ମୂଖବନ୍ଧ
ଉଦୀୟମାନ କବି କଥାକାର ସତ୍ୟ ପ୍ରକାଶଙ୍କ ‘ସାଉଁଟା କାହାଣୀ’ ଆଦୌ କଳ୍ପନାଶ୍ରିତ, ଅବାସ୍ତବ କଥାର ଅବତାରଣା ନୁହଁ। ବେଶ୍ ଏକ ମନାଛୁଆଁ ଓ ପ୍ରାଣସ୍ପର୍ଶୀ ରୀତିରେ ରଚିତ। ଏହି ଆଂଶିକ (କ୍ଷୁଦ୍ର ) ସ୍ମୃତିଲିପି /ସ୍ମୃତିଆଲେଖ୍ୟ ସତ୍ୟ ପ୍ରକାଶଙ୍କ ଅଭୁଲା ବିଦ୍ୟାଳୟ ଜୀବନର ଅକୃତ୍ରିମ ଆଲିଙ୍ଗନ। ବାଇଶିଟି ଅଧ୍ୟାୟ ସମ୍ବଳିତ ଏଇ ପୁସ୍ତକ ଖଣ୍ଡିକ ପାଠକକୁ ଆଗକୁ ଆଗକୁ ପଢିବାକୁ ଉତ୍ସାହିତ କରେ। କାରଣ ଏଥିରେ ବର୍ଣ୍ଣିତ ଘଟଣା ସମୂହ କ୍ରମନ୍ୱୟତା ସହ ସେଗୁଡିକର କଥନ/ପ୍ରକାଶ ଭଙ୍ଗୀର ଶୈଳୀ ଖୁବ୍ ନିବିଡ଼ ଓ ଆନ୍ତରିକ। ଏହାର ଅଧିକଂଶ ସ୍ଥାନରେ ଗ୍ରାମ୍ୟ ଭାଷାର ପ୍ରୟୋଗ, ସ୍ଥାନେ ସ୍ଥାନେ ଲଘୁ ହାସ୍ୟ ରସର ଉପସ୍ଥିତି ଏବଂ ସର୍ବୋପରି ସ୍ମୃତି କଥାର ପ୍ରବାହମାନତା ଏହାକୁ ମାର୍ମିକ କରିପାରିଛି। ସତ୍ୟ ପ୍ରକାଶଙ୍କ ଭାଷାରେ “ଏଥିରେ ଶୈଳୀଗତ ଭିନ୍ନତା, ତଥା କଥନ ଭଙ୍ଗୀରେ ସ୍ଵତନ୍ତ୍ରତା ଓ ବାସ୍ତବତା ପ୍ରଖ୍ଯାପିତ ହୋଇଛି”। ପରବର୍ତ୍ତୀ ଅଧ୍ୟାୟ ପୂର୍ବବର୍ତ୍ତୀ ଅଧ୍ୟାୟ ସହ ଯୋଗସୂତ୍ର ରକ୍ଷା କରିଛି। ଏବଂ ସେଇ ଭିତ୍ତିଭୂମି ଉପରେ ଆଉ ଏକ ଆରୋହଣ ରୂପେ ଉପସ୍ଥିତି ହୋଇଛି। ପ୍ରଥମ ଅଧ୍ୟାୟ ଯାହାକୁ “ପ୍ରଥମ ପାବଚ୍ଛ ” ବୋଲି ସତ୍ୟ ପ୍ରକାଶ ନାମିତ କରିଛନ୍ତି (ପ୍ରତି ଅଧ୍ୟାୟକୁ ସେ ପାବଚ୍ଛ ବୋଲି କହିଛନ୍ତି) ସେଥିରେ ତାଙ୍କ ନିମ୍ନ ପ୍ରାଥମିକ ଛାତ୍ର ଜୀବନରେ ଗାଁ ସ୍କୁଲରେ ଅନୁଷ୍ଠିତ ହୋଇଥିବା ସାମ୍ବତ୍ସରିକ ସରସ୍ଵତୀ ପୂଜାର ଚମତ୍କାର ବର୍ଣ୍ଣନା ପରିଲକ୍ଷିତ। ସେତେବେଳେ ବୋଧହୁଏ କଥାକାରଙ୍କୁ ପାଞ୍ଚ /ଛଅ ବର୍ଷ ବୟସ ହୋଇଥିବ ଏବଂ ସେଇ ଚପଳ, ନିଷ୍ପାପ ବୟସରେ ସେ ପୂଜାବେଳେ ଯେଉଁ ପ୍ରକାର ଅନୁଭୂତି ଲାଭ କରିଥିଲେ, ତା’ର ଅବିକଳ ଚିତ୍ର ପ୍ରଦାନ କରିବାରେ ସେ କାର୍ପଣ୍ୟ କରି ନାହାନ୍ତି । ଏଇ ପୂଜାବେଳେ ଆପଣାର ପଢାସାଙ୍ଗ ଓ ଶିକ୍ଷକମଣ୍ଡଳୀ କିପରି ଏହା ସହ ଖୁବ୍ ଆନ୍ତରିକ ଭାବେ ହୋଇ ଯାଆନ୍ତି, ତା’ର ଅବତାରଣା କରିଛନ୍ତି। ଏ ବର୍ଣ୍ଣନା ପାଠ କଲେ ପାଠକର ମଧ୍ୟ ମନେ ପଡିଯାଏ ତା ଜୀବନରେ ଘଟିଥିବା ଏହିପରି ପୂଜୋତ୍ସବର ବର୍ଣ୍ଣାଢ୍ଯ ଘଟଣାକ୍ରମ। ସରସ୍ଵତୀ ପୂଜା ବର୍ଣ୍ଣନା ସମୟରେ କେତେବେଳେ ସେ ଶିକ୍ଷକମାନଙ୍କ ପାଇଁ’ ସାର୍’ ତ କେତେବେଳ’ ମାଷ୍ଟରଟା’ ସମ୍ବୋଧନ କରିଛନ୍ତି। ଅବଶ୍ୟ’ ମାଷ୍ଟରଟା’କହିଲା ବେଳେ ତାଙ୍କର ପିଲାଳିଆମି ଫୁଟି ଉଠିଛି। ସେଥିରେ ଲେଶ ମାତ୍ର ଅବଜ୍ଞାର ଚିହ୍ନ ନାହିଁ। ଦ୍ଵିତୀୟ ଅଧ୍ୟାୟରେ ସ୍ଵାଧୀନତା ଦିବସରେ ଗାଁ ସ୍କୁଲର ଶିକ୍ଷକମାନେ ପିଲାମାନଙ୍କ ସହ ପ୍ରଭାତ ଫେରି କରିବା ସମୟରେ ତ୍ରିରଙ୍ଗା ପତାକା ଧରି, ମହାତ୍ମା ଗାନ୍ଧୀ, ସୁବାସ ବୋଷଙ୍କ ଜୟଗାନ କରି ଯିବାର ସ୍ମୃତି ଲେଖକଙ୍କର କଲମରେ ଖୁବ୍ ଜୀବନ୍ତ ହୋଇଉଠିଛି। ଏଇ ଅଧ୍ୟାୟଟି ପ୍ରଥମ ଅଧ୍ୟାୟ ହୋଇଥିଲେ ଭଲ ହୋଇଥାନ୍ତା, କାରଣ ସତ୍ୟ ପ୍ରକାଶ ଏ ସମୟକୁ ସ୍କୁଲ ଯାଇ ନାହାନ୍ତି । ତୃତୀୟ ଅଧ୍ୟାୟରେ ସ୍କୁଲ ଯିବା ପୂର୍ବର ଘଟଣା ବର୍ଣ୍ଣନା କରିଛନ୍ତି।
ଏହି ଅବସ୍ଥାରେ ସେ ‘ବାଳୁଙ୍ଗା’ ଥିଲେ ବୋଲି କହିଛନ୍ତି। ଅବଶ୍ୟ ଅଝଟ କରୁଥିଲେ, ତା ପରେ ଚତୁର୍ଥ ଅଧ୍ୟାୟରୁ ବାଇଶି ଅଧ୍ୟାୟ ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇଛି ତାଙ୍କ ବିଦ୍ୟାଳୟ ଜୀବନର ପ୍ରଥମ ଶ୍ରେଣୀଠାରୁ ମାଟ୍ରିକ୍ ପାଶ୍ କଲା ପର୍ଯ୍ୟନ୍ତ ଅର୍ଥାତ୍ ଏହା ବୋଧହୁଏ ଛଅ ବର୍ଷରୁ ଆରମ୍ଭ ହୋଇ ଷୋହଳ ବର୍ଷ ଯାଏ ପ୍ରଲମ୍ବିତ ଯାହା ତାଙ୍କ ଶୈଶବ, କୈଶୋର ଏବଂ ଆଦ୍ୟ ଯୌବନରେ ବିଦ୍ୟାଳୟ ସ୍ଥରର ଘଟିଥିବା କିଛି କିଛି ଘଟଣା ଯାହାକି ଶିକ୍ଷକ ଓ ସାଙ୍ଗ ସାଥୀଙ୍କୁ ଚିତ୍ରିତ କରିଛି। ଚତୁର୍ଥ ପାବଚ୍ଛରେ ଶିରୋନାମା “ବିଦ୍ୟାରମ୍ଭର ଲମ୍ବା ଇତିହାସ”, ପଞ୍ଚମ ଅଧ୍ୟାୟରେ “ସରିନାହିଁ ମୋ ପ୍ରିସ୍କୁଲ”, ଅଷ୍ଟମ ଅଧ୍ୟାୟରେ “ଡ୍ରାମା”, ସପ୍ତମ ଅଧ୍ୟାୟରେ “ବାକି କଥା”, ଅଷ୍ଟମ
