ଗୋଧୂଳିର ବେଳା । ଚାରିଆଡ଼େ ସ୍ନାନ୍ତା-କାନ୍ତା ପରିବେଶ । ପ୍ରକୃତି ଅପରୂପ ଲାବଣ୍ୟରେ ଝଲସି ଉଠୁଥାଏ । ଗାୟାଳ ପିଲାଟି “ରାମ ଯେ ଲକ୍ଷ୍ମଣ ବନସ୍ତକୁ ଗଲେ” ଆଦି ମନ ମତାଣିଆ ଗୀତ ବୋଲି ବୋଲି ଚାଲିଥାଏ । ଆକାଶରେ ମେଘମାଳ ଦେଖି ମାଛି ଲାଗୁଥାଏ କି କଣ : ଗୋରୁ ପଲ ଲାଙ୍ଗୁଳ ଟେକି ଦୌଡ଼ୁଥାନ୍ତି । ହେଲେ ପିଲା ଦୁଇଟା ଖେଳରେ ମଜି ଯାଇଥା’ନ୍ତି । ଜାଣି ପାରୁ ନଥା’ନ୍ତି; ସଂଜ ଯେ ନଇଁ ଆସିଲାଣି ମା’ ତେଣେ ଚାହିଁ ରହିଥିବ । ହଠାତ୍ ବୁଢାଟିଏ ଆସି ଡ଼ାକିଲା –
“ଶୁଣୁ ବାବା! ଏଇଠିକି ଆ….ଅଇ”
– “କାହିଁକି ? ମୁଁ ଯିବିନି……”
– “ଚକ୍ଲେଟ୍ ଦେବି । ନେବୁ ନାହିଁ ?”
– “ଆଗ ଦେ”
– “ହୋଉ ନେ । ଆମ ଘରକୁ ଚାଲ ଆହୁରି ରଖିଛି ଦେବି”
– “ସତ କହୁଛୁ….ଦବୁ ……”
– “ହଁ………ହଁ………ସବୁ ଦେବି । ବସିକି ଖାଉଥିବୁ ମୋଟେ ସରିବନି ।”
ପିଲାଟି ବୁଢାର ବୋଲ ମାନି ଗଲା। ବୁଢା ସଙ୍ଗରେ ତା’ଘରକୁ ଗଲା। ବୁଢା ମନେ ମନେ ବେଶ୍ ପ୍ରୀତ ଥିଲା ପରି ମନେ ହେଉଥିଲା। ପିଲାଟି ଘର ଭିତରକୁ ପଶନ୍ତେ, ବୁଢା କିଳିଣି ଦେଇଦେଲା I ପିଲାଟା ଚିଲେଇ ଉଠିଲା –
“ଏଁ ……….ଏଁ…………କବାଟ କ’ଣ ଦେଇ ଦେଉଚୁ ।”
– “ଚୁପ୍ ପାଟି କରନା ।”
ତିନି ଦିନ ବିତିଗଲା । ଚାରିଆଡ଼େ ଖୋଜା ଖୋଜି କଲେ । କୁନା କିନ୍ତୁ ମିଳିଲା ନାହିଁ । ବାପା ମା’ ଦି’ଟା କାନ୍ଦି କାନ୍ଦି ବିଛଣାରେ ଲାଗି ଗଲେ । ଦିନ ସାରା ଖୋଜିବାରେ ଯାଏ । ରାତି ହେଲେ ଜଣେ ଆଉ ଜଣଙ୍କର ମୁହଁକୁ ଚାହିଁ ଚାହିଁ ରାତିଟା ପାହିଯାଏ । କୁନା ବୋଉଟାକୁ ମଟକା ମାରି ନେଲାଣି । ଯେଉଁଠି ବସୁଛି, ସେଇଠି । ହାତ ଗୋଡ଼ରେ କାମ ପଶୁ ନାହିଁ; ରୋଷେଇ ପତର ହୋଇପାରୁ ନାହିଁ । ଉପବାସ ଭୋକେ, ବିଛଣାରେ ବାପା ମା’ ହଳକ ପଡ଼ି ରହନ୍ତି । ସତେକି ନୁଆଁଣିଆ ଆକାଶଟା ମୁଣ୍ଡ ଉପରେ ଛିଡ଼ି ପଡ଼ିଛି; । ସଂସାର ତାଙ୍କର ଉଚ୍ଛନ ହୋଇଯାଇଛି,ମନରେ ଘୋଟି ଯାଇଥାଏ ବିଷାଦର କାଲିମା । ସତେବା ସିନ୍ଧୁରାଜ ବାଇ ଚଢେଇର ସୁଖରେ ଇର୍ଷାନ୍ୱିତ ହୋଇ , ଲହଡ଼ି ପଠାଇ ସାଥିରେ ନେଇ ଯାଇଛି, ବାଇ ଚଢେଇର ବସା ସହ ଏକମାତ୍ର ତା’ର ଏକୋଇର ବାଳା ବିଶିକେଶନକୁ । ବାଇ ଚଢେଇ ଦି’ଟା ବା କାହାର କ’ଣ କ୍ଷତି କରିଥିଲେ ? ମୁଣ୍ଡ ବାଡ଼େଇ ଖାଲି ଧକେଇ ଧକେଇ କାନ୍ଦି କୋଡ଼ି ଛେଚି ହେଉଥା’ନ୍ତି ।
ବଡ଼ିଭୋରରୁ ଉଠି କାମଧନ୍ଦା ପାଇଁ ମଦନା କେଉଁଆଡ଼େ ଚାଲିଯାଏ । ସବୁତକ ଅବାଟ ତା’ ପାଇଁ ବାଟ । ସଅଳ ଯେଉଁ ବାଟେ ହୁଏ, ସେହି ବାଟେ ସେ ଚାଲିଯାଏ । ସେଦିନ ସିନ୍ଦୂରା ଫାଟିବାକୁ ଡ଼େରି ଥାଏ । ଚାରିଆଡ଼େ ଆହୁରି ଅନ୍ଧାରୁଆ ଥାଏ । ସଅଳ ବିଛଣାରୁ ଉଠି ପଡ଼ି, ମଦନା ପାଖ ଗାଁକୁ ଚାଲିଲା । କେଉଁଠି ଗୋଟେ ମହୁ ବସାର ସନ୍ଧାନ ପାଇଥିଲା ବୋଧେ । ମହୁ ଫେଣା ସେ ଭାଙ୍ଗିବ । ସବୁ ସଂଗ୍ରହ କରି ବିକିବ । ଓଠରେ ବିଡ଼ି ଲଗାଇ ସଟକାଏ ଛାଡ଼ି ଦେଉଥାଏ । ଡ଼ର ଭୟ ତା’ର କାହାକୁ ନାହିଁ । ଚାରିଆଡ଼େ ନିସ୍ତବ୍ଧତା । କୂଆ କୋଇଲି କେହି ଉଠି ନଥାଆନ୍ତି । ହଠାତ୍ ଗୋହିରି ବିଲ ପାଖରେ ତା’ ଗୋଡ଼ଟା ଅଟକି ଗଲା । ସେ ଟିକିଏ ଡ଼ରି ଗଲା କି କ’ଣ ; ଛାତିରେ ପୁଳାଏ ଖଣ୍ଡ ଛେପ ପକାଇଲା । ପୁଣି ଦମ୍ଭ କରି ଆଗକୁ ମାଡ଼ିଗଲା । ପିଚ୍ଛାଲ ତଳେ ଧୋବ ଫର -ଫର କ’ଣ ଦେଖା ଯାଉଥାଏ । ମୁହଁଟାକୁ ଫିଟାଇ ଦେଖିଲା; ୟୁରିଆ ସାର ଥଳିଆ ମୁଣିରେ କ’ଣ କିଛି ବନ୍ଧା ହୋଇଥିଲା । “ଏ କ’ଣ …” ଶବର ପଚା ଗନ୍ଧ ନାକରେ ବାଜିଲାରୁ ହାଉଳି ଖାଇ, ଗାଁକୁ ଧାଇଁଲା । ଏକା ନିଶ୍ୱାସକେ ଡ଼ିଆଁ ମାରି ଗାଁ ଧରିଲା । ଚାରିଆଡ଼େ ଚହଳ ପଡ଼ିଗଲା, ଲୋକ ଜମା ହୋଇଗଲେ, ଗୋହିରି ଅଭିମୁଖେ ସବୁ ଧାଇଁଲେ ।
