Satya Prakash
ଗଳ୍ପ

ଭାଗ୍ୟ

ଜହ୍ନ ରାତିର କୋମଳ ପରଦା ତଳେ ଫୁଲି ଉଠୁଥିଲା ଶସ୍ୟ ମାଳର ଶୋଭା । ଦୂରନ୍ତ ବାଦଲ ମାଳ ଖୋଜି ବୁଲୁଥିଲେ  ନୀଳ ସାମ୍ରାଜ୍ୟର ଶ୍ରେଷ୍ଠ ଅତିଥି ଚାନ୍ଦ । ଗ୍ରାମ ପ୍ରାନ୍ତରର ଝଙ୍କାଳିଆ ବରଗଛ କୋରଡ଼ରେ ଡ଼ାହାଣୀର ବିକଳାଙ୍ଗ ପ୍ରତିମୂର୍ତ୍ତି ମଧ୍ୟ ଲୁଚି ଲୁଚି ଝାମ୍ପ ଦେଉଥିବ କେଉଁ ନିଦ୍ରିତ ଶିଶୁର ମନ ତନ୍ତ୍ରୀରେ  । ସେଇଠି ବି ଗୃଧ୍ର ପକ୍ଷୀର ବିଭତ୍ସ ଚିତ୍କାର ଓ ଚାତକର ଦରଦୀ କାକଳି  । ଗାଁ ମଝିରେ ଲିମ୍ବ, ତେନ୍ତୁଳିର ଡ଼ାଳ କେତେ ନଇଁ ପଡ଼ିଛନ୍ତି ମାଟି ଉପରକୁ । ସେଇ ମାନଙ୍କ ତଳେ ଅଣ ନିଃଶ୍ୱାସୀ ହୋଇ ଲୁଚି ଯାଇଛି ଗାଁ ରାସ୍ତା  । ଗଛ  ଛାଇରେ ଢାଙ୍କି ହୋଇପଡ଼ିଛି ସେ  । ସତେ ଯେପରି ଅନ୍ଧକାର ଚକ୍ରାଲୋକର ତାଡ଼ନାରେ ଭୟ କାତର ହୋଇ ଆତ୍ମ ଗୋପନ କରିଛି ସେଇଠି  । ଗାଁ ମୁଣ୍ଡର ବ୍ରାହ୍ମଣ ଶାସନ  । ତାହାପରେ  ବଢ଼େଇ ,ଭଣ୍ଡାରୀ, ଧୋବା କ୍ରମାନ୍ୱୟରେ  । ସମସ୍ତଙ୍କ ପରେ ଡ଼ମ ସାହି- ଏମାନଙ୍କ ଠାରୁ ୧୦/୧୫ କିଆରୀ ଦୂରରେ  । ସେମାନେ ଜାତିରେ ଡ଼ମ- ଅଛୁଁଆଁ  । ଏମାନଙ୍କ ପାଖରେ ରହିବେ କେମିତି ? କାଳିଆ କାଳିଆ ମଳି ମସିହା  ଦେହର ଲୋକ — ଏଇ ଡ଼ମ ଜାତି, ଦୂରରେ ମୁଣ୍ଡ ନୁଆଣିଆ ପଲ୍ଲୀରେ ବାସକରନ୍ତି । ପାଖରେ ଶ୍ମଶାନ, ଦଳ ନର୍ଦ୍ଦମାର ଗଡ଼ିଆ  । କିନ୍ତୁ ବ୍ରାହ୍ମଣ  ସାହିରେ ପକ୍କା କୂଅ, ମହାଦେବଙ୍କ ମନ୍ଦିର, ପାଠାଗାର, ବିଦ୍ୟାଳୟ- ଗାଁର ସବୁକିଛି  । ପାଖରେ ପରିଷ୍କାର ପଡ଼ିଆ, ଧାନର ସୁନା କ୍ଷେତ ରସାଳିଆ ଆଖୁ- ସବୁ ଏହି ବ୍ରାହ୍ମଣ ମାନଙ୍କର -ଏଇ ଡ଼ମ ମାନଙ୍କ ମୁଣ୍ଡ ଝାଳରେ ତିଆରି  । ତାହାରି ପଛକୁ ଧୂସର ଦିଗନ୍ତ- ଅର୍ଥହୀନ ରାକ୍ଷସ  ।

ପଚାସଢ଼ା ନର୍ଦ୍ଦମାରେ ରହିଲେ ମଧ୍ୟ, ଦେହର ରୂପ କାଳିଆ ହେଲେ ମଧ୍ୟ ଅନ୍ତର ସେମାନଙ୍କର ପରିଷ୍କାର, ପବିତ୍ର  । ସେମାନଙ୍କର ନାହିଁ ଜୀବନର ଆବିଳତା, ବଡ଼ ହେବାର ମୋହ, ବଞ୍ଚି ରହିବାର କୈାତୁହଳ  ଅବା ମଣିଷକୁ ଘୃଣା  । ଚିରଦିନ ପାଇଁ ସେମାନେ ଅନ୍ୟଦ୍ୱାରା ଲାଞ୍ଛିତ , ନିସ୍ପେସିତ, ତାଙ୍କରି ଉପରେ ଦଳିତ ଜୀବନର ଶ୍ରେଷ୍ଠ ଅଭିସାର । ଯୁଗ ଯୁଗ ଧରି ପରର ଉପକାର କରିଛନ୍ତି  । ମୁଣ୍ଡଝାଳ ତୁଣ୍ଡରେ ଦେଇ ଅନ୍ୟମାନଙ୍କ କିଆରୀରେ ଖେଳାଇଛନ୍ତି ହସର ଜୁଆର  । ମାଟି ପଥରରେ ନିଜର ମାଟି ଦେହକୁ ମିଶାଇ ତୋଳିଛନ୍ତି ନଭଶ୍ଚୁମ୍ଭୀ ଅଟ୍ଟାଳିକା  । ତାଙ୍କରି ରକ୍ତ ମାଂସରେ ଗଢ଼ାହୋଇଛି ଜାତିର ଗୈାରବ, ସମାଜର ଅହମିକା, ବିଜ୍ଞାନର ଗର୍ବ ତଥାପି ଖାଇବାକୁ ମୁଠେ ଭାତ, ଖଣ୍ଡେ ରୁଟି କି ପିନ୍ଧିବାକୁ ଖଣ୍ଡେ ଲୁଗା, ରହିବାକୁ ମିଳେନା ଖଣ୍ଡେ ଛପର । ଯୁଗପରେ ଯୁଗ ବିତି ଯାଇଛି ସମୟର ଗତି ଆତ୍ମଗୋପନ କରିଛି କେଉଁ ଅଜଣା ବସ୍ତୁର ଅନ୍ତରାଳରେ  । ତଥାପି ଦୁନିଆଁରେ ବଞ୍ଚିରହିଛି ଦଳିତ ସମାଜ  । ଗଣ୍ଡେ ଅଧେ ଖାଇବାକୁ ନପାଇ କେଉଁଠି କେତେ ମରି ହଜି ଯାଇଛନ୍ତି  । ରହିବାକୁ ଖଣ୍ଡେ ଘର ନପାଇ ଦହଗଞ୍ଜ ହୋଇଛନ୍ତି  । ଖଣ୍ଡେ ପିନ୍ଧିବାକୁ ନ ପାଇ ନିଜର ମୁଣ୍ଡ ଉପରେ ଅଭିଶାପର ବଜ୍ର ଢାଳି ଦେଇଛନ୍ତି  । ଆଖିରୁ ବୁହାଇଛନ୍ତି ଲୁହ  । କିନ୍ତୁ ସେ ନୀରବ ନିଷ୍ପନ୍ଦ ଳୁହର ଅର୍ଥ ବୁଝିବାକୁ କେହି କେବେ ଚେଷ୍ଟା କରିନାହିଁ  । ସମସ୍ତେ ସେ ନୀରବ  ଅର୍ଥପୂର୍ଣ୍ଣ ଲୁହର ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ହସି ହସି ପାଦତଳେ ଦଳି ଦେଇ ଚାବୁକରେ ରକ୍ତ ମଶାଲରେ ଦେଖିଛନ୍ତି ଦୁର୍ଦ୍ଦଶ ଦୁର୍ଦ୍ଦମନୀୟତାର ଅଧିର ଭୈରବୀ  । ବାରୁର ମନରେ  ଆଜି କେତେ ଆନନ୍ଦ  । କେତେ ସାହସ, କେତେ ଉଦ୍ଦୀପନା ତା’ର ମନ ଗହୀରରେ କେତେ ବର୍ଷପରେ ପୁଞ୍ଜିଭୂତ ହୋଇଥିଲା, ଯେଉଁଦିନ  ସେ ପାଇଥିଲା ଅନ୍ୟ ଗୋଟିଏ ହୃଦୟର ଅଭିନନ୍ଦନ — ତା’ର ପତ୍ନୀ  ।

