Satya Prakash
ଗଳ୍ପ

ପାଗଳ

ମୁଁ ଆଜି ଖାଳି ପାଗଳଙ୍କୁ ଭେଟୁଛି । ଯୁଆଡ଼େ ଯାଉଛି ଖାଲି ପାଗଳ ଦଳ ଦଳ ହୋଇ ବୁଲୁଛନ୍ତି । କେଉଁଠି ନା କେଉଁଠି ପାଗଳଙ୍କ ସହ ନିଶ୍ଚୟ ସାକ୍ଷାତ ହେବ । ମାର୍କେଟ ଯାଅ ପାଗଳଟା ବୁଲୁଥିବ । ଗୁପ୍ଚୁପ୍ ତେଲ ଭାଜି ଦୋକାନ ଆଗେ ଛିଡ଼ା ହୋଇଯାଅ, ପାଗଳାଟାଏ କେଉଁଠି ଥିବ କେଜାଣି ମାଡ଼ି ଆସିବ । ଦାନ୍ତ ବୋଝେ ଖୋଲି ଦେଇ ହେଁ ହେଁ ହେଉଥିବ । ବରାଟେ କି ପିଆଜିଟାଏ ଦେଲେ; ଧରିକି ଦୌଡ଼ି ପଳାଇବ । କି ହୀନସ୍ଥା ଏ ଲୋକ ଗୁଡ଼ାକ, ବାଟ ଚଲେଇ ଦେବେ ନାହିଁ । ଖାଲି ଆଗ ଛେକିବେ । ପୁଣି ବେଶ ଭୂଷାରେ ଢଙ୍ଗ ଢାଙ୍ଗ ନାହିଁ । ସାତ ସିଆଁ କରି କୁଆଡ଼ୁ ଗୋଟାଏ ଗଳେଇ ଦେଇଥିବେ । କେଉଁଟା ଓହଳି ପଡ଼ିଥିବ ତ କେଉଁଟା ଘୁଷୁଡ଼ୁଥିବ । ସତେ କି ବିଚିତ୍ର ଜୀବ-ଏଗୁଡ଼ାକ ? ଦେହ ଗୁଡ଼ାକ ଖାଲି ମଳି ମସିଆରେ ପୂରିଥିବ । କଳା କିଟି କିଟିଆ ଦିଶୁଥିବ, ଘୁଅ ଘୁଅ ବାସୁଥିବ । ମୁଣ୍ଡ ବାଳ ଅଠା, ଦାଢି ଗୁଡ଼ାକ ଖିଅର ହୋଇ ନଥିବେ । ନଖ ଗୁଡ଼ାକ ପୁଣି କି କଦର୍ଯ୍ୟ ଦିଶୁଥିବ । ଏ’ତ ପୁଣି ମଣିଷ ? କାହିଁକି ଏମିତି ହୁଅନ୍ତି କିଏ ଜାଣି ??

ନିହାତି ନିକମା, ଅଳସୁଆ ଗୁଡ଼ାକ । ପୁଣି ଭୋକ ଲାଗିଲେ କାହାକୁ ପଖାଳ ପାଣି ମାଗନ୍ତି, ଦେଲେ ଖାଏ, ନଦେଲେ ସେଠୁ ଚାଲିଯାଏ । ଭୋକ ଉପାସରେ ଶୋଇଯାଏ । ଯେଉଁଠି ନାହିଁ, ସେଇଠି ପଡ଼ିଯାଏ । ଜାଗା ଅଜାଗା ନାହିଁ । ଖରା-ବର୍ଷା ଶୀତ-କାକର କିଛି ମାନେ ନାହିଁ । ଖାଲି ମନକୁ ମନ ବର ବର ହୋଇ କ’ଣ ବକୁଥିବ । କେତେବେଳେ ଯେ କାନ୍ଦୁଥିବ, ପୁଣି ସଙ୍ଗେ ସଙ୍ଗେ ଠୋ -ଠୋ ହୋଇ ହସି ଉଠିବ । ଏଗୁଡ଼ାକ ସତେ କି ଅଜବ ପ୍ରାଣୀ । ଏ କି ଜୀବନ?

