Satya Prakash
ଗଳ୍ପ

ମଲା ପୁଅ ବଞ୍ଚିଲା

ମଲା ପୁଆ ବଞ୍ଚିଲା
By ସତ୍ୟ ପ୍ରକାଶ ସେଠୀ
———////—————
ବାସୁଦେବପୁରର ବ୍ରାହ୍ମଣୀ ଗାଁରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ଏକ ବ୍ରାହ୍ମ ମୁହୁର୍ତ୍ତରେ ପିତା ଭୈରବ ଚନ୍ଦ୍ରଙ୍କ ଔରସରୁ ମାଆ ଶାନ୍ତିଲତାଙ୍କ କ୍ରୋଡ଼ ମଣ୍ଡନ କରି ପରିବାରରେ ପଞ୍ଚମ ସନ୍ତାନ ରୂପେ ଜନ୍ମ ଗ୍ରହଣ କରନ୍ତି ବିସ୍ମୟ ବାଳକ ଶିବ ବାବା। ଯାହାଙ୍କର ଜାତକ ନାମ ଜଗବନ୍ଧୁ ଓ ସାର୍ଟିଫିକେଟ୍ ନାମ ଦୈତାରୀ। ପୁଣି ଶ୍ରଦ୍ଧାରେ ମାଆ ଡାକୁଥିଲେ ବାବୁ। ସେଇଠି ଥା’ନ୍ତି ଆହୁରି ତାଙ୍କର ତିନୋଟି ଭାଇ ଓ ଦୁଇଟି ଭଉଣୀ। କିନ୍ତୁ ଶିବ ବାବା ଉପରେ ନଜରଟା ସମସ୍ତଙ୍କର ଟିକିଏ ଅଧିକା। ତାଙ୍କର ଆର୍ଥିକ ଅବସ୍ଥାଟା ସମ୍ପର୍କରେ ନକହିଲେ ଭଲ। ନିହାତି ଗରୀବ ଲୋକ, ମାନେ ଓଳିଏ ଖାଇଲେ ଦୁଇ ଓଳି ଉପବାସ। ପିଲାଟିର ଜନ୍ମ୍ ଜାତକ ଲେଖୁ ଲେଖୁ ସେଦିନ ଜ୍ୟୋତିଷ ମହାଶୟ ବିସ୍ମୟ ପ୍ରକାଶ କରି କହି ପକାଇ ଥିଲେ – “ଇଏ ଜଣେ ମହାତ୍ମା। ବିଶ୍ଵ ଦରବାରରେ ସ୍ଵୀୟ କୃତି ବଳରେ ଅମର ସ୍ୱୀକୃତି ପାଇବାକୁ ହକ୍ଦାର। ସମଗ୍ର ବିଶ୍ୱରେ ଦିନେ ପ୍ରସିଦ୍ଧି ଲାଭ କରିବ ଓ ବିଶ୍ଵର ସନ୍ତାନ ରୂପେ ଯଶ କୀର୍ତ୍ତି ଓ ଗୌରବ ଅର୍ଜ୍ଜିବ। ମାଆ ମନ ବଡ ବଡ଼ କଥା ଶୁଣି ଶଙ୍କି ଯାଉଥିଲା। ମନେ ମନେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ -” ହେ ଶିବାନନ୍ଦ! ମୋ ଶିଶୁ ସନ୍ତାନ ତୁମକୁ ଲାଗିଲା”।

