଣ ମେଡିକାଲ୍ କେସ୍ ଥିଲା। ସେ କଥା କ’ଣ କି ଶୁକ ସ୍କୁଟିରେ ବାସୁଦେବପୁର ଯାଉଥିଲା , ଗୋଟେ ନୂଆଶିଖାଳୀ ମୋଟର ସାଇକିଲିଷ୍ଟ ତାକୁ ପିଟିଦେଲା। ସେ ବାଡ଼େଇହୋଇ ତଳେ ପଡିଯିବାରୁ ତା’ଗୋଡ ଭାଙ୍ଗିଗଲା। ଆହୁରି ଢେର୍ ଜାଗା ମାଡହୋଇଛି, ଖଣ୍ଡିଆଖାବରା ଥୋକେ ହୋଇଛି । ସ୍ତ୍ରୀ ସୁରମା ଉପାୟ ନ ପାଇ, ଆଗେ ବାସୁଦେବପୁର ତା’ପରେ ଭଦ୍ରକ ଡାକ୍ତରଖାନାରେ ଦୁଇତିନି ଦିନହେବ ସ୍ଵାମୀ ସହିତ ଆସି ଅଛି। ଜଗ ଆଜି ତା ଭାଇ ମୁଗୁରା ପାଖରୁ ଖବରପାଇ ଦେଖିବାକୁ ଡାକ୍ତରଖାନା ଆସିଛି। ପଚାରି ଭଲମନ୍ଦ ବୁଝିଲା, ଘରକୁ ଯିବାକୁ ଫେରିଯିବାକୁ ବସିଥିଲା, ମୁଗୁରା କହିଲା – “ଜଗ ଭାଇ! ଦେଇକୁ ତୁମେ ମୋଟର ସାଇକେଲରେ ବସାଇ ଟିକିଏ ନେଇଯାଅ, ବାଟରେ ତା ଶ୍ୱଶୁରଘର ଗାଁରେ ତାକୁ ଛାଡିଦେବ। ସେ ଲୁଗାପଟା କିଛି ଆଣି ନଥିଲା ତ, କାଲି ପୁଣି ଆସିବ, ଆଜି ବରଂ ମେଡିକାଲ୍ ରେ ମୁଁ ଭାଇ ପାଖରେ ଜଗୁଛି।”
ଜଗର ଗୋଟେ ଭଲଗୁଣ କ’ଣ କି, ସେ ଆଖାପାଖ ପାଞ୍ଚପଚିଶ ଗାଁର ଲୋକଙ୍କ ଭଲମନ୍ଦ କଥା ସବୁବେଳେ ବୁଝେ, ପଇସାକୋଉଡି ବି ଦରକାର ପଡ଼ିଲେ ସାହାଯ୍ଯକରେ ।
ସେୟା ହେଲା, ସୁରମାକୁ ଗାଡ଼ି ପଛପଟେ ବସାଇ ଜଗ ତିରିଶ /ଚାଳିଶ କିଲୋମିଟର ଯାତ୍ରାକଲା। ବିଭିନ୍ନ ପ୍ରସଙ୍ଗରେ ସବୁ କଥାବାର୍ତ୍ତା ହୋଇ ହୋଇକା ବାଟରେ ଆସିଲେ। ଜଗ ମନରେ ଅନେକ ଦିନରୁ ରହିଥିବା ଗୋଟେ ଛୋଟିଆ ଅସମାଧିତ ପ୍ରଶ୍ନ ଆଜି ସେ ସୁରମାକୁ ପଚାରିବ ବୋଲି ମନେମନେ ସ୍ଥିରକରି ସାହାସ ବାନ୍ଧିଲା, ଯାହା ସେ କେବେ କହିପାରି ନଥିଲା। କହିଲା – “ସୁରମା! ଆମେ ତ ପିଲାବେଳର ସ୍କୁଲସାଥୀ। ତୁମ ଗାଁ ଡେଇଁଲେ ଆମ ଗାଁ ପଡ଼େ। ଆମ ଗାଁରେ ସ୍କୁଲ ନଥିବାରୁ ତୁମ ଗାଁ ସ୍କୁଲ ଆମେ ଯାଉ, ସେଇଠି ଆମେ ସପ୍ତମଯାଏ ପଢିଲେ। ତା’ପରେ ଆମେ ସବୁବେଳେ ଦେଖାହୁଅନ୍ତି, ମୁଁ ମନେମନେ ତୋତେ ବାହାହେବା କଥା ଭାବୁଥିଲି, କିନ୍ତୁ କହିପାରି ନଥିଲି। ହେଲେ ତୋ ମନରେ ମୋ ପ୍ରତି କ’ଣ କେବେ ଦୁର୍ବଳତା ଆସି ନଥିଲା ? “
ଏକଥା ଶୁଣି ସୁରମା କାନ୍ଦକାନ୍ଦ ହୋଇଗଲା। କହିଲା -” ମୋ ମନରେ ବି ସେଇ ଏକା ଆଗ୍ରହ ଥିଲା। ହେଲେ ଝିଅପିଲାଟା, କେମିତି ମୁହଁ ଖୋଲି କହିଥା’ନ୍ତି କହିଲୁ! ତୁ କଲେଜ ପଢ଼ି ସିଆଡ଼େ କୁଆଡ଼େ ଚାକିରିକୁ ପଳାଇଲୁ। ଇଆଡେ ବାପାମାଆ ପ୍ରସ୍ତାବଦେଖି ମୋର ବାହାଘର କରିଦେଲେ। ଭାରି ଜୋର୍ ତୋତେ ଖୋଜିଛିରେ ଜଗ! ଭାବିଥିଲି – ଜଗ ଯଦି ଏବେ ଗାଁକୁ ଆସନ୍ତା, ମୁହଁ ଖୋଲି କହିଦିଅନ୍ତି। ହେଲେ ତା କି ଆଉ ସମ୍ଭବ ହେଲା। “
ଜଗ କହିଲା -” ତୋ ବାହାଘର ପରେ ମୁଁ ଗାଁକୁ ଆସି ଶୁଣିଲି। କାହିଁକି କେଜାଣି ଭାରି ମନଦୁଃଖ ହେଲା। ଆମେ ସାଙ୍ଗହୋଇ ମାଟ୍ରିକଯାଏ ମୋଟେ ପଢିଛନ୍ତି। ହେଲେ ତୁ ଯେମିତି ଘରୁଲୁଚେଇ ଖାଇବା ଜିନିଷସବୁ ଆଣି ମୋତେ ଖେଳଛୁଟିରେ ଦେଉ, ଆଉ ଖାଲି ମୋରି ସାଙ୍ଗରେ ଲାଗୁ ଓ ଖେଳିବା ପାଇଁ ମୋତେ ଖୋଜୁ, ବାସ୍ତବରେ ନିଆରା। ମୁଁ ତେଣୁ ତୋତେ ବହୁତ ଭଲପାଏ। ଅବଶ୍ଯ ସେତେବେଳେ ଏଟା ପ୍ରେମ ଫେମ କି କ’ଣ ଜଣା ନଥିଲା, ହେଲେ ପରେ ତୋତେ ଯେତେବେଳେ ଭେଟେ, ମୋର ତୋ ପ୍ରତି ପ୍ରେମ ସ୍ରୁଷ୍ଟିହୋଇ ସାରିଥିଲା। ମୁଁ ତେଣୁ ଯେତେବେଳେ ବିଦେଶରୁ ଆସେ ତୋତେ ନିଶ୍ଚେ ଆଗ ଭେଟ କରିବାକୁ ଯାଏ । ଛାଡ଼ ସେ ତ କପାଳରେ ନଥିଲା, ହେଲେ ଆଜି ତୁ ମୋର ଗୋଟେ ଶଙ୍କା ଦୂର କରିଦେଲୁ ଯେ, ସ୍କୁଲରେ ପଢୁଥିଲା ବେଳେ ସାଥିସହପାଠୀ ସହ ବି ପ୍ରେମ ହୋଇପାରେ। “
