..
ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, ଔପନ୍ୟାସିକ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି ତଥା କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ।”ବେକାରୀ ନମ୍ବର ୱାନ୍ “ତାଙ୍କ ସ୍ଵ ରଚିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଷଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ “, “ଫୁସିଆ ମାଆ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।ମାନବବାଦର ସେ ପ୍ରବକ୍ତା।
“ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ ” ତାଙ୍କର ଅନନ୍ୟ କୃତି। ଏଥିରେ ପ୍ରେମର ଉଚ୍ଛ୍ୱଳ ଜଲଧି ତରଙ୍ଗ କଳକଳ ନାଦରେ ଯେପରି ପ୍ରବାହିତ ସେହିପରି ଆଧ୍ୟତ୍ମିକ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ଧର୍ମ, ଦର୍ଶନ ଓ ହେତୁ ଉପଦେଶ ପ୍ରକାଶ ପାଇଛି।ବିଭିନ୍ନ୍ ବ୍ୟକ୍ତି ଚରିତ୍ରର ବିଶ୍ଳେଷଣ ଓ ଅବତାରଣରୁ ତାଙ୍କର ସାମାଜିକ ଅନୁଶୀଳନ ଓ ସୂକ୍ଷ୍ମ ଅନୁଧ୍ୟାନ କଳାର ଗଭୀର ପରିଚୟ ମିଳିଥାଏ।ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଭିନ୍ନ୍ ଢଙ୍ଗରେ ଉତ୍ଥାପନ କରି ସେ ସ୍ଵୀୟ ଜ୍ଞାନ ଓ ପାଣ୍ଡିତ୍ୟପୂର୍ଣ୍ଣ ବ୍ୟକ୍ତିତ୍ଵର ପରିଚୟ ସୃଷ୍ଟି କରି ପାରିଛନ୍ତି। ଉପନ୍ୟାସର ପ୍ରତିଟି ଭାଗ ଏକ ସ୍ଵତନ୍ତ୍ରତାର ଆଲେଖ୍ୟ ଟାଣି ବାର୍ତ୍ତା ବହନ କ୍ଷମତାକୁ ଧରି ରଖି ପାରିଛି। ଏଥିରେ ପାଠକୀୟ ଆବେଦନ ମଧ୍ଯ ରକ୍ଷା ହୋଇପରିଛି।ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ବିଶେଷ କରି ବାଣୀ ବିହାର ସହିତ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଚରିତ୍ର ତହିଁରେ ନିଜର ସମ୍ପୃକ୍ତି ଯୋଡି ବସି ନିଶ୍ଚୟ ପୁସ୍ତକଟିକୁ ପଢିବାକୁ ପ୍ରଲୁବ୍ଧ ହେବେ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରନ୍ତୁ, ଏହାହିଁ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ-
ଉତ୍ସର୍ଗ
——–
ପତ୍ନୀ ପ୍ରିୟମ୍ବଦା ମୋର ଭାରି ପ୍ରିୟ, ଯାହଙ୍କ ପ୍ରେରଣା ମୋ କବିତା ଲେଖାରେ ସହାୟ। ନା ମୋ ପାଠରେ ନା ମୋ ଲେଖାରେ ନଥାଉ ପଛକେ ତାଙ୍କର ଆଗ୍ରହ, ତଥାପି ହୁଅନ୍ତିନି କେବେ ସେ ମୋ ଲେଖାଲେଖିରେ ବାଧକ। ସତ କହିବାକୁ ଗଲେ ତାଙ୍କ ସରଳ ଓ ଭୋଳାପଣ ମୋ ପାଇଁ ଆଶୀର୍ବାଦ। ଓଡ଼ିଆ ଭାଷା ସାହିତ୍ୟରେ ବାଣୀ ବିହାରରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବାରୁ ମଧ୍ୟ କେତେବେଳେ କେମିତି ମୋ ତୃଟି ସୁଧାରିବାରେ ହୋଇଥାନ୍ତି ସହାୟକ। ତେଣୁ ଉପନ୍ୟାସ ” ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ ” ତାଙ୍କୁ ଉତ୍ସର୍ଗ କରି ମୁଁ ଯଥାର୍ଥରେ ମୋ ଖୁସି ଜାହିର୍ କରୁଛି।
-ଇତି)
ତୁମ ହାତ ଧରି ଚାଲିବାକୁ ବାଟ
ଥିଲା ଦିନେ ପରା ସଂକଳ୍ପ ଯାହାର
ତୁମର ସେଇ
(ସତ୍ୟ ପ୍ରକାଶ ସେଠୀ)
କଥାରେ କଥାରେ
–———————
ପ୍ରେମ ଆଜ୍ଞା! ଗୋଟେ ନିଆରା ଜିନିଷ ।ଏହି ପ୍ରେମରେ ପ୍ରତାରଣା ଅଛି, ପୁଣି ଅଛି ଆତ୍ମ ପରିତୃପ୍ତି। ପ୍ରେମ କେତେବେଳେ ମଣିଷ ମନରେ ବିଷ ଭରି ଦିଏ ପୁଣି ସେଇଠି ବହେ ଅମୃତର ଫଲଗୁ ଧାରା। ପ୍ରେମ ମଣିଷକୁ ଦାନବରୁ ମାନବ କରି ଦିଏ। ପୁଣି କେତେବେଳେ ଏହି ପ୍ରେମ ମାନବକୁ ପଶୁ କରିଦିଏ। ପ୍ରେମର ସଫଳତା ଓ ବିଫଳତାକୁ ନେଇ କେତେ କାହାଣୀ । ମଣିଷ ତା’ ଜ୍ଞାତରେ ହେଉ ବା ଅଜ୍ଞାତରେ ସେ ଅନ୍ୟକୁ ଭଲ ପାଏ। ଏହି ପ୍ରେମରେ ସେ ସଫଳ ହେଲେ କୃତକୃତ୍ୟ ହୋଇଯାଏ। ଜୀବନକୁ ଧନ୍ଯ ମଣେ। ମାତ୍ର୍ ଯେତେବେଳେ ସେ ବିଫଳ ହୁଏ ସେ ଭଗ୍ନ ମନୋରଥ ହୋଇ ଦଣ୍ଡେ ଅଟକି ଯାଏ। ଜୀବନକୁ ଅସାର ମଣେ। ପ୍ରେମ ହିଁ ଜୀବନ, ପ୍ରେମ ବ୍ୟତିରେକେ ଜୀବନ ସଫଳ ଜୀବନ ନୂହେଁ, ସବୁ ନିଷ୍ଫଳ। ପ୍ରେମ ଭାବ ମଣିଷ ଜୀବନର ବିଶିଷ୍ଟ ଭାବ। ଏହି ପ୍ରେମ ଭାବ ନିଜ ଭିତରେ ଯେତେବେଳେ ଉଜାଗର ହୋଇଉଠେ ତାକୁ ଦୁନିଆଟା ଭାରି ଦୀପ୍ତିମୟ ପ୍ରତିଭାତ ହୁଏ। ଯାହାର ଅବର୍ତ୍ତମାନରେ ଚାରିଆଡ଼େ ଅନ୍ଧକାର ଘୋଟି ଆସେ ।ଜୀବନଟା ନିରର୍ଥକ ପାଲଟେ ।ପ୍ରେମ ହିଁ ଶାସ୍ବତ, ପ୍ରେମ ହିଁ ଜୀବନ। ଦୁଇଟି ଆତ୍ମାର ଓ ଦୁଇଟି ହୃଦୟର ମିଳନ ହେଉଛି ବାସ୍ତବ ପ୍ରେମ। ଯେଉଁଠି ଛଳନା ବା ପ୍ରତାରଣାର ଲେଶ ମାତ୍ର୍ ନଥାଏ। ମନ ଓ ହୃଦୟର ମିଳନ ନହେଲେ ସେ କି ପ୍ରେମ? ନହେଲେ କୁହାଯିବ ଏହା ପାଖଣ୍ଡଙ୍କ ବିରାଡ଼ିଆ ପ୍ରେମ, କାମ ସରିଗଲେ ମାରିବେ ଛୁ ମନ୍ତର। ବାସ୍ତବ ପ୍ରେମ ଏମିତି ପବିତ୍ର ପ୍ରେମ ବନ୍ଧନରେ ଦୁଇ ଜଣଙ୍କୁ ଯୋଡି ରଖେ ଯେ ଜଣେ ଅନ୍ୟ ଜଣଙ୍କୁ ନିମିଷେ ନଦେଖିଲେ ବାୟା ପ୍ରାୟ ହୋଇ ଉଠେ। ଏହା ହିଁ ଅନ୍ତରୀଣ ଭାବ ସତ୍ତା । ଯେଉଁଠି ସମର୍ପଣ ଭାବ ଆସିଯାଏ, ସେଠି ବ୍ୟକ୍ତିସର୍ବସ୍ୱ ଚିନ୍ତାଧାରା ଛାଡ଼ି ମଣିଷ ‘ଆମେ’ର ଭାବ ସର୍ବସ୍ବ ତଲ୍ଲୀନ ହୋଇଯାଏ। ପ୍ରେମ ଆକସ୍ମିକ ସୃଷ୍ଟି ହୁଏ ଓ ମନର ଗହନ ରାଇଜରେ ଭାବାନ୍ତର ସୃଷ୍ଟି କରେ, ଯେଉଁଠି ଦୁଇଟି ଆତ୍ମା ଗୋଟିଏ ଆତ୍ମାରେ ରୂପାନ୍ତରିତ ହୋଇଯାଏ। ଜଣଙ୍କର ଅନ୍ୟ ଜଣଙ୍କ ପାଇଁ ବ୍ୟଗ୍ରତା ପରିଲକ୍ଷିତ ହୁଏ ଓ ଉଦ୍ଗ୍ରୀବତା ବଢି ଯାଏ। ଇଏ କି ପ୍ରେମ ଯାହା ହୃଦୟକୁ ଦହେ ଓ ମନକୁ ଚକଟେ।
ମଣିଷ ମନର ମଣିଷଟିକୁ ପାଇଲେ ସଦାବେଳେ ତାକୁ ପାଖରେ ପାଇବାକୁ ସେ ଇଛା କରେ। ଟିକିଏ ଦୂରେଇ ଗଲେ ବିରହ ବେଦନାରେ ମନ ଆନ୍ଦୋଳିତ ହୁଏ। ମନେମନେ ଝୁରେ, ନିଜର ଆପଣାର ମଣିଷଟା ପୁଣି ଫେରି ଆସନ୍ତା କି? ଏହି ଅପେକ୍ଷା ଓ ପ୍ରତିକ୍ଷା ତା ହୃଦୟ ଭିତରେ ତା ଆପଣାର ମଣିଷଟି ପ୍ରତି ତା’ର ପ୍ରେମାନୁରାଗ ଆହୁରି ବଢାଇ ଦିଏ। ଏହି ବିଚ୍ଛେଦ ଓ ବିରହରେ ହିଁ ଆପଣାର ମଣିଷଟିର ପରଖ ଓ ନିରେଖ ଅଧିକ ହୋଇ ପାରିଥାଏ। ସେ ଜାଣିଯାଏ ଯେ, ଜଣେ ଅନ୍ୟ ଜଣଙ୍କ ପାଇଁ କେତେ ଅଧିକ ବ୍ୟସ୍ତ ହେଉଛି, ଯାହା ଦ୍ୱାରା ପ୍ରେମର ଗଭୀରତାକୁ ସହଜରେ ମାପି ହୁଏ। ଏହି ପ୍ରତୀକ୍ଷା ବେଳେବେଳେ ଏତେ ଅସହ୍ଯ ହୁଏ ଯେ, ମଣିଷ ଆଖିରୁ ଖାଲି ଧାର ଧାର ହୋଇ ଲୁହ ବୋହିଯାଏ। ହେଲେ ସେ ସମସ୍ତ ମନର ଭାବକୁ ସମ୍ପୂର୍ଣ୍ଣ ପ୍ରକାଶ କରି ପାରେ ନାହିଁ। ଫଳରେ ମନରେ ବେଦନା ମନରେ ମରିଯାଏ। ଅଶାନ୍ତି ଓ ଅସନ୍ତୋଷର ଦାବାନଳରେ ସେ ରାତି ଉଜାଗର ରହେ। ଦୁଖଃ ଓ ଅବସାଦରେ ସେ ମ୍ରିୟମାଣ ହୋଇଉଠେ। ବେଳେବେଳେ ମଧ୍ଯ ପାଗଳଙ୍କ ପରି ଚିତ୍କାର ଓ ପ୍ରଳାପ କରି ବସେ। ଏହି ତ ଭଲ ପାଇବା ଆଉ ପ୍ରେମ ଯାହା ସାଶ୍ୱତ ଓ ଚିରନ୍ତନ। ପ୍ରେମ ନଶ୍ଵର ଓ ପୁଣି ଅବିନଶ୍ଵରର ପରିକଳ୍ପନା ଗଢି ତୋଳେ । ପ୍ରେମ ଅମୃତର ଫଲଗୁ ଧାରା। ପ୍ରେମ ଚିତ୍ତ ବୃତ୍ତିର ଉତ୍ତରଣ।
ଏହିଭଳି ପ୍ରେମର ବହୁବିଧ ରୂପରସ ସମ୍ଭାରକୁ ନେଇ ଉପନ୍ୟାସ “ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ ”ର ପରିକଳ୍ପନା ଓ ରୂପ ସଜ୍ଜା କରାଯାଇଛି, ଯେଉଁଥିରେ ରହିଛି ଚଉଦଟି ଅଧ୍ୟାୟ ବା ଭାଗ। ପ୍ରତିଟି ଭାଗ ପ୍ରତ୍ୟେକଠୁଁ ଏତେ ଭିନ୍ନ୍ ଯେ, ସ୍ପଷ୍ଟ ତଫାତ୍ ସହଜରେ ବାରି ହୋଇପଡେ ଓ ଲେଖକଙ୍କର ମୌଳିକତା ତଥା ସ୍ଵତନ୍ତ୍ରତାକୁ ପ୍ରମାଣିତ କରିଥାଏ।କାହାଣୀ ଭାଗର ଚରିତ୍ର ସମାଜର ବିଭିନ୍ନ ବର୍ଗର ହୋଇଥିଲା ବେଳେ ଘଟଣା ଓ କାହାଣୀ ଗୁଡିକ ବାଣୀବିହାରର ଚତୁପାର୍ଶ୍ୱରେ ଘୂରି ବୁଲୁଥିଲେ ହେଁ ତହିଁରେ ବୈଚିତ୍ର୍ୟ ପରିଲକ୍ଷିତ ତଥା ସମାଜରେ ନିତି ପ୍ରତିଦିନ ଘଟୁଥିବା ସମସ୍ୟା ସହିତ ସମ୍ବନ୍ଧ ଯୋଡ଼ିବସେ। ତେଣୁ ପାଠକ /ପାଠିକାମାନଙ୍କୁ ଏକ ନିଆରା ଆନନ୍ଦାନୁଭୂତିରେ ଦ୍ରବୀଭୂତ କରିପାରିବ ବୋଲି ଆଶା କରାଯାଇପାରେ। କଥନିକା ଗୁଡିକୁ ପଢିବା କ୍ଷଣି ପାଠକ /ପାଠିକାମାନଙ୍କ ଭିତରେ ପ୍ରେମ ଭାବର ଉଜାଗର ହେବ। ତତ୍ ସହିତ ପ୍ରେମ ଓ ତଦ୍ଜନିତ ଉତ୍ପନ ସମସ୍ୟା ଗୁଡ଼ିକ ପ୍ରତି ମଧ୍ଯ ତା’ର ସଚେତନତାବୋଧ ସୃଷ୍ଟି ହୋଇପାରିବ। ଏହି ଦୃଷ୍ଟିକୋଣରୁ କଥିତ ବିଷୟବସ୍ତୁ ଗୁଡ଼ିକ ନିଶ୍ଚିତ ଭାବେ ଶିକ୍ଷଣୀୟ ଓ ମାନବ ସମାଜ ପାଖରେ ନୂତନ ସନ୍ଦେଶ ପହଞ୍ଚାଇବାକୁ ସକ୍ଷମ।
ବାର୍ତ୍ତାବହନ କ୍ଷମତା ରଖିଥିବା ଗଳ୍ପ ଭାଗ ଯେହେତୁ ସମାଜର ହିତ ସାଧନ ପାଇଁ ଉଦ୍ଦିଷ୍ଟ ଏହାଦ୍ୱାରା ସାମାଜିକ ପରିବର୍ତ୍ତନର ସ୍ଵର ଝଙ୍କୃତ ହେଉ – ଏହା ହିଁ ପୁସ୍ତକ ପ୍ରକାଶନ ଅବସରରେ ମଙ୍ଗଳମୟ ଈଶ୍ୱରଙ୍କଠାରେ ମୋର ପ୍ରାର୍ଥନା।
ସର୍ବଶେଷରେ ପୁସ୍ତକ ପ୍ରକାଶନ ସଂସ୍ଥା – – – – – – ଓ ମୁଦ୍ରଣକାରୀ – – – – – – ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।
ପରିଶେଷରେ ଏଥିରେ ପ୍ରକାଶିତ ଉପନ୍ୟାସ ଖଣ୍ଡଗୁଡ଼ିକ ଗଳ୍ପ ଆକାରରେ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକା ଓ ସମ୍ବାଦ ପତ୍ରରେ ତଥା ବଣମଲ୍ଲୀ, ଷ୍ଟୋରୀ ମିରର, ଆହ୍ଵାନ ପ୍ରଭୃତି ଇ – ପତ୍ରିକା ଓ ୱେବ୍ ପୋର୍ଟାଲରେ ପ୍ରକାଶ ପାଇ ପାଠକୀୟ ଆଦୃତି ପାଇଥିବା ବେଳେ ପୁସ୍ତକଟି ପାଠକୀୟ ସ୍ଵୀକୃତି ଲାଭ କରି ଓଡ଼ିଶାର ପୁରପଲ୍ଲୀରେ ସମସ୍ତ ପାଠକ /ପାଠିକା ନିକଟରେ ପହଞ୍ଚୁ – ଏହାହିଁ କାମନା।
ପରିଶେଷରେ କହୁ କହୁ କହିଦେଇ ବାଣୀବିହାରର 89 – 91 ବ୍ୟାଚର ଯେଉଁ ପ୍ରଭାତୀ, ଅଳକା, ବିଭୁ, ଗୋବିନ୍ଦ, କରୁଣା, ମନୋରଞ୍ଜନ…….. ପ୍ରମୂଖ ତଥା ଏଫ୍. ବି. ଫ୍ରେଣ୍ଡ୍ ସୁମିତ୍ ପଣ୍ଡା (କେଉଁଝର) ଓ ସୁମତି ନାୟକ (ନୀଳଗିରି) ଆଦି ସାଙ୍ଗମାନଙ୍କୁ ସାଧୁବାଦ ଜଣାଇବାକୁ ଆଦୌ ଭୁଲିବି ନାହିଁ। ସମସ୍ତଙ୍କୁ କୃତଜ୍ଞତା ପୁଟେ ଅନେକ ନମସ୍କାର।
-ଔପନ୍ୟାସିକ ସତ୍ୟ ପ୍ରକାଶ ସେଠୀ
ସୂଚୀପତ୍ର
ସୂଚୀପତ୍ର
———–
କ୍ର. ସଂ. ବିଷୟ. ଭାଗ . ପୃଷ୍ଠା
1. ବାଣୀ ବିହାରରେ ପ୍ରେମ 1
2. ସତୀ ଚଉଁରା ମୂଳେ ପ୍ରେମ 2
3.ଲେଡିଜ୍ ହଷ୍ଟେଲ୍ ଆଗେ ପ୍ରେମ3
4. ଖଣାଗାଢରେ ପ୍ରେମ 4
5. କ୍ୟାଣ୍ଟିନରେ ପ୍ରେମ 5
6. ନୁଙ୍ଗୁରାର ପ୍ରେମ 6
7.ସାଇନ୍ ଡାଏ ବେଳେ ପ୍ରେମ 7
8.ଏଜିଟେସନ ବେଳେ ପ୍ରେମ 8
9. ନିର୍ବାଚନ ବେଳର ପ୍ରେମ 9
10.ଷ୍ଟୁଡେଣ୍ଟ ସ୍ପେଶାଲ 10
ବସରେ ପ୍ରେମ
11. ଲାଇବ୍ରେରୀରେ ଡେଜ୍ 11
ସ୍କଲାରଙ୍କ ପ୍ରେମ
12.ପ୍ରେମରେ ଟୁ ଦି ପାୱାର 12
ଥ୍ରୀକୁ ନେଇ ଅଙ୍କ କଷା
13 ପ୍ରେମରେ ନାନା ରଙ୍ଗ 13
14.ପ୍ରେମରେ ଟୁଇଷ୍ଟ କାହାଣୀରେ ମୋଡ଼ 14
15.ପ୍ରେମ ତତ୍ତ୍ଵ . 15
ଭାଗ 1.. ବାଣୀ ବିହାରରେ ପ୍ରେମ
ଆପଣମାନଙ୍କ ଭିତରେ ଅନେକଙ୍କର ବା ସମସ୍ତଙ୍କର ଏ ଅନୁଭୂତିଟା ଅଛିକି ନାହିଁ, ମୁଁ କହି ପାରିବି ନାହିଁ। ମୋର କିନ୍ତୁ ବଡ଼ ଅନୁଭୂତିଟାଏ ନିଶ୍ଚୟ ଅଛି। ଲେଡିଜ ହଷ୍ଟେଲ ସାମ୍ନା ଓ ସତୀ ଚଉଁରା – ଏ ଦୁଇଟା ପ୍ରେମୀ ଯୁଗଳଙ୍କ ପାଇଁ ପ୍ରକୃଷ୍ଟ କ୍ରୀଡା ଭୂଇଁ। ସେଇଠି ପରା କେତେ କେତେ ପ୍ରେମ କାହାଣୀ ଲେଖି ହୋଇଯାଇଛି। ସେ ଖେଳ ପଡିଆ ହେଉ ବା ପାର୍କ ଅବା ସିନେମା ଗୃହ ଅଥବା ବାଣୀବିହାର ଭିତରେ ଥିବା recreational club ହେଉ ବା library, ସବୁଠି ଗୋଟେ ନିର୍ଦ୍ଧିଷ୍ଟ ନୀତି ନିୟମ ଓ ସମୟ ସୀମା ଅଛି, ଯେ କେତେବେଳେ ଏହା ଖୋଲା ରହିବ ଓ ବନ୍ଦ ରହିବ। କିନ୍ତୁ ମୁଁ ଆଗ ଯେଉଁ ଦିଟା କଥା କହିଲି, ସେ ଦୁଇଟା ସବୁ ବେଳେ ଉନ୍ମୁକ୍ତ ରହେ। ସେଇଠି ପ୍ରେମ ହୁଏ ଆଉ ବୈରାଗ୍ୟ ମଧ୍ଯ ଆସେ। କେତେ କେତେ ସଫଳ ପ୍ରେମ କାହାଣୀ ସେଇଠୁ ପରା ପ୍ରଥମେ ଲେଖା ହୋଇ ବାସ୍ତବତାର ରୂପ ରେଖ ନେଇଛି। ପୁଣି ଅସଫଳତାର ପ୍ରେମ କାହାଣୀ ଅନେକ ରଥୀ ଓ ମହାରଥୀଙ୍କୁ ଘଡିକେ ବିଷାଦିତ କରି ବୈରାଗ୍ୟ ଭିତରକୁ ଠେଲି ଦେଇଥିବା ମଧ୍ଯ ସ୍ପଷ୍ଟ ନଜିର ରହିଛି । ରାତି ନ ପାହୁଣୁ ଏ ପ୍ରେମ ବିପଣନଟି ଖୋଲି ଯାଏ ।ପ୍ରେମ ସୌଦାଗରମାନେ ସେଇଠିକୁ ଭିଡ଼ି ଯାଆନ୍ତି। ନିଜ ପସନ୍ଦର ପ୍ରେମିକା ସହିତ ଘଣ୍ଟା ଘଣ୍ଟା ଧରି ମୁଖଚାଳିକା ଓ ବାକ୍ ବିନିମୟ ବା bargain କଲା ପରେ ପ୍ରେମ ସୌଦା ଧରି ଘରକୁ ଫେରନ୍ତି। ସେଇ ସେତକ ସୌଦାରେ କୁଆଡ଼େ ପ୍ରେମ ଖେଚୁଡ଼ି ତିଆରି ହୋଇ ଜୀବନକୁ ଭାରି ଆନନ୍ଦ ଦିଏ। ସେଇ ଖେଚୁଡିରେ କେତେ ତିକ୍ତ, ଖଟା ଓ ମଧୁର ତଥା ସ୍ୱାଦିଷ୍ଠଯୁକ୍ତ ଅନୁଭବ ସବୁ ଫେଣ୍ଟାଫେଣ୍ଟି ହୋଇ ରହିଥାଏ । ତାହାକୁ ପୁଞ୍ଜି କରି ସେମାନେ ଆଗକୁ ବଢନ୍ତି।
ସମୟ ଉପରାନ୍ତେ ସାଥୀ ଚୟନ ପ୍ରକ୍ରିୟାରେ ପରିସମାପ୍ତି ଟାଣି ହୋଇଯାଏ। ଜୀବନ ଧନ୍ୟ ହୁଏ। ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ କେତେ ରାଣ ନିୟମ ଖାଆନ୍ତି। ଆଉ ସେଇ ସଙ୍କଳ୍ପ ପୂରା ହୁଏ ଯେତେବେଳେ କିଛି ଦିନ ବ୍ୟବଚ୍ଛେଦ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ପଡ଼ନ୍ତି। ବିଦ୍ୟା ଓ ମାମି ଏହିପରି କେତେକଙ୍କ ଭାଗ୍ୟରେ ଏହା ହିଁ ଜୁଟିଛି। କିନ୍ତୁ ଆହୁରି କେତେକଙ୍କ ଭାଗ୍ୟରେ ଏହା ନିଷ୍ପ୍ରହ ହୋଇଉଠିଛି, ଯେତେବେଳେ ଏହି ପ୍ରତିଶ୍ରୁତି ପ୍ରତାରଣାରେ ରୂପାନ୍ତରିତ ହୋଇଯାଇଛି।
ଛାଡ଼ ଏ ସବୁ କଥା। ଏତେ ସୁନ୍ଦର କଥାବସ୍ତୁକୁ ଏମିତି ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୋଡରେ ଆଣି ଛାଡ଼ିବା ଆଦୌ ଉଚିତ୍ ହୋଇ ନାହିଁ। ତେଣୁ ଅସଲ କଥାକୁ ଫେରିବା। ତେବେ କ’ଣ ହୁଏ ସେଇ ସତୀ ଚଉଁରା ମୂଳରେ? ସେଇ କଥାଟା ଆଗ ଟିକେ ବିସ୍ତୃତ ଭାବେ ଆଲୋଚନା ହେଉ….
ଭାଗ2…
…. ସତୀ ଚଉଁରା ହେଉ ବା ଲେଡିଜ ହଷ୍ଟେଲ ଆଗ – ଏ ଦୁଇଟା ଭାରି ମନୋଲୋଭା ସ୍ଥାନ। ସବୁରି ଘଟଣାର ମୂଳ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ। ସାମ୍ନାରେ ଇଁକଲ ପଟାସର ବଣ, ଗୋଟିଏ ଯୋଡ଼ିଏ ପକ୍କା ଚାନ୍ଦିନୀ, ସାମନ୍ୟ ଘାସର ଗାଲିଚା, ଦିଗନ୍ତ ବିସ୍ତୃତ ଏ ଖୋଲା ପ୍ରାନ୍ତର ଯାହାକି ହୃଦୟ ମଧ୍ୟରେ ପ୍ରେମାନୁରାଗରାଗ ତୋଳିବା ପାଇଁ ବେଶ୍ କ୍ଷମ ଓ ମୁଣ୍ଡ ଉପରେ ବିରାଟ ଶୂନ୍ୟତାର ପାହାଡ଼ – ଏ ଆକାଶ ଯାହାକି ମହାଜାଗତିକ ବସ୍ତୁର ସମାହାର ମହାଶୂନ୍ୟର ପରିକଳ୍ପନା ଗଢି ତୋଳେ ମନ ମଧ୍ୟରେ ଯେତେବେଳେ ମନ କୌଣସି କାରଣରୁ ବିଷାଦିତ ହୋଇଉଠେ। ନହେଲେ ଅନ୍ୟ ଆଧିକାଂଶ ସମୟରେ ଏହି ଇଙ୍କଲ ପଟାସର ହଳଦିଆ ଫୁଲ ଚମ୍ପା ଫୁଲର ସୌନ୍ଦର୍ଯ୍ୟ ଓ ମାଦକତା ଭରି ଦିଏ ମନ ଗହନର ତଳେ। ସେଇଠି ମଧ୍ଯ କେତେଟା ସଦାବିହାରୀ ଗଛ ଭୁଇଁକୁ ଲାଗି ମାଟି ଉପରେ ସଣ୍ଢା ଟେକି ରହିଥାଏ। ସେଇ ସେତିକ ଅଳ୍ପ ବହୁତ ବସ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେମ ଭାବାବେଗକୁ ପରିବ୍ୟାପ୍ତ କରି ପ୍ରକାଶ କରିବା ପାଇଁ କିଛି କମ୍ ଆୟୁଧ ହୋଇ ନଥାଏ। ବମ୍ବେର ସମୁଦ୍ର କୂଳର ଲଭର୍ସ ପଏଣ୍ଟ ଭଳି ଏଠି ମଧ୍ଯ ଗହଳିପୂର୍ଣ୍ଣ ଜନଗହଳି ଭାରି। ଚାରିଆଡ଼େ ଖାଲି ହଳିହଳି ବହୁ ହଳିଙ୍କର ଆବିର୍ଭାବ। ତେବେ ସମସ୍ତେ ଯେ ସେଠାକୁ ଯାଆନ୍ତି ତାହା ନୂହେଁ। ବିଭୂ ଭଳି ଅନେକ ସେଠାକୁ ଆଦୌ ଯାଆନ୍ତି ନାହିଁ ବା ଭାରତୀ, ପ୍ରଭାତୀ ଓ ଅଳକା ପରି କେତକ ସେଠାକୁ ଆସନ୍ତି ନାହିଁ। କିନ୍ତୁ ଅଳ୍ପ କେତେକ ଯାଆନ୍ତି ଓ ଯେଉଁ କେତେକ ଯାଆନ୍ତି, ସେମାନେ ବାରବାର ସେଠାକୁ ଯାଆନ୍ତି ବା ଆସନ୍ତି । ସକାଳେ ଦେଖିଲେ ସେଇ ସେତକ ଓ ଖରାବେଳେ ବି ସେଇ ସେତକ। ପୁଣି ସନ୍ଧ୍ଯାବେଳେ ବା ମୁହଁସଞ୍ଜ ଯାଏଁ ଅର୍ଥାତ୍ ଗେଟ୍ ବନ୍ଧ ନହେଲା ଯାଏଁ ସେମାନେ ସବୁ ସେଇଠି ସେର ପଶରା ମେଲି ବସିଥାନ୍ତି ଓ ନସରପସର ମଧ୍ଯ ହେଉଥାନ୍ତି। ତେଣୁ ଭାରି ଚିହ୍ନା ମୁହଁ ଲାଗେ, କାରଣ ନିଇତି ସେମାନେ ସେଇଠି ସବୁବେଳେ ଦେଖା ଦିଅନ୍ତି।
ହେଲେ ଏତେ ସମୟ ସେମାନେ କି ଗପ ହୁଅନ୍ତି ଯେ! ଯାହାଙ୍କର ଗପର ଆଦି ଅନ୍ତ ନଥାଏ ନା ଅଛିଣ୍ଡା ଗଣିତର ପାଠ ପରି ଆଦୌ ଛିଣ୍ଡେ ନାହିଁ? ହେଲେ ମୁଁ ତ ଜାଣିଛି ଗପ ବୋଲି ତ ‘ପ୍ରେମ’ ମାତ୍ର ଦୁଇଟି ଅକ୍ଷରର ସମାହାର ଓ ଗୋଟିଏ ଶବ୍ଦ। ସେଇ ସେତକ ପାଠ ପଢା ୟାଙ୍କର କ’ଣ ଏକାବେଳକେ ସରେ ନାହିଁକି ନା ଭାବାର୍ଥଟା ବୁଝୁବୁଝୁ ଡେରି ହୋଇଯାଏ? ନା ପୂର୍ବ ପାଠର ବାରମ୍ବାର ପୁନରାବୃତ୍ତି ଓ ପୁନଃ ଆଲୋଚନା ହୋଇଥାଏ, କାଳେ ଭୁଲିଗଲେ ପରୀକ୍ଷା ଖାତାରେ ଆଉ ମୋଟେ ଲେଖି ହେବ ନାହିଁ? ହଁ ଭାରି ଗୁରୁତ୍ୱପୂର୍ଣ୍ଣ ପାଠଟା ପରା, ଏଥିରେ ଫେଲ୍ ହେଲେ, ଜୀବନଟା ପୂରା ଫେଲ୍ ମାନେ ଅସଫଳ। ତେଣୁ ଆମେ ଯେଉଁମାନେ ପ୍ରେମ କରିନାହାଁନ୍ତି ବା ଏହି ଭଲ ପାଇବାର ବିପକ୍ଷବାଦୀ school of thoughtsର ପ୍ରବକ୍ତାମାନେ ଅଛନ୍ତି ସେମାନେ ତାଙ୍କୁ ଗୌଣ ବା ନଗନ୍ୟ ମନେ କରି ମନ୍ତବ୍ୟ ଦେବଟା ବୋଧହୁଏ ଠିକ୍ ସିଦ୍ଧ ହୋଇନପାରେ। ପୁଣି ଯେଉଁମାନେ ଏହାକୁ ଅଙ୍କ ପାଠ କହି ଚୂଟୁକିରେ ସମାଧାନ କରିଦେବା କଥା ଚୁଟକଲି ମାରି ଆରାମ ସେ କହି ବାହାସ୍ପୋଟ ମାରନ୍ତି ସେମାନେ ହୁଏତ ପ୍ରେମ କ’ଣ ଠିକ୍ ସେ ବୁଝି ନାହାଁନ୍ତି? ନା ଯିଏ ହୁଏତ ଏକଥା କହିଛନ୍ତି ଯେ – “ପ୍ରେମ ଏକ ଗଣିତ “ସେମାନେ ନିଶ୍ଚିତ ଭୁଲ କଥା କହିଛନ୍ତି? କାରଣ ପ୍ରେମ ପାଠଟା ମହାଭାରତ ଓ ରାମାୟଣ ପରି ନିଶ୍ଚିତ ଭାବେ ବୃହତ ବା ବିଶାଳ। ଯେଉଁ ପାଠଟାକୁ ଏକାବେଳକେ ଓ ଏକା ନିଶ୍ଵାସକେ ସାରିବା ବା ସହଜରେ ହଜମ କରିବା ବୋଧେ କଷ୍ଟକର ପାଠ। ତା ଛଡା ପ୍ରେମ ପାଠଟା ତ ଆଉ ଅଙ୍କ ପାଠ ନୂହେଁ, ଯାହାକୁ ହରି ଦେଲେ ବା ଗୁଣୀ ଦେଲେ ଏକାବେଳକେ ଛିଡି ଯିବ। ଏହା ପରା ସାହିତ୍ୟ, ଯାହା ବୁଝିଲାବାଲାକୁ କେବଳ ବୁଝାହୁଏ ।ଅନ୍ୟ ସମସ୍ତଙ୍କୁ ଦୁର୍ବୋଧ୍ୟପ୍ରାୟ। ତେଣୁ ଏଥିପାଇଁ ବିଦଗ୍ଧ ପାଠକ ଦରକାର। ନହେଲେ ଏଭଳି ରସସିକ୍ତ ସାହିତ୍ୟ (ପ୍ରେମ) ଭିତରେ ପଶି ରସ ଆସ୍ବାଦନ କରିବା କାଠିକର ପାଠ। ତେଣୁ ସହୃଦୟ ପାଠକର ଏଥି ସକାଶେ ନିହାତି ପ୍ରୟୋଜନୀୟତା ଅଛି। ନ ହେଲେ ଅଙ୍ଗୁର ଖଟା ବୋଲି ସେ ଥୁ ଥୁ କରି ଫିଙ୍ଗି ଦେବା କିଛି ବିଚିତ୍ର କଥା ନୂହେଁ। ଏହା ବୈଦେହୀଶ ବିଳାସ ଓ ରସ କଲ୍ଲୋଳ ଭଳି ବୋଧଗମ୍ୟତା ନଥିବା କ୍ଲିଷ୍ଟ ସାହିତ୍ୟ ବି ହୋଇପାରେ ବା ଚତୁର ବିନୋଦ ପରିକା ଅତି କୁତୁକୁତିଆ ବିନୋଦିଆ ସାହିତ୍ୟ ମଧ୍ଯ ହୋଇ ପାରେ, ଯେଉଁଥିରେ ଦିନଦିନ ପ୍ରତିଦିନ ଅତି ରସାଳ ଓ ରସିକତାପୂର୍ଣ୍ଣ କାହାଣୀ ଯୋଡି ହୋଇଯାଇ ପାଠକୀୟ ଆନନ୍ଦାନୁଭୂତିରେ ହୃଦୟକୁ ଦ୍ରବୀଭୂତ କରିଦେଇ ପାରେ, ତେଣୁ ବାରବାର ସେଇ କାହାଣୀ ଶୁଣିବାକୁ ହୁଏତ ଇଚ୍ଛା ବ୍ୟକ୍ତ ହୋଇଥାଇପାରେ। ପୁଣି ଯେହେତୁ ଏହି ପ୍ରେମ ହେଉଛି ଜୀବନ ସୌଦା ଏହାରି ଭିତର ଦେଇ ଜୀବନର ନାନା twist ବା ମୋଡ଼ ଆସିଯାଏ।
ଭାଗ 3…..
. .ଏଣୁ ଏଇଠି ଥାଏ ପରା ହର୍ଷ ଓ ବିଷାଦର ଫେଣ୍ଟାଫେଣ୍ଟି ଭାବ ତଥା ବିରହ ଓ ବିଚ୍ଛେଦର ଅପୂର୍ବ ସମାହାର। ଏଠି ରାଗରୁଷା, ଅଭିମାନ, କ୍ରନ୍ଦନରୋଳ, ଅପବାଦ ଓ ବଦାନାମର ଭୟ, ସାହସୀ ହେବାର ବୈଲକ୍ଷଣ, ବୀରତ୍ୱର ପରାକାଷ୍ଠା, ଗିରି ଲଂଘିବାର ଉଦ୍ଦାମ ସଙ୍ଗୀତ, ଜୀବନ ଯୌବନର ଲଢେଇ ଓ ଯୁବାକାଳର ସମସ୍ତ ବୈଭବ – ସବୁ କିଛି ପରା ଏଇଠି ଥାଏ। ତେଣୁ ଏହିପରି ବହୁ ଅଧ୍ୟାୟ ଓ ପୃଷ୍ଠା ପରେ ପୃଷ୍ଠା ବହୁ ପୃଷ୍ଠା ସମ୍ବଳିତ ରାମାୟଣ ଓ ମହାଭାରତ ପରି ଜଟିଳ କାହାଣୀ ପରା ପ୍ରେମ। ସେଥିପାଇଁ ତ ଯେତେ ମାଜିଲେ ଘଷିଲେ ମଧ୍ୟ ଏହି କାହାଣୀଟା ସେଇଦିନ ସେଇଠି ନସରି ଲମ୍ବି ଯାଏ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଯାଏଁ ଓ ପ୍ରତ୍ୟହ ନୂଆ ଅଧ୍ୟାୟଟେ ଯୋଡି ହୋଇଯାଏ – ଏହି ପ୍ରେମ ପୁସ୍ତିକାରେ। ସେଇଥିପାଇଁ ତାହେଲେ ଏମାନେ ଏଇଁନ୍ତି ଏଇଠି ବାରବାର ପରସ୍ପର ମିଳନ୍ତି?
ମୁଁ ସ୍ପଷ୍ଟ ଲକ୍ଷ୍ୟ କରିଛି – କେତେବେଳେ ସେମାନେ କଥା ହେଉହେଉ ଫୁର୍ କିନା କେଉଁ ଆଡ଼େ ଉଡିଯାଆନ୍ତି, କେଉଁ ଲାଇବ୍ରେରୀକୁ ନହେଲେ କ୍ୟାଣ୍ଟିନ୍ ଭିତରକୁ ତ ଗଳି ଯାଆନ୍ତି ।ସେଇଠି ପାଖକୁ ଲାଗି ଅଲକାପୁରୀର ଅଲକା ମାର୍କେଟରେ ଗ୍ଲାସ୍ କ୍ୟାଣ୍ଟିନ୍ ଓ ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ ବୋଲି ଦିଓଟି ତ ଥାଏ। ଆଉ ଯେଉଁଦିନ ଏମାନଙ୍କର ଏଠି ଦେଖା ନଥାଏ, ସେଦିନ ସେମାନେ ନନ୍ଦନକାନନ ବା ପୁରୀ ବେଳାଭୂମିର ସମୁଦ୍ର କୂଳକୁ ବୁଲି ଚାଲିଯାଇଥିବେ ନିଶ୍ଚୟ । ନତୁବା କେତେବେଳେ କେମିତି ଆଇ. ଜି. ପାର୍କ ଓ regional science ପାର୍କ ବା ଖଣ୍ଡ ଗିରି ଓ ଧଉଳି ଗିରି ଆଦି ନିଭୃତ ପାହାଡ଼ ପର୍ବତ ଘେରା ସ୍ଥାନମାନଙ୍କରେ ଅବା ପ୍ରେକ୍ଷାଳୟରେ ମଧ୍ଯ ଏମାନଙ୍କୁ ଆବିଷ୍କାର କରିହୁଏ। ଏମାନଙ୍କୁ ସବୁବେଳେ ଏକାନ୍ତ ଓ ନିରୋଳା ଜାଗା ଦରକାର ପ୍ରେମ ଅଧୀର ଭାବାତୁର ଭାବରେ ଅଧୀର ହେବା ପାଇଁ ବା ଅବଗାହନ କରିବା ପାଇଁ। ତେଣୁ ନିରୋଳା ଓ ଏକାନ୍ତ ପରିବେଶ ଏମାନଙ୍କର ଭାରି ପ୍ରିୟ ଓ ବିପଦମୁକ୍ତ ମଧ୍ଯ। କିନ୍ତୁ ଲେଡିଜ୍ ହଷ୍ଟେଲ୍ ଆଗରେ ଗହଳିଟା ଏମାନଙ୍କୁ ବିଶେଷ କିଛି ଫରକ ପକାଏ ନାହିଁ, ଯେହେତୁ ସମସ୍ତେ ଏକା school of loveରେ ପାଠ ପଢନ୍ତି। ଏଠି କିଏ କାହାକୁ ଚିମୁଟିଲା ବା ଆମ୍ଫୁଡି ପକାଇଲା, ଜଣେ ଅନ୍ୟ ହଳିକୁ ଦେଖି କିଛି ପ୍ରତିକ୍ରିୟା ରଖେ ନାହିଁ। କାରଣ ଏଇଟା ଏଠାକାର ସବୁଦିନିଆ କୌତିକିଆ ଖେଳ।
ସେଦିନ ଜଣେ ବନ୍ଧୁଙ୍କ ସହିତ ସଖା ବା ସହୋଦର ହୋଇ ମୁଁ ସେଠାକୁ ଯାଇଥାଏ, ସେମାନଙ୍କ ଅଦିନିଆ ପ୍ରେମରେ ଗୁରୁ ଗମ୍ଭୀର ହୋଇ ସ୍ରୁଷ୍ଟି ହୋଇଥିବା ଝଡ଼ଟାକୁ ଟିକିଏ ଚାଟୁକ୍ତି ପ୍ରୟୋଗ କରି ପ୍ରଶମିତ କରିବା ପାଇଁ- ଯେହେତୁ ଟୁକୁ ମୋର ସାହାରା ନେଇଥାଏ । ଅବଶ୍ୟ ତୃତୀୟ ଲୋକର ଆବିର୍ଭାବ ଏହି ପ୍ରେମ ବେପାରରେ ଆଦୌ ସ୍ପୃହଣୀୟ ନୁହେଁ। ତଥାପି ଆମେ ତ ବନ୍ଧୁପ୍ରିୟ ସଖା। ତେଣୁ ବନ୍ଧୁଙ୍କ ବିରହ ବେଦନାରେ ଆମ ହୃଦୟ ବିଗଳିତ ହୋଇ ଯାଉଥାଏ। ତେଣୁ ବନ୍ଧୁଙ୍କ ବେଦନାକୁ ଲାଘବ କରିବା ପାଇଁ ଉତ୍ତମ ବନ୍ଧୁର କର୍ତ୍ତବ୍ଯ ପାଳି ମୁଁ ସେଦିନ ଭଦ୍ରଲୋକିଆ ମାନେ ମଧ୍ୟସ୍ଥି ରୋଲଟା କରି ସେଠାକୁ ଯାଇଥିଲି। ଖାସ୍ ଟୁକୁ ଡାକିଥିଲା ବୋଲି ଓ ଟିକିକୁ ଟିକିଏ ବୁଝେଇ ଦେବା ପାଇଁ ଯେ-” ତୁମେ ଯେମିତି ଭାବୁଛ ସେମିତି ମୋଟେ ନୂହେଁ, ବରଂ ଆମ ଟୁକୁ ତୁମକୁ ବହୁତ ଭଲ ପାଏ, ତୁମ ବିନା ସେ ଆଦୌ ବଞ୍ଚି ପାରିବ ନାହିଁ, ଏ କଥାଟା ମୁଁ ତୁମ ଦେହ ଛୁଇଁ ଦୃଢତାର ସହିତ କହିପାରେ “। ଏହି କଥାଟା ଟୁକୁ ମୋତେ ଖଣ୍ଡେ ସିଗାରେଟ୍ ଦେଇ ଓ ପରେ ଗୋଟେ ରୋଲ୍ ଓ ହାଫ୍ ପ୍ଲେଟ୍ ବିରିୟାନୀ ଲାଂଚ ଦେବ ବୋଲି କହି ନେଇଯାଇଥିଲା। ମୁଁ ବି ଭାବିଲି ଏଇ ଏତକ କହିଦେଲେ କେଉଁ ପାପଟା ଆଉ ଲାଗିଯିବ ଯେ! ଆମ ଦ୍ୱାରା ତ ପ୍ରେମ ଫେମ କିଛି ହେଲା ନାହିଁ, ସେ ଯଦି ପ୍ରେମ କରୁଛି କରୁ, ସେଥିରେ ସେ ସଫଳ ହୋଇଗଲେ, ଆମର ଏଇ ଟିକକ ସହାୟତା ପାଇଁ ସେ ହୁଏତ ଜୀବନ ସାରା କୃତଜ୍ଞତା ପ୍ରକଟ କରିପାରେ। ଯାହା ବି ହେଉ ଆଉ ବେଶି ଫେଣେଇ କରି ଏ କଥାଟା କହିବା ନାହିଁ, ମୁଁ କିନ୍ତୁ ଯେଣୁ ଯାଇଥିଲି , ମୁଁ ମୋ କର୍ତ୍ତବ୍ଯଟା ଚଟାପଟ ପୂରା କରିଦେଲି ଓ ସାକ୍ଷ୍ୟ ପ୍ରମାଣ ଦେଇ ସେମାନଙ୍କ ଭିତରେ ସୃଷ୍ଟ ଦୂରିଆକୁ ତତ୍କ୍ଷଣାତ୍ ଦୁରେଇ ଦେଲା ଏବଂ ସନ୍ଦେହ ରୂପକ ଐନ୍ଦ୍ରଜାଲଟାକୁ ମଧ୍ୟ ମୋ ବାକ୍ ଚାତୁରୀରେ କାଟି ସଫା କରିଦେଲି। ସେମାନେ ଏବେ ପରସ୍ପର ଭିତରେ ସମସ୍ତ ମାନ ଓ ଅଭିମାନକୁ କ୍ଷଣକେ ଭୁଲି, ପରସ୍ପର ପ୍ରତି ଆହୁରି ଅଧିକ ଆକୃଷ୍ଠ ହୋଇପଡ଼ି ଭିଡ଼ିଭାଡିକି ଛିଡା ହୋଇଥାନ୍ତି, ଯେମିତି ଆଉ ଦଣ୍ଡେ ଗଲେ ଜଣେ ଆର ଜଣକ ସହିତ ମିଶି ଏକାକାର ହୋଇଯିବେ। ଖାଲି ମୋ ଉପସ୍ଥିତି ବୋଧେ ସେମାନଙ୍କୁ ଅଡୁଆ ବୋଧ କରୁଥାଇ ପାରେ। ମୁଁ ତେଣୁ ପରିସ୍ଥିତିଟାକୁ ଟିକେ ହୃଦୟଙ୍ଗମ କରି ମୋ ପାଇଁ ଗୋଟେ ନିରାପଦ ସ୍ଥାନ ବାଛିନେଇ ତାଙ୍କମାନଙ୍କ ପାଖରୁ ମୋର ଏକ ନିର୍ଦ୍ଧିଷ୍ଟ ଦୂରତା ବଢାଇ ଦେଇ କିଛି ବାଟ ଘୁଞ୍ଚିଯାଇ ଏକ ବ୍ୟବଧାନ ରେଖା ଟାଣି ଦେଲି। ଏଥର ସେମାନେ ନିଜକୁ ଅଧିକ ନିରାପଦ ମଣି ଖୁଲମ୍ ଖୋଲା ସବୁ କଥା ହେଲେ। ମୁଁ ଦୂରରୁ ଥାଇ ସବୁ କଥା କେବଳ ଯାହା ଉପଭୋଗ କରୁଥିଲି ଓ ଅନୁଧ୍ୟାନ ମଧ୍ଯ । ସେମାନେ ଭାରି ଜୋହର୍ ହସାହସି ହେଉଥାନ୍ତି, ବେଶ୍ ଜମି ଉଠୁଥାଏ ସେମାନଙ୍କର ପ୍ରେମାଳପ। ଖାଲି କୁରୁଳି ଉଠି ଜଣେ ଅନ୍ୟ ଜଣଙ୍କ ଉପରେ ଲୋଟି ପଡୁଥାନ୍ତି। କଥା ପ୍ରସଙ୍ଗରେ ଜଣେ ଅନ୍ୟ ଜଣଙ୍କୁ ଛୁଇଁ ଯିବାର ବୋଧେ ଅପଚେଷ୍ଟା କରୁଥାନ୍ତୁ। କିନ୍ତୁ ସେଥିରେ ସେମାନେ କାହିଁ ସେତେଟା ସଫଳତା ବୋଧେ ପାଇ ପାରୁ ନଥାନ୍ତି। ଯାହା ବି ହେଉ ବେଶ୍ ଭାବୋଦ୍ଦୀପକ ଓ କୌତୁହଳପୂର୍ଣ୍ଣ ଥିଲା ସେମାନଙ୍କର କଥାବାର୍ତ୍ତା। ସେମାନେ ବୋଧେ ଏତେବେଳକୁ ଭୁଲି ଯାଇଥାନ୍ତି ମୁଁ ଯେ ଦୂରରେ ଅପେକ୍ଷା କରିଛି ସେମାନଙ୍କୁ, ସାଙ୍ଗ ହୋଇ କ୍ୟାଣ୍ଟିନରେ ଗୋଟେ ଭୂରି ଭୋଜନ କରିବା ପାଇଁ।
ଯାହା ବି ହେଉ ଅନେକ ଦିନର ମୋ ଭିତରର ଅଭିଳାଷା – ସେଠାକାର ଅନୁଭୂତି ସବୁକୁ ଏକଠା କରି କାହାଣୀ ଲେଖିବାର ଲାଳସା ଆଜି ହିଁ ବୋଧେ ଫଳବତୀ ହେବାକୁ ଲାଗୁଥାଏ। ମୁଁ ମୋ ଅନୁସନ୍ଧିତ୍ସୁ ମନୋବୃତ୍ତିର ପରିଚାୟକ ଭାବେ ସମସ୍ତଙ୍କ ଭିତରେ ନିଜକୁ ବା ନିଜ ଭିତରେ ସେମାନଙ୍କୁ ପ୍ରତ୍ୟାରୋପଣ କରି ଦେଖୁଥାଏ। କିଏ କେତେ ରକମର ଢଙ୍ଗଢାଙ୍ଗ ସବୁ ପ୍ରଦର୍ଶନ କରୁଥାନ୍ତି।
ଭାଗ 4…
ପୂର୍ବ ଉତ୍ତାରେ….
