ମୋଡ଼ି ମୋଡ଼ି ହୋଇ ପାହାଡ଼ ଚୂଡ଼ା ବଢ଼ିଯାଇଥିଲା ଉପରକୁ –ଢେର ଉପରକୁ । ସେଇଠି ସେ ଆକାଶ ଛୁଁଏ, ମେଘର ବାଟ ଅଟକାଏ, କେତେ ପଶୁ ପକ୍ଷୀଙ୍କ ବସା ହୁଏ । ପୁଣି ଆକାଶଟା ବି ନଇଁ ପଡ଼େ ସେଇଠି ମନରେ କେତେ ମିଶିବାର ଆଶା, ଭରସା, ଉଦ୍ଦୀପନାକୁ ନେଇ । ପାହାଡର ପାଦ ଉପରେ କେତେ କେତେ ଗଛ ଲତା, ଫୁଲର ମାଳ-ଲହ ଲହକା ଫସଲର ମନୋହର ପ୍ରକୃତି । ମକା ଫସଲ ଗୀତ ଗାଏ, ବାଜରା ବାଜା ବଜାଏ ଓ ତାହା ପରେ ସେହି ଗୀତ ଓ ବାଜାକୁ ମନଦେଇ ଶୁଣୁଥାନ୍ତି ବଣର ବାଘ, ଭାଲୁ, ବିଲୁଆ, ହରିଣ, ସମ୍ବର, ଗଣ୍ଡା ଆଦି ସବୁ ଜାତିର ପଶୁ । କିଏ କେଉଁଠି ହେଣ୍ଟାଳ ଛାଡ଼େ, କିଏ କେଉଁଠି କାହାକୁ ଚିରି ଦିଏ, କିଏ ପୁଣି ଆର୍ତ୍ତନାଦ କରି ଦୂରେଇ ଯାଆନ୍ତି । ସମସ୍ତଙ୍କଠାରେ ଏକମାତ୍ର ବଞ୍ଚିରହିବାର ବାସନା । ତଳ ମାଳର ପଥର ଖାଲିଆ ଗୁବି ଗୁବିକା ହୋଇ ଉପରକୁ ମୁଣ୍ଡ ଟେକେ । ତା’ର ମଧ୍ୟ ଚିର ଦିନ ପାଇଁ ବଞ୍ଚିରହିବାର ଆଶା, ପାହାଡ଼ର ଶିଖର ଭଳି ବଢ଼ିବାର ଭରସା । ସବୁ ଗୁଡ଼ାକ ସମୟ ଉପରେ ଲଦିଦେଇ ମଣିଷ ଛୁଆକୁ ପେଟ ମଧ୍ୟରେ ଜାକି ରଖେ । ସେଠି ଆଉ ବାଘ, ଭାଲୁଙ୍କ ଆଖି ପଡ଼େ ନାହିଁ । ଅନ୍ଧାର ମାଡ଼ି ଆସିଲେ ମଣିଷ ଛୁଆ ଆଖି ବୁଜେ । ଆଲୁଅ ଆସିଲେ ଆଖି ଖୋଲେ । ଦେଖେ ତା’ର ସୁନାର ଦୁନିଆ । ବାଟ ଫିଟାଏ ତଳକୁ । ଲତା ପତ୍ର କାଟି କାଟି ପୋଡ଼ୁ ଚାଷ କରେ । ଚାଷ ହୁଏ, ବର୍ଷକ ପାଇଁ ସମ୍ବଳ ରଖେ । ନିଅଣ୍ଟ ପଡ଼ିଲେ ପ୍ରକୃତିର ଗନ୍ତାଘରୁ ସମ୍ବରଟେ କି ମିରିଗଟେ ନହେଲେ ବା ପକ୍ଷୀ ଗୋଟେ ମାରି ଆହାର କରେ । ଚଇତ ପରବ ଆସେ, ପୁଷ ପରବ ଆସେ, ବୈଶାଖ, କାର୍ତ୍ତିକ ଗୋଟି ଗୋଟି ହୋଇ ଗଡ଼ି ଗଡ଼ି ଚାଲିଯାଏ । ସବୁବେଳେ ତାହାର ମନରେ ଆନନ୍ଦ । ସ୍ୱଚ୍ଛ, ସୁନ୍ଦର ଜୀବନର ଅଧିକାରୀ ସେ । ତା’ରି ପଙ୍କର କୁଡ଼ିଆରେ କେଡ଼େ ଅନ୍ଧାର, ଜହ୍ନରାତି ହାଣ୍ଡିଆର ଉଚ୍ଛୃଙ୍ଖଳ ବାସନାକୁ ଆହାର କରେ । ମାଦଳ, ଚାଙ୍ଗୁର ଚାରୁ ବାଦ୍ୟରେ କାନ ହୁଏ କାତରା । ସେଇଠି ବି ପୂରି ରହିଛି ଏ ମାନବର ବଞ୍ଚିରହିବାର ବାସନା ।
ଦୂର ରାଇଜକୁ କେତେବେଳେ କେମିତି ଆଖି ପକାଇଲେ ଆଖି ଆଗରେ ନାଚି ଉଠେ ଖାଲି ଝାପ୍ସା ଦୁନିଆଟା । ଦିକ୍ ବଳୟଟା ନାଚି ନାଚି ହାଲିଆ ହୁଏ । ଅନ୍ଧାରି ଜଗତ ନଇଁ ପଡ଼ିଲେ ସେ ତା’ର ପଥର ଗୁହାକୁ ଚାଲିଯାଏ । ଆଉ ଏଇ ଦିକ୍ ବଳୟଟା ବି ଘୁଞ୍ଚିଯାଏ ପଛକୁ । ସେଇଠି ଲୁଚିଯାଏ । ଏହିପରି କେତେ ଦିନ, ମାସ ଓ ବର୍ଷ କଟାଇ ଦିଏ ଏହି ବଣୁଆ ମଣିଷ ନୂତନ ରାଜ୍ୟ, ନୂତନ ପଦାର୍ଥର ଅନୁସନ୍ଧାନରେ ।ଆଖି ତା’ର ପାଏ ନାହିଁ । ଯୁଆଡ଼େ ଚାହିଁଲେ ଧବଳ ପ୍ରାଚୀରର ଘେରା । ସେହି ପିଞ୍ଜରା ମଧ୍ୟରେ ସେ ପଶିଛି । ବାହାରି ଯିବାର ଉପାୟ ନାହିଁ । ଅନ୍ଧାର ଏଡ଼ାଇ ସୂର୍ଯ୍ୟ ଏ ମାଟିକୁ ରଙ୍ଗା କଲେ ଗଛର ଫଳ ଭାବି ସେହି ମଣିଷ କେତେ ଥର ତା’କୁ ଧରିବାକୁ ଦଉଡ଼ି ଯାଇଥିବ । କିନ୍ତୁ ତାକୁ ପାଇବା ଦୁରୂହ ବୋଲି ଜାଣି ଫେରି ଆସିଥିବ । ପୁଣି ନିଜ ପେଟର ତାତି ସଙ୍ଗେ ମାତି ଉଠି ଡ଼େଇଁ ଡ଼େଇଁ ଚାଲି ଯାଇଥିବ କେଉଁଠିକି ହୁଏତ ନିଜର ପେଟ ପାଇଁ ଖାଦ୍ୟର ଅନ୍ୱେଷଣରେ । ବାଟରେ କଣ୍ଟା ଖୁଞ୍ଚଠାରୁ ଆରମ୍ଭ କରି ପଶୁ ପକ୍ଷୀ ପର୍ଯ୍ୟନ୍ତ ସବୁ ତାକୁ ବାଧା ଦେଇଥିବେ । ନଖ, ଦାନ୍ତ ଦେଖାଇ ଦଉଡ଼ି ଆସିଥିବେ ତାହାରି ରକ୍ତର ସ୍ୱାଦୁ ଆସ୍ୱାଦନ ନିମନ୍ତେ । ଜଙ୍ଗଳ, ପାହାଡ଼ ପର୍ବତର ପାହାଡ଼ି ମଣିଷ ଏତେ ସହଜରେ ତା’ର ରକ୍ତ ମାଂସକୁ ଜୀବଜନ୍ତୁଙ୍କୁ ବାଣ୍ଟିଦେଇ ପାରେ ନା । ସମାଜର ଲଗାମ୍ ଛଡ଼ା ମାନବ କ’ଣ ଏହି ଭୟରେ ଭୟଭୀତ ହୋଇଯିବ? ପଥର ଖୋଲରେ ଲୁଚି ରହି ପଚି ସଢ଼ି ମରିଯିବ ? ନା ଟାଙ୍ଗିଆ, ଧନୁର ବଳରେ ସେ ବଳୀୟାନ, ଦୁର୍ଦ୍ଦଶ । କେତେ ଜନ୍ତୁଙ୍କର ନଖ ଦାନ୍ତକୁ ଭାଙ୍ଗି ଚୂନା କରେ । ଯେଉଁ ବାଘ ଭାଲୁ ମଣିଷ ରକ୍ତର ସ୍ୱାଦ ବାରିବାକୁ ଜିଭ ବଢ଼ାଇଥାନ୍ତି ସେଇମାନେ ନିଜେ ନିଜେ ତାଙ୍କର ରକ୍ତ ମାଂସକୁ ଦେଇଯା’ନ୍ତି ମଣିଷର ଖାଦ୍ୟ ରୂପେ । ପ୍ରକୃତିର ଧିକ୍କାର ଉପରେ ଧିକ୍କାର ଖାଇ ଏଇ ବଣୁଆ ମଣିଷ ବହୁତ ସାହସୀ, ଦୁର୍ଦ୍ଦଶ ।ଏହିପରି ସୃଷ୍ଟିର ସକଳ ପଦାର୍ଥ ପରି କ୍ରମ ବିକାଶ ଧାରା ଦେଇ ଆଗକୁ ଆଗକୁ ଧାଉଁ ଥିବା ମଣିଷ ଭିତରୁ ଦଳେ ଏଇ ପରଜା ଜାତି। ସିଏ ବି କ୍ରମ ବିକାଶୋନ୍ମୁଖୀ ସମାଜର ପ୍ରବାହରେ ପ୍ରବହମାନ ହୋଇ,ପରିବର୍ତ୍ତନର କ୍ରମ ଅବଲମ୍ବନ କରି ଦେଖିଛି ଭବିଷ୍ୟତର ସୁନେଲି ସ୍ଵପ୍ନ, ଗତି ତା’ର ଆଗକୁ।
ତାମ୍ର ଶିଖରର ତାମ୍ରପଟି ଚୂଡ଼ା ମୁଣ୍ଡ ଟେକିଥିଲା ଉପରକୁ । ଧୀର, ନିଶବ୍ଦ, ଗମ୍ଭୀର । ପଶ୍ଚିମର ଦିକ୍ଚକ୍ରବାଳରେ ଅଜାଡ଼ି ପଡ଼ିଥିଲା ଅରୁଣୀର ରକ୍ତ ଅରୁଣିମା । ସୁନାର ଜଗତ ମନ ପୂରାଇ ହସୁଥିଲା ସତେକି, ଫାଟିଯିବ ଲୋଟିଯିବ କେଉଁ ଅଦୃଶ୍ୟ ଭାଗ୍ୟର ଅନ୍ତରାଳରେ । ପର୍ବତର ନିମ୍ନ ଦେଶରେ ଶାଗୁଆ ଜଙ୍ଗଲଟା ବି ରକ୍ତ ଅରୁଣୀମାକୁ ପାଇବା ପାଇଁ ଢେର ବାଟ ଲମ୍ବି ଯାଇଥିଲା । ସେହି ଜଙ୍ଗଲ ପଛକୁ ବୁଦି ବୁଦିକା କଣ୍ଟା ଗଛର ବିଶୃଙ୍ଖଳ ଦଳ କାହାର ଅନ୍ୱେଷଣ କରୁଥିଲେ । ତାମ୍ର ଶିଖରର ପ୍ରସ୍ତର ଶରୀର ଉପରେ କଳରୋଳରେ ନିର୍ଝରିତ ଅରଙ୍ଗା ଝରଣୀ । ସେହି ପାଖକୁ ସରଙ୍ଗା ନଦୀ ବହିଯାଇଛି । ଏହି ସରଙ୍ଗା ନଦୀର କୂଳେ କୂଳେ ପରଜା ଜାତିର ବସା । ପୂର୍ବର ଭ୍ରମ୍ୟମାଣ କଳା ଟାଉଁସିଆ ଚମଡ଼ାର ଲୋକେ ଏଇ ପରଜାଦଳ ଦିନେ ଏକାଠି ହେବାପାଇଁ ଚିନ୍ତା କରିଥିଲେ । ଖାଇବା ପିଇବାର ସୁବିଧା ପାଇଁ, ଜୀବଜନ୍ତୁଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋଡ଼ିଥିଲେ ଦଳ — ଏହି ସମାଜ । ଲଙ୍ଗଳା ମଣିଷ ଏହି ଜଙ୍ଗଲର କଣ୍ଟା ବୁଦାକୁ କାଟି କାଟି ତାହାରି ମଧ୍ୟରେ ବାଟ ଫିଟାଇଛି । ଜୀବ ଜନ୍ତୁଙ୍କୁ ମାରି ପ୍ରତ୍ୟହ ତା’ର ଉଦର ଭରଣ କରେ । କିନ୍ତୁ ସେଇଥିରେ ସେ ସ୍ଥିର ନୁହେଁ । ସେ ଚାହେଁ କିଛି ନୂତନ ପଦାର୍ଥର ଅନୁସନ୍ଧାନ, ଉନ୍ନତ ଜୀବନ ଯାପନର ପ୍ରଣାଳୀ, ସେଇଥି ପାଇଁ ସେ ଯୁଗେ ଯୁଗେ ଅଧ୍ୟାବସାୟୀ ।