ପଟ ଫିଟାଇ ଭଲ ଭାବେ ସମସ୍ତେ ଦେଖିଲେ । ଭିତରେ ଶବଟାଏ ଥାଏ । ପଚା ଗନ୍ଧରେ ନାକ ଫାଟି ପଡ଼ୁଥାଏ । କୁନାର ଛିଣ୍ଡା ସାର୍ଟଟା ଦେଖି ବାପାଂ ମା’ଦିଟା କାନ୍ଦି କାନ୍ଦି ଗଡ଼ିଗଲେ । ତାଙ୍କ କାନ୍ଦ ଶୁଣି ଗାଁର ଅନ୍ୟ ସ୍ତ୍ରୀ ଲୋକ, ଛୁଆ ପିଲାମାନେ ମଧ୍ୟ କାନ୍ଦି ଉଠିଲେ । ଖୋଳ ତାଡ଼ ଚାଲିଲା । କିଛି ଲାଭ ହେଲା ନାହିଁ । ଅସଲ ଆସାମୀ ଧରା ପଡ଼ିଲା ନାହିଁ । କେତେ ରକମର କେତେ ଲୋକ ସନେ୍ଦହ କଲେ । ହେଲେ ବୁଝା ପଡ଼ିଲା ନାହିଁ; ନିରୀହ ଛୁଆଟା ବା କାହାର କି ଦୋଷ କରିଥିଲା ।
ପୋଲିସ୍ ଷ୍ଟେସନରେ ଖବର ଦିଆଗଲା । ପୋଷ୍ଟମର୍ଟମ୍ ପାଇଁ ଶବ ପଠାଇ ଦେଇ ପୁଲିସ୍ ଚୁପ୍ ରହିଲା । ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିଲା । ଜଣାଗଲା, ଏହା ଏକ ଅମାନୁଷିକ ନାରକୀୟ କାଣ୍ଡ । ଗାଁ ସାରା ଭାଳେଣୀ ପଡ଼ିଗଲା – “ଦୋଷୀକୁ ଧରି ଉଚିତ୍ ଦଣ୍ଡ ଦିଅ; ନ ହେଲେ ପିଲା ଛୁଆ ଧରି କେହି ଶାନ୍ତିରେ ରହି ପାରିବା ନାହିଁ” । ପୋଲିସ୍ କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବ ଆଳରେ ନୀରବ ରହୁଥାଏ । ଗାଁରେ ବସି ସମସ୍ତେ ଏକାଠି ହେଲେ; ନ୍ୟାୟ ଦରବାର ବସିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା- “ଏ କାଣ୍ଡ କାରଖାନାକୁ ନ ରୋକିଲେ, କେହି ଶାନ୍ତିରେ ଗାଁରେ ସହାବସ୍ଥାନ କରିପାରିବା ନାହିଁ ।” ସମସ୍ତେ କଥାଟାକୁ ସହମତି ଜଣାଇଲେ । କୁନା ମା’କୁ ଡ଼ାକି ପଚାରିଲେ । କହିଲା- “କୁନାଟା ମୋର ଭାରି ଶାନ୍ତ- ସୁଧାର ପିଲା,ଘର ଦ୍ୱାର ଛାଡ଼ି ମୋତେ କୁଆଡ଼େ ଯାଏ ନାହିଁ । ସେଦିନ ଟୁନା ଡ଼ାକିବାରୁ, ଗାଁ ମୁଣ୍ଡ ବର ଓହଳରେ, ଝୁଲି ଖେଳିବାକୁ ଯାଇଥିଲା । ଟୁନାକୁ ଡ଼ାକି ପଚାରିବାରୁ , ପିଲା ଲୋକ ଡ଼ରିଗଲା । ଖାଲି ଆଖି ମଟ-ମଟ କରି ଚାହିଁଲା । ବେଶି ପଚାରିଲାରୁ ପାଟି ଖନି ମାରି ନେଲା; କିଛି କହି ପାରିଲା ନାହିଁ । ଗେହ୍ଲେଇ କରି ଗାଁ ମୁଖିଆ ପଚାରିଲେ- “ମୋ ସୁନା ପୁଅ, ସତ କହିଲୁ ବାବା, କୁନା କାହିଁ? – “ଧନୀ ସାଆଁନ୍ତେ ତା’କୁ ଡ଼ାକି ନେଇ, ଚକଲେଟ୍ ଦେବାକୁ କହିଲା; ମୁଁ ମାଗିଲି ମୋତେ ମୋଟେ ଦେଲା ନାହିଁ ।” ଏଥର ଧନୀ ସାଆଁନ୍ତଙ୍କୁ କିଏ ସମ୍ଭାଳେ?