ସେଦିନ ଘଟଣା ବଶତଃ ଜଣେ ଡ଼ାକ୍ତର ବନ୍ଧୁ ଦେଖା ହୋଇଗଲେ । ପଚାରିଲି- “କ’ଣ ତୁମ ମେଡ଼ିକାଲ ସାଇନ୍ସରେ ଏମିତିକା କିଛି ମେଡ଼ିସିନ୍ ନାହିଁ ନା; ଲୋକ ଗୁଡ଼ାକ ଖାଲି ପାଗଳ ହେଉଛନ୍ତି; ଏଣେ ତେଣେ ବୁଲୁଛନ୍ତି, ବଜାର ଘାଟ କରେଇ ଦେଉନାହାନ୍ତି । ଭାରି ଚିଟା ଲାଗିଲାଣି । ଡ଼ାକ୍ତର କହିଲେ – “ମେଡ଼ିସିନ ଅଛି ଯେ ହେଲେ ଗ୍ୟାରେଣ୍ଟି ନାହିଁ; ଭଲ ହୋଇ ପାରନ୍ତି, ନହୋଇ ବି ପାରନ୍ତି । କାରଣ ମେଡ଼ିସିନ୍ ଗୁଡ଼ାକ ପ୍ରାୟତଃ ଦାମିକା । ପୁଣି ଏଗୁଡ଼ିକ ପ୍ରତ୍ୟେହ ଓ ନିରବଚ୍ଛିନ୍ନ ଭାବେ ଖାଇବାକୁ ପଡ଼ିଥାଏ । ଲୋକଙ୍କ ପାଖରେ ଏତେ ପଇସା କାହିଁ ଯେ, ସମସ୍ତେ ଖାଇବେ ? ସେଥିପାଇଁ ତ ବେଶି ପାଗଳ ହୋଇ ରହି ଯାଆନ୍ତି ।”

ମୁଁ କହିଲି- “ଏ ଜୀବ ଗୁଡ଼ାଙ୍କ ପ୍ରତି ମୋର କିନ୍ତୁ ଭାରି ଘୃଣା, ଦେଖିଲେ ନାକ ଟେକି ହୋଇଯାଏ । ଅଇ ଉଠେ । ପେଟକୁ ଭାତ ଯାଏ ନାହିଁ । ସହର ଠାରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଠି ଏହି ମାଙ୍କଡ଼ ଗୁଡ଼ାଙ୍କର ପ୍ରାଦୁର୍ଭାବ ।”

ଡ଼ାକ୍ତର ବନ୍ଧୁ ସବୁ ଶୁଣୁଥା’ନ୍ତି । ଏଥର ଟିକିଏ ଗମ୍ଭୀର ହୋଇଯାଇ କହିଲେ- “ଏମାନଙ୍କ ମନ ଗହନ ଭିତରେ, କିନ୍ତୁ ଲୁକ୍କାୟିତ ହୋଇ ରହିଥାଏ- ଗୋଟିଏ ଗୋଟିଏ ମସ୍ତବଡ଼ କାହାଣୀ । ଯାହାକୁ ହୁଏତ ଉନ୍ମୋଚନ କରିବା ସହଜ କଥା ନୁହେଁ । କିନ୍ତୁ ଭାରି ବେଦନାକ୍ତ । ମର୍ମନ୍ତୁଦ । ଖାଲି ଖାଲି କେହି ପାଗଳ ହୁଏ ନାହିଁ । ଗୋଟାଏ ବିରାଟ ଅଭାବ ବୋଧ ବା ପ୍ରଚଣ୍ଡ ମାନସିକ ଯନ୍ତ୍ରଣା, ଯାହାକୁ ସକ୍ କୁହାଯାଏ; ତାହା ହିଁ ଏମାନଙ୍କୁ ପାଗଳ କରି ଗଢି ତୋଳିଥାଏ । ଏଥିପାଇଁ ପ୍ରାୟତଃ ଆମ ସମାଜ ବେଶି ଦାୟୀ ।