ଛୁଆବେଳେ ବାପା ତା’ର ମରିଗଲେ ସନ୍ନିପାତରେ, ମା’ କୋଳରେ ମୁହଁ ପୂରାଇ ସେ କେତେ କାନ୍ଦିଥିଲା  । ଆଖି ଲୁହକୁ ହାତରେ ଅଟକାଇ ଅଦୃଷ୍ଟ ଶକ୍ତିକୁ କେତେ ଜୁହାର କରି ମାଗି ଥିଲା ତା’ର ବାପାକୁ ଫେରାଇ ଦେବା ପାଇଁ   । କିନ୍ତୁ କିଛି  ଲାଭ ହେଲା ନାହିଁ  । ଶ୍ମଶାନର ମାଟି ଦେହରେ ସେ ପୋଡ଼ିହୋଇ ମିଶିଗଲା  । ମା’ର ଦେହକୁ ଜାବୁଡ଼ିଧରି ବୁହାଇଥିଲା  କେତେ ଅଶ୍ରୁଧାର  । ମା’ର ଦରଦୀ ଚୁମାରେ  ସେ ପୁଣି ହରାଇ ଥିଲା ସବୁ ଦୁଃଖ   । ମା’ ତା’ର ନିଜ ପେଟକୁ ଶୁଖାଇ  ବଞ୍ଚାଇ ରଖିଥିଲା ପିଲାଟିକୁ  । ସାହି ଛୁଆଙ୍କ ସାଙ୍ଗରେ ଖେଳିବାକୁ ଯାଇଥିଲା ଦିନେ । ସଂନ୍ଧ୍ୟା ଆସିଲା  ସୂର୍ଯ୍ୟ ଅସ୍ତାଚଳରେ ନେଲେ ଆଶ୍ରୟ  । ଶିତୁଆ ରାତିର କମ୍ଫନ ଦେହକୁ ଥରାଇଥିଲା । ଢେର ରାତିରେ ଘରକୁ ଫେରି ଦେଖିଲା ଘରେ ମା’ ନାହିଁ । କାନ୍ଦି କାନ୍ଦି ଲୋଟି ପଡ଼ିଲା । ନିଦ କେତେବେଳେ ଆସି ତାକୁ ଢୋକି ଦେଲା ସେ ଜାଣି ପାରିଲା ନାହିଁ । ରାତି ପାହିଛି  । ସୂର୍ଯ୍ୟ ରଶ୍ମିରେ ଭରପୂର ହାଇଛି ପୃଥିବୀ  । ଉଠି ଦେଖେ ତ ତା’ର ଚାରିପଟେ ଲୋକ ଜମା ହୋଇଛନ୍ତି  । ସମସ୍ତଙ୍କ ମୁଖରେ ହାୟ ହାୟ କିଏ କହୁଛି ଛେଉଣ୍ଡ ପିଲାଟା ହନ୍ତ ସନ୍ତ  ହେବ  । କିଏ କହେ ମା’ଟା କେମିତି ଛାଡ଼ିଗଲା  । ପୁଣି କିଏ କହେ  ତା’ ମା’ ନନ୍ଦ ବୁଢ଼ା ସାଙ୍ଗରେ ତ ପାଟି କରୁଥିଲା, ତାଙ୍କର କାରସାଦି ଏ ହୋଇଥିବ  । କାହାରି କଥାର ଅର୍ଥ ସେ ବୁଝି ପାରି ନଥିଲା  । ସେଦିନ ନୀରବରେ ଘରୁ ବାହାରି ଆସିଥିଲା  । ଯାହା ଦେଖିଥିଲା ସେଇଥିରେ ତାହାର ମନ ଦ୍ରବୀଭୂତ ହୋଇଥିଲା । ମା’ର ରକ୍ତାକ୍ତ ଶରୀର ଘର ଆଗରେ ଲୋଟି ଯାଇଛି  ।ବୁଝିପାରି ନଥିଲା କିଛି  । କୈାଣସି ବାଟ ଦେଖିପାରି ନଥିଲା ସେ  । ଚାରି ଆଡ଼କୁ ଅନାଇ ଦେଖିଲା କେବଳ ହତାଶାର ଚିହ୍ନ  ।

ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରିଛି  । ପର ଓଳିରେ କାମ କରି ମୁଠେ ଖାଇବା ପାଇଁ ହାତ ପାତିଛି  ।  ସେଇଥିରେ ସେ ବଞ୍ଚାଇଛି ନିଜର ଜୀବନଟାକୁ । ବଡ଼ ହୋଇଛି ସେ- ଖୁବ୍ ବଡ଼ ହୋଇଛି  । ବାହା ହେବାର ବୟସରେ ଉପନୀତ ହୋଇଛି । ଦେହରେ ବି ଜାଗିଛି ରୋମାଳିର ଚେତନା  । ମନର ଘୁମନ୍ତ ରାଜ୍ୟରେ ସେ ଦେଖିଛି ଦୂରନ୍ତ ସ୍ୱପ୍ନର ଆଦିକଥା  । କିନ୍ତୁ କିଏ ଦେବ ତାକୁ ଝିଅ? ସମାଜର କେଉଁ ହତଭାଗିନୀର ହାତକୁ ଏ ହତଭାଗାର ହାତରେ  କିଏ ଛନ୍ଦି ଦେବ? ବାପା ନାହିଁ, ମା ନାହିଁ, ମୁଣ୍ଡ ଗୁଞ୍ଜିବାକୁ ଛୋଟ ଘର ଖଣ୍ଡିଏ- ଭାଙ୍ଗି ପଡ଼ିଲାଣି । ପର ଓଳିରେ କାମ କରି ବି ପେଟ ପୂରେ ନାହିଁ  । ମୁରବୀ ବିହୀନ  ଏଇ ବାରୁ  । ତାହାରି ପାଖରେ ସମାଜର ବ୍ୟବଚ୍ଛେଦ  । ପିତୃ ମାତୃହୀନ ବୋଲି ସେ ସମାଜର ବ୍ୟତିକ୍ରମ   । ସମସ୍ତଙ୍କ ପାଖରେ ହେୟର ବସ୍ତୁ  । ଦୁଃଖ ଦାରିଦ୍ର୍ୟର ବନ୍ଧନ ତା’ରି ଭାଗ୍ୟରେ ଲେଖା  ।