ଘରକୁ ଫେରିଆସି, ଜଗ ଆଜି କାହିଁକି କେଜାଣି ଭାରି ଭାବୁକ ହୋଇ ଯାଉଥିଲେ। ସେ ପତ୍ନୀକୁ ଛାଡ଼ି ଏକାଏକା ଗୋଟେ ରୁମ୍ ରେ ଶୋଇ ପଡ଼ିଲେ। ନିଦ ନ ଲାଗିବାରୁ ସେ ଆଖିମୁନ୍ଦି ଜୀବନ ତମାମର ଘଟଣାବଳୀ ଉପରେ ନଜର ବୁଲାଇଲେ।
ଜଗ ସପ୍ତମପରେ ପାଖରେ ହାଇସ୍କୁଲ୍ ନଥିବାରୁ ମାମୁଘର ଗାଁକୁ ଚାଲି ଯାଇଥିଲା।ସେଇଠି ମାଟ୍ରିକ୍ ଯାଏ ପଢ଼ିଲା।ସୁରମା ଘର ଅବଶ୍ଯ ହାଇସ୍କୁଲକୁ ଟିକିଏ ପାଖଥିଲା, ସିଏ ବି ସେଠି ପଢ଼ିଲା। ଏଣିକି ସୁରମାର ଯୌବନ ଧୀରେଧୀରେ ପ୍ରସ୍ଫୁଟିତ ହେବାକୁ ଲାଗୁଥିଲା। ସତରେ ସୁରମାଟା ବହୁତ ସୁନ୍ଦରୀ।ନବଯୌବନାର ପ୍ରତ୍ୟେହ ନୂଆରଙ୍ଗ ଫୁଟୁଥିଲା, ଶରୀରର କାନ୍ତି ଉକୁଟୁଥିଲା, ଯୌବନ ରଙ୍ଗ ଦେଖାଉଥିଲା। ଛୋଟବେଳେ ତ ସେ ଗୁଲୁରୁ ଗାଲୁରୁ ଲାଗୁଥିଲା। ଜଗ ସହିତ ଭାରି ଭଗିଲି ହୁଏ। ଥିବଥିବ ଚିମୁଟିଦେବ ନହେଲେ ପଛରୁ ଆସି ଚୁଟି ଟିକିଏ ଟାଣିଦେବ। ଜଗ ପଛକୁ ମୁହଁ ବୁଲାଇ କୁହେ – “ହେ ଭେଗି! ଏମିତି କାହିଁକି ହେଉଛୁ କହନି।ଥଟ୍ଟାମଜା ବି ଢେର୍ ହୁଏ। ସେ ସ୍କୁଲରେ ଜଗ ପଛରେ ଯେମିତି ହେଲେ ପଡିବ, ଜଗ ବି କାହିଁକି କେଜାଣି ତା ପ୍ରତି ଭାରି ଆକର୍ଷିତ ହୋଇଯାଏ। ସେଇଟା କିନ୍ତୁ ସବୁ ସ୍ୱତଃସ୍ଫୂର୍ତ୍ତ ହୋଇଯାଏ। ସେଇଟା ଭଲପାଇବା କି ପ୍ରେମ କି ଆକର୍ଷଣ କିନ୍ତୁ କିଛି ବୁଝାପଡେ ନାହିଁ, ଯେଉଁ ବୁଝାଟା ଆଜି ବୁଝାପଡୁଛି। ତେଣୁ ମନଟାକୁ ଗୋଟେ କିଛି ହରେଇଲା ପରି କାହିଁକି ଲାଗୁଛି। ଟିକିଏ ଦୁଃଖ ଆଉ ଟିକିଏ କଷ୍ଟ, ଦୁଇଟାଯାକ ମିଶି ଅନ୍ତରତ୍ମାକୁ ଭାରି ସଟାଉଛନ୍ତି।