ଅଧ୍ୟାୟରେ “ଯାତ୍ରା ଦେଖା”, ନବମ ଅଧ୍ୟାୟରେ “ସିଗାରେଟ୍”, ଦଶମ ଅଧ୍ୟାୟରେ ଡିଆଁ ଖୋଳା”, ଏକାଦଶ ଅଧ୍ୟାୟରେ” କଲି ଟଣା ମାଷ୍ଟର୍ “, ଦ୍ଵାଦଶ ଅଧ୍ୟାୟରେ” ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା”, ତ୍ରୟୋଦଶ ଅଧ୍ୟାୟରେ ମାଇଲ ଖୁଣ୍ଟ “, ଚତୁର୍ଦଶ ଅଧ୍ୟାୟରେ “ଅସରନ୍ତି ସେ ଡ୍ରାମାର ସଂଳାପ”, ପଞ୍ଚଦଶ ଅଧ୍ୟାୟରେ “ନଭେଲ ପଢା”, ଷୋଡ଼ଶ ଅଧ୍ୟାୟରେ” ମନରେ କୁତୁକୁତୁ ଭାବ “,ସପ୍ତଦଶ ଅଧ୍ୟାୟରେ “ଯେତେ କହିଲେ ସରିବନି”, ଅଷ୍ଟାଦଶ ଅଧ୍ୟାୟରେ “କ୍ରୀଡା ପ୍ରତିଯୋଗୀତା”, ଉନବିଂଶ ଅଧ୍ୟାୟରେ “ଭୋଜି”, ବିଂଶ ଅଧ୍ୟାୟରେ “ହାଇସ୍କୁଲ ଡ୍ରାମା”, ଏକବିଂଶ ଅଧ୍ୟାୟରେ “ସ୍କୁଲ ଜୀବନର ଶେଷ ପରୀକ୍ଷା ” ମଧ୍ଯ ଦେଇ ବାଇଶି ପାବଚ୍ଛରେ” ଶେଷ ସ୍ପର୍ଶ” ଶିରୋନାମାରେ ଉପାନ୍ତ ହୋଇଛି। ଉକ୍ତ ଶିରୋନାମା ଗୁଡିକରୁ ସେହି ସେହି ଅଧ୍ୟାୟରେ ବର୍ଣ୍ଣିତ କଥାବସ୍ତୁର କିଛିଟା ଧାରଣା ତ କରିହେବ, ହେଲେ ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣିତ (ବୋଧହୁଏ ସେତେବେଳେ ନବମ କି ଦଶମ ଶ୍ରେଣୀର ଛାତ୍ର ହୋଇଥିବେ ଏବଂ ସେ କୈଶୋରରେ ପାଦ ଦେଇଥିବେ) ” ନଭେଲ ପଢା” ଏବଂ “ମନରେ କୁତୁକୁତୁ ଭାବ “ପାଠକକୁ ଖୁବ୍ ଆକର୍ଷିତ କରେ। କାରଣ ଏଇ ଦୁଇ ଅଧ୍ୟାୟରେ ଜଣେ କିଶୋରର ମାନସିକ ଚାପଲ୍ଯ ତା’ର ଫୁଟି ଉଠୁଥିବା ଯୌନ ଚେତନା ତଥା ଅସ୍ଥିରତା ବର୍ଣ୍ଣିତ(ଏହା ମଧ୍ୟ କୈଶୋରର ପ୍ରମୂଖ ବିଭାବ)। କୈଶୋର ଓ ଆଦ୍ୟ ଯୌବନ ଖୁବ୍ ଶକ୍ତିଶାଳୀ ଯାହା କ୍ରମବର୍ଦ୍ଧମାନ ବ୍ୟକ୍ତିକୁ ଭାରି ଆଲୋଡିତ କରେ। ଏହି ସମୟରେ ବ୍ୟକ୍ତି ଆଦର୍ଶବାଦୀ ହୋଇ ଜୀବନ ଯାପନ ବିକାଶ ଦିଗରେ ଗତି କରିପାରେ କିମ୍ବା ଉପଭୋଗ୍ୟ ହୋଇ ବିନାଶର ବିକୃତ ମାର୍ଗ ଅବଲମ୍ବନ କରିପାରେ।
