Satya Prakash
Uncategorised

ପଥିତ ଯଶା ପୁରୁଷୋତ୍ତମ

ପଥିତ ଯଶା ପୁରୁଷୋତ୍ତମ

ନାମ – :ପୁରୁଷୋତ୍ତମ ସେଠୀ

ଡାକ ନାଁ – :ପୁରିଆ

ଠିକଣା – :ସା – ରାଣୀପଡ଼ା, ପୋ – ତରାଗୋ, ଜି-ଭଦ୍ରକ

ଥାନା /ତହସିଲ୍ /ଉପଖଣ୍ଡ – ଭଣ୍ଡାରି ପୋଖରୀ

ରାଜ୍ୟ – ଓଡ଼ିଶା, ଦେଶ – ଭାରତ,
ପିନ-୭୫୬୧୧୪

ଭାରତ ଏକ ପଲ୍ଲୀ ବହୁଳ ରାଷ୍ଟ୍ର। ପଲ୍ଲୀ ପ୍ରାଣ ଉତ୍କଳର ରଙ୍ଗଶାଳା ଶ୍ୟାମଳ ପଲ୍ଲୀ ଭୂଇଁ ସୁଷମାର ଏକ ମଧୁଚକ୍ର। ତା’ର ଉଷା, ପ୍ରଦୋଷ, ଅମା, ଆଲୋକ, ସବୁଜ ଲତାକୁଞ୍ଜ, ଚଳ ତଟିନୀର ପ୍ରବାହ, ଫୁଲ ଫଳ, ପକ୍ଷୀ କଣ୍ଠର ମଧୁର ନିଃସ୍ୱନ – ଏ ସବୁର ଅପୂର୍ବ ସମାବେଶ ମଧ୍ୟରେ ଉକୁଟି ଉଠେ ନୈସର୍ଗିକ ସୁନ୍ଦରୀ ପ୍ରକୃତି ରାଣୀଙ୍କର ଅପୂର୍ବ ରୂପ ଲାବଣ୍ୟ। ରୁଦ୍ର ସନ୍ୟାସୀ ଗ୍ରୀଷ୍ମ, କଜ୍ଜଳ ରଞ୍ଜନା , ବିଦ୍ୟୁତ୍ ଲୋଚନା, ରସମୟୀ ବର୍ଷା, କାଶ ହାସ୍ୟମୟୀ ଶାନ୍ତ କାନ୍ତ ଶରତ, ହିମ ସ୍ନିଗ୍ଧ ହେମନ୍ତ, ଜରତୀ ଶୀତ ଓ ପୁଣି ଲୀଳା ଚପଳ ରିତୁ ସମ୍ରାଟ ବସନ୍ତ – ଏକ ପରେ ଆନ ପଲ୍ଲୀର କମ୍ର ବୁକୁ ପରେ ରାସ ଲୀଳା ସାରି ବିଦାୟ ନିଅନ୍ତି। ଉପରେ ଶାନ୍ତ ସ୍ନିଗ୍ଧ ସୁଶୀତଳ ଗଗନ, ଚତୁଃପାର୍ଶ୍ୱରେ ଦିଗନ୍ତ ବିସ୍ତାରିତ ଶ୍ୟାମଳ ଶସ୍ୟ କ୍ଷେତ୍ର।ତାହାରି ଭିତରେ ସବୁଜ ଓଢ଼ଣା ଟାଣି ପଲ୍ଲୀ ରାଣୀ କେତବେଳେ ହୁଏ କମ୍ର କୋମଳ, ଚିତ୍ତାକର୍ଷକ ତ ପୁଣି କେତେବେଳେ ହୁଏ ଗୁରୁ ଗମ୍ଭୀର ନିଦାରୁଣ ଆଉ ପ୍ରଳୟଙ୍କାରୀ। ଅପରୂପ ସୌନ୍ଦର୍ଯ୍ୟ ଶାଳିନୀ, ସୌମ୍ଯ ମୁଖ ମଣ୍ଡଳରେ ମନଲୋଭା କାନ୍ତି ପ୍ରଦାୟିନୀ ସୁନ୍ଦର ଷୋହଳ ବୟସୀ ତରୁଣୀର ପ୍ରମତ୍ତ ଯୌବନରେ ଉନ୍ମତ ସୌନ୍ଦର୍ଯ୍ୟ ଲିପ୍ସୁ ଗ୍ରାମ୍ୟ ପ୍ରକୃତି ଦେଖି ଥାଏ ସହର ଠାରୁ ନିଜକୁ ଏହି ଅନ୍ତର।