କେତେ ଯେ ଫଗୁଣ ଗୀତ ଗାଇ ନାଚି ନାଚି ଚାଲି ଯାଇଛି  । ବସନ୍ତର ମୃଦୁ ସ୍ପର୍ଶରେ ବାସନ୍ତୀ ଧରଣୀ ହସି ହସି ଫାଟି ପଡ଼ିଛି  । ଆମ୍ବ ବୃକ୍ଷର ମାଳେ ମାଳେ ଝୁଲିି ଯାଇଛି ଆମ୍ବ ବଉଳର ବେଣୀ  । ପଳାଶ ବୃକ୍ଷର ଅଳିକନ୍ଦିରେ ଖେଳି ଯାଇଛି ସିନ୍ଦୂର ରଙ୍ଗର ସତୃପ୍ତ ସ୍ପନ୍ଦନ  ।  ସେଇଠିକି ଆଗେଇ ଆସିଛି ଆକାଶ ବଉଦର ପୁଷ୍ପାଞ୍ଜଳୀ ନେଇ  । କିନ୍ତୁ କେହି ତା’ ମନର କଥା ଶୁଣି ନାହାଁନ୍ତି, କେହି ବୁଝି ନାହାଁନ୍ତି – ତା’ ଅନ୍ତରର କୋହ  । ସବୁ ଗୋଟି ଗୋଟି ହୋଇ ଦୂରେଇଯାଇ ଥିଲେ, ଆକାଶ ଯେଉଁଠି ମିଶିଛି, ସେଇଠିକି ।ବାପା, ମା’ ମନ ଭିତରକୁ ଆସି ଝରାଇ ଦେଇ ଯାଇଛନ୍ତି କେତେ ଟୋପା ଅଶ୍ରୁ, ମନରେ ଉଠାଇଛନ୍ତି କୋହ  । ଗରିବ ସମାଜର ବନ୍ଧୁ ଏହି ଲୁହ — ଦୁଃଖ ସମୟର ସାଥି  ।