ସତ୍ୟ ପ୍ରକାଶ ଏଇ କୈଶୋରର ଏଇ ନିଖୁଣ ଚିତ୍ର ଅଙ୍କନ କରିଥିଲେ ସୁଦ୍ଧା ସେ ଯେ ଏହାର ସମ୍ପୂର୍ଣ୍ଣ କଥା କହି ପାରି ନାହାନ୍ତି, ତା ସେ ଅକୁଣ୍ଠ ଭାବେ ସ୍ୱୀକାର କରିଛନ୍ତି। ଏଇ କିଶୋର ଅବସ୍ଥାରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକମାନେ (ପୁସ୍ତକରେ ଭଗବାନ ସାର୍) ଆକଟ କରନ୍ତି। ବେଳେବେଳେ ବେତ୍ରାଘାତ କରି ଦଣ୍ଡ ଦିଅନ୍ତି, ଭର୍ତ୍ସନା କରନ୍ତି। କିନ୍ତୁ ଏ ସବୁ ପଦକ୍ଷେପ ଠିକ୍ ନୁହଁ। ଜଣେ କିଶୋରକୁ ଶୃଙ୍ଖଳିତ କରିବାକୁ ହେଲେ ଦଣ୍ଡ ନୁହଁ କି ତୀବ୍ର ଭାଷା ନୁହଁ, ଆବଶ୍ୟକ ସ୍ନେହ ଶ୍ରଦ୍ଧା ବେପଥୁ ଭାବ ଯାହା ତା’ର ମନ, ପ୍ରାଣ ଓ ହୃଦୟକୁ ଛୁଇଁ ଯିବ। ତା ପ୍ରତି ସହାନୁଭୂତିଶୀଳ ହୋଇ ଗୁରୁଜୀମାନେ ବ୍ୟବହାର କଲେ ସେ ଠିକ୍ ବାଟର ପସନ୍ଦ ହୋଇ ପାରିବ। ପୁସ୍ତକର ଶେଷ ଅଧ୍ୟାୟ (ଶେଷ ସ୍ପର୍ଶ) ଖୁବ୍ କାବ୍ୟିକ ତେଣୁ ଭାରି ସଂକ୍ରାମକ। ସତ୍ୟ ପ୍ରକାଶ ମାଟ୍ରିକ୍ ପାଶ୍ କରିଥିବା ଉଚ୍ଚ ବିଦ୍ୟାଳୟର ଭୂରିଭୂରି ପ୍ରଶଂସା କରିଛନ୍ତି। ତାକୁ ପ୍ରଣତି ବାଢିଛନ୍ତି। ତାଙ୍କ ଭାଷାରେ “ମୋ ଉଚ୍ଚ ବିଦ୍ୟାଳୟ ଏକ ନିଆରା ପରମ୍ପରାର ଭିନ୍ନ ଏକ ଆସ୍ୱାଦନ”। ତାଙ୍କର ଏ ସଶ୍ରଦ୍ଧ ଉଚ୍ଚାରଣ ଖୁବ୍ ଗଭୀର ଓ ଗମ୍ଭୀର। ଏଥିରେ ବିଦ୍ୟାଳୟ ପ୍ରତି ତାଙ୍କର ଉପାସନା ଭାବ ପ୍ରକାଶିତ। ଏହି ମହତ୍ ବିଦ୍ୟାମନ୍ଦିରକୁ ସ୍ମରଣ କରି ସେ କବିତାମୟ ହୋଇ ଉଠିଛନ୍ତି।
ସେଇ ଅଫେରା ଅତୀତ ଆଉ ଥରେ ଫେରି ଆସନ୍ତା କି ବୋଲି ଆକୁଳ ହୋଇ ପଡ଼ିଛନ୍ତି। ଜୀବନର ଯେଉଁ ସ୍ତରରେ ସେ ଏବେ ଉପନୀତ ତାହା ତାଙ୍କୁ କ୍ଲାନ୍ତିକର ଲାଗୁଛି। ସେ ପୁଣି ଶିଶୁ ହେବାକୁ ଚାହାନ୍ତି, ପିଛିଲା ଦିନକୁ ଜିଇବାକୁ ଚାହାନ୍ତି। ଯେଉଁ ଯେଉଁ ସ୍ତର ଦେଇ ସେ ଆସିଛନ୍ତି ପୁଣି ସେଇ ସ୍ତର ସବୁକୁ ଫେରି ପାଆନ୍ତେ କି ବୋଲି ଖୁବ୍ ଭାବିଛନ୍ତି। ଏବେ ବଞ୍ଚୁଥିବା ଜୀବନ ତାଙ୍କୁ ବ୍ୟଥାପ୍ରଦ ବୋଧ ହେଉଛି – “ଦେହ ହାତ ମୋର ଅବଶ ଲାଗୁଛି /ନିତି ହୁଏ ଛଟପଟ”। ସେଥିପାଇଁ “ସବୁକଥା ରୋମନ୍ଥନ କରିବାକୁ ଭାରି ଇଚ୍ଛା ହେଉଛି, ବାକି କଥା ଗୁଡ଼ାକ ମାଡି ବସୁଛି। ସାଙ୍ଗସାଥି, ଶ୍ରେଣୀ ଶିକ୍ଷକ – ସବୁକିଛି।” ଏମାନଙ୍କ ସହ ସତ୍ୟ ପ୍ରକାଶଙ୍କର ଆତ୍ମୀୟତା ଥିଲା। ବିଶେଷତଃ ତାଙ୍କର ନିବିଡ଼ ସମ୍ପର୍କ ଥିଲା ପଢା ସାଥି ରାଜୁ ସହ। ତା ସହ ସେ ଅନ୍ୟ ସାଙ୍ଗମାନଙ୍କୁ ଗଭୀର ଆନ୍ତରିକତାର ସହ ସ୍ମୃତିକୁ ଆଣିଛନ୍ତି। ଗ୍ରନ୍ଥର ଅନ୍ତିମ ଅଂଶରେ ସ୍କୁଲ ଟାଇମ୍ ପୂର୍ବରୁ କିପରି ସେ ସାଥିମାନଙ୍କ ସହ ପାଖ ଠାକୁରାଣୀ ମନ୍ଦିର ଆଗରେ ଏକତ୍ର ହେଉଥିଲେ ତାହା ବେଶ୍ ଶ୍ରଦ୍ଧାର ସହ ବର୍ଣ୍ଣନା କରିଛନ୍ତି। ସ୍କୁଲ କଥା, ସବୁ ସାର୍ ଙ୍କ କଥା ମଧ୍ୟ ସ୍ମରଣ କରିଛନ୍ତି। ପୂଜ୍ଯ ମୋହନ ସାର୍ ଙ୍କୁ ଭକ୍ତି ନିବେଦନ କରିଛନ୍ତି। ତାଙ୍କ ଭଲ ଚିନ୍ତା ଚେତନା ସକାଶେ ପଣ୍ଡିତ ସାର୍ ଙ୍କୁ ମଧ୍ଯ ଶ୍ରଦ୍ଧା ନିବେଦନ କରିଛନ୍ତି। ପରିଶେଷରେ ଭାରି ମଜାରେ ପ୍ରକାଶ କରିଛନ୍ତି, “ଧେତ୍ କହୁ କହୁ କେତେ କଥା କହି ସାରିଲିଣି ମ! ଏତେ ଶୀଘ୍ର ସ୍କୁଲ ଜୀବନୀ ସରିଯିବ ବୋଲି କ’ଣ କେହି କେବେ ଭାବିଥିଲା।”
ସତରେ ସତ୍ୟ ପ୍ରକାଶଙ୍କ ଏ ଅନାବିଳ ସ୍ମୃତିଚିତ୍ର ବେଶ୍ ସୁଖପାଠ୍ଯ ।ତାଙ୍କର ପ୍ରାୟ ଦଶ /ଏଗାର ବର୍ଷ ବିଦ୍ୟାଳୟ ଜୀବନକୁ ବର୍ଣ୍ଣନା କରିଛନ୍ତି ସତ୍ୟ ପ୍ରକାଶ ଅତି ସରଳ ଓ ସାବଲୀଳ ଭାଷାରେ ଯାହା ପାଠକକୁ ଆମୋଦିତ କରି ପାରିବ। ତାଙ୍କର ଏ ନିବିଷ୍ଟ ସାରସ୍ଵତ ଯାତ୍ରା ଆହୁରି ଦୀର୍ଘ ହେଉ – ଏଇ କାମନା ।
ଶେଷରେ କହିବି – ଖୁବ୍ ଭଲ ଓ ଉଚ୍ଚକୋଟିର ଲେଖା।
ଅଧ୍ୟାପକ
ବ୍ରଜ ମୋହନ ମିଶ୍ର
2.