… କିଏ ତା ପ୍ରେମିକ ଉପରେ ରାଗିକି ଏକଦମ୍ ଖପ୍ପା ତ ଆଉ କେହି ଖୁସିରେ ଲୋଟି ଯାଉଥାନ୍ତି । ଆଉ କେହି କେହି ମାଟିରେ ଅନାବଶ୍ୟକ ଅଙ୍କାବଙ୍କା ଗାରଗୁଡାକ ନିଜ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଟାଣି ଯାଉଥାନ୍ତି , ସେ ହୁଏତ ନିଜ ଭାବନା ଭିତରେ ବୁଡ଼ି ରହି କୌଣସି ଜିନିଷର ହେତୁ ନିଶ୍ଚିତ ଭାବେ ନିରୂପଣ କରୁଥାଇ ପାରନ୍ତି । ଆଉ କେହି କାନ୍ଦି କାଟି କୋଡ଼ି ଛେଚି ହେଉଥାଏ। ପୁଣି କେହି ପାଗଳଙ୍କ ପରି ଉନ୍ମାଦଗ୍ରସ୍ତ ହୋଇ ନିଜ ପ୍ରେମିକ ଛାତିକୁ ଜୋହରରେ ବିଧା ଚାପୁଡ଼ା ଗୁଡ଼ାକ କଷି ଦେଉଥାଏ। ଆଉ କେତକ ତ ବେଶ୍ ଶାଳୀନତା ରକ୍ଷା କରି ସ୍ୱାଭାବସିଦ୍ଧ ଗୁଣରେ କଥା ହେଉଥାନ୍ତି, ଏମାନେ ବୋଧେ ପ୍ରେମରେ ସେତେ ବାଟ ଆଗେଇ ନଥାନ୍ତି ବା ନୂଆ ନୂଆ କରି ପ୍ରେମ କାହାଣୀ ବି ଲେଖୁ ଥାଇ ପାରନ୍ତି। କିନ୍ତୁ ଯେଉଁମାନେ ପ୍ରେମରେ ପି. ଜି. ସାରି ପି. ଏଚ୍. ଡି. ପର୍ଯ୍ୟନ୍ତ ଆଗେଇ ଗଲେଣି ସେଇ କେତେ ଜଣଙ୍କ କଥା ନକହିଲେ ଭଲ। ଇସ୍ କି ଅସ୍ୱାଭାବିକ ଭାବଭଙ୍ଗୀର ପରିପ୍ରକାଶ। ସେଗୁଡାକ ଆଖିରେ ଦେଖି ହେବ ନାହିଁ, ତେଣୁ ନକହିଲେ ବରଂ ଭଲ। ସେଇଠି ମୋ ପାଖକୁ ଲାଗି ହଳେ ପ୍ରେମୀ ଯୁଗଳ ଛିଡା ହୋଇଥାନ୍ତି। ସେମାନଙ୍କ ଭିତରେ କ’ଣ ଏମିତି ମାନ ମନାନ୍ତର ହୋଇଥାଏ କେଜାଣି, ପୁରାପୁରି ଚୁପ୍। କେହି କାହାକୁ କିଛି କଥା ହେଉ ନଥାନ୍ତି, କିନ୍ତୁ ନୀରବରେ ଜଣେ ଜଣଙ୍କ ପାଖକୁ ଖୁବ୍ ଲାଗି କରି ଛିଡା ହୋଇଥାନ୍ତି। ସତେକି କୋଉ ମନ୍ଦିର ଗାତ୍ରରେ ସେମାନେ ଏକକ ଯୁଗଳ ମୂର୍ତ୍ତିଟିଏ। କିନ୍ତୁ ବାକ୍ କହିବାର ଶକ୍ତି ନଥାଏ, ଯେହେତୁ ସେମାନେ ପଥର ମୂର୍ତ୍ତି।
ଅନତି ଦୂରରେ ଅନ୍ୟ ଏକ ଯୋଡି ଛିଡା ହୋଇଥାନ୍ତି। ସେଠି ଜଣେ ପ୍ରେମିକ ତା ପ୍ରେମ ଉପରେ ରାଗି ଚୁପ୍ ହୋଇ ରହିଥାଏ। ତା ପ୍ରେମିକ ଯେତେ ବୁଝାଉଥାଏ _”ଏ ତୁମର କ’ଣ ହୋଇଛି, ତୁମେ କାହିଁକି କିଛି କହୁ ନାହଁ, ସେମିତି ହେଲେ ମୁଁ ସୁଇସାଇଡ କରିଦେବି, ଦେଖ! ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ, ତୁମେ ପରା ମୋ ଇହକାଳ ଓ ପର କାଳର ଦେବତା, ତୁମ ନୀରବତା ମୋ ପାଇଁ ଶତ ବୃଶ୍ଚିକର ଜନ୍ତ୍ରଣା, pl କଥା କୁହା! please…. ତଥାପି ତା ପ୍ରେମିକ ଏମିତି ଆହୁରି କିଛି ନାଟ ତାମସା ଦେଖିବା ପାଇଁ ବୋଧେ ଚୁପି ମାରି ବସିଥାଏ ଓ କଣେଁଇ କଣେଁଇ ତା ଅଲକ୍ଷ୍ୟରେ ହସୁଥାଏ। ମୁଁ କିନ୍ତୁ ଦୁଇ ଜଣଙ୍କର ଭାବାବେଗକୁ ବେଶ୍ ସୁରଖୁରରେ ବୁଝି ପାରୁଥାଏ।
କେହି କେହି ଯୁଗଳମୂର୍ତ୍ତି ପାଠକୁ ମିଥ୍ୟା ଆଖିଠାର ମାରି ବା ପାଠ୍ଯ ପୁସ୍ତକର ମିଥ୍ୟା ଆଭରଣଯୁକ୍ତ ଆଲୋଚନାକୁ ନେଇ ଆଲୋଚନାରେ ବ୍ୟସ୍ତ ରହିଥିଲେ ହେଁ, ତାରି ଭିତରେ ଲୁଚିଲୁଚି ଓ ଛପି ଛପିକା ପ୍ରେମ କରୁଥାନ୍ତି ଏବଂ ପରସ୍ପରକୁ ପ୍ରେମ ନିବେଦନ କରୁଥିବାର ସ୍ପଷ୍ଟ ଆଭାସ ମିଳି ପାରୁଥାଏ । ଆଉ କେଉଁଠି କେମିତି ପ୍ରେମିକାଟିଏ କାନ୍ଦୁଥାଏ ଓ ତା ପ୍ରେମିକ ବଡ଼ ସରାଗରେ ତାକୁ ବୁଝାଉଥାଏ-“ଏ ତୁମେ କାନ୍ଦ ନାହିଁମ, କାହିଁକି କାନ୍ଦୁଛ, ମୋତେ କହିବନି? ଏ କୁହନା Please!ତୁମେ କାନ୍ଦିଲେନା! ମୁଁ ଆଦୌ ସହି ପାରିବି ନାହିଁ, ମୋ ହୃଦ ମୃଦଙ୍ଗ ଫାଟି ଯିବ, କୁହ! ନହେଲେ ମୁଁ ତୁମ ସହିତ ସତ କହୁଛି କାନ୍ଦି ପକାଇବି”। ପୁଣି କେଣେ ତ ହସର ଜୁଆର ଓ ପ୍ରେମର ଫରୁଆ ଖୋଲି ଯାଉଥାଏ।
ଆଉ ଗୋଟିଏ ଯୋଡ଼ିଏ ଖଣାଗାଢ଼ ସେଇ ଇଁକଲ ପଟାସ୍ ବଣ ଭିତରେ ଥାଏ। ସେଇ ଖଣା ଗାଢ଼ କେମିତି ହେଲା, ତା ସ୍ରୁଷ୍ଟି ରହସ୍ୟ ମୋତେ ଜଣା ନାହିଁ। ହୁଏତ ବିଲୁଆ ବା ଶିଆଳଙ୍କର ଠଣା ଗାତ ବା ବସା ଭାବରେ ଆଗରୁ ବ୍ଯବହୃତ ହେଉଥାଇ ପାରେ। କିନ୍ତୁ ଏବେ ଦେଖିଲି ତାହା ଭାରି ଉପଯୋଗୀ ମାନେ ପ୍ରେମସିନ୍ଧୁ ପାରାବାର। ସେହି ଠଣା ଗାତ ଭିତରେ ଗୋଡ ପୂରାଇ ଦେଇ ଏକହଳି ପ୍ରେମୀଯୁଗଳ ବସି ପଡିଥାନ୍ତି। ସେହି ପ୍ରେମସିନ୍ଧୁ ପାରାବାରେ ପ୍ରେମାମୃତ ରସ ଝରଝର ହୋଇ ବୋହି ଯାଉଥାଏ। ଉଭୟଙ୍କର ଗୋଡକୁ ଗୋଡ ନିଶ୍ଚୟ ବାଜି ଯାଉଥିବ, ଯେଉଁଟାକି ବାହାରକୁ ଦେଖା ଯାଉ ନଥାଏ ।ସେମାନେ ଅହରହ ମୁଣ୍ଡ ହଲାଇ ଟୁଆଁଟୁଇଁ ପରିକା କ’ଣ କଥାବାର୍ତ୍ତା ହେଉଥାନ୍ତି। ଯେମିତିକି ନାଗ ନାଗୁଣୀ ଦିଟା, ଗାତ ଭିତରୁ ଉପରକୁ ଟିକେ ଫଣା ଟେକି ଖେଳୁଛନ୍ତି। ଏହିଭଳି ବହୁବିଧ ଦୃଶ୍ୟ ଓ ଅନେକ ଯୁଗଳ ବନ୍ଦୀଙ୍କର ଭାବ ବିନିମୟ, ଯାହାକୁ ମୋ ପକ୍ଷେ ଏକାକୀ ସବୁ ବର୍ଣ୍ଣନା କରିବା ଅତି ବର୍ଣ୍ଣନୀୟ ହେବ। ତେଣୁ ଏଇଠି ଥୁକୁଲ ପକାଇବା।
ଏ ହେଉଛି ବାଣୀ ବିହାର ଶିକ୍ଷାୟତନ, ଯେଉଁଠି ପ୍ରାପ୍ତବୟସ୍କା ମାନଙ୍କର ଲାଗି ଯାଏ ଅଫୁରନ୍ତ ପ୍ରେମ ମହୋତ୍ସବ। ହେଲେ ଭାଇ! ଇଏ ପ୍ୟାର କା ଲଡୁ ଯୋ ଖାଏଗା ଓ ପସ୍ତାଏଗା ଔର୍ ଯୋ ନେହିଁ ଖାଏଗା ଓ ଭି ପସ୍ତାଏଗା। ତେଣୁ ଜରା ଦେଖ୍ କେ ଚଲୋ ମେରା ଭାଇ!….
ଭାଗ 5 ….
ପୂର୍ବ ଉତ୍ତାରୁ..part 5
ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ
By ସତ୍ୟ ପ୍ରକାଶ ସେଠୀ
ଏଣିକି ଘଡିକି ଘଡି ବେଳଟା ଉଚ୍ଛୁର ହେଇ ଯାଉଥାଏ। ସଞ୍ଜବତୀ ଲାଜେଇ ସରୁ ଓଢ଼ଣା ଟାଣି ଅକାଶରେ ମଣ୍ଡରି ଆସୁଥାଏ। ମୁହଁସଞ୍ଜ ହୋଇ ସାରିଥାଏ। ମୋ ଧୈର୍ଯ୍ୟର ବନ୍ଧଗୁଡ଼ାକ ତୁଟି ଯାଉଥାଏ।ଏମିତି କାଙ୍ଗାଳି ଭୋଜନ କରିବା ପାଇଁ ଟୁକୁ କଥାରେ ଆସିଯାଇ ଥାଏ ଯେ, କାହିଁ ବିରିୟାନୀ ଗଣ୍ଡାକ ମୋ ଭାଗ୍ୟରେ ଜୁଟୁ ନଥାଏ ।ପ୍ରେମିକାକୁ ଦୀର୍ଘ ଦିନର ବିରତି ପରେ ପାଇ ଟୁକୁ ମୋ କଥା ସମ୍ପୂର୍ଣ୍ଣ ଭୁଲି ଯିବାକୁ ବସିଥାଏ। ମନେମନେ ଭାବୁଥାଏ – “ଆଉ ଥରେ ଏଇ ଟୁକୁ ଯଦି ମୋତେ ଡାକିଛି ତା ଅବସ୍ଥା ଖରାପ କରିଦେବି। ଭାଇ! ତୋର ଯଦି ଏତେ ପ୍ରେମ ଉଚ୍ଛୁଳୁଛି, ତାହେଲେ ମୋତେ ଏକାବେଳକେ ଗୋଟେ ପ୍ୟାକେଟ୍ ସିଗାରେଟ୍ ଧରେଇ ଦେଲୁ ନାହିଁ! ମୁଁ ଗଞ୍ଜୋଡଟା ବସି ଟାଣିଥାନ୍ତି, ତୁ ତେଣିକି ଯେତେ ପ୍ରେମ କରିବା କଥା କର” । ହେଲେ କ’ଣ କରିଥାନ୍ତି ଆଉ? ମୁଁ ତ ସବୁ କରି ପାରିବି, ହେଲେ ଏଇ ଦୋସ୍ତିଛଡା କାଣ୍ଡଟା କରି ପାରିବି ନାହିଁ। ଯାହା ହେଲେ ବି ବନ୍ଧୁତା ପାଇଁ ମୋର ପରା ଗୋଟେ ସୁଖ୍ୟାତି ଅଛି। ସେଦିନ ପରା ଆମ ଇଉନିଅନ ସେକ୍ରେଟେରୀ, ମାନେ ଏଇ ରାଜେନ୍ଦ୍ରଟାମ! ସମସ୍ତଙ୍କ ଆଗରେ ମୋତେ ଲଙ୍ଘା କରିଦେଲା। annual functionରେ କହୁକହୁ କହିଦେଲା – ଏଇ ପ୍ରକାଶଟା ଭିନ୍ନ୍ ମଣିଷ, ନିଆରା ବ୍ୟକ୍ତିତ୍ୱ, ସମସ୍ତଙ୍କ ଭଲମନ୍ଦକୁ ମଥା ପାତି ଦେବ”। ଏହା ପରେ ବି ମୁଁ କେମିତି ଟୁକୁକୁ ଛାଡ଼ି ପଳାଇଥାନ୍ତି କହୁ ନାହାଁନ୍ତି? ଯାହା ହେଲେ ବି ସାଙ୍ଗ ନା, ସାଙ୍ଗ ପରିକା ଆଉ କୋଉ ଜିନିଷ ଅଛି କି ହେ? ଯାହା ହେଉ ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି। ଆଉ ବେଳକୁ ଡାକିଲେ ମୋଟେ ଶୁଣିବି ନାହିଁ। ଏହା ପାଇଁ ମୋର ଗୋଟେ ଦିନ ବରବାଦ ହେଲା। ଅପେକ୍ଷା କରି ରହିବାଟା ବେଶୀ ବଡ଼ କଥା ନୂହେଁ, ମୋର କିନ୍ତୁ ବେଶୀ ରାଗ ଏହି ରଣଚଣ୍ଡି ଗୁଡ଼ାକ ଉପରେ। ଏମାନେ ପରା ଦୁରୂଥାଇ ମୋତେ ଯେମିତି ଖତେଇ ବିଗୁଲେଇ ହୋଇ ହେଁ ହାଁ ହୋଇ ହସୁଛନ୍ତି । ସେମାନେ ବୋଧେ ଭାବୁଛନ୍ତି ମୁଁ ଏଠି ଏକଲା ଛିଡା ହୋଇ ମୋ ପ୍ରେମିକାକୁ ମୁଁ ଅପେକ୍ଷା କରିଛି, ମୋ ପ୍ରେମିକା କିନ୍ତୁ ଠକି ମୋତେ ଆସିଲାନି, ତେଣୁ ମୁଁ ଶିଶୁପାଳ ହୋଇ ଏକାନ୍ତ ଅସହାୟ ହୋଇ ରହିଛି। ଧେତ୍ ସେମାନେ ଯାହା ଭାବିଲେ ମୋର ସେଠୁ କ’ଣ ଗଲା। ତାଙ୍କ କଥାକୁ ମୋର ଢୋ।
ଆଉ ଗୋଟେ କଥା ଟିକେ ଆଉ ଗୋଟେ ପ୍ରକାର ବାଧୁଥାଏ। ସେଇଟା ହେଉଛି ଏହି ଲଭର୍ସ pointକୁ ଯିଏ ଥରେ ଆସିଛି, ସେ ବଦାନମ ଗଳିରେ ନାଁ ଲେଖିଛି। ପୁଅ ସାଙ୍ଗମାନଙ୍କ କଥା ଅଲଗା, କିନ୍ତୁ ଝିଅ ସାଙ୍ଗମାନେ ପରା ତା ସହିତ ଆଉ ଭଲକି କଥା ହୁଅନ୍ତି ନାହିଁ। ଏହି ପ୍ରେମିକମାନଙ୍କୁ ମଧ୍ଯ ନିର୍ବାଚନ ବେଳେ ଆମ ନେତା ସୁଜିତ୍ ହେଉ କି କାଶିଆ ବା ରାଜିଆ କେହି ସାଙ୍ଗରେ ନେବେ ନାହିଁ। କାରଣ ଏମାନେ ଗଲେ ନିର୍ଦ୍ଧିଷ୍ଟ ପ୍ରେମିକା ବ୍ୟତୀତ ୟାଙ୍କ କଥାରେ ଆଉ କେହି ଭୋଟ ଦେବେ ନାହିଁ। ମୋ ଭାଗ୍ୟ ଖରାପକୁ ସେଦିନ ଠିକ୍ ମୋ ବାଟ ଦେଇ ମାର୍କେଟରୁ କ’ଣ ସବୁ ଧରି ସଙ୍ଘମିତ୍ରା, ଗୀତା, ନୀନା ପ୍ରମୂଖ ଦଳେ ଫେରୁଥିଲେ। ମୋତେ ଯେମିତି ଦେଖିଲେ ଟିକେ ମୁହଁ କୁଞ୍ଚିତ କରିନେଇ ଆପୋଷ କଥା ହେଉଥାନ୍ତି – “ଇଲୋ ଇଏ କ’ଣ ଏଠି? ୟାର ପୁଣି ହିରୋଗିରି କୋଉଦିନ ଠାରୁ କିଲୋ? ପିଲାଟାର ଭାବମୂର୍ତ୍ତି ତାହେଲେ ନଷ୍ଟ ହୋଇଗଲାଣି” । ଏମାନଙ୍କ ଭିତରୁ କାହାକୁ ଗୋଟେ ଡାକ ପକାଇ ଆସୁଥିଲି ଯେ, ହେଲେ ଏମିତି ଗାରେଡେଇ କି ସମସ୍ତେ ଚାହିଁଲେ ଯେ, ମୋର ଏକଦମ୍ ପାଟି ଚୁପ। ଏଥିରେ ଟିକୁ ଉପରେ ମୋର ରାଗ ହେବ ନା ନାହିଁ କହୁ ନାହାଁନ୍ତି। ଶଳା ଇଆ ବୁଦ୍ଧିରେ ପଡିକି ମାନ ମହତ୍ତ ମଣିଷ ସବୁ ସାରିଲା।
ହଁ ସେପଟେ ଟୁକୁ କ’ଣ ମୋ ଆଡ଼କୁ ଅନେଇ ଟିକିକୁ ତ ଇସାରା କରୁଥାଏ। ଶଳା ଭଡୁଆ! ବୋଧହୁଏ ମୋର ଏ ଅସହାୟତା ପାଇଁ ମୋ ଉପରେ ତରସ୍ଥ ଖାଉଥିବ। ହଁ ତ ମୋ ଭାବନାକୁ ବିପର୍ଯ୍ୟସ୍ତ କରି ମୋ ଆଡ଼କୁ କ’ଣ ସେମାନେ ଢଳିଲେଣି। ତେବେ କ’ଣ ଟିକିକୁ କହୁଥିଲା -ବିଚରା ପ୍ରକାଶଟା ଆମ ପାଇଁ ସଜା ଭୋଗୁଛି। ଏକୁଟିଆ ବସି ବସି ବୋର୍ ହୋଇଯିବଣି। ତେଣୁ ଆଜିର ପ୍ରେମ ଆଳାପକୁ ଏଇଠି ସ୍ଥଗିତ ରଖି, ଚାଲ! କ୍ୟାଣ୍ଟିନକୁ ଯିବା – ଅତିଥି ସତ୍କାର କରିବା ପାଇଁ, ଯିଏକି ଏତେ ବେଶୀ କିଛି କଷ୍ଟ ଉଠେଇ ଆମର ବିରହ କଷ୍ଟକୁ ଲାଘବ କରି ପାରିଛି” ।ଏଥର ସତସତିକା ସେମାନେ ମୋ ଆଡ଼କୁ ମାଡ଼ି ଆସିଲେ ଓ ଟୁକୁ ମୋ କ୍ରୋଧ ଦେଖି ଟିକେ ପଛକୁ ରହିଗଲା ଆଉ ଟିକିକୁ ଆଗକୁ ଠେଲି ଦେଲା। ଟିକି ଟିକେ ଗେହ୍ଲେଇ କହିଲା – ମୈତ୍ରେ! ଚାଲ ଯିବା, ଟିକେ ଫଳ ପୁଷ୍ପ ଆହାର କରିବା। ମୋର ରାଗ ଯାହା ହେଉଥାଏ ନା!ଖାଲି ଦାନ୍ତ କଡ଼ମଡ଼ ହୋଇ ଆସୁଥାଏ। ମୁଁ କହିଲି -” କି ମୁଁ ତୁମ ଭଳିଆ ଛେଳି ହୋଇଛି ନା କ’ଣ ଫଳମୂଳ ଆହାର କରିବି? ହକ୍ ମୁଁ ସିଂହ, ମୁଁ ପଶୁ ଶିକାର କରେ।
-ହଁ ଗୋ ମୈତ୍ରେ! ଆମେ ସେ କଥାଟି ଜାଣି। ତୁମେ ଆଗ ଚାଲ! ମୁଁ ଆଜି ଟିପସ୍ ଦେବି, ତେଣିକି ତୁମେ ଛେଳି ଖାଅ ତ ଅବା ବୋଦା ବଳି” ।
ଯାହା ହେଉ ଝିଅ ପିଲା କଥା ତ, ତେଣୁ ରାଗଟାକୁ ଟିକିଏ ସମ୍ବରଣ କରିନେଲି। ଏଣିକି ତିନି ଜଣଯାକ ପାଦରେ ଚାଲିଚାଲି କେଇ ପାହୁଣ୍ଡ ଆଗରେ ଥିବା ଅଲକା ପୁରୀର ଅଲକା ମାର୍କେଟରେ ଥିବା ଗ୍ଲାସ କ୍ୟାଣ୍ଟିନରେ ପହଞ୍ଚିଲୁ।ଏହି ଗ୍ଲାସ୍ କ୍ୟାଣ୍ଟିନ୍ଟା ଭାରି ପରିଷ୍କାର ମାନେ ସଫା ସୁତର। ଆଜି ସିନା ଚଟକିନା ଆମେ ସିଟଟା ପାଇଗଲୁ, ନହେଲେ ସହଜରେ ଏଠି ସିଟ ମିଳେନାହିଁ। କାରଣ ଭାରି ଭିଡ। କ’ଣ ଓ କେତେ ଖାଇଗଲେ ସେଟା ସେତେ ବଡ଼ କଥା ନୂହେଁ, ବରଂ ବଡ଼ କଥା ହେଉଛି ସିଟଟା ଥରେ ଧରିନେଇ ଯୁଗଯୁଗ ଧରି ବସି ରହି ଆପଣା ଭାବର ମଣିଷଟି ସହିତ ପ୍ରେମ ମଧୁର ବାର୍ତ୍ତାଳାପରେ ବେଶ୍ କିଛି ସମୟ ମଜି ଯିବା। ଏଠି ପ୍ରାୟତଃ ସବୁ ଟେବୁଲ୍ ବୁକ୍ ଥାଏ ଓ ସମସ୍ତେ ପାଟି ଚାଳନା କରି ଖାଉଥାନ୍ତି କି ନଖାଉଥାନ୍ତି କିନ୍ତୁ କଥା ହେଉଥାନ୍ତି। ହେଲେ ବଡ଼ ଆଶ୍ଚର୍ଯ୍ୟ କଥା ଆଦୌ କୋଳାହଳ ଶୁଭୁ ନଥାଏ। ଭାରି ନୀରବତା ଜଣା ପଡୁଥାଏ। ଇଏ ପୁଣି କେମିତିକା କଥା। କାରଣ ସେମାନେ ଯାହା ବି କଥା ହେଉଥାନ୍ତି ଖାଲି ପାଟିଟା ଖୋଲି ଚାକୁଳି ଖାଇଲା ପରି କହୁଥାନ୍ତି ଯେମିତି ନିଜ ପ୍ରେମିକା ବ୍ୟତୀତ ଆଉ କାହାକୁ ଶୁଭିବ ନାହିଁ। ହସିଲେ ମଧ୍ଯ କେବଳ ଦାନ୍ତ ନିକୁଟେଇ ଖାଲି ଭାବଟା ଅଭିବ୍ୟକ୍ତ ହେଉଥିବ। ଏମାନେ ତାହେଲେ ସବୁ ଜଡା ନା କ’ଣ? ନା ମୋ ପାଖରେ ସେଇଠି ଟିକି ଓ ଟୁକୁ ତ କ’ଣ କଥା ହେଉଥାନ୍ତି ମୋତେ ଆଦୌ ଶୁଭୁ ନଥାଏ। ପ୍ରେମ କରିବାକୁ ହେଲେ ଏଭଳି କିଛି ଟ୍ରେନିଂ ବି ବୋଧେ ନେବାକୁ ହୋଇଥାଏ। ନା ପ୍ରେମଟା ପରା ବିନା ପଢ଼ା ପାଠ, ଏ ପାଇଁ କୌଣସି ଟ୍ରେନିଂ ନେବାକୁ ହୁଏ ନାହିଁ, ଏହା ହେଉହେଉ ହୋଇଯାଏ – ଏ କଥା ମୁଁ ଶୁଣିଥିଲି ବହୁ ଆଗରୁ। ଏଇଟା ତାହେଲେ ସହରୀ ଆଦବ କାଇଦା ହୋଇଥିବ, ଯାହାକୁ ଆମେ କହନ୍ତି courtesy. କାହିଁକି ନା ଜଣେ ଅନ୍ୟ ଜଣଙ୍କୁ disturb କରିବାକୁ ଉଚିତ୍ ମଣନ୍ତି ନାହିଁ। ନାହିଁମ courtesy ନା ଚୋପା, ଅସଲ କଥା ହେଲା, ତାଙ୍କ ଗୁପଚୁପିଆ ପ୍ରେମର ପରିଭାଷାଟା ଆଉ କେହି ଯେମିତି ଠଉରେଇ ନ ପାରନ୍ତୁ। ସେଇଥିପାଇଁ ତ ସେମାନେ ଅଳ୍ପ କଥା କହୁଥାନ୍ତି, ହେଲେ ଆଖିରେ ଆଖିରେ ଅନେକ ପ୍ରେମ ସମ୍ଭାଷଣ ଓ ପ୍ରେମର ଇସାରା। ଓଃ! କି ସୁନ୍ଦର ଆଖି ଚାଳନା, ତହୁଁ ବଳିକି କଅଁଳେଇ କଥା। ଏଇଥିପାଇଁ ତାହାହେଲେ ଆମ ଟୋକାଟ ଭୋକ ଶୋଷ ଭୁଲି ଏଇଠି ଏମିତି ଆଣ୍ଠଉଛ। ହଉ ଆମର ଏ ନସର ପସର ବେପାରରେ ପଶି କିଛି ଲାଭ ନାହିଁ ବରଂ ପେଟେ କିଛି ଖାଇନେଲେ ଏଇ ପେଟ ବିକିଳିଆଟାର ଆତ୍ମାକୁ ଶାନ୍ତି ।
ପୂର୍ବ ପ୍ରତିଶ୍ରୁତି ମୁତାବକ ମୋ ପାଇଁ ଏଗ୍ ଚିକେନ୍ ରୋଲ୍ ଓ ବିରିୟାନୀ ମଗେଇ ଦେଇ ସେ ଦୁଇଜଣ ଗୋଟେ ଫ୍ରୁଟ ଜୁସ୍ ମଗେଇ ସେଥିରେ ଦୁଇଟା straw ପୂରାଇ ଟାଣିଲେ । ୟାଙ୍କୁ ସତରେ କହିବ ରସିକ ନାଗର। ମୁଁ କହିଲି – “ତୁମେ ଦୁଇଜଣ ଖାଇବ ନାହିଁକିରେ ପିଲେ? ଟୁକୁ କହିଲା – “ନାଁରେ ଭାଇ! ଟିକି ଆଜିକାଲି ଗୁରୁବାର ବ୍ରତ ପାଳୁଛି, ତେଣୁ ମୁଁ ମଧ୍ଯ ସମଧର୍ମ ପାଳନ କରି ଅନାହାର ବ୍ରତ ରଖିଛି ଅର୍ଥାତ୍ (ଯୋଉଟା) ଟିକିର ପସନ୍ଦ (ସେଇଟା) ମୋର ପସନ୍ଦ । ମୋତେ ବଡ଼ ଜୋହର୍ ହସ ଲାଗୁଥିଲା। ଫେଁ କିନା ହସି ଆସୁଥିଲି ତାଳୁକୁ ଉଠିଗଲା। ଟିକି ପଚାରିଲା କ’ଣ ହେଲା କି? ମୁଁ କହିଲି – ନାଇଁମ କିଛି ନୂହେଁ। ବୋଉ ବୋଧେ ମନେ ପକାଉଛି ଯେ, ତା ପୁଅ ତାକୁ ଏଯାଏଁ ସୁନାନଖି ବୋହୂଟେ ଆଣି କାହିଁକି ଦେଇପାରିଲା ନାହିଁ। “ସୁନାନଖି” ଶବ୍ଦଟା ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ।ଟିକି କହିଲା – “ମୈତ୍ରେ! ତୁମର ଯୋଉ କଥା ନା, ଖାଲି ତାନା ମାରିବାକୁ ଲୋକେ ପରା ତୁମକୁ ଡାକି ନେବେ”। ଠିକ୍ ଏତିକି ବେଳକୁ ହଷ୍ଟେଲରୁ ଟଙ୍ଗକିନା ଘଣ୍ଟିଟା ବାଜିଲା, ଏଇଟା ହେଉଛି ସତର୍କ ଘଣ୍ଟି ଆଉ ମାତ୍ର 10 ମିନିଟ୍ ଭିତରେ ଝିଅ ମାନଙ୍କୁ ହଷ୍ଟେଲ ଭିତରକୁ ଫେରିବାକୁ ପଡ଼ିବ, ନୋହିଲେ ଗେଟ୍ ବନ୍ଦ ହୋଇଯିବ। ଏଣିକି ବିନା ଗାୟାଳରେ ଗୋରୁ ଗୋଠଯାକ ହଷ୍ଟେଲ ମୁହାଁ ଆଡ଼େଇ ହୋଇଗଲେ। ସମସ୍ତେ ତତ୍ପର ହୋଇଉଠିଲେ। ହାତ ଧରାଧରି ହୋଇ ସାଥି ହୋଇ ହଷ୍ଟେଲ ଗେଟ୍ ଯାଏଁ ସମସ୍ତେ ଆସିଗଲେ। ସେଇଠି ଶେଷ ସମ୍ଭାଷଣ goodnight, by see you କହି ବିଦାୟ ନେବାର ପର୍ବ ଆଜି ରାତିକ ପାଇଁ ଓ “ପୁଣି କାଲି ଦେଖାହେବ” ର ଗୋଟେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି । ତଥାପି ଏମାନେ ତ କେହି ହଟୁ ନଥାନ୍ତି, ଗହଳି ଟିକେ କମି ଯାଇଥିଲେ ମଧ୍ଯ ଅନେକ ସେଇଠି ସେମିତି ରହି ବହୁ ବେଳ ଯାଏଁ ଦୁଇ ବାହୁକୁ ଉପରକୁ ପ୍ରସାରିତ କରି ଓ ବାଁ ଡାଁ ବଦଳିଆ କରି ହାତ ହଲାଉଥାନ୍ତି, ନିଜ ନିଜ ପ୍ରେମିକା ନିଜ ଦୃଷ୍ଟି ଆଢୁଆଳରୁ ନ ଲୁଚି ଗଲା ପର୍ଯ୍ୟନ୍ତ। ଏଇ ପଞ୍ଝାକ ତେବେ କ’ଣ ବିଲ୍ଵ ମଙ୍ଗଳ, ପ୍ରେମ ପାଗଳ ହୋଇ ଏହି ଇଉକାଲ ପଟାସ ବଣ ଭିତରେ ଲୁଚି ରହିଥିବା କେଇଟା ମାତ୍ର୍ ମେଣ୍ଢାମାରି ବୁଦା ମୂଳେ ଛୁପି ଶୋଇ ରାତି ଉଜାଗର ହେବେ?ଧନ୍ୟରେ ବିଧାତା! ଏଡିକି ଭାଗ୍ୟ ମୋର ହୋଇଲା, ଏ ନୟନ ପୁଣି କ’ଣ ନଦେଖିଲା। ମୁଁ କହିଲି ଆମ ପ୍ରେମିକ ପ୍ରବରକୁ – “ହେ ପ୍ରେମ ଚିନ୍ତାମଣି! ଏଥର ଟିକେ ପ୍ରେମ ଅନୁଚିନ୍ତା ଛାଡ଼ି ମୋ ସହିତ କରିବକି ଟିକେ ହଷ୍ଟେଲ୍ ପ୍ରତ୍ୟାଗମନ? ସେ ଫେଣ୍ଡ୍ରା ମୁହାଁ ଏକ ରକମର ଅନିଛାକୃତ ବାଧ୍ୟ ବାଧକତାରେ ମୁଣ୍ଡ ଟୁଙ୍ଗାରି ଫେରି ଆସୁଥିଲା ମୋ ସହିତ। ହେଲେ ଏହି ସମୟରେ ଘଟଣାକ୍ରମେ ଅନ୍ୟ ଏକ ଦୃଶ୍ୟ ଦୃଶ୍ୟାନ୍ତର ଦେଖିବାକୁ ମିଳିଲା, ଯାହା ମୋତେ ଆଶ୍ଚର୍ଯ୍ୟ ଚକତି କରି ରଖି ଦେଇଥିଲା। ଇଏ ବୋଧେ ଜିନି ଆଉ ଲିଟନ, ମଦ ନିଶାରେ ଫେରୁଥିଲେ ଝୁମିଝୁମି। ମଦ ନିଶାରେ balance fail କରି ମଝିରେ ମଝିରେ ଝୁଣ୍ଟି ପଡୁଥିଲେ ଉଭୟ ଉଭୟଙ୍କ ଉପରକୁ। ତେଣୁ ଇଏ ତା କାନ୍ଧ ଉପରେ ନତୁବା ସେ ତା କାନ୍ଧ ଉପରେ ଭରା ଦେଇ ଆସିଗଲେ ହଷ୍ଟେଲ୍ ଗେଟ୍ ଯାଏଁ। ମୁଁ ଟିକେ ଟିକୁ ହାତଟାକୁ ଭିଡ଼ି ନେଇ ଦଣ୍ଡେ ଅଟକିବାକୁ ଇସାରା ଦେଲି। ଜିନି ନିଶାରେ ବି ମୋତେ ଚିହ୍ନି ନେଇ କହିଲା-” please ପ୍ରକାଶ ୟାଙ୍କୁ ଟିକେ ସାଙ୍ଗରେ ତୁମ ହଷ୍ଟେଲ୍ ନେଇ ଯାଅ, ସେ ଆଉ ଅବସ୍ଥାରେ ନାହାଁନ୍ତି “। ସେ ତ ନକହି ଥିଲେ ବି ମୁଁ ମୋ କର୍ତ୍ତବ୍ୟ କରିଥାନ୍ତି। କିନ୍ତୁ ହଷ୍ଟେଲ୍ ଗେଟ୍ ଯେ! ତାଲା। ଏ ଜିନି ଏତେ ରାତିରେ କୁଆଡ଼େ ଯିବ? ଜିନି କିନ୍ତୁ ବେଶ୍ ନିର୍ଭୀକ ଜଣା ପଡୁଥିଲା।ଡାକିଲା – “ଏ ବାହାଦୁର!” ବାହାଦୁର ଆସ୍ଥେପୁଣି ଗେଟଟା ଖୋଲି ଦେଲା ।ଜିନି ଭିତରକୁ ପଶି ଯାଉ ଯାଉ ତା ହାତରେ ପର୍ସରୁ ଖୋଲି ଗୋଟେ ଖଡଖଡିଆ ନୋଟ୍ ଧରେଇ ଦେଇ ନିର୍ବିଘ୍ନରେ ଭିତରକୁ ଚାଲିଗଲା। ସେ ଦୃଶ୍ୟଟା ଆଖି ସାମ୍ନାରୁ ଲିଭି ଯାଉଥିଲା, ଆମେ ଲିଟନକୁ କାନ୍ଧ ଓ ହାତରେ ସାହାରା ଦେଇ ଫେରି ଆସିଥିଲୁ boys hostel. ସେଦିନର ଏ ମାରାଥନ ଦୌଡ଼ ସେଇଠି ସେତିକିରେ ସରି ଯାଇଥିଲା
ଭାଗ 6 ନୁଙ୍ଗୁରାର ପ୍ରେମ. . ..
ଏହି ଟିକୁର ପ୍ରେମଟା ବେଗଗାମୀ ଅଶ୍ଵ ପରି ବେଶ୍ ଧାବମାନ ହେଉଥାଏ। ଆଉ ଝୁଲଣ ମଧ୍ୟ ସେଇ ଏକ ପଥର ପଥିକ ଓ ଟୁକୁର ସହଯାତ୍ରୀ ପାଲଟିଥାଏ। ପ୍ରେମ ବିପଣନର ସେ ମଧ୍ଯ ଜଣେ ପ୍ରତ୍ୟେହ ଗରାଖ। ଅନ୍ୟମାନଙ୍କ ପରି ସେ ବି ସେଠାକୁ ସକାଳୁ ସଞ୍ଜ ଯାଏଁ ଧାଏଁ। ସେ କାହାକୁ ଭଲ ପାଉଛି କେଜାଣି, ଯେତେ ପଚାରିଲେ ବି ତ ଜମା କହେନାହିଁ। ଏଇଟା ପକ୍କା ଚୁପ୍ ସଇତାନଟା। ପୋତାମୁହାଁକୁ ପୋତା ମୁହାଁ ପୂରା ଛୁପା ରୁସ୍ତମ୍। ମୁଁ କାଳେ ବାଟ ଓଗାଳି ପଚାରିବି ବୋଲି ଚୁପକିନା ଲୁଚିକି କେତେବେଳେ ଚାଲି ଯାଇଥିବ। ମୋତେ ଦେଖିଲେ ଖଣ୍ଡେ ବାଟରୁ ବାଟ ଭାଙ୍ଗି ଲୁଚି ପଳେଇବ। କିବେ ଶଳା! ଯଦି ପ୍ରେମ କରୁଛୁ, ଟୁକୁ ଭଳି ଖୁଲମ୍ ଖୋଲା ପ୍ରେମ କରୁନୁ! ଏମିତି ଲୁଚୁଲୁଚାଣି ପ୍ରେମ କ’ଣ? ପ୍ରେମ ଯିଏ କରିବ ସେ ଦିଲସଚ୍ଚା ହେବା ଦରକାର ନା! ଏଇଟାର ନୁଙ୍ଗୁରା ଦୋଷ ଅଛି କି କ’ଣ। ନହେଲେ ପ୍ରେମ କରିବା ଲୋକଟା ଏତେ ଡରୁଛି କାହିଁକି। ଇଏ ଆଉ ମୋତେ ଡରୁନାହିଁ ତ! କାରଣ ତାଙ୍କ ଘରେ କହିଦେବି ବୋଲି? କାହିଁକିନା ଝୁଲଣ ଘରଟା ଆମ ଗାଁକୁ ଗାଁ ଲାଗିଛି। ନା ୟା ହୋଇ ପାରେନା। କାରଣ ସେ ତ ଜାଣିଛି ମୋର ଚୁଗୁଲିଆମି ନାହିଁ ବୋଲି। ତାହେଲେ ଏତେ ଡରୁଛି କାହିଁକି? ସାୟଦ ବାତ୍ ମେ କୁଛ୍ କାଲା ହେ। ଆଜି ଟୁକୁ ଆସୁ ତାକୁ ପଚାରିବା।
ଟୁକୁ ଫେରିଲା ପରେ ପଚାରିଲି – “ଅବେ ମୈତ୍ର! ଏ ଝୁଲଣଟା କାହାକୁ ଭଲ ପାଉଛି କି”? ସେ ତ ମୋ ଗୋଡ ହାତ ଧରିନେଲା। କହିଲା- ଭାଇ! ତା କଥା ମୋତେ ପଚାରେ ନାହିଁ। ବରଂ better ହେବ ତୁ ତାକୁ ପଚାରେ “। ଆରେ ଶଳା! ବଡ଼ ଅଜବ କଥା ।ୟାକୁ ପଚାରିଲେ ଇଏ କହୁ ନାହିଁ, ତାକୁ ପଚାରିଲେ ସେ କହୁ ନାହିଁ। ଆଉ କ’ଣ ତିନି କୋଣିଆ ପ୍ରେମ କି ବେ! ଯାହା ବି ହେଉ ୟା ବେଉରା ଠିକ୍ ସେ ନେବାକୁ ହେବ, ନହେଲେ ଘଟଣାଟାର ପର୍ଦ୍ଦା ଫାସ୍ ହେବ ନାହିଁ।
ଦିନେ ମୋ ହାବୁଡରେ ପଡି ଗଲା। ପଚାରିଲି -” କାହାକୁ ଭଲ ପାଉଛୁ କିରେ ଟୋକା! ତୋ ପ୍ରେମିକାକୁ ମୋତେ ଟିକେ ଦେଖା? ମୁଁ ଟିକେ ଦେଖେ ଭାଇବୋଉଟା ଆମର କେମିତିକା? ତା ପାଟି ଆଫାଆଫା ହୋଇଗଲା। କହିଲା – ଭାଇ! ତୁ ଘରେ କିଛି କହିବୁ ନାହିଁ। ମୁଁ ତା ବିଷୟରେ ତୋତେ କିଛି କହି ପାରିବି ନାହିଁ। ତୁ ମୋତେ କିଛି ଏବେ ପଚାରେ ନାହିଁ। ମୁଁ ବଡ଼ tension ରେ ଅଛି। ଯା’ରେ ଯା’! ପୁଣି mystery. ଇଏ କି ପ୍ରେମ କି ହୋ? ହୋଉରେ ପୁଅ! ତୁ ପ୍ରକାଶକୁ କ’ଣ ପାଇଲୁ କି? ଇଏ ଯୋଉ କଥାକୁ ଥରେ ଥାମ୍ ନିଏନା, ତା’ର ସବିଶେଷ ତଥ୍ଯ ଯେମିତି ହେଲେ ନେବ ନା.. ଆଉ.. ପୁଅ ମୋତେ ଚିହ୍ନିନି…। ଆଉ ଥରେ ତାହେଲେ ସେଇ ଲେଡିଜ୍ ହଷ୍ଟେଲ୍ ଆଗରେ ମୋତେ ପଇଁତରା ମାରିବାକୁ ପଡ଼ିବ।ମୁଁ ସିଗାରେଟ୍ ଖଣ୍ଡେ ହାତରେ ଧରି ଆଉ ଖଣ୍ଡେ ପକେଟରେ ପକାଇ ମନୁ ବାବାକୁ ସାଙ୍ଗରେ ଧରି ଚାଲିଲି। ଯେତେ ଅନିଚ୍ଛା କଲୁ, ଏ ନୁଙ୍ଗୁରା କାହିଁ ଆମ ଶାଗୁଣା ଆଖିରେ ପଡୁ ନଥାଏ। ତେଣୁ ଆମେ ଘିରି କିଟିକିଟି ମାରି, ଏପଟ ସେପଟ ଅଣ୍ଡାଳି ହୋଇ ପଛପଟ ମନ୍ଦିର ରାସ୍ତା ଦେଇ ଫେରୁଥିଲୁ। ଦେଖିଲା ବେଳକୁ ହଷ୍ଟେଲ୍ ଠାରୁ ଖୁବ୍ ଦୂରରେ ଏଟା ଗୋଟେ ନିଭୃତ ପଡ଼ିଆରେ ଗୋଟେ ବୁଦା ମୂଳେ ବସି ପଡ଼ିଛି। ପାଖରେ ଗୋଟେ ବାନ୍ଦିରୀର ମୁହିଁ, ଭ୍ରୁକୁଞ୍ଚତ କେଶା, ଲୋଳିତ ଚେହେରା ଓ ତନୁ ପାତିଳି ଝିଅଟାର କୋଳ ଉପରେ ୟା ମୁଣ୍ଡଟା ଅଛି। ତରୁଣୀଟି ତା’ ହାତର ମୃଦୁ ସ୍ପର୍ଶରେ ୟା ଚୂଟିଗୁଡାକୁ ୟା କାନ ଉପରୁ ସାଉଁଟି ଆଣି ମୁଣ୍ଡ ଉପରେ ସଯତ୍ନରେ ରଖୁଥାଏ। ବେଳେବେଳେ ନିଜ ଓର୍ନିରେ ସେ ଯେତେବେଳେ ତା ମୁହଁରୁ ସ୍ଵେଦ ବିନ୍ଦୁ ଗୁଡ଼ାକୁ ଚିପୁଡ଼ି ଆଣୁଥାଏ, ନୁଙ୍ଗୁରା ସେତେବେଳେ ତା ପାପୁଲି ଉପରେ ବୋଳି ଦେଉଥିଲା ଗୋଟେ ପରେ ଗୋଟେ ଚୁମ୍ବନ ରେଖା। ମଧୁର ପ୍ରେମାଳପରେ ଉଭୟ ଉଭୟଙ୍କ ସହିତ ନିମଗ୍ନ ଥାନ୍ତି।
ମୁଁ କହିଲି – “ମନୁ ବାବା! ଏଇ ବେ ସେଇ ନୁଙ୍ଗୁରା। ହେଲେ ଏଇ ଝିଅଟାକୁ ମୁଁ ଚିହ୍ନି ପାରୁନାହିଁ, ତୁ ଚିହ୍ନିଲୁ କିଏ” ? ମନୁ ବାବା ଦେଖିଦେଇ କହିଲା -” ଇରେ ମାଇଲାରେ ଭାଇ!” ମୁଁ କହିଲି – “ଆବେ କ’ଣ ହେଲା କି”? କହିଲା – “ନାହିଁ ବେ! ଏଟାର ପ୍ରେମରେ ପୂରା upgradation ହୋଇଛି ମାନେ promotion.
-” ମାନେ ”
-” ମାନେ କ’ଣ? ଇଏ ଶଳା ଉପର କ୍ଲାସର ଏମ୍. ଫିଲ୍. ଝିଅକୁ ଧରିଛି। ବୟସରେ ତା ଜେଜେ ମା ଭଳିଆ ଲାଗୁଛି। ଏଇଥିପାଇଁ ଏଇଟା ଆମକୁ ଲୁଚିକି ବୁଲୁଛି.. ଆଉ.. ।
ମୁଁ କହିଲି -” ରହ! ରହ!! ଆଉ କିଛି କହନି। ସେ ହଷ୍ଟେଲ୍ ଫେରୁ ତା କଥା ବିଚାର କରିବା।
ରାତିକୁ ଖାଇଲା ବେଳେ dinning ହଲରେ ଦେଖା ହେଲା। ଭାବିଥିଲା ଖାଇ ଦେଇ ଶୀଘ୍ର ଖସି ପଳେଇବ। ମୋ ଛାଇ ପଡ଼ିଲେ ତ ତା ନାଇ ଡିଏଁ। ମନୁ ବାବା ଆଗ ଉଠି ଯାଇ ତାକୁ ଧରି ପକେଇଲା। ସେ ଭିଡ଼ି ମୋଡି ହୋଇ ରଙ୍ଗ ଦେଖାଉଥିଲା। ହେଲେ ମୋର ତ octoppus ପଞ୍ଝା, ଯାଇ ଘାପକିନା ମାଡ଼ି ବସିଲି।
ଏକ ରକମର 4th hostel ଆଗର ସେଇ ଟାଙ୍ଗରା ଭୂଇଁର ନୀରବ ପଡିଆ ମଝିକୁ ତାକୁ ନେଇ ଯାଇ ପଚାରିଲୁ – “ଆରେ ନୁଙ୍ଗୁରା! ତୁ ଆଉ କାହାକୁ ପାଇଲୁ ନାହିଁ, ଶେଷରେ ତୋ ବୁଢୀ ମା ବୟସର ବୁଢୀ ଅସୁରୁଣୀ ନୀତି ଅପାକୁ ଭଲ ପାଇଲୁ? ହଁ ଯିଏ ଯାହାକୁ ରସିଲା କିଆ ଫୁଲ ପରି ବସିଲା। ଶଳା ସତ କଥା କବି କହିଛନ୍ତି-” ଯୌବନେ ମର୍କଟେ ରମ୍ଭା”। ତୁଟା ଶଳା ନମରି ବଞ୍ଚିଲୁ କେମିତି କେଜାଣି? ଆଣ ବେ ଏଟାକୁ ଟିକେ ବିଷ ଦେଇଦେବା”।ପାଟିରେ ହାତ ଦେଇ ଦେଲା। କହିଲା -” ହେ ଭାଇମାନେ! ତୁମେ ଏ କଥାଟା ଆଉ କାହାକୁ କହିବ ନାହିଁ। ଚିଲାଚିଲି ଦୟାକରି ଟିକେ ବନ୍ଦ କର! ମୁଁ କାଲି ତୁମ କଥା ବୁଝିଦେବି। କୋଉଠି ଖାଇବ, କ’ଣ ଖାଇବ ଓ କେତେବେଳେ ଖାଇବ ଖାଲି ସେଇ କଥାଟି କୁହ”। ପୁଣି କହିଲା -” ମୁଁ ଜାଣିଥିଲି ପରା ତୁମେ ଦିଟା ଜାଣିଲେ ମୋଟେ ଛାଡିବ ନାହିଁ, ଯେମିତି ହେଲେ ଚନ୍ଦେଇବ” । ବାବା କହିଲା -ଜାଣିଥିଲୁ ତ ଏତେ ରଙ୍ଗ ହେଉଥିଲୁ? ହୋଉ ଠିକ୍ ଅଛି ତୋର ଆମର ସାଲିସ୍ ହୋଇଗଲା। ଆମେ ଏ କଥାଟା ଆଉ ପ୍ରଘଟ କରିବୁ ନାହିଁ। ହେଲେ ତୁ ସେଇ ବୁଢୀଟାକୁ ବାହା ହେବୁ ତ? “କହିଲା – “ସଚ୍ଚିନ ବାହା ହେଇ ପଡିଲା, ମୋର ଆଉ ଏମିତି କେତେ ବର୍ଷ ବଡ଼ କି” ? ମୁଁ କହିଲି – “ହେଲେ ଘରେ ରାଜି ହେଲେ ତ” ? ମୁଚୁକୁନ୍ଦିଆ ହସଟେ ହସିକି କହିଲା -” ମୁଁ ଆଉ ସେଇ କାମ କ’ଣ ବାକି ରଖିଛି କି ଭାଇ! କୋର୍ଟ ମ୍ୟାରେଜ ସାରି ଦେଇଛି”। ଆମେ ଶୁଣି ଅବାକ୍। ପାଟିରେ ଆଉ କିଛି ଉତ୍ତର ନ ଥିଲା। ସିଧା ଦୁଇ ଜଣଯାକ ଲମ୍ବଖମ୍ବ ତା ଗୋଡ଼ ତଳେ ପଡିଗଲୁ। କହିଲୁ -” ହେ ପ୍ରେମ ଭଗବାନ! ତୁମକୁ ସତରେ ମାନିବାକୁ ପଡ଼ିବ। ତୁମ ବିଦ୍ୟାକୁ ନାହିଁ ଉତ୍ତର। ହେଲେ ସେଇ କଳାରୁ ତୋଳାଏ ଆମକୁ ଦିଅନ୍ତନି…..
