ସେଦିନ ମଧୁରାତି । ବର କନ୍ୟାର ମନ ଦୋଳି ଉଡ଼ି ଯାଉଥିଲା କାହିଁ କେଜାଣି ଦୂରକୁ ଦିଗହରା ମାଧବୀ ଫୁଲର ଗଂଧ ଏବଂ ଝରକା ଫାଙ୍କର ଛିଟା ଛିଟା ଚନ୍ଦ୍ରକାନ୍ତି ମଧୁ ରାତିର ପ୍ରତ୍ୟେକ ଅଣୁରେ ଭରି ଦେଇଥିଲା ମାଦକତା ବା କନ୍ୟାଙ୍କର ତନ୍ଦ୍ରା ବିରହିତା ଚକ୍ଷୁର ପ୍ରାନ୍ତେ ପ୍ରାନ୍ତେ ଝରୁଥିଲା ପ୍ରେମ ରାଗିଣୀର ଧାରା । ଆନମିତ ଉଜ୍ଜଳିତ ଚକ୍ଷୁର ଆତୁର କଟାକ୍ଷରେ ଉଦବେଳିତ ହେଉଥିଲା ପ୍ରେମ ସିନ୍ଧୁର ଉଚ୍ଛଳ ତରଙ୍ଗ ।
ସଂନ୍ଧ୍ୟା ନବବଧୂ । ବିଜୟ ତା’ର ସ୍ୱାମୀ । ଲଜ୍ଜାବନତ ଭଙ୍ଗୀରେ ବସିଥିଲା ସଂନ୍ଧ୍ୟା, ପରଦାର ଅନ୍ତରାଳରେ ଏବଂ ବିଜୟ ବସିଥିଲା ଶଯ୍ୟାର ଅନ୍ୟ ଏକ ପାଶ୍ୱର୍ରେ । ଲଜ୍ଜାର ଆସର କ୍ରମେ ଦୂରେଇ ଯାଉଥିଲା ଦୂରକୁ ଦୂରକୁ । ମିଳନର ଅହେତୁକ ଆନନ୍ଦରେ ପୂରି ଉଠୁଥିଲା — ମନ । ସଂନ୍ଧ୍ୟା ତା’ର ହସ୍ତରେ ଅନୁଭବ କଲା ମୁଦ୍ରିକାର ସ୍ପର୍ଶ । ଧୀର କଣ୍ଠରେ ବିଜୟ କହିଲା — “ଇଏ ମୋର ଉପହାର ତମକୁ ।” ଲାଜରେ ସଂନ୍ଧ୍ୟାର ମୁହଁ ମଉଳି ପଡ଼ିଲା, ଘୁଞ୍ଚି ଯାଉଥିଲା ସେ ପଛକୁ । ବିଜୟ ତା’ର ହାତଧରି ଟାଣିନେଲା । ହସିଲା ସଂନ୍ଧ୍ୟା ଲାଜୁଆ ହସରୁ କଣିକାଏ । ତା’ ପରେ ………………… ବିନିଦ୍ର ମଧୁ ରଜନୀର ମଧୁରେ ରସାଣିତ ହେଲେ ସେମାନେ । ସ୍ୱାମୀ, ସ୍ତ୍ରୀଙ୍କର କେତେ କେତେ କଥାର ଅବିଶ୍ରାନ୍ତ ଧାରା ଛୁଟି ଚାଲିଲା , ଆଉଛୁଟି ଚାଲିଲା ହସର ଜୁଆର । କେତେ ପ୍ରତିଜ୍ଞାର ରଜ୍ଜୁରେ ପରସ୍ପର ବାନ୍ଧିହେଲେ, ନିକଟେଇ ଆସିଲା ବାସର । ଦୁଇଟି ଆତ୍ମା ପ୍ରେମଅମୃତ ଧାରାରେ ନିସେବିତ ହୁଏ । ହୋଇ ଉଠିଲା- ଏକାନ୍ତ ପରିବେଶ ।
* * * *
