Satya Prakash
  • Home
  • ଗଳ୍ପ
  • ରାଜନୈତିକ ଆକାଶ ଓ ଆଜିର ରାଜନୀତି
ଗଳ୍ପ

ରାଜନୈତିକ ଆକାଶ ଓ ଆଜିର ରାଜନୀତି

ମୋର ଜନ୍ମ ହୁଏ ଏକ ରାଜନେତାଙ୍କ ପରିବାରରେ। ତେଣୁ ରାଜନୀତି ପ୍ରତି ମୋର ବେଳେ ବେଳେ ଆଗ୍ରହ ଥାଏ ବା  ପରିସ୍ଥିତି ବାଧ୍ୟ କରିଥାଏ । କେତେବେଳେ କେମିତି ମଧ୍ୟ ଓଡ଼ିଶାର ଦଳୀୟ ରାଜନୀତିରେ ନେତାଙ୍କ ଠାରୁ ଆରମ୍ଭ କରି ଦଳୀୟ କର୍ମୀଙ୍କ ଠାରୁ ମଧ୍ଯ ଆହ୍ଵାନଟିଏ ଆସିଥାଏ।, ଯାହାକୁ ହୁଏତ ଅଣଦେଖା କରି ହୁଏ ନାହିଁ। ମୋ ଜେଜେ ଗୋପିନାଥ ଅନେକ ବାର ପଞ୍ଚାୟତରାଜ ବ୍ୟବସ୍ଥାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗାଁ ଓ୍ବାର୍ଡ ମେମ୍ବର ଓ ପଞ୍ଚାୟତ ସମିତିର କର୍ମକର୍ତ୍ତା ରୂପେ ଏକାଧିକବାର ନିର୍ବାଚିତ ହୋଇଥିଲେ। ତେଣୁ ମୋ ବାପା ପୁରୁଷୋତ୍ତମ ରାଜନୀତି ପ୍ରତି ବେଶ୍ ଆକୃଷ୍ଟ। ତହୁଁ ଅନେକ ବିଫଳତା ଓ କିଛିଟା ସଫଳତା ଭାଗ୍ୟରେ ଜୁଟିଥିଲା। ସେ depressed league inspector ଚାକିରୀ ଛାଡ଼ି ରାଜନୀତି ପ୍ରତି ଅଧିକ ମନ ବଳାନ୍ତି। ବିଭିନ୍ନ ରାଜନୈତିକ ଦଳ ଓ ନେତୃବୃନ୍ଦଙ୍କ ସହ ତାଙ୍କର ସମ୍ପର୍କ। ଏ ଦିଗରେ ବହୁ ବାର ଅକୃତକାର୍ଯ୍ୟ ହେଲା ହେଁ ଶେଷରେ 1980 ମସିହାରେ ସେ M. L.A. ଭାବେ ନିର୍ବାଚିତ ହୋଇଥିଲେ। ପରେ ଓଡ଼ିଶା ଭୂଦାନ ବୋର୍ଡ, ଖଦୀ ବୋର୍ଡ଼, ହରିଜନ ଆଦିବାସୀ କର୍ପୋରେସନ ଆଦିରେ ବିଭିନ୍ନ କର୍ମକର୍ତ୍ତା ଓ ଦଳୀୟ ସାଂଗଠନିକ କର୍ମକର୍ତ୍ତା ରୂପେ ମଧ୍ୟ ବେଶ୍ କିଛି ଦିନ ଅବସ୍ଥାପିତ ଥିଲେ।ଦୀର୍ଘ ଦିନ ବାଲେଶ୍ଵର ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦାୟିତ୍ଵ ମଧ୍ୟ ତୁଲାଇ ଥିଲେ।ଉତ୍କଳର ବର ପୁତ୍ର ସ୍ଵର୍ଗତଃ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ରୂପେ ସେ ମଧ୍ଯ ବେଶ୍ସେ ସକ୍ରିୟ ଥିଲେ। ଏତଦ୍ହି ବ୍ୟତୀତ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀଙ୍କ ସହିତ ମଧ୍ଯ ତାଙ୍କର ଉତ୍ତମ ସମ୍ପର୍କ ଥିଲା। ଏହି କାରଣରୁ ବା ମୋର ବ୍ୟକ୍ତିଗତ ସାଙ୍ଗଠନିକ ଦକ୍ଷତା ହେତୁ ଓ ଲୋକପ୍ରିୟତା ଦୃଷ୍ଟିକୋଣରୁ ମୋ ପାଇଁ କଲେଜ କ୍ୟାରିଅରଠାରୁ ରାଜନୈତିକ ପଦ ପଦବୀରେ ଲଢ଼ିବା ପାଇଁ ଅଫର୍ ଆସିଥାଏ। କିନ୍ତୁ ମୁଁ ମୋ ବୋଉ କଥା ଭାରି ମାନେ। ମୋ ବୋଉ କହିଥିଲା -” ବାପରେ! ତୁ ତୋ ବାପାଙ୍କ ଭଳିଆ ପାଠ  ପଢିଲା ବେଳେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରିବୁ ନାହିଁ। କାରଣ ଏଥିରେ ଥାଏ ନାହିଁ ନଥିବା ବାଧା ଓ ସବୁବେଳେ ଗଣ୍ଡଗୋଳିଆ ପରିସ୍ଥିତି। ତା ‘ଛଡା ମୁଁ ଚାହେଁ ତୋ ପାଠ ପଢ଼ାରେ କୌଣସି ବାଧା ନଉପୁଜୁ। ତୁ ମଣିଷ ପରି ମଣିଷ ହଅ। ଶିକ୍ଷାଲାଭ କରି ସମାଜରେ ଅନ୍ୟମାନଙ୍କ ପରି ଜଣେ ହୋଇ ଛିଡ଼ା ହଅ। କେହି ନଭାବୁ ତୁ ପଛରେ ରହିଗଲୁ ବୋଲି। ”