ରୁଣୁ……..ଝୁଣୁ…………ଝୁଣୁରୁ……..ଝୁଣୁରୁ….ଝୁଣ…ଝମ …ଝମର….ଝମର…ଝମର ଝମ…ଝମ ପର୍ବତର ନୃତ୍ୟମୟୀ ସାନ୍ଧ୍ୟ ପ୍ରକୃତିର ତାଳେ ତାଳେ ପୂରି ଉଠୁଥିଲା ଝୋଲାର କୂଳେ କୂଳେ ନୃତ୍ୟରତା ସହ୍ଲାମିନାଦିର କର୍ଣ୍ଣ ନିକ୍ୱଣ। ଅସ୍ତଗାମୀ ସୂର୍ଯ୍ୟର କ୍ଷୀଣାଲୋକରେ ସୁନ୍ଦର ଦେଖା ଯାଉଥିଲା ପୃଥିବୀ । ସହ୍ଲାମିନାଦିର ମନରେ ନୂତନ ଉତ୍ସାହ, ନୂତନ ଉଦ୍ଦୀପନା । କ୍ଳାନ୍ତିହୀନ ନାଚ ପରେ ତା’ର କଳା ମଚ ମଚ ଦେହ ଉପରେ ଜମି ଯାଇଥିଲା ସ୍ୱେଦର ଏକ ଆସ୍ତରଣ । ହସ ହସ ମୁଁହ ବଳିଲା ବଳିଲା ଦେହକୁ ଖୁବ ମାନୁଥିଲା । ହାତ ହଲାଇ ଏ ପଥରରୁ ସେ ପଥର ସେ ପଥରରୁ ଏ ପଥର ପୁଣି ତଳକୁ ଏହିପରି ତା’ର ନୃତ୍ୟନ୍ୟାସ ଥିଲା ସୀମାହୀନ । ବଣର ବାଘ ଭାଲୁକୁ ତା’ର ନଥିଲା ଡ଼ର । ପିଠିରେ ଝୁଲୁଥିଲା ଧନୁଶର । ମନରେ ଅପୂର୍ବ ଆନନ୍ଦ ଏବଂ ସାହସ । ସେ ନୂଆ ନୂଆ ଜିନିଷ ଆବିଷ୍କାର କରିଛି । ଠସର ଖୋଳରେ କାଇଞ୍ଚ ରଖି ତିଆରି କରିଛି ନୂପୁର, ଦେହରେ ଝୁଲାଇଛି ପତ୍ରମାଳ, ମୁଣ୍ଡର କେଶକୁ ହାତରେ ସିଆଳି ନଈରେ ବାନ୍ଧିଛି । ଆଜି ସେ କେତେ ସୁନ୍ଦର ଦେଖା ଯାଉଛି । ଆଗରୁ ପରଜା ଜାତିରୁ କେହି ହେଲେ ଏପରି ଜାଣି ନଥିଲେ । ସେ ଆଜି ସୁନ୍ଦର ସ୍ୱରରେ ଗୀତ ଗାଇ ପାରୁଛି । ସତେ ତା’ର କଣ୍ଠ ତା’ ଦେହ ସାଙ୍ଗକୁ କିପରି ମାନୁ ନଥିବ ? ହୁଏତ ଏ ପରଜା ଦଳର ଅଧିକାରୀ ଯିଏ, ତାହାରି ପୁଅ ଆସି ବାହାହେବା ପାଇଁ ତାକୁ ଅନୁରୋଧ କରିବ । ସବୁ ଲୋକେ ତାକୁ ଘେରିଯିବେ । ଉପରକୁ ଟେକି ଧରିବେ । ସେମାନେ ମଧ୍ୟ ସେହି ପ୍ରସ୍ତାବ ଦେବେ । କିନ୍ତୁ ସେ ଅଧିକାରୀର ପୁଅ ଡ଼ିମାକୁ ବାହା ହେବ ନାହିଁ । ସେ ମଦୁଆଟା । ସଲପ ଗଛରେ ତା’ର ବସା । ବାପ ମା’କୁ ବି ପିଟେ । ତେବେ ସେ ବାହା ହେବ ଘୁମା ପରଜାର ପୁଅ ହୁମାକୁ । ହୁମା ତା’ର ପିଲା ଦିନର ସାଙ୍ଗ, ଭାରି ଶିକାରୀ । ପିଲାଦିନେ ପରା ହୁମା ତାକୁ ଭାଲୁ କବଳରୁ ରକ୍ଷା କରିଥିଲା । ଆକାଶର ଭସା ବାଦଲ ପରି ମନରେ ଭାସିଯାଏ କେତେ କଳ୍ପନା । ସାଗରର ଉତ୍ତାଳ ତରଙ୍ଗମାଳା ପରି କେତେ କେତେ ଚିନ୍ତାସବୁ ଡ଼େଇଁ ଡ଼େଇଁ ମହା ଉଲ୍ଲାସରେ କୂଳ ପାଖକୁ ଧାଇଁ ଆସୁଛନ୍ତି । କିନ୍ତୁ କିଏ ସେମାନଙ୍କ ମଧ୍ୟରୁ ପହଞ୍ଚୁଛି । କିଏ ବା କୂଳ ଛୁଇଁବା ପୂର୍ବରୁ ବିଲୀନ ହୋଇ ଯାଉଛି । ତଥାପି ସେମାନେ କ’ଣ କର୍ମ ବିରହିତ ?
ସୁନା ଟିପାର ପୃଥିବୀ ଏବେ ବି ଫିକା ପଡ଼ିନାହିଁ । ସୂର୍ଯ୍ୟ ଦେବତା ପଶ୍ଚିମ ଭାଲରେ ଲୁଚିଯାଇ ନାହାନ୍ତି । ଅନ୍ଧାର ବି ଢେର ଦୂରରେ ଦୂରେଇ ରହିଛି । ମାତ୍ର କର୍ମରହିତ ହେଲେଣି ସେମାନେ– ଏଇ ପରଜା ଦଳ । ଯେ ଧରା ବକ୍ଷରେ ଜୀବନ ଯାପନ କରନ୍ତି ଧାରାବାହିକ ଜୀବନ– ଶିକାର କରିବା, ପତ୍ରର କୁଡ଼ିଆ କରିବା, ବଣ ବୁଦା ପର୍ବତ କୋଳରେ ଡ଼େଇଁ ଡ଼େଇଁ ବୁଲିବା । ପର୍ବତ ଉପରୁ ଗୋଟି ଗୋଟି ହୋଇ ଗଡ଼ି ଆସିଲେ ପରଜା ଲୋକେ । ଆଗରେ କିଛି ପୁରୁଷ, ତାହା ପରେ ସ୍ତ୍ରୀମାନେ ,ତାହା ପରେ ପିଲାମାନେ ଏବଂ ସର୍ବ ଶେଷରେ ପୁରୁଷମାନେ । ଅନ୍ଧାର ମାଡ଼ି ଆସିଲେ ପଥର ଖୋଲିଆରୁ ବାଘ, ଭାଲୁ ଗଡ଼ି ଆସିବେ । ସେମାନଙ୍କ ଦାଉରୁ ରକ୍ଷା ପାଇବା ରାତ୍ରରେ କଷ୍ଠକର ହେବ । ତେଣୁ ଶୀଘ୍ର ଯାଇ ଝୋଲା କୂଳରେ ପହଞ୍ଚିବା ଉଚିତ । ରାତ୍ରରେ ଖାଦ୍ୟ ପାଇଁ କିଛି ଅସୁବିଧା ହେବ ନାହିଁ । ସାଙ୍ଗରେ ଆସିଛନ୍ତି ଦୁଇଟା ମିରିଗ,ଦି’ଟା ସମ୍ବର ଏବଂ ଗୋଟାଏ ପୋଡ଼ । ମିରିଗ ମାଉଁସ କଅଁଳିଆ ଏବଂ ମିଠା ସମ୍ବର ମାଉଁସ ତାହାଠାରୁ ଟିକେ କମ୍ ଭଲ । କିନ୍ତୁ ପୋଢ଼ର ମାଉଁସ ଭାରି ଟାଣ ।