ଇଚ୍ଛା ବିରୁଦ୍ଧରେ ରଚିତ ସେଦିନ ବିଦାୟର ଅଭିଷେକ । ଅସହ୍ୟ ବେଦନାରେ ପ୍ରେମାଦ୍ର ହୃଦୟ ତିକ୍ତ ହୋଇଉଠେ । ଦୁଃଖର ଜାଗତିକା ଗାନ କରେ ଦୁଇଟି କଣ୍ଠର ମର୍ମର । ସଂନ୍ଧ୍ୟା ବିଜୟର ପାଦଧରି କାନ୍ଦି ଉଠିଲା । ଚାପା କଣ୍ଠରେ ଥରି ଥରି କହିଲା-” ଭୁଲିବ ନାହିଁ ମୋତେ ? ସତ କୁହ !” ଆଖିରୁ ତା’ର ଗଡ଼ି ଆସୁଥିଲା ଲୁହଧାର । ଆଉ ଅନ୍ତରରେ ତା’ର ଜମାଟ ବାନ୍ଧିଥିଲା- କେତେ କୋହ । ସତେ ଯେମିତି ଏ ବିଦାୟ ସବୁଦିନ ପାଇଁ । ବିଜୟ ଆଶ୍ୱାସନାମୟ ହୋଇଉଠେ । ସଂନ୍ଧ୍ୟା ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ –” ଭୁଲି ପାରିବିନି ସଂନ୍ଧ୍ୟା । ତୁମେ ମୋର ପତ୍ନୀ, ମୋ ମନ ରାଇଜର ରାଣୀ ।ସଂନ୍ଧ୍ୟା! ତୁମେ ମୋର ପତ୍ନୀ । ” ତାପରେ ନଇଁ ଆସେ ବିଦାୟର ଯବନିକା ସଂନ୍ଧ୍ୟା ଢାଳେ ଚାତକର ଦୃଷ୍ଟି । ଦିନ ପରେ ଦିନ ହୁଏ ଅତିକ୍ଷୁଦ୍ର । ଗୋଟିଏ ରଙ୍ଗ ରାତିର ମମତା ଶତେକ ରଙ୍ଗ ରାତ୍ରର ଦ୍ୱାର ଉନ୍ମୋଚନ କରେ, ମନର ମମତା ହୋଇଆସେ ଗାଢ଼ତର । ଦୁଇଟି ଆତ୍ମାର ନିରଳସ ଶ୍ରଦ୍ଧା କ୍ରମଶଃ ନିକଟରୁ ନିକଟତର ହୋଇ ଆସେ ।
* * *
ବାହା ଘରର ନାଟକ କେତେ ଦିନଠୁଁ ସରି ଯାଇଛି । ଏବେ ହୃଦୟ ତା’ର ପ୍ରେମ ରଜ୍ଜୁରେ ବାନ୍ଧି ହୋଇଛି । ସେ ପାଇଛି ଜୀବନର ଏକ ନବ ପାବଚ୍ଛର ଅନୁଭୂତି । ପ୍ରେମ ବୀଣାର ନିକ୍ୱଣରେ ନିକ୍ୱଣିତ ହୋଇଛି ତା’ର ଅନ୍ତର । ବିବାହିତ ଜୀବନର ଛନ୍ଦ, ଯୁବକତ୍ୱ ଉପରେ ତା’ର ଢାଳି ଦେଇଛି ଅମୀୟର ଧାରା । ଯୁବକତ୍ୱ ହିଁ ମଣିଷ ଜୀବନର ଶକ୍ତି ସାମର୍ଥ୍ୟର ଉତ୍ସ , ପ୍ରେରଣାର ଉଦ୍ଦାମ ସଂଗୀତ, ଯଶ କୀର୍ତ୍ତୀର ପଟ୍ଟଭୂମି । ବିଜୟ ଯୁବକ । ସେ କେବଳ ନାରୀ ମନର କ୍ରୀଡ଼ନକ ନୁହେଁ । ସେ ନାରୀ ହୃଦୟର ସର୍ବସ୍ୱ, ତା’ର ପ୍ରଭୂ, ତା’ର ଭବ୍ୟ ଧାରକ । ସରକାରୀ ଘରର କର୍ମଚାରୀ ବିଜୟ । ଛୁଟି ପରେ ସେ ଫେରିଯିବ ନିଜର କର୍ମ କ୍ଷେତ୍ରକୁ । ସେଠି ସେ ଅର୍ଥୋପାର୍ଜନ କରିବ — ତା’ର ପରିବାର