ମୋ ବୋଉ କଥା ମୁଁ ଅକ୍ଷରେ ଅକ୍ଷରେ ପାଳିଛି। ଯେତେ ଅଫର୍ ଆସିଛି ସବୁ ପ୍ରତ୍ୟାଖ୍ୟାନ କରିଦେଇଛି। ପ୍ରତିଦ୍ୱନ୍ଦିତାମୂଳକ ନିର୍ବାଚନରେ ପ୍ରତ୍ୟେକ୍ଷ ଅଂଶ ଗ୍ରହଣ କରି ନାହିଁ। ମାତ୍ର ନିର୍ବାଚିତ ପ୍ରତିନିଧିମାନଙ୍କୁ ଜିତିବାରେ ମୋର ଗୋଟେ ପ୍ରଚ୍ଛନ୍ନ ହାତ ଥାଏ। ତା’ଛଡା ଲୋକପ୍ରିୟତା, ବନ୍ଧୁ ବତ୍ସଳତା ଓ ନେତୃତ୍ୱ ନେବାର ଦକ୍ଷତା ହେତୁ ବିନା ନିର୍ବାଚନରେ କେତେ ଗୁଡ଼ିଏ ପଦବୀ ମୋତେ ମିଳିଯାଏ। ତେଣୁ କଲେଜ ୟୁନିଅନ ଓ ହଷ୍ଟେଲ ୟୁନିଅନରେ ମୁଁ ପ୍ରାୟତଃ ମୋ ପାଇଁ ଗୋଟେ ସ୍ଥାନ ବଜାୟ ରଖିଥାଏ। କେତେବେଳେ ଶ୍ରେଣୀ ପ୍ରତିନିଧି ବା ଡିପାର୍ଟମେଣ୍ଟ ସେକ୍ରେଟାରୀ ଓ ହଷ୍ଟେଲରେ କୌଣସି ଗୋଟେ ସମ୍ପାଦକ ବା ସହ ସମ୍ପାଦକ ପଦବୀ ମୋ ପାଇଁ ବ୍ୟବସ୍ଥିତ ହୋଇଯାଏ। ଏହା ଦ୍ଵାରା ବୋଉ ବାକ୍ଯ ପାଳନରେ ଅବମାନନା ହୁଏନାହିଁ। ସେପଟେ ରାଜନୀତିରେ ମୋର କିଛିଟା ଭାଗୀଦାରୀ ଓ ଗୁରୁତ୍ଵ ମଧ୍ଯ ବଜାୟ ରହେ। ତେଣୁ କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ମୋର ସକ୍ରିୟତା ସବୁବେଳେ ରହିଥାଏ। ସେଥିଯୋଗୁଁ ଥରେ ହଷ୍ଟେଲରେ ଜଣେ (ରତିକାନ୍ତ ନାୟକ ) ସେକ୍ରେଟାରୀ ଥିବା ସତ୍ତ୍ୱେ ଆନୁଆଲ function ରେ ରେଡିଓ ଓ ନ୍ୟୁଜ୍ ପେପର୍ ଆଦି ମିଡିଆରେ ସତ୍ୟ ପ୍ରକାଶ ସେଠୀ ସମ୍ପାଦକ ବୋଲି ବାହାରିପଡ଼େ। ମିଡିଆ ହୁଏତ ଜାଣି ପାରେନାହିଁ ବା ମୋ ଆକ୍ଟିଭ୍ participation ଯୋଗୁଁ ଏପରି ବ୍ୟତିକ୍ରମ ଘଟିଥାଇପାରେ, ଯାହା ମୋତେ ଭଲ ଲାଗେ ନାହିଁ। SSG CAMP ହେଉ ବା NSG CAMP ବା picnic ଓ excursionରେ ମଧ୍ଯ ମୋର ମୁଖ୍ୟ ଭୂମିକା ଥାଏ। ଚାକିରୀ ଜୀବନରେ ମଧ୍ଯ ଆମ deptର ରାଜ୍ଯ ସ୍ତରୀୟ unionରେ ଅନେକ ଦିନ ଧରି କର୍ମକର୍ତ୍ତା ରହିଛି। ପ୍ରାୟ ଆଠ ବର୍ଷ ଉପ ସଭାପତି ରୂପେ ମଧ୍ଯ କାର୍ଯ୍ୟ ତୁଲାଇଛି।ଏତଦ୍ ବ୍ୟତୀତ ମୋ ସ୍କୁଲ୍ ର ପୁରାତନ ଛାତ୍ର ସଂସଦର ସଭାପତି ରୂପେ 2003 ରୁ ଏଯାଏଁ ଦାୟିତ୍ଵ ତୁଲାଇ ଆସୁଛି। ଗୋପବନ୍ଧୁ ସେବା ସଦନ, ଗଙ୍ଗାଧର ସେବା ସଦନ, ଆମ୍ବେଦକର ଉନ୍ନୟନ ପରିଷଦ, ନାରାୟଣ ଚନ୍ଦ୍ର  କଳା ପରିଷଦ ଆଦି କେତେକ ସେବା, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସହିତ ମଧ୍ଯ ନିଜର ସମ୍ପୃକ୍ତି ରହିଛି। ଏହିପରି ଜୀବନରେ ଅନେକ ବିଭିଦତା ଓ ବୈଲକ୍ଷଣ ଲକ୍ଷ୍ୟଣୀୟ।