ତା’ପରେ କଲେଜ। କଲେଜ ଜୀବନରେ ସେମିତି କାହିଁ କୌଣସି ବିଶେଷ ଘଟନା ତା’ର ମନେନାହିଁ, କିନ୍ତୁ ବାଲେଶ୍ଵରରେ ସେ ଯେତେବେଳେ ଆଇ. ଟି ଆଇ. କଲା, ସେଠି ବି ଗୋଟେ ଘଟନା କେମିତି ସଂଯୋଗକ୍ରମେ ଯୋଡ଼ି ହୋଇଥିଲା।ଗୋଟିଏ ଝିଅ ତାଙ୍କ ଜୀବନରେ ଟିକିଏ ଉଙ୍କି ମାରୁଥିଲା। ମନୁଆ ବୋଲି ଗୋଟେ ସାଙ୍ଗ ଘରେକୁ ସେ ଥରେ ଯାଇଥିଲେ। କଥା କଣ କି, ଦୂର୍ଗା ପୂଜା ଛୁଟି ହୋଇ ଗଲା। ସାଙ୍ଗମାନେ ଯିଏ ଯୁଆଡ଼େ ଯେଝା ଘରକୁ ଚାଲିଗଲେ। ହଷ୍ଟେଲ ଫାଙ୍କ। ଜଗ କିନ୍ତୁ ଯେହେତୁ ଗତ ଶନିବାରେ ଗାଁକୁ ଯାଇଥିଲା, ତେଣୁ ସେ ଆଉ ଗାଁକୁ ଯିବାକୁ ଆଗ୍ରହ ଦେଖାଇଲା ନାହିଁ। ତେଣୁ ମନୁଆ କହିଲା – “ଆମ ଘରକୁ ଆସେ, ବାଲେଶ୍ଵରରେ ଦୁର୍ଗାପୂଜା ବଡ଼ ଧୂମ୍ ଧାମ୍ ରେ ପାଳିତ ହୁଏ ଆମ ଘରେ ରହି ସାଥିହୋଇ ଦେଖିବା। ସେୟା ହେଲା ମନୁଆ ଘର ସେଇ ସହରରେ, ତେଣୁ ସେ ରାଜି ହୋଇଗଲା। କିନ୍ତୁ ତା ଭଉଣୀ ଝୁନା ଆଉ ଜଗ ପିଛା ଛାଡ଼ିଲା ନାହିଁ। ପୂଜା ଦେଖି ସାଙ୍ଗରେ ବାହାରିଲା, ଭଲ ରେ ମନ୍ଦରେ ଖାଲି ଉପରେପଡ଼ି କଥାହେଲା। ଶେଷରେ ଆଇ. ଲଭ. ୟୁ. (ମୁଁ ତୁମକୁ ଭଲପାଏ) ପର୍ଯ୍ୟନ୍ତ କଥାଗଲା, ଗୋଲାପ ଫୁଲଟେ ବି ଉପହାରରେ ମିଳିଲା ।
ଟୋକୀ ତ ଖାଲି ଉଛୁଳୁ ଥିଲା, ଭାରି ଉତ୍ତାବନ ହୁଏ । ସେ ଜଗ ସହ ଘସନସ ହେବା ପାଇଁ ବୋଧେ ଭାରି ଭଲ ପାଉଥିଲା।ସେ ଫକିର ମୋହନ କଲେଜରେ ପ୍ଲସ୍ ଟୁ ପଢୁଥିଲା। ଜଗ କିନ୍ତୁ କିଛି ସନ୍ତୋଷଜନକ ଉତ୍ତର ଦେଲା ନାହିଁ, ଓଲଟି ଓଲଟା ଷୋଲଟା କହିଲା। ତାହାର ଭାରି ଡର ଓ ମୁଖଲଜ୍ଜ୍ୟା ବି ।ଡର – ଏମାନେ ସହରୀ ଲୋକ, କଥାଟା ପ୍ରଘଟ ହେଲେ ପ୍ରଳୟ ହେବ। ମୁଖଲଜ୍ଜା – “ସାଙ୍ଗର ଭଉଣୀ, ମନୁଆ, ଜାଣିଲେ କ’ଣ ଭାବିବ। ତେଣୁ ପ୍ରେମସାନାଇରେ ସ୍ଵର ତୋଳିବା ଆଗରୁ କଥା ଅଟକି ଗଲା। ଝୁନା ରାଗରେ ଗୋଡ଼ କଚାଡି କହିଲା -” ତୁମେ ନପୁଂସକ”।