ଗୋଡ଼ କ୍ରମଶଃ ଚଞ୍ଚଳ ହେଉଛି । ଗଡ଼ାଣିଆ ଭୂମିରେ ସେମାନେ ଚାଲିଛନ୍ତି । ପର୍ବତ ଉପରୁ ଝୋଲା ଆଡ଼କୁ ଅନାଇଲେ ଭାରି ଆକାଶିଆ ଲାଗେ । ତଥାପି ସେମାନଙ୍କର ଡ଼ର ନାହିଁ । ସବୁଦିନେ ସେଇଠି ସେମାନେ ଖେଳନ୍ତି, ବୁଲନ୍ତି । ଏହି ପର୍ବତ ସେମାନଙ୍କର ଜନ୍ମଭୂମି । କ୍ରମେ ନିକଟ ହୋଇ ଆସିଲା ନୂପୁରର ଧ୍ୱନି ଝମ୍-ଝମ୍-ଝମ୍ । ହଠାତ୍ ଅଟକି ଗଲେ ପରଜା ଜାତି । କେଉଁଠି କି ଶବ୍ଦ ହେଉଛି; ସମସ୍ତେ ତରସ୍ତ ନୟନରେ ଚାହିଁଲେ । କାଳେ କୁଆଡ଼େ ଗୋଟାଏ ନୂଆ ଜନ୍ତୁ ହାବୁଡ଼ି ଥିବ । କିମ୍ବା ଡ଼ୁମା ଦେବତା ଆସିଥିବ ମଣିଷ ବଳି ଖାଇବାକୁ । ସହ୍ଲାମିନାଦି ଏମାନଙ୍କୁ ଦେଖି ଖୁବ୍ ଜୋରରେ ନାଚିବାକୁ ଆରମ୍ଭ କରି ଦେଇଥିଲା । ପୁଣି ନାଚ ସଙ୍ଗେ ସଙ୍ଗେ ଗୀତ ମଧ୍ୟ ଗାଇଲା । ହଠାତ୍ ଗୋଟିଏ ବୁଢ଼ୀ ପାଟି କରି ଉଠିଲା–ଏ–ଏ ସହ୍ଲାମିନାଦି ଝୋଲେ ଗାନି ନାଚି–ଏ, ଅ–ଅ । ସମସ୍ତେ ବୁଝିଗଲେ ଝୋଲା କୂଳରେ ସହ୍ଲାମିନାଦି ଗାଉଛି ଏବଂ ନାଚୁଛି । ଆସ–ଆସ । ସମସ୍ତେ ସେହି ବୁଢ଼ୀର ପଛେ ପଛେ ଧାଇଁ ଚାଲିଲେ । କଣ୍ଟା ବୁଦା କେହି ସେମାନଙ୍କୁ ଅଟକାଇ ପାରୁ ନାହାଁନ୍ତି । ସମସ୍ତଙ୍କ ମନରେ ନୂଆ ପ୍ରକାର ଫୂର୍ତ୍ତି, ନୂଆ ଆନନ୍ଦ– ତାଙ୍କରି ଜାତିର ଝିଅ ନୂଆ ଜିନିଷ ଦେଖି ପାରିଛି । ଯା’ର ଶବ୍ଦ ଶୁଣିବାକୁ ଭାରି ଭଲ ଲାଗୁଛି ।
ସମସ୍ତେ ଗୋଟି ଗୋଟିହୋଇ ପହଞ୍ଚିଗଲେ ସହ୍ଲାମିନାଦିର ପାଖରେ । ସହ୍ଲାମିନାଦି ଏମାନଙ୍କର ଭାବ ଦେଖି ହସି ହସି ଫାଟି ପଡ଼ୁଥାଏ । ପରଜା ଲୋକେ ସବୁ ଦେଖିଲେ । ସହ୍ଲାମିନାଦି ବେକରେ କାଇଁଚମାଳି, ଅଣ୍ଟାରେ ପତ୍ରମାଳ ଝୁଲାଇଛି, ମୁଣ୍ଡର ଚୂଳକୁ ସିଆଳି ନଇରେ ବାନ୍ଧି ସୁସଜ୍ଜିତ କରିଛି । ଭାରି ସୁନ୍ଦର ଦେଖା ଯାଉଛି । ତାହା ପରେ ନିଜ ନିଜ ଦେହକୁ ଦେଖିନେଲେ ଛି,ଛି କେଡ଼େ ଖରାପ ସେମାନେ ଦେଖାଯାଉଛନ୍ତି । ଦେହରେ ଆଭରଣ ନାହିଁ, ସେମାନେ ଉଲଗ୍ନ । ମୁଣ୍ଡରେ କେଶ ଅବିନ୍ୟସ୍ତ । ପୁଣି ଗୋଡ଼କୁ ଅନାଇଲେ । ଦେଖିଲେ ଗୋଟାଏ ନୂଆ ଜିନିଷ କ’ଣ ବନ୍ଧା ହୋଇଛି । ସେଇଟିକୁ ଚିହ୍ନି ପାରିଲେ ନାହିଁ । ବୁଢ଼ୀଟି ପଚାରିଲା-ଏ ସହ୍ଲାମିନାଦି, ଏ-ଏ-ଇ ? ଏ କ’ଣ ? ସହ୍ଲାମିନାଦି କିଛି କହିଲା ନାହିଁ । କାରଣ ସେ ପରଜା ମାନଙ୍କର କୈାତୁକ ଦେଖିବା ପାଇଁ ଇଚ୍ଛା କରୁଥିଲା । କିଛି ସମୟ ପରେ ସେମାନେ ବ୍ୟସ୍ତ ହେବାରୁ କହିଲା — ପୋକକ ବସେ ରୁନ୍ଜ ଜାବାଦ । ଅର୍ଥାତ୍ ପୋକର ବସାରେ ସେ ରୁଞ୍ଜ ରଖିଛି । ଏବଂ ଏହି ସୁନ୍ଦର ଆବାଜ ତାହାରି । ସମସ୍ତେ କୋଳାହଳରେ ମାତି ଉଠିଲେ । ପର୍ବତ ଭୂଇଁ ମୁଖରିତ ହୋଇ ଉଠିଲା । ସମସ୍ତେ ସହ୍ଲାମିନାଦିକୁ ଟେକି ଧରିଲେ । ନାଚି ନାଚି ଥକି ଗଲେ ବଣୁଆ ଲୋକେ । ପରଜା ଜାତିର ଝିଅ ଆଜି ନୂଆ ଜିନିଷ ଦେଖିଛି । ସେ ଜାତିର ଗର୍ବ । ସମସ୍ତେ ଏକ ସାଙ୍ଗରେ କହି ଉଠିଲେ ଏକା ଅଧିକାରୀର ପୁଅ ପାଇଁ ଲୋଡ଼ା । ଡ଼ିମା ଏକଥା ଶୁଣି ନାଚି ଉଠିଲା -ସହ୍ଲାମିନାଦିକୁ ସେ ବାହା ହେବ । ଆଶା ଭରସାରେ ଛାତି ତା’ର କୁଣ୍ଢେମୋଟ । କିନ୍ତୁ ସହ୍ଲାମିନାଦି କହିଲା ନେଁ -ନାଁ । ସମସ୍ତେ ବୁଝିଲେ ସହ୍ଲାମିନାଦି ଏ କଥାରେ ରାଜି ନୁହେଁ । ସେ ମନା କରୁଛି । ତା’ର