Satya Prakash
ଗଳ୍ପ

ମୁଁ କାହାକୁ କୃତଜ୍ଞ

ମୁଁ କାହାକୁ କୃତଜ୍ଞ
——By ସତ୍ୟ ପ୍ରକାଶ ସେଠୀ
ଏହି କୃଷ୍ଣ ସାର୍ ନିଆରା ବ୍ୟକ୍ତିତ୍ୱ, ଭିନ୍ନ୍ ଏକ ମଣିଷ ।ଯାହାଙ୍କ ବାଲ୍ଯ ଜୀବନ ହଜି ଯାଇଥିଲା ପ୍ରଚଣ୍ଡ ଦାରିଦ୍ର୍ୟତା ଭିତରେ। ଧୂଳି ଘର ଓ ବାଲିଘର ସଜାଡି ସିଏ ବି ବେଶ୍ କିଛିଦିନ ଖେଳିଥିଲେ। ମାତ୍ର୍ ମାଆଙ୍କର ଆକଟ ଓ ବାପାଙ୍କର ନିର୍ଦ୍ଦେଶ – “ତୋତେ ପାଠ ପଢି ପାଠୁଆ ବାବୁ ହେବାକୁ ପଡ଼ିବ”। ସେଦିନର ସେ ଭାବୋଦ୍ଦୀପକ ଚେତନାର ବାଣୀ, ଯାହା ଏବେ ବି ତାଙ୍କ ମାନସ ପଟରେ ଉଙ୍କି ମାରେ – “ମୁଁ ଆଉ କେତେ ଦିନ ହଳିଆ ହୋଇ ହଳ କରୁଥିବି? ବାବୁରେ! ପର ଘରର ମୂଲ ଲାଗିବା ଏତେ ସହଜ ନୁହେଁ। ପରର କଡ଼ା କଥା ସହି ନ ପାରିଲେ ମୂଲ ଗଣ୍ଡାକ ବି ପରା ମିଳିବ ନାହିଁ। ତେଣୁ ମୁଁ ଚାହେଁ ତୁ ମଣିଷ ହଅ। ମଣିଷ ପରି ମଣିଷ । ହେଲେ ମନ ଲଗାଇ ଧନ! ପାଠ ପଢ଼, ଆମ ଅଭାବୀ ଘରର ଅଭାବ ନିଶ୍ଚେ ଦିନେ ଦୂର ହେବ” । ବାପାଙ୍କର ଏହି କେଇପଦ କଥା ଯେମିତି ତାଙ୍କ ମନ ଭିତରେ ବସା ବାନ୍ଧି ଯାଇଥିଲା। ସେ ପ୍ରଚଣ୍ଡ ଦୁଃଖ ଓ ଦଇନୀ ଭିତରେ ମଧ୍ୟ ବି. ଏ. ଖଣ୍ଡକ ପାସ୍ କରିଗଲେ। ପୁଣି ଡିବିରି ଆଲୁଅ ଓ ମାଗି ଅଣା ଚିରାପଟା ବହି କେଇ ଖଣ୍ଡରେ କ୍ୟାରିୟର ଭରି ଉଠିଥିଲା – ପ୍ରଥମ ଶ୍ରେଣୀରେ। ଏଥର ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି, ଏମ୍. ଏ. ପରୀକ୍ଷା ଆଉ ମାତ୍ର୍ ଗୋଟେ ମାସର ବ୍ୟବଧାନ ପରେ। ମାତ୍ର୍ ସାମନ୍ୟ କୌଣସି ଗୋଟେ କ୍ଷୁଦ୍ର ଘଟଣା ହୁଏତ ବଦଳେଇ ଦେଇପାରିଥିଲା ସମଗ୍ର ଜୀବନର ଗତିପଥ। ତହିଁ ଉତ୍ତାରୁ ଗାଁର ସାଧାରଣ କୃଷ୍ଣ ବୋଲି ପିଲାଟିଏର ପରିଚୟ ହୋଇଗଲା କୃଷ୍ଣ ସାର୍। ଯାହାଙ୍କର ସମ୍ପର୍କ ସେଦିନ ଯୋଡି ହୋଇଯାଇଥିଲା ବିଦ୍ୟାଳୟ ଓ ବିଦ୍ୟାୟତନ ସହ। ନିଷ୍ପାପ ସରଳ ଶିଶୁ ମାନଙ୍କର ସ୍ନେହ ସମ୍ମାନ ବୋଳା ଦୃଷ୍ଟି ଓ ସାଥୀ ସହକର୍ମୀ ମାନଙ୍କର ଆତ୍ମୀୟତା ଭୁଲାଇ ଦେଉଥିଲା ତାଙ୍କ ଜୀବନର ପ୍ରକୃତ ଉଦ୍ଦେଶ୍ୟ ଓ ତାଙ୍କର ସମସ୍ତ ଉଚ୍ଚକିତ ସ୍ଵପ୍ନ।