ସାମୂହିକ ବିଶ୍ରାମ ନେଇ ପୁଣି ସେ କହି ଚାଲିଲେ- “ଦୁନିଆରେ ଆଜି ଶାନ୍ତି ସୁଦୂର ପରାହତ । ପ୍ରତ୍ୟେକ ମଣିଷ ଦ୍ୱନ୍ଦ ଦେହେଳୀ ଦେଇ ଗତି କରୁଛି । ଅପ୍ରାପ୍ତି ଜନକ ହାତାଶାରେ –  ସଢୁଛି । ଏତେବେଳେ ତା’ର ଅନ୍ତଦ୍ୱର୍ନ୍ଦ ତୀବ୍ରରୁ ତୀବ୍ରତର ହୋଇ ଉଠୁଛି । ପରସ୍ପର ମଧ୍ୟରେ ବିଶ୍ୱାସ ଅବିଶ୍ୱାସ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି । ଅନାତ୍ମୀୟତା, ଅବିଶ୍ୱାସନୀୟତା ବୃଦ୍ଧି ପାଉଛି । ଅସହ୍ୟ ଅସହିଷ୍ଣୁ ଭାବ ତା’ର ବଢି ବଢି ଯାଉଛି । ମଣିଷ ଯେତେ ବିକାଶୋନ୍ମୁଖୀ ଓ ପ୍ରଗତୀଶୀଳ ହେଉଛି ତା’ର ମାନସିକ ଭାରସାମ୍ୟ ଦୋହଲି ଯାଉଛି । ଫଳରେ ସନ୍ତୁଳନ ହରାଇ ସେ ଅଶାନ୍ତ ଗ୍ରହ ପରି ଘୂରି ବୁଲୁଛି । କେଉଁଠୁ କିଛି ଆଶ୍ରା ପାଉନାହିଁ । ନିଜର ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଭାଙ୍ଗି ଯିବାରୁ, ସେ ନିଜ ଭିତରେ କୋହେରେନ୍ସ ବା ଏକକତ୍ୱ ବଜାୟ ରଖିପାରୁ ନାହିଁ, ତା’ମୁଣ୍ଡ ଭିତରେ ସମସ୍ତ ଉଦ୍ଭଟ ପରିକଳ୍ପନା ବସା ବାନ୍ଧୁଛି । ସେ ହଁ ନାହିଁର ଦୋ ଛକି ରାସ୍ତାରେ, ଦୋଦୁଲ୍ୟମାନ ଅବସ୍ଥାରେ କାଳାତିପାତ କରୁଛି । ଶଙ୍କା ଆଶଙ୍କାରେ ତାହାର ଚିତ୍ତ ଅହରହ ଶିହରିତ ହୋଇଉଠୁଛି । ପରାଭବ ଓ ପରାଜୟର ଗ୍ଳାନି ତାକୁ ଅଥୟ କରି ଦେଉଛି । ଏତେବେଳେ ସେ ସମସ୍ତ ଭରସା ହରେଇ ବସୁଛି । ଅଥଚ ଜୀବନ ପ୍ରତି ବୀତଃସ୍ପୃହ ହୋଇ ଉଠୁଛି । ଫଳରେ ମାନସିକ ବ୍ୟାଧିଗ୍ରସ୍ତ ହୋଇ ପଡ଼ୁଛି । ଏତେବେଳେ ପାଗଳଙ୍କ ସଂଖ୍ୟା ବଢିବା- ଅସ୍ୱାଭାବିକ ନୁହେଁ” ।