ବାପାଙ୍କୁ ତାଙ୍କ ରାଜନୈତିକ ଜୀବନରେ ଅନେକ ସାହାଯ୍ଯ ସହଯୋଗ କରିଛି ଓ ନିର୍ବାଚନ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଛି ଓ ସେହି ଦୃଷ୍ଟିରୁ ଅନେକ ତିକ୍ତ ଅଭିଜ୍ଞତା ମଧ୍ୟ ରହିଛି।

ଏହି ରାଜନୀତିଟା ଆଜି ବଡ଼ କଳୁଷିତ। ଧୋକାଦାରୀ ବେଶୀ। ନୀତି, ଆଦର୍ଶବୋଧ ଓ ସଚ୍ଚୋଟତା କିଛିଟା କମ୍। ଜଣେ ଅନ୍ୟ ଜଣଙ୍କ କାନ୍ଧରେ ଗୋଡ଼ ଦେଇ ଉପରକୁ ଉଠିବାର ପ୍ରତିଯୋଗୀତା ଟିକିଏ ଅଧିକ। ବିଶ୍ବାସନିୟତା ଓ ବିଶ୍ବାସପଣିଆ ଅତି ନଗନ୍ୟ। ଭଲ ଲୋକଙ୍କର ଏଠି ସ୍ଥାନ ନାହିଁ। କୂଟନୀତି ଓ ଚାଣକ୍ଯ ଶାସ୍ତ୍ରର ପ୍ରୟୋଗ ଅଧିକ। ତେଣୁ କାହାକୁ ଭରସା କରାଯାଇ ପାରେ ନାହିଁ। ସବୁଠାରୁ ବିଶ୍ବାସଯୋଗ୍ୟ ଓ ଭରସାମନ୍ଦ ବ୍ୟକ୍ତିଟି ହିଁ ସବୁଠାରୁ ବଡ଼ ଶତୃ ହୋଇ ଛିଡ଼ା ହୁଏ।ଗୁପ୍ତ ରହସ୍ୟ ଉନ୍ମୋଚନ ଓ ଗୁପ୍ତ ତଥ୍ଯ ପ୍ରଘଟ କରେ। ଚାଟୁକାରଙ୍କ ସଂଖ୍ୟା ବେଶୀ। ନିଜର ଫାଇଦା ପାଇଁ ଅଯଥା ଚାଟୁକ୍ତି କରି ଘଟଣାର ମୋଡ଼ ବଦଳାଇ ଦିଅନ୍ତି, ଅଥଚ ଘଟଣାଟିକୁ ଅଧିକ ଜଟିଳ କରି ଗଢି ତୋଳି ଥା’ନ୍ତି। ଏମାନଙ୍କୁ ଭଗବାନଙ୍କ ଛାଟ ଟିକିଏ କମ୍ ହୋଇଥାଏ। ମାତ୍ର୍ double standard maintain କରିବା ଦ୍ୱାରା ଏ ଘର ପିଉସୀ ସେ ଘର ମାଉସୀ ହୋଇ ଏମାନେ ସହଜରେ କଳି ଲଗାଇ ଦେଇ ନାଟ ତାମସା ଦେଖିବାକୁ ଭଲ ପାଆନ୍ତି। ଭଗବାନଙ୍କ ଦ୍ୱାହି – ଏମାନଙ୍କ ଠାରୁ ଟିକିଏ ହାତେ ମାପି ଚାଖଣ୍ଡେ ଦୂରରେ ରୁହନ୍ତୁ, ନହେଲେ କେତେବେଳେ ପାଣିରେ ବୁଡ଼ାଇ ମାରିଦେବେ। ପୂର୍ବର