Satya Prakash
Uncategorised

ପଦେ

ପଦେ

କବିତା ହେଉଛି କବିର ଭାବନା। ଭାବନାର ଉଚ୍ଛ୍ୱଳ ଜଳଧି ତରଙ୍ଗରେ ତରଙ୍ଗାୟିତ ହୋଇ ସେ କବିତା ଲେଖେ। ଭାବୁକତା ତା’ର ଧର୍ମ। ଭାବନା ରାଜ୍ୟରେ ସେ ଘୂରି ବୁଲୁବୁଲୁ ହୀରା, ମୋତି, ମାଣିକାଦି କେତେ କ’ଣ ସାଉଁଟି ଆଣେ, ଯାହାକୁ ସେ ପାଠକମାନଙ୍କୁ ପରସି ଦେବାକୁ ବ୍ୟଗ୍ର ହୋଇଉଠେ। ଯେତେବେଳେ କବି ଭାବନାର ଖିଅ ଧରି ଗୁନ୍ଥି ବସେ, ସେତେବେଳେ କବିତାର ସୁନ୍ଦର ଓ ସୁଭାଷିତ ମାଳା ସ୍ୱତଃ ପ୍ରସ୍ତୁତ ହୋଇଯାଏ, କେବଳ କବିର ଅପେକ୍ଷା – ତାହା ପୁସ୍ତକ ଆକାରରେ ପ୍ରକାଶିତ ହୋଇ କେତେବେଳେ ପାଠକ ଗଳାରେ ସୁଶୋଭିତ ହେବ।
ନିଜ କବିତାଟି ନିଜକୁ ଦୁର୍ବୋଧ