କଣ୍ଠରେ ଥିଲା ଅସମ୍ଭବ ଦୃଢ଼ତା । ଜାତିର ଗର୍ବ ସେ । ତା’ର କଥାରେ ପ୍ରତିରୋଧ କରିବାକୁ କେହି ଇଚ୍ଛା କଲେ ନାହିଁ । ଅନ୍ଧାର ଏହି ବଣୁଆ ଜାତିର ଆନନ୍ଦରେ ଭାଗ ନେବାକୁ ଦଉଡ଼ି ଆସୁଥିଲା । କେତେବେଳେ ସୁନା ପୃଥିବୀଟା ଧୂସର ପାଲଟି ଗଲାଣି କାହାକୁ ସେକଥା ମାଲୁମ ନାହିଁ । ସେ ନଏଁ, ଏଇ-ଅ – ଅଧିକାରୀ କହିଲେ – ସେ କଥା ବର୍ତ୍ତମାନ ନୁହେଁ; ଆସ ! ଆସ ସମସ୍ତେ । ସେହି କଥାରେ ସମସ୍ତେ ହଁ ଭରିଲେ । ଧାଡ଼ି ବାନ୍ଧି ଚାଲିଲେ ସେମାନଙ୍କ ପଥର ଖୋଲିଆ ଆଡ଼କୁ । ସମସ୍ତଙ୍କ ଆଗରେ ସେହି ସହ୍ଲାମିନାଦି ।
ଗୋଧୂଳିର ଲଗ୍ନର ଧୂସର ଜଗତ ଅନ୍ଧକାରର ଗନ୍ତାଘର ପାଲଟି ଯାଇଥିଲା ପଲ୍ଲୀମାଳରେ ପହଞ୍ଚିବା ବେଳକୁ । ପୈାଷର କାଠୁଆ ଶୀତରେ ମନୁଷ୍ୟର ଚର୍ମ ତଳେ ଥର ଜମି ଆସୁଥିଲା । ବଣର ଲଙ୍ଗଳା ମଣିଷ ପିନ୍ଧିବା ପାଇଁ ଲୁଗା ପାଇବ କେଉଁଠୁ-ଯେ ପୁଣି ଲୁଗାର କଳ୍ପନା ମଧ୍ୟ ଥରେ ହେଲେ ନିଜ ମନକୁ ଆଣିନାହିଁ । ତେବେ କ’ଣ ସେ ଶୀତରେ ଥରି ଥରି ମରିଯିବ, ସଢ଼ିଯିବ ଏହି ସବୁଜ ପର୍ବତର ତଳେ ? କେଉଁ ଦିନଠୁଁ ତା’ର ଲୋମଗୁଡ଼ା କାଳ ବକ୍ଷରେ ଧୋଇ ହୋଇ ଯାଇଛି । ଲାଙ୍ଗୁଡ଼ ବି ଛିଡ଼ି ଯାଇଛି । ଛୋଟ ଛୋଟ ପିଲାମାନେ ନିଜ ନିଜ ମା କୋଳରୁ ଜୁଳୁ ଜୁଳୁ କରି ଅନାଇ ରହିଥାନ୍ତି ଖାଦ୍ୟ ଉପରକୁ । ବଡ଼ ବଡ଼ ଲୋକମାନେ କାଠ, ପତ୍ର, ସାଉଣ୍ଟି ଆଣିଲେ । ଦଳର ସବୁଠାରୁ ବଡ଼ ମଣିଷମାନେ ହରଡ଼ କାଠକୁ ଘସି ନିଆଁ ବାହାର କଲେ । ତା’ ପରେ ଲାଗିଲା ଡ଼ାହି । ଡ଼ାହି ଚାରିପଟେ ସମସ୍ତେ ବସିଗଲେ । ଆଣିଥିବା ଖାଦ୍ୟ ବସ୍ତୁକୁ ଟିକେ ନିଆଁକୁ ଦେଖାଇ ଦେଇ ପଥର ଆୟୁଧରେ ଚିରି ଖଣ୍ଡ ଖଣ୍ଡ କଲେ । ଦଳର ସଂଖ୍ୟା ଆନୁଯାୟୀ ଭାଗ ହେଲା । ଦଳର ଶ୍ରେଷ୍ଠ ଯିଏ ପ୍ରଥମେ ଖାଇବାର କଥା । କିନ୍ତୁ ଆଜିର ନୀତି ଭିନ୍ନ । ସହ୍ଲାମିନାଦି ଜାତିର ଗର୍ବ ହୋଇ ଥିବାରୁ ସେ ପ୍ରଥମେ ଖାଇବ । ଅଧିକାରୀ ନିଜେ ଗୋଟାଏ ମିରିଗ ଗୋଡ଼ ନେଇ ସହ୍ଲାମିନାଦିକୁ ଦେଲେ । ସହ୍ଲାମିନାଦି କହିଲା ନାଁ ମେଁ ନେ ହୁମା ଦିକୁ- କେବଳ ମୋତେ ନୁହଁ ହୁମାକୁ ମଧ୍ୟ । ସମସ୍ତେ ଏହାର ଅର୍ଥ ଭଲ ଭାବରେ ବୁଝି ପାରିଲେ ନାହିଁ । ବୋକା ପରି ଚାହିଁ ରହିଲେ । ପୁଣି ସେ କହିଲା- ସେ ମ ମଦ- ସେ ମୋର ମରଦ । ଏହି କଥାରେ ସହ୍ଲାମିନାଦିର ଉଦ୍ଦେଶ୍ଯ ସମସ୍ତେ ବୁଝି ପାରିଲେ । ଅଧିକାରୀର ଆଖିରେ ନାଲି ରଙ୍ଗ ଚଢ଼ି ଆସିଥିଲା । ସେ ଚିତ୍କାର କରି କହି ଉଠିଲା -ଏ ପରଜେ ଧରର୍ ଗୋଜ୍ ଲଗେଁ–ହେ ପରଜା ମାନେ ପଥରର ଗୋଜ ଧର ଏବଂ ଏମାନଙ୍କୁ ପିଟ । ଜାତିର ଅଧିକାରୀ, ମୁଖ୍ୟ ଏହି ଦଳପତି । ତା’ର କଥା ମାନିବା ପାଇଁ ଜାତିର ନିୟମ । ନହେଲେ ଡ଼ୁମା ଦେବତା ରାଗିବ । ବେଶି ମଣିଷ ବଳି ଖାଇବ । ସମସ୍ତେ ଧରିଲେ ପଥର ଆୟୁଧ । ସହ୍ଲାମିନାଦି ହୁମାକୁ ଡ଼ାକିଲା । ତାହାରି ପାଖକୁ ଦଉଡ଼ି ଗଲା । ହୁମା ବି ଧରିଲା ଧନୁଶର । ସହ୍ଲାମିନାଦିକୁ ପାଖକୁ ଆଉଜାଇ ନେଲା ସେ । ତା ମୁହଁରେ ବୋକ ଦେଲା । କହିଲା– ତାହାରି ପାଇଁ ସେ ତା’ର ଜୀବନ ଦେବାକୁ ପ୍ରସ୍ତୁତ ଅଛି । ଧନୁରେ ଗୁଣ ଦେଲା ହୁମା । କିନ୍ତୁ ସହ୍ଲାମିନାଦି ବାଧା ଦେଲା । ଯେଉଁ ଜାତିରେ ସେମାନେ ଏତେ ବଡ଼ ହୋଇଛନ୍ତି, ଯେଉଁ ଜାତିରେ ସେମାନେ ବୁଦ୍ଧି ଶିଖିଛନ୍ତି ଯେଉଁ ଜାତି ଭିତରେ ରହି ଦେଖିଛନ୍ତି ସୁନେଲି ଭବିଷ୍ୟତର କଳ୍ପନା — ସେହି ଜାତିଟାକୁ କ’ଣ ସେମାନେ ଟିକିଏ ମାତ୍ର ଦୋଷ ପାଇଁ କ୍ଷତ ବିକ୍ଷତ କରି ଦେବେ ? ଜାତିଠାରୁ ଏ ପର୍ଯ୍ୟନ୍ତ ଯେଉଁ ସ୍ନେହ ପାଇ ଆସିଛନ୍ତି ତାହାର ପରିଣାମ କ’ଣ ଏଇଆ ହେବ ? ପରଜାମାନେ କ’ଣ କ୍ଷତ ବିକ୍ଷତ ହୋଇ ମରିଯିବେ ? ନା ସେ କଥା ହେବ ନାହିଁ, ସେମାନଙ୍କୁ ଦୁଃଖ ମଧ୍ୟରେ ବୁଡ଼ାଇ ଦେବାକୁ ଚାହାନ୍ତି ନାହିଁ ସେମାନେ । ବରଂ ସେମାନଙ୍କ ପାଖରୁ ଦୂରେଇ ଯିବା ଉଚିତ । ସବୁ କଥା ଗୋଟି ଗୋଟି କରି ବୁଝାଇ ଦେଲା ହୁମାକୁ । ଏ କଥାରେ ହୁମା ଦାନ୍ତରୁ ରଡ଼ି କମି ଆସିଲା । ସେ କେବଳ ସହ୍ଲାମିନାଦିର ପ୍ରସ୍ତାବ ପାଇଁ ଅପେକ୍ଷା କରି ରହିଥିଲା । ସହ୍ଲାମିନାଦି କହିଲା –ହୁମା-ଏ-ଚଲେ-ଟୋଙ୍ଗା କି ଉତ୍ତରେ ତେନେ ରହ–ପର୍ବତର ସେପଟକୁ ଚାଲ ଯିବା, ସେଇଠି ରହିବା । ହୁମା ବି ଏହି କଥାରେ ହଁ ଭରିଲା ।
ଘନ ତମସାର ତାମସୀ ରାତ୍ରି ଝିଲ୍ଲୀ ଶବ୍ଦର ପ୍ରତି ଶଦ୍ଦାୟିତ ସେହି ଅନ୍ଧକାରର ଘନ ଆସ୍ତରଣ । କାଳ କରାଳ ପ୍ରାୟ କୃଷ୍ଣ ପଟଳର ଅନ୍ତ ମଧ୍ୟକୁ ଲମ୍ଫଦେଲେ ଆଶାୟୀ ଦମ୍ପତି । ଆଜି ଦୁଇଟି ମନରେ ଅପୂର୍ବ ଆନନ୍ଦ, ଅପୂର୍ବ ସାହସ । ସତେକି ସେମାନେ ଅସୀମ ଆକାଶର ବାଦଲ, ନୀଳ ବାରିଧିର ଉତ୍ତାଳ ତରଙ୍ଗ । ଆଗରେ ସୁନ୍ଦର ଭବିଷ୍ୟତ, ପଛରେ ଜନ୍ମ ମାଟିର ମୋହ, ପୁଣି ମନରେ ଖେଳୁଛି ମିଳନର ଦ୍ୱନ୍ଦ, ମିଳନର କୃତ୍ୟ, ମିଳନ-ଦୁଇଟି ପ୍ରାଣର ସୀମାହୀନ ଅନୁଭୂତି । ଦୁହେଁ ଚାଲିଛନ୍ତି ସମାନ ଗତିରେ । ମନରେ ଶାନ୍ତି ନାହିଁ, ଆଖିରେ ନିଦ ନାହିଁ ଖାଲି ସୁଦୂର ପ୍ରସାରି ଆଶାର ପ୍ରାଚୀର । ପଛରେ କେତେ କଣ୍ଟାବୁଦା ପାଦର ରକ୍ତକୁ ଶୋଷଣ କରିଛି । କେତେ ପଥର ଗୋଡ଼ ଆଙ୍ଗୁଠିର ମଠାସକୁ ଚଟଣୀ କରିଛି । ତଥାପି ଦୁଃଖ-କଷ୍ଟ ମନରେ ଲଗାମ ଦେଇ ପାରି ନାହିଁ । ନୂତନ ଆଶା ଭରସାରେ ସେମାନେ ଉଜ୍ଜୀବିତ ।
ମନରେ ପଡ଼ିଲା ଜନ୍ମ ମାଟିର ମୋହ, ଜନ୍ମ ମାଟିର ଅବଦାନ । ତା’ରି ଉଦ୍ଦେଶ୍ଯରେ ସହ୍ଲାମିନାଦି ପଛକୁ ଅନାଇଲା । ଝୋଲା କୂଳେ କୂଳେ ଲମ୍ବି ଯାଇଛି ସବୁଜ ଅରଣ୍ୟ । ଏହି ଅରଣ୍ୟକୁ ଛାଡ଼ି ସେମାନେ ଏହାର ଚିର ନିର୍ବାସିତ ହେବେ । ଏହି ଝୋଲାର ପାଣି, ଏହି ଅରଣ୍ୟର ବେତ କୋଳି, ନୁଣିକୋଳି ପ୍ରାୟ ଆଉ ସେମାନଙ୍କର ଜିଭରେ ଲାଗିବ ନାହିଁ । ଆଉ ବି ସେମାନେ ମନ ଖୁସିରେ ନାଚି ପାରିବେ ନାହିଁ । ଜନ୍ମ ମାଟିର ବୁକୁପରେ । ଭଲକରି ଚାରିଆଡ଼କୁ ଅନାଇଲା । ସବୁଆଡ଼େ ଅନ୍ଧକାର ଘେରା । କେଉଁଠି କିଛି ହେଲେ ଦେଖା ଯାଉନି । ହୁଣ୍ଡା, ହାଉଡ଼ା ପରଜା ଜାତି ରହି ଗଲେଣି ବହୁ ଦୂରରେ ।