ସେଦିନ ହଠାତ୍ ଭଗବାନ ସାର୍ ବୋଲି କେହି ଜଣେ ସାର୍ ତାଙ୍କ ଘରଠିଁ ପହଞ୍ଚି କହିଥିଲେ – “ଆମ ସ୍କୁଲରେ ଶିକ୍ଷକଙ୍କର ଘୋର ଅଭାବବୋଧ, ଛାତ୍ରଛାତ୍ରୀ ମାନଙ୍କର ନାହିଁ ନଥିବା ଅସୁବିଧା,ପରୀକ୍ଷାଟା ମୁଣ୍ଡ ଉପରେ, ଏ ବର୍ଷ ନୂଆ କରି ଗଢି ଉଠିଥିବା ଆମ ତରାଗୋ ଉଚ୍ଚ ବିଦ୍ୟାଳୟର ପ୍ରଥମ ବର୍ଷ ମ୍ଯାଟ୍ରିକ୍ ବ୍ୟାଚ୍ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରେଜଲ୍ଟ ଭଲ ନହେଲେ ପିଲାଙ୍କର ଭବିଷ୍ୟତ ନଷ୍ଟ ହେବ ତ ହେବ, ଆମମାନଙ୍କର ମଧ୍ୟ କର୍ମ ସଂସ୍ଥାନ ଚାଲିଯିବ। ରେଜଲ୍ଟ ଭଲ ନହେଲେ ସ୍କୁଲ ଭାଙ୍ଗିଯିବ”। ଏଭଳି ଭାବାବେଶରେ ଆବିଷ୍ଠ ହୋଇ ସେ ଶେଷରେ ପ୍ରସ୍ତାବରେ ହଁ ଭରିଥିଲେ ସିନା, ହେଲେ ଘର ଠାରୁ ସ୍କୁଲ ଯାଏଁ ଦୀର୍ଘ ଆଠ କିଲୋ ମିଟର ରାସ୍ତା ପାଣି କାଦୁଅରେ ଚବର ଚବର ହୋଇ କେମିତି ଯିବେ ବୋଲି ଶଙ୍କାରେ ପଡିଗଲେ। ଦିନେ ଦୁଇ ଦିନ ଆସିଲା ପରେ ଡରିଗଲେ। କହିଲେ – “ମୁଁ ଏଭଳି ପ୍ରତିକୂଳ ପରିସ୍ତିତିରେ ସ୍କୁଲରେ ଯୋଗଦାନ ଦେଇ ପାରିବି ନାହିଁ। ରାସ୍ତାଘାଟ ନାହିଁ, ସାପ ବେଙ୍ଗ ଉପରେ ପାଦ ପଡିଯାଉଛି” । ସତ କଥା, ଯିବା ପାଇଁ ନଦୀର ପ୍ରତିବନ୍ଧକ ଓ ବହୁବିଦ୍ଧ ଅସୁବିଧା। ଦୁଇ ଖଣ୍ଡ ବାଉଁଶରେ ନଦୀ ପାରି ହେବାର ଦୁର୍ଦ୍ଦମନୀୟ ସ୍ଥିତି, ପୁଣି କରକଟି ଚଦର ବିଛା ରେଲୱେ ପୋହ୍ଲ ଅତିକ୍ରମ କରିବାର ଭୟ- ମନକୁ ଆଚ୍ଛାଦିତ କରୁଥିଲା। ସତକୁ ସତ, ସେଦିନ ପରା ଚାଲି ଯାଉଥିଲା ବେଳେ ଗୋଟେ ଅଢେଇ କିଆରୀଆ ତମ୍ପ ହଠାତ୍ ଦେଖିଲା ବେଳକୁ ଦୁଇ ଗୋଡ଼ ମଝିରେ ପଶି ପା’ର। ବାସ୍ତବରେ କେଡ଼େ ଭୟଙ୍କର ସ୍ଥିତି। କେବଳ ଭଗବାନ ଥିଲେ ବୋଲି ମଣିଷ ସିନା ବଞ୍ଚିଗଲା, ନହେଲେ କ’ ଣ ହୋଇଥାନ୍ତା କହୁ ନାହାଁନ୍ତି? ଏ କ’ ଣ ଆଉ କିଛି ହୋଇଛି, badayବିଷଧର ସାପ ପରା ?
ଭଗବାନ ସାର୍ ପୁନରାୟ ପହଞ୍ଚି କହିଲେ-” ଆପଣ ଯିବେନି – ସବୁ ଠିକ୍, ହେଲେ ଆମକୁ ଦେଇଥିବା ପ୍ରତିଶ୍ରୁତି, ପୁଣି ପିଲାମାନଙ୍କର ଭବିଷ୍ୟତ” ? ଦେଇଥିବା ପ୍ରତିଶ୍ରୁତିର ତାଡନା ଓ ପିଲାମାନଙ୍କର ଭବିଷ୍ୟତର ଚିନ୍ତା ସବୁ ବିଗାଡି ରଖିଦେଇଥିଲା। ତୁଟି ଗଲା ସଙ୍କଳ୍ପ। ଏବେ ସେ ଶ୍ରେଣୀ ଶିକ୍ଷକ, ନିୟମିତ ସ୍କୁଲର ଜଣେ କର୍ମଚାରୀ। ଅବଶ୍ୟ ପୂର୍ବରୁ ମନରେ ଅଭିଳାଷା ଥିଲା – ଅଧ୍ୟାପନା ବା ବ୍ୟାଙ୍କିଙ୍ଗ ଚାକିରୀ। ତେଣୁ ସେ କଥା ମନେପଡିଲେ, ବେଳେବେଳେ ଏ ଚାକିରୀ ପ୍ରତି ମୋହ ତୁଟି ଯାଏ, ଉଚ୍ଚକିତ ସ୍ଵପ୍ନରେ ମନ ପୁଣି ମସଗୁଲ ହୋଇଯାଏ। ମାତ୍ର୍ ରୋକି ଦିଅନ୍ତି ସାଥୀ ସହକର୍ମୀ। ସେ ଦଣ୍ଡେ ଅଟକି ଯାଇ ଭାବନ୍ତି – “କାହିଁକି ସେ ଛାଡି ଯାଇ ପାରୁନାହାଁନ୍ତି? ଏହା କ’ଣ ମୋହମାୟା? ସେ ଯେବେ ତ ଛାଡ଼ି ଚାଲି ଯିବାକୁ ଚାହୁଁଛନ୍ତି, ତାଙ୍କୁ ଯେମିତି କିଏ ପ୍ରତିରୋଧ କରୁଛି? ତେବେ କ’ଣ ସେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଆନ୍ତି, ନା ସାଥୀ ସହକର୍ମୀଙ୍କୁ? ନା ଭଲ ପାଆନ୍ତି ଏ ବିଦ୍ୟାଳୟ ଓ ବିଦ୍ୟା ଆୟତନକୁ, ନା ଭଲ ପାଆନ୍ତି ତରାଗୋ ଗ୍ରାମବାସୀଙ୍କୁ ଯାହାଙ୍କର ପ୍ରାଣ କେନ୍ଦ୍ର ବୁଢୀ ଜାଗୁଳାଇ, ମଧୁ ଗଣେଶ ଓ ଶ୍ରୀ ରଘୁନାଥ ଜୀ ମଠ, ନା ଭଲ ପାଆନ୍ତି ଏହାର ପରିଚାଳନା ପରିଷଦର ସଭ୍ଯ /ସଭ୍ୟମାନଙ୍କର ଭଲ ପାଇବାକୁ? କାରଣଟା ଯାହା ହେଉନା କାହିଁକି ଏ ଶିକ୍ଷକତା ଜୀବନର ସବୁଠାରୁ ଆକର୍ଷଣ ହେଲେ ପରା ଛାତ୍ରଛାତ୍ରୀ, ଯାହାଙ୍କୁ ମଣିଷ କରି ଗଢି ତୋଳିବାର ସଂକଳ୍ପ ନିକଟରେ ସବୁ କିଛି ପରାହତ ହୋଇଯାଏ। କାହିଁକି ସେଦିନର ଏମିତି ସିଦ୍ଧାନ୍ତ ଥିଲା କେଜାଣି, ଆଜି ଖାଲି ସ୍କୁଲ, ଛାତ୍ରଛାତ୍ରୀ ଓ ସେମାନଙ୍କ ଭବିଷ୍ୟବୋଧର ଚିନ୍ତା ହିଁ କେବଳ ମନକୁ ଆନ୍ଦୋଳିତ କରିଥାଏ। ତା’ ଆଗରେ ଅନ୍ୟ ସବୁ କ’ଣ ସତରେ ଗୌଣ ଓ ନଗନ୍ୟ ଭାବନା? ଆଜି କେତେଦୂର ସଫଳ ଶିକ୍ଷକ ମୁଁ ହୋଇ ପାରିଛି କହି ପାରିବି ନାହିଁ, କିନ୍ତୁ ସ୍ତମ୍ବୀଭୂତ ହେଉଛି ଦେଖି ସମସ୍ତଙ୍କର ଭଲ ପାଇବାକୁ ଓ ଦେଖି ଆଜିର ଏ ଉଚ୍ଛ୍ୱସିତ ସମ୍ବର୍ଦ୍ଧନାକୁ।
