ମୁଁ ଆଉ କହିବି କ’ଣ
କବି, ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ,ବ୍ୟାକରଣିକ, ଜୀବନୀ ଚରିତକାର ଶ୍ରୀ ସତ୍ୟ ପ୍ରକାଶ ସେଠୀ ନିଜ ଅନବାଦ୍ଯ ସ୍ରୁଷ୍ଟି ବଳରେ ପାଠକୀୟ ଆଦୃତି ଲାଭ କରିବା ସହ ଓଡିଆ ସାହିତ୍ୟ ଜଗତରେ ବେଶ୍ ପରିଚିତ ହୋଇପାରିଛନ୍ତି । ତାଙ୍କ ଲେଖନୀର ଚମତ୍କାରିତା ଅତୀବ ଜୀବନ୍ତ ଓ ହୃଦୟସ୍ପର୍ଶୀ। ଜନ୍ମର କୁଆଁ କୁଆଁ ବ୍ରହ୍ମନାଦରୁ ମୃତ୍ୟୁର ନୀରବତା ପର୍ଯ୍ୟନ୍ତ, ପୁଣି କରାଳ ମୃତ୍ୟୁରୁ ସଦାଚାର ଯାଏ କବିଙ୍କର ରହିଛି ଆର୍ଶୀବାଦର ଦରଦ ହସ୍ତ। ସେ ଜୀବନର ସତ୍ୟ ଓ ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରିବା ପାଇଁ ଉତ୍କଣ୍ଠିତ ହୋଇ ପଡ଼ିଛନ୍ତି। ତେଣୁ ତାଙ୍କର ପ୍ରତିଟି କବିତା ପ୍ରାଣର ଉଚ୍ଛ୍ଵାସ, ଆଉ ନୂଆ ନୂଆ ଭଳି ଲାଗେ ଓ ଏକାନ୍ତ ପରି ମନେହୁଏ। କବିଙ୍କର କାବ୍ୟିକ ଅନୁଶୀଳନର କ୍ଷେତ୍ର କେବଳ ଏହି ପୁସ୍ତକ ନୁହେଁ। ଅନେକ ପୁସ୍ତକର ରଚୟିତା ତଥା ବହୁ ପ୍ରତିଭାର ଅଧିକାରୀ ସତ୍ୟବାବୁ ଏକାଧାରରେ ଜଣେ ବକ୍ତା, ସଂଗଠକ, ମେଳାପି ଓ ସର୍ବୋପରି ମିଷ୍ଟଭାଷୀ ବ୍ୟକ୍ତିତ୍ଵ। ଏହି ଅଭିଜ୍ଞତାମୟଙ୍କ ମସ୍ତିଷ୍କ ଜଣେ ଅଧିକାରୀର ଓ ହୃଦୟ ଜଣେ କବିର। ଅପରିପକ୍ଵ ବୟସରେ କାବ୍ୟିକ ପରିପକ୍ୱତାର ଯଥେଷ୍ଟ ଆଭାସ ମିଳେ, କାରଣ ତାଙ୍କ କବିତା ତ ସବୁବେଳେ ନିଜ କଥା କହିବାକୁ ସମର୍ଥ, ଯାହା ପ୍ରାଣରେ ପୁଲକ ସ୍ରୁଷ୍ଟି କରେ।
ସାମ୍ପ୍ରତିକ ସମୟରେ ତାଙ୍କ ଲେଖନୀ ବେଶ୍ ଚଳଚଞ୍ଚଳ ହେବା ସହ ପାଠକୀୟ ରୁଚି ବୃଦ୍ଧି କରିବାରେ ସମର୍ଥ ହୋଇପାରିଛି। ମାଟି ସହ ଆକାଶର ନିବିଡତା ପରି କବିତା ସହ ତାଙ୍କ ଆତ୍ମୀୟତା ସୁଦୂରପ୍ରସାରୀ। କବି ସତ୍ୟବାବୁଙ୍କର ଦୈନନ୍ଦିନ ଜୀବନରେ ଭେଟ ହେଉଥିବା ଅତି ନଗଣ୍ୟ କଥାକୁ ନେଇ ଲେଖୁଥିବା କବିତାଗୁଡିକୁ ପଢ଼ିଲେ ଅନେକ ବଳିଷ୍ଠ ସତ୍ୟର ସାମ୍ନା କରିବାକୁ ପଡ଼ିଥାଏ। ଅଳ୍ପ କଥାରେ ହୃଦୟର ଆବେଗକୁ ଅନ୍ୟ ପାଖରେ ପହଞ୍ଚାଇବାକୁ ସେ ସମ୍ପୂର୍ଣ୍ଣ କ୍ଷମ।୭୫ ଟି ସୁ- ମଞ୍ଜୁଳ କବିତାର ସମାହାରରେ ପ୍ରକାଶୋନ୍ମୁଖୀ ପୁସ୍ତକ “ମନପାରା” ଜୀବନକୁ ଖୋଜୁଛି ଭୂମିରୁ ଭୁମାଯାଏ। ଏହି ମାଟିରେ ପ୍ରତିବିମ୍ବିତ ଜୀବନର ଅସୁମାରି ଗାଥା କବିପ୍ରାଣକୁ ଆନ୍ଦୋଳିତ କରିବ ହିଁ କରିବ।
ଯୁବକବି ସତ୍ୟ ବାବୁଙ୍କର ଉନ୍ମେଷ, ଶାଳିନୀପ୍ରଜ୍ଞା ବା ପ୍ରତିଭାରେ ପ୍ରତ୍ୟେକ କବିତା ଅତୀବ ସରଳ ନହେଲେ ମଧ୍ୟ ବୋଧଗମ୍ୟ, ସଂସ୍କାରଧର୍ମୀ, ଗଣଧର୍ମୀ ତଥା ଉନ୍ନତ ଚିନ୍ତାଧାରାର ଦ୍ୟୋତକ। ସେ ସାମ୍ପ୍ରତିକ କବିତାର ଗଡ଼୍ଡାଳିକା ଭିତରେ ନାହାଁନ୍ତି, ସେ ଏକ ସମ୍ପୂର୍ଣ୍ଣ ନୂତନ ଭାବ ଓ ଅଭିବ୍ୟକ୍ତି ଭିତରେ ଆତ୍ମପ୍ରକାଶ କରିଛନ୍ତି। କବିତାର ଶୈଳୀ ଓ ଆବେଗମୟତା ପାଠକଙ୍କ ମନରେ ଆନନ୍ଦ ସ୍ରୁଷ୍ଟି କରିିବା ସହ ପାଠକୀୟ ଅନୁଭବ ଆଣିପାରିବେ ବୋଲି ମୋର ଦୃଢ ବିଶ୍ବାସ।
କବିଙ୍କର ମର୍ମ ଭାବଟି ହେଲା, କବି ଭାଷା ଗୌରବ ଓ ଭାବ ଲାଳିତ୍ୟରେ ପରିପୂର୍ଣ୍ଣ ନିଜର ଅନୁଭୂତି ଓ ଅଭିଜ୍ଞତାକୁ କାବ୍ଯ ରୂପ ଦେଇ ସାମାଜିକ ପରିବର୍ତ୍ତନ କରିବାର ପ୍ରୟାସ କରିଛନ୍ତି। ଭାବ ଓ ଶବ୍ଦର ଅନୁଭବ କବିତାଗୁଡ଼ିକୁ ସୁଖପାଠ୍ୟ କରିବା ସହ ସାର୍ବଜନୀନ ମଧ୍ଯ କରିପାରିଛି। ଅମୃତମୟ ଅନନ୍ୟ ଅନୁଭୂତିକୁ ଶବ୍ଦରେ ବର୍ଣ୍ଣନା କରିବାରେ ସେ ପାରଙ୍ଗମ। ନିଜ କବିତାରେ ପାଠକଙ୍କୁ ଆକର୍ଷିତ କରିବାରେ ଆପ୍ରାଣ ଉଦ୍ୟମ କରିଛନ୍ତି କବି। ସାମାଜ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରଥମରୁ ହିଁ ସ୍ପଷ୍ଟ ବାରି ହୋଇପଡ଼ୁଛି, ଯାହା ସାମ୍ପ୍ରତିକ ଓ ସାମାଜିକ ଚର୍ଯ୍ୟାରେ ଅବହେଳିତମାନଙ୍କର ନିର୍ଯ୍ୟାତିତ ଚିତ୍ର ଏବଂ ଆଉ କିଛି ଜୀବନଦର୍ଶନ ଆବେଦନର ଫୁଲ ଫୁଟେଇ ପାରିଛନ୍ତି କବିତାରେ।