ପିଲାଟିର ମୁହଁରେ ନିଆରା ହସ ଓ ଭାବ ଭଙ୍ଗି ଦେଖି ପରିବାରର ଲୋକ ଖୁସିରେ ନାଚି ଯାଉଥିଲେ। ହେଲେ ଭଗବାନଙ୍କ ରାଜ୍ୟରେ ସବୁ ଓଲଟା ହୁଏ – ଏକଥା ଜଣା। ଖୁସିର ମୁହୂର୍ତ୍ତ ଗୁଡା ବେଶୀ କ୍ଷଣ ତିଷ୍ଟି ରହିପାରେ ନାହିଁ। ହଠାତ୍ କ’ଣ ହେଲା କେଜାଣି ପିଲାଟା ମଟକା ମାରି ନେଲା, ଯେତେବେଳେ କି ତାକୁ ମାତ୍ର୍ ସାତ ମାସ। ଆଉ ଗୋଡ଼ ହାତ କିଛି ହଲାଇଲା ନାହିଁ। ଯେତେ ଝଡ଼ା ଫୁଙ୍କା କଲେ ସବୁ ନିଷ୍ଫଳ ହେଲା। ସମସ୍ତେ କହିଲେ-” ପିଲାଟି ଆଉ ନାହିଁ। ଆତ୍ମାରୁ ପ୍ରାଣ ବାୟୁ ଉଡ଼ିଯାଇଛି” ।
ଏ କଥା ଶୁଣି ମାଆ ମନ ବା କେମିତି ସହଜେ ବୁଝନ୍ତା? ସେ ଖାଲି କୋଡ଼ି ଛେଚି ହୋଇ କାନ୍ଦୁଥାଏ। ଘଣ୍ଟାକୁ ଘଣ୍ଟା ବେହୋସ୍ ହୋଇ ମୂର୍ଚ୍ଛା ଯାଉଥାଏ। ନାହିଁ ଶୁଣିଲାଠୁଁ ବେଶ୍ ସମସ୍ତଙ୍କର କାନ୍ଦ ବୋବାଳି ପଡ଼ିଯାଇଥାଏ। ସାହି ପଡ଼ିଶା କେଇ ଜଣ ଆସି ପିଲାଟିକୁ କୋଳରୁ ଛଡାଇ ନେଇ ବାଘପଦା ମଶାଣି ପଦର ମଶାଣି ଭୂଇଁରେ ଉତ୍ତର ଆଡକୁ ମୁହଁ କରି ଯାମୁ ଗଛ ମୂଳେ ଗାତ ଖୋଳି ଶୁଆଇ ଦେଲେ। ସମସ୍ତେ ଚୁପ। ଏକ ସନ୍ନଟା ଛାଇ ଗଲା। ମାଆ କିନ୍ତୁ କହୁଥାଏ – “ମୋ ପୁଅ ମରି ନାହିଁ। ବଞ୍ଚିଛି। ସେ ଈଶ୍ୱରଙ୍କ ସନ୍ତାନ। ସେ କେବେ ମରି ପାରେନା। ମୋତେ ନେଇ ଚାଲ ତା ପାଖକୁ ମୁଁ ଥରେ ଦେଖିବି”। ତା’ର ବାୟାଣୀ ଓ ପାଗଳପଣ ଦେଖି ବାଧ୍ୟ ହୋଇ ସାହି ପଡ଼ିଶା ମେଳରେ ରାତି ଅଧରେ ମଶାଣି ଭୂଇଁକୁ ତାକୁ ନେଇଗଲେ। ଗଲା ବେଳକୁ କୁକୁର ଶିଆଳ କିଏ ବୋଧେ ଖୋଳି ପକାଇଛି, ଗାତରୁ ମାଟିଟା କିଛି ହଟି ଯାଇଛି, ପିଲାଟି କଇଁ କଇଁ ହୋଇ କାନ୍ଦୁଛି। ମାଆ ଦୌଡ଼ି ଯାଇ ଆବେଗରେ ପିଲାଟାକୁ କୋଳକୁ ଟାଣି ଆଣିଲା। କ୍ଷୀର ଦେଇ ବୋଧ କଲାଠୁଁ ତୁନି ହେଲା। ସମସ୍ତଙ୍କ ମୁହଁରେ ଆଶ୍ଚର୍ଯ୍ୟର ବାଣୀ – ଏ କି ବିଚିତ୍ର ହେଲା, ମଲା ପୁଅ କି ଜୀବନ ପାଇଲା”? ଯାହା ବି ହେଉ ଏ ସବୁ ଦଇବର ଖେଳ। ନୋହିଲେ କି ମଲା ଗାତରୁ ସେଦିନ ସେ ଛୁଆ ଉଦ୍ଧୁରି କି ଆସିଥାନ୍ତା? ସତରେ ମାଆର ମମତା – ଅପାର ତା’ର ବଳ। ଯମ ବି ଶେଷରେ ହାର ମାନିଲା।