ଭାଗ 7…..
ମୁଁ ତ ଖାଲି ଗୋରୁ ଗାଈ ଦୌଡିଲା ଭଳିଆ ଗାରୁଡ଼ି ମାରୁଡ଼ି ହୋଇ ଇଆଡୁ ସିଆଡୁ ଭିନ୍ନ୍ କଥାମାନ ସବୁ ଅବତାରଣା କରି ପକାଉଛି। ହେଲେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଧେ ଛାଡ଼ି ଯାଉଛି।ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଉଛି ମଣ୍ଡଳ କମିଶନ।
ଅବଶ୍ୟ ଏ କଥାଟା ପ୍ରାୟ ଉଣା ଅଧିକେ ସମସ୍ତେ ଅବଗତ ଥିବେ ଯେ, ବି. ପି. ମଣ୍ଡଳଙ୍କ ଅଧ୍ୟକ୍ଷତାରେ ମଣ୍ଡଳ କମିଶନ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଶ୍ରେଣୀ ପାଇଁ ଜନତା ଦଳ ସରକାର ମୋରାଜୀ ଦେଶାଇଙ୍କ ପ୍ରଧାନ ମନ୍ତ୍ରୀତ୍ୱ ସମୟରେ 1979 ମସିହା ଜାନୁଆରୀ 1 ତାରିଖରେ ବସିଥିଲା। ଯଦିଓ ତାଙ୍କ ରିପୋର୍ଟ 1983 ମସିହାରେ ଆସି ଯାଇଥିଲା ଓ ସେଥିରେ ପଛୁଆ ବର୍ଗ ପାଇଁ 27% ସରଂକ୍ଷଣର ବ୍ୟବସ୍ଥା କରିଥିଲେ ଅର୍ଥାତ୍ ସମୁଦାୟ ସରଂକ୍ଷଣ 49% ରେ ପହଁଚି ଯାଇଥିଲା। ମାତ୍ର୍ ଏହା ସେତେବେଳେ ଲାଗୁ ହୋଇ ପାରି ନଥିଲା। ପରବର୍ତ୍ତି ସମୟରେ ଅର୍ଥାତ୍ 1990 ମସିହା ଅଗଷ୍ଟ 7 ତାରିଖରେ ଏହା ଜାତୀୟ ସାମ୍ମୁଖ୍ୟ ସରକାର ଦ୍ୱାରା ପାରିତ ହୋଇଥିଲା। ତଦନୁସାରେ ଅଗଷ୍ଟ ପନ୍ଦର ସମାରୋହ ପାଳନର ମାତ୍ର ଦୁଇ ଦିନ ପୂର୍ବରୁ 1990 ମସିହା ଅଗଷ୍ଟ 13 ତାରିଖରେ ପ୍ରଧାନ ମନ୍ତ୍ରୀ ଭି. ପି. ସିଂହ ଏହାକୁ ଉଦଘୋଷଣ କରିଥିଲେ। ଫଳରେ ସମଗ୍ର୍ ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ପ୍ରତିରୋଧ ଆରମ୍ଭ ହୋଇଯାଇଥିଲା ଓ ପ୍ରତିବାଦର ସ୍ଵର ଅଧିକ ଭାଷ୍ବର ହୋଇ ଉଠିଥିଲା – ମୁଖ୍ୟତଃ ଶିକ୍ଷାନୁଷ୍ଠାନ ମାନଙ୍କରେ । ଦିଲ୍ଲୀରେ ଦେଶବନ୍ଧୁ କଲେଜରେ ରାଜୀବ ଗୋସ୍ଵାମୀ ନାମକ ଜଣେ ଛାତ୍ର ନିଜ ଶରୀରରେ ଅଗ୍ନି ସଂଯୋଗ କରି ଆତ୍ମଦାହ (self immolation) ପାଇଁ ଚେଷ୍ଟା କରିଥିଲା। ହେତୁ ସ୍ଵରୂପ ବିଦ୍ରୋହର ବହ୍ନି ଚତୁପାର୍ଶ୍ୱରେ ପ୍ରଜ୍ଜ୍ଵଳିତ ହେବାକୁ ଲାଗିଲା ଓ ବିଦ୍ରୋହରେ ମୁଖ୍ୟ ମୋହରା ହୋଇଯାଇଥିଲେ ରାଜୀବ ଗୋସ୍ଵାମୀ, ମଣ୍ଡଳ ଇସ୍ୟୁ ତହିଁ କି ରହି ଯାଇଥିଲା ପଛକୁ । ଚାହୁଁ ଚାହିଁ ଏଭଳି ସମାନ ପ୍ରୟାସ ବିଭିନ୍ନ୍ ପ୍ରାନ୍ତରେ ପ୍ରାୟ 200 ଛାତ୍ର କରି ବସିଲେ, ଯାହା ଘଟଣାଟିକୁ ଅଧିକ ଜଟିଳ କରି ରଖି ଦେଊଥିଲା।
କିନ୍ତୁ ଯେତେବେଳେ ସୁରିନ୍ଦର ସିଂହ ଚୌହାନ ବୋଲି ଜଣେ ଛାତ୍ର ଏହି ପ୍ରକାର ପ୍ରୟାସରୁ24 ସେପ୍ଟେମ୍ବରରେ ମୃତ୍ୟୁବରଣ କଲେ, ସେଦିନଠୁଁ ବିଦ୍ରୋହଟା ଆହୁରି ଉଗ୍ର ରୂପ ଧାରଣ କରିଥିଲା। ଭାସ୍ଵର ହେଲା ବିଦ୍ରୋହର ସ୍ଵର। ଭୟଙ୍କର ବିଦ୍ରୋହ, ପୋଡାଜଳା, ଭଙ୍ଗାରୁଜା, ଦୋକାନ ପତ୍ର ବନ୍ଦ, ଗାଡି ଚଳାଚଳ ଅଚଳ, ସରକାରୀ ଦପ୍ତର ବନ୍ଦ ଆଦି ରୂପରେଖ ଦେଇ ପ୍ରତିବାଦ ଓ ପ୍ରତିରୋଧ ଜୋହର୍ ଧରିଲା। ଓଡ଼ିଶାରେ ମଧ୍ୟ ଏହାର ମୃଦୁ ଭୂମିକମ୍ପ ହୋଇଥିଲା ଓ ବାଣୀବିହାର ଏହାର ମୁଖ୍ୟ କର୍ଣ୍ଣଧାର ସାଜିଥିଲା, ଯେତେବେଳେ କି ଆମେ ଅଧ୍ୟୟନରତ ବାଣୀ ବିହାରର ଛାତ୍ର।
ଶେଷରେ ମଣ୍ଡଳ କମିଶନର ବିରୋଧ କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ indrani sawhney. ଯାହାକୁ ଶୁଣାଣୀ କରି ପାଞ୍ଚ ଜଣିଆ ବିଚାରପତି ମଣ୍ଡଳୀ ମଣ୍ଡଳ କମିଶନର କାର୍ଯ୍ୟକାରିତା ଉପରେ ରୋକ୍ ଲଗେଇ ଦେଇଥିଲେ। ଫଳରେ ସେଇ ସେପ୍ଟେମ୍ବର୍ ମାସର ଶେଷ ଆଡକୁ ଏହା ପ୍ରଶମିତ ହୋଇ ଯାଇଥିଲା ଓ ପ୍ରଥମ କରି ପୁଣି ଏହି ମଣ୍ଡଳ କମିଶନ ସୁପାରିଶ ଲାଗୁ ହେଲା ବେଳକୁ 19 9 2 ମସିହା ହୋଇ ଯାଇଥିଲା । ଆମ ପାଠ ପଢା ସେତେବେଳକୁ ସରି ଯାଇଥିଲା।ମାତ୍ର୍ ବିଦ୍ରୋହ ପଛରେ ଛାଡି ଯାଇଥିଲା ବହୁ ଲୋମ ହର୍ଷଣକାରୀ କାହାଣୀ। ଅନେକ ଘଟଣା ଓ ଦୁର୍ଘଟଣା ସେଇ ସମୟରେ ତ ଘଟିଥିଲା। ଯେହେତୁ ଆମ ଛାତ୍ର ଜୀବନର ଏହା ଏକ ସର୍ବ ବୃହତ ଘଟଣା ତେଣୁ ତହିଁରେ ପ୍ରତ୍ୟେକ୍ଷ ହେଉ ବା ପରୋକ୍ଷ ଆମ ସମ୍ପୃକ୍ତି ଯୋଡି ହୋଇଯିବା କିଛି ବିଚିତ୍ର କଥା ନୂହେଁ। ଏଠି ଆନ୍ଦୋଳନର ସପକ୍ଷବାଦୀ ବା ବିପକ୍ଷବାଦୀ କଥା ଉଠୁ ନାହିଁ, କିନ୍ତୁ ପ୍ରଭାବିତ ହୋଇଥିଲୁ ତ ଆମେ ସମସ୍ତେ ନା! ଅଙ୍ଗେ ନ ଲିଭାଇଥିବା ଲୋକ ହୁଏତ ଏତେଟା ସହଜେ କିଛି ବୁଝି ପାରିବେ ନାହିଁ, କିନ୍ତୁ କି ଭୟଙ୍କର ଥିଲା ତା’ର ଫଳାଫଳ।ପରିଣତି ଟାଣି ହୋଇଯାଇଥିଲା ପରା ଅନେକ ବିପର୍ଯ୍ୟୟ ଓ ଦୁଷ୍କୃତି ଆଣି। ମୁଁ ତ କାହିଁ ତା’ ପର ଠାରୁ ଆଉ ଏତେ ବଡ଼ ଛାତ୍ର ଆନ୍ଦୋଳନଟିଏ କେବେ ଦେଖି ନାହିଁ, ହେଲେ ଦେଖି ଥାଇ ପାରନ୍ତି ଆପଣ ମୁଁ ସେ କଥାତ ଆଉ କହି ପାରିବି ନାହିଁ । ତେଣୁ ନିଶ୍ଚିତ ଭାବେ ସ୍ୱାଧୀନତା ଆନ୍ଦୋଳନ ପରେ ଏହା ଏକ ସର୍ବବୃହତ ଛାତ୍ର ଆନ୍ଦୋଳନ, ଯହିଁରେ କ୍ଷୟକ୍ଷତି ପରିମାଣ ଅଧିକ ବା ଆକଳନ କରିବା କଷ୍ଟ । ଦୁଇ ତିନି ଧରି ସଂଗ୍ରାମର ପ୍ରକମ୍ପ ଭାରି ଜୋହର୍ ଅନୁଭୂତ ହେଉଥାଏ ଓ ତା’ର ବହୁବିଧ ରୂପ ପରିପ୍ରକାଶ ପାଉଥାଏ।
ମାତ୍ର୍ ସେଦିନର ଏକ ବିଶେଷ ଘଟଣା ଆମର ସମଗ୍ର ଛାତ୍ର ଜୀବନକୁ ପ୍ରାଭାବିତ କରିଦେଇଥିଲା। ଆମ batchଟି ସର୍ବାଧିକ ଅଧିକ କ୍ଷତିଗ୍ରସ୍ଥ ହୋଇଥିଲା, ଯେଉଁଥିପାଇଁ ତ ପି. ଜି. ଦୁଇ ବର୍ଷରେ ପୂର୍ଣ୍ଣାଙ୍ଗ ହେବା ସ୍ଥଳେ ଆମକୁ ଲାଗିଥିଲା ଅଢେଇ ବର୍ଷ। ଏଇଥିରୁ ସହଜେ ଅନୁମେୟ ଯେ ଆନ୍ଦୋଳନର ପ୍ରଭାବ କେତେ ଯେ ସୁଦୂର ପ୍ରସାରୀ ଥିଲା ଓ ତହିଁରୁ ନିସ୍କୃତି ପାଇବା ପାଇଁ କେତେ ସମୟ ଲାଗି ଯାଇଥିଲା । ମୁଁ ଜାଣିଛି ଆମ ବନ୍ଧୁମାନେ ଏଇଟିକୁ ପଢିଲା ପରେ ସମସ୍ତେ ନିଜ ନିଜ ଅତୀତକୁ ଫେରିଯିବେ ଓ ଫେରିଯାଇ ସେ ଚିତ୍ର ଗୁଡିକୁ ସଚିତ୍ର କରି ନିଜ ଚେତନାରେ ଗଢି ତୋଳିବେ। କାରଣ ସେଇଠି ରହିଛି ଅନେକ ସ୍ମୃତି ଓ ବିସ୍ମୃତି। ତେଣୁ ବେଶୀ ସମୟ ମୁଁ ଆଉ ଏଠି ଅଟକି ରହିବାକୁ ଚାହୁଁ ନାହିଁ, କେବଳ ସୂଚନାରେ ସୂଚନାରେ ସବୁ କିଛି ସୂଚେଇ ଦେଇ ଓ ଚେତନାଟିକୁ ଟିକେ ଚେତେଇ ଦେଇ ଆଗକୁ ବଢିବାକୁ ଚାହେଁ, ହେଲେ ସମସ୍ତଙ୍କୁ ମଜବୁର୍ କରିଦେବାକୁ ଚାହେଁ ଘଡିଏ ଖଣ୍ଡ ଏକାନ୍ତ ଓ ନିଭୃତରେ ବସି ଭାବିବା ପାଇଁ । ହଁ ଆଗକୁ ମୁଁ କ’ଣ କହିବି ତାହା ତ ଆପଣମାନେ ନିଶ୍ଚିତ ବୁଝି ପାରୁଥିବେ, ସେଇଟି ହେଉଛି ସାଇନ୍ ଡାଏ ଓ ତହିଁରେ ଆମେ ଛାତ୍ରମାନେ ଭୋଗିଥିବା ନାହିଁ ନଥିବା ଦୁର୍ଦ୍ଦଶା। ମୁଁ ଏଇଠି ରହି ମଧ୍ଯ ବୁଝି ପାରୁଛି ଆପଣମାନଙ୍କର ମନର ଗତି ବା ଅବସ୍ଥା। ଆଉ ଏ କଥା ମଧ୍ଯ ବୁଝି ପାରୁଛି ଯେ, ଯାହା ଭାବନାତ୍ମକ କ୍ରିୟା ପ୍ରତିକ୍ରିୟା ସବୁ ଘଟୁଥିବ ଆପଣା ମନ ଇଲାକାରେ ଠିକ୍ ଏଇଟିକୁ ପଢିବା ପରେ। ତେବେ ମୁଁ ଆଉ ଆପଣମାନଙ୍କୁ ବେଶୀ ସମୟ ପ୍ରତୀକ୍ଷିତ କରିବି ନାହିଁ। ତଥାପି ତାହା ପୂର୍ବରୁ ଗୋଟିଏ ମାତ୍ର ଘଟଣାର ଅବତାରଣା କରିବି ନିଶ୍ଚୟ ।
ଘଟଣାଟି ହେଉଛି ବସ୍ ପୋଡି ଓ ତା’ର କୁପରିଣତି। ଯାଇ ଯେମିତି ଆନ୍ଦୋଳନ ଚାଲିଥିଲା ତ ଚାଲିଥିଲା, କିନ୍ତୁ ସେଦିନ ହଠାତ୍ ଶୁଣିବାକୁ ମିଳିଲା କେହି ଦୁର୍ବୁତ୍ତ ଜାତୀୟ ରାଜପଥରୁ ଗୋଟେ ଯାତ୍ରୀବାହୀ ଖାଲି ବସକୁ ବାଣୀବିହାର କ୍ୟାମ୍ପସ୍ ଭିତରକୁ ଆଡ଼େଇ ଆଣି ସେଥିରେ ଅଗ୍ନି ସଂଯୋଗ କରିଦେଇଥିଲେ। ଏପରିକି ତହିଁରେ ରହିଯାଇଥିବା ଡ୍ରାଇଭରଟି ପୋଡି ହୋଇ ମୃତ୍ୟୁ ବରଣ କରିଥିଲା। ଆନ୍ଦୋଳନକୁ ଟିହାଇବା ପାଇଁ ବା ଅଧିକ ପ୍ରୋତ୍ସହିତ କରିବା ପାଇଁ ତାହା ହୁଏତ ଏକ ରାଜନୈତିକ ଅଭିସନ୍ଧି ଓ ଘଟଣାକ୍ରମ ହୋଇଥାଇପାରେ କିନ୍ତୁ sufferer ତ ଛାତ୍ରଛାତ୍ରୀମାନେ ହେଲେ ନା! ସେଇଥିପାଇଁ ପରା କେତେ ଗୋଡାଗୋଡ଼ି ଓ ଧରପଗଡ଼ ଯାଇଛି।
କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ – ସେଦିନ ସେଇ ବସରେ ନିଆଁ ଲାଗିଥିବାର ଖବର ରାତିରେ ପ୍ରଚାର ହୋଇଗଲା। ଆମେ ବାହାରକୁ ଯାଇ ଘଟଣାଟା ବୁଝିବା ପୂର୍ବରୁ ପୋଲିସ୍ ଚାରିଆଡ଼େ ଛତ୍ରଛାଉଣୀ ହୋଇଯାଇଥିଲା। ତେଣୁ ଆମେ କେହି ବାହାରକୁ ଡରେ ବାହାରି ପାରିଲୁ ନାହିଁ । ରାତାରାତି ଖବର ମିଳିଲା ଯେ କେହି ଦୁର୍ବୁତ୍ତ ବସରେ ନିଆଁ ଲଗେଇ ଦେଇଛନ୍ତି ଓ ବସ ଡ୍ରାଇଭର୍ ମଧ୍ଯ ସେଥିରେ ପୋଡି ହୋଇ ମୃତାହତ ହୋଇଛନ୍ତି। ସେଦିନ ଆମେ ପୋଲିସ୍ ଭୟରେ ଯେତିକି ଭୀତତ୍ରସ୍ତ ହୋଇଥିଲୁ ତତୋଧିକ ମ୍ରିୟମାଣ ହୋଇ ପଡ଼ିଥିଲୁ ଡ୍ରାଇଭର୍ ଭାଇର ମୃତାହତ ଖବର ଶୁଣି। କାରଣ ସେ ଡ୍ରାଇଭର୍ ନଥିଲା, ଥିଲା ଏ ଦେଶର ଜଣେ ସାଧାରଣ ନାଗରିକ। ଏମିତି ଆମେ ତାଙ୍କ ସେବା ତ ସମସ୍ତେ ପାଇଥାନ୍ତି ନା! ଯେତେବେଳେ ଆମେ ଯେଉଁଠି bus ରୋକିବା କଥା ବା ଯିବା କଥା କହେ ସେ ବିନା ଦ୍ୱିଧାରେ ସମ୍ମତି ପ୍ରଦାନ କରିଥାଏ।କାହାର କି ଦୋଷ ବା କରିଥିଲା, କିନ୍ତୁ ସଂଗ୍ରାମ ଲେଖିଗଲା ବେଦନା ଭରା କାହାଣୀଟିଏ। ତେଣୁ ମନଟା ସେଦିନ ଏତେ ବିଷାଦିତ ହୋଇଯାଇଥିଲା ଯେ ରାତିରେ ଆମେ ଆଧିକାଂଶ ପ୍ରାୟତଃ କେହି ଖାଇ ନାହୁଁ। ଅବଶ୍ୟ ଏହାକୁ ପିଲା ମାନଙ୍କର କାଣ୍ଡ ବୋଲି ସେଦିନ କେହି କେହି ଅଭିହିତ କରି ଦେଇଥିଲେ। ମାତ୍ର୍ ଏହା ସମ୍ଭବ ନୁହେଁ। କାରଣ କେହି କ’ଣ ନିଜର ଆତ୍ମୀୟ ସ୍ଵଜନ କାହାରିକୁ କ୍ଷତି ପହଞ୍ଚାଇ ପାରେ? ବରଂ ଏହା ରାଜନୈତିକ ଅଭିସନ୍ଧିମୂଳ ଘଟଣାକ୍ରମର କ୍ରିୟାକ୍ରମ ହୋଇଥାଇ ପାରେ। କାରଣ ସେତେବେଳେ ମଣ୍ଡଳ କମିସନ୍ ଇସ୍ୟୁ ଚାଲିଥାଏ। ମଣ୍ଡଳ କମିଶନକୁ ନେଇ ପ୍ରବଳ ଛାତ୍ର ଅସନ୍ତୋଷ ବୃଦ୍ଧି ପାଇଥାଏ। ଆଧିକାଂଶ ଏପରି ନିଷ୍ପତ୍ତିକୁ ସେଇ ସମୟରେ ସଠିକ୍ ନିଷ୍ପତ୍ତି ବୋଲି ଗ୍ରହଣ କରି ପାରୁ ନଥିଲେ। ଏହାର ସୁଯୋଗ ନେଇ ରାଜନୀତିବାଲା ସରକାରୀ ବିରୁଦ୍ଧ ସ୍ଲୋଗାନ୍ ଦେବା ସଙ୍ଗେ ସଙ୍ଗେ ଛାତ୍ର ମାନଙ୍କୁ ପ୍ରବଳ ଉସୁକାଉ ଥିଲେ। ନିଆଁରେ ଘିଅ ଢାଳୁଥିଲେ ସେମାନେ । ତେଣୁ ଆନ୍ଦୋଳନକୁ ଆହୁରି momentum ଦେବା ପାଇଁ ଏପରି କାଣ୍ଡ କିଛି ବାହାର୍ ବାଲା କରି ଥାଇ ପାରନ୍ତି। ଛାଡନ୍ତୁ ଏଭଳି ବିବାଦୀୟ ବିଷୟ ଉପରେ ଆମେ ଆଉ ବିଶେଷ କିଛି ଆଲୋଚନା କରିବା ନାହିଁ। ତେବେ ମନଟା ନିଶ୍ଚୟ ଆପଣାର ଡ୍ରାଇଭର ଭାଇଟା ପାଇଁ ଅଧିକ କାନ୍ଦୁଥିଲା। ରାତିରେ ପୋଲିସର ଅତ୍ୟାଚାର କିଛି ମାତ୍ରାରେ ବଢ଼ିଥିଲା ଓ ପୋଲିସର ଜୁଲମରେ କିଛି ଛାତ୍ର ଶରବ୍ୟ ହୋଇଥିଲେ, ଯାହାର ପ୍ରତିବାଦରେ ତା’ପର ଦିନ ଛାତ୍ର ଆନ୍ଦୋଳନ ଅହୁରି ଭୟଙ୍କର ହୋଇ ମୁଣ୍ଡ ଟେକିଥିଲା। ଫଳରେ ଛାତ୍ର ଓ ପୋଲିସ୍ ପୂରା ମୁହାଁ ମୁହିଁ ଅବସ୍ଥାକୁ ଆସି ଯାଇଥିଲେ। କ୍ଯାମ୍ପସରୁ ତୁରନ୍ତ ପୋଲିସ୍ ହଟାଯାଉ ଦାବୀରେ ଛାତ୍ରମାନେ ଭୟଙ୍କର ଭାବେ ଏକଜୁଟ ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏଜ ରକମର ପୋଲିସକୁ କ୍ୟାମ୍ପସ ବାହାରକୁ ତଡିବାର ପ୍ରୟାସ କରାଯାଇଥିଲା ଓ ସେଥିରେ କିଛି ମାତ୍ରାରେ ସଫଳ ହୋଇ ବାଣୀ ବିହାର ଛକ ପର୍ଯ୍ୟନ୍ତ ପଟୁଆର ମାଡ଼ି ଯାଇଥିଲା। ସେଠି ମଧ୍ଯ ଧସ୍ତାଧସ୍ତି ଓ ଟେକା ପଥର ମାଡ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ପୋଲିସକୁ ଲାଠି ଚାଳନା ଓ ଟିଅର୍ ଗ୍ୟାସ୍ ପର୍ଯ୍ୟନ୍ତ ପ୍ରୟୋଗ କରିବାକୁ ପଡିଥିଲା। ତେଣୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ଏହି ଆନ୍ଦୋଳନ ଯେ କେବଳ ବାଣୀ ବିହାରରେ ଚାଲିଥିଲା ତାହା ନୂହେଁ, ବରଂ ଓଡ଼ିଶାର ଓ ଭାରତ ବର୍ଷର ପ୍ରାୟତଃ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ତେଜି ଉଠିଥିଲା।
ହୁଏତ ସ୍ଵାଧୀନତା ସଂଗ୍ରାମ ପରେ ଏହା ସର୍ବ ବୃହତ ଛାତ୍ର ଆନ୍ଦୋଳନ ହୋଇଥାଇ ପାରେ, ଯାହା ଆଜି ପର୍ଯ୍ୟନ୍ତ ଆଉ କାହିଁ ସେତେ ବଡ଼ ଦେଖି ନାହିଁ। ଏହି ଆନ୍ଦୋଳନରେ ଆଲୋକ ବୋଲି ଜଣେ ଛାତ୍ର ନେତା ପୋଲିସ ଗୁଳିର ଶିକାର ହୋଇଥିଲେ।ମନଟା ଆହୁରି ଶୋକାଭିଭୁତ ହୋଇ ଯାଉଥିଲା। କାହିଁକି ଓ କଣ ପାଇଁ ଏ ହତ୍ୟା? ବିଭିନ୍ନ୍ ପରିସ୍ତିତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ଛାତ୍ର ମାନଙ୍କର କର୍ତ୍ତବ୍ୟ। ସେ ସେମାନଙ୍କର ଅସନ୍ତୋଷକୁ ବ୍ୟକ୍ତ କରିବା ପାଇଁ ବା ନିଜ ଦାବୀକୁ ଉପସ୍ଥାପନ କରିବା ପାଇଁ ଆନ୍ଦୋଳନ କରିବା କଣ ଅନୁଚିତ? ତାବୋଲି ଏତେ ବଡ଼ ସଜ୍ଜା? ଏହିଭଳି କିଛି ପ୍ରଶ୍ନ ସେଦିନ ମନକୁ ବେଶ୍ ଆନ୍ଦୋଳିତ କରୁଥିଲା। ପୁଣି ସମ୍ବାଦ ପତ୍ର ପୃଷ୍ଠା ଖୋଲିଲା କ୍ଷଣି କେତେ ଘଟଣ ଅଘଟଣ ଓ ଦୁର୍ଘଟଣାର ଖବର ସବୁ ଆସୁଥିଲା। ତେଣୁ ଚାରିଆଡ଼େ ବନ୍ଦ ଡାକରା ଫଳରେ ସରକାରୀ କଳ ଏକଦମ୍ ଅଚଳ ହୋଇ ଆସୁଥିଲା। ତେଣୁ ସରକାର କିଛି ଠୋସ୍ କଦମ୍ ନେବା ପାଇଁ ବୋଧେ ଦିନରୁ ମନ ସ୍ଥିର କରି ବସୁଥିଲେ, କିନ୍ତୁ ତାହା ଆମ ପାଇଁ ଅତି ଅପ୍ରତ୍ୟାଶିତ ଥିଲା। ଦିନର ହୋ ହଲ୍ଲା ଧାଇଁ ଧରସଣ ଶେଷ ହୋଇ ନଥିଲା ରାତି ବେଳକୁ ଆସିଲା ସାଇନ୍ଡାଏର ଉଦ୍ଘୋଷଣ, ଯାହା ଛାତ୍ର ମାନଙ୍କ ପାଇଁ ଆଣି ଦେଇଥିଲା ନାହିଁ ନଥିବା ବିପର୍ଯ୍ୟୟ। ଅବଶ୍ୟ ଝିଅ ମାନଙ୍କୁ କୁହାଯାଇଥିଲା ସକାଳୁ ଛାଡି ଚାଲିଯିବାକୁ। ତେଣୁ ସେମାନେ ବଡ ଆଂଶଙ୍କିତ ଚିତ୍ତରେ ଶଙ୍କା ଓ ଆଶଙ୍କାରେ କାଳାତିପାତ କରୁଥିଲେ ଓ ପୁଅ ସାଙ୍ଗ ମାନଙ୍କୁ ଏଇ ଭୟାନକ ଅନ୍ଧକାର ରାତିରେ ହଷ୍ଟେଲରୁ ତଡ଼ି ଦିଆ ଯାଉଥିବାର ଖବର ପାଇ ବଡ଼ ବ୍ୟଥିତ ହେଉଥିଲେ। ବାରମ୍ବାର ଲେଡିଜ୍ ହଷ୍ଟେଲରୁ boy’s ହଷ୍ଟେଲରେ ଥିବା ଇଣ୍ଟର connected ଲ୍ୟାଣ୍ଡ ଫୋନକୁ ଫୋନ୍ ଆସୁଥାଏ। ସେମାନେ ସାଙ୍ଗସାଥି ମାନଙ୍କର ଭଲ ମନ୍ଦ ସବୁ ପଚାରି ବୁଝୁଥାନ୍ତି ଓ ବ୍ୟସ୍ତ ମଧ୍ଯ ହେଉଥାନ୍ତି। ମଝିରେ ମଝିରେ କ୍ରନ୍ଦନରୋଳ ମଧ୍ୟ ଆସୁଥାଏ। ବେଶୀ ଅବସ୍ଥା ଖରାପ ହୋଇଯାଇଥାଏ ପ୍ରେମୀଯୁଗଳ ମାନଙ୍କର। ସେମାନେ ତ ସତ ହେଉ କି ମିଛ ପ୍ରେମିକ ପ୍ରତି ଦରଦ ପ୍ରକାଶ କରି ଭେମା ରଡି ପକାଉ ଥାନ୍ତି, ଯେମିତି ସତେ କି ନିଜ ପ୍ରେମିକର ଦୁଃଖରେ ସେମାନେ ଅଭିଭୂତ। ଏଇ ଡ୍ରାମା ଚଳେଇବାକୁ ପୋଲିସ କିନ୍ତୁ ବେଶୀ ସମୟ ସୁଯୋଗ ଦେଲା ନାହିଁ। “ଶୀଘ୍ର ହଷ୍ଟେଲ ଖାଲି କର” ଓ “ଚଲୋ ଚଲୋ”ର ଚିତ୍କାର ତଥା action ଭୟରେ, ସମସ୍ତେ ହଷ୍ଟେଲ୍ ଛାଡ଼ି ଦୌଡିଲୁ। ଯାହାର ବସ୍ ଥିଲା, ସେମାନେ ବସ ଷ୍ଟାଣ୍ଡ ବା ଟ୍ରେନ ପାଇଁ ଷ୍ଟେସନ ଚାଲିଗଲେ, ଯେଉଁଠି ସେମାନେ ଗାଡି ପାଇଗଲେ ନହେଲେ ସେଇଠି ରାତି ସାରା ଅନିଦ୍ରା ରହି ମଶା ଡାଉଁଶ ଗୋଡେଇ ହେଲେ। ସମସ୍ତଙ୍କର ଦୁର୍ଦ୍ଦଶା ଓ ନାହିଁ ନଥିବା ଅବସ୍ଥା। ଯେଉଁ ମାନଙ୍କର ପାଖଆଖି ଘର ବା କେହି ସମ୍ପର୍କୀୟ ଥାନ୍ତି ସେମାନେ ଆଉ ଜଣେ ଦୁଇ ଜଣ ବନ୍ଧୁଙ୍କୁ ଧରି ଚାଲିଗଲେ, ସେମାନେ ହୁଏତ ରକ୍ଷା ପାଇଗଲେ। ଆଉ କିଛିଙ୍କର କିଛି ଉପାୟ ନଥାଏ ବା ପାଖରେ ପଇସା ନଥାଏ ଟିକଟ ଓ ଖିଆ ପିଆ କରି ଘରେ ପହଂଚିବାକୁ। ମୁଁ ତ କେତେ ଜଣଙ୍କୁ ଧାର ଉଦ୍ଧାର ଦେଇଛି। ତଥାପି ବଳକା ଅନେକ ରହିଗଲେ ଯେଉଁ ମାନଙ୍କୁ କିଛି ଗୋଟେ ବୁଦ୍ଧି ବାଟ ଦିଶୁ ନଥାଏ ।ପୋଲିସଠାରୁ ଶେଷ ତଡା ଖାଇଲା ପର୍ଯ୍ୟନ୍ତ ଅପେକ୍ଷା କରି ଏମାନେ ଅଗତ୍ୟା କିଏ କୁଆଡ଼େ ଯାଇ କେତେ ରକମର ହଇରାଣ ହୋଇଥିବେ ତାହା କିଏ ଜାଣେ ଲୋ ମା! ମୋର ସୌଭାଗ୍ୟ କି ଦୁର୍ଭାଗ୍ଯକୁ 4th ହଷ୍ଟେଲର ପଡିଆଟି ମାତ୍ର ଅତିକ୍ରମ କଲା ପରେ ଆମର ଗୋଟେ ଘର ଥାଏ, ଯେଉଁଠି ଘଟଣାବଶତଃ କେହି ନଥାନ୍ତି, ଭଡାଟିଆ ଖୋଜା ଚାଲିଥାଏ, ଚାବିକାଠି ମୋ ପାଖରେ ଥାଏ। ମୁଁ ଖୁଆଡ଼େ ଖଣ୍ଡ ନେଇ ସେଇଠି ଶରଣ ଦେଲି। ଟିକୁ ବି ମୋ ସାଙ୍ଗରେ ଥାଏ। ସେ ଭାରି ନିର୍ଭୀକ ଓ ଟିକିଏ ସାହସୀ। ତେଣୁ ସମସ୍ତଙ୍କୁ ସାହସ ଓ ଭରସା ଦେଉନଥାଏ। ହେଲେ ଖାଇବାକୁ କିଛି ନାହିଁ ଦୋକାନରୁ କିଏ କେମିତି ପକେଟ ଅଧେ ଆଣିଥିବା ବିସ୍କୁଟ ଖାଇ ପାଣି ପିଇଲୁ। ହେଲେ ଶୋଇବା ପାଇଁ ବିଛଣାଟେ କି ଝାଡୁଟେ ନଥିବାରୁ ପରିତ୍ୟକ୍ତ କୋଠିରେ ବହଳେ ଧୂଳି ଓ ଗହଳେ ମସିଆ ଭିତରେ କିଛି ପୁରୁଣା କାଗଜ ବା ଗାମୁଛା ପାରି ଶୋଇ ପଡ଼ିଲୁ। ଏମାନଙ୍କ ଭିତରେ ବି କିଛି ପ୍ରେମିକ ଥାନ୍ତି ସେମାନେ ନାଲେଇ କି ପଡି ରହିବାର ମୁଖ୍ୟ କାରଣ, ଯେହେତୁ ତାଙ୍କ ପ୍ରେମିକମାନଙ୍କୁ ସୁରକ୍ଷିତ ଭାବରେ ଗାଡିରେ ବା ଘରେ ନ ଛାଡିଛନ୍ତି ସେପର୍ଯୟନ୍ତ ଏମାନେ କୁଆଡ଼େ ଯିବେ ନାହିଁ ବୋଲି ସେଇ ଫୋନରେ କନ୍ଦାକନ୍ଦି ବେଳେ ପଣ କରିଛନ୍ତି। ଏ କଥାଟା ଜଣା ପଡିଥିଲା ଘୁମେଇ ଶୋଇ ରାତି ପହିଲା ପରେ ଏମାନେ ଯେତେବେଳେ ଲେଡିଜ hostel ଗେଟ୍ ପାଖକୁ ଯାଇ ଡାକ ଛାଡିଥିଲେ। ଦିନ ବେଳା ପୋଲିସ ଅବଶ୍ୟ ଟିକେ ଆଇନ କାନୁନ୍ କୋହଳ କରିଦେଇଥିଲା। ଦଳ ଦଳ ନହୋଇ ଏକା ଏକା ଗଲେ ଛାଡ଼ି ଦେଉଥିଲା।
ଏମାନେ ସିନା ସେମାନଙ୍କ ପ୍ରେମିକା ପାଇଁ ବ୍ୟସ୍ତ ହେଉଥିଲେ, ଆମେ କିନ୍ତୁ କେତେ ଜଣ ସବୁ ସାଙ୍ଗଙ୍କ ପାଇଁ ବ୍ୟସ୍ତ ହୋଇ ଲେଡିଜ ହଷ୍ଟେଲ ଗଲୁ। ସେମାନଙ୍କୁ ଭଲମନ୍ଦ ସାହାଯ୍ୟ କଲୁ କାହାପାଇଁ ଅଟୋ ବା ରିକସା ଡାକି ଯିବା ପାଇଁ ବନ୍ଦୋବସ୍ତ କଲୁ। କାହାକୁ କାହାକୁ ମଧ୍ୟ ତାଙ୍କ ଲଗେଜ୍ ଉଠେଇ ନେଇ ବସ୍ ପର୍ଯ୍ୟନ୍ତ ଛାଡି ଆସିଲୁ।ଏଇ ସମସ୍ତ କାର୍ଯ୍ୟରେ ଟିକୁର ଭୂମିକାଟା ମଧ୍ଯ ବହୁତ ଥାଏ। ଶେଷରେ ଟିକୁ ଓ ତା ପ୍ରେମିକାକୁ ମଧ୍ଯ ବସ ଯାଏଁ ଯାଇ ମୋତେ ବିଦାୟ ଦେବାକୁ ପଡିଥିଲା। ଟିକିଟା ଆମ ପାଇଁ ବ୍ୟସ୍ତ ହୋଇ ରାତିସାରା କାନ୍ଦି କାନ୍ଦି ଆଦୌ ଶୋଇ ନାହିଁ। ଆଖିଟା ଫୁଲିକି ତା’ର ଟିଙ୍କ ପରିକା ହୋଇଥାଏ। ଏହିଭଳି ସକାଳ ଓଳିଟା ଏହି ଝାମେଲାରେ ଗଲା। ଉପର ଓଳା ଘରେ ତାଲା ପକାଇ ମୁଁ ଚାଲିଲି ମୋ ଗାଁକୁ।
ସେଦିନ ସକାଳେ ପ୍ରଭାତୀ, ସଂଘମିତ୍ରା, ରୀତା, ଆଭାଞଳୀ, ଅଳକା ପ୍ରମୂଖ ସମସ୍ତେ ତ କହୁଥିଲେ – ସେମାନେ ରାତି ସାରା ଶୋଇ ନାହାଁନ୍ତି। କୁଆଡ଼େ ଭାରି ବ୍ୟସ୍ତ ହେଉଥିଲେ ଆମ୍ଭ ମାନଙ୍କ କଥା ପାଇଁ । ରାତିସାରା ସମସ୍ତେ ବ୍ୟସ୍ତ ହୋଇ ଭାବୁଥିଲେ ସାଙ୍ଗ ମାନଙ୍କୁ ପୋଲିସ୍ ଆଉ ବାଡ଼ାବାଡ଼ି କରୁ ନାହିଁ ତ। କାରଣ ଦିନ ତମାମର ଘଟଣା ଓ ପୋଲିସ ସହିତ ଲଢେଇ କୁଆଡ଼େ ସେମାନଙ୍କ ମନରୁ ଲିଭି ନଥାଏ। ତେଣୁ ଏମିତି କିଛି ଭାବନା ଉପଜାତ ହେବା ସ୍ୱାଭାବିକ। ସେମାନେ ମଝିରେ ମଝିରେ ନିଜ hostel ଛାତ ଉପରକୁ ଉଠି ଯାଉଥିଲେ ଓ ଝାଙ୍କି ଦେଖୁଥିଲେ ବାହାରର ଦ୍ରୁଶ୍ୟ, ପୋଲିସର ଚଳପ୍ରଚଳ ଓ ପଇଁତରା ପରିବେଶକୁ ଅଧିକ ଗମ୍ଭିର କରି ଗଢି ତୋଳୁଥିଲା। ମଣିଷକୁ କଷ୍ଟ ପଡ଼ିଲେ ବା ଆସନ୍ନ ବିପଦର ଆଶଙ୍କା ରହିଲେ ସେ ବାପା ମାଆଙ୍କର କଥା ବେଶି ମନେ ପକାଇ ଭାବ ବିହ୍ଵଳ ହୋଇଉଠେ। ତେଣୁ କେହି କେହି ହାଉଳି ଖାଇ ରାତିରେ “ବୋଉଲୋ ମଲି “ବୋଲି ଚିତ୍କାର କରିଥିଲେ ବୋଲି ତ ଆମ ନିକଟରେ ପ୍ରକାଶ କରିଥିଲେ। ଏହିପରି ଅନେକ କଥା ଓ ଅନେକ ବ୍ୟଥା ସେଦିନର ସ୍ମୃତି ପଞ୍ଜିକା। ଏସବୁ ଘନଘଟା ସରିଆସିଲା ବେଳକୁ ଆଖିରେ ପଡ଼ିଥିଲା ସେଇ ପାଖାପାଖି ପଡି ରହିଥିବା ବସଟି, ଯୋଉଟା କି ପୋଡି ଅଙ୍ଗାର କାଠ ହୋଇ ଯାଇଛି, ଗତ କାଲି ରାତି ଠାରୁ ଓ ସେଇଠି ସେଇଟା ସେଇମିତି ପଡି ରହିଥାଏ ଅନେକ କାଳ ଯାଏଁ।
ସାଇନ୍ଡାଏର ନୂଆ ଅନୁଭବ ମନକୁ ଆଣିଦେଇଥିଲା ଆନେକ ସ୍ମରଣୀୟ ଅଭିଜ୍ଞତା, ଯାହାକି ଆମ ଛାତ୍ର ଜୀବନର ବିଶେଷ ଅନୁଭୂତି।
ଭାଗ 8….ଏଜିଟେସନ
—————————————-
ଛାତ୍ର ଜୀବନରେ ନିର୍ବାଚନ ଓ ଷ୍ଟୁଡେଣ୍ଟ ଏଜିଟେସନ ସବୁଠାରୁ ବଡ଼ ହିଂଶା (Big part). ଏହି ମଣ୍ଡଳ ଇସ୍ୟୁକୁ ଛାଡ଼ି ଦେଲେ ଆହୁରି ଛୋଟବଡ଼ ଅନେକ ଆନ୍ଦୋଳନ ମଧ୍ଯ ମୁଣ୍ଡ ଟେକିଛି, ଯାହା ଆମ ପଢିବା ବେଳର ସୀମା ଭିତରେ ସବୁ ସଂଘଟିତ ହୋଇଛି। ତହିଁରୁ ଗୋଟେ ଯୋଡ଼ିଏ ପ୍ରସଙ୍ଗର ଏଠି ଅବତାରଣା କରାଯାଇ ପାରେ। ଯହିଁରୁ ଅନେକ କିଛି ଶିଖିବାକୁ ମିଳିଥିଲା। ସେ ସମସ୍ତ ଏଠି ଆଲୋଚନା କରିବା ସମ୍ଭବପର ହେଉ ନଥିବାରୁ, କିଛି ତ ଗୁରୁତ୍ୱପୂର୍ଣ୍ଣ ତାହା ତ ନିଶ୍ଚିତ କହିବା।
ସେଦିନର ମଣ୍ଡଳ କମିଶନ ଇସ୍ୟୁଟା ଏଯାଏଁ ଆହୁରି ଥମି ନଥାଏ। କୋର୍ଟ ଓ ସରକାରଙ୍କ ଭିତରେ ତେବେବି ଟଣା ଓଟରା ଚାଲିଥାଏ। ଛାତ୍ରମାନଙ୍କ ଉପରେ ମଧ୍ୟ ତିକ୍ଷ୍ଣ ନଜର ରଖାଯାଇଥାଏ। ସେମାନଙ୍କ ସମସ୍ତ କାର୍ଯ୍ୟକ୍ରମ ଉପରେ ସ୍ପେଶାଲ ବ୍ରାଞ୍ଚ ରିପୋର୍ଟ ଦେଉଥାଏ। ତେଣୁ କେତେବେଳେ କେଉଁ ନିଷ୍ପତ୍ତିଟା ଆସିଯିବ ତାହାର କିଛି ପତ୍ତା ନଥାଏ ବା କଳନା କରି ହେଉନଥାଏ। କିନ୍ତୁ ତାହାକୁ ନଜରରେ ରଖି ପୋଲିସ ଅନେକ ଦିନ ଧରି ଛାଉଣୀ ହୋଇ କ୍ୟାମ୍ପସରେ ଡେରା ପକାଇଥାଏ। ଏହି ପୁଲିସିଆ ବାବୁମାନଙ୍କୁ ଦେଖିଲେ, ମନରେ ଟିକିଏ ଭୟ ଉପଜାତ ହୋଇଥାଏ। କାରଣ ସ୍ୱଛନ୍ଦ ବିହାରରେ ଟିକିଏ ବାଧାଟା ଉପୁଜେ। ସେଥିଲାଗି ହୁଏତ ସତୀ ଚଉଁରା ମୂଳେ ଆଉ ବେଶୀ କେହି କାହିଁ ରୁଣ୍ଡ ହେଉ ନଥାନ୍ତି। ଅନେକ ଦିନ ଧରି ଏଇଟା ପଡିଆ ପଡିଲାଣି। ତେଣୁ ପୁନଃ ଏହି ମେଳା ଯେତେବେଳେ ଅନୁଷ୍ଠିତ ହେବ ସେତେବେଳେ ବୋଧେ ଅଧିକ ଭିଡ଼ ଜମିଯିବ।
