ଲୋଭିଲା କୁକୁରକୁ ଗୀଧ
–by Dr Satya Prakash Sethy
ଥରେ ନୀର, ବନା, ଶାନ୍ତିଆ, ନଖିଆ, ସନା ଏମିତି ଚାରିପାଞ୍ଚଜଣ ବିଲରେ ବାଟିଆ ପକାଉଥା’ନ୍ତି। ଏସନ ଇନ୍ଦ୍ରଦେବତା ଟିକିଏ ପ୍ରସନ୍ନ ହୋଇଛନ୍ତି ।ସେଇଥିପାଇଁ ବିଲରେ ଜଲଦି ପାଣିଲାଗି ହୋଇଥାଏ। ତେଣୁ ଟିକିଏ ସଅଳ ସଅଳ ବାଟିଆ, ହିଡ଼କତି, ମହୀ ଓ ପାଣିହଳ ଆଦି କେତେ କାମ ଲାଗିଯାଇଥାଏ। ଏଇ ସମୟରେ ମୂଲିଆପାନିଆ ପକାଇ ଟିକିଏ ଝଅଟ ବିଲବାଡ଼ି କାମ ସାରିଦେବା କଥା ।ନହେଲେ ପରା ଅନ୍ୟ ଚାଷୀଙ୍କୁଠୁଁ ପଛରେ ପଡ଼ିଯିବ। ତେଣୁ ବିଲବାଡ଼ିରେ ଚାରିଆଡ଼େ କୁରୁବଳ ସୈନ୍ୟ ପରି ଲୋକ ପୂରିଥା’ନ୍ତି ।ଯାହାର ବଳ ପାଇଲା ବା ଅଣ୍ଟିରେ ଦି’ ପଇସା ଅଛି ସେ ଆଗୁଆ କାମ ଉଠାଇନେଲା। ନହେଲେ ନାହିଁ ପରା ସମସ୍ତଙ୍କ ପଛକୁ ରହିଯିବ ଆଉ ଅନ୍ୟ ଲୋକମାନେ ହୁଇମାଇଲା ଭଳିଆ ହୁମ୍ଫାମାରି ଆଗକୁ ଚାଲିଯିବେ। ତେଣୁ ଚାଷକାମରେ ମଅଠ କଲେ ଆଉ ଚଳିବନି । ଧାନ ବେଉଷଣ, ରୁଆପୋତା ସବୁ ଠିକଣା ସମୟରେ କରିଦେଲେ, ବାସ୍ ଛୁଟି। ତେଣିକି ତାସ୍ ପଶା ସବୁ ବସିଶୋଇକି ଖେଳୁନ କିଛି ଚିନ୍ତା ନାହିଁ। ଘରଲୋକ ବି ଆଉ ବିମୁଖସିମୁଖ ପାଇବେ ନାହିଁ କି କେହି କିଛି କହିବେ ନାହିଁ । ମହୀପଟା ଉପରକୁ ଉଠି ପଡ଼ୁଥିବା କ୍ଷେତିଆଳି କଙ୍କଡ଼ା ଦିଟା ତ ନିଶ୍ଚୟ ମିଳିବ ପୁଣି ଉଠାଣି କୋଉମାଗୁର ଦିଟା ଯେମିତି ହେଲେ ଗାଡ଼ିଆ ପୋଖରୀ ହୁଡ଼ାରୁ ରାତିକୁ ମିଳିବ ।ତେଣିକି ଖାଇ ପିଇକି ନାଈରେ ତେଲଦେଇ ନିଘୋଡ଼ ନିଦରେ ଶୋଇଗଲେ ଯାଏ।
ତା’ପରେ କଥାରେ ଅଛି ପରା’ ଚାଷୀ ତରତର ବଣିଜ ମଠ’-ଦନେଇ ଦାସଙ୍କ ଖନାବଚନ ।ଖାଉନ୍ଦ ଚାହାଁନ୍ତି, ସେଇ ମୂଲିଆ ଉପରେ ନିର୍ଭର କରି ତ ଚାଷ କରିବାକୁ ପଡ଼ିବ। ତେଣୁ ଆଉ ବିଳମ୍ବକରି, କ’ଣ ଟଙ୍କାକ ଖରଚ ଚାରଣ ହେବ କି? ତାହା ତ ନୁହଁନା ।ତା ଅପେକ୍ଷା ଫୋଡ଼ଣ ବା କାଟ ଦେଇଦେଲେ ବରଂ ଭଲ ।