– “ମୁଁ ଯଦି ମିଛ କହୁଥାଏ ମୋ ଆଖି ଫୁଟି ଯିବ । ମୁଁ ଜମା କୁନିକୁ ଦେଖି ନାହିଁ । ପିଲାଟା କି ଡ଼ାହା ମିଛ କହୁଛି ।” ଟୁନା କହିଲା – “ଏ ସାଆଁନ୍ତଟା କି ମିଛୁଆ; ମୁଁ ତୋତେ ଚକ୍ଲେଟ୍ ମାଗିଲି, ତୁ ମନା କଲୁ ନାହିଁ ନା? କହିଲୁ, ତୁ ଯା’ ପଳା, କୁନାଟା ଆମର ସୁନା ପୁଅ, ସେ ଏକା ଖାଇବ । ମୁଁ ସେଇଠୁ କାନ୍ଦି କାନ୍ଦି ଦୌଡ଼ି ପଳାଇଲି ।” ଏଥର ଟୁନା ସତକୁ ସତ କାନ୍ଦିବାକୁ ଲାଗିଲା । ବୋଧହୁଏ ଚକଲେଟ ନପାଇବାର ଲଜ୍ଜା ଆଉ ଅପମାନ ତା’ମନରୁ ଏଯାଏଁ ଲିଭି ନଥାଏ ।
ଏଥର ସତ ଘଟଣାଟାକୁ ବୁଝିବାକୁ, ଆଉ କାହାରି ବାକି ରହିଲା ନାହିଁ । ସମସ୍ତେ ଜାଣିଲେ,ସାଆଁନ୍ତଟା ମିଛ କହୁଛି । ହେଲେ ଠୁଳେ ମାନୁନାହିଁ । ଗାଁ ଦରବାରକୁ ଫାଙ୍କିଲା । ନ୍ୟାୟରୁ ଉଠି ଚାଲିଗଲା । ଲୋକଙ୍କର ସନେ୍ଦହ ଆହୁରି ଦି’ଗୁଣା ହେଲା । ପୋଲିସ୍ରେ ଯାଇ ସବୁ ଗୋଟି ଗୋଟି କହିଲେ, ହେଲେ ସାଆଁନ୍ତ ପୁଅର ସେ ଶୁଭ ଗମନ୍ୟ । ପଇସା ତଳଠୁ ଉପର ଯାଏଁ ସବୁଠି ବିଞ୍ଚି ଦେଇଥାଏ । ଲୋକଙ୍କ କଥା କେହି ଶୁଣିଲେ ନାହିଁ । ପୋଲିସର ନିରବତା ଲୋକଙ୍କୁ ଭାରି ବାଧିଲା । ପୁଣି କୁନାଟା ବହୁତ ହତଭାଗା । ତା ବାପା-ମା ଦି’ଟା ଭାରି ଗରିବ । କାହାକୁ କ’ଣ କହିବେ? ଗୋଟାଏ ବୋଲି ତ ପୁଅ – ଗଲା ; ଧର୍ମ ଦେବତା ସହିଲା ନାହିଁ । କାନ୍ଦି କାନ୍ଦି କତରା ଲଗା ହୋଇଗଲେ । ଗାଁ ଲୋକ ଦୁଃଖ ସହି ପାରିଲେ ନାହିଁ । “ବଳିଆ”- ସାଆଁନ୍ତ ଘରର ବାର ମାସିଆ ହଳିଆ । ସେଦିନ କାଣ୍ଡ ଭିଆଇବେ ବୋଲି ତା’କୁ ଘରକୁ ପଠାଇ ଦେଇଥାନ୍ତି । ବଳିଆ ଫେରିଲା ପରେ, ତାଙ୍କ ଫୁସ୍ ଫୁସ୍ ସବୁ ଶୁଣିଲା । କୁନା ବୋଉର ଦୁଃଖ ସହିପାରିଲା