କେତେବେଳ ସୁଖ ପାଠ୍ଯ

ଆଉ ବେଳକୁ ତ ନୁହେଁ କେହ୍ନେ ଠିକ

ମନସ୍ବିନୀ କାହୁଁ ଥୟ ।।

ଯେପର୍ଯ୍ୟନ୍ତ ନୂହେଁ କବି ପ୍ରାଣ ମୋର

କେବେ ହେଁ ମନ୍ତ୍ର ମୁଗ୍ଧ

ସେ ଯାଏଁ କବିତା ରହେ ଅସମ୍ପୂର୍ଣ

ଚେଷ୍ଟା କିନ୍ତୁ ଅବିରତ।।

କବିତା ରାଣୀ ବି ଭାରି ଇଚ୍ଛାମତୀ

ଯେତେ ଶାଢୀ ପାଟ ମଠା

ସୁସଜ୍ଜ ସଜାଏ ମାନେ ନା ତା’ ମନ

ପୁଣି ଥରେ ସାଜେ ସଜ୍ଜା।।

ଅନୂଢ଼ା ତରୁଣୀ ଷୋହଳ ବୟସୀ

କବିତା ମୋ ରୂପବତୀ

ସ୍ପର୍ଶ ଆକାଙ୍କ୍ଷୀ ବିଦଗ୍ଧ ପାଠକେ

ବାଟ ଝୁରି ରହେ ନିତି। ।
ଏହି ଦୃଷ୍ଟିକୋଣରୁ ବିଚାର କଲେ କବି ରଞ୍ଜିତ ସାହୁଙ୍କ କବିତାଗୁଡ଼ିକ ଅତ୍ୟନ୍ତ ସୁଖପ୍ରଦ।
କବିତା ହେଉଛି କବିର ମାନସ ସନ୍ତାନ ଯେଉଁଠି କେତେବେଳେ ମିଳନର ମଧୁର ବଇଁଶି ସ୍ଵନ ରହି ରହି ବେଳେବେଳେ ଶୁଭିଯାଏ ତ ପୁଣି କେତେବେଳେ ବିରହ ନିର୍ଝରିଣୀ କାନ୍ଦି କାନ୍ଦି ଶୁଖି ଯାଏ, ଶୁଭେ ନାହିଁ ଆଉ କଳ କଲ୍ଲୋଳିନୀର ନିନାଦିନୀ, କୋଇଲିର କୁହୁତାନ ।
ମିଳନ ଓ ବିରହ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଏକ ପରେ ଆନର ରାଜୁତି। କେତେବେଳେ ମିଳନରେ ଶଙ୍ଖ ଧ୍ୱନି ତ ପୁଣି କେତେବେଳେ ବିରହର ବେସୁରା ରାଗିଣୀ। ମିଲନ ମନକୁ ବେଶ୍ ଉଚ୍ଚାଟିତ ଓ ଆହ୍ଲାଦିତ କରୁଥିବା ବେଳେ ବିରହ ହୃଦୟକୁ ଭାଙ୍ଗି ରୁଜୁ କ୍ଷତାକ୍ତ କରି ପକାଏ, ଯେଉଁଥିରୁ ହୁଏତ ନିସ୍କୃତି ପାଇବା ମଣିଷ ପକ୍ଷରେ ଏତେଟା ସହଜ ହୁଏ ନାହିଁ । କେବଳ ବାରମ୍ବାର ସେଇ ଏକ କଥାକୁ ଦୋହରାଇ ମଣିଷ କଷ୍ଟ ପାଏ। ହୃଦୟ ଦହଗଞ୍ଜ ହୁଏ। ମନର ଏକାନ୍ତ ନିଭୃତ କୋଣରେ ତା’ର ଲିଳାଖେଳା। ଏପରି ଭାବ ମଣିଷକୁ ଅତ୍ୟନ୍ତ ବିବଶ କରି ଦିଏ ଯାହାକି ହୃଦୟକୁ ଦହେ ମନକୁ ଚକଟେ।
ଏହି ପରି ବିରହ ବିଧୁରା କବିପ୍ରାଣା ହୃଦୟ ଝରି ଆସୁଛି ବିରହ ରାଗିଣୀ। ବାଜି ଉଠୁଛି ବେସୁରା ସ୍ଵରର ବୀଣା ନିକ୍ବଣ। କବି ବେଶ୍ ଭାବ ବିଭୋର। ଭାବଗର୍ଭକ ତଥା ଚିତ୍ତାକର୍ଷକ ଶବ୍ଦ ରାଜିକୁ ନେଇ ସେ ଗଢି ତୋଳନ୍ତି କବିତାର କୋଣାର୍କ ବା ତାଜ୍। ଭାବନାର ସୀମା ସରହଦ ନାହିଁ। ସେଇ ଭାବନାରେ ବହରି ଯାଇ ସେ କେତେବେଳେ କେଉଁଠି ପହଂଚି ଯାଆନ୍ତି କେଜାଣି ତା’ର ଠିକଣା ନିଜେ ରଖି ପାରନ୍ତି ନାହିଁ। ଜୀବନଟା ସ୍ବପ୍ନିଳ ହୋଇ ନାଚି ଉଠେ ଥେଇ ଥେଇ ହୋଇ ଆଖି ସାମ୍ନାରେ। ମୁଦ୍ରିତ ନେତ୍ରରେ କେତେବେଳେ କବି ଅତୀତର ଭାଷ୍ଯକାର ପାଲଟିଯାନ୍ତି ତ ଅଥବା ପୁଣି ଭବିଷ୍ୟତର ପ୍ରବକ୍ତା। ଅତୀତକୁ ଫେରି ଯାଇ କବି ରଞ୍ଜିତ ସାହୁ ଲେଖନ୍ତି –
“ବିଜନ ରାତିର ଅେଦଖା ସପନ,
ଭିଜା ତକିଆର ଲୋତକ ତୁମେ
ପାରୁନି କରି ମୁଁ ସ୍ମୃତିରୁ ଅଲଗା,
ତୁମର ଛବିହିଁ   ଆଖିେର ଝୁେମ !”