ଲୋକସଂଖ୍ୟାର ଶତକଡ଼ା ସତୁରି ଭାଗ ଲୋକ ଗ୍ରାମାଞ୍ଚଳରେ ବସ ବାସ କରି ଆସୁଛନ୍ତି। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ପଲ୍ଲୀର ସବୁଜିମା କୋଳରେ କୋଟି କୋଟି ଲୋକ ପ୍ରଚଣ୍ଡ ଖରା, ବର୍ଷ, ଶୀତ କାକର ସହ୍ଯ କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି। ପଲ୍ଲୀ ବାସୀ ପାଇଁ ସେହି ମାଟିର ସ୍ଵର୍ଗ ନୂଆଁଣିଆ ଛଣ ଛପର ଘର ଅମୃତର ସନ୍ଧାନ ଦେଇ ଆସିଛି। ସେଇ ଭିଟାମାଟି ପ୍ରତ୍ୟେକ ପଲ୍ଲୀବାସୀର ପୂତ ପବିତ୍ର ସ୍ଥାନ। ଘରୁ ଗୋଡ କାଢି ସହର ବଜାର ବା ପୁଣ୍ୟ ତୀର୍ଥ ଯିବାର ସୌଭାଗ୍ୟ ଖୁବ୍ ଅଳ୍ପ ଲୋକଙ୍କ ଭାଗ୍ୟରେ ଥାଏ। ନିଜ କର୍ମକୁ ଆଦରି ଜନ୍ମ ସ୍ଥାନର ମୋହ ମାୟା ମଧ୍ୟରେ ସୂର୍ଯ୍ୟ ଉଦୟରୁ ଅସ୍ତ ଯାଏଁ ପଲ୍ଲିବାସୀ ଗାଁର ସେଇ ଧୂଳି ଧୂସରିତ ଗାଁ ଦାଣ୍ଡକୁ କର୍ମ ମୁଖର କରି ଆତଯାତ ହୁଅନ୍ତି।

ପୁରୁଷୋତ୍ତମଙ୍କ ଗାଁ ବସତି :

ଜନ୍ମ ପୀଠ ରାଣୀପଡ଼ା ସେହିପରି ଏକ ବିଖ୍ୟାତ୍ ଗ୍ରାମ ଅଖ୍ୟାତ ପଲ୍ଲୀ। ଉତ୍କଳ ମହୋଦଧି ମଧୁ ହିଲ୍ଲୋଳ ସେବିତ ପୁଣ୍ଯ ପୀଠ ଜଗନ୍ନାଥ ଦେଶ ଭାବରେ, ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା, ଓଡିଶା ପ୍ରଦେଶର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରି ପୋଖରୀ ଥାନା ଅଧୀନରେ ରାଣୀପଡ଼ା ଦଣ୍ଡାୟମାନ। ରେବ ନଦୀ କୂଳରେ ପୁରୁଷ ପୁରୁଷ ଧରି ବିରାଜମାନ। ଏହି ରାଣୀପଡ଼ା ଗ୍ରାମର ମାଟି ଓ ଆକାଶ ଗାଁଟିର ସୁଖ ଓ ଦୁଃଖ, ହର୍ଷ ବିଷାଦର ସ୍ମାରକୀ। କିଏ, କେବେ ଓ କାହିଁକି ଏହି ପଡ଼ା ବସାଇଥିଲେ ତାହାର କୌଣସି ଐତିହାସିକ ବିବରଣୀ ବା ତଥ୍ଯ ଭିତ୍ତିକ ପ୍ରାମଣିକ ସିଦ୍ଧାନ୍ତ ନାହିଁ। କେବଳ ଜନ ଶ୍ରୁତିକୁ ଆଧାରଶୀଳା କରି କହି ହୁଏ ଯେ, କେଉଁଝରରର ରାଣୀ ଉକ୍ତ ରେବ ନଦୀ କୂଳରେ କୁଆଡ଼େ ବହୁ ଦିନ ଧରି ଅବସ୍ଥାପନ କରିଥିଲେ। ପ୍ରଜା ହିତୈଷୀ ରାଣୀ ଲୋକମାନଙ୍କର ମଙ୍ଗଳ ସାଧନ କରି, ଏଠାରେ ପାଞ୍ଚ ଏକର ପରିମିତ ଜାଗା ଉପରେ ଏକ ବିରାଟ ପୁଷ୍କରଣୀ ଖନନ କରିଥିଲେ, ଯାହାର ନାମ ରାଣୀ ପୋଖରୀ। ଏଣୁ ରାଣୀଙ୍କୁ ମନେ ରଖିବା ପାଇଁ ଏହାର ନାମ ରାଣୀପଡ଼ା ରଖାଯାଇଛି କିମ୍ବା ରାଣୀ ନିଜେ ଏଠାରେ ଏକ ଜନ ବସତି ସ୍ଥାପନ କରି ଥାଇପାରନ୍ତି।

ରାଣୀପଡ଼ାର ଆରାଧ୍ୟା ଦେବୀ ମାଆ ହିଙ୍ଗୁଳାଈ, ମା’ବୁଢୀ ଜାଗୁଳାଇ, ବନ ଦୂର୍ଗା ଓ ମାଆ ମଙ୍ଗଳା। ପୁଣି ଏଠାରେ ପାଳିତ ହୁଏ ହିଙ୍ଗୁଳା ଯଜ୍ଞ ଓ ରାମ ନବମୀ। ସେହିଠାରେ ପୁଣି ଅଛନ୍ତି ସାହି ଠାକୁରାଣୀ ଠାକୁର ଓ କୀର୍ତନ ଗୋସାଇଁ। ବିବାହ ବ୍ରତ, ପୁନେଇଁ ପର୍ବ, ହାଣ୍ଡି ମଙ୍ଗୁଳା, କାହାର ଗଛ ଫଳିଲା ବା କାହାର ଫଳିଲା ନାହିଁ, କାହାର ପିଲା ହେଲା ନାହିଁ, କାହାର ପିଲା ସପନ ଦେଖି ବାଉଳି ହେଉଛି, କାହାର ପିଲା ଦେହ ଭଲ ରହୁ ନାହିଁ – ସବୁ କିଛି ମୋ ଗାଁ ରାଣୀପଡ଼ାର ସରଳ ନିଷ୍ପାପ ଲୋକମାନେ ଦିଅଁ ଦେବତା ଠାରେ ଜଣାନ୍ତି।

ବଂଶ ବୃକ୍ଷ :

ଏହି ଗ୍ରାମରେ କେତେ କେତେ ଲୋକ ଜନ୍ମ ନେଇ ବୁଦ୍ ବୁଦ୍ ପରାଏ କୁଆଡ଼େ ବିଲୀନ ଭଜିଛନ୍ତି ତାହାର ହିସାବ କେହି ରଖି ନାହିଁ। ସେହି ଗାଁରେ ଜନ୍ମ ନିଅନ୍ତି ପୁରୁଷୋତ୍ତମ -ବହୁ ପଥିତ ଯଶା।ଯାହାଙ୍କର ଆର୍ବିଭାବ କାଳ ହେଉଛି ୧୭/୬/୧୯୨୯ମସିହା।ତାଙ୍କ ପିତା ଗୋପିନାଥ, ମାତା ଶକି ଓ ବାଲ୍ଯ ବିଧବା ପିଉସୀ ସୁବର୍ଣ୍ଣ ବହୁ ତପ ଜପ, ଦାନ ଧ୍ୟାନ କରି ସନ୍ତାନଟିଏ ପାଇବା ପାଇଁ ଶେଷରେ ବର ଓସ୍ତ ଗଛ ଲଗାଇ ବାହା ଦେଇଛନ୍ତି। ମାତ୍ର ସବୁ ଚେଷ୍ଟା ବିଫଳ ହୋଇଛି। ସନ୍ତାନଟିଏ ପାଇବାର ବ୍ୟାକୁଳତା ସେମାନଙ୍କ ଜୀବନରେ ଭରି ଦେଇଛି ଦୁଃଖ ଓ ନୈରାଶ୍ୟର ବେଦନା। ଶେଷରେ ସେମାନେ ପୁରୁଷୋତ୍ତମ କ୍ଷେତ୍ର ଯାଇଛନ୍ତି। କାନି ପତେଇ ସନ୍ତାନଟିଏ ପାଇଁ ଜଗନ୍ନାଥ ଠାରେ କରନ୍ତି ଆକୁଳ ନିବେଦନ। ଭଗବାନ ଏତେଟା ନିଷ୍ଠୁର ହୋଇପାରନ୍ତି ନାହିଁ। କେବଳ ଭକ୍ତର ମନ ବିଡିବା ପାଇଁ ସେ ସ୍ରୁଷ୍ଟି କରନ୍ତି ଗୋଲକଧନ୍ଦା, ଅନେକ ପ୍ରହେଳିକା ।ପରିଶେଷରେ ବିବାହର ଅଠର ବର୍ଷ ପରେ ଶକି ହେଲେ ଅନ୍ତଃସତ୍ତା। ସନ୍ତାନଟି କେମିତି ଜନ୍ମ ଲାଭ କରି ପୃଥିବୀର ପହିଲୁ ସୂର୍ଯ୍ୟାଲୋକ ଦେଖିବ, ପିତୃ ମାତୃ କୋଳ ମଣ୍ଡାଙ୍ଗି ସୁଖ ଦେବ, ସେହି ଚିନ୍ତାରେ ସମସ୍ତେ ସ୍ଵପ୍ନ ବିଭୋର।ଶେଷରେ ଜନ୍ମ ନେଲେ ପୁରୁଷୋତ୍ତମ।

ତାଙ୍କର ତିନୋଟି କନ୍ୟା ଦୁଇଟି ପୁତ୍ର। ତେଣୁ ସେଇ ପରିବାରରେ ଅଛନ୍ତି ଗୋବିନ୍ଦ, କମଳା, ବିମଳା କୁନ୍ତଳା ଓ ସବୁଠୁଁ କନିଷ୍ଠତମ ସନ୍ତାନ ସତ୍ୟ ପ୍ରକାଶ।ଜୀବନ ଯାହାର ସଂଘାତ ଓ ସଂଘର୍ଷରେ ପରିପୂର୍ଣ୍ଣ। ନାମ ତାଙ୍କର ପୁରୁଷୋତ୍ତମ। ସତ୍ୟର ଅନୁସନ୍ଧାନ ତାଙ୍କର ପେଶା ବା ନିଶାରେ କେତେବେଳେ ପରିବର୍ତ୍ତିତ ହୋଇଯାଏ ତାହା ସେ ଜାଣି ପାରନ୍ତି ନାହିଁ। ସେ କିନ୍ତୁ ଜନତାର ସେବା କରନ୍ତି, ଗରିବଙ୍କର ଆର୍ତ୍ତ ଶୁଣନ୍ତି।ବେଳେବେଳେ ଜ୍ଞାନ ବିଜ୍ଞାନ ଚର୍ଚ୍ଚା ଓ ସାହିତ୍ୟର ମଧ୍ୟସାଧନା କରନ୍ତି। ଏହି ପରି ଅନେକ ଗୁଣ ଓ ଗରୀମାରେ ସେ ଗୌରବାନ୍ୱତ।