ନାହିଁ ; ଆସି ସବୁ କହିଲା- “ସାଆଁନ୍ତ ଘରକୁ ଗୋଟେ ଗୁଣିଆ ଆସିଥିଲା କହିଲା- “କୋଠାଟା ଅଶୁଭ ଲଗ୍ନରେ ତିଆରି ହୋଇଛି ; ଗୋଟାଏ ଶିଶୁ ବଳି ଖୋଜୁଛି; ନହେଲେ ଭାରି କ୍ଷତି ହେବ । ଗାଈ ମଣିଷକୁ ମିଶାଇ ସାତ ମୁଣ୍ଡ ଖାଇବ । ସବୁ ଉପଚାର ସେ କରିଦେବ । ଟଙ୍କା ଦି’ଚାରି ହଜାର ଖର୍ଚ୍ଚ ହେବ । ସାଆଁନ୍ତ ଓ ତା’ ପୁଅ କି ଚିନ୍ତାରେ ପଡ଼ିଥିଲେ । ମନେ ମନେ ଉପାୟ ପାଞ୍ଚୁଥାନ୍ତି । ଯୋଗକୁ କୁନାଟା ହାବୁଡ଼ରେ ପଡ଼ି ଗଲା । ତା’କୁ ଧରି ନେଇ ରାତିରେ ବଳି ଚଢେଇ ଦେଇଛନ୍ତି । ପିଛାଲ ତଳେ ଅଖାରେ ପୂରାଇ ନେଇ ପୋତି ଦେଇଥିଲେ; ବିଲୁଆ କି ଶିଆଳ ଶବ ବାସନା ପାଇ ଟାଣି ପକାଇଥିବ ।
ଏଥର ସତ ଘଟଣାଟା ଚାରିଆଡ଼େ ପ୍ରଘଟ ହୋଇଗଲା । ପୋଲିସବାଲା ସବୁ ଶୁଣି ପୂର୍ବବତ୍ ଚୁପ୍ ରହିଲେ । ପାଞ୍ଚ ମୌଜା ଏକାଠି ହେଲେ । ବୁଢାର ଘର ଘେରାଉ କରିଦେଲେ । କିଏ କେତେ ରକମର କହୁଥାନ୍ତି – “ଘର ନିଆଁ ଲଗାଇ ଦିଅ ।” – ବୁଢାକୁ ଘରୁ ଘୋଷାରି ଆଣ ।” – “ଟୋକାଟାକୁ(ତା’ପୁଅ) ଦେଖ, କୁଆଡ଼େ ଗଲା ।” – ବାଡ଼ି ପଛ ପଟେ ଦଳେ ଜଗ, ଯେମିତି ଖସି ଯାଇ ନପାରେ ।” – “ଦମେ ଚ୍ଛେଚି ଗାଁରୁ ତଡ଼ିଦିଅ ।” – “ସମ୍ପତି ବାଡ଼ି ସବୁ ଭାଙ୍ଗିରୁଜି ଛାରଖାର କରିଦିଅ ।” – “ସବୁ ପିଟିକି ଭାଙ୍ଗିଦିଅ” । ହେଲେ ବୁଢା ପୁଅ କେମିତି ଖସିଯାଇ ପୋଲିସ୍ ଷ୍ଟେସନରେ ଗୁହାରି କଲା । ପୋଲିସ୍ ବାଲା ପନ୍ଝାଏ ପହଁଞ୍ଚି ଗଲେ । ଲୋକଙ୍କ ଉପରେ ଗରମ ଖାଇଲେ, ଠେଙ୍ଗାରେ କାହାକୁ କେମିତି ପାହାରେ ଅଧେ ଦେଲେ । ସମସ୍ତଙ୍କୁ ବାନ୍ଧି କରି ପଠାଇ ଦେବାକୁ ଧମକ୍ ଦେଲେ । ହେଲେ ଗୋଟାଏ ବଡ଼ ଜନ ସମାବେଶକୁ ନିୟନ୍ତ୍ରଣ କରିବା