Satya Prakash
ଗଳ୍ପ

ଫୁଙ୍ଗୁଳା ଦେହ ସେଁକା ଛାତି

ଫୁଙ୍ଗୁଳା ଦେହ ସେଁକା ଛାତି
—–by ସତ୍ୟ ପ୍ରକାଶ ସେଠୀ
ଆମ ଘର ପାଖରୁ ଅଳ୍ପ ମାତ୍ର୍ କେଇଟା ଜମିନର ଦୂରତ୍ୱ, ଯେଉଁଠି କି ଲମ୍ବି ଯାଇଛି ବାଟ ଚଲା ଗୋଟିଏ ଧୂଳିଆ ରାସ୍ତା ହିଡ ପରିକା। ସେଇଠି ରହନ୍ତି କେତୋଟି ଡମ ପରିବାର।, ଯାହାଙ୍କ ପାଖକୁ ଶିକ୍ଷା ସଭ୍ଯତା ଏଯାଏଁ ଯାଇନାହିଁ। ଆମ ସଭ୍ୟ ଶିକ୍ଷିତ ମଣିଷ ମଧ୍ଯ କେବେ ବି ସେମାନଙ୍କ ଦ୍ଵାର ମାଡ଼ି ନାହିଁ, ମାଡ଼ିଲେ ମଧ୍ଯ କେବେ ସେମାନଙ୍କ ଛାଇ ଆମ ଉପରେ ପଡ଼ି ନାହିଁ। ଦୂରତ୍ୱ ମାନେ ଖୁବ୍ ଗୋଟେ ଦୂରରେ ଛିଡା ହୋଇ ସେମାନେ ବା କାଁ ଭାଁ କେତେବେଳେ କାହା ସହ କେମିତି କଥା ହେଉଥିବାର ବେଳେ ବେଳେ ମୁଁ ଦେଖିଛି। ଆମର ସେମାନଙ୍କ ସହ କିଛି ସମ୍ପର୍କ ନାହିଁ, ସେମାନଙ୍କର ମଧ୍ଯ ଆମ କାହା ସହ ବିଶେଷ ସମ୍ପର୍କ ନାହିଁ। ଯାହା ବେଳେ ଓଉତେ ବଜାର ଘାଟ ଓ ସୌଦା ପାତି କରନ୍ତି ଅବା ବାଉଁଶଟେ କିମ୍ବା କଣି ଦି’ ଖଣ୍ଡ ନେବା ପାଇଁ ଗାଁକୁ ଆସନ୍ତି। ଆମର ବି ଟୋକେଇଟିଏ ବା କୁହ୍ଲା ନାଳିଆଟେ ଦରକାର ପଡ଼ିଲେ ଆମେ ବେଳେ ବେଳେ ଯାଇ ନେଇଆସୁ। ସମ୍ପର୍କ ବୋଇଲେ ଯାହା ସେତିକି। ସେମାନେ ଦିନ ରାତି କାମରେ ଲାଗିଥାନ୍ତି। ସେଇ ନୂଆଣିଆ ବତା ବାଉଁଶର ଓ ଝାଟିମାଟିର ଛଣ ଛପର ଘର ତାଙ୍କ ସ୍ୱପ୍ନର ପାରାବାର। ସେଇଠି ତିନି ଖଣ୍ଡ ପଥରରେ ଝିଙ୍କା ତିଆରି କରି ଖଣ୍ଡେ ଚୁଲି ଓ ଗୋଟିଏ କୁକୁଡା ଭାଡି। ସେଇଠି ପୁଣି ତାଙ୍କରି କାରଖାନା ଓ ବାଉଁଶରେ ତିଆରି ଦରବ। ଦିନ ରାତି ତ ଖଟନ୍ତି, ହେଲେ କ’ଣ ଦି’ ପଇସା ପାଆନ୍ତି କେଜାଣି? କିନ୍ତୁ ବେପାରୀ ଆସି ସବୁ ନେଇ ଯାଏ, ଯିଏ ବାଉଁଶ ଓ କଣି କିଣିବା ପାଇଁ ଆଗରୁ ଅଗ୍ରୀମ ଦେଇଥାଏ । ଲାଭ ଖାଏ ବେପାରୀ ଡମ ସିଏଁ ତଲେଇ। ଏଇମିତି ତ ଦୁନିଆ ବେଶ୍ ଧାଏଁ ।
ସେଇଠି ତାଙ୍କର ହସର ଜୁଆର ଛୁଟେ, ପୁଣି ଅଶ୍ରୁର ଲହଡ଼ି ଭାଙ୍ଗେ। ଶୀତ କାକର ଖରା ଓ ବର୍ଷା ସହି ସେଇଠି ଜୀବନ ପାଳେ ସେହି କେତୋଟି ଡମ ପରିବାର। କିନ୍ତୁ କାହିଁ ସେମାନଙ୍କର ଆର୍ଥିକ ପରିସ୍ଥିତିର ତ ସେତେ କିଛି ଉନ୍ନତି ଘଟି ନହିଁ। କିଏ ବୋହି ନେଉଛି ସେମାନଙ୍କର ଆର୍ଥିକ ଉପାର୍ଜନ? ସେମାନେ ବି ତ ମଣିଷ? ସେମାନଙ୍କର ବି ତ ଆଧୁନିକ ସୁବିଧା ସୁଯୋଗ ସବୁ ଲୋଡ଼ା? ହେଲେ କେହି କାହିଁ ବୁଝି ନାହିଁ ସେମାନଙ୍କ ଦୁଃଖ, ସେମାନେ ବି କିଛି ଆପତ୍ତି ଅଭିଯୋଗ କରି ନାହାଁନ୍ତି, କରି ନଥିବେ – ଏ କଥା ନୁହେଁ, ହୁଏତ କେହି ଶୁଣି ନଥିବେ, ତେଣୁ ଭରସି ଆଉ କାହାକୁ କହି ପାରି ନଥିବେ, ସେମାନଙ୍କର ସ୍ଵପ୍ନ ବୋଲି କିଛି ନାହିଁ? ସ୍ଵପ୍ନ ବା ଆସନ୍ତା କୁଆଡୁ? ଶିକ୍ଷା ମଣିଷ ଆଖିରେ ଅଞ୍ଜନ ଲଗାଇଥାଏ, ତାକୁ ସ୍ଵପ୍ନାଭିଳାଷୀ କରିଥାଏ। ଏମାନେ ତ ଆଧୁନିକ ଶିକ୍ଷା ଓ ସଭ୍ୟତା ଠାରୁ ବହୁ ଦୂରେ, ତେଣୁ ତାଙ୍କୁ କିଏ ସୃଷ୍ଟିର ରହସ୍ୟ ଓ ବଞ୍ଚିବାର ଅଧିକାର ଶିଖେଇବ? ତେବେ ପ୍ରଶ୍ନ ଉଠୁଛି ସେମାନଙ୍କର ଏ ଅବସ୍ଥା ପାଇଁ ପ୍ରକୃତରେ ଦାୟୀ କିଏ – ସରକାର ନା ଏ ସମାଜ ନା ସେମାନଙ୍କର ମୂରୁଖ ପଣିଆ? ତେବେ ଆମର ତ ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଧ ବୋଲି କିଛି ଅଛି? ଏମାନଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରି ଉଦ୍ଭାସିତ କରିବା କ’ଣ ଆମ୍ଭମାନଙ୍କର କର୍ତ୍ତବ୍ୟ ନୁହେଁ?