ଏଁ….ଏଁ…ଏଁର୍ର୍, ହଠାତ୍ ସହ୍ଲାମିନାଦୀ ଚିତ୍କାର କରି ଉଠିଲା । ହୁମାର ବକ୍ଷକୁ ଜାବୁଡ଼ି ଧରି ଦେଖାଇ ଦେଲା-ଟିକିଏ ଦୂରରେ ଦୁଇଟି ଜଳିଲା ପଦାର୍ଥ । ପ୍ରାୟ ଚିତାପଟିଆ ବାଘର ଦୁଇଟି ଚକ୍ଷୁ ଲୁହ ଲହୁରେ ପିଟାପୋଡ଼ା ସେହି ମାନଙ୍କର ରକ୍ତ ମାଂସ ଉଦ୍ଦେଶ୍ଯରେ ଜଳି ଉଠିଛି । ସେ ଆଗେଇ ଆସିଛି ସେମାନଙ୍କର କଳ୍ପନାର ରଂଗ ମଞ୍ଚକୁ ଧୂଳିରେ ମିଶାଇ ଦେବାପାଇଁ । ହୁମାର ଦୂରନ୍ତ ସ୍ୱପ୍ନ ସେଇଠି ଝୁଙ୍କି ପଡ଼ିଲା । ହାୟ ! ହାୟରେ ସୃଷ୍ଟିର ସ୍ରଷ୍ଟା ! କେତେ ଦୁର୍ବଳ କରି ଏ ମଣିଷ ଜାତିଟାକୁ ଜନ୍ମଦେଲୁ, କେଡ଼େ ଅଭିଶପ୍ତ କରି ଗଢ଼ି ଦେଲୁ । ମଣିଷ ଦେହରେ ନଖ ନାହିଁ, ସିଙ୍ଗ ନାହିଁ, ଶକ୍ତ ଦାନ୍ତ ନାହିଁ କି ସିଂହ ପରି ବଳ ନାହିଁ । କେବଳ ବୁଦ୍ଧି ବଳରେ ସେ କ’ଣ ବଳିୟାନ ହୋଇ ପାରିବ ? ଗଢ଼ି ପାରିବ ତା’ର ସୁନାର ସଂସାର ? ମନରେ ସାହସ ବାନ୍ଧିଲା ହୁମା । ଧନୁରେ ଦେଲା ଗୁଣ । ସଙ୍ଗେ ସଙ୍ଗେ ଜ୍ୱଳନ୍ତ ଆଲୋକରୁ ଗୋଟିଏ ଲିଭିଗଲା । ପୁଣି ଗୋଟାଏ ତୀର ଛୁଟିଗଲା ସେଇଠିକି । ଅନ୍ୟ ଆଲୋକଟି ମଧ୍ୟ ଝଡ଼ି ପଡ଼ିଲା । ବିକଟ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଲା ବନଭୂମି । ସତେ ମେଦିନୀ ଥରି ଉଠିଲା । ଭାଙ୍ଗିଯିବ, ଫାଟିଯିବ ତା’ରି ବୁକୁ ଆଉ ଝଡ଼ି ପଡ଼ିବ ଏଇ ନୀଳ ଗଗନର ନୀଳିମା ।
ସହ୍ଲାମିନାଦିର ଅଧର ଉପରେ ହୁମା ଦେଲା ବୋକ । କହିଲା,– ଚଲେ ଆର୍ ନ ଦୋର୍ — ଚାଲ ଆଉ ଡ଼ରିବା ନାହିିଁ । ସହ୍ଲାମିନାଦି ଚାଲିଲା ଆଗକୁ — ପର୍ବତ ଉପରକୁ । ମନର ସବୁ ଆଶା ପୂଞ୍ଜିଭୂତ କରି ଆଗେଇ ଚାଲିଛନ୍ତି ସେମାନେ । ଶୃଙ୍ଗପରେ ଶୃଙ୍ଗ ଡ଼େଇଁ ଚାଲିଯିବେ ପର୍ବତର ସେପଟକୁ । ସେଠି ପରଜା ଜାତି ଆଉ ତାଙ୍କୁ ଖୋଜି ପାଇବ ନାହିଁ ।
ତାମ୍ର ଶିଖର ଉପରେ ପହଞ୍ଚି ଗଲେଣି ଦୁହେଁ । ସହ୍ଲାମିନାଦି ଜନ୍ମ ମାଟିକୁ ଚାହିଁଲା । ଦୂର ଦିଗ୍ ବଳୟଟା ପୂର୍ବପରି ବଞ୍ଚି ରହିଥିଲା । ସେ ଚିନ୍ତା କରିଥିଲା -ହୁଏତ ତାମ୍ର ଶିଖର ଉପରୁ ଜଗତଜାକ ସବୁ ଦିଶିବ । କିନ୍ତୁ କାହିଁ ? ଅପରିଚିତ ସବୁ ସୀମିତ । ବଳୟଟା ସବୁକିଛି ଘୋଡ଼ାଇ ରଖିଛି । ପରଜା ଦଳ କେଉଁଠି ମିଶି ଗଲେଣି ଦେଖା ଯାଉ ନାହାଁନ୍ତି । ରାତ୍ରରେ ନିଶ୍ଚୟ ସେମାନଙ୍କୁ ନପାଇ କଣ୍ଟା ଖୁଞ୍ଚରେ ଧୁନ୍ଦି ହେଉଥିବେ । ପୁଣି ରାଗି ରାଗି ଫେରି ଯାଇଥିବେ । ସବୁଆଡ଼େ ସବୁଜ ପୃଥିବୀ । ପ୍ରାଚୀ ଦିକ୍ ଭାଲରେ ସୂର୍ଯ୍ୟ ଦେବତା ନାଲି ରଙ୍ଗରେ ଖେଳି ବୁଲିଲାଣି । କିନ୍ତୁ ସେଥିରେ ନୂତନତ୍ୱ କାହିଁ । ସେ ତ ସବୁ ଦିନିଆ । ତେବେ ସେ ଯେଉଁଠିକି ଯିବେ ସେଇଠି ନିଶ୍ଚୟ ମିଳିବ ନୂତନତା — ବଞ୍ଚି ରହିବାର ଅପରିହାର୍ଯ୍ୟତା । ସେଇଠି ସେମାନେ ପାଇବେ ଶାନ୍ତି, ଜୀବନର ମଧୁ ମନ୍ତ୍ର ।
ଓ-ହୋ-ହୋ-ଓ………………… ଅଜ୍ଞାତ ଶବ୍ଦର ଧକ୍କାରେ ବିଚଳିତ ହୋଇ ପଡ଼ିଲା ସହ୍ଲାମିନାଦି । ପଛକୁ ମୁହଁ ବୁଲାଇଲା । ଯାହା ଦେଖିଲା ସେଥିରେ ତା’ର ଧୈର୍ଯ୍ୟର ସୀମା ଅତିକ୍ରମ କଲା । ବୋଧ ହୁଏ ଏତେ ଗଡ଼ାଣିଆଟା ଉପରେ ହୁମା ଛିଡ଼ା ହୋଇ ପାରିନାହିଁ । ଗଡ଼ି ଗଡ଼ି ଚାଲି ଯାଉଛି ତଳକୁ, ଆହୁରି ତଳକୁ । ଯେଉଁଠି ପଡ଼ିଲେ ତା’ର ହାଡ଼ଗୋଡ଼ ଚୂନା ହୋଇଯିବ । ନିଶ୍ଚିହ୍ନ ହୋଇଯିବ ଦୁନିଆ ବକ୍ଷରୁ । କ’ଣ କରିବ ସେ ବର୍ତ୍ତମାନ ? ଯାହାକୁ ମନ, ପ୍ରାଣ ଦେଇ ଭଲ ପାଇଥିଲା ସେଇ ସେ ହୁମା । ଏଇ ଦୂରେଇ ଯାଉଛି ତା’ ପାଖରୁ । ଓଃ! ହେଇ ପୁଣି ପୂର୍ବ ପରି ଚିତ୍କାର କରୁଛି । ଓ-ହୋ ତୁ ନେଇଁ ମେ ଯୋ —ତୁ ମୋର ନୋହୁଁ, ଯା’ । ଆଃ ! କି ଦୁର୍ଭାଗ୍ୟ । ହେ ଡ଼ୁମା! ତୁମେ କ’ଣ ମୋର ପାଇଁ ସବୁ ଦୁଃଖ ଦୁର୍ଦ୍ଦଶାକୁ ଠୁଳେଇ ରଖିଥିଲ ? ମୋତେ ବୁଦ୍ଧି ବତାଇ ଦିଅ କିପରି ପାଇବି ତାକୁ । ପୁଣି ସଁ ସଁ ଗର୍ଜନରେ ନିଜର ନିଶ୍ଚଳ ଚିନ୍ତା ଭାଙ୍ଗିଲା । ବିରାଟ ଅହିରାଜ ସାପ ତା’ ପଛରେ ଧାଇଁଛି । ହାୟ! ଖାଲି ଏ ଦୁନିଆଟା କ’ଣ ଏମିତି ବିଭତ୍ସ, ଏହା ମଧ୍ୟରେ ମଧୁରତା ନାହିଁ ? କ’ଣ କରିବ ସେ ଚିନ୍ତା କରି ପାରିଲା ନାହିଁ । ଆଗରେ ଯାହାକୁ ମନ ଦେଇ ଭଲ ପାଇଥିଲା, ନିଜର ହୃଦୟକୁ ଯାହା ପାଦରେ ଅଜାଡ଼ି ଦେଇଥିଲା, ତାହାରି ମୃତ୍ୟୁ ବିଭୀଷିକା ପଛରେ ଘୋର ବିଭତ୍ସତା । ନା ନା ତାହାର ବଞ୍ଚିବାର ପ୍ରଶ୍ନ ନାହିଁ କି ସେ ବଞ୍ଚିବାକୁ ଚାହେଁ ନାହିଁ । ଯାହାର ହାତଧରି ଏତେ ଦୁର୍ଦ୍ଦମ ପଥ ଅତିକ୍ରମ କରି ଆସିଥିଲା, ତାହାରି ସାଙ୍ଗରେ ତାହାରି ପାଇଁ ଏ ଜୀବନକୁ ଅନନ୍ତ ପଥରେ ମିଶାଇ ଦେବ । ସାଙ୍ଗ ହୋଇ ଦଉଡ଼ି ଯିବ ସେ ଏହି ଆକାଶର ପଛ ପଟକୁ । ସେଇଠି ପାଇବ ସେ ସ୍ୱର୍ଗୀୟ ଅନୂଭୂତି । ତା’ର ମନ ଦେବତାର ବାହୁ ପଞ୍ଜର ତଳେ ପାଇବ ଶାନ୍ତି । ସେ ଆଜି ପୃଥିବୀର ବକ୍ଷରୁ ନେବ ବିଦାୟ – ଝରି ପଡ଼ିଲା ଆଖିରୁ ଲୁହ-ଯେଉଁ ପୃଥିବୀର ବକ୍ଷକୁ ସେ କିପରି ଆସିଥିଲା ଜାଣିନାହିଁ, ତାହାରି ବକ୍ଷରେ କିପରି ବଢ଼ିଥିଲା ଜାଣିନାହିଁ, ସେହି ପୃଥିବୀର ବକ୍ଷରୁ ସେ ନେବ ବିଦାୟ । ପୁଣି ଭାବିଲା କାହିଁକି ସେ ଏ ବିଭତ୍ସ ପୃଥିବୀ ସମ୍ବନ୍ଧରେ ଚିନ୍ତା କରିବ ? ତା’ର ମନର ମଣିଷ ଯୁଆଡ଼େ ଯାଇଛି ତାହାରି ପିଛା ଧରିବ । ସେ ହେବ ହୁମା ସାଙ୍ଗରେ ନୀଳ ଗଗନର ପଥିକ । ଜନ୍ମ ମାଟିର ଉଦ୍ଦେଶ୍ୟରେ ଆଉ ଥରେ ଆଖି ବୁଲାଇଲା । ସାପଟା ବହୁତ ନିକଟ ହୋଇ ଗଲାଣି । ଆଉ ଟିକକ ପରେ ତା’ର ସବୁ କଳ୍ପନା ଜଳ୍ପନାକୁ ଲୋପ କରିଦେବ , ଅଟକାଇ ଦେବ ତା’ର ଦେହଟାକୁ । ତଳକୁ ଅନାଇଲା– ହୁମା ଗଡ଼ି ଗଡ଼ି ଯାଉଛି, ହାତ ଠାରି କ’ଣ କହୁଛି ଶୁଭୁନାହିଁ । ବୋଧ ହୁଏ ତା’ର ମୁଁହଟିକୁ ଥରେ ଦେଖିବାକୁ ଚାହୁଁଛି । ସହ୍ଲାମିନାଦି ଜବାବ ଦେଲା– ‘ଓ ମେ ଯୋ, ରହୋ’ -ମୁଁ ଯାଉଁଛି । ସାଙ୍ଗହୋଇ ଯିବା । ଲମ୍ଫ ଦେଲା ତଳକୁ ।
ଙ୍ଘ ଙ୍ଘ ଙ୍ଘ
ତାମ୍ର ଶିଖରର ବନ୍ୟ ପ୍ରକୃତି ସୂର୍ଯ୍ୟ ରଶ୍ମିର ଅଗ୍ନିଭଳି ଜଳି ଉଠିଥିଲା । ପର୍ବତର ଚତୁପାଶ୍ୱର୍ରେ ଖୁବ୍ ଦୂରକୁ ଆଖି ବୁଲାଇଲେ ଖାଲି ଧୂଆଁଳିଆ ପ୍ରକୃତିର ଜମାଟ ଘର । ବହଳ ନିସ୍ତବ୍ଧତା କେବଳ ତା’ର ସମ୍ପଦ । ଦିନ ମୁଣ୍ଡ ଉପରକୁ ଉଠିଛି । ପୁଣି ପଶ୍ଚିମ ଆକାଶରେ ନାଚି ନାଚି ମା’ କ୍ରୋଡ଼କୁ ଫେରି ଯାଇଛି । ପୁଣି ଆସିଛି, ପୁଣି ବି ଯାଇଛି । କିନ୍ତୁ ସହ୍ଲାମିନାଦିକୁ ଆଉ ସେ ପାଇ ନାହିଁ । ପଥର ଖୋଲା ଠାରୁ ଆରମ୍ଭ କରି ,ଲତା ଆଳକୁଚି ପର୍ଯ୍ୟନ୍ତ ସବୁଠାରେ ସେ ତନ୍ନ ତନ୍ନ କରି ଦେଖିଛି । କିନ୍ତୁ କେଉଁ ଠାରେ ହେଲେ ପାଇ ନାହିଁ । ସହ୍ଲାମିନାଦିର ସନ୍ଧାନ । ପରଜା ଜାତିକୁ ଯେଉଁ କେତୋଟି ବସ୍ତୁ ଶିଖାଇ ଦେଇ ଯାଇଥିଲା ସେଇଥି ପାଇଁ ତା’ରି ଉଦ୍ଦେଶ୍ୟରେ କେତେ ପୋଢ଼ ମଇଁଷି କଟା ହୋଇଛନ୍ତି । କିନ୍ତୁ ସେ ଚିରଦିନ ପାଇଁ ନୀଳ ଗଗନର ବକ୍ଷରେ ମିଳାଇ ଯାଇଛି, ତା’ରି ସାଥି, ତା’ ରି କୋଳରେ କ୍ଳାନ୍ତିହୀନ ପଥିକ– “ନୀଳ ଗଗନର ପଥିକ” ।