ମୂଲିଆଙ୍କର ଦି ପଇସା ଲାଭ ଆଉ ଜମି ମାଲିକର ବି ଶୀଘ୍ର ଶୀଘ୍ର କାମ ଉଠିଯିବ। ମୂଲିଆ ବି ଆଜିକାଲି ଭାରି ଚଲାଖ ହୋଇଗଲେଣି ।ସିଏ ଯାହା ପାଖରୁ ଦି ପଇସା ଅଧିକ ପାଇବେ ତାହାରି କାମକୁ ଆଗ ପଳେଇବେ ।ତେଣିକି ତୁମେ ଯାଇ ଘର ଘରକା ଅଣ୍ଡାଳୁନ, ତୁମକୁ ପରା କେହି ଦେଖାଦେବେ ନାହିଁ କି ମୁହଁ ମୂଲିଜାକୁ ଚାହିଁବେ ନାହିଁ ।ପଚାରିଲେ ଓଲଟା କହିବେ, ଆମେ ପରା ଅଲଗା ଲୋକ ପାଖରୁ ମୂଲିଜା (ଆଗୁଇ ବଇନା) ନେଇଛୁ। ତେଣୁ ତୁମ କାମକୁ କେମିତି ଯିବୁ ।ନହେଲେ କହିବେ, ଆମେ କୋତକୁ କଣ୍ଟ ନେଇଯାଇଛୁ, ସେ କାମ ନ ସରିଲେ ଆଉ କାହା କାମକୁ ଯିବୁ ନାହିଁ ।ତେଣୁ ଏତେ ବେପାରକୁ କାହିଁକି ଯିବ, ବରଂ ତାଙ୍କୁ ଠିକା ଦେଇଦେଲେ ଆହୁରି ଭଲ। ସିଏ ବି ସେଥିରେ ଖୁସିପାଇ ଆଗ ଯିବେ ଆଉ ଠିକଣା ସମୟରେ କାମଟା ବି ସରିଗଲେ ଯାଏ ।
ତେଣୁ ସେଦିନ ସେମିତି ଏ ପାଞ୍ଚ ପା’ ଗୋହିରୀ ଜମିକୁ ଇଏ ନୀର ହରିକା କୋତରେ ନେଇ କାମ କରୁଥିଲେ। ଖାଉନ୍ଦ, ମାନେ ଜମିମାଲିକ ବା। ସେ କହିଥିଲା ଏତିକି ଜମି ତୁମର ଯେତେବେଳେ ସରିବ ସେତେବେଳେ ପଳାଇବ, ତା’ର କିନ୍ତୁ ଯେମିତି ହେଲେ କାମ ସରିଗଲେ ଯାଏ। ଏଥିପାଇଁ ବି ଦୋହରା ମଜୁରୀ, ମାନେ ଜଣକା ଦି ଦିଟା ମଜୁରୀ ଦେବାକୁ ସେ ରାଜି । କାହିଁକିନା ଇଏ ପରା ଗୋହିରୀ ବିଲ। ଏଠି ବେଙ୍ଗ ମୂତିଲେ ପାଣି ।ସେଇଥିରେ ଆକାଶଟା ନିଇତି ଘଡ଼ଘଡ଼ ହୋଇ ଆଲୁଅ ଦେଖାଇ ଯେମିତି ଡେଙ୍ଗୁରା ପିଟୁଛି , ଏଇଲାଗେ ପୁଣି ଦୁମୁଦୁମୁ ହୋଇ ବରଷିଯିବ କି କ’ଣ ।ତେଣୁ ଏଇ ଦୈବୀଦୁର୍ବିପାକକୁ ଭାରି ଡର।
ତେବେ ଏମାନଙ୍କୁ କୋତ ଦେଇଦେଲା ପରେ ଏ ମୂଲିଆମାନେ ଯେମିତି ହୋସଲାରେ କାମ କରୁଛନ୍ତି ନା ନିଶ୍ଚୟ କାମସାରିକି ଯିବେ। ତେଣୁ ଖାଉନ୍ଦ ଯୋଉ ମୂଲିଆକୁ ଯଗିବ ବୋଲି ହିଡ଼ମୁଣ୍ଡରେ ଛତା ମୁଣ୍ଡେଇ ବସିଥିଲା, ସିଏ ବି କେତେବେଳଠାରୁ ଘରକୁ ପଳାଇଗଲାଣି ।ତା’ର ବି ଏଠି ଆଉ ବସିରହି ଲାଭ କ’ଣ। ଏମାନଙ୍କ ସହ ତ କଥା ହୋଇଗଲା, ଗିରିମିଟି ଅନୁସାରେ ପଇସା ନେବେ।