ମୋର ମନୋଭାବ ଆସ୍ତେ ଆସ୍ତେ ବଦଳିବାକୁ ଲାଗୁଥାଏ । ଏମାନଙ୍କ ପ୍ରତି ମୋ ମନରେ ଜାଗି ଉଠିଥିବା ଘୃଣାଭାବ – କେଉଁ ଆଡ଼େ ଉଭେଇଯାଉଥାଏ । ଦୟା-ପ୍ରେମ କରୁଣାର ମହାମନ୍ତ୍ରେ ମୁଁ ଅଭିମନ୍ତ୍ରିତ ହୋବାକୁ ଲାଗୁଥାଏ । ଡ଼ାକ୍ତର ବନ୍ଧୁ ଆହୁରି କହୁଥିଲେ- “ଏମାନଙ୍କର ପାଗଳାମୀ ପାଇଁ ଔଷଧ ଠାରୁ ସେବା ଶୁଶ୍ରୁଷା ଅଧିକ ଜରୁରୀ । ପରିବାର ଠାରୁ ଆରମ୍ଭ କରି, ସମାଜର ପ୍ରତ୍ୟେକ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବ ବାନ୍ଛନୀୟ । ଏମାନଙ୍କ ପାଗଳାମୀ ପାଇଁ ପରିସ୍ଥିତି ପରିବେଶ ଅଧିକ ଦାୟୀ । ସୁସ୍ଥ ସମାଜ ପାଇଁ  ଆମକୁ ପାଗଳହାର କମେଇବା ନିହାତି ଦରକାର; ମାତ୍ର ପାଗଳଟାଏ, ଦେଖିଲେ ପରିବାରର ଲୋକଠାରୁ ଛୁଆପିଲା, ସମାଜ ପର୍ଯ୍ୟନ୍ତ ସମସ୍ତେ ତା’କୁ ଦୂର୍-ଦୂର୍, ଖିନ୍ – ଖିନ୍ କରି ଗୋଡ଼ାନ୍ତି । ପୁଣି ବାଡ଼ି-ଠେଙ୍ଗା ଦେଖାଇ ତଡ଼ନ୍ତି । ଖତେଇ ହୁଅନ୍ତି ।, ମଜା ଦେଖିବା ପାଇଁ ତାକୁ ଚିଡ଼ାନ୍ତି । ଟେକା ପଥର ଫିଙ୍ଗନ୍ତି । ସତେକି ସେ ଭିନ୍ନ ଏକ ଜୀବ, ଜଙ୍ଗଲର ହିଂସ୍ର ଜନ୍ତୁଟାଏ ଅବା ସୁଦ୍ ଗଧଟାଏ ।