କ’ଣ ସହଜ କଥା ? ଲୋକ ତ ସମୁଦ୍ର ଭଳିଆ ଥାଟ୍ଟ ପତ୍ର ଭାଙ୍ଗୁଥା’ନ୍ତି । ଘଟଣାଟି ଯେଣୁ ଆଖ ପାଖର; ଦେଖଣାହାରି ବି ବହୁତ । ଏତେବେଳକୁ ପୋଲିସ୍ ବାଲା ଉପରେ ଲୋକ ରାଗିଗଲେଣି । କହୁଥା’ନ୍ତି – “ଆମେ ଡ଼ାକିଲା ବେଳେ କୁଆଡ଼େ ଯାଇଥିଲ ହୋ ।” – ସାଆଁନ୍ତ ବୁଢା ଲକ୍ଷେ ଟଙ୍କା ଦେଇଛି; ଆମେ କ’ଣ ଜାଣି ନାହୁଁ କି ?” – “ଓ ହୋ! ସେଇଥି ପାଇଁ ଭଦ୍ର ଲୋକ ଦେଖେଇ ହେଉଛ । ବୁଢା ପୁଅ କହିଲାରୁ ଦୌଡ଼ି ଚାଲିଆସିଲ ।” ପାଖ ଆଖ ଗାଁର ତ ସବୁ ଲୋକ ରୁଣ୍ଡ; କିଏ କାହା ମୁହଁରେ ବାଡ଼ ବତା ଦେଉଛି । ମବ୍ କଣ୍ଟ୍ରୋଲ ଅବସ୍ଥାରେ ନଥା’ନ୍ତି । ସମସ୍ତେ ଉତ୍କ୍ଷିପ୍ତ । ପୋଲିସ ରାଗିକି ଫଲ୍ସ ଫାୟାରିଂ କଲା । ଏଥର ଲୋକଙ୍କୁ ଆଉ କିଏ ସମ୍ଭାଳେ । ବାଡ଼ି ଡେଙ୍ଗା କାହା ଘରେ ରହିଲା ନାହିଁ । ହୋ….ହୋ ….ହୋଇ ଖାଲି ଧାଇଁଲେ, ପିଟି ପିଟି ଶୁଆଇ ଦେଲେ । ପୋଲିସ୍ ବାଲା ବି ରହମଣ ପଡ଼ିଲେ ନାହିଁ । ଘରୁ ଘୋଷାରି ନେଇ ଉତ୍ତମ ମଧ୍ୟମ ଭଳିକି ଦି’ଟା ଥୋଇଲେ, ଘରେ ନିଆଁ ଲଗେଇ ଦେଲେ । ଜିନିଷପତ୍ର ସବୁ ଭାଙ୍ଗି ରୁଜି ସଫା କରିଦେଲେ ।
ପୋଲିସ୍ ମାଡ଼ ଖାଇବା କଥାଟା ଓୟାରଲେସ୍ ମେସେଜ୍ ହୋଇଗଲା ; ପୋଲିସ୍ ତତ୍ପର ହୋଇ ଉଠିଲେ । ଜିଲ୍ଲା ସାରା ପୋଲିସ୍ ଠୁଳ ହେଲେ । ଗଣ୍ଡ ଗୋଳିଆ ଲୋକ ସେତେବେଳକୁ ସେଠୁ ସମସ୍ତେ ପାର ହୋଇ ଯାଇଥା’ନ୍ତି । ସାଧାରଣ ଲୋକେ ପୋଲିସର ଲାଠି ଚାର୍ଜରେ ଅଧେ ଦରମଲା ହେଲେ; ଯିଏ ରହିଲେ ବନ୍ଧା ହୋଇ କୋର୍ଟ ଚାଲାଣ ହେଲେ । ପୋଲିସର ଜୁଲମ୍ ଭୟରେ ସାଧାରଣ ଲୋକ ଘର ଦ୍ୱାର ଛାଡ଼ିଲେ । ଅସଲ କେସ୍ କୁଆଡ଼େ ରହିଲା; ଗାଁ ସାରା କିନ୍ତୁ କୋକୁଆ ଭୟ- “ଏବେ କ’ଣ ହେବ”?