ପରିତ୍ୟକ୍ତ କୋଠି ପାଇଁ . . .
ଓଡ଼ିଆ ଉପନ୍ୟାସ ଲେଖା କମି ଆସୁଛି।ଲେଖକ ପାଠକର ବୀତସ୍ପୃହା ହୁଏତ ଲକ୍ଷ୍ୟ କରୁଥିବେ,ତେଣୁ ବୋଧହୁଏ ଲେଖୁନାହାନ୍ତି।ଏହି ପରିପ୍ରେକ୍ଷୀରେ ଉପନ୍ୟାସ ରଚନା ଦିଗରେ ସତ୍ୟ ପ୍ରକାଶଙ୍କ ଇଚ୍ଛା, ଉଦ୍ୟମ ଓ ଆନ୍ତରିକତା ବେଶ୍ ପ୍ରଶଂସନୀୟ।ଏହା ତାଙ୍କ ସାହିତ୍ୟ ସମର୍ପିତ ପ୍ରାଣର ନିବିଡ ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ।ଉପନ୍ୟାସର ପ୍ରତ୍ୟେକଟି ପରିଚ୍ଛେଦ ଏକ ଏକ ଦୃଶ୍ୟ ଯାହା ଆମ ସାଧାରଣ ଜନଜୀବନ ଓ ସାଂପ୍ରତିକ ସମାଜର।ଏଥିରେ ପାଠକଙ୍କୁ ଆକର୍ଷିତ କରି ଧରି ରଖିବା ଭଳି ଉପାଦାନ ଆଦୌ ଅଭାବ ନାହିଁ ।
ସତ୍ୟ ପ୍ରକାଶଙ୍କ ‘ ପରିତ୍ୟକ୍ତ କୋଠି ‘ ରେ ଆମ ସମୟର ଅନେକ ନିର୍ଭେଜାଲ୍ ପ୍ରସଙ୍ଗ ପ୍ରତିବିମ୍ବିତ ହୋଇଛି।ସାଂପ୍ରତିକ ରାଜନୈତିକ ଛବି,ଛାତ୍ର ଆନ୍ଦୋଳନ, ଗ୍ରାମୀଣ ଜୀବନଧାରା, ଅନ୍ଧ ବିଶ୍ୱାସ, ଶିଶୁ ବିକ୍ରି, ଦାଦନ ସମସ୍ୟା, ନାରୀ ନିର୍ଯ୍ୟାତନା – ଏସବୁ କିଛି ପଥଭ୍ରଷ୍ଟ ସମାଜ – ଜୀବନ ପାଇଁ ବଳିଷ୍ଠ ବାର୍ତ୍ତା ; ମାତ୍ର କଳାତ୍ମକତାର ଅଭାବ ପ୍ରସଙ୍ଗ ମନକୁ ଛୁଏଁ।ଲେଖକ ସେ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଥିଲା।
ତାଙ୍କ ସ୍ବକୀୟ ଶୈଳୀରେ ସେ ଉପନ୍ୟାସଟିକୁ ସମୃଦ୍ଧ କରିବାକୁ ଚାହିଁଛନ୍ତି।ତଥାପି ଏହା ଏକ ସୁଖପାଠ୍ୟ ଉପନ୍ୟାସ।ଲେଖକଙ୍କର ଉଜ୍ଜ୍ବଳ ଭବିଷ୍ୟତ ଓ ସମ୍ଭାବନାମୟ ଦିଗନ୍ତ କୁ ଏହା ଉନ୍ମୋଚିତ କରୁଛି।
ପ୍ରାଧ୍ୟାପକ ଡକ୍ଟର ସଚ୍ଚିଦାନନ୍ଦ କର
କଟକ
3. ଅନୁଷ୍କା
ନିଜସ୍ଵ ମୁହଁରୁ