ଏହି ଭଳି କିଛି ଭାବନାତ୍ମକ ବିଚାରଧାରାର ପରିପ୍ରକାଶ ସେଦିନ ଘଟୁଥିଲା, ଯେଉଁଦିନ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସେ ରଖୁଥିଲେ ତାଙ୍କର ଅଭିବ୍ୟକ୍ତି।
ବାସ୍ତବରେ ସେତେବେଳେ ବିନା ବେତନରେ ଓ ଅଭାବବୋଧ ଭିତରେ ଶିକ୍ଷକତା ଜୀବନକୁ ସୂଚାରୁ ରୂପେ ପରିଚାଳନା କରିବା ଏତେ ସହଜ ନଥିଲା। ପାରିଶ୍ରମିକ ବୋଲି କେଇଟା ମାତ୍ର୍ ପଇସା, ଶହେ ଦୁଇ ଶହ ଟଙ୍କାରେ ମାମଲତି ଶେଷ। କେବଳ ପରିଚାଳନା ପରିଷଦର ମିଠା ବୋଳା କଥା ଓ ସହକର୍ମୀଙ୍କର ଯାହା କିଛି ପ୍ରେରଣା ହିଁ ସମ୍ବଳ। ତଥାପି ଶିକ୍ଷା ଦାନ ଯାହାର ନିଶା, ତାଙ୍କୁ କ’ଣ ଏ ସବୁ ସେଥିରୁ କ୍ଷାନ୍ତ କରି ପାରିଥାନ୍ତା? ବଡ଼ ଅଜବ ଏ ଛାତ୍ରଛାତ୍ରୀମାନେ। ଥରେ ଏମାନଙ୍କ ସହ ସମ୍ପର୍କ ଯୋଡି ହୋଇଗଲେ, ମଣିଷ ଭୁଲି ଯାଏ ଭୋକଶୋଷ। ସତେକି ସେମାନେ ଆଉ କାହାର ପିଲା ନୂହେଁ, ନିଜର ପିଲା ।ସେମାନଙ୍କର ଭବିଷ୍ୟ ଗଢ଼ିବା ଭିତରେ ସତେ ଯେମିତି କୃଷ୍ଣ ସାର୍ ଦେଖୁଥିଲେ, ନିଜ ଅଭିଳଷିତ ସ୍ଵପ୍ନ ସବୁ ସାକାର ହେବାର। ତେଣୁ ସେ ଅଧିକ ଉତ୍ସାହିତ ହୋଇ ପାଠ ପଢ଼ାଉଥିଲେ। କର୍ତ୍ତବ୍ୟନିଷ୍ଠା ଓ ସମୟାନୁବର୍ତ୍ତିତା ତାଙ୍କର ଶ୍ରେଷ୍ଠ ସମ୍ପଦ। ସେ କହୁଥିଲେ – “Tomorrow I will live the fool does say, today itself is too late. The wise lived , yesterday. (ଅର୍ଥାତ୍ ଏହାର ଭାବାର୍ଥକୁ ଯଦି ବିଚାର କରାଯାଏ, ତେବେ ଆଜିର କାମ ସାରିବା ଅବି, ଅବିର କାମ ସରିଥିବା ଆଗୁ, ଆସନ୍ତା କାଲି ତ ସଦା ଆସନ୍ତା କାଲିରେ! ଯାହା ଆସେ ନି ସେ କେବେ ଆଜି ହୋଇ, ରହିଯାଏ ସଦା ଭବିଷ୍ୟତ ହୋଇ) “। ତାଙ୍କର ଇଛା ଶ୍ରେଣୀର ସବୁତକ ପିଲା ସଫଳତାର ସହ କୃତକାର୍ଯ୍ୟ ହୋଇ ଯାଆନ୍ତେ କି?