ପାଇଁ , ଯେଉଁ ପରିବାର ପାଇଁ ସେ କେତେ ସୁଖର ସ୍ୱପ୍ନ ଦେଖିଛି । କିନ୍ତୁ କ’ଣ ସେ କରିବ ? କେମିତି ନେବ ସଂନ୍ଧ୍ୟାଠାରୁ ବିଦାୟ? କୁମାରୀ ମନ ତା’ର ଭାଙ୍ଗି ପଡ଼ିବ ନାହିଁ ତ ? ………ନା, ନା ତାକୁୁ ଯେ କୌଣସି ମତେ ଯିବାକୁ ପଡ଼ିବ । ଏଇ ପରିବାରର ଉତ୍ତର ଦାୟୀତ୍ବ ପାଇଁ ତାକୁ ଆଜି ବିଦାୟ ନେବାକୁ ପଡ଼ିବ ।
ବିଜୟ ଆଜି ଖଟ ଉପରେ ଶୋଇ ରହି ଅପେକ୍ଷା କରିଛି ସଂନ୍ଧ୍ୟାକୁ । ସଂନ୍ଧ୍ୟା ପାଖରୁ ସେ ଆଜି ବିଦାୟ ନେବ । ସେ ଯିବ ଇସ୍ପାତ ଭୂମି ରାଉଲକେଲାର କର୍ମକ୍ଷେତ୍ରକୁ । ସଂନ୍ଧ୍ୟା ଆଲୁଅଟିଏ ଜାଳି ଦ୍ୱାର ବନ୍ଦ କରିଦେଲା । ବିଜୟ ତା’ର ହାତଧରି ବସାଇଲା ପାଖରେ । ଗଣ୍ଡରେ ତା’ର ସରୁ ଟିପା ଛୁଁଇ କହିଲା-“ସଂନ୍ଧ୍ୟା ! ମୁଁ କାଲି ଚାଲି ଯାଉଛି ରାଉଲକେଲା । “ସଂନ୍ଧ୍ୟା ବ୍ୟସ୍ତହୋଇ ଉଠିଲା । ପୁଣି ବିଜୟ କହିଲା – “ହଁ ସଂନ୍ଧ୍ୟା ! ମୋର ଛୁଟି ସରି ଯାଇଛି । ମୁଁ ଚାଲିଯିବି ।” ସଂନ୍ଧ୍ୟା କାନ୍ଦ କାନ୍ଦ ହୋଇ ପଡ଼ିଲା, ତା’ପରେ କେତେ ମନା କରିଛି । କିନ୍ତୁ ବିଜୟ ତାକୁ କହେ – “ଦେଖ ସଂନ୍ଧ୍ୟା! ମୋ ଚାକିରି ଆମ ପରିବାରର ଏକମାତ୍ର ଅର୍ଥ ସଂସ୍ଥାନ । ମୁଁ ତାକୁ ଛାଡ଼ିକରି ରହି ପାରିବି କେମିତି କହିଲ!” ସେ କିନ୍ତୁ କୁମାରୀ । ମନ ତା’ର ଚପଳ । ସେ ବା ବୁଝନ୍ତା କୁଆଡ଼ୁ । ନବ ବିବାହିତା ସ୍ୱାମୀ ସୋହାଗିନୀ ସଂନ୍ଧ୍ୟା ସାଙ୍ଗରେ ଯିବା ପାଇଁ ଯିଦ୍ ଧରିଲା । ବିଜୟ ହସି ହସି ତାକୁ କୋଡ଼କୁ ଟାଣି ନେଲା -” ସଂନ୍ଧ୍ୟା ମୁଁ ତୁମକୁ ନିଶ୍ଚୟ ନେଇଯିବି । କିନ୍ତୁ ବର୍ତ୍ତମାନ ନୁହେଁ, ଅତ୍ୟନ୍ତ ପକ୍ଷେ ଘରଟିଏ ଠିକ ନକରି, ମୁଁ ତୁମକୁ କେମିତି ନେଇ ଯିବି କହିଲ ?” ସଂନ୍ଧ୍ୟା ଆଉ କହି ପାରିଲାନି କିଛି । ତା’ର ଆଖିରୁ ଗଡ଼ି ଆସୁଥିଲା ଲୁହ ଟୋପା ।
ତା’ପରେ ବିଜୟ ବାହାରିଗଲା ଦୂର ଦୂନିଆକୁ । ଚିର ପ୍ରବାସୀ ବିଜୟ । କେତେବେଳେ କେମିତି ଛୁଟିରେ ଆସେ ଘରକୁ । ପୁଣି ଦିନ କେତେଟା ନଯାଉଣୁ ଫେରେ- ତା’ର କର୍ମ କ୍ଷେତ୍ରକୁ । ଏହିପରି କର୍ମର ତାଡ଼ନାରେ ଜୀବନ ଧାଏଁ । କର୍ତ୍ତବ୍ୟର ପ୍ରଚଣ୍ଡ ପ୍ରହାରରେ ଜୀବନ ଅଥୟ ହୁଏ । କାହାପାଇଁ କେଉଁ କର୍ତ୍ତବ୍ୟଟା ବା ଠିକ୍ହୁଏ । ଜୀବନ ଯାତ୍ରାରେ ସମାଜ ଯେମିତି ତାକୁ ଅବରୋଧ କରେ , ଦୁର୍ଭେଦ୍ୟ ପ୍ରାଚୀର ହୋଇ ଆଗରେ ଛିଡ଼ା ହୁଏ । ଯେଉଁଥିପାଇଁ ସଂନ୍ଧ୍ୟା ପକ୍ଷରେ ଏ ଅସହ୍ୟ ହୁଏ? ମନ ତା’ର ବିଦ୍ରୋହ କରିଉଠେ । କୋମଳ ତନ୍ୱୀର ତରଳ ମନରେ ସୃଷ୍ଟି ହୁଏ ଆଗ୍ନେୟ ଗିରିର ଉଦ୍ଗିରଣ । ସେ ଭାବେ ସେ ବିଜୟ ସାଙ୍ଗରେ ଯିବ, କିନ୍ତୁ ଯାଇ ପାରେ ନାହିଁ । ସମାଜର ପରମ୍ପରା ତାକୁ ଜୋର କରି ପରିବାରର ଅନ୍ଧ ମୁହାଣୀରେ ବାନ୍ଧି ରଖେ । ଏ ପରିବାର, ଏ ସାମାଜିକ ବନ୍ଧନ ତା’ର ଶତ୍ରୁ । ଏହାକୁ ସେ କ୍ଷତ ବିକ୍ଷତ କରିବାକୁ ଇଚ୍ଛା କରେ । ପାରିବାରିକ ବନ୍ଧନକୁ ଖଣ୍ଡ ବିଖଣ୍ଡିତ କରେ । ବିଜୟ ପାଖକୁ ଦଉଡ଼ି ଯିବାକୁ ମନ ଚାହେଁ, ତେଣୁ ସେ ପ୍ରୟାସ ଜାରି ରଖେ ।
ବିକୃତ ମନର ସ୍ୱାଭାବୋକ୍ତି, କେବଳ ତାକୁ ହିଁ ଶୁଭେ, ତା’ର ମନ ଭିତରେ ସେ ସବୁ ପ୍ରତିଧ୍ୱନି ସୃଷ୍ଟିକରେ । ନିଜକୁ ଅଧିକରୁ ଅଧିକ ଏକାକିନୀ ମନେକରେ — ସେ । ନିଜକୁ ତାତ୍ସଲ୍ୟ କରି ଉଠେ । ମନ ତା’ର ଶୁଖି ଆସେ, ଦେହ ଶୁଖି ଆସେ, ପରିବାର ପ୍ରତି ସ୍ନେହ- ମମତା କମିଆସେ,କମିଯାଏ କର୍ମ ତତ୍ପରତା । କେମିତି ବଞ୍ଚି ରହିବ ସେ…? ତା’ର ପରିଚିତ ମଣିଷ ଯେ ନିଜଠାରୁ ବହୁ ଦୂରରେ । ଏକୁଟିଆ ଏମିତି ବସି ବସି ଚିନ୍ତା କରିବା ପରେ ଅବସାଦ ଘୋଟି ଆସେ । କେତେ ପରିବର୍ତ୍ତନ ଦେଖାଦିଏ । ଘରର ପ୍ରତ୍ୟେକ ଲୋକ ବ୍ୟସ୍ତ ହୋଇଉଠନ୍ତି — ଏ ପରିବର୍ତ୍ତନରେ ।