ରିତୁ ଚକ୍ରରେ ନାନା ପରିବର୍ତ୍ତନ ସଂଘଟିତ ହୁଏ। ପ୍ରତ୍ୟେକ ରିତୁ ନିଜ ନିଜ ରାସ ଲୀଳା ସାରି ଅନ୍ତର ହୁଅନ୍ତି ଧରିତ୍ରୀ ବକ୍ଷରୁ। ରିତୁ ଚକ୍ରରେ ସାମ୍ବତ୍ସରିକ ପରିକ୍ରମଣ ଭିତରେ ରୌଦ୍ର କ୍ଲିଷ୍ଟ ଗ୍ରୀଷ୍ମର ଅବସାନ ପରେ ଆଦ୍ୟ ଆଷାଢ଼ର ସ୍ଵାଗତ ସମ୍ଭାଷଣ ଘେନି ଓହ୍ଲାଇ ଆସେ ବର୍ଷା। ଜଳଦ ଗମ୍ଭିର ନାଦ ମଧ୍ୟରେ ଦିଗାଙ୍ଗନାର ଘନ କୃଷ୍ଣ ଅଞ୍ଚଳ ଉହାଡୁ ବର୍ଷା ଆତ୍ମ ପ୍ରକାଶ କରେ। ବର୍ଷଣ ମୁଖର ଆଦ୍ୟ ଆଷାଢର ଶାନ୍ତ ବାରିଧାରାରେ ଜଗତର ସବୁ କ୍ଲେଶ, ସବୁ ବ୍ୟଥା ଦୂର ହୋଇଯାଏ। ପଲ୍ଲୀର ଶୁଷ୍କ ନିରସ ଧୂସରତା ଉପରେ ଶ୍ୟାମଳିମା ଆଚ୍ଛାଦିତ ହୁଏ। ନୀରବ ବନାନୀ ବରଷାର ମୃଦୁ ଗୁଞ୍ଜନରେ ଗୁଞ୍ଜରିତ ହୋଇଉଠନ୍ତି। ମାଟିର ମଣିଷ ସୃଷ୍ଟିର ନବୀନ ଆଲୋକରେ ଉଦ୍ଭାସିତ ହୋଇ ସ୍ଵପ୍ନ ବିଭୋର ହୋଇ ଉଠନ୍ତି। ନିଦାଘ ପୀଡିତା ନଦୀ ନାଳ ପୁଷ୍କରଣୀର ଅଙ୍ଗେ ଅଙ୍ଗେ ପ୍ରମତ୍ତ ଯୌବନ ଫୁଟିଉଠେ। କଲକଲ୍ଲୋଳରେ ମୁଖରିତ ହୋଇ ଉଠେ ଗ୍ରାମ୍ୟ ତଟିନୀର ବକ୍ଷ। ମେଘର ଗୁରୁ ଗମ୍ଭୀର ଗର୍ଜ୍ଜନ ଶୁଣି କଦମ୍ବ ବିକଶିତ ହୁଏ। ଗନ୍ଧ ବିହ୍ୱଳିତ ଆନନ୍ଦମତ୍ତ ମନ୍ଦ ସମୀରଣ ପ୍ରାଣରେ ଭରି ଦିଏ ଅସୀମ ଶାନ୍ତି। ସର୍ବତ୍ର ଅଫୁରନ୍ତ ଆନନ୍ଦୋତ୍ସବ ଲାଗିଯାଏ। ପୁଣି ଆଗରେ ସ୍ଵଂୟ ଜଗନ୍ନାଥଙ୍କର ରଥଯାତ୍ରା। କ୍ରମଶଃ ବର୍ଷା ପରେ ଧରାପୃଷ୍ଠକୁ ଓହ୍ଲାଇ ଆସେ ପ୍ରଚଣ୍ଡ ଶୈତ୍ଯର ଶୀତରାଣୀ। ଥୁରୁଥୁରୁ ଶୀତରେ ଥରୁଥାନ୍ତି ଅସରନ୍ତି ଗ୍ରାମ୍ୟ ନରନାରୀ। ଶୀତର ପ୍ରକମ୍ଫ ଚାରିଆଡ଼େ ଅନୁଭୁତ ହୁଏ।ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ କି ଆସିନାହିଁ ଶୀତର ପ୍ରକୋପ କିନ୍ତୁ ଥମି ନାହିଁ ଗ୍ରୀଷ୍ମର ପ୍ରକୋପ ଅଥଚ ବର୍ଷାର ଆଗମାନେ ରଜଶୁଳା ଧରିତ୍ରୀ ମାଆ।ଏହିପରି ଏକ ପୃଷ୍ଠଭୂମି ଉପରେ ପିତା ଗୋପୀନାଥଙ୍କ ଔରଷରୁ ଓ ମାତା ଶକିଙ୍କ ଗର୍ଭରୁ ଜନ୍ମ ଲାଭ କରନ୍ତି ପୁରୁଷୋତ୍ତମ ପରିବାରର ଏକମାତ୍ର ଶିଶୁ ସନ୍ତାନ ରୂପେ ୧୯୨୯ ମସିହା ଜୁନ ୧୭ ତାରିଖରେ ଏକ ଗ୍ରାମ୍ୟ ପରିବେଶ ଭିତରେ। ଯେଉଁଠି ଲେଖାଯାଇଛି ତାଙ୍କର ଜନ୍ମ ଜାତକ, ସେହି ରାଣୀପଡ଼ା ଗ୍ରାମଟି ତାଙ୍କରି ପ୍ରିୟ ଜନ୍ମ ଭୂଇଁଟି।