ସାହିତ୍ୟ ହେଇଛି ସାହିତ୍ୟିକର କର୍ମ ଭୂମି, ଯେଉଁଠି ସେ ତା ଜ୍ଞାନର ଫସଲ ଉଗୁଳାଏ।ଅଭିଜ୍ଞ ମନସ୍କତାରୁ ସାହିତ୍ୟର ହିଁ ଜନ୍ମ ।ସାହିତ୍ୟ ହେଉଛି ଏକ ସାଧନାର ବସ୍ତୁ। ନିରନ୍ତର ଓ ନୀରବଚ୍ଛିନ୍ନ ସାଧନା ବଳରେ ସାହିତ୍ୟିକ ତହିଁରେ ଉତ୍କର୍ଷତା ସାଧନ କରିପାରେ।ଏମିତି କୌଣସି ଚମତ୍କାରିତା ନାହିଁ ଯାହା ରାତାରାତି ଜଣଙ୍କୁ ସାହିତ୍ୟିକରେ ପରିଣତ କରି ଦେଇଦେବ। କାରଣ ଏହା ହେଉଛି ସୃଜନଶୀଳ ପ୍ରତିଭା। ସୃଜନଶୀଳ ଚିନ୍ତାଧାରା ବ୍ୟତିରେକେ ସାହିତ୍ୟ ସର୍ଜନା ସମ୍ଭବପର ନୁହେଁ। ତେବେ ବିଭିନ୍ନ୍ ପ୍ରକାର ପରିବେଶ ଓ ପରିସ୍ଥିତି ମଧ୍ଯ ଏଥିପାଇଁ ଦାୟୀ ରହେ। ମଣିଷ ସମାଜରେ ଜନ୍ମ ହୋଇ ଧିରେ ଧିରେ ସେଇ ସମାଜ ସଂସ୍ପର୍ଷରେ ଆସେ। ସମାଜକୁ ପରଖି ନିରେଖି ଦେଖେ । ତହୁଁ ପ୍ରତ୍ୟେହ ନୂଆନୂଆ ଅନୁଭୂତି ଓ ଅନୁଭବ ସବୁ ଏକଠା କରେ। ଯାହାକୁ ହୁଏତ ସାହିତ୍ୟରେ ରୂପ ଦେବା ପାଇଁ ସେ ବ୍ୟଗ୍ର ହୋଇ ଉଠେ। ଏହି ବ୍ୟଗ୍ରତାରୁ ଏକ ନୂତନ ସାହିତ୍ୟର ଜନ୍ମ ନିଏ। ଅନୁଭବ ଓ ଅନୁଭୁତିର ସୁଦୀର୍ଘ ପାହାଡ଼ ଉପରେ ଛିଡ଼ା ହୋଇ ଜଣେ ଅଭିଜ୍ଞ ସାହିତ୍ୟିକ ହୋଇଥାଏ। ତେବେ ସୃଜନାତ୍ମକ କଳାର ଅଭାବ ରହିଲେ ଏହାର ସ୍ରୁଷ୍ଟି ସେତେ ସୁନ୍ଦର ରୂପ ପରିଗ୍ରହ କରି ପାରେ ନାହିଁ ବା ତା’ର ପରିପାଟି ସେତେ ଆକର୍ଷଣୀୟ ହୋଇପାରେ ନାହିଁ ।
ସାହିତ୍ୟ ହେଉଛି ଏକ ସାର୍ବଜନୀନ ବସ୍ତୁ, ଯହିଁରେ ସାର୍ବଜନୀନ ଓ ଚିରନ୍ତନୀ ଆବେଦନ ରହିବା ବାଞ୍ଛନୀୟ, ତେଣିକି ତାହା ବ୍ୟକ୍ତିନିଷ୍ଠ ବା ବସ୍ତୁନିଷ୍ଠ ହେଉ କି ନହେଉ।ପୁଣି ସାହିତ୍ୟ ହେଉଛି ଆନନ୍ଦ ବିଧାୟକ ବସ୍ତୁ, ଯାହା ପାଠକକୁ ଏକ ସ୍ଵତନ୍ତ୍ର ଆନନ୍ଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାଜରେ ମଧ୍ଯ ହିତ ସାଧନ କରିଥାଏ।