ଯାହା ବି କୁହନ୍ତୁ ଏଇ ନିଶା ପାଣିଟା ଏମାନଙ୍କୁ ବେଶୀ ଖାଇଲା। ଖାଇବାକୁ ଥାଉ ବା ନଥାଉ ଏମାନଙ୍କର ସେତେ ବେଶୀ ଚିନ୍ତା ନାହିଁ, କିନ୍ତୁ ହାଣ୍ଡିଆ ପାଣିଟା ନିହାତି ଦରକାର। ନିଶା ପାଣିଟା ମୁନ୍ଦେ ପିଇ ଦେଲେ ଦୁନିଆଟା ଏମାନଙ୍କୁ ଚାରିଭୂବନ ଦେଖାଯାଏ। ତେଣିକି କଣ ହେଲା ନହେଲା ଢୋ।
ହେଲେ ଆମେ କ’ଣ ତା’ ଆଖିରେ ଅଞ୍ଜନ ଲଗାଇ ପାରିବା ନାହିଁ, ସ୍ଵପ୍ନ ବିଭୋର କରି ଉଚ୍ଚକିତ ଚିନ୍ତା ଓ ଚେତନା ତା ‘ପ୍ରାଣରେ ଭରି ଦେଇ ପାରିବା ନାହିଁ, ନିଶା ମୁକ୍ତି ଅଭିଯାନ ଚଳାଇ ତାକୁ ନିଶା ମୁକ୍ତି ଦେଇ ପାରିବା ନାହିଁ, ସଭ୍ୟତାର ଝଲକରେ ତାକୁ ଝଲସିତ କରି ପାରିବା ନାହିଁ, ସର୍ବ ଶିକ୍ଷା ଅଭିଯାନ ଚଳାଇ ବାଧ୍ୟ କରି ତା’ ପିଲାକୁ ଶିକ୍ଷିତ କରି ପାରିବା ନାହିଁ, ଆଧୁନିକ ମଣିଷର ସମସ୍ତ ସୁବିଧା ଓ ସୁଯୋଗ ତା’ ନିକଟରେ ପହଁଞ୍ଚାଇ ପାରିବା ନାହିଁ – ସବୁ ସମ୍ଭବ। ହେଲେ ଆମର ଓ ଆମ ସରକାରଙ୍କର ଇଚ୍ଛା ଶକ୍ତି ଜାଗୃତିର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଆମକୁ ଏ କଥା ମନେ ରଖିବାକୁ ହେବ ଯେ ବିକାଶର ପ୍ରକୃତ ଅର୍ଥ ହେଉଛି ସାମୁହିକ ବିକାଶ ଓ ସାମଗ୍ରିକ ଅଗ୍ରଗତି। ନୋହିଲେ ବିକାଶର ମାନେ କିଛି ନାହିଁ। ଯେତେବେଳେ ଦଳେ ଲୋକ ମାଉଁସ ପଲାଉ ଖାଉଥିବେ ଆର ଦଳିଆକ ଭୋକ ଓ ଉପବାସରେ ରହିଲେ ସେତେବେଳେ ତାହା କ’ଣ ଆମ ହୃଦୟକୁ ଆନ୍ଦୋଳିତ କରିବ ନାହିଁ କି? ସେମାନଙ୍କର ହତାଶା ଭାବ ଆମକୁ ବ୍ୟଥିତ କରିବ ନାହିଁ କି? ହେ ଭଗବାନ! ଏମାନଙ୍କ ମୁଣ୍ଡରେ ଟିକିଏ ବୁଦ୍ଧି ଅକଲ ଦିଅ, ଏମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରି ଏମାନଙ୍କୁ ଟିକିଏ ବିକାଶର ମୁଖ୍ୟ ଧାରାରେ ସାମିଲ କର।