ସ୍ୱଭାବରେ ସେ ଟିକିଏ ଗରୀମାବନ୍ତ ବୋଲି ଳୋକେ ତାଙ୍କୁ ପୁରୁଷୋତ୍ତମ ଡାକନ୍ତି। ହେଲେ ଗେହ୍ଲାବସରର ନାଁଟି ତାଙ୍କର ପୁରିଆ। ଯାହା ସ୍ନେହ ଶ୍ରଦ୍ଧାର ନାଁଟି ଭାବେ ବେଶ୍ ପରିଚିତ। ପିଲାଦିନଟା ଭାରି ଗେହ୍ଲାବସରରେ କଟିଥିଲା। ଗପ ଶୁଣିବାକୁ ସେ ଭାରି ଭଲ ପାଉଥିଲି। ବିନା କାହାଣୀ ନଶୁଣି ବୋଧହୁଏ ତାଙ୍କୁ ନିଦ ଆସୁ ନଥିଲା। ସେଥିପାଇଁ ମହାପୁରୁଷଙ୍କ ଜୀବନୀ ବୃତ୍ତାନ୍ତ ଠାରୁ ବୁଢୀ ଅସୁରୁଣୀ, ସାହାଡ଼ା ସୁନ୍ଦରୀ, କୁହୁକ ରାଇଜର କୁହୁକ କାହାଣୀ, ଅଗନା ଅଗିନୀ ବନସ୍ତ, ସାତତାଳ ପଙ୍କ, ସିନ୍ଦୁକ ଭିତରେ ଫରୁଆ ତା’ଭିତରେ କାହାର ଜୀବନ ନାଟିକା ଆଦି ସବୁ ଗପ ସେ ଶୁଣି ସାରିଥିଲି।ଯେଉଁଥିପାଇଁ ସେ ଟିକିଏ ଅଭିଜ୍ଞ ଓ ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରବୀଣ।ତେଣୁ ସେ ଆଖପାଖ ପଚିଶ ଗାଁରେ ଭଦ୍ରଲୋକ।ସମସ୍ୟା ସମାଧାନ ପାଇଁ ଲୋକେ ତାଙ୍କୁ ହିଁ ଆଗ ଡାକନ୍ତି।

ଆଜି କାଲି ଆମେ ସମସ୍ତେ ସହରୀ। କେବେ କେବେ ସୁବିଧା ସୁଯୋଗ ଉଣ୍ଡି ଗାଁକୁ ଥରେ ଅଧେ ଯା’ନ୍ତି। ପୁଣି ସେହି ଗାଁରେ ବେଳେ ଓଉତେ ରହି ସହରକୁ ଫେରି ଆସନ୍ତି କର୍ମ ବ୍ୟସ୍ତତା ଯୋଗୁଁ ହେଉ କି ଗାଁ ପ୍ରତି ରୁଚି ରଖୁ ନଥିବା ସହରୀ ବାବୁମାନଙ୍କ ଠାଣି ଯୋଗୁଁ ହେଉ । କିନ୍ତୁ ଗାଁର ଯେଉଁ ଗୋଟେ ଅଧେ ରୀତି ନୀତି ମନେପଡ଼େ ତାହା ବେଶ୍ କୌତୁହଳପ୍ରଦ, ଆମ ସହର ପରିକା ଆଦୌ ନୂହେଁ। ଗାଁର ରୀତି ନୀତି, ଚାଲି ଚଳନୀ, ପୁନେଇଁ ପର୍ବ ପିଠାପଣା, ଦିଅଁ ମଙ୍ଗୁଳା, ଶାଗ ଖରଡ଼ା, ବାଡ଼ି କାନିସିରି, ନଦୀ ମାଛ, ପତ୍ର ପୋଡ଼ା ଛତୁ ତରକାରୀ, ବେସର ଦିଆ ସୁଆଦିଆ ତିଅଣ, ବାଡ଼ି ମାରିସ ଖଡ଼ା ଶାଗ- ସବୁ କିଛି ଭିନ୍ନ୍ ଏକ ଭିନ୍ ସ୍ଵାଦର ଆସ୍ବାଦନ ଯେଉଁଟା କି ଆଜି ମୋ ମନର ଭ୍ରାନ୍ତି ଅବା ଦୁଷ୍ପ୍ରାପ୍ୟପ୍ରାୟ। ସେହି ପରି ମୋର ଏକ ଗାଁ ମୋ ଗାଁ ବେଶ୍ ମଫସଲ ଅଞ୍ଚଳ ଅପରୂପା କାନ୍ତି ବେଶ୍ ମନୋଲୋଭା ତା’ର ଠାଣି।