ଜଣେ ଶିକ୍ଷକ ଜୀବନର କ’ଣ କମତି କଷ୍ଟ?ହୁଏତ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟ କଥା ଅଲଗା ହୋଇପାରେ, ଯେଉଁଠି ଉଚ୍ଚ ବେତନ ସାଙ୍ଗକୁ ଅଛି ନାନା ପ୍ରକାରର ସୁବିଧା ସୁଯୋଗ। ଆଜି ଶିକ୍ଷା ବ୍ୟବସ୍ଥା ପ୍ରାୟତଃ ଭୁଶୁଡ଼ି ପଡ଼ିଛି ଆଉ ଶିକ୍ଷକ ମନଙ୍କର ଅବସ୍ଥା ମଧ୍ୟ ତଦ୍ରୁପ। ଏଠି ଏଡଡ, ନନ୍ ଆଡେଡ ବ୍ଲକ ଗ୍ରାଣ୍ଡ୍, କଣ୍ଟ୍ରାକ୍ଟଚୁଆଲ୍ ଗେଷ୍ଟ ଟିଚର ଆଦି ବହୁଧା ଓ ନାନା ଭାବେ ବିଭକ୍ତ- ବହୁ କ୍ୟାଟେଗୋରୀ। କେଉଁଠି ଶିକ୍ଷକଙ୍କ ପାଇଁ 1500 ଟଙ୍କା ତ କେଉଁଠି ମାତ୍ର 6000 ଟଙ୍କା ପୁଣି କେଉଁଠି ମୋଟେ ନାହିଁ, ବିଗ୍ ଜିରୋ। ମାତ୍ର୍ ୱର୍କ ଲୋଡ୍? ଶିକ୍ଷକତା ସହିତ ବିଭିନ୍ନ ପ୍ରକାରର ଜନହିତକର ଓ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା। କେମିତି ଆମେ ଭୁଲି ଯାଉଛନ୍ତି ଶିକ୍ଷା ହିଁ ସମ୍ପଦ, ଶିକ୍ଷା ବ୍ୟତିରେକେ ଦେଶ ଓ ଜାତିର ପ୍ରଗତି ଯେ ଅସମ୍ଭବ ବୋଲି। ପୁନଶ୍ଚ ଛୋଟ ଛୋଟ ପିଲାମାନଙ୍କର ଭବିଷ୍ୟତକୁ ନେଇ ଯେଉଁଠି ପ୍ରଶ୍ନ, ସେ କଥାକୁ ଆମେ ଏଡ଼େ ସହଜରେ ଏଡେଇ ଗଲେ କି ଆଉ ଚଳିବ? ବାସ୍ତବରେ ଏବେ ପ୍ରକୃଷ୍ଠ ସମୟ ଆସିଛି ଯେତେବେଳେ କି, ଏ ସମ୍ପର୍କରେ ଅଧିକ ବିଚାରବିମର୍ଶ, ଆଲୋଚନା ପର୍ଯ୍ୟାଲୋଚନା, ସମାଲୋଚନା ସମୀକ୍ଷା, ତର୍ଜମା ଓ ତର୍କଣା କରି ଏକ ନିଷ୍କର୍ଷରେ ପହଁଞ୍ଚିବା ଉଚିତ୍। ନହେଲେ କେବଳ ଭୋଟ ସର୍ବସ୍ଵ ରାଜନୀତି ଭିତରେ ଏହା କେବଳ ପ୍ରଚାର ସର୍ବସ୍ଵ ଏକ ସ୍ଲୋଗାନ୍ ହୋଇ ରହିଯିବ, ମାତ୍ର୍ ନା ନିରକ୍ଷରତା ଦୂର ହୋଇ ପାରିବ ନା ଦେଶର ବୌଦ୍ଧିକ ବିକାଶ ଘଟି ଦେଶର ଭବିଷ୍ୟତ ଶିଶୁ ପ୍ରତିଭାର ବିକାଶ ଓ କଲ୍ୟାଣ ସାଧିତ ହୋଇ ପାରିବ। ତେଣୁ ଏଥିପାଇଁ ଜନ ଆନ୍ଦୋଳନ, ଜନ ସଚେତନତା ବା ରାଜନୈତିକ ଇଚ୍ଛାଶକ୍ତିର ଯଥୋଚିତ ପ୍ରୟୋଗ ଏକାନ୍ତ ଅପରିହାର୍ଯ୍ୟ ମନେହୁଏ। ଶିକ୍ଷକ ଚୟନ ପ୍ରକ୍ରିୟାକୁ ମଧ୍ଯ ଉତ୍କୃଷ୍ଟ ଓ ଉନ୍ନତି କରଣ କରିବାକୁ ପଡ଼ିବ ଯେପରି ବ୍ରେନସ୍ ଆଫ ଲ୍ୟାଣ୍ଡ ବା ଅଧିକଜ୍ଞାନୀଗଣୀ ଏହି ବ୍ୟବସ୍ଥା ଭିତରକୁ ଆସିବାକୁ ଆକୃଷ୍ଠ ହୁଅନ୍ତି, ତତ୍ ସହିତ ଏହାର salary pattern (ବେତନର ବ୍ୟବସ୍ଥା) ରେ ଉନ୍ନତି ଆଣି talents ମାନଙ୍କୁ ଶିକ୍ଷକତା କରିବା ପାଇଁ ପ୍ରଲୁବ୍ଧ କରାଯିବା ଉଚିତ୍। ଏହି ଭଳି କେତେ କ’ଣ ବୌଦ୍ଧିକ ଓ ବୁଦ୍ଧିଦୀପ୍ତ ବିଚାରଧାରା ଉପରେ ଟିପ୍ପଣୀ ରଖୁଥିଲେ ସେଦିନ କୃଷ୍ଣ ସାର୍।
1982 ମସିହାରୁ 2019 ଦୀର୍ଘ ଛତିଶ ବର୍ଷର ଶିକ୍ଷାଦାନ ଜୀବନ ସମାପନ କରି ସେ ଆଜି ବାହାରିଛନ୍ତି ଘର। ତାଙ୍କର ଘର ବାହୁଡ଼ା ହେବ। ଶିକ୍ଷକତା ଜୀବନ ସରି ସରି ଆସୁଥାଏ। ଏବେ ସେ ନେବେ ଅବସର। ମନରେ ଭରିଥିଲା ଦୁଃଖର ଭାର। ଧରାବନ୍ଧା ଜୀବନରୁ ଅବ୍ୟାହତ ନେବା ପାଇଁ ମନ କାହିଁ ମାନୁ ନଥିଲା। ମାତ୍ର୍ ସମୟ? ସମୟର ନିର୍ଦ୍ଦେଶ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମଧ୍ୟ ସମାନ ଆବେଗ, ହେଲେ ନୂଆ ରକମର ଉତ୍ସାହ ଓ ଉଦ୍ଦୀପନା। ଯେଉଁ ସାର୍ ଦିନେ ଶିକ୍ଷାଦାନ ବୃତ୍ତିକୁ ନିଜର କରି ନେଇ ଅନେକ ଉତ୍ତମ ଛାତ୍ର ସ୍ରୁଷ୍ଟି କରି ପାରିଛନ୍ତି ତାଙ୍କୁ କ’ଣ ଏମିତି ଏଡ଼େ ସହଜରେ ବିଦାୟ ଦେଇ ପାରିବେ? ତେଣୁ ଭକ୍ତି, କୃତଜ୍ଞତା ଓ ଆତ୍ମିୟତାରେ ଭରି ଉଠୁ ଥିଲା ଅନ୍ତରାତ୍ମା । ସାଥୀ ସହକର୍ମୀଙ୍କର ମଧ୍ୟ ସେହି ସମାନ ଭାବ, ସମାନ ଅବସ୍ଥା। ତେଣୁ ଆରମ୍ଭ ହେଲା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା। ବଡ଼ ଯାକଜମକରେ ଓ ଧୁମ୍ ଧାମରେ ପ୍ରସ୍ତୁତି ପର୍ବ ଚାଲିଲା। ଦାୟିତ୍ଵ ନେଲେ ନୂଆ କରି ଗଢି ଉଠିଥିବା ପୁରାତନ ଛାତ୍ର ସଂସଦ, ଯାହାକି ଏହି ଗୁରୁଜୀଙ୍କ ତତ୍ତ୍ୱାବଧାନରେ ସେଦିନ ସିଲଭର୍ ଜୁବିଲି ପାଳନ ଅବସରରେ ଗଢି ଉଠି,ବିଶେଷ ସ୍ମରଣୀୟ କରି ଦେଇଥିଲା, ସେଦିନର ସେ ସ୍ମୃତି ସବୁକୁ। କାରଣ ଆଜି ସେହି ଗୁରୁଜୀଙ୍କ ଆଦର୍ଶ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ଅନେକ କୃତୀ ଛାତ୍ରଛାତ୍ରୀ ଉଚ୍ଚ ପଦପଦବୀରେ ଅବସ୍ଥାପିତ, ଯେଉଁମାନଙ୍କର କି ଆବେଗିକ ଚେତନ ଶକ୍ତି ଓ ଭାବାତ୍ମକ ଭାବସତ୍ତା ଯୋଡି ହୋଇଯାଇଛି କୃଷ୍ଣ ସାରଙ୍କ ଭାବନା ସହିତ।