ସେହି ବର୍ଷ  ଖରାରେ ଗଛପତ୍ର ପୋଡ଼ିଯାଇ ଥାଏ  । ଚଇତ ମାସରୁ ବି ଖରାର ତାପ ସହି ହେଉ ନଥାଏ  ।  ଏଇମିତି ଆଗରୁ କେତେଥର ରୈାଦ୍ର ଧରିତ୍ରୀକୁ ଅଧୁରା କରିଥିବ  ।  କିନ୍ତୁ ସେଥିରେ  କ’ଣ ମଣିଷ ହଟି ଯାଇଛି ? ସେ ହାର ଜିତକୁ ପସନ୍ଦ କରେ  । ସଂଗ୍ରାମୀ ମନୋବୃତ୍ତିର ମଣିଷ ଏ ଖରା ସହିତ ଖୁବ୍ ଲଢ଼ିଥିଲା  । ବିଲରୁ ହଳ କରି ଆସୁଥାଏ ବାରୁ   । ଆର ଗାଁର ଗହୀର ଜମି ଢେର ବାଟ ଯାଏଁ ଲମ୍ବି ଯାଇଥିଲା  । ତାହାରି ପଛକୁ ଆମ୍ବତୋଟା  । ସେହି ଆମ୍ବତୋଟାରେ ବାଟ ପଡ଼ିଛି ଏଁ ଗାଁକୁ  । ଆମ୍ବ ପଡ଼ିଲାଣି  । କେଉଁଠି କୁଆ, କୋଇଲିଟାଏ ବସି ଆମ୍ବ ଖାଉଛନ୍ତି  । ଗଛର ବୁଢ଼ା ପତ୍ର ଗୁଡ଼ିକ ଖସି ପଡ଼ୁଛି  । ପୁଣି ସେହିମାନଙ୍କ ସ୍ଥାନରେ ଅଧିକାରୀ ହୋଇ ନୂଆ ନୂଆ ପତ୍ର ମୁଣ୍ଡ ଟେକୁଛନ୍ତି  । ମନରେ ସେମାନଙ୍କର ଅପୂର୍ବ ଆନନ୍ଦ  । ଅପୂର୍ବ ସାହସ ଭରସା ନେଇ ଗଢ଼ି ଉଠିଛନ୍ତି ନୂଆ ରଙ୍ଗରେ  । ପାଖ ଗାଁରୁ କିଏ କେମିତ ଆସନ୍ତି ଏପଟକୁ ପତ୍ର ସଂଗ୍ରହ କରିବା ପାଇଁ  । ସେଦିନ ସେ ଗାଁର ଝିଅ ଅମ୍ବି ବି ଆସିଥିଲା ପତ୍ର ଖରିକିବାକୁ  । ଦକ୍ଷିଣ-ଆକାଶରୁ ବିଛେଇ ହୋଇ ପଡ଼ିଥିଲା ସୂର୍ଯ୍ୟଲୋକ । ଅନାଇ ହେଉ ନଥିଲା ଆକାଶକୁ  । କେଡ଼େ ଚାଇଁ ଚାଇଁଆଁ ଖରାଟାଏ ସତେ  । ବୃକ୍ଷ ଶାଖାର ତଳେ କୋଇଲିଟାଏ ବସି କ’ଣ ଗୁଡ଼ାଏ ଅବୋଧ୍ୟ ଗୀତ ଗାଉଥାଏ  । କୁଆଟାଏ ମଧ୍ୟ ଏ ଡ଼ାଳରୁ ସେ ଡ଼ାଳକୁ ଉଡ଼ି ଉଡ଼ି ବୋବାଉ ଥାଏ  । ସତେକି ଗୋଟାଏ ଘଟଣା ଘଟିଯିବ  । ସେଇଥି ପାଇଁ ବ୍ୟଗ୍ର ଏହି ପକ୍ଷୀମାନେ  । ପତ୍ର ଖରକି ଖରକି ଅଣ୍ଟା ବିନ୍ଧିଲାଣି  । ସଳଖ ହୋଇ ଛିଡ଼ା ହେଲା ଅମ୍ବୀ  । ଦୀର୍ଘ ନିଃସ୍ୱାଶଟାଏ ପକାଇଲା ସେ  । ସକାଳ ପହରୁ ପତର ଖରୁକୁଛି  । ଦେହପ୍ରତି ନଜର ନାହିଁ  । ପଶ୍ଚିମ ଦିଗକୁ ଅନାଇଲା, କିଏ ଗୋଟାଏ ହଳୁଆ ଆସୁଛି  । ଆଗରେ ବଳଦ ହଲି ହଲି ଚାଲୁଛନ୍ତି  । କଅଁଳିଆ ସ୍ୱରର ଲହରୀ ଛୁଟି ଆସୁଛି ସେଇଠୁଁ  । ମନରେ ହଳୁଆଟିର ଅହେତୁକ ଆନନ୍ଦ  । ସତେ ଯେପରି ମୁଣ୍ଡ ହଲାଇ ଗୀତ ଗାଇବାରେ  ସେ ପାଉଛି ତା’ର  ଜୀବନରେ ଅଭୂତପୂର୍ବ ତୃପ୍ତି  । ଭଲକରି ଅନାଇଲା ଅମ୍ବି- ଖରା ତରାସିଆରେ ସ୍ପଷ୍ଟ ଚିହ୍ନି ହେଉନଥାଏ  । କ୍ରମେ ନିକଟେଇ ଆସିଲା ଲୋକଟି । ଆରେ, ଏ  ତ ବାରୁଭାଇ! ବାପା ମା’ ତା’ର ପିଲା ଦିନରୁ କେହି ନାହାଁନ୍ତି ବୋଲି କେହି ତା’କୁ ଝିଅ ଦେଉନାହାଁନ୍ତି । ସେ ହୋଇଛି ସମାଜର ଜଣେ ନିକୃଷ୍ଟ ନଗଣ୍ୟ  । ସେ ପିଲାଦିନୁ ମୁରବୀହୀନ  । ସେଇଥି ପାଇଁ ତା’ର ମର୍ଯ୍ୟାଦା ହୀନ ହୋଇ ପଡ଼ିଛି ଆଜି ଲୋକ ମାନଙ୍କ ଆଗରେ। କିନ୍ତୁ, କାହିଁକି ? ସେ କ’ଣ ତା’ର ଭାଗ୍ୟକୁ ନିଜ ହାତରେ ଲେଖେଇ ଆସିଥିଲା ? ନାଁ ସମାଜର କ୍ଷତି ହେଲାଭଳି କିଛି କାର୍ଯ୍ୟ କରିଛି ? ଯେଉଁମାନେ ଗରିବ ମାନଙ୍କ ତଣ୍ଟିଚିପି ସେମାନଙ୍କ ରକ୍ତ ମାଂସରେ ଧନୀ ବୋଲାଉଛନ୍ତ, ଶ୍ରେଷ୍ଠ ଲୋକ ବୋଲି ଗର୍ବ କରନ୍ତି , ସେମାନଙ୍କୁ ମର୍ଯ୍ୟଦାବାନ୍ ହିସାବରେ ଧରି ନିଆଯାଏ । କିନ୍ତୁ ଯିଏ ନିଜର ମୁଣ୍ଡଝାଳ ତୁଣ୍ଡରେ ମାରି ପର ପାଇଁ ଖଟି ଖଟି ମାଟି ପେଟରେ ସଢ଼ିଯାଏ, ସେ ହେବେ ଅଛୁଁଆ ନିର୍ଯ୍ୟାତିତ, ନିଷ୍ପେଷିତ, ଅପମାନିତ, ତାଙ୍କରି ମାନ ସମ୍ମାନ ହେବ ଭୁଲୁଣ୍ଠିତ । ସେ ହେବ ଦଳିତ ଜୀବନର ଶ୍ରେଷ୍ଠ ସୂଚକ । ନାଁ ନାଁ ସେ ଏ ଅନ୍ୟାୟକୁ ବରଦାସ୍ତ କରିପାରିବ ନାହିଁ  । ସେ ବାରୁକୁ ବର ରୂପେ ବରଣ  କରିନେବ । ସମାଜର ଯିଏ ଘୃଣ୍ୟ ଅପମାନିତ ସେ ହେବ ତାର ପ୍ରାଣ କେନ୍ଦ୍ରର ଶ୍ରେଷ୍ଠ ଅତିଥି  । ମନର କଥା ସେଇଠି ଝୁଣ୍ଟି ପଡ଼ିଲା  । ସତେ ଯେପରି ସେ କ’ଣ ଗୋଟାଏ ଭୂଲକରି ଦେଇଛି  । କ’ଣ ଗୁଡ଼ାଏ ଚିନ୍ତା କରି ପକାଇଲା   । ସେ ପ୍ରକୃତରେ କ’ଣ ବାରୁକୁ ଭଲ ପାଇ ପାରିବ । ଉତ୍ସର୍ଗ କରିପାରିବ ତା’ର ବନ୍ଧୁ ଗୋତ୍ର, ପରିବାର ବର୍ଗର ମୋହ । ହଁ….ହଁ ସେ ବାରୁକୁ ନିଶ୍ଚୟ ଭଲ ପାଇବ  । ସେ ତା’ର ସ୍ୱାମୀ, ଶ୍ରେଷ୍ଠ ଅତିଥି  । ମୁହଁ ତଳକୁ ପୋତି ଆହୁରି କ’ଣ ଗୁଡ଼ାଏ ଚିନ୍ତା କରି ଯାଉଥିଲା  ।

ଏତେ ବେଳକୁ ବାରୁ ପହଁଞ୍ଚି ଯାଇଥିଲା ତୋଟା ମଝିରେ  । ଧୂଳିଆ ରାସ୍ତାଟା କେତେ ଦୂରକୁ ଚାଲି ଯାଇଛି  । ତାହାରି ଉପରେ କାହାରିକୁ ଲକ୍ଷ୍ୟ ନକରି ଚାଲିଛି ବାରୁ । କୈାଣସି ଜିନିଷ ପ୍ରତି ଭୃକ୍ଷେପ ନାହିଁ  । ସତେ ଯେପରି ପରର କାମ ମଧ୍ୟରେ ନିଜକୁ ଗୈାରବାନ୍ୱିତ ମନେକରୁଛି  । ନିଜ ଜାତିର ଝିଅ ଅମ୍ବିକୁ ଦେଖି ମନରେ କିପରି ଗୋଟାଏ ଆସ୍ୱସ୍ତି ବୋଧ କରୁଥିଲା । ଲାଜରେ କିଛି କହିପାରିଲା ନାହିଁ  । ଗୀତର ଲହରୀ ବନ୍ଦ ହୋଇଗଲା  । ନୀରବରେ ଚାଲିଯାଉଥିଲା ସେ  । ପଛରୁ ଡ଼ାକିଲା ଅମ୍ବି — ବାରୁଭାଇ ! …. ଅଟକି ଗଲା ସେ  ।  ମନରେ ଗୋଟାଏ ପ୍ରଶ୍ନବାଚୀ ନେଇ ଫେରିଲା ପଛକୁ  । କେହିତ କେବେ ତାକୁ ଜାତିଠାରୁ ବା ଅଜାତି ପର୍ଯ୍ୟନ୍ତ କଥା ପଦେ ପାଇଁ ଡ଼ାକି ନାହାଁନ୍ତି  । କେହି କେବେ ତା’ କଥା ଚିନ୍ତା କରିନାହଁନ୍ତି  । ତେବେ ଅମ୍ବୀ କାହିଁକି ତା’ର ମନକୁ ଘାଣ୍ଟି ଦେଇଛି  । ନାଁ ସେ ଚାଲିଯିବ । ଏ ଦୁନିଆରେ ମଣିଷ,ସମାଜ, ଜାତି, ବନ୍ଧୁ, କୁଟୁମ୍ବ କେହି ତା’ର ନାହାଁନ୍ତି  । ସମସ୍ତେ ପର  ।  ସମସ୍ତେ ତା’ର ଆଜି ଶତ୍ରୁ ହୋଇ ଆଗରେ ଛିଡ଼ା ହୋଇଛନ୍ତି  । ସେ କାହାରି ଡ଼ାକରେ ସ୍ତମ୍ଭୀଭୂତ ହେବନାହିଁ । ଜୀବନର ଯେତେବେଳେ ଯାହା ଆସିବ ସେଇ କେବଳ ତା’ର ବନ୍ଧୁ, ତା’ର ଆତ୍ମୀୟ । ସେଇଥିରେ ସେ ହେବ ଉଲ୍ଲସିତ । ସମୟର ଗତି ହିଁ ତା’ର ଅଭିଭାବକ  ।