ଛୁଟି ତ ଭଲରେ କଟିଲା, ହେଲେ ଜଗ ସିଆଡୁକୁ ଆଉ କେବେ ମୁଣ୍ଡଦେଇ ଶୋଇ ନାହିଁ। ପରେ ଶୁଣିଲେ – ସେ ଗୋଟେ ବ୍ୟାଙ୍କ୍ ମ୍ଯାନେଜରକୁ ବାହା ହୋଇଗଲା। କିନ୍ତୁ ଏବେବି ସେକଥା ମନେପଡିଲେ, ଜଗର କାନକୁ ଖାଲି ତୁହାଇ ତୁହାଇ ମନେ ପଡିଯାଏ – “ତୁମେ ନପୁଂସକ”। ତେବେ ସେ କଥାର କୌଣସି ଗୁରୁତ୍ୱ ଜଗଙ୍କ ଜୀବନରେ ନାହିଁ।
ଏବେ ହେସାରରୁ ଚାକିରିଛାଡ଼ି ଜଗ ସବୁଦିନ ପାଇଁ ଘରକୁ ଚାଲିଆସିଲା, ମନେମନେ ସଂକଳ୍ପ – “ଆଉ ସେ ଚାକିରି କରିବ ନାହିଁକି, ପରଘରେ ଗୁଲାମି ଖଟିବ ନାହିଁ, କିନ୍ତୁ ସେ ଆତ୍ମନିର୍ଭରଶୀଳ ହେବ। ଏଥିପାଇଁ ଯେତେ କଷ୍ଟକରିବାକୁ, ତେଣିକି ପଡ଼ୁନା କାହିଁକି, ସେଥିପାଇଁ ସେ ତୟାର।
ଜଗ ଦେଖିବାକୁ ରାଜକୁମାର ପରିକା, ତେଣୁ ଝିଅମାନଙ୍କ ହୃଦୟବେଦୀରେ ସେ ଅଧିରୂଢା। ଦାନ୍ତ ନେଫେଡେଇ ଭଲ ହସେ, କୃଷ୍ଣକଳା ରଖି ଟିକେ କଥାହୁଏ। ଯେଉଁ ଝିଅ ଦେଖିଲା, ତେଣୁ ସେ ଫସିଲା। ଫୁଲାଫାଙ୍କିଆ ହୋଇ ସେ ଢେର୍ ବୁଲିଲାଣି। ଏଣିକି ବାପାମାମୁ, ଭଉଣୀଭିଣୋଇ ସମସ୍ତେ ଭିଡ଼ିଗଲେଣି – ଜଗର ବାହାଘରକରି ଦମ୍ ନେବେ।
ସେତିକିବେଳେ ଭେଡାରେ ସୁହାସିନୀ ବୋଲି ଗୋଟେ ଅନିନ୍ଦ୍ୟା ସୁନ୍ଦରୀ ଝିଅଥିଲା।ତା ରୂପଗୁଣର ଚର୍ଚ୍ଚା ପୂରା ଭେଡା ଅଞ୍ଚଳରେ। ତେଣୁ ପାନଦୋକାନଠାରୁ ଚା’ଖଟିଯାଏ ତା ଆଲୋଚନା ବେଶ୍ ଜୋର୍ ଧରେ ।ଟୋକାଏ ତାକୁ ପାଇବା ପାଇଁ ନିଜ ଭିତରେ ଗୋଟେ ପ୍ରତିଯୋଗୀତା ପରା କରନ୍ତି। ତେଣୁ ତା’ମନରେ ଗୋଟେ ଗର୍ବ – “ସେ ଏକା ବିଶ୍ଵସୁନ୍ଦରୀ। ଏମିତି କୌଣସି ଟୋକା ନାହିଁ ଯେ, ଯିଏ ତାକୁ ଅକ୍ଲେଶରେ ପ୍ରତ୍ୟାଖ୍ୟାନ କରିଦେଇ ପାରିବ। ସେ ତା ବଉଳ ସାଙ୍ଗରେ ବେଟ୍ ଲଗାଇଛି – ଯିଏ ତାକୁ ବିଭାପାଇଁ ପ୍ରତ୍ୟାଖ୍ୟାନ କରିବ, ସେ ସେଇ ଟୋକା ସହ ତା ଜିଗିରି ଦୋସ୍ତ ଟିକିଲିର ବିଭାଘର ପ୍ରସ୍ତାବ ରଖିବ ଓ ସେ ବରଂ ନିଜେ ରିଜେକ୍ଟ ମାଲ୍ ଭିତରୁ ଗୋଟେ ପୁଣି ବାଛି, ବାହା ହୋଇଯିବ । “