ତେଣୁ ତାଙ୍କର ନୀତିନିଷ୍ଠ ତ୍ୟାଗପୂତ ମହିମା ମଣ୍ଡିତ ଜୀବନାଦର୍ଶ, ଉତ୍ସର୍ଗୀକୃତ ମନୋଭାବ, ଛାତ୍ର ବତ୍ସଳତା, ପରୋପକାରୀ ସେବା ଗୁଣ, ସହନଶୀଳତା ଓ ଧୈର୍ଯ୍ୟ ଶକ୍ତି ଯୋଗୁଁ ତାଙ୍କୁ ଆଜି କରି ପାରିଛି ସମସ୍ତଙ୍କ ନିକଟରେ ଆଦରଣୀୟ ଓ ସମ୍ମାନାଷ୍ପଦ।
ସେଦିନ ସେହି ବିଦାୟ କାଳୀନ ସମାରୋହରେ ସାର୍ ବେଶ୍ ଭାବପ୍ରବଣ ହୋଇଉଠି ଅତୀତକୁ ରୋମନ୍ଥନ କରୁଥିଲେ। ଦୃଶ୍ୟମାନ ହୋଇଯାଉଥିଲା, ଆଖି ସାମ୍ନାରେ ଦୀର୍ଘ ଛତିଶ ବର୍ଷର ଶିକ୍ଷକତା ଜୀବନର ଘଟଣାବଳୀ। ସାର୍ କହି ଚାଲିଥାନ୍ତି, ଶୁଣୁଥାନ୍ତି ବିମୁଗ୍ଧ ଶ୍ରୋତା । ଏକାନ୍ତ ଭାବ ବିହ୍ଵଳ ଓ ଗୁରୁ ଗମ୍ଭୀର ପରିବେଶ। ସେଇଥିରେ ଥାଏ ଟ୍ୱିଟ଼, ହର୍ଷ, କାନ୍ଦ, ଆବେଗ ଓ ଭାବୁକତାର ଗୁଣ। ସେ କହି ଚାଲିଥିଲେ – ମୁଁ ଜାଣି ପାରୁନାହିଁ, ସତ୍ୟ ଏ ସ୍କୁଲର ତେୟାଶୀ ବ୍ୟାଚ୍ ମ୍ୟାଟ୍ରିକ, ଅଜି ପୁରାତନ ଛାତ୍ର ସଂସଦର ସଭାପତି ଭାବେ ଦାୟିତ୍ଵ ନିର୍ବାହ କରୁଛି, ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଓ ସୁସାହିତ୍ୟିକ। ତା’ ମନରେ କେଉଁଠୁ ଆସିଲା ଏ ପୂଜ୍ଯ ପୂଜାର ଭାବନା, ଯିଏକି ମୋର ମାନସ ସନ୍ତାନ, ମୁଁ କ’ଣ ତାକୁ ଧନ୍ୟବାଦ ଦେବି ନା ଧନ୍ୟବାଦ ଦେବି ରାଜୁ, ପ୍ରତିମା, ଅଚ୍ୟୁତ, କୂଳମଣି, ରିନୁସ୍ମିତା, ଲୁନା, ବବି, ପ୍ରଶାନ୍ତ, ବାବୁ, ଆଶିଷ, ଦେବକାନ୍ତ ପୁରାତନ ଛାତ୍ର ସଂସଦର ସଭ୍ଯସଭ୍ୟା ସମସ୍ତଙ୍କୁ ଯେଉଁମାନେ ଆଗଭର ହୋଇ ଆଜି ଏଡ଼େ ବଡ଼ ଉତ୍ସବର ଆୟୋଜନ କରିଛନ୍ତି? ନା ଧନ୍ୟବାଦ ଦେବି ମଞ୍ଚାସୀନ ଅତିଥି ଓ ସଭାର ସଭାପତି ଜଗନ୍ନାଥ ସାରଙ୍କୁ ଯେଉଁମାନେ ମୋ କର୍ମମୟ ଓ ଶିକ୍ଷକତା ଜୀବନକୁ ନେଇ ଭୂରି ଭୂରି ପ୍ରସଂଶା କରିଛନ୍ତି? ତେବେ ମୁଁ କାହାକୁ କି କଥା କହି ପ୍ରତ୍ୟୁତ୍ତର ରଖିବି, କାହାକୁ କି ଭାଷା କହି କୃତଜ୍ଞତା ଜ୍ଞାପନ କରିବି ବା ଧନ୍ୟବାଦ ଅର୍ପଣ କରିବି? ଦେଖୁଛି ମୋ ଆଖି ସାମ୍ନାରେ ବସିଥିବା ସହକର୍ମୀ କିଶୋର ସାର୍, ଭଗବାନ ସାର୍, ପ୍ରତାପ ସାର୍, ଧନେଶ୍ଵର ସାର୍,ଅଭିମନ୍ୟୁ ସାର୍, ବାବାଜୀ ସାର୍ ଆଦି ଯାହାଙ୍କର ସାହଚର୍ଯ୍ୟ ଓ ବନ୍ଧୁ ପଣିଆକୁ କେବେ ତ ଭୁଲିବାର ନୂହେଁ, ତେବେ କ’ଣ ସେମାନଙ୍କୁ ଧନ୍ୟବାଦ ଦେବି? ଧନ୍ୟବାଦ ଦେବି ମୋର କୁନାକୁନି ପିଲାମାନଙ୍କୁ ଏବର ଅଧ୍ୟୟନରତ ଛାତଛାତ୍ରୀ ମାନଙ୍କୁ ନା ଧନ୍ୟବାଦ ଦେବି ମୋ ସହ ଏଯାଏଁ କାମ କରି ଆସୁଥିବା ଶିକ୍ଷକବନ୍ଧୁ, ଶିକ୍ଷାକର୍ମୀ, ପରିଚାଳନା ପରିଷଦର ସଭ୍ୟ ସଭ୍ୟାମାନଙ୍କୁ ନା ସରକାରଙ୍କର ଶିକ୍ଷା ବ୍ୟବସ୍ଥାକୁ, ବି. ଓ., ଡି. ଓ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀ ଯାଏଁ ସମସ୍ତଙ୍କୁ? ତେବେ ଏହିମାନଙ୍କ ମଧ୍ୟରୁ ଅନେକ ତ ଆଜି ନାହାଁନ୍ତି, ଯେଉଁମାନେ କି ସମୟର ଗର୍ଭରେ କୁଆଡ଼େ ଲୀନ ହୋଇଯାଇଛନ୍ତି, ସେମାନଙ୍କୁ ମୁଁ ତ ଧନ୍ୟବାଦ ଦେଇ ପାରିବି ନାହିଁ, ଦେବି କୃତଜ୍ଞତା ପୁଟେ ଖାଲି ଶ୍ରଦ୍ଧାଞ୍ଜଳି, ସେମାନଙ୍କର ଅମର ଆତ୍ମାର ସଦ୍ଗତି ହେଉ। ଆଉ କିଏ କେତେ ଝାପସା ମନେ ପଡ଼ନ୍ତି ଅବା ବିସ୍ମରି ଗଲେଣି, ତେବେ ମୁଁ କାହାକୁ ଧନ୍ୟବାଦ ଦେବି? ଜୀବନଟା ସାରା ଯିଏ ରୁଣୀ, ଅନ୍ୟର ରୁଣ ଭାରରେ ବୁଡି ରହି କେବଳ ରୁଣ ଶୁଝିବାର ପ୍ରଯତ୍ନ କରୁଥିଲା ସେ ପୁଣି କୃତଜ୍ଞତା ଦେବ, ଦେବ ଯଦି କାହାକୁ ଯେ ଦେବ?
ମୁଁ ତେଣୁ ଯେହେତୁ ନିଜେ ନିଜେହିଁ ସ୍ଥିର କରି ପାରୁ ନାହିଁ, ମୁଁ କାହାକୁ ଧନ୍ୟବାଦ ଦେଇ ପାରୁନାହିଁ। କୃତଜ୍ଞତା ଜ୍ଞାପନ କରିବାକୁ ମଧ୍ୟ ଅକ୍ଷମ। କାରଣ ମୁଁ ଚିର ରୁଣୀ। ମୁଁ କେବଳ ମୋ ରୁଣ ପରିଶୋଧ କରିବାରେ ଆଜି ଯାଏଁ ବ୍ରତୀ। ଯେଉଁଦିନ ମୋ ରୁଣ ଶୁଖିଯିବ , ଦେଇଦେବେ ଟିକିଏ ମୁକ୍ତି। ଏ କଥା କହିଲା ବେଳକୁ ଯେପରି ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥିଲା ଓ ସେହି ଭାବାବେଗରେ ବଶୀଭୂତ ହୋଇ ଲୋତକାପ୍ଲୁତ ହୋଇ ଉଠୁଥିଲେ ଉପସ୍ଥିତ ସକଳ ସଭାସଦ ବର୍ଗ। ଛଳଛଳ ନେତ୍ର, କଳକଳ ଧ୍ୱନି – “ଜୟ କୃଷ୍ଣ ସାର୍ କି ଜୟ”, ଯେଉଁ ଧୋନୀ ପ୍ରତିଧୋନୀରେ ପ୍ରକମ୍ପିତ ହେଉଥିଲା ସେଦିନର ସଭାସ୍ଥଳୀ।

Related posts

ଦିନକର ଅପତ୍ନୀକ

satya

ପାଗଳ

satya

ନିଶା ଓ ନିଶା

satya

Leave a Comment

Login

X

Register