ସ୍ଵଚ୍ଛ ରାଜନୀତି ଆଜି ଦୁଷ୍ପ୍ରାପ୍ୟ  ପ୍ରାୟ। ଭଲ କଲେ ଭେଲ ହେଉଛି। ରାଜନୈତିକ ଜଟିଳ ପରିସ୍ଥିତି ସବୁ ବିଗାଡ଼ି ବସିଛି। ସବୁ ଆଡ଼େ ଖାଲି ଚକ୍ରାନ୍ତ। କୁଚକ୍ରୀଙ୍କ ସଂଖ୍ୟା ବିଶେଷ ବୃଦ୍ଧି ପାଇଛି। ଜନ ସେବା, ଜନ ଜାଗରଣ ନାଁରେ ବ୍ୟଭିଚାର ଓ ସଠତା ବଢିଛି। ଖାଲି ଗୁଡ଼ାଏ ମିଥ୍ୟା, ଦୁରାଚାର, ମିଥ୍ୟା ପ୍ରତିଶୃତି। ଏତେ ବେଳେ ଭଲ ଲୋକଙ୍କର ରାଜନୀତିରେ ପଶିବା ନିଷେଧ। କୁଟ, କପଟ ଓ କୂଟନୀତିରେ ଆଜିର ରାଜନୈତିକ ଆକାଶ ବେଶ୍ କଳୁଷିତ। ଶାନ୍ତି ବ୍ୟାହତ। ସ୍ବାର୍ଥପରତା ଓ ସ୍ୱାର୍ଥ ଲୋଲୁପତାର କରାଳ ଛାୟା ଚାରିଆଡ଼େ ଗ୍ରାସ କରିଛି। ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଇଛି। ମଦ, ଅର୍ଥ ଓ ବାହୁବଳ ସର୍ବସ୍ଵ ରାଜନୀତିରେ ଭୋଟର କିଣା ବିକା ଚାଲିଛି। ଅର୍ଥର ବ୍ୟାପକ ପ୍ଳାବନ ଫଳରେ ସାଧାରଣ ସଚ୍ଚୋଟ ଲୋକ ନିର୍ବାଚନ ଲଢିବାକୁ ପଛଘୁଞ୍ଚା ଦେଉଛି। ଏଠି ଅସାମାଜିକ ଓ ଗୁଣ୍ଡାଙ୍କର ଆଧିପତ୍ୟ ଅଧିକ। ସେଇମାନେ ଭୋଟ କରେଇବେ ଓ ଜିତେଇବେ। ତେଣୁ ରାଜନୈତିକ ସଂସର୍ଗ ବଡ଼ ବିଷପିତା।

ମୁଁ ମୋ ଜୀବନରେ ଦେଖିଛି ରାଜନୀତିରେ କେତେ ଘମାଘୋଟ ଲଢେଇ। ଦେଖିଛି ରାଜନୈତିକ ଦଳର ଓ ନେତାଙ୍କ ଦ୍ୱାରା ହେଉଥିବା  ଗାଁରେ ବାରମ୍ବାର ଗ୍ରାମ୍ୟ ଗଣ୍ଡଗୋଳ, ଅଶାନ୍ତି ଓ ଅସନ୍ତୋଷର ଦାବାନଳ। ବିଭିନ୍ନ ସଭା ସମିତିରେ ଠେଲାପେଲା। ମାଡ଼ଗୋଳ ପ୍ରହସନ। ଏହି ତ ରାଜନୀତି ଓ ସାମାଜ ସେବା। କ୍ଷମତା ଲୋଭରେ ଯେଉଁଠି ମୋହାଚ୍ଛନ୍ନ ନେତା।