ଛୋଟ ନଣନ୍ଦ ଟୁନୀ ଆସେ । ଭାଉଜର ଶୁଖିଲା ମୁହଁ ଦେଖି ଦୁଃଖିତା ହୁଏ । ସୁଖି କରିବା ପାଇଁ ଟାଉଳି କରେ । କେତେ ଥର ହାରିଯାଏ । ପୁଣି ଚେଷ୍ଟା କରେ । ଧୀରେ ଧୀରେ ଆସି ଆଗରେ ଛିଡ଼ା ହୁଏ । କୁହେ-” ନୂଆବୋଉ! ଦେଖିଲ ଏଇ ସୁଗନ୍ଧରାଜ ଫୁଲକୁ । ତୁମ ମୁଣ୍ଡକୁ ଭଲ ମାନିବ ଯେ ।” ସଂନ୍ଧ୍ୟାର କବରୀରେ ଟୁନୀ ଫୁଲ ଖୋସେ । କିନ୍ତୁ ସଂନ୍ଧ୍ୟା ଚିନ୍ତା ସୁଅରୁ ଫେରି ଆସେନା । ସେ ବସି ବସି ଚିନ୍ତା କରି ଚାଲିଥାଏ । ପୁଣି ଟୁନୀ ଆଉ ପେନ୍ଥାଏ ଫୁଲ ଆଣେ । କୁହେ-“ନୂଆବୋଉ ମୋ ମୁଣ୍ଡରେ ଫୁଲ ଦେବ ନାହିଁ ?” – ତଥାପି ନୁହେଁ । ପୁଣି ଟୁନୀ ବେକଧରି ଓହଳେ । ସଂନ୍ଧ୍ୟା ଫେରିଆସେ ସାଧାରଣ ଅବସ୍ଥାକୁ । ଟୁନୀ ମୁଣ୍ଡରେ ଫୁଲ ଖୋସେ । ଆଉ ଟିକି ସ୍ମିତ ହାସଟିଏ-ବାସ ସେତିକି । ଟୁନୀ କିନ୍ତୁ ଛାଡ଼ିବାର ନୁହେଁ । ସେ ହାତଧରି ଟାଣେ, ଲୁଗାଟାକୁ ଟାଣି ଟାଣି ବାହାର କରିଦେବାକୁ ଚେଷ୍ଟା କରେ । କୁହେ -” ନୂଆ ବୋଉ! ଏ ଶାଢ଼ୀଟା ଭଲ ଦିଶୁନି । ଆଉ ଗୋଟାଏ ପିନ୍ଧ, ବେକରେ ହାର ପିନ୍ଧୁନାହଁ କାହିଁକି?” ଆଉ ସଂନ୍ଧ୍ୟା ଚୁପ୍ ହୋଇବସି ପାରେନା । ଟୁନୀ କଥାରେ ଯନ୍ତ୍ରବତ୍ ପରିଚାଳିତ ହୋଇଯାଏ ।
ତଥାପି ସଂନ୍ଧ୍ୟାର ହୃଦୟରେ ଅସରନ୍ତି ବେଦନା । ଖାଇବା ପିନ୍ଧିବାକୁ ସେ ଭୁଲି ଯାଇଛି ଯେମିତି । କେବଳ ବସି ରହି ଚିନ୍ତା କରିବାରେ ସେ ବ୍ୟସ୍ତ । ବିରହ ବେଦନା ମନ ଗହୀରରେ ଭରି ଆସେ ।
କେତେଦିନ ବ୍ୟବଧାନରେ ବିଜୟ ଆସେ ଘରକୁ । ସେଦିନ ସଂନ୍ଧ୍ୟାର ଖୁସି କହିଲେ ନସରେ ଯେମିତି ସେ ହଜାଇଲା ଧନ କାଲି ପରଠାରୁ ଫେରି ପାଇଛି । ନିଜକୁ କେତେ ପ୍ରକାର ସଜାଇ ବସେ ନିଜେ । ମୁଣ୍ଡରେ ଅତର ଲଗାଏ, ଫୁଲ ଖୋସେ । ବାକ୍ସରୁ ହାର ଖୋଲି ପିନ୍ଧେ , ଆଉ ଭଲ ଶାଢ଼ୀ ଖଣ୍ଡେ । ତା’ର