ଫୁଙ୍ଗୁଳା ଦେହ ସେଁକା ଛାତି, ଅଣ୍ଟିରେ ଖଣ୍ଡିଏ ଲୁଗୁଆ ଓ ମୁଣ୍ଡରେ ଟାୟା। ପାଖରେ ବିଲେଇଟିଏ ଶୋଇ ଥାଏ ବା କୁକୁରଟିଏ ଯଗି ରହିଥାଏ। ସେଇମାନେ ତା ‘ଜୀବନରେ ସାଙ୍ଗ ସାଥୀ ଓ ସଖା ସହଚରୀ। ଘର ପାଖରେ ସଜନା ଗଛଟିଏ ବା ଅମୃତ ଭଣ୍ଡା ଗଛଟିଏ ଓ ମାରିଚ ଗଛ ଗୋଟେ କି ଦି’ ଟା । ପିଢା ଉପରେ ପୋଇ ବା କଖାରୁ ଗଛ ମାଡ଼ି ଥାଏ। ବାସ୍ ସେଇ ସେତିକି ତା’ର ସମ୍ବଳ। ଆଉ ଅଧିକ କ’ଣ କିଛି ସେ ଜାଣେ ନାହିଁ। ଖାଲି କାମ ଓ କାମ। ରାତି ଦିନ ସେ ଧନ୍ଦାରେ ଲାଗିଥାଏ। ସେଇଥିରେ ତା’ର ଆନନ୍ଦ, ତା ‘ଆତ୍ମାର ପରିତୃପ୍ତି। ଦୁଖଃ ଅପମୋଦନ ନିମନ୍ତେ ବେଳେ ବେଳେ ତା’ ପାଟିରୁ ଝରି ପଡେ କେଇପଦ ମିଠା କଥା – ନା.. ନା.. ନା.. ନୋହିଲେ ସଙ୍ଗୀତର ମଧୁର ଲଲିତ ସ୍ଵର ମୂର୍ଚ୍ଛନା। ତଥାପି ପେଟ ଚାଖଣ୍ଡକ ପୂରେ ନାହିଁ। ସେତକ ପାଇଁ କ’ଣ ତାକୁ କମତି କଷ୍ଟ ଉଠାଇବାକୁ  ପଡେ? ହପ୍ତାବାଲା ବେପାରୀ ଆସି ଯେତେବେଳେ ସପ୍ତାହରେ ଥରେ ତା’ ଠାରୁ ତା’ ଜିନିଷ ସବୁ କିଣି ନିଏ ହାତକୁ ଦୁଇ ପଇସା ଅଧିକା ଆସେ। ସେତେବେଳେ ସେ ବଜାର ଘାଟ କରେ। ସଲପ ଗଛର ଚେର ଆଣି ହାଣ୍ଡିଆ ରାନ୍ଧେ। ରାତିରେ ନିଶାରେ ଖୁବ୍ ଝୁମେ। ଉତ୍କଟ ସ୍ଵରରେ ଗୀତ ଗାଏ। ନାଚି ନାଚି ବେଦମ ହୋଇଗଲେ ସେଇଠି ସେ ପଡିଯାଏ। କେହି ତାକୁ ଉଠାଇ ଆଣି ପିଣ୍ଡାରେ ଶୁଆଇ ଦିଏ, ନହେଲେ ସେଇଠି ତା’ର ରାତି ପାହିଯାଏ। ସକାଳୁ ଉଠି ନିଶା ଛାଡି ଗଲେ ପୁଣି କାମରେ ମାତି ଯାଏ। ବେଶ୍ ହର୍ଷ ଓ ବିଶାଦ ଭରା ଏଇ ତା’ର ଜୀବନ, ଯେଉଁଠି ସ୍ଵପ୍ନ ଗୁଡାକ ସବୁ ତା’ର ନିଶା ପାଖରେ ମରିଯାଏ। ଏହା ଠାରୁ ଆଉ ଆଗକୁ ଯାଇ ସେ କିଛି ଚିନ୍ତି ପାରେ ନାହିଁ କି ଭାବି ପାରେ ନାହିଁ।
ହେ ଭଗବାନ! ଏମାନଙ୍କର କେଉଁ ଦିନ ବୁଦ୍ଧି ଉଦୟ ହେବ? ଏମାନଙ୍କ ମନରେ ଭରି ଦେ ‘ସଭ୍ଯ ମଣିଷର ସ୍ଵପ୍ନ, ଉଚ୍ଚ ହେବାର ଅଭିଳାଷା, ନିଜକୁ ଶିକ୍ଷିତ କରି ଗଢି ତୋଳିବାର ଅଭିପ୍ସା, ସବୁ କିଛି ଜାଣିବାର ଜିଜ୍ଞାସା ଓ ବାହାର ଦୁନିଆକୁ ଦେଖିବାକୁ ତଥା ଚିହ୍ନବାର କାମନା ଓ ବାସ୍ନା।