ଏମାନଙ୍କର ଆହୁରି ଗୋଟାଏ ଚମତ୍କାରିତା ଅଛି-ଦଳାଦଳି ଫଟାମଫଟି, ଭଙ୍ଗାଭଙ୍ଗି।କିଛି ନ ପାରିଲେ ବାପ ପୁଅଙ୍କ ଭିତରେ ବା ଭାଇ ଭାଇ ମଧ୍ୟରେ ଖଚ୍ଛ ମିଛ କହି ଝଗଡାଟି ଲଗେଇ ଦେଇଥିବେ। ଘଟଣାଟିକୁ ଏମିତି ମୋଡ଼ ଦେଇ ଦେଇଥିବେ ଯେ ଆଉ ସମାଧାନର ବାଟ ଫିଟେନା। କଥାଟାକୁ ମାଜି ଘସି ଚିକ୍କଣ କରି ତୂଳୀରେ ରଙ୍ଗ ବୋଳି ଦେଲା ପରେ ନିହାତି ଅମୂଳକ କାହାଣୀଟା ସତ ସତିକା ନାଟକ ପରିକା ଖ ପ୍ରତୀତ ହେଉହଥିବ। ଭୁଲ୍ ଭୁଲିଆରେ ପଡ଼ି ମୁଣ୍ଡ ସିନା ଟାଇଁ ଟାଇଁ ହୁଏ, ହେଲେ ପରାଭବର ଗ୍ଲାନି ମାନଟାକୁ ଅଥୟ କରି ଦେଇ ଥିବ। ବୁଝିଲା ବେଳକୁ ଫଳ ନା ଚୋପା ଥାଏ। ନେଡି ଗୋଡ କହୁଣୀ କି ବୋହି ଯାଇଥାଏ। ଫାଇଦାବାଜଙ୍କର ସିନା ଫାଇଦା ହୋଇଥାଏ, ହେଲେ ସାଧାରଣ ଜନତାର କି ଲାଭ ହୁଏ? ରାଜନୀତିର କୁତ୍ସିତ କଦାକାର ରୂପ ମନରେ ଭିତ୍ତି ସଂଚାର କରେ। ଶଙ୍କା ଆଶଙ୍କାରେ ମନ ବିଶୋଇ ହୋଇ ଉଠେ। ଏହି ଆମ ଭୋଟର ସର୍ବସ୍ଵ ରାଜନୀତି ଓ ରାଜନେତାଙ୍କ କରିସ୍ମା।