ଟିକିଏ ଅଳ୍ପ ଦିନର ବିରତି ବା କ୍ଷୁଦ୍ର ବ୍ୟବଧାନ ପରେ ପି. ଜି ପ୍ରଥମ ବର୍ଷ ବା I mean 5th year ପରୀକ୍ଷାଟା ଥାଏ ।ଏହି ପରିକ୍ଷାଟା ତ ମଣ୍ଡଳ ଇସ୍ୟୁ ପାଇଁ ଆଗରୁ ଥରେ ଘୁଞ୍ଚି ସାରିଥାଏ। ହେଲେ ସାଇନ୍ ଡାଏ ପରେ ସମସ୍ତେ ବାଣୀ ବିହାର ଫେରି ଆସିବା ପରେ ଆରମ୍ଭ ହେଲା ପ୍ରତିବାଦ। ଦୌଡା ଧାମ୍ଫଡା ଓ ସାଇନ୍ ଡାଏ ଯୋଗୁଁ ପଢି ହୋଇ ନଥିବା ଦର୍ଶାଇ ଅନେକ ଛାତ୍ରଛାତ୍ରୀ ଏହାକୁ ଘୁଞ୍ଚାଇବାକୁ ନେଇ ଆଗଭର ହୋଇ ଆସିଲେ। ପୁଣି ଏଯାଏଁ ନିର୍ବାଚନ ଅନୁଷ୍ଠିତ ହୋଇ ନଥିବାରୁ ବା ନିର୍ବାଚନଟା ଆଖି ସାମ୍ନାରେ ଥିବାରୁ so called ଦରଦୀ ନେତାମାନେ ଏହାକୁ momentum ଦେଇଦେଲେ। ପୁରୁଣା ଛାତ୍ର ନେତାମାନେ ମଧ୍ଯ ନିଜ ପତିଆରାକୁ ଜାହିର୍ କରିବା ପାଇଁ ପୂର୍ବବତ୍ ଏଥିରେ ମୁଣ୍ଡ ଖେଳାଉଥାନ୍ତି। ସତେକି ଆମ ମାନଙ୍କ ପାଇଁ ତାଙ୍କ ହୃଦୟ ଭାରି କାନ୍ଦୁ ଥାଏ। ତେଣୁ ନେତୃତ୍ୱ ନେବା ପାଇଁ ଅନେକ ଦଳୀୟା ନେତା ଏକାଠି ଗୋଟେ ଘାଟରେ ପାଣି ପିଉଥାନ୍ତି। ଆରମ୍ଭ ହେଲା ଡିପାର୍ଟମେଣ୍ଟକୁ ଡିପାର୍ଟମେଣ୍ଟ ବୁଲିବୁଲି ଜନ ସମର୍ଥନ ଓ ମାନବ ସମ୍ବଳ ସଂଗ୍ରହ କାର୍ଯ୍ୟକ୍ରମ। ଚାହୁଁ ଚାହୁଁ ବଡ଼ ପଟୁଆରଟେ ବାହାରି ପଡିଲା ଓ ଦଳକୁ ଦଳ ପିଲାମାନେ ଏଥିରେ ଆସି ଯୋଡି ହୋଇ ଯାଉଥାନ୍ତି। ମଜ୍ଜା ଦେଖିବା ପାଇଁ କାହାର ଆଗ୍ରହ ନଥଏ କହୁ ନାହାଁନ୍ତି? ଚାଲାକିଆ ଭି. ସି. ତ ଜାଣିଜାଣି କ୍ୟାମ୍ପସ୍ ବାହାରକୁ ଯାଇ ଆତ୍ମଗୋପନ କରିଥାନ୍ତି ଓ ସେଇଠୁ ରହି ବୋଧେ ଗୋଟି ଚାଳନା କରୁଥାନ୍ତି।
ହାବୁଡରେ ପଡିଗଲେ ପି. ଜି. କାଉନ୍ସିଲ ଚେୟାରମ୍ଯାନ। ପିଲାମାନେ ତ ଠେଲାପେଲା କରି ସେଇ ଭିଡ଼ ଭିତରେ ମୁଖ୍ୟ ଅଫିସ୍ ଭିତରେ ପଶି ଷ୍ଟାଫ୍ ମାନଙ୍କୁ ଟଣା ଓଟରା କରି ବାହାରକୁ ବିଦା କରି ଦେଇଥିଲେ ଓ କିଛିଟା ଭଙ୍ଗା ରୁଜା ମଧ୍ୟ। ଆଉ କେତକ ମୁହଁ ଟାଣୁଆ କର୍ମଚାରୀ ମଧ୍ଯ ଧକ୍କେ ହାବୁକେ ଖାଇ ନିଜ ବସ୍ତାନି ଧରି ସେଠୁ ପାର୍। ବାକି ରହିଗଲେ ପି ଜି. କାଉନ୍ସିଲ ଚେୟାରମ୍ଯାନ।
ନିଷ୍ପତ୍ତିଟା ହୁଏତ ଅଧିକତମ ତାଙ୍କରି ଉପରେ ନିର୍ଭର କରୁଥାଏ। ତା ପୂର୍ବରୁ ତ ବଡ଼ ରାଲି ଓ ମାର୍ଚିଂଟା ସରି ଯାଇଥାଏ। ପିଲାଏ ପୋକମାଛି ପରି ତାଙ୍କୁ ଘେରି ଯାଇ ବଡ଼ ବ୍ୟସ୍ତ କରିପକାଉଥାନ୍ତି ।ସେ ବିଚରା ମୁଣ୍ଡ କାନ ଜାକି ହୋଇ ଖାଲି ଏପଟ ସେପଟ ହେଉଥାନ୍ତି। ଆଉ ଯୋଉ ଭଦ୍ରଲୋକିଆ ଅଫିସର ଆସି କେହି ବା ମୁଣ୍ଡ ଖେଳାଉଥାନ୍ତି ତାକୁ ପିଲାମାନେ ଏପରି ହଲାପଟା କରୁଥାନ୍ତି ଯେ, ସେ ବାଟଭାଙ୍ଗି ଆପଣା ଛାଏଁ ପଳାଉଥାନ୍ତି। ଅବଶ୍ୟ ତାଙ୍କର ବେଶୀ ଭୁଲ ଥିଲା ଯେ ଛାତ୍ରଛାତ୍ରୀଙ୍କୁ ସିଧା ସଳଖ ସାମ୍ନା ନକରି ମୁଖ୍ୟ ଦପ୍ତରର ସଦର ଫାଟକର ଗ୍ରୀଲକୁ ଦରୱାନ ଓ ପୋଲିସ୍ ମୁତୟନ କରି ବନ୍ଦ କରିଦେବାଟା। ତେଣୁ ଅଧିକ ଆକ୍ରୋଶର ଶିକାର ହେଲେ। କାରଣ ଜନ ସମୁଦ୍ରକୁ ରୋକିବାର ତାକତ୍ ବା କାହାର ଥାଏ? ଏଇ ଛାତ୍ର ତାତିଲେ ପରା ଦେଶ ମାତେ। ତେଣୁ ଅବିଳମ୍ବେ ଗ୍ରୀଲଟାକୁ ଭାଙ୍ଗି ପିଲାମାନେ ଟିକ୍ ଟିକ୍ କରି ଦେଇ ଭିତରକୁ ଧସେଇ ପଶି ଗଲେ। ସମସ୍ତେ କ୍ରୋଧିତ ଥିବାରୁ ସମସ୍ତେ ହୋ ହୋ ହୋଇ ଉଠି ମାଡ଼ି ଗଲେ। କେହି କାହା କଥା ଶୁଣିବା ଅବସ୍ଥାରେ ନଥିଲେ। ଯିଏ ଯେତେ ରକମର ପାରିଲା ବକିଗଲେ ଓ ନାନା ପ୍ରକାର ନଟଖଟି ଆରମ୍ଭ କରିଦେଲେ। ପି. ଜି କାଉନସିଲ ଚେୟାରମ୍ଯାନଙ୍କ ଉପରେ ଆକ୍ରମଣଟା ହେବାରୁ ସେ ତ ହାତ ଗୋଡି ଜାକି ଦେଇଥିଲେ। କହିଲେ – “ଦେଖ! ପରୀକ୍ଷାଟା ତ ଯେତେ ବିଳମ୍ବ ହେବା କଥା ହୋଇ ସାରିଛି। ଏବେ ବି ପରୀକ୍ଷାଟା ପରିଚାଳନା କରୁକରୁ ଅକ୍ଟୋବର ମାସ ସରି ନଭେମ୍ବର ମାସ ହୋଇଯିବ। ଆଉ ବିଳମ୍ବ କଲେ 6th year ପରୀକ୍ଷା 91 ରେ ନଦେଇ 92 ରେ ଦେବେ କି? ଦେଲେ ବି କିଛି ବିଶେଷ ଆପତ୍ତି ନାହିଁ, ତେବେ 91 ରେ ଯେଉଁ ନୂଆ ବ୍ୟାଚ୍ ପିଲାମାନେ ଆସିବେ, ସେମାନେ hostel ରେ କେମିତି ରହିବେ, ତୁମେ ଯଦି hostel ଖାଲି କରି ନଥିବ? ଅନେକ ପ୍ରାକ୍ଟିକାଲ୍ ପ୍ରୋବ୍ଲେମ୍ସ ଅଛି, ଟିକେ ସମସ୍ତେ ବୁଝିବାକୁ ଚେଷ୍ଟା କର। ମୁଁ actually undone. “କିଏ ବା କାହିଁକି ତାଙ୍କ କଥା ଶୁଣିବେ? ବହୁତ ଲୋକର କ’ଣ କେବେ ମୂଷା ମରେ ନା ଠିକ୍ ସେ କେହି କାହାକୁ ବୁଝେ? ତେଣୁ ସମସ୍ତେ ତାଙ୍କୁ ଅଧିକ ବ୍ୟସ୍ତ କରୁଥାନ୍ତି। ଜିଦଟା ଓ ଅସନ୍ତୋଷ ଆହୁରି ବଢିବଢି ଯାଉଥାଏ। ଆଉ ତ କେତକ ମଜ୍ଜା ଦେଖିବାକୁ ଥାନ୍ତି, ସେମାନେ ନାନା ପ୍ରକାର ଫନି (funny) କରୁଥାନ୍ତି । ସେମାନେ ସଟ୍ଟାଳିଆ ଗ୍ରୁପର। ଜଣେ ପଛପଟରୁ ରହି ପି. ଜି. କାଉନସିଲ ଚେୟାରମ୍ଯାନଙ୍କ ମୁଣ୍ଡ ଉପରେ ସାପ ଫଣା ପରିକା ଆଶୀର୍ବାଦ ଦେବା ଠାଣିରେ ହସ୍ତ ଚନ୍ଦ୍ରିକାକୁ ଟେକି ରଖିଥାଏ। କେହି କେହି ଆଢୁଆଳରେ ରହି ଭାକ୍ ଚୁପ୍ କାଢୁଥାନ୍ତି। ଆଉ ଗୋଟେ ନନ୍ଦା ବୋଲି ଝିଅଟେ ଥିଲା। ସେ ବାଙ୍ଗିରୀ ଖଣ୍ଡକ ଭାରି ଜଣେ। ଅହରହ ପୁଅ ପ୍ୟାଣ୍ଟ ସାର୍ଟ ପିନ୍ଧି ସେ ହିରୋ ଭଳି ବୁଲୁଥାଏ। ତାକୁ ସହଜରେ କେହି ଠଉରେଇ ପାରିବେ ନାହିଁ। ସେ ତ ସୁଯୋଗ ଉଣ୍ଡୁଥାଏ କିଛି ଗୋଟେ ବଦମାସି କରିବା ପାଇଁ। ବାରମ୍ବାର ପି ଜି. କାଉନସିଲ ଚେୟାରମ୍ଯାନ ପାଖକୁ ଭିଡ଼ି ଯାଇ ସେହି ଗହଳି ଭିତରେ ତାଙ୍କ ଜଙ୍ଘଟାକୁ ଆମ୍ଫୁଡି ପକାଉଥାଏ ।ପୁଣି କେତେବେଳେ ମଜାକିରେ ତାଙ୍କ ପ୍ୟାଣ୍ଟ ତଳ ପ୍କେଟରେ ହାତ ଗଳାଇ ନିଜ ଧାରୁଆ ନଖରେ କଣା କରି ଦେଇଥାଏ। ଏକଥା ଆମେ ଜାଣିଥିଲୁ ଯେତେବେଳେ ସେ ଅତିରିକ୍ତ କିଲିବିଲା ହୋଇ ପିଲାମାନଙ୍କ ସହ ବାହାରକୁ ଆସି ହାତ ଯୋଡି ନିଜର ଅଭିମତ ରଖୁଥିଲେ ଓ ଅତି ଦୟନୀୟ ଅବସ୍ଥାରେ ଲୋତକାପ୍ଲତ ହୋଇ ନିଜ ଚିରା ପ୍ୟାଣ୍ଟ ପକେଟଟା ହାତରେ ବାହାରକୁ ଟାଣି ଆଣି ସମସ୍ତଙ୍କୁ ଦେଖାଇଥିଲେ। ଏଇଭଳି କେତେ ଘଟଣ ଅଘଟଣ ସବୁ ଘଟି ଯାଉଥିଲା, ହେଲେ ହିସାବ ରଖିବାକୁ କାହା ପାଖେ ତର ନଥିଲା। ଶେଷକୁ ନିଷ୍ପତ୍ତି ହେଲା – ଘୁଞ୍ଚିଲେ ଆଉ ଟିକେ ଘୁଞ୍ଚିବ। ଯେଉଁମାନେ ପରୀକ୍ଷା ଦେବା କଥା ଦେଇ ପାରନ୍ତି ଓ ଅନ୍ୟ ମାନେ ନଦେଇ ପାରନ୍ତି। ଯେଉଁମାନେ ନ ଦେବେ ସେମାନେ ଚାହିଁଲେ ବି ଘରକୁ ଯାଇ ପାରନ୍ତି କାରଣ ପରୀକ୍ଷା ପରେ ହିଁ 6th year ପାଇଁ ପଢ଼ା ଆରମ୍ଭ ହେବ (class start). ମାତ୍ର ସେମାନଙ୍କର ଫର୍ମ ଫିଲ୍ ଅପ୍ ପଇସା forfit ନହୋଇ ଆଇଲା ସନ ପରୀକ୍ଷା ପାଇଁ reimbursement ହୋଇଯିବ। ତେଣୁ ଆଉ ଥରେ ପଇସା ନଦେଇ ସେମାନେ ଏକାବେଳକେ 5th year ଓ 6th year ପରୀକ୍ଷା ଦେଇ ପାରିବେ।
ଯାହାହେଉ ଘେରାଉ ଓ ଛାତ୍ର ଆନ୍ଦୋଳନ ଏଇ ଏତିକିରେ ଥମି ଯାଇଥିଲା। ହେଲେ ଏଥି ଯୋଗୁଁ ଆମ 6th year ଓ 5th year repeat ପରୀକ୍ଷା 1991 ମସିହା ଚୂଡାନ୍ତ ପରୀକ୍ଷା ବେଳକୁ ବହୁ ବିଳମ୍ବିତ ହୋଇ ଯାଇଥିଲା। ଫଳରେ ଏହା ଦୁଇ ବର୍ଷ ଜାଗାରେ ଅଢେଇ ବର୍ଷ ଲାଗି ଯାଇଥିଲା। ପୁଣି ଆମ୍ଭେମାନେ position ବା best ଟେନ୍ ଭିତରେ ମାର୍କ score କରିଥିଲେ ହେଁ ଯେହେତୁ ତରବରିଆ ଓ disturbance ଭିତରେ ପରୀକ୍ଷା ଦେଇଥିଲୁ, ତେଣୁ ଗୋଟେ ଯୋଡ଼େ ପେପର repeat କରିଥିବାରୁ ସେ ଦୋଷରେ ଆମକୁ ଗ୍ରହଣ ଖଣ୍ଡିଆ ଦୋଷ ଲାଗିଥିଲା, ତେଣୁ ଆମକୁ position ମିଳି ନଥିଲା। ଏହିପରି ନାନା ହଇରାଣ ହରକତ ଓ sufferer ଆମେ ହୋଇଥିଲୁ। ଆଉ ତ କେତେ କ’ଣ ଆନ୍ଦୋଳନ ସବୁ ଯାଇଛି। ଆମେ ଆମ ନେତାଙ୍କ କଥାରେ ଭୋଟ ହାତେଇବା ପାଇଁ ହେଉ ବା ସତ ସତିକା ଆମ ଦାବୀ ପ୍ରତି ବେଶ୍ ସଚେତନ ରହିଥିବା ହେତୁ ହେଉ କେତେ ଆନ୍ଦୋଳନ ଯାଇଛି। ଏଠି ଛାତ୍ରଛାତ୍ରୀ ମୁଖ୍ୟ ଓ ଛାତ୍ରଛାତ୍ରୀମାନଙ୍କ ଆଗରେ ଅନ୍ୟ ମାନଙ୍କୁ ମୁଣ୍ଡ ନୁଆଇଁବାକୁ ବାଧ୍ୟ। କାରଣ ଏମାନଙ୍କର ଏକତା ଅପରିକଳ୍ପନୀୟ। ଏ ମାନଙ୍କର ବିଦ୍ରୋହର ସ୍ଵର ମଧ୍ୟ ବେଶ୍ ଶାଣିତ।ଏଠି ବି ପ୍ରେମ ନହୁଏ ବୋଲି ତାହା ନୂହେଁ। ଟିକେ ଟିକେ ହୁଏ। ସେଇଟା ପୁଣି ଠେଲାପେଲା, ଚିମୁଟା ଚିମୁଟି ଓ ଅଳ୍ପ ଆଖିଠାର ଭିତରେ ସୀମିତ ଥାଏ। କାରଣ ଏଠି ସମସ୍ତଙ୍କ ଉପସ୍ଥିତିଟା ଅନ୍ୟମାନଙ୍କୁ ଅଡୁଆ ହେଉଥାଇପାରେ। ସେଇଥିରୁ ଗୋଟିଏ ଯୋଡ଼ିଏ ଅନ୍ୟ ସାଙ୍ଗ ମାନଙ୍କ ଆଖିରେ ଯଦି ପଡିଗଲା ତାକୁ ନେଇ ଭଲ କେରିକେଚର ହୁଏ। ଥଟ୍ଟା ମଜାର ଆସର ଭିତରେ ହସର ଜୁଆର ଛୁଟେ, ପ୍ରେମର ଫରୁଆ ଖୋଲେ। ପୁଣି Hostel ପିଲାମାନଙ୍କ ସହ କିଛି ଡେ ସ୍କଲାରଙ୍କ ସଂସର୍ଗ ଏଇଠି ବଢିଥାଏ। ତେଣୁ କିଛି ନୂଆ ପ୍ରେମ କାହାଣୀ ଲେଖି ହୋଇଯିବା ପାଇଁ ସୁଯୋଗ ସ୍ରୁଷ୍ଟି ହୁଏ। ଯାହାକୁ ଆମେ ଆଦୌ ଚିହ୍ନି ନଥାଉ ଏଇ platform ରେ ତ କିଛି ନୂଆ ଅତିଥିଙ୍କୁ ଚିହ୍ନି ଆମେ ଭାବଟା ବଢାଇ ଥାଉ।
ଏପଟେ ହୋ ହାଲ୍ଲା ତା ବାଟରେ ଚାଲିଥାଏ, ସେପଟେ ଆମ ପ୍ରେମୀ ଯୁଗଳମାନେ ଖସ୍ତଙ୍ଗ। ମାନେ ଆମ ହିରୋ ହିରୋଇନ ବା! ସେମାନେ ସେମାନଙ୍କ ତାଁକେକୁ ଧରି ଦୃଶ୍ୟପଟରୁ ଉଭାନ୍ । ଏଗୁଡାକ ମଲେ ପ୍ରେମ କରିବା ପାଇଁ। ଏତେ ବଡ଼ serious matterଟା ବେଳେ ବି ୟାଙ୍କୁ ପ୍ରେମ ଦରକାର। ହଉରେ ବାବା! ପ୍ରେମ କର, କିନ୍ତୁ ହତାଶଫାଏଡ୍ ହୁଅ ନାହିଁ। ଯଦି ପ୍ରେମ କରୁଛ ତାହେଲେ ସନ୍ଧ୍ୟା ବେଳକୁ ଆସି ଆମ ଗୋଡ଼ହାତ କାହିଁକି ଧରୁଛ ଯେ! – “ଏ ପ୍ରକାଶ! ଦୁଇ ଧାଡ଼ି ପ୍ରେମ ପତ୍ରଟା ଲେଖି ଦେଲୁ। ଆମ ଟିକିଟା ପରା ମନ ଉଣା କରି ବସିଛି, ମୋଟେ ଆଉ ପଟୁ ନାହିଁ। ଏମିତି ମିଛ ଖଛ ମୋ ବିରୁଦ୍ଧରେ କିଏ କହି ତା ମନ ଭାଙ୍ଗି ଦେଇଛି କେଜାଣି, ଆମ ଭିତରେ ନିଶ୍ଚୟ ନାଟୁଆ କେହି ଅଛି, ଯିଏ ସବୁ ନାଟ ଲଗାଉଛି।” – ଏମିତି ଅନେକ। ଏମାନଙ୍କ କଥା ଏମିତି ସବୁଦିନେ ଶୁଣିଶୁଣି ମଣିଷ ବୋର୍ ହୋଇଗଲାଣି। ୟାଙ୍କର ଆଉ କିଛି କାମଧନ୍ଦା ନାହିଁ ତ , ଖାଲି ଗୋଟିଏ ଚିନ୍ତା । ଏମାନଙ୍କୁ ଶଳେ ଖାଲି ନାତେ ନାତେ ଦରକାର। ନା’ମ! ବନ୍ଧୁ ପରା ।ତେଣୁ ବାଧ୍ୟ ହୋଇ ପ୍ରେମ ପତ୍ରଟିଏ ଲେଖା ହୁଏ। –
ପ୍ରାଣ ପ୍ରିୟା ସଙ୍ଗିନୀ ଗୋ!
ନେବ ମୋ ସରାଗର ବିନ୍ଦୁଟିଏ। ମୁଁ କେବଳ ପ୍ରେମିକଟେ, ଆଉ ସେଇ ପ୍ରେମିକଟେ ହୋଇ ରହିବାକୁ ଚାହୁଁ ଥାଇ ଯୁଗଯୁଗ ଧରି। ସେଠି ନାହିଁ ଛଳନା ଅବା ପ୍ରତାରଣାର ଅବକାଶ, ଅଛି ଖାଲି ପ୍ରେମର ଫଲଗୁ ଆଉ ଯେତେ ସବୁ ଭଲ ପାଇବା ଓ ପ୍ରୀତିର ଶେଫାଳି। ମୋ କତିରେ ନାହିଁ “ତୁ – ମୁଁ” ର (ଫାଙ୍କ ବା ଦୂରିଆ ) ସମ୍ପର୍କ ବରଂ ଅଛି ଖାଲି “ଆମେ” ର ଭାବ ସର୍ବସ୍ୱ। ତହୁଁ ସିନା “ସ୍ନେହ – ପ୍ରୀତି – ମୈତ୍ରୀ “ର ବାର୍ତ୍ତା ବହି ଧରାବତରେ ଆମ ନୂଆ ପ୍ରେମ କାହାଣୀ। ତୁମେ ମୋର କି ମୋର ନୂହେଁ – ତାହା ତ ମୁଁ କହି ପାରିବି ନାହିଁ, ମୁଁ କିନ୍ତୁ ତୁମର ।ଖାଲି ତୁମର।
(ଇତି)
ତୁମର ବ୍ୟର୍ଥ ପ୍ରେମିକ
ଟିକୁ
ଛାଡ଼ ଏମାନଙ୍କର କଥା, ଏମାନଙ୍କ କଥା ଅଧିକ ମୁଣ୍ଡ ପୁରାଇଲେ, ପରା ମୁଣ୍ଡ ବାୟା ହୋଇଯିବ ।ଏମାନେ ପରା ଆଜି ଆହୁରି ଫୁଲି ମରିବେ। ସହଜେ ତ ଅଳ୍ପ ଦିନ ପାଇଁ ହେଉ ପଛେ ପରୀକ୍ଷାଟା ଟିକେ ଘୁଞ୍ଚି ଗଲାଣି (postpone) ।ତେଣୁ ଏମାନେ ପରା ଇନ୍ଦ୍ର ଚନ୍ଦ୍ର ଆଜି କିଛି ମାନିବେ ନାହିଁ। ଆଜି କ୍ୟାଣ୍ଟିନଟା ନିଶ୍ଚୟ ଭିଡ଼ ରହିବ। ସେଇଠି ପରା ଖିଆପିଆ ଓ ତାହାରି ଭିତରେ ଭିତିରିଆ ପ୍ରେମ। ଯାଇ ଟୋକାଙ୍କର ଦାଉ ଟିକେ କମି ଯାଇଥିଲା, ପୁଣି ଲେଡିଜ୍ ହଷ୍ଟେଲ୍ ଆଗରେ ଆଜି ଯାତରା ହେବ। ଯେଉଁମାନେ ପ୍ରେମ କରିବା ପାଇଁ ହଷ୍ଟେଲ ଖୁଆଡ଼ରୁ ବାହାରି ସତୀ ଚଉଁରା ପାଖକୁ ଆସିଯିବେ ସେମାନେ ତ ଗୋଟେ categoryର। ଆଉ ଯେଉଁମାନେ ନ ଆସିବେ ସେମାନଙ୍କ ଭିତରୁ ଥୋକେ ଗେଟ୍ ପାଖକୁ ଆସି ନିଶ୍ଚୟ ଉଣ୍ଡିବେ, ଯେ କିଏ କେମିତି ପ୍ରେମ କରୁଛି । ଏଗୁଡାକ ଦେଖି ଦେଲେ ପରା ମନ ଭରିଯାଏ ।ଆଉ କିଛି ତ hostel ଛାତ ଉପରକୁ ଉଠି ଯାଇ ତଳକୁ ନଜରଟା ପକାଉଥିବେ ଓ ନିଜ ନିଜ ସାଥୀ ସହଯୋଗୀ ସହ କଥାବାର୍ତ୍ତା ବା ହସାହସି ହୋଇ କେତେ ରକମର ଥଟ୍ଟାମଜା ହେଉଥିବେ। ଆଉ କିଛି ଟେଲିଫୋନଟା ମାଡ଼ି ବସିଥିବେ, ଯେଉଁମାନଙ୍କର ଆଜି ପହିଲୁ negotiationଟା ଆରମ୍ଭ ହୋଇଛି କିଛି ଡେ scholar ଙ୍କ ସହିତ ସେଇ agitation ବେଳେ । ସେଇଠି ପରା ଏମାନେ ଟେଲିଫୋନ ନମ୍ବର ଦିଆନିଆ ହେଉଥିଲେ। ହେ ପ୍ରେମ! ତୋର କେତେ ରୂପ? ହଉରେ ମୋର ସହପାଠୀ ଓ ସହପାଠିନୀଗଣ! ତୁମେ ଆଉ ଅଧିକ ଉତ୍ତୁର ନାହିଁ। କାହିଁକିନା, ତେଣେ ପରୀକ୍ଷାଟା ମୁଣ୍ଡ ଉପରେ।
ଭାଗ9.. …
ପୂର୍ବ ଉତ୍ତାରୁ.. ଭାଗ 9..ନିର୍ବାଚନ ବେଳର ପ୍ରେମ
ବାଣୀବିହାରରେ ପ୍ରେମର ନବ ଦିଗନ୍ତ by ସତ୍ୟ ପ୍ରକାଶ ସେଠୀ
——————————-
ଆମେ ଏବେ ଭିନ୍ନ୍ ପ୍ରସଙ୍ଗକୁ ଯିବା। ସେଇଟା ହେଉଛି ନିର୍ବାଚନ ପ୍ରସଙ୍ଗ। କଲେଜ ନିର୍ବାଚନ ଭିନ୍ନ୍ କଥା। କିନ୍ତୁ ଇଉନିଭର୍ସିଟି ନିର୍ବାଚନ, ପୁଣି ବାଣୀ ବିହାରରେ ନିର୍ବାଚନ- ସବୁଠାରୁ ନିଆରା। କାରଣ ଏହି ନିର୍ବାଚନ ଉପରେ ସବୁ ନେତାଙ୍କର ନଜର ଥାଏ । ଏଠୁ ଯିଏ ଉତ୍ତୀର୍ଣ୍ଣ ହୋଇ ଉତ୍ତାରି ହୁଏ, ସେ ପୁଣି ଓଡ଼ିଶା ରାଜନୀତିରେ କର୍ଣ୍ଣଧାର ସାଜେ। ଏହିପରି କିଛି ସଫଳ ନେତାଙ୍କର ଲିଷ୍ଟ ବାଗେଇ ବସିଲେ ପରା ଲମ୍ବା ଲିଷ୍ଟଟାଏ ହେବ। ତେଣୁ ଏଠି ନେତାଟେ ହେବା ପାଇଁ ଛାତ୍ରମାନଙ୍କ ଭିତରେ ବ୍ୟଗ୍ରତା ଅଧିକ। ତହିଁ କି ପ୍ରତିଯୋଗୀତା ମଧ୍ଯ ତୀବ୍ର। ସମସ୍ତଙ୍କ ଭିତରେ ଏହାକୁ ନେଇ ଉତ୍କଣ୍ଠା ଓ ଉତ୍ସୁକତା ଖୁବ୍ ବେଶୀ । ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଖୁବ୍ ଆରମ୍ଭରୁ ହିଁ ତେଜ୍ ହୋଇଉଠେ। ଯେଉଁମାନଙ୍କ ଭିତରେ ନେତା ହେବାର କଳାଟା ଥାଏ।, ସେମାନେ ବୋଧେ ତୀକ୍ଷଣ ବୁଦ୍ଧିଆ। ତେଣୁ ଏମାନଙ୍କର ପ୍ରସ୍ତୁତି ପର୍ବ ଓ ସଜବାଜଟା ଖୁବ୍ ଆଗୁଆ। ଇଉନିଭର୍ସିଟିରେ admission ଖଣ୍ଡେ ମିଳୁଣୁ ନ ମିଳୁଣୁ ଏମାନେ ମନସ୍ଥ କରି ନେଇ ଯାଇଥାନ୍ତି, ନେତା ହେବା ପାଇଁ। ତେଣୁ ଗଣ୍ଡେ ଛଅଟା followers ବା ସାଙ୍ଗସାଥୀ ଧରି admission ବେଳୁ ଟିକିଏ ଆଗୁଆ ବାହାରି ପଡିଥାନ୍ତି। କିଏ admission ନେଲା କିଏ ନନେଲା, କାହାର କ’ଣ ଅସୁବିଧା ସୁବିଧା ହେଲା, ସବୁ କଥାକୁ ମୁଣ୍ଡପାତି ଦିଅନ୍ତି। ଝିଅପିଲା ମାନଙ୍କ କଥାଟାକୁ ବି ଭଲ କି ବୁଝନ୍ତି। କାହିଁକି ନା ସେମାନେ କୁଆଡ଼େ ବଡ଼ emotional, ମାନେ ଭାବପ୍ରବଣ।ତେଣୁ ସେମାନଙ୍କ ସହିତ emotional attachment ବା ଭାବଗତ ସମ୍ପର୍କଟା ଏମାନେ ପ୍ରଥମରୁ ବୃଦ୍ଧି କରି ନିଅନ୍ତି। ଦରକାର ପଡିଲେ ଇଉନିଭର୍ସିଟିର admission sectionର administrator ବା କର୍ମଚାରୀଙ୍କ ସହିତ ଲଢ଼ି ଯାଇ ଅଧିକ ସ୍ମାର୍ଟ ଦେଖାନ୍ତି। ପୁଣି ହଷ୍ଟେଲ allotment କଥା ଉଠିଲେ ମଧ୍ଯ ଏମାନଙ୍କର ସେଇ ସମାନ smartness ଦେଖିବାକୁ ମିଳେ। ତେଣିକି ଲାଇବ୍ରେରୀ କାର୍ଡ ହେଉ ବା ଆଉ ଅନ୍ୟ କିଛି ହେଉ, ସବୁଠିଁ ଏମାନେ ନିଜ ଉପସ୍ଥିତିକୁ ବେଶ୍ ଜାହିର୍ କରିଥାନ୍ତି। ପୁଣି ମିଛ ସତକି ପାଞ୍ଚ ଦଶଟା ଦାବୀକୁ ନେଇ ଗୋଟେ ଦାବୀପତ୍ର ତିଆରି କରି, “ଆମ ଅଧିକାରକୁ ନେଇ ଆମେ ଲଢ଼ିବା” ର ସ୍ଲୋଗାନ୍ ଦେଇ ଓ ବେକରେ ଗୋଟେ ଗେଣ୍ଡୁମାଳ ପିନ୍ଧି, ପାଲ ଖଣ୍ଡେ ବିଛଣା ବିଛେଇ ଅଫିସ ସମ୍ମୁଖ ଭାଗରେ ବେଶ୍ ବସି ପଡ଼ନ୍ତି। ମିଡିଆ କଭରେଜ ଆସିଗଲେ, ଟିକିଏ ପବ୍ଲିସିଟି ମିଳିଯାଏ। ତେଣୁ ଏଠି ଯିଏ ଯେତେ ବଡ଼ ପାଟିରେ ଚିଲ୍ଲେଇଲା ଓ ଦାବୀଟାକୁ ଜୋହର୍ କଲା ତାହାର ଜିତାପଟ ହେଲା। ସମସ୍ତଙ୍କର ଧ୍ୟାନଟା ତାଙ୍କରି ଆଡକୁ ବାଣ୍ଟି ହୋଇଯାଇଥିବାରୁ ସେ ଆମର ନେତା ହୋଇ ଯାଆନ୍ତି। ତେଣୁ ଜିତାପଟର ଅଧିକାର କେବଳ ତାଙ୍କରି। ତେଣୁ ଏଥିପାଇଁ ତାଙ୍କୁ କ’ଣ କମ୍ ତି ଖଟିବାକୁ ପଡିଥାଏ ନା କ’ଣ। ଏହା ଦ୍ଵାର ଅବଶ୍ୟ ଆମର ଅନେକ ଦାବୀ ପୂରଣ ହୋଇ ପଡେ ଓ ଆମକୁ ଆମ ସର୍ବନିମ୍ନ ଦାବୀ ଗଣ୍ଡାକ ମିଳିଯାଏ । ତେଣୁ ସେ ନେତାମାନଙ୍କୁ ଅନେକ ଧନ୍ୟବାଦ। ବାସ୍ତବରେ ଏହି ବାଣୀ ବିହାର ହେଉଛି ନେତା ତିଆରି କାରଖାନା। ଯେଉଁ ବାଣୀ ବିହାର ମୋର ଅନେକ ରାଜ୍ୟ ଓ ଜାତୀୟ ସ୍ତରର ନେତା ଦେବାକୁ ସକ୍ଷମ ହୋଇଛି।
ଏଇ ନେତାମାନେ ସିନା ରାଜନେତା ହେବାର ପରିକଳ୍ପନା ଭିତରେ ଗୋଡହାତ ବାଡ଼େଇ ଖୁବ୍ ଖଟନ୍ତି, ହେଲେ ଆମେ କିଛି ପଛ ଗୋଡାଣିଆ ଏମାନଙ୍କ ପଛରେ ଗୋଡାଇ ଗୋଡାଇ ସବୁଆଡ଼େ ଯାଉ। ତେଣୁ ଆମର ବି ଚିହ୍ନା ପରିଚିତିଟା କିଛି କମ୍ ନଥାଏ। ସେଇ ଦୃଷ୍ଟିରୁ ପତିଆରାଟା ବି କିଛି କମେଇ ପାରିଥାଉ।
ସବୁଠାରୁ pick period ହେଲା ନିର୍ବାଚନ ପ୍ରଚାର ବେଳ। ଚାରିଆଡ଼େ ଖାଲି ଦଳଦଳ ହୋଇ ବୁଲନ୍ତି ଭଳିକି ଭଳି ଛାତ୍ରଛାତ୍ରୀଗଣ। ଏ ଡିପାର୍ଟମେଣ୍ଟରୁ ସେ ଡିପାର୍ଟମେଣ୍ଟ ଖଣ୍ଡି ଡିଆଁ ଦେଇ ଖାଲି ପଇଁତରା ମାରନ୍ତି। ନେତାଙ୍କୁ ନିଶ୍ଵାସ ମାରିବାକୁ ପରା ତର ନଥାଏ। ଯିଏ ଯେତେ ବୁଲି ପାରିଲା ଓ ବାରମ୍ବାର ମୁହଁଟାକୁ ଦେଖାଇଲା ସେ ସେତେ popular ଚେହେରା ।ପ୍ରତିଟି ପ୍ରତିଯୋଗୀ ପ୍ରତିପକ୍ଷର ଚାଲଟା ବୁଝିବା ପାଇଁ ମଧ୍ଯ spy ଲଗାଇ ଥାନ୍ତି ।ତେଣୁ ସେ ଦଳୀୟା ଭିତରେ ଏ ଦଳୀୟାର ଜଣେ ଦୁଇ ଜଣ ବିଶ୍ୱସ୍ତ ବୁଲୁଥାନ୍ତି। ସେଇମାନେ ତ ଖବର ଅନ୍ତର ସବୁ ଦିଅନ୍ତି। ଆଉ କିଛି ଲୋକ ଡେଜ୍ ସ୍କଲାର ମାନଙ୍କର ପତା ସବୁ ନୋଟ୍ କରନ୍ତି। ରାତି ପାହିଲେ ସକାଳ ଓଳା ବା ସନ୍ଧ୍ୟା ନଇଁଲେ ରାତିରେ ସେମାନଙ୍କ ଘରଠିଁ ପହଂଚି ଟିକେ ଭୋଟ୍ ଭିକ୍ଷା କରି ଆସିଲେ ଭୋଟ୍ ଖଣ୍ଡାକ ପକ୍କା ହୋଇଯିବ ବୋଲି ଗୋଟେ ଧାରଣା। ପୁଣି କାହାର କିଏ ଯୋଡିଦାର ହୋଇଥିବ ତାହାର ମଧ୍ଯ ଗୋଟେ ଚିଠା ପ୍ରସ୍ତୁତ କରି ତାକୁ ସାଙ୍ଗରେ ଧରି ତାଙ୍କ ଘରକୁ ଯିବାକୁ ହୁଏ। ତହିଁରୁ approachଟା ଅଧିକ ଫଲପ୍ରଦ ହେବ ବୋଲି ବିଶ୍ବାସ ଥାଏ। ସେମାନେ ବି ଭାରି ଖୁସି ଥାନ୍ତି ଯାହା ହେଉ ଏହି ବାହାନରେ ଟିକେ ଭେଟଘାଟ ଓ ପ୍ରେମିକା ଘର ଦେଖା ହୋଇ ଗଲା।ଆମ ନେତା ବି ଚଟାପଟ କାମ ସାରି ପାଖ ଭୋଟରଙ୍କ ଘରକୁ ଚାଲି ଯାନ୍ତି ଓ ୟାଙ୍କୁ ଟିକେ ସୁଯୋଗ ଛାଡି ଆସନ୍ତି ଆହୁରି ଆହୁରି ଟିକେ ଚଟୁଳ କରି ନିରୋଳାରେ ଅଧିକ ଚାଟୁକ୍ତି କରିବା ପାଇଁ ଓ ଆଉ ତାଙ୍କ ପ୍ରେମଟା କରିବା ତ ତାଙ୍କ ସ୍ୱାଭାବସିଦ୍ଧ ଲକ୍ଷଣ।
ଦିନ ତମାମ ତ ଡିପାର୍ଟମେଣ୍ଟ ଘୂରିବା ହୁଏ। ଉପର ଓଳାରୁ ସଞ୍ଜ ଯାଏଁ ରଖା ଯାଇଥାଏ ଲେଡିଜ୍ ହଷ୍ଟେଲ୍ କାର୍ଯ୍ୟକ୍ରମ ଓ ଝିଅ ମାନଙ୍କୁ ଅତର ବୋଳା pushing କାର୍ଡ ବଣ୍ଟା ସହିତ ଟିକେ ଗେହ୍ଲେଇ ଓ ତେଲେଇ ଦୁଇ ପଦ କହିବା। ଇଏ ତ specialist ଯୁଗ, ତେଣୁ ଏଥିପାଇଁ ବାକ୍ ଚାତୁର୍ଯ୍ୟରେ ନିପୁଣ ଓ କଥନିକା ଶୈଳୀରେ ସିଦ୍ଧିହସ୍ତ ଜଣେ ଦୁଇ ଜଣ ପଟୁ କଳାକାରଙ୍କୁ ଚୟନ କମିଟି ସ୍ଥିର କରିଥାଏ ଓ ସେହିମାନଙ୍କୁ ସାଙ୍ଗରେ ନିଆ ଯାଇଥାଏ। ଯେଉଁମାନେ କି କଥାରେ କଥାରେ ସର ପକେଇ ବାହାପିଆ ଢଙ୍ଗରେ କଥାକୁ ରୋଇ କି ଥୋଇ ଦେଇ ପାରନ୍ତି ଅଥଚ ରୋମାଣ୍ଟିକ୍ ଭରା ସୁଆଦିଆ କଥାରେ ବାୟୁ ମଣ୍ଡଳକୁ ପୁରାପୁରି ନିୟନ୍ତ୍ରଣକୁ ନେଇ ଆସନ୍ତି। ଝିଅମାନେ ସେମାନଙ୍କ କଥାରେ ମୋହିତ ହୋଇ ବା ବହରି ଯାଇ ଭୋଟଗୁଡ଼ାକୁ ବାହି ଦିଅନ୍ତି । କିନ୍ତୁ ଏଠିକୁ ନୁଙ୍ଗୁରା ମାନଙ୍କୁ ନିଆ ଯାଏ ନାହିଁ କି ପ୍ରେମିକ ମାନଙ୍କୁ। କାରଣ ଝିଅମାନଙ୍କ ମନସ୍ତତ୍ଵ ବଡ଼ ଜଟିଳ ଓ ଟିକିଏ ଅଧିକ ଇର୍ଷା ପରାୟଣ ବୋଧେ। ତେଣୁ ପ୍ରେମିକ ପ୍ରବରଟି ଗୋଟେ ପ୍ରେମକୁ ଭଲ ପାଉଥିବାରୁ ଅନ୍ୟମାନେ ତା ସହ ସେତେଟା କଥା ହେବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ଏଇ fixed ପ୍ରେମିକମାନଙ୍କୁ କେବଳ ସେମାନଙ୍କ ହଳୀଙ୍କ ଭୋଟ ର ଦାୟିତ୍ଵ ଦିଆଯାଇ ଅନ୍ୟମାନଙ୍କ ଭୋଟକୁ ଅନ୍ୟମାନେ ହାତେଇବା ପାଇଁ ବିଭିନ୍ନ ପ୍ରକାରର weapons ବ୍ଯବହ୍ରୁତ ହୋଇଥାଏ। ଓ ତଦନୁସାରେ ଖସଡା ମଧ୍ଯ ପ୍ରସ୍ତୁତ ହୁଏ।
ଏଇ ରାଜନିତୀଟା ଗୋଟେ ପଶା ଖେଳ ବା ଆଉ ଟିକେ ଆଧୁନିକ କରି କହିଲେ ଚେସ୍ ଖେଳ। ଏଥିରେ ଯିଏ ଯେତେ ସଫଳ ଭାବେ ଗୋଟି ଚାଳନା କରି ପାରିଲା ସେ ସେତେ ସଫଳତାକୁ ଆପଣେଇ ପାରିଲା। ଏଥିରେ ପ୍ରତ୍ୟୁତ୍ପନ୍ନତା ଓ ସଠିକ୍ ରଣ କୌଶଳ ବେଶ୍ ଉପାଦେୟ ସାବ୍ୟସ୍ତ ହୋଇଥାଏ ।
ଇଏ ତ ଗଲା ପ୍ରଚାରର ଢାଞ୍ଚାଟା ସମ୍ପର୍କରେ। କିନ୍ତୁ କ୍ୟାମ୍ପସ୍ ଭିତରର ପ୍ରଚାରଟା ଭାରି ମଜେଦାର ଗୋଟେ ।1st boys hostel ପାଖ ଓ ଗ୍ଲାସ୍ କ୍ୟାଣ୍ଟିନ୍ ଉପରେ ଦୋ ତାଲାରେ ଥିବା ଷ୍ଟୁଡେଣ୍ଟସ୍ ଇଉନିୟନ୍ ଆଫିସଟା ଗୋଟେ ଭଲ ଖଟି ଜାଗା। ଏଇ ଯାଗାରେ ବସି ଆମେ ସବୁ ଭଲ ଗୁଲିଆ ଗପ କରୁ। ଦିନ ତମାମର ଅଭିଜ୍ଞତା ମଧ୍ଯ ବଣ୍ଟାବଣ୍ଟି ହୁଏ। ଜଣେ ଧାରା ବିବରଣୀ ଦେଉଥାଏ ଆଉ ଅନ୍ୟମାନେ ସବୁ ବିମୁଗ୍ଧ ଶ୍ରୋତା ହୋଇ ଶୁଣୁ। ନିର୍ବାଚନ କଥା ଯାହା ହେଉ କ୍ୟାମ୍ପେନ ବେଳେ ଝିଅ ପିଲା ହଷ୍ଟେଲରେ କ’ଣ କ’ଣ ସବୁ ହେଲା ଓ କିଏ କେତେ ପ୍ରକାର ରଙ୍ଗବାଜି ଦେଖାଇଲା, ସେ କଥାଟା ଟିକେ ଭଲକି ଆଲୋଚନା ହୁଏ ଓ ଥଟ୍ଟା ମଜ୍ଜା ଭିତରେ ମିଟିଂ ଖତମ ହୁଏ।
ଆମ ମଝି ମଝିଆଙ୍କୁ କିନ୍ତୁ ଭାରି ଅଡୁଆ। ଇଏ ତ ସାଙ୍ଗ ସେ ତ ସାଙ୍ଗ, କାହା ସାଙ୍ଗରେ ବା ପ୍ରଚାରରେ ଯିବ। ପୁଣି ହଷ୍ଟେଲ୍ ଫେରି ଆସିଲେ ଅନ୍ୟମାନେ ମୁହଁ ହାଣ୍ଡି କରିବେ। ଭାରି ଅଡୁଆ ପରିସ୍ଥିତି। ପୁଣି ଆମର ତ ଗୋଟେ ପସନ୍ଦିଆ ପ୍ରାଥୀ ତ ଅଛିନା, ସିଏ ବି କ’ଣ ଭାବିବ ତା ସାଙ୍ଗରେ ନ ଗଲେ। ଏହି ପରି କିଛି ମାନସାଙ୍କ କରିବାକୁ ପଡେ। ତା ପରେ ଗୋଟେ କାହା ସଙ୍ଗେ ସାମିଲ ହୋଇ ଯାଉ। କାରଣ ସମସ୍ତେ ନିର୍ବାଚନରେ ବୁଲି ମଉଜ ମସ୍ତି କରିବେ, ଆମେ କି ଶୁଖିଲାଟାରେ ହାତଗୋଡ଼ ବାନ୍ଧି ବସି ପାରିବୁ?