ସ୍ୱାମୀ ପାଇଁ ନିଜକୁ ସଜାଇବାରେ କେତେ ଆନନ୍ଦ, କେତେ ଉତ୍ସାହ ସବୁ ସେ କେନ୍ଦ୍ରୀଭୂତ କରେ । ରାତ୍ରିର ବିନିଦ୍ର ବେଳାରେ ନାରୀ ଅଙ୍ଗର ସୁକ୍ଷ୍ମ ଭାରକୁ ଅଜାଡ଼ି ଦେଇ କାନ୍ଦି ଉଠେ । ସେଇ ଏକା କଥା-” ମୁଁ ଆଉ ଏକାକିନୀ ରହି ପାରିବି ନାହିଁ । ମୁଁ ଯିବି ତୁମରି ସାଙ୍ଗରେ ।”
ସେଇ ତା’ର ଅଳି । ବିଜୟ ଦିଏ ସାନ୍ତ୍ୱନା । ସ୍ମିତ ହସି କହେ-” ତୁମେ ଯିବ ସଂନ୍ଧ୍ୟା! ନିଶ୍ଚୟ ଯିବ ।”
କିନ୍ତୁ ସେତିକି ଯାହା କଥାରେ, ତା’ ପରେ ବିଜୟ ପୁଣି ଚାଲିଯାଏ । କିନ୍ତୁ ନାରୀ ହୃଦୟର ବ୍ୟଥା ଶୁଣିବ କିଏ ? ତରଳ ମନର ନାରୀ ପାଇ ପାରେନା ଶାନ୍ତି ।
କ’ଣ କରିବ ସଂନ୍ଧ୍ୟା? ସ୍ୱାମୀକୁ ତା’ର କେଉଁ ବାଟରେ ହୃଦୟର କେତେ ପଦ କଥା ବୁଝାଇ ଦେବ ? ନା ସବୁ ବ୍ୟର୍ଥ, ସବୁ ପାଉଁଶ; ସବୁ ଅଙ୍ଗାର । କେତେ ଚିନ୍ତା କରେ ସେ । ବହୁ ସୂତାର ସମନ୍ୱୟରେ ଯେମିତି ଅଡ଼ୁଆ ସୃଷ୍ଟି ହୁଏ, ସେମିତି ସବୁ ତା’ର କଳ୍ପନା ଗୋଳେଇ ହୋଇଯାଏ । ମନ ଅବୁଝା ହୋଇଉଠେ ବିରକ୍ତି ଆସେ । ମନର ସବୁ ସରସତା ମିଳେଇ ଯାଏ । କ୍ରମଶଃ ରୁକ୍ଷ, ହୋଇଉଠେ ତା’ର ସ୍ୱଭାବ । ନଷ୍ଟ ହୁଏ ବାକ୍ୟର ମଧୁରତା, ବାକ୍ୟ ଶାଣର ଜ୍ୱାଳାରେ ସମସ୍ତଙ୍କୁ ଜାଳିବାକୁ ପଛାଇ ଯାଏ ନାହିଁ । ଯେଉଁ ସଂନ୍ଧ୍ୟା ଦିନେ ନିଜର କୋମଳ ବ୍ୟବହାର ଯୋଗୁ ଘରର ସମସ୍ତଙ୍କ ଠାରେ ଶ୍ରଦ୍ଧା ଭାଜନ ହୋଇପାରିଥିଲା, ସେ ପୁଣି ନେଲା ମୁଖରା ନାରୀର ଜନ୍ମ ।
ଛୋଟ ଛୋଟ କଥାକୁ ନେଇ ସେ କଳି କରି ବସିଲା । ମନରେ ସୃଷ୍ଟି ହେଲା ବିପ୍ଳବର ଝଞ୍ଜା ଆଉ ସେ ଝଞ୍ଜାର ପ୍ରଳୟରେ ପରିବାର ବିକ୍ଷୋଭିତ ହୋଇ ଉଠିଲା । ସେଇଠି ପୁଣି ନାଏଗ୍ରାର ଗମ୍ଭୀର ନିର୍ଘୋଷ; ଦୁର୍ଦ୍ଦମ ବର୍ଷାର ନିଷ୍ଠୁର ପ୍ରହାର ସବୁ ପୁଞ୍ଜିଭୂତ ହେଲା ।