ସେତେବେଳକୁ ସୁହାସିନୀ ଏକୋଇଶିଟା ପ୍ରସ୍ତାବ ଗୋଟା ଗୋଟାକରି ସବୁଭାଙ୍ଗି ସାରିଲାଣି। ଆଉକେହି ଅପଦସ୍ତ ହେବା ଭୟରେ ସାହସ କରୁନାହାଁନ୍ତି, ତାକୁ ଦେଖିବାକୁ ଯିବା ପାଇଁ। ଜଗ କାନରେ କଥାଟା ପଡ଼ିଲା, କହିଲା -” ମୋ ପ୍ରସ୍ତାବ ତାଙ୍କ ଘରେ ଦିଅ, ମୁଁ ଦେଖିବାକୁ ଯିବି, ଆଉ ଦେଖିବି ସେ କେମିତି ମୋତେ ନାକଚ କରିପାରିବ। “
ସେୟା ହେଲା, ଜଗ ତ ବିଦେଶାଗତ ଟୋକା, ସଦ୍ୟ ହେସାରରୁ ଯାଇ ଫେରିଛି, ପୂରା ଫିଟଫାଟ୍, ଚଇନି ଚିକ୍କଣ ଟୋକାଟା। ଝିଅ ଦେଖିଲା, ଦେଖାଦେଖି ପର୍ବ ଆରମ୍ଭ ହେଲା। କିନ୍ତୁ ସୁହାସିନୀ ଯେତେବେଳେ ହଟିଆ ନାଗର ଜଗକୁ ଦେଖିଲା, ଯେମିତି ତା ମରମକୁ କିଏ କୋଦାଳରେ ହାଣିପକାଏ। ତା’ର ଏଡ଼େ ସୁନ୍ଦର କଅଁଳିଆ ଛନଛନିଆ କୋଶଳାଶାଗ ପ୍ରେମମନ୍ଦାଟା ଅଚିରେ କ୍ଷତବିକ୍ଷତ ହୋଇଗଲା। ପ୍ରେମରେ ଉବୁଟୁବୁ ହେଲା, ମାଆକୁ କହିଲା – “ମୁଁ ଏ ଟୋକାକୁ ବାହାହେବାକୁ ରାଜି।”
ଆଉ ଏଥର ସେ ମନା କରିପାରିଲା ନାହିଁ।
ଜଗ ଘରକୁ ଝିଅଘରୁ ଖବରଗଲା – “ଆମେ ରାଜି, କେବେ ଲଗ୍ନ ଧରିବା କୁହନ୍ତୁ!” ଜଗ କହିଲା – “ମୋତେ ଭାବିବାକୁ ସମୟ ଦିଅନ୍ତୁ” , ପାଞ୍ଚ ଦିନପରେ ନାଇଁ କରିଦେଲା, କହିଲା – “ମୋର ଝିଅ ପସନ୍ଦ ନାହିଁ।” ଯେତେ ଯିଏ ବୁଝାଇଲେ – “ଏମିତିକା କୋଟିକରେ ଗୋଟେ ମିଳେ, ବାବୁରେ! ମୋଟେ ନାହିଁ କରନି।” ସେ କାହା କଥା ଶୁଣିଲା ନାହିଁ, ତା’ର ତ ଗୋଟେ ଜିଦ୍ – “ସେ ଝିଅର ଗର୍ବ, ସେ ଭାଙ୍ଗିବ। “