କଥାବାର୍ତ୍ତା ସାରି ମାଲିକ ଚାଲିଗଲା ପରେ ଏମାନେ ଭାରି ହାତ ଫୁର୍ତ୍ତିକରି କାମ କରୂଥା’ନ୍ତି ।ନିଜ ଭିତରେ ବି ପ୍ରତିଯୋଗିତା କରୁଥା’ନ୍ତି, “ଦେଖିବା! କିଏ କେଉଁ ମଳାକ ଆଗ ସାରିବ” ।ମଝିରେ ମଝିରେ ହାସ୍ୟରସ ଆଉ କୌତିକିଆ ଓ ବିନୋଦିଆ କଥାର ଲହର ବି ଲମ୍ବୁଥାଏ ।କିଏ କେତେ ରକମର କେତେ କଥାସବୁ ପକାଉଥା’ନ୍ତି ।ସେଇ ଏକା କଥାକୁ ବଡ଼ ବାଗରେ ଉପସ୍ଥାପନ କରିବାର କୌଶଳଟା କିନ୍ତୁ ବେଶୀ ଆନନ୍ଦ ଉଲ୍ଲାସ ଭରୁଥିଏ । ଏଇ ବିଦ୍ୟାରେ କିନ୍ତୁ ବେଶୀ ପାରଙ୍ଗମ ଥିଲା ନୀର ।ସେ ଏମିତି ଛୋଟ ଛୋଟ ସହଜସରଳ କଥାକୁ ମୋଡି ମୁଡାକି ଭାଙ୍ଗପକାଇ ପୁଣି ଥାକଦେଇ କଥାକୁ ମେଲେଇ ଦେବ ଯେ, ନ ହସୁଥିଲା ଲୋକ ପରା ହସିହସି ମୂତି ପକାଇବ ।
ଏହି ନୀରଟା ବାସ୍ତବରେ ଭାରି କିରିଆଟେ ।ସେ ପରା ସବୁକଥାର ଖୋଟ ବାହାର କରିବ ।ନହେଲେ ତା ଭାତ ହଜମ ହେବ ନାହିଁ। ତା’ପରେ ଏକଥା କ’ଣ ସତ ନୂହେଁ କି, ଯେଉଁମାନେ ମୂଲିଆ କାମ କରୁଛନ୍ତି, ସେମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ତେଣୁ ସେମାନେ ଶ୍ରମଝାଳ ବୁହାଉଥିବା ବେଳେ ଯଦି ଲଘୁ ଭାବରେ କିଛି ହାଲୁକା କଥା କହି ନହସିବେ, ତେବେ ସେମାନଙ୍କର ଶ୍ରମଲାଘବ ହେବ ନାହିଁ । ଅବଶ୍ୟ ଆଜି ଯେଉଁମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଆରାମ ଚୌକିରେ ବସିରହି ଲେକଚର (ଭାଷଣବାଜି) ଝାଡୁଛନ୍ତି, ସେମାନେ ଏହାର ତାତ୍ପର୍ଯ୍ୟ ଏତେଟା ସହଜରେ ବୁଝିପାରିବେ ନାହିଁ। ନବୁଝନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ, କିନ୍ତୁ ଏମାନଙ୍କ କଥାବାର୍ତ୍ତା ଓ କାର୍ଯ୍ୟକଳାପ କାହିଁକି ଭାରି ରୋଚକ ହେଉଥିଲା ।