ନିକଟେଇ ଆସେ ବିଜୟର ଛୁଟିଦିନ । ସଂନ୍ଧ୍ୟା ନିଜକୁ ପ୍ରସ୍ତୁତ କରିନିଏ — ନିଜକୁ ସୈନିକ ଭୂମିକାରେ ଅବତୀର୍ଣ୍ଣ କରିବାକୁ । ସେ ନିଜର ଇଚ୍ଛା ସପକ୍ଷରେ ଯୁଦ୍ଧ କରିବ । ବିଜୟ ଆଗରେ ଉପସ୍ଥାପିତ କରିବ ତା’ର ଦାବୀ । ବିଜୟ ପହଞ୍ଚିବା କ୍ଷଣି ଘର ଭିତରକୁ ଦଲକେଇ ପଶିଯାଏ–ସଂନ୍ଧ୍ୟା । ଦେଖେ ସ୍ୱାମୀ ତାକୁ ହିଁ ଅପେକ୍ଷାକରି ବସିଛନ୍ତି, ସେ ସ୍ମିତ ଟିକେ ହସି ଦେଇ ତା’ର ହାତ ଧରି ଟାଣି ନେବାକୁ ଆସୁଛନ୍ତି । କଳ୍ପନା ତା’ର ଧିମେଇ ଯାଏ । କେତେ ଯେ ଚିନ୍ତା କରିଥିଲା ବିଜୟ ଆଗରେ ଉପସ୍ଥାପିତ କରିବାକୁ । “ଘରେ ତା’କୁ ଭଲ ପାଉନାହଁନ୍ତି । କଳି କରୁଛନ୍ତି ସମସ୍ତେ । ସେ ଆଉ ଏଠି ଏକା ରହିଲେ ମରିଯିବ । ମରି ଯାଆନ୍ତା ଭଲା । କାହିଁକି କେଜାଣି ଏ ହୀନି କପାଳକୁ ନେଇ ସେ ବଞ୍ଚିଛି ?”
ଏ ଚିନ୍ତାରୁ କେତେଟା ଦବିଯାଏ । ତଥାପି ମନ ଦୃଢ଼ କରି ବିଜୟ ଆଗରେ କେତେ କଥା କହେ ମାତ୍ର ବିଜୟ ହସେ । ସେ ହସ ବିଜୟୀ ସୈନିକର ହସ ପରି । ସେ କହେ-“ବୁଝିଲ ସଂନ୍ଧ୍ୟା ! ସଂସାରଟା ଏମିତି, କିଛିଟା ନ ସହିଲେ ହେବ କେମିତି ।”
ଆହତ ହୁଏ ସଂନ୍ଧ୍ୟା, ମାତ୍ର ସେ ଛାଡ଼ିବାର ନାରୀ ନୁହେଁ । ପୁଣି ଅନ୍ୟ ଦିନେ ଜିଦ୍ କରେ — ସେ ଅଲଗା ହେବ । ପରିବାର ଠାରୁ ଦୂରେଇ ଯିବ । କାହା ସହିତ କଳି କରି ପାରିବ ନାହିଁ । ଦୂର ପ୍ରବାସକୁ ସେ ଉଡ଼ିଯିବ, ତାଙ୍କରି ସାଥିରେ । ହୁଏତ ଯଦି କେତେ ମିଛ କହିବାକୁ ପଡ଼େ ତେବେ ସେ ପଛାଇ ଯାଏନା । ଯା ହେଉ ବିଜୟକୁ ପାଖରେ ପାଇବ ସେ । ସ୍ୱାମୀକୁ ସବୁଦିନ ପାଖରେ ପାଇ ଆନନ୍ଦରେ ଗୀତ ଗାଇବ, ମନ ପୂରାଇ ନାଚିବ ।