ସହରୀ ସୁବିଧା ସୁଯୋଗର ଅଭାବବୋଧ ବେଶ୍ ସହେ-ତାଙ୍କ ଗାଁ । ତଥାପି ତାଙ୍କର ବାଲ୍ୟକାଳ, ବିଦ୍ୟା ଅଭ୍ୟାସ ଓ ସ୍କୁଲ୍ ଶିକ୍ଷା ସେହିଠାରେ ସମ୍ପୂର୍ଣ୍ଣ ହୁଏ। ସେଥିପାଇଁ ବୋଧେ ସେ ବେଶ୍ କୃତଜ୍ଞ, ଜନ୍ମ ମାଟି ପାଈଁ କିଛିଟା ଆକର୍ଷିତ। କାରଣ ତାଙ୍କର ଶୈଶବ, ବାଲ୍ୟ ଓ କୈଶୋରର ପ୍ରତ୍ୟେକଟି ସ୍ମୃତି ସେହି ଗାଁ ମାଟିରେ ବେଶ୍ ଭାଷ୍ବର। ସେଇଠି ଅଛି ତାଙ୍କ ପିଲାବେଳ ଧୂଳି ଖେଳ, ସ୍ବପ୍ନର ବାଲିଘର, ଡୁଡୁ ଖପରା ଡିଆଁ, ବୋଉ ବୋଉକା, ଗୁଳା ଡିଆଁ ବାଗୁଡ଼ି ଖେଳ ପୁଣି ମିଛି ମିଛିକା କଣ୍ଢେଇ ବାହାଘର ଆଉ କେତେ କେତେ ସ୍ମୃତିର ଗନ୍ତାଘର ଓ ଅନୁଭୁତିର ଚାଟଶାଳା। ସେଇଠି ଅଛି ସାଙ୍ଗସାଥୀ, ଖେଳ ପଡିଆ, ବିଦ୍ୟାଳୟ ସ୍କୁଲ୍ ଶିକ୍ଷକ।