ଯେତେବେଳେ ସବୁପିଲା ଶ୍ରେଣୀ ଗୃହ ଭିତରେ ପଶି ଯାଇଥାନ୍ତି ଓ full swing ରେ class ଟା ଚାଲିଥାଏ, ସେତେବେଳେ “ଦୁଇ ମିନିଟ୍” କହି ପ୍ରାଧ୍ୟାପକ ଆଉ ପ୍ରୋଫେସର ମାନଙ୍କୁ ବିଦା କରି ଦେଇ ଆମ ନେତା ଓ ତାଙ୍କ ଦଳୀୟା ଆମେ ଧସେଇ ପଶି ଯାଉ। ସମସ୍ତେ କୁରୁଳି ଉଠନ୍ତି। ମନରେ ସରାଗ ନେଇ ଯେ, ଯାହା ହେଉ ଆଜି ମଜ୍ଜା ହେବ। ନେତା ଆଗ ମନ ବହରେଇବା ପାଇଁ ଗୋଟେ ଓଜସ୍ଵିନୀ ଭାଷଣ ଦିଅନ୍ତି। କିନ୍ତୁ ନଜରଟା ସମସ୍ତଙ୍କର ଡ୍ରାମାଟିକ ସେକ୍ରେଟାରୀ ଉପରେ ଥାଏ। କାରଣ ସେ ବେଶ୍ କିଛି କଉତୁକିଆ କଥା କହେ। କିଛି ବ୍ୟଂଗ ଓ ହାସ୍ୟ ରସ ନିଶ୍ଚୟ ହୁଏ। ଆଉ ଗୋଟେ ଅଧେ ଅତ୍ୟାଧୁନିକ ସମୃଦ୍ଧ ପ୍ରେମ ରସ ଗୀତ ତ ନିଶ୍ଚେ ହେବ। ତେଣୁ ସମସ୍ତେ ଚିଲାଚିଲି କରନ୍ତି, ଆଉ କହନ୍ତି – “ଯା ‘ବେ ଯା! କେତେ ରଙ୍ଗ ହେଉଛୁ ତୋ ପାଲିରେ ନିଶ୍ଚେ ଭୋଟ୍ ପଡ଼ିବ। ତେଲିଆ ଦଳ କହନ୍ତି -” ଆମେ ପରା ତୋ ଲୋକ “। ସେଠୁ ପୁଣି ପଟୁଆର ଯାଇ ଆଉ ଗୋଟେ ଡିପାର୍ଟମେଣ୍ଟରେ ଲାଗେ । ଏଠୁ ବି ଟଣା ଝିଙ୍କା ହୋଇ ଆଉ କିଛି ସଦସ୍ୟା ପଟୁଆରରେ ସାମିଲ ହୋଇ ଯାଇଥିନ୍ତି। ଏହି ପରି ପଟୁଆର ବଢି ବଢି ଯାଉଥାଏ। ଆଉ ଏଇ ପଟୁଆରରେ ସହଜ ଚରିତ୍ର ଯାହାକୁ ଆମେ କହନ୍ତି କମେଡିଆନ ହିରୋ, ସେମାନେ ବି ଅଧିକ ସାମିଲ ହୋଇଥାନ୍ତି – ଟିକେ ରଙ୍ଗ ରସ ହେବା ପାଇଁ । ପଟୁଆର ତା ଉଦ୍ଦେଶ୍ୟରେ ଆଗକୁ ମାଡି ଚାଲିଥାଏ । ଏମାନେ କିନ୍ତୁ ତାହାରି ଭିତରେ ରହି ଖୁମ୍ପା ଖୁମ୍ପି ହେଉଥାନ୍ତି ଓ ଛପି ଛପିକା ପ୍ରେମ କରୁଥାନ୍ତି । କିଏ କାହା ଚୁଟିକୁ ଟାଣିଦେଲାଣି ତ କିଏ କାହାକୁ ଚିମୁଟୁ ଦେଲାଣି। ଏ ନଟଖଟି ସେମାନଙ୍କର କେତେବେଳେ ବନ୍ଦ ହୁଏ ନାହିଁ। ବରଂ ପଟୁଆର ବଢୁଥିବା ସଙ୍ଗେ ସଙ୍ଗେ ସେମାନଙ୍କର rhythmic grow ହେଉଥାଏ ।ଆଉ ଯଦି ଏଇ କୁତୁ କୁତିଆ ପ୍ରେମ ଉପରେ ତୃତୀୟ ପକ୍ଷର କାହାର ନଜରଟା ପଡିଗଲା, ତେବେ ପରସ୍ପରେ କହିବେ- “ନାଇମ! ଏଟା ସାଢେ ବଦମାସ୍, ଦେଖୁନ! କେମିତି ଛଇ ଛଟାଙ୍ଗ କାଢ଼ୁଛି”। ଅପର ପକ୍ଷ ବି ଛାଡେ ନାହିଁ, କୁହେ -” ତୁ କୋଉ କମ୍ କି ଚମେଲୀ, ମୋତେ ପରା ତୁ ଉସ୍କାଉଛୁ”। ସେ କୁହେ -” ଭଲ ହୋଇଛି, ନବରଙ୍ଗ ଟୋକା, ଆଉ ନବ ରଙ୍ଗ ଦେଖା ନାହିଁ “। ଇଏ କୁହେ ତୁ ଚମ୍ପେଇ ନାନୀ ଆଉ ନେଉଳ ମୁହଁ କରନି”। ସେ କହେ – “ତୁ ପୋତା ମୁହାଁ ଆଉ ଗଇଁ ମାରେ ନାହିଁ”। ସେ କହେ – “ତୁ ରାଧିକା ସୁନ୍ଦରୀ କେତେ ଫୁଲେଇ ହେଉଛୁ ଲୋ! “ଏହିଭଳି ସେମାନଙ୍କର ଅଛିଣ୍ଡା ଗଣିତ election campaign ସରିଲା ଯାଏଁ ଚାଲି ଥାଏ। ଆଉ ଆମେ ଉପଭୋକ୍ତା ଦଳ ଭୁକ୍ତଭୋଗୀ ହୋଇ ସବୁ ଉପଭୋଗ କରୁଥାଉ। ଏଇମିତି ରସରାଜ ପ୍ରେମସିନ୍ଧୁ ଚିନ୍ତାମଣି ତା କାୟା ବିସ୍ତାର କରି ବେଶ୍ ସଦର୍ପରେ ଚାଲିଥାଏ। ଏ ବାଣୀ ବିହାର ପରା ଖୁଲମ୍ ଖୋଲା ଜିନ୍ଦେଗୀ ଜୀଇଁବାର କେତେ ଲୋକଙ୍କୁ କେତେ ରକମର ସୁଯୋଗ ଦେଇଛି।
ଏହାପରେ ଅନ୍ତିମ ଯାତ୍ରା। ଆମ ନେତାଙ୍କର ଭାରି ଦୟା। ଆମେ ଯେଉଁମାନେ ବୁଲିବୁଲି ହାଲିଆ ଓ ସ୍ଲୋଗାନ୍ ଦେଇ ଦେଇ ତଣ୍ଟି ଫଟାଇ ସାରିଥାଉ, ଆମକୁ ଝଅଟ ନେଇ ଯାଆନ୍ତି ଗ୍ଲାସ କ୍ୟାଣ୍ଟିନ୍ ନହେଲେ ନାହିଁ ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ ବା ଆଉ ବେଳେ ରାଓ କ୍ୟାଣ୍ଟିନ୍କୁ। ସେଇଟି ଦୋଷାଟିଏ ନହେଲେ ବରା ତରକାରୀ ଟିକେ ଖାଇ ଓ ପାଣି ଢୋକେ ଢୋକେ ପିଇ ସେଦିନର ପର୍ବକୁ ସେଇଠି ସମାପ୍ତି ଘୋଷଣା କରୁ। ପୁଣି ତା ପର ଦିନ ଯଥା ପୂର୍ବଂ ତଥା ପରଂ।
ଏହାପରେ ଆସେ platform speech ବା what I stand for – ସେଇଟା ଭାରି ଜମାଳିଆ ହୁଏ। ଭାରି ତୁମ୍ବି ତୋଫାନ୍ ହୁଏ। ନେତାଏ ତଣ୍ଟି ଫଟାଇ ଶେଷ ଶକ୍ତି ପରୀକ୍ଷା ଦିଅନ୍ତି । ବଡ଼ ବଡ଼ ଉଦ୍ଘୋଷଣ ଓ ପ୍ରତିଶ୍ରୁତିର ସୁଅ ମଧ୍ଯ ଛୁଟେ। ଯିଏ ଯେମିତି ବୁଝିଲା ସେ ତା ପରଦିନ ଭୋଟ୍ ସେରକ ତା ମୁଣିରେ ଢାଳିଲା। ଜିତା ପାର୍ଟି ଜିତ୍ ପାର୍ଟି ବନାଇଲେ ଓ ହରା ପାର୍ଟି ଚୁପି ମାରି ବସି ପଡ଼ିଲେ। କାଁ ଭାଁ ବି ନିର୍ବାଚନୀ ହିଂସା ବା ଗଣ୍ଡଗୋଳ ହୁଏ। ତା ପରେ ପରିସ୍ଥିତି କିନ୍ତୁ ଏକଦମ୍ ଶାନ୍ତ ଓ ପରିବେଶ ଏକାନ୍ତ ମନୋରମ।
ଭାଗ10
ପୂର୍ବ ଉତ୍ତାରୁ Episode 10 (student special bus)
ଏତେଗୁଡିଏ କଥା ଯେ ରହିଛି ସେଗୁଡାକ ସବୁ ଏକାବେଳେକେ ମୋତେ ମାଡ଼ି ବସୁଛନ୍ତି, କିନ୍ତୁ ସବୁତକ କଥା କ’ଣ ଏକାବେଳକେ ଓ ଏକ ମୁଖରେ କହିବା କେବେ ସମ୍ଭବ ହୋଇ ପାରିଥାଏ କି? ତେଣୁ କେତେବେଳେ କେଉଁ କଥା ଯେ କହିବି ମୁଁ ଆଦୌ ଜାଣି ପାରୁ ନାହିଁ। ତେବେ ଗୋଟି ଗୋଟି କରି ସେ ସମସ୍ତ କହିବା ଯାହା ସବୁ ଦୃଶ୍ୟମାନ ଜଗତରେ ଚଳଚ୍ଚିତ୍ରସମ ସଚିତ୍ର ଆଖି ସାମ୍ନାରେ ଭାସି ଉଠୁଛି ବା ମୋ ଚେତନାରେ ପଶି ବାରବାର ଘାଣ୍ଟି ଗୋଳେଇ ହେଉଛି। ସେ ସମସ୍ତ ପେଟ ଭିତରୁ ଅଇ ଉଠି ଉର୍ଦ୍ଧ୍ଵବାୟୁ ଧରିଥିବାର ତାହା ମୁଁ ବାନ୍ତି କରି ଦେଉଛି।
ହେଲେ ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟକୁ ଯାଇ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟ ହେଉଛି – ବାଣୀ ବିହାରରେ admission ନେଇଗଲା ପରେ ଆମ କେତେକଙ୍କୁ ହଷ୍ଟେଲ ସିଟ୍ ମିଳି ନଥିଲା ଓ ଆଉ କେତକ ରେଗୁଲାର କଟକର ବାସିନ୍ଦା କଟକ ସହରରୁ ପ୍ରତ୍ୟେହ ଯିବା ଆସିବା କରୁଥିଲେ। ସେଥି ସକାଶେ ଛାତ୍ରମାନଙ୍କ ଦାବୀକୁ ସରକାର ବଡ଼ ସହଜରେ ମାନି ନେଇ ଦୁଇଟି ବସ ଦେଇଥିଲେ। ଯାହା “ବାଣୀ ବିହାର ଷ୍ଟୁଡେଣ୍ଟ ସ୍ପେଶାଲ” ଭାବରେ କେବଳ ବାଣୀବିହାର ପିଲାଙ୍କୁ ନେବା ଆଣିବା ପାଇଁ ବ୍ଯବହ୍ରୁତ ହେଉଥାଏ। ତେଣୁ ପାଖାଆଖି ବିଭିନ୍ନ୍ department ର ଛୁଟିଦିନ ମାନଙ୍କରେ picnic ହେଲେ ମଧ୍ଯ ସେଇ bus ଦୁଇଟି ବ୍ଯବହ୍ରୁତ ହେଉଥାଏ। SSG ଓ NCC Camp କୋଉଠି ପଡ଼ିଲେ ମଧ୍ଯ ସେଇ ବସରେ ଯିବା ଆସିବା ହୁଏ। ତେଣୁ ସେଇ ବସ ଓ ତାର କର୍ମଚାରୀ ଅର୍ଥାତ୍ ଡ୍ରାଇଭର୍ conductor ଓ cleaner ସହିତ ଆମର ଭାରି ଲଗାବ। ଯେତେବେଳେ ଆମେ ଯେଉଁଠି bus ରୋକିବା କଥା ବା ଯିବା କଥା କହିଛୁ ସେ ବିନା ଦ୍ୱିଧାରେ ସମ୍ମତି ପ୍ରଦାନ କରିଥାଏ।ତେଣୁ ଏହା କଟକରେ ରହି ଯିବା ଆସିବା କରି ପଢୁଥିବା ବାଣୀ ବିହାରର ଏକ ମୁଖ୍ୟ ଭାଗ ପିଲାଙ୍କ ପାଇଁ ବଡ଼ ଉପଯୋଗୀ ପ୍ରମାଣିତ ହୋଇଥାଏ। ମୁଁ ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ମାସେ ଦେଢ ମାସ କଟକ ସ୍ଥିତ ଭଉଣୀ ଘରେ ରହି ଏହି ବସ୍ ଯୋଗେ ବାଣୀ ବିହାର ଆସିଯାଉଥିଲି।ତେଣୁ କରି ଏହି କଟକିଆ ବନ୍ଧୁମାନଙ୍କ ସହିତ ମୋର ବେଶ୍ କିଛି ଘନିଷ୍ଠତା ଥିଲା। ସେଥିପାଇଁ ତ ପରେ ମୁଁ hostelରେ ରହୁଥିଲେ ହେଁ ଏମାନେ ଷ୍ଟୁଡେଣ୍ଟ ସ୍ପେଶାଲ ବସରେ ଷ୍ଟୁଡେଣ୍ଟକୁ ନେଇ ଅୟୋଜିତ କରୁଥିବା ପିକ୍ନିକ୍ ପରି କିଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୋତେ ମଧ୍ଯ ସାମିଲ କରିଥାନ୍ତି ବା ନିୟୋତା ଦେଇ ଡାକିଥାନ୍ତି। ସେଥିପାଇଁ ତ ତା ସହିତ ମୋର ଅନେକ ପ୍ରତ୍ୟେକ୍ଷ ଅନୁଭୂତି ଅଛି।ସେଇ ବସରେ ଯିବା ଆସିବା କଲା ବେଳେ ଆଉ କିଛି କଥା ସ୍ଵତନ୍ତ୍ର ଭାବେ ନଜର ନ ଆସିଲେ ମଧ୍ଯ ମଣିଷର ବିଶେଷଭାବ ପ୍ରେମଭାବଟା ଭଲ କି ନଜର ଆସୁଛି। ସେଇ ବସରେ ପ୍ରେମ ବୋଇଲେ ଜବରଦସ୍ତିଆ ପ୍ରେମ ହୁଏ। ଅନେକ ପ୍ରେମ ରସରାଜମାନେ ସବୁ ସେଇଥିରେ ଯାଅଆସ କରିଥାନ୍ତି। ସେମାନେ ଆଗୁଆ ବସ୍ ଉପରକୁ ଉଠି ଯାଇ ସେମାନଙ୍କ ପାର୍ଟନରମାନଙ୍କ ପାଇଁ ଆଗୁଆ ସିଟଟେ ମାଡ଼ି ବସି ରଖିଥାନ୍ତି। କାରଣ ମନ ଭିତରେ” ସୁନ୍ଦର ରୂପଶ୍ରୀର ଟିକେ ଟିକେ ସ୍ପର୍ଶ ପାଇ ପାଇ କଟକରୁ ଭୁବନେଶ୍ବର ବା ଭୁବନେଶ୍ୱରରୁ କଟକ ଯିବା କ’ଣ କମ୍ ବଡ଼ ସୌଭାଗ୍ୟର କଥା” ବୋଲି ଯୁବ ସୁଲଭ ଚପଳତାରେ ଭାବି ଯାଆନ୍ତି। ତେଣୁ ଏଇ ଯିବାଆସିବା ବାଟରେ ପ୍ରେମଟା ଭଲ କି ହୁଏ ଓ ମନକୁ ଟିକେ ସକୁନ ମିଳେ। ରାତିରେ ସ୍ଵପ୍ନ ଦେଖିବା କଥା ହେଲେ ପରା ଏହି ନାୟିକାମାନେ ସ୍ଵପ୍ନରେ ଉଙ୍କି ମାରି ଠୋ ଠୋ ହସି ଉଠନ୍ତି ନତୁବା କେତେବେଳେ କୋଳରେ ଲୋଟି ଯାଆନ୍ତି। ତେଣୁ ଏମାନଙ୍କ ସହ ବାସ୍ତବ ସମ୍ପର୍କ ଯାହା ହେଉନା କାହିଁକି ଭାବଗତ ଓ ଆତ୍ମିକ ସମ୍ପର୍କଟା ଭାରି ଯୋଡି ହୋଇ ଯାଇଥାଏ। ସେଇଥିପାଇଁ ପରା student ସ୍ପେଶାଲ ବସରେ ଏଇ କେତେଜଣ ସୁନ୍ଦରୀ ନ୍ୟାୟିକା ଯୁବ ବନ୍ଧୁମାନଙ୍କ ଭିତରେ ବେଶ୍ ଚର୍ଚ୍ଚିତା। ସମାନ ଭାବ ଓ ଭାବାନ୍ତର ଯେ ଝିଅ ମାନଙ୍କ ଭିତରେ ଉଦ୍ରେକ ହେଉ ନଥିବ ସେ କଥା ଆଦୌ ନୂହେଁ। ଆରେ! ଏଇଟା ପରା ବୟସର ଦୋଷ, ଏ ବୟସରେ ଏମିତି କିଛି – ସବୁ ସମ୍ଭବ। ତେଣୁ ଆମେ କେତେଜଣ ସୁନ୍ଦର ପୁରୁଷ କାହାକୁ କିଛି ନକହିଲେ ମଧ୍ୟ ହୁଏତ ସେମାନଙ୍କ ସ୍ଵପ୍ନର ନାୟକ ହୋଇ ରାତି ଅଧରେ ବିଛଣା ପାଖରେ ଛିଡା ହୋଇ ଯାଉଥିବୁ। ହଁ ଏପ୍ରକାର କିଛି ମନସ୍ତତ୍ତ୍ଵ ମୁଁ ନିଶ୍ଚିତ ଭାବେ ସେଦିନ ଲକ୍ଷ୍ୟ କରିଥାଇ ପାରେ। କାରଣ ଆମେ କେତେଜଣ ରୁଷିମନ୍ଯ ମହା ପୁରୁଷମାନେ ସେମାନଙ୍କ ପ୍ରତି ଆଦୌ ନଢ଼ଳୁ ଥିଲେ ହେଁ ବା ସେମାନଙ୍କ ସହ କଥା ହେବା ପାଇଁ ସେତେ ଆଗ୍ରହୀ ନହେଲେ ମଧ୍ୟ ଅଥବା କଥା ହେଲେ ମଧ୍ଯ friend shakeରେ ଯାହା ଅଳ୍ପ କିଛି ହେଲେ ହେଁ ସେମାନେ ତ ଉପରେ ପଡି କଥା ହୁଅନ୍ତି ଓ ଅଧିକ ଘସିନେସି ହୁଅନ୍ତି। ତେବେ କ’ଣ ଆମକୁ ପ୍ରେମ ଜାଲରେ ଫଶାଇ ସେମାନଙ୍କ ପ୍ରେମ ନିଆଁରେ ଜାଳିବାକୁ ଚାହୁଁଥିଲେ ନା କ’ଣ? କେଜାଣି ହୋଇଥିବ, କିନ୍ତୁ ଆମେ ତ ଫଶି ନଥିଲୁ ।ଯିଏ ଫଶିବା କଥା ସେତେବେଳକୁ ଫଶି ସାରିଥିଲେ। ବୟସର ଉଦ୍ଦାମତାରେ ପ୍ରେମ ଅମା ନଦୀରେ ଖାଲି ଉବୁଟୁବୁ ହେଉଥିଲେ।
ଆରେ! ମଣିଷ ନିଜ ପ୍ରେମକୁ ପାଇବା ପାଇଁ ପରା ଖୋଜି ଖୋଜି କାହିଁ କେତେ ଆଡ଼େ ଓ କେତେବାଟ ଯାଏଁ ଧାଏଁ। ହେଲେ ଖୁବ୍ କମ୍ ଆୟାସ ସାଧନାରେ ପ୍ରେମିକ ପ୍ରେମିକାକୁ ପାଖରେ ପାଇବା କ’ଣ କମ୍ ଭାଗ୍ୟର କଥା କି? ତେଣୁ ଭାରି ଜୋହର୍ ରଙ୍ଗିଲା ପ୍ରେମଟା ସେଇଠି ହୁଏ।
ବେଳେବେଳେ ନିଜ ପ୍ରେମିକାକୁ ଖୁସି କରିବା ପାଇଁ ଏହି ରସରାଜମାନେ ନେତୃତ୍ୱ ନେଇ ଜଣକା ଦୁଇ ଟଙ୍କା ଲେଖେ ଆଦାୟ କରି ପାହାଳ ପାଖରେ ଗାଡି ଅଟକାଇ ପ୍ରସିଦ୍ଧ ପାହାଳ ରସଗୋଲାରୁ ଦି ଚାରି ଟ୍ରେ ଆଣନ୍ତି। ସମସ୍ତଙ୍କୁ କିଛି କିଛି ଧରେଇ ଦେଇ ଆଉ ଯାହା ରହିଲା ଏହି ଯୋଡ଼ିଦାରମାନେ ନିଜ ନିଜ ଯୋଡିମାନଙ୍କୁ ବଳେଇ ବଳେଇ ଇଏ ତା ପାଟିରେ ନହେଲେ ସେ ୟା ପାଟିରେ ପୂରାଇ ଖୁଆଇଥାନ୍ତି। ସେମାନଙ୍କୁ ଏହା କେତେ କୁତୁକୁତିଆ ଲାଗେ ସେ କଥା ତ ମୁଁ କହିପାରିବି ନାହିଁ, କିନ୍ତୁ ଆମେ ଦେଖିଲାବାଲାଙ୍କୁ ଏହା ବହୁତ ଉପଭୋଗ୍ୟ ହୋଇଥାଏ ଓ ମନରେ କିଛିଟା କୌତୁହଳ ମଧ୍ଯ ସ୍ରୁଷ୍ଟି କରି ପାରିଥାଏ । ଏ ଦୃଶ୍ୟ ବାସ୍ତବରେ ଅତ୍ୟନ୍ତ ଚିତ୍ତାକର୍ଷକ ଓ ନିଶ୍ଚିତ ଭାବେ ଭାବୋଦ୍ଦୀପକ। ଏହି ଏତିକିରେ, ସେମାନେ ପ୍ରେମର ଗଭୀରତାକୁ ମାପି ନେଇ ମନ ଦିଆନିଆ ହୋଇଯାଆନ୍ତି। ତା ପରଠାରୁ ଏମାନଙ୍କୁ ଆଉ ଆଧିକାଂଶ ବେଳେ କ୍ଲାସ ରୁମ୍ ଭିତରେ ନ ଦେଖି ଦେଖିବାକୁ ମିଳେ ବିଗ୍ ବଜାରର ସପିଂ ମହଲ ନହେଲେ କେଉଁ ପାର୍କ ବା ଫିଲ୍ମ ହଲରେ। ଆଉ କେତେବେଳେ ବି ଏମାନଙ୍କୁ ସହଜରେ ଟ୍ରେସ କରି ହୁଏ କେଉଁ ରେଷ୍ଟୁରାଣ୍ଟ ବା ଆମ ବାଣୀବିହାର କ୍ୟାଣ୍ଟିନରେ। କିଛି ନହେଲେ ଦିନବେଳା ଟିକେ ନିରୋଳା ରହୁଥିବା ଆମ କ୍ୟାମ୍ପସ୍ ଭିତରେଥିବା ତାଳ ପଦେଶ୍ୱରୀ ମନ୍ଦିରରେ ଏମାନେ ଚତୁର ବିନୋଦିଆ ପ୍ରେମ କରୁଥାଇ ପାରନ୍ତି। “ଭଲ ମୋ ବାଣୀ ବିହାର ଯେଉଁଠି ବାଣୀଠାରୁ ବେଣୀ ସାଧନାଟା ଅଧିକ ହୁଏ” ବୋଲି ମୋ ସାଙ୍ଗ ମନୋରଞ୍ଜନ ପରା କହୁଥିଲା। ଏଇ ବାଣୀ ବିହାର ଏଇମିତି ଏମାନଙ୍କୁ କେତେ ରକମର କେତେ ସୁଯୋଗ ଦେଇଥାଏ। ଏଠି ପଢିଲାବାଲାକୁ ସମୟଟା ଗୋଟା ପୁଣି ନିଅଣ୍ଟିଆ ପଡୁଥିବା ବେଳେ, ନ ପଢିଲାବାଲାକୁ ପ୍ରେମ କରିବା ପାଇଁ ଏହିପରି ପର୍ଯ୍ୟାପ୍ତ ସମୟ ଓ ବହୁ ପରିମାଣରେ ଅବସର ମିଳିଥାଏ। କେତେବେଳେ picnic ତ ପୁଣି କେତେବେଳେ study tour ବା excursion. ପୁଣି SSG ଓ NCC Camp – ସବୁ ଏଇଠି ଭାଗ୍ୟକୁ ଜୁଟେ। ଯିଏ ଯୋଉଟାକୁ ମାଧ୍ୟମ କଲା, ସେଇଟିକୁ ମାଧ୍ୟମ କରି ଆଗେଇ ଗଲା। ଧନ୍ଯ କହିବା ମୋ ବାଣୀ ବିହାରକୁ।
ଆମେ ବାରମ୍ବାର ପ୍ରସଙ୍ଗ ଗୁଡାକ ଏପଟ ସେପଟ ନକରି ବରଂ ସେଇ ଗୋଟିଏ କଥା ଉପରେ ଧ୍ୟାନ କେନ୍ଦ୍ରିତ କଲେ ବୋଧହୁଏ ଭଲହେବ। ହଁ ଇଏ ତ ବର୍ଷ ସାରା ବସ୍ ଯାତ୍ରା ସିନସିଲା ଏମିତି ଜାରି ରହେ। ବର୍ଷ ଆରମ୍ଭରୁ ଆମ ଭଳିଆ କିଛି ନୂଆପିଲାମାନେ ଏହି ବସରେ ଯିବା ଆସିବା କରନ୍ତି ଓ ବର୍ଷ ଶେଷରେ ବଡ଼ ଭାଇମାନେ ହଟି ଯିବାରୁ ଆମେ ପୁରୁଣା ହୋଇଯାଆନ୍ତି ଓ ବେଶ୍ ଖୋଲିକି ଜୀବନଟାକୁ ଉପଭୋଗ କରନ୍ତି । ସବୁ କଥାରେ ଆଗୁଆ ହୋଇ ଦାୟିତ୍ଵ ନିଅନ୍ତି। ବର୍ଷ ଆରମ୍ଭରୁ ଧୀରେ ଧୀରେ ବଢି ଆସିଥିବା ସ୍ନେହ ଶ୍ରଦ୍ଧା ଓ ଆତ୍ମୀୟତା ବେଶ୍ ନିବିଡ ହୋଇଯାଇଥାଏ। ପୁଣି ଏଇ special ବସ ଦୁଇଟିର picnic ବର୍ଷରେ ଥରେ ଦୁଇଥର ଅନୁଷ୍ଠିତ ହୁଏ। ସେଦିନ ବସ୍ ବାଣୀ ବିହାର ଆଡ଼େ ନଗଡି ଗଡ଼ିଯାଏ ନନ୍ଦନକାନନ ବା ମହାନଦୀ ପଠାକୁ।
ସେ ବର୍ଷ ନନ୍ଦନକାନନରେ picnicଟା ହୋଇଥିଲା। ବର୍ଷ ସାରା ଯେଉଁ ପ୍ରେମ ଉଦ୍ୱେଳନର ମହା ପ୍ରଳୟ ଅନୁଭୂତ ହେଉଥିଲା ତାହିଁରୁ କେତୋଟି ମାତ୍ର୍ ପୂର୍ଣ୍ଣାଙ୍ଗ ରୂପ ପରିଗ୍ରହ କରିବା ପାଇଁ ଏପରି ଏକ ସୁଯୋଗକୁ ଅପେକ୍ଷା କରି ରହିଥାଏ। ଯାହା ସେଦିନ ଏହି picnic ପାର୍ଟୀରେ ବେଶ୍ ପରିସ୍ଫୁଟ ହୋଇ ଦିଶୁଥିଲା। ଟିଲା ଓ ପେଚିର ପ୍ରେମ କାହାଣୀଟା ତହିଁ ମଧ୍ୟରୁ ଅନ୍ୟତମ। ଏଇ ହଳିଙ୍କୁ ଆମେ ବର୍ଷ ସାରା ଦେଖି ଆସିଥିଲୁ , ପରସ୍ପର ପାଖରେ ବସି କେତେ ଟୁପୁରୁ ଟୁପୁରୁ ହେଉଥିବାର। ଏ ଦୁଇଟା ନିଶ୍ଚିତ ଭାବେ ରାତିରେ ଶୋଉ ନଥିବେ। କାରଣ ଘରେ ସମସ୍ତେ ଶୋଇ ପଡିଲା ପରେ ଏମାନେ ଲୁଚିକି ନିଶ୍ଚିତ ଭାବେ ଫୋନରେ ଗପୁଥିବେ। କାରଣ ଆମେ ଜାଣିଛୁ ଏ ଦୁଇଟା ଭାରି ପ୍ରେମ ବିକିଳିଆ ।କେତେବେଳେ ପରା ଏମାନଙ୍କର ଗପ ସରେନା। ଭାରି ରୋମାଣ୍ଟିକ୍ ମୁଡରେ ଏମାନେ ସଦା ବେଳେ ଥାନ୍ତି। ଭାରି ସୁନ୍ଦର ପୋଷାକ ପରିଚ୍ଛେଦ ପିନ୍ଧି ଉଭୟ ଆସନ୍ତି। ଖାସ୍ କରି ପରସ୍ପରକୁ ଆକୃଷ୍ଠ କରି ରଖିବା ପାଇଁ। ଏ ମାନଙ୍କର perfume ଗୁଡାକ ବି ଜର୍ମାନୀ ବା ଇଟାଲୀରୁ import ହୋଇ ଆସୁଥାଇ ପରେ, ଭାରି ତ ବାସିଥାଏ ।
କିନ୍ତୁ ଏମାନଙ୍କ ଭିତରେ ଗୋଟେ ଚନ୍ଦ୍ରସେଣା ଗଳି ଯାଇଥିଲା। ସେଇ କଥାଟା ଧରା ପଡିଥିଲା ସେଦିନ ସେଇ picnic partyରେ ।ଏହି picnic partyରେ ଖିଆପିଆ ଯାହା ହେବା କଥା ନାହିଁ ନଥିବା ସବୁ ହୁଏ।
ତାହା ଛଡା ଅନେକ ଗୁଡିଏ ଇଭେଣ୍ଟସ୍ ମଧ୍ଯ ଅନୁଷ୍ଠିତ ହୁଏ। ଯେମିତି ରୁମାଲ୍ ଚୋରି, କେନ୍ଦ୍ର ବିନ୍ଦୁ, ବୋହୂ ଚୋରି ପାଖରୁ ଆରମ୍ଭ କରି ବଲ ଫିଙ୍ଗା ଫିଙ୍ଗି। ଗୀତର ସୁର ଓ ସଙ୍ଗୀତର ତାଳେ ତାଳେ ନାଚର ଧୁନ୍।ନ ନାଚିଲା ପିଲା ମଧ୍ଯ ସେଠି ଟିକେ ଅଣ୍ଟା ହଲାଇ ନାଚି ଦିଏ, ସମସ୍ତେ ହସୁଥିଲେ ବି ଭାରି ଗୋଟେ ଆନନ୍ଦ ଉଠୁଥାଏ ।କିନ୍ତୁ ଯେଉଁ କେତେ ଜଣ ପ୍ରେମୀ ଯୁଗଳ ଥାନ୍ତି, ସେମାନଙ୍କର ଏ ସବୁରେ କିଛି ମତଲବ ନଥାଏ। ସେମାନଙ୍କର ଖାଲି ନିଜ ପ୍ରେମକୁ ନେଇ ଚର୍ଚ୍ଚାଟା ଜୋହର୍ ଧରିଥାଏ। କେମିତି ନିଜ ପ୍ରେମଟା ଚୁଡାନ୍ତ ରୂପରେଖ ନେବ ସେଇ ଚିନ୍ତାରେ ଅହରହ ସେମାନେ ଗୁମୁରି ଉଠୁଥାନ୍ତି।
ପେଚିକୁ ବସ୍ ଭିତରେ ପ୍ରେମ କରି ଟିଲା ସିନା ଭାବୁଥିଲା – “ସେ ତା’ର ଅତି ନିଜର “, ତେଣୁ ସେଇଠି ସେ ତାକୁ ଟିକେ ଆଢୁଆଳକୁ ଡାକି ନେଇ ପଚାରିଥିଲା – “ଗୋଟେ କଥା ପଚାରିବି?
-” ହଁ ଗୋଟେ କାହିଁକି ଏକାବେଳେକେ ଶହେଟା ପଚାରି ବସୁନ! ତୁମେ ପରା ମୋ ସଖା ମାନେ ପ୍ରାଣପ୍ରିୟ ସଖା।
-“ନା ସେ କଥା ନୁହେଁ ଯେ! ଆମ ଭଲ ପାଇବାଟା true ଲଭ୍ ତ?
-” why not it is true, I mean I love you too much, my dear foolish man.
-ତେବେ ଆମେ କେମିତି ବିବାହ ବନ୍ଧନରେ ବାନ୍ଧି ହେବା? ତୁମର ଯୋଜନାଟା ମୋତେ ଖାଲି ଟିକେ ଖୋଲିକି କହିବଟି !
-“ଆରେ ବିବାହ ସମୟ ଆସି ଉପଗତ ହେଲେ, ବଳେ ସେ ସମ୍ପର୍କରେ ନିଷ୍ପତ୍ତି ନେବା ନାହିଁ, ଇଏ ଗୋଟେ ଏତେ childish କ’ଣମ? ଏବେ ଉପଭୋଗର ବେଳ, ଆସନା! ତୁମ ଦେହର ତାତିରେ ମୋତେ ଭିଜେଇ ଦିଅ। ତୁମ ଓଷ୍ଠ ଉଷ୍ଣ ପ୍ରସବଣରେ ମୋତେ ଟିକେ ଉଷ୍ଣ କରି ଦିଅ। ଉଭୟ ଉଭୟଙ୍କୁ ଖୁବ୍ ପାଖରେ ପାଇ ବେଶ୍ କିଛି ରୋମାଣ୍ଟିକ୍ ହୋଇ ପଡୁଥିଲେ। ସେଠୁ ପେଚିର ମନ ଭରିଗଲା ପରେ, ସେ ଉଠି ଚାଲି ଯାଉଥିଲା, ତା’ର ପ୍ରେମିକ number – 2 ଆସି ଡାକିବାରୁ ।
ଏଇ ପ୍ରେମିକ ନମ୍ବର 2 ହେଲା ଚନ୍ଦ୍ରଶେଣା। ଟିଲା ସିନା ବସରେ ଯିବାଆସିବା କଲା ବେଳର ପ୍ରେମିକ, କିନ୍ତୁ ଚନ୍ଦ୍ରଶେଣା ପରା ତାଙ୍କ ବସ୍ତିର ମାନେ ଘର ପାଖର। ତେଣୁ ସେ ବସିଲା ଉଠିଲା ପାଖରୁ ମାର୍କେଟିଂ ଯାଏଁ ସବୁ କାମରେ ଲୋଡ଼ା ପଡୁଥିବା ପେଚିର ପ୍ରେମିକା। ନିଇତି ପରା ଆଳୁଦମ ଦହିବରା ଓ ଗୁପଚୁପ ସେ ଖୁଆଏ। ସେଟା କିନ୍ତୁ ବେପାରୀଟେ ହୋଇଥିବାରୁ ପ୍ରତ୍ୟେହ କ୍ଲାସ ଆସେ ନାହିଁ, ଯାହା ପରୀକ୍ଷାଟା ଦେଇଦେଇ ଏଲ. ଆଇ. ସି. ପ୍ରଭୃତି ବେଉସାରେ ମନ ବଳେଇଥାଏ। ବାକି ସମୟଟା ପେଚିକୁ ଦେଇଥାଏ।
ଏ କଥାଟା ଟିଲା ବା କେମିତି ବୁଝିଥାନ୍ତା? କିନ୍ତୁ ଗୋଟେ climax periodରେ ପେଚି ଯେତେବେଳେ ଉଠି ଚାଲିଗଲା ଚନ୍ଦ୍ରା ସାଙ୍ଗରେ, ଏହାର ସେତେବେଳେ ସନ୍ଦେହ ହେଲା। ତେଣୁ ସେମାନଙ୍କ ଉପରେ ନଜର ରଖିଥିଲା।
ଶୁଣିଲା – ଅନତି ଦୂରରେ ସେଇ ସମାନ ପ୍ରସଙ୍ଗ ଉତ୍ଥାପନ କରି ଚନ୍ଦ୍ରା ପେଚିକୁ ପ୍ରଶ୍ନ ବଢ଼ୁଥାଏ, ଆଉ ପେଚି ପ୍ରତ୍ୟୁତ୍ତର ରଖୁଥାଏ – “ଏ ମୁଁ ତ ତୁମକୁ ସବୁ କଥା ଦେଇ ସାରିଛି, ଆଉ ବାହାଘରଟା କେଉଁ ବଡ଼ କଥା ଯେ!” ଯେବେ ଚାହିଁବ ସେବେ। ତେବେ picnicଟାରେ ମୁଡ୍ କାହିଁକି ଅପ୍ କରିବା ଯେ! ଆସନା ଜୀବନଟାକୁ ମନ ଭରି ଉପଭୋଗ କରିବା”। ଟିଲାର ମୁଣ୍ଡଟା ଘୂରାଇ ଦେଲା – କଚାଡି ହୋଇ ତଳେ ପଡିଗଲା, ଚେତା ଫେରିଲା ବେଳକୁ ମେଡିକାଲରେ। ହେଲେ ପେଚିଟା ପାଗଳୀ ନା ବାୟାଣୀ, ଏମିତି କ’ଣ ସବୁ ଓଲଟା ପାଲଟା ଗପୁଥିଲା ଯେ! ଓଃ.. ଓଃ.. ଏଟା ପରା ଫୁଟାଣି ବଟୁଆରୁ ଖୋଲି ଗୋଟେ କ’ଣ ଟିଣ ମାଲ ପିକଉଥିଲା।ସେଇଟା ଆଉ ଟଣିଆ ଜଳ ନୂହେଁ ତ? ହଁ ହେଇଥିବ। ଗୋଡଟା ତ ତା’ର ଖାଲି ଏପଟ ସେପଟ ପଡୁଥାଏ।
ଭାଗ 11
… ମଣିଷ ପ୍ରେମର ପୂଜାରୀ । ଜ୍ଞାତରେ ହେଉ ବା ଅଜ୍ଞାତରେ, ସେ ଅନ୍ୟକୁ ପ୍ରେମ କରି ବସେ । ପ୍ରେମର ସଫଳତା ପାଇଲେ, ସେ କୃତିତ୍ୱର ପାହାଚ ଗୁଡ଼ାକ ଗୋଟାଏ ପରେ ଗୋଟାଏ ଚଢିଯାଏ । ମାତ୍ର ତହିଁରେ ବିଫଳ ହେଲେ,ସେ ଭଗ୍ନ ମନୋରଥ ହୋଇ, ସେଇଠି ଦଣ୍ଡେ ବସିପଡ଼େ । ସତେକି ତା’ ଜୀବନର ସମସ୍ତ ବିକାଶ ସେଇଠି (ବନ୍ଦ) ସିଲ୍ ହୋଇଗଲା ।
ବାବୁରାଜା ସହରୀ ଶିକ୍ଷା ଓ ସଭ୍ୟତାରେ ବଢି ଥିଲେ ହେଁ, ସହରୀ ଛାପ, ତା’ଠାରେ ତିଳେ ହେଁ ନଥାଏ । ସବୁବେଳେ ନିରୁଦ୍ବେଗ, ସ୍ଥିର, ନିସ୍ତେଜ, ନିର୍ବିକାର ଓ ଉଦାସୀନ । ପୁଣି ପ୍ରେମ ବ୍ୟାପାରରେ ତ ସେ ସୁଦ୍ ମଫଟାଏ, ଟିକିଏ ବୋଲି ରସିକତା ନାହିଁ । ନିହାତି ବେରସିକ । କିନ୍ତୁ ଦେଖିବାକୁ ରାଜ କୁମାର ପରି । ଅଚଳାଚଳ ସଂପତ୍ତି । ଧନୀ ଘରର ପିଲା । ବାପା ମା’ଙ୍କର ଗୋଟିଏ ବୋଲି ଛୁଆ । ତେଣୁ ମୋଟା ସୁନା ଚେନ୍ ପକାଇ ଇଉନିଭରସିଟି ଆସେ । କାର ଧରି ବୁଲେ ।
ଭାରି ପଇସା ବାଲା ଘରର ପିଲା ଦେଖି; କିଏ କେତେ ଫାନ୍ଦରେ ପକାଏ । ଲାଇନ୍ ମାରେ । ହେଲେ ଟୋକାଟା ଆଦୌ ଫସେ ନାହିଁ,କି କାହା କଥାରେ ବହରି ଯାଏ ନାହିଁ ।
ଦିନେ ରାଣୀ ଦିବ୍ୟା ସହ ବ୍ୟାଟ୍ ଲଗାଇଲା- “ମୁଁ ଯଦି ସେଦିନର ଲକ୍ଷେ ହୀରାକୁ ବଳି, ଆଜିର ଗୌତମ ବୁଦ୍ଧଙ୍କୁ ଫସେଇ ନପାରିବି, ତା’ହେଲେ ଇଉନ୍ଭରସିଟି ମାଟି ମାଡ଼ିବି ନାହିଁ” ।
ସେଦିନ ବାବୁରାଜା ଲାଇବ୍ରେରୀରେ ବହିର ପାହାଡ଼ ଭିତରେ ଗୋଟିଏ କୋଣକୁ ବସି ପଡ଼ିଥାଏ । ଯେପରି କାହାରି ନଜର, ସେଠି ନପଡ଼େ । ଚାରି ଆଡ଼େ କାମ୍ ଏଣ୍ଡ କ୍ୱାଇଟ୍ । ଏକଦମ୍ ପିନ୍ ଡ଼୍ରପ୍ ସାଇଲେନ୍ସ । ନିଶ୍ଚଳ-ନିସ୍ତବ୍ଧ ପରିବେଶ ।
ହଠାତ୍ ରାଣୀ ପଶି ଆସିଲା । କହିଲା – “ହାଏ ସୁଇଟ୍ ! ଲଭ; ଲଭ । ଆଇ ଲଭ୍ ଇଉ” ।
ବାବୁରାଜା କିଛି ବୁଝି ପାରିଲା ନାହିଁ । ଖାଲି ବୋକାଙ୍କ ଭଳି ଚାହିଁ ରହିଲା । ଦିବ୍ୟା ନିକଟରେ ଛପି ରହି ସବୁ ଦେଖୁଥାଏ । କଅଣ ଗୋଟାଏ ମୁହଁ ମୋଡ଼ି ଇସାରା କରୁଥାଏ । ବୋଧହୁଏ, ପରାଜୟର ପରାଭବ ଦେଉଥାଏ । ଏଥର ରାଣୀ ଆହୁରି ନିକଟବର୍ତ୍ତୀ ହେଲା । ଗୌତମଙ୍କର ଧ୍ୟାନ ଭଗ୍ନ କରିବାକୁ ଚିବୁକରେ ଆଙ୍କି ଦେଲା, କେତୋଟି ଚୁମ୍ବନର କୁଙ୍କମ ରେଖା । ସଙ୍ଗେ ସଙ୍ଗେ ଏକ ଅପୂର୍ବ ଶିହରଣରେ ଶିହରିତ ହୋଇ ଉଠିଲା; ବାବୁରାଜାର ଶରୀରରେ ଝଲସି ଗଲା ବିଦ୍ୟୁତର ଚମକ୍ । ମନରେ ଭରିଗଲା ଅହେତୁକ ପୁଲକ । ହୃଦୟରେ ସବୁତକ ଭାଷା ଅଭିବ୍ଯକ୍ତି ଲଭିବାକୁ ବ୍ୟସ୍ତ ହୋଇ ଉଠିଲା ।
ଆଖିରେ ଆଖିରେ ପ୍ରିୟାର ଅନେକ ସନ୍ଦେଶ, ସ୍ନେହ ସମ୍ଭାଷଣ, ପ୍ରଥମ ପ୍ରେମର ସ୍ପର୍ଶରେ, ବାବୁରାଜା ଯେ ଆତ୍ମ ବିଭୋର ହୋଇ ପଡ଼ୁଥାଏ, ହେଲେ କିଛି କହିପାରିଲା ନାହିଁ । ଅନତି ଦୂରେ ଦିବ୍ୟା ଛିଡ଼ା ହୋଇ ଖିଲି ଖିଲି ହସୁଥାଏ । ତେଣୁ ସେ ଲାଜେଇ ଗଲା । ଟିକିଏ ଚାହିଁ ଦେଇ ତଳକୁ ମୁହଁ ପୋତି ଦେଲା ।
ବାବୁରାଜା ନିଜ ପ୍ରକୋଷ୍ଠକୁ ଫେରି ଆସିଲା । ଖାଇବାକୁ ମନା କରି , ସଅଳ ଶୋଇପଡ଼ିଲା। ବିଛଣାରେ ପଡ଼ି ପଡ଼ି ଖାଲି ଛଟ ପଟ ହେବାକୁ ଲାଗୁଥାଏ । ଆଖି ବୁଜନ୍ତେ ସେହି ଅନିନ୍ଦ୍ୟା- ରୂପବତୀ- ଲାସ୍ୟମୟୀ- ହାସ୍ୟମୟୀ ଲାବଣ୍ୟ ବତୀର ମୁଖ ମଣ୍ଡଳ ଝଲସି ଉଠୁଥାଏ । ସେ ସ୍ୱପ୍ନ ରାଇଜରେ ଘୂରି ବୁଲିବାକୁ ଲାଗୁଥାଏ ।ମାଆ ଡାକିଲେ “ବାବୁ ଆସେ ଖାଇବୁ “, “ନା ଖାଇବି ନାହିଁ “କହି ଘୋଡ଼ିଘାଡି ହୋଇ ଶୋଇ ପଡିଲା। ମନକୁ ଗୋଟେ ସଠିକ୍ ନିଷ୍ପତ୍ତି ଆସିବା ଆଗୁ ସେ ଭୁଲ ଠିକକୁ ନେଇ ଅନେକ ଅଙ୍କ କଷିଲା।
ସକାଳୁ ସକାଳୁ ଉଠି ଲାଇବ୍ରେରୀକୁ ବ୍ୟସ୍ତ ହୋଇ ଧାଇଁଲା । “ଆଇ ଲଭ୍ ଇଉ ଠୁ ମାଇ ଡ଼ାର୍ଲିଂ ।” – ଚଟାପଟ କହି ଦେଇ, ଫେରି ଆସିଲା ।
ଏଇ ଲାଇବ୍ରେରୀଟା ଡେଜ ସ୍କଲାରଙ୍କ ପାଇଁ ସ୍ଵପ୍ନର ଅମରାବତୀ। ସେମାନଙ୍କୁ ବାର୍ତ୍ତଳାପ କରିବା ପାଇଁ ବା ପ୍ରେମ କରିବା ପାଇଁ ସେମିତି ନିଭୃତ ସ୍ଥାନ ମିଳେ ନାହିଁ। ବରଂ ଏଇ ଲାଇବ୍ରେରୀଟା ଭଲ, ଯେଉଁଠି ସେମାନେ ଫୁସଫୁସ ହୋଇ ଅନେକ କିଛି କହି ପକାନ୍ତି। ଏଇଠି ତ ବେଶୀ ସାଇଲେଣ୍ଟ ଲଭ୍ ହୁଏ। କେହି କାହାକୁ ବିଶେଷ କିଛି କହିବାର ସୁଯୋଗ ନଥିଲେ ହେଁ କେବଳ ଆଖିରେ ଆଖିରେ ଇସାରାରେ ଇସାରାରେ ଏଠି ପ୍ରେମ ହୋଇଯାଏ। ଟିକିଏ ପ୍ରେମଟା ଜମି ଗଲା ପରେ ଆଉ କୋଉ ପାର୍କ, ମନ୍ଦିର, ସିନେମା ହଲ୍ ତ ବାକି ରହେ ନାହିଁ। କିନ୍ତୁ ଆରମ୍ଭଟା ଏଇଠୁ ହେବାର ଅନେକଟା ନଜିର ଅଛି। ଫେରିବା ପୁଣି ବାବୁରାଜା ପାଖକୁ।
ଏଥର ଅନେକ ପ୍ରେମାଳାପ । ଅନେକ ରୋମାନ୍ସ । ନନ୍ଦନକାନନ, ଖଣ୍ଡଗିରି, ଧଉଳଗିରି, ଠାରୁ ପୁରୀ, କୋଣାର୍କ ବେଳାଭୂମି ଯାଏଁ – ସବୁଠି ପ୍ରିୟାର ପାଦ ଶଦ୍ଦ- ଶୁଭା ଗଲା । କୌଣସି ପାର୍କ, ଫିଲ୍ମୀ ହଲ୍- ରେଷ୍ଟୁରାଣ୍ଟ ଆଉ ବାକି ରହିଲା ନାହିଁ । ସବୁଠି ଜୀବନକୁ ମନ ଭରି ଉପଭୋଗ କଲା । ପାଖରେ ରାଣୀ ଥିଲେ କ୍ଳାନ୍ତି- ଅବସାଦ ଆଉ ରହେ ନାହିଁ, କେମିତି ଏକ ନବ ଉନ୍ମାଦନାରେ ମନ ଛାଏଁ ସତେଜ ହୋଇ ଉଠୁଥାଏ ।
ସେଦିନ ପ୍ରାଗ୍ ଐତିହାସିକ ଯୁଗର ଅପରୂପ ଚାରୁ ଭାସ୍କର୍ଯ୍ୟ କଳାର କ୍ଷେତ୍ର କୋଣାର୍କକୁ ସେମାନେ ଆସିଯାଇଥିଲେ, ତା’ର ସୌଦର୍ଯ୍ୟକୁ ଆକଣ୍ଠ ପାନ କରିବା ପାଇଁ। ଯେଉଁଟାକି କେତେ କେତେ ପ୍ରେମୀ ଯୁଗଳଙ୍କ ଭିତରେ ପ୍ରେମ ଭାବ ଉଦ୍ରେକ କରିବା ପାଇଁ ପରା ଯୋଗାଇ ଥାଏ ବାସ୍ତବ ପୃଷ୍ଠଭୂମି ଓ କେତେ କ’ଣ ଉପାଦେୟ ଉପାଦାନ। ସେଦିନ କୋଣାର୍କର ମନ୍ଦିର ଗାତ୍ରରେ ରାଜାର ଆଦେଶରେ ଶିଳ୍ପୀର ନିହାଣ ମୁନରେ ଫୁଟି ଉଠିଥିବା ଅନେକ ନଗ୍ନ ଚିତ୍ର ଦେଖି, ସେମାନଙ୍କ ମନରେ ସ୍ରୁଷ୍ଟି ହେଉଥିଲା ବେଶ୍ କିଛି ଭାବାନ୍ତର। ତେଣୁ ସେମାନେ ବେଶ୍ ଉତ୍ତେଜିତ ହୋଇ ଯାଉଥିଲେ। ବାହାରେ ଝିପି ଝିପି ବର୍ଷା ଏହି ଉତ୍ତେଜନାକୁ ଆହୁରି ଘନୀଭୂତ କରୁଥାଏ। ଅଳ୍ପ ବର୍ଷାରେ ଟିକିଏ ଭିଜି, ଯିଏ ଯୁଆଡେ ଛପି ଯାଇଥିଲେ ଆଉ ଏମାନେ ବି ଲୁଚି ଯାଇଥିଲେ କେଉଁଠି ଏଜ ନିଭୃତ କୋଣରେ। ରାଣୀ ଇତିହାସର ଛାତ୍ରୀ। ତେଣୁ ରିସର୍ଚ୍ଚ ସ୍କଲାର ପରି ଚିତ୍ରରେ ଲୁଚି ରହିଥିବା ସ୍ରୁଷ୍ଟି ରହସ୍ୟ ଓ ତା ପ୍ରଚ୍ଛଦପଟ୍ଟ କାହାଣୀକୁ ସେ ବେଶ୍ ସରଳ ଓ ବିସ୍ତୃତ ଭାବେ ବିବରଣ ପ୍ରଦାନ କରୁଥାଏ। ସେଇ ଭାବନାରେ ବହରି ଯାଇ ସେମାନେ ହୁଏତ ଫେରି ଯାଉଥିଲେ ପ୍ରସ୍ଥର ଯୁଗର ଲାଙ୍ଗଳୀକ ମଣିଷ ପାଖକୁ ବା ଆଦାମ ଓ ଇଭର ମୂଳ ତତ୍ତ୍ୱକୁ। ତେଣୁ ଏ ସବୁ ଶୁଣି ଶୁଣି ବାବୁରାଜା ଉତ୍ତେଜିତ ହୋଇ ଯାଉଥାଏ ଆଉ ନିଜକୁ ଅଧିକ ସମୟ ସମ୍ବରଣ କରି ପାରିଲା ନାହିଁ । ଅଚାନକ ଭାବରେ ଆବିଷ୍ଠ ହୋଇ ରାଣୀକୁ କୁଣ୍ଢାଇ ଧରିଲା।କ୍ଷଣକେ ଉଭୟ ଉଭୟଙ୍କୁ ବାହୁ ବନ୍ଧନର ନିଗଢ ଫାଶରେ ସ୍ନେହ ଆଶ୍ଳେଷ ଭିତରେ ବାନ୍ଧି ପକାଇଲେ ।ଶରୀର ବେଶ୍ ରୋମାଞ୍ଚିତ ହୋଇ ଯାଉଥିଲା। ସେଇ ପ୍ରସ୍ଥର ମୂର୍ତ୍ତି ସହିତ ସେମାନେ ବି ମୂର୍ତ୍ତିମନ୍ତ ପ୍ରତୀକ ପାଲଟି ଯାଉଥିଲେ। ସେଇ ସେତିକିରେ ମନ ଭରିଗଲା ପରେ ସେଇ ରିମଝିମ ବର୍ଷାରେ ଭିଜି ଭିଜି ସେମାନେ ଆସିଯାଇଥିଲେ ଚନ୍ଦ୍ର ଭାଗାର ସମୁଦ୍ର ବେଳାଭୂମିକୁ ଯେଉଁଠି ଉତ୍ତୁଙ୍ଗ ଉତ୍ତାଳ ଲହଡି ମନର ଦୋଳାରେ ଅହରହ ଦୋଳାୟିତ ହେଉଥାଏ। ସେମାନେ ବି ପଶି ଗଲେ ଆଣ୍ଠୁଏ ଯାଏଁ ପାଣିକୁ। କେତେବେଳେ ନଇଁ ପଡ଼ି ଲହଡି ଭାଙ୍ଗୁ ଥାନ୍ତି ତ ପୁଣି କେତେବେଳେ ପରସ୍ପରକୁ ବିନ୍ଦୁଏ ବିନ୍ଦୁଏ ପାଣି ଛାଟି ଭିଜାଉଥାନ୍ତି। ଆଉ ବେଳେ ସମୁଦ୍ର ଢେଉଟା ସେମାନଙ୍କୁ ଠେଲି ଠେଲି ସଦର୍ପରେ ବେଳାଭୂମିରେ ଆଣି ବିଞ୍ଚି ପକାଇ ଦେଉଥାଏ, ହେଲେ ଉଭୟଙ୍କ ହାତ ଉଭୟଙ୍କୁ ଜଡାଇ ଧରି ଥିବାରୁ ପ୍ରତ୍ୟେକ ପରସ୍ପରକୁ ଖୁବ୍ ନିକଟରେ ପଢ଼ାଉଥାନ୍ତି। ବାସ୍ତବରେ ସେଇ ଓଦା ବସ୍ତ୍ରରେ ରାଣୀର ଅଙ୍ଗ ସୌଷ୍ଠବ ବେଶ୍ ପରିସ୍ଫୁଟ ହୋଇ ଦିଶୁଥିଲା। ବାବୁରାଜାର ଶରୀର ଧିରେ ଧିରେ ନିସ୍ତେଜ ପାଲଟି ଯାଉଥିଲା। ସୂର୍ଯ୍ୟ ବୁଡ଼ିବାକୁ ଟିକେ ବିଳମ୍ବ ଥିବାରୁ ସେମାନେ ଫେରି ଆସୁଥିଲେ ଛାଡିଥିବା ନିଜ ଗନ୍ତବ୍ୟ ସ୍ଥଳକୁ ।
କେବେ କେବେ ରାଣୀ ହାତ ଧରି ଭିଡ଼ି ନିଏ- ବିଗ୍ ବଜାର । ସେଠୁ ମନ ଇଛା ଗହଣା ଗାଣ୍ଠି ଆଉ ସବୁ ପ୍ରସାଧାନ ସାମଗ୍ରୀ କିଣି ବସେ । ବାବୁରାଜା କିଛି କହିପାରେ ନାହିଁ । “ପ୍ରେମୀକା ଆଗେ ନୀଚ ହେବ ନାହିଁ” -ଭାବି; ବିଲ୍ ଭରି ଦିଏ । ରାଣୀ ହସି ଦେଇ- “ଥ୍ୟାଙ୍କ ୟୁ; ସୋ ଆଇ ଲଭ ଇୟୁ” କହି ପକାଏ । ରାଜାର ଆଉ କିଛି ଶୋଚନା ରହେ ନାହିଁ । ସବୁ ଭୂଲି – ସ୍ୱପ୍ନ ସାଗରରେ ହଜି ଯାଏ । ରାଣୀର ହାତ ଧରି ବାହାରକୁ ନେଇ ଆସେ; କହେ – “ରାଣୀ ତୁମେ ବହୁତ ଭଲ; ତା’ ଠାରୁ ଅଧିକ ସୁନ୍ଦର ।” ରାଣୀ ଫିକି ଫିକି ହସିଦିଏ । ଏଇମିତି ଜୀବନ ଗଡ଼ିଯାଏ ।
ଏବେ ଆହୁରି ଆତ୍ମୀୟତା ଜମି ଜମି ଆସିଲାଣି । କେମିତି ଗୋଟାଏ ନୈକଟ୍ୟ ସଂପର୍କ ଆହୁରି ଗଢି ଉଠିଲାଣି । ସେମାନେ ଏଣିକି ସାଥୀ ହୋଇ କ୍ଲବ୍ ଯାଆନ୍ତି । ବଡ଼ ବଡ଼ ପାର୍ଟି ଆଟେଣ୍ଡ୍ କରନ୍ତି । ବଲ୍ ଡ଼୍ୟାନ୍ସରେ ମାତନ୍ତି । ସାଥୀ ହୋଇ ଧୂମ ନାଚନ୍ତି । ମୃଦୁ ପାନୀୟ ବି ଉଭୟଙ୍କର ଟିକିଏ, ଟିକିଏ ଚଳିଲାଣି । ନିଶାରେ ବେଶ୍ ଝୁମନ୍ତି । ବିଳମ୍ବିତ ରାତ୍ରିରେ ହଷ୍ଟେଲ୍ ଦିନେ ଦିନେ ଫେରନ୍ତି, ଯେଉଁଦିନ ଘରେ ବାହାନା ବନେଇ କହି ଆସିଥାଏ – “ଆଜି ଦିବ୍ୟା ପାଖରେ hostel ରେ ରହିଯିବି, କାରଣ ମୋର ପାଠ ପଢା ଅନେକ ବାକି ଅଛି” ।ସେଦିନ ଗେଟ୍ କିପରକୁ ନୋଟଟେ ବଢାଇ ଦେଇ ଭିତରକୁ ଚାଲି ଯାଆନ୍ତି । ଗୁଡ଼ ନାଇଟ୍ ଡ଼ାର୍ଲି କାଲି ପୁଣି ସେଇଠି ଦେଖା ହେବ” – କହି; ବିଦାୟ ନିଅନ୍ତି । ବାବୁରାଜା ଘରକୁ ଫେରି ଯାଇ ସେଇ ସମାନ କିଛି ବାହାନା କରି ମାଆଙ୍କୁ ବିଳମ୍ବର କୈଫତ ଦେଇଦିଏ ଓ ବାପାଙ୍କୁ କିଛି କହିବୁନି ବରଂ ବୁଝେଇ ଦେବୁ କହେ। ଏମାନେ ଟିକିଏ ଧନୀକ ଗୋଷ୍ଠୀର, ତେଣୁ ପ୍ରାଚୁର୍ଯ୍ୟ ଭିତରେ ଏ ମାନଙ୍କର ସ୍ୱାଛନ୍ଦ ବିହାରରେ ସେତେଟା ବାଧା ଉପୁଜେ ନାହିଁ।ତେଣୁ ତ ଏପଟ ସେପଟ ଘର ଲୋକଙ୍କୁ ଭୂତେଇ ସେମାନେ ତ ବେଳେ ଅଧେ କେମିତି ବି ଲଜରେ ରହିପାରନ୍ତି ।
ସେଦିନ ବାବୁରାଜା ବାୟା ବାବା ମଠ ଯାଇଥିଲା । ଆଗରୁ ବହୁବାର ସେ ଏଠାକୁ ଆସିଛି । ମଠ ମହନ୍ତ ତା’କୁ ଚିହ୍ନିଛନ୍ତି । କାହିଁକି କେଜାଣି, ସେ ତା’କୁ ବହୁତ ଭଲ ପାଆନ୍ତି । ତା’ର ଅସ୍ୱାଭାବିକ ଢଙ୍ଗଢାଙ୍ଗ ଦେଖି; ମଠ ମହନ୍ତ, କହିଲେ- “ବିବୁରାଜା! ଆଜି ମୁଁ ତୁମକୁ ଏକ ବହୁତ ବଡ଼ ଅପୂର୍ବ ଚିଜ୍ ଦେବି । ୟା’କୁ ନେଇ ତୁମେ ତୁମ ଜୀବନର ବହୁତ ବଡ଼ ସଫଳତା ପାଇଯିବ । ସଂସାରରେ ପରମ ସତ୍ୟ ବୁଝିଯିବ ।”
ବାବୁରାଜା ତା’ପର ଦିନ ସକାଳୁ ବ୍ୟଗ୍ର ହୋଇ ଲାଇବ୍ରେରୀକୁ ଧାଇଁଲା । ଡ଼ାର୍ଲିଂ ଗିଭ୍ ମି ଇୟୋର ସୁଇଟ୍ ହ୍ୟାଣ୍ଡ”- କହି; କ’ଣ ଗୋଟାଏ ପିନ୍ଧାଇ ଦେଲା । କହିଲା- “ଏଇଟିକୁ ସଦା ସର୍ବଦା ପାଖରେ ରଖିଥିବ, କାହାକୁ ଦେବ ନାହିଁ । ଯଦି ବା ଦିଅ, ଯାହାକୁ ତୁମେ ସବୁଠାରୁ ଅଧିକ ଭଲ ପାଅ ତାକୁ ହିଁ କେବଳ ଦେଇପାରିବ – ମଠ ମହନ୍ତ କହିଛନ୍ତି । ତୁମକୁ ଛାଡ଼ି ଦେଲେ ଆଉ କିଏ ବା ମୋର ନିଜର ଅଛି ; ଯାହାକୁ ମୁଁ ଦେବି ?” ରାଣୀ କହିଲା- “ଆଇ ନୋ” ଫୁଲ । ଇୟୁ ଆର୍ ଏଭ୍ରି ଡ଼େ ଗୁଡ଼୍ ।
ସେଦିନ ସାବିତ୍ରୀ ଅମାବାସ୍ୟାର ରାତ୍ରୀ ହୋଇଥାଏ । ସହରର ସବୁ ସତୀଙ୍କର କ୍ଲବରେ ଭିଡ଼ ଜମିଥାଏ । ଚିକ୍ ମିକ୍ ଅସ୍ପଷ୍ଟ ଲେଜର ଆଲୁଅରେ, ବଲ୍ ଡ଼୍ୟାନ୍ସ୍ ବେଶ୍ ଜମି ଯାଇଥାଏ । ବୋଧହୁଏ ନାଚି- ନାଚି ଥକ୍କା ହୋଇ ବାବୁରାଜା ଗୋଟାଏ କୋଣରେ ଘୁମେଇ ପଡ଼ିଥାଏ । ନିଶାଟା ଜୋହର ହୋଇ ଯାଇଥାଏ । ରାତି ବି ଅନେକ ହୋଇ ଯାଇଥାଏ । କ୍ଲବ ବାର୍ ଏତେବେଳକୁ ପୁରା ପୁରି ଶୂନ୍ ଶାନ୍ । ବାବୁରାଜା ଏକାକୀ ପଡ଼ି ରହିଥାଏ । ରାଣୀ କିନ୍ତୁ କେତେବେଳୁ ତା’କୁ ଛାଡ଼ି କାହା ସାଥିରେ ଚାଲି ଯାଇଥାଏ ।
ନର୍ତ୍ତକୀ ଅପରୂପା ନିଜ କାନ୍ଧ ଉପରେ ଭାରା ବହନ କରି ବାବୁରାଜାକୁ ଉଠାଇ ନେଇ ନିଜ ପ୍ରକୋଷ୍ଠ ମଧ୍ୟକୁ ଚାଲି ଯାଇଥାଏ । ଅନେକ ସେବା ଯତ୍ନ କରି ବାବୁରାଜାକୁ ଖଟ ଉପରେ ଶୁଆଇ ଦେଇଥାଏ । ନିଜ କାନିରେ ଝାଳ ପୋଛି ଦେଉଥାଏ । ହୋସ୍ ଆସିବା ପର୍ଯ୍ୟନ୍ତ ରାତି ସାରା ପାଦ ପାଖରେ ଜଗି ବସିଥାଏ ।
ନିଶା ଛାଡ଼ି ଗଲା ପରେ ସକାଳୁ ରାଜା ଧଡ଼୍ପଡ଼ ହୋଇ ଉଠି ପଡ଼ିଲା । ସବୁଥର ପରି ଏଥର ଅପରୂପାକୁ ଗାଳି ଗୁଲଜ କଲା- “ତୋତେ କିଏ ସେ କହିଥିଲା; ମୋତେ ଏଠିକି ଆଣିବାକୁ ।” ଅପରୂପା ଛଳ ଛଳ ହୋଇ ଉଠୁଥାଏ । ହଠାତ୍ ହାତରେ ନାଲି ଗୋମେଦ ପଥର ବସା ମୁଦିଟିଏ ଦେଖି ଚମକି ପଡ଼ିଲା – ବାବୁରାଜା । “ଏ ମୁଦ୍ରିକା କେଉଁଠୁ ଆସିଲା” ବୋଲି ସେ ଚିତ୍କାର କରି ଉଠିଲା । ଅପରୂପା ଡ଼ରି ଡ଼ରି କହିଲା ।
– “ମୁଁ …..ପିନ୍ଧାଇ …..ଦେଇଛି ।”
– “କାହିଁକି?”