କିନ୍ତୁ ବିଜୟ କେମିତି ବା ହାର ମାନିବ । କେତେ ଅବା ସେ ନାରୀର ଛଳନା ପାଖରେ ଟାଣ ଦେଖାଇ ପାରିବ । ପୁରୁଷର କଠିନ ମନ ଭଳି ଯାଏ । ଭାବେ ସତେ କ’ଣ ଏମାନେ ମୋର ସ୍ତ୍ରୀକୁ ଆଡ଼ ଆଖିରେ ଦେଖୁଛନ୍ତି ? ଏମାନେ ତେବେ କ’ଣ ମୋର ଶତ୍ରୁ ? ଏମାନେ ଯଦି ମୋ ସ୍ତ୍ରୀକୁ ଖରାପ ଚକ୍ଷୁରେ ଦେଖିଲେ, ମୁଁ କିପରି ଏକାଠି ରହିବି ? ନା ତାକୁ ଅଲଗା ରହିବାକୁ ହେବ । କିନ୍ତୁ……. ତାକୁ ଯେଉଁମାନେ ଜନ୍ମ ଦେଇଛନ୍ତି, ତାକୁ ପାଳି ପୋଷି ଏତେ ବଡ଼ କରିଛନ୍ତି ? ସଂନ୍ଧ୍ୟା ପୁଣି ଭାବନାକୁ ଖଣ୍ଡିଆ କରେ । ବେକରେ ହାତଛନ୍ଦି କାନ୍ଧରେ ମୁଣ୍ଡ ରଖି କହେ-
“ତୁମର କିଏ କେତେ ଖାଇ ଯାଉଛନ୍ତି ଯେ ତୁମେ ଏଇ ମାନଙ୍କ ପାଇଁ ଏତେ ଚିନ୍ତା କରୁଛ । ତୁମେ ରୋଜଗାର କରିବ । ଖାଇବାକୁ ଆମେ ଦୁଇଜଣ । ଟଙ୍କା ପଇସା ଗଣ୍ଡେ ବଞ୍ଚିବ । ତୁମର ପିଲା ଛୁଆଙ୍କ ପାଇଁ ସଞ୍ଚିତ ରହିବ । ତମରି ପିଲା ମଣିଷ ହେବେ । ଅଲଗା ହେବାକୁ ଡ଼ରୁଛ କାହିଁକି” ?
ବିଜୟ ଏଥର ମନ କଥାଟା ସମସ୍ତଙ୍କୁ ଜଣାଇବାକୁ ଯାଏ । କିନ୍ତୁ ପଛାଇ ଯାଏ । ବିବେକ ତା’ର ବାଧା ଉପୁଯାଏ, ପ୍ରତିବାଦ କରିଉଠେ–” ନା ଅନ୍ୟାୟ,ଘୋର ଅନ୍ୟାୟ ।” ସଂନ୍ଧ୍ୟା, କିନ୍ତୁ ମୁହଁ ମୋଡ଼େ । ଆଖି ପତା ଉପରକୁ ଟାଣି ଓଠ ଦବାଇ କହେ-” ଛି ଯେଉଁ ମାଇଚିଆ ତମେ ………. “।ବିଜୟ ମନରେ ପ୍ରତିବାଦ ଆହୁରି ଶକ୍ତ ହୋଇଉଠେ । ତାପରେ ସେ ଜଣାଇ ଦିଏ ସମସ୍ତଙ୍କୁ ନିଜର ମତାମତ ।ବ୍ୟସ୍ତ ହୁଅନ୍ତି ସମସ୍ତେ । ମା ତା’ର ଆଖିରୁ ଲୁହ ନିଗାଡ଼ି ମନକୁ ଦୃଢ଼ କରେ । ନା ବିଜୁର ଅମଙ୍ଗଳ ହେବ । ଟୁନୀ କାନ୍ଦେ ।ମା’ର ପଣତ କାନି ତଳେ ମୁହଁ ଲୁଚାଇ ଭଗବାନଙ୍କୁ ନିନ୍ଦେ ।
କିନ୍ତୁ ସଂନ୍ଧ୍ୟାର ମନରେ ଆନନ୍ଦର ଉଚ୍ଛ୍ୱାସ । ସେ ଆଜି ଉତ୍ତୁୁଙ୍ଗ ପର୍ବତମାଳାର ବିଜିତା ଆରୋହିଣୀ । କ୍ଷୁବ୍ଧ ସାହାରାରେ ଆଜି ତା’ର କେଦାରର ନବୀନ ଉଲ୍ଲାସ । ସେ ବିଜୟକୁ ଏଥର ପାଇବ ନିକଟରେ ବହୁ ନିକଟରେ , ପରସ୍ପରର ସ୍ନେହ ରଙ୍ଗରେ ସେ ହେବ ବିବିକ୍ତ ।