ହେଲେ ଆମ ବ୍ୟସ୍ତ ବହୁଳ ଜୀବନର ବାସ୍ତବତା ସେ ସ୍ମୃତି ଠାରୁ ବହୁ ଦୂରେ।

ଯାହା ବି ହେଉ ସେଇ ଗାଁ ପୁରୁଷୋତ୍ତନମଙ୍କ ପାଇଁ ଚିରା ନମସ୍ୟା। ସେହି ଗାଁରେ ଅଛିନ୍ତି ମାତା ହିଙ୍ଗୁଳାଈ, ଗ୍ରାମ ଦେବତୀ ବୁଢୀ ଜାଗୁଳାଇ, ପ୍ରଭୁ ଶ୍ରୀ ରାମ, କୀର୍ତ୍ତନ ଗୋସାଇଁ, ମାଆ ମଙ୍ଗଳା, ବାବା ହନୁମାନ ବନ ଦୁର୍ଗ ପୁଣି ପ୍ରତି ସାହିରେ ସାହି ଠାକୁରାଣୀ ଓ ଠାକୁର ବାକୁର। ସେଇଟି ଅଛି ଗୋଟିଏ ପଶୁ ଡାକ୍ତରଖାନା ଓ କ୍ଲବ ଘର। ଏବେ ତ ଗାଁରୁ ପୁରୁଖା ମାନେ ହଟି ଗଲେଣି, ଯୁବକ ମାନଙ୍କ ହାତରେ ଏବାର ଗାଁ ମାମଲତି। ହେଲେ ଗ୍ରାମ୍ୟ ରାଜନୀତି ସବୁ ଖାଇଲାଣି। ଆଉ ସେ ତା ‘ବାଡି ଦେଇ ନଦୀ ତୁଠ ଯାଏ ନାହିଁ କି ରମୁ କକା ୟା’ ଜମି ଦେଇ ହଳ ବଳଦ ଆଣେ ନାହିଁ। ତରକାରୀ ପତ୍ର ଦିଆ ନିଆ ତ କେବେ ଠାରୁ ବନ୍ଧ। ସମ୍ପ୍ରତି ସବୁ କିଛି ଭିନ୍ନ୍ ଏକ ମୋଡ଼ ଭିନ୍ନ୍ ଏକ ପରିସ୍ଥିତି, ଗ୍ରାମ୍ୟ ସଂସ୍କୃତି ଭୁଶୁଡ଼ିଲା ପ୍ରାୟ। ହେଲେ ବି ଗାଁରେ ରାସ୍ତା ଘାଟ ଟି ଭି, କମ୍ପୁଟର, ଗାଡ଼ି ମୋଟର ଚଳାଚଲ ଏବେ ଉପଲବ୍ଧ। ସହରୀ ସଭ୍ୟତା ପ୍ରତି ଯୁବ ସମ୍ପ୍ରଦାୟ ଆକୃଷ୍ଟ। ଗ୍ରାମ୍ୟ ସଂସ୍କୃତି ଓ ସଭ୍ୟତା କିଛିଟା ବିପର୍ଯ୍ୟସ୍ତ। ତେବେବି ତାଙ୍କ ଗାଁ ସୁନ୍ଦର।
ପୁରୁଷୋତ୍ତମ ଏକ ଅମ୍ଳାନ ପ୍ରତିଭା ସର୍ବୋପରି ଜଣେ ଭଲ ମଣିଷ।ସ୍ଵାଧୀନତା ପୂର୍ବରୁ ତାହାଙ୍କର ଜନ୍ମ।ତେଣୁ ସେ ସ୍ବାଧୀନତା ସଂଗ୍ରାମୀ।ବିନୋବା ଭାବେ ଓ ମହାତ୍ମା ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ।ଭଦ୍ରକ ମାଟିର ଜଣେ ଯସ୍ଵଶୀ ସନ୍ତାନ। “ଆଦର୍ଶ ଗୋ ଚିକିତ୍ସା” ଓ ଆର୍. ଇ. ତଥା ଅମିନଙ୍କ ପାଇଁ ସର୍ଭେ ଟ୍ରେନିଂ ପାଠ୍ଯ ପୁସ୍ତକ ତଥା “ଆଦର୍ଶ ଗୋ ମାନବ ଚିକିତ୍ସା” ତାଙ୍କର କେତୋଟି ସାରସ୍ଵତ କୃତି। ଶେଷ ପୁସ୍ତକଟି ରାଜା ରାମ ମୋହନ ରାୟ ଟ୍ରଷ୍ଟ ଦ୍ଵାରା ସରକାରଙ୍କ ଜରିଆରେ ବିଭିନ୍ନ ଅନୁଷ୍ଠାନକୁ ଯୋଗାଇ ଦିଆଯାଇଅଛି। ପିଲାଟି ଦିନରୁ ନ୍ୟାୟ ପାଇଁ ଜମିଦାର ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଲଢ଼ିବା ତାଙ୍କର ଅଭ୍ୟାସ। ମହାତ୍ମା ଗାନ୍ଧିଜୀଙ୍କ ସ୍ଵାଧୀନତା ସଂଗ୍ରାମ ଓ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସେ ସମ୍ପୃକ୍ତ ଓ ବିଶେଷ ଭାବେ ପ୍ରାଭାବିତ। ସେ ଅନୁଭବ ଓ ଅନୁଭୂତିରେ ଏକ ପରିପୃଷ୍ଠ ବ୍ୟକ୍ତିତ୍ୱ। ଯିଏକି ଜୀବନସାରା ବେଶ୍ କ୍ରିୟାଶୀଳ ଓ କାର୍ଯ୍ୟକ୍ଷମ ରହି ଆସିଛନ୍ତି। ବିଶ୍ରାମ କ’ଣ ଜାଣନ୍ତି ନାହିଁ। ଅହରହ କାମ। କାମ କରିବାର ନିଶା ତାଙ୍କୁ ବେଶ୍ ଉଲ୍ଲସିତ କରିଥାଏ। ଅହରହ ଅବିଶ୍ରାନ୍ତ ରହି ସେ ବେଶ୍ କିଛି ସାମାଜିକ ଉନ୍ନୟନମୂଳକ ଜନ ମଙ୍ଗଳକାରୀ ଓ ଜନ ହିତକାରୀ କାର୍ଯ୍ୟକ୍ରମ ମାନଙ୍କରେ ମଜି ରହି ଭୋକ ଶୋଷ ପର୍ଯ୍ଯନ୍ତ ସବୁ ଭୁଲି ଯାଇଥାନ୍ତି। ସେହି ସେତିକିରେ ତାଙ୍କର ଆନନ୍ଦ ଓ ସୁଖ ଶାନ୍ତି। ସେ ଅଧିକତର ଅନୁଷ୍ଠାନପ୍ରେମୀ। ତେଣୁ ବହୁ ଅନୁଷ୍ଠାନ ସହ ତାଙ୍କର ସମ୍ପର୍କ। ପ୍ରାୟତଃ ଆଖାପାଖ ଅଞ୍ଚଳର ସମସ୍ତ ସାଂସ୍କୃତିକ ଓ ସାମାଜିକ କ୍ରିୟାକ୍ରମରେ ସେ ନିଜର ସମ୍ପୃକ୍ତି ଓ ଉପସ୍ଥିତି ଜାହିର କରିଥାନ୍ତି। ନିଜ ନାମରେ ଗୋଟେ ପୁରୁଷୋତ୍ତମ ସେଠୀ ଉଚ୍ଚ ବିଦ୍ୟାଳୟ ଥିବା ବେଳେ ପ୍ରାୟ ଶତାଧିକ ସ୍କୁଲ କଲେଜ ସ୍ଥାପନ କରିବାରେ ସେ ସହାୟକ ହୋଇପାରିଛନ୍ତି। ତନ୍ମଧ୍ୟରୁ ଭଣ୍ଡାରି ପୋଖରୀ ଓ ବନ୍ତ ବ୍ଲକରେ ପ୍ରାୟ 11 ଟି ଉଚ୍ଚବିଦ୍ୟାଳୟ ଓ ଆଗରପଡା ବି. ଇଡି. କଲେଜ ସମେତେ ତିନି ଗୋଟି କଲେଜ ଅନ୍ୟତମ। ଅବଶ୍ୟ ଥରୁଟିଏ ସେ ବିଧାୟକ ହେବାକୁ ସକ୍ଷମ ହୋଇଥିଲେ ହେଁ କୂଟନୀତି ଓ ଗୁଣ୍ଡାଗିରି ଗୁଣର ଅଭାବବୋଧ ଯୋଗୁଁ ତାଙ୍କୁ ଏକାଧିକ ବାର ହାରର ସାମନା କରିବାକୁ ପଡ଼ିଛି। ତାଙ୍କର ଦୃଢ଼ ସଙ୍କଳ୍ପ ଓ ଜିଦ୍ଖୋର ମନୋବୃତ୍ତି ପାଇଁ ତାଙ୍କୁ ଅନେକବାର ଅବଶ୍ୟ ସମାଲୋଚନାର ଶିକାର ହେବାକୁ ପଡିଛି, ତଥାପି ସେ ଜଣେ କର୍ମଠ, ଚଳଚଞ୍ଚଳ, ନୀତିନିଷ୍ଠ, କର୍ତ୍ତବ୍ୟ ପରାୟାଣ ଓ ଆଦର୍ଶ ମଣିଷ। କର୍ମ ହିଁ ଭଗବାନ – ଏହା ହିଁ ତାଙ୍କର ନୀତି ଓ ଆଦର୍ଶ। ସେବା ଜୀବନର ବ୍ରତ।
ଏତଦବ୍ୟତୀତ 1980-85 ରେ ସେ ଭଣ୍ଡାରୀ ପୋଖରୀ ବିଧାନ ସଭା କ୍ଷେତ୍ରରୁ ଥରୁଟିଏ ଏମ .ଏଲ. ଏ.ଥିଲେ ହେଁ ରାଜନୀତି କ୍ଷେତ୍ରର ସଦା ସକ୍ରିୟ ଥିଲେ।ସାଙ୍ଗଠନିକ କ୍ଷେତ୍ରରେ ସେ ଅନେକ ପଦଭାର ସମ୍ଭାଳିଛନ୍ତି।ଏପରିକି ଭଦ୍ରକ ଓ ବାଲେଶ୍ୱର ଅବିଭକ୍ତ ଜିଲ୍ଲାରେ1985ରୁ89ଯାଏଁ ଭଦ୍ରକ ଜିଲ୍ଲା କଂଗ୍ରେସ ର ସଭାପତି ରୂପେ ଦାୟିତ୍ୱ ତୁଲାଇଥିଲେ।ରାଜ୍ୟ ଓଡ଼ିଶା ଖଦି ବୋର୍ଡ, ରାଜ୍ୟ ଭୂଦାନ ଯଜ୍ଞ ସମିତି ଆଦି ବିଭିନ୍ନ ବୋର୍ଡ ଓ କର୍ପରେସନରେ ମଧ୍ୟ ସେ କାର୍ଯ୍ୟ ସମ୍ଭାଳିଛନ୍ତି।
ଶେଷରେ ତିନି ଝିଅ ଓ ଦୁଇ ପୁଅଙ୍କ ପଛରେ ଛାଡି ସେ ଫାଲ୍ଗୁନ ମାସ 26 ଦିନ ଇଂରାଜୀ ତା9.3.2020 ରିଖ ସୋମବାର ଦିନ ସମସ୍ତଙ୍କୁ ଶୋକ ସାଗରରେ ଛାଡି ଇହଲୀଳା ସମ୍ବରଣ କରିଥିଲେ।ହେଲେ ତାଙ୍କର ଅମର କୀର୍ତ୍ତୀ ଚିରଦିନ ପାଇଁ ରହିବ ଅମର ଗାରଟି ହୋଇ।
By Satya Prakash Sethy

Related posts

ବର୍ଷା ଆହ୍ଵାନ

satya

ଦେଶର ଶଙ୍କଟ ଘଡି

satya

ଶୂନ୍ଶାନ୍ ରାତି book

satya

Leave a Comment

Login

X

Register