– “ମୁଁ ତୁମକୁ ସବୁଠୁ ବେଶୀ ଭ….ପା….. ।”
– “କେଉଁଠୁ ଆଣିଲୁ ସତ କହ ?”
– “ମୋତେ ପାର୍ଥ ଦେଇଥିଲା ତାକୁ କୁଆଡ଼େ ରାଣୀ ଦେଇଥିଲା ।”
ଏଥର ବାବୁରାଜାର ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ;- “ଏ ହେଉଛି ମଠ ମହନ୍ତଙ୍କର ସେଇ ଅପୂର୍ବ ଚିଜ । ଦିନେ ତାକୁ ସେ ବେଶି ଭଲ ପାଏ ବୋଲି ରାଣୀକୁ ଦେଇଥିଲା, ହେଲେ ଆଶ୍ଚର୍ଯ୍ୟ…. । ଏ ମୁଦ୍ରିକାଟି ଚକ୍ରବତ୍ କେମିତି ଫେରିଲା?
ତା’ହେଲେ ରାଣୀର ଭଲ ପାଇବା କ’ଣ ମିଛ ? ସେ କ’ଣ ତା’କୁ ଭଲ ନପାଇ ପାର୍ଥକୁ ଭଲପାଏ…..?? ଭଲ ପାଇବାର ମାନେ କ’ଣ ଖାଲି ପ୍ରବଞ୍ଚନା ଆଉ ସ୍ୱାର୍ଥ ସିଦ୍ଧିର ପ୍ରଚ୍ଛନ୍ନ ମତଲବ …..??? ତେବେ ମଣିଷ କାହାକୁ ଭଲ ପାଏ ?
ମଣିଷକୁ ନା…ଅର୍ଥକୁ ? ରୂପକୁ ନା ….ଗୁଣକୁ ?? କାହାକୁ ……??? କାହିଁକି ? କାହିଁକି ଭଲା ଏଠି ଏତେ ନାଟ, ଏତେ ପ୍ରହସନ ??”
ରାଣୀ ଦେଖା ହୁଅନ୍ତେ ବାବୁରାଜା କହିଲା-
– “ମୁଦ୍ରିକାଟି ମୋତେ ଫେରାଇ ଦିଅ, ରାଣୀ ।”
– “ମୁଁ ଫେରାଇ ପାରିବି ନାହିଁ ।”
– “ମାନେ ?”
– “ସେ ମୁଦ୍ରିକାଟି ଆଉ କାହାର ହୋଇ ଯାଇଛି ।”
– “ତେବେ ତୁମର ଭଲ ପାଇବା ? ସେ ଦିନର ପ୍ରତିଶ୍ରୁତି ??”
– “ମୁଁ ଭଲ ପାଏ ବୋଲି ତ ବିବାହ କରିବାକୁ ବାଧ୍ୟ ନୁହେଁ ।” ରାଜାର ଉତ୍ତରକୁ ଅପେକ୍ଷା ନକରି ରାଣୀ ସେଠୁ ଚାଲିଯାଇଥାଏ । ଚାଲିଗଲା ବେଳେ ତାଚ୍ଛଲ୍ୟ ହସଟିଏ ହସି ଦେଇଗଲା । ରାଜାର ମୁଣ୍ଡଟା ଘୂରାଇ ଦେଲା । ସେଇଠି ବସି ପଡ଼ିଲା । ହଠାତ୍ ତା’ର ମନେ ପଡ଼ି ଗଲା- ବାବୁରାଜ ଭତ୍ତୃହରିଙ୍କ କଥା । ତେବେ କ’ଣ ଏହି ହିଁ ସଂସାରର ପରମ ସତ୍ୟ; ଯେଉଁଥି ପାଇଁ ଅତିଶୟ ସଂସାରାସକ୍ତ ରାଜା ଭତ୍ତୃହରି ସେଦିନ ନାରୀ ମୋହ ମାୟା ଆଉ ସବୁ ରାଜକୀୟ ପ୍ରାଚୁର୍ଯ୍ୟ ପରିତ୍ୟାଗ କରି, ବନସ୍ତର ନିଭୃତରେ ନୀତି ଶତକ ରଚନା କରିଥିଲେ-
“ଭୋଗା ନ ଭୁକ୍ତା ବୟମେ ଭୁକ୍ତାଃ
ତପୋ ନ ତପ୍ତଂ ବୟମେବ ତପ୍ତାଃ
କାଲୋ ନ ୟାତୋ ବୟମେବ ୟାତାଃ
ତୃଷ୍ଣା ନ ଜୀର୍ଣ୍ଣା ବୟମେବ ଜୀର୍ଣ୍ଣାଃ ।
ଭାଗ12
ଆଜି କଲେଜରେ ଶେଷ ଦିନ। ଫେରୱେଲ ମିଟିଂ ପରେ କ୍ଲାସ ସସ଼୍ପେଣ୍ଡ ହୋଇଯିବ। ବାକି ରହିଯିବ କେବଳ ପରୀକ୍ଷାଟା। ଆଉ ପ୍ରତିଦିନ ଦେଖାହେବ ନାହିଁ – ସହପାଠୀ, ସହପାଠିନୀ, ସାଙ୍ଗ ସାଥିମାନଙ୍କ ସହ । ଦେଖାହେବ ନାହିଁ ସରୋଜିନୀ।
ଚାହୁଁଚାହୁଁ ବର୍ଷ କେଇଟା ବିତିଗଲା, କିଛି ଜଣାପଡ଼ିଲା ନାହିଁ। ସେଦିନ ଗାଁରୁ ଯାଇ ରାଜା ସହରରେ ପହଁଞ୍ଚିଯାଇଥିଲା ଆଉ ଆରମ୍ଭ ହୋଇଯାଇଥିଲା ଓଡିଶାର ସର୍ବପୁରାତନ ଓ ସର୍ବପ୍ରଶିଦ୍ଧ ଶିକ୍ଷାନୁଷ୍ଠାନ ବାଣୀବିହାରରେ ତା’ର ପାଠ ପଢା। ମନରେ ଅନେକ ସ୍ଵପ୍ନ – ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଡିଗ୍ରୀଟା ସେ ହାସଲ କରିବ। ବାପା ମାଆଙ୍କର ସ୍ଵପ୍ନ ସବୁ ସାକାର ହେବ। ପାଠ ପଢି ସାରି ସେ ବଡ଼ ଚାକିରୀଟାଏ କରିବ-ଚାକିରୀ ।ତା ଜୀବନ ତମାମର ସବୁ ସ୍ଵପ୍ନ ଫଳବତୀ ହେବ। ବନ୍ଧୁ ବାନ୍ଧବଙ୍କର ଆଶା ଆକାଙ୍କ୍ଷା ମଧ୍ୟ ପୂରଣ ହେବ। ଭଉଣୀଙ୍କୁ ଦେଇଥିବା କଥାଟା ରହିଯିବ। ଚାକିରୀ କଲା ପରେ ଭଲ ଜାଗା ଦେଖି ସେମାନଙ୍କୁ ବାହା କରିଦେବ। ସାନ ଭାଇକୁ ମଣିଷ ପରି ମଣିଷ କରି ଗଢି ତୋଳିବ। ସେ ସବୁ ସତ ହେବାକୁ ଲାଗିଲା, ସେ ଭଲ ପାଠ ପଢିଲା, ଖାଲି ପାଠ ହିଁ ପାଠ ।ପାଠ ବ୍ୟତିରେକେ ତାକୁ ଆଉ କିଛି ଦେଖା ଯାଏ ନାହିଁ ।
ହେଲେ ଧୀରେ ଧୀରେ ତା ବ୍ୟବହାର ଆଚାରରେ ଅସ୍ୱାଭାବିକ ପରିବର୍ତ୍ତନ ହେବାକୁ ଲାଗିଲା। ସେ ବଦଳି ଗଲା। ଭୂଲିବାକୁ ଲାଗିଲା ସବୁ କିଛି।ଭୁଲିଗଲା ଗାଁ ସ୍କୁଲର ପଢୁଥିଲା ବେଳେ ଦିନେ ଶିଅଳ ସାରଙ୍କୁ ଦେଇଥିବା କଥା – “ମଣିଷ ପରି ମଣିଷ ହେବାର ସଙ୍କଳ୍ପ”। ଆଉ ଏ କଥା ମଧ୍ଯ ଭୂଲି ଗଲା ତା ପରିବାର ବାପା ବୋଉଙ୍କର କଥା। ଭୂଲି ଗଲା ସେମାନଙ୍କ କଥା – କେତେ କଷ୍ଟରେ ପେଟକୁ କାଟି ପଇସା ଗଣ୍ଡାକ ପଠାଉଥାନ୍ତି ତା କତି, ସହି ଭୀଷଣ ତାତି । ଉଦ୍ଦେଶ୍ୟ -” ରାଜା ଆମର ପାଠ ପଢି ହାକିମ ହେବ- ହାକିମ “। ସେମାନଙ୍କ ଅଭାବୀ ସଂସାରର ଅଭାବବୋଧ ଦିନେ ଦୂର ହୋଇଯିବ। ହେଲେ ସବୁ ସ୍ଵପ୍ନ ସ୍ଵପ୍ନରେ ରହିଗଲା। ଦାୟୀ – ପରିବର୍ତ୍ତିତ ପରିସ୍ଥିତିରେ ତା’ର ଏ ପରିବର୍ତ୍ତନ। ଗାଉଁଲିଆ ପିଲାଟା ସହରର ଚାକଚକ୍ୟ ଦେଖି ପୂରା ପଲଟି ଗଲା।
ସେଦିନ ପ୍ରଥମ କରି ଯେତେବେଳେ ଓଡ଼ିଶାର ରାଜଧାନୀ ବଡ଼ ସହର ଭୁବନେଶ୍ୱରରେ ଆସି ପହଁଚି ଗଲା, ମନରେ ବଡ଼ ଭାବାନ୍ତର ସ୍ରୁଷ୍ଟି ହେଉଥିଲା। ସବୁକିଛି ନୂଆ ନୂଆ ପ୍ରତୀତ ହେଉଥିଲା। ଯେମିତିକି ଲାଗୁଥିଲା – ସେ ଟେରା ହୋଇଯାଇଛି, ସବୁ କିଛି ଅଲଗା ଅଲଗା ପ୍ରତୀୟମାନ ହେଉଥିଲା । ସତେକି ଲାଗୁଥିଲା, ସେ ଯେମିତି ଗୋଟେ ଚିଡ଼ିଆଖାନାରେ ପଶି ଯାଇ ଦେଖୁଛି ନୂଆ ନୂଆ ଓ ଭଳିକି ଭଳି କେତେ – ଜୀବଜନ୍ତୁ। ମନେ ମନେ ଭାବୁଥାଏ – “ଧନ୍ୟ ହୋଇଗଲା ମୋ ଜୀବନ। ସତେ କ’ଣ ଗାଁ ଓ ସହର ଭିତରେ ଏତେ ଫରକ ଥାଏ କି” ? ଛାଡ଼ ସେ ସବୁ କଥା, ଯେତେବେଳେ ଗାଁ ଭାଲୁ ସହର ପହଁଚି ଯାଇଛି, ସେ ତ ସହରର ବେଉରା ନେବ ନା…।
ସେଦିନ ୱେଲକମ୍ ସେରିମୋନିରେ ଦେଖିଲା ସହରର ରଙ୍ଗ ବେରଙ୍ଗର ପ୍ରଜାପତି – ବହୁତ। ରୂପର ପସରା ମେଲି ଘୂରି ବୁଲୁଥିଲେ,ଦେଖି କ୍ଷଣକେ ଭ୍ରମିତ ହୋଇଗଲା। ସରୋଜିନୀ ତା ସହପାଠିନୀ। ଭାରି ସୁନ୍ଦରୀ, ରୂପବତୀ – ସେ। ଘନ କୁନ୍ତଳ, ଲମ୍ବକେଶୀ- ଜଂଘ ଯାଏଁ ଲମ୍ବିଛି ଯାହାର କେଶ। ଅପରୂପ ଲାବଣ୍ୟ – ଲାବଣ୍ୟମୟୀ ସେ। ରୂପର ତୁଳନା ନାହିଁ – ଅତୁଳନୀୟା। କି କମନୀୟ ଠାଣି? ସୁନ୍ଦର ଦୀପ୍ତିମୟୀ କାନ୍ତି। ଅଙ୍ଗ ସୌଷ୍ଠବ ଅବର୍ଣ୍ଣନୀୟ। ନିମିଷକରେ ଯିଏ କୋଟି ମନ ମୀନ ନିଏ ଆକର୍ଷି ତା’ର ଅନ୍ୟ ନାମ ସରୋଜିନୀ। ତା’ର ଗୋରା ଚମକୁ ନାଲି ଡ୍ରେସ୍ଟା ଭାରି ମାନେ, ଯୋଉଟା ସେ ପିନ୍ଧିଥିଲା ପ୍ରଥମ ଦିନରେ ତା ପ୍ରଥମ ଦେଖାରେ ୱେଲକମ୍ ସେରିମୋନିରେ। ପ୍ରଥମ ଦେଖାରେ କେଇପଦ ମାତ୍ର୍ ମିଠା କଥା କହି ତା ମନ କିଣିନେଲା।ସେ କହିଥିଲା – “ଏ ତୁମ ନାଁ ରାଜା ନା? ସତରେ ତୁମ ନାଁଟା ଯେମିତି ସୁନ୍ଦର, ତୁମେ ସେମିତି ସୁନ୍ଦର।ତୁମେ ବେଶ୍ ବଳିଷ୍ଠ, ସୁନ୍ଦର ଓ ରୁଚିବନ୍ତ ତୁମ ଅଙ୍ଗ ସୌଷ୍ଠବ। truly I’m speaking, ମନେମନେ ମୁଁ ଭାବୁଥିଲି- ମୋତେ ଏଇ ରକମର ଗୋଟେ ପୁରୁଷ ବନ୍ଧୁ ମିଳନ୍ତା କି, ପାଠର ବୋଝଟା ଆଉ ବୋଝ ପରିକା ଲାଗନ୍ତା ନାହିଁ। ବେଶ୍ ହସି ଖେଳି ସମୟଟା ବିତି ଯାଆନ୍ତା। ଆଦୌ boresome feel ହୁଅନ୍ତା ନାହିଁ। do you enjoy my friendship? If say yes, give a big hand and handshake please.. ” ସରୋଜିନୀର କଥାଗୁଡାକ ଶୁଣି ରାଜା ବୋଧେ ଭାବି ଆସୁଥିଲା-” ସହରୀ ମାଈଗୁଡାକ କ’ଣ ଏମିତି”?ହେଲେ ତା ଭାବନାକୁ ବିପର୍ଯ୍ୟସ୍ତ କରି ସେପଟୁ ଲମ୍ବି ଆସୁଥିଲା ଗୋଟେ ସୂକ୍ଷ୍ମ ମୁଲାୟମ ହାତ। ବିଚରା ଗାଉଁଲିଆ ଟୋକା ସେଦିନ ଥରିଥରି ଅଗତ୍ୟା ହାତ ରଖିଦେଇଥିଲା ସରୋଜିନୀର କୋମଳ ହାତ ଉପରେ। ସରୋଜିନୀ ନିଜର ମୁଦ୍ରିକାଯୁକ୍ତ ଅନ୍ୟ ହସ୍ତ ଚନ୍ଦ୍ରିକାଟିକୁ ମଧ୍ଯ ଆଣି ତା ଉପରେ ମୃଦୁ ଚାପ ଦେଇଥିଲା। ସେଇ ସେତିକିରେ ୟା ଶରୀର ଭିତରେ କମ୍ପନ ଖେଳି ଯାଇଥିଲା। ଇଏ ଦଣ୍ଡକେ ଶିହରିତ ହୋଇଯାଇଥିଲା। ଏକ ଭିନ୍ନ ରକମର ପୁଲକ ଓ ରୋମାଞ୍ଚ ସେଦିନ ସେ ଅନୁଭବ କରୁଥିଲା, ଯାହା ଆଜି ମଧ୍ଯ ତା ମନରୁ ବିସ୍ମୃତ ହୋଇ ପାରିନାହିଁ ।ତା ପରଠାରୁ ଯୁଆଡେ ଚାହିଁଲେ ତାକୁ ଖାଲି ସରୋଜିନୀମୟ ଲାଗିଲା। ଉଠିଲେ ବସିଲେ ସେ ସରୋଜିନୀକୁ ଖୋଜି ବୁଲିଲା। ଶୟନେ, ସପନେ ଅବା ଜାଗରଣେ ଗୋଟିଏ ଛାୟା ତା ଚାରିପଟେ ଘୂରିବୁଲେ। ସେଇଟା ସତ କି ମିଛ ସେ ହୁଏତ ଆଜି କହି ପାରିବି ନାହିଁ। ସେଇଟା ବି ତା’ର ସ୍ଵପ୍ନ ହୋଇପାରେ ଅବା ଭ୍ରମ। କିନ୍ତୁ ଛାୟାଟି ନିଶ୍ଚୟ ଥିଲା ସରୋଜିନୀର।
ଆଉ ଦିନେ ସେଇ ନାଲି ଡ୍ରେସ୍ଟା ପିନ୍ଧି ସରୋଜିନୀ ତାକୁ ବାରମ୍ବାର କଣେଁଇ କଣେଁଇ ଚାହୁଁଥିଲା। ସେ ବି ତା’ର ଆକର୍ଷଣକୁ ଏଡ଼ାଇ ନଯାଇ ପାରି ତା ଆଡକୁ ଚାହିଁ ଦେଇଥିଲା। ଆଉ ଆଖିକୁ ଆଖି ଥରେ ମିଶିଗଲା ପରେ ବୋଧହୁଏ ପ୍ରେମଭାବ ସୃଷ୍ଟି ହୋଇଥିଲା। ତା’ପରେ ତାଙ୍କ ଭିତରେ ଅନେକ ପ୍ରେମ ସମ୍ଭାଷଣ। ଭଲ ପାଇବାର ନାଟକବାଜି। ଲେଡିଜ ହଷ୍ଟେଲ ଆଡକୁ ଥିବା ସତୀ ଚଉଁରା ପାଖ ଇଉକାଲ ପଟାସ ଓ ଆକାସିଆ ଗଛ ମୂଳେ ଘଣ୍ଟା ଘଣ୍ଟା ଧରି ଗପର ସୁଅ, ପାର୍କ ଭ୍ରମଣ, ସିନେମା ଦେଖା, କ୍ୟାଣ୍ଟିନରେ ଖିଆପିଆ, ଗୁପ୍ ଚୁପ୍ ଓ ଦହିବରା ଟଲି ଆଗରେ ହସାହସି ଏବଂ ନୋଟ୍ ଓ ବହି ଦେବା ନେବାର ମିଛି ନାଟକ ଭିତରେ ପ୍ରେମ ଭାବର ବିନିମୟ- ବେଶ୍ ଜମୁଥିଲା। ସମୟଟା କେଉଁ ବାଟେ ଅତିବାହିତ ହୋଇଯାଉଥିଲା ଆଦୌ ଜଣାପଡୁ ନଥିଲା।
ହଠାତ୍ ଏହି ମୋହଟା ତା’ର ଭାଙ୍ଗି ଯାଇଥିଲା ସେଦିନ ଫେରୱେଲ୍ ମିଟ୍ ଦିନ, ଯେତେବେଳେ ପ୍ରତାରଣାରେ ହେଲା ଶୀକାର। ସୁବିଧା ଉଣ୍ଡୁଥାଏ- ସରୋଜିନୀ ସହିତ କଥା ହେବାକୁ।କାରଣ ଆଉ ପ୍ରତ୍ୟେହ ସେ ଦୁଇଜଣଙ୍କର ଦେଖା ସାକ୍ଷାତ୍ ହେବ ନାହିଁ। ଦେଖା ହେଲେ ବି ହୁଏତ ଏମିତି ସୁଯୋଗ ମିଳି ନ ପାରେ- ହୃଦୟ ଖୋଲି ଦୁଇ ପଦ କଥା ହେବାକୁ।
ଏତେ ଭଲ ପାଇବା ଓ ଭାବ ଦିଆନିଆ ଭିତରେ ତା ହୃଦ କନ୍ଦରରେ ତ ସରୋଜିନୀ ପାଇଁ ଗଭୀର ପ୍ରେମାନୁରାଗ ସୃଷ୍ଟି ହୋଇ ସାରିଥାଏ। ହେଲେ କେହି କାହାକୁ ସଠିକ୍ ଭାବେ ଏଇ କଥାଟାକୁ କହି ପାରି ନଥାନ୍ତି ।ଭାବିଲା – ଆଜି ହିଁ ପ୍ରକୃଷ୍ଟ ସମୟ ଆସିଛି, ଆଜି ନିଶ୍ଚୟ ସେ କହିବ – “I love you”. କାରଣ ସରୋଜିନୀ ବିନା ସେ ଆଉ ବଞ୍ଚି ପାରିବ ନାହିଁ। ସେ ହିଁ ତା’ର ଭଲ ପାଇବା ଓ ସମସ୍ତ ପ୍ରେମ। ସେ ହିଁ କେବଳ ତା’ର ପ୍ରକୃତ ଜୀବନସାଥୀ ହୋଇପାରିବ ।ଅନ୍ୟଥା ଜୀବନଟା ଦୁର୍ବିଶହ ହୋଇ ଉଠିବ”। ହେଲେ ଏ କଥାଟା କହିବାକୁ ତା’ର ସେତେଟା ସାହସ ହେଉନଥଏ। ସୁଯୋଗ ଦେଖି କହିଲା – “ସଜୁ! କାଲିଠାରୁ ତ ଆମର ଆଉ ଏତେଟା ଦେଖା ସାକ୍ଷାତ୍ ହୋଇ ପାରିବନି। ଗୋଟେ କଥା ପଚାରିବି କହିବ? ସତ କହିଲ! ତୁମେ ମୋତେ ଭଲ ପାଅ?” ସଜୁ କହିଲା – “ଆରେ ବୁଦୁ! ସେଇଟା କ’ଣ ଆଉ କହିବାକୁ ବାକି ଅଛି? ସତରେ ମୁଁ ତୁମକୁ ବହୁତ ଭଲ ପାଏ।” ସେତେବେଳକୁ ଖୁସିରେ ତା’ର ସୀମା ନଥାଏ। ହୃଦୟରେ ପ୍ରେମ ଭାବ ବିଗଳିତ ହେଉଥାଏ। ମନେ ମନେ ଖୁସିରେ ନାଚି ଉଠୁଥାଏ।
ଠିକ୍ ଏହି ସମୟରେ ତାଙ୍କ ଫୁସୁର ଫାସୁର କଥାବାର୍ତ୍ତା ଦେଖି ମନୋଜର ଇର୍ଷା ହେଲା କି କ’ଣ ସେ ସଜୁକୁ ଭିଡ଼ି ନେଲା ଆମ ଡିପାର୍ଟମେଣ୍ଟର ଏକ ଆଢୁଆଳ ଯାଗାକୁ। ଆଉ ସେଇ ଏକ ପ୍ରେମ ସମ୍ଭାଷଣ ଓ ପ୍ରଶ୍ନ। ଉତ୍ତରରେ ସଜୁ ମନୋଜକୁ କହୁଥାଏ – “ଆରେ ବୁଦୁ! ଏ କଥାଟା କ’ଣ ମୁହଁ ଖୋଲିକି କହିବାକୁ ପଡ଼ିବ? ମୁଁ ତୁମକୁ ବହୁତ ବହୁତ ଭଲ ପାଏ। ଆଇ ଲଭ୍ ଇଉ ଡାର୍ଲିଙ୍ଗ” । ରାଜା କୌତୁହଳ ବଶତଃ ଅନତି ଦୂରରେ ରହି ସବୁ ଶୁଣିଥାଏ ଓ ମନେ ମନେ ବିସ୍ମିତ ହେଉଥାଏ। ମିଟିଂ ସରି ସରି ଆସୁଥାଏ ତା ମନରେ ସରାଗ ନଥାଏ। ଖାଲି ଭାବୁଥାଏ ଭଲ ପାଇବାର ସ୍କୋୟାର ବା ଟୁ ଦି ପାୱାର 2 କୁ ନେଇ। ମିଟିଂ ଶେଷ ହେଲା ବେଳକୁ ଦିନନାଥ ଡାକି ନେଲା ସଜୁକୁ ଆମ କଲେଜ ଛାତ ଉପରକୁ। ଆଉ ସେହି ଏକା କଥା ସଜୁକୁ ପଚାରିଲା। ସଜୁ ହସିହସି ଦିନନାଥ ଗଳାରେ ଓହଳି ପଡି କହୁଥାଏ – “ମୁଁ ତୁମକୁ ବହୁତ ବହୁତ ବହୁତ (ବହୁତ 3କ୍ୟୁ )ଭଲ ପାଏ ।ଆଉ ମୁଁ କେବଳ ତୁମର, ଯଦି କାହାର ଜୀବନ ସଙ୍ଗିନୀ ମୁଁ କେବେ ହୁଏ, ତାହେଲେ ଖାଲି ତୁମର।”
ଏ କଥାଟା ମଧ୍ଯ ରାଜା ତୃତୀୟ ପକ୍ଷ ମଧ୍ୟସ୍ଥି ଜରିଆରେ ଶୁଣିବାକୁ ସକ୍ଷମ ହୋଇଥିଲା, ଯେତେବେଳେ କି ନୁଆଁଣିଆ ଆକାଶଟା ତା ମୁଣ୍ଡ ଉପରେ ଛିଡି ପଡୁଥିଲା। ମନ ରାଇଜରେ ଭାବାନ୍ତରିତ -” ଏ ପ୍ରେମିକା ନା ରୂପଜୀବି?” ହେଲେ ଭାବିବାକୁ ତା ପାଖରେ ବେଳ ନଥାଏ। କାରଣ ପରୀକ୍ଷାଟା ମୁଣ୍ଡ ଉପରେ। ଦୀର୍ଘ ଦୁଇ ବର୍ଷ ଗଲା ପ୍ରେମ ବେପାରରେ। ଆଉ ରହିଲା ମାତ୍ର ଗୋଟିଏ ମାସର ବ୍ୟବଧାନ। ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ହେବ। କୃତକାର୍ଯ୍ୟ ନ ହୋଇ ପାରିଲେ ସମସ୍ତ ସ୍ଵପ୍ନ ଅସାର ସାବ୍ୟସ୍ତ ହେବ । ଚେତନାଟା ହଜାଇ ଖୋଜି ପାଇଲା। ଏଣିକି ପାଠ ପଢ଼ାରେ ଧ୍ୟାନ ବାଣ୍ଟି ହୋଇଗଲା। ହେଲେ ପ୍ରେମରେ ‘ବହୁତ’ ଓ ‘ବହୁତ’ ର ସ୍କୋୟାର ଓ ‘ବହୁତ’ ର ଟୁ ଦି ପାୱାର କ୍ୟୁକୁ ନେଇ ତା ଅଙ୍କ କଷା ସରୁ ନଥାଏ। ଏବେ ବି ଅଙ୍କଟା ଅଛିଣ୍ଡା ହୋଇ ରହି ଯାଇଛି। ସେଇଥି ପାଇଁ ତ ସେଦିନ ସେ ବେଶ୍ ଭାବାସକ୍ତ ହୋଇ 89-91 batch mate ମାନଙ୍କର ଦୀର୍ଘ ପଚିଶ ବର୍ଷ ପରେ ଅନୁଷ୍ଠିତ get together ପାର୍ଟିରେ “ନିଜ ଅତୀତରୁ ପଦେ” ଶୀର୍ଷକ ଆଲୋଚନାରେ ଭାଗ ନେଇ ଗଢ଼ାଇ ଉଠିଥିଲା –
ମୋ ପ୍ରେମରେ ଲାଗିଲା ନିଆଁ
ମୋ ମୁଣ୍ଡରେ ପଶିଲା ଭୁଆଁ।।
ଭାଗ 13. .. .. ନାନା ରଙ୍ଗୀ ପ୍ରେମ
ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ by ସତ୍ୟ ପ୍ରକାଶ
ମୋ ବାଣୀ ବିହାର ମୋ ସ୍ମୃତିର ଗନ୍ତାଘର, ମୋ ଚେତନାର ସୀମା ସରହଦ, ମୋ ଭାବନାର ଅଥଳ ସମୁଦ୍ର। ଯେଉଁଠି ଅଛି ମୋ ଭାବନାତ୍ମକ ଓ ଆତ୍ମିକ ସମ୍ପର୍କର ଅନେକ କ୍ରିୟାକ୍ରମ। ଖାଲି ଟିକେ ପଛକୁ ହଟକି ଚାହିଁ ଦେଲା କ୍ଷଣି, ସେ ସମୟର ସେ ବାଣୀ ବିହାରକୁ, ଯେମିତି ଆଖି ସାମ୍ନାରେ ଭାସି ଯାଉଛି ଚଳଚ୍ଚିତ୍ରସମ କେତେ ଘଟଣା ନିଚୟ। ମନ ଇଲାକାରେ ଛାଏଁ ଉଙ୍କି ମାରି ଆସନ୍ତି ସାଙ୍ଗ ସାଥୀ, ଖେଳସାଙ୍ଗ, ହଷ୍ଟେଲ୍ ମେଟ୍, ସହପାଠୀ ଓ ସହପାଠିନୀବୃନ୍ଦ। ଯାହା ଚେହେରାଟା ମୋ ସାମ୍ନାରେ ପଡ଼ି ଯାଉଛି, ମୁଁ ଆଗ ଏତେ ଖଣ୍ଡ ଭାବି ଯାଉଛି। ଭାବିବା କ୍ଷଣି ଆବେଗରେ ଅଧୀର ହୋଇ ଉଠୁଛି। ଯୁଆଡେ ଚାହିଁ ବସିଲେ, ଖାଲି ମେଞ୍ଚାମେଞ୍ଚା ସ୍ମୃତିର ଏକାଠି ଗୋଟେ ଯାଗାରେ କୁଢେଇ ହୋଇ ପଡିଥିବା, ସ୍ମୃତିର ସ୍ତୁପିକୃତ ପାହାଡ଼। ଯାହାକୁ ହୁଏତ ସବୁ ଏକାବେଳେକେ ଉଦ୍ଗାରି ପକେଇବାକୁ ମନରେ ଗୋଟେ ଭାରି ଉଦ୍ୱେଳନ ।ହେଲେ କି କିନ୍ତୁ ତାହା ସମ୍ଭବ? ତଥାପି ସେଇଠୁ ଅଳ୍ପ କିଛି ହୀରା, ମୋତି, ମାଣିକାଦି ଆଣି ପରସି ଦେବାର ଆବେଗରେ ମୁଁ ଯେ ବଶବର୍ତ୍ତୀ। ତେଣୁ ସେଇ ସ୍ମୃତି ସମସ୍ତ ବା ସମବାୟକୁ ଉଜ୍ଜୀବିତ କରି ରଖିବା ପାଇଁ ହେଉ ବା ଉର୍ଦ୍ଧକୁ ଉତ୍ତୋଳିତ କରି ଧରି ତୋଳିବା ପାଇଁ ହେଉ, ମୁଁ ତ ଶତତଃ ପ୍ରୟାସୀ। ହେଲେ ପରକ୍ଷଣରେ ଯେତେବେଳେ ଭାବୁଛି – କାହିଁ ସେ ସାଙ୍ଗସାଥୀ ସହିତ ତ ଏଯାଏଁ ଆଉ କାହିଁ କେବେ ଭେଟଘାଟ ହେଉନାହିଁ, ସେତେବେଳେ ଦଣ୍ଡକେ ଦୁଃଖ ଓ ଜନ୍ତ୍ରଣାରେ ଆଖିରୁ ଅଶ୍ରୁ ନିଗିଡି ପଡୁଛି ।
ଆପଣମାନେ ଭାବୁଥିବେ – ଆଜିକାର ଏହି ଗେଟ୍ ଟୁଗେଦର୍ ପାର୍ଟିରେ ମୁଁ କହୁକହୁ ଏମିତି ବୋଧେ କହି ପକାଉଛି ବା ଲେଖୁଲେଖୁ ଲେଖି ପକାଇ ଥିବାରୁ ପଢି ପକାଉଛି।ସେ କଥା ମୋଟେ ନୂହେଁ। କାରଣ ଏହା ହେଉଛି spontaneous feelings of powerful thought and overflow of expression which might not be too much imaginary . ଆଗ୍ନେୟଗିରିରୁ ଅଗ୍ନି ଉଦ୍ଗୀରଣ ହେଲା ପରି ଏଗୁଡାକ ସବୁ ଆତ୍ମାର ଅନ୍ଧକାର କୁକ୍ଷି ଚିରି ବାହାରକୁ ଆତ୍ମପ୍ରକାଶ କରୁଛି। ଅନେକ କଥା ଥିଲା କହିବା ପାଇଁ କିଛି ତ କହି ନାହିଁ, ଯାହା ବି କହିଛି ସେ ସବୁ ଅଧା। ତଥାପି ମୋ ଭିତରେ ଉଦ୍ୱେଳନ, ପରିସ୍ଫୁଟ ହେବାକୁ ଅନେକ ବାକି।
ଏଇ ମୋ ବାଣୀ ବିହାରରେ ସେଦିନ ସବୁକିଛି ତ ନିଆରା ଲାଗୁଥିଲା, ତେଣୁ ନିଆରା ଭାବଟେ ଅଭିବ୍ୟକ୍ତି ଲାଭ କରିବା କିଛି ଅସ୍ୱାଭାବିକ ନୁହେଁ ।
Things I can see from where I’m sitting now…
ମୁଁ ଏଇଠି ବସିଛି, ହେଲେ ଆଖି ସାମ୍ନାରେ ଦେଖୁଛି
ଦୁନିଆରେ କେଉଁଠି କେମିତି କ’ଣ ସବୁ ଘଟୁଛି
ଗୋଟି ଗୋଟି କରି ସେ ସମସ୍ତ ବଖାଣି ବସୁଛି
ମୋ ମାନସ ପଟେ ଯାହା କିଛି ଦୃଶ୍ୟମାନ ହେଉଛି
ଚାରିଆଡ଼େ ପୃଥିବୀଟା କେମିତି ସବୁ ବିବର୍ଣ୍ଣ ପାଲଟିଛି
ଧାଇଁ ଧରସଣ ହା ହୁତାଶନ କାନ୍ଦୁରା ଦିଶୁଛି
ଅଶାନ୍ତି ଅସନ୍ତୋଷର ଝଡ଼ ପରିବ୍ୟାପ୍ତ ହୋଇଛି
ମେଘାଛନ୍ନ ଆକାଶ ଘଡଘଡି ନାଦରେ କମ୍ପୁଛି
ବିଜୁଳି ଚମକି ଭିତ୍ତିପ୍ରସ୍ତର ଦୋହଲି ଯାଉଛି
ମାନବୀୟ ମୁଲ୍ୟବୋଧ ଦୁଷ୍ପ୍ରାପ୍ୟ ପ୍ରାୟ ହୋଇଛି
ସ୍ଵସ୍ୱାର୍ଥୈ ନିମଜ୍ଜିତ ସ୍ଵାର୍ଥନ୍ବେଷୀ ମଣିଷ ଉଣ୍ଡୁଛି
ଖାଲି ଘୁମେଇ ଫେରେଇ ବାଟ ଭାଙ୍ଗି ବାଟ ଛେକୁଛି
ଗୋଡଟଣା ନୀତିରେ ଅହରହ ପଛକୁ ଟାଣୁଛି
ଅହିଂସାର ନୁହଁ ସେ ଯେ ହିଂସାର ପଥ ବାଛିଛି
ନୀତି ନାହିଁ ଏଠି ସବୁ ଅନୀତିର ଖେଳ ଚାଲିଛି
ଶାନ୍ତି ଅଶାନ୍ତିର ଚକ୍ରବ୍ୟୁହେ ବାଟବଣା ହୋଇଛି
ସମସ୍ତେ ଯେ ଅବାଟୁଆ ବାଟୁଆ ଅବା କେ ଅଛି
ବାଟ ଦେଖାଇବ ବାଟ କାହିଁ ମୋତେ ଦିଶୁଛି
ମୁଁ ଏଠି ଏକାକୀ ବସିଛି ଭାବୁ ଭାବୁ ସିନା ଲେଖୁଛି
ହେଲେ ଡାଆଣା ହେବା ମୋର ବା କି ଦରକାର ଅଛି
ଏମିତି କେଉଁ ଭଲ ଲୋକ ଗୁଡ଼ାକ ମୋତେ ମିଳିଛି
ତାଙ୍କ ପାଇଁ ଆଗଭର ହୋଇ ମୁଁ ଯେ ମିଛେ ମରୁଛି
ଚାଲୁ ଦୁନିଆଟା ସେଇମିତି ଯେମିତି ସେ ଚାଲିଛି
ଯେପର୍ଯ୍ୟନ୍ତ ନିଜକୁ ନିଜେ ବଦଳେଇ ନପାରିଛି।।
ଆଜିର ଦୁନିଆକୁ ନେଇ ମନ ମଧ୍ୟରେ ଏମିତି କିଛି ଭାବାନ୍ତରିତ ହେଉଥିଲେ ହେଁ, ସେଦିନର ସେ ବାଣୀ ବିହାରର କଥା ଗୁଡ଼ାକ ଖାଲି ମନେ ପଡି ଯାଉଛି, ଯାହା ସୁନ୍ଦର ଅନୁଭୂତି ଓ ଆହୁରି ମଧୁର ପରିକଳ୍ପନା। ହଷ୍ଟେଲ୍ ଆଗରେ ସେଦିନ ଘଣ୍ଟା ଘଣ୍ଟା ଧରି କେମିତି ଗୁଲି ଖଟି କରୁଥିଲୁ। ଦିନ ତମାମର ଅନୁଭୂତି ସବୁ ବଣ୍ଟାବଣ୍ଟି ହୋଇ ଖୁବ ଯୋହରରେ ଠୋ ଠୋ ହସି ଊଠୁଥିଲୁ। କେମିତି ସେ ଆର ଡିପାର୍ଟମେଣ୍ଟର ଝିଅଟା ଅଣ୍ଟା ହଲେଇ ଚାଲି ଯାଉଥିଲା ବେଳେ ତା ଓର୍ନିଟା ଖସି ପଡିବାରୁ ସେ ମାଟିରୁ ସାଉଁଟି ନେଇ ଛାତି ଉପରେ ଜାକି ଦେଲା, ଯେଉଁଠି ସେ ଆଗରୁ ବହିଟା ଜଡାଇ ଧରିଥିଲା ଓ କାଳେ କିଏ ଦେଖି ଦେଲା ବୋଲି ଅନୁସନ୍ଧିତ୍ସୁ ହୋଇ ଥରୁଟେ ଚାରି ଆଡକୁ ଦୃଷ୍ଟି ଫେରାଇ ଚାହିଁଲା। ନୁଙ୍ଗୁରା ଉପରେ ଆଖି ପଡିଯିବାରୁ ଘଡିକେ ଆଇ କଣ୍ଟାକ୍ଟ ହୋଇଗଲା। ନୁଙ୍ଗୁରା ତାକୁ ଇଶାରା କରି କିନ୍ତୁ ଟିକୁ ଆଡକୁ ଚାହିଁ କହୁଥାଏ – “ମୁଁ ଯଦି ବହି ଖଣ୍ଡେ ହୋଇଥାନ୍ତି କୋଉଠି ଥାନ୍ତିକିରେ ଦୋସ୍ତ “? ବେଙ୍ଗ ବୁଝେ ବେଙ୍ଗୁଲୀର କଥା। ତେଣୁ ନୀତି ଅପା ଟିକି ଆଡ଼କୁ ଚାହିଁ ଓ ୟାକୁ ଇଶାରା କରି କହିଲା – “ତୁ ଯଦି ଛିଣ୍ଡା କନା ଖଣ୍ଡେ ହୋଇଥାନ୍ତୁ କୋଉଠି ଥାନ୍ତୁ କିଲୋ ଟିକି? “ଏମିତି ନାନା ବହୁଅର୍ଥ ଓ ବ୍ୟଙ୍ଗାର୍ଥକ କଥାର ମଧ୍ଯ ବହୁଳ ପ୍ରୟୋଗ ସେଇଠି ଦେଖିବାକୁ ମିଳିଥାଏ। ପୁଣି ଏମିତି କ’ଣ ହେଲା କି? ସେଦିନ annual function ରେ ଅମିତା ବଚ୍ଚନ styleରେ ନାଚୁଥିବା ଡ଼େଙ୍ଗି ଝିଅଟା ହଠାତ୍ ନାଚରେ ବ୍ରେକ୍ ଦେଇ ଜୋତା ଉଠେଇ ଯା ପାରି ତା ବକି ଗଲା। ତେଣୁ ଏ କାର୍ଯ୍ୟକ୍ରମଟା ସେଇଠି ବନ୍ଦ ରଖି ଆମେ ଆମ ଅଭିନୀତ ଡ୍ରାମାଟି ଆରମ୍ଭ କରିଥିଲୁ। ସେଥିରେ ମୁଁ ଗୋଟେ ବୁଢ଼ା ମାଷ୍ଟର୍ ରୋଲ୍ କରିଥିଲି, ଆଉ ସେଥିରେ ମୋତେ ଦୁର୍ବୃତ୍ତମାନେ ଛୁରୀ ମାରି ଦେଲା ପରେ ବି ମୋତେ ମୋ ପୁଅ ବିପ୍ଳବ ଭୂମିକାରେ ଅଭିନୟ କରୁଥିବା ଟିକୁକୁ କହିବାର ଥିଲା pathos ଭାବରେ ଦୁର୍ବୃତ୍ତ ମାନଙ୍କ ଗୁପ୍ତ କାରନାମା। କିନ୍ତୁ ସତରେ ମୋ ପେଟରେ ଛୁରୀଟା ଜୋହର୍ ଲାଗି ଯାଇଥିଲା ବୋଲି ମୋର pathos acting ମାନେ real pathos acting ହୋଇଥିଲା।ଜନ୍ତ୍ରଣାରେ ଛଟପଟ ହେଉଥିଲି। ସମସ୍ତେ ସିନା ତାଳି ମାରିଥିଲେ, ମୁଁ କିନ୍ତୁ ପରେ ମେଡିକାଲ୍ ବୁହା ହୋଇଯାଇଥିଲି।
ପୁଣି ପରା ନାଳୁଆଟା ସେଦିନ ଜଣେ ଡେ ସ୍କଲାରକୁ ପ୍ରେମ ନିବେଦନ କରିଦେଇଥିଲା ବୋଲି ତା ବାପା ଭାଇ ଦଳେ ଗୁଣ୍ଡା ପଠାଇ ତାକୁ ନିସ୍ତୁକ ବାଡ଼େଇ ଥିଲେ। ଆମ ହିରୋ ଟିକୁ ଘଟଣା ସ୍ଥଳରେ ସୌଭାଗ୍ୟକୁ ପହଞ୍ଚି ଯାଇଥିବାରୁ ବୁଝାଶୁଝା ଟିକେ କରି ଘଟଣାଟିକୁ ରଫାଦଫା କରିଦେଇଥିଲୁ। ଏବେ ତ କ’ଣ ସେ ଦୁଇ ଜଣ ଯୋଡି ହୋଇ ଆସିଛନ୍ତି, କାହାକୁ ନକହି ବୋଧେ ବାହା ହୋଇ ପଡିଥିବେ, କାହିଁ ତାଙ୍କ ବାହାଘରକୁ ତ ଆମକୁ ନିୟୋତା ଦେଇ ନଥିଲେ।
ସବୁଠାରୁ କୌତୁହଳ ଯାଗାଟା ଥିଲା ଆମ ଲାଇବ୍ରେରୀ। ଅନ୍ୟ ସବୁଠି ସିନା ହୋ – ହଲ୍ଲା ଭିତରେ ପ୍ରେମଟା ହୁଏ, ଏଠି କିନ୍ତୁ ପରା ନୀରବିଆ ପ୍ରେମ, ମାନେ silent love ହୁଏ ।ସେଇଠି ପରା ଗଣ୍ଡେ ଛଅଟା ସଫଳ ପ୍ରେମ କାହାଣୀ ଲେଖି ହୋଇ ଯାଇଛି। ଏବେ ବି ସେମାନେ ସୁଖରେ ବିବାହ ବନ୍ଧନରେ ବାନ୍ଧି ହୋଇ କୁଆଡ଼େ ସଂସାର ଧର୍ମଟା ପାଳୁଛନ୍ତି। ଯେହେତୁ ସେ ସ୍ଥାନଟା ଖୁବ୍ ନିରୋଳା, ପ୍ରେମଟା ବି ସେଠି ଅତି ସନ୍ତର୍ପଣ ଓ ସତର୍କତାର ସହକାରେ ହୁଏ। ଏଇଠି ତେଣୁ silent love ବେଶୀ ।ଆଗ କଣେଁଇ କଣେଁଇ ଚାହିଁବେ, କେବେ ଯଦି ଆଇ କଣ୍ଟାକ୍ଟ ଠିକ୍ ଭାବେ ହୋଇ କିଛି କ୍ଷଣ ଲାଖି ଗଲା, ତାହେଲା ପରେ ବିକଶିତ ହୋଇ ଏହି ପ୍ରେମ ପଦ୍ମକଢି ପ୍ରସ୍ଫୁଟିତା ଯୌବନା ହୋଇ ଚାରି ପାଖକୁ ପାଖୁଡା ଗୁଡାକ ମେଲି ଦିଏ। ସେମାନଙ୍କର ଏହି ଆଖିର ମିଳନ ଓ ଓଠର ଅସ୍ପଷ୍ଟ ଭାଷା ତଥା ଅଳ୍ପ ଭାବଭଙ୍ଗୀ ଭିତରେ ଏମାନେ ପ୍ରେମର ନିଗଢ ବନ୍ଧନରେ ବାନ୍ଧି ହୋଇ ପଡନ୍ତି। ଥରେ ପ୍ରେମଟା ହୋଇଗଲେ ଓ ଟିକେ ବିଶ୍ବାସ ଆସିଗଲେ, ତା’ପରେ ଏମାନେ ବଡ଼ ଖୁଲମ ଖୋଲା ହୋଇ ବୁଲନ୍ତି। ଏହି ପ୍ରେମିକ ଗୁଡାକ ପରା ଭାରି ସାହସୀ। ଏମାନେ ମୋଟେ କାହାକୁ ଡରନ୍ତି ନାହିଁ। ସତରେ ଥରେ ଏମାନଙ୍କ ଭିତରେ ପ୍ରେମ ଭାବ ଉଜାଗର ହୋଇଗଲେ, ଏମାନେ କାହାକୁ ଭ୍ରୁକ୍ଷେପ କରନ୍ତି ନାହିଁ କି କାହାର ଉପସ୍ଥିତି ବା ଅନୁପସ୍ଥିତି ଏମାନଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରେ ନାହିଁ। ଏମାନେ ବେଶ୍ ସ୍ୱଛନ୍ଦ ଓ ନିର୍ଭୟାଳୁ। କିନ୍ତୁ ଏହି ସହସ୍ରାଧିକ ପ୍ରେମ କାହାଣୀ ଭିତରୁ ସଫଳତାର ହାର ଖୁବ୍ କମ୍। ଆଉ ସବୁ ଅସଫଳ କାହାଣୀ। ତେଣୁ ବ୍ୟର୍ଥ ପ୍ରେମିକ ଓ ପ୍ରେମିକା ସଂଖ୍ୟା ଅଧିକ।
କେତେ ଲାଇନ୍ ମରା, କମେଣ୍ଟ ମରା ଓ ଯେତେକ ବଦମାସୀ ଆମର ପରା ସେଇଠି ସବୁ ଯାଇଛି। ଆଉ କେତେ କ’ଣ ସବୁ ଘଟିଯାଇଛି। ସେଗୁଡ଼ାକର ମୂଲ୍ୟବୋଧ ଏବେ ଜୀବନରେ କିଛି ନଥିଲେ ହେଁ ସେବର ଜୀବନକୁ ନିଆରା କରି ଗଢି ତୋଳିଥିଲା।