ପିଲାଟିକୁ ମାତ୍ର୍ ଅଢେଇ ବର୍ଷ ହୋଇଛି କି ନାହିଁ କହିଲା – ମାଆଲୋ! ଭାଇହରିକେ କାନ୍ଧରେ ବସ୍ତାନି ପକାଇ କୁଆଡେ ଯାଉଛନ୍ତି, ମୋତେ ତୁ ସ୍କୁଲ୍ ପଠାଉନୁ। ପିଲାଟିର ଆଗ୍ରହ ଦେଖି ମାଆ ତାକୁ ଚାଟଶାଳୀ ପଠାଇ ଦେଲେ। ପୁଣି ବରଷେ ଖଣ୍ଡେ ପଢ଼ି ଯାଇଛି କି ନାହିଁ ମାଆକୁ କହିଲା – “ସମସ୍ତେ ତ ସ୍କୁଲ୍ ଯାଉଛନ୍ତି, ମୋତେ ତୁ ଚାଟଶାଳୀ ଅବଧାନେ ପାଖକୁ କାହିଁକି ପଠାଉଛୁ “।
ମାଆ କହିଲେ _”ସବୁ ଏକା କଥା। ତୁ ବଡ଼ ହୋଇଗଲେ ପୁଣି ବଡ଼ ସ୍କୁଲ୍ ଯିବୁ।ଏହି ସ୍କୁଲ୍ କୁ ପୂର୍ବେ ଚାଟଶାଳୀ କହନ୍ତି”।

ପିଲାଟି ପୁଣି ପଚାରିଲା -“ଚାଟଶାଳୀ ପୂର୍ବରୁ ଏହାକୁ କ’ଣ କହଁନ୍ତି”?
ମାଆ କହିଲେ -” ଚାଟଶାଳୀ ପୂର୍ବରୁ ଏହାକୁ ଆଶ୍ରମ ଓ ଆଶ୍ରମ ପୂର୍ବରୁ ଏହାକୁ ଗୁରୁକୁଳ ଆଶ୍ରମ କହୁଥିଲେ “।
ପିଲାଟି ଆହୁରି ଜିଜ୍ଞାସୁ ହୋଇଉଠିଲା। ପୁଣି ପ୍ରଶ୍ନ ବାଢିଲା -” ପ୍ରଥମ ଗୁରୁକୁଳ ଆଶ୍ରମ କୋଉଟା? ପ୍ରଥମ ଗୁରୁ କିଏ?? ପ୍ରଥମ ଗୁରୁଙ୍କର ପ୍ରଥମ ଶିଷ୍ୟ କିଏ” ???
ମାଆ କହିଲେ ତୋର ଏତେ ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇ ପାରିବି ନାହିଁ, କେବଳ ଏ ସବୁ ମହାଦେବ ତୋତେ କହି ପାରିବେ। ପୁଣି ପିଲାଟି କହିଲା -” ମହାଦେବଙ୍କୁ କେଉଁଠି ପାଇବି”? ମାଆ କହିଲେ – “ତୁ ଓମ୍ ନମଃ ଶିବାୟ ଡାକ, ସେ ଦିନେ ନିଶ୍ଚେ ତୋତେ ଦେଖା ଦେଇ ତୋର ସମସ୍ତ ପ୍ରଶ୍ନର ସମାଧାନ କରି ଦେବେ “। ସେଦିନ ଗୁରୁ ଓ ଗୁରୁ ମନ୍ତ୍ର ଦୁଇଟାଯାକ ବୋଧହୁଏ ମିଳିଯାଇଥିଲା ଶିବ ବାବାଙ୍କୁ।
ଅତିଶୟ ଦୁଃଖ ଓ ଦାରିଦ୍ର୍ୟରେ ମ୍ରିୟମାଣ ହୋଇପଡିଥିବା ପରିବାରରେ ଶିକ୍ଷା ପ୍ରତି ଏତେଟା ଧ୍ୟାନ କାହିଁକି ବା କିଏ କୁଆଡୁ ଦେଇ ପାରିଥାନ୍ତେ? ବଡ଼ ପିଲାମାନେ କାମଚଳା ଦୁଇ ଅକ୍ଷର ପଢି ଏବେ ମୂଲ ଲାଗି ହେଲେଣି। ବାପା ସାନ ପିଲାଟିକୁ ଧରି ଘର କାମତକ ତୁଲାଇ ନିଅନ୍ତି। ସାଲମା, ତେନ୍ତୁଳି ପାଣି ଖଟା ନୋହିଲେ ବାଡ଼ି କାନଶିରି ଶାଗରେ ପଖାଳ ପାଣି ଗଣ୍ଡେ ଖାଇ ସମସ୍ତେ ଚଳିଯାଉଥାନ୍ତି। ଓଳିଏ ଖାଇଲେ କେତେବେଳେ ଦୁଇ ଓଳା ଉପବାସ। ଏହି ତ ଗରୀବ ବାପୁଡାର ଜୀବନ ବିନ୍ୟାସ। ତଥାପି ଏତେ ସବୁ ସତ୍ତ୍ୱେ ନିଜର ଗଭୀର ଆତ୍ମବିଶ୍ଵାସ, ଧୀଶକ୍ତି ଓ ପଠନ ପିପାସା ଶିବ ବାବାଙ୍କୁ ରୋକି ପାରିନଥିଲା ମାଟ୍ରିକ ଯାଏଁ ପଢିବାକୁ।