ସାହିତ୍ୟର ଅନ୍ୟାନ୍ୟ ବିଭବ ଓ ବିଭାଗ ଠାରୁ ଉପନ୍ୟାସ ଟିକେ ଭିନ୍ନ୍ ହୋଇଥାଏ। କାରଣ ଏହାର କଳେବର କ୍ଷୁଦ୍ର ନହୋଇ ବୃହତ ହୋଇଥାଏ। ତେଣୁ ବୃହତ ପରିକଳ୍ପନାର ବୃହତ ପରିପ୍ରକାଶ ହେଉଛି ଉପନ୍ୟାସ। କବିତା ବା ଗଳ୍ପ ପରି ଏହା ଏକାଥରକେ ବା ଏକାବେଳକେ ଲେଖା ଯାଇ ପାରେ ନାହିଁ। ଏଥିପାଇଁ ଦୀର୍ଘ ସମୟର ଆବଶ୍ୟକତା ଥାଏ। ତେଣୁ ଏହା ଶ୍ରମ ସାର୍ଥକ ଓ ସୁଦୀର୍ଘ ସମୟ ସାପେକ୍ଷ ହୋଇଥାଏ।
ଉପନ୍ୟାସଟିଏ ଲେଖିବା ପାଇଁ ଲେଖକଙ୍କୁ ଅସୀମ ଧୈର୍ଯ୍ୟ ଓ ସାମର୍ଥ୍ୟ ରଖିବାକୁ ପଡିଥାଏ। ଏଥିରେ କଠୋର ପରିଶ୍ରମ କରିବାକୁ ପଡ଼ିଥାଏ ଓ ବହୁ ସମୟର ମଧ୍ଯ ଉପଯୋଗ ହୋଇଥାଏ। ବ୍ୟସ୍ତ ବହୁଳ ଜୀବନରେ ଉପନ୍ୟାସ ପଢିବାର ଆଗ୍ରହ ଆଜି କମି କମି ଆସୁଥିବା ବେଳେ, ଗଭୀର ବିଶ୍ବାସ ଓ ଆତ୍ମପ୍ରତ୍ୟେୟ ନେଇ ଲେଖକ ତା’ର ସୃଷ୍ଟି ପ୍ରକରଣ କରେ।
ଉକ୍ତ “ଅନୁଷ୍କା” ଉପନ୍ୟାସଟି ଏକ ଭିନ୍ନ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ। ଯେଉଁଥିରେ ଜଣେ ସାହିତ୍ୟିକାର ଦୁଃଖ ଦଇନୀ ପ୍ରତିକୃତ ହୋଇଥିଲା ବେଳେ ସାମ୍ପ୍ରତିକ ସମାଜର ଜୀବନଯାତ୍ରା ପ୍ରତିଫଳିତ ହୋଇଛି। ପାଠକ ଏହାକୁ ପାଠ କଲେ ଭିନ୍ନ୍ ଏକ ଆନନ୍ଦାନୁଭୂତି ନିଶ୍ଚିତ ଭାବେ ଅନୁଭବ କରିବେ।
ଉକ୍ତ ପୁସ୍ତକର ମୁଖବନ୍ଧ ଲେଖିବାର କଷ୍ଟ ବନ୍ଧୁ ଦୈତ୍ୟାରୀ ମହାପାତ୍ର ଉଠାଇ ଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଉ ମଧ୍ଯ ଧନ୍ୟବାଦ ଦେବି ପ୍ରକାଶକ ଶ୍ରୀଯୁକ୍ତ – – – – ଙ୍କୁ ଯାହାଙ୍କ ଆନ୍ତରିକତା ଓ ପ୍ରଯତ୍ନ ଯୋଗୁଁ ସମ୍ଭବ ହୋଇ ପାରିଛି- ଏହି ପୁସ୍ତକ ପ୍ରକାଶିତ ହେବାରେ।ଶେଷରେ ପାଠକମାନଙ୍କ ପାଖରୁ ସୁଚିନ୍ତିତ ମତାମତ ଅପେକ୍ଷା ରଖି ରହୁଛୁ….
ଔପନ୍ୟାସିକ