ଆଉ ଗୋଟିଏ କଥା, ମନେ ପଡିଗଲେ ମନ ବେଶ କୌତୁହଳପୂର୍ଣ୍ଣ ହୋଇ ଉଠେ। ସେଇଟି ହେଉଛି ଆମ ଟେଲିଫୋନ୍ ଡ୍ରାମା। ସେତେବେଳେ ତ ଭାରତ ବର୍ଷରେ ଅଟ୍ଟଳଜୀ ଆଉ ପ୍ରଧାନମନ୍ତ୍ରୀ ନଥିଲେ କି ମୋବାଇଲ ଫୋନର ପ୍ରଚଳନ ନଥିଲା। ତେଣୁ କେବଳ ଯାହା ଲ୍ୟାଣ୍ଡ ଫୋନ୍ ଏକମାତ୍ର ଭରସା। ଯାହା ହେଉ ଆମ ସୌଭାଗ୍ୟକୁ ହଷ୍ଟେଲରେ ଇଣ୍ଟର କନେକ୍ଟ୍ଡ ଲ୍ୟାଣ୍ଡ ଫୋନ୍( ଅନ୍ତଃ ସଂଯୋଗୀକରଣ ) ଥିଲା। କିନ୍ତୁ ସବୁ ଟିକେ ଯାଇ ବିଶ୍ରାମ ନିଅନ୍ତି ହେଲେ ଏ ଫୋନଟା ନୂହେଁ। ଚବିଶ ଘଣ୍ଟା ବ୍ୟସ୍ତ ରହେ। କାହିଁକି ନା ସେଠି ସବୁବେଳେ ଲମ୍ବା ଲାଇନ୍। ଆମ ଯେଉଁ ମାନଙ୍କର ଘରୁ ଫୋନ୍ ଆସିବାର ଥାଏ ଭାରି ବ୍ୟସ୍ତ ହୋଇ ଅପେକ୍ଷା କରିଥାଉ, ହେଲେ ସୁଯୋଗ ମିଳେ କି ନାହିଁ କହି ହୁଏ ନାହିଁ। ମାତ୍ର୍ ବାସ୍ତବ ପକ୍ଷେ ଏଇ ଫୋନ୍ ରୁ ଅଧିକ ସୁବିଧା ସୁଯୋଗ ଉଠାନ୍ତି ପ୍ରେମୀ ଯୁଗଳମାନେ ଆଉ ନାଟକର ଲଘୁ ହାସ୍ୟ ନେତାମାନେ। ପୁଅ ହଷ୍ଟେଲରେ ଯେମିତି ଝିଅ ହଷ୍ଟେଲରେ ବୋଧେ ଥୋକେ ସେମିତି ଟେଲିଫୋନଟାକୁ ମାଡ଼ି ବସିଥାନ୍ତି। ଏପଟୁ ଗୋଟେ ଟେଲିଫୋନ୍ କଲ୍ ଗଲେ ସେପଟୁ ଉତ୍ତର ଆସେ – “ହଁ ହେଲୋ! ତୁ ହିରୋ କିଏ କିରେ? ସନ୍ନି ଦେୱଲ ନା ଅଜୟ ଦେବଗନ?” ଏପଟୁ ମଧ୍ଯ ତଦ୍ରୁପ ଉତ୍ତର ଯାଏ – “ନା ଲୋ ହିରୋଇନ୍, ଆମେ ଯିଏ ହେଉନା କାହିଁକି, ତୁମେ କିନ୍ତୁ ଗୋପ ପୁରୀର ରାଧିକା ସୁନ୍ଦରୀ , ନହେଲେ ହଲିଉଡ ଫିଲ୍ମର ଅମକେଇ ହିରୋଇନ୍ ନିଶ୍ଚୟ। କାରଣ ତୁମ କଣ୍ଠ ସ୍ଵରଟା ଅତି ସୁନ୍ଦର ତେଣୁ ତୁମ ରୂପ ଯୌବନ ଅଧିକ ସୁନ୍ଦର ହୋଇଥିବ ନିଶ୍ଚୟ। ନାଁଟା ଟିକେ କହିଲେ, ମୁଁ ଟିକେ ଲାଇନ୍ ମାରନ୍ତି”। ଏହିପରି ପରସ୍ପର ପରିଚୟଟା ଗୋପନ ରଖି ଅନେକ ହସଖୁସି ଗପ କରନ୍ତି-କେବଳ ଟାଇମ୍ ପାସ୍ ପାଇଁ । ଟେଲିଫୋନର ସ୍ପିକର୍ ଉପରେ ରୁମାଲଟା ପଡିଥିବାରୁ ପରିଚୟଟା ଗୋପନ ହୋଇଯାଏ। ତେଣୁ ଯା’ ପାରି ତାହା ଏମାନେ ଗପି ଯାଆନ୍ତି। ଏମାନଙ୍କ ପାଟିରେ ବାଡ଼ ବତା ନଥାଏ।
ପ୍ରେମିକ ପ୍ରେମିକାଙ୍କର ମଧ୍ଯ ଯାହା ନିଅଣ୍ଟିଆ ଗପ ଥାଏ, ତାହା ସବୁ ଏହାରି ମାଧ୍ୟମରେ ହୁଏ। ଆମେ ତେଣୁ ବାହାରେ ଟେଲିଫୋନ୍ ବୁଥ୍ ରୁ ଘରକୁ ଫୋନ୍ କରିବାକୁ ଅଧିକ ଉଚିତ୍ ମଣୁ।
ଆଉ ଗୋଟେ ଯାଗାରେ ଭାରି ଜୋହର୍ ପ୍ରେମ ହୁଏ ସେଇଟା ହେଉଛି ଆମ ତାଳେ ପଦେଶ୍ୱରୀ ମନ୍ଦିର। ଏହି ତାଳେପଦେଶ୍ୱରୀ ମନ୍ଦିରରେ ଶିବ ପାର୍ବତୀ ପୂଜା ପାଆନ୍ତି। geography ଡିପାର୍ଟମେଣ୍ଟ ଦେଇ ଗଲେ ଏହି ମନ୍ଦିରଟି ପଡେ। ଖୁବ୍ ସୁନ୍ଦର ମନ୍ଦିରଟିଏ ବିଶେଷ ଭିଡ଼ ନଥାଏ। କାହିଁକିନା ଆଉ କାହାରି ସେଠି ବିଶେଷ କାମ ନଥଏ, କେବଳ ପ୍ରେମୀ ଯୁଗଳଙ୍କୁ ଛାଡ଼ି।
ଆମ ଥାର୍ଡ ହଷ୍ଟେଲରୁ ଗୋଟେ ନାଲି ଗୋଡ଼ି ରାସ୍ତା ଓ ଘାସ ବଣ ଦେଇ geography ଡିପାର୍ଟମେଣ୍ଟ ହୋଇ ଏହି ମନ୍ଦିରକୁ ଯିବାକୁ ହୁଏ। ରାସ୍ତା କଡରେ ଦଳ ଭର୍ତ୍ତି ଗୋଟେ ଛୋଟ ପୁଷ୍କରଣୀ। ମନ୍ଦିର ଆଗରେ ଛୋଟ ବଗିଚାଟିଏ ଶୋଭା ପାଉଥାଏ। ଯେଉଁଥିରେ କି ଟଗର, ମନ୍ଦାର, ଚମ୍ପା ହସୁଥାଏ। ମନ୍ଦିରର ବାମ ପାର୍ଶ୍ଵରେ ଛୋଟ ଝୁମ୍ପୁଡି ବସ୍ତିଟାଏ, ଅଳ୍ପ କେଇଟି ମାତ୍ର୍ ଘର। ଏଠି ସୋମ ବାରିଆ ଟିକେ ଭିଡ଼ ରହେ, କିନ୍ତୁ ଶିବ ଚତୁର୍ଦ୍ଦଶୀ ଓ ଅମାବାସ୍ୟାରେ ଭାରି ଭିଡ଼। ସେଦିନ ଟୋକାଟୋକୀ ମାନେ ଏଇଠାକୁ ବେଶୀ ଆସି ଯାଆନ୍ତି ଓ ଶିବଙ୍କୁ ଆଛା କରି ଦି’ ପଦ ଶୁଣାଇ ଥାନ୍ତି । ଶିବ ଭଗବାନ ଶୁଣନ୍ତୁ ବା ନଶୁଣନ୍ତୁ କିନ୍ତୁ ନିଜ opposite counterpart କୁ ଅଧିକ ଶୁଣାଇ କହିଥିବାରୁ ଉଦ୍ଦେଶ୍ୟଟି ଅଧିକ ସାର୍ଥକ ହୁଏ ବା ତହିଁରେ ସିଦ୍ଧି ଲାଭ କରି ହୁଏ , ପ୍ରେମ ନିବିଡ଼ରୁ ନିବିଡ଼ତର ହୁଏ । ଏଇମାନେ ବେଳେବେଳେ ଏଇଠି ବସି କେତେ ଶପଥ ନେଇଛନ୍ତି ପରା – “ମୁଁ ପ୍ରେମ କ’ଣ ଶିଖି ନଥିଲି। ଖାଲି ତୁମକୁ ପାଇ ଭଲ ପାଇବା ଶିଖି ଗଲି। ତେଣୁ ତୁମକୁ ମୁଁ ଏ ଜନ୍ମ୍ କ’ ଣ ସାତ ଜନ୍ମରେ ବି ଭୁଲି ପାରିବି ନାହିଁ। ସେଇ ପ୍ରେମ ମୋ ଗଳାରେ ଖାଲି ମାଳା ହୋଇ ସବୁ ଦିନେ ଶୋଭାପାଉଥାଉ, ଯେଣୁ ମୋ ଭଲ ପାଇବା ଖାତାରେ କେବଳ ତୁମରି ନାଁ ଲେଖି ହୋଇ ଯାଇଛି । ତୁମେ ମୋ ଇହ କାଳ ଓ ପରକାଳର ଦେବତା”। ଆରକ କହେ -” ମୁଁ ଜାଣିଛି ଗୋ ପ୍ରିୟା! ସେଇଥିପାଇଁ ପରା ମୁଁ ସଦା ତୁମକୁ ଝୁରି ମରୁଛି” ।ହେଲେ ସେଦିନ ସେଠୁ ଉଠି ଚାଲିଗଲା ପରେ ଆଉ ଜଣଙ୍କ ସହ ଆଉ ଦିନେ ସେଇ ସମାନ ନାଟକ ଓ ଟିକେ ରୋମାନ୍ସ ହୁଏ। ଧନ୍ଯ କହିବା ଆମ ସତୀ ଶିରୋମଣୀ ରାଧିକା ମାନଙ୍କୁ ଓ ପ୍ରେମିକ ପ୍ରବର ରିତୁରାଜ ମାନଙ୍କୁ, ଯେଉଁମାନେ କି ପ୍ରତି ରିତୁରେ ପ୍ରେମିକ ବଦଳାନ୍ତି।
ଆମ ସେ ବାଣୀ ବିହାରଟା ବଡ଼ ପର୍ବ ପର୍ବାଣୀ ପ୍ରିୟ। ଏଠି ପରା ଗୋଟେ ଓଷା ବ୍ରତ ବାଦ ପଡେ ନାହିଁ, କୋଟିଏ ପର୍ବ ପର୍ବାଣୀ ଅନୁଷ୍ଠିତ ହୁଏ । ଆମେ ଓଡ଼ିଆ ନା! ଆମ ପର୍ବ ପର୍ବାଣୀ ଭାରି ବଢିଆ। ତେଣୁ ସେ ସମସ୍ତ ବଡ ଧୁମ୍ ଧାମ୍ ରେ ପାଳିତ ହୁଏ। ଏତେ ବ୍ୟାପକ ଓ ସମୃଦ୍ଧ ଭାବେ ଏଠି ପାଳିତ ହୋଇଥାଏ ଯେ, ଆମେ ପରା ଦୁଇ ବର୍ଷ ଧରି ଗାଁ ଓ ଘର କଥା ସମ୍ପୂର୍ଣ୍ଣ ଭୁଲି ଯାଇଥାଉ। ଘରେ ବୋଉ ଡାକି ଡାକି ଥକେ,ଆମେ ପାଠ ପଢାର ଦ୍ୱାହି ଦେଇ ଘରକୁ କେହି ଯାଉନା। ବରଂ ଏଇଠି ନିଆରା ଢଙ୍ଗରେ ସବୁ ଉତ୍ସବ ପାଳନ ପାଇଁ ଆମେ ଟିକେ ବେଶ୍ ଉତ୍ସାହିତ ଥାଉ ।ସେଇଥିରୁ କିଛି କଥା କହିବା।
ସରସ୍ଵତୀ ପୂଜା ଓ ଗଣେଶ ପୂଜାଟା ବାରବାର ଆସେ। ଦୁଇ ଦୁଇ ଥର ବର୍ଷକୁ ହେଲେ ଦୁଇ ବର୍ଷରେ ଚାରି ଥର ଆସେ। ପୁଣି ବାଣୀ ବିହାରରେ ବହୁ ଡିପାର୍ଟମେଣ୍ଟ ଓ ସମସ୍ତ ହଷ୍ଟେଲରେ ପାଳିତ ହୁଏ। ତେଣୁ କେଉଁଠୁ କେତେ ଭୋଗ ଖାଇବେ କହୁ ନାହାଁନ୍ତି, ଯେତେ ଇଚ୍ଛା ସେତେ ।ଡିପାର୍ଟମେଣ୍ଟରେ ଝିଅପୁଅ ସବୁ ମିଶି ଅନେକ ବ୍ୟଂଗ ବା satire ଓ ଲଘୁ ପ୍ରେମ ରସ ଭିତରେ ଧୁମଧାମରେ ଏହାର ଆୟୋଜନ କରିଥାନ୍ତି। ମନ ଦୋଳା ଉଡ୍ଡିୟମାନ ହୁଏ। କେତେ ପ୍ରକାର ଭିନ୍ନ୍ ରଙ୍ଗରେ ରଙ୍ଗାୟିତ ହୋଇ ରୂପ ସଜ୍ଜା ଓ ବେଶ ପରିପାଟି ଭିତରେ ସମସ୍ତେ ଆସନ୍ତି ନିଜ ପ୍ରତି ଅନ୍ୟ ମନରେ ଆକର୍ଷଣ ତୋଳି। ଆହୁରି (ଆକର୍ଷଣୀୟ) interesting ଲେଡିଜ୍ ହଷ୍ଟେଲକୁ ସନ୍ଧ୍ୟା ବେଳକୁ ପୂଜା ସନ୍ଦର୍ଶନରେ ପରିଭ୍ରମଣରେ ବାହାରିବା। ଗୋଟେ ପରେ ଗୋଟେ ଦଶଟା ପରିଚ୍ଛେଦ ପରିଧାନ କରି ଆମ ସୁନ୍ଦରୀ ରୂପଶ୍ରୀମାନେ ଆମକୁ ଅପେକ୍ଷା କରି ରହିଥାନ୍ତି। ଆମେ ପହଞ୍ଚିଗଲା କ୍ଷଣି ଭୋଗଥାଳି ଧରି ଆସି ହାଜର। “ଆରେ! ଆଉ ଟିକିଏ ଆଉ ଟିକିଏ” ବୋଲି ବଳେଇ ଖୁଆନ୍ତି, ତହୁଁ ବଳିକି କଅଁଳେଇକି କଥା କହନ୍ତି। ମନ ଭରିଯାଏ। ପୂଜାର ଖୁସିଟା ଦୁଇ ଗୁଣିତ ହୋଇଯାଏ। ଲେଡିଜ ହଷ୍ଟେଲରେ annual functionଟା ମଧ୍ଯ ଆମ ପାଇଁ ବହୁ ପ୍ରତୀକ୍ଷିତ ଉତ୍ସବ ଆଉ Garden Party ବି । ଏ ସବୁ ଉତ୍ସବରେ boundary ଗେଟ୍ ଟପି ଭିତର ଯାଏଁ ପ୍ରବେଶ କରିଯିବାର ଅନୁମତିଟା ପୁଅ ମାନଙ୍କ ପାଇଁ ଥାଏ। ତେଣୁ ବହୁ ନାରୀ ଗହଣରେ ପ୍ରିୟା ମାନଙ୍କୁ ପାଖରେ ପାଇବାରେ ସୌଭାଗ୍ୟ ଜୁଟି ଥାଏ ଓ ସେମାନଙ୍କ stage performance ବି ଦେଖିବାକୁ ବଡ଼ ଆଗ୍ରହ। କେତେ ପ୍ରେମ କାହାଣୀର ଏହି ବିଶେଷ ଉତ୍ସବ ମାନଙ୍କରେ ଉତ୍କର୍ଷତା ସାଧିତ ହୋଇଥାଏ।
ଏ ସବୁ ଉତ୍ସବ ବ୍ୟତୀତ ଯେଉଁ ଉତ୍ସବଟି ଅଧିକ ସ୍ମରଣୀୟ ସେଟା ହେଲା ହୋଲି ଉତ୍ସବ ବା ରଙ୍ଗୋଲି। ଏହି ଉତ୍ସବରେ ପ୍ରତ୍ୟେକ ପରସ୍ପରର ସ୍ପର୍ଶ ପାଇ ରଙ୍ଗ ବୋଳାବୋଳିର ଗୋଟେ ସୁଯୋଗ ଥିବାରୁ ମନ ବେଶ୍ ଉଚ୍ଚାଟିତ ହୋଇଯାଏ । ଏଇଟା ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ଭାବ ପରିପ୍ରକାଶ ପାଇଁ ବେଶ୍ ଉପାଦେୟ ହୋଇଥାଏ, କିଛି ନହେଲେ ସୂକ୍ଷ୍ମ ସ୍ପର୍ଶ ଟିକକ ତ ମିଳିଥାଏ। ଆଉ ଅଧିକ କହିବା ନାହିଁ, ଏଥର ଫେରିବା ଚୂଡାନ୍ତ ପର୍ବ ଆଡ଼କୁ।
ଭାଗ14.. ପ୍ରେମରେ ଟୁଇଷ୍ଟ କାହାଣୀରେ ମୋଡ଼
————————————–
ସେଦିନ ପରା ଲେଡିଜ୍ ହଷ୍ଟେଲ୍ ଆଡ଼େ ମୁନା ଯାଇଥିଲା। ରାତି ବେଳକୁ ମୁହଁ ଓହଳେଇକି ଆସିଲା। ଧିରେକିନା ତା ସିଙ୍ଗଲ୍ ରୁମ୍ ରେ ମୁହଁ ମାଡି ପଡିଥିଲା। ମୁଁ ଆଉ ଟିକୁ କବାଟ ଆଡ଼େଇ ପଶିଗଲା ବେଳକୁ ଭୋ ଭୋ ହୋଇ କାନ୍ଦିଲା। କହିଲା – “ଦୋସ୍ତ! ମୁଁ ଠକିଗଲି। ଠକିଗଲା ମୋ ପ୍ରେମ” । ପଚାରିଲୁ – “କ’ଣ ଏମିତି ହେଲା କି? କହିଲା-“ନିଶା ଘରକୁ ଯାଇଥିଲା। ଫେରିଛି ଯେ! ହେଲେ ଗୋଟେ ଡାକ୍ତର ବର ସହ ତା’ର ବାହାଘର ଠିକ୍ କରିଦେଇଛନ୍ତି । ଇଏ ତ ସାହସ କରି ଘରେ କହି ପାରିଲା ନାହିଁ। ଘଣ୍ଟାଏ କାଳ ସେଇ ଆକାସିଆ ଗଛ ତଳେ ମୁହଁ ସଞ୍ଜଟାରେ, ଦୁଇ ଜଣ ଧରାଧରି ହୋଇ କାନ୍ଦିଲୁ। ସେ କହିଲା, ସେ ନା’କହି ପାରିଥାନ୍ତା, କିନ୍ତୁ ଯେହେତୁ ତା ବାପା ଥରେ ହୃଦଘାତ ପାଇଛନ୍ତି ଓ ଏବେ ବେଡ୍ ଉପରେ ରୋଗାଗ୍ରସ୍ତ ଅଛନ୍ତି, ସେ ପାଟି ଖୋଲି ପାରିଲା ନାହିଁ। ତେଣୁ ରାଣ ନିୟମ ଦେଇଛି ତାକୁ ଭୁଲି ଯିବାକୁ ଓ ତା’ ଠାରୁ ଆଉ ଗୋଟେ ସୁନ୍ଦରୀ ରୂପଶ୍ରୀ ଦେଖି ବାହା ହୋଇଯିବାକୁ। କେବଳ ଏତିକି କହିବାକୁ ସେ ଆସିଥିଲା। କାଲି ଫେରିଯିବ ଘରକୁ, ଆସନ୍ତା ତିଥିରେ ତା’ର ବାହାଘର। କାର୍ଡ ଛପେଇ ସାରିଛି। ଏଇ ଦେଖ! ମୋ ହାତରେ କାର୍ଡ ଖଣ୍ଡେ ଧରେଇ ଦେଇଛି ଓ ଆଉ କେତେଖଣ୍ଡ ସାଙ୍ଗମାନଙ୍କୁ ବାଣ୍ଟି ଦେବାକୁ କହିଛି। ତୁମ ମାନଙ୍କ ପାଇଁ ମଧ୍ଯ କାର୍ଡ ଦେଇଛି, ହେଇ ପଡ଼ିଛି ଦେଖ!”
ଆଉ ଦିନେ କୁନାଟା ଟାଙ୍କିଏ ପିଇ ଦେଇଥାଏ ଓ ଆଉ ଗୋଟେ ପକେଟରେ ପୁରାଇ ଥାଏ, ଉପରକୁ ଫୁଲି ଉଠି ଠୁମୁକା ଦିଶୁଥାଏ । ବିଳମ୍ବିତ ରାତିରେ ଫେରୁଥାଏ। ପାଦ ଗୁଡ଼ାକ ଏପଟ ସେପଟ ହୋଇ ଅଙ୍କାବଙ୍କା ପଡୁଥାଏ। ନିଜ ରୁମ୍ ର ଚାବିଟା ବି ଖୋଲି ପାରିଲା ନାହିଁ।ସେଇଠି ସେ ଭୂଇଁଟା ଉପରେ ଲୋଟି ପଡି ସେ ଭଳଭଳ ହୋଇ ବାନ୍ତି କରି ପକାଇଲା। କେବଳ ଟିକୁ ଓ ମୁଁ ରାତି ଅଧ ଯାଏଁ କବାଟ ଝରକା ସବୁ ଖୋଲି ସବୁଦିନେ ଚେସ୍ ଖେଳରେ ମାତିଥାଉ ବୋଲି ତାକୁ ଆମେ ଦେଖି ପକାଇଥିଲୁ। ଆମେ ତାକୁ ଉଠାଇ ନେଇ ଚାବି ଖୋଲି ବିଛଣାରେ ଶୁଆଇ ଦେଲୁ। ନିଜ ହାତରେ ସବୁ ପରିସ୍କାର କରି ତାକୁ ଟିକେ ହିଟରରେ ନାଲି ଚା କରି ପିଇବାକୁ ଦେଲୁ। ଖାଲି ବାଉଳି ଚାଉଳି ହେଉଥିଲା। ହଠାତ୍ ତା ରୁମରେ ଥୁଆ ହୋଇଥିବା କାକାସସ୍ (cactus) ଗଛଟାକୁ କୁଣ୍ଡ ସହିତ ଉଠେଇ ନେଇ ବାହାରକୁ ଦୂର ଦିଗ୍ ବଳୟ ତଳେ ଫିଙ୍ଗି ଦେଲା। ମାଟି କୁଣ୍ତଟା ସେଇଠି ପଡି ଭାଙ୍ଗିଗଲା ।ମୋତେ କୁଣ୍ଢେଇ ଧରି ବୁକୁ ଫଟାଇ ଓ କୋହ ଭରି ବହେ କାନ୍ଦିଲା। ମୁଁ ପଚାରିଲି – “ଏ ଗଛଟା ତୋର କ’ଣ କଲା” ? କହିଲା – “ସାଙ୍ଗ ଏଇ କାକାସସ୍ ଟା ତା’ର ସମସ୍ତ ପ୍ରେମ” ।ମୁଁ ପଚାରିଲି – “କେମିତି”? ସେ କହିଲା – ”
ସେଦିନ ସାବିତ୍ରୀ ଅମାବାସ୍ୟାରେ ସେ ମୋ ପାଇଁ ବ୍ରତ ରଖି ମୋହରି ରୁମକୁ ଆସିଥିଲା। ଆମେ ସାଙ୍ଗ ହୋଇ ବଜାରରୁ ଏଇଟିକୁ ଖରିଦ କରି ଆଣି ମୋହରି ରୁମରେ ତାରି ହାତରେ ଉର୍ବର ମାଟି ଦେଇ ପୋତିଥିଲୁ, ସେ ସମୃଦ୍ଧ ହୋଇ ବଢୁଥିଲା। ଆମ ପ୍ରେମର ସ୍ମୃତି ସନ୍ତକ ପାଲଟି ଥିଲା। ସେ କହୁଥିଲା – ଏଇ କାକାସସ୍ ଟା ତା’ର ସମସ୍ତ ପ୍ରେମ ଓ କାକାସସ୍ ଗଛଟା ବଞ୍ଚିଥିବା ଯାଏଁ ତାଙ୍କ ପ୍ରେମ କୁଆଡ଼େ ମରି ପାରେ ନା।
ଅବଶ୍ଯ କୁମ୍ଭକର୍ଣ୍ଣୀ ନିଦ୍ରା ପରି କିଛି ସମୟ ଘାଲେଇ ପଡି ଘୁମେଇ ପଡି ପାରେ, ହେଲେ ପୁଣି ଚେଇଁ ଉଠି ଜାଗ୍ରତ ରହିବ ଯୁଗଯୁଗ ଧରି ପୁନଶ୍ଚ ଏକ ବିରତିର ଦୀର୍ଘତା ନ ଟାଣି ହେଲା ଯାଏଁ “। କିନ୍ତୁ କ’ଣ ହେଲା ? ସେ କାହିଁ ମୋ ହାତ ଛାଡିଦେଲା?” ମୁଁ କହିଲି – “ସେ ଉତ୍ତର ସମୟ କହିବ। ହେଲେ ଏଇମିତି ଜୀବନ ପରିସ୍ଥିତିର ହରଡ ଘଣାରେ ପଡି ଆମକୁ ଠକି ଦିଏ, ତେଣୁ ଧର୍ଯ୍ୟ ଧର ବନ୍ଧୁ! ତା ବୋଲି ଗଛଟା… “ସେ ପୁଣି କହିଲା -” ହଁ.. ସେ ତ ମୋତେ ଠକି ଦେଲା, ଆଉ କାହା ହାତ ଧରି ଫୁର୍ କିନା ଉଡି ଗଲା। ଏଟା ଆଉ ରହି କ’ଣ ହେବ? ଏଇ ନେ! ପଢ଼, ଚିଠିଟିଏ ମୋ ଆଡ଼କୁ ବଢେଇ ଦେଲା –
ଏ କୁନା!
ମୋ ପ୍ରେମ ସମ୍ଭାଷଣ ନେବ। ମୋତେ ଭୁଲ ବୁଝିବନି।ଆମ ପିଲାଟି ବେଳୁ ମୋ ଜେଜେ ଓ ୟାଙ୍କ ଜେଜେ ଗାଁରେ ଶପଥ ନେଇଥିଲେ, ଆମ ଦୁଇ ଜଣଙ୍କର ବିବାହ କରେଇବା ପାଇଁ। ମୁଁ ସେ କଥାଟା ଆଦୌ ଜାଣି ନଥିଲି, ଜାଣିଥିଲେ ବି ସେ କଥାଟାର ସେତେଟା ଗୁରୁତ୍ଵ ନଥିଲା।ହେଲେ ହଠାତ୍ ୟାଙ୍କ ଜେଜେଙ୍କ ଦେହଟା ଖରାପ ହେବାରୁ ଗାଁ ମନ୍ଦିରରେ ବିବାହ ହୋଇଗଲା। ପରୀକ୍ଷା ବେଳକୁ ବାଣୀ ବିହାର ଫେରିଲେ ତୁମକୁ ଭୋଜିଟା ଦେଇଦେବି। କ୍ଷମା କରିଦେବ, ହେଲେ ତୁମର ପ୍ରେମକୁ ମୁଁ ଭୁଲି ପାରି ନାହିଁ। ଆର ଜନ୍ମରେ ନିଶ୍ଚୟ ଦେଖାହେବା, ଏ ଜନ୍ମରେ ମୋତେ ପ୍ଲିଜ୍ ମାଫ କରିଦିଅ”।
(ଇତି)
ତୁମର ବାନ୍ଧବୀ
ଆଉ ଗୋଟେ କାଗଜ ତା ସହିତ ଥିଲା, ସେଇଟିକୁ ସେ କୁଆଡେ ଶହିଦ ନଗର ମଶାଣି ଭୂଇଁର ଦିବାଲ ଉପରେ ବସି ମଦ ପିଉ ପିଉ ଲେଖି ଧରି ଆସିଥିଲା-
କାକାସସ୍
————
ସହରକୁ କୁନା ଯାଏ ପଢିବାକୁ ପାଠ
ମନରେ କେତେ ଯେ ଆଶାର ସମ୍ଭାର
ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ
ଡିଗ୍ରିଟାଏ ହାସଲ କରିବ ସେ ହିଁ
ଦେଖିଲା ପ୍ରଥମ ଦିନରେ ରୂପର ପସରା
କେତେ ଯେ ରଙ୍ଗର ହୋଲି
ନିଜକୁ ଦେଖିଲା ଚମକି ପଡ଼ିଲା
ଫିଙ୍ଗିଲା ପୁରୁଣା, ଆବରିଲା ନୂଆ
ମିଶିଲା ସାଥେ କେତେ, ଅନୁଭବ ହେଲା
ଏ ସହରୀ ଶିକ୍ଷାୟତନ ନୁହଁଇ କେବଳ
ଜ୍ଞାନର ଗନ୍ତାଘର ଅବା ଆଲୋକ ଦୀପ୍ତଶିଖା
ସାର ଏଠି ହୁଏ ମିଳନ ମାଧୁରୀ ଯା’
ଆହ୍ଵାନ ଦେଇଛି କିଏ ବାଛିବାକୁ
ଜୀବନ ସଙ୍ଗିନୀ ଏକ
ଚାଖିବା ପାଇଁ ପ୍ରେମ ମାଧୁର ମହୁ
ଖୋଜିଲା କେତେ କାହିଁ
ଆପଣାର ଗୋଟେ ପାଇଁ
ଦେଖିଲା ସମସ୍ତେ ବାୟା ହେଉଛନ୍ତି
ସିଏ ବା କେମିତି ବାଦ ପଡିଥାନ୍ତା
ଭୁଲିଗଲା ଆଗମନୀ ଇତିହାସ
ମନେ ଉପୁଜିଲା ମିଳିଗଲେ ଡିଗ୍ରୀଟା
ଅବା ମିଳିଯିବ କି ଚାକିରୀଟା
ପ୍ରେମରେ ସେ ପଡିଲା ବାୟା ସେ ହେଲା
ଟୋକିଙ୍କ ପଛରେ ସେ ଲାଇନ୍ ମାଇଲା
ପଇସା ଉଡ଼ିଲା ତହିଁ କି
ଭଲ ପାଏ ବୋଲି ଶୁଣିଲା
କେତେ ଯେ ମିଥ୍ୟା ପ୍ରତିଶୃତି
ଭାବିଲା ସବୁ ଗୋଟା ପୁଣି ସତ
ସାର୍ଥକ ହୋଇଲା ଜୀବନ ତା’ର
ଭୁଲିଲା ନିଜକୁ ଭୁଲିଲା ଘର
ଖୋଜିଲା କେବଳ ତାକୁ
ତା ବିନୁ ପୃଥିବୀ ଦିଶେ ବିବର୍ଣ୍ଣ
ସୂର୍ଯ୍ୟ ଯେ ରକ୍ତହୀନ
ସେ ଏଠି ନିରୁଦ୍ଦିଷ୍ଟ ଖୋଜିଲେ ହତାଶ
ହଠାତ୍ କାହାର ନାହିଁ କାରରେ
ଲେଉଟାଣି ଖରାଟା ମାଡ଼ି କି ଅଇଲା
ନୁଆଁଣିଆ ଆକାଶଟା ସତେ ବା ପଡିଲା ଛିଡି
କାହିଁ କହି ତ ନୁହଇଁ କାହାକୁ
ମର୍ମେ ମର୍ମେ ବ୍ୟର୍ଥତାର ହୁତାଶନ
ଖାଲି ଦୀର୍ଘ ନିଶ୍ଵାସ
ପରୀକ୍ଷାଟା ଯାହା ମୁଣ୍ଡ ଉପରେ
ମନେ ପଡିଗଲା ବାପା ବୋଉଙ୍କର କଥା
ପେଟକୁ କାଟି କେତେ ଯତନରେ
ପଇସା ଗଣ୍ଡାକ ପଠାଉଥାନ୍ତି
ତା କତି ସହି ଭୀଷଣ ତାତି
ଦୁଃଖ ଆସିଲା ଗଛଟା ବି ଛାର ଧିକ୍କାର କଲା
ଇଚ୍ଛା ହୁଏ ଫିଙ୍ଗି ଦେବାକୁ ଦୂର ଦିଗବଳୟ ତଳେ
ତଥାପି ମନଟା କାହିଁକି ଅସ୍ଥିର ହୁଏ
ରହି ଯାଏ ସେ କ୍ଷଣେ
ଏଇ ସେଇ କାକାସସ୍
କୁଆଡ଼େ ତା’ର ସମସ୍ତ ପ୍ରେମ ।।
ମୁଁ ପଚାରିଲି – “ଏଇଟା ତୁ ତୋ ପାଇଁ ଲେଖିଛୁ ନା ଆଉ କାହା ପାଇଁ”? ସୀମାହୀନ ଅସୀମ ଥିଲା ତା’ର ଅବଶୋଷ। କରୁଣ ଚାହାଣୀ ଭିତରେ ପୂରି ରହିଥିଲା ତା ଆଖିରେ ଲୋତକର ଅବ୍ୟକ୍ତ ଜନ୍ତ୍ରଣା।
ଏହିପରି ଅନେକ ହତାଶ ପ୍ରେମିକ ନିଜ ପ୍ରେମରେ ହତାଶ ହେବା ପରେ ଦଣ୍ଡେ ଅଟକି ଯାଇ ପୁଣି ପ୍ରକୃତିସ୍ଥ ହେବା ପରେ ପାଠରେ ଧ୍ୟାନ କେନ୍ଦ୍ରିତ କରିଥାନ୍ତି।ଜୀବନଟା ପରା ଗୋଟେ ସଳଖ ବା ସରଳ ରେଖା ନୂହେଁ, ତେଣୁ ପ୍ରେମ ବ୍ୟାପାରରେ ମଧ୍ଯ ବଙ୍କା, ତେଢା ଓ ଦେଢା ଦେଇ ଅନେକ ବକ୍ର ରେଖା ଟାଣି ହୋଇଯାଏ, ବାରମ୍ବାର ଘଟଣା କ୍ରମେ ଅନେକ twist ବା ଭିନ୍ନ୍ ମୋଡ଼ ଆସି ଯାଇଥାଏ।।
ଏ କଥା ଶୁଣି ପରା ସେଦିନ ପ୍ରଭାତୀ କହୁଥିଲା – “ତୁମେ ସିନା ଜଣେ ପୁରୁଷ ବୋଲି ପୁରୁଷ ମନସ୍ତତ୍ତ୍ୱର କଥା କହିଲ, କିନ୍ତୁ ନାରୀ ମାନଙ୍କର ମଧ୍ଯ ଅନେକ ସମସ୍ୟା ଆଉ କେତେ ଅସଫଳ କାହାଣୀ। ସେଦିନ ଜଣେ ପ୍ରସଙ୍ଗ କ୍ରମେ ଜଣେ ଶିକ୍ଷକ କୁଆଡ଼େ ତାକୁ କହିଥିଲେ ନାରୀ ହେଉଛି ଗୋଟେ ମାଟି ହାଣ୍ଡି ଓ ପୁରୁଷ ହେଉଛି ପିତ୍ତଳ ହାଣ୍ଡି। ପିତ୍ତଳ ହାଣ୍ଡି ଯେତେ ମଇଳା ହୋଇଥାଉନା କାହିଁକି ତାକୁ ଟିକେ ମାଜି ଘସି ଦେଲେ, ସେ ସଫା ହୋଇଯାଇ ଚିକ୍ଚିକ୍ ଦିଶିବ। କିନ୍ତୁ ମାଟି ହାଣ୍ଡି ଏକାଥରେକେ ଭାଙ୍ଗି ଦୁଇ ଫାଳ ହୋଇଯିବ। ସେହି ପରି ନାରୀମାନେ ଭାରି କୋମଳ। ସେଇ କୋମଳ ହୃଦୟରେ ଥରେ ଆଘାତ ଲାଗିଲେ ସେ ତୁଟି ଯାଏ, ଆଉ ଯୋଡି ହୋଇପାରେ ନାହିଁ। ଜୀବନ ସାରା ପରା ଅନୁତାପ ଓ ଅନୁଶୋଚନା ନିଆଁରେ ଜଳିବାକୁ ହୁଏ। ତେଣୁ ତ ତା ପରି ଅନେକ ଉପଯୁକ୍ତ ସମୟ ପୂର୍ବରୁ ଏ ସବୁ ବାଜେ କଥାରେ ଏତେଟା ମନ ଦିଅନ୍ତିନି, ବରଂ ପାଠଟା ସେମାନଙ୍କ ପାଇଁ ମୁଖ୍ୟ ହୋଇଥାଏ। କିନ୍ତୁ ତା ରୁମ୍ ମେଟ୍ ଟା ତା ପ୍ରେମିକ ପାଖରୁ ଠକି ଯାଇଥିବାରୁ ଅତ୍ୟନ୍ତ ମ୍ରିୟମାଣ ହୋଇ ତଳେ ଲୋଟି ଯାଇଥିଲା। କେତେ ବୁଝାଶୁଝା କରି ଏମାନେ କୁଆଡ଼େ ତାକୁ ଟିକେ ଶାନ୍ତ୍ୱନା ଦେଇଛନ୍ତି। ସେଇ ଝିଲି ଯାହାକୁ ଭଲ ପାଉଥିଲା, ସେ କୁଆଡେ ଏକାବେଳେକେ ତିନି ତିନିଟା ଝିଅଙ୍କୁ ଫଶେଇ ଥିଲା। ସେଟା ଗୋଟେ ସାଇକୋଟା। ସେ ସକାଳେ 1st ହଷ୍ଟେଲ୍ ଝିଲି ପାଖକୁ ଆସେ, ଉପର ଓଳି 2nd ହଷ୍ଟେଲ ଆଗରେ ଆଣ୍ଠାଏ ଓ ଦିନ ବେଳା ତା ନିଜ ଡିପାର୍ଟମେଣ୍ଟର ଗୋଟେ ଡେଜ୍ ସ୍କଲାର ଝିଅକୁ ଭଲ ପାଇ ରୋମାନ୍ସ କରେ। ସେ ତା ହିସାବରେ ଟାଇମ୍ ପାସ୍ କରେ ଓ ଝିଅ ମାନଙ୍କ ଭାବନା ସହିତ ଖେଳେ। ଏମାନେ କାହା କଥା କେହି ଅବଗତ ହୋଇ ପାରନ୍ତି ନାହିଁ। କିନ୍ତୁ ଯେତେବେଳେ ଜାଣି ପାରିଲେ, ସେତେବେଳେ ତିନୋଟି ଯାକ ନାୟିକାଙ୍କ ହୃଦୟ ଏକାବେଳେକେ ଭାଙ୍ଗି ଯାଇଥିଲା। କିଏ ସୁଇସାଇଡ କଥା ଭାବୁଥିଲା ବେଳେ କିଏ ବଦଲା ନେବା କଥା ଚିନ୍ତା କରୁଥାନ୍ତି। କିନ୍ତୁ ତିନି ଜଣଯାକ ତ ପ୍ରତାରଣାର ଶିକାର ହେଲେ ନା!
ଏହିଭଳି ଯେତେ ଘାଣ୍ଟୁଥିବା ସେତେ ନୂଆ ତତ୍ତ୍ଵ ବାହାରୁଥିବ। ତେଣୁ ଆଉ ଏଠି ଅଟକି ରହି ହେବ ନାହିଁ। ସେତିକି ଥାଉ।
ଭାଗ15
ବାଣୀବିହାରରେ ପ୍ରେମର ନବ ଦିଗନ୍ତ.. ଅକୁହା ପ୍ରେମ
By ସତ୍ୟ ପ୍ରକାଶ ସେଠୀ.. ଭାଗ 15
—————((((—-(((((———-
ବୟସଟା ପାକିଳିଆ ହୋଇ ଆସିଲା ବେଳକୁ ଏ ବାଣୀ ବିହାରରେ ପାଠ ପଢାଟା ଜୋହର୍ ଧରେ, ଯେତେବେଳେ କି ଆଉ ମାତ୍ର ଗୋଟାଏ ପାହଚ ଚାକିରୀ ଖଣ୍ଡାକ କେବଳ ମାତ୍ର ବାକି ଥାଏ – ଜୀବନ ସୌଦା କିଣିବା ପୂର୍ବରୁ। ତେଣୁ ଜୀବନ ସୌଦା କିଣିବା ସନ୍ଧାନଟା ବୋଧହୁଏ ଏଇ ଏତିକି ବେଳଠୁଁ କେତକ ଆରମ୍ଭ କରି ଦେଇଥାନ୍ତି। ସେଇଥିପାଇଁ ତ ପ୍ରେମ ନିଶାଟା କାହାକୁ କେମିତି ଘାରି ଥାଏ।
ଆମେ ପ୍ରେମ କଥା ଯେତେ କହିଲେ, କାହିଁ ପାଠ କଥା ତ ତେତେ କହିଲେ ନାହିଁ। ତେଣୁ ଅନ୍ୟମାନେ ମନ କଷ୍ଟ କରିବେ ନାହିଁ କି? ଅବଶ୍ୟ ଏ କଥାଟା ମିଛ ହେବ ଯେ “ସମସ୍ତେ ପ୍ରେମ ନିଶାରେ ବାୟା”।ତେଣୁ ଅନେକ ତ ପାଠକୁ ଗୁରୁତ୍ଵ ଦେଇଥାନ୍ତି ଓ ଉଚ୍ଚକିତ ସ୍ଵପ୍ନରେ ମଜଗୁଲ୍ ଥାନ୍ତି । ସେମାନଙ୍କର ମୁଖ୍ୟ କର୍ମ ହେଲା ପାଠ ପଢା। ତେଣୁ ଏମାନଙ୍କ ପାଇଁ ଅନ୍ୟ ସବୁ ଗୌଣ କର୍ମ। କେବଳ ପାଠ ହିଁ ପାଠ। କେମିତି ଆଇ. ଏ. ଏସ୍. କି ଓ. ଏ. ଏସ୍. ହେବେ ବା ତତୋଧିକ କିଛି। ସେଇଥିରେ ଏମାନେ ଲାଗନ୍ତି। ପାଠ ପଢା ପରିବେଶ ମଧ୍ଯ ବାଣୀ ବିହାରରେ ଖୁବ୍ ଭଲ। ସେଇ ମାଟି ଖଣ୍ଡାକ ପରା ମାଡ଼ି ଗଲେ, ନିଜକୁ ଜ୍ଞାନୀ ଜ୍ଞାନୀ ଲାଗେ। ଏଇ ପରା ସେଇ ଶିକ୍ଷାୟତନ, ଯେଉଁଠୁ ଆଜି ତ ସବୁ ବଡ଼ବଡ଼ ଆଫିସର୍, ନେତା ଓ ଜ୍ଞାନୀଗୁଣୀଜନ ପ୍ରସିଦ୍ଧି ଲାଭ କରିଛନ୍ତି । ତେଣୁ ମୋ ବାଣୀ ବିହାରର ଘଡିଏ ପ୍ରଶଂସା ନ କରି ରହିହେବ ନାହିଁ। ଏହି ଦଳୀୟାକ ପରା ନାଳନ୍ଦା ବିଶ୍ଵ ବିଦ୍ୟାଳୟର ଅନ୍ତେବାସୀ। ଏମାନଙ୍କ ଉପରେ ବୌଦ୍ଧ ଭିକ୍ଷୁ ମାନଙ୍କର ପ୍ରଭାବ ବେଶୀ। ତେଣୁ ଏମାନଙ୍କର ଜୀବନ ଯାପନ ଶୈଳୀ, ବୌଦ୍ଧ ବିହାରର ବୌଦ୍ଧ ସନ୍ନ୍ୟାସୀ ଓ ସୈନ୍ୟାସୀନୀ ମାନଙ୍କ ଠାରୁ କିଛି କମ୍ ନୁହେଁ। ହଉ ଭଲ କଥାରେ ବାବା! ତୁମେ ତୁମର ପାଠ ପଢ଼, ଆମେ ତୁମକୁ disturb କରିବା ନାହିଁ ।
ଅନ୍ୟ ଆଉ ଦଳେ ଅଛନ୍ତି, ସେମାନେ ପ୍ରେମ କରନ୍ତି ନାହିଁ। କିନ୍ତୁ ଅନ୍ୟର ପ୍ରେମ କାହାଣୀ ଶୁଣିବାକୁ ବେଶ୍ ଭଲ ପାଆନ୍ତି। ଅନ୍ୟର କାହାଣୀ କେତେବେଳେ କେଉଁ ରୂପ ପରିଗ୍ରହ କରୁଛି ତା ଉପରେ ଏମାନଙ୍କର ତିକ୍ଷ୍ଣ ନଜରଟା ଥାଏ ।
ବେଳେବେଳେ ମଧ୍ୟସ୍ଥି ରୋଲ୍ ବା ତୃତୀୟ ପକ୍ଷର ହସ୍ତକ୍ଷେପ ମଧ୍ଯ ଏମାନେ କରିଥାନ୍ତି। ସେମାନଙ୍କର ପ୍ରେମ ତରୀକୁ ବାହି ନେବାରେ ଏମାନଙ୍କର ବି କିଛିଟା ଭୂମିକା ଥାଏ। ନହେଲେ ସେମାନଙ୍କ କାହାଣୀକୁ ନେଇ ବୁଲେଟିନ୍ ଜାରି କରନ୍ତି। ହଟ୍ ଟପିକଟା ଆଲୋଚନା ହେବାରୁ ଅନ୍ୟମାନେ ମଜା ଉଠାନ୍ତି।
ସେଦିନ ପରା ସୁ ମାନାକୁ ଭଲ ପାଇ “ପାଏ ନା” କହି ହଠାତ୍ ପ୍ରତ୍ୟାଖ୍ୟାନ କରିଦେଇଥିବାରୁ ମାନାଟାର ମନ ଏକଦମ୍ ଭାଙ୍ଗି ପଡ଼ିଲା। ଖାଲି ମାଦ ପିଇଲା ।”ଆଉ ପରୀକ୍ଷା ଦେବି ନାହିଁ” – କହି ବିରହ ବେଦନାରେ ଜର୍ଜରିତ ହେଲା।ବନ୍ଧୁର ଏତାଦୃଶ୍ୟ ଅବସ୍ଥା ଦେଖି ‘ବନ୍ଧୁ ପ୍ରିୟ ସଖା ‘ଆମ ହୃଦୟ ବ୍ୟଥିତ ହେଲା। ତେଣୁ ଆମେ ବଡ଼ ବ୍ୟଥାତୁର ହୋଇ ସୁ ଘରକୁ ଧାଇଁଲୁ। କହିଲୁ – “ଆରେ! ତୁମ ପ୍ରେମ ନାଟକଟା ତୁମେ ତୁମର ସମ୍ଭାଳ , ସେଥିରେ ଆମର କିଛି ଯାଏ ଆସେନାହିଁ। କିନ୍ତୁ ତୁମେ ପରୀକ୍ଷା ଦେବ ନାହିଁ, ସେ ପରୀକ୍ଷା ଦେବ ନାହିଁ କହୁଛ- ଏଗୁଡାକ ସବୁ ଆମକୁ ଜମାରୁ ଭଲ ଲାଗୁ ନାହିଁ। ଯାହା ହେଲେ ବି କ୍ୟାରିୟର କଥା ନା! ବରଂ ଗୋଟେ କାମ କର! ତୁମେ ଆଉ କିଛି ଦିନ ମିଛି ମିଛିକା ନାଟକ କର। ପରୀକ୍ଷାଟା ସୁରୁଖୁରୁରେ ପାର୍ ହୋଇଯାଉ। ତେଣିକି ତୁମେ ତୁମର ଯାହା କର”। ସେୟା ହେଲା ।ସୁ ତା’ପର ଦିନ ଆସିଲା। ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ ରେ ଆମର ବୈଠକ ବସିଲା। ଆମେ ସାକ୍ଷୀ ରହିଲୁ। ସୁ ମାନାକୁ କହିଲା -” ଦେଖ! ଏବେ ପରୀକ୍ଷା ବେଳ ।ତୁମେ ଆଉ ବାୟା ପାଗଳା ପରି ହୁଅ ନାହିଁ କି ମୋତେ ବ୍ୟସ୍ତ କର ନାହିଁ। ମୁଁ ତୁମକୁ ଯାହା ହେଲେ ଭଲ ପାଏ, କିନ୍ତୁ ପରୀକ୍ଷା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନେବା” । ଏତିକିରେ ଦୁଇଟା ଭଙ୍ଗା ହୃଦୟ ଟିକେ ଯୋଡି ଗଲା, ସବୁ ଭୁଲି ସେମାନେ ପାଠ ପଢ଼ାରେ ମନ ନିବେଶ କଲେ। ମନର ତନାବ ଟିକେ ଦୂର ହୋଇଗଲା। ଆମେ ଟିକେ ହୋସ୍ ନେଲୁ।
ଆଉ ଗୋଟିଏ କଥା ଏଠାକାର ପରିବେଶ ଖୁବ୍ ଫ୍ରେଣ୍ଡଲି। କାରଣ ସମସ୍ତେ ପ୍ରାୟତଃ ଏକା ବେଚ୍ ର ବା ତଳ ଉପର କି ଟିକେ ତଳ ଉପର ମାନେ ପାଖା ପାଖି ଶ୍ରେଣୀର କେବଳ ଡିପାର୍ଟମେଣ୍ଟ ବା ବିଭାଗଟା ଅଲଗା। ଏଇ ଯେମିତି ମୋର ଓଡ଼ିଆ ହୋଇଥିଲା ବେଳେ ପ୍ରଭାତୀର ଇତିହାସ,ଅଳକାର ଭୂଗୋଳ, ଏ. କେ. ପାଲ ର ଲାଇବ୍ରେରୀ ସାଇନ୍ସ ଓ ସେଇମିତିକା ସମସ୍ତଙ୍କର। ସ୍କୁଲ ଜୀବନର ଯେଉଁ ବନ୍ଧୁତା ଓ ଘନିଷ୍ଠତା ଏଠି ବି ଟିକିଏ ଟିକିଏ ଥାଏ। ଏକତାଟା କିନ୍ତୁ ଭାରି ଜୋହର୍। ବାଣୀ ବିହାରିଆଙ୍କୁ ଯଦି କେହି ବାହାରବାଲା କିଛି କହିଦେଲା ତାହେଲେ ସେ ମଲା। ଖାଲି ତ ସମସ୍ତେ ପୋକ ମାଛି ଭଳିଆ ତାକୁ ଘେରି ଯିବେ। କେହି କିଛି ଆଉ ମାନିବେ ନାହିଁ। ସବୁ ଏକାଠି ହୋଇ ମାଡ଼ି ଯିବେ। ଭଲ ତୁମ ଏକତା କି ଜୟ ହୋ!