ମୁଁ ଦେଖି ଆସିଛି ଏମାନଙ୍କୁ ଏମାନେ ଏଇମିତି ମୋ ପିଲାଟି ବେଳୁ। ଜୀବନ ଶୈଳୀରେ ଏମାନଙ୍କର କୌଣସି ପରିବର୍ତ୍ତନ ନାହିଁ।। ବାପ ଗୋସିବାପ ଚଉଦ ପୁରୁଷରୁ ଏମାନେ ଏଇମିତି। ଏମାନଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ନାହିଁ। ସେଇ ଏକା ପ୍ରକାରର ଚଳନୀ। ଆଧୁନିକ ବୈଜ୍ଞାନିକର ନିତ୍ୟ ନୂତନ ଉଦ୍ଭାବନ ଓ ଆବିଷ୍କାର ଫଳରେ ସମାଜରେ ନାନା ପରିବର୍ତ୍ତନ ଅହରହ ସଂଘଟିତ ହୋଇଥାଏ। କିନ୍ତୁ ତାହା ଏମାନଙ୍କ ଉପରେ ଯେପରି ପ୍ରଭାବରହିତ। ସ୍ରୁଷ୍ଟି ର ସେ ସକଳ ପରିବର୍ତ୍ତନର ଧାରା ନିଷ୍ପ୍ରଭ। ଯେଉଁଠି ଡାରୱିନଙ୍କ ବିବର୍ତ୍ତବାଦ ମଧ୍ଯ ହାର ମାନିଛି। ବଡ଼ ଆଶ୍ଚର୍ଯ୍ୟ ଯେ ଏମାନେ ସେ ସମସ୍ତ ବାହ୍ୟ ପ୍ରଭାବ ଠାରୁ କେମିତି ଏତେଟା ଦୂରରେ ଓ ଉଦାସୀନ ରହନ୍ତି? ବଡ଼ ବିସ୍ମିତ କରେ ତା’ର ଜୀବନ ଶୈଳୀ, ଜୀବନ ଚର୍ଯ୍ୟା ଓ ଜୀବନ କାହାଣୀର ଇତି ବୃତ୍ତି।

ସେମାନଙ୍କ ମଧ୍ୟରେ ଜଣେ ମୁଖିଆ ଥାଆନ୍ତି, ଯିଏ ଦଳ ଚଳାନ୍ତି, ଏହି ବସ୍ତିର ମୁରବୀ। ସେଦିନ ତା’ରି ଝିଅ ବାହାଘର ହେଉଥିଲା ଆର ଗାଁ ମୁଣ୍ଡରେ ଥିବା ସେ ଗାଁର ମୁଖିଆ ପୁଅ ରିକୁଡ ସାଙ୍ଗରେ। ବର କନ୍ୟାଙ୍କର ବୟସ ଚଉଦରୁ ପନ୍ଦର ଭିତରେ ସୀମିତ। ଏମାନଙ୍କ ଠାରେ ଆଇନ୍ କାନୁନ ଜ୍ଞାନ କିଛି ନାହିଁ, ସେମାନେ ସେମାନଙ୍କ ନିଜସ୍ଵ ନୀତି ନିୟମର ନିଜେ ପ୍ରବର୍ତ୍ତକ। ତାଙ୍କ ମୁରବୀ ତାଙ୍କ ନୀତି ଓ ନିୟମ। ସମସ୍ତେ ତାରି କଥା ମାନି ଚଳନ୍ତି, ସେ ଦଳ ଚଳାନ୍ତି। ବହୁ ଆଡୁ ତାଙ୍କ ଜାତିର ଲୋକ ମଧ୍ୟ ଆସିଥାନ୍ତି। ସଙ୍ଗୀତର ସ୍ଵର ମୂର୍ଚ୍ଛନାର ତାଳେ ତାଳେ ଚାଲିଥାଏ ପାରମ୍ପରିକ ନାଚ ଗୀତ ଓ ବାଦ୍ୟଯନ୍ତ୍ରର ଝୁମ୍। ଅନତି ଦୂରରୁ ରହି ଆମେ ସଭ୍ୟ ଶିକ୍ଷିତ ସମାଜ ଦେଖି ତା’ର ମଜ୍ଜା ଉଠାଉଥାଉ। ହାଣ୍ଡିଆର ମହ ମହ ବାସ୍ନା ନାକର ଦୁଇ ରନ୍ଧ୍ର ଦେଇ ପେଟ ଭିତରେ ପଶି ହାବୁକାଏ ପବନ ସହିତ ଏକ ମେଳ ହୋଇ ଅଇ ଉଠାଉ ଥାଏ। ବେଶ ପରିପାଟି- ଗଭାରେ ଫୁଲ ଓ ମୟୂର ଚୂଳ, ବେକରେ କାଇଁଚ ମାଳି, ନାକରେ ନୋଥ,କାନରେ ନୋଳି, ଗୋଡ଼ରେ ଘୁଙ୍ଗୁର, ଦେହରେ ଗାଢ଼ା ରଙ୍ଗର ରଙ୍ଗ ବେରଙ୍ଗୀ ଲୁଗୁଆ। ଯାହା କୁହନ୍ତୁ ପଛେ ସେଗୁଡାକ ଭାରି ମାନୁ ଥିଲା ସେମାନଙ୍କ କାଳିଆ ବିଲିବିଲା ଚେହେରାକୁ। ସତରେ କେତେ ସରଳ ଓ ନିରଳସ ଏମାନଙ୍କ ଜୀବନ ଯାପନ ଶୈଳୀ। ଆଧୁନିକତାର ଛାପା ନାହିଁ। ଗତାନୁଗତିକତାରେ ପରିବର୍ତ୍ତନ ନାହିଁ। ଏମାନେ ସବୁଦିନ ପାଇଁ ଏୟା।
ତେବେ ଏ ବିରାଟ ସମୁଦାୟ କ’ଣ ଚିରଦିନ ପାଇଁ ସେୟା ହୋଇ ରହିବ? ବିକାଶର ମହାସ୍ରୋତରେ ଏମାନଙ୍କୁ ଆମ୍ଭେମାନେ ସାମିଲ କରି ପାରିବା ନାହିଁ??? ମୋ ମନରେ ବଡ଼ ପ୍ରଶ୍ନ… ଅପାଣମାନେ କ’ ଣ କହିବେ?

Related posts

କୁନା ବାପା ତୁମେ କିଛି ଜାଣିନ

satya

କାଳିସୀ

satya

ପାଗଳ

satya

Leave a Comment

Login

X

Register