ସେଦିନ ଗୋଟାଏ ପାଗଳ ଆମ ଗାଁକୁ ପଶି ଆସିଥିଲା । ଏଥର ଆଉ କିଏ ମଜା ଦେଖେ? ସବୁ ପିଲା ଛୁଆ ଘରୁ ବାହାରି, ତା’ ପଛରେ ଗୋଡ଼ାଇଥାନ୍ତି । ସତେକି ସର୍କସକୁ ଗରିଲାଟିଏ ଆସିଛି । ସର୍କସ ଦେଖା ଚାଲିଥାଏ । କିଏ କେତେ କଥା କହୁଥାଏ । କିଏ ଡ଼ାଙ୍ଗ ଧରି ତାକୁ କେଞ୍ଚି ଦେଉଥାଏ ତ, କିଏ ପୁଣି ତା’ ସାର୍ଟକୁ ଚିରି ଦେଉଥାଏ । ସେ ଖାଲି ମଶା ଡ଼ାଆଁଶ ଲାଗିଲା ପରି ହେଉଥାଏ । ଛାଟି ପିଟି ହୋଇ, ଖଣ୍ଡେ ବାଟ ଧାଇଁ ପଳାଉ ଥାଏ । ପୁଣି ପଛକୁ ଚାହୁଁଥାଏ । ପିଲାଏ କିନ୍ତୁ ତା’ ପିଛା ଛାଡ଼ିବାକୁ ନାରାଜ । ପାତି ମାଡ଼ଙ୍କ ପରି ସେ ଟିକିଏ ଖିଙ୍କାରି ହେଉଥାଏ ।ପିଲାଏ ଟେକା ପଥର ଫିଙ୍ଗୁଥା’ନ୍ତି । ହେଇରେ ହାଇରେ କରି କମ୍ପାଉଥାନ୍ତି । ଉପାୟ ନପାଇ ସେ ଗଛ ଉପରକୁ ଚଢି ଯାଉଥାଏ । ହନୁ ମାଙ୍କଡ଼ ପରି ଗଛ ଡ଼ାଳରେ ମୁହଁକୁ ଏପଟ ସେପଟ କରି ନିଜକୁ ଲୁଚାଉଥାଏ । ଗୋଟାଏ ଟେକା ତା’ନାକ ଦଣ୍ଡିରେ ବାଜିଗଲା ଯେ ଖାଲି ଭଳ ଭଳ ହୋଇ ରକ୍ତ ବୋହୁଥାଏ । ପିଲାଏ ଦେଖି ଡ଼ରି ପଳାଇଗଲେ । ପିଲାଏ ପଳାଇ ଗଲେଣି ଦେଖି, ସେ ଗଛ ଡ଼ାଳରୁ ଓହ୍ଲାଇଲା ଏଥର ଗାଁ ଭିତରକୁ ସଳଖି ଚାଲିଲା । କୁକୁର ଗୁଡ଼ାକ ତା’କୁ ଦେଖି ଭୋ-ଭୋ ଭୁକି ଉଠିଥା’ନ୍ତି । କାହାକୁ କେମିତି ଠାରରେ ଖାଇବାକୁ ଦି’ଟା ମାଗିଲା । “ପାଗଳ ଆସିଲାଣି କାମୁଡ଼ି ଗୋଡ଼ାଇବ” – କହି ; ଲୋକେ ତାଟ କବାଟ କିଳିଦେଲେ । ପୁଣି କିଏ ସେ ଗୋଟାଏ “ଛୁଆ ଧରା ବାୟା ଆସିଛି, ଛୁଆ ଚୋରି କରିନେବ”- ବୋଲି ଚିଲେଇ ଦେଲା ଯେ,ଗାଁ ସାରା ଲୋକ ବାଡ଼ି ଠେଙ୍ଗା ଧରି  ଚାଲି ଆସିଲେ । ପିଟିପିଟି ଗାଁ ମୁଣ୍ଡରେ ଘଉଡ଼ାଇ ଦେଇ ଆସିଲେ । ବିଚରା ହଗି ପକାଇଥାଏ ।

ଯାଇ ଦେଖେ ତ, ଏ ହେଉଛି ସେହି ପାଗଳ, ସେଦିନ ଯିଏ, ମୋ ହାତରୁ ପିଆଜିଟିଏ ଧରି ଦୌଡ଼ି ପଳାଇଥିଲା । ଏମାନେ କେଉଁଠି କେତେବେଳେ ଯେ ପହଞ୍ଚି ଯାଆନ୍ତି, ତାହାର ହିସାବ ନାହିଁ। କିନ୍ତୁ କାହାର ବା କିଛି କ୍ଷତି କରନ୍ତି ?? କାଁ ଭାଁ କେଉଁଠି ଗୋଟେ ଅଧେ ପାଗଳ କାହାରି ବା କିଛି କ୍ଷତି କରିପାରେ, ହେଲେ କୋକୁଆ ଭୟେ ଆମେ ତାକୁ ଏଇମିତି ତଡ଼ନ୍ତି । ଏ କି ମାନବିକତା ପାଗଳ ପ୍ରତି ସମାଜର ମାନବୀୟ ବ୍ୟବହାର??

Related posts

ଶତ ପତ୍ନୀକ

satya

ବାପା

satya

ନୀଳ ଗଗନର ପଥିକ

satya

Leave a Comment

Login

X

Register