ଏତିକି ବେଳେକୁ ସେଇ ବାଟଦେଇ ଜଣେ ଭାରୁଆ ଯାଉଥିଲା I ଏମାନଙ୍କୁ ଦେଖି ସେ ପଚାରିବାକୁ ଲାଗିଲା, “ଓଃ ଚାଷୀ ଭାଇ! ମୋତେ ଟିକିଏ କହିବକି ରଘୁବାବୁ ଘର କୋଉଠି।”
ନୀର ତ ଭଡ଼ ଭଡ଼ିଆଟା।କହିଲା, କୋଉ ରଘୁବାବୁ ବା, ରଘୁ ମଳିକ ନା ରଘୁ ସାଆନ୍ତ ନା ରଘୁମାଷ୍ଟ୍ର ନା ରଘୁ ମାହାନା। ପୁଣି ଏ ଗାଁ ନା ସେ ଗାଁ ନା ଆର ଗାଁ, କୋଉ ଗାଁ କଥା ପଚାରୁଛ ବା ।
ଭାରୁଆଟି କହିଲା, “ନାଇଁ ହୋ ଭାଇ! ଏଇ ଗାଁ ।ଏଇ ଗାଁଟା ବାହାବଳପୁର ନୂହେଁ କି? “
ତାଙ୍କ ଭିତରୁ କିଏ ଜଣେ ଉତ୍ତର ଦେଲା ‘ହଁ ‘।
ସେଇଠୁ ପୁଣି ଭାରୁଆଟି କହିଲା,” ହଁ ହଁ ଭାଇ ଏଇ ଗାଁ ।ଏଇ ଗାଁର ସେ ମାହାନା ପରିବାରକୁ ଆମ ଗାଁ ପାକି ଦେଈ ବୋହୂ ହୋଇ ଆସିଛି ତ, ମୁଁ ତାଙ୍କରି ଘରକୁ ପ୍ରଥମ ଦ୍ଵିତୀବାହନ ବୋଝଧରି ଆସିଛି। ଆମ ଦେଈ ଭାରି ଭଲ ।ବିବେକୀ ଆଉ ଶିକ୍ଷିତା ବି ।ସେ ପରା ମାଇନର ଯାଏ ପଢ଼ିଛି। କାନ୍ଦଣା ଗୀତ, ବୋଉଳବେଣୀ ଗୀତଠାରୁ ଆରମ୍ଭ କରି ଖୁଦୁରୁକୁଣି ଗୀତ ଯାଏ ସବୁ ପରା ରାହାଧରି ଭଲଗାଏ। ପୁଣି ବିଞ୍ଚଣା ବୁଣା, ଚଟେଇ ସିଆଁଠାରୁ ରୁମାଲରେ ଫୁଲପକା ଯାଏ ସବୁ ତାକୁ ଜଣା। ପୁଣି ସାଠଣା ମାଠଣା ଓ ରନ୍ଧାବଢ଼ାରେ ତ କେହି ବୋଲି କେହି ଏତେ ଟିକିଏ କ୍ଷୂଣି ପାରିବେ ନାହିଁ। ସେଇଥିପାଇଁ ପରା ମାହାନା ଘର ତାକୁ ବୋହୂକରି ଆଣିଛନ୍ତି। ନହେଲେ ତା ବାପାମାଆ ଯୋଉ ଗରୀବ ସେ କ’ଣ ଏଇ ଖାଉନ୍ଦ ଘରେ ବନ୍ଧୁ କରିପାରିଥା’ନ୍ତେ କି ।”
ନଖିଆ କହିଲା,” ହୋଉ ଭାଇ! କେତେବାଟରୁ ଆସିଲଣି, ଥକିପଡ଼ିବନି।ଝଅଟ ଭାର ପହଞ୍ଚେଇ ଦେଇ, ଯାଅ ଟିକିଏ ଆସକତିଆ ମେଣ୍ଟେଇବ ।”
ଲୋକଟି ‘ହୋଉ’ କହି ଭାର ପୁଣି ସଜାଡିଲା, ଉଠ ଉଠ ହେଲା ଯିବା ପାଇଁ। ଯାହାହେଲେ ବି ଦଶକୋଡ଼ିଏ ମାଇଲ ବାଟ ଚାଲି ଚାଲି ଆଇଲାଣି, ତେଣୁ ଭାର ଉଠାଇଲା ବେଳକୁ ଟିକିଏ କୁନ୍ଥେଇହେଲା । ନୀର ତ ଭାରି ଫିସାଦିଆ।ଟାଉଳ ହୋଇ କହିଲା,” ହଁ ହଁ ପାଡ଼ ବାହାରିଯିବଣି, ଆଉ କୁନ୍ଥେଇବ ନାହିଁ, ଇଏ କ’ଣ କମ୍ ଶକ୍ତ ଭାର ନା କ’ଣ ।”
ଲୋକଟି ଆଉକିଛି କହିଲା ନାହିଁ, ସେ ତା ଭାର କାନ୍ଧେଇଲା, ଆଗକୁ ସଳଖିଲା। ନୀର ପୁଣି ପଛରୁ ହାଣ୍ଡିଆ ପାଟିକରି ଚିଲ୍ଲେଇଲା, “ହଁ ହଁ ଯାଅ ଯାଅ! ମାହାନା ମାଇବ ତ ଭାତ ତରକାରୀ କି ବେଲେ ବାଢ଼ିଦେବ ଖାଲି ହାଉଁ ହାଉଁ କରି ଗାଣ୍ଡି କଚାଡ଼ି କି ଗେଫେଇ ଯିବ ।”
ସେ କହିଲା,” ଏ ଭାଇ ତୁମେ ଏତେ କିରିଆ ନା କ’ଣ କୁହନି, ମୋତେ ଏତେ କିରେଇକି କିଲିବିଲିଆ କଥା କାହିଁକି କହୁଛ।”
ନଖିଆ କହିଲା, “ତା କଥାରୁ କ’ଣ ପାଇବ ଭାଇ କହିଲ! ସିଏ ଟିକିଏ ଆମର କୁହାଳିଆ ।ତେଣୁ ତା କଥା ଆଦୌ ଶୁଣ ନାହିଁ, ତୁମେ ତୁମର ତୁମ ବାଟରେ ଗଲ ।”
ଲୋକଟି ପୁଣି ଭାର ସଜାଡି ଆଗକୁ ଗଲା, ପଛପଟରୁ ନୀର ରହି ରହିକା ପୁନଃ ପୁନଃ ତାକୁ ଶୁଣେଇ ଶୁଣେଇ କହୁଥାଏ,” ଯାଆ! ଯାଆ!! ମାହାନା ମାଇବ ତ ଭାତତରକାରୀ କି ବେଲେ ବାଢ଼ିଦେବ, ଖାଲି ଗାଣ୍ଡି କଚାଡ଼ିକି ଗାଉଁ ଗାଉଁକରି ଖାଇଯିବ ।”
ଶେଷରେ ଭାରୁଆ ତା ଗନ୍ତବ୍ୟସ୍ଥଳରେ ଯାଇ ପହଁଞ୍ଚିଲା।ଦାଣ୍ଡଦୁଆର ମୁହଁରୁ କୁହାଟ ଛାଡ଼ିଲା, “ମଦନପୁରରୁ ବୋହୂଘରୁ ଭାର ଆସିଛି ଗୋ ଭାର ।”
ଘରୁ ତତ୍କ୍ଷଣାତ୍ ପାକି ଦେଈ ସରୁ ଓଢ଼ଣା ଟାଣି ବାହାରି ଆସିଲେ। ପାଣି ନୋଟିଆ ଆଣି ପିଣ୍ଡାରେ ଥୋଇଲେ ।ପଦେ ଦୁଇପଦ ଘରକଥା ପଚାରିଛନ୍ତି କି ନାହିଁ ଶାଶୁମା’ ତୁଠନଦୀକୁ ପାଣି କରିବାକୁ ଯାଇଥିଲେ, ଘରେ ଆସି ପହଁଞ୍ଚିଲେ। ବାପରେ! ତା’ପରେ ତାଙ୍କ ଗର୍ଜନ ଆଉ କିଏ ଦେଖେ ।