ପୁଣି ଭବିଷ୍ୟତର ପରିକଳ୍ପନାରେ ବୁଡ଼ି ରହି କବି ଉଚ୍ଚକିତ ସ୍ଵରରେ ଗାଇ ଉଠନ୍ତି –
“ତୁମେ ତ କରିବ ମାେତ ହିଁ ନିଜର ,
ଏହି ସପନ ଦେଖେ ସବୁ ରାତି,
ତଥାପି ସନ୍ଦେହ ଉଠାଏ ଜୁଆର,
ସ୍ପନ୍ଦନ ହରାଏ ମୋର ଏ ଛାତି !
ପାହାନ୍ତି ନିଦର ସୀମିତ ଢେଉରେ
ଭାସେ ସ୍ଵପ୍ନ ତୁମ ଆଲିଙ୍ଗନର
ଆଜିବି ଅସ୍ଥିର ମୋ ପ୍ରୀତିର ନାଆ
ପକେଇ ପାରିନି କାହିଁ ଲଙ୍ଗର I”
କବି ରଞ୍ଜିତ ସାହୁଙ୍କର” ପ୍ରଥମ ପ୍ରେମର ପ୍ରତିଧ୍ଵନି “ପୁସ୍ତକରେ ପ୍ରକାଶ ପାଇବାକୁ ଯାଉଥିବା ପ୍ରାୟତଃ ଅଧିକାଂଶ କବିତା ପଢିବାର ସୁଯୋଗ ମୋ ଭାଗ୍ୟରେ ଯୁଟିଥିଲା। କବିତା ଗୁଡିକ ବେଶ୍ ମାର୍ମିକ ଓ ହୃଦୟସ୍ପର୍ଶି ହୋଇ ପାରିଛି। ଅର୍ଥତାତ୍ତ୍ୱିକ ଦୃଷ୍ଟିକୋଣରୁ ବେଶ୍ ଭାବଗମ୍ଭିର ଓ ସୁଦୂର ପ୍ରସାରୀ। ଶାବ୍ଦିକ ଐନ୍ଦ୍ରଜାଲ ମଧ୍ଯ କେତେକ ଜାଗାରେ ପରିଲକ୍ଷିତ ହୁଏ। ୧୨+୧୧+୧୨+୧୧ ରେ ସୁନ୍ଦର ଗୀତି କବିତା ଗୁଡ଼ିକର ପଦ ବିନ୍ୟାସ କରାଯାଇଛି। କବିତା ଗୁଡିକୁ ପଢିଲେ ମଣିଷର ସେଇ ସହଜ ସରଳ ଅଥଚ ବିଶେଷ ଭାବ ପ୍ରେମ ଭାବର ଉଜାଗର ହୋଇ ଥାଏ। ଉଦାହରଣ ସ୍ଵରୂପ କବିଙ୍କ ଭାଷାରେ –
“ତୁମ ବିନା କିଛି ଦିଶୁନାହିଁ ଆଜି,
ଏହିବିଶାଳ ମେଦିନୀ ବୁକୁରେ,
ତୁମର ଛବିହିଁ କି ଲାଖିରହିଛି,
ମୋ ମନର ଭଙ୍ଗା ମୁକୁରରେ  !
କାନେର ଆଜିବି ପ୍ରତିଧ୍ଵନି ହୁଏ ,
ଛାତି ଭିତର ସ୍ପନ୍ଦନ ତୁମର,
ଆଜିବି ଅଲିଭା ମୋର ବଦନରେ,
ସ୍ପର୍ଶ ତୁମର ଚୁମ୍ବନ ତୁମର !”
ବାସ୍ତବରେ ପ୍ରେମ ହେଉଛି ଏକ ନିଆରା ଭାବ। ମଣିଷ ହେଉ ବା ଇତର ପ୍ରାଣୀ ପଶୁପକ୍ଷୀ ଯାଏଁ ସମସ୍ତେ ସେଇ ପ୍ରେମର ପୂଜାରୀ। ପ୍ରେମ ବ୍ୟତିରେକେ ଜୀବନ ନିର୍ବାହ କରିବା ବଡ଼ ଦୁର୍ବିଶହ ମନେ ହୁଏ। ତେଣୁ ପ୍ରେମ ହେଉଛି ବଞ୍ଚିବାର କଳା love is art of life and art of living । ଏଇ ପ୍ରେମ ଭଲ ପାଇବା ଶିଖାଇଥାଏ । ପରକୁ କେତେ ଅପଣାର କରି ଗଢି ତୋଳେ ।ସତ କଥା ପ୍ରେମ ବିନା ଜୀବନଟା ଲାଗେ ଅଧା ଅଧା। କବି ରଞ୍ଜିତ ସାହୁଙ୍କର ଅନ୍ତର୍ନିହିତ ଦୃଷ୍ଟିକୋଣ ଏଥିରେ ନିବଦ୍ଧ। ଏହା ହେଉଛି ଲେଖକଙ୍କର ମାର୍ମିକ ଅଭିବ୍ୟକ୍ତି। ଅନ୍ତର ଲିପି। ଯେମିତି ନିଜ ଭିତରେ ନିଜେ ସମାହିତ ହୋଇଯାଇ ସେ ଫେରି ଯାଉଛନ୍ତି ପିଛିଲା ଦିନକୁ ଆଉ ଇତିହାସର ଲମ୍ବ ବ୍ୟବଚ୍ଛେଦ ପରେ ସମୟ ଦରିଆର ଆର ପାରିରେ ନିଜ ପ୍ରେମିକା ରହି ତାଙ୍କୁ ହାତ ଠାରି ଡାକୁଛି ଆ.. ଆ.. ମୋ ପାଖକୁ ଆ.. ଖାଇବାକୁ ଦେବି ତୁମକୁ ଜାତି ଜାତିକା ଫଳ, ପିଇବାକୁ ଦେବି ତୁମକୁ ହୃଦୟର ରସ, ଗାଉଥିବି ନାଚୁ ଥିବି ତୁମ ମନ ଜାଣି। କବି କିନ୍ତୁ ବିବଶ। ନା ସେ ପଛକୁ ଫେରି ପାରୁଛନ୍ତି ନା ଏବର ସ୍ଥିତିରେ ଆଗକୁ ପାଦେ ଆଗେଇ ପ୍ରେମିକାର ପ୍ରସାରିତ ବାହୁବନ୍ଧନରେ ନିଜକୁ ମୁହୂର୍ତ୍ତକ ପାଇଁ ହେଲେ ଜଡାଇ ଧରି ରଖି ପାରୁଛନ୍ତି। କବି ତେଣୁ ଗାଇ ଉଠିଛନ୍ତି –
“ମୁଁ ଆଜି ହୁଏତ ନିଃସହାୟ ହୋଇ,
ଭାବନାର ଭଉଁରୀେର ବୁଡ଼ିଛି ,
ତଥାପି ତୁମର ସ୍ମୃତିର ସାଥିରେ,
ସପନ ରାଇେଜ ମନ ଉଡୁଛି  !”
କବି ରଞ୍ଜିତ ସାହୁଙ୍କ କବିତାଗୁଡିକ ପଢିବା ପରେ ମୋର ହୃଦବୋଧ ହୋଇଛି ସେ ନିଶ୍ଚିତ ଭାବେ ଜଣେ ଭଲ କବି ହୋଇପାରିବେ। ଇଶ୍ୱର କରନ୍ତୁ ସେ ଆହୁରି ଅନେକ କବିତା ଏହିଭଳି ଲେଖି ଚାଲିଥାନ୍ତୁ ଓ ମାତୃଭୂମି ତଥା ମାତୃଭାଷାର ସେବା କରି ଚାଲିଥାନ୍ତୁ। ସୁଦୂର ଆମେରିକାରେ ରହି ମଧ୍ଯ ଜନ୍ମମାଟି ଓ ମାତୃଭାଷାର ମୋହ ତାଙ୍କୁ ଏପରି ଆଚ୍ଛନ୍ନ କରି ରଖିଛି ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ସେ ଯେ କେବଳ ଜଣେ କବି ତାହା ନୂହେଁ ବରଂ ଜଣେ ଭଲ ଗାଳ୍ପିକ ଓ ପ୍ରାବନ୍ଧିକ ମଧ୍ୟ। ଓଡ଼ିଆ ସାହିତ୍ୟ ବ୍ୟତୀତ ଇଂରେଜୀ ସାହିତ୍ୟରେ ମଧ୍ୟ ତାଙ୍କ ଲେଖନୀ ବେଶ୍ ଗତିଶୀଳ ରହିଛି। ଶେଷରେ ଏତିକି ହିଁ ପ୍ରାର୍ଥନା ରଞ୍ଜିତ ସାହୁଙ୍କ କୃତ ଏହି “ପ୍ରେମର ପ୍ରତିଧ୍ଵନି” କବିତା ସଂକଳନଟି ଲୋକାଦୃତି ଲାଭ କରୁ ଓ ଶ୍ରୀ ସାହୁ ଆହୁରି ଅନେକ ସ୍ରୁଷ୍ଟି ଓ କୃତୀ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରନ୍ତୁ।

ସାହିତ୍ୟ ସାରଥି
ସତ୍ୟ ପ୍ରକାଶ ସେଠୀ
ଉପ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ

Related posts

ଉତ୍ସର୍ଗ

satya

A great get together and farewell ceremony of Pandit in my Tarago High school conducted under my anchoring and stage management of

satya

ଝରକା ସେପାରିର ଝିଅଟା book

satya

Leave a Comment

Login

X

Register