ଧୀରେ ଧୀରେ ଅମ୍ବି ପାଖକୁ ଆସିଲା  । ପୁଣିଥରେ କହିଲା —  ବାରୁଭାଇ! ତଥାପି ବାରୁର ମୁଖ ମଣ୍ଡଳରେ ଲିଭି ନଥିଲା ଦୃଢ଼ତାର ଚିହ୍ନ  । ସେ ନିରୁତ୍ତର ରହିଲା । ଅମ୍ବିର ଆଖିରୁ ଝରି ପଡ଼ିଲା ଲୁହଟୋପା  । ରୁଦ୍ଧ ଗଳାରେ କହିଥିଲା ବାରୁ ଭାଇ- ବହୁତ ଆଶା ଭରସା ରଖିଛି ତୁମରି ଦୁଃଖରେ ଦୁଃଖୀ ହେବାପାଇଁ  । ତୁମରି ହୃଦୟକୁ ମୋରି ହୃଦୟରେ ସ୍ଥାନ ଦେଇଛି   । କ’ଣ ସେଥିରୁ ମୋତେ ବଞ୍ଚିତ କରିବ ? ଅମ୍ବି- ଦୃଢ଼ ଗଳାରେ କହିଲା ବାରୁ  ଭାଇ ! ପୁଣି ଅମ୍ବି ଦୃଢ଼ ହାତରେ ବାରୁର ଦୁଇ ହାତ ଧରି ତାହାରି ଉପରେ କାନ୍ଦି ପକାଇଥିଲା  ।ବାରୁ ଅଦୃଷ୍ଠ ବନ୍ଧନରେ ବାନ୍ଧି ହୋଇ ଯାଇଥିଲା  । ସେ ହୋଇଥିଲା ଶକ୍ତିହୀନ  । କପୋତ ପକ୍ଷୀ ଦୁଇଟି ଉଡ଼ି ଯାଇଥିଲେ ଆକାଶରେ  । କୁଆ କୋଇଲି ମାନେ ଇଥରରେ ସୃଷ୍ଠି କରୁଥିଲେ ଆନନ୍ଦର ଲହରୀ  । ସତେ ସେମାନେ ଏ ଶୁଭ କ୍ଷଣରେ ପୌରହିତ୍ୟ କରୁଛନ୍ତି  । ବାରୁର ଆଖିରୁ ମଧ୍ୟ ଗଡ଼ି ଆସିଲା ଲୁହ ଧାର   । ସେ କଥା ଦେଲା  । ପୁଣି  ଫେରି ଆସିଲା ଘରକୁ  ।

ବୈଶାଖର ଖରାପୁଞ୍ଜ ଝରିପଡ଼ିଲା  । ମତୁଆଲ ଝାଞ୍ଜି ଦିଗ୍ଚକ୍ର କାଳରେ ଲୁଚିଗଲା  । ଗ୍ରୀଷ୍ମ ପରେ ବର୍ଷାର ରାଜତ୍ୱ  ଘନେଇ ଆସିଲା  ।  ଧରିତ୍ରୀ ବକ୍ଷରେ  । ବାରି ଧାରାରେ ସିକ୍ତ ହେଲା ଧରିତ୍ରୀ  । ଗଛ ପତ୍ର ହସି ଉଠିଛି କୋମଳ ପତ୍ରମାଳରେ, ଗୀତ ଗାଇ ଉଠିଛନ୍ତି  ବଣ ମାଳର ପଶୁ ପକ୍ଷୀ  ।

୧୮ ବର୍ଷର ଝିଅ ଅମ୍ବି। ବାହାହୋଇଯିବ — ସେ ବେଶି ଦିନ ଏ ଘରେ ରହିବାକୁ ସମାଜରେ ମନା  । କୈାଣସି ମତେ କାହା ହାତରେ ଧରାଇଦେଲେ ବାପା ତା’ର ମୁକ୍ତ, ନହେଲେ ଲୋକଙ୍କ କଥାରେ ସେ ମୁଣ୍ଡ ଟେକି ବାଟ ଚାଲିପାରିବ ନାହିଁ । ମେଦର ଶରୀରକୁ କେତେ ଘାତ ପ୍ରତିଘାତ ସହିବାକୁ ପଡ଼ିବ  । ନିଜର ସ୍ତ୍ରୀକୁ ଡ଼ାକି କହିଲା — ଏ ବୁଝିଲ, ଅମ୍ବି ବୋଉ! ଏ ବର୍ଷ ମୁଁ ଅମ୍ବିର ବାହାଘର କରିବାକୁ ଚଇତିପୁର ସାଧୁଆକୁ ଠିକ୍ କରିଛି, କ’ଣ କହୁଛୁ ? ପିଲାଟା ଟିକେ ଛୋଟା ହେଲେ କ’ଣ ହେବ ଧନଧାନ୍ୟ ବହୁତ ଅଛି  । ତା’ ପାଖରୁ କିଛି ଉଠେଇବାକୁ ପଡ଼ିବ  । ସେ କହୁଛି ଅମ୍ବିକୁ ଦେଲେ ପାଞ୍ଚହଜାର ଟଙ୍କା ଦେବ  । ତୁମ୍ଭର ମତଟା କ’ଣ କହି ଦେବ  । ଗରିବ କୂଳରେ ଜନ୍ମ ହୋଇଛି ବୋଲି କ’ଣ ଟଙ୍କା ଲୋଭରେ ଏଇଆ କହିବ  । ଝିଅଟାକୁ ଜାଣିଶୁଣି ପାଣିକୁ ଠେଲିଦେବ  । ତୁମ୍ଭେ କ’ଣ ତାକୁ ଜନ୍ମ କରି ନାହଁକି, ଗୋଟାଏ ଛୋଟା ହାତରେ ଛନ୍ଦିଦେବ କେମିତି ? କିନ୍ତୁ ଏ କଥା କ’ଣ ମଦର ନିଶାକୁ ଟପିଯାଇ ପାରେ  । ସେ କହିଲେ- ଅମ୍ବି ବୋଉ, ସାବଧାନ ହୋଇ କଥାବାର୍ତ୍ତା କହ । ମୁଁ ଯାହା କହୁଛି ସେଇଆ କର  ।

ଅମ୍ବି ଏ କଥା ଘର ପଛପଟେ ଶୁଣୁଥିଲା, ସେ କାନ୍ଦି କାନ୍ଦି କହିଲା- “ବାପା ମୁଁ  ଆଉ କାହାରିକୁ ଭଲ ପାଇ ପାରିବି ନାହଁ  ।  ବାରୁକୁ ମୁଁ ଭଲ ପାଇଛି  । ମୁଁ ତୁମରି ଝିଅ, ମୋତେ ତୁମେ କ୍ଷମା କରିଦିଅ  ।”

–ଏ ଅଲକ୍ଷଣୀ …………..ଇ………..