ଏହି ରାଜନୀତି ପାଇଁ ଅନେକ କିଛି ମୋତେ ତ୍ୟାଗ କରିବାକୁ ପଡ଼ିଛି। ସେଦିନ ବାଣୀବିହାରରୁ ପାଠପଢା ସାରିଲା ପରେ 1991-92 ମସିହାରେ ପି. ସି. ସି. ସଭାପତି ଡାକି କହିଲେ – “father or son, ଯିଏ ହେଲେ ଜଣେ ଭଣ୍ଡାରି ପୋଖରୀରୁ ପ୍ରାଥୀ ହେବ। ତେଣୁ ସଂଗଠନ କର। ଜିତିବା ତୁମର ଲକ୍ଷ୍ଯ ।”ଅକ୍ଲାନ୍ତ ପରିଶ୍ରମ କଲି, ଚାରିଆଡ଼େ ବୁଲି ସଭା ସମିତି କରି ବୁଥ କମିଟିଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ କମିଟି ଯାଏଁ ସବୁ ସଂଗଠନ କରାଗଲା। ଘୋ ଘୋ ହୋଇ ଲୋକ ପ୍ରିୟତା ବୃଦ୍ଧି ପାଇଲା। ପି. ସି. ସି. ସଭାପତିଙ୍କୁ ଆଣି ନିର୍ବାଚନର ଠିକ୍ ଅବ୍ୟବହିତ ପୂର୍ବରୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରି ପୋଖରୀ ଓ ବନ୍ତ ବ୍ଲକରେ ଦୁଇଟି ବଡ଼ ଧରଣର ସଭାର ଆୟୋଜନ କରାଗଲା। ବହୁ ଲୋକ ସମାଗମ ହେଲେ। ସମସ୍ତେ ପ୍ରୀତ। ସେଇ ହେଲା ମୋ ଟିକଟ ନପାଇବାର ମୁଖ୍ୟ କାରଣ। କାହିଁକିନା ଏହି ଦୁଇଟି ସଭାରୁ ସ୍ପଷ୍ଟ ହୋଇଗଲା ଯେ, ଏଠୁ ଦଳୀୟ ପ୍ରାର୍ଥୀ ଜିତିବା ନିହାତି ସହଜ। ତେଣୁ ବାହାରୁ ପି. ସି. ସି ସଭାପତିଙ୍କ ନିହାତି ଅନୁଗତକୁ ଥଇଥାନ କରିବା ପାଇଁ ଏ ସ୍ଥାନରୁ ଟିକଟ ଦେଇ ଦେଲେ। 3/4 ବର୍ଷ ସଂଗଠନ କରି ମୁଁ ମୋ କ୍ୟାରିୟର୍ କୁ ସଙ୍କଟରେ ପକେଇ ସାରିଥିଲି। ଆର୍ଥିକ ପରିସ୍ଥିତି ମଧ୍ଯ ସାଙ୍ଘାତିକ ହୋଇ ଉଠିଥିଲା। ପାଠ ପ୍ରତି ଧ୍ୟାନ ଦେଉ ନଥିଲି। ଏହି ରାଜନୀତି ପାଇଁ ଏମ୍. ଫିଲ୍. Admission ରେଭେନସାରେ ପାଇଥିଲେ ମଧ୍ଯ କରିପାରିଲି ନାହିଁ କି ମଧୁ ସୁଦନ ଲ କଲେଜରେ ଲ complete ହୋଇ ପାରିଲାନାହିଁ ।

ହେଲେ ମଝିରେ ମଝିରେ ଗୋଟେ ଅଧେ ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷାରେ ଅବତୀର୍ଣ୍ଣ ହେଉଥାଏ। ତହୁଁ U. G. C. ଠାରୁ eligibility for lecturship ପାଇଥାଏ। ସେତେବେଳେ ଯେଉଁମାନେ eligibility for lecturship ପାଇଥା’ନ୍ତି ତାଙ୍କୁ ଦିଲ୍ଲୀ ଠାରେ ଏକ ମୌଖିକ ପରୀକ୍ଷାରେ ଅବତୀର୍ଣ କରାଇ research fellowship award ଦେବାର ବ୍ୟବସ୍ଥା ଥିଲା। ଯାହାକି ମୋର ଡିସେମ୍ବର 22/1995 ମସିହାକୁ ନିର୍ଘଣ୍ଟ ହୋଇଥିଲା। ମାତ୍ର୍ 27th ଡିସେମ୍ବର 1995 ମସିହାରେ ଦଳୀୟ ଟିକଟ ଚୂଡାନ୍ତ ହେବାକୁ ଥିବାରୁ ଉଚ୍ଚ ନେତୃବୃନ୍ଦଙ୍କ ପ୍ରରୋଚନା ଓ ଦୃଢ ପ୍ରତିଶୃତି କାରଣରୁ ମୁଁ ଦିଲ୍ଲୀ ଯାଇ ପାରିଲି ନାହିଁ । ଏପଟେ ମଧ୍ଯ ଦଳୀୟ ଟିକଟ ହରେଇଲି। ଫଳରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାନସିକ ଉତ୍ପୀଡନର ଶିକାର ହେବା ଫଳରେ ଭାରସାମ୍ୟ ହରେଇବାକୁ ଲାଗୁଥାଏ। ଅନେକ ଅନୁଶୋଚନା, ମନସ୍ତାପ ଓ ଭୟ ମନ ଭିତରେ ଉଙ୍କି ମାରୁଥାଏ। ଯୋଗକୁ ଠିକ୍ ଏତିକି ବେଳକୁ ଏତେ ବ୍ୟସ୍ତତା ମଧ୍ୟରେ ବି ପୂର୍ବରୁ ଦେଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମବାୟ ନିରୀକ୍ଷକ ଚାକିରୀ ପାଇଁ ଡାକରା ଆସିଗଲା। 6th ଅଗଷ୍ଟ 1996 ମସିହାରେ ପ୍ରଥମେ ଆନନ୍ଦପୁରରେ ଚାକିରୀରେ ଯୋଗଦାନ କଲି।

କିଛି ଦିନ ବିରାମ ନେଇଗଲି। ପୁନଃ 2008 ମସିହାରେ ଲେଖା ଲେଖି କରି କେତେଖଣ୍ଡ ବହି ପ୍ରକାଶ କରିଥାଏ। ତାହାକୁ ଭେଟି ଦେବା ପାଇଁ ନେତାଙ୍କ ପାଖକୁ ଯିବାରୁ, ତାଙ୍କର ମୋ କଥା ମନେ ପଡିଗଲା, ନେତାଏ କହିଲେ – ତୁମେ ରାଜନୈତିକ ପରିବାରର ପିଲା। ତେଣୁ ବଂଶ ପରମ୍ପରା ରକ୍ଷା କରି ନିର୍ବାଚନରେ ଏଥର M. L. A ପାଇଁ ଛିଡ଼ା ହୁଅ। ଭାବିଲି ଓ. ଏ. ସ. ମେନ୍ ପରିକ୍ଷା ତ ଦେଇଛି, ଭଲ ହୋଇଛି, result ବାହାରି ନାହିଁ, ଦେଖା ଯାଉ କ’ଣ ହେଉଛି, ଟିକିଏ ମାତି ଗଲି। ଗୋଟାଏ ପଟେ ଚାକିରୀ, ଅଧ୍ୟୟନ ଓ ଲେଖାଲେଖି ଅନ୍ୟପଟେ ରାଜନେତା ଓ ଜନସେବା କରିବାର ଭିତିରି ଇଚ୍ଛା। ହରଡ଼ ଘଣାରେ, ଦୋ ଘାଇ ରାସ୍ତାରେ।

ନେତା ଓ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗରେ ରହିଲି। ମାତ୍ର୍ ପୁଣି ପ୍ରତାରଣାର ଶୀକାର। ନେତୃ ମଣ୍ଡଳୀର ଧୋକାଦାରୀ। ଶେଷ ମୁହୂର୍ତ୍ତରେ – ନା। ଏପଟେ ଚାକିରୀ ପ୍ରତି ବିଭିନ୍ନ୍ ଗୁଜବ, ମିଥ୍ୟା ଅପପ୍ରଚାର ଓ ରାଜନୈତିକ ଷଡଜନ୍ତ୍ର ଯୋଗୁ କିଛିଟା ବିପର୍ଯ୍ୟୟ ଓ ବିପତ୍ତି। ଅନ୍ୟ ଦିଗରେ legal dispute ହେତୁ ଓ. ଏ. ସ. Result ବାତିଲ ଓ ପୁନଃ ମେନ୍ ପରୀକ୍ଷା ଘୋଷଣା, ବ୍ୟବଧାନ ସ୍ଵଳ୍ପ, ଏତେ ପରିସ୍ଥିତି ଭିତରେ ପ୍ରସ୍ତୁତି ହୋଇପାରିଲାନି। ଅକୃତକାର୍ଯ୍ୟ। ସନ୍ତାପିତ ଚିତ୍ତ। ହତାଶା ଓ ଅଶ୍ରୁ। ସବୁଥିରେ ଅସଫଳ ଓ ତହିଁରୁ ସ୍ଵପ୍ନ ଭଙ୍ଗ। ବ୍ୟର୍ଥତା।2014 ମସିହାରେ ମଧ୍ୟ ସେହି ସମାନ ଘଟଣା କ୍ରମର ପ୍ରହସନ।

ବାର ବାର ନୁହଁ, ଓଡ଼ିଆ ତ୍ରିବାର ଠକିଲା ପରେ ଏକଦମ୍ ନିଶ୍ଚୁପ। ତେଣିକି ରାଜନୀତି ପ୍ରତି ବଡ଼ ନିଷ୍ପ୍ରୃହ। ଏବେ କେହି ଆହ୍ଵାନ ତୋଳି ଧରିଲେ ମଧ୍ଯ ଆମେ ଅନିଚ୍ଛୁକ। ନାହିଁ କହିବାକୁ ବାଧ୍ୟ। ସାହିତ୍ୟ ଓ ସମାଜର ସେବା ସେହି ବରଂ ଭଲ। କର୍ମ ସଂସ୍ଥାନଟେ ଅଛି – ଅନ୍ନ ଗଣ୍ଡେ ମିଳି ଯାଉଛି। ସେଇ ସନ୍ତୁଷ୍ଟି। ପିଲା  ପାରି ଗଲା ପରେ – ସେବା ଅନୁଷ୍ଠାନଟିଏ ଗଢି ଆତ୍ମ ତୃପ୍ତି ପାଇବା ଲକ୍ଷ୍ୟରେ। ସମୟର ନିବୁଜ କୋଠରୀ ହୁଏତ ଦେଇପାରେ କୌଣସି ଆଲୋକର ସନ୍ଧାନ। ଜୀବନର କେଇଗୋଟି କ୍ଷୀଣପ୍ରଭ ଆଲୋକ ରେଖା କଦବା ଜାଳି ପାରେ ଆଲୋକର ବର୍ତ୍ତିକା। ଏଥିରେ ଆମେ ସିନା ଟିକିଏ ସନ୍ଦିହାନ ତଥାପି ନୂତନ ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ନ ପାରେ।

ଏହିପରି ଜୀବନରେ ଅନେକ ମୋଡ। ସିଦ୍ଧାନ୍ତଟା ବାରମ୍ବାର ପରିବର୍ତ୍ତିତ। ସମ୍ପ୍ରତି ପରିସ୍ଥିତି ଭିନ୍ନ। ଗୋଟିଏ ଦ୍ଵାର ଖୋଲିଲା କ୍ଷଣି ଅନ୍ୟ ଦ୍ଵାରଟି ବନ୍ଧ। ଜୀବନର ଗତିପଥ ବଦଳିବାକୁ ବାଧ୍ୟ। କୁଆଡ଼କୁ କେତେବେଳେ କେଉଁ ଗତି କିଛି ନିଶ୍ଚୟତା ସ୍ରୁଷ୍ଟି କରେ ନାହିଁ। ଜୀବନଟା ସତେ ଅବା ଅଙ୍କା ବଙ୍କା ରାସ୍ତା।

ଏଥୁଁ ଆତ୍ମ ନିବେଦନ – ଯାହା ଜୀବନର ଶ୍ରେୟ ଆଉ ଧେୟ ହେବା ଉଚିତ୍, ତାହା ହିଁ  ବାଞ୍ଛନୀୟ। ତହିଁ କି କାମ୍ୟ – ଆଦର୍ଶ ଜୀବନ ଯାପନ, ସରଳ ସୌକର୍ଯ୍ଯ ଜୀବନ ଶୈଳୀ, ଆଧ୍ୟତ୍ମିକ ଓ ଆଧିଭୌତିକ ଚେତନା, ଦାର୍ଶନିକ ସୁଲଭ ଚିନ୍ତା ଓ ଚେତନା ପ୍ରସୂନ ଜୀବନାଦର୍ଶ, ମଣିଷ ସମାଜକୁ ନିରେଖି ଦେଖିବାର କଳା ପାଟବତା, ଅଧ୍ୟୟନ ଓ ଅଧିତବ୍ଯ ବିଷୟରୁ ପ୍ରଗାଢ ଜ୍ଞାନାରୋହଣ। ଅଭିପ୍ରାୟ – ଚେତନାର ଅଳି କନ୍ଦିରେ ନିନାଦିତ ହେଉ ମାନବତାର ଜୟ ଗାନ ।

Related posts

ପ୍ରୀତିପର୍ଣ୍ଣା

satya

ଗାଁରୁ ଫେରୁଛି, ଗାଁ ହଜିଛି ।

satya

ସାବିତ୍ରୀର ପ୍ରତିଶୋଧ

satya

4 comments

Prakash Jyoti Mahakud 11th October 2018 at 11:12 am

Very few describes the Real truth of life and in many few you are one of them. Really u r grt

Reply
Golak 13th October 2018 at 9:36 am

A great path finder for others

Reply
Rapid Results Keto Diet 23rd October 2018 at 9:42 am

Greetings I am so grateful I found your webpage, I really found you by accident, while I was
browsing on Aol for something else, Regardless I am here now and would just
like to say many thanks for a tremendous post and a all round interesting
blog (I also love the theme/design), I don?t have time to go through it all at the minute but I have
saved it and also included your RSS feeds, so when I have time I will
be back to read more, Please do keep up the superb jo. https://rapidresultsketo.net/

Reply
Rapid Results Keto Diet 23rd October 2018 at 9:43 am

Greetings I am so grateful I found your webpage, I really found
you by accident, while I was browsing on Aol for
something else, Regardless I am here now and would just like to say many thanks for a tremendous
post and a all round interesting blog (I also love the theme/design), I don?t have time to go through it all at the minute but I have saved it and
also included your RSS feeds, so when I have time I will
be back to read more, Please do keep up the superb jo. https://rapidresultsketo.net/

Reply

Leave a Comment

Login

X

Register