ପୁଣି ଏଇ ଫିଲ୍ମବାଲା ମାନେ ଚଳଚ୍ଚିତ୍ର ଜଗତର ଯଦି କେଉଁଠି ଶୁଟିଂ ବେଳେ କ୍ରାଉଡ଼ ଦରକାର, ଆମରି କ୍ୟାମ୍ପସରେ ଗାଡି ଲଗେଇ ଦେବେ। ସେଦିନ ପରା ବିଜ୍ଞାନ ଏକାଡ଼େମୀରେ “ବର୍ଷା ରାଣୀ କାନ୍ଦେ ରିମଝିମ୍”ଗୀତରେ ମହେଶ୍ୱତା ଓ ପ୍ରଶାନ୍ତ ନନ୍ଦ ମୁଖ୍ୟ ଭୂମିକାରେ ଅଭିନୟ କରି ଗୀତଟିଏ ଶୁଟିଂ ହେଉଥିଲା। ଆମେ ସବୁ ଟୋପି ପିନ୍ଧି ନାଚିଥିଲୁ।
ଆମେ ତ ଅନେକ କଥା କହି ଗଲେଣି, ହେଲେ ଆଉ କିଛି କଥା ଛାଡ଼ି ଗଲେ କି? ମୋର କାହିଁକି ସେମିତି ମନେ ହେଉଛି। କ’ଣ କୁହନ୍ତୁ ନା! ଏଇ ଡେଜ୍ ସ୍କଲାର କଥା କି? ସେମାନଙ୍କ ସଂଖ୍ୟା ତ କିଛି କମ୍ ନଥିଲା? ହେଲେ ତାଙ୍କ କଥା ଆଉ ଟିକେ ଅଧିକା କହିଥିଲେ ଭଲ ହୋଇଥାନ୍ତା, ନହେଲେ ମନ ଦୁଃଖ କରିବେ। କହିବେ-” ପ୍ରକାଶ! ଏତେ ଲୋକଙ୍କ କଥା ଏତେ କହିଲ, ହେଲେ ଆମ ବେଳକୁ କାହିଁକି କଞ୍ଜୁସ” । ହେଲା ବାବା ତୁମ ଗୁଣ ଗାରିମା ବି ଟିକେ ବଖାଣିବା।
ଏମାନେ ଆଜ୍ଞା! ଭାରି ଫଡ଼୍ଫଡ଼୍ ।କାହିଁକିନା ଅରିଜିନାଲ ଭୁବନେଶ୍ବର ବାସିନ୍ଦା ବୋଲି ଏମାନେ ପରା ଦାବୀ କରନ୍ତି। ପୁଣି କେହି କେମିତି ଗାଡି ମୋଟର ଖଣ୍ଡେ ଧରି ଆସନ୍ତି, ତେଣୁ ଭାରି ଭାଉ ଖାଆନ୍ତି ।ଖାଆନ୍ତୁମ! ଆମରି ସାଙ୍ଗ ତ, ତା ବୋଲି ଆମେ କ’ଣ ତାଙ୍କ କଥା କହିବା ନାହିଁନା କ’ଣ? ନିଶ୍ଚୟ କହିବାନା! ହେଲେ ଯାହା କହିଲେ ବି ପ୍ରେମ କଥା ଟିକେ ରହିବ। କାରଣ ଗୁମରଟା ନ ଫିଟେଇଲେ କ’ଣ ଚଳିବ?
ଏମାନଙ୍କ ଭିତରେ ବି ଆଜ୍ଞା କିଛି ନିଶାଶକ୍ତ ଥାନ୍ତି। ମାନେ ମୁଁ ଯେଉଁ ନିଶା କଥା ମୂଳଠୁଁ କହି ଆସିଛି। ଏମାନେ କ’ ଣ କରନ୍ତି ଜାଣନ୍ତି? ଆଜ୍ଞା! ବାଣୀ ବିହାର ସିନା ଆସନ୍ତି ପାଠ ପଢିବା ପାଇଁ ହେଲେ ବାଟରୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାନ୍ତି। ମାନେ ତାଙ୍କ ପାର୍ଟନରକୁ କହିଥିବେ –
-“ଆଜି ନନ୍ଦନ କାନନ ପାଖ ହେବ ଟିକେ ଯାଇ ବୁଲି ଆସିବା। ପାଠ କଥା ମାର ଗୁଲି ହୋ! ଟିକୁ ହେଉ ନହେଲେ ପ୍ରକାଶ କାହା ପାଖରୁ ନୋଟ୍ ଟା ନେଇ ଗଲେ କାମ ଶେଷ”। ସେଦିନ ମଞ୍ଜୁ ଓ ସାଞ୍ଜୁ ଦୁଇ ଜଣ ବୁଲି ଯାଇଥିଲେ। ଦୁଇଟାଯାକ ଝିଅ ନୁହଁନ୍ତିମ! ସଞ୍ଜୁଟା ପୁଅ ।ତା ନାଁଟା ସେଇଁନ୍ତିକା। ସ୍କୁଟର୍ ଗାଡିରେ ଯାଇଥିଲେ। ମଞ୍ଜୁ ସଞ୍ଜୁ ଅଣ୍ଟିଟାକୁ ଭିଡ଼ି କି ଧରିଲେ, ସେମାନଙ୍କର ଗପସପ ବେଶ୍ ଜମିକି ଚାଲେ। ନନ୍ଦନ କାନନରେ ପହଁଚି ସାପ ବେଙ୍ଗ ସବୁ ଦେଖିଲେ। ହେଲେ ମୟୂର ଓ ମୟୂରୀ ଦୁଇଟା ଥିଲେ ଥିଲେ ହଠାତ୍ ପୁଚ୍ଛ ଟେକି ନର୍ତ୍ତନ ଆରମ୍ଭ କରିଦେଲେ। ସେମାନଙ୍କର ଶୃଙ୍ଗାର ରସ ଦେଖି ଏମାନଙ୍କର କଲିଜା ପରା କ’ଣ ହୋଇଗଲା। ହାତ ଧରାଧରି ହୋଇ ତ ଯାଉଥିଲେ, ଦଣ୍ଡକେ ପରା କୁଣ୍ଢାକୁଣ୍ଢି ହୋଇଗଲେ ।ବାହ୍ୟ ପରିବେଶ କ’ଣ ମଣିଷ ଉପରେ ଏତେ ପ୍ରଭାବ ପକାଏ? ଯାହା ହେଲେ ଆମ ସାଙ୍ଗ ତ ତାଙ୍କ କଥା ଏତେ କହିବା ନାହିଁ। ପୁଣି ଏ ବୁଢାବୁଢି ଦୁଇଜଣ ସେ ଚଢେଇ ଓ ଭାଲୁ ବସା ଛାଡ଼ି ନନ୍ଦନ କାନନରେ ଯେଉଁ ସମୁଦ୍ରଟା ଅଛି, ସେଇଠି ବହେ ନୌକା ବିହାର କରି ପାଣି ଛଟାଛଟି ହେଲେ। ଶେଷ ବେଳକୁ ଆସି ପୁଷ୍ପ ଉଦ୍ୟାନରେ ହାଜର। ସେଇଠି ପୁଷ୍ପର ଆଘ୍ରାଣ ନେଉ ନେଉ ଏମାନଙ୍କ ମନରେ ଆଘ୍ରାଣ ବି ବଢୁଥିଲା। ସମୟଟା ଆଗକୁ ଧାଉଁ ଥିବାରୁ ମନରେ ଲଗାମ୍ ଦେଇ ଫେରିଥିଲେ ପଛକୁ। ସେଦିନର ସେମାନଙ୍କ କ୍ଲାସ୍ ଟା ସେଇଠି ମାଡ ଖାଇ ଯାଇଥିଲା।
ଆଗରୁ ଟାଉନ୍ ବସ୍ ସରକାରଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ ମୁତାବକ ବାଣୀବିହାର କ୍ୟାମ୍ପସ ଭିତର ଯାଏଁ ଆସୁଥିଲା। କିନ୍ତୁ ମଣ୍ଡଳ ଇସ୍ୟୁ ପରେ ଆଉ ଭିତରକୁ ନ ଆସି ବାହାରେ ନୂଆ ତିଆରି ହୋଇଥିବା ଗୋଟେ ବସ୍ ଷ୍ଟପ୍ ଓ ରେଷ୍ଟ ସେଡ ସାମ୍ନାରେ ଅଟକି ଚାଲି ଯାଉଥିଲା।ତେଣୁ ଏଇ ଡେଜ୍ ସ୍କଲାରଙ୍କ ସହ ଯେଉଁ ହଷ୍ଟେଲ୍ ଅନ୍ତେବାସୀଙ୍କର ସମ୍ପର୍କ ହୋଇ ଯାଇଥାଏ, ସେମାନେ ପରା କ୍ଲାସ୍ ସରିଲେ ବାଣୀବିହାର ଗେଟ୍ ଯାଏଁ ଚାଲି ଚାଲି ଆସି ଯାଆନ୍ତି-ବାଟେଇ ଦେବା ପାଇଁ ଓ ବସ୍ ଚଢେଇ ଦେବା ପାଇଁ । ପୁଣି ଦିନେ ଦିନେ ଆର୍. ଡି ଓମେନ୍ସ କଲେଜ ସାମ୍ନା ସ୍ଵପ୍ନପୁରୀ ଲଜ୍ ଯାଏଁ ଆସି ଯାଆନ୍ତି। ସେଇଠୁ ଥୋକେ ଫାଷ୍ଟ ଫୁଡ୍ ବା ଗୁପଚୁପ ଖୁଆଇ ସେଦିନ ପାଇଁ ପ୍ରେମିକାକୁ ବିଦାୟ ଦିଅନ୍ତି। ସେତିକି ଥକାନ ମେଣ୍ଟାଇବା ପାଇଁ ଫେରି ଆସି ଶୋଇ ପଡ଼ନ୍ତି। ଖାଇ ସାରିଲା ପରେ ୟାଙ୍କର ପାଠ ପଢା ଆରମ୍ଭ ହୁଏ। ଏ ଦଳଟା ରାତ୍ରିଚର ।ଦିନ ସାରା ୟାକୁ disturb କର ତାକୁ disturb କର, ନହେଲେ ପ୍ରେମିକା ପଛରେ ପଡ଼, କିନ୍ତୁ ରାତିରେ ଶଳେ! ବିଡି ଟାଣି ଟାଣି ଭାରି ପଢନ୍ତି। ସମସ୍ତେ ଭଲ ଷ୍ଟୁଡେଣ୍ଟ ।ଯେତେ ଯାହା କରନ୍ତୁ, ରେଜଲ୍ଟ ସହିତ ଆଦୌ କମ୍ପ୍ରୋମାଇଜ୍ କରିବେ ନାହିଁ। ଏମାନେ ଆଉ ଦିନେଦିନେ ପରା ବସ୍ ଷ୍ଟାଣ୍ଡ (ପୁରୁଣା) ମାନେ କଳା ମନ୍ଦିର ଯାଏଁ “ଅମୁକ କିଣିବା , ସମକ କିଣିବାର ଅଛି “ବୋଲି ପ୍ରେମିକା ଆଗରେ ବାହାନା କରି, ଅସଲ ଉଦ୍ଦେଶ୍ୟ ଆଉ ଟିକେ ଅଧିକ ସାହଚର୍ଯ୍ୟ ପାଇବା ଉଦ୍ଦେଶ୍ଯକୁ ଭିତରେ ଲୁଚାଇ ରଖି ଆସିଯାଆନ୍ତି। ଜିନିଷ କିଣିବା କଥା ମିଛ। କଳା ମନ୍ଦିର ଆଗେ ଦହିବରା ଆଳୁଦମ ଖାଇ ଗପା ମାରନ୍ତି। ଏକ୍ସଟ୍ରା କ୍ଲାସ୍ ଥିଲା ବୋଲି ମିଛ କହି ଘରକୁ ଡେରିରେ ଫେରି କୈଫତ ଦିଅନ୍ତି। ପୁଣି କଥାର ପ୍ରସଙ୍ଗ ବଦଳେଇବା ପାଇଁ କହନ୍ତି – ବୋଉଲୋ! ଭାଇର ଜନ୍ମ ଦିନ ସବୁ ବର୍ଷ ହେଉଛି, ଏଥର ମୋର ଜନ୍ମ୍ ଦିନ କରୁନ! ଆଉ କେଇଟା ଦିନ ପରେ ତ ଶ୍ୱଶୁର ଘରକୁ ପଳେଇବି। ମୋର କ’ଣ ମନ ନାହିଁ, ମୋ ସାଙ୍ଗ ମାନଙ୍କୁ ଡାକି ପାର୍ଟି ଦେବା ପାଇଁ? ଉଦ୍ଦେଶ୍ଯ – ଏହି ବାହନାରେ ଓ ସାଙ୍ଗ ସାଥି ଡାକିବା ଆଳରେ ନିଜ ପ୍ରେମିକାକୁ ଟିକେ ଘର ମାଟି ମଡେଇ ଛାଡ଼ିବା। ସେଦିନ ଏମିତି ଗୋଟେ ସୁଯୋଗ ପାଇ ସଞ୍ଜୁ ମଞ୍ଜୁ ଘରେ ହାଜର। ମଞ୍ଜୁ ବଡ଼ ସରାଗରେ ବାପ ମାଆଙ୍କୁ ଚିହ୍ନେଇ ଦେଉଥାଏ – “ଇଏ ହେଉଛନ୍ତି ସଞ୍ଜୁ। ଭାରି ବ୍ରିଲିଆଣ୍ଟ ଷ୍ଟୁଡ଼େଣ୍ଟ। ଆମ ବ୍ୟାଚ୍ ରେ 5th ଇୟରରେ ପରା ଟପର ହୋଇଛନ୍ତି।ଏଥର ଓ. ଏ. ଏସ୍. ମେନ୍ ପାଇଥିଲେଯେ, ଅଳ୍ପକେ ଭାୟାରେ କଟି ଗଲେ। ବାପା ମାଆଙ୍କ ଆଗରେ ପ୍ରଶଂସା କରି ପରିଚୟ ପର୍ବଟାକୁ ଏତେ ଲମ୍ବା କରି ମଞ୍ଜୁ କିଛି ତ ଗୋଟେ ଇଶାରା ଦେଉଥିଲା। ବାପା ମାଆ ଏହି ଲମ୍ବା ପରିଚୟରେ ମଧ୍ଯ ଆକୃଷ୍ଠ ହୋଇ କିଛିଟା ଉତ୍ସାହିତ ଥିଲା ପରି ମନେ ହେଉଥିଲେ ଓ ପରିଚିତିଟା ବଢ଼ିଥିଲା ।ତେଣୁ ଏମାନଙ୍କୁ ଆଗକୁ ଟିକେ ଫ୍ରୀ ଆକସେସ୍ ମିଳିବାର ହୁଏତ ସୁଯୋଗ ସ୍ରୁଷ୍ଟି ହୋଇଥାଇ ପାରେ ।ଏଇ ମଞ୍ଜୁର ସେଦିନର ଏଇ ଆଦବ କାଏଦାଟା ବୋଧେ କାମରେ ଆସିଥିଲା। ଏମାନେ ତ ଯୋଡି ହୋଇ ଏବେ ଏଠାକୁ ଆସିଛନ୍ତି।
ଆଉ କେତେବେଳେ ଏମାନେ ମଧ୍ଯ ମହାରାଜା ଟକିଜ୍ ବା ଶ୍ରିୟା, ସ୍ତୁତି ଓ ତୃପ୍ତି ଫିଲ୍ମ କମ୍ପ୍ଲେକ୍ସ ଚାଲି ଯାନ୍ତି। ସେ ସମୟରେ ସାଜନ, ମେ ନେ ପ୍ୟାର କିୟା, ଦିଲ୍ ଆଦି ଲଭ୍ ଷ୍ଟୋରୀ ହଲରେ ଖେଳୁଥାଏ। ଏଗୁଡାକ ଦେଖିବା ପାଇଁ କ୍ଲାସ୍ ଛାଡ଼ି ଅନେକ ହଳି ହଳି ହୋଇ ବାହାରି ଯାଆନ୍ତି। ତା’ର ବି ଭାରି ଗୋଟେ ପ୍ରଭାବ ୟାଙ୍କ ଉପରେ ଅନୁଭୂତ ହୋଇଥାଏ।
ଆଉ କିଛି ଥାନ୍ତି, ନିଜ ଆଇ. ଏ. ଏସ୍. /ଆଇ. ପି. ଏସ୍ ଭାଇ ପାଇଁ ଏଇଠୁ ପତ୍ରୀ ଯୋଗାଡ଼ କରନ୍ତି। କୁଆଡୁ ସୁନ୍ଦରୀ ସାଙ୍ଗକୁ ଭାରି ପଢୁଆ ଝିଅ ଏଇଠୁ ମିଳିବାର ଗୋଟେ ବିଶ୍ବାସ ଥାଏ। ତେଣୁ ଦିଅର ଟୋକା ବାଇ ଚଢେଇ ଭଳିଆ ଏ ହଷ୍ଟେଲରୁ ସେ ହଷ୍ଟେଲ୍ ଉଡ଼ି ବୁଲି ଜଣଙ୍କଠେଇଁ ଲାଖି ଯାଆନ୍ତି। ଏଥିପାଇଁ କିଛି ଝିଅ ସାଙ୍ଗ ସାହାରା ପାଲଟି ଥାନ୍ତି। ଆମ ସମୟରେ ତ ଏମିତି ଗଣ୍ଡେ ଛଅଟା ହୋଇଥିବାର ଗୋଟେ ନଜିର ଅଛି। ନାଁ ନେଇ ଯାଆନ୍ତି ଯେ! କାଳେ ରାଗିବେ ବୋଲି ମୁଁ ଜିଭ କାମୁଡ଼ି ରହି ଯାଉଛି।
ଏତଦ୍ ବ୍ୟତୀତ ଷ୍ଟୁଡି ଟୁର୍ ଟା ବି ଯେହେତୁ ଓଡିଶା ଛାଡି ବିଦେଶ ମାଟି ଯାଏଁ ଲମ୍ବି ଯାଏ ଓ ଟିକେ ଲମ୍ବା ସମୟ ପୁଅଝିଅ ଏକାଠି ରହିବାର ସୁଯୋଗ ଆଣି ଦେଇଥାଏ। ତେଣୁ ନିଆରା ଅନୁଭବଟିଏ ମିଳିଥାଏ। ମନ ସ୍ୱତଃ ଉଚ୍ଚାଟିତ ହୋଇଯାଏ। ଓ ସେ ଭାବଟାର ମଧ୍ଯ ଖୁବ୍ ଉତ୍କର୍ଷତା ସାଧିତ ହୁଏ। ଏଠି ଗାଇଡ୍ ଟିଚର୍ ନାଁକୁ ମାତ୍ର, କିନ୍ତୁ ଆପଣା ବାଟରେ ଜିନ୍ଦେଗୀ ଜୀଇଁ ହୁଏ ଓ ମନ ଭରି ଉପଭୋଗ କରି ହୁଏ।
ଏସ୍. ଏସ୍. ଜି. ଏବଂ ଏନ୍. ଏସ୍ ଏସ୍. କ୍ୟାମ୍ପ୍ ସମ୍ପର୍କରେ ଆପଣମାନଙ୍କର କ’ଣ ଧାରଣା କେଜାଣି। କିନ୍ତୁ ଆମ ଭଳି କିଛି ଆଗ ଧାଡିର ପିଲା, ଏଇ ସୁଯୋଗ ସୁବିଧାକୁ ବେଶ୍ ହାତେଇ ଥାଉ, ଯେଉଁମାନେ କି ଟିକେ ମୋ ଭଳିଆ ଧୃତ। ଏଠି ସରକାରୀ ପଇସାରେ ବିଭିନ୍ନ୍ ଡିପାର୍ଟମେଣ୍ଟର ଝିଅପୁଅ ସବୁ ମିଶି ଏକାଠି ହୋଇ ରହିବାର ସୁଯୋଗ ଥିବାରୁ ଜୀବନଟା ଭାରି ଉପଭୋଗ୍ୟ ମନେହୁଏ। କେତେ ହସାହସି, କଥାବାର୍ତ୍ତା, ଭାବ ଦିଆନିଆ ଓ କଥାର ଫୁଆରା ଛୁଟେ। ବ୍ୟଂଗ,ଶ୍ଲେଷ, ହାସ୍ୟ ଓ ଥଟ୍ଟା ମଜ୍ଜାର ବହଳ ପରଦା ତଳେ କେତେ ଅକୁହା କାହାଣୀ ସବୁ ଲେଖି ହୋଇଯାଏ । ଭାରି ଭଲ ଲାଗେ। ସେଦିନ ଶିଖର ଚଣ୍ଡିଠାରେ ଏସ୍. ଏସ୍. ଜି. କ୍ୟାମ୍ପ ହୋଇଥିଲା, ଯେଉଁଥିରେ କି ଏସ୍. ଏସ୍. ଜି. ସେକ୍ରେଟାରୀ ଡେଙ୍ଗା ରମା ଓ ଗତି ପ୍ରମୂଖ ଉପସ୍ଥିତ ଥିଲେ। ଆମେ ସବୁ ପାଖ ବସ୍ତି ସଫା କରିଥିଲୁ ଓ ମନ୍ଦିର ପରିବେଶ ସଜାଡି ବଗିଚାଟେ ତୋଳିଥିଲୁ।
ପୁଣି ଏନ୍. ଏସ୍. ଏସ୍. କ୍ୟାମ୍ପ ବେଳକୁ ନନ୍ଦନ କାନନ ସମ୍ମୁଖସ୍ଥ ଜଗନ୍ନାଥ ମନ୍ଦିର ପରିସରର ପାହଚ ଓ ପରିବେଶ ସଜାଡି ଥିଲୁ। ସାଫ ସୁତର କରିବା ସହିତ ସେଠି କୂଅଟେ ମଧ୍ଯ ନିଜ ହାତରେ ମାଟି କାଟି ଅକ୍ଳାନ୍ତ ପରିଶ୍ରମ କରି ଖୋଳି ଥିଲୁ, ଏବେ ବି ତାହା ମୋର ମନେ ଅଛି। ପାଖ ସ୍କୁଲରେ ଡେରା ପକାଇ ସପ୍ତାହେ କାଳ ରହିଥିବା କଥା – ମୋ ସ୍ମୃତି ଭାଲପଟେ ଝଲସି ଉଠୁଛି। ସେଠି ଖିଆପିଆ, ବୁଲାବୁଲି ଓ ମସ୍ତିର ଗୋଟେ ପାହାଡ଼ ଭିତରେ ବଡ଼ ପର୍ବ ଲାଗିଥିଲା। ମୁଁ ତ ଟିକେ ଉନ୍ନତ ମାନର ଗାଡି ଚଢାଳି। ତେଣୁ କ୍ଲୋଜିଙ୍ଗ ସେରିମୋନି ଦିନ ପି. ଜି. କାଉନ୍ସିଲ ଚେୟାରମ୍ଯାନ ଯାଇଥିଲେ। ଫେରିଲା ବେଳକୁ ମୁଁ ତାଙ୍କୁ ଅନୁସରଣ କରି ମୋ ଏଲ୍. ଏମ୍. ଏମ୍. ଭେସପା ସ୍କୁଟରଟାକୁ ତାଙ୍କ ପଛରେ ଭିଡ଼ି ଦେଇ ରମା ଓ ନିତିଆକୁ ବସେଇ ଗତି ଦେଇଥିଲି। ହ୍ୟାଣ୍ଡେଲ ସମ୍ପୂର୍ଣ୍ଣ ଛାଡି ଦେଇ ଅଣ୍ଟାରେ ନିୟନ୍ତ୍ରଣ କରୁଥିଲି, ଯେଉଁ କଳାଟା ଆଗରୁ ମୁଁ ହାସଲ କରିଥାଏ। ସେମାନେ ଗାଉଥିବା ଗୀତର ତାଳେ ତାଳେ ମୁଁ ହ୍ୟାଣ୍ଡଲ୍ ଛାଡି ତାଳି ମାରୁଥାଏ ଓ ସମୟେ ସମୟେ ସାରଙ୍କୁ ଅତିକ୍ରମ କରି ଯାଉଥାଏ। ଏଥିରେ ସେ ବଡ ବ୍ୟସ୍ତ ହୋଇଉଠି ଗାଡି ଅଟକେଇ ଡାଣ୍ଟିଥିଲେ। ତେବେ ଇଏ ତ ଥିଲା, ଆମ ଅଭୁଲା ସ୍ମୃତି ଓ ବାଣୀ ବିହାରରେ ଆମ ଜୀବନ କାହାଣୀ ।
ଭାଗ16. .. ପ୍ରେମ ତତ୍ତ୍ଵ
————————————
ଆଜି ମୁଁ ଅନେକ କଥା ସ୍ମୃତି ଚାରଣ କରୁଛି। ସେଇଥିରୁ ଥୋକେ ଯାହା ମନେ ପଡୁଛି ସବୁ କହୁଛି। ହେଲେ ଏଠି ତ ସମସ୍ତେ ଅଛନ୍ତି। ରାଣୀଆ ଆଶିଷ, କିଶୋର, ପ୍ରଭାତୀ, ସରିତା – ତୁମେ ସବୁ କୁହନା! ସେଦିନର ସେଇ ସହଜ ସରଳ ଭାବ ଆଜିର ଏ ପରିଣତ ବୟସରେ କ’ଣ ଅଛି କି?
ଏ କଥା ସତ ଆମେ ଆଜି ଦୀର୍ଘ ପଚିଶ ବର୍ଷ ପରେ ଏଇଠି ଏଇମିତି ଏକାଠି ହୋଇଛେ। ଖୁବ୍ ଗୋଟେ ବଡ଼ get together party ଅନୁଷ୍ଠିତ ହେଉଛି। ଆଜି ଅନେକ ଚିହ୍ନା ମୁହଁ ଅପରିଚିତ ଲାଗୁଛନ୍ତି। କାହିଁକିନା କାହା ଶରୀର ବର୍ତ୍ତୁଳ ହୋଇ ଯାଇଛି ତ କିଏ ପୁଣି ପକ୍ଵ କେଶା, ଭୃକୁଞ୍ଚିତ ସ୍ଥୂଳ ଶରୀର ଧରି ବୃଦ୍ଧବୃଦ୍ଧାର ପରିକଳ୍ପନା ମନରେ ଗଢି ତୋଳୁଛି ।ତେଣୁ ଚିହ୍ନିଲା ଚିହ୍ନିଲା ସମସ୍ତେ ଲାଗୁଥିଲେ ବି ସମସ୍ତଙ୍କୁ ତ କାହିଁ ଚିହ୍ନି ହେଉ ନାହିଁ। ଅନେକଙ୍କୁ ବି ମନ ବିସ୍ମରି ଗଲାଣି। ଆଉ କେତେକଙ୍କୁ ଜାଣି ହେଲେ ମଧ୍ୟ ସେମାନଙ୍କ ନାଁ କାହିଁ ମନେ ପଡୁ ନାହିଁ। ଏହି ସମୟଟା ତେବେ କ’ଣ ଏଡ଼େ ବଡ଼ ବ୍ୟବଧାନ ରେଖା ଟାଣି ପାରେ କି? କେଜାଣି ହୋଇଥିବ।
ତେବେ ଯେଉଁ ଗୋଟେ ଅଧେ ଚିହ୍ନି ପକାଉଛି ଗଳେ ଲାଗିଯାଇ କୁଣ୍ଢେଇ ପକାଉଛି। ମନଟା ଆଜି ମୋର କୁଣ୍ଢେ ମୋଟ ହୋଇଉଠୁଛି। ଆଜି ଜୀବନରେ କିଏ କେତେ ସଫଳ ଓ ବିଫଳ ହୋଇଛି ଓ ପ୍ରେମରେ କିଏ କେତେ କୃତକାର୍ଯ୍ୟ ଅବା ଅକୃତକାର୍ଯ୍ୟ ହୋଇଛି ସେଇଟା ନିଶ୍ଚିତ ପକ୍ଷେ ବଡକଥା ନୂହେଁ। ବଡ଼ କଥା ହେଉଛି, ଆଜି ପରସ୍ପରକୁ ଭେଟି ପାରିଛେ ଓ ଅତୀତକୁ ବର୍ତ୍ତମାନ କରି ଗଢି ତୋଳି ପାରିଛେ। ଜୀବନ ସଂଗ୍ରାମ ଭିତରେ ଆମେ ସମସ୍ତେ ଚାକିରୀର ଅନୁସନ୍ଧାନ ଓ ପରେ ଘରଣୀଟେ ବାଛି ଘର ତୋଳିବର ସ୍ଵପ୍ନ ଭିତରେ ହଜି ଯାଇଥିଲେ। ତେଣୁ ହୁଏତ ସାଙ୍ଗସାଥୀ କଥାଟା ଏତେଟା ମନେ ପକାଇ ପାରୁ ନଥିଲେ। ମନେ ପଡୁଥିଲେ ବି ସେତେଟା ସୁଯୋଗ ଭାଗ୍ୟରେ ଜୁଟୁ ନଥିଲା-ସମ୍ପର୍କର ସେତୁଟା ବାନ୍ଧି ରଖିବା ପାଇଁ । କାରଣ ଜୀବନ ସଂଘର୍ଷ ବଡ଼ ଜଟିଳ ଓ ଏକ ବିତର୍କିତ ପ୍ରଶ୍ନ। ସେଇ ପ୍ରଶ୍ନର ହେତୁ ନିରୂପଣ କରୁକରୁ ମଣିଷ ଏକଦମ୍ ନାକେଦମ୍ ହୋଇଯାଏ। ପୁଣି ସଂସାର ଝାମେଲାରେ ପଶି ଚକ୍ରବତ୍ ମୁଣ୍ଡ ଚକ୍କର ମାରୁଥିବାରୁ, ସେଇଥିରେ ଧନ୍ଦିଧାନ୍ଦି ହୋଇ ସମସ୍ତ ଅତୀତକୁ ଭୁଲିବାକୁ ବସନ୍ତି। ହେଲେ ଅତୀତ ମଧୁର ସ୍ମୃତି କି ଆଉ ଫେରିବ?
ତେଣୁ ଇଛା ଥିଲେ ବି ଆଉ କାହା ସହ ଏତେଟା ସମ୍ପର୍କ ରଖି ହୁଏ ନାହିଁ। ରଖିଲେ ବି ଖୋଲିକି କଥା ହୋଇ ହୁଏ ନାହିଁ – ସମୟର ଅଭାବ ହେତୁ। ଅବଶ୍ଯ ବାଣୀ ବିହାର ଛାଡ଼ିଲା ପରେ କିଛି ବନ୍ଧୁଙ୍କ ସହିତ ଚିଠି ପତ୍ର ଦିଆନିଆ ଚାଲିଥିଲା ବା କେତେକଙ୍କ ସହ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା କେନ୍ଦ୍ରରେ କେତେବେଳେ କେମିତି ଦେଖା ସାକ୍ଷାତ ହେଉଥିଲା। ହେଲେ ସେ ସୁଯୋଗ ବି ଏବେ ଦୁଷ୍ପାପ୍ୟପ୍ରାୟ ହେଲାଣି।
ଜୀବନ ଏକ ସଂଘାତ ଓ ସଂଘର୍ଷପୂର୍ଣ୍ଣ। ସେଇ ଜୀବନ ସଂଘାତରେ ଜୁଝିଜୁଝି ମଣିଷ ଅଣନିଶ୍ଵାସୀ ହୋଇଯାଏ। ଜୀବନ ତା ପାଇଁ ସୁଖକର ନହୋଇ ଦୁର୍ବିଶହ ହୋଇ ଉଠେ ।ସଂସାରର ବୋଝ ଓ ସମାଜର କଷଣ ତାକୁ ଅତିଷ୍ଠ କରି ଦିଏ। ପାରିବାରିକ ସମ୍ପର୍କ ଆଜି ଛିଣ୍ଡି ଯାଉଥିବାରୁ ଓ ପୁରୁଣା ସାମାଜିକ ତତ୍ତ୍ଵଗୁଡିକ ସବୁ ଆଜି ଅକାରଣେ ବେକାର ହୋଇ ଯାଉଥିବାରୁ ଭବିଷ୍ୟତ ବି ଅନ୍ଧକାର ହୋଇ ଯାଇପାରେ। କାହିଁ ସେତେ ଉଜ୍ଜ୍ବଳ ଭବିଷ୍ୟତ ତ ନଜରକୁ ଆସୁ ନାହିଁ। ତେଣୁ ମଣିଷ ଖୋଜେ ଶାନ୍ତିକୁ, ଯାହା ଆଜି ସହଜଲଭ୍ଯ ନୂହେଁ। ଏହି ହିଁ ଜୀବନର ବାସ୍ତବତା ଓ କଠୋର ସତ୍ୟ।
କିନ୍ତୁ ସେଦିନର ମୋ ଅତୀତ ବା ଆମ ସମସ୍ତଙ୍କ ସେ ଛାତ୍ର ଜୀବନ କି ମଧୁମୟ ନଥିଲା ସତେ! ସେ କଥା ଚେତନାରେ ଅଭ୍ଯୁଦୟ ହେଲା କ୍ଷଣି ହୃଦୟ ବିଦାରିତ ହୋଇଯାଏ। ବାରବାର ମନ କହେ ପୁଣି ଥରେ ଜିଇଁବାକୁ ସେଇ ପିଛିଲା ଦିନକୁ ଆଉ ଥରେ ପୁଣି ଏମିତି ମନ ଭରି। ସେଦିନର ସେ ପ୍ରତିଟି ସ୍ମୃତି ଆଜିର ଏ ପରିବେଶରେ ବେଶ୍ ତାଜା ହୋଇ ମନକୁ ଆନ୍ଦୋଳିତ କରୁଛି। ତେଣୁ ସ୍ମୃତି ପରସର ପ୍ରତିଟି ପାଖୁଡା ଖୋଲି ଯାଉଛି ଓ ଅତୀତକୁ ରୋମନ୍ଥନ କରି ମୁଁ ବେଶ୍ ଉଲ୍ଲାସିତ ଓ ରୋମାଞ୍ଚିତ ହୋଇ ଯାଉଛି । କେଉଁ କଥାଟା କହିବି ଯେ! ଯାହା ତ କହିଲେ ବିରାଟ ଗ୍ରନ୍ଥ ହୋଇଯିବ। ଆଜିର ଏ ବ୍ୟସ୍ତ ବହୁଳ କର୍ମଜଞ୍ଜାଳ ସଂସାର ଭିତରେ ପଢିବାକୁ ବା ଶୁଣିବାକୁ କାହା ପାଖରେ ବେଳ ଅଛି ଯେ! ତେଣୁ କଥାରେ କଥାରେ ହୁଏତ ଅନେକ କଥା କୁହାଯାଇଛି। କିନ୍ତୁ ଆମ ଜୀବନ ଯୌବନର ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବା ଶ୍ରେଷ୍ଠ ବୈଭବ ସେଇ ପ୍ରେମ କଥାକୁ ହିଁ ଅଧିକ ଭାବେ କୁହାଇ ପାରିଛି। କାରଣ ସମସ୍ତେ ଚାହାଁନ୍ତି recreation ଓ ଜୀବନର ଧରାବନ୍ଧା ଗୁଳାରୁ ଟିକେ ହଟକି ଜୀବନକୁ ଟିକେ ଲଘୁଭାବେ ପରସି ଦେବା ।ତହିଁରେ ତ ଜୀବନଟା ହାଲକା ହୋଇଯାଏ ଓ ଅଶାନ୍ତ ମନଟା ଟିକେ ଶାନ୍ତ ପଡି ଆସେ।
ତେଣୁ ପ୍ରେମର ଏକ ଦୁର୍ବାର ଲାଳସା ପ୍ରତିଟି ମନର ନିଭୃତ କେନ୍ଦ୍ରରେ ଅହରହ ଉଙ୍କି ମାରେ। ମଣିଷ ଏକ ସ୍ନେହ କାଙ୍ଗାଳ ଆତ୍ମା। ତା ମନ ଭିତରେ ତାକୁ ଭଲ ପାଇବାର ଅନେକ ଆର୍ତ୍ତ। ତା’ର ଇଚ୍ଛା ତାକୁ ସମସ୍ତେ ଭଲ ପାଆନ୍ତେ କି? ପାଇଲେ ବି ତାକୁ ଭଲ ପାଇବାର ଅନୁପାତ ଅନ୍ୟମାନଙ୍କଠାରୁ ଟିକେ ବେଶୀ ମିଳିବା ଦରକାର। ଏହି ତୁଳାନାତ୍ମକ ବିଚାର କରି ସେ ବେଳେବେଳେ ଆତଙ୍କିତ ହୋଇପଡେ ଓ ମନେମନେ ଭାବେ – ତାକୁ ହୁଏତ କେହି ସେତେଟା ଭଲ ପାଉ ନାହାଁନ୍ତି। ତେଣୁ ଆହୁରି ମନକୁ ଆସେ- ସମାଜରେ ସେ ହୁଏତ ସବୁଠାରୁ ଅବହେଳିତ ଓ ଅପାଂକ୍ତେୟ ବସ୍ତୁ । ଏ ପ୍ରସଙ୍ଗଟା ତା ମନ ଭିତରେ ଉତ୍ଥାପିତ ହୋଇଗଲା କ୍ଷଣି ସେ ଆପଣା ଭିତରେ ବେଶ ପ୍ରତିଯୋଗୀତାପୂର୍ଣ୍ଣ ମନୋବୃତି ପରିପୋଷଣ କରେ। ଓ ଯେନେତେନେ ପ୍ରକାରେ କାହାକୁ ଗୋଟେ ଭଲ ପାଇ ବସେ ଏବଂ ତାକୁ ନିଜ ଆଡକୁ ଖୁବ୍ ଆକୃଷ୍ଠ କରିବା ପାଇଁ ଶତତ ଲାଗି ପଡେ। ଏହି ପ୍ରତିଯୋଗୀତା ଭାବାପନ୍ନ ମନସ୍କତାରୁ ବୋଧହୁଏ ସ୍ରୁଷ୍ଟି ହୁଏ ପ୍ରେମ ନା ପ୍ରେମଟା ତା ହୃଦୟର ନିଭୃତ କୋଣରେ ସଞ୍ଚିତ ଥାଏ? ସେ କେବଳ ସୁଯୋଗଟାକୁ ଅପେକ୍ଷା କରିଥାଏ, କେଉଁଠି କେମିତି ଗୋଟେ ସନ୍ଧାନ ପାଇଲେ ତା’ର ସଦୁପୋଯୋଗ କରିଥାଏ ଆଉ ଏ ସୁଯୋଗଟି ପାଇଲା କ୍ଷଣି ସେ ତା ଉପରେ ଝାମ୍ପି ପଡ଼େ । କେଜାଣି ଏମିତି ତ ଅନେକ ସମ୍ଭାବ୍ଯ ତାଲିକାରେ ଅଛି, ଇଏ ତହୁଁ ଗୋଟେ କାରଣ ଭାବେ ପ୍ରତିଭାତ ହୋଇପାରେ।
ତେବେ ପ୍ରେମ ହିଁ ଶ୍ରେଷ୍ଠ, ପ୍ରେମ ବିନା କିଛି ଦାମିକା ଚିଜ ଏ ସ୍ରୁଷ୍ଟିସାର ସଂସାରରେ ନାହିଁ। ସେଦିନ ପରା ଯୀଶୁ ଖ୍ରୀଷ୍ଟ ହୁଅନ୍ତୁ ବା ଆଉ କେହି ଧର୍ମ ଯାଜକ ଓ ଦାର୍ଶନିକ ବା କେହି ମହାପୁରୁଷ ହୁଅନ୍ତୁ, ସମସ୍ତେ ତ ପ୍ରେମକୁ ହିଁ ଗୁରୁତ୍ୱ ଦେଇ ଆସିଛନ୍ତି (depicted on love and advocated in favour of love). ତେଣିକି ସେମାନେ ସାଧୁସନ୍ଥ ହୁଅନ୍ତୁ ବା ମୁନିଋଷି ସମସ୍ତେ ତ ଏହି କଥା ହିଁ କହିଛନ୍ତି ବା ପ୍ରେମର ପୂଜାରୀ ପାଲଟିଛନ୍ତି। ତେବେ ପ୍ରେମ ମାନେ ନୂହେଁ କେବଳ ଯୌନ ଅକାଂକ୍ଷାର ପରିତୃପ୍ତି, ଜାନ୍ତବ୍ଯ କ୍ଷୁଧାର ନିବାରଣ ବା ଶରୀରର ମିଲନ। ପ୍ରେମ ମଧ୍ଯ ଦୁଇଟି ଆତ୍ମାକୁ ଏକ କରିବାର ଏକ ଅଦ୍ୱିତୀୟ ବସ୍ତୁ। ଯେଉଁଠି ଶରୀର ଅପେକ୍ଷା ମାନସିକ ସ୍ତରରେ ହୃଦୟର ମିଳନକୁ ମଧ୍ଯ ଅଧିକ ଗୁରୁତ୍ୱ ଦିଆ ଯାଇପାରେ। ପ୍ରେମ ଏକ ନବୀନ ଆନନ୍ଦରେ ସମସ୍ତଙ୍କୁ ଅଭିଭୂତ କରି ହୃଦୟକୁ ଦ୍ରବୀଭୂତ କରିପାରେ।
ପ୍ରେମ ବିନା ଏ ସଂସାରରେ ସବୁ କିଛି ଅସାର ଓ ମୂଲ୍ୟହୀନ। ପ୍ରେମ ହିଁ ଏକ ଶ୍ରୀ ଓ ସମ୍ପଦ। ପ୍ରେମ ଥିଲେ ମଣିଷ ଜୀବନଟାକୁ ସହଜରେ ଜୀଁ ଯାଏ। ତେଣୁ ଯାହାଙ୍କୁ ସେଦିନ ସେମାନଙ୍କ ପ୍ରେମ ମିଳି ଯାଇଥିଲା, ସେମାନଙ୍କୁ ବଧାଇ। ଆଉ ଯାହାଙ୍କୁ ପରେ ମିଳି ପାରିଛି ସେମାନଙ୍କୁ ମଧ୍ଯ ବଧାଇ। କିନ୍ତୁ ଯେଉଁ ମାନଙ୍କୁ ସେମାନଙ୍କ ପ୍ରେମ ମିଳିପାରି ନାହିଁ ସେମାନଙ୍କୁ କହିବି- ମଣିଷଙ୍କୁ ଭଲ ପାଇ ଶିଖନ୍ତୁ, ଜୀବନକୁ ଭଲ ପାଆନ୍ତୁ। ଦେଖନ୍ତୁ! ଛଳନା ଓ ପ୍ରତାରଣାରେ ଜୀବନଟା ବେଶୀ ବାଟ ଆଗକୁ ଧାଇଁ ପାରେ ନାହିଁ। ବେଶୀ ବାଟ ଚାଲିବା ପରେ ଥକି ଯିବାଟା ନିଶ୍ଚୟ ତୟ। ତେଣୁ ଭଲ ପାଇବାଟା true love ହେବା ଦରକାର ଓ ଆମେ ସବୁ true lover ଓ beloved ହେବା ଦରକାର ।ତେବେ ସିନା ଜୀବନରେ ସାର୍ଥକତା, ନୋହିଲେ ସେ କି ଜୀବନ ଯେଉଁଠି ପ୍ରେମଟା ଛଳନା, ପ୍ରବଞ୍ଚନା, ଆତ୍ମ ପ୍ରଚାର ଓ ପ୍ରତାରଣାର ମୂଳଦୁଆ ଉପରେ ଛିଡ଼ା ହୋଇ, କ୍ଷଣସ୍ଥାୟୀ ହୋଇ ଅଚିରେ ଭୁଶୁଡ଼ି ଯାଏ।
ତେଣୁ ଆଉ ଅଧିକ ଭାଷଣ ଦେବା ନାହିଁ। ଆସନ୍ତୁ! ଆମେ ମାନବବାଦର ଗାଥା ଗାଇବା ଓ ଭଲ ପାଇବାର ମନ୍ତ୍ର ବିଞ୍ଛିବା ।ଭଲ ପାଇବାର ମହାମନ୍ତ୍ରରେ ଉଦବୋଧିତ ହୋଇ ସମସ୍ତେ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା। ଚତୁର୍ଦ୍ଦିଗରେ ଖେଳେଇ ହୋଇ ପଡୁ ଭଲ ପାଇବାର ଫଲଗୁ। ଭଲ ପାଇବାର ଏକ ଅମନ୍ଦ ମନ୍ଦାକିନୀ ପ୍ରବାହିତ ହୋଇ ଯାଉ ସକଳ ହୃଦତନ୍ତ୍ରୀରେ। ରସରାଜ ସିନ୍ଧୁର ଭଲ ପାଇବାର ମହୋଦଧିରେ ଅବଗାହନ କରୁକରୁ ଜୀବନଟାର କେଉଁ ବାଟେ ହଜି ଯାଉ। ସମସ୍ତ କ୍ଳାନ୍ତି ଓ ଯେତେ ଅବସାଦ ଆଦୌ ଜଣାନପଡୁ । ଜୀବନ ଚରିତାମୃତ ପାନ କରି ମଣିଷର ଚିତ୍ତବୃତ୍ତିର ଉତ୍ତରଣ ଘଟୁ। ଜୀବନ ଧନ୍ୟ ହେଉ। ଅତୁଟ ରହୁ ଆମର ବନ୍ଧୁତା ଓ ବନ୍ଧୁପ୍ରୀତି । ତେଣୁ କଥା ଦିଅ ବନ୍ଧୁ! ଛାଡ଼ିବନି କେବେ ସାଥୀ, ସୁଖେ ଦୁଃଖେ ମୋର ହୋଇବ ଟିକିଏ ସାକ୍ଷୀ। ଶେଷରେ ଶେଷ କଥା –
ସଭିଏଁ ଯାଆନ୍ତି ଏଠି ଏକାପରି
ନୟନରୁ ଅଶ୍ରୁ ଢାଳି
ପାରିବେନି ଯେଣୁ ରହି କେହି ପୁଣି
ସବୁକାଳ ସାଥୀ ହୋଇ। ।
ତଥାପି ପାଲଟେ ନୟନାଶ୍ରୁ ତବ
ଶତ ବୃଶ୍ଚିକ ଯନ୍ତ୍ରଣା
କେମନ୍ତ ସହିବି କହନ୍ତ କି ବାରେ
ଉପାୟଟା ଯେବେ ଜଣା ।।
ହସି ହସି ଦିଅ ମାଗୁଛି ମେଲାଣି
ରହିଥାଉ ମୋର ପଣ
କଥା ଦିଅ ବନ୍ଧୁ ବିଦାୟ ବେଳାରେ
ଦେଉଛି ଗୋ! ତୁମ ରାଣ।।
ଭିଡ଼ାଭିଡ଼ି କେବେ ଭେଟାଭେଟି ଅବା
ହୁଏ ପୁଣ ଛଡ଼ାଛଡ଼ି
ଚାଲିଥାଏ ସଦା ସେ ତ ଏଇଭଳି
ସୃଷ୍ଟି ନିୟମାନୁବର୍ତ୍ତୀ।।
କ୍ରନ୍ଦନ ରୋଳରେ ନାହିଁ ପ୍ରୟୋଜନ
ନାହିଁ ହୋ ହଲ୍ଲାରେ ଲାଭ
ହସି ହସି ଏଥୁଁ ଗାଇଯାଅ ତେଣୁ
ଜୀବନର ମହାବେଦ।।
ତେବେ କଥା ଦିଅ ପୁଣି ଯେବେ ହେବ
ତୁମ-ଆମ ଭେଟାଭେଟି
କ୍ଲାନ୍ତ ବାଟୋଇର ଅସରନ୍ତି ପଥେ
ହସି ପଦେ କହିବଟି ।।
ଆଉ କିଛି ମୋର ନାହିଁ ପ୍ରୟୋଜନ
ନା ଥିଲା ତୁମଠି କେବେ
ଖାଲି ହସି କୁହ ମନୁ ମୋ ପାଶୋରୁ
ଦୁଃଖ ଅବସାଦ ଯେତେ।।
The big end