ଦୁର୍ , ଦୂର୍ ହ, ବାହାରି ଯା’ ମୋ ଘରୁ  । ଏଇଥି ପାଇଁ ତୋତେ ଖୋଇପେଇ ଏଡ଼ୁଟେରୁ ଏଡ଼େଟେ କରିଥିଲି ! ତୋତେ ବିକି ଟଙ୍କା ନଆଣି ତୋପାଇଁ ଏତେ କଷ୍ଟ କରିଥିଲି କାହିଁକି ? ଏ ଘର ପୋଡ଼ି ତୁ ଚାଲିଯା ବାହାରିଯା ଘରୁ ।” ବାପାର ଧିକ୍କାର ଶୁଣି ବାହାରିଲା ଅମ୍ବି– ଘରୁ  । କଦମ୍ବ ଗଛର ମୂଳେ ବସି କେତେ ଯେ କାନ୍ଦିଛି କେତେ ବାପା, ବାପା ଡ଼ାକିଛି, କିନ୍ତୁ କେହି ସେଥିରେ କର୍ଣ୍ଣପାତ କରି ନାହାଁନ୍ତି  । ନୀରବ ରାତିର ଛାତ ତଳେ ବସି କେତେ କଥା ସେ ଭାବିଛି– ବାସ୍ତବିକ୍ ବାପା ମା’ ତା’ର କେତେ କଷ୍ଟରେ ଖୋଇ ପେଇ ବଢ଼ାଇଛନ୍ତି  । ତା’ ପାଇଁ କେତେ କଷ୍ଟ ସ୍ୱୀକାର କରିଛନ୍ତି  ।  ଶେଷକୁ  ସେସବୁ କ’ଣ ପରିଶୋଧ କରି ପାରିଛି — ସେ  । ବରଂ ଶେଷରେ ଦୁଃଖର ଭାର ଲଦି ନିଜର ୠଣଭାର ଅଧିକ କରିଛି  । ତେବେ କ’ଣ ବାପା ମା’ର କଥା  ସେ ମାନିଯିବ?

ନା ସେ ତାହା କରିପାରିବ ନାହିଁ  । ଗୋଟେ ପଟେ ବାପା ଅନ୍ୟପଟେ ଗୋଟିଏ ଅବହେଳିତ ଜୀବନ  । ସେ କ’ଣ ଏ ନୀରିହ ଯୁବକଟିର ଘର ସଂସାର ଭବିଷ୍ୟତକୁ ଦଳି ଦେଇ ପାରିବ ? ଯଦି ପାରେ, ତେବେ କଣ ପାଇଁ ତା’ର ହୃଦୟ ଦ୍ରବିଭୂତ ହୋଇଥିଲା  । କ’ଣ ପାଇଁ ସେ ତାକୁ କଥା ଦେଇଥିଲା ? ଯଦି ନା , ସେ ତାହା କରି ପାରିବ ନାହିଁ । ନିଶ୍ଚୟ ବାରୁକୁ ଭଲ ପାଇବ  । ସେଇ ତା’ର ହୃଦୟର ଅତିଥି  ।

ଦୁର୍ଦ୍ଦମନୀୟ ମେଘ, ଅନ୍ଧାର ରାତିର ଘୋର ଘର୍ଘର ଶବ୍ଦରେ ରାତିର ନିଥର ଇଥରର ରୂପ ନେଇ ଅସ୍ତବ୍ୟସ୍ତ ହେଉଥାଏ   । ତୁମୁଳ ସଂଗ୍ରାମର ଯୁଦ୍ଧ ଭୂମି ଏଇ ଧରିତ୍ରୀର ବକ୍ଷ  । ତାହାରି ଉପରେ ବିଜୁଳିର ପ୍ରହାର  । ସତେକି ବିଜୁଳିର ଚିକ୍ମିକ୍ ଆଲୋକରେ ପୃଥିବୀର କ୍ଷତ ବିକ୍ଷତ ଶରୀର ଖୋଜି ବୁଲୁଛି ନିଜର ରକ୍ଷା ପାଇଁ ସ୍ଥାନ । କ୍ରନ୍ଦସୀ ରାତ୍ରୀର କଣ୍ଠ ସ୍ୱରରେ ଆତଙ୍କିତ ଜୀବ ମହା ସମାଜ  । କୁଆଡ଼େ ଯିବ ଅମ୍ବି। କେଉଁ ଆଡ଼େ ତା’ର ପଥ  । ଯେଉଁ ପଥରେ ଥିଲା ତା’ର ଜନ୍ମଗତ ଅଧିକାର, ସେ ପଥ ଚିରଦିନ ସକାଶେ ତା’ ପାଇଁ ଆଜି ବନ୍ଦ  । ଆଗରେ ପ୍ରଚଣ୍ଡ ବିଭୀଷିକା  । ବିଭୀଷିକାର ପଛପଟେ  ଯାହା ତା’ର ସ୍ଥାନ, ତା’ର ପଥ-ବାରୁଭାଇ  । ହଁ ହଁ ସେ ସେଇଠିକି ଦଉଡ଼ି ଯିବ  । ସେଇଠି ସେ ପାଇବ ଶାନ୍ତି,  ତା’ର  ଶ୍ରେଷ୍ଠ ଆଶ୍ରୟ, ଜୀବନର ଅଭୟ — ସବୁକିଛି  । ଏଇ ରାତି ତା’  ଜୀବନର ପରୀକ୍ଷା; ମେଘ, ବଜ୍ର ପ୍ରଚଣ୍ଡ ପବନ ତା’ର ପ୍ରଶ୍ନ ପତ୍ର ଏବଂ ଭାଗ୍ୟ ତା’ର ସମାଧାନ  । ଆଗକୁ  ସେ  ବଢ଼ି ଚାଲିଛି, ମେଘର ଟୋପା ତା’ ଦେହରେ ଛୁଞ୍ଚି ଫୋଡ଼ୁଛି   । ପବନ ମେଘର ଆବରଣକୁ ମୁକ୍ତ କରିବା ପାଇଁ ଚେଷ୍ଠା କରୁଥାଏ । ଆଉ ଅନବରତ ଚେଷ୍ଟା କରୁଥାଏ  ପବନ,  ଅମ୍ବି ଦେହରୁ ଆବରଣ ମୁକ୍ତ କରିବା ପାଇଁ  । ତଥାପି ମନରେ ପୁଞ୍ଜିଭୂତ ହୋଇଛି ସାହସ । ସେଇଠି ବି ଠୁଳ ହୋଇଛି ସମସ୍ତ ଆଶା ଭରସା  । ତାହା ନିକଟରେ ଏ ପ୍ରକୃତିର ବାଧା କ’ଣ ସମକକ୍ଷ ହେବ ? କାହାରି ବାଧା ନ ମାନିି ରାତ୍ରରେ ଅମା ପଟଳ  ଭିତରେ ଦଉଡ଼ି ଚାଲିଛି ଅମ୍ବି । ଅମାରାତିରେ ଅନ୍ଧକାର ଗୁହା ତାକୁ ଅଟକାଇ ପାରୁନାହିଁ । ଓଃ ହୋ …  ଝୁଣ୍ଟି ପଡ଼ିଲା …ଏହି ପୁଣି ଉଠୁଛି  । ହଁ ଧାଇଁ ଚାଲିଛି ଆଗକୁ  ।  ଗଛ ପତ୍ରର ଛୋଟ ଛୋଟ ଶାଖା, ପତ୍ର ବୃକ୍ଷଚ୍ଯୁତ ହୋଇ ଦେହରେ ପିଟି ହେଉଛନ୍ତି ।ତଥାପି ସେଥିପ୍ରତି ଭ୍ରୂକ୍ଷେପ ନାହିଁ  । ନୂତନ ଆଶାରେ ମଣିଷ ଆଶାୟୀ  । ଆଗରେ ଭାସି ଉଠୁଛି ସ୍ୱପ୍ନର ସମୁଦ୍ର । ଢେଉ ଉପରେ ଢେଉ ଆସି ହୃଦୟ ତନ୍ତ୍ରୀକୁ ଅଥୟ କରୁଛି  । ପୁଣି ବି  ସେ ଅଟକି ଯାଉଛି ପବନର ପ୍ରତିଘାତରେ  । ବର୍ଷାପାଣି  ଆଖି କାନରେ ପଶି ଯାଉଛି । ଏଇତ ଲୁଗାଖଣ୍ଡକ ଉଡ଼ି ଯାଉଛି ଦୂରକୁ  । ତଥାପି ଦଉଡ଼ୁଛି  । -ହଁ ପହଁଞ୍ଚିଛି ଠିକଣା ଯାଗାରେ  ।