, ଯାହା ଆନ୍ଦୋଳିତ କରୁଛି ଅନ୍ୟର ହୃଦୟ, ଆଉ ବ୍ୟଥା ଓ ବିରହ ସ୍ରୁଷ୍ଟି କରୁଛି ଅନ୍ୟ ଏକ ହୃଦୟରେ। ଏଇଠି ମାନିବାକୁ ହେବ ସତ୍ୟଙ୍କ ବିଜୟ ଆଉ ସତ୍ୟଙ୍କ ସଫଳତା। ଅନେକ ମହତ୍ କାର୍ଯ୍ୟରେ ଥାଇ ମଧ୍ୟ ସୃଜନଶୀଳତା ଜାରି ରଖିବାର ଏତାଦୃଶ୍ୟ ପ୍ରୟାସ ତାଙ୍କ ଜୀବନ ଦୃଷ୍ଟିର ପରିଚୟ। କ୍ଷୁଦ୍ର ପରିସର ମଧ୍ୟରେ ସେ ବିଶାଳତାର ସନ୍ଧାନ ପାଇଛନ୍ତି। ମଣିଷର ବ୍ୟକ୍ତିନିଷ୍ଠ ଭାବନା ଓ ସାମାଜିକ ଅନୁଭବକୁ ରସାଣିତ କରିବାର ଉପାୟ ଜାଣିଥାଏ କବିର ପ୍ରୟୋଗଧର୍ମୀ କାବ୍ଯ ଚେତନା। ତେଣୁ ସାଧାରଣ ମଣିଷର ଦୁଃଖ ଓ କୋହର ଅତି ସୁକ୍ଷ୍ମ ଇସ୍ତାହାର ବୁଝିବାକୁ ବେଶ୍ କ୍ଷମ ହୋଇଥାଏ ଓ ଚେତନାର ଗହନରେ ନିହିତ ଥାଏ ତା’ର ପ୍ରକୃତ ପରିଚୟ।
ଦାର୍ଶନିକ ତତ୍ତ୍ଵ ଓ ଆଦିଭୌତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ବହୁ କ୍ଷୁଦ୍ର କବିତାକୁ ଲେଖନୀରେ ରୂପାୟିତ କରି ସାଇତି ରଖିଛନ୍ତି କବି। ସରକାରୀ ଅଧିକାରୀ ଭାବେ ସମାଜର ଜ୍ୱଳନ୍ତ ସମସ୍ୟାଗୁଡ଼ିକୁ ସେ ବ୍ୟାପକ ଓ ଗଭୀର ଭାବେ ଅନୁଶୀଳନ କରୁଛନ୍ତି, କିନ୍ତୁ ଏହି ଅଧିକାରୀ ଜଣେ ଯେ ଏତେ ସହୃଦୟ ଓ ସମ୍ବେଦନଶୀଳ କବି ହୋଇଛନ୍ତି ଏବଂ ଶତାଧିକ ହୃଦୟସ୍ପର୍ଶୀ କବିତା ଲେଖି ପାରିଛନ୍ତି, ଏହି କାବ୍ୟ ସଂକଳନଟିକୁ ଶ୍ରଦ୍ଧାର ସହ ପାଠ କଲେ ବିଶ୍ବାସ କରିହେବ। ଏହାର ପ୍ରତ୍ୟେକ କବିତା ନୂତନ ଭାଷା ଶୈଳୀ ଭିତରେ ଏକ ନୂତନ ଅନୁଭୂତି ନିଗୂଢ ହୋଇ ରହିଛି। ନିଚ୍ଛକ ସତ୍ୟ ଯେ ଅସତ୍ୟ ନିଆଁରେ ଜଳିଯିବା ପରିବର୍ତ୍ତେ ଅସତ୍ୟର କର୍ତ୍ତାକୁ ହିଁ ସେଥିରେ ଜାଳି ଦିଏ।, ଏହା ପ୍ରମାଣିତ କରିଛନ୍ତି କବି। ନିରଳସ, ନିରପେକ୍ଷ, ନିର୍ମଳ ସାରସ୍ଵତ କାର୍ଯ୍ୟରେ ସେ ବିଶ୍ଵାସୀ। କବିଙ୍କର ଦେଶପ୍ରେମ ତଥା ଆଧ୍ୟାତ୍ମିକ ଚେତନା ମଧ୍ୟ ଉଲ୍ଲେଖଯୋଗ୍ୟ। ଉନ୍ନତ ଭାବଗର୍ଭକ, ଜୀବନଧର୍ମୀ, ପ୍ରୀତିପ୍ରଦ, ଭାଷାଭୂଷିତ ଭାବେ ପ୍ରତ୍ୟେକ କବିତା ଶିକ୍ଷଣୀୟ। ଅନେକ କବିତାରେ ଆମେ ଜୀବନର ଜୟଗାନ ଓ ଜନ୍ତ୍ରଣାଶିକ୍ତ (ହଁ-ନା ର ପ୍ରଶ୍ନ ) ବହୁ ପ୍ରସ୍ତବିଶିଷ୍ଟ ରୂପ ଖୋଜିପାଉ। ନିଜେ ଜଳି ଅନ୍ୟକୁ ଆଲୋକିତ କରିବା ଦହଗଞ୍ଜରେ ରହି ସୁଖ ବାଣ୍ଟିବାରେ ନିଆରାପଣ କିଛି କବିତାରେ ଉପଲବ୍ଧ, ଆଉ ବଞ୍ଚିବାର ଅମୃତମୟ ସଙ୍ଗୀତ ମଧ୍ଯ।
ଆଦୃତ ଅନାଦୃତ କଥା କିଛି ନାହିଁ, ସ୍ରୁଷ୍ଟିଶୀଳ ଚେତନାକୁ କବି ବଞ୍ଚାଇ ରଖିଛନ୍ତି ନିଶ୍ଚୟ। ବହୁମୂଖୀ ପ୍ରତିଭାର ଅଧିକାରୀ କବିଙ୍କ ଲେଖନୀ ଅତୁଟ ରହି ଅଭିବୃଦ୍ଧି ହେଉ । ସଂକଳନଟି ଓଡ଼ିଆ କବିତା ଜଗତକୁ ସ୍ଵାଗତଯୋଗ୍ୟ ପଦକ୍ଷେପ। କବିସତ୍ତାର ବିକାଶ କେମିତି ଘଟୁଛି, ତାହା ରସମୋଦୀ ତଥା ସାରସ୍ଵତ ସହଯୋଗୀ ପାଠକମାନେ ଅନୁଭବ କରନ୍ତୁ। ଜୀବନଠାରୁ ଜଡ ଯାଏ ସମସ୍ତଙ୍କର ଆଶା ମଧ୍ୟରେ ପ୍ରତ୍ୟାଶା ପ୍ରଚ୍ଛନ୍ନ ଭାବରେ ରହିଥାଏ। ଖୁବ୍ ଆଶା ଓ ବିଶ୍ବାସ ନେଇ ଆମେ ଏକାସାଙ୍ଗରେ ପାଇଛୁ ଜଣେ ଦ୍ରଷ୍ଟାର ବିସ୍ତୃତ ଦିଗବଳୟ, ଜଣେ ଭାବୁକର ଗଭୀର ଜୀବନଦର୍ଶନ ଓ ଜଣେ କବିର ବିଶେଷ ଆବେଗ ଓ ସମ୍ବେଦନ। ସାଧନା ବଳବତ୍ତର ରହିଲେ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ନହୋଇ ପାରିଲେ ବି, ମାତୃଭାଷା ଓ ମାତୃଭୂମିର ସେବା ନିମନ୍ତେ ଅନ୍ତତଃ ନିଜେ ଆତ୍ମ ସନ୍ତୋଷ ଲାଭ କରି ପାରିବ।
କବିତା ରଚନା ପାଇଁ ଆଶୁକବି ଶ୍ରୀ ସେଠୀ ଯେତିକି ସମୟ, ସାମର୍ଥ୍ୟ, ଶ୍ରଦ୍ଧା ଓ ଏକାଗ୍ରତା ରଖି ପାରିଛନ୍ତି, ସେ ନିଶ୍ଚୟ ଆମ୍ଭମାନଙ୍କର ସାହସ ଓ ବିଶ୍ଵାସକୁ ଶତଗୁଣିତ କରୁଛନ୍ତି। କେଉଁ ଧାଡ଼ିର ସୁକ୍ଷ୍ମ ଅନୁଭବଟିଏ ପାଠକ ତନ୍ତ୍ରୀରେ ବେପଥୁ ସ୍ରୁଷ୍ଟି କରିବାରେ କ୍ଷମ ହେଲେ କବିଙ୍କ ଶ୍ରମ ସାର୍ଥକ ହେବ, ଏହା ଆପଣମାନେ ମୋତେ କହିବେ। ଆପଣଙ୍କର ଉକ୍ତି କଟୁକ୍ତିକୁ ସାଦରେ ସ୍ଵାଗତ।
ଇଂ ଅଭୟ ସୁତାର
ଗୀତିକାର (ସ୍ୱୀକୃତିପ୍ରାପ୍ତ), ଆକାଶବାଣୀ ଓ ଦୂରଦର୍ଶନ (ପ୍ରସାରଭାରତୀ)
ମୋ :୯୪୩୭୩୭୬୯୬୭