କହିଲେ-” ଶୁକୁଟା ବୋଇତାଳୁକୁ ଗୋଟେ କଖାରୁ, ଗୋଟେ ପଚା ଓଉକୁ ଗୋଟେ ଦରବୁଢା କାକୁଡ଼ି, ଗୋଟା ନଡ଼ିଆକୁ ପରିବା ଶୂନ୍, ଗଜା ମୁଗ, କାବୁଲି ସୋଲା ବୋଲି ଛତୁଫୁଟା ବାସିଦରବ- ସେଗୁଡ଼ାକ ସବୁ ଆମର କିଏ ଖାଏ। ପୁଣି ଗଣ୍ଡେ ଲାଗୁ ଖଇ ସାଙ୍ଗକୁ କିଲେ ଦି କିଲୋ ମିଠା ହେବ ନାହିଁ, ସେୟାକୁ ଧରି ଆସିଛ କଅଣନା ଭାର ଆଣିଛ ।ଗଲ ନା ମୋ ଦୁଆରୁ ଝଅଟ, ଆଉ ଦିନେ ଯଦି ଆସିଛ।”
ଏକଥା ଶୁଣି ପାକି ଦେଈଟା ଶକଶକ ହୋଇ ଖାଲି କାନ୍ଦିଲା । ଚୁପକିନା କହିଲା, ଚକରା ଭାଇ ତୁମେ ଏମାନଙ୍କ କଥା ସହିପାରିବ ନାହିଁ, ଚାଲିଯାଅ। ବାପାବୋଉଙ୍କୁ କିଛି କହିବ ନାହିଁ। ମୁଁ ଯେମିତି ହେଲେ ଶ୍ୱଶୁରଘରେ ଦେହକଟା କାଟିଦେବି ।
ସେଇଠୁ ଚକରା ଛିନଛାଟ ହୋଇ ଆସିଛି ଯେ ଆସିଛି, ଆଉ ପଛକୁ ଫେରି ଚାହିଁ ନାହିଁ । ପୁଣି ବିଲ ପାଖରେ ପହଞ୍ଚିଲା ବେଳକୁ ନୀର ତ ସେଠି ଥିଲା।ତା ହାବଭାବରୁ କ’ଣ ଠଉରେଇ ନେଲା କେଜାଣି, କହିଲା, “ହଁ ମାହାନା ମାଇବ ତ ତିନି ତିଅଣ ଛଅ ତରକାରୀ ନଅ ଭଜା କରି ଖାଇବାକୁ ଦେଇଥିବ, ତୁମେ ତ ଖାଲି ସଟାସଟ ନାଦି ଦେଇଥିବ ।” ଏକଥା ଶୁଣି ଚକରା ଝାମମରା ହୋଇ ସେଇଠି ବସିପଡ଼ିଲା। ତା ଦୁଃଖ ଶୁଣି ସେଇ ନୀର ପୁଣି ଏକ ଓଉତିଆ କାମ ପାଇଁ ବିଲକୁ ନେଇଥିବା ଭାତପାଣି ଗଣ୍ଡେ ନିଜ ଭାଗରୁ ତାକୁ ଖାଇବାକୁ ଦେଲା। ବିଚରା ମନଦୁଖରେ ଘରକୁ ଯାଇଛି।
ସେତେବେଳେ ଗାଁଗଣ୍ଡାରେ କୋଉ ଦୋକାନପାତ୍ର ଗୋଟେଅଧେ ଥିଲା ଯେ, ସେ କୋଉଠୁ ଗଣ୍ଡେ ଖାଇକି ଯାଇଥା’ନ୍ତା ।ଗଲାବେଳେ ସେ ବରବର ହୋଇ ନିଜକୁ ନିଜେ କହୁଥାଏ, “ଶାଶୁଟା ଲୋଭୀଲା କୁକୁରକୁ ଶ୍ୱଶୁରଟା ଆହୁରି ଗୀଧ ।ନହେଲେ ମିଣିପଟା ତୁ! ସେଇଠି ଦାଣ୍ଡପିଣ୍ଡାରେ ଖୁଣ୍ଟଟା ପରିକା ବସି ଝୋଟରୁ ଟାକୁଆରେ ଦଉଡି ବଳୁଛି, ମାଇବଟାକୁ ପଦ ଅଧେ ଆକଟ କରି ନଥାଆନ୍ତୁ ନା!”
ଏ ମାହାନା ମାଇବଟା ସତରେ ସେରନ୍ତା ହୋଇକି ବି ଭାରି ଲୋଭୀ।
ଉପସହକାରୀ ନିବନ୍ଧକ
ସମବାୟ ସମିତି ସମୂହ
ଭଦ୍ରକ
ଦୂରଭାଷ :୯୯୩୭୧୮୧୮୪୬