–ବାରୁଭାଇ! ବାରୁଭାଇ !!

ହଠାତ୍ କେଉଁ ଏକ ଶବ୍ଦର ଆଘାତରେ ଚମକି ପଡ଼ିଲା ବାରୁ  । ଏ ତ ସେହି ପରିଚିତ ସ୍ୱର, ସେହି ଅମ୍ବି, କିନ୍ତୁ ଏ ବର୍ଷା ଝଡ଼ରେ – ଏ କ’ଣ ସମ୍ଭବ ? ନା -ନା ସେ ସବୁ ମନର ବିକାର ମାତ୍ର  । ଅମ୍ବି ଏତେ ରାତିରେ କ’ଣ ଆସି ପାରିବ? ପୁଣି ଆଗେଇ ଆସିଲା ସେହି ସ୍ୱର  ।

–ବାରୁ ଭାଇ !!

କବାଟ ଖୋଲିଲା ବାରୁ ,– “ଏ କ’ଣ ? ଯାହା ଦେଖିଲା ସେଥିରେ ସ୍ତମ୍ଭୀଭୂତ ହେଲା  ।ଏ ଯେ  କେଉଁ  ଏକ ନାରୀର ଉଲଗ୍ନ ଶରୀର? ଏ ପ୍ରେତ ନା ମଣିଷ ? କେଉଁ ଡ଼ାହାଣୀ ଆସିଛି ଆଜି ଏଇ ଭଙ୍ଗା କୁଡ଼ିଆ ଖଣ୍ଡିକୁ ତା’ର ରକ୍ତ ପିଇବା ପାଇଁ  । ଆଶ୍ଚର୍ଯ୍ୟ  ଚକ୍ଷୁରେ ଅନାଇ ରହିଲା ସେ  ।

— “ବାରୁଭାଇ !…… ମୁଁ ଅମ୍ବୀ  । ଅନ୍ଧାର ରାତିର ବକ୍ଷଚିରି ତୁମ୍ଭରି ନିକଟକୁ ଦଉଡ଼ି ଆସିଛି  । ମୋତେ ଶରଣ ଦିଅ । ତୁମ୍ଭରି ପାଦ ତଳେ ଟିକେ ଆଶ୍ରୟ ଦିଅ  ।  ବାରୁର ଚକ୍ଷୁ ଦୁଇଟି ଉଜ୍ଜଳିତ ହୋଇ ଉଠିଲା   । ଦୁହିଁଙ୍କ ଆଖିରୁ ଝରି ପଡ଼ିଲା ତୃପ୍ତିର ଅଶ୍ରୁ । ହୃଦୟରେ ଖେଳିଗଲା ସତୃପ୍ତ ସ୍ପନ୍ଦନ  ।

ଅମ୍ବି ବାରୁ ନିକଟରେ ଗୋଟି ଗୋଟି କରି କହି ଚାଲିଥାଏ ତା’ର ଜୀବନର କାହାଣୀ  । କାହାଣୀର ଶ୍ରୋତା ବାରୁ , ଆଉ ଶ୍ରୋତା ଏହି ରାତ୍ରି ,  ଏହି ରାତ୍ରିର ଘନ ଅନ୍ଧକାରର ମେଘନାଦ  । ଏ — ରାତ୍ରିର ବିଭୀଷିକାମୟ ନୃତ୍ୟ ନାଟକ  । ବର୍ଷା ପବନ ଆହୁରି ଘନୀଭୂତ ହେଲା  । ଭଙ୍ଗା ଘରଟିର ଛପର ସ୍ଥାନେ ସ୍ଥାନେ ଉଡ଼ାଇ ନେଲା   । ଏହି ଘନ ଘଟାର ପାଚେରୀ ତଳେ ଦୁଇଟି ଆତ୍ମାର ମିଳନ ମାଧୁରୀ ସୃଷ୍ଟି କରିଛି ଦୁଇଟି ମନରେ ଆନନ୍ଦ  । ଅପାର ଆନନ୍ଦର ସ୍ରୋତ । ଯାହା ଅବର୍ଣ୍ଣନନୀୟ  ।

ଧିମେଇ ଆସିଲା ମେଘ  । ପବନର ଶକ୍ତି ଢେର କମି ଯାଇଥିଲା  ।  ରୁଦ୍ର ତାଣ୍ଡବର ଦୀର୍ଘ ଲୀଳା ପରେ କ୍ଷୀଣ ନୀରବତା ଜମି ଆସିଥିଲା  । ପୂର୍ବର ଆକାଶ  କ୍ରମେ ଫରଚା  ପଡ଼ିଲାଣି  । ବିଲ ବାଡ଼ିରେ ପାଣିର ସୁଅ ଛୁଟିଛି  । ଟିପି ଟିପି ବର୍ଷା ସାଙ୍ଗକୁ ସାମାନ୍ୟ ପଶ୍ଚିମର ପବନ ଦେହକୁ ଥରାଉଛି  । କ’ଣ ଗୋଟାଏ ଶବ୍ଦ ହେଉଛି କେଜାଣି ଗାଁ ମୁଣ୍ଡରେ  । କାନ ଡ଼େରିଲା, ପାଣି ପାଣି ରଡି ଶୁଣିଲାଠୁୁଁ ଦଉଡ଼ିଗଲା ଗାଁ ମୁଣ୍ଡକୁ  । ଦ୍ରୁତ ଗତିରେ ପାଣି ଛୁଟି ଚାଲିଥାଏ   । ବିରୁପା ନଦୀର କୂଳ ଉଲଙ୍ଘନ କରି ଏମିତି ବର୍ଷେ ବର୍ଷେ ସେ ଆସେ  । ଘରଦ୍ୱାର ଭସାଇ ନିଏ  । ବାରୁର ମୁଣ୍ଡରେ ଘର ଖଣ୍ଡିକ ଯାହା ଅଛି, ସେ ବି ଆଉ ଅଳ୍ପ ସମୟ ପରେ ଭାସି ଯିବ, ଭାଙ୍ଗିଯିବ ତାଙ୍କର ନୀଡ଼ ।

ଅମ୍ବି! — ବାରୁ ଡ଼ାକିଲା  । ଜବାବ ଦେଲା ଅମ୍ବି । ଆ, ଗାଁ ସେପାଖ ବନ୍ଧ ଉପରକୁ ଉଠିଯିବା  । ପାଣି ଅଳ୍ପ, ଆସ୍ତେ  ଆସ୍ତେ ଉଠିଯିବା । ଏ ଘର ଖଣ୍ଡିକ ଅଳ୍ପ ସମୟ ପରେ ଭାସିଯିବ   । ଆଗ ସାବଧାନ ନହେଲେ ହଇରାଣରେ ପଡ଼ିବା, ଡ଼େରି କରି  ଲାଭ କ’ଣ ? ଚିରା ଚିରା ଲୁଗା ,ଅନ୍ୟାନ୍ୟ ଜିନିଷ ପତ୍ର କିଛି ଅଣ୍ଡାଳି ଗଣ୍ଠିଲିଟିଏ କଲା ଅମ୍ବି । ସେତିକି ନେଇ ବାହାରି ଆସିଲେ ଘରୁ,  ଦୁହେଁ ଧରାଧରି ହୋଇ ବନ୍ଧ ଉପରକୁ ଚାଲିଛନ୍ତି  । ପାଣି ବେଶି ହୋଇ ଗଲାଣି  । ପାଣିର ଗତି ବି ଦ୍ରୁତ ଗତିରେ ବଢ଼ି ଚାଲିଛି । କେଉଁଠି ଜଙ୍ଘେ ତ କେଉଁଠି ଛାତିଏ ପାଣିରେ ସେମାନେ ବାଟ କାଟି ଚାଲିଛନ୍ତି  । ଆହୁରି ବହୁତ ଲୋକ ପଛରେ ଆସୁଛନ୍ତି  । ଡ଼ାକ ଛାଡ଼ି ଚାଲିଛନ୍ତି ସେମାନେ  । ହାବୁକା ମାରି ପାଣି ପାଦର ଗତିକୁ ଶିଥିଳ କରୁଛି  । ବଡ଼ ହାବୁକାଟାଏ ପାଣିଆସି କଚାଡ଼ି ହୋଇ ପଡ଼ିଲା ଉପରେ  । ପଛରୁ ଡ଼ାକ ଶୁଭିଲା “ଭାସି ଗଲେ , ଭାସିଗଲେ”– ପଛକୁ ଅନାଇଲା ବାରୁ  । ଲୋକ ଗୁଡ଼ାକ ଭାସି ଯାଉଛନ୍ତି  । ପାଟି କରି ଡ଼ାକ ଛାଡ଼ୁଛନ୍ତି  — “ରକ୍ଷାକର, ରକ୍ଷାକର”  । ଅମ୍ବିକୁ ଅନାଇଲା ବାରୁ- ଅମ୍ବି କାହିଁ ? ସେ ବି ଭାସି ଯାଇଛି, ଏଇ ଟିକେ ଦୂରରେ ସେ ଭାସି ଯାଉଛି । ତାକୁ ଡ଼ାକ ଛାଡ଼ୁଛି–ମୁଁ ଯାଉଛି ……………ଖୁବ୍ ଜୋରରେ ଅମ୍ବି ଡ଼ାକିଲା ,ବାରୁ ଲମ୍ଫ ଦେଲା ତା’ରି ପାଖକୁ  । ସୁଅ ସହିତ ତାଳ ଦେଇ ପହଁରି ଚାଲିଛି । ଆହୁରି ଜୋରରେ ପହଁରି ଯିବାକୁ ଚେଷ୍ଟା କରୁଛି ସେ  । ମଝିରେ ମଝିରେ ଆତ୍ମଫଟା ଚିତ୍କାର କରୁଛି ଅମ୍ବି  । ବାରୁର ମୁଣ୍ଡରେ ବଜ୍ର ପଡ଼ିଲା, ଆଗରେ ଦୁର୍ଜୟ ଭଉଁରୀ  କୁରାଳ ଚକ୍ରପରି ବୁଲି ଯାଉଛି  । ସେଇଠି ଆଉ କ୍ଷଣକେ ଅମ୍ବି ପଡ଼ିଯିବ  । ସବୁଚେଷ୍ଟା ବିଫଳ ହୋଇଯିବ, ତା’ର ସର୍ବନାଶ ହେବ  ।

— ଅମ୍ବି! ଅମ୍ବି!!ଅମ୍ବି!!!

ଆହୁରି ଜୋରରେ ପହଁରିବାକୁ ଚେଷ୍ଟାକଲା ସେ  । ଓଃ, ଭଗବାନ, ଅମ୍ବି ଭଉଁରୀରେ ପଡ଼ି ଯାଉଛି  । ହେଇ ତାକୁ ଡ଼ାକୁଛି, ଚିତ୍କାର କରୁଛି, ହଁ – ହଁ ସେ ତା’ ପାଖକୁ ଯିବ  । ସେ ତା’ର ସ୍ୱାମୀ  । ତା ହୃଦୟର ରତ୍ନ  । ସେ ବି ପଡ଼ିଲା ସେଇ ଭଉଁରୀରେ — ସେହି ଜଳ ଚକ୍ରରେ  । ଦୁହେଁ ଏକାଠି ହୋଇଛନ୍ତି  । ପରସ୍ପର ଏକାଠି ହୋଇଛନ୍ତି । ପରସ୍ପରକୁ ଜାବୁଡ଼ିଧରି ଥରେ ଥରେ ଦେଖିବା ପାଇଁ ବ୍ୟଗ୍ର ହେଉଛନ୍ତି  । ସବୁଚେଷ୍ଠା ବିଫଳ ହେଉଛି  । ଥର ଥର କରି ଜଳଚକ୍ରର ଶକ୍ତି ସେମାନଙ୍କୁ ଥରାଇ ଦେଉଛି  ।

— ଅମ୍ବି ! ଅମ୍ବି!! ଅମ୍ବି…..!!!

— ବାରୁ ! ବାରୁ!! ବାରୁ…. !!!

ଦୁଇଟି ସ୍ୱରରେ କ୍ଷୀଣ ଆହ୍ନାନ ସମୟର ଚକ୍ର ବ୍ୟୁହରେ  ମିଳେଇଗଲା  ।

Related posts

ଫୁଙ୍ଗୁଳା ଦେହ ସେଁକା ଛାତି

satya

ମୁଁ ବାହା ହେବି

satya

ସମାଜ ସୁଧାରକ

satya

Leave a Comment

Login

X

Register