ସୁହାସିନୀର ଗର୍ବ ଭାଙ୍ଗିଗଲା – ସେ ତେଣୁ ଅନନ୍ୟୋପାୟ ହୋଇ ନାକଚ କରିଥିବା, ପ୍ରସ୍ତାବ ଭିତରୁ ଗୋଟେପୁଣି ବାଛି ନିର୍ବାଚନ କଲା। ସେୟାକୁ ବିଭାକଲା। ଯୋଗକୁ ଅସିତଟା ଘୋଡାମଦୁଆ ଜୁଟିଲା। ସେ ଏବେ ଭାରି ଦୁଃଖରେ ଅଛି।
କିନ୍ତୁ ତା ବଉଳ ଟିକିଲି ସହ କେହି ପ୍ରସ୍ତାବ ଦେବାରୁ, ସେଥିରେ ଜଗ ମୋହର ମାରିଲା। ଟିକିଲିଟା ଭାରି ସୁନ୍ଦରୀ, ଗୋଟିଏ ଚାଉଳରେ ଗଢ଼ା।
ଟିକିଲିର ପୋଲ ଖୋଲିଲେ ଆପଣମାନେ ହସିହସି ବେଦମ ହୋଇଯିବେ। ଯେତେବେଳେ ମାମୁଘରେ ଜଗ ରହି ମେଟ୍ରିକ୍ ପଢୁଥିଲା, ସେତେବେଳେ ଟିକିଲି ତା ପିଉସାଘରେ ଅଧିକଂଶ ବେଳେଥାଏ, ଯେଉଁଟା ଜଗ ମାମୁଘରକୁ ପୂରା ଲାଗିଛି। ସେତେବେଳେ ଟିକିଲିକୁ ଚାରି/ପାଞ୍ଚ ବର୍ଷ ଜମା ହେବ। ସେଟା ଭାରି ମୂତୁରୀ, ଟିକିଏ କେହି ଡରେଇଦେଲେ ଖାଲି ଚରଚର କରି ମୂତିପକାଇବ। ଜଗ ତାକୁ କାଖେଇ ଥିବ କି କ’ଣ, ତା’ର କାହିଁ ଏବେ ସେତେ ମନେପଡୁ ନାହିଁ।ସେ ପରା ଜଗଠାରୁ ନଅ ବର୍ଷ ସାନ। ଟିକିଲିଟା ଭାରି ଶାନ୍ତସୁଧାର, ରୂପ ଲାବଣ୍ୟରେ କୋଉ କମ୍ କି, କିନ୍ତୁ ଭାରି ପତିବ୍ରତା। ସ୍ନେହସୋହାଗର ସେ ପତିଦେବକୁ ବାନ୍ଧିକି ରଖିଛି।
ଯାହାହେଉ ବାହାଘରପରେ ଏବେସୁଧା ଟିକିଲିକୁ ହେଁସମୂତୁରୀ ବୋଲି ଚିଡ଼ିଗଲେ, ଜଗ ଚିଡାନ୍ତି। ସେ ହସିଦିଅନ୍ତି, କାହିଁକିନା ସ୍ତ୍ରୀଲୋକଟା ଚାହିଁକି ବି ଆଦୌ ଜଗ ଉପରେ ରାଗିପାରେ ନାହିଁ। ଜଗର ସଂସାର ବେଶ୍ ହସଖୁସିରେ ଚାଲିଛି। ହେଲେ ଆଜି ବି ସେ ସେଇ ସ୍କୁଲବାଲି ଝିଅକୁ ଭୁଲିପାରି ନାହାଁନ୍ତି ।ଏବେ ବି ତା’କଥା ମନେପଡ଼ିଲେ, ଜଗ ଘଡିଏ ବିଷର୍ଣ୍ଣ ହୋଇଯାଇ, ବସି ତା’କଥା ଭାବନ୍ତି । ଏହା ଏକ ନିଲଠା ପ୍ରେମ, ଛୋଟବେଳର ବଡପ୍ରେମ କାହାଣୀ ।