ସେଦିନ ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ, ଘରକୁ ଜଣେ ତାମ୍ବ୍ର ବର୍ଣ୍ଣଧାରୀ ବାବାଜୀ ଆସିଥିଲେ। ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ ଓ ଉଦାର ଚରିତ୍ର ପରି ପ୍ରତିଭାତ ହେଉଥାନ୍ତି। ପିଲାଟିର ମୁହଁକୁ ଚାହିଁ ଦେଇ ମାଆଙ୍କୁ କହିଥିଲେ – “ଏ ପିଲା ବିଶ୍ୱର ଧର୍ମ ଜାଜକ ପାଲଟିବ। ଆପଣା ଅଲୌକିକ ପଣିଆ ଓ ବିଦ୍ୱାନ ବ୍ୟକ୍ତିତ୍ୱ ପାଇଁ ସାରା ବିଶ୍ୱରେ ଦିନେ ପରିଚିତ ହେବ” । ଏତିକି କହି ବାବାଜୀ କେଉଁଆଡ଼େ ଚାଲି ଯାଇଥିଲେ ତାଙ୍କର ସନ୍ଧାନ କାହିଁ ଏ ଯାଏଁ ଆଉ କେହି ପାଇନାହିଁ।
ଯାହା ବି ହେଉ କଷ୍ଟେମଷ୍ଟେ ପିଲାଟି ବି. ଏ. ଖଣ୍ଡକ ସ୍ଥାନୀୟ ବାସୁଦେବପୁର କଲେଜରୁ ପଢି କୃତିତ୍ଵର ସହ ପାସ କରିଗଲା। ଜଣେ ବଦାନ୍ୟ ବ୍ୟକ୍ତି ପିଲାଟିର ଜ୍ଞାନ ଗାରିମାରେ ପ୍ରୀତ ହୋଇ ଥରେ ଶହେଟି ଦୁଇ ଟଙ୍କିଆ କଏନ୍ ଥଳୀଟିଏ ହାତକୁ ବଢ଼ାଇ ଦେଇଥିଲେ, ସେହି ସେତିକିରେ କୌଣସି ପ୍ରକାର ପଢ଼ା ଖର୍ଚ୍ଚଟି ଉଠି ଗଲା। ଏବେ ‘କ’ଣ କରିବେ କ’ ଣ କରିବେ’ ବୋଲି ମନ ବଡ଼ ଘୂରି ସାରି ହେଉଥାଏ। କିଛି ଗୋଟେ ବୁଦ୍ଧି ବାଟ ମୁଣ୍ଡକୁ ଯୁଟୁ ନଥାଏ। ବାପା ଚାହୁଁଥାନ୍ତି ସୁଦୂର କଲିକତାର ବଙ୍ଗାଳୀ ବାଡ଼ିରେ ପୂଜାପୂଜି କରି ଦି’ ପଇସା ରୋଜଗାର କରିବାକୁ କୁଆଡୁ କାହା ସହ କଥା ହୋଇସାରିଛନ୍ତି । ପିଲାଟିି କିନ୍ତୁ ଚାହୁଁ ଥାଏ ଆହୁରି ପଢିବ। ମାଆଙ୍କ ସାମ୍ନାରେ ବିଚାରଧାରା ବ୍ୟକ୍ତ କରିବାରୁ ମାଆ କ୍ଷୀର, ଦହି ଓ ଘସି ବିକି ରଖିଥିବା ଜୀବନ ତମାମର ସମ୍ବଳ ପିଲାଟି ହାତକୁ ବଢ଼ାଇ ଦେଲେ। କହିଲେ – “ପୁଅରେ! ଏଇ ନେ, ଏଇଥିରେ ତୋର ଯାହା ଇଛା ସେୟା କର, ହେଲେ ଗୋଟିଏ କଥା ମନେ ରଖିଥିବୁ – ମନ ଯାହା କହିବ ଥରେ ବିବେକକୁ ମାତ୍ର୍ ପଚାରି ବୁଝିବୁ, ତେଣିକି ତୋ ଭାଗ୍ୟରେ ଯାହା ଅଛି ସେୟା ହିଁ ହେବ”। ସେଦିନ ସେହି ଷାଠିଏ ପଇସାର ପୁଞ୍ଜି ଧରି ସେ ଭଦ୍ରକ ଷ୍ଟେସନ ଅଭିମୁଖେ ଯାତ୍ରା କଲା। ମନରେ ଅହେତୁକ କୌତୁହଳ ନୂଆ କରି ଭଦ୍ରକ ସହର ଓ ଷ୍ଟେସନ ଦେଖିବ। ଏହି ସମୟରେ ଟ୍ରେନ୍ଟିଏ ଷ୍ଟେସନରେ ପହଂଚିବାରୁ ରେଲିଂ ଧରି ସିଧା ଭିତରକୁ ଉଠିଗଲା। ନୂଆ ଲୋକବାକ ଦେଖି ଆକାବାକା ହୋଇଯାଉଥାଏ। କୁଆଡେ ଯିବ କ’ଣ କରିବ ବୋଲି ମନରେ କୌଣସି  ସ୍ଥିରତା ଆସୁ ନଥାଏ,  କୌଣସି   ନିର୍ଦ୍ଧିଷ୍ଟ  ଲକ୍ଷ୍ୟ ବି ନଥାଏ। ବର୍ଣ୍ଣବୋଧରେ ପଢ଼ିଥିବା’ କଟକ ସହର ଧବଳ ଟଗର’ ମନେ ପଡିଯିବାରୁ ସେହି ଆକର୍ଷଣରେ କଟକ ଲେଖା ଯାଇଥିବା ସହରରେ ସେ ଓହ୍ଲାଇ ପଡ଼ିଲା। ସେହି ପ୍ଳାଟ ଫର୍ମରେ ଏଗାର ଦିନ ବିତିଗଲା। ଗାଧୁଆ ପାଧୁଆ ନାହିଁ କି ବଳକା ଲୁଗା ଖଣ୍ଡେ ନାହିଁ ବଦଳେଇବାକୁ। ପ୍ରତ୍ୟେହ ପାଞ୍ଚ ପଇସାରେ ମଟର କିଣେ, ସେଥିରୁ ସକାଳେ ଅଧା ଓ ରାତିରେ ଅଧା ଖାଇ ପାଣି ପିଇଦିଏ। ଏଇମିତି ପଞ୍ଚାବନ ପଇସା ଶେଷ। ଆଉ ବଳକା ପାଞ୍ଚ ପଇସା ଆଜି ବି ଲଟକିଛି ବେକରେ ମାଳା ହୋଇ।

ଏହା ଭିତରେ ଦୀର୍ଘ ଏଗାର ଦିନ ଅତିକ୍ରାନ୍ତ୍ ଉତ୍ତାରୁ ମ୍ବାଇରୁ ଟ୍ରେନ୍ ଯୋଗେ ଫେରୁଥିଲେ ଦୟାର୍ଦ୍ର ଚିତ୍ତ ରାମ ଚନ୍ଦ୍ର ପଣ୍ଡା ମହୋଦୟ। ଘଟଣାକ୍ରମେ ପିଲାଟି ପାଖ ଦେଇ ଅତିକ୍ରମ କରି ଯାଉଁ ଯାଉଁ ଅଟକିଗଲେ କ୍ଷଣେ। ପଚାରିଲେ – “ଖାଇଛୁ” ?
– ନାଁ
-“ଖାଇବୁ” ?
-ହଁ
ଆଉ ବିଶେଷ କିଛି ପଚାରି ନାହାଁନ୍ତି। ସିଧା ପିଲାଟିକୁ ସାଥିରେ ଧରି ନେଇ ଆସିଲେ ଘରକୁ। ସାବୁନ୍ ଦେଲେ, କହିଲେ – “ଘସି ଘାସି ହୋଇ ଗାଧୋଇ ପଡ଼”। ତାପରେ ପେଟପୂରା ଖାଦ୍ୟ ଓ କିଛିଟା ଆଳାପ ଆଲୋଚନା। ସେଇଠୁ ଆରମ୍ଭ ହେଲା ଜୀବନର ଏକ ନୂଆ ମୋଡ। ଟିଉସନ୍ ହେଲା ଜୀବନର ପେଶା। ରହଣି ଜାଗା ରାମ ଚନ୍ଦ୍ର ପଣ୍ଡା ଘର। ନିଜ ଅଧ୍ୟୟନ ଓ ଅଧ୍ୟବସାୟ ଜୀବନରେ ସାଧନା କିନ୍ତୁ ଅହରହ ଚାଲିଥାଏ। ଗୋଟେ ପଟେ ସାହିତ୍ୟର ସାଧନା ଓ ଅନ୍ୟପଟେ ଗୋଟେ ପରେ ଗୋଟେ ବିଷୟରେ ପରୀକ୍ଷା ଦେଇ ସାତଟି ବିଷୟରେ ଏମ୍. ଏ ପାଶ୍।ତହୁଁ  ରାଜଧାନୀ କଲେଜରେ ମିଳିଗଲା ଚାକିରୀଟାଏ – ସେଇ ବିରଳ ପ୍ରତିଭାଙ୍କୁ। ପୁଣି ସେଦିନ ଏମିତି କ’ଣ ହେଲା କେଜାଣି, ସରକାରୀ ଚାକିରୀର ମୋହ ଛାଡ଼ି ଶିବ ବାବା ଚାଲିଲେ ହିମାଳୟ ପାଦଦେଶ। ଯେଉଁଠି ସେ ଘୋର ତପସ୍ୟାରେ ଜୀବନରେ ମୂଲ୍ୟବାନ୍ ଅଢେଇଟି ବର୍ଷ ସାଧନାରେ କାଟି ଦେଲେ। ସେଇଠି ପୁଣି ତାଙ୍କର ଭେଟ ହୁଏ କାଞ୍ଚି କାମ କୋଟିର ଶଙ୍କରାଚାର୍ଯ୍ୟଙ୍କ ସହ।ଯାହାଙ୍କ ସାହଚର୍ଯ୍ୟ ପାଇ ସେ ମାତିଗଲେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ – ବେଶ୍ କିଛି ଦିନ। ତହିଁ ଉତ୍ତାରୁ ଫେରି ଆସିଲେ ପୁଣି କଟକ ସହର ସେଇ ପୁରୁଣା କର୍ମ ଭୂମିକୁ ଯେଉଁଠୁ ସେ ବାସ୍ତବ ଜୀବନ ଆରମ୍ଭି ଥିଲେ।ପରିଶେଷରେ ପିତାମାତାଙ୍କର ଦେହାନ୍ତ ଖବର ଶୁଣି ଦୁଃଖ ଓ ପରିତାପରେ ଭାଙ୍ଗି ପଡିଥିଲା ମନ।

ତେଣୁ ଏବେ ଭଦ୍ରକରେ ସେ ଅବସ୍ଥାପିତ,ଯାହାକି ପାଲଟିଛି ତାଙ୍କ ସାଧନାର ପୀଠସ୍ଥଳୀ। ଯେଉଁଠି ସେ ରଚନା କରିଚାଲିଛନ୍ତି ଗୋଟେ ପରେ ଗୋଟେ କାହିଁ କେତେ ସାହିତ୍ୟିକ କୃତି। ଏବେ ସୁଦ୍ଧା 1566 ଖଣ୍ଡ ବହି ପ୍ରକାଶିତ ହୋଇ ସାରିଲାଣି। ଆହୁରି ଅନେକ କୃତି ପ୍ରକାଶନୀ ଅପେକ୍ଷାରେ। ଧର୍ମ, ଦର୍ଶନ, ପୁରାଣ, ପ୍ରକୃତି, ଶିଶୁ ସାହିତ୍ୟ, ନୀତି ଓ ହେତୁ ଉପଦେଶ, ଜୀବନୀ, ସାମାଜିକ ସଂସ୍କାର ପାଖରୁ ଆରମ୍ଭ କରି ପ୍ରାୟତଃ  ସାହିତ୍ୟର ସବୁ ବିଭାବ ଓ ବିଭାଗରେ ଅଶୀ ଚାଳନା କରି ସେ ଏକ ବିରଳ କୃତିତ୍ଵରେ ମହିମା ମଣ୍ଡିତ।ଏହି ଅନନ୍ୟ ପ୍ରତିଭାଧର ବ୍ୟକ୍ତିତ୍ୱ ନିକଟରେ ଆଧ୍ୟାତ୍ମିକତା, ତ୍ୟାଗ, ବିଦ୍ ବତ୍ତା ଓ ସେବା ମନୋବୃତ୍ତିର ଅପୂର୍ବ ସମନ୍ଵୟ ଘଟିଛି। ସେ ଏକାଧାରରେ ଜଣେ ସଂସ୍କୃତିପ୍ରାଣ, ଗବେଷକ, କବି, ଗାଳ୍ପିକ, ଲେଖକ, ନାଟ୍ୟକାର, ପ୍ରାବନ୍ଧିକ, ପ୍ରବକ୍ତା, ସମ୍ବାଦିକ, ଏବଂ ଯୋଗ ତଥା ଜ୍ୟୋତିଷ ବିଶାରଦ।ସାହିତ୍ୟର ବହୁବିଧ ଦିଗକୁ ପୁଷ୍କଳ କରିଛି ଆଜି ତାଙ୍କର କୃତି ରାଜି।

ହେଲେ ମନରେ ପ୍ରଶ୍ନ ଉଠେ ଏହା କି ସମ୍ଭବ?

Related posts

ମୁଁ କାହାକୁ କୃତଜ୍ଞ

satya

ଫୁଙ୍ଗୁଳା ଦେହ ସେଁକା ଛାତି

satya

ସାବିତ୍ରୀର ପ୍ରତିଶୋଧ

satya

1 comment

ପଣ୍ଡିତ ଦୈତ୍ୟାରି ମହାପାତ୍ର 20th May 2019 at 4:03 pm

ମୋ ଆ ଜୀବନୀ ପଢ଼ି ମୋତେ ବହୁ ଖୁସୀ ଲାଗିଲା ଲେଖକ ସତ୍ୟ ବାବୁଙ୍କୁ ଭଗବାନ ମଙ୍ଗଳ କରନ୍ତୁ। ଓଁ ନମଃ ଶିବାୟ